ବାର୍ଦ୍ଧକ୍ୟ ବିଶ୍ଳେଷଣ

ବର୍ଦ୍ଧିତ ବୃଦ୍ଧଜନସଂଖ୍ୟା

ଆନ୍ତର୍ଜାତିକସ୍ତରରେ ବୃଦ୍ଧଜନସଂଖ୍ୟା ବୃଦ୍ଧି ଆକଳନ ସାମାଜିକ ଆଙ୍ଗୀକରେ ନୂତନ ସମୀକରଣ ସୃଷ୍ଟିର ଆଭାସ ଦେଇଥାଏ I

 

ମିଳିତ ଜାତିସଂଘ ପକ୍ଷରୁ ବିଶ୍ୱ ଜନସଂଖ୍ୟା ସ୍ଥିତି ଅନୁଧ୍ୟାନ କରି ପ୍ରକାଶିତ ସଂଶୋଧିତ ତଥ୍ୟ ‘ୱାର୍ଲଡ଼ ପପୁଲେସନ ପ୍ରସ୍ପେକ୍ଟେସ : ୨୦୧୭ ରିଭିଜନ’ ଅନୁଯାୟୀ ସମସ୍ତ ରାଷ୍ଟ୍ରରେ ବୃଦ୍ଧଜନସଂଖ୍ୟା ଦୃତଗତିରେ ବୃଦ୍ଧି ପାଇବାରେ ଲାଗିଛି I କୁହାଯାଉଛି ଯେ ୨୦୧୭ ତୁଳନାରେ ୬୦ ବର୍ଷୋତ୍ତର ଜନସଂଖ୍ୟା ୨୦୫୦ ବେଳକୁ ଦ୍ୱିଗୁଣିତ ଓ ୨୧୦୦ ବେଳକୁ ତ୍ରିଗୁଣିତ ହେବ I

 

ସଂଶୋଧିତ ଗଣନାରେ ୨୦୧୭ରେ ବିଶ୍ୱବ୍ୟାପୀ ବରିଷ୍ଠ ନାଗରିକଙ୍କ ସଂଖ୍ୟା ୯୬ କୋଟି ୨୦ ଲକ୍ଷ ହିସାବ କରାଯାଉଥିବା ସ୍ଥଳେ ସମଗ୍ର ଜନସଂଖ୍ୟାର ୧୩ ପ୍ରତିଶତ ଦାବୀ କରିଥାଏI ଏହି ବର୍ଗ ବାର୍ଷିକ ୩ ପ୍ରତିଶତ ବୃଦ୍ଧି ପାଇବାରେ ଲାଗିଛି I ପ୍ରଚଳିତ ଧାରା ଜାରିରହିଲେ ୨୦୩୦ ସୁଦ୍ଧା ୧୪୦ କୋଟି, ୨୦୫୦ ସୁଦ୍ଧା ୨୧୦ କୋଟି ତଥା ୨୧୦୦ ସୁଦ୍ଧା ୩୧୦୦ କୋଟିରେ ପହଞ୍ଚିବ ବୋଲି ଆକଳନ କରାଯାଉଛି I

 

ଉତ୍ତର-ବାର୍ଦ୍ଧକ୍ୟ ଅର୍ଥାତ ଅଶୀ ବର୍ଷୋତ୍ତର ଜନସଂଖ୍ୟା ବିଶ୍ୱବ୍ୟାପୀ ୧୩ କୋଟି ୭୦ ଲକ୍ଷ ହିସାବ କରାଯାଉଥିବା ସ୍ଥଳେ ୨୦୫୦ ସୁଦ୍ଧା ତିନିଗୁଣ ବୃଦ୍ଧି ପାଇ ୪୨ କୋଟି ୫୦ ଲକ୍ଷ ତଥା ୨୧୦୦ ସୁଦ୍ଧା ସାତଗୁଣ ବୃଦ୍ଧି ପାଇ ୯୦ କୋଟି ୯୦ ଲକ୍ଷରେ ପହଞ୍ଚିବା ଆଶା କରାଯାଉଛି I

 

ୟୁରୋପରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ସମଗ୍ର ଜନସଂଖ୍ୟାର ୨୫ ପ୍ରତିଶତରେ ପହଞ୍ଚିଛି ଏବଂ ଆନ୍ତର୍ଜାତିକସ୍ତରରେ ସର୍ବାଧିକ ବୃଦ୍ଧଜନବହୁଳ ମହାଦେଶ I ଏସିଆ ମହାଦେଶରେ ବୃଦ୍ଧଜନସଂଖ୍ୟା ସର୍ବାପେକ୍ଷା ଦୃତ ବେଗରେ ବୃଦ୍ଧି ପାଇବାରେ ଲାଗିଛି I ଜାପାନରେ ୬୫ ବର୍ଷୋତ୍ତରଙ୍କ ସଂଖ୍ୟା ୨୮ ପ୍ରତିଶତ ଗଣନା କରାଯାଇଛି I ଚୀନ, ଜାପାନ, ଦକ୍ଷିଣ କୋରିଆ ଓ ଥାଇଲ୍ୟାଣ୍ଡରେ ବୃଦ୍ଧଜନସଂଖ୍ୟା ବୃଦ୍ଧି କ୍ଷୀପ୍ର I

 

ଚୀନରେ ୨୦୫୦ ସୁଦ୍ଧା ୩୪ ପ୍ରତିଶତ ବରିଷ୍ଠ ନାଗରିକ ପୁର୍ବାନୁମାନ କରାଯାଉଥିବା ସ୍ଥଳେ ଅନ୍ୟାନ୍ୟ ଦକ୍ଷିଣ ଏସୀୟ ରାଷ୍ଟ୍ର ମାଲଡ଼ାଭିସରେ ୩୧ ପ୍ରତିଶତ, ଭୂଟାନରେ ୨୪ ପ୍ରତିଶତ, ଶ୍ରୀଲଙ୍କାରେ ୨୭ ପ୍ରତିଶତ ଓ ବାଂଲାଦେଶରେ ୨୨ ପ୍ରତିଶତ ବରିଷ୍ଠ ନାଗରିକଙ୍କ ସଂଖ୍ୟା ଆଶା କରାଯାଉଛି I

 

ଅତୀତରେ ଜନସଂଖ୍ୟା ବୃଦ୍ଧି ପୂର୍ବାନୁମାନ ତୁଳନାରେ ଆମ ଭାରତରେ ୬୦ ବର୍ଷୋତ୍ତର ବରିଷ୍ଠ ନାଗରିକଙ୍କ ସଂଖ୍ୟା ଅଧିକ ହେବ ବୋଲି ପ୍ରକାଶିତ ହୋଇଛି I ୨୦୧୮ ଅଗଷ୍ଟ ମାସରେ ଲୋକସଭାରେ ପ୍ରଶ୍ନୋତ୍ତର କାଳରେ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ୨୦୫୦ ସୁଦ୍ଧା ଭାରତରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ୩୪ କୋଟିରେ ପହଞ୍ଚିବା ସରକାରୀଭାବେ ଆକଳନ କରାଯାଉଥିବା ସ୍ୱୀକାର କରିଥିଲେ I

 

ମିଳିତ ଜାତିସଂଘର ପୂର୍ବାନୁମାନ ଅନୁଯାୟୀ ୨୦୫୦ ସୁଦ୍ଧା ଭାରତରେ ବୃଦ୍ଧଜନସଂଖ୍ୟା ୩୧ କୋଟି ୬୮ ଲକ୍ଷ ଓ ଆନ୍ତର୍ଜାତିକ ସ୍ୱେଚ୍ଛାସେବୀ ସଂଗଠନ ‘ହେଲପ-ଏଜ-ଇଣ୍ଡିଆ’ ପୂର୍ବାନୁମାନରେ ୩୨ କୋଟି ୪୦ ଲକ୍ଷରେ ପହଞ୍ଚିବା ଆଶା କରାଯାଉଥିଲା I ତେବେ କେନ୍ଦ୍ର ସରକାରଙ୍କ ପୂର୍ବାନୁମାନ ସେଗୁଡ଼ିକଠାରୁ ଅଧିକା I‘ୟୁନାଇଟେଡ଼ ନେସନ୍ସ ପପୁଲେସନ ଫଣ୍ଡ’ ପକ୍ଷରୁ ପ୍ରକାଶିତ ‘ଇଣ୍ଡିଆ ଏଜିଂ ରିପୋର୍ଟ ୨୦୧୭’ରେ ଉପସ୍ଥାପିତ ତଥ୍ୟ ପ୍ରକାରେ ଦେଶରେ ୬୦ ବର୍ଷୋତ୍ତର ବରିଷ୍ଠ ନାଗରିକଙ୍କ ସଂଖ୍ୟା ୨୦୧୫ରେ ୮ ପ୍ରତିଶତ ଗଣନା କରାଯାଇଥିବା ସ୍ଥଳେ ୨୦୫୦ରେ ୧୯ ପ୍ରତିଶତ ତଥା ୨୧୦୦ ସୁଦ୍ଧା ୩୪ ପ୍ରତିଶତରେ ପହଞ୍ଚିବା ହିସାବ କରାଯାଉଛି I

 

ପରିସଂଖ୍ୟାନରେ ୨୦୦୦ ରୁ ୨୦୫୦ ମଧ୍ୟରେ ଭାରତରେ ଜନସଂଖ୍ୟା ୫୬ ପ୍ରତିଶତ ବୃଦ୍ଧି ବେଳେ ୬୦ ବର୍ଷୋତ୍ତର ବାର୍ଦ୍ଧକ୍ୟଗ୍ରସ୍ତଙ୍କ ସଂଖ୍ୟା ୩୨୬ ପ୍ରତିଶତ ବୃଦ୍ଧି ଓ ଉତ୍ତର-ବାର୍ଦ୍ଧକ୍ୟରେ ଉପନୀତ ଜନସଂଖ୍ୟା ୭୦୦ ପ୍ରତିଶତ ବୃଦ୍ଧି ଆକଳନ ନାଗରିକଙ୍କ ବର୍ଦ୍ଧିତ ଜୀବଦ୍ଦଶା ହେତୁ ବୃଦ୍ଧଜନସଂଖ୍ୟାର ପରିବର୍ତ୍ତିତ ଚ଼ିତ୍ର ପ୍ରଦାନ କରିଥାଏ I ଦେଶରେ ୨୦୫୦ ବେଳକୁ ଜନସଂଖ୍ୟାର ୧୯ ପ୍ରତିଶତ ବରିଷ୍ଠ ନାଗରିକ ହିସାବ କରାଯାଉଥିଲେ ହେଁ ଏଠାକାର ଜନସଂଖ୍ୟା ଆଧାରରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ବିଶାଳ ପ୍ରତୀୟମାନ ହୋଇଥାଏ I

 

ଆଞ୍ଚଳିକସ୍ତରରେ ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ ଓ କେରଳ ଦକ୍ଷିଣାଞ୍ଚଳ ସହ ମହାରାଷ୍ଟ୍ର, ଓଡ଼ିଶା, ପଞ୍ଜାବ ଓ ହିମାଚଳ ପ୍ରଦେଶରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ୨୦୧୧ ଜନଗଣନା ଅନୁଯାୟୀ ୯ ରୁ ୧୨.୩ ପ୍ରତିଶତ ହିସାବ କରାଯାଇଥିଲା I କେନ୍ଦ୍ର ଓ ଉତ୍ତରାଞ୍ଚଳରେ ମଧ୍ୟପ୍ରଦେଶ, ବିହାର, ଝାଡ଼ଖଣ୍ଡ, ଛତିଶଗଡ଼, ଉତ୍ତରପ୍ରଦେଶ, ରାଜସ୍ଥାନ ଓ ଉତ୍ତରାଖଣ୍ଡରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ଆନୁପାତିକଭାବେ କମ ରହିଥିଲା I

 

ବିଶ୍ୱବ୍ୟାପୀ ବୃଦ୍ଧଜନସଂଖ୍ୟା ବୃଦ୍ଧି ଅବସରରେ ସାମାଜିକ ଜୀବନରେ ବାର୍ଦ୍ଧକ୍ୟ ସଂପର୍କୀତ ପାରମ୍ପରିକ ଦୃଷ୍ଟିଭଙ୍ଗୀ ପରିବର୍ତ୍ତନ ଆବଶ୍ୟକ I ମିଳିତ ଜାତିସଂଘ ମତରେ ବାର୍ଦ୍ଧକ୍ୟ ଅବସର ଜୀବନଯାପନ ବନ୍ଧନୀରେ ଆବଦ୍ଧ ନରହି ସାମାଜିକ ପ୍ରଗତିରେ ଭାଗୀଦାର ହେବା ସମୟ ଉପନୀତ I ଏଥି ନିମନ୍ତେ ବିଭିନ୍ନସ୍ତରରେ ନୀତି ନିର୍ଦ୍ଧାରଣ ଓ ସୁଯୋଗ ସୃଷ୍ଟି ଗୁରୁତ୍ୱବହନ କରିଥାଏ I ବରିଷ୍ଠ ନାଗରିକଙ୍କ ନିମନ୍ତେ ସାଧ୍ୟମତେ କର୍ମନିଯୁକ୍ତି ସେମାନଙ୍କ ବ୍ୟକ୍ତିଗତ ଜୀବନ ପରିପୁଷ୍ଟି ସାଙ୍ଗକୁ ସାମାଜିକ ଉନ୍ନୟନରେ ପର୍ଯ୍ୟବସିତ ହୋଇପାରିବI

 

‘ଇଣ୍ଟରନ୍ୟାସନାଲ ମନିଟରି ଫଣ୍ଡ’ର ଅଧ୍ୟକ୍ଷ କ୍ରିଷ୍ଣିନା ଲାଗାର୍ଡେ ଏସିଆ ମହାଦେଶରେ ବର୍ଦ୍ଧିତ ବୃଦ୍ଧଜନସଂଖ୍ୟାକୁ ଲକ୍ଷ୍ୟ କରି କହିଥିଲେ ଯେ ଚୀନ ଓ ଜାପାନ ବିଶ୍ୱର ଦ୍ୱିତୀୟ ଓ ତୃତୀୟ ବୃହତ ଅର୍ଥନୀତିର ମାନ୍ୟତା ଗ୍ରହଣ କରୁଥିବା ସ୍ଥଳେ ଦୁଇ ରାଷ୍ଟ୍ରରେ ବରିଷ୍ଠନାଗରିକଙ୍କ ସଂଖ୍ୟା ବୃଦ୍ଧି ଓ ଯୁବଶ୍ରମିକଙ୍କ ସଂଖ୍ୟା ହ୍ରାସ ସେଠାକାର ଜାତୀୟ ଆୟ ବୃଦ୍ଧିରେ ପ୍ରତିବନ୍ଧକ ସାଜିବ I ଏହି ପରିବେଶରୁ ରକ୍ଷା ପାଇବା ପାଇଁ ଅଧିକ ସଂଖ୍ୟକ ମହିଳା ଓ ଯୋଗ୍ୟ ବରିଷ୍ଠ ନାଗରିକଙ୍କ ନିମନ୍ତେ ଶ୍ରମନିଯୁକ୍ତି ସୁଯୋଗ ସୃଷ୍ଟି କରିବା ବିଜ୍ଞତାର ପରିଚ଼ୟ ଦେବ I ସେହିପରି ଭାରତରେ ବାଳିକାମାନଙ୍କୁ ଶିକ୍ଷିତ କରାଇବା ଓ ମହିଳାମାନଙ୍କୁ ଲଘୁଉଦ୍ୟୋଗ ସୃଷ୍ଟି ନିମନ୍ତେ ଅର୍ଥନୀତିକ ସହାୟତା ଯୋଗାଇ ଦେବା ନିମନ୍ତେ ଅଗ୍ରାଧୀକାର ଦିଆଯିବା ଆବଶ୍ୟକ I

 

ଆଞ୍ଚଳିକଭିତ୍ତିରେ ବୃଦ୍ଧଜନସଂଖ୍ୟା ବୃଦ୍ଧି ସ୍ଥାନୀୟ ଜନ୍ମ, ମୃତ୍ୟୁ ଓ ଦେଶାନ୍ତର ସଂଖ୍ୟା ଉପରେ ନିର୍ଭରଶୀଳ I ଅନେକ ବିକାଶଶୀଳ ରାଷ୍ଟ୍ରରେ ସରକାରୀସ୍ତରରେ ଜନ୍ମନିୟନ୍ତ୍ରଣ ନୀତି ପ୍ରଣୟନ ଓ ଆଧୁନିକ ମାନସିକତା ହେତୁ ଜନ୍ମ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି I ସମଗ୍ର ଏସିଆ ମହାଦେଶରେ ୨୦୫୦ ବେଳକୁ ଜନସଂଖ୍ୟା ବୃଦ୍ଧି ଶୂନ୍ୟସ୍ଥାନରେ ପହଞ୍ଚିବା ଆକଳନ କରାଯାଉଛି I ବିକଶିତ ରାଷ୍ଟ୍ରଗୁଡ଼ିକରେ ଢ଼େର ସମୟ ପୂର୍ବରୁ ଜନସଂଖ୍ୟା ବୃଦ୍ଧିରେ ସ୍ଥିରତା ଆସିସାରିଛି I ଦ୍ୱିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ଅବସ୍ଥାରେ ବିଭିନ୍ନ ରାଷ୍ଟ୍ରରେ ଜୀବଦ୍ଦଶା ବୃଦ୍ଧି ପାଇଚାଲିଛି I

 

ଦେଶାନ୍ତରରେ ସାଧାରଣତଃ ଯୁବ ଶ୍ରମିକମାନେ ଅଧିକ ସଂଖ୍ୟାରେ ସାମିଲ ହେଉଥିବା ହେତୁ କୌଣସି ରାଷ୍ଟ୍ରରେ ଦେଶାନ୍ତରୀଙ୍କ ସଂଖ୍ୟାବୃଦ୍ଧି ସେଠାକାର ଶ୍ରମଶକ୍ତି ବୃଦ୍ଧିରେ ସାମୟିକଭାବେ ସହାୟକ ହୋଇଥାଏ I କିନ୍ତୁ ସେମାନେ ସେଠାରେ ସ୍ଥାୟୀଭାବେ ବସବାସ କଲେ କିଛି ବର୍ଷ ପରେ ବୃଦ୍ଧଜନ ସଂଖ୍ୟା ବୃଦ୍ଧିରେ ସାମିଲ ହୋଇଥାନ୍ତି I

 

ବର୍ଦ୍ଧିତ ବୃଦ୍ଧଜନସଂଖ୍ୟା ସାମାଜିକସ୍ତରରେ ଏକ ନୂତନ ବର୍ଗ ସୃଷ୍ଟି କରୁଥିବା ହେତୁ ସେମାନଙ୍କ ସ୍ୱାସ୍ଥ୍ୟରକ୍ଷା, ଅର୍ଥନୀତି ଓ ସୁରକ୍ଷାଭଳି ଉପାଦାନଗୁଡ଼ିକର ସୁନିୟନ୍ତ୍ରଣ ନିମନ୍ତେ ବ୍ୟକ୍ତିଗତ, ପାରିବାରିକ, ସାମାଜିକ ଓ ସରକାରୀ କ୍ଷେତ୍ରରେ ସ୍ୱତନ୍ତ୍ର ନୀତିନିର୍ଦ୍ଧାରଣ ସମୟର ଆହ୍ୱାନ I ପରିବର୍ତ୍ତିତ ପରିବେଶରେ ବୈଜ୍ଞାନିକ ଉଦ୍ଭାବନମାନ ସ୍ୱଚ୍ଛଳ ଜୀବନଯାପନ ଲାଗି ବହୁବିଧ ସୁବିଧା ସୁଯୋଗ ସୃଷ୍ଟି କରୁଥିବା ସ୍ଥଳେ ବାର୍ଦ୍ଧକ୍ୟ ଜୀବନ ଯାପନଲାଗି ଅତ୍ୟାଧୁନିକ ବୈଷୟିକ କୌଶଳ ଉପଯୋଗକୁ ମୂଳରୁ ପ୍ରାଧାନ୍ୟ ଦେବା ତାତ୍ପର୍ଯ୍ୟପୂର୍ଣ୍ଣ Iବର୍ଦ୍ଧିତ ବୃଦ୍ଧଜନସଂଖ୍ୟା ସଂପର୍କରେ ଚ଼େତନା ପ୍ରସାର ଉପସ୍ଥିତ ସମସ୍ୟା ସମାଧାନରେ ପ୍ରଥମ ସୋପାନ I

ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ନଭେମ୍ୱର ୨୦୧୮



ତଥ୍ୟ :


https://www.un.org/en/global-issues/ageing


https://phys.org/news/2017-09-ageing-populations-growth-asia-imf.html

https://timesofindia.indiatimes.com/india/india-ageing-faster-than-we-thought-shows-data/articleshow/65370789.cms 

ଭାରତରେ ବାର୍ଦ୍ଧକ୍ୟ ପରିସଂଖ୍ୟାନ

ବାର୍ଦ୍ଧକ୍ୟ ପରିସଂଖ୍ୟାନ ପ୍ରଯୋଜନାରେ ଭାରତ ପଛୁଆ ରହି ଆସିଥିଲା । ଏହି କାରଣରୁ ବରିଷ୍ଠ ନାଗରିକଙ୍କ ଜୀବନଚର୍ଯ୍ୟାର ସ୍ଥିତାବସ୍ଥା ସଂପର୍କରେ ତଥ୍ୟ ଅଭାବ ଅନୁଭୂତ ହେଉଥିଲା । ନିର୍ଭରଯୋଗ୍ୟ ତଥ୍ୟ ଅଭାବରେ ସାମାଜିକସ୍ତରରେ ଯଥାଯଥ ନୀତିନିର୍ଦ୍ଧାରଣ ଅସଂଭବ । ଦେଶରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ବୃଦ୍ଧି ପାଇ ଚାଲିଥିବା ଅବସରରେ ଏହି ଦିଗରେ ଏକ ପ୍ରାଥମିକ ଉଦ୍ୟମ ସଫଳ ହୋଇପାରିଥିବା ଉଲ୍ଲେଖଯୋଗ୍ୟ ।

 

ଭାରତୀୟ ଦୀର୍ଘକାଳୀନ ବାର୍ଦ୍ଧକ୍ୟ ଅଧ୍ୟୟନ ଲଙ୍ଗିଟ୍ୟୁଡିନାଲ ଏଜିଂ ଷ୍ଟଡ଼ି ଅଫ ଇଣ୍ଡିଆର ପ୍ରଥମ ତରଙ୍ଗ ୱେବ-୧ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁକୂଲ୍ୟରେ ୨୦୨୧ ଜାନୁୟାରୀ ପ୍ରଥମ ସପ୍ତାହରେ ଉନ୍ମୋଚିତ ହୋଇଛି । ଲଙ୍ଗିଟ୍ୟୁଡ଼ିନାଲ ସର୍ଭେ ପଦ୍ଧତିରେ ଗବେଷଣା ଉଦ୍ଦିଷ୍ଟ ବିଷୟବସ୍ତୁ ସଂପର୍କରେ ଦୀର୍ଘକାଳ ଧରି ତଥ୍ୟ ସଂଗୃହୀତ ହୋଇଥାଏ । ଅର୍ଥାତ ଭାରତରେ ବାର୍ଦ୍ଧକ୍ୟ ଜୀବନଚ଼ର୍ଯ୍ୟା ସଂପର୍କରେ ଅଧ୍ୟୟନ ନିମନ୍ତେ ନିର୍ଦ୍ଦିଷ୍ଟ ସମୟ ଅବଧିରେ ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷଙ୍କ ସ୍ୱାସ୍ଥ୍ୟାବସ୍ଥା, ଆଚ଼ରଣ, କର୍ମସଂପୃକ୍ତି, ଅର୍ଥନୀତି ଓ ସାମାଜିକ ସଂପର୍କ ଇତ୍ୟାଦି ବିଷୟରେ ଧାରାବାହିକ ଭାବେ ହିସାବ ଲିପିବଦ୍ଧ କରି ଗବେଷଣା ଅନ୍ତର୍ଭୁକ୍ତ କରାଯିବା ପଦକ୍ଷେପ ନିଆଯାଇଛି ।

 

ଲଙ୍ଗଟ୍ୟୁଡ଼ିନାଲ ଅଧ୍ୟୟନ ଦୀର୍ଘ ଅବଧିରେ ସମ୍ପନ୍ନ ହୁଏ । ପ୍ରତ୍ୟେକ ଗବେଷଣା ନିମନ୍ତେ ଭିନ୍ନ ଭିନ୍ନ ସମୟ ସୀମା ଧାର୍ଯ୍ୟ କରାଯାଏ । ଏହା ମୁଖ୍ୟତଃ ନିରୀକ୍ଷଣଧର୍ମୀ ଅବଜରଭେସନାଲ । ଗବେଷକମାନେ ସର୍ବେକ୍ଷଣ ନିମନ୍ତେ ଚ଼ିହ୍ନଟ ବ୍ୟକ୍ତିବିଶେଷଙ୍କ ସହ ଆଳାପ-ଆଲୋଚ଼ନା ମାଧ୍ୟମରେ ତଥ୍ୟ ସଂଗ୍ରହ କରନ୍ତି । ସେମାନଙ୍କ ପ୍ରାକୃତିକ ଜୀବନଯାପନରେ ଗବେଷକମାନଙ୍କ ପକ୍ଷରୁ କୌଣସି ହସ୍ତକ୍ଷେପ କରାଯାଇନଥାଏ । ସର୍ବେକ୍ଷଣ କାଳରେ ସଂଗୃହୀତ ବିଭିନ୍ନ ଆନୁସଙ୍ଗିକ କୋ-ରିଲେସନାଲ ତଥ୍ୟ ସାମଗ୍ରିକ ଅବସ୍ଥା ଅଧ୍ୟୟନର ଅଂଶବିଶେଷ ପାଲଟେ । ନିର୍ଦ୍ଧାରିତ ସମୟସୀମାରେ ଜୀବନଯାତ୍ରାରେ ଦେଖାଯାଉଥିବା ପରିବର୍ତ୍ତନ ଗବେଷଣାର ନିର୍ଯ୍ୟାସରୁ ଜାଣିବାକୁ ମିଳିଥାଏ ।

 

ଭାରତୀୟ ଦୀର୍ଘକାଳୀନ ବାର୍ଦ୍ଧକ୍ୟ ଅଧ୍ୟୟନର ପ୍ରଥମ ତରଙ୍ଗ ନିମନ୍ତେ ତଥ୍ୟ ସଂଗ୍ରହ ଏପ୍ରିଲ ୨୦୧୭ରୁ ଡ଼ିସେମ୍ୱର ୨୦୧୮ ମଧ୍ୟରେ ଆୟୋଜନ କରାଯାଇଥିଲା । ଏହି ଅବସରରେ ୭୨,୨୫୦ ଜଣ ୪୫ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ପୁରୁଷ ଓ ମହିଳାଙ୍କ ଜୀବନଚ଼ର୍ଯ୍ୟା ସଂପର୍କୀତ ତଥ୍ୟ ସଂଗୃହୀତ ହୋଇଥିଲା । ସର୍ବେକ୍ଷଣରେ ସର୍ବଭାରତୀୟସ୍ତରରେ ନମୂନା ପ୍ରତ୍ୟେକ ରାଜ୍ୟ ଓ ସିକିମକୁ ଛାଡ଼ି ଅନ୍ୟାନ୍ୟ କେନ୍ଦ୍ରଶାସିତ ଅଞ୍ଚଳରୁ ସାମିଲ କରାଯାଇଥିଲା । ଅଧ୍ୟୟନର ପ୍ରଥମ ତରଙ୍ଗ କାଳରେ ସଂଗୃହୀତ ତଥ୍ୟାବଳୀ ଦେଶରେ ବରିଷ୍ଠ ନାଗରିକମାନଙ୍କ ସମସାମୟିକ ଜୀବନର ବାସ୍ତବ ଚ଼ିତ୍ର ଉତଥାପନ କରିଥିବା ସୁସ୍ପଷ୍ଟ ।

 

ଆଲୋଚ଼୍ୟ ଅଧ୍ୟୟନ ଭାରତରେ ପ୍ରଥମଥର ନିମନ୍ତେ ଆୟୋଜନ ହୋଇଥିବା ସ୍ଥଳେ ଆନ୍ତର୍ଜାତିକସ୍ତରରେ ସର୍ବବୃହତ । ଅଧ୍ୟୟନକୁ ପରିପୁଷ୍ଟ କରିବା ନିମନ୍ତେ ପ୍ରତି ତିନି ବର୍ଷ ଅନ୍ତରରେ ଥରେ ଦୀର୍ଘ ୨୫ ବର୍ଷ ଯାଏଁ ସମୟସୀମା ଚ଼ିହ୍ନଟ କରାଯାଇଥିବା ସମସ୍ତ ନମୂନାଙ୍କ ସଂପର୍କରେ ବାରମ୍ୱାର ତଥ୍ୟ ସଂଗ୍ରହର ବ୍ୟବସ୍ଥା କରାଯିବ । ଏହି ପ୍ରକ୍ରିୟାରେ ଦେଶର ବରିଷ୍ଠ ନାଗରିକଙ୍କ ଜୀବନଚର୍ଯ୍ୟାରେ ସଂଘଟିତ ବିଭିନ୍ନ ପରିବର୍ତ୍ତନର ରୂପରେଖ ସଂକଳିତ ହୋଇପାରିବ ।

 

ଆନ୍ତର୍ଜାତିକସ୍ତରରେ ଯୁକ୍ତରାଷ୍ଟ୍ର ଆମେରିକାରେ ହେଲଥ ଏଣ୍ଡ ରିଟାୟରମେଣ୍ଟ ଷ୍ଟଡ଼ିଜସାଙ୍ଗକୁ ଏସିଆ ମହାଦେଶରେ ଚ଼ୀନ, ଜାପାନ ଓ କୋରିଆ ପ୍ରଭୃତି ରାଷ୍ଟ୍ରରେ ଦୀର୍ଘକାଳୀନ ବାର୍ଦ୍ଧକ୍ୟ ଅଧ୍ୟୟନମାନ ଆୟୋଜିତ ହୋଇଥାଏ । ଭାରତରେ ଅନୁରୂପ ପଦକ୍ଷେପ ଗ୍ରହଣ ପରେ ଆନ୍ତର୍ଜାତିକସ୍ତରରେ ବରିଷ୍ଠ ନାଗରିକଙ୍କ ଜୀବନଚର୍ଯ୍ୟା ସହ ଏଠାକାର ସ୍ଥିତାବସ୍ଥା ତୁଳନାର ଅବକାଶ ସୃଷ୍ଟି ହୋଇପାରିବ । ଏହି ତଥ୍ୟାଶ୍ରିତ ଉପଲବ୍ଧି ଦେଶର ବରିଷ୍ଠ ନାଗରିକଙ୍କ ଜୀବନଚର୍ଯ୍ୟାର ଗୁଣାତ୍ମକ ମାନବୃଦ୍ଧି ନିମନ୍ତେ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ଉଭୟ ସରକାରୀ ଓ ବ୍ୟାବସାୟିକସ୍ତରରେ ପ୍ରଣୟନରେ ମୂଳଉତ୍ସ ବିବେଚିତ ହେବ ।

 

ଉଦାହରଣରେ ଜୀବଦ୍ଦଶା ବୃଦ୍ଧି କାରଣରୁ ଦେଶରେ ବହୁ ସଂଖ୍ୟକ ଉତ୍ତର-ବାର୍ଦ୍ଧକ୍ୟରେ ଉପନୀତ ହେଉଥିବା ଏବଂ ଉତ୍ତର-ବାର୍ଦ୍ଧକ୍ୟରେ ସହାୟତାଯୁକ୍ତ ଜୀବନଯାପନ ଅପରିହାର୍ଯ୍ୟ ଥିବା ସ୍ଥଳେ ସେମାନଙ୍କ ଆବାସ ଓ ଯତ୍ନ ନିମନ୍ତେ ଭିତ୍ତିଭୂମି ପ୍ରସ୍ତୁତ ହୋଇପାରି ନାହିଁ । କାରଣ ଆମ ଦେଶରେ ସାଧାରଣ ହାରାହାରି ଜୀବଦ୍ଦଶା କମ ଏବଂ ବାର୍ଦ୍ଧକ୍ୟରେ ଯତ୍ନ ପାରିବାରିକ ଦାୟିତ୍ୱ ପରିସରଭୁକ୍ତ ରହିଆସିଥିଲା । ସତୁରି ବର୍ଷ ପୂର୍ବେ ଦେଶ ସ୍ୱାଧୀନତାବେଳକୁ ଜୀବଦ୍ଦଶା ୩୨ ବର୍ଷ ଥିବା ସ୍ଥଳେ ୨୦୨୧ରେ ଅଧିକ ୪୦ ବର୍ଷ ଯୋଡ଼ି ହୋଇଛି । ସେହିପରି ସହରୀ ସଭ୍ୟତାର ପ୍ରସାର ପାରମ୍ପରିକ ପାରିବାରିକ ମୂଲ୍ୟବୋଧରେ ବିଘଟନ ସୃଷ୍ଟି କରିଛି ।

 

ଏହି ପରିବେଶରେ ବରିଷ୍ଠ ନାଗରିକଙ୍କ ତଥ୍ୟଭିତ୍ତିକ ବାସ୍ତବ ଅବସ୍ଥାକୁ କେନ୍ଦ୍ରକରି ଭବିଷ୍ୟତ ନିମନ୍ତେ ଭିତ୍ତିଭୂମି ସଜାଡ଼ିବାକୁ ପଡିବ ଏବଂ ଏଥିନିମନ୍ତେ ଉଭୟ ବ୍ୟକ୍ତିଗତ ଓ ସାମୂହିକସ୍ତରରେ ବିପୁଳ ନିବେଶ ଆବଶ୍ୟକ ପଡୁଥିବା ହେତୁ ଦୀର୍ଘକାଳୀନ ଉଦ୍ୟମ ଆବଶ୍ୟକତା ରହିଛି । ସେହିପରି ବହୁ ବରିଷ୍ଠ ନାଗରିକ ଉତ୍ତର-ବାର୍ଦ୍ଧକ୍ୟରେ ପଦାର୍ପଣ କରୁଥିବା ଅବସରରେ ଆଲଜମିରସ ଭଳି ମତିଭ୍ରମ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବ । ସେମାନେ ଏକାକୀ ଜୀବନଯାପନ କରିବା ଅସଂଭବ ଥିବା ହେତୁ ରୋଗାକ୍ରାନ୍ତଙ୍କ ଯତ୍ନ ନିମନ୍ତେ ଭିତ୍ତିଭୂମି ପ୍ରସ୍ତୁତି ଅପରିହାର୍ଯ୍ୟ । ସିଙ୍ଗାପୁର ଭଳି କ୍ଷୁଦ୍ର ରାଷ୍ଟ୍ରଗୁଡ଼ିକରେ ଆଲଜମିରସ ପୀଡ଼ିତଙ୍କ ନିମନ୍ତେ ପର୍ଯ୍ୟାପ୍ତ ସାମାଜିକ ବ୍ୟବସ୍ଥା ପ୍ରସ୍ତୁତ ହୋଇ ସାରିଲାଣି ।

 

ଭାରତରେ ବରିଷ୍ଠ ନାଗରିକଙ୍କ ସଂପର୍କରେ ବହୁ ସମସ୍ୟା ସଂପର୍କରେ ତଥ୍ୟ ଅଭାବରୁ ଉଭୟ ସମାଜଚ଼ିନ୍ତକ ଓ ସରକାର ଅନ୍ଧାରରେ ରହି ଆସିଥିଲେ । ବର୍ତ୍ତମାନ ଦୀର୍ଘକାଳୀନ ଅଧ୍ୟୟନର ପ୍ରଥମ ତରଙ୍ଗର ନିର୍ଯ୍ୟାସ ପ୍ରକାଶନ ପରେ ବହୁ ସମସ୍ୟାର ତୀବ୍ରତା ଉନ୍ମୋଚନ ହୋଇପାରିବ । ରାଷ୍ଟ୍ରୀୟସ୍ତରରେ ନ୍ୟାସନାଲ ପ୍ରୋଗ୍ରାମ ଫର ହେଲଥ କେର ଅଫ ଦି ଏଲଡ଼ରଲିଆୟୁଷ୍ମାନ ଭାରତ ଯୋଜନାରେ ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟରକ୍ଷା ନିମନ୍ତେ ଲକ୍ଷ୍ୟଭିତ୍ତିକ କାର୍ଯ୍ୟକ୍ରମ ପ୍ରଯୋଜନାରେ ବାସ୍ତବକ୍ଷେତ୍ରର ତଥ୍ୟ ଉପଯୋଗରେ ଗୁଣାତ୍ମକ କାର୍ଯ୍ୟକ୍ରମମାନ ପ୍ରଣୟନ କରାଯାଇପାରିବ ।

 

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଆନୁକୂଲ୍ୟରେ ନ୍ୟାସନାଲ ପ୍ରୋଗାମ ଫର ହେଲଥ କେର ଅଫ ଏଲଡ଼ରଲି ଯୋଜନାରେ ଆୟୋଜିତ ଭାରତୀୟ ଦୀର୍ଘକାଳୀନ ବାର୍ଦ୍ଧକ୍ୟ ଅଧ୍ୟୟନ ମୁମ୍ୱାଇସ୍ଥିତ ଇଣ୍ଟରନ୍ୟାସନାଲ ଇନଷ୍ଟିଟିଉଟ ଫର ପପୁଲେସନ ସାଇନ୍ସସେସ ସମ୍ପାଦନ କରିଛନ୍ତି । ଏହି ଗବେଷଣା ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାର ହାର୍ଭାଡ଼ ସ୍କୁଲ ଅଫ ପବ୍ଳିକ ହେଲଥ, ୟୁନିଭରସିଟି ଅଫ ନଦର୍ନ କାଲିଫର୍ଣ୍ଣିଆ ସହ ୟୁନାଇଟେଡ଼ ନେସନ୍ସ ପପୁଲେସନ ଫଣ୍ଡନ୍ୟାସନାଲ ଇନଷ୍ଟିଟିଉଟ ଅଫ ଏଜିଂର ସହଯୋଗ ଗ୍ରହଣ କରାଯାଇଛି ।

 

ଅଧ୍ୟୟନର ପ୍ରଥମ ତରଙ୍ଗରେ ୭୨,୨୫୦ ଜଣ ବ୍ୟକ୍ତିଙ୍କୁ ନମୂନାଭାବେ ଗ୍ରହଣ କରାଯାଇଥିବା ସ୍ଥଳେ ସେମାନଙ୍କ ମଧ୍ୟରୁ ୩୪,୦୪୭ ଜଣ ୪୫ ବର୍ଷରୁ ଉର୍ଦ୍ଧ୍ୱ, ୩୧,୪୬୪ ଜଣ ୬୦ ବର୍ଷରୁ ଉର୍ଦ୍ଧ୍ୱ ଓ ୬,୭୪୯ ଜଣ ୭୫ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତି ଅନ୍ତର୍ଭୁକ୍ତ । ଏମାନଙ୍କଠାରୁ ତଥ୍ୟ ସଂଗ୍ରହ ନିମନ୍ତେ କମ୍ପ୍ୟୁଟର ଆସିଷ୍ଟୋଡ ପରସନାଲ ଇଣ୍ଟଋଭ୍ୟୁଜିଓଗ୍ରାଫିକ ଇନଫରମେସନ ସିଷ୍ଟମ କାରିଗରୀ କୌଶଳ ବ୍ୟବହୃତ ହୋଇଛି । ଫଳରେ ଚ଼ିହ୍ନିତ ବ୍ୟକ୍ତିବିଶେଷଙ୍କୁ ସାକ୍ଷାତ କରିବା ଅବସରରେ ସେଠାକାର ଭୌଗଳିକ ଅବସ୍ଥିତି, ସମୟସୀମାର ବାସ୍ତବ ତଥ୍ୟ ଲିପିବଦ୍ଧ କରାଯାଇପାରିବା ସଙ୍ଗେ ସଙ୍ଗେ ତତ୍ କ୍ଷଣାତ କମ୍ପ୍ୟୁଟରୀକରଣ ଫଳରେ ତଥ୍ୟ ସଂଗ୍ରହରେ ଭୂଲଭଟ୍ଟକା ଏଡ଼ାଇବାର ସାଧନ ଉପଲବ୍ଧ ରହିଥିଲା ବୋଲି କହିବାକୁ ହେବ ।

 

ଅଧ୍ୟୟନରୁ ସଂଗୃହୀତ ତଥ୍ୟାବଳୀ ଅନୁଯାୟୀ ୨୦୧୧ ଜନଗଣନା ହିସାବରେ ମୋଟ ଜନସଂଖ୍ୟାର ୮.୬ ପ୍ରତିଶତ ଅର୍ଥାତ ଦଶ କୋଟି ତିରିଶି ଲକ୍ଷ ୬୦ ବର୍ଷରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକ ବସବାସ କରୁଥିବା  ସ୍ଥଳେ ସେମାନଙ୍କ ସଂଖ୍ୟା ବାର୍ଷିକଭିତ୍ତିରେ ତିନି ପ୍ରତିଶତ ହାରରେ ବୃଦ୍ଧି ପାଇ ଚାଲିଛି । ଏହିକ୍ରମରେ ଦେଶରେ ୨୦୫୦ ସୁଦ୍ଧା ୩୧ କୋଟି ୯୦ ଲକ୍ଷ ବୃଦ୍ଧ ଜନସଂଖ୍ୟା ଆକଳନ କରାଯାଏ । ସ୍ୱାସ୍ଥ୍ୟାବସ୍ଥା ଦୃଷ୍ଟିରୁ ୭୫ ପ୍ରତିଶତ ବରିଷ୍ଠ ନାଗରିକ କୌଣସି ଏକ ଦୀର୍ଘସ୍ଥାୟୀ ରୋଗାକ୍ରାନ୍ତ ହୋଇଥିବା ସ୍ଥଳେ ୪୦ ପ୍ରତିଶତଙ୍କ କୌଣସି ଗୋଟିଏ ଅଙ୍ଗ ଅକର୍ମଣ୍ୟ ଏବଂ ୨୦ ପ୍ରତିଶତ ମାନସିକ ରୋଗର ଶୀକାର । ଏମାନଙ୍କ ମଧ୍ୟରେ ଚାରିକୋଟି ୫୦ ଲକ୍ଷ ହୃଦରୋଗୀ ଓ ଦୁଇ କୋଟି ମଧୁମେହ ରୋଗୀ ଥିବା ଜଣାଯାଏ ।

 

ଅଧ୍ୟୟନ ନିମନ୍ତେ ତଥ୍ୟ ସଂଗ୍ରହ ସମୟକାଳରେ ଭାରତର ଜନସଂଖ୍ୟାରେ ୬୫ ପ୍ରତିଶତ ୩୫ ବର୍ଷରୁ କମ ବୟସ୍କ ବସବାସ କରୁଥିବା ସୁସ୍ପଷ୍ଟ । ବରିଷ୍ଠ ନାଗରିକଙ୍କ ମଧ୍ୟରୁ ୨୪ ପ୍ରତିଶତ ଅର୍ଥାତ ପ୍ରାୟ ଏକ ଚତୁର୍ଥାଂଶ ବ୍ୟକ୍ତିଗତସ୍ତରରେ ଦୈନନ୍ଦିନ କାର୍ଯ୍ୟ କରିବା ଲାଗି ଅସମର୍ଥ ଥିବା ଅବସରରେ ସେମାନଙ୍କ ସହାୟତାଲାଗି ପାରିବାରିକ, ବ୍ୟାବସାୟିକ ଓ ସ୍ୱେଚ୍ଛାସେବୀଙ୍କ ଯୋଗଦାନରେ ଏକ ସୁରକ୍ଷା ବଳୟ ପ୍ରସ୍ତୁତି ଜରୁରି ଆବଶ୍ୟକତାରେ ପରିଣତ ହୋଇଛି । ଏହି ଭଳି ଯୋଜନା ନିମନ୍ତେ ଭିତ୍ତିଭୂମି ପ୍ରସ୍ତୁତି ଓ ପରିଚାଳନା ଲାଗି କେନ୍ଦ୍ର, ପ୍ରାଦେଶିକ ଓ ତୃଣମୂଳସ୍ତରରେ ସମଷ୍ଟିଗତ ଉଦ୍ୟମ ଆବଶ୍ୟକ । ପ୍ରାଥମିକ ଭାବେ ବାର୍ଦ୍ଧକ୍ୟ ପରିସଂଖ୍ୟାନଗତ ତଥ୍ୟ ଉପଲବ୍ଧ ହେବାପରେ ବରିଷ୍ଠ ନାଗରିକଙ୍କ ଜୀବନଚର୍ଯ୍ୟାର ଗୁଣାତ୍ମକ ବିକାଶ ନିମନ୍ତେ ନୀତି ନିର୍ଦ୍ଧାରକମାନଙ୍କୁ ସଚ଼େତନ କରାଇବା ପ୍ରାଥମିକ ପଦକ୍ଷେପ ରୂପେ ଗ୍ରହଣ କରାଯାଇପାରେ ।


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଜାନୁୟାରୀ ୨୦୨



ତଥ୍ୟ :

 

Dr Harsh Vardhan releases Longitudinal Ageing Study of India (LASI) Wave-1, India Report. PIB. January 6, 2021.

 

https://pib.gov.in/PressReleasePage.aspx?PRID=1686552

 

Kaul, Rhythma. About 75 million elderly in India suffer from some chronic disease : Health Ministry Survey. Hindustan Times. Jan 6, 2021.

 

https://m.hindustantimes.com/india-news/one-in-two-above-60-years-of-age-suffer-from-some-chronic-disease-in-india-health-ministry-survey/story-LTfJ3bUdDee678Dptb5viL_amp.html

 

https://www.iipsindia.ac.in/lasi

ଭାରତରେ ବାର୍ଦ୍ଧକ୍ୟ

ଭାରତରେ ୬୦ ବର୍ଷୋତ୍ତର ବରିଷ୍ଠ ନାଗରିକମାନଙ୍କ ମଧ୍ୟରୁ ପ୍ରାୟ ଏକ ତୃତୀୟାଂଶ, ୩୨ ପ୍ରତିଶତ ସମକାଳୀନ ବାର୍ଦ୍ଧକ୍ୟ ଜୀବନଚର୍ଯ୍ୟାରେ ସାଧାରଣଭାବେ ସନ୍ତୁଷ୍ଟ ଥିବା ସ୍ଥଳେ ଏକ ପଞ୍ଚମାଂଶ, ୨୨ ପ୍ରତିଶତ ମଧ୍ୟମସ୍ତରରେ ଏବଂ ଅର୍ଦ୍ଧେକ, ୪୬ ପ୍ରତିଶତ ପୂର୍ଣ୍ଣ-ସନ୍ତୁଷ୍ଟ ଥିବା ପରିସଂଖ୍ୟାନ ସଂଗୃହୀତ ହୋଇଛି । ଦେଶରେ ସାମାଜିକ, ଅର୍ଥନୀତିକ, ପ୍ରଶାସନିକ ବୈଷମ୍ୟ ସତ୍ତ୍ୱେ ଜୀବନର ସାୟାହ୍ନରେ ସନ୍ତୁଷ୍ଟି ଜନଜୀବନରେ ଗୁରୁତ୍ୱ ବହନ କରିଥାଏ । ପ୍ରାଚ୍ୟ ପାରମ୍ପରିକ ଜୀବନର ମୂଲ୍ୟବୋଧ ଏତାଦୃଶ ମାନସିକତା ସୃଷ୍ଟିରେ ସହାୟକ ହେଉଥିବା ଆଲୋଚକମାନେ ବିଶ୍ୱାସ କରନ୍ତି ।

 

କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଆନୁକୂଲ୍ୟରେ ମୁମ୍ୱାଇସ୍ଥିତ ଇଣ୍ଟରନ୍ୟାସନାଲ ଇନଷ୍ଟିଟିଉଟ ଫର ପପୁଲେସନ ସାଇନ୍ସସେସ କର୍ତ୍ତୃକ ଆୟୋଜିତ ଲଙ୍ଗିଟ୍ୟୁଡ଼ିନାଲ ଏଜିଂ ଷ୍ଟଡି ଅଫ ଇଣ୍ଡିଆର ପ୍ରଥମ ତରଙ୍ଗ ବିବରଣୀରେ ଭାରତୀୟ ବରିଷ୍ଠ ନାଗରିକଙ୍କ ସମକାଳୀନ ଜୀବନଯାତ୍ରା ସଂପର୍କରେ ପ୍ରାମାଣିକ ତଥ୍ୟ ପ୍ରଦତ୍ତ ହୋଇଛି । ଏହି ଦୀର୍ଘକାଳୀନ ଅଧ୍ୟୟନରେ ୨୦୧୭-୧୮, ଦୁଇ ବର୍ଷ ମଧ୍ୟରେ ସମଗ୍ର ଦେଶର ୭୨,୨୫୦ ଜଣ ୪୫ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ପୁରୁଷ ଓ ମହିଳାଙ୍କ ସଂପର୍କରେ ତଥ୍ୟ ସଂଗୃହିତ ହୋଇଥିଲା । ଜାନୁୟାରୀ ୨୦୨୧ରେ ପ୍ରକାଶିତ ବିବରଣୀରେ ସାଧାରଣରେ ବିଶ୍ୱାସ କରାଯାଉଥିବା କେତେକ ଧାରଣାର ପରିମାର୍ଜିତ ରୂପ ଦେଖିବାକୁ ମିଳେ ।

 

ଭାରତରେ ବାର୍ଦ୍ଧକ୍ୟ ଜୀବନଚର୍ଯ୍ୟାର ଦ୍ୱିତୀୟ ଉତ୍ସାହପ୍ରଦ ତଥ୍ୟ ଅନୁଯାୟୀ ଦୀର୍ଘକାଳୀନ ଗବେଷଣାରେ ଅଂଶ ଗ୍ରହଣ କରିଥିବା ୯୩ ପ୍ରତିଶତ ବ୍ୟକ୍ତି ବାର୍ଦ୍ଧକ୍ୟଜନିତ ବୈଷମ୍ୟର ସମ୍ମୁଖୀନ ହେଉନଥିବା ପ୍ରକାଶ କରିଥିଲେ । ସମକାଳରେ ବିଶ୍ୱବ୍ୟାପୀ ବାର୍ଦ୍ଧକ୍ୟରେ ବୈଷମ୍ୟ ମୁଖ୍ୟ ସାମାଜିକ ସମସ୍ୟା ରୂପେ ମୁଣ୍ଡ ଟେକୁଥିବା ସ୍ଥଳେ ଭାରତରେ ପ୍ରାୟ ସମସ୍ତେ ଏଥିରୁ ମୁକ୍ତ ଥିବା ସ୍ୱୀକାର କରୁଥିବା ଏଠାକାର ଜୀବନଧାରଣର ମାନକୁ ଉଚ୍ଚସ୍ତରରେ ସ୍ଥାପିତ କରିଥାଏ । ଯେଉଁ ସାତ ପ୍ରତିଶତ ବରିଷ୍ଠ ନାଗରିକ ବୈଷମ୍ୟ ଅଭିଯୋଗ କରିଥିଲେ ସେମାନଙ୍କ ମଧ୍ୟରୁ ୬୨ ପ୍ରତିଶତ ବୟସଭିତ୍ତିକ, ୩୭ ପ୍ରତିଶତ ଅର୍ଥନୀତିକ ଓ ୧୪ ପ୍ରତିଶତ ଧର୍ମ ଓ ଜାତିକୁ ନେଇ ବୈଷମ୍ୟର ଶୀକାର ହେଉଥିବା କହିଥିଲେ । ସହରାଞ୍ଚଳରେ ବୟସଭିତ୍ତିକ ତଥା ଗ୍ରାମାଞ୍ଚଳରେ ଧର୍ମ ଓ ଜାତିଭିତ୍ତିକ ବୈଷମ୍ୟର ପ୍ରାଦୁର୍ଭାବ ଅନୁଭୂତ ହେଉଥିବା ଜଣାଯାଇଥିଲା ।

 

ତୃତୀୟତଃ, ମାତ୍ର ପାଞ୍ଚ ପ୍ରତିଶତ ୬୦ ବର୍ଷୋତ୍ତର ବରିଷ୍ଠ ନାଗରିକ ସର୍ବେକ୍ଷଣ ନିମନ୍ତେ ଗବେଷକଙ୍କୁ ସାକ୍ଷାତ କରିବା ବର୍ଷକ ପୂର୍ବରୁ ଲାଞ୍ଚିତ ହୋଇଥିବା ସୂଚାଇ ଥିଲେ । ଆକ୍ରାନ୍ତଙ୍କ ମଧ୍ୟରେ ପୁରୁଷଙ୍କ ତୁଳନାରେ ମହିଳାମାନଙ୍କ ସଂଖ୍ୟା ଅଧିକ । ଏକାକୀ ବସବାସ କରୁଥିବା ବରିଷ୍ଠ ନାଗରିକ ତଥା ବୈଧବ୍ୟ, ଛାଡ଼ପତ୍ରପ୍ରାପ୍ତଙ୍କ କ୍ଷେତ୍ରରେ ଏହା ଏକ ସମସ୍ୟା । ଗ୍ରାମାଞ୍ଚଳ ତୁଳନାରେ ସହରାଞ୍ଚଳରେ ବରିଷ୍ଠ ନାଗରିକମାନେ ଅପେକ୍ଷାକୃତ ଅଧିକ ପରିମାଣରେ ପ୍ରଭାବିତ । ଅଭିଯୋଗକାରୀଙ୍କ ମଧ୍ୟରୁ ତିନି ଚତୁର୍ଥାଂଶ, ୭୭ ପ୍ରତିଶତ ଗାଳିମନ୍ଦ ଶୁଣିଥିବା ସ୍ଥଳେ ଏକ ଚତୁର୍ଥାଂଶ, ୨୪ ପ୍ରତିଶତ ଶାରିରୀକ ଏବଂ ଅନ୍ୟ ଚତୁର୍ଥାଂଶ, ୨୭ ପ୍ରତିଶତ ଅର୍ଥନୀତିକ ଦହଗଞ୍ଜର ଶୀକାର ହୋଇଥିବା କହିଥିଲେ । ପ୍ରାୟ ଅର୍ଦ୍ଧେକ ଅବହେଳିତ ହେଉଥିବା ଅଭିଯୋଗ ବାଢ଼ିଥିଲେ ।

 

ବରିଷ୍ଠ ନାଗରିକଙ୍କୁ ଅଣଦେଖା କରିବାରେ ୩୮ ପ୍ରତିଶତ ଜନ୍ମିତ ପୁତ୍ର ଓ କନ୍ୟା, ୩୬ ପ୍ରତିଶତ ବୋହୁ ଓ ଜ୍ୱାଇଁ ଏବଂ ସାତ ପ୍ରତିଶତ ନିଜ ପତି ବା ପତ୍ନୀଙ୍କୁ ଦାୟୀ କରାଯାଇଥିଲା । ଗବେଷକମାନଙ୍କ ପକ୍ଷରୁ ସ୍ପଷ୍ଟୀକରଣରେ କୁହାଯାଇଛି ଯେ ବରିଷ୍ଠ ନାଗରିକମାନେ ସହାୟତାପୂର୍ଣ୍ଣ ଜୀବନଯାପନ କରୁଥିବା ହେତୁ ଆଶ୍ରିତଙ୍କ ଉପସ୍ଥିତିରେ ସେମାନଙ୍କ ବିରୁଦ୍ଧରେ ଅଭିଯୋଗ କରିବା ନିମନ୍ତେ ହୁଏତ ପଛଘୁଞ୍ଚା ଦେଇ ଥାଇ ପାରନ୍ତି । ଅନ୍ୟପକ୍ଷରେ ସମାଜରେ ବ୍ୟକ୍ତିଗତ ଓ ପାରିବାରିକ ସମ୍ମାନ କ୍ଷୁର୍ଣ୍ଣ ହେବା ଭୟରେ ମଧ୍ୟ ବାସ୍ତବ ପରିସ୍ଥିତି ସ୍ୱୀକାର କରିନଥାଇ ପାରନ୍ତି । ଉଭୟ କାରଣ ଯୁକ୍ତିଯୁକ୍ତ ।

 

ଚ଼ତୁର୍ଥତଃ, ଭାରତରେ ୬୦ ବର୍ଷୋତ୍ତର ବରିଷ୍ଠ ନାଗରିକଙ୍କ ମଧ୍ୟରୁ ସଂଖ୍ୟାଧିକ ସନ୍ତାନସନ୍ତତିଙ୍କ ସହ ବସବାସ କରନ୍ତି । ସେହି ବର୍ଗରେ ପତି ବା ପତ୍ନୀ ଉଭୟ ସନ୍ତାନମାନଙ୍କ ସହ ବାସ କରୁଥିବାଙ୍କ ସଂଖ୍ୟା ୪୧ ପ୍ରତିଶତ ଥିବା ସ୍ଥଳେ କେବଳ ଜଣେ ପତି ବା ପତ୍ନୀ ସନ୍ତାନମାନଙ୍କ ସହ ବସବାସ କରୁଥିବା ସଂଖ୍ୟା ୨୮ ପ୍ରତିଶତ । ସନ୍ତାନସନ୍ତତିଙ୍କ ବ୍ୟତିତ ପତିପତ୍ନୀ ବସବାସ କରୁଥିବାଙ୍କ ସଂଖ୍ୟା ୨୦ ପ୍ରତିଶତ ଏବଂ ଏକାକୀ ବସବାସ କରୁଥିବା ବରିଷ୍ଠ ନାଗରିକଙ୍କ ସଂଖ୍ୟା ମାତ୍ର ଛଅ ପ୍ରତିଶତ । ବୈଧବ୍ୟଗ୍ରସ୍ତଙ୍କ ମଧ୍ୟରୁ ତିନିଚ଼ତୁର୍ଥାଂଶ, ୭୪ ପ୍ରତିଶତ ସନ୍ତାନସନ୍ତତିଙ୍କ ସହ ବସବାସ କରନ୍ତି । ସର୍ବେକ୍ଷଣରେ ଅଧିକାଂଶ ପ୍ରଚଳିତ ପଦ୍ଧତି ସଂପର୍କରେ ସନ୍ତୁଷ୍ଟ ଥିବା ସ୍ଥଳେ ମାତ୍ର ପାଞ୍ଚ ପ୍ରତିଶତ ଭବିଷ୍ୟତରେ ସ୍ଥିତାବସ୍ଥାର ପରିବର୍ତ୍ତନ ନିମନ୍ତେ ଇଚ୍ଛା ପ୍ରକାଶ କରିଥିଲେ ।

 

ପଞ୍ଚମତଃ, ୬୦ ବର୍ଷୋତ୍ତର ବରିଷ୍ଠ ନାଗରିକମାନଙ୍କ ମଧ୍ୟରୁ ମାତ୍ର ସାତ ପ୍ରତିଶତ ସଂଗଠିତ କ୍ଷେତ୍ରରେ କାର୍ଯ୍ୟକରି ଅବସର ଗ୍ରହଣ କରିଥିବା ଜଣାଯାଏ । ତେବେ ମାତ୍ର ଛଅ ପ୍ରତିଶତ ପେନସନଭୋଗୀ । ଅଣସଂଗଠିତ କ୍ଷେତ୍ରରୁ ଅବସର ଗ୍ରହଣ କରିଥିବା ବରିଷ୍ଠ ନାଗରିକଙ୍କୁ ମିଶାଇ ସମଗ୍ର ବରିଷ୍ଠ ଜନସଂଖ୍ୟାର ଏକ ପଞ୍ଚମାଂଶ, ୧୯ ପ୍ରତିଶତ ପେନସନ ପାଉଥିବା ସ୍ଥଳେ ଅଧିକା ତିନି ପ୍ରତିଶତ ପେନସନ ଅପେକ୍ଷାରେ ଥିବା ଜଣାଯାଇଥିଲା । ତେବେ ଚାରି ପଞ୍ଚମାଂଶ, ୭୮ ପ୍ରତିଶତ କୌଣସି ପେନସନ ପାଇବା ସମ୍ଭାବନା ନାହିଁ । ଅନ୍ତତଃ ୧୦ ବର୍ଷ ଶିକ୍ଷାର୍ଜନ କରିଥିବା ୫୪ ପ୍ରତିଶତ ପେନସନ ପାଉଥିବା ସ୍ଥଳେ ଶିକ୍ଷାର୍ଜନଠାରୁ ବଞ୍ଚିତ ଥିବା ମାତ୍ର ଚାରି ପ୍ରତିଶତ ପେନସନ ପାଇଥାନ୍ତି ।

 

ଷଷ୍ଠତଃ, ୬୦ ବର୍ଷୋତ୍ତର ବରିଷ୍ଠ ନାଗରିକଙ୍କ ମଧ୍ୟରୁ ୫୦ ପ୍ରତିଶତ ପୁରୁଷ ଓ ୨୨ ପ୍ରତିଶତ ମହିଳା କର୍ମରତ । ଗ୍ରାମାଞ୍ଚଳରେ ୪୦ ପ୍ରତିଶତ ବରିଷ୍ଠ କାର୍ଯ୍ୟ କରୁଥିବା ସ୍ଥଳେ ସହରାଞ୍ଚଳରେ ୨୬ ପ୍ରତିଶତରେ ସୀମିତ । ବରିଷ୍ଠ ନାଗରିକ ଶ୍ରମଶକ୍ତି ମଧ୍ୟରୁ ୬୫ ପ୍ରତିଶତ କୃଷି ବା କୃଷିଶ୍ରମିକଭାବେ ଅଣସଂଗଠିତ କ୍ଷେତ୍ରରେ ନିୟୋଜିତ । ପୁରୁଷଙ୍କ ମଧ୍ୟରୁ ୧୭ ପ୍ରତିଶତ ଓ ମହିଳାଙ୍କ ମଧ୍ୟରୁ ୨୪ ପ୍ରତିଶତ ମଜୁରିଆଭାବେ କାର୍ଯ୍ୟ କରିଥାନ୍ତି ।

 

ସପ୍ତମତଃ, ଭାରତର ବରିଷ୍ଠ ନାଗରିକମାନେ ସାଂଗଠନିକ କ୍ଷେତ୍ରରେ ପଛୁଆ । ସମଗ୍ର ବୃଦ୍ଧଜନସଂଖ୍ୟାର ମାତ୍ର ପାଞ୍ଚ ପ୍ରତିଶତ କୌଣସି ସଂଗଠନର ସଭ୍ୟପଦ ଗ୍ରହଣ କରିଥାନ୍ତି । ସେମାନଙ୍କ ମଧ୍ୟରୁ ୧୫ ପ୍ରତିଶତ ଧାର୍ମିକ ସଂଗଠନଗୁଡ଼ିକରେ ଯୋଗ ଦେଉଥିବା ସ୍ଥଳେ ଏକ ତୃତୀୟାଂଶ ବିଭିନ୍ନ କିସମର ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକର କାର୍ଯ୍ୟକ୍ରମଗୁଡ଼ିକରେ ଭାଗ ନେଇଥାନ୍ତି ।

 

ବୃଦ୍ଧଜନସଂଖ୍ୟା ଓ ଜୀବଦ୍ଦଶା ବୃଦ୍ଧି ପାଇଚାଲିଥିବା ସ୍ଥଳେ ବରିଷ୍ଠ ନାଗରିକମାନେ ସଂଗଠିତ ହୋଇ ଆତ୍ମନିର୍ଭରଶୀଳ ଜୀବନଯାତ୍ରାରେ ସାମିଲ ହେବା ସମୟର ଆହ୍ୱାନ । କିନ୍ତୁ ସେମାନଙ୍କ ମଧ୍ୟରେ ସାଂଗଠନିକ ମାନସିକତା ଅଭାବ ଏକ ମୁଖ୍ୟ ପ୍ରତିବନ୍ଧକ । ବୃଦ୍ଧଜନଙ୍କ ହିତକଳ୍ପେ ପାରିବାରିକ, ବ୍ୟାବସାୟିକ ଓ ପ୍ରଶାସନିକସ୍ତରରେ ଯାହା ସଂଭବପର ହୋଇପାରୁ ନାହିଁ ସେଥିଲାଗି ବରିଷ୍ଠ ନାଗରିକମାନେ ସାମୂହିକସ୍ତରରେ ପଦକ୍ଷେପମାନ ଗ୍ରହଣ କରିବା ସଂଭବପର । ତେବେ ସେମାନଙ୍କୁ ଏକତ୍ରୀତ କରି ସଂଘବଦ୍ଧ ଜୀବନଯାତ୍ରା ଆୟୋଜନ ଅସାଧ୍ୟ ବୋଧ ହେଉଥିବା ହେତୁ ସେଦିଗରେ ଉଦ୍ୟମ ଅଭାବ ପରିଲକ୍ଷିତ ହୋଇଥାଏ ।

ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଫେବୃୟାରୀ ୨୦୨




ତଥ୍ୟ:


International institute for population sciences (IIPS), NPHCE, MOHFW, Harvard T.H. Chan School of Public Health (HSPH) and the University of Southern California (USC) 2020. Longitudinal Ageing Study in India (LASI) Wave I, 2017-18. Executive Summary. International Institute of Population Sciences, Mumbai.

୭୫ ବର୍ଷୋତ୍ତର ବାର୍ଦ୍ଧକ୍ୟ

ଜାପାନରେ ବାର୍ଦ୍ଧକ୍ୟ ଜୀବନଯାତ୍ରାକୁ ନେଇ ଆନ୍ତର୍ଜାତିକ ଗଣମାଧ୍ୟମରେ ସମୟାନ୍ତେ ଚର୍ଚ୍ଚା ହୋଇଥାଏ । ‘ଦି ନ୍ୟୂୟର୍କ ଟାଇମ୍ସ’ରେ ୨୦୨୩ ଫେବୃୟାରୀ ପ୍ରଥମ ସପ୍ତାହରେ ଜାପାନରେ ୭୫ ବର୍ଷୋତ୍ତର ବୃଦ୍ଧଜନ ସାମୂହିକ ଇଚ୍ଛାମୃତ୍ୟୁ ବରଣ କରିବା ସମୟ ଉପନୀତ ବୋଲି ଜଣେ ଜାପାନୀ ଶିକ୍ଷାବିତଙ୍କ ଯୁକ୍ତି ଉପସ୍ଥାପନ ତଥା ଜାପାନର ପତ୍ରପତ୍ରିକାରେ ଆଲୋଚ଼ନା ଅନ୍ୟତମ ଉଦାହରଣ । ଏତାଦୃଶ୍ୟ ବିସ୍ଫୋରକ ଅଭିମତକୁ କେନ୍ଦ୍ର କରି ବିଭିନ୍ନ ରାଷ୍ଟ୍ରର ପ୍ରତିନିଧିସ୍ତରୀୟ ଗଣମାଧ୍ୟମରେ ଉଦବେଗ ପ୍ରକାଶ ପାଇଥିଲା ।

 

ଜାପାନ ଏକ ବିକଶିତ ରାଷ୍ଟ୍ର ଏବଂ ଏଠାକାର ନାଗରିକ କର୍ମଠ-ଶୃଙ୍ଖଳିତ-ଗଣତାନ୍ତ୍ରିକ ସଂସ୍କୃତିରେ ବିଶ୍ୱାସ କରିଥାନ୍ତି । ଘଟଣାକ୍ରମେ ଏକବିଂଶ ଶତାଦ୍ଦୀ ଦ୍ୱିତୀୟ ଦଶକରୁ ବରିଷ୍ଠ ନାଗରିକଙ୍କ ଆର୍ଥିକ ସ୍ଥିତି ଓ ସେମାନଙ୍କ ସ୍ୱାସ୍ଥ୍ୟସେବାରେ ସରକାରୀ ବ୍ୟୟ ଜାତୀୟ ଅର୍ଥନୀତିରେ ପ୍ରତିକୂଳ ପ୍ରଭାବ ପକାଉଥିବା ଅଭିଯୋଗ ହେଉଛି । ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଡା ଜାନୁୟାରୀ ୨୦୨୩ରେ ବରିଷ୍ଠ ନାଗରିକ ସମସ୍ୟା ଅଣାୟତ୍ତସ୍ତରକୁ ଚାଲିଯାଉଥିବା ସୂଚ଼ିତ କରିଥିଲେ । ଏକ ହିସାବ ଅନୁଯାୟୀ ୨୦୧୯ରେ ଜାପାନରେ ଜଣେ ବ୍ୟକ୍ତିର ଦୈନନ୍ଦିନ ଖର୍ଚ୍ଚ ନିମନ୍ତେ ବାର୍ଷିକ ଆଠ ଲକ୍ଷ ୩୦ ହଜାର ଟଙ୍କା ଆବଶ୍ୟକ ପଡୁଥିବା ସ୍ଥଳେ ବରିଷ୍ଠ ନାଗରିକମାନଙ୍କୁ ବାର୍ଷିକ ମାତ୍ର ପାଞ୍ଚ ଲକ୍ଷ ଟଙ୍କା ବୃଦ୍ଧାବସ୍ଥା ଭତ୍ତା ଆକାରରେ ସରକାର ପ୍ରଦାନ କରୁଥିଲେ । ଗୁଜରାଣ ମେଣ୍ଟାଇବାରେ ବିଫଳ ହୋଇ ଏକ ଚ଼ତୁର୍ଥାଂଶ ଜାପାନୀ ବରିଷ୍ଠ ନାଗରିକ ଅତିରିକ୍ତ ଆୟ ସଂଗ୍ରହ ଉଦ୍ଦେଶ୍ୟରେ ମୃତ୍ୟୁ ଯାଏଁ ଅଣ-ଆନୁଷ୍ଠାନିକ ଶ୍ରମିକ ଭାବେ ନିଯୁକ୍ତ । ତୁଳନାତ୍ମକ ସ୍ଥିତିରେ ଆମେରିକାରେ ୧୮ ପ୍ରତିଶତ ଓ ବ୍ରିଟେନରେ ୧୦ ପ୍ରତିଶତ ବାର୍ଦ୍ଧକ୍ୟରେ କାର୍ଯ୍ୟରତ ଥିବା ଜଣାଯାଏ ।

 

ଯୁକ୍ତରାଷ୍ଟ୍ର ଆମେରିକାର ୟେଲ ବିଶ୍ୱବିଦ୍ୟାଳୟରେ ଅବସ୍ଥାପିତ ୩୭ ବର୍ଷ ବୟସ୍କ ୟାସୁକେ ନାରିତା ଅର୍ଥନୀତି ଅଧ୍ୟାପନା କରନ୍ତି । ପ୍ରଯୁକ୍ତି କୌଶଳ ମାଧ୍ୟମରେ ଅର୍ଥନୀତି ଓ ଶିକ୍ଷା କ୍ଷେତ୍ରରେ ନିଷ୍ପତ୍ତି ଗ୍ରହଣ ତାଙ୍କରି ଗବେଷଣା କ୍ଷେତ୍ର । ଜାପାନର ବିପର୍ଯ୍ୟସ୍ତ ଅର୍ଥନୀତି ସଜାଡ଼ିବା ନିମନ୍ତେ ବିଭିନ୍ନ କ୍ଷେତ୍ରରୁ ବରିଷ୍ଠ ନାଗରିକମାନଙ୍କ ଅପସାରଣକୁ ଗୁରୁତ୍ୱ ଦେଇ ଆସିଛନ୍ତି । ଏକ ଟେଲିଭିଜନ ଆଲୋଚ଼ନାରେ ୨୦୨୧ରେ ସେ ଏହି ପ୍ରସଙ୍ଗ ଉପସ୍ଥାପନ କରିବା ପରେ ୨୦୨୨ରେ ମଧ୍ୟ ଦୋହରାଇଥିଲେ । ତେବେ ବିଭିନ୍ନ ସ୍ତରରେ ସମାଲୋଚ଼ିତ ହେବା ପରେ କୈଫିୟତ ଦେଇଥିଲେ ଯେ ଗଣମାଧ୍ୟମରେ ତାଙ୍କରି ଅଭିମତକୁ ଭୂଲରୂପରେ ଦର୍ଶାଯାଉଛି । କନିଷ୍ଠଙ୍କୁ ସୁଯୋଗ ପ୍ରଦାନ ନିମନ୍ତେ ୭୫ ବର୍ଷୋତ୍ତର ବରିଷ୍ଠମାନେ ରାଜନୀତି ଓ ଅର୍ଥନୀତିକ ନେତୃତ୍ୱରୁ ଓହରିଯିବା ଉଚ଼ିତ ବୋଲି ସେ ଯୁକ୍ତି ଉପସ୍ଥାପନ କରିଥିଲେ । ତେବେ ସର୍ବସାଧାରଣରେ ଉତ୍ତର-ବାର୍ଦ୍ଧକ୍ୟରେ ଇଚ୍ଛାମୃତ୍ୟୁ ଚର୍ଚ୍ଚା ମଧ୍ୟ ପ୍ରାସାଙ୍ଗିକ । ହୁଏତ ଭବିଷ୍ୟତରେ ସାମାଜିକସ୍ତରରେ ପରିଣତ ବୟସରେ ଇଚ୍ଛାମୃତ୍ୟୁ ବାଧ୍ୟବାଧକତାରେ ପରିଣତ ହେବା ଆକଳନ କରାଯାଇପାରେ ।

 

ଜାପାନରେ ବର୍ଦ୍ଧିତ ବୃଦ୍ଧ ଜନସଂଖ୍ୟା ସମସ୍ୟାକୁ କେନ୍ଦ୍ରକରି ଦୀର୍ଘ ଅତୀତରୁ ନେତୃସ୍ତରୀୟ ବ୍ୟକ୍ତିବିଶେଷଙ୍କ ପ୍ରତିକୂଳ ମନୋଭାବ ଲକ୍ଷ୍ୟ କରାଯାଇଆସିଛି । ଜାପାନର ଅର୍ଥମନ୍ତ୍ରୀ ତାରୋ ଆସୋ ୨୦୧୩ରେ ଚ଼ିକିତ୍ସାଳୟଗୁଡ଼ିକରେ ବାର୍ଦ୍ଧକ୍ୟଗ୍ରସ୍ତ ଦୀର୍ଘକାଳ ଧରି ମୃତ୍ୟୁ-ସମୀପ ଜୀବନ ବିତାଇବା ପ୍ରଥାର ସମାଲୋଚ଼ନା କରିଥିଲେ । ମୁଖ୍ୟତଃ ଯେଉଁମାନେ ନିଜେ ଖାଦ୍ୟ ଗ୍ରହଣ କରିବା ନିମନ୍ତେ ମଧ୍ୟ ଅସମର୍ଥ, ଟ୍ୟୁବ ମାଧ୍ୟମରେ ଯୋଗାଇ ଦିଆଯାଉଥିବା ତରଳ ଖାଦ୍ୟରେ ଜୀବନ ଅତିବାହିତ କରିଥାନ୍ତି ସେମାନେ ତୁରନ୍ତ ବିଦାୟନେବା ଉଚ଼ିତ ବୋଲି ମତ ରଖିଥିଲେ । ସେତେବେଳକୁ ତାଙ୍କରି ବୟସ ୭୨ ବର୍ଷ । ଅବଶ୍ୟ ଏହିଭଳି ଦୃଷ୍ଟିଭଙ୍ଗୀ ସମାଲୋଚ଼ିତ ହେବା ପରେ ସେ ନିଜ ସଂପର୍କରେ ମତ ରଖିଥିବା ଏବଂ ନିଜେ ଏତାଦୃଶ୍ୟ ପରିସ୍ଥିତିରେ ପହଞ୍ଚିଲେ ଜୀବନ ସଂପ୍ରସାରିତ କରିବା ଉଦ୍ୟମରୁ କ୍ଷାନ୍ତ ରହିବା ନିମନ୍ତେ ଇଚ୍ଛାପତ୍ର ପ୍ରସ୍ତୁତ କରିବା ସୂଚ଼ିତ କରିଥିଲେ । ଆସୋ ଦୀର୍ଘକାଳ ଉପ-ପ୍ରଧାନମନ୍ତ୍ରୀ ଏବଂ ସ୍ୱଳ୍ପକାଳ ପ୍ରଧାନମନ୍ତ୍ରୀ ଭାବେ ଅବସ୍ଥାପିତ ଥିଲେ ।

 

ଚ଼େ ହାୟାକାୱା ନାମକ ଜଣେ ମହିଳା ଚଳଚ଼ିତ୍ର ନିର୍ଦ୍ଦେଶକ ୨୦୨୨ରେ ‘ପ୍ଳାନ ୭୫’ ଶୀର୍ଷକ ଏକ ଜାପାନୀ ଚଳଚ଼ିତ୍ର ନିର୍ମାଣ କରିଥିଲେ । ଭବିଷ୍ୟତରେ ସରକାରଙ୍କ ପକ୍ଷରୁ ବାର୍ଦ୍ଧକ୍ୟଗ୍ରସ୍ତଙ୍କୁ ଇଚ୍ଛାମୂତ୍ୟୁ ବରଣ କରିବା ନିମନ୍ତେ ପ୍ରବର୍ତ୍ତାଯାଉଥିବା ଚଳଚ଼ିତ୍ରର କାହାଣୀ କଳ୍ପନା କରାଯାଇଥିଲା । ମୁଖ୍ୟତଃ, ରୁଗଣ, ଏକାକୀ ଜୀବନଯାପନ କରୁଥିବା ବୃଦ୍ଧଜନଙ୍କୁ ସାମୂହିକ ଇଚ୍ଛାମୃତ୍ୟୁରେ ଅଂଶଗ୍ରହଣ କଲେ ଯଥାଯଥ ଅନ୍ତିମ ସଂସ୍କାର ପ୍ରତିଶୃତିରେ ବିମୋହିତ କରିବା ଉଦ୍ୟମ ଭଳି ଦୃଶ୍ୟ ଚଳଚ଼ିତ୍ରର ବୈଶିଷ୍ଟ୍ୟ । ଜାପାନରେ ପ୍ରତି ପାଞ୍ଚ ଜଣରେ ଜଣେ ୭୫ ବର୍ଷୋତ୍ତର ଏକାକୀ ବସବାସ କରୁଥିବା ଏବଂ ଆନ୍ତର୍ଜାତିକସ୍ତରରେ ଅଧିକ ସଂଖ୍ୟାରେ ମତିଭ୍ରମ ଶିକାର ହୋଇଥିବା ହିସାବ କରାଯାଏ । ଜାପାନୀ ନାଗରିକମାନେ ସରକାରୀ ନିଷ୍ପତ୍ତିକୁ ସାଧୁତାର ସହ ପାଳନ କରୁଥିବା ପରମ୍ପରା ପ୍ରଚଳିତ ଥିବା ଅବସରରେ ଏହି ଭଳି ଏକ କାଳ୍ପନିକ ପ୍ରସଙ୍ଗ ସମାଜରେ କିପରି ଗୃହୀତ ହେବ ତାହାକୁ ନେଇ ଚଳଚ଼ିତ୍ର ପ୍ରଦର୍ଶନ ଆଲୋଡ଼ନ ସୃଷ୍ଟି କରିଥିଲା ।

 

ଏସିଆ ମହାଦେଶର ଅନ୍ୟତମ ପ୍ରଗତିଶୀଳ ରାଷ୍ଟ୍ର ଜାପାନରେ ୬୫ ବର୍ଷୋତ୍ତର ବୃଦ୍ଧଜନ ସଂଖ୍ୟା ଏକବିଂଶ ଶତାଦ୍ଦୀର ତୃତୀୟ ଦଶକ ଆଦ୍ୟଭାଗରେ ଆନ୍ତର୍ଜାତିକସ୍ତରରେ ଶୀର୍ଷ ସ୍ଥାନରେ ଉପନୀତ । ଜନସଂଖ୍ୟା ତଥ୍ୟ ଅନୁଯାୟୀ ୨୦୨୧ ସୁଦ୍ଧା ଜାପାନରେ ୬୫ ବର୍ଷୋତ୍ତରଙ୍କ ସଂଖ୍ୟା ୨୯.୮ ହିସାବ କରାଯାଇଥିଲା । ମୋଟ ଜନସଂଖ୍ୟା ୧୨ କୋଟି ୫୦ ଲକ୍ଷରୁ ତିନି କୋଟି ୬୦ ଲକ୍ଷ ବାର୍ଦ୍ଧକ୍ୟଗ୍ରସ୍ତ । ବିଶେଷଜ୍ଞମାନେ ୨୦୪୦ ସୁଦ୍ଧା ବର୍ଦ୍ଧିତ ହାର ୩୫ ପ୍ରତିଶତରେ ପହଞ୍ଚିବା ଆକଳନ କରୁଛନ୍ତି । ବିଶ୍ୱ ଜନସଂଖ୍ୟାରେ ୨୦୨୧ ସୁଦ୍ଧା ପ୍ରତି ଦଶ ଜଣରେ ଜଣେ ୬୫ ବର୍ଷୋତ୍ତର ଥିବା ସ୍ଥଳେ ଜାପାନରେ ତିନି ଜଣ ଉପସ୍ଥିତ । ଏକବିଂଶ ଶତାଦ୍ଦୀ ମଧ୍ୟଭାଗ ସୁଦ୍ଧା ପ୍ରତି ତିନିଜଣରେ ଜଣେ ୬୫ ବର୍ଷୋତ୍ତର ଦେଖିବାକୁ ମିଳିବେ ।

 

ପାରମ୍ପରିକଭାବେ ଜାପାନୀ ସାମାଜିକ ବ୍ୟବସ୍ଥାରେ ବରିଷ୍ଠ ନାଗରିକମାନଙ୍କୁ ସମ୍ମାନ ଦିଆଯାଇଥାଏ । ପ୍ରତିବର୍ଷ ସେପ୍ଟେମ୍ୱର ମାସ ତୃତୀୟ ସୋମବାର ‘ବରିଷ୍ଠ ସମ୍ମାନ ଦିବସ’ ପାଳନ କରାଯାଏ । ଏହା ଏକ ରାଷ୍ଟ୍ରୀୟ ଛୁଟି ଦିନ । ଜାପାନ ସରକାର ସେଠାକାର ବରିଷ୍ଠ ନାଗରିକଙ୍କ ସମସ୍ୟା ସମାଧାନ ନିମନ୍ତେ ଉଦ୍ୟମରତ । ବାର୍ଦ୍ଧକ୍ୟଗ୍ରସ୍ତଙ୍କ ଚ଼ିକିତ୍ସା ଖର୍ଚ୍ଚ ସରକାର ବହନ କରୁଥିବା ସ୍ଥଳେ ସ୍ୱାବଲମ୍ୱୀ ପରିବେଶ ସୃଷ୍ଟି ଉଦ୍ଦେଶ୍ୟରେ ଦୀର୍ଘକାଳୀନ ଯତ୍ନ ନିମନ୍ତେ ଇନସ୍ୟୁରାନ୍ସ ବ୍ୟବସ୍ଥା ପ୍ରଚଳନ ପ୍ରତି ଗୁରୁତ୍ୱ ଆରୋପ କରାଯାଉଛି । ଆନ୍ତର୍ଜାତିକସ୍ତରରେ ୨୦୨୨ ସୁଦ୍ଧା ଜୀବଦ୍ଦଶା ୭୧ ବର୍ଷ ଥିବା ସ୍ଥଳେ ଜାପାନରେ ମହିଳାଙ୍କ କ୍ଷେତ୍ରରେ ୮୭ ବର୍ଷ ଓ ପୁରୁଷଙ୍କ କ୍ଷେତ୍ରରେ ୮୧ ନିର୍ଦ୍ଧାରିତ । ଜାପାନରେ ମହିଳାମାନେ ବାର୍ଦ୍ଧକ୍ୟରେ ପୁରୁଷମାନଙ୍କ ତୁଳନାରେ ଅଧିକ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଥାଏ । ବିଶେଷକରି ଛାଡ଼ପତ୍ର, ବିଧବା ଓ ଅବିବାହିତ ମହିଳାମାନେ ବ୍ୟକ୍ତିଗତସ୍ତରରେ ନିମ୍ନ ଅବସରକାଳୀନ ପାଣ୍ଠି ସଞ୍ଚୟ ହେତୁ ଜୀବନଯାତ୍ରାରେ ଅସହାୟ ପାଲଟିଥାନ୍ତି । ପାରିବାରିକସ୍ତରରେ ମଧ୍ୟ ବୃଦ୍ଧାମାନେ କର୍ମନିଯୁକ୍ତ ସନ୍ତାନ ସନ୍ତତିଙ୍କଠାରୁ ଦୂରରେ ବସବାସ କରି ନିଃସଙ୍ଗତାର ଶୀକାର ହୋଇଥାନ୍ତି ।

 

ୟେଲ ବିଶ୍ୱବିଦ୍ୟାଳୟ ଅର୍ଥନୀତି ଅଧ୍ୟାପକ କହିଥିଲେ ଯେ ୭୫ ବର୍ଷୋତ୍ତର ବାର୍ଦ୍ଧକ୍ୟଗ୍ରସ୍ତଙ୍କ ସମସ୍ୟାର ସନ୍ତୋଷଜନକ ସମାଧାନର ରାସ୍ତା ଅସ୍ପଷ୍ଟ । ସେ ଇଚ୍ଛାମୃତ୍ୟୁ ସପକ୍ଷରେ ଓକିଲାତି କରୁନାହାନ୍ତି । ତେବେ ଏସବୁ ବିଷୟରେ ସର୍ବସାଧାରଣରେ ଚର୍ଚ୍ଚାର ସମୟ ଉପନୀତ ହୋଇସାରିଥିବା ବିଶ୍ୱାସ କରନ୍ତି । ଜାପାନରେ ଇଚ୍ଛାମୃତ୍ୟୁ ଆଇନସମ୍ମତ୍ତ ନୁହ । ଅବଶ୍ୟ ପ୍ରାଚ଼ୀନ ଜାପାନୀ ସଭ୍ୟତାରେ ‘ହାରାକିରି’ ବା ‘ସେପୁକୁ’ ଭଳି ପ୍ରାଣତ୍ୟାଗ ପରମ୍ପରା ପ୍ରଚଳିତ । ଦ୍ୱାଦଶ ଶତାଦ୍ଦୀରେ ସାମୁରାଇ ଯୋଦ୍ଧାମାନେ ଶତୃପକ୍ଷର ଦାସତ୍ୱରୁ ବର୍ତ୍ତିବା ନିମନ୍ତେ ପ୍ରକାଶ୍ୟ ଆଡ଼ମ୍ୱରପୂର୍ଣ୍ଣ ଆତ୍ମହତ୍ୟା କରିଥିବା ଘଟଣାବଳୀ ଇତିହାସ ପୃଷ୍ଠାରେ ଲିପିବଦ୍ଧ । ସେହିପରି ଦ୍ୱିତୀୟ ବିଶ୍ୱଯୁଦ୍ଧ ଅବସରରେ ‘କେମିକାଜେ’ ପ୍ରଥାରେ ପ୍ରାୟ ୩,୮୦୦ ଜାପାନୀ ଯୋଦ୍ଧା ବିମାନରେ ବୋମା ଖଞ୍ଜି ଶତୃପକ୍ଷର ଲକ୍ଷ୍ୟସ୍ଥଳୀକୁ ଧକ୍କା ଦେଇ ଉଡ଼ାଇ ଦେବା ଉଦ୍ୟମରେ ମୃତ୍ୟୁ ବରଣ କରିଥିବା ଜଣାଯାଏ । ସାମୂହିକ ଇଚ୍ଛାମୃତ୍ୟୁ ପ୍ରସ୍ତାବ ସେହିଭଳି ଆତ୍ମର୍ତ୍ସୋଗର ପରମ୍ପରା ବାହକ ହେବ କି, ତାହା ଏକ ବଡ଼ ପ୍ରଶ୍ନ !

 

‘ପ୍ଳାନ ୭୫’ ଚଳଚ଼ିତ୍ରର ୟୁଟ୍ୟୁବ ଭିଡ଼ିଓ :

 

https://youtube.com/watch?v=12tjqwfuzDg&feature=shares 

ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ମାର୍ଚ୍ଚ ୨୦୨




ତଥ୍ୟ:


Steinbach, Yaron. Yale professor under fire for suggesting elderly Japanese residents should kill themselves. The New York Post

 

https://www.jpost.com/omg/article-731500

 

Siripala, Thisanka. Surviving old age is getting harder in Japan

 

https://thediplomat.com/2023/01/surviving-old-age-is-getting-harder-in-japan/#:~:text=The%20Fiscal%20System%20Council%20is,world%2C%20behind%20only%20South%20Korea

 

Rich, Motoko. Film maker Chie Hayakawa imagines a Japan where the elderly volunteer to die

 

https://www.japantimes.co.jp/culture/2022/06/26/films/chie-hayakawa-plan-75/


ଅବହେଳିତ ବାର୍ଦ୍ଧକ୍ୟ

ଆନ୍ତର୍ଜାତିକସ୍ତରୀୟ ଆକଳନରେ ଭାରତରେ ବାର୍ଦ୍ଧକ୍ୟ ଅବହେଳିତ । ବୃଦ୍ଧଜନ ହିତ ଲକ୍ଷ୍ୟରେ କାର୍ଯ୍ୟରତ ଖ୍ୟାତନାମା ବେସରକାରୀ ସଂଗଠନ ହେଲପ-ଏଜ-ଇଣ୍ଟରନ୍ୟାସନାଲର‘ଗ୍ଳୋବାଲଏଜ ୱାଚ ୨୦୧୫’ରେ ଉପସ୍ଥାପିତ ପରିସଂଖ୍ୟାନରେ ବିଶ୍ୱର ୯୬ ଗୋଟି ରାଷ୍ଟ୍ର ମଧ୍ୟରେ ବୃଦ୍ଧଜନ କଲ୍ୟାଣ କ୍ଷେତ୍ରରେ ଭାରତ ୭୧ତମ ସୋପାନରେ ସ୍ଥାନିତ ।

 

ପ୍ରତ୍ୟେକ ରାଷ୍ଟ୍ରରେ ବରିଷ୍ଠ ନାଗରିକଙ୍କ ସ୍ଥିତି ସମୀକ୍ଷା କରିବା ନିମନ୍ତେ ସେମାନଙ୍କ ଆୟର ସୁରକ୍ଷା, ସ୍ୱାସ୍ଥ୍ୟାବସ୍ଥା, ନିଯୁକ୍ତି ଓ ଶିକ୍ଷାଗତ ସୁବିଧା ସୁଯୋଗକୁ ଆଲୋଚ୍ୟ ସର୍ବେକ୍ଷଣରେ ବିଚ଼ାରକୁ ନିଆଯାଇ ସୂଚକାଙ୍କ ପ୍ରସ୍ତୁତି କରାଯାଇଥିଲା । ଏଥିରେ ୯୬ ଗୋଟି ରାଷ୍ଟ୍ରରେ ବସବାସ କରୁଥିବା ବିଶ୍ୱର ପ୍ରାୟ ୯୧ ପ୍ରତିଶତ ବରିଷ୍ଠ ନାଗରିକଙ୍କ ସ୍ଥିତାବସ୍ଥା ସନ୍ନିବଶିତ । ବଳକା ରାଷ୍ଟ୍ରଗୁଡ଼ିକ ସଂପର୍କରେ ଆୟୋଜକମାନେ ପର୍ଯ୍ୟାପ୍ତ ପରିମାଣରେ ତଥ୍ୟ ହାସଲ କରି ପାରିନଥିବା କୁହାଯାଇଥିଲା ।

 

ବରିଷ୍ଠ ନାଗରିକଙ୍କ କଲ୍ୟାଣ କ୍ଷେତ୍ରରେ ଅଗ୍ରଣୀ ପ୍ରଥମ ଦଶଗୋଟି ରାଷ୍ଟ୍ର ମଧ୍ୟରେ ଯଥାକ୍ରମେ ସ୍ୱିଡ଼େନ, ନରୱେ, ଜର୍ମାନୀ, ନେଦରଲ୍ୟାଣ୍ଡସ, କାନାଡ଼ା, ସୁଇଜରଲ୍ୟାଣ୍ଡ, ନ୍ୟୂଜିଲ୍ୟାଣ୍ଡ, ଯୁକ୍ତରାଷ୍ଟ୍ର ଆମେରିକା, ଆଇସଲ୍ୟାଣ୍ଡ ଓ ଜାପାନ ସ୍ଥାନ ପାଇଥାଏ । ସେହିପରି ଅବହେଳିତ ବର୍ଗରେ ସର୍ବନିମ୍ନ ପାଞ୍ଚଗୋଟି ରାଷ୍ଟ୍ର ମଧ୍ୟରେ ଯଥାକ୍ରମେ ପାକିସ୍ତାନ, ୱେଷ୍ଟ ବ୍ୟାଙ୍କ ଓ ଗାଜା, ମୋଜାମ୍ୱିକ, ମାଲବି ଓ ଆଫଗାନସ୍ଥାନ ସୂଚ଼ିତ । ଭାରତର ସ୍ଥାନ ୭୧ତମ ସୋପାନରେ ଚ଼ିହ୍ନିତ ହୋଇଥିବା ସ୍ଥଳେପଡ଼ୋଶୀ ଶ୍ରୀଲଙ୍କା ୪୬, ଚୀନ ୫୨, ବାଂଲାଦେଶ ୬୭ ଓ ନେପାଳ ୭୦ତମ ସ୍ଥାନ ଅଧିକାରୀ । ମୋଟାମୋଟି ଭାବେ ଏସିଆ ଭୂଖଣ୍ଡ ଆଞ୍ଚଳିକସ୍ତରରେ ବରିଷ୍ଠନାଗରିକଙ୍କ କଲ୍ୟାଣ କ୍ଷେତ୍ରରେ ଭାରତ ପଛୁଆ ରହି ଆସିଛି ।

 

ପରମାୟୁ ଦୃଷ୍ଟିରୁ ବିଶ୍ୱର ଅଗ୍ରଣୀ ୯୬ ଗୋଟି ରାଷ୍ଟ୍ର ମଧ୍ୟରେ ଭାରତର ସ୍ଥାନ ୧୭ ନିର୍ଦ୍ଧାରିତ ହୋଇଥିଲେ ହେଁ ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ୮୭ ତମ ସ୍ଥାନକୁଖସିଯାଇଥାଏ । ଅର୍ଥାତ ଭାରତ ଭିନ୍ନ ଅନ୍ୟାନ୍ୟ ରାଷ୍ଟ୍ରରେ ବରିଷ୍ଠ ନାଗରିକମାନଙ୍କ ପାଇଁ ଉନ୍ନତ ଧରଣର ସ୍ୱାସ୍ଥ୍ୟସେବା ଉପଲବ୍ଧ । ଆମ ଦେଶର ୫୨ ପ୍ରତିଶତ ବରିଷ୍ଠ ନାଗରିକ ସାମାଜିକ ବନ୍ଧନରେ ଆବଦ୍ଧ ଥିବା ତଥା ୬୬ ପ୍ରତିଶତ ସୁରକ୍ଷିତ ଥିବା ସ୍ୱୀକାର କରିଥାନ୍ତି ।

 

‘ଗ୍ଳୋବାଲଏଜ ୱାଚ’ ୨୦୧୩, ୨୦୧୪ ଓ ୨୦୧୫ ତିନିବର୍ଷ ଧରି ପ୍ରକାଶିତ ହୋଇଥିଲା । ହେଲପ-ଏଜଇଣ୍ଟରନ୍ୟାସନାଲ ଯୁକ୍ତରାଷ୍ଟ୍ର ଆମେରିକାର ସାଉଥଏମ୍ପଟନବିଶ୍ୱବିଦ୍ୟାଳୟର ସହାୟତାରେ ମିଳିତ ଜାତିସଂଘ ଜନସଂଖ୍ୟା ପାଣ୍ଠିର ଆର୍ଥିକ ଅନୁଦାନରେ ସର୍ବେକ୍ଷଣମାନ ଆୟୋଜନ କରିଥିଲା । ବିଶ୍ୱରବୃଦ୍ଧଜନଙ୍କ ସ୍ଥିତାବସ୍ଥା ସମୀକ୍ଷା କ୍ଷେତ୍ରରେ ଏତାଦୃଶ ଉଦ୍ୟମ ପ୍ରଥମ । ବିବରଣୀରେ ପ୍ରଦତ୍ତ ସୂଚ଼କାଙ୍କ ବିଭିନ୍ନ ରାଷ୍ଟ୍ରରେ ସଂପୃକ୍ତ ସରକାରଙ୍କୁ ବରିଷ୍ଠନାଗରିକକଲ୍ୟାଣମୂଳକ ନୀତି ପ୍ରଣୟନ ଓ କାର୍ଯ୍ୟକ୍ରମ ଆୟୋଜନ ସକାଶେ ତଥ୍ୟାଶ୍ରିତଚ଼ାପ ପ୍ରୟୋଗ ନିମନ୍ତେ ଉର୍ବର ଭିତ୍ତିଭୂମି ସୃଷ୍ଟି କରିବାରେ ସହାୟକ ହୋଇପାରିଥିଲା । ଏହାର ପରବର୍ତ୍ତୀ ସଂସ୍କରଣ ୨୦୧୮ରେ ସଂଗୃହୀତ ତଥ୍ୟାବଳୀ ଆଧାରରେ ପ୍ରସ୍ତୁତ କରିବା ଉଦ୍ୟମ କରାଯାଉଛି ।

 

ଆନ୍ତର୍ଜାତିକସ୍ତରରେ ବାର୍ଦ୍ଧକ୍ୟ ଅନୁକୂଳ ପରିବେଶ ସୃଷ୍ଟିରେ ପ୍ରଥମ ୨୦ ଗୋଟି ରାଷ୍ଟ୍ର ମଧ୍ୟରେ ୧୪ ଗୋଟି ରାଷ୍ଟ୍ର ୟୁରୋପୀୟ । ରାଷ୍ଟ୍ରୀୟ ଅର୍ଥନୀତିକ ଅଭିବୃଦ୍ଧି ସେଠାକାର ବରିଷ୍ଠ ନାଗରିକଙ୍କ କଲ୍ୟାଣରେ ସହାୟକ ହେଉନଥିବା ଗବେଷକମାନଙ୍କ ନିମନ୍ତେ ଏକ ଉଲ୍ଲେଖନୀୟ ଉପଲବ୍ଧି । ସୂଚ଼କାଙ୍କର ୪୬ତମ ସ୍ଥାନରେ ଥିବା ଶ୍ରୀଲଙ୍କା ଓ ୫୫ ସ୍ଥାନରେ ଥିବା ବୋଲିଭିଆରେ ଅର୍ଥନୀତିକ ସ୍ଥିତି ଭଲ ନଥିଲେ ସୁଦ୍ଧା ସେଠାକାର ସମାଜରେ ବରିଷ୍ଠ ନାଗରିକଙ୍କ କଲ୍ୟାଣମୂଳକ କାର୍ଯ୍ୟକ୍ରମ ପ୍ରଣୟନରେ ଅଗ୍ରଣୀ ଥିବା ସର୍ବେକ୍ଷଣରୁ ଜଣାଯାଇଥିଲା ।

 

ଭାରତରେ ବାର୍ଦ୍ଧକ୍ୟ ସ୍ଥିତାବସ୍ଥା ସଂପର୍କରେ ଗବେଷଣା ଜାରୀ ରଖିଥିବା ଏଜୱେଲଫାଉଣ୍ଡେସନ ପକ୍ଷରୁ ୨୦୧୬ ଓ ୨୦୧୯ରେ ଆୟୋଜିତ ଦୁଇଗୋଟି ସର୍ବେକ୍ଷଣରେ ସମକାଳରେ ବାର୍ଦ୍ଧକ୍ୟରେ ଅର୍ଥନୀତିକ ଦୁର୍ଦ୍ଦଶା ସଂପର୍କରେ ତଥ୍ୟାବଳୀ ଉପସ୍ଥାପିତ ହୋଇଥିଲା । ପ୍ରଥମ ସର୍ବେକ୍ଷଣ ଦେଶର ୩୨୩ ଗୋଟି ଜିଲ୍ଲାରେ ୩,୪୦୦ ନମୂନା ତଥା ଦ୍ୱିତୀୟ ସର୍ବେକ୍ଷଣ ଦଶହଜାର ନମୂନା ସାମିଲ କରାଯାଇଥିଲା ।

 

ଦେଶର ପ୍ରାୟ ୩୫ ପ୍ରତିଶତ ବରିଷ୍ଠ ନାଗରିକ ଉତ୍ତରାଧିକାରୀ ସୂତ୍ରରେ ଆୟତ୍ତ ତଥା ସ୍ୱଅର୍ଜିତ ସମ୍ପତ୍ତି ଓ ସଞ୍ଚିତ ଅର୍ଥ ଅଧିକାରୀ ହୋଇଥିବା ସ୍ଥଳେ ୬୫ ପ୍ରତିଶତଙ୍କ କୌଣସି ସୂତ୍ରରୁ ଆୟ ନଥିବା ଜଣାଯାଏ । ପ୍ରତି ଦୁଇ ଜଣ ବରିଷ୍ଠ ନାଗରିକଙ୍କ ମଧ୍ୟରେ ଜଣେ ନିଜର ଆର୍ଥିକ ସ୍ଥିତି ସଂପର୍କରେ ଅସନ୍ତୋଷ ବ୍ୟକ୍ତି କରିଥାନ୍ତି । ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମରେ ପ୍ରଚଳିତ ଅବସରକାଳୀନ ଭତ୍ତା, ପାରିବାରିକ, ବିଧବା, ବାର୍ଦ୍ଧକ୍ୟ ଓ ଭିନ୍ନକ୍ଷମ ପେନସନ ତଥା ସ୍ୱାସ୍ଥ୍ୟ ବୀମା ଇତ୍ୟାଦି ଦ୍ୱାରା ୬୭ ପ୍ରତିଶତ ପୁରୁଷ ଓ ୫୦ ପ୍ରତିଶତ ମହିଳା ଉପକୃତ ହୋଇଥାନ୍ତି । ତେବେ ୫୮.୭ ପ୍ରତିଶତ ପେନସନଯୋଜନାମାନସୁଚ଼ାରୁରୂପେ କାର୍ଯ୍ୟକାରୀ ହେଉନଥିବା ତଥା ୭୯ ପ୍ରତିଶତ ଏଭଳି ସାହାଯ୍ୟ ସେମାନଙ୍କ ମୌଳିକ ଆବଶ୍ୟକତା ପୂରଣ ପାଇଁ ପର୍ଯ୍ୟାପ୍ତ ହେଉନଥିବା ଅଭିଯୋଗ କରିଥିଲେ ।

 

ଆଲୋଚ଼୍ୟ ଦୁଇଗୋଟି ସର୍ବେକ୍ଷଣରେ ସଂଗୃହୀତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମଧ୍ୟରେ ୮୦ ବର୍ଷୋତ୍ତର ବରିଷ୍ଠ ନାଗରିକମାନଙ୍କପକ୍ଷେ ସାମାଜିକ ସୁରକ୍ଷା ଯୋଜନାଗୁଡ଼ିକୁ ଅକ୍ତିଆର କରିବା ସହଜପ୍ରଦ ନଥିବା ତଥା ମହିଳା ବରିଷ୍ଠ ନାଗରିକମାନେ ପାତରଅନ୍ତର ଶୀକାର ହେଉଥିବା ଅନ୍ୟତମ ।

 

ଭାରତର ୨୦୧୧ ଜନଗଣନାରେ ୬୦ ବର୍ଷୋତ୍ତର ବରିଷ୍ଠ ନାଗରିକଙ୍କ ସଂଖ୍ୟା ୧୦ କୋଟି ୪୦ ଲକ୍ଷ ହିସାବ କରାଯାଇଥିବା ସ୍ଥଳେ ୨୦୦୧ ରୁ ୨୦୧୧ ମଧ୍ୟରେ ବାର୍ଷିକ ଭିତ୍ତିରେ ୨୭ ଲକ୍ଷ ବରିଷ୍ଠ ନାଗରିକ ଜନସଂଖ୍ୟାରେ ଅନ୍ତର୍ଭୁକ୍ତ ହୋଇଥିଲେ । ଏକବିଂଶ ଶତାଦ୍ଦୀର ଦ୍ୱିତୀୟ ଦଶକ ମଧ୍ୟଭାଗ ବେଳକୁ ପ୍ରାୟ ୧୧କୋଟି ୬୬ ଲକ୍ଷ ୬୦ ବର୍ଷୋତ୍ତର ବରିଷ୍ଠ ନାଗରିକ ବସବାସ କରୁଥିବା ଗଣନା କରାଯାଏ । ୨୦୧୫ରେ ସମଗ୍ର ଜନସଂଖ୍ୟାର ବରିଷ୍ଠ ନାଗରିକଙ୍କ ସଂଖ୍ୟା ୮.୯ ପ୍ରତିଶତ ଥିବା ସ୍ଥଳେ ତାହା ୨୦୩୦ ବେଳକୁ ୧୨.୫ ପ୍ରତିଶତ ଓ ୨୦୫୦ ବେଳକୁ ୧୯.୪ ପ୍ରତିଶତକୁ ବୃଦ୍ଧି ପାଇବା ଆକଳନ ହୋଇଥାଏ ।

 

ଜାତିସଂଘର ଜନଗଣନାରେ କୌଣସି ରାଷ୍ଟ୍ରରେ ମୋଟ ଜନସଂଖ୍ୟାର ସାତ ପ୍ରତିଶତରୁ ଅଧିକା ୬୫ ବର୍ଷୋତ୍ତର ବରିଷ୍ଠ ନାଗରିକ ସାମିଲ ହେଲେ ବୟସାଧିକ ଜନସଂଖ୍ୟା ‘ଏଜିଂ ସୋସାଇଟି’ଆଖ୍ୟାପ୍ରଦାନ କରାଯାଇଥାଏ । ଆନ୍ତର୍ଜାତିକସ୍ତରରେ ଭାରତ ଏକ ବୟସାଧିକ ଜନସଂଖ୍ୟା ସମୃଦ୍ଧ ରାଷ୍ଟ୍ର । ଜାତୀୟ ନମୂନା ସର୍ବେକ୍ଷଣ ‘ନ୍ୟାସନାଲ ସେମ୍ପଲସର୍ଭେ’ ୨୦୧୪ ଅନୁଯାୟୀ ଦେଶରେ ୨୦ ଲକ୍ଷ ନାଗରିକ ଶଯ୍ୟାଶାୟୀ ଏବଂ ଅଧିକା ୭୦ ଲକ୍ଷ ବିଭିନ୍ନ କାରଣରୁ ଗୃହାବଦ୍ଧ ଜୀବନ ଯାପନ କରିଥାନ୍ତି । ସମଗ୍ର ଜନସଂଖ୍ୟାରେ ଏକବିଂଶ ଶତାଦ୍ଦୀ ଦ୍ୱିତୀୟ ଦଶକ ଶେଷ ବେଳକୁ ପ୍ରାୟ ଏକ କୋଟି ନାଗରିକ ଏତାଦୃଶ ସର୍ବାପେକ୍ଷା ଉପେକ୍ଷିତ ଜୀବନଯାପନ କରୁଥିବା ବିଶ୍ଵସା କରାଯାଏ । ତେବେ ଆମ ସାମାଜିକ, ସାଂସ୍କୃତିକ ଓ ରାଜନୀତିକ ବିତର୍କରେ କଦାଚ଼ିତ ଏମାନଙ୍କ ସମସ୍ୟା ଚର୍ଚ୍ଚିତ ହେଉଥିବା ଦୃଷ୍ଟିକୁ ଆସିଥାଏ । ସାମାଜିକସ୍ତରରେ ଅବହେଳିତ ବାର୍ଦ୍ଧକ୍ୟର ଏଥିରୁ ବେଶ୍ସୂଚ଼ିତ ହୋଇଥାଏ ।

 

ଦେଶରେ କେନ୍ଦ୍ର ସରକାରଙ୍କ ଦ୍ୱାରା ବରିଷ୍ଠ ନାଗରିକ ନୀତି ପ୍ରଣୀତ ହେବାପରେ ‘ନ୍ୟାସନାଲ ପ୍ରୋଗ୍ରାମ ଫର ହେଲଥକେର ଅଫ ଦି ଏଲଡ଼ରଲି’ ନାମକ ବରିଷ୍ଠ ନାଗରିକଙ୍କ ଲାଗି ଏକ ସ୍ୱାସ୍ଥ୍ୟସେବା ଯୋଜନା ୨୦୧୦-୧୧ ଆର୍ଥିକ ବର୍ଷରେ ଆରମ୍ଭ କରାଯାଇଥିଲା । କେନ୍ଦ୍ର ସରକାରଙ୍କ ଆର୍ଥିକ ସହାୟତାରେ ବିଭିନ୍ନ ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ସ୍ୱାସ୍ଥ୍ୟସେବାର ଭିତ୍ତିଭୂମି ପ୍ରତିଷ୍ଠା କରିବା ଯୋଜନାର ମୂଳ ଲକ୍ଷ୍ୟ । ତେବେ ୨୦୧୭ ଡ଼ିସେମ୍ୱର ମାସରେ ସରକାରଙ୍କ ପକ୍ଷରୁ ପାର୍ଲାମେଣ୍ଟରେ ପ୍ରଶ୍ନୋତ୍ତର କାଳରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ ୨୦୧୫-୧୬ ଓ ୨୦୧୬-୧୭ ଦୁଇ ଆର୍ଥିକ ବର୍ଷ ମଧ୍ୟରେ ଏହି ପାଣ୍ଠିରୁ ହାରାହାରିଭାବେମାତ୍ର ସାତ ପ୍ରତିଶତ କେନ୍ଦ୍ରୀୟ ଅନୁଦାନ ରାଜ୍ୟମାନେ ଖର୍ଚ୍ଚ କରିଥିଲେ । ବାର୍ଦ୍ଧକ୍ୟରେ ସ୍ୱାସ୍ଥ୍ୟସେବା ସର୍ବାପେକ୍ଷା ଗୁରୁତ୍ୱବହନ କରୁଥିବା ସ୍ଥଳେ ରାଜ୍ୟ ସରକାରମାନଙ୍କ ଆଭିମୁଖ୍ୟ ଦେଶରେ ଅବହେଳିତ ବାର୍ଦ୍ଧକ୍ୟର ଏକ ଜ୍ୱଳନ୍ତ ଉଦାହରଣ । ସାମାଜିକସ୍ତରରେ ବାର୍ଦ୍ଧକ୍ୟ ଜୀବନଚ଼ର୍ଯ୍ୟା ପ୍ରତି ସଚ଼େତନତା ଅଭାବ ଏଭଳି ଅବହେଳାର ମୁଖ୍ୟ କାରଣ ରୂପେ ଚ଼ିହ୍ନଟ କରାଯାଇପାରେ । ଏହାର ନିରାକରଣ ପାଇଁ ବିଭିନ୍ନ ସ୍ତରରେ ଉଦ୍ୟମ ଆବଶ୍ୟକ ।

ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ମେ' ୨୦୧୯



ତଥ୍ୟ:

 

Schiller, Ben. Ranking the best and worst countries for older people to live in https://www.fastcompany.com

 

https://www.fastcompany.com/3019359/ranking-the-best-and-worst-countries-for-older-people-to-live-in

 

Goswami, Sweta. The ugly truth about old age in India. The Hindu. June 15, 2016

 

https://www.thehindu.com/news/cities/Delhi/The-ugly-truth-about-old-age-in-India/article14423922.ece

 

Sharma, Neetu Chandra. Social security for elderly inadequate in India: UN report. Live mint. April 3, 2019

 

https://www.livemint.com/news/india/social-security-for-elderly-inadequate-in-india-un-report-1554292326814.html 

.

Rajan, S.Irudaya. The elderly in India deserve the right to live with dignity. Hindustan Times. February 6, 2018


https://www.hindustantimes.com/opinion/the-elderly-in-india-deserve-the-right-to-live-with-dignity/story-P5kaFWjYtpDyMF7awz0ypI.html 


Paliath, Shreehari. India is ageing, but states use just 7% of central funds for elderly healthcare. India Spend. April 4, 2018


https://www.indiaspend.com/india-is-ageing-but-states-use-just-7-of-central-funds-for-elderly-healthcare-34536/

ନିର୍ଭରଶୀଳ ଜୀବନଯାତ୍ରା

ଉତ୍ତର-ବାର୍ଦ୍ଧକ୍ୟରେ ଅବସର ବିହାର ବା ରିଟାଏରମେଣ୍ଟ କଲୋନୀ ପରିକଳ୍ପନା ସଂପର୍କରେ ଆଲୋଚ଼ନା କଲାବେଳେ ସ୍ୱତଃପ୍ରବୃତ୍ତଭାବେ ଯୁକ୍ତରାଷ୍ଟ୍ର ଆମେରିକାର ନିର୍ଭରଶୀଳ ଜୀବନଯାତ୍ରା ବା ଆସିଷ୍ଟେଡ଼ ଲିଭିଂ ଉଦାହରଣ ବିଚ଼ାର ପରିସରକୁ ଆସିଥାଏ l

 

ଦ୍ୱିତୀୟ ବିଶ୍ୱଯୁଦ୍ଧୋତ୍ତର ଅବସ୍ଥାରେ କ୍ରମଶଃ ପରମାୟୁ ବୃଦ୍ଧି ସହ ବୃଦ୍ଧଜନଙ୍କ ସଂଖ୍ୟା ବୃଦ୍ଧି ତଥା ବିଭିନ୍ନ କାରଣରୁ ସେମାନଙ୍କୁ ଶଯ୍ୟାଶାୟୀ ଅବସ୍ଥାରେ ପାରିବାରିକ ଯତ୍ନ ଯୋଗାଇବା ସଂଭବପର ନ ହୋଇପାରିବା ଫଳରେ ସେବା ଶୁଶୃଷା ନିମନ୍ତେ ନର୍ସିଂହୋମକୁ ସ୍ଥାନାନ୍ତରିତ ପ୍ରକ୍ରିୟା ଆରମ୍ଭ ହୋଇଥିଲା l ଏହି କାରଣରୁ ନର୍ସିଂ ହୋମଗୁଡ଼ିକର ସଂଖ୍ୟା ମଧ୍ୟ ବଢ଼ି ଚାଲିଥିଲା l

 

ତେବେ ନର୍ସିଂହୋମରେ ଦୀର୍ଘ ସମୟ ପାଇଁ ରୋଗୀ ସଦୃଶ୍ୟ ଜୀବନ ଅତିବାହିତ କରିବା ଅନେକଙ୍କ ନିମନ୍ତେ ସୁଖପ୍ରଦ ବିବେଚ଼ିତ ହେଲା ନାହିଁ l ଉତ୍ତର ବାର୍ଦ୍ଧକ୍ୟରେ ନର୍ସିଂହୋମରେ ଭର୍ତ୍ତି ହୋଇଥିବା ବୃଦ୍ଧବୃଦ୍ଧାମାନେ ବ୍ୟକ୍ତିଗତ ରୁଚି ଅନୁଯାୟୀ ଜୀବନଯାପନ ତଥା ସ୍ୱାଧୀନତା ଉପଭୋଗ କରିବା ଆଶାରେ ଘରକୁ ଫେରିବାକୁ ଚାହିଁଲେ l

 

ପାରିବାରିକ ପରିବେଶରେ ସେମାନଙ୍କ ଯତ୍ନ ନେବା ସଂଭବପର ନ ହୋଇ ପାରୁଥିବା ହେତୁ ଦୈନନ୍ଦିନ ଜୀବନଯାତ୍ରାରେ ସହଯୋଗଜନିତ ସେବା ଆଶାରେ ନର୍ସିଂହୋମକୁ ସ୍ଥାନାନ୍ତର କରାଯାଉଥିବା ବୃଦ୍ଧଜନଙ୍କୁ ପୁଣି ପରିବାରକୁ ଫେରାଇନେବା ସଂଭବପର ନଥିବା ହେତୁ ସେମାନଙ୍କ ଆବଶ୍ୟକତା ପୂରଣ ନିମନ୍ତେ ବିକଳ୍ପ ଚ଼ିନ୍ତା କରାଗଲା l

 

ଅବସର ବିହାରରେ ନିର୍ଭରଶୀଳ ଜୀବନଯାତ୍ରାର ସୁବିଧାସୁଯୋଗ ସନ୍ନିବେଶିତ କରାଯାଇ ନୂତନ ମଡ଼େଲମାନ ସୃଷ୍ଟି ହେବାରେ ଲାଗିଲା l ଅନୁରୂପ ଧାରା ବାର୍ଦ୍ଧକ୍ୟ ପ୍ରଭାବିତ ଜାପାନ, ଇଂଲଣ୍ଡ ଓ ୟୁରୋପୀୟ ଦେଶପୁଞ୍ଜରେ ଭିନ୍ନ ଭିନ୍ନ ମଡ଼େଲରେ ପର୍ଯ୍ୟବସିତ l ଉତ୍ତର-ବାର୍ଦ୍ଧକ୍ୟରେ ଅବସର ବିହାରରେ ପହଞ୍ଚୁଥିବା ବୃଦ୍ଧଜନଙ୍କୁ ଯଥାସଂଭବ ସ୍ୱାଧୀନ ଜୀବନଯାତ୍ରା ସହ ବ୍ୟକ୍ତିଗତ ଆବଶ୍ୟକତା ଅନୁଯାୟୀ ସହଯୋଗିତା ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଗଲା l

 

ଗତ ଶତାଦ୍ଦୀର ଅଷ୍ଟମ ଦଶକରେ ଯୁକ୍ତରାଷ୍ଟ୍ର ଆମେରିକାର ପଶ୍ଚିମ ଉପକୂଳରେ ଅବସ୍ଥିତ ଓରେଗାନରେ ‘କେରେନ ବ୍ରାଉନ ୱିଲସନ’ ନାମକ ଜଣେ ମହିଳା ଆସିଷ୍ଟେଡ଼ ଲିଭିଂ ମଡ଼େଲର ରୂପ ଦେଇଥିଲେ l ଏକ ମଧ୍ୟବିତ୍ତ ପରିବାରର ଜନ୍ମିତ କେରେନ ସ୍କୁଲରେ ପଢୁଥିବା ବେଳେ ବାପାଙ୍କ ମୃତ୍ୟୁ ହୋଇଥିଲା ଏବଂ କଲେଜରେ ପଢୁଥିବାବେଳେ ଷ୍ଟ୍ରୋକ କାରଣରୁ ମା’ ଶଯ୍ୟାଶାୟୀ ଅବସ୍ଥାରେ ପହଞ୍ଚିଥିଲେl ମାତ୍ର ୧୯ ବର୍ଷ ବୟସରେ ତାଙ୍କୁ ମା’ଙ୍କ ଦାୟିତ୍ୱ ନେବାକୁ ପଡ଼ିଲା l

 

କ୍ରମାଗତ ଭାବେ ମା’ଙ୍କୁ ନର୍ସିଂହୋମରେ ରଖାଯାଇ ଦୈନନ୍ଦିନ ଜୀବନଯାତ୍ରାରେ ସେବା ଶୁଶୃଷାର ବ୍ୟବସ୍ଥା କରାଯାଇଥିଲା l ତେବେ ସେଥିରେ ତାଙ୍କରି ମନ ମାନୁ ନଥିଲା l ସବୁବେଳେ ଘରକୁ ଫେରାଇନେବାକୁ ଅଳି କରୁଥିଲେ l

 

କେରେନ ବିବାହ ପରେ ବାର୍ଦ୍ଧକ୍ୟ ଜୀବନଯାତ୍ରା ବିଷୟରେ ଗବେଷଣା କରିବା ନିମନ୍ତେ ବିଶ୍ୱବିଦ୍ୟାଳୟରେ ପିଏଚ଼.ଡ଼ି, ଶ୍ରେଣୀରେ ନାମ ଲେଖାଇଲେ l ନିଜ ମାଆଙ୍କ ଜୀବନଯାତ୍ରା ଓ ଅଭିଳାଷ ବିଚ଼ାରକୁ ନେଇ ଗଭୀର ଅଧ୍ୟୟନପରେ ସେ ଆସିଷ୍ଟେଡ଼ ଲିଭିଂ ମଡ଼େଲ ପ୍ରସ୍ତୁତ କରିଥିଲେ l ସେଠାକାର କେତେକ ପ୍ରତିଷ୍ଠିତ ବୃଦ୍ଧାଶ୍ରମର କର୍ମକର୍ତ୍ତାଙ୍କୁ ଏ ବିଷୟରେ ଅବଗତ କରାଇଥିଲେ l ତେବେ ଏଭଳି ସୁବିଧା ସୁଯୋଗ ସୃଷ୍ଟି କରିବା ଅସଂଭବ ବିଚ଼ାର କରି ସମସ୍ତେ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ l

 

କେରେନ ନିଜ ସ୍ୱାମୀଙ୍କ ସହଯୋଗରେ ଜଣେ ନିର୍ମାଣ-ଶିଳ୍ପ ନିବେଶକଙ୍କ ଆର୍ଥିକ ସହାୟତାରେ ୧୯୮୩ରେ ଓରେଗାନର ରାଜଧାନୀ ପୋର୍ଟଲ୍ୟାଣ୍ଡ ଠାରେ ‘ପାର୍କ ପ୍ଳେସ’ ନାମକ ଆସିଷ୍ଟେଡ଼ ଲିଭିଂ ସୁବିଧା ସଂପନ୍ନ ରିଟାଏରମେଣ୍ଟ କଲୋନୀ ପ୍ରତିଷ୍ଠା କରିବାରେ ସମର୍ଥ ହୋଇଥିଲେ l ଏହି ଯୋଜନାରେ ବ୍ୟବସାୟିକ ସଫଳତା ବା ବିଫଳତା ପାଇଁ କେରେନ ନିଜେ ବ୍ୟକ୍ତିଗତଭାବେ ଦାୟୀ ରହିବେ ବୋଲି ନିବେଶକଙ୍କ ସହ ଚୁକ୍ତି ସ୍ୱାକ୍ଷର କରିବାକୁ ପଡ଼ିଥିଲା l

 

‘ପାର୍କ ପ୍ଳେସ’ରେ ୧୧୨ ଗୋଟି ଆବାସ ବା ୟୁନିଟ ନିର୍ମିତ ହୋଇଥିଲା l ଅଧ୍ୟୟନ ପ୍ରସୂତ ଏହି ପରୀକ୍ଷାମୂଳକ ପ୍ରକଳ୍ପର ସମସ୍ତ ୟୁନିଟ ତତ୍କ୍ଷଣାତ ବିକ୍ରି ହୋଇଗଲା lଏଠାକାର ଅନ୍ତେବାସୀଗଣ ସ୍ୱାଧୀନଭାବେ ନିଜ ନିଜ ୟୁନିଟରେ ବସବାସ କରିବା ସୁବିଧା ସୁଯୋଗ ସୃଷ୍ଟି କରାଯାଇଥିବାସ୍ଥଳେ ଆବଶ୍ୟକମତେ ଦୈନନ୍ଦିନ ଜୀବନଯାତ୍ରାଜନିତ ସହଯୋଗ ଯୋଗାଇଦେବାର ବ୍ୟବସ୍ଥା କରାଯାଇଥିଲା l ନର୍ସିଂହୋମର ଆବଦ୍ଧ କଠୋରୀ ଓ ରୋଗୀ ସୁଲଭ ନିୟମକାନୁନ ପାଳନରୁ ଉର୍ଦ୍ଧ୍ୱରେ ରହି ବୃଦ୍ଧଜନ ଚ଼ାହିଁବା ମାତ୍ରେ ନର୍ସିଂସେବା ପାଇପାରିଲେ lକେରେନଙ୍କ ଉତ୍ତର-ବାର୍ଦ୍ଧକ୍ୟ ଆବାସ ମଡ଼େଲକୁ କେତେକ ସୂତ୍ରରେ ସମାଲୋଚନା କରାଯାଇଥିଲେ ହେଁ ଆପାତତଃ ଏହା ସଫଳ ପ୍ରମାଣିତ ହୋଇଥିଲା l

 

୧୯୯୦ ବେଳକୁ ଓରେଗାନ ରାଜ୍ୟର ଅନ୍ୟାନ୍ୟ ସହର ସମେତ ଯୁକ୍ତରାଷ୍ଟ୍ର ଆମେରିକାର ବିଭିନ୍ନ ପ୍ରାନ୍ତରେ ଏହି ଧରଣର ଅବସର ବିହାର ପରିକଳ୍ପନା ରୂପାୟନ କରାଗଲା l କେରେନ ‘ଆସିଷ୍ଟେଡ଼ ଲିଭିଂ କନସେପ୍ଟସ’ ନାମକ ଏକ କମ୍ପାନୀ ଗଢ଼ି ନୂଆ ନୂଆ ପ୍ରକଳ୍ପମାନ ନିର୍ମାଣ କଲେ l ଦଶ ବର୍ଷ ମଧ୍ୟରେ ୨୦୦୦ ବେଳକୁ କେରେନଙ୍କ କମ୍ପାନୀ ଆମେରିକାର ୧୮ ଗୋଟି ରାଜ୍ୟରେ ୧୮୪ ଗୋଟି ଆବାସ ପ୍ରତିଷ୍ଠା କରିବାରେ ସକ୍ଷମ ହୋଇଥିଲାl

 

ସନରାଇଜ, ଆଟ୍ରିଆ, ଷ୍ଟେରଲିଙ୍ଗ ଓ କେରିଙ୍ଗଟନଭଳି ଅନେକ ନିର୍ମାଣ-ଶିଳ୍ପ ନିବେଶକ ଏଭଳି ଯୋଜନା ହାତକୁ ନେଲେ l ୨୦୧୦ର ଗଣନା ଅନୁଯାୟୀ ସମଗ୍ର ଯୁକ୍ତରାଷ୍ଟ୍ର ଆମେରିକାରେ ଆସିଷ୍ଟେଡ଼ ଲିଭିଂ କଲୋନୀରେ ବସବାସ କରୁଥିବା ଉତ୍ତର-ବାର୍ଦ୍ଧକ୍ୟରେ ଉପନୀତ ବୃଦ୍ଧଜନଙ୍କ ସଂଖ୍ୟା ନର୍ସିଂହୋମଗୁଡ଼ିକରେ ବସବାସ କରୁଥିବା ବୃଦ୍ଧଜନଙ୍କ ସଂଖ୍ୟାର ସମତୁଲ ହୋଇପାରିଥିବା ଜଣାଯାଇଥିଲା l

 

ପରିବାର ଓ ନର୍ସିଂହୋମ ମଧ୍ୟସ୍ତରରେ ବାର୍ଦ୍ଧକ୍ୟଜନିତ ସେବାଶୁଶୃଷା ଯୋଗାଇବା ଦିଗରେ ସୃଷ୍ଟ ଆସିଷ୍ଟେଡ଼ ଲିଭିଂ ତତ୍ତ୍ୱ ଲୋକପ୍ରିୟତା ସଙ୍ଗେ ସଙ୍ଗେ ବ୍ୟବସାୟିକସ୍ତରରେ ଠକାମୀର ଉଦାହରଣ ମଧ୍ୟ ସମୟକ୍ରମେ ଦେଖିବାକୁ ମିଳିଲା l ଅନେକେ ଆସିଷ୍ଟେଡ଼ ଲିଭିଂର ଦ୍ୱାହି ଦେଇ ବିନା ବାର୍ଦ୍ଧକ୍ୟ ଅନୁକୂଳ ସୁବିଧାସୁଯୋଗରେ ଅନ୍ତେବାସୀଙ୍କୁ ହଇରାଣ ହରକତ କରିବାକୁ ଲାଗିଲେ l ୨୦୦୩ରେ ଯୁକ୍ତରାଷ୍ଟ୍ର ଆମେରିକାର ୧୫୦୦ ଆସିଷ୍ଟେଡ଼ ଲିଭିଂ ଫେସଲିଟିର ଏକ ସର୍ଭେରୁ ଜଣାଗଲା ଯେ ମାତ୍ର ୧୧ ପ୍ରତିଶତ ଆବାସରେ ଉପଯୁକ୍ତ ପରିବେଶ ସୃଷ୍ଟି କରାଯାଇ ପାରିଛି l

 

କେରେନ ଯେଉଁ ଚ଼ିନ୍ତାଧାରା ନେଇ ଆସିଷ୍ଟେଡ଼ ଲିଭିଂ ପରିକଳ୍ପନା ଆରମ୍ଭ କରିଥିଲେ ତାହା ପ୍ରକୃତ କାର୍ଯ୍ୟକ୍ଷେତ୍ରରେ ମାତ୍ର ୧୧ ପ୍ରତିଶତ ଆବାସରେ ଉପଯୋଗ ହେଉଥିବା ଉଦାହରଣ ବାର୍ଦ୍ଧକ୍ୟ ତତ୍ତ୍ୱବିତମାନଙ୍କ ମଧ୍ୟରେ ନୈରାଶ୍ୟ ଆଣିଦେଲା l ଯୁକ୍ତରାଷ୍ଟ୍ର ଆମେରିକା ଭଳି ଏକ ସଭ୍ୟ ସମାଜରେ ଯାହା ସଫଳ ହୋଇପାରୁ ନାହିଁ ଅନ୍ୟତ୍ର ସେହି ଚ଼ିନ୍ତାଧାରାର ଉପଯୋଗର ସଫଳତା ଏକ ପ୍ରଶ୍ନବାଚ଼ୀ l

 

କେରେନ ନିଜ ପ୍ରତିଷ୍ଠା କରିଥିବା କମ୍ପାନୀରୁ ୨୦୦୦ରେ ନିଜେ ଓହରିଯାଇ ସମସ୍ତ ସେୟାର ବିକ୍ରି କରିଦେଇଥିଲେ l ସେ ଏକ ଫାଉଣ୍ଡେସନ ଆରମ୍ଭ କରି ଛୋଟ ଛୋଟ ସହରରେ ସାଧାରଣ ଲୋକେ କିପରି ଉତ୍ତର-ବାର୍ଦ୍ଧକ୍ୟରେ ଯତ୍ନ ପାଇପାରିବେ ସେହି ଦିଗରେ କାର୍ଯ୍ୟ କରୁଛନ୍ତି l କେରେନଙ୍କ ମଡ଼େଲ ପ୍ରକୃତ କାର୍ଯ୍ୟକ୍ଷେତ୍ରରେ ବିଫଳ ହୋଇଥିଲେ ହେଁ ଦେଶ ବିଦେଶରେ ପରବର୍ତ୍ତୀ ଉପକ୍ରମ ପାଇଁ କେତେକ ଉପଲବ୍ଧି ଉପସ୍ଥାପିତ କରିପାରିଛି l

 

ପ୍ରଥମତଃ ଉତ୍ତର-ବାର୍ଦ୍ଧକ୍ୟରେ ନିର୍ଭରଶୀଳ ଜୀବନଯାତ୍ରା ବା ଆସିଷ୍ଟେଡ଼ ଲିଭିଂ ସମ୍ଭବପର, ଦ୍ୱିତୀୟତଃ ସୁବିଧା ସୁଯୋଗ ଯୋଗାଇବା ପାଇଁ ବଡ଼ ବସତି ବା କଲୋନୀ ପରିକଳ୍ପନା ଆବଶ୍ୟକ, ତୃତୀୟତଃ ଆର୍ଥିକ ଦିଗରୁ ଅନଗ୍ରସର କିମ୍ୱା ରୋଗଗ୍ରସ୍ତଙ୍କୁ ସେବା ଯୋଗାଇବା ଅସଂଭବ, ଚ଼ତୁର୍ଥତଃ ଏଭଳି ଯୋଜନା ପରିଚ଼ାଳନା ନିମନ୍ତେ ଶକ୍ତିଶାଳୀ ସାଂଗଠନିକ ଭିତ୍ତିଭୂମି ଦରକାର ଏବଂ ପଞ୍ଚମତଃ ଉପଭୋକ୍ତାଙ୍କ ସ୍ୱାର୍ଥ ସଂରକ୍ଷଣ ନିମନ୍ତେ ସରକାରୀସ୍ତରରେ ନୀତିନିୟମ ପ୍ରଣୟନ ଆବଶ୍ୟକ l

 

ଓଡ଼ିଶାରେ ଆମେ ବିକଳ୍ପ ବାର୍ଦ୍ଧକ୍ୟ ଜୀବନଯାତ୍ରା ସଂପର୍କରେ ବିଚ଼ାର ବିମର୍ଷ କଲାବେଳେ ଦେଶବିଦେଶରେ ଅନୁସୃତ ବିଭିନ୍ନ ମଡ଼େଲର ସଫଳତା ଓ ବିଫଳତା ଆମ ଚର୍ଚ୍ଚାର ପରିସରକୁ ଆସିଲେ ଭବିଷ୍ୟତ ପରିକଳ୍ପନା ନିମନ୍ତେ ସ୍ୱଷ୍ଟ ନୀତି ନିର୍ଦ୍ଧାରଣରେ ସହାୟକ ହେବ ବୋଲି ବିଶ୍ୱାସ କରାଯାଇପାରେ l

 

ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଜାନୁୟାରୀ ୨୦୧୮

ବାର୍ଦ୍ଧକ୍ୟ ଅନୁକୂଳ ସୁବିଧାସୁଯୋଗ

ଉତ୍ତର-ବାର୍ଦ୍ଧକ୍ୟ ଓ ମୃତ୍ୟୁ ସଂପର୍କୀତ ଆଲୋଚ଼ନାକୁ ନକାରାତ୍ମକ ଚ଼ିନ୍ତାଧାରାରୂପେ ଚ଼ିହ୍ନିତ କରିବା ଭ୍ରମାନ୍ତକ l ସମକାଳରେ ଉତ୍ତର-ବାର୍ଦ୍ଧକ୍ୟରେ ପ୍ରତି ଦଶଜଣରେ ଜଣେ ଶଯ୍ୟାଶାୟୀ ଜୀବନଯାପନ କରୁଥିବା ତଥା ମୃତ୍ୟୁପୂର୍ବ ଜୀବନ ଊଣାଅଧିକେ ରୋଗାକାନ୍ତ ପର୍ଯ୍ୟାୟ ଅତିକ୍ରାନ୍ତକୁ ସ୍ୱାଭାବିକ ଜୀବନଯାତ୍ରାରୂପେ ପରିଗଣିତ ହେଉଥିବା ପରିପ୍ରେକ୍ଷୀରେ ଏଭଳି ବିଷାଦପୂର୍ଣ୍ଣ ସମୟ ସଂପର୍କରେ ସଚ଼େତନତା ବୁଦ୍ଧିମତ୍ତାର ପରିଚ଼ୟ ଦେଇଥାଏ ବୋଲି କହିବାକୁ ହେବ l ସମସ୍ୟା ଏଡ଼ାଇ ଦେବାର ସମ୍ଭାବନା ନଥିବା ସ୍ଥଳେ ସମସ୍ୟା ସମାଧାନ ନିମନ୍ତେ କାର୍ଯ୍ୟପନ୍ଥା ଗ୍ରହଣ ହିଁ ଏକ ମାତ୍ର ବିକଳ୍ପ l

 

ବିଭିନ୍ନ କାରଣରୁ ବୃଦ୍ଧାବସ୍ଥା ସଂପର୍କୀତ ଚର୍ଚ୍ଚା ଆମ ପାରମ୍ପରିକ ସାମାଜିକ ଜୀବନରେ ଗୁରୁତ୍ୱ ବହନ କରିପାରି ନଥିଲା l ପ୍ରଥମତଃ, ସ୍ୱାଧୀନତା ପ୍ରାପ୍ତି ବେଳକୁ ଭାରତରେ ମନୁଷ୍ୟର ହାରାହାରି ପରମାୟୁ ୩୨ ବର୍ଷରେ ସୀମିତ ଥିଲା l ସଂକ୍ରାମକ ରୋଗ ମୃତ୍ୟୁର ଏକ ବିଶିଷ୍ଟ କାରଣ ରୂପେ ପରିଗଣିତ ହେଉଥିଲା l ଦ୍ୱିତୀୟତଃ, ଶିକ୍ଷାଦୀକ୍ଷାର ଅଭାବ ହେତୁ ସାଧାରଣ ଜୀବନ ମୂଳତଃ ଜିଜ୍ଞାସାହୀନ ବ୍ୟବସ୍ଥାରେ ଗଢ଼ି ଉଠୁଥିଲା l ଧାର୍ମିକ ଚ଼ିନ୍ତାଧାରାର ପ୍ରତିପତ୍ତି ବିକଳ୍ପ ବିଚ଼ାରର ଅବକାଶ ସୃଷ୍ଟିରେ ବାଧକ ସାଜୁଥିଲା l ତୃତୀୟତଃ, କୃଷିଭିତ୍ତିକ ଅର୍ଥନୀତି ଓ ସାମନ୍ତବାଦୀ ପ୍ରଶାସନ ଜନସାଧାରଣଙ୍କୁ ଅତ୍ୟନ୍ତ ଗରିବ ଅବସ୍ଥାରେ ଆବଦ୍ଧ ରଖିଥିବାହେତୁ ପେଟ ଚ଼ାଖଣ୍ଡକଲାଗି ଅନ୍ନସଂସ୍ଥାନରେ ହିଁ ସାରାଜୀବନ ନିୟୋଜିତ ହେବା ଅବସରରେ ଜୀବନଧାରଣର ମାନବୃଦ୍ଧି ସଂଭବପର ନଥିଲା l

 

ଅବଶ୍ୟ ଏକନ୍ନବର୍ତ୍ତୀ ପାରିବାରିକ ପୃଷ୍ଠଭୂମି, କୃଷିଭିତ୍ତିକ ଅର୍ଥନୀତି ଓ ଗ୍ରାମ୍ୟଜୀବନ ସ୍ଥଳବିଶେଷରେ ଅକସ୍ମାତ ବାର୍ଦ୍ଧକ୍ୟ ଲାଗି ଅନୁପୂରକ ପରିବେଶ ସୃଷ୍ଟିରେ ସମର୍ଥ ହୋଇପାରୁଥିଲା l କିନ୍ତୁ ଜନ୍ମ ଓ ମୃତ୍ୟୁ ସହ ଦୁଃଖଦୁର୍ଦ୍ଦଶା ସଂପର୍କରେ ସାଂସାରିକ ଜୀବନରେ ପ୍ରଶ୍ନ କରିବା ଏକରକମ ନିଷେଧାଦେଶ ପର୍ଯ୍ୟାୟଭୁକ୍ତ ବିବେଚନା କରାଯାଉଥିଲା l ଜୀବନ ଦର୍ଶନ ସଂପର୍କରେ ଆଲୋଚ଼ନା ଯୋଗୀ, ସନ୍ୟାସୀଙ୍କ ଆଭୂଷଣରୂପେ ପରିଗଣିତ ହେଉଥିଲା l ମୋଟ ଉପରେ ଜନ୍ମ, ରୋଗ ଓ ମୃତ୍ୟୁଭଳି ଅବସ୍ଥା କୌଣସିମତେ ସାଧାରଣ ମନୁଷ୍ୟର ଆୟତ୍ତାଧୀନ ନଥିବା ହେତୁ ଏ ଦିଗରେ ବିଚ଼ାରବିମର୍ଷ ସମ୍ଭବପର ନଥିଲା l

 

ସ୍ୱାଧୀନୋତ୍ତର ବିଗତ ସତୁରି ବର୍ଷରେ ଭାରତରେ ବହୁ କଥା ବଦଳିଛି l ସାଧାରଣ ପରମାୟୁ ୩୨ରୁ ୬୯ରେ ପହଞ୍ଚିଥିବାବେଳେ ଆଗାମୀ ୧୦ ରୁ ୨୦ ବର୍ଷରେ ୮୨ ରୁ ୯୨ ବଢ଼ିବା ଆଶା କରାଯାଉଛି l ଏକ ପକ୍ଷରେ ବିତ୍ତହୀନ ଓ ବିତ୍ତଶାଳୀଙ୍କ ଜୀବନଯାତ୍ରା ମଧ୍ୟରେ ତାରତମ୍ୟ ବହୁ ପରିମାଣରେ ବୃଦ୍ଧି ପାଇଥିବା ସ୍ଥଳେ ଅନ୍ୟ ପକ୍ଷରେ ଆନ୍ତର୍ଜାତିକମାନର ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ସାଂସ୍କୃତିକ ଜୀବନ ଉପଲବ୍ଧ ହୋଇପାରିଛି l ଦେଶର ବୁଦ୍ଧିଜୀବୀମାନଙ୍କ ପାଣ୍ଡିତ୍ୟ ପ୍ରତିବେଶୀ ରାଷ୍ଟ୍ରଗୁଡ଼ିକ ତୁଳନାରେ ବେଶ ଅଗ୍ରଣୀ l ପରିବର୍ତ୍ତନର ସ୍ରୋତରେ ଭାରତୀୟମାନେ, ମୁଖ୍ୟତଃ ଆର୍ଥିକ ଦିଗରୁ ସ୍ୱଚ୍ଛଳ ଶିକ୍ଷିତ ପରିବାରବର୍ଗ ଉତ୍ତର-ବାର୍ଦ୍ଧକ୍ୟରେ ବିକଳ୍ପ ଜୀବନଯାତ୍ରା ସଂପର୍କରେ ଚ଼ିନ୍ତନକୁ ଗୁରୁତ୍ୱଦେବା ଆରମ୍ଭ ହୋଇଛି l

 

କେତେକାଂଶରେ ଏଭଳି ଉନ୍ମେଷମୁଖୀ ଚ଼ିନ୍ତାଧାରା ବୌଦ୍ଧିକ ବିଳାସ ପରିସରଭୁକ୍ତ ବୋଲି ବିଚ଼ାର କରାଗଲେ ହେଁ ବାର୍ଦ୍ଧକ୍ୟ ଚ଼ିନ୍ତନ ଏକ ରକମର ଚ଼େତନା ପ୍ରସାରଧର୍ମୀ ଅଭିଯାନ ବୋଲି କହିବାକୁ ହେବ l ଓଡ଼ିଶାରେ ଶିକ୍ଷାୟତନଗୁଡ଼ିକରେ ବାର୍ଦ୍ଧକ୍ୟ ଅଧ୍ୟୟନ ଧାରା ଆରମ୍ଭ ହୋଇ ନାହିଁ l ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟରେ ଏଏନଏମ, ଜିଏନଏମ, ବିହେଚଏମଏସ, ବିଏଏମଏସ୍ ଓ ଡ଼ିଫର୍ମା ପାଶ୍ କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ବାର୍ଦ୍ଧକ୍ୟ ସେବାଜନିତ ଛଅ ମାସିଆ ସାର୍ଟିଫିକେଟ କୋର୍ସ ବ୍ୟତୀତ ଅନ୍ୟ କୌଣସି ବିଶ୍ୱବିଦ୍ୟାଳୟରେ ବାର୍ଦ୍ଧକ୍ୟ ସଂପର୍କୀତ ପାଠ୍ୟକ୍ରମ ପ୍ରଣୀତ ହୋଇପାରି ନାହିଁ l ଦେଶର ଅନ୍ୟତ୍ର ବିଶ୍ୱବିଦ୍ୟାଳୟମାନଙ୍କରେ ଜେରେଣ୍ଟୋଲୋଜି ସ୍ୱତନ୍ତ୍ର ବିଷୟ ରୂପେ ଅଧ୍ୟୟନ ଆରମ୍ଭ ହୋଇଛି l ଆମ ବିଶ୍ୱବିଦ୍ୟାଳୟଗୁଡ଼ିକୁ ସେହି ଦିଗରେ ଅନୁସରଣ କରିବାକୁ ପଡ଼ିବ l ଆଞ୍ଚଳିକ ବାର୍ଦ୍ଧକ୍ୟ ଜୀବନ ସଂପର୍କରେ ଗବେଷଣା ଓ ଅଧ୍ୟୟନ ତତ୍ ଜନିତ ସଚ଼େତନା ପ୍ରସାର ଓ ସମସ୍ୟା ସମାଧାନରେ ସହାୟକ ହୋଇପାରିବ l

 

ଦେଶର ଜନସଂଖ୍ୟାର ଦଶ ପ୍ରତିଶତ ବାର୍ଦ୍ଧକ୍ୟରେ ଉପନୀତ ହୋଇଥିବା ଅବସରରେ ବାର୍ଦ୍ଧକ୍ୟ ଚ଼ିନ୍ତନରେ ବୃଦ୍ଧଜନଙ୍କ ଯୋଗଦାନ ଗୁରୁତ୍ୱପୂର୍ଣ୍ଣ l ତେବେ ଏହି ଦିଗରେ ମଧ୍ୟ ଆବଶ୍ୟକୀୟ ପ୍ରଚ଼େଷ୍ଟାର ଅଭାବ ଅନୁଭୂତ ହୁଏ l ସାଧାରଣ ବର୍ଗରେ ବୃଦ୍ଧଜନ ପାରମ୍ପରିକ ଧାରାରେ ଧର୍ମକର୍ମରେ ସମୟ ଅତିବାହିତ କରୁଥିବାବେଳେ ଉଚ୍ଚଶିକ୍ଷିତ ବର୍ଗ ଏକରକମ ବାର୍ଦ୍ଧକ୍ୟର ଉପସ୍ଥିତିକୁ ଅସ୍ୱୀକାର କରୁଥିବା ମନେ ହୁଏ l ସ୍ଥାନୀୟ ବୟସ୍କ ବୁଦ୍ଧିଜୀବୀମାନେ ପୁଷ୍ଟିହୀନତାଠାରୁ ଆରମ୍ଭ କରି ଆନ୍ତର୍ଜାତିକ ଆତଙ୍କବାଦ ଯାଏଁ ସବୁ ବିଷୟରେ ଆଲୋଚ଼ନାରେ ଅଂଶଗ୍ରହଣ କରୁଥିବାବେଳେ ବାର୍ଦ୍ଧକ୍ୟ ଜୀବନଯାତ୍ରା ସଂପର୍କରେ ସମ୍ୱେଦନଶୀଳ ଥିବା ଦେଖିବାକୁ ମିଳେ ନାହିଁ l ବୃଦ୍ଧଜନଙ୍କ ସାଂଗଠନିକ ଜୀବନର ଅଭାବ ଏତାଦୃଶ ପରିବେଶର କାରଣ ବୋଲି ବିଚ଼ାର କରାଯାଇପାରେ l ତଦ୍ ଅନୁରୂପ ବୃଦ୍ଧଜନ କଲ୍ୟାଣକାରୀ ନାଗରିକ ସମାଜର ମଧ୍ୟ ଅଭାବ ଅନୁଭୂତ ହୁଏ l

 

ସମାଜରେ ବାର୍ଦ୍ଧକ୍ୟ ସଂପର୍କରେ ଚ଼େତନା ସୃଷ୍ଟି ନିମନ୍ତେ ଗଣମାଧ୍ୟମର ସହଯୋଗ କାମନା କରାଯାଇପାରେ l କୌଣସି ବହୁଳ ପ୍ରସାରିତ ମୁଦ୍ରିତ ସମ୍ୱାଦପତ୍ରରେ ଅନ୍ତତଃ ପାକ୍ଷିକଭିତ୍ତିରେ ବାର୍ଦ୍ଧକ୍ୟ ଅନୁକୂଳ ରଚ଼ନା ସମୃଦ୍ଧ ପୃଷ୍ଠା ପ୍ରକାଶନ ନିମନ୍ତେ ନିବେଦନ ଯୁକ୍ତିଯୁକ୍ତ ମନେହୁଏ l ଏଥିଲାଗି ଗଣମାଧ୍ୟମ ସହ ସଂପୃକ୍ତ ସଚ଼େତନ ବ୍ୟକ୍ତିବିଶେଷ ପ୍ରକାଶକ, ସମ୍ପାଦକଙ୍କୁ ପରାମର୍ଶ ଦେବା ଆବଶ୍ୟକ l ପ୍ରାଥମିକ ଅବସ୍ଥାରେ ଏଭଳି ପୃଷ୍ଠା ନିମନ୍ତେ ଲେଖାଲେଖି ସଂଗ୍ରହ ଦାୟିତ୍ୱ ମଧ୍ୟ ବହନ କରିବାକୁ ପଡ଼ିପାରେ l ପରବର୍ତ୍ତୀ ଅବସ୍ଥାରେ ଟେଲିଭିଜନ ଚ଼୍ୟାନେଲଗୁଡ଼ିକରେ ବାର୍ଦ୍ଧକ୍ୟ ଆଧାରିତ ଧାରାବାହିକୀ ପ୍ରଯୋଜନା ନିମନ୍ତେ ପରାମର୍ଶ ସହ ଆନୁସଙ୍ଗିକ ସହଯୋଗପ୍ରତି ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ l ରୀତିମତ ପ୍ରଚ଼େଷ୍ଟା ଜାରୀ ରହିଲେ ଅବଶ୍ୟ ସୁଫଳ ମିଳିବ l  

 

ବିକଶିତ ରାଷ୍ଟ୍ରଗୁଡ଼ିକରେ ଉପଲବ୍ଧ ବାର୍ଦ୍ଧକ୍ୟ ଅନୁକୂଳ ଭିତ୍ତିଭୂମି ସ୍ୱଚ୍ଛଳ ବାର୍ଦ୍ଧକ୍ୟ ଜୀବନଯାପନରେ ସହାୟକ ହୋଇଥାଏ l ଆଧୁନିକ ସାମାଜିକ ଆଙ୍ଗୀକରେ ସ୍ଥାନୀୟ ଆବଶ୍ୟକତାମତେ ସ୍ୱତଃପ୍ରବୃତ୍ତଭାବେ ଏଭଳି ସୁବିଧା ସୁଯୋଗ ସୃଷ୍ଟିର ସମ୍ଭାବନା ଥିଲେ ହେଁ ସଚ଼େତନ ନାଗରିକ ସମାଜର ଯୋଜନାବଦ୍ଧ ଉଦ୍ୟମରେ ବିବର୍ତ୍ତନ ପ୍ରକ୍ରିୟା ତ୍ୱରାନ୍ୱିତ ହେବା ଆଶା କରାଯାଇପାରେ l ସମକାଳରେ ଦେଶର ଅର୍ଦ୍ଧେକ ଜନସଂଖ୍ୟା ଯୁବବର୍ଗରେ ପର୍ଯ୍ୟୟଭୁକ୍ତ ହେଉଥିବା ଏବଂ କ୍ରମଶଃ ପାରମ୍ପରିକ ବ୍ୟବସାୟ ତଥା ନିଯୁକ୍ତି ସୁଯୋଗ ଅପସରି ଯାଉଥିବା ଅବସରରେ ବାର୍ଦ୍ଧକ୍ୟ ଅନୁକୂଳ ସେବା ବ୍ୟାବସାୟିକଭିତ୍ତିରେ ଆରମ୍ଭ କରାଯିବାଲାଗି ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି ହୋଇଛି l ବୃଦ୍ଧଜନ ନିଜ ବାସସ୍ଥଳୀ ସହରଗୁଡ଼ିକରେ ଆନୁସଙ୍ଗିକ ସୁବିଧା ସୁଯୋଗ ଉପଲବ୍ଧ କରାଇବା ନିମନ୍ତେ ଏଭଳି ଷ୍ଟାର୍ଟଅପଗୁଡ଼ିକର ବିକାଶ ନିମନ୍ତେ ନିଜ ପକ୍ଷରୁ ପ୍ରୋତ୍ସାହନ ପ୍ରଦାନ ପ୍ରସ୍ତାବ ସଂପର୍କରେ ଚ଼ିନ୍ତା କରିପାରନ୍ତି l

 

ଏ କ୍ଷେତ୍ରରେ ଆମେ ସରକାରୀ ଉଦ୍ୟମ ବିଚ଼ାରକୁ ନେବା ନାହିଁ l ସେମାନଙ୍କ ତରଫରୁ ଯାହା କରାଯିବା କଥା କରାଯାଉ l ସମାଜର ନିମ୍ନବର୍ଗର ବିପୁଳ ସଂଖ୍ୟକ ବୃଦ୍ଧଜନଙ୍କ ଲାଗି ସରକାରୀ କାର୍ଯ୍ୟକ୍ରମ ପ୍ରଯୋଜିତ ହେବା ସ୍ୱାଭାବିକ l ତେଣୁ ସେହି କ୍ଷେତ୍ରରେ କୌଣସି କ୍ରାନ୍ତିକାରୀ ପଦକ୍ଷେପ ଆଶା କରାଯାଇପାରେନା l

 

ସମାଜର ଉଚ୍ଚ ଶିକ୍ଷିତ ତଥା ଆର୍ଥିକ ଦିଗରୁ ସ୍ୱଚ୍ଛଳ ବୃଦ୍ଧଜନଙ୍କ ମଧ୍ୟରୁ ଏକାଂଶଙ୍କ ପକ୍ଷରୁ ଓଡ଼ିଶାରେ ବିକଳ୍ପ ବାର୍ଦ୍ଧକ୍ୟ ଜୀବନଯାତ୍ରା ସଂପର୍କରେ ତ୍ୱରିତ ପଦକ୍ଷେପରେ ଉଦାହରଣ ସୃଷ୍ଟି ସଂଭବପର l ଏଭଳି ଏକ ଗୋଷ୍ଠୀର ସକ୍ରିୟ ସଦସ୍ୟ ସଂଖ୍ୟା ପ୍ରାଥମିକସ୍ତରରେ ଡ଼ଜନରୁ ଦୁଇ ଡ଼ଜନରେ ପରିପୁଷ୍ଟ ହୋଇପାରିଲେ ମଧ୍ୟ ରାଜ୍ୟରେ ବାର୍ଦ୍ଧକ୍ୟ ଅନୁକୂଳ ସୁବିଧା ସୁଯୋଗ ସୃଷ୍ଟିରେ ଯୁଗାନ୍ତକାରୀ ପରିବର୍ତ୍ତନ ଦେଖିବାକୁ ମିଳିପାରେ l



ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଡ଼ିସେମ୍ୱର ୨୦୧୭

ଆସନ୍ନ-ବାର୍ଦ୍ଧକ୍ୟ ଅସୁସ୍ଥତା 

ଭାରତର ଆସନ୍ନ-ବାର୍ଦ୍ଧକ୍ୟରେ ଉପନୀତ ନାଗରିକ ହାରାହାରି ୫୩ ବର୍ଷ ବୟସରେ ସାତଗୋଟି ଦୀର୍ଘକାଳୀନ ଅସୁସ୍ଥତାର ସମ୍ମୁଖୀନ ହେଉଥିବା ଗବେଷଣାରୁ ଜଣାଯାଇଛି । ମୁମ୍ୱାଇସ୍ଥିତ ‘ଇଣ୍ଟରନ୍ୟାସନାଲ ଇନଷ୍ଟିଟିଉଟ ଅଫ ପପୁଲେସନ ସାଇନ୍ସେସ’ରେ ଆୟୋଜିତ ଏକ ଗବେଷଣାର ନିଷ୍କର୍ଷ ‘ନେଚ଼ର-ଡ଼ଟ-କମ’ ଅନଲାଇନ ମଞ୍ଚରେ ଏପ୍ରିଲ ୨୦୨୩ରେ ଉପସ୍ଥାପିତ ହୋଇଥିଲା । ସମକାଳରେ ଦେଶରେ ପୁରୁଷଙ୍କ କ୍ଷେତ୍ରରେ ୬୯ ଓ ମହିଳାଙ୍କ କ୍ଷେତ୍ରରେ ୭୨ ଯାଏଁ ଜୀବଦ୍ଦଶା ହିସାବ କରାଯାଉଥିବା ଅବସରରେ ବାର୍ଦ୍ଧକ୍ୟାବସ୍ଥାରେ ପହଞ୍ଚିବା ପୂର୍ବରୁ ଅସୁସ୍ଥ ହୋଇପଡୁଥିବା ପରିସଂଖ୍ୟାନ ବ୍ୟକ୍ତିଗତ, ପାରିବାରିକ ଓ ସାମାଜିକସ୍ତରରେ ନକାରାତ୍ମକ ପ୍ରଭାବ ବିସ୍ତାର କରୁଥିବା ସୁସ୍ପଷ୍ଟ ।

 

ଗବେଷଣାରୁ ପ୍ରକାଶ ଯେ ଭାରତୀୟମାନେ ସାତଗୋଟି ଦୀର୍ଘ ସ୍ଥାୟୀ ରୋଗ ମଧ୍ୟରେ ହାରାହାରି ୫୧ ବର୍ଷ ବୟସରେ କର୍କଟ ରୋଗ, ୫୪ ବର୍ଷ ବୟସରେ ମଧୁମେହ ଓ ସ୍ନାୟୁଗତ ରୋଗ, ୫୫ ବର୍ଷ ବୟସରେ ଉଚ୍ଚରକ୍ତଚାପ ଓ ଶ୍ୱାସରୋଗ, ୫୬ ବର୍ଷ ବୟସରେ ଆର୍ଥାରାଇଟିସ ବାତରୋଗ ଏବଂ ୫୯ ବର୍ଷ ବୟସରେ ହୃଦରୋଗରେ ଆକ୍ରାନ୍ତ ହୋଇଥାନ୍ତି । ହିସାବ ଅନୁଯାୟୀ ୪୫ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ଉଚ୍ଚରକ୍ତଚାପରେ ସର୍ବାଧିକ ଓ ସର୍ବନିମ୍ନ କର୍କଟ ରୋଗାକ୍ରାନ୍ତ । ହାରାହାରି ୨୭ ପ୍ରତିଶତ ଉଚ୍ଚରକ୍ତଚାପ, ୧୨ ପ୍ରତିଶତ ମଧୁମେହ, ନଅ ପ୍ରତିଶତ ଆର୍ଥାରାଇଟିସ, ଛଅ ପ୍ରତିଶତ ଶ୍ୱାସରୋଗ, ପାଞ୍ଚ ପ୍ରତିଶତ ହୃଦରୋଗ ବା ହୃଦଘାତ, ଦୁଇ ପ୍ରତିଶତ ସ୍ନାୟୁଗତ ରୋଗ ଓ ୦.୬ ପ୍ରତିଶତ କର୍କଟ ରୋଗ କବଳରେ ପଡ଼ିଥାନ୍ତି ।

 

ଏକବିଂଶ ଶତାଦ୍ଦୀ ଆରମ୍ଭରୁ ଦୁଇ ଦଶନ୍ଧି ଧରି ବିଭିନ୍ନ ଅଧ୍ୟୟନରେ ଭାରତୀୟମାନେ ୫୦ ବର୍ଷ ବୟସରେ ଉପନୀତ ହେବା ପୂର୍ବରୁ ଉଚ୍ଚରକ୍ତଚାପ, ମଧୁମେହ, ହୃଦରୋଗ ଓ ହୃଦଘାତର ସମ୍ମୁଖୀନ ହେଉଥିବା ଆକଳନ କରାଯାଇଥିଲା । ତେବେ ଆଲୋଚ୍ୟ ଗବେଷଣାରେ ପ୍ରଥମ ଥର ପାଇଁ ‘ଲଙ୍ଗିଟ୍ୟୁଡ଼ିନାଲ ଏଜିଂ ଷ୍ଟଡ଼ି ଅଫ ଇଣ୍ଡିଆ’ରେ ସଂଗୃହୀତ ୬୫,୨୦୦ ନମୂନାରେ ୪୫ ବର୍ଷରୁ ଉର୍ଦ୍ଧ୍ୱ ଭାରତୀୟଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କୀତ ତଥ୍ୟାବଳୀ ଅନୁଶୀଳନ କରାଯାଇ ବିଭିନ୍ନ ଦୀର୍ଘକାଳୀନ ଅସୁସ୍ଥତାର ହାରାହାରି ବୟସ ନିର୍ଦ୍ଧାରିତ ହୋଇଛି ।

 

ଭାରତରେ ‘ଲଙ୍ଗିଟ୍ୟୁଡ଼ିନାଲ ଷ୍ଟଡ଼ି’ ବା ଦୀର୍ଘକାଳୀନ ଗବେଷଣା ଏକ ଅଭିନବ ପଦକ୍ଷେପ । ଏହି ପଦ୍ଧତିରେ ଆୟୋଜିତ ସର୍ବେକ୍ଷଣ ‘ସର୍ଭେ’ରେ ଉଦ୍ଦିଷ୍ଟ ବିଷୟବସ୍ତୁ ସଂପର୍କରେ ଦୀର୍ଘକାଳ ଧରି ତଥ୍ୟ ସଂଗୃହୀତ ହୋଇଥାଏ । ଅଧ୍ୟୟନକୁ ପରିପୁଷ୍ଟ କରିବା ନିମନ୍ତେ ପ୍ରତି ତିନିବର୍ଷ ଅନ୍ତରରେ ଥରେ ଦୀର୍ଘ ୨୫ ବର୍ଷ ଯାଏଁ ସମୟସୀମାରେ ଚ଼ିହ୍ନଟ କରାଯାଇଥିବା ନମୂନା ଜନସାଧାରଣଙ୍କ ଜୀବନଯାତ୍ରା ସଂପର୍କରେ ବାରମ୍ୱାର ତଥ୍ୟ ସଂଗ୍ରହର ବ୍ୟବସ୍ଥା ସ୍ଥିରୀକୃତ ହୋଇଛି । ଭାରତୀୟ ଦୀର୍ଘକାଳୀନ ବାର୍ଦ୍ଧକ୍ୟ ଅଧ୍ୟୟନର ପ୍ରଥମ ତରଙ୍ଗରେ ସଂଗୃହୀତ ପରିସଂଖ୍ୟାନ ୨୦୨୧ ଜାନୁୟାରୀରେ ପ୍ରକାଶ ପାଇଥିଲା । ଏହି ତଥ୍ୟାବଳୀ ଆଧାରରେ ଆଲୋଚ୍ୟ ଗବେଷଣା ଆୟୋଜନ କରାଯାଇଥିଲା ।

 

ଏହି ସର୍ବେକ୍ଷଣରୁ ଜଣାଯାଇଥିଲା ଯେ ଭାରତରେ ୨୦୧୧ ଜନଗଣନା ହିସାବରେ ମୋଟ ଜନସଂଖ୍ୟାର ୮.୬ ପ୍ରତିଶତ, ଅର୍ଥାତ ଦଶ କୋଟି ତିରିଶି ଲକ୍ଷ ୬୦ ବର୍ଷରୁ ଉର୍ଦ୍ଧ୍ୱ ନାଗରିକ ବସବାସ କରୁଥିବା ସ୍ଥଳେ ସେମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟାବସ୍ଥା ଦୃଷ୍ଟିରୁ ୭୫ ପ୍ରତିଶତ କୌଣସି ଏକ ଦୀର୍ଘସ୍ଥାୟୀ ରୋଗାକ୍ରାନ୍ତ । ବାର୍ଦ୍ଧକ୍ୟଗ୍ରସ୍ତଙ୍କ ମଧ୍ୟରେ ୪୦ ପ୍ରତିଶତ କୌଣସି ଏକ ଅଙ୍ଗ ଅକର୍ମଣ୍ୟ ଏବଂ ୨୦ ପ୍ରତିଶତ ମାନସିକ ରୋଗର ଶୀକାର । ଚାରି କୋଟି ୫୦ ଲକ୍ଷ ହୃଦରୋଗୀ ଓ ଦୁଇ କୋଟି ମଧୁମେହ ରୋଗୀ । ବାର୍ଦ୍ଧକ୍ୟଗ୍ରସ୍ତଙ୍କ ସଂଖ୍ୟା ବାର୍ଷିକ ତିନି ପ୍ରତିଶତ ହାର ବୃଦ୍ଧି ପାଉଥିବା ହେତୁ ୨୦୨୩ ସୁଦ୍ଧା ବେଶ ଅଧିକ ସ୍ତରରେ ପହଞ୍ଚିଥିବା ସୁନିଶ୍ଚିତ ।

 

ସାଧାରଣ ବିଚାରରେ ବାର୍ଦ୍ଧକ୍ୟାବସ୍ଥାରେ ବିଭିନ୍ନ ଦୀର୍ଘସ୍ଥାୟୀ ରୋଗ ମାଡ଼ି ବସୁଥିବା ବିଶ୍ୱାସ କରାଯାଏ । କିନ୍ତୁ ଆଲୋଚ଼୍ୟ ଗବେଷଣାରେ ସେହି ଭଳି ଧାରଣା ଭୂଲ ପ୍ରମାଣିତ ହୋଇଛି । ଉଦାହରଣରେ ୬୫ ବର୍ଷୋତ୍ତରଙ୍କ ତୁଳନାରେ ୪୫ ରୁ ୫୪ ବର୍ଷ ବୟସ ସୀମାରେ ୨୩ ପ୍ରତିଶତ ଅଧିକ ଜନସଂଖ୍ୟା ମଧୁମେହ ରୋଗରେ ପୀଡ଼ିତ । ସେହିପରି ୬୫ ବର୍ଷୋତ୍ତରଙ୍କ ତୁଳନାରେ ୪୫ରୁ ୫୪ ବର୍ଷ ବୟସ ସୀମାରେ ଉଚ୍ଚରକ୍ତଚାପ ଓ ସ୍ନାୟୁଗତ ରୋଗ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ । ଏହି ଭଳି ତଥ୍ୟ ବାର୍ଦ୍ଧକ୍ୟରେ ପାଦ ଦେବା ପୂର୍ବରୁ ବହୁ ସଂଖ୍ୟକ ଦୀର୍ଘସ୍ଥାୟୀ ରୋଗାକ୍ରାନ୍ତ ହୋଇପଡୁଥିବା ପ୍ରମାଣିତ କରିଥାଏ ।

 

ଗଣମାଧ୍ୟମ ସହ ଆଲୋଚ଼ନା ଅବସରରେ ଆଲୋଚ଼୍ୟ ଅଧ୍ୟୟନର ଗବେଷକଦ୍ୱୟ ସର୍ବେକ୍ଷଣର ନିଷ୍କର୍ଷ ଆଧାରରେ କେତେକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ସୂଚ଼ିତ କରିଥିଲେ । ପ୍ରଥମତଃ, ଦେଶରେ ବହୁ ସଂଖ୍ୟକ ଆସନ୍ନ-ବାର୍ଦ୍ଧକ୍ୟ ଜୀବନରେ ଦୀର୍ଘକାଳୀନ ରୋଗଗ୍ରସ୍ତ ହୋଇପଡୁଥିବା ଫଳରେ ବାର୍ଦ୍ଧକ୍ୟଗ୍ରସ୍ତ ସହ ଆସନ୍ନ-ବାର୍ଦ୍ଧକ୍ୟ ବର୍ଗଙ୍କ ନିମନ୍ତେ ଚ଼ିକିତ୍ସା, ଜୀବନଚର୍ଯ୍ୟାରେ ସହାୟତା ଓ ଆନୁସଙ୍ଗିକ ସାମାଜିକ ବ୍ୟବସ୍ଥା ସଜାଡ଼ିବା ଲାଗି ଉଦ୍ୟମ ଅପରିହାର୍ଯ୍ୟ । ଦ୍ୱିତୀୟତଃ, ଆସନ୍ନ-ବାର୍ଦ୍ଧକ୍ୟାବସ୍ଥାରେ ରୋଗଗ୍ରସ୍ତ ହେବା ଦ୍ୱାରା ଦେଶର ଅର୍ଥନୀତିକ ଅଭିବୃଦ୍ଧିରେ ନକାରାତ୍ମକ ପ୍ରଭାବ ପଡ଼ିବ ।

 

ତୃତୀୟତଃ, ଅବସର ଜୀବନ ବିତାଉଥିବା ବାର୍ଦ୍ଧକ୍ୟଗ୍ରସ୍ତଙ୍କ ତୁଳନାରେ ଜୀବନର ଚ଼ତୁର୍ଥ ଓ ପଞ୍ଚମ ଦଶକରେ ଅଧିକ ସଂଖ୍ୟକ ହୃଦରୋଗରେ ଶୀକାର ହେଉଥିବା ତଥ୍ୟ ଜନଜୀବନରେ ହୃଦରୋଗ ପ୍ରତିଷେଧକ ବ୍ୟବସ୍ଥାବଳୀର ପୁର୍ନମୂଲ୍ୟାୟନ ଦାବୀ କରେ । ଚ଼ତୁର୍ଥତଃ, ସମୟକ୍ରମେ ଅତୀତ ତୁଳନାରେ ନିଦାନ ବ୍ୟବସ୍ଥାରେ ଉନ୍ନତି ହେତୁ ଅନେକ ବ୍ୟକ୍ତି ବାର୍ଦ୍ଧକ୍ୟରେ ପହଞ୍ଚିବା ପୂର୍ବରୁ ରୋଗାକ୍ରାନ୍ତ ହେଉଥିବା ଜଣାଯାଉଛି କି, ତାହା ଏକ ବଡ଼ ପ୍ରଶ୍ନ । ପଞ୍ଚମତଃ, ଭାରତରେ କ୍ରମଶଃ ସଂକ୍ରାମକ ରୋଗ ଦ୍ୱାରା ଅକାଳରେ ମୃତ୍ୟୁ ସଂଖ୍ୟା କମି ଆସୁଥିବା ସ୍ଥଳେ ଅଣ-ସଂକ୍ରାମକ ରୋଗରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ହିସାବ ଅନୁଯାୟୀ ୧୯୯୦ରେ ସଂକ୍ରାମକ ରୋଗ କବଳରେ ୬୧ ପ୍ରତିଶତ ମୃତ୍ୟୁ ଘଟିଥିବା ସ୍ଥଳେ ୨୦୦୬ରେ ୩୩ ପ୍ରତିଶତକୁ ଖସି ଆସିଥିଲା । କିନ୍ତୁ ଅଣ-ସଂକ୍ରାମକ ରୋଗ ଦ୍ୱାରା ମୃତ୍ୟୁ ହାର ୧୯୯୦ରେ ୩୦ ପ୍ରତିଶତ ଥିବା ବେଳେ ୨୦୧୬ରେ ୫୫ ପ୍ରତିଶତକୁ ବୃଦ୍ଧି ପାଇଥିଲା ।

 

ଭାରତରେ ୨୦୧୬ରେ ସମଗ୍ର ମୃତ୍ୟୁ ସଂଖ୍ୟାର ୬୩ ପ୍ରତିଶତ ଦୀର୍ଘସ୍ଥାୟୀ ରୋଗ ଦ୍ୱାରା ଘଟୁଥିବା କୁହାଯାଏ । ପ୍ରଥମ ସ୍ଥାନରେ ହୃଦରୋଗରେ ମୃତ୍ୟୁ ସଂଖ୍ୟା ୨୭ ପ୍ରତିଶତ, ଦ୍ୱିତୀୟରେ ଶ୍ୱାସ ରୋଗରେ ୧୧ ପ୍ରତିଶତ, ତୃତୀୟରେ କର୍କଟ ରୋଗରେ ନଅ ପ୍ରତିଶତ, ଚ଼ତୁର୍ଥରେ ମଧୁମେହରେ ତିନି ପ୍ରତିଶତ ଏବଂ ପଞ୍ଚମରେ ଅନ୍ୟାନ୍ୟ ଅଣ-ସଂକ୍ରାମକ ରୋଗରେ ୧୩ ପ୍ରତିଶତ ପ୍ରାଣ ହରାଇଥିଲେ । ଦୀର୍ଘକାଳୀନ ରୋଗଗ୍ରସ୍ତଙ୍କ ମଧ୍ୟରେ ୫୬ ପ୍ରତିଶତ ଅଣ-ସଂକ୍ରାମକ ରୋଗରେ ପଡ଼ିଥାନ୍ତି ଓ ୨୮ ପ୍ରତିଶତ ବାର୍ଦ୍ଧକ୍ୟଗ୍ରସ୍ତ ଏକରୁ ଅଧିକ ଦୀର୍ଘକାଳୀନ ରୋଗରେ ପୀଡ଼ିତ ।

 

ଦେଶରେ ସାତଗୋଟି ଦୀର୍ଘସ୍ଥାୟୀ ରୋଗଗ୍ରସ୍ତଙ୍କ ମଧ୍ୟରେ ଆର୍ଦ୍ଧେକ ବ୍ୟକ୍ତି ମଧ୍ୟବୟସରେ ରୋଗ ସଂସ୍ପର୍ଶରେ ଆସୁଥିବା ପରିସଂଖ୍ୟାନ ସେମାନଙ୍କ ବାର୍ଦ୍ଧକ୍ୟ ଜୀବନଚ଼ର୍ଯ୍ୟା ଲାଗି ଚ଼ିକିତ୍ସା, ଆବାସ, ଅର୍ଥନୀତି ଓ ସାମାଜିକ ସୁବିଧାସୁଯୋଗ ସୃଷ୍ଟି ଦିଗରେ ଗୁରୁତ୍ୱ ବହନ କରେ । ଉଦାହରଣରେ ଜଣେ ସୁସ୍ଥ ବ୍ୟକ୍ତିଙ୍କ ତୁଳନାରେ ଅନ୍ୟ ଜଣେ ହୃଦରୋଗାକ୍ରାନ୍ତ ସ୍ୱତନ୍ତ୍ର ଭିତ୍ତିଭୂମି ଆବଶ୍ୟକ କରିବେ । ଅତଏବ, ସାମୂହିକସ୍ତରରେ ବାର୍ଦ୍ଧକ୍ୟ ଅନୁକୂଳ ନୀତିନିୟମ ପ୍ରଣୟନ ତଥା ସମ୍ଭାବ୍ୟ ସମସ୍ୟାବଳୀର ମୁକାବିଲା ନିମନ୍ତେ ପାରିବାରିକ ଓ ବ୍ୟକ୍ତିଗତସ୍ତରରେ ଯୋଜନାବଦ୍ଧ ଉଦ୍ୟମ ଗୁରୁତ୍ୱ ବହନ କରେ । 



ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଜୁଲାଇ ୨୦୨୩

ତଥ୍ୟ :


Rashmi Rashmi & Sanjay K. Mohanty. www.nature.com/ 10 April 2023

 

https://www.nature.com/articles/s41598-023-22861-5

 

Mudur, G.S. Why 53 is crucial for many Indians. The Telegraph  (Kolkatta Edition) July 7, 2023

ଉତ୍ତର- ବାର୍ଦ୍ଧକ୍ୟ ଜୀବନଚର୍ଯ୍ୟା ପାଇଁ ସାମର୍ଥ୍ୟ ସୃଷ୍ଟି

ଉତ୍ତର-ବାର୍ଦ୍ଧକ୍ୟ-ଜୀବନଚର୍ଯ୍ୟା ପାଇଁ ସାମର୍ଥ୍ୟ ସୃଷ୍ଟି ମନୁଷ୍ୟ ଜୀବନର ଏକ ମହତ୍ୱପୂର୍ଣ୍ଣ ଦିଗ ହୋଇଥିଲେ ହେଁ ଆମ ସମାଜରେ ବ୍ୟାବହାରିକସ୍ତରରେ ପ୍ରାୟତଃ ପ୍ରଭାବଶୂନ୍ୟ । ଏହି କ୍ଷେତ୍ରରେ ବିକଶିତ ରାଷ୍ଟ୍ରଗୁଡ଼ିକରେ ଏକବିଂଶ ଶତାଦ୍ଦୀ ଆରମ୍ଭ ସୁଦ୍ଧା ବେସରକାରୀ ଓ ବ୍ୟାବସାୟିକସ୍ତରରେ ବହୁ ଯୋଜନା ଉପଲବ୍ଧ । ତେବେ ଭାରତ, ବିଶେଷ କରି ଓଡ଼ିଶାର ପାଣିପବନରେ ଉତ୍ତର-ବାର୍ଦ୍ଧକ୍ୟ-ଜୀବନଚର୍ଯ୍ୟା ତଥା ସେଥିଲାଗି ସାମର୍ଥ୍ୟ ସୃଷ୍ଟି ଚିନ୍ତନ ବ୍ୟକ୍ତିଗତ କିମ୍ୱା ସାମୂହିକସ୍ତରରେ ଅଭାବ।

 

ଉତ୍ତର-ବାର୍ଦ୍ଧକ୍ୟ-ଜୀବନଚର୍ଯ୍ୟା ପାଇଁ ସାମର୍ଥ୍ୟ ‘ଏଣ୍ଡ-ଅଫ-ଲାଇଫ ସାପୋର୍ଟ ସିଷ୍ଟମ’ ମୁଖ୍ୟତଃ ପରିଣତ ବୟସରେ ଶଯ୍ୟାଶାୟୀ ଜୀବନରେ ସହାୟତାପୂର୍ଣ୍ଣ ଜୀବନଯାତ୍ରାର ବିଭିନ୍ନ ବିଭବକୁ ବୁଝାଇଥାଏ । ଏଭଳି ଜୀବନଚ଼ର୍ଯ୍ୟାରେ ପରିଚାରକଙ୍କ ଆବଶ୍ୟକତା, ମତିଭ୍ରମ ‘ଡ଼ିମେନସିଆ’ ଭଳି ରୋଗାକ୍ରାନ୍ତ ଅବସ୍ଥାରେ ଅପରର ତତ୍ତ୍ୱାବଧାନ ତଥା ନିଶ୍ଚିତ-ମୃତ୍ୟୁ-ଅପେକ୍ଷାରତ ଅବସ୍ଥାରେ ନର୍ସିଂହୋମ, ହସପିସ ଇତ୍ୟାଦିର ସୁବିଧା ସୁଯୋଗ ଅନ୍ତର୍ଭୁକ୍ତ ।

 

ପାରମ୍ପରିକ ଓଡ଼ିଶୀ ସମାଜରେ ଶୈଶବ ଓ ବାର୍ଦ୍ଧକ୍ୟଜନିତ ଯତ୍ନ ଏକାନ୍ତଭାବେ ପାରିବାରିକ ଦାୟିତ୍ୱରେ ରହିଆସିଥିଲା । ତେବେ ସ୍ୱାଧୀନୋତ୍ତର ଅବସ୍ଥାରେ ରାଜ୍ୟରେ ସହରାଞ୍ଚଳ ବିକାଶ ଓ ରୋଜଗାରକ୍ଷମଙ୍କ ଦେଶାନ୍ତର ଗମନ ଧାରା ଆରମ୍ଭ ହେବା ପରେ ଶିକ୍ଷିତ ଓ ସ୍ୱଚ୍ଛଳ ମଧ୍ୟବିତ୍ତ ପରିବାର ବର୍ଗରେ ସୃଷ୍ଟ ଅଣୁପାରିବାରିକ ବ୍ୟବସ୍ଥା ‘ନିଉକ୍ଳିଅର-ଫେମଲି-ସେଟଅପ’ ଜଗତୀକରଣ ପରବର୍ତ୍ତୀ ଅବସ୍ଥାରେ ଦୃଢ଼ୀଭୂତ ହେବାପରେ ସହର ଓ ଗ୍ରାମ୍ୟ ପାରିବାରିକ ଆଙ୍ଗିକ ଉଭୟ କ୍ଷେତ୍ରରେ ବୟସ୍କଙ୍କ ଯତ୍ନରେ ବିଘଟନ ସୂତ୍ରପାତ କରାଇଛି ।

 

ରାଜ୍ୟର ୮୬ ପ୍ରତିଶତ ପରିବାର ଗ୍ରାମାଞ୍ଚଳରେ ବସବାସ କରୁଥିଲେହେଁ ସେଠାକାର ଜୀବନଯାତ୍ରାରେ ଯୌଥପରିବାରର ସଂଜ୍ଞା କ୍ରମଶଃ ଶୀଥିଳ ହୋଇପଡ଼ିଛି । ଫଳରେ ଶୈଶବ ଓ ବାର୍ଦ୍ଧକ୍ୟ ବୃହତ ପାରିବାରିକ ‘ଏକ୍ସଟେଣ୍ଡେଡ଼-ଫେମିଲି-ସେଟଅପ’ର ଯତ୍ନରୁ ବଞ୍ଚିତ ହେଉଥିବା ପରିଲକ୍ଷିତ । ସ୍ୱାଧୀନତା ପ୍ରାପ୍ତିବେଳେ ହାରାହାରି ୩୨ ବର୍ଷର ଜୀବଦ୍ଦଶା ସାତ ଦଶକ ମଧ୍ୟରେ ୭୦ ବର୍ଷରେ ପହଞ୍ଚିବା ଫଳରେ ବୃଦ୍ଧଜନ ସଂଖ୍ୟା ବଢ଼ିଚାଲିଛି । ଏହି ପରିପ୍ରେକ୍ଷୀରେ ଉତ୍ତର-ବାର୍ଦ୍ଧକ୍ୟ ଜୀବନଚ଼ର୍ଯ୍ୟା ବିକଳ୍ପ ସୁବିଧାସୁଯୋଗର ଅପେକ୍ଷାରତ ।

 

ଏଥିଲାଗି ସାମର୍ଥ୍ୟ ସୃଷ୍ଟିରେ ବାର୍ଦ୍ଧକ୍ୟ ଅନୁକୂଳ ବାସସ୍ଥଳୀ ନିର୍ବାଚନ ସର୍ବାଧିକ ଗୁରୁତ୍ୱ ବହନ କରେ । ଆମ ରାଜ୍ୟରେ ପାରିବାରିକ ବାସଗୃହ ବ୍ୟତୀତ ଅତ୍ୟନ୍ତ ଅବହେଳିତଙ୍କ ନିମନ୍ତେ ଖୁବ କମ ସଂଖ୍ୟକ ଦାତବ୍ୟ ବୃଦ୍ଧାଶ୍ରମ ଭିନ୍ନ ଅବସର ବିହାର, ପରିଚାରକଯୁକ୍ତ ଆବାସ, ନର୍ସିଂହୋମ ଓ ହସପିସ ସେବା ଇତ୍ୟାଦି ଆରମ୍ଭ ହୋଇପାରି ନାହିଁ । ବିକଶିତ ରାଷ୍ଟ୍ରଗୁଡ଼ିକରେ ଉତ୍ତର-ବାର୍ଦ୍ଧକ୍ୟ ଜୀବନଚ଼ର୍ଯ୍ୟାରେ ଆବଶ୍ୟକୀୟ ଯତ୍ନ ଅନୁଯାୟୀ ବରିଷ୍ଠ ନାଗରିକ ଏବଂ ସେମାନଙ୍କ ପରିବାର ବାର୍ଦ୍ଧକ୍ୟ ଅନୁକୂଳ ବାସସ୍ଥଳୀ ନିର୍ବାଚନ କରିଥାନ୍ତି ।

 

ଗବେଷଣାରୁ ପ୍ରକାଶ ଯେ ଯୁକ୍ତରାଷ୍ଟ୍ର ଆମେରିକାରେ ପାରିବାରିକ ବାସଗୃହରେ ୯୦ ପ୍ରତିଶତ ବରିଷ୍ଠ ନାଗରିକ ନିଜ ବାର୍ଦ୍ଧକ୍ୟ ଜୀବନ ବିତାଇବାକୁ ଚାହାନ୍ତି । ପ୍ରାକୃତିକ କାରଣଜନିତ ମୃତ୍ୟୁ ପରିସଂଖ୍ୟାନରୁ ଜଣାଯାଏ ଯେ ୨୦୧୭ରେ ୨୯.୮ ପ୍ରତିଶତ ନିଜ ବାସଗୃହରେ ମୃତ୍ୟୁବରଣ କରିଥିବା ସ୍ଥଳେ ସମସଂଖ୍ୟକ ୩୦.୭ ପ୍ରତିଶତ ହସପିଟାଲରେ ମୃତ୍ୟୁବରଣ କରିଥିଲେ । ସମାଜତତ୍ତ୍ୱବିତମାନଙ୍କ ମତରେ ମାର୍କିନ ବରିଷ୍ଠ ନାଗରିକମାନେ ଏଣିକି ମୃତ୍ୟୁ-ସମୀପ-ଜୀବନ ହସପିଟାଲ ପରିବେଶରେ ଅତ୍ୟାଧୁନିକ ଜୀବନରକ୍ଷାକାରୀ ସାଜସରଞ୍ଜାମ ଉପଯୋଗରେ ମୃତ୍ୟୁ ସହ ଲଢ଼ିବା ବଦଳରେ ନିଜ ପରିଚିତ ବାସଗୃହରେ ମୃତ୍ୟୁ ନିଷ୍ପତି କ୍ରମଶଃ ଲୋକପ୍ରିୟ ହେବାରେ ଲାଗିଛି । ହିସାବରୁ ଜଣାଯାଏ ଯେ ଦ୍ୱିତୀୟ ବିଶ୍ୱଯୁଦ୍ଧୋତ୍ତର ସମୟସୀମାରେ ୩୦ ପ୍ରତିଶତ ଯାଏଁ ମୃତ୍ୟୁ ବାସଗୃହରେ ଘଟୁଥିଲା । ତେବେ ପରବର୍ତ୍ତୀ ଅବସ୍ଥାରେ ଚିକିତ୍ସାଳୟରେ ଅନ୍ତିମ ଜୀବନଯାପନ ସଂଖ୍ୟା ବୃଦ୍ଧି ଦେଖିବାକୁ ମିଳିଥିଲା ।

 

ସମକାଳରେ ମାର୍କିନ ସମାଜରେ ବରିଷ୍ଠ ନାଗରିକମାନେ ପାରିବାରିକ ବାସଗୃହରେ ଉତ୍ତର-ବାର୍ଦ୍ଧକ୍ୟ ବିତାଇବା ନିମନ୍ତେ ମତ ପୋଷଣ କରୁଥିଲେ ହେଁ ପ୍ରାୟ ଏକ ତୃତୀୟାଂଶ ନର୍ସିଂହୋମ ବା ହସପିଟାଲ ମୃତ୍ୟୁ ଗଣନାର କାରଣ ଗବେଷଣାଲବ୍ଧତଥ୍ୟାବଳୀରୁ ମିଳିଥାଏ । ମାର୍କିନ ସଭ୍ୟତାର ଉଦାହରଣ ବିଶ୍ୱର ଅନ୍ୟାନ୍ୟ ପ୍ରାନ୍ତରେ ମଧ୍ୟ ପ୍ରତିଫଳିତ । ବାର୍ଦ୍ଧକ୍ୟ ବିଶେଷଜ୍ଞ ବାରବାରା ଗୋମସ ବାର୍ଦ୍ଧକ୍ୟ ଯତ୍ନକେନ୍ଦ୍ରୀକ ଛଅଗୋଟି ଗବେଷଣା ପତ୍ରିକାରେ ୨୦୦୬ ରୁ ୧୧ ମଧ୍ୟରେ ପ୍ରକାଶିତ ୨୧୦ ଗୋଟି ନିବନ୍ଧ ଅନୁଶୀଳନ କରିଥିଲେ । ଏହି ନିବନ୍ଧଗୁଡ଼ିକ ରଚନା ଲାଗି ଆୟୋଜିତ ଗବେଷଣାରେ ୩୩ ଗୋଟି ରାଷ୍ଟ୍ରର ଏକ ଲକ୍ଷ ବ୍ୟକ୍ତି ଅଂଶଗ୍ରହଣ କରିଥିବା ସ୍ଥଳେ ସେମାନଙ୍କ ମଧ୍ୟରେ ପ୍ରାୟ ୩୪ ହଜାର ରୋଗୀ, ୨୦ ହଜାର ସେବା ପ୍ରଦାନକାରୀ ଏବଂ ୩୦ ହଜାର ସାଧାରଣ ନାଗରିକ ଅନ୍ତର୍ଭୁକ୍ତ ।

 

ବାରବାରାଙ୍କ ନିର୍ଯ୍ୟାସରେ ୭୫ ପ୍ରତିଶତ ବରିଷ୍ଠ ନାଗରିକ ଉତ୍ତର-ବାର୍ଦ୍ଧକ୍ୟ ନିଜ ପାରିବାରିକ ବାସଗୃହରେ କଟାଇବାରେ ଆଗ୍ରହୀ । ବିଭିନ୍ନ ରୋଗ ଆକ୍ରମଣ ଓ ଶଯ୍ୟାଶାୟୀ ଅବସ୍ଥାରେ ପହଞ୍ଚିବା ପରେ ମଧ୍ୟ ୮୦ ପ୍ରତିଶତ ନିଜ ନିଷ୍ପତ୍ତି ବଦଳାଇନଥାନ୍ତି । ତେବେ ବାସଗୃହରେ ସଙ୍କଟାପନ୍ନ ଅବସ୍ଥାରେ ଚ଼ିକିତ୍ସା ଆୟୋଜନ କିମ୍ୱା ବିଭିନ୍ନ କାରଣରୁ ସେବା ପ୍ରଦାନକାରୀଙ୍କ ନିଷ୍ପତ୍ତି ହେତୁ ୩୦ ପ୍ରତିଶତ ଯାଏଁ ମୃତ୍ୟୁ ସମୀପ-ଜୀବନଚର୍ଯ୍ୟାଲାଗି ନର୍ସିଂହୋମ ଓ ହସପିଟାଲରେ ଭର୍ତ୍ତି ହେବାକୁ ବାଧ୍ୟ ହୋଇଥାନ୍ତି ।

 

 

ବିକଶିତ ରାଷ୍ଟ୍ରଗୁଡ଼ିକରେ ଉତ୍ତର-ବାର୍ଦ୍ଧକ୍ୟ-ଜୀବନଚର୍ଯ୍ୟା ପାଇଁ ସାମର୍ଥ୍ୟ ସୃଷ୍ଟି ବ୍ୟାବସାୟିକସ୍ତରରେ ବିକଶିତ ହୋଇପାରିଛି । ଘରୋଇ ପରିବେଶରେ ଚ଼ିକିତ୍ସାର ସୁବିଧା ମିଳୁଥିବା ସ୍ଥଳେ ସରକାରୀ ସ୍ୱାସ୍ଥ୍ୟବୀମା ପ୍ରତ୍ୟେକ ନାଗରିକଙ୍କୁ ଏହିଭଳି ଚିକିତ୍ସା ଖର୍ଚ୍ଚର ଏକାଂଶ ଭରଣା କରିପାରୁଛି । ବାର୍ଦ୍ଧକ୍ୟ ଜୀବନଚ଼ର୍ଯ୍ୟା ନିମନ୍ତେ ବୃତ୍ତିଧାରୀ ପରିଚାରକଙ୍କ ସୁବିଧା ସୁଯୋଗ ଉପଲବ୍ଧ ଥିବା ହେତୁ ମୃତ୍ୟୁ-ସମୀପ-ଜୀବନ ନିର୍ଦ୍ଧାରଣରେ ବରିଷ୍ଠ ନାଗରିକମାନେ ସଶକ୍ତ । ଆମ ଦେଶ ତଥା ରାଜ୍ୟରେ ଜନସାଧାରଣଙ୍କ ମଧ୍ୟରେ ଶିକ୍ଷାଗତ ଓ ଅର୍ଥନୀତିଦୃଷ୍ଟିରୁ ଗଭୀର ତାରତମ୍ୟ ତଥା ଗ୍ରାମଭିତ୍ତିକ ସଭ୍ୟତାର ପ୍ରଭାବ କାରଣରୁ ବିକଶିତ ରାଷ୍ଟ୍ରଗୁଡ଼ିକରେ ଅନୁସୃତ ଧାରା ଦେଶୀୟ ପରିବେଶରେ ଉପଯୋଗ ଅସଂଭବ କିମ୍ୱା ଦୀର୍ଘକାଳ ଅପେକ୍ଷାର ବିଷୟ ବିଚାର କରାଯାଏ ।

 

ଏକବିଂଶ ଶତାଦ୍ଦୀର ତୃତୀୟ ଦଶକ ଆରମ୍ଭ ବେଳକୁ ବିଶ୍ୱବ୍ୟାପୀ ସାମାଜିକ ଆଙ୍ଗୀକରେ ବୈଷମ୍ୟ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ସାମୂହିକସ୍ତରରେ ନୀତି ନିର୍ଦ୍ଧାରଣରେ ବୈଷମ୍ୟ କାରଣରୁ ପ୍ରଗତିର ଧାରା ପ୍ରତିହତ ହେବା ଆଶଙ୍କା କ୍ରମଶଃ ଦୃଢ଼ୀଭୂତ ହେବାରେ ଲାଗିଛି । ସାମାଜିକ ନ୍ୟାୟକୁ ପ୍ରାଥମିକତା ଦିଆଯିବା ବିଧେୟ । କିନ୍ତୁ ଏହି କାରଣ ସଭ୍ୟତାର ବିକାଶ ପରିପନ୍ଥୀ ହେବା ମଧ୍ୟ ଏକ ଗୁରୁତର ସମସ୍ୟା । ଅତ୍ୟାଧୁନିକ ବାର୍ଦ୍ଧକ୍ୟ ଅନୁକୂଳ ସୁବିଧା ସୁଯୋଗ ସୃଷ୍ଟି ଲାଗି ସରକାରୀସ୍ତରରେ ବିଶେଷ କିଛି ଆଶା କରାଯାଉନଥିବା ସ୍ଥଳେ ବିକାଶଶୀଳ ରାଷ୍ଟ୍ରଗୁଡ଼ିକରେ ସଚ଼େତନବର୍ଗ ବ୍ୟାବସାୟିକସ୍ତରରେ ସେଭଳି ପରିବେଶ ସୃଷ୍ଟି ଲାଗି ଭାଗୀଦାର ହେବା ସମୟ ଉପନୀତ । ଏହି କ୍ଷେତ୍ରରେ ନୀରବତା ଆତ୍ମଘାତୀ ମନେ କରାଯାଇପାରେ ।

 

ଆମ ରାଜ୍ୟ ବିକାଶର ମାନଚ଼ିତ୍ରରେ ବହୁକ୍ଷେତ୍ରରେ ପଛୁଆ ଏଥିରେ ଦ୍ୱିରୁକ୍ତି ନାହିଁ । କିନ୍ତୁ ଏଠାରେ ସଂଖ୍ୟାଲଘୁ ନାଗରିକ ଶିକ୍ଷିତ, ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳ ଏବଂ ଉନ୍ନତ ଧରଣର ବାର୍ଦ୍ଧକ୍ୟଜବୀନଚ଼ର୍ଯ୍ୟାରେ ବିଶ୍ୱାସ କରନ୍ତି । ପ୍ରାଥମିକସ୍ତରରେ ଏମାନେ ଯଦି ଶଯ୍ୟାଶାୟୀ ଅବସ୍ଥାରେ ପଡ଼ିବା ବହୁ ପୂର୍ବରୁ ନିଜ ଆବଶ୍ୟକତା ସଂପର୍କରେ ମୁହଁ ଖୋଲି ପାରିବେ ଏବଂ ସେଥିଲାଗି ଆର୍ଥିକ ବ୍ୟବସ୍ଥା ସୁନିଶ୍ଚିତ କରିପାରିବେ, ତେବେ ଓଡ଼ିଶାରେ ବାର୍ଦ୍ଧକ୍ୟ ଜୀବନଚ଼ର୍ଯ୍ୟାର ପରିବେଶ ବଦଳିବାରେ ଅସୁବିଧା ରହିବ ନାହିଁ । ଆବଶ୍ୟକତାକୁ ଚାହିଁ ଆଧୁନିକ ବୈଷୟିକ କାରିଗରୀ କୌଶଳ ଉପଯୋଗରେ ଉଦ୍ୟୋଗୀମାନେ ଭିତ୍ତିଭୂମି ନିର୍ମାଣଲାଗି ଆଗେଇ ଆସିବେ ।

 

ପ୍ରଶ୍ନ ଉଠିବ ଆଲୋଚ୍ୟ ସଂଖ୍ୟାଲଘୁଙ୍କ ପରିମାଣ ଏବଂ ସେମାନଙ୍କ ସାମର୍ଥ୍ୟର ପରିମାପ କେତେ । ମନେକରାଯାଉ ପ୍ରାଥମିକସ୍ତରରେ୫୦ ରୁ ୬୦ ବର୍ଷ, ୬୦ ରୁ ୭୦ ବର୍ଷ ଏବଂ ୭୦ ରୁ ୮୦ ବର୍ଷ ତିନୋଟି ବର୍ଗରେ ସାରା ଓଡ଼ିଶାରୁ ଆସନ୍ନ-ବାର୍ଦ୍ଧକ୍ୟ, ବାର୍ଦ୍ଧକ୍ୟ ଓ ଉତ୍ତର-ବାର୍ଦ୍ଧକ୍ୟରେ ଉପନୀତ ପାଞ୍ଚଶହ ସରିକି ଦମ୍ପତି ପୁର୍ନବାସନ ତଥା ଅନ୍ୟାନ୍ୟ ମୃତ୍ୟୁ-ସମୀପ-ସାମର୍ଥ୍ୟ ସୃଷ୍ଟିଲାଗିପ୍ରତ୍ୟେକେକୋଡ଼ିଏଲକ୍ଷ ଟଙ୍କା ଲେଖା ନିବେଶ କରିବା ନିମନ୍ତେ ଯଦି ରାଜି ହେବେ ତେବେ ଦଶ ହଜାର କୋଟି ଟଙ୍କାର ବ୍ୟବସାୟ ନିମନ୍ତେ ଉଦ୍ୟୋଗପତିଙ୍କ ଅଭାବ ରହିବ ନାହିଁ ।

 

ଉତ୍ତର-ବାର୍ଦ୍ଧକ୍ୟ-ଜୀବନଚର୍ଯ୍ୟା ପାଇଁ ସାମର୍ଥ୍ୟ ସୃଷ୍ଟି ବାର୍ଦ୍ଧକ୍ୟରେ ପାଦ ଥୋଉଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ନିମନ୍ତେ ଜରୁରୀ । ଏକବିଂଶ ଶତାଦ୍ଦୀର ତୃତୀୟ ଦଶକ ଆରମ୍ଭରେ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ବ୍ୟାପକ ଉନ୍ନତି ସମ୍ଭବପର ହୋଇପାରିଥିବା ଏବଂ ଦଶନ୍ଧି ଶେଷ ବେଳକୁ ସମଗ୍ର ମାନବ ସଭ୍ୟତାର ଇତିହାସରେ ସମ୍ଭବପର ହୋଇପାରି ନଥିବା ବହୁ ସୁବିଧାସୁଯୋଗ ହାତପାଆନ୍ତାରେ ଉପଲବ୍ଧ ହେବା ବୈଜ୍ଞାନିକମାନେ ଆକଳନ କରୁଥିବା ସ୍ଥଳେ ନିଜକୁ ସେଥିରୁ ଦୁରେଇ ରଖିବାକୁ ଅନେକ ଚାହିଁ ନପାରନ୍ତି ।

 

ତେବେ ବ୍ୟକ୍ତିଗତ ଉପଲବ୍ଧି ସାମାଜିକସ୍ତରରେ ସାଂଗଠନିକ କାର୍ଯ୍ୟକ୍ରମରେ ପ୍ରତିଫଳିତ ନହେଲେ ସାମୂହିକ ସାମର୍ଥ୍ୟ ସୃଷ୍ଟି ସଂଭବପର ନୁହଁ । ଶଯ୍ୟାଶାୟୀ ଜୀବନରେ ନିଜ ପାଇଁ ଚାରିଗୋଟି ତାଲିମପ୍ରାପ୍ତ ପରିଚାରକ ଏବଂ ଜଣେ ପରିଚାଳକ ନିଯୁକ୍ତ ଖର୍ଚ୍ଚ ବହୁଳ, କିନ୍ତୁ ଏଭଳି ଏକ ଦଳ ଅନ୍ତତଃ ପକ୍ଷେ କୋଡ଼ିଏ ଜଣଙ୍କ ଅବସ୍ଥା ସଂଭାଳିବାରେ ଯେ ସକ୍ଷମ ଏହି ତତ୍ତ୍ୱ ବୁଝିପାରିଲେ ଭବିଷ୍ୟତରେ ବ୍ୟକ୍ତିଗତସ୍ତରରେ ସୁଯୋଗ ଗ୍ରହଣ ସଂଭବପର । ଓଡ଼ିଶାରେ ଉତ୍ତର-ବାର୍ଦ୍ଧକ୍ୟ-ଜୀବନଚର୍ଯ୍ୟା ପାଇଁ ସାମର୍ଥ୍ୟ ସୃଷ୍ଟି ପରିବେଶ ଆସନ୍ନ ବାର୍ଦ୍ଧକ୍ୟ ଓ ବାର୍ଦ୍ଧକ୍ୟରେ ଉପନୀତ ନାଗରିକମାନଙ୍କ ନିମନ୍ତେ ସମୟର ଆହ୍ୱାନ ।

 

ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ମାର୍ଚ୍ଚ ୨୦୨୦

ତଥ୍ୟ:

Kolata, Gina. More Americans are dying at home than in hospitals. New York Times. December 11, 2019

Gomes, Barbara. Heterogenity and changes in preferences of dying at home:

A systemetic review

https://bmcpalliatcare.biomedcentral.com/articles/10.1186/1472-684X-12-7

ଉତ୍ତର- ବାର୍ଦ୍ଧକ୍ୟରେ ସାମାଜିକ ନିରାପତ୍ତା

ଉତ୍ତର-ବାର୍ଦ୍ଧକ୍ୟରେ ସାମାଜିକ ନିରାପତ୍ତା ସୁନିଶ୍ଚିତ କରାଇବା ନିମନ୍ତେ ସରକାରୀସ୍ତରରେ ନୀତିନିୟମ ପ୍ରସ୍ତୁତି ପ୍ରତି ଗୁରୁତ୍ୱ ଆରୋପ କରାଯାଇଥାଏ l ବିକଶିତ ରାଷ୍ଟ୍ରଗୁଡ଼ିକ ତୁଳନାରେ ବାର୍ଦ୍ଧକ୍ୟ ଉପଯୋଗୀ ଆଇନାବଳୀ ପ୍ରଣୟନରେ ଭାରତ ପଛୁଆ ରହିଥିବା କାରଣରୁ ଏହି କ୍ଷେତ୍ରରେ ପଦକ୍ଷେପ ତ୍ୱରାନ୍ୱିତ କରିବା ନିମନ୍ତେ ଦାବୀ ହେଉଛି l

 

ଉତ୍ତର-ବାର୍ଦ୍ଧକ୍ୟ ଅବସ୍ଥାରେ ଶାରିରୀକ ସାମର୍ଥ୍ୟ ଅବକ୍ଷୟ ହୋଇଚ଼ାଲିଥିବା ଅବସରରେ ଦୈନନ୍ଦିନ ଜୀବନଯାତ୍ରାଲାଗି ବାହ୍ୟ ସହଯୋଗ ଆବଶ୍ୟକ ପଡ଼ିଥାଏ l ଏହି ପରିପ୍ରେକ୍ଷୀରେ ବୃଦ୍ଧଜନଙ୍କ ଦେଖାଶୁଣା କେବଳ ପାରିବାରିକ ଦାୟିତ୍ୱରେ ଆବଦ୍ଧ ନରଖି ସାମାଜିକସ୍ତରରେ ବିଧିବଦ୍ଧ ଆଇନ ପ୍ରଣୟନ କରି ସାର୍ବଜନୀନ ସୁବିଧା ସୁଯୋଗ ଯୋଗାଇଦେବାର ପ୍ରାବଧାନ ସାମାଜିକ ନିରାପତ୍ତାର ଅଂଶବିଶେଷ l

 

ସମକାଳରେ ସ୍ୱଚ୍ଛଳ ବାର୍ଦ୍ଧକ୍ୟ ସଂପର୍କରେ ଆଲୋଚ଼ନା କରିବାକୁ ଯିବାବେଳେ ସର୍ବପ୍ରଥମେ ଯୁକ୍ତରାଷ୍ଟ୍ର ଆମେରିକାର ଉଦାହରଣ ବିଚ଼ାର ପରିସରକୁ ଆସିଥାଏ l ସେଠାକାର ‘ନାଭେଦା’ ସମେତ କେତେକ ପ୍ରଦେଶରେ ବାର୍ଦ୍ଧକ୍ୟ ଅନୁକୂଳ ନୀତିନିୟମ ମଧ୍ୟରେ ଉତ୍ତର ବାର୍ଦ୍ଧକ୍ୟରେ କେହି ନିଜର ରକ୍ଷଣାବେକ୍ଷଣରେ ଅସମର୍ଥ ହେଲେ ତାହାକୁ ସାମାଜିକ ସହାୟତା ପ୍ରଦାନର ସୁବିଧା ରହିଛି l ଉଦାହରଣରେ ଜଣେ ବ୍ୟକ୍ତି ବାର୍ଦ୍ଧକ୍ୟଜନିତ ମତିଭ୍ରମ କାରଣରୁ ସ୍ୱାସ୍ଥ୍ୟରକ୍ଷା ପାଇଁ ଚ଼ିକିତ୍ସିତ ହେବା ବା ସମ୍ପତ୍ତି ପରିଚ଼ାଳନାରେ ଅସମର୍ଥ ପ୍ରତୀୟମାନ ହେଲେ ସ୍ଥାନୀୟ ପାରିବାରିକ ଅଦାଲତ ପକ୍ଷରୁ ସଂପୃକ୍ତ ବ୍ୟକ୍ତିର ରକ୍ଷଣାବେକ୍ଷଣ ତଦାରଖ କରିବାଲାଗି ‘କୋର୍ଟ ଗାର୍ଡ଼ିଅନ’ ନିଯୁକ୍ତ କରାଯିବା ବ୍ୟବସ୍ଥା ରହିଛି l

 

ଏକ ଆକଳନ ଅନୁଯାୟୀ ଯୁକ୍ତରାଷ୍ଟ୍ର ଆମେରିକାରେ ୧୫ ଲକ୍ଷ ବରିଷ୍ଠ ନାଗରିକଙ୍କ ନିମନ୍ତେ ‘କୋର୍ଟ ଗାର୍ଡ଼ିଅନ’ ନିଯୁକ୍ତ ହୋଇଛନ୍ତି l କେତେକ କ୍ଷେତ୍ରରେ ବୃଦ୍ଧଜନଙ୍କ ପରିବାର ମଧ୍ୟରୁ କେହି ସଂପର୍କୀୟ ଅଦାଲତଙ୍କ ଆଦେଶ ଅନୁଯାୟୀ ଅଭିଭାବକତ୍ୱ ଗ୍ରହଣ କରୁଥିବାବେଳେ ଅନ୍ୟ କେତେକ କ୍ଷେତ୍ରରେ ବୃତ୍ତିଧାରୀ ବା ପ୍ରଫେସନାଲ ଗାର୍ଡ଼ିଅନମାନଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥାଏ l ବୃତ୍ତିଗତ ‘କୋର୍ଟ ଗାର୍ଡ଼ିଅନ’ ରୂପେ ସ୍ୱୀକୃତି ପାଇବା ନିମନ୍ତେ ଯେକୌଣସି ବ୍ୟକ୍ତି ସୀମିତ ଅବଧିର ଏକ ପାଠ୍ୟକ୍ରମ ବା କୋର୍ସ ଅଧ୍ୟୟନ କରିବାକୁ ପଡ଼ିଥାଏ l

 

କୁହାଯାଏ ଯେ ୧୩୨୪ ମସିହାରୁ ପ୍ରଚଳିତ ଇଂଲିଶ ଆଇନାନୁଯାୟୀ ଯୁକ୍ତରାଷ୍ଟ୍ର ଆମେରିକାରେ ଦେଶର ଅସହାୟ ନାଗରିକଙ୍କ ସମ୍ପତ୍ତି ପରିଚ଼ାଳନା ଓ ଜୀବନଯାତ୍ରାପାଇଁ ଶାସକଙ୍କ ପକ୍ଷରୁ ସୁବିଧା ଯୋଗାଇଦେବା ପରମ୍ପରା ବଳବତ୍ତର ରହିଛି l ଯୁକ୍ତରାଷ୍ଟ୍ର ଆମେରିକା ସ୍ୱାଧୀନତା ଲାଭକରିବା ପୂର୍ବରୁ ବ୍ରିଟିଶ ଉପନିବେଶ ଥିବା ହେତୁ ଇଂଲିଶ ଆଇନାବଳୀର ଉପଯୋଗ ସ୍ୱାଭାବିକ ଭାବେ ବିକଶିତ ହୋଇଥିଲା l ଏଭଳି ଆଇନ ପ୍ରଣୟନ ପ୍ରାଦେଶିକ ସରକାରଙ୍କ କର୍ତ୍ତୃତ୍ୱାଧୀନ l

 

ଉତ୍ତର-ବାର୍ଦ୍ଧକ୍ୟରେ ସାମାଜିକ ନିରାପତ୍ତା ସୁନିଶ୍ଚିତ କରାଇବାଲାଗି ଆଇନ ତଥା ଅଦାଲତ ତତ୍ତ୍ୱାବଧାନରେ ବ୍ୟକ୍ତିଗତ ଅଭିଭାବକ ନିଯୁକ୍ତି ଯୁକ୍ତିଯୁକ୍ତ ମନେ ହେଉଥିଲେ ହେଁ ଏହାର କାର୍ଯ୍ୟକାରିତାରେ ଦୁରୋପଯୋଗ ଦେଖିବାକୁ ମିଳୁଛି l‘ଆମେରିକାନ ବାର ଏସୋସିଏସନ’ ପକ୍ଷରୁ ୨୦୧୭ରେ ପ୍ରକାଶିତ ଏକ ରିପୋର୍ଟରେ ‘କୋର୍ଟ ଗାର୍ଡ଼ିଅନ’ ନିଯୁକ୍ତିରେ ଅଦାଲତଗୁଡ଼ିକର ଖାମଖିଆଲି ମନୋଭାବ ଓ ଅଭିଭାବକତ୍ୱ ନିର୍ବାହ ଆଳରେ ବୃଦ୍ଧଜନଙ୍କ ସ୍ୱାଧୀନତା କ୍ଷୁର୍ଣ୍ଣ ଉଦାହରଣ ଅବତରଣା କରାଯାଇଛି l ରାଚ଼େଲ ଆଭିବ ନାମକ ଜଣେ ମହିଳା ସାମ୍ୱାଦିକ ଖ୍ୟାତନାମା ‘ନ୍ୟୂୟର୍କର’ ପତ୍ରିକାରେ ୯ ଅକ୍ଟୋବର ୨୦୧୭ ମୁଦ୍ରିତ ସଂସ୍କରଣରେ ଉତ୍ତର-ବାର୍ଦ୍ଧକ୍ୟରେ ସାମାଜିକ ନିରାପତ୍ତା ଆଇନ ଉପଯୋଗଜନିତ ତୃଟି ସଂପର୍କରେ ଏକ ଦୀର୍ଘ ରଚ଼ନା ପ୍ରକାଶ କରିଥିଲେ l

 

‘ନାଭେଦା’ ପ୍ରଦେଶର ‘ଲସ ଭାଗେସ’ ବିଗତ ଦୁଇ ଦଶନ୍ଧୀଧରି ଅବସର ବିହାର ବସତିରୂପେ ଖ୍ୟାତି ଲାଭ କରିଛି l ଦେଶର ବିଭିନ୍ନ ପ୍ରାନ୍ତରୁ ବୃଦ୍ଧଜନ ବାର୍ଦ୍ଧକ୍ୟ ଅନୁକୂଳ ଜୀବନଯାତ୍ରାଲାଗି ‘ନାଭେଦା’କୁ ବାଛି ନେଉଛନ୍ତି l ଗତ ଦଶବର୍ଷ ମଧ୍ୟରେ ଏଠାରେ ୮୫ ବର୍ଷୋତ୍ତରଙ୍କ ସଂଖ୍ୟା ୮୦ ପ୍ରତିଶତ ବଢ଼ିଛି lସାମ୍ୱାଦିକ ରାଚ଼େଲ ‘ନାଭେଦା’ରେ ବୃଦ୍ଧଜନଙ୍କ ସଂଖ୍ୟା ବୃଦ୍ଧି ସହ ସମାଜିକ ନିରପତ୍ତା ଆଳରେ କିପରି ଲୋକଙ୍କୁ ହଇରାଣ ହରକତ କାରାଯାଉଛି ତାହାର ଚ଼ାକ୍ଷୁଷ ବିବରଣୀ ନିଜ ରଚ଼ନାରେ ଉପସ୍ଥାପନ କରିଛନ୍ତି l

 

ସେ ଅଶୀ ବର୍ଷ ବୟସ୍କ ରୁଡ଼ି ନର୍ଥ ଓ ତାଙ୍କରି ପତ୍ନୀ ଅଠସ୍ତୋରୀ ବର୍ଷ ବୟସ୍କ ରେନି ନର୍ଥଙ୍କ ଉଦାହରଣ ଦେଇ କହିଛନ୍ତି ଯେ ‘କୋର୍ଟ ଗାର୍ଡ଼ିଅନ’ ବ୍ୟବସ୍ଥାରେ ତୃଟିଜନିତ କାରଣରୁ ଅସାଧୁ ବ୍ୟକ୍ତିଙ୍କ ଚ଼କ୍ରାନ୍ତରେ ବହୁ ବରିଷ୍ଠ ନାଗରିକ ହିନସ୍ତା ଭୋଗୁଛନ୍ତି lରୁଡ଼ି ରେଡ଼ିଓ ଓ ଟେଲିଭିଜନ ପ୍ରସାରଣ ପରାମର୍ଶଦାତା ବୃତ୍ତିରୁ ଅବସର ନେବା ପରେ ୧୨ ବର୍ଷ ପୂର୍ବେ ‘ଲସ ଭେଗାସ’ର ଏକ ଅବସର ବିହାରରେ ବସବାସ କରିବା ନିମନ୍ତେ ସସ୍ତ୍ରୀକ ପହଞ୍ଚିଥିଲେ l ତାଙ୍କରି ଦୁଇଝିଅ ଓ ଗୋଟିଏ ପୁଅ lଝିଅଟିଏ ଓ ପୁଅ ଅକାଳରେ ମୃତ୍ୟୁମୁଖରେ ପଡ଼ିଥିଲେ l ଅନ୍ୟ ଝିଅଟି ୫୩ ବର୍ଷୀୟ ଜୁଲି ବାଲସେ ନିଜ ପତି ଓ ତିନି ପୁଅଙ୍କ ସହ ରୁଡ଼ିଙ୍କ ଘରଠାରୁ ୧୫ କିଲୋମିଟର ଦୂରରେ ବସବାସ କରନ୍ତି l ସେ ପ୍ରାୟ ପ୍ରତିଦିନ ବାପା ମାଆଙ୍କୁ ଦେଖିବାକୁ ଆସିଥାନ୍ତି lଆବଶ୍ୟକମତେ ଘର ଚ଼ଳାଇବାରେ ସାହାଯ୍ୟ କରନ୍ତି l

 

ସ୍ଥାନୀୟ ପାରିବାରିକ ଅଦାଲତରେ ରୁଡ଼ି ଓ ତାଙ୍କରି ପତ୍ନୀ ସ୍ୱାଭାବିକ ଜୀବନଯାତ୍ରା ପାଇଁ ଅସମର୍ଥ ବୋଲି ପ୍ରମାଣିତ କରି ଜଣେ ଅପରିଚ଼ିତ ମହିଳା ‘କୋର୍ଟ ଗାର୍ଡ଼ିଅନ’ ନିଯୁକ୍ତି ହାସଲ କରିଥିଲେ l ରୁଡ଼ିଙ୍କ ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ସେ ଚ଼ିକିତ୍ସିତ ହେଉଥିବା ଜଣେ ଡ଼ାକ୍ତରଙ୍କ ସହକାରୀଙ୍କ ଚିଠା ଉପସ୍ଥାପନରେ ଏହି ଏକତରଫା ନିଷ୍ପତ୍ତି ନିଆଯାଇଥିଲା l ଏ ସଂପର୍କରେ ରୁଡ଼ି କିମ୍ୱା ତାଙ୍କ ପତ୍ନୀ କିମ୍ୱା ଝିଅ କେହି କିଛି ଜାଣିନଥିଲେ l ହଠାତ୍ ଦିନେ ‘କୋର୍ଟ ଗାର୍ଡ଼ିଅନ’ ନର୍ଥଙ୍କ ଘରେ ପହଞ୍ଚି ଅଦାଲତ ରାୟ ଦେଖାଇ ତୁରନ୍ତ ତାଙ୍କରି ସହ ଏକ ‘ଆସିଷ୍ଟେଡ଼ ଲଭିଂ କମ୍ୟୁନିଟି’କୁ ଯିବା ପାଇଁ ବାଧ୍ୟ କଲେ l ଅବଜ୍ଞା କଲେ ପୋଲିସ, ଆମ୍ୱୁଲାନ୍ସ ଡ଼ାକିବେ ବୋଲି ଧମକ ଦେଲେ l ନର୍ଥ ଦମ୍ପତ୍ତି ନିଜ ଝିଅକୁ ମଧ୍ୟ ଖବର ଦେଇ ନପାରି ‘କୋର୍ଟ ଗାର୍ଡ଼ିଅନ’ଙ୍କ ସହ ଯିବାକୁ ବାଧ୍ୟ ହେଲେ l

 

ନର୍ଥ ଦମ୍ପତ୍ତିଙ୍କ ଝିଅ ଜୁଲି ବାଲସେ ଖୋଜା ଖୋଜି କରି ବାପାମାଆଙ୍କ ପାଖେ ପହଞ୍ଚିଲେ l‘କୋର୍ଟ ଗାର୍ଡ଼ିଅନ’ଙ୍କ ସହ ଯୁକ୍ତିତର୍କରୁ କିଛି ସୁଫଳ ମିଳିଲା ନାହିଁ l ମାସକ ପରେ ଏକ ଦଶ ମିନିଟିଆ ଶୁଣାଣିରେ ନର୍ଥ ଦମ୍ପତ୍ତିଙ୍କ ସ୍ଥାୟୀ ‘କୋର୍ଟ ଗାର୍ଡ଼ିଅନ’ ମଞ୍ଜୁର ହୋଇଥିଲା l ନର୍ଥ ଦମ୍ପତ୍ତିଙ୍କ ବ୍ୟାଙ୍କ ଏକାଉଣ୍ଟ ‘କୋର୍ଟ ଗାର୍ଡ଼ିଅନ’ଙ୍କ ନାମକୁ ସ୍ଥାନାନ୍ତରିତ ହେଲା l ସେ ବ୍ୟବସାୟିକ ସଂସ୍ଥା ମାଧ୍ୟମରେ ନର୍ଥଙ୍କ ମଟରଗାଡ଼ି ସମେତ ଘରର ମୂଲ୍ୟବାନ ସମ୍ପତ୍ତିଗୁଡ଼ିକୁ ବିକ୍ରୟ କରିଦେଲେ l

 

ପ୍ରଥମେ ‘ଆସିଷ୍ଟେଡ଼ ଲିଭିଂ କମ୍ୟୁନିଟି’‘ଲେକଭ୍ୟୁ ଟେରସ’ରେ ୧୭ ମାସ ରହିବା ପରେ ନର୍ଥ ଦମ୍ପତ୍ତି ‘ୱେଣ୍ଟୱାର୍ଥ’ ନାମକ ଅପେକ୍ଷାକୃତ ଶସ୍ତା ବସତିକୁ ସ୍ଥାନାନ୍ତରିତ ହେଲେ l ଚ଼ିକିତ୍ସା ଆଳରେ ସେମାନଙ୍କୁ କ୍ରମଶଃ ଅଧିକରୁ ଅଧିକ ନିଶ୍ଚେତକ ଗୁଣ ସମ୍ପନ୍ନ ଔଷଧ ସେବନ ପାଇଁ ଡ଼ାକ୍ତରୀ ପରାମର୍ଶ ଦିଆଗଲା l ଝିଅ ଜୁଲି ବାଲସେଙ୍କୁ ବାପାମାଆଙ୍କ ସହ ସାକ୍ଷାତ ପାଇଁ କଟକଣା ସୃଷ୍ଟି କରାଗଲା lନିଜ ଜୀବନଯାତ୍ରା ଓ ସମ୍ପତ୍ତି ଉପରେ ନିୟନ୍ତ୍ରଣ ହରାଇ ସେମାନେ ବନ୍ଦୀ ପ୍ରାୟ ବଞ୍ଚିବାରେ ଲାଗିଲେ l

 

ଜୁଲି ବାଲସେ ନିଜ ବାପାମାଆଙ୍କ ଦୁରାବସ୍ଥାରେ ମ୍ରିୟମାଣ ହୋଇ ‘ଭେଗାସ ଭଏସ’ ନାମକ ଏକ ସ୍ଥାନୀୟ ସମ୍ୱାଦପତ୍ର ସମ୍ପାଦକଙ୍କୁ ସାକ୍ଷାତ କରି ‘କୋର୍ଟ ଗାର୍ଡ଼ିଅନ’ ବ୍ୟବସ୍ଥାରେ ସ୍ଥାନୀୟ ବରିଷ୍ଠ ନାଗରିକଙ୍କ ସମସ୍ୟା ସଂପର୍କରେ ଦୃଷ୍ଟି ଆକର୍ଷଣ କଲେ l‘ଭେଗାସ ଭଏସ’ର ଜଣେ ବରିଷ୍ଠ ସାମ୍ୱାଦିକ ନର୍ଥ ଦମ୍ପତ୍ତିଙ୍କୁ ସାକ୍ଷାତ କରି ଏକ ସମ୍ୱାଦ ପ୍ରକାଶ କଲେ lଏହାର ପ୍ରଭାବରେ ଆଇନ ଦୁରୋପଯୋଗ ସଂପର୍କରେ ଜନମତ ଜାଗ୍ରତ ହେବାରେ ଲାଗିଲା ଏବଂ ଆଇନରେ ସଂଶୋଧନ ଲାଗି ତିନି ହଜାର ପାଠକ ପ୍ରାଦେଶିକ ସରକାରଙ୍କଠାରେ ଦରଖାସ୍ତ କଲେ l ଦୁଇ ମାସ ପରେ ଅନ୍ୟତମ ସଂବାଦପତ୍ର ‘ରିଭ୍ୟୁ ଜର୍ଣ୍ଣାଲ’ରେ ‘କୋର୍ଟ ଗାର୍ଡ଼ିଅନ’ ସଂପର୍କରେ ଏକ ଅନୁସନ୍ଧାନମୂଳକ ରଚ଼ନା ପ୍ରକାଶିତ ହେବା ପରେ ବହୁ ରହସ୍ୟର ପର୍ଦ୍ଦାଫାଶ ହେଲା l

 

ସମ୍ୱାଦପତ୍ରରେ ନର୍ଥ ଦମ୍ପତ୍ତିଙ୍କ ଘଟଣା ପ୍ରକାଶିତ ହେବା ମାସକ ପରେ ୨୦୧୫ ମେ’ ମାସରେ ସ୍ଥାନୀୟ ପାରିବାରିକ ଅଦାଲତ ତାଙ୍କରି ‘କୋର୍ଟ ଗାର୍ଡ଼ିଅନ’ଙ୍କୁ ହଟାଇ ଦେଇଥିଲେ l ୨୦୧୭ ମେ’ ମାସରେ ସଂପୃକ୍ତ ‘କୋର୍ଟ ଗାର୍ଡ଼ିଅନ’ଙ୍କ ବିରୁଦ୍ଧରେ ମକଦ୍ଦମା ଦାୟର ହୋଇଛି l ସେ ଏକ ସୁସଂଗଠିତ ରାକେଟ ଜରିଆରେ ଧନଶାଳୀ ବରିଷ୍ଠ ନାଗରିକଙ୍କ ‘କୋର୍ଟ ଗାର୍ଡ଼ିଅନ’ରୂପେ ନିଯୁକ୍ତି ହାସଲ ପରେ ସେମାନଙ୍କ ସମ୍ପତ୍ତି ବିକ୍ରୀ କରି ଅର୍ଥ ଆଦାୟ କରୁଥିବା ଅଭିଯୋଗ ସଂପର୍କରେ ପ୍ରମାଣମାନ ଉପସ୍ଥାପନ କରାଯାଇଛି l ନର୍ଥ ଦମ୍ପତି ଏଣିକି ନିଜ ଝିଅଙ୍କ ଘରେ ରହୁଛନ୍ତି l

 

ସ୍ଥାନୀୟ ସମ୍ୱାଦପତ୍ରଗୁଡ଼ିକରେ ବରିଷ୍ଠ ନାଗରିକଙ୍କ ନିର୍ଯ୍ୟାତନା ତଥା ‘କୋର୍ଟ ଗାର୍ଡ଼ିଅନ’ ସଂପର୍କରେ ଆଲୋଚ଼ନାପ୍ରସୂତ ନାଗରିକ ସଚ଼େତନତା ଓ ଦାବୀ ହେତୁ ୨୦୧୮ରେ ନଭେଦା ପ୍ରାଦେଶିକ ସରକାରଙ୍କ ପକ୍ଷରୁ ପ୍ରଚ଼ଳିତ ଆଇନରେ ସଂଶୋଧନ ନିମନ୍ତେ ସ୍ଥିରୀକୃତ ହୋଇଛି l‘ଆମେରିକାନସ ଏଗନେଷ୍ଟ ଏବ୍ୟୁସିଭ ପ୍ରେବେଟ ଗାର୍ଡ଼ିଅନସିପ’ ଭଳି ନାଗରିକ ସମାଜ ପ୍ରଚଳିତ ଆଇନାବଳୀର ଦୁରୋପଯୋଗ ରୋକିବା ନିମନ୍ତେ ବ୍ୟାପକ ବିଚ଼ାରବିମର୍ଷ କରୁଛନ୍ତି l କୁହାଯାଉଛି ଯେ ଯୁକ୍ତରାଷ୍ଟ୍ର ଆମେରିକାରେ ୬୫ ବର୍ଷରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକଙ୍କ ମଧ୍ୟରୁ ଦଶ ପ୍ରତିଶତ ନିର୍ଯ୍ୟାତିତ ହେଉଥିବା ସ୍ଥଳେ ଶିଶୁ ନିର୍ଯ୍ୟାତନ ଦୂରୀକରଣ ଭଳି ବଳିଷ୍ଠ ଯୋଜନାମାନ ହାତକୁ ନେବା ସମୟ ଆସିଛି l

 

ଯୁକ୍ତରାଷ୍ଟ୍ର ଆମେରିକାର ଅଭିଜ୍ଞତା ଅନ୍ୟାନ୍ୟ ରାଷ୍ଟ୍ରରେ ବାର୍ଦ୍ଧକ୍ୟ ଅନୁକୂଳ ଆଇନକାନୁନ ପ୍ରଣୟନରେ ସହାୟକ ହେବା ଆଶା କରାଯାଇପାରେ l ସାମାଜିକ ଆଙ୍ଗୀକରେ ଅସାଧୁ ବ୍ୟକ୍ତିବିଶେଷଓ ସେମାନଙ୍କ ମେଣ୍ଟର ପ୍ରାଦୁର୍ଭାବ ଯେକୌଣସି ଉଦ୍ୟମକୁ କିପରି ଭଣ୍ଡୁର କରିଦିଏ ତାହାର ଆଲୋଚ଼୍ୟ ଘଟଣାକ୍ରମ ଏକ ଉଦାହରଣ l ସଭ୍ୟତାର ଚ଼ରମ ବିକାଶ ସତ୍ତ୍ୱେ ମୌଳିକ ମାନବୀୟ ଆଚ଼ରଣର ପ୍ରଭାବଶାଳୀ ଭୂମିକାକୁ ଅସ୍ୱୀକାର କରିହେବ ନାହିଁ l



ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଫେବୃୟାରୀ ୨୦୧୮

ଅସୁରକ୍ଷିତ ବାର୍ଦ୍ଧକ୍ୟର ଏକ ଉଦାହରଣ

ପରିବର୍ତ୍ତିତ ସାମାଜିକ ଆଙ୍ଗିକରେ ମୁଖ୍ୟତଃ ସହରାଞ୍ଚଳରେ ବାର୍ଦ୍ଧକ୍ୟ ଜୀବନଯାପନ କ୍ରମଶଃ ପାରିବାରିକ ପରିବେଶରୁ ଏକାକୀତ୍ୱ ଆଡ଼କୁ ଗତି କରୁଥିବା ଅବସରରେ ବରିଷ୍ଠ ନାଗରିକଙ୍କ ସୁରକ୍ଷା ଏକ ମୁଖ୍ୟ ସମସ୍ୟାରୂପେଗଢ଼ି ଉଠିବାରେ ଲାଗିଛି ।

 

ବିଭିନ୍ନ କାରଣରୁ ବାର୍ଦ୍ଧକ୍ୟ ଜୀବନଯାପନ ପାରମ୍ପରିକଭାବେ ପରିବାର ଗହଣରେ ବିତାଇବା ସଂଭବପର ହୋଇପାରୁ ନାହିଁ । ଯୌଥ ପାରିବାରିକ ଭିତ୍ତିଭୂମି ଦୋହଲି ଯିବା, ସନ୍ତାନସନ୍ତତି ଦୁଇ ବା ଏକରେ ସୀମିତ ରହିବା, କର୍ମନିଯୁକ୍ତି ଉଦ୍ଦେଶ୍ୟରେ ଆତ୍ମୀୟମାନେ ଦେଶାନ୍ତରରେ ଅବସ୍ଥାପିତ ହେବା ସାଙ୍ଗକୁ ବର୍ଦ୍ଧିତ ଜୀବଦ୍ଦଶା ଅନେକ ବରିଷ୍ଠ ନାଗରିକଙ୍କୁ ଏକୁଟିଆ ବସବାସ କରିବାକୁ ବାଧ୍ୟ କରୁଛି । ଭବିଷ୍ୟତରେ ଏକାକୀ ବସବାସ କରୁଥିବା ବରିଷ୍ଠ ନାଗରିକଙ୍କ ସଂଖ୍ୟା ବହୁଗୁଣିତ ହେବା ପରିସଂଖ୍ୟାନ ଅନୁଶୀଳନରୁ ଜଣାପଡ଼େ ।

 

ଓଡ଼ିଶା ଭଳି ରାଜ୍ୟରେ ବରିଷ୍ଠ ନାଗରିକଙ୍କ ଦୈନନ୍ଦିନ ଜୀବନର ସ୍ଥିତାବସ୍ଥାସଂପର୍କରେ ପର୍ଯ୍ୟାପ୍ତ ଗବେଷଣା ନ ହୋଇ ପାରିଥିବା ହେତୁ ଏଠି କେତେ ପରିମାଣରେ ଲୋକଙ୍କ ଜୀବନର ସାୟାହ୍ନ କିପରି କଟୁଛି ସେ ସଂପର୍କରେ ସବିଶେଷ ତଥ୍ୟ ଅଭାବ । ତେବେ ଦେଶବିଦେଶରେ ଯାହା ହିସାବ କରାଯାଇଛି ତାହା ଊଣାଅଧିକେ ଅନ୍ତତଃପକ୍ଷେ ଆମ ରାଜ୍ୟର ସହରାଞ୍ଚଳ ବାସିନ୍ଦା ସ୍ୱଚ୍ଛଳବର୍ଗରେ ପ୍ରତିଫଳିତ ବୋଲି ବିଶ୍ୱାସ କରାଯାଇପାରେ ।

 

ସଂଯୁକ୍ତ ରାଷ୍ଟ୍ରପୁଞ୍ଜ ‘ୟୁନାଇଟେଡ଼କିଙ୍ଗଡ଼ମ’ରେ ୮୫ ବର୍ଷୋତ୍ତର ଅର୍ଦ୍ଧେକ ବରିଷ୍ଠ ନାଗରିକ ଏକାକୀ ବସବାସ କରିଥାନ୍ତି । ଅର୍ଥାତ ସେହି ବୟସ ସୀମାରେ ପହଞ୍ଚିଲା ବେଳକୁ ଏକକ ବା ନିଉକ୍ଳିୟର ପାରିବାରିକ ଢାଞ୍ଚାରେ ପତି କିମ୍ୱା ପତ୍ନୀଙ୍କ ଦେହାନ୍ତ ହୋଇସାରିଥାଏ ଏବଂ ସନ୍ତାନସନ୍ତତି ଅନ୍ୟତ୍ର ବସବାସ କରିଥାନ୍ତି । ଅନ୍ୟ ଏକ ହିସାବରେ ଆମ ଭାରତରେ ବୟସସୀମା ନିର୍ବିଶେଷରେ ୨୫ ପ୍ରତିଶତ ନାଗରିକ କୌଣସି ନା କୌଣସି କାରଣରୁ ଏକୁଟିଆ ବସବାସ କରୁଥିବା ଜଣାଯାଏ । ଏଭଳି ପରିସଂଖ୍ୟାନ ଓଡ଼ିଶାରେ ବରିଷ୍ଠ ନାଗରିକ ଏକୁଟିଆ ବସବାସ କରୁଥିବା ତଥା ଭବିଷ୍ୟତରେ ସେମାନଙ୍କ ସଂଖ୍ୟା ବଢ଼ିବାସୂଚ଼ିତ କରିଥାଏ ।

 

ବିକଶିତ ରାଷ୍ଟ୍ରଗୁଡ଼ିକରେ ବାର୍ଦ୍ଧକ୍ୟ ଜୀବନଯାପନ ନିମନ୍ତେ ଅବସର ବିହାର ଭଳି ‘ରିଟାଏରମେଣ୍ଟ କଲୋନୀ’ ସୁବିଧାସୁଯୋଗ ସୃଷ୍ଟି ହୋଇଥିବା ସ୍ଥଳେ ଭାରତ କିମ୍ୱା ଓଡ଼ିଶାରେ ପ୍ରଚଳନ ହୋଇପାରି ନାହିଁ । ଫଳରେ ବରିଷ୍ଠ ନାଗରିକମାନେ ଆପାତତଃ ନିଜ ନିଜ ବାସଗୃହରେ ବାର୍ଦ୍ଧକ୍ୟ ଜୀବନ ଅତିବାହିତ କରିଥାନ୍ତି । ଭୁବନେଶ୍ୱର, କଟକ, ପୁରୀ, ବ୍ରହ୍ମପୁର, ଜୟପୁର, ଫୁଲବାଣୀ, ସମ୍ୱଲପୁର, ବାରିପଦା, ବାଲେଶ୍ୱର, ଭଦ୍ରକ ଭଳି ସହରଗୁଡ଼ିକରେ ଏକବିଂଶ ଶତାଦ୍ଦୀ ଆରମ୍ଭ ବେଳକୁ ଉଲ୍ଲେଖନୀୟ ସଂଖ୍ୟାରେ ବରିଷ୍ଠ ନାଗରିକ ଏକୁଟିଆ ବସବାସ କରୁଥିବା ହିସାବ କରାଯାଇଥାଏ । ଏମାନଙ୍କ ସୁରକ୍ଷା ଏକ ସମସ୍ୟା ରୂପେ ମୁଣ୍ଡ ଟେକୁଥିବା ସ୍ଥଳେ ଅପରାଧିକ ମାମଲାକୁ ବିଚ଼ାରକୁ ନେଇ ରାଜ୍ୟ ପୋଲିସ ପ୍ରଶାସନ ପକ୍ଷରୁ ସହରାଞ୍ଚଳରେ ଏକୁଟିଆ ବସବାସ କରୁଥିବା ବରିଷ୍ଠ ନାଗରିକଙ୍କୁ ଚ଼ିହ୍ନଟ ପ୍ରକ୍ରିୟା ହାଲକାଭାବେ ଆରମ୍ଭ ହୋଇଛି ।

 

ଦେଶର ବିଭିନ୍ନ ପ୍ରାନ୍ତରେ ଏକାକୀ ବସବାସ କରୁଥିବା ବରିଷ୍ଠ ନାଗରିକ ଯୋଜନାବଦ୍ଧ ଭାବେ ହତ୍ୟାର ଶୀକାର ହେଉଥିବା ବିବରଣୀ ସମୟାନ୍ତେସମ୍ୱାଦପତ୍ରରେ ପ୍ରକାଶିତ ହୋଇଥାଏ । ୨୦୧୯ ଏପ୍ରିଲ ପ୍ରଥମ ସପ୍ତାହରେ କୋଲକତାର ଯୋଧପୁର ପାର୍କ ଅଞ୍ଚଳରେ ଏକ ଫ୍ଳାଟରେଏକାକୀନୀ ୭୫ ବର୍ଷ ବୟସ୍କ ଶ୍ୟାମଳୀ ଘୋଷଙ୍କୁ ହତ୍ୟା କରାଯାଇଥିଲା । ବୃଦ୍ଧାଜଣକଧନାଢ଼୍ୟ ପରିବାରର ଅବିବାହିତା ଦୁହିତା । ସେ ଜନଗହଳିପୂର୍ଣ୍ଣ ବସତିରେ ଅବସ୍ଥିତ ଏକ କୋଠାର ତୃତୀୟ ମହଲାରେ ତିନି ହଜାର ବର୍ଗଫୁଟ ପରିମିତ ପୈତୃକ ଫ୍ଳାଟର ବାସିନ୍ଦା । ଚ଼ାରି ମହଲା ବିଶିଷ୍ଟ କୋଠାର ଅନ୍ୟ ତିନିଗୋଟି ମହଲାର ମାଲିକ ଜଣେ ବ୍ୟବସାୟୀ ।

 

ପାରିପାର୍ଶ୍ୱିକ ଅନୁସନ୍ଧାନରୁ ଜଣାଯାଏ ଯେ ଶ୍ୟାମଳୀ ପ୍ରାୟତଃ ଏକୁଟିଆ ରହୁଥିଲେ । ତାଙ୍କରି ଭଉଣୀ ଅନ୍ୟତ୍ର ବସବାସ କରନ୍ତି । ସେ ପାଖପଡ଼ୋଶୀଙ୍କ ସହ ମିଳାମିଶା କରନ୍ତି ନାହିଁ । ଶ୍ୟାମଳୀଙ୍କ ଚ଼ାଲିଚ଼ଳନ ଟିକିଏ ଅସଜଡ଼ା । ଘରେ ଏକ ଡ଼ବଲବେଡ଼ରେପରଲୋକଗତବାପାମାଆଙ୍କଫୋଟଚ଼ିତ୍ର ରଖିଥାନ୍ତି । ପ୍ରତିଦିନ ଫୋଟ ସାମ୍ନାରେ ସତେଜ ଫୁଲ ସଜାଉଥିଲେ । ସକାଳେ ଫୁଲ ଦେବା ନିମନ୍ତେ ସ୍ୱପନ ମଣ୍ଡଳ ନାମକ ଜଣେ ୪୬ ବର୍ଷ ବୟସ୍କ ମାଳୀ ଦୀର୍ଘ ଦିନରୁ ଆସୁଥିଲେ । କୋଠାର ରାତି ଜଗୁଆଳ ୫୧ ବର୍ଷ ବୟସ୍କ ସଂଜୀବ ଦାସ ତାଙ୍କରି ଛୋଟମୋଟ କାମ କରୁଥିଲେ । ଶ୍ୟାମଳୀଙ୍କୁ ହତ୍ୟାପରେପୋଲିସ ମାଳୀ ଓ ଜଗୁଆଳକୁ ସନ୍ଦେହ କରି ଗିରଫ କରିଥିଲା । ପୋଲିସ ସୂତ୍ରରୁ ପ୍ରକାଶ ପାଇଥିଲା ଯେ ଦିହେଁ ଅପରାଧ ସଂପର୍କରେ ମାନିଯାଇଛନ୍ତି ।

 

ତେବେ ଶବ ବ୍ୟବଚ୍ଛେଦ ପରେ ଘଟଣାର ମୋଡ଼ ବଦଳି ଯାଇଥିଲା । ମାଳୀ ଓ ଜଗୁଆଳରସ୍ୱୀକାରୋକ୍ତି ସହ ଶବ ବ୍ୟବଚ୍ଛେଦ ରିପୋର୍ଟର ତାଳମେଳ ରହିଲାନି । କିଛି ଦିନ ପୂର୍ବେ ଶ୍ୟାମଳୀଙ୍କ ଫ୍ଳାଟମରାମତ କାମ ପାଇଁ ଆସିଥିବା ମିସ୍ତ୍ରୀ, ଗାଧୁଆଘର ସଫେଇବାଲା ଓ ଫୁଲକୁଣ୍ଡରେ ଔଷଧ ସିଞ୍ଚନ ପାଇଁ ଆସିଥିବା ବ୍ୟକ୍ତିଙ୍କ ମଧ୍ୟରୁ ସନ୍ଦିଗ୍ଧଅପରାଧି  ଖୋଜି ବାହାର କରିବା ନିମନ୍ତେ  ପୋଲିସ ତତ୍ପରତା ପ୍ରକାଶ କରିଥିଲା । ଶ୍ୟାମଳୀ ଏକ ନାଲି ରଙ୍ଗର ଛୋଟ ଡ଼ାଏରୀରେ ଏମାନଙ୍କୁ ସାକ୍ଷାତ କରିଥିବା ସଂପର୍କରେ ଉଲ୍ଲେଖ କରିଥିଲେ । ତଦନ୍ତ ଜାରୀ ରହିଲା ।

 

ଶ୍ୟାମଳୀଙ୍କ ଫ୍ଳାଟର ପ୍ରବେଶ ଦ୍ୱାର ଦୁଇ ଦିନ ଧରି ବନ୍ଦ ରହିବା,ଦ୍ୱାର ବାହାରେ ଖବରକାଗଜ ବିଡ଼ାପଡ଼ିଥିବା ତଥା ଫୋନକଲେ ଉତ୍ତର ନ ଆସିବାରେ ସନ୍ଦେହ ପ୍ରକାଶ କରି ପଡ଼ୋଶୀ ତାଙ୍କରି ଭଉଣୀଙ୍କୁ ଖବର ଦେଇଥିଲେ । ଶ୍ୟାମଳୀଙ୍କ ଭଉଣୀ ଯୋଡ଼ାଚ଼ାବି ଆଣି କବାଟ ଖୋଲିଲା ପରେ ମୃତଦେହ ଉଦ୍ଧାର ହୋଇଥିଲା ।

 

କଲିକତାର ଯୋଧପୁର ପାର୍କ ହତ୍ୟାକାଣ୍ଡର ଉଲ୍ଲେଖନୀୟ ଦିଗଟି ହେଲା ହତ୍ୟାକାରୀମାନେ ଲୁଟପାଟ କରିନଥିଲେ । ଆଲମିରା ଭାଙ୍ଗିବା ଏପରିକି ଅର୍ଥ ଓ ମୂଲ୍ୟବାନ ଜିନିସପତ୍ର ଖୋଜାଖୋଜି କରିବା ପ୍ରମାଣ ମିଳିନଥିଲା । ଶବ ହାତରେ ସୁନା ଚୁଡ଼ି ମଧ୍ୟ କେହି ନେଇ ନଥିଲେ । ପୋଲିସ ସନ୍ଦେହ କରୁଥିଲା ଯେ ଏକ ନିର୍ଦ୍ଧିଷ୍ଟ ଉଦ୍ଦେଶ୍ୟରଖି ବୃଦ୍ଧାଙ୍କୁ ହତ୍ୟା କରାଯାଇଛି ।

 

ଶ୍ୟାମଳୀ ଘୋଷ ହତ୍ୟାକାଣ୍ଡ ପର୍ଦ୍ଦାଫାଶଘଟଣାକୁ ବାଦ ଦେଲେ ଏକାକୀ ବସବାସ କରୁଥିବା ବରିଷ୍ଠ ନାଗରିକଙ୍କ ଅସୁରକ୍ଷିତ ଜୀବନଯାତ୍ରାଆଲୋଚ଼ନା ପରିସରକୁ ଆସିଥାଏ । ଲୁଟପାଟ ଭିନ୍ନ ସେମାନଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ହାସଲ କରିବା ନିମନ୍ତେ ମନ୍ଦ ଉଦ୍ଦେଶ୍ୟରେ ହତ୍ୟା ଆୟୋଜନ ଅସଂଭବ ନୁହେଁ । ଏଥି ଲାଗି ଘରୋଇ ସହାୟକ, ରାନ୍ଧୁଣିଆ, ମାଳୀ, ଡ୍ରାଇଭର ବା ଜଗୁଆଳ ଭଳି ନିମ୍ନବର୍ଗର କର୍ମଚ଼ାରୀଙ୍କୁ ନିୟୋଜନ କରାଯାଇପାରେ । ଏକ ପକ୍ଷରେ ବାର୍ଦ୍ଧକ୍ୟରେ ଏକାକୀ ଜୀବନଚର୍ଯ୍ୟା ନିମନ୍ତେ ବୃତ୍ତିଧାରୀଙ୍କ ସହାୟତା ଆବଶ୍ୟକ ପଡୁଥିବା ସ୍ଥଳେ ଅଜ୍ଞତା କାରଣରୁ ସେମାନଙ୍କଦ୍ୱାରା ଅପରାଧ ରଚ଼ନାସହଜପ୍ରଦ ମନେହୁଏ । ଏହି ପରିପ୍ରେକ୍ଷୀରେ ଏକାକୀ ବସବାସ କରୁଥିବା ବୟୋଜ୍ୟାଷ୍ଠଙ୍କ ସୁରକ୍ଷା ଏକ ପ୍ରଶ୍ନବାଚ଼ୀ । ଏହିଭଳି  ଘଟଣା କାଁଭାଁ ଘଟୁଥିଲେ ହେଁ ପ୍ରତିକାର ପାଇଁ ବିକଳ୍ପ ବ୍ୟବସ୍ଥା ଖୋଜିବାହାର କରିବା ବୁଦ୍ଧିମାନ କାର୍ଯ୍ୟ ।

 

ସ୍ୱାଧୀନୋତ୍ତର ଅବସ୍ଥାରୁ ଭାରତରେ ସାମାଜିକ ବୈଷମ୍ୟ କ୍ରମାଗତଭାବେ ବୃଦ୍ଧି ପାଇବାରେ ଲାଗିଛି । ବିଂଶ ଶତାଦ୍ଦୀର ଶେଷ ଦଶକରୁ ଜଗତୀକରଣ ପରେ ଆର୍ଥିକ ବୈଷମ୍ୟ ଅପରାଧ ହାରକୁ ପ୍ରଭାବିତ କରିଥିବା ଅନୁଶୀଳନ କରାଯାଏ । ବରିଷ୍ଠ ନାଗରିକଙ୍କ ସଂଖ୍ୟା ବୃଦ୍ଧି ଏବଂ ସେମାନଙ୍କ ପରିଣତ ବୟସରେ ତତ୍ତ୍ୱାବଧାନ ନିମନ୍ତେ ସୁବିଧା ସୁଯୋଗର ଭିତ୍ତିଭୂମି ସୃଷ୍ଟି ନ ହୋଇପାରିଥିବା କାରଣରୁ ଅଧିକାଂଶ କ୍ଷେତ୍ରରେ ଏକାକୀ ବାସଗୃହରେ ବସବାସର ବିକଳ୍ପ ନାହିଁ । କିନ୍ତୁ ବିଚ୍ଛୁରିତ ଭାବେ ବସବାସ କରୁଥିବା ବରିଷ୍ଠ ନାଗରିକଙ୍କୁ ସଂପୂର୍ଣ୍ଣ ସୁରକ୍ଷା ଯୋଗାଇବା ସାମାଜିକ ବା ପ୍ରଶାସନିକସ୍ତରରେ ସଂଭବପର ନୁହେଁ । ଏହି ପରିପ୍ରେକ୍ଷୀରେ ମୌଳିକ ଆବଶ୍ୟକତା ଭରଣା କରିବା ନିମନ୍ତେ ସୁଚ଼ିନ୍ତିତ ପଦକ୍ଷେପ ଆବଶ୍ୟକ ପଡ଼ିଥାଏ ।

 

ଉତ୍ତର-ବାର୍ଦ୍ଧକ୍ୟ ଅବସର ବିହାର ଭଳି ପରିବେଶରେ ଅନ୍ତେବାସୀ ବରିଷ୍ଠ ନାଗରିକମାନଙ୍କ ସୁରକ୍ଷା ସଂଭବପର । ତେବେ ଏକପକ୍ଷରେ ଏଥି ନିମନ୍ତେ ଭିତ୍ତିଭୂମି ସୃଷ୍ଟି ଲାଗି ପର୍ଯ୍ୟାପ୍ତ ଖର୍ଚ୍ଚ ଲାଗିସମ୍ୱଳ ଏବଂ ଅପରପକ୍ଷରେ ପରିଣତ ବୟସରେ ଅପରିଚ଼ିତ ପରିବେଶରେ ବସବାସ କରିବା ନିମନ୍ତେ ମାନସିକସ୍ତରରେ କୁଣ୍ଠାଓଡ଼ିଶା ଭଳି ରାଜ୍ୟବାସୀଙ୍କ ପାଇଁ ଅନ୍ତରାୟ ସାଜିଥାଏ । ଅତ୍ୟାଧୁନିକ ବୈଷୟିକ କୌଶଳ ଉପଯୋଗ ଦ୍ୱାରା ବରିଷ୍ଠ ନାଗରିକଙ୍କ ସୁରକ୍ଷା ଓ ଯତ୍ନ ନିମନ୍ତେ ଭିତ୍ତିଭୂମି ଆୟୋଜନ ମଧ୍ୟ ସଂଭବପର । ତେବେ ବାସ୍ତବକ୍ଷେତ୍ରରେକେତେଦୂର କାର୍ଯ୍ୟକାରୀ ହୋଇପାରିବ ତାହା ଏକ ପ୍ରଶ୍ନବାଚ଼ୀ । ମୋଟାମୋଟି ଭାବେ ବୟୋଜ୍ୟୋଷ୍ଠଙ୍କ ସୁରକ୍ଷା ଏବଂ ଏଥି ନିମନ୍ତେ ତତ୍ପରତା ପ୍ରକାଶ ସମୟର ଆହ୍ୱାନ ବୋଲି ବିଚ଼ାର କରାଯାଇପାରେ ।


 

ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଏପ୍ରିଲ ୨୦୧୯

---

ତଥ୍ୟ:


Trusted duo held for murder. The Telegraph (Kolkata Edition) April 7, 2019. 

Cop hunt for brain behind murder. The Telegraph (Kolkata Edition) April 8, 2019. 

ବାର୍ଦ୍ଧକ୍ୟ ପ୍ରତି ସାମାଜିକ ଦୃଷ୍ଟିଭଙ୍ଗୀ

ବାର୍ଦ୍ଧକ୍ୟ ପ୍ରତି ସାମାଜିକ ଦୃଷ୍ଟିଭଙ୍ଗୀ ସଂପୃକ୍ତ ଅଞ୍ଚଳର ବୃଦ୍ଧଜନଙ୍କ ଜୀବନକୁ ପ୍ରଭାବିତ କରିଥାଏ l ୨୦୧୮ ମଧ୍ୟଭାଗରେ ‘ଓର୍ବ ମିଡ଼ିଆ’ ପକ୍ଷରୁ ପ୍ରକାଶିତ ଏକ ବିବରଣୀରେ ନିର୍ଦ୍ଦିଷ୍ଟ ପରିବାର, ଗୋଷ୍ଠୀ ଓ ଅଞ୍ଚଳରେ ବାର୍ଦ୍ଧକ୍ୟ ଜୀବନଚ଼ର୍ଯ୍ୟା ସେଠାକାର ପାରିପାର୍ଶ୍ୱିକ ପରିବେଶକୁ ଆଧାରକରି ଗଢ଼ି ଉଠୁଥିବା ଦର୍ଶାଯାଇଛି l

 

ଆନ୍ତର୍ଜାତିକ ସାମ୍ୱାଦିକତା କ୍ଷେତ୍ରରେ ‘ଓର୍ବ ମିଡ଼ିଆ’ ଏକ ଅଭିନବ ପଦକ୍ଷେପ l ସମକାଳରେ ସାମ୍ୱାଦିକତା ଆଞ୍ଚଳିକତାରୁ ଗଭୀର ଆଞ୍ଚଳିକତା ଆଡ଼କୁ ମୁହାଁଇଛି l ଏହି ପରିପ୍ରେକ୍ଷୀରେ ଆନ୍ତର୍ଜାତିକ ପୃଷ୍ଠଭୂମିରେ ମାନବ ସଭ୍ୟତା ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସଂପର୍କରେ ଅନୁଧ୍ୟାନ, ବ୍ୟାପକ ତଥ୍ୟ ସଂକଳନ ‘ଡ଼ାଟା ଜର୍ଣ୍ଣାଲିଜମ’ ଓ ମଲଟିମିଡ଼ିଆ ପରିବେଶରେ କାର୍ଯ୍ୟକ୍ରମ ପ୍ରଯୋଜନା ଓ ପ୍ରସାରଣକୁ ଭିତ୍ତିକରି ଅନ୍ୟତମ ବିକଳ୍ପ ମଞ୍ଚ ଗଠନ ଉଦ୍ୟମ କରାଯାଇଛି l‘ଓର୍ବ ମିଡ଼ିଆ’ ବିଭିନ୍ନ ବିଷୟରେ ଅନୁସନ୍ଧାନମୂଳକ ସମ୍ୱାଦ ସଂକଳନ କରୁଥିବା ସ୍ଥଳେ ବାର୍ଦ୍ଧକ୍ୟ ପ୍ରତି ସାମାଜିକ ଦୃଷ୍ଟିଭଙ୍ଗୀ ସଂପର୍କରେ ୨୦୧୮ ଜୁନ ମାସରେ ଏକ ସମ୍ୱାଦ ପ୍ରସାରଣ କରିଥିଲା l

 

ଆନ୍ତର୍ଜାତିକସ୍ତରରେ ଆଫ୍ରିକା ମହାଦେଶକୁ ବାଦ ଦେଲେ ପ୍ରାୟ ସମସ୍ତ ରାଷ୍ଟ୍ରରେ ବୃଦ୍ଧଜନଙ୍କ ସଂଖ୍ୟା ବଢ଼ି ଚ଼ାଲିବାରେ ଲାଗିଛି l ଏହି ଧାରା ବଳବତ୍ତର ରହିଲେ ୨୦୫୦ ବେଳକୁ ବିଶ୍ୱରେ ପ୍ରତି ପାଞ୍ଚଜଣଙ୍କ ମଧ୍ୟରେ ଜଣେ ୬୫ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ସାମିଲ ହେବେ l ସେତେବେଳକୁ ୮୦ ବର୍ଷୋତ୍ତର ବୃଦ୍ଧଜନଙ୍କ ସଂଖ୍ୟା ୫୦ କୋଟିରେ ପହଞ୍ଚିବ ବୋଲି ହିସାବ କରାଯାଉଛି l

 

ବୃଦ୍ଧଜନଙ୍କ ପ୍ରତି ଆନ୍ତର୍ଜାତିକସ୍ତରରେ ସାମଗ୍ରୀକଭାବେ ସାମାଜିକସ୍ତରରେ ନକାରାତ୍ମକ ମନୋଭାବ ପୋଷଣ କରାଯାଉଥିବା ବିଭିନ୍ନ ଗବେଷଣାଲବ୍ଧ ତଥ୍ୟରେ ସୂଚ଼ିତ ହୋଇଥାଏ l ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ୫୭ ଗୋଟି ରାଷ୍ଟ୍ରରେ ଆୟୋଜିତ ଏକ ଅନୁଧ୍ୟାନରେ ୬୦ ପ୍ରତିଶତ ନାଗରିକ ବୃଦ୍ଧଜନଙ୍କୁ ସାମାଜିକ ବୋଝ ବିବେଚ଼ନା କରୁଥିବା ଜଣାଯାଇଥିଲା l ସେମାନଙ୍କ ଜ୍ଞାନ ଓ ଅଭିଜ୍ଞତାକୁ ବିନିଯୋଗ କରିବା ପରିବର୍ତ୍ତେ କାର୍ଯ୍ୟକ୍ଷେତ୍ରରୁ ଦୂରେଇ ରଖାଯାଉଥିବାର ବହୁଳ ଊଦାହରଣ ଦେଖିବାକୁ ମିଳିଥିଲା l

 

ଧନୀ ଓ ଦରିଦ୍ର ରାଷ୍ଟ୍ରଗୁଡ଼ିକ ମଧ୍ୟରେ ବୟସ୍କଙ୍କ ପ୍ରତି ସମ୍ମାନବୋଧରେ ପ୍ରଭେଦ ସୁସ୍ୱଷ୍ଟ l ଏସିଆ ମହାଦେଶରେ ଜାପାନ ଏକ ବିତ୍ତଶାଳୀ ବିକଶିତ ରାଷ୍ଟ୍ର l ସେଠାରେ ନାଗରିକଙ୍କ ଜୀବଦ୍ଦଶା ଅଧିକ ଓ ଜନସଂଖ୍ୟାର ୨୬ ପ୍ରତିଶତରୁ ଉର୍ଦ୍ଧ୍ୱ ବାର୍ଦ୍ଧକ୍ୟରେ ଉପନୀତ l ଅପରପକ୍ଷେ ପାକିସ୍ଥାନରେ ଦାରିଦ୍ର୍ୟ ଉତ୍କଟ ଓ ସେଠାକାର ଜୀବଦ୍ଦଶା ଅପେକ୍ଷାକୃତଭାବେ କମ l ତେବେ ଜାପାନ ତୁଳନାରେ ପାକିସ୍ଥାନରେ ବୃଦ୍ଧଜନ ଅଧିକ ସମ୍ମାନର ହକଦାର l ଦ୍ୱିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ଶିଳ୍ପାୟନ ପରିପ୍ରେକ୍ଷୀରେ ଜାପାନର ପାରମ୍ପରିକ ପରିବାରଭିତ୍ତିକ ସାମାଜିକ ମୂଲ୍ୟବୋଧ ଭୁଷୁଡ଼ି ପଡ଼ିଥିବା ଅବସରରେ ପାକିସ୍ଥାନର ଗ୍ରାମ୍ୟସଭ୍ୟତା ଓ ପାରିବାରିକ, ସାମାଜିକ ଜୀବନରେ ବୟସ୍କଙ୍କ ଗୁରୁତ୍ୱ ଅପସରି ଯାଇନଥିବା ଅନୁଧ୍ୟାନରୁ ଜଣାଯାଇଛି l

 

ଯୁକ୍ତରାଷ୍ଟ୍ର ଆମେରିକା ୟେଲ ସ୍କୁଲ ଅଫ ପବ୍ଳିକ ହେଲଥର ପ୍ରଫେସର ବେକା ଲେଭି ଦୁଇ ଦଶନ୍ଧିରୁ ଉର୍ଦ୍ଧ୍ୱ କାଳଧରି ବାର୍ଦ୍ଧକ୍ୟ ବିଷୟରେ ଗବେଷଣା କରିଆସିଛନ୍ତି l ବାର୍ଦ୍ଧକ୍ୟରେ ସମ୍ମାନସ୍ପଦ ପରିବେଶ ବରିଷ୍ଠନାଗରିକଙ୍କୁ ମାନସିକସ୍ତରରେ ପ୍ରଭାବିତ କରିଥାଏ ଏବଂ ସେମାନଙ୍କ ସ୍ୱାସ୍ଥ୍ୟରକ୍ଷାରେ ସହାୟକ ହେଉଥିବା ସେ ଦର୍ଶାଇଥାନ୍ତି l ବାର୍ଦ୍ଧକ୍ୟରେ ସକାରାତ୍ମକ ମନୋଭାବ ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ଜୀବଦ୍ଦଶା ବଢ଼ାଇଥାଏ lଅନୁକୂଳ ପରିବେଶ ବରିଷ୍ଠନାଗରିକଙ୍କୁ ରୋଗାକ୍ରାନ୍ତ ଅବସ୍ଥାରେ ଶୀଘ୍ର ଆରୋଗ୍ୟ ଲାଭ କରାଇଥାଏ ଏବଂ ଅବସାଦ ‘ଡ଼ିପ୍ରେସନ’, ମତିଭ୍ରମ ‘ଡ଼ିମେନ୍ସିଆ’ ଭଳି ରୋଗମୁକ୍ତ ରଖୁଥିବା ଜଣାଯାଏ l ଲେଭିଙ୍କ ଗବେଷଣାରୁ ସାକାରତ୍ମକ ମନୋଭାବ ସମ୍ପନ୍ନ ବ୍ୟକ୍ତିମାନେ ଆମେରିକାରରେ ହାରାହାରି ୭ ବର୍ଷ ୬ ମାସ ଅଧିକ ବଞ୍ଚୁଥିବା ତଥା ଜର୍ମାନୀ, ଆଷ୍ଟ୍ରେଲିଆରେ ମଧ୍ୟ ଅନୁରୂପ ପରିସଂଖ୍ୟାନ ଦେଖିବାକୁ ମିଳେ l

 

ପ୍ରଫେସର ଲେଭିଙ୍କ ମତରେ ବାର୍ଦ୍ଧକ୍ୟ ପ୍ରତି ନକାରାତ୍ମକ ମନୋଭାବ ମାନସିକ ଚ଼ାପ ସୃଷ୍ଟି କରିଥାଏ ଏବଂ ବ୍ୟକ୍ତିଗତସ୍ତରରେ ତାହା ସ୍ୱାସ୍ଥ୍ୟହାନୀର କାରଣ ପାଲଟିଥାଏ l ବାର୍ଦ୍ଧକ୍ୟ ପ୍ରତି ସାକାରତ୍ମକ ମନୋଭାବ ପୋଷଣ କରୁଥିବା ବ୍ୟକ୍ତିମାନେ ସ୍ୱାସ୍ଥ୍ୟକର ଖାଦ୍ୟ ଗ୍ରହଣ, ବ୍ୟାୟମ ଓ ସ୍ୱାସ୍ଥ୍ୟରକ୍ଷା ନିମନ୍ତେ ଆବଶ୍ୟକମତେ ଡ଼ାକ୍ତରଙ୍କ ଉପଦେଶ ଗ୍ରହଣ କରିବା ବିଧେୟ l

 

ନ୍ୟୂୟର୍କସ୍ଥିତ ୱେଲ କରନଲ ମେଡ଼ିକାଲ କଲେଜର ପ୍ରଫେସର କରିନା ଲୋକେନହୋଫଙ୍କ ବିଚ଼ାରରେ ସମାଜରେ ବାର୍ଦ୍ଧକ୍ୟ ସହ ମୃତ୍ୟୁକୁ ଯୋଡ଼ି ଦିଆଯାଇଥାଏ l ଫଳରେ ବାର୍ଦ୍ଧକ୍ୟ ସାମାଜିକସ୍ତରରେ ନକାରାତ୍ମକ ଦୃଷ୍ଟିଭଙ୍ଗୀର ଶୀକାର ପାଲଟିଥାଏ lପ୍ରକୃତପକ୍ଷେ ୬୦ ବା ୬୫ ବର୍ଷର ଉର୍ଦ୍ଧ୍ୱ ବୟସକୁ ବାର୍ଦ୍ଧକ୍ୟ ନାମିତ କରାଯାଉଥିବାବେଳେ ଆନ୍ତର୍ଜାତିକସ୍ତରରେ ଜୀବଦ୍ଦଶା ୭୨ ବର୍ଷ ହିସାବ କରାଯାଉଛି l ବିକଶିତ ରାଷ୍ଟ୍ରରେ ବହୁ ଲୋକ ୯୦ ରୁ ୧୦୦ ବର୍ଷ ଯାଏଁ ବଞ୍ଚିଥାନ୍ତି l ଗବେଷଣାରୁ ଜଣାଯାଏ ଯେ ମୃତ୍ୟୁପୂର୍ବ ପାଞ୍ଚବର୍ଷ ମଧ୍ୟରେ ଅନେକେ ରୋଗାକ୍ରାନ୍ତ ହୋଇପଡ଼ନ୍ତି l କିନ୍ତୁ ବାର୍ଦ୍ଧକ୍ୟବସ୍ଥାରେ ୨୫ ରୁ ୩୫ ବର୍ଷ ସ୍ୱାସ୍ଥ୍ୟଗତ କାରଣରୁ ପୂର୍ଣ୍ଣ କାର୍ଯ୍ୟକ୍ଷମ ଅବସ୍ଥାରେ କଟାଇଥାନ୍ତି l ତେଣୁ ସାମାଜିକସ୍ତରରେ ବାର୍ଦ୍ଧକ୍ୟକୁ ନେଇ ପାରମ୍ପରିକ ଭୂଲଧାରଣା ସୁଧାରାଯିବା ଆବଶ୍ୟକ l

 

ଲୋକେନହୋଫଙ୍କ ମତରେ ପାରମ୍ପରିକଭାବେ ସାଧାରଣରେ ଶୈଶବାସ୍ଥାରୁ ବାର୍ଦ୍ଧକ୍ୟ ସଂପର୍କରେ ପ୍ରତିକୂଳ ମନୋଭାବ ବସା ବାନ୍ଧିଥାଏ l ବାର୍ଦ୍ଧକ୍ୟ ସହ ସ୍ୱାସ୍ଥ୍ୟହାନୀ, ଦକ୍ଷତାହୀନତା, ନିର୍ଭରଶୀଳତା ଯୋଡ଼ାଯାଉଥିବା ହେତୁ ସାମାଜିକ ଦୃଷ୍ଟିଭଙ୍ଗୀରେ ବିରୋଧଭାସ ଦେଖିବାକୁ ମିଳିଥାଏ l

 

ଦ୍ୱିତୀୟ ବିଶ୍ୱଯୁଦ୍ଧତ୍ତୋର ଅବସ୍ଥାରେ ଆନ୍ତର୍ଜାତିକସ୍ତରରେ ମନୁଷ୍ୟର ଜୀବଦ୍ଦଶା ବଢ଼ିଥିବା ତଥା ବଢୁଥିବା ଅବସରରେ ଏଭଳି ବଦ୍ଧମୂଳ ଧାରଣାର ମୂଳୋତ୍ପାଟନ ଜରୁରୀ l ସମାଜରେ ସଂଖ୍ୟାଧିକ ଜନସାଧାରଣ ବାର୍ଦ୍ଧକ୍ୟରେ ଉପନୀତ ହେଉଥିବା ତଥା ସ୍ୱାସ୍ଥ୍ୟଗତ ମାନସିକସ୍ତରରେ ଦୀର୍ଘଦିନ ଧରି କାର୍ଯ୍ୟକ୍ଷମ ଥିବା କାରଣରୁ ସେଭଳି ଲୋକଶକ୍ତି କିପରି ସାମାଜିକ ଉନ୍ନୟନକଳ୍ପେ ବ୍ୟବହୃତ ହୋଇପାରିବ ସେ ଦିଗରେ ମନୋନିବେଶ କରିବାକୁ ପଡ଼ିବ l

 

ବୟସଭିତ୍ତିକ ବାଛବିଚ଼ାର ଏକ ଆନ୍ତର୍ଜାତିକ ସମସ୍ୟା ରୂପେ ମୁଣ୍ଡଟେକିଛି l ପରିବର୍ତ୍ତିତ ପରିବେଶରେ ଜାପାନ ଭଳି ଏକ ବିକଶିତ ରାଷ୍ଟ୍ରରେ ବୟସ୍କଙ୍କ ପ୍ରତି ଅବିଚ଼ାର ଶିଳ୍ପସଭ୍ୟତାମୁଖୀ ଅନ୍ୟ ଏସୀୟ ରାଷ୍ଟ୍ରଗୁଡ଼ିକ ନିମନ୍ତେ ଚ଼େତାବନୀ l ସାମାଜିକ ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ନିମନ୍ତେ ଦୀର୍ଘ ମିଆଦୀ ଉଦ୍ୟମ ଆବଶ୍ୟକ ପଡ଼ିଥାଏ l ବିକଳ୍ପ ବାର୍ଦ୍ଧକ୍ୟ ବିଚ଼ାର ନିମନ୍ତେ ପ୍ରାଥମିକସ୍ତରରେ ବିଚ଼ାରବିମର୍ଷ ଆବଶ୍ୟକ ମନେକରାଯାଏl

 

ବୟସଭିତ୍ତିକ ବାଛବିଚ଼ାର ବିରୁଦ୍ଧରେ ସଚ଼େତନତା ସୃଷ୍ଟି ଲାଗି ଆନ୍ତର୍ଜାତିକସ୍ତରରେ ଉଦ୍ୟମ ହେଉଛି l ଜାତିସଂଘ ପକ୍ଷରୁ ୨୦୧୭ ଅକ୍ଟୋବର ପହିଲାରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳନ ଅବସରରେ ‘ବୟସଭିତ୍ତିକ ବାଛବିଚ଼ାରର ମୂଳୋତ୍ପାଟନ’ ସ୍ଳୋଗାନ ଦିଆଯାଇଥିଲା l ଶିଶୁ, ମହିଳା ଓ ଦିବ୍ୟାଙ୍ଗଙ୍କ ପରକୁ ବାର୍ଦ୍ଧକ୍ୟ କ୍ରମଶଃ ସାମାଜିକ ଯତ୍ନ ଆବଶ୍ୟକ କରୁଛି l

 

‘ଓର୍ବ ମିଡ଼ିଆ’ ପକ୍ଷରୁ ପ୍ରସାରିତ ଅନୁଧ୍ୟାନ ସ୍ଥାନୀୟ ଇଂଲିଶ ସମ୍ୱାଦପତ୍ର ‘ଦି ହିନ୍ଦୁ’ର କଟକ ସଂସ୍କରଣରେ ୧୩ ଜୁନ ୨୦୧୮ରେ ପ୍ରକାଶିତ ହୋଇଥିଲା l ଏକାଦିକ୍ରମେ ଆଠଗୋଟି ଭାଷାରେ ୨୦ ଗୋଟି ରାଷ୍ଟ୍ରରେ ଏହି ସମ୍ୱାଦ ପ୍ରକାଶନର ବ୍ୟବସ୍ଥା କରାଯାଇଥିବା ଜଣାଯାଏ l କୁହାଯାଉଛି ଯେ ଅନୁଧ୍ୟାନ ନିମନ୍ତେ ସଂସ୍ଥା ପକ୍ଷରୁ ଏକ ବର୍ଷରୁ ଉର୍ଦ୍ଧ୍ୱ ସମୟ ଓ ୪୯ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା l ଏଥିରେ ୧୦୧ ରାଷ୍ଟ୍ରର ଦେଢ ଲକ୍ଷ ଲୋକ ଭାଗ ନେଇ ବାର୍ଦ୍ଧକ୍ୟପ୍ରତି ନିଜସ୍ୱ ମତାମତ ଉପସ୍ଥାପନ କରିଥିଲେ l


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଜୁଲାଇ ୨୦୧୮

ତଥ୍ୟ:


https://orbmedia.org/age-well

ବାର୍ଦ୍ଧକ୍ୟକୁ ଭୟ

ବାର୍ଦ୍ଧକ୍ୟ ସହ ମୃତ୍ୟୁ ଯୋଡ଼ି ହୋଇ ରହିଥାଏ । ତେବେ ବାର୍ଦ୍ଧକ୍ୟରେ ମୃତ୍ୟୁ ଭିନ୍ନ ଅନ୍ୟାନ୍ୟ କାରଣରୁ ଜନସାଧାରଣ ବାର୍ଦ୍ଧକ୍ୟକୁ ଭୟ କରୁଥିବା ଜଣାଯାଏ । ଯୁକ୍ତରାଷ୍ଟ୍ର ଆମେରିକାରେ ଔଷଧ ନିର୍ମାତା ‘ଫାଇଜର’ ପକ୍ଷରୁ ୨୦୧୪ରେ ଆୟୋଜିତ ଏକ ସର୍ବେକ୍ଷଣରେ ମାତ୍ର ଦଶ ପ୍ରତିଶତ ବାର୍ଦ୍ଧକ୍ୟରେ ମୃତ୍ୟୁକୁ ଭୟ କରୁଥିବା ସ୍ଥଳେ ୨୩ ପ୍ରତିଶତ ଶାରୀରିକ ଶକ୍ତିହାନୀ, ୧୫ ପ୍ରତିଶତ ମାନସିକସ୍ତରରେ ସ୍ମୃତିହାନୀ, ୧୨ ପ୍ରତିଶତ ଜଟିଳ ରୋଗାକ୍ରାନ୍ତ ଏବଂ ୧୨ ପ୍ରତିଶତ ଆର୍ଥିକ ଦୁରାବସ୍ଥାକୁ ଭୟ କରୁଥିବା ସ୍ୱୀକାର କରିଥିଲେ । ବିଭିନ୍ନ କାରଣରୁ ମୋଟ ୮୭ ପ୍ରତିଶତ ବାର୍ଦ୍ଧକ୍ୟକୁ ଭୟ କରୁଥିବା ଜଣାଯାଇଥିଲା । ଯୁକ୍ତରାଷ୍ଟ୍ର ଆମେରିକାର ପରିସଂଖ୍ୟାନ ଊଣାଅଧିକେ ଅନ୍ୟତ୍ର ମଧ୍ୟ ପ୍ରଯୁଜ୍ୟ ବିଚାର କରାଯାଏ ।

 

ଜନଜୀବନରେ ବାର୍ଦ୍ଧକ୍ୟକୁ ଭୟ ମଧ୍ୟ-ବୟସରୁ ପ୍ରତିଫଳିତ । ବୟସବାଦ  ବା ‘ଏଜିଜମ’ ଅନ୍ୟତମ ସୂଚ଼କାଙ୍କ । ଗବେଷଣାରୁ ଜଣାଯାଏ ଯେ ବ୍ୟକ୍ତିବିଶେଷଙ୍କ ମୃତ୍ୟୁ ଭୟ ବୟସଭିତ୍ତିକ ହତାଦରରେ ପର୍ଯ୍ୟବସିତ । ବୟସବାଦୀ ବର୍ଗ ବୃଦ୍ଧଜନଙ୍କଠାରୁ ଦୂରେଇ ରହିବାକୁ ପସନ୍ଦ କରିଥାନ୍ତି । ଅପରପକ୍ଷେ ଯେଉଁମାନେ ବରିଷ୍ଠ ନାଗରିକଙ୍କ ସହଚ଼ର୍ଯ୍ୟରେ ବାର୍ଦ୍ଧକ୍ୟ ଜୀବନଚର୍ଯ୍ୟା ସହ ପରିଚ଼ିତ ସେମାନଙ୍କଠାରେ ବୟସବାଦର ପ୍ରଭାବ କମ । ଓଡ଼ିଆ ପାରିବାରିକ ଜୀବନରେ ଏହାର ଉଦାହରଣ ସୁସ୍ପଷ୍ଟ । ଯୌଥ ପରିବାରରେ ଯେଉଁମାନେ ବୃଦ୍ଧଜନଙ୍କ ସହ ବସବାସ କରନ୍ତି ସେମାନେ ବାର୍ଦ୍ଧକ୍ୟ ପ୍ରତି ସମ୍ୱେଦନଶୀଳ ରହୁଥିବା ଦେଖିବାକୁ ମିଳିଥାଏ ।

 

ମୃତ୍ୟୁ ଅନୁଭବ ଅନୁସନ୍ଧିତ୍ସା ଜନମାନସରେ ଲାଗି ରହିଥାଏ । ବହୁ ଚ଼ିକିତ୍ସକ, ଦାର୍ଶନିକ ଓ ଗବେଷକ ମନୁଷ୍ୟର ମୃତ୍ୟୁକାଳୀନ ଅନୁଭୂତି ସଂକଳନ କରିଛନ୍ତି । ଆଷ୍ଟ୍ରେଲିଆର ଜଣେ ଔପନ୍ୟାସିକା ଚାର୍ଲେଟେ ଉଡ଼ ମୃତ୍ୟୁ ଅନୁଭୂତି ସଂପର୍କରେ ତଥ୍ୟ ସଂଗ୍ରହ କରିବା ନିମନ୍ତେ କେତେକ ଉପଶମକ ବା ‘ପାଲିଏଟିଭ’ ଚିକିତ୍ସକଙ୍କଠାରୁ ତଥ୍ୟ ସଂଗ୍ରହ କରି ବ୍ରିଟେନର ଖ୍ୟାତନାମା ଦୈନିକ ‘ଦି ଗାର୍ଡିଆନ’ରେ ୨୦୨୦ ଗ୍ରୀଷ୍ମକାଳରେ ପ୍ରକାଶ କରିଥିଲେ । ମୃତ୍ୟୁକୁ ଅତି ନିକଟରୁ ଦେଖୁଥିବା ଉପଶମକ ଚ଼ିକିତ୍ସକଙ୍କ ବିବରଣୀ ବେଶ ତାତ୍ତ୍ୱିକ ମନେହୁଏ ।

 

ଚାର୍ଲେଟଙ୍କ ବର୍ଣ୍ଣନା ଅନୁଯାୟୀ ବ୍ୟକ୍ତିର ଜୀବନ କାଳର ଆଚ଼ରଣ ତାହାର ମୃତ୍ୟୁ ପରିବେଶକୁ ପ୍ରଭାବିତ କରେ । ଯେଉଁମାନେ ଜୀବନବ୍ୟାପୀ ବିଭିନ୍ନ ଘଟଣାକ୍ରମକୁ ସ୍ୱୀକାର କରି ଆସିଥାନ୍ତି ଏବଂ କୃତଜ୍ଞ, ସେମାନେ ମୃତ୍ୟୁକୁ ମଧ୍ୟ ସାଦରରେ ଗ୍ରହଣ କରିନିଅନ୍ତି । କିନ୍ତୁ ଜୀବନବ୍ୟାପୀ ବିରକ୍ତି ଓ କ୍ରୋଧରେ ଜର୍ଜରିତ ବ୍ୟକ୍ତିଙ୍କ ମୃତ୍ୟୁ କାଳ ମଧ୍ୟ ସଂଘର୍ଷମୟ । ଚାର୍ଲେଟଙ୍କ ବିଚାରରେ ମନୁଷ୍ୟ ମୃତ୍ୟୁ ତୁଲ୍ୟ ବାର୍ଦ୍ଧକ୍ୟ ମଧ୍ୟ ସମଭାବରେ ସମ୍ମୁଖୀନ ହୋଇଥାଏ । ଅର୍ଥାତ ଜୀବନକାଳର ଆଚରଣ ବାର୍ଦ୍ଧକ୍ୟ ଓ ମୃତ୍ୟୁ ଉଭୟ କ୍ଷେତ୍ରରେ ପ୍ରତିଫଳିତ ।

 

ଗୋଟିଏ ବର୍ଗର ବାର୍ଦ୍ଧକ୍ୟ ଜୀବନଚର୍ଯ୍ୟା ନିତିଦିନିଆ ସୁଖଦୁଃଖରେ କଟିଥାଏ । ସେମାନେ ଜୀବନର ସକାରାତ୍ମକ ଓ ନକାରାତ୍ମକ ଉଭୟ ଘଟଣାକ୍ରମକୁ ସ୍ୱାଭାବିକଭାବେ ଗ୍ରହଣ କରିନିଅନ୍ତି । ତେବେ ଅପରବର୍ଗ ଚିରକାଳ ଅସନ୍ତୁଷ୍ଟ ଏବଂ ଜୀବନର ଛୋଟ ମୋଟ ଆନନ୍ଦକୁ ବିଚାରକୁ ନିଅନ୍ତି ନାହିଁ । କାହାପ୍ରତି କୃତଜ୍ଞତା ସ୍ୱୀକାର କରନ୍ତି ନାହିଁ । ଫଳରେ କ୍ରମାଗତ ଅଭିଯୋଗ, ଅଶାନ୍ତିରେ ବାର୍ଦ୍ଧକ୍ୟ ଅତିବାହିତ ହୋଇଥାଏ । ଅତଏବ, ବାର୍ଦ୍ଧକ୍ୟ ସହ ସୁଖ କିମ୍ୱା ଦୁଃଖ ଅନୁଭବର ଆଶ୍ୱାସନା ବା ଭୟ ଅମୂଳକ । ଏହା ବ୍ୟକ୍ତିଗତ ଦୃଷ୍ଟିକୋଣ ଉପରେ ନିର୍ଭରଶୀଳ ।

 

ସାଧାରଣରେ ବାର୍ଦ୍ଧକ୍ୟରେ ଶାରିରୀକ ଓ ମାନସିକ ଉଭୟ କ୍ଷେତ୍ରରେ ଦୁର୍ବଳତା ଦୁଃଖପୂର୍ଣ୍ଣ ବିବେଚନା କରାଯାଏ । କିନ୍ତୁ ଆନ୍ତର୍ଜାତିକସ୍ତରରେ ଆୟୋଜିତ ଗବେଷଣାରୁ ଜଣାଯାଏ ଯେ ମନୁଷ୍ୟର ଶିଶୁ ଅବସ୍ଥାର ଆନନ୍ଦ ଯୁବ ଓ ପ୍ରାପ୍ତ ବୟସରେ ନିମ୍ନଗାମୀ ହୋଇଯାଏ । ସାମଗ୍ରିକଭାବେ ୪୦ ବର୍ଷ ବୟସରେ ପହଞ୍ଚିବା ବେଳେ ମନୁଷ୍ୟ ଜୀବନରେ ସର୍ବାପେକ୍ଷା ଦୁଃଖୀ ହୋଇ ୫୦ ବର୍ଷ ବେଳକୁ ପୁନଃ ଆନନ୍ଦିତ ପର୍ଯ୍ୟାୟକୁ ଉନ୍ନୀତ ହୋଇଥାଏ । ସଂଗୃହୀତ ତଥ୍ୟ ଅନୁଯାୟୀ ୯୦ ବର୍ଷର ବୃଦ୍ଧଟିଏ ୧୮ ବର୍ଷର ଯୁବକ ତୁଳନାରେ ଅଧିକ ଖୁସି ।

 

ଇଂଲିଶ ଅକ୍ଷର ‘ୟୁ’ ଆକାରର ମନୁଷ୍ୟ ଜୀବନରେ ଆନନ୍ଦ ପରିମାପକୁ ବିଶେଷଜ୍ଞମାନେ ବୟସର ଦ୍ୱନ୍ଦ ‘ପାରାଡ଼କ୍ସ ଅଫ ଏଜ’ ରୁପେ ଚ଼ିହ୍ନଟ କରିଥାନ୍ତି । କୁହାଯାଏ ଯେ ମନୁଷ୍ୟ ଶାରିରୀକ, ମାନସିକ ଓ ଆବେଗସ୍ତରରେ ବୟସଜନିତ ପରିବର୍ତ୍ତନ ସମ୍ମୁଖୀନ ହୋଇଥାଏ । ବାର୍ଦ୍ଧକ୍ୟରେ ପରିପକ୍ୱ ଅଭିଜ୍ଞତା ଆବେଗ ନିୟନ୍ତ୍ରଣରେ ପ୍ରମୁଖ ଭୂମିକା ଗ୍ରହଣ କରେ । ମନୁଷ୍ୟ ମାନସିକସ୍ତରରେ ଅସ୍ପଷ୍ଟ ବିଷୟଗୁଡ଼ିକ ବୁଝିପାରି ବାସ୍ତବତା ସହ କାଳାତିପାତ କରିବା ଶିଖିଯାଏ । ଏହି କାରଣରୁ ବାର୍ଦ୍ଧକ୍ୟ ଜୀବନଚର୍ଯ୍ୟା ସାମଗ୍ରିକଭାବେ ସନ୍ତୋଷଜନକ ବୋଧ ହୋଇଥାଏ ।

 

ଚାର୍ଲେଟ ପୁଣି ଲେଖିଥିଲେ ଯେ ବାର୍ଦ୍ଧକ୍ୟରେ ସ୍ୱାସ୍ଥ୍ୟାବସ୍ଥାରେ ଅବନତି, ଏକାକୀ ବଞ୍ଚିବା ଓ ସାମାଜିକସ୍ତରରେ ପରିଚ଼ୟ ନିଷ୍ପ୍ରଭ ହେବାଭଳି ଅବସ୍ଥାକୁ ସେ ସାଦରରେ ସାମ୍ନା କରିବାକୁ ପ୍ରସ୍ତୁତ କିନ୍ତୁ ବାର୍ଦ୍ଧକ୍ୟରେ ମତିଭ୍ରମ ଭଳି ରୋଗଗ୍ରସ୍ତ ହେବା, ବିଭିନ୍ନ କାରଣରୁ ବାଧ୍ୟବାଧକତାରେ ମୁକ୍ତ ଜୀବନଯାପନରୁ ବଞ୍ଚିତ ହେବା ଏବଂ ଅବାଞ୍ଛିତଙ୍କ ଗହଣରେ ଜୀବନ ବିତାଇବା ଭଳି କାରଣଗୁଡ଼ିକୁ ନେଇ ବ୍ୟକ୍ତିଗତସ୍ତରରେ ସେ ଅବଶ୍ୟ ଭୟଭୀତ । ଦୃଷ୍ଟି ଓ ଶ୍ରବଣ ଶକ୍ତି କ୍ଷୀଣ ହୋଇଯିବା, ଆର୍ଥିକ ଅନାଟନ ହେତୁ ସ୍ୱାଧୀନତା ହରାଇବା ମଧ୍ୟ ଶେଷ ଜୀବନକୁ ଅନିଶ୍ଚିତତା ମଧ୍ୟକୁ ଠେଲି ଦେବା ବିପଦ ରହିଥାଏ ।

  

ବିକଶିତ ରାଷ୍ଟ୍ରଗୁଡ଼ିକରେ ଜୀବଦ୍ଦଶା ବଢ଼ିଛି । ବହୁ ବ୍ୟକ୍ତି ଅତ୍ୟନ୍ତ ବୃଦ୍ଧାବସ୍ଥାରେ ପ୍ରାଣତ୍ୟାଗ କରୁଛନ୍ତି । ଉଦାହରଣରେ ବ୍ରିଟେନରେ ବାର୍ଷିକ ମୃତ୍ୟୁ ସଂଖ୍ୟାର ଅର୍ଦ୍ଧେକ ୮୫ ବର୍ଷୋତ୍ତର ହିସାବ କରାଯାଉଛି । ସେଠାରେ ପଚ଼ିଶି ବର୍ଷ ପୂର୍ବ ମୃତ୍ୟୁହାରରେ ୮୫ ବର୍ଷୋତ୍ତରଙ୍କ ସଂଖ୍ୟା ମାତ୍ର ପାଞ୍ଚ ପ୍ରତିଶତ ରହିଥିଲା । ଅର୍ଥାତ, ଏହି ସମୟସୀମାରେ ଦଶ ଗୁଣ ବୃଦ୍ଧି ପାଇଛି । ଅତୀତରେ ଅବସର ଗ୍ରହଣ ପର ଅବସ୍ଥାକୁ ବାର୍ଦ୍ଧକ୍ୟ ନାମିତ କରାଯାଉଥିଲା । କିନ୍ତୁ ଏକବିଂଶ ଶତାଦ୍ଦୀ ଦ୍ୱିତୀୟ ଦଶକ ଆରମ୍ଭରୁ ପୂର୍ବ-ବାର୍ଦ୍ଧକ୍ୟ ଓ ଉତ୍ତର-ବାର୍ଦ୍ଧକ୍ୟ ଦୁଇଗୋଟି ବର୍ଗର ଚର୍ଚ୍ଚା ଜୋର ଧରିଲା । ଏହି ଧାରା କ୍ରମଶଃ ବିକାଶଶୀଳ ରାଷ୍ଟ୍ରଗୁଡ଼ିକୁ ନିକଟ ଭବିଷ୍ୟତରେ ସଂପ୍ରସାରିତ ହେବା ନିଶ୍ଚିତ ।

 

ଉତ୍ତର-ବାର୍ଦ୍ଧକ୍ୟରେ ମନୁଷ୍ୟ ଶାରିରୀକ ଓ ମାନସିକସ୍ତରରେ ଦୁର୍ବଳ ହୋଇପଡ଼େ । ଫଳରେ ଦୈନନ୍ଦିନ ଜୀବନଯାତ୍ରା ଲାଗି ଅନ୍ୟର ସହାୟତା ଆବଶ୍ୟକ ହୁଏ । ବ୍ରିଟେନର ପରିସଂଖ୍ୟାନ ଅନୁଯାୟୀ ୯୦ ବର୍ଷରୁ ଉର୍ଦ୍ଧ୍ୱ ୮୫ ପ୍ରତିଶତ ବାର୍ଦ୍ଧକ୍ୟଗ୍ରସ୍ତ ସହାୟତାଯୁକ୍ତ ଜୀବନଯାପନ କରନ୍ତି । ଏମାନଙ୍କ ତୁଳନାରେ ୮୫ରୁ ୯୦ ବର୍ଷ ମଧ୍ୟରେ ମୃତ୍ୟୁ ବରଣ କରିଥିବା ବରିଷ୍ଠ ନାଗରିକ କମ ମାତ୍ରାରେ ସହାୟତା ଲୋଡ଼ିଥାନ୍ତି । ନିର୍ଭରଶୀଳ ଜୀବନଯାତ୍ରା ବାର୍ଦ୍ଧକ୍ୟକୁ ଭୟର ଅନ୍ୟତମ ବିଶିଷ୍ଟ କାରଣ

 

ବାର୍ଦ୍ଧକ୍ୟକୁ ଭୟ ଏଡ଼ାଇବା ନିମନ୍ତେ ବାର୍ଦ୍ଧକ୍ୟ ସଂପର୍କରେ ସଚ଼େତନ ହେବା ସର୍ବାପେକ୍ଷା ଗୁରୁତ୍ୱପୂର୍ଣ୍ଣ । ବ୍ୟକ୍ତିଗତସ୍ତରରେ ଅଧ୍ୟୟନ, ଅନଲାଇନ ଗୋଷ୍ଠୀଗତ ଆଲୋଚ଼ନାରେ ଅଂଶଗ୍ରହଣ ଓ ପରିବାର ତଥା ଆଖପାଖ ଅଞ୍ଚଳରେ ବସବାସ କରୁଥିବା ବୃଦ୍ଧଜନଙ୍କ ସହ ସଂପର୍କ ସ୍ଥାପନ ଭଳି କାର୍ଯ୍ୟସୂଚ଼ୀ ବାର୍ଦ୍ଧକ୍ୟ ଜୀବନଯାତ୍ରା ସହ ପରିଚ଼ିତ ହେବା ଲାଗି କେତେକ ଉପାୟ । ପାଶ୍ଚାତ୍ୟ ଭୂଖଣ୍ଡ ଜନଜୀବନରେ ବାର୍ଦ୍ଧକ୍ୟକୁ ଭୟ ଏଡ଼ାଇବା ନିମନ୍ତେ ‘ଫିଅର ଅଫ ଗେଟିଂ ଓଲଡ଼’ (#ଫୋଗୋ) ଭଳି ସଂଗଠିତ ଅନଲାଇନ ଅଭିଯାନ ଆୟୋଜନ କରାଯାଇଥାଏ ।

 

ବାର୍ଦ୍ଧକ୍ୟ ଜୀବନର ଏକ ଅବିଚ୍ଛେଦ୍ୟ ପର୍ଯ୍ୟାୟ । ବର୍ଦ୍ଧିତ ଜୀବଦ୍ଦଶା, ବୃଦ୍ଧ ଜନସଂଖ୍ୟା, ପରିବର୍ତ୍ତିତ ପାରିବାରିକ ଓ ସାମାଜିକ ଆଙ୍ଗିକ ତଥା ଉନ୍ନତ ବୈଷୟିକ ଉଦ୍ଭାବନ ପାରମ୍ପରିକ ବାର୍ଦ୍ଧକ୍ୟ ଜୀବନଚର୍ଯ୍ୟାରେ ସଂଶୋଧନର ସୁଯୋଗ ସୃଷ୍ଟି କରିଛି । ସମସ୍ତ ବୟସବର୍ଗର ଜନସାଧାରଣ ଏହି ଦିଗରେ ସଚ଼େତନ ହେଲେ ଆଗତ ଭବିଷ୍ୟତ ସମସ୍ୟାବଳୀର ମୁକାବିଲା କରିବା ନିମନ୍ତେ ଦୀର୍ଘକାଳୀନ ପ୍ରସ୍ତୁତିରେ ସାମିଲ ହୋଇପାରିବେ । ବାର୍ଦ୍ଧକ୍ୟକୁ ଭୟ କାରଣରୁ ବାର୍ଦ୍ଧକ୍ୟ ଚ଼ିନ୍ତନ ଏଡ଼ାଇଦେବା ପରିବର୍ତ୍ତେ ବୁଝିବାକୁ ଚେଷ୍ଟା କରିବା ଲାଭଜନକ । 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ଫେବୃୟାରୀ ୨୦୨୨


ତଥ୍ୟ :

 

#FOGO ?New survey reveals 87% of Americans have a fear of getting old-Result show top fear is decline in physical ability. Pfizer. July 16, 2014

 

https://www.pfizer.com/news/press-release/press-release-detail/fogo_new_survey_reveals_87_of_americans_have_a_fear_of_getting_old_fogo_results_show_top_fear_is_decline_in_physical_ability1

 

Wood, Charlotte. What are we really afraid of when we think of old age ? The Guardian. May 16, 2020

 

https://www.theguardian.com/science/2020/may/17/charlotte-wood-what-are-we-really-afraid-of-when-we-think-of-old-age

 

Fleming, Jane. Here’s what people in their 90s really think about death. The Conversation. May 16, 2016

 

https://theconversation.com/heres-what-people-in-their-90s-really-think-about-death-58053




ବୟସବାଦ 

ବୟସବାଦର ମୂଳ ଉତ୍ସ ପାରମ୍ପରିକ ବିଶ୍ୱାସ । ବୟସବାଦ ବୟସଗତ ତାରତମ୍ୟ ଦୃଷ୍ଟିକୋଣକୁ ବୁଝାଏ । ଉଦାହରଣରେ କମ ବୟସ୍କ ଯୁବକ ଯୁବତୀ ଅଭିଜ୍ଞତା ଅଭାବରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣଲାଗି ଅନୁପଯୁକ୍ତ କିମ୍ୱା ବାର୍ଦ୍ଧକ୍ୟଗ୍ରସ୍ତ ପରିବର୍ତ୍ତିତ ପରିବେଶରେ ନିଜକୁ ଖାପ ଖୁଆଇବାରେ ଅସମର୍ଥ ଇତ୍ୟାଦି ଅଭିମତ ବୟସବାଦୀ ମନୋଭାବ । ତେବେ ସାଧାରଣରେ ବାର୍ଦ୍ଧକ୍ୟର ଅବମାନନା ହିଁ ବୟସବାଦୀ ପକ୍ଷପାତିତାର ଶୀକାର ହେଉଥିବା ଦେଖିବାକୁ ମିଳେ ।

 

ପାରମ୍ପରିକ ବିଶ୍ୱାସ ଆମ ଚ଼ିନ୍ତାଧାରାକୁ ପ୍ରଭାବିତ କରେ । ତଦ୍ ଅନୁଯାୟୀ ଆମ ଅନୁଭବ ନିୟନ୍ତ୍ରିତ ଏବଂ କାର୍ଯ୍ୟଧାରା ପରିଚାଳିତ । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ଅବସ୍ଥାରେ ବିଶ୍ୱବ୍ୟାପୀ ସାମାଜିକ ବିକାଶ ମନୁଷ୍ୟର ଜୀବଦ୍ଦଶା ଓ ବୃଦ୍ଧ ଜନସଂଖ୍ୟା ବୃଦ୍ଧି ସହ ବୈଷୟିକ ପ୍ରଗତି କାରଣରୁ ବାର୍ଦ୍ଧକ୍ୟର ପରିଭାଷା ବଦଳି ଯାଇଥିଲା । ତେବେ ଗତାନୁଗତିକ ଚ଼ିନ୍ତାଧାରାରେ ବଶବର୍ତ୍ତୀ ହୋଇ ବହୁ ସଂଖ୍ୟକ ବ୍ୟକ୍ତି ବାର୍ଦ୍ଧକ୍ୟର ପରିବର୍ତ୍ତିତ ମୂଲ୍ୟବୋଧ ସଂପର୍କରେ ସଚ଼େତ ହୋଇପାରିନଥାନ୍ତିଫଳରେ ବିଶ୍ୱ ଜନସଂଖ୍ୟାର ଅର୍ଦ୍ଧେକଙ୍କ ମଧ୍ୟରେ ବୟସବାଦୀ ମନୋଭାବ ସକ୍ରିୟ ।

 

ଆନ୍ତର୍ଜାତିକସ୍ତରରେ ସାମାଜିକ ପ୍ରବାହ ଅନୁଧ୍ୟାନ ନିମନ୍ତେ ‘ୱାର୍ଲଡ଼ ଭେଲ୍ୟୁ ଷ୍ଟଡ଼ି’ ନାମକ ଏକ ଦୀର୍ଘକାଳୀନ ସର୍ବେକ୍ଷଣ ‘ଲଙ୍ଗିଟ୍ୟୁଡିନାଲ ସର୍ଭେ’ ୧୯୮୧ରୁ ଆରମ୍ଭ ହୋଇଥିଲା । ଆଷ୍ଟ୍ରିଆର ଭିଏନାକେନ୍ଦ୍ରୀକ ଏହି ସଂଗଠନ ପକ୍ଷରୁ ପ୍ରତି ପାଞ୍ଚ ବର୍ଷରେ ଥରେ ବିଶ୍ୱବ୍ୟାପୀ ତଥ୍ୟ ସଂଗ୍ରହ କରାଯାଏ । ଏହାର ଷଷ୍ଠ ତରଙ୍ଗରେ ୨୦୧୦ରୁ ୨୦୧୪ ମଧ୍ୟରେ ୫୭ ଗୋଟି ରାଷ୍ଟ୍ରରେ ଆୟୋଜିତ ସର୍ବେକ୍ଷଣରେ ୮୩ ହଜାର ବ୍ୟକ୍ତି ଅଂଶ ଗ୍ରହଣ କରିଥିଲେ । ବୟସବାଦ ସଂପର୍କୀତ ଅଭିମତ ଅନୁଶୀଳନରେ ୨୪ ପ୍ରତିଶତ ଉଗ୍ର ବୟସବାଦୀ ଅର୍ଥାତ ବାର୍ଦ୍ଧକ୍ୟ ବିରୋଧି ମତ ପ୍ରକାଶ କରିଥିବା ସ୍ଥଳେ ୩୨ ପ୍ରତିଶତ ମଧ୍ୟମ ଏବଂ ୪୪ ପ୍ରତିଶତ ସାମାନ୍ୟ ଗଣିତ କରାଯାଇଥିଲା । ଅର୍ଥାତ, ସମାଜରେ ବାର୍ଦ୍ଧକ୍ୟଗ୍ରସ୍ତଙ୍କୁ ପ୍ରତି ଦଶ ଜଣରେ ଚାରିରୁ ପାଞ୍ଚ ଜଣ ଅବହେଳା ଏବଂ ଦୁଇରୁ ତିନି ଜଣ ଘୃଣା କରୁଥିବା ସୁସ୍ପଷ୍ଟ ।

 

ଜାପାନ, ଆଷ୍ଟ୍ରେଲିଆ ଓ ପୋଲାଣ୍ଡ ଭଳି ବିକଶିତ ରାଷ୍ଟ୍ରରେ ବାର୍ଦ୍ଧକ୍ୟଗ୍ରସ୍ତ ସାମାଜିକସ୍ତରରେ କମ ଅବହେଳାର ଶୀକାର ହେଉଥିବା ସ୍ଥଳେ ଭାରତ ସମେତ ବିକାଶଶୀଳ ରାଷ୍ଟ୍ରଗୁଡ଼ିକରେ ଅଧିକ ମାତ୍ରାରେ ଅବହେଳିତ । ସେହିପରି ଉଚ୍ଚ ଶିକ୍ଷିତମାନେ ବୟସ୍କଙ୍କୁ ଅଧିକ ସମ୍ମାନ ପ୍ରଦର୍ଶନ କରୁଥିବା ବେଳେ ଅଶିକ୍ଷିତ ବହୁଳ ଅଞ୍ଚଳରେ ଅପେକ୍ଷାକୃତଭାବେ ଲାଞ୍ଛିତ । ପୁଣି ପୁରୁଷମାନେ ମହିଳାଙ୍କ ତୁଳନାରେ ଉଗ୍ର ବୟସବାଦୀ ମନୋଭାବ ପୋଷଣ କରିଥାନ୍ତି । ଧନୀ ରାଷ୍ଟ୍ରଗୁଡ଼ିକରେ ବାର୍ଦ୍ଧକ୍ୟଗ୍ରସ୍ତ ଜନସଂଖ୍ୟା ଅଧିକ ଏବଂ ଗରିବ ରାଷ୍ଟ୍ରଗୁଡ଼ିକରେ କମ ।

 

ବ୍ୟକ୍ତିଗତସ୍ତରରେ ବୟସବାଦୀ ମନୋଭାବ କାରଣରୁ ବାର୍ଦ୍ଧକ୍ୟଗ୍ରସ୍ତଙ୍କ ଜୀବଦ୍ଦଶାରେ ପ୍ରତିକୂଳ ପ୍ରଭାବ ପଡୁଥିବା ଗବେଷଣାରୁ ପ୍ରକାଶ । ଅର୍ଥାତ, ଯେଉଁମାନେ ବାର୍ଦ୍ଧକ୍ୟକୁ ଜୀବନର ଅନ୍ୟତମ ଅଧ୍ୟାୟରୂପେ ଗ୍ରହଣ କରି ବିକଳ୍ପ ନୀତିନିୟମ ମାନି ଚଳିବାକୁ ନାରାଜ, ପରିବର୍ତ୍ତିତ ଜୀବନଚର୍ଯ୍ୟା ବଦଳରେ ସାଧାରଣ ଜୀବନଯାପନରେ ଆଗ୍ରହ ପ୍ରକାଶ କରିଥାନ୍ତି, ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ପ୍ରତିକୂଳ ପ୍ରଭାବ ପଡୁଥିବା ସର୍ବେକ୍ଷଣରୁ ସଂଗୃହୀତ ତଥ୍ୟ ବିଶ୍ଳେଷଣରୁ ଜଣାଯାଇଥିଲା । ବୟସବାଦୀ ଚାପଗ୍ରସ୍ତ ଜୀବନ ଯାପନରେ ହୃଦରୋଗ, ମତିଭ୍ରମ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହେଉଥିବା ପ୍ରମାଣ ମିଳିଥିଲା ।

 

ଯୁକ୍ତରାଷ୍ଟ୍ର ଆମେରିକାରେ ଅନ୍ୟ ଏକ ଗବେଷଣାରୁ ବାର୍ଦ୍ଧକ୍ୟଗ୍ରସ୍ତଙ୍କ ମଧ୍ୟରେ ବାର୍ଦ୍ଧକ୍ୟପ୍ରତି ନକାରାତ୍ମକ ମନୋଭାବ ପୋଷଣ କରୁଥିବା ବ୍ୟକ୍ତିବିଶେଷଙ୍କ ଜୀବଦ୍ଦଶା ସକାରାତ୍ମକ ମନୋଭାବଧାରୀଙ୍କ ତୁଳନାରେ ସାତ ବର୍ଷ ଛଅ ମାସ ଯାଏଁ ଆୟୁ କମ ହିସାବ କରାଯାଇଥିଲା । ବୟସବାଦୀ ମନୋଭାବ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ସଂପର୍କରେ ବ୍ୟାପକ ସୂଚନା ଉପଲବ୍ଧ ଥିବା ସତ୍ତ୍ୱେ ବିଭିନ୍ନ କ୍ଷେତ୍ରରେ ଏଥି ପ୍ରତି ଅଗ୍ରାଧିକାର ଦିଆଯାଇପାରୁନଥିବା ତଥା ଜନସ୍ୱାସ୍ଥ୍ୟ ସମସ୍ୟା ରୂପେ ପର୍ଯ୍ୟାୟଭୁକ୍ତ କରାଯାଇପାରୁନଥିବା କ୍ଷୋଭର ବିଷୟ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଥାନ୍ତି ।

 

ଏକବିଂଶ ଶତାଦ୍ଦୀ ସାମାଜିକ ଜୀବନରେ ବୟସବାଦର ଭୂମିକା ଗୁରୁତ୍ୱପୂର୍ଣ୍ଣ । ସମାଜରେ ବହୁ ସଂଖ୍ୟକ ବରିଷ୍ଠ ନାଗରିକ ବସବାସ କରୁଥିବା ଏବଂ ଦୀର୍ଘ ଜୀବଦ୍ଦଶା ଅଧିକାରୀ ହେଉଥିବା ପରିପ୍ରେକ୍ଷୀରେ ବାର୍ଦ୍ଧକ୍ୟକେନ୍ଦ୍ରୀକ ଭିତ୍ତିଭୂମି ଓ ସୁବିଧାସୁଯୋଗ ସୃଷ୍ଟି ନହୋଇପାରିଲେ ସାମାଜିକ ବିଶୃଙ୍ଖଳା ସୁନିଶ୍ଚିତ । ଜନଗଣନା ହିସାବ ଅନୁଯାୟୀ ୨୦୧୫ରେ ବିଶ୍ୱ ଜନସଂଖ୍ୟାର ୧୨ ପ୍ରତିଶତ ୬୦ ବର୍ଷୋତ୍ତର ଥିବା ସ୍ଥଳେ ୨୦୫୦ରେ ୨୨ ପ୍ରତିଶତରେ ପହଞ୍ଚିବା ଆକଳନ କରାଯାଇଥାଏ । ପ୍ରତି ପାଞ୍ଚଜଣରେ ଜଣେ ବାର୍ଦ୍ଧକ୍ୟଗ୍ରସ୍ତ ଉପସ୍ଥିତ ରହିବା ଅବସରରେ ବୟସବାଦୀ ମନୋଭାବ ଦୂରୀକରଣ ବିନା ସାମାଜିକ ସହବସ୍ଥାନ ଆଶା କରାଯାଇପାରେନା ।

 

ବ୍ୟକ୍ତିଗତସ୍ତରରେ ବୟସବାଦୀ ଚ଼ିନ୍ତାଧାରା ବ୍ୟକ୍ତିବିଶେଷଙ୍କୁ ବାର୍ଦ୍ଧକ୍ୟରେ ଶୈଶବ, ଯୌବନ ଓ ପ୍ରାପ୍ତବୟସ୍କ ଜୀବନାନୁଭୂତି ପରିତ୍ୟାଗ କଠିନ ବୋଧ ହୋଇଥାଏ । ଅନ୍ୟଭାଷାରେ ସେମାନେ ବାର୍ଦ୍ଧକ୍ୟ ଅନୁକୂଳ ଜୀବନଯାତ୍ରା ନିମନ୍ତେ କୁଣ୍ଠିତ । କିନ୍ତୁ ବାସ୍ତବ କ୍ଷେତ୍ରରେ ବର୍ଦ୍ଧିତ ବୟସରେ ପୁରୁଣା ଜୀବନକୁ ଫେରିଯିବା ସଂଭବପର ନୁହେଁ । ଫଳରେ ବୟସବାଦୀମାନେ ସଂଘର୍ଷପୂର୍ଣ୍ଣ ଜୀବନଯାତ୍ରାରେ ଚାପଗ୍ରସ୍ତ ଜୀବନ ଯାପନ କରିଥାନ୍ତିଏହା ପ୍ରକାରାନ୍ତେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗାଡ଼ି ଦେଇଥାଏ ।

 

ବିଶେଷଜ୍ଞମାନେ ବୟସବାଦ ପ୍ରସାର ପ୍ରସଙ୍ଗ ଆଲୋଚ଼ନାରେ ଗଣମାଧ୍ୟମରେ ବାର୍ଦ୍ଧକ୍ୟ ଅନୁକୂଳ ବର୍ଣ୍ଣନା ଅଭାବକୁ ଏକ ମୁଖ୍ୟ କାରଣ ରୂପେ ଚ଼ିହ୍ନଟ କରିଥାନ୍ତି । ସାଧାରଣରେ ସାହିତ୍ୟ, ଟେଲିଭିଜନ ଓ ଚଳଚ଼ିତ୍ରରେ ବାର୍ଦ୍ଧକ୍ୟ ଚ଼ରିତ୍ର ବିରଳ କିମ୍ୱା ଗତାନୁଗତିକ ‘ଷ୍ଟେରିଓଟାଇପ’ ଭାବେ ଚ଼ିତ୍ରିତ ହୋଇଥାଏ । ଫଳରେ ଜନମାନସରେ ବାର୍ଦ୍ଧକ୍ୟ ଜୀବନଯାତ୍ରା ଆକର୍ଷଣ ହରାଇ ବସେ । ଆଧୁନିକ ଜନଜୀବନରେ ବ୍ୟକ୍ତି ମଧ୍ୟବୟସରେ ଉପନୀତ ହେବା ଅବସରରେ ବାର୍ଦ୍ଧକ୍ୟ, ମୃତ୍ୟୁ, ଶୋକ ଭଳି ବିଷୟ ସଂପର୍କୀତ ଚ଼ିନ୍ତାରାଜ୍ୟରେ ପ୍ରବେଶ କରିଥାଏ ।

 

ବାର୍ଦ୍ଧକ୍ୟ ବିଷୟ ବିଶାରଦ କିମ୍ୱା ସେହି ଦିଗରେ ରୁଚ଼ି ରଖୁଥିବା ଉଚ୍ଚ ଶିକ୍ଷିତଙ୍କ ଭିନ୍ନ ବାର୍ଦ୍ଧକ୍ୟ ଜୀବନଚର୍ଯ୍ୟା ସଂପର୍କରେ ସାଧାରଣ ବ୍ୟକ୍ତି ଜ୍ଞାନ ଆହରଣ କରିବା ସଂଭବପର ହୋଇପାରୁନଥିବା ହେତୁ ବୟସବାଦୀ ମନୋଭାବ ପୋଷଣ କରେଏହି ପରମ୍ପରା ଭଙ୍ଗ ଉଦ୍ଦେଶ୍ୟରେ ଗଣମାଧ୍ୟମରେ ବାର୍ଦ୍ଧକ୍ୟ ଜୀବନଯାତ୍ରା ପର୍ଯ୍ୟାପ୍ତ ମାତ୍ରାରେ ପ୍ରତିଫଳିତ ହେବା ଆବଶ୍ୟକ । ଏତଦ୍ୱାରା ଆଗାମୀ ଦୁଇରୁ ତିନି ଦଶନ୍ଧି ପରେ ସମାଜର ଏକ ପଞ୍ଚମାଂଶରୁ ଏକ ଚତୁର୍ଥାଂଶ ଜନସଂଖ୍ୟାର ଜୀବନଯାପନ ସୁଖମୟ ଓ ସୌହାଦ୍ଦ୍ୟପୂର୍ଣ୍ଣ ଗଢ଼ି ତୋଳିବାରେ ସହାୟକ ହେବା ବିଶ୍ୱାସ କରାଯାଇପାରେ  


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଅକ୍ଟୋବର ୨୦୨


ତଥ୍ୟ:

 

Officer, Alan et.al. Ageism, healthy life expectancy and population ageing : How are they related National Library of Medicine, May 2020.

 

https://www.ncbi.nlm.nih.gov/pmc/articles/PMC7246680/

 

Lefevre, Carol. Friday essay : homesick for ourselves – the hidden grief of ageing. The Conversation. September 14, 2023

 

https://theconversation.com/friday-essay-homesick-for-ourselves-the-hidden-grief-of-ageing-202754


ବାର୍ଦ୍ଧକ୍ୟ-ବିରୋଧି ବୟସବାଦ

ବୟସର ତାରତମ୍ୟକୁ ନେଇ ବିରୋଧ ବୟସବାଦ ନାମିତ । ପାରିବାରିକସ୍ତରରେ ବାର୍ଦ୍ଧକ୍ୟଗ୍ରସ୍ତଙ୍କୁ ହତାଦର କିମ୍ୱା କାର୍ଯ୍ୟକ୍ଷେତ୍ରରେ ବୟସ୍କମାନେ ଅଳ୍ପ-ବୟସ୍କ ନବାଗତଙ୍କୁ ଅନଭିଜ୍ଞ ଦର୍ଶାଇ ସୁଯୋଗସୁବିଧାରୁ ବଞ୍ଚିତ କରିବା ଭଳି ଧାରା ବୟସବାଦର ଉଦାହରଣ । କିଶୋର ବୟସରେ ଶିଶୁମାନଙ୍କୁ ତଥା ଯୁବାବସ୍ଥାରେ କିଶୋରଙ୍କୁ ଗୋଠଛଡ଼ା କରିବା ମନୋବୃତ୍ତି ବହୁ କ୍ଷେତ୍ରରେ ଦେଖିବାକୁ ମିଳିଥାଏ ।

 

ବ୍ୟକ୍ତିଗତ, ପାରିବାରିକ ଓ ସାମାଜିକ କ୍ଷେତ୍ରରେ ବୟସକୁ ନେଇ ଭେଦଭାବ ମାନବସଭ୍ୟତା ପରିପ୍ରକାଶ କାଳରୁ ପ୍ରଚଳିତ । ବୟସବାଦ ଅଧ୍ୟୟନ, ଚ଼େତନା ପ୍ରସାର ଓ ନୀତିନିର୍ଦ୍ଧାରଣ ନିମନ୍ତେ ଉଦ୍ୟମ ବିଂଶ ଶତାଦ୍ଦୀର ଶେଷ ତିନି ଦଶକରେ ଆରମ୍ଭ ହୋଇଥିଲା । ପ୍ରାୟ ଅର୍ଦ୍ଧ-ଶତାଦ୍ଦୀ ଉତ୍ତାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏଦିଗରେ ଏକବିଂଶ ଶତାଦ୍ଦୀ ଦ୍ୱିତୀୟ ଦଶକ ଶେଷ ଭାଗରୁ ସବିଶେଷ କାର୍ଯ୍ୟକ୍ରମ ଆୟୋଜନରେ ଗୁରୁତ୍ୱାରୋପ କରାଯାଇଛି ।

 

ଆନ୍ତର୍ଜାତିକସ୍ତରରେ ମନୁଷ୍ୟର ଜୀବଦ୍ଦଶା ଓ ଜନସଂଖ୍ୟା ବୃଦ୍ଧି ହେତୁ ଦୀର୍ଘକାଳବ୍ୟାପୀ ବହୁସଂଖ୍ୟକ ବୟସବାଦଜନିତ ଭେଦଭାବରେ ଉତ୍ପୀଡ଼ିତ ହେବା ସ୍ୱାଭାବିକ । ଭାରତ ଓ ଓଡ଼ିଶାରେ ଏହି ସମସ୍ୟାର ପ୍ରାଦୁର୍ଭାବ ଅନୁଭୂତ ହେଉଥିବା ସ୍ଥଳେ ନିକଟ ଭବିଷ୍ୟତରେ ବ୍ୟାପକ ରୂପ ଧାରଣ କରିବ । ଅତଏବ ବ୍ୟକ୍ତିଗତ ଓ ସାମୂହିକ ସୁରକ୍ଷା ଦୃଷ୍ଟିରୁ ଅନ୍ତତଃପକ୍ଷେ ଓଡ଼ିଶାର ବରିଷ୍ଠ ନାଗରିକଙ୍କ ମଧ୍ୟରୁ ଏକାଂଶ ଏ ସଂପର୍କରେ ଅବଗତ ହେବା ଅନିର୍ବାଯ୍ୟ ବିଚାର କରାଯାଇପାରେ ।

 

ବୟସବାଦର ମୁକାବିଲା ନିମନ୍ତେ ଆଞ୍ଚଳିକସ୍ତରରେ ଅଭିଯାନ ଗୁରୁତ୍ୱପୂର୍ଣ୍ଣ । କାରଣ ସ୍ଥାନୀୟ ପରିବେଶ ସେଠାକାର ବୃଦ୍ଧଜନଙ୍କ ଜୀବନକୁ ପ୍ରଭାବିତ କରିଥାଏ । ପ୍ରତ୍ୟେକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଗ୍ରାମପଞ୍ଚାୟତ ଓ ସ୍ୱେଚ୍ଛାସେବୀ ସଂଗଠନପକ୍ଷରୁ କିପରି ବାର୍ଦ୍ଧକ୍ୟ-ଅନୁକୂଳ କାର୍ଯ୍ୟକ୍ରମମାନ ଗ୍ରହଣ କରାଯାଇପାରିବ ସେଥିପ୍ରତି ସ୍ଥାନୀୟ ବରିଷ୍ଠ ନାଗରିକମାନଙ୍କ ଉଦ୍ୟମ ଫଳବତୀ ହେବା ଆଶା କରାଯାଇପାରେ ।

 

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରକାଶିତ ତତ୍ତ୍ୱରେ ବୟସବାଦ ନିମନ୍ତେ ବ୍ୟକ୍ତିଗତ କିମ୍ୱା ସାମୂହିକସ୍ତରରେ ମାନସିକତା ‘ଷ୍ଟିରିଓଟାଇପ, ପ୍ରିଜୁଡିସ’ ଏବଂ ଭେଦଭାବ ‘ଡିସକ୍ରିମିନେସନ’କୁ ଦାୟୀ କରାଯାଇଥାଏ । ଗବେଷଣାରୁ ଜଣାଯାଏ ଯେ ବୃଦ୍ଧଜନଙ୍କ ପ୍ରତି ବିଶ୍ୱର ଅର୍ଦ୍ଧେକ ଜନସାଧାରଣ ପ୍ରତିକୂଳ ମନୋଭାବ ପୋଷଣ କରିଥାନ୍ତି । ସାମାଜିକସ୍ତରରେ ଅବହେଳା କାରଣରୁ ଜୀବଦ୍ଦଶା ସାତ ବର୍ଷ ଛଅ ମାସ ଯାଏଁ ହ୍ରାସ ପାଇବା ସମ୍ଭବ । ମନୁଷ୍ୟ ଶୈଶବ ଅବସ୍ଥା, ଚାରି ବର୍ଷ ବୟସରୁ, ବୟସବାଦୀ ମନୋଭାବ ସଂପର୍କରେ ଅବଗତ ହୋଇଥାଏ ।

 

ବୟସବାଦଜନିତ ଅବହେଳା ବାର୍ଦ୍ଧକ୍ୟରେ ଶାରିରୀକ ଓ ମାନସିକ ସ୍ୱାସ୍ଥ୍ୟହାନୀର ଅନ୍ୟତମ ପ୍ରମୁଖ କାରଣ । ଏହାର ପ୍ରାଦୁର୍ଭାବରେ ବିଭିନ୍ନ ଅକ୍ଷମତାରୁ ଉପଶମରେ ବିଳମ୍ୱ ଘଟିଥାଏ । ସମାଜରେ ବୟସବାଦୀ ମନୋଭାବ ଅପସାରଣ ତଥା ପ୍ରଭାବ ହ୍ରାସ ନିମନ୍ତେ ତିନିଗୋଟି ଦିଗକୁ ଗୁରୁତ୍ୱ ଆରୋପ କରାଯାଇଥାଏ – ନୀତି ନିର୍ଦ୍ଧାରଣ, ଜନଶିକ୍ଷା ଓ ଅନ୍ତଃ-ଆୟୁ ‘ଇଣ୍ଟର-ଜେନେରେସନାଲ’ ପରିବେଶକୁ ପ୍ରୋତ୍ସାହନ । ସରକାରୀ ଓ ସାମାଜିକସ୍ତରରେ ବୟସବାଦକୁ ପ୍ରତିହତ କରିବା ନିମନ୍ତେ ନୀତିନିର୍ଦ୍ଧାରଣ ପ୍ରାଥମିକତା ଦାବୀ କରେ । ଏଥି ନିମନ୍ତେ ବୟସବାଦ ସଂପର୍କୀତ ଚେତନା ପ୍ରସାର ଆବଶ୍ୟକ । ସେହିପରି ବିଭିନ୍ନ ବୟସବର୍ଗର ଲୋକଙ୍କୁ ନେଇ ବିଭିନ୍ନ କ୍ଷେତ୍ରରେ ଏକାଠି ଯୋଜନା ପ୍ରଣୟନ ବୟସବାଦ ବିଲୋପ ନିମନ୍ତେ ଅନୁକୂଳ ପରିସ୍ଥିତି ସୃଷ୍ଟି କରିପାରେ ।

 

ବିଭିନ୍ନ ଅଧ୍ୟୟନରୁ ଜଣାଯାଏ ଯେ କମ ବୟସ୍କବର୍ଗ ବରିଷ୍ଠ ନାଗରିକଙ୍କୁ ମୁଖ୍ୟତଃ ତିନିଗୋଟି କାରଣରୁ ବିରୋଧ କରିଥାନ୍ତି । ପ୍ରଥମତଃ, ଅନୁକ୍ରମ ବା ଉତ୍ତରାଧିକାରୀ ‘ସକସେସନ’ ସୂତ୍ରରେ ସମାଜର ବିଭିନ୍ନ ସ୍ତରରେ ବରିଷ୍ଠଙ୍କ ସ୍ଥାନ କନିଷ୍ଠମାନେ ଅକ୍ତିଆର କରିବା ନିମନ୍ତେ ଅପେକ୍ଷାରତ । ଦ୍ୱିତୀୟତଃ, ବରିଷ୍ଠଙ୍କ ମୂଳେ ବିଭିନ୍ନ ସାଧନ ଉପଯୋଗ ହେଉଥିବା ‘କନଜମ୍ପସନ’ ହେତୁ କନିଷ୍ଠମାନେ ଅଭାବ ଆକଳନରେ ଚ଼ିନ୍ତିତ । ତୃତୀୟତଃ, କନିଷ୍ଠମାନେ ଆତ୍ମ-ପରିଚ଼ୟ ‘ଆଇଡ଼େଣ୍ଟିଟି’ ଅନ୍ୱେଷଣରେ ପ୍ରଚଳିତ ବ୍ୟବସ୍ଥାର ବିରୋଧୀ । ବରିଷ୍ଠ ଓ କନିଷ୍ଠମାନଙ୍କ ମଧ୍ୟରେ ଏହି ସଂଘର୍ଷ ଅଶିକ୍ଷିତ ବା ଅଳ୍ପଶିକ୍ଷିତ ଯୁବବର୍ଗରେ ଅଧିକ ମାତ୍ରାରେ ଦେଖାଯାଏ ।

 

ବୟସବାଦ ‘ଏଜିଜମ’ ଶବ୍ଦର ପ୍ରଣେତା ଭାବେ ଯୁକ୍ତରାଷ୍ଟ୍ର ଆମେରିକାର ରବର୍ଟ ବଟଲରଙ୍କୁ ଚ଼ିହ୍ନଟ କରାଯାଇଥାଏ । ମନୋବିଜ୍ଞାନୀ ବଟଲର ୧୯୬୯ ମସିହାରେ ‘ୱାଶିଂଟନ ପୋଷ୍ଟ’ ସମ୍ୱାଦପତ୍ରକୁ ଏକ ସାକ୍ଷାତକାର ପ୍ରଦାନ ଅବସରରେ ପ୍ରଥମଥର ପାଇଁ ‘ଏଜିଜମ’ ଶବ୍ଦ ବ୍ୟବହାର କରିଥିଲେ । ଆମେରିକାର ରାଜଧାନୀ ୱାଶିଂଟନ ସହରତଳି ଅଞ୍ଚଳରେ ଏକ କୋଠା ‘ଏପାର୍ଟମେଣ୍ଟ’କୁ ଆର୍ଥିକ ଦିଗରୁ ଅନଗ୍ରସର ବାସହୀନ ବରିଷ୍ଠ ନାଗରିକଙ୍କ ବସବାସ ଲାଗି ବ୍ୟବହାର କରିବା ନିମନ୍ତେ କଲମ୍ୱିଆ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ଗ୍ରହଣ କରିବା ପରେ ସ୍ଥାନୀୟ ବାସିନ୍ଦାମାନେ ଆପତ୍ତି କରିଥିଲେ ।

 

ସାଧାରଣତଃ ଆମେରିକାର ବଡ଼ ସହରଗୁଡ଼ିକର ଉପାନ୍ତ ଅଞ୍ଚଳରେ ଧନୀକ ଶ୍ରେଣୀର  ପରିବାର ବସବାସ କରିଥାନ୍ତି । ବଡ଼ ବଡ଼ କୋଠା ‘ମେନସନ’, ସୁରମ୍ୟ ପ୍ରାନ୍ତର ‘ବିଉଟିଫୁଲ ଲ୍ୟାଣ୍ଡସ୍କେପ’ରେ ଗଢ଼ି ଉଠିଥାଏ । ସେଠାରେ ଗରିବ ବୃଦ୍ଧଜନ ବସବାସ କଲେ ସ୍ଥାନୀୟ ପରିବେଶରେ ପରିବର୍ତ୍ତନ ଆସିବ ଏବଂ ଜମିଜମା ମୂଲ୍ୟ କମିଯିବ ବିଚାର କରି ପ୍ରଶାସନିକ ନିଷ୍ପତ୍ତିର ବିରୋଧ କରାଯାଇଥିଲା । ବଟଲର ପ୍ରଶାସନର ନିଷ୍ପତ୍ତି କାର୍ଯ୍ୟକାରୀ କରିବା ନିମନ୍ତେ ନିଯୁକ୍ତ ହୋଇଥିବା ସ୍ଥଳେ ସେହି ସମସ୍ୟା ସଂପର୍କରେ ସମ୍ୱାଦପତ୍ରକୁ ସାକ୍ଷାତକାର ଦେଇଥିଲେ ।

 

ରବର୍ଟ ବଟଲର ଜୀବନବ୍ୟାପୀ ବାର୍ଦ୍ଧକ୍ୟ କଲ୍ୟାଣ କାର୍ଯ୍ୟକ୍ରମରେ ସଂଶ୍ଳିଷ୍ଟ ରହିଥିଲେ । ତାଙ୍କରି ଅଧ୍ୟକ୍ଷତାରେ ପ୍ରତିଷ୍ଠିତ ‘ଇଣ୍ଟରନ୍ୟାସନାଲ ଲଂଜିଭିଟି ସେଣ୍ଟର’ ଆନ୍ତର୍ଜାତିକସ୍ତରରେ ବୟସବାଦ ବିରୋଧରେ ସ୍ୱର ଉତ୍ତୋଳନ କରିଆସିଛି । ସମାଜରେ ଲିଙ୍ଗ, ଜାତି ଓ ଶାରିରୀକ ଅକ୍ଷମତାଜନିତ ଭେଦଭାବ ବିଲୋପ ନିମନ୍ତେ ଉଦ୍ୟମ ଜାରିରହିଥିବା ଅବସରରେ ବୟସବାଦ ପ୍ରତିହତ କରିବା ଲାଗି ମଧ୍ୟ ନୀତି ନିର୍ଦ୍ଧାରଣ ସମୟର ଆହ୍ୱାନ । ପ୍ରାଥମିକସ୍ତରରେ ବୟସବାଦ ବାର୍ଦ୍ଧକ୍ୟ ବିରୋଧି ମାନସିକତାକୁ ବୁଝାଉଥିବା ସ୍ଥଳେ ପରବର୍ତ୍ତୀ ଅବସ୍ଥାରେ ସମଗ୍ର ଜୀବଦ୍ଦଶାରେ ବୟସଗତ ଭେଦଭାବ ବୟସବାଦ ପର୍ଯ୍ୟାୟଭୁକ୍ତ ହୋଇଛି । ଶିଶୁ, କିଶୋର, ପ୍ରାପ୍ତବୟସ୍କ ଓ ବରିଷ୍ଠ ନାଗରିକ ପ୍ରତି ବର୍ଗ ଯେଉଁ କ୍ଷେତ୍ରରେ ବୟସଭିତ୍ତିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତାହାକୁ ବୟସବାଦ ବିଚାର କରାଯାଉଛି ।

 

ବୟସବାଦ ପ୍ରଭାବରେ ବାର୍ଦ୍ଧକ୍ୟଗ୍ରସ୍ତଙ୍କ ସ୍ୱାସ୍ଥ୍ୟସେବା ପ୍ରତି ଅବହେଳା ଆନ୍ତର୍ଜାତିକସ୍ତରରେ ଆଲୋଡ଼ନ ସୃଷ୍ଟି କରିଛି । ‘କୋଭିଡ଼-୧୯’ ମହାମାରୀ କାଳରେ ବିଶ୍ୱବ୍ୟାପୀ ମୃତ୍ୟୁ ସଂଖ୍ୟାର ତିନି-ଚ଼ତୁର୍ଥାଂଶ ବରିଷ୍ଠ ନାଗରିକ ଅନ୍ତର୍ଭୁକ୍ତ ଥିବା ପରିସଂଖ୍ୟାନ ସ୍ୱାସ୍ଥ୍ୟସେବାରେ ଅସହାୟତାର ପ୍ରମାଣ ଦିଏ । ଚ଼ିକିତ୍ସା କାଳରେ ୮୫ ପ୍ରତିଶତ ରୋଗୀଙ୍କୁ ବୟସଭିତ୍ତିକ ସେବା ଯୋଗାଇ ଦିଆଯାଉଥିବା ୨୦୨୦ରେ ଆୟୋଜିତ ଏକ ଗବେଷଣାରୁ ଜଣାଯାଇଥିଲା । ସେହିପରି ଆନ୍ତର୍ଜାତିକ ସ୍ୱାସ୍ଥ୍ୟ ପତ୍ରିକା ‘ଲେନସେଟ’ରେ ପ୍ରକାଶିତ ଏକ ରଚନାରେ ପ୍ରତି ତିନିଜଣ ବ୍ୟକ୍ତିଙ୍କ ମଧ୍ୟରେ ଜଣେ ବୟସବାଦ ହେତୁ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେଉଥିବା ଏବଂ ୧୫ରୁ ୨୪ ବର୍ଷ ବୟସ୍କଙ୍କ କ୍ଷେତ୍ରରେ ଏହାର ପରିମାଣ ସର୍ବାଧିକ ଥିବା ବର୍ଣ୍ଣନା ଉଦବେଗର ବିଷୟ ।

 

ବୟସବାଦ ସଂପର୍କୀତ ଅଧ୍ୟୟନରେ ବୟସବାଦ ବିରୋଧୀ ଚ଼େତନା ପ୍ରସାର ଓ ବିଭିନ୍ନ ବୟସବର୍ଗଙ୍କ ଏକତ୍ର ସହବସ୍ଥାନ ଲାଗି ପରିବେଶ ସୃଷ୍ଟି ପ୍ରତି ଗୁରୁତ୍ୱ ଆରୋପ କରାଯାଇଥାଏ । ବିଡ଼ମ୍ୱନାର ବିଷୟ ଆମ ଦେଶ ବା ରାଜ୍ୟରେ ପ୍ରଚଳିତ ସଂସ୍କୃତି ଓ ଏକାନ୍ନବର୍ତ୍ତୀ ପାରିବାରିକ ଆଙ୍ଗିକ ଉଭୟ କାର୍ଯ୍ୟ ସୁରୁଖୁରରେ ସମାହିତ କରିଆସୁଥିଲା । ଉପଭୋକ୍ତାକେନ୍ଦ୍ରୀକ ସହରୀ ସଭ୍ୟତାର ପରିପ୍ରକାଶରେ ଆମ ପାରମ୍ପରିକ ରୀତିନୀତିକୁ ପରିତ୍ୟାଗ କରି ଅଣୁ-ପାରିବାରିକ ବ୍ୟବସ୍ଥାରେ ସାମିଲ ହେବା ପରେ ବାର୍ଦ୍ଧକ୍ୟ-ବିରୋଧି ବୟସବାଦର ସମ୍ମୁଖୀନ ହୋଇ ପୁନର୍ବାର ସହଭାଗୀ ଜୀବନଯାତ୍ରା ଲାଗି ପରାମର୍ଶ ଗ୍ରହଣ କରିବାକୁ ବାଧ୍ୟ ହେଉଛୁ । ବିଭିନ୍ନ କାରଣରୁ ପୁରାତନ ଢାଞ୍ଚାକୁ ଫେରିବା ସମ୍ଭବ ନଥିବା ସ୍ଥଳେ ନୂତନ ଆଙ୍ଗିକ ଗଢ଼ି ତୋଳିବାକୁ ପଡ଼ିବ । ଓଡ଼ିଶା ଭଳି ରାଜ୍ୟରେ ୮୪ ପ୍ରତିଶତ ପରିବାର ଗ୍ରାମାଞ୍ଚଳରେ ବସବାସ କରୁଥିବା ହେତୁ ବାର୍ଦ୍ଧକ୍ୟ-ବିରୋଧି ବୟସବାଦର ପ୍ରତିକାର ଆୟସସାଧ୍ୟ ମନେହୁଏ ।

 

ବୟସବାଦ ସଂପର୍କରେ ୟୁଟ୍ୟୁବ ଭିଡ଼ିଓ ପ୍ରଦର୍ଶନ ନିମନ୍ତେ କ୍ଳିକ କରନ୍ତୁ :

 

The Drivers of Ageism

 

https://www.youtube.com/watch?v=nNPwrVIa9OA  


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧୫ ମେ ୨୦୨୨


ତଥ୍ୟ:

 

Ageing : Ageism

 

https://www.who.int/news-room/questions-and-answers/item/ageing-ageism#:~:text=Ageism%20refers%20to%20the%20stereotypes,of%20their%20culture's%20age%20stereotypes

 

Cherry, Kendra. What is ageism ? www.verywellmind.com. May 02, 2022

 

https://www.verywellmind.com/what-is-ageism-2794817

 

Achenbanm, N. Andiew. History of Ageism since 1969. Journal of American Society on Aging. Vol. 39. No. 3  / Fax 2015 


ସ୍ୱାଧୀନ ବାର୍ଦ୍ଧକ୍ୟ

ଭାରତ ସ୍ୱାଧୀନତା ପ୍ରାପ୍ତିର ୭୫ ବର୍ଷ ଅମୃତ ମହୋତ୍ସବ ପାଳନ କରିବା ଅବସରରେ ୧୯୪୭ରେ ଜନ୍ମଗ୍ରହଣ କରିଥିବା ନାଗରିକଗଣ ମଧ୍ୟ-ବାର୍ଦ୍ଧକ୍ୟ ୭୫ ବର୍ଷରେ ପଦାର୍ପଣ କରିଛନ୍ତି । ବିଗତ ୨୦୧୧ ଜନଗଣନା ତଥ୍ୟ ଅନୁଯାୟୀ ଦେଶରେ ୭୫ରୁ ୮୪ ବର୍ଷ ବୟସ ବର୍ଗ ସମୁଦାୟ ଜନସଂଖ୍ୟାର ୧.୨୭ ପ୍ରତିଶତ ଦାବୀ କରନ୍ତି । ସ୍ୱାଧୀନତାର ଦଶବର୍ଷ ପୂର୍ବରୁ ଜନ୍ମଗ୍ରହଣ କରିଥିବା ଉତ୍ତର-ବାର୍ଦ୍ଧକ୍ୟଗ୍ରସ୍ତ ୮୫ ବର୍ଷୋତ୍ତରଙ୍କ ସଂଖ୍ୟା ୦.୪୨ ପ୍ରତିଶତ ଏବଂ ଦଶ ବର୍ଷ ପରେ ଜନ୍ମଗ୍ରହଣ କରିଥିବା ୬୫ ରୁ ୭୪ ବର୍ଷ ବୟସ୍କ ବାର୍ଦ୍ଧକ୍ୟ-ପ୍ରବେଶଙ୍କ ସଂଖ୍ୟା ୩.୭୭ ପ୍ରତିଶତ । ସ୍ଥୁଳ ଅର୍ଥରେ ସ୍ୱାଧୀନତାକୁ ନାଗରିକଙ୍କ ମୁକ୍ତ ଦୈନନ୍ଦିନ ଜୀବନଚର୍ଯ୍ୟା ବୁଝିଲେ ସମସାମୟିକ ଭାରତରେ ବାର୍ଦ୍ଧକ୍ୟ ଜୀବନଯାତ୍ରାରେ ସ୍ୱାଧୀନତା କେତେକ ଅସମାହିତ ସମସ୍ୟାର ପ୍ରଶ୍ନ ସୃଷ୍ଟି କରିଥାଏ ।

 

ଭାରତ ସ୍ୱାଧୀନତା ହାସଲ କଲାବେଳେ ଦେଶର ନାଗରିକଙ୍କ ହାରାହାରି ଜୀବଦ୍ଦଶା ୩୨ ବର୍ଷ ରହିଥିଲା ଏବଂ ୨୦୨୨ ସୁଦ୍ଧା ୭୦ ବର୍ଷ ହିସାବ କରାଯାଉଛି । ଜନସଂଖ୍ୟା ତୁଳନାରେ ବୃଦ୍ଧ ଜନସଂଖ୍ୟା ଦୃତଗତିରେ ବୃଦ୍ଧି ପାଇ ଚାଲିଛି । ତଥ୍ୟ ଅନୁଯାୟୀ ୨୦୦୧ ତୁଳନାରେ ୨୦୧୧ ଜନଗଣନାରେ ଦେଶର ମୋଟ ଜନସଂଖ୍ୟା ୧୭.୭ ପ୍ରତିଶତ ବଢ଼ିଥିବା ସ୍ଥଳେ ୬୦ ବର୍ଷୋତ୍ତର ବାର୍ଦ୍ଧକ୍ୟଗ୍ରସ୍ତଙ୍କ ସଂଖ୍ୟା ୩୫.୫ ପ୍ରତିଶତ ବଢ଼ିଥିଲା । ଜାତୀୟହାରଠାରୁ ଓଡ଼ିଶାରେ ବୃଦ୍ଧଜନ ସଂଖ୍ୟା ହାର ଅଧିକ । ସମଗ୍ର ଜନସଂଖ୍ୟାର ୯.୫ ପ୍ରତିଶତ  ୬୦ ବର୍ଷୋତ୍ତର । ଏ ସମସ୍ତ ପରିସଂଖ୍ୟାନ ସମସାମୟିକ ସମାଜରେ ଜନସଂଖ୍ୟାର ଏକ ଦଶମାଂଶ ବାର୍ଦ୍ଧକ୍ୟଗ୍ରସ୍ତ ଥିବା ଏବଂ ପ୍ରତି ଦଶ ବର୍ଷ ମଧ୍ୟରେ ଏକ ତୃତୀୟାଂଶ ହାରରେ ବୃଦ୍ଧି ପାଉଥିବା ହେତୁ ସେମାନଙ୍କ ଜୀବନଚର୍ଯ୍ୟା ଅନୁଶୀଳନର ଜରୁରି ଆବଶ୍ୟକତା ସୂଚାଇଥାଏ ।

 

ପାରମ୍ପରିକଭାବେ ଭାରତରେ ଶୈଶବ ଓ ବାର୍ଦ୍ଧକ୍ୟ ପରିବାର ଆଶ୍ରିତ । ଅର୍ଥାତ, ପରବାରବର୍ଗଙ୍କ ଯତ୍ନରେ ବିତିଥାଏ । ଏକପକ୍ଷରେ ଅତ୍ୟାଧୁନିକ ତତ୍ତ୍ୱ ଅନୁଯାୟୀ ବାର୍ଦ୍ଧକ୍ୟଗ୍ରସ୍ତଙ୍କ କ୍ଷେତ୍ରରେ ଏହି ଧାରା ବ୍ୟକ୍ତିଗତ ସ୍ୱାଧୀନତା ବିରୋଧୀ । ଜୀବନବ୍ୟାପୀ ବ୍ୟକ୍ତିତ୍ୱ ଗଠନ, ସମ୍ପତ୍ତି ଅର୍ଜନ ଓ ସାମାଜିକ ଅବଦାନ ଶେଷରେ ପ୍ରବୃଦ୍ଧ କାହିଁକି ଅପରର ଦୟାରପାତ୍ର ସାଜିବ ଏହି ପ୍ରଶ୍ନ ସ୍ୱାଧୀନଚେତାଙ୍କୁ ଆନ୍ଦୋଳିତ କରେ । ଏଥିଲାଗି ସାମାଜିକ ବ୍ୟବସ୍ଥାରେ ଅଭାବ ଅନୁଭୂତ ହୁଏ । ଅପରପକ୍ଷରେ ଦେଶରେ ଜନ୍ମ ହାର ସଂକୁଚିତ ହୋଇଥିବା ଏବଂ ଉନ୍ନତ ଜନସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ପ୍ରାଧାନ୍ୟ ଦିଆଯାଉଥିବା ହେତୁ ଶୈଶବ ଯତ୍ନ ନିମନ୍ତେ ଅନୁକୂଳ ପରିବେଶ ସୃଷ୍ଟି ହୋଇଛି । କିନ୍ତୁ ଅଣୁ-ପାରିବାରିକ ଆଙ୍ଗିକ, କ୍ଷୁଦ୍ର ବାସଗୃହ, ପରିବର୍ତ୍ତିତ ଜୀବନଯାତ୍ରା, ସହରୀକରଣ ଓ ଆତ୍ମୀୟଙ୍କ ଶ୍ରମ ସଂସ୍ଥାନର୍ଥେ ଦେଶାନ୍ତର ଯାତ୍ରା ଭଳି କାରଣରୁ ବରିଷ୍ଠନାଗରିକଙ୍କ ଜୀବନଚର୍ଯ୍ୟାରେ ପାରିବାରିକ ସହଯୋଗ ପ୍ରଦାନ ଅବହେଳିତ ଅବସ୍ଥାରେ ପହଞ୍ଚିଛି । କାରଣ ଯାହା ହେଉନା କାହିଁକି ଏହି ସ୍ଥିତାବସ୍ଥାର ନିରାକରଣ ସଂପର୍କରେ ବିଚାରବିମର୍ଷ ହିତକର ।

 

ସହାୟତା-ଆଶ୍ରିତ ବାର୍ଦ୍ଧକ୍ୟ ଜୀବନଯାତ୍ରାରେ ପାରିବାରିକ ଯତ୍ନ ଅଭାବରେ ସାମାଜିକ ବ୍ୟବସ୍ଥାହିଁ ଏକମାତ୍ର ବିକଳ୍ପ । ବିକଶିତ ରାଷ୍ଟ୍ରଗୁଡ଼ିକରେ ଏକବିଂଶ ଶତାଦ୍ଦୀର ପ୍ରଥମ ଦୁଇ ଦଶକରେ ବରିଷ୍ଠ ନାଗରିକମାନେ ସାଧ୍ୟମତେ ସ୍ୱବାସଗୃହରେ ବାର୍ଦ୍ଧକ୍ୟ ଜୀବନ ଅତିବାହିତ କରୁଥିବା ସ୍ଥଳେ ସହାୟତା ଆଶ୍ରିତ ଅବସ୍ଥାରେ ପହଞ୍ଚିବା ପରେ ଶୁଶୃଷାଳୟ ବା କେୟାର ହୋମର ଆଶ୍ରୟ ଲୋଡ଼ିଥାନ୍ତି । ଉତ୍ତର-ବାର୍ଦ୍ଧକ୍ୟର ଶଯ୍ୟାଶାୟୀ ସମୟତକ କେୟାରହୋମରେ ବୃତ୍ତିଧାରୀ ସେବକସେବିକାଙ୍କ ଗହଣରେ କଟିଥାଏ । ସ୍ଥଳ ବିଶେଷରେ ଦମ୍ପତ୍ତିଙ୍କ ମଧ୍ୟରୁ ଜଣକର ବିୟୋଗ, ସ୍ୱାସ୍ଥ୍ୟାବସ୍ଥାରେ ଗୁରୁତର ଅବନତି କିମ୍ୱା ନିଜସ୍ୱ ରୁଚ଼ି କାରଣରୁ କେତେକ ଗୃହବାସ ବଦଳରେ ଅବସର ବିହାରକୁ ସ୍ଥାନାନ୍ତରିତ ହେବାକୁ ଉଚିତ ମଣିଥାନ୍ତି । କେୟାରହୋମ ଓ ଅବସର ବିହାରରେ ଜୀବନଯାତ୍ରା ନିମନ୍ତେ ମୂଲ୍ୟ ବିନିମୟରେ ସମସ୍ତ ମୌଳିକ ସୁବିଧା ଉପଲବ୍ଧ ହୋଇଥାଏ । ବାର୍ଦ୍ଧକ୍ୟରେ ସ୍ୱାଧୀନ ଜୀବନଯାପନ ବଜାୟ ରହେ ।

 

ବିକଶିତ ରାଷ୍ଟ୍ରଗୁଡ଼ିକରେ ପ୍ରଣୀତ ବାର୍ଦ୍ଧକ୍ୟ ଜୀବନଚ଼ର୍ଯ୍ୟାର ସୁବିଧା ସୁଯୋଗ ଆମଦେଶରେ ଉପଲବ୍ଧ ହୋଇପାରି ନାହିଁ । କେତେକ ବିଶେଷଜ୍ଞଙ୍କ ମତରେ ୨୦୨୧ ସୁଦ୍ଧା ଦେଶରେ ଅବସର ବିହାରଗୁଡ଼ିକରେ ମାତ୍ର କୋଡ଼ିଏ ହଜାର ଯାଏଁ ଆବାସ ୟୁନିଟ ଉପଲବ୍ଧ ଥିଲା । କିନ୍ତୁ ସହରାଞ୍ଚଳରେ କେବଳ ଏକାକୀ ବସବାସକରୁଥିବା ସ୍ୱଚ୍ଛଳ ବୃଦ୍ଧଜନଙ୍କୁ ହିତାଧିକାରୀଭାବେ ହିସାବକୁ ନେଲେ ୮୮ ହଜାର ୟୁନିଟ ଆବଶ୍ୟକ । ଅବସର ବିହାର କ୍ଷେତ୍ରରେ ଭାରତ ପଛୁଆ ରହିଥିବା ସ୍ଥଳେ ୨୦୩୧ ସୁଦ୍ଧା ଦଶଗୁଣ ବୃଦ୍ଧି ପାଇ ଏକ ଲକ୍ଷ ୨୫ ହଜାର ୟୁନିଟରେ ପହଞ୍ଚିବା ଆକଳନ କରାଯାଏ । ଏଠାରେ ଆଧୁନିକ କେୟାର ହୋମ ବ୍ୟବସ୍ଥା ପ୍ରାୟତଃ ଆରମ୍ଭ ହୋଇନାହିଁ । ଆବଶ୍ୟକସ୍ଥଳେ ବାଧ୍ୟବାଧକତାରେ ଆର୍ଥିକ ଦୃଷ୍ଟିରୁ କ୍ଷତିଗ୍ରସ୍ତ ହୋଇ ଉତ୍ତର-ବାର୍ଦ୍ଧକ୍ୟରେ ଶଯ୍ୟାଶାୟୀଙ୍କୁ ନର୍ସିଂହୋମରେ ଭର୍ତ୍ତି କରାଯାଏ । ସେବା ତଦାରଖ କରିବା ନିମନ୍ତେ ଅନ୍ୟର ସହାୟତା ଆବଶ୍ୟକ ପଡ଼େ ଏବଂ ବ୍ୟକ୍ତି ସ୍ୱତନ୍ତ୍ରତା ଖର୍ବ ହୋଇଥାଏ ।

 

ଆମ ଓଡ଼ିଶାରେ ବରିଷ୍ଠନାଗରିକଙ୍କ ଆବାସଜନିତ ସମସ୍ୟା ସମାଧାନରେ ବହୁ ପ୍ରତିବନ୍ଧକ । ପ୍ରଥମତଃ, ୨୦୧୧ ଜନଗଣନା ଅନୁଯାୟୀ ମାତ୍ର ୧୭ ପ୍ରତିଶତ ପରିବାର ସହରାଞ୍ଚଳରେ ବସବାସ କରୁଥିବା ସ୍ଥଳେ ୮୩ ପ୍ରତିଶତ ଗ୍ରାମାଞ୍ଚଳ ବାସିନ୍ଦା । ଦ୍ୱିତୀୟତଃ, ସରକାରୀ ତଥ୍ୟ ଅନୁଯାୟୀ ପ୍ରାୟ ୭୦ ପ୍ରତିଶତ ଗରିବ ଶ୍ରେଣୀଭୁକ୍ତ । ସହରାଞ୍ଚଳର ୫୦ ପ୍ରତିଶତ ଓ ଗ୍ରାମାଞ୍ଚଳର ୭୫ ପ୍ରତିଶତ ଲୋକଙ୍କୁ ସରକାରଙ୍କ ପକ୍ଷରୁ ରିହାତି ଦରରେ ଖାଦ୍ୟଶସ୍ୟ ଯୋଗାଇ ଦିଆଯାଉଛି । ଅର୍ଥାତ, ରାଜ୍ୟର ବାର୍ଦ୍ଧକ୍ୟଗ୍ରସ୍ତଙ୍କ ମଧ୍ୟରୁ ବହୁସଂଖ୍ୟକ ବିକଶିତ ରାଷ୍ଟ୍ରଗୁଡ଼ିକରେ ପ୍ରଣୀତ ମୁଲ୍ୟଯୁକ୍ତ ବାର୍ଦ୍ଧକ୍ୟ ସେବା ଗ୍ରହଣ କରିବା ନିମନ୍ତେ ପୁଞ୍ଜି ନିବେଶ କରିପାରିବେ ନାହିଁ । ତୃତୀୟରେ ଶିକ୍ଷାଦୀକ୍ଷାର ଅଭାବ ଓ ବାର୍ଦ୍ଧକ୍ୟ-ଅନୁକୂଳ ବସତିକୁ ସ୍ଥାନାନ୍ତରିକରଣକୁ ଅସହାୟତା ତଥା ପାରିବାରିକ ଅସମ୍ମାନ ବିବେଚନା କରିବାଭଳି ମାନସିକତା ମଧ୍ୟ ଅନ୍ତରାୟ ସାଜିବା ନିଶ୍ଚିତ ।

 

ଓଡ଼ିଶାରେ ସ୍ୱଚ୍ଛଳ ବର୍ଗର ବାର୍ଦ୍ଧକ୍ୟଗ୍ରସ୍ତଙ୍କ ନିମନ୍ତେ ପରୀକ୍ଷାମୂଳକଭାବେ କେୟାରହୋମ ବା ଅବସର ବିହାର ନିର୍ମାଣ ସମୟ ଉପନୀତ । ଭାରତ ସ୍ୱାଧୀନତା ହାସଲ ୧୯୪୭ ଦଶବର୍ଷ ପୂର୍ବରୁ ଓ ଦଶବର୍ଷ ପରେ ଜନ୍ମଲାଭ କରିଥିବା ବୟସବର୍ଗ ବାର୍ଦ୍ଧକ୍ୟରେ ସ୍ୱାଧୀନ ଜୀବନଚର୍ଯ୍ୟା ନିମନ୍ତେ ସୁବିଧାସୁଯୋଗ ସୃଷ୍ଟି କରିବା ଏକ ସାମାଜିକ ଆବଶ୍ୟକତା । ପ୍ରାଥମିକସ୍ତରରେ ଭିତ୍ତିଭୂମି ଓ ସେବା ନିମନ୍ତେ ଅର୍ଥ ଭରଣା କରିପାରୁଥିବା ସ୍ୱଚ୍ଛଳ ବର୍ଗଙ୍କ ନିମନ୍ତେ ମଡ଼େଲ ସୃଷ୍ଟି କରାଯାଇ କାର୍ଯ୍ୟକାରୀ ପରେ ତାହାର ଅନୁଶୀଳନରେ ଅନ୍ୟାନ୍ୟ ବର୍ଗ ନିମନ୍ତେ ଉଭୟ ସରକାରୀ ଓ ବେସରକାରୀସ୍ତରରେ ସଂପ୍ରସାରିତ କରାଯାଇପାରେ ।

 

ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ବୋର୍ଡଙ୍କୁ ଭୁବନେଶ୍ୱରରେ ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳରୁ ଚିକିତ୍ସା ନିମନ୍ତେ ରାଜଧାନୀରେ ପହଞ୍ଚୁଥିବା ବରିଷ୍ଠନାଗରିକଙ୍କ ସ୍ୱଳ୍ପକାଳୀନ ରହେଣୀ ସୁବିଧା ନିମନ୍ତେ ସେବାଯୁକ୍ତ ଏକ କଠୋରୀ ଆବାସ ସର୍ଭିସଡ଼ ଷ୍ଟୁଡ଼ିଓ ଆପାର୍ଟମେଣ୍ଟ ନିର୍ମାଣ ଓ ବିକ୍ରୟ ନିମନ୍ତେ ଏକ ବାର୍ଦ୍ଧକ୍ୟ କଲ୍ୟାଣ ସଂସ୍ଥା ପକ୍ଷରୁ ପ୍ରସ୍ତାବ ପ୍ରଦାନ କରାଯାଇଛି । ଭୁବନେଶ୍ୱର-କଟକ  ରାଜ୍ୟର ଚ଼ିକିତ୍ସା କେନ୍ଦ୍ରଭାବେ ବିକଶିତ ହୋଇଥିବା ଏବଂ ବିଭିନ୍ନ ଜିଲ୍ଲାର ବାର୍ଦ୍ଧକ୍ୟଗ୍ରସ୍ତ ଦୀର୍ଘକାଳ ଚ଼ିକିତ୍ସା ଆବଶ୍ୟକ କରୁଥିବା ହେତୁ ସେମାନଙ୍କ ବ୍ୟବହାର ପାଇଁ ବଜାର ଦରରେ ବିକ୍ରୟଭିତ୍ତିରେ ସୁବିଧା ଯୋଗାଇବା ଯୁକ୍ତିଯୁକ୍ତ ମନେହୁଏ ।

 

ଚଳିତ ମୌସୁମୀ ବିଧାନସଭା ଅଧିବେଶନରେ ସରକାରଙ୍କ ପକ୍ଷରୁ ପ୍ରଶ୍ନୋତ୍ତର କାଳରେ କୁହାଯାଇଥିଲା ଯେ  ଭୁବନେଶ୍ୱରର ୟୁନିଟ-୨ରେ ୪୧୦ ଗୋଟି ସରକାରୀ କ୍ୱାର୍ଟର ଭଙ୍ଗାଯିବ । ଏହି ସବୁ କ୍ୱାର୍ଟର ଭାଙ୍ଗି ପିପିପି ମୋଡ଼ରେ ପୁନଃନିର୍ମାଣ କରାଯିବାଲାଗି ରାଜ୍ୟ ସରକାରଙ୍କ ଯୋଜନା ରହିଛି । ଗୃହ ନିର୍ମାଣ ବୋର୍ଡ ନିକଟରେ ଉପସ୍ଥାପିତ ପ୍ରସ୍ତାବ ଅନୁଯାୟୀ ଭୁବନେଶ୍ୱରର କେନ୍ଦ୍ରସ୍ଥଳରେ ସରକାରୀ ଜମି କିଣି ଗୃହନିର୍ମାଣ ବୋର୍ଡ ପକ୍ଷରୁ ବାର୍ଦ୍ଧକ୍ୟ ଅନୁକୂଳ ଆବାସ ନିର୍ମାଣ ଓ ବିକ୍ରୀ ହାତକୁ ନିଆଗଲେ ରାଜ୍ୟରେ ଅବସର ବିହାର ଓ କେୟାର ହୋମ ମଧ୍ୟବର୍ତ୍ତୀଙ୍କ ସୁବିଧା ସୁଯୋଗ ସୃଷ୍ଟି ନିମନ୍ତେ ପରିବେଶ ସୃଷ୍ଟି ହୋଇପାରିବ । ଏହା ଏକ ମିଶ୍ରିତ ଆଙ୍ଗିକ ହାଇବ୍ରିଡ଼ ମଡ଼େଲ ବିବେଚ଼ିତ ହେବ । ଅବସର ବିହାର ଓ କେୟାର ହୋମ ବହୁ ଆନୁସଙ୍ଗିକ ସୁବିଧା ଆବଶ୍ୟକ କରୁଥିବା ସ୍ଥଳେ ସର୍ଭିସଡ଼ ଷ୍ଟୁଡ଼ିଓ ଆପାର୍ଟମେଣ୍ଟ ମୌଳିକ ବାର୍ଦ୍ଧକ୍ୟ ଅନୁକୂଳ ଆବାସର ଅଭାବ ପୂରଣ କରିପାରିବ ।

 

ଭାରତ ସ୍ୱାଧୀନତାର ଅମୃତ ମହୋତ୍ସବ ତଥା ମିଳିତ ଜାତିସଂଘର ୨୦୧୧ ରୁ ୨୦୩୦ ସୁସ୍ଥ ବାର୍ଦ୍ଧକ୍ୟ ଦଶକ ପାଳନ ଅବସରରେ ରାଜ୍ୟର ବାର୍ଦ୍ଧକ୍ୟଗ୍ରସ୍ତଙ୍କ ସ୍ୱାଧୀନ ଜୀବନଚର୍ଯ୍ୟା ପ୍ରୋତ୍ସାହନ ନିମନ୍ତେ ଏଭଳି ସର୍ଜନଶୀଳ ଚ଼ିନ୍ତାଧାରା ବିଚାରବିମର୍ଷ ଆବଶ୍ୟକ କରେ ।   


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧୫ ଅଗଷ୍ଟ ୨୦୨୨


ତଥ୍ୟ:

 

https://www.greyodisha.in/updates

 

Kashyap, Ashutosh. Senior living in post pandemic world. Colliers India. September 27, 2021

 

 

https://community.nasscom.in/communities/current-issues/senior-living-post-pandemic-world

 

 

410 Govt. Quarters at Unit-2 in Odisha capital to be razed, redeveloped : Govt. in Assembly. Odisha bytes

 

https://odishabytes.com/410-govt-quarters-at-unit-2-in-odisha-capital-to-be-razed-redeveloped-govt-in-assembly/


ପରିବର୍ତ୍ତନ ଓ ସଂଶୟ ବିରୋଧୀ ବାର୍ଦ୍ଧକ୍ୟ

ଅଧିକ ସଂଖ୍ୟକ ବାର୍ଦ୍ଧକ୍ୟଗ୍ରସ୍ତ ପରିବର୍ତ୍ତନ ସହ ଖାପଖୁଆଇବା ନିମନ୍ତେ ଅମଙ୍ଗ ତଥା ସମର୍ଥ ହେଉନଥିବା ଧାରା ପାରମ୍ପରିକଭାବେ ସମାଜ ଗ୍ରହଣ କରିନିଏ । ଜୀବନରେ ଦୀର୍ଘକାଳ ପ୍ରଚଳିତ ଅବସ୍ଥା ସହ ଅଭ୍ୟସ୍ତ ହୋଇପଡ଼ିଥିବା ହେତୁ ନୂତନତ୍ୱ ପ୍ରତି ସେମାନେ ବିମୁଖ ହେଉଥିବା ବିଶ୍ୱାସ ବଳବତ୍ତର ରହେ । ସେହିପରି ସଂଶୟ ବା ରିସ୍କ ଜଡ଼ିତ କୌଣସି କାର୍ଯ୍ୟକୁ ମଧ୍ୟ ସାଧାରଣରେ ବୃଦ୍ଧାବସ୍ଥାରେ ଅଗ୍ରାଧୀକାର ଦିଆଯାଉନଥିବା ଦେଖିବାକୁ ମିଳେ । ଦୀର୍ଘ ଅଭିଜ୍ଞତାଜନିତ ପରିପକ୍ୱ ଅବସ୍ଥା ଅନିଶ୍ଚିତ ପଦକ୍ଷେପ ଗ୍ରହଣକୁ ବାରଣ କରିଥାଏ ବୋଲି ବିଚାର କରାଯାଏ । ତେବେ ଏଭଳି ଧାରଣା ସଂପର୍କରେ ଆଧୁନିକ ବିଜ୍ଞାନସମ୍ମତ୍ତ ଗବେଷଣା କେତେକ ନୂତନ ତଥ୍ୟ ଉନ୍ମୋଚନ କରିବାରେ ସମର୍ଥ ହୋଇଛି ।

 

ଅଷ୍ଟ୍ରେଲିଆର କୁଇନ୍ସଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟର ଦଳେ ଗବେଷକ ନ୍ୟୂରନ ନାମକ ମସ୍ତିସ୍କ ବିଷୟକ ପତ୍ରିକାରେ ପ୍ରକାଶିତ ଏକ ପ୍ରବନ୍ଧରେ ଦର୍ଶାଇଥିଲେ ଯେ ମସ୍ତିଷ୍କରେ ବାର୍ଦ୍ଧକ୍ୟାବସ୍ଥାରେ କେତେକ ଦକ୍ଷତାହାନୀ ମନୁଷ୍ୟର ନିଷ୍ପତ୍ତି ଗ୍ରହଣରେ ପ୍ରତିବନ୍ଧକ ସାଜେ ଏବଂ ଏହି କାରଣରୁ ସେ ପରିବର୍ତ୍ତନକୁ ସହଜରେ ଗ୍ରହଣ କରିପାରେ ନାହିଁ । ମନୁଷ୍ୟର ମସ୍ତିଷ୍କର ସମ୍ମୁଖଭାଗରେ ଅବସ୍ଥିତ ଷ୍ଟାରିଆଟମ ନାମକ ଅଞ୍ଚଳରେ ନିଷ୍ପତ୍ତି ଗ୍ରହଣ କାର୍ଯ୍ୟ ପରିଚାଳିତ ହୋଇଥାଏ । ବୟସ ବୃଦ୍ଧି ସଙ୍ଗେ ଏହି କାର୍ଯ୍ୟ ସମ୍ପାଦନରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ନିର୍ଦ୍ଧଷ୍ଟ ଗତିପଥଗୁଡ଼ିକ ସଂକୁଚିତ ହୋଇଥିବା କାରଣରୁ ନିଷ୍ପତ୍ତି ଗ୍ରହଣରେ ବାଧା ଉପୁଜିଥାଏ । ଫଳରେ ବ୍ୟକ୍ତିଗତସ୍ତରରେ କଣ କରାଯିବା ଉଚ଼ିତ ତାହା ନିର୍ଦ୍ଧାରଣ ନକରିପାରି ବୟସ୍କମାନେ ପରିବର୍ତ୍ତନର ପ୍ରତିରୋଧ କରିଥାନ୍ତି ।

 

କୁଇନସଲ୍ୟାଣ୍ଡର ଗବେଷକଗଣ ଯୁବାବସ୍ଥା ଓ ବାର୍ଦ୍ଧକ୍ୟାବସ୍ଥାରେ ଉପନୀତ ଦୁଇ ଦଳ ମୂଷାଙ୍କ ବ୍ୟାବହାରିକ ପ୍ରଦର୍ଶନକୁ ଅନୁଧ୍ୟାନ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ଦୁଇ ଦଳ ମୂଷାଙ୍କୁ ଏକ ଯନ୍ତା ମଧ୍ୟରେ ଆବଦ୍ଧ କରି ଦୁଇଗୋଟି ଦ୍ୱାର ଦେଇ ଖାଦ୍ୟ ଯୋଗାଇ ଦିଆଯାଇଥିଲା । ପ୍ରଥମ ଦ୍ୱାର ଦେଇ ସାଧାରଣ ଖାଦ୍ୟ ଓ ଦ୍ୱିତୀୟ ଦ୍ୱାର ଦେଇ ମଧୁର ସ୍ୱାଦ ସମ୍ପନ୍ନ ଖାଦ୍ୟ ଗ୍ରହଣ କରିବା ସୁବିଧା ରଖାଯାଇଥିଲା । ମୂଷାମାନେ ପ୍ରତ୍ୟେକ ଦ୍ୱାରକୁ ଭାରଦଣ୍ଡ ଲେଭର ଦ୍ୱାରା ଖୋଲିବା ପ୍ରାବଧାନ କରାଯାଇଥିଲା । ଦେଖାଯାଇଥିଲା ଯେ ସାଧାରଣ ବଦଳରେ ମଧୁର ଖାଦ୍ୟ ମୂଷାମାନଙ୍କ ପସନ୍ଦ ଯୋଗ୍ୟ ।

 

ଦ୍ୱିତୀୟ ପର୍ଯ୍ୟାୟରେ ମୂଷାମାନଙ୍କୁ ନେଇ ଅନ୍ୟ ଏକ ଯନ୍ତା ମଧ୍ୟରେ ଆବଦ୍ଧ ରଖାଗଲା । ସେଠାରେ କେବଳ ଗୋଟିଏ ଦ୍ୱାର ଦେଇ ସାଧାରଣ ଖାଦ୍ୟ ଯୋଗାଣର ବ୍ୟବସ୍ଥା ହୋଇଥିଲା । ମୂଷାମାନେ ସେହି ଦ୍ୱାରର ଲେଭର ଦବାଇ ଖାଦ୍ୟ ଗ୍ରହଣ କରିଥିଲେ ।

 

ତୃତୀୟ ପର୍ଯ୍ୟାୟରେ ମୂଷାମାନଙ୍କୁ ପ୍ରଥମ ଯନ୍ତାକୁ ସ୍ଥାନାନ୍ତରିତ କରାଯାଇଥିଲା । ପୂର୍ବବତ ଦୁଇଗୋଟି ଦ୍ୱାର ଦେଇ ସାଧାରଣ ଓ ମଧୁର ଖାଦ୍ୟ ଯୋଗାଣ କରାଗଲା । ତେବେ ପ୍ରଥମ ପର୍ଯ୍ୟାୟର ପ୍ରଥମ ଦ୍ୱାର ଦେଇ ସାଧାରଣ ବଦଳରେ ମଧୁର ଏବଂ ଦ୍ୱିତୀୟ ଦ୍ୱାର ଦେଇ ମଧୁର ବଦଳରେ ସାଧାରଣ ଖାଦ୍ୟ ନିଷ୍କାସନର ବ୍ୟବସ୍ଥା ରଖାଗଲା । ପ୍ରଥମ ପର୍ଯ୍ୟାୟରେ ଉଭୟ ସାଧାରଣ ଓ ମଧୁର ଖାଦ୍ୟ ଗ୍ରହଣ ନିମନ୍ତେ ଦୁଇ ଲେଭର ଦବାଇବା ଅଭ୍ୟସରେ ପରିଚ଼ିତ ବୟସ୍କ ମୂଷାମାନେ ଦ୍ୱିତୀୟ ପର୍ଯ୍ୟାୟରେ କିଛି ସମୟ କେବଳ ଗୋଟିଏ ଲେଭର ଦବାଇ ଖାଦ୍ୟଗ୍ରହଣ ପରେ ତୃତୀୟ ପର୍ଯ୍ୟାୟରେ ପୁନର୍ବାର ଦୁଇଗୋଟି ଲେଭର ଦବାଇ ସାଧାରଣ ଓ ମଧୁର ଖାଦ୍ୟଗ୍ରହଣ ପ୍ରକ୍ରିୟା ସହ ସାମିଲ ହୋଇ ପାରିଲେ ନାହିଁ । କିନ୍ତୁ ଯୁବବର୍ଗର ମୂଷାମାନେ ସହଜରେ ପରିବର୍ତ୍ତନକୁ ବୁଝି ନେଇ ମଧୁର ଖାଦ୍ୟ ଗ୍ରହଣ ପାଇଁ ପ୍ରଥମ ଦ୍ୱାର ଲେଭର ଦବାଇବାରେ ବ୍ୟସ୍ତ ରହିଲେ ।

 

ମୂଷାଙ୍କ ଖାଦ୍ୟଗ୍ରହଣ ପରୀକ୍ଷଣରେ ବାର୍ଦ୍ଧକ୍ୟଗ୍ରସ୍ତ ମୂଷାଙ୍କ ଦୁର୍ବଳ ମାନସିକ ସ୍ଥିତି ସେମାନଙ୍କ ମସ୍ତିଷ୍କରେ ସନ୍ତୁଳନ ଅଭାବକୁ ପ୍ରମାଣିତ କରିଥାଏ । ଏହା ପ୍ରାକୃତିକ । ମୂଷା ବଂଶକୁ ନିମ୍ନବର୍ଗର ସ୍ତନ୍ୟପାୟୀ ପ୍ରାଣୀଭାବେ ଗ୍ରହଣ କରାଯାଏ । ବୈଜ୍ଞାନିକମାନେ ମୂଷାଙ୍କ ଶରୀର ଓ ବ୍ୟବହାର ଅନୁଧ୍ୟାନ କରି ଯେଉଁ ନିଷ୍କର୍ଷଗୁଡ଼ିକ ଉପସ୍ଥାପିତ କରୁଛନ୍ତି, ତାହା ପରବର୍ତ୍ତୀ କାଳରେ ମନୁଷ୍ୟଙ୍କ ନିମନ୍ତେ ସମଭାବେ ଉପଯୋଗୀ ହେବା ବିଚାର କରାଯାଏ । ଅନ୍ୟ ଭାଷାରେ, ମନୁଷ୍ୟ ଜୀବନ ସଂପର୍କରେ ବିଭିନ୍ନ ଦିଗ ସଂପର୍କରେ ଗବେଷଣା ମୂଷାଙ୍କ ଶରୀରରେ ପରୀକ୍ଷାରୁ ଆରମ୍ଭ ହେଉଛି ବୋଲି କହିବାକୁ ହେବ । ଏହିଭଳି ଗବେଷଣାଗତ ଜ୍ଞାନ ମନୁଷ୍ୟ ଶରୀରରେ ଦେଖାଦେଉଥିବା ଅଭାବ ଅସୁବିଧାକୁ ସୁଧାରିବା ଦିଗରେ ଚ଼ିକିତ୍ସା ଉଦ୍ଭାବନରେ ସହାୟକ ହୋଇପାରିବ ।

 

ତଦ ଅନୁରୂପ ଯୁକ୍ତରାଷ୍ଟ୍ର ଆମେରିକାର ୟେଲ ବିଶ୍ୱବିଦ୍ୟାଳୟର ଅନ୍ୟ ଦଳେ ଗବେଷକ ଦର୍ଶାଇଥିଲେ ଯେ ମନୁଷ୍ୟର ବୟସ ବୃଦ୍ଧି ସଙ୍ଗେ ତାହାର ସଂଶୟଜନିତ ପଦକ୍ଷେପ ରିସ୍କ କ୍ରମଶଃ ହ୍ରାସ ପାଇଥାଏ । ଏକ ପରୀକ୍ଷଣରେ ୫୨ ଜଣ ୧୮ ବର୍ଷରୁ ୮୮ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମସ୍ତିଷ୍କ ସ୍କାନରୁ ସଂଗୃହୀତ ତଥ୍ୟାବଳୀରୁ ଜଣାଯାଇଥିଲା ଯେ ମସ୍ତିସ୍କର ଡାହାଣ ଭାଗରେ ଅବସ୍ଥିତ କୋରଟେକ୍ସ ଅଞ୍ଚଳରେ ବୟସ ବୃଦ୍ଧି ସଙ୍ଗେ ପରିବର୍ତ୍ତନ କାରଣରୁ ନିଷ୍ପତ୍ତି ଗ୍ରହଣ କ୍ଷମତା ସଂକୁଚ଼ିତ ହୋଇଥାଏ । ଫଳରେ ମନୁଷ୍ୟ ରିସ୍କ ନେବାରୁ ବିରତ ରହେ ।

 

ଖ୍ୟାତନାମା ବିଜ୍ଞାନ ପତ୍ରିକା ନେଚ଼ର କମ୍ୟୁନିକେସନ୍ସରେ ପ୍ରକାଶିତ ପ୍ରବନ୍ଧରେ ୟେଲ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ କହିଥିଲେ ଯେ ଏହି ଗବେଷଣା ପ୍ରାଥମିକସ୍ତରରେ ରହିଥିଲେହେଁ ଭବିଷ୍ୟତରେ ମନୁଷ୍ୟର ନିଷ୍ପତ୍ତି ଗ୍ରହଣ ଦକ୍ଷତା ବୃଦ୍ଧି ନିମନ୍ତେ ଚ଼ିକିତ୍ସା ଉଦ୍ଭାବନ ଦିଗରେ ସହାୟକ ହୋଇପାରିବ । ବିଶ୍ୱବ୍ୟାପୀ ବାର୍ଦ୍ଧକ୍ୟ ଜନସଂଖ୍ୟା ବୃଦ୍ଧି ପାଉଥିବା ତଥା ୨୦୫୦ ସୁଦ୍ଧା ୬୦ ବର୍ଷୋତ୍ତରଙ୍କ ସଂଖ୍ୟା ଦୁଇଗୁଣରେ ପହଞ୍ଚିବା ଆକଳନ କରାଯାଉଥିବା ହେତୁ ବାର୍ଦ୍ଧକ୍ୟଗ୍ରସ୍ତଙ୍କ ନିଷ୍ପତ୍ତି ସେମାନଙ୍କ ବ୍ୟକ୍ତିଗତ ଜୀବନ ସମେତ ସାମୂହିକ ଜୀବନରେ ମଧ୍ୟ କ୍ରମଶଃ ଗୁରୁତ୍ୱପୂର୍ଣ୍ଣ ବିବେଚ଼ିତ ହେବ । ବାର୍ଦ୍ଧକ୍ୟଗ୍ରସ୍ତ ସଂଶୟଜନିତ ପଦକ୍ଷେପ ରିସ୍କରୁ ଦୂରେଇ ରହିବା ପାରମ୍ପରିକ ବିଚାରରେ ଉତ୍ତମ ଲକ୍ଷଣ ବିଚାର କରାଯାଏ । ତେବେ ସମକାଳୀନ ସାମାଜିକ ବ୍ୟବସ୍ଥାରେ ବହୁ କ୍ଷେତ୍ରରେ ରିସ୍କ ପଦକ୍ଷେପ ଏକ ଆବଶ୍ୟକତାରେ ପରିଣତ ହୋଇପଡୁଥିବା ହେତୁ ବୃଦ୍ଧଜନ ନିଜ ଦୁର୍ବଳ ଶାରିରୀକ ଓ ମାନସିକ ସ୍ଥିତି ସଂପର୍କରେ ଅବଗତ ହେଲେ ଚ଼ିକିତ୍ସା ତଥା ସମୁଚ଼ିତ ପଦକ୍ଷେପ ଗ୍ରହଣ ନିମନ୍ତେ ଅବକାଶ ସୃଷ୍ଟି ହେବା ଯୁକ୍ତି ଗ୍ରହଣୀୟ ।

 

ଉଦାହରଣରେ ରାଷ୍ଟ୍ର ତଥା ଆନ୍ତର୍ଜାତିକସ୍ତରରେ ଆର୍ଥିକ ଶୃଙ୍ଖଳା ସ୍ଥିତାବସ୍ଥାକୁ ଆଲୋଚ଼ନା କରାଯାଉ । ବାର୍ଦ୍ଧକ୍ୟରେ ସଂଚ଼ିତ ଅର୍ଥ ସର୍ବାପେକ୍ଷା ମୂଲ୍ୟବାନ । ବାର୍ଦ୍ଧକ୍ୟଜନିତ ଜୀବନଚର୍ଯ୍ୟାରେ ବିଭିନ୍ନ ସେବା ଗ୍ରହଣଲାଗି ଆର୍ଥିକ ସାମର୍ଥ୍ୟ ଆବଶ୍ୟକ ପଡୁଥିବା ସ୍ଥଳେ ଆର୍ଥିକ ନିବେଶଜନିତ ଆୟ ବ୍ୟତିରେକେ ଅନେକଙ୍କ ପାଇଁ ବିକଳ୍ପ ଆୟର ସୂତ୍ର ନଥାଏ । ଏହି ପରିବେଶରେ ଯୁଗଉପଯୋଗୀ ଆର୍ଥିକ ନିବେଶ ନିମନ୍ତେ ରିସ୍କ ଆବଶ୍ୟକ ପଡ଼ିପାରେ । କିନ୍ତୁ ବୃଦ୍ଧିଜନ ଯଦି ଆବଶ୍ୟକୀୟ ରିସ୍କ ନ ନେଇ ପାରିବେ, ତେବେ ସେମାନଙ୍କ ସଂଚ଼ିତ ଧନର ମୂଲ୍ୟ କ୍ରମଶଃ କମି ଯିବା ଭୟ ରହିଥାଏ ଏବଂ ଏହି କାରଣରୁ ସେମାନଙ୍କ ଜୀବନଚ଼ର୍ଯ୍ୟାରେ ବ୍ୟାଘାତ ପହଞ୍ଚିପାରେ ।

 

ବାର୍ଦ୍ଧକ୍ୟରେ ପରିବର୍ତ୍ତନ ଓ ସଂଶୟଜନିତ ପଦକ୍ଷେପଜନିତ ଦୁଇ ଗବେଷଣାର ଫଳ ୨୦୧୬ରେ ପ୍ରକାଶିତ ହୋଇଥିଲା । ମନୁଷ୍ୟର ଦୀର୍ଘଜୀବନ ସଂପର୍କରେ ଆନ୍ତର୍ଜାତିକସ୍ତରରେ ଗବେଷଣା ଚାଲିଥିବା ଅବସରରେ ସଚ଼େତନ ବାର୍ଦ୍ଧକ୍ୟଗ୍ରସ୍ତ ଏହି ଉପକ୍ରମଗୁଡ଼ିକ ସଂପର୍କରେ ଅବଗତ ହେବା ସୁଯୋଗ ଉପଲବ୍ଧ । ଶାରୀରିକ ରସାୟନ ସନ୍ତୁଳନ ନିମନ୍ତେ ଔଷଧ ବ୍ୟବହାର ଲାଭଦାୟକ ବିବେଚ଼ିତ ହେଉଥିଲେ ହେଁ ଆକ୍ରାନ୍ତଙ୍କ ମାନସିକ ପ୍ରସ୍ତୁତି ବହୁଦିଗରୁ ପ୍ରଭାବଶାଳୀ । ଅତଏବ, ମନୁଷ୍ୟର ବାର୍ଦ୍ଧକ୍ୟରେ ଶାରୀରିକ ଓ ମାନସିକ ଉନ୍ନତି କ୍ଷେତ୍ରରେ ଆୟୋଜିତ ସମ୍ମୁଖ ଧାଡ଼ିର ଗବେଷଣାଗୁଡ଼ିକ ସଂପର୍କରେ ତଥ୍ୟ ଆହରଣ ଉପାଦେୟ ବିଶ୍ୱାସ କରାଯାଏ ।    


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ନଭେମ୍ୱର ୨୦୨୨


ତଥ୍ୟ:

 

Brain circuit that helps us adapt to change fades with age, study finds – ABC News

 

https://www.abc.net.au/news/science/2016-04-21/brain-circuit-that-helps-us-adapt-to-change-fades-with-age/7342736

 

Sample, Ian. Risk aversion in old age down to changes in brain structure, scans suggest. thegardian.com. December 13, 2016

 

https://www.theguardian.com/science/2016/dec/13/risk-aversion-in-old-age-down-to-changes-in-brain-structure-scans-suggest


ବାର୍ଦ୍ଧକ୍ୟ ଅନୁକୂଳ ନୀତି ନିର୍ଦ୍ଧାରଣ

ବୃଦ୍ଧ ଜନସଂଖ୍ୟା ବୃଦ୍ଧି ସାମାଜିକସ୍ତରରେ ବାର୍ଦ୍ଧକ୍ୟ-ଅନୁକୂଳ ନୀତି ନିର୍ଦ୍ଧାରଣ ଆବଶ୍ୟକ କରିଥାଏ l ୨୦୧୮ଫେବୃୟାରୀ ପ୍ରଥମ ସପ୍ତାହରେ ଯୁକ୍ତରାଷ୍ଟ୍ର ଆମେରିକାର ବୋଷ୍ଟନସ୍ଥିତ ଆନ୍ତର୍ଜାତିକ ପରାମର୍ଶଦାତା ‘ବେନ ଏଣ୍ଡ କମ୍ପାନୀ’ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ ବୃଦ୍ଧଜନସଂଖ୍ୟା ବୃଦ୍ଧି, ସ୍ୱୟଂକ୍ରିୟ ବୈଷୟିକ କୌଶଳ ବା ଅଟୋମେସନ ଓ ସାମାଜିକ ତଥା ଅର୍ଥନୀତିକ ତାରତମ୍ୟ ବା ଇନ-ଇକ୍ୟୁଲେଟି ଆଗାମୀ ଦଶରୁ ପନ୍ଦର ବର୍ଷ ମଧ୍ୟରେ ସେଠାରେ ଏକ ନୂତନ ସମୀକରଣ ସୃଷ୍ଟି କରିବ l ଏଭଳି ପରିବର୍ତ୍ତିତ ଅର୍ଥନୀତିକ ପରିବେଶ ଆମେ ବିଗତ ଛଅ ଦଶନ୍ଧିଧରି ଅନୁଭବ ହୋଇନଥିବ l

 

‘ବେନ ଏଣ୍ଡ କମ୍ପାନୀ’ ଯୁକ୍ତରାଷ୍ଟ୍ର ଆମେରିକାର ପ୍ରଥମ ତିନିଗୋଟି ପରାମର୍ଶଦାତା ପ୍ରତିଷ୍ଠାନ ମଧ୍ୟରୁ ଅନ୍ୟତମ l ଏଣୁ ଏହାର ପୂର୍ବାନୁମାନକୁ ଗୁରୁତ୍ୱର ସହ ବିଚ଼ାର କରାଯିବା କଥା lଅତୀତରେ ବୃଦ୍ଧଜନଙ୍କ ସଂଖ୍ୟା ବୃଦ୍ଧିକୁ ସାମାଜିକ ପରିବର୍ତ୍ତନ ସହ ବିଶେଷଭାବେ ଯୋଡ଼ା ଯାଉନଥିଲା l ତେବେ ବର୍ତ୍ତମାନ ଏକ ପ୍ରଖ୍ୟାତ ମ୍ୟାନେଜମେଣ୍ଟ କନସଲଟେନ୍ସି ଏହାକୁ ପ୍ରଥମ କାରଣରେ ସ୍ଥାନିତ କରୁଥିବା ହେତୁ ଗୁରୁତ୍ୱପୂର୍ଣ୍ଣ ମନେହୁଏ lଏଭଳି ପୂର୍ବାନୁମାନ ମୁଖ୍ୟତଃ ଯୁକ୍ତରାଷ୍ଟ୍ର ଆମେରିକା ନିମନ୍ତେ ପ୍ରଯୁଜ୍ୟ ହେଲେହେଁ ଆନ୍ତର୍ଜାତିକସ୍ତରରେ ଏହାର ପ୍ରଭାବ ଊଣାଅଧିକେ ଅନୁଭବ କରାଯିବା ବିଶ୍ୱାସ କରାଯାଇପାରେ l

 

ଏହି ରିପୋର୍ଟରେ କୁହାଯାଇଛି ଯେ ନିକଟ ଭବିଷ୍ୟତରେ ଆମେରିକାରେ ବୃଦ୍ଧଜନଙ୍କ ସଂଖ୍ୟା ବୃଦ୍ଧି କାର୍ଯ୍ୟକ୍ଷମ କର୍ମକୁଶଳୀ ଶ୍ରମଶକ୍ତିର ଅଭାବର କାରଣ ପାଲଟିବା ଅବସରରେ ଅଟୋମେସେନ ଓ ରୋବଟିକ୍ସ ପ୍ରଭାବରେ ୨୦୨୦ ସୁଦ୍ଧା ୨୦ ରୁ ୨୫ ପ୍ରତିଶତ ଶ୍ରମଶକ୍ତି ନିଯୁକ୍ତିହାନୀରେ ପର୍ଯ୍ୟବସିତ ହେବ l ଏହି ଦୁଇ ଉପକ୍ରମ ସାମାଜିକ ଓ ଅର୍ଥନୀତିକ ତାରତମ୍ୟ ସୃଷ୍ଟି କରିବl ଫଳରେ ମଧ୍ୟବିତ୍ତ ଓ ନିମ୍ନ ଆୟକାରୀ ପରିବାରବର୍ଗ ଘୋର ଅର୍ଥନୀତିକ ସମସ୍ୟାର ସମ୍ମୁଖୀନ ହେବେ l

 

ରିପୋର୍ଟରେ ଆହୁରି ଉଲ୍ଲେଖ କରାଯାଇଛି ଯେ ଶିଳ୍ପକ୍ଷେତ୍ରରେ ନୂତନ ବୈଷୟିକ କୌଶଳ ପ୍ରୟୋଗହେତୁ ଚଳିତ ଶତାଦ୍ଦୀର ଦ୍ୱିତୀୟ ଓ ତୃତୀୟ ଦଶକରେ କ୍ରମବର୍ଦ୍ଧମାନ ଆର୍ଥିକ ଅଭିବୃଦ୍ଧି ତୃତୀୟ ଦଶକ ଶେଷ ବେଳକୁ କମି ଆସି ବିପର୍ଯ୍ୟୟ ସୃଷ୍ଟି କରିବ l ଏହି ସମ୍ଭାବ୍ୟ ବିଶୃଙ୍ଖଳାକୁ ଆୟତ୍ତାଧୀନ କରିବା ନିମନ୍ତେ ସରକାରୀ ଓ ବେସରକାରୀସ୍ତରରେ ସୁଚ଼ିନ୍ତିତ ପଦକ୍ଷେପ ନିଆଯିବା ଆବଶ୍ୟକତା ସଂପର୍କରେ ରିପୋର୍ଟର ଉପସଂହାରରେ ସତର୍କ କରାଇଦିଆଯାଇଛି l

 

ବାର୍ଦ୍ଧକ୍ୟ-ଅନୁକୂଳ ନୀତି ନିର୍ଦ୍ଧାରଣ ସାମାଜିକ, ଅର୍ଥନୀତିକ ଓ ରାଜନୀତିକ କ୍ଷେତ୍ରରେ କ୍ରମଶଃ ଗୁରୁତ୍ୱ ବହନ କରୁଥିବା ଲକ୍ଷ୍ୟ କରାଯାଇପାରେ l ଆମ ଦେଶରେ ୬୦ ବର୍ଷରୁ ଉର୍ଦ୍ଧ୍ୱ ବୃଦ୍ଧଜନଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ଦଶ ପ୍ରତିଶତ ଛୁଉଁଥିବା ଅବସରରେ ରାଜନୀତିକ ଦଳମାନେ କ୍ରମଶଃ ଭୋଟବ୍ୟାଙ୍କ ରାଜନୀତିରେ ଏମାନଙ୍କୁ ଏକ ବର୍ଗରୂପେ ଗ୍ରହଣ କରିବା ଧାରା ଆରମ୍ଭ କରିଥିବା ଅନୁମାନ କରାଯାଇପାରେ l କେନ୍ଦ୍ର ବଜେଟ ୨୦୧୮ରେ ବରିଷ୍ଠ ନାଗରିକଙ୍କ ଆୟ ଅନୁକୂଳ ବ୍ୟାଙ୍କ ଜମାରେ ସୁଧ ଉପରୁ ଟିକସ ହ୍ରାସ ଓ ସ୍ୱାସ୍ଥ୍ୟବୀମା ନିବେଶ ସୀମା ବୃଦ୍ଧି, ଅଧିକ ସୁଧହାରରେ ସଞ୍ଚୟ ସୁଯୋଗ ଇତ୍ୟାଦି ବୃଦ୍ଧଜନଙ୍କ ସମସ୍ୟାପ୍ରତି ନୀତି ପ୍ରଣୟନରେ ସରକାରୀ ଗୁରୁତ୍ୱ ପ୍ରମାଣିତ କରିଥାଏl

 

ସମକାଳୀନ ସାମାଜିକ ଆଙ୍ଗିକରେ ବାର୍ଦ୍ଧକ୍ୟ-ଅନୁକୂଳ ନୀତିନିର୍ଦ୍ଧାରଣ ନିମନ୍ତେ ସରକାରୀ ତୁଳନାରେ ବେସରକାରୀସ୍ତରରେ ଜରୁରି-ଉଦ୍ୟମର ଆବଶ୍ୟକତା ଅନୁଭୂତ ହୋଇଥାଏ l ବୈଷୟିକ କାରିଗରୀ କୌଶଳ, ମୁଖ୍ୟତଃ ଆଟୋମେସନ ଆଗାମୀ ଚ଼ାରି ପାଞ୍ଚ ବର୍ଷ ମଧ୍ୟରେ ବହୁ ସାମାଜିକ ସୁବିଧା ସୁଯୋଗ ଷ୍ଟାର୍ଟଅପ ବ୍ୟବସାୟ ମାଧ୍ୟମରେ ସମାଧାନ କରିବାକୁ ଯାଉଛି l ବାର୍ଦ୍ଧକ୍ୟ-ଅନୁକୂଳ ସେବା ସଂପ୍ରସାରିତ କରିବା କ୍ଷେତ୍ରରେ ବୃଦ୍ଧଜନଙ୍କ ସାଂଗଠନିକ ପ୍ରଚ଼େଷ୍ଟା ବ୍ୟବସାୟିକ ନିବେଶ ନିମନ୍ତେ ବିଭିନ୍ନ ପ୍ରୋତ୍ସାହନଭିତ୍ତିକ କାର୍ଯ୍ୟକ୍ରମ ପ୍ରଯୋଜନାରେ ସହାୟକ ହୋଇପାରିବl

 

ଉଦାହରଣରେ ନିକଟ ଭବିଷ୍ୟତରେ ବୃଦ୍ଧଦମ୍ପତିଙ୍କ ବାସଗୃହରେ ରନ୍ଧାଖାଦ୍ୟ ପରିବେଷଣଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟସେବା, ବ୍ୟାଙ୍କିଙ୍ଗ, ପର୍ଯ୍ୟଟନ, ମନୋରଞ୍ଜନ ଯାଏଁ ବିଭିନ୍ନ କ୍ଷେତ୍ରରେ ବ୍ୟାବସାୟିକ ମଡ଼େଲମାନ କାର୍ଯ୍ୟକାରୀ କରିବାର ସୁଯୋଗ ରହିଛି l ତେବେ ବିଭିନ୍ନ ଭୌଗଳିକ ଅବସ୍ଥିତିରେ, ମୁଖ୍ୟତଃ ଛୋଟ ସହରାଞ୍ଚଳରେ ଏଭଳି ଉପକ୍ରମଗୁଡ଼ିକରେ ବିଫଳତା ଆଶଙ୍କାରେ ଉଦ୍ୟୋଗୀମାନେ ନିବେଶ କରିବା ନିମନ୍ତେ ପଛଘୁଞ୍ଚା ଦେବା ସ୍ୱାଭାବିକ l ଏହି ପରିବେଶରେ ସ୍ଥାନୀୟ ବୃଦ୍ଧଜନ ସଂଗଠନଗୁଡ଼ିକ ବ୍ୟବସାୟ ନିମନ୍ତେ ପ୍ରାଥମିକ ଭିତ୍ତିଭୂମି ପ୍ରତିଷ୍ଠା କରିବାରେ ସହାୟକ ହୋଇପାରିବେ l ଯେପରିକି ରନ୍ଧାଖାଦ୍ୟ ନିଜ ବାସଗୃହରେ ଆବଶ୍ୟକ କରୁଥିବା ଦମ୍ପତ୍ତିଙ୍କ ନିର୍ଭରଯୋଗ୍ୟ ତାଲିକା ଜଣେ ଯୁବବ୍ୟବସାୟୀଙ୍କୁ ପ୍ରଦାନ କଲେ ହୁଏତ ବ୍ୟାବସାୟିକ ଲାଭ ହିସାବ ଆଧାରରେ ତାଙ୍କୁ ତୁରନ୍ତ ଆକର୍ଷିତ କରିପାରେ ଇତ୍ୟାଦି l

 

ବୃଦ୍ଧଜନ ସଂଗଠନଗୁଡ଼ିକ ବାର୍ଦ୍ଧକ୍ୟ କଲ୍ୟାଣକାରୀ ନୀତିନିୟମ ପ୍ରଣୟନଲାଗି ସରକାରଙ୍କୁ ପ୍ରଭାବିତ କରିପାରିବେ l ଗଣତାନ୍ତ୍ରିକ ଶାସନରେ ଜନସଚ଼େତନତା ଓ ରାଜନୀତିକ ଚ଼ାପ ପ୍ରୟୋଗ ଯୁକ୍ତିଯୁକ୍ତ ସୁବିଧା ସୁଯୋଗ ସୃଷ୍ଟି ଦିଗରେ ସହାୟକ ହୋଇଥାଏ lତେବେ ଏଥି ନିମନ୍ତେ ବାର୍ଦ୍ଧକ୍ୟ ପ୍ରଭାବିତ ନାଗରିକମାନେ ହିଁ ଉଦ୍ୟମ କରିବାକୁ ପଡ଼ିବ l ସମାଜରେ ପ୍ରତ୍ୟେକ ବର୍ଗ ନିଜ ନିଜର ସ୍ୱାର୍ଥସାଧନ ନିମନ୍ତେ ତତ୍ପର ଥିବା ସ୍ଥଳେ ବୃଦ୍ଧଜନଙ୍କୁ ଏହି ପ୍ରକ୍ରିୟାରୁ ବାଦ ଦିଆଯାଇନପାରେ l ବସତି ଓ ଜନପଦଭିତ୍ତିକ ସମସ୍ୟା ସଂପର୍କରେ ଚ଼େତନ ସୃଷ୍ଟିରେ ସ୍ଥାନୀୟ ବରିଷ୍ଠ ନାଗରିକମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବେ l ସେମାନଙ୍କ ସାଂଗଠନିକ ପ୍ରଚ଼େଷ୍ଟା ବସତି ଓ ଜନପଦରୁ କ୍ରମଶଃ ରାଜ୍ୟ ଓ ରାଷ୍ଟ୍ରକୁ ସଂପ୍ରସାରିତ ହେବା ସଂଭବପର l

 

ପାରମ୍ପରିକଭାବେ ଆମ ଚ଼ିନ୍ତା ପରିସରରେ ବାର୍ଦ୍ଧକ୍ୟ ଏକ ବିଚ଼ାର ଯୋଗ୍ୟ ବିଷୟରୂପେ ସ୍ୱୀକୃତି ଲାଭ କରିନଥାଏ l ଉତ୍ତର-ବାର୍ଦ୍ଧକ୍ୟରେ ଉପନୀତ ହୋଇ ଚଳତବିହୀନ ପରିସ୍ଥିତିରେ ହିଁ ଏହାର ଭୟାବହତା ସଂପର୍କରେ ଅନେକେ ସଚ଼େତନ ହୋଇଥାଆନ୍ତି l କିନ୍ତୁ ଏକ ବିକଳ୍ପ ବାର୍ଦ୍ଧକ୍ୟ ଜୀବନଯାତ୍ରା ବିଚ଼ାର ଯେ ସ୍ଥିତାବସ୍ଥାର ପରିବର୍ତ୍ତନରେ ସହାୟକ ହୋଇପାରିବ, ସେଭଳି ଉପଲବ୍ଧିର ସୁଯୋଗ ସୃଷ୍ଟି ନିମନ୍ତେ ଉଦ୍ୟମ କରିବାକୁ ପଡ଼ିବ l


 

ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଫେବୃୟାରୀ ୨୦୧୮

ନିର୍ବାଚ଼ନ ଇସ୍ତାହାରରେ ବରିଷ୍ଠ ନାଗରିକ

ଭାରତରେ ରାଜନୀତିକ ଦଳଗୁଡ଼ିକର ଲୋକସଭା କିମ୍ୱା ବିଧାନସଭା ନିର୍ବାଚ଼ନ ଇସ୍ତାହାରରେ ବରିଷ୍ଠ ନାଗରିକ କଲ୍ୟାଣମୂଳକ କାର୍ଯ୍ୟସୂଚ଼ୀକୁ ଗୁରୁତ୍ୱ ଦିଆଯାଇ ନଥାଏ I ବରିଷ୍ଠ ନାଗରିକମାନେ ବର୍ଗଭିତ୍ତିରେ ସଂଗଠିତ ନହୋଇପାରିଥିବା ହେତୁ ସେମାନଙ୍କ ସମସ୍ୟା ଉପସ୍ଥାପନ ଲାଗି ରାଜନୀତିକ ପ୍ରତିନିଧିତ୍ୱ ନଥାଏ I ଦେଶର ସମସ୍ତ ରାଜନୀତିକ ଦଳରେ ବହୁ ବରିଷ୍ଠ ନାଗରିକ ଶାର୍ଷ ନେତୃତ୍ୱ ପଦାସୀନ ଥିଲେହେଁ ସେମାନେ ସାଧାରଣ ନାଗରିକଙ୍କ ପ୍ରତିନିଧିତ୍ୱ କରୁଥିବା ବିଚ଼ାର କରିଥାନ୍ତି I ପାରମ୍ପରିକଭାବେ ବାର୍ଦ୍ଧକ୍ୟ ଜୀବନଯାତ୍ରା ବ୍ୟକ୍ତିଗତ ବା ପାରିବାରିକ ସମସ୍ୟାରୂପେ ଗୃହୀତ ହୋଇ ଆସୁଥିବା ହେତୁ ସ୍ୱତନ୍ତ୍ର ସାମାଜିକ ଯତ୍ନର ଆବଶ୍ୟକତା ହୃଦୟଙ୍ଗମ କରାଯାଇନଥାଏ I

 

ତେବେ ପରିବର୍ତ୍ତିତ ପରିବେଶରେ ବାର୍ଦ୍ଧକ୍ୟ ଜୀବନଚର୍ଯ୍ୟା କ୍ରମଶଃ ସମସ୍ୟାବହୁଳ ହୋଇପଡୁଛି I ଦେଶର ୧୩୦ କୋଟି ଜନସଂଖ୍ୟା ମଧ୍ୟରେ ୬୦ ବର୍ଷରୁ ଉର୍ଦ୍ଧ୍ୱ ବରିଷ୍ଠନାଗରିକଙ୍କ ସଂଖ୍ୟା ୧୦ ପ୍ରତିଶତ ଅର୍ଥାତ ୧୩ କୋଟି ଛୁଇଁଲାଣି Iଏକ ଆକଳନ ଅନୁଯାୟୀ ୭୫ ବର୍ଷୋତ୍ତର ଆର୍ଦ୍ଧେକ ବରିଷ୍ଠନାଗରିକ ଏକାକୀ କିମ୍ୱା ବୈଧବ୍ୟର ଶୀକାର I ଯୌଥ ପାରିବାରିକ ଭିତ୍ତିଭୂମି ଭୁଷୁଡ଼ି ପଡୁଥିବା ପରିପ୍ରେକ୍ଷୀରେ ସହରାଞ୍ଚଳ ସହ ଗ୍ରାମାଞ୍ଚଳରେ ମଧ୍ୟ ଏକକ ‘ନିଉକ୍ଳିୟର’ ପରିବାର ଆଙ୍ଗିକ ବାର୍ଦ୍ଧକ୍ୟରେ ପାରିବାରିକ ଯତ୍ନର ପରିପନ୍ଥୀ ସାଜୁଛି I ପରିସଂଖ୍ୟାନ ଅନୁଯାୟୀ ନିକଟ ଭବିଷ୍ୟତରେ ଏଭଳି ସମସ୍ୟାମାନ ଉତ୍କଟ ଆକାର ଧାରଣ କରିବା ନିଶ୍ଚିତପ୍ରାୟ I

 

କେନ୍ଦ୍ର ସରକାରଙ୍କ ପକ୍ଷରୁ ‘ନ୍ୟାସନାଲ ପଲିସି ଅନ ଓଲଡ଼ର ପରସନ୍ସ’ ୧୯୯୯ରେ ପ୍ରଣୀତ ହୋଇଥିଲା  ଏବଂ ସେହି ଢ଼ାଞ୍ଚାରେ କେତେକ ରାଜ୍ୟରେ ବରିଷ୍ଠ ନାଗରିକଙ୍କ ନିମନ୍ତେ ସ୍ୱତନ୍ତ୍ର ନୀତି ନିର୍ଦ୍ଧାରିତ ହୋଇଛି I ଓଡ଼ିଶାରେ ବରିଷ୍ଠ ନାଗରିକ ନୀତି ପ୍ରଚ଼ଳନ କରାଯାଇଛି Iବରିଷ୍ଠ ନାଗରିକଙ୍କ ନିମନ୍ତେ କେତେକ କ୍ଷେତ୍ରରେ ରିହାତି, ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ ଓ ବ୍ୟାଙ୍କସ୍ତରରେ ଓଲଟ ବନ୍ଧକ ‘ରିଭର୍ସ ମୋଟଗେଜ’ ଭଳି ବାର୍ଦ୍ଧକ୍ୟ ଅନୁକୂଳ ନିୟମ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଚ଼ଳନ କରାଯାଇଛି I

 

ତେବେ ଏଭଳି ସୁବିଧାସୁଯୋଗ କାହାରି ଦାବୀ ଉପରେ ଆଧାରିତ ହୋଇନଥିବା ଜଣାଯାଏ I ଆନ୍ତର୍ଜାତିକସ୍ତରରେ ଜାତିସଂଘ ପକ୍ଷରୁ ବରିଷ୍ଠ ନାଗରିକଙ୍କୁ ଏକ ସଂଖ୍ୟାଲଘୁ ସଂପ୍ରଦାୟରୂପେ ବିଚ଼ାର କରାଯାଇ କ୍ରମବର୍ଦ୍ଧିଷ୍ଣୁ ବରିଷ୍ଠ ଜନସଂଖ୍ୟାର କଲ୍ୟାଣ ନିମନ୍ତେ ୧୯୮୨ରୁ ନିୟମିତଭାବେ ନୀତି ନିର୍ଦ୍ଧାରଣ କରାଯାଉଛି I ଏକ ସଦସ୍ୟରାଷ୍ଟ୍ର ରୂପେ ଭାରତ ରାଜିନାମାରେ ଅଂଶୀଦାର ହୋଇଥିବା କାରଣରୁ ଅନେକ ବରିଷ୍ଠନାଗରିକ କଲ୍ୟାଣମୂଳକ ଯୋଜନା ସରକାରୀସ୍ତରରେ ପ୍ରଯୋଜନାର ଅବସର ସୃଷ୍ଟି ହୋଇଛି I ତେବେ ବରିଷ୍ଠ ନାଗରିକଙ୍କ କଲ୍ୟାଣ ନିମନ୍ତେ ସରକାରଙ୍କ ଉପରେ ଦୃଷ୍ଟି ଆକର୍ଷକ ଚ଼ାପ ପ୍ରୟୋଗଲାଗି ସର୍ବଭାରତୀୟସ୍ତରରେ ବିଶେଷ ଫଳପ୍ରଦ ଉଦ୍ୟମ ଦୃଷ୍ଟିକୁ ଆସେନାହିଁ I

 

ଅନୁଶୀଳନରୁ ଜଣାଯାଏ ଯେ ବରିଷ୍ଠ ନାଗରିକ କଲ୍ୟାଣ ନିମନ୍ତେ ପ୍ରଚ଼ଳିତ ବହୁ କାର୍ଯ୍ୟକ୍ରମ ସମସାମୟିକ ବାସ୍ତବତା ସହ ସମତୁଲ ନୁହେଁ I ଉଦାହରଣ ସ୍ୱରୂପ ସରକାରୀ ପ୍ରଦତ୍ତ ବାର୍ଦ୍ଧକ୍ୟ ଭତ୍ତା ରାଶିରେ ଜଣେ ବରିଷ୍ଠ ନାଗରିକ ଦୈନନ୍ଦିନ ଖର୍ଚ୍ଚ ମେଣ୍ଟାଇବା ସମ୍ଭବପର ନୁହେଁ କିମ୍ୱା ବୟସ ଅନୁକୂଳ ସ୍ୱାସ୍ଥ୍ୟସେବା ନିମନ୍ତେ ସରକାରୀ ଚ଼ିକିତ୍ସାଳୟଗୁଡ଼ିକରେ ଭିତ୍ତିଭୂମି ସୃଷ୍ଟି କରାଯାଇ ପାରୁନାହିଁ, ଇତ୍ୟାଦି I‘ୟୁନାଇଟେଡ଼ ନେସନ୍ସ ଡ଼େଭଲାପମେଣ୍ଟ ପ୍ରୋଗ୍ରାମ’ର ଆକଳନରେ ୨୦୫୦ ସୁଦ୍ଧା ଭାରତର ଜନସଂଖ୍ୟା ୧୫୩ କୋଟିକୁ ବୃଦ୍ଧି ପାଇବ ଏବଂ ୬୦ ବର୍ଷୋତ୍ତର ବରିଷ୍ଠନାଗରିକଙ୍କ ସଂଖ୍ୟା ୨୦ ପ୍ରତିଶତ ଅର୍ଥାତ ପ୍ରାୟ ୩୦ କୋଟିରେ ପହଞ୍ଚିବ I ବାର୍ଦ୍ଧକ୍ୟ ଅନୁକୂଳ ଭିତ୍ତିଭୂମି ପ୍ରସ୍ତୁତି ଉଭୟ ବ୍ୟକ୍ତିଗତ, ସାମାଜିକସ୍ତରରେ ସମୟସାପେକ୍ଷ ପ୍ରମାଣିତ ହେଉଥିବା ହେତୁ ଆମ ଦେଶରେ ଏହି ଦିଗରେ ପୂର୍ବପ୍ରସ୍ତୁତି ଏକ ଜରୁରି ଆବଶ୍ୟକତାରେ ପରିଣତ ହୋଇଛି I

 

ନିର୍ବାଚ଼ନ ପୂର୍ବରୁ ରାଜନୀତିକ ଦଳଗୁଡ଼ିକ ପକ୍ଷରୁ ନିର୍ବାଚ଼ନ ଇସ୍ତାହରମାନ ପ୍ରସ୍ତୁତ ହୋଇଥାଏ I ସଂପୃକ୍ତ ଦଳ ନିର୍ବାଚ଼ିତ ହୋଇ ସରକାର ଗଠନ କଲେ ନିର୍ବାଚ଼ନ ଇସ୍ତାହାରରେ ଉପସ୍ଥାପିତ ପ୍ରତିଶୃତି ପାଳନ କରିବା ନିମନ୍ତେ କାର୍ଯ୍ୟକ୍ରମ ପ୍ରଯୋଜନା କରିଥାନ୍ତି I ଅତଏବ ୨୦୧୯ ସାଧାରଣ ନିର୍ବାଚ଼ନ ପୂର୍ବରୁ ବିଭିନ୍ନ ରାଜନୀତିକ ଦଳର ନିର୍ବାଚ଼ନ ଇସ୍ତାହାରରେ କ୍ରମବର୍ଦ୍ଧିଷ୍ଣୁ ବରିଷ୍ଠ ନାଗରିକଙ୍କ କଲ୍ୟାଣ ନିମନ୍ତେ ସଂକଳ୍ପମାନ ସ୍ଥାନିତ କରିବା ନିମନ୍ତେ ଉଦ୍ୟମ ଅପରିହାର୍ଯ୍ୟ I ଏ ଦିଗରେ ଶିକ୍ଷିତ ବରିଷ୍ଠ ନାଗରିକମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ I ସାଂଗଠନିକ ଶକ୍ତି ଅଭାବରେ ବ୍ୟକ୍ତିଗତସ୍ତରରେ ଚ଼ିନ୍ତାଶୀଳ ବରିଷ୍ଠ ନାଗରିକମାନେ ବିଭିନ୍ନ ପ୍ରସ୍ତାବ ଲିଖିତ ଦରଖାସ୍ତ ମାଧ୍ୟମରେ ରାଜନୀତିକ ଦଳ ଓ ନେତୃବର୍ଗଙ୍କ ସମ୍ମୁଖରେ ଉପସ୍ଥାପିତ କରିପାରିବେ I ଏଭଳି ଉଦ୍ୟମର ପରିମାଣ ଉଦ୍ଦେଶ୍ୟ ଚ଼ରିତାର୍ଥଦିଗରେ ନିର୍ଭରଶୀଳ ହେବ I

 

ସମସ୍ତ ବରିଷ୍ଠନାଗରିକ ଭୋଟର ଏବଂ ଅନ୍ୟ ବୟସବର୍ଗଙ୍କ ମଧ୍ୟରେ ବରିଷ୍ଠମାନଙ୍କ ମଧ୍ୟରୁ ଅଧିକାଂଶ ଭୋଟ ପ୍ରଦାନ କରିଥାନ୍ତି I ଭୋଟର ସଂଖ୍ୟାର ଦଶ ପ୍ରତିଶତକୁ ନୀତିନିର୍ଦ୍ଧାରକ ସଂଖ୍ୟା ରୂପେ ଗ୍ରହଣ କରାଯାଇପାରେ I ରାଜନୀତିକ ଦଳ ଓ ନେତୃସ୍ଥାନୀୟ ବ୍ୟକ୍ତିବିଶେଷଙ୍କୁ ଅନେକ ବରିଷ୍ଠ ନାଗରିକ ନିଜସ୍ୱ ପ୍ରତିଷ୍ଠା ବଳରେ ବଶୀଭୂତ କରିବା ସାମର୍ଥ୍ୟ ରହିଛି I ତେବେ ଏଦିଗରେ ନିଷ୍ଠାପର ଉଦ୍ୟମଲାଗି ଚ଼େତନ ପ୍ରସାର ହୋଇପାରି ନାହିଁ I ଗ୍ରାମପଞ୍ଚାୟତଠାରୁ ଲୋକସଭା ଯାଏଁ ପ୍ରତ୍ୟେକଟି ନିର୍ବାଚ଼ନ ପ୍ରକ୍ରିୟାରେ ବରିଷ୍ଠନାଗରିକମାନେ ରାଜନୀତିକ ଦଳଗୁଡ଼ିକ ଉପରେ ଚ଼ାପ ପ୍ରୟୋଗକରି ଆଞ୍ଚଳିକଭିତ୍ତିରେ ବାର୍ଦ୍ଧକ୍ୟ ଅନୁକୂଳ ଭିତ୍ତିଭୂମି ଗଠନ ନିମନ୍ତେ ଗଣତାନ୍ତ୍ରିକ ସୁବିଧାସୁଯୋଗକୁ ସାଧ୍ୟମତେ ବ୍ୟବହାର କରିବା ସମୟ ଉପନୀତ I ଏହାକୁ ସଚ଼େତନ ବରିଷ୍ଠ ନାଗରିକମାନେ ହାତଛଡ଼ା କରିବା ଅନୁଚ଼ିତ I

 

ଅନୁଧ୍ୟାନରୁ ଜଣାଯାଏ ଯେ ୨୦୦୯ ନିର୍ବାଚ଼ନ ପୂର୍ବରୁ ବରିଷ୍ଠ ନାଗରିକ କଲ୍ୟାଣ ନିର୍ବାଚ଼ନୀ ପ୍ରସଙ୍ଗ ରୂପେ ପ୍ରାୟତଃ ଆଲୋଚ଼ନାର ପରିଧିକୁ ଆସୁନଥିଲା I ୨୦୦୯ ଓ ୨୦୧୪ ସାଧାରଣ ନିର୍ବାଚ଼ନ ଅବସରରେ ବରିଷ୍ଠ ନାଗରିକ କଲ୍ୟାଣରେ ନିୟୋଜିତ ବେସରକାରୀ ସଂଗଠନଗୁଡ଼ିକ ପକ୍ଷରୁ ମୁଖ୍ୟତଃ ‘ନ୍ୟାସନାଲ ପଲିସି ଅନ ଓଲଡ଼ର ପରସନ୍ସ’ରେ ଉଲ୍ଲେଖ କରାଯାଇଥିବା ସୁବିଧାସୁଯୋଗ ଲାଗୁ କରାଯିବା, ‘ନ୍ୟାସନାଲ କମିସନ ଫର ଓଲଡ଼ର ପରସନ୍ସ’ ଗଠନ ତଥା ବରିଷ୍ଠନାଗରିକଙ୍କ ସ୍ୱାସ୍ଥ୍ୟସେବା ଓ ଅର୍ଥନୀତିକ ସୁରକ୍ଷାଲାଗି କାର୍ଯ୍ୟକ୍ରମମାନ ପ୍ରଯୋଜନା ନିମନ୍ତେ ଚ଼ାପ ପ୍ରୟୋଗ କରାଯାଇଥିଲା I ତେବେ ୨୦୧୯ ସାଧାରଣ ନିର୍ବାଚ଼ନ ଅବସରରେ ଏ ଦିଗରେ ଉଲ୍ଲେଖନୀୟ ଅଗ୍ରଗତି ସମ୍ଭବ ବୋଲି ଆଶା କରାଯାଉଛି I

 

ଭାରତୀୟ ସାମାଜିକ ଓ ଧାର୍ମିକ ବ୍ୟବସ୍ଥାରେ ବୟଜ୍ୟୋଷ୍ଠଙ୍କ ଲାଗି ସମ୍ମାନସ୍ପଦ ସ୍ଥାନ ରହିଆସିଛି I ଏକ ପକ୍ଷରେ ପାରମ୍ପରିକ ପାରିବାରିକ ବ୍ୟବସ୍ଥା ଭୁଷୁଡ଼ି ପଡୁଥିବା ସ୍ଥଳେ ଅପରପକ୍ଷେ ୧୯୫୦ ରୁ ୧୯୫୫ ମଧ୍ୟରେ ଭାରତୀୟଙ୍କ ହାରାହାରି ପରମାୟୁ ୩୮ ବର୍ଷରେ ସୀମିତ ଥିବାବେଳେ ୨୦୪୫ ରୁ ୨୦୫୦ରେ ପୁରୁଷଙ୍କ ପରମାୟୁ ୭୧.୯ ଓ ମହିଳାଙ୍କ ପରମାୟୁ ୭୫.୮ ବର୍ଷକୁ ବୃଦ୍ଧିପାଇବା ଆକଳନ କରାଯାଉଛି I ସଂକୁଚ଼ିତ ପାରିବାରିକ ସ୍ଥିତି, ବର୍ଦ୍ଧିତ ପରମାୟୁ ଓ ବରିଷ୍ଠ ନାଗରିକଙ୍କ ସଂଖ୍ୟା ବୃଦ୍ଧି ଅନ୍ତତଃ ପକ୍ଷେ ଭାରତୀୟଙ୍କ ଉତ୍ତର-ବାର୍ଦ୍ଧକ୍ୟ ଜୀବନଚ଼ର୍ଯ୍ୟାଲାଗି ସାମାଜିକ ପ୍ରଯତ୍ନ ଉପରେ ଯେ ନିର୍ଭରଶୀଳ ହେବ ସେଥିରେ ସନ୍ଦେହ ନାହିଁ I ଆବଶ୍ୟକୀୟ ସାମାଜିକ ଭିତ୍ତିଭୂମି ଗଠନ ନିମନ୍ତେ ଦୀର୍ଘକାଳୀନ ଯୋଜନା ପ୍ରଣୟନ ଆବଶ୍ୟକ ଏବଂ ଏଥିଲାଗି ନିର୍ବାଚ଼ିତ ସରକାରଙ୍କୁ ପ୍ରତିଶୃତିବଦ୍ଧ କରାଇବାକୁ ପଡ଼ିବ I

 

ସାମାଜିକ ଆଙ୍ଗୀକରେ ଦୃତ ପରିବର୍ତ୍ତନ ପ୍ରବାହମାନ I ବାର୍ଦ୍ଧକ୍ୟ ଜୀବନଚ଼ର୍ଯ୍ୟାଜନିତ ସମସ୍ୟା ସମାଧାନଲାଗି ବ୍ୟକ୍ତିଗତ ଓ ପାରିବାରିକସ୍ତରରେ ଯେଉଁ ସୁବିଧାସୁଯୋଗ ଉପଲବ୍ଧ ଥିଲା ତାହା ବ୍ୟାବସାୟିକ ଓ ସାମାଜିକ ସେବାରେ ରୂପାନ୍ତରିତ ହେବାରେ ଲାଗିଛି I ପ୍ରଯୁକ୍ତି ବିଜ୍ଞାନ ଉଦ୍ଭାବନମାନ ଉପଯୋଗରେ ଅସାଧ୍ୟ ପରିଚ଼ାଳନଗତ ସମସ୍ୟାଗୁଡ଼ିକୁ ସହଜରେ ଷ୍ଟାର୍ଟଅପ ବ୍ୟବସାୟ ଜରିଆରେ ସମାଧାନ କରାଯାଇପାରୁଛି I

 

ଏହି ପରିବେଶରେ ବରିଷ୍ଠ ନାଗରିକଙ୍କ କଲ୍ୟାଣ ନିମନ୍ତେ ପର୍ଯ୍ୟାପ୍ତ ସରକାରୀ ନିବେଶ ସଂଭବପର ନହୋଇପାରିଲେ ଅନ୍ତତଃପକ୍ଷେ ସରକାରଙ୍କ ପକ୍ଷରୁ ଅନୁକୂଳ ନୀତିନିୟମ ପ୍ରଣୟନ ବହୁ ପରିବର୍ତ୍ତନର ସୂତ୍ରଧର ହୋଇପାରିବ I ଉଦାହରଣରେ ବରିଷ୍ଠ ନାଗରିକଙ୍କ ପାଇଁ ଅବସର ବିହାର ‘ରିଟାୟରମେଣ୍ଚ କଲୋନୀ’ନିର୍ମାଣରେ ଶତପ୍ରତିଶତ ବୈଦେଶିକ ପୁଞ୍ଜିଲଗାଣକୁ ସ୍ୱୀକୃତି ଦିଆଯାଇଛି I ସେହିପରି ବରିଷ୍ଠନାଗରିକ କଲ୍ୟାଣ ନିମନ୍ତେ ଉଦ୍ଦିଷ୍ଟ ପ୍ରକଳ୍ପଗୁଡ଼ିକୁ ସରକାରୀ ରିହାତିଠାରୁ ଆରମ୍ଭ କରି ବରିଷ୍ଠ ନାଗରିକଙ୍କ ଆୟର ଅନ୍ୟତମ ସୂତ୍ର ବ୍ୟାଙ୍କରେ ସ୍ଥାୟୀ ଜମାକୁ ଆୟକର ମୁକ୍ତ କରିବାଯାଏଁ ସଂକଳ୍ପମାନ ରାଜନୀତକ ଦଳଗୁଡ଼ିକର ନିର୍ବାଚ଼ନ ଇସ୍ତାହାର ପୃଷ୍ଠାରେ ସାମିଲ ହୋଇପାରିଲେ ଭବିଷ୍ୟତ ଉଦ୍ୟମର ଦ୍ୱାର ଉନ୍ମୁକ୍ତ ରହିବ I



ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଡ଼ିସେମ୍ୱର ୨୦୧୯


 

ତଥ୍ୟ:


Articulation of Demands of Older Persons During General Elections : Points to Ponder. Help Age India Research & Development Journal. Vol. II, No 2. May 2009

 

Sapergia, Sophie, GretsiIsac, Shanti Johnson &SeemaPuri.‘Service Provision and Advocacy for Older People in India’.Help Age India Research & Development Journal. Vol. II, No 3. October 2005 P. 13 – 21.

ବିକଳ୍ପ ବାର୍ଦ୍ଧକ୍ୟ ଜୀବନଚ଼ର୍ଯ୍ୟା

ଉତ୍ତର-ବାର୍ଦ୍ଧକ୍ୟରେ ଜୀବନଚ଼ର୍ଯ୍ୟା ନିମନ୍ତେ ପ୍ରାୟ ଦଶ ପ୍ରତିଶତ ବରିଷ୍ଠ ନାଗରିକ ଦୀର୍ଘକାଳ ଓ ଅନେକ ସ୍ୱଳ୍ପ ସମୟ ପାଇଁ ଅପରର ସହାୟତା ଆବଶ୍ୟକ କରିଥାନ୍ତି । ପାରମ୍ପରିକଭାବେ ଏତାଦୃଶ ନିର୍ଭରଶୀଳ ଜୀବନଯାତ୍ରାପାରିବାରିକ ସହଯୋଗରେ ସମାହିତ ହୋଇଆସିଛି । ଶିଶୁ, ବୃଦ୍ଧ ଓ ଅର୍କମଣ୍ୟମାନଙ୍କ ଯତ୍ନ ପରିବାରରର ସୁସ୍ଥ ସଦସ୍ୟମାନେ ଗ୍ରହଣ କରିଥାନ୍ତି ।


 

ତେବେ ଶିଳ୍ପ ସଭ୍ୟତା ପ୍ରସାର ପରବର୍ତ୍ତୀ ଅବସ୍ଥାରେ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ସୃଷ୍ଟ ଏକକ ପାରିବାରିକ ଆଙ୍ଗୀକ ‘ନ୍ୟୂକ୍ଳିୟର ଫେମିଲି ସେଟ-ଅପ’ରେ ଛୋଟ ପରିବାର ଏବଂ ପରିବାରର ସମସ୍ତ ସଦସ୍ୟ କର୍ମନିଯୁକ୍ତିରେ ଅଧିକାଂଶ ସମୟ ଘର ବାହାରେ ବିତାଉଥିବା ହେତୁ ମୁଖ୍ୟତଃ ସେବାପ୍ରଦାନକାରୀ ଅଭାବ କାରଣରୁ ପାରିବାରିକ ଯତ୍ନ ସଂଭବପର ହୋଇପାରିଲା ନାହିଁ । ଶିଳ୍ପସଭ୍ୟତା ପ୍ରସାରର ଦୀର୍ଘ ଇତିହାସ ସତ୍ତ୍ୱେ ମୁଖ୍ୟତଃ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ଅବସ୍ଥାରେ ଚ଼ିକିତ୍ସା ବିଜ୍ଞାନରେ ଉନ୍ନତି ହେତୁ ବର୍ଦ୍ଧିତ ଜୀବଦ୍ଦଶା ବରିଷ୍ଠ ନାଗରିକଙ୍କ ସଂଖ୍ୟା ବୃଦ୍ଧିରେ ପର୍ଯ୍ୟବସିତ ହେବା ତଥା ବିକାଶୋନ୍ମଖୀ ରାଷ୍ଟ୍ରଗୁଡ଼ିକରେ ସହରୀ ସଂସ୍କୃତିର ପ୍ରସାର ଉତ୍ତର-ବାର୍ଦ୍ଧକ୍ୟ ଜୀବନଚ଼ର୍ଯ୍ୟାରେ ସହାୟତା ଯୋଗାଇଦେବା ନିମନ୍ତେ ବିକଳ୍ପ ଧାରାମାନ ପ୍ରଚଳନ ହେବାରେ ଲାଗିଲା ।


 

ବିଂଶ ଶତାଦ୍ଦୀର ସପ୍ତମ ଦଶକରୁ ଅବସର ବିହାର ‘ରିଟାୟରମେଣ୍ଟ କଲୋନୀ’ ମଡ଼େଲ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଲୋକପ୍ରିୟତା ହାସଲ କରିଥିଲା । ତେବେ ଅବସର ବିହାରରେ କିଛି ପୀଢ଼ି ଶେଷ ଜୀବନ ଅତିବାହିତ କରିବାପରେ ଏକବିଂଶ ଶତାଦ୍ଦୀ ଦ୍ୱିତୀୟ ଦଶକ ମଧ୍ୟଭାଗରୁ ଏଭଳି ବ୍ୟବସ୍ଥାପ୍ରତି ଉପଭୋକ୍ତାମାନେ ବିମୁଖ ହେବାରେ ଲାଗିଲେ । ମୁଖ୍ୟତଃ ସେବାପ୍ରଦାନରେ ତୃଟିବିଚ୍ୟୁତି, ଶୃଙ୍ଖଳିତ ଜୀବନଶୈଳୀ ନିମନ୍ତେ ବାଧ୍ୟବାଧକତା, ପରିଚ଼ାଳକମାନଙ୍କ ଅତ୍ୟାଧିକ ବ୍ୟାବସାୟିକ ମନୋବୃତ୍ତି ତଥା କେବଳ ବୃଦ୍ଧଜନଙ୍କ ମେଳରେ ଜୀବନଯାପନ ଅନେକଙ୍କୁ ସୁଖପ୍ରଦ ମନେ ହେଲାନାହିଁ ।


 

ଏକବିଂଶ ଶତାଦ୍ଦୀ ଦ୍ୱିତୀୟ ଦଶକର ଶେଷବେଳକୁ କୃତ୍ରିମ ବୁଦ୍ଧିମତ୍ତାର ବିକାଶରେ ଖାଦ୍ୟ ଓ ପରିବହନ ଯୋଗାଣଠାରୁ ଆରମ୍ଭ କରି ସ୍ୱୟଂଚ଼ାଳିତ ମଟରଯାନ ଓ ରିମୋଟ ସର୍ଜରୀ ଯାଏଁ ଯାବତୀୟ ସେବାନିମନ୍ତେ ଉର୍ବର ଭିତ୍ତିଭୂମି ସୃଷ୍ଟି ହୋଇଥିବା ଅବସରରେ ବାର୍ଦ୍ଧକ୍ୟଜନିତ ଯତ୍ନ ଯନ୍ତ୍ର ଓ ମାନବସମ୍ୱଳ ବିନିଯୋଗରେ ସଂଭବପର ହୋଇପାରିବବୋଲି ଆଶା କରାଯାଉଛି । ଏତାଦୃଶ ବୈଷୟିକ ଉଦ୍ଭାବନମାନ ବ୍ୟବହାର ଅତ୍ୟନ୍ତ କ୍ଷୀପ୍ରଗତିରେ ଆନ୍ତର୍ଜାତିକସ୍ତରରେ ପ୍ରସାରଲାଭ କରୁଥିବା ତଥା ଉପଯୋଗରେ ଆଞ୍ଚଳିକ ଆବଶ୍ୟକତାମାନ ସଂଯୋଗ କରିବା ସୁବିଧାସୁଯୋଗ ହେତୁ କମ ବିକଶିତ ଅଞ୍ଚଳଗୁଡ଼ିକରେ ମଧ୍ୟ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହୃତ ହୋଇପାରିବ ।


 

ପରିବର୍ତ୍ତିତ ପରିବେଶରେ ବରିଷ୍ଠ ନାଗରିକମାନେ ସାଧ୍ୟମତେ ନିଜ ବାସଗୃହରେ, ନିଜ ବସତିରେ, ନିଜ ପରିଚ଼ିତ ସମାଜରେ ବାର୍ଦ୍ଧକ୍ୟଜୀବନ ଅତିବାହିତ କରିବା ନିମନ୍ତେ ଆଗ୍ରହ ପ୍ରକାଶ କରୁଛନ୍ତି । ସେମାନଙ୍କ ଜୀବନଚ଼ର୍ଯ୍ୟା ପାଇଁ ଆବଶ୍ୟକୀୟ ସହାୟତା ଯୋଗାଇଦେବା ନିମନ୍ତେ ବ୍ୟବସାୟିକସ୍ତରରେ ଉଦ୍ୟମ ‘ଷ୍ଟାର୍ଟଆପ’ ସୃଷ୍ଟି ଆଶା କରାଯାଉଛି । ଗୁରୁତର ସ୍ୱାସ୍ଥ୍ୟ ଅବନତି ପର୍ଯ୍ୟାୟରେ ସେମାନେ ନିଜ ସହରାଞ୍ଚଳରେ ଅବସ୍ଥାପିତ ନର୍ସିଂହୋମକୁ ସ୍ଥାନାନ୍ତରିତ ହେବା ନିମନ୍ତେ ଯୋଜନା ରଖୁଛନ୍ତି । ଏହିଭଳି ମଡ଼େଲ କ୍ରମଶଃ ଲୋକପ୍ରିୟତା ହାସଲ କରୁଥିବା ଲକ୍ଷ୍ୟ କରାଯାଉଛି ।


 

ବାର୍ଦ୍ଧକ୍ୟ ଜୀବନ ଯାପନରେ ବିକଳ୍ପ ଧାରା ଅନୁସନ୍ଧାନ ନିମନ୍ତେ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଭିନ୍ନ ଭିନ୍ନ ବିକଳ୍ପ ମଡ଼େଲକୁ ନେଇ ପରୀକ୍ଷାନିରୀକ୍ଷା ଚ଼ାଲିଛି ।‘ସାଉଥ ଚ଼ାଇନା ମର୍ଣ୍ଣିଂ ପୋଷ୍ଟ’ରେ ପ୍ରକାଶିତ ଏକ ବିବରଣୀ ଅନୁଯାୟୀ ଚ଼ୀନର ହାଙ୍ଗଜୁହୁ ସହରରେ ତେର ଜଣ ବରିଷ୍ଠ ନାଗରିକ ସମ୍ମିଳିତଭାବେ ଏକ ତିନି ତାଲା କୋଠାରେ ଏକତ୍ର ବସବାସ କରୁଛନ୍ତି । ଅନ୍ତେବାସୀଙ୍କ ମଧ୍ୟରେ ଛଅଗୋଟି ଦମ୍ପତ୍ତି ଓ ଜଣେ ବିଧବା ଅନ୍ତର୍ଭୁକ୍ତ । ସମସ୍ତଙ୍କ ବୟସ ୬୦ ରୁ ୮୦ ବର୍ଷ ମଧ୍ୟରେ । କୋଠାଟିରେ ଆଠଗୋଟି କଠୋରୀ ସହ ଛୋଟିଏ କୃଷିକ୍ଷେତ୍ର, ମତ୍ସ୍ୟ ପୋଖରୀ ଓ କିଛି ଗୃହପାଳିତ ପଶୁ ସଂଲଗ୍ନ ।


 

କୋଠାଟିର ମାଲିକ ଦମ୍ପତ୍ତି ୨୦୧୭ ମେ’ ମାସରେ ସ୍ଥାନୀୟ ‘ସିଟି ଏକ୍ସପ୍ରେସ’ ସମ୍ୱାଦପତ୍ରରେ ବିଜ୍ଞାପନଟିଏ ପ୍ରକାଶକରି ଅନ୍ୟ ଅନ୍ତେବାସୀଙ୍କୁ ଏକତ୍ରୀତ କରାଇଥିଲେ । ବିଜ୍ଞାପନରେ ଲେଖିଥିଲେ ଯେ ବାର୍ଦ୍ଧକ୍ୟରେ ଅନେକ ଦମ୍ପତ୍ତି ଏକୁଟିଆ ଜୀବନ ଯାପନ କରୁଛନ୍ତି ।ସେମାନଙ୍କ ସନ୍ତାନସନ୍ତତି ବର୍ଷକେ ଥରେ ଅଧେ ଘରକୁ ଆସୁଛନ୍ତି । ଏକାକୀତ୍ୱକୁ ଦୂରେଇ କୋଠ ଜୀବନଯାପନ ପାଇଁ ଆଗ୍ରହୀ ଦମ୍ପତ୍ତିମାନଙ୍କ ନିମନ୍ତେ ଏକ ବିକଳ୍ପ ସୁଯୋଗ ସୃଷ୍ଟି ନିମନ୍ତେ ତାଙ୍କରି ଉଦ୍ୟମ ।


 

ବିଜ୍ଞାପନ ପଢ଼ି କୋଡ଼ିଏ ଗୋଟି ଦମ୍ପତ୍ତି ସାମୟିକଭାବେ ଏକାଠି ବସବାସ କରିବା ନିମନ୍ତେ ଆବେଦନ କଲେ । ସେମାନଙ୍କ ମଧ୍ୟରୁ ଏଗାର ଜଣଙ୍କୁ କୋଠାର ମାଲିକ ଦମ୍ପତ୍ତି ନିର୍ବାଚ଼ିତ କଲେ । ଦମ୍ପତ୍ତିଙ୍କପିଚ୍ଛା ବସବାସ ଓ ଖାଦ୍ୟପେୟ ଇତ୍ୟାଦି ବାବଦରେ ମାସିକ ତେର ହଜାର ଟଙ୍କା ଖର୍ଚ୍ଚ ହିସାବ କରାଗଲା ।ସେହି ଅର୍ଥରେ ରାନ୍ଧୁଣିଆ, ସଫେଇ କର୍ମଚ଼ାରୀ ଓ ମାଳି ଇତ୍ୟାଦିଙ୍କୁ ଦରମା ଦିଆଯିବା ବ୍ୟବସ୍ଥା ହେଲା । ଅନ୍ତେବାସୀମାନେ ନିୟମିତ ଭଡ଼ା ଦେବା ତଥା ଦୈନନ୍ଦିନ ଜୀବନଚ଼ର୍ଯ୍ୟା ନିମନ୍ତେ ସର୍ବସମ୍ମତ୍ତିରେ ପ୍ରସ୍ତୁତ ନୀତିନିୟମ ମାନିବା ନିମନ୍ତେ ଚୁକ୍ତିପତ୍ରମାନ ସ୍ୱାକ୍ଷର କଲେ ।


 

ହାଙ୍ଗଜୁହୁ ଭିଲାର ଅନ୍ତେବାସୀମାନେ ପୂର୍ବ ନିର୍ଦ୍ଧାରିତ ସୂଚ଼ୀ ଅନୁଯାୟୀ ଘରକାମରେ ଭାଗ ନେଇଥାନ୍ତି । ଘରକରଣା ଜିନିଷପତ୍ର କିଣିବା ନିମନ୍ତେ ବଜାର ଯିବା, ସକାଳୁ ଜଳଖିଆ ତିଆରି, ରନ୍ଧାକାମ ଓ ବଗିଚ଼ାକାମରେ ନିଯୁକ୍ତ କର୍ମଚ଼ାରୀଙ୍କ ତଦାରଖ ଓ ସହଯୋଗରେ ସମସ୍ତେ ପାଳିକରି ସାମିଲ ହୋଇଥାନ୍ତି । ଅବସର ସମୟ କଥୋପକଥନ, ତାସ ଖେଳ, ଟେଲିଭିଜନ ଦେଖାରେ ଅତିବାହିତ ହୋଇଥାଏ ।


 

ଗବେଷଣାରୁ ଜଣାଯାଏ ଯେ ବିଶ୍ୱର ପ୍ରାୟ ପାଞ୍ଚକୋଟି ଲୋକ ମତିଭ୍ରମ ‘ଡ଼େମେନସିଆ’ ରୋଗାକ୍ରାନ୍ତ । ଏମାନଙ୍କ ମଧ୍ୟରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ଅଧିକ । ଡ଼େମେନସିଆ ରୋଗୀମାନେ ସାଧାରଣ ଜୀବନଯାପନ କରିବା ସମସ୍ୟାବହୁଳ ହୋଇପଡ଼େ । ସେମାନଙ୍କ ଚ଼ିକିତ୍ସା ତଥା ସୁରକ୍ଷିତ ଜୀବନଯାପନ ନିମନ୍ତେ ସୁଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟରେ ନେଦରଲ୍ୟାଣ୍ଡର ହୋଗେୱିକଠାରେ ଏକ ସ୍ୱତନ୍ତ୍ର ବସତି ସ୍ଥାପନ କରାଯାଇଛି ।


 

ଏହା ଏକ ଛୋଟିଆ ଗ୍ରାମଭଳି ପ୍ରତୀୟମାନ ହେଉଥିଲେ ହେଁ ପ୍ରକୃତରେ ଏକ ଚ଼ିକିତ୍ସାଳୟ । ଏଠାରେ ନିର୍ମିତ ୨୩ ଗୋଟି ଗୃହରେ ୧୫୨ ଜଣ ଡ଼େମେନସିଆ ରୋଗୀ ବସବାସ କରନ୍ତି । ପ୍ରତ୍ୟେକ ଗୃହରେ ଛଅରୁ ସାତ ଜଣ ରୋଗୀଙ୍କ ସହ ଜଣେ ତତ୍ତ୍ୱାବଧାକ ଅବସ୍ଥାପିତ ହୋଇଥାନ୍ତି । ସେ ରୋଗୀଙ୍କ ଔଷଧସେବନଠାରୁ ଆରମ୍ଭ କରି ବାହାରେ ଚ଼ଲାବୁଲା ଯାଏଁ ଯାବତୀୟ ଦୈନନ୍ଦିନ ଜୀବନରେ ସହାୟତା ପ୍ରଦାନ କରିଥାନ୍ତି ।


 

ହୋଗେୱିକ ଡ଼େମେନସିଆ ବସତିରେ ରୋଗୀମାନଙ୍କୁ ସାଧାରଣ ନାଗରିକଭାବେ ସମସ୍ତରକମର ସୁବିଧା ସୁଯୋଗ ଯୋଗାଇ ଦିଆଯାଇଥାଏ । ଅନ୍ତେବାସାମାନେ ବସତିରେ ମୁକ୍ତ ବିଚ଼ରଣ, କଫେ କିମ୍ୱା ବାରରେ ସମୟ କାଟିବାରେ ବାରଣ ନାହିଁ ।‘ବିଜନେସ ଇନସାଇଡ଼ର’ରେ ପ୍ରକାଶିତ ଏକ ବିବରଣୀ ଅନୁଯାୟୀ ନିଃସଙ୍ଗତା ଡ଼େମେନସିଆ ରୋଗୀଙ୍କ ପାଇଁ ଯନ୍ତ୍ରଣାଦାୟକ, ତେଣୁ ସାଧ୍ୟମତେ ସେମାନଙ୍କୁ ଗୋଷ୍ଠୀଗତ ଜୀବନଯାପନରେ ସାମିଲ କରିବା ନିମନ୍ତେ ହେଗେୱିକଠାରେ ଉଦ୍ୟମ କରାଯାଇଥାଏ ।


 

ବିକଳ୍ପ ବାର୍ଦ୍ଧକ୍ୟ ଜୀବନଚ଼ର୍ଯ୍ୟା ଅଧ୍ୟୟନ ନିମନ୍ତେ କେତେକ ଖ୍ୟାତନାମା ବିଶ୍ୱବିଦ୍ୟାଳୟ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି ।ଆଷ୍ଟ୍ରେଲିଆର ‘ୟୁନିଭରସିଟି ଅଫ ଲୋନଗଙ୍ଗ’ଆନୁକୂଲ୍ୟରେ ୭୦୦ ହେକ୍ଟର ପରିମିତ ଅଞ୍ଚଳରେ ୨୦୦ ସ୍ୱାଧୀନ ବାସଗୃହରେ ଏକ ବରିଷ୍ଠ ନାଗରିକ ବସତି ସ୍ଥାପନ କରାଯାଇ ୬୫୦ ଛାତ୍ରଛାତ୍ରୀ ବୟଜ୍ୟୋଷ୍ଠ ସେବା ସଂପର୍କରେ ୨୦୨୨ରୁ ଅଧ୍ୟୟନ ଓ ଗବେଷଣା କରାଯିବା ସୁଯୋଗ ସୃଷ୍ଟି କରାଯିବ ।

 

‘ଦି ଗାର୍ଡିଅନ’ରେ ପ୍ରକାଶିତ ଏକ ବିବରଣୀରେ କୁହାଯାଇଛି ଯେ ଆର୍ଥିକ ଅସ୍ଥିରତା ତଥା ଅନ୍ୟାନ୍ୟ କାରଣରୁ ଆଷ୍ଟ୍ରେଲିଆରେ ବେକାରୀ ବୃଦ୍ଧି ପାଇବାରେ ଲାଗିଥିବା ଅବସରରେ ବୟଜ୍ୟୋଷ୍ଠଙ୍କ ସେବା କେତେକଙ୍କ ଲାଗି କର୍ମନିଯୁକ୍ତିରେ ସହାୟକ ହୋଇପାରିବା ଆଶା କରାଯାଉଛି । ଆଷ୍ଟ୍ରେଲିଆରେ ବିଚ଼ାର୍ଯ୍ୟ ଏହି ଚ଼ିନ୍ତାଧାରା ଅନ୍ୟତ୍ର ମଧ୍ୟ ପ୍ରଯୁଜ୍ୟ । ଭାରତରେ ବିକଳ୍ପ ବାର୍ଦ୍ଧକ୍ୟ ଜୀବନଚ଼ର୍ଯ୍ୟାରେ ସହାୟତା ବ୍ୟାବସାୟିକ ଧାରାରେ ପରିଚ଼ାଳିତ ହୋଇପାରିଲେ ବିଶେଷକରି ସମାଜର ଅବହେଳିତ ବର୍ଗର ଅଳ୍ପଶିକ୍ଷିତ ଯୁବତୀମାନେ କର୍ମନିଯୁକ୍ତି ଲାଗି ପରିବେଶ ସୃଷ୍ଟି ସମ୍ଭବ । 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ଜାନୁୟାରୀ ୨୦୧


ତଥ୍ୟ:


Yan, Alice. The elderly group in China who found happiness by living together.(January 1, 2018)

 

https://www.scmp.com/news/china/society/article/2126135/could-elderly-togetherness-help-defuse-chinas-greying-time-bomb

 

Weller, Chris. Inside the Dutch ‘dementia village’ that offers beer, bingo, and top-notch healthcare. (August 4, 207)

 

https://www.businessinsider.com.au/inside-hogewey-dementia-village-2017-7?r=US&IR=T#/#the-efforts-may-only-yield-benefits-for-a-few-years-but-van-hal-said-the-small-details-can-mean-the-most-even-if-its-just-pouring-a-resident-the-perfect-cup-of-coffee-8

 

New approach to aged care: pseudo suburbs, robotics and purposeful activity. (September 23, 2018)


https://www.theguardian.com/australia-news/2018/sep/24/a-new-approach-to-aged-care-pseudo-suburbs-robotics-and-purposeful-activity 


ବାର୍ଦ୍ଧକ୍ୟ ଅଧ୍ୟୟନ 

ଭାରତରେ ବିଜ୍ଞାନସମ୍ମତ୍ତ ବାର୍ଦ୍ଧକ୍ୟ ଅଧ୍ୟୟନ ପାଶ୍ଚାତ୍ୟ ଭୂଖଣ୍ଡ ତୁଳନାରେ ଅବହେଳିତ । ଆମ ଦେଶରେ ବାର୍ଦ୍ଧକ୍ୟ ଅଧ୍ୟୟନ ବହୁ ବିଳମ୍ୱରେ ଆରମ୍ଭ ହୋଇଥିବା ସ୍ଥଳେ ସମକାଳରେ ମଧ୍ୟ ଆବଶ୍ୟକୀୟ କ୍ଷେତ୍ରଗୁଡ଼ିକରେ ଗୁରୁତ୍ୱ ହାସଲ କରିପାରି ନାହିଁ । ସ୍ୱାଧୀନୋତ୍ତର ଭାରତରେ ବାର୍ଦ୍ଧକ୍ୟ ଚର୍ଚ୍ଚା ଆରମ୍ଭ ହୋଇଥିଲେହେଁ ବିଂଶ ଶତାଦ୍ଦୀର ପଞ୍ଚମ ଦଶକରେ ପତ୍ରପତ୍ରିକାରେ କାଁ ଭାଁ ବାର୍ଦ୍ଧକ୍ୟ ଜୀବନଚର୍ଯ୍ୟା ସଂପର୍କୀତ କେତେକ ରଚନା ପ୍ରକାଶନ ପରେ ଷଷ୍ଠ ଦଶକରୁ ବିଧିବଦ୍ଧ ଗବେଷଣାର ମୂଳଦୁଆ ପଡ଼ିଥିଲା । ‘ଇଣ୍ଡିଆନ ଜେରୋଣ୍ଟୋଲୋଜିକାଲ ଏସୋସିଏସନ’ ୧୯୬୮ରେ ଗଠନ ଏହି କ୍ଷେତ୍ରରେ ପ୍ରାଥମିକ ପଦକ୍ଷେପ ।

 

ମିଳିତ ଜାତିସଂଘ ପକ୍ଷରୁ ୧୯୯୯କୁ ଆନ୍ତର୍ଜାତିକ ବରିଷ୍ଠ ବର୍ଷ ପାଳନ ତଥା ‘ଏସୋସିଏସନ ଅଫ ଜେରେଣ୍ଟୋଲଜି’ ଏବଂ ‘ଜେରିଆଟ୍ରିକ ସୋସାଇଟି ଅଫ ଇଣ୍ଡିଆ’ର ଆବିର୍ଭାବ ବାର୍ଦ୍ଧକ୍ୟ ଅଧ୍ୟୟନକୁ ଦୃଢ଼ୀଭୂତ କରିଥିଲା । ତିରୁପତିସ୍ଥିତ ଶ୍ରୀ ଭେଙ୍କେଟେଶ୍ୱର ବିଶ୍ୱବିଦ୍ୟାଳୟରେ ୧୯୮୩ରେ ଏକ ଅଧ୍ୟୟନ କେନ୍ଦ୍ର ପ୍ରତିଷ୍ଠା ହୋଇଥିଲା । ବାର୍ଦ୍ଧକ୍ୟ ଅଧ୍ୟୟନ ବିଷୟକ ପ୍ରକାଶିତ ପୁସ୍ତକାବଳୀ ମଧ୍ୟରେ ୧୯୯୬ରେ ‘ସେଜ ପବ୍ଳିକେସନ’ କର୍ତ୍ତୃକ ପ୍ରକାଶିତ ‘ଦି ଏଲଡ଼ରଲି ଇନ ଇଣ୍ଡିଆ’ ଅନ୍ୟତମ ।

 

ପୁଣେ ‘ଗୋଖଲେ ଇନଷ୍ଟିଟିଉଟ ଅଫ ପଲଟିକ୍ସ ଏଣ୍ଡ ଇକନୋମିକ୍ସ’ର ଡିପାର୍ଟମେଣ୍ଟ ଅଫ ଡେମୋଗ୍ରାଫି ଏଣ୍ଡ ପପୁଲେସନ ଷ୍ଟଡ଼ିଜର ପ୍ରାକ୍ତନ ପ୍ରଫେସର କୁମୁଦିନୀ ଦଣ୍ଡେକର ‘ଦି ଏଲଡରଲି ଇନ ଇଣ୍ଡିଆ’ର ରଚୟିତା । ସେ ଗୋଖଲେ ଇନଷ୍ଟିଟିଉଟରେ ୧୯୪୯ରୁ ୮୦ ତିନି ଦଶନ୍ଧି ଧରି କର୍ଯ୍ୟରତ ଥିଲେ । ସେଠାରେ ଅବସ୍ଥାପିତ ଅର୍ଥନୀତି ପ୍ରଫେସର ଓଡ଼ିଆ ନୀଳକଣ୍ଠ ରଥଙ୍କୁ ଆମେ ଜାଣୁଦଣ୍ଡେକର ନିଜ ପୁସ୍ତକରେ ୧୯୮୬-୮୭ରେ ଆୟୋଜିତ ୪୨ତମ ନ୍ୟାସନାଲ ସାମ୍ପଲ ସର୍ଭେରେ ଦେଶବ୍ୟାପୀ ୫୦ ହଜାର ପରିବାରସୂତ୍ରରୁ ଗୃହୀତ ତଥ୍ୟାବଳୀ ବିଶ୍ଳେଷଣ କରିଥିଲେ । ଭାରତ ସରକାରଙ୍କ ସାମାଜିକ କଲ୍ୟାଣ ମନ୍ତ୍ରଣାଳୟର ଅନୁରୋଧକ୍ରମେ ଏହି ସର୍ବେକ୍ଷଣରେ ପ୍ରଥମ ଥର ନିମନ୍ତେ ଦେଶର ବାର୍ଦ୍ଧକ୍ୟଗ୍ରସ୍ତଙ୍କ ସଂପର୍କୀତ ତଥ୍ୟ ସର୍ବେକ୍ଷଣ କରାଯାଇଥିଲା । ସେହି ଦୃଷ୍ଟିରୁ ପୁସ୍ତକଟି ଗୁରୁତ୍ୱ ବହନ କରେ ।

 

ଦଣ୍ଡେକରଙ୍କ ଅଧ୍ୟୟନରେ ବିଂଶ ଶତାଦ୍ଦୀର ଦ୍ୱିତୀୟାର୍ଦ୍ଧ ତଥା ସ୍ୱାଧୀନୋତ୍ତର ଭାରତର ପ୍ରଥମ ପାଞ୍ଚ ଦଶକରେ ବାର୍ଦ୍ଧକ୍ୟଗ୍ରସ୍ତଙ୍କ ଜୀବନଚର୍ଯ୍ୟା ସଂପର୍କରେ କେତେକ ଉଲ୍ଲେଖନୀୟ ଉପଲବ୍ଧି ସନ୍ନିବଶିତ । ପ୍ରଥମତଃ, ଭାରତ ସ୍ୱାଧୀନତା ଲାଭ କରିବାବେଳକୁ ୧୯୫୧ ଜନଗଣନା ଅନୁଯାୟୀ ଜନସଂଖ୍ୟାର ମାତ୍ର ଦୁଇ ପ୍ରତିଶତ ବ୍ୟକ୍ତି ୬୫ ବର୍ଷରୁ ଅଧିକ ବଞ୍ଚୁଥିଲେ । ଅର୍ଥାତ ସଂଖ୍ୟା ଦୃଷ୍ଟିରୁ ବାର୍ଦ୍ଧକ୍ୟ ଏକ ସାମାଜିକ ସମସ୍ୟା ବିବେଚ଼ିତ ହେବା ଅବକାଶ ସୃଷ୍ଟି ହୋଇନଥିଲାଦ୍ୱିତୀୟତଃ, ଦଣ୍ଡେକର ଦର୍ଶାଇଛନ୍ତି ଯେ ସାଧାରଣ ବ୍ୟକ୍ତି ବାର୍ଦ୍ଧକ୍ୟକୁ ଜୀବନର ଏକ ସ୍ୱାଭାବିକ ଅବସ୍ଥା ରୂପେ ଗ୍ରହଣ କରିନେଉଥିଲା ଓ ମୃତ୍ୟୁ ପ୍ରତି ଭୟ ନଥିଲା । ଫଳରେ ବାର୍ଦ୍ଧକ୍ୟ ଜୀବନଚର୍ଯ୍ୟା ଜଟିଳତାରୁ ଦୂରେଇ ରହୁଥିଲା ।

 

ତୃତୀୟତଃ, ୧୯୯୧ ସୁଦ୍ଧା ଦେଶର ଜନସଂଖ୍ୟାର ତିନି-ଚ଼ତୁର୍ଥାଂଶ, ୭୪ ପ୍ରତିଶତ ଗ୍ରାମାଞ୍ଚଳରେ ବସବାସ କରୁଥିଲେ । ଦଣ୍ଡେକରଙ୍କ ବର୍ଣ୍ଣନାରେ ଏକପକ୍ଷରେ ସ୍ୱାଧୀନୋତ୍ତର ଭାରତରେ କ୍ରମବିକଶିତ ସହରାଞ୍ଚଳରେ ବାର୍ଦ୍ଧକ୍ୟ ଜୀବନଯାତ୍ରାକୁ ନେଇ ସୃଷ୍ଟ ସମସ୍ୟା ଗ୍ରାମାଞ୍ଚଳରେ ପ୍ରଭାବ ବିସ୍ତାର କରିନଥିଲାସହରାଞ୍ଚଳ ସଭ୍ୟତାରେ ବ୍ୟକ୍ତିବାଦ ‘ଇଣ୍ଡିଭିଜୁଆଲିଜିମ’ ପ୍ରସାର ପରେ ଆତ୍ମନିର୍ଭରଶୀଳତା ‘ସେଲଫ-ରିଲାଏଣ୍ଟ’ ଜୀବନଯାତ୍ରାକୁ ପସନ୍ଦ କଲେ । ଏହା ପ୍ରତ୍ୟେକ ବୟସବର୍ଗକୁ ଅଲଗା କରିଦେଲା । କିନ୍ତୁ ଗ୍ରାମାଞ୍ଚଳରେ ବିଭିନ୍ନ ବୟସବର୍ଗ ମଧ୍ୟରେ ସହାବସ୍ଥାନ ନୀତି ଜାରି ରହିଥିଲା ।

 

ଅପରପକ୍ଷରେ ବିଂଶ ଶତାଦ୍ଦୀର ଶେଷ ଦଶକରେ ବର୍ଦ୍ଧିତ ଜୀବଦ୍ଦଶା ଓ ବୃଦ୍ଧଜନ ସଂଖ୍ୟା ବୃଦ୍ଧିରେ ବାର୍ଦ୍ଧକ୍ୟ ଜୀବନଯାତ୍ରା ବିବିଧ ସମସ୍ୟାର ସମ୍ମୁଖୀନ ହେବା ଅବସରରେ ବାର୍ଦ୍ଧକ୍ୟଗ୍ରସ୍ତଙ୍କ ଅର୍ଥନୀତିକ ସ୍ଥିତି ଏକ ଅସମାହିତ ପ୍ରଶ୍ନ ରୂପେ ମୁଣ୍ଡଟେକିଥିଲା । ଗ୍ରାମାଞ୍ଚଳବାସୀ ବାର୍ଦ୍ଧକ୍ୟ ନିମନ୍ତେ ଅର୍ଥ ସଞ୍ଚୟରେ ଅଭ୍ୟସ୍ତ ନଥିଲେ । ଅଧିକାଂଶଙ୍କ ଉପାର୍ଜନ ଦୈନନ୍ଦିନ ଖର୍ଚ୍ଚ ତୁଲାଇବାରେ ସମର୍ଥ ହେଉନଥିବା ସ୍ଥଳେ ଯାହା କିଛି ସଞ୍ଚିତ ଅର୍ଥ ସନ୍ତାନସନ୍ତତିଙ୍କ ଶିକ୍ଷା ଓ ବିବାହରେ ବିନିଯୋଗ ହେଉଥିଲା । ପରିବର୍ତ୍ତିତ ପରିବେଶରେ ଉତ୍ତର-ବାର୍ଦ୍ଧକ୍ୟରେ ଚ଼ିକିତ୍ସା, ସହାୟତାଯୁକ୍ତ ଜୀବନଯାତ୍ରା ନିମନ୍ତେ ଅର୍ଥାଭାବ ଜଟିଳ ଆକାର ଧାରଣ କରି ବସିଲା

 

ଚତୁର୍ଥତଃ, ମନୁଷ୍ୟ ବାର୍ଦ୍ଧକ୍ୟରେ ସ୍ୱାସ୍ଥ୍ୟ, ଆୟ, ବୃତ୍ତି, ପ୍ରତିଷ୍ଠା, ପ୍ରଭାବ, ପରାକ୍ରମ, ବନ୍ଧୁବାନ୍ଧବ ଓ ଜୀବନସାଥି ହରାଇବା ସ୍ୱାଭାବିକ ଏବଂ ଏହି ବିଭବଗୁଡ଼ିକ ପୁନରାୟ ଲାଭ କରିହୁଏ ନାହିଁ । ଏଭଳି ବିୟୋଗାନ୍ତକ ପରିବେଶରେ ବୃଦ୍ଧଜନ କ୍ଷଣକୋପୀ, ଜିଦଖୋର, ସନ୍ଦେହୀ ଓ ସ୍ୱାର୍ଥପର ପ୍ରତୀୟମାନ ହୋଇଥାନ୍ତି । ଫଳତଃ ପାରିବାରିକ ଓ ସାମାଜିକ ସହବସ୍ଥାନ ପ୍ରଭାବିତ ହୁଏ । ବହୁକ୍ଷେତ୍ରରେ ବୃଦ୍ଧଜନ ଅଲୋଡ଼ା ବିବେଚ଼ିତ ହୋଇଥାନ୍ତି ।

 

ଦଣ୍ଡେକର ନୃତାତ୍ତ୍ୱିକ ତଥ୍ୟ ଉଦ୍ଧାର କରି ଦର୍ଶାଇଛନ୍ତି ଯେ ମାନବ ସଭ୍ୟତାର ପ୍ରାକକାଳରେ ଗୋଷ୍ଠୀବଦ୍ଧ ଜୀବନଯାପନରେ ବାର୍ଦ୍ଧକ୍ୟଗ୍ରସ୍ତ ଅଭିଭାବକମାନଙ୍କୁ ନିଜ ପରିବାର, ମୁଖ୍ୟତଃ ପୁତ୍ର ସନ୍ତାନ ବାର୍ଦ୍ଧକ୍ୟଜନିତ ଯନ୍ତ୍ରଣାମୟ ଜୀବନର ଅନ୍ତଲାଗି ହତ୍ୟା କରୁଥିଲେ । କୃଷିଭିତ୍ତିକ ସଭ୍ୟତାରେ ସ୍ଥାୟୀଭାବେ ବସବାସ କାଳରେ ବୃଦ୍ଧଙ୍କ ପାରିବାରିକ ଓ ସାମାଜିକ ଯତ୍ନ ସଂଭବ ହୋଇଥିଲା । ବାର୍ଦ୍ଧକ୍ୟଗ୍ରସ୍ତଙ୍କ ଦେଖାଶୁଣା କରିବା ଦାୟିତ୍ୱ ପାରିବାରିକସ୍ତରରେ ବର୍ତ୍ତମାନ ସୁଦ୍ଧା ସମାହିତ ହୋଇଚାଲିଛି ।

 

ପଞ୍ଚମତଃ, ସହରୀ ସଭ୍ୟତାର ବିକାଶ ଓ ପରିବର୍ତ୍ତିତ ପାରିବାରିକ ପରିବେଶ ବିଂଶ ଶତାଦ୍ଦୀ ଶେଷ ସୁଦ୍ଧା ବାର୍ଦ୍ଧକ୍ୟ ଯତ୍ନରେ ପ୍ରତିବନ୍ଧକ ଭାବେ ମୁଣ୍ଡ ଟେକିବାରେ ଲାଗିଥିଲା । ମୁଖ୍ୟତଃ, ମହିଳାମାନେ ବିଭିନ୍ନ ବୃତ୍ତିରେ ନିୟୋଜିତ ହେବା ଓ ଦୀର୍ଘ ସମୟ ଘର ବାହାରେ ରହିବା ଫଳରେ ବାର୍ଦ୍ଧକ୍ୟଙ୍କ ଯତ୍ନରେ ଅବହେଳା ଦେଖା ଦେଉଛି । ଦଣ୍ଡେକରଙ୍କ ମତରେ ପାଶ୍ଚାତ୍ୟ ଅର୍ଥନୀତି ଅନୁକରଣରେ ଆଂଶିକ ଉପଯୋଗ ସାମାଜିକ ସମସ୍ୟାର କାରଣ ପାଲଟିବା ସୁନିଶ୍ଚିତ । ଅଣୁ-ପାରିବାରିକ ଆଙ୍ଗିକ, ସ୍ୱାମୀ-ସ୍ତ୍ରୀ ଉଭୟ କର୍ମଜୀବୀ ପାଲଟିବା ଓ ବ୍ୟକ୍ତିବାଦର ପ୍ରସାରରେ ପୂର୍ବଜଙ୍କ ବାର୍ଦ୍ଧକ୍ୟ ଯତ୍ନରେ ପ୍ରତିବନ୍ଧକ । ଏହି ଦିଗରେ ପାଶ୍ଚାତ୍ୟ ସଭ୍ୟତାରେ ବାର୍ଦ୍ଧକ୍ୟଯତ୍ନ ନୀତିକୁ ଆବୋରିନେବାକୁ ହେବ ।

 

‘ଦି ଏଲଡ଼ରଲି ଇନ ଇଣ୍ଡିଆ’ ପୁସ୍ତକ ପ୍ରକାଶନର ୨୭ ବର୍ଷ ପରେ ୨୦୨୩ରେ ସମୀକ୍ଷା ମୁଖ୍ୟତଃ ଭାରତରେ ପାରମ୍ପରିକ ବାର୍ଦ୍ଧକ୍ୟ ଯତ୍ନର ସ୍ୱରୂପ ଚର୍ଚ୍ଚାର ସୁଯୋଗ ସୃଷ୍ଟି କରିଥାଏ । ବିଂଶ ଶତାଦ୍ଦୀର ଅପରାର୍ଦ୍ଧ ପାଞ୍ଚ ଦଶକର ବାର୍ଦ୍ଧକ୍ୟ ଯତ୍ନର ପରିବେଶ ଏକବିଂଶ ଶତାଦ୍ଦୀର ପ୍ରଥମ ଦୁଇ ଦଶକରେ ସୁଦୂର ପ୍ରସାରୀ ପରିବର୍ତ୍ତନର ମୋଡ଼ରେ ଗତି କରିଛି । କୁମୁଦିନୀ ଦଣ୍ଡେକର ଦର୍ଶାଇଥିଲେ ଯେ ବିଶ୍ୱବ୍ୟାପୀ ବୃଦ୍ଧ ଜନସଂଖ୍ୟାରେ ମହିଳାଙ୍କ ସଂଖ୍ୟା ଅଧିକ । ପାରମ୍ପରିକ ଭାବେ ପୁରୁଷଙ୍କ ଜୀବଦ୍ଦଶା ତୁଳନାରେ ମହିଳାଙ୍କ ଜୀବଦ୍ଦଶା ସାମାନ୍ୟ ଅଧିକ ରହିଥାଏ । ବୈଧବ୍ୟ ଅବସରରେ ପୁରୁଷମାନେ ପୁନଃବିବାହ କିମ୍ୱା ସହ-ଜୀବନ ‘ଲିଭ-ଇନ-ରିଲେସନସିପ’ର ସୁଯୋଗ ଗ୍ରହଣ କରୁଥିବା ସ୍ଥଳେ ସାଧାରଣରେ ମହିଳାମାନେ ଏକାନ୍ତ । ଉତ୍ତର-ବାର୍ଦ୍ଧକ୍ୟରେ ଶାରିରୀକ, ମାନସିକସ୍ତରରେ ଅସୁସ୍ଥ ଏକାକୀ ମହିଳାଙ୍କ ସ୍ୱାଧୀନ, ସୁରକ୍ଷିତ ଓ ସମ୍ମାନଜନକ ଜୀବନଯାତ୍ରାର ସୁଯୋଗ ସୃଷ୍ଟି ଦିଗରେ ସାମାଜିକ ଭିତ୍ତିଭୂମି ପ୍ରତିଷ୍ଠା କରୋନା-ଭୂତାଣୁ-ଜନିତ-ମହାମାରୀ-ପର ପରିବେଶରେ ବିଚାର-ବିମର୍ଷ ଗୁରୁତ୍ୱ ବହନ କରେ ।  


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଜାନୁୟାରୀ ୨୦୨୪


ତଥ୍ୟ:

 

Dandekar, Kumudini. The Elderly in India. New Delhi. Sage Publications, 1996