ଶୋକାନୁଭୂତି

ଶୋକାନୁଭୂତିର ପାଞ୍ଚଗୋଟି ସୋପାନ

ପ୍ରିୟଜନଙ୍କ ବିୟୋଗରେ ମନୁଷ୍ୟ ଶୋକାଭିଭୂତହୋଇପଡ଼େ । ଭଗ୍ନସ୍ୱାସ୍ଥ୍ୟ, ବେରୋଜଗାର, ବନ୍ଧୁତ୍ୱଚ୍ଛିନ୍ନ, ପଦପଦବୀ ଓ ବସ୍ତୁ ହରାଇବା ଇତ୍ୟାଦି ମଧ୍ୟ ଶୋକକର । ଜୀବନର ବିଭିନ୍ନ ପର୍ଯ୍ୟାୟରେ ମନୁଷ୍ୟ ଶୋକକ୍ଳିଷ୍ଟ ହୋଇ ପଡୁଥିଲେ ହେଁ ବାର୍ଦ୍ଧକ୍ୟରେ ଦୀର୍ଘଜୀବନର ପରିସର ଶୋକାନୁଭୂତି ନିମନ୍ତେ ପ୍ରଶସ୍ତ କ୍ଷେତ୍ର ସୃଷ୍ଟି କରିଥାଏ । ସାଧାରଣ ଜୀବନରେ ଶୋକସନ୍ତପ୍ତ ଅବସ୍ଥା ସଂପର୍କରେ ଚେତନା ନଥାଏ ଏବଂ ଏହି କାରଣରୁ ଶୋକ ପ୍ରକଟ ଅବସରରେ ଅଧିକାଂଶ ବିବ୍ରତ ହୋଇ ଅଣାୟତ୍ତ ମାନସିକ ଯନ୍ତ୍ରଣା ଶୀକାର ହୋଇଥାନ୍ତି ।

 

ଶୋକାକୁଳ ପରିବେଶ ଉପଶମ ଲାଗି ବ୍ୟାବହାରିକ ସୁବିଧାସୁଯୋଗ ସୃଷ୍ଟି ନିମନ୍ତେ ମନୋବିଜ୍ଞାନୀମାନେ ବିଂଶ ଶତାଦ୍ଦୀ ଶେଷାର୍ଦ୍ଧରୁ ଗବେଷଣା ଆରମ୍ଭ କରିଥିଲେ । ଶୋକାନୁଭୂତିରେ ଶୋକାଚ୍ଛ୍ୱାସ ଓ ବିୟୋଗ-ପର ଜୀବନ ଦୁଇ ମୁଖ୍ୟ ଉପାଦାନ । ବିଶ୍ୱର ବିଭିନ୍ନ ପ୍ରାନ୍ତରେ ବିଭିନ୍ନ କାରଣଜନିତଶୋକସନ୍ତପ୍ତଙ୍କ କ୍ଷେତ୍ରରେ ବିୟୋଗ ପୂର୍ବାବସ୍ଥାକୁ ପ୍ରତ୍ୟାବର୍ତ୍ତନ ଧାରା ଅନୁଧ୍ୟାନ କରି ନମନୀୟତା ‘ରେଜିଲେନ୍ସ’ର ମାତ୍ରା ନିର୍ଦ୍ଧାରଣ ଉଦ୍ୟମରେ ଗବେଷକମାନେ ସଫଳତା ପାଇପାରି ନାହାନ୍ତି । ଶୋକାନୁଭୂତି ନିର୍ଦ୍ଦିଷ୍ଟ ଘଟଣା ତଥା ବ୍ୟକ୍ତିଚରିତ୍ର ଉପରେ ନିର୍ଭରଶୀଳ । ସାମଗ୍ରୀକଭାବେଶୋକାବେଶ ମାପି ହୁଏ ନାହିଁ ଏବଂ ଏଭଳି ପ୍ରତିକୂଳ ପରିବେଶର ମୁକାବିଲା ଲାଗି ପ୍ରସ୍ତୁତିକଳ୍ପେ ବିଧିବଦ୍ଧ ତାଲିମ ବ୍ୟବସ୍ଥା ଏଯାଏଁ ସଂଭବ ହୋଇପାରି ନାହିଁ । ତେବେ ଶୋକାନୁଭୂତି ସଂପର୍କରେ ସଚେତନ ହେବା ଶୋକଗ୍ରସ୍ତ ଅବସ୍ଥା ଉପଶମରେ ସହାୟକ ହେବା ଆଶା କରାଯାଇପାରେ ।

 

ସୁଇଜରଲ୍ୟାଣ୍ଡ ଜନ୍ମିତ ମାର୍କିନ ମନୋବିଜ୍ଞାନୀଏଲିସାବେଥକୁବଲେର-ରସ ୧୯୬୯ରେ ପ୍ରକାଶିତ ‘ଅନଡ଼େଥ ଏଣ୍ଡ ଡାଇଁ’ ପୁସ୍ତକରେ ଶୋକାନୁଭୂତିର ପାଞ୍ଚଗୋଟି ସୋପାନ ଚ଼ିହ୍ନଟ କରିଥିଲେ । ଶୋକ ବିଜ୍ଞାନ ଅଧ୍ୟୟନରେ ଏହାକୁ ପ୍ରାଥମିକ ତତ୍ତ୍ୱର ମାନ୍ୟତା ଦିଆଯାଏ । କୁବଲେର-ରସ କଲୋରାଡ଼ୋ ବିଶ୍ୱ ବିଦ୍ୟାଳୟରେ ଅଧ୍ୟାପନା କାଳରେ ଆସନ୍ନ-ମୃତ୍ୟୁ ପ୍ରତୀକ୍ଷାରତଙ୍କ ଅନୁଭୂତି ‘ଏଣ୍ଡ-ଅଫ-ଲାଇଫ ଏକ୍ସପିରିଏନ୍ସେସ’ ସଂକଳନରେ ଦୀର୍ଘକାଳ ଅତିବାହିତ କରିଥିଲେ । ତାଙ୍କରି ବିଚାରରେ ଶୋକାନୁଭୂତି ପ୍ରତ୍ୟାଖ୍ୟାନ, କ୍ରୋଧ, ପ୍ରତ୍ୟାଶା, ଅବସାଦ ଓ ସ୍ୱୀକୃତିଏହିଭିଳି ପାଞ୍ଚଗୋଟି ସୋପାନ ମଧ୍ୟଦେଇ ଗତି କରିଥାଏ । ଅବଶ୍ୟ ସମସ୍ତ ଶୋକାକୁଳ ଘଟଣା କିମ୍ୱା ସମସ୍ତ ଶୋକସନ୍ତପ୍ତ ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରେ ସମଗ୍ର ପାଞ୍ଚଗୋଟି ବଦଳରେ ଗୋଟିଏ, ଦୁଇଗୋଟି, ତିନିଗୋଟି ବା ଚାରିଗୋଟି ପର୍ଯ୍ୟାୟ ଅନୁଭବ ଏବଂ କ୍ରମିକ ଅଦଳବଦଳ ହୋଇପାରେ ।

 

ପ୍ରଥମତଃ, ଶୋକାକୁଳ ପରିବେଶରେ ଶୋକ ସମ୍ୱାଦ ଅନେକ କ୍ଷେତ୍ରରେ ପ୍ରାଥମିକସ୍ତରରେଶୋକାକାନ୍ତଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହୋଇପାରେ । ଅର୍ଥାତ ଶୋକପୂର୍ଣ୍ଣ ଖବରକୁ ସଂପୃକ୍ତ ବ୍ୟକ୍ତିବିଶେଷ କିମ୍ୱା ଗୋଷ୍ଠୀଅବିଶ୍ୱାସ କରିପାରନ୍ତି । ଉଦାହରଣରେ ପ୍ରିୟଜନଙ୍କ ଦୁର୍ଘଟଣାରେ ବିୟୋଗ ଖବର ହୁଏତ ଭ୍ରମାନ୍ତକ, ଅତିରଞ୍ଜିତ କିମ୍ୱା କପଟାଚାରିତ ମନେ ହୋଇପାରେ । ବିଶେଷଜ୍ଞମାନଙ୍କ ମତରେ ବିୟୋଗାନ୍ତକ ସମ୍ୱାଦ ଶୁଣିବା ମାତ୍ରେ ପ୍ରତ୍ୟାଖ୍ୟାନ କରିବା ଶୋକାଚ୍ଛ୍ୱାସ ଉପଶମ ପ୍ରକ୍ରିୟାରେ ସହାୟକ ହୋଇଥାଏ ।

 

କର୍କଟ ଭଳି କୌଣସି ଦୁରାରୋଗରେ ଆକ୍ରାନ୍ତ ହୋଇଥିବା ଖବର ଶୁଣିବା ମାତ୍ରେ ରୋଗୀ ସହ ପରିବାରବର୍ଗ ସ୍ତବ୍ଧ ହୋଇଯାଆନ୍ତି । ନିଦାନରେ ଭୂଲଭଟ୍ଟକା କିମ୍ୱା ଫାର୍ମାସିଷ୍ଟଙ୍କ ଦକ୍ଷତା ଉପରେ ସନ୍ଦେହ ଉପୁଜେ । ଠିକ ସେହିପରି କର୍କଟ ରୋଗ ଆଶଙ୍କାରେ ସ୍ୱାସ୍ଥ୍ୟ ପରୀକ୍ଷାପରେ ଆକ୍ରାନ୍ତ ମୁକ୍ତ ଥିବା ଖବରକୁ ମଧ୍ୟ ସହଜରେ ଗ୍ରହଣ କରିହୁଏ ନାହିଁ । ଉଭୟ କ୍ଷେତ୍ରରେ ଦ୍ୱିତୀୟ-ମତ ନିମନ୍ତେ ଭିନ୍ନ ଚିକିତ୍ସାଳୟରେ ଭର୍ତ୍ତି ହେବା ନିମନ୍ତେ ମନ ବଳାଏ । ନିଦାନ ବିବରଣୀ ପ୍ରତି ସନ୍ଦେହ ଶୋକକର ପରିବେଶ ମୁକାବିଲାର ଅଂଶବିଶେଷ ମନେକରାଯାଇପାରେ ।

 

ପ୍ରତ୍ୟାଖ୍ୟାନ ଅବସ୍ଥାରେ ଶୋକାବିଷ୍ଟ ବୁଝିପାରେ ନାହିଁ ଯେ ଯଦି ଖବରଟି ସତ ହୋଇଥାଏ ତେବେ ସେ କିପରି ସମ୍ଭାବ୍ୟ ପରିବର୍ତ୍ତିତ ଜୀବନର ସାମନା କରିବ । ନୂତନ ସମୀକରଣ ଅମୀମାଂସିତ ମନେହୁଏ । ତେବେ ଘଟଣାଟିର ସତ୍ୟାସତ୍ୟ ସଂପର୍କରେ ଅବଗତ ହେବାପରେ ଉପଶମ ପ୍ରକ୍ରିୟା ଆରମ୍ଭ ହୋଇଥାଏ ।

 

ଦ୍ୱିତୀୟତଃ, ପ୍ରତ୍ୟାଖ୍ୟାନ ଅବସ୍ଥା ଅବାସ୍ତବ ହୋଇଥିବା ସ୍ଥଳେ ଆକ୍ରାନ୍ତ ବ୍ୟକ୍ତିବିଶେଷ କ୍ରମଶଃ ବାସ୍ତବତାକୁ ଫେରେ । ଏହି ଅବସରରେ ଅନେକ କ୍ଷେତ୍ରରେ କ୍ରୋଧ ଜନ୍ମିଥାଏ । ଏଭଳି ଶୋକକର ଅବସ୍ଥାରେ ତାହାକୁ କାହିଁକି ସମ୍ମୁଖୀନ ହେବାକୁ ପଡ଼ିଲା ବୋଲି ପ୍ରଶ୍ନ ଉଠେ । ଧର୍ମପରାୟଣମାନେ ଭଗବାନଙ୍କଠାରେ କୈଫିୟତ ଦାବୀ କରନ୍ତି । ମାନସିକ ସ୍ୱାସ୍ଥ୍ୟ ବିଶାରଦଗଣଶୋକଜନିତ କ୍ରୋଧକୁ ପ୍ରାକୃତିକ ମନେକରନ୍ତି । ଏହାକୁ ଚାପି ଦେବା ବଦଳରେ ଉଦ୍ଗୀରଣ ଶୀଘ୍ର ଶୋକ ପ୍ରଶମନ ଦିଗରେ ସହାୟକ ହୋଇଥାଏ ବୋଲି ସୂଚାଇ ଥାଆନ୍ତି ।

 

କ୍ରୋଧ ବଶବର୍ତ୍ତୀ ଅବସ୍ଥାରେ ଶୋକକ୍ଳିଷ୍ଟ ପରିସ୍ଥିତି କିମ୍ୱା ନିର୍ଦ୍ଧିଷ୍ଟ ବ୍ୟକ୍ତିବିଶେଷଙ୍କୁ ଦୋଷ ଦେଇଥାଏ । ପରିବାରବର୍ଗ ଓ ନିକଟ ସଂପର୍କୀୟମାନେ ଆକ୍ରାନ୍ତଙ୍କକ୍ରୋଧ ଆଚରଣରୁ ମୁକ୍ତି ପାଇ ନଥାନ୍ତି । ଶୋକଗ୍ରସ୍ତ ହେବାପରେ ସମ୍ୱାଦକୁ ପ୍ରତ୍ୟାଖ୍ୟାନ କରି ଅବାସ୍ତବ ପରିବେଶର ସମ୍ମୁଖୀନ ହୋଇପଡୁଥିବା ସ୍ଥଳେ ପରିଚିତବର୍ଗଙ୍କବିରୋଧରେ କ୍ରୋଧ ପ୍ରକାଶ ଅବସ୍ଥାରେ ପୁଣି ଥରେ ବାସ୍ତବତାକୁ ପ୍ରତ୍ୟାବର୍ତ୍ତନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏହି ଆଚରଣ କ୍ରୋଧ ପ୍ରକାଶର ବେଗ ଓ ଘନତ୍ୱ ପରିମାପରେ ଶୋକ ପ୍ରଶମନରେ ସହାୟକ ହେବା କୁହାଯାଏ ।

 

ତୃତୀୟତଃ, ଶୋକାବେଗ ପରିପ୍ରକାଶରେ ପ୍ରତ୍ୟାଶାର ଭୂମିକାକୁ କୁବଲେର-ରସ ଚିହ୍ନଟ କରିଥାନ୍ତି । ଅନେକ କ୍ଷେତ୍ରରେ ଦେଖାଯାଏ ଯେ ଶୋକଗ୍ରସ୍ତ ହେବା ଅବସରରେ ଆକ୍ରାନ୍ତ ବ୍ୟକ୍ତିବିଶେଷ କାରଣ ନିରାକରଣ ସଂପର୍କରେ ପ୍ରଶ୍ନ କରିଥାନ୍ତି । ଉଦାହରଣରେ ଦୁର୍ଘଟଣାରେ ନିଜେ କିମ୍ୱା ପ୍ରିୟଜନ ସମ୍ମୁଖୀନ ହେବାପରେ ମନରେ ସ୍ୱତଃପ୍ରବୃତ୍ତଭାବେ ପ୍ରଶ୍ନ ଉଠେ, ଯଦି କିଛି କାଳ ଆଗରୁ କିମ୍ୱା କିଛି କାଳ ପରେ ଯାତ୍ରା ଆରମ୍ଭ ହୋଇଥାନ୍ତା, ତେବେ ହୁଏତ ଦୁର୍ଘଟଣାଗ୍ରସ୍ତ ହେବାକୁ ପଡ଼ିନଥାନ୍ତା । ସେହିପରି ଯଦି ସୃଷ୍ଟ ସମସ୍ୟା ସମାଧାନ ହୋଇଯାଏ, ତେବେ ଜୀବନବ୍ୟାପୀ ସେଭଳି କାର୍ଯ୍ୟକଳାପରେ ଲିପ୍ତ ହେବେ ନାହିଁ, ଇତ୍ୟାଦି । ଧର୍ମପରାୟଣମାନେ ହୁଏତ ଭଗବାନଙ୍କଠାରେ ଅଳି କରନ୍ତି ସମସ୍ୟାରୁ ମୁକ୍ତିପରେଅମକସମକ କରିବେ । ଏଭଳି ଚୁକ୍ତି ଅବାସ୍ତବ ଏବଂ ବିଶ୍ୱାସଭିତ୍ତିକ । ସ୍ଥଳବିଶେଷରେ ଆକ୍ରାନ୍ତ ବ୍ୟକ୍ତିବିଶେଷ ତୁରନ୍ତ ଧାର୍ମିକ ରୀତିନୀତିରେ ସଂଶ୍ଳିଷ୍ଟ ହୋଇପଡ଼ନ୍ତି । ଓଡ଼ିଶା ଭଳି ଅନଗ୍ରସର ରାଜ୍ୟରେ ଶୋକାଭିଭୂତଙ୍କଠାରୁ ଚଞ୍ଚକତା କରି ଅର୍ଥ ଆଦାୟ ଶଠତା ଉଦାହରଣର ଅଭାବ ନଥାଏ ।

 

ଚତୁର୍ଥତଃ, ସାଧାରଣ ବିଚ଼ାରରେ ଶୋକାର୍ତ୍ତ ଅବସାଦର ଶୀକାର ହେବା ଏକ ସ୍ୱାଭାବିକ ପ୍ରକ୍ରିୟା । ବିୟୋଗାନ୍ତ ପରିବେଶରେ ଆକ୍ରାନ୍ତ ଦୈନନ୍ଦିନ ଜୀବନଯାତ୍ରାରୁ ଅପସରିଯିବା, ଖାଦ୍ୟ, ପୋଷାକ ପରିଚ୍ଛେଦ ଓ ବୃତ୍ତି ପ୍ରତି ଉଦାସୀନ ମନୋଭାବ ପୋଷଣ କରିବା, ଅନ୍ୟମାନଙ୍କ ସହ ଆଳାପ ଆଲୋଚ଼ନାରୁ ନିବୃତ୍ତ ରହିବା ତଥା ଭବିଷ୍ୟତ ପ୍ରତି ନିରାଶା ମନୋଭାବ ପ୍ରକାଶ କରିଥାଏ । ଏହା କ୍ଷଣସ୍ଥାୟୀ କିମ୍ୱା ଦୀର୍ଘସ୍ଥାୟୀ ହୋଇପାରେ । ତେବେ ଗଭୀରତା ସ୍ଥଳବିଶେଷରେ ହତାଶଭାବରୁ ଆତ୍ମହତ୍ୟା ପ୍ରବଣତା ଆଡ଼କୁ ମୁହାଁଉଥିବା ମଧ୍ୟ ଦେଖିବାକୁ ମିଳେ ।

 

ପଞ୍ଚମତଃ, କୁବଲେର-ରସଙ୍କ ଉପପାଦ୍ୟରେ ଶୋକକର ପରିସ୍ଥିତିର ଅନୁମୋଦନ ବା ସ୍ୱୀକୃତିଶୋକଚକ୍ରର ଶେଷାବସ୍ଥା । ସାର୍ବଜନୀନସ୍ତରରେଶୋକବିହ୍ୱଳ ଅବସ୍ଥାରୁ ମୁକ୍ତିର ସମୟସୀମା ନିର୍ଦ୍ଧାରଣ ଅସଂଭବ । ଏହା ଘଟଣା ଓ ବ୍ୟକ୍ତିକେନ୍ଦ୍ରୀକ । ଶୋକ ଉପଶମ ପରିପ୍ରେକ୍ଷୀରେ ଆକ୍ରାନ୍ତ ବ୍ୟକ୍ତିବିଶେଷ ସ୍ୱାଭାବିକ ଜୀବନଯାତ୍ରାକୁ ଫେରିଆସେ । ମାନସିକସ୍ତରରେ ଠିକ କରି ନିଏ ଯେ ହରାଇଥିବା ବସ୍ତୁ ନଚେତ ପ୍ରିୟଜନଙ୍କୁ ପୁଣି ଫେରିପାଇବା ଅଂସଭବ କିମ୍ୱା ରୋଗାକ୍ରାନ୍ତ ଅବସ୍ଥାରେ ମୃତ୍ୟୁ ସୁନିଶ୍ଚିତ । ତେଣୁ ପରିବର୍ତ୍ତିତ ପରିବେଶରେ ନୂତନ ବାସ୍ତବତା ସହ କିପରି ନିଜକୁ ଖାପଖୁଆଇ ବଞ୍ଚିହେବ ସେଦିଗରେ ମନୋନିବେଶ କରେ । ଶୋକୋଚ୍ଛ୍ୱାସରୁ ମୁକ୍ତିପରେ ଦୈନନ୍ଦିନ ଜୀବନ ପୂର୍ବବତ ଚଳଚଞ୍ଚଳ ହୋଇ ଉଠେ । କ୍ରମଶଃ ବିୟୋଗାନ୍ତ ଅନୁଭୂତି ଦୁଃଖଦ ସ୍ମୃତି ପାଲଟିଯାଏ ।

 

ଶୋକାନୁଭୂତି ଉପଚାର ନିମନ୍ତେ ଚିକିତ୍ସାରେ ଔଷଧ ପ୍ରୟୋଗ ‘ମେଡ଼ିକେସନ’ ଓ ପ୍ରବୋଧନ ‘କାଉନସିଲିଂ’ ଦୁଇ ମୁଖ୍ୟ ଧାରା ରୂପେ ପ୍ରଚଳିତ । ଚିକିତ୍ସକମାନେ ନିଦ୍ରା ଯିବା ‘ସେଡ଼େଟିଉଭ’, ଅବସାଦ-ବିରୋଧି ‘ଆଣ୍ଚି-ଡ଼ିପ୍ରେସେଣ୍ଟ’ ଏବଂ ଉଦବିଗ୍ନତା-ବିରୋଧି ‘ଆଣ୍ଟି-ଏଙ୍ଗଜାଇଟି’ ଔଷଧ ପ୍ରୟୋଗ କରିଥାନ୍ତି । ଶୋକାନୁଭୂତି ଚିକିତ୍ସା କ୍ଷେତ୍ରରେ ଚିକିତ୍ସକମାନଙ୍କ ମଧ୍ୟରେ ଦୁଇ ପରସ୍ପର ବିରୋଧି ମତବାଦ ଦେଖିବାକୁ ମିଳିଥାଏ । କେତେକ ଚ଼ିକିତ୍ସକଶୋକକ୍ଳିଷ୍ଟଙ୍କୁ ବିନା ଔଷଧରେ ପ୍ରାକୃତିକ ଭାବେ ଶୋକବ୍ୟକ୍ତ କରିବା ନିମନ୍ତେ ସୁଯୋଗ ପ୍ରଦାନ ସପକ୍ଷରେ ଯୁକ୍ତି ବାଢ଼ିଥାନ୍ତି । ଅନ୍ୟ କେତେକ ଔଷଧ ସେବନ ଦ୍ୱାରା ଆବେଗ ଆୟତ୍ତ କରିବା ଚିକିତ୍ସାରେ ମନୋନିବେଶ କରିଥାନ୍ତି । ତେବେ ପ୍ରବୋଧନାକୁ ସଭିଏଁ ଗୁରୁତ୍ୱ ଦେଇଥାନ୍ତି । ଶୋକାର୍ତ୍ତର ଚିକିତ୍ସା ବଦଳରେ ଦୈନନ୍ଦିନ ଜୀବନ ଯାପନରେ ସାମ୍ନା କରୁଥିବା ମାନସିକ ପ୍ରତିବନ୍ଧକଗୁଡ଼ିକରୁମୁକ୍ତିଲାଗି ପ୍ରବୋଧନା ସହାୟତା ପ୍ରଦାନ କରିଥାଏ । ସ୍ଥଳବିଶେଷରେ ଜଟିଳ ପରିସ୍ଥିତିରେ ବିଶେଷଜ୍ଞ ଚିକିତ୍ସକଙ୍କ ଆବଶ୍ୟକତା ପଡିଥାଏ ।

 

ଶୋକାନୁଭୂତି ସଂପର୍କରେ ପ୍ରାୟ ୨୦ ଖଣ୍ଡ ପୁସ୍ତକ ରଚନା କରିଥିବା ତଥା ପ୍ରାଥମିକ ବିଚାରଧାରା ‘ମଡ଼େଲ’ଗଢ଼ିଥିବାଏଲିସାବେଥକୁବଲେର-ରସ ବ୍ୟକ୍ତିଗତ ଜୀବନରେ ବାରମ୍ୱାରଶୋକାକୁଳ ପରିବେଶର ସମ୍ମୁଖୀନ ହୋଇଥିଲେ । ଦୁଇ ଜଣ ଯମଜ ସନ୍ତାନଙ୍କ ସହ କୁବଲେର-ରସ ଅତ୍ୟନ୍ତ କମ ଓଜନର ଶିଶୁ ରୂପେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କରି ପିତା ଜଣେ ନୃଶଂସ ପ୍ରକୃତିର ବ୍ୟକ୍ତି ଥିଲେ । ବାଲ୍ୟକାଳରେ ତାଙ୍କରି ଦ୍ୱାରା ପାଳିତ ଏକ ଠେକୁଆକୁ ମାରି ତାହାର ମାଂସ ପରିବାରବର୍ଗଙ୍କ ସହ ରାତ୍ରୀଭୋଜନ ପରଷିବା ନିମନ୍ତେ କୁବଲେର-ରସଙ୍କୁ ବାଧ୍ୟ କରାଯାଇଥିଲା । ସେ ପିତାଙ୍କ ଇଚ୍ଛା ବିରୁଦ୍ଧରେ ଡ଼ାକ୍ତରୀ ଶିକ୍ଷା ଅଧ୍ୟୟନ କରିଥିଲେ ।

 

ଚିକିତ୍ସା ବିଜ୍ଞାନରେ ୧୯୫୭ରେ ଉପାଧି ହାସଲ ପରେ ଜୁରିଚ ବିଶ୍ୱବିଦ୍ୟାଳୟରେ ଜଣେ ମାର୍କିନ ସହଧ୍ୟାୟୀଡ଼ାକ୍ତରଙ୍କ ସହ ବିବାହ କରି ୧୯୫୮ରେ ନ୍ୟୂୟର୍କ ଚାଲି ଆସିଥିଲେ । ସେ ଏକ ପୁତ୍ର ଓ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ ଏବଂ ତାଙ୍କରି ପାରିବାରିକ ଜୀବନ ଶାନ୍ତ ଥିଲା । ତେବେ ମୃତ୍ୟୁ ପର ଜୀବନ‘ଲାଇଫ ଆଫଟରଡ଼େଥ’ ଗବେଷଣା କାର୍ଯ୍ୟରେ ଏକ ଧର୍ମଯାଜକଙ୍କ ସହଚର୍ଯ୍ୟଲାଗି ନିନ୍ଦିତ ହୋଇଥିଲେ । ଏହି କାରଣରୁ ୧୯୭୯ରେ ବିବାହ ବିଚ୍ଛେଦ ଘଟିଥିଲା ।

 

କୁବଲେର-ରସଙ୍କ ୭୮ ବର୍ଷ ବୟସରେ ୨୦୦୯ରେ ପରଲୋକ ହୋଇଥିଲା । ୧୯୯୫ରେ ହୃଦଘାତ ହେତୁ ଶାରିରୀକଭାବେ ସେ ପ୍ରାୟ ଅକର୍ମଣ୍ୟ ହୋଇ ୱିଲ-ଚେୟାରରେ ଜୀବନ କାଟୁଥିଲେ । ୧୯୯୪ରେ ଆକସ୍ମିକ ଅଗ୍ନିକାଣ୍ଡ ହେତୁ ତାଙ୍କରି ବାସଗୃହର ପ୍ରଭୂତ କ୍ଷତି ଘଟିଥିଲା । ତାଙ୍କରି ମତବାଦ ବିରୋଧୀମାନଙ୍କ ପକ୍ଷରୁ ଘରେ ନିଆଁ ଲଗାଇ ଦିଆ ଯାଇଥିବା ସନ୍ଦେହ ଉପୁଜିଥିଲା । ଜୀବନସାରା ଯିଏ ଆସନ୍ନ ମୃତ୍ୟୁ ପ୍ରତୀକ୍ଷାରତଙ୍କଜୀବନାନୁଭୂତି ଗବେଷଣା ଚଳାଇଥିଲେ, ତାଙ୍କୁ ପ୍ରାୟ ଦୀର୍ଘ ନଅ ବର୍ଷ ଶାରିରୀକଭାବେ ପଙ୍ଗୁ ଅବସ୍ଥାରେ ମୃତ୍ୟୁକୁ ଅପେକ୍ଷା କରିବାକୁ ପଡିଥିଲା ।

 

କୁବଲେର-ରସଙ୍କ ଶୋକାନୁଭୂତିର ପାଞ୍ଚଗୋଟି ସୋପାନ ମୁଖ୍ୟତଃ ମୃତ୍ୟୁ ସମୀପବର୍ତ୍ତୀ ରୋଗାକ୍ରାନ୍ତଙ୍କଅନୁଭୂତିକୁ କେନ୍ଦ୍ରକରି ପ୍ରସ୍ତୁତି ହୋଇଥିଲେ ହେଁ ସାମଗ୍ରୀକଭାବେଶୋକାନୁଭୂତି ଅଧ୍ୟୟନରେ ନିୟୋଜିତ । ଶୋକ ପ୍ରକାଶ ଅସ୍ଥାୟୀ ଏବଂ ଶୋକାକୁଳ ପରିସ୍ଥିତିର ପ୍ରଥମ ସ୍ପର୍ଶରେ ସୃଷ୍ଟ ଅସ୍ଥିରତା କ୍ରମଶଃ ପ୍ରଶମିତ ହୋଇ ଅବଶେଷରେ ନମନୀୟ ହୋଇପଡ଼େ । ବାର୍ଦ୍ଧକ୍ୟରେ ବ୍ୟକ୍ତିଗତ ଜୀବନରେ ଶୋକାକୁଳ ପରିବେଶର ସମ୍ମୁଖୀନ ହେବା ସ୍ୱତଃସିଦ୍ଧ ଥିବା ହେତୁ ଶୋକାନୁଭୂତି ସଂପର୍କରେ ସମ୍ୟକ ପରିଚିତି ଉପାଦେୟ ପ୍ରମାଣିତ ହୋଇପାରେ ।

 

 

ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଡ଼ିସେମ୍ୱର ୨୦୧୯

---

ତଥ୍ୟ:

 

Gregory, Christina. The Five Stages of Grief.

https://www.psycom.net/depression.central.grief.html

ଶୋକର ପରିଧି

କେବଳ ପ୍ରିୟଜନଙ୍କ ବିୟୋଗରେ ଶୋକର ପରିଧି ସୀମିତ ନଥାଏ । ମନୁଷ୍ୟ ଯେଉଁ ବିଷୟଗୁଡ଼ିକ ସହ ଭାବାବେଗରେ ସଂପୃକ୍ତ ତଥା ସମୟ, ସାମର୍ଥ୍ୟ ଓ ସ୍ୱପ୍ନ ଉପଯୋଗରେ ଗଢ଼ି ତୋଳିଥାଏ, ସେଗୁଡ଼ିକର ଅପସାରଣରେ ଶୋକଗ୍ରସ୍ତହୋଇପଡ଼େ । ଭୌଗଳିକ ପରିସୀମାରେ ପ୍ରାକୃତିକ ବିପର୍ଯ୍ୟୟ ଓ ସନ୍ତ୍ରାସବାଦୀ କାର୍ଯ୍ୟକଳାପ ଭଳି ସାମୂହିକ ସୁରକ୍ଷା ବିପନ୍ନ ଅବସ୍ଥାରେ ମଧ୍ୟ ମନୁଷ୍ୟ ଶୋକଗ୍ରସ୍ତ ହୋଇଥାଏ ।

 

ଶୋକପ୍ରକାଶ ପ୍ରାକୃତିକ ଏବଂ ଶୋକାଚ୍ଛନ୍ନ ଅବସ୍ଥାରେ ଆକ୍ରାନ୍ତ ବ୍ୟକ୍ତିବିଶେଷଙ୍କ ମାନସିକ, ବ୍ୟାବହାରିକ ଓ ସାମାଜିକ ଆଚ଼ରଣରେ ପରିବର୍ତ୍ତନ ସଂଭବପର । ଶୋକକର ପରିବେଶରେ ଶୋକସନ୍ତପ୍ତ ଦୁଃଖଦ ଘଟଣାକୁ ଅସ୍ୱୀକାର କରିବା ସାଙ୍ଗକୁ କ୍ରୋଧ, ଭୟ, ତନ୍ଦ୍ରା, ଭୂଲାମନ, ଏକାଗ୍ରତାହାନୀ ଭଳି ମାନସିକ ଅସନ୍ତୁଳନ ଅବସ୍ଥାରେ ଉପନୀତ ହୋଇଥାନ୍ତି । ସଂଖ୍ୟାଧିକ କ୍ଷେତ୍ରରେ ଶୋକାନୁଭୂତି ସାମୟିକ, ତେବେ ଏହାର ସମୟସୀମା ନିର୍ଦ୍ଧାରଣ ହୋଇପାରିନଥାଏ ।

 

ଶୋକ ଉଦ୍ରେକ, ଶୋକ ଅନୁଭବ ଓ ଶୋକ ପ୍ରଶମନ ପ୍ରକ୍ରିୟା ଜଟିଳ । ଏହା ଘଟଣାକେନ୍ଦ୍ରୀକ ତଥା ବ୍ୟକ୍ତିକେନ୍ଦ୍ରୀକ । ଏକପକ୍ଷରେ ଶୋକ ଅଧ୍ୟୟନରେ ଏସବୁ ଦିଗରେ ସ୍ୱଚ୍ଛ ବର୍ଗୀକରଣ ସମ୍ଭବପର ହୋଇପାରି ନାହିଁ । ଅପରପକ୍ଷରେ ଶୋକ ଗବେଷଣାର ପରିସର ସୀମିତ ଏବଂ ଶୋକାନୁଭବ ସାମାଜିକସ୍ତରରେ ବହୁଳ ଚର୍ଚ୍ଚିତ ବିଷୟବସ୍ତୁ ନୁହେ । ଏହି କାରଣରୁ ସର୍ବସାଧାରଣରେ ଶୋକ ଚ଼େତନା ଦୁର୍ଲଭ ।

 

ଜୀବନର ବିଭିନ୍ନ ସୋପାନରେ ଶୋକଗ୍ରସ୍ତ ହେବା ଲାଗି ପରିବେଶ ସୃଷ୍ଟି ହେଉଥିଲେ ହେଁ ବାର୍ଦ୍ଧକ୍ୟରେ ଶୋକର ପରିଧି ପ୍ରଶସ୍ତ । ଜୀବଦ୍ଦଶା ସୀମିତ ଥିବା ହେତୁ ବୟସାଧିକ୍ୟ ଅବସ୍ଥାରେ ପରିବାରିକସ୍ତରରେ ସଦସ୍ୟମାନଙ୍କ ପରଲୋକ ସ୍ୱତଃସିଦ୍ଧ । ଏତଦ୍ ବ୍ୟତୀତ ବାର୍ଦ୍ଧକ୍ୟଜନିତ ସ୍ୱାସ୍ଥ୍ୟହାନୀ, ରୋଗକେନ୍ଦ୍ରୀକ ପୀଡ଼ା, ବୃତ୍ତିଭିତ୍ତିକ କର୍ମକ୍ଷେତ୍ରରୁ ବାଧ୍ୟବାଧକତାରେ ଓହରିଯିବା ଓ ତଦ୍ ଜନ୍ମିତ ଦୁର୍ବଳ ଆର୍ଥିକ ଦୁରାବସ୍ଥା, ସ୍ଥଳବିଶେଷରେ ବାସସ୍ଥଳୀରୁ ବିଚ୍ୟୁତି, ପ୍ରତିକୂଳ ପରିବେଶରେ ଜୀବନଯାତ୍ରା, ଅର୍ଜିତ ସମ୍ପତ୍ତି ହରାଇବା ତଥା ସ୍ୱାଧୀନଭାବେ ଜୀବନଯାପନରୁ ନିବୃତ୍ତି ଇତ୍ୟାଦି ଶୋକର କାରଣ ପାଲଟିଥାଏ । ଦୈନନ୍ଦିନ ଜୀବନଯାତ୍ରା କ୍ରମଶଃ ଅପାରଗତାଆଡ଼କୁ ମୁହାଁଇବା ତଥା ନିର୍ଭରଶୀଳତା ବରିଷ୍ଠ ନାଗରିକମାନଙ୍କ ଆତ୍ମପ୍ରତ୍ୟୟକୁ ଖର୍ବ କରିଥାଏ । ଏତାଦୃଶ ପରିସ୍ଥିତି ଶୋକାବେଗକୁ ଦୀର୍ଘସ୍ଥାୟୀ କରେ ।

 

ବାର୍ଦ୍ଧକ୍ୟରେ ଶୋକାନୁଭୂତି ଯୁବାବସ୍ଥାଠାରୁ ଭିନ୍ନ । ଯୁବାବସ୍ଥାରେ ସାଧାରଣତଃ ଶୋକକର ପରିସ୍ଥିତିରେ ଆକସ୍ମିକ ଭାବେ ଉପନୀତ ହେବା ଆଶା କରାଯାଉଥିବା ସ୍ଥଳେ ବାର୍ଦ୍ଧକ୍ୟରେ ପୁର୍ବାନୁମାନ ସଂଭବପର । କମ ବୟସରେ ସ୍ୱାସ୍ଥ୍ୟଗତ ଦକ୍ଷତା କାରଣରୁ ଶୋକାଚ୍ଛ୍ୱାସରୁ ମୁକ୍ତିରେ ସହାୟକ ହେଉଥିବା ସ୍ଥଳେ ପରିଣତ ବୟସରେ ତାହା ସଂଭବପର ହୋଇପାରେ ନାହିଁ ।

 

 

ବରିଷ୍ଠ ନାଗରିକମାନଙ୍କ ଶୋକାବେଗ ସ୍ୱାସ୍ଥ୍ୟହାନୀର କାରଣ ପାଲଟିଥାଏ । ବ୍ରିଟେନର ବ୍ରିମିଂହାମ ବିଶ୍ୱବିଦ୍ୟାଳୟରେ ୨୦୧୪ରେ ଆହୂତ ଗବେଷଣାରୁ ପ୍ରକାଶ ଯେ ‘ନ୍ୟୂଟ୍ରୋଫିଲ’ ନାମକ ଶ୍ୱେତରକ୍ତ କଣିକାର ୩୦ ବର୍ଷ ବୟସ୍କଙ୍କ ତୁଳନାରେ ବରିଷ୍ଠ ଶୋକଗ୍ରସ୍ତଙ୍କ କ୍ଷେତ୍ରରେ ୮୦ ପ୍ରତିଶତ ଯାଏଁ ଦକ୍ଷତା ହ୍ରାସ ପାଇଥାଏ । ଫଳରେ ଶରୀରରେ ରୋଗପ୍ରତିଷେଧକ କ୍ଷମତା କ୍ଷୀଣ ହୋଇଯାଏ । ମାନସିକସ୍ତରରେ ଚାପ ସୃଷ୍ଟିକାରୀ ‘କୋର୍ଟିସୋଲ’ ଏବଂ ‘ଡି-ହାଇଡ୍ରୋ-ଏପିଏଣ୍ଡୋଷ୍ଟେରନ-ସଲଫେଟ’ହରମୋନର କାର୍ଯ୍ୟକାରିତା ମଧ୍ୟ ଶୀଥିଳହୋଇପଡ଼େ । ଏଭଳି ପରିବେଶ ଶୋକାବିଷ୍ଟ ବରିଷ୍ଠ ନାଗରିକଙ୍କୁ ସହଜରେ ରୋଗାକ୍ରାନ୍ତ କରିପାରେ । ବୈଜ୍ଞାନିକମାନେ ଏହାର ମୁକାବିଲା ନିମନ୍ତେ ହରମୋନଗୁଡ଼ିକୁ ବାହ୍ୟସୂତ୍ରରୁ ଶରୀରରେ ସ୍ଥାନିତ କରିବା ବିକଳ୍ପ ଚ଼ିକିତ୍ସା ନିମନ୍ତେ ଗବେଷଣା ଚଳାଇଥିବା ଜଣାଯାଏ ।

 

ସ୍ଥଳବିଶେଷରେ ବରିଷ୍ଠ ଦମ୍ପତ୍ତିଙ୍କ କ୍ଷେତ୍ରରେ ପତି କିମ୍ୱା ପତ୍ନୀଙ୍କ ମୃତ୍ୟୁପରେ ଖୁବ କମ ସମୟ ମଧ୍ୟରେ ଅନ୍ୟଜଣେ ରୋଗାକ୍ରାନ୍ତ ହୋଇପଡୁଥିବା ବା ମୃତ୍ୟୁବରଣ କରୁଥିବା ଉଦାହରଣ ଦେଖିବାକୁ ମିଳେ । ସାଥିଙ୍କ ମୃତ୍ୟୁ-ପର ଅବସ୍ଥାରେ ସୁସ୍ଥସବଳ ଥିବା ଜୀବିତ ସାଥିଙ୍କ ମାନସିକ ଓ ଶାରିରୀକ ସ୍ୱାସ୍ଥ୍ୟ ଭଗ୍ନର ଆଶଙ୍କା ଉପୁଜିଥାଏ ।

 

ଦମ୍ପତ୍ତିଙ୍କ କ୍ଷେତ୍ରରେ ଜଣକର ଅନୁପସ୍ଥିତିଜନିତ ଶୋକାବେଗ ଉପଶମ ଜଟିଳ । ଦୈନନ୍ଦିନ ଜୀବନଯାତ୍ରା ଓ ପାରିବାରିକ ବୁଝାମଣାରେ ପତି ଓ ପତ୍ନୀ ଉଭୟ ନିର୍ଦ୍ଧାରିତ ଭୂମିକା ଗ୍ରହଣ କରିଥାନ୍ତି । ଦୀର୍ଘ ଦିନର ସହବସ୍ଥାନରେ ଘରକରଣାର କେତେକ କାର୍ଯ୍ୟ ପତି ବୁଝୁଥିବା ସ୍ଥଳେ ପତ୍ନୀ ଅନ୍ୟ କେତେକ କାର୍ଯ୍ୟଭାର ସମ୍ଭାଳିଥାନ୍ତି । ଜଣକର ଅନୁପସ୍ଥିତିରେ ବୃଦ୍ଧାବସ୍ଥାରେ ସମସ୍ତ ଦାୟିତ୍ୱ ନିର୍ବାହ ସମ୍ଭବପର ନହେବା କାରଣରୁ ଜୀବନଯାତ୍ରାର ଶୈଳୀ ପରିବର୍ତ୍ତନ ବାଧ୍ୟବାଧକତାରେ ପରିଣତ ହୋଇଥାଏ । ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ପାରସ୍ପରିକ ଉତ୍ତମ ବୁଝାମଣା ସମ୍ପନ୍ନ ଦମ୍ପତ୍ତିଙ୍କ ସମେତ ମତଭେଦ ଆକ୍ରାନ୍ତ ଦମ୍ପତ୍ତିଙ୍କ କ୍ଷେତ୍ରରେ ମଧ୍ୟ ଜଣେ ସଦସ୍ୟଙ୍କ ଅନୁପସ୍ଥିତିର ପ୍ରଭାବ ଅନୁଭୂତ ହେଉଥିବା ଦେଖାଯାଏ ।

 

ଗବେଷଣାରୁ ଜଣାଯାଏ ଯେ ଯୁବାବସ୍ଥା ତୁଳନାରେ ବାର୍ଦ୍ଧକ୍ୟରେ ଶୋକାବେଗ ଉପଶମ ପ୍ରକ୍ରିୟା ସହଜ । ବୟସ ବୃଦ୍ଧି ସଙ୍ଗେ ମନୁଷ୍ୟ ଶୋକବେଗ ପରିସ୍ଥିତି ମୁକାବିଲା କରିବା ଦକ୍ଷତା ହାସଲ କରିଥାଏ । ଅବଶ୍ୟ ଏହା ବ୍ୟକ୍ତିକେନ୍ଦ୍ରୀକ ।

 

କେତେକ ବ୍ୟକ୍ତି ଉନ୍ମୁକ୍ତ ହୃଦୟରେ ନିଜର ସୁବିଧା ଅସୁବିଧା ବନ୍ଧୁ ପରିଜନଙ୍କ ସମ୍ମୁଖରେ ପ୍ରକାଶ କରିବାରେ କୁଣ୍ଠାବୋଧ କରିନଥାନ୍ତି । ଶୋକ ପ୍ରଶମନରେ ଶୋକୋଚ୍ଛ୍ୱାସ ପରିପ୍ରକାଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ହେତୁ ଏହି ବର୍ଗର ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରେ ଶୋକର ତାଡ଼ନା ଅପେକ୍ଷାକୃତ କମ ବିଚାର କରାଯାଏ । ତେବେ ଅନ୍ୟ ଶ୍ରେଣୀର ବ୍ୟକ୍ତିବିଶେଷ ନିଜ ଆବେଗ ଅନ୍ୟମାନଙ୍କ ସମ୍ମୁଖରେ ପ୍ରକାଶ କରିବାରୁ କ୍ଷାନ୍ତ ରହିବାରେ ଅଭ୍ୟସ୍ତ ଥିବା ହେତୁ ସେମାନଙ୍କ କ୍ଷେତ୍ରରେ ଶୋକ ପ୍ରଶମନ କଷ୍ଟକର ହୋଇପଡ଼େ ।

 

ବିଶେଷଜ୍ଞମାନେ ଶୋକପ୍ରକାଶର ଲକ୍ଷଣ ଅନୁଯାୟୀ ସାଧାରଣ ଓ ଜଟିଳ ଦୁଇଗୋଟି ବର୍ଗରେ ବିଭକ୍ତ କରିଥାନ୍ତି । ସାଧାରଣ ଶୋକପ୍ରକାଶ କାଳରେ କ୍ରନ୍ଦନ, ଦୈନନ୍ଦିନ ଜୀବନଯାତ୍ରାରେ ନିଦ୍ରା ଓ ଖାଦ୍ୟ ଅଭ୍ୟାସରେ ପରିବର୍ତ୍ତନ ସାଙ୍ଗକୁ ଦୁଃଖ, କ୍ରୋଧ, ଭୟ, ତନ୍ଦ୍ରା ତଥା ଶାରିରୀକସ୍ତରରେ ଅବଶ ଅନୁଭବ ହୋଇଥାଏ । ଆକ୍ରାନ୍ତ ବ୍ୟକ୍ତି ସାମାଜିକ କାର୍ଯ୍ୟଧାରାରୁ ଦୂରେଇ ଯିବା, ଏକାଗ୍ରହୀନତା, ଠିକ ମନେପକାଇବା ଓ ଚିନ୍ତାକରିବାରେ ଅକ୍ଷମତା ତଥା ମୃତବ୍ୟକ୍ତିଙ୍କ ପ୍ରତିଛବି ଦେଖିବା ଓ ସ୍ୱର ଶୁଣିବାଭଳି ବୋଧହେବା ସମସ୍ୟାବଳୀର ସମ୍ମୁଖୀନ ହୋଇଥାନ୍ତି ।

 

ସାଧାରଣ ଶୋକପ୍ରକାଶର ଉପଶମ ପ୍ରକ୍ରିୟା ପ୍ରାକୃତିକ, ସରଳ ଏବଂ ଅଧିକାଂଶ କ୍ଷେତ୍ରରେ ଚିକିତ୍ସାର ଆବଶ୍ୟକତା ପଡ଼ିନଥାଏ । ସମୟକ୍ରମେ ଶୋକକର ଘଟଣାର ବାସ୍ତବତା ସଂପର୍କରେ ଅନୁଭବୀ ସଚ଼େତନ ହେବା ପରେ କ୍ରମଶଃ ଲକ୍ଷଣଗୁଡ଼ିକରୁ ନିଜକୁ ମୁକ୍ତ କରି ସାଧାରଣ ଜୀବନଯାତ୍ରାରେ ପୁନର୍ବାର ସଂପୃକ୍ତ ହୋଇପଡ଼େ । ଶୋକପ୍ରକାଶ କାଳରେ ଆକ୍ରାନ୍ତ ବ୍ୟକ୍ତିବିଶେଷ ସ୍ୱାସ୍ଥ୍ୟରକ୍ଷାରେ ଅବହେଳା ପ୍ରକାଶ କରିଥାଏ । ନିୟମିତଭାବେ ନଖାଇବା କିମ୍ୱା ଆବଶ୍ୟକତାଠାରୁ ଅଧିକ ଖାଇବା, ସିଗାରେଟ, ଚା’କଫି ବା ମାଦକଦ୍ରବ୍ୟର ସାହାରା ନେବା କାରଣରୁ ଭଗ୍ନ ସ୍ୱାସ୍ଥ୍ୟର ଆଶଙ୍କା ଉପୁଜିଥାଏ ।

 

ଜଟିଳ ଶୋକପ୍ରକାଶର ଲକ୍ଷଣଗୁଡ଼ିକ ମଧ୍ୟରେ ନିଦ୍ରାହୀନତା ଓ ଦୁଃସ୍ୱପ୍ନ, ଶରୀରର ଓଜନ ହ୍ରାସ, ନିରନ୍ତର ବିୟୋଗଜନିତ କ୍ଳେଶ, ଏକାନ୍ତ ଅନୁଭବ, ଆତ୍ମଘାତୀ ମନୋଭାବ ପ୍ରକାଶ ଓ ଅନ୍ୟାନ୍ୟ ବ୍ୟାବହାରିକ ପରିବର୍ତ୍ତନ ପ୍ରଧାନ । ଶୋକଚ୍ଛ୍ୱାସ ଜଟିଳ ପର୍ଯ୍ୟାୟରେ ପରିଣତ ହେବା ସମୟସାପେକ୍ଷ । ଚିକିତ୍ସକମାନେ ଅନ୍ତତଃପକ୍ଷେ ଛଅମାସ ଧରି ଆକ୍ରାନ୍ତ ବ୍ୟକ୍ତିବିଶେଷଙ୍କ ଲକ୍ଷଣଗୁଡ଼ିକୁ ତର୍ଜମା କରି ଏଭଳି ଅବସ୍ଥା ଚ଼ିହ୍ନଟ କରିଥାନ୍ତି । ଶୋକ ବିଜ୍ଞାନ ଅନୁଯାୟୀ ଶୋକଗ୍ରସ୍ତ ବ୍ୟକ୍ତିପକ୍ଷେ ଶୋକପ୍ରକାଶରେ ଜଟିଳତା ଅନୁଭବ କରିବା ସମ୍ଭବ ହୋଇନଥାଏ । ସେ ସାଧାରଣଭାବେ ଶୋକାବିଷ୍ଟ ଥିବା ଅନୁମାନ କରିଥାଏ । ଏହି କାରଣରୁ ଅଧିକାଂଶ କ୍ଷେତ୍ରରେ ଚିକିତ୍ସକମାନଙ୍କ ପରାମର୍ଶ ଗ୍ରହଣରେ ବିଳମ୍ୱ ଲକ୍ଷ୍ୟ କରାଯାଏ ।

 

ଶୋକପ୍ରକାଶ କାଳରେ ଶରୀରରେ ହରମୋନଗୁଡ଼ିକର କାର୍ଯ୍ୟଦକ୍ଷତା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ହେତୁ ପ୍ରାକୃତିକ ଉପାୟରେ ସନ୍ତୁଳନ ରକ୍ଷା ନିମନ୍ତେ ଶୋକବିଜ୍ଞାନୀମାନେ ପରାମର୍ଶ ଦେଇଥାନ୍ତି । ଉତ୍ତମ ଖାଦ୍ୟାଭ୍ୟାସ, ବ୍ୟାୟମ ଓ ସାମାଜିକ ଜୀବନରେ ସଂପୃକ୍ତ ରହିବା ଏଥି ମଧ୍ୟରେ ପ୍ରଧାନ ।

 

ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଜାନୁୟାରୀ ୨୦୨୦ 

---

ଶୋକ ପ୍ରକାଶରେ ଆତ୍ମଗ୍ଳାନି

ସ୍ଥଳବିଶେଷରେ ପ୍ରିୟଜନଙ୍କ ବିୟୋଗରେ ଶୋକସନ୍ତପ୍ତ ଅବସ୍ଥା ବିରିଭମେଣ୍ଟ ଆତ୍ମଗ୍ଳାନି ଗିଲଟ ପ୍ରଭାବିତ । ପରଲୋକଗତଙ୍କ ପ୍ରତି ଯାହା କରାଯିବା କଥା ତାହା ସମାହିତ ହୋଇପାରିନାହିଁ ବୋଲି କେତେକ କ୍ଷେତ୍ରରେ ଅନୁଶୋଚ଼ନାରିଗ୍ରେଟ ଉଦ୍ରେକ ହୁଏ । ଅବହେଳା ଲାଗି ନିଜକୁ ଦୋଷୀ ସେଲଫ-ଏକ୍ୟୁଜେସନ ସାବ୍ୟସ୍ତ କରିଥାନ୍ତି ।


 

ଆତ୍ମୀୟଙ୍କ ଜୀବନଯାତ୍ରାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନୀତି ନିର୍ଦ୍ଧାରଣରେ ସହଭାଗୀଙ୍କ ଗଭୀର ସଂପୃକ୍ତି ରହିଥାଏ । କେତେକ କ୍ଷେତ୍ରରେ ମୃତ୍ୟୁ ପରବର୍ତ୍ତୀ ଅବସ୍ଥାରେ ମୃତ୍ୟୁ ପୂର୍ବାବସ୍ଥା ପରିଚାଳନାରେ ଅସଂଗତି ଚ଼ିହ୍ନଟ କରି ଅନୁତପ୍ତ ହେବା ଦେଖାଯାଏ । ଶୋକସନ୍ତପ୍ତଙ୍କ କ୍ଷେତ୍ରରେ ଏହି ଅନୁଭବ ଆତ୍ମୀକ । ଏଥିଲାଗି କୌଣସି ବାହ୍ୟ ସୂତ୍ରରୁ ଦୋଷାରୋପର ଆବଶ୍ୟକତା ନଥାଏ ।


 

ଶୋକପ୍ରକାଶରେ ଆତ୍ମଗ୍ଳାନି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିଲେ ହେଁ ଏଦିଗରେ ଅଧ୍ୟୟନ ସୀମିତ । ଜର୍ମାନର ଟ୍ୟୁବିନଜେନ ବିଶ୍ୱବିଦ୍ୟାଳୟରେ ରେନସ-ଭାନ-ଡ଼ିସ୍କୁଟଙ୍କ ତତ୍ତ୍ୱାବଧାନରେ ୧୯୮୩ ରୁ ୮୫ ଦୁଇବର୍ଷ ଧରି ୩୦ ଜଣ ବିପତ୍ନୀକ ପୁରୁଷ ଓ ୩୦ ଜଣ ବିଧବା ମହିଳାଙ୍କ ଆଚ଼ରଣ ଅନୁଧ୍ୟାନ କରାଯାଇଥିଲା । ଏମାନେ ୪ ରୁ ୭ ମାସ ପୂର୍ବେ ନିଜ ସହଭାଗୀଙ୍କୁ ହରାଇଥିଲେ । ସେମାନଙ୍କ ହାରାହାରି ବୟସ ୫୩ ବର୍ଷ । ତିନିଗୋଟି ପର୍ଯ୍ୟାୟରୁ ପ୍ରଥମରେ ୪ ରୁ ୭ ମାସ, ଦ୍ୱିତୀୟରେ ୧୪ ମାସ ଓ ତୃତୀୟରେ ଦୁଇବର୍ଷ ଶେଷରେ ତଥ୍ୟ ସଂଗୃହୀତ ହୋଇ ବିଶ୍ଳେଷଣ କରାଯାଇଥିଲା । ଗବେଷଣାର ନିର୍ଯ୍ୟାସ ୨୦୧୪ରେ ପ୍ରକାଶିତ ହୋଇଥିଲା ।


 

ଶୋକପ୍ରକାଶରେ ଆତ୍ମଗ୍ଳାନିକୁ ସହଜାତ ବିଚାର କରାଯାଏ । ଅନୁଶୋଚନା ଓ ଦୋଷାରୋପ ଆତ୍ମଗ୍ଳାନିର ଦୁଇ ମୁଖ୍ୟ ଉପାଦାନ । ପରଲୋକଗତଙ୍କ କ୍ଷେତ୍ରରେ ଯାହା କରାଯିବା କଥା ତାହା ହୋଇପାରି ନଥିବା ଏବଂ ଏଥି ନିମନ୍ତେ ନିଜକୁ ଦାୟୀ କରିବା ଦ୍ୱାରା ଆତ୍ମଗ୍ଳାନି ସୃଷ୍ଟି ହୋଇଥାଏ ।


 

ଆତ୍ମଗ୍ଳାନି ସଂପର୍କରେ ଗବେଷଣାଲବ୍ଧ ତଥ୍ୟ ଅନୁଯାୟୀ ଅନୁଶୋଚନା ଶୋକପ୍ରକାଶ ପ୍ରକ୍ରିୟାକୁ ଜଟିଳ କରିପକାଏ । ଏହା ଶୋକସନ୍ତପ୍ତଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ବିସ୍ତାର କରେ । ଆତ୍ମଗ୍ଳାନିର ପ୍ରାବଲ୍ୟ ଶୋକ ଉପଶମରେ ପ୍ରତିବନ୍ଧକ ସାଜିଥାଏ । ଏହା ମାନସିକସ୍ତରରେ ଶୋକସନ୍ତପ୍ତଙ୍କୁ ଭରାକ୍ରାନ୍ତ କରିଥାଏ ।


 

ରେନସଭାନ-ଡି-ସ୍କୁଟଙ୍କ ଗବେଷଣାରୁ ଜଣାଯାଇଛି ଯେ ସମୟକ୍ରମେ ଶୋକ ପ୍ରଶମିତ ହୋଇଥାଏ । ଗବେଷଣରେ ଅଂଶ ଗ୍ରହଣ କରିଥିବା ଅଧିକାଂଶଙ୍କ କ୍ଷେତ୍ରରେ ପ୍ରଥମବାର ତଥ୍ୟ ସଂଗ୍ରହ ତୁଳନାରେ ଦ୍ୱିତୀୟ ଓ ତୃତୀୟବାର ତଥ୍ୟ ସଂଗ୍ରହ ବେଳକୁ ଶୋକର ପ୍ରଭାବ ଶୀଥିଳହୋଇପଡ଼ିଥିଲା । ତେବେ ଆତ୍ମଗ୍ଳାନିଲାଗି ହାରାହାରି ଅନୁଶୋଚ଼ନା ଓ ଦୋଷାରୋପରେ ପରିବର୍ତ୍ତନ ଘଟିନଥିଲା ।


 

ଆତ୍ମଗ୍ଳାନିର ପରିମାପ ଶୋକ ପ୍ରଶମନକୁ ପ୍ରଭାବିତ କରିଥାଏ । ଯେଉଁଠି ଆତ୍ମଗ୍ଳାନି ତୀବ୍ର ସେଠାରେ ପ୍ରଶମନ ପ୍ରକ୍ରିୟା ଶୀଥିଳ । ସ୍ଥଳବିଶେଷରେ ମୃତ୍ୟୁ ପୂର୍ବବସ୍ଥାରେ ଦମ୍ପତ୍ତିଙ୍କ କ୍ଷେତ୍ରରେ ସଂଘଟିତ ମନୋମାଳିନ୍ୟ ମୀମାଂଶା ନହୋଇପାରିବା, ଜୀବନଯାତ୍ରାରେ ଯଥାସାଧ୍ୟ ସହଯୋଗ ନଯୋଗାଇପାରିବା କିମ୍ୱା ସ୍ନେହମମତାରୁ ବଞ୍ଚିତ କରିବା ଇତ୍ୟାଦି କାରଣରୁ ମୃତ୍ୟୁ-ପର ଅବସ୍ଥାରେ ଜୀବିତ ସହଭାଗୀଙ୍କଠାରେ ସୃଷ୍ଟ ଅନୁଶୋଚନାର ମାତ୍ରା ବୃଦ୍ଧି ଘଟୁଥିବା ଜଣାଯାଏ । ଆତ୍ମଗ୍ଳାନି ସହ ଅବସାଦର କୌଣସି ସଂପର୍କ ନଥିବା ପ୍ରମାଣ ମିଳେ ।


 

ପ୍ରିୟଜନଙ୍କ ମୃତ୍ୟୁରେ ଆତ୍ମଗ୍ଳାନି ଅନୁଭବ ସଂଖ୍ୟାଧିକଙ୍କଠାରେ ଦେଖାଯାଏ । ପ୍ରକୃତରେ ଅନେକ କ୍ଷେତ୍ରରେ ଅନୁତପ୍ତ ହେବା ଭଳି କୌଣସି କାରଣ ନଥିଲେହେଁ ଶୋକାଚ୍ଛନ୍ନ ଅବସ୍ଥା ଆତ୍ମଗ୍ଳାନି ପ୍ରଭାବିତ ହୋଇଥାଏ । ଏଣୁ ଶୋକପ୍ରକାଶ କାଳରେ ଅନୁଶୋଚନାରେ ବିବ୍ରତ ହୋଇପଡ଼ିବା ଅନାବଶ୍ୟକ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଥାନ୍ତି ।


 

ଶୋକାକୁଳ ଅବସ୍ଥାରେ ନିଆରା ଅନୁଭୂତିର ସାମ୍ନା ହେବାକୁ ପଡ଼ିଥାଏ । ସାଧାରଣ ଜନଜୀବନରେ ଅପରିଚିତ ମାନସିକ ଅବସ୍ଥାରେ ଶୋକାକ୍ରାନ୍ତ ଆଚ୍ଛାଦିତ ହୋଇପଡ଼େ । ପରଲୋକଗତଙ୍କୁ କେନ୍ଦ୍ରକରି ବିଗତ ଜୀବନର ଅନେକ ସ୍ମୃତି ମନକୁ ଆପେ ଆପେ ଆସିଯାଏ । ଏହି ଅବସରରେ ନିଜ ଆଚରଣରେ ଭୂଲଭଟ୍ଟକା ଚ଼ିହ୍ନଟ ହୋଇ ଅନୁତାପଲାଗି ଇନ୍ଧନ ଯୋଗାଇଥାଏ ।


 

ଏତାଦୃଶ ପରିବେଶର ମୁକାବିଲା କରିବା ନିମନ୍ତେ ଶୋକବିଜ୍ଞାନୀମାନେ ଶୋକାକ୍ରାନ୍ତଙ୍କୁ ପରଲୋକଗତଙ୍କ ଜୀବନରେ ନକାରାତ୍ମକ ସଂପୃକ୍ତି ବଦଳରେ ସକାରାତ୍ମକ ସଂପୃକ୍ତି ଅନୁଭୂତିଗୁଡ଼ିକୁ ମନେ ପକାଇବା ନିମନ୍ତେ ଉପଦେଶ ଦେଇଥାନ୍ତି । ଅର୍ଥାତ ପରଲୋକଗତଙ୍କ ଜୀବନରେ ନିଜପକ୍ଷରୁ ଭୂଲଭଟ୍ଟକା ବଦଳରେ ସାହାଯ୍ୟ ସହଯୋଗର ସ୍ମୃତି ଉଜ୍ଜୀବିତ କରିପାରିଲେ ଉପଶମ ମିଳେ ।


 

ଶୋକପ୍ରକାଶ କାଳରେ ଆତ୍ମଗ୍ଳାନିକୁ ଶୀଥିଳ କରିବା ନିମନ୍ତେ ଅନୁତାପକେନ୍ଦ୍ରୀକ ବିଷୟବସ୍ତୁ ବନ୍ଧୁପରିଜନଙ୍କ ମଧ୍ୟରେ ଆଲୋଚନା ଏକ ମାଧ୍ୟମ । ପାରସ୍ପରିକ କଥୋପକଥନରେ ଅତୀତ ଜୀବନରେ ସଂଘଟିତ ଘଟଣାବଳୀ ସାଧାରଣ ତଥା ଅନ୍ୟମାନେ ବିଶେଷ ଗୁରୁତ୍ୱ ଦେଉନଥିବା ଜାଣିବାପରେ ଶୋକାକ୍ରାନ୍ତ ଆଶ୍ୱସ୍ତିବୋଧ କରିଥାଏ ।


 

ଆତ୍ମଗ୍ଳାନି ଭଳି ନକାରାତ୍ମକ ଚିନ୍ତାରୁ ଶୋକାବିଷ୍ଟଙ୍କୁ ଦୂରେଇବା ନିମନ୍ତେ ଶୋକ ବିଜ୍ଞାନୀମାନେ କେତେକ ସରଳ ପ୍ରକ୍ରିୟାରେ ଅଂଶଗ୍ରହଣ କରିବା ନିମନ୍ତେ ପରାମର୍ଶ ଦେଇଥାନ୍ତି । ଆତ୍ମଗ୍ଳାନିକୁ କେନ୍ଦ୍ରକରି ସୁବିସ୍ତୃତ ବିବରଣୀ ଏକ କାଗଜରେ ଲେଖିବା କିମ୍ୱା ପରଲୋକଗତ ଆତ୍ମୀୟଙ୍କ ଉଦ୍ଦେଶ୍ୟରେ ପତ୍ର ଲେଖି ସେଗୁଡ଼ିକ ନଷ୍ଟ କରିଦେବା ଇତ୍ୟାଦି ପ୍ରଧାନ । ଏଥିରେ କେଉଁ ଘଟଣାକ୍ରମଗୁଡ଼ିକ ନିମନ୍ତେ ଶୋକସନ୍ତପ୍ତ ଅନୁତପ୍ତ ଏବଂ ସେହି ଅବସ୍ଥାରେ ସେ କଣ କରିବା ଉଚିତ ଥିଲା ବୋଲି ପଶ୍ଚାତାପ କରୁଛି ତାହା ପ୍ରାଞ୍ଜଳଭାବେ ବର୍ଣ୍ଣନା କରିବା ଆବଶ୍ୟକ ।


 

ପତ୍ର ଲିଖନରେ ସାମିଲ ହୋଇପାରୁଥିବା ଶୋକାବିଷ୍ଟ ପତ୍ର ଲେଖିସାରିବା ପରେ ତାହାକୁ ଉଚ୍ଚସ୍ୱରରେ ପଢ଼ିବା ଏବଂ ପରଲୋକଗତ ଆତ୍ମୀୟଙ୍କ ପକ୍ଷରୁ ନିଜ ପାଖକୁ ତାହାର ଉତ୍ତର ଲେଖିବା ପ୍ରକ୍ରିୟା ଶୋକ ଉପଶମରେ ସହାୟକ ହେବା କୁହାଯାଇଥାଏ ।


 

ପ୍ରିୟଜନଙ୍କ ବିୟୋଗ ବ୍ୟତୀତ ବିଭିନ୍ନ ବସ୍ତୁ ବା ସଂପର୍କ ଅପସାରଣ ତଥା ପ୍ରତିକୂଳ ପରିବେଶଜନିତ ଶୋକପ୍ରକାଶରେ ଆତ୍ମଗ୍ଳାନିର ପ୍ରଭାବ ବିଦ୍ୟମାନ । ଏହି ପ୍ରକ୍ରିୟା ସ୍ୱାଭାବିକ ତଥା ଘଟଣା ଓ ବ୍ୟକ୍ତିକେନ୍ଦ୍ରୀକ । ଶୋକପ୍ରକାଶର ବିଭିନ୍ନ ଉପାଦାନଗୁଡ଼ିକ ସଂପର୍କରେ ପରିଚିତି ସାମଗ୍ରୀକଭାବେ ସଚ଼େତନତା ବୃଦ୍ଧିରେ ସହାୟକ ହୋଇଥାଏ । ଶୋକ ଅନୁଭବ ସାର୍ବଜନୀନ ଏବଂ କାହାରିକି ଏଥିରୁ ନିସ୍ତାର ନଥାଏ । ଜୀବନର ବିଭିନ୍ନ ମୋଡ଼ରେ ବିଭିନ୍ନ କାରଣରୁ ଶୋକଗ୍ରସ୍ତ ହେବାକୁ ପଡ଼ିଥାଏ ।


 

ଶୋକପ୍ରକାଶ ପ୍ରାକୃତିକଭାବେ ମାନବୀୟ ଗୁଣାବଳୀରେ ଅନ୍ତର୍ଭୁକ୍ତ ଥିବା ହେତୁ ଏହି ଅବସରରେ ସଖାସହୋଦରଙ୍କ ସହଚ଼ର୍ଯ୍ୟ ତଥା ଆବଶ୍ୟକ ସ୍ଥଳେ ଚ଼ିକିତ୍ସକମାନଙ୍କ ପରାମର୍ଶ ଗ୍ରହଣ କରିବା ବାଞ୍ଛନୀୟ ।ସ୍ଥୁଳବିଚାରରେ ଶୋକକର ପରିବେଶ ସଂପର୍କରେ ଅଜ୍ଞ ଥିବା ବଦଳରେ ସାମାନ୍ୟ ସଚ଼େତନ ଶୋକ ପ୍ରଶମନର ସହଜସାଧ୍ୟ ଉପାୟ ଅବଲମ୍ୱନରେ ସହାୟକ ହେବା ଆଶା କରାଯାଇପାରେ ।


 

ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଫେବୃୟାରୀ ୨୦୨୦

 

---

ତଥ୍ୟ:

 

Stroebe, Margaret et. at. Guilt in Bereavement : The role of self-blame and regret in coping with loss. 2014. 


https://journals.plos.org/plosone/article?id=10.1371/journal.pone.0096606

 

Lander, A.K. Ways to Cope with guilt in grief. June 18, 2019 


https://www.aklander.co.uk/news/ways-to-cope-with-guilt-in-grief

ଶୋକାବେଗ ଉପଶମ

ବିଶେଷଜ୍ଞମାନଙ୍କ ମତରେ ଶୋକାବେଗ ଉପଶମ ରିଲିଫ ଫ୍ରମ ଗ୍ରୀଭିଂଏକ ପ୍ରାକୃତିକ ପ୍ରକ୍ରିୟା ଏକବିଂଶ ଶତାଦ୍ଦୀର ପ୍ରଥମ ଦୁଇ ଦଶକ ସୁଦ୍ଧା ଶାରିରୀକ ମାନସିକ ସ୍ୱାସ୍ଥ୍ୟ ଚ଼ିକିତ୍ସା କ୍ଷେତ୍ରରେ ବିପୁଳ ଉନ୍ନତି ସତ୍ତ୍ୱେ ମନୁଷ୍ୟ ଶୋକାଚ୍ଛ୍ୱାସରୁ ବର୍ତ୍ତିବା ନିମନ୍ତେ ବ୍ୟାବହାରିକ ପରାମର୍ଶ ହିଁ ଏକମାତ୍ର ନିର୍ଦ୍ଧାରିତ ପନ୍ଥା ମୃତ୍ୟୁ ସୁନିଶ୍ଚିତ ଥିବା ହେତୁ ପରଲୋକଗତଙ୍କ ବହୁସଂଖ୍ୟକ ସଖାସହୋଦର ଶୋକାକ୍ରାନ୍ତ ହେବା ସ୍ୱାଭାବିକ ଏକ ହିସାବ ଅନୁଯାୟୀ ପାଶ୍ଚାତ୍ୟ ଭୂଖଣ୍ଡରେ ଜଣକର ମୃତ୍ୟୁରେ ହାରାହାରି ପାଞ୍ଚଜଣ ନିକଟସଂପର୍କୀୟ ଶୋକଗ୍ରସ୍ତ ହୋଇଥାନ୍ତି ଏହି କାରଣରୁ ଶୋକ ସଂକ୍ରାନ୍ତୀୟ ଚେତନା ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଇପାରେ

 

ସାଧାରଣତଃ ସାମାଜିକ ଆଙ୍ଗିକରେ ମୃତ୍ୟୁ ମୃତ୍ୟୁପର ଶୋକକର ଅବସ୍ଥା ସଂପର୍କରେ ଆଲୋଚନା ବିରଳ ଜୀବଦ୍ଦଶାରେ ଏହି ଦୁଇ ପର୍ଯ୍ୟାୟ ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିଲେ ହେଁ ପରିସ୍ଥିତିରେ ସମ୍ମୁଖୀନ ହେବା ନିମନ୍ତେ ପୂର୍ବପ୍ରସ୍ତୁତି ନଥାଏ ବ୍ୟକ୍ତିଗତ ଅନୁଭୂତିକୁ ବାଦ ଦେଇ ପରିଚିତ ବ୍ୟକ୍ତିବିଶେଷଙ୍କୁ ଶୋକଗ୍ରସ୍ତ ଅବସ୍ଥାରେ ଆଶ୍ଵାସନା ଦିଆଯାଇପାରେ ତାହା ବି ଠିକ କରିପାରୁନା ଏପରିକି ଶୋକାତୁରଙ୍କ ସାମ୍ନା କରିବା ନିମନ୍ତେ ପଛଘୁଞ୍ଚା ଦେଉ ରାସ୍ତାଘାଟରେ ଚଳପ୍ରଚଳ ଅବସ୍ଥାରେ ଅକସ୍ମାତ ଶୋକକ୍ଳିଷ୍ଟଙ୍କ ସହ ମୁହାଁମୁହିଁ ହେବା ଭୟରେ ଦୂରରୁ ଦେଖି ରାସ୍ତାର ଅପରପାର୍ଶ୍ୱକୁ ମୁହାଁଇବା ଉଦାହରଣର ଅଭାବ ନଥାଏ

 

ଅନେକେ କୈଫିୟତ ଦିଅନ୍ତି ଯେ ଶୋକସନ୍ତପ୍ତଙ୍କ ସହ ବାର୍ତ୍ତାଳାପ ଆକ୍ରାନ୍ତଙ୍କୁ ପୁନର୍ବାର ଶୋକାକୁଳ ପରିବେଶକୁ ଟାଣିନେବ ତେଣୁ କିଛି କାଳ ସଂପୃକ୍ତ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଏଡ଼ାଇ ଦିଆଯାଇପାରେ କିନ୍ତୁ ଏଭଳି ମନୋଭାବ ତୃଟିପୂର୍ଣ୍ଣ ଶୋକବିହ୍ୱଳ ଅବସ୍ଥାରେ ପରିଚିତବର୍ଗଙ୍କ ପ୍ରବୋଧନା ଶୋକାବିଷ୍ଟଙ୍କୁ ଶୋକାବେଗରୁ କ୍ରମଶଃ ଅପସାରଣରେ ସହାୟତା କରିଥାଏ ପାରମ୍ପରିକ ଓଡ଼ିଆ ସମାଜରେ ଶୋକାର୍ତ୍ତଙ୍କ ସହ ପରିଚିତବର୍ଗଙ୍କ ଦୀର୍ଘକାଳ ସହବସ୍ଥାନ ପ୍ରଥା ଚଳି ଆସିଥିଲା ସ୍ୱାଧୀନୋତ୍ତର ଅବସ୍ଥାରେ ସହରୀ ସଭ୍ୟତାର ବିକାଶରେ ଶୋକବିହ୍ୱଳଙ୍କଠାରୁ ଦୂରେଇ ରହିବା ସଭ୍ୟ ସମାଜର ଆଚରଣରୂପେ ମାନି ନେଇଛୁ

 

ମୃତ୍ୟୁ ସହ ଭୟ ଯୋଡ଼ି ହୋଇ ରହିଥାଏ ମୃତ୍ୟୁ ସଂପର୍କରେ ଚ଼ିନ୍ତା କରିବା ବୈରାଗୀଙ୍କ ଲକ୍ଷଣ ବିଚ଼ାର କରାଯାଏ ସାଧାରଣ ଆଲୋଚ଼ନା ପରିସରରେ ମୃତ୍ୟୁର ଅନୁପସ୍ଥିତି ହେତୁ ମୃତ୍ୟୁଜନିତ ଶୋକୋଚ୍ଛ୍ୱାସ ମଧ୍ୟ ଅନୁଚ୍ଚାରିତ ଫଳରେ ଏହି ବିଷୟରେ ସାମାଜିକ ନୀରବତା କେବଳ ଆମକୁ ଭାବାବେଗ ସଂପର୍କରେ ଅପରିଚିତ କରି ରଖେ ନାହିଁ, ପ୍ରତ୍ୟେକ କିମ୍ଭୁତକିମ୍ଭାକାର ତଥା ଅନେକ କ୍ଷେତ୍ରରେ ତୃଟିପୂର୍ଣ୍ଣ ଧାରଣାର ବଶବର୍ତ୍ତୀ ହୋଇଥାନ୍ତି ମୃତ୍ୟୁ ମୃତ୍ୟୁଜନିତ ଶୋକପ୍ରକାଶ ସଂପର୍କରେ ଚ଼େତନା ପ୍ରସାର ଉଭୟ ପରିସ୍ଥିତିକୁ ମୁକାବିଲା କରିବା ନିମନ୍ତେ ସାମର୍ଥ୍ୟ ଯୋଗାଇପାରିବ ବୋଲି ବିଚ଼ାର କରାଯାଏ

 

ପାଶ୍ଚାତ୍ୟ ଭୂଖଣ୍ଡରେ ଶୋକସନ୍ତପ୍ତଙ୍କ ବ୍ୟାବହାରିକ ଚିକିତ୍ସା ନିମନ୍ତେ ବୃତ୍ତିଗତଭାବେ ସାଇକୋ-ଥାରାପିଷ୍ଟଙ୍କ ସେବା ଉପଲବ୍ଧ ଦୀର୍ଘ ଅଭିଜ୍ଞତା ସମ୍ପନ୍ନ ଯୁକ୍ତରାଷ୍ଟ୍ର ଆମେରିକାର ସାଇକୋ-ଥାରାପିଷ୍ଟ ମେଗାନ ଡ଼େଭିନେ ଏବଂ ବ୍ରିଟେନର ଜୁଲିଆ ସାମୁଏଲଙ୍କ ଦ୍ୱାରା ୨୦୧୭ରେ ପ୍ରକାଶିତ ଦୁଇଗୋଟି ପୁସ୍ତକ ଶୋକ ବିଜ୍ଞାନ ସଂପର୍କରେ ସମ୍ୟକ ଦୃଷ୍ଟିପାତ କରିଥାଏ

 

ଯୁକ୍ତରାଷ୍ଟ୍ର ଆମେରିକାର ପଶ୍ଚିମ ଉପକୂଳସ୍ଥିତ ଓରେଗାନ ରାଜ୍ୟରେ ବସବାସ କରୁଥିବା ମେଗାନ ଡ଼େଭିନେ ନିଜ ପତିଙ୍କ ସହ ଛୁଟି କଟାଉଥିବା ଅବସରରେ ତାଙ୍କରି ୩୯ ବର୍ଷ ବୟସ୍କ ପତି ପାଣିରେ ବୁଡ଼ିଯାଇ ପ୍ରାଣ ହରାଇଥିଲେ ପତି ବିୟୋଗରେ ମ୍ରିୟମାଣ ମେଗାନ ଶୋକଗ୍ରସ୍ତ ହେବା ଅବସରରେ ଶୋକ ଅଧ୍ୟୟନରେ ସଂପୃକ୍ତ ହୋଇପଡ଼ିଥିଲେ ପରବର୍ତ୍ତୀ ଅବସ୍ଥାରେ ସେ ଅନ୍ୟମାନଙ୍କ ଶୋକାବେଗ ଉପଶମରେ ସହାୟତା ପ୍ରଦାନକୁ ବୃତ୍ତିଭାବେ ଗ୍ରହଣ କରିଥିଲେ ତାଙ୍କରି ଦ୍ୱାରା ରଚିତ ପୁସ୍ତକ ଇଟସ ଓକେ, ବଟ ୟୁ-ଆର ନଟ ଓକେରେ ପାରମ୍ପରିକଭାବେ ସାମାଜିକସ୍ତରରେ ଶୋକପ୍ରକାଶକୁ ନେଇ ପ୍ରଚଳିତ ଭ୍ରାନ୍ତ ଧାରଣାଗୁଡ଼ିକ ଚ଼ିହ୍ନଟ କରାଯାଇ ଦୂରୀକରଣ ନିମନ୍ତେ ମାର୍ଗ ଦର୍ଶନ ପ୍ରଚେଷ୍ଟା କରାଯାଇଛି

 

ବ୍ରିଟେନର ଜୋଡ଼ିଂଗଟନଠାରେ ଏକ ଚ଼ିକିତ୍ସାଳୟରେ କାର୍ଯ୍ୟରତ ଜୁଲିଆ ସାମୁଏଲ ଗ୍ରୀଫ ୱାର୍କ୍ସ: ଷ୍ଟୋରିସ ଅଫ ଲାଇଫ, ଡ଼େଥ ଏଣ୍ଡ ସରଭାଇଭିଂରେ ମୁଖ୍ୟତଃ ଶୋକାବେଗ ଉପଶମରେ ସେ ଚିକିତ୍ସା କରିଥିବା କେତେଜଣଙ୍କ ଶୋକଗ୍ରସ୍ତ ଜୀବନ କାହାଣୀ କେସ ଷ୍ଟଡ଼ିଜ ବର୍ଣ୍ଣନା କରିଛନ୍ତି ପୁସ୍ତକଟିରେ ପିତାମାତାଙ୍କୁ ହରାଇବା, ଦମ୍ପତ୍ତିଙ୍କ ମଧ୍ୟରେ ଜଣକର ବିୟୋଗ, ଭାଇଭଉଣୀଙ୍କ ମଧ୍ୟରେ ଜଣକର ପରଲୋକ ଏବଂ ସନ୍ତାନହାନୀ ଚାରିଗୋଟି ବିଭାଗରେ ପ୍ରତି ବିଭାଗ ନିମନ୍ତେ ତିନିଗୋଟି ସତ୍ୟ ଘଟଣା ଏକ ସମୀକ୍ଷା ସନ୍ନିବଶିତ ଶୋକ ତତ୍ତ୍ୱର ଅବତାରଣା ଶୋକାବେଗ ଉପଶମର ଉପାୟବଳୀସହ ମୃତ୍ୟୁ ସହ ପରିଚିତି ଲାଗି ମଧ୍ୟ ଅନ୍ୟଏକ ଅଧ୍ୟାୟ ପୁସ୍ତକଟିର ଅନ୍ୟତମ ଆକର୍ଷଣ

 

ଆଲୋଚ଼୍ୟ ଦୁଇଗୋଟି ପୁସ୍ତକର ଲେଖିକାଗଣ ସାଇକୋ-ଥାରାପିଷ୍ଟ ବୃତ୍ତିରେ ନିୟୋଜିତ ଥାଇ ବହୁ ସଂଖ୍ୟକ ଶୋକଗ୍ରସ୍ତଙ୍କ ଶୋକୋଚ୍ଛ୍ୱାସ ପ୍ରତ୍ୟକ୍ଷଭାବେ ଅନୁଧ୍ୟାନ କରିଥିବା ତଥା ଉପଶମର ମାର୍ଗ ନିର୍ଦ୍ଦେଶିକା ଜାରୀ କରିଥିବା ହେତୁ ଶୋକ ବିଜ୍ଞାନ ସଂପର୍କରେ ସେମାନଙ୍କ ଉପଲବ୍ଧି ଗୁରୁତ୍ୱପୂର୍ଣ୍ଣ ମନେ ହୁଏ ଦୁଇଗୋଟି ପୁସ୍ତକରେ ଶୋକଜନକ ପରିବେଶର ମୁକାବିଲା ସଂପର୍କରେ କେତେଗୋଟି ମୌଳିକ ପରାମର୍ଶ ଲିପିବଦ୍ଧ

 

ପ୍ରଥମତଃ, ଶୋକ ପ୍ରକଟ ଲାଗି କୌଣସି ପନ୍ଥା ଠିକ କିମ୍ୱା ଭୂଲ ନୁହେଁ ଅର୍ଥାତ ବିଭିନ୍ନ ବ୍ୟକ୍ତିଙ୍କଠାରେ ଶୋକାବେଗ ପ୍ରକାଶ ଶୈଳୀରେ ବିଭିନ୍ନତା ଦେଖିବାକୁ ମିଳିଥାଏ ଏହା ପ୍ରାକୃତିକ ଶୋକକର ପରିସ୍ଥିତିରେ ଉପନୀତ ହେବା ଅବସରରେ ସ୍ୱତଃପ୍ରବୃତ୍ତଭାବେ ପ୍ରତିକ୍ରିୟାମାନ ପ୍ରକାଶ ପାଇଥାଏ ତେବେ ଶୋକବିଜ୍ଞାନ ସଂପର୍କରେ ଅବଗତ ହେଲେ ଶୋକକର ପରିବେଶରେ ସଂପୃକ୍ତ ବ୍ୟକ୍ତିବିଶେଷ ନିଜକୁ ସାଧ୍ୟମତେ ସମ୍ଭାଳିନେବା ସହଜପ୍ରଦ ହେବା ବିଶ୍ୱାସ କରାଯାଇପାରେ

 

ଦ୍ୱିତୀୟତଃ, ଶୋକାନୁଭୂତିକୁ ଏଡ଼ାଇ ଦେଇ ହୁଏ ନାହିଁ ବିୟୋଗଜନିତ ଶୋକ ପ୍ରତ୍ୟେକଙ୍କୁ ଊଣା ଅଧିକେ ଅନୁଭବ କରିବାକୁ ପଡ଼ିଥାଏ ହରାଇଥିବା ବିଷୟ ପ୍ରତି ସଂପୃକ୍ତିରେ ନିବିଡ଼ତା ଶୋକାବେଗର ଗଭୀରତାରେ ପର୍ଯ୍ୟବସିତ ଉଦାହରଣରେ ପରିବାରରେ ଜଣେ ସଦସ୍ୟଙ୍କ ପରଲୋକପରେ ପରିବାରର ସମସ୍ତ ସଦସ୍ୟ ଭିନ୍ନ ଭିନ୍ନ ପରିମାଣରେ ଶୋକବ୍ୟକ୍ତ କରିଥାନ୍ତି

 

ତୃତୀୟତଃ, ଶୋକାନୁଭୂତି ଦାର୍ଘକାଳ ଯାଏଁ ବଳବତ୍ତର ରହେ ଶୋକାନୁଭୂତି ଉପଶମ ନିମନ୍ତେ ଯେତିକି ସମୟ ସାଧାରଣରେ ଅନୁମାନ କରାଯାଇଥାଏ, ଅନେକ କ୍ଷେତ୍ରରେ ତାହାର ଉଲଂଘନ ଦେଖିବାକୁ ମିଳିଥାଏ ଶୋକ ବିଜ୍ଞାନ ସଂପର୍କରେ ସଚ଼େତନ ଏକପକ୍ଷରେ ଶୋକାନୁଭୂତିର କାଳ ନିର୍ଦ୍ଧାରଣ ବାରଣ କରୁଥିବା ସ୍ଥଳେ ଅପରପକ୍ଷରେ ପରିସ୍ଥିତିକୁ ହୃଦୟଙ୍ଗମ କ୍ଷମତା ଲାଭ ହେତୁ ଏହାର ବିସ୍ତୃତିକୁ ରୋକିବାରେ କେତେକାଂଶରେ ସକ୍ଷମ ହୋଇଥାଏ

 

ଚତୁର୍ଥତଃ, ଜ୍ଞାତିପରିଜନଙ୍କ ଦ୍ୱାରା ଅନ୍ୟର ଶୋକାବେଗ ପ୍ରକାଶକୁ ରୋକିବା ସଂଭବପର ନୁହେଁ ତେବେ ଆକ୍ରାନ୍ତ ବ୍ୟକ୍ତିବିଶେଷଙ୍କୁ ସମବେଦନା ପ୍ରକାଶରେ ସୁଫଳ ମିଳିଥାଏ ଶୋକକ୍ଳିଷ୍ଟ ନିଜର ଦୁଃଖ ଅନ୍ୟ ଆଗରେ ବର୍ଣ୍ଣନା କରିବା ଫଳରେ ଶୋକାବେଗରୁ ଉପଶମ ସମ୍ଭବ ବୋଲି ଉଭୟ ପୁସ୍ତକରେ ଉଲ୍ଲେଖ କରାଯାଇଛି ମେଗାନ ଡ଼େଭିନେଙ୍କ ମତରେ ଆକ୍ରାନ୍ତ ବ୍ୟକ୍ତିବିଶେଷ ନିଜର ଶୋକୋଚ୍ଛ୍ୱାସ ପ୍ରକାଶ କରିବା ନିମନ୍ତେ ଡ଼ାଏରୀ ଲେଖିବା, ଚିତ୍ର ଅଙ୍କନ କିମ୍ୱା ସେପରି କିଛି ସୃଜନ ମାଧ୍ୟମ ନିର୍ବାଚନ କରିବା ଉଚିତ ଏପରିକି ଶୋକାକ୍ଳିଷ୍ଟଙ୍କ ଦୁଃଖ ଶୁଣିବା ନିମନ୍ତେ ସାଥି ସହଦୋରଙ୍କ ଅଭାବରେ ବୃକ୍ଷଲତା ଆଗରେ ଶୋକ ପ୍ରକାଶ ମଧ୍ୟ ଶୋକ ପ୍ରଶମନରେ ସହାୟକ ହୋଇଥାଏ ବୋଲି ତାଙ୍କରି ମତ ବ୍ୟାୟାମ ଶୋକାତୁରଙ୍କ ନିମନ୍ତେ ଅନ୍ୟତମ ଫଳପ୍ରଦ ଚ଼ିକିତ୍ସା

 

ପଞ୍ଚମତଃ, ଶୋକାବିଷ୍ଟଙ୍କୁ ସମାବେଦନା ପ୍ରକାଶ ଅବସରରେ ଅବାସ୍ତବ ଉପଦେଶ ତଥା ଫାଙ୍କା ପ୍ରତିଶୃତି ଦୋହରାଇବା ବଦଳରେ ଆକ୍ରାନ୍ତଙ୍କୁ ଦୁଃଖକର ପରିସ୍ଥିତି ସଂପର୍କରେ ବର୍ଣ୍ଣନା କରିବାକୁ ଉତ୍ସାହିତ କରାଇବା ଆବଶ୍ୟକ ସମାବେଦନାକାରୀ ଶ୍ରୋତାଭାବେ ସବୁକଥା ଶୁଣିବା ଭଲ ଏକତ୍ର ସହବସ୍ଥାନ ଚଲାବୁଲା ଉପଶମରେ ସହାୟକ ହୋଇଥାଏ ବୋଲି ଜୁଲିଆ ସାମୁଏଲ ପରାମର୍ଶ ଦେଇଥାନ୍ତି

 

ଲେଖିକାଦ୍ୱୟଙ୍କ ବିଚାରରେ ମୃତ୍ୟୁ ଜୀବନର ଅନ୍ତ ହେଲେହେଁ ମୃତ୍ୟୁ ବନ୍ଧନକୁ ଛିନ୍ନ କରିପାରେ ନାହିଁ ଆତ୍ମୀୟସ୍ୱଜନଙ୍କ ପରଲୋକର ଦୀର୍ଘ କାଳପରେ ମଧ୍ୟ କେତେକଙ୍କ ସ୍ମୃତିରେ ବନ୍ଧନ ଅତୁଟ ରହିଥାଏ ଅବଚେତନଭାବେ ଶୋକାବେଗ ଦୀର୍ଘକାଳ ଧରି ଉଜ୍ଜୀବିତ ରହୁଥିବା ହେତୁ ଶୋକାବେଗରୁ ଉପଶମ ହୁଏତ ସଂପୂର୍ଣ୍ଣ ହୋଇପାରେ ନାହିଁ ଶୋକ ବିଜ୍ଞାନ ସଂପର୍କରେ ଚେତନା ଅଭାବ ସାଧାରଣ ଜୀବନଯାତ୍ରାରେ ସମୟେ ସମୟେ ବିଘ୍ନ ଆଣିଦିଏ

 

ଜୁଲିଆ ସାମୁଏଲ ଶୋକାବେଗ ଉପଶମ ଚିକିତ୍ସା କ୍ଷେତ୍ରରେ ୨୫ ବର୍ଷ ଅତିବାହିତ କରିବା ପରେ ନିଜ ପୁସ୍ତକ ରଚନା କରିଥିଲେ ସେ କହନ୍ତି ଯେ ସାଧାରଣ ବ୍ୟକ୍ତିଟିଏ ଶୋକାବେଗ ଅନୁଭବରେ ଆବଶ୍ୟକତାରୁ ଅଧିକ ଭରାକ୍ରାନ୍ତ ହୋଇପଡ଼େ ଶୋକାବେଗ ପ୍ରକୃତିକ, ଏହାର ଉପଶମ ସମୟସାପେକ୍ଷ ଏବଂ କାଟଛାଟ କିମ୍ୱା ଏଡ଼ାଇ ଦେବା ସଂଭବ ନୁହେଁ,ଏହି ତତ୍ତ୍ୱ ଜାଣିପାରିଲେ ଅନେକ ଶୋକବିହ୍ୱଳ ଦୈନନ୍ଦିନ ଜୀବନରେ ସନ୍ତୁଳନ ରକ୍ଷା କରିପାରିବେ

 

ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଜାନୁୟାରୀ ୨୦୨୦

 

---

ତଥ୍ୟ:

Brody, Jane E. Understanding Grief. The New York Times. Jan 15, 2018 

https://www.nytimes.com/2018/01/15/well/live/understanding-grief.html

 

 

Grief Works by Julia Samuel. The Gurardina.com. March 12, 2017 

https://www.theguardian.com/books/2017/mar/12/grief-works-stories-life-death-and-surviving-review-julia-samuel

ଆଶଙ୍କିତ ଶୋକ

ପ୍ରିୟଜନଙ୍କ ବିୟୋଗ, ସ୍ୱାସ୍ଥ୍ୟହାନୀ, ବନ୍ଧନଚ୍ଛିନ୍ନ, ବସ୍ତୁହରଣ, ପ୍ରାକୃତିକ ସାମାଜିକ ଦୁର୍ବିପାକ ଭଳି ପରିବେଶ ଶୋକ ପ୍ରକାଶର କାରଣ ପାଲଟିଥାଏ ସ୍ଥଳବିଶେଷରେ ରୋଗାକ୍ରାନ୍ତ ଅବସ୍ଥାରେ ନିଜ କିମ୍ୱା ପରିବାର ସଦସ୍ୟଙ୍କ ସୁନିଶ୍ଚିତ ମୃତ୍ୟୁ ତଥା ବିଭିନ୍ନ ବିଚ୍ଛେଦଜନିତ ଘଟଣା ଆକଳନରେ ମଧ୍ୟ ଶୋକ ଉଦ୍ରେକ ହୋଇଥାଏ ବିୟୋଗ ବିଚ୍ଛେଦ ପୂର୍ବାବସ୍ଥାରେ ସମ୍ଭାବ୍ୟ ଦୁର୍ଦ୍ଦିନଲାଗି ଶୋକ ପ୍ରକାଶକୁ ଆଶଙ୍କିତ ଶୋକ ଏଣ୍ଟିସିପେଟରି-ଗ୍ରୀଫ ନାମିତ କରାଯାଏ

 

ଶୋକ ପ୍ରକାଶର ଅନ୍ୟ ଦୁଇ ଶ୍ରେଣୀ ସାଧାରଣ ଶୋକ ଜଟିଳ ଶୋକ ତୁଲ୍ୟ ଆଶଙ୍କିତ ଶୋକାବେଗ ଏଲିସାବେଥ କୁବଲେର ରସଙ୍କ ବର୍ଣ୍ଣିତ ବିରୋଧ, କ୍ରୋଧ, ପ୍ରତ୍ୟାଶା, ଅବସାଦ ସ୍ୱୀକାର ପାଞ୍ଚଗୋଟି ସୋପାନ ମଧ୍ୟ ଦେଇ ଗତି କରିଥାଏ ଉଦାହରଣରେ ଚିକିତ୍ସକଙ୍କ ଦ୍ୱାରା ରୋଗାକ୍ରାନ୍ତଙ୍କ ମୃତ୍ୟୁ ସୁନିଶ୍ଚିତ ଘୋଷିତ ହେବାପରେ ଶୋକାବିଷ୍ଟ ସେଭଳି ନିଦାନକୁ ସହଜରେ ଗ୍ରହଣ କରିପାରେ ନାହିଁ କାଳେ ଭୂଲ ଗଣନା ହୋଇଛି ଭାବି ନିଷ୍ପତ୍ତିର ବିରୋଧ କରେ

 

ସମୟକ୍ରମେ ସ୍ୱାସ୍ଥ୍ୟବସ୍ଥାରେ ଅବନତିକୁ ଲକ୍ଷ୍ୟ କରି ପରିଣତି ହୃଦୟଙ୍ଗମ କରିବାପରେ କ୍ରୋଧାନ୍ୱିତ ହୋଇପଡ଼େ ନିର୍ଦ୍ଧିଷ୍ଟ କ୍ଷେତ୍ରରେ ଏପରି କାହିଁକି ଘଟିଲା ବୋଲି ପ୍ରଶ୍ନ କରେ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରତ୍ୟାଶାର ଶରଣାପନ୍ନ ହୁଏ ଅର୍ଥାତ ବିୟୋଗ-ପର ପରିସ୍ଥିତିରେ ସହବସ୍ଥାନର ଦିଗ ନିର୍ଦ୍ଧାରଣ କରିବସେ

 

ଶୋକୋଚ୍ଛ୍ୱାସ ସ୍ଥଳବିଶେଷରେ ଅବସାଦ ଆଡ଼କୁ ଟାଣିନିଏ ତେବେ ଶେଷ ପର୍ଯ୍ୟାୟରେ ମୃତ୍ୟୁକୁ ସ୍ୱୀକାର କରି ଆକ୍ରାନ୍ତ ଶୋକମୁକ୍ତ ହୋଇଥାଏ ଶୋକ ପ୍ରକାଶର ପାଞ୍ଚ ସୋପାନ କ୍ରମାନ୍ଵୟରେ ଅନୁଭବ ନହେବା ତଥା ଏକ ବା ଏକାଧିକ ସୋପନରେ ମଧ୍ୟ ସୀମିତ ରହିପାରେ ଅନେକ କ୍ଷେତ୍ରରେ ଆଶଙ୍କିତ ଶୋକ ପ୍ରକାଶ କାଳରେ ମୃତ୍ୟୁକୁ ଆକ୍ରାନ୍ତ ସ୍ୱୀକାର କରିପାରେ ନାହିଁ

 

ଆଶଙ୍କିତ ଶୋକ ପ୍ରକାଶରେ ମୃତ୍ୟୁ ଅପେକ୍ଷାରତଙ୍କ ନିମନ୍ତେ ଗଭୀର ସମାବେଦନା, ମୃତ୍ୟୁ ପରିବେଶର ପୂର୍ବାନୁମାନ ମୃତ୍ୟୁ-ପର ଅବସ୍ଥାରେ କଳ୍ପନା ଇତ୍ୟାଦି ସ୍ଥାନ ପାଇଥାଏ ଆଶଙ୍କିତ ଶୋକ ଅନୁଭବ ସହ ମୃତ୍ୟୁ-ପର ଅବସ୍ଥାରେ ଶୋକ ପ୍ରକାଶର କୌଣସି ସଂପର୍କ ନଥାଏ ଅର୍ଥାତ ମୃତ୍ୟୁ ପରବର୍ତ୍ତୀ ଅବସ୍ଥାରେ ଶୋକ ପ୍ରକାଶର ପରିମାଣ ଆଶଙ୍କିତ ଶୋକର ପରିମାଣ ଉପରେ ନିର୍ଭରଶୀଳ ନଥାଏ ମୃତ୍ୟୁ କିମ୍ୱା ବିଚ୍ଛେଦ ପୂର୍ବ ଅବସ୍ଥାରେ କେତେ ସମୟ ଲାଗି ବା କେତେ ଥର ଆଶଙ୍କିତ ଶୋକ ଉଦ୍ରେକ ହେବ ତାହା ମଧ୍ୟ ନିର୍ଦ୍ଧାରଣ କରିବା ସଂଭବପର ନୁହେଁ

 

ପ୍ରତ୍ୟେକ ମୃତ୍ୟୁ ବା ବିଚ୍ଛେଦ ପରିବେଶର ପୂର୍ବାବସ୍ଥାରେ ଆଶଙ୍କିତ ଶୋକ ପ୍ରକାଶ ଆଶା କରାଯାଇପାରେନା ଅନେକ କ୍ଷେତ୍ରରେ ଆଶଙ୍କିତ ଶୋକ ଉଦ୍ରେକ ହୋଇନଥାଏ କିମ୍ୱା ଅତ୍ୟନ୍ତ କ୍ଷୀଣମାତ୍ରାରେ ଅନୁଭବ କରାଯାଇଥାଏ ଅନ୍ୟର ମୃତ୍ୟୁ ପୂର୍ବବର୍ତ୍ତୀ ଅବସ୍ଥାରେ ସୃଷ୍ଟ ଆଶଙ୍କିତ ଶୋକରେ ମୃତ୍ୟୁ ପ୍ରତୀକ୍ଷାରତ ପ୍ରଭାବିତ ହୋଇନଥାନ୍ତି ତାଙ୍କରି ବନ୍ଧୁପରିଜନଙ୍କ ମଧ୍ୟରୁ ସମସ୍ତଙ୍କ ବଦଳରେ ମାତ୍ର କେହି କେହି ଆକ୍ରାନ୍ତ ହୋଇପାରନ୍ତି ନିଜ ମୃତ୍ୟୁ ସଂପର୍କୀତ ଆଶଙ୍କିତ ଶୋକ ବ୍ୟକ୍ତିଗତସ୍ତରରେ ସୀମିତ ରହିଥାଏ

 

ଅଧ୍ୟୟନରୁ ଜଣାଯାଏ ଯେ ଆଶଙ୍କିତ ଶୋକ ପ୍ରକାଶର ସଂଖ୍ୟା ମୃତ୍ୟୁ-ପର ଶୋକ ପ୍ରକାଶ ତୁଳନାରେ ନଗଣ୍ୟ ଆଶଙ୍କିତ ଶୋକ ପ୍ରକାଶ ଆକ୍ରାନ୍ତଙ୍କସ୍ୱାସ୍ଥ୍ୟବସ୍ଥାରେ ପ୍ରତିକୂଳ ପ୍ରଭାବ ପକାଏ ସାଧାରଣ ଶୋକ ଭଳି ଆଶଙ୍କିତ ଶୋକ ଘଟଣା ତଥା ବ୍ୟକ୍ତିକେନ୍ଦ୍ରୀକ ଅର୍ଥାତ ବିଭିନ୍ନ କାରଣ, ପରିସ୍ଥିତି ଆକ୍ରାନ୍ତଙ୍କ ଶାରୀରିକ, ମାନସିକ ତଥା ସଂପୃକ୍ତିକୁ କେନ୍ଦ୍ରକରି ଆଶଙ୍କିତ ଶୋକ ପ୍ରକାଶିତ ହୋଇଥାଏ ଏହା ପ୍ରାକୃତିକ ଏବଂ ଶୋକାବେଗର ମାତ୍ରା କଳନା କରିବା ସଂଭବପର ନୁହେଁ

 

ଆଶଙ୍କିତ ଶୋକ ପ୍ରକାଶ ସମ୍ଭାବ୍ୟ ମୃତ୍ୟୁ ବା ବିୟୋଗ ଆକଳନରେ ଉଦ୍ରେକ ହେତୁ ଭାବୋଚ୍ଛ୍ୱାସରୁ ଉର୍ଦ୍ଧ୍ୱରେ ପରିବର୍ତ୍ତିତ ପରିବେଶରେ ସହବସ୍ଥାନ ଲାଗି ଯୋଜନା ପ୍ରଣୟନର ଅବକାଶ ସୃଷ୍ଟି କରିଥାଏ ଏହି କାରଣରୁ ସଚ଼େତନବର୍ଗ ମୃତ୍ୟୁ ବିୟୋଗାନ୍ତ ପରିବେଶର ମୁକାବିଲା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିପାରନ୍ତି ବିଭିନ୍ନ ମୃତ୍ୟୁ-ସମୀପ-ଯୋଜନା ଏଣ୍ଡ-ଅଫ-ଲାଇଫ-ପ୍ଳାନିଂ ସେଥିରେ ଅନ୍ତର୍ଭୁକ୍ତ କେତେକ କ୍ଷେତ୍ରରେ ଇଚ୍ଛାପତ୍ର ପ୍ରସ୍ତୁତି, ସ୍ଥାବର ଅସ୍ଥାବର ସମ୍ପତ୍ତିର ମାଲିକାନା ହସ୍ତାନ୍ତର ମୃତ୍ୟୁ-ପର ଅଭିଳାଷ ପୂରଣଲାଗିକାର୍ଯ୍ୟପନ୍ଥା ଗ୍ରହଣ ନିମନ୍ତେ ଅନ୍ତିମ ପ୍ରସ୍ତୁତି କରାଯାଇଥାଏ

 

ବିନା-ପ୍ରସ୍ତୁତିରେ ମୃତ୍ୟୁବରଣ କରିବା ଏବଂ ପୂର୍ବ-ପ୍ରସ୍ତୁତି ସହ ମୃତ୍ୟୁର ସମ୍ମୁଖୀନ ହେବା ମଧ୍ୟରେ ଅନେକ ସୁବିଧା ସୁଯୋଗ ଉପଯୋଗରେ ତାରତମ୍ୟ ରହିଥାଏ ପୂର୍ବପ୍ରସ୍ତୁତି ସ୍ୱାଭାବିକଭାବେ ମୃତ୍ୟୁ ବା ବିଚ୍ଛେଦ ପରବର୍ତ୍ତୀ ପରିବେଶକୁ ନିୟନ୍ତ୍ରଣ କରିବାରେ ସମର୍ଥ। ଆଶଙ୍କିତ ଶୋକ ମୃତ୍ୟୁ-ସମୀପ-ସାମର୍ଥ୍ୟ ପରିଚାଳନା ନିମନ୍ତେ ପ୍ରକୃଷ୍ଟ ପରିବେଶ ସୃଷ୍ଟି କରିପାରେ ବିକାଶଶୀଳ ରାଷ୍ଟ୍ରଗୁଡ଼ିକରେ ନର୍ସିଂହୋମ ହସପି ଭଳି ଆନୁଷ୍ଠାନିକ ସୁବିଧାସୁଯୋଗ ଆସନ୍ନ ମୃତ୍ୟୁର ଯତ୍ନଲାଗି ଉପଲବ୍ଧ ତେବେ ଭାରତ, ବିଶେଷ କରି ଓଡ଼ିଶାରେ ମୃତ୍ୟୁ ପ୍ରତୀକ୍ଷାରତଙ୍କ ପୂର୍ବ ଉଦ୍ୟମ ଅଭାବ କାରଣରୁ ପାରିବାରିକସ୍ତରରେ ଦାୟିତ୍ୱ ତୁଲାଯାଇଥାଏ ଏଥିରେ ବହୁ କ୍ଷେତ୍ରରେ ଟଣା ଓଟରା ଲାଗିରହେ ଏବଂ ମୃତ୍ୟୁପ୍ରତୀକ୍ଷାରତଙ୍କ ମନମୁତାବକ ଯତ୍ନ ମିଳିପାରେ ନାହିଁ

 

ଆଶଙ୍କିତ ଶୋକ ଆକ୍ରାନ୍ତ ଏକ ପକ୍ଷରେ ମୃତ୍ୟୁ କିମ୍ୱା ବିଚ୍ଛେଦ ସହ ଅପରପକ୍ଷରେ ସମ୍ଭାବନାକୁ ନେଇ ସମୟ ଅତିବାହିତ କରିଥାଏ ଏହା ମାନସିକ ଚାପ ବୃଦ୍ଧି କରେ ଜୀବନବ୍ୟାପୀ ବହୁ ଘଟଣାରେ ଆଶଙ୍କିତ ଶୋକ ଅନୁଭବ ବାର୍ଦ୍ଧକ୍ୟରେ ଅନେକଙ୍କ ପକ୍ଷେ ଶୋକାନୁଭବ ଶୀଥିଳ କରିପକାଏ ବୋଲି ଶୋକ ବିଜ୍ଞାନୀମାନେ ମତ ପୋଷଣ କରିଥାନ୍ତି ତେବେ ଅନ୍ୟମାନଙ୍କ ବିଚାରରେ ଆକ୍ରାନ୍ତଙ୍କ ସଂପୃକ୍ତି ଏବଂ ମାନସିକ ସ୍ଥିତାବସ୍ଥା ହିଁ ଗଭୀରତାର ପରିମାପକ

 

ଆମ ସାମାଜିକ ବ୍ୟବସ୍ଥାରେ ମୃତ୍ୟୁ ପ୍ରାୟତଃ ଏକ ଅନାଲୋଚ଼ିତ ଦିଗ ସାବ୍ୟସ୍ତ ହେଉଥିବା ହେତୁ ଆଶଙ୍କିତ ଶୋକ ଅନେକ କ୍ଷେତ୍ରରେ ନୀରବତାରେ ସୀମାବଦ୍ଧ ଏହା ସର୍ବସାଧାରଣରେ ଆଲୋଚ଼ିତ ହୁଏ ନାହିଁ ଜଣେ ଜୀବିତଙ୍କ ମୃତ୍ୟୁ ସୁନିଶ୍ଚିତ ବୋଲି କହିବା ସଦାଚାର ବିରୋଧୀ କିନ୍ତୁ ସାଧାରଣ ଶୋକ ପ୍ରକାଶରେ ଆକ୍ରାନ୍ତ ଯେଉଁଭଳି ଜ୍ଞାତିଜନଙ୍କଠାରୁ ସାନ୍ତ୍ୱନା ଆବଶ୍ୟକ କରେ ଆଶଙ୍କିତ ଶୋକ ଅନୁଭବ ଅବସରରେ ମଧ୍ୟ ସେହିଭଳି ସହଯୋଗ ଆବଶ୍ୟକ ଶୋକ ଚ଼େତନା ଆଶଙ୍କିତ ଶୋକ ଉପଶମରେ ସହାୟକ ହେବା ଆଶା କରାଯାଇପାରେ

 

ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଫେବୃୟାରୀ ୨୦୨୦

 

---

ତଥ୍ୟ:

 

https://en.wikipedia.org/wiki/Anticipatory_grief

 

Grief, bereavement and coping with loss. National Cancer Institute

 

https://www.cancer.gov/about-cancer/advanced-cancer/caregivers/planning/bereavement-pdq

 

Doka, Kenneth. Living with grief when illness is prolonged. Washington D.C.: Hospice Foundation of America, 1977

ବିଳମ୍ୱିତ ଶୋକ

ବିୟୋଗଜନିତ ଶୋକ ଉଦ୍ରେକ ସ୍ଥଳେ କୌଣସି କାରଣବଶତଃ ତତ୍ କ୍ଷଣାତ ଶୋକପ୍ରକାଶରୁ କ୍ଷାନ୍ତ ରହିବା ତଥା ଘଟଣାର କିଛି କାଳ କିମ୍ୱା ବହୁ କାଳ ପରେ ଶୋକପ୍ରକାଶକୁ ବିଳମ୍ୱିତ ଶୋକ କୁହାଯାଇଥାଏ । ଶୋକାକୁଳ ଘଟଣାର ମୁକାବିଲା କରିବା ନିମନ୍ତେ ଶୋକାବିଷ୍ଟଙ୍କୁ ଆନୁସଙ୍ଗିକ ବ୍ୟବସ୍ଥା ଆୟୋଜନରେ ବ୍ୟସ୍ତ ରହୁଥିବା ହେତୁ ଅନେକ ସମୟରେ ଶୋକାଚ୍ଛ୍ୱାସ ପ୍ରକାଶିତ ହୋଇପାରିନଥାଏ । ଉଦାହରଣରେ ପିତା କିମ୍ୱା ମାତାଙ୍କ ପରଲୋକରେ ଶବସତ୍କାର ତଥା ଦଶାଦି କର୍ମ ଆୟୋଜନରେ ପୁତ୍ର କିମ୍ୱା କନ୍ୟା ବ୍ୟସ୍ତ ରହିବା ସ୍ୱାଭାବିକ । ତେଣୁ ସେ ବିୟୋଗଜନିତ ଶୋକପ୍ରକାଶରୁ କିଛି କାଳ କ୍ଷାନ୍ତ ରହିବା ନିମନ୍ତେ ଉଦ୍ୟମ କରିଥାନ୍ତି । ସ୍ଥଳବିଶେଷରେ ବିଳମ୍ୱିତ ପରିବେଶରେ ପୂର୍ବ ବିୟୋଗ ସହ ସଂପର୍କହୀନ ଅନ୍ୟ କୌଣସି ଏକ ଘଟଣା ସଂସ୍ପର୍ଶରେ ପୂର୍ବ ଶୋକପ୍ରକାଶ ଦେଖିବାକୁ ମିଳେ ।

 

ଶୋକପ୍ରକାଶ ପ୍ରାକୃତିକ ଏବଂ ପ୍ରତ୍ୟେକ ଘଟଣା ପ୍ରତ୍ୟେକ ବ୍ୟକ୍ତିଙ୍କ ପକ୍ଷେ ଭିନ୍ନ ଆଚ଼ରଣରେ ପର୍ଯ୍ୟବସିତ । ସାଧାରଣ ଶୋକପ୍ରକାଶ ଭଳି ବିଳମ୍ୱିତ ଶୋକପ୍ରକାଶ କାଳରେ କ୍ରନ୍ଦନ, ଅସ୍ୱାଭାବିକ ଆଚ଼ରଣ, କ୍ରୋଧ, ଅବସାଦ ଇତ୍ୟାଦି ଅନୁଭୂତ ହୋଇଥାଏ । କେତେକ କ୍ଷେତ୍ରରେ ବିଳମ୍ୱିତ ଶୋକପ୍ରକାଶ କାରଣରୁ ଆତ୍ମହତ୍ୟାଭଳି ଚରମ ପଦକ୍ଷେପ ଗ୍ରହଣ ଘଟଣା ମଧ୍ୟ ବିରଳ ନୁହେଁ । ଦୁଃଖଦ ପରିସ୍ଥିତିରେ ସ୍ୱାଭାବିକ ଭାବେ ଶୋକ ଉଦ୍ରେକ ହେଉଥିବା ସ୍ଥଳେ ଶୋକପ୍ରକାଶକୁ କିଛି କାଳ ସ୍ଥଗିତ ରଖିବା ତଥା ପରବର୍ତ୍ତୀ ଅବସ୍ଥାରେ ବିଳମ୍ୱିତ ଶୋକପ୍ରକାଶ କାଳରେ ସମସ୍ତ ମୌଳିକ ଲକ୍ଷଣ ଊଣାଅଧିକେ ଅନୁଭୂତ ହୋଇଥାଏ ।

 

ବିଳମ୍ୱିତ ଶୋକପ୍ରକାଶକୁ ଅନୁଭବୀମାନେ ହୁଏତ ତତ୍ କ୍ଷଣାତ ଚ଼ିହ୍ନଟ କରିପାରନ୍ତି ନାହିଁ । ଏହାକୁ ବିନା ମେଘରେ ବଜ୍ରପାତ ମନେ କରିଥାନ୍ତି । ତେବେ ଦୀର୍ଘ ଦିନରୁ ସ୍ଥଗିତ ଶୋକପ୍ରକାଶ ହିଁ ବିଳମ୍ୱିତ ଶୋକରେ ରୂପାନ୍ତରିତ ହୋଇଥାଏ । ସମୟେ ସମୟେ ସପ୍ତାହ, ମାସଠାରୁ ଆରମ୍ଭ କରି ବର୍ଷ ବର୍ଷ ଯାଏଁ ଶୋକ ସ୍ଥଗିତ ରହିପାରେ । ଏକ ବଡ଼ ବିୟୋଗଜନିତ ଝଡ଼ଝଞ୍ଜା ପ୍ରଶମିତ ହୋଇ ସାରିଥିବା ସ୍ଥଳେ ସାମାନ୍ୟ ଏକ ଅଘଟଣକୁ କେନ୍ଦ୍ରକରି ଆକ୍ରାନ୍ତ ଶୋକାଚ୍ଛନ୍ନ ହୋଇପଡ଼େ ।

 

ବିଳମ୍ୱିତ ଶୋକାବେଗକୁ ସ୍ୱାଭାବିକଭାବେ ଶୋକାକ୍ରାନ୍ତ ଗ୍ରହଣ କରିନେବା ସମୀଚ଼ୀନ । ଏହିଭଳି ଶୋକପ୍ରକାଶରେ ପ୍ରତିବନ୍ଧକ ସୃଷ୍ଟି କଲେ ମୁଣ୍ଡବ୍ୟଥା, ଯନ୍ତ୍ରଣା, ଉଦ୍ ବିଗ୍ନତା, ବିରକ୍ତିପଣ ଭଳି ଲକ୍ଷଣମାନ ପ୍ରକାଶ ପାଏ । ବିଳମ୍ୱିତ ଶୋକପ୍ରକାଶ କାଳରେ ନିଜ ସ୍ୱାସ୍ଥ୍ୟରକ୍ଷା ପ୍ରତି ଧ୍ୟାନ ଦେବା, ଶୋକାନୁଭୂତି ପରିବାରବର୍ଗ ଓ ବନ୍ଧୁଙ୍କ ଗହଣରେ ପ୍ରକାଶ କରିବା, ସ୍ଥିର ମନରେ ଚ଼ିନ୍ତା କରିବା, ମାଦକ ଦ୍ରବ୍ୟ ବ୍ୟବହାରରୁ କ୍ଷାନ୍ତ ରହିବା ତଥା ଆବଶ୍ୟକସ୍ଥଳେ ଚ଼ିକିତ୍ସକଙ୍କ ପରାମର୍ଶ ନେବା ଜରୁରୀ ।

 

କେତେକ କ୍ଷେତ୍ରରେ ଶୋକାଚ୍ଛନ୍ନ ପରିବେଶରୁ ମୁକ୍ତି ପାଇବା ଲାଗି ଶୋକାକ୍ରାନ୍ତ ଆବଶ୍ୟକତାରୁ ଅଧିକ ପରିମାଣରେ କାର୍ଯ୍ୟବ୍ୟସ୍ତ ରହିବା ନିମନ୍ତେ ଉଦ୍ୟମ କରିଥାନ୍ତି । ଶୋକ ବିଶେଷଜ୍ଞମାନଙ୍କ ମତରେ ଶୋକାବେଗକୁ ଜୋରଜବରଦସ୍ତ ଦବାଇ ରଖିବା ଫଳରେ ଅବଚ଼େତନସ୍ତରରେ ଏହାର ଚ଼ାପ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇବା ସାଙ୍ଗକୁ ପାରିପାର୍ଶ୍ୱିକ ସଂପର୍କରେ ତିକ୍ତତା ସୃଷ୍ଟିର କାରଣ ପାଲଟି ଥାଏ ।

 

କୁହାଯାଏ ଯେ ଛାତରୁ ଗଳୁଥିବା ବର୍ଷା ପାଣିକୁ ଠିକଣା ସମୟରେ ଆକଟ ନକଲେ ତାହା ଯେପରି ସମଗ୍ର ଛାତ ତଥା କ୍ରମଶଃକାନ୍ଥବାଡ଼ ଓ ଚଟାଣକୁ ଓଦା କରିପକାଏ ସେହିପରି ଶୋକପ୍ରକାଶରୁ ବିରତ ରହିଲେ ତାହା ଆକ୍ରାନ୍ତଙ୍କ ସମେତ ସମଗ୍ର ପରିବେଶକୁ ପ୍ରଭାବିତ କରିପାରେ । ବ୍ୟକ୍ତିଗତସ୍ତରରେ ଶୋକ ପ୍ରକାଶିତ ନହେଲେ ତାହା ସ୍ୱୟଂକ୍ରିୟଭାବେ ପ୍ରଶମିତ ହୋଇପାରେ ନାହିଁ । ସମୟକ୍ରମେ ଅପ୍ରକାଶିତ ଶୋକର ପ୍ରକୋପ ନିଷ୍ପ୍ରଭ ହୋଇ ଯାଇନଥାଏ । ଶୋକାନୁଭୂତି ମନୁଷ୍ୟ ଜୀବନର ଅବିଚ୍ଛେଦ୍ୟ ଅଙ୍ଗରୂପେ ପରିଗଣିତ ।

 

ସାଧାରଣତଃ ବିୟୋଗଜନିତ ପରିବେଶରେ ଶୋକପ୍ରକାଶ ନିମନ୍ତେ ଏକ ସପ୍ତାହରୁ ଏକ ମାସ ଯାଏଁ ସମୟସୀମା ଧାର୍ଯ୍ୟ ହୋଇଥାଏ । ଏହି ଅବସରରେ ଶୋକାକ୍ରାନ୍ତର ସମସ୍ତ ଅସ୍ୱାଭାବିକ ଆଚ଼ରଣକୁ ସାମାଜିକସ୍ତରରେ ସ୍ୱାଭାବିକ ଭାବେ ଗ୍ରହଣ କରାଯାଇଥାଏ । ଶୋକାଚ୍ଛ୍ୱାସ ପରିପ୍ରକାଶରେ କେହି ଆଚମ୍ୱିତ ହୋଇନଥାନ୍ତି । ଶୋକାବେଗର ସାମ୍ନା କରିବା ନିମନ୍ତେ ପ୍ରବୋଧନାଠାରୁଆରମ୍ଭକରି ଦୈନନ୍ଦିନ ଜୀବନଯାପନରେ ସହାୟତା ଯୋଗାଇବା ନିମନ୍ତେ ପରିବାର ଓ ବନ୍ଧୁବର୍ଗ ଆଗଭର ହୋଇଥାନ୍ତି । ତେବେ ବିଳମ୍ୱିତ ଶୋକ ପ୍ରକାଶ କାଳରେ ପୂର୍ବ ଶୋକାକୁଳ ଘଟଣା ସଂପର୍କରେ ଖିଅ ଖୋଜିବା ସାମୂହିକସ୍ତରରେ ହୁଏତ ଅସମ୍ଭବ । ତେଣୁ ବିଳମ୍ୱିତ ଶୋକପ୍ରକାଶକୁ ଅନେକ କ୍ଷେତ୍ରରେ ଅସ୍ୱାଭାବିକ ଆଚରଣର ଆଖ୍ୟା ଦିଆଯାଇଥାଏ ।

 

ଶୋକ ବିଶେଷଜ୍ଞମାନେ ସ୍ୱାଭାବିକଭାବେ ଶୋକପ୍ରକାଶକୁ ଉତ୍ସାହିତ କରିଥାନ୍ତି । ଠିକଣା ସମୟରେ ଶୋକପ୍ରକାଶ ନହୋଇପାରିଲେ ବିଳମ୍ୱିତ ଶୋକପ୍ରକାଶ ଶୋକର ପ୍ରକୋପ କୋହଳ ହୋଇନପାରୁଥିବା ତଥା ସାମାଜିକସ୍ତରରେ ବିୟୋଗାନ୍ତ ପରିବେଶରେ ଶୋକପ୍ରକାଶକୁ ମାନ୍ୟତା ମିଳୁଥିବା ହେତୁ ଏହି କ୍ଷେତ୍ରରେ ବିଳମ୍ୱ ଅନାବଶ୍ୟକ ବୋଲି ଯୁକ୍ତି ବାଢ଼ିଥାନ୍ତି ।

 

ଅପୂର୍ଣ୍ଣ ଶୋକପ୍ରକାଶ ବିଳମ୍ୱିତ ଶୋକରେ ପରିଣତ ହୋଇପାରେ । ଶୋକପ୍ରକାଶରେ ପୂର୍ଣ୍ଣତା ବିନା ଶୋକାକ୍ରାନ୍ତ ଶାରୀରିକ ଓ ମାନସିକସ୍ତରରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାଏ । ପ୍ରଥମତଃ, ଶୋକାବିଷ୍ଟ ସଦାସର୍ବଦା ବ୍ୟତିବ୍ୟସ୍ତ ତଥା କ୍ରୋଧିତ ହୋଇପଡ଼ିବା ଲକ୍ଷ୍ୟ କରାଯାଇଥାଏ । ଦ୍ୱିତୀୟତଃ, ଧାରାବାହିକଭାବେ ବିୟୋଗାନ୍ତକ ପରିବେଶର ସମ୍ମୁଖୀନ ହେବା ଅର୍ଥାତ ମୃତ ବ୍ୟକ୍ତିଙ୍କୁ ବାରମ୍ୱାର ମନେ ପକାଇବା, ଛିନ୍ନ ସଂପର୍କର ସ୍ମୃତିଚାରଣ କରିବା କିମ୍ୱା ହଜିଯାଇଥିବା ବସ୍ତୁକୁ ଖୋଜିବୁଲିବା ଇତ୍ୟାଦି ଲକ୍ଷଣ ପ୍ରକାଶ ପାଇଥାଏ । ତୃତୀୟତଃ,ଶୋକାକ୍ରାନ୍ତ ସଦାସର୍ବଦା ଭୟଜନିତ ବାତାବରଣ ମଧ୍ୟରେ ଜୀବନ ଯାପନ କରିବାକୁ ବାଧ୍ୟ ହୁଏ । ବିଭିନ୍ନ କାରଣରୁ ସେ ନିଜକୁ ଅସୁରକ୍ଷିତ ମନେକରେ । ଚ଼ତୁର୍ଥତଃ, ତାହାର ଦୈନନ୍ଦିନ ଜୀବନରେ ସ୍ୱାଭାବିକ ଆଚ଼ରଣରେ ପରିବର୍ତ୍ତନ ଆସେ । ପଞ୍ଚମତଃ, ସେ ଅବସାଦର ଶୀକାର ହୋଇପାରେ ଏବଂ ଷଷ୍ଠତଃ, ସେ ନିଶାଖୋରରେ ପରିବର୍ତ୍ତିତ ହେବା, ଆତ୍ମକ୍ଷତିପ୍ରବଣ ହେବା ମଧ୍ୟ ଦେଖିବାକୁ ମିଳିଥାଏ ।

 

ସାମାଜିକସ୍ତରରେ ପାରମ୍ପରିକଭାବେ ପରିବାରବର୍ଗଙ୍କ ନିମନ୍ତେ ମୃତ୍ୟୁଜନିତ ଶୋକପ୍ରକାଶର ସୀମା ନିର୍ଦ୍ଧାରିତ ହୋଇଥାଏ । ଓଡ଼ିଆ ସାମାଜିକ ଜୀବନରେ ଜଗତୀକରଣ ପୂର୍ବାବସ୍ଥା ସୁଦ୍ଧା ଅନ୍ତ୍ୟେଷ୍ଟିକ୍ରିୟାର ସମୟସୀମା ବାରଦିନ ଧାର୍ଯ୍ୟ ଏବଂ ସମସ୍ତ ପରିବାର ସଦସ୍ୟ ଏକତ୍ର ଶୋକପାଳନର ବ୍ୟବସ୍ଥା ପ୍ରଚଳିତ ଥିବା ସ୍ଥଳେ ଜଗତୀକରଣ ପରବସ୍ଥାରେ ପାରିବାରିକ ଜୀବନରେ କର୍ମନିଯୁକ୍ତି, ଦେଶାନ୍ତର ଗମନ, ପ୍ରଗତିଶୀଳ ସଭ୍ୟତାର ପ୍ରଭାବ ଇତ୍ୟାଦି କାରଣରୁ ଦଶାହ ଓ ଏକାଦଶାହ ଦୁଇଦିନ କିମ୍ୱା ଦଶାହ, ଏକାଦଶାହ ଓ ଦ୍ୱିଦଶାହତିନି ଦିନକୁ କମି ଆସିଲାଣି ।

 

ଊନବିଂଶ ଶତାଦ୍ଦୀ ଦ୍ୱିତୀୟର୍ଦ୍ଧ ସୁଦ୍ଧା ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ, ମୁଖ୍ୟତଃ ରାଜ୍ୟର ଉପକୂଳବର୍ତ୍ତୀ ବସତିଗୁଡ଼ିକରେ ଏକ ମାସ ଧରି ଅନ୍ତ୍ୟେଷ୍ଟିକ୍ରିୟା ପାଳିତ ହେଉଥିଲା । ନଅଙ୍କ ଦୁର୍ଭିକ୍ଷ ପରବର୍ତ୍ତୀ ଅବସ୍ଥାରେ ଉତ୍କଳ ଦୀପିକାର ସମ୍ପାଦକ ଗୌରୀଶଙ୍କର ରାୟଙ୍କ ଭଳି ସମାଜସଂସ୍କାରକଙ୍କ ଉଦ୍ୟମରେ ଏହା ତେର ଦିନକୁ ହ୍ରାସ ପାଇଥିଲା । ବହୁ ସଂଖ୍ୟକ ପରିଜନଙ୍କ ଶୋକପ୍ରକାଶ ରୀତି ପାଳନ ହେତୁ କର୍ମହାନୀ ଏବଂ ଆତିଥ୍ୟଚର୍ଚ୍ଚା ନିମନ୍ତେ ଅର୍ଥାଭାବ ଏହାର ମୁଖ୍ୟ କାରଣ ଧରାଯାଏ । ତେବେ ପାରମ୍ପରିକଭାବେ ଆତ୍ମୀୟସ୍ୱଜନଙ୍କୁ ଦୀର୍ଘ ଏକ ମାସ ବ୍ୟାପୀ ଶୋକପ୍ରକାଶ ତଥା ଶୋକସନ୍ତପ୍ତଙ୍କୁ ପ୍ରବୋଧନାର ସୁଯୋଗ ସୃଷ୍ଟି ତତ୍କାଳୀନ ପରିବେଶରେ ବିଳମ୍ୱିତ ଶୋକ ପ୍ରକାଶକୁ ପ୍ରକାରନ୍ତେ ବାରଣ କରୁଥିବା ବୋଲି କହିବାକୁ ହେବ ।

 

ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ମେ' ୨୦୨୦ 

---

ଶୋକ ପ୍ରଶମନରେ ଏଆଇ 

ଅନ୍ତରଙ୍ଗଙ୍କ ବିୟୋଗରେ ମ୍ରିୟମାଣଙ୍କୁ ଜ୍ଞାତିକୁଟୁମ୍ଭ ପ୍ରବୋଧନା ଦେଇଥାନ୍ତି । ସୃଜନ କୃତ୍ରିମ ବୁଦ୍ଧିମତ୍ତା ‘ଜେନେରେଟିଭ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ’ର ପ୍ରଚଳନ ପରେ ବହୁବିଧ ଉପଯୋଗ ମଧ୍ୟରେ ଶୋକାର୍ତ୍ତଙ୍କୁ ମୃତକ ଡ଼ିଜିଟାଲ ଅବତାରରେ ସାନ୍ତ୍ୱନା ଦେବା ପଦ୍ଧତି ଆଚ଼ମ୍ୱିତ କରିଥାଏ । ଉଦାହରଣରେ ଚ଼ୀନରେ ନିଜ ପ୍ରିୟଜନଙ୍କୁ ହରାଇବା ବ୍ୟକ୍ତିମାନଙ୍କ ନିମନ୍ତେ ଏଆଇ ଆଧାରିତ ମୃତକଙ୍କ ଅ-ପାର୍ଥିବ ପ୍ରତିଛବି ‘ଅବତାର’ ପ୍ରସ୍ତୁତି ସୁବିଧା ସୁଯୋଗ ଉପଲବ୍ଧ । ଜୀବିତାବସ୍ଥାର ଫୋଟ, ଭିଡ଼ିଓ କ୍ଳୋନ କରି ମୃତବ୍ୟକ୍ତିଙ୍କ ଅବିକଳ ଚ଼େହେରା ଓ ସ୍ୱର ନକଲ ପ୍ରସ୍ତୁତ ହୋଇପାରେ । ଶୋକାର୍ତ୍ତଙ୍କୁ ଆଶ୍ୱସନାମୂଳକ କଥୋପକଥନ ରଚନା କରାଯାଇ ‘ଅବତାର’ ମୁଖରୁ ଉଚ୍ଚାରଣର ପ୍ରହେଳିକା ସୃଷ୍ଟି କରିହୁଏ

 

ପଦ୍ଧତିଟିକୁ ସରଳ ଭାବେ ବୁଝାଇ କହିଲେ, ଜଣେ ବ୍ୟକ୍ତି ମୃତ୍ୟୁ ବରଣ କରିବା ପରେ ଜୀବିତାବସ୍ଥାର ଫୋଟ ଓ ଭିଡ଼ିଓ ଆଧାରରେ ତାହାର ‘ଭର୍ଚୁଆଲ’ ଚ଼େହେରା କୃତ୍ରିମ ବୁଦ୍ଧିମତ୍ତା ଉପଯୋଗରେ ପ୍ରସ୍ତୁତି ସଂଭବ । ଏହି ଚେହରାକୁ ଅନଲାଇନ ପରିବେଶ, ଅର୍ଥାତ ସ୍ମାର୍ଟଫୋନ, କମ୍ପ୍ୟୁଟର ପରଦାରେ ଯେକୌଣସି ସମୟରେ ଦେଖି ହୁଏ । ‘ଅବତାର’ ମୃତ ବ୍ୟକ୍ତିର ସ୍ୱର ଓ ଭାବଭଙ୍ଗୀ ନକଲ କରିପାରେ । ‘ଅବତାର’କୁ ଯେଉଁ ସବୁ ବିଷୟବସ୍ତୁ ଆଳାପଆଲୋଚ଼ନା ନିମନ୍ତେ ତାଲିମ ଦିଆଯାଇଥାଏ, ଅର୍ଥାତ ନାଟକ ବା ଚଳଚ଼ିତ୍ରର ପଟ୍ଟକଥା ଭଳି ପୂର୍ବ-ପ୍ରସ୍ତୁତ ରଚନା ଆଧାରରେ ନିର୍ଦ୍ଦେଶ ପାଇବା ମାତ୍ରେ ଉଚ୍ଚାରଣ କରିଥାଏ । ସୃଜନ କୃତ୍ରିମ ବୁଦ୍ଧିମତ୍ତା ଉପଯୋଗରେ ନିର୍ଦ୍ଦିଷ୍ଟ ବିଷୟବସ୍ତୁ ସଂପର୍କରେ ବିବିଧ ପ୍ରଶ୍ନର ଉତ୍ତର ଦେବା କ୍ଷମତା ‘ଚାଟବଟ’ ଆକାରରେ ହାସଲ କରାଯାଇପାରୁଥିବା ହେତୁ ‘ଅବତାର’ ସହ ଆଳାପ ପ୍ରାକୃତିକ ପ୍ରତୀୟମାନ ହୋଇଥାଏ ।

 

କେହି ମରିଯିବାପରେ ସଂପର୍କୀୟ ଶୋକଗ୍ରସ୍ତ ହୋଇପଡ଼ନ୍ତି । ଦମ୍ପତିଙ୍କ ମଧ୍ୟରୁ ଜଣେ କିମ୍ୱା ଅକାଳରେ ସନ୍ତାନସନ୍ତତିଙ୍କ ବିୟୋଗଭଳି ଘଟଣାରେ ବ୍ୟକ୍ତି ମାନସିକସ୍ତରରେ ଗଭୀର ଅବସାଦ ଗ୍ରସ୍ତ ହୋଇ ମୃତ ବ୍ୟକ୍ତିଙ୍କ ସ୍ମୃତି ବାରମ୍ୱାର ରୋମନ୍ଥନ କରନ୍ତି । ଏହି ପରିବେଶରେ କୃତ୍ରିମ ବୁଦ୍ଧିମତ୍ତା ଉପଯୋଗରେ ପ୍ରସ୍ତୁତ ‘ଅବତାର’ ସହ କଥୋପକଥନ ଆଶ୍ୱସ୍ତି ଆଣୁଥିବା ଦାବୀ କରାଯାଏବାର୍ଦ୍ଧକ୍ୟରେ ପ୍ରିୟଜନଙ୍କ ବିୟୋଗ ଅନ୍ୟାନ୍ୟ ବୟସବର୍ଗ ତୁଳନାରେ ବେଦନାଦାୟକ ଥିବା ସ୍ଥଳେ ନୂତନ ପ୍ରଯୁକ୍ତି କୌଶଳ ଉପଯୋଗରେ ମନକୁ ସାନ୍ତ୍ୱନା ଦେବାରେ ସହାୟକ ହେବା ବିଶ୍ୱାସଯୋଗ୍ୟ ।

 

ଫରାସୀ ସମ୍ୱାଦ ସରବରାହ ସଂସ୍ଥା ‘ଏଏଫପି’ ଦ୍ୱାରା ଡ଼ିସେମ୍ୱର ୨୦୨୩ ଶେଷାର୍ଦ୍ଧରେ ପ୍ରସାରିତ ବିବରଣୀ ଅନୁଯାୟୀ ଚୀନରେ ‘ସିକୋ-ଭୁ’ ନାମକ ଜଣେ ବ୍ୟକ୍ତିଙ୍କ ୨୨ ବର୍ଷ ବୟସ୍କ ଏକମାତ୍ର ପୁତ୍ର ‘ଯୁନୋମା’ ବର୍ଷକ ପୂର୍ବେ ଅଚାନକ ହୃଦଘାତରେ ପ୍ରାଣ ହରାଇଥିଲେ । ସେ ବ୍ରିଟେନର ଏକ୍ସଟେର ବିଶ୍ୱବିଦ୍ୟାଳୟର ଛାତ୍ର ଥିଲେ । ମୃତ୍ୟୁର ବର୍ଷକ ପରେ ସମୟେ ସମୟେ ପିତା ପୁତ୍ରର ସମାଧିସ୍ଥଳରେ ପହଞ୍ଚି ନିଜ ସ୍ମାର୍ଟଫୋନରେ ପୁତ୍ରର ‘ଅବତାର’ ରେକଡିଂ ଖୋଲନ୍ତି । ‘ଯୁନୋମା’ ପିତାଙ୍କୁ ସାନ୍ତ୍ୱନା ଦିଏ –

 

“ମୁଁ ଜାଣେ ମୋ’ବିନା ପ୍ରତିଟି ଦିନ ଓ ରାତି ତୁମ ପାଇଁ ଯନ୍ତ୍ରଣାଦାୟକ । କିନ୍ତୁ ଏଥି ନେଇ କିଛି କରିପାରୁନଥିବା ହେତୁ ଦୁଃଖିତ । ପୁଣି ଥରେ ସଶରୀରରେ ପହଞ୍ଚିବା ଅସଂଭବ । କିନ୍ତୁ ମୋର ଆତ୍ମା ସବୁଦିନ ପାଇଁ ତୁମ ହାତ ଧରି ଚାଲିଥିବ ।” ପୁତ୍ର ଶୋକରେ ଜର୍ଜରିତ ‘ସିକୋ-ଭୁ’ ଏବଂ ତାଙ୍କରି ପତ୍ନୀଙ୍କ ଶୋକ ପ୍ରଶମନ ପାଇଁ ଏଆଇ ‘ଅବତାର’ ରେକର୍ଡ଼ିଂ ପ୍ରଭାବଶାଳୀ ମାଧ୍ୟମ ପାଲଟିଥିଲା । ଚୀନର ଅଗ୍ରଣୀ ଏଆଇ କମ୍ପାନୀମାନେ ସୃଜନ କୃତ୍ରିମ ବୁଦ୍ଧିମତ୍ତା ଉପଯୋଗରେ ୨୦୨୩ ଶେଷ ସୁଦ୍ଧା ହଜାର ହଜାର ‘ଅବତାର’ ପ୍ରସ୍ତୁତ କରିଥିବା ସୂଚନା ଦେଇଥାନ୍ତି ।

 

‘ସିକୋ-ଭୁ’ ଉନ୍ନତ ପ୍ରଯୁକ୍ତି କୌଶଳ ଉପଯୋଗରେ ତାଙ୍କ ପୁତ୍ରର ‘ଅବତାର’ ଫୋନ ପରଦାରେ ତାଙ୍କୁ ଦେଖିବାମାତ୍ରେ ଚ଼ିହ୍ନିପାରିବା ଭଳି ବିଭବ ଖଚିତ କରିବା ଲାଗି ମନସ୍ଥ ହୋଇଥିଲେ ମୃତକଙ୍କ ସ୍ମୃତିରେ ଶୋକାର୍ତ୍ତ ଜଡ଼ିତ ରହିବାକୁ ଚାହୁଥିବା ହେତୁ ମୃତକଙ୍କ ‘ଅବତାର’ ସହ ଏଆଇ ଚାଟବଟ ଯୋଗେ କଥୋପକଥନ ସାନ୍ତ୍ୱନାଦାୟକ ହେବା ବିଶ୍ୱାସ ଯୁକ୍ତିଯୁକ୍ତଚୀନରେ ଲୋକପ୍ରିୟତା ହାସଲ କରିଥିବା ଏହି ପ୍ରଦ୍ୟୋଗୀକି କୌଶଳ କମ ସମୟ ମଧ୍ୟରେ ଅନ୍ୟତ୍ର ପ୍ରସାରଲାଭ କରିବା ଆଶା କରାଯାଇପାରେ ।

 

ବ୍ୟକ୍ତିର ମୃତ୍ୟୁପରେ ମୃତକଙ୍କ ‘ଅବତାର’ ପ୍ରସ୍ତୁତି ପରିବର୍ତ୍ତେ ଜୀବିତାବସ୍ଥାରେ ହିଁ ‘ଅବତାର’ ପ୍ରସ୍ତୁତି ଓ ସଂପୃକ୍ତ ବ୍ୟକ୍ତିଙ୍କ ଜୀବନ ଚ଼ରିତ ଲିପିବଦ୍ଧ ପଦ୍ଧତି ଯୁକ୍ତରାଷ୍ଟ୍ର ଆମେରିକାରେ କେତେଗୋଟି ଏଆଇ ଷ୍ଟାର୍ଟଆପ ପୂର୍ବରୁ ପ୍ରସିଦ୍ଧି ଲାଭ କରିଥିବା ଜଣାଯାଏ । କାଲିଫର୍ଣ୍ଣିଆ-କେନ୍ଦ୍ରୀକ ‘ହିୟର ଆଫଟର ଡ଼ଟ ଏଆଇ’ ଓ ‘ୟୁ ଓନଲି ଭର୍ଚୁଆଲ’ ଲୋକପ୍ରିୟତାରେ ଅଗ୍ରଣୀ । ଏହି ଦୁଇ ଆପ୍ଲିକେସନ 'ଆପ' ଡ଼ାଉନଲୋଡ଼ କରି ବିଶ୍ୱର ଯେକୌଣସି ପ୍ରାନ୍ତରୁ ଜଣେ ବ୍ୟକ୍ତି ଜୀବିତାବସ୍ଥାରେ ନିଜ ଅ-ପାର୍ଥିବ ‘ଭର୍ଚୁଆଲ’ ପ୍ରତିଛବି ‘ଅବତାର’ ପ୍ରସ୍ତୁତ କରିପାରିବ ଏବଂ ପରବର୍ତ୍ତୀ କାଳରେ ଜୀବିତ ବା ମୃତ ଅବସ୍ଥାରେ ସେହି ଆପ ବ୍ୟବହାରରେ ପୂର୍ବ ସୂଚ଼ିତ ବ୍ୟକ୍ତିଗଣ ‘ଅବତାର’ ସହ ବାର୍ତ୍ତାଳାପ କରିପାରିବେ । ‘ହିୟର ଆଫଟର’ ୨୦୧୯ରେ ବିକଶିତ ହୋଇଥିବା ସ୍ଥଳେ ‘ୟୁ ଓନଲି ଭର୍ଚୁଆଲ’ ୨୦୨୧ରୁ ସାର୍ବଜନୀନ ବ୍ୟବହାର ନିମନ୍ତେ ଉପଭୋକ୍ତାଙ୍କ ପାଇଁ ଉପଲବ୍ଧ ।

 

‘ହିୟର ଆଫଟର’ର ପ୍ରଣେତା ତାଙ୍କରି ପିତାଙ୍କ ମୃତ୍ୟୁ ପୂର୍ବରୁ କୌତୁହଳରେ ରେକଡ଼ିଂ କରି ପ୍ରସ୍ତୁତ ଆପର ବ୍ୟାବସାୟିକ ଉପଯୋଗ କରିଥିଲେ । ସେହିପରି ‘ୟୁ ଓନଲି ଭର୍ଚୁଆଲ’ର ପ୍ରତିଷ୍ଠାତା ୨୦୧୯ରେ ମୋଟର ସାଇକଲ ଦୁର୍ଘଟଣାରେ ମୃତ୍ୟୁ ଆଶଙ୍କା ସନ୍ନିକଟ ହୋଇସାରିଥିବା ସ୍ଥଳେ ତାଙ୍କରି ମାଆ ଚ଼ତୁର୍ଥ ସ୍ତର କର୍କଟ ରୋଗାକ୍ରାନ୍ତ ହୋଇପଡ଼ିଥିଲେ । ବୃତ୍ତିରେ ଏକ ଚଳଚ଼ିତ୍ର ନିର୍ମାତା ଥିବା ହେତୁ ନିଜ ଓ ମାଆଙ୍କ ଜୀବନଲିପିର ଭିଡ଼ିଓ ରେକ଼ଡିଂ କରି ‘ଅବତାର’ ପ୍ରସ୍ତୁତ ଓ ଚାଟବଟ ପ୍ରଯୁକ୍ତି କୌଶଳ ଉପଯୋଗ ଲାଗି ପ୍ରସ୍ତୁତି ଆରମ୍ଭ କରିଥିଲେ । ସେହି ପଦ୍ଧତି ସର୍ବସାଧାରଣ ବ୍ୟବହାର ଯୋଗ୍ୟ କରିବା ନିମନ୍ତେ ତିନି ବର୍ଷ ସମୟ ଲାଗି ଯାଇଥିଲା ।

 

ମୃତ୍ୟୁ ପରେ ଏବଂ ମୃତ୍ୟୁ-ପୂର୍ବରୁ ବ୍ୟକ୍ତିଙ୍କ ଅ-ପାର୍ଥିବ ପ୍ରତିଛବି ‘ଅବତାର’ ପ୍ରସ୍ତୁତି ଏବଂ ସଂପୃକ୍ତ ବ୍ୟକ୍ତିଙ୍କ ସ୍ୱର ନକଲରେ କଥୋପକଥନର ସୁବିଧାସୁଯୋଗ ସୃଷ୍ଟି ମୃତ୍ୟୁ-ସମୀପ ଜୀବନଯାପନ କରୁଥିବା ବାର୍ଦ୍ଧକ୍ୟଗ୍ରସ୍ତଙ୍କ କ୍ଷେତ୍ରରେ ଗୁରୁତ୍ୱ ବହନ କରେ । ‘ମିଡ଼ଜର୍ଣ୍ଣି’ ଭଳି ପ୍ରଯୁକ୍ତି କୌଶଳ ଉପଯୋଗରେ ପ୍ରତିଛବି ପ୍ରସ୍ତୁତି ଓ ‘ଚାଟ ଜିପିଟି-୩’ ବା ‘ଏଲଏଏମଡ଼ିଏ’ ଭଳି ବୃହତ ଭାଷା ଶୃଙ୍ଖଳ ‘ଲାର୍ଜ ଲାଙ୍ଗୁଏଜ ମଡ଼େଲ’ ସହାୟତାରେ କଥାବାର୍ତ୍ତା ଲାଗି ‘ଚାଟବଟ’ ପ୍ରସ୍ତୁତ ହୋଇଥାଏ ।

 

ଏହି ପ୍ରଯୁକ୍ତି କୌଶଳ ଅଭିନବ ପଦକ୍ଷେପ ଏବଂ ବ୍ୟବହାରଲାଗି ଉପଭୋକ୍ତାଙ୍କୁ ଗ୍ରାହକ ଚାନ୍ଦା ଦେବାକୁ ପଡ଼ିଥାଏ । ଉଦାହରଣରେ ‘ୟୁ ଓନଲି ଭର୍ଚୁଆଲ’ ଆପ ବ୍ୟବହାରଲାଗି ମାସିକ ୧୭୦୦ ଟଙ୍କା ଗ୍ରାହକ ଚାନ୍ଦା ନିର୍ଦ୍ଧାରିତ । ‘ଅବତାର’ ପ୍ରସ୍ତୁତ କର୍ତ୍ତାଙ୍କୁ ଗ୍ରାହକ ଚାନ୍ଦା ଦେବାକୁ ପଡୁଥିବା ସ୍ଥଳେ ତାଙ୍କରି ଦ୍ୱାରା ସୂଚ଼ିତ ସୀମିତ ସଂଖ୍ୟକ ଜ୍ଞାତିପରିଜନଙ୍କୁ ବ୍ୟବହାରଲାଗି କୌଣସି ଦେୟ ଦାବୀ କରାଯାଇନଥାଏ । ବିକଶିତ ରାଷ୍ଟ୍ରଗୁଡିକରେ ମୃତ୍ୟୁ-ପର ଆୟୋଜନ ସଂଭାଳିବା ନିମନ୍ତେ ବୃତ୍ତିଗତ ‘ଫ୍ୟୁନେରାଲ’ ସଂସ୍ଥାଗୁଡ଼ିକ କାର୍ଯ୍ୟରତ । ଶୋକାର୍ତ୍ତଙ୍କୁ ପ୍ରବୋଧନା ଦେବାଲାଗି ଏହି ଭଳି ଆଧୁନିକ ଆପ ବ୍ୟବହାର କରିବା ନିମନ୍ତେ ସେହି ସଂସ୍ଥାଗୁଡ଼ିକ ଉପଭୋକ୍ତଙ୍କୁ ପ୍ରବର୍ତ୍ତାଇବା ଦେଖିବାକୁ ମିଳେ । 

 

ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧୫ ଜାନୁୟାରୀ ୨୦୨


ତଥ୍ୟ:

 

Chinese mourners use AI to bring back the dead. The Economic Times  (Bhubaneswar Edition). December 21, 2023

 

Radanskas, Gintaras, This AI app will bring your relatives back to life. It’s spooky. Cybernews.com/ November 15, 2023

---