ପରିଚିତି

Photo by Rod Long on Unsplash 

ବିକଳ୍ପ ବାର୍ଦ୍ଧକ୍ୟ ଚ଼ିନ୍ତନ ମଞ୍ଚ ‘ଧୂସର ଓଡ଼ିଶା’

ଏକବିଂଶ ଶତାଦ୍ଦୀ ଦ୍ୱିତୀୟଦଶକ ଶେଷାର୍ଦ୍ଧ ବେଳକୁ ଓଡ଼ିଶାର ୬୦ ବର୍ଷ ବୟସରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକମାନେ ସଂଗଠିତ ହେବା ଆବଶ୍ୟକତା ବହୁକାରଣରୁ ଅନୁଭୂତ ହେଉଛି l

 

ପ୍ରଥମତଃ, ଆନ୍ତର୍ଜାତିକ ଓ ଜାତୀୟସ୍ତରରେ ସମତାଳ ଦେଇ ଆମ ରାଜ୍ୟରେ ବରିଷ୍ଠନାଗରିକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି l ୨୦୧୧ ଜନଗଣନାରେ ଏମାନଙ୍କ ସଂଖ୍ୟା ୪୦ ଲକ୍ଷ ଥିବାବେଳେ ୨୦୨୧ ବେଳକୁ ୪୬ ଲକ୍ଷରେ ପହଞ୍ଚିବ ବୋଲି ଆକଳନ କରାଯାଉଛି l ଏହି କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାର ବର୍ଗଭିତ୍ତିକ ସାମାଜିକ ନୀତି ନିର୍ଦ୍ଧାରଣର ସମୟ ଆସି ପହଞ୍ଚିଛି l

 

ଦ୍ୱିତୀୟତଃ, ପାରମ୍ପରକିଭାବେ ଶିଶୁ ଓ ବୟସ୍କ ପାରିବାରିକ ଯତ୍ନ ଉପରେ ନିର୍ଭରଶୀଳ ହୋଇ ଆସିଥିବାବେଳେ ପରିବର୍ତ୍ତିତ ପାରିବାରିକ ପୃଷ୍ଠଭୂମିରେ କ୍ରମଶଃ ବୟସ୍କଙ୍କ ଯତ୍ନଜନିତ ଦାୟିତ୍ୱ ନିର୍ବାହ ସମସ୍ୟା ବହୁଳ ହୋଇପଡୁଥିବା ଲକ୍ଷ୍ୟ କରାଯାଉଛି l ଏଣୁ ବାର୍ଦ୍ଧକ୍ୟ ଜୀବନଚର୍ଯ୍ୟାରେ ସହଯୋଗିତା ନିମନ୍ତେ ବିକଳ୍ପ ବ୍ୟବସ୍ଥା ଗଠନର ଆବଶ୍ୟକତା ଅନୁଭୂତ ହେଉଛି l

 

ତୃତୀୟତଃ, ଉନ୍ନତ ଜୀବନଯାପନ ଓ ସ୍ୱାସ୍ଥ୍ୟସେବା ଉପଲବ୍ଧ ପରିପ୍ରେକ୍ଷୀରେ ସ୍ଥାନୀୟ ବରିଷ୍ଠ ନାଗରିକମାନେ ତଦ୍ଅନୁରୂପ ସୁଯୋଗସୁବିଧା ଜୀବନର ଶେଷ ପର୍ଯ୍ୟାୟରେ ଉପଭୋଗ କରିବା ନିମନ୍ତେ ଅନୁକୂଳ ପରିବେଶ ସୃଷ୍ଟିନିମନ୍ତେ ପୁନର୍ବାସନ ଓ ଶଯ୍ୟାଶାୟୀଙ୍କ ସେବା-ଶୁଶ୍ରୂଷାଜନିତ ଭିତ୍ତିଭୂମି ନିର୍ମାଣକୁ ଉଦାହରଣରୂପେ ଗ୍ରହଣ କରାଯାଇପାରେ l

 

ଚ଼ତୁର୍ଥତଃ, ବରିଷ୍ଠ ନାଗରିକଙ୍କ ଅର୍ଥନୀତି, ଜୀବିକା ଓ ସୁରକ୍ଷା ଇତ୍ୟାଦି ବିଭିନ୍ନ କ୍ଷେତ୍ରରେ ସ୍ୱାର୍ଥ ସଂରକ୍ଷଣ ନିମନ୍ତେ ଆଇନ ପ୍ରଣୟନ ତଥା ଉଚ଼ିତ ଉପଯୋଗ ଦିଗରେ ଅନବରତ ଚ଼ାପ ସୃଷ୍ଟି ଆବଶ୍ୟକତା ଦୃଷ୍ଟିରୁ ବରିଷ୍ଠ ନାଗରିକଙ୍କ ସାଂଗଠନିକ ଜୀବନର ଉପାଦେୟତାକୁ ଗୌଣ ମନେକରି ହେବନାହିଁ l

 

ପଞ୍ଚମତଃ, ବରିଷ୍ଠ ନାଗରିକଙ୍କ କଲ୍ୟାଣ ନିମନ୍ତେ ମୌଳିକଭାବେ ସେମାନେ ହିଁ ନୀତିନିର୍ଦ୍ଧାରଣ, ଭିତ୍ତିଭୂମି ସୃଷ୍ଟି ତଥା ସୁବିଧା ସୁଯୋଗ ଉପଯୋଗ ନିମନ୍ତେ ଉଦ୍ୟମରେ ଅଂଶଗ୍ରହଣ କରିବା ସ୍ୱାଭାବିକ ସାମାଜିକ ପ୍ରକ୍ରିୟାରୂପେ ବିବେଚ଼ନା କରାଯାଇପାରେ l

 

ଓଡ଼ିଶାର ବରିଷ୍ଠ ନାଗରିକଙ୍କ ସାଂଗଠନିକ ଜୀବନର ରୂପରେଖ ନିର୍ଦ୍ଧାରଣ ନିମନ୍ତେ ବହୁବିଧ ମଞ୍ଚ ଗଠନର ସୁଯୋଗ ଉପଲବ୍ଧ l ଏହି କ୍ଷେତ୍ରରେ ବର୍ତ୍ତମାନ ଅତି ଅଳ୍ପ ସଂଖ୍ୟକ ସଂଗଠନ ବିଚ୍ଛୁରିତ ଭାବେ ରାଜ୍ୟରେ କାର୍ଯ୍ୟକରୁଛନ୍ତି l ଅତଏବ ସାଂଗଠନିକ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ନିମନ୍ତେ ବ୍ୟାପକ ବିଚ଼ାରବିମର୍ଷ ଓ କାର୍ଯ୍ୟଧାରା ପ୍ରଣୟନ ଆବଶ୍ୟକତା ରହିଛି l

 

ଓଡ଼ିଶାର ବରିଷ୍ଠ ନାଗରିକ ବିଷୟକ ଚର୍ଚ୍ଚା ନିମନ୍ତେ ‘ଗ୍ରେ ଓଡ଼ିଶା’ ବା ‘ଧୂସର ଓଡ଼ିଶା’ ନାମକ ଚିନ୍ତନ ମଞ୍ଚ ବା ଥିଙ୍କ ଟ୍ୟାଙ୍କ ପରିକଳ୍ପନା କରାଯାଇଛି l ରାଜ୍ୟର ଚ଼ିନ୍ତାଶୀଳ, ସାମାଜିକ ସଚ଼େତନ ତଥା ବୃଦ୍ଧଜନଙ୍କ କଲ୍ୟାଣ ନିମନ୍ତେ ନୀତିନିର୍ଦ୍ଧାରଣ ଓ ଭିତ୍ତିଭୂମି ସୃଷ୍ଟିରେ ଆଗ୍ରହୀ ବରିଷ୍ଠ ନାଗରିକମାନଙ୍କ ନିମନ୍ତେ ଏହା ଏକ ବୌଦ୍ଧିକ ମଞ୍ଚରୂପେ ବିକଶିତ ହୋବ ବୋଲି ଆଶା କରାଯାଉଛି l ଶିକ୍ଷିତ, ଆର୍ଥିକ ଦିଗରୁ ସ୍ୱଚ୍ଛଳ ଏବଂ ବିକଳ୍ପ ବାର୍ଦ୍ଧକ୍ୟ ଜୀବନ ଧାରାରେ ବିଶ୍ୱାସ ରଖୁଥିବା ୫୦ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିବିଶେଷଙ୍କୁ ଏହି ମଞ୍ଚର ଦ୍ୱାର ଉନ୍ମୁକ୍ତ ରହିବ l

 

ପ୍ରାଥମିକ ପର୍ଯ୍ୟାୟରେ ‘ଗ୍ରେ ଓଡ଼ିଶା’ ପକ୍ଷରୁ ଅତ୍ୟାଧୁନିକ ବୈଷୟିକ ଜ୍ଞାନ ଉପଯୋଗରେ ଇଣ୍ଟରନେଟଭିତ୍ତିକ ଇ-ମେଲ ନିଉଜଲେଟର ପ୍ରକାଶନକୁ ସାଂଗଠନିକ ଭିତ୍ତିଭୂମି ପ୍ରତିଷ୍ଠା ନିମନ୍ତେ ପ୍ରବେଶପଥ ରୂପେ ଗ୍ରହଣ କରାଯାଉଛି l ଏହା ପ୍ରତିମାସର ୧ ଓ ୧୫ ତାରିଖ ଦିନ ପାକ୍ଷିକ ପତ୍ରାଂଶ ଆକାରରେ ପ୍ରକାଶିତ ହେବ l ଆଗ୍ରହୀ ବ୍ୟକ୍ତି ବିଶେଷ ଏଭଳି ଇ-ମେଲ ନିଉଜଲେଟର ସବସ୍କ୍ରାଇବ କରି ପଢ଼ିପାରିବେ ତଥା ନିଜ ପ୍ରତିକ୍ରିୟା ଜଣାଇ ପାରିବେ l ଯେଉଁମାନେ ଚାହିଁବେ ନିଜ ନିଜର ସ୍ୱତନ୍ତ୍ର ଇ-ମେଲ ନିଉଜଲେଟରମାନ ପ୍ରକାଶ କରିପାରିବେ l ଫେସବୁକ, ଟୁଇଟର ଭଳି ଏହା ଏକ ନିଃଶୁଳ୍କ ଆନ୍ତର୍ଜାତିକ ସେବା ହୋଇଥିବା ହେତୁ ଯେ କୌଣସି ବ୍ୟକ୍ତିଙ୍କ ବ୍ୟବହାରରେ କୌଣସି କଟକଣା ନାହିଁ l

 

ଭାବ ଆଦାନପ୍ରଦାନ ପ୍ରକ୍ରିୟାରେ ଓଡ଼ିଶାରେ ବୃଦ୍ଧଜନଙ୍କ ସମସ୍ୟା ଅନୁଧ୍ୟାନ ଓ ଅନୁକୂଳ ନୀତି ନିର୍ଦ୍ଧାରଣ ପ୍ରତି ସଂଗଠିତ ବିଚ଼ାରବିମର୍ଷର ସୁଯୋଗ ସୃଷ୍ଟି ହୋଇପାରିଲେ ରାଜ୍ୟରେ ଊଣାଅଧିକେ ସମଭାବାପନ୍ନ ଏକ ଗୋଷ୍ଠୀ ସଂଗଠିତ ହୋଇପାରିବ l ଏଭଳି ବିଚ଼ାରବିମର୍ଷ ଧାରାରେ ସହମତଭିତ୍ତିକ ଭିତ୍ତିଭୂମି ସୃଷ୍ଟି ନିମନ୍ତେ ରାସ୍ତା ଉନ୍ମୁକ୍ତ ହେବ ଏବଂ ପ୍ରଥମେ ଚିନ୍ତାରୁ ପରେ କାର୍ଯ୍ୟକ୍ରମ ପର୍ଯ୍ୟାୟକୁ ଉନ୍ନୀତ ହେବା ସଂଭବ l

 

ଏହି ପାକ୍ଷିକ ଇ-ମେଲ ନିଉଜଲେଟର ସବ୍-ସ୍କ୍ରାଇବ କରିବା ଓ ପାଠ କରିବା ସହଜସାଧ୍ୟ l ଇଣ୍ଟରନେଟ ବ୍ୟବହାର କରୁଥିବା ବ୍ୟକ୍ତିବିଶେଷ ଉଦ୍ଦିଷ୍ଟ ୱେବ ସାଇଟକୁ ଯାଇ ଇ-ମେଲ ଆଇଡ଼ି ଦେଇ ସବସ୍କାଇବ କରିପାରିବେ l ଏଭଳି ଉଦ୍ୟମ ସଂପର୍କରେ ବିକଳ୍ପ ବାର୍ଦ୍ଧକ୍ୟ ଜୀବନ ସଂପର୍କରେ ରୁଚ଼ି ରଖୁଥିବା ଅନ୍ୟବନ୍ଧୁମାନଙ୍କୁ ସବସ୍କାଇବ କରିବାକୁ ଜଣାଇପାରିବେ l ଯେତେବେଳେ ବୋଧହେବ ଯେ ଏହି ମଞ୍ଚର ଚ଼ିନ୍ତାଧାରା କାହାରି ବ୍ୟକ୍ତିଗତ ଚିନ୍ତାଧାରାରୁ ଦୂରେଇ ଯାଉଛି, ସେତେବେଳେ ‘ଅନସବସ୍କ୍ରାଇବ’ରେ କ୍ଳିକ କରିଦେଲେ ଏହି ଇ-ମେଲ ନିଉଜଲେଟର ଆଉ ସଂପୃକ୍ତ ଇ-ମେଲ ଏକାଉଣ୍ଟରେ ପହଞ୍ଚିବନି l

 

ପ୍ରସ୍ତାବିତ ପ୍ରକଳ୍ପ ରୂପାୟନରେ ଇ-ମେଲ ନିଉଜଲେଟର ସହ ମୋବାଇଲ ଫୋନରେ କଥାବାର୍ତ୍ତା ଓ ବ୍ଳଗକୁ ମଧ୍ୟ ଯୋଡ଼ାଯିବ l ଫଳତଃ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ବସବାସ କରୁଥିବା ବ୍ୟକ୍ତିବିଶେଷଙ୍କ ସହ ସଂପର୍କସ୍ଥାପନ ସହଜରେ ସ୍ପଳ୍ପ ବ୍ୟୟରେ ସମ୍ଭବ l ଗଭୀର ଅନୁଧ୍ୟାନ ଓ ନୀତି ନିର୍ଦ୍ଧାରଣ ଲିଖିତ ଯୋଗାଯୋଗ ମାଧ୍ୟମରେ ଫଳପ୍ରଦ ହୋଇଥାଏ l ଅନାବଶ୍ୟକ, ଉପରଠାଉରିଆ ଓ ପ୍ରମାଣବିହୀନ ଯୁକ୍ତିତର୍କକୁ ସହଜରେ ବାଦ ଦେଇହୁଏ l ଏହି ମଞ୍ଚରେ ଓଡ଼ିଆ ଭାଷା ବ୍ୟବହାରକୁ ଆମେ ପ୍ରାଧାନ୍ୟ ଦେବା l ଅବଶ୍ୟ ଇଣ୍ଟରନେଟ ମଞ୍ଚରେ ଓଡ଼ିଆ ଲିପି ବ୍ୟବହାର  କେହି ନଜାଣିଥିଲେ ଇଂଲିଶଭାଷା ବିନା ଦ୍ୱିଧାରେ ବ୍ୟବହାର କରାଯାଇପାରେ l

 

‘ଗ୍ରେ ଓଡ଼ିଶା’ ପରିକଳ୍ପନା ‘ଓଡ଼ିଶା ଇଣ୍ଟରନ୍ୟାସନାଲ ସୋସାଇଟି’ କର୍ତ୍ତୃକ ପରିଚ଼ାଳିତ l ‘ଓଡ଼ିଶା ଇଣ୍ଟରନ୍ୟାସନାଲ ସୋସାଇଟି’ ୧୯୮୮ ମସିହାରେ ପ୍ରତିଷ୍ଠିତ ଏକ ରେଜିଷ୍ଟ୍ରୀଭୁକ୍ତ ସଂଗଠନ l ବୃଦ୍ଧଜନ ହିତସାଧନ ଅନୁଷ୍ଠାନର ଅନ୍ୟତମ ମୁଖ୍ୟ ଉଦ୍ଦେଶ୍ୟ ରୂପେ ଚ଼ିହ୍ନିତ ହୋଇଥିଲେ ହେଁ ଦୀର୍ଘଦିନ ଧରି ଏହି ସଂଗଠନ ନିଷ୍କ୍ରିୟ ଅବସ୍ଥାରେ ରହିଆସିଛି l ତେବେ ‘ଗ୍ରେ ଓଡ଼ିଶା’ ମଞ୍ଚରେ ଅଂଶଗ୍ରହଣ କୌଣସିମତେ ‘ଓଡ଼ିଶା ଇଣ୍ଟରନ୍ୟାସନାଲ ସୋସାଇଟି’ରେ ଯୋଗଦାନକୁ ବୁଝାଇବନି l

 

‘ଗ୍ରେ ଓଡ଼ିଶା’ ଏକ ମୁକ୍ତ ମଞ୍ଚ ରୂପେ ଗଢ଼ି ଉଠିବ l ଏଥିରେ ସଭ୍ୟପଦ, କର୍ମକର୍ତ୍ତା, ଆର୍ଥିକ ଦେଣନେଣ ଇତ୍ୟାଦି ଉପାଦାନଗୁଡ଼ିକ ରହିବ ନାହିଁ l ଏଠାରେ ଉପସ୍ଥାପିତ କେତେକ ମୌଳିକ ନୀତି ସହ ଅନ୍ୟମାନେ ନିଜ ନିଜ ବିଚ଼ାରଧାରା ଯୋଡ଼ିପାରନ୍ତି l ସାମଗ୍ରିକଭାବେ ଉତ୍କର୍ଷ ନିର୍ଦ୍ଧାରିତ ବୁଦ୍ଧିମତାକୁ ପ୍ରାଧାନ୍ୟ ଦିଆଯିବ l ଏହି ମଞ୍ଚ ରାଉଣ୍ଡଟେବୁଲ ଧାରାରେ କାର୍ଯ୍ୟ କରିବ l ସ୍ୱାଧୀନ ମତ ପ୍ରକାଶନ ପାଇଁ ସମସ୍ତଙ୍କ ସମାନ ଅଧିକାର ରହିବ l

 

ଭର୍ଟୁଆଲ ପରିବେଶରେ ‘ଗ୍ରେ ଓଡ଼ିଶା’ର ସାଂଗଠନିକ ମୂଳଦୁଆ ସ୍ଥାପନରେ କେତେକ ପ୍ରତିବନ୍ଧକ ମଧ୍ୟ ସାମ୍ନା କରିବାକୁ ପଡ଼ିପାରେ l ପ୍ରଥମତଃ, ଅନେକ ବୟସ୍କ ନାଗରିକ ଇ-ମେଲ ନିୟମିତ ବ୍ୟବହାର ନ କରିପାରୁଥାନ୍ତି l ଦ୍ୱିତୀୟତଃ, ଏଭଳି ମାସ-ମେଲ ଅନେକ ସମୟରେ କେତେକ ଇ-ମେଲ ମଞ୍ଚରେ ସ୍ପାମ ଭାବେ ପହଞ୍ଚୁଥିବା ହେତୁ ଗ୍ରହୀତା ଏହାକୁ ଖୋଜି ବାହାର ନ କରିପାରିଲେ ପାଠ କରିବାର ସୁଯୋଗ ମିଳି ନ ପାରେ l ତୃତୀୟତଃ, ଚର୍ଚ୍ଚିତ ଇ-ମେଲ ନିଉଜଲେଟର ପ୍ରକାଶନ ସଂପର୍କରେ ରାଜ୍ୟର ସମସ୍ତ ଆଗ୍ରହୀ ବରିଷ୍ଠ ନାଗରିକଙ୍କୁ ଅବଗତ କରାଇବା ତଥା ସେମାନେ ସବସ୍କାଇବ କରିବା କଳାକୌଶଳ ଅକ୍ତିଆର କରିବା ହୁଏତ ତୁରନ୍ତ ଫଳପ୍ରଦ ନ ହୋଇପାରେ l

 

ପ୍ରାଥମିକଭାବେ ସମକାଳୀନ ଗଣମାଧ୍ୟମରେ ପ୍ରକାଶିତ କେତେକ ବ୍ୟକ୍ତିବିଶେଷଙ୍କ ଇ-ମେଲ ଆଇଡ଼ିରେ ପ୍ରଥମ ଇ-ମେଲ ନିଉଜଲେଟର ପ୍ରେରଣ କରାଯାଉଛି l ସେମାନେ ହୁଏତ ବରିଷ୍ଠ ନାଗରିକ ପର୍ଯ୍ୟାୟଭୁକ୍ତ, ତେବେ ଅନେକେ ବିକଳ୍ପ ବାର୍ଦ୍ଧକ୍ୟ ଜୀବନଯାତ୍ରା ସପକ୍ଷବାଦୀ ତଥା ପ୍ରସ୍ତାବିତ ଚିନ୍ତାଧାରାର ସମର୍ଥକ ନହୋଇପାରନ୍ତି l

 

ଏଭଳି ଏକ ପରିକଳ୍ପନା ପାଇଁ ସାରା ରାଜ୍ୟରେ ବିଚ୍ଛୁରିତ ଆଗ୍ରହୀ ବ୍ୟକ୍ତିବିଶେଷଙ୍କଠାରେ ପହଞ୍ଚିବା ନିମନ୍ତେ ଢ଼େର ସମୟ ଲାଗିଯିବ l ଏ ଦିଗରେ ଅନ୍ୟମାନଙ୍କ ସହଯୋଗ ଆବଶ୍ୟକ l ସୋସିଆଲ ମିଡ଼ିଆରେ ଅଭିଯାନଧର୍ମୀ ପ୍ରଚ଼େଷ୍ଟା କ୍ଷୀପ୍ର କରିବାର ଉପାଦାନ ଭରି ରହିଥିଲେ ହେଁ ଏଦିଗରେ ବହୁ ବ୍ୟକ୍ତିଙ୍କ ପ୍ରଚ଼େଷ୍ଟା ଆବଶ୍ୟକ ପଡ଼ିଥାଏ l ଜଣକର ଚେଷ୍ଟା ସୁଦୂର ପ୍ରସାରୀ ହୋଇପାରେନା l

 

ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଅକ୍ଟୋବର ୨୦୧୭

ବିକଳ୍ପ ବାର୍ଦ୍ଧକ୍ୟ ଜୀବନ ଚର୍ଯ୍ୟା

ପ୍ରତ୍ୟେକ ସାଂଗଠନିକ ପ୍ରଚ଼େଷ୍ଟା କେତେକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ଚରିତାର୍ଥରେ ପର୍ଯ୍ୟବସିତ l ‘ଗ୍ରେ ଓଡ଼ିଶା’ ଆମ ରାଜ୍ୟରେ ଏକ ବିକଳ୍ପ ବାର୍ଦ୍ଧକ୍ୟ ଚ଼ିନ୍ତନ ମଞ୍ଚ ପ୍ରତିଷ୍ଠା ଲକ୍ଷ୍ୟରେ ସଂଗଠିତ କରାଯାଉଛି l

 

‘ବିକଳ୍ପ ବାର୍ଦ୍ଧକ୍ୟ’ର ଅର୍ଥ ପାରମ୍ପରିକ ଓଡ଼ିଶୀ ସାମାଜିକ ଆଙ୍ଗିକରେ ବାର୍ଦ୍ଧକ୍ୟ ଜୀବନଯାତ୍ରାରୁ ଆବଶ୍ୟକମତେ ପରିବର୍ତ୍ତିତ ଜୀବନଶୈଳୀକୁ ବୁଝାଇଥାଏ l ଅର୍ଥାତ ଆମ ସମାଜରେ ବାର୍ଦ୍ଧକ୍ୟ ଜୀବନଯାପନର ଏକ ରକମ ପ୍ରତିଷ୍ଠିତ ଢ଼ାଞ୍ଚା ପ୍ରଚଳିତ ଥିବାବେଳେ ସମୟକ୍ରମେ ସେଥିରେ ସାମାନ୍ୟ ପରିବର୍ତ୍ତନ ଯୋଡ଼ିହୋଇ ଚ଼ାଲିଆସିଛି l କିନ୍ତୁ ସ୍ୱାଧୀନୋତ୍ତର ଅବସ୍ଥାରେ ସ୍ଥାନୀୟ ସାମାଜିକ ମୂଲ୍ୟବୋଧରେ ବ୍ୟାପକ ପରିବର୍ତ୍ତନ ସଂଘଟିତ ହୋଇଥିବା ପରିପ୍ରେକ୍ଷୀରେ ବାର୍ଦ୍ଧକ୍ୟ ଜୀବନଯାତ୍ରାରେ ଅନୁରୂପ ସଂଶୋଧନର ଆବଶ୍ୟକତା ଅନୁଭୂତ ହେଉଛି l

 

ଓଡ଼ିଶାରେ ସହରୀକରଣ ପ୍ରକ୍ରିୟା ମନ୍ଥର ଥିବା ହେତୁ ଏକବିଂଶ ଶତାଦ୍ଦୀ ଦ୍ୱିତୀୟ ଦଶକ ସୁଦ୍ଧା ଏଠାରେ ବୃହତ ଗ୍ରାମକେନ୍ଦ୍ରୀକ ଓ କ୍ଷୀଣ ସହରକେନ୍ଦ୍ରୀକ ଦୁଇଗୋଟି ଭିନ୍ନ ସଭ୍ୟତା ପରିଦୃଷ୍ଟ l ଏକ ପକ୍ଷରେ ଗ୍ରାମକେନ୍ଦ୍ରୀକ ସଭ୍ୟତାରେ ପାରମ୍ପରିକ ରୀତିନୀତି ଗୁରୁତ୍ୱ ବହନ କରୁଥିବା ସ୍ଥଳେ ସହରକେନ୍ଦ୍ରୀକ ସଭ୍ୟତାରେ ଆଧୁନିକ ଜୀବନଶୈଳୀର ପ୍ରାବଲ୍ୟ ସ୍ପଷ୍ଟ ବାରିହୁଏ l

 

୨୦୧୧ ଜନଗଣନା ଅନୁଯାୟୀ ରାଜ୍ୟର ଗ୍ରାମାଞ୍ଚଳରେ ୮୬ ଲକ୍ଷ ୨୨ ହଜାର ଓ ସହରାଞ୍ଚଳରେ ୧୨ ଲକ୍ଷ ୬୨ ହଜାର ପରିବାର ବସବାସ କରନ୍ତି l ଅର୍ଥନୀତିକ ଓ ଶିକ୍ଷାଗତ ଦୃଷ୍ଟିରୁ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ମଧ୍ୟରେ ସୁଦୂର ବ୍ୟବଧାନ l ଗ୍ରାମାଞ୍ଚଳରେ ୫୦ ଲକ୍ଷ ୭୩ ହଜାର ପରିବାର ଖଟିଖିଆ ଏବଂ ୭୫ ଲକ୍ଷ ୭୮ ହଜାର ପରିବାରଙ୍କ ମାସିକ ଆୟ ପାଞ୍ଚ ହଜାରରୁ କମ l ଗ୍ରାମାଞ୍ଚଳରେ ମୋଟ ଜନସଂଖ୍ୟାର ୩୪ ପ୍ରତିଶତ ସଂପୂର୍ଣ୍ଣ ନିରକ୍ଷର ଥିବାବେଳେ ମାତ୍ର ୨.୭୯ ପ୍ରତିଶତ ସ୍ନାତକ ବା ତଦୂର୍ଦ୍ଧ ଶିକ୍ଷାଗତ ଯୋଗ୍ୟତା ହାସଲ କରିଥିଲେ l

 

ଆମ ରାଜ୍ୟରେ ସାମାଜିକ ଜୀବନରେ ସ୍ୱଚ୍ଛଳ ଓ ଅଭାବୀ ପରିବାର ସଂଜ୍ଞା ନିରୂପଣ ଏକ ଦୁରୂହ ବ୍ୟାପାର l ଏଠାକାର ୭୭ ପ୍ରତିଶତ ଜନସଂଖ୍ୟା ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇଛନ୍ତି l ଅତଏବ ସାମାଜିକ ଜୀବନ ସଂପର୍କରେ ଆଲୋଚ଼ନା କରିବାକୁ ଯିବାବେଳେ ମୋଟ ଜନସଂଖ୍ୟାର ଏକ ଚ଼ତୁର୍ଥାଂଶ ଏବଂ ତିନି ଚ଼ତୁର୍ଥାଂଶର ଦୁଇଗୋଟି ଗୋଷ୍ଠୀର ଜୀବନଯାତ୍ରା ଚର୍ଚ୍ଚାର ପରିସରକୁ ଆସିଥାଏ l

 

ବାର୍ଦ୍ଧକ୍ୟ ଜୀବନଚ଼ର୍ଯ୍ୟାରେ ପରିବର୍ତ୍ତନ ଅର୍ଥାତ ଆଧୁନିକ ବିକଶିତ ରାଷ୍ଟ୍ରଗୁଡ଼ିକରେ ଉପଲବ୍ଧ ଉନ୍ନତ ସୁବିଧା ସୁଯୋଗ ସୃଷ୍ଟି କରିବା ନିମନ୍ତେ ରାଜ୍ୟ ଜନସଂଖ୍ୟାର ବଡ଼ ଭାଗ ଗ୍ରାମକେନ୍ଦ୍ରୀକ ପରିବାର ପୃଷ୍ଠଭୂମିରେ ବ୍ୟକ୍ତିଗତସ୍ତରରେ ସଂଭବପର ମନେ ହୁଏନା l ଅର୍ଥନୀତିକ ଓ ଶିକ୍ଷାଗତ ଯୋଗ୍ୟତା ଏହି କ୍ଷେତ୍ରରେ ବାଧକ ସାଜିବା ସୁନିଶ୍ଚିତ l କେବଳ ସରକାରୀଭାବେ ସାମଗ୍ରିକ କଲ୍ୟାଣମୂଳକ ଯୋଜନା ରୂପାୟନରେ ହୁଏତ କିଛିଟା ପରିବର୍ତ୍ତନ ସଂଭବପର l

 

ଅପରପକ୍ଷରେ ଛୋଟ ଭାଗ ସହରକେନ୍ଦ୍ରୀକ ଶିକ୍ଷିତ ଓ ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳ ପାରିବାରିକ ପୃଷ୍ଠଭୂମିରେ ବାର୍ଦ୍ଧକ୍ୟ ଜୀବନଚର୍ଯ୍ୟାରେ ଆବଶ୍ୟକତାମତେ ଓ ଚୟନଭିତ୍ତିରେ ପରିବର୍ତ୍ତନ ସଂଭବପର l ଆନ୍ତର୍ଜାତିକ କ୍ଷେତ୍ରରେ ପରିବର୍ତ୍ତିତ ସାମାଜିକ ଜୀବନଯାତ୍ରା ଅଧ୍ୟୟନ ଓ ଅନୁଶୀଳନ କରି ସ୍ଥାନୀୟ ସଂସ୍କରଣ ପ୍ରସ୍ତୁତି ନିମନ୍ତେ ପ୍ରାଥମିକସ୍ତରରେ ବୌଦ୍ଧିକ ଆଲୋଚ଼ନା ନିମନ୍ତେ ଭିତ୍ତିଭୂମି ପ୍ରସ୍ତୁତି ପ୍ରଥମ ସୋପାନ l ଏଥି ଲାଗି ସାମୂହିକ ଉଦ୍ୟମର ଆବଶ୍ୟକତା ରହିଛି l

 

ସାଂପ୍ରତିକ ପରିପ୍ରେକ୍ଷୀରେ ବିକଳ୍ପ ବାର୍ଦ୍ଧକ୍ୟ ଜୀବନଚ଼ର୍ଯ୍ୟାର ଆବଶ୍ୟକତା ରହିଛି କି ନା ଏ ସଂପର୍କରେ ଆମେ ଆଲୋଚ଼ନା କରିବା ନାହିଁ l ଏହା ବ୍ୟକ୍ତିଗତ ଉପଲବ୍ଧିର ବିଷୟ l ପୁଣି ଯେଉଁମାନେ ଏ ଭଳି ପରିବର୍ତ୍ତିତ ଜୀବନଚ଼ର୍ଯ୍ୟାର ଆବଶ୍ୟକତା ଅନୁଭବ କରୁଛନ୍ତି ସେମାନେ ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳ ଥିବା ଆବଶ୍ୟକ l କାରଣ ଉନ୍ନତ ଜୀବନଶୈଳୀ ଆହରଣ ନିମନ୍ତେ ଭିତ୍ତିଭୂମି ନିର୍ମାଣଠାରୁ ଆରମ୍ଭ କରି ଦୈନନ୍ଦିନ ପରିଚ଼ାଳନା ବାବଦରେ ସମସ୍ତ ଖର୍ଚ୍ଚ ସଂପୃକ୍ତ ବ୍ୟକ୍ତିବିଶେଷଙ୍କୁ ବହନ କରିବାକୁ ପଡ଼ିବ l ଏଥିନିମନ୍ତେ ସେମାନେ ମାନସିକ ଓ ଆର୍ଥିକ ଦିଗରୁ ପ୍ରସ୍ତୁତ ଥିବା ଆବଶ୍ୟକ l ଶେଷରେ ‘ସଂଘମ୍ ଶରଣଂ ଗଚ୍ଛାମି’ ନୀତିରେ ପରିଣତ ବୟସରେ ଜୀବନର ଭିନ୍ନ ଭିନ୍ନ ଉପାଦାନରେ ରୁଚ଼ି ରଖୁଥିବା ବ୍ୟକ୍ତିଗଣ ପୃଥକ ପୃଥକ ଗୋଷ୍ଠୀରେ ସାମିଲ ହେବା ଉଚ଼ିତ ଏବଂ ଏଥି ନିମନ୍ତେ ବହୁ ଗୋଷ୍ଠୀ ଗଠନ ପ୍ରତି ଯତ୍ନ ନିଆଯାଇପାରେ l

 

ତେବେ ‘ଗ୍ରେ ଓଡ଼ିଶା’ରେ ଦୁର୍ନୀତିକୁ ଘୃଣା କରୁଥିବା, ଜୀବନଯାତ୍ରାରେ ନୀଚ଼ ଚ଼ତୁରତା ପ୍ରୟୋଗରୁ ଦୂରେଇ ରହୁଥିବା ଏକ ଭଦ୍ର ସମାଜର ସମାବେଶ ଆଶା କରାଯାଉଛି l ଏଥିଲାଗି ଅପରର ସ୍ୱୀକୃତି ବଦଳରେ ଆତ୍ମୀକ ସ୍ୱୀକାରୋକ୍ତି ଗୁରୁତ୍ୱପୂର୍ଣ୍ଣ l

 

ବିକଳ୍ପ ବାର୍ଦ୍ଧକ୍ୟ ଜୀବନଚ଼ର୍ଯ୍ୟାରେ କେତେଗୋଟି ବିଷୟ ଚର୍ଚ୍ଚାର ପରିସରକୁ ଆସିପାରେ l ଉତ୍ତର-ବାର୍ଦ୍ଧକ୍ୟ ପୁନର୍ବାସନ, ଦୈନନ୍ଦିନ ଜୀବନଚ଼ର୍ଯ୍ୟାରେ ସହାୟତା, ଶଯ୍ୟାଶାୟୀ ଜୀବନଯାପନ, ବାର୍ଦ୍ଧକ୍ୟ ଅର୍ଥନୀତି ଓ ସୁରକ୍ଷା ତଥା ସରକାରୀସ୍ତରରେ ବାର୍ଦ୍ଧକ୍ୟ ଉପଯୋଗୀ ନିୟମାବଳୀ ପ୍ରଣୟନ ଇତ୍ୟାଦି ସଂପର୍କରେ ଅଧ୍ୟୟନ, ଅନୁଶୀଳନ ଓ ନୀତି ନିର୍ଦ୍ଧାରଣର ଆବଶ୍ୟକତା ଅନୁଭୂତ ହୁଏ l ଏ ସଂପର୍କରେ ‘ଗ୍ରେ ଓଡ଼ିଶା’ ମଞ୍ଚରେ ଆଲୋଚ଼ନା ନିମନ୍ତେ ସୁଯୋଗ ସୃଷ୍ଟି କରାଯାଇପାରେ l ଫୋନ ଓ ଇଣ୍ଟରନେଟ ବ୍ୟବହାରରେ ଯୋଗାଯୋଗ କ୍ଷେତ୍ରରେ ପ୍ରଶସ୍ତ କ୍ଷେତ୍ର ଉନ୍ମୁକ୍ତଥିବା ହେତୁ ବୟସ୍କମାନଙ୍କୁ ରାଜ୍ୟସ୍ତରରେ ସମଭାବାପନ୍ନଙ୍କ ମଧ୍ୟରେ ଯୋଗସୂତ୍ର ସ୍ଥାପନ ନିମନ୍ତେ ସ୍ଥାନାନ୍ତର ଅନାବଶ୍ୟକ l ଅବଶ୍ୟ ଟେଲିଯୋଗାଯୋଗ ସଂପର୍କୀତ ସାମାନ୍ୟ ଅଧିକା ବୈଷୟିକ ଜ୍ଞାନ-କୌଶଳ ଆହରଣ କରିବାକୁ ପଡ଼ିପାରେ ଏବଂ ତାହା ସମ୍ଭବପର l

 

ଉତ୍ତର ବାର୍ଦ୍ଧକ୍ୟ ଓ ମୃତ୍ୟୁ ସଂପର୍କରେ ଚଳନ୍ତି ସାମାଜିକ ପୃଷ୍ଠଭୂମିରେ ଆଲୋଚ଼ନା ପ୍ରାୟତଃ ଶୁଣିବାକୁ ମିଳେନା l ଆମ ପାରମ୍ପରିକ ସାମାଜିକ ଜୀବନରେ ହୁଏତ ଏଥି ନିମନ୍ତେ ବ୍ୟକ୍ତିଗତସ୍ତରରେ ପୂର୍ବପ୍ରସ୍ତୁତିକୁ ପ୍ରାଧାନ୍ୟ ଦିଆଯାଇ ନାହିଁ l କିନ୍ତୁ ସାଧାରଣଭାବେ କୌଣସି ଅବସ୍ଥାକୁ ପ୍ରବେଶ କରିବା ପୂର୍ବରୁ ସେ ସଂପର୍କରେ ବିଭିନ୍ନ ସୂତ୍ରରୁ ଅବଗତ ହେବା ଏବଂ ନିଜକୁ ପ୍ରସ୍ତୁତ କରାଇବା ବୁଦ୍ଧିମାନ କାର୍ଯ୍ୟ ନୁହେଁ କି ? ଏ ଭଳି ତତ୍ତ୍ୱରେ ବିଶ୍ୱାସ କରୁଥିବା ଓଡ଼ିଶାର ଦଳେ ଲୋକ ଏକାଠି ହେଲେ କ୍ଷତି କ’ଣ ?

 

ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧୫ ଅକ୍ଟୋବର ୨୦୧୭

‘ଗ୍ରେ ଓଡ଼ିଶାର’ ସାଂଗଠନିକ ରୂପରେଖ

‘ଗ୍ରେ ଓଡ଼ିଶା’ ଏକ ମୁକ୍ତ ଚ଼ିନ୍ତନ ମଞ୍ଚ ରୂପେ କାର୍ଯ୍ୟ କରିବ l ରାଜ୍ୟରେ ବିକଳ୍ପ ବାର୍ଦ୍ଧକ୍ୟ ଜୀବନଚ଼ର୍ଯ୍ୟା ବିଷୟକ ପ୍ରାଥମିକସ୍ତରରେ ଚର୍ଚ୍ଚାଲାଗି ମଞ୍ଚରେ ଉପସ୍ଥିତ ଯେକୌଣସି ବ୍ୟକ୍ତିବିଶେଷ ନିଜେ ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ ପ୍ରଣୟନ କରି ତାହାର ଉପଯୋଗ ନିମନ୍ତେ ଯତ୍ନବାନ ହୋଇପାରିବେ l

 

ଉଦାହରଣ ସ୍ୱରୂପ ବାର୍ଦ୍ଧକ୍ୟରେ ଇଚ୍ଛାପତ୍ର ରଚ଼ନା ବିଷୟ ଆଲୋଚ଼ନା କରାଯାଉ l ଏଭଳି ଏକ ସମସ୍ୟା ନିର୍ବାଚନ କରୁଥିବା ବ୍ୟକ୍ତିବିଶେଷଙ୍କ ସମସାମୟିକ ଆଇନ ସଂପର୍କରେ ଜ୍ଞାନ ଥିବା ଭଲ l ବାର୍ଦ୍ଧକ୍ୟରେ ଇଚ୍ଛାପତ୍ର ପ୍ରସ୍ତୁତି ଓ ବୈଧିକରଣ ଏକ ଜରୁରି ଆବଶ୍ୟକତା l ତେବେ ଆମ ଦେଶରେ ଏଥି ପ୍ରତି ଦୃଷ୍ଟି ଦିଆ ଯାଇ ନଥାଏ l ସାଧାରଣ ଆଇନ ପୃଷ୍ଠଭୂମିରେ ଇଚ୍ଛାପତ୍ରର ଭୂମିକା, ଆମ ଦେଶ ଓ ପ୍ରତିବେଶୀ ରାଜ୍ୟରେ  ଇଚ୍ଛାପତ୍ର ପ୍ରସ୍ତୁତି ତଥା ବୈଧିକରଣ ପ୍ରଣାଳୀ, ବାର୍ଦ୍ଧକ୍ୟ ପ୍ରଭାବିତ ଇଚ୍ଛାପତ୍ରର ସ୍ୱତନ୍ତ୍ରତା, ଶେଷ ଜୀବନରେ ରୋଗଚ଼ିକିତ୍ସା, ଅନ୍ତିମସଂସ୍କାର ଓ ସ୍ମାରକୀ ପ୍ରଯୋଜନା ନିର୍ଦ୍ଦେଶାବଳୀ ଇତ୍ୟାଦି ଦୃଷ୍ଟିକୋଣରୁ ବିଭିନ୍ନ ସୂତ୍ରରୁ ତଥ୍ୟାବଳୀ ସଂଗ୍ରହ କରି ଅନୁଶୀଳନ ତଥା ନିର୍ଯ୍ୟାସ ପ୍ରତି ଗୁରୁତ୍ୱ ଦେଇପାରିବେ l

 

ତାଙ୍କରି ସାମୟିକ ଅଭିଯାନରେ ସାମିଲ ହେବା ନିମନ୍ତେ ସେ କେତେକ ବ୍ୟକ୍ତିବିଶେଷଙ୍କ ସହଯୋଗ କାମନା କରିପାରନ୍ତି l ବହୁ ବିଷୟରେ ଚର୍ଚ୍ଚା କରାଯାଇପାରେ l ଏଥି ନିମନ୍ତେ ଫୋନ, ଇ-ମେଲ, ବ୍ଳଗ ସାଙ୍ଗକୁ ଡ଼ାକସେବାର ସାହାଯ୍ୟ ନିଆଯାଇପାରେ l

 

ଆବଶ୍ୟକ ସ୍ଥଳେ ଚ଼ାରି ଛଅ ପରିବାର ଏକ ନିର୍ଦ୍ଧିଷ୍ଟ ସ୍ଥାନ, ଯେପରିକି ରାଜ୍ୟ ପର୍ଯ୍ୟଟନ ବିଭାଗ ପରିଚ଼ାଳିତ କୌଣସି ପାନ୍ଥ ନିବାସ ଭଳି ଅପେକ୍ଷାକୃତ ସୁଲଭ ଆବାସରେ ଦୁଇ ଚ଼ାରିଦିନ ଏକାଠି ହୋଇ ଚ଼ିହ୍ନିତ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚ଼ନା କରିପାରନ୍ତି l ଏହି ପ୍ରକ୍ରିୟା କିଛି ସମୟ ଧରି ବଳବତ୍ତର ରହିପାରେ ଏବଂ ଏଭଳି କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ସମସ୍ତ ଖର୍ଚ୍ଚ ପ୍ରାୟୋଜକ ବ୍ୟକ୍ତିବିଶେଷ ଏବଂ ଅଭିଯାନରେ ସଂପୃକ୍ତ ସହଯୋଗୀମାନେ ତୁଲାଇବା ଆବଶ୍ୟକ l ଶେଷରେ ପ୍ରଚ଼େଷ୍ଟାର ଏକ ବିବରଣୀ ରିପୋର୍ଟ ଆକାରରେ ପ୍ରକାଶ କରାଗଲେ ଅନ୍ୟମାନେ ଅବଗତ ହୋଇପାରିବେ ଏବଂ ଅନ୍ୟ କେହି ତାହାକୁ କାର୍ଯ୍ୟକାରୀ କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରିପାରିବେ l ଏହି ସମସ୍ତ କାର୍ଯ୍ୟକ୍ରମର ଧାରାବିବରଣୀ ‘ଗ୍ରେ ଓଡ଼ିଶା’ ବ୍ଳଗରେ ପ୍ରକାଶିତ ହେବ l

 

ଅବସର ଜୀବନ ବିତାଉଥିବା ବ୍ୟକ୍ତିମାନଙ୍କ କ୍ଷେତ୍ରରେ ଏତାଦୃଶ କାର୍ଯ୍ୟକ୍ରମ ପ୍ରଯୋଜନାର କେତେଗୋଟି ସକାରାତ୍ମକ ଦିଗ ଆଲୋଚ଼ନା କରାଯାଉ l ପ୍ରଥମତଃ, ବାର୍ଦ୍ଧକ୍ୟଜନିତ ଏକ ବିଷୟରେ ସ୍ଥାନୀୟ ମନୋଭାବ ସଂଯୋଜିତ ନିର୍ଯ୍ୟାସ ପ୍ରସ୍ତୁତ ହୋଇପାରିବ l ଏଭଳି ପ୍ରଚ଼େଷ୍ଟା ରାଜ୍ୟ ଓ ରାଜ୍ୟବାସୀଙ୍କ ନିମନ୍ତେ ଗୁରୁତ୍ୱ ବହନ କରିବା ନିଶ୍ଚିତ l ଦ୍ୱିତୀୟତଃ, ଅଧ୍ୟୟନ ଓ ଅନୁଶୀଳନ ପ୍ରକ୍ରିୟାରେ ଜଣେ ବା କିଛି ବ୍ୟକ୍ତି ନିର୍ଦ୍ଧଷ୍ଟ ସମୟଲାଗି ସଂପୃକ୍ତ ରହିବା ଫଳରେ ବେଶ ସମୟ ଅତିବାହିତ କରିପାରିବେ l ଏହା ତାଙ୍କରି ବା ସେମାନଙ୍କର ମାନସିକ ଓ ଶାରିରୀକ ସ୍ୱାସ୍ଥ୍ୟ ପକ୍ଷେ ହିତକର l ତୃତୀୟତଃ, କିଛି ଅଳ୍ପ ପରିଚ଼ିତ ବା ଅପରିଚ଼ିତ ବ୍ୟକ୍ତିବିଶେଷଙ୍କ ସହ ଏକତ୍ର କାର୍ଯ୍ୟ କରିବା ଅବସର ଜୀବନରେ ନୂତନ ବନ୍ଧୁତ୍ୱ ସୃଷ୍ଟିର ଅବକାଶ ସୃଷ୍ଟି ହୋଇପାରିବ l ଚ଼ତୁର୍ଥତଃ, ଏକାକୀ ତଥା ଉଦ୍ଦେଶ୍ୟହୀନ ପରିଭ୍ରମଣ ତୁଳନାରେ ରାଜ୍ୟର ବିଭିନ୍ନ ପର୍ଯ୍ୟଟନକେନ୍ଦ୍ରରେ ଆଲୋଚ଼ନାଚକ୍ର ଆୟୋଜନରେ ସପରିବାରେ ଯୋଗଦାନର ସୁଖପ୍ରଦ ଅନୁଭୂତି ଲାଭ ସମ୍ଭବପର l ଶେଷରେ ଏକ ସାମୂହିକ ସମାଜକଲ୍ୟାଣ କାର୍ଯ୍ୟକ୍ରମରେ ନିଃସ୍ୱାର୍ଥପର ଯୋଗଦାନର ଅଭିଜ୍ଞତା ଭବିଷ୍ୟତରେ ଅଧିକ ଗୁରୁତ୍ୱପୂର୍ଣ୍ଣ ଅବଦାନ ନିମନ୍ତେ ପ୍ରୋତ୍ସାହିତ କରିପାରେ l

 

ଉଦାହରଣରେ ବର୍ଣ୍ଣିତ ପରିକଳ୍ପନାର ବହୁ ଭିନ୍ନ ସଂସ୍କରଣ ପ୍ରଯୋଜନା ସଂଭବପର l ପାରମ୍ପରିକ ଉଚ୍ଚତର ଶିକ୍ଷାନୁଷ୍ଠାନଗୁଡ଼ିକରେ ଅନୁସୃତ ଗବେଷଣା ପ୍ରକ୍ରିୟାର ଏହା ଏକ ରୂପାନ୍ତର ମାତ୍ର l ଅବସର ଜୀବନରେ ସମୟ ଅତିବାହିତ କରିବା ପ୍ରାୟତଃ ଏକ ସମସ୍ୟାରୂପେ ଚିହ୍ନଟ ହେଉଥିବାବେଳେ ଏଭଳି ଗଠନମୂଳକ କାର୍ଯ୍ୟକ୍ରମ ଆୟୋଜନ ଓ ଯୋଗଦାନ ନିଃସଙ୍ଗତାକୁ ଏଡ଼ାଇବାରେ ସହାୟକ ହୋଇପାରେ l

 

ଅବସର ବିନୋଦନରେ ଏକ ଉଦ୍ଦେଶ୍ୟପୂର୍ଣ୍ଣ ଦିଗ ସନ୍ନିବେଶିତ ହେଲେ ତାହାର ଗୁରୁତ୍ୱ ବୃଦ୍ଧି ପାଇଥାଏ l କୌଣସି ସାମୂହିକ ସମସ୍ୟା ସଂପର୍କରେ ଆଲୋଚ଼ନା ନିମନ୍ତେ ପ୍ରାକ୍-ପ୍ରସ୍ତୁତି ଏବଂ ଆଲୋଚ଼ନା-ପର ଅନୁଭୂତି ସଂକଳନ ପ୍ରାୟ ତିନି ସପ୍ତାହର କାର୍ଯ୍ୟସୂଚ଼ୀରେ ପରିଣତ ହୋଇପାରେ l ଏଭଳି ପ୍ରସ୍ତାବ ଅତ୍ୟନ୍ତ ସାଧାରଣ ପ୍ରତୀୟମାନ ହେଉଥିଲେ ହେଁ ଏହାର କାର୍ଯ୍ୟକାରିତା ଅବସର ଜୀବନ ବିତାଉଥିବା ଦମ୍ପତିଙ୍କ ପାଇଁ କାର୍ଯ୍ୟାନୁବନ୍ଧନରେ ପର୍ଯ୍ୟବେସିତ ହେବା ଆଶା କରାଯାଇପାରେ l

 

ଓଡ଼ିଶାରେ ବର୍ତ୍ତମାନ ପର୍ଯ୍ୟାବରଣମୁଖୀ ପର୍ଯ୍ୟଟନ ବା ଇକୋ-ଟୁରିଜିମ ବିକଶିତ ହେଉଛି l ରାଜ୍ୟ ଜଙ୍ଗଲ ବିଭାଗ ପକ୍ଷରୁ କେତେଗୋଟି ଅଳ୍ପ ପରିଚ଼ିତ ପର୍ଯ୍ୟଟନସ୍ଥଳୀରେ ରହଣିର ବ୍ୟବସ୍ଥା କରାଯାଇଛି l ସେଥି ମଧ୍ୟରେ ମଙ୍ଗଳଯୋଡ଼ି, ରାଜହଂସ, ବିଚ଼ିତ୍ରାପୁର, ସିରିଆ, ବାଦମୁଳ, ଦାରିଙ୍ଗିବାଡ଼ି, ବେଲଘରା, ନୂଆ ନଈ, ସାନ ଘାଗରା, କାଞ୍ଜିପାଣି, ବାରବସା, ସାଲୁଆ ପଲ୍ଲୀ, ବନ ବିହାର, ଟେନସା, ଚିତ୍ରକୋଣ୍ଡା ଓ ମେଗା ନର୍ସରି ଅନ୍ତର୍ଭୁକ୍ତ l ଚ଼ିହ୍ନଟ ହୋଇଥିବା ୧୬ଗୋଟି ପର୍ଯ୍ୟଟନ ସ୍ଥଳୀରୁ ୧୦ଗୋଟି ୨୦୧୭ ଅକ୍ଟୋବର ମାସ ସୁଦ୍ଧା କାର୍ଯ୍ୟକ୍ଷମ ହେଲାଣି l ବହୁ ଦମ୍ପତି ଏସବୁ ସ୍ଥାନ ବୁଲି ଦେଖି ନଥିବେ l ଯଦି ଏଗୁଡ଼ିକରେ ସାଧାରଣ ସୁବିଧା ସୁଯୋଗ ଉପଲବ୍ଧ, ତେବେ ସେଠାରେ ଦୁଇ ତିନି ଦିନିଆ ଆଲୋଚ଼ନା ଆସର ଆୟୋଜନ କଥା ଚ଼ିନ୍ତା କରାଯାଇପାରେ l

 

ବାର୍ଦ୍ଧକ୍ୟରେ ନିଃସଙ୍ଗତା ତଥା ନିଷ୍କ୍ରିୟତା ଅବସାଦ ଓ ହୃଦରୋଗର କାରଣ ବୋଲି ବହୁ ଗବେଷଣାରୁ ପ୍ରମାଣିତ ହେଲାଣି l ଅନେକେ ପ୍ରକାଶ୍ୟରେ ଏହି ଦୁଇ ସମସ୍ୟାରୁ ନିଜେ ମୁକ୍ତ ବୋଲି ଦାବୀ କରୁଥିଲେ ହେଁ ପ୍ରତ୍ୟେକେ କେତେ ପ୍ରତିଶତ ଆକ୍ରାନ୍ତ ତାହା ବ୍ୟକ୍ତିଗତସ୍ତରରେ ବେଶ ଗଣନା କରିପାରୁଥିବେ l ତେବେ ଏଭଳି ସମସ୍ୟାଗୁଡ଼ିକ ସମାଧାନ କରିବା ପାଇଁ ହାତପାଆନ୍ତାରେ ସମୟ, ଅର୍ଥ, ସାମର୍ଥ୍ୟ ଥିବାବେଳେ ସାଂଗଠନିକ ପ୍ରଚ଼େଷ୍ଟା ଅଭାବ କାରଣରୁ ଓଡ଼ିଶାରେ ବାର୍ଦ୍ଧକ୍ୟ ଅବହେଳିତ ବୋଲି କୁହାଯାଇପାରେ l ଏହି ବିଷଚ଼କ୍ର ସଂପର୍କରେ ସଚ଼େତନା ସୃଷ୍ଟି କରିବା ବୁଦ୍ଧିମାନ କାର୍ଯ୍ୟ ହେବନି କି ?

 

‘ଗ୍ରେ ଓଡ଼ିଶା’କୁ ମଠ ସଂସ୍କୃତିରୁ ଦୂରେଇ ରଖିବା l କିଏ କାହାର ଗୁରୁ ନୁହ, ସମସ୍ତେ ନିଜପାଇଁ ନିଜେ ଖର୍ଚ୍ଚ କରିବେ l ସଂବିଧାନ, ସଭ୍ୟପଦ, କର୍ମକର୍ତ୍ତା ଓ ଆର୍ଥିକ ଦେଣନେଣ ଅଭାବରେ ଏଭଳି ମଞ୍ଚକୁ ଅପାତ୍ରଙ୍କ ଅନୁପ୍ରବେଶକୁ ସାଧ୍ୟମତେ ରୋକାଯାଇ ପାରିଲେ ଏକ ସମଭାବାପନ୍ନ ଗୋଷ୍ଠୀ ଗଠନ ସଂଭବପର ହୋଇପାରିବ l ୨୦୧୭ରେ ୬୦ ବର୍ଷୋତ୍ତର ଓଡ଼ିଆ ବୁଦ୍ଧିଜୀବୀମାନେ ନିଜ ଜୀବନ କାଳରେ ବିଗତ ଅର୍ଦ୍ଧଶତାଦ୍ଦୀ ଧରି ସାମନ୍ତବାଦୀ ସାମାଜିକ ଆଙ୍ଗୀକରେ ବିତାଇଥିବା ତିକ୍ତ ଅନୁଭୂତିକୁ ଅନ୍ତତଃ ଅବସର ଜୀବନରେ ପୁନଃ ସଂକ୍ରମଣର ସମ୍ଭାବନା ପ୍ରତି ସଜାଗ ରହିବାକୁ ପଡ଼ିବ l ଏଭଳି ମଞ୍ଚରେ ଚେଲା ଓ ମହନ୍ତ ଉଭୟ ମାନସିକତାକୁ ଆକଟ କରିବାକୁ ପଡ଼ିବ l ଅତୀତରେ ଆମେ ଦେଖି ଆସିଛେ ଦପ୍ତରରେ, ବଜାରରେ, ଦଳରେ ଅସମାଜିକ ତତ୍ତ୍ୱମାନେ କେମିତି କ୍ଷଣିକ ମଧ୍ୟରେ ଏକଜୁଟ ହୋଇଯାଆନ୍ତି, ଆଜି ଭଦ୍ର ସମାଜର ଏକାଂଶ କାହିଁକି ଏକାଠି ହୋଇପାରିବେନି ?

 

ଓଡ଼ିଶାରେ ବାର୍ଦ୍ଧକ୍ୟ ଅନୁକୂଳ ସୁବିଧାସୁଯୋଗ ପ୍ରଯୋଜିତ ହେବା ଆବଶ୍ୟକ ବା ପରିଣତ ବୟସରେ ଉପନୀତ ବ୍ୟକ୍ତିବିଶେଷ ସାଂଗଠନିକ ପ୍ରକ୍ରିୟାରେ ନିଜକୁ ସାମିଲ କରି ଏ ଦିଗରେ ଉଦ୍ୟମ କରିବା ଉଚିତ – କେବଳ ଏଭଳି ସ୍ଳୋଗାନର କିଛି ଅର୍ଥ ନ ଥାଏ l ସୁଚ଼ିନ୍ତିତ କାର୍ଯ୍ୟଧାରା ପ୍ରଣୟନ ଓ ଉପଯୋଗରେ ହିଁ ସାଂଗଠନିକ ରୂପରେଖ ଅଙ୍କନ ସମ୍ଭବପର l

 

ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ନଭେମ୍ୱର ୨୦୧୭

ପ୍ରାଥମିକ କାର୍ଯ୍ୟସୂଚ଼ୀ

ସମ-ଚ଼ିନ୍ତାଧାରା-ସମ୍ପନ୍ନ ଏକ ଗୋଷ୍ଠୀ ଗଠନ ‘ଗ୍ରେ ଓଡ଼ିଶା’ ସାଂଗଠନିକ କାର୍ଯ୍ୟସୂଚ଼ୀରେ ସର୍ବ ପ୍ରଥମ ସ୍ଥାନ ଅଧିକାର କରେ l ବିକଳ୍ପ ବାର୍ଦ୍ଧକ୍ୟ ଜୀବନଚ଼ର୍ଯ୍ୟାରେ ବିଶ୍ୱାସ ରଖୁଥିବା ଓଡ଼ିଆ ଦମ୍ପତିଙ୍କ ନିକଟରେ ଏଭଳି ମଞ୍ଚ ପରିକଳ୍ପନାର ବାର୍ତ୍ତା ପହୁଞ୍ଚାଇବା ଏବଂ ମଞ୍ଚରେ ପୂର୍ବରୁ ଉପସ୍ଥିତ ବ୍ୟକ୍ତିବିଶେଷଙ୍କ ସହ ସେମାନଙ୍କ ବନ୍ଧୁତ୍ୱ ସ୍ଥାପନର ପରିବେଶ ସୃଷ୍ଟି ସମୟସାପେକ୍ଷ l କୌଣସି ବିଧିବଦ୍ଧ ଚ଼ିନ୍ତାଧାରାକୁ ପାଥେୟ କରି ‘ଗ୍ରେ ଓଡ଼ିଶା’ର କାର୍ଯ୍ୟଧାରା ନିୟନ୍ତ୍ରିତ ନ ହେଉଥିବା ଏବଂ ବହୁମତରେ ମୁକ୍ତଚ଼ିନ୍ତନ ଦୃଢ଼ୀକରଣ ଭିତ୍ତିରେ କ୍ରମବର୍ଦ୍ଧିଷ୍ଣୁ ସାଂଗଠନିକ ରୂପରେଖ ପ୍ରସ୍ତୁତିଲାଗି ଗୋଷ୍ଠୀଭୁକ୍ତ ପ୍ରତ୍ୟେକ ସଦସ୍ୟଙ୍କ ଯୋଗଦାନ ଗୁରୁତ୍ୱ ବହନ କରିବ l ପୁନଶ୍ଚ ଜୀବନର ଶେଷ ପର୍ଯ୍ୟାୟ ବିତାଇବା ନିମନ୍ତେ ସାଂଗଠନିକ ପରିଧି ରଚ଼ନା ଏକରକମ ଏକମୁହାଁ ରାସ୍ତା ପ୍ରତୀୟମାନ ହେଉଥିବା ହେତୁ ପ୍ରତ୍ୟେକ ପଦକ୍ଷେପରେ ସତର୍କତାକୁ ସ୍ୱାଭାବିକ ପ୍ରକ୍ରିୟା ରୂପେ ଗ୍ରହଣ କରିନେବାକୁ ପଡ଼ିବ l

 

ରାଜ୍ୟସ୍ତରରେ ସମଭାବାପନ୍ନ ଗୋଷ୍ଠୀ ଗଠନ ଉଦ୍ୟମରେ ବିଭିନ୍ନ ସହର ବା ପ୍ରାନ୍ତରେ ଛୋଟ ବଡ଼ ମଣ୍ଡଳୀ ବା ସର୍କଲ ଗଠନ ଆବଶ୍ୟକ l ବିଚ଼ାରବିମର୍ଷ ଚ଼ିନ୍ତନମଞ୍ଚର ମୂଳ ଉତ୍ସ l ପରସ୍ପର ମଧ୍ୟରେ ସୂଚ଼ନା, ଅଭିଜ୍ଞତା ଓ ଉପଲବ୍ଧି ବିନିମୟ ଦ୍ୱାରା ଚ଼ିନ୍ତାଧାରା ପ୍ରଭାବିତ ହୋଇଥାଏ l ସ୍ଥାନୀୟ ମଣ୍ଡଳୀରେ ଯୋଗଦାନ ତାତ୍ତ୍ୱିକ ଆଲୋଚ଼ନା ସାଙ୍ଗକୁ ସମଭାବାପନ୍ନଙ୍କ ସାନ୍ନିଧ୍ୟର ସୁଯୋଗ ସୃଷ୍ଟି କରିବ l ଉତ୍ତର-ବାର୍ଦ୍ଧକ୍ୟ ଜୀବନଚ଼ର୍ଯ୍ୟାରେ ବିକଳ୍ପ ସାମାଜିକ ଜୀବନ ଅପରିହାର୍ଯ୍ୟ ବୋଲି କଳନା କରାଯାଉଥିବା ସ୍ଥଳେ ଯଥାସଂଭବ ପସନ୍ଦ ମୁତାବକ ବ୍ୟକ୍ତିଚ଼ରିତ୍ର ଖୋଜି ବାହାର କରିବା ସର୍ବାପେକ୍ଷା ଗୁରୁତ୍ୱପୂର୍ଣ୍ଣ l ବାର୍ଦ୍ଧକ୍ୟରେ ଉପନୀତ ହେବାପରେ ଉତ୍ତର-ବାର୍ଦ୍ଧକ୍ୟ ଜୀବନଯାତ୍ରା ପାଇଁ ଅନୂକୁଳ ଭୌଗଳିକ ସ୍ଥିତି ସାଙ୍ଗକୁ ପଡ଼ୋଶୀଙ୍କ ସନ୍ଧାନକୁ ଅଗ୍ରାଧିକାର ଦିଆଯିବା ଉଚ଼ିତ l

 

ପାରମ୍ପରିକଭାବେ ଭାରତୀୟ ସାମାଜିକ ବ୍ୟବସ୍ଥାରେ ବାର୍ଦ୍ଧକ୍ୟ ଜୀବନ ଏକାନ୍ନବର୍ତ୍ତୀ ପାରିବାରିକ ପୃଷ୍ଠଭୂମିରେ ଅତିବାହିତ ହେଉଥିଲା l ଏକକ ପାରିବାରିକ ଆଙ୍ଗୀକ ବା ନ୍ୟୂକ୍ଳିୟାର ଫେମିଲି ଷ୍ଟ୍ରକଚ଼ର ପରିପ୍ରକାଶରେ ଉତ୍ତର-ବାର୍ଦ୍ଧକ୍ୟ ଦୈନନ୍ଦିନ ଜୀବନଯାତ୍ରାରେ ସହାୟତା ବା ଆସିଷ୍ଟେଡ଼ ଲିଭିଂ ସମ୍ଭବପର ନ ହୋଇପାରିବାର ନବେ ପ୍ରତିଶତ ସନ୍ଦେହ ପ୍ରକଟ ହେଉଥିବା ସ୍ଥଳେ ସେଥିଲାଗି ବିକଳ୍ପ ବ୍ୟବସ୍ଥା ଗଢ଼ି ତୋଳିବା କଥା ଚ଼ିନ୍ତା କରାଯାଉଛି l ଏହି ଅବସରରେ ବହୁ ପରିବାରଙ୍କୁ ଏକତ୍ର ସମୟ ଅତିବାହିତ କରିବା ଆବଶ୍ୟକତା ଦୃଷ୍ଟିରୁ ଯଥାସଂଭବ ସହବାସୀ ଚ଼ୟନର ସୁଯୋଗ ହାତଛଡ଼ା କରାଯାଇ ନପାରେ l ପ୍ରାରମ୍ଭିକ ଅବସ୍ଥାରେ ଏହା ଅତ୍ୟନ୍ତ ସାଧାରଣ ମନେହେଉଥିଲେହେଁ ଶେଷ ଅବସ୍ଥାରେ ଗୁରୁତ୍ୱପୂର୍ଣ୍ଣ l

 

ବାଲ୍ୟକାଳ, ଯୁବାବସ୍ଥା, ପାରିବାରିକ ତଥା ସାମାଜିକ ଜୀବନଯାପନ ପରିପ୍ରେକ୍ଷୀରେ କ୍ରମବର୍ଦ୍ଧମାନ ନୂତନ ପରିଚ଼ିତି ବାର୍ଦ୍ଧକ୍ୟରେ ଅନେକ କ୍ଷେତ୍ରରେ ସଂଖ୍ୟା ଗଣତିରେ ଅତ୍ୟଳ୍ପ ଓ ଉତ୍ତର-ବାର୍ଦ୍ଧକ୍ୟରେ ପ୍ରାୟ ଶୂନ୍ୟର ଅଭିଜ୍ଞତା ଏହି କ୍ଷେତ୍ରରେ ସତର୍କତା ଆବଶ୍ୟକ କରିଥାଏ l ଅତୀତରେ ମୁଖ୍ୟତଃ ଭୌଗଳିକ ପରିବେଶ ବନ୍ଧୁତ୍ୱ ସ୍ଥାପନର ମୂଳ ଉତ୍ସ ରୂପେ ପରିଗଣିତ ହେଉଥିବା ସ୍ଥଳେ ଆଧୁନିକ ବୈଷୟିକ ଉଦ୍ଭାବନ ବା ଟେକନୋଲଜିକାଲ ଇନୋଭେସନ୍ସ ଯୋଗେ ଭର୍ଚୁଆଲ ୱାର୍ଲଡ଼ର ପରିପ୍ରକାଶ ଫଳରେ ପରିଚ଼ୟ ଓ ସଂପର୍କ ବିସ୍ତୃତି ନିମନ୍ତେ ପରିବର୍ଦ୍ଧିତ କ୍ଷେତ୍ର ପ୍ରସ୍ତୁତ ହୋଇପାରିଛି l ଅବଶ୍ୟ ଏଭଳି ସୁବିଧା ସୁଯୋଗ ବ୍ୟବହାର ବ୍ୟକ୍ତିଗତ ରୁଚ଼ି ଓ ଦକ୍ଷତା ଉପରେ ନିର୍ଭରଶୀଳ l

 

ବାର୍ଦ୍ଧକ୍ୟ ଅନୂକୁଳ ସେବା ସାମାଜିକ ଜୀବନରେ ଆବଶ୍ୟକତା ଅନୁଯାୟୀ ପ୍ରାକୃତିକଭାବେ ଗଢ଼ି ଉଠୁଥିଲେ ହେଁ ଏ ଦିଗରେ ଚର୍ଚ୍ଚା ଓ ବିଧିବଦ୍ଧ ପ୍ରଚ଼େଷ୍ଟା ସ୍ଥାନୀୟ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିବ ବୋଲି ବିଶ୍ୱାସ କରାଯାଇପାରେ l ଉଦାହରଣରେ ରନ୍ଧା ଖାଦ୍ୟ ଗ୍ରାହକଙ୍କ ଘରେ ବିତରଣ ବ୍ୟବସ୍ଥା ବିଷୟରେ ଆଲୋଚ଼ନା କରାଯାଉ l କିଛି ବର୍ଷପୂର୍ବେ ଭୁବନେଶ୍ୱରରେ ରନ୍ଧାଖାଦ୍ୟ ବିତରଣ ବ୍ୟବସାୟ ଆରମ୍ଭ ହୋଇଥିଲା l ବର୍ତ୍ତମାନ କିଛି ବଡ଼ ସହରରେ ଅନୁରୂପ ବ୍ୟବସ୍ଥା ସଂପ୍ରସାରିତ ହୋଇଛି l ତେବେ ରାଜ୍ୟବ୍ୟାପୀ କୌଣସି ବଡ଼ ବ୍ୟାବସାୟିକ ପ୍ରତିଷ୍ଠାନ ଏଦିଗରେ ମନୋନିବେଶ କରି ନାହାନ୍ତି l ଫଳରେ ବ୍ୟବସାୟରେ ସ୍ଥାୟିତ୍ୱ କିମ୍ୱା ଖାଦ୍ୟ ଗୁଣମାନ ନିୟନ୍ତ୍ରଣ ସମ୍ଭବପର ହୋଇପାରି ନାହିଁ l ପୁଣି ବାର୍ଦ୍ଧକ୍ୟ ଉପଯୋଗୀ ଖାଦ୍ୟ ବିତରଣ କଥା ଚ଼ିନ୍ତା କରାଯାଇପାରୁନାହିଁ l ଏ କ୍ଷେତ୍ରରେ ବ୍ୟାପକ ବ୍ୟାବସାୟିକ ସୁଯୋଗ ଆଶା କରାଯାଇପାରେ l ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା ଓ ପୁରୀ ପାଞ୍ଚଗୋଟି ସହରରେ ୨୫ ଲକ୍ଷରୁ ଉର୍ଦ୍ଧ୍ୱ ଜନସଂଖ୍ୟାରେ ଅଢ଼େଇଲକ୍ଷ ବାର୍ଦ୍ଧକ୍ୟ ଓ ୨୫ ହଜାର ଉତ୍ତର-ବାର୍ଦ୍ଧକ୍ୟ ଜୀବନଯାପନ କରୁଥିବା ହିସାବ ବାର୍ଦ୍ଧକ୍ୟ ଉପଯୋଗୀ ଖାଦ୍ୟ ବିତରଣର ଷ୍ଟାର୍ଟଅପ ପ୍ରଯୋଜନା ସଫଳ ବ୍ୟାବସାୟିକ ମଡ଼େଲ ପ୍ରସ୍ତୁତିର ସୂଚ଼ନା ଦେଇଥାଏ l

 

ସେହିପରି ଉତ୍ତର-ବାର୍ଦ୍ଧକ୍ୟରେ ଶଯ୍ୟାଶାୟୀଙ୍କ ଯତ୍ନ ବା ବେଡ଼ସାଇଡ଼ ଅଟେଣ୍ଡାଣ୍ଟ୍ ବ୍ୟବସ୍ଥା ସଂପର୍କରେ ଆଲୋଚ଼ନା କରାଯାଉ l ଭୁବନେଶ୍ୱରର ଦୁଇଚ଼ାରିଗୋଟି ସଂସ୍ଥା ୨୦୧୭ ସୁଦ୍ଧା ମାସିକ ଛଅରୁ ଆଠ ହଜାର ଟଙ୍କା ମୂଲ୍ୟରେ ବେଡ଼ ସାଇଡ଼ ଅଟେଣ୍ଡାଣ୍ଟ୍ ଯୋଗାଣର ବ୍ୟବସ୍ଥା କରିଛନ୍ତି l ପ୍ରଥମେ କନ୍ଧମାଳ ଜିଲ୍ଲାରୁ ଦଳିତ ଓ ଜନଜାତି ସଂପ୍ରଦାୟର କିଛି ଝିଅଙ୍କୁ ସାମାନ୍ୟ ତାଲିମ ଦେଇ କାର୍ଯ୍ୟୋପଲକ୍ଷେ ପ୍ରସ୍ତୁତ କରାଯାଉଥିଲା l ପରେ ଭୁବନେଶ୍ୱର ଆଖପାଖ ଗ୍ରାମାଞ୍ଚଳର ଝିଅମାନଙ୍କୁ ନିୟୋଜିତ କରାଗଲା l ବେଡ଼ ସାଇଡ଼ ଆଟେଣ୍ଡାଣ୍ଟ୍ ଙ୍କ  ଚ଼ାହିଦା ବଢୁଥିବା କାରଣରୁ ରାଜ୍ୟବ୍ୟାପୀ ପ୍ରାର୍ଥୀନୀ ସଂଗ୍ରହ ଓ ତାଲିମ ନିମନ୍ତେ ଉଦ୍ୟମ ହେଉଥିବା ସୂଚ଼ନା ମିଳୁଛି l ଏଭଳି ସାମାଜିକ ସେବା ଉଦ୍ୟୋଗୀମାନଙ୍କୁ ବାର୍ଦ୍ଧକ୍ୟ କଲ୍ୟାଣ ସଂଗଠନଗୁଡ଼ିକ ପକ୍ଷରୁ ସହଯୋଗ ଓ ପ୍ରୋତ୍ସାହନ ଦିଆଯାଇପାରିଲେ ସେଗୁଡ଼ିକର ବ୍ୟାବସାୟିକ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିବ ଏବଂ କ୍ରମଶଃ ଅନ୍ୟ ସହରଗୁଡ଼ିକୁ ପରିବ୍ୟାପ୍ତିର ରାସ୍ତା ଉନ୍ନୁକ୍ତ ହେବ l ସରକାରୀସ୍ତରରେ ଘରୋଇ ସହାୟକ ବା ଡୋମେଷ୍ଟିକ୍ ହେଲପ୍ ପ୍ରଥାକୁ ସ୍ୱୀକୃତି ଦିଆଯାଇ ଯୋଗାଣକାରୀ ଏଜେନ୍ସି, ସର୍ବନିମ୍ନ ମଜୁରି ଓ କାର୍ଯ୍ୟ ସର୍ତ୍ତାବଳୀ ଇତ୍ୟାଦି ସଂପର୍କରେ ଆଇନ ପ୍ରଣୟନ ଦିଗରେ ଉଦ୍ୟମ ଚ଼ାଲିଥିବା ଅବସରରେ ବେଡ଼ ସାଇଡ଼ ଏଟେଣ୍ଡାଣ୍ଟ୍ କ୍ଷେତ୍ରରେ ଗ୍ରାହକ ଅନୁକୂଳ ସର୍ତ୍ତ ଆରୋପ ଲାଗି ଚ଼ାପ ପ୍ରୟୋଗ ଆବଶ୍ୟକ l

 

ବାର୍ଦ୍ଧକ୍ୟ ଓ ଉତ୍ତର-ବାର୍ଦ୍ଧକ୍ୟରେ ସୁରକ୍ଷା ଭିତ୍ତିଭୂମି ଆୟୋଜନ କ୍ଷେତ୍ରରେ ମଧ୍ୟ ପ୍ରସ୍ତୁତି ଆବଶ୍ୟକ l କ୍ଳୋଜ ସର୍କିଟ ଟେଲିଭିଜନ ସ୍ଥାପନ ବା ଆଲାର୍ମ ବ୍ୟବସ୍ଥା ଭଳି କାରିଗରୀ କୌଶଳ ଉପଯୋଗ, ସେଗୁଡ଼ିକର ତତ୍ତ୍ୱବଧାନ ତଥା ଘରୋଇ ଓ ପୋଲିସସ୍ତରରେ ନିରନ୍ତର ପର୍ଯ୍ୟବେକ୍ଷଣ ବ୍ୟବସ୍ଥା ଗଢ଼ି ତୋଳିବା ନିମନ୍ତେ ରାଜ୍ୟର ବିଭିନ୍ନ ସହରରେ ‘ଗ୍ରେ ଓଡ଼ିଶା’ ସର୍କଲଗୁଡ଼ିକ ପକ୍ଷରୁ ସଚ଼େତନତା ସୃଷ୍ଟି ଏଭଳି କାର୍ଯ୍ୟଧାରାକୁ ତ୍ୱରାନ୍ୱିତ କରିପାରେ l

 

ଠିକ ସେହିପରି ପ୍ରମୁଖ ରାଜ୍ୟର ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନଗୁଡ଼ିକ ସହ ଅଗ୍ରୀମ ବୁଝାମଣାଭିତ୍ତିରେ ଆପାତକାଳୀନ ଚ଼ିକିତ୍ସା ଲାଗି ମାର୍ଗ ପ୍ରସ୍ତୁତି, ବ୍ୟାଙ୍କ ଜନିତ ଆର୍ଥିକ କାରବାରରେ ବାର୍ଦ୍ଧକ୍ୟ ଅନୁକୂଳ ସହଯୋଗିତା, ସ୍ଥାନୀୟ ଲଣ୍ଡ୍ରି, ବାରବର ତଥା ଗ୍ରୋସରି ଭଳି ବ୍ୟାବସାୟିକ ସଂସ୍ଥାଗୁଡ଼ିକ ସହ ଗୋଷ୍ଠୀଭିତ୍ତିକ ଚୁକ୍ତି ସେବା ଯୋଗାଣ ମାନବୃଦ୍ଧିରେ ସହାୟକ ହୋଇପାରିବ l

 

ଉତ୍ତର-ବାର୍ଦ୍ଧକ୍ୟରେ ପୁନର୍ବାସନଠାରୁ ଆରମ୍ଭ କରି ବହୁବିଧ ପ୍ରସଙ୍ଗ ସୁବିସୃତ ଆଲୋଚ଼ନା ଆବଶ୍ୟକ କରେ l ରାଜ୍ୟର ବିଭିନ୍ନ ସହରରେ ବାର୍ଦ୍ଧକ୍ୟ ଅନୁକୂଳ ପରିବେଶ ସୃଷ୍ଟି ଦିଗରେ ବୃଦ୍ଧଜନଙ୍କ ସଂଗଠନଗୁଡ଼ିକପକ୍ଷରୁ ଉଦ୍ୟମ କରାଯିବା ଆବଶ୍ୟକ ଏବଂ ଏହି କ୍ଷେତ୍ରରେ ଅବହେଳାର ପରିଣାମ ସେଠାକାର ବାସିନ୍ଦାମାନଙ୍କୁ ଭୋଗିବାକୁ ପଡ଼ିବ l ‘ଗ୍ରେ ଓଡ଼ିଶା’ର ସହରଭିତ୍ତିକ ମଣ୍ଡଳୀମାନ ଏହି ତତ୍ତ୍ୱ ହୃଦୟଙ୍ଗମ କରି ସାମାନ୍ୟ ଉଦ୍ୟମ ଆରମ୍ଭ କରିବା ଜରୁରୀ l ତେବେ ଏଭଳି ଉଦ୍ୟମ କ’ଣ ହୋଇପାରେ ତାହା ସମଭାବାପନ୍ନ ଆଲୋଚ଼ନା ମାଧ୍ୟମରେ ସ୍ଥିର କରି ପ୍ରଣୟନ କରିପାରିବେ l ଏହାକୁ ହିଁ ‘ଗ୍ରେ ଓଡ଼ିଶା’ର ପ୍ରାଥମିକ କାର୍ଯ୍ୟସୂଚ଼ୀ ରୂପେ ବିବେଚନା କରାଯାଇପାରେ l

 

ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧୫ ନଭେମ୍ୱର ୨୦୧୭

ସୁସ୍ଥ ବାର୍ଦ୍ଧକ୍ୟ ଦଶନ୍ଧି ୨୦୨୧- ୩୦

ମିଳିତ ଜାତିସଂଘ ଆନୁକୂଲ୍ୟରେ ବିଶ୍ୱବ୍ୟାପୀ ବୃଦ୍ଧଜନଙ୍କ କଲ୍ୟାଣ ଆଧାରିତ ସମୁଚିତ ଲକ୍ଷ୍ୟଭିତ୍ତିକ ଯୋଜନା ପ୍ରଣୟନାର୍ଥେ ୨୦୨୧ ରୁ ୨୦୩୦ ଦଶବର୍ଷ ବ୍ୟାପୀ ସୁସ୍ଥ ବାର୍ଦ୍ଧକ୍ୟ ଦଶନ୍ଧି ଘୋଷଣା କରାଯାଇଛି । ଏଥିନିମନ୍ତେ ୧୪ ଡ଼ିସେମ୍ୱର ୨୦୨୦ରେ ଆହୂତ ୭୩ତମ ସାଧାରଣ ପରିଷଦ ବୈଠକରେ ବିଧିବଦ୍ଧ ପ୍ରସ୍ତାବ ଗୃହୀତ ହୋଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଆୟୋଜନ ଦାୟିତ୍ୱ ସମର୍ପିତ ହୋଇଥିଲା । ଜାତିସଂଘ ଜନସଂଖ୍ୟା ପାଣ୍ଠି, ମାନବାଧିକାର, ପରିବେଶ, ମହିଳା ଓ ବିଶ୍ୱବ୍ୟାଙ୍କ ଇତ୍ୟାଦି ଶାଖା ଅଭିଯାନରେ ସହଯୋଗ କରିବେ ।

 

ବିଶ୍ୱରେ ୨୦୧୯ ସୁଦ୍ଧା ବୃଦ୍ଧଜନ ସଂଖ୍ୟା ଶହେ କୋଟିରେ ପହଞ୍ଚିଥିଲା । ବର୍ଦ୍ଧିତ ପରମାୟୁ କାରଣରୁ ବୃଦ୍ଧଜନ ସଂଖ୍ୟା ନିରନ୍ତର ବୃଦ୍ଧି ପାଉଥିବା ତଥା ସମ୍ଭାବ୍ୟ ଭବିଷ୍ୟତରେ ଅଭିବୃଦ୍ଧି ବଳବତ୍ତର ରହିବା ଆକଳନ କରାଯାଇଥାଏ । ଅଥଚ଼ ବାର୍ଦ୍ଧକ୍ୟଭିତ୍ତିକ ଭିତ୍ତିଭୂମି ପ୍ରସ୍ତୁତି ଓ କଲ୍ୟାଣମୂଳକ କାର୍ଯ୍ୟକ୍ରମ ରୂପାୟନ କ୍ଷେତ୍ରରେ ସଂଖ୍ୟାଧିକ ରାଷ୍ଟ୍ରରେ ଆଶା ଅନୁରୂପ ଉଦ୍ୟମ ଅଭାବ ପରିଲକ୍ଷିତ । ମୁଖ୍ୟତଃ ନିମ୍ନ ଓ ମଧ୍ୟମ ଆୟକାରୀ ରାଷ୍ଟ୍ରଗୁଡ଼ିକରେ ବାର୍ଦ୍ଧକ୍ୟ ଅନୁକୂଳ ସୁବିଧାସୁଯୋଗ ଦୃଷ୍ଟିରୁ ଅବହେଳିତ ।

 

ପ୍ରତି ରାଷ୍ଟ୍ରରେ ପ୍ରତ୍ୟେକ ବ୍ୟକ୍ତି ଦୀର୍ଘ ଜୀବନଯାପନ ସୁଯୋଗ ଗ୍ରହଣ ନିମନ୍ତେ ହକଦାର । କିନ୍ତୁ ବିଭିନ୍ନ ପାରିପାର୍ଶ୍ୱିକ ପରିସ୍ଥିତି ଏଥିରେ ଅନ୍ତରାୟ ସାଜିଥାଏ । ପ୍ରଦୂଷଣ, ହିଂସା ଭଳି କାରଣରୁ ସ୍ୱାସ୍ଥ୍ୟହାନୀର ସମ୍ଭାବନା ଉପୁଜୁଥିବା ସ୍ଥଳେ ବାର୍ଦ୍ଧକ୍ୟ ଅନୁକୂଳ ସ୍ୱାସ୍ଥ୍ୟସେବା ଓ ସାମାଜିକ ଯତ୍ନ ଅଭାବ ଅନୁଭୂତ ହୋଇଥାଏ । ସ୍ୱାସ୍ଥ୍ୟରକ୍ଷା ସାଙ୍ଗକୁ ଜୀବନଯାପନ ନିମନ୍ତେ ଅନ୍ୟାନ୍ୟ ମୌଳିକ ଆବଶ୍ୟକତା ପୂରଣ, ଚଳପ୍ରଚଳ କ୍ଷମତା, ଅନ୍ୟମାନଙ୍କ ସହ ସଂପର୍କ ସ୍ଥାପନ, ବିଭିନ୍ନ ବିଷୟରେ ଅବଗତ ହୋଇ ନିଷ୍ପତ୍ତି ଗ୍ରହଣ କ୍ଷମତା ତଥା ସାମାଜିକ ଦାୟିତ୍ୱ ପରିପାଳନ ଇତ୍ୟାଦି କାର୍ଯ୍ୟକାରୀ ଦକ୍ଷତା ଫଙ୍କସନାଲ ଏବିଲିଟି ବଜାୟ ରଖିବା ସୁସ୍ଥ ବାର୍ଦ୍ଧକ୍ୟର ପରିଚାୟକ ।

 

ସମାଜରେ ବରିଷ୍ଠ ନାଗରିକ ଅନୁକୂଳ ନୀତିନିର୍ଦ୍ଧାରଣରେ ସ୍ଥାନୀୟ ଶ୍ରମ ଓ ଅର୍ଥନୀତି ସାଙ୍ଗକୁ ଆବାସ, ବୟସ୍କଙ୍କ ଲାଗି ଦୀର୍ଘକାଳୀନ ଯତ୍ନ, ସାମାଜିକ ସୁରକ୍ଷା ଓ ସୂଚ଼ନା ସରବରାହ ଇତ୍ୟାଦି କ୍ଷେତ୍ରରେ ସମୟକ୍ରମେ ନୂତନ ସମୀକରଣ ସୂତ୍ରପାତ କରାଇଥାଏ । ସୁସ୍ଥ ବାର୍ଦ୍ଧକ୍ୟ ଦଶନ୍ଧିରେ ବରିଷ୍ଠ ନାଗରିକଙ୍କ ପ୍ରତି ସାମାଜିକ ଦୃଷ୍ଟିକୋଣ ପରିବର୍ତ୍ତନ ନିମନ୍ତେ ଗୁରୁତ୍ୱ ଆରୋପ କରାଯିବ । ବୟସ୍କମାନେ ଜନଜୀବନର ମୁଖ୍ୟସ୍ରୋତରେ କାର୍ଯ୍ୟକ୍ଷମ ରହି ବିଭିନ୍ନ କ୍ଷେତ୍ରରେ ଅଭିବୃଦ୍ଧିରେ ଅଂଶଗ୍ରହଣ ଲାଗି ପରିବେଶ ସୃଷ୍ଟିଲାଗି ଉଦ୍ୟମ ଆୟୋଜନ ଲକ୍ଷ୍ୟଧାର୍ଯ୍ୟ ହୋଇଛି ।

 

ଜାତିସଂଘ ପକ୍ଷରୁ ଆନ୍ତର୍ଜାତିକସ୍ତରରେ ବରିଷ୍ଠ ନାଗରିକଙ୍କ ଜୀବନଧାରଣର ମାନବୃଦ୍ଧି ନିମନ୍ତେ ଦୀର୍ଘ ଅତୀତରୁ ଯୋଜନାମାନ ପ୍ରଣୀତ ହୋଇଆସିଛି । ଏଥିରେ ସଦସ୍ୟଭୁକ୍ତ ରାଷ୍ଟ୍ରଗୁଡ଼ିକ ଯୋଗଦାନ କରିଥାନ୍ତି । ଏକବିଂଶ ଶତାଦ୍ଦୀ ଆରମ୍ଭ ୨୦୦୨ରୁ କର୍ମମୁଖର ବାର୍ଦ୍ଧକ୍ୟ ନୀତି ନିର୍ଦ୍ଧାରିତ ହୋଇ ବରିଷ୍ଠ ନାଗରିକମାନେ କିପରି ନିଜ ଅବସର ଜୀବନ ସାଧ୍ୟମତେ ବିଭିନ୍ନ କର୍ମସଂପୃକ୍ତିରେ ବିତାଇ ପାରିବେ ସେଦିଗରେ ଚେତନା ପ୍ରସାର ଓ ସୁବିଧା ସୁଯୋଗ ସୃଷ୍ଟିରେ ମନୋନିବେଶ କରାଯାଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ୨୦୧୫ରୁ ୨୦୩୦ ମଧ୍ୟରେ ଶାରିରୀକ, ମାନସିକ ଓ ପାରିପାର୍ଶିକ ସ୍ତରରେ ସୁସ୍ଥ ବାର୍ଦ୍ଧକ୍ୟ ଅନୁକୂଳ ନୀତି ପ୍ରଣୟନ ନିମନ୍ତେ ଅଭିଯାନ କାର୍ଯ୍ୟକ୍ଷମ ରହିଛି ।

 

ସମୟକ୍ରମେ ବାର୍ଦ୍ଧକ୍ୟ କଲ୍ୟାଣ ପ୍ରତି ଗୁରୁତ୍ୱ ଦିଆଯିବା ବିଭିନ୍ନ କାରଣ ମଧ୍ୟରେ ବିଶ୍ୱବ୍ୟାପୀ ବୃଦ୍ଧ ଜନସଂଖ୍ୟା ବୃଦ୍ଧି ପ୍ରଧାନ । ଜନସଂଖ୍ୟା ପରିସଂଖ୍ୟାନ ଅନୁଯାୟୀ ୨୦୧୯ରେ ୬୦ ବର୍ଷରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକଙ୍କ ସଂଖ୍ୟା ୧୦୦ କୋଟି ଗଣିତ କରାଯାଇଥିବା ସ୍ଥଳେ ୨୦୩୦ରେ ୧୪୦ କୋଟି ଏବଂ ୨୦୫୦ରେ ୨୧୦ କୋଟିରେ ପହଞ୍ଚିବା ଆକଳନ କରାଯାଏ । ସମାଜର ଏକ ବୃହତ ଭାଗ ଜନସଂଖ୍ୟା ବାର୍ଦ୍ଧକ୍ୟରେ ଉପନୀତ ହେଉଥିବା ହେତୁ ସାମଗ୍ରୀକ ବିକାଶ କାଳରେ ବୟସଭିତ୍ତିକ ନୀତିନିର୍ଦ୍ଧାରଣ ଜରୁରୀ ।

 

ଦ୍ୱିତୀୟତଃ, ବିକଶିତ ତୁଳନାରେ ବିକାଶଶୀଳ ରାଷ୍ଟ୍ରଗୁଡ଼ିକରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ଅଧିକ । ଆନ୍ତର୍ଜାତିକସ୍ତରରେ ବରିଷ୍ଠ ନାଗରିକଙ୍କ ମଧ୍ୟରୁ ୨୦୧୯ ସୁଦ୍ଧା ୩୭ ପ୍ରତିଶତ ପୂର୍ବ ଓ ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ରଗୁଡ଼ିକରେ ବସବାସ କରୁଥିବା ସ୍ଥଳେ ୨୬ ପ୍ରତିଶତ ୟୁରୋପ ଓ ଉତ୍ତର ଆମେରିକା, ୧୮ ପ୍ରତିଶତ ମଧ୍ୟ ଓ ଦକ୍ଷିଣ ଏସିଆ, ୮ ପ୍ରତିଶତ ଲାଟିନ ଆମେରିକା ଓ କାରାବିଆନ ତଥା ୫ ପ୍ରତିଶତ ଆଫ୍ରିକାରେ ବସବାସ କରୁଥିଲେ । ହିସାବ ଅନୁଯାୟୀ ୨୦୫୦ ସୁଦ୍ଧା ବିକାଶଶୀଳ ରାଷ୍ଟ୍ରଗୁଡ଼ିକରେ ବିଶ୍ୱରେ ୮୦ ପ୍ରତିଶତ ବୟସ୍କଙ୍କୁ ଚ଼ିହ୍ନଟ କରାଯିବ ।

 

ତୃତୀୟତଃ, ଶିଶୁଙ୍କ ତୁଳନାରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ବୃଦ୍ଧି ପାଇଚାଲିଛି । ଆନ୍ତର୍ଜାତିକସ୍ତରରେ ପ୍ରଥମ ଥର ପାଇଁ ୨୦୨୦ରେ ପାଞ୍ଚ ବର୍ଷରୁ କମ ଶିଶୁଙ୍କ ତୁଳନାରେ ୬୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କଙ୍କ ସଂଖ୍ୟା ଟପି ଯାଇଛି । ଜନସଂଖ୍ୟା ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ ୨୦୫୦ ସୁଦ୍ଧା ପାଞ୍ଚ ବର୍ଷରୁ କମ ଶିଶୁଙ୍କଠାରୁ ଦୁଇଗୁଣ ୬୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ବସବାସ କରୁଥିବେ । ସେମାନଙ୍କ ସଂଖ୍ୟା ୧୫ରୁ ୨୪ ବର୍ଷ ବୟସ୍କ ଯୁବବର୍ଗଙ୍କ ଠାରୁ ମଧ୍ୟ ଅଧିକା ରହିବ ।

 

ଚ଼ତୁର୍ଥତଃ, ପୁରୁଷମାନଙ୍କ ତୁଳନାରେ ମହିଳାମାନଙ୍କ ଜୀବଦ୍ଦଶା ଅଧିକ । ବରିଷ୍ଠ ନାଗରିକଙ୍କ ମଧ୍ୟରେ ୨୦୧୭ରେ ୬୦ ବର୍ଷରୁ ଉର୍ଦ୍ଧ୍ୱ ୫୪ ପ୍ରତିଶତ ଏବଂ ୮୦ ବର୍ଷରୁ ଉର୍ଦ୍ଧ୍ୱ ୬୧ ପ୍ରତିଶତ ମହିଳା ରହିଥିଲେ । ମହିଳାଙ୍କ ଜୀବଦ୍ଦଶା ୨୦୨୦ରୁ ୨୦୨୫ ପାଞ୍ଚବର୍ଷ ମଧ୍ୟରେ ପ୍ରାୟ ତିନି ବର୍ଷ ଯାଏଁ ବୃଦ୍ଧି ପାଇବା ଆଶା କରାଯାଉଛି ।

 

ପଞ୍ଚମତଃ, ମୋଟାମୋଟି ଭାବେ ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ୨୦୧୭ରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ହାରାହାରି ଆଠ ଜଣରେ ଜଣେ ଥିବା ସ୍ଥଳେ ୨୦୩୦ରେ ଛଅ ଜଣରେ ଜଣେ ଏବଂ ୨୦୫୦ରେ ପାଞ୍ଚ ଜଣରେ ଜଣକସ୍ତରକୁ ବୃଦ୍ଧି ପାଇବ ।

 

ଅପରପକ୍ଷେ ଗବେଷଣାଲବ୍ଧ ତଥ୍ୟାବଳୀରୁ ଜଣାଯାଏ ଯେ ବୃଦ୍ଧଜନ ସଂଖ୍ୟା ଓ ଜୀବଦ୍ଦଶା ବୃଦ୍ଧି ପାଉଥିଲେ ହେଁ ପୂର୍ବଜମାନଙ୍କ ତୁଳନାରେ ସମସାମୟିକ ବରିଷ୍ଠ ନାଗରିକଙ୍କ ସ୍ୱସ୍ଥ୍ୟାବସ୍ଥାରେ ବିଶେଷ ଉନ୍ନତି ଘଟି ନାହିଁ । ଚିକିତ୍ସାଜନିତ ସୁବିଧା ସୁଯୋଗ କ୍ଷେତ୍ରରେ ଅଗ୍ରଗତି ହୋଇଛି ସତ, ତେବେ ବାର୍ଦ୍ଧକ୍ୟରେ ଭଗ୍ନସ୍ୱାସ୍ଥ୍ୟରୁ ନିସ୍ତାର ନାହିଁ ।

 

ଏତଦ୍ ବ୍ୟତୀତ ବିକଶିତ ଓ ବିକାଶଶୀଳ ତଥା ଶିକ୍ଷିତ-ଅର୍ଥନୀତି ଦୃଷ୍ଟିରୁ ସ୍ୱଚ୍ଛଳ ଓ ଅଳ୍ପଶିକ୍ଷିତ-ଅର୍ଥନୀତି ଦୃଷ୍ଟିରୁ ଅବହେଳିତଙ୍କ ମଧ୍ୟରେ ଜୀବଦ୍ଦଶାରେ ପୁରୁଷମାନଙ୍କ କ୍ଷେତ୍ରରେ ସାତବର୍ଷ ଛଅମାସ ଏବଂ ମହିଳାମାନଙ୍କ କ୍ଷେତ୍ରରେ ଚାରିବର୍ଷ ସାତମାସ ଯାଏଁ ତାରତମ୍ୟ ଦେଖିବାକୁ ମିଳିଥାଏ । ଅନ୍ୟ ଏକ ହିସାବରେ ୨୦୨୦ ସୁଦ୍ଧା ୬୦ ବର୍ଷ ବୟସରେ ପଦାର୍ପଣ କରିଥିବା ସ୍ୱଚ୍ଛଳବର୍ଗ ୩୧ ବର୍ଷ ବାର୍ଦ୍ଧକ୍ୟ ଜୀବନ ଉପଭୋଗ କରିବା ପୂର୍ବାନୁମାନ କରାଯାଉଥିବା ସ୍ଥଳେ ଅବହେଳିତବର୍ଗଙ୍କ ମଧ୍ୟରେ ୧୧ ବର୍ଷରେ ସୀମିତ ।

 

ବରିଷ୍ଠ ନାଗରିକ ଜନସଂଖ୍ୟା ବୃଦ୍ଧି ପାଇଚାଲିଥିବା, ବିକଶିତ ତୁଳନାରେ ବିକାଶଶୀଳ ସାମାଜିକ ବ୍ୟବସ୍ଥାରେ ଅଧିକ ସଂଖ୍ୟକ ବୟସ୍କ ବସବାସ କରୁଥିବା ଓ ଉତ୍ତର-ବାର୍ଦ୍ଧକ୍ୟରେ ଭଗ୍ନ ସ୍ୱାସ୍ଥ୍ୟ ହାର ପୂର୍ବ ତୁଳନାରେ ହ୍ରାସ ପାଉନଥିବା ତଥ୍ୟ ଆଧାରରେ ଭାରତ ଭଳି ରାଷ୍ଟ୍ରରେ ବାର୍ଦ୍ଧକ୍ୟ ଅନୁକୂଳ ନୀତିନିର୍ଦ୍ଧାରଣ ଜରୁରି ଆବଶ୍ୟକତାରେ ପରିଣତ ହୋଇଛି । ଏଠାରେ ୨୦୨୦ ସୁଦ୍ଧା ବୟସ୍କଙ୍କ ସଂଖ୍ୟା ସମଗ୍ର ଜନସଂଖ୍ୟାର ଦଶ ପ୍ରତିଶତରୁ ଅଧିକ ରହିଥିବା ତଥା ଆଗାମୀ ତିନି ଦଶନ୍ଧି ମଧ୍ୟରେ କୋଡ଼ିଏ ପ୍ରତିଶତ ମୁହାଁ ହେଉଥିବା ସ୍ଥଳେ ଜାତିସଂଘ ପ୍ରବର୍ତ୍ତିତ ସୁସ୍ଥ ବାର୍ଦ୍ଧକ୍ୟ ଦଶନ୍ଧି ୨୦୨୧-୩୦ର ସଫଳ ରୂପାୟନ ପ୍ରାଥମିକତା ଦାବୀ କରେ ।

 

ସମାଜର ଏକ କ୍ରମବର୍ଦ୍ଧମାନ ଅଂଶଙ୍କ ଶାରିରୀକ ଓ ମାନସିକସ୍ତରରେ ସୁସ୍ଥତା ଏବଂ ସେମାନଙ୍କ ଅଭିଜ୍ଞତା ଓ ଦକ୍ଷତା ରାଷ୍ଟ୍ରୀୟ ଅଭିବୃଦ୍ଧିରେ ବିନିଯୋଗ କରାଯାଇ ପାରିଲେ ଉଭୟ ବୟସ୍କବର୍ଗ ଓ ସମାଜ ଉପକୃତ ହେବା ସଂଭବ । ଅପରପକ୍ଷେ ବରିଷ୍ଠ ନାଗରିକଗଣ ରୋଗାକ୍ରାନ୍ତ ଓ ଭରାକ୍ରାନ୍ତ ମାନସିକ ପରିଧିରେ ଜୀବନଚର୍ଯ୍ୟା ତଥା ନିର୍ଭରଶୀଳ ଜୀବନଯାପନ କଲେ ବ୍ୟକ୍ତିଗତ ଓ ସାମାଜିକସ୍ତରରେ ବୋଝ ପାଲଟି ଯାଆନ୍ତି ଏବଂ ବୃଦ୍ଧଜନସଂଖ୍ୟା ଓ ଜୀବଦ୍ଦଶା ବୃଦ୍ଧି କାରଣରୁ ବୋଝର ଓଜନ ବଢ଼ିଚାଲେ । ଏହି ପରିବେଶର ନିରାକରଣ ଦିଗରେ ବ୍ୟକ୍ତିଗତ, ପାରିବାରିକ, ସାମାଜିକ ଓ ରାଷ୍ଟ୍ରୀୟ ତଥା ଅର୍ନ୍ତରାଷ୍ଟ୍ରୀୟସ୍ତରରେ ଉଦ୍ୟମ ସ୍ୱାଗତଯୋଗ୍ୟ ପଦକ୍ଷେପ ।

 

ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଜାନୁୟାରୀ ୨୦୨


ତଥ୍ୟ:

 

The Decade of Healthy Ageing : A new UN-wide initiative. December 14, 2020

 

https://www.who.int/news/item/14-12-2020-decade-of-healthy-ageing-a-new-un-wide-initiative

 

Decade of Healthy Ageing 2021-2030.

 

https://www.who.int/initiatives/decade-of-healthy-ageing

 

Ageing: Healthy ageing and functional ability. October 26, 2020.

 

https://www.who.int/westernpacific/news/q-a-detail/ageing-healthy-ageing-and-functional-ability