ବାର୍ଦ୍ଧକ୍ୟ ଜୀବନଚ଼ର୍ଯ୍ୟା

ବାର୍ଦ୍ଧକ୍ୟରେ ଇନ୍ଦ୍ରିୟ ଦକ୍ଷତାହାନୀ

ବାର୍ଦ୍ଧକ୍ୟରେ ଶାରିରୀକ ଦୁର୍ବଳତା ଓ ଅଙ୍ଗପ୍ରତ୍ୟଙ୍ଗର କାର୍ଯ୍ୟଦକ୍ଷତା ହ୍ରାସ ସର୍ବଜନ ବିଦିତ । ମନୁଷ୍ୟ ୭୦ ରୁ ୧୦୦ ବର୍ଷ ବୟସ ସୀମାରେ ସାମୁହିକଭାବେ କେତେ ପରିମାଣରେ ଇନ୍ଦ୍ରିୟ ଦକ୍ଷତା ହାନୀ ସମ୍ମୁଖୀନ ହୋଇଥାଏ ଏବଂ ଜୀବନଚ଼ର୍ଯ୍ୟାରେ କେଉଁ ଧରଣର ପ୍ରଭାବ ପଡ଼ିଥାଏ ତାହାର ଅନୁସନ୍ଧାନଲାଗି ଗବେଷଣା ଆୟୋଜନ କରାଯାଇଛି । ସେଥିମଧ୍ୟରେ ଦି ବର୍ଲିନ ଏଜିଂ ଷ୍ଟଡ଼ି ଅନ୍ୟତମ । ବ୍ରିଟେନର କେମ୍ୱ୍ରିଜ ବିଶ୍ୱବିଦ୍ୟାଳୟର ବର୍ଲିନ ବ୍ରାଣ୍ଡ-ଏନ-ବର୍ଗ ଏକାଡ଼େମୀ ଅଫ ସାଇନ୍ସେସ ଆନୁକୂଲ୍ୟରେ ଅଧ୍ୟୟନର ବିବରଣୀ ୧୯୯୯ରେ ପ୍ରକାଶିତ ।

 

ଆଲୋଚ଼୍ୟ ଗବେଷଣା ବର୍ଲିନ ନଗରୀ ମିଶ୍ରଣ ପୂର୍ବାବସ୍ଥାରେ ମେ ୧୯୯୦ ରୁ ଜୁନ ୧୯୯୩ ତିନି ବର୍ଷ ଧରି ଆୟୋଜନ କରାଯାଇଥିଲା । ତତକାଳୀନ ପଶ୍ଚିମ ବର୍ଲିନର ୫୧୬ ଜଣ ୭୦ ରୁ ୧୦୦ ବର୍ଷ ବୟସ୍କ ବୃଦ୍ଧଜନ ଏଥିରେ ସାମିଲ ହୋଇଥିଲେ । ସିଟି ରେଜିଷ୍ଟାରରୁ ରେଣ୍ଡମ ସାମ୍ପଲିଂ ପଦ୍ଧତି ଉପଯୋଗରେ ଚ଼ିହ୍ନଟ କରାଯାଇଥିବା ନମୂନା ନାଗରିକଙ୍କୁ ୭୦ ରୁ ୭୪ ବର୍ଷ, ୭୫ ରୁ ୭୯ ବର୍ଷ, ୮୦ ରୁ ୮୪ ବର୍ଷ, ୮୫ ରୁ ୮୯ ବର୍ଷ, ୯୦ ରୁ ୯୪ ବର୍ଷ ଓ ୯୫ ବର୍ଷୋତ୍ତର ଛଅଗୋଟି ବର୍ଗରେ ବିଭକ୍ତ କରାଯାଇ ୧୪ ଗୋଟି ଅଧିବେଶନରେ ସେମାନଙ୍କ ଶାରିରୀକ, ମାନସିକ, ସାମାଜିକ ଓ ଅର୍ଥନୀତିକ ତଥ୍ୟ ସଂଗ୍ରହ କରାଯାଇଥିଲା ।

 

ସାଧାରଣତଃ ମନୁଷ୍ୟ ଶରୀରରେ ପାଞ୍ଚଗୋଟି ଇନ୍ଦ୍ରିୟ ସଂବେଦକ ସେନସରି ବିଚାରରେ ଦୃଷ୍ଟି, ଶ୍ରବଣ, ସ୍ୱାଦ, ସ୍ୱର୍ଶ ଓ ଆଘ୍ରାଣକୁ ଗୁରୁତ୍ୱ ପ୍ରଦାନ କରାଯାଏ । ଦି ବର୍ଲିନ ଏଜିଂ ଷ୍ଟଡ଼ିରେ ସେଥିମଧ୍ୟରୁ ଦୃଷ୍ଟି, ଶ୍ରବଣ ଓ ଭାରସାମ୍ୟ ବାଲାନ୍ସର ପ୍ରଭାବ ସଂପର୍କରେ ପାଉଲ ବାଲଟେସ ଓ ସହଯୋଗୀଙ୍କ ଦ୍ୱାରା ସର୍ବେକ୍ଷଣ ଆୟୋଜିତ ହୋଇଥିଲା । ଏହାର ନିଷ୍କର୍ଷ ଏକ ସ୍ୱତନ୍ତ୍ର ଅଧ୍ୟାୟରେ ବର୍ଣ୍ଣିତ । ମନୁଷ୍ୟର ୭୦ ବର୍ଷରୁ ୧୦୦ ବର୍ଷ ଯାଏଁ ଜୀବନଚ଼ର୍ଯ୍ୟା ସଂପର୍କରେ ତଥ୍ୟ ସଂଗ୍ରହ କାଳରେ ଜଣାଯାଇଥିଲା ଯେ ଜୀବନର ପ୍ରତି ଦଶନ୍ଧିରେ ଉଲ୍ଲେଖଯୋଗ୍ୟ ପରିମାଣରେ ଦୃଷ୍ଟିଶକ୍ତି କ୍ଷୟ ସ୍ୱାଭାବିକ । ଦୃଷ୍ଟିଶକ୍ତି ପରିଚାଳନା ନିମନ୍ତେ ବିକଶିତ ରାଷ୍ଟ୍ରଗୁଡ଼ିକରେ ୯୬ ପ୍ରତିଶତ ପଠନ ଚ଼ଷମା ରିଡ଼ିଂଗ୍ଳାସ ଓ ୭୫ ପ୍ରତିଶତ ଦୂରତ୍ୱ ଚଷମା ଡ଼ିଷ୍ଟେନ୍ସ ଗ୍ଳାସ ବ୍ୟବହାର କରିଥାନ୍ତି । ବାର୍ଦ୍ଧକ୍ୟଗ୍ରସ୍ତ ୭୦ ରୁ ୧୦୦ ବର୍ଷ ବୟସ୍କଙ୍କ ମଧ୍ୟରେ ୧୧ ପ୍ରତିଶତ ଅନ୍ତତଃ ପକ୍ଷେ ଥରେ ଚକ୍ଷୁ ଚ଼ିକିତ୍ସା ନିମନ୍ତେ ଅସ୍ତ୍ରୋପଚାର ସମ୍ମୁଖୀନ ହୋଇଥାନ୍ତି ।

 

ଲିଙ୍ଗଗତ ବିଭେଦରେ ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କ ଦୃଷ୍ଟିଶକ୍ତି ହ୍ରାସର ପରିମାଣ ଅଧିକ ଥିବା ସ୍ଥଳେ ଶ୍ରବଣ ସମସ୍ୟାରେ ମହିଳାମାନଙ୍କ ତୁଳନାରେ ପୁରୁଷଙ୍କ ହାର ଅଧିକ । ବାର୍ଦ୍ଧକ୍ୟଗ୍ରସ୍ତଙ୍କ ମଧ୍ୟରେ ଶ୍ରବଣ ସମସ୍ୟା ଉପଶମ ନିମନ୍ତେ ଉଦ୍ୟମ କମ । ଶ୍ରବଣ ବାଧିତଙ୍କ ମଧ୍ୟରୁ ମାତ୍ର ୧୬ ପ୍ରତିଶତ ଶ୍ରବଣ ଯନ୍ତ୍ର ହିଅରିଂ ଏଡ଼ ବ୍ୟବହାର କରିଥାନ୍ତି ।

 

ହିସାବରୁ ଜଣାଯାଏ ଯେ ୬୫ ବର୍ଷୋତ୍ତରଙ୍କ ମଧ୍ୟରେ ପ୍ରତିବର୍ଷ ଏକ ତୃତୀୟାଂଶରୁ ଅର୍ଦ୍ଧେକ ଯାଏଁ ଭାରସାମ୍ୟ ହରାଇ ତଳେ ପଡ଼ିଯାଇଥାନ୍ତି । ବାର୍ଦ୍ଧକ୍ୟଗ୍ରସ୍ତଙ୍କଠାରେ ସାଧାରଣରେ ଭାରସାମ୍ୟ ସମତୁଲ ରଖିବାରେ ସମସ୍ୟା ଉପୁଜି ଥାଏ । ଏହି ବର୍ଗରେ ମହିଳାମାନଙ୍କ ମଧ୍ୟରୁ ୬୦ ପ୍ରତିଶତ ଓ ପୁରୁଷଙ୍କ ମଧ୍ୟରୁ ୩୦ ପ୍ରତିଶତ ବାରମ୍ୱାର ଘୁର୍ଣ୍ଣିତ ମସ୍ତକ ଡିଜିନେସ ସମ୍ମୁଖୀନ ହୋଇଥାନ୍ତି । ଏତାଦୃଶ ପରିସ୍ଥିତି ଭାରସାମ୍ୟ ହରାଇବାରେ ପ୍ରମୁଖ କାରଣ ପାଲଟିଥାଏ । ଅଧିକ ଭାରସାମ୍ୟ ଆବଶ୍ୟକ କରୁଥିବା କାର୍ଯ୍ୟାବଳୀ, ଯଥା ଉଚ୍ଚ ସ୍ଥାନକୁ ଚଢ଼ିବା, ସଂକୁଚିତ ପଥରେ ଚଳାଚଳ ବା ଦୁଇ ଚକିଆ ଯାନ ଚ଼ାଳନା ଇତ୍ୟାଦି କ୍ଷେତ୍ରରେ ୬୫ ବର୍ଷୋତ୍ତର ଦୈନନ୍ଦିନ ଜୀବନରେ ତଥ୍ୟାଶ୍ରିତ ନିଷ୍ପତ୍ତି ଗ୍ରହଣ ଉଚ଼ିତ ।

 

ଅଧ୍ୟୟନରୁ ଜଣାଯାଇଥିଲା ଯେ ୬୫ ବର୍ଷୋତ୍ତରଙ୍କ ମଧ୍ୟରେ ପ୍ରାୟ ଏକ ଚ଼ତୁର୍ଥାଂଶ ଏକ ବା ଏକାଧିକ ଇନ୍ଦ୍ରିୟ ଦକ୍ଷତା ହାନୀର ଶିକାର । ସେଥିମଧ୍ୟରୁ ୬୮ ପ୍ରତିଶତ ଦୃଷ୍ଟି ବା ଶ୍ରବଣ ବାଧିତ । ଏହି ଦୁଇ ଶ୍ରେଣୀରେ ୭୦ ରୁ ୭୯ ବର୍ଷ ବର୍ଗରେ ୧୦ ପ୍ରତିଶତ ଉଭୟ ଓ ୫୩ ପ୍ରତିଶତ ଗୋଟିଏ ସମସ୍ୟାରେ ଆକ୍ରାନ୍ତ । ସେହିପରି ୮୦ ରୁ ୮୯ ବୟସ ବର୍ଗରେ ୩୯ ପ୍ରତିଶତ ଉଭୟ ଓ ୮୫ ପ୍ରତିଶତ ଗୋଟିଏ ଏବଂ ୯୦ ବର୍ଷୋତ୍ତର ବର୍ଗରେ ୭୩ ପ୍ରତିଶତ ଉଭୟ ଓ ୯୯ ପ୍ରତିଶତ ଗୋଟିଏ ସମସ୍ୟା ସମ୍ମୁଖୀନ ।

 

ଇନ୍ଦ୍ରିୟ ଦକ୍ଷତା ହାନୀର ଚ଼ିକିତ୍ସା ବିସ୍ତୃତ କ୍ଷେତ୍ରକୁ ପ୍ରଭାବିତ କରିଥାଏ । ଉଦାହରଣରେ ଦୃଷ୍ଟିଶକ୍ତି ହ୍ରାସ କାଳରେ ଚଷମା ବ୍ୟବହାର ଦ୍ୱାରା ଦୃଷ୍ଟିଶକ୍ତି ଲାଭ ସହ କାର୍ଯ୍ୟଦକ୍ଷତା ବୃଦ୍ଧିରେ ସହାୟକ ହୋଇଥାଏ । ପରୋକ୍ଷଭାବେ କର୍ମନିଯୁକ୍ତି, ଆର୍ଥିକ ସ୍ଥିତିରେ ଉନ୍ନତି ଓ ସାମାଜିକ ସଂପୃକ୍ତି ସଂପ୍ରସାରିତ କରାଇଥାଏ । ବୌଦ୍ଧିକ ବିକାଶ ଓ ଅର୍ଥପୂର୍ଣ୍ଣ ଅବସର ଜୀବନ ଯାପନରେ ଦୃଷ୍ଟିଶକ୍ତି ସଂରକ୍ଷଣର ପ୍ରମୁଖ ଯୋଗଦାନ ପରିମାପ କରିହୁଏ । ଇନ୍ଦ୍ରିୟ ଦକ୍ଷତା ହାନୀକୁ ସଜାଡ଼ି ନପାରିଲେ ତାହା ଉଦବିଗ୍ନତା ଓ ଏକାନ୍ତତା ବୃଦ୍ଧିର କାରଣ ପାଲଟିପାରେ ।

 

ଇନ୍ଦ୍ରିୟ ଦକ୍ଷତା ହାନୀରେ ଆକ୍ରାନ୍ତ ସେହି ଦିଗରେ ଅଧିକ ସମୟ ନିବେଶ କରିବା ହେତୁ ଅନ୍ୟାନ୍ୟ କ୍ଷେତ୍ରରେ ଅବହେଳା ପ୍ରଦର୍ଶନ ସ୍ୱାଭାବିକ । ଏତଦ୍ୱାରା ଦୈନନ୍ଦିନ ବ୍ୟକ୍ତିଗତ କାର୍ଯ୍ୟାବଳୀ, ସାମାଜିକ ସଂପୃକ୍ତି ତଥା ମାନସିକ ସମୃଦ୍ଧି ବାଧାପ୍ରାପ୍ତ ହୋଇଥାଏ । ଦୈନନ୍ଦିନ ଜୀବନଚ଼ର୍ଯ୍ୟାଠାରୁ ଆରମ୍ଭ କରି କର୍ମ ନିଯୁକ୍ତି, ସାମାଜିକ ସଂପୃକ୍ତି ନିମନ୍ତେ ଦେଖିବା, ଶୁଣିବା ଓ ସ୍ଥିର ଶାରିରୀକ ସ୍ଥିତି ଆବଶ୍ୟକ । ଏହାର ଅଭାବରେ ବହୁ କାର୍ଯ୍ୟକ୍ଷେତ୍ରରୁ ବ୍ୟକ୍ତିକୁ ଅପସରି ଯିବାକୁ ପଡ଼ିଥାଏ । ଏହିଭଳି ପରିବେଶ ସାମଗ୍ରିକଭାବେ ସମୟାନ୍ତେ ମାନସିକ ସ୍ୱାସ୍ଥ୍ୟକୁ ପ୍ରଭାବିତ କରେ ।

 

ଜୀବନଚ଼ର୍ଯ୍ୟାରେ ଇନ୍ଦ୍ରିୟ ଦକ୍ଷତା ହାନୀ ଜନିତ ପରିବର୍ତ୍ତନ ବାର୍ଦ୍ଧକ୍ୟର ଅଗ୍ରଗତିକୁ ସୂଚ଼ିତ କରେ । ଏହି ପରିସ୍ଥିତିକୁ ଏଡ଼ାଇଯିବା ସଂଭବ ନଥିବା ସ୍ଥଳେ ପ୍ରତିଷେଧକ ବ୍ୟବସ୍ଥା, ତୁରନ୍ତ ଚ଼ିକିତ୍ସା ତଥା ଆଧୁନିକ ବୈଷୟିକ ଉଦ୍ଭାବନ ସାମଗ୍ରୀ ବ୍ୟବହାର ଏବଂ ଅବକ୍ଷୟ ସହ ଜୀବନଯାପନ ଅଭ୍ୟାସ ଗୁରୁତ୍ୱପୂର୍ଣ୍ଣ । ଆଗାମୀ ଭବିଷ୍ୟତରେ ଇନ୍ଦ୍ରିୟ ଦକ୍ଷତା ହାନୀର ମୁକାବିଲା ନିମନ୍ତେ ବ୍ୟକ୍ତିଗତସ୍ତରରେ ପ୍ରଯୁକ୍ତି ବିଦ୍ୟା ଉପଯୋଗ ସଂଭାବନା ଏହି କ୍ଷେତ୍ରରେ ନୂତନ ଅଧ୍ୟାୟ ସୃଷ୍ଟି କରିବା ଆଶା କରାଯାଇପାରେ ।

 

ବାର୍ଦ୍ଧକ୍ୟରେ ଇନ୍ଦ୍ରିୟ ଦକ୍ଷତା ହାନୀ ସଂପର୍କରେ ବିଚାରବିମର୍ଷ ମୁଖ୍ୟତଃ ତିନି ଗୋଟି ସକାରାତ୍ମକ ଦିଗକୁ ସୂଚ଼ିତ କରେ । ପ୍ରଥମତଃ, ପରିସଂଖ୍ୟାନଭିତ୍ତିକ ସୂଚ଼ନା ବ୍ୟକ୍ତିଗତ ତଥା ପାରିବାରିକସ୍ତରରେ ଇନ୍ଦ୍ରିୟ ଦକ୍ଷତା ହାନୀକୁ ସହଜରେ ଗ୍ରହଣ କରିନେବାରେ ସହାୟକ । ଘଟଣାକୁ ନେଇ ଅନାବଶ୍ୟକ ମାନସିକ ଦୁଃସ୍ଥିତିରୁ ଦୂରେଇ ଯିବାରେ ସାମର୍ଥ୍ୟ ହାସଲ ହୋଇଥାଏ । ଦ୍ୱିତୀୟତଃ, ଇନ୍ଦ୍ରିୟ ଦକ୍ଷତା ହାନୀର କାରଣଗୁଡ଼ିକ ସଂପର୍କରେ ସଚ଼େତନ ରହିଲେ ସମ୍ଭାବ୍ୟ ପରିସ୍ଥିତିକୁ ଏଡ଼ାଇବା ନିମନ୍ତେ ସାଧ୍ୟମତେ ଉଦ୍ୟମ ସଂଭବପର । ସେହିପରି ଇନ୍ଦ୍ରିୟ ଦକ୍ଷତା ହାନୀ ସମ୍ମୁଖୀନ ହେବାପରେ ଉପଲବ୍ଧ ଚ଼ିକିତ୍ସା ଗ୍ରହଣ ତଥା ଚଷମା ଇତ୍ୟାଦି ସାମଗ୍ରୀ ବ୍ୟବହାର ନିମନ୍ତେ ପ୍ରୋତ୍ସାହନ ମିଳିଥାଏ । ତୃତୀୟତଃ, ଏକ ବା ଏକାଧିକ ଇନ୍ଦ୍ରିୟ ଦକ୍ଷତା ହାନୀ ପରେ ଦୈନନ୍ଦିନ ଜୀବନଚର୍ଯ୍ୟାଠାରୁ ଆରମ୍ଭ କରି ସାମାଜିକ ସଂପୃକ୍ତି, ଅର୍ଥନୀତିକ ସ୍ଥିରତା, ସୁରକ୍ଷା ଓ ବୌଦ୍ଧିକ ବିକାଶ ବିଭିନ୍ନ ଦିଗ ପରିଚାଳନା ନିମନ୍ତେ ଯୋଜନାବଦ୍ଧ ଉଦ୍ୟମ କରିବାକୁ ପଡିଥାଏ । ସାମଗ୍ରିକଭାବେ ବାର୍ଦ୍ଧକ୍ୟ ସଂପର୍କରେ ଅଧ୍ୟୟନ ବାର୍ଦ୍ଧକ୍ୟ ଜୀବନଚ଼ର୍ଯ୍ୟାରେ ଯେ ସହାୟକ, ତାହା ହୃଦୟଙ୍ଗମ କରିବା ଗୁରୁତ୍ୱପୂର୍ଣ୍ଣ । 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ଜୁଲାଇ ୨୦୨୨


ତଥ୍ୟ:

 

Baltes, Paul B. (et.al.) Aging from 70 to 100. Cambridge University Press, 1999. ‘Sensory Systems in Old Age’.

 

http://library.mpib-berlin.mpg.de/ft/mm/MM_Sensory_2001.pdf

ବାର୍ଦ୍ଧକ୍ୟରେ ବ୍ୟାଧି-ସଂକୋଚ଼ନ

ଦୀର୍ଘ ଜୀବନ ସୂତ୍ର ନିର୍ଦ୍ଧାରଣ ଆଧାରିତ ବହୁ ରଚନା ଉପଲବ୍ଧ ଓ ବହୁ ଉପପାଦ୍ୟ ପ୍ରଚଳିତ । ମନୁଷ୍ୟ ଚ଼ିନ୍ତା କରିବା ଶିଖିବା କାଳରୁ ମୃତ୍ୟୁଠାରୁ ଦୂରେଇ ରହିବା ନିମନ୍ତେ ଯତ୍ନବାନ । ଅବଶ୍ୟ ମୃତ୍ୟୁସମୀପ ଜୀବନରେ ପହଞ୍ଚିବା, ଅର୍ଥାତ ବାର୍ଦ୍ଧକ୍ୟଗ୍ରସ୍ତ ହେବା ଅବସରରେ ଦୀର୍ଘଜୀବନ ପ୍ରସଙ୍ଗଟି ତାତ୍ପର୍ଯ୍ୟ ହାସଲ କରିଥାଏ । ଜୀବଦ୍ଦଶା ଚର୍ଚ୍ଚାରେ ନିୟୋଜିତ ଅଗ୍ରଜ ଚ଼ିନ୍ତକଙ୍କ ମଧ୍ୟରେ ମାର୍କିନ ମନୋବିଜ୍ଞାନୀ ରବର୍ଟ ନେଲ ବଟଲର ଅନ୍ୟତମ । ବାର୍ଦ୍ଧକ୍ୟ ଜୀବନଚର୍ଯ୍ୟା ଓ ଜୀବଦ୍ଦଶା ଅଧ୍ୟୟନରେ ସେ ନିଜ ବୃତ୍ତିଗତ ଜୀବନ ଉତ୍ସର୍ଗ କରିଥିଲେ । ସେହି ଦୃଷ୍ଟିରୁ ଦୀର୍ଘ ଜୀବନ ପ୍ରତି ବଟଲରଙ୍କ ଦୃଷ୍ଟିକୋଣ ଗୁରୁତ୍ୱପୂର୍ଣ୍ଣ ବିଚାର କରାଯାଏ ।

 

ରବର୍ଟ ନିଜ ଜେଜେବାପାଙ୍କ ହେପାଯାତରେ ବଢ଼ିଥିଲେ । ଜେଜେବାପାଙ୍କ ମୃତ୍ୟୁ ତାଙ୍କରି ମନରେ ଗଭୀର ପ୍ରଭାବ ପକାଇଥିଲା । ସେ ଚ଼ିକିତ୍ସା ବିଜ୍ଞାନ ଅଧ୍ୟୟନ କରି ରକ୍ତରୋଗ ବିଶେଷଜ୍ଞ ହେମାଟଲୋଜିଷ୍ଟ ହେବା ଉଦ୍ଦେଶ୍ୟରେ ଶିକ୍ଷାୟତନରେ ପହଞ୍ଚିଥିଲେ । ତେବେ ଚ଼ିକିତ୍ସା ମହାବିଦ୍ୟାଳୟରେ ବାର୍ଦ୍ଧକ୍ୟଗ୍ରସ୍ତଙ୍କ ପ୍ରତି ଚ଼ିକିତ୍ସକ-ଅଧ୍ୟାପକଙ୍କ ଅବହେଳାପୂର୍ଣ୍ଣ ମନୋବୃତ୍ତି ତାଙ୍କୁ ବିଚଳିତ କରିଥିଲା । ସେ ଜରା-ବିଜ୍ଞାନ ଜେରିଆଟ୍ରିକ୍ସ ଚ଼ିକିତ୍ସାଶାସ୍ତ୍ର ଅଧ୍ୟୟନ ପ୍ରତି ଆକୃଷ୍ଟ ହୋଇଥିଲେ ।

 

ବୃତ୍ତିଗତ ଜୀବନର ପ୍ରଥମ ପର୍ଯ୍ୟାୟରେ ରବର୍ଟଙ୍କୁ ନ୍ୟାସନାଲ ଇନଷ୍ଟିଟିଉଟ ଅଫ ମେଣ୍ଟାଲ ହେଲଥ କର୍ତ୍ତୃକ ପ୍ରଯୋଜିତ ବାର୍ଦ୍ଧକ୍ୟ ଜୀବନଚ଼ର୍ଯ୍ୟା ସଂପର୍କୀତ ଏକ ଦଶ ବର୍ଷ ବ୍ୟାପୀ ଗବେଷଣା ପ୍ରକଳ୍ପରେ ସାମିଲ ହେବା ନିମନ୍ତେ ସୁଯୋଗ ମିଳିଥିଲା । ଏହି ଗବେଷଣାରେ ବିଶ୍ୱରେ ପ୍ରଥମ ଥର ପାଇଁ ଜୀବଦ୍ଦଶା ଓ ଦୀର୍ଘଜୀବନ ସଂପର୍କରେ ବହୁ ପ୍ରାମାଣିକ ତଥ୍ୟ ଉନ୍ମୋଚ଼ିତ ହୋଇଥିଲା । ପାରମ୍ପରିକ ବିଚାରଧାରାରୁ ମୁକ୍ତ ହୋଇ ପରବର୍ତ୍ତୀ କାଳରେ ଉଚ୍ଚତର ସୁକ୍ଷ୍ମାତିସୁକ୍ଷ୍ମ ଅନୁଶୀଳନ ନିମନ୍ତେ ପଥ ପ୍ରଦର୍ଶକ ସାଜିଥିଲା ।

 

ଅଧ୍ୟୟନରୁ ଜଣାଯାଇଥିଲା ଯେ ବାର୍ଦ୍ଧକ୍ୟରେ ରୋଗ ସାଙ୍ଗକୁ ଅର୍ଥନୀତି ଓ ସାମାଜିକ-ସ୍ଥିତି ଏପରିକି ବ୍ୟକ୍ତିତ୍ୱ ପରସନାଲିଟି ସ୍ୱାସ୍ଥ୍ୟାବସ୍ଥାକୁ ପ୍ରଭାବିତ କରିଥାଏ । ଆଲଜମିରସ ରୋଗ ହେତୁ ମତିଭ୍ରମ କିମ୍ୱା ଅନ୍ୟାନ୍ୟ କାରଣରୁ ମାନସିକ ଦୁର୍ବଳତା ସେନାଲିଟି ବୟସାଧିକଙ୍କଠାରେ ପରିଲକ୍ଷିତ ହେଉଥିଲେହେଁ ବାର୍ଦ୍ଧକ୍ୟର ଅଂଶବିଶେଷ ନୁହେଁ । ଅର୍ଥାତ, ସମସ୍ତେ ସେଭଳି ଦୁରାବସ୍ଥାର ସମ୍ମୁଖୀନ ହେବା ଭୟ ନଥାଏ ।

 

ରବର୍ଟ ଗବେଷଣାଲବ୍ଧ ତଥ୍ୟାବଳୀ ସଂକଳନ କରି ହ୍ୱାଇ ସରଭାଇଭ ? ବିଇଙ୍ଗ ଓଲଡ଼ ଇନ ଆମେରିକା ପୁସ୍ତକ ରଚ଼ନା କରିଥିଲେ । ଏହା ୧୯୭୬ରେ ଶ୍ରେଷ୍ଠ ନନ-ଫିକସନ ବର୍ଗରେ ପୁଲିଜାର ପୁରସ୍କାର ପାଇଥିଲା । ଦି ଲଂଜିଭିଟି ପ୍ରେସ୍କ୍ରିପସନ ରବର୍ଟଙ୍କ ଅନ୍ୟତମ ଲୋକପ୍ରିୟ ପୁସ୍ତକ । ଏଥିରେ ସେ ଉଲ୍ଲେଖ କରିଥିଲେ ଯେ ବାର୍ଦ୍ଧକ୍ୟକୁ ଏଡ଼ାଇ ଦେବା ସଂଭବ ନଥିବା ସ୍ଥଳେ ମନୁଷ୍ୟ ବୃଦ୍ଧାବସ୍ଥାକୁ ନିରୋଗ ଓ ସ୍ୱାଭାବିକ ରଖିବା ନିମନ୍ତେ ପଦକ୍ଷେପମାନ ଗ୍ରହଣ କରିପାରିବ । ଏ ସଂପର୍କରେ ବ୍ୟକ୍ତିଗତସ୍ତରରେ ନିଷ୍ପତ୍ତି ସର୍ବାପେକ୍ଷା ଗୁରୁତ୍ୱପୂର୍ଣ୍ଣ ।

 

ରବର୍ଟ ଦର୍ଶାଇଥିଲେ ଯେ ବିଂଶ ଶତାଦ୍ଦୀରେ ସ୍ୱାସ୍ଥ୍ୟସେବା, ଅର୍ଥନୀତି ଓ ଜୀବନଧାରଣରେ ମାନବୃଦ୍ଧି ବିଶ୍ୱବ୍ୟାପୀ ମନୁଷ୍ୟର ଜୀବଦ୍ଦଶା ବୃଦ୍ଧିରେ ପର୍ଯ୍ୟବଶିତ । ପ୍ରତ୍ନତାତ୍ତ୍ୱିକ ଗବେଷଣାରୁ ଜଣାଯାଏ ଯେ ପ୍ରାକ୍-ଐତିହାସିକ ଯୁଗରେ ପାଞ୍ଚ ଜଣରେ ଚାରିଜଣ ତିରିଶି ବର୍ଷ ବୟସ ପୂର୍ବରୁ ମୃତ୍ୟୁ ବରଣ କରୁଥିଲେ । ବିକଶିତ ରାଷ୍ଟ୍ରଗୁଡ଼ିକରେ ଊନବିଂଶ ଶତାଦ୍ଦୀ ଆରମ୍ଭରେ ଜୀବଦ୍ଦଶା ୩୩ ବର୍ଷ ନିର୍ଦ୍ଧାରିତ ହୋଇଥିବା ସ୍ଥଳେ ବିଂଶ ଶତାଦ୍ଦୀ ଆରମ୍ଭରେ ୫୦ ବର୍ଷକୁ ବୃଦ୍ଧି ପାଇଥିଲା । ସାଧାରଣ ପରମାୟୁ ୨୦୨୨ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାରେ ୭୯ ବର୍ଷ ଏବଂ ଭାରତରେ ୭୦ ବର୍ଷ ହିସାବ କରାଯାଏ ।

 

ମନୁଷ୍ୟ ଦୀର୍ଘଜୀବନ ଅଧିକାରୀ ହେଉଥିବା ସ୍ଥଳେ ବାର୍ଦ୍ଧକ୍ୟକୁ ରୋଗଗ୍ରସ୍ତ ଓ ଅକର୍ମଣ୍ୟର ବେଳ ବିଚାର କରିବା ଅସଂଗତ । ବହୁ ଗବେଷଣରୁ ସାବ୍ୟସ୍ତ ହୋଇଛି ଯେ ବାର୍ଦ୍ଧକ୍ୟର ଅଧିକାଂଶ ସମୟ ସୁସ୍ଥ ଶାରିରୀକ ଓ ମାନସିକ ଅବସ୍ଥାରେ କାଳାତିପାତ ସଂଭବ । ସେହିପରି ମନୁଷ୍ୟର ଜୀବଦ୍ଦଶା ବଂଶାନୁକ୍ରମିକ ଗୁଣସୂତ୍ର ଜିନ ଆଶ୍ରିତ ନୁହେଁ । ଯାହାର ପୂର୍ବପୁରୁଷମାନେ ଦୀର୍ଘଜୀବୀ ସେ ଦୀର୍ଘଜୀବୀ ହେବା ବିଶ୍ୱାସ ଭ୍ରମାନ୍ତକ । କେତେକ ସର୍ବେକ୍ଷଣରୁ ପ୍ରକାଶ ଯେ ଜୀବଦ୍ଦଶା ମାତ୍ର ୫ ରୁ ୩୫ ପ୍ରତିଶତ ଗୁଣସୂତ୍ର ଆଶ୍ରିତ । ମନୁଷ୍ୟର ଉଚ୍ଚତା ଗୁଣସୂତ୍ର ଉପରେ ୮୦ ରୁ ୯୦ ପ୍ରତିଶତ ଦାୟୀଥିବା ସ୍ଥଳେ ମୋଟାପଣ ଦୁଇ ତୃତୀୟାଂଶ ଯାଏଁ ପୂର୍ବଜଙ୍କ ପ୍ରଭାବ ରହିଥାଏ । କିନ୍ତୁ ଜୀବଦ୍ଦଶା କ୍ଷେତ୍ରରେ ନଗଣ୍ୟ ।

 

ରବର୍ଟଙ୍କ ବିଚାରରେ ସୁସ୍ଥ ଜୀବନଯାତ୍ରା ନିମନ୍ତେ ଶୈଶବାସ୍ଥାରୁ ଯତ୍ନବାନ ହେବାକୁ ପଡ଼ିଥାଏ । କମ ବୟସରେ ରକ୍ତରେ କଲୋଷ୍ଟ୍ରାଲ ମାତ୍ରା ଅଧିକ ରହିଲେ ତାହା ୩୦ ବର୍ଷପରେ ଶରୀର ନିମନ୍ତେ କଲୋଷ୍ଟ୍ରଲ ସମସ୍ୟାର କାରଣ ପାଲଟୁଥିବା ଅଧ୍ୟୟନରୁ ଜଣାଯାଏ । ଶାରିରୀକସ୍ତରରେ କର୍ମଠ ରହିବା, ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ଗ୍ରହଣ ଓ ଶରୀରର ଓଜନ ସମତୁଲ ରଖିଲେ ରକ୍ତଶର୍କରା ନିୟନ୍ତ୍ରଣ, ଚଳପ୍ରଚଳରେ ଅକ୍ଷମତା ଓ ମାନସିକସ୍ତରରେ ଅବକ୍ଷୟ ରୋକାଯାଇପାରେ । ଜୀବନଧାରଣର ମାନ ବୃଦ୍ଧି ଦ୍ୱାରା ଉଚ୍ଚରକ୍ତଚାପ, ହୃଦରୋଗ, କର୍କଟ ଓ ଅସ୍ଥିମଜ୍ଜା ରୋଗ ନିରାକରଣ ସଂଭବ ।

 

ଉତ୍ତମ ଜୀବନଚର୍ଯ୍ୟା ଜୀବଦ୍ଦଶା ବୃଦ୍ଧିରେ ସହାୟକ ହେଉଥିବା ଗବେଷଣାଲବ୍ଧ ତଥ୍ୟାବଳୀରୁ ପ୍ରମାଣିତ । ସର୍ବାପେକ୍ଷା ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଜୀବନଚର୍ଯ୍ୟାରେ ପରିବର୍ତ୍ତନଲାଗି ମନୁଷ୍ୟ ପଚାଶ, ଷାଠିଏ, ଏପରିକି ସତୁରି ବର୍ଷ ପର ବୟସରେ ମଧ୍ୟ ଉଦ୍ୟମ ଆରମ୍ଭ କରିବା ସମୀଚୀନ ବୋଲି ରବର୍ଟ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି ଯେ ମନୁଷ୍ୟ ଶରୀରକୁ ଏକ ଯନ୍ତ୍ର ଭାବେ ତୁଳନା କରିବା ଅବାନ୍ତର । କାରଣ ଯନ୍ତ୍ରର କୌଣସି ଅଂଶ ବ୍ୟବହାର ହେତୁ ଖରାପ ହୋଇଯାଇପାରେ, କିନ୍ତୁ ଶରୀରର ଅଧିକାଂଶ ଅଂଶରେ ଅବକ୍ଷୟ ଘଟିଲେ ତାହାର  ପୁର୍ନ-ବିନ୍ୟାସ ବ୍ୟବସ୍ଥା ଉପଲବ୍ଧ ।

 

କାଳଜୟୀ ଇଂଲିଶ କଥାକାର ଜନାଥାନ ସିଫ୍ଟଙ୍କ ଗୁଲିଭରର୍ସ ଟ୍ରାଭଲ୍ସ ଉପନ୍ୟାସରୁ ଏକ ଉକ୍ତି ଉଦ୍ଧାର କରି ରବର୍ଟ ବୁଝାଇଥିଲେ ଯେ ମନୁଷ୍ୟ ଦୀର୍ଘ ଜୀବନର ଅଧିକାରୀ ହେବା ପାଇଁ ଆଗ୍ରହ ପ୍ରକାଶ କରିଥାଏ, କିନ୍ତୁ ବାର୍ଦ୍ଧକ୍ୟ ଜୀବନ ଅତିବାହିତ କରିବା ନିମନ୍ତେ ଅନାଗ୍ରହୀ । ଏକ ପକ୍ଷରେ ଜୀବନରେ ବାର୍ଦ୍ଧକ୍ୟଗ୍ରସ୍ତ ହେବା ଚ଼ିରନ୍ତନ, ଅପରପକ୍ଷରେ ସେ ବାର୍ଦ୍ଧକ୍ୟ ଅବସ୍ଥାକୁ ସୁସଂହତ କରିବା ଲାଗି ସୁବିଧା ସୁଯୋଗ ମଧ୍ୟ ଉପଲବ୍ଧ । ମନୁଷ୍ୟ ନିଜ ଜୀବନକୁ ଯେଉଁ ଢଙ୍ଗରେ ଗଢ଼ି ତୋଳିବାକୁ ଚାହିଁବ, ସର୍ବୋତଭାବେ ନହେଲେ ସୁଦ୍ଧା ତଦ ଅନୁଯାୟୀ ବାର୍ଦ୍ଧକ୍ୟରେ ଫଳାଫଳ ଉପଭୋଗ କରିବ ।

 

ବୃଦ୍ଧାବସ୍ଥା ଅଧ୍ୟୟନର ଅନ୍ୟତମ ଚ଼ିନ୍ତକ ଜେମସ ଫ୍ରାଇସଙ୍କ ବ୍ୟାଧି ସଂକୋଚନ କମ୍ପ୍ରେସନ ଅଫ ମରବିଡ଼ିଟି ତତ୍ତ୍ୱ ପରିଣତ ବୟସରେ ରୋଗବ୍ୟାଧିଠାରୁ ଯଥାସଂଭବ ଦୂରେଇ ରହିବା ନିମନ୍ତେ ଉଦ୍ୟମକୁ ବୁଝାଇଥାଏ । ରବର୍ଟ ବ୍ୟାଧି ସଂକୋଚନ ତତ୍ତ୍ୱ ବିଶ୍ଳେଷଣ କରି ଉଲ୍ଲେଖ କରିଥିଲେ ଯେ ଗବେଷଣାରୁ ଜଣାଯାଇଛି ଯେ ବାର୍ଦ୍ଧକ୍ୟରେ ଅନୁଭୂତ ହେଉଥିବା ବହୁ ଦୁରାବସ୍ଥା ଏଡ଼ାଇଦେବା କିମ୍ୱା ବିଳମ୍ୱ ସଂଭବ । ଉଦାହରଣରେ ଧୂମପାନରୁ ବିରତ ରହିବା ଦ୍ୱାରା ହୃଦରୋଗର ପ୍ରାଦୁର୍ଭାବ ଆଶଙ୍କା ହ୍ରାସ ପାଇଥାଏ । ସେହିପରି ଚଳପ୍ରଚଳ ଓ ମାନସିକ ଅକ୍ଷମତାକୁ ବିଭିନ୍ନ ବ୍ୟାୟାମ ଦ୍ୱାରା ଉପଶମ କରାଯାଇପାରେ... ଇତ୍ୟାଦି... ।

 

ଅବଶ୍ୟ ରବର୍ଟଙ୍କ ବିଚାରରେ ବୟସବୃଦ୍ଧି ଏଜିଂ ସଂପର୍କରେ ସକଳ ସକାରାତ୍ମକ ଦୃଷ୍ଟିକୋଣ ସତ୍ତ୍ୱେ ଅନାଗତ ବାର୍ଦ୍ଧକ୍ୟରେ ରୋଗ, ଯନ୍ତ୍ରଣା ଓ ପରମୁଖାପେକ୍ଷିତା ଭଳି ଅସମାହିତ ସମସ୍ୟାବଳୀକୁ ନେଇ ମନୁଷ୍ୟ ମନରେ ଭୟ ଜମାଟ ବାନ୍ଧି ରହେ । ଏହା ଯୁକ୍ତିଯୁକ୍ତ ଏବଂ ସ୍ଥଳବିଶେଷରେ ଅତିରଞ୍ଜିତ । ବାର୍ଦ୍ଧକ୍ୟରେ ଶାରିରୀକ ଓ ମାନସିକସ୍ତରରେ ଅଚାନକ ଅଧଃପତନ ଷ୍ଟିପ ସ୍ଳାଇଡ଼ ବଦଳରେ କ୍ରମଶଃ ଅନୁଭୂତ ହେଲେ ବ୍ୟକ୍ତିବିଶେଷ ପରିବର୍ତ୍ତିତ ଜୀବନଚ଼ର୍ଯ୍ୟା ସହ ଖାପଖୁଆଇବା ଅପେକ୍ଷାକୃତ ସହଜ ହୋଇଯାଏ ବୋଲି ରବର୍ଟ ପରାମର୍ଶ ଦେଇଥିଲେ । ଅର୍ଥାତ, ଅପ୍ରସ୍ତୁତ ଅବସ୍ଥାରେ ହଠାତ ଅବକ୍ଷୟର ଶୀକାର ନହୋଇ ସେ ଦିଗରେ ପୂର୍ବପ୍ରସ୍ତୁତି କେତେକାଂଶରେ ବାର୍ଦ୍ଧକ୍ୟ ଜୀବନଚ଼ର୍ଯ୍ୟାକୁ ସୁଗମ କରିଥାଏ ବୋଲି ବୁଝିବାକୁ ପଡ଼େ ।

 

ଦୀର୍ଘ ଜୀବନ ସଂପର୍କରେ ଜର୍ମାନ ପ୍ରସାରକ ଡ଼ି-ଡବଳ୍ୟୁର ପ୍ରମାଣିକ ଚ଼ିତ୍ର :

 

https://www.youtube.com/watch?v=y-5VLHcTDSQ


ରବର୍ଟ ନେଲ ବଟଲରଙ୍କ ସହ ସାକ୍ଷାତକାର ନିମ୍ନ ଲିଙ୍କରେ ୟୁଟ୍ୟୁବରେ ଉପଲବ୍ଧ :

 

“The Open Mind : The Longevity Revolution”

 

https://www.youtube.com/watch?v=jgD4hJbK5nA

 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଜୁନ ୨୦୨୨


ତଥ୍ୟ:

 

Butler, Rober N. The Longevity Prescription. Google Books (Preview) 2010

ବାର୍ଦ୍ଧକ୍ୟରେ ଭୟ

ବାର୍ଦ୍ଧକ୍ୟ ଜୀବନଚ଼ର୍ଯ୍ୟାରେ ଭୟର ପ୍ରାଦୁର୍ଭାବ ଲାଗି ରହିଥିବା ସ୍ଥଳେ ମହାମାରୀଜନିତ ପରିବେଶ ବରିଷ୍ଠ ନାଗରିକଙ୍କ ମଧ୍ୟରେ ଭୟର ପ୍ରକୋପ ବୃଦ୍ଧିରେ ପର୍ଯ୍ୟବସିତ । ସମାଜର ଅନ୍ୟାନ୍ୟ ବର୍ଗଙ୍କ ତୁଳନାରେ ବୟଜ୍ୟୋଷ୍ଠମାନେ କୋଭିଡ଼-୧୯ ରୋଗାକ୍ରାନ୍ତ ହେବା ଅବସରରେ ପୁରାତନ ରୋଗ ପ୍ରଭାବରେ ଚ଼ିକିତ୍ସା ଜଟିଳ ହୋଇପଡୁଥିବା ତଥା ଅପେକ୍ଷାକୃତଭାବେ ମୃତ୍ୟୁହାର ଅଧିକା ରହୁଥିବା ତଥ୍ୟାବଳୀ ଭୀତି ସଂଚାର କରିବା ସ୍ୱାଭାବିକ । କୌଣସି ଭୌଗଳିକ ପରିସୀମାରେ ବହୁ ସଂଖ୍ୟକ କରୋନା ଭୂତାଣୁ ସଂକ୍ରମିତଙ୍କୁ ଚିକିତ୍ସା କାଳରେ ବୟସ୍କମାନଙ୍କୁ ଗୁରୁତ୍ୱ ନ ଦିଆଯିବା ଆଶଙ୍କା ଭୟର ବାତାବରଣକୁ ଦ୍ୱିଗୁଣିତ କରିଥାଏ ।

 

ବିଶ୍ୱମହାମାରୀ ବ୍ୟାପ୍ତିକୁ ରୋକିବା ନିମନ୍ତେ ରାଷ୍ଟ୍ରଗୁଡ଼ିକରେ ଦୀର୍ଘକାଳ ଧରି ଜନପଦ ବନ୍ଦ ଲକଡ଼ାଉନସଟଡ଼ାଉନ ପାଳନ କରାଯାଇଥିଲା । ଏତଦ୍ୱାରା ସାଧାରଣ ଜୀବନଯାତ୍ରା ପ୍ରଭାବିତ ହେବା ସଙ୍ଗେ ଅପେକ୍ଷାକୃତଭାବେ ଅନ୍ୟ ଉପରେ ଅଧିକ ନିର୍ଭରଶୀଳ ବରିଷ୍ଠ ନାଗରିକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଲକଡ଼ାଉନର ପ୍ରାଥମିକ ଅବସ୍ଥାରେ ଭାରତରେ ପାଞ୍ଚ ହଜାର ମୁଖ୍ୟତଃ ସ୍ୱଚ୍ଛଳବର୍ଗର ବରିଷ୍ଠ ନାଗରିକଙ୍କ ମଧ୍ୟରେ ଟେଲିଫୋନ ଯୋଗେ ନୂଆଦିଲ୍ଲୀସ୍ଥିତ ଏଜ-ୱେଲ ଫାଉଣ୍ଡେସନ ପକ୍ଷରୁ ୨୦୨୦ ଏପ୍ରିଲ ତୃତୀୟ ସପ୍ତାହରେ ଏକ ସର୍ବେକ୍ଷଣ ଆୟୋଜନ କରାଯାଇଥିଲା ।

 

ବରିଷ୍ଠ ନାଗରିକମାନଙ୍କ ମଧ୍ୟରୁ ସର୍ବାଧିକ ୭୫ ପ୍ରତିଶତ ଡ଼ାକ୍ତରଙ୍କ ନିକଟକୁ ଯାଇପାରୁ ନଥିବା କାରଣରୁ ଚ଼ିନ୍ତା ପ୍ରକଟ କରିଥିଲେ । ଲକଡ଼ାଉନ ୫୫ ପ୍ରତିଶତ ନିଜର ସ୍ୱାସ୍ଥ୍ୟାବସ୍ଥାରେ ପ୍ରତିକୂଳ ପ୍ରଭାବ ପକାଇଥିବା ଦର୍ଶାଇଥିଲେ । ଆପାତକାଳୀନ ଚ଼ିକିତ୍ସା, ଔଷଧ ଏବଂ ଫିଜିଓଥେରାପି ଭଳି ସ୍ୱାସ୍ଥ୍ୟଗତ ସୁବିଧା ସୁଯୋଗ ୪୪ ପ୍ରତିଶତ ହରାଇଥିବା ଅଭିଯୋଗ କରିଥିଲେ ।

 

ଲକଡ଼ାଉନ ଅବଧିରେ ୫୯ ପ୍ରତିଶତ ବରିଷ୍ଠ ନାଗରିକ ପରିବାରବର୍ଗଙ୍କ ସହ ବସବାସ କରୁଥିଲେହେଁ ଏକୁଟିଆପଣ ଗ୍ରାସ କରିଥିବା ଏବଂ ୩୪ ପ୍ରତିଶତ ଉଦବିଗ୍ନତା, ନିଦ୍ରାହୀନତା ଓ କ୍ଷୁଧା ହ୍ରାସ ଭଳି ଲକ୍ଷଣ ଅନୁଭବ କରୁଥିବା ସ୍ୱୀକାର କରିଥିଲେ । ବ୍ୟକ୍ତିଗତ ଜୀବନରେ ସ୍ୱାଧୀନତା ଓ ସମ୍ମାନବୋଧରେ  ଅବନତି ୬୫ ପ୍ରତିଶତ ବୟସ୍କ ଲକ୍ଷ୍ୟ କରିଥିବା ସ୍ଥଳେ ୫୪ ପ୍ରତିଶତ ସେମାନଙ୍କ ସାମାଜିକ ଜୀବନରେ ବ୍ୟତିକ୍ରମ ଘଟିଥିବା ସୂଚାଇ ଥିଲେ ।

 

ଦୈନିନ୍ଦିନ ଜୀବନଚର୍ଯ୍ୟାରେ ବିଶୃଙ୍ଖଳା ବରିଷ୍ଠନାଗରିକମାନଙ୍କୁ ଭୟଭୀତ କରିପାରେ । ମହାମାରୀ ପ୍ରଭାବରେ କ୍ରମାଗତଭାବେ  ଅର୍ଥନୀତି, ସୁରକ୍ଷା ଓ ନାଗରିକଙ୍କ ମୌଳିକ ଅଧିକାର ଇତ୍ୟାଦି ଖର୍ବ ହେଉଥିବା ମଧ୍ୟ ଭୟର ଅନ୍ୟତମ କାରଣ । ସେହିପରି ବିଭିନ୍ନ କ୍ଷେତ୍ରରେ ଅନିଶ୍ଚିତତା ଏବଂ ଏହାର ଦୀର୍ଘକାଳୀନ ପ୍ରଭାବ ଆକଳନ ବ୍ୟକ୍ତିଗତସ୍ତରରେ ସୁବିଧାସୁଯୋଗ ଉପଭୋଗ ବିପନ୍ନ ହେବା ଭୟ ମାନସିକସ୍ତରରେ ଗଭୀର ପ୍ରଭାବ ପକାଇଥାଏ ।

 

ବାର୍ଦ୍ଧକ୍ୟରେ ଭୟ ସଂପର୍କରେ ବରିଷ୍ଠ ନାଗରିକଙ୍କ ମନୋଭାବ ଆକଳନ ନିମନ୍ତେ ବ୍ରିଟେନର କ୍ଳାଉଡ଼ ବାଇ ନାମକ ଏକ ସେବା ପ୍ରଦାନକାରୀ ବ୍ୟାବସାୟିକ ପ୍ରତିଷ୍ଠାନ ପକ୍ଷରୁ ୨୦୧୪ରେ ଅନ୍ୟ ଏକ ସର୍ବେକ୍ଷଣ ଆୟୋଜନ କରାଯାଇଥିଲା । ସେଥିରୁ ସଂଗୃହୀତ ତଥ୍ୟାବଳୀ ଅନୁଶୀଳନରେ ଜଣାପଡ଼ିଥିଲା ଯେ ପଚ଼ାଶ ବର୍ଷ ପୂର୍ତ୍ତୀ ପରେ ସମ୍ଭାବ୍ୟ ବାର୍ଦ୍ଧକ୍ୟ ସଂପର୍କରେ ସାଧାରଣ ନାଗରିକମାନେ ସଚ଼େତନ ହୋଇଥାନ୍ତି । ଅବଶ୍ୟ କୋଡ଼ିଏ ଜଣରେ ଜଣେ ଚାଳିଶି ବର୍ଷ ପୂର୍ବରୁ ମଧ୍ୟ ନିଜ ବାର୍ଦ୍ଧକ୍ୟ ଜୀବନ ସଂପର୍କରେ ଚ଼ିନ୍ତାଶୀଳ ହେଉଥିବା ଦେଖାଯାଏ । ତେବେ ପ୍ରତି ଦଶ ଜଣଙ୍କ ମଧ୍ୟରେ ସାତ ଜଣ ବାର୍ଦ୍ଧକ୍ୟ ଜୀବନଚର୍ଯ୍ୟାକୁ ସୁଗମ କରିବା ନିମନ୍ତେ କୌଣସି ପଦକ୍ଷେପ ଗ୍ରହଣ କରନ୍ତି ନାହିଁ ।

 

ବରିଷ୍ଠ ନାଗରିକମାନେ କେଉଁ କ୍ଷେତ୍ରଗୁଡ଼ିକରେ ଅପେକ୍ଷାକୃତଭାବେ ଅଧିକ ଭୟଭୀତ ହୋଇଥାନ୍ତି ତାହାର ଘନତ୍ୱ ନିର୍ଣ୍ଣୟ ନିମନ୍ତେ ମୋଟ କୋଡ଼ିଏ ଗୋଟି କାରଣ ଚ଼ିହ୍ନଟ କରାଯାଇଥିଲା । ସେଥିମଧ୍ୟରୁ କେଉଁଗୁଡ଼ିକୁ କେତେ ଗୁରୁତ୍ୱ ପ୍ରଦାନ କରିଥାନ୍ତି ସୂଚ଼ିତ କରିବା ନିମନ୍ତେ ପ୍ରତ୍ୟେକଟି କ୍ରମାନ୍ୱୟରେ ମଧ୍ୟ ସ୍ଥାନିତ ହୋଇଥିଲା ।

 

ବାର୍ଦ୍ଧକ୍ୟରେ ଜନସାଧାରଣ ମୁଖ୍ୟତଃ ଶାରିରୀକ ଓ ମାନସିକ ସ୍ୱାସ୍ଥ୍ୟାବସ୍ଥା ନେଇ ଚ଼ିନ୍ତିତ ହୋଇପଡ଼ନ୍ତି । ଭୟର ତାଲିକାରେ ସ୍ୱାସ୍ଥ୍ୟଗତ ସମସ୍ୟା ପ୍ରଥମ ସ୍ଥାନ ଅଧିକାର କରୁଥିବା ସ୍ଥଳେ ଅସାଧ୍ୟ ରୋଗ ଦ୍ୱିତୀୟ ସ୍ଥାନ, ଦୃଷ୍ଟିଶକ୍ତି ହରାଇବା ଷଷ୍ଠ ସ୍ଥାନ ଓ ଶ୍ରବଣ ଶକ୍ତି ହରାଇବା ଅଷ୍ଟାଦଶ ସ୍ଥାନ ଅଧିକାର କରିଥାଏ । ସେହିପରି ମସ୍ତିଷ୍କ ଠିକଭାବେ ନ କାର୍ଯ୍ୟକରିବା ତୃତୀୟ ଓ ଭୂଲାମନ ଚତୁର୍ଥ ସ୍ଥାନରେ ଭୟର କାରଣ ରୂପେ ଚ଼ିହ୍ନଟ କରାଯାଇପାରେ ।

 

ବ୍ୟକ୍ତିଗତସ୍ତରରେ ଯାନବାହାନ ଚଳାଇବା ଦକ୍ଷତା ହ୍ରାସଜନିତ ଭୟ ଷଷ୍ଠଦଶ ଓ ବାର୍ଦ୍ଧକ୍ୟରେ ସଉକ ହବି ମେଣ୍ଟାଇବାରେ  ଅକ୍ଷମତା ବିଂଶତମ ସ୍ଥାନ ଅଧିକାରୀ । ଅର୍ଥନୀତିକ ସ୍ଥିତି ଭୟର ତାଲିକାରେ ନବମ ସ୍ଥାନ ଚ଼ିହ୍ନଟ କରାଯାଇଥାଏ ।

 

ବାର୍ଦ୍ଧକ୍ୟରେ ସ୍ୱାଧୀନତାହାନୀ ପଞ୍ଚମ ସ୍ଥାନ, ଜୀବନଯାତ୍ରା ଲାଗି ଅନ୍ୟମାନଙ୍କ ଉପରେ ବୋଝ୍ ପାଲଟିବା ସପ୍ତମ ସ୍ଥାନ, ଏକାକୀତ୍ୱ ଚ଼ତୁର୍ଦ୍ଦଶ ସ୍ଥାନ ଓ ଶଯ୍ୟାଶାୟୀ ଜୀବନ ସପ୍ତଦଶ ସ୍ଥାନ ନିରୂପଣ କରାଯାଉଥିବା ସ୍ଥଳେ ଉତ୍ତର-ବାର୍ଦ୍ଧକ୍ୟରେ ସହାୟତାଯୁକ୍ତ ଜୀବନଯାତ୍ରା ଲାଗି ବାର୍ଦ୍ଧକ୍ୟ ବିହାର କିମ୍ୱା ନର୍ସିଂହୋମ ଭଳି ପୁନର୍ବାସନ ଦଶମ ସ୍ଥାନ ତଥା ନିଜ ବାସଗୃହରୁ ଅପସାରିତ ହେବା ଭୟ ପଞ୍ଚଦଶ ସ୍ଥାନ ଅଧିକାର କରେ ।

 

ମାନସିକସ୍ତରରେ ସକ୍ଷମ ଥିବା ସ୍ଥଳେ ଶାରିରୀକସ୍ତରରେ ଅକ୍ଷମତାର ଭୟ ଅଷ୍ଟମ ଓ ଶାରିରୀକ ରୂପ ମଳିନ ପଡ଼ିଯିବା ଭୟ ଊନବିଂଶ ସ୍ଥାନ ଦାବୀ କରୁଥିବା ସ୍ଥଳେ ନିଜ ପତି ବା ପତ୍ନୀଙ୍କ ଭଗ୍ନ ସ୍ୱାସ୍ଥ୍ୟ ଏକାଦଶ, ନିଜ ପୂର୍ବରୁ ଅନ୍ୟଜଣକ ବିୟୋଗ ତ୍ରୟଦଶ ଓ ନିଜ ମୃତ୍ୟୁଭୟ ଦ୍ୱାଦଶ ସ୍ଥାନ ଅଧିକାରୀ ।

 

ବାର୍ଦ୍ଧକ୍ୟରେ ଉପନୀତ ହେବା ପୂର୍ବରୁ କିମ୍ୱା ପରେ କ୍ରମାଗତଭାବେ ବାର୍ଦ୍ଧକ୍ୟଜନିତ ଆପଦବିପଦର ଭୟ ଲାଗି ରହିଲେ ଚ଼ିକିତ୍ସା ବିଜ୍ଞାନରେ ସେହି ପରିସ୍ଥିତିକୁ ଏକ ମାନସିକ ରୋଗଭାବେ ବିଚାର କରାଯାଏ । ଏହା ଜେରାସ୍କୋଫୋବିଆ ନାମିତ । ଗ୍ରୀକ ଭାଷାରେ ଜେରାସର ଅର୍ଥ ବାର୍ଦ୍ଧକ୍ୟ ଓ ଫୋବସର ଅର୍ଥ ଭୟ । ଚିକିତ୍ସାବିଜ୍ଞାନୀମାନଙ୍କ ମତରେ ମନୁଷ୍ୟ ଭୟାତୁର ଅବସ୍ଥାରେ ଆକ୍ରାନ୍ତ ହେବା ବଂଶଗତ । ଏତଦବ୍ୟତୀତ ପାରିପାର୍ଶ୍ୱିକ ପରିବେଶ ଓ ବ୍ୟକ୍ତିଗତ ଅନୁଭୂତି ଭୟ ଉଦ୍ରେକରେ ଗଭୀର ପ୍ରଭାବ ପକାଇଥାଏ । ମସ୍ତିଷ୍କରେ ନ୍ୟୂରୋ-ଟ୍ରାନ୍ସମିଟରର୍ସଏମିଗ୍ଳୋଡ଼େଲେ ଭୟ ସୃଷ୍ଟିର ରାସାୟନିକ ପ୍ରକ୍ରିୟା ନିୟନ୍ତ୍ରଣ କରୁଥିବା କୁହାଯାଇଥାଏ ।

 

ଜେରାସ୍କୋଫୋବିଆର ଚିକିତ୍ସା ନିମନ୍ତେ ଉଭୟ ପରାମର୍ଶ କାଉନସିଲିଂ ଓ ଔଷଧ ସେବନ ମେଡ଼ିକେସନ ପଦ୍ଧତି ଉପଲବ୍ଧ । ସରଳଭାବେ ବୁଝିବାକୁ ଗଲେ ଉଦବିଗ୍ନତା ଓ ଅବସାଦ ରୋଗ ନିମନ୍ତେ ବ୍ୟବହୃତ କେତେକ ଔଷଧ ଚ଼ିକିତ୍ସକମାନେ ଚାରି ସପ୍ତାହ ଯାଏଁ ବ୍ୟବହାର କରିବା ନିମନ୍ତେ ସୁପାରିଶ କରିଥାନ୍ତି । କାଉନସିଲିଂରେ ଆକ୍ରାନ୍ତ ବ୍ୟକ୍ତିବିଶେଷଙ୍କୁ ତାଙ୍କରି ଭୟର କାରଣଗୁଡ଼ିକ କିପରି ଭିତ୍ତିହୀନ ବୁଝାଇ ଦିଆଯାଇଥାଏ । କ୍ରମବର୍ଦ୍ଧମାନ ଭୟ ଅନୁଭବ ଅବସରରେ ବ୍ୟକ୍ତିଗତସ୍ତରରେ ଉପଚାର ନିମନ୍ତେ କେତେକ ପଦ୍ଧତି ଚର୍ଚ୍ଚିତ । ଜଣେ ବାର୍ଦ୍ଧକ୍ୟର କେଉଁ ଦିଗଗୁଡ଼ିକୁ ଭୟ କରୁଛି ତାହା ଏକ କାଗଜରେ ଲେଖି ସେଭଳି ସମସ୍ୟାଗୁଡ଼ିକର ସମାଧାନ ନିମନ୍ତେ ତାପାଇଁ କଣ ସବୁ ବିକଳ୍ପ ଉପଲବ୍ଧ ଏବଂ ସେ ନିଜ ଚେଷ୍ଟାରେ କଣ ସବୁ କରିପାରିବ ନିର୍ଣ୍ଣୟ କଲେ ଭୟର ପ୍ରକୋପ ଅନେକାଂଶରେ କମିଯାଏ । ଭୟକୁ ବିଶ୍ଳେଷଣ କରି ସେହି ସମସ୍ୟାର କାରଣ ଓ ନିରାକରଣ ସଂପର୍କରେ ସଚ଼େତନ ହେବା ଅଭ୍ୟାସ ଅନେକଙ୍କୁ ବାର୍ଦ୍ଧକ୍ୟରେ ଭୟଜନିତ ଜଟିଳ ମାନସିକ, ଶାରିରୀକ ଓ ପାରିପାର୍ଶ୍ୱିକ ପରିସ୍ଥିତିରୁ ବଞ୍ଚାଇଦେଇପାରେ ।

 

ବାର୍ଦ୍ଧକ୍ୟରେ ଭୟ ସହିତ ଅବସାଦ ଯୋଡ଼ି ହୋଇରହିଥାଏ । ଏ ସଂପର୍କରେ ୧୯୯୭ ରୁ ୨୦୧୬ ଦୀର୍ଘ ୧୯ ବର୍ଷ ମଧ୍ୟରେ ପ୍ରକାଶିତ ବହୁ ସଂଖ୍ୟକ ବୈଜ୍ଞାନିକ ଗବେଷଣା ନିର୍ଯ୍ୟାସରୁ ଜଣାଯାଇଛି ଯେ ବିଭିନ୍ନ କାରଣରୁ ଭାରତରେ ପ୍ରାୟ ଏକ ତୃତୀୟାଂଶ ବରିଷ୍ଠ ନାଗରିକ ଅବସାଦର ଶୀକାର ହୋଇଥାନ୍ତି । ବିଭିନ୍ନ ରାଜ୍ୟରେ ଏହାର ପ୍ରକୋପ ମଧ୍ୟରେ ତାରତମ୍ୟ ରହୁଥିଲେ ହେଁ ଦେଶରେ ବାର୍ଦ୍ଧକ୍ୟରେ ଅବସାଦ ଏକ ବିଶିଷ୍ଟ ଜନସ୍ୱାସ୍ଥ୍ୟ ସମସ୍ୟା ରୂପେ ମୁଣ୍ଡ ଟେକିବାରେ ଲାଗିଛି । ବରିଷ୍ଠ ନାଗରିକ ସଂଖ୍ୟା କ୍ରମାଗତଭାବେ ବୃଦ୍ଧି ପାଇଚାଲିଥିବା ତଥା ୨୦୫୦ ସୁଦ୍ଧା ସମୁଦାୟ ଜନସଂଖ୍ୟାର ୧୯ ପ୍ରତିଶତ ବାର୍ଦ୍ଧକ୍ୟରେ ଉପନୀତ ହେବା ଆକଳନ କରାଯାଉଥିବା ସ୍ଥଳେ ଏଭଳି ସମସ୍ୟାର ସମାଧାନ ନିମନ୍ତେ ଲକ୍ଷ୍ୟଭିତ୍ତିକ ଉଦ୍ୟମ ଗୁରୁତ୍ୱ ବହନ କରିଥାଏ । କୋଭିଡ଼-୧୯ ପରଅବସ୍ଥାରେ ବରିଷ୍ଠ ନାଗରିକଙ୍କ ନିମନ୍ତେ ସ୍ୱାସ୍ଥ୍ୟସେବାର ଭିତ୍ତିଭୂମି ଗଢ଼ି ତୋଳିବା ଜରୁରି ହୋଇପଡ଼ିଛି ।


 

ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଜୁଲାଇ ୨୦୨୦


---

ତଥ୍ୟ:


Uniyal, Ruchika. What the elderly fear most in times of Covid-19

www.timesofindia.com, May 11, 2020

 

https://timesofindia.indiatimes.com/india/what-the-elderly-fear-most-in-times-of-covid19/articleshow/75641568.cms

 

Fear of old age becomes acute after 50, says study. www.telegraph.co.uk, April 21, 2014

 

https://www.telegraph.co.uk/news/health/news/10778168/Fear-of-old-age-becomes-acute-after-50-study-finds.html

 

Medical definition of fear of age

 

https://www.medicinenet.com/fear_of_age/definition.htm

ବାର୍ଦ୍ଧକ୍ୟରେ ଉଦବିଗ୍ନତା

ଇଂଲିଶ ଶବ୍ଦ ଏଙ୍ଗଜାଇଟିର ଓଡ଼ିଆ ଅନୁବାଦ ଉଦବିଗ୍ନତା ଚ଼ିହ୍ନଟ କରାଯାଇପାରେ । ଉଦବିଗ୍ନତା ଏକ ମାନସିକ ଅବସ୍ଥା । ଶବ୍ଦକୋଷରେ ଉଦବିଗ୍ନତାର ପ୍ରତିଶବ୍ଦ ଆତୁରତା, ଅଧୀରତା, ବ୍ୟଗ୍ରତା, ଉତ୍କଣ୍ଠା, କାତର, ମନର ଚଞ୍ଚଳତା ଓ ବ୍ୟସ୍ତତା ତଥା ଚ଼ିନ୍ତିତ ଅବସ୍ଥା ଉଲ୍ଲେଖ କରାଯାଇଥାଏ । ମାତ୍ରାଧିକ ଉଦବିଗ୍ନତା ମାନସିକ ରୋଗ ପର୍ଯ୍ୟାୟଭୁକ୍ତ । ମନସ୍ତତ୍ତ୍ୱବିତ ଏବଂ ମାନସିକ ରୋଗ ବିଶେଷଜ୍ଞମାନେ ଏହି ରୋଗର ନିଦାନ ଓ ଚ଼ିକିତ୍ସା କରିଥାନ୍ତି ।

 

ମନୁଷ୍ୟ ଜୀବନର ବିଭିନ୍ନସ୍ତରରେ ଉଦବିଗ୍ନତା ଶୀକାର ହେଉଥିଲେ ହେଁ ବାର୍ଦ୍ଧକ୍ୟରେ ଏହାର ପରିମାଣ ଓ ଚାପ ଅଧିକ ଅନୁଭୂତ ହେଉଥିବା ଲକ୍ଷ୍ୟ କରାଯାଏ । ପ୍ରତିକୂଳ ପରିସ୍ଥିତି ଉଦବିଗ୍ନତା ଉଦ୍ରେକର ଏକ ମୁଖ୍ୟ କାରଣ । ବିଶୃଙ୍ଖଳିତ ସାମାଜିକ ପରିବେଶରେ ବହୁ ସଂଖ୍ୟକ ଜନସାଧାରଣଙ୍କ ମାନସିକ ସ୍ୱାସ୍ଥ୍ୟ ପ୍ରଭାବିତ ହୋଇଥାଏ । କୋଭିଡ଼-୧୯ ମହାମାରୀରେ ଉଦବିଗ୍ନତା ଏକ ଜନସ୍ୱାସ୍ଥ୍ୟ ସମସ୍ୟା ରୂପେ ଗଢ଼ି ତୋଳି ଉଠୁଥିବା ଅବସରରେ ଅନ୍ୟତମ ସମ୍ୱେଦନଶୀଳ ଗୋଷ୍ଠୀ ବରିଷ୍ଠନାଗରିକଙ୍କ କ୍ଷେତ୍ରରେ ଗୁରୁତର ଆକାର ଧାରଣ କରିବା ନିଶ୍ଚିତ ।

 

ଏକ ନାକାରାତ୍ମକ ପରିବେଶର ସମ୍ଭାବନାରେ ଜଣେ ଉଦବିଗ୍ନ ହୋଇପଡ଼େ । ଭବିଷ୍ୟତରେ ବିପଦପୂର୍ଣ୍ଣ ପରିସ୍ଥିତିରେ ସମ୍ମୁଖୀନ ହେବା ନିଶ୍ଚିତ ଏବଂ ତାହାର ମୁକାବିଲା କରିବା ଅସଂଭବ ବିଚାର କରି ବ୍ୟତିବ୍ୟସ୍ତ ହୋଇପଡ଼ିବା ଉଦବିଗ୍ନ ମାନସିକତାର ପରିଚିତି । ବାର୍ଦ୍ଧକ୍ୟରେ ମନୁଷ୍ୟ ଶାରିରୀକ ଓ ମାନସିକସ୍ତରରେ ଦୁର୍ବଳ ହୋଇପଡୁଥିବା ହେତୁ ପୂର୍ବ-ବାର୍ଦ୍ଧକ୍ୟ, ବାର୍ଦ୍ଧକ୍ୟ ଓ ଉତ୍ତର-ବାର୍ଦ୍ଧକ୍ୟ, ଅର୍ଥାତ ୬୦ ବର୍ଷୋତ୍ତର ଅବସ୍ଥାରୁ ମୃତ୍ୟୁ ଯାଏଁ ଉଦବିଗ୍ନତାର ପ୍ରକୋପ ବୃଦ୍ଧି ପାଇବା ସ୍ୱାଭାବିକ । ସ୍ଥଳ ବିଶେଷରେ ଉଦବିଗ୍ନତା କାରଣରୁ ବହୁ ବ୍ୟକ୍ତିଗତ, ପାରିବାରିକ ଓ ସାମାଜିକ ସମସ୍ୟାମାନ ସୃଷ୍ଟି ହୋଇଥାଏ ।

 

ଉଦବିଗ୍ନତା ଓ ଭୟ ଦୁଇ ପୃଥକ ମାନସିକ ସ୍ଥିତି । ଭୟ ବର୍ତ୍ତମାନ ସାମ୍ନା କରୁଥିବା ବିପଦପୂର୍ଣ୍ଣ ପରିସ୍ଥିତିକୁ କେନ୍ଦ୍ରକରି ଗଢ଼ି ଉଠୁଥିବା ସ୍ଥଳେ ଉଦବିଗ୍ନତା ଭବିଷ୍ୟତରେ ବିପଦର ସମ୍ଭାବନା ଆଶ୍ରିତ । ଭୟ ନିର୍ଦ୍ଧିଷ୍ଟ ବିଷୟଭିତ୍ତିକ ଏବଂ ତାହାର ସମାଧାନର ସୂତ୍ର ଖୋଜିବାହାର କରାଯାଇପାରେ । ଏହା ମୁଖ୍ୟତଃ କ୍ଷଣସ୍ଥାୟୀ । ଅପରପକ୍ଷେ ଉଦବିଗ୍ନତା ଦୀର୍ଘସୂତ୍ରୀ ସମସ୍ୟାରୂପେ ବିକଶିତ ହୋଇଥାଏ ।

 

ବିଶେଷଜ୍ଞମାନେ ଉଦବିଗ୍ନତାକୁ ଏକାଂଶରେ ଏକ ବଂଶଗତ ବିକାର ରୂପେ ଗ୍ରହଣ କରିଥାନ୍ତି । ବିଭିନ୍ନ ପ୍ରତିକୂଳ ସ୍ୱାସ୍ଥ୍ୟାବସ୍ଥା ଏବଂ ପାରିପାର୍ଶ୍ୱିକ ପରିସ୍ଥିତି ଉଦବିଗ୍ନତା ଉଦ୍ରେକର କାରଣ ପାଲଟିଥାଏ । ଆଜମାଭଳି ସମସ୍ୟା ସାଙ୍ଗକୁ ଛାତି ଓ ପେଟରେ ଯନ୍ତ୍ରଣାଦାୟକ ରୋଗ ତଥା ଯୌନ ଅକ୍ଷମତା ମାନସିକସ୍ତରରେ ଉଦବିଗ୍ନତା ସୃଷ୍ଟିରେ ସହାୟକ ହେଉଥିବା ବିଶ୍ୱାସ କରାଯାଏ ।

 

ଆକ୍ରାନ୍ତଙ୍କ ଦୈନନ୍ଦିନ ଜୀବନଯାତ୍ରାକୁ ଉଦବିଗ୍ନତା ପ୍ରଭାବିତ କରେ । ଏତଦ୍ୱାରା ମାନସିକ ଓ ଶାରୀରିକସ୍ତରରେ ବିଭିନ୍ନ ଲକ୍ଷଣ ପ୍ରକାଶ ପାଇଥାଏ । ମୁଖ୍ୟତଃ ଅତୀତରେ ଯେଉଁ ନିର୍ଦ୍ଧିଷ୍ଟ କାରଣରୁ ଜଣେ ଉଦବିଗ୍ନତାର ଶୀକାର ହୋଇଥାଏ ସେହି ପରିସ୍ଥିତିରୁ ଦୂରେଇ ରହିବା ନିମନ୍ତେ ଚେଷ୍ଟା କରିଥାଏ । ଦୈନନ୍ଦିନ ଜୀବନରେ ନିଦ୍ରାଯିବା ଓ ଅନ୍ୟାନ୍ୟ ଅଭ୍ୟାସରେ ପରିବର୍ତ୍ତନ, ଖାଦ୍ୟ ଗ୍ରହଣ ବୃଦ୍ଧି କିମ୍ୱା ହ୍ରାସ ଏବଂ ହାତଗୋଡ଼ ହଲାଇବା ଭଳି ବିଭିନ୍ନ ଅସ୍ୱାଭାବିକ ଶାରିରୀକ ଆଚରଣ ଉଦବିଗ୍ନ ମାନସିକସ୍ଥିତିର ଲକ୍ଷଣ ରୂପେ ଚ଼ିହ୍ନିତ ।

 

ସେହିପରି ହଜମ ପ୍ରକ୍ରିୟାଜନିତ ତରଳ ଝାଡ଼ା, ପାଟି ଶୁଖିଯିବା, ଦୁର୍ବଳ ଅନୁଭବ, ଚର୍ମ କୁଣ୍ଡାଇ ହେବା, ମୁତ୍ରନଳୀରେ ଯନ୍ତ୍ରଣା, ଛାତିବ୍ୟଥା ତଥା ସ୍ନାୟୁଜନିତ ମୁଣ୍ଡ ବୁଲାଇବା ଭଳି ଶାରିରୀକ ଲକ୍ଷଣ ଉଦବିଗ୍ନତା ଆକ୍ରାନ୍ତଙ୍କଠାରେ ଦେଖିବାକୁ ମିଳିଥାଏ ।

 

ଶରୀରରେ ଭିଟାମିନ ଡ଼ି, ବି୨, ବି୧୨ ଓ ଫୋଲିକ ଏସିଡ଼ ଇତ୍ୟାଦି ଅଭାବ, ପାକସ୍ଥଳୀଜନିତ ଅସୁସ୍ଥତା ଏବଂ ମସ୍ତିଷ୍କଘାତ ଭଳି ସ୍ନାୟୁବିକ ରୋଗ ପ୍ରଭାବରେ ଉଦବିଗ୍ନତା ସୃଷ୍ଟି ହେଉଥିବା ପ୍ରମାଣିତ । ବ୍ୟକ୍ତିଗତ ଚାରିତ୍ରୀକସ୍ତରରେ ଅରାଜି, ଏଡ଼ାଇଦେବା, ଅନମନୀୟ, ସମସ୍ୟା ସମାଧାନରେ ଅପରାଗତା ଭଳି ନାକାରାତ୍ମକ ମନୋଭାବ ଉଦବିଗ୍ନତା ସହ ଯୋଡ଼ି ହୋଇ ରହିଥାଏ । ସାମଗ୍ରୀକଭାବେ ଭବିଷ୍ୟତ ସମସ୍ୟାବହୁଳ, ବିପଦପୂର୍ଣ୍ଣ ଓ ଦୁଃଖମୟ ଆକଳନ କରିବା ଦ୍ୱାରା ଦୈନନ୍ଦିନ ଜୀବନଯାତ୍ରାରେ ମାନସିକସ୍ତରରେ ତାହାର ପ୍ରଭାବ ପଡ଼ିଥାଏ ।

 

ବିଶେଷଜ୍ଞମାନେ ପ୍ରବୋଧନା ସହ ପ୍ରି-ବାୟୋଟିକ୍ସ ଓ ପ୍ରୋ-ବାୟୋଟିକ୍ସ ଶ୍ରେଣୀର ଔଷଧ ପ୍ରୟୋଗଦ୍ୱାରା ଉଦବିଗ୍ନତାର ଚିକିତ୍ସା କରିଥାନ୍ତି । ଲାକ୍ଟୋବେସିଲାସ ପ୍ରୋ-ବାୟୋଟିକ ଉଦବିଗ୍ନତା ହ୍ରାସରେ ସହାୟକ ହେଉଥିବା ପରୀକ୍ଷାରୁ ଜଣାଯାଉଛି । ଉଦବିଗ୍ନତା ପ୍ରକାଶ ପଛରେ ବିଭିନ୍ନ ରୋଗର ପ୍ରଭାବ ରହିଥିବା ହେତୁ ଚିକିତ୍ସକମାନେ ପ୍ରଥମେ ରୋଗ ଚିହ୍ନଟ କରି ଉପଚାର ନିମନ୍ତେ ପଦକ୍ଷେପ ନେଇଥାନ୍ତି । ଏଥିସହ କଗ୍ନିଟିଭର ବିହେଭରିଆଲ ଥେରାପି ମାଧ୍ୟମରେ ଆକ୍ରାନ୍ତଙ୍କୁ ପ୍ରବୋଧନାର ବ୍ୟବସ୍ଥା କରାଯାଇଥାଏ ।

 

କୁହାଯାଏ ଯେ ପ୍ରତ୍ୟେକ ମନୁଷ୍ୟ ଜୀବନରେ ଥରେ ଅଧେ ଉଦବିଗ୍ନତା ଶୀକାର ହୋଇଥାନ୍ତି । ଅଧିକାଂଶ କ୍ଷେତ୍ରରେ ଏହା ସ୍ୱଳ୍ପକାଳ ଅନୁଭବରେ ସୀମିତ ରହୁଥିବା ସ୍ଥଳେ କମ ସଂଖ୍ୟକ କ୍ଷେତ୍ରରେ ଦୀର୍ଘକାଳୀନ ମାନସିକ ରୋଗ ରୂପେ ମୁଣ୍ଡଟେକିଥାଏ । ପରିସଂଖ୍ୟାନ ଅନୁଯାୟୀ ବିଶ୍ୱବ୍ୟାପୀ ଜନସଂଖ୍ୟାର ୧୨ ପ୍ରତିଶତ ବାର୍ଷିକଭିତ୍ତିରେ ଉଦବିଗ୍ନତା ଆକ୍ରାନ୍ତ ହେଉଥିବାସ୍ଥଳେ ଯେକୌଣସି ସମୟରେ ଏହି ମାନସିକ ରୋଗୀଙ୍କ ସଂଖ୍ୟା ପାଞ୍ଚରୁ ୩୦ ପ୍ରତିଶତ ଯାଏ ବ୍ୟାପିଥାଏ । ପୁରୁଷମାନଙ୍କ ତୁଳନାରେ ମହିଳାମାନେ ଦୁଇଗୁଣ ଉଦବିଗ୍ନତା ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳେ । ସାଧାରଣତଃ ୨୫ ବର୍ଷ ବୟସପରଠାରୁ ଉଦବିଗ୍ନତାର ପ୍ରକୋପ ଅନୁଭବ ହୁଏ । ଉଦବିଗ୍ନତାର ପ୍ରତିରୋଧର ବିଭିନ୍ନ ପନ୍ଥା ମଧ୍ୟରେ ୨୦୧୭ରେ ପ୍ରକାଶିତ ଏକ ଗବେଷଣା ଅନୁଯାୟୀ ଉଦବିଗ୍ନତା ସଂପର୍କରେ ସଚେତନତା ଏହାର ନିରାକରଣରେ ଉଲ୍ଲେଖେଯୋଗ୍ୟ ଭୂମିକା ନିର୍ବାହ କରିଥାଏ ।

 

ବିଶ୍ୱବ୍ୟାପୀ ମହାମାରୀ ଦୀର୍ଘକାଳ ଅନୁଭବ ଆଶଙ୍କା ପ୍ରକାଶ ପାଉଥିବା ସ୍ଥଳେ ବହୁ ସଂଖ୍ୟକ ବ୍ୟକ୍ତି ଯେଉଁ ସ୍ଥିତିରେ ମହାମାରୀକୁ ଟାଣି ହୋଇଯାଇଥିଲେ ସେଥିରୁ ମୁକ୍ତ ହେବା ବେଳକୁ ବହୁ ପରିବର୍ତ୍ତନରେ ପ୍ରଭାବିତ ହୋଇ ସାରିଥିବେ ବୋଲି ଆକଳନ କରାଯାଉଛି । ମନସ୍ତତ୍ତ୍ୱବିତମାନେ ମହାମାରୀମୁକ୍ତ ପରିବେଶ ଅତ୍ୟନ୍ତ କଠିନ ହେବା ଚେତାବନୀ ଶୁଣାଉଛନ୍ତି ।

 

ମହାମାରୀ, ପ୍ରାକୃତିକ ଦୁର୍ବିପାକ ଓ ଯୁଦ୍ଧ ଭଳି ବିପର୍ଯ୍ୟୟ ସମୟ ପରବର୍ତ୍ତୀ ଅବସ୍ଥାରେ ଜନସାଧାରଣଙ୍କ ମଧ୍ୟରୁ ଏକାଂଶ ମାନସିକ ଅବନତିର ଶୀକାର ହେଉଥିବା ଇତିହାସ ପୃଷ୍ଠାରୁ ପ୍ରମାଣ ମିଳେ । ବ୍ୟକ୍ତିଗତସ୍ତରରେ ନିରାଶା, ଅନ୍ୟମନସ୍କତା, ନିଦ୍ରାହୀନତା, ଉଦବିଗ୍ନତା, ଅବସାଦ, ବିରକ୍ତିପଣ, କ୍ରୋଧ ଓ ସ୍ଥଳବିଶେଷରେ ହିଂସ୍ରକ ଆଚ଼ରଣ ସ୍ୱାଭାବିକ ବିଚାର କରାଯାଏ ।

 

ଜନପଦ ବନ୍ଦ ଲକ ଡ଼ାଉନରେ ଜନସାଧାରଣଙ୍କ ମୁକ୍ତ ବିଚ଼ରଣରେ କଟକଣା ଓ ଏକାନ୍ତବାସକୁ ପ୍ରାଧାନ୍ୟ ଦିଆଯାଇଥାଏ । ଏତଦ୍ୱାରା ଅନଭ୍ୟସ୍ତ ଗୃହାବଦ୍ଧତା ଓ ଏକାକୀତ୍ୱ ବ୍ୟକ୍ତିମାନସକୁ ଭରାକ୍ରାନ୍ତ କରିପକାଏ । ନିଦ୍ରା ଓ ଦୈନନ୍ଦିନ ଜୀବନଚ଼ର୍ଯ୍ୟା ବ୍ୟକ୍ତିଗତସ୍ତରରେ କ୍ଷୁଧା, ମାନସିକ ସ୍ଥିତି ଓ ରୋଗପ୍ରତିଷେଧକ ଶକ୍ତି ନିୟନ୍ତ୍ରଣରେ ପ୍ରମୁଖ ଭୂମିକା ବହନ କରୁଥିବା ହେତୁ ଏହି କ୍ଷେତ୍ରରେ ଅନିୟମିତତା ସ୍ୱାସ୍ଥ୍ୟରକ୍ଷାରେ ପ୍ରତିବନ୍ଧକ ସାଜିଥାଏ ।

 

ସାଧାରଣରେ ଦେଖିବାକୁ ମିଳେ ଯେ ଖୁବ କମ ସଂଖ୍ୟକ ବ୍ୟକ୍ତି ଲକଡ଼ାଉନରେ ନିଜକୁ ବିକଳ୍ପ କାର୍ଯ୍ୟଭାରରେ ନିୟୋଜିତ କରି ମାନସିକ ଚାପ ଓ ବିରକ୍ତିପଣରୁ ଯାଥାସଂଭବ ଦୂରେଇ ରଖିପାରନ୍ତି । ତେବେ ସଂଖ୍ୟାଧିକ ଚାପଗ୍ରସ୍ତ ଜୀବନଯାପନ କରୁଥିବା ହେତୁ ମହାମାରୀ-ପର ଅବସ୍ଥାରେ ପରିପୂରକ ଜନସ୍ୱାସ୍ଥ୍ୟର ସମସ୍ୟାରୂପେ ମୁଣ୍ଡ ଟେକିବା ବିଶ୍ୱାସ କରାଯାଏ । ଭାରତରେ ଶହେ ଅଠତିରିଶି କୋଟି ଜନସଂଖ୍ୟା ନିମନ୍ତେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ।

 

ମହାମାରୀରେ ମାନସିକ ଦୁଃସ୍ଥିତି ମୁଖ୍ୟତଃ ବ୍ୟକ୍ତିବିଶେଷଙ୍କୁ ଅବସାଦସ୍ତରରେ ପହୁଞ୍ଚାଇଥାଏ । ମହାମାରୀ-ପର ପରିବେଶରେ ପ୍ରତ୍ୟେକଙ୍କୁ ଊଣା ଅଧିକେ ବ୍ୟକ୍ତିଗତ ଓ ପାରିବାରିକ ଜୀବନଠାରୁ ଆରମ୍ଭ କରି ବୃତ୍ତି, ବ୍ୟବସାୟ ଓ ସାମାଜିକ ଆଙ୍ଗିକରେ ଉପୁଜିଥିବା ବିଭିନ୍ନ ସମସ୍ୟା ସମାଧାନରେ ଦକ୍ଷତା ଅପରିହାର୍ଯ୍ୟ ହୋଇପଡୁଥିବା ହେତୁ ଅବସାଦଗ୍ରସ୍ତ ମାନସିକ ସ୍ଥିତି ପ୍ରତିକୂଳ ପ୍ରଭାବ ପକାଇବା ନିଶ୍ଚିତ ।

 

ଉଭୟ ବ୍ୟକ୍ତିଗତ ଓ ସାମୂହିକସ୍ତରରେ ମହାମାରୀ ପରିବେଶରେ ମାନସିକ ସ୍ୱାସ୍ଥ୍ୟର ସୁରକ୍ଷା ନିମନ୍ତେ ଚ଼ତନା ଏହାର ପ୍ରାଦୁର୍ଭାବକୁ ସଂପୂର୍ଣ୍ଣ ଏଡ଼ାଇ ଦେଇ ନପାରିଲେ ସୁଦ୍ଧା ଆଶିଂକଭାବେ ପ୍ରତିଷେଧକ ଭାବେ କାର୍ଯ୍ୟ କରିବା ଆଶା କରାଯାଇପାରେ । ବରିଷ୍ଠ ନାଗରିକମାନଙ୍କ ପକ୍ଷରେ ଏହା ଗୁରୁତ୍ୱପୂର୍ଣ୍ଣ ।

 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଅଗଷ୍ଟ ୨୦୨୦


--- 

ତଥ୍ୟ:

 

https://en.wikipedia.org/wiki/Anxiety

 

Sharma, Ankita. Sleep disorders, anger, burnout, lockdown to have prolonged impact. www.thequint.com. April 19, 2020

 

https://fit.thequint.com/coronavirus/sleep-disorders-anger-burnout-covid-19-lockdown-to-have-prolonged-impact

ବାର୍ଦ୍ଧକ୍ୟରେ ଆତ୍ମଗ୍ଳାନୀ

ମନୁଷ୍ୟ ସମସ୍ତ ବୟସବର୍ଗରେ ଲିଙ୍ଗ ଭେଦ ନିର୍ବିଶେଷରେ ଅତ୍ମଗ୍ଳାନି ଅନୁଭବ କରେ । ଶିଶୁମାନେ ଦୁଇବର୍ଷ ବୟସରୁ ଆତ୍ମଗ୍ଳାନିର ଶୀକାର ହେଉଥିବା ଗବେଷଣାରୁ ଜାଣିବାକୁ ମିଳେ । ବାର୍ଦ୍ଧକ୍ୟରେ ୭୦ ବର୍ଷ ଯାଏଁ ଆତ୍ମଗ୍ଳାନି ଅନୁଭବର ପ୍ରକୋପ ବଳବତ୍ତର ରହୁଥିବା କୁହାଯାଏ ।

 

ଆତ୍ମଗ୍ଳାନି ପ୍ରାକୃତିକ । ପ୍ରତ୍ୟେକ ବ୍ୟକ୍ତି ଜୀବନରେ ବାରମ୍ୱାର ଏତଦ୍ୱାରା ଆକ୍ରାନ୍ତ ହୋଇଥାନ୍ତି । ଆତ୍ମଗ୍ଳାନି ଅନୁଭବକୁ ଶୀଥିଳ କରିବା ନିମନ୍ତେ ସଚ଼େତ ପ୍ରଚ଼େଷ୍ଟା ହିଁ ଏକମାତ୍ର ପନ୍ଥା । ନିଜ ଆଚ଼ରଣରେ ତୃଟି ହେତୁ ସଂଘଟିତ କ୍ଷତିକୁ ସାଧ୍ୟମତେ ସଜାଡ଼ିବା ନିମନ୍ତେ ଉଦ୍ୟମ ସୁଫଳ ପ୍ରଦାନ କରେ । ବିଶେଷଜ୍ଞମାନଙ୍କ ମଧ୍ୟରୁ ଏକାଂଶ ଆତ୍ମଗ୍ଳାନି ପାରସ୍ପରିକ ସଂପର୍କ ସୁଦୃଢ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ବିଶ୍ୱାସ କରନ୍ତି ।

 

ମନସ୍ତତ୍ତ୍ୱ ‘ସାଇକୋଲଜି’ ଶାସ୍ତ୍ର ଅନୁଯାୟୀ ଲଜ୍ଜ୍ୟା ‘ସେମ’, ସଂକୋଚ ‘ଏମ୍ୱାରାସମେଣ୍ଟ’ ଓ ଗର୍ବ ‘ପ୍ରାଇଡ଼’ ଭଳି ଆତ୍ମଗ୍ଳାନି ‘ଗିଲଟ’ ଏକ ଆତ୍ମଜ ଭାବାଂଶ ‘ସେଲଫ-କନସିଅସ ଇମୋସନ’ । ବ୍ୟକ୍ତି ବିଭିନ୍ନ କାରଣରୁ ଆତ୍ମଗ୍ଳାନି ଅନୁଭବ କରିଥାଏ । ନିଜ କୃତ କର୍ମ, ଦାୟିତ୍ୱ ସମ୍ପାଦନରେ ବିଫଳତା କିମ୍ୱା ନୈତିକତା ଉଲଂଘନ ଆତ୍ମଗ୍ଳାନି ପରିଧିକୁ ଟାଣି ନେଇଥାଏ । ଅନ୍ୟର କ୍ଷତି ସାଧନ ଆତ୍ମଗ୍ଳାନିର ପ୍ରମୁଖ ସମସ୍ୟା । ଆତ୍ମଗ୍ଳାନି କ୍ଷତିଗ୍ରସ୍ତଠାରେ କ୍ଷମା ପ୍ରାର୍ଥନା ବା ଆଶ୍ୱାସନା ପ୍ରଦାନ ନିମନ୍ତେ ଉତ୍ସାହିତ କରିଥାଏ । ଆତ୍ମଗ୍ଳାନି ବ୍ୟକ୍ତିଗତସ୍ତରରେ ଅନୁଭୂତ ହୁଏ, କିନ୍ତୁ ଏହାର ସାମାଜିକ ପ୍ରଭାବ ସୁଦୂର ପ୍ରସାରୀ ।

 

ଉଭୟ ଲଜ୍ଜ୍ୟା ଓ ଆତ୍ମଗ୍ଳାନି ଅନୁଭୁତି ଅଶ୍ୱସ୍ତିକର । ଯେଉଁ କାରଣରୁ ବ୍ୟକ୍ତି ଏଭଳି ଅସୁବିଧାରେ ପହଞ୍ଚିଥାଏ, ତାହା ସୁଧାରିନେବା ତଥା ନିରାକରଣ ନିମନ୍ତେ ଅବଶ୍ୟ ଚ଼େଷ୍ଟା କରିଥାଏ । ତେବେ କେତେକ କ୍ଷେତ୍ରରେ ସଂଶୋଧନ ସଂଭବ ହୋଇପାରିନଥାଏ । ଲଜ୍ଜ୍ୟା ତୁଳନାରେ ଆତ୍ମଗ୍ଳାନି ବ୍ୟକ୍ତିକୁ ତୃଟି ସୁଧାରିବା ନିମନ୍ତେ ଅଧିକ ମାତ୍ରାରେ ପ୍ରୋତ୍ସାହିତ କରୁଥିବା ବିଶେଷଜ୍ଞଙ୍କ ମତ ।

 

ଲଜ୍ଜ୍ୟା ଓ ଆତ୍ମଗ୍ଳାନି ବ୍ୟକ୍ତିର ସ୍ୱାସ୍ଥ୍ୟରେ ପ୍ରତିକୂଳ ପ୍ରଭାବ ପକାଉଥିବା ପ୍ରମାଣିତ । ଚେକେସ୍ଳୋଭିଆର ଗବେଷକମାନେ ୨୦୨୧ରେ ଏକ ହଜାର ୧୭ରୁ ୪୬ ବର୍ଷ ବୟସ୍କ, ଅର୍ଦ୍ଧେକ ପୁରୁଷ ଓ ଅର୍ଦ୍ଧେକ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ସର୍ବେକ୍ଷଣରୁ ଜାଣିବାକୁ ପାଇଥିଲେ ଯେ ଆତ୍ମଗ୍ଳାନି ପ୍ରଭାବିତ ବ୍ୟକ୍ତି ବାତ, ଆଜମା, ହୃଦରୋଗ, କର୍କଟ, ଅବସାଦ ଓ ଉଦବେଗ ଭଳି ଦୀର୍ଘସ୍ଥାୟୀ ରୋଗରେ ପୀଡ଼ିତ ହେବା ସମ୍ଭାବନା ଅଧିକ । ମଧୁମେହ ଓ ହୃଦଘାତ କ୍ଷେତ୍ରରେ ଆତ୍ମଗ୍ଳାନିର ବିଶେଷ ସଂପର୍କ ନଥିବା ସ୍ଥଳେ କର୍କଟ ରୋଗାକ୍ରାନ୍ତଙ୍କ ଠାରେ ସର୍ବାଧିକ । ଅବଶ୍ୟ ଗବେଷକଗଣ ଏଦିଗରେ ଅଧିକ ଅଧ୍ୟୟନ ଆବଶ୍ୟକ ଥିବା ସୂଚ଼ିତ କରିଥିଲେ ।

 

ଜାଣତ ଓ ଅଜାଣତରେ ତୃଟି ସମ୍ପାଦନା ପରେ ବ୍ୟକ୍ତି ଆତ୍ମଗ୍ଳାନି ଅନୁଭବ କରିଥାଏ ଏବଂ ଏହାର ପରିମାପ ସଂପୃକ୍ତ ଚ଼ରିତ୍ରର ନୈତିକ ମାନାଙ୍କ ଦ୍ୱାରା ପ୍ରଭାବିତ । ଆତ୍ମଗ୍ଳାନି ସକାରାତ୍ମକ ଦିଗରେ ବ୍ୟକ୍ତିକୁ ନିଜ ତୃଟି ସଂପର୍କରେ ସଚ଼େତନ କରାଇବା ତଥା ସୁଧାରିବା ଲାଗି ସହାୟକ ହୋଇଥାଏ । କିନ୍ତୁ ନକାରାତ୍ମକ ଦିଗରେ ନିଜ ପ୍ରତି ସନ୍ଦେହ, ଆତ୍ମ-ପ୍ରତ୍ୟୟ ହାନୀ ଓ ଲଜ୍ଜ୍ୟା ପୀଡ଼ିତ ଅବସ୍ଥା ସୃଷ୍ଟି କରିଥାଏ । ସ୍ଥଳବିଶେଷରେ ବ୍ୟକ୍ତିକୁ ଏହି ପରିସ୍ଥିତିରୁ ମୁକୁଳିବା କଷ୍ଟକର ହୋଇଥାଏ ।

 

ଆତ୍ମଗ୍ଳାନି ଉପଶମ ନିମନ୍ତେ ମନସ୍ତାତ୍ତ୍ୱିକ ପରାମର୍ଶଦାତାମାନେ ପ୍ରଥମେ ଆତ୍ମଗ୍ଳାନିର କାରଣର ପୁଙ୍ଖାନୁପୁଙ୍ଖ ଅନୁଶୀଳନକୁ ଗୁରୁତ୍ୱ ଦେଇଥାନ୍ତି । ଆତ୍ମଗ୍ଳାନିର ଉତ୍ସ ଜାଣିପାରିଲେ ତାହାର ନିରାକରଣ ନିମନ୍ତେ ଯୋଜନାବଦ୍ଧ ଉଦ୍ୟମ ଆୟୋଜନ ସଂଭବ । ସାଧାରଣରେ ବ୍ୟକ୍ତିର ଭୂଲ ବା ଅଘଟଣରେ ସଂପୃକ୍ତି ଆତ୍ମଗ୍ଳାନିର କାରଣ । କେଉଁ କାର୍ଯ୍ୟାବଳୀ ଭୂଲ ବା ଖରାପ ତାହା ବ୍ୟକ୍ତି ନିଜ ପରିବାର, ସମାଜ, ସଂସ୍କୃତି ଓ ଧର୍ମଦ୍ୱାରା ନିର୍ଦ୍ଧାରିତ ମାନଦଣ୍ଡରୁ ପରଖିଥାଏ । ଉଦାହରଣରେ ଅଭିଭାବକମାନେ ଶିଶୁର କେତେକ ଆଚ଼ରଣକୁ କ୍ରମାଗତ ତାଗିଦ କରିବା ହେତୁ ସେ କ୍ରମଶଃ ସେହି ଭଳି କାର୍ଯ୍ୟରୁ ନିବୃତ୍ତ ରହିବା ଶିଖିଥାଏ । ପରବର୍ତ୍ତୀ ଜୀବନରେ ତାହା ନୀତିନିୟମରେ ପରିଣତ ହୋଇଯାଏ । ଏହାର ଉଲଂଘନ ଆତ୍ମଗ୍ଳାନିର କାରଣ ପାଲଟେ ।

 

ଆତ୍ମଗ୍ଳାନି ବହୁ କ୍ଷେତ୍ରରେ ବ୍ୟକ୍ତିଗତ ତୁଳନାରେ ସାମୂହିକ ଚ଼ିନ୍ତାଧାରାରେ ପ୍ରଭାବିତ । କୌଣସି ଘଟଣାକୁ ବ୍ୟକ୍ତିଗତସ୍ତରରେ ଜଣେ ସଠିକ ତଥା ଯୁକ୍ତିଯୁକ୍ତ ବିଚାର କରୁଥିଲେ ମଧ୍ୟ ସାମାଜିକସ୍ତରରେ ମନ୍ଦ ବିବେଚ଼ନା କରାଯାଉଥିବା ହେତୁ ଆତ୍ମଗ୍ଳାନି ଉଦ୍ରେକ ହୋଇଥାଏ । ନିଜେ କ’ଣ ଭାବୁଚ ତାହାଠାରୁ ଅନ୍ୟମାନେ କ’ଣ କହିବେ, ତାହା ଓଜନଦାର ହୋଇପଡ଼େ । ଧର୍ମୀୟ ଶୃଙ୍ଖଳାର ପ୍ରଭାବ ବ୍ୟକ୍ତିକୁ ଆତ୍ମଗ୍ଳାନିର ବଶବର୍ତ୍ତୀ ହେବାରେ ଅନ୍ୟତମ ସୂତ୍ରଧର ।

 

ବ୍ୟକ୍ତିଗତସ୍ତରରେ ଭୂଲଭଟ୍ଟକା ହେତୁ ଆତ୍ମଗ୍ଳାନି ସୃଷ୍ଟି ହେଉଥିଲେ ହେଁ ନିଜର ସଂପୃକ୍ତି ନଥିବା ସତ୍ତ୍ୱେ କେତେକ କାରଣରୁ ଆତ୍ମଗ୍ଳାନି ସୃଷ୍ଟି ସମକାଳୀନ ଜନଜୀବନରେ ପରିଲକ୍ଷିତ । ଉଦାହରଣରେ କୋଭିଡ଼-୧୯ ମହାମାରୀ ଅବସରରେ ସଂକ୍ରମିତ ହୋଇ କିମ୍ୱା ରୋଗର ଦୀର୍ଘକାଳୀନ ପ୍ରଭାବରେ ବିଶ୍ୱବ୍ୟାପୀ ବହୁ ବାର୍ଦ୍ଧକ୍ୟଗ୍ରସ୍ତ ମୃତ୍ୟୁ ବରଣ କରିଥିଲେ । ଯେଉଁମାନେ ବିପଦକୁ ଏଡ଼ାଇ ବଞ୍ଚିଗଲେ ସେଥିମଧ୍ୟରୁ କେତେକ ଊଣାଅଧିକେ ଆତ୍ମଗ୍ଳାନିର ଶୀକାର ହୋଇଥିଲେ । ମୃତକଙ୍କ ଦୁର୍ଦ୍ଦଶାରେ ପ୍ରତ୍ୟକ୍ଷ ବା ପରୋକ୍ଷଭାବେ ସଂପୃକ୍ତି ନଥିଲେ ସୁଦ୍ଧା ସୃଷ୍ଟ ପରିସ୍ଥିତି ଅପରର ମନଗହନକୁ ଗଭୀର ପ୍ରଭାବିତ କରିଥାଏ ।

 

ସେହିପରି ଜଳବାୟୁ ପରିବର୍ତ୍ତନ କାରଣରୁ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ବର୍ଷା, ବାତ୍ୟା, ଭୂସ୍ପଳନ, ଭୂମିକମ୍ପ, ରୌଦ୍ରତାପ ଓ ବନାଗ୍ନି ଭଳି ବିପର୍ଯ୍ୟୟ ସଂପର୍କୀତ ସମ୍ୱାଦ ସଂସ୍ପର୍ଶରେ ଆସି ଅନେକ ଆତ୍ମଗ୍ଳାନିର ଶୀକାର ହେଉଥିବା ମନସ୍ତତ୍ୱବିତମାନେ ହିସାବ କରିଥାନ୍ତି । ଯୁଦ୍ଧର ଘନଘଟା, ଧ୍ୱଂସାବଶେଷରେ ଶିଶୁ ଓ ବୃଦ୍ଧଙ୍କ ଜୀବନଯାତ୍ରା ତଥା ଉଗ୍ର ହିଂସାକାଣ୍ଡ ସଂପର୍କରେ ଅବଗତ ହୋଇ ମଧ୍ୟ ଆତ୍ମଗ୍ଳାନିରେ କେତେକ ମାନସିକ ସନ୍ତୁଳନ ହରାଉଥିବା ଉଦାହରଣ ଦେଖିବାକୁ ମିଳିଥାଏ । ଏହି କ୍ଷେତ୍ରରେ ଆତ୍ମଗ୍ଳାନି ବ୍ୟକ୍ତିକୁ ଉଦ୍ଧାରକାର୍ଯ୍ୟରେ ସାଧ୍ୟମତେ ସହାୟତା ପ୍ରଦାନ ତଥା ପରିବେଶ ସୁରକ୍ଷା ଦିଗରେ ପ୍ରତ୍ୟକ୍ଷଭାବେ ଯୋଗଦାନ ନିମନ୍ତେ ପ୍ରୋତ୍ସାହିତ କରିଥାଏ ।

 

ଆତ୍ମଗ୍ଳାନିର ପରିମାପ ବ୍ୟକ୍ତି-କେନ୍ଦ୍ରୀକ । ପ୍ରତ୍ୟେକଙ୍କ ବ୍ୟକ୍ତିତ୍ୱ ଓ ଜୀବନାଭୂତି ଆତ୍ମଗ୍ଳାନିର ଘନତ୍ୱ ନିର୍ଦ୍ଧାରଣ କରିଥାଏ । କୁହାଯାଏ ଯେ ଯେଉଁ ବ୍ୟକ୍ତିଗଣ ସମ୍ୱେଦନଶୀଳ, ଅର୍ଥାତ ଅନ୍ୟମାନଙ୍କ ଭଲମନ୍ଦରେ ଭାଗୀଦାର ହେବାକୁ ପ୍ରଚ଼େଷ୍ଟା କରିଥାନ୍ତି, ସେମାନଙ୍କଠାରେ ଆତ୍ମଗ୍ଳାନି ତୀବ୍ର । କିନ୍ତୁ ଯେଉଁମାନେ ଅତିଶୟ ଆତ୍ମ-ଅନୁରାଗୀ, ସେମାନଙ୍କଠାରେ ଆତ୍ମଗ୍ଳାନି ଅପେକ୍ଷାକୃତ କମ ଦେଖିବାକୁ ମିଳିଥାଏ । ଏକ ଗବେଷଣାରେ ୧୩ ବର୍ଷରୁ ୮୯ ବର୍ଷ ବୟସ୍କ ୨,୬୧୧ ଜଣଙ୍କ ଜୀବଦ୍ଦଶା ୨୦୧୦ରେ ଅନୁଧ୍ୟାନରୁ ଜଣାଯାଇଥିଲା ଯେ ଆତ୍ମଗ୍ଳାନି କିଶୋର ଅବସ୍ଥାରୁ ଆରମ୍ଭ ହୋଇ ୭୦ ବର୍ଷ ଯାଏଁ ବୃଦ୍ଧି ପାଇ ଚାଲିଥାଏ ଏବଂ ତତ୍ ପରବର୍ତ୍ତୀ ଅବସ୍ଥାରେ ସ୍ଥିର ରହେ । ଅର୍ଥାତ, ଉତ୍ତର-ବାର୍ଦ୍ଧକ୍ୟରେ ଆତ୍ମଗ୍ଳାନି କାରଣରୁ ମାନସିକ ଦୁଶ୍ଚିନ୍ତାର ପ୍ରକୋପ କମି ଆସୁଥିବା ତଥ୍ୟ ଆଶ୍ୱସନାର ବିଷୟ ନିଶ୍ଚୟ । 

 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧୫ ଫେବୃୟାରୀ ୨୦୨


--- 

ତଥ୍ୟ:

 

Psychology Today

https://www.psychologytoday.com/us/basics/guilt

 

Why shame and guilt are functional for mental health

https://positivepsychology.com/shame-guilt/

 

Therapy for guilt

https://www.goodtherapy.org/learn-about-therapy/issues/guilt

 

Guilt : When it is useful-and what to do if it takes over your life. The Conversation

https://theconversation.com/guilt-when-it-is-useful-and-what-to-do-if-it-takes-over-your-life-180353

 

“Tracking the trajectory of shame, guilt, and pride across the life span – Pubmed”

https://pubmed.ncbi.nlm.nih.gov/21114354/


ବାର୍ଦ୍ଧକ୍ୟରେ ନିଦ୍ରାହୀନତା

ବୟସବୃଦ୍ଧି ସଙ୍ଗେ ମନୁଷ୍ୟର ନିଦ୍ରାର ପରିମାଣ କମିଯିବା ଅଭିଯୋଗ ଶୁଣିବାକୁ ମିଳେl ନିଦ୍ରା ବିଶେଷଜ୍ଞମାନଙ୍କ ମତରେ ବାର୍ଦ୍ଧକ୍ୟରେ ଶରୀରରେ ବିଭିନ୍ନ ପରିବର୍ତ୍ତନ ଅନୁଭବ କରାଯାଉଥିବା କ୍ରମରେ ବ୍ୟକ୍ତିଗତସ୍ତରରେ ନିଦ୍ରାଭ୍ୟାସରେ ମଧ୍ୟ ପରିବର୍ତ୍ତନ ସମ୍ଭବପର, କିନ୍ତୁ ବାର୍ଦ୍ଧକ୍ୟ ସହ ନିଦ୍ରାହୀନତା ଯୋଡିବା ଅନୁଚ଼ିତ l ପ୍ରାକୃତିକଭାବେ ବୟସବୃଦ୍ଧି ଅବସରରେ ନିଦ୍ରାର ପରିମାଣ ସ୍ଥିର ରହିଥାଏ l

 

ଅବଶ୍ୟ ବାର୍ଦ୍ଧକ୍ୟ ଅବସ୍ଥାରେ ବିଭିନ୍ନ କାରଣରୁ ନିଦ୍ରାହୀନତାରେ ଅପେକ୍ଷାକୃତଭାବେ ଅଧିକବ୍ୟକ୍ତି ଆକ୍ରାନ୍ତ ହୋଇଥାନ୍ତି l ଗବେଷଣାଲବ୍ଧ ତଥ୍ୟ ଅନୁଯାୟୀ ୫୦ ପ୍ରତିଶତ ବରିଷ୍ଠ ନାଗରିକ ନିଦ୍ରାହୀନତାର ଶିକାର ହେଉଥିବା ସ୍ଥଳେ ମଧ୍ୟ-ବୟସ୍କଙ୍କ କ୍ଷେତ୍ରରେ ନିଦ୍ରାହୀନତା ୨୬ ପ୍ରତିଶତରେ ସୀମିତ l

 

ଅପରପକ୍ଷେ ରାତ୍ରୀକାଳୀନ ନିଦ୍ରାରଗୁଣବତ୍ତାରେ ବରିଷ୍ଠ ନାଗରିକମାନେ ୬୦ ପ୍ରତିଶତ ସନ୍ତୁଷ୍ଟ ଥିବା ସ୍ଥଳେ ବୟସ୍କ ବର୍ଗରେ ୫୨ ପ୍ରତିଶତ, ମଧ୍ୟ-ବୟସ୍କ ବର୍ଗ ୪୪ ପ୍ରତିଶତ ଓ ଯୁବକଙ୍କ ମଧ୍ୟରେ ୩୮ ପ୍ରତିଶତ ସନ୍ତୋଷବ୍ୟକ୍ତ କରିଥାନ୍ତି l

 

ଏତାଦୃଶ ପରସ୍ପର ବିରୋଧୀ ତଥ୍ୟ ବିଶ୍ଳେଷଣ କଲେ ବାର୍ଦ୍ଧକ୍ୟରେ ନିଦ୍ରାହୀନତା ଏକ ଲକ୍ଷଣ ନ ହେଲେ ହେଁ ଅଧିକାଂଶ ବରିଷ୍ଠ ନାଗରିକ ନିଦ୍ରାହୀନତାର ଶୀକାର ହେଉଥିବା ଜଣାଯାଏ l

 

ନିଦ୍ରା ବିଜ୍ଞାନ ଅଧ୍ୟୟନରେ ସାଧାରଣତଃ ନିଦ୍ରାକୁ ଦୁଇ ଭାଗରେ ବିଭକ୍ତ କରାଯାଇଥାଏ, ଯଥା:‘ନନ ରାପିଡ଼ ଆଇ ମୁଭମେଣ୍ଟ ପିରିଅଡ଼’ ଓ ‘ରାପିଡ଼ ଆଇ ମୁଭମେଣ୍ଟ ପିରିଅଡ଼’l ନନ ରାପିଡ଼ ଆଇ ମୁଭମେଣ୍ଟ ପରିଅଡ଼ରେ ହାଲକା ‘ଲାଇଟ’ ଓ ଗଭୀର ‘ଡ଼ିପ’ ନିଦ୍ରା ଯାଉ l ଏହି ସମୟରେ ସ୍ୱପ୍ନ ଦେଖୁନା l କିନ୍ତୁ ରାପିଡ଼ ଆଇ ମୁଭମେଣ୍ଟ ପିରିଅଡ଼ରେ ସ୍ୱପ୍ନ ଦେଖୁ l ନିଦ୍ରା ଅବସରରେ ଏହି ଦୁଇ ପର୍ଯ୍ୟାୟ ଅଦଳ ବଦଳ ହୋଇଥାଏ l ବାର୍ଦ୍ଧକ୍ୟରେ ଅଧିକାଂଶ ସମୟ ହାଲକା ନିଦ୍ରାରେ ସମୟ ଅତିବାହିତ ହେଉଥିବା ଲକ୍ଷ୍ୟ କରାଯାଏ l

 

ବାର୍ଦ୍ଧକ୍ୟରେ ନିଦ୍ରାଭ୍ୟାସରେ ଉଲ୍ଲେଖଯୋଗ୍ୟ ଲକ୍ଷଣଗୁଡ଼ିକ ମଧ୍ୟରେ ଆଗୁଆ ଶୋଇ ଆଗୁଆ ଉଠିବା ଅନ୍ୟତମ l ବୃତ୍ତିଗତ କ୍ଷେତ୍ରରୁ ଅବସର ଗ୍ରହଣପରେ ଦୈନନ୍ଦିନ ଜୀବନରେ କାର୍ଯ୍ୟସଂପୃକ୍ତି ଅଭାବ କାରଣରୁ କେତେକ ସଅଳ ନିଦ୍ରା ଯାଆନ୍ତି l ଅନ୍ୟ କେତେକ ଅଧିକ ସମୟ ନିଦ୍ରାଯିବା ଅବସର ଜୀବନର ଅନ୍ୟତମ ସୁଯୋଗ ବିବେଚ଼ନା କରି ସଅଳ ନିଦ୍ରା ଯାଆନ୍ତି l ପ୍ରିୟଜନଙ୍କ ବିୟୋଗରେ ପାରିବାରିକ ପରିବେଶରେ ସମୟ ଅତିବାହିତ କରିବା ନିମନ୍ତେ ସୁଯୋଗ ଅଭାବରୁ ଅନ୍ୟକେତେକ ବିରକ୍ତିରୁ ଦୂରେଇ ଯିବା ନିମନ୍ତେ ସଅଳ ନିଦ୍ରା ଯାଆନ୍ତି l ତେବେ ନିଦ୍ରାର ଅବଧି ସ୍ଥିର ରହୁଥିବା ହେତୁ ରାତିରେ ସଅଳ ନିଦ୍ରା ଗଲେ ପ୍ରଭାତରେ ସଅଳ ଉଠିବାକୁ ପଡ଼ିଥାଏ l ଏକ ଗବେଷଣାରେ ୬୪ ପ୍ରତିଶତ ବରିଷ୍ଠ ନାଗରିକ ବଡ଼ି ସକାଳୁ ଶଯ୍ୟାତ୍ୟାଗ କରୁଥିବା ସ୍ୱୀକାର କରିଥିଲେ l

 

ଏତଦ୍ବ୍ୟତୀତ ରାତିର ନିଦ୍ରାର ଗୁଣବତ୍ତାରେ ଅସନ୍ତୁଷ୍ଟ ହେବା, ଶଯ୍ୟାକୁ ଯିବାପରେ ନିଦ୍ରାଯିବା ନିମନ୍ତେ ଅଧିକ ସମୟ ଲାଗିବା ଓ ବାରମ୍ୱାର ନିଦ ଭାଙ୍ଗିଯିବା ଇତ୍ୟାଦି ବରିଷ୍ଠନାଗରିକମାନେ ଅଭିଯୋଗ କରିଥାନ୍ତିl ନିଦ୍ରା ବିଜ୍ଞାନୀମାନେ ଏଭଳି ଲକ୍ଷଣଗୁଡ଼ିକୁ ବ୍ୟକ୍ତିଗତସ୍ତରରେ ଶାରିରୀକ, ମାନସିକ ତଥା ଅନ୍ୟାନ୍ୟ ରୋଗ ଚ଼ିକିତ୍ସା ନିମନ୍ତେ ଔଷଧଗ୍ରହଣର ପାର୍ଶ୍ୱ ପ୍ରତିକ୍ରିୟା ବିବେଚ଼ନା କରିଥାନ୍ତି l

 

ଗବେଷଣା ଅନୁଯାୟୀ ପ୍ରାୟ ୪୪ ପ୍ରତିଶତ ବୟସ୍କ ସପ୍ତାହରେ ଏକାଧିକ ରାତିରେ କିଛି କିଛି ପରିମାଣରେ ନିଦ୍ରାହୀନତା ଅନୁଭବ କରିଥିବା ସ୍ୱୀକାର କରିଥାନ୍ତି l ରାତିରେ ନିଦ୍ରାହୀନତା କାରଣରୁ ଦିନବେଳା ଢୁଳାଇବା, ଏକାଗ୍ରତା ଅଭାବ, ଦୁର୍ଘଟଣାର ଶୀକାର, ଅସୁସ୍ଥତା ତଥା ଦୈନନ୍ଦିନ ଜୀବନଚର୍ଯ୍ୟାରେ ସନ୍ତୁଳନ ହରାଇବା ଭଳି ଲକ୍ଷଣ ପ୍ରକାଶ ପାଇଥାଏ l

 

ଅନେକ କ୍ଷେତ୍ରରେ ବାର୍ଦ୍ଧକ୍ୟରେ ନିଦ୍ରାହୀନତାର ଉପଚ଼ାର ନିମନ୍ତେ ଦିନବେଳା ଶୋଇବା ଅଭ୍ୟାସକୁ ବନ୍ଦ ତଥା ନିଦ୍ରାହୀନତାକୁ ଉସୁକାଉଥିବା ଖାଦ୍ୟ ବାରଣ କରିବା ଆବଶ୍ୟକ ହୋଇଥାଏ l ବ୍ୟାବହାରିକ ‘ବିହେଭିରିଆଲ’ ଓ ଔଷଧସେବନଜନିତ ଚ଼ିକିତ୍ସାକୁ ଗୁରୁତ୍ୱ ଦିଆଯାଇଥାଏ l

 

ଘୁଙ୍ଗୁଡ଼ି ମାରିବା ନିଦ୍ରା ବ୍ୟାହତର ଅନ୍ୟତମ କାରଣରୂପେ ଚ଼ିହ୍ନିତ ହୋଇଥାଏ l ଘୁଙ୍ଗୁଡ଼ି ମାରିବାରେ ଅଭ୍ୟସ୍ତ ପୃଥୁଳକାୟ ବ୍ୟକ୍ତିବିଶେଷ ବାର୍ଦ୍ଧକ୍ୟ ଅବସ୍ଥାରେ ଅଧିକ ମାତ୍ରାରେ ଆକ୍ରାନ୍ତ ହୋଇ ପଡ଼ନ୍ତି l ଶ୍ୱାସନଳୀ ଗଠନଜନିତ ତୃଟି, ଉଚ୍ଚ ରକ୍ତଚ଼ାପ ଭଳି ବିଭିନ୍ନ କାରଣରୁ ବ୍ୟକ୍ତି ଘୁଙ୍ଗୁଡ଼ି ମାରିଥାଏ l ନିଦରେ ଘୁଙ୍ଗୁଡ଼ି ମାରିବା ଅବସରରେ ସ୍ୱାଭାବିକ ଶ୍ୱାସକ୍ରିୟା ୧୦ ରୁ ୬୦ ସେକେଣ୍ଡ ଯାଏଁ ବନ୍ଦ ହୋଇଯିବା ହେତୁ ରକ୍ତକୁ ଅମ୍ଳଜାନ ଯୋଗାଣ ବାଧାପ୍ରାପ୍ତ ହୋଇଥାଏ l ଫଳରେ ମସ୍ତିସ୍କ ଚମକି ଉଠିଥାଏ ଏବଂ ନିଦ୍ରା ବ୍ୟାହତ ଘଟିଥାଏ l

 

ଏଭଳି ଅବସ୍ଥା ବାରମ୍ୱାର ଘଟିବା କାରଣରୁ ଆକ୍ରାନ୍ତ ବ୍ୟକ୍ତି ବାର୍ଦ୍ଧକ୍ୟରେ ହୃଦରୋଗ, ମୁଣ୍ଡବ୍ୟଥା, ସ୍ମୃତିଶକ୍ତି ହ୍ରାସ ଓ ଅବସାଦ ଭଳି ଅବସ୍ଥାର ଶୀକାର ହୋଇଥାଏ lଏକ ହିସାବ ଅନୁଯାୟୀ ୬୦ ପ୍ରତିଶତ ପୁରୁଷ ଓ ୪୦ ପ୍ରତିଶତ ମହିଳା ଘୁଙ୍ଗୁଡ଼ି ଆକ୍ରାନ୍ତ l ଅନେକ କ୍ଷେତ୍ରରେ ସେମାନେ ନିଦ୍ରାବସ୍ଥାରେ ଘଣ୍ଟାରେ ପାଞ୍ଚଥରରୁ ଅଧିକ ଘୁଙ୍ଗୁଡ଼ି ମାରିଥାନ୍ତି l

 

ନିଦ୍ରାବସ୍ଥାରେ ଅସ୍ଥିର ଗୋଡ଼ ‘ରେଷ୍ଟଲେସ ଲେଗସ ସିଣ୍ଡ୍ରୋମ’ ଅଭ୍ୟାସ ପ୍ରାୟ ୧୦ ପ୍ରତିଶତ ବ୍ୟକ୍ତିଙ୍କଠାରେ ଦେଖିବାକୁ ମିଳୁଥିବା ପ୍ରମାଣମିଳେ l ଏହି ଅଭ୍ୟାସ ବାର୍ଦ୍ଧକ୍ୟ ଅବସ୍ଥାରେ ବଢ଼ିଥାଏ l ଶୋଇବାବେଳେ କେତେକ କ୍ଷେତ୍ରରେ ଅଶ୍ୱସ୍ତିକରବୋଧକରି ମନୁଷ୍ୟ ଗୋଡ଼ ହଲାଇଥାଏ l ଏହା ଏକ ସ୍ନାୟୁଗତ ପ୍ରକ୍ରିୟା ଏବଂ ଆକ୍ରାନ୍ତ ବ୍ୟକ୍ତିଙ୍କଠାରେ ସନ୍ଧ୍ୟାବେଳେ ଏହାର ପ୍ରକୋପ ବଢ଼ି ରାତିରେ ନିଦ୍ରାରେ ବ୍ୟାଘାତ ଜନ୍ମାଇଥାଏ l ଶରୀରରେ ଭିଟାମିନ-ବି୧୨ ଓ ଲୌହ ଅଭାବରୁ ଏଭଳି ଅସ୍ଥିରତା ସୃଷ୍ଟି ହେଉଥିବା ଜଣାଯାଏ l

 

ବାର୍ଦ୍ଧକ୍ୟରେ ମନୁଷ୍ୟ ଅପେକ୍ଷାକୃତଭାବେ ରୋଗାକ୍ରାନ୍ତ ହୋଇପଡୁଥିବା ହେତୁ ବିଭିନ୍ନ ରୋଗର ପାର୍ଶ୍ୱପ୍ରତିକ୍ରିୟାରେ ନିଦ୍ରା ପ୍ରଭାବିତ ହୋଇଥାଏ l ଉଦାହରଣରେ ଉଚ୍ଚରକ୍ତଚ଼ାପ, ମଧୁମେହ, ମହିଳାମାନଙ୍କ କ୍ଷେତ୍ରରେ ଋତୁ ନିବୃତ୍ତ ‘ମେନୋପଜ’ ଭଳି ଅବସ୍ଥାର ପ୍ରଭାବ ଦୀର୍ଘ ଦିନ ଧରି ବଳବତ୍ତର ରହୁଥିବା ଅବସରରେ ବିଭିନ୍ନ ଦିଗରୁ ବ୍ୟକ୍ତିର ସୁନିଦ୍ରା ବାଧକ ସାଜିଥାଏl

 

ଅଜମାଭଳି ଶ୍ୱାସନଳୀ ସଂକ୍ରମଣ ଓ ଖାଦ୍ୟନଳୀ ସଂକ୍ରମଣ ତଥା ବିଭିନ୍ନ ଧରଣର ଶାରିରୀକ କଷ୍ଟ ‘ପେନ’ ଇତ୍ୟାଦି ମଧ୍ୟ ନିଦ୍ରାହୀନତାର ଅନ୍ୟାନ୍ୟ କାରଣ l ବାର୍ଦ୍ଧକ୍ୟରେ ପାର୍କିନସନ ଓ ମଲଟିପଲ ସ୍ଳୋରୋସିସ ହେତୁ ନିଦ୍ରା ପ୍ରଭାବିତ ହୋଇଥାଏ lରାତିରେ ଶୋଇବା ଅବସ୍ଥାରେ ଚ଼େଇଁବା ବାର୍ଦ୍ଧକ୍ୟବସ୍ଥାରେ ଅଧିକ ମାତ୍ରାରେ ଅନୁଭୁତ ହୁଏ l ୨୦୦୫ରେ ଆୟୋଜିତ ଏକ ସର୍ବେକ୍ଷଣରେ ବରିଷ୍ଠ ନାଗରିକମାନେ ୩୯ ପ୍ରତିଶତ, ବୟସ୍କମାନେ ୩୩ ପ୍ରତିଶତ, ମଧ୍ୟ-ବୟସ୍କମାନେ ୩୧ ପ୍ରତିଶତ ଓ ଯୁବକମାନେ ୨୪ ପ୍ରତିଶତ ରାତିରେ ଶୋଇବା ଅବସ୍ଥାରେ ଚ଼େଉଁଥିବା ସ୍ୱୀକାର କରିଥିଲେ l ବିଭିନ୍ନ କାରଣରୁ ରାତିରେ ଶୋଇବା ଅବସ୍ଥାରେ ଚ଼େଇଁବା ଦ୍ୱାରା ନିଦ୍ରା ବ୍ୟାହତ ହୋଇଥାଏ l

 

ସୁନିଦ୍ରା ସବୁ ବୟସରେ ମନୁଷ୍ୟର ସୁସ୍ଥ ଶରୀରର ପରିଚ଼ାୟକ l ଜୀବନର ପ୍ରାୟ ଏକ ତୃତୀୟାଂଶ ସମୟ ନିଦ୍ରାବସ୍ଥାରେ ଅତିବାହିତ ହେଉଥିବା ହେତୁ ଚ଼ିକିତ୍ସା ବିଜ୍ଞାନରେ ନିଦ୍ରାଭ୍ୟାସକୁ ଗୁରୁତ୍ୱ ଦିଆଯାଇଥାଏ lନିଦ୍ରିତ ଅବସ୍ଥା ମନୁଷ୍ୟ ଶରୀରରେ ସେଲ ରିକଭରି ଓ ଗ୍ରୋଥ ହରମନକୁ ସକ୍ରିୟ କରିବା ସାଙ୍ଗକୁ ମନରେ ଥିବା ବିଭିନ୍ନ ସୂଚ଼ନା ଅନୁଶୀଳନ କରି ବୁଝିବାରେ ସହାୟକ ହୋଇଥାଏ l

 

ବାର୍ଦ୍ଧକ୍ୟରେ ମନୁଷ୍ୟ କେତେ ସମୟ ନିଦ୍ରା ଯିବା ଉଚ଼ିତ ସେ ସଂପର୍କରେ ସାଧାରଣରେ ବାଦବିବାଦ ଲାଗି ରହିଥାଏ l ଯୁକ୍ତରାଷ୍ଟ୍ର ଆମେରିକାରେ ସାର୍ବଜନୀନ ନିଦ୍ରା ଅଧ୍ୟୟନରେ ପ୍ରସିଦ୍ଧି ଲାଭ କରିଥିବା ‘ନ୍ୟାସନାଲ ସ୍ଳିପ ଫାଉଣ୍ଡେସନ’ ପକ୍ଷରୁ ଚିକିତ୍ସା ବିଜ୍ଞାନର ବିଭିନ୍ନ ବିଭାଗର ୧୮ ଜଣ ଚ଼ିକିତ୍ସକ ଦୀର୍ଘ ଦୁଇବର୍ଷ ଧରି ନିଦ୍ରା ସଂପର୍କୀତ ୩୦୦ ଗୋଟି ଗବେଷଣା ସନ୍ଦର୍ଭ ତର୍ଜମା କରି ବୟସାନୁଯାୟୀ ମନୁଷ୍ୟର ନିଦ୍ରାଭ୍ୟାସ ସଂପର୍କରେ ଏକ ତାଲିକା ପ୍ରକାଶ କରିଥିଲେ l ସେଥିରେ ଉଲ୍ଲେଖ କରାଯାଇଛି ଯେ ୬୫ ବର୍ଷୋତ୍ତର ବ୍ୟକ୍ତିମାନେ ଦୈନିକ ସାତରୁ ଆଠ ଘଣ୍ଟା ଶୋଇବା ଉଚିତ lତେବେ ୧୮ ରୁ ୬୪ ବର୍ଷ ବୟସ୍କଙ୍କ କ୍ଷେତ୍ରରେ ଦୈନିକ ନିଦ୍ରାର ପରିମାଣ ସାତରୁ ନଅ ଘଣ୍ଟା ଧାର୍ଯ୍ୟ କରାଯାଇଛି l

 

ବାର୍ଦ୍ଧକ୍ୟ ଅବସ୍ଥାରେ ମନୁଷ୍ୟ ନିଦ୍ରାଯିବା ସମୟ ତୁଳନାରେ ଅଧିକ ସମୟ ଶଯ୍ୟାଶାୟୀ ହେଉଥିବା ଲକ୍ଷ୍ୟ କରାଯାଏ l ଗବେଷଣାରୁ ଜଣାଯାଏ ଯେ ୫୦ ପ୍ରତିଶତ ବରିଷ୍ଠ ନାଗରିକ ଶେଯକୁ ଯିବାପରେ ୩୦ ମିନଟ ଯାଏଁ ଚ଼େତା ଥାଆନ୍ତି l ସାଧାରଣରେ ୬୦ ରୁ ୮୦ ବର୍ଷ ବୟସ୍କମାନେ ରାତିରେ ୬ ରୁ ୬.୩୦ ଘଣ୍ଟା ଶୋଉଥିଲେ ହେଁ ୭.୩୦ ରୁ ୮ ଘଣ୍ଟା ଯାଏଁ ବିଛଣାରେ ପଡ଼ିରହନ୍ତି l ତେବେ ଉତ୍ତରବାର୍ଦ୍ଧକ୍ୟରେ ବିଭିନ୍ନ କାରଣରୁ ଶଯ୍ୟାଶାୟୀ ହୋଇପଡୁଥିବା ବରିଷ୍ଠନାଗରିକଙ୍କ ନିଦ୍ରାଭ୍ୟାସ ଏହିଗଣନାରେ ଅନ୍ତର୍ଭୁକ୍ତ ନୁହେଁ l ବାର୍ଦ୍ଧକ୍ୟରେ ରାତ୍ରୀକାଳୀନ ନିଦ୍ରା ସହ ଦିନବେଳା ଶୋଇବା ପ୍ରାୟ ସମସ୍ତଙ୍କ ଅଭ୍ୟାସ l

 

‘ସାଇକୋ-ଫିଜିଓଲୋଜିକାଲ ଇନସୋମେନିଆ’ ବାର୍ଦ୍ଧକ୍ୟରେ ୩ ପ୍ରତିଶତ ବରିଷ୍ଠନାଗରିକଙ୍କଠାରେ ନିଦ୍ରାହୀନତାର କାରଣ ରୂପେ ଚ଼ିହ୍ନଟ କରାଯାଇଥାଏ lଏଥିରେ ଆକ୍ରାନ୍ତ ବ୍ୟକ୍ତିବିଶେଷ ନିଦ୍ରା ଅନୁଭବ କରି ଶଯ୍ୟାକୁ ଯାଇଥାନ୍ତି, କିନ୍ତୁ ନିଦ ହୁଏ ନାହିଁ l ଦୀର୍ଘ ସମୟଧରି ଶଯ୍ୟାରେ ପଡ଼ିରହି ବିରକ୍ତ ହୋଇଥାନ୍ତିl ଜୀବନଚ଼କ୍ରରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେତୁ ଅନ୍ୟମାନେ ମଧ୍ୟ ସାମୟିକଭାବେ ଏହିଭଳି ପରିସ୍ଥିତିର ସମ୍ମୁଖୀନ ହୋଇଥାନ୍ତି l

 

ଏହି ଧରଣର ନିଦ୍ରାହୀନତାର ଉପଚ଼ାର ନିମନ୍ତେ ନିଦ୍ରାବିଜ୍ଞାନୀମାନେ ‘ଷ୍ଟିମ୍ୟୁଲସ କଣ୍ଟ୍ରୋଲ ଥେରାପି’ ଉପଯୋଗ କରିଥାନ୍ତି l ଆକ୍ରାନ୍ତ ବ୍ୟକ୍ତିକୁ ଯଦି ଶଯ୍ୟାକୁ ଯିବା ଦଶ ମିନଟ ମଧ୍ୟରେ ନିଦ ନ ହେଲା, ତେବେ ଶଯ୍ୟାଛାଡ଼ି ଚୁପଚ଼ାପ ବସିବା ବା ପଢ଼ିବା ଭଳି ଅନ୍ୟକିଛି କାର୍ଯ୍ୟ କରିବା ନିମନ୍ତେ ପରାମର୍ଶ ଦିଆଯାଇଥାଏ l ସେ ନିଦ୍ରା ଅନୁଭବ କରିବା ଯାଏଁ ଚ଼େତା ରହିବା ଏବଂ ନିଦ୍ରା ଅନୁଭବ କଲେ ପୁଣି ଶଯ୍ୟାକୁ ଯିବାପାଇଁ କୁହାଯାଇଥାଏ l ୧୯୮୭ ଓ ୧୯୯୨ରେ ଆୟୋଜିତ କେତେକ ଗବେଷଣାରେ ଏଭଳି ଅଭ୍ୟାସରୁ ସୁଫଳ ମିଳିଥିବା ପ୍ରମାଣିତ ହୋଇଛି l

 

ନିଦ୍ରାହୀନତା ଭୋଗ କରୁଥିବା ବ୍ୟକ୍ତିମାନେ ରାତିରେ କେତେ ସମୟ ଶୋଉଛନ୍ତି ଦୁଇ ସପ୍ତାହ ଯାଏଁ ତାହାର ହିସାବ ରଖି ହାରାହାରି ସେତିକି ସମୟ ପାଇଁ ଶଯ୍ୟାକୁ ଗଲେ ନିଦ୍ରାବିନା ଶଯ୍ୟାରେ ପଡ଼ିରହିବା ବିରକ୍ତିରୁ ମୁକ୍ତି ମିଳିଥାଏ ବୋଲି କୁହାଯାଏ l

 

ସୁନିଦ୍ରା ନିମନ୍ତେ ଅନୁପୂରକ ବାତାବରଣ କେତେକାଂଶରେ ଦାୟୀ ବୋଲି ନିଦ୍ରାବିଜ୍ଞାନୀମାନେ ସୂଚ଼ିତ କରିଥାନ୍ତି l ଶୋଇବା ସ୍ଥାନଟି ସୁରକ୍ଷିତ, ଶାନ୍ତ, କମ ଆଲୋକିତ ଓ ଅତ୍ୟାଧିକ ଗରମ ବା ଥଣ୍ଡା ମୁକ୍ତ ଥିଲେ ଭଲ ନିଦ ହୋଇଥାଏ l ନିର୍ଦ୍ଧାରିତ ସମୟ ବଦଳରେ ଅସମୟରେ ନିଦ୍ରାଯିବା ନିଦ୍ରାର ଗୁଣବତ୍ତାକୁ ପ୍ରଭାବିତ କରିଥାଏ l

 

ଉଦବିଗ୍ନତା ‘ଏଙ୍ଗାଜିଇଟି ଡ଼ିସଅଡ଼ର’, ଭୟ ‘ପେନିକ ଡ଼ିସଅଡ଼ର’ ଓ ଆତୁରତା ‘ଅବସେସିଉଭ-କମ୍ପଲସିଉଭ ଡ଼ିସଅଡ଼ର’ ନିଦ୍ରାହୀନତାର ଅନ୍ୟତମ କାରଣ l ବାର୍ଦ୍ଧକ୍ୟରେ ଅସ୍ଥିରତାହେତୁ ନିଦ୍ରାହୀନତା କିମ୍ୱା ନିଦ୍ରା ବ୍ୟାହତ ଅନୁଭୂତିକୁ ସୁଧାରିବାଲାଗି ଔଷଧସେବନ ସହ ବ୍ୟାବହାରିକ ‘ବିହେଭେରିଆଲ’ ଚ଼ିକିତ୍ସା ଅନୁମୋଦିତ l ମାନସିକ ଅବସ୍ଥା ସାଙ୍ଗକୁ ବିଭିନ୍ନ ଶାରିରୀକ ଅସୁସ୍ଥତା ଯଥା: ହୃଦରୋଗ, ଯକୃତ ରୋଗ ଓ ଚକ୍ଷୁରୋଗ ଇତ୍ୟାଦି ନିଦ୍ରାକୁ ପ୍ରଭାବିତ କରିଥାଏ l ଉତ୍ତର-ବାର୍ଦ୍ଧକ୍ୟରେ ଶଯ୍ୟାଶାୟୀ ଜୀବନ ନିଦ୍ରାହୀନତାର ଅନ୍ୟତମ କାରଣ ରୂପେ ଚ଼ିହ୍ନିତ ହୋଇଥାଏ l

 

ନିଦ୍ରାହୀନତାର ଉପଚ଼ାର ନିମନ୍ତେ ସାଧାରଣରେ ବହୁ ଭ୍ରାନ୍ତ ଧାରଣା ପ୍ରଚ଼ଳିତ l ଦିନକୁ ଚ଼ାରିପାଞ୍ଚ ଘଣ୍ଟା ଶୋଇବା ଯଥେଷ୍ଟ, ସପ୍ତାହବ୍ୟାପୀ ନିଦ୍ରାହୀନତା ରବିବାର ବା ଛୁଟିଦିନଗୁଡ଼ିକରେ ଦିନବେଳା ଶୋଇ ଭରଣା କରିହେବ ତଥା କିଛି ନିଶା ସେବନ ଦ୍ୱାରା ନିଦ୍ରା ଜୀବନକୁ ସଜାଡ଼ି ହେବ ବୋଲି ଅନେକ ବିଶ୍ୱାସ କରିଥାନ୍ତି l ତେବେ ବାର୍ଦ୍ଧକ୍ୟରେ ସାତରୁ ଆଠ ଘଣ୍ଟା ଶୋଇବାର ବିକଳ୍ପ ନାହିଁ l କେତେକ ନିଦ୍ରାବିଜ୍ଞାନୀ କହନ୍ତି ଯେ ଅନେକ କ୍ଷେତ୍ରରେ ବରିଷ୍ଠନାଗରିକମାନେ ଶଯ୍ୟାକୁ ଯିବାର ପନ୍ଦରମିନଟରୁ ଅଧ ଘଣ୍ଟା ପରେ ପ୍ରକୃତପକ୍ଷେ ଶୋଇବା ଏବଂ ସେହିପରି ଉଠିବାରେ ବ୍ୟୟ କରୁଥିବା ହେତୁ ନିର୍ଦ୍ଧାରିତ ଆଠଘଣ୍ଟା ନିଦ୍ରା ଅବଧିରେ ସେତିକି ସମୟ ମଧ୍ୟ ଯୋଗ କରିବା ଉଚ଼ିତ l

 

ନିଦ୍ରା ଯିବାରେ ସମୟାନୁବର୍ତ୍ତିତା ସୁନିଦ୍ରାରେ ସହାୟକ ହୋଇଥାଏ lପରିବର୍ତ୍ତିତ ପରିସ୍ଥିତିରେ ଟେଲିଭିଜନ, ଇଣ୍ଟରନେଟ ଓ ସ୍ମାର୍ଟଫୋନ ବ୍ୟବହାର ଦ୍ୱିତୀୟ ବିଶ୍ୱଯୁଦ୍ଧୋତ୍ତର ଅବସ୍ଥାରେ ବ୍ୟକ୍ତି ପିଛା ହାରାହାରି ନିଦ୍ରା ସମୟ ୧୯୫୦ ତୁଳନାରେ ପ୍ରାୟ ଘଣ୍ଟାଏ କମି ଯାଇଥିବା ଗବେଷକମାନେ ହିସାବ କରୁଥିବା ହେତୁ ବାର୍ଦ୍ଧକ୍ୟରେ ସେଥିପ୍ରତି ମଧ୍ୟ ସତର୍କ ରହିବା ଆବଶ୍ୟକ l

 

ନିଦ୍ରାଭ୍ୟାସ ସଂପର୍କରେ ଅନ୍ୟଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହେଲା ବ୍ୟକ୍ତିଗତସ୍ତରରେ ମନୁଷ୍ୟ ନିଜ ନିଦ୍ରାଜୀବନ ସଂପର୍କରେ ସଠିକ ବୁଝିପାରେନା କିମ୍ୱା କହିପାରେନା l ଏହା ନିଦ୍ରାହୀନତା ଚ଼ିକିତ୍ସାରେ ମୁଖ୍ୟ ଅନ୍ତରାୟ ସାଜିଥାଏ l ତେବେ ବାର୍ଦ୍ଧକ୍ୟରେ ନିଦ୍ରାହୀନତା ଭୋଗୁଥିବା ବ୍ୟକ୍ତିମାନେ ଦୀର୍ଘ ଦିନ ଧରି ଦୈନିକ କେତେବେଳେ କେତେ ସମୟ ଶୋଉଛନ୍ତି ଏବଂ ନିଦ୍ରାର ଗଭୀରତା ସଂପର୍କରେ ନିଜସ୍ୱ ମନ୍ତବ୍ୟ ଲିପିବଦ୍ଧ କରି ତାହାର ହାରାହରି ହିସାବ ନେଇ ଚ଼ିକିତ୍ସକଙ୍କ ନିକଟକୁ ଗଲେ ନିଦ୍ରାହୀନତା ଉପଚ଼ାର କରିବା ହୁଏତ ଅପେକ୍ଷାକୃତଭାବେ ଫଳପ୍ରଦ ହୋଇପାରେ l

 

ନିଦ୍ରାବିଜ୍ଞାନ ସଂପର୍କରେ ଗବେଷଣା ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳକୁ ଆରମ୍ଭ ହୋଇଥିଲା l ଆଞ୍ଚଳିକସ୍ତରରେ କାହିଁକି ଆନ୍ତର୍ଜାତିକସ୍ତରରେ ମଧ୍ୟ ନିଦ୍ରାବିଜ୍ଞାନୀଙ୍କ ଅଭାବ ଅନୁଭୂତ ହୋଇଥାଏ l ବିଶେଷଜ୍ଞମାନଙ୍କ ମତରେ ନିଦ୍ରାହୀନତାର ପ୍ରକୃତ କାରଣ ଖୋଜି ବାହାର ନକରି ପାରିବା କାରଣରୁ ସ୍ଥଳବିଶେଷରେ ନିଦ ଔଷଧ ସେବନ ନିମନ୍ତେ ପରାମର୍ଶ ଦିଆଯାଇଥାଏ l ତେବେ ଅନେକ କ୍ଷେତ୍ରରେ ଏହା ପରିସ୍ଥିତିକୁ ସୁଧାରିବା ବଦଳରେ ଜଟିଳ କରିପକାଏ l ଏଭଳି ପରିବେଶରେ ବାର୍ଦ୍ଧକ୍ୟରେ ନିଦ୍ରାଭ୍ୟାସ ସଂପର୍କରେ ବ୍ୟକ୍ତିଗତସ୍ତରରେ ଅଧ୍ୟୟନକେନ୍ଦ୍ରୀକ ସଚ଼େତନ ହେବା ଗୁରୁତ୍ୱବହନ କରେ l

 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଅଗଷ୍ଟ ୨୦୧୮

 

***

ତଥ୍ୟ:


https://www.sleepfoundation.org/aging-and-sleep

 

 

Jagus, Christopher E & Susan M. Benbow. Sleep disorders in the elderly. Advances in Psychiatric Treatment (1999) Vol. 5, pp 30-38

 

King, Georgia Frances. Why eight hours a night isn’t enough, according to a leading sleep scientist. qz.com. June 10, 2018

 

https://qz.com/1301123/why-eight-hours-a-night-isnt-enough-according-to-a-leading-sleep-scientist/

ଦିବାନିଦ୍ରା

ମଧ୍ୟାହ୍ନରେ ଭୋଜନ ଉତ୍ତାରେ ସ୍ୱଳ୍ପ ସମୟ ନିଦ୍ରାଯିବା ପାରମ୍ପରିକଭାବେ ଓଡ଼ିଆଚଳେଣୀର ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିଲେ ହେଁ ଏଥିଲାଗି ସ୍ୱତନ୍ତ୍ର ଶଦ୍ଦ ଖୋଜି ପାଇ ହୁଏନା । ଆମରାଜ୍ୟ ଗ୍ରାମାଞ୍ଚଳରେ ଚ଼ାଷୀ ବର୍ଷକେ ହାରାହାରି ଚ଼ାରି ମାସ ଖରାବେଳ ଚ଼ାଷ ଜମିରେ କଟାଏ । ଦିନ ଦ୍ୱିପ୍ରହରରେ ଖାଇସାରିବାପରେ ସେ ସେଠି ହିଁ କିଛି ସମୟ ଶୋଇଯାଏ । ବାକୀଆଠମାସ ଘରେ ଶୋଇବା ସୁବିଧା ମିଳେ । ଶ୍ରମିକମାନେ ଖରାବେଳେ ଖାଇସାରିବାପରେ କାର୍ଯ୍ୟସ୍ଥଳୀରେ ନିଦ୍ରା ଯାଆନ୍ତି । ଅବଶ୍ୟ ସହରାଞ୍ଚଳରେ କର୍ମନିଯୁକ୍ତଙ୍କୁ ମଧ୍ୟାହ୍ନ ଭୋଜନ ବିରତିରେ ନିଦ୍ରାଯିବା ସୁଯୋଗ ମିଳେନା । ସରକାରୀ ଦପ୍ତରରେ କାର୍ଯ୍ୟରତ ଉପରିସ୍ଥ କର୍ମଚ଼ାରୀମାନେ ଖରାବେଳେ ଘରକୁ ଖାଇବାକୁ ଆସିଲେ କିଛି ସମୟ ଶୋଇବାକୁ ସମୟ ବାହାର କରନ୍ତି କିମ୍ୱା ସ୍ୱତନ୍ତ୍ର କଠୋରୀର ସୁବିଧା ଥିଲେ ଘୁମାଇ ପଡ଼ନ୍ତି । କଳକାରଖାନା ବା ଆଠଘଣ୍ଟା ପାଳି କର୍ମକ୍ଷେତ୍ରରେ ମଧ୍ୟାହ୍ନ ଭୋଜନ ପରେ ବିଶ୍ରାମର ଅବକାଶ ନଥାଏ ।

 

ଖରାବେଳ ଖିଆପରେ ଶୁଆ ଇଂଲିଶରେ‘ମିଡ଼-ଡ଼େ ନାପ’ ନାମିତ । ସ୍ପାନିଶ ଭାଷାରେ ‘ସିଏସ୍ତା’ବିଶ୍ୱବ୍ୟାପୀ ପ୍ରସିଦ୍ଧ । ‘ନାପ’କୁ ଆମେ ‘ଗଡ଼ପଡ଼’ କହିପାରିବା ନାହିଁ । ଶଦ୍ଦକୋଷ ଅନୁଯାୟୀ ‘ଗଡ଼ପଡ଼’ର ଅର୍ଥ ‘ଶଯ୍ୟାରେ ଜାଗ୍ରତ ଅବସ୍ଥାରେ ପଡ଼ି ବିଶ୍ରାମ ଗ୍ରହଣ’ । ‘ମଧ୍ୟାହ୍ନ ଭୋଜନ’ଦିବାଭାଗର ପ୍ରଧାନ ଆହାର । ତେବେ ‘ନାପ’କୁ ‘ମଧ୍ୟାହ୍ନ ନିଦ୍ରା’ ନାମିତ କରାଯାଇ ପାରେ କି? ଏହା ଶୃତିକଟୁ ବୋଧ ହୁଏ । ‘ମଧ୍ୟାହ୍ନ ବିଶ୍ରାମ’ ମଧ୍ୟ ଉଚ଼ିତ ଅର୍ଥ ବୁଝାଏନା । କାରଣ ‘ବିଶ୍ରାମ’ କ୍ଳାନ୍ତି ଦୂରୀକରଣ, ବିରାମ, ନିବୃତ୍ତିକୁ ବୁଝାଏ, ‘ନିଦ୍ରିତ’ ଅବସ୍ଥାକୁ ନୁହେ । ଶଦ୍ଦକୋଷରେ ‘ଦିବାସ୍ୱପ୍ନ’ ଶଦ୍ଦର ଉଲ୍ଲେଖ ରହିଛି । ଏହା ‘ଦିବାନିଦ୍ରାରେ ଦୃଷ୍ଟ ସ୍ୱପ୍ନକୁ’ ବୁଝାଏ । ତେବେ ‘ମିଡ଼-ଡ଼େ ନାପ’କୁ ଆମେ ‘ଦିବାନିଦ୍ରା’ କହିଲେ ହୁଏତ ଭୁଲ ହେବ ନାହିଁ ।

 

ନିଦ୍ରା ବିଶାରଦଙ୍କ ମତରେ ‘ନାପ’ ଉଭୟ ଗାଢ଼‘ଡ଼ିପସ୍ଳିପ’ ଓ ପତଳା ‘ଲାଇଟସ୍ଳିପ’ ନିଦ୍ରାର ସମାହାର ।ମୌଳିକ ନିଦ୍ରାଚକ୍ରରେ‘ଦିବାନିଦ୍ରା’ଦେଢ଼ଘଣ୍ଟା ଯାଏଁ ବିସ୍ତୃତ ହୋଇପାରେ । ସେଥିରେ ଘଣ୍ଟାଏ ଗାଢ଼ ନିଦ୍ରା ଓ ଅଧ-ଘଣ୍ଟା ପତଳା ନିଦ୍ରା ଅନ୍ତର୍ଭୁକ୍ତ । ଗାଢ଼ ନିଦ୍ରା ଯାଇଥିବା ଅବସରରେ ଉଠିପଡ଼ିବା ଅନୁଚିତ, ପତଳା ନିଦ୍ରା ସମୟରେ ଉଠିଲେ ଫୁର୍ତ୍ତି ଲାଗେ । ଦିନବେଳା ଅଧିକ ସମୟ ଶୋଇଯିବା କିମ୍ୱାଗାଢ଼ ନିଦ ସମୟରେ ଉଠିଗଲେ ବିରକ୍ତବୋଧ ହୁଏ । ତେବେ କିଛି ସମୟ ମଧ୍ୟରେ ସେଭଳି ଅନୁଭବ ଆପଣା ଛାଏଁ ଉଭେଇଯାଏ ।

 

ଫ୍ଳିଣ୍ଟର୍ସୟୁନିଭରସିଟିରନିକୋଲେଲୋଭାଟୋ‘ଆଡ଼େଲାଇଡ଼େଇନଷ୍ଟିଟିଉଟଫରସ୍ଳିପହେଲଥ’ର ବରିଷ୍ଠ ଗବେଷକ । ତାଙ୍କରି ମତରେ‘ନାପ’ଅଭ୍ୟସ୍ତଙ୍କ ମାନସିକ ଅବସ୍ଥା ଭଲ ରହେ ଏବଂ ‘ନାପ’ ପରବର୍ତ୍ତୀ ସମୟତକସେମାନେ କର୍ମଠ ରହନ୍ତି । ଗବେଷଣାରୁ ଆହୁରି ଜଣାଯାଇଛି ଯେ ସେହି ସମୟରେ ନୂଆ ବିଷୟ ଶିଖିବା ସହଜ ଏବଂ ସ୍ମୃତିଶକ୍ତିରେ ଉନ୍ନତି ପରିଲିକ୍ଷିତ ହୋଇଥାଏ ।

 

ଆମ ରାଜ୍ୟ ଓ ଆମ ଦେଶ ସମେତ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଦିବାନିଦ୍ରାର ପ୍ରଚଳନ ରହିଛି । ପାଶ୍ଚାତ୍ୟ ଭୂଖଣ୍ଡରେ ଭୂ-ମଧ୍ୟ ସାଗର ଓ ଦକ୍ଷିଣ ୟୁରୋପରେ ଏହି ଅଭ୍ୟାସ ଲୋକପ୍ରିୟ । ସାଧାରଣରେ ଗ୍ରୀଷ୍ମ ଅଞ୍ଚଳରେ ରୌଦ୍ରତାପରୁନିସ୍ତାର ପାଇବା ନିମନ୍ତେ ମଧ୍ୟାହ୍ନ ଭୋଜନପରେ କିଛି ସମୟ କାର୍ଯ୍ୟକ୍ଷେତ୍ରରୁ ଓହରି ଯାଇ ନିଦ୍ରାଯିବା ପ୍ରଥା ପ୍ରଚଳିତ ବୋଲି କୁହାଯାଉଥିଲେ ହେଁ ଶୀତପ୍ରଧାନ ନରୱେର ଗ୍ରାମାଞ୍ଚଳରେ ଚ଼ାଷୀମାନେଦିବାନିଦ୍ରା ଯାଆନ୍ତି । ପାରମ୍ପରିକଭାବେ ସେମାନେ ବଡ଼ି ସକାଳୁ ଉଠି ପଶୁମାନଙ୍କ ଯତ୍ନ ନେଇ ମଧ୍ୟାହ୍ନ ବେଳକୁ ଅବଶ ହୋଇପଡ଼ିଥାନ୍ତି । ତେଣୁ ମଧ୍ୟାହ୍ନଭୋଜନପରେ ଦୁଇ ତିନି ଘଣ୍ଟା ନିଦ୍ରା ଯାଆନ୍ତି ।

 

ଗ୍ରୀସ, ବ୍ରାଜିଲ ଓ ମେସ୍କିକୋ ଭଳି ରାଷ୍ଟ୍ରରେ ୭୨ ପ୍ରତିଶତ ନାଗରିକ ସାପ୍ତାହକୁ ଅନ୍ତତଃ ଚ଼ାରି ଦିନ ଦିବାନିଦ୍ରାରେ ଅଭ୍ୟସ୍ତ ଥିବା ଗବେଷକମାନେ ହିସାବ କରିଛନ୍ତି । କାନାଡ଼ାରେସହରାଞ୍ଚଳ ହୋଟେଲ ଓ ରାଜରାସ୍ତାକଡ଼ରମୋଟେଲଗୁଡ଼ିକରେଦିବାନିଦ୍ରା‘ସିଏସ୍ତା’ ନିମନ୍ତେ ମଧ୍ୟାହ୍ନରେ ଗ୍ରାହକମାନେ ମାତ୍ର କିଛି ଘଣ୍ଟାଲାଗିକଠୋରୀଭଡ଼ା ଦେବା ପ୍ରଥା ପ୍ରଚଳିତ । ଇଂଲ୍ୟାଣ୍ଡରେଅନେକଙ୍କ ମଧ୍ୟରେ ମଧ୍ୟାହ୍ନ ଭୋଜନପରେ୧୦ ରୁ ୧୫ ମିନଟ‘ପାୱାର-ନାପ’ ସହରାଞ୍ଚଳରେ ଲୋକପ୍ରିୟ । ପାରମ୍ପରିକ ଭାବେ ‘ସିଏସ୍ତା’ସ୍ପାନିସ ସଭ୍ୟତା ସହ ଯୋଡ଼ିହୋଇ ଆସିଥିଲେ ହେଁ ଆଧୁନିକ ସ୍ପେନରେ ୨୦୦୯ରେ ଆୟୋଜିତ ଏକ ସର୍ବେକ୍ଷଣ ଅନୁଯାୟୀ ମାତ୍ର ୧୬ ପ୍ରତିଶତ ନାଗରିକ ଦିବାନିଦ୍ରାରେ ଅଭ୍ୟସ୍ତ । ମୋଟାମୋଟିଭାବେସେବାନିବୃତ୍ତ ବରିଷ୍ଠ ନାଗରିକ କିମ୍ୱା ଅନ୍ୟମାନଙ୍କ ଲାଗି ଗ୍ରୀଷ୍ମଛୁଟିରେ‘ସିଏସ୍ତା’ର ସୁଯୋଗ ମିଳେ ।

 

ଦିବାନିଦ୍ରା‘ନାପ’ ପ୍ରଭାବରେ ଉଚ୍ଚରକ୍ତଚ଼ାପ ଓ ହୃଦଘାତ ଉପଶମ ହେଉଥିବା ସଂପର୍କରେ କେତେକ ଗବେଷଣା ସନ୍ଦର୍ଭ ପ୍ରକାଶ ପାଇଛି । ‘ଆମେରିକାନ କଲେଜ ଅଫ କାର୍ଡ଼ିଓଲୋଜି’ ପକ୍ଷରୁ ୨୦୧୯ ମାର୍ଚ୍ଚ ମାସରେ ଆୟୋଜିତ ଏକ ସମ୍ପାନରେ ଗ୍ରୀସର ଜଣେ ବୈଜ୍ଞାନିକ ମାନୋଲିସକାଲଷ୍ଟ୍ରାଟୋସ ଦର୍ଶାଇଥିଲେ ଯେ ଦୈନିକ ଘଣ୍ଟାଏ ‘ନାପ’ ନେବା ଫଳରେ ଉଚ୍ଚ ରକ୍ତଚ଼ାପଭୋଗୀଙ୍କ ଅନ୍ତତଃ ୩ ମିଲିମିଟର ସିଷ୍ଟୋଲିକବ୍ଳଡ଼-ପ୍ରେସର ଗଣନା କମ ହୋଇଥାଏ । ତାଙ୍କରି ଗବେଷଣାରେ ନିୟମିତ ଦିବାନିଦ୍ରାରେଅଭ୍ୟସ୍ତଙ୍କଠାରେଅନଭ୍ୟସ୍ତଙ୍କ ତୁଳନାରେ ହାରାହାରି ୫.୩ ମିଲିମିଟର କମ ହିସାବକରାଯାଇଛି । ଲୁଣ ଓ ମଦ୍ୟପାନରୁ ବିରତିରେ ୩ ରୁ ୫ ମିଲିମିଟର ବ୍ଳଡ଼-ପ୍ରେସର କମୁଥିବା ସ୍ଥଳେ ଦିବାନିଦ୍ରାରେ ଅଭ୍ୟାସରେ ସେହିମାତ୍ରାରେ ସୁଫଳ ଉପଲବ୍ଧ ଥିବା ଜଣାଯାଇଛି ।

 

ବୋଷ୍ଟନସ୍ଥିତହାର୍ଭାଡ଼ ସ୍କୁଲ ଅଫ ପବ୍ଳିକ୍ ହେଲଥର ବୈଜ୍ଞାନିକ ଡିମିଟ୍ରୋଇସଟ୍ରିଚ଼ୋପୋଲୁସଗ୍ରୀସରେ ୨୩ ହଜାର ୨୦ରୁ ୮୬ ବର୍ଷ ବୟସ୍କ ନାଗରିକ ସ୍ୱାସ୍ଥ୍ୟବସ୍ଥା୧୯୯୪ ରୁ ୧୯୯୯ ମଧ୍ୟରେ ପାଞ୍ଚବର୍ଷ ଅନୁସନ୍ଧାନ କରି ସିଦ୍ଧାନ୍ତରେ ଉପନୀତ ହୋଇଥିଲେ ଯେ ଦିବାନିଦ୍ରାରେ ଅଭ୍ୟସ୍ତ ବ୍ୟକ୍ତିଙ୍କଠାରେ ଅନଭ୍ୟସ୍ତଙ୍କ ତୁଳନାରେ ୩୪ ପ୍ରତିଶତ ହୃଦଘାତରେ ମୃତ୍ୟୁ ଆଶଙ୍କା କମ । ୨୦୦୭ ଫେବୃୟାରୀ ମାସରେ ପ୍ରକାଶିତ ସନ୍ଦର୍ଭରେସେ ଦର୍ଶାଇଥିଲେ ଯେ ଗ୍ରୀସ, ଇଟାଲୀ ଓ ସ୍ପେନଭଳି ଦେଶରେ ଦିବାନିଦ୍ରା ଲୋକପ୍ରିୟ ଥିବା ହେତୁ ସେଠାରେ ହୃଦରୋଗରମାତ୍ରା ଅନ୍ୟାନ୍ୟ ଦେଶ ତୁଳନାରେ କମ ପରିଲକ୍ଷିତ ।

 

ନିଦ୍ରା ବିଶେଷଜ୍ଞମାନଙ୍କ ମତରେ ମନୁଷ୍ୟର ଶରୀର ଦୈନିକ ଦୁଇଗୋଟି ନିଦ୍ରାଚ଼କ୍ରମଧ୍ୟଦେଇ ଗତି କରିଥାଏ । ଚ଼େତନ ଅବସ୍ଥାର ପ୍ରଥମ ଚ଼କ୍ର ମଧ୍ୟାହ୍ନରେ ଶେଷ ହେଉଥିବା ହେତୁ ଅବଶ ଅନୁଭୂତ ହୁଏ । ତେଣୁ ଦିନ ଗୋଟାଏରୁ ତିନିଟା ମଧ୍ୟରେ ଦିବାନିଦ୍ରା ଯିବା ପ୍ରକୃଷ୍ଟ ସମୟ । ପାରମ୍ପରିକଭାବେବିଶ୍ୱବ୍ୟାପୀ ବିଭିନ୍ନ ସଭ୍ୟତାରେ ଦିବାନିଦ୍ରା ପ୍ରଚଳିତ ଥିବା ସ୍ଥଳେ ଜଗତୀକରଣ ପ୍ରଭାବରେ ପାଶ୍ଚାତ୍ୟ କର୍ମସଂସ୍କୃତିଆନ୍ତର୍ଜାତିକସ୍ତରରେ ସେଭଳି ସ୍ୱାସ୍ଥ୍ୟଉପଯୋଗୀ ଅଭ୍ୟାସର ମୂଳୋତ୍ପାଟନ କରିବାରେ ଲାଗିଛି ।

 

ଦିବାନିଦ୍ରା ସହ ହୃଦସ୍ୱାସ୍ଥ୍ୟବସ୍ଥା ସଂପର୍କୀତ ଗବେଷଣାଲବ୍ଧ ସିଦ୍ଧାନ୍ତଗୁଡ଼ିକୁ ସମସ୍ତ ସ୍ୱାସ୍ଥ୍ୟବିଶେଷଜ୍ଞ ସର୍ବୋତ୍ତଭାବେ ଗ୍ରହଣ କରିନଥାନ୍ତି । କେତେକଙ୍କ ମତରେ ଯେଉଁମାନେ ବଡ଼ି ସକାଳୁ ଦିନଚ଼ର୍ଯ୍ୟା ଆରମ୍ଭ କରିଦେଇଥାନ୍ତି ସେମାନେ ଦ୍ୱିପହରରେ ଅବଶ ଅନୁଭବ କରିବା ତଥା ନିଦ୍ରାଯିବାସ୍ୱାଭାବିକ । ପୁଣି ଗୋଟିଏ ଭୌଗଳିକ ଓ ସାମାଜିକ ପରିବେଶରେ ଯାହା ସଂଭବ ତାହା ଅନ୍ୟତ୍ର ଗୁରୁତ୍ୱ ହରାଇ ବସିପାରେ । ତେବେ ତାପମାତ୍ରା, ସୁଯୋଗ, ଅଭ୍ୟାସ, ପରମ୍ପରା ଓ ମଧ୍ୟାହ୍ନ ଭୋଜନରେ ଅଧିକ ଖାଦ୍ୟ ଗ୍ରହଣ ଅନେକଙ୍କୁ ଦିବାନିଦ୍ରା ପ୍ରତି ଆକର୍ଷିତ କରୁଥିବା ଅନୁଶୀଳନ କରାଯାଏ । ଅନ୍ୟାନ୍ୟ କାରଣ ମଧ୍ୟରେ ଅବସର ସମୟ ଉପଭୋଗ, ବିରକ୍ତିରୁ ମୁକ୍ତିକିମ୍ୱାକାଳହରଣ ଇତ୍ୟାଦି ପ୍ରଧାନ । ଅନ୍ୟ କେତେକେ ପୂର୍ବ ରାତି କିମ୍ୱା ଦିନରେ ପୂର୍ଣ୍ଣମାତ୍ରାରେ ଶୋଇପାରି ନଥିବା ତଥା ନିଦ୍ରିତ ହେବା ଆଶଙ୍କାରେ ଦିବାନିଦ୍ରା ଯାଆନ୍ତି ।

 

ଆନ୍ତର୍ଜାତିକସ୍ତରରେ ନିଦ୍ରା ଗବେଷଣା ବିଂଶ ଶତାଦ୍ଦୀର ପଞ୍ଚମ ଦଶକରୁ ମଙ୍ଗ ଧରିଥିଲା । ଯୁକ୍ତରାଷ୍ଟ୍ର ଆମେରିକାର ହାର୍ଭାଡ଼ବିଶ୍ୱବିଦ୍ୟାଳୟଏଦିଗରେନେତୃତ୍ୱ ନେଇଥାଏ । ଓଡ଼ିଶା ତଥା ଭାରତରେ ନିଦ୍ରା ସଂପର୍କୀତ ଗବେଷଣାର ମାତ୍ରା ନିତାନ୍ତ କମ । ତେଣୁ ଏଠାକାର ପରିବେଶରେ ଦିବାନିଦ୍ରା ସଂପର୍କରେ ଦେଶବିଦେଶରଗବେଷଣାଲବ୍ଧ ଜ୍ଞାନକୁ ବିଚ଼ାରକୁ ନେଇ ଯାହାକିଛି ଅନୁମାନ କରାଯାଇପାରେ । ଓଡ଼ିଆଚ଼ଳେଣୀରେଦିବାନିଦ୍ରାଗୁରୁତ୍ୱପୂର୍ଣ୍ଣ ସ୍ଥାନ ଦାବୀ କରୁଥିବା ସ୍ଥଳେ ବାର୍ଦ୍ଧକ୍ୟରେ ଅଧିକାଂଶଙ୍କ କ୍ଷେତ୍ରରେ ଦିବାନିଦ୍ରା ଅଭ୍ୟାସ ପରିଲକ୍ଷିତ । ଦିବାନିଦ୍ରା ସଂପର୍କରେ ଜ୍ଞାନ ସେଭଳି ଅଭ୍ୟାସକୁ ସୁସଂହତ ଭାବେ ଗଢ଼ି ତୋଳିବାରେ ସମର୍ଥ ହେବା ବିଶ୍ୱାସ କରାଯାଏ ।

 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ମାର୍ଚ୍ଚ ୨୦୧୯

 

---

ତଥ୍ୟ:


Siesta. https://en.m.wikipedia.org/wiki/Siesta


Lovato, Nicole. Guilty about that afternoon nap? Don’t be. It’s good for you.The Conversation. January 26, 2018 


https://theconversation.com/guilty-about-that-afternoon-nap-dont-be-its-good-for-you-89023 


Nap lowers BP: Study. The Telegraph(Kolkata Edition). March 8, 2019 


Stein,Rob. Midday naps found to help fend off heart disease.washingtonpost.com. February 13, 2007 


https://www.washingtonpost.com/wp-dyn/content/article/2007/02/12/AR2007021200626.html

ଖାଦ୍ୟାଭ୍ୟାସରେ ପରିବର୍ତ୍ତନ ଆହ୍ୱାନ

ଆନ୍ତର୍ଜାତିକସ୍ତରରେ ସ୍ୱାସ୍ଥ୍ୟରକ୍ଷା ନିମନ୍ତେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ନିରନ୍ତର ଉଦ୍ୟମ ଜାରୀ ରହିଥାଏ l ମୁଖ୍ୟତଃ ତଥ୍ୟାଶ୍ରିତ ମାର୍ଗଦର୍ଶିକା ପ୍ରସ୍ତୁତ କରି ସଂଗଠନର ସଦସ୍ୟ ରାଷ୍ଟ୍ରଗୁଡ଼ିକରେ ଜନସାଧାରଣଙ୍କ ମଧ୍ୟରେ ଚ଼େତନା ସୃଷ୍ଟି ସାଙ୍ଗକୁ ଆବଶ୍ୟକସ୍ଥଳେ ଆଇନ ପ୍ରଣୟନ ମାଧ୍ୟମରେ ରୋଗ ପ୍ରତିଷେଧକ ପ୍ରଣାଳୀ ଉପଯୋଗ ଲାଗି ଯତ୍ନ ନିଆଯାଇଥାଏ l ସାଧାରଣ ସ୍ୱାସ୍ଥ୍ୟରକ୍ଷା ନିମନ୍ତେ ଅତୀତରେ ଚ଼ିନି, ଲୁଣ ଓ ପଟାସିଅମର ବ୍ୟବହାର ନେଇ ସତର୍କତା କାର୍ଯ୍ୟକ୍ରମ ରୂପାୟନ ପରେ ୨୦୧୮ ମେ’ମାସରୁ ସାଚୁରେଟେଡ଼-ଫେଟି ଏସିଡ଼ ଓ ଟ୍ରାନ୍ସ-ଫେଟି ଏସିଡ଼ଯୁକ୍ତ ଖାଦ୍ୟ ଗ୍ରହଣରେ ସ୍ୱାସ୍ଥ୍ୟହାନୀ ସଂପର୍କରେ ସଚ଼େତନତା ସୃଷ୍ଟି ଅଭିଯାନ ଆରମ୍ଭ ହୋଇଛି l

 

ବିଶ୍ୱବ୍ୟାପୀ ୨୦୧୬ବର୍ଷକ ମଧ୍ୟରେ ହିସାବ କରାଯାଇଥିବା ମୋଟ ୫ କୋଟି ୪୭ ଲକ୍ଷ ମୃତ୍ୟୁ ମଧ୍ୟରେ ଶତକଡ଼ା ୭୨ ଭାଗ ଅର୍ଥାତ ୩ କୋଟି ୯୫ ଲକ୍ଷ ବ୍ୟକ୍ତି ଅଣ-ସଂକ୍ରାମକ ବ୍ୟାଧି ‘ନନ-କମ୍ୟୁନିକେବଲ ଡ଼ିଜିଜେସ’ ଯୋଗୁଁ ମୃତ୍ୟୁବରଣ କରିଥିଲେ l ଅଣ-ସଂକ୍ରାମକ ବ୍ୟାଧି ହେତୁ ମୃତକ ମଧ୍ୟରେ ଅର୍ଦ୍ଧେକ ହୃଦରୋଗ ‘କାର୍ଡ଼ିଓ ଭାସ୍କୁଲାର ଡ଼ିଜିଜେସ’ରେ ଆକ୍ରାନ୍ତ ଥିଲେ l ଏହି ପରିସଂଖ୍ୟାନରୁ ହୃଦରୋଗ ପ୍ରାୟ ଏକ ତୃତୀୟାଂଶ ମୃତ୍ୟୁର କାରଣ ରୂପେ ଚ଼ିହ୍ନଟ କରାଯାଇପାରେ l

 

ଖାଦ୍ୟାଭ୍ୟାସ, ମୁଖ୍ୟତଃ ସେଚୁରେଟେଡ଼-ଫେଟି ଏସିଡ଼ ଓ ଟ୍ରାନ୍ସ-ଫେଟି ଏସିଡ଼ ଯୁକ୍ତ ଖାଦ୍ୟ ଗ୍ରହଣ ହୃଦରୋଗର ଅନ୍ୟତମ ମୁଖ୍ୟ କାରଣ l ସେଚୁରେଟେଡ଼-ଫେଟି ଏସିଡ଼ ପ୍ରାଣୀ ସୂତ୍ରରୁ ସଂଗୃହୀତ ଖାଦ୍ୟ ଯଥା : କ୍ଷୀର, ଅଣ୍ଡା, ମାଛ, ମାଂସ ସାଙ୍ଗକୁ ଉଦ୍ଭିଦ ସୂତ୍ରରୁ ପ୍ରାପ୍ତ ନଡ଼ିଆ, ତାଳ ତେଲରେ ପ୍ରଚୁର ପରିମାଣରେ ମହଜୁଦ ଥାଏ lଅପରପକ୍ଷେ ଟ୍ରାନ୍ସ-ଫେଟି ଏସିଡ଼ ହାଇଡ୍ରୋଜେନେରେସନ ପଦ୍ଧତିରେ ପ୍ରସ୍ତୁତ ବନସ୍ପତି ଘିଅ, ତେଲ ସାଙ୍ଗକୁ ଗାଈ, ଛେଳି, ମେଣ୍ଢା ସୂତ୍ରରୁ ସଂଗୃହୀତ ଖାଦ୍ୟରେ ମହଜୁଦ ଥାଏ l କାରଖାନାରେ ପ୍ରସ୍ତୁତ ବିସ୍କୁଟଜାତୀୟ ଖାଦ୍ୟ, ହୋଟେଲ ଓ ଉଠାଦୋକାନୀଙ୍କ ଛଣା ଖାଦ୍ୟ ମଧ୍ୟ ଟ୍ରାନ୍ସ-ଫେଟି ଏସିଡ଼ରେ ପରିପୂର୍ଣ୍ଣ l

 

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ବିଶେଷଜ୍ଞମାନଙ୍କ ସହ ଦୀର୍ଘ ପରାମର୍ଶକ୍ରମେ କୁହାଯାଉଛି ଯେ ଆମ ଦୈନନ୍ଦିନ ଖାଦ୍ୟସୂଚ଼ୀରେ ଶତକଡ଼ା ୧୦ ଭାଗ କ୍ୟାଲୋରି ସେଚୁରେଟେଡ଼-ଫେଟ ତଥା ଶତକଡ଼ା ଏକ ଭାଗ ଟ୍ରାନ୍ସ-ଫେଟି ଏସିଡ଼କୁ ସାମିଲ କରାଯାଇପାରେ l ତେବେ ତାହାଠାରୁ ଅଧିକାମାତ୍ରାରେ ଉଭୟ ପ୍ରକାରର ଏସିଡ଼ ପ୍ରଭାବିତ ଖାଦ୍ୟ ସ୍ୱାସ୍ଥ୍ୟପକ୍ଷେ ହାନୀକାରକ l ପ୍ରକାରନ୍ତେ ଏହା ହୃଦରୋଗର କାରଣ ହୋଇପାରେ l

 

ପାରମ୍ପରିକଭାବେ ନିରାମିଷ ଖାଦ୍ୟ ମଧ୍ୟରେ ଦୁଗ୍ଧ ଓ ଦୁଗ୍ଧକେନ୍ଦ୍ରୀକ ଛେନା, ଲହୁଣୀ ଓ ଗୁଆଘିଅ ତଥା ଆମିଷ ଖାଦ୍ୟ ମଧ୍ୟରେ ଅଣ୍ଡା, ମାଛ ଓ ମାଂସକୁ ପୃଷ୍ଟିସାର‘ପ୍ରୋଟିନ’ ଶକ୍ତିବର୍ଦ୍ଧକ ଖାଦ୍ୟରୂପେ ଗ୍ରହଣ କରିଆସିଛୁ l ତେବେ ଦୈନନ୍ଦିନ ଖାଦ୍ୟରେ ଏଗୁଡ଼ିକର ପରିମାଣ ବଢ଼ିଗଲେ ସ୍ୱାସ୍ଥ୍ୟହାନୀ ସଂପର୍କରେ ଜାଣିନାହୁଁ l ଅପରପକ୍ଷେ ଆନ୍ତର୍ଜାତିକ ପରିସଂଖ୍ୟାନ ସହ ତାଳଦେଇ ଭାରତ ତଥା ଓଡ଼ିଶାରେ ହୃଦରୋଗ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି l ହୃଦରୋଗରୋକିବା ନିମନ୍ତେ ଖାଦ୍ୟାଭ୍ୟାସରେ ସେଚୁରେଟେଡ଼-ଫେଟି ଏସିଡ଼ ଓ ଟ୍ରାନ୍ସ-ଫେଟି ଏସିଡ଼ଯୁକ୍ତ ଖାଦ୍ୟର ଉପସ୍ଥିତି ସଂପର୍କରେ ସାବଧାନତା ଜରୁରୀ ମନେହୁଏ l

 

ଆଧୁନିକ ଭେଷଜ ବିଜ୍ଞାନ ତଥ୍ୟାଶ୍ରିତ l ଅର୍ଥାତ ବାସ୍ତବକ୍ଷେତ୍ରରେ ରୋଗୀ ଓ ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ଜୀବନଶୈଳୀ ସଂପର୍କରେ ଟିକିନିଖି ତଥ୍ୟ ସଂଗ୍ରହ କରାଯାଇ ତର୍ଜମା କରାଯାଇଥାଏ l ପ୍ରକୃତପକ୍ଷେ ଦ୍ୱିତୀୟ ବିଶ୍ୱଯୁଦ୍ଧୋତ୍ତର ଅବସ୍ଥାରେ ଭେଷଜ ବିଜ୍ଞାନ ଗବେଷଣାର ଆୟତନ ବୃଦ୍ଧି ଘଟିଛି l ବିଶ୍ୱବ୍ୟାପୀ ଅସଂଖ୍ୟ ଚ଼ିକିତ୍ସକ ଗବେଷଣାରେ ମନୋନିବେଶ କରୁଥିବା ହେତୁ ନିତି ନୂଆ ନୂଆ ତଥ୍ୟ ଆବିଷ୍କୃତ ହେଉଛି l ଅଭିଜ୍ଞ ବିଷାରଦମାନଙ୍କଦ୍ୱାରା ଅସଂଖ୍ୟ ଗବେଷଣାଲବ୍ଧ ଜ୍ଞାନକୁ ଅନୁଶୀଳନ କରାଯାଇ ଜନସାଧାରଣଙ୍କ ନିମନ୍ତେ ମାର୍ଗଦର୍ଶିକା ପ୍ରସ୍ତୁତ ହୋଇଥାଏ l ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନଭଳି ଆନ୍ତର୍ଜାତିକ ସଂସ୍ଥାମାନ ଏଭଳି ତଥ୍ୟ ଆଧାରରେ ଜନ ସଚ଼େତନତା ସୃଷ୍ଟି ଲାଗି ଦୀର୍ଘ ମିଆଦୀ କାର୍ଯ୍ୟକ୍ରମମାନ ପ୍ରଯୋଜନା କରିଥାନ୍ତି l

 

ବିଜ୍ଞାନର ପରିଧି ସ୍ୱଚ୍ଛ l ଏଠାରେ ବିଶ୍ୱାସ ବଦଳରେ ପ୍ରମାଣକୁ ଗୁରୁତ୍ୱ ଦିଆଯାଇଥାଏ l ବୈଜ୍ଞାନିକ ତଥ୍ୟାବଳୀକୁ ପରଖିବା ପାଇଁ ବିଶ୍ୱବ୍ୟାପୀ ସୁଯୋଗ ସୃଷ୍ଟି କରାଯାଇଥାଏ l ଏଗୁଡ଼ିକର ପୁର୍ନମୂଲ୍ୟାୟନ ସଂଭବପର l ଉଦାହରଣରେ ଆଜି ଯାହା ବୈଜ୍ଞାନିକ ସତ୍ୟରୂପେ ମାନି ନିଆଯାଉଛି, ହୁଏତ ଆସନ୍ତାକାଲି ନୂତନ ଗବେଷଣା ତାହାକୁ ଭୂଲ ପ୍ରମାଣିତ କରିଦେଇପାରେ l ବିଜ୍ଞାନ ଏକ କ୍ରମବର୍ଦ୍ଧମାନ ଧାରା l ବିଜ୍ଞାନସମ୍ମତ୍ତ ସ୍ୱାସ୍ଥ୍ୟରକ୍ଷା କାର୍ଯ୍ୟକ୍ରମମାନ ପ୍ରଣୟନ ଫଳରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳକୁ ଆମଦେଶରେ ଜୀବଦ୍ଦଶା ୩୨ ବର୍ଷ ଥିବାବେଳେ ବର୍ତ୍ତମାନ ତାହା ୬୮ ବର୍ଷକୁ ବୃଦ୍ଧି ପାଇଥିବା ଏଭଳି ଉଦ୍ୟମର ଉତ୍କର୍ଷତା ପ୍ରମାଣିତ କରିଥାଏ l

 

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନପକ୍ଷରୁ ଆୟୋଜିତ ପ୍ରଚଳିତ ଖାଦ୍ୟାଭ୍ୟାସରେ ସେଚୁରେଟେଡ଼-ଫେଟି ଏସିଡ଼ ଓ ଟ୍ରାନ୍ସ-ଫେଟି ଏସିଡ଼ ହ୍ରାସ ଅଭିଯାନ ଓଡ଼ିଆ ପରିବାରର ରକ୍ଷଣଶୀଳ ପାକଶାଳାରେ ବିସ୍ମୟର କାରଣ ପାଲଟିବା ସ୍ୱାଭାବିକ l ପାରମ୍ପରିକଭାବେ ଯେଉଁ ଖାଦ୍ୟଗୁଡ଼ିକୁ ଆମେ ଗୁରୁତ୍ୱ ଦେଇ ଆସିଛୁ ତାହାର ବିରୁଦ୍ଧାଚ଼ରଣ କରିବା କଠିନ ହୋଇପାରେ l ଦୁଗ୍ଧ, ଦୁଗ୍ଧଜାତ ଖାଦ୍ୟ ସମୂହ ଧାର୍ମିକ ରୀତିନୀତି ସହ ସଂପୃକ୍ତ ଥିବାହେତୁ ସେଗୁଡ଼ିକର ବାରଣ ଯୁକ୍ତିତର୍କର ପରିବେଶ ସୃଷ୍ଟି କରିବ l ପାରମ୍ପରିକଭାବେ ଆମିଷ ଖାଦ୍ୟର ବିରୁଦ୍ଧାଚ଼ରଣର ଧାରା ପ୍ରଚଳିତ ଥିବାହେତୁ ହୁଏତ ଅଣ୍ଡା, ମାଛ, ମାଂସ ଖାଦ୍ୟାଭ୍ୟାସରେ ସୀମିତ ମାତ୍ରାରେ ଉପଯୋଗ କରିବା ସହଜସାଧ୍ୟ ମନେ ହୋଇପାରେ lସେଚୁରେଟେଡ଼-ଫେଟିଏସିଡ଼ଯୁକ୍ତ ଖାଦ୍ୟ ଦୈନନ୍ଦିନ ଖାଦ୍ୟାଭ୍ୟାସରେ ସର୍ବାଧିକ ୧୦ ପ୍ରତିଶତ କ୍ୟାଲୋରିରେ ସୀମାବଦ୍ଧ କରିବାକୁ ହେଲେ ପ୍ରଚଳିତ ଖାଦ୍ୟାଭ୍ୟାସରେ ବ୍ୟାପକ ପରିବର୍ତ୍ତନ ଆବଶ୍ୟକl

 

ଟ୍ରାନ୍ସ-ଫେଟି ଏସିଡ଼ଯୁକ୍ତ ବର୍ତ୍ତମାନ ବହୁଳ ବ୍ୟବହାର କରାଯାଉଥିବା ପାମ ଅଏଲ ଓ ବନସ୍ପତି ଘିଅକୁ ପାରିବାରିକ ରୋଷାଇଶାଳାରୁ ବାଦ ଦେଲେ ମଧ୍ୟ ହୋଟେଲ, ରେଷ୍ଟୁରାଣ୍ଟ ଓ ଉଠା ଦୋକାନୀଙ୍କ ସହ ବିସ୍କୁଟ, ବେକରି ଓ ବାରମଜା କ୍ଷେତ୍ରରେ ଅନିଶ୍ଚିତତା ଲାଗି ରହିବ l ଖାଦ୍ୟାଭ୍ୟାସରେ ଟ୍ରାନ୍ସ-ଫେଟି ଏସିଡ଼ର ମାତ୍ରା ଏକ ପ୍ରତିଶତ ରଖିବା କଷ୍ଟକର ବୋଧ ହୋଇପାରେ l

 

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନପକ୍ଷରୁ ଟ୍ରାନ୍ସ-ଫେଟି ଏସିଡ଼ରୁ ମୁକ୍ତି ପାଇବା ନିମନ୍ତେ ସୋରିଷ, ଚ଼ିନାବାଦାମ, ସୂର୍ଯ୍ୟମୁଖୀ, ସୋୟାବିନ ଭଳି ତେଲ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର ପାଇଁ ପରାମର୍ଶ ଦିଆଯାଉଛି l ପାମ ଅଏଲଠାରୁ ଏଗୁଡ଼ିକର ଦର ଅଧିକ ଥିବା ହେତୁ ଏଭଳି ପରିବର୍ତ୍ତନ ତତ୍କ୍ଷଣାତ ସଫଳ ହେବା ସନ୍ଦେହପୂର୍ଣ୍ଣ l ଓଡ଼ିଶାରେ ପାରମ୍ପରିକଭାବେ ସୋରିଷ ଓ ବାଦାମ ତେଲ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହୃତ ହୋଇ ଆସୁଥିଲା, କିନ୍ତୁ ଶସ୍ତା ବିକଳ୍ପ ବଜାରରେ ମିଳିବାପରେ ପାମ ଅଏଲର ବ୍ୟବହାର ବଢ଼ିଲା l ତେବେ ଏଯାଏଁ ପାମ ଅଏଲ ବ୍ୟବହାର ଯୋଗୁଁ ସ୍ୱାସ୍ଥ୍ୟହାନୀ ସଂପର୍କୀତ ସୂଚ଼ନା ସଂପର୍କରେ ସାଧାରଣଲୋକେ ଅବଗତ ହୋଇପାରି ନାହାନ୍ତି l

 

ବିଶ୍ୱର ୯୦ ପ୍ରତିଶତ ଜନସାଧାରଣଙ୍କ ଖାଦ୍ୟାଭ୍ୟାସ ଟ୍ରାନ୍ସ-ଫେଟି ପ୍ରଭାବିତ ଥିବାସ୍ଥଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ୨୦୨୩ ସୁଦ୍ଧା ଆନ୍ତର୍ଜାତିକସ୍ତରରେ ଟ୍ରାନ୍ସ-ଫେଟି ଖାଦ୍ୟାଭ୍ୟାସର ପରିସମାପ୍ତି ଲାଗି ଯୋଜନା ପ୍ରସ୍ତୁତ କରିଛି l ୨୦୧୮ ମେ’ମାସରେ ସଂଗଠନ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ୨୦୨୫ ସୁଦ୍ଧା ଅଣ-ସଂକ୍ରାମକ ରୋଗ ଏକ ଚ଼ତୁର୍ଥାଂଶ ଏବଂ ୨୦୩୦ ସୁଦ୍ଧା ଏକ ତୃତୀୟାଂଶ ହ୍ରାସ କରିବା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ ହୋଇଛିl

 

ଦୈନନ୍ଦିନ ଖାଦ୍ୟାଭ୍ୟାସରେ ମୋଟାମୋଟି ଭାବେ ସେଚୁରେଟେଡ଼-ଫେଟି ଏସିଡ଼ଯୁକ୍ତ ଦୁଗ୍ଧ, ଦୁଗ୍ଧଜାତ ଦ୍ରବ୍ୟ ଓ ମାଛ, ମାଂସର ପରିମାଣ ୧୦ କ୍ୟାଲୋରି ଓ ଟ୍ରାନ୍ସ-ଫେଟି ଏସିଡ଼ଯୁକ୍ତ ପାମ ଅଏଲରେ ପ୍ରସ୍ତୁତ ଖାଦ୍ୟ ଏକ କ୍ୟାଲୋରିକୁ ହ୍ରାସ କରିବା ନିମନ୍ତେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସ୍ୱାସ୍ଥ୍ୟରକ୍ଷା ମାର୍ଗଦର୍ଶିକା ସାଧାରଣସ୍ତରରେ ଆଲୋଡ଼ନ ସୃଷ୍ଟି କରିବା ସ୍ୱାଭାବିକ l ତେବେ ଏଭଳି ଉପାଦାନଗୁଡ଼ିକ ମନୁଷ୍ୟ ଶରୀରର ଧମନୀ ଅବରୁଦ୍ଧ ‘କ୍ଳଗିଂ’କରିବାରେ ସହାୟକ ହେଉଥିବା ଏବଂ ଏହି କାରଣରୁ ହୃଦରୋଗ ଓ ହୃଦଘାତର ଆଶଙ୍କା ଥିବାହେତୁ ଏଭଳି ମାର୍ଗଦର୍ଶିକାକୁ ଅଣଦେଖା କରିବା ଅନୁଚ଼ିତ ମନେହୁଏ l

 

ସେଚୁରେଟେଡ଼-ଫେଟି ଏସିଡ଼ ଓ ଟ୍ରାନ୍ସ-ଫେଟି ଏସିଡ଼ ରହିତ ଖାଦ୍ୟାଭ୍ୟାସ ନିମନ୍ତେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଆହ୍ୱାନ ଆବାଳବୃଦ୍ଧବନିତାଙ୍କ ନିମନ୍ତେ ପ୍ରଯୁଜ୍ୟ l ତେବେ ଆମ ରାଜ୍ୟରେ ହୃଦରୋଗୀଙ୍କ ମଧ୍ୟରେ ବୟସ୍କଙ୍କ ସଂଖ୍ୟା ଅଧିକ ଥିବା ହେତୁ ଆସନ୍ନ ବାର୍ଦ୍ଧକ୍ୟ ଓ ବାର୍ଦ୍ଧକ୍ୟ ଉପନୀତ ବ୍ୟକ୍ତିବିଶେଷ ତୁରନ୍ତ ଖାଦ୍ୟାଭ୍ୟାସ ପରିବର୍ତ୍ତନ ପ୍ରତି ଧ୍ୟାନ ଦେବା ଆବଶ୍ୟକ l

 

ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଜୁଲାଇ ୨୦୧୮

 

***

 

ତଥ୍ୟ:


Limit trans fats to 1% of calorie intake to keep diseases at bay. The Hindu(Cuttack Edition). May 6, 2018

 

Singh, Poonam Khetrapal. Remove and REPLACE – because even small quantities of trans fat in the diet cause big damage to health. The Times of India (Bhubaneswar Edition). June 6, 2018.

ଉପବାସର ପୁନଃମୂଲ୍ୟାୟନ

ପାରମ୍ପରିକଭାବେ ଭାରତୀୟ ଜନଜୀବନରେ ଉପବାସ ଅଭ୍ୟାସ ପ୍ରଚଳିତ l ସାଧାରଣରେ ଉପବାସ ଧାର୍ମିକ ରୀତିନୀତି ସହ ଯୋଡ଼ି ହୋଇ ରହିଥିବା ସ୍ଥଳେ ସ୍ୱାସ୍ଥ୍ୟରକ୍ଷାରେ ଏହାର ଭୂମିକା ସଂପର୍କରେ ସଚ଼େତନତା ନଥାଏ l ତେବେ ଉତ୍ତର-ଆଧୁନିକ ପାଶ୍ଚାତ୍ୟ ସଂସ୍କୃତିର ପ୍ରଭାବରେ ଦୈନନ୍ଦିନ ଜୀବନରେ ଉପବାସର ଗୁରୁତ୍ୱାରୋପ ମହାନଗର ଯୁବବର୍ଗଙ୍କ ମଧ୍ୟରେ କ୍ରମଶଃ ଲୋକପ୍ରିୟ ହେବାରେ ଲାଗିଛି l

 

ଓଡ଼ିଶାରେ ପ୍ରାପ୍ତବୟସ୍କମାନେ ପୂଜାପାର୍ବଣରେ ଉପବାସ ରହିଥାନ୍ତିl ବାର୍ଦ୍ଧକ୍ୟରେ ଏହାର ପ୍ରଭାବ ସଂପ୍ରସାରିତ ହୋଇଥାଏ l ରକ୍ଷଣଶୀଳ ବିଧବାମାନଙ୍କପକ୍ଷରେ ଉପବାସ ଦିବସ ସଂଖ୍ୟା ବଢ଼ିଯାଏ l ମୁଖ୍ୟତଃ ଅଭୀପ୍ସା ସାଧନ ଆଶାରେ ବିଶ୍ୱାସକୁ ପାଥେୟକରି ଉପବାସ ଲୋକପ୍ରିୟତା ହାସଲ କରୁଥିବା ଦେଖିବାକୁ ମିଳେ l

 

ପରିବର୍ତ୍ତିତ ପରିବେଶରେ ଭାରତୀୟଙ୍କ ସହ ଓଡ଼ିଆମାନଙ୍କ ଖାଦ୍ୟାଭ୍ୟାସ ବଦଳିଛି l ପାଶ୍ଚାତ୍ୟ ଖାଦ୍ୟାଭ୍ୟାସ ପ୍ରଥମେ ସହରୀ ଜୀବନ ଓ ପରେ ଗ୍ରାମ୍ୟଜୀବନକୁ କବଳିତ କରିବାରେ ଲାଗିଛି l ଜଗତୀକରଣ, ଅର୍ଥନୀତିକ ସ୍ୱଚ୍ଛଳତା, ଶିକ୍ଷାଦୀକ୍ଷା ଓ ଗଣମାଧ୍ୟମର ପ୍ରଭାବ ଲୋକପ୍ରିୟ ସଂସ୍କୃତି ବା ‘ପପୁଲାର କଲଚ଼ର’ ଯୋଗେ ବିଶ୍ୱବ୍ୟାପୀ ଏକକ ଖାଦ୍ୟାଭ୍ୟାସ ଆଡ଼କୁ ମୁହାଁଇଛି l ଭବିଷ୍ୟତରେ ସହରୀକରଣ ପ୍ରକ୍ରିୟା ସକ୍ରିୟ ରହିବା ଆକଳନ କରାଯାଉଥିବା ହେତୁ ଏତାଦୃଶ୍ୟ ପ୍ରବାହ କ୍ରମୋନ୍ନତି ଆଶା କରାଯାଇପାରେ l

 

ପାଶ୍ଚାତ୍ୟ ଖାଦ୍ୟାଭ୍ୟାସରେ ଅଧିକ କ୍ୟାଲୋରିଯୁକ୍ତ ବ୍ୟଞ୍ଜନ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର କାରଣ ପାଲଟିଛି l ମଧୁମେହ, ହୃଦରୋଗ ଓ କ୍ୟାନସରଭଳି ଦୁରାରୋଗ୍ୟ ବ୍ୟାଧିର ପ୍ରସାର ସହ ପରିବର୍ତ୍ତିତ ଜୀବନଶୈଳୀ ଓ ଖାଦ୍ୟାଭ୍ୟାସର ସଂପର୍କ ଚ଼ିକିତ୍ସା ବିଜ୍ଞାନରେ ସ୍ୱୀକୃତ l ଏହି ପରିପ୍ରେକ୍ଷୀରେ ପରିବର୍ତ୍ତିତ ଖାଦ୍ୟାଭ୍ୟାସ ନିମନ୍ତେ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଗବେଷଣାଲବ୍ଧ ଜ୍ଞାନ ଚର୍ଚ୍ଚିତ ହେଉଛି l

 

ପଥ୍ୟ ଗବେଷଣାରେ ମନୋନିବେଶ କରିଥିବା ଦଳେ ବୈଜ୍ଞାନିକଙ୍କ ମତରେ ଅଧିକ କ୍ୟାଲୋରିଯୁକ୍ତ ଖାଦ୍ୟ ଖାଇବା ଫଳରେ ଶରୀରରେ ପାଚ଼ନ ପ୍ରକ୍ରିୟା ‘ମେଟାବୋଲିଜମ’ ଭରାକ୍ରାନ୍ତ ହୋଇପଡ଼େ ଏବଂ ଏଭଳି ପରିବେଶ ଅସୁସ୍ଥତା ଆଡ଼କୁ ଟାଣିଥାଏ l ସେମାନେ ଉଦାହରଣ ଦେଇ କହୁଛନ୍ତି ଯେ ଗୋଟିଏ ମଟରଗାଡ଼ି କମ ଚ଼ଳପ୍ରଚଳ ହେଲେ ଦୀର୍ଘଦିନଧରି କାର୍ଯ୍ୟକ୍ଷମ ରହେ, କିନ୍ତୁ ବେପରୁଆଭାବେ ମାତ୍ରାଧିକ ଚଳପ୍ରଚଳ ହେଲେ ଶୀଘ୍ର ମରାମତ ଆବଶ୍ୟକ କଲାଭଳି ଶରୀରରେ କ୍ୟାଲୋରି ପ୍ରକ୍ରିୟାକରଣ ତଦ୍ଅନୁରୂପ ଫଳାଫଳ ଦର୍ଶାଇଥାଏ l

 

ଯୁକ୍ତରାଷ୍ଟ୍ର ଆମେରିକାରେ ଏକ ଅନୁଧ୍ୟାନରେ ହାରାହାରି ୪୦ ବର୍ଷ ବୟସ୍କ କିଛି ଲୋକଙ୍କୁ ଦୈନନ୍ଦିନ ସେମାନେ ଖାଉଥିବା ଖାଦ୍ୟରୁ ୧୫ ପ୍ରତିଶତ ଦୁଇ ବର୍ଷ ଧରି କମାଇ ଦିଆଗଲା l ସେମାନେ କ’ଣ ଖାଉଛନ୍ତି ସେଥିରେ କୌଣସି ଆକଟ ନରଖି ବଢ଼ା ଖାଇବା ପାତ୍ରରୁ ଏକ ଷଷ୍ଠାଂଶ ଖାଦ୍ୟ ବାହାର କରିଦିଆ ଯାଉଥିଲା l ଗବେଷଣା ଶେଷରେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥାରେ ବେଶ ଉନ୍ନତି ଦେଖିବାକୁ ମିଳିଥିଲା l ସେମାନଙ୍କ ଓଜନ ପାଞ୍ଚ ପ୍ରତିଶତ କମିବା ସାଙ୍ଗକୁ ଶରୀରର ରାତ୍ରୀକାଳୀନ ଉତ୍ତାପ ପରିମାପ ଓ ଶର୍କରାସ୍ତର ହ୍ରାସ ପାଇଥିବା ହିସାବ କରାଯାଇଥିଲା l

 

କୁହାଯାଉଛି ଯେ କମ ପରିମାଣରେ ଖାଇବାଦ୍ୱାରା ଶରୀରର ପାଚ଼ନ ପ୍ରକ୍ରିୟାରେ କମ ଚ଼ାପ ପଡ଼େ ଏବଂ ଫୁରସତରେ କାର୍ଯ୍ୟକରିବା ଫଳରେ ଅଙ୍ଗପ୍ରତ୍ୟଙ୍ଗ ସୁସ୍ଥ ରହେ l ଶରୀର ମଧ୍ୟକୁ କମ କ୍ୟାଲୋରି ପ୍ରବେଶ ହେତୁ ରକ୍ତ କଣିକାଗୁଡ଼ିକୁ ମଧ୍ୟ କମ କାମ କରିବାକୁ ପଡ଼େ l ଏହାର ସିଧାସଳଖ ପ୍ରଭାବ ସ୍ନାୟୁ, ମସ୍ତିସ୍କ ଓ ଚର୍ମରେ ପ୍ରତିଫଳିତ ହୋଇଥାଏ l ପୃଥିବୀର ଦୀର୍ଘଜୀବୀ ବହୁଳ ଅଞ୍ଚଳଗୁଡ଼ିକ ଅନୁଧ୍ୟାନରେ ସେଠାକାର ଲୋକଙ୍କ ଜୀବନଚ଼ର୍ଯ୍ୟାରେ ସନ୍ତୁଳିତ ଆହାର ପ୍ରଭାବଶାଳୀ ଭୂମିକା ଗ୍ରହଣ କରୁଥିବା ବୈଜ୍ଞାନିକମାନେ ଚ଼ିହ୍ନଟ କରିଛନ୍ତି l

 

ଆମ ଦେଶରେ ପାଶ୍ଚାତ୍ୟ ଖାଦ୍ୟାଭ୍ୟାସର ପ୍ରଭାବରେ ବାରଭୁଜା ‘ଜଙ୍କ ଫୁଡ଼’ ଖାଇବା କ୍ରମଶଃ ଦୈନନ୍ଦିନ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଯାଇଛି l ବରା, ପିଆଜିଠାରୁ ଆରମ୍ଭ କରି ପିଜା, ବର୍ଗରର ଆଦର ବଢ଼ି ଚାଲିଛି l ଏଭଳି ଖାଦ୍ୟ ହାତପାଆନ୍ତାରେ ମିଳୁଥିବା ସ୍ଥଳେ ବ୍ୟକ୍ତିପିଚ୍ଛା ବ୍ୟବହାରର ମାତ୍ରା ବଢ଼ି ଚ଼ାଲିଥିବା ତଥା ଆବାଳବୃଦ୍ଧବନିତା ଆସକ୍ତ ହୋଇପଡୁଥିବା ଜନସ୍ୱାସ୍ଥ୍ୟ ‘ପବ୍ଳିକ ହେଲଥ’ କ୍ଷେତ୍ରରେ ଏକ ଅସମାହିତ ସମସ୍ୟାରୂପେ ମୁଣ୍ଡ ଟେକିଲାଣି l

 

ପଥ୍ୟ ଗବେଷକମାନଙ୍କ ମତରେ କ୍ଷୁଧା ‘ହଙ୍ଗର’ ଓ ଇପ୍ସା ‘କାରଭିଂ’ ଦୁଇ ଭିନ୍ନ ଶାରୀରିକ ଅବସ୍ଥା l ଖାଦ୍ୟ କ୍ଷୂଧା ମେଣ୍ଟାଉଥିବା ସ୍ଥଳେ ପାଟିସୁଆଦ ବାରଭୁଜା ପାଇଁ ଆଗ୍ରହ ଇପ୍ସା ଦ୍ୱାରା ପରିଚ଼ାଳିତ l ଲୁଣ, ଚିନି, କାଫେନ ଓ ମଦ୍ୟ ଜାତୀୟ ଖାଦ୍ୟପେୟ ପାଇଁ ମନୁଷ୍ୟର ଇପ୍ସା ବା କାମନାକୁ ଦାୟୀ କରାଯାଇପାରେ l ଆମ ଖାଦ୍ୟନଳୀରେ ଭଲ ଓ ଖରାପ ଦୁଇ ଶ୍ରେଣୀର ବୀଜାଣୁ ‘ବ୍ୟାକ୍ଟେରିଆ’ ଥାଆନ୍ତି l ଜୀବନଚ଼ର୍ଯ୍ୟାରେ ଚ଼ାପଗ୍ରସ୍ତ ହେବା କିମ୍ୱା ମାତ୍ରାଧିକ ଔଷଧ ସେବନଭଳି କାରଣରୁ ଖରାପ ବୀଜାଣୁଗୁଡ଼ିକର ସଂଖ୍ୟା ବୃଦ୍ଧି ଘଟିଥାଏ l ଖରାପ ବୀଜାଣୁ ମିଠା ତଥା ବିଭିନ୍ନ ଧରଣର ବାରଭୁଜା ଭଳି ଖାଦ୍ୟ ଦାବୀ କରିଥାନ୍ତି l ଫଳରେ ମନୁଷ୍ୟ ବାଧ୍ୟବାଧକତାରେ ଖରାପ ବୀଜାଣୁଙ୍କ ଆଗ୍ରହ ଚ଼ରିତାର୍ଥ କରିବା ନିମନ୍ତେ ସେଭଳି ଖାଦ୍ୟକୁ ପ୍ରଶୟ ଦେଇଥାଏ l‘କେନଡିଡ଼ା’ ଜାତୀୟ ବୀଜାଣୁ ଅନବରତ ଖାଦ୍ୟଗ୍ରହଣ ପାଇଁ ବାଧ୍ୟ କରୁଥିବା ଜଣାଯାଏ l

 

ମନୁଷ୍ୟର ସାଧାରଣ ଜୀବନଚ଼ର୍ଯ୍ୟାରେ ଆହାର ଗ୍ରହଣ ନିମନ୍ତେ ନିର୍ଦ୍ଧିଷ୍ଟ ସମୟ ନିର୍ଦ୍ଧାରିତ ହୋଇଥାଏ ଏବଂ ନିର୍ଦ୍ଧିଷ୍ଟ ପରିମାଣରେ ଖାଇବାପରେ କ୍ଷୁଧା ନିବାରଣ ହୋଇଯାଏ l ତେବେ ପାଟି ସୁଆଦ ବାରଭୁଜା ଖାଇବା କ୍ଷେତ୍ରରେ ସମୟ ନିର୍ଦ୍ଧାରଣ କିମ୍ୱା ପରିତୃପ୍ତି ପ୍ରାୟତଃ ସମ୍ଭବପର ହୋଇନଥାଏ l ଅଧ୍ୟୟନରୁ ଜଣାଯାଇଥାଏ ଯେ ଖାଦ୍ୟନଳୀର ଖରାପ ବୀଜାଣୁଗୁଡ଼ିକ ଦାବୀ ଅନୁଯାୟୀ ସେମାନଙ୍କୁ ଖାଦ୍ୟ ନ ଯୋଗାଇଲେ ସେଗୁଡ଼ିକ ମରିଯାଆନ୍ତି l

 

ବାରମ୍ୱାର ଖାଇବା ପାଇଁ ଇପ୍ସାର ଅନ୍ୟାନ୍ୟ କାରଣଗୁଡ଼ିକ ମଧ୍ୟରେ ଅଧିକ ପରିମାଣରେ ଶର୍କରା ଓ ଲବଣ ଜାତୀୟ ଖାଦ୍ୟାଭ୍ୟାସ, ପର୍ଯ୍ୟାପ୍ତ ପରିମାଣରେ ପାଣି ନ ପିଇବା ଓ ଅନିଦ୍ରା ରହିବା ଇତ୍ୟାଦି ପ୍ରଧାନ l ଏଭଳି ସମସ୍ୟାଗୁଡ଼ିକ ସୁଧାରିବାକୁ ଚ଼େଷ୍ଟା କଲେ ବାରଭୁଜା ଖାଇବାର ଇପ୍ସା ଆପେ ଆପେ କମିଥାଏ l ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ନିମନ୍ତେ ବାରମ୍ୱାର ଖାଇବା ଅଭ୍ୟାସ ବନ୍ଦ କରିବାକୁ ଗୁରୁତ୍ୱ ଦିଆଯାଇଥାଏ l

 

ପଥ୍ୟ ଗବେଷଣାରୁ ଉପବାସ ସହ ସ୍ୱାସ୍ଥ୍ୟରକ୍ଷାର ସଂପର୍କ ଉନ୍ମୋଚ଼ିତ ହେବାପରେ ପାଶ୍ଚାତ୍ୟ ଭୂଖଣ୍ଡରେ ସମକାଳରେ ଉପବାସ ପ୍ରତି ଆଗ୍ରହ ସୃଷ୍ଟି ହୋଇଛି l ମୁଖ୍ୟତଃ ଶାରିରୀକ ଗଠନ ପ୍ରତି ଧ୍ୟାନ ଦେଉଥିବା ଗୋଷ୍ଠୀ ଉପବାସକୁ ନେଇ ପରୀକ୍ଷାନିରୀକ୍ଷା ଆରମ୍ଭ କରିଛନ୍ତି l ଅତ୍ୟାଧୁନିକ ଗବେଷଣାଲବ୍ଧ ତଥ୍ୟକୁ ଆଧାରକରି ମାଇକେଲ ମୋସଲେ ନାମକ ଟେଲିଭିଜନ ଉପସ୍ଥାପକ ବିବିସି ଚ୍ୟାନେଲରେ ୨୦୧୨ରୁ କ୍ରମାଗତ ଉପବାସ, ସ୍ୱାସ୍ଥ୍ୟରକ୍ଷା ଓ ଆୟୁବୃଦ୍ଧି ସଂପର୍କରେ କାର୍ଯ୍ୟକ୍ରମ ଉପସ୍ଥାପନ ପରେ ସାଧାରଣକ୍ଷେତ୍ରରେ ଆଲୋଡ଼ନ ସୃଷ୍ଟି ହୋଇଛି l ସେ ‘ଇଟ, ଫାଷ୍ଟ ଏଣ୍ଡ ଲିଭ ଲଙ୍ଗର’ ନାମକ ବହୁଳ ପ୍ରସାରିତ ଏକ ପୁସ୍ତକ ମଧ୍ୟ ରଚ଼ନା କରିଛନ୍ତି l

 

ମୋସଲେ ପ୍ରଚ଼ାର କରୁଛନ୍ତି ଯେ ମନୁଷ୍ୟ ଆଦିମ କାଳରୁ ଉପବାସରେ ଅଭ୍ୟସ୍ତl ପ୍ରାକ-ଐତିହାସିକ ଯୁଗରେ ବଣଜଙ୍ଗଲରେ ମନୁଷ୍ୟ ବସବାସ କରୁଥିବା ଅବସ୍ଥାରେ ପ୍ରତିଦିନ ତିନିବେଳା ନିୟମିତ ଆହାର ସଂଗ୍ରହ କରିବା କିମ୍ୱା ଖାଦ୍ୟ ସାଇତି ରଖିବା ସଂଭବପର ନଥିଲା l ତେଣୁ ବାଧ୍ୟବାଧକତାରେ ତାହାକୁ କିଛି ବେଳା ବା ଦିନ ଉପବାସରେ ରହିବାକୁ ପଡୁଥିଲା l ପାରମ୍ପରିକ ଭାବେ ଉପବାସକୁ ସଂପୂର୍ଣ୍ଣ ଆହାରମୁକ୍ତ ନ କରି ସାମୟିକ ଆହାର ରହିତ ଅଭ୍ୟାସ ସଂପର୍କରେ ମେସଲେ ଯୁକ୍ତି ବାଢ଼ିଥାନ୍ତି l ତାଙ୍କରି ‘୫ : ୨’ ଫର୍ମୂଲା ଅନୁଯାୟୀ ସପ୍ତାହରେ ପାଞ୍ଚଦିନ ପୂର୍ଣ୍ଣ ଆହାର ଗ୍ରହଣ କରି ଦୁଇଦିନ କମ ଆହାର ଗ୍ରହଣ କଲେ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବା ସଂଭବପର ବୋଲି କୁହାଯାଉଛି l ଏହି ପ୍ରଣାଳୀକୁ ସାମୟିକ ଉପବାସ ବା ‘ଇଣ୍ଟରମିଟେଣ୍ଟ ଫାଷ୍ଟିଂ’ ନାମିତ କରାଯାଉଛି l

 

ମୋସଲେଙ୍କ ସାମୟିକ ଉପବାସ ଅଭିଯାନ ସାଙ୍ଗକୁ ‘ପ୍ଳେଟଜୟ’ ନାମକ ଏକ ମୋବାଇଲ ଆପ୍ଳିକେସନ ଲୋକପ୍ରିୟତା ହାସଲ କରିଛି l ଏହି ଆପ ଜରିଆରେ ପ୍ରତ୍ୟେକ ଉପଭୋକ୍ତାଙ୍କୁ କେତେବେଳେ କ’ଣ ଖାଇବା ଆବଶ୍ୟକ ତାହାର ଯୋଜନାବଦ୍ଧ ସୂଚ଼ୀ ପ୍ରତ୍ୟେହ ବ୍ୟକ୍ତିଗତସ୍ତରରେ ଯୋଗାଇ ଦିଆଯାଇଥାଏ l ଏହି ଆପର ଗ୍ରାହକ ଚ଼ାନ୍ଦା ବାର୍ଷିକ ୧୬ ହଜାର ଟଙ୍କା l ସେହିପରି ‘ଏଲ-ନ୍ୟୂଟ୍ରା’ର ପାଞ୍ଚ ଦିନିଆ ସାପ୍ତାହିକ ଉପବାସର ଖାଦ୍ୟ ପ୍ୟାକେଜ ବିକ୍ରୀ ନିମନ୍ତେ ଉପଲବ୍ଧ l ଏଥିରେ ସୁପ, ଜଳଖିଆ ଓ ଅତିରିକ୍ତ ଖାଦ୍ୟ ସାମଗ୍ରୀ ରହିଥାଏ ଏବଂ ଦାମ ୧୭ ହଜାର ପାଞ୍ଚ ଶହ ଟଙ୍କା l‘ହ୍ୟୁମେନ’ ନାମକ ଅନ୍ୟ ଏକ ସଂସ୍ଥା ମଧ୍ୟ ବଜାରରେ ଉପବାସ ପଥ୍ୟ ବିକ୍ରୀର ବ୍ୟବସ୍ଥା କରିଛି l ଅନଲାଇନ ଶିକ୍ଷାନୁଷ୍ଠାନ ‘ଉଡ଼େମେ’ ପକ୍ଷରୁ ସାମୟିକ ଉପବାସ ସଂପର୍କରେ ପାଠ୍ୟକ୍ରମ ମଧ୍ୟ ପ୍ରଚଳନ କରାଯାଇଛି l

 

ପଥ୍ୟ ବିଶେଷଜ୍ଞମାନଙ୍କ ମଧ୍ୟରେ ଉପବାସର ଉପକାରିତାକୁ ନେଇ ମତାନ୍ତର ଦେଖିବାକୁ ମିଳେ l କେତେକ ଅଧ୍ୟୟନରେ ଉପବାସ ସ୍ୱାସ୍ଥ୍ୟହାନୀର କାରଣ ପାଲଟୁଥିବା ମଧ୍ୟ ଦାବୀ କରାଯାଇଥାଏ l କିନ୍ତୁ ସନ୍ତୁଳିତ ଆହାର ଉପରେ ଉଭୟ ଗୋଷ୍ଠୀ ଗୁରୁତ୍ୱାରୋପ କରିଥାନ୍ତି l


 

ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଜୁନ ୨୦୧୮

 

***

ତଥ୍ୟ:


Eat less to live more. www.businessinsider.in The Times of India, (Bhubaneswar Edition) April 8, 2018

 

Why the body craves for junk. Life. The Times of India, (National Edition), March 18, 2018

 

Stay hungry : now, fasting fuels big bucks. The Times of India, (Bhubaneswar Edition) April 27, 2018

ବାର୍ଦ୍ଧକ୍ୟରେ ବ୍ୟାୟାମ 

ସାଧାରଣରେ ବହୁ ସଂଖ୍ୟକ ବ୍ୟକ୍ତି ବ୍ୟାୟାମ ବିମୁଖ । ମନୋବିଜ୍ଞାନୀଙ୍କ ମତରେ ଏହା ଏକ ସ୍ୱାଭାବିକ ମାନବିକ ପ୍ରବୃତ୍ତି । ଅତୀତରେ ହଜାର ହଜାର ବର୍ଷକାଳ ମାନବ ସଭ୍ୟତା ଖାଦ୍ୟ ନିରାପତ୍ତା ହାସଲ କରିପାରିନଥିଲା । ଖାଦ୍ୟ ଅନ୍ୱେଷଣରେ ଯାଯାବର ଭାବେ ଘୁରି ବୁଲିବା ଅବସରରେ ଥରେ ଆହାର ପାଇବା ପରେ ପରବର୍ତ୍ତୀ ଆହାର ଅନିଶ୍ଚିତ ରହୁଥିଲା । ସେହି କାରଣରୁ ମନୁଷ୍ୟ ଖାଦ୍ୟ ସଂଗ୍ରହ ଭିନ୍ନ ଚଳପ୍ରଚଳରେ ଶକ୍ତିକ୍ଷୟ ବଦଳରେ ବିଶ୍ରାମ ନେଇ ଶରୀରରେ ଶକ୍ତି ସଞ୍ଚୟ କରିବା ଉଚ଼ିତ ମଣୁଥିଲା । ଖାଦ୍ୟ ଗ୍ରହଣ ପରେ ବିଶ୍ରାମ ଅଭ୍ୟାସ ପ୍ରାକ୍-ଐତିହାସିକ କାଳରୁ ପ୍ରଚଳିତ ହୋଇ ଆସିଛି ।

 

ପାରମ୍ପରିକଭାବେ କୃଷି, ପଶୁପାଳନ ଓ ବୃତ୍ତି ସାଙ୍ଗକୁ ଘରକରଣା ପରିଶ୍ରମ ସ୍ୱାସ୍ଥ୍ୟରକ୍ଷା ଲାଗି ଆବଶ୍ୟକ ମାତ୍ରାରୁ ଢ଼େର ଅଧିକ ସ୍ତରରେ ରହି ଆସିଥିଲା ଶିଳ୍ପବିପ୍ଳବ ପରବର୍ତ୍ତୀ ଅବସ୍ଥାରୁ କ୍ରମଶଃ ଯାନ୍ତ୍ରିକ ସୁବିଧା ସୁଯୋଗ ମନୁଷ୍ୟକୁ ଅଧିକରୁ ଅଧିକ ଶ୍ରମକାତର କରିପକାଇଲା । ଏକବିଂଶ ଶତାଦ୍ଦୀ ବେଳକୁ ଓଡ଼ିଶାର ସହରାଞ୍ଚଳରେ ବସବାସ କରୁଥିବା ଅଣୁ-ପରିବାର ଆଙ୍ଗିକରେ ଦୈନନ୍ଦିନ ଜୀବନରେ ଶାରିରୀକ ଶ୍ରମ ଆବଶ୍ୟକ ପଡୁନାହିଁ । ଏପରିକି ଦୁଇ ତିନି ବଖରା ଘରେ ଚଳପ୍ରଚଳର ସୁଯୋଗ ମଧ୍ୟ ଅପସରି ଯାଇଛି । ମହାମାରୀ-ପର ‘ନ୍ୟୂ-ନରମାଲ’ରେ ଭର୍ଚୁଆଲ-ଜୀବନ ବଜାରସଉଦା, ସ୍ୱାସ୍ଥ୍ୟସେବା, ବନ୍ଧୁ-ପରିଜନଙ୍କ ସହ ଆଳାପ-ଆଲୋଚ଼ନାକୁ ମଧ୍ୟ ପ୍ରଭାବିତ କରିଛି ।

 

ଆଧୁନିକ ଜୀବନଯାପନ ଶ୍ରମ-ରହିତ ପରିବେଶରେ ପହଞ୍ଚିବା ପରେ ସ୍ୱାସ୍ଥ୍ୟରକ୍ଷା ନିମନ୍ତେ ଆବଶ୍ୟକୀୟ ଶାରିରୀକ ଶ୍ରମ ବ୍ୟାୟାମ ମାଧ୍ୟମରେ ଭରଣା କରିବା ଅପରିହାର୍ଯ୍ୟ ହୋଇପଡ଼ିଛି । ମଧ୍ୟବିତ୍ତ ପରିବାରରେ ଶିଶୁ, କିଶୋର ଓ ଯୁବାବସ୍ଥାରେ ବିଦ୍ୟା ଆହରଣରେ ସଂପୃକ୍ତ ରହି ପ୍ରତିଯୋଗିତାରେ ପାରଦର୍ଶିତା ଲାଭ ପ୍ରତି ଧ୍ୟାନ ଦିଆଯାଉଥିବା ହେତୁ କ୍ରୀଡ଼ା କିମ୍ୱା ବ୍ୟାୟାମ ଅତି ଅଳ୍ପସଂଖ୍ୟକ ଅନୁରାଗୀଙ୍କ ମଧ୍ୟରେ ସୀମିତ ରହିଥାଏ ବର୍ଦ୍ଧିତ ଜୀବଦ୍ଦଶାରେ ଆସନ୍ନ-ବାର୍ଦ୍ଧକ୍ୟରେ ଉପନୀତ ହେବା ବୟସରେ ସ୍ୱାସ୍ଥ୍ୟଗତ ଅବନତି କାରଣରୁ ଚ଼ିକିତ୍ସକମାନେ ନିୟମିତ ବ୍ୟାୟାମ ନିମନ୍ତେ ପରାମର୍ଶ ଦିଅନ୍ତି । ଫଳରେ ବାର୍ଦ୍ଧକ୍ୟରେ ବ୍ୟାୟାମ ଆଧୁନିକ ଜୀବନଧାରାରେ ବାଧ୍ୟବାଧକତାରେ ପରିଣତ ହୋଇଥାଏ ।

 

ବିଶେଷଜ୍ଞଙ୍କ ମତରେ ମନୁଷ୍ୟ ଶରୀର ଗଠନ ବ୍ୟାୟାମ ଅଭିପ୍ରେତ ନୁହେଁ । ଅର୍ଥାତ, ବ୍ୟାୟାମ ସ୍ୱଭାବଗତ ବଦଳରେ ପ୍ରାୟୋଜିତ । ଏକବିଂଶ ଶତାଦ୍ଦୀରେ ଜନଜୀବନ ଶ୍ରମବିରୋଧୀ ପ୍ରତୀୟମାନ ହୋଇଥାଏ । କିନ୍ତୁ ସ୍ୱାସ୍ଥ୍ୟରକ୍ଷା ନିମନ୍ତେ ଶାରିରୀକ ଶ୍ରମର ଆବଶ୍ୟକତା ହେତୁ ବ୍ୟାୟାମ ଗୁରୁତ୍ୱ ବହନ କରେ । ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଚ଼ିକିତ୍ସା ଓ ସ୍ୱାସ୍ଥ୍ୟରକ୍ଷା ପତ୍ରିକା ‘ଦି ଲେନସେଟ’ରେ ପ୍ରକାଶିତ ଗବେଷଣାଲବ୍ଧ ତଥ୍ୟ ଅନୁଯାୟୀ ବ୍ୟାୟାମ ଅଭାବରୁ ମଧୁମେହ-ରୋଗ ସମ୍ଭାବନା ୨୦ ରୁ ୬୦ ପ୍ରତିଶତ, କର୍କଟ ରୋଗ ୩୦ ରୁ ୪୦ ପ୍ରତିଶତ ଓ ଅସମୟରେ ମୃତ୍ୟୁ ୩୦ରୁ ୫୦ ପ୍ରତିଶତ ଯାଏଁ ପରିବ୍ୟାପ୍ତ ହେଉଥିବା ଜଣାଯାଏ ।

 

 

ବିଭିନ୍ନ ଗବେଷଣାଲବ୍ଧ ତଥ୍ୟ ଅନୁଯାୟୀ ୧୮ରୁ ୬୫ ବର୍ଷ ବୟସ୍କ ସପ୍ତାହରେ ୧୫୦ରୁ ୩୦୦ ମିନଟ ଦୃତ ଗତିରେ ଚାଲିବା, ବାଇସାଇକେଲ ଚାଳନା ଭଳି ସାଧାରଣ ବ୍ୟାୟାମ କରିବା ଉଚ଼ିତ । ଦୌଡ଼ିବା, ଫୁଟବଲ, ଭଲିବଲ, ହକି ଓ ଟେନିସ ଭଳି ଖେଳର କଠିନ ବ୍ୟାୟାମରେ ଅର୍ଦ୍ଧେକ ସମୟ ବିନିଯୋଗ ଯଥେଷ୍ଟ । ଶାରିରୀକ ଶ୍ରମ ନିମନ୍ତେ ଯେକୌଣସି ବ୍ୟାୟାମ ଗ୍ରହଣୀୟ । ମହାମାରୀ କାଳରେ ଗୃହାବଦ୍ଧ ଅବସ୍ଥାରେ ବାର୍ଦ୍ଧକ୍ୟଗ୍ରସ୍ତଙ୍କ ମଧ୍ୟରୁ ଏକାଂଶ ୟୁ-ଟ୍ୟୁବ ଭିଡ଼ିଓ ତାଳରେ ବ୍ୟାୟାମରେ ଅଭ୍ୟସ୍ତ ହୋଇପଡ଼ିଥିଲେ । ‘ନ୍ୟାସନାଲ ଇନଷ୍ଟିଟିଉଟ ଅଫ ଏଜିଂ’ ଭଳି ମାର୍କିନ ପ୍ରତିଷ୍ଠାନ ଆନୁକୂଲ୍ୟରେ ବରିଷ୍ଠ ନାଗରିକଙ୍କ ନିମନ୍ତେ ପ୍ରସ୍ତୁତ ସ୍ୱତନ୍ତ୍ର ଭିଡ଼ିଓ ଅନୁକରଣରେ ହାଲକା ବ୍ୟାୟାମ, ଘରେ ଏପରିକି ଶୟନ କକ୍ଷରେ ମଧ୍ୟ ସୁଚାଋରୂପେ ଅଭ୍ୟାସ କରାଯାଇପାରେ । ବ୍ୟାୟାମାକାଂକ୍ଷୀମାନେ ଏହି ଭଳି ଉଦାହରଣ ଥରେ ଅଧେ ପରଖିନେବା ବୁଦ୍ଧିମତ୍ତାର ପରିଚୟ ଦେବ ।

 

ବାର୍ଦ୍ଧକ୍ୟରେ ବ୍ୟାୟାମ ଅଭ୍ୟାସରେ ମନୋନିବେଶ ବିପକ୍ଷରେ ବହୁ ଭ୍ରାନ୍ତ ଧାରଣା ରହିଥିବା ବିଶେଷଜ୍ଞମାନେ ଚ଼ିହ୍ନଟ କରିଥାନ୍ତି । ପ୍ରଥମତଃ, କେତେକ ବିଚାର କରନ୍ତି ବାର୍ଦ୍ଧକ୍ୟରେ ଦୁର୍ବଳତା ସ୍ୱାଭାବିକ । ବ୍ୟାୟାମ ପରିସ୍ଥିତିକୁ ବଦଳାଇ ଦେଇ ପାରିବ ନାହିଁପ୍ରକୃତରେ ବାର୍ଦ୍ଧକ୍ୟରେ ଦୁର୍ବଳତା ଶାରିରୀକ ଶ୍ରମ ବା ବ୍ୟାୟାମ ଅଭାବରୁ ଅନୁଭୂତ ହୋଇଥାଏ । ବ୍ୟାୟାମ ଶରୀର ସାଙ୍ଗକୁ ମାନସିକ ସ୍ୱାସ୍ଥ୍ୟକୁ ମଧ୍ୟ ସୁରକ୍ଷା ପହୁଞ୍ଚାଇଥାଏ । ନିୟମିତ ବ୍ୟାୟାମ ମତିଭ୍ରମ ଭଳି ଅବସ୍ଥାରୁ ଦୂରେଇ ରଖୁଥିବା ପ୍ରମାଣିତ । ବାର୍ଦ୍ଧକ୍ୟାବସ୍ଥାରେ ସ୍ୱାଧୀନ ଜୀବନଯାପନ ନିମନ୍ତେ ଉତ୍ତମ ସ୍ୱାସ୍ଥ୍ୟ ଆବଶ୍ୟକ । ସ୍ୱାଧୀନତା ଜୀବନର ଗୁଣାତ୍ମକ ବିକାଶରେ ସହାୟକ ।

 

ଦ୍ୱିତୀୟତଃ, ଅନ୍ୟ କେତେକ ଭାବନ୍ତି ବାର୍ଦ୍ଧକ୍ୟାବସ୍ଥାରେ ବ୍ୟାୟାମ ହୁଏତ ସୁରକ୍ଷିତ ନୁହେଁ । ପଡ଼ିଯିବା କିମ୍ୱା କ୍ଷତି ପହୁଞ୍ଚାଇବା ଭୟ ରହିଥାଏ । ଗବେଷଣାରୁ ଜଣାଯାଏ ଯେ ବ୍ୟାୟାମ ଦ୍ୱାରା ବାର୍ଦ୍ଧକ୍ୟରେ ଶାରିରୀକ ଭାରସାମ୍ୟ ହରାଇ ପଡ଼ିଯିବା ଘଟଣା କମିଥାଏ । ଏହା ଶକ୍ତି ବୃଦ୍ଧି ଓ ସ୍ଥିର ଶରୀର ଗଠନରେ ସହାୟକ । ତୃତୀୟତଃ, ରୋଗଗ୍ରସ୍ତ ଅବସ୍ଥାରେ ବ୍ୟାୟାମରୁ ଦୂରେଇ ରହିବା ଉଚିତ ବୋଲି ମାନସିକତା ପରିବ୍ୟାପ୍ତ । ପ୍ରକୃତପକ୍ଷେ ବହୁମୂତ୍ର, ଆଣ୍ଠୁ-ଗଣ୍ଠି-ଯନ୍ତ୍ରଣା ବାତ ଓ ହୃଦରୋଗ ଉପଶମରେ ବ୍ୟାୟାମ ସହାୟକ ହେଉଥିବା ପ୍ରମାଣିତ । ଅବଶ୍ୟ ଜଟିଳ ରୋଗଗ୍ରସ୍ତ ଅବସ୍ଥାରେ ବ୍ୟାୟାମ ନିମନ୍ତେ ଚ଼ିକିତ୍ସକଙ୍କ ପରାମର୍ଶ ଜରୁରି ।

 

ଚତୁର୍ଥତଃ, ବହୁ ସଂଖ୍ୟକଙ୍କ ମନରେ ପ୍ରଶ୍ନ ଉଠେ, ସେମାନେ ତ ଜୀବନବ୍ୟାପୀ ବ୍ୟାୟାମ କରି ନାହାନ୍ତି, ବାର୍ଦ୍ଧକ୍ୟରେ ବ୍ୟାୟାମରେ ଯୋଗଦାନ କେତେଦୂର ଯୁକ୍ତିସଂଗତ ? ନବେ ବର୍ଷ ବୟସରେ ଉପନୀତ ନର୍ସିଂହୋମ ଓ ଅବସର ବିହାରରେ ବସବାସ କରୁଥିବା ବାର୍ଦ୍ଧକ୍ୟଗ୍ରସ୍ତ ବ୍ୟାୟାମଦ୍ୱାରା ଉପକୃତ ହୋଇଥିବା ତଥ୍ୟ ଉପଲବ୍ଧ । ଯେକୌଣସି ବୟସରେ ବ୍ୟାୟାମ ଅପେକ୍ଷାକୃତଭାବେ ଶକ୍ତି ବୃଦ୍ଧିରେ ସହାୟକ । ପଞ୍ଚମତଃ, ଅଙ୍ଗହାନୀ ଓ ଅକର୍ମଣ୍ୟ ଅବସ୍ଥାରେ ମଧ୍ୟ ଶାରିରୀକ ବ୍ୟାୟାମ କରଣୀୟ । ଅବଶ୍ୟ ଏଥି ନିମନ୍ତେ ଅନୁକୂଳ ବ୍ୟାୟାମ ପଦ୍ଧତି ଚ଼ିହ୍ନଟ କରିବାକୁ ପଡ଼ିଥାଏ । ଏପରିକି ଶଯ୍ୟାଶାୟୀଙ୍କ ବ୍ୟାୟାମ ଫିଜିଓଥେରାପି ଓ ମାଲିସ ଦ୍ୱାରା ସଂଭବ ହୋଇପାରେ ।

 

ବିଶ୍ୱବ୍ୟାପୀ ବାର୍ଦ୍ଧକ୍ୟରେ ବ୍ୟାୟାମ ଅଭ୍ୟାସ ଦୁର୍ବଳ । ବିକଶିତ ରାଷ୍ଟ୍ରଗୁଡ଼ିକରେ ଅଧ୍ୟୟନ ଅନୁଯାୟୀ ୬୫ରୁ ୭୪ ବର୍ଷ ବୟସ୍କ ବରିଷ୍ଠ ନାଗରିକଙ୍କ ମଧ୍ୟରୁ ପ୍ରତି ଚାରି ଜଣରେ ଜଣେ ନିୟମିତ ବ୍ୟାୟାମ କରନ୍ତି । ମନୋବିଜ୍ଞାନୀମାନେ ବ୍ୟାୟାମ ଆରମ୍ଭ କରିବା ନିମନ୍ତେ ସୁପରିକଳ୍ପିତ ଯୋଜନା ଉପଯୋଗ ନିମନ୍ତେ ପରାମର୍ଶ ଦେଇଥାନ୍ତି । ପ୍ରଥମତଃ, ବ୍ୟକ୍ତିବିଶେଷଙ୍କ ଯେଉଁ ଖେଳକୁଦ ବା ବ୍ୟାୟାମ ପ୍ରତି ଋଚ଼ି ରହିଛି, ତାହା ଅଭ୍ୟାସ କରିବା ସହଜପ୍ରଦ । ଦ୍ୱିତୀୟତଃ, ବ୍ୟାୟାମ ଅଳ୍ପ ଅବଧିରୁ ଆରମ୍ଭ କଲେ ଭଲ । କ୍ରମଶଃ ସମୟସୀମା ବୃଦ୍ଧି କରାଯାଇପାରେ । ତୃତୀୟତଃ, ସମକାଳରେ ବ୍ୟାୟାମ ସହ ସଂଗୀତର ମୂର୍ଚ୍ଛନା ସୁଯୋଗ ଉପଲବ୍ଧ ଥିବା ସ୍ଥଳେ ସେହି ସୁବିଧା ବ୍ୟବହାର କଲେ ସୁଫଳ ମିଳୁଥିବା ଗବେଷଣାରୁ ଜଣାଯାଏ । ଚ଼ତୁର୍ଥତଃ, ପ୍ରତିଦିନ ଏକ ନିର୍ଦ୍ଦିଷ୍ଟ ସମୟରେ ବ୍ୟାୟାମ କରିବା ଉଚ଼ିତ । ପଞ୍ଚମତଃ, ବ୍ୟାୟାମ କାର୍ଯ୍ୟକ୍ରମରେ ପରିବାରବର୍ଗ କିମ୍ୱା ବନ୍ଧୁ ପରିଜନଙ୍କୁ ସାମିଲ କଲେ ଅଭ୍ୟାସ ଦୀର୍ଘକାଳ ବଳବତ୍ତର ରହେ ।

 

ବାର୍ଦ୍ଧକ୍ୟରେ ବ୍ୟାୟାମକୁ ଦୈନନ୍ଦିନ ଜୀବନର ଏକ ପ୍ରଭାବଶାଳୀ କାର୍ଯ୍ୟ ରୂପେ ଗ୍ରହଣ କରାଯାଇପାରେ । ସକାଳବେଳା ବ୍ୟାୟାମ କଲେ ଅଭ୍ୟସ୍ତ ହେବା ସହଜ କୁହାଯାଏ । ତେବେ ସନ୍ଧ୍ୟାରେ ମଧ୍ୟ ଅନେକ ବ୍ୟାୟାମ କରନ୍ତି । ବ୍ୟାୟାମ ପରିମାଣ ମାପିବା ନିମନ୍ତେ ସ୍ମାର୍ଟୱାଚ ଓ ସ୍ମାର୍ଟ ଫୋନ ଆପ ଟ୍ରେକର ଉପଲବ୍ଧ । ଏହି ଉନ୍ନତ କାରିଗରୀ କୌଶଳ ଉପଯୋଗଦ୍ୱାରା ସୁଫଳ ମିଳୁଥିବା ପ୍ରମାଣିତ । ପ୍ରତ୍ୟେକ ବରିଷ୍ଠ ନାଗରିକ ଅନ୍ତତଃ ସାପ୍ତାହଭିତ୍ତିରେ ନିଜ ବ୍ୟାୟାମ କାର୍ଯ୍ୟସୂଚୀ ସମୀକ୍ଷା କଲେ ଭଲ । ସାଧାରଣତଃ, ନୂଆକରି ବ୍ୟାୟାମ ଆରମ୍ଭ କରିବାପରେ ତିନିରୁ ଚାରିମାସପରେ ତାହା ଅଭ୍ୟାସରେ ପରିଣତ ହୁଏ । ଏହି ହିସାବ ପ୍ରତି ସଚ଼େତନ ରହି ଧୈର୍ଯ୍ୟର ସହ ଅନ୍ତତଃପକ୍ଷେ ସେହି ସମୟସୀମା ଅପେକ୍ଷା କରି ବ୍ୟାୟାମ ଜାରି ରଖିବା ଉଚ଼ିତ । 


 

ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ସେପ୍ଟେମ୍ୱର ୨୦୨୩

 

ତଥ୍ୟ:

 

Meher, Carol and Ben Singh. How do I improve my motivation to exercise when I really hate it ? 10 – Science backed tips. The Conversation, April 14, 2022

 

https://theconversation.com/how-do-i-improve-my-motivation-to-exercise-when-i-really-hate-it-10-science-backed-tips-179761

 

Grittin, R. Morgan. Myths about exercise and older adults. WebMD

 

https://www.webmd.com/healthy-aging/features/exercise-older-adults

ବାର୍ଦ୍ଧକ୍ୟରେ ସ୍ନାନ

ବାର୍ଦ୍ଧକ୍ୟରେ ବୃତ୍ତିଭିତ୍ତିକ ସକ୍ରିୟ କର୍ମସଂସ୍ଥାନରୁ ଅବସର ଗ୍ରହଣପରେ ଦୈନନ୍ଦିନ ଜୀବନଚର୍ଯ୍ୟାର ଗୁରୁତ୍ୱ ବୃଦ୍ଧି ପାଇଥାଏ । ନିତ୍ୟକର୍ମ ମଧ୍ୟରେ ସ୍ନାନ ଅନ୍ୟତମ । ଓଡ଼ିଶାର ପାରମ୍ପରିକ ଗ୍ରାମ୍ୟଜୀବନରେ ପ୍ରଭାତ ଓ ସନ୍ଧ୍ୟା ଦୁଇବେଳା ପୋଖରୀ ବା ନଦୀକୂଳରେ ସ୍ନାନ ନିମନ୍ତେ ଏକତ୍ରୀତ ହେବା ଅଭ୍ୟାସରେ ବହୁ ସଂଖ୍ୟକ ସଂପୃକ୍ତ ରହି ଆସିଥିଲେ । ଏଣିକି ବାସଗୃହ ସଂଲଗ୍ନ କୂଅମୂଳ ବା ଗାଧୁଆଘର ବ୍ୟବହାର ସଂସ୍କୃତି କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ସହରାଞ୍ଚଳରେ ସ୍ନାନ ବ୍ୟକ୍ତିଗତ ଏବଂ ସମୟନିର୍ଘଣ୍ଟ ନିଜ ରୁଚ଼ି ଓ ସୁବିଧା ସୁଯୋଗରେ ପର୍ଯ୍ୟବସିତ ।

 

ବରିଷ୍ଠ ନାଗରିକଙ୍କ ଜୀବନଚର୍ଯ୍ୟା ଅର୍ଥାତ ଖାଦ୍ୟ, ଶୟନ, ବ୍ୟାୟାମ ଇତ୍ୟାଦି ବିଭିନ୍ନ ଅଭ୍ୟାସ ସ୍ୱାସ୍ଥ୍ୟାବସ୍ଥା ଓ ଜୀବଦ୍ଦଶାକୁ ପ୍ରଭାବିତ କରୁଥିବା ବିଭିନ୍ନ ଗବେଷଣାରୁ ଜଣାଯାଏ । ଜୀବନାଦର୍ଶ ଓ ସାମାଜିକ ସଂପୃକ୍ତି ସାଙ୍ଗକୁ ଅବସର ସମୟ ଉପଯୋଗ ଇତ୍ୟାଦି ମାନସିକ ସ୍ୱାସ୍ଥ୍ୟାବସ୍ଥାକୁ ନିୟନ୍ତ୍ରିତ କରି ସାମଗ୍ରୀକ ସୁସ୍ଥତାରେ କେନ୍ଦ୍ରୀଭୂତ ହୋଇଥାଏ । ଅଧିକାଂଶ କ୍ଷେତ୍ରରେ ବାର୍ଦ୍ଧକ୍ୟରେ ବ୍ୟକ୍ତିଗତସ୍ତରର ଜୀବନବ୍ୟାପୀ ସ୍ନାନ ଅଭ୍ୟାସରେ ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳେ । ଉତ୍ତର-ବାର୍ଦ୍ଧକ୍ୟ ଓ ଶଯ୍ୟାଶାୟୀ ଜୀବନରେ ସ୍ଥଳବିଶେଷରେ ସ୍ନାନ ବିଳାସରେ ପରିଣତ ହୋଇପଡ଼େ ।

 

ବିଶେଷଜ୍ଞଙ୍କ ମତରେ ସ୍ନାନ ପୂର୍ଣ୍ଣାଙ୍ଗ ଶରୀରରେ ମୁଖ୍ୟତଃ ଉପରିଭାଗରେ ଅମ୍ଳଜାନ ଅକ୍ସିଜେନ ଓ ଗୁଣକାରୀ ଉପାଦାନ ନ୍ୟୂଟ୍ରେଣ୍ଟସ ଯୋଗାଣ ପ୍ରକ୍ରିୟାକୁ ପ୍ରୋତ୍ସାହିତ କରେ । ତତ୍ ସଙ୍ଗେ ଅଙ୍ଗରାକାମ୍ଳ କାରବନ ଡ଼ାଇ-ଅକସାଇଡ଼ ଓ ରାସାୟନିକ ବର୍ଜ୍ୟ ମେଟାବୋଲିକ ୱେଷ୍ଟ ଦମନରେ ମଧ୍ୟ ସହାୟକ ହୋଇଥାଏ । ଜାପାନର ଗବେଷକଙ୍କ ସର୍ବେକ୍ଷଣରେ ସେଠାକାର ୮୦ ପ୍ରତିଶତ ଅଧିବାସୀ ସ୍ନାନ ଦ୍ୱାରା ଆନନ୍ଦିତ ହେଉଥିବା ଏବଂ ୮୦ ପ୍ରତିଶତ ସ୍ନାନ ପରେ ଅବଶ ପଣରୁ ମୁକ୍ତି ପାଇ ଫୁର୍ତ୍ତି ଅନୁଭବ କରୁଥିବା ସ୍ୱୀକାର କରିଥିଲେ । ପ୍ରତ୍ୟେହ ଉଷୁମ ଜଳରେ ସ୍ନାନ କରୁଥିବା ବ୍ୟକ୍ତିଗଣ ଆବଶ୍ୟକୀୟ ବିଶ୍ରାମ, ନିଦ୍ରା ଉପଭୋଗ ସହ କମ ପରିମାଣରେ ଚାପଗ୍ରସ୍ତ ହେଉଥିବା ଜଣାଯାଇଥିଲା ।

 

ବୟସର ଅନ୍ୟ ପର୍ଯ୍ୟାୟ ଭଳି ବାର୍ଦ୍ଧକ୍ୟରେ ସ୍ନାନ ଶରୀରକୁ ପରିଷ୍କୃତ କରିଥାଏ । ତେବେ ପରିଚ୍ଛନ୍ନତାର କେତେକ ଦିଗ ପ୍ରଭାବିତ ହୋଇପାରିନଥାଏ । ଆମ ଶରୀରର ଚର୍ମରେ ଲିପିଡ଼ ନାମକ ଏକ ଏସିଡ଼ ଅକ୍ସିଡାଇଜେସନ ପ୍ରକ୍ରିୟାରେ ୨-ନନନାଲ ନାମକ ଯୌଗିକ ରସାୟନରେ ପରିଣତ ହୁଏ । ଏହି ତୈଳାକ୍ତ ପଦାର୍ଥ ସ୍ନାନ ଦ୍ୱାରା ପାଣି ଓ ସାବୁନରେ ସଫା ହୋଇପାରେ ନାହିଁ । ଫଳରେ ସ୍ନାନ ସତ୍ତ୍ୱେ ସ୍ଥଳବିଶେଷରେ ବରିଷ୍ଠ ନାଗରିକମାନଙ୍କ ଶରୀରରେ ଏହି କ୍ଷୀଣ ଦୁର୍ଗନ୍ଧର ଉପସ୍ଥତି ରହେ । ଏପରିକି ସେମାନେ ପରିଧାନ ଓ ବ୍ୟବହାର କରୁଥିବା ପୋଷାକପତ୍ର ଓ ବିଛଣା ଚଦର ମଧ୍ୟ ଗନ୍ଧାଇଥାଏ ।

 

କୁହାଯାଏ ଯେ ୪୦ ବର୍ଷ ବୟସପରେ ଶରୀରରେ ଆଣ୍ଟିଅକ୍ସିଡ଼େଣ୍ଟ ପ୍ରସ୍ତୁତି କମିଯିବା ପରେ ଶରୀରରେ ଦୁର୍ଗନ୍ଧ ପ୍ରାକୃତିକଭାବେ ଜାତ ହୁଏ । ଏହାର ପ୍ରଭାବ ଶୀଥିଳ କରିବା ନିମନ୍ତେ ପର୍ଯ୍ୟାପ୍ତ ପରିମାଣରେ ଜଳପାନ ସହ ଆଣ୍ଟିଅକ୍ସିଡ଼େଣ୍ଟସ୍ତର ବୃଦ୍ଧି ନିମନ୍ତେ ଖାଦ୍ୟପେୟ ପ୍ରତି କେତେକ ଗୁରୁତ୍ୱ ଦେଇଥାନ୍ତି । ଜାପାନରେ ବୟୋବୃଦ୍ଧମାନେ ଅତିରିକ୍ତ ପରିମାଣରେ ଗ୍ରୀନ-ଟି ପାନ କରୁଥିବା ଏକ ଉଦାହରଣ ।

 

ଅପରପକ୍ଷେ ମୁଣ୍ଡର କେଶ ମୂଳରେ ଦୈନନ୍ଦିନ ଭିତ୍ତିରେ ପାରିପାର୍ଶ୍ୱିକ ପରିବେଶ ପ୍ରଭାବରେ ମଇଳା ଏକତ୍ରୀତ ହୋଇଥାଏ । ବାର୍ଦ୍ଧକ୍ୟରେ ଚଳପ୍ରଚଳ କମିଯିବା ହେତୁ ଏଥିରେ କିଛି ମାତ୍ରାରେ ସୁଧାର ଆସେ । ଅପରପକ୍ଷେ ମୁଣ୍ଡ ତାଳୁରେ ସେବୁମ ନାମକ ଏକ ତୈଳାକ୍ତ ପଦାର୍ଥ ସୃଷ୍ଟି ହୋଇ ଜମି ରହେ । ସ୍ନାନ ଅବସରରେ କେଶ ସଫା କରିବା ଦ୍ୱାରା ଏଥିରୁ ସାମୟିକ ମୁକ୍ତି ମିଳେ । ବାର୍ଦ୍ଧକ୍ୟରେ ଏହି ରସାୟନିକ ପ୍ରସ୍ତୁତି ଶୀଥିଳ ହୋଇ ଆସୁଥିବା ହେତୁ ବାରମ୍ୱାର କେଶ ଧୁଆର ଆବଶ୍ୟକତା କମିଆସେ । ବାର୍ଦ୍ଧକ୍ୟରେ ସପ୍ତାହରେ ଥରରୁ ଦୁଇଥର କେଶ ଧୁଆ ଯଥେଷ୍ଟ ବୋଲି ବିଚାର କରାଯାଏ ।

 

ବାର୍ଦ୍ଧକ୍ୟରେ ବେଶ କିଛି ସଂଖ୍ୟକ ବରିଷ୍ଠ ନାଗରିକ ନିୟମିତ ସ୍ନାନ ପ୍ରତି ଅବହେଳା ପ୍ରକାଶ କରିଥାନ୍ତି । ଏହାର ବିଭିନ୍ନ କାରଣ ରହିଥାଏ । ବାର୍ଦ୍ଧକ୍ୟରେ ଥକାପଣ, ଶକ୍ତିହୀନତା, ବିରକ୍ତିଭାବ, ଏକାକୀ ବସବାସ, ସ୍ନାନ କାରଣରୁ ଥଣ୍ଡା ଧରିବା ଓ ସ୍ନାନାଗାରରେ ଦୁର୍ଘଟଣାର ଭୟ, ଦୃଷ୍ଟି ଓ ଶ୍ରବଣ ତଥା ଆଘ୍ରାଣ ଶକ୍ତି ହ୍ରାସ, ମାନସିକ ରୋଗ ଇତ୍ୟାଦି ବାର୍ଦ୍ଧକ୍ୟରେ ସ୍ନାନ ଅଭ୍ୟାସକୁ ପ୍ରଭାବିତ କରିଥାଏ ।

 

ଉତ୍ତର-ବାର୍ଦ୍ଧକ୍ୟ ମୁଖ୍ୟତଃ ଶଯ୍ୟାଶାୟୀ ଜୀବନରେ ସହାୟତାଯୁକ୍ତ ସ୍ନାନ ଏହି ସରଳ ପ୍ରକ୍ରିୟାଟିକୁ ଜଟିଳ କରିପକାଏ । ଏକ ଅଧ୍ୟୟନ ଅନୁଯାୟୀ ଏକ ହଜାର ବରିଷ୍ଠ ନାଗରିକଙ୍କ ମଧ୍ୟରେ ୭୦ ରୁ ୭୯ ବୟସ ବର୍ଗରେ ୨୩ ପ୍ରତିଶତ ଏବଂ ୮୦ ବର୍ଷୋତ୍ତର ବୟସ ବର୍ଗରେ ୪୩ ପ୍ରତିଶତ ସ୍ନାନ ନିମନ୍ତେ ଅପରର ସହାୟତା ଆବଶ୍ୟକ କରିଥାନ୍ତି । ସ୍ନାନ ସହ ସ୍ନାନ ପୂର୍ବରୁ ପୋଷାକ ଖୋଲିବା ଓ ସ୍ନାନପରେ ଶରୀରକୁ ଶୁଖାଇବା ତଥା ଶରୀରରେ ମଏଶ୍ଚରାଇଜର ପ୍ରଲେପ କରି ପୁଣି ପୋଷାକ ପିନ୍ଧାଇବା ଇତ୍ୟାଦି ଏକ ଦୀର୍ଘ ପ୍ରକ୍ରିୟା । ଶଯ୍ୟାଶାୟୀମାନଙ୍କ କ୍ଷେତ୍ରରେ ସ୍ନାନାଗାରରେ ନିୟମିତ ସ୍ନାନ ବଦଳରେ ସ୍ପଞ୍ଜ ବାଥର ବ୍ୟବସ୍ଥା କରିବାକୁ ପଡ଼ିଥାଏ ।

 

ଉତ୍ତର-ବାର୍ଦ୍ଧକ୍ୟରେ ବରିଷ୍ଠ ନାଗରିକଙ୍କୁ ସ୍ନାନ ସହାୟତା ସେବା ଯୋଗାଣ କ୍ଷେତ୍ରରେ ସମସ୍ୟା ଉପୁଜିଥାଏ । ପରିବାରବର୍ଗଙ୍କ ପକ୍ଷରୁ ନିୟମିତଭିତ୍ତିରେ ସେବା ସଂଭବ ନହୋଇପାରିଲେ ବୃତ୍ତିଧାରୀଙ୍କୁ ନିୟୋଜିତ କରାଯାଏ । ଏଥିରେ ଲିଙ୍ଗଗତ ପାର୍ଥକ୍ୟ ରହିଲେ ସଂକୋଚ ସୃଷ୍ଟି ହେତୁ ଉପଯୁକ୍ତ ଓ ତାଲିମପ୍ରାପ୍ତ ସେବକ ସେବିକା ଚୟନ ପ୍ରତି ଧ୍ୟାନ ଦିଆଯାଇଥାଏ । ଆମ ରାଜ୍ୟରେ ୨୦୨୧ ସୁଦ୍ଧା ବାର୍ଦ୍ଧକ୍ୟ ସେବା ଯୋଗାଣରେ ବିଧିବଦ୍ଧ ଓ ଯଥେଷ୍ଟ ଆୟୋଜନ ନଥିବା ସ୍ଥଳେ ନିକଟ ଭବିଷ୍ୟତରେ ସଂଗଠିତ ଉଦ୍ୟମ ଅଭାବରୁ ଅବସ୍ଥା ସୁଧୁରିବା ଆଶା କରାଯାଇ ପାରେ ନାହିଁ ।

 

ଓଡ଼ିଶା ଭଳି ଗ୍ରୀଷ୍ମପ୍ରଧାନ ଜଳବାୟୁରେ ଦୈନନ୍ଦିନ ଜୀବନଚ଼ର୍ଯ୍ୟାରେ ସ୍ନାନକୁ ବାଦ ଦେଇ ହୁଏ ନାହିଁ । ପାରମ୍ପରିକ ରୀତି ଓ ଜୀବନବ୍ୟାପୀ ସ୍ନାନ ଅଭ୍ୟାସ ବାର୍ଦ୍ଧକ୍ୟ ଓ ଶଯ୍ୟାଶାୟୀ ଜୀବନରେ ମଧ୍ୟ ଗୁରୁତ୍ୱ ବହନ କରେ । ବ୍ୟକ୍ତିଗତସ୍ତରରେ ପରିଚ୍ଛନ୍ନତା ଅଭାବ କାରଣରୁ ସଂକ୍ରମଣର ଭୟ ସାଙ୍ଗକୁ ସାମାଜିକସ୍ତରରେ ପରିଚ୍ଛନତା ରକ୍ଷାରେ ସ୍ନାନ ଅପରିହାର୍ଯ୍ୟ ।

 

ସହରାଞ୍ଚଳ ବରିଷ୍ଠ ନାଗରିକଙ୍କ ବାର୍ଦ୍ଧକ୍ୟରେ ସ୍ନାନ ଅଭ୍ୟାସର ମାନାଙ୍କ ସ୍ନାନାଗାରରେ ଉପଲବ୍ଧ ସୁବିଧାସୁଯୋଗ ଉପରେ ନିର୍ଭରଶୀଳ । ସାଧାରଣରେ ବାସଗୃହ ପରିବେଶ ବାର୍ଦ୍ଧକ୍ୟ ଜୀବନଚର୍ଯ୍ୟାକୁ ପ୍ରଭାବିତ କରିଥାଏ । ବାସଗୃହରେ ବାର୍ଦ୍ଧକ୍ୟ ଅନୁକୂଳ ସାଜସରଞ୍ଜାମ ଖଚ଼ିତ ହୋଇପାରିଲେ ତାହା ଦୈନନ୍ଦିନ ଜୀବନଚର୍ଯ୍ୟାର ଗୁଣାତ୍ମକ ବିକାଶରେ ସହାୟକ ହୁଏ । ସ୍ନାନାଗାରରେ ଖସଡ଼ା ପ୍ରତିରୋଧକ ଆଣ୍ଟି-ସ୍କିଡ଼ ଟାଇଲ, ହାତଧରା ରେଲିଂ ଗ୍ରାବ-ରେଲିଂ ଭଳି ସାମାନ୍ୟ ସୁବିଧାସୁଯୋଗ ବାର୍ଦ୍ଧକ୍ୟ ସ୍ନାନ ଅଭ୍ୟାସରେ ବହୁଦିଗରୁ ଲାଭଦାୟକ ସାବ୍ୟସ୍ତ ହୋଇଥାଏ ।

 

ବ୍ରିଟେନରେ ଏକ ଗବେଷଣାରୁ ପ୍ରକାଶ ଯେ ୬୫ ବର୍ଷୋତ୍ତର ୩୫ ପ୍ରତିଶତ ବରିଷ୍ଠ ନାଗରିକ ପ୍ରତିବର୍ଷ ଥରେ କିମ୍ୱା ତତୋଧିକ ଥର ପଡ଼ିଥାଆନ୍ତି । ସେହିପରି ୭୫ ବର୍ଷୋତ୍ତରଙ୍କ ଆଘାତଜନିତ ମୃତ୍ୟୁ ସଂଖ୍ୟାରେ ବାସଗୃହରେ ପଡ଼ିଯିବା ସର୍ବୋଚ୍ଚ ସ୍ଥାନ ଅଧିକାର କରିଥାଏ । ନ୍ୟୂଜିଲ୍ୟାଣ୍ଡରେ ଆୟୋଜିତ ଅନ୍ୟ ଏକ ଗବେଷଣାରୁ ସୂଚ଼ିତ ହୋଇଥିଲା ଯେ ବାସଗୃହରେ ବାର୍ଦ୍ଧକ୍ୟ ଅନୁକୂଳ ସାଜସରଞ୍ଜାମ ଯୋଗାଡ଼ ଦ୍ୱାରା ୨୬ ପ୍ରତିଶତ ଯାଏଁ ପଡ଼ିଯିବା ଦୁର୍ଘଟଣା ହ୍ରାସ ପାଇଥାଏ ।

 

ବାର୍ଦ୍ଧକ୍ୟ ଅନୁକୂଳ ବାସଗୃହ ମରାମତି ହାଉସିଂ ଏଡପସନ ପ୍ରତି ବିକଶିତ ରାଷ୍ଟ୍ରଗୁଡ଼ିକରେ ପ୍ରାଥମିକତା ପ୍ରଦାନ କରାଯାଉଛି । ବ୍ରିଟେନରେ ୨୦୧୪ର ବାର୍ଦ୍ଧକ୍ୟ ଯତ୍ନ ନିମନ୍ତେ ପ୍ରଣୀତ ଦି କେଆର ଏକ୍ଟରେ ସ୍ଥାନୀୟ ପ୍ରଶାସନକୁ ଏଦିଗରେ ଯତ୍ନ ନେବା ନିମନ୍ତେ ସ୍ପଷ୍ଟ ନିର୍ଦ୍ଦେଶ ରହିଛି । କୁହାଯାଏ ଯେ ବାର୍ଦ୍ଧକ୍ୟ ଅନୁକୂଳ ବାସଗୃହ ମରାମତି କ୍ଷେତ୍ରରେ ତୁରନ୍ତ ପଦକ୍ଷେପ ନନେବା ଦ୍ୱାରା ବରିଷ୍ଠ ନାଗରିକମାନେ ଆହତ ହୋଇ ଚ଼ିକିତ୍ସାଳୟରେ ଭର୍ତ୍ତିହେବା ହସପିଟାଲାଇଜେସନ ଏବଂ ଅନୁସଙ୍ଗିକ ଖର୍ଚ୍ଚ ଏସୋସିଏଟେଡ଼ କଷ୍ଟ ବଢ଼ି ଚାଲେ । ଭାରତରେ ଏଭଳି କୌଣସି ଆଇନଗତ ପ୍ରାବଧାନ ନଥିବା ହେତୁ ସଚ଼େତନ ବରିଷ୍ଠ ନାଗରିକମାନେ ନିଜ ବାସଗୃହକୁ ତୁରନ୍ତ ବାର୍ଦ୍ଧକ୍ୟ ଅନୁକୂଳ ରୂପାନ୍ତିକରଣ ଲାଗି ବ୍ୟକ୍ତିଗତସ୍ତରରେ ଦୃଷ୍ଟି ଦେବା ବାଞ୍ଛନୀୟ ।

 

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସକ୍ରିୟ ବାର୍ଦ୍ଧକ୍ୟ ଏକ୍ଟିଭ ଏଜିଂ ନୀତି ପଲିସି ଫ୍ରେମୱାର୍କରେ ବାସଗୃହରେ ବାର୍ଦ୍ଧକ୍ୟ ଅନୁକୂଳ ସୁବିଧା ସୁଯୋଗ ଉପଲବ୍ଧ ହେଲେ ବରିଷ୍ଠ ନାଗରିକମାନଙ୍କୁ ଯଥାସଂଭବ ସ୍ୱାଧୀନ ଜୀବନଯାପନ ଓ ଅଧିକମାତ୍ରାରେ ରୋଗଗ୍ରସ୍ତ ତଥା ଅକର୍ମଣ୍ୟତାରୁ ବଞ୍ଚାଇ ଦେଇପାରୁଥିବା ଉଲ୍ଲେଖ କରାଯାଇଛି । ବାର୍ଦ୍ଧକ୍ୟ ଜୀବନଚର୍ଯ୍ୟାର ଗୁଣାତ୍ମକ ବିକାଶ ନିମନ୍ତେ ଚ଼ିହ୍ନଟ ହୋଇଥିବା ଦଶଗୋଟି ପ୍ରତିଷେଧାତ୍ମକ ପଦକ୍ଷେପରେ ବାସଗୃହରେ ବାର୍ଦ୍ଧକ୍ୟ ଅନୁକୂଳ ପରିବେଶ ସୃଷ୍ଟି ନିମନ୍ତେ ଆବଶ୍ୟକୀୟ ଘରବାଡ଼ି ମରାମତି ଅନ୍ୟତମ ।


 

ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଜୁଲାଇ ୨୦୨

 ---

ତଥ୍ୟ :


 

Goto, Yasuki (et.al.) Physical and mental effects of bathing : A randomized intervention study

 

https://www.ncbi.nlm.nih.gov/pmc/articles/PMC6011066/

 

Hygine for seniors : How often should an elderly person bathe ?

 

https://www.fawssit.com/hygiene-for-seniors-how-often-should-an-elderly-person-bathe/

ବାର୍ଦ୍ଧକ୍ୟରେ ଶୌଚାଳୟ ପରିମଳ

ଶୌଚାଳୟ ବ୍ୟବହାର ଆଧୁନିକ ସମାଜରେ ସମସ୍ତ ବୟସବର୍ଗଙ୍କ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପରିଗଣିତ ହେଉଥିଲେ ହେଁ, ବାର୍ଦ୍ଧକ୍ୟ ଅବସ୍ଥାରେ ଅତି ଆବଶ୍ୟକୀୟ ତଥା ଅନ୍ତରଙ୍ଗ ବିବେଚ଼ିତ । ଉତ୍ତର-ବାର୍ଦ୍ଧକ୍ୟ, ଅର୍ଥାତ ୮୫ ବର୍ଷୋତ୍ତର ଜୀବନଯାତ୍ରାରେ ପ୍ରାୟ ପନ୍ଦର ପ୍ରତିଶତ ପଡ଼ିଯାଇ ଆହତ ହୋଇ ସ୍ୱଚ୍ଛଳରେ ଚଳପ୍ରଚଳ ନିମନ୍ତେ ଅକ୍ଷମ ଅବସ୍ଥାରେ ପହଞ୍ଚୁଥିବା କିମ୍ୱା ଜଟିଳ ରୋଗାକ୍ରାନ୍ତ ହୋଇ ଶଯ୍ୟାଶାୟୀ ହେବା ଅବସରରେ ଶୟନକକ୍ଷ ପରେ ଶୌଚାଳୟ ହିଁ ଏକମାତ୍ର ଆକାଂକ୍ଷିତ ସ୍ଥାନ ରୂପେ ଗୃହୀତ ହୋଇଥାଏ ।

 

ପାରମ୍ପରିକଭାବେ ଗ୍ରାମ୍ୟ ସଭ୍ୟତାରେ ଶୌଚାଳୟ, ବିଶେଷତଃ ବାର୍ଦ୍ଧକ୍ୟ ଉପଯୋଗୀ ଶୌଚ଼ ବ୍ୟବସ୍ଥା ବ୍ୟବହାରନଥିଲା । ଏହାର ମୁଖ୍ୟ କାରଣ ଏହିଯେ ଆମ ଦେଶରେ ବିଂଶ ଶତାଦ୍ଦୀ ଆରମ୍ଭ ସୁଦ୍ଧା ହାରାହାରି ସାଧାରଣ ପରମାୟୁ ୨୨ ବର୍ଷ ଓ ସ୍ୱାଧୀନଲାଭ ବେଳକୁ ୩୩ ବର୍ଷରେ ସୀମିତ ରହି ଆସିଥିଲା । ସ୍ୱାଧୀନୋତ୍ତର ଅବସ୍ଥାରେ ସହରୀ ସଭ୍ୟତାର ବିକାଶ ଉନ୍ନତ ଶୌଚାଳୟର ମାନାଙ୍କ ସ୍ଥିର କରିବା ସ୍ଥଳେ ଏକବିଂଶ ଶତାଦ୍ଦୀ ତୃତୀୟ ଦଶକ ଆରମ୍ଭ ବେଳକୁ ପରମାୟୁ ୭୦ ବର୍ଷକୁ ବୃଦ୍ଧି ବାର୍ଦ୍ଧକ୍ୟ ଉପଯୋଗୀ ଶୌଚାଳୟ ପ୍ରସଙ୍ଗ ଉପସ୍ଥାପନ କରିଛି ।

 

ଭାରତୀୟ ସହରବାସୀ ଓ ସ୍ୱଚ୍ଛଳବର୍ଗଙ୍କ ଶୌଚାଳୟ ବ୍ୟବହାର ବିକଶିତ ରାଷ୍ଟ୍ରଗୁଡ଼ିକର ଶୌଚାଳୟ ଅଭ୍ୟାସ ଦ୍ୱାରା ଅନୁପ୍ରାଣିତ । ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକରେ ସ୍ଥପତିମାନଙ୍କ ଦ୍ୱାରା ଉନ୍ନତମାନର ଶୌଚାଳୟ ସଂପର୍କରେ ଗବେଷଣା ଜାରି ରହିଥାଏ । ବିଭିନ୍ନ ନିଷ୍କର୍ଷ ଗଣମାଧ୍ୟମରେ ଚର୍ଚ୍ଚା ଫଳରେ ଜନସାଧାରଣ ନିଜ ଶୌଚାଳୟ ବ୍ୟବହାର ଅଭ୍ୟାସ ପରିବର୍ତ୍ତିତ କରିଥାନ୍ତି । ଏତଦ୍ୱାରା ଶୌଚାଳୟ ପରିମଳ ବ୍ୟବସ୍ଥାରେ ଉନ୍ନତି ସାଧିତ ହୋଇଥାଏ । ବାର୍ଦ୍ଧକ୍ୟ ଜୀବନଚର୍ଯ୍ୟା ଶୌଚାଳୟ ସହିତ ଅଙ୍ଗାଙ୍ଗୀଭାବେ ଜଡ଼ିତ ରହୁଥିବା ହେତୁ ଶୌଚାଳୟ ପରିମଳ ସଂପର୍କରେ ସଚ଼େତନ ହେବା ଲାଭଦାୟକ ବିଚାର କରାଯାଇପାରେ ।

 

ଆଧୁନିକ ବାସଗୃହ ସ୍ଥାପତ୍ୟରେ ଶୟନକକ୍ଷ ସହ ଶୌଚାଳୟ ସଂଲଗ୍ନ ରହେ । ଶୟନକକ୍ଷ ଓ ଶୌଚାଳୟକୁ ବାର୍ଦ୍ଧକ୍ୟ ଅନୁକୂଳ କରିବା ନିମନ୍ତେ କଠୋରୀଗୁଡ଼ିକର କାନ୍ଥରେ ରେଲିଂ ଓ ଶୌଚାଳୟରେ ଖସଡ଼ାହୀନ ଅଣ୍ଟିସ୍କିଡ଼ ରବର ଗାଲିଚା ବିଛାଇବା ମୌଳିକ ସାଧନ ବିବେଚ଼ିତ । ଶୟନକକ୍ଷ ଶୌଚାଳୟ ସଂଲଗ୍ନ ରହୁଥିବା ହେତୁ ଶୌଚାଳୟରୁ ମଳମୂତ୍ର ତ୍ୟାଗ ସମୟରେ ନିର୍ଗତ ହାନୀକାରକ ଜୀବାଣୁ କିପରି ଶୟନକକ୍ଷରେ ନପହଞ୍ଚିବ ସେଥିପ୍ରତି ସତର୍କତା ଅବଲମ୍ୱନ ଆବଶ୍ୟକ । ପରିବର୍ତ୍ତିତ ଭାରତୀୟ ସହରୀ ଜୀବନରେ ଶୌଚାଳୟରେ କମୋଡ଼ର ବ୍ୟବହାର ଲୋକପ୍ରିୟ । ଅତୀତରେ ଏହାକୁ ପାଶ୍ଚାତ୍ୟ ଧାରା ୱେର୍ଷ୍ଟନ ସିଷ୍ଟମ କୁହାଯାଉଥିଲା ।

 

ବ୍ରିଟେନର ମାଇକ୍ରୋ-ବାୟୋଲଜି ସୋସାଇଟିର ୨୦୧୯ରେ ଅନୁଷ୍ଠିତ ଏକ ଅଧିବେଶନରେ କମୋଡ଼ ବ୍ୟବହାରରେ ସାମାନ୍ୟ ସାବଧାନତା ଅବଲମ୍ୱନରେ କିପରି ହାନୀକାରକ ବ୍ୟାକ୍ଟେରିଆ ସଂକ୍ରମଣ ହାର କମାଯାଇପାରିବା ସଂପର୍କୀତ ଏକ ଗବେଷଣା ଚର୍ଚ୍ଚିତ ହୋଇଥିଲା । ଜଣାଯାଇଛି ଯେ କମୋଡ଼ ବ୍ୟବହାର ପରେ ପାଣି ଫ୍ଳସ କରିବା ସମୟରେ ଢାଙ୍କୁଣି ବା ଲିଡ଼ ବନ୍ଦ କଲେ ମଳରେ ଉପସ୍ଥିତ ବ୍ୟାକ୍ଟେରିଆ ପ୍ରସାର ପରିମାଣ କମିଯାଇଥାଏ । ଅଧ୍ୟୟନ ଅନୁଯାୟୀ ମଳତ୍ୟାଗପରେ କମୋଡ଼ର ଲିଡ଼ ଘୋଡ଼ାଇ ଫ୍ଳସ କଲେ କମୋଡ଼ରୁ ନିର୍ଗତ ଜୀବାଣୁ ୫୦ ପ୍ରତିଶତ ଯାଏଁ ହ୍ରାସ ପାଇଥାଏ ।

 

କୁହାଯାଏ ଯେ କମୋଡ଼ର ଲିଡ଼କୁ ଖୋଲା ରଖି ପାଣି ଫ୍ଳସ କରିବା ସମୟରେ ସାମାନ୍ୟ ଜଳବିନ୍ଦୁ ବାହାରେ ପଡୁଥିବା ଆମେ ଅନୁଭବ କରୁଥିଲେ ହେଁ, ମାଇକ୍ରୋ-ମିଲିଲିଟର ଆକାରରେ ଅସଂଖ୍ୟ ବ୍ୟାକ୍ଟେରିଆ ଶୌଚାଳୟର ବାୟୁମଣ୍ଡଳକୁ ପ୍ରସାରିତ ହୋଇଥାନ୍ତି । ଲିଡ଼ ପକାଇ ଫ୍ଳସ କରିବା ପରେ ବନ୍ଦ କମୋଡ଼ରେ ୧୬ ମିନଟ ଯାଏଁ ଜୀବାଣୁଙ୍କ ଉପସ୍ଥିତି ବାରି ହୁଏ । ଏହି ବ୍ୟାକ୍ଟେରିଆଙ୍କ ମଧ୍ୟରେ ଇ-କଏଲ, ଷ୍ଟାଫିଲୋକୋବସ ଓ କମ୍ପପ୍ଳୋବାକେର ଇତ୍ୟାଦି ପ୍ରଧାନ । ଅତଏବ ଶୌଚାଳୟ ଓ ଶୟନକକ୍ଷକୁ ସାଧ୍ୟମତେ ଜୀବାଣୁମୁକ୍ତ ରଖିବା ନିମନ୍ତେ ବ୍ୟବହାର ପରେ ପାଣି ଫ୍ଳସ କରିବା ଏବଂ ଅବ୍ୟବହୃତ ଅବସ୍ଥାରେ ଲିଡ଼ ଘୋଡ଼ାଇ ରଖିବା ଯୁକ୍ତିଯୁକ୍ତ । ଶୌଚାଳୟ ବ୍ୟବହାର ଓ ବ୍ୟବହାର-ପର କିଛି ସମୟ ଏକଜଷ୍ଟ ଫ୍ୟାନ ଅନ ରଖିବା ହିତକାରକ ।

 

ଶୌଚାଳୟ ଗବେଷକମାନେ କହନ୍ତି ଯେ ଊନବିଂଶ ଶତାଦ୍ଦୀ ଦ୍ୱିତୀୟାର୍ଦ୍ଧରେ କମୋଡ଼ ସିଷ୍ଟମର ବ୍ୟବହାର ଆରମ୍ଭ ହେବା ପରେ ପରିପାଟୀ କିମ୍ୱା ବ୍ୟବହାର ପ୍ରଣାଳୀରେ ବିଶେଷ ପରିବର୍ତ୍ତନ ସମ୍ଭବ ହୋଇନାହିଁ । ସ୍ଥଳବିଶେଷରେ କମୋଡ଼ରେ ସ୍ୱୟଂକ୍ରିୟ ଧୋଇବା କିମ୍ୱା କମୋଡ଼କୁ ଉଷ୍ମ ରଖିବା ଭଳି ସାଧାରଣ ସୁବିଧା ସନ୍ନିବଶିତ କରାଯାଇଥାଏ ମାତ୍ର । ବ୍ରିଟେନ ଡ୍ୟୁକ ବିଶ୍ୱବିଦ୍ୟାଳୟର ଜଣେ ଅଧ୍ୟାପିକା ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଗବେଷଣା କରି ୨୦୨୨ ସୁଦ୍ଧା ଏକ ସ୍ମାର୍ଟ ଟଏଲଟର ନମୂନା ପ୍ରସ୍ତୁତ କରିଥିବା ପ୍ରକାଶ ।

 

ସ୍ମାର୍ଟ ଟଏଲଟ ମାଧ୍ୟମରେ ମନୁଷ୍ୟର ମଳ ନମୂନା ସ୍ୱୟଂକ୍ରିୟ ପ୍ରଣାଳୀରେ ସଂଗ୍ରହରେ ନିଦାନ ବ୍ୟବସ୍ଥା ସମ୍ଭବ । ଏହାର ବ୍ୟବହାରରେ ମନୁଷ୍ୟର ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ସେନସର ଯୋଗେ ତଥ୍ୟ ସଂଗ୍ରହ କରାଯାଇ ଆପ୍ଲିକେସନ ଆପ ମାଧ୍ୟମରେ ସ୍ୱାସ୍ଥ୍ୟ ଚ଼େତାବନୀ ପ୍ରଦାନ କରାଯାଇପାରିବ । ଉଦାହରଣରେ ପାକସ୍ଥଳୀରେ ଗ୍ୟାଷ୍ଟ୍ରିକ ସମସ୍ୟା ଉପୁଜିଲେ କେଉଁ କାରଣରୁ ଏଭଳି ଦୁରାବସ୍ଥା ଉପୁଜିଛି ସେ ସଂପର୍କରେ କୃତ୍ରିମ ବୁଦ୍ଧିମତ୍ତା ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ଉପଯୋଗରେ ତଥ୍ୟ ପାଇହୁଏ । ଫଳରେ ଖାଦ୍ୟପେୟରେ ଆବଶ୍ୟକୀୟ ସଂଶୋଧନରେ ଗ୍ୟାଷ୍ଟ୍ରିକ ସମସ୍ୟାରୁ ମୁକ୍ତି ମିଳିପାରିବ... ଇତ୍ୟାଦି.... ।

 

ଡ୍ୟୁକ ବିଶ୍ୱବିଦ୍ୟାଳୟର ଉଦ୍ଭାବନ ପୂର୍ବରୁ ୨୦୧୮ରେ ଚୀନରେ ପାନାସୋନିକ ଓ ୨୦୨୧ରେ ଜାପାନର ଟୋଟୋ ପକ୍ଷରୁ ମନୁଷ୍ୟର ପରିସ୍ରା ବିଶ୍ଳେଷଣ କରି ତଥ୍ୟ ଯୋଗାଉଥିବା ସ୍ମାର୍ଟ ଟଏଲଟ ବିକାଶ କରାଯାଇଥିବା ଜଣାଯାଏ । ପାନାସୋନିକ ଉଦ୍ଭାବିତ ପ୍ରଣାଳୀରେ ମୂତ୍ର ନିଦାନରୁ ଶରୀରରେ ମେଦ ବୃଦ୍ଧି ନିୟନ୍ତ୍ରଣ ନିମନ୍ତେ ପରାମର୍ଶ ପ୍ରଦାନ ସମ୍ଭବ ହୋଇପାରିଥିଲା । ଭବିଷ୍ୟତରେ ସ୍ମାର୍ଟ ଟଏଲେଟ ମନୁଷ୍ୟର ଜୀବନଶୈଳୀ ଲାଇଫ ଷ୍ଟାଇଲ ନିର୍ଦ୍ଧାରଣରେ ପ୍ରମୁଖ ଭୂମିକା ଗ୍ରହଣ କରିବା ଶୌଚାଳୟ ଗବେଷକମାନେ ବିଶ୍ୱାସ କରନ୍ତି । ସ୍ୱାସ୍ଥ୍ୟାବସ୍ଥା ଅବନତି ସଂପର୍କରେ ଆଗୁଆ ସୂଚ଼ନା ପାଇବା ଫଳରେ ଖାଦ୍ୟପେୟ, ବ୍ୟାୟାମ ଓ ଔଷଧ ସେବନ ଭଳି ପ୍ରକ୍ରିୟାରେ ସଂଜତ ଆଚ଼ରଣ ସଂଭବ ହେବା ଆଶା କରାଯାଏ । ବାର୍ଦ୍ଧକ୍ୟରେ ବହୁଳ ପରିଲକ୍ଷିତ ଭଗ୍ନ ସ୍ୱାସ୍ଥ୍ୟରକ୍ଷା ଦିଗରେ ଏହିଭଳି ତତ୍ତ୍ୱ ଗୁରୁତ୍ୱପୂର୍ଣ୍ଣ ।

 

ଶୌଚାଳୟ ଗବେଷଣାରୁ ବହୁ କୌତୁହଳ ଉଦ୍ଦୀପକ ତଥ୍ୟ ହାସଲ ହୋଇଥାଏ । ଏକବିଂଶ ଶତାଦ୍ଦୀ ଦ୍ୱିତୀୟ ଦଶକରେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକରେ ୭୫ ପ୍ରତିଶତ ବ୍ୟକ୍ତି ଶୌଚାଳୟରେ ମୋବାଇଲ ଫୋନ ବ୍ୟବହାର କରୁଥିବା ପ୍ରକାଶ । ସେଥିମଧ୍ୟରୁ ୬୩ ପ୍ରତିଶତ କାହାରିକି ଫୋନ କରୁଥିବା ବେଳେ ୧୦ ପ୍ରତିଶତ ଅନଲାଇନ କିଣାବିକାରେ ସଂପୃକ୍ତ ରହୁଥିଲେ । ଫଳରେ ଛଅଗୋଟି ମୋବାଇଲ ଫୋନ ମଧ୍ୟରେ ଗୋଟିଏରେ ମଳର ଅଂଶବିଶେଷ ଦେଖିବାକୁ ମିଳୁଥିଲା । ଅନ୍ୟ ଏକ ଗବେଷଣାରେ ଏକ ମହାବିଦ୍ୟାଳୟର ୧୨୦ ଜଣ ଛାତ୍ରଛାତ୍ରୀଙ୍କ ଶୌଚାଳୟ ବ୍ୟବହାର ଅନୁଧ୍ୟାନରୁ ଜଣା ଯାଇଥିଲା ଯେ ପୁରୁଷମାନଙ୍କ ଅପେକ୍ଷା ମହିଳାମାନେ ମିନଟରୁ ଉର୍ଦ୍ଧ୍ୱ ସମୟ ଶୌଚାଳୟରେ କଟାନ୍ତି । ସେହିପରି ଅନ୍ୟ ଏକ ଗବେଷଣାରେ ସୂଚ଼ିତ ହୋଇଥିଲା ଯେ ପୁରୁଷମାନଙ୍କ ତୁଳନାରେ ମହିଳାମାନେ ଶୌଚ ହେବାପରେ ଅଧିକ ସମୟ ହାତ ଧୋଇଥାନ୍ତି । କିନ୍ତୁ ଦୁଇ ବର୍ଗରେ ପାଞ୍ଚ ପ୍ରତିଶତ ହାତ ଧୁଆଶୈଳୀରେହିଁ ଜୀବାଣୁ ପ୍ରତିଷେଧ ଦକ୍ଷତା ଦେଖିବାକୁ ମିଳିଥାଏ । 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ଅଗଷ୍ଟ ୨୦୨୨


ତଥ୍ୟ:

 

Does pulling the lid down when flushing the toilet really make a difference ?

 

Microbiology Society / October 30, 2019

 

https://microbiologysociety.org/news/society-news/does-putting-the-lid-down-when-flushing-the-toilet-really-make-a-difference.html

 

Saner, Emine. The Smart toilet era is here ! Are you ready to share your analprint with big tech ? The Guardian. September 23, 2021

 

https://www.theguardian.com/lifeandstyle/2021/sep/23/the-smart-toilet-era-is-here-are-you-ready-to-share-your-analprint-with-big-tech

 

Rainey, Clint. Everything we know about human bathroom behaviour. The Cut. May 4, 2015

 

https://www.thecut.com/2015/05/science-of-us-guide-to-bathroom-behavior.html 

ବାର୍ଦ୍ଧକ୍ୟରେ ପୁସ୍ତକ ପଠନ 

ବାର୍ଦ୍ଧକ୍ୟରେ ଉପନୀତ ଶିକ୍ଷିତ ଓ ସ୍ୱଚ୍ଛଳବର୍ଗର ଏକାଂଶ ପୁସ୍ତକ ପଠନକୁ ଅବସର ସମୟ ଅତିବାହିତ କରିବା ନିମନ୍ତେ ଏକ ପ୍ରକୃଷ୍ଟ ମାର୍ଗ ରୂପେ ନିର୍ବାଚନ କରିଥାନ୍ତି । ସ୍ୱାସ୍ଥ୍ୟ କ୍ଷେତ୍ରରେ ଏହି ଅଭ୍ୟାସର ଭୂମିକା ସଂପର୍କରେ ସକାରାତ୍ମକ ଦୃଷ୍ଟିଭଙ୍ଗୀ ବେଶ ଚର୍ଚ୍ଚିତ । ବିଭିନ୍ନ ଗବେଷଣାରୁ ବ୍ରେନ ସ୍କାନ ଉପଯୋଗରେ ଜଣାଯାଏ ଯେ ପୁସ୍ତକ ପଠନ କାଳରେ ପାଠକଙ୍କ ମସ୍ତିଷ୍କରେ ସଂଯୁକ୍ତି ପ୍ରକ୍ରିୟା ବ୍ରେନ କନେକ୍ଟଭିଟି ସକ୍ରିୟ ହୋଇ ଉଠେ । ମୁଖ୍ୟତଃ ଚଳପ୍ରଚଳ ଏବଂ ଯନ୍ତ୍ରଣା ସଚ଼େତକ ମସ୍ତିଷ୍କର ସେମାଟୋ-ସେନସରି କୋର୍ଟାକ୍ସରେ ଏହି ପ୍ରଭାବ ବାରି ହୁଏ । ପଠନ ସମୟ ତଥା ତତ୍ ପରବର୍ତ୍ତୀ ସୀମିତ ସମୟଧରି ଏହି ପରିବେଶ ଜାରି ରହେ । ସକ୍ରିୟ ମସ୍ତିଷ୍କ ସ୍ୱାସ୍ଥ୍ୟରକ୍ଷାରେ ସହାୟକ ।

 

ଯୁକ୍ତରାଷ୍ଟ୍ର ଆମେରିକାରେ ନ୍ୟାସନାଲ ଇନଷ୍ଟିଟିଉଟ ଅଫ ଏଜିଂ ପକ୍ଷରୁ ବରିଷ୍ଠ ନାଗରିକମାନଙ୍କୁ ପୁସ୍ତକ ଓ ପତ୍ରପତ୍ରିକା ପଢ଼ିବା ନିମନ୍ତେ ପରାମର୍ଶ ଦିଆଯାଇଥାଏ । ମସ୍ତିଷ୍କ ସକ୍ରିୟ ରହିଲେ ବାର୍ଦ୍ଧକ୍ୟ ଜୀବନଚ଼ର୍ଯ୍ୟାରେ ଅନୁକୂଳ ପ୍ରଭାବ ବିଭିନ୍ନ ଅଧ୍ୟୟନରୁ ସୁସ୍ପଷ୍ଟମୁଖ୍ୟତଃ ଯେଉଁମାନେ ପଢ଼ାପଢ଼ି କିମ୍ୱା ଗଣିତ ଭଳି କାର୍ଯ୍ୟରେ ସଂପୃକ୍ତ ହୋଇଥାନ୍ତି ସେମାନଙ୍କ ମସ୍ତିଷ୍କ ଅନ୍ୟମାନଙ୍କ ତୁଳନାରେ ସକ୍ରିୟ ରହୁଥିବା ପ୍ରମାଣିତ । ଯଦିଓ ଆଲଜମିରର୍ସ ଭଳି ରୋଗକୁ ପ୍ରତିରୋଧ କରିବାରେ ପୁସ୍ତକପଠନର ଭୂମିକା ସଂପର୍କରେ ବିଧିବଦ୍ଧ ପ୍ରମାଣ ମିଳି ନାହିଁ, ତେବେ ୨୦୧୩ରେ ରସ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏକ ଗବେଷଣାରେ ସକ୍ରିୟ ମସ୍ତିଷ୍କ ମତିଭ୍ରମ ଡିମେନସିଆର ପ୍ରମୁଖ କାରଣ ମସ୍ତିଷ୍କରେ ପୁଷ୍ଟିସାର ଟାନ-ପ୍ରୋଟିନ ଆଚ୍ଛରଣ ସୃଷ୍ଟି ରୋକିଥାଏ ବୋଲି ତଥ୍ୟ ସଂଗ୍ରହ କରିଥିଲେ ।

 

ସେହିପରି ୨୦୦୯ରେ ଆୟୋଜିତ ମାନସିକ ଚାପ ସ୍ଟ୍ରେସ ନିୟନ୍ତ୍ରଣରେ ପଠନ, ଯୋଗ ଓ ହାସ୍ୟରସ ହ୍ୟୁମରର ଭୂମିକା ସଂପର୍କରେ ଆୟୋଜିତ ଏକ ପରୀକ୍ଷଣରୁ ପ୍ରମାଣିତ ହୋଇଥିଲା ଯେ ମାତ୍ର ୩୦ ମିନଟ ପଢ଼ିବା ଦ୍ୱାରା ରକ୍ତଚାପ, ହୃଦ ସ୍ପନ୍ଦନ ଓ ମାନସିକ ଦୁଃସ୍ଥିତି ସାଇକୋଲଜିକାଲ ଡିସଷ୍ଟ୍ରେସ ହ୍ରାସରେ ସହାୟକ ହୋଇଥାଏ । ଯୋଗ ଓ ହାସ୍ୟରସ ଉଭୟ ପ୍ରଭାବଶାଳୀ ଥିବା ମଧ୍ୟ ସ୍ପଷ୍ଟ ହୋଇଥିଲା । ଅବଶ୍ୟ ଏହି ଅନୁଧ୍ୟାନ ଯୁବ ବୟସର ସ୍ୱାସ୍ଥ୍ୟଶିକ୍ଷା ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୀମିତ

 

ବ୍ରିଟେନର ଖ୍ୟାତନାମା ମାୟୋ କ୍ଳିନିକପକ୍ଷରୁ ବରିଷ୍ଠ ନାଗରିକଙ୍କ ନିଦ୍ରା ଜୀବନ ସଂପର୍କୀତ ପରାମର୍ଶରେ ପ୍ରତ୍ୟହ ନିଦ୍ରା ଯିବା ପୂର୍ବରୁ କିଛି ସମୟ ପୁସ୍ତକ ପଠନକୁ ଗୁରୁତ୍ୱ ଦିଆଯାଇଥାଏ । କେତେକ ଚ଼ିକିତ୍ସକ ଶୟନ କକ୍ଷ ବଦଳରେ ଅନ୍ୟତ୍ର ପୁସ୍ତକ ପଠନକୁ ଉତ୍ସାହିତ କରିଥାନ୍ତି । କାରଣ ପ୍ରାୟ ନିଦ୍ରିତ ଅବସ୍ଥାରେ ଉପନୀତ ହେବାପରେ ଶଯ୍ୟାଧାରଣ କଲେ ସୁନିଦ୍ରାର ପ୍ରତିଶୃତି ଶକ୍ତିଶାଳୀ ହୁଏ ।

 

କେତେକ ଗବେଷଣାରେ କଳ୍ପନା-ପ୍ରସୂତ ସାହିତ୍ୟ ଲିଟରାରୀ ଫିକସନ ପାଠ ଦ୍ୱାରା ପାଠକ ବାସ୍ତବ ଜୀବନଯାତ୍ରାରେ ଉପସ୍ଥିତ ବ୍ୟକ୍ତି ଚ଼ରିତ୍ରଗୁଡ଼ିକୁ ଅପେକ୍ଷାକୃତ ଭଲଭାବେ ବୁଝିପାରିବା କାରଣରୁ ସହାବସ୍ଥାନରେ ସାମର୍ଥ୍ୟ ଯୋଗାଉଥିବା ଲକ୍ଷ୍ୟ କରାଯାଇଥାଏ । ଫିକସନରେ ବର୍ଣ୍ଣିତ ଚ଼ରିତ୍ରମାନଙ୍କ ଆବେଗ ଓ ବିଶ୍ୱାସ ଫିଲିଂ ଏଣ୍ଡ ବିଲିଫସର ସୁକ୍ଷ୍ମାତିସୁକ୍ଷ୍ମ ଅନୁଶୀଳନ ପାଠକଙ୍କୁ ଅନ୍ୟର ଗହନ-ମନ ବୁଝିବାରେ ସହାୟକ ହେଉଥିବା ସୁସ୍ପଷ୍ଟ । ତେବେ ଏହି ପ୍ରଭାବ ଥରେ ଅଧେ ସାହିତ୍ୟ ପଠନରେ ସଂଭବ ନହୋଇପାରେ । ଏଥିଲାଗି ଦୀର୍ଘ ଦିନର ପଠନ ସଂପୃକ୍ତି ଆବଶ୍ୟକ ।

 

ଅବସାଦଗ୍ରସ୍ତ ଅବସ୍ଥାରେ ଆକ୍ରାନ୍ତ ନିଜକୁ ଏକାକୀ ଅନୁଭବ କରେ । ପରିବାର ଓ ପରିଚ଼ିତବର୍ଗଙ୍କ ସାନ୍ନିଧ୍ୟରୁ ଦୂରେଇ ବିଷାଦରେ ଶୀକାର ହୋଇପଡ଼େ । ଏହି ଅବସ୍ଥାରେ ପଠନ ସାହିତ୍ୟରେ ବର୍ଣ୍ଣିତ ଚ଼ରିତ୍ରମାନଙ୍କ ସହ ମାନସିକସ୍ତରରେ ଏକ ରକମ ବିଚ଼ରଣ ସଂଭବ ହୋଇପାରେ । ଫଳତଃ ଆକ୍ରାନ୍ତ ନିଃସଙ୍ଗତାରୁ କିଛି ମାତ୍ରାରେ ଦୂରେଇ ଯାଇପାରେ । ବାର୍ଦ୍ଧକ୍ୟରେ ଅବସାଦ ଏକ ପ୍ରମୁଖ ସ୍ୱାସ୍ଥ୍ୟାବସ୍ଥା ରୂପେ ଚ଼ିହ୍ନଟ ହେଉଥିବା ଅବସରରେ ପୁସ୍ତକ ପଠନ ଗୁରୁତ୍ୱପୂର୍ଣ୍ଣ ଅଭ୍ୟାସ ରୂପେ ପରିଗଣିତ ।

 

ପୁସ୍ତକ ପଠନ ମନୁଷ୍ୟ ମସ୍ତିଷ୍କକୁ ସକ୍ରିୟ ରଖିବା, ଉଚ୍ଚରକ୍ତଚାପ ଓ ହୃଦସ୍ପନ୍ଦନ ହାର କମାଇବା, ମାନସିକ ଚାପହ୍ରାସ, ଅବସାଦରୁ ମୁକ୍ତି, ବୟସାଧିକ କାରଣରୁ ବୋଧଶକ୍ତି କଗ୍ନିଟିଭ କ୍ଷମତା ହ୍ରାସରୁ ସୁରକ୍ଷା, ନିଦ୍ରା ଅନୁକୂଳ ଓ ସର୍ବୋପରି ଦୀର୍ଘଜୀବନରେ ସହାୟକ ହୋଇଥାଏ । ଯୁକ୍ତରାଷ୍ଟ୍ର ଆମେରିକାରେ ଅବସର ଜୀବନରେ ସ୍ୱାସ୍ଥ୍ୟ ସଂପର୍କୀତ ଏକ ଦୀର୍ଘକାଳୀନ ଗବେଷଣାରେ ୩,୬୩୫ ଜଣ ବ୍ୟକ୍ତିଙ୍କ ଜୀବନଚର୍ଯ୍ୟା ବାର ବର୍ଷଧରି ଅନୁଧ୍ୟାନ କରାଯାଇଥିଲା । ଗବେଷଣାର ନିର୍ଯ୍ୟାସ ୨୦୧୭ରେ ପ୍ରକାଶିତ ହୋଇଥିଲା । ସେଥିରୁ ସଂଗୃହୀତ ତଥ୍ୟରୁ ସୂଚ଼ନା ମିଳିଲା ଯେଉଁମାନେ ସପ୍ତାହକୁ ଅନ୍ତତଃପକ୍ଷେ ସାଢ଼େ ତିନିଘଣ୍ଟା ଯାଏଁ ପୁସ୍ତକ ପାଠ କରନ୍ତି ସେମାନେ ପୁସ୍ତକ ପାଠ କରୁନଥିବା ବ୍ୟକ୍ତିଙ୍କ ତୁଳନାରେ ୨୩ ପ୍ରତିଶତ ଯାଏଁ ଅଧିକ ସମୟ ବଞ୍ଚନ୍ତି । ଅର୍ଥାତ ସେଠାକାର ପରିବେଶରେ ପୁସ୍ତକ ପାଠ ଦୁଇ ବର୍ଷ ଯାଏଁ ଜୀବଦ୍ଦଶା ବୃଦ୍ଧିରେ ସହାୟକ ହେଉଥିବା ଲକ୍ଷ୍ୟ କରାଯାଇଥିଲା ।

 

ବାର୍ଦ୍ଧକ୍ୟରେ ପୁସ୍ତକ ପଠନର ପ୍ରଭାବ ସଂପର୍କରେ ଗବେଷଣା ପ୍ରାୟ ପ୍ରାଥମିକସ୍ତରରେ ରହିଛି ପୁସ୍ତକ ତୁଳନାରେ ପତ୍ରପତ୍ରିକା, ସମ୍ୱାଦପତ୍ର ଓ ଅନ୍ୟାନ୍ୟ ପଠନ ସାମଗ୍ରୀର ପ୍ରଭାବ ପ୍ରକାରଭେଦ ଗବେଷଣା ସାପେକ୍ଷ । ସମକାଳରେ ମୁଦ୍ରିତ ପୁସ୍ତକର ସ୍ଥାନ ଡିଜିଟାଲ ସ୍କ୍ରିନ ଗ୍ରହଣ କରୁଥିବା ସ୍ଥଳେ ଚ଼ିକିତ୍ସକମାନେ ଅନ୍ତତଃପକ୍ଷେ ନିଦ୍ରାଯିବା ପୂର୍ବରୁ ଡିଜିଟାଲ ସ୍କ୍ରିନ ବ୍ୟବହାରରୁ ନିବୃତ୍ତ ରହିବା ନିମନ୍ତେ ପରାମର୍ଶ ଦେଇଥାନ୍ତି । ଡିଜିଟାଲ ସ୍କ୍ରିନରୁ ନିର୍ଗତ ଆଲୋକ ବିକୀରଣ ନିଦ୍ରା ପ୍ରତିହତ କରିଥାଏ ବୋଲି ବିଶ୍ୱାସ କରାଯାଏ ।

 

ବୃତ୍ତିଗତ ସକ୍ରିୟ ଜୀବନଯାତ୍ରାରେ ଭରାକ୍ରାନ୍ତ ମଧ୍ୟବୟସ୍କ ଶିକ୍ଷିତ ଓ ସ୍ୱଚ୍ଛଳବର୍ଗଙ୍କ ମଧ୍ୟରେ ପୁସ୍ତକପଠନ ନିମନ୍ତେ ସମୟ ନିର୍ଦ୍ଧାରଣ ଏକ ବିଳାସରେ ପର୍ଯ୍ୟବସିତ ହେଉଥିବା ହେତୁ ଅବସର ଗ୍ରହଣପରେ ନିଜ ନିଜ ବାର୍ଦ୍ଧକ୍ୟ ପୁସ୍ତକ ପଠନରେ ଅତିବାହିତ କରିବା ନିମନ୍ତେ ଅଭିଳାଷର ଚର୍ଚ୍ଚା ମଧ୍ୟବିତ୍ତବର୍ଗରେ ବେଶ କୌତୁହଳପ୍ରଦଏହି ବୟସରେ ଅନେକ ବ୍ୟକ୍ତି ରୁଚି ମୁତାବକ ମୁଦ୍ରିତ ପୁସ୍ତକମାନ କ୍ରୟକରି କିମ୍ୱା ଡିଜିଟାଲ ପୁସ୍ତକ ଡାଉନଲୋଡ଼ କରି ଗଚ୍ଛିତ ରଖୁଥିବା ମଧ୍ୟ ଏକ ପ୍ରଚଳିତ ଧାରା । ତେବେ ଅଧିକାଂଶ କ୍ଷେତ୍ରରେ ଏହା କାର୍ଯ୍ୟକାରୀ ହୋଇପାରିନଥାଏ ।

 

ଜାପାନୀ ସଂସ୍କୃତିରେ ପୁସ୍ତକ କ୍ରୟ ବା ସଂଗ୍ରହ କରି ଗଚ୍ଛିତ ରଖିବା ଏବଂ ପଢ଼ି ନପାରିବା ପ୍ରକ୍ରିୟା ସଣ୍ଡୁକୁ ନାମିତ । ଷଷ୍ଠଦଶ ଶତାଦ୍ଦୀରେ ଜାପାନୀ ପାଠକମାନଙ୍କୁ ତିନିଗୋଟି ଶ୍ରେଣୀରେ ବିଭକ୍ତ କରାଯାଉଥିଲା । ପ୍ରଥମ ଶ୍ରେଣୀର ପାଠକମାନେ ଏକାନ୍ତରେ ଚୁପଚାପ ପଢ଼ନ୍ତି, ଦ୍ୱିତୀୟ ଶ୍ରେଣୀର ପାଠକମାନେ ଉଚ୍ଚସ୍ୱରରେ ପଢ଼ନ୍ତି ଏବଂ ତୃତୀୟ ଶ୍ରେଣୀର ସଣ୍ଡୁକୁ ପାଠକମାନେ ପୁସ୍ତକ କିଣି ଗଚ୍ଛିତ ରଖିଥାନ୍ତି, କିନ୍ତୁ ବିଭିନ୍ନ କାରଣରୁ ପଢ଼ିପାରନ୍ତି ନାହିଁ । ଇଟାଲୀୟ ଲେଖକ ଉମ୍ୱ୍ରେଟୋ ଇକୋ ତିରିଶି ହଜାର ଏବଂ ହଲିଉଡ଼ ଚଳଚ଼ିତ୍ର ନିର୍ଦ୍ଦେଶକ ଜର୍ଜ ଲୁକାସ ସତେଇଶି ହଜାର ପୁସ୍ତକ ନିଜ ବ୍ୟକ୍ତିଗତ ଗ୍ରନ୍ଥାଗାରରେ ରଖିଥିବା ସ୍ଥଳେ ପୁସ୍ତକ ସଂଗ୍ରାହକ ଆଙ୍କେ ଗଡ଼ୱା ଦଶ ଲକ୍ଷ ପୁସ୍ତକ ସଂଗ୍ରହ କରିପାରିଥିବା ଜଣାଯାଏ ।

 

ଅନଲାଇନ ପରିବେଶର ବ୍ୟାପ୍ତି ଡ଼ିଜିଟାଲ ସ୍କ୍ରିନରେ ପୁସ୍ତକ ଓ ଅନ୍ୟାନ୍ୟ ପାଠ୍ୟ ପଠନର ସୁଯୋଗ ଜନସାଧାରଣଙ୍କ ପଠନ ଅଭ୍ୟାସରେ ବ୍ୟାପକ ପରିବର୍ତ୍ତନ ଆଣି ଦେଇଥିବା ସ୍ଥଳେ ବାର୍ଦ୍ଧକ୍ୟ ଉପଯୋଗୀ ସାବ୍ୟସ୍ତ ହୋଇଛି । ଇ-ବୁକ ରିଡ଼ର ୨୦୦୭ରେ ବଜାରରେ ପ୍ରବେଶ କରିବା ପରଠୁ ପଠନ ସାମଗ୍ରୀ ସଂଗ୍ରହ ଓ ଗଚ୍ଛିତ ରଖିବା କ୍ଷମତା ବ୍ୟକ୍ତିବିଶେଷଙ୍କ ପାଇଁ ଶହେରୁ ହଜାର ଗୁଣରେ ବୃଦ୍ଧି ପାଇପାରିଛି । ସେହିପରି ସ୍ମାର୍ଟଫୋନର ଉପସ୍ଥିତି ଏବଂ ୨୦୦୭ରେ ରିଡ଼-ଇଟ ଲେଟର ଭଳି ଆପ୍ଲିକେସନ ବ୍ୟବହାର ପାଠକର ରୁଚି ଓ ଆବଶ୍ୟକତା ଅନୁଯାୟୀ ହାତପାଆନ୍ତାରେ ବିସ୍ତୃତ ପଠନ ସାମଗ୍ରୀ ପହଞ୍ଚି ପାରୁଛି । ବାର୍ଦ୍ଧକ୍ୟରେ ପଠନ ଅଭ୍ୟାସ ବୃଦ୍ଧିରେ ଏତାଦୃଶ ପରିବର୍ତ୍ତିତ ପରିବେଶ ଶୁଭଙ୍କର ସାଜିଛି ।  


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧୫ ଅଗଷ୍ଟ ୨୦୨


ତଥ୍ୟ :

 

Benefits of reading books : How it can positively affect your life. Healthline. October 15, 2019

 

https://www.healthline.com/health/benefits-of-reading-books

 

TSUNDOKU

Quartz Weekly Obsession. July 28, 2021


କଠିନ କଥୋପକଥନ 

ସ୍ୱଭାବତଃ ଅଧିକାଂଶ ବ୍ୟକ୍ତି ବିବଦମାନ ପରିବେଶକୁ ଯଥାସଂଭବ ଏଡ଼ାଇଯିବାକୁ ପସନ୍ଦ କରିଥାନ୍ତି । ବ୍ୟକ୍ତିଗତ, ପାରିବାରିକ, ବୃତ୍ତିଗତ, ଗୋଷ୍ଠୀଗତ ତଥା ବନ୍ଧୁମହଲରେ ବିବାଦ ଲାଗିରହିଥାଏ ଏବଂ ବିବାଦ ଜନଜୀବନର ଏକ ଅବିଚ୍ଛେଦ୍ୟ ଅଂଶ । ବିବାଦରେ ସମ୍ମୁଖୀନ ହେବାରୁ ନିସ୍ତାର ମିଳେ ନାହିଁ । ବିବାଦ ଅସୁଖକର ବୋଧହେଲେହେଁ ମନୁଷ୍ୟ ଏଥିରେ ଛନ୍ଦି ହୋଇଯାଏ । ବିବାଦରୁ ମୁକ୍ତି ପାଇଁ ପ୍ରତିପକ୍ଷ ସହ କଥାବାର୍ତ୍ତା ପ୍ରାଥମିକ ପଦକ୍ଷେପ । ଏହା କଠିନ କଥୋପକଥନ ପର୍ଯ୍ୟାୟଭୁକ୍ତ ।

 

ବିବାଦ ସମାଧାନକଳ୍ପେ କଠିନ କଥୋପକଥନର ଅବକାଶ ମନୁଷ୍ୟ ଜୀବନର ବିଭିନ୍ନ ପର୍ଯ୍ୟାୟରେ ସୃଷ୍ଟି ହେଉଥିଲେହେଁ ବାର୍ଦ୍ଧକ୍ୟରେ ଗୁରୁତ୍ୱ ବୃଦ୍ଧିପ୍ରାପ୍ତ ହୋଇଥାଏ । କେତେକ କ୍ଷେତ୍ରରେ ଦୀର୍ଘ ଅତୀତର ବିବାଦ ମୀମାଂସା ଅପେକ୍ଷାରେ ପଡ଼ିରହୁଥିବା ସ୍ଥଳେ ବାର୍ଦ୍ଧକ୍ୟରେ ନିର୍ଭରଶୀଳ ଜୀବନଯାତ୍ରାରେ ଆତ୍ମୀୟସ୍ୱଜନ ଓ ପରିଚ଼ିତବର୍ଗଙ୍କ ପରିବର୍ତ୍ତିତ ଦୃଷ୍ଟିଭଙ୍ଗୀ ବିବଦମାନ ପରିବେଶ ସୃଷ୍ଟି କରେ । ବାର୍ଦ୍ଧକ୍ୟରେ ଜୀବନର ଦୀର୍ଘ ଅଭିଜ୍ଞତା ବିବାଦ ସମାଧାନକୁ ହାଲକା କରିବା ପରିବର୍ତ୍ତେ ବିଭିନ୍ନ କାରଣରୁ ଅପେକ୍ଷାକୃତ ଓଜନଦାର ଅନୁଭବ ହୋଇଥାଏ । ବିବାଦ ନିଷ୍ପତ୍ତିକଳ୍ପେ କଠିନ କଥୋପକଥନ ନିମନ୍ତେ ଅନେକ ଅପ୍ରସ୍ତୁତ ରହିଯାଆନ୍ତି ।

 

ଏକବିଂଶ ଶତାଦ୍ଦୀ ସୁଦ୍ଧା ଅଧ୍ୟୟନ ଓ ଗବେଷଣାରେ ପାରଦର୍ଶିତା ମନୁଷ୍ୟ ଜୀବନର ବହୁ ଅନାଲୋଚ଼ିତ ଦିଗର ରହସ୍ୟ ଉନ୍ମୋଚ଼ନରେ ସାମର୍ଥ୍ୟ ହାସଲ ହୋଇପାରିଛି । ଯୁକ୍ତରାଷ୍ଟ୍ର ଆମେରିକାର ହାର୍ଭାଡ଼ ବିଶ୍ୱବିଦ୍ୟାଳୟର ଗବେଷକମାନ ହାର୍ଭାଡ଼ ନେଗୋସିଏସନ ପ୍ରୋଜେକ୍ଟ ମାଧ୍ୟମରେ ଦୀର୍ଘ ଦିନରୁ କଠିନ କଥୋପକଥନ ସଂପର୍କରେ ଅଧ୍ୟୟନ ଜାରୀ ରଖିଛନ୍ତି । ଏଠାକାର ତିନି ଜଣ ଗବେଷକ ୧୯୯୯ରେ ଡିଫିକଲ୍ଟ କନଭରସେସନ ନାମକ ଏକ ପୁସ୍ତକ ରଚନା କରିଥିଲେ । ପ୍ରାୟ ୪୫ ଗୋଟି ଭାଷାରେ ପୁସ୍ତକଟି ଅନୁବାଦିତ ହୋଇ ବିଶ୍ୱବ୍ୟାପୀ ଆଦୃତ ହୋଇପାରିଛି ।

 

କୌଣସି ମାନବିକ ସଂପର୍କରେ ଅନ୍ତ ଘଟାଇବା, କାହାରି ଅନୁରୋଧକୁ ମନା କରିବା, ପରିବାର କିମ୍ୱା ଗୋଷ୍ଠୀଗତ ନିଷ୍ପତ୍ତି ବିରୁଦ୍ଧରେ ଯିବା, ଅସମ୍ମାନଜନକ ପରିସ୍ଥିତିର ସାମନା କରିବା, କ୍ଷମା ମାଗିବା ଇତ୍ୟାଦି କଠିନ କଥୋପକଥନର ଅଂଶବିଶେଷ । ଏହି ଭଳି ପରିବେଶକୁ ସାମନା କରିବାକୁ ଆମେ ଦୋ’-ଦୋ-ପାଞ୍ଚ ହୋଇଯାଉ । କଥାବାର୍ତ୍ତା କରି ବିବାଦ ସମାଧାନର ବାଟ ଖୋଜିବା ନା ସମ୍ଭାବ୍ୟ ଅପ୍ରୀତିକର ପରିସ୍ଥିତିକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖି ଅନୁକୂଳ ସମୟକୁ ଅପକ୍ଷା କରିବା, ଏହି ଦ୍ୱନ୍ଦ ବରାବର ଲାଗି ରହିଥାଏ । ବିଶେଷଜ୍ଞମାନେ କଠିନ କଥୋପକଥନକୁ ଏଡ଼ାଇ ଦେବାକୁ ନାପସନ୍ଦ କରିଥାନ୍ତି । ସେମାନଙ୍କ ମତରେ ଏଥିଦ୍ୱାରା ବିବାଦଜନିତ କ୍ଷତିର ପରିମାଣ ବୃଦ୍ଧିପ୍ରାପ୍ତ ହୋଇଥାଏ ।

 

ଗବେଷକମାନେ ଶହ ଶହ କଠିନ କଥୋପକଥନ ଅନୁଧ୍ୟାନ ଓ ତତ୍ ସନ୍ନିବଶିତ ଭାବାବେଗ ଅନୁଶୀଳନ କରି ଏହି ପରିବେଶରେ ଆଦର୍ଶ ମାନବିକ ଆଚ଼ରଣ ନିର୍ଦ୍ଧାରଣ କରିଥାନ୍ତି । ଅଧ୍ୟୟନ ପ୍ରସୂତ ମାର୍ଗଦର୍ଶନ ହିତାଧିକାରୀଙ୍କୁ କଠିନ କଥୋପକଥନ ନିମନ୍ତେ ପୂର୍ବପ୍ରସ୍ତୁତିରେ ସହାୟକ ହେଉଥିବା ସ୍ଥଳେ ସହଜ କିମ୍ୱା ସମ୍ଭାବ୍ୟ ବିପଦପୂର୍ଣ୍ଣ ପରିସ୍ଥିତିରେ ସମ୍ମୁଖୀନ ହେବାରୁ ସଂପୂର୍ଣ୍ଣ ମୁକ୍ତ କରିପାରି ନଥାଏ । କୌଣସି ବିଷୟରେ ସଚ଼େତନ ପଦକ୍ଷେପ ଉଦ୍ୟମକୁ ସରଳ ଓ ଅପେକ୍ଷାକୃତ ଉଦବିଗ୍ନମୁକ୍ତ କରିବା ବିଶ୍ୱାସ କରାଯାଇପାରେ ।

 

କଠିନ କଥୋପକଥନ ଅବସରରେ ଜଣେ କଣ ଭାବୁଛି ଓ କଣ କହୁଛି, କଣ କହିଲା ଓ କଣ ଅକୁହା ରହିଗଲା ତଥା କଣ ଆଲୋଚନା କରିବା ଉଚିତ ଓ କଣ ଆଲୋଚ଼ନା ନକରିବା ଉଚ଼ିତ ଏହି ଭଳି ପ୍ରଶ୍ନଗୁଡ଼ିକ ଗୁରୁତ୍ୱ ବହନ କରେ । ବିବାଦ ବିମୋଚ଼ନ ଉଦ୍ୟମରେ ଆମେ ଯାହା କହିବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରିଥାଉ, ଆଲୋଚ଼ନା କାଳରେ ଭାବାବେଗ ବଶବର୍ତ୍ତୀ ହୋଇ ଭୂଲଭଟ୍ଟକା ମଧ୍ୟ କରିପକାଉ । ଫଳରେ ବିବାଦ ଉତ୍କଟ ଆକାର ଧାରଣ କରିବା ଉଦାହରଣର ଅଭାବ ନଥାଏ । ତେବେ ପୂର୍ବପ୍ରସ୍ତୁତି ଯେ ବିନା ପ୍ରସ୍ତୁତିଠାରୁ ଉପାଦେୟ ଏଥିରେ ଅଧିକାଂଶ ସହମତ ହେବେ ।

 

ବିଂଶ ଶତାଦ୍ଦୀ ଶେଷଭାଗରୁ ବିକଶିତ ରାଷ୍ଟ୍ରଗୁଡ଼ିକରେ ବୃତ୍ତିଧାରୀ କଠିନ କଥୋପକଥନ ପରାମର୍ଶଦାତା ତଥା ପ୍ରୋତ୍ସାହକମାନଙ୍କ ସୁବିଧା ଉପଲବ୍ଧ । ଏହି କ୍ଷେତ୍ରରେ ଦୁଇ ଦଶନ୍ଧି ଧରି କାର୍ଯ୍ୟରତ ମାର୍କିନ ବିଶେଷଜ୍ଞ ଆଦାର କୋହେନ ୨୦୨୦ରେ ସାଇକୋ ଅନଲାଇନ ମଞ୍ଚରେ ପ୍ରକାଶିତ ଏକ ପ୍ରବନ୍ଧରେ କଠିନ କଥୋପକଥନ ଆୟୋଜନର ଏକ ସଂକ୍ଷିପ୍ତ ପ୍ରଣାଳୀ ବିଶ୍ଳେଷଣ କରିଥିଲେ । ତାଙ୍କରି ମତରେ ବିବାଦକୁ ସର୍ବଦା ନକାରାତ୍ମକ ଦୃଷ୍ଟି ବଦଳରେ ତତ୍ ସଂପର୍କୀତ ସକାରାତ୍ମକ ଦିଗଗୁଡ଼ିକୁ ମଧ୍ୟ ବିଚାରକୁ ନିଆଯାଇପାରେ । ବିବାଦ ମୀମାଂସା ନିମନ୍ତେ କଠିନ କଥୋପକଥନରେ ବନ୍ଧୁତ୍ୱର ଗୁଣାତ୍ମକ ବିକାଶର ମଧ୍ୟ ସୁଯୋଗ ରହିଥାଏ ।

 

ସାଧାରଣରେ କଠିନ କଥୋପକଥନରୁ ବିବାଦର ସମାଧାନ, ବିବାଦ ସମାଧାନ ଦିଗ ନିର୍ଣ୍ଣୟ ଓ ପାରସ୍ପରିକ ବୁଝାମଣା ତିନିଗୋଟି ଲକ୍ଷ୍ୟ ଧାର୍ଯ୍ୟ ହୋଇଥାଏ । ଆକାଂକ୍ଷିତ ସମାଧାନ ଅଧିକାଂଶ କ୍ଷେତ୍ରରେ ସଂଭବ ନହେଉଥିବା ସ୍ଥଳେ ଅନ୍ୟଦ୍ୱୟ ଫଳାଫଳ ବିବାଦ ସମାଧାନ ନିମନ୍ତେ ଅନୁକୂଳ ପରିସ୍ଥିତି ସୃଷ୍ଟି କରିଥାଏ । ଅତଏବ କଠିନ କଥୋପକଥନର ଆଦ୍ୟାବସ୍ଥାରେ ବୁଝାମଣା ନିମନ୍ତେ ଯତ୍ନବାନ ହେଲେ ପରବର୍ତ୍ତୀ ପର୍ଯ୍ୟାୟରେ ଦିଗ ନିର୍ଣ୍ଣୟ ଏବଂ ଶେଷରେ ସମାଧାନ ଆଶା ସଂଭବପର ।

 

ଆଦାର କୋହେନ କଠିନ କଥୋପକଥନର ପୂର୍ବପ୍ରସ୍ତୁତିକୁ ଗୁରୁତ୍ୱ ଦେଇଥାନ୍ତି । ତାଙ୍କରି ପରାମର୍ଶ ଅନୁଯାୟୀ ପ୍ରତ୍ୟେକ କଥୋପକଥନ ଅଧିବେଶନ ପୂର୍ବରୁ ଉଭୟପକ୍ଷ ଖଣ୍ଡିଏ ଖଣ୍ଡିଏ କାଗଜରେ କଥୋପକଥନର ଉଦ୍ଦେଶ୍ୟ ସଂପର୍କରେ ବାକ୍ୟଟିଏ ଲେଖିବା ହିତକାରକ । ଏତଦ୍ୱାରା ଲକ୍ଷ୍ୟ ସିଦ୍ଧି ପାଇଁ ଯତ୍ନବାନ ହେବା ନିମନ୍ତେ ପ୍ରୋତ୍ସାହନ ଜାଗ୍ରତ ହୋଇଥାଏ । ସମାଧାନର ଦିଗକୁ ଗୁରୁତ୍ୱ ଦେଇ ପାରିପାର୍ଶ୍ୱିକ ବିଷୟଗୁଡ଼ିକର ଚର୍ଚ୍ଚା ଏଡ଼ାଇଦେବା ସହଜପ୍ରଦ ବୋଧହୁଏ ।

 

କଠିନ କଥୋପକଥନ ଅବସରରେ ନିଜେ କହିବା ବଦଳରେ ଅପରକୁ ଶୁଣିବା ଯଥାଶୀଘ୍ର ବିବାଦ ମୀମାଂସାର ପଥ ଉନ୍ମୁକ୍ତ କରେବହୁ ସମୟରେ ଏକ ଘଟଣା ପ୍ରତି ପାରସ୍ପରିକ ଦୃଷ୍ଟିଭଙ୍ଗୀ ଉଭୟେ ପରଖି ନେବାପରେ ଆରୋପ-ପ୍ରତ୍ୟାରୋପର ଗୁରୁତ୍ୱ କମିଯାଏ । ସ୍ଥଳ ବିଶେଷରେ ଅନ୍ୟର ଅସହାୟତା ପ୍ରତି ଦୟା, କ୍ଷମାଭାବ ଜାଗ୍ରତ ହୁଏ । ଅନ୍ୟର କଥା ଶୁଣିବା ପରେ ନିଜପକ୍ଷ ଉପସ୍ଥାପନ କରିବା ନିମନ୍ତେ ମଧ୍ୟ ଅନୁକୂଳ ପରିବେଶ ସୃଷ୍ଟି ସଫଳ କଥୋପକଥନର ଅଂଶବିଶେଷ । କାରଣ ନିଜର କୈଫିୟତ ଅପର ପକ୍ଷ ହୃଦୟଙ୍ଗମ କରିବା ଅନିବାର୍ଯ୍ୟ ।

 

ପାରସ୍ପରିକ ବୁଝାମଣା କଠିନ କଥୋପକଥନର ମୂଳ ଲକ୍ଷ୍ୟ ଧାର୍ଯ୍ୟ ହେବା ଆବଶ୍ୟକ । ଅଧିକାଂଶ କ୍ଷେତ୍ରରେ ବୁଝାମଣା ଅଭାବରୁ ବିବାଦ ଉପୁଜିଥାଏ । କିନ୍ତୁ ଯେଉଁ କ୍ଷେତ୍ରରେ ଉଦ୍ଦେଶ୍ୟମୂଳକ ଭାବେ ବିବାଦ ସୃଷ୍ଟି କରାଯାଇଥାଏ, ସେଠାରେ ଅସମତୁଲ ବୁଝାମଣା ଅନ୍ତତଃପକ୍ଷେ ସାମାୟିକ ସମାଧାନ ଲାଗି ବାଟ କାଢ଼ିଥାଏବୁଝାମଣା ପ୍ରତିଷ୍ଠାଲାଗି ଅନ୍ୟର ଭାବାବେଗ ବୁଝିବା ଗୁରୁତ୍ୱପୂର୍ଣ୍ଣ । ଅପରପକ୍ଷର ବିଚାର, ଅନୁଭୂତି ଓ ଅଭିଳାଷ ପ୍ରତି ସମ୍ମାନ ବିବାଦ ପରବର୍ତ୍ତୀ ଅବସ୍ଥାରେ ନୂତନ ବୁଝାମଣା ନିମନ୍ତେ ଅନୁକୂଳ ପରିବେଶ ସୃଷ୍ଟି କରିବାରେ ସହାୟକ ।

 

କଠିନ କଥୋପକଥନ ଗୋଟିଏ ମାତ୍ର ଅଧିବେଶନରେ ସୀମିତ ନହୋଇପାରେ । ଆବଶ୍ୟକ ସ୍ଥଳେ ପ୍ରତିପକ୍ଷ ସହ ବାରମ୍ୱାର ଏକତ୍ରୀତ ହେବାକୁ ପଡ଼ିପାରେ । ପ୍ରତ୍ୟକ୍ଷଭାବେ ଆଲୋଚ଼ନା ବଦଳରେ ଭିଡ଼ିଓ କଲ ବା ଭଏସ କଲର ଉପଯୋଗ ମଧ୍ୟ ସଂଭବପର । ପାରସ୍ପରିକ ବୁଝାମଣା ଲାଗି ଉଦ୍ୟମରେ ତୁରନ୍ତ ବିବାଦ ସମାଧାନ ନହେଲେ ମଧ୍ୟ ଉଭୟ ପକ୍ଷର ସଂପର୍କ ସୁଧାରିବାରେ ସହାୟକ ହେବା ଆଶା କରାଯାଇପାରେ । କଠିନ କଥୋପକଥନ ଦୀର୍ଘ ସମୟ ବଦଳରେ ଯଥା ସଂଭବ ସଂକ୍ଷିପ୍ତ ଏବଂ କମ ସମୟ ଅବଧିରେ ବାରମ୍ୱାର ଆୟୋଜନ ସୁଫଳ ଦେଇଥାଏବିବାଦ ମାନସିକସ୍ତରରେ ବୋଝ ପାଲଟୁଥିବା ହେତୁ ଏହି ବୋଝରୁ ମୁକ୍ତି ନମିଳିଲେ ସୁଦ୍ଧା କିପରି ଯଥାଶୀଘ୍ର ହାଲକା ହେବ ସେଦିଗରେ କଠିନ କଥୋପକଥନ ଏକ ଫଳପ୍ରଦ ପଦକ୍ଷେପ ।   


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ସେପ୍ଟେମ୍ୱର ୨୦୨୧


ଭିଡ଼ିଓ ଲିଙ୍କ :


Cohen, Adar. How to lead through conversations (2019) 16 mts.

 

https://www.youtube.com/watch?v=LZu16ZaLgJM

 

Headee, Celeste. 10 ways to have better conversation (2015) 16 mts.

 

https://www.youtube.com/watch?v=R1vskiVDwl4

 

ତଥ୍ୟ :


Patton, Bruce. Douglas Stone and Sheila Heen. Difficult conversations. books.google.co.in

 

https://www.google.co.in/books/edition/Difficult_Conversations/b6r8DwAAQBAJ?hl=en&gbpv=0

 

Cohen, Adar. How to have a difficult conversation. aeonpsyche.co



ବାର୍ଦ୍ଧକ୍ୟ, ଶାରୀରିକ ଶ୍ରମ ଓ ହୃଦଘାତ

ଜାତୀୟସ୍ତରରେ ଜନସଂଖ୍ୟା ଅନୁପାତରେ ଓଡ଼ିଶାରେ ହୃଦଘାତ ସଂଖ୍ୟା ଦ୍ୱିତୀୟ ଶୀର୍ଷସ୍ଥାନ ଅଧିକାର କରୁଥିବା ଜଣାଯାଏ I ହୃଦଘାତ ପରିସଂଖ୍ୟାନରେ ପଶ୍ଚିମବଙ୍ଗର ସ୍ଥାନ ପ୍ରଥମ I ଇଣ୍ଡିଆନ କାଉନସିଲ ଅଫ ମେଡ଼ିକାଲ ରିସର୍ଚ୍ଚ, ପବ୍ଳିକ ହେଲଥ ଫାଉଣ୍ଡେସନ ଅଫ ଇଣ୍ଡିଆ, ଇନଷ୍ଟିଟିଉଟ ଫର ହେଲଥ ମାଟ୍ରିକ୍ସ ଏଣ୍ଡ ଇଭାଲୁଏସନ ଓ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ମିଳିତ ଉଦ୍ୟମରେ ଆୟୋଜିତ ଏକ ସର୍ବେକ୍ଷଣରୁ ଜଣାଯାଇଛି ଯେ ଦେଶରେ ୧୯୯୦ ରୁ ୨୦୧୬ ମଧ୍ୟରେ ହୃଦଘାତ ସଂଖ୍ୟା ୫୦ ପ୍ରତିଶତ ବୃଦ୍ଧି ପାଇଛି I

 

‘ଗ୍ଳୋବାଲ ବର୍ଡନ ଅଫ ଡ଼ିଜିସ ଷ୍ଟଡ଼ିଜ ୧୯୯୦-୨୦୧୬’ରେ ପ୍ରକାଶିତ ତଥ୍ୟ ଅନୁଯାୟୀ ବିକାଶନ୍ମୁଖୀ ରାଜ୍ୟଗୁଡ଼ିକରେ ହୃଦରୋଗ ଓ ମଧୁମେହ ରୋଗୀଙ୍କ ସଂଖ୍ୟା ଦୃତଗତିରେ ବୃଦ୍ଧି ପାଇବାରେ ଲାଗିଛି I ଓଡ଼ିଶାରେ ହୃଦରୋଗ, ମଧୁମେହ ଓ କର୍କଟରୋଗ ବିଗତ ତିନି ଦଶନ୍ଧି ଧରି କ୍ରମାଗତଭାବେ ବଢ଼ି ଚ଼ାଲିଥିବା ହିସାବ କରାଯାଇଛି I

 

ହୃଦରୋଗର ଅନ୍ୟାନ୍ୟ କାରଣଗୁଡ଼ିକ ମଧ୍ୟରେ ଶାରୀରିକ ଶ୍ରମ ଅଭାବ ଅନ୍ୟତମ I ତେବେ ପ୍ରଶ୍ନ ଉଠେ ଓଡ଼ିଶା ଭଳି ରାଜ୍ୟରେ ଶାରୀରିକ ଶ୍ରମର ଅଭାବ ସ୍ୱାସ୍ଥ୍ୟହାନୀର ଏକ ପ୍ରମୁଖ କାରଣରୂପେ ଗ୍ରହଣ କରାଯାଇ ପାରେ କି ? ପରିସଂଖ୍ୟାନରେ ଓଡ଼ିଶାରେ ପ୍ରାୟ ୫୦ ପ୍ରତିଶତ ପରିବାର ଖଟିଖିଆ ଓ ସେମାନଙ୍କସହ ପ୍ରାୟ ଆଉ ୨୦ ପ୍ରତିଶତ ପରିବାର କୃଷକଶ୍ରେଣୀ ଅନ୍ତର୍ଭୁକ୍ତ I ଏହି ୭୦ ପ୍ରତିଶତ ସହ ମୋଟ ଜନସଂଖ୍ୟାର ୮୬ ପ୍ରତିଶତ ପରିବାର ଗ୍ରାମୀଣ ପରିବେଶରେ ବସବାସ କରନ୍ତି I ଏତେ ବଡ଼ ଭାଗ ଜନସଂଖ୍ୟାଙ୍କ ଜୀବିକା ମୁଖ୍ୟତଃ ଶାରୀରିକ ପରିଶ୍ରମଭିତ୍ତିକ ହୋଇଥିବା ସ୍ଥଳେ ଓଡ଼ିଶାର ଜନସାଧାରଣଙ୍କଠାରେ ଶାରୀରିକ ପରିଶ୍ରମର ଅଭାବ ଆଶା କରାଯାଇ ପାରେ କି ?

 

ଖ୍ୟାତନାମା ସ୍ୱାସ୍ଥ୍ୟ ଗବେଷଣା ସମ୍ୱନ୍ଧୀୟ ପତ୍ରିକା ‘ଲେନସେଟ ଗ୍ଳୋବାଲ ହେଲଥ’ରେ ପ୍ରକାଶିତ ଅନ୍ୟ ଏକ ବିବରଣୀ ଅନୁଯାୟୀ ଭାରତରେ ୨୪.୭ ପ୍ରତିଶତ ପୁରୁଷ ଓ ୪୩.୯ ପ୍ରତିଶତ ମହିଳାଙ୍କ ସମେତ ମୋଟ ୩୪ ପ୍ରତିଶତ ଜନସଂଖ୍ୟା ସ୍ୱାସ୍ଥ୍ୟରକ୍ଷା ନିମନ୍ତେ ଆବଶ୍ୟକୀୟ ଶାରୀରିକ ଶ୍ରମ କରନ୍ତି ନାହିଁ I ଏଥୁଯୋଗୁଁ ସେମାନେ ହୃଦରୋଗ, ମଧୁମେହ, ମତିଭ୍ରମ ଓ କେତେକ ଶ୍ରେଣୀର କର୍କଟ ରୋଗାକ୍ରାନ୍ତ ହେବା ସମ୍ଭାବନା ଅଧିକ I ଓଡ଼ିଶା ନିମନ୍ତେ ନିର୍ଦ୍ଦିଷ୍ଟ ପରିସଂଖ୍ୟାନ ଅଭାବ ଥିଲେହେଁ ଜାତୀୟ ସ୍ରୋତରେ ରାଜ୍ୟର ସ୍ଥିତାବସ୍ଥା ବେଶ ଅନୁମାନ କରିହୁଏ I

 

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ୧୬୮ ଗୋଟି ରାଷ୍ଟ୍ରରେ ୧୮ ବର୍ଷ ବୟସରୁ ଉର୍ଦ୍ଧ୍ୱ ୧୯ ଲକ୍ଷ ଜନସାଧାରଣଙ୍କୁ ନେଇ ଆୟୋଜିତ ସର୍ବେକ୍ଷଣରୁ ଜଣାଯାଇଛି ଯେ ପ୍ରତି ତିନିଜଣରେ ଜଣେ ମହିଳା ଓ ପ୍ରତି ଚ଼ାରିଜଣରେ ଜଣେ ପୁରୁଷ ସାପ୍ତାହିକ ଭିତ୍ତିରେ ଯେତିକି ଶାରୀରିକ ଶ୍ରମରେ ସଂପୃକ୍ତ ରହିବା ଆବଶ୍ୟକ ସେହି ସୀମାରୁ ଦୂରେଇ ରହିଥାନ୍ତି I ଆନ୍ତର୍ଜାତିକସ୍ତରରେ ସାପ୍ତାହିକ ୧୫୦ ମିନଟ ବା ଅଢ଼େଇ ଘଣ୍ଟାର ସାଧାରଣ କିମ୍ୱା ୭୫ ମିନଟର କଠିନ ଶାରୀରିକ ଶ୍ରମକୁ ମାନାଙ୍କ ରୂପେ ନିର୍ଦ୍ଧାରଣ କରାଯାଇଥାଏ I ଅର୍ଥାତ ଆମ ଦେଶରେ ୩୪ ଭାଗ ଜନସାଧାରଣ ସପ୍ତାହକୁ ଅଢ଼େଇ ଘଣ୍ଟା ଅନ୍ତତଃ ବୁଲଚ଼ାଲ ବା ଘରକାମ ଭଳି ପରିଶ୍ରମ କରନ୍ତି ନାହିଁ I

 

ଗବେଷଣାରୁ ଜଣାଯାଇଛି ଯେ ଭାରତ ତୁଳନାରେ ଚ଼ୀନବାସୀ କର୍ମଠ I ଚ଼ୀନରେ ମାତ୍ର ୧୫ ପ୍ରତିଶତ ଲୋକ ନିର୍ଦ୍ଧାରିତ ମାନାଙ୍କଠାରୁ ସାପ୍ତାହିକ ଭିତ୍ତିରେ କମ ପରିଶ୍ରମ କରନ୍ତି I ଅବଶ୍ୟ ଆମ ତୁଳନାରେ ଯୁକ୍ତରାଷ୍ଟ୍ର ଆମେରିକାରେ ୪୦ ପ୍ରତିଶତ ଓ ବ୍ରିଟେନରେ ୩୬ ପ୍ରତିଶତ ଜନସାଧାରଣ କମ ଶାରୀରିକ ପରିଶ୍ରମ କରିଥାନ୍ତି I କୁଏତ, ସାଉଦୀ ଆରବ, ଇରାକ ପ୍ରଭୃତି ରାଷ୍ଟ୍ରରେ କମ ଶାରୀରିକ ପରିଶ୍ରମ କରୁଥିବା ଜନସଂଖ୍ୟା ଆନ୍ତର୍ଜାତିକସ୍ତରରେ ସର୍ବାଧିକ I ୨୦୦୧ରୁ ଲଗାତାର ଏହି ପରିସଂଖ୍ୟାନରେ ପରିବର୍ତ୍ତନ ଘଟୁ ନଥିବା ହେତୁ ବିଶେଷଜ୍ଞମାନେ ଉଦ୍ ବେଗ ପ୍ରକାଶ କରିଛନ୍ତି I

 

ଅନ୍ୟ ଏକ ଅନ୍ତଃରାଷ୍ଟ୍ରୀୟ ହିସାବ ଅନୁଯାୟୀ ୨୦୧୬ରେ ସାରା ବିଶ୍ୱରେ ଯେତିକି ମୃତ୍ୟୁ ଘଟିଥିଲା ସେଥିମଧ୍ୟରେ ୩୦ ପ୍ରତିଶତ ମୃତ୍ୟୁ ହୃଦରୋଗ ସଂପର୍କୀତ I ହୃଦରୋଗ ବୃଦ୍ଧିର ଅନ୍ୟାନ୍ୟ କାରଣ ରହିଥିଲେ ହେଁ ଅତ୍ୟାଧୁନିକ ଚ଼ିକିତ୍ସା ବିଜ୍ଞାନ ଉପପାଦ୍ୟଗୁଡ଼ିକରେ ଶାରୀରିକ ଶ୍ରମ ଏକ ପ୍ରଭାବଶାଳୀ ଭୂମିକା ଗ୍ରହଣ କରୁଥିବା ଦର୍ଶାଯାଉଛି I ଏହି ପରିପ୍ରେକ୍ଷୀରେ ବରିଷ୍ଠ ନାଗରିକଙ୍କ ଶାରୀରିକ ଶ୍ରମ ଓ ତାହାର ପରିଣାମରେ ହୃଦ-ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ଆଲୋଚ଼ନା କରିବା ଅବକାଶ ସୃଷ୍ଟି ହୋଇଥାଏ I

 

ଅବସର ଜୀବନ ବିତାଉଥିବା ବରିଷ୍ଠ ନାଗରିକମାନେ ସ୍ୱାସ୍ଥ୍ୟରକ୍ଷା ଦୃଷ୍ଟିରୁ ଶାରୀରିକ ଶ୍ରମରେ ସଂପୃକ୍ତ ହେବା ନିମନ୍ତେ ବିମୁଖ ନ ହୋଇପାରନ୍ତି I ତେବେ ଏ ଦିଗରେ ଚ଼େତନା ତଥା ଶାରୀରିକ ଶ୍ରମ ସଂପୃକ୍ତି ପାଇଁ ଉପଯୁକ୍ତ ପରିବେଶ ଅଭାବ ଅନ୍ତରାୟ ସାଜିଥାଏ I ସହରାଞ୍ଚଳ ପରିସରରେ ରାଜ୍ୟର ୧୬ ପ୍ରତିଶତ ପରିବାରରେ ବସବାସ କରୁଥିବା ବରିଷ୍ଠ ନାଗରିକମାନେ ସର୍ବସାଧାରଣର ରାସ୍ତାଘାଟରେ ପ୍ରାତଃ କିମ୍ୱା ସାଂଧ୍ୟ ଭ୍ରମଣ ପାଇଁ ନିର୍ଦ୍ଦିଷ୍ଟ ବୟସସୀମାପରେ ବିପଦପୂର୍ଣ୍ଣ ମନେ କରିଥାନ୍ତି I ଅବ୍ୟବସ୍ଥିତ ଟ୍ରାଫିକ କାରଣରୁ ଥରେ ଅଧେ ସାମାନ୍ୟ ଦୁର୍ଘଟଣାର ସମ୍ମୁଖୀନ ହେଲେ ପାରିବାରିକ ଚ଼ାପରେ ଗୃହାବଦ୍ଧ ଜୀବନ ବିତାଇବାକୁ ବାଧ୍ୟ ହୋଇଥାନ୍ତି I

 

ଏହି ପରିପ୍ରେକ୍ଷୀରେ ବରିଷ୍ଠ ନାଗରିକଙ୍କ ନିମନ୍ତେ ଶାରୀରିକ ଶ୍ରମ ନିମନ୍ତେ ବିଧିବଦ୍ଧ ସୁଯୋଗ ସୃଷ୍ଟି ନିମନ୍ତେ ସହରାଞ୍ଚଳରେ ଡ଼େ-କେୟାର ବ୍ୟବସ୍ଥା ସ୍ଥାପନ ହିଁ ଏକମାତ୍ର ଉପାୟ I ସହରାଞ୍ଚଳରେ ଯୁବବର୍ଗ ଓ ପ୍ରାପ୍ତବୟସ୍କ ଉଭୟ ପୁରୁଷ ଓ ମହିଳାଙ୍କ ନିମନ୍ତେ ବ୍ୟାୟମଶାଳା ବା ‘ଜିମ’ ସଂସ୍କୃତି ପ୍ରଚଳିତ ହେଲାଣି I ଠିକ ସେହିକ୍ରମରେ ବ୍ୟାବସାୟିକଭିତ୍ତିରେ ବରିଷ୍ଠ ନାଗରିକଙ୍କ ପାଇଁ ଯଦି ଡ଼େ-କେୟାର କେନ୍ଦ୍ରମାନ ଆରମ୍ଭ ହେବ ତେବେ ସେମାନେ ମଧ୍ୟାହ୍ନ ବେଳାରେ ପାରିବାରିକ ପରିବେଶରୁ କିଛି ଘଣ୍ଟା ପାଇଁ ଦୂରେଇ ଯାଇ ସମବୟସ୍କଙ୍କ ସାନ୍ନିଧ୍ୟଲାଭ ଓ ବ୍ୟାୟାମ କରିବା ସୁଯୋଗ ପାଇ ପାରିବେ I ଆମ ଦେଶରେ ଅନ୍ୟାନ୍ୟ ପ୍ରାନ୍ତ ତୁଳନାରେ କେରଳ ରାଜ୍ୟରେ ଏଦିଗରେ ପରୀକ୍ଷା ନିରୀକ୍ଷା ବେଶ ସଫଳତା ହାସଲ କରିଛି I

 

କେରଳର ଅନେକ ସହରରେ ପିଲାଙ୍କ ସ୍କୁଲ ବସ ଭଳି ଯାନବାହାନ ପରିବହନରେ ବରିଷ୍ଠ ନାଗରିକଙ୍କୁ ଡ଼େ-କେୟାର କେନ୍ଦ୍ରରେ ସକାଳ ୧୦, ୧୧ରେ ଏକତ୍ରୀତ ବସାଯାଇ ଅପରାହ୍ନ ୪,୫ ଯାଏଁ ଚ଼ାରି ପାଞ୍ଚ ଘଣ୍ଟା ଅବସର ବିନୋଦନ ସହ ମଧ୍ୟାହ୍ନ ଭୋଜନ ପରିବେଷିତ ହୋଇଥାଏ I ଏହି ସମୟସୀମାରେ ଇନଡ଼ୋର ଗେମ ଓ ଶାରୀରିକ ବ୍ୟାୟାମ ନିମନ୍ତେ ସୁଯୋଗ ସୃଷ୍ଟି କରାଯାଇଥାଏ I ଶଯ୍ୟାଶାୟୀଙ୍କ ବ୍ୟତୀତ ପୁରୁଷ ଓ ମହିଳା ଉଭୟ ଶ୍ରେଣୀର ବରିଷ୍ଠ ନାଗରିକ ଏଭଳି କେନ୍ଦ୍ରରେ ଯୋଗ ଦେଇ ପାରନ୍ତି I ଏହା ସେମାନଙ୍କ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ବିକାଶରେ ସହାୟକ ହୋଇପାରିଥାଏ I କେରଳର ଉଦାହରଣ ଦେଶର ଅନ୍ୟାନ୍ୟ ପ୍ରାନ୍ତରେ ଉପଯୋଗ କରିବା ଆବଶ୍ୟକତା ରହିଛି I


 

ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଫେବୃୟାରୀ ୨୦୧୯

 

---

ତଥ୍ୟ:


Odisha’s stroke burden 2nd in India : Study. The Times of India.(Bhubaneswar Edition). September 13, 2018.

 

34% Indians not active enough : WHO. The Hindu.(Cuttack Edition). September 6, 2018.

ବାର୍ଦ୍ଧକ୍ୟରେ ମାନସିକ ଚାପ ପ୍ରଶମନ 

ମନୁଷ୍ୟ ଜୀବନବ୍ୟାପୀ ଊଣା-ଅଧିକେ ମାନସିକ ଚାପ ପ୍ରଭାବିତ । ତେବେ ବାର୍ଦ୍ଧକ୍ୟରେ ପୂର୍ବ ଜୀବନଯାତ୍ରାଠାରୁ ଭିନ୍ନ ପରିବେଶ ପ୍ରବେଶରେ ମାନସିକ ଚାପଗ୍ରସ୍ତ ହେଲେ ଭାଙ୍ଗିପଡ଼େ । ମାନସିକ ଚାପ ହ୍ରାସ ନିମନ୍ତେ ସୂତ୍ର ଖୋଜି ବୁଲେ । କେତେକ କ୍ଷେତ୍ରରେ ବିଷାଦଗ୍ରସ୍ତ ପାରମ୍ପରିକ ପ୍ରଶମନ ପ୍ରଣାଳୀର ଦ୍ୱାରସ୍ଥ ହୋଇ ପ୍ରତାରିତ ହେବା ଉଦାହରଣ ଅଭାବ ନଥାଏ । ଆଧୁନିକ ମନୋବିଜ୍ଞାନ ମନୁଷ୍ୟ ମନଗହନର ବହୁ ସମସ୍ୟା ସମାଧାନର ଦିଗ ନିର୍ଦ୍ଧାରଣରେ ସକ୍ଷମ । ଅବଶ୍ୟ ଭାରତ ବା ଓଡ଼ିଶା ଭଳି ବିକାଶଶୀଳ ଅର୍ଥନୀତିରେ ଆମେ ବିଜ୍ଞାନସମତ୍ତ ମାନସିକ ସ୍ୱାସ୍ଥ୍ୟରକ୍ଷା ପ୍ରଣାଳୀଗୁଡ଼ିକ ନିକଟରେ ପହଞ୍ଚିବା ଦିଗରେ ପଛୁଆ ରହିଆସିଛୁ ।

 

ମନୁଷ୍ୟ ବହୁକାରଣରୁ ମାନସିକ ଚାପ ଶୀକାର ହୋଇଥାଏ । ଯଦିଓ କାରଣ ଅନୁଯାୟୀ ଚାପ ହ୍ରାସ ପଦ୍ଧତି ଭିନ୍ନ ଭିନ୍ନ ହୋଇପାରେ, ତେବେ ସାଧାରଣ କେତେକ ପ୍ରଣାଳୀ ସୁଲଭ ଅନଲାଇନ ସାହିତ୍ୟରେ ବର୍ଣ୍ଣିତ । ଅଷ୍ଟ୍ରେଲିଆ ପର୍ଥସ୍ଥିତ କୁର୍ଟିନ ବିଶ୍ୱବିଦ୍ୟାଳୟର ଜଣେ ମନୋବିଜ୍ଞାନୀ ଅଧ୍ୟାପକ ୱାରେନ ମେନସେଲ ଓ ତାଙ୍କରି ସହଯୋଗୀ ଲୁସି ମେନସେଲ ମାନସିକ ଚାପ ହ୍ରାସ ନିମନ୍ତେ ‘ଫୋର-ଡ଼ି’ ନାମିତ ଏକ ସୂତ୍ର ଉଲ୍ଲେଖ କରିଥାନ୍ତି । ୱାରେନ ଦୁଇ ଶହରୁ ଉର୍ଦ୍ଧ୍ୱ ଗବେଷଣାତ୍ମକ ପ୍ରବନ୍ଧ ରଚନା କରିଥିବା ସ୍ଥଳେ ଲୁସି ଦୀର୍ଘକାଳ ଧରି ପାରିବାରିକ ଚାପ ହ୍ରାସ ପରାମର୍ଶଦାତା ରୂପେ କାର୍ଯ୍ୟରତ ।

 

ମେନସେଲ ପ୍ରବର୍ତ୍ତିତ ‘ଫୋର-ଡ଼ି’ ମାନସିକ ଚାପ ହ୍ରାସ ଉଦ୍ୟମ ବ୍ୟକ୍ତିଗତସ୍ତରରେ ଡିଷ୍ଟ୍ରାକ୍ଟ , ଡାଇଲ୍ୟୁଟ, ଡେଭଲାପ ଓ ଡିସକଭରକୁ ବୁଝାଏ । ପ୍ରଥମତଃ, ମାନସିକ ଚାପ ପ୍ରଶମନ ଉଦ୍ୟମରେ ବ୍ୟକ୍ତିବିଶେଷ ଚାପ ସୃଷ୍ଟିକାରୀ କାର୍ଯ୍ୟ, ଚରିତ୍ର ଓ ପରିବେଶରୁ ତୁରନ୍ତ ଦୂରେଇ ଯାଇ ଅନ୍ୟତ୍ର ମନୋନିବେଶ ନିମନ୍ତେ ଉଦ୍ୟମ କରିବା ଆବଶ୍ୟକ ଉଦାହରଣରେ କୌଣସି ବ୍ୟକ୍ତି ସହ ମନୋମାଳିନ୍ୟ ଘଟିଲେ ତାହା ବ୍ୟତୀତ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ କିଛି ସମୟ ଅତିବାହିତ କଲେ ସୁଫଳ ମିଳିଥାଏ । ପାରିବାରିକ ଚାପ ହ୍ରାସ ଉଦ୍ଦେଶ୍ୟରେ ସାମୟିକ ଭାବେ ବଜାରଘାଟ, ପାର୍କ ଘେରାଏ ବୁଲି ଆସିବା ବା ଉପନ୍ୟାସରୁ କିଛି ପୃଷ୍ଠା ପଢ଼ିବା ଆଶ୍ୱସ୍ତି ଆଣି ଦେଇଥାଏ । ଏହା ‘ଡ଼ିଷ୍ଟ୍ରାକ୍ଟ’ ପର୍ଯ୍ୟାୟଭୁକ୍ତ ।

 

ଦ୍ୱିତୀୟତଃ, ‘ଡାଇଲ୍ୟୁଟ’ ଉଦ୍ୟମରେ ଚାପ ସୃଷ୍ଟିକାରୀ ପରିବେଶ ବିଘଟନ ଏକ ପ୍ରଭାବଶାଳୀ ପଦକ୍ଷେପ । ବ୍ୟକ୍ତି ଚାପଗ୍ରସ୍ତ ଅନୁଭବ କଲେ ତୁରନ୍ତ ପ୍ରଶମନ ନିମନ୍ତେ ମାନସିକ ଓ ଶାରିରୀକ ବ୍ୟାୟାମର ସହାୟତା ନେଇପାରେ । ଏଥିଲାଗି ମନୋବିଜ୍ଞାନୀମାନେ ବିବିଧ ପ୍ରଣାଳୀ ନିର୍ଦ୍ଧାରଣ କରିଥାନ୍ତି । ତୃତୀୟତଃ, ଚାପ ହ୍ରାସ ଉଦ୍ୟମ ସ୍ୱଳ୍ପକାଳ ଓ ଦୀର୍ଘକାଳୀନ ଦୁଇଗୋଟି ପର୍ଯ୍ୟାୟରେ କାର୍ଯ୍ୟକାରୀ କରାଯାଇପାରେ । ଦୁଇ ପର୍ଯ୍ୟାୟ ନିମନ୍ତେ ପଦକ୍ଷେପ ଭିନ୍ନ ଭିନ୍ନ ହୋଇପାରେ । ଚ଼ତୁର୍ଥତଃ, ବ୍ୟକ୍ତିଗତସ୍ତରରେ ଚାପର କାରଣ ଓ ସ୍ୱରୂପ ଖୋଜି ବାହାର କରିବା ଓ ବୁଝିବା ସର୍ବାପେକ୍ଷା ଗୁରୁତ୍ୱପୂର୍ଣ୍ଣକାରଣ ବୁଝିଗଲେ ନିରାକରଣର ସୂତ୍ର ନିର୍ଦ୍ଧାରଣ ସହଜ ହୋଇପାରେ ।

 

ମେନସେଲଙ୍କ ‘ଫୋର-ଡି’ ମାନସିକ ଚାପ ପ୍ରଶମନ ପଦ୍ଧତି ବ୍ୟକ୍ତିର ନିୟନ୍ତ୍ରଣାଧିନ ଥିବା ହେତୁ ବାର୍ଦ୍ଧକ୍ୟରେ ଉପଯୋଗ ସରଳ ଓ ସହଜପ୍ରଦ ବୋଧ ହୋଇଥାଏ । ଚାପ ହ୍ରାସ ଉଦ୍ୟମରେ ଚାପ ଗ୍ରସ୍ତ ଅବସ୍ଥାରେ ବିଳମ୍ୱିତ ନିଶ୍ୱାସ-ପ୍ରଶ୍ୱାସ ଓ ମାଂସପେଶୀ ନିୟନ୍ତ୍ରଣ ହିତକର । ମନୋବିଜ୍ଞାନୀମାନେ ଏହିଭଳି ବହୁ ପ୍ରଣାଳୀ ପରାମର୍ଶ ଦେଉଥିବା ସ୍ଥଳେ କେତେକ ଲୋକପ୍ରିୟ । ଚାପର କାରଣ ଓ ସ୍ୱରୂପ ନିର୍ଦ୍ଧାରଣ ନିମନ୍ତେ ସେହି ବିଷୟରେ ଲେଖିବା କିମ୍ୱା ବନ୍ଧୁପରିଜନଙ୍କ ସହ ଆଳାପଆଲୋଚ଼ନା ଅନ୍ୟତମ ପଦକ୍ଷେପ

 

ଚାପଗ୍ରସ୍ତ ଅବସ୍ଥାରେ ବିଳମ୍ୱିତ ନିଶ୍ୱାସ-ପ୍ରଶ୍ୱାସ ବ୍ୟାୟାମରେ ଧୀରସ୍ଥିରଭାବେ ବସି ପ୍ରଥମରେ ପାଞ୍ଚ ସେକେଣ୍ଡ ନିଶ୍ୱାସ ନେଇ, ଦ୍ୱିତୀୟରେ ପାଞ୍ଚ ସେକେଣ୍ଡ ଚୁପ ରହି, ତୃତୀୟରେ ପାଞ୍ଚ ସେକେଣ୍ଡ ନିଶ୍ୱାସ ଛାଡ଼ି, ଚତୁର୍ଥରେ ପାଞ୍ଚ ସେକେଣ୍ଡ ଚୁପ ରହି ପୁନରାୟ ଅଭ୍ୟାସ ଆରମ୍ଭ କରିବାକୁ ପଡ଼ିଥାଏ । ବିଶେଷଜ୍ଞମାନଙ୍କ ମତରେ ଚାପଗ୍ରସ୍ତ ଅବସ୍ଥାରେ ବ୍ୟକ୍ତି ପ୍ରଖର ମାତ୍ରାରେ ନିଶ୍ୱାସ ନିଏ । ଫଳରେ ଅଧିକ ମାତ୍ରାରେ ଅମ୍ଳଜାନ ଓ କମ ମାତ୍ରାରେ ଅଙ୍ଗାରକାମ୍ଳ ଶରୀରରେ ରକ୍ତପ୍ରବାହରେ ମିଶି ଉତ୍ତେଜନା ସୃଷ୍ଟି କରେ । ବିଳମ୍ୱିତ ନିଶ୍ୱାସ-ପ୍ରଶ୍ୱାସରେ ସେହି ଅବସ୍ଥା ପ୍ରତିହତ ହୁଏ । ବ୍ରିଟେନର ଆଲବାମା ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରସ୍ତୁତ ୟୁଟ୍ୟୁବ ଷ୍ଟ୍ରୀମିଂ ମଞ୍ଚରେ ଏହି ବ୍ୟାୟମ ଅଭ୍ୟାସ ନିମନ୍ତେ ଏକ ଭିଡ଼ିଓ ଉପଲବ୍ଧ ।

 

ମାନସିକ ଚାପ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ମାଂସପେଶୀରେ ପ୍ରତିଫଳିତ ହୋଇଥାଏ । ଚାପଗ୍ରସ୍ତ ଅବସ୍ଥାରେ ବ୍ୟକ୍ତି କେଉଁ କେଉଁ ମାଂସପେଶୀରେ ଚାପ ଅନୁଭୂତ ହେଉଛି ତାହା ଜାଣି ପାରିବ । ଏହି ବ୍ୟାୟାମରେ ପ୍ରତିଟି ଅଙ୍ଗ ପାଞ୍ଚ ସେକେଣ୍ଡ ଯାଏଁ ତୀକ୍ଷଣ ଅନୁଧ୍ୟାନ କରିବାକୁ ପଡ଼ିଥାଏ ।  ଏହି ପ୍ରଣାଳୀ ସଂପର୍କରେ ପରିଚ଼ିତ ହେବା ତଥା ଅଭ୍ୟାସ କରିବା ନିମନ୍ତେ ଜଣେ ମନୋବିଜ୍ଞାନୀ ଓ ଅନ୍ୟଜଣେ ଶିଶୁରୋଗ ଚିକିତ୍ସକ ଏକ ଭିଡ଼ିଓ ୟୁଟ୍ୟୁବରେ ଅପଲୋଡ଼ କରିଛନ୍ତି ।

 

ଚାପର କାରଣ ଓ ସ୍ୱରୂପ ନିର୍ଦ୍ଧାରଣ ନିମନ୍ତେ ଲିଖନ ପ୍ରକ୍ରିୟା ମନୋବିଜ୍ଞାନୀମାନେ ପସନ୍ଦ କରିଥାନ୍ତି । ଜଣେ ବ୍ୟକ୍ତି ଏକ ପୂର୍ବନିର୍ଦ୍ଧାରିତ ସମୟରେ ସ୍ୱଚ୍ଛନ୍ଦରେ ବସି ନିଜ ମାନସିକ ଚାପ ସଂପର୍କରେ କାଗଜ କଲମରେ ଲେଖିଲେ ସୁଫଳ ମିଳେ । ଥରେ ଲେଖିବା ଆରମ୍ଭ କରିବା ପରେ କୌଣସି କାରଣରୁ ନଅଟକିବା ନିମନ୍ତେ ଗୁରୁତ୍ୱ ଦିଆଯାଇଥାଏ । ରଚନାରେ ବନାନ ଓ ବ୍ୟାକରଣ ଅଶୁଦ୍ଧି ନିମନ୍ତେ ଚିନ୍ତିତ ନହେବା ଏବଂ ଚାପର କାରଣ, ସୂତ୍ର ଓ ନିରାକରଣ ସଂପର୍କରେ ନିଜ ଭାବନାଗୁଡ଼ିକୁ ଲିପିବଦ୍ଧ କରିବା ଅଭ୍ୟାସ ବହୁଳଭାବେ ପ୍ରଚଳିତ ।

 

କେତେକ ବ୍ୟକ୍ତି ନିଜ ମାନସିକ ଚାପ ସଂପର୍କରେ ଜ୍ଞାତିପରିଜନଙ୍କ ସହ ବିଚାରବିମର୍ଷ କରିଥାନ୍ତି । ଏତଦ୍ୱାରା ଚାପର ସ୍ୱରୂପ ଉଦଭାସିତ ହୋଇପାରେ । ଏହି ପରିବେଶରେ ଚାପଗ୍ରସ୍ତ ବ୍ୟକ୍ତି ଘଟଣାବଳୀ, ଅନୁଭୂତି ଓ ଦୃଷ୍ଟିଭଙ୍ଗୀ ବର୍ଣ୍ଣନା କରୁଥିବା ବେଳେ ଅନ୍ୟ ଜଣକ ମୁଖ୍ୟତଃ ଶ୍ରୋତାର ଭୂମିକା ନିର୍ବାହ କରିଥାଏ । ଏହା ସମସ୍ୟା ସମାଧାନ ପରିବର୍ତ୍ତେ ଚାପର ଉତ୍ସ ଓ ସ୍ୱରୂପ ନିର୍ଦ୍ଧାରଣରେ ସହାୟତା ପ୍ରଦାନ କରେ ।

 

ବାର୍ଦ୍ଧକ୍ୟରେ ମାନସିକ ଚାପ ବୃଦ୍ଧିର ଲକ୍ଷଣ ଭାବେ ଚିଡଚିଡା ବ୍ୟବହାର, ରାତିରେ ଭଲ ନିଦ ନହେବା ଓ ଥରେ ନିଦ ଭାଙ୍ଗି ଯିବାପରେ ପୁଣି ଗଭୀର ନିଦ ଅଭାବ ଏବଂ ବହୁ ସମୟରେ ଉଦବିଗ୍ନତା ବା ଆତୁର ଅନୁଭବ କରିବାକୁ ସାଧାରଣରେ ଚ଼ିହ୍ନଟ କରାଯାଇଥାଏ । ତେବେ ଚାପ ଜନଜୀବନର ଏକ ଅଂଶ ଏବଂ ପ୍ରତ୍ୟେକ ବ୍ୟକ୍ତି ଏହାର ପ୍ରଶମନରେ ବିଭିନ୍ନ ଉପାୟ ଅବଲମ୍ୱନ କରିଥାନ୍ତି । ମନୋବିଜ୍ଞାନୀଙ୍କ ମତରେ ମନୁଷ୍ୟର ମସ୍ତିଷ୍କ ଦୈନନ୍ଦିନ ଜୀବନରେ ମାନସିକ ସନ୍ତୁଳନ ରକ୍ଷା ନିମନ୍ତେ ପୂର୍ବନିର୍ଦ୍ଧାରିତ ଢଙ୍ଗରେ କାର୍ଯ୍ୟ କରିଥାଏ ।

 

ସ୍ଥଳବିଶେଷରେ ଚାପର ମାତ୍ରା ବଢ଼ିଗଲେ କିମ୍ୱା ସ୍ୱାଭାବିକସ୍ତରରେ ସମାଧାନ ସଂଭବ ନ ହେଲେ ଉପଶମର ଉପାୟ ଖୋଜିବାକୁ ପଡ଼ିଥାଏ । କେତେକ କ୍ଷେତ୍ରରେ ଉପଶମ ପଦ୍ଧତି ଉପକାର ବଦଳରେ ଅପକାରୀ ସାବ୍ୟସ୍ତ ହୋଇପାରେଉଦାହରଣରେ ମାନସିକ ଚାପରୁ କିଛି ସମୟ ମୁକ୍ତି ପାଇଁ ବିଭିନ୍ନ ନିଶା ସେବନର ପରମ୍ପରା ଦୀର୍ଘ ଅତୀତରୁ ପ୍ରଚଳିତ । କିନ୍ତୁ ନିଶା ଚାପର ମୌଳିକ ସମାଧାନରେ ସହଯୋଗ କରିନଥାଏ ଏବଂ ନିଶା ଅପସାରିତ ହେବାପରେ ଅଧିକ ସମସ୍ୟା ଦେଖାଦେଇଥାଏ । କିନ୍ତୁ ଶାରିରୀକ ବ୍ୟାୟାମ, ସଉକ, ପଠନ, ସଙ୍ଗୀତ, କ୍ରୀଡ଼ା ଓ ଚଳଚ଼ିତ୍ର ଉପଭୋଗ, ପର୍ଯ୍ୟଟନ ଭଳି ସଂପୃକ୍ତି ଚାପଗ୍ରସ୍ତ ଜୀବନରୁ ସାମୟିକ ଭାବେ ଦୃଷ୍ଟି ଅପସାରଣରେ ସହାୟକ ହୋଇଥାଏ ।

 

ମାନସିକ ଚାପର ପ୍ରକୋପ ଦୈନନ୍ଦିନ ଜୀବନରେ ଯେକୌଣସି ସମୟରେ ଅନୁଭୂତ ହୋଇପାରେ । ଅଧ୍ୟୟନରୁ ଜଣାଯାଏ ଯେ ଚାପ ସଂପର୍କୀତ ଚ଼ିନ୍ତା ନିମନ୍ତେ ସମୟ ନିର୍ଦ୍ଧାରଣ ଉପକାରୀ । ଅର୍ଥାତ, ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟସ୍ତ ଥିବା ସମୟରେ ଚାପ ସଂପର୍କରେ ବିଶ୍ଳେଷଣ ବଦଳରେ ଏଥି ନିମନ୍ତେ ସମୟ ଓ ପରିବେଶ ଠିକ କରିବା ଫଳରେ ପ୍ରାଞ୍ଜଳଭାବେ ଚ଼ିନ୍ତା କରିବା ତଥା ନିରାକରଣ ନିମନ୍ତେ ପଦକ୍ଷେପ ନେବା ସହଜପ୍ରଦ ହୋଇଥାଏ । ବାର୍ଦ୍ଧକ୍ୟରେ ଦୈନନ୍ଦିନ ଜୀବନରେ ବହୁ ସମୟ ଅବକାଶରେ କଟୁଥିଲେ ହେଁ ଚାପ ପର୍ଯ୍ୟାଲୋଚନା ନିମନ୍ତେ ଏକାନ୍ତ ଓ ଉଚ଼ିତ ସମୟ ନିର୍ବାଚନ ଉପଯୋଗୀ । 


 

ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଅକ୍ଟୋବର ୨୦୨୩

 

---

ମାନସିକ ଚାପ ପ୍ରଶମନ ନିମନ୍ତେ ଅଭ୍ୟାସ ସଂପର୍କୀତ ୟୁଟ୍ୟୁବ ଭିଡ଼ିଓ :

 

Square Breathing (03.09 mts)

 

https://youtu.be/cOOd-wlMMRg?si=ewPs9QL0oAXdHq-g

 

Progressive Muscle Relaxation Training (14.56 mts)

 

https://youtu.be/ihO02wUzgkc?si=VeHCCD8AMYC6yzBj

 

 

 

ତଥ୍ୟ:

 

Mansell, Warren & Louise Mansell. How to feel less stressed

 

https://psyche.co/guides/how-to-feel-less-stressed?utm_source=Aeon+Newsletter&utm_campaign=816cb32182-EMAIL_CAMPAIGN_2023_10_04&utm_medium=email&utm_term=0_-fc476d9131-%5BLIST_EMAIL_ID%5D


ବାର୍ଦ୍ଧକ୍ୟରେ ଅବସର ବିନୋଦନ

ବାର୍ଦ୍ଧକ୍ୟରେ ଏକାନ୍ତବୋଧ ସଂଖ୍ୟାଧିକ ବରିଷ୍ଠ ନାଗରିକଙ୍କ ଜୀବନଚ଼ର୍ଯ୍ୟାରେ ଏକ ପ୍ରମୁଖ ସମସ୍ୟା । ବୟସ ବୃଦ୍ଧିରେ ଶାରିରୀକ ଦୁର୍ବଳତା କାରଣରୁ ସଂଗଠିତ କର୍ମନିଯୁକ୍ତି କ୍ଷେତ୍ରରେ ଅବସର ଗ୍ରହଣର ବୟସସୀମା ଧାର୍ଯ୍ୟ ହୋଇଥାଏ । ଅସଂଗଠିତ କ୍ଷେତ୍ରରେ ମଧ୍ୟ ମୃତ୍ୟୁପୂର୍ବ କିଛି ବର୍ଷ ସକ୍ରିୟ ବୃତ୍ତିଗତ ଜୀବନରୁ ଅବ୍ୟାହତି ନେବା ସ୍ୱାଭାବିକ । କର୍ମସଂପୃକ୍ତି ଅଭାବରେ ଅବସର ସମୟର ପରିମାଣ ବୃଦ୍ଧି ସଙ୍ଗେ ସହକର୍ମୀଙ୍କ ଅନୁପସ୍ଥିତି ମାନସିକସ୍ତରରେ ଗଭୀର ପ୍ରଭାବ ପକାଇଥାଏ । ଅବସର ଗ୍ରହଣ ପରେ ବିକଳ୍ପ କର୍ମକ୍ଷେତ୍ର ପ୍ରସ୍ତୁତି ଅନେକଙ୍କ ପାଇଁ ସଂଭବ ହୋଇପାରିନଥାଏ ।

 

ବାର୍ଦ୍ଧକ୍ୟରେ ସାଧ୍ୟମତେ କର୍ମତତ୍ପର ରହିବା ନିମନ୍ତେ ବୟସଗତ ସମସ୍ୟା ନଥିଲେହେଁ ଅଧିକାଂଶ ସଚ଼େତନ ନଥିବା, ପୂର୍ବପ୍ରସ୍ତୁତି ତଥା ପରିଚାଳନାଗତ ଦକ୍ଷତା ଅଭାବ ଇତ୍ୟାଦି ମୁଖ୍ୟ କାରଣ । ଜୀବଦ୍ଦଶା ବୃଦ୍ଧି ଅବସରରେ ବାର୍ଦ୍ଧକ୍ୟରେ ବିକଳ୍ପ କର୍ମ ସଂପୃକ୍ତିର ଗୁରୁତ୍ୱ ଜନଜୀବନରେ ପ୍ରତିଫଳିତ ହୋଇପାରିନାହିଁ । ବାର୍ଦ୍ଧକ୍ୟରେ କ୍ରମଶଃ ପରିଚ଼ିତବର୍ଗଙ୍କ ପରଲୋକ କିମ୍ୱା ବାସସ୍ଥାନ ପରିବର୍ତ୍ତନ, ସଂପର୍କରେ ଶୀଥିଳତା ଇତ୍ୟାଦି ଅନେକଙ୍କୁ ପୂର୍ବ ଗୋଷ୍ଠୀବଦ୍ଧ ଜୀବନଯାତ୍ରାରୁ ବିରତ କରାଇଥାଏ ।

 

ଏଥିସହ ଉତ୍ତର-ବାର୍ଦ୍ଧକ୍ୟରେ ଗୃହାବଦ୍ଧ କିମ୍ୱା ଶଯ୍ୟାଶାୟୀ ଜୀବନଯାପନ ଏକାନ୍ତବୋଧ ଉଦ୍ରେକ ନିମନ୍ତେ ଖୋରାକ ଯୋଗାଉଥିବା ସ୍ଥଳେ ଅବସର ସମୟ ଅତିବାହିତ କରିବା ବିରକ୍ତିକର ହୋଇପଡ଼େ । ଏହି ସମସ୍ୟାର ସମାଧାନ ନିମନ୍ତେ ବ୍ୟକ୍ତିଗତ, ଗୋଷ୍ଠୀଗତ ଓ ସାମାଜିକସ୍ତରରେ ଯତ୍ନ ଆବଶ୍ୟକ । ପରିବର୍ତ୍ତିତ ପରିବେଶରେ ବୈଷୟିକ ପ୍ରଗତି ସହ ଯୋଡ଼ି ବରିଷ୍ଠ ନାଗରିକଙ୍କ ଅବସର ବିନୋଦନ ନିମନ୍ତେ ପ୍ରକଳ୍ପମାନ ପ୍ରଯୋଜନା କରାଯାଉଛି ।

 

ଏହି ଦିଗରେ ଏଜିଂ ୨.୦ ନାମକ ଏକ ଆନ୍ତର୍ଜାତିକ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ବିଭିନ୍ନ ରାଷ୍ଟ୍ରରେ ସ୍ଥାପିତ ଶାଖାଗୁଡ଼ିକ ମାଧ୍ୟମରେ ମହାମାରୀ କୋଭିଡ଼-୧୯ କାଳରେ ଅନୁସୃତ ୨୧ ଗୋଟି ପ୍ରୟାସ ସଂପର୍କରେ ୨୦୨୧ ଜାନୁୟାରୀ ମାସରେ ଅନଲାଇନରେ ତଥ୍ୟ ପ୍ରକାଶିତ ହୋଇଥିଲା । ଆମ ଦେଶ ତଥା ରାଜ୍ୟରେ ବରିଷ୍ଠନାଗରିକଙ୍କ ହିତକଳ୍ପେ କାର୍ଯ୍ୟରତ ସରକାରୀ ଓ ବେସରକାରୀ ସଂଗଠନମାନଙ୍କ ନିମନ୍ତେ ଏହି ଉଦାହରଣଗୁଡ଼ିକ ଉପାଦେୟ ମନେହୁଏ । ସାଧ୍ୟମତେ ମଡ଼େଲଗୁଡ଼ିକୁ ଆବଶ୍ୟକ ସ୍ଥଳେ ଆଞ୍ଚଳିକଭିତ୍ତିରେ ପରିବର୍ତ୍ତନ କରି ନିୟୋଜନ କରାଯାଇପାରେ ।

 

ଜର୍ମାନୀର ବର୍ଲିନଠାରେ ସିଫଟ ଏଣ୍ଡ ପାପିଏର ନାମକ ସଂସ୍ଥା ସୌଜନ୍ୟରେ ବରିଷ୍ଠ ନାଗରିକଙ୍କ ସହ ଯୁବବର୍ଗଙ୍କୁ ଭାବଗତସ୍ତରରେ ଯୋଡ଼ିବା ନିମନ୍ତେ ପତ୍ରଲିଖନ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଥାଏ । ମହାମାରୀଜନିତ ଲକଡ଼ାଉନ ଅବସରରେ ବରିଷ୍ଠ ନାଗରିକମାନେ ଉଭୟ ବାସଗୃହ ଓ ନର୍ସିଂହୋମଗୁଡ଼ିକରେ ଏକରକମ ନିର୍ବାସିତ ଜୀବନଯାପନ କରୁଥିବା ସ୍ଥଳେ ସେମାନଙ୍କ ପରିଚିତି ସଂଗ୍ରହ କରାଯାଇ ବିଭିନ୍ନ ପ୍ରାନ୍ତରୁ ସ୍ୱେଚ୍ଛାସେବୀ ପତ୍ର ଲେଖକମାନଙ୍କୁ ଆମନ୍ତ୍ରିତ କରାଯାଇଥିଲା । ଏହି ଅନଲାଇନ ଉଦ୍ୟମରେ ପ୍ରଥମେ ଦଶହଜାର ସ୍ୱେଚ୍ଛାସେବୀ ପଞ୍ଜୀକୃତ ହୋଇଥିବା ସ୍ଥଳେ ୨୦୨୦ ଶେଷ ସୁଦ୍ଧା ନଅ ମାସରେ କୋଡ଼ିଏ ହଜାରକୁ ବୃଦ୍ଧି ପାଇଥିଲା । ପତ୍ରମାଧ୍ୟମରେ ଜଣେ ନୂତନ ବନ୍ଧୁଙ୍କ ସହ ସଂପର୍କରେ ଯୋଡ଼ିହେବା ବରିଷ୍ଠ ନାଗରିକଙ୍କ ନିମନ୍ତେ ଏକ ସୁଖପ୍ରଦ ଅନୁଭୂତି ।

 

ବ୍ରିଟେନର ବ୍ରାଇଟନଠାରେ ବିଫ୍ରେଣ୍ଡର ପ୍ରକଳ୍ପରେ ଏକାକୀ ବସବାସ କରୁଥିବା ଗୃହାବଦ୍ଧ ବରିଷ୍ଠ ନାଗରିକଙ୍କ ସହ ସ୍ୱେଚ୍ଛାସେବୀ ଯୁବକଯୁବତୀଙ୍କୁ ପରିଚିତ କରାଯାଇଥାଏ । ସେମାନେ ସପ୍ତାହରେ ଅନ୍ତତଃ ଥରେ ବରିଷ୍ଠ ନାଗରିକଙ୍କ ବାସସ୍ଥଳୀକୁ ଯାଇ କଥୋପକଥନରେ କିଛି ସମୟ ଅତିବାହିତ କରିଥାନ୍ତି । ବିଶେଷକରି ମତିଭ୍ରମ ରୋଗାକ୍ରାନ୍ତ ବରିଷ୍ଠ ନାଗରିକମାନେ ଅତ୍ୟନ୍ତ ଅବହେଳିତ ଜୀବନଯାପନ କରୁଥିବା ସ୍ଥଳେ ଏତାଦୃଶ ପ୍ରଚେଷ୍ଟା ଏକାନ୍ତବୋଧ ଓ ସାମାଜିକ ବିଚ୍ୟୁତି ସୋସିଆଲ ଆଇସୋଲେସନ ପ୍ରଶମନ ନିମନ୍ତେ ଅତ୍ୟନ୍ତ ଫଳପ୍ରଦ ହୋଇଥାଏ । ବିଫ୍ରେଣ୍ଡର ପ୍ରକଳ୍ପରେ ୫୨୦ ଜଣ ସ୍ୱେଚ୍ଛାସେବୀ ସାମିଲ ହୋଇପାରିଥିବା ଏବଂ ହାରାହାରି ବରିଷ୍ଠ ନାଗରିକଙ୍କ ବୟସ ୮୨ ବର୍ଷ ଓ ସ୍ୱେଚ୍ଛାସେବୀଙ୍କ ବୟସ ୨୦ ରୁ ୫୫ ବର୍ଷ ହିସାବ କରାଯାଇଥିଲା ।

 

ସ୍ପେନର ବାର୍ସିଲେନାରେ ରାଡ଼ାର୍ସ ପ୍ରକଳ୍ପରେ ଏକାକୀ ବସବାସ କରୁଥିବା ବରିଷ୍ଠ ନାଗରିକଙ୍କ ଜୀବନଯାତ୍ରା ଉପରେ ପଡ଼ୋଶୀ ସ୍ୱେଚ୍ଛାସେବୀମାନଙ୍କୁ ନଜର ରଖିବା ନିମନ୍ତେ ବିଧିବଦ୍ଧଭାବେ ନିୟୋଜିତ କରାଯାଇଥାଏ । ଅକସ୍ମାତ କେହି ବରିଷ୍ଠ ନାଗରିକ କୌଣସି କାରଣରୁ ବିପଦଗ୍ରସ୍ତ ହେଲେ ତାଙ୍କୁ ଆବଶ୍ୟକମତେ ଉପଲବ୍ଧ ସହାୟତା ପ୍ରଦାନର ବ୍ୟବସ୍ଥା ହୁଏ । ସ୍ୱେଚ୍ଛାସେବୀଭାବେ ଆଖପାଖର ଦୋକାନୀ, ଲଣ୍ଡ୍ରିବାଲା, କ୍ଳିନିକ କର୍ମଚାରୀ ଯେ କେହି ସାମିଲ ହୋଇଥାନ୍ତି । ସ୍ଥାନୀୟ ଯୁବବର୍ଗଙ୍କ ସହାୟତାରେ ବରିଷ୍ଠ ନାଗରିକଙ୍କ ଚିତ୍ତବିନୋଦନ ନିମନ୍ତେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନର ମଧ୍ୟ ତତ୍ତ୍ୱାବଧାନ କରାଯାଏ । ବାର୍ସିଲେନାରେ ରାଡ଼ାର ପ୍ରକଳ୍ପରେ ୩୫୦ଜଣ ସ୍ୱେଚ୍ଛାସେବୀ ୧,୪୦୦ ବରିଷ୍ଠନାଗରିକଙ୍କ ଉପରେ ନଜର ରଖିଥାନ୍ତି ।

 

ଦକ୍ଷିଣ ଆମେରିକା ପେରୁର ରାଜଧାନୀ ଲିମାଠାରେ ବରିଷ୍ଠ ନାଗରିକମାନଙ୍କ ନିମନ୍ତେ କଳାତ୍ମକ ଅଭିବ୍ୟକ୍ତି କର୍ମଶାଳା ପ୍ରକଳ୍ପ ମୁମେଣ୍ଟସ ଅଫ ଜଏ ଆୟୋଜିତ ହୋଇଥାଏ । ବିଭିନ୍ନ ଅଧିବେଶନରେ ଗଳ୍ପ ଲିଖନ, ଚ଼ିତ୍ରାଙ୍କନ, ଚଳଚ଼ିତ୍ର ନିର୍ମାଣଠାରୁ ଆରମ୍ଭକରି ରନ୍ଧନ, ବାଡ଼ିବଗିଚାରେ ଚାଷ ଓ ପୁନଃ ପ୍ରକ୍ରିୟାକରଣ ଯାଏଁ ବିଭିନ୍ନ ବିଷୟରେ ଶିକ୍ଷା ପ୍ରଦାନ କରାଯାଏ । ପ୍ରତ୍ୟେକ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବିଶେଷଜ୍ଞ ତାଲିମ ପ୍ରଦାନ କରୁଥିବା ସ୍ଥଳେ ପ୍ରତି ଅଧିବେଶନରେ ୨୫ ଜଣ ଯାଏଁ ବୟସ୍କ ଅଂଶଗ୍ରହଣ କରନ୍ତି । ମହାମାରୀ ଅବସରରେ ଭର୍ଚୁଆଲ ପରିବେଶରେ ଦଶଗୋଟି ଯାଏଁ କର୍ମଶାଳାରେ ୨୮୫ ଜଣ ବରିଷ୍ଠନାଗରିକ ଯୋଗ ଦେଇଥିଲେ ।

 

ସେହିପରି ପର୍ତ୍ତୁଗାଲର ରାଜଧାନୀ ଲିସବନଠାରେ ବରିଷ୍ଠନାଗରିକମାନଙ୍କ ନିମନ୍ତେ ବସ୍ତି ଚ଼ିତ୍ରାଙ୍କନ ଷ୍ଟ୍ରିଟ ଆର୍ଟ କର୍ମଶାଳା ମିଷ୍ଟ୍ରିକର ମେକର ନାମକ ଅନୁଷ୍ଠାନ ଦ୍ୱାରା ଆୟୋଜିତ ହୋଇଥାଏ । ଅଂଶଗ୍ରହଣକାରୀମାନଙ୍କୁ କାନ୍ଥ ଚ଼ିତ୍ରାଙ୍କନ ଗ୍ରାଫଟି ସଂପର୍କରେ ବିଶେଷ ପ୍ରଶିକ୍ଷଣ ଏବଂ ବିଭିନ୍ନ ଉପକରଣ ବ୍ୟବହାରରେ ଅଭ୍ୟସ୍ତ କରାଯିବାପରେ ସହରର କାନ୍ଥବାଡ଼ରେ ଚ଼ିତ୍ରାଙ୍କନ କାର୍ଯ୍ୟକ୍ରମରେ ଅଭିଜ୍ଞଙ୍କ ତତ୍ତ୍ୱାବଧାନରେ ବରିଷ୍ଠ ନାଗରିକମାନେ ଅଂଶଗ୍ରହଣ କରନ୍ତି । ଷ୍ଟ୍ରୀଟ ଆର୍ଟ ମୁଖ୍ୟତଃ ଯୁବବର୍ଗର କଳାରୂପେ ବିବେଚିତ ହେଉଥିବା ସ୍ଥଳେ ବୟସ୍କମାନଙ୍କୁ ସେଥିରେ ସାମିଲ କରାଯିବା ଦ୍ୱାରା କଳାତ୍ମକ ଅଭିବ୍ୟକ୍ତି ସାଙ୍ଗକୁ ବୟସଗତ ବିଭେଦ ଲୋପ ନିମନ୍ତେ ଉଦ୍ୟମ କରାଯାଇଥାଏ ।

 

ବିଭିନ୍ନ କାରଣରୁ ବୟସ୍କମାନେ ସ୍ୱଚ୍ଛଳରେ ବୁଲାଚଲା କରିବା ସଂଭବ ନୁହ । ସର୍ବୋପରି ଗୃହାବଦ୍ଧ ଅବସ୍ଥାରେ ପହଞ୍ଚିବା ପରେ ଅତୀତ ସ୍ମୃତି ରୋମନ୍ଥନ ନିମନ୍ତେ ପରିଚ଼ିତ ରାସ୍ତାଘାଟ, ସହରକୁ ପୁଣିଥରେ ଦେଖିବା ନିମନ୍ତେ ଆଗ୍ରହ ଚ଼ରିତାର୍ଥ କରିବା ଉଦ୍ଦେଶ୍ୟରେ ସୁଇଡ଼େନର ଷ୍ଟକହୋମଠାରେ ବାଇକ ଏରାଉଣ୍ଡ ନାମକ ଏକ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ଏଥିରେ ଗୁଗୁଲ ଷ୍ଟ୍ରୀଟଭିଉରୁ ବରିଷ୍ଠନାଗରିକଙ୍କ ପସନ୍ଦ ଭ୍ରମଣ ସ୍ଥାନ ଚ଼ିହ୍ନଟ କରାଯାଇ ତାଙ୍କୁ ଏକ ସ୍ଥିର ବାଇ-ସାଇକଲରେ ବସାଇ ଦିଆଯାଏ । ସେ ପେଡ଼େଲ ମାରିବା ମାତ୍ରେ ସଂଯୁକ୍ତ କମ୍ପ୍ୟୁଟର ଓ ପ୍ରୋଜେକ୍ଟରରେ ଗୁଗୁଲ ଷ୍ଟ୍ରୀଟ ଭିଉ କାର୍ଯ୍ୟକ୍ଷମ ହୋଇ ରାସ୍ତାଘାଟର ଚ଼ିତ୍ର ସାଇକଲ ସମ୍ମୁଖରେ ସ୍ଥାପିତ ପର୍ଦ୍ଦାରେ ପ୍ରଦର୍ଶିତ କରେ । ଫଳରେ ସ୍ଥିର ସାଇକଲରେ ବସିଥିବା ବ୍ୟକ୍ତିଙ୍କ ପକ୍ଷେ ବିଭିନ୍ନ ସ୍ଥାନ ଭ୍ରମଣ କରିବାର ଭର୍ଚୁଆଲ ଅନୁଭବ ସମ୍ଭବ ହୋଇଥାଏ । ସୁଇଡ଼ନ ସହ ଅନ୍ୟ ୧୨ ଗୋଟି ରାଷ୍ଟ୍ରରେ ୨୦୨୦ ଶେଷସୁଦ୍ଧା ୨୫୦ ଗୋଟି ବାଇକ ଏରାଉଣ୍ଡ କାର୍ଯ୍ୟକ୍ଷମଥିବା ଜଣାଯାଏ । ପ୍ରତି ବାଇକ ଏରାଉଣ୍ଡ ଦୈନିକ ୨୦ ଜଣ ଯାଏଁ ଉପଭୋକ୍ତା ବ୍ୟବହାର କରିପାରନ୍ତି ।

 

ଯୁକ୍ତରାଷ୍ଟ୍ର ଆମେରିକାର ବୋଷ୍ଟନ ସମେତ ଅନ୍ୟାନ୍ୟ ସହରରେ ପ୍ରାୟ ୨୦୦ ଅବସର ବିହାର ଓ ନର୍ସିଂହୋମରେ ବସବାସ କରୁଥିବା ବରିଷ୍ଠ ନାଗରିକଙ୍କ ଏକାନ୍ତବୋଧ ଓ ଅବସାଦ ହ୍ରାସ ନିମନ୍ତେ ରେଣ୍ଡଭର ନାମକ ଭର୍ଚୁଆଲ ରିଆଲିଟି ସହାୟତାରେ ଭର୍ଚୁଆଲ ୱାକର ସୁବିଧା ସୃଷ୍ଟି କରାଯାଉଛି । ଏହି ପଦ୍ଧତିରେ ଉପଭୋକ୍ତା ମୋଟା ଚଷମା ଆକାରର ଭର୍ଚୁଆଲ ରିଆଲିଟି ହେଡ଼ ଗିଅର ପିନ୍ଧି କୃତ୍ରିମ କୋଳାହଳ ପରିବେଶରେ ପହଞ୍ଚିପାରନ୍ତି । ଅର୍ଥାତ ଶାରିରୀକଭାବେ କୌଣସି ଭିଡ଼ ସ୍ଥାନକୁ ନଯାଇ ଗହଳଚହଳ ଅନୁଭବ ସଂଭବ ହୁଏ ।

 

ଜାପାନର ରାଜଧାନୀ ଟୋକିଓରେ ନାରଙ୍ଗୀ ରଙ୍ଗର ମାଇ ମେମୋରିଆଲ ଷ୍ଟିକର ମାନସିକସ୍ତରରେ ଅସ୍ଥିରଥିବା ବୟୋଜ୍ୟେଷ୍ଠଙ୍କ ପର୍ସ, ଚାବି ରିଂ, ବ୍ୟାଗ, ଛତା, ପୋଷାକ ଇତ୍ୟାଦିରେ ଛାପିବା ବ୍ୟବସ୍ଥା ପ୍ରଚଳିତ । ଏହି ଷ୍ଟିକରରେ ସଂପୃକ୍ତ ବ୍ୟକ୍ତିଙ୍କ ପରିଚୟ ସୂଚ଼କ ଏକ ସଂଖ୍ୟା ଏବଂ ତାଙ୍କରି ଦାୟିତ୍ୱ ଗ୍ରହଣ କରିଥିବା ବ୍ୟକ୍ତିଙ୍କ ଟେଲିଫୋନ ନମ୍ୱର ଲିପିବଦ୍ଧ ଥାଏ । ଫଳରେ କୌଣସି ପରିସ୍ଥିତିରେ ସେ ହଜିଗଲେ ସହଜରେ ବାସସ୍ଥାନକୁ ଫେରାଇ ହୁଏ । ମୁଖ୍ୟତଃ ମତିଭ୍ରମରେ ପୀଡ଼ିତ ବୟସ୍କମାନଙ୍କ ମଧ୍ୟରୁ ୬୦ ପ୍ରତିଶତ ଯାଏଁ ଏଣେ ତେଣେ ବୁଲିବାରେ ଅଭ୍ୟସ୍ତ ହୋଇପଡୁଥିବା ସ୍ଥଳେ ସ୍ମୃତିଶକ୍ତି ଅଭାବରୁ ବାଟଘାଟରେ ହଜିଯିବା ଭୟ ଦୂର କରିବାରେ ଏହି ପଦ୍ଧତି ଉପକାରୀ ସାଧିତ ହୋଇଥାଏ ।

 

ଏଜିଂ ୨.୦ଟ୍ୱାଣ୍ଟି ୱାନ ଡ଼େଜ, ଟ୍ୱାଣ୍ଟି ୱାନ ଷ୍ଟୋରିଜ ସଂକଳନରେ ବର୍ଣ୍ଣିତ ବିବରଣୀରେ ଦୁଇଗୋଟି ଘଟଣା ମର୍ମସ୍ପର୍ଶୀ । ବୋଷ୍ଟନର ଏକ ଅବସର ବିହାରରେ ବସବାସ କରୁଥିବା ଜନୈକ ପ୍ରୌଢ଼ ପ୍ରତି ଶୁକ୍ରବାର ଦିନ ଅପରାହ୍ନରେ ନିଜର ଛୋଟିଆ ସୁଟକେଶଟିଏ ସଜାଡ଼ି ବାରଣ୍ଡାରେ ଦୀର୍ଘ ସମୟ ଅପେକ୍ଷା କରନ୍ତି । ତାଙ୍କରି ବିଶ୍ୱାସ କେହି ଆତ୍ମୀୟ ପୁରୁଣା ବାସସ୍ଥଳୀ ସହର ବୁଲାଇ ନେବାପାଇଁ ପହଞ୍ଚିବେ । ତେବେ କେହି କେବେ ଆସନ୍ତି ନାହିଁ । ଅବସର ବିହାରରେ ରେଣ୍ଡଭର ବ୍ୟବହାର ପରେ ତାଙ୍କୁ ନିଜ ସହରର ଭର୍ଚୁଆଲ ୱାକ ବ୍ୟବସ୍ଥା କରାଯାଇପାରୁଛି । ସେ ଆଉ କାହାରି ଅପେକ୍ଷାରେ ବସୁନାହାନ୍ତି ।

 

ସେହିପରି ଟୋକିଓର ସହରତଳି ଅଞ୍ଚଳରେ ଦିନେ ଜଣେ ବୟସ୍କ ମହିଳା ସାଇକଲ ଚଳାଇ ଚାଲିଥାନ୍ତି । ଝିପିଝିପି ବର୍ଷା ହେଉଥାଏ । ତେବେ ସେ ରେନକୋଟ ପିନ୍ଧିନଥାନ୍ତି କିମ୍ୱା ଛତା ଧରି ନଥାନ୍ତି । ଟ୍ରାଫିକ ପୋଲିସ ସନ୍ଦେହରେ ମହିଳାଙ୍କୁ ଅଟକାଇ କୁଆଡ଼େ ଯାଉଛ ପଚାରିଲେ । ମହିଳା ଜଣକ କହିଲେ ଯେ ସେ ଘରକୁ ଫେରୁଛନ୍ତି । ପ୍ରକୃତରେ ସେ ନିଜ ଘରର ଯେଉଁ ଠିକଣା ଦେଲେ ତାହା ଦେଢ଼ ଶହ କିଲୋମିଟରରୁ ଅଧିକ ଦୂରବର୍ତ୍ତୀ ସହର । ପୋଲିସ ତାଙ୍କ ସାଇକଲରେ ଛପାଯାଇଥିବା ମାଇ ମୋମୋରିଆଲ ଷ୍ଟିକରରୁ ଘର ଲୋକଙ୍କ ନମ୍ୱର ଖୋଜି ଫୋନ କଲେ ଏବଂ ଆତ୍ମୀୟମାନେ ମତିଭ୍ରମ ପୀଡ଼ିତାଙ୍କୁ ଘରକୁ ଫେରାଇ ନେଲେ ।


 

ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଫେବୃୟାରୀ ୨୦୨

 ---

 

ରଚନା ସଂପର୍କୀତ ଭିଡ଼ିଓ ଦେଖିବା ନିମନ୍ତେ ନିମ୍ନ ଲିଙ୍କଗୁଡ଼ିକରେ କ୍ଳିକ କରନ୍ତୁ :


https://www.youtube.com/watch?v=GjX2wQApT8M


https://youtu.be/bgebz6JgU2Y 


https://youtu.be/mTBCWc53D80


https://youtu.be/OGvB3CdlEZA


https://youtu.be/ac50mosUO4Q


 

ତଥ୍ୟ:



www.aging2.com/21stories

ଅବସରପର ପୁନଃନିଯୁକ୍ତି

ଆନ୍ତର୍ଜାତିକସ୍ତରରେ କେତେକ ରାଷ୍ଟ୍ରରେ ୬୫ ବର୍ଷୋତ୍ତର ଓ ଅନ୍ୟ କେତେକ ରାଷ୍ଟ୍ରରେ ୬୦ ବର୍ଷୋତ୍ତରଙ୍କୁ ବରିଷ୍ଠ ନାଗରିକ ପର୍ଯ୍ୟାୟଭୁକ୍ତ କରାଯାଇଥାଏ I ଆମ ଦେଶରେ ୬୦ ବର୍ଷୋତ୍ତରଙ୍କୁ ବରିଷ୍ଠ ନାଗରିକ ମାନ୍ୟତା ମିଳେI କେତେକ ଶ୍ରେଣୀର ସରକାରୀ ଓ ବେସରକାରୀ କର୍ମନିଯୁକ୍ତିରେ ୬୦ ବର୍ଷ ଅବସର ଗ୍ରହଣ ସୀମା ନିର୍ଦ୍ଧାରିତ ହୋଇଥିବା ସ୍ଥଳେ ଅନ୍ୟ କେତେକ ଶ୍ରେଣୀର ବୃତ୍ତିଧାରୀଙ୍କ ପାଇଁ ୬୫ ବର୍ଷ ଯାଏଁ କାର୍ଯ୍ୟକାଳ ସଂପ୍ରସାରିତ ହୋଇଥାଏ I ଓଡ଼ିଶାରେ କେବଳ ଡ଼ାକ୍ତରଙ୍କ ଅବସର ଗ୍ରହଣ ସୀମା ପୂର୍ବରୁ ୬୦ ଥିବାବେଳେ ୬୫ ବର୍ଷକୁ ଏବଂ ଅନ୍ୟାନ୍ୟ ସରକାରୀ କର୍ମଚ଼ାରୀଙ୍କ କ୍ଷେତ୍ରରେ ୫୮ ବର୍ଷରୁ ୬୦ ବର୍ଷକୁ ବୃଦ୍ଧି କରାଯାଇଛି I

 

ଆମ ରାଜ୍ୟର ଜନସଂଖ୍ୟା ୨୦୧୧ ଗଣନା ଅନୁଯାୟୀ ୪ କୋଟି ୨୦ ଲକ୍ଷ ଥିବାସ୍ଥଳେ ୨୦୧୮ ସୁଦ୍ଧା ପ୍ରାୟ ୪ କୋଟି ୫୦ ଲକ୍ଷ ହିସାବ କରାଯାଇପାରେ I ମୋଟ ଜନସଂଖ୍ୟାର ୯.୫ ପ୍ରତିଶତ ଅର୍ଥାତ ପ୍ରାୟ ୪୫ ଲକ୍ଷ ୬୦ ବର୍ଷୋତ୍ତର ବରିଷ୍ଠ ନାଗରିକ I ଏମାନଙ୍କ ମଧ୍ୟରେ ପ୍ରାୟ ୪ ଲକ୍ଷ ଅବସରପ୍ରାପ୍ତ ସରକାରୀ କର୍ମଚ଼ାରୀ ଅନ୍ତର୍ଭୁକ୍ତ I

 

ରାଜ୍ୟ ସରକାରଙ୍କ ପ୍ରତିକୂଳ ନିଯୁକ୍ତି ନୀତି ପ୍ରାଦୁର୍ଭାବରେ ବିଭିନ୍ନ ବିଭାଗରେ ବହୁ ସଂଖ୍ୟକ ପଦବୀ କର୍ମଚ଼ାରୀ ଶୂନ୍ୟ ହୋଇପଡ଼ିଥିବା ହେତୁ ଦୈନନ୍ଦିନ କାର୍ଯ୍ୟ ସମ୍ପାଦନ  ନିମନ୍ତେ ଆବଶ୍ୟକତା ଅନୁଯାୟୀ ସ୍ଥଳବିଶେଷରେ ଅବସରପ୍ରାପ୍ତ କର୍ମଚ଼ାରୀଙ୍କୁ ପୁନଃନିଯୁକ୍ତି ଦିଆଯାଇଥାଏ I ଏକ ହିସାବ ଅନୁଯାୟୀ ୨୦୧୮ ମଧ୍ୟଭାଗ ସୁଦ୍ଧା ବିଭିନ୍ନ ବିଭାଗରେ ପ୍ରାୟ ୫୦ ହଜାର ଅବସରପ୍ରାପ୍ତ କର୍ମଚ଼ାରୀ ଅସ୍ଥାୟୀଭାବେ ଅବସ୍ଥାପିତ ହୋଇଥିବା ଜଣାଯାଏ I ତେବେ ସରକାର ସେମାନଙ୍କୁ ହଟାଇଦେବା ନିମନ୍ତେ ନିଷ୍ପତ୍ତି ନେଇଛନ୍ତି I

 

ଦୈନିକ ‘ସମାଜ’ ୩ ସେପ୍ଟେମ୍ୱର ୨୦୧୮ ସଂସ୍କରଣରେ ପ୍ରକାଶିତ ବିବରଣୀରେ କୁହାଯାଇଥିଲା, “ଅବସରପ୍ରାପ୍ତ କର୍ମଚ଼ାରୀ ଏବେ ରାଜ୍ୟ ସରକାରଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛନ୍ତି I ସେମାନଙ୍କୁ ଥାଇଥାନ କରାଯିବା ଦ୍ୱାରା ନୂତନ ନିଯୁକ୍ତି ହାର କମି ଯାଉଛି I ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି I ଏଣିକି ଆଉ ଅବସରପ୍ରାପ୍ତ କର୍ମଚ଼ାରୀଙ୍କୁ ପୁନଃ ନିଯୁକ୍ତି ଦିଆଯିବ ନାହିଁ I ଅଦ୍ୟାବଧି ବିଭିନ୍ନ ବିଭାଗରେ ନିଯୁକ୍ତି ପାଇଥିବା ପ୍ରାୟ ୫୦ ହଜାର ଅବସରପ୍ରାପ୍ତ କର୍ମଚ଼ାରୀଙ୍କୁ ଛଟେଇ କରାଯିବ I ଯେଉଁ କର୍ମଚ଼ାରୀମାନେ ଅବସର ଗ୍ରହଣ ପରେ ଦୀର୍ଘ ୪ ବର୍ଷ ଧରି ନିଯୁକ୍ତି ପାଇ ସମୟକ୍ରମେ ନିଯୁକ୍ତି ସୀମା ବଢ଼ାଇ ଆସୁଛନ୍ତି ସେମାନଙ୍କୁ ଖୁବ୍ ଶୀଘ୍ର ଛଟେଇ କରାଯିବ I ଏନେଇ ଅଗଷ୍ଟ ୧୦ ତାରିଖରେ ମୁଖ୍ୟଶାସନ ସଚ଼ିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଛି I”

 

ରାଜ୍ୟର ୬୦ ବର୍ଷୋତ୍ତର ୪୫ ଲକ୍ଷ ବରିଷ୍ଠ ନାଗରିକଙ୍କ ମଧ୍ୟରେ ୫୦ ହଜାର ପୁନଃନିଯୁକ୍ତ ଅବସରପ୍ରାପ୍ତ କର୍ମଚ଼ାରୀଙ୍କ ସଂଖ୍ୟା ମାତ୍ର ଏକ ପ୍ରତିଶତ ଗଣିତ କରାଯାଉଥିଲେ ହେଁ କର୍ମକୁଶଳୀ ବୟଜ୍ୟୋଷ୍ଠଙ୍କ ପ୍ରତି ସରକାରୀ ଅଭିମୁଖ୍ୟ ସୁସ୍ୱଷ୍ଟ ବାରି ହୋଇଥାଏ I ଭାରତ ସରକାରଙ୍କ ଦ୍ୱାରା ପ୍ରକାଶିତ ପରିସଂଖ୍ୟାନ ଅନୁଯାୟୀ ରାଜ୍ୟର ପ୍ରାୟ ଏକ ଲକ୍ଷ ପରିବାରଙ୍କ ମଧ୍ୟରୁ ଗ୍ରାମାଞ୍ଚଳରେ ବସବାସ କରୁଥିବା ୫୨ ଲକ୍ଷ ପରିବାର ଖଟିଖିଆ ଓ ୨୦ ଲକ୍ଷ ପରିବାର କୃଷି କାର୍ଯ୍ୟ କରି ଜୀବିକା ନିର୍ବାହ କରନ୍ତି I ଅତଏବ ପ୍ରାୟ ୭୨ ପ୍ରତିଶତ ପରିବାରରେ ବସବାସ କରୁଥିବା ବରିଷ୍ଠ ନାଗରିକ ଆତ୍ମନିଯୁକ୍ତ ଥିବା ହେତୁ ସେମାନଙ୍କ ଲାଗି ସରକାରୀ ନିଯୁକ୍ତି ନୀତି ତାତ୍ପର୍ଯ୍ୟହୀନ I ସେହିପରି ସହରାଞ୍ଚଳରେ ବସବାସ କରୁଥିବା ସଂଖ୍ୟାଧିକ ପରିବାର ମଧ୍ୟ ଆତ୍ମନିଯୁକ୍ତିରେ ପରିପୁଷ୍ଟ I

 

ଜାତିସଂଘ ଦ୍ୱାରା ପ୍ରକାଶିତ ‘ହ୍ୟୁମାନ ଡ଼େଭଲାପମେଣ୍ଟ ରିପୋର୍ଟ’ ଅନୁଯାୟୀ ୧୯୪୭ରେ ସ୍ୱାଧୀନତା ଲାଭ ବେଳକୁ ଭାରତୀୟ ନାଗରିକଙ୍କ ପରମାୟୁ ୩୨ ବର୍ଷ ଥିବା ସ୍ଥଳେ ୨୦୧୬ରେ ୬୮.୮ ବର୍ଷକୁ ବୃଦ୍ଧି ପାଇଥିଲା I କିନ୍ତୁ ସରକାରୀ ନିଯୁକ୍ତି ନୀତି ଅନୁଯାୟୀ ସ୍ୱାଧୀନତା ପ୍ରାପ୍ତି କାଳରେ କର୍ମଚ଼ାରୀଙ୍କ ଅବସର ଗ୍ରହଣ ସୀମା ୫୮ ଥିବା ସ୍ଥଳେ ୨୦୧୮ରେ ତାହା ୬୦ ବର୍ଷକୁ ବୃଦ୍ଧି କରାଯାଇଛି I ଦୀର୍ଘ ୭୦ ବର୍ଷ ମଧ୍ୟରେ ପରମାୟୁ ୩୭ ବର୍ଷ ବୃଦ୍ଧି ପାଇଥିବା ସ୍ଥଳେ ଅବସର ସୀମା ମାତ୍ର ଦୁଇ ବର୍ଷ ବଢ଼ିଛିI ସରକାରୀସ୍ତରରେ ବାର୍ଦ୍ଧକ୍ୟ ପ୍ରତିକୂଳ ନୀତି ନିର୍ଦ୍ଧାରଣର ଏହା ଏକ ଜ୍ୱଳନ୍ତ ଉଦାହରଣ I

 

ଆନ୍ତର୍ଜାତିକସ୍ତରରେ ପରମାୟୁ ବୃଦ୍ଧିକୁ ବିଚ଼ାରକୁ ନେଇ ଅବସର ଗ୍ରହଣପରେ ପୁନଃକର୍ମନିଯୁକ୍ତିରେ ଗୁରୁତ୍ୱ ଦିଆଯାଉଛି I‘ହାୱାର୍ଡ ବିଜିନେସ ରିଭ୍ୟୁ’ର ୨୦୧୮ ନଭେମ୍ୱର ସଂସ୍କରଣରେ ପ୍ରକାଶିତ ପ୍ରଚ୍ଛଦ ପ୍ରସଙ୍ଗ ‘ୱେନ ନୋ ୱାନ ରିଟାୟର୍ସ’ନିବନ୍ଧରେ କୁହାଯାଇଛି ଯେ ବିଶ୍ୱବ୍ୟାପୀ ବରିଷ୍ଠ ନାଗରିକଙ୍କ ସଂଖ୍ୟା ବୃଦ୍ଧି ଓ ଶିଶୁ ଜନ୍ମ ହାର ହ୍ରାସ କାରଣରୁ ବିଭିନ୍ନ ଉଦ୍ୟୋଗରେ ପ୍ରଚଳିତ କର୍ମଚ଼ାରୀ ନିଯୁକ୍ତି ନୀତି ପରିବର୍ତ୍ତନ ଅବଶ୍ୟମ୍ଭାବୀ Iଏଣିକି କର୍ମକ୍ଷେତ୍ରରେ ପାଞ୍ଚ ପୀଢ଼ିର ଶ୍ରମିକ ନିୟୋଜିତ ହେବେ I

 

ଯୁକ୍ତରାଷ୍ଟ୍ର ଆମେରିକାର ‘ଷ୍ଟାନଫୋର୍ଡ ସେଣ୍ଟର ଫର ଲଂଜିଭିଟି’ରେ ଗବେଷଣାରୁ ଜଣାଯାଇଛି ଯେ ପରିବର୍ତ୍ତିତ ପରିବେଶରେ ବରିଷ୍ଠ ନାଗରିକମାନଙ୍କୁ ପୁନଃନିଯୁକ୍ତି ଲାଗି ଅନୁପଯୁକ୍ତ ମନେ କରିବା ଭ୍ରମାନ୍ତକ I ଅତୀତ ତୁଳନାରେ ସମକାଳରେ ବରିଷ୍ଠ ନାଗରିକମାନେ ସୁସ୍ଥ, ସବଳ ତଥା ନୂତନ ବିଚ଼ାରଧାରା ଗ୍ରହଣ କରିବାରେ ସକ୍ଷମ I ସେମାନଙ୍କ ଅଭିଜ୍ଞତା କର୍ମକ୍ଷେତ୍ରରେ ବିଭିନ୍ନ ସମସ୍ୟା ସମାଧାନରେ ସହାୟକ ହେବା ସାଙ୍ଗକୁ ଯୁବକୁଳ ଶ୍ରମିକମାନଙ୍କୁ ଉଚ଼ିତ ଦିଗଦର୍ଶନ ଦେଇପାରିବ I

 

ଅବସରପ୍ରାପ୍ତଙ୍କୁ ପୁନଃନିଯୁକ୍ତି କାଳରେ ବାର୍ଦ୍ଧକ୍ୟ ଅନୁକୂଳ ନୀତି ଅବଲମ୍ୱନରେ ସପ୍ତାହରେ କିଛି ଦିନ କିମ୍ୱା ଦୈନିକ କାର୍ଯ୍ୟସୂଚ଼ୀରେ କିଛି ଘଣ୍ଟା କାର୍ଯ୍ୟକରିବା ତଥା ଆବଶ୍ୟକତାମତେ କାର୍ଯ୍ୟଭାର ସମ୍ଭାଳିବାଭଳି ସୁବିଧା ସୁଯୋଗ ସୃଷ୍ଟି କରାଯାଇପାରେ I ଏତଦ୍ୱାରା ଏକ କୁଶଳୀ ବର୍ଦ୍ଧିତ ଜନସଂଖ୍ୟା ବିଭିନ୍ନ କ୍ଷେତ୍ରରେ ଉତ୍ପାଦନ ବୃଦ୍ଧିରେ ସହାୟକ ହୋଇପାରିବେ I ଏତଦ୍ବ୍ୟତୀତ ସମାଜର ଏକ ଅଂଶ କର୍ମନିଯୁକ୍ତି କାରଣରୁ ଶାରିରୀକ, ମାନସିକ ଓ ଅର୍ଥନୀତିକ ଦୃଷ୍ଟିରୁ ସ୍ୱଚ୍ଛଳଜୀବନ ଯାପନ କରିପାରିବେ I

 

ପାରମ୍ପରିକ ଭାବେ ବର୍ଦ୍ଧିତ ବୃଦ୍ଧଜନ ସଂଖ୍ୟା ଉତ୍ପାଦନ ହ୍ରାସର କାରଣ ତଥା ସାମାଜିକ ଆଙ୍ଗିକରେ ନିର୍ଭରଶୀଳ ହୋଇପଡୁଥିବା ହେତୁ ଏକ ବୋଝ ରୂପେ ବିବେଚ଼ନା କରାଯିବା ମାନସିକତା ପରିବର୍ତ୍ତନର ସମୟ ଉପନୀତ ବୋଲି ପ୍ରକାଶିତ ରଚ଼ନାରେ ଉଲ୍ଲେଖ କରାଯାଇଛି I ସରକାରୀସ୍ତରରେ ବାସ୍ତବ ସ୍ଥିତି ଅନୁଧ୍ୟାନ କରି ସମାଧାନର ପନ୍ଥା ନିର୍ଦ୍ଧାରଣ ପରିବର୍ତ୍ତେ ଖାମଖିଆଲିଭାବେ ନିଷ୍ପତ୍ତିଗ୍ରହଣ ଦୁର୍ଭାଗ୍ୟଜନକ I ଅବସରପ୍ରାପ୍ତ ସରକାରୀ କର୍ମଚ଼ାରୀଙ୍କ ପୁନଃନିଯୁକ୍ତି ରଦ୍ଦ ଓଡ଼ିଶାର ୯୯ ପ୍ରତିଶତ ବରିଷ୍ଠ ନାଗରିକଙ୍କୁ ପ୍ରଭାବିତ କରୁନଥିଲେ ମଧ୍ୟ ସରକାରୀ ମନୋଭାବ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ପ୍ରତିଫଳିତ ହୋଇଥାଏ ବୋଲି କୁହାଯାଇପାରେ । ଏତାଦୃଶ ବାର୍ଦ୍ଧକ୍ୟ ବିରୋଧି ଦୃଷ୍ଟିକୋଣରେ ପରିବର୍ତ୍ତନ ଆବଶ୍ୟକ I


 

ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ନଭେମ୍ୱର ୨୦୧୮

 

---

ତଥ୍ୟ:


ଅବସରପ୍ରାପ୍ତ କର୍ମଚ଼ାରୀଙ୍କ ପୁନଃ ନିଯୁକ୍ତି ବନ୍ଦ। ସମାଜ (ବ୍ରହ୍ମପୁର ସଂସ୍କରଣ) । ସେପ୍ଟେମ୍ବର ୩, ୨୦୧୮


https://hbr.org/cover-story/2018/11/when-no-one-retires

ବାର୍ଦ୍ଧକ୍ୟ ଜୀବନଚର୍ଯ୍ୟାରେ ଡ଼ିଜିଟାଲ ସମ୍ଭାବନା

ଯୁକ୍ତରାଷ୍ଟ୍ର ଆମେରିକା ଭଳି ବିକଶିତ ରାଷ୍ଟ୍ରଗୁଡ଼ିକରେ ବୃଦ୍ଧ ଜନସଂଖ୍ୟା କ୍ରମାଗତଭାବେ ବଢ଼ି ଚାଲିଥିବା ଅବସରରେ ବାର୍ଦ୍ଧକ୍ୟ ଜୀବନଚ଼ର୍ଯ୍ୟାରେ ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି I ଆମେରିକାରେ ୬୫ ବର୍ଷ ଓ ତଦୁର୍ଦ୍ଧ୍ୱ ବୟସ୍କ ବୃଦ୍ଧଜନ ପର୍ଯ୍ୟାୟଭୁକ୍ତ ହୋଇଥାନ୍ତି I ସେଠାରେ ୨୦୧୮ ବେଳକୁ ୫ କୋଟି ୧୦ ଲକ୍ଷ ବୃଦ୍ଧଜନ ବସବାସ କରୁଥିବା ସ୍ଥଳେ ୨୦୬୦ ବେଳକୁ ଦ୍ୱିଗୁଣିତ ହେବା କଳନା କରାଯାଉଛି I

 

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ଅବସ୍ଥାରେ ଆମେରିକାରେ ଉତ୍ତର-ବାର୍ଦ୍ଧକ୍ୟ ଜୀବନ ଯାପନ ନିମନ୍ତେ ଅବସର ବିହାର ‘ରିଟାୟରମେଣ୍ଟ କଲୋନୀ’ ତଥା ନର୍ସିଂହୋମ ଲୋକପ୍ରିୟ ହୋଇଥିଲା I ତେବେ ଏକବିଂଶ ଶତାଦ୍ଦୀର ଦ୍ୱିତୀୟ ଦଶକ ଶେଷାର୍ଦ୍ଧରେ ୮୭ ପ୍ରତିଶତ ବରିଷ୍ଠ ନାଗରିକ ନିଜ ଘରେ ରହି ଏକାକୀ ବାର୍ଦ୍ଧକ୍ୟ ଜୀବନ ଅତିବାହିତ କରିବା ପସନ୍ଦ କରୁଥିବା ‘ଆମେରିକାନ ଏସୋସିଏସନ ଅଫ ରିଟୋୟର୍ଡ ପରସନ୍ସ’ର ଏକ ସର୍ବେକ୍ଷଣରୁପ୍ରକାଶI ସେଠାକାର ମୋଟ ବାସଗୃହ ମଧ୍ୟରୁ ଏକ ତୃତୀୟାଂଶ ବାସଗୃହରେ ଅନ୍ୟୂନ ଜଣେ ୬୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ବରିଷ୍ଠ ନାଗରିକ ବସବାସ କରୁଥିବା ଜଣାଯାଏ I

 

ସହରୀସଭ୍ୟତା ପ୍ରଭାବିତ ଏକକ ପାରିବାରିକ ‘ନ୍ୟୂକ୍ଳିୟର’ ଆଙ୍ଗିକରେ ବୃଦ୍ଧଜନଙ୍କ ତତ୍ତ୍ୱାବଧାନ ନେବା ନିମନ୍ତେ ପାରିବାରିକ ସାମର୍ଥ୍ୟ ଅଭାବ ହେତୁ ଉତ୍ତର-ବାର୍ଦ୍ଧକ୍ୟରେ ନିର୍ଭରଶୀଳ ଜୀବନଯାତ୍ରା ନିମନ୍ତେ ରିଟାୟରମେଣ୍ଟ କଲୋନୀ ଓ ନର୍ସିଂହୋମଗୁଡ଼ିକରେ ନିଯୁକ୍ତ ବୃତ୍ତିଧାରୀଙ୍କ ସହଯୋଗ ମିଳୁଥିଲା I ଗୋଟିଏ ସ୍ଥାନରେ ବହୁ ସଂଖ୍ୟକ ବୟସ୍କ ବସବାସ କରୁଥିବାହେତୁ ବିଭିନ୍ନ ସୁବିଧା ସୁଯୋଗର ଉପଯୋଗ ସହଜସାଧ୍ୟ ପ୍ରମାଣିତ ହେଉଥିଲା I ତେବେ ପରିବର୍ତ୍ତିତ ପରିସ୍ଥିତିରେ ବରିଷ୍ଠ ନାଗରିକମାନେ ନିଜ ବାସଗୃହରେ ବିଚ୍ଛିନ୍ନଭାବେ ବସବାସ କରିବା ପ୍ରବାହ ‘ଟ୍ରେଣ୍ଡ’ ଆରମ୍ଭ ହୋଇଥିବା ସ୍ଥଳେ ସେମାନଙ୍କ ଜୀବନଯାତ୍ରାଲାଗି ସହାୟତା ଯୋଗାଇ ଦେବା ନିମନ୍ତେ ବିକଳ୍ପ ବ୍ୟବସ୍ଥା ଆରମ୍ଭ କରାଯାଉଛି I

 

ବାର୍ଦ୍ଧକ୍ୟରେ ଏକାକୀ ନିଜ ବାସଗୃହରେ ଜୀବନଚ଼ର୍ଯ୍ୟାକୁ ‘ଏଜିଂ-ଇନ-ପ୍ଳେସ’ ନାମିତ କରାଯାଇଛିI ସାଧାରଣରେ ଯେତେ କାଳ ସଂଭବ ନିଜ ବାସଗୃହରେ ପରିଚ଼ିତ ପରିବେଶରେ ବୟସ୍କ ନାଗରିକମାନେ ସମୟ ଅତିବାହିତ କରିବାକୁ ପସନ୍ଦ କରୁଥିବା କାରଣରୁ ସେମାନଙ୍କୁ ଆବଶ୍ୟକତାମତେ ତାଲିମପ୍ରାପ୍ତ ବୃତ୍ତିଧାରୀଙ୍କ ଦ୍ୱାରା ଦୈନନ୍ଦିନ ଜୀବନଯାତ୍ରାରେ ସହଯୋଗିତା ଯୋଗାଇଦେବା ନିମନ୍ତେ ବ୍ୟବସାୟ ବଢ଼ିବାରେ ଲାଗିଛି I ଏଭଳି ଉଦ୍ୟୋଗରେ ବାର୍ଷିକ କାରବାର  ପ୍ରାୟ ୩୫ ହଜାର କୋଟି ଟଙ୍କା ହିସାବ କରାଯାଉଛି I

 

କୁହାଯାଉଛି ଯେ ଆମେରିକାରେ ପ୍ରାୟ ୨୫ ହଜାର ଘରୋଇ ଉଦ୍ୟୋଗୀ ବରିଷ୍ଠ ନାଗରିକଙ୍କୁ ସେମାନଙ୍କ ବାସଗୃହରେ ଜୀବନଯାତ୍ରା ଲାଗି ସହାୟତା ଯୋଗାଇବା ସଂପୃକ୍ତ ରହିଛନ୍ତି I ଏହି ବ୍ୟବସାୟରେ ୨୨ ଲକ୍ଷ କର୍ମଚ଼ାରୀ ଘଣ୍ଟାପିଛା ପାଖାପାଖି ୫୦୦ ଟଙ୍କା ମଜୁରିରେ ନିଯୁକ୍ତ ଥିବା ଖ୍ୟାତନାମା ‘ଫାଇନାସିଆଲ ଟାଇମ୍ସ’ ସଂବାଦପତ୍ରରେ ପ୍ରକାଶିତ ହୋଇଥିଲା I ମୋଟାମୋଟିଭାବେ ଏଭଳି ସଂଗଠନମାନ ଛୋଟକାଟର ବ୍ୟବସାୟୀଙ୍କ ଦ୍ୱାରା ପରିଚ଼ାଳିତ Iଏମାନଙ୍କଦ୍ୱାରା ନିଯୁକ୍ତ କର୍ମଚ଼ାରୀମାନଙ୍କ ମଧ୍ୟରୁ ଅଳ୍ପସଂଖ୍ୟକ ପୁରାସମୟ ‘ଫୁଲ-ଟାଇମ’ ଓ ଅଧିକାଂଶ ସାମୟିକ ‘ପାର୍ଟ-ଟାଇମ’ ଭିତ୍ତିରେ କର୍ମରତI ତେବେ ପ୍ରାୟ ସମସ୍ତେ ତାଲିମପ୍ରାପ୍ତ I

 

ସମକାଳୀନ ମାର୍କିନ ସାହିତ୍ୟ ଅନୁଶୀଳନ କଲେ ସେଠାକାର ବୟସ୍କ ନାଗରିକ ରିଟାୟରମେଣ୍ଟ କଲୋନୀ ଓ ନର୍ସିଂହୋମ ପ୍ରତି ବିମୁଖ ହେବାର କେତେଗୋଟି କାରଣ ଚ଼ିହ୍ନଟ କରାଯାଇପାରେ I ବିଂଶ ଶତାଦ୍ଦୀର ଅଷ୍ଟମ ଦଶକରୁ ଲୋକପ୍ରିୟ ହୋଇଥିବା ଏତାଦୃଶ ବସତିଗୁଡ଼ିକରେ କେବଳ ବୃଦ୍ଧଜନଙ୍କ ମେଳରେ ଅନେକେ ଜୀବନ କାଟିବାକୁ ପସନ୍ଦ କରୁନାହାନ୍ତି I ଜୀବନବ୍ୟାପୀ ସାମାଜିକ ପରିବେଷ୍ଟନୀରେ ବିବିଧତାର ଅଭିଜ୍ଞତା ପରବର୍ତ୍ତୀ ଅବସ୍ଥାରେ ଏକକ ପରିବେଶ ତଥା ଧରାବନ୍ଧା ଜୀବନଶୈଳୀକୁ ଅନେକେ ଖାପ ଖୁଆଇ ପାରୁ ନାହାନ୍ତି I ତେଣୁ ପୂର୍ବ-ବାର୍ଦ୍ଧକ୍ୟ ଅର୍ଥାତ ସାଧ୍ୟମତେ ଶଯ୍ୟାଶାୟୀ ଅବସ୍ଥାରେ ପହଞ୍ଚିବା ଯାଏଁ ସ୍ୱାଧୀନଭାବେ, ନିଜସ୍ୱ ରୁଚ଼ିରେ, ବ୍ୟକ୍ତିଗତ ଆବାସରେ ଜୀବନ କଟାଇବାକୁ ଚ଼ାହୁଁଛନ୍ତି I

 

ବିଗତ ଅର୍ଦ୍ଧ ଶତାଦ୍ଦୀଧରି ଆମେରିକାରେ ବରିଷ୍ଠ ନାଗରିକମାନେ ଅନ୍ୟତମ ବିତ୍ତଶାଳୀ ଗୋଷ୍ଠୀରୂପେ ନିଜକୁ ପ୍ରତିଷ୍ଠିତ କରିଛନ୍ତି I ଜୀବନବ୍ୟାପୀ ସଞ୍ଚୟ ଅନେକଙ୍କୁ ସ୍ୱାଚ୍ଛନ୍ଦ୍ୟ ଜୀବନ ଯାପନ ନିମନ୍ତେ ପ୍ରଶସ୍ତ ସୁଯୋଗ ସୃଷ୍ଟି କରିଛି I ଆର୍ଥିକ ସ୍ୱଚ୍ଛଳତାକୁ କେନ୍ଦ୍ରକରି ଉପଭୋକ୍ତାଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବାର୍ଦ୍ଧକ୍ୟ ସେବା ଏକ ଶିଳ୍ପରୂପେ ଗଢ଼ି ଉଠୁଛି I ଅତ୍ୟାଧୁନିକ ବୈଷୟିକ କଳାକୌଶଳ ଉପଯୋଗରେ ବାର୍ଦ୍ଧକ୍ୟ-ପ୍ରତିକୂଳ ପାରମ୍ପରିକ ସମସ୍ୟାଗୁଡ଼ିକ ସମାଧାନର ସୂତ୍ର ଉନ୍ମୋଚ଼ନ ବିତ୍ତଶାଳୀଙ୍କୁ ବାର୍ଦ୍ଧକ୍ୟ ଜୀବନଚ଼ର୍ଯ୍ୟାରେ ସହାୟତା ପ୍ରଦାନ କରିପାରୁଛି I

 

ବରିଷ୍ଠ ନାଗରିକମାନଙ୍କୁ ଏକାକୀ ବାର୍ଦ୍ଧକ୍ୟ ଜୀବନଯାତ୍ରାରେ ସହଯୋଗ କରିବା ନିମନ୍ତେ ଡ଼ିଜିଟାଲ ବୈଷୟିକ କୌଶଳବ୍ୟବହାର ଆରମ୍ଭ ହୋଇଛି Iଏହା ବାର୍ଦ୍ଧକ୍ୟ ସେବା ପରିଚ଼ାଳନାକୁ ସୁଗମ କରିପାରୁଛି I‘ସ୍ମାର୍ଟ ହୋମ’ ପରିବେଶରେ ଜଣେ କୌଣସି ସୁଇଚ୍ ବା ବଟନ ନଛୁଇଁ ସ୍ୱର ‘ଭଏସ କମାଣ୍ଡ’ରେ ବିଭିନ୍ନ ଉପକରଣ ଚଳାଇବା ସମ୍ଭବପର I ଏଭଳି ସୁବିଧା ବାର୍ଦ୍ଧକ୍ୟ ଅନୁକୂଳ I ଦୂରଦୂରାନ୍ତରେ ଅବସ୍ଥାପିତ ପରିବାରବର୍ଗ ଓ ବନ୍ଧୁମାନେ ‘କେରିଂବ୍ରିଜ’ ନାମିତ ଏକ ୱେବସାଇଟ ସହାୟତାରେ ଜଣେ ବୟସ୍କଙ୍କ ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ବିଶଦ ବିବରଣୀ ଜାଣିପାରିବାର ବ୍ୟବସ୍ଥା ରହିଛି I‘କେରଜୋନ’ ଉପଯୋଗରେ ଜଣେ ବୟସ୍କକୁ ନିର୍ଦ୍ଧାରିତ ସମୟରେ ଔଷଧପତ୍ର ସେବନ ପରିଚ଼ାଳନାରେ ସହଯୋଗିତା ମିଳିପାରୁଛି I‘ହୋମ ଏଇଟ କେର’ ଜଣେ ବୟସ୍କ ବ୍ୟକ୍ତିଙ୍କ ଦୈନନ୍ଦିନ ଗତିବିଧି, ଏପରିକି ସେ ପଡ଼ିଯିବା ବା ହଠାତ ଅସୁସ୍ଥ ହୋଇପଡ଼ିବା ଅବସରରେ ଚ଼ିକିତ୍ସାର ସୁବନ୍ଦୋବସ୍ଥ ନିମନ୍ତେ ସୁଯୋଗ ସୃଷ୍ଟି କରିଥାଏ I

 

ସ୍ମାର୍ଟଫୋନ, ମୋବାଇଲ ଆପ୍ଲିକେସନ ଓ ଇଣ୍ଟରନେଟ ବ୍ୟବହାରରେ ବାର୍ତ୍ତାଳାପ, ମନୋରଞ୍ଜନଠାରୁ ଆରମ୍ଭ କରି କିଣାବିକା, ସ୍ୱାସ୍ଥ୍ୟସେବା ଯାଏଁ ବିଭିନ୍ନ କାର୍ଯ୍ୟସାଧନର ସୁବିଧାସୁଯୋଗ ଥିବାସ୍ଥଳେ ଆବଶ୍ୟକତା ଅନୁଯାୟୀ ଏକାକୀ ବସବାସ କରୁଥିବା ବରିଷ୍ଠ ନାଗରିକଙ୍କ ଦୈନନ୍ଦିନ ଜୀବନଯାତ୍ରା ନିମନ୍ତେ ସ୍ୱାଚ୍ଛନ୍ଦ୍ୟର ବ୍ୟବସ୍ଥା ପ୍ରଯୋଜନା ଅବଶ୍ୟମ୍ଭାବୀ Iଉଦାହରଣରେ ରେଫ୍ରିଜେରେଟରରେ ସେନସର ସଂଯୋଗ କରି ବରିଷ୍ଠ ନାଗରିକ ନିୟମିତ ଖାଦ୍ୟ ଖାଉଛନ୍ତି ନା ନାହିଁ ଅନ୍ୟମାନେ ସମୀକ୍ଷା କରିପାରିବେ କିମ୍ୱା ସ୍ମାର୍ଟ କବାଟର ତାଲାର ନବ ଦୀର୍ଘ ସମୟଧରି ନ ଖୋଲାଗଲେ କିଛି ଅଘଟଣର ଆଶଙ୍କା କରିହେବ ଇତ୍ୟାଦି I

 

ବାର୍ଦ୍ଧକ୍ୟରେ ନିଜ ଘରେ ନିଜେ ରହିବାକୁ ପସନ୍ଦ କରୁଥିବା ତଥା ନିହାତି ଆବଶ୍ୟକ ନ ପଡ଼ିଲେ ବରିଷ୍ଠ ନାଗରିକମାନେ କ୍ରମଶଃ ନର୍ସିଂହୋମ ଯିବାଲାଗି ଆଗ୍ରହୀ ନ ହେଉଥିବା କାରଣରୁ ଆମେରିକାରେ ନର୍ସିଂହୋମ ସଂଖ୍ୟା କମିବାରେ ଲାଗିଛି I ୨୦୦୦ ରୁ ୨୦୦୯ ନଅ ବର୍ଷ ମଧ୍ୟରେ ୯ ପ୍ରତିଶତ ନର୍ସିଂହୋମ ବନ୍ଦ ହୋଇଯାଇଥିବା ହିସାବ କରାଯାଇଥିଲା Iଅପରପକ୍ଷେ କାର୍ଯ୍ୟକ୍ଷମଥିବା ସଂସ୍ଥାଗୁଡ଼ିକରେ ସେବା ପ୍ରଦାନକାରୀଙ୍କ ସଂଖ୍ୟା ଯଥେଷ୍ଟ ନୁହେ I ସେଠାରେ ପ୍ରାୟ ୩୦ ଲକ୍ଷ ବୃତ୍ତିଧାରୀ ନର୍ସ ନିଯୁକ୍ତ ଥିବାସ୍ଥଳେ ବୟଜ୍ୟୋଷ୍ଠଙ୍କ ସେବା ନିମନ୍ତେ ଅଧିକ ସଂଖ୍ୟକ ତାଲିମପ୍ରାପ୍ତ ନର୍ସ ପଦବୀ ଖାଲି ପଡ଼ିଥିବା କୁହାଯାଉଛି I

 

ବାର୍ଦ୍ଧକ୍ୟ ଜୀବନଚ଼ର୍ଯ୍ୟାରେ ଡ଼ିଜିଟାଲ ସେବା ଉପଯୋଗ ଏକ ନୂତନ ସମୀକରଣ ସୃଷ୍ଟି କରିବା ନିଶ୍ଚିତ ପ୍ରାୟ I ଶିଳ୍ପବିପ୍ଳବ ପରବର୍ତ୍ତୀ ଅବସ୍ଥାରେ ସହରୀ ଜୀବନଯାତ୍ରା ପ୍ରଚ଼ଳନରେ କେବଳ ଆମେରିକା କାହିଁକି ବିଶ୍ୱବ୍ୟାପୀ ଯୌଥ ପାରିବାରିକ ଭିତ୍ତିଭୂମି ଭାଙ୍ଗିପଡ଼ିଥିବା ଅବସରରେ ବରିଷ୍ଠ ନାଗରିକଙ୍କୁ ଉତ୍ତର-ବାର୍ଦ୍ଧକ୍ୟରେ ନିର୍ଭରଶୀଳ ଜୀବନଯାପନ ପାଇଁ ଗଢ଼ିଉଠିଥିବା ରିଟାୟରମେଣ୍ଟ କଲୋନୀ ଓ ନର୍ସିଂହୋମଗୁଡ଼ିକର ଭୂମିକା ଡ଼ିଜିଟାଲ ସେବା ଯୋଗେ ବ୍ୟକ୍ତିଗତ ଆବାସଗୁଡ଼ିକରେ ସଂଭବପର ବୋଲି ବିଶ୍ୱାସ କରାଯାଇପାରେ I ଡ଼ିଜିଟାଲ ପରିବେଶରେ ବିଭିନ୍ନ ସେବା ପରିଚ଼ାଳନା ସରଳ ଓ ତୃଟିଶୂନ୍ୟ ପ୍ରମାଣିତ ହୋଇଥାଏ I

 

ଏକାକୀ ବାର୍ଦ୍ଧକ୍ୟ ଜୀବନ ବିତାଉଥିବା ବ୍ୟକ୍ତିବିଶେଷଙ୍କୁ ଆବଶ୍ୟକୀୟ ସେବା ଯୋଗାଣରେ ଡ଼ିଜିଟାଲ ପ୍ରଯୁକ୍ତି କୌଶଳ ଉପଯୋଗ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବା ସଂଭବପର I ସବୁଠାରୁ ବଡ଼ କଥା ହେଲା ଡ଼ିଜିଟାଲ ଉଦ୍ଭାବନଗୁଡ଼ିକ କ୍ଷୀପ୍ରଗତିରେ ବିଶ୍ୱବ୍ୟାପୀ କ୍ଷଣିକ ମଧ୍ୟରେ ଉପଯୋଗ ନିମନ୍ତେ ଭିତ୍ତିଭୂମି ସୃଷ୍ଟି କରିପାରିବ ଏବଂ ଏହାଦ୍ୱାରା ସଭିଏଁ ଉପକୃତ ହୋଇପାରିବେ I ଭାରତଭଳି ବିକାଶଶୀଳ ରାଷ୍ଟ୍ରଗୁଡ଼ିକରେ ମଧ୍ୟ ବାର୍ଦ୍ଧକ୍ୟ ଜୀବନଚ଼ର୍ଯ୍ୟାରେ ଏଭଳି ସୁବିଧାସୁଯୋଗ ସମୃଦ୍ଧ ସଂଭାବନା ଆଶା କରାଯାଇପାରେI

 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ସେପ୍ଟେମ୍ୱର ୨୦୧୮

 

***

 

ତଥ୍ୟ:

 

https://www.technewsworld.com/story/at-home-eldercare-goes-high-tech-85502.html

ବାର୍ଦ୍ଧକ୍ୟରେ ପ୍ରଦ୍ୟୋଗୀକି ସଂପୃକ୍ତି

ପ୍ରଦ୍ୟୋଗିକୀକୁ ଇଂଲିଶ ଶବ୍ଦ ଟେକନୋଲଜିର ଓଡ଼ିଆ ଅନୁବାଦ ରୂପେ ଗ୍ରହଣ କରାଯାଇପାରେ । ଟେକନୋଲଜିର ଅର୍ଥ ବୈଜ୍ଞାନିକ ଉଦ୍ଭାବନର ବ୍ୟାବହାରିକ ଦିଗକୁ ବୁଝାଇଥାଏ । ବାର୍ଦ୍ଧକ୍ୟରେ ପ୍ରଦ୍ୟୋଗିକୀ ସଂପୃକ୍ତି ବିଷୟରେ ଚର୍ଚ୍ଚା ବରିଷ୍ଠ ନାଗରିକମାନଙ୍କ ଦୈନନ୍ଦିନ ଜୀବନଚ଼ର୍ଯ୍ୟାରେ ସୂଚନା ପ୍ରଦ୍ୟୋଗିକୀ ଇନଫରମେସନ ଟେକନୋଲଜି ଠାରୁ ଆରମ୍ଭ କରି କୃତ୍ରିମ ବୁଦ୍ଧିମତ୍ତା ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ଭଳି କାରିଗରୀକୌଶଳ ଉପଯୋଗରେ ବିକଶିତ ବିଭିନ୍ନ ସାଜସରଞ୍ଜାମ ବ୍ୟବହାର ଧାରା ବିଶ୍ଳେଷଣ ଲାଗି ସୁଯୋଗ ସୃଷ୍ଟି କରେ ।

 

ପାରମ୍ପରିକଭାବେ କନିଷ୍ଠମାନଙ୍କ ତୁଳନାରେ ବରିଷ୍ଠମାନେ ଟେକନୋଲଜିଭିତ୍ତିକ ଆଧୁନିକ ଜ୍ଞାନ କୌଶଳ ବ୍ୟବହାରରେ ପଛୁଆ । ଏକବିଂଶ ଶତାଦ୍ଦୀର ପ୍ରଥମ ଦୁଇ ଦଶକରେ ବିଶ୍ୱବ୍ୟାପୀ ଇନଫରମେସନ ଟେକନୋଲଜିର ବ୍ୟାପକ ପ୍ରସାର, ମୁଖ୍ୟତଃ ଇଣ୍ଟରନେଟଆଶ୍ରିତ ମୋବାଇଲ ଫୋନ ଓ ସେଥିରେ ସନ୍ନିବେଶିତ ଆପ୍ଳିକେସନ୍ସର ବ୍ୟାପକ ବ୍ୟବହାର ଜନଜୀବନରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି । ଏହିଭଳି ସୁବିଧାସୁଯୋଗର ଫଳପ୍ରଦ ଉପଯୋଗରୁ ବଞ୍ଚିତ ରହିବା ବରିଷ୍ଠ ନାଗରିକମାନଙ୍କ ଜୀବନଯାତ୍ରାର ମାନବୃଦ୍ଧିରେ ପ୍ରତିବନ୍ଧକ ସାଜୁଥିବା ଉଦବେଗର ବିଷୟ ।

 

ବରିଷ୍ଠ ନାଗରିକମାନେ ଟେକନୋଲଜି ବ୍ୟବହାରରେ ଯଥାଯଥ ସାମର୍ଥ୍ୟ ହାସଲ କରିପାରୁନଥିବାର ଦୁଇଗୋଟି ମୁଖ୍ୟ ଦିଗ ଚ଼ିହ୍ନଟ କରାଯାଇପାରେ । ପ୍ରଥମଟି ମାନସିକ ଓ ଦ୍ୱିତୀୟଟି ଶାରିରୀକ । ଟେକନୋଲଜି ବିକଶିତ ଆଧୁନିକ ସାଜସରଞ୍ଜାମ ବ୍ୟବହାର ନୂତନ ଅଭିଜ୍ଞତା ହୋଇଥିବା କାରଣରୁ ସେସବୁର ବ୍ୟବହାର କାଳରେ ଉଦ୍ ବିଗ୍ନତା ଏଙ୍ଗଜାଇଟି ଉଦ୍ରେକ ସ୍ୱାଭାବିକ । ମନସ୍ତତ୍ତ୍ୱବିତମାନେ ଏହାକୁ କମ୍ପ୍ୟୁଟର ଏଙ୍ଗଜାଇଟି ନାମିତ କରିଥାନ୍ତି । ଗବେଷଣାଲବ୍ଧ ତଥ୍ୟ ଅନୁଯାୟୀ ଇଣ୍ଟରନେଟଭିତ୍ତିକ ସାଧନମାନ ବ୍ୟବହାର କାଳରେ ବରିଷ୍ଠ ନାଗରିକମାନେ ସରଞ୍ଜାମଗୁଡ଼ିକ ଭାଙ୍ଗିରୁଜି ଯିବା, ଭାଇରସ ସଂକ୍ରମଣ ତଥା ଭୂଲଭଟ୍ଟକା ହେତୁ ନିନ୍ଦିତ ହେବା ଭୟ କରିଥାନ୍ତି ।

 

ଅତୀତରେ ଟେକନୋଲଜି ବ୍ୟବହାରରେ ଅସଫଳ ଅଭିଜ୍ଞତା ଅନେକଙ୍କୁ ଏହି କ୍ଷେତ୍ରରେ ପୁନର୍ବାର ଉଦ୍ୟମରୁ କ୍ଷାନ୍ତ କରିଥାଏ । ନୂତନ ସାଧନଗୁଡ଼ିକ କିପରି ବ୍ୟବହାର କରାଯିବା ଉଚିତ ତାହା ଜାଣିପାରୁ ନଥିବା ହେତୁ ମାତ୍ରାଧିକ ସତର୍କ ହୋଇପଡ଼ନ୍ତି । ଏହି ପରିବେଶ ପ୍ରକାରାନ୍ତେ ବରିଷ୍ଠମାନଙ୍କୁ ଟେକନୋଲଜି ବ୍ୟବହାର ଲାଗି ନିରୁତ୍ସାହିତ କରିଥାଏ । ବହୁ କ୍ଷେତ୍ରରେ ବ୍ୟବହାର ପଦ୍ଧତି ଶିଖିବାରେ ସହାୟତା କିମ୍ୱା ଭୂଲଭଟକା ସୁଧାରିବା ନିମନ୍ତେ କୌଣସି ସୂତ୍ର ଖୋଜି ପାଆନ୍ତି ନାହିଁ ।

 

ମାନସିକସ୍ତରରେ ଟେକନୋଲଜି ବ୍ୟବହାର ଲାଗି ପ୍ରତିକୂଳ ପରିସ୍ଥିତି ସହ ଶାରୀରିକ କାରଣରୁ ବିଭିନ୍ନ ସାମଗ୍ରୀ ବ୍ୟବହାର ବରିଷ୍ଠଙ୍କ ଲାଗି ଅନୁପଯୁକ୍ତ ପ୍ରତୀୟମାନ ହୋଇଥାଏ । ଉଦାହରଣରେ ଟଚ ସ୍କ୍ରିନ ସ୍ମାର୍ଟଫୋନ ଓ ଟେବଲଟ କଥା ବିଚାର କରାଯାଉ । ବୟସାଧିକ ଅବସ୍ଥାରେ ଦୃଷ୍ଟି ଓ ଶ୍ରବଣ ଶକ୍ତି ବାଧିତ କାରଣରୁ ବହୁ ବ୍ୟକ୍ତି ଆଲୋକିତ ପରିବେଶରେ ଡ଼ିଜିଟାଲ ସ୍କ୍ରୀନ ବ୍ୟବହାର ନକରିପାରିବା ଏବଂ ଛୋଟ ଆକାର ଫଣ୍ଟ ଅକ୍ଷରଗୁଡ଼ିକ ସ୍ପଷ୍ଟ ପଢ଼ି ନପାରିବା ତଥା କ୍ଷୀଣ ସ୍ୱର ସ୍ଳୋ ଭଲ୍ୟୁମ ହେତୁ ଭଲଭାବେ ଶୁଣି ନପାରିବା ସମସ୍ୟା ଉପୁଜିଥାଏ । ଦୁର୍ବଳ ଅଙ୍ଗୁଳି ଲେଥର୍ଜି ଫିଙ୍ଗର ମଧ୍ୟ ଟଚ ସ୍କ୍ରୀନ ଲାଗି ଅନୁପଯୁକ୍ତ । ସର୍ବୋପରି ୬୫ ବର୍ଷୋତ୍ତର ଅବସ୍ଥାରେ ହାତ ଓ ଆଖି ମଧ୍ୟରେ ସଂହତି କୋଅର୍ଡିନେସନ ଅଭାବ ପରିଲକ୍ଷିତ ହୋଇଥାଏ ।

 

ଯୁକ୍ତରାଷ୍ଟ୍ର ଆମେରିକାରେ ପିଉ ରିସର୍ଚ୍ଚର ୨୦୧୪ ତଥ୍ୟ ଅନୁଯାୟୀ ୨୩ ପ୍ରତିଶତ ବରିଷ୍ଠ ନାଗରିକ ପଢ଼ିବାରେ ସମସ୍ୟା ଓ ୟୁରୋଷ୍ଟାଟ ୨୦୧୭ ତଥ୍ୟ ଅନୁଯାୟୀ ୟୁରେପୀୟ ଦେଶପୁଞ୍ଜରେ ୭୫ ବର୍ଷୋତ୍ତରଙ୍କ ମଧ୍ୟରେ ୯ ପ୍ରତିଶତ ଦୃଷ୍ଟି ଏବଂ ୧୮ ପ୍ରତିଶତ ଶ୍ରବଣ ସମସ୍ୟା ସମ୍ମୁଖୀନ । ମାନସିକ ଓ ଶାରିରୀକ ସହ ପାରିପାର୍ଶ୍ୱିକସ୍ତରରେ ପ୍ରତିକୂଳ ପରିବେଶ ଅନେକ ବରିଷ୍ଠ ନାଗରିକଙ୍କୁ ଟେକନୋଲଜି ବ୍ୟବହାର ଅଭ୍ୟାସରୁ ଦୂରେଇ ରଖେ । ଆର୍ଥିକ କ୍ଷମତା, ଶିକ୍ଷାଗତ ଯୋଗ୍ୟତା ଓ ଭୌଗଳିକ ପରିବେଶ ଟେକନୋଲଜି ବ୍ୟବହାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।

 

ବରିଷ୍ଠ ନାଗରିକମାନଙ୍କ ମଧ୍ୟରେ ଟେକନୋଲଜି ବ୍ୟବହାରରେ ଯୁକ୍ତରାଷ୍ଟ୍ର ଆମେରିକା ଅଗ୍ରଣୀ ।  ୱାର୍ଲଡ଼ ଇକନୋମିକ ଫୋରମର ତଥ୍ୟ ଅନୁଯାୟୀ ୨୦୧୯ ଆରମ୍ଭରେ ୭୦ ପ୍ରତିଶତ ମାର୍କିନ ବରିଷ୍ଠ ନାଗରିକ ଇଣ୍ଟରନେଟ ସଂଯୁକ୍ତ ହୋଇଥିଲେ । ସେଠାରେ ସମକାଳରେ ସଂଖ୍ୟାଧିକ ବରିଷ୍ଠ ନାଗରିକ ନିଜ ନିଜ ବାସଗୃହରେ ସ୍ୱାଧୀନଭାବେ ବାର୍ଦ୍ଧକ୍ୟ ଜୀବନ ଅତିବାହିତ କରିବା ନିମନ୍ତେ ଆଗ୍ରହ ପ୍ରକାଶ କରୁଥିବା ହେତୁ ଦୈନନ୍ଦିନ ଜୀବନଚ଼ର୍ଯ୍ୟାରେ ଟେକନୋଲଜି ବ୍ୟବହାରକୁ ଅଗ୍ରାଧିକାର ଦିଆଯାଉଥିବା ଲକ୍ଷ୍ୟ କରାଯାଏ ।

 

ଇଣ୍ଟରନେଟଭିତ୍ତିକ ବିଭିନ୍ନ ଆପ୍ଲିକେସନ ଯୋଗେ ବ୍ୟକ୍ତିମାନଙ୍କ ଓ ଅନୁଷ୍ଠାନଗୁଡ଼ିକ ସହ ପାଠ୍ୟ, ସ୍ୱର ଓ ଦୃଶ୍ୟ ଟେକ୍ସଟ, ଭଏସ, ଭିଡ଼ିଓ ମାଧ୍ୟମରେ ଯୋଗାଯୋଗ ସ୍ଥାପନ, ସ୍ମାର୍ଟ ୱାଚ଼ ଭଳି ପରିଧାନ ଯୋଗ୍ୟ ସାଜସରଞ୍ଜାମ ବ୍ୟବହାରରେ ସ୍ୱାସ୍ଥ୍ୟରକ୍ଷା ଓ ସୁରକ୍ଷା ତଥା ରୋବଟ, ସ୍ୱୟଂକ୍ରିୟ ମଟରଗାଡ଼ି ଆଟୋନମାସ ଭେଇକିଲ୍ସ ଏବଂ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ଉପଯୋଗ ବିଭିନ୍ନ ସେବା ଗ୍ରହଣର ସୂତ୍ର ପାଲଟିଛି ।

 

ସେହିପରି ଭଏସ ଏକ୍ଟିଭିଟେଡ଼ ଟେକନୋଲଜିରେ ବିନା ସ୍ପର୍ଶରେ ଯନ୍ତ୍ରପାତି ଚଳାଇବା କ୍ଷମତା ଏବଂ ସ୍ମାର୍ଟହୋମ ପରିବେଶ ନିୟନ୍ତ୍ରଣ କରିବା ସୁବିଧାସୁଯୋଗ ଉପଯୋଗ ବରିଷ୍ଠ ନାଗରିକମାନଙ୍କ ଜୀବନଯାତ୍ରା ନିମନ୍ତେ କ୍ରମଶଃ ଅପରିହାର୍ଯ୍ୟ ହୋଇପଡୁଛି । ନିକଟ ଭବିଷ୍ୟତରେ ଇଣ୍ଟରନେଟ ଅଫ ଥିଙ୍ଗସ, ଏକ୍ଟିଭ ଆସିଷ୍ଟେଡ଼ ଲିଭିଂ ଭଳି କାରିଗରୀକୌଶଳକୁ ବରିଷ୍ଠ ନାଗରିକମାନେ ବର୍ଦ୍ଧିତ ମାତ୍ରାରେ ବ୍ୟବହାର କରିବା ଆକଳନ କରାଯାଏ ।

 

ବିକଶିତ ରାଷ୍ଟ୍ରଗୁଡ଼ିକରେ ବରିଷ୍ଠ ନାଗରିକମାନେ ଟେକନୋଲଜିମୁହାଁ ହେବାର ଅନ୍ୟତମ କାରଣ ରୂପେ ବାର୍ଦ୍ଧକ୍ୟରେ ସେମାନଙ୍କ ଯତ୍ନ ନେବା ସକାଶେ ଲୋକବଳ ଅଭାବକୁ ଚ଼ିହ୍ନଟ କରାଯାଇପାରେ । ଏକ ଆକଳନ ଅନୁଯାୟୀ ଯୁକ୍ତରାଷ୍ଟ୍ର ଆମେରିକାରେ ୮୦ ବର୍ଷୋତ୍ତର ବରିଷ୍ଠ ନାଗରିକମାନଙ୍କ ଦୈନନ୍ଦିନ ଜୀବନଚ଼ର୍ଯ୍ୟାରେ ସହାୟକ ସଂଖ୍ୟା ୨୦୨୦ରେ ତିନି ଜଣ ଥିବା ସ୍ଥଳେ ୨୦୫୦ ବେଳକୁ ଜଣକ ସ୍ତରକୁ ଖସିଆସିବ । ଅର୍ଥାତ ବାର୍ଦ୍ଧକ୍ୟର ଯତ୍ନ ଟେକନୋଲଜି ହାତରେ ସମର୍ପି ଦେବା ବାଧ୍ୟବାଧକତାରେ ପରିଣତ ହେବା ସଂଭବ ।

 

ବିଭିନ୍ନ ରାଷ୍ଟ୍ରରେ ଆୟୋଜିତ ସର୍ବେକ୍ଷଣରୁ ଜଣାଯାଏ ଯେ ବାର୍ଦ୍ଧକ୍ୟରେ ଟେକନୋଲଜି ସଂପୃକ୍ତି ବରିଷ୍ଠ ନାଗରିକମାନଙ୍କ ଜୀବନଧାରଣ ମାନବୃଦ୍ଧିରେ ସହାୟକ ହୋଇଥାଏ । ସାମୂହିକସ୍ତରରେ ବୟସ୍କଙ୍କ ଯତ୍ନ ପରିଚାଳନାରେ ବିଭିନ୍ନ ସେବା ଯୋଗାଇଦେବା ନିମନ୍ତେ ନେଟୱାର୍କ ସ୍ଥାପନ ଜରୁରୀ ଏବଂ ଟେକନୋଲଜି ବ୍ୟବହାର ଭିନ୍ନ ତାହା ଅସଂଭବ । ଏହି କାରଣରୁ ଆଧୁନିକ ସାଜସରଞ୍ଜାମ ଗୁଡ଼ିକ କିପରି ବାର୍ଦ୍ଧକ୍ୟରେ ବ୍ୟବହାର ଅନୁକୂଳ ହୋଇପାରିବ ସେ ଦିଗରେ ଉଦ୍ଭାବକମାନେ ଯତ୍ନଶୀଳ ହେବା ଉଚିତ ବୋଲି ମତ ପ୍ରକାଶ ପାଇଥାଏ ।

 

କୌଣସି ଟେକନୋଲଜିଆଶ୍ରିତ ନୂତନ ଉତ୍ପାଦ ପ୍ରସ୍ତୁତି କାଳରେ ବରିଷ୍ଠ ନାଗରିକମାନଙ୍କ ମଧ୍ୟରେ ଅଧିକ ସଂଖ୍ୟାରେ ବିକ୍ରୀ ଲକ୍ଷ୍ୟ ଧାର୍ଯ୍ୟ ହେଉ ନଥିବା ହେତୁ ଡ଼ିଜାଇନରମାନେ ଏହି ସଂଖ୍ୟା ଲଘୁ ଗ୍ରାହକ ଶ୍ରେଣୀର ଆବଶ୍ୟକତାକୁ ଗୁରୁତ୍ୱ ଦେଇ ନଥାନ୍ତି । ତେବେ ଏଦିଗରେ ଚେତନା ପ୍ରସାର ଉଦ୍ୟମ କରାଗଲେ ସୁଫଳ ମିଳିବା ବିଶ୍ୱାସ କରାଯାଇପାରେ । ବରିଷ୍ଠ ନାଗରିକଙ୍କ ବର୍ଦ୍ଧିତ ଜନସଂଖ୍ୟା ଓ ଜୀବଦ୍ଦଶା ଟେକନୋଲଜି ବ୍ୟାବସାୟକୁ ଭବିଷ୍ୟତରେ ପ୍ରଭାବିତ କରିବା ଯୁକ୍ତିଯୁକ୍ତ ।

 

ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟବସ୍ଥା ଭିନ୍ନ ତାଲିମ ଅଭାବ ବରିଷ୍ଠ ନାଗରିକଙ୍କ ମଧ୍ୟରେ ଟେକନୋଲଜି ବ୍ୟବହାରରେ ଅନ୍ୟତମ ପ୍ରତିବନ୍ଧକ । ୱାର୍ଲ୍ଡ ଇକନୋମିକ ଫୋରମ ପ୍ରକାଶିତ ତଥ୍ୟ ଅନୁଯାୟୀ ଯୁକ୍ତରାଷ୍ଟ୍ର ଆମେରିକାରେ ୧୮ ରୁ ୨୯ ବର୍ଷ ବୟସ୍କଙ୍କ ମଧ୍ୟରେ ମାତ୍ର ୨୦ ପ୍ରତିଶତ ନୂତନ ଟେକନୋଲଜି ବ୍ୟବହାର ନିମନ୍ତେ ତାଲିମ ଆବଶ୍ୟକ କରୁଥିବା ସ୍ଥଳେ ୫୦ ରୁ ୬୪ ବର୍ଷ ବୟସ୍କଙ୍କ ମଧ୍ୟରେ ୪୦ ପ୍ରତିଶତ ଓ ୬୦ ବର୍ଷୋତ୍ତରଙ୍କ ମଧ୍ୟରେ ୫୦ ପ୍ରତିଶତ ତାଲିମ ଆବଶ୍ୟକ କରିଥାନ୍ତି । ଅତଏବ ବରିଷ୍ଠ ନାଗରିକଙ୍କ ମଧ୍ୟରେ ଟେକନୋଲଜି ବ୍ୟବହାର ବୃଦ୍ଧି ସକାଶେ ଅର୍ଥନୀତି, ଶିକ୍ଷା ଓ ବୟସ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ସ୍ଥଳେ ତାଲିମର ପ୍ରାଧାନ୍ୟକୁ ଅସ୍ୱୀକାର କରିହେବ ନାହିଁ ।

 

କେତେକ ଅଧ୍ୟୟନରୁ ଜଣାଯାଏ ଯେ ଅର୍ଥନୀତିକ ସ୍ୱଚ୍ଛଳତା ଓ ଶିକ୍ଷାଗତ ଯୋଗ୍ୟତାକୁ ଭିତ୍ତିକରି ଅନେକ ବରିଷ୍ଠ ନାଗରିକ ଟେକନୋଲଜିଆଶ୍ରିତ ସାଜସରଞ୍ଜାମ କ୍ରୟ କରୁଥିଲେ ସୁଦ୍ଧା ପୂର୍ଣ୍ଣମାତ୍ରାରେ ସେଗୁଡ଼ିକ ବ୍ୟବହାର କରିପାରନ୍ତି ନାହିଁ । ଟେକନୋଲଜି ବିକଶିତ ନୂତନ ସାଜସରଞ୍ଜାମ ଗୁଡ଼ିକ ବ୍ୟବହାର ଜନିତ ବାର୍ଦ୍ଧକ୍ୟ ଅନୁକୂଳ ତାଲିମ କାହାଦ୍ୱାରା ଓ କିପରି ଆୟୋଜନ କରାଯାଇପାରିବ ସେ ଦିଗରେ ଭାରତଭଳି ବିକାଶଶୀଳ ରାଷ୍ଟ୍ରଗୁଡ଼ିକରେ ବିଚାରବିମର୍ଷ କରିବା ସମୟ ଉପନୀତ । ପରିବର୍ତ୍ତିତ ପରିବେଶରେ ଭିଡ଼ିଓଭିତ୍ତିକ ବର୍ଣ୍ଣନାତ୍ମକ ଶିକ୍ଷଣୀୟ କାର୍ଯ୍ୟକ୍ରମ ପ୍ରଯୋଜନା ଓ ସାର୍ବଜନୀନ ସୋସିଆଲ ମିଡ଼ିଆ ମଞ୍ଚରେ ପ୍ରଦର୍ଶନକୁ ଏକ ପ୍ରସ୍ତାବ ରୂପେ ବିଚାର କରାଯାଇପାରେ ।

 

ପରିବର୍ତ୍ତିତ ଜୀବନଶୈଳୀ, ମୁଖ୍ୟତଃ ମହାମାରୀ-ପର ଜୀବନଯାତ୍ରା ବିଶ୍ୱବ୍ୟାପୀ କ୍ଷୀପ୍ର ଗତିରେ ଟେକନୋଲଜିଆଶ୍ରିତ ଡିଜିଟାଲ ମଞ୍ଚମୁହାଁ ହୋଇ ଚାଲିଥିବା ସ୍ଥଳେ ବରିଷ୍ଠ ନାଗରିକମାନେ ମୂଳସ୍ରୋତରୁ ବିଚ୍ୟୁତ ହେବା ସଂଭବ ନୁହେଁ । ଏହି ଅବସରରେ ସେମାନେ କିପରି ନୂତନ ଜ୍ଞାନକୌଶଳ ଆୟତ୍ତ କରିପାରିବେ ସେହି ଦିଗରେ ସେମାନଙ୍କ ମାନସିକ ପ୍ରସ୍ତୁତି ତାଲିମ ଆହରଣର ଭିତ୍ତିଭୂମି ପ୍ରସ୍ତୁତ କରିପାରିବ । ଓଡ଼ିଶାବାସୀଙ୍କ ହିତ ଦୃଷ୍ଟିରେ ଓଡ଼ିଆ ଭାଷାରେ ସାବଲୀଳ ତାଲିମ ପାଠ୍ୟକ୍ରମ ପ୍ରସ୍ତୁତି ଦିଗରେ କୌଣସି ସାମାଜିକ ଅନୁଷ୍ଠାନ କିମ୍ୱା ଟେକନୋଲଜି ଶିକ୍ଷାନୁଷ୍ଠାନ ଉଦ୍ୟମ କରିବା ବିଧେୟ । ଏହିଭଳି ଷ୍ଟାର୍ଟଅପ ଯୋଜନା ରୂପାୟନ ନିମନ୍ତେ ଟେକନୋଲଜି ଶିଳ୍ପ ତଥା ବଦାନ୍ୟ ସଂସ୍ଥା ପକ୍ଷରୁ ଅନୁଦାନ ସଂଗ୍ରହ ଅବଶ୍ୟ ସଂଭବପର ।


 

ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ସେପ୍ଟେମ୍ୱର ୨୦୨୦


 ---

 

ତଥ୍ୟ:

 

Dahlke, Deborah Vollmer (et.al.) No longer just for the young : 70% of seniors are now online. World Economic Forum. July 26, 2019.

 

Roupa, Zoe (et.al.) The use of technology by the elderly. Health Science Journal. https://www.hsj.gr

 

Jefferson, Robin Seaton. More seniors are embracing technology, But can they use it ? Forbes. June 28, 2019

ବାର୍ଦ୍ଧକ୍ୟ ଜୀବନଚ଼ର୍ଯ୍ୟା ଯତ୍ନରେ ଷ୍ଟାର୍ଟଅପ

ଉନ୍ନତ ପରିବେଶରେ ବାର୍ଦ୍ଧକ୍ୟ ଜୀବନଚ଼ର୍ଯ୍ୟାଜନିତ ଅନେକ ସମସ୍ୟା ଷ୍ଟାର୍ଟଅପ ମାଧ୍ୟମରେ ସମାଧାନ ସଂଭବପର I ଉନ୍ନତ ପରିବେଶର ଅର୍ଥ ଶିକ୍ଷିତ, ଆର୍ଥିକ ଓ ଅନ୍ୟାନ୍ୟ ସାମାଜିକ ସୂଚ଼କାଙ୍କ ଦିଗରୁ ଅଗ୍ରସର ତଥା ଇଣ୍ଟରନେଟ ସଂଯୁକ୍ତ ବସତିକୁ ବୁଝାଇଥାଏ I

 

ସାଧାରଣତଃ ନୂତନ ଆଙ୍ଗିକରେ ବିକଶିତ କ୍ଷୁଦ୍ର ବ୍ୟବସାୟ ଷ୍ଟାର୍ଟଅପ ନାମିତ I ସମୟକ୍ରମେ ଏଭଳି ବ୍ୟବସାୟ ବୃଦ୍ଧିପ୍ରାପ୍ତ ହେବା ତଥା ଏହାର ବ୍ୟାବସାୟିକ ଶୈଳୀ ଅନୁକରଣରେ ଅନ୍ୟତ୍ର ସମଧରଣର ବ୍ୟବସାୟ ଆରମ୍ଭ ସଂଭବପର I ଏହା ଅଣପାରମ୍ପରିକ ଉତ୍ପାଦନ ଓ ସେବାକୁ ନେଇ ଗଢ଼ି ଉଠୁଥିବା ହେତୁ ବ୍ୟାବସାୟିକ କ୍ଷେତ୍ରରେ ବିଫଳତାର ହାର ଅଧିକ I କିନ୍ତୁ ଯେଉଁ ସ୍ୱଳ୍ପ ସଂଖ୍ୟକ ସଫଳତା ହାସଲ କରନ୍ତି ସେଗୁଡ଼ିକ ବୃହତ ଉଦ୍ୟୋଗରେ ପରିଣତ ହୋଇଥାନ୍ତି I ଭାରତର ଇ-କମର୍ସ ମଞ୍ଚ ‘ଫ୍ଳିପକାର୍ଟ’ ଏକ ଉଦାହରଣ I

 

ଷ୍ଟାର୍ଟଅପରେ ଅମୀମାଂସିତ ସମସ୍ୟାଗୁଡ଼ିକର ସମାଧାନ ନିମନ୍ତେ ଉଦ୍ୟମ କରାଯାଇଥାଏ I ସମସାମୟିକ ଭାରତୀୟ ସମାଜରେ ଏକକ ପାରିବାରିକ ଢ଼ାଞ୍ଚା ‘ନିଉକ୍ଳିୟର ଫେମିଲି’ ପ୍ରସାରଲାଭ କରିବା ଅବସରରେ ସହର ଓ ଗ୍ରାମାଞ୍ଚଳ ସର୍ବତ୍ର ବରିଷ୍ଠ ନାଗରିକମାନେ ପାରିବାରିକ ପରିବେଷ୍ଟନୀ ଅଭାବରେ ନିଃସଙ୍ଗ ହୋଇପଡୁଥିବା ଏକ ଗୁରୁତ୍ୱପୂର୍ଣ୍ଣ ସମସ୍ୟା I ଅନ୍ୟାନ୍ୟ ପରିଣତି ମଧ୍ୟରେ ନିଃସଙ୍ଗତା ମାନସିକ ଅବସାଦ ‘ଡ଼ିପ୍ରେସନ’ ଭଳି ଅବସ୍ଥାରେ ପର୍ଯ୍ୟବସିତ ହୋଇଥାଏ I ଆନ୍ତର୍ଜାତିକସ୍ତରରେ ବରିଷ୍ଠ ନାଗରିକଙ୍କ ମଧ୍ୟରେ ଡ଼ିପ୍ରସେନ ହାର ୫ ରୁ ୧୬ ପ୍ରତିଶତରେ ସୀମିତ ଥିବାସ୍ଥଳେ ଭାରତରେ ୨୧.୯ ପ୍ରତିଶତ ହିସାବ କରାଯାଉଛି I ଅତଏବ ଏକ ପଞ୍ଚମାଂଶରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକଙ୍କୁ ନିଃସଙ୍ଗତାମୁକ୍ତ କରିବା ନିମନ୍ତେ ବ୍ୟାବସାୟିକ ଉଦ୍ୟମ ଷ୍ଟାର୍ଟଅପ ପରିସରଭୁକ୍ତ I ସିଲଭର ଟାକିଜ, ଆଇଭିଏଚ ସିନିୟର କେର ଓ ସମର୍ଥ ଭଳି କେତେକ ଷ୍ଟାର୍ଟଅପ ଏହି କ୍ଷେତ୍ରରେ ଅଗ୍ରଣୀI

 

ସହରାଞ୍ଚଳରେ ଏକୁଟିଆ ବସବାସ କରୁଥିବା ବରିଷ୍ଠ ନାଗରିକଙ୍କୁ ଏଭଳି ଷ୍ଟାର୍ଟଅପ ପ୍ରଦତ୍ତ ସହଯୋଗିତା ଉପଭୋଗ ନିମନ୍ତେ ସେମାନଙ୍କ ବ୍ୟବସାୟରେ ସଦସ୍ୟଭୁକ୍ତ ହେବାକୁ ପଡିଥାଏ I ସଦସ୍ୟଚ଼ାନ୍ଦା ମାସିକ ୧,୫୦୦ ରୁ ୨,୫୦୦ ଟଙ୍କା ଯାଏଁ ଧାର୍ଯ୍ୟ ହୋଇଥାଏ ଏବଂ ୫୫ ବର୍ଷୋତ୍ତର ପୁରୁଷ କିମ୍ୱା ମହିଳା ସୁଯୋଗ ଗ୍ରହଣ କରିପାରନ୍ତି I ସଦସ୍ୟମାନଙ୍କ ନିମନ୍ତେ ୨୪ ଘଣ୍ଟା ଜରୁରି ପରିସ୍ଥିତିରେ ସହାଯ୍ୟ, ସ୍ୱାସ୍ଥ୍ୟସେବା, ବାସଗୃହ ରକ୍ଷଣାବେକ୍ଷଣ, ସୁରକ୍ଷା, ସାମାଜିକ ଉତ୍ସବାନୁଷ୍ଠାନ ଆୟୋଜନ ଓ ଭ୍ରମଣ ସହଚ଼ର୍ଯ୍ୟର ବ୍ୟବସ୍ଥା ଉପଲବ୍ଧ I ଅବଶ୍ୟକମତେ ବ୍ୟକ୍ତିଗତସ୍ତରରେ ସଦସ୍ୟମାନେ ଏଭଳି ସେବା ଗ୍ରହଣ କରିଥାନ୍ତି ଏବଂ ଏଥି ନିମନ୍ତେ ମୂଲ୍ୟ ମଧ୍ୟ ଦେବାକୁ ପଡିଥାଏ I

 

ମେଟ୍ରୋ ସହରାଞ୍ଚଳରେ ଆରମ୍ଭ ହୋଇଥିବା ଏଭଳି ଷ୍ଟାର୍ଟଅପ ବ୍ୟବସାୟ ବରିଷ୍ଠ ନାଗରିକମାନଙ୍କୁ ଦୈନନ୍ଦିନ ଜୀବନଯାତ୍ରାରେ ସହାୟତା ଯୋଗାଇବାରେ ଅଭିଜ୍ଞତା ହାସଲ କରି କ୍ରମଶଃ ୨ୟ ଓ ୩ୟ ସ୍ତରର ସହରାଞ୍ଚଳକୁ ସଂପ୍ରସାରିତ ହେବା ଆରମ୍ଭ କରିଛି I ଗ୍ରାମାଞ୍ଚଳରେ ଆଖପାଖ ଗ୍ରାମପୁଞ୍ଜକୁ କେନ୍ଦ୍ରକରି ଏହିଭଳି ବ୍ୟବସାୟ ପ୍ରଯୋଜନା କରାଯାଇପାରେ I ବରିଷ୍ଠ ନାଗରିକଙ୍କୁ ବନ୍ଧୁବାନ୍ଧବଙ୍କ ଘରକୁ ଯାତାୟତ ତଥା ଧାର୍ମିକ ଅନୁଷ୍ଠାନ ପରିଦର୍ଶନ ଲାଗି ଯାନବାହନର ବ୍ୟବସ୍ଥା କରିବା, ବ୍ୟାଙ୍କ ଓ ପୁଞ୍ଜିବଜାରରେ ଅର୍ଥନିବେଶ ତଥା ଇଣ୍ଟରନେଟ ଓ ଡିଜିଟାଲ ଆର୍ଥିକ କାରବାର ଭଳି ନୂତନ କଳାକୌଶଳ ସଂପର୍କରେ ତାଲିମ ଦେବା ନିମନ୍ତେ ମଧ୍ୟ ଷ୍ଟାର୍ଟଅପଗୁଡ଼ିକ ପକ୍ଷରୁ ସହଯୋଗ ପ୍ରଦାନ କରିଥାନ୍ତି I

 

ପ୍ରଚଳିତ ଧାରାରେ ବାର୍ଦ୍ଧକ୍ୟ ଜୀବନଚ଼ର୍ଯ୍ୟା ଯତ୍ନ ଷ୍ଟାର୍ଟଅପଗୁଡ଼ିକରେ ପ୍ରତିରକ୍ଷା ବିଭାଗର ଅବସରପ୍ରାପ୍ତ କର୍ମଚ଼ାରୀଙ୍କୁ ନିଯୁକ୍ତ କରାଯାଉଛି I ଏତାଦୃଶ ପରିବେଶ ବରିଷ୍ଠ ନାଗରିକଙ୍କ ମଧ୍ୟରେ ସୁରକ୍ଷିତ ଅନୁଭବ ସୃଷ୍ଟି କରୁଥିବା ସ୍ଥଳେ ଯବାନମାନଙ୍କୁ ଥଇଥାନ ସଂଭବ ହୋଇପାରୁଛି I ବରିଷ୍ଠ ନାଗରିକଙ୍କ ସହଚ଼ର୍ଯ୍ୟ ନିମନ୍ତେ ନିଯୁକ୍ତ କର୍ମଚ଼ାରୀଙ୍କ ମଧ୍ୟରେ ସମୟାନୁବର୍ତ୍ତିତା, କାର୍ଯ୍ୟଦକ୍ଷତା ଓ କର୍ତ୍ତବ୍ୟନିଷ୍ଟା ଆବଶ୍ୟକ I ଅସୁସ୍ଥଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି ତଥା ପରବର୍ତ୍ତୀ ଅବସ୍ଥାରେ ସେବା ଶୁଶୃଷା ନିମନ୍ତେ ନର୍ସ, ରନ୍ଧନ ପଥ୍ୟ ଖାଦ୍ୟ ବଣ୍ଟନ ଓ ଡ଼ାକ୍ତରଙ୍କ ସହ ଯୋଗାଯୋଗ ନିମନ୍ତେ ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟସେବାର ଏକ ବିଶିଷ୍ଟ ଆବଶ୍ୟକତା ହୋଇଥିବା ହେତୁ ଷ୍ଟାର୍ଟଅପମାନେ ଏଦିଗରେ ମଧ୍ୟ ଦକ୍ଷତା ମନୋନିବେଶ କରୁଛନ୍ତି I

 

ପାରିବାରିକ ସହଯୋଗ ଅଭାବରେ ବ୍ୟାବସାୟିକ ସୂତ୍ରରେ ବାର୍ଦ୍ଧକ୍ୟ ଜୀବନଚ଼ର୍ଯ୍ୟା ଯତ୍ନ ପ୍ରଦାନ ନିମନ୍ତେ ଅବସର ବିହାର, ଜରାଶ୍ରମ ଓ ହସପିସ ଭଳି ଆନୁଷ୍ଠାନିକ ସେବା ପ୍ରଦାନକାରୀ ସଂସ୍ଥାମାନ ରହିଛି I ତେବେ ବାର୍ଦ୍ଧକ୍ୟରେ ସାଧ୍ୟମତେ ନିଜ ବାସଗୃହରେ ବସବାସ କରୁଥିବା ବରିଷ୍ଠ ନାଗରିକମାନଙ୍କ ନିମନ୍ତେ ଅନୁରୂପ ସୁବିଧା ସୁଯୋଗ ପ୍ରଦାନ ନିମନ୍ତେ ଷ୍ଟାର୍ଟଅପ ବ୍ୟବସାୟ ଏକ ନୂତନ ସଂଭାବନା ସୃଷ୍ଟି କରିଛି I ଅର୍ଥନୀତିକ ଦିଗରୁ ସ୍ୱଚ୍ଛଳ ବରିଷ୍ଠ ନାଗରିକଙ୍କ ପାଇଁ କ୍ରମବର୍ଦ୍ଧମାନ ଶ୍ରମଶକ୍ତି ବିନିଯୋଗରେ ବାର୍ଦ୍ଧକ୍ୟ ଜୀବନଚ଼ର୍ଯ୍ୟାଜନିତ ଯତ୍ନ ସଂଭବପର I

 

ସାମାଜିକସ୍ତରରେ ବିଭିନ୍ନ ସମସ୍ୟା ସମାଧାନ ନିମନ୍ତେ ଷ୍ଟାର୍ଟଅପଗୁଡ଼ିକ ପକ୍ଷରୁ ଉଦ୍ୟମ ଜାରି ରହିଥିବା ସ୍ଥଳେ ପ୍ରଯୁକ୍ତି ବିଜ୍ଞାନ ବିକଶିତ ‘ଇଣ୍ଟରନେଟ ଅଫ ଥିଙ୍ଗସ’ (ଆଇଓଟି) କଳାକୌଶଳ ସହଯୋଗ କରୁଛି I ଆଇଓଟି ଉଦାହରଣ ରୂପେ ‘ସ୍ମାର୍ଟକବଚ଼’ର କାର୍ଯ୍ୟଧାରା ବର୍ଣ୍ଣନା କରାଯାଇପାରେ I କଳ କାରଖାନାରେ ଅସଂଖ୍ୟ ଶ୍ରମିକ ଓ କର୍ମଚ଼ାରୀ ନିଯୁକ୍ତ ହୋଇଥାନ୍ତି I ସେମାନେ ହଠାତ ଅସୁସ୍ଥ ହୋଇପଡିଲେ ଉତ୍ପାଦନ ବାଧାପ୍ରାପ୍ତ ହୁଏ I ତେଣୁ ଶ୍ରମଶକ୍ତିର ସ୍ୱାସ୍ଥ୍ୟରକ୍ଷା ତଥା ଆବଶ୍ୟକ କ୍ଷେତ୍ରରେ ତୁରନ୍ତ ଚ଼ିକିତ୍ସା ନିମନ୍ତେ ପରିଚ଼ାଳନା କର୍ତ୍ତୃପକ୍ଷ ଯତ୍ନବାନ ହୋଇଥାନ୍ତି I

 

‘ସ୍ମାର୍ଟ କବଚ’ ବ୍ୟବହାର କରୁଥିବା ଶିଳ୍ପ ପ୍ରତିଷ୍ଠାନଗୁଡ଼ିକରେ ପ୍ରତ୍ୟେକ ଶ୍ରମିକ ଓ କର୍ମଚ଼ାରୀଙ୍କୁ ଏକ ହାତବନ୍ଧା ‘ବ୍ୟାଣ୍ଡ’ ପିନ୍ଧିବାକୁ ଦିଆଯାଏ I ଏହା ସେମାନଙ୍କ ରକ୍ତଚ଼ାପ, ହୃଦସ୍ପନ୍ଦନ ଭଳି ସ୍ୱାସ୍ଥ୍ୟଗତ ତଥ୍ୟ ଅନବରତ ରେକର୍ଡ କରିଥାଏ I କୃତ୍ରିମ ବୁଦ୍ଧିମତ୍ତା ପ୍ରୟୋଗରେ କେହି ସ୍ୱାସ୍ଥ୍ୟଗତ ସମସ୍ୟାର ଆଶଙ୍କା ଚ଼ିହ୍ନଟ ହେଲେ ତୁରନ୍ତ କର୍ତ୍ତୃପକ୍ଷଙ୍କ ନଜରକୁ ଆଣିଥାଏ ଏବଂ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରାଯାଇଥାଏ I

 

ଆଇଓଟି ଉପଯୋଗରେ ବାର୍ଦ୍ଧକ୍ୟ ଜୀବନଚ଼ର୍ଯ୍ୟା ଯତ୍ନରେ ବହୁବିଧ ଉପଯୋଗ ସଂଭପର Iଊଦାହରଣରେ ପରିସଂଖ୍ୟାନ ଅନୁଯାୟୀ ୭୫ ବର୍ଷୋତ୍ତର ଅର୍ଦ୍ଧେକ ବରିଷ୍ଠ ନାଗରିକ ଏକାକୀ ଜୀବନଯାପନ କରିଥାନ୍ତି I ସେମାନଙ୍କ ସ୍ୱାସ୍ଥ୍ୟର ଯତ୍ନ ତଥା ସ୍ୱାସ୍ଥ୍ୟଜନିତ ଅବନତିର ପୂର୍ବସୂଚ଼ନା ଡ଼ାକ୍ତରଙ୍କଠାରେ ପହଞ୍ଚିପାରିଲେ ଅସୁସ୍ଥତା ନିବାରଣ କ୍ଷେତ୍ରରେ ସଫଳତା ବହୁଗୁଣ ବଢ଼ିଯିବ I‘ରକ୍ଷାକବଚ’ ଭଳି ଅଳ୍ପମୂଲ୍ୟରେ ବିକ୍ରୀ ନିମନ୍ତେ ଉପଲବ୍ଧ କାରିଗରୀ କୌଶଳ ଆଧାରରେ ସହର କିମ୍ୱା ଗ୍ରାମପୁଞ୍ଜଗୁଡ଼ିକରେ ସାମୂହିକ ବାର୍ଦ୍ଧକ୍ୟ ସ୍ୱାସ୍ଥ୍ୟସେବା ବିକଶିତ ହୋଇପାରିବ I

 

ଆନ୍ତର୍ଜାତିକସ୍ତରରେ ଆଇଓଟିର ବ୍ୟବହାର ବଢ଼ିଚ଼ାଲିଛି I ଭାରତରେ ଏହି ଜ୍ଞାନକୌଶଳ ବିଳମ୍ୱରେ ଉପଯୋଗର ଧାରା ଆରମ୍ଭ ହେଇଥିଲେ ହେଁ ବ୍ୟାବସାୟିକ ଗବେଷଣା ସଂସ୍ଥାଗୁଡ଼ିକର ପୂର୍ବାନୁମାନରେ ଆଗାମୀ ଦୁଇ ବର୍ଷ ମଧ୍ୟରେ ଆଠରୁ ନଅ ଗୁଣ ବଢ଼ିବା ଆଶା କରାଯାଉଛି I ଆଇଓଟି ବିକାଶଲାଗି ପ୍ରୋସେସର ଚ଼ିପ ଓ ଆନୁସଙ୍ଗିକ ସାଜସରଞ୍ଜାମ ଦେଶରେ ସହଜ ଓ ଶସ୍ତାରେ ମିଳିବା ଆରମ୍ଭ ହୋଇଥିବା ପରିପ୍ରେକ୍ଷୀ ଅଗ୍ରଣୀ ଇଞ୍ଜିନିୟରିଂ ମହାବିଦ୍ୟାଳୟର ଛାତ୍ରମାନେ ନୂତନ ଉତ୍ପାଦନମାନ ବିକାଶରେ ମନୋନିବେଶ କରୁଥିବା ଶୁଭ ସୂଚ଼ନା I

 

ଷ୍ଟାର୍ଟଅପ ଯୋଗେ ପରିଚ଼ାଳନା ଓ ଆଇଓଟି ଯୋଗେ ବୈଷୟିକ ସୁବିଧାସୁଯୋଗ ଉପଯୋଗରେ ବାର୍ଦ୍ଧକ୍ୟ ଜୀବନଚ଼ର୍ଯ୍ୟା ଯତ୍ନରେ ବିକଳ୍ପ ପରିବେଶ ସୃଷ୍ଟି ନିମନ୍ତେ ସମ୍ଭାବନା ଥିବା ସ୍ଥଳେ ଏଭଳି କଳାକୌଶଳ କିପରି ବାସ୍ତବ କ୍ଷେତ୍ରରେ ଓଡ଼ିଶାର ଆଞ୍ଚଳିକ ସମସ୍ୟାଗୁଡ଼ିକ ସମାଧାନରେ ସହାୟକ ହୋଇପାରିବ ସେ ଦିଗରେ ବିଚ଼ାରବିମର୍ଷ କରିବା ନିମନ୍ତେ ସମୟ ଉପନୀତ I ପ୍ରାଥମିକସ୍ତରରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ବରିଷ୍ଠନାଗରିକମାନେ କେଉଁ କେଉଁ ସମସ୍ୟାର ସମାଧାନ ଅଗ୍ରାଧୀକାରଭିତ୍ତିରେ ଆବଶ୍ୟକ କରୁଛନ୍ତି ସେଗୁଡ଼ିକ ଚ଼ିହ୍ନଟ କରି ତାହା ଷ୍ଟାର୍ଟଅପ ପ୍ରାୟୋଜକ ଓ ଆଇଓଟି ଗବେଷକମାନଙ୍କ ସମ୍ମୁଖରେ ଉପସ୍ଥାପନ କରିବାକୁ ପଡ଼ିବ I ଏହି ଉପାୟରେ ପ୍ରକୃତ ଆବଶ୍ୟକତା ଓ ତାହାର ସମାଧାନର ସୂତ୍ର ଖୋଜିବାହାର କରିବାଲାଗି ଗବେଷଣା ତଥା ପ୍ରଣୟନ ସାବଲୀଳ ହୋଇପାରିବ I

 

ଓଡ଼ିଶାରେ ଷ୍ଟାର୍ଟଅପ ପ୍ରବାହ ମଙ୍ଗ ଧରୁଛି I ରାଜ୍ୟ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ୨୦୧୮ ନଭେମ୍ୱର ଶେଷରେ ସୂଚ଼ନା ଦେଇଥିଲେ ଯେ ୨୦୧୭ ଓ ୨୦୧୮ ମଧ୍ୟରେ ୧୮ ମାସରେ ରାଜ୍ୟରେ ୩୧୦ ଗୋଟି ଷ୍ଟାର୍ଟଅପ ଓ ନଅ ଗୋଟି ଇନକ୍ୟୁବେଟର ପଞ୍ଜୀକୃତ ହୋଇଛି I ସେଥିମଧ୍ୟରୁ ୪୦ ଗୋଟି ଉଦ୍ୟୋଗକୁ ସରକାରୀ ସହାୟତା ଯୋଗାଇ ଦିଆଯାଇଛି ଏବଂ ୧୦୦ ଗୋଟି ଉଦ୍ୟୋଗ ମହିଳାମାନଙ୍କ ମାଲିକାନାରେ ରହିଛି I ଓଡ଼ିଶା ଷ୍ଟାର୍ଟଅପ ନୀତି ୨୦୧୮ ମାର୍ଚ୍ଚ ମାସରେ ସଂଶୋଧନ କରାଯାଇଛି ଏବଂ ରାଜ୍ୟର ଷ୍ଟାର୍ଟଅପ ପରିବେଶରେ ୩୩ ପ୍ରତିଶତ ମହିଳା ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ସ୍ଥିରୀକୃତ ହୋଇଛି I

 

ଭାରତରେ ୨୦୧୮ ଶେଷ ବେଳକୁ ପ୍ରାୟ ୬୦ ରୁ ୬୫ ପ୍ରତିଶତ ଷ୍ଟାର୍ଟଅପ ଆଇଓଟି ଜ୍ଞାନକୌଶଳ କେନ୍ଦ୍ରୀକ ପ୍ରକଳ୍ପ ରୂପେ ବିକଶିତ ହେଉଥିବା ହିସାବ କରାଯାଇଛି I ଓଡ଼ିଶାରେ ୨୦୧୭ ଓ ୨୦୧୮ରେ ଆରମ୍ଭ ହୋଇଥିବା ଷ୍ଟାର୍ଟଅପଗୁଡ଼ିକ ମଧ୍ୟରେ କେତେ ସଂଖ୍ୟାରେ ବାର୍ଦ୍ଧକ୍ୟ ଜୀବନଚର୍ଯ୍ୟା ଉପଯୋଗୀ ପ୍ରକଳ୍ପ କାର୍ଯ୍ୟଆରମ୍ଭ କରିଛି ସେ ସଂପର୍କୀତ ତଥ୍ୟ ସଂକଳନ କରାଯାଇ ପାରିନାହିଁ I ତେବେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ବୃଦ୍ଧି ଓ ସେମାନଙ୍କ ଜୀବନଚ଼ର୍ଯ୍ୟା ଯତ୍ନ ସମୟକ୍ରମେ ସାମାଜିକ ଆବଶ୍ୟକତାରୂପେ ମୁଣ୍ଡ ଟେକୁଥିବା ଅବସରରେ ଯୁବ-ଉଦ୍ୟୋଗୀମାନଙ୍କୁ ଏଦିଗରେ ଆକର୍ଷିତ କରିବା ନିମନ୍ତେ ଉଦ୍ୟମ ଅପରିହାର୍ଯ୍ୟ Iସେହିପରି ଆଇଓଟି ବୈଜ୍ଞାନିକମାନଙ୍କୁ ମଧ୍ୟ ଏଭଳି ସମସ୍ୟାର ସମାଧାନ ଲାଗି ଗବେଷଣା କରିବା ନିମନ୍ତେ ଉତ୍ସାହିତ କରିବା ନିମନ୍ତେ ମଞ୍ଚ ପ୍ରସ୍ତୁତି ସମୟର ଆହ୍ୱାନ I

 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଡ଼ିସେମ୍ୱର ୨୦୧୮

 

---

 

ତଥ୍ୟ:


Maji, Priyadarshni. Assistance for the 60-plus club is here. Business Standard (Bhubaneswar Edition). December 3, 2018

 

Malik, Yuvraj. The Internet of Indian things. Business Standard (Bhubaneswar Edition). November 15, 2018.

 

ଷ୍ଟାର୍ଟଅପରେ ମହିଳାଙ୍କୁ ଗୁରୁତ୍ୱ I ଧରିତ୍ରୀ (ବ୍ରହ୍ମପୁର ସଂସ୍କରଣ) । ଡ଼ିସେମ୍ୱର ୧, ୨୦୧୮

ବାର୍ଦ୍ଧକ୍ୟ ସେବା ଷ୍ଟାର୍ଟଅପ 'ଗୁଡ଼ ଫେଲୋସ'

ପ୍ରଯୁକ୍ତି କୌଶଳ ଉପଯୋଗରେ ଜନଜୀବନର ବିଭିନ୍ନ ସେବା ପ୍ରଦାନରେ ଗୁଣବତ୍ତା ବିକାଶ ନିମନ୍ତେ ଷ୍ଟାର୍ଟଅପ ପରିବେଶ ନୂତନ ସମୀକରଣ ସୃଷ୍ଟି କରିଥାଏ । ଦୋକାନବଜାରରୁ ଗୃହଦ୍ୱାରେ ସାମଗ୍ରୀ ଯୋଗାଣଠାରୁ ଆରମ୍ଭକରି ଜଟିଳ ରୋଗ ନିଦାନ ଓ ଚିକିତ୍ସକଙ୍କ ପରାମର୍ଶ ଆୟୋଜନ ଯାଏଁ ବହୁସେବା ଡିଜିଟାଲ ପରିଚାଳନାରେ ଉପଲବ୍ଧ । ସରଳ, ନିର୍ଭୂଲ, ମିତବ୍ୟୟୀ, ସାର୍ବଜନୀନ ଓ ନିର୍ଭରଯୋଗ୍ୟ ସେବା ପ୍ରଦାନ ଦିଗରେ ଅତ୍ୟାଧୁନିକ ପରିଚାଳନା ଦକ୍ଷତା ମାଧ୍ୟମରେ ଅନେକ ଅସମାହିତ ସମସ୍ୟା ସମାଧାନ ସମ୍ଭବ ହୋଇପାରୁଛି । ଇଣ୍ଟରନେଟର ବ୍ୟାପ୍ତି, ଉପଭୋକ୍ତାଙ୍କ ସଂଖ୍ୟା ବୃଦ୍ଧି ଓ ଡ଼ିଜିଟାଲ ମଞ୍ଚରେ ଜନସମୂଦାୟଙ୍କ ଦୀର୍ଘ ସମୟ ଉପସ୍ଥିତି ଦୈନନ୍ଦିନ ଜୀବନରେ ଡିଜିଟାଲ ସେବା ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଯାଇଥିବା ସୁସ୍ପଷ୍ଟ ।

 

ଏକବିଂଶ ଶତାଦ୍ଦୀର ତୃତୀୟ ଦଶକ ଆରମ୍ଭ ସୁଦ୍ଧା ବିଭିନ୍ନ କାରଣରୁ ବାର୍ଦ୍ଧକ୍ୟ ସେବା ସମସ୍ୟାବହୁଳ ହୋଇପଡ଼ିଛି । ପାରମ୍ପରିକ ପାରିବାରିକ ଆଙ୍ଗିକରେ ବିଘଟନ ହେତୁ ବିକଶିତ ରାଷ୍ଟ୍ରଗୁଡ଼ିକରେ ବାର୍ଦ୍ଧକ୍ୟସେବା ବୃତ୍ତିଗତ ଓ ବ୍ୟାବସାୟିକ ସୋପାନରେ ଉପନୀତ । ଅର୍ଥାତ, ଜଣେ ବ୍ୟକ୍ତି ପରିଣତ ବୟସରେ ପହଞ୍ଚିଲାପରେ ନିର୍ଭରଶୀଳ ଜୀବନଯାତ୍ରା ନିମନ୍ତେ ନିଜ ସନ୍ତାନସନ୍ତତି କିମ୍ୱା ପରିବାରବର୍ଗଙ୍କ ଯତ୍ନ ବଦଳରେ ମୂଲ୍ୟବିନିମୟରେ ବୃତ୍ତିଧାରୀଙ୍କ ସେବା ଗ୍ରହଣ କରିବା ସୁବିଧା ଉପଲବ୍ଧ । ସେହି ଧାରା କ୍ରମଶଃ ବିକାଶଶୀଳ ରାଷ୍ଟ୍ରଗୁଡ଼ିକରେ ପ୍ରତିବିମ୍ୱିତ ହେବାରେ ଲାଗିଛି ।

 

ବିଂଶ ଶତାଦ୍ଦୀରେ ଚ଼ିକିତ୍ସା ଓ ସ୍ୱାସ୍ଥ୍ୟରକ୍ଷା କ୍ଷେତ୍ରରେ ବ୍ୟାପକ ଉନ୍ନତି କାରଣରୁ ବିଶ୍ୱବ୍ୟାପୀ ମନୁଷ୍ୟର ଜୀବଦ୍ଦଶା ପ୍ରାୟ ଏକ ଶତ ପ୍ରତିଶତ ବୃଦ୍ଧି ପାଇଥିଲା । ଭାରତରେ ୧୯୦୧ ଜନଗଣନାରେ ହାରାହାରି ଜୀବଦ୍ଦଶା ୨୪ ବର୍ଷ ଓ ଜନସଂଖ୍ୟା ୩୦ କୋଟି ଥିବା ସ୍ଥଳେ ୨୦୨୧ ବେଳକୁ ଜୀବଦ୍ଦଶା ୭୦ ବର୍ଷ ଓ ଜନସଂଖ୍ୟା ୧୪୦ କୋଟିରେ ପହଞ୍ଚିଥିବା ହିସାବ କରାଯାଉଛି । ଏହି ପରିସଂଖ୍ୟାନ ବାର୍ଦ୍ଧକ୍ୟଗ୍ରସ୍ତ ଓ ବାର୍ଦ୍ଧକ୍ୟ ଜୀବନକାଳ ବୃଦ୍ଧିକୁ ବୁଝାଇଥାଏ । ଅତଏବ, ୮୫ ବର୍ଷୋତ୍ତର ଉତ୍ତର-ବାର୍ଦ୍ଧକ୍ୟ ଜୀବନରେ ବହୁସଂଖ୍ୟକ ଦୈନନ୍ଦିନ ଜୀବନଯାତ୍ରାରେ ସହାୟତା ଆଶ୍ରିତ ହେଉଥିବା ହେତୁ ସେହି ମାତ୍ରାରେ ସେବାପ୍ରଦାନକାରୀଙ୍କ ଆବଶ୍ୟକତା ଅନୁଭୂତ ହେବା ନିଶ୍ଚିତ । ପରିବାର ସଦସ୍ୟବର୍ଗ ଏହି ଭାର ବହନକରିବାରେ ଅସମର୍ଥ ହେଲେ ବୃତ୍ତିଧାରୀଙ୍କ ଦ୍ୱାରା ବାର୍ଦ୍ଧକ୍ୟସେବା ଆୟୋଜନର ବିକଳ୍ପ ଖୋଜି ପାଇ ହୁଏନା ।

 

ବୃତ୍ତିଭିତ୍ତିରେ ବାର୍ଦ୍ଧକ୍ୟ ସେବା ସ୍ୱେଚ୍ଛାସେବୀ, ସରକାରୀ ଓ ବ୍ୟାବସାୟିକ ତିନିସ୍ତରରେ ପରିଚାଳନା କରାଯାଇପାରେ । ତେବେ ଆମଦେଶରେ ଦୀର୍ଘକାଳୀନ ଓ ବ୍ୟାପକ ବାର୍ଦ୍ଧକ୍ୟ ସେବା ଲାଗି ସ୍ୱେଚ୍ଛାସେବୀ ଓ ସରକାରୀସ୍ତରରେ ଉଦ୍ୟମ ସୀମିତ ପରିମାଣରେ ସଂଭବ । ଜନଜୀବନରେ ଯାବତୀୟ ସେବା ବୃତ୍ତିଧାରୀଙ୍କ ଦ୍ୱାରା ବ୍ୟାବସାୟିକସ୍ତରରେ ସମ୍ପନ୍ନ ହେବା ସମୃଦ୍ଧ ଇତିହାସ ରହିଥିବା ହେତୁ ସେହି ଦିଗରେ ମନୋନିବେଶ ହିତକର ସାବ୍ୟସ୍ତ ହୋଇପାରେ । ତେବେ ମୂଲ୍ୟଯୁକ୍ତ ବାର୍ଦ୍ଧକ୍ୟସେବା ଗ୍ରହଣ ନିମନ୍ତେ ଉପଭୋକ୍ତାଙ୍କୁ ବାର୍ଦ୍ଧକ୍ୟ-ପୂର୍ବବସ୍ଥାରୁ ଆର୍ଥିକ ସଞ୍ଚୟ ଯେତିକି ଆବଶ୍ୟକ, ଏହି ବ୍ୟବସ୍ଥାର ସୁପରିଚାଳନା ଓ ସୁରକ୍ଷା ନିମନ୍ତେ ବ୍ୟବସ୍ଥାପକ, ପ୍ରଶାସନିକ ଓ ନ୍ୟାୟିକ ସ୍ତରରେ ତତ୍ପରତା ସେତିକି ଗୁରୁତ୍ୱପୂର୍ଣ୍ଣ ।

 

ବିକଶିତ ରାଷ୍ଟ୍ରଗୁଡ଼ିକରେ ପ୍ରଚଳିତ ବାର୍ଦ୍ଧକ୍ୟ ସେବାକୁ ତିନି ପର୍ଯ୍ୟାୟରେ ବିଭକ୍ତ କରାଯାଇପାରେ । ପ୍ରଥମତଃ, ନିଜ ବାସଗୃହରେ ବହୁ ସଂଖ୍ୟକ ବରିଷ୍ଠ ନାଗରିକ ଜୀବନଯାପନ କରୁଥିବା ହେତୁ ବୟସ ଓ ଶାରିରୀକ କ୍ଷମତାର ବିଭିନ୍ନ ସୋପାନରେ ଭିନ୍ନ ଭିନ୍ନ ଧରଣର ସହାୟତା ଆବଶ୍ୟକ ପଡ଼େ । ସାଧାରଣ ନିଃସଙ୍ଗମୋଚ଼ନ ନିମନ୍ତେ ସଙ୍ଗସେବାଠାରୁ ଆରମ୍ଭ କରି ଶାରିରୀକ ଅକ୍ଷମ ଅବସ୍ଥାରେ ନିତ୍ୟକର୍ମ ସମ୍ପାଦନ ନିମନ୍ତେ ସହାୟତା ଯାଏଁ ବାର୍ଦ୍ଧକ୍ୟ ଆକାଂକ୍ଷିତ ସେବା ପରିବ୍ୟାପ୍ତ । ଦ୍ୱିତୀୟତଃ, ଅବସର ବିହାରରେ ବସବାସ କରୁଥିବା ବାର୍ଦ୍ଧକ୍ୟଗ୍ରସ୍ତଙ୍କ ଖାଦ୍ୟପେୟ, ପରିବହନ, ସ୍ୱାସ୍ଥ୍ୟରକ୍ଷା, ମନୋରଞ୍ଜନ ଓ ସୁରକ୍ଷା ନିମନ୍ତେ ସେବା ପ୍ରଦାନକାରୀ ନିଯୁକ୍ତ ହୋଇଥାନ୍ତି । ତୃତୀୟତଃ, କେୟାର ହୋମ, ନର୍ସିଂହୋମ ଓ ହସପିସ ଭଳି ପୁନର୍ବାସ ଅନୁଷ୍ଠାନକୁ ସ୍ଥାନାନ୍ତରିତ ଉତ୍ତର-ବାର୍ଦ୍ଧକ୍ୟ ପ୍ରପୀଡ଼ିତଙ୍କୁ ଦୈନନ୍ଦିନ ଜୀବନଯାତ୍ରାରେ ସହାୟତା ଯୋଗାଇବା ନିମନ୍ତେ କୁଶଳୀ କର୍ମଚାରୀ ଆବଶ୍ୟକ ପଡ଼ିଥାନ୍ତି ।

 

ବାର୍ଦ୍ଧକ୍ୟ ସେବା ପ୍ରଦାନକାରୀ ଚ଼ୟନ, ତାଲିମ ଓ ପରିଚାଳନାଗତ ଦକ୍ଷତା ଗୁଣାତ୍ମକ ସେବାରେ ପ୍ରତିଫଳିତ । ଏହି କ୍ଷେତ୍ରରେ ସାଂଗଠନିକ ପ୍ରଚେଷ୍ଟାରେ ଉତ୍କର୍ଷ ହାସଲ ନିମନ୍ତେ ଉଦ୍ୟମ ଅତ୍ୟାଧୁନିକ ପରମ୍ପରା । ବିକଶିତ ରାଷ୍ଟ୍ରଗୁଡ଼ିକରେ ବାର୍ଦ୍ଧକ୍ୟ ଅନୁକୂଳ ସେବା ପରିଚାଳନା ନିମନ୍ତେ ସ୍ୱେଚ୍ଛାସେବୀ, ସରକାରୀ ଓ ବ୍ୟାବସାୟିକସ୍ତରରେ ମଡ଼େଲମାନ ଅନୁସୃତ । ଭାରତରେ କରେନା-ଭୂତାଣୁଜନିତ ମହାମାରୀ-ପର ପରିବେଶରେ ଏହି କ୍ଷେତ୍ରରେ ଉଦ୍ୟମ ଆଶା କରାଯାଏ । ବୈଷୟିକ କୌଶଳ ଉପଯୋଗରେ ବିଭିନ୍ନ ସେବାପ୍ରଦାନ କ୍ଷେତ୍ରରେ ଷ୍ଟାର୍ଟଅପ ବିକଶିତ ହେଉଥିବା ଅବସରରେ ବାର୍ଦ୍ଧକ୍ୟ ସେବା ନିମନ୍ତେ ଷ୍ଟାର୍ଟଅପ ଭିତ୍ତିଭୂମି ସୃଷ୍ଟି ଉଜ୍ଜଳ ଭବିଷ୍ୟତର ପ୍ରତିଶୃତି ବହନ କରେ ।

 

ମୁମ୍ୱାଇଠାରେ ନିଃସଙ୍ଗ ବାର୍ଦ୍ଧକ୍ୟଗ୍ରସ୍ତଙ୍କୁ ସଙ୍ଗସେବା ଯୋଗାଣକାରୀ ଏକ ବ୍ୟାବସାୟିକ ଷ୍ଟାର୍ଟଅପ ଗୁଡ଼ ଫେଲୋସରେ ଟାଟା ଗୃପର ପ୍ରାକ୍ତନ ଅଧ୍ୟକ୍ଷ ରତନ ଟାଟାଙ୍କ ଅଘୋଷିତ ଅର୍ଥଲଗାଣ ଅଗଷ୍ଟ ୨୦୨୨ରେ ଗଣମାଧ୍ୟମରେ ଚର୍ଚ୍ଚିତ ହୋଇଥିଲା । ଗୁଡ଼ ଫେଲୋସ ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ ୨୦ ଜଣ ବରିଷ୍ଠ ନାଗରିକଙ୍କ ପାଖରେ ଚାରିଘଣ୍ଟା ଲେଖା ସପ୍ତାହରେ ଦୁଇ ଅଧିବେଶନରେ ଜଣେ ୩୦ ବର୍ଷରୁ କମ ବୟସ୍କ କର୍ମୀ ଗୁଡ଼ ଫେଲୋ ପହଞ୍ଚିଥାନ୍ତି । ଏହି ସେବା ନିମନ୍ତେ ଦେୟ ମାସିକ ପାଞ୍ଚ ହଜାର ଟଙ୍କା ଧାର୍ଯ୍ୟ ହୋଇଛି । କର୍ମୀଜଣକ ବରିଷ୍ଠ ନାଗରିକଙ୍କୁ ବଜାରସଉଦା, ବ୍ୟାଙ୍କ କାମ, ଡ଼ାକ୍ତରଙ୍କ ପାଖେ ପହୁଞ୍ଚାଇବାଠାରୁ ଆରମ୍ଭ କରି ପାର୍କ ବୁଲାଇବା, ସିନେମା ଦେଖାଇବା ଯାଏଁ ଯାବତୀୟ କାମରେ ସହାୟତା ପ୍ରଦାନ କରିଥାନ୍ତି । ପରୀକ୍ଷାମୂଳକଭାବେ ବେଟା ପର୍ଯ୍ୟାୟ ୨୦୨୧ରୁ ଆରମ୍ଭ ହୋଇଥିବା ଏହି ଷ୍ଟାର୍ଟଅପ ଖୁବଶୀଘ୍ର ପୁନେ, ବାଙ୍ଗାଲୁରୁ ଓ ଚ଼େନ୍ନାଇ ନଗରୀକୁ ସେବା ସଂପ୍ରସାରିତ କରିବା ଲକ୍ଷ୍ୟ ରଖିଥିବା ଘୋଷଣା କରିଥିଲା ।

 

ଗୁଡ଼ ଫେଲୋସ ଷ୍ଟାର୍ଟଅପର ବିଭିନ୍ନ ବିଶେଷତ୍ୱ ମଧ୍ୟରେ ଏକପକ୍ଷରେ ଏହାର ବ୍ୟାବସାୟିକ ମଡ଼େଲ ଉଲ୍ଲେଖନୀୟ । ଉଦ୍ୟୋକ୍ତଙ୍କ ବିଚାରରେ ନିରନ୍ତର ବାର୍ଦ୍ଧକ୍ୟ ସେବାକୁ ବ୍ୟାବସାୟିକ ମଡ଼େଲ ସ୍ୱାବଲମ୍ୱୀ ଗଢ଼ିତୋଳିବ । ସ୍ୱେଚ୍ଛାସେବା ମଡ଼େଲରେ ପ୍ରାଥମିକ ଅବସ୍ଥାରେ କେତେକ ବ୍ୟକ୍ତିଙ୍କ ଉତ୍ସର୍ଗୀକୃତ ଉଦ୍ୟମ ପ୍ରକଳ୍ପକୁ ପ୍ରାଣବନ୍ତ କରିଥାଏ । ତେବେ ସମୟକ୍ରମେ ସେହି ଉଚ୍ଛ୍ୱାସ ଅପସରିଯାଏ, ବିଭିନ୍ନ କାରଣରୁ ବ୍ୟକ୍ତିବିଶେଷଙ୍କ ଯୋଗଦାନ ଶୀଥିଳ ପଡ଼ିଆସେ କିମ୍ୱା ସମ୍ୱଳ ଅଭାବରୁ କାର୍ଯ୍ୟକ୍ରମ ପ୍ରଯୋଜନା ସମ୍ଭବ ହୋଇପାରେ ନାହିଁ । କିନ୍ତୁ ବ୍ୟାବସାୟିକ ମଡ଼େଲରେ ଉପଭୋକ୍ତଙ୍କଠାରୁ ସେବାମୂଲ୍ୟ ଗ୍ରହଣ ଓ ବୃତ୍ତିଧାରୀଙ୍କ ସେବାପ୍ରଦାନ ଆବଶ୍ୟକତା ଓ ଯୋଗାଣ ଡିମାଣ୍ଡ-ଏଣ୍ଡ-ସପ୍ଳାଇ ନୀତିରେ ପରିଚାଳିତ ହେବା ଆଶାକରିବା ଯଥାର୍ଥ ।

 

ଅପରପକ୍ଷରେ ଗୁଡ଼ ଫେଲୋସ ପ୍ରକଳ୍ପ ସେବା ପ୍ରଦାନକାରୀ ନିଯୁକ୍ତି କ୍ଷେତ୍ରରେ କେତେକ ସାବଧାନତା ଗ୍ରହଣ କରାଯିବା ସ୍ଥିରୀକୃତ ହୋଇଛି । ତିରିଶି ବର୍ଷରୁ କମ ବୟସର ଯୁବକ ଯୁବତୀ ସେବା ପ୍ରଦାନକାରୀଭାବେ ନିର୍ବାଚିତ ହେବେ । ଏହି ବୟସବର୍ଗ ସାଂସାରିକ ଜଞ୍ଜାଳରୁ ଅପେକ୍ଷାକୃତ ମୁକ୍ତ ଓ ଉଚ୍ଚାକାଂକ୍ଷୀ ଥିବା ବିଶ୍ୱାସ କରାଯାଇପାରେ । ସେବାପ୍ରଦାନକାରୀ ଚୟନ ଅବସରରେ ସେବା କ୍ଷେତ୍ରରେ ସେମାନଙ୍କ ପ୍ରତିବଦ୍ଧତା ମୂଲ୍ୟାୟନ କରିବା ନିମନ୍ତେ ବ୍ୟାପକ ମନୋବିଜ୍ଞାନ ପରୀକ୍ଷାକୁ ଗୁରୁତ୍ୱ ଦିଆଯିବ । ଫଳରେ କେବଳ ନିଯୁକ୍ତି ଆଶାୟୀ ବଦଳରେ ବାର୍ଦ୍ଧକ୍ୟ ସେବାରେ ଆଗ୍ରହୀ ଯୁବଗୋଷ୍ଠୀଙ୍କୁ ସାମିଲ କରାଯାଇପାରିବ । ସେବା ପ୍ରଦାନକାରୀଙ୍କୁ ସମସାମୟିକ ବଜାର ଦରରେ ଉଚ୍ଚ ବେତନ ପ୍ରଦାନର ମଧ୍ୟ ବ୍ୟବସ୍ଥା କରାଯାଇଛି । ଫଳରେ ଆର୍ଥିକ ଦୃଷ୍ଟିରୁ ସେମାନେ ସାମାଜିକସ୍ତରରେ ବୈଷମ୍ୟ ଶୀକାର ହେବେ ନାହିଁ ।

 

ପାରମ୍ପରିକ ବାର୍ଦ୍ଧକ୍ୟ ସେବା ପାରିବାରିକ ଦାୟିତ୍ୱ ବଦଳରେ ସାମାଜିକ ସହାୟତା ଲୋଡୁଥିବା ଅବସରରେ ଗୁଡ଼ ଫେଲୋସର ବ୍ୟାବସାୟିକ ମଡ଼େଲର କାର୍ଯ୍ୟକାରିତା ଏହି କ୍ଷେତ୍ରରେ ପ୍ରଭାବଶାଳୀ ହେବା ବିଶ୍ୱାସ କରାଯାଇପାରେ । ଏହା ପୂର୍ବରୁ ସିନିୟର ୱାର୍ଲ୍ଡ , ୬୦ପ୍ଳସ ଇଣ୍ଡିଆ, ଆଲ-ସେରଭ, ଏଲଡ଼ର-ଏଡ଼-ୱେଲନେସ ଓ ଏଲଡ଼ର-ଏଡ଼ ଭଳି କେତେକ ପ୍ରକଳ୍ପ ସର୍ବଭାରତୀୟସ୍ତରରେ ବାର୍ଦ୍ଧକ୍ୟସେବା ଷ୍ଟାର୍ଟଅପ ଚର୍ଚ୍ଚିତ ହୋଇଛି । ଓଡ଼ିଶାରେ କିଛି ଷ୍ଟାର୍ଟଅପ ଉଦ୍ୟମ ଆରମ୍ଭ ହୋଇଥିବା ଜଣାଯାଏ । ଆମ ରାଜ୍ୟରେ ସରକାରୀସ୍ତରରେ ଷ୍ଟାର୍ଟଅପ ଓଡ଼ିଶା ଅଭିଯାନରେ ନୂତନ ଷ୍ଟାର୍ଟଅପଗୁଡ଼ିକୁ ଉତ୍ସାହିତ କରାଯାଉଛି । ୨୦୨୨ ମଧ୍ୟଭାଗ ସୁଦ୍ଧା ୧୩ ଶହ ଷ୍ଟାର୍ଟଅପ ପଞ୍ଜୀକୃତ ହୋଇ ପ୍ରାୟ ଦଶ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରିଥିବା କୁହାଯାଇଥିଲା । କ୍ରମବିକଶିତ ସାମାଜିକ ବ୍ୟବସ୍ଥାରେ ବାର୍ଦ୍ଧକ୍ୟ ସେବା ଆୟୋଜନ ଓ ପରିଚାଳନା ଆଧୁନିକ ପ୍ରଯୁକ୍ତି କୌଶଳ ଉପଯୋଗରେ ଏକ ଅବହେଳିତ ବର୍ଗର କଲ୍ୟାଣରେ ସମର୍ଥ ହୋଇପାରିବ । ଏହି ଦିଗରେ ଗବେଷଣା, ସଂଗଠନ ଓ ପ୍ରକଳ୍ପ ରୂପାୟନ ନିମନ୍ତେ ଷ୍ଟାର୍ଟଅପ ଉଦ୍ୟୋଗୀଙ୍କ ଯୋଗଦାନ ସମୟର ଆହ୍ୱାନ । 



ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ସେପ୍ଟେମ୍ୱର ୨୦୨୨


ତଥ୍ୟ:

 

GoodFellows, a companionship startup by Shantanu Naidu, brings grandkids-on-demand to reduce loneliness. YourStory. November 16, 2021

 

https://yourstory.com/2021/11/goodfellows-companionship-startup-ratan-tata-shantanu-naidu/amp

 

5 eldercare startups that are making the lives of senior citizens easier. YourStory. July 24, 2022.

 

https://yourstory.com/socialstory/2022/07/eldercare-startups-senior-citizens-alserv-60plus-india-seniorworld/amp