ମୃତ୍ୟୁ ଚିନ୍ତନ

ବାର୍ଦ୍ଧକ୍ୟଜନିତ ମୃତ୍ୟୁ

ସାଧାରଣରେ ପ୍ରଚଳିତ, ମୁଖ୍ୟତଃ ଗଣମାଧ୍ୟମରେ ବହୁଳ ବ୍ୟବହୃତ ବାକ୍ୟାଂଶ ‘ବାର୍ଦ୍ଧକ୍ୟଜନିତ ମୃତ୍ୟୁ’ର ଅର୍ଥ ‘ବାର୍ଦ୍ଧକ୍ୟରେ ରୋଗଜନିତ ମୃତ୍ୟୁ’କୁ ବୁଝାଇଥାଏ । କାରଣ କେବଳ ବାର୍ଦ୍ଧକ୍ୟ ହେତୁ କାହାରି ମୃତ୍ୟୁ ଘଟେ ନାହିଁ । ଜୀବନର ବିଭିନ୍ନ ପର୍ଯ୍ୟାୟତୁଲ୍ୟ ବାର୍ଦ୍ଧକ୍ୟାବସ୍ଥାରେ ରୋଗଗ୍ରସ୍ତ ହୋଇ ମୃତ୍ୟୁ ସଂଭବ । ତେବେ ଶୈଶବାବସ୍ଥା ପାରି କରିସାରିବାପରେ ଯୁବା ବା ପ୍ରାପ୍ତବୟସ୍କ ଅବସ୍ଥା ତୁଳନାରେ ବାର୍ଦ୍ଧକ୍ୟରେ ମୃତ୍ୟୁହାର ଅଧିକ । କୁହାଯାଏ ୬୦ ବର୍ଷରୁ କମ ୯୯ ପ୍ରତିଶତ ଜନସଂଖ୍ୟାଙ୍କ କ୍ଷେତ୍ରରେ ଯେକୌଣସି ସମୟରେ ପରବର୍ତ୍ତୀ ବର୍ଷକ ଯାଏଁ ମୃତ୍ୟୁର ସମ୍ଭାବନା ନଥାଏ । କିନ୍ତୁ ୬୦ ବର୍ଷୋତ୍ତର ଅବସ୍ଥାରେ ଏହି ସଂଖ୍ୟା କମି କମି ବୟସ ବଢ଼ିବା ସଙ୍ଗେ ଶୂନ୍ୟ ସ୍ଥାନରେ ପହଞ୍ଚିଥାଏ ।

 

ମୃତ୍ୟୁର ପରିସଂଖ୍ୟାନ ମୃତ୍ୟୁର କାରଣ ବ୍ୟାଖାନ କରେ । ବାର୍ଦ୍ଧକ୍ୟରେ ରୋଗଗ୍ରସ୍ତ ହୋଇ ମୃତ୍ୟୁ ସଂଖ୍ୟା ଅଧିକ ଥିବା ସ୍ଥଳେ ଦୁର୍ଘଟଣା ଭଳି ଅନ୍ୟାନ୍ୟ କାରଣରୁ ମୃତ୍ୟୁ ସଂଖ୍ୟା ନଗଣ୍ୟ । ଅପରପକ୍ଷେ ଯୁବା କିମ୍ୱା ପ୍ରାପ୍ତବୟସ୍କ ଅବସ୍ଥାରେ ରୋଗାକ୍ରାନ୍ତ ତୁଳନାରେ ଭିନ୍ନ କାରଣରୁ ମୃତ୍ୟୁ ସଂଖ୍ୟା ବେଶ୍ ଉଲ୍ଲେଖନୀୟ ସ୍ତରରେ ପହଞ୍ଚିଥାଏ । ମାର୍କିନ ବିଶେଷଜ୍ଞମାନେ ୨୦ ଗୋଟି ଶ୍ରେଣୀରେ ୧୧୩ ଗୋଟି ମୃତ୍ୟୁର କାରଣ ନିର୍ଦ୍ଧାରଣ କରିଥାନ୍ତି ।

 

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ୨୦୧୮ରେ ପ୍ରକାଶିତ ତଥ୍ୟ ଅନୁଯାୟୀ ୨୦୧୬ରେ ସମଗ୍ର ବିଶ୍ୱରେ ପାଞ୍ଚ କୋଟି ୬୯ ଲକ୍ଷ ବ୍ୟକ୍ତି ମୃତ୍ୟୁବରଣ କରିଥିଲେ । ସେଥିମଧ୍ୟରୁ ୫୪ ପ୍ରତିଶତଙ୍କ ପ୍ରମୁଖ ଦଶଗୋଟି ରୋଗ କାରଣରୁ ମୃତ୍ୟୁ ଘଟିଥିଲା । ତାଲିକାରେ ହୃଦରୋଗ ପ୍ରଥମ ଓ ହୃଦଘାତ ଦ୍ୱିତୀୟସ୍ଥାନ ଅଧିକାର କରେ । ଉକ୍ତ ଦୁଇ କାରଣରୁ ଏକ କୋଟି ୫୨ ଲକ୍ଷ ମୃତ୍ୟୁ ବରଣ କରିଥିଲେ । ଉଲ୍ଲେଖନୀୟ ବିଷୟ ଏହି ଯେ ବିଗତ ୧୦ ରୁ ୧୫ ବର୍ଷ ଧରି ହୃଦରୋଗ ଓ ହୃଦଘାତଜନିତ ମୃତ୍ୟୁ ସଂଖ୍ୟା ଶୀର୍ଷରେ ରହିଆସିଛି ।

 

ତୃତୀୟ ସ୍ଥାନରେ ଦୀର୍ଘସ୍ଥାୟୀ ଶ୍ୱାସରୋଗ ହେତୁ ୩୦ ଲକ୍ଷ ଯାଏଁ ମୃତ୍ୟୁ ହିସାବ କରାଯାଇଥିବା ସ୍ଥଳେ ଚ଼ତୁର୍ଥ ସ୍ଥାନରେ ସଂକ୍ରମିତ ଶ୍ୱାସରୋଗ କାରଣରୁ ମଧ୍ୟ ଅଧିକ ୩୦ ଲକ୍ଷଙ୍କ ମୃତ୍ୟୁ ଘଟିଥିଲା । ଷଷ୍ଠ ସ୍ଥାନରେ ଫୁସଫୁସ କର୍କଟ ରୋଗାକ୍ରାନ୍ତ ହୋଇ ୧୭ ଲକ୍ଷ ମୃତ୍ୟୁ ବରଣ କରିଥିଲେ । ଦଶମ ସ୍ଥାନରେ ଯକ୍ଷ୍ମାରୋଗରେ ସଂକ୍ରମିତ ହୋଇ ୧୩ ଲକ୍ଷ ବ୍ୟକ୍ତିଙ୍କ ଜୀବନହାନୀ ଘଟିଥିଲା ।

 

ହୃଦରୋଗ ଓ ହୃଦଘାତ ପରକୁ ଦୀର୍ଘସ୍ଥାୟୀ ଓ ସଂକ୍ରମିତ ଶ୍ୱାସରୋଗ, ଫୁସଫୁସ କର୍କଟ ତଥା ଯକ୍ଷ୍ମାରୋଗ କାରଣରୁ ମୃତ୍ୟୁ ସଂଖ୍ୟା ଅଧିକ ।

 

ଆଲଜମିର ଓ ମତିଭ୍ରମ ‘ଡେମନସିଆ’ ରୋଗ ବିଶ୍ୱ ମୃତ୍ୟୁ ସଂଖ୍ୟାରେ ୨୦୧୬ରେ ପଞ୍ଚମ ସ୍ଥାନ ଅଧିକାର କରିଥିଲା । ସପ୍ତମ ସ୍ଥାନରେ ମଧୁମେହ ରୋଗରେ ୧୬ ଲକ୍ଷ ଏବଂ ନବମ ସ୍ଥାନରେ ତରଳ ଝାଡ଼ା କାରଣରୁ ୧୪ ଲକ୍ଷ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା । ରାସ୍ତା ଦୁର୍ଘଟଣାରେ ୧୪ ଲକ୍ଷ ମୃତ୍ୟୁ ବରଣ କରିଥିବା ସ୍ଥଳେ ବିଶ୍ୱ ମୃତ୍ୟୁ ତାଲିକାରେ ଏହି ବର୍ଗ ଅଷ୍ଟମ ସ୍ଥାନ ଅଧିକାର କରିଥିଲା ।

 

ବିଭିନ୍ନ ସମୟସୀମାରେ ବିଭିନ୍ନ ରୋଗଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି କିମ୍ୱା ହ୍ରାସ ପାଇଥାଏ । ମଧୁମେହ ରୋଗୀଙ୍କ ମଧ୍ୟରୁ ୨୦୦୦ରେ ଦଶଲକ୍ଷଙ୍କ ମୃତ୍ୟୁ ଘଟିଥିବା ସ୍ଥଳେ ୨୦୧୬ରେ ବାର୍ଷିକ ମୃତ୍ୟୁ ଷୋହଳ ଲକ୍ଷକୁ ବୃଦ୍ଧି ପାଇଥିଲା । ସେହିପରି ଆଲଜିମର ମୃତ୍ୟୁ ୨୦୦୦ରେ ୧୪ଶ ସ୍ଥାନରେ ରହିଥିବା ସ୍ଥଳେ ଛଅବର୍ଷ ପରେ ପଞ୍ଚମ ସ୍ଥାନକୁ ଉନ୍ନୀତ ହୋଇଥିଲା । ତରଳଝାଡ଼ା ହେତୁ ମୃତ୍ୟୁ ସଂଖ୍ୟା ୨୦୦୦ରୁ ପାଞ୍ଚ ବର୍ଷ ଯାଏଁ ଦଶ ଲକ୍ଷକୁ ହ୍ରାସ ପାଇଥିବା ସ୍ଥଳେ ୨୦୧୬ରେ ଚ଼ଉଦ ଲକ୍ଷକୁ ବଢ଼ିଥିଲା ।

 

ବିଭିନ୍ନ ପାରିପାର୍ଶ୍ୱିକ କାରଣରୁ ମୃତ୍ୟୁହାରରେ ତାରତମ୍ୟ ପରିଲକ୍ଷିତ ହୋଇଥାଏ । ସମକାଳରେ ସମଗ୍ର ମୃତ୍ୟୁ ସଂଖ୍ୟାର ୭୧ ପ୍ରତିଶତ ଅଣସଂକ୍ରାମକ ରୋଗ ଅକ୍ତିଆର କରୁଥିବା ସ୍ଥଳେ ଧନୀ ରାଷ୍ଟ୍ରମାନଙ୍କରେ ଏହି ମୃତ୍ୟୁ ହାର ୮୮ ପ୍ରତିଶତ ଏବଂ ଗରିବ ରାଷ୍ଟ୍ରଗୁଡ଼ିକରେ ୩୭ ପ୍ରତିଶତ ହିସାବ କରାଯାଏ । ସମଗ୍ର ମୃତ୍ୟୁ ସଂଖ୍ୟାର ଅର୍ଦ୍ଧେକ ଗରିବ ରାଷ୍ଟ୍ରଗୁଡ଼ିକରେ ସଂକ୍ରାମକ ରୋଗ କାରଣରୁ ଘଟୁଥିବା ସ୍ଥଳେ ଧନୀ ରାଷ୍ଟ୍ରଗୁଡ଼ିକରେ ସଂକ୍ରାମକ ରୋଗ ହେତୁ ମୃତ୍ୟୁ ସଂଖ୍ୟା ମାତ୍ର ସାତ ପ୍ରତିଶତ । ଧନୀ ଓ ଗରିବ ଉଭୟ ରାଷ୍ଟ୍ରଗୁଡ଼ିକରେ ଶ୍ୱାସରୋଗଜନିତ ମୃତ୍ୟୁ ସଂଖ୍ୟା କ୍ରମାଗତଭାବେ ବଢ଼ିବାରେ ଲାଗିଛି ।

 

ବିଶ୍ୱବ୍ୟାପୀ ରାସ୍ତା ଦୁର୍ଘଟଣାରେ ମୃତ୍ୟୁବରଣ କରୁଥିବା ଆହତଙ୍କ ମଧ୍ୟରେ ୭୪ ପ୍ରତିଶତ ପୁରୁଷ ତଥା ଅଧିକାଂଶ ଯୁବବର୍ଗ ଅନ୍ତର୍ଭୁକ୍ତ । ଆତ୍ମହତ୍ୟା ବିଶ୍ୱମୃତ୍ୟୁ ତାଲିକାରେ ଅନ୍ୟତମ ପ୍ରମୁଖ କାରଣ ରୂପେ ମୁଣ୍ଡ ଟେକିବାରେ ଲାଗିଛି । କୁହାଯାଏ ଯେ ବିଭିନ୍ନ କାରଣରୁ ହତ୍ୟା ସଂଖ୍ୟା ତୁଳନାରେ ଆତ୍ମହତ୍ୟାର ସଂଖ୍ୟା ଦୁଇଗୁଣରେ ପହଞ୍ଚିଛି ।

 

ଆନ୍ତର୍ଜାତିକସ୍ତରରେ ମନୁଷ୍ୟର ଜୀବଦ୍ଦଶା ବୃଦ୍ଧି ପାଇବାରେ ଲାଗିଛି । ଦ୍ୱିତୀୟ ବିଶ୍ୱଯୁଦ୍ଧୋତ୍ତର ଅବସ୍ଥାରେ ୧୯୫୦ ବେଳକୁ ଜୀବଦ୍ଦଶା ୪୬ ବର୍ଷ ଗଣତି କରାଯାଇଥିବା ସ୍ଥଳେ ୨୦୧୫ ବେଳକୁ ୭୧ ବର୍ଷରେ ଏବଂ ୨୦୨୦ରେ ୭୩ ବର୍ଷରେ ପହଞ୍ଚିଛି ।

 

ବାର୍ଦ୍ଧକ୍ୟଜନିତ ମୃତ୍ୟୁ ସଂପର୍କରେ ଆଲୋଚନାରେ ମନୁଷ୍ୟ ରୋଗଗ୍ରସ୍ତ ହୋଇ ମୃତ୍ୟୁବରଣ କରୁଥିବା ଯୁକ୍ତି ପ୍ରତିପାଦନ ପରେ ବୟସ ଓ ରୋଗର ସଂପର୍କ ବିଚାର ପରିସରକୁ ଆସେ । ମନୁଷ୍ୟର ଜୀବନଧାରଣରେ ଜୀବକୋଷଗୁଡ଼ିକ ମୁଖ୍ୟ ଭୂମିକା ନିର୍ବାହ କରିଥାନ୍ତି । ଏଗୁଡ଼ିକର ସୀମିତ ଜୀବଦ୍ଦଶା ସତ୍ତ୍ୱେ ଜୀବକୋଷ ନଷ୍ଟ ହୋଇ ଜୀବନହାନୀ ଘଟିନଥାଏ । ଜୀବକୋଷଗୁଡ଼ିକ ବାର୍ଦ୍ଧକ୍ୟ ଅବସ୍ଥାରେ ଶୀଥିଳ ହୋଇପଡ଼ନ୍ତି ଏବଂ ସେମାନଙ୍କ ରୋଗ ପ୍ରତିଷେଧକ ଶକ୍ତି କମି ଆସେ । ଫଳରେ ଯୁବାବସ୍ଥା ତୁଳନାରେ ବାର୍ଦ୍ଧକ୍ୟରେ ରୋଗାକ୍ରାନ୍ତ ହେଲେ ତାହାର ସଫଳ ମୁକାବିଲା ନହୋଇପାରିବା କାରଣରୁ ମୃତ୍ୟୁ ଘଟିଥାଏ । କର୍କଟ ଭଳି କେତେକ ରୋଗରେ ବାର୍ଦ୍ଧକ୍ୟ-ପୂର୍ବ ଅବସ୍ଥା ତୁଳନାରେ ବାର୍ଦ୍ଧକ୍ୟରେ ଅଧିକ ସଂଖ୍ୟକ ଆକ୍ରାନ୍ତ ହୋଇଥାନ୍ତି ।

 

ବାର୍ଦ୍ଧକ୍ୟ ସହ ରୋଗକୁ ଯୋଡ଼ିବାର ଏକ ମୁଖ୍ୟ କାରଣ ହେଲା ବାର୍ଦ୍ଧକ୍ୟପୂର୍ବାବସ୍ଥାର ଦୀର୍ଘସ୍ଥାୟୀ ରୋଗ ବାର୍ଦ୍ଧକ୍ୟକୁ ସଂପ୍ରସାରିତ ହୋଇଥାଏ । ଏହି ତାଲିକାରେ ଅଣସଂକ୍ରାମକ ରୋଗଗୁଡ଼ିକର ସଂଖ୍ୟା ଲମ୍ୱା । ସଂକ୍ରାମକ ରୋଗ ବୟସ ନିର୍ବିଶେଷରେ ସଭିଁଙ୍କୁ ଆକ୍ରାନ୍ତ କରିଥାଏ ।

 

ପାରମ୍ପରିକ ଭାବେ ମାନବ ସଭ୍ୟତାରେ ମୃତ୍ୟୁ ଏକ ଅନାଲୋଚ଼ିତ କିମ୍ୱା ଅଳ୍ପ ଆଲୋଚ଼ିତ ବିଷୟବସ୍ତୁ । ମୃତ୍ୟୁ ସଂପର୍କୀତ ବିଚାରରେ ପରିସଂଖ୍ୟାନ ପ୍ରାଥମିକତା ଦାବୀ କରେ । ମନୁଷ୍ୟ କେଉଁକାରଣରୁ ମୃତ୍ୟୁ ମୁଖରେ ପଡୁଛି ସେହି ସଂପର୍କୀତ ସଠିକ ତଥ୍ୟାବଳୀ ସାମଗ୍ରିକଭାବେ ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ପ୍ରଯୋଜନାଲାଗି ଅପରିହାର୍ଯ୍ୟ ଥିବା ସ୍ଥଳେ ବ୍ୟକ୍ତିଗତସ୍ତରରେ ମଧ୍ୟ ଜୀବନର ଆଭିମୁଖ୍ୟ ଗଢ଼ି ତୋଳିବାରେ ସହାୟକ ହୋଇଥାଏ ।

 

ମନୁଷ୍ୟ ରୋଗାକ୍ରାନ୍ତ ହୋଇ ବାର୍ଦ୍ଧକ୍ୟରେ ମୃତ୍ୟୁ ବରଣ କରୁଥିବା ହେତୁ ରୋଗ ପ୍ରତିଷେଧ ଓ ଚ଼ିକିତ୍ସା ବ୍ୟବସ୍ଥା ବୃତ୍ତିଧାରୀ ବିଶେଷଜ୍ଞଙ୍କ କାର୍ଯ୍ୟ ପରିସର ହେଲେ ହେଁ ଏହିଭଳି ସୁବିଧା ସୁଯୋଗ ଗ୍ରହଣଲାଗି ବ୍ୟକ୍ତିଗତସ୍ତରରେ ପ୍ରସ୍ତୁତି ଚ଼ିକିତ୍ସା ବ୍ୟବସ୍ଥା ସଠିକ ରୂପାୟନରେ ସହାୟକ ହୋଇଥାଏ । ଅଣ ସଂକ୍ରାମକ ରୋଗଗୁଡ଼ିକ ମଧ୍ୟରୁ ଅନେକ ବଂଶଗତ ଚ଼ିହ୍ନିତ ହେଉଥିବା ଏବଂ ଖାଦ୍ୟ, ବ୍ୟାୟାମ, ମାନସିକ ସ୍ୱାସ୍ଥ୍ୟ ସଂବଳିତ ଦୈନନ୍ଦିନ ଜୀବନ ଶୈଳୀ ବ୍ୟାପକ ପ୍ରଭାବ ବିସ୍ତାର କରୁଥିବା କାରଣରୁ ରୋଗର ପ୍ରାଦୁର୍ଭାବ ଏଡ଼ାଇବା ଏବଂ ଚ଼ିକିତ୍ସାରେ ସହଯୋଗ କରିବା ବ୍ୟକ୍ତିବିଶେଷଙ୍କ ଆଚ଼ରଣ ଉପରେ ନିର୍ଭରଶୀଳ । ଏତଦ୍ ବ୍ୟତୀତ ଆବଶ୍ୟକସ୍ଥଳେ ଉନ୍ନତ ଚ଼ିକିତ୍ସା ଓ ସହାୟତାଯୁକ୍ତ ଜୀବନଯାତ୍ରା ନିମନ୍ତେ ଅର୍ଥନୀତିକ ପୂର୍ବ-ପ୍ରସ୍ତୁତି ସର୍ବାପେକ୍ଷା ଗୁରୁତ୍ୱବହନ କରିଥାଏ । ଏଦିଗରେ ବ୍ୟକ୍ତିଗତ ଓ ସାମୂହିକସ୍ତରରେ ନୀତିନିର୍ଦ୍ଧାରଣ, ଯୋଜନା ପ୍ରଣୟନ ଓ ସମୀକ୍ଷାର ବିକଳ୍ପ ଖୋଜି ପାଇ ହୁଏନା ।

 

ବାର୍ଦ୍ଧକ୍ୟଜନିତ ମୃତ୍ୟୁକୁ ଆକସ୍ମିକ ପରିବର୍ତ୍ତେ ପୂର୍ବପ୍ରସ୍ତୁତି ସହ ସାମ୍ନା କରାଯାଇପାରେ । ମୃତ୍ୟୁସମୀପ ଚ଼ିକିତ୍ସାର ପରିମାପ ପୂର୍ବନିର୍ଦ୍ଧାରଣ ଲାଗି ଇଚ୍ଛାପତ୍ର ପ୍ରସ୍ତୁତିଠାରୁ ଆରମ୍ଭ କରି ବ୍ୟକ୍ତିଗତ ଓ ସାମୂହିକସ୍ତରରେ ଯତ୍ନ ଓ ଚ଼ିକିତ୍ସାର ଭିତ୍ତିଭୂମି ପ୍ରସ୍ତୁତିରେ ମନୋନିବେଶ ବାର୍ଦ୍ଧକ୍ୟ ପୂର୍ବାବସ୍ଥାରେ କାର୍ଯ୍ୟସୂଚ଼ୀ ରୂପେ ଗ୍ରହଣଯୋଗ୍ୟ । ପ୍ରତ୍ୟେକ ଅଣପାରମ୍ପରିକ ଚ଼ିନ୍ତାଧାରା ସୀମିତ ସଂଖ୍ୟକଙ୍କୁ ଆକର୍ଷିତ କରିବା ପ୍ରଚଳିତ ଧାରା । ମୃତ୍ୟୁଚ଼େତନା ବିଚାର ସେହି ପର୍ଯ୍ୟାୟଭୁକ୍ତ ।

 

ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଅକ୍ଟୋବର ୨୦୨୦

---

 

ତଥ୍ୟ:

 

The top 10 causes of death. World Health Organisation. May 24, 2018

 

https://www.who.int/news-room/fact-sheets/detail/the-top-10-causes-of-death

 

Ritchil, Hannah. What do the people of the world die from ? BBC News. March 06, 2019.

 

https://www.bbc.com/news/health-47371078

 

Redford, Benjamin. Do people really die of old age ? Live Science

 

https://www.livescience.com/32241-do-people-really-die-of-old-age.html

 

Yan, Nathan. How you will die. Flowing Data,

 

https://flowingdata.com/2016/01/19/how-you-will-die

ଉତ୍ତର- ବାର୍ଦ୍ଧକ୍ୟରେ ମୃତ୍ୟୁ ଭାବନା

ମନୁଷ୍ୟ ମାତ୍ରେ ମୃତ୍ୟୁ ସଚ଼େତନ । ମନୁଷ୍ୟ ମସ୍ତିସ୍କର କାର୍ଯ୍ୟଶୈଳୀ ଜନ୍ମ, ଜୀବନ ଓ ମୃତ୍ୟୁ ସଂପର୍କରେ ଚ଼ିନ୍ତାକୁ ପ୍ରଶ୍ରୟ ଦେଇଥାଏ । ମନୁଷ୍ୟ ମୃତ୍ୟୁ ସଂପର୍କରେ ବିଚାର କରିବା ଜୀବନଯାତ୍ରାରେ ଏକ ସ୍ୱାଭାବିକ ପ୍ରକ୍ରିୟା । ତେବେ ସାଧାରଣ ଜନଜୀବନରେ ମୃତ୍ୟୁଭାବନା ଅନେକ ସମୟରେ ଭୟର ଚାଦରରେ ଘୋଡ଼ାଇ ହୋଇଥାଏ । ମୃତ୍ୟୁ ଉଦବିଗ୍ନତା ‘ଡ଼େଥ ଏଙ୍ଗଜାଇଟି’ ଅନେକ ବ୍ୟକ୍ତିଙ୍କ କ୍ଷେତ୍ରରେ ବିଭିନ୍ନ ରୂପରେ ଜୀବନବ୍ୟାପୀ ପରିବ୍ୟାପ୍ତ ହେଉଥିବା ଦେଖିବାକୁ ମିଳେ ।

 

ଇରଭିନ ୟାଲମ ଯୁକ୍ତରାଷ୍ଟ୍ର ଆମେରିକା ଷ୍ଟାଣ୍ଡଫୋର୍ଡ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ମନସ୍ତତ୍ତ୍ୱ ଅଧ୍ୟାପକ । ସେ ମନସ୍ତତ୍ତ୍ୱ ବିଷୟରେ ପାଠ୍ୟପୁସ୍ତକ ସାଙ୍ଗକୁ ମନସ୍ତତ୍ତ୍ୱ ଆଧାରିତ ଗଳ୍ପ, ଉପନ୍ୟାସ ମଧ୍ୟ ଲେଖିଛନ୍ତି । ତାଙ୍କରି ନନ-ଫିକସନ ପ୍ରକାଶନ ‘ଷ୍ଟେରିଂ ଏଟ ଦି ସନ : ଓଭରକମିଂ ଦି ଟେରର ଅଫ ଡ଼େଥ’ ଆନ୍ତର୍ଜାତିକ ମନସ୍ତତ୍ତ୍ୱ ପରିଧିରେ ବେଶ ଚର୍ଚ୍ଚିତ ।

 

ଇରଭିନ କହନ୍ତି ଯେ ମନୁଷ୍ୟ ଶୈଶବ ଅବସ୍ଥାରେ ଜୀବଜନ୍ତୁଙ୍କ ଶବ ଦେଖି ତଥା ପରିବାର, ପରିଚିତବର୍ଗଙ୍କ ଅନ୍ତୋଷ୍ଟିକ୍ରିୟାରେ ଅଂଶ ଗ୍ରହଣ କରି ମୃତ୍ୟୁ ସଂପର୍କରେ ପରିଚ଼ିତ ହୋଇଥାଏ । ସାଧାରଣତଃ ଅଭିଭାବକମାନେ କନିଷ୍ଠମାନଙ୍କ ସହ ମୃତ୍ୟୁ ସଂପର୍କରେ ଆଲୋଚ଼ନାକୁ ପ୍ରଶୟ ଦିଅନ୍ତି ନାହିଁ । ଫଳରେ ମୂଳରୁ ମୃତ୍ୟୁ ବିଚାର ମନୁଷ୍ୟ ମନରେ ସଂକୁଚ଼ିତ ପରିସୀମାରେ ଆବଦ୍ଧ ରହେ ।

 

ମୃତ ବ୍ୟକ୍ତିଙ୍କ ଅନୁପସ୍ଥିତିରେ ବହୁକ୍ଷେତ୍ରରେ ପିଲାଙ୍କୁ କୁହାଯାଏ ଯେ ସେ ଅନ୍ୟ ପୂର୍ବପୁରୁଷଙ୍କ ସାନ୍ନିଧ୍ୟଲାଗି ସ୍ୱର୍ଗକୁ ଯାତ୍ରା କରିଛନ୍ତି । ଏହି କାଳ୍ପନିକ କୈଫିୟତ ଜୀବନବ୍ୟାପୀ ପ୍ରଭାବ ବିସ୍ତାର କରୁଥିବା ଦେଖିବାକୁ ମିଳେ । ବୟସ୍କ ଅବସ୍ଥାରେ ପୁର୍ନଜନ୍ମ ଭଳି ଆଶ୍ୱାସନା ମୃତ୍ୟୁର ସତ୍ତାକୁ ଗୌଣ କରିବା ନିମନ୍ତେ ଚେଷ୍ଟା କରିଥାଏ ।

 

ଇରଭିନ ମନୁଷ୍ୟର ମୃତ୍ୟୁ ଭୟର କେତେକ ମୁଖ୍ୟ କାରଣ ଚ଼ିହ୍ନଟ କରିଥାନ୍ତି । ମୃତ୍ୟୁ ପୂର୍ବରୁ ଜୀବନର ବହୁକାର୍ଯ୍ୟ ଅଧୁରା ରହିଯିବା ଚ଼ିନ୍ତାରେ ସାଧାରଣବର୍ଗ ବ୍ୟତିବ୍ୟସ୍ତ ହୋଇପଡ଼ନ୍ତି । ସେମାନଙ୍କ ମୃତ୍ୟୁପରେ ପରିବାର, ବ୍ୟବସାୟ ତଥା ଅନ୍ୟାନ୍ୟ ଦାୟିତ୍ୱ କିଏ କିପରି ସଂଭାଳିବ ଭଳି ଆଶାଆଶଙ୍କା ଭୀତି ସଂଚାର କରାଇଥାଏ । ମୃତ୍ୟୁପୂର୍ବ ଜୀବନ, ସମ୍ଭାବ୍ୟ ଯନ୍ତ୍ରଣା ଓ ମୃତ୍ୟୁପର ଅବସ୍ଥାର ଅସ୍ପଷ୍ଟ ଚ଼ିତ୍ର ତଥା ପାପପୁଣ୍ୟର ବିଚାର ଅମୀମାଂସିତ ରହୁଥିବା ହେତୁ ଅଧିକାଂଶ ମୃତ୍ୟୁକୁ ନେଇ ଆଶ୍ୱସ୍ତ ହୋଇପାରନ୍ତି ନାହିଁ ।

 

ମୃତ୍ୟୁଭୟରୁ ନିସ୍ତାର ଲାଗି ମନୁଷ୍ୟ ବିଭିନ୍ନ ପ୍ରତିରୋଧାତ୍ମକ ପଦକ୍ଷେପ ଗ୍ରହଣ କରିଥାଏ । ସେଥି ମଧ୍ୟରେ ସନ୍ତାନ ସନ୍ତତିଙ୍କ ମାଧ୍ୟମରେ ପାରିବାରିକ ଜୀବନଯାତ୍ରା ସଂପ୍ରସାରଣ ବିଶ୍ୱାସ, ବ୍ୟକ୍ତିତ୍ୱ ପରାକାଷ୍ଠାରେ ସାମାଜିକ ଜୀବନରେ ଦୀର୍ଘକାଳୀନ ଉପସ୍ଥିତି ତଥା ନ୍ୟାସ ସଂସ୍ଥାଭଳି ଦାତବ୍ୟ ଅନୁଷ୍ଠାନ ସ୍ଥାପନ କରି ଜନମାନସରେ ଉଜ୍ଜୀବିତ ରହିବା ଉଦ୍ୟମ ଇତ୍ୟାଦି ଅନ୍ତର୍ଭୁକ୍ତ । ମୃତ୍ୟୁପର ଅବସ୍ଥାରେ ଏହି ସବୁ ବିଭବ ମୃତବ୍ୟକ୍ତିଙ୍କ ସ୍ମୃତିକୁ ଉଜ୍ଜୀବିତ ରଖିବ ବୋଲି ବିଶ୍ୱାସ କରାଯାଏ ।

 

ଇରଭିନଙ୍କ ବିଚାରରେ ମୃତ୍ୟୁକୁ ଏଡ଼ାଇଦେବା ସମ୍ଭବ ନଥିବା ସ୍ଥଳେ ମୃତ୍ୟୁର ସମ୍ମୁଖୀନ ହେବା ନିମନ୍ତେ ପୂର୍ବପ୍ରସ୍ତୁତି ମୃତ୍ୟୁସମୀପ ଜୀବନକୁ ସୁଗମ କରାଇଥାଏ । ମୃତ୍ୟୁ ଚ଼େତନା ମନୁଷ୍ୟକୁ ଶାନ୍ତ କରାଏ, ପାରିପାର୍ଶ୍ୱିକ ସମସ୍ୟାକୁ ନେଇ ବିଚଳିତ ହେବାରୁ ଦୂରେଇ ନିଏ ଏବଂ ମୂଲ୍ୟବୋଧଭିତ୍ତିକ ଜୀବନଯାତ୍ରା ପ୍ରଯୋଜନାରେ ସହାୟକ ହୁଏ । ସଚ଼େତନବର୍ଗ ବଞ୍ଚିରହିବାର ଗୁରୁତ୍ୱ ଉପଲବ୍ଧି କରି ପ୍ରତ୍ୟେକ ଦିନକୁ ଜୀବନର ଶେଷଦିନ ବିଚାରରେ ଜୀବନକୁ ଉପଭୋଗ କରିବା ଶିଖିଥାନ୍ତି ।

 

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ଅବସ୍ଥାରୁ ବିକଶିତ ରାଷ୍ଟ୍ରଗୁଡ଼ିକରେ ଜୀବଦ୍ଦଶା ବୃଦ୍ଧିପାଇ ଚାଲିଥିବା ହେତୁ ଉତ୍ତର-ବାର୍ଦ୍ଧକ୍ୟ ଅବସ୍ଥାରେ ଉପନୀତ ଜନସଂଖ୍ୟା ବୃଦ୍ଧି ଘଟିଛି । ଅତି ବୃଦ୍ଧାବସ୍ଥାରେ ମୃତ୍ୟୁ ଅନୁଭୂତି ସ୍ୱାଭାବିକଠାରୁ ଭିନ୍ନ । କାରଣ ଏହି କ୍ଷେତ୍ରରେ ଦୀର୍ଘକାଳ ଧରି ମୃତ୍ୟୁ-ସମୀପ ଜୀବନଯାପନ କରିବାକୁ ପଡ଼ିଥାଏ । ଦୀର୍ଘ ଜୀବନର ସଂପ୍ରସାରିତ ରୋଗ, ଯନ୍ତ୍ରଣା, ଚ଼ିକିତ୍ସା, ଶଯ୍ୟାଶାୟୀ ଓ ସହାୟତାଯୁକ୍ତ ଜୀବନଚ଼ର୍ଯ୍ୟା ପାରିହେଲେ ମୃତ୍ୟୁକୁ ଆଲିଙ୍ଗନ କରିବା ସୁଯୋଗ ମିଳେ ।

 

ଉତ୍ତର-ବାର୍ଦ୍ଧକ୍ୟରେ ପହଞ୍ଚିଲାବେଳକୁ ଅଧିକାଂଶ ବ୍ୟକ୍ତି ଦୃଷ୍ଟି ବା ଶ୍ରବଣ ଶକ୍ତି କେତେମାତ୍ରାରେ ହରାଇବା, ଦୀର୍ଘସ୍ଥାୟୀ ଉଚ୍ଚରକ୍ତଚାପ, ହୃଦ ଓ ଶ୍ୱାସ ରୋଗ, ମଧୁମେହ, ମତିଭ୍ରମ ଇତ୍ୟାଦିରେ ଚିକିତ୍ସାଧିନ ରହିଥାନ୍ତି । ବିକଶିତ ରାଷ୍ଟ୍ର ବ୍ରିଟେନର ଉଦାହରଣରେ ସେଠାକାର ୯୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ୮୫ ପ୍ରତିଶତ ବିକଳାଙ୍ଗ ଏବଂ ସହାୟତାଯୁକ୍ତ ଜୀବନଯାତ୍ରା କରନ୍ତି । କିନ୍ତୁ ୮୫ ରୁ ୮୯ ବର୍ଷ ବୟସ୍କଙ୍କ କ୍ଷେତ୍ରରେ ଏହି ସମସ୍ୟାର ସୀମା ୫୯ ପ୍ରତିଶତକୁ ଖସିଆସେ । ଅର୍ଥାତ ଜୀବନର ନବମ ଦଶକ ତୁଳନାରେ ଦଶମ ଦଶକରେ ବ୍ୟାପକ ସହାୟତାଯୁକ୍ତ ଜୀବନଚ଼ର୍ଯ୍ୟାର ଆବଶ୍ୟକତା ପରିଲକ୍ଷିତ ।

 

ସେଠାକାର ମୋଟ ବାର୍ଷିକ ମୃତ୍ୟୁ ସଂଖ୍ୟାର ଅର୍ଦ୍ଧେକ ୮୫ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ । କିନ୍ତୁ ୨୫ ବର୍ଷ ପୂର୍ବେ ଏହି ମୃତ୍ୟୁ ସଂଖ୍ୟା ୨୦ ପ୍ରତିଶତରେ ସୀମିତ ରହିଥିଲା । ଅତଏବ ଜୀବଦ୍ଦଶା ବୃଦ୍ଧି ସହ ସମତାଳ ଦେଇ ଯନ୍ତ୍ରଣାଯୁକ୍ତ ଉତ୍ତର-ବାର୍ଦ୍ଧକ୍ୟ ଜୀବନଯାତ୍ରାର ମାତ୍ରା ବଢୁଥିବା ସୁସ୍ପଷ୍ଟ । ବ୍ରିଟେନର ପରିସଂଖ୍ୟନ ଓଡ଼ିଶାର ସାଧାରଣବର୍ଗଙ୍କ ନିମନ୍ତେ ପ୍ରଯୁଜ୍ୟ ନହେଲେ ସୁଦ୍ଧା ଶିକ୍ଷିତ ଓ ଅର୍ଥନୀତି ଦୃଷ୍ଟିରୁ ସ୍ୱଚ୍ଛଳବର୍ଗଙ୍କ ମଧ୍ୟରେ ପ୍ରତିବିମ୍ୱିତ ହେବା ଯୁକ୍ତିଯୁକ୍ତ ମନେକରାଯାଇପାରେ ।

 

କେବଳ ଓଡ଼ିଶା ବା ଭାରତ କାହିଁକି ଆନ୍ତର୍ଜାତିକସ୍ତରରେ ମଧ୍ୟ ମୃତ୍ୟୁସମୀପ ଜୀବନଯାପନ କରୁଥିବା ବ୍ୟକ୍ତିବିଶେଷଙ୍କ ମୃତ୍ୟୁ ଭାବନା ସଂପର୍କରେ ଅଧ୍ୟୟନ ସୀମିତ । ସୁଇଡ଼େନରେ ୨୦୧୩ରେ ପ୍ରକାଶିତ ଏକ ନିବନ୍ଧରେ ଏହି ବିଷୟରେ ବିଭିନ୍ନ ଦେଶରେ ଆୟୋଜିତ ୩୩ ଗୋଟି ଗବେଷଣା ସଂପର୍କରେ ସୂଚନା ପ୍ରଦତ୍ତ ହୋଇଥିଲା । ସେଥି ମଧ୍ୟରୁ ଅଧିକାଂଶ ଯୁକ୍ତରାଷ୍ଟ୍ର ଆମେରିକା ଓ ୟୁରୋପୀୟ ଦେଶପୁଞ୍ଜକେନ୍ଦ୍ରୀକ । ସୂଚ଼ିତ ଗବେଷଣା ନିଷ୍କର୍ଷବଳୀ ଉତ୍ତର-ବାର୍ଦ୍ଧକ୍ୟରେ ମୃତ୍ୟୁଭାବନା ସଂପର୍କରେ କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଅବତରଣା କରିଥାଏ ।

 

ଉତ୍ତରବାର୍ଦ୍ଧକ୍ୟରେ ଅନେକଙ୍କ କ୍ଷେତ୍ରରେ ମୃତ୍ୟୁର ସମ୍ମୁଖୀନ ହେବା ନିମନ୍ତେ କୌଣସି ଦୀର୍ଘକାଳୀନ ଯୋଜନା ନଥାଏ । ଭବିଷ୍ୟତ ଉପରେ ବିଶ୍ୱାସ ନରଖି ପ୍ରତ୍ୟେକଟି ଦିନ କିପରି କଟିବ ସେଥିପ୍ରତି ଧ୍ୟାନ ଦେଇଥାନ୍ତି । ଯେକୌଣସି ସମୟରେ ମୃତ୍ୟୁବରଣ କରିବା ନିମନ୍ତେ ପ୍ରସ୍ତୁତ ରହିଥାନ୍ତି ।

 

ଅନ୍ୟ କେତେକ ଯଥାଶୀଘ୍ର ମୃତ୍ୟୁ କାମନା କରୁଥିବା ପରିଲକ୍ଷିତ । ଉତ୍ତର-ବାର୍ଦ୍ଧକ୍ୟ ଅବସ୍ଥାରେ ଜୀବନ ଅର୍ଥ ହରାଇ ବସୁଥିବା ହେତୁ ଯେତେ ଶୀଘ୍ର ସମ୍ଭବ ସଂସାର ତ୍ୟାଗ କରିବା ଅଭିପ୍ରାୟ ପ୍ରକାଶ କରିଥାନ୍ତି । ତେବେ ସମସ୍ତେ ନିଜ ଆବର୍ତ୍ତମାନରେ ପରିବାର, ବ୍ୟବସାୟ ଓ ସମ୍ପତ୍ତି ପରିଚାଳନା ସଂପର୍କରେ ଚ଼ିନ୍ତିତ ଥିବା ଜଣାଯାଏ ।

 

ମୃତ୍ୟୁଭୟ ଲାଘବ ନିମନ୍ତେ ମନସ୍ତତ୍ତ୍ୱବିତମାନେ କେତେକ ସାଧାରଣ ସୂତ୍ର ପରାମର୍ଶ ଦେଇଥାନ୍ତି । ଇରଭିନ ୟାଲମ କହନ୍ତି ଯେ ମୃତ୍ୟୁ ଭୟ ସ୍ୱାଭାବିକ । ପ୍ରତ୍ୟେକ ମନୁଷ୍ୟ ଊଣାଅଧିକେ ଏଥିରେ ଆକ୍ରାନ୍ତ । ମୃତ୍ୟୁଭୟ ଉପଚାରରେ ଏହି ତତ୍ତ୍ୱ ପ୍ରଥମେ ହୃଦୟଙ୍ଗମ କରିବାକୁ ପଡ଼ିଥାଏ । ଦ୍ୱିତୀୟରେ ମୃତ୍ୟୁଭୟ ଅନୁଭବ ଅବସରରେ ନିଜ ମାନସିକ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ସଚ଼େତନ ହୋଇ ଦୀର୍ଘ ନିଶ୍ୱାସପ୍ରଶ୍ୱାସ ଅଭ୍ୟାସ କଲେ ଭୟର ପ୍ରକୋପ କମିଯାଏ । ତୃତୀୟରେ ମୃତ୍ୟୁଭୟ ଆକ୍ରାନ୍ତ ଅବସ୍ଥାରେ ଜଣେ ବ୍ୟକ୍ତି ନିଜର କାଳ୍ପନିକ ମୃତ୍ୟୁଲେଖ ରଚନା କରିବା ଦ୍ୱାରା ଉପଶମ ଲାଭ ବିଶ୍ୱାସ କରାଯାଏ । ଅର୍ଥାତ ନିଜର ମୃତ୍ୟୁ କଳ୍ପନାକରି ତତ୍ ପରବର୍ତ୍ତୀ ଅବସ୍ଥାରେ କ’ଣ ହେବ ତାହା ଲିଖିତ ଆକାରରେ ବର୍ଣ୍ଣନା କରିବା ଦ୍ୱାରା ମୃତ୍ୟୁ ଭୟକୁ ଏଡ଼ାଇ ଦିଆଯାଇପାରେ ।

 

ମୃତ୍ୟୁଭୟ ଜୀବନର ବିଭିନ୍ନ ପର୍ଯ୍ୟାୟରେ ଅନୁଭୂତ ହେଉଥିଲେ ହେଁ ଉତ୍ତର-ବାର୍ଦ୍ଧକ୍ୟରେ ଗୁରୁତ୍ୱ ବହନ କରେ । ସମ୍ଭାବ୍ୟ ମୃତ୍ୟୁ ପ୍ରକ୍ରିୟାର ଅନିଶ୍ଚିତତା ବିବ୍ରତ କରେ । ସାଧାରଣରେ ନିଦ୍ରାବସ୍ଥାରେ ଯନ୍ତ୍ରଣାହୀନ ମୃତ୍ୟୁ ସମସ୍ତଙ୍କ ପସନ୍ଦଯୋଗ୍ୟ ବିବେଚ଼ିତ ହୋଇଥାଏ ।

 

ଉତ୍ତର-ବାର୍ଦ୍ଧକ୍ୟରେ ଜୀବନଯାତ୍ରା ସଂପର୍କରେ ଚର୍ଚ୍ଚା ସାମାଜିକ ପରିଧିରେ ସୀମିତ । ମନୁଷ୍ୟ ଅନ୍ତିମ ଜୀବନରେ ଶାରୀରିକ ଓ ମାନସିକସ୍ତରରେ ଦୁର୍ବଳତା ହେତୁ ସହାୟତା ଓ ଯତ୍ନର ପ୍ରାର୍ଥୀ ହୋଇପଡ଼ିଥାଏ । ସେହି ବର୍ଗର ଆବଶ୍ୟକତାକୁ ମେଣ୍ଟାଇବା ନିମନ୍ତେ ସେମାନଙ୍କ ଅନୁଭୂତି ସଂକଳନ ଓ ଅନୁଶୀଳନ ଗୁରୁତ୍ୱପୂର୍ଣ୍ଣ ଥିବା ସ୍ଥଳେ ସମସାମୟିକ ସାମାଜିକ ବ୍ୟବସ୍ଥାରେ ତତ୍ପରତା ଅଭାବ ଅନୁଭୂତ ହୁଏ ।  କ୍ରମଶଃ ବହୁସଂଖ୍ୟକ ଅତିବାର୍ଦ୍ଧକ୍ୟ ଅବସ୍ଥାରେ ମୃତ୍ୟୁବରଣ କରୁଥିବା ହେତୁ ଉତ୍ତର-ବାର୍ଦ୍ଧକ୍ୟ ଜୀବନଚର୍ଯ୍ୟା ନିୟନ୍ତ୍ରଣ ଦିଗରେ ନୀତିନିର୍ଦ୍ଧାରଣ ଓ କାର୍ଯ୍ୟକ୍ରମ ପ୍ରଯୋଜନା ଦିଗରେ ସେମାନଙ୍କ ମୃତ୍ୟୁଭାବନା ସଂପର୍କୀତ ଗବେଷଣା ସହାୟକ ହେବ ।

 

ମୃତ୍ୟୁ ଜୀବନର ସର୍ବାପେକ୍ଷା ଏକାନ୍ତ ଅନୁଭୂତି । ମୃତ୍ୟୁ ଚ଼େତନା ମୃତ୍ୟୁ ଭାବନାକୁ ସାଧ୍ୟମତେ ନିୟନ୍ତ୍ରିତ କରି ମୃତ୍ୟୁର ସମ୍ମୁଖୀନ ହେବାରେ ବ୍ୟକ୍ତିବିଶେଷଙ୍କୁ ପ୍ରସ୍ତୁତ କରାଇ ପାରିବ ବୋଲି ବିଶ୍ୱାସ କରାଯାଇପାରେ । ଅନ୍ତତଃପକ୍ଷେ ମୃତ୍ୟୁ ସଂପର୍କରେ ବିଜ୍ଞାନସମ୍ମତ୍ତ ଜ୍ଞାନ ଓ ପରିପାର୍ଶ୍ୱକ ଅନୁଭୂତି ବିଭିନ୍ନ ଅନ୍ଧ ବିଶ୍ୱାସରୁ ଯେ ଦୂରେଇ ପାରିବ ସେଥିରେ ସନ୍ଦେହ ନାହିଁ । ମୃତ୍ୟୁ ଭାବନାର ସାକାରାତ୍ମକ ଉପଯୋଗରେ ମନୁଷ୍ୟର ଉପସ୍ଥିତ ଜୀବନଯାତ୍ରାର ଗୁଣାତ୍ମକ ବୃଦ୍ଧି ସମ୍ଭବପର ।

 

ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ନଭେମ୍ୱର ୨୦୨୦

 

---

ତଥ୍ୟ:

An interview with Irvin Yalon, MD on death anxiety

 

https://www.gulfbend.org/poc/view_doc.php?type=doc&id=28821

 

Fleming, Jane. Here’s what people in their 90s really think about death

 

https://theconversation.com/heres-what-people-in-their-90s-really-think-about-death-58053

 

Kirby, James. Every thing dies and it’s best we learn to live with that

https://theconversation.com/everything-dies-and-its-best-we-learn-to-live-with-that-59384

 

Lverach, Lisa, Rachel Menzies & Ross Menzies. Fear of death underlies most of our phobias

 

https://theconversation.com/fear-of-death-underlies-most-of-our-phobias-57057

ମୃତ୍ୟୁ ଭୟ

ପାରମ୍ପରିକଭାବେ ମୃତ୍ୟୁ ସହ ଭୟ ଯୋଡ଼ିହୋଇରହିଥାଏ । ତେବେ ପରିବର୍ତ୍ତିତ ପରିବେଶରେ ମୃତ୍ୟୁ ବଦଳରେ ମୃତ୍ୟୁପୂର୍ବ ଜୀବନଯନ୍ତ୍ରଣା ଆଶଙ୍କାରେ ସମକାଳରେ ବୃଦ୍ଧଜନ ଅଧିକ ଭୟଭୀତ ହେଉଥିବାଲକ୍ଷ୍ୟ କରାଯାଏ ।

 

ଜନ୍ମ ମାତ୍ରକେ ମୃତ୍ୟୁ ସୁନିଶ୍ଚିତ । କିନ୍ତୁ ଜୀବିତ କାଳରେ ସାଧାରଣରେ ମୃତ୍ୟୁକୁ ପାଶୋରି ଦିଆଯାଏ । ଅକାଳ ମୃତ୍ୟୁକୁ ବାଦ ଦେଲେ ବାର୍ଦ୍ଧକ୍ୟରେ ମୃତ୍ୟୁର ସନ୍ନିକଟ ଅବସ୍ଥାରେ ହିଁ ବ୍ୟକ୍ତି ମାନସରେ ମୃତ୍ୟୁ ଚିନ୍ତା ପ୍ରବେଶ କରିଥାଏ ।

 

ସମୟକ୍ରମେ ମୃତ୍ୟୁ ଅନୁଭୂତି ବଦଳିବାରେ ଲାଗିଛି । ଓଡ଼ିଶା ପରିସ୍ଥିତି ବିଚ଼ାରକୁ ନେଲେ ଗତ ଶତାଦ୍ଦୀ ଶେଷ ଯାଏଁ ମୃତ୍ୟୁ ମୁଖ୍ୟତଃ ପାରିବାରିକ ପରିବେଶରେ ଘଟୁଥିଲା । ଦୀର୍ଘ ପରିଚ଼ିତ କଠୋରୀ ଓ ଚ଼ିହ୍ନା ମୁହଁଙ୍କ ଗହଣରେ ପ୍ରାଣବାୟୁ  ଅପସରି ଯାଉଥିଲା ।

 

ଏକବିଂଶ ଶତାଦ୍ଦୀ ଆରମ୍ଭରୁ ମୁଖ୍ୟତଃ ସ୍ୱଚ୍ଛଳବର୍ଗଙ୍କ କ୍ଷେତ୍ରରେ ମୃତ୍ୟୁ ପାରିବାରିକ ପରିବେଶରୁ ହସପିଟାଲ କ୍ୟାବିନକୁ ସ୍ଥାନାନ୍ତରିତ ହେବାରେ ଲାଗିଛି । ମୃତ୍ୟୁ ପୂର୍ବରୁ କୋମା ବା ସେଭଳି ଅବଚ଼େତନ ପରିସ୍ଥିତିରେ ଦୀର୍ଘ ସମୟ ଅତିବାହିତ କରିବାପରେ ଅଜଣା ଜାଗାରେ ଅଜଣା ମୁହଁଙ୍କ ମେଳରେ ସଂସାର ଛାଡ଼ିବାକୁ ପଡୁଛି ।

 

ଭବିଷ୍ୟତରେ ଏତାଦୃଶ ଧାରା ପରିପୁଷ୍ଟ ହେବା ନିଶ୍ଚିତପ୍ରାୟ। ଗ୍ରାମାଞ୍ଚଳରେ ହସପିଟାଲ, ନର୍ସିଂ ହୋମ ଗଢ଼ି ଉଠିବା ପରେ ସାଧାରଣବର୍ଗର  ମୃତ୍ୟୁ ମଧ୍ୟ ପାରିବାରିକ ପରିବେଶରୁ ହସପିଟାଲ ଶଯ୍ୟା ଆଡ଼କୁ ମୁହାଁଇବ । କାରଣ ଶେଷ ଜୀବନରେ ଚ଼ିକିତ୍ସା କ୍ରମଶଃ ଗୁରୁତ୍ୱ ବହନ କରିବାରେ ଲାଗିଛି ।

 

ଅନେକ କ୍ଷେତ୍ରରେ ମୃତ୍ୟୁ ତୁଳନାରେ ମୃତ୍ୟୁ-ପୂର୍ବ ଜୀବନ ଯନ୍ତ୍ରଣାମୟ । ଅବଶ୍ୟ ଯନ୍ତ୍ରଣା ଲାଘବ ନିମନ୍ତେ ଔଷଧର ଅଭାବ ନାହିଁ । ବିଂଶ ଶତାଦ୍ଦୀର ଅଷ୍ଟମ ଦଶକରୁ ଯନ୍ତ୍ରଣା ନିବାରକ ଔଷଧର ବ୍ୟବହାର ବଢ଼ି ଚାଲିଛି । ଦୁରାରୋଗ୍ୟରେ ପୀଡ଼ିତ ହେଲେ ହେଁ କିପରି କମରୁ କମ ଯନ୍ତ୍ରଣା ଅନୁଭବ ହେବ ସେଥିପ୍ରତି ଦୃଷ୍ଟି ଦିଆଯାଉଛି ।

 

ଆଧୁନିକ ଯୁଗରେ ମନୁଷ୍ୟର ଜୀବଦ୍ଦଶା ବଢ଼ିଚାଲିବାରେ ଲାଗିଛି । ସ୍ୱାଧୀନତାବେଳକୁ ଓଡ଼ିଶାରେ ହାରାହାରି ଆୟୁ ୩୨ ଥିବାବେଳେ ବର୍ତ୍ତମାନ ୩୭ ବର୍ଷ ବଢ଼ି ୬୯ରେ ପହଞ୍ଚିଲାଣି । ସ୍ୱଚ୍ଛଳବର୍ଗଙ୍କ କ୍ଷେତ୍ରରେ ଶେଷ ଜୀବନ ଅର୍ଥ କିଛି ବର୍ଷ ଶଯ୍ୟାଶାୟୀ ଜୀବନକୁ ବୁଝାଇଲାଣି । କ୍ରମଶଃ ଏହି ଧାରା ସଂପ୍ରସାରିତ ହେବ ।

 

ଲଣ୍ଡନ ବିଶ୍ୱବିଦ୍ୟାଳୟର ଇତିହାସ ଅଧ୍ୟାପକ ଜନାନା ବାଭରକେ ମୃତ୍ୟୁ ସଂପର୍କରେ ଗବେଷଣା କରନ୍ତି ।‘ହ୍ୱାଟ ଇଟ ମିନସ ଟୁ ବି ହ୍ୟୁମନ’ ଶାର୍ଷକ ଏକ ପୁସ୍ତକ ଲେଖିଛନ୍ତି । ତାଙ୍କରି ମତରେ ଆଧୁନିକ ଯୁଗରେ ଜୀବଦ୍ଦଶା ବଢ଼ି ଚ଼ାଲିଥିବା ଅବସରରେ ମନୁଷ୍ୟ ଶେଷ ଜୀବନରେ ଅଧିକାଂଶ ସ୍ୱଚ୍ଛନ୍ଦହରାଇ ଅଥର୍ବପ୍ରାୟ ଅବସ୍ଥାରେ ବଞ୍ଚିରହିବା ଭୟର କାରଣ ପାଲଟୁଛି ।

 

ମୃତ୍ୟୁ-ପୂର୍ବ ଜୀବନ ତୁଳନାରେ ମୃତ୍ୟୁ ଯନ୍ତ୍ରଣାଦାୟକ ନୁହେଁ । ମୃତ୍ୟୁଶଯ୍ୟାରେ ଉପନୀତ ଅଶୀ ପ୍ରତିଶତ ବ୍ୟକ୍ତିଙ୍କଠାରେ ପ୍ରେମ, ଭୟ ବା ଘୃଣାଭଳି ସ୍ୱତଃପ୍ରବୃତ୍ତ ଆବେଗଗୁଡ଼ିକ ଦୂରେଇ ଯାଇଥାଏ । ଉଇଲିୟମ ଅସଲର ନାମକ ବ୍ରିଟେନର ଜଣେ ଚ଼ିକିତ୍ସକଙ୍କ ଅନୁଶୀଳନକୁ ଉଦ୍ଧାରକରି ସେ କହିଛନ୍ତି ଯେ ମନୁଷ୍ୟ ଜନ୍ମ ନେଲାବେଳେ ଯେପରି ନିର୍ବିକାର ପରିସ୍ଥିତିରେ ସଂସାରରେ ପହଞ୍ଚିଥାଏ ମୃତ୍ୟୁବେଳେ ମଧ୍ୟ ଅନୁରୂପ ପରିବେଶରେ ବିଦାୟ ନେଇଥାଏ ।

 

ତାଙ୍କରି ଯୁକ୍ତି ହେଲା ମାନବୀୟ ଚ଼େତନା ସମୂହ ମସ୍ତିସ୍କରେ ରକ୍ତ ଓ ଅମ୍ଳଜାନ ସଂଚ଼ାଳନରେ କାର୍ଯ୍ୟକ୍ଷମ ହୋଇଥାଏ । ତେବେ ମୃତ୍ୟୁ ପୂର୍ବ ଅବସ୍ଥାରେ ଅଧିକାଂଶ କ୍ଷେତ୍ରରେ ମସ୍ତିସ୍କକୁ ରକ୍ତ ଓ ଅମ୍ଳଜାନ ଯୋଗାଣ କମି ଆସୁଥିବା କାରଣରୁ ଶଯ୍ୟାଶାୟୀ ମନୁଷ୍ୟ ଅବଚ଼େତନ ଅବସ୍ଥାକୁ ଚ଼ାଲିଯାଏ । ଫଳରେ ଯନ୍ତ୍ରଣା ଓ ଭୟ ଅନୁଭବ କରିବା ଶକ୍ତି କ୍ରମଶଃ କମି କମି ଆସେ ଏବଂ ଶେଷରେ ମନୁଷ୍ୟ ମୃତ୍ୟୁମୁଖରେ ପଡ଼ିଥାଏ ।

 

ମୃତ୍ୟୁ ସହ ଯନ୍ତ୍ରଣା ଯୋଡ଼ି ରଖୁଥିବା ଭୟାତୁରମାନଙ୍କ ନିମନ୍ତେ ଅସଲରଙ୍କ ପ୍ରବୋଧନା ବିଜ୍ଞାନସମ୍ମତ୍ତ ଓ ଯୁକ୍ତିଯୁକ୍ତ । ଏକ ପରିସ୍ଥିତିରେ ଯନ୍ତ୍ରଣା ଓ ଯନ୍ତ୍ରଣା ଅନୁଭବର ଶାରୀରିକ ରାସାୟନିକ ପ୍ରକ୍ରିୟା ବା ବାୟୋକେମିକାଲ କାରଣ ସ୍ୱତଃପ୍ରବୃତ୍ତଭାବେ ନିଷ୍କ୍ରିୟ ହୋଇଯିବା ତତ୍ତ୍ୱ ହୃଦୟଙ୍ଗମ କରିପାରିଲେ ମୃତ୍ୟୁଭୟ କିଛି ମାତ୍ରାରେ କମିଯାଇପାରେ ବୋଲି କୁହାଯାଇପାରେ ।

 

ଜୀବନ ଓ ମୃତ୍ୟୁର ସନ୍ଧିକାଳର ପରିବେଶ ବିଷମ । ଏହି ଅବସ୍ଥାରେ ମନୁଷ୍ୟ ନା ପୂର୍ଣ୍ଣକ୍ଷମଭାବେ ବଞ୍ଚିଥାଏ ନା ମୃତ୍ୟୁର ସ୍ଥବିରତା ପରିଧିରେ ପହଞ୍ଚିଥାଏ । ସାଧାରଣଭାବେ ଆମେ ଜୀବନକୁ ବୁଝୁ ଓ ମୃତ୍ୟୁକୁ ବୁଝୁ, କିନ୍ତୁ ଆମମାନଙ୍କ ମଧ୍ୟରୁ ଅଧିକାଂଶ ଜୀବନର ସନ୍ଧିକାଳ ସଂପର୍କରେ ଅପରିଚ଼ିତ ।

 

ଏଭଳି ଏକ ଅସ୍ପଷ୍ଟ ପରିବେଶ ସଂପର୍କରେ ସାମାଜିକସ୍ତରରେ ବହୁତ କମ ଚର୍ଚ୍ଚା ହୁଏ । ଅଧ୍ୟୟନକେନ୍ଦ୍ରୀକ ରଚ଼ନା ଅଭାବରୁ ଏତାଦୃଶ ଚ଼ିନ୍ତାକୁ ଏଡ଼ାଇ ଦିଆଯାଏ । ପାରମ୍ପରିକଭାବେ ଧାର୍ମିକ ବିଚ଼ାରରେ ସମ୍ଭାବ୍ୟ ସଂକଟରୁ ମୁକ୍ତିପାଇଁ ଭଗବାନଙ୍କଠାରେ ନିଜକୁ ଉତ୍ସର୍ଗ କରିଦେବା ନିମନ୍ତେ ଉତ୍ସାହିତ କରାଯାଇଥାଏ । ତେଣୁ ଏହି ସନ୍ଧିକାଳ ସଂପର୍କରେ ଅଧିକାଂଶଙ୍କ ମନୋଭାବ ବିଜ୍ଞାନ ବଦଳରେ ବିଶ୍ୱାସରେ ପର୍ଯ୍ୟବସିତ ହୋଇଥାଏ ।

 

ଜନ୍ମ ମାତ୍ରକେ ମୃତ୍ୟୁ ସୁନିଶ୍ଚିତ । କିନ୍ତୁ ପାରମ୍ପରିକଭାବେ ଆମେ ମୃତ୍ୟୁକୁ ଯେଭଳି ଗ୍ରହଣ କରିଆସିଛୁ, ବିୟୋଗଜନିତ ଦୁଃଖରେ ଆକ୍ରାନ୍ତ ହେଉଛୁ, ସେଭଳି ଧାରାରେ ପରିବର୍ତ୍ତନ ସଂଭବପର । ପ୍ରାଥମିକଭାବେ ଜନ୍ମ, ମୃତ୍ୟୁ, ସୁଖ ଓ ଦୁଃଖ ଭଳି ଜୀବନରେ ମୌଳିକ ଉପାଂଶ ସଂପର୍କରେ ବୈଷୟିକ ଜ୍ଞାନ ଆହରଣ କରି ପରବର୍ତ୍ତୀ ପର୍ଯ୍ୟାୟରେ ଚଳନ୍ତି ସାମାଜିକ ଭିତ୍ତିଭୂମିରେ ସେଭଳି ଉପଲବ୍ଧି ଉପଯୋଗ ନିମନ୍ତେ କ୍ଷେତ୍ର ପ୍ରସ୍ତୁତ କରାଯାଇପାରେ । ଏକବିଂଶ ଶତାଦ୍ଦୀରେ ଏତାଦୃଶ ଉଦ୍ୟମ ନିମନ୍ତେ ପ୍ରଶସ୍ତ ପରିବେଶ ସୃଷ୍ଟି ହୋଇପାରିଛି ।

 

ସମକାଳରେ ଜୀବନର ସୁକ୍ଷ୍ମାତିସୁକ୍ଷ୍ମ ବିଭବ ଅଧ୍ୟୟନ ଓ ଗବେଷଣା ନିମନ୍ତେ ସୁବିଧା ସୁଯୋଗ ଉପଲବ୍ଧ । ଦେଶବିଦେଶରେ ମୃତ୍ୟୁ, ମୃତ୍ୟୁ-ପୂର୍ବ ଶଯ୍ୟାଶାୟୀ ଜୀବନ ଓ ସନ୍ଧିକାଳ ସଂପର୍କରେ ବହୁ ବିଦ୍ୱାନ କାର୍ଯ୍ୟକରୁଛନ୍ତି । ଇଣ୍ଟରନେଟର ବିସ୍ତୃତିରେ ସେମାନଙ୍କ ରଚନା ଖୋଜି ପାଇବା ତଥା ଚର୍ଚ୍ଚା କରିବା ନିମନ୍ତେ ସତୀର୍ଥଙ୍କ ସହ ଯୋଡ଼ିହେବା ହାତପାଆନ୍ତାର ପ୍ରୟାସ । ଅବଶ୍ୟ ଏ ଦିଗରେ ଆମ ଆଗ୍ରହ ହିଁ ଏକ ନିଆରା ଗୋଷ୍ଠୀରେ ସାମିଲ ହେବା ନିମନ୍ତେ ପଥ ଉନ୍ମୁକ୍ତ କରିପାରିବ ।

 

ଅନ୍ୟାନ୍ୟ ସାମାଜିକ ପ୍ରକ୍ରିୟାତୁଲ୍ୟ ବିଚ଼ାରବନ୍ତ ଅନ୍ତିମ ଜୀବନଯାପନ ଜ୍ଞାନକେନ୍ଦ୍ରୀକ ବ୍ୟକ୍ତିଗତ ଉପଲବ୍ଧି ଓ ସାମାଜିକସ୍ତରରେ ସାମୂହିକ ପ୍ରଚ଼େଷ୍ଟାରେ ନିର୍ଭରଶୀଳ। ଯେ କୌଣସି ସୁବିଧାସୁଯୋଗ ହାସଲ କରିବା ନିମନ୍ତେ ଭିତ୍ତିଭୂମି ପ୍ରତିଷ୍ଠା ଆବଶ୍ୟକ । କେତେକ କାର୍ଯ୍ୟ ବ୍ୟକ୍ତିଗତସ୍ତରରେ ସଂଭବପର ହୋଇପାରି ନଥାଏ, ଏଥି ନିମନ୍ତେ ସମଷ୍ଟିଗତ ଉଦ୍ୟମ ଆବଶ୍ୟକ ପଡ଼ିଥାଏ ।

 

ଓଡ଼ିଶା କଥା, ଓଡ଼ିଶାର ସ୍ୱଚ୍ଛଳବର୍ଗଙ୍କ କଥା ଚ଼ିନ୍ତା କଲାବେଳେ ବିକଶିତ ରାଷ୍ଟ୍ରଗୁଡ଼ିକର ସାମାଜିକ ବ୍ୟବସ୍ଥାର ଉଦାହରଣ ଚର୍ଚ୍ଚା ପରିସରକୁ ଆସିଥାଏ । ଆମେ ପାଶ୍ଚାତ୍ୟ ସଂସ୍କୃତି ଦ୍ୱାରା ବିଗତ ଦେଢ଼ଶହ ବର୍ଷଧରି ଅନୁପ୍ରାଣିତ ହୋଇ ଆସିଥିବାହେତୁ ତଥା ଆମର ସାମାଜିକ ପ୍ରବାହ ବୈଷୟିକ ପ୍ରଗତିଧର୍ମୀ ମାର୍ଗରେ ପରିଚ଼ାଳିତ ହେଉଥିବା କାରଣରୁ ଆଜି ଯାହା ବିଦେଶରେ ଘଟୁଛି କିଛିକାଳପରେ ଏଠାରେ ପ୍ରତିବିମ୍ୱିତ ହେବ ବୋଲି ଧରି ନିଆଯାଇପାରେ । ଏହା ତଥ୍ୟାଶ୍ରିତ ଓ ଯୁକ୍ତିଯୁକ୍ତ ।

 

ମୃତ୍ୟୁ ଓ ମୃତ୍ୟୁ-ପୂର୍ବ ଜୀବନ ଯନ୍ତ୍ରଣା ତୁଳନାରେ ଉତ୍ତର-ବାର୍ଦ୍ଧକ୍ୟରେ ଶଯ୍ୟାଶାୟୀ ଦୈନନ୍ଦିନ ଜୀବନଚ଼ର୍ଯ୍ୟା ସମସ୍ୟାବହୁଳ । ଏହି ପର୍ଯ୍ୟାୟରେ ଜୀବନଯାତ୍ରା ନିମନ୍ତେ ଅପରର ସାହାଯ୍ୟ ଆବଶ୍ୟକ ପଡ଼ିଥାଏ । ବହୁ ସଦସ୍ୟ ବିଶିଷ୍ଟ ପାରିବାରିକ ପୃଷ୍ଠଭୂମି ଭାଙ୍ଗିଆସୁଥିବା ଅବସରରେ ଓଡ଼ିଶାରେ ସ୍ୱଚ୍ଛନ୍ଦବର୍ଗଙ୍କ ନିମନ୍ତେ ଉତ୍ତର-ବାର୍ଦ୍ଧକ୍ୟରେ ସେବା ପ୍ରଦାନକାରୀଙ୍କ ଅଭାବ ଉଦବେଗର କାରଣ। ଏତାଦୃଶ ଜୀବନଯାପନ ପାଇଁ ବିକଶିତ ରାଷ୍ଟ୍ରଗୁଡ଼ିକରେ ସ୍ୱତନ୍ତ୍ର ହସପିଟାଲ ସାଙ୍ଗକୁ ‘ହସପି’ମାନ ଗଢ଼ି ଉଠିଛି । ଏଠାରେ ଶଯ୍ୟାଶାୟୀମାନଙ୍କୁ ଅନ୍ତିମ ଜୀବନ ଯାପନ ଲାଗି ବୃତ୍ତିଧାରୀ ‘ପ୍ରଫେସନାଲ’ମାନେ ସହଯୋଗ ଯୋଗାଇଥାନ୍ତି ।

 

ପାଶ୍ଚାତ୍ୟ ଭୂଖଣ୍ଡରେ ‘ହସପି’ ସୁବିଧା ଏକାଦଶ ଶତାଦ୍ଦୀରୁ ପ୍ରଚଳିତ ରହିଛି । ସିସେଲେ ସାଉଣ୍ଡ୍ରାସଙ୍କ ଉଦ୍ୟମରେ ବ୍ରିଟେନରେ ୧୯୬୭ରେ ପ୍ରଥମ ଆଧୁନିକ ‘ହସପି’ ସ୍ଥାପିତ ହେବାପରେ ଏଭଳି ବ୍ୟବସ୍ଥା ବେଶ ଲୋକପ୍ରିୟ ହୋଇପାରିଛି । ଯୁକ୍ତରାଷ୍ଟ୍ର ଆମେରିକାରେ ଗତ ଶତାଦ୍ଦୀର ଅଷ୍ଟମ ଦଶକରୁ ବିଭିନ୍ନ ପ୍ରାନ୍ତରେ ‘ହସପି’ ଆରମ୍ଭ ହେଲା । କାନାଡ଼ା, ଅଷ୍ଟ୍ରେଲିଆ, ଇଟାଲୀ ଓ ଜାପାନ ଇତ୍ୟାଦି ରାଷ୍ଟ୍ରରେ ବିଗତ ତିନି ଦଶକ ମଧ୍ୟରେ ଜୀବନର ଅନ୍ତିମ ଚ଼ରଣରେ ସେବା ଯୋଗାଇବା ନିମନ୍ତେ ଆନୁଷ୍ଠାନିକ ବ୍ୟବସ୍ଥାର ଅନୁସରଣ କରାଗଲା । ଭାରତରେ ୧୯୮୬ରେ ମୁମ୍ୱାଇର ବାନ୍ଦ୍ରା ସମୁଦ୍ରକୂଳରେ ମୁଖ୍ୟତଃ କ୍ୟାନସର ଓ ଏଡ଼ସ ରୋଗାକାନ୍ତଙ୍କ ନିମନ୍ତେ ‘ଶାନ୍ତି ଅବେଦନା ସଦନ’ ପ୍ରତିଷ୍ଠା ହେବାପରେ ଦିଲ୍ଲୀ ଓ ଗୋଆଠାରେ ଦୁଇଗୋଟି ଶାଖା ସ୍ଥାପିତ ହୋଇଥିଲା । ଇତି ମଧ୍ୟରେ ଦେଶର ବିଭିନ୍ନ ଅଞ୍ଚଳରେ ‘ହସପି’ ସେବା ଆରମ୍ଭ କରାଯାଇଥିବା ଜଣାଯାଏ ।

 

ବ୍ରିଟେନରେ ପ୍ରାୟ ଅର୍ଦ୍ଧେକ ବାର୍ଦ୍ଧକ୍ୟଜନିତ ମୃତ୍ୟୁ ହସପିଟାଲ ଓ ହସପିରେ ଘଟୁଥିବା କୁହାଯାଉଛି । ବୃଦ୍ଧଜନଙ୍କ ସଂଖ୍ୟା ବୃଦ୍ଧି, କମ ସଦସ୍ୟ ବିଶିଷ୍ଟ ପରିବାର ତଥା ସେମାନଙ୍କ ବୃତ୍ତିଗତ ଦେଶାନ୍ତର ଯାତ୍ରା ଏବଂ ମହିଳାମାନଙ୍କ କର୍ମନିଯୁକ୍ତି ଭଳି କାରଣ ହେତୁ ପାରିବାରିକସ୍ତରରେ ଉତ୍ତର-ବାର୍ଦ୍ଧକ୍ୟରେ ଉପନୀତ ବୃଦ୍ଧଜନଙ୍କ ଯତ୍ନ ନେବା ସଂଭବପର ହୋଇପାରୁ ନାହିଁ । ଶଯ୍ୟାଶାୟୀଙ୍କ ଆତ୍ମୀୟ ଓ ପରିବାରବର୍ଗ ଉନ୍ନତ ସେବାସୁଶୃଷା ନିମନ୍ତେ ସେମାନଙ୍କୁ ଏଭଳି ସ୍ଥାନକୁ ପଠାଇବା ଲାଗି ଉଚ଼ିତ ମନେ କରୁଛନ୍ତି ।ଏକ ସର୍ବେକ୍ଷଣରେ ୪୯ ହଜାର ଲୋକଙ୍କଠାରୁ ମତାମତ ନିଆଯିବାବେଳେ ୭୪ ପ୍ରତିଶତ ହସପିଟାଲ ଓ ହସପିରେ ଅନ୍ତିମ ଜୀବନଯାପନକୁ ପସନ୍ଦ କରିଥିଲେ ।

 

ଭାରତ କିମ୍ୱା ଓଡ଼ିଶାରେ ସାମାଜିକ, ସାଂସ୍କୃତିକ କିମ୍ୱା ରାଜନୀତିକସ୍ତରରେ ଉତ୍ତର-ବାର୍ଦ୍ଧକ୍ୟ ଜୀବନଚର୍ଯ୍ୟା ସଂପର୍କରେ ଗୁରୁତ୍ୱାରୋପ ଆରମ୍ଭ ହୋଇନାହିଁ । ତେବେ ମୋଟାମୋଟିଭାବେ ଆମ ଜନସଂଖ୍ୟାର ୧୦ ପ୍ରତିଶତ ୬୦ ବର୍ଷୋତ୍ତର ଓ ଏକ ପ୍ରତିଶତ ଉତ୍ତର-ବାର୍ଦ୍ଧକ୍ୟରେ ଉପନୀତ । ରାଜ୍ୟର ପ୍ରାୟ ୫ ଲକ୍ଷ ଶଯ୍ୟାଶାୟୀଙ୍କ ହିତାହିତ ସେମାନଙ୍କ ବ୍ୟକ୍ତିଗତ ଅଥବା ପାରିବାରିକ ବନ୍ଦୋବସ୍ତରେ ଛାଡ଼ିଦେଇ ସମଷ୍ଟିଗତଭାବେ ଭିତ୍ତିଭୂମି ପ୍ରତିଷ୍ଠା ପାଇଁ ଉଦ୍ୟମରେ ମନୋନିବେଶ ନକରିବାକୁ ଏକ ସାମାଜିକ ଅବହେଳା କୁହାଯାଇପାରେ।

 

ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ମେ' ୨୦୧୮

 

---

ମୃତ୍ୟୁ ଅନୁଭବ

ବାସ୍ତବରେ ମୃତ୍ୟୁ ଅନୁଭବ ଅବର୍ଣ୍ଣନୀୟ । କାରଣ ମନୁଷ୍ୟ ମୃତ୍ୟୁର ସମ୍ମୁଖୀନ ହେଲେ ଶରୀର ସ୍ଥାଣୁ ଅବସ୍ଥାକୁ ଚାଲିଯାଏ ଏବଂ ଶବ ପକ୍ଷେ ପୂର୍ବ-ଅନୁଭବ ବର୍ଣ୍ଣନା ଅସମ୍ଭବ । ଅତଏବ ମୃତ୍ୟୁ ସମୀପ ଜୀବନରେ ମୃତ୍ୟୁ ପ୍ରତି ଦୃଷ୍ଟିକୋଣକୁ ହିଁ ମୃତ୍ୟୁ ଅନୁଭବ ଭାବେ ଗ୍ରହଣ କରାଯାଇପାରେ ।

 

ହେରବେର୍ଟ ଫିଙ୍ଗରେଟେ ନାମକ ଜଣେ ମାର୍କିନ ମନସ୍ତତ୍ତ୍ୱ ଅଧ୍ୟାପକ ୯୭ ବର୍ଷ ବୟସରେ ୨୦୧୮ରେ ମୃତ୍ୟୁ ବରଣ କରିଥିଲେ । ମୃତ୍ୟୁର କିଛି ଦିନ ପୂର୍ବରୁ ତାଙ୍କରି ନାତି ତଥା ଚଳଚ଼ିତ୍ର ନିର୍ମାତା ଏଣ୍ଡ୍ରିଭ ହାସେ ଅଜାଙ୍କ ଉତ୍ତର-ବାର୍ଦ୍ଧକ୍ୟ ଜୀବନଚର୍ଯ୍ୟା ଓ ଚ଼ିନ୍ତାଧାରା ଆଧାରିତ ଏକ ୧୮ ମିନଟର ପ୍ରାମାଣିକ ଚଳଚ଼ିତ୍ରରେ ଲିପିବଦ୍ଧ କରିଥିଲେ । ବିଭିନ୍ନ ଭିଡ଼ିଓ ସେୟାରିଂ ମଞ୍ଚରେ ଉକ୍ତ ପ୍ରାମଣିକ ଚିତ୍ର ‘ବିଇଙ୍ଗ ୯୭’ ପ୍ରକାଶିତ ହେବାପରେ ହେରବେର୍ଟଙ୍କ ମୃତ୍ୟୁସମୀପ ଜୀବନ ଓ ମୃତ୍ୟୁ ଅନୁଭବ ସଂପର୍କରେ ବିଶ୍ୱବ୍ୟାପୀ ଚର୍ଚ୍ଚିତ ହୋଇଥିଲା ।

 

ହେରବେର୍ଟ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ ଚାରି ଦଶନ୍ଧି ଧରି ମନସ୍ତତ୍ତ୍ୱ ଅଧ୍ୟାପନା କରିଥିଲେ । ମନସ୍ତତ୍ତ୍ୱ ଓ ଦର୍ଶନ ସଂପର୍କୀତ ଅଧ ଡ଼ଜନେ ପୁସ୍ତକ ସମେତ ମୃତ୍ୟୁ ସଂପର୍କୀତ ‘ଡ଼େଥ : ଫିଲୋସଫିକାଲ ସାଉଣ୍ଡିଙ୍ଗସ’ ୧୯୯୬ରେ ପ୍ରକାଶିତ ହୋଇଥିଲା । ହେରବେର୍ଟ ୭୫ ବର୍ଷ ବୟସରେ ମୃତ୍ୟୁର ଯେଉଁ ତାତ୍ତ୍ୱିକ ବିଶ୍ଳେଷଣ କରିଥିଲେ ୯୭ ବର୍ଷ ବୟସରେ ନିଜେ ମୃତ୍ୟୁସମୀପ ଜୀବନ ଯାପନ ବେଳେ ପୁସ୍ତକ ବର୍ଣ୍ଣିତ ଯୁକ୍ତିର ବାସ୍ତବତା ପ୍ରତି ପ୍ରାମାଣିକ ଚ଼ିତ୍ରରେ ସନ୍ଦେହ ପ୍ରକାଶ କରିଥିଲେ । ହେରବେର୍ଟଙ୍କ ମୃତ୍ୟୁ ଅନୁଭବ ସଂପର୍କରେ ମୃତ୍ୟୁର ୨୨ ବର୍ଷ ପୂର୍ବେ ଏବଂ ମୃତ୍ୟୁସମୀପ ଜୀବନରେ ପ୍ରଦତ୍ତ ଦୁଇ ମନ୍ତବ୍ୟ ମୃତ୍ୟୁର ସ୍ୱରୂପ ଆଲୋଚ଼ନାରେ ଗୁରୁତ୍ୱ ବହନ କରିଥାଏ ।

 

ହେରବେର୍ଟ ନିଜ ପୁସ୍ତକରେ ମୃତ୍ୟୁକୁ ନେଇ ଭ୍ରମାନ୍ତକ ଧାରଣା ପ୍ରଚଳିତ ଥିବା ସୂଚାଇଥିଲେ । ସାଧାରଣରେ ମୃତ୍ୟୁ ଚ଼ିରନିଦ୍ରା, ଜୀବନର ପରିସମାପ୍ତି ତଥା ସଂସାରରୁ ବିଦାୟ ନେବାକୁ ବୁଝାଇଥାଏ । ଜୀବନକୁ ଏକ ଉତ୍ସବ, ଜୀବନ ପୃଥିବୀ ପୃଷ୍ଠରେ ଏକ ପରିବ୍ରାଜକ, ମୃତ୍ୟୁ ଜୀବନକାହାଣୀର ଉପସଂହାର ଏବଂ ଅମରତ୍ୱ ପ୍ରାପ୍ତିରେ ମୃତ୍ୟୁର ବିଜୟ ସଂଭବ ବୋଲି ବିଶ୍ୱାସ ନିବିଡ଼ । ହେରବେର୍ଟଙ୍କ ବିଚାରରେ ପ୍ରକୃତରେ ମୃତ୍ୟୁ ସତ୍ତାହୀନ । ଅପରପକ୍ଷେ ଏହା ଦର୍ପଣ ତୁଲ୍ୟ । ଦର୍ପଣରେ କୌଣସି ବସ୍ତୁ ନଥାଏ । ଯେକୌଣସି ବସ୍ତୁର ପ୍ରତିବିମ୍ୱ ଦର୍ପଣରେ ବିପରୀତ ଭଙ୍ଗୀରେ ଦେଖିବାକୁ ମିଳେ । ସେହିପରି ମୃତ୍ୟୁ ଅନୁଭବରେ ଅତୀତ ଜୀବନର ମୂଲ୍ୟାୟନ ହୋଇଥାଏ ।

 

ହେରବେର୍ଟ ମୃତ୍ୟୁ ଅନୁଭବ ବର୍ଣ୍ଣନା କରିବାକୁ ଯାଇ ଲିଓ ଟଲଷ୍ଟୟଙ୍କ ‘ଦି ଡ଼େଥ ଅଫ ଇଭାନ ଇଲିଏଚ’ରେ ନାୟକଙ୍କ ଉଦାହରଣ ଦେଇଥିଲେ । ଊନବିଂଶ ଶତାଦ୍ଦୀ ରୁଷ ସାମାଜିକ ପୃଷ୍ଠଭୂମିରେ ରଚ଼ିତ ଉକ୍ତ ନଭେଲାରେ ଇଭାନ ଜଣେ ବିଚାରପତି । ଉଚ୍ଚ-ମଧ୍ୟବର୍ଗ ଜୀବନଯାତ୍ରାରେ ତଥାକଥିତ ସଫଳତାର ସିଡ଼ିରେ ବିଜୟ ହାସଲ କରିଥିବା ଇଭାନ ଅକସ୍ମାତ ଅସୁସ୍ଥ ହୋଇ ଦୀର୍ଘ ସମୟ ପୀଡ଼ିତ ରହି ମୃତ୍ୟୁର ସମ୍ମୁଖୀନ ହୁଅନ୍ତି ।

 

ଇଭାନ ମୃତ୍ୟୁର ସନ୍ନିକଟ ହେବା ଅବସରରେ ମୃତ୍ୟୁକୁ ଅସ୍ୱୀକାର କରିଥିଲେ । ମୃତ୍ୟୁମୁଖରେ ଅବତୀର୍ଣ୍ଣ ହେବା ଅବସ୍ଥାରେ ସମସ୍ତେ ମୃତ୍ୟୁର ସମ୍ଭାବନାକୁ ଏଡ଼ାଇ ଦେଇଥାନ୍ତି । ଶରୀରର କୌଣସି ଅଙ୍ଗ ଅକାମୀ ହୋଇଯାଉଥିବା ହେତୁ ଉଦ୍ରେକ ଯନ୍ତ୍ରଣା ଚ଼ିକିତ୍ସାଦ୍ୱାରା ଉପଶମ ହୋଇଯିବ ବୋଲି ପ୍ରବୋଧନା ମନରେ ଜାତ ହୋଇଥାଏ । ଇଭାନ ତତ୍ ଅନୁରୂପ ଚ଼ିନ୍ତାରେ କିଛି ସମୟ ଅତିବାହିତ କରିବାପରେ ମୃତ୍ୟୁ ଅନିବାର୍ଯ୍ୟ ବୋଲି ହୃଦୟଙ୍ଗମ କରିଥିଲେ ।

 

କାହାଣୀର ଶେଷ ପର୍ଯ୍ୟାୟରେ ଆସନ୍ନ ମୃତ୍ୟୁ ଅବସ୍ଥାରେ ଇଭାନଙ୍କ ଅନ୍ତରାତ୍ମାରୁ ପ୍ରଶ୍ନ ଶୁଭିଛି “ମୁଁ କ’ଣ ଚାହେଁ ?” ତତ୍ କ୍ଷଣାତ ସେ ଉତ୍ତର ଦେଇଛନ୍ତି “ବଞ୍ଚିବାକୁ” । ପୁଣି ପ୍ରଶ୍ନ ଉଠିଚି “କିପରି ବଞ୍ଚିବାକୁ ଚାହଁ ।”  ଇଭାନ କହିଛନ୍ତି “ପୂର୍ବଭଳି ଆନନ୍ଦଦାୟକ ଜୀବନ ବଞ୍ଚିବାକୁ ଚାହେଁ” ।

 

ଟଲଷ୍ଟୟଙ୍କ କାଳ୍ପନିକ ଇଭାନ ଚରିତ୍ରର ମୃତ୍ୟୁସମୀପ ଅନୁଭବ ବିଶ୍ୱବ୍ୟାପୀ ମୃତ୍ୟୁ ସାହିତ୍ୟରେ ଏକ ଉଲ୍ଲେଖନୀୟ ଉଦାହରଣ । ଟଲଷ୍ଟଏ ୧୮୮୬ରେ ନଭେଲାଟି ରଚନା କରିଥିଲେ । ତେବେ ଆଜି ବି ମୃତ୍ୟୁଜନିତ ସାମାଜିକ ସ୍ଥିତି ଏବଂ ମାନବିକ ଅନୁଭୂତି ପ୍ରାୟତଃ ଅପରିବର୍ତ୍ତିତ ରହିଆସିଥିବା ଦେଖିବାକୁ ମିଳେ । ଇଭାନର ମୃତ୍ୟୁପର ଘଟଣାକ୍ରମରେ ଶେଷ ଦର୍ଶନ ନିମନ୍ତେ ସହକର୍ମୀ ବିଚାରପତିମାନେ ଏକତ୍ରୀତ ହୋଇଥାନ୍ତି । ଇଭାନଙ୍କ ପତ୍ନୀ ପତିଙ୍କ ମୃତ୍ୟୁରେ ଦୁଃଖିତ ହେବା ପରିବର୍ତ୍ତେ କିପରି ଅଧିକ ପେନସନ ପାଇବେ ସେକଥା ଉଚ୍ଚପଦସ୍ଥଙ୍କ ସହ ଆଲୋଚନା କରୁଥିବା ଏବଂ ରୋଗଶଯ୍ୟାରେ ଇଭାନଙ୍କ ଯତ୍ନ ନେଇଥିବା ଘରୋଇ ସହାୟକ ଦୁଃଖରେ ମ୍ରିୟମାଣ ହୋଇପଡ଼ିଥିବା ବର୍ଣ୍ଣନା ସାମାଜିକ ବାସ୍ତବତାର ଚ଼ିତ୍ର ପ୍ରଦାନ କରିଥାଏ ।

 

ହେରବେର୍ଟ ତାଙ୍କରି ୧୮୪ ପୃଷ୍ଠା ବିଶିଷ୍ଟ ମୃତ୍ୟୁ ସଂପର୍କୀତ ପୁସ୍ତକରେ ତର୍ଜମା କରିଥିଲେ ଯେ ପ୍ରତ୍ୟେକ ମଣିଷର ଜୀବନଯାତ୍ରା ପାର୍ଥିବ ଓ ଅମରତ୍ୱର ସମିଶ୍ରଣ । ଜନ୍ମ ମାତ୍ରେ ମୃତ୍ୟୁ ସୁନିଶ୍ଚିତ, ଏହି କାରଣରୁ ସମସ୍ତଙ୍କ ଜୀବନ ପାର୍ଥିବ । ଅପରପକ୍ଷେ ମୃତ୍ୟୁକୁ କେହି ଅନୁଭବ କରିପାରନ୍ତି ନାହିଁ, ତେଣୁ ସମସ୍ତଙ୍କ ଜୀବନ ଅମର । ଅବଶ୍ୟ ଏହି ଯୁକ୍ତି ପାରମ୍ପରିକ ଧର୍ମଭାବନାରେ ବର୍ଣ୍ଣିତ ଅମରତ୍ୱଠାରୁ ଭିନ୍ନ । ସରଳ ଅର୍ଥରେ ମନୁଷ୍ୟ ଜୀବନରେ ମୃତ୍ୟୁ ଅନୁଭବ ଅଭାବ ହେତୁ ତାହାରି ଜୀବନ ଅମର ।

 

‘ବିଇଙ୍ଗ ୯୭’ ପ୍ରାମାଣିକ ଚଳଚ଼ିତ୍ରଟି ହେରବେର୍ଟଙ୍କ ମୃତ୍ୟୁସମୀପ ଜୀବନର ଗୋଟିଏ ଦିନର ବର୍ଣ୍ଣନା । ପ୍ରଭାତରେ ଶଯ୍ୟାତ୍ୟାଗପରେ ସେ ପୋଷାକ ବଦଳାଇ ଡ଼ାଇନିଂ ଟେବୁଲରେ ବ୍ରେକଫାଷ୍ଟ ପାଇଁ ବସନ୍ତି । ତାଙ୍କରି ସହାୟିକା ଗୋଡ଼ ହାତରେ କ୍ରିମ ଲଗାଇ ସାର୍ଟ ପିନ୍ଧାଇ ବ୍ରେକଫାଷ୍ଟ ପରଷେ । ପୁସ୍ତକ ରଚନାର ୨୦ ବର୍ଷ ପରେ ହେରବେର୍ଟ ମୃତ୍ୟୁ ଅନୁଭବ ସଂପର୍କରେ ସଂଶୋଧିତ ଟୀପ୍ପଣି ଦେଇ କହନ୍ତି ଯେ ଅତୀତରେ ମୃତ୍ୟୁ ଏକକ ଭାବେ ଯନ୍ତ୍ରଣାଦାୟକ ନଥିବା ହେତୁ ମୃତ୍ୟୁକୁ ଭୟ କରିବା ମନୁଷ୍ୟ ପକ୍ଷେ ଅଯୌକ୍ତିକ ବର୍ଣ୍ଣନା କରିଥିଲେ । ତେବେ ସେହିଭଳି ମନ୍ତବ୍ୟ ତ୍ରୁଟିପୂର୍ଣ୍ଣ ବୋଲି ବର୍ତ୍ତମାନ ବିଚାର କରୁଛନ୍ତି । ମୃତ୍ୟୁସମୀପ ଜୀବନରେ ମୃତ୍ୟୁ ଚିନ୍ତା ଘାରି ରହୁଛି । କିନ୍ତୁ ଏହାର କାରଣ ସେ ଖୋଜି ପାଉ ନାହାନ୍ତି ।

 

ପ୍ରମାଣିକ ଚଳଚ଼ିତ୍ରରେ ବାର୍ଦ୍ଧକ୍ୟ ସଂପର୍କୀତ ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ଦିଗ ଆଲୋଚ଼ିତ ହୋଇଛି । ହେରବେର୍ଟ ଦୀର୍ଘକାଳ ସ୍ୱାଧୀନଭାବେ ଜୀବନଯାପନ କରିବା ପରେ ଉତ୍ତର-ବାର୍ଦ୍ଧକ୍ୟରେ ସହାୟତାଯୁକ୍ତ ଜୀବନଚ଼ର୍ଯ୍ୟା ପାଇଁ ପ୍ରସ୍ତୁତ ଥିଲେ । ପୋଷାକପତ୍ର ପରିବର୍ତ୍ତନ କରିବା, ଚାଲିବା ଓ ଖାଦ୍ୟ ପ୍ରସ୍ତୁତି ଭଳି କାର୍ଯ୍ୟ ପାଇଁ ସହାୟତା ଉପରେ ନିର୍ଭରଶୀଳଥିବା ଚଳଚ଼ିତ୍ରରେ ପ୍ରଦର୍ଶିତ ହୋଇଛି । ତେବେ ହେରବେର୍ଟ ଏଥିଲାଗି ପ୍ରତିବାଦ ବା ଅନୁତାପ କରିନାହାନ୍ତି । ନିଜ ପତ୍ନୀଙ୍କୁ ସାତ ବର୍ଷ ପୂର୍ବରୁ ହରାଇଥିବା ହେତୁ ହେରବେର୍ଟ ଦୁଃଖୀତ ଥିଲେ । ଦିହେଁ ସତୁରି ବର୍ଷ ଏକାଠି କାଟିଥିଲେ । ପତ୍ନୀଙ୍କ ବିୟୋଗରେ ଜୀବନର ଅର୍ଦ୍ଧେକ ହରାଇଛନ୍ତି ବୋଲି ଚଳଚ଼ିତ୍ରରେ ଉଲ୍ଲେଖ କରିଥିଲେ । ହେରବେର୍ଟଙ୍କ ଭାଷାରେ ପତ୍ନୀଙ୍କ ଅନୁପସ୍ଥିତି ତାଙ୍କ ପାଇଁ ଏକ ରକମ ଉପସ୍ଥିତିର ଅନୁଭୂତି ଆଣିଦେଊଛି । ସେ କହିଥିଲେ ଯେଉଁମାନେ ବାର୍ଦ୍ଧକ୍ୟରେ ଉପନୀତ ହୋଇ ନାହାନ୍ତି ସେମାନଙ୍କ ପକ୍ଷେ ବାର୍ଦ୍ଧକ୍ୟଜନିତ ମାନସିକତା ବୁଝିବା କଷ୍ଟକର ।

 

ହେରବେର୍ଟଙ୍କ ଉଦାହରଣରେ ମୃତ୍ୟୁ ଅନୁଭବ ସଂପର୍କୀତ କେତେଗୋଟି ବିଷୟ ଚର୍ଚ୍ଚାକୁ ଆସିଥାଏ । ପ୍ରଥମତଃ, ହେରବେର୍ଟ ଯେ ବାର୍ଦ୍ଧକ୍ୟ-ପୂର୍ବାବସ୍ଥାରୁ ମୃତ୍ୟୁ ସଂପର୍କରେ ସଚ଼େତନ ଥିଲେ ଏବଂ ଗଭୀର ଅଧ୍ୟୟନ କରିଥିଲେ ତାହା ତାଙ୍କରି ପୁସ୍ତକ ରଚନାରୁ ପ୍ରମାଣିତ । ଦ୍ୱିତୀୟତଃ, ଜଣେ ଦର୍ଶନ ଛାତ୍ର ଓ ଅଧ୍ୟାପକ ଜୀବନରେ ପାରିପାର୍ଶ୍ୱିକ ଗବେଷଣାଲବ୍ଧ ଜ୍ଞାନ ଆଧାରରେ ମୃତ୍ୟୁ ସତ୍ତାହୀନ ଏବଂ ଏହାକୁ ନେଇ ଭୟଭୀତ ହେବା ଅନାବଶ୍ୟକ ବୋଲି ଯୁକ୍ତି ବାଢ଼ିଥିଲେ । ଚ଼ତୁର୍ଥତଃ, ମୃତ୍ୟୁସମୀପ ଜୀବନରେ ନିଜ ମୃତ୍ୟୁକୁ ନେଇ ଆଶଙ୍କିତ ଥିବା ପ୍ରାମାଣିକ ଚଳଚ଼ିତ୍ରରେ ଉଲ୍ଲେଖକରି ପୂର୍ବ ମତ ତୃଟିପୂର୍ଣ୍ଣ ଦର୍ଶାଇଥିଲେ । ଚ଼ତୁର୍ଥତଃ, ମୃତ୍ୟୁସମୀପ ଜୀବନ ସଂପର୍କରେ ଅନୁଭବ ବର୍ଣ୍ଣନାଜନିତ ସାହିତ୍ୟର ପରିମାଣ ସୀମିତ ଥିବା ହେତୁ ହେରବେର୍ଟଙ୍କ ଅନୁଭୂତି ଗୁରୁତ୍ୱପୂର୍ଣ୍ଣ । ପଞ୍ଚମତଃ, ତା’ହେଲେ କ’ଣ ମୃତ୍ୟୁ ଉପପାଦ୍ୟ ‘ଥିଓରି’ ଓ ମୃତ୍ୟୁ ଅନୁଭବ ‘ଏକ୍ସପିରିଏନ୍ସ’ ଦୁଇ ଭିନ୍ନ କଥା । ନା ଉପପାଦ୍ୟକୁ ବାସ୍ତବତାର ପ୍ରତିଫଳନ ରୂପେ ବିଚାର କରି ବ୍ୟକ୍ତିଗତ ଅନୁଭବକୁ ମାନସିକ ଦୁର୍ବଳତା ରୂପେ ଧରିନେବା ?

 

ମୃତ୍ୟୁ ଅଧ୍ୟୟନ ମୃତ୍ୟୁ ଅନୁଭବକୁ ପ୍ରଭାବିତ କରିବା ସଂଭବ । ମୃତ୍ୟୁ ଅନୁଭବ ସଂପର୍କୀତ ସାହିତ୍ୟ ବାସ୍ତବବାଦୀ ଦୃଷ୍ଟିକୋଣ ପ୍ରସାରରେ ସହାୟକ ହେବା ଏବଂ ଅନ୍ୟମାନଙ୍କ ଅନୁଭୂତି ନିଜସ୍ୱ ଅନୁଭବ ସମୀକ୍ଷାର ପଥ ପ୍ରଶସ୍ତ କରିବା ଯୁକ୍ତିଯୁକ୍ତ । ମୋଟ ଉପରେ ପୂର୍ବପ୍ରସ୍ତୁତି ଅସହାୟ ଅବସ୍ଥାରେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହେବା ଏବଂ ମୃତ୍ୟୁଭୟର ମାତ୍ରା ହ୍ରାସରେ ସମର୍ଥ ହୋଇପାରିବା ବିଶ୍ୱାସ କରାଯାଇପାରେ ।

 

ପ୍ରାମାଣିକ ଚଳଚ଼ିତ୍ର ‘ବିଇଙ୍ଗ ୯୭’ ପ୍ରଦର୍ଶନ ନିମନ୍ତେ ନିର୍ମପ୍ରଦତ୍ତ ଲିଙ୍କ କ୍ଳିକ କରନ୍ତୁ :

 

https://www.youtube.com/watch?v=qX6NztnPU-4&feature=youtu.be

 

ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ନଭେମ୍ୱର ୨୦୨୦

 

ତଥ୍ୟ:

Hasse, Andrew. Being 97. https://youtu.be/qX6NztnPU-4 

Fingarette, Herbert. Death : Philosophical Soundings 

Herbert Fingarette, Existential Philosopher, Faces His Own Death and Mortality. The Atlantic. January 2020 

https://www.theatlantic.com/video/index/604840/being97/

ମୃତ୍ୟୁ ସଚ଼େତନ

ମୃତ୍ୟୁ ସଂପର୍କରେ ତାତ୍ତ୍ୱିକ ଆଲୋଚନା ତୁଳନାରେ ଆତ୍ମୀୟ ଓ ନିଜର ମୃତ୍ୟୁ ଚ଼ିନ୍ତା ମାନସିକସ୍ତରରେ ଗଭୀର ଆଲୋଡ଼ନ ସୃଷ୍ଟି କରିଥାଏ । ତାତ୍ତ୍ୱିକ ଜ୍ଞାନ ଅପରର ଅଭିଜ୍ଞତାର ସାର ଆଧାରିତ, କିନ୍ତୁ ଆତ୍ମୀୟଙ୍କ ବିୟୋଗରେ ନିଜେ ପ୍ରଭାବିତ ହେଉଥିବା ତଥା ନିଜର ମୃତ୍ୟୁରେ ପରିଚିତ ପୃଥିବୀ ସହ ସମସ୍ତ ସଂପର୍କ ଛିନ୍ନର ସମୀକରଣ ଭିନ୍ନ ଅନୁଭବ ଜନ୍ମାଇଥାଏ ।

 

ବୟସାଧିକ ଅବସ୍ଥା, ଜଟିଳ ରୋଗାକ୍ରାନ୍ତ ଓ ଚ଼ିକିତ୍ସା ବିଫଳକାମୀ ହେଉଥିବା କେତେକ ନିର୍ଦ୍ଦିଷ୍ଟ ରୋଗର ପ୍ରାଦୁର୍ଭାବରେ ସ୍ୱଳ୍ପ ସଂଖ୍ୟକଙ୍କୁ ବାଦଦେଲେ ଅଧିକାଂଶଙ୍କ ପକ୍ଷେ ମୃତ୍ୟୁ ଆକସ୍ମିକଭାବେ ଅବତୀର୍ଣ୍ଣ ହୁଏ । ମୃତ୍ୟୁର ସମ୍ଭାବନାକୁ ଏଡ଼ାଇ ଦେବା ନିମନ୍ତେ ଜୀବନର ପ୍ରତ୍ୟେକସ୍ତରରେ ଉଦ୍ୟମ ଅବ୍ୟାହତ ରହିଥାଏ । ମୂଳତଃ ମୃତ୍ୟୁକୁ ଆମେ ହାରିଯିବା ଅର୍ଥରେ ଗ୍ରହଣ କରୁ । ମୃତ୍ୟୁ ଜୀବନର ଏକ ଅଂଶ ଓ ମୃତ୍ୟୁରେ ଜୀବନଚକ୍ର ପରିପୂର୍ଣ୍ଣ ହେବାରେ ବହୁ ସଂଖ୍ୟକ ବିଶ୍ୱାସ କରି ପାରନ୍ତି ନାହିଁ ।

 

ସମାଜରେ ମୃତ୍ୟୁର ଧାରା ଲାଗି ରହିଥାଏ । କେବଳ ପରିଣତ ବୟସରେ କାହିଁକି, କେତେକ ଶୈଶବ, କିଶୋର, ଯୁବା ବା ପ୍ରାପ୍ତବୟସ୍କ ଅବସ୍ଥାରେ ରୋଗ, ଦୁର୍ଘଟଣା, ହତ୍ୟା ବା ଆତ୍ମହତ୍ୟା ଭଳି ବିଭିନ୍ନ କାରଣରୁ ମୃତ୍ୟୁମୁଖରେ ପଡ଼ିଥାନ୍ତି । ଜୀବିତ ମାତ୍ରେ ମୃତ୍ୟୁ ନିଶ୍ଚିତ । ମନୁଷ୍ୟ ଭବିଷ୍ୟତ ଜୀବନର ସ୍ୱାସ୍ଥ୍ୟ, ବୃତ୍ତି, ପାରିବାରିକ ବନ୍ଧନ ବା ସାମାଜିକ ପ୍ରତିଷ୍ଠା ସଂପର୍କରେ କିଛି ଜାଣି ନଥାଏ । କିନ୍ତୁ ହେତୁ ପାଇବାଦିନୁ ସେ ଯେ ଦିନେ ମୃତ୍ୟୁମୁଖରେ ପଡ଼ିବ ଏହା ବେଶ ଅବଗତ ଥାଏ । ତେବେ ସାଧାରଣରେ ମୃତ୍ୟୁ ସଂପର୍କରେ ଚ଼ିନ୍ତାର ପରିସର ସୀମିତ । ମୃତ୍ୟୁ ସନ୍ନିକଟରେ ପହଞ୍ଚିବା ପୂର୍ବରୁ ଅଧିକାଂଶ ନିଜ ମୃତ୍ୟୁ ସଂପର୍କରେ ଚିନ୍ତାରୁ ଦୂରେଇ ରହୁଥିବା ସ୍ଥଳେ ଅନ୍ତରଙ୍ଗଙ୍କ ବିୟୋଗ କାଳରେ ମୃତ୍ୟୁଭାବନା କ୍ଷଣସ୍ଥାୟୀ ।

 

ମୃତ୍ୟୁକୁ ଏଡ଼ାଇ ଦେବା ନିମନ୍ତେ ଉଦ୍ୟମ ଶିଶୁଟିଏ ଜନ୍ମନେବା ପୂର୍ବରୁ ଆରମ୍ଭ ହୋଇଯାଏ । ଗର୍ଭଧାରଣ ଅବସରରେ ବିଭିନ୍ନ ଟିକାକରଣ, ଶୈଶବରେ ବିଭିନ୍ନ ରୋଗ ପ୍ରତିଷେଧକ ପ୍ରୟୋଗ, କିଶୋର ଓ ଯୌବନରେ ସ୍ୱାସ୍ଥ୍ୟରକ୍ଷା ନିମନ୍ତେ ପ୍ରଶିକ୍ଷଣ ତଥା ପ୍ରାପ୍ତବୟସ୍କଙ୍କ କ୍ଷେତ୍ରରେ ଉଚ୍ଚରକ୍ତଚାପ, ହୃଦରୋଗ, ମଧୁମେହ ଭଳି ଦୀର୍ଘସ୍ଥାୟୀ ରୋଗ କବଳରୁ ବର୍ତ୍ତିବା ପାଇଁ ଅନୁକୂଳ ଜୀବନ ଶୈଳୀ, ପଥ୍ୟ ଓ ଔଷଧ ସେବନ ଶେଷ ଜୀବନ ପର୍ଯ୍ୟନ୍ତ ଲମ୍ୱିଥାଏ ।

 

ଅଧ୍ୟୟନରେ ଦୀର୍ଘକାଳ ଅତିବାହିତ କରିଥିବା ଗବେଷକମାନେ ସାଧାରଣ ଜୀବନରେ ମୃତ୍ୟୁ ଚ଼ିନ୍ତନର ସକାରାତ୍ମକ ଦିଗର ସୂଚନା ଦେଇଥାନ୍ତି । ଏରିକ ବେକରଙ୍କ ମତରେ ମୃତ୍ୟୁ ଚ଼େତନା ମନୁଷ୍ୟକୁ ଅର୍ଥପୂର୍ଣ୍ଣ ଜୀବନ ଯାପନରେ ସହାୟକ ହୋଇଥାଏ । ସାମୟିକ ମୃତ୍ୟୁଚ଼ିନ୍ତନ ମନୁଷ୍ୟ ଜୀବନର ସୀମିତ ଅବଧି ସଂପର୍କରେ ବାରମ୍ୱାର ମନେପକାଇ ଦେଉଥିବା ହେତୁ ମନୁଷ୍ୟ ନିଜ ଜୀବନର ଅତି ଦରକାରୀ କାର୍ଯ୍ୟଧାରାରେ ମନୋନିବେଶ କରିବା ନିମନ୍ତେ ପୁନଃଲକ୍ଷ୍ୟବଦ୍ଧ ହୁଏ । ଅଦରକାରୀ ବା ଅଳ୍ପ ଦରକାରୀ କାର୍ଯ୍ୟଧାରାରୁ ଦୂରେଇ ଯାଏ । ସେହିପରି ନିଜ ଜ୍ଞାତିକୁଟୁମ୍ୱଙ୍କ ଗହଣରେ ସୌହାଦ୍ଦ୍ୟପୂର୍ଣ୍ଣ ଜୀବନଯାପନ ଲାଗି ଯତ୍ନବାନ ହୋଇଥାଏ ।

 

 

ସିଗମଣ୍ଡ ଫ୍ରଏଡ଼ଙ୍କ ବିଚାରରେ ଯେକୌଣସି ବିଷୟରେ ସୀମାବଦ୍ଧତା ସେହି କ୍ଷେତ୍ରରେ ଉପଭୋଗର ମାତ୍ରା ବୃଦ୍ଧିରେ ସହାୟକ । ଜୀବନର ସମୟସୀମା ହୃଦବୋଧ ହେବାପରେ ମନୁଷ୍ୟ ଜୀବନକୁ ପ୍ରାଣଭରି ଉପଭୋଗ କରିବାର ଉପାୟ ଖୋଜେ ।

 

ଆର୍ଥର ସ୍କୋପେନହେନର ସାଧାରଣ ଜୀବନଯାତ୍ରାର ଉଦାହରଣ ଦେଇ ବୁଝାନ୍ତି ଯେ ଅଧିକାଂଶ ମନୁଷ୍ୟ ଭବିଷ୍ୟତ ସ୍ୱପ୍ନରେ ବିଭୋର । ଜୀବନବ୍ୟାପୀ ଏକ କାଳ୍ପନିକ ପରିବେଶରେ ପହଞ୍ଚିବା ଲାଗି ଉଦ୍ୟମ ଜାରୀ ରଖୁଥିବା ହେତୁ ବାସ୍ତବତାରୁ ଦୂରେଇ ରହନ୍ତି । ଫଳରେ ତତ୍କାଳ ଜୀବନଯାତ୍ରାର ସୁଯୋଗସୁବିଧା ଉପଭୋଗରୁ ବଞ୍ଚିତ ହୋଇଥାନ୍ତି । ଆନନ୍ଦ ଲାଗି ଆଶାବାନ ହେବା ବଦଳରେ ଆନନ୍ଦରେ ବଞ୍ଚିବା ଶିଖିବା ଲାଗି ମୃତ୍ୟୁ ଚ଼େତନା ଖୋରାକ ଯୋଗାଇଦିଏ । ଭବିଷ୍ୟତ ଅନିଶ୍ଚିତ, କିନ୍ତୁ ମୃତ୍ୟୁ ସତ୍ୟ । ସୀମିତ ଜୀବନର ଉପଲବ୍ଧି ଉପସ୍ଥିତ ସମୟର ସଦ୍ ବ୍ୟବହାର ଲାଗି ପ୍ରବର୍ତ୍ତାଇଥାଏ ।

 

କେତେକ ନିଜ ଭୁଲଭଟ୍ଟକା ବୁଝିପାରି ଜୀବନଯାତ୍ରା ସଜାଡ଼ିବା ଲାଗି ଠିକ୍ କରିଥାନ୍ତି । ତେବେ ସେଭଳି ପରିବର୍ତ୍ତନ ଆରମ୍ଭ କରିବାଲାଗି ପ୍ରକୃଷ୍ଟ ସମୟ ଅପେକ୍ଷା କରିବସନ୍ତି । ଏହିଭଳି କ୍ଷେତ୍ରରେ ସଠିକ ଉପଲବ୍ଧିର ଅଭାବ ରହୁଛି ବୋଲି ଧରିନେବାକୁ ହେବ । କାରଣ ନ ଜାଣିବା ଓ ଜାଣିଶୁଣି ଗଡ଼େଇ ନେବା ଉଭୟ ଅଜ୍ଞତାର ଅଂଶବିଶେଷ ।

 

ଗବେଷଣାରୁ ଜଣାଯାଏ ଯେ ବୟସ ବୃଦ୍ଧି ସଙ୍ଗେ ମୃତ୍ୟୁ ଭୟ ହ୍ରାସ ପାଇଥାଏ । ଜୀବନର ପ୍ରଥମାର୍ଦ୍ଧରେ ସୃଷ୍ଟି ହେଉଥିବା ମୃତ୍ୟୁ ଭୟ ୬୧ ରୁ ୮୭ ବର୍ଷ ବୟସ ବେଳକୁ ଆୟତ୍ତାଧୀନ ଅବସ୍ଥାକୁ ଆସିଯାଏ । ୨୦୦୦ରେ ଆୟୋଜିତ ଏକ ବୃହତ ସର୍ବେକ୍ଷଣରୁ ମନସ୍ତତ୍ତ୍ୱବିତମାନେ ଏହାର ପ୍ରମାଣ ପାଇଥିଲେ ।

 

ମନୁଷ୍ୟ ମୃତ୍ୟୁର ସନ୍ନିକଟ ହେଲେ ମୃତ୍ୟୁପ୍ରତି ସକାରାତ୍ମକ ମନୋଭାବ ଉଦ୍ରେକ ହୋଇଥାଏ । ୨୦୧୭ରେ ଆୟୋଜିତ ଏକ ପରୀକ୍ଷଣରେ ଦୀର୍ଘକାଳ ଦୁରାରୋଗ ଭୋଗ କରୁଥିବା ଏକ ଦଳ ବ୍ୟକ୍ତିଙ୍କୁ ମୃତ୍ୟୁ ସଂପର୍କରେ ରଚନା ଲେଖିବାକୁ କୁହାଯାଇଥିଲା । ପରେ ଆସନ୍ନ-ମୃତ୍ୟୁ ଅପେକ୍ଷାରତ ଅନ୍ୟ ଏକ ଦଳର ସଦସ୍ୟଙ୍କ ଦ୍ୱାରା ଅନୁରୂପ ରଚନା ଲେଖାଯାଇଥିଲା । ଦୁଇ ଦଳର ରଚନା ଅନୁଶୀଳନରେ ପ୍ରଥମ ଦଳର ରଚନା ତୁଳନାରେ ଦ୍ୱିତୀୟ ଦଳର ରଚନାରେ ଅଧିକ ସଂଖ୍ୟକ ସକାରାତ୍ମକ ଶବ୍ଦ ବ୍ୟବହୃତ ହୋଇଥିବା ହିସାବ କରାଯାଇଥିଲା ।

 

ଅନ୍ୟ କେତେକ ଗବେଷଣାର ନିର୍ଯ୍ୟାସ ଅନୁଯାୟୀ ମନୁଷ୍ୟ ମୃତ୍ୟୁର ନିକଟତର ହେବା ଅବସରରେ ଅତୀତ ଘଟଣାବଳୀ କିମ୍ୱା ଭବିଷ୍ୟତ ସମ୍ଭାବନା ସଂପର୍କରେ ଚ଼ିନ୍ତିତ ନହୋଇ ବର୍ତ୍ତମାନର ଜୀବନଯାତ୍ରା ପ୍ରତି ଅଧିକ ଆଗ୍ରହ ପ୍ରକାଶ କରିଥାଏ । ଫଳତଃ ଏହି ପରିବେଶରେ ମନୁଷ୍ୟର ମନ ଶାନ୍ତ ଓ ଆଭିମୁଖ୍ୟ ସରଳ ହୋଇଆସେ ।

 

ମୃତ୍ୟୁ ଚ଼େତନା ପ୍ରସାର ଏକପକ୍ଷରେ ବ୍ୟକ୍ତିଗତସ୍ତରରେ ମୃତ୍ୟୁ ସମ୍ମୁଖୀନ ହେବା ନିମନ୍ତେ ମାନସିକତା ଦୃଢ଼ୀକରଣ ସାଙ୍ଗକୁ ମୃତ୍ୟୁପୂର୍ବ ଜୀବନଚର୍ଯ୍ୟା ଲାଗି ପୂର୍ବ-ପ୍ରସ୍ତୁତିରେ ସହାୟକ । ଅପରପକ୍ଷେ ସାମୂହିକସ୍ତରରେ ଚର୍ଚ୍ଚା ଆବଶ୍ୟକୀୟ ସାମାଜିକ ଭିତ୍ତିଭୂମି ଗଢ଼ି ତୋଳିବା ନିମନ୍ତେ ପରିବେଶ ସୃଷ୍ଟି କରେ । ଉଦାହରଣରେ ବୃଦ୍ଧ ଜନସଂଖ୍ୟା ବୃଦ୍ଧିସହ ସମତାଳ ଦେଇ ଆଲଜମିରସ ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଥିବା ଅବସରରେ ମତିଭ୍ରମ ଅବସ୍ଥାରେ କିପରି ସହାୟତା, ସୁରକ୍ଷା ଓ ଚ଼ିକିତ୍ସା ଯୋଗାଇ ଦିଆଯାଇ ପାରିବ ସେଦିଗରେ ସାମାଜିକସ୍ତରରେ ଉଦ୍ୟମ ଆବଶ୍ୟକ ପଡ଼ିଥାଏ । ସିଙ୍ଗାପୁର, ଆଷ୍ଟ୍ରେଲିଆ, କାନାଡ଼ା ଭଳି ବିକଶିତ ରାଷ୍ଟ୍ରଗୁଡ଼ିକରେ ମତିଭ୍ରମ-ରୋଗାକ୍ରାନ୍ତଙ୍କ ଯତ୍ନ ଏକ ଜନସ୍ୱାସ୍ଥ୍ୟ ସମସ୍ୟାରୂପେ ସ୍ୱୀକୃତ ।

 

ମୃତ୍ୟୁ ଚେତନା ଅଭାବରୁ ମୃତ୍ୟୁ ସମ୍ମୁଖୀନ ହେବା ଲାଗି ପୂର୍ବପ୍ରସ୍ତୁତି ହାର ସୀମିତ । ମୃତ୍ୟୁପରେ ବ୍ୟକ୍ତିଗତ ସମ୍ପତ୍ତି ଉପଯୋଗ ଓ ମୃତ୍ୟୁ ସନ୍ନିକଟ ଚ଼ିକିତ୍ସା ସଂପର୍କରେ ବହୁ ବ୍ୟକ୍ତି ନିଜସ୍ୱ ମତ ପୋଷଣ କରିଥାନ୍ତି । ତେବେ ଅଧିକାଂଶକ୍ଷେତ୍ରରେ ଆବଶ୍ୟକୀୟ ନଥିପତ୍ର ଅଭାବରୁ ସେହିଭଳି ଅଭିଳାଷଗୁଡ଼ିକ ଜ୍ଞାତିକୁଟୁମ୍ୱ କାର୍ଯ୍ୟକାରୀ କରିପାରିନଥାନ୍ତି । ଏହି କ୍ଷେତ୍ରରେ ବିଧିବଦ୍ଧ ଇଚ୍ଛାପତ୍ର ପ୍ରସ୍ତୁତି ଆଇନତଃ ଆବଶ୍ୟକ ପଡ଼ିଥାଏ । ବ୍ରିଟେନଭଳି ବିକଶିତ ରାଷ୍ଟ୍ରରେ ମାତ୍ର ୩୬ ପ୍ରତିଶତ ବରିଷ୍ଠ ନାଗରିକ ଇଚ୍ଛାପତ୍ର ଉଇଲପ୍ରସ୍ତୁତ କରୁଥିବା ଜଣାଯାଏ ।

 

ବ୍ୟକ୍ତିବ୍ୟକ୍ତି ମଧ୍ୟରେ ପାରସ୍ପରିକ ଆଳାପ ଆଲୋଚ଼ନା ଇଣ୍ଟର-ପରସନାଲ କମ୍ୟୁନିକେସନ ଉଭୟ ବ୍ୟକ୍ତିଗତ ଓ ସାମୂହିକସ୍ତରରେ ମୃତ୍ୟୁ ଚ଼େତନା ପ୍ରସାରର ଏକ ମୁଖ୍ୟ ମାଧ୍ୟମ । ତେବେ ପାରମ୍ପରିକଭାବେ ମୃତ୍ୟୁ ଚ଼ିନ୍ତନକୁ କେଉଁବି ସ୍ତରରେ ଗୁରୁତ୍ୱ ଦିଆଯାଏ ନାହିଁ । ବ୍ରିଟେନରେ ୨୦୧୪ରେ ଆୟୋଜିତ ଏକ ସର୍ବେକ୍ଷଣରେ ମାତ୍ର ୨୧ ପ୍ରତିଶତ ବରିଷ୍ଠ ନାଗରିକ ଅପରସଙ୍ଗେ ମୃତ୍ୟୁ ସଂପର୍କରେ ଆଲୋଚନା କରିଥିବା ସ୍ୱୀକାର କରିଥିଲେ । ବ୍ରିଟେନ ଓ ୟୁରୋପୀୟ ଦେଶପୁଞ୍ଜରେ ମୃତ୍ୟୁ ଚ଼େତନାଧର୍ମୀ ସାମାଜିକ ସଂଗଠନମାନଙ୍କ ଶୀର୍ଷ ଅନୁଷ୍ଠାନ ଡ଼ାଏଙ୍ଗ ମେଟରର୍ସ କୋଏଲିସନ ପକ୍ଷରୁ ସର୍ବସାଧାରଣରେ ମୃତ୍ୟୁ ଚ଼ିନ୍ତନ ସୁଯୋଗ ସୃଷ୍ଟି ନିମନ୍ତେ ଉଦ୍ୟମ କରାଯାଉଛି । ମୃତ୍ୟୁ ସମୀପ ଜୀବନରେ ବହୁ ସଂଖ୍ୟକ ବ୍ୟକ୍ତି ଉପଯୁକ୍ତ ଯତ୍ନ ପାଇପାରୁନଥିବା ହେତୁ ସେଦିଗରେ ସାମାଜିକସ୍ତରରେ ଦୃଷ୍ଟି ଆକର୍ଷଣ ଏହିଭଳି ସାଂଗଠନିକ ପ୍ରଚେଷ୍ଟାର ମୂଳଲକ୍ଷ୍ୟ । ଡ଼େଥ କାଫେଡ଼େଥ ସେଲୁନ ଭଳି ସଂସ୍ଥାଗୁଡ଼ିକର କାର୍ଯ୍ୟଧାରା ଆନ୍ତର୍ଜାତିକସ୍ତରରେ ଦୃଷ୍ଟି ଆକର୍ଷଣ କରିଥାଏ ।

 

ଅନ୍ୟ ଦାର୍ଶନିକଗଣ ମୃତ୍ୟୁ ଚ଼େତନାକୁ ସୂର୍ଯ୍ୟକିରଣ ସହ ତୁଳନା କରିଥାନ୍ତି । ସାମୟିକଭାବେ ଅଳ୍ପକ୍ଷଣ ସୂର୍ଯ୍ୟପ୍ରଭା ଉପକାରୀ, ତେବେ ଦୀର୍ଘକାଳ ସଂଦର୍ଶନ ଦୃଷ୍ଟିଶକ୍ତି ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ । ଠିକ୍ ସେହିପରି ମୃତ୍ୟୁ ଚିନ୍ତା ସୀମିତମାତ୍ରାରେ ଜୀବନ ଯାପନ ନିମନ୍ତେ ଉପକାରୀ ସାବ୍ୟସ୍ତ ହେଉଥିବା ସ୍ଥଳେ ମୃତ୍ୟୁ ଚେତନାରେ ନିଜକୁ ବିସର୍ଜି ଦେଲେ ଦୁର୍ଲଭ ଜୀବନ ଅବହେଳିତ ହେବାର ସମ୍ଭାବନାକୁ ଏଡ଼ାଇ ଦେଇ ହୁଏ ନାହିଁ ।

 

ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଡ଼ିସେମ୍ୱର ୨୦୨୦

 

---

 

ତଥ୍ୟ:

 

Fernandopulle, Anuskha. How contemplating death can improve your life. Ten Percent Happier. July 23, 2020.

 

https://www.tenpercent.com/meditationweeklyblog/how-contemplating-death-can-improve-your-life

 

The psychological benefits of contemplating death.

 

https://academyofideas.com/2018/01/psychological-benefits-of-contemplating-death/

 

Kluger, Jeffrey. How to become less afraid of death. Time.com. February 15, 2018.

 

https://time.com/5159892/how-to-become-less-afraid-of-death/

 

Gunaratnam, Yasmin. Death matters-so why do the British hate talking about it ? theconversation.com. May 14, 2014.

 

https://theconversation.com/death-matters-so-why-do-the-british-hate-talking-about-it-26653

ବାର୍ଦ୍ଧକ୍ୟରେ ମୃତ୍ୟୁ ସାକ୍ଷରତା 

ମୃତ୍ୟୁ ସଂପର୍କରେ ସାଧାରଣ ଜ୍ଞାନକୁ ‘ମୃତ୍ୟୁ ସାକ୍ଷରତା’ କୁହାଯାଇପାରେ । ପ୍ରାଣୀ ଜୀବନରେ ମୃତ୍ୟୁ ତଥା ମୃତ୍ୟୁ-ସମୀପ-ଜୀବନ ସର୍ବାପେକ୍ଷା ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ହୋଇଥିଲେ ହେଁ ଜନଜୀବନରେ ଏହାର ତାତ୍ତ୍ୱିକ ବିଶ୍ଳେଷଣ କିମ୍ୱା ପୂର୍ବ-ପ୍ରସ୍ତୁତି ଅବହେଳିତ । ମୃତ୍ୟୁ ଅପରାଜୟ, ତେଣୁ ଭୀତିପ୍ରଦ । ଗୁରୁତର ଅସୁସ୍ଥ ହୋଇ ଆରୋଗ୍ୟ ଲାଭ ଆଶା ହରାଉଥିବା କିମ୍ୱା ଉତ୍ତର-ବାର୍ଦ୍ଧକ୍ୟରେ ସ୍ୱାଭାବିକ ଜୀବଦ୍ଦଶା ଅତିକ୍ରମ କରୁଥିବା ଅବସରରେ ସୁଦ୍ଧା ମୃତ୍ୟୁ ଚର୍ଚ୍ଚା ବିରଳ । ଜୀବନବ୍ୟାପୀ ମୃତ୍ୟୁ ସାକ୍ଷରତା ପ୍ରାସଙ୍ଗିକ ଥିବା ସ୍ଥଳେ ବହୁ ସଂଖ୍ୟକ ପରିଣତ ବୟସରେ ମୃତ୍ୟୁ ସମ୍ମୁଖୀନ ହେଉଥିବା ପରିସଂଖ୍ୟାନ ଦୃଷ୍ଟିରୁ ବାର୍ଦ୍ଧକ୍ୟରେ ଅପରିହାର୍ଯ୍ୟ ବିଚାର କରାଯାଇପାରେ ।

 

ମୃତ୍ୟୁ ସାକ୍ଷରତା ବ୍ୟକ୍ତିକୁ ମୃତ୍ୟୁ ସମ୍ମୁଖୀନର ବାସ୍ତବତା ଓ ମୃତ୍ୟୁ-ସମୀପ-ଜୀବନ ଅତିବାହିତ କରିବା  ନିମନ୍ତେ ଉପଲବ୍ଧ ସୁବିଧା-ସୁଯୋଗଗୁଡ଼ିକ ସଂପର୍କରେ ଅବହିତ କରାଇ ସଚ଼େତ ପଥ ନିର୍ଦ୍ଧାରଣ ନିମନ୍ତେ ଦକ୍ଷତା ପ୍ରଦାନ କରିଥାଏ । ବୃଦ୍ଧ ଜନସଂଖ୍ୟା ବୃଦ୍ଧି ଓ ବର୍ଦ୍ଧିତ ଜୀବଦ୍ଦଶା ପରିବେଶରେ ବ୍ୟକ୍ତିଗତ ଓ ସାମୂହିକସ୍ତରରେ ମୃତ୍ୟୁ ସାକ୍ଷରତା ପ୍ରସାର ଜନସ୍ୱାସ୍ଥ୍ୟ ସୁରକ୍ଷାରେ ସହାୟକ । ବରିଷ୍ଠ ନାଗରିକଙ୍କ ଜୀବନଧାରଣର ମାନ ଉନ୍ନତି ଲାଗି ଅଭିପ୍ରେତ ।

 

ଜନସାଧାରଣଙ୍କ ମୃତ୍ୟୁ ସଂପର୍କୀତ ଅଭିଜ୍ଞତା ‘ୱିଟନେସିଂ ଡ଼େଥ’ ଓ ସାର୍ବଜନୀନ ଶିକ୍ଷା ‘ପବ୍ଳିକ ଏଜୁକେସନ’ ମୃତ୍ୟୁ ସାକ୍ଷରତା ପ୍ରସାରର ଦୁଇ ମୁଖ୍ୟ ଉତ୍ସ । ଏକପକ୍ଷରେ ବ୍ୟକ୍ତି ନିଜ ପୂର୍ବଜଙ୍କ ମୃତ୍ୟୁ ସାକ୍ଷ୍ୟରୁ ଅଭିଜ୍ଞତା ହାସଲ କରିଥାଏ । ଏଥିପ୍ରତି ସଜାଗ ରହିବା ଓ ଅପରକୁ ମୃତ୍ୟୁ-ସମୀପ ଜୀବନରେ ସହାୟତା ଯୋଗାଇବା ଅବସରରେ ମୃତ୍ୟୁର ବାସ୍ତବ ରୂପ ହୃଦୟଙ୍ଗମ ସାମର୍ଥ୍ୟ ମିଳେଏତାଦୃଶ ଅଭିଜ୍ଞତା ପରବର୍ତ୍ତୀ ଜୀବନଲାଗି ପୁଞ୍ଜି ପାଲଟେଅପରପକ୍ଷେ ମୃତ୍ୟୁ ସାହିତ୍ୟ ଅଧ୍ୟୟନ, ସେବା-ସୁଶୃଷା ସଂପର୍କୀତ ତାଲିମ ଓ ବୌଦ୍ଧିକ ଚର୍ଚ୍ଚାରେ ଅଂଶଗ୍ରହଣ ମୃତ୍ୟୁର ସ୍ୱରୂପ ସଂପର୍କରେ ପରିଚ଼ିତ କରାଇପାରେଏହା ବ୍ୟକ୍ତିଗତ, ପାରିବାରିକ ଓ ସାମାଜିକସ୍ତରରେ ମୂଲ୍ୟବାନ ପ୍ରମାଣିତ ।

 

ମୃତ୍ୟୁ-ସମୀପ ଜୀବନରେ ଉପସ୍ଥିତ ବ୍ୟକ୍ତିବିଶେଷଙ୍କ ମୃତ୍ୟୁ ପ୍ରତି ଦୃଷ୍ଟିକୋଣ ପରିମାପ ଉଦ୍ଦେଶ୍ୟରେ ବ୍ରିଟେନର ଦଳେ ମନୋବିଜ୍ଞାନୀ ଲିସା ଗ୍ରାହାମ-ୱାଇଜନରଙ୍କ ନେତୃତ୍ୱରେ ୨୦୨୧ରେ ୮,୦୭୭ ଜଣ ବ୍ରିଟିଶ ନାଗରିକଙ୍କ ମଧ୍ୟରେ ଏକ ସର୍ବେକ୍ଷଣ ଆୟୋଜନ କରିଥିଲେ । ଗବେଷଣାଲବ୍ଧ ତଥ୍ୟ ବିଶ୍ଳେଷଣରୁ ଜଣାଯାଇଥିଲା ଯେ ଯନ୍ତ୍ରଣା ବିହୀନ ମୃତ୍ୟୁ ନିମନ୍ତେ ସର୍ବାଧିକ ବ୍ୟକ୍ତି ଗୁରୁତ୍ୱ ଆରୋପ କରିଥାନ୍ତି । ଏଥିସହ ନିଜ ପ୍ରିୟଜନଙ୍କ ମେଳରେ ପ୍ରାଣତ୍ୟାଗ କରିବା ଓ ସମ୍ମାନଜନକ ମୃତ୍ୟୁ ଆଶା ଅନ୍ୟ ଦୁଇଗୋଟି ଅଭିପ୍ସାଉଲ୍ଲେଖଯୋଗ୍ୟ ବିଷୟ ଏହି ଯେ ଏହି ଆକାଂକ୍ଷାଗୁଡ଼ିକ ସଂପର୍କରେ ସେମାନେ ପ୍ରକାଶ୍ୟରେ କାହାସହ ଆଲୋଚ଼ନା କରିନଥିଲେ । ଅର୍ଥାତ, ନିଜ ମୃତ୍ୟୁ ସଂପର୍କରେ ଚର୍ଚ୍ଚାରୁ ଦୂରେଇ ରହିଥିଲେ ।

 

ଗବେଷକଗଣ ସୂଚାଇଥିଲେ ଯେ ମନୁଷ୍ୟ ବାର୍ଦ୍ଧକ୍ୟାବସ୍ଥାରେ ଶାରିରୀକ ଓ ମାନସିକସ୍ତରରେ ଦୁର୍ବଳ ହେବା ସ୍ୱାଭାବିକ । କେତେକଙ୍କ କ୍ଷେତ୍ରରେ ମୃତ୍ୟୁ-ସମୀପ ଜୀବନରେ ନିଜ ଆଶା ଆକାଂକ୍ଷା ବର୍ଣ୍ଣନା କରିବା ଶକ୍ତି ହରାଇବା ଅସଂଭବ ନୁହେ । ଏହି ଦୃଷ୍ଟିରୁ ସୁସ୍ଥ ଶାରିରୀକ ଓ ମାନସିକ ଅବସ୍ଥାରେ ନିଜ ମୃତ୍ୟୁ ସଂପର୍କରେ ଅଗ୍ରାଧିକାରଗୁ଼ଡ଼ିକ ସଂପର୍କରେ ପରିବାରବର୍ଗ ଓ ବନ୍ଧୁପରିଜନଙ୍କ ମଧ୍ୟରେ ଚର୍ଚ୍ଚା ଉପାଦେୟ । ମୃତ୍ୟୁ-ପୂର୍ବ ଓ ମୃତ୍ୟୁ-ପର ଜୀବନର ଶେଷ ଅବସ୍ଥାରେ ଉପଲବ୍ଧ ଯତ୍ନ, ଚ଼ିକିତ୍ସା ଓ ସ୍ମାରକୀ ସଂପର୍କରେ ବୈଷୟିକ ଓ ସାମାଜିକ ଜ୍ଞାନ ବ୍ୟକ୍ତିଗତ ଜୀବନରେ ନୀତି ନିର୍ଦ୍ଧାରଣରେ ସହାୟକ ହୋଇଥାଏ । ଏହି ଦୃଷ୍ଟିରୁ ମୃତ୍ୟୁ ସାକ୍ଷରତା ଦିଗରେ ଧ୍ୟାନ ଦେବା ବିଧେୟ ବିଚାର କରାଯାଇପାରେ ।

 

ସର୍ବେକ୍ଷଣରୁ ଜଣାଯାଇଥିଲା ଯେ ବ୍ରିଟେନ ଭଳି ବିକଶିତ ରାଷ୍ଟ୍ରରେ ୨୦୪୦ ସୁଦ୍ଧା ବାର୍ଦ୍ଧକ୍ୟଜନିତ ମୃତ୍ୟୁ ମୁଖ୍ୟତଃ ବାସଗୃହ କିମ୍ୱା ଅବସର ବିହାର ‘କେର ହୋମ’ରେ ଘଟିବ । ଭାରତ ଏକ ବିକାଶଶୀଳ ରାଷ୍ଟ୍ର ପର୍ଯ୍ୟାୟଭୁକ୍ତ ହୋଉଥିଲେହେଁ ଅନ୍ତତଃପକ୍ଷେ ସମାଜର ଉଚ୍ଚଶିକ୍ଷିତ ଓ ଆର୍ଥିକ ଦିଗରୁ ସ୍ୱଚ୍ଛଳ ଉଚ୍ଚ ମଧ୍ୟବିତ୍ତ ପରିବାର ବର୍ଗଙ୍କ କ୍ଷେତ୍ରରେ ବିଦେଶର ଅବସ୍ଥା ସମଭାବେ ପ୍ରତିଫଳିତ ହେବା ଅନୁମାନ କରାଯାଇପାରେ । ପରିବର୍ତ୍ତିତ ପରିବେଶରେ ଏଠାରେ ପରିବାରରେ ସଦସ୍ୟ ସଂଖ୍ୟା କମି ଯାଉଥିବା ଓ ଅବସର ବିହାର ସୁବିଧାସୁଯୋଗ ଆରମ୍ଭ ହୋଇନଥିବା ହେତୁ ବର୍ଦ୍ଧିତ ବାର୍ଦ୍ଧକ୍ୟଗ୍ରସ୍ତଙ୍କ ମୃତ୍ୟୁସଂଖ୍ୟା ପରିଚାଳନା ନିମନ୍ତେ ବ୍ୟାପକ ଆୟୋଜନ ଜରୁରି ହୋଇପଡ଼ିଛି । ଏହି ପ୍ରକ୍ରିୟାରେ ସକ୍ରିୟ ଅଂଶଗ୍ରହଣଲାଗି ମୃତ୍ୟୁ ସାକ୍ଷରତାର ପ୍ରସାର ଗୁରୁତ୍ୱପୂର୍ଣ୍ଣ ।

 

ସ୍ଥୁଳ ବିଚାରରେ ମୃତ୍ୟୁ ସାକ୍ଷରତା ସାମାଜିକସ୍ତରରେ ବ୍ୟକ୍ତିର ମୃତ୍ୟୁ ସଂପର୍କୀତ ଜଟିଳତା ସମାଧାନରେ ସହାୟକ । ଉଦାହରଣରେ ଚ଼ିକିତ୍ସାବିଦ୍ୟା ପ୍ରଗତିରେ ଗୁରୁତର ଅସୁସ୍ଥ ତଥା ଆରୋଗ୍ୟ ଲାଭର ଆଶା ହରାଇଥିଲେ ସୁଦ୍ଧା ମନୁଷ୍ୟକୁ ବୈଷୟିକ ସାଜ-ସରଞ୍ଜାମ ଉପଯୋଗରେ ଦୀର୍ଘକାଳ ବଞ୍ଚାଇ ରଖିବା ସୁବିଧା ଉପଲବ୍ଧ । ଏହି ପରିପ୍ରେକ୍ଷୀରେ ତିନିଗୋଟି ସମସ୍ୟା ଉପୁଜେ – ପ୍ରଥମତଃ ରୋଗୀ ଯନ୍ତ୍ରଣା ଶୀକାର ହୁଏ, ଦ୍ୱିତୀୟତଃ, ରୋଗୀର ଚ଼ିକିତ୍ସା ଜାରି ରଖିବେ ନା ନାହିଁ ସେ ସଂପର୍କରେ ଚ଼ିକିତ୍ସକ ଦ୍ୱନ୍ଦରେ ପଡନ୍ତି, ପରିବାରବର୍ଗଙ୍କୁ ପଚାରନ୍ତି ଏବଂ ତୃତୀୟତଃ ଏ ସଂପର୍କରେ ଆକ୍ରାନ୍ତ ବ୍ୟକ୍ତିଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ପୂର୍ବ-ସୂଚନା ଅଭାବରେ ପରିବାରବର୍ଗ ନିଷ୍ପତି ଗ୍ରହଣରେ ଅସମର୍ଥ ହୁଅନ୍ତି । ଅଧିକାଂଶ କ୍ଷେତ୍ରରେ ଚ଼ିକିତ୍ସାଧୀନ ଅବସ୍ଥାରେ ହିଁ ରୋଗୀଙ୍କ ମୃତ୍ୟୁ ଘଟେ ।

 

ଗୁରୁତର ଅସୁସ୍ଥ ହେବା ବହୁ ପୂର୍ବରୁ ସୁସ୍ଥ ଶରୀର ଓ ମାନସିକ ଅବସ୍ଥାରେ ଯଦି କେହି ନିଜ ଅନ୍ତିମ-ଚ଼ିକିତ୍ସା-ଇଚ୍ଛାପତ୍ର ‘ଲିଭିଂ ୱିଲ’ ପ୍ରସ୍ତୁତ କରିଥାନ୍ତି, ତେବେ ଉପରବର୍ଣ୍ଣିତ ସମସ୍ୟାଗୁଡ଼ିକୁ ଏଡ଼ାଇ ଦିଆଯାଇ ପାରନ୍ତା । ଜଣେ ବ୍ୟକ୍ତି ନିଜେ ନିଜ ଚ଼ିକିତ୍ସା ପାଇଁ ନିଷ୍ପତି ଗ୍ରହଣ କ୍ଷମତା ହରାଇବାପରେ କେଉଁ ସବୁ କୃତ୍ରିମ ଜୀବନ ଧାରଣ ଚ଼ିକିତ୍ସା ପଦ୍ଧତି ଉପଯୋଗ ନିମନ୍ତେ ଅନିଚ୍ଛୁକ, ତାହା ପୂର୍ବରୁ ଲିଖିତ ଆକାରରେ ପ୍ରସ୍ତୁତ କରିପାରିବେ । ସାଧାରଣରେ ପରିବାର, ବନ୍ଧୁପରିଜନ ଓ ଚିକିତ୍ସକଙ୍କ ଉପସ୍ଥିତିରେ ଏଭଳି ଦଲିଲ ପ୍ରସ୍ତୁତ କରାଯାଏ । ଭାରତରେ ସୁପ୍ରିମକୋର୍ଟଙ୍କ ୨୦୧୮ ରାୟ ଅନୁଯାୟୀ ଏଭଳି ଅନ୍ତିମ ନିର୍ଦ୍ଦେଶିକାର ସରକାରୀ ବୈଧୀକରଣ ବ୍ୟବସ୍ଥା ରହିଛି

 

ଆକସ୍ମିକଭାବେ ଗୁରୁତର ଅସୁସ୍ଥ ହୋଇପଡ଼ିବା ଉଦାହରଣରେ ଅଭାବ ନଥାଏ । କେତେକ କ୍ଷେତ୍ରରେ ବ୍ୟକ୍ତି ଦୀର୍ଘକାଳ ଚ଼ିକିତ୍ସିତ ହୋଇ ପ୍ରାଣ ହରାଏ । ଏହି ଅବସରରେ ସଂପୃକ୍ତ ବ୍ୟକ୍ତି ‘ଇଣ୍ଟେନସିଉଭ କେର ୟୁନିଟ’ରେ ଯାନ୍ତ୍ରିକ ସାହାୟତାରେ ବଞ୍ଚିବା ପସନ୍ଦ କରିବ କି, ଚ଼ିକିତ୍ସା ଦ୍ୱାରା ଆରୋଗ୍ୟ ଲାଭର ଆଶା ନଥିବା ସ୍ଥଳେ ଚ଼ିକିତ୍ସା ଜାରି ରଖାଯିବ କି ଏବଂ ଯନ୍ତ୍ରଣାମୁକ୍ତ ଜୀବନ କଳ୍ପେ କୃତ୍ରିମ ଜୀବନଧାରଣ ବଦଳରେ ମୃତ୍ୟୁବରଣ ଶ୍ରେୟସ୍କର କି ଭଳି ପ୍ରଶ୍ନର ଉତ୍ତର ଅସୁସ୍ଥ ହେବା ପୂର୍ବରୁ ଘୋଷଣା କରିବା ମୃତ୍ୟୁ ସାକ୍ଷରତା ଦ୍ୱାରା ସଂଭବ । ଉଲ୍ଲେଖଯୋଗ୍ୟ ବିଷୟ ଏହିଯେ ଅନ୍ତିମ ଚ଼ିକିତ୍ସା ସଂପର୍କରେ ସ୍ପଷ୍ଟ ସୂଚନା ଅଭାବରେ ଆକ୍ରାନ୍ତ ବ୍ୟକ୍ତିଙ୍କ ପରିବାରବର୍ଗ ଅଯଥା ଉଦବିଗ୍ନତା ‘ଏଙ୍ଗଜାଇଟି’ ଓ ଅବସାଦ ‘ଡିପ୍ରେସନ’ର ଶୀକାର ହେଉଥିବା ଗବେଷଣାରୁ ଜଣାଯାଏ । ପୀଡ଼ିତଙ୍କ ଚ଼ିକିତ୍ସା ନିଷ୍ପତ୍ତିକୁ କେନ୍ଦ୍ରକରି ପରିବାର ସଦସ୍ୟମାନଙ୍କ ମଧ୍ୟରେ ମତ ପାର୍ଥକ୍ୟ ହେତୁ କଳହ ଉପୁଜେ । ଅତଏବ ନିଜ ସହ ନିଜ ପରିବାରବର୍ଗ ବନ୍ଧୁପରିଜନଙ୍କ ହିତ ଦୃଷ୍ଟିରୁ ଅଗ୍ରୀମ ନିର୍ଦ୍ଦେଶିକା ଗୁରୁତ୍ୱବହନ କରେ ।

 

ପରିବର୍ତ୍ତିତ ପରିବେଶରେ ସ୍ୱାଧୀନ ଓ ସ୍ୱାଭିମାନୀ ବ୍ୟକ୍ତିପକ୍ଷେ ମୃତ୍ୟୁ-ସମୀପ-ଜୀବନ ପରିଚାଳନା ନିମନ୍ତେ ମୃତ୍ୟୁ ସାକ୍ଷରତା ସମକାଳରେ ଉପଲବ୍ଧ ସୁବିଧା ସୁଯୋଗ ସଂପର୍କରେ ପରିଚ଼ିତ କରାଇଥାଏ । ବ୍ୟକ୍ତିଗତସ୍ତରରେ ମୃତ୍ୟୁ ସଂପର୍କରେ ସଚ଼େତନ ହେବା ପରେ ସାମୂହିକସ୍ତରରେ ଜ୍ଞାନ ଉପଯୋଗ ନିମନ୍ତେ ପଥ ଉନ୍ମୁକ୍ତ ହୋଇପାରେ । ସାମାଜିକ ବ୍ୟବସ୍ଥା ସାମୂହିକ ଉଦ୍ୟମ ସମୃଦ୍ଧ ହେଉଥିବା ଏବଂ କେତେକ କ୍ଷେତ୍ରରେ ବ୍ୟକ୍ତିଗତ ଦକ୍ଷତା ବଳରେ ଆକାଂକ୍ଷିତ କାର୍ଯ୍ୟସାଧନ ସଂଭବପର ନଥିବା ହେତୁ ନିଜେ ମୃତ୍ୟୁ ସାକ୍ଷର ହୋଇ ଅନ୍ୟମାନଙ୍କୁ ସେହି ଦିଗରେ ଅନୁପ୍ରାଣିତ କରାଇବା ଗୁରୁଦାୟିତ୍ୱ ଆବଶ୍ୟକ ପଡ଼େ । 

 

ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧୫ ସେପ୍ଟେମ୍ୱର ୨୦୨

 

ଆଧୁନିକ ପରିବେଶରେ ମୃତ୍ୟୁ-ସମୀପ-ଜୀବନ ବର୍ଣ୍ଣନାତ୍ମକ ମାର୍କିନ ଭିଡ଼ିଓ ୟୁ-ଟ୍ୟୁବ ମଞ୍ଚରେ ଉପଲବ୍ଧ (୫୩ ମିନଟ)

 

Watch “Life and Death in Assisted Living (Full documentary)/ FRONTLINE”  YouTube

 

https://youtu.be/j5wxhOslUfE?si=5AKpnGzKE7f7HP5h

 

ତଥ୍ୟ:

 

Death literacy : Why it’s important to talk about dying

 

https://theconversation.com/death-literacy-why-its-important-to-talk-about-dying-184087

 

Death and despair or peace and contentment : why families need to talk about end-of-life options

 

https://theconversation.com/death-and-despair-or-peace-and-contentment-why-families-need-to-talk-about-end-of-life-options-4311


‘ଲିଭିଂ ୱିଲ’ ବା  ‘ଅନ୍ତିମ- ଚ଼ିକିତ୍ସା ଇଚ୍ଛାପତ୍ର’

ଲିଭିଂ ୱିଲର ଓଡ଼ିଆ ଅନୁବାଦ ଅନ୍ତିମ-ଚ଼ିକିତ୍ସା ଇଚ୍ଛାପତ୍ର କୁହାଯାଇପାରେ । ମନୁଷ୍ୟ ରୋଗାକ୍ରାନ୍ତ ହୋଇ କିମ୍ୱା ଉତ୍ତର-ବାର୍ଦ୍ଧକ୍ୟରେ ମାନସିକ ସନ୍ତୁଳନ ଅଭାବ କାରଣରୁ ଚ଼ିକିତ୍ସା ନିମନ୍ତେ ନିଜ ମତ ପ୍ରକାଶରେ ଅକ୍ଷମ ଅବସ୍ଥାରେ ପହଞ୍ଚିବା ଅବସରରେ ସେ କେଉଁସବୁ ପ୍ରଣାଳୀରେ ଚ଼ିକିତ୍ସାଧୀନ ହେବାକୁ ଚ଼ାହେଁ ନାହିଁ ତାହା ଅନ୍ତିମ-ଚ଼ିକିତ୍ସା ଇଚ୍ଛାପତ୍ରରେ ପୂର୍ଣ୍ଣସକ୍ଷମ ଅବସ୍ଥାରେ ଲିପିବଦ୍ଧ କରିଥାଏ ।

ଏହି ଆଇନାନୁମୋଦିତ ଦଲିଲ ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ପରବର୍ତ୍ତୀ ଜୀବଦ୍ଦଶାରେ ଆବଶ୍ୟକସ୍ଥଳେ ଚ଼ିକିତ୍ସକଙ୍କ ପାଇଁ ନିର୍ଦ୍ଦେଶିକା ରୂପେ ବ୍ୟବହୃତ ହୋଇଥାଏ । ଭାରତର ସୁପ୍ରିମ କୋର୍ଟଙ୍କ ୯ ମାର୍ଚ୍ଚ ୨୦୧୮ର ରାୟ ଅନୁଯାୟୀ ଏଭଳି ଦଲିଲ ପ୍ରସ୍ତୁତି ଓ ଚ଼ିକିତ୍ସକମାନଙ୍କ ଦ୍ୱାରା ଉପଯୋଗ ଆଇନାନୁମୋଦିତ ହୋଇଛି ।ପାର୍ଲାମେଣ୍ଟରେ ଏଥିନିମନ୍ତେ ଆବଶ୍ୟକୀୟ ଆଇନ ପ୍ରଣୟନ ଯାଏଁ କୋର୍ଟଙ୍କ ଦ୍ୱାରା ପ୍ରଣୀତ ନିୟମାବଳୀ ବଳବତ୍ତର ରହିବ ବୋଲି ଅଦାଲତ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଲିଭିଂ ୱିଲ ବୈଧକରଣ ଭାରତର ମାନବାଧିକାର ଆଇନ ଇତିହାସରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି । ଆନ୍ତର୍ଜାତିକସ୍ତରରେ ଯୁକ୍ତରାଷ୍ଟ୍ର ଆମେରିକାର କେତେଗୋଟି ରାଜ୍ୟ, କାନାଡ଼ା, ଜାପାନ, ନେଦରଲ୍ୟାଣ୍ଡ, ସୁଇଜରଲ୍ୟାଣ୍ଡ, ବେଲଜିଅମ ଓ କଲୋମ୍ୱିଆ ଭଳି ରାଷ୍ଟ୍ରରେ ଅନୁରୂପ ଆଇନଗତ ବ୍ୟବସ୍ଥା ପ୍ରଚଳିତ ଥିବା ସ୍ଥଳେ ଭାରତ ସେହି ଅଗ୍ରଣୀ ଗୋଷ୍ଠୀରେ ଅନ୍ତର୍ଭୁକ୍ତ ହୋଇଛି । ଭାରତଭଳି ଏକ ରକ୍ଷଣଶୀଳ ରାଷ୍ଟ୍ରରେ ବିଜ୍ଞାନସମ୍ମତ୍ତ ଯୁକ୍ତିଯୁକ୍ତ ଅନ୍ତିମ ଜୀବନଚର୍ଯ୍ୟା ନିମନ୍ତେ ଉନ୍ନତ ପରିବେଶ ସୃଷ୍ଟିରେ ଦେଶର ସର୍ବୋଚ୍ଚ ଅଦାଲତଙ୍କ ରାୟ ବିଶ୍ୱର ବହୁ ବିକଶିତ ରାଷ୍ଟ୍ରର ବୁଦ୍ଧିଜୀବୀଙ୍କୁ ଚ଼କିତ କରିଥିଲା ।

ଭାରତରେ ଇଚ୍ଛାମୃତ୍ୟୁ ବା ୟୁଥେନେସିଆକୁ ଆଇନ ଅନୁମୋଦିତ କରିବା ନିମନ୍ତେ ବିଗତ ଶତାଦ୍ଦୀର ଅଷ୍ଟମ ଦଶକରୁ ବୁଦ୍ଧିଜୀବୀ ମହଲରେ ଦାବୀ ଉପସ୍ଥାପିତ କରାଯାଉଛି । ନୂଆଦିଲ୍ଲୀସ୍ଥିତ କମନ କଜ ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନ ଏହି କ୍ଷେତ୍ରରେ ଅଗ୍ରଣୀ ଭୂମିକା ନିର୍ବାହ କରିଆସିଛି । ଅନୁଷ୍ଠାନ ପକ୍ଷରୁ ୨୦୦୫ ମସିହାରେ ଲିଭିଂ ୱିଲ ପ୍ରଚଳନ ନିମନ୍ତେ ଆଇନ ପ୍ରଣୟନ କରିବା ଲାଗି ସୁପ୍ରିମକୋର୍ଟରେ ରିଟ ପିଟିଶନ ଦାୟର କରାଯାଇଥିଲା । ୨୦୧୪ ମସିହାରେ ଏହି ମାମଲା ସର୍ବୋଚ୍ଚ ନ୍ୟାୟାଳୟର ସାମ୍ୱିଧାନିକ ବେଞ୍ଚକୁ ସ୍ଥାନାନ୍ତରିତ ହୋଇଥିଲା । ୨୦୧୮ ମାର୍ଚ୍ଚ ୯ ତାରିଖରେ ପ୍ରଧାନ ବିଚ଼ାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚଜଣିଆ ବିଚ଼ାରକମଣ୍ଡଳୀ ରାୟ ପ୍ରକାଶ କରି ଲିଭିଂ ୱିଲ ପ୍ରଚଳନ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି ।

ଲିଭିଂ ୱିଲକୁ ଇଚ୍ଛାମୃତ୍ୟୁ ସମ୍ମତ୍ତିପତ୍ର ରୂପେ ବୁଝା ଯାଇପାରେନା । ସେହିପରି ସର୍ବୋଚ୍ଚ ନ୍ୟାୟଳୟର ରାୟ ଇଚ୍ଛାମୃତ୍ୟୁକୁ ବୁଝାଉ ନାହିଁ ।ଲିଭିଂ ୱିଲ ମୁଖ୍ୟତଃ ଅନ୍ତିମ ଚ଼ିକିତ୍ସା ଅବସରରେ ଜଳ ଓ ଖାଦ୍ୟ ଗ୍ରହଣରେ ସମର୍ଥହୀନ ଅବସ୍ଥାରେ ନଳୀ ବ୍ୟବହାର ବା ଟ୍ୟୁବ ଫିଂଡ଼ିଂ, ଭେଣ୍ଟିଲେଟର ଭଳି କୃତ୍ରିମ ଶ୍ୱାସ ସମ୍ପାଦନକାରୀ ଯନ୍ତ୍ର ବ୍ୟବହାର ନକରିବା ନିମନ୍ତେ ବ୍ୟକ୍ତିଗତ ଅଭିଳାଷ ଲିପିବଦ୍ଧ କରିଥାଏ । ଅନ୍ତିମ ଚ଼ିକିତ୍ସାକାଳରେ କେତେକ ଚ଼ିକିତ୍ସା କୌଶଳ କିଛି କାଳ ମନୁଷ୍ୟର ଜୀବନ ଧାରଣ ନିମନ୍ତେ ସହାୟକ ହେଉଥିବା ସ୍ଥଳେ ଆରୋଗ୍ୟଲାଭ ସାଧନରୂପେ ସ୍ୱୀକୃତ ହୋଇନଥାଏ । ଏହିଭଳି ଚ଼ିକିତ୍ସାଗୁଡ଼ିକୁ ଗ୍ରହଣ ନକରିବା ବ୍ୟକ୍ତିଗତ ନିଷ୍ପତ୍ତି ବୋଲି ଆଇନତଃ ବିଚ଼ାର କରାଯାଉଛି । ଏତାଦୃଶ ସୁଯୋଗ ଗ୍ରହଣ ନିମନ୍ତେ ଲିଭିଂ ୱିଲ ରଚ଼ନା ଓ ବୈଧିକରଣ ସହାୟକ ହୋଇପାରିବ ।

ଲିଭିଂ ୱିଲ ଦ୍ୱାରା ଚ଼ିକିତ୍ସକଙ୍କ ସାଧାରଣ ଚ଼ିକିତ୍ସା ପ୍ରଭାବିତ ହୋଇ ନଥାଏ । ଯେଉଁ ଅନ୍ତିମ ଚ଼ିକିତ୍ସା ପରିସ୍ଥିତିରେ ଆରୋଗ୍ୟଲାଭର ଆଶା ନଥାଏ ଏବଂ ସଂପୃକ୍ତ ବ୍ୟକ୍ତି ବିଶେଷ ଚ଼ିକିତ୍ସା ସଂପର୍କରେ ଅଭିବ୍ୟକ୍ତି କରିବା ନିମନ୍ତେ ଅକ୍ଷମ ହୋଇପଡ଼ନ୍ତି ସେହି ପରିବେଶରେ ଲିଭିଂ ୱିଲରେ ପୂର୍ବ-ପ୍ରଦତ୍ତ ନିର୍ଦ୍ଦେଶାବଳୀ କାର୍ଯ୍ୟକାରୀ କରିବା ନିମନ୍ତେ ପରିବେଶ ସୃଷ୍ଟି ହୋଇଥାଏ । ଦେଶ ବିଦେଶରେ ଅନୁସୃତ ପଦ୍ଧତି ଅନୁଯାୟୀ ରୋଗୀଙ୍କ ବ୍ୟକ୍ତିଗତ ଚ଼ିକିତ୍ସକ ଓ ରୋଗୀଙ୍କ ଅବସ୍ଥା ସଂପର୍କରେ ଚ଼ିକିତ୍ସା ନଥିପତ୍ର ଅନୁଧ୍ୟାନ କରିଥିବା ଅନ୍ୟଜଣେ ଚ଼ିକିତ୍ସକ ବା ଚ଼ିକିତ୍ସକଗୋଷ୍ଠୀଙ୍କ ଅନୁମୋଦନକ୍ରମେ ଲିଭିଂ ୱିଲର ନିର୍ଦ୍ଦେଶିକା ପାଳନ କରାଯାଇଥାଏ ।

ପ୍ରାଚ଼୍ୟ ସଭ୍ୟତାରେ ଇଚ୍ଛାମୃତ୍ୟୁ ବା ଦେହତ୍ୟାଗ ପରମ୍ପରା ରହିଆସିଥିଲା । ଅତୀତରେ ଚ଼ିକିତ୍ସା ବିଜ୍ଞାନ ବିକଶିତ ନହୋଇଥିବା ଅବସରରେ ଭାରତରେ ଉତ୍ତର-ବାର୍ଦ୍ଧକ୍ୟରେ ସାଧୁସନ୍ୟାସୀ, ଗୁଣୀଜନଙ୍କଠାରୁ ଆରମ୍ଭ କରି ସାଧାରଣ ବ୍ୟକ୍ତିଙ୍କକ୍ଷେତ୍ରରେ ଦେହତ୍ୟାଗ ଉଦାହରଣର ଅଭାବ ନଥିଲା । ବିଶେଷକରି ଜୈନ ଧର୍ମ ପ୍ରସାର କାଳରେ ସନ୍ଥରା ଭଳି ଦେହତ୍ୟାଗ ପଦ୍ଧତିର ଉପଯୋଗ ଦେଖିବାକୁ ମିଳିଥିଲା । ସେହିପରି ଜାପାନରେ ମଧ୍ୟ ହାରାକରି ଭଳି ଭିନ୍ନ ଭିନ୍ନ ଦେହତ୍ୟାଗ ସଂସ୍କୃତି ପ୍ରଚଳିତ ହେଉଥିଲା । ବ୍ରିଟିଶ ଉପନିବେଶ ପ୍ରତିଷ୍ଠାପରେ ପାଶ୍ଚାତ୍ୟ ଆଇନ ଅନୁଯାୟୀ ଭାରତରେ ସମସ୍ତ ରକମର ସ୍ୱଇଚ୍ଛାରେ ଜୀବନହାନୀକୁ ଆତ୍ମହତ୍ୟା ପର୍ଯ୍ୟାୟଭୁକ୍ତ କରି ଆଇନାନୁଯାୟୀ ଦଣ୍ଡନୀୟ ଅପରାଧ ରୂପେ ପରିଗଣିତ କରାଗଲା ।

ଦ୍ୱିତୀୟ ବିଶ୍ୱଯୁଦ୍ଧୋତ୍ତର ଅବସ୍ଥାରେ ପାଶ୍ଚାତ୍ୟ ଭୂଖଣ୍ଡରେ ପ୍ରତିକୂଳ ପରିସ୍ଥିତିରେ ସ୍ୱଇଚ୍ଛାରେ ଦେହତ୍ୟାଗ ପ୍ରସ୍ତାବ ସାମାଜିକ ସ୍ୱୀକୃତି ଲାଭ କରିବାରେ ଲାଗିଲା । ବର୍ଦ୍ଧିତ ଜୀବଦ୍ଦଶା ତଥା ଜଟିଳ ରୋଗାକ୍ରାନ୍ତଙ୍କ ଅଥର୍ବ ଅବସ୍ଥାରୁ ମୁକ୍ତି ପାଇବା ନିମନ୍ତେ ବୁଦ୍ଧିଜୀବୀ ମହଲରେ ଇଚ୍ଛାମୃତ୍ୟୁକୁ ଆଇନାନୁମୋଦିତ କରିବା ନିମନ୍ତେ ଦାବୀ ଉପସ୍ଥାପିତ ହେଲା । ଚ଼ିକିତ୍ସା ବିଜ୍ଞାନରେ କ୍ରମୋନ୍ନତି କେତେକ କ୍ଷେତ୍ରରେ ରୋଗୀର ଜୀବନରକ୍ଷା ନିମନ୍ତେ ପରିବେଶ ସୃଷ୍ଟି କରିପାରୁଥିବା ସ୍ଥଳେ ଆରୋଗ୍ୟ ସଂଭବପର ହୋଇପାରି ନଥାଏ । ସଂପୃକ୍ତ ବ୍ୟକ୍ତି ଯନ୍ତ୍ରଣାମୟ ଜୀବନ ଯାପନ କରିବାଲାଗି ବାଧ୍ୟ ହୋଇଥାଏ । ଏଭଳି ପରିସ୍ଥିତି ଏଡ଼ାଇବା ଲାଗି ସୁବିଧା ସୁଯୋଗ ସୃଷ୍ଟି କରିବା ନିମନ୍ତେ ଆଇନାନୁମୋଦିତ ପନ୍ଥା ନିର୍ଦ୍ଧାରଣ ଲାଗି ଦାବୀ ଯୁକ୍ତିଯୁକ୍ତ ମନେ ହୋଇଥାଏ ।

ଜଣେ ବ୍ୟକ୍ତି ଦୁରାରୋଗ୍ୟ ଅବସ୍ଥାରେ ବିବେକାନୁମୋଦିତ ଦେହତ୍ୟାଗ ପ୍ରକ୍ରିୟାକୁ ଏଲୋପାଥିକ ଚ଼ିକିତ୍ସା ବିଜ୍ଞାନରେ ୟୁଥୋନେସିଆ ନାମିତ କରାଯାଏ ।ଏକ୍ଟିଭ ୟୁଥେନେସିଆରେ ପ୍ରପୀଡ଼ିତ ବ୍ୟକ୍ତିକୁ ବିଷ ପ୍ରୟୋଗକରି ପ୍ରାଣତ୍ୟାଗର ପରିବେଶ ସୃଷ୍ଟି କରାଯାଉଥିବା ସ୍ଥଳେ ପାସିଭ ୟୁଥୋନେସିଆରେ ପ୍ରପୀଡ଼ିତକୁ ଜୀବନରକ୍ଷାକାରୀ ଚ଼ିକିତ୍ସାଗୁଡ଼ିକରୁ ବିରତ ରଖାଯାଇ ପ୍ରାକୃତିକ ମୃତ୍ୟୁ ପରିଧିରେ ସମର୍ପି ଦିଆଯାଇଥାଏ ।ଲିଭିଂ ୱିଲର ଆଇନାନୁମୋଦନ ୟୁଥେନେସିଆକୁ ନବୁଝାଉଥିଲେ ହେଁ ସେହିଭଳି ପ୍ରକ୍ରିୟା ପ୍ରଚଳନ ନିମନ୍ତେ ପ୍ରାଥମିକ ପଦକ୍ଷେପ ବୋଲି ବିଚ଼ାର କରାଯାଇପାରେ ।

ସାଧାରଣରେ ଲିଭିଂ ୱିଲ ଶିକ୍ଷିତ ମହଲରେ ସ୍ୱାଗତଯୋଗ୍ୟ ପଦକ୍ଷେପରୂପେ ସ୍ୱୀକୃତ ହେଉଥିଲେ ହେଁ ପୂର୍ବରୁ ପ୍ରଚଳିତ ଅନେକ ପ୍ରାନ୍ତରେ ଏହାର ବିଧିବଦ୍ଧ ଉପଯୋଗ ସୀମିତ । ଉଦାହରଣ ସ୍ୱରୂପ ଯୁକ୍ତରାଷ୍ଟ୍ର ଆମେରିକାରେ ଲିଭିଂ ୱିଲ ପ୍ରଚଳିତ ରାଜ୍ୟଗୁଡ଼ିକରେ ୨୦୦୫ ଅଧ୍ୟୟନ ଅନୁଯାୟୀ ମାତ୍ର ୧୮ ପ୍ରତିଶତ ଏଭଳି ଦଲିଲରେ ସ୍ୱାକ୍ଷର କରିଥିଲେ । ସେହିପରି ଅନ୍ୟଏକ ଅନୁଧ୍ୟାନରେ ସେଠାକାର ଡ଼ାଏଲେସିସ ନେଉଥିବା କିଡ଼ନି ରୋଗାକ୍ରାନ୍ତଙ୍କ ମଧ୍ୟରୁ ମାତ୍ର ୩୫ ପ୍ରତିଶତ ଲିଭିଂ ୱିଲ ପ୍ରସ୍ତୁତ କରିଥିଲେ । ଭାରତଭଳି ରକ୍ଷଣଶୀଳ ସମାଜରେ ଏହାର ଉପଯୋଗ ସୀମିତ ରହିବା ଆଶଙ୍କା କରାଯାଉଥିଲେ ହେଁ ଉଚ୍ଚତମ ନ୍ୟାୟାଳୟର ରାୟ ଅନୁଯାୟୀ ଲିଭିଂ ୱିଲ ଆଇନାନୁମୋଦିତ ହେବା ଦେଶକୁ ଯେ ସଭ୍ୟତାର ଶୀର୍ଷ ସୋପନରେ ପହୁଞ୍ଚାଇ ପାରିଛି ଏଥିରେ ସନ୍ଦେହ ନାହିଁ ।

 

ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ମାର୍ଚ୍ଚ ୨୦୧୮

 

***

ଅଗ୍ରୀମ ନିର୍ଦ୍ଦେଶିକା ବୈଧୀକରଣ

ଅନ୍ତିମ ଚିକିତ୍ସା ଇଚ୍ଛାପତ୍ର ଅଦାଲତୀ ଭାଷାରେ ଅଗ୍ରୀମ ନିର୍ଦ୍ଦେଶିକା ଏଡ଼ଭାନ୍ସ ଡ଼ିରେକଟିଉଭ ନାମିତ । ସାଧାରଣରେ ଏହାକୁ ଲିଭିଂ ୱିଲ ମଧ୍ୟ କୁହାଯାଇଥାଏ । ସୁସ୍ଥ ମସ୍ତିସ୍କ ସମ୍ପନ୍ନ ପ୍ରାପ୍ତ ବୟସ୍କ ନିଜ ଅନ୍ତିମ ଚ଼ିକିତ୍ସାର ରୂପରେଖ ନିର୍ଦ୍ଧାରଣ, ମୁଖ୍ୟତଃ ଚ଼ିକିତ୍ସା ଶାସ୍ତ୍ର ଆକଳନରେ ଆରୋଗ୍ୟ ଲାଭର ଆଶା ନଥିବା ସ୍ଥଳେ କେତେକ ଜୀବନରକ୍ଷାକାରୀ କୃତ୍ରିମ ଯାନ୍ତ୍ରିକ ପଦ୍ଧତି ଉପଯୋଗ ଅପସାରଣ ନିମନ୍ତେ ଇଚ୍ଛା ପ୍ରକଟ କରିପାରିବେ । ସର୍ବୋଚ୍ଚ ନ୍ୟାୟାଳୟ ୨୦୧୮ରେ ପ୍ରଦତ୍ତ ରାୟରେ ଏହି ପ୍ରକ୍ରିୟାକୁ ଅନୁମୋଦିତ କରିଥିଲେ । ତତ୍ ସଙ୍ଗେ ପାର୍ଲାମେଣ୍ଟରେ ବିଧିବଦ୍ଧ ଆଇନ ପ୍ରଣୟନ ଯାଏଁ ଦେଶରେ ନାଗରିକ ଏହି ସୁବିଧାସୁଯୋଗ ଗ୍ରହଣ କରିବା ନିମନ୍ତେ ନିର୍ଦ୍ଦେଶନାମା ଜାରୀ କରିଛନ୍ତି ।

 

ଅଗ୍ରୀମ ନିର୍ଦ୍ଦେଶିକା ଲିପିବଦ୍ଧ କରିସାରିବା ପରେ ତାହା ବିଚାରବିଭାଗ ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ସ୍ୱୀକାରୋକ୍ତି ମାଧ୍ୟମରେ ବୈଧୀକରଣ କରିବାକୁ ପଡ଼େ । ଏଥି ନିମନ୍ତେ ଏକ ତ୍ରି-ସ୍ତରୀୟ ପଦ୍ଧତି ନିର୍ଦ୍ଧାରଣ କରାଯାଇଛି । କିନ୍ତୁ ଏହା ବାସ୍ତବ କାର୍ଯ୍ୟକ୍ଷେତ୍ରରେ କଠିନ ଓ ସମୟ ସାପେକ୍ଷ ପ୍ରମାଣିତ ହେଉଥିବା ଅଭିଯୋଗ ହେଉଛି । ଅଗ୍ରଣୀ ଇଂଲିଶ ସମ୍ୱାଦ ମଞ୍ଚ ଦି ଟାଇମ୍ସ ଅଫ ଇଣ୍ଡିଆର ୱେବ ପୋର୍ଟାଲରେ ଫେବୃୟାରୀ ୨୦୨୧ରେ ପ୍ରକାଶିତ ଏକ ବିବରଣୀରେ ନୂଆଦିଲ୍ଲୀ, ମୁମ୍ୱାଇ ଓ ଚଣ୍ଡିଗଡ଼ ଭଳି ବଡ଼ ସହରମାନଙ୍କରେ ଅଗ୍ରୀମ ନିର୍ଦ୍ଦେଶିକା ବୈଧୀକରଣରେ ଅସୁବିଧାର ଉଦାହରଣ ବର୍ଣ୍ଣିତ ହୋଇଥିଲା ।

 

ଚ଼ଣ୍ଡିଗଡ଼ର ୭୩ ବର୍ଷିୟ ପତି ଓ ୬୬ ବର୍ଷିୟା ପତ୍ନୀ ଅଧ୍ୟାପକ ଦମ୍ପତି ସୁପ୍ରିମ କୋର୍ଟର ରାୟ ପ୍ରକାଶ ପରେ ପରେ ନିଜ ପକ୍ଷରୁ ଅଗ୍ରୀମ ନିର୍ଦ୍ଦେଶିକା ବୈଧୀକରଣ ନିମନ୍ତେ ଉଦ୍ୟମ ଆରମ୍ଭ କରିଥିଲେ । ଦୀର୍ଘ ନଅ ମାସ ପରେ ୨୦୧୯ରେ ଏହା ସଂଭବ ହୋଇଥିଲା । ମୁମ୍ୱାଇର ୭୦ ପର ଜଣେ ମହିଳା ଅଗ୍ରୀମ ନିର୍ଦ୍ଦେଶିକା ବୈଧୀକରଣ ନିମନ୍ତେ ଦୀର୍ଘ ଦିନର ଉଦ୍ୟମ ଗଣମାଧ୍ୟମ ସମ୍ମୁଖରେ ବର୍ଣ୍ଣନା କରିଥିଲେ । ସେ ନିଜେ ଅନ୍ତିମ ଜୀବନ ଅଧ୍ୟୟନ କ୍ଷେତ୍ରରେ ଏକ ପରିଚ଼ିତ ନାମ ଏବଂ ଲିଭିଂ ଡ଼ାଏଙ୍ଗ ନାମକ ଇଂଲିଶ ପୁସ୍ତକର ସହ-ପ୍ରଣେତା ।

 

ନୂଆଦିଲ୍ଲୀରେ ହେଲଥ କେର ଏଟ ହୋମ ନାମକ ଏକ ଘରୋଇ ସଂସ୍ଥା ବାର୍ଦ୍ଧକ୍ୟ ଅନୁକୂଳ ସେବା ଯୋଗାଇ ଥାଏ । ଏହାର ଉପାଧ୍ୟକ୍ଷ କହିଥିଲେ ଯେ ଅଗ୍ରୀମ ନିର୍ଦ୍ଦେଶିକା ବୈଧୀକରଣରେ ଅସୁବିଧାଜନିତ ଅନ୍ୟମାନଙ୍କ ଅଭିଜ୍ଞତା ଶୁଣି ସେ ନିଜେ ଏଦିଗରେ ଆଗ୍ରହୀ ଥିଲେ ହେଁ ସାମୟିକ ଭାବେ ଦୂରେଇ ରହିଛନ୍ତି । କୁହାଯାଉଛି ଯେ ଅନ୍ତିମ ଜୀବନ ଯାତ୍ରା ସଂପର୍କରେ ସମାଜରେ ଅଧିକ ସଂଖ୍ୟକ ଆଗ୍ରହ ପ୍ରକାଶ କରୁନଥିବା  ତଥା ଏଦିଗରେ କାଁ ଭାଁ ଉଦ୍ୟମ ହେଉଥିବା ହେତୁ ବୈଧୀକରଣ ନିମନ୍ତେ ପ୍ରକ୍ରିୟାଗତ ନିର୍ଦ୍ଧାରଣ ଷ୍ଟାଣ୍ଡର୍ଡ଼ ଅପରେଟିଂ ପ୍ରେସିଡ୍ୟୁର ଅଭାବ ରହିଛି ।

 

ହେଲଥ କେର ଏଟ ହୋମପକ୍ଷରୁ ଅନ୍ତିମ ଜୀବନ ଚ଼ିକିତ୍ସା ଇଚ୍ଛାପତ୍ର ସଂପର୍କରେ ସର୍ବୋଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶନାମା ସଂପର୍କରେ ଜନସାଧାରଣ କେତେଦୂର ସଚ଼େତନ ତାହା ଆକଳନ କରିବା ନିମନ୍ତେ ୨୦୧୯ରେ ଏକ ସର୍ବେକ୍ଷଣ ଆୟୋଜନ କରାଯାଇଥିଲା । ଏଥିରେ ଦିଲ୍ଲୀ, ମୁମ୍ୱାଇ, କୋଲକତା, ହାଇଦରାବାଦ, ବାଙ୍ଗାଲୁର, ଚଣ୍ଡିଗଡ଼ ଓ ଜୟପୁରର ୨,୪୦୦ ନାଗରିକ ଅଂଶ ଗ୍ରହଣ କରିଥିଲେ । ସାମଗ୍ରିକଭାବେ ବଡ଼ ସହରଗୁଡ଼ିକରେ ଚାରିଜଣରୁ ଜଣେ ଏ ସଂପର୍କରେ ଅବଗତ ଥିବା ଜଣାଯାଇଥିଲା । ଦିଲ୍ଲୀରେ ସର୍ବାଧିକ ୩୬ ପ୍ରତିଶତ, ମୁମ୍ୱାଇରେ ୩୧ ପ୍ରତିଶତ ଏବଂ ଜୟପୁରରେ ୧୮ ପ୍ରତିଶତ ସଚ଼େତନ ଥିଲେ ।

 

ଉଲ୍ଲେଖଯୋଗ୍ୟ ବିଷୟ ଏହିଯେ ଆୟୋଜିତ ସର୍ବେକ୍ଷଣରେ ଅଂଶଗ୍ରହଣ କରିଥିବା ନାଗରିକଙ୍କ ମଧ୍ୟରୁ ୮୭ ପ୍ରତିଶତ ଅଗ୍ରୀମ ନିର୍ଦ୍ଦେଶିକା ପ୍ରଥାକୁ ସମର୍ଥନ ଜଣାଇଥିଲେ । ଯେଉଁ ରୋଗୀମାନେ ଦୀର୍ଘକାଳ ଅଚ଼େତ ଅବସ୍ଥାରେ ପଡିରହିଥାନ୍ତି, ଦୁରାରୋଗ୍ୟରେ ପୀଡ଼ିତ କିମ୍ୱା ଜୀବନରକ୍ଷାକାରୀ ଯାନ୍ତ୍ରିକ ବ୍ୟବସ୍ଥା ଲାଇଫ ସାପୋର୍ଟ ଉପରେ ନିର୍ଭରଶୀଳ ସେମାନଙ୍କ କ୍ଷେତ୍ରରେ ଅଗ୍ରୀମ ନିର୍ଦ୍ଦେଶିକା ବରଦାନ ସଦୃଶ୍ୟ କାର୍ଯ୍ୟ କରିପାରିବେ ବୋଲି ମତ ରଖିଥିଲେ । ଏହି ପରିସଂଖ୍ୟାନରୁ ଏହା ସ୍ପଷ୍ଟ ଯେ ଜନସାଧାରଣ, ମୁଖ୍ୟତଃ ଶିକ୍ଷିତବର୍ଗ ଅନ୍ତିମ ଚ଼ିକିତ୍ସା ଇଚ୍ଛାପତ୍ରର ଉପାଦେୟତା ହୃଦୟଙ୍ଗମ କରୁଥିଲେ ହେଁ ବୈଧୀକରଣ ଜଟିଳତା କାରଣରୁ ଏହି ଦିଗରେ ଉଦ୍ୟମ କରିବାକୁ କୁଣ୍ଠିତ ହୋଇଥାନ୍ତି ।

 

ବାର୍ଦ୍ଧକ୍ୟରେ ଅନ୍ତିମ ଜୀବନଯାତ୍ରା କ୍ଷେତ୍ରରେ କାର୍ଯ୍ୟରତ ଦୁଇଗୋଟି ସ୍ୱେଚ୍ଛାସେବୀ ସଂଗଠନ ବିଧି ସେଣ୍ଟର ଫର ପଲିସି ରିସର୍ଚ୍ଚ ଏବଂ ଦି ଏଣ୍ଡ ଅଫ ଲାଇଫ କେର ଇନ ଇଣ୍ଡିଆ ଟାସ୍କ ଫୋର୍ସ ପକ୍ଷରୁ ଅଗ୍ରୀମ ନିର୍ଦ୍ଦେଶିକା ବିଷୟକ ବିଲ ପ୍ରସ୍ତୁତି ନିମନ୍ତେ ଉଦ୍ୟମ କରାଯାଉଛି । କେନ୍ଦ୍ର ଓ ରାଜ୍ୟସ୍ତରୀୟ ସାଂସଦ ଓ ବିଧାୟକମାନଙ୍କୁ ଏଦିଗରେ ସଚ଼େତନ କରିବା ନିମନ୍ତେ ଅଭିଯାନ ଆରମ୍ଭ ହୋଇଛି । ଇଣ୍ଡିଆନ ସୋସାଇଟି ଅଫ କ୍ରିଟାକାଲ କେର ମେଡ଼ିସନ ପକ୍ଷରୁ ସୁପ୍ରିମକୋର୍ଟରେ ପ୍ରଚଳିତ ନିର୍ଦ୍ଦେଶନାମା ସଂପର୍କରେ ସ୍ପଷ୍ଟୀକରଣ ଲୋଡ଼ା ଯାଇଥିଲା । ଉଚ୍ଚ ନ୍ୟାୟାଳୟ ୨୦୨୦ ଜାନୁୟାରୀରେ ଏହାର ଶୁଣାଣି କରି କେନ୍ଦ୍ର ସରକାରଙ୍କୁ ଏହି ଦିଗରେ ବିଚାର ବିମର୍ଷ ନିମନ୍ତେ ସଂପୃକ୍ତ ପକ୍ଷଙ୍କ ଗହଣରେ ବୈଠକ ଆୟୋଜନ ନିମନ୍ତେ ଆଦେଶ ଦେଇଥିଲେ ।

 

ସୁପ୍ରିମ କୋର୍ଟ ପ୍ରଦତ୍ତ ନିର୍ଦ୍ଦେଶନାମାରେ ଅନ୍ତିମ ଚ଼ିକିତ୍ସା ଇଚ୍ଛାପତ୍ର ଅଗ୍ରୀମ ନିର୍ଦ୍ଦେଶିକା କିଏ ପ୍ରସ୍ତୁତ କରିପାରିବ, ବିଷୟବସ୍ତୁ କଣ ରହିବ, ବୈଧୀକରଣ ତଥା ପ୍ରତ୍ୟାହାର ପଦ୍ଧତି ସୂଚ଼ିତ ହୋଇଛି । ପ୍ରଥମତଃ, ଯେକୌଣସି ସୁସ୍ଥ ମସ୍ତିଷ୍କଧାରୀ ପ୍ରାପ୍ତ ବୟସ୍କ, ସ୍ୱଇଚ୍ଛାରେ ବିନା ଚାପରେ ଲିଖିତ ଆକାରରେ ନିଜ ଅନ୍ତିମ ଚ଼ିକିତ୍ସା ସଂପର୍କରେ ନିର୍ଦ୍ଦେଶାବଳୀ ଲିପିବଦ୍ଧ କରିପାରିବେ ।

 

ଦ୍ୱିତୀୟତଃ, ଏହି ଇଚ୍ଛାପତ୍ରରେ ସ୍ପଷ୍ଟଭାବେ ଅନ୍ତିମ ଚ଼ିକିତ୍ସା କାଳରେ କଣ  ସବୁ ଚ଼ିକିତ୍ସା ପ୍ରଣାଳୀ ଉପଯୋଗ ନକରାଯିବ ତାହାର ବିଶଦ ବିବରଣୀ ବର୍ଣ୍ଣନା କରିବେ । ଏହି ଭଳି ନିର୍ଦ୍ଦେଶାବଳୀର ଚ଼ିକିତ୍ସାଗତ ଫଳାଫଳ ସଂପର୍କରେ ସେ ପୂର୍ଣ୍ଣ ଅବଗତ ଥିବା ଉଲ୍ଲେଖ କରିବେ । ଶାରିରୀକ କିମ୍ୱା ମାନସିକ ଅକ୍ଷମତା କାରଣରୁ ଅଥର୍ବ ଅବସ୍ଥାରେ ପହଞ୍ଚିଲେ କେଉଁ ଅଭିଭାବକ କିମ୍ୱା ସଂପର୍କୀୟ ଚ଼ିକିତ୍ସକଙ୍କୁ ସ୍ୱୀକାରୋକ୍ତି ସଂପର୍କରେ ଜଣାଇବେ ତାଙ୍କରି ନାମ ଲିପିବଦ୍ଧ ରହିବ । କୌଣସି କ୍ଷେତ୍ରରେ ଏକାଧିକ ଅଗ୍ରୀମ ନିର୍ଦ୍ଦେଶିକା ପଞ୍ଜୀକୃତ ହୋଇଥିଲେ ସର୍ବଶେଷ ଘୋଷଣାନାମା କାର୍ଯ୍ୟକାରୀ କରାଯିବା ପ୍ରାବଧାନ ରହିବ ।

 

ତୃତୀୟତଃ, ସ୍ଥାନୀୟ ବିଚାର ବିଭାଗ ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟଙ୍କ ଇଜଲାସରେ ଦୁଇଜଣ ସ୍ୱାଧୀନ ସାକ୍ଷୀଙ୍କ ଉପସ୍ଥିତିରେ ଅଗ୍ରୀମ ନିର୍ଦ୍ଦେଶିକା ସ୍ୱାକ୍ଷରିତ ହେବ । ଏହି କାର୍ଯ୍ୟଭାର ବହନ ନିମନ୍ତେ ସଂପୃକ୍ତ ଜିଲ୍ଲାର ଜିଲ୍ଲା ଜର୍ଜ ମାଜିଷ୍ଟ୍ରେଟ ମନୋନୟନ କରିବେ । ଇଚ୍ଛାପତ୍ର ସ୍ୱାକ୍ଷରିତ ହେବାପରେ ମାଜିଷ୍ଟ୍ରେଟ ନିଜ ଦପ୍ତର, ଜିଲ୍ଲା ଜର୍ଜଙ୍କ କାର୍ଯ୍ୟାଳୟ, ପୌର ପ୍ରଶାସନ, ଘୋଷକଙ୍କ ପରିବାର ଓ ଘରୋଇ ଚ଼ିକିତ୍ସକଙ୍କୁ ନକଲ ପ୍ରେରଣ କରିବା ବ୍ୟବସ୍ଥା ତଦାରଖ କରିବେ ।

 

ଚ଼ତୁର୍ଥତଃ, ବୈଧୀକରଣ ପରବର୍ତ୍ତୀ ପର୍ଯ୍ୟାୟରେ ଅଗ୍ରୀମ ନିର୍ଦ୍ଦେଶିକାକୁ ସଂପୃକ୍ତ ବ୍ୟକ୍ତି ସଂଶୋଧନ କିମ୍ୱା ପ୍ରତ୍ୟାହାର କରିପାରିବେ । ଏଥିଲାଗି ଇଚ୍ଛାପତ୍ର ବୈଧୀକରଣର ସମସ୍ତ ପଦ୍ଧତି ପୁନର୍ବାର ଲାଗୁ ହେବ । ଅଗ୍ରୀମ ନିର୍ଦ୍ଦେଶିକା କାର୍ଯ୍ୟକାରୀ ହେବା ପରେ ଏ ସଂପର୍କରେ ମାଜିଷ୍ଟ୍ରେଟ ହାଇକୋର୍ଟକୁ ଅବଗତ କରାଇବେ । ପାର୍ଲାମେଣ୍ଟରେ ଏ ସଂପର୍କରେ କୌଣସି ଆଇନ ପ୍ରଣୟନ ନହେବା ଯାଏଁ ଏହି ନିୟମାବଳୀ ବଳବତ୍ତର ରହିବ ।

 

ପଞ୍ଚମତଃ, ଅଗ୍ରୀମ ନିର୍ଦ୍ଦେଶିକା କାର୍ଯ୍ୟକାରୀ ପ୍ରସ୍ତାବ ସଂପର୍କରେ ଅବଗତ ହେବା ପରେ ଚ଼ିକିତ୍ସକ ରୋଗୀଙ୍କ ସଂପର୍କୀୟଙ୍କୁ ରୋଗ ଓ ଚ଼ିକିତ୍ସାର ସ୍ଥିତି ସଂପର୍କରେ ପ୍ରାଞ୍ଜଳଭାବେ ବୁଝାଇବେ । ଚ଼ିକିତ୍ସା ପ୍ରତ୍ୟାହାର ନିମନ୍ତେ ନିଷ୍ପତ୍ତି ଗୃହୀତ ହେଲେ ପ୍ରଥମସ୍ତରରେ ସଂପୃକ୍ତ ଚ଼ିକିତ୍ସାଳୟର ଅଧ୍ୟକ୍ଷ ଓ ଅତିରିକ୍ତ ତିନିଜଣ ଚ଼ିକିତ୍ସକଙ୍କ ଗହଣରେ ଗଠିତ ଏକ ମେଡ଼ିକାଲ ବୋର୍ଡ ସଂପର୍କୀୟଙ୍କ ଉପସ୍ଥିତିରେ ରୋଗୀଙ୍କୁ ସାକ୍ଷାତ କରି ନିଷ୍ପତ୍ତି ସଂପର୍କରେ ପ୍ରାଥମିକ ମତ ବ୍ୟକ୍ତ କରିବେ ।

 

ଦ୍ୱିତୀୟ ସ୍ତରରେ ସ୍ଥାନୀୟ ଜିଲ୍ଲାପାଳଙ୍କ ପକ୍ଷରୁ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଓ ଅତିରିକ୍ତ ତିନିଜଣ ଅଭିଜ୍ଞ ଚ଼ିକିତ୍ସକଙ୍କୁ ନେଇ ଗଠିତ ମେଡ଼ିକାଲ ବୋର୍ଡ ନିଜସ୍ୱ ମତ ବିଚାର ବିଭାଗ ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟଙ୍କୁ ଜଣାଇବେ । ତୃତୀୟସ୍ତରରେ ମାଜିଷ୍ଟ୍ରେଟ ରୋଗୀଙ୍କୁ ପରିଦର୍ଶନ କରି ତଥା ନିଷ୍ପତ୍ତି ସଂକ୍ରାନ୍ତୀୟ କାଗଜପତ୍ର ତଦାରଖ କରି ଚୂଡ଼ାନ୍ତ ନିଷ୍ପତ୍ତି କାର୍ଯ୍ୟକାରୀ କରିବା ନିମନ୍ତେ ଚ଼ିକିତ୍ସକଙ୍କୁ ଅନୁମତି ଦେବେ । ଏତାଦୃଶ ତ୍ରି-ସ୍ତରୀୟ ସମୀକ୍ଷାପରେ ଅଗ୍ରୀମ ନିର୍ଦ୍ଦେଶିକା କାର୍ଯ୍ୟକାରୀ ହେବା ବିଧି ସ୍ଥିରୀକୃତ ହୋଇଛି ।

 

ଅଗ୍ରୀମ ନିର୍ଦ୍ଦେଶିକା ବୈଧୀକରଣ ଓ କାର୍ଯ୍ୟକାରୀ କ୍ଷେତ୍ରରେ ଉଚ୍ଚନ୍ୟାୟାଳୟର ନିର୍ଦ୍ଦେଶନାମା ଗାଇଡ଼ଲାଇନ୍ସ ଜଟିଳ ବୋଧ ହୁଏ । ତେବେ ଏ ସଂପର୍କରେ ବିଧିବଦ୍ଧ ଆଇନ ପ୍ରଣୟନ ନହୋଇଥିବା ତଥା ପ୍ରତ୍ୟେକଙ୍କ ଜୀବନ ସୁରକ୍ଷା ନିଶ୍ଚିତ କରିବା ଉଦ୍ଦେଶ୍ୟରେ ବହୁସ୍ତରୀୟ ତଦାରଖ ଆବଶ୍ୟକତାକୁ ମଧ୍ୟ ଏଡ଼ାଇ ଦିଆନଯାଇ ପାରେ । ସାଧାରଣ ବିଚାରରେ ଉଚ୍ଚ ନ୍ୟାୟାଳୟର ରାୟ ଓ ନିର୍ଦ୍ଦେଶନାମା ଦେଶରେ ଅନ୍ତିମ ଚ଼ିକିତ୍ସା ଇଚ୍ଛାପତ୍ର ପ୍ରସ୍ତୁତି ନିମନ୍ତେ ପ୍ରଶସ୍ତ କ୍ଷେତ୍ର ଉନ୍ମୁକ୍ତ କରିଛି ।

 

ଏହାର ବୈଧୀକରଣ ଓ ଉପଯୋଗ ପଦ୍ଧତି ସରଳୀକରଣ ନିମନ୍ତେ ପରବର୍ତ୍ତୀ ପର୍ଯ୍ୟୟରେ ଉଦ୍ୟମ ସମ୍ଭବପର । ଏକବିଂଶ ଶତାଦ୍ଦୀରେ ଚ଼ିକିତ୍ସାକ୍ଷେତ୍ରରେ ଉଚ୍ଚମାନର ଯାନ୍ତ୍ରିକ ବ୍ୟବସ୍ଥା ଉପଯୋଗ ମନୁଷ୍ୟକୁ ଦୀର୍ଘ ସମୟ ଯାଏଁ ବଞ୍ଚାଇ ରଖିବାରେ ସମର୍ଥ । ତେବେ ତତ୍ ଜନିତ ଯନ୍ତ୍ରଣାମୟ ଜୀବନଯାତ୍ରା ବଦଳରେ ପ୍ରାକୃତିକ ଧାରାରେ ଦେହତ୍ୟାଗ ନିମନ୍ତେ ବ୍ୟକ୍ତିବିଶେଷଙ୍କ ଅଭିପ୍ରାୟ ନ୍ୟାୟିକ ବ୍ୟବସ୍ଥାରେ ବୈଧୀକରଣ ଯୁକ୍ତିଯୁକ୍ତ ଓ ଗ୍ରହଣୀୟ । ସମ୍ମାନଜନକ ସ୍ଥିତିରେ ଜୀବନ ଧାରଣ ପ୍ରାଥମିକ ମାନବାଧିକାର । 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଡ଼ିସେମ୍ୱର ୨୦୨


ତଥ୍ୟ :

 

Guidelines set by SC to making the living will.

 

https://hcah.in/living-will/

 

Why registering a ‘living will’ is an arduous task despite SC guidelines. www.timesofindia.indiatimes.com / February 23, 2021

 

https://timesofindia.indiatimes.com/india/why-registering-a-living-will-is-an-arduous-task-despite-sc-guidelines/articleshow/81144053.cms

ଇଚ୍ଛାମୃତ୍ୟୁ-ପୂର୍ବଲେଖ 

ବ୍ୟକ୍ତିର ମୃତ୍ୟୁ ପରେ ମୃତ୍ୟୁଜ୍ଞାପକ ବା ମୃତ୍ୟୁଲେଖ ପ୍ରକାଶିତ ହେଉଥିବା ସ୍ଥଳେ ମୃତ୍ୟୁ ପୂର୍ବରୁ ପ୍ରକାଶନ ମୃତ୍ୟୁ-ପୂର୍ବଲେଖ କୁହାଯାଇପାରେ । ମୃତ ବ୍ୟକ୍ତିଙ୍କ ସଂକ୍ଷିପ୍ତ ଜୀବନ ତଥା ଜୀବନାଦର୍ଶ ଅନ୍ୟମାନଙ୍କ ଦ୍ୱାରା ମୃତ୍ୟୁଲେଖରେ ବର୍ଣ୍ଣିତ ହୋଇଥାଏ । କିନ୍ତୁ ଜୀବିତ ଅବସ୍ଥାରେ ବ୍ୟକ୍ତି ନିଜେ ନିଜର ମୃତ୍ୟୁ-ପୂର୍ବଲେଖ ରଚନା କରେଗଣମାଧ୍ୟମରେ ଏହା ପ୍ରକାଶିତ ହୋଇପାରେ । ମୃତ୍ୟୁ-ପୂର୍ବଲେଖ ଉଦାହରଣ କ୍ୱଚ଼ିତ ଦେଖିବାକୁ ମିଳେ । ଆମ ସାମାଜିକ ବ୍ୟବସ୍ଥାରେ ପ୍ରକାଶ୍ୟରେ ମୃତ୍ୟୁ ଚ଼ିନ୍ତନକୁ ନିରୁତ୍ସାହିତ କରାଯାଉଥିବା ହେତୁ ମୃତ୍ୟୁ-ପୂର୍ବଲେଖ ରଚନା ଓ ପ୍ରକାଶନର ପରମ୍ପରା ନାହିଁ ।

 

ଭାରତୀୟ ବଂଶଦ୍ଭୋବ ଲଣ୍ଡନ ବାସିନ୍ଦା ସାମ୍ୱାଦିକ ଓ ଐତିହାସିକ ଜାରୀର ମାସାନିଙ୍କ ଇଚ୍ଛାମୃତ୍ୟୁ-ପୂର୍ବଲେଖ ଦିଲ୍ଲୀରୁ ପ୍ରକାଶିତ ଇଂଲିଶ ପତ୍ରିକା ‘ଓପନ’ର ୩ ନଭେମ୍ୱର ୨୦୨୩ ସଂସ୍କରଣରେ ପ୍ରକାଶନ ଏକ ଚର୍ଚ୍ଚିତ ପ୍ରସଙ୍ଗ । ମାସାନି ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ଗବେଷଣା କରୁଥିବା ଅବସରରେ ୧୯୭୦ରୁ ୭୫ ଯାଏଁ ସ୍ୱଦେଶ ବାହୁଡ଼ି ଇନ୍ଦିରା ଗାନ୍ଧୀଙ୍କ ସମାଜବାଦୀ ଅଭିମୁଖ୍ୟରେ ପ୍ରଭାବିତ ହୋଇ ଭାରତୀୟ ଜାତୀୟ କଂଗ୍ରେସରେ ସାମିଲ ହୋଇଥିଲେ । କିନ୍ତୁ ଜରୁରି ପରିସ୍ଥିତି ଲାଗୁ ଓ ଏକଛତ୍ରବାଦ ଶାସନ ବ୍ୟବସ୍ଥାରେ ଅତିଷ୍ଠ ହୋଇ ପୁଣି ବ୍ରିଟେନ ଫେରିଯାଇଥିଲେ । ଏହି ପାଞ୍ଚ ବର୍ଷର ସମୟସୀମାରେ ସେ ଇନ୍ଦିରାଗାନ୍ଧୀଙ୍କ ଜୀବନୀ ରଚନା କରିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ସେ ‘ଇଣ୍ଡିଆନ ଟେଲସ ଅଫ ଦି ରାଜ’ ଓ ଭାରତରେ ଅବସ୍ଥାପିତ ବିବିସି ସାମ୍ୱାଦିକ ମାର୍କ ଟୁଲିଙ୍କ ସହ ‘ଫ୍ରମ ରାଜ ଟୁ ରାଜୀବ’ ଶୀର୍ଷକ ଅନ୍ୟ-ଦୁଇଗୋଟି ପୁସ୍ତକ ପ୍ରକାଶ କରିଥିଲେ ।

 

 ଜାରୀରଙ୍କ ବୃତ୍ତିଗତ ଜୀବନ ମୁଖ୍ୟତଃ ବିବିସିର ସାମ୍ୱାଦିକ ଭାବେ ଦୁଇ ଦଶକ ଯାଏଁ ପରିବ୍ୟାପ୍ତ ଥିଲା । ସେ ନିଜ ସାମ୍ୱାଦିକତା, ପ୍ରବନ୍ଧ ଓ ଐତିହାସିକ ପୁସ୍ତକ ମାଧ୍ୟମରେ ଭାରତର ବୃଦ୍ଧିଜୀବୀଙ୍କ ଗହଣରେ ପରିଚ଼ିତ । ଜାରୀରଙ୍କ ପିତା ମିନୁ ମାସାନି ସ୍ୱାଧୀନୋତ୍ତର ଭାରତରେ ଜାତୀୟସ୍ତରରେ ଜଣେ ତୁଙ୍ଗ କଂଗ୍ରେସ ବିରୋଧି ନେତା । ସେ ସ୍ୱତନ୍ତ୍ର ଦଳର ପ୍ରତିଷ୍ଠାତା ସଦସ୍ୟ ଥିଲେ । ତାଙ୍କରି ପିଉସୀ ମେହର ମାସାନିଙ୍କ ଭାରତୀୟ ବେତାର ପ୍ରସାରଣ ଆକାଶବାଣୀ ଗଠନରେ ପ୍ରମୁଖ ଭୂମିକା ରହିଥିଲା । ଜାରୀର ମୁମ୍ୱାଇର ଏଲଫିନଷ୍ଟୋନ ମହାବିଦ୍ୟାଳୟରେ ଶିକ୍ଷାଗ୍ରହଣ ପରେ ଅକ୍ସଫୋର୍ଡରେ ଇତିହାସ ଅଧ୍ୟୟନ କରିଥିଲେ । ୧୯୭୫ରେ ଡ଼କ୍ଟରେଟ ଉପାଧି ହାସଲପରେ ବିବିସିରେ ସଂପ୍ରତିକ ପ୍ରସଙ୍ଗ ପ୍ରଯୋଜକଭାବେ ଅବସ୍ଥାପିତ ହୋଇଥିଲେ । ସେ ଛୁଟି ବିତାଇବାଲାଗି ଭାରତ ଆସୁଥାନ୍ତି ।

 

ଜାରୀର ମାସାନି ଲଣ୍ଡନରେ ଭିକ୍ଟୋରିଆ ଯୁଗର ଏକ ପୁରାତନ ପ୍ରାସାଦରେ ବିଗତ ଚାରି ଦଶନ୍ଧି ଧରି ବସବାସ କରନ୍ତି । ଅବସର ଗ୍ରହଣ ପରେ ସେ ଏକାକୀ । ଜାରୀର ଅବିବାହିତ ଓ ନିକଟ ସଂପର୍କୀୟ କେହି ଜୀବିତ ନାହାନ୍ତି । ସେ ସମଲିଙ୍ଗୀ । ତେବେ ୧୪ ବର୍ଷର ସଂପର୍କ ବିଚ୍ଛେଦରେ ପର୍ଯ୍ୟବଶିତ । ବର୍ଷକ ତଳେ ତାଙ୍କରି ୧୬ ବର୍ଷର ପାଳିତ କୁକୁର ମୃତ୍ୟୁ ବରଣ କରିଥିଲା । ଜାରୀରଙ୍କ ଦୈନିକ ୪୦ ଖଣ୍ଡ ଯାଏଁ ସିଗାରେଟ ଧୂମପାନ ଅଭ୍ୟାସ ତାଙ୍କୁ ଗୁରୁତର ଶ୍ୱାସରୋଗରେ ପହୁଞ୍ଚାଇ ଦେଇଥିଲା । ତାସାଙ୍ଗକୁ ହୃଦ ଓ ବୃକକ୍ ସମସ୍ୟାରେ ମଧ୍ୟ ପୀଡ଼ିତ । କିଛି ବର୍ଷ ପୂର୍ବେ ହୃଦଘାତ ହେତୁ ସେ ଶରୀରର ଭାରସାମ୍ୟ ହରାଇ ବସିଥିଲେ । ଆଶାବାଡ଼ି ବିନା ଚଳପ୍ରଚଳ ଅସଂଭବ । ଏହି ସମସ୍ତ ବିଷୟ ବିଚାରକୁ ନେଇ ଜାରୀର ଇଚ୍ଛାମୃତ୍ୟୁ ନିମନ୍ତେ ନିଷ୍ପତ୍ତି ଗ୍ରହଣ କରିଥିଲେ ।

 

ମାସାନି ପରିବାରରେ ଇଚ୍ଛାମୃତ୍ୟୁ ସାତ ଦଶନ୍ଧିର ପୁରୁଣା ବିଚାର । ଜାରୀରଙ୍କ ପିତା ମିନୁ ମାସାନି ଇଣ୍ଡିଆନ ସୋସାଇଟି ଫର ଦି ରାଇଟ ଟୁ ଡ଼ାଇ ଉଇଥ ଡିଗନିଟିର ପ୍ରତିଷ୍ଠାତା । ସେ ଜୀବନରେ ଅସହଜ ପରିସ୍ଥିତିରେ ପହଞ୍ଚିବା ପୂର୍ବରୁ ଇଚ୍ଛାମୃତ୍ୟୁ ଯୋଗେ ଦେହତ୍ୟାଗ ଲାଗି ପ୍ରସ୍ତୁତ ଥିଲେ । କିନ୍ତୁ ଜାରୀର ନିଜ ପିତା ଓ ପିଉସୀ କିପରି ଉତ୍ତର-ବାର୍ଦ୍ଧକ୍ୟରେ ଶଯ୍ୟାଶାୟୀ ଜୀବନରେ ଉପନୀତ ହେବା ଅବସରରେ ଇଚ୍ଛାମୃତ୍ୟୁ ପ୍ରକ୍ରିୟାରୁ ଓହରି ଯାଇ ସ୍ୱାଭାବିକ ମୃତ୍ୟୁକୁ ଅପେକ୍ଷା କରିଥିଲେ, ସେ ସଂପର୍କରେ ନିଜ ଇଚ୍ଛାମୃତ୍ୟୁ-ପୂର୍ବଲେଖରେ ପ୍ରାଞ୍ଜଳଭାବେ ବର୍ଣ୍ଣନା କରିଛନ୍ତି

 

ଦ୍ୱିତୀୟ ବିଶ୍ୱ-ଯୁଦ୍ଧୋତ୍ତର ଅବସ୍ଥାରେ ଆନ୍ତର୍ଜାତିକସ୍ତରରେ ଇଚ୍ଛାମୃତ୍ୟୁର ପ୍ରଚଳନ ନଥିବା ସ୍ଥଳେ ଭାରତଭଳି ପାରମ୍ପରିକ ସଭ୍ୟତାରେ ଅଲୋଡ଼ା ପ୍ରସଙ୍ଗ । ତେବେ ମିନୁ ମାସନିଙ୍କ ଭଳି ମୁମ୍ୱାଇର ଆଙ୍ଗୁଠିଗଣତି ଉଚ୍ଚଶିକ୍ଷିତ ମହଲରେ ଏ ସଂପର୍କରେ ଆଲୋଚ଼ନା ଜାରି ରହିଥିଲା । ବ୍ରିଟେନର ଏକଜିଟ ଭଳି ଇଚ୍ଛାମୃତ୍ୟୁ ସପକ୍ଷବାଦୀ ସଂଗଠନ ସହ ଗୋପନରେ ସଂପର୍କରେ ରହି ଆସିଥିଲା । ସେ ସମୟରେ ନେମ୍ୱୁଟେଲ ନାମକ ନିଶ୍ଚେତକ ଔଷଧ ମାତ୍ରାଧିକ ପ୍ରୟୋଗ ଦ୍ୱାରା ଆତ୍ମହତ୍ୟାକୁ ସହଜସାଧ୍ୟ ଦେହତ୍ୟାଗ ପଦ୍ଧତି ବିଚାର କରାଯାଉଥିଲା । ନେମ୍ୱୁଟେଲରେ ଦହି ଓ ମହୁ ମିଶ୍ରଣ କରି ପାନୀୟ ରୂପେ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଉଥିଲା । ମିନୁ ମାସାନି ନେମ୍ୱୁଟେଲ କ୍ୟାପସୁଲ ସଂଗ୍ରହ କରି ସଯତ୍ନେ ସାଇତି ରଖିଥିଲେ । କିନ୍ତୁ ଉତ୍ତର-ବାର୍ଦ୍ଧକ୍ୟରେ ଚଳପ୍ରଚଳହୀନ ସ୍ମୃତିହାନୀ ଓ ଅଣ୍ଟା ହାଡ଼ ଭାଙ୍ଗିବା ହେତୁ ଶଯ୍ୟାଶାୟୀ ଅବସ୍ଥାରେ ଦୁଇବର୍ଷ ବିତାଇବା ଅବସରରେ ସେ ଇଚ୍ଛାମୃତ୍ୟୁକୁ ଅପଣାଇ ପାରିନଥିଲେ । ଶେଷ ଜୀବନରେ ମୃତ୍ୟୁକୁ ଏକରକମ ଭୟ କରୁଥିଲେ

 

ମିନୁ ମାସାନିଙ୍କ ଭଉଣୀ, ଅର୍ଥାତ ଜାରୀରଙ୍କ ପିଉସୀ ମେହର ମାସାନୀ ସ୍ୱାଧୀନୋତ୍ତର ଭାରତରେ ଆଗଧାଡ଼ିରେ ବୃତ୍ତିଧାରୀ ମହିଳାମାନଙ୍କ ମଧ୍ୟରୁ ଅନ୍ୟତମ । ସେ ଦିନାକେତେ ପ୍ରଣୟବନ୍ଧନରେ ଆବଦ୍ଧ ଥିଲେହେଁ ଜୀବନବ୍ୟାପୀ ଅବିବାହିତ ରହିଯାଇଥିଲେ । ସେ ନିଜ ଭାଇ ମିନୁ ମାସାନିଙ୍କ ଇଚ୍ଛାମୃତ୍ୟୁ ଅଭିଯାନର ଦୃଢ ସମର୍ଥକ ଏବଂ ନିଜପାଇଁ ନେମ୍ୱୁଟେଲ ଯୋଗାଡ଼ କରି ରଖିଥିଲେ । ଉତ୍ତର-ବାର୍ଦ୍ଧକ୍ୟରେ ରୁହୁମାଟାଇଡ଼ ଆର୍ଥାରାଇଟିସ ବାତରୋଗ ଯୋଗୁଁ ଅଚଳ ହୋଇପଡ଼ିଥିଲେ । ସେ ମଧ୍ୟ ଅଣ୍ଟା ହାଡ଼ ଭଙ୍ଗାରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ଜୀବନରେ ଅତିଷ୍ଠ ହେବାପରେ ଆହାର ତ୍ୟାଗ କରି ଉପବାସରେ ଦେହତ୍ୟାଗ କଲେ । କିନ୍ତୁ ନେମ୍ୱୁଟେଲ ଜନିତ ମୃତ୍ୟୁ ଗ୍ରହଣ କରିନଥିଲେ ।

 

ଜାରୀର ନିଜ ମୃତ୍ୟୁଲେଖରେ ପିତା ଓ ପିଉସୀଙ୍କ ଜୀବନର ପୂର୍ବାର୍ଦ୍ଧରେ ଇଚ୍ଛାମୃତ୍ୟୁ ସମର୍ଥନ ତଥା ସେଥିନିମନ୍ତେ ପ୍ରସ୍ତୁତି ସାରିଥିଲେହେଁ ଜୀବନର ଅପରାର୍ଦ୍ଧରେ କିପରି ପୂର୍ବ-ସ୍ଥିରୀକୃତ ପଦ୍ଧତି ଅବଲମ୍ୱନରୁ ଦୂରେଇ ରହିଥିଲେ ଉଲ୍ଲେଖ କରିଥିଲେ । ଜାରୀର ଯୁବାବସ୍ଥାରୁ ପିତା ମିନୁ ମାସାନିଙ୍କ ଇଚ୍ଛାମୃତ୍ୟୁ ସପକ୍ଷବାଦୀ ଚ଼ିନ୍ତାଧାରା ସହ ପରିଚ଼ିତ ଥିବା ସ୍ଥଳେ ଅବସର ଜୀବନରେ ଦେହତ୍ୟାଗ ପାଇଁ ନେମ୍ୱୁଟେଲ ୩୦,୫୦୦ ଟଙ୍କା ଦେଇ ଇଣ୍ଟରନେଟର ଡାର୍କ-ୱେବରୁ କିଣି ଆଣି ସାଇତି ରଖିଥିଲେ । ତେବେ ସୁଇଜରଲ୍ୟାଣ୍ଡର ବେସେଲସ୍ଥିତ ପେଗାସସ ନାମକ ସଂସ୍ଥା ପକ୍ଷରୁ ଦେଶବାସୀଙ୍କ ସହ ବିଦେଶୀ ନାଗରିକଙ୍କୁ ଆଇନ ସମ୍ମତ୍ତ ଧାରାରେ ସ୍ୱେଚ୍ଛାକୃତ ମୃତ୍ୟୁ ସହାୟତା ଯୋଗାଇବା ଆରମ୍ଭ କରିବା ପରେ ପୂର୍ବରୁ ଗଚ୍ଛିତ ରଖିଥିବା ନିଶ୍ଚେତକ ଔଷଧ ଫୋପାଡ଼ି ଦେଇଥିବା ନିଜ ମୃତ୍ୟୁପୂର୍ବଲେଖରେ ସୂଚ଼ିତ କରିଛନ୍ତି ।

 

ଜାରୀର ମାସାନି ପେଗାସସ ସହ ଯୋଗାଯୋଗ ସ୍ଥାପନ କରି ତାଙ୍କ ଇଚ୍ଛାମୃତ୍ୟୁରେ ସହାୟତାଲାଗି ସମ୍ମତ୍ତି ପାଇଥିଲେ । ତେବେ ରୋଗ କାରଣରୁ ବିଶେଷ ଯନ୍ତ୍ରଣାର ସମ୍ମୁଖୀନ ହେଉନଥିବା, ଶ୍ୱାସ ସମସ୍ୟା ଉପଶମ ନିମନ୍ତେ ଏକ ନୂତନ ଚ଼ିକିତ୍ସା ପଦ୍ଧତି ବଜାର ପ୍ରବେଶ କରିଥିବା ତଥା ବନ୍ଧୁମାନଙ୍କ ଦ୍ୱାରା ଦେହତ୍ୟାଗ ନିଷ୍ପତ୍ତିରୁ ଓହରି ଯିବା ନିମନ୍ତେ ଅନୁରୋଧ ତିନିଗୋଟି କାରଣରୁ ସୁଇଜରଲ୍ୟାଣ୍ଡ ଯାଇ ଇଚ୍ଛାମୃତ୍ୟୁ ସାମନା କରିବା ପ୍ରସ୍ତାବ ସ୍ଥଗିତ ରଖିଥିଲେ । ଇଚ୍ଛାମୃତ୍ୟୁ-ପୂର୍ବଲେଖ ରଚନାରେ ସେ ସ୍ପଷ୍ଟ କରିଦେଇଥିଲେ ଯେ ଭେଷଜ ବିଜ୍ଞାନର ନବ-ଉଦ୍ଭାବିତ ଚ଼ିକିତ୍ସାରେ ଶ୍ୱାସକଷ୍ଟରୁ ମୁକ୍ତି ନପାଇଲେ ସେ ଅବଶ୍ୟ ଇଚ୍ଛାମୃତ୍ୟୁର ଆଶ୍ରୟ ନେବେ ।

 

ଜାରୀର ମାସାନି ନିଜ ପିତାଙ୍କ ମୃତ୍ୟୁ-ସମୀପ ଜୀବନ ସମୀକ୍ଷା କରି ଲେଖିଥିଲେ ଯେ ସ୍ଥଳବିଶେଷରେ ସ୍ୱାଭାବିକ ମୃତ୍ୟୁ ଅତ୍ୟନ୍ତ କଷ୍ଟଦାୟକ । ସେ ସହାୟତାଯୁକ୍ତ ଜୀବନଯାତ୍ରାରୁ ବର୍ତ୍ତିଯିବା ନିମନ୍ତେ ଅଭିପ୍ରାୟ ରଖନ୍ତି । ଇଚ୍ଛାମୃତ୍ୟୁ-ପୂର୍ବଲେଖ ରଚନା ବେଳକୁ ସେ ସୃଜନରୁ ଅବ୍ୟାହତି ନେଇସାରିଥିବା ଏବଂ କେବେ କେମିତି ପ୍ରବନ୍ଧ ଖଣ୍ଡେ ବା ସମୀକ୍ଷାଟିଏ ଲେଖୁଥିବା ଉଲ୍ଲେଖ କରିଥିଲେ । ନିଜ ପିତା ଓ ପିଉସୀଙ୍କ ଉଦାହରଣରୁ ସୁସ୍ଥ ସବଳ ଥିବା ସମୟରେ ହିଁ ଇଚ୍ଛାମୃତ୍ୟୁ ଗ୍ରହଣର ପ୍ରକୃଷ୍ଟ ସମୟ ବିଚାର କରନ୍ତି । ସୁଇଜରଲ୍ୟାଣ୍ଡରେ ପ୍ରଚଳିତ ଆଧୁନିକ ପଦ୍ଧତି ଯନ୍ତ୍ରଣାହୀନ ଓ ଚ଼ିକିତ୍ସକଙ୍କ ସହାୟତାରେ ସମ୍ପନ୍ନ ହୋଇଥାଏସମସ୍ତ ପୂର୍ବ ପ୍ରସ୍ତୁତି ପରେ ଇଚ୍ଛାମୃତ୍ୟୁ ପ୍ରାର୍ଥୀ କେବଳ ଏକ ସୁଇଚ ଟିପି ଦେଲେ ଶରୀରରେ ମାତ୍ରାଧିକ ନିଶ୍ଚେତକ ପ୍ରୟୋଗରେ ଜୀବନ ଦୀପ ଲିଭିଯାଏ । ଶେଷରେ ସେ ଉଲ୍ଲେଖ କରିଛନ୍ତି ସୁଇଜରଲ୍ୟାଣ୍ଡର ବ୍ୟବସ୍ଥା ବ୍ରିଟେନ ବା ଭାରତରେ ଉପଲବ୍ଧ ଥିଲେ ସେ ଇଚ୍ଛାମୃତ୍ୟୁ ପାଇଁ ଏତେ ତରବର ହୁଅନ୍ତେ ନାହିଁ ।  


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଡ଼ିସେମ୍ୱର ୨୦୨


ଭିଡ଼ିଓ:

 

ସ୍ୱାଧୀନୋତ୍ତର ଭାରତରେ କଂଗ୍ରେସ ବିରୋଧୀ ରାଜନୀତିକ ଦଳ ଗଠନ ସଂପର୍କରେ ଅଭିମତରେ ଜାରୀର ମାସାନୀଙ୍କ ୟୁଟ୍ୟୁବ ଭିଡ଼ିଓ (୪.୧୦ ମିନଟ)

 

https://youtu.be/3Ha5APla-w4

 

ତଥ୍ୟ:

 

Masani, Zareer. Chronicle of my death foretold in defence of dignity in departure

 

https://openthemagazine.com/essay/chronicle-of-my-death-foretold/

ବେଲଜିୟମରେ ଇଚ୍ଛାମୃତ୍ୟୁ ଆଇନ

ପଶ୍ଚିମ ୟୁରୋପରେ ଅବସ୍ଥିତ ବେଲଜିୟମ ରାଷ୍ଟ୍ରରେ ଇଚ୍ଛାମୃତ୍ୟୁ ଆଇନ ୨୦୦୨ରେ ପ୍ରଣୀତ ହୋଇଥିଲା । କୋଡ଼ିଏ ବର୍ଷ ମଧ୍ୟରେ ୨୦୨୨ ସୁଦ୍ଧା ଏହି ଆଇନ ଉପଯୋଗରେ ସେଠାରେ ୨୭ ହଜାର ଯାଏଁ ବ୍ୟକ୍ତି ପ୍ରାଣତ୍ୟାଗ କରିଥିବା ପ୍ରକାଶ । ଆନ୍ତର୍ଜାତିକସ୍ତରରେ ନେଦରଲ୍ୟାଣ୍ଡସ ପରକୁ ବେଲଜିୟମ ଇଚ୍ଛାମୃତ୍ୟୁ ବୈଧିକରଣରେ ଦ୍ୱିତୀୟ ରାଷ୍ଟ୍ର । ଇଚ୍ଛାମୃତ୍ୟୁ ଆଇନ ପ୍ରଣୟନ ପରବର୍ଷ ଅର୍ଥାତ ୨୦୦୩ରେ ୨୩୫ ଜଣ ବ୍ୟକ୍ତି ଇଚ୍ଛାମୃତ୍ୟୁ ବରଣ କରିଥିବା ସ୍ଥଳେ ୨୦୨୨ରେ ମୃତ୍ୟୁସଂଖ୍ୟା ୨,୯୬୬କୁ ବୃଦ୍ଧି ପାଇଥିବା ସରକାରୀ ଭାବେ ଘୋଷିତ ।

 

ନେଦରଲ୍ୟାଣ୍ଡସ, ଜର୍ମାନୀ, ଫ୍ରାନ୍ସ, ଲକ୍ସମ୍ୱରବର୍ଗ ଓ ଉତ୍ତର ସାଗର ଘେରରେ ଅବସ୍ଥିତ ବେଲଜିୟମର ଜନସଂଖ୍ୟା ମାତ୍ର ଏକ କୋଟି ପନ୍ଦର ଲକ୍ଷ । ସମକାଳରେ ଦେଶର ମୋଟ ମୃତ୍ୟୁ ସଂଖ୍ୟାର ୨.୫ ପ୍ରତିଶତ ଇଚ୍ଛାମୃତ୍ୟୁ ହିସାବ କରାଯାଏ । ଆଇନ ଅନୁଯାୟୀ ସବୁ ବୟସବର୍ଗଙ୍କ ନିମନ୍ତେ ଇଚ୍ଛାମୃତ୍ୟୁ ଅନୁରୋଧ ଉନ୍ମୁକ୍ତ ଥିବା ସ୍ଥଳେ ସାଧାରଣତଃ ୬୦ ବର୍ଷୋତ୍ତର ବରିଷ୍ଠ ନାଗରିକଗଣ ପ୍ରାଣତ୍ୟାଗ କରିଥାନ୍ତି । ସେମାନଙ୍କ ମଧ୍ୟରେ ୮୦ ରୁ ୮୯ ବର୍ଷ ବୟସ୍କଙ୍କ ସଂଖ୍ୟା ଅଧିକ । ସ୍ଥାନୀୟ ନାଗରିକଙ୍କ ବ୍ୟତୀତ ବିଦେଶ ଆଗତ ମୃତ୍ୟୁ ଅଭିଳାଷୀଙ୍କୁ ମଧ୍ୟ ବେଲଜିୟମରେ ଇଚ୍ଛାମୃତ୍ୟୁର ସୁଯୋଗ ଦିଆଯାଇଥାଏ । ଏଥି ନିମନ୍ତେ ଆଇନର ପ୍ରତିବନ୍ଧକ ନାହିଁ । ତଥାକଥିତ ଇଚ୍ଛାମୃତ୍ୟୁ ପର୍ଯ୍ୟଟନରେ ୨୦୨୨ ବର୍ଷକ ମଧ୍ୟରେ ପ୍ରାୟ ୬୧ ଜଣ ବୈଦେଶିକ ବ୍ୟକ୍ତି ବେଲଜିୟମରେ ପ୍ରାଣତ୍ୟାଗ କରିଥିଲେ । ସେମାନଙ୍କ ମଧ୍ୟରେ ସୁଦୂର ଆଷ୍ଟ୍ରେଲିଆରୁ ଆଗତ ଜଣେ ବାର୍ଦ୍ଧକ୍ୟଗ୍ରସ୍ତ ସାମିଲ ହୋଇଥିଲେ ।

 

ବେଲଜିୟମରେ ଚ଼ିକିତ୍ସକମାନେ ଇଚ୍ଛାମୃତ୍ୟୁ କାର୍ଯ୍ୟକାରୀ କରିବା ପରେ ନିର୍ଦ୍ଧାରିତ ଦଲିଲରେ ସଂପୃକ୍ତ ବ୍ୟକ୍ତିଙ୍କ ଶାରିରୀକ ଓ ମାନସିକ ସ୍ଥିତାବସ୍ଥା, ଜୀବନ ଓ ଚ଼ିକିତ୍ସା ପ୍ରତି ଦୃଷ୍ଟିକୋଣ ତଥା ଅନୁସରଣ କରାଯାଇଥିବା ପଦ୍ଧତି ସଂପର୍କରେ ବିଶଦ ବିବରଣୀ ‘ଫେଡ଼େରାଲ କମିଶନ ଫର କଣ୍ଟ୍ରୋଲ ଏଣ୍ଡ ଇଭାଲୁଏସନ ଅଫ ୟୁଥେନେସିଆ’ ନିକଟରେ ଦାଖଲ କରିଥାନ୍ତି । ସଂଗୃହୀତ ତଥ୍ୟ ବିଶ୍ଳେଷଣରୁ ଜଣାଯାଇଥିଲା ଯେ ୨୦୨୨ ବର୍ଷକ ମଧ୍ୟରେ ସଂଘଠିତ ୨,୯୬୬ ଇଚ୍ଛାମୃତ୍ୟୁ ମଧ୍ୟରୁ ୫୧୩ ଜଣଙ୍କ ନିକଟରେ ସ୍ୱାସ୍ଥ୍ୟଗତ କାରଣରୁ ଭବିଷ୍ୟତରେ ମୃତ୍ୟୁ ଆଶା କରାଯାଉନଥିଲା । ଅର୍ଥାତ, ଢ଼େର ସଂଖ୍ୟକ ବ୍ୟକ୍ତି ମୃତ୍ୟୁ-ସମୀପ ଜୀବନରେ ପହଞ୍ଚିବା ପୂର୍ବରୁ ଇଚ୍ଛାମୃତ୍ୟୁ ବରଣ କରିନେଇଥିଲେ । ସେମାନଙ୍କ ମଧ୍ୟରେ ୨୩୯ ଜଣ ଜଟିଳ ରୋଗାକ୍ରାନ୍ତ ଥିଲେ । ଆଲଜମିରର୍ସ ଭଳି ମତିଭ୍ରମ ରୋଗରେ ୪୨ ଜଣ ପୀଡ଼ିତ ଥିବା ସ୍ଥଳେ ୨୧ ଜଣ ଗଭୀର ଅବସାଦଗ୍ରସ୍ତ ଥିଲେ । ଆର୍ଥାରାଇଟିସ ଭଳି ଆଣ୍ଠୁ-ଗଣ୍ଠି ବିନ୍ଧା ରୋଗାକ୍ରାନ୍ତ ମଧ୍ୟ ଇଚ୍ଛାମୃତ୍ୟୁ ଅନୁରୋଧ କରୁଥିବା ଉଦାହରଣର ଅଭାବ ନଥାଏ ।

 

ସାଧାରଣରେ ଇଚ୍ଛାମୃତ୍ୟୁ ଉଦ୍ଦେଶ୍ୟମୂଳକଭାବେ ପ୍ରାଣତ୍ୟାଗରେ ଜଣେ ବ୍ୟକ୍ତିଙ୍କ ଅନୁରୋଧକ୍ରମେ ଅନ୍ୟବ୍ୟକ୍ତିଙ୍କ ସହାୟତାକୁ ବୁଝାଇଥାଏ । ଆଧୁନିକ ଆଇନ ଅନୁଯାୟୀ ଚ଼ିକିତ୍ସକମାନେ ନିର୍ଦ୍ଧାରିତ ପଦ୍ଧତି ଅନୁସରଣ କରି ଏହି ସହାୟତା ପ୍ରଦାନ କରିଥାନ୍ତି । ପଶ୍ଚିମ ୟୁରୋପରେ ବେଲଜିୟମ ସମେତ ସଂଲଗ୍ନ ନେଦରଲ୍ୟାଣ୍ଡସ ଓ ଲକ୍ସମ୍ୱରବର୍ଗରେ ଇଚ୍ଛାମୃତ୍ୟୁ ବୈଧ ହୋଇଥିଲେ ସୁଦ୍ଧା ରକ୍ଷଣଶୀଳ ଓ ଧାର୍ମିକ ଅନୁଷ୍ଠାନଗୁଡ଼ିକ ପକ୍ଷରୁ ନବ-ପ୍ରବର୍ତ୍ତିତ ଆଇନର ପ୍ରତିବାଦ ସ୍ୱର ଶାଣିତ । ବେଲଜିୟମରେ ମାନସିକ ସ୍ୱାସ୍ଥ୍ୟହାନୀକୁ ଆୟୂଧକରି ଅନୁରୋଧ ତଥା ନାବାଳକଙ୍କ କ୍ଷେତ୍ରରେ ଅନୁମତି ପ୍ରଦାନ ନୀତିକୁ ବିରୋଧ କରାଯାଇଥାଏ । ଜନୈକ ମାନସିକ ଅବସାଦଗ୍ରସ୍ତ ମହିଳାଙ୍କ ଇଚ୍ଛାମୃତ୍ୟୁ ଚ଼ରିତାର୍ଥ କରିଥିବା ଚ଼ିକିତ୍ସକଙ୍କ ବିରୋଧରେ ତାଙ୍କ ପୁତ୍ରଙ୍କ ୟୁରେପୀୟ ମାନବାଧିକାର ଅଦାଲତରେ ମାମଲା ଦାୟର ଏବଂ ଦଶବର୍ଷ ଧରି ପଦ୍ଧତିର ଅନୁଶୀଳନ ଏକ ଉଲ୍ଲେଖନୀୟ ଉଦାହରଣ ।

 

ବେଲଜିୟମରେ ଜଣେ ୬୪ ବର୍ଷୟା ମହିଳା ଗୋଦିଭା ଥ୍ୱା ୨୦୧୨ରେ ଇଚ୍ଛାମୃତ୍ୟୁ ବରଣ କରିଥିଲେ । ସେ ଜୀବନବ୍ୟାପୀ ଅବସାଦଗ୍ରସ୍ତ ରହି ୪୦ ବର୍ଷ ଧରି ଚ଼ିକିତ୍ସିତ ହେଉଥିଲେ । ତେବେ ସୁଫଳ ମିଳିପାରୁ ନଥିଲା । ଶେଷରେ କର୍କଟରୋଗ ବିଶେଷଜ୍ଞ ଭିମ ଡ଼ିଷ୍ଟେଲମେନ୍ସଙ୍କ ସହାୟତାରେ ଇଚ୍ଛାମୃତ୍ୟୁରେ ପ୍ରାଣ ହରାଇଥିଲେ । ଗୋଦିଭାଙ୍କ ମୃତ୍ୟୁ ପରଦିନ ଖବର ତାଙ୍କରି ପୁତ୍ର ଟମ ମୋରଟିଆରଙ୍କୁ ହସପିଟାଲପକ୍ଷରୁ ଜଣାଇଦିଆଯାଇଥିଲା । ଟମ ଚ଼ିକିତ୍ସକ ଓ ହସପିଟାଲର କାର୍ଯ୍ୟଧାରାକୁ ବିରୋଧକରିଥିଲେ । ସେ କହିଥିଲେ ଯେ ତାଙ୍କରି ମାଆ ଦୀର୍ଘକାଳରୁ ଅବସାଦଗ୍ରସ୍ତ ରହିଆସିଥିଲେ । ସେ ଯଦି ଇଚ୍ଛାମୃତ୍ୟୁ ନିମନ୍ତେ ଅନୁରୋଧ କଲେ, ଚ଼ିକିତ୍ସକ ଓ ହସପିଟାଲ ତାଙ୍କରି ନିକଟ ସଂପର୍କୀୟମାନଙ୍କୁ ଏ ସଂପର୍କରେ ଅଗ୍ରୀମ ଅବଗତ କରାଇବା ଉଚ଼ିତ ଥିଲା । ଏତଦ୍ୱାରା ହୁଏତ ଇଚ୍ଛାମୃତ୍ୟୁକୁ ଏଡ଼ାଇ ଦିଆଯାଇ ପାରିଥାନ୍ତା ।

 

ଭିମ ଡ଼ିଷ୍ଟେଲମେନ୍ସ ବେଲଜିୟମରେ ଇଚ୍ଛାମୃତ୍ୟୁ ଅଭିଯାନର ଜଣେ ତୁଙ୍ଗ ନେତା । ଟମ ମୋରଟିଆର ଡ଼ିଷ୍ଟେଲମେନ୍ସଙ୍କୁ ଦୋଷାରୋପ କରିଥିଲେ । ତାଙ୍କ ମାଆ ମୃତ୍ୟୁ ପୂର୍ବରୁ ଡ଼ିଷ୍ଟେଲମେନ୍ସଙ୍କ ସଂଗଠନକୁ ଅର୍ଥ ପ୍ରଦାନ କରିଥିବା ଜଣାଯାଇଥିଲା । ଏହି ଇଚ୍ଛାମୃତ୍ୟୁର ବୈଧତା ପ୍ରଶ୍ନକରି ‘ୟୁରୋପିଆନ କୋର୍ଟ ଅଫ ହ୍ୟୁମାନ ରାଇଟସ’କୁ ନ୍ୟାୟିକ ନିଷ୍ପତ୍ତିଲାଗି ଟାଣିଥିଲେ । ଗୋଦିଭାଙ୍କ ଇଚ୍ଛାମୃତ୍ୟୁର ଦଶ ବର୍ଷ ପରେ ଅକ୍ଟୋବର ୨୦୨୨ରେ ଅଦାଲତ ରାୟ ପ୍ରକାଶ କରି ଗୋଦିଭାଙ୍କ ଇଚ୍ଛାମୃତ୍ୟୁ ବୈଧ ଓ ଚ଼ିକିତ୍ସକ ଭିମ ଡ଼ିଷ୍ଟେଲମେନ୍ସ ଉଚ଼ିତ ପଦ୍ଧତି ଅନୁସରଣ କରିଥିବା ଦର୍ଶାଇଥିଲେ ।

 

ବିବରଣୀରୁ ପ୍ରକାଶ ଯେ ମାନସିକ ଅବସାଦଗ୍ରସ୍ତ ଗୋଦିଭାଙ୍କ ସହ ଦୀର୍ଘ କାଳ, ଅନ୍ତତଃପକ୍ଷେ ବର୍ଷକ ଯାଏଁ ପରିବାର ସଦସ୍ୟଙ୍କ କୌଣସି ଯୋଗାଯୋଗ ନଥିଲା । ଗୋଦିଭା ଇଚ୍ଛାମୃତ୍ୟୁ ବରଣ କରିବାକୁ ପ୍ରସ୍ତୁତ ହେଉଥିବା ପ୍ରସଙ୍ଗରେ ନିଜ ପୁଅ ଟମ ମୋରଟିଆରଙ୍କୁ ଇ-ମେଲ ଯୋଗେ ଜଣାଇଥିଲେ । କିନ୍ତୁ ଟମ ଉତ୍ତର ଦେଇନଥିଲେ । ଇଚ୍ଛାମୃତ୍ୟୁ ପୂର୍ବରୁ ଚ଼ିକିତ୍ସକମାନେ ଉକ୍ତ ମହିଳାଙ୍କୁ ନିଜ ପରିବାର ସଦସ୍ୟଙ୍କୁ ଯୋଗାଯୋଗ କରିବା ନିମନ୍ତେ ପରାମର୍ଶ ଦେଇଥିଲେ । କିନ୍ତୁ ମହିଳା ଏହାର ବିରୋଧ କରିଥିଲେ । ଏପରି କରିବା ଦ୍ୱାରା ଅଯଥାରେ ଇଚ୍ଛାମୃତ୍ୟୁ ବିଳମ୍ୱ ହେବ ବୋଲି କୈଫିୟତ ଦେଇଥିଲେ । ‘ୟୁରୋପିଆନ କନଭେନସନ ଅଫ ହ୍ୟୁମାନ ରାଇଟ୍ସ’ର ଧାରା ୨ ପ୍ରକାରେ ଜୀବନ ପ୍ରତି ଅଧିକାରରେ ମୃତ୍ୟୁ ମଧ୍ୟ ସନ୍ନିବଶିତ ଏବଂ ଧାରା ୮ ପ୍ରକାରେ ଗୋପନୀୟତା ସୁରକ୍ଷା ଆଧାରରେ ପରିବାରବର୍ଗଙ୍କ ପରାମର୍ଶ ଗ୍ରହଣ ଭଳି କାର୍ଯ୍ୟରେ ରୋଗୀଙ୍କ ବ୍ୟକ୍ତିଗତ ନିଷ୍ପତ୍ତିକୁ ଉଲଂଘନ କରିବା ଚ଼ିକିତ୍ସକ ଉଚ଼ିତ ମନେ କରିନଥିଲେ । ତେଣୁ ଚ଼ିକିତ୍ସକ, ହସପିଟାଲ ଓ ପ୍ରଚଳିତ ଆଇନ ବିରୋଧରେ ଅଭିଯୋଗଗୁଡ଼ିକୁ ଅଦାଲତ ଖଣ୍ଡନ କରିଥିଲେ । ଅବଶ୍ୟ, ଇଚ୍ଛାମୃତ୍ୟୁ କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ସମୀକ୍ଷା ପଦ୍ଧତିକୁ ଶକ୍ତିଶାଳୀ କରିବା ନିମନ୍ତେ ପରାମର୍ଶ ଦେଇଥିଲେ ।

 

ଟମ ମୋରଟିଆର ବନାମ ବେଲଜିୟମ ମାମଲାରେ ‘ଫେଡ଼େରାଲ କମିଶନ ଫର କଣ୍ଟ୍ରୋଲ ଏଣ୍ଡ ଇଭାଲୁଏସନ ଅଫ ୟୁଥେନେସିଆ’ ଏବଂ ‘ୟୁରୋପିଆନ କୋର୍ଟ ଅଫ ହ୍ୟୁମାନ ରାଇଟ୍ସ’ ଇଚ୍ଛାମୃତ୍ୟୁ ପଦ୍ଧତି ପ୍ରତି ଅନୁକୂଳ ମତ ପ୍ରକାଶ ପ୍ରଗତିଶୀଳ ମନୋଭାବର ସୂଚ଼ନା ଦିଏ । ପ୍ରଥମତଃ, ଏଥିରୁ ସ୍ପଷ୍ଟ ପ୍ରତିପାଦିତ ହୁଏ ଯେ ଶାରୀରିକ ସ୍ୱାସ୍ଥ୍ୟାବସ୍ଥା ଭଳି ମାନସିକ ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ମାନସିକସ୍ତରରେ ଅବସାଦଗ୍ରସ୍ତ ହେବା ଏବଂ ଚ଼ିକିତ୍ସା ସତ୍ତ୍ୱେ ସେଥିରୁ ମୁକୁଳି ନପାରିବା ଯନ୍ତ୍ରଣାଦାୟକ । ଦ୍ୱିତୀୟତଃ, ବ୍ୟକ୍ତିଗତ ସ୍ୱାଧୀନତା ଓ ଗୋପନୀୟତା ରକ୍ଷା ସାମାଜିକ କର୍ତ୍ତବ୍ୟ । ତୃତୀୟତଃ, ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ରୋଗୀ ଓ ଚ଼ିକିତ୍ସକଙ୍କ ନିଷ୍ପତ୍ତିରେ ତୃତୀୟ ପକ୍ଷର ଅନୁପ୍ରବେଶ ଅସମୀଚ଼ୀନ । ଚାଳିଶି ବର୍ଷଧରି ଆବସାଦଗ୍ରସ୍ତ ଜଣେ ମହିଳାଙ୍କ ସହ ନିଜ ଜନ୍ମିତ ପୁତ୍ର ଯଦି ବର୍ଷେ ଯାଏଁ ସଂପର୍କ ରଖିପାରୁ ନାହିଁ, ତେବେ ପାରିବାରିକ ଆଙ୍ଗିକ ଏକ ପ୍ରହେଳିକା ଭିନ୍ନ ଆଉ କ’ଣ ବିଚାର କରାଯାଇପାରେ ?

 

ବେଲଜିୟମରେ ଇଚ୍ଛାମୃତ୍ୟୁ ସଂପର୍କୀତ ‘ପବ୍ଳିକ ବ୍ରଡ଼କାଷ୍ଟିଂ ସର୍ଭିସ’ ଓ ‘ଭାଇସ’ ପ୍ରଯୋଜିତ ଦୁଇଗୋଟି ୟୁଟ୍ୟୁବ ଭିଡ଼ିଓ ଲିଙ୍କ ନିମ୍ନରେ ପ୍ରଦତ୍ତ । ଏଥିରେ ଇଚ୍ଛାମୃତ୍ୟୁର ଅନ୍ତିମ ଦୃଶ୍ୟାବଳୀ ରୂପାୟିତ । ଏହା ସର୍ବସାଧାରଣଙ୍କ ରୁଚିକୁ ସୁହାଇ ନପାରେ ।

 

Watch ‘The right to die’ in Belgium : An inside look at the world on YouTube (11.19 minutes)

 

https://youtu.be/eo8Hn0DEcpw

 

Watch ‘Right to Die’ (Vice on HBO Session 4, Episode 3) on YouTube (28.19 minutes)

 

https://youtu.be/xgj2VXltbuI 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଜୁନ ୨୦୨


ତଥ୍ୟ:

 

Martuscelli, Carlo. Human rights court sides with Belgium in euthanasia case. Politico. October 4, 2022

 

https://www.politico.eu/article/human-rights-court-belgium-euthanasia-case/

 

20 years of euthanasia in Belgium : after almost 30,000 lives lost, what we learn ? ADF international. Brussels. May 25, 2022

 

https://adfinternational.org/20-years-euthanasia/

ଇଚ୍ଛାମୃତ୍ୟୁ ବର୍ଣ୍ଣନା

ଇଚ୍ଛାମୃତ୍ୟୁ ପ୍ରତ୍ୟକ୍ଷଦର୍ଶୀଙ୍କ ବିବରଣୀ ସେହି ବିଷୟରେ ଜିଜ୍ଞାସା ଚରିତାର୍ଥରେ ସହାୟକ ହେବା ବିଚାର କରାଯାଇପାରେ । ମନୁଷ୍ୟ ମୃତ୍ୟୁ ସଂପର୍କରେ ଅବଗତ ହେବା ପର ଅବସ୍ଥାରୁ ସୁଖଦ ମୃତ୍ୟୁ କାମନା କରିଆସିଛି । ଜୀବନ ଓ ମୃତ୍ୟୁ ସଂପର୍କରେ ସମ୍ୟକ ଜ୍ଞାନ ଆହରଣ କରିଥିବା ବ୍ୟକ୍ତି ପାରିପାର୍ଶ୍ୱିକ ପରିବେଶକୁ ବିଚାରକୁ ନେଇ ଜୀବନର ଅନ୍ତ ଓ ମୃତ୍ୟୁକୁ ଆଲିଙ୍ଗନ ନିମନ୍ତେ ପ୍ରସ୍ତୁତ କ୍ଷମତା ହାସଲ କରିପାରୁଥିବା ହୃଦବୋଧ ହୁଏ । କିନ୍ତୁ ସାମାଜିକ ବ୍ୟବସ୍ଥା ତାହାର ମୃତ୍ୟୁଇଚ୍ଛା ପୂରଣରେ ପ୍ରତିବନ୍ଧକ ସାଜେ । ଇଚ୍ଛାମୃତ୍ୟୁ ୨୦୨୨ ସୁଦ୍ଧା ମାତ୍ର ୧୧ ଗୋଟି ରାଷ୍ଟ୍ରରେ ଆଇନସମ୍ମତ୍ତ । ସର୍ବତ୍ର ଦୁରାରୋଗ ପୀଡ଼ିତ ଏବଂ ଚ଼ିକିତ୍ସାରେ ଉପଶମ ଆଶା ହରାଇଥିବା ବ୍ୟକ୍ତିବିଶେଷଙ୍କ ନିମନ୍ତେ ପ୍ରଜୁଯ୍ୟ । ମନୁଷ୍ୟର ସ୍ୱାଧୀନ ମୃତ୍ୟୁ ମାନସିକତାକୁ ଆଇନଗତ ସମର୍ଥନ ନିମନ୍ତେ ଦୀର୍ଘକାଳ ଅପେକ୍ଷା କରିବାକୁ ପଡ଼ିପାରେ ।

 

ମୃତ୍ୟୁ ବିଷୟକ ଗବେଷଣା ପତ୍ରିକା ‘ଡ଼େଥ ଷ୍ଟଡ଼ିଜ’ର ୨୦୨୧ ଜାନୁୟାରୀ ସଂସ୍କରଣରେ ବ୍ରସଲସ ବିଶ୍ୱବିଦ୍ୟାଳୟର ସମାଜଶାସ୍ତ୍ର ଅଧ୍ୟାପକ ଗି ଲିନର ଏବଂ ତାଙ୍କ ଡ଼କ୍ଟରାଲ ଗବେଷଣା ଛାତ୍ରୀ ନିତାସା ହାମରଟ ଓ ଅନ୍ୟମାନଙ୍କ ଦ୍ୱାରା ପ୍ରସ୍ତୁତ ଏକ ନିବନ୍ଧରେ ବେଲଜିୟମ ହସପିଟାଲରେ ଜଣେ ବିଦେଶୀ ମହିଳାଙ୍କ ଇଚ୍ଛାମୃତ୍ୟୁ ପ୍ରକ୍ରିୟାର ବିବରଣୀ ପ୍ରକାଶିତ ହୋଇଥିଲା । ବିଶ୍ୱବିଦ୍ୟାଳୟରୁ ବୃତ୍ତି ପାଇ ହାମରଟ ଦୁଇବର୍ଷ ଧରି ଇଚ୍ଛାମୃତ୍ୟୁ ପର୍ଯ୍ୟବେକ୍ଷଣ ଗବେଷଣା ‘ଏଥୋନୋଗ୍ରାଫିକ’ ପଦ୍ଧତି ଅବଲମ୍ୱନ କରିଥିଲେ । ‘ଆନାବେଲେ’ ଛଦ୍ମନାମ୍ନୀ ମହିଳାଜଣକ ବେଲଜିୟମକୁ ତଥାକଥିତ ମୃତ୍ୟୁ ପର୍ଯ୍ୟଟନରେ ପହଞ୍ଚି ଡ଼ାକ୍ତରଙ୍କସହ ପ୍ରଥମ ସାକ୍ଷାତରୁ ଇଚ୍ଛାମୃତ୍ୟୁରେ ପ୍ରାଣ ବିସର୍ଜନ ଯାଏଁ ପ୍ରତିଟି ପ୍ରମୁଖ ଘଟଣା ହାମରଟ ଅନୁସରଣ କରି ବିବରଣୀ ଲିପିବଦ୍ଧ କରୁଥିଲେ । ସେ ଆନାବେଲେଙ୍କ ହସପିଟାଲ ରହେଣୀ ଅବସରରେ ବହୁବାର ସାକ୍ଷାତକାର ଗ୍ରହଣ କରିଥିଲେ ।

 

ବେଲଜିୟମରେ ୨୦୦୨ରେ ପ୍ରଣୀତ ଆଇନ ଅନୁଯାୟୀ ଇଚ୍ଛାମୃତ୍ୟୁ କେବଳ ଚ଼ିକିତ୍ସକଙ୍କ ସହାୟତାରେ ସମାହିତ ହେବା ପ୍ରାବଧାନ ରହିଛି । ଇଚ୍ଛାମୃତ୍ୟୁ ଅଭିଳାଷୀ (୧) ସ୍ୱତଃପ୍ରବୃତ୍ତ ଭାବେ (୨) କୌଣସି ବାହ୍ୟ ଚାପର ବଶବର୍ତ୍ତୀ ନହୋଇ (୩) ବିଧିବଦ୍ଧ ଢଙ୍ଗରେ (୪) ବାରମ୍ୱାର ଚିକିତ୍ସକଙ୍କୁ ପ୍ରାଣ ବିସର୍ଜନରେ ସହାୟତା କରିବା ନିମନ୍ତେ ଅନୁରୋଧ କରିବେ । ବ୍ୟକ୍ତି ବିଶେଷ (୫) ଆଇନତଃ ଯୋଗ୍ୟ ଏବଂ (୬) ସଚ଼େତନ ସ୍ତରରେ ଆବେଦନ କରିବା ଆବଶ୍ୟକ ।

 

ଅନୁରୋଧକର୍ତ୍ତାଙ୍କ ସହ ଚ଼ିକିତ୍ସକ (୭) ଯୁକ୍ତିଯୁକ୍ତ ସମୟସୀମାରେ ବାରମ୍ୱାର ସାକ୍ଷାତକାର ମାଧ୍ୟମରେ ଇଚ୍ଛାମୃତ୍ୟୁ ଅଭିଳାଷର କାରଣ, ପାରିପାର୍ଶ୍ୱିକ ଘଟଣାକ୍ରମ ଓ ବ୍ୟକ୍ତିଗତ ଦୃଷ୍ଟିକୋଣ ସଂପର୍କରେ ଅବଗତ ହେବା ନିମନ୍ତେ ଉଦ୍ୟମ କରିବେ । ଅଭିଳାଷୀଙ୍କ ସ୍ୱାସ୍ଥ୍ୟାବସ୍ଥା (୮) ଅତିଶୟ ଖରାପ ସ୍ତରରେ ପହଞ୍ଚିଯାଇଥିବା ଓ ଚ଼ିକିତ୍ସା ଦ୍ୱାରା ଉପଶମର ଆଶା ନଥିବା ହୃଦବୋଧ ହେଲେ ଯାଇ ଇଚ୍ଛାମୃତ୍ୟୁରେ ସହାୟତା ଲାଗି ଚିକିତ୍ସକ ନିଷ୍ପତ୍ତି ଗ୍ରହଣ କରିବେ । ତେବେ ଏଥି ପୂର୍ବରୁ (୯) ବ୍ୟକ୍ତିବିଶେଷଙ୍କ ଶାରିରୀକ ଓ ମାନସିକ ସ୍ୱାସ୍ଥ୍ୟରେ ସୁଧାରଲାଗି ଉପଲବ୍ଧ ବିଭିନ୍ନ ସୁବିଧାସୁଯୋଗ, ସମ୍ଭାବ୍ୟ ଜୀବଦ୍ଦଶା ତଥା ଇଚ୍ଛାମୃତ୍ୟୁ ହେତୁ ସୁବିଧା ଅସୁବିଧା ବିଷୟରେ ପ୍ରାଞ୍ଜଳଭାବେ ବୁଝାଇଥିବେ ।

 

ଅଭିଳାଷୀ ଓ ଚ଼ିକିତ୍ସକ (୧୦) ଇଚ୍ଛାମୃତ୍ୟୁ ଲାଗି ଏକମତ ହେବା ପରେ ସ୍ଥାନ, ସମୟ ଓ ପ୍ରଣାଳୀ ନିର୍ଦ୍ଧାରିତ ହେବ । ସଂପୃକ୍ତ ଚ଼ିକିତ୍ସକଙ୍କ ବ୍ୟତୀତ (୧୧) ଅଭିଳାଷୀଙ୍କ ଚ଼ିକିତ୍ସା ସହ ସଂପୃକ୍ତ ନଥିବା ଦୁଇ ଜଣ ଚ଼ିକିତ୍ସକ ଚ଼ିକିତ୍ସାର ସଂପୃର୍ଣ୍ଣ ବିବରଣୀ ଅନୁଧ୍ୟାନ କରି ମତାମତ ପ୍ରଦାନ କରିବେ । ସ୍ଥଳ ବିଶେଷରେ (୧୨) ଆବଦେନକାରୀଙ୍କ ଇଚ୍ଛାମୃତ୍ୟୁରେ ସହାୟତା ପ୍ରଦାନ ଲାଗି ସଂପୃକ୍ତ ଚ଼ିକିତ୍ସକ ଅମଙ୍ଗ ହେଲେ ଅନୁରୋଧର ସପ୍ତାହକ ମଧ୍ୟରେ ନାସ୍ତିବାଣୀ ଶୁଣାଇପାରିବେ ଏବଂ (୧୩) ଅଭିଳାଷୀ ଇଚ୍ଛାମୃତ୍ୟୁରେ ସହାୟତା ନିମନ୍ତେ ଅନ୍ୟ ଚ଼ିକିତ୍ସକଙ୍କ ସହାୟତା ଲୋଡ଼ି ପାରିବେ ।

 

ଗବେଷିକା ନିତାସା ହାମରଟଙ୍କ ଦ୍ୱାରା ବର୍ଣ୍ଣିତ ଆନାବେଲେଙ୍କ ବୟସ ୫୦ ବର୍ଷୋତ୍ତର । ସେ ଦୀର୍ଘ ସମୟ ଧରି ଅର୍ଥନୀତିକ ସେବା କ୍ଷେତ୍ରରେ କାର୍ଯ୍ୟ କରିଥିଲେ । ଜରାୟୁ କର୍କଟ ‘ଇନଭରସିଭ ସର୍ଭିକାଲ କ୍ୟାନସର’ ରୋଗାକ୍ରାନ୍ତ । କର୍କଟ ରୋଗ ଚ଼ିକିତ୍ସା ଲାଗି ବହୁବାର ଅସ୍ତ୍ରୋପଚାର, ରେଡ଼ିଓଥେରାପି ଓ କିମୋଥେରାପି ସତ୍ତ୍ୱେ କୋଷବୃଦ୍ଧି ଉପଶମ ହୋଇପାରିଲା ନାହିଁ । ସେ ଅସହ୍ୟ ଯନ୍ତ୍ରଣାର ସମ୍ମୁଖୀନ ହେଲେ । ଶଲ୍ୟ ଚ଼ିକିତ୍ସାରେ ମଳଦ୍ୱାର ସଂକୁଚିତ  ହୋଇପଡ଼ିବା ହେତୁ ଶୌଚ଼ ଯିବାବେଳେ ବେଦନା ଅସହ୍ୟ ହୋଇପଡ଼େ । ପୂର୍ବ ଅସ୍ତ୍ରୋପଚାରଜନିତ ଘା’ଗୁଡ଼ିକ ଶୁଖୁନଥିବା ସ୍ଥଳେ ପୁଣି ଅସ୍ତ୍ରୋପଚାର ଆବଶ୍ୟକ ପଡ଼ିବାରୁ ସମସ୍ୟା ଦ୍ୱିଗୁଣିତ ସୀମାରେ ପହଞ୍ଚିଯାଏ । ସର୍ବୋପରି ଭବିଷ୍ୟତରେ ଉପଶମର ଆଶା ନଥିବା ହେତୁ ଯନ୍ତ୍ରଣାପୂର୍ଣ୍ଣ ଜୀବନରେ ଅନ୍ତ ଲାଗି ନିଷ୍ପତ୍ତି ଗ୍ରହଣ କରି ଇଚ୍ଛାମୃତ୍ୟୁ ଉଦ୍ଦେଶ୍ୟରେ ବେଲଜିୟମରେ ପହଞ୍ଚିଥାନ୍ତି ।

 

ବେଲଜିୟମ ଆଇନରେ ବିଦେଶୀ ନାଗରିକଙ୍କ ଇଚ୍ଛାମୃତ୍ୟୁରେ ଚ଼ିକିତ୍ସକଙ୍କ ସହାୟତା ବାରଣ କରାଯାଇ ନାହିଁ । ଇଚ୍ଛାମୃତ୍ୟୁ ଲାଗି ବେଲଜିୟମ ନାଗରିକତ୍ୱ କିମ୍ୱା ଆବାସିକ ପ୍ରମାଣ ଆବଶ୍ୟକ ପଡ଼େ ନାହିଁ । ତେବେ ବେଲଜିୟମ ନାଗରିକଙ୍କ ପାଇଁ ନିର୍ଦ୍ଧାରିତ ପଦ୍ଧତି ପାଳନ କରାଯାଏ । ଆନାବେଲେ ବିଧିବଦ୍ଧଭାବେ ଚ଼ିକିତ୍ସକଙ୍କୁ ଇଚ୍ଛାମୃତ୍ୟୁରେ ସହାୟତା ଲାଗି ଅନୁରୋଧ କରିବା ପରେ ବହୁ ମାସ ଧରି ଚ଼ିକିତ୍ସକ ଆବେଦନ ତର୍ଜମା କରିଥିଲେ । ଏହି ସମୟତକ କର୍କଟରୋଗଜନିତ ଯନ୍ତ୍ରଣା ସତ୍ତ୍ୱେ ଅପେକ୍ଷା କରିବାକୁ ପଡ଼ିଥିଲା ।

 

ଇଚ୍ଛାମୃତ୍ୟୁ ପ୍ରକ୍ରିୟାରେ ଚ଼ିକିତ୍ସକମାନେ ଅଭିଳାଷୀଙ୍କୁ (୧) ଅଧିକ ପରିମାଣରେ ନିଶ୍ଚେତକ ଇଞ୍ଜେକସନ ଜରିଆରେ ଦେବାପରେ ମାତ୍ର କେଇ ମିନଟରେ ମୃତ୍ୟୁ ଘଟିଥାଏ । ତେବେ କୌଣସି କାରଣରୁ ସମସ୍ୟା ଘଟିଲେ (୨) ହୃଦ ଓ ଶ୍ୱାସ ପ୍ରକ୍ରିୟା ଅକାମୀ କରିବା ନିମନ୍ତେ ଔଷଧ ପ୍ରୟୋଗ କରାଯାଇଥାଏ । ମୃତ ଶରୀରକୁ ସ୍ନାନ କରି ଦାହ ପରେ ଆନାବେଲେଙ୍କ ଇଚ୍ଛା ଅନୁଯାୟୀ ଚ଼ିତାଭସ୍ମ ତାଙ୍କରି ଦେଶକୁ ପଠାଇ ଦିଆଯାଇଥିଲା । ଏହି ମୃତ୍ୟୁକୁ ଚ଼ିକିତ୍ସକ ‘ପ୍ରାକୃତିକ ମୃତ୍ୟୁ’ ଚ଼ିହ୍ନିତ କରିଥିଲେ । ଇଚ୍ଛାମୃତ୍ୟୁର ସମଗ୍ର ବିବରଣୀ ଚ଼ିକିତ୍ସକ ନିର୍ଦ୍ଧାରିତ ଦଲିଲରେ ଲିପିବଦ୍ଧ କରି ଚାରିଦିନ ମଧ୍ୟରେ ‘ଫେଡ଼ରାଲ କମିଶନ ଫର କଣ୍ଟ୍ରୋଲ ଏଣ୍ଡ ଇଭାଲୁଏସନ ଅଫ ଇଥୁନେସିଆ’କୁ ପ୍ରେରଣ କରିବା ଆଇନ ଅନୁଯାୟୀ ବାଧ୍ୟତାମୂଳକ । କମିଶନ ଏହି ରିପୋର୍ଟଗୁଡ଼ିକ ତର୍ଜମା କରିଥାନ୍ତି ।

 

ଗବେଷିକା ହାମରଟଙ୍କ ମୂଳ-ରଚନା ଫରାସୀ ଭାଷାରେ ଲିଖିତ । ତାହାର ଇଂଲିଶ ଅନୁବାଦ ‘ଡ଼େଥ ଷ୍ଟଡିଜ’ରେ ପ୍ରକାଶିତ ହୋଇଥିଲା । ଇଚ୍ଛାମୃତ୍ୟୁ ବରଣ କରିଥିବା ବୈଦେଶିକ ମହିଳାଙ୍କ ଛଦ୍ମ ନାମ ‘ଆନାବେଲେ’ ହିବୃ ଭାଷାରେ ‘ଆନା’ ଓ ଫରାସୀ ଭାଷାରେ ‘ବେଲେ’ର ସମିଶ୍ରଣ । ଦିବ୍ୟକୃପା ଅର୍ଥବୋଧକ ଏହି ନାମ ସାଧାରଣରେ ଶିଶୁକନ୍ୟାମାନଙ୍କୁ ନାମିତ କରାଯାଇଥାଏ । ପାଶ୍ଚାତ୍ୟ ଭୂଖଣ୍ଡରେ ଆନାବେଲେ ନାମରେ କଣ୍ଢେଇ ପ୍ରସିଦ୍ଧ । ‘ଆନାବେଲେ’ ଶୀର୍ଷକ ୨୦୧୪ରେ ନିର୍ମିତ ଏକ ଭୟାନକ ହଲିଉଡ଼ ଚଳଚ଼ିତ୍ର ବିଶ୍ୱବ୍ୟାପୀ ଚହଳ ପକାଇଥିଲା । ସମକାଳରେ ଆନାବେଲେ ନାମକରଣର ଶୁଭାଶୁଭକୁ ନେଇ ବିବାଦ ଲାଗିରହିଥାଏ ।

 

ଭିଡ଼ିଓ :

 

Watch “Euthanasia doctor: ‘I don’t call it killing’- BBC Stories” on YouTube (8.22 minutes)

 

https://youtu.be/RdK0neywYOc

 

Watch “Euthanasia documentary - English” on YouTube (14.43 minutes)

 

https://youtu.be/r7ME2HKsUd4 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧୫ ଜୁନ ୨୦୨୩


ତଥ୍ୟ:

 

Exploring contemporary forms of aid in dying: An ethnography of euthanasia in Belgium and assisted suicide in Switzerland

 

https://www.tandfonline.com/doi/full/10.1080/07481187.2021.1926635?src= 

ଉତ୍ତର-ବାର୍ଦ୍ଧକ୍ୟରେ ଦମ୍ପତ୍ତିଙ୍କ ଯୁଗ୍ମ ଇଚ୍ଛାମୃତ୍ୟୁ

‘ଉତ୍ତର-ବାର୍ଦ୍ଧକ୍ୟ’ ଅର୍ଥାତ ୭୫ ବର୍ଷୋତ୍ତର ଜୀବନ, ‘ଦମ୍ପତ୍ତି’ ଅର୍ଥାତ ପତି-ପତ୍ନୀ, ‘ଯୁଗ୍ମ-ଇଚ୍ଛାମୃତ୍ୟୁ’ ଅର୍ଥାତ ଏକତ୍ର ଇଚ୍ଛା ଅନୁଯାୟୀ ପ୍ରାଣତ୍ୟାଗ ନିଷ୍ପତି ବିରଳ ଘଟଣା ପ୍ରତୀୟମାନ ହୁଏ । ଭାରତ ତଥା ପ୍ରାଚ଼୍ୟ-ଭୂଖଣ୍ଡରେ ପ୍ରାୟତଃ ଇଚ୍ଛାମୃତ୍ୟୁ ଆଇନାନୁମୋଦିତ ନଥିବା ସ୍ଥଳେ ନେଦରଲ୍ୟାଣ୍ଡ, ବେଲଜିୟମ, କନାଡ଼ା, ଆଷ୍ଟ୍ରେଲିଆ, ନ୍ୟୂଜିଲ୍ୟାଣ୍ଡ ସମେତ ଡ଼ଜନେରୁ ଉର୍ଦ୍ଧ୍ୱ ରାଷ୍ଟ୍ରରେ ପ୍ରଚଳିତ । ବିଗତ ଅର୍ଦ୍ଧ ଶତାଦ୍ଦୀରେ ଉତ୍ତର-ବାର୍ଦ୍ଧକ୍ୟରେ ଦମ୍ପତ୍ତିଙ୍କ ଯୁଗ୍ମ-ଇଚ୍ଛାମୃତ୍ୟୁ ଘଟଣାବଳୀ ସମୟନ୍ତେ ଗଣମାଧ୍ୟମରେ ଚର୍ଚ୍ଚିତ ହୋଇଥାଏ ।

 

କୌଣସି ଅସାଧ୍ୟ ରୋଗାକ୍ରାନ୍ତ କିମ୍ୱା ମାନସିକସ୍ତରରେ ଗଭୀର ଅବସାଦଗ୍ରସ୍ତ ନହୋଇ ବାର୍ଦ୍ଧକ୍ୟାବସ୍ଥାର କ୍ଷୟଶୀଳ ଶାରିରୀକ, ମାନସିକ ଓ ସାମାଜିକ ସନ୍ତୁଳନହାନୀରେ ମିୟମାଣ ହୋଇ ଜୀବନ ତ୍ୟାଗ ନିମନ୍ତେ କେତେକ ଇଚ୍ଛାମୃତ୍ୟୁକୁ ସମାଧାନର ପନ୍ଥା ରୂପେ ବିଚାର କରିଥାନ୍ତି । ଭବିଷ୍ୟତରେ ବୃଦ୍ଧାବସ୍ଥାଜନିତ ସମସ୍ୟାଗୁଡ଼ିକ ଜଟିଳ ଆକାର ଧାରଣ କରିବା ପୂର୍ବାନୁମାନ, ଶାରିରୀକ ଓ ମାନସିକସ୍ତରରେ ଆୟତ୍ତ ହରାଇବା ସମ୍ଭାବନା ଏବଂ ଅନ୍ୟ ଉପରେ ବୋଝ ପାଲଟିବା ପରିସ୍ଥିତିରୁ ମୁକ୍ତି ପାଇବା ନିମନ୍ତେ ଶାରିରୀକ ଓ ମାନସିକସ୍ତରରେ ଅପେକ୍ଷାକୃତଭାବେ ସକ୍ରିୟ ଥିବା ଅବସ୍ଥାରେ ସଂସାରରୁ ଅପସରି ଯିବା ଉଚିତ ମନେ କରିଥାନ୍ତି ।

 

ଦାମ୍ପତ୍ୟ ଜୀବନରେ ଏହି ବିକଳ୍ପ ଚ଼ିନ୍ତାଧାରା ସ୍ଥଳବିଶେଷରେ ପତି ଓ ପତ୍ନୀ ଉଭୟଙ୍କ ଯୁଗ୍ମ-ଇଚ୍ଛାମୃତ୍ୟୁ ପ୍ରସ୍ତାବରେ ପରିବର୍ତ୍ତିତ ହୋଇଥାଏ । ଗବେଷକମାନେ ୧୯୯୭ରେ ଦର୍ଶାଇଥିଲେ ଯେ ଦମ୍ପତ୍ତିଙ୍କ ଯୁଗ୍ମ-ଇଚ୍ଛାମୃତ୍ୟୁ ଉଦାହରଣରେ ବାର୍ଦ୍ଧକ୍ୟଗ୍ରସ୍ତ, ବୈବାହିକ ଜୀବନରେ ଆବଦ୍ଧ, ରୋଗାକ୍ରାନ୍ତ ତଥା ଶିକ୍ଷାଗତ ଓ ଅର୍ଥନୀତିକ ଦିଗରୁ ସ୍ୱଚ୍ଛଳବର୍ଗ ଅଂଶୀଦାର । ସେହିପରି ୨୦୦୮ରେ ପ୍ରକାଶିତ ଗବେଷଣାରୁ ଜଣାଯାଇଥିଲା ଯେ ଏକାକୀ ଆତ୍ମହତ୍ୟା କରୁଥିବା ବ୍ୟକ୍ତିଙ୍କ ତୁଳନାରେ ଯୁଗ୍ମ-ଇଚ୍ଛାମୃତ୍ୟୁରେ ଅଂଶଗ୍ରହଣ କରୁଥିବା ଦମ୍ପତ୍ତି କମ ମାତ୍ରାରେ ମାନସିକସ୍ତରରେ ଭରାକ୍ରାନ୍ତ । ଏହି ପ୍ରକ୍ରିୟାରେ ସାଧାରଣରେ ପୁରୁଷମାନେ ପ୍ରସ୍ତାବ ଉତ୍ଥାପନ, ଆଲୋଚ଼ନା ଓ କାର୍ଯ୍ୟକାରୀ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥାନ୍ତି ।

 

ଯୁଗ୍ମ-ଇଚ୍ଛାମୃତ୍ୟୁକୁ ଅଗ୍ରାଧିକାର ଦେଉଥିବା ପତି-ପତ୍ନୀ ନିବିଡ଼ ବନ୍ଧୁତ୍ୱରେ ଆବଦ୍ଧ ଥିବା ଏବଂ ମାନସିକସ୍ତରରେ ଉଭୟ ଉଭୟଙ୍କ ଉପରେ ନିର୍ଭରଶୀଳ ରହୁଥିବା ୧୯୯୭ ଗବେଷଣାରେ ପ୍ରକାଶ ପାଇଥିଲା । ଏହି ଧରଣର ଦମ୍ପତ୍ତିମାନେ ସାଧାରଣତଃ ଅପେକ୍ଷାକୃତଭାବେ ସାମାଜିକସ୍ତରରେ କମ ଚଳପ୍ରଚଳ ହେଉଥିବା ଏବଂ ନିଜ ମନକଥା ଅନ୍ୟମାନଙ୍କ ସହ ଆଲୋଚ଼ନାରୁ କ୍ଷାନ୍ତ ରହୁଥିବା ଜଣାଯାଇଥିଲା । ବାର୍ଦ୍ଧକ୍ୟଜନିତ କାରଣରୁ ପତି-ପତ୍ନୀଙ୍କ ସଂପର୍କରେ ଆଞ୍ଚ ଆସିବା ସଂଭାବନା ତଥା ଜଣକର ମୃତ୍ୟୁରେ ଅନ୍ୟ ଜଣକ ସବୁଦିନ ଲାଗି ଏକୁଟିଆ ହୋଇଯିବା ପରିବେଶରୁ ମୁକ୍ତି ପାଇବା ନିମନ୍ତେ ଦମ୍ପତ୍ତିମାନେ ଯୁଗ୍ମ-ଇଚ୍ଛାମୃତ୍ୟୁ ସମର୍ଥନ କରୁଥିବା ୨୦୦୮ ଗବେଷଣାରେ ପ୍ରକାଶିତ ହୋଇଥିଲା ।

 

ବାର୍ଦ୍ଧକ୍ୟ ଜୀବନଚ଼ର୍ଯ୍ୟା ଅଧ୍ୟୟନ ‘ଜେରେଣ୍ଟୋଲଜି’ କ୍ଷେତ୍ରରେ ଦମ୍ପତ୍ତିଙ୍କ ଯୁଗ୍ମ-ଇଚ୍ଛାମୃତ୍ୟୁ ସଂପର୍କୀତ ଗବେଷଣା ସୀମିତ । ଏ ସଂପର୍କରେ ୧୯୬୧ରେ ପ୍ରକାଶିତ ଏକ ସନ୍ଦର୍ଭରେ ତତ୍କାଳରେ ବିଭିନ୍ନ ରାଷ୍ଟ୍ରରୁ ୬୫ ଗୋଟି ଦମ୍ପତ୍ତିଙ୍କ ଯୁଗ୍ମ-ଇଚ୍ଛାମୃତ୍ୟୁର ବିବରଣୀ ସଂକଳିତ ହୋଇଥିଲା । ଜେରେଣ୍ଟୋଲଜିକାଲ ସୋସାଇଟି ଅଫ ଆମେରିକା ପକ୍ଷରୁ ‘ଦି ଜେରେଣ୍ଟୋଲଜିଷ୍ଟ’ ନାମକ ଏକ ଗବେଷଣା ପତ୍ରିକା ଅର୍ଦ୍ଧଶତାଦ୍ଦୀରୁ ଉର୍ଦ୍ଧ୍ୱକାଳ ଧରି ପ୍ରକାଶିତ ହୋଇଆସୁଛି । ଏହାର ଡ଼ିସେମ୍ୱର ୨୦୧୬ ସଂଖ୍ୟାରେ ନେଦରଲ୍ୟାଣ୍ଡ ନିବାସୀ ପିଟର ଓ ସୁଜନ ନାମଧାରୀ ଏକ ଡ଼ଚ଼ ଦମ୍ପତ୍ତିଙ୍କ ଯୁଗ୍ମ-ଇଚ୍ଛାମୃତ୍ୟୁର ସବିଶେଷ ବିବରଣୀ ସନ୍ନିବଶିତ । ଉକ୍ତ ଦମ୍ପତ୍ତିଙ୍କ ମୃତ୍ୟୁ-ପୂର୍ବରୁ ଶାରିରୀକ, ମାନସିକ ଓ ପାରିବାରିକ ଅବସ୍ଥା ବର୍ଣ୍ଣନାରେ ପ୍ରବନ୍ଧଟିକୁ ପ୍ରଥମ ଉଦ୍ୟମ ବିବେଚ଼ନା କରାଯାଏ ।

 

ନେଦରଲ୍ୟାଣ୍ଡରେ ୨୦୦୨ ମସିହାରୁ ଇଚ୍ଛାମୃତ୍ୟୁ ବୈଧ ଘୋଷିତ ହୋଇଛି । ଅବଶ୍ୟ ଏହା ସାଧାରଣ ନାଗରିକଙ୍କ ମୌଳିକ ଅଧିକାର ଅନ୍ତର୍ଭୁକ୍ତ ନହୋଇଥିବା ସ୍ଥଳେ ସ୍ୱାସ୍ଥ୍ୟଗତ କାରଣରୁ ଅନୁମତି ମିଳିଥାଏ । ସେଠାରେ ଏକବିଂଶ ଶତାଦ୍ଦୀ ଦ୍ୱିତୀୟ ଦଶକରେ ଦମ୍ପତ୍ତିଙ୍କ ଯୁଗ୍ମ-ଇଚ୍ଛାମୃତ୍ୟୁ ପ୍ରବାହ ଅନୁଧ୍ୟାନ ନିମନ୍ତେ ଏକ ଗବେଷଣା ପ୍ରକଳ୍ପ ପ୍ରଯୋଜନା କରାଯାଇଥିଲା । ଏଥିରେ ୨୦୧୩ ଏପ୍ରିଲରୁ ସେପ୍ଟେମ୍ୱର ଛଅ ମାସ ମଧ୍ୟରେ ୨୫ ଜଣ ୭୦ ବର୍ଷୋତ୍ତର ବରିଷ୍ଠ ନାଗରିକ ସାମିଲ ହୋଇଥିଲେ । ପିଟର ଓ ସୁଜନଙ୍କ ଇଚ୍ଛାମୃତ୍ୟୁ-ପୂର୍ବ ଜୀବନ ଅନୁଧ୍ୟାନ ସେହି ବୃହତ ଗବେଷଣାର ଅଂଶବିଶେଷ ।

 

ଅଧ୍ୟୟନ କାଳରେ ପିଟର ଓ ସୁଜନ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କର୍ମନିଯୁକ୍ତି ସାରି ଅବସର ଜୀବନ ବିତାଉଥାନ୍ତି । ବିବାହ ବନ୍ଧନ ନିବିଡ଼ । ସେମାନଙ୍କ ଚାରିଗୋଟି ସନ୍ତାନ ଏବଂ ଜଣେ ପୁଅକୁ ବାଦ ଦେଲେ ଅନ୍ୟ ତିନିଜଣଙ୍କ ସହ ସୁସଂପର୍କ ରହି ଆସିଥିଲା । ସମୟକ୍ରମେ ପିଟର ମସ୍ତିସ୍କାଘାତ ଟିଆଇଏ ଓ ସୁଜନ ଆର୍ଥାରାଇଟିଜ ବାତ ରୋଗରେ ଆକ୍ରାନ୍ତ ହୋଇପଡ଼ିଥିଲେ । ସେମାନଙ୍କ ସ୍ୱାସ୍ଥ୍ୟଭଙ୍ଗ କାରଣରୁ ପିଲଏ ଅବସ୍ଥାନ କରୁଥିବା ସହରକୁ ସ୍ଥାନାନ୍ତରିତ ନିଷ୍ପତ୍ତି ନେଇଥିଲେ । ତେବେ ନୂତନ ସହରସହ ବୃଦ୍ଧ ଦମ୍ପତ୍ତି ପୂର୍ବ-ପରିଚ଼ିତି ଅଭାବରୁ ମାନସିକସ୍ତରରେ ଖାପଖୁଆଇ ପାରିନଥିଲେ । ସମୟକ୍ରମେ ଯୁଗ୍ମ-ଇଚ୍ଛାମୃତ୍ୟୁ ନିଷ୍ପତ୍ତି ଗ୍ରହଣ କରିଥିଲେ ।

 

ଗବେଷକମାନେ ଲକ୍ଷ୍ୟ କରିଥିଲେ ଯେ ଦମ୍ପତ୍ତିଙ୍କ ଭଗ୍ନ ସ୍ୱାସ୍ଥ୍ୟାବସ୍ଥା, ବୟସାନୁକ୍ରମିକ ପାରିବାରିକ ଓ ସାମାଜିକ ସଂପର୍କରେ ଅବକ୍ଷୟ, ଶେଷ ଜୀବନ ସହାୟତାଯୁକ୍ତ ଜୀବନଯାପନ ଲାଗି ନସିଂହୋମରେ ବିତାଇବା ଆଶଙ୍କା ଏବଂ ବ୍ୟକ୍ତିଗତସ୍ତରରେ ସ୍ୱାଧୀନତା ହରାଇବା ପୂର୍ବରୁ ଜୀବନତ୍ୟାଗ ପାଇଁ ପିଟର ଓ ସୁଜନ ପ୍ରସ୍ତୁତ ହୋଇଥିଲେ । ପିଟରଙ୍କ ପିତା-ମାତା ଉତ୍ତର-ବାର୍ଦ୍ଧକ୍ୟରେ ନର୍ସିଂହୋମରେ ଶଯ୍ୟାଶାୟୀ ଜୀବନ କଟାଇ ମୃତ୍ୟୁବରଣ କରିଥିଲେ । ଏହି ଅଭିଜ୍ଞତାରେ ଅଥୟ ହୋଇ ପିଟର-ସୁଜନ ଦମ୍ପତ୍ତି ଯୁଗ୍ମ-ଇଚ୍ଛାମୃତ୍ୟୁ ନିମନ୍ତେ ଜୀବନରେ ବହୁ ପୂର୍ବରୁ ନିଷ୍ପତ୍ତି ନେଇ ସାରିଥିଲେ । ଦିହେଁ ସ୍ଥାନୀୟ ଇଚ୍ଛାମୃତ୍ୟୁ ସଂଗଠନ ସହ ଦୀର୍ଘ ଦିନ ଧରି ସଂପୃକ୍ତ ରହି ଏହି ଦିଗରେ ସବିଶେଷ ଘଟଣା-ପ୍ରବାହ ଅବଗତ ହେଉଥିଲେ । 

 

ଗବେଷକଙ୍କ ବିବରଣୀରେ ପିଟର ଇଚ୍ଛାମୃତ୍ୟୁ ନିମନ୍ତେ ଆଗୁଆ ଆଗ୍ରହ ପ୍ରକାଶ କରିଥିବା ସ୍ଥଳେ ସୁଜନ କିଛିକାଳ ଗଡ଼ାଇନେବା ନିମନ୍ତେ ଉଦ୍ୟମ କରିଥିଲେ । ଅବଶ୍ୟ ଦିହେଁ ପରସ୍ପରଙ୍କ ଅସୁବିଧା ବେଶ ବୁଝିପାରୁଥିଲେ । ସୁଜନ ପିଟରଙ୍କ ବିନା ଜୀବନକୁ ଗ୍ରହଣ କରୁନଥିଲେ ଏବଂ ତାଙ୍କ ଲାଗି ପିଟର ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡୁଥିବା ସୁଜନ ହୃଦବୋଧ କରି ଦୁଃଖ ପ୍ରକାଶ କରୁଥିଲେ । ପୂର୍ବ ନିର୍ଦ୍ଧାରିତ ଯୁଗ୍ମ-ଇଚ୍ଛାମୃତ୍ୟୁ ନିଷ୍ପତ୍ତିରୁ ଯେକୌଣସି ପରିବେଶରେ ଓହରି ଯିବା ନିମନ୍ତେ ପ୍ରସ୍ତୁତ ନଥିଲେ ।

 

ସୁଜନଙ୍କ ସ୍ୱାସ୍ଥ୍ୟାବସ୍ଥାର କ୍ରମାଗତ ଅବନତି ଘଟି ସେ ଚଲାବୁଲା କରିବା ସମ୍ଭବ ନହେବା ଅବସରରେ ଯୁଗ୍ମ-ଇଚ୍ଛାମୃତ୍ୟୁ ନିମନ୍ତେ ଦିହେଁ  ସମୟ ନିର୍ଦ୍ଧାରଣ କରିଥିଲେ । ନିଜ ବାସଗୃହରେ ପ୍ରାଣତ୍ୟାଗ ନିମନ୍ତେ ପ୍ରସ୍ତୁତ ହେବା ପରେ ସନ୍ତାନସନ୍ତତିଙ୍କୁ ଜଣାଇଥିଲେ । ପିଟର ଗବେଷକମାନଙ୍କୁ କହିଥିଲେ ଯେ ତାଙ୍କରି ବଡ଼ ପୁଅ ସେମାନଙ୍କ ଦୟନୀୟ ପରିସ୍ଥିତି ବେଶ ବୁଝିପାରିଥିଲେ, କିନ୍ତୁ ଇଚ୍ଛାମୃତ୍ୟୁକୁ ନାପସନ୍ଦ କରିଥିଲେ । ଶେଷରେ ପିଟର ଓ ସୁଜନ ପୂର୍ବ-ନିର୍ଦ୍ଧାରଣ ମତେ ଔଷଧ ସେବନ କରି ବାସଗୃହରେ ଇଚ୍ଛାମୃତ୍ୟୁ ବରଣ କରିଥିଲେ ।

 

ଦମ୍ପତ୍ତିଙ୍କ ଯୁଗ୍ମ-ଇଚ୍ଛାମୃତ୍ୟୁକୁ ଏକ ଚରମ ରୋମାଣ୍ଟିକ ପଦକ୍ଷେପ ଭାବେ ସମୀକ୍ଷକଙ୍କ ମଧ୍ୟରୁ ଏକାଂଶ ବିଚାର କରିଥାନ୍ତି । ଦୀର୍ଘ ଅତୀତରୁ ବିବାହ ବନ୍ଧନରେ ଆବଦ୍ଧ ଜୀବନସାଥିଙ୍କ ମୃତ୍ୟୁପରେ ସାନ୍ନିଧ୍ୟହାନୀକୁ କେତେକ ମୋଟରୁ ଗ୍ରହଣ କରିବା ନିମନ୍ତେ ଅମଙ୍ଗ ହୋଇଥାନ୍ତି । ପରିବର୍ତ୍ତିତ ଜୀବନ ଶୈଳୀରେ ମନୁଷ୍ୟ ବିଜ୍ଞାନ ଓ ବୈଷୟିକ ଉଦ୍ଭାବନମାନ ଉପଯୋଗରେ ଜୀବନର ବହୁ ବିଭବ ନିୟନ୍ତ୍ରଣ କରିବାରେ ସାମର୍ଥ୍ୟ ହାସଲ କରିସାରିଥିବା ସ୍ଥଳେ ଅବହେଳିତ ବାର୍ଦ୍ଧକ୍ୟ ଓ ପ୍ରିୟଜନ ହାନୀ ଜନିତ ଗ୍ଳାନିକୁ ମଧ୍ୟ ଏଡ଼ାଇ ଦେବା ନିମନ୍ତେ ପ୍ରସ୍ତୁତି ଯୁଗ୍ମ-ଇଚ୍ଛାମୃତ୍ୟୁରେ ପ୍ରତିଫଳିତ । ଅବଶ୍ୟ ମୃତ୍ୟୁକୁ ଜୀବନର ପରିସମାପ୍ତି  ଏବଂ ମୃତ୍ୟୁପରେ ପ୍ରିୟଜନଙ୍କ ଅଭାବଜନିତ ଦୁଃଖ ଲାଘବ କରିହେବ ବୋଲି ଦୃଷ୍ଟିକୋଣ ଦମ୍ପତ୍ତିଙ୍କ ଯୁଗ୍ମ-ଇଚ୍ଛାମୃତ୍ୟୁର ମୂଳତତ୍ତ୍ୱ ।

 

ଯୁଗ୍ମ-ଇଚ୍ଛାମୃତ୍ୟୁ ସଂପର୍କୀତ ୟୁ-ଟ୍ୟୁବ ଭିଡ଼ିଓ :

 


The suicide Tourist : Our Right to Die Together (Euthanasia Documentation) 52 m.


 

https://www.youtube.com/watch?v=oJk-Qj-k7dY 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧୫ ଡ଼ିସେମ୍ୱର ୨୦୨


ତଥ୍ୟ :


 

Wigngard, Els. J. Van et. Al. Till Death do as part. The lived experience of an elderly couple who chose to end their lives by spousal self-euthansia. The Gerontologist / Vol 56/Issue 6 / Dec. 2016


 


ଫ୍ରାନ୍ସରେ ଚିକିତ୍ସାରହିତ ମୃତ୍ୟୁ ବିତର୍କ

ଫ୍ରାନ୍ସରେ ୨୦୧୯ ମେ’ ମାସରେ ଏଗାର ବର୍ଷଧରିଚ଼ିକିତ୍ସାଳୟରେ ଶଯ୍ୟାଶାୟୀ ଅକର୍ମଣ୍ୟ ଜୀବନ ବିତାଉଥିବା ଜଣେ ସଡ଼କଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ତାଙ୍କରି ପରିବାରବର୍ଗଙ୍କ ମଧ୍ୟରୁ ଏକାଂଶଙ୍କସମ୍ମତ୍ତିକ୍ରମେଅଦାଲତିସମର୍ଥନରେ ଚ଼ିକିତ୍ସକମାନେ ଖାଦ୍ୟପେୟ ଓ ଜୀବନରକ୍ଷାକାରୀଔଷଧାଦି ପ୍ରଦାନରୁ ବିରତ କରିବା ପ୍ରକ୍ରିୟା ଆରମ୍ଭର କିଛି ଘଣ୍ଟା ମଧ୍ୟରେ ଅପିଲ ଅଦାଲତଙ୍କ ପକ୍ଷରୁ ଚ଼ିକିତ୍ସକମାନଙ୍କୁ ତାଙ୍କରି ଚ଼ିକିତ୍ସା ଜାରୀ ରଖିବା ନିମନ୍ତେ ନିର୍ଦ୍ଦେଶ ପ୍ରଦାନ ଆନ୍ତର୍ଜାତିକସ୍ତରରେ ଆଲୋଡ଼ନ ସୃଷ୍ଟି କରିଥିଲା ।

 

ଫ୍ରାନ୍ସରେ ୨୦୦୫ରୁ ପ୍ରଚଳିତ ଆଇନ ବଳରେ ଛଅ ବର୍ଷ ଧରି ଅଦାଲତି କାରବାର ପରେ ‘ରେଇମସୟୁନିଭରସିଟି ହସପିଟାଲ ସେଣ୍ଟର’ର ଚ଼ିକିତ୍ସକମାନେ ମେ’ ୨୦ ତାରିଖ ସୋମବାର ପୂର୍ବାହ୍ନରୁ ସଂପୃକ୍ତ ବ୍ୟକ୍ତିଙ୍କୁ କୃତ୍ରିମ ଉପାୟରେ ଜଳ ଓ ଖାଦ୍ୟ ଯୋଗାଣ ବନ୍ଦକରି ଉତ୍କଟ ନିଶ୍ଚେତକ ପ୍ରଦାନ ଆରମ୍ଭ କରିଦେଇଥିଲେ । ତେବେ ସେହିଦିନ ରାତିରେ ଅପିଲ ଅଦାଲତଙ୍କ ନିର୍ଦ୍ଦେଶରେ ଏତାଦୃଶ ପ୍ରକ୍ରିୟା ସ୍ଥଗିତରଖି ପୁଣି ଚ଼ିକିତ୍ସା ଜାରୀ ରଖିବାକୁ ବାଧ୍ୟ ହୋଇଥିଲେ । ଅଦାଲତଙ୍କ ନିର୍ଦ୍ଦେଶ ବିରୋଧରେ ସରକାର ପୁଣି ଅଦାଲତୀ କାରବାର ଆଶ୍ରୟ ନେବାପରେ ଦୁଇମାସ ପରେ ଜୁଲାଇ ୨୦୧୯ରେ ଉପବାସ ପ୍ରକ୍ରିୟାରେ ଦେହତ୍ୟାଗ ନିମନ୍ତେ ଅନୁମତି ମିଳିଥିଲା ।

 

ଫ୍ରାନ୍ସର ଦକ୍ଷିଣାଞ୍ଚଳରେ ଅବସ୍ଥିତ ଏକ ଚ଼ିକିତ୍ସାଳୟରେ ଭିନସେଣ୍ଟ ଲାମ୍ୱ୍ରେଟ ନାମକ ଜଣେ ବ୍ୟକ୍ତି ୨୦୦୮ରେ କାର ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଭର୍ତ୍ତି ହୋଇଥିଲେ । ବୃତ୍ତିରେ ସେ ପୁରୁଷ ନର୍ସରୂପେ କାର୍ଯ୍ୟରତ ଥିଲେ । ସଡ଼କ ଦୁର୍ଘଟଣାରେ ମସ୍ତିସ୍କରେ ଆଘାତ ଲାଗିବା ଫଳରେ ପଙ୍ଗୁ ଅବସ୍ଥାକୁ ଆସିଯାଇଥିଲେ । ଦୀର୍ଘ ପାଞ୍ଚବର୍ଷ ଧରି ଚ଼ିକିତ୍ସା ପରେ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ନଆସିବା ଫଳରେ ୨୦୧୩ରେ ଲାମ୍ୱ୍ରେଟଙ୍କ ପତ୍ନୀ ଓ ପରିବାରବର୍ଗରୁଏକାଂଶଙ୍କ ସହମତିରେ କୃତ୍ରିମ ଉପାୟରେ ଖାଦ୍ୟପେୟ ଓ ଔଷଧପତ୍ର ପ୍ରଦାନ ଅପସାରଣ ନିମନ୍ତେ ପ୍ରକ୍ରିୟା ଚ଼ିକିତ୍ସକମାନେ ଆରମ୍ଭ କରିଥିଲେ ।

 

ତେବେ ଲାମ୍ୱ୍ରେଟଙ୍କ ପିତାମାତା ଓ ସାବତ ଭାଇ-ଭଉଣୀ ଚ଼ିକିତ୍ସକଙ୍କ ପଦକ୍ଷେପ ବିରୋଧରେ ମକଦ୍ଦମା କରିଥିଲେ । ଲାମ୍ୱ୍ରେଟଙ୍କ ପିତାମାତା ଖ୍ରୀଷ୍ଟିଆନ କ୍ୟାଥଲିକ ଧର୍ମାବଲମ୍ୱୀଭାବେ ପୁତ୍ରକୁ ବିନା ଚ଼ିକିତ୍ସାରେ ମୃତ୍ୟୁମୁଖକୁ ଠେଲିଦେବା ବିପକ୍ଷରେ ଯୁକ୍ତି ଉପସ୍ଥାପନ କଲେ । ଉନ୍ନତ ଚ଼ିକିତ୍ସା ବଳରେ ତାଙ୍କରି ପୁତ୍ର ସୁସ୍ଥ ହୋଇପାରିବେ ବୋଲି ବିଶ୍ୱାସ ୨୦୧୩ ରୁ ୨୦୧୯ ଯାଏଁ ଛଅବର୍ଷଧରି ଅଦାଲତି ବିତର୍କ ପରେ ଚ଼ିକିତ୍ସକମାନଙ୍କ ନିଷ୍ପତ୍ତି ସପକ୍ଷରେ ରାୟ ଯାଇଥିଲା ।

 

ଚ଼ତୁର୍ଥଥରଲାଗି ଚ଼ିକିତ୍ସକମାନେ ଚ଼ିକିତ୍ସାରହିତ ମୃତ୍ୟୁ ପ୍ରକ୍ରିୟା କାର୍ଯ୍ୟକାରୀ କରିବା ନିମନ୍ତେ ଘୋଷଣା କରିବାପରେ ଲାମ୍ୱ୍ରେଟଙ୍କ ପିତାମାତା ଫ୍ରାନ୍ସର ରାଷ୍ଟ୍ରପତି, ମିଳିତ ଜାତିସଂଘର ଦିବ୍ୟାଙ୍ଗ ଅଧିକାର କମିଟି ଓ କ୍ୟାଥଲିକ ଧର୍ମଗୁରୁମାନଙ୍କ ଶୀର୍ଷ ସଂଗଠନଗୁଡ଼ିକୁ ଏହା ବିରୁଦ୍ଧରେ ଆବେଦନ କରିଥିଲେ । ମିଳିତ ଜାତିସଂଘ ଦିବ୍ୟାଙ୍ଗ ଅଧିକାର କମିଟି ଚ଼ିକିତ୍ସାରହିତ ମୃତ୍ୟୁ ପ୍ରକ୍ରିୟା କିଛି ଦିନ ସ୍ଥଗିତ ରଖି ଘଟଣାଟିର ଅଧିକ ତର୍ଜମା କରିବା ନିମନ୍ତେ ମତ ପ୍ରକାଶ କରିଥିଲେ । ବିଶପ ସମ୍ମିଳନୀ ମିଳିତ ଜାତିସଂଘର ଚୁଡ଼ାନ୍ତ ରିପୋର୍ଟ ଆସିବା ଯାଏଁ ଅପେକ୍ଷା କରିବା ନିମନ୍ତେ ଯୁକ୍ତି ବାଢ଼ିଥିଲେ । ଏହି ପରିପ୍ରେକ୍ଷୀରେ ଅପିଲ ଅଦାଲତ ମିଳିତ ଜାତିସଂଘର ରିପୋର୍ଟ ସପକ୍ଷରେ ମତ ଦେଇ ଲାମ୍ୱ୍ରେଟଙ୍କ ଚ଼ିକିତ୍ସା ଜାରୀ ରଖିବା ଲାଗି ମେ’ ୨୦ ରାତିରେ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ଜୁଲାଇ ମାସରେ ତାହା ଖାରଜ ହୋଇଯାଇଥିଲା ।

 

ଫ୍ରାନ୍ସରେ ଇଚ୍ଛାମୃତ୍ୟୁ ‘ୟୁଥେନେସିଆ’ ବୈଧ ନୁହେଁ । ଅକର୍ମଣ୍ୟ ନିରନ୍ତର ରୋଗାକ୍ରାନ୍ତ ‘ଟେରମିନାଲିଇଲ’ଙ୍କ କ୍ଷେତ୍ରରେ ପରିବାରବର୍ଗଙ୍କ ସହମତି କ୍ରମେ ଚ଼ିକିତ୍ସକମାନେ ‘ଚ଼ିକିତ୍ସାରହିତ ମୃତ୍ୟୁ’ ଅର୍ଥାତ ଜୀବନରକ୍ଷା ପାଇଁ ଆବଶ୍ୟକୀୟ କୃତ୍ରିମ ଉପାୟରେ ଖାଦ୍ୟପେୟ ଓ ଔଷଧପତ୍ର ଯୋଗାଣ ବନ୍ଦ କରିଦେବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରିବା ବୈଧ । ଲାମ୍ୱ୍ରେଟଙ୍କ କ୍ଷେତ୍ରରେ ୨୦୦୮ରେ ସଡ଼କ ଦୁର୍ଘଟଣା ପରବର୍ତ୍ତୀ ପାଞ୍ଚବର୍ଷ ତିନିଗୋଟି ଚ଼ିକିତ୍ସାଳୟରେ ଚ଼ିକିତ୍ସାପରେରେ ଇମସୟୁନିଭରସିଟି ହସପିଟାଲର ଚ଼ିକିତ୍ସକମାନେ ୨୦୧୩ରେ ପ୍ରଥମଥର ପାଇଁ ଚ଼ିକିତ୍ସାରହିତ ମୃତ୍ୟୁ ପ୍ରକ୍ରିୟା ଆରମ୍ଭ କରିଥିଲେ । ତେବେ ଏଭଳି ନିଷ୍ପତ୍ତିଗ୍ରହଣ ନିମନ୍ତେ ଚ଼ିକିତ୍ସକମାନେ ଲାମ୍ୱ୍ରେଟଙ୍କ ପିତାମାତା ତଥା ଅନ୍ୟାନ୍ୟ ନିକଟ ସଂପର୍କୀୟ ମତାମତ ନେଇନଥିବା ଅଭିଯୋଗ ହେତୁ ୧୭ ଦିନପରେ ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଥିଲା ।

 

ପରବର୍ତ୍ତୀ ପର୍ଯ୍ୟାୟରେ ଲମ୍ୱ୍ରେଟଙ୍କ କ୍ଷେତ୍ରରେ ଚ଼ିକିତ୍ସାରହିତ ମୃତ୍ୟୁ ପ୍ରକ୍ରିୟା କାର୍ଯ୍ୟକାରିତା ବିବଦମାନ ହୋଇପଡ଼ିଥିଲା । ଏକ ପକ୍ଷରେ ଚ଼ିକିତ୍ସକ ଓ ଲାମ୍ୱ୍ରେଟଙ୍କ ପତ୍ନୀ ରାଚ଼େଲ ତଥା ନିକଟ ସଂପର୍କୀୟଙ୍କ ମଧ୍ୟରୁ ଏକାଂଶଚ଼ିକିତ୍ସାରହିତ ମୃତ୍ୟୁକୁ ସମର୍ଥନ କରୁଥିବା ସ୍ଥଳେ ଅପରପକ୍ଷରେ ଲାମ୍ୱ୍ରେଟଙ୍କ ପିତାମାତା ତଥା ଅନ୍ୟକେତେକ ନିକଟ ସଂପର୍କୀୟ ବିରୋଧ କରି ଅଦାଲତର ଦ୍ୱାରସ୍ଥ ହୋଇଥିଲେ । ଲାମ୍ୱ୍ରେଟଙ୍କ ସମସ୍ୟା ଅଧଡ଼ଜନଆଞ୍ଚଳିକ, ରାଷ୍ଟ୍ରୀୟ ତଥା ଅନ୍ତଃରାଷ୍ଟ୍ରୀୟ ନ୍ୟାୟାଳୟରେ ଚର୍ଚ୍ଚିତ । ଫ୍ରାନ୍ସର ଅଦାଲତଗୁଡ଼ିକ ଚ଼ିକିତ୍ସକଙ୍କ ନିଷ୍ପତ୍ତି ସପକ୍ଷରେ ରାୟ ଦେଇଥିବା ସ୍ଥଳେ ‘ୟୁରୋପିଆନ କୋର୍ଟ ଅଫ ହ୍ୟୁମାନରାଇଟସ’ ମଧ୍ୟ ସମର୍ଥନ ଜଣାଇଥିଲେ । ତେବେ ମିଳିତ ଜାତିସଂଘର ‘ରାଇଟସ ଅଫ ପେରସନ୍ସ ଉଇଥ ଡିସେବେଲିଟିସ’ପକ୍ଷରୁ ଏହି ମାମଲା ବିଚାରାଧୀନ ଥିବା ହେତୁ ୨୦୧୯ ମେ’ ୨୦ରେ ଘୋଷିତ ଚ଼ିକିତ୍ସକଙ୍କ ପଦକ୍ଷେପ ସ୍ଥଗିତ ରଖିବା ନିମନ୍ତେ ମେ’ ୩ରେ ନିର୍ଦ୍ଦେଶ ଦେଇଥିଲେ । ଏହାର ଆଧାରରେ ‘କୋର୍ଟ ଅଫ ଅପିଲ ପ୍ୟାରିସ’ ମେ’ ୨୦ ରାତିରେ ଲାମ୍ୱ୍ରେଟଙ୍କ ଜୀବନରକ୍ଷାଲାଗି ଚ଼ିକିତ୍ସା ଜାରୀ ରଖିବା ଲାଗି ନିଷ୍ପତ୍ତି ଶୁଣାଇଥିଲେ ।

 

ଭିନସେଣ୍ଟ ଲାମ୍ୱ୍ରେଟ ୧୯୭୬ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କରି ପିତା ପେରି ଜଣେ ସ୍ତ୍ରୀରୋଗ ଚ଼ିକିତ୍ସକ ଏବଂ ବାପାଙ୍କଠାରୁ ବୟସରେ ୧୬ ବର୍ଷ ଛୋଟ ମା’ ତାଭିଭିନ ପେରିଙ୍କ କାର୍ଯ୍ୟାଳୟ ସହାୟିକାଭାବେ ନିଯୁକ୍ତ ଥିଲେ । ଦିହେଁ ଦ୍ୱିତୀୟ ବିବାହ କଲାବେଳେ ପେରିଙ୍କ ଦୁଇଗୋଟି ଏବଂ ଭିଭିନ ତିନିଗୋଟି ସନ୍ତାନ ଜୀବିତ । ଲାମ୍ୱ୍ରେଟ ପେରି ଓ ଭିଭିନଙ୍କଔରସରୁ ପ୍ରଥମ ସନ୍ତାନ । ଏହିପରି ଭିନସେଣ୍ଟ ଲାମ୍ୱ୍ରେଟଙ୍କ ନଅ ଭାଇଭଉଣୀ। ସେ ମାନସିକ ଚ଼ିକିତ୍ସା ବିଭାଗରେ ନର୍ସ ରୂପେ ଅବସ୍ଥାପିତ ହୋଇଥିବାବେଳେ ରାଚ଼େଲନାମ୍ନୀ ଜଣେ ନର୍ସିଂଛାତ୍ରୀଙ୍କୁ ଭେଟିଥିଲେ ଏବଂ ୨୦୦୭ରେ ବିବାହ କରିଥିଲେ । ବର୍ଷକ ଅନ୍ତରରେ ତାଙ୍କରି ଏକ କନ୍ୟା ସନ୍ତାନଜନ୍ମ ନେଇଥିଲା । ସେହି ବର୍ଷ ହିଁ ୨୦୦୮ରେ ସଡ଼କ ଦୁର୍ଘଟଣାଗ୍ରସ୍ତ ହୋଇ ସେ ଅକର୍ମଣ୍ୟ ପାଲଟି ଯାଇଥିଲେ ।

 

ଲାମ୍ୱ୍ରେଟଙ୍କ ସ୍ୱାସ୍ଥ୍ୟବସ୍ଥା ଦୀର୍ଘକାଳ ଧରି ଅପରିବର୍ତ୍ତିତ ରହିଥିଲେ । ସେ ସ୍ୱାଭାବିକଭାବେ ଶ୍ୱାସପ୍ରଶ୍ୱାସ କ୍ରିୟା ସମାପନ କରିପାରୁଥିଲେ । ସେ ଆଖି ଖୋଲୁଥିଲେ । ରାତିରେ ଶୋଉଥିଲେ ଏବଂ ସକାଳେ ନିଦରୁ ଉଠୁଥିଲେ । ବେଳେ ବେଳେ ମୁଣ୍ଡ ଗୋଟିଏ କଡ଼ରୁ ଅନ୍ୟ କଡ଼କୁ ବୁଲାଇ ପାରୁଥିଲେ । ସେ କଥାବାର୍ତ୍ତା କରିପାରୁ ନଥିଲେ, ତାଙ୍କରି ହାତଗୋଡ଼ ଚଳପ୍ରଚଳ ହେଉନଥିଲା, ଖାଦ୍ୟପାନୀୟ ନିଜେ ଗ୍ରହଣ କରିପାରୁ ନଥିଲେ । ଡ଼ାକ୍ତରୀ ଭାଷାରେ ତାଙ୍କରି ଅବସ୍ଥା ‘କ୍ରୋନିକ ଇରିଭରସିବଲ ଭେଗିଟେଟିଉଭ ଷ୍ଟେଟ’ ବୋଲି କୁହାଯାଏ ।

 

ଉଭୟଲାମ୍ୱ୍ରେଟ ଓ ତାଙ୍କରି ପତ୍ନୀ ରାଚ଼େଲ ତାଲିମପ୍ରାପ୍ତ ନର୍ସ ହୋଇଥିବା ହେତୁ ଦୁର୍ଘଟଣା ପରବର୍ତ୍ତୀ ଅବସ୍ଥାରେ ଲାମ୍ୱ୍ରେଟଙ୍କ ମାନସିକ ଅବସ୍ଥା ଓ ଚ଼ିକିତ୍ସା ସଂପର୍କରେ ଅବଗତ ଥିବା ବିଶ୍ୱାସ କରାଯାଇପାରେ । ସେହିପରି ଲାମ୍ୱ୍ରେଟ ପିତା ପେରି ମଧ୍ୟ ଚ଼ିକିତ୍ସକ ବୃତ୍ତିରେ ଅବସ୍ଥାପିତ ଥିବା ହେତୁ ଚ଼ିକିତ୍ସାପଦ୍ଧତି ସଂପର୍କରେ ସଚ଼େତନ । ଏହି ପରିବେଶରେ ଅକର୍ମଣ୍ୟ ଓ ନିରନ୍ତର ରୋଗାକ୍ରାନ୍ତ ତଥା ଚ଼ିକିତ୍ସାଗତ ସୁଫଳରେ ଆଶା ହରାଇଥିବା ପରିପ୍ରେକ୍ଷୀରେ ଚ଼ିକିତ୍ସକଙ୍କ ପକ୍ଷରୁ ଲାମ୍ୱ୍ରେଟଙ୍କ ପାଇଁ ଚ଼ିକିତ୍ସାରହିତ ମୃତ୍ୟୁ ଆୟୋଜନ କେତେଦୂର ଗ୍ରହଣୀୟ ସେ ସଂପର୍କରେ ବିବାଦ ସୂତ୍ରପାତ ହୋଇଥିଲା । ଅବଶ୍ୟ ଚ଼ିକିତ୍ସାରହିତ ମୃତ୍ୟୁଭଳି ପ୍ରକ୍ରିୟା ନୂତନଭାବେ ପ୍ରୟୋଗ କରାଯାଉଥିବା ହେତୁ ସାମାଜିକସ୍ତରରେ ଆଲୋଡ଼ନ ସ୍ୱାଭାବିକ ।

 

ଲାମ୍ୱ୍ରେଟଦୁର୍ଘଟଣା ଗ୍ରସ୍ତହୋଇ ଅସମୟରେ ଅକର୍ମଣ୍ୟ ହୋଇପଡ଼ିଥିଲେ । ଦୀର୍ଘ ପାଞ୍ଚ ବର୍ଷର ଚ଼ିକିତ୍ସାପରେ ଚ଼ିକିତ୍ସକମାନେ ଚ଼ିକିତ୍ସାରହିତ ମୃତ୍ୟୁ ପ୍ରସ୍ତାବ ଉପସ୍ଥାପନ କରିଥିଲେ । ତେବେ ଏହାର ବିରୋଧରେ ବିବାଦ ପରବର୍ତ୍ତୀ ଛଅ ବର୍ଷ ମଧ୍ୟରେ ସମାଧାନ ହୋଇପାରି ନାହିଁ । ପ୍ରଶ୍ନ ଉଠୁଛି ଲାମ୍ୱ୍ରେଟ କ’ଣ ଅକର୍ମଣ୍ୟ ଅବସ୍ଥାରେ ବଞ୍ଚିବାକୁ ଚ଼ାହିଁଥାନ୍ତେ? ଲାମ୍ୱ୍ରେଟଙ୍କ ପତ୍ନୀ ରାଚ଼େଲ କହନ୍ତି ଏଭଳି ପରିସ୍ଥିତିରେ ତାଙ୍କରି ପତି ମୃତ୍ୟୁକୁ ଶ୍ରେୟଷ୍କର ମଣିଥାନ୍ତେ । କଥାପ୍ରସଙ୍ଗରେ ଏବିଷୟରେ ସେ ତାଙ୍କୁ ଅତୀତ ଜୀବନରେ କହିଛନ୍ତି । କିନ୍ତୁ ଲିଖିତ ଆକାରରେ କୌଣସି ପ୍ରମାଣ ନାହିଁ । ଫ୍ରାନ୍ସରେ ଭାରତଭଳି ଅନ୍ତିମଜୀବନ ଚ଼ିକିତ୍ସା ଇଚ୍ଛାପତ୍ର ପଦ୍ଧତି ବୈଧ । କିନ୍ତୁ ଲାମ୍ୱ୍ରେଟ ସେଭଳି ଇଚ୍ଛାପତ୍ର ପ୍ରସ୍ତୁତ କରିନଥିଲେ । ଲାମ୍ୱ୍ରେଟଙ୍କ ଇଚ୍ଛାପତ୍ର ଅଭାବରେ ବିବାଦ ଉପୁଜିଥିଲା । ତାଙ୍କରି ଜୀବନ ଓ ମୃତ୍ୟୁର ନିଷ୍ପତ୍ତି ବିଜ୍ଞାନ ଓ ବିଶ୍ୱାସର ଲଢ଼େଇରେ ଆଶ୍ରୟ ଖୋଜିବାକୁ ବାଧ୍ୟ ହୋଇଥିଲା ।

 

ଅନ୍ତିମ ଜୀବନ ଚ଼ିକିତ୍ସା ଇଚ୍ଛାପତ୍ର ଆଧୁନିକ ଚ଼ିକିତ୍ସା ପଦ୍ଧତି ପ୍ରୟୋଗ କ୍ଷେତ୍ରରେ ପ୍ରତ୍ୟେକ ସଚ଼େତନ ନାଗରିକଙ୍କ ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ଦଲିଲ ହେଲେ ହେଁ, ଏଦିଗରେ ବ୍ୟକ୍ତିଗତ ଓ ସାମାଜିକସ୍ତରରେ ଗୁରୁତ୍ୱ ଅଭାବ ପରିଲକ୍ଷିତ ହୁଏ । ସାଥିସହୋଦରଙ୍କ କ୍ଷେତ୍ରରେ ଅନ୍ତିମଜୀବନ ଚ଼ିକିତ୍ସା ଅବସରରେ ଆମଭିତରୁ ଅନେକେ କହନ୍ତି ମୁଁ ଏଭଳି ପରିସ୍ଥିତିରେ ପହଞ୍ଚିବା ଆଗରୁ ବିଦାୟ ନେବାକୁ ଚ଼ାହେଁ । ସନ୍ତାନସନ୍ତତିଙ୍କୁ ତାଗିଦ କରି ମୋତେ ଏଭଳି ପରିବେଶକୁ ଠେଲି ଦେବ ନାହିଁ ବୋଲି ସ୍ୱୀକାରୋକ୍ତି ବାଢ଼ିଥାନ୍ତି। କିନ୍ତୁ ପ୍ରକୃତରେ ଯଦି ଆମେ ଚ଼ିକିତ୍ସାରହିତ ମୃତ୍ୟୁ ଚ଼ାହୁଁ, ଏଥିଲାଗି ଯେ ଇଚ୍ଛାପତ୍ର ଆବଶ୍ୟକ, ଏକଥା ଚ଼ିକିତ୍ସାଳୟରେ ଚିକିତ୍ସିତଙ୍କୁ ସଙ୍ଖୋଳି ଫେରିବାପରେ ଭୁଲିଯାଉ । ଅବଶ୍ୟ ଲାମ୍ୱ୍ରେଟଙ୍କ ଭଳି ଅଭାଗାଙ୍କ କାହାଣୀ ଶୁଣିଲାବେଳେ ପୁଣିଥରେ କେଇ ମିନଟ ଇଚ୍ଛାପତ୍ର ବିଷୟରେ ଚ଼ିନ୍ତା ମନକୁ ଆସିଥାଏ । ଅନ୍ତିମ ଜୀବନ ଚ଼ିକିତ୍ସା ଇଚ୍ଛାପତ୍ର ପ୍ରସ୍ତୁତି ଯେ ଆଧୁନିକ ଜୀବନଯାତ୍ରାଲାଗି ଜରୁରି ଏ ସଂପର୍କରେ ସଚ଼େତନତା ପ୍ରସାରର ସମୟ ଉପସ୍ଥିତ ।

 

ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଜୁନ ୨୦୧୯

 

---

ତଥ୍ୟ:

 

Breeden, Aurelien: Hours after Fenchman was taken off life support, court orders to restore it. The Times of India(Bhubaneswar Edition). May 22, 2019

 

Parents appeal to Macron in French right-to-die case. The Hindu (Cuttack Edition). May 19, 2019

 

Vincent Lambert Case

https://fr.wikipedia.org/wiki/Affaire_Vincent_Lambert

 

Yuill, Kevin – The tragedy of Vincent Lambert

https://www.spiked-online.com/2019/05/27/the-tragedy-of-vincent-lambert/

 

Hondelatte, Christophe. Vincent Lambert: the drama from his wife’s point of view


https://www.tellerreport.com/news/2019-05-20---vincent-lambert--the-drama-from-his-wife-s-point-of-view-.S1-ooExTE.html

ଦୀର୍ଘ ଜୀବନ ବିପକ୍ଷରେ

ମନୁଷ୍ୟର ଦୀର୍ଘଜୀବନ ସପକ୍ଷରେ ଯୁକ୍ତି ବଢ଼ାଯାଉଥିବା ସ୍ଥଳେ ବିପକ୍ଷରେ ମଧ୍ୟ ଯୁକ୍ତିର ଅଭାବ ନାହିଁ । ଏକବିଂଶ ଶତାଦ୍ଦୀରେ ମନୁଷ୍ୟର ଜୀବଦ୍ଦଶା ସଭ୍ୟତାର ଇତିହାସରେ ସର୍ବୋଚ୍ଚ ସୀମାରେ ପହଞ୍ଚିଛି ।

 

ଜାତିସଂଘର ଜନସଂଖ୍ୟା ମଣ୍ଡଳ ପକ୍ଷରୁ ଆନ୍ତର୍ଜାତିକସ୍ତରରେ ୨୦୨୦ରେ ଜନ୍ମ ଗ୍ରହଣ କରୁଥିବା ଶିଶୁଙ୍କ ଜୀବଦ୍ଦଶା ହାରାହାରି ୭୩.୨ ବର୍ଷ ଆକଳନ କରାଯାଉଥିବା ସ୍ଥଳେ ହଙ୍ଗକଙ୍ଗ ଓ ଜାପାନରେ ସର୍ବୋଚ୍ଚ ୮୫ ବର୍ଷ ଏବଂ ସୋମାଲିଆ, ନାଇଜେରିଆ ଓ ସେଣ୍ଟ୍ରାଲ ଆଫ୍ରିକାନ ରିପବ୍ଲିକରେ ୫୮ ରୁ ୫୪ ବର୍ଷ ନିର୍ଦ୍ଧାରିତ । ସମକାଳରେ ଆମଦେଶରେ ଜୀବଦ୍ଦଶା ୭୦.୪୨ ତଥା ଚୀନରେ ୭୭.୪୭ ଓ ପାକିସ୍ଥାନରେ ୬୭.୭୯ ବର୍ଷ ହିସାବ କରାଯାଏ ।

 

ଭାରତରେ ନୀତି ଆୟୋଗ ଦ୍ୱାରା ଉପସ୍ଥାପିତ ତଥ୍ୟ ଅନୁଯାୟୀ ୧୯୦୦ ବେଳକୁ ୨୨.୦୧ ବର୍ଷରେ ସୀମିତଥିବା ଜୀବଦ୍ଦଶା କ୍ରମାଗତଭାବେ ବୃଦ୍ଧିପାଇ ୧୯୫୦ରେ ୩୩.୯୪, ୧୯୭୦ରେ ୪୬.୧ ଏବଂ ୨୦୦୦ରେ ୬୧.୪୭ ବର୍ଷରେ ପହଞ୍ଚିଥିଲା । ଓଡ଼ିଶାରେ ୨୦୧୦ରୁ ୧୪ ମଧ୍ୟରେ ଜନ୍ମିତ ଶିଶୁଙ୍କ ଜୀବଦ୍ଦଶା ୬୫.୮ ବର୍ଷ ।

 

ଜନସଂଖ୍ୟା ଓ ଜୀବଦ୍ଦଶା ବୃଦ୍ଧି କାରଣରୁ ସମଗ୍ର ବିଶ୍ୱରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ବଢ଼ିଚାଲିଛି । ଏହି ପରିବେଶ ଏକ ପକ୍ଷରେ ବରିଷ୍ଠ ନାଗରିକମାନଙ୍କ ନିମନ୍ତେ ବ୍ୟକ୍ତିଗତ, ବ୍ୟାବସାୟିକ ଓ ସରକାରୀସ୍ତରରେ ବିଭିନ୍ନ କଲ୍ୟାଣକାରୀ ଯୋଜନା ରୂପାୟନର ଆବଶ୍ୟକତା ସୃଷ୍ଟି କରିଥିବା ସ୍ଥଳେ ଅପରପକ୍ଷରେ ଦୀର୍ଘଜୀବନଯାପନର ନୈତିକ ମୂଲ୍ୟବୋଧ ନେଇ ପ୍ରଶ୍ନ ମଧ୍ୟ ଚର୍ଚ୍ଚାର ପରିସରରେ ପହଞ୍ଚିଲାଣି । ମନୁଷ୍ୟ ସ୍ୱାସ୍ଥ୍ୟରକ୍ଷାର ବିଭିନ୍ନ ଉପାୟ ଅବଲମ୍ୱନ କରି କିପରି ଶତାୟୁ ହୋଇପାରିବ ସେଦିଗରେ ଯତ୍ନବାନ ହେଉଥିବା ଅବସରରେ କେତେକ ବୁଦ୍ଧିଜୀବୀ ମନୁଷ୍ୟ ପକ୍ଷେ ଦୀର୍ଘଜୀବନ ଅନାବଶ୍ୟକ ବୋଲି ମଧ୍ୟ ବିଚାର ପ୍ରସାର କରିବାକୁ ପଛାଉ ନାହାନ୍ତି ।

 

ଇସ୍ରାଏଲି ବଂଶୋଦ୍ଭବ ମାର୍କିନ ଚ଼ିକିତ୍ସକ ଡ଼ାକ୍ତର ଏଜେକିଲ ଇମାନୁଏଲ ମନୁଷ୍ୟର ଜୀବଦ୍ଦଶା ୭୫ ବର୍ଷରେ ସୀମିତ ରହିବା ଶ୍ରେୟସ୍କର ବର୍ଣ୍ଣନା କରି ଏକ ପ୍ରବନ୍ଧ ରଚନା କରିଥିଲେ । ଯୁକ୍ତରାଷ୍ଟ୍ର ଆମେରିକାର ଖ୍ୟାତନାମା ମାସିକ ପତ୍ରିକା ‘ଦି ଆଟଲାଣ୍ଟା’ରେ ୨୦୧୪ ଅକ୍ଟୋବର ସଂଖ୍ୟାରେ ଏହା ପ୍ରକାଶିତ ହେବା ପରେ ବିଶ୍ୱବ୍ୟାପୀ ଦୀର୍ଘକାଳ ଚର୍ଚ୍ଚିତ ହୋଇଥିଲା । ସେତେବେଳକୁ ଲେଖକଙ୍କ ବୟସ ୫୮ ବର୍ଷ ଥିଲା ।

 

ଏଜେକିଲ ଜଣେ କର୍କଟରୋଗ ବିଶାରଦ । ସେ ପେନସିଲଭିନିଆ ବିଶ୍ୱବିଦ୍ୟାଳୟର ନୈତିକତା ଓ ସ୍ୱାସ୍ଥ୍ୟ ନୀତି ବିଭାଗର ଅଧ୍ୟକ୍ଷ ରୂପେ ଅବସ୍ଥାପିତ । ଯୁକ୍ତରାଷ୍ଟ୍ର ଆମେରିକାରେ ରାଷ୍ଟ୍ରପତି ବାରକ ଓବାମା ପ୍ରବର୍ତ୍ତିତ ସରକାରୀ ସ୍ୱାସ୍ଥ୍ୟ ନୀତି ‘ଓବମାକେର’ ପ୍ରଣୟନରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ରାଷ୍ଟ୍ରପତି ଜୋ’ ବାଇଡ଼ନଙ୍କ ସ୍ୱାସ୍ଥ୍ୟନୀତି ପରାମର୍ଶଦାତା ରୂପେ ନିଯୁକ୍ତ ।

 

ଏଜେକିଲଙ୍କ ପ୍ରବନ୍ଧଟିର ସ୍ଥୁଳ ଆଲୋଚନା କଲେ ଏକବିଂଶ ଶତାଦ୍ଦୀରେ ବିକଶିତ ମନୁଷ୍ୟଜୀବନଚର୍ଯ୍ୟାର କେତେକ ମହତ୍ତ୍ୱପୂର୍ଣ୍ଣ ଦିଗ ପ୍ରତି ଦୃଷ୍ଟି ଆକର୍ଷଣ କରିଥାଏ ।

 

ପ୍ରବନ୍ଧ ଆରମ୍ଭରେ ମୃତ୍ୟୁର ପ୍ରଭାବ ବିଚାର କରିବାକୁ ଯାଇ ଲେଖକ ଦର୍ଶାଇଛନ୍ତି ଯେ ମୃତ୍ୟୁ ଜୀବନର ସମସ୍ତ ମୂଲ୍ୟବୋଧରେ ସଂପୃକ୍ତିର ଅନ୍ତ ଘଟାଇ ବିପୁଳ କ୍ଷତି ପହଞ୍ଚାଇଥାଏ । କିନ୍ତୁ ଅପରପକ୍ଷରେ ଦୀର୍ଘଜୀବନଜନିତ ଶାରିରୀକ ଅକ୍ଷମତା, ଶଯ୍ୟାଶାୟୀ ଜୀବନ ଓ ଯନ୍ତ୍ରଣା ମଧ୍ୟ ଅପୂରଣୀୟ କ୍ଷତିର କାରଣ ପାଲଟିଥାଏ । ଉତ୍ତର-ବାର୍ଦ୍ଧକ୍ୟ ସର୍ଜନଶୀଳତା, କର୍ମଠତା ଏବଂ ସାର୍ବଜନୀନ ଜୀବନରୁ ଦୂରେଇ ନେଉଥିବା ହେତୁ ସାମାଜିକ ବ୍ୟବସ୍ଥାରେ ବ୍ୟକ୍ତିବିଶେଷଙ୍କ ଗୁରୁତ୍ୱ କ୍ରମଶଃ ମଳିନ ପଡ଼ିଆସେ । ଏକଦା ପ୍ରତିପତ୍ତି ବିସ୍ତାର କରିଥିବା ବ୍ୟକ୍ତିତ୍ୱ ସହଜରେ ଅବହେଳାକୁ ବରଦାସ୍ତ କରିପାରେ ନାହିଁ ।

 

ଅଧିକାଂଶ କ୍ଷେତ୍ରରେ ଅତି-ବାର୍ଦ୍ଧକ୍ୟ ବା ଉତ୍ତର-ବାର୍ଦ୍ଧକ୍ୟ ଜୀବନଚର୍ଯ୍ୟା ପୂର୍ବ-ଜୀବନ ତୁଳନାରେ ନିମ୍ନମାନ ପରିଲକ୍ଷିତ ହୋଇଥାଏ । ଏଜେକିଲ ମାର୍କିନ ସଭ୍ୟତାର ଉଦାହରଣ ଉପସ୍ଥାପନ କରି କହିଛନ୍ତି ଯେ ୧୯୬୦ରୁ ଜୀବଦ୍ଦଶା କ୍ରମାଗତଭାବେ ବୃଦ୍ଧି ପାଇଚାଲିଥିବା ସ୍ଥଳେ ବରିଷ୍ଠ ନାଗରିକଙ୍କ ମଧ୍ୟରେ ୧୯୯୮ ରୁ ୨୦୦୬ ମଧ୍ୟରେ ଶାରୀରିକ ଅକ୍ଷମତା ହାର ବୃଦ୍ଧି ପାଇଥିଲା । ୧୯୯୮ରେ ୮୦ ବର୍ଷୋତ୍ତରଙ୍କ ମଧ୍ୟରୁ ୨୮ ପ୍ରତିଶତ ମାର୍କିନ ନାଗରିକ ବିଭିନ୍ନ କାରଣରୁ ଶାରିରୀକ ଅକ୍ଷମ ଥିଲେ ଏବଂ ୨୦୦୬ରେ ସେମାନଙ୍କ ସଂଖ୍ୟା ୪୨ ପ୍ରତିଶତରେ ପହଞ୍ଚିଥିଲା । ପୁରୁଷଙ୍କ ତୁଳନାରେ ମହିଳାମାନଙ୍କ ସଂଖ୍ୟା ଆନୁପାତିକଭାବେ ଅଧିକ ରହିଥିବା ଗବେଷଣାରୁ ଜଣାଯାଇଥିଲା । ହୃଦଘାତ ହେତୁ ମୃତ୍ୟୁ ସଂଖ୍ୟା ୨୦୦୦ରୁ ୨୦୧୦ ଦଶ ବର୍ଷ ମଧ୍ୟରେ ୨୦ ପ୍ରତିଶତ କମିଛି । କିନ୍ତୁ ହୃଦଘାତ ପରେ ଜୀବନରକ୍ଷା ପାଇଥିଲେ ହେଁ ୬୮ ଲକ୍ଷ ମାର୍କିନ ନାଗରିକ ପକ୍ଷଘାତ କିମ୍ୱା ବାକଶକ୍ତି ହରାଇ ଜୀବନ ବିତାଇବାକୁ ବାଧ୍ୟ ହେଉଛନ୍ତି ।

 

ଯୁକ୍ତରାଷ୍ଟ୍ର ଆମେରିକାଭଳି ବିକଶିତ ରାଷ୍ଟ୍ରରେ ୮୫ ବର୍ଷୋତ୍ତର ତିନିଜଣ ବରିଷ୍ଠ ନାଗରିକଙ୍କ ମଧ୍ୟରୁ ଜଣେ ଆଲଜମିରର୍ସ ରୋଗାକ୍ରାନ୍ତ ଏବଂ ଏକବିଂଶ ଶତାଦ୍ଦୀ ଦ୍ୱିତୀୟ ଦଶକ ମଧ୍ୟଭାଗ ସୁଦ୍ଧା ସେମାନଙ୍କ ସଂଖ୍ୟା ପ୍ରାୟ ୫୦ ଲକ୍ଷ ହିସାବ କରାଯାଇଥିଲା । ଆଲଜମିରର୍ସ ରୋଗ ପ୍ରତିଷେଧ କିମ୍ୱା ଚ଼ିକିତ୍ସା ନିମନ୍ତେ ଫଳପ୍ରଦ ବ୍ୟବସ୍ଥା ଅଭାବରୁ ଭବିଷ୍ୟତରେ ଦୀର୍ଘଜୀବନଧାରୀ ବରିଷ୍ଠନାଗରିକଙ୍କ ଜୀବନଚର୍ଯ୍ୟା ସମସ୍ୟାବହୁଳ ହୋଇପଡ଼ିବା ଆକଳନ କରାଯାଏ ।

 

ଜୀବଦ୍ଦଶା ବୃଦ୍ଧି ରୋଗଗ୍ରସ୍ତ ଜୀବନ ବୃଦ୍ଧିରେ ପର୍ଯ୍ୟବସିତ ହେଉଥିବା ସ୍ଥଳେ ରୋଗବିହୀନ ଜୀବନଚର୍ଯ୍ୟା ହ୍ରାସ ପାଇଚାଲିଥିବା ଦେଖିବାକୁ ମିଳେ । ଉତ୍ତର-ବାର୍ଦ୍ଧକ୍ୟରେ ଶାରିରୀକସ୍ତରରେ ରୋଗଗ୍ରସ୍ତ ହେବା ସାଙ୍ଗକୁ ମାନସିକସ୍ତରରେ ଅବସାଦ ଓ ମତିଭ୍ରମ ଇତ୍ୟାଦି ଜୀବନଯାତ୍ରାକୁ ଯନ୍ତ୍ରଣାମୟ କରିପକାଏ । ଚ଼ିକିତ୍ସା ବିଜ୍ଞାନରେ ପ୍ରଗତି ହେତୁ ବିଭିନ୍ନ ରୋଗ ସଂକ୍ରମଣ ପ୍ରତିଷେଧକ ଭେକସିନ, ଆଣ୍ଟିବାୟୋଟିକ ଓ ଜୀବନରକ୍ଷାକାରୀ ସାଜସରଞ୍ଜାମ ଉପଯୋଗରେ ସାଧାରଣ ରୋଗାରେ ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା କମି ଆସିଛି । ବାର୍ଦ୍ଧକ୍ୟଜନିତ ମୃତ୍ୟୁ ଏଣିକି ଦୀର୍ଘସ୍ଥାୟୀ ଉଚ୍ଚରକ୍ତଚାପ, ମଧୁମେହ, ହୃଦରୋଗ, ହୃଦଘାତ, କର୍କଟ, ଆଲଜମିରସ ଭଳି ଦୁରାରୋଗ ଜନିତ ଜଟିଳ ସ୍ୱାସ୍ଥ୍ୟାବସ୍ଥାର ଅସଫଳ ଚ଼ିକିତ୍ସା ଉପରେ ନିର୍ଭରଶୀଳ ବୋଲି କୁହାଯାଇପାରେ ।

 

ବାର୍ଦ୍ଧକ୍ୟରେ ଆମେ ଶାରିରୀକ ଓ ମାନସିକସ୍ତରରେ ସୀମାବଦ୍ଧତା ସହ ସାଲିସ କରିନେଉ । ସମୟକ୍ରମେ ନିଜ ଅଜାଣତରେ ଜୀବନର ଅଭୀପ୍ସା କମି ଆସେ । କାର୍ଯ୍ୟକ୍ଷେତ୍ରର ପରିସୀମା ସଙ୍କୁଚିତ ହୋଇଯାଏ ଏବଂ ସାମାନ୍ୟ ଫଳାଫଳରେ ସନ୍ତୁଷ୍ଟ ହୋଇପଡୁ । ବୃତ୍ତିଗତ ଜୀବନରୁ ଅବସର ନେବାପରେ ଘରକରଣା ତଥା ସାଧାରଣ ରୁଚ଼ି ମଧ୍ୟରେ ଦୈନନ୍ଦିନ ଜୀବନ ଛନ୍ଦି ହୋଇପଡ଼େ । ଶରୀର ଦୁର୍ବଳ ହୋଇ ଆସିଲେ ଚଲାବୁଲା, ପର୍ଯ୍ୟଟନ ଭଳି ଅଭ୍ୟାସ ପରିବର୍ତ୍ତିତ ହୋଇ ଗୃହାବଦ୍ଧ ଅବସ୍ଥାରେ ଟେଲିଫୋନ, ଅଡ଼ିଓ ଓ ଭିଡ଼ିଓ ଦେଖାଶୁଣାରେ ସମୟକଟେ । ଅଧିକାଂଶଙ୍କ ଜୀବନରେ ବାର୍ଦ୍ଧକ୍ୟ ଅସ୍ତମିତ ସୂର୍ଯ୍ୟପ୍ରଭାରେ ପ୍ରଲିପ୍ତ ବିଦାୟ ପୂର୍ବରୁ ଅବସର ବେଳ । ତେବେ ଏହି ଶୂନ୍ୟତାର ଦୀର୍ଘ ଅବଧି ବିରକ୍ତିକର ବି ହୋଇପାରେ ।

 

ଉତ୍ତର-ବାର୍ଦ୍ଧକ୍ୟରେ ସହାୟତାଯୁକ୍ତ ଜୀବନଚର୍ଯ୍ୟା ଓ ନିଅଣ୍ଟିଆ ଆର୍ଥିକ ସ୍ଥିତି ମଧ୍ୟ ସମସ୍ୟା ସୃଷ୍ଟି କରିଥାଏ । ପାରିବାରିକ ପରିବେଷ୍ଟନୀରେ ବସବାସ କରୁଥିବା ବରିଷ୍ଠ ନାଗରିକ ଓ ସନ୍ତାନସନ୍ତତି ଉଭୟଙ୍କ ଯତ୍ନର ସନ୍ତୁଳନ ଅନେକ ସ୍ଥଳରେ ଗୃହସ୍ୱାମୀ ରକ୍ଷା କରିପାରନ୍ତି ନାହିଁ । ଏହି ପରିବେଶ ନିର୍ଯ୍ୟାତନାର କାହାଣୀମାନ ଗଢ଼ି ତୋଳେ । କନିଷ୍ଠଙ୍କ ଆଚ଼ରଣ, ବିଚାରଧାରାରେ ବରିଷ୍ଠଙ୍କ ହସ୍ତକ୍ଷେପ ସଂଘର୍ଷର ରୂପ ନେଉଥିବା ଉଦାହରଣର ଅଭାବ ନଥାଏ ।

 

ଏଜେକିଲ ଦୀର୍ଘଜୀବନ ବିରୋଧ କରୁଥିବା ସ୍ଥଳେ ୭୫ ବର୍ଷ ବୟସରେ ଯଥାସଂଭବ ପ୍ରାକୃତିକଭାବେ ଦେହତ୍ୟାଗ କରିବା ନିମନ୍ତେ “ନିଜସ୍ୱ ଆଗ୍ରହ” ପ୍ରବନ୍ଧରେ ଉଲ୍ଲେଖ କରିଛନ୍ତି । ସାର ଉଇଲିଅମ ଅସଲରଙ୍କ ‘ଦି ପ୍ରିନ୍ସପଲସ ଏଣ୍ଡ ପ୍ରାକ୍ଟିସ ଅଫ ମେଡ଼ିସିନ’ରେ ସୂଚ଼ିତ ନିମୋନିଆରେ ଯନ୍ତ୍ରଣାମୁକ୍ତ ମୃତ୍ୟୁର ଉଦାହରଣକୁ ବ୍ୟାଖ୍ୟାକରି ସେ କହିଛନ୍ତି ଯେ ୭୫ ବର୍ଷରେ ପହଞ୍ଚିବା ପରେ ସେ ଜୀବଦ୍ଦଶା ବୃଦ୍ଧି ଉଦ୍ଦେଶ୍ୟରେ ଚ଼ିକିତ୍ସାବିଜ୍ଞାନ ଉପଯୋଗରୁ ବିରତ ରହିବେ । ମୁଖ୍ୟତଃ ବିଭିନ୍ନ ଦୁରାରୋଗ୍ୟ ନିମନ୍ତେ ନିଦାନ ବ୍ୟବସ୍ଥାରେ ଅଂଶ ଗ୍ରହଣ କରିବେ ନାହିଁ ।

 

ସେ ଲେଖିଛନ୍ତି ଯେ ୭୫ ବର୍ଷପରେ କର୍କଟ ରୋଗାକ୍ରାନ୍ତ ହେଲେ ଚ଼ିକିତ୍ସା କରିବେ ନାହିଁ । ହୃଦରୋଗ ହେତୁ ବାଇପାସ ‘ସର୍ଜରୀ’ ହାର୍ଟଭଲଭ ପୁନଃରୋପଣ ବା ପେସମେକରର ଆବଶ୍ୟକତା ପଡ଼ିଲେ ମନା କରିଦେବେ । ମୋଟାମୋଟି ଭାବେ ସାଧାରଣ ସ୍ୱାସ୍ଥ୍ୟରକ୍ଷା ଓ ଚ଼ିକିତ୍ସାରେ ସୀମିତ ରହି ଜଟିଳ ଚିକିତ୍ସା ପଦ୍ଧତି ଅନୁସରଣ କରିବେ ନାହିଁ । ଭେଣ୍ଟିଲେଟର, ଡାଏଲେସିସ, ସର୍ଜରୀ, ଏଣ୍ଟିବାୟୋଟିକ୍ସରୁ ଦୂରେଇ ରହିବେ ।

 

ଏଜେକିଲ ଏକ ନିର୍ଦ୍ଧିଷ୍ଟ ବୟସସୀମାରେ ଦେହତ୍ୟାଗ କରିବା ସପକ୍ଷରେ ଯୁକ୍ତି ବାଢୁଥିଲେ ହେଁ ଆତ୍ମହତ୍ୟା କିମ୍ୱା ଇଚ୍ଛାମୃତ୍ୟୁର ବିରୋଧୀ । ବିବର୍ତ୍ତନବାଦ ଆଧାରରେ ବିଶ୍ଳେଷଣ କଲେ ମନୁଷ୍ୟ ଯେତେ ଅଧିକ ସଂଭବ, ସେତେ କାଳ ଯାଏଁ ବଞ୍ଚିବା ନିମନ୍ତେ ସଂଗ୍ରାମ ଜାରୀ ରଖିଥାଏ । ଜୀବଦ୍ଦଶା ସଂପର୍କରେ ମନୁଷ୍ୟ ସଦା ସର୍ବଦା ଆଶାବାଦୀ ।

 

ଏଜେକିଲ ନିଜ ପ୍ରବନ୍ଧରେ ସ୍ପଷ୍ଟ ସ୍ୱୀକାରୋକ୍ତିରେ କହିଛନ୍ତି ଯେ ୭୫ ବର୍ଷରେ ସୀମାବଦ୍ଧ ଜୀବଦ୍ଦଶାର ଉପପାଦ୍ୟ ପ୍ରଚାରଲାଗି ତାଙ୍କରି ଅଭିପ୍ରାୟ ନାହିଁ । ଏହି ବିଷୟରେ ତାଙ୍କରି ମତବାଦ ଠିକ ଓ ଅନ୍ୟମାନେ ଭୂଲ ରାସ୍ତାର ପଥିକ ବୋଲି ସେ ବିଚାର କରନ୍ତି ନାହିଁ । ଅପରପକ୍ଷେ ଜଣେ ଚ଼ିକିତ୍ସକଭାବେ ଜୀବନରକ୍ଷା ପରାମର୍ଶ ଲୋଡୁଥିବା ବ୍ୟକ୍ତିବିଶେଷଙ୍କୁ ସେ ସର୍ବୋତ୍ତମ ଉପଲବ୍ଧ ଚ଼ିକିତ୍ସା ପଦ୍ଧତି ସଂପର୍କରେ କ୍ରମାଗତ ଅବଗତ କରାଇଥାନ୍ତି । କେବଳ ସ୍ୱାଭାବିକ ଜୀବନଯାତ୍ରା କାହିଁକି ଶାରୀରିକ ଓ ମାନସିକ ଅକ୍ଷମତା ଭଳି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଯେଉଁମାନେ ବଞ୍ଚିବାକୁ ଆଗ୍ରହୀ ସେମାନଙ୍କ ନିଷ୍ପତ୍ତିକୁ ଭ୍ରମାନ୍ତକ ବିଚାର କରନ୍ତି ନାହିଁ ।

 

ଏଜେକିଲ ସୀମିତ ଜୀବଦ୍ଦଶା ସଂପର୍କୀତ ନିଜସ୍ୱ ମତବାଦ “ବ୍ୟକ୍ତିଗତଭାବେ ନିଜ ପାଇଁ ସଂରକ୍ଷିତ ରଖିଥିବା” ସୂଚନା ଦେଇଥାନ୍ତି । ଅପରପକ୍ଷେ ଦୀର୍ଘଜୀବନ ବିପକ୍ଷରେ ତାଙ୍କରି ଯୁକ୍ତି ସର୍ବ ସାଧାରଣରେ ଚର୍ଚ୍ଚିତ ହେଲେ ମୃତ୍ୟୁ ସଂପର୍କରେ ବିଚାରବିମର୍ଷ ନିମନ୍ତେ ସୁଯୋଗ ସୃଷ୍ଟି ସଂଭବପରବୋଲି ତାଙ୍କର ବିଶ୍ୱାସ । ସଭ୍ୟତାର ବିକାଶରେ ମନୁଷ୍ୟ କିପରି ସ୍ୱଚ୍ଛନ୍ଦରେ ଜୀବନଯାପନ କରିପାରିବ ସେ ଦିଗରେ ଅଧ୍ୟୟନ ଓ ଯୋଜନା ପ୍ରଣୟନରେ ଜୀବନବ୍ୟାପୀ ସଂପୃକ୍ତ ରହୁଥିବା ସ୍ଥଳେ ନିଜ ମୃତ୍ୟୁ ସଂପର୍କୀତ ପ୍ରଶ୍ନ ଠାରୁ ଦୂରେଇ ରହିଥାଏ । କିନ୍ତୁ ଏଦିଗରେ ମଧ୍ୟ ମାନସମନ୍ଥନ ସର୍ବାଧିକ ଗୁରୁତ୍ୱ ବହନ କରେ ।

 

ଦୀର୍ଘଜୀବନର ସମାଜତାତ୍ତ୍ୱିକ ତଥା ଅର୍ଥନୀତିକ ଦିଗକୁ ତର୍ଜମା କରି ଏଜେକିଲ ବାର୍ଦ୍ଧକ୍ୟ ଜୀବନଚର୍ଯ୍ୟାରେ ବିନିଯୋଗ ଓ ଫଳାଫଳକୁ ନେଇ ପ୍ରଶ୍ନ ଉଠାଇଥିଲେ । ତାଙ୍କରି ଯୁକ୍ତିଥିଲା ଯେ ସୀମିତ ବାର୍ଦ୍ଧକ୍ୟରେ ମୃତ୍ୟୁକୁ ଆଦରି ନେଲେ ବ୍ୟକ୍ତିଗତସ୍ତରରେ ଯନ୍ତ୍ରଣା, ଅବହେଳାରୁ ମୁକ୍ତି ମିଳୁଥିବା ସ୍ଥଳେ ପାରିବାରିକସ୍ତରରେ ଅନ୍ୟପ୍ରତି ବୋଝରେ ପରିବର୍ତ୍ତିତ ନହେବା ତଥା ସାମାଜିକସ୍ତରରେ ସାମଗ୍ରୀ ଓ ସେବା ସଂରକ୍ଷଣର ସୁଯୋଗ ସୃଷ୍ଟି ହୋଇଥାଏ ।

 

ଏଜେକିଲଙ୍କ ବିଚାରରେ ୭୫ ବର୍ଷରେ ପଦାର୍ପଣ କଲାବେଳକୁ ଏକରକମ ଜୀବନର ପୂର୍ଣ୍ଣତା ପ୍ରାପ୍ତି ଆଶା କରାଯାଇପାରେ । ନିଜ ବିଦାୟବାର୍ତ୍ତା ନିଜର ସଖାସହୋଦରଙ୍କ ମଧ୍ୟରେ ସ୍ୱାଭାବିକ ପରିବେଶରେ ପ୍ରସାର କରିବା ତାଙ୍କରି ଅଭିପ୍ରାୟ । ଏଥି ନିମନ୍ତେ ସେ ଏକ ପ୍ରାକ୍-ଶ୍ରଦ୍ଧତ୍ସୋବ ‘ମେମୋରିଆଲ ସର୍ଭିସ’ ଆୟୋଜନର ଯୋଜନା ରଖିଥିବା ଉଲ୍ଲେଖ କରିଥିଲେ ।

 

ଏଜେକିଲଙ୍କ ରଚନା ପ୍ରକାଶନରେ ପାଞ୍ଚବର୍ଷ ପରେ ‘ଟେକନୋଲଜି ରିଭ୍ୟୁ’ ନାମକ ଏକ ଅନଲାଇନ ପତ୍ରିକା ପକ୍ଷରୁ ୨୦୧୯ ଅଗଷ୍ଟରେ ସାକ୍ଷାତକାରରେ ମୃତ୍ୟୁ ସଂପର୍କୀତ ତାଙ୍କ ବିଚାରଧାରାରେ କିଛି ପରିବର୍ତ୍ତନ ଘଟିଛି କି ବୋଲି ପ୍ରଶ୍ନ ପଚରାଯାଇଥିଲା । ସେତେବେଳକୁ ତାଙ୍କରି ବୟସ ୬୨ ବର୍ଷ । ଏହି ଅବସରରେ ଦୀର୍ଘଜୀବନ ବିପକ୍ଷରେ ତାଙ୍କରି ଯୁକ୍ତି ଅପରିବର୍ତ୍ତିତ ରହିଥିବା ସ୍ୱୀକାର କରିଥିଲେ ।


 

ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଅକ୍ଟୋବର ୨୦୨୦

 

---

 

 

ତଥ୍ୟ:

 

Emanuel, Ezekiel J. Why I hope to die at 75. The Atlantic, October 2014.

 

https://www.theatlantic.com/magazine/archive/2014/10/why-i-hope-to-die-at-75/379329/

 

Hall, Stephen S. A doctor and medical ethicist argues life after 75 is not worth living. www.technologyreview.com. August 2019.

 

https://www.technologyreview.com/2019/08/21/238642/a-doctor-and-medical-ethicist-argues-life-after-75-is-not-worth-living/

ଥାଲକୂଥଲ 

‘ଥାଲକୂଥଲ’ ତାମିଲ ଭାଷାରେ ଆକ୍ଷରିକ ଅର୍ଥରେ ମୁଣ୍ଡ ଗାଧୁଆ ବା ମୁଣ୍ଡରେ ପାଣି ଢାଳିବାକୁ ବୁଝାଏ । କିନ୍ତୁ ଦକ୍ଷିଣ ତାମିଲନାଡୁର କେତେକ ଅଞ୍ଚଳରେ ମୁଖ୍ୟତଃ ଶଯ୍ୟାଶାୟୀ ରୋଗାକ୍ରାନ୍ତ ବାର୍ଦ୍ଧକ୍ୟଗ୍ରସ୍ତଙ୍କୁ ପାରିବାରିକ ଓ ସାମାଜିକ ସମ୍ମତ୍ତିରେ ପାରମ୍ପରିକ ପଦ୍ଧତିରେ ଜୀବନରେ ମାରିଦେବାକୁ ‘ଥାଲକୂଥଲ’ କୁହାଯାଏ । ସାଧାରଣରେ ବୟୋଜ୍ୟେଷ୍ଠମାନେ ବାର୍ଦ୍ଧକ୍ୟରେ ଉପନୀତ ହୋଇ ଦୁରାରୋଗରେ ପୀଡ଼ିତ ତଥା ପରିବାରବର୍ଗ ସେମାନଙ୍କ ଯତ୍ନ ନେବାରେ ଅସମର୍ଥ ହେବା ଅବସରରେ ‘ଥାଲକୂଥଲ’ ଆୟୋଜନ ନିଷ୍ପତ୍ତି ନିଆଯାଏ । ଏଥିନିମନ୍ତେ ନିର୍ଦ୍ଦିଷ୍ଟ ଦିବସ ନିର୍ଦ୍ଧାରଣ ପରେ ନିକଟସଂପର୍କୀୟ ଓ ସାହିପଡ଼ିଶା ସଂପୃକ୍ତ ବ୍ୟକ୍ତିଙ୍କୁ ଶେଷ ସାକ୍ଷାତ କରି ଶଙ୍ଖୁଳିଥାନ୍ତି ସେମାନଙ୍କ ମଧ୍ୟରୁ କେତେକ ‘ଥାଲକୂଥଲ’ରେ ସକ୍ରିୟ ଅଂଶଗ୍ରହଣ ନିମନ୍ତେ ଅପେକ୍ଷା କରନ୍ତି ।

 

ଧାର୍ଯ୍ୟ ଦିବସ ପ୍ରଭାତରୁ ବ୍ୟକ୍ତିବିଶେଷଙ୍କୁ ସମସ୍ତଙ୍କ ଉପସ୍ଥିତିରେ ତେଲ ମାଲିସ କରି ଥଣ୍ଡା ପାଣିରେ ଗାଧୋଇ ଦେଇ ପ୍ରଚୁର ପରିମାଣରେ ପଇଡ଼ପାଣି ବାଧ୍ୟବାଧକତାରେ ପିଆଇ ଦିଆଯାଏ । ମୁମୂର୍ଷ ଶରୀର ଥଣ୍ଡାପାଣି ସଂସ୍ପର୍ଶରେ ତାପମାତ୍ରା ହରାଇବା ହେତୁ ସ୍ଥଳବିଶେଷରେ କିଛି ସମୟ ମଧ୍ୟରେ ହୃଦକ୍ରିୟା ବନ୍ଦ ହୋଇଯାଏ । ପଇଡ଼ ପାଣିରେ ପଟାସିୟମ ଥାଏ । ଅଧିକ ପରିମାଣରେ ପଟାସିୟମ ଗ୍ରହଣ ହେତୁ ବୃକକ ଅଚ଼ଳ ହୋଇପଡ଼େ । ବହୁକ୍ଷେତ୍ରରେ ଆକ୍ରାନ୍ତ ବ୍ୟକ୍ତି ଦୁଇ ତିନି ଦିନ ମଧ୍ୟରେ ପ୍ରାଣ ହରାଏ । ମୁଣ୍ଡ ଗାଧୁଆରେ ମୃତ୍ୟୁ କାରଣରୁ ପାରମ୍ପରିକ ପଦ୍ଧତିଟି ‘ଥାଲକୂଥଲ’ ନାମିତ ।

 

ପ୍ରଚଳିତ ଅନ୍ୟାନ୍ୟ ୨୫ ଗୋଟି ମୃତ୍ୟୁ ନିମନ୍ତ୍ରଣ ପ୍ରକ୍ରିୟାରେ ପରିବାରବର୍ଗ ବ୍ୟକ୍ତିବିଶେଷଙ୍କ ନାକକୁ ଚିପି ଧରି ବହୁ ପରିମାଣରେ ଗାଈ କ୍ଷୀର ପିଆଇ ଶ୍ୱାସଋଦ୍ଧ ଅବସ୍ଥାକୁ ଠେଲି ଦେଇଥାନ୍ତି । ସାଧାରଣରେ ୫୦ ବର୍ଷୋତ୍ତର ଗୁରୁତର ରୋଗଗ୍ରସ୍ତ ଏହି ଦଶା ଭୋଗୁଥିବା ବେଳେ କମ ବୟସରେ ଗୁରୁତର ଶାରୀରିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଅକର୍ମଣ୍ୟ ମଧ୍ୟ ‘ଥାଲକୂଥଲ’ର ଶୀକାର ହୋଇଥାନ୍ତି । ଆଇନ ଦୃଷ୍ଟିରୁ ପଦ୍ଧତିଟି ଅପରାଧ ଏବଂ ପ୍ରକ୍ରିୟାରେ ଅଂଶଗ୍ରହଣ କରୁଥିବା ବ୍ୟକ୍ତିଗଣ ଦଣ୍ଡିତ ହେବା ପ୍ରାବଧାନ ଥିବା ହେତୁ ଏସଂପର୍କରେ ବିଶେଷ ଲିପିବଦ୍ଧ ବିବରଣୀ ମିଳେ ନାହିଁ ।

 

କେତେକଙ୍କ ମତରେ ‘ଥାଲକୂଥଲ’ ଅବାହମାନ ଯୁଗରୁ ଚଳି ଆସିଛି । ଅନ୍ୟ କେତେକ ଇଂଲିଶ ଶାସନ ପ୍ରବର୍ତ୍ତିତ ହେବା ପୂର୍ବରୁ ଜନୈକ ରାଜକୁମାର ଜଟିଳ ରୋଗାକ୍ରାନ୍ତ ନିଜ ଶାଶୁଙ୍କ ଯନ୍ତ୍ରଣା ଲାଘବ ପାଇଁ ଦୟା ହତ୍ୟାର ପଥ ବାଛି ନେବା ପରେ ସମାଜରେ ଅନ୍ୟମାନେ ଅନୁକରଣ କରିଥିବା କହନ୍ତି । ଭାରତ ସ୍ୱାଧୀନତା ଲାଭ ପରେ କ୍ରମାଗତ ମରୁଡ଼ି, ବର୍ଦ୍ଧିତ ଜନସଂଖ୍ୟା ଓ ଦୁର୍ବଳ ଆଞ୍ଚଳିକ ଅର୍ଥନୀତି କାରଣରୁ ବିଂଶ ଶତାଦ୍ଦୀ ପଞ୍ଚମ ଦଶକରେ ଏହି ପ୍ରଥା ବ୍ୟାପିଥିବା ମଧ୍ୟ ବିଶ୍ୱାସ କରାଯାଏ ।

 

‘ଥାଲକୂଥଲ’ ଘଟଣାକୁ କେନ୍ଦ୍ର କରି ୨୦୧୦ରେ ଏକ ମକଦ୍ଦମା ଦାୟର ପରେ ଏହି ପ୍ରଥା ଗଣମାଧ୍ୟମରେ ପୃଷ୍ଠା ମଣ୍ଡନ କରିଥିଲା । ମାନବ ଅଧିକାର ସୁରକ୍ଷା ଦାବୀରେ ବରିଷ୍ଠଙ୍କ ନିମନ୍ତେ ବରିଷ୍ଠ ‘ଏଲଡ଼ର୍ସ ଫର ଏଲଡ଼ର୍ସ ଫାଉଣ୍ଡେସନ’ ଭଳି ସଂଗଠନଗୁଡ଼ିକ ପକ୍ଷରୁ ଏତାଦୃଶ କୁସଂସ୍କାର ବିରୋଧରେ ଜନଚ଼େତନା ଜାଗ୍ରତ ଲାଗି କାର୍ଯ୍ୟକ୍ରମମାନ ଗ୍ରହଣ କରାଗଲା । ଅଭିଯୋଗ ହୁଏ ଯେ ସ୍ଥଳ ବିଶେଷରେ ପରିବାରର ବରିଷ୍ଠଙ୍କ ସମ୍ପତ୍ତି ମାଲିକାନା ବଂଶସୂତ୍ରରେ ଅକ୍ତିଆର କରିବା ଉଦ୍ଦେଶ୍ୟରେ ଖଳ ପ୍ରକୃତିର ବ୍ୟକ୍ତି ସାମାନ୍ୟ ଥଣ୍ଡାକାଶ ଆକ୍ରାନ୍ତଙ୍କୁ ମଧ୍ୟ ‘ଥାଲକୂଥଲ’ ନିମନ୍ତେ ମନ୍ତ୍ରଣା କରିଥାନ୍ତି ।

 

ସାମାଜିକଧାରାରେ ପାରିବାରିକସ୍ତରରେ ମହିଳାମାନେ ନିର୍ଯ୍ୟାତିତ ହେଉଥିବା ସ୍ଥଳେ ‘ଥାଲକୂଥଲ’ ନିମନ୍ତେ ବାର୍ଦ୍ଧକ୍ୟଗ୍ରସ୍ତ ମହିଳାଙ୍କ ବଦଳରେ ସଂଖ୍ୟାଧିକ ପୁରୁଷ ଶୀକାର ହୋଇଥାନ୍ତି । ସମ୍ପତ୍ତି ଓ ସଞ୍ଚିତ ଅର୍ଥ ପୁରୁଷଙ୍କ ହେପାଜାତରେ ରହୁଥିବା ହେତୁ ଅଧିକାର ହସ୍ତାନ୍ତର ନିମନ୍ତେ ଚରମ ପଦକ୍ଷେପ ଗ୍ରହଣ କରାଯାଏ କେତେକ ଉଦାହରଣରେ ଏହାର ପୂର୍ବାଭାଷ ପାଇ ସ୍ୱଗୃହ ଓ ପରିବାର ପରିତ୍ୟାଗ କରି ବରିଷ୍ଠମାନେ ଆତ୍ମଗୋପନ କରିବା ବା ବନ୍ଧୁବାନ୍ଧବଙ୍କ ଗୃହରେ ଶରଣାପନ୍ନ ହେବା ଜଣାଯାଏ । ବୃଦ୍ଧାବସ୍ଥାରେ ମହିଳାମାନେ ଗୃହକାର୍ଯ୍ୟରେ ସାହାଯ୍ୟ ଓ ଶିଶୁମାନଙ୍କ ଯତ୍ନ ନେଇପାରୁଥିବା ସ୍ଥଳେ ଏଭଳି କାମରେ ପୁରୁଷମାନଙ୍କ ଯୋଗଦାନ ନଥିବା, ବରଂ ନିତ୍ୟକର୍ମ ପାଇଁ ଅନ୍ୟର ସହାୟତା ଆବଶ୍ୟକ କରୁଥିବା ହେତୁ ମୁଖ୍ୟତଃ ଗୃହକର୍ତ୍ତୀ, ବୋହୂମାନଙ୍କ ରୋଷର ଶୀକାର ହୋଇଥାନ୍ତି ।

 

ମାନବ ଅଧିକାର କର୍ମୀମାନେ ଉପଦ୍ରୁତ ଅଞ୍ଚଳରେ ବସବାସ କରୁଥିବା ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ରକ୍ଷା ପ୍ରତି ଧ୍ୟାନ ଦେବା ନିମନ୍ତେ ସୁବିଧା ସୁଯୋଗ ସୃଷ୍ଟି ଓ ଜନସାଧାରଣଙ୍କୁ ସଚ଼େତନ କରିବା ଦିଗରେ ଉଦ୍ୟମ କରିଥାନ୍ତି । ଦୁର୍ବଳ ଅର୍ଥନୀତିକ ବ୍ୟବସ୍ଥାରେ ବାର୍ଦ୍ଧକ୍ୟଗ୍ରସ୍ତଙ୍କୁ ସମୁଚ଼ିତ ଚ଼ିକିତ୍ସା ସୁଯୋଗ ମିଳେ ନାହିଁ । ଉଦାହରଣରେ ଦୀର୍ଘ ଦିନ ଶଯ୍ୟାଶାୟୀ ଅବସ୍ଥାରେ ପଡ଼ି ରହିବା ଫଳରେ ଶରୀରରେ ଘା’ ମାଡ଼ି ଚାଲେ ଏବଂ ତୁରନ୍ତ ଉପଚାର  ନକରିବା ହେତୁ ଅଣାୟତ୍ତ ଅବସ୍ଥାକୁ ଚାଲିଯାଏ । ଶାରୀରିକ ଦୁସ୍ଥିତି ଓ ପାରିବାରିକ ସାମର୍ଥ୍ୟ ଅଭାବ ଚ଼ରମ ପଦକ୍ଷେପ ଗ୍ରହଣ ନିମନ୍ତେ ପ୍ରବର୍ତ୍ତାଇଥାଏ । ଶିକ୍ଷାଦୀକ୍ଷାର ଅଭାବ ହେତୁ ଏଭଳି ଅପରାଧିକ କାର୍ଯ୍ୟକଳାପର କେହି ପ୍ରତିରୋଧ କରନ୍ତି ନାହିଁ ।

 

ସମାଜର ଅବହେଳିତ ବର୍ଗରେ ‘ଥାଲକୂଥଲ’ର ପ୍ରାଦୁର୍ଭାବ ଅନୁଭୂତ ହେଉଥିବା ସ୍ଥଳେ ସରକାରଙ୍କ ଦ୍ୱାରା ପ୍ରବର୍ତ୍ତିତ ବିଭିନ୍ନ ପେନସନ ଯୋଜନା ଏକ ଶକ୍ତିଶାଳୀ ସୁରକ୍ଷା ପରିଧି ସୃଷ୍ଟିରେ ସହାୟକ ହୋଇଥିବା ପ୍ରମାଣ ମିଳେ । ବରିଷ୍ଠ ନାଗରିକମାନେ ଜୀବିତ ଥିଲେହିଁ ପେନସନ ଓ ଅନ୍ୟାନ୍ୟ ସମାଜ କଲ୍ୟାଣ ସହାୟତା ପାଇବା ସମ୍ଭବ ଥିବା ହେତୁ ପାରିବାରିକସ୍ତରରେ ବରିଷ୍ଠଙ୍କ ସ୍ୱାସ୍ଥ୍ୟାବସ୍ଥା ପ୍ରତି ଯତ୍ନବାନ ହେବା ଓ ଜୀବନଯାତ୍ରାରେ ସହାୟତା ପ୍ରଦାନ ବୃଦ୍ଧି ପାଇଥିବା ପରିଲକ୍ଷିତ । ଏତଦ୍ ବ୍ୟତୀତ ଶିକ୍ଷାର ପ୍ରସାର, ଅର୍ଥନୀତିକ ଅଭିବୃଦ୍ଧି ଓ ସାମାଜିକ କୁସଂସ୍କାର ବିରୋଧରେ ଅଭିଯାନ ସକାରାତ୍ମକ ପ୍ରଭାବ ବିସ୍ତାର କରୁଛି ।

 

‘ଥାଲକୂଥଲ’ ରାଜ୍ୟ ଓ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚିତ ହେବାପରେ ସଂପୃକ୍ତ ପ୍ରଥା ଆଧାରରେ ଚାରିଗୋଟି ତାମିଲ ଚଳଚ଼ିତ୍ର ନିର୍ମିତ ହୋଇଛି । ପ୍ରଥମ ଚ଼ଳଚ଼ିତ୍ରଟି ୨୦୧୬, ଦୁଇଗୋଟି ଚଳଚ଼ିତ୍ର ୨୦୧୯ ଓ ଅନ୍ୟ ଏକ ଚଳଚ଼ିତ୍ର ୨୦୨୩ ଫେବୃୟାରୀ ମାସରେ ମୁକ୍ତି ଲାଭ କରିଥିଲା । ଶେଷୋକ୍ତ ‘ଥାଲକୂଥଲ’ ଚଳଚ଼ିତ୍ରରେ ନାୟକ ଛୋଟକାଟର ବିଲଡିଂ କଣ୍ଟ୍ରାକ୍ଟର । ସ୍ଥାନୀୟ ଦିଆସିଲି କାରଖାନାରେ ଶ୍ରମିକଭାବେ କାର୍ଯ୍ୟ କରୁଥିବା ପତ୍ନୀ, ସରକାରୀ ବିଦ୍ୟାଳୟ ଛାତ୍ରୀ ଝିଅ ଓ ବାପାଙ୍କୁ ନେଇ ତା’ସଂସାର ।

 

ହଠାତ ନାୟକର ବାପା ଅବଚ଼େତନ ଅବସ୍ଥା ‘କୋମାକୁ’ ଚାଲିଯାଆନ୍ତି । ବାପାଙ୍କ ଦେଖାଶୁଣା କରିବା ଲାଗି ନାୟକ କଣ୍ଟ୍ରାକ୍ଟରି ବୃତ୍ତି ଛାଡ଼ି ବ୍ୟାଙ୍କ ଏଟିଏମରେ ରାତି ଜଗୁଆଳ କାମ କରେ । ଦିନବେଳା ବାପାଙ୍କ ଦେଖାଶୁଣା ଓ ରାତିରେ ଡ୍ୟୁଟି । ବାପାଙ୍କ ଚ଼ିକିତ୍ସା ବାବଦରେ ଖର୍ଚ୍ଚ ତୁଲାଇ ନପାରି ଋଣଗ୍ରସ୍ତ ହୋଇପଡ଼େ । ଏହି ପ୍ରତିକୂଳ ପରିବେଶରେ ବାପାଙ୍କୁ ‘ଥାଲକୂଥଲ’ ଦୟାହତ୍ୟାଲାଗି ଘରର ବନ୍ଧୁବାନ୍ଧବ ପରାମର୍ଶ ଦିଅନ୍ତି । ବରିଷ୍ଠମାନଙ୍କ ଯତ୍ନକୁ ନେଇ ଜନମାନସରେ ପ୍ରତିକୂଳ ମନୋଭାବର ସଂଘର୍ଷପୂର୍ଣ୍ଣ କାହାଣୀ ଚଳଚ଼ିତ୍ରରେ ରୂପାୟିତ ହୋଇଛି । ‘ଥାଲକୂଥଲ’ ଓଟିଟି ମଞ୍ଚ ‘ନେଟଫ୍ଲିକ୍ସ’ରେ ଉପଲବ୍ଧ ।

 

କୁହାଯାଏ ଯେ ତାମିଲନାଡୁର ଏହି ପ୍ରଥା ଜାପାନ, ଇସ୍ରାଏଲ, ସେର୍ବିୟା ଓ ସ୍କାଣ୍ଡେନେଭିଆ ପ୍ରଭୃତି ଅଞ୍ଚଳରେ ମଧ୍ୟ ଭିନ୍ନ ରୂପରେ ପ୍ରଚଳିତ । ବୟସ୍କଙ୍କ ଶେଷ ଜୀବନରେ ଯତ୍ନ ନିମନ୍ତେ ଭିତ୍ତିଭୂମି ଅଭାବରେ ଏହି ଭଳି ଭୟଙ୍କର ସମାଧାନ ପନ୍ଥା ଅସ୍ୱାଭାବିକ ମନେ ହୁଏ ନାହିଁ । ବର୍ଦ୍ଧିତ ବୃଦ୍ଧଜନସଂଖ୍ୟା, ଜୀବଦ୍ଦଶା ଓ ଏକକ ପରିବାର ଆଙ୍ଗିକ ଜନଜୀବନରେ ବାର୍ଦ୍ଧକ୍ୟ-ଯତ୍ନ ଏକ ଅସମାହିତ ସମସ୍ୟା । 


 

ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧୫ ଡ଼ିସେମ୍ୱର ୨୦୨

 

---

 

 

ୟୁଟ୍ୟୁବରେ ‘ଥାଲକୂଥଲ’ ଚଳଚ଼ିତ୍ରର ଟ୍ରେଲର (୨.୧୮ ମି.)

 

https://youtu.be/YOmh7UXXxBE?si=_5My2gjii9KSUaZL

 

ତଥ୍ୟ:

Magnier, Mark. In southern India, relatives sometimes quietly kill their elders. Los Angeles Times. June 15, 2013

 

Sandhya, G. Issac & Thomas Gregor Thalaikoothal – A less known practice of senicide in Rural….. Journal of Psychiatry spectrum

 

https://journals.lww.com/jops/fulltext/2023/07000/_thalaikoothal____a_less_known_practice_of.14.aspx

ନିକାଞ୍ଚନ ମୃତ୍ୟୁ

ଆନ୍ତର୍ଜାତିକସ୍ତରରେ ଜାପାନ ଅନ୍ୟତମ ବୃଦ୍ଧ-ଜନସଂଖ୍ୟା ବହୁଳ ରାଷ୍ଟ୍ରରୂପେ ଚ଼ିହ୍ନଟ ହୋଇଥାଏ l ୨୦୧୪ ଜନଗଣନା ଅନୁଯାୟୀ ସେଠାକାର ୩୩ ପ୍ରତିଶତ ନାଗରିକଙ୍କ ବୟସ ୬୦ ବର୍ଷରୁ ଉର୍ଦ୍ଧ୍ୱ, ୨୫.୯ ପ୍ରତିଶତ ୬୫ ବର୍ଷରୁ ଉର୍ଦ୍ଧ୍ୱ ଏବଂ ୧୨.୫ ପ୍ରତିଶତ ୭୫ ବର୍ଷରୁ ଉର୍ଦ୍ଧ୍ୱ l ବୃଦ୍ଧଜନ ସଂଖ୍ୟା କ୍ରମାଗତଭାବେ ବୃଦ୍ଧିପାଇ ୨୦୫୦ ବେଳକୁ ଦେଶର ଏକ ତୃତୀୟାଂଶ ନାଗରିକ ବାର୍ଦ୍ଧକ୍ୟରେ ଉପନୀତ ହେବେ ବୋଲି ପୂର୍ବାନୁମାନ କରାଯାଉଛି l

 

ଜାପାନରେ ବାର୍ଦ୍ଧକ୍ୟ ଜୀବନଚ଼ର୍ଯ୍ୟା ସଂପର୍କରେ ଦେଶ ବିଦେଶରେ ପତ୍ରପତ୍ରିକା ତଥା ଗଣମାଧ୍ୟମରେ ସମୟାନ୍ତେ ଦୃଷ୍ଟିଆକର୍ଷକ ତଥ୍ୟମାନ ଚର୍ଚ୍ଚିତ ହୋଇଥାଏ l ଯୁକ୍ତରାଷ୍ଟ୍ର ଆମେରିକାର ‘ଦି ନ୍ୟୂୟର୍କ ଟାଇମସ୍’ ୩୦ ନଭେମ୍ୱର ୨୦୧୭ ମୁଦ୍ରିତ ସଂସ୍କରଣରେ ‘ଏ ଜେନେରେସନ ଇନ ଜାପାନ ଫେସେସ ଏ ଲୋନଲିଡ଼େଥ’ ଶୀର୍ଷକ ରଚ଼ନାରେ ସେଠାରେ ଏକାକୀ ଉତ୍ତର-ବାର୍ଦ୍ଧକ୍ୟ ବିତାଉଥିବା ବରିଷ୍ଠ ନାଗରିକମାନଙ୍କ ନିକାଞ୍ଚନ ମୃତ୍ୟୁ ସଂପର୍କରେ ଚ଼ାଞ୍ଚଲ୍ୟକର ବିବରଣୀ ଉଲ୍ଲେଖ କରାଯାଇଥିଲା l ୨୦୧୭ ଗ୍ରୀଷ୍ମଋତୁରେ ଜାପାନରୁ ପ୍ରକାଶିତ ଏକ ସାପ୍ତାହିକ ପତ୍ରିକାର ପ୍ରଚ୍ଛଦ ପ୍ରସଙ୍ଗକୁ ଉଦ୍ଧାର କରାଯାଇ କୁହାଯାଇଥିଲା ଯେ ସେଠାରେ ସପ୍ତାହକ ମଧ୍ୟରେ ଚ଼ାରି ହଜାର ବୃଦ୍ଧବୃଦ୍ଧାଙ୍କ ମୃତ୍ୟୁବେଳେ ସେମାନଙ୍କ ନିକଟରେ ଅନ୍ୟକେହି ଉପସ୍ଥିତ ନଥିଲେ l ଏଭଳି ମୃତ୍ୟୁପରେ ଦୀର୍ଘ ସମୟ ଉତ୍ତାରେ ଅନ୍ୟମାନେ ଜାଣନ୍ତି ଏବଂ କେତେକ କ୍ଷେତ୍ରରେ ଶବ ଦିନ ଦିନ ଧରି ସେମାନଙ୍କ ବନ୍ଦ ଆବାସରେ ପଡ଼ି ରହେ l

 

ଜାପାନୀ ସାମ୍ୱାଦିକ ନୋରିମିତସୁ ଓନିଶି ନିଜର ପ୍ରକାଶିତ ବିବରଣୀରେ ଟୋକିଓଠାରୁ ଏକ ଘଣ୍ଟା ଦୂର ଟୋକିୱାଡ଼ାରାରେ ଅବସ୍ଥିତ ଏକ ଆପାର୍ଟମେଣ୍ଟ କଲୋନୀରେ ଉତ୍ତର-ବାର୍ଦ୍ଧକ୍ୟ ଅତିବାହିତ କରୁଥିବା କେତେଜଣ ଅନ୍ତେବାସୀଙ୍କ ଅନ୍ତରଙ୍ଗ ଜୀବନୀ ବର୍ଣ୍ଣନା କରିଛନ୍ତି l

 

ଦ୍ୱିତୀୟ ବିଶ୍ୱଯୁଦ୍ଧୋତ୍ତର ଅବସ୍ଥାରେ ଜାତୀୟ ଅର୍ଥନୀତିକ ଅଭିବୃଦ୍ଧି ଲକ୍ଷ୍ୟରେ ଜାପାନର ପାରମ୍ପରିକ ପାରିବାରିକ ଜୀବନଯାତ୍ରାରେ ବ୍ୟାପକ ପରିବର୍ତ୍ତନ ସୂତ୍ରପାତ ହୋଇଥିଲା l ଦ୍ରୁତ ଶିଳ୍ପାୟନ ଅବସରରେ ଗ୍ରାମାଞ୍ଚଳରୁ ଶ୍ରମିକମାନେ ସହରାଞ୍ଚଳରେ ପହଞ୍ଚିଲେ l ସେମାନଙ୍କ ନିମନ୍ତେ ଗଭୀର ସହରତଳି ଅଞ୍ଚଳରେ ଗତ ଶତାଦ୍ଦୀର ଷଷ୍ଠ ଦଶକରେ ବଡ଼ ବଡ଼ ବସତିମାନ ସ୍ଥାପିତ ହୋଇଥିଲା l ଟୋକିୱଡ଼ାରାରେ ଅବସ୍ଥିତ ଆପାର୍ଟମେଣ୍ଟ କଲୋନୀରେ ପ୍ରାୟ ୧୭୧ ଗୋଟି ଆପାର୍ଟମେଣ୍ଟ ଦେଢ଼ କିଲୋମିଟର ଅଞ୍ଚଳରେ ଗଢ଼ି ଉଠିଥିଲା l ବସତିର ଅବସ୍ଥିତି ଏତେ ଅଧିକା ଯେ ମେଟ୍ରୋ ଟ୍ରେନର ଦୁଇଗୋଟି ଷ୍ଟେସନ ରହିଛି l ଏଗୁଡ଼ିକୁ ଡ଼ାନଚି କୁହାଯାଏ l ଟୋକିୱଡ଼ାରା ଡ଼ାନଚିରେ ୪ ହଜାର ୮ ଶହ ଆପାର୍ଟମେଣ୍ଟ ସନ୍ନିବେଶିତ l

 

ଟୋକିୱଡ଼ାରା ଗଢ଼ି ଉଠିଥିବାବେଳେ ସେଥିରେ ଆପାର୍ଟମେଣ୍ଟ ଖଣ୍ଡେ ପାଇବା କାଠିକର ପାଠ ସାବ୍ୟସ୍ତ ହୋଇଥିଲା l ଏଠାକାର ଦୁଇ, ତିନି ରୁମ କିଚ଼େନ ବିଶିଷ୍ଟ ଆପାର୍ଟମେଣ୍ଟରେ ଆର୍ଥିକଦିଗରୁ ସ୍ୱଚ୍ଛଳ ମଧ୍ୟବିତ୍ତ ବର୍ଗର ପରିବାରମାନେ ସ୍ଥାନିତ ହୋଇଥିଲେ l ମୂଳବାସିନ୍ଦାମାନେ ୬୦ ବର୍ଷରୁ ଉର୍ଦ୍ଧ୍ୱ ସମୟଧରି ଏହି ଡ଼ାନଚିରେ ବସବାସ କରୁଛନ୍ତି l ତେବେ ସେମାନଙ୍କ ମଧ୍ୟରୁ ଅର୍ଦ୍ଧେକ ୬୫ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ l

 

ଦ୍ୱିତୀୟ ବିଶ୍ୱଯୁଦ୍ଧୋତ୍ତର ଜାପାନୀ ଅର୍ଥନୀତି ପାଶ୍ଚାତ୍ୟ ମାର୍କିନ ଅର୍ଥନୀତି ଦ୍ୱାରା ପ୍ରଭାବିତ ହୋଇଥିଲା l ଜାତୀୟ ଅଭିବୃଦ୍ଧି ଓ ବ୍ୟକ୍ତିଗତସ୍ତରରେ ଅର୍ଥ ଉପର୍ଜନଲାଗି ଏକାଗ୍ର ଜାପାନୀମାନେ ପାରମ୍ପରିକ ସଭ୍ୟତାରୁ ଦୂରେଇ ଯାଇଥିଲେ l ଡ଼ାନଚିରେ ଜୀବନଯାତ୍ରା ଆତ୍ୟାଧୁନିକ ସାବ୍ୟସ୍ତ ହୋଇଥିଲା l ତେବେ ବିଂଶ ଶତାଦ୍ଦୀର ଶେଷ ଅବସ୍ଥାରେ ଜାପାନର ଅର୍ଥନୀତି ଭୁଷୁଡ଼ି ପଡ଼ିବା ଅବସରରେ ଜନସାଧାରଣଙ୍କ ଅର୍ଥନୀତିକ ଜୀବନ ପ୍ରଭାବିତ ହୋଇ ବାର୍ଦ୍ଧକ୍ୟ ଜୀବନଚ଼ର୍ଯ୍ୟା ସମସ୍ୟା ବହୁଳ ହୋଇ ପଡ଼ିଛି lଅନେକଙ୍କ ପାଇଁ ପାରିବାରିକ ସହଯୋଗ ନାହିଁ l

 

ଟୋକିୱାଡ଼ାରାରେ ବହୁ ଅନ୍ତେବାସୀ ଦୀର୍ଘକାଳ ଧରି ବସବାସ କରୁଥିଲେ ହେଁ ଜଣକ ସହ ଅନ୍ୟଜଣକର ପରିଚ଼ିତି ନଥାଏ l ଆପାର୍ଟମେଣ୍ଟରେ ଆବାସିକ ସଂଘ ସଂଗଠିତ ହୋଇଥିଲେ ମଧ୍ୟ ଏହାର କାର୍ଯ୍ୟଧାରା ଔପଚ଼ାରିକତାରେ ସୀମାବଦ୍ଧ l ବ୍ୟକ୍ତିଗତ ଓ ପାରିବାରିକସ୍ତରରେ ସୌହାର୍ଦ୍ଦ୍ୟ ପ୍ରତିଷ୍ଠିତ ହୋଇଥିଲେ ହେଁ ଆନ୍ତରିକତାର ସ୍ଥାନ ନାହିଁ l ଉତ୍ତର-ବାର୍ଦ୍ଧକ୍ୟରେ ଉପନୀତ ଅନ୍ତେବାସୀ ପ୍ରାୟତଃ ଏକାକୀ ଜୀବନଯାପନ କରିଥାନ୍ତି l ଅନେକଙ୍କ ପରିବାରର ନିକଟ ସଂପର୍କୀୟ ଅନ୍ୟତ୍ର ବସବାସ କରୁଥିବା କିମ୍ୱା ମରିହଜି ଯାଇଥିବା କାରଣରୁ ଅନ୍ୟ କାହା ସହ ସାମାନ୍ୟ କଥାବାର୍ତ୍ତା ହେବାର ସୁଯୋଗ ମଧ୍ୟ ନଥାଏ l

 

ଟୋକିୱାଡ଼ାରା ଡ଼ାନଚିରେ ପ୍ରତିବର୍ଷ ଅନ୍ୟୂନ ଦଶରୁ ପନ୍ଦରଜଣ ବରିଷ୍ଠ ନାଗରିକ ନିଜ ନିଜ ଆବାସରେ ନିକାଞ୍ଚନରେ ମୃତ୍ୟୁବରଣ କରୁଥିବା ଇତିହାସ ରହିଛି l ଦେଶବ୍ୟାପୀ ବିଚ୍ଛୁରିତ ଏଭଳି ଆପାର୍ଟମେଣ୍ଟଗୁଡ଼ିକରେ ପାରିବାରିକ କାରଣରୁ ଏକାକୀ ବସବାସ କରୁଥିବା ଅଧିକାଂଶ ବୟସ୍କଙ୍କ ପାଖପଡ଼ୋଶୀଙ୍କ ସହ ପ୍ରାୟ ସଂପର୍କ ନଥାଏ l ତେଣୁ ସେମାନଙ୍କ ମୃତ୍ୟୁ ସଂପର୍କରେ ହଠାତ୍ ଜଣାପଡ଼େ ନାହିଁ l ଅନେକ କ୍ଷେତ୍ରରେ ଶବ ପଚ଼ି ଦୁର୍ଗନ୍ଧ ହେବା ପରେ ହିଁ ସତ୍କାରର ସୁଯୋଗ ସୃଷ୍ଟି ହୁଏ l

 

ଟୋକିୱାଡ଼ାରା ଡ଼ାନଚିରେ ୬୯ ବର୍ଷ ବୟସ୍କ ଜଣେ ବରିଷ୍ଠ ନାଗରିକଙ୍କ ମୃତ୍ୟୁର ତିନି ବର୍ଷ ପରେ ତାଙ୍କର କଙ୍କାଳ ବନ୍ଦ ଆପାର୍ଟମେଣ୍ଟରୁ ଉଦ୍ଧାର ହୋଇଥିଲା l ଜାପାନର ଜାତୀୟ ଗଣମାଧ୍ୟମରେ ଏହି ଖବର ବେଶ ହଇଚ଼ଇ ସୃଷ୍ଟି କରିଥିଲା l ସଂପୃକ୍ତ ବ୍ୟକ୍ତିଙ୍କ ଅନୁପସ୍ଥିତିକୁ କେହି ବାରିପାରି ନଥିଲେ l ଆପାର୍ଟମେଣ୍ଟ ରକ୍ଷଣାବେକ୍ଷଣ, ବିଦ୍ୟୁତ, ପାଣି ଇତ୍ୟାଦିର ବିଲ ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ତାଙ୍କରି ବ୍ୟାଙ୍କ ଆକାଉଣ୍ଟରୁ ଭରଣା ହୋଇ ଚାଲିଥିଲା l ତେବେ ଆକାଉଣ୍ଟରେ ବ୍ୟାଲାନ୍ସ ସରିଆସିବା ପରେ ଆପାର୍ଟମେଣ୍ଟର କର୍ମକର୍ତ୍ତା ତାଙ୍କୁ ଖୋଜିଥିଲେ l ୨୦୦୦ରେ ତିନିବର୍ଷ ତଳୁ ମୃତ ତାଙ୍କରି କଙ୍କାଳ ରନ୍ଧାଘର ଚ଼ଟାଣରେ ଉଦ୍ଧାର କରି ସତ୍କାର ବ୍ୟବସ୍ଥା କରାଯାଇଥିଲା l

 

ଗ୍ରୀଷ୍ମଋତୁରେ ଏଭଳି ଅପମୃତ୍ୟୁର ଖବର ବ୍ୟାପିଥାଏ l ସେହି ଆପାର୍ଟମେଣ୍ଟର ଜଣେ ଅନ୍ତେବାସୀ ମହିଳା ତଳ ମହଲାରୁ ଶୁଖୁଆ ଦୁର୍ଗନ୍ଧ ବାରି କର୍ତ୍ତୃପକ୍ଷଙ୍କୁ ଖବର ଦେଲେ l ଖୋଜାଖୋଜି ପରେ ୬୭ ବର୍ଷ ବୟସ୍କ ଜଣେ ବ୍ୟକ୍ତିଙ୍କ ଶବ ବନ୍ଦ ଆପାର୍ଟମେଣ୍ଟରୁ ଉଦ୍ଧାର କରାଯାଇଥିଲା l ତାଙ୍କରି ନାମ ପାଖପୋଡ଼ୋଶୀ କେହି ଜାଣି ନଥିଲେ କିମ୍ୱା କେହି କେବେ ତାଙ୍କରି ସହ କଥାବାର୍ତ୍ତା ବି ହୋଇ ନଥିଲେ ବୋଲି କୁହାକୁହି ହେଲେ l

 

ଏଭଳି ଉଦାହରଣ ଡ଼ାନଚିରେ ଏକାକୀ ବସବାସ କରୁଥିବା ବରିଷ୍ଠ ନାଗରିକମାନଙ୍କୁ ଭୟଭୀତ କରିବା ସ୍ୱାଭାବିକ l ଏକାନବେ ବର୍ଷୀୟ ଜଣେ ମହିଳା ଅନ୍ତେବାସୀଙ୍କ ସ୍ୱାମୀ ଓ କନ୍ୟା ତିନିମାସ ଅନ୍ତରରେ କ୍ୟାନସରରେ ମୃତ୍ୟୁ ବରଣ କରିବା ପରେ ବିଗତ ୨୫ ବର୍ଷ ଧରି ଏକାକୀ ଟୋକିୱାଡ଼ାରାରେ ବସବାସ କରିଆସୁଛନ୍ତି l ଅଜଣା ମୃତ୍ୟୁରୁ ବର୍ତ୍ତିବା ପାଇଁ ସେ ଦୀର୍ଘ ଦିନରୁ ପ୍ରତିଦିନ ରାତିରେ ଶୋଇବା ଆଗରୁ ନିଜ ଆପାର୍ଟମେଣ୍ଟ କାଚ଼ ଝରକାରେ କାଗଜ ପର୍ଦ୍ଦାଟିଏ ଢାଙ୍କି ଦିଅନ୍ତି ଏବଂ ପରଦିନ ସକାଳୁ ପୁଣି ପର୍ଦ୍ଦାଟିକୁ ହଟାଇ ଦିଅନ୍ତି l ଆପାର୍ଟମେଣ୍ଟର ଅପରପକ୍ଷ ତଳ ମହଲାରେ ବସବାସ କରୁଥିବା ଅନ୍ୟଜଣେ ମହିଳା ଅନ୍ତେବାସୀଙ୍କୁ ଦିନକୁ ଅନ୍ତତଃ ଥରେ ତାଙ୍କରି କାଚ଼ ଝରକା ଆଡ଼କୁ ନଜର ପକାଇବାଲାଗି ଅନୁରୋଧ କରିଛନ୍ତି l ଦିନବେଳା କାଚ଼ ଝରକାରୁ କାଗଜ ପର୍ଦ୍ଦା ହଟୁ ନାହିଁ ଅର୍ଥ କିଛି ଅଘଟଣ ହେଲା ବୋଲି ତଳ ମହଲାର ଅନ୍ତେବାସୀ ମହିଳା ଜାଣିପାରିବେ ବୋଲି ତାଙ୍କରି ବିଶ୍ୱାସ l ଏଥିପାଇଁ ସଂପୃକ୍ତ ମହିଳାଙ୍କ ସହ ବରାବର ସେ ସଂପର୍କ ରଖିଥାନ୍ତି l ଖରାଦିନେ ଫଳ ଝୁଡ଼ି ଉପହାର ପଠାଇଥାନ୍ତି l

 

ସେହି ଆପାର୍ଟମେଣ୍ଟରେ ୮୩ ବର୍ଷ ବୟସ୍କ ଅନ୍ୟଜଣେ ଠିକାଦାର ମଧ୍ୟ ବସବାସ କରନ୍ତି l ଅତୀତରେ ତାଙ୍କରି ବଡ଼ ବ୍ୟବସାୟ ଥିଲା l କିନ୍ତୁ ଜାପାନ ଅର୍ଥନୀତିରେ ମାନ୍ଦାବସ୍ଥା ଆସିବା ଅବସରରେ ସେ ବ୍ୟବସାୟ ହରାଇଲେ l ବିଭିନ୍ନ କାରଣରୁ ତାଙ୍କରି ପରିବାର ଭାଙ୍ଗିରୁଜିଗଲା l ଏପରିକି ତାଙ୍କରି ଆର୍ଥିକ ଦୁରାବସ୍ଥାକୁ ଆକ୍ଷେପ କରି ଦ୍ୱିତୀୟ ପତ୍ନୀ ଛାଡ଼ି ପଳାଇଗଲେ l ସେ ଠିକ ଜାଣନ୍ତି ଯେ ସେ ମରିଗଲେ କେହି ଜ୍ଞାତିକୁଟୁମ୍ୱ ତାଙ୍କରି ଅନ୍ତେଷ୍ଟିକ୍ରିୟା ପାଇଁ ଆସିବେ ନାହିଁ l ତେଣୁ ମର ଶରୀରକୁ ଚ଼ିକିତ୍ସା ବିଜ୍ଞାନର ଗବେଷଣା ଲାଗି ଦାନ କରିବା ଘୋଷଣାପତ୍ରରେ ସ୍ୱାକ୍ଷର କରିସାରିଛନ୍ତି lକିନ୍ତୁ ତାଙ୍କରି ଚ଼ିନ୍ତାର ବିଷୟ ଏହି ଯେ ଠିକଣା ସମୟରେ ଯଦି ହସପିଟାଲ କର୍ତ୍ତୃପକ୍ଷଙ୍କୁ ମୃତ୍ୟୁଖବର ନମିଳେ ତେବେ ସେମାନେ ପଚ଼ାସଢ଼ା ଶବ ନେବେ ନାହିଁ !

 

ଜାପାନୀ ସାପ୍ତାହିକ ପତ୍ରିକାର ପ୍ରଚ୍ଛଦ ପ୍ରସଙ୍ଗରେ ଚର୍ଚ୍ଚିତ ସପ୍ତାହରେ ଦେଶରେ ଚ଼ାରି ହଜାର ନିକାଞ୍ଚନ ମୃତ୍ୟୁ ସମ୍ୱାଦ ଅତିରଞ୍ଜିତ ମନେ ହୋଇପାରେ l ତେବେ ବନ୍ଦ ଆବାସରୁ ଶବ ଉଦ୍ଧାର କରିବା ନିମନ୍ତେ ସେଠାରେ ଯେ ପ୍ରଫେସନାଲ ବାହାରିଲେଣି ଏବଂ ଏହା ଏକ ରୀତିମତ ବ୍ୟବସାୟରେ ପରିଣତ ହେଲାଣି ଏକଥା ସତ l

 

ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଜାନୁୟାରୀ ୨୦୧୮

 

---

ମୃତକଙ୍କ ସହ ଆଳାପ

ମୃତ ବ୍ୟକ୍ତିଙ୍କ ସହ ଆଳାପ-ଆଲୋଚ଼ନା ବସ୍ତୁତଃ ସଂଭବ ନଥିବା ସ୍ଥଳେ ଭିଡ଼ିଓ ଦୃଶ୍ୟାଙ୍କନ ‘ରେକର୍ଡ଼ିଂ’ ଓ କୃତ୍ରିମ ବୁଦ୍ଧିମତ୍ତା ‘ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ’ ଉପଯୋଗରେ ମୃତ୍ୟୁ-ପର ଅବସ୍ଥାରେ ମୃତ ବ୍ୟକ୍ତଙ୍କ ସହ କଥାବାର୍ତ୍ତା ଅନୁଭବ ଉପଲବ୍ଧ କରାଇବା ବୈଜ୍ଞାନିକ ସଫଳତାର ଅନ୍ୟ ଏକ ସୋପାନ । ପ୍ରକ୍ରିୟାଟିକୁ ବୁଝାଇ କହିଲେ, କୌଣସି ବ୍ୟକ୍ତିବିଶେଷଙ୍କ ମୃତ୍ୟୁ ପୂର୍ବରୁ ସାଧାରଣ କଥୋପକଥନରେ ବ୍ୟବହୃତ କେତେକ ପ୍ରଶ୍ନର ଉତ୍ତର ସାକ୍ଷାତକାର ଆକାରରେ ଭିଡ଼ିଓ ରେକଡିଂ କରି ଗଚ୍ଛିତ ରଖାଯାଇଥାଏ । ପ୍ରଶ୍ନଗୁଡ଼ିକର ଉତ୍ସ ‘ଡ଼ାଟା ପଏଣ୍ଟ’ ଆଧାରରେ ସାଙ୍କେତିକ ତାଲିକା ‘ଆଲଗୋରିଧିମ’ ପ୍ରସ୍ତୁତ କରାଯାଇ ପରବର୍ତ୍ତୀ ପର୍ଯ୍ୟାୟରେ ସମଧରଣର ଉତ୍ତର ପ୍ରଦର୍ଶନ ‘ପ୍ଳେ-ବେକ’ର ବ୍ୟବସ୍ଥା ସମ୍ଭବ । ଅର୍ଥାତ, ବ୍ୟକ୍ତିବିଶେଷଙ୍କ ଅନୁପସ୍ଥିତିରେ ହେଉ କିମ୍ୱା ମୃତ୍ୟୁପରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ପ୍ରଶ୍ନର ଉତ୍ତର ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ଉପଯୋଗରେ ଖୋଜିବାହାର କରି ଭିଡ଼ିଓ ଆକାରରେ ପ୍ରଦର୍ଶନ କରାଯାଇପାରେ ।

 

ଲିପି ପ୍ରଚଳନପରେ ମନୁଷ୍ୟକୁ ସୂଚ଼ନା, କଳ୍ପନା ସାଙ୍ଗକୁ ଅନୁଭୂତି ଭାଷା ସାହିତ୍ୟ ମାଧ୍ୟମରେ ସାଇତି ରଖିବା ସୁଯୋଗ ମିଳିଥିଲା । ଲେଖକର ଅନୁପସ୍ଥିତିରେ, ଦୂର ପ୍ରାନ୍ତରରେ କିମ୍ୱା ମୃତ୍ୟୁପରେ ଲିପିବଦ୍ଧ ରଚ଼ନା ପାଠ କରାଯାଇ ପାରିଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ମୁଦ୍ରଣ ତଥା ଚଳଚ଼ିତ୍ର, ଅଡ଼ିଓ ଓ ଭିଡ଼ିଓ ରେକଡ଼ିଂ ଏହି ପ୍ରକ୍ରିୟାକୁ ପ୍ରଶସ୍ତ ଓ ପରିବ୍ୟାପ୍ତ କରିଥିଲା । ଇତ୍ୟବସରରେ ଆତ୍ମଜୀବନୀ ରଚ଼ନା ତଥା ପ୍ରାମାଣିକ ଚଳଚ଼ିତ୍ର ନିର୍ମାଣ ମାଧ୍ୟମରେ ବ୍ୟକ୍ତିବିଶେଷଙ୍କ ଜୀବନର ଅନ୍ତରଙ୍ଗ ତଥ୍ୟାବଳୀ ତାଙ୍କରି ଅନୁପସ୍ଥିତିରେ ପଢ଼ିବା, ଶୁଣିବା ଓ ଦେଖିବା ଲୋକପ୍ରିୟ । ଡ଼ିଜିଟାଲ ବୈଷୟିକ କୌଶଳ ଓ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ଉପଯୋଗରେ ବିଭିନ୍ନ ସେବାରେ ଗୁଣାତ୍ମକ ବିକାଶ କରାଯାଉଥିବା ଅବସରରେ ବ୍ୟକ୍ତିଙ୍କ ଅନୁପସ୍ଥିତିରେ ତାଙ୍କରି ସହ କଥୋପକଥନ ଅନୁଭବ ଅନ୍ତରଙ୍ଗ ପରିବେଶ ସୃଷ୍ଟି ଏକ ଉଦାହରଣ ପାଲଟିଛି ।

 

ବିଜ୍ଞାନଲବ୍ଧ ଜ୍ଞାନ ଅନୁଯାୟୀ ମୃତ୍ୟୁ ସଜୀବଙ୍କ ଅନ୍ତକ୍ଷଣ ବିବେଚ଼ିତ ହେଉଥିବା ସ୍ଥଳେ ସଭ୍ୟତାର ପରିପ୍ରକାଶକାଳରୁ ମନୁଷ୍ୟ ନିଜର ମୃତ୍ୟୁପର ଅବସ୍ଥା ଲାଗି ଚ଼ିନ୍ତିତ ରହିଆସିଛି । ଜୀବିତ କାଳରେ ସନ୍ତାନ-ସନ୍ତତି, ସମ୍ପତ୍ତି ଓ ପ୍ରତିପତ୍ତି ଅର୍ଜନକରି ମୃତ୍ୟୁପର ସତ୍ତା ଗଠନ ଉଦ୍ଦେଶ୍ୟରେ ହେଉ, କିମ୍ୱା ମୃତ୍ୟୁପରେ ସ୍ମୃତିଚାରଣ କରି ପରଲୋକଗତଙ୍କ ଉପସ୍ଥିତିକୁ ଉଜ୍ଜୀବିତ କରିବା ଉଦ୍ୟମ ସର୍ବତ୍ର ବିଦ୍ୟମାନ । ମୃତ୍ୟୁ ପରେ ମୃତକଙ୍କ ସହ କଥୋପକଥନର ଅନୁଭୂତି ଅର୍ଜନ ଯେ ଆକାଂକ୍ଷିତ ଏଥିରେ ସନ୍ଦେହ ନାହିଁ  ।

 

ବ୍ୟକ୍ତିବିଶେଷଙ୍କ ଅନୁପସ୍ଥିତିରେ ଅବାସ୍ତବ ‘ଭର୍ଚୁଆଲ’ ପରିବେଶରେ ଆଳାପ ନିମନ୍ତେ ୨୦୨୨ ମଧ୍ୟଭାଗ ସୁଦ୍ଧା ଉପଲବ୍ଧ ବୈଷୟିକ ସେବା ମଧ୍ୟରେ ‘ଷ୍ଟୋରିଫାଇଲ’ ଗଣମାଧ୍ୟମରେ ବେଶ ଚର୍ଚ୍ଚିତ । ସ୍ମାର୍ଟଫୋନ ଆପ୍ଲିକେସନ ମାଧ୍ୟମରେ ଉପଲବ୍ଧ ଏହାର ସଫଟୱେରରେ କୌଣସି ବ୍ୟକ୍ତି ଏକାଉଣ୍ଟ ଖୋଲି ପୂର୍ବ ନିର୍ଦ୍ଧାରିତ କେତେକ ପ୍ରଶ୍ନର ଉତ୍ତର ଭିଡ଼ିଓ ରେକଡ଼ିଂ କରିଥାନ୍ତି । ବାଲ୍ୟକାଳ, ପାରିବାରିକ ଜୀବନ, ବୃତ୍ତିଗତ ଅନୁଭୂତି ଓ ଦୃଷ୍ଟିକୋଣ ଭଳି ବିଭିନ୍ନ ବିଷୟରେ ତଥ୍ୟାବଳୀ ସଂଗ୍ରହ କରି ‘ଷ୍ଟୋରିଫାଇଲ’ କମ୍ପାନୀ ପ୍ରତ୍ୟେକ ଉପଭୋକ୍ତାଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର ବ୍ୟକ୍ତିଭିତ୍ତିକ ଅଭିଲେଖ ‘ଆର୍କାଇଭ’ ସୃଷ୍ଟି କରେ । ପରବର୍ତ୍ତୀ ପର୍ଯ୍ୟାୟରେ ସଂପୃକ୍ତ ଏକାଉଣ୍ଟ ପରିଦର୍ଶନ କରି କେହି କୌଣସି ପ୍ରଶ୍ନ ପଚାରିଲେ ଗଚ୍ଛିତ ତଥ୍ୟାବଳୀ ଅନୁଶୀଳନରେ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ଉପଯୋଗରେ ଭିଡ଼ିଓ ମାଧ୍ୟମରେ ଉତ୍ତର ପ୍ରଦର୍ଶିତ ହୋଇଥାଏ ।

 

‘ହିଅର-ଆଫଟର-ଏଆଇ’ ମାଧ୍ୟମରେ ବ୍ୟକ୍ତିକେନ୍ଦ୍ରୀକ ଜୀବନକାହାଣୀ ଓ ତତ୍ ସମ୍ୱନ୍ଧିତ ଫୋଟ, ଭିଡ଼ିଓ ଇତ୍ୟାଦି ରେକର୍ଡ଼ିଂ  କରିବା ସୁବିଧା ଉପଲବ୍ଧ । ‘ମାଇ-ହେରିଟେଜ’ରେ କୌଣସି ବ୍ୟକ୍ତିର ସ୍ଥିରଚ଼ିତ୍ର ଆପଲୋଡ଼ କଲେ ତାହାର ଏକ ଛୋଟ ଭିଡ଼ିଓ ତିଆରି ହୋଇଯାଏ । ଫଳରେ କୌଣସି ମୃତ ବ୍ୟକ୍ତିଙ୍କ ସ୍ଥିର ଚ଼ିତ୍ରକୁ କ୍ଷଣିକ ଜୀବନ୍ତ କରିବା ଉଦ୍ୟମ ସଫଳ ହୁଏ । ଆମେଜନର ‘ଆଲେକ୍ସା’ରେ କୌଣସି ବ୍ୟକ୍ତିଙ୍କ ସ୍ୱର ପୂର୍ବରୁ ରେକର୍ଡ଼ ହୋଇଥିଲେ ସେହି ସ୍ୱର ଅନୁକରଣରେ ଦୀର୍ଘ ରଚନା ପଠନର ସୁଯୋଗ ସୃଷ୍ଟି କରାଯାଇପାରେ । ସେହିପରି ‘ମାଇକ୍ରୋସଫ୍ଟ’ ପକ୍ଷରୁ କୌଣସି ବ୍ୟକ୍ତିଙ୍କ ସୋସିଆଲ ମିଡ଼ିଆ ପୋଷ୍ଟକୁ ଅନୁକରଣ କରି ‘ଚାଟ-ବଟ’ ପ୍ରସ୍ତୁତି ନିମନ୍ତେ ବୈଷୟିକ କୌଶଳର ସତ୍ତ୍ୱ ‘ପେଟେଣ୍ଟ’ ହାସଲ କରାଯାଇଥିବା ଜଣାଯାଏ ।

 

ଆଲୋଚ଼ିତ ପ୍ରଯୁକ୍ତି କୌଶଳ ବ୍ୟକ୍ତିଙ୍କ ଅନୁପସ୍ଥିତିରେ ,ଏପରିକି ମୃତ ବ୍ୟକ୍ତିଙ୍କ ସହ ଆଳାପ ଅନୁଭବ ଉଦ୍ରେକ କରିବାରେ ସମର୍ଥ । ଜଣେ ସମୀକ୍ଷକ ବ୍ଳଗର ଉଲ୍ଲେଖ କରିଥିଲେ ଯେ ମହାମାରୀ କାଳରେ ବିଶ୍ୱର ବିଭିନ୍ନ ପ୍ରାନ୍ତର ଜନସାଧାରଣ ନିଜ ପରିବାର, ସହକର୍ମୀ ଓ ପରିଚ଼ିତବର୍ଗଙ୍କ ସହ ଭିଡିଓ ଯୋଗେ ଆଳାପ ଆଲୋଚ଼ନାରେ ଅଭ୍ୟସ୍ତ ହୋଇପଡ଼ିଥିଲେ । ମହାମାରୀ-ପର ଅବସ୍ଥାରେ ସେହି ଅଭ୍ୟାସ ଦୃତ ହେବାରେ ଲାଗିଛି । କିଛି କାଳପରେ ପରବର୍ତ୍ତୀ ପୀଢ଼ି ପାଇଁ ଭିଡ଼ିଓ କନଫରେନ୍ସ ଜୀବନଚ଼ର୍ଯ୍ୟାର ଏକ ଅଙ୍ଗ ରୂପେ ପରିଗଣିତ ହେବ । ଠିକ୍ ସେହିପରି ମୃତକଙ୍କ ସ୍ମୃତି ସାଉଁଟିବାରେ ‘ଷ୍ଟୋରିଫାଇଲ’ ଭଳି ବୈଷୟିକ ସାଧନ ଜନାଦୃତ ହେବା ଆଶା କରିବା ଅସମୀଚୀନ ନୁହେଁ ।

 

ଏକ କଳ୍ପନା-ପ୍ରସୂତ ଉଦାହରଣରେ ସେ ଦର୍ଶାଇଥିଲେ ଯେ ଧରିନିଆଯାଉ ଜଣେ ବିଦ୍ୱାନ, ବୈଜ୍ଞାନିକ ବା ଦାର୍ଶନିକ ଜୀବନବ୍ୟାପୀ ନିଜ ଅଧ୍ୟୟନରେ ନିମଗ୍ନ । ପାରିବାରିକ ଜଞ୍ଜାଳରୁ ମୁକ୍ତ ଏବଂ ବାହ୍ୟ ଜଗତରେ ହାନୀଲାଭର ପ୍ରତି ବିମୁଖ । ଭର୍ଚୁଆଲ ମାଧ୍ୟମ ଅବଲମ୍ୱନରେ ସେ ନିଜ ସହକର୍ମ୍ମୀ ଓ ଅନୁଗାମୀଙ୍କସହ ଯୋଗାଯୋଗରେ ଅଭ୍ୟସ୍ତ । ସେ ଜୀବନବ୍ୟାପୀ ପାଠ୍ୟ, ସ୍ୱର ଓ ଦୃଶ୍ୟ ମାଧ୍ୟମରେ ସମସ୍ତ ଯୋଗାଯୋଗର ରେକର୍ଡ ଗଚ୍ଛିତ କରି ରଖିଥାନ୍ତି । ତାଙ୍କରି ମୃତ୍ୟୁ-ପରେ ଗଚ୍ଛିତ ସମସ୍ତ ତଥ୍ୟକୁ କେନ୍ଦ୍ରକରି ଏକ ବୃହତ ‘ଡ଼ାଟାବେସ’ ପ୍ରସ୍ତୁତି ଏବଂ ତାହାର ଆଧାରରେ ‘ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ’ ଉପଯୋଗରେ ସଂପୃକ୍ତ ବିଷୟରେ ବିଭିନ୍ନ ପ୍ରଶ୍ନର ଉତ୍ତର ଖୋଜିବାହାର କରିବା ସଂଭବ । ଅର୍ଥାତ, ବିଦ୍ୱାନଙ୍କ ମୃତ୍ୟୁପରେ ତାଙ୍କରି ଜ୍ଞାନ ତାଙ୍କରି ମୁଖରୁ, ତାଙ୍କରି ଭାଷା ଓ ଦୃଷ୍ଟିଭଙ୍ଗୀରେ ଅଗଣିତ ଅନୁଗାମୀ ଯେକୌଣସି ସ୍ଥାନରେ ଯେକୌଣସି ସମୟରେ ଖୋଜି ଭିଡ଼ିଓ ମାଧ୍ୟମରେ ପାଇପାରିବେ । ବିଦ୍ୱାନ ଓ ତାଙ୍କରି ଜ୍ଞାନ କାଳାତୀତ ସ୍ତରରେ ପହଞ୍ଚିପାରିବ ।

 

ଅନ୍ୟ ସମାଲୋଚ଼କମାନଙ୍କ ମତରେ ଏହି ପଦ୍ଧତି ସୀମାବଦ୍ଧ । ଯେଉଁ ସବୁ ବିଷୟରେ ତଥ୍ୟ ଲିପିବଦ୍ଧ ହୋଇରହିଥାଏ ତାହା ହିଁ ଯାନ୍ତ୍ରିକ ପଦ୍ଧତି ଉପଯୋଗରେ ବର୍ଗୀକୃତ ଓ ଉନ୍ମୁକ୍ତ କରାଯାଇପାରେ । ତେବେ ମନୁଷ୍ୟର ଜିଜ୍ଞାଷା ସୀମାହୀନ । ଅବଶ୍ୟ ଅନ୍ୟମାନଙ୍କ ବିଚାରରେ ‘ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ’ ବିଷୟରେ ବ୍ୟାପକ ଗବେଷଣା ଚାଲିଛି । ହୁଏତ ଆଗାମୀ ଭବିଷ୍ୟତରେ ମନୁଷ୍ୟ ଭଳି ତଥ୍ୟ ନିୟନ୍ତ୍ରଣ କ୍ଷମତା ଯାନ୍ତ୍ରିକ ସାଧନରେ ଆୟତ୍ତ ସଂଭବ ହୋଇପାରେ । କେତେକ ଏଥିଲାଗି ଅଧିକା ୫୦ ବର୍ଷ ଅପେକ୍ଷା କରିବାକୁ ପଡ଼ିବ ବୋଲି ଅନୁମାନ କରୁଥିବା ସ୍ଥଳେ ଅନ୍ୟମାନେ ଆହୁରି କମ ସମୟରେ ସମ୍ଭବ ବୋଲି ଆଶ୍ୱସନା ଦେଇଥାନ୍ତି । ସେ ଯାହାହେଉ, ବ୍ୟକ୍ତିର ଅନୁପସ୍ଥିତିରେ ସଂପୃକ୍ତ ବ୍ୟକ୍ତି ସହ ଆଳାପ ଅନୁଭୂତି ଯେ ସ୍ମାର୍ଟଫୋନ ଯୋଗେ କୋଟି କୋଟି ଜନସାଧାରଣଙ୍କ ହାତପାଆନ୍ତାରେ ଉପଲବ୍ଧ ତାହା ମାନବ ସଭ୍ୟତାରେ ଏକ ବିସ୍ମୟ !

 

‘ଷ୍ଟୋରିଫାଇଲ’ ସଂପର୍କରେ ୟୁଟ୍ୟୁବ ଭିଡ଼ିଓ ଦେଖିବା ନିମନ୍ତେ ନିମ୍ନ ପ୍ରଦତ୍ତ ଲିଙ୍କରେ କ୍ଳିକ କରନ୍ତୁ :

 

Story File Life with William Shatner. October 12, 2021

 

https://www.youtube.com/watch?v=fotJtqzqUVU

 

Letting future generations speak with Holocaust survivors

 

https://www.youtube.com/watch?v=D9tZnC4NGNg


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଜୁଲାଇ ୨୦୨


ତଥ୍ୟ:

 

Kingson, Jennifer A. New AI tools let you chat with your dead relatives AXIOS.   July 13, 2022

 

https://www.axios.com/2022/07/13/artificial-intelligence-chatbots-dead-relatives-grandma?utm_source=newsletter&utm_medium=email&utm_campaign=newsletter_axioswhatsnext&stream=science

 

The Splintered Mind

 

http://schwitzsplinters.blogspot.com/2021/07/speaking-with-living-speaking-with-dead.html

 

Artificial intelligence is bringing dead back to ‘life’-but-should it ?

University of California, Riverside News. August 04, 2021

 

https://news.ucr.edu/articles/2021/08/04/artificial-intelligence-bringing-dead-back-life-should-it