ବାର୍ଦ୍ଧକ୍ୟ ଯତ୍ନ

ବାର୍ଦ୍ଧକ୍ୟ ପୂର୍ବ-ପ୍ରସ୍ତୁତି

ସ୍ୱଭାବତଃ ମନୁଷ୍ୟ ଦୀର୍ଘ ଓ ଆନନ୍ଦମୟ ଜୀବନ ଅଭିଳାଷୀ । ଦୀର୍ଘ ଜୀବନ ନିମନ୍ତେ ଶାରୀରିକସ୍ତରରେ ଚ଼ିକିତ୍ସା ଓ ରୋଗ ପ୍ରତିଷେଧକ ବ୍ୟବସ୍ଥାରେ ଆଶାନୁରୂପ ଦକ୍ଷତା ହାସଲ ପରେ ଆଧୁନିକ ଗବେଷଣା ମାନସିକ ସ୍ୱସ୍ଥ୍ୟରକ୍ଷା ଦିଗକୁ ସଂପ୍ରସାରିତ ହୋଇଛି । ଆକାଂକ୍ଷିତ ଆନନ୍ଦିତ ଜୀବନର ଉପାଦାନ ନିର୍ଦ୍ଧାରଣରେ ଯୁକ୍ତରାଷ୍ଟ୍ର ଆମେରିକା ହାର୍ଭାଡ଼ ବିଶ୍ୱବିଦ୍ୟାଳୟରେ ୧୯୩୮ ମସିହାରୁ ଦୀର୍ଘ ଆଠ ଦଶନ୍ଧିରୁ ଅଧିକ କାଳ ଧରି ପ୍ରଯୋଜିତ ହାର୍ଭାଡ଼ ଷ୍ଟଡ଼ି ଅଫ ଆଡ଼ଲଟ ଡେଭଲାପମେଣ୍ଟ ଏହି ଦିଗରେ ଅନ୍ୟତମ ଉଲ୍ଲେଖନୀୟ ଉପକ୍ରମ ।

 

ଏକବିଂଶ ଶତାଦ୍ଦୀ ସୁଦ୍ଧା ଜୀବଦ୍ଦଶା ଶହେ ବର୍ଷ ଯାଏଁ ଆକଳନ କରାଯାଉଥିବା ସ୍ଥଳେ ମନୁଷ୍ୟର ଜୀବନର ଆଦ୍ୟ ୫୦ ବର୍ଷ ପୂର୍ବାର୍ଦ୍ଧ ଏବଂ ପରବର୍ତ୍ତୀ ୫୦ ବର୍ଷ ଅପରାର୍ଦ୍ଧ ରୂପେ ଚ଼ିହ୍ନଟ କରାଯାଇପାରେ । ମନୋବିଜ୍ଞାନୀମାନଙ୍କ ଗବେଷଣାଲବ୍ଧ ତଥ୍ୟ ଅନୁଯାୟୀ ସମକାଳୀନ ମନୁଷ୍ୟ ଜୀବନରେ ବାଲ୍ୟାବସ୍ଥାର ଆନନ୍ଦିତ ଜୀବନ ଯୁବାବସ୍ଥା ଓ ମଧ୍ୟବୟସରେ ଅବକ୍ଷୟମୁଖୀ ହୋଇ ୫୦ ବର୍ଷ ବୟସ-ପର ପାଞ୍ଚ ବର୍ଷ ଉତ୍ତାରେ ପୁଣି ଦଶ ବର୍ଷ ଯାଏ ଉର୍ଦ୍ଧ୍ୱମୁଖୀ ହୋଇଥାଏ । ଜୀବନର ସପ୍ତମ ଦଶକ ଶେଷ ବେଳକୁ ବାର୍ଦ୍ଧକ୍ୟଗ୍ରସ୍ତ ମନୁଷ୍ୟ ଦୁଇ ଭାଗରେ ବିଭକ୍ତ ହୋଇଥାଆନ୍ତି । ଗୋଟିଏ ବର୍ଗ ଆନନ୍ଦିତ ଓ ଅନ୍ୟ ଏକ ବର୍ଗ ଦୁଃଖୀ ଭାବେ ଚ଼ିହ୍ନଟ କରାଯାଇଥାଏ ।

 

ପ୍ରତ୍ୟେକ ମନୁଷ୍ୟର ପୂର୍ବାର୍ଦ୍ଧ ଜୀବନର ଆଚ଼ରଣ ଅପରାର୍ଦ୍ଧ ଜୀବନକୁ ପ୍ରଭାବିତ କରୁଥିବା ହାର୍ଭାଡ଼ ଅଧ୍ୟୟନରୁ ସ୍ପଷ୍ଟ । ଏହି ଗବେଷଣାଲବ୍ଧ ତଥ୍ୟାବଳୀ ବିଶ୍ଳେଷଣ କରି ଆର୍ଥର ସି. ହକ୍ସ ନାମକ ହାର୍ଭାଡ଼ ଅଧ୍ୟାପକଙ୍କ ଫ୍ରମ ଷ୍ଟ୍ରେନଥ ଟୁ ଷ୍ଟ୍ରେନଥ : ଫାଇଣ୍ଡିଂ ସକ୍ସେସ, ହେପିନେସ ଏଣ୍ଡ ଡ଼ିପ ପାର୍ପଜ ଇନ ଦି ସେକଣ୍ଡ ହାଫ ଅଫ ଲାଇଫ ଶୀର୍ଷକ ୨୭୨ ପୃଷ୍ଠାର ପୁସ୍ତକ ଫେବୃୟାରୀ ୨୦୨୨ରେ ପ୍ରକାଶିତ ହୋଇଛି । ସେ କହିଛନ୍ତି ଯେ ବହୁ ମାର୍କିନ ନାଗରିକ ସତୁରି ବର୍ଷ ବୟସ ପାଖାପାଖି ପହଞ୍ଚିଲା ବେଳେ ବାର୍ଦ୍ଧକ୍ୟରେ ଆର୍ଥିକ ସ୍ଥିତିର ଗୁରୁତ୍ୱ ଉପଲବ୍ଧି କରିଥାନ୍ତି । ବାର୍ଦ୍ଧକ୍ୟ ପୂର୍ବାବସ୍ଥାରେ ଯେଉଁମାନେ ଅର୍ଥ ଓ ସମ୍ପତ୍ତି ସଞ୍ଚୟ କରି ରଖିଥାନ୍ତି ସେମାନେ ଉପାର୍ଜନରୁ କ୍ଷାନ୍ତ ରହିବା ପରେ ଅବସର ଜୀବନ ଅତିବାହିତ କରିବା ଅର୍ଥନୀତିକ ଦୃଷ୍ଟିରୁ ସରଳ ହେଉଥିବାସ୍ଥଳେ ସଞ୍ଚୟହୀନଙ୍କୁ ଅଭାବଗ୍ରସ୍ତ କରାଇଥାଏ ।

 

ମନୁଷ୍ୟର ଆଚ଼ରଣ କିପରି ତାହାର ପରବର୍ତ୍ତୀ ଜୀବନକୁ ପ୍ରଭାବିତ କରେ ତାହାର ତଥ୍ୟଭିତ୍ତିକ ପ୍ରମାଣ ସଂଗ୍ରହ ହାର୍ଭାଡ଼ ଅଧ୍ୟୟନର ମୂଳ ଉଦ୍ଦେଶ୍ୟ । ହାର୍ଭାଡ଼ ମେଡ଼ିକାଲ ସ୍କୁଲ ଆନୁକୂଲ୍ୟରେ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ୨୬୮ ଜଣ ଛାତ୍ରଙ୍କୁ ଏହି ଦୀର୍ଘକାଳୀନ ଲଙ୍ଗିଟ୍ୟୁଡ଼ିନାଲ ଅଧ୍ୟୟନରେ ସାମିଲ କରାଯାଇଥିଲା । ଗବେଷକମାନେ ପ୍ରତ୍ୟେକ ନମୂନାଭୁକ୍ତଙ୍କ ବ୍ୟକ୍ତିଗତ ଜୀବନ ସଂପର୍କରେ ବିବରଣୀ ଲିପିବଦ୍ଧ କରି ପ୍ରତି ବର୍ଷେ ଦୁଇ ବର୍ଷ ଅନ୍ତରରେ ଜୀବନର ଗତିପଥଜନିତ ତଥ୍ୟାବଳୀ ସଂଗ୍ରହ କରି ଆସିଛନ୍ତି । ପରବର୍ତ୍ତୀ ଅବସ୍ଥାରେ ଏହି ଗବେଷଣା ପ୍ରକଳ୍ପରେ ଅଧିକ ନମୂନାଙ୍କୁ ଯୋଗ କରାଯାଇଛି ଏବଂ ୨୦୧୭ ବେଳକୁ ୧୩୦୦ରେ ପହଞ୍ଚିଥିଲା ।

 

ହାର୍ଭାଡ଼ ଅଧ୍ୟୟନରେ କେବଳ ପୁରୁଷ ଅନ୍ତର୍ଭୁକ୍ତ । କାରଣ ଦ୍ୱିତୀୟ ବିଶ୍ୱଯୁଦ୍ଧ ପୂର୍ବବର୍ତ୍ତୀ ଅବସ୍ଥାରେ ହାର୍ଭାଡ଼ ବିଶ୍ୱବିଦ୍ୟାଳୟରେ ମହିଳାମାନଙ୍କୁ ପାଠ୍ୟକ୍ରମରେ ନାମ ଲେଖାଇବା ନିମନ୍ତେ ସୁଯୋଗ ମିଳୁନଥିଲା । ଏହି ଗବେଷଣାରେ ପୂର୍ବତନ ରାଷ୍ଟ୍ରପତି ଜନ ଏଫ. କେନେଡ଼ି, ଦି ୱାଶିଂଟନ ପୋଷ୍ଟର ସମ୍ପାଦକ ବେନ ବ୍ରାଡ଼ଲି ପ୍ରମୁଖ ସାମିଲ ହୋଇଥିଲେ । ହାର୍ଭାଡ଼ ଛାତ୍ରଙ୍କ ସହ ବାହ୍ୟ ପରିବେଶରୁ ମଧ୍ୟ ନମୂନାଙ୍କୁ ଗ୍ରହଣ କରାଯାଇ ସେମାନଙ୍କ ଜୀବନଚର୍ଯ୍ୟା ସଂପର୍କୀତ ତଥ୍ୟାବଳୀ ସଂଗୃହୀତ ହେଉଛି । ମୂଳ ନମୂନାଙ୍କ ମଧ୍ୟରୁ ୨୦୧୭ ସୁଦ୍ଧା ଶତାୟୁ ପାଖାପାଖି ୧୯ ଜଣ ଜୀବିତ ଥିଲେ ।

 

ହାର୍ଭାଡ଼ ଅଧ୍ୟୟନ ଗ୍ରାଣ୍ଟ ଷ୍ଟଡ଼ି ନାମରେ ମଧ୍ୟ ପରିଚିତ । ଡବ୍ୟୁ.ଟି. ଗ୍ରାଣ୍ଟ ନାମକ ଜଣେ ବ୍ୟବସାୟୀ ଏହି ଗବେଷଣା ନିମନ୍ତେ ପ୍ରାଥମିକ ଅର୍ଥ ଯୋଗାଇ ଥିଲେ । ଚାରିଜଣ ବିଶେଷଜ୍ଞ, ଜଣେ ଅବସର ଗ୍ରହଣ କଲାପରେ ଅନ୍ୟ ଜଣେ ଏହି ପ୍ରକଳ୍ପର ଅଧ୍ୟକ୍ଷତା କରି ଆସିଛନ୍ତି । ପ୍ରତ୍ୟେକଙ୍କ କାର୍ଯ୍ୟକାଳରେ ମନୁଷ୍ୟ ଜୀବନର ଭିନ୍ନ ଭିନ୍ନ ଦିଗ-ଦିଗନ୍ତ ସଂପର୍କରେ ପ୍ରାମାଣିକ ତଥ୍ୟ ସଂଗୃହୀତ ହୋଇଛି । ଏହି ଅଧ୍ୟୟନକୁ ଭିତ୍ତିକରି ବହୁ ସମୀକ୍ଷାମୂଳକ ପ୍ରବନ୍ଧ ଓ ପୁସ୍ତକ ପ୍ରକାଶିତ । ସେଥି ମଧ୍ୟରେ ଜର୍ଜ ଇ. ଭାଲେଣ୍ଟଙ୍କ ପୁସ୍ତକ ଏଜିଂ ୱେଲ ଅନ୍ୟତମ । ଗ୍ରାଣ୍ଟ ଷ୍ଟଡ଼ିର ତଥ୍ୟାବଳୀକୁ ବିଶ୍ଳେଷଣ କରି ସେ ଲେଖିଛନ୍ତି ଯେ ଆନନ୍ଦିତ ବାର୍ଦ୍ଧକ୍ୟ ଜୀବନଯାପନ ନିମନ୍ତେ ଉତ୍ତମ ସ୍ୱାସ୍ଥ୍ୟ ସହ ଆନୁସାଙ୍ଗିକ ସାଧନ ଆବଶ୍ୟକ ।

 

ଭାଲେଣ୍ଟ ସାଧାରଣ ମାର୍କିନ ଜୀବନଚ଼ର୍ଯ୍ୟାରେ ଛଅ ଗୋଟି ଗୁରୁତ୍ୱପୂର୍ଣ୍ଣ ବିଷୟ ଚ଼ିହ୍ନଟ କରିଥାନ୍ତି । ଜୀବନର ପୂର୍ବାର୍ଦ୍ଧରେ ବିବାହ ବନ୍ଧନ, ପରିସ୍ଥିତିକୁ ସହଜରେ ଗ୍ରହଣ କରିନେବା ଆଡ଼େପ୍ଟିଭ ଲାଇଫ ଷ୍ଟାଇଲ, ଧୂମ୍ରପାନ , ମଦ୍ୟପାନ, ବ୍ୟାୟାମ ଓ ଶରୀରର ଓଜନଗତ ସ୍ଥିତି ଅପରାର୍ଦ୍ଧାକୁ ପ୍ରଭାବିତ କରୁଥିବା ପ୍ରମାଣ ପାଇଥିଲେ । ଉଦାହରଣରେ ୫୦ ବର୍ଷ ବେଳକୁ ଉପରୋକ୍ତ ଛଅଗୋଟି ବିଷୟ ମଧ୍ୟରୁ ଯେଉଁମାନେ ପାଞ୍ଚରୁ ଛଅଗୋଟି ଦିଗରେ ସକାରାତ୍ମକ, ସେମାନଙ୍କ ମଧ୍ୟରୁ ଅର୍ଦ୍ଧେକ ୮୦ ବର୍ଷ ପହଞ୍ଚିଲା ଅବସ୍ଥାରେ ଆନନ୍ଦିତ । କିନ୍ତୁ ଯେଉଁମାନେ ଛଅ ଗୋଟି ବିଷୟ ମଧ୍ୟରୁ ମାତ୍ର ଗୋଟିଏରୁ ତିନିଗୋଟି ଦିଗରେ ସକାରାତ୍ମକ, ସେମାନଙ୍କ ମଧ୍ୟରୁ ୮୦ ବର୍ଷରେ ପହଞ୍ଚିଲା ବେଳକୁ ସମସ୍ତେ ଦୁଃଖୀ ଏବଂ ୮୦ ବର୍ଷ ପୂର୍ବରୁ ମୃତ୍ୟୁ ଭୟ ତିନିଗୁଣ ଅଧିକା ।

 

ଗ୍ରାଣ୍ଟ ଷ୍ଟଡ଼ିରେ ସଂକଳିତ ତଥ୍ୟାବଳୀ ତର୍ଜମାରେ ବିଶେଷଜ୍ଞମାନେ ବହୁ ରୋଚ଼କ ନିଷ୍କର୍ଷ ଅବତରଣା କରିଥାନ୍ତି । ସନ୍ତୁଳିତ ଶାରିରୀକ ଓ ମାନସିକ ସ୍ୱାସ୍ଥ୍ୟାବସ୍ଥା ମନୁଷ୍ୟର ଉଚ୍ଚତା ଓ ଓଜନର ସମନ୍ୱୟତୁଲ୍ୟ ବିଚାର କରାଯାଇପାରେ । ବୈବାହିକ ସମ୍ୱନ୍ଧ ମାନସିକସ୍ତରରେ ଗଭୀର ପ୍ରଭାବଶାଳୀ । ଉଦାହରଣରେ ଆନନ୍ଦିତ ବୈବାହିକ ଜୀବନରେ ଆବଦ୍ଧ ବ୍ୟକ୍ତିଙ୍କ ପକ୍ଷେ ଅଶୀ ବର୍ଷ ବୟସରେ ରୋଗଜନିତ ଶାରିରୀକ ଯନ୍ତ୍ରଣା ବିପରୀତ ପକ୍ଷଙ୍କ ତୁଳନାରେ କମ ଅନୁଭୂତ ହୋଇଥାଏ । ଯେଉଁମାନେ ବ୍ୟକ୍ତିଗତ, ପାରିବାରିକ ଓ ସାମାଜିକସ୍ତରରେ ଭଲ ସଂପର୍କ ରଖିଥାନ୍ତି ସେମାନେ ଦୀର୍ଘଜୀବୀ । ଏକାନ୍ତବୋଧ ଧୂମପାନ ଓ ମଦ୍ୟପାନ ତୁଲ୍ୟ ହାନୀକାରକ ।

 

କୃତଜ୍ଞ ଓ କ୍ଷମାଶୀଳ ମନୋଭାବ ବ୍ୟକ୍ତିକୁ ଦୁଃଶ୍ଚିନ୍ତାରୁ ଦୂରେଇ ନେଇଥାଏ । ସାମାଜିକ ସଂପର୍କ ସ୍ଥାପନ କ୍ଷେତ୍ରରେ ନିଜେ ଅନ୍ୟମାନଙ୍କ ପ୍ରତି କେତେ ମାତ୍ରାରେ ସକାରାତ୍ମକ ସେଥିପ୍ରତି ଗୁରୁତ୍ୱ ଦେଇ ଅନ୍ୟମାନଙ୍କ ମନୋଭାବକୁ ଏଡ଼ାଇଯିବା ବୁଦ୍ଧିମାନ ପଦକ୍ଷେପ । ଅର୍ଥ ଓ ପ୍ରତିପତ୍ତି ବଦଳରେ ନିବିଡ଼ ବନ୍ଧୁତ୍ୱ ବ୍ୟକ୍ତିଗତସ୍ତରରେ ଆନନ୍ଦର ଉତ୍ସ । ସେହିପରି ବଂଶଗତ ଗୁଣସୂତ୍ର ଜିନ ସହ ଆନନ୍ଦିତ ବାର୍ଦ୍ଧକ୍ୟର ଉଲ୍ଲେଖଯୋଗ୍ୟ ସଂପର୍କ ଖୋଜି ପାଇ ହୁଏନି । ବଡ଼ ହସପିଟାଲ, ଖ୍ୟାତି ସମ୍ପନ୍ନ ଡ଼ାକ୍ତରଙ୍କ ଦ୍ୱାରା ଚ଼ିକିତ୍ସିତ ହେବା ବଦଳରେ ଚ଼ିକିତ୍ସାଲାଗି ହସପିଟାଲରେ ଭର୍ତ୍ତି ନହେବା ଆନନ୍ଦ ସୂଚ଼କାଙ୍କରେ ଗୁରୁତ୍ୱ ବହନ କରିଥାଏ ।

 

ଆନନ୍ଦିତ ବାର୍ଦ୍ଧକ୍ୟ ପ୍ରଯୋଜନାରେ ଉଚ୍ଚଶିକ୍ଷାର ଭୂମିକା ଗ୍ରାଣ୍ଟ ଷ୍ଟଡ଼ିରେ ପ୍ରମାଣିତ । ବାର୍ଦ୍ଧକ୍ୟ ପୂର୍ବାବସ୍ଥା ଭଳି ପର ଅବସ୍ଥାରେ ମଧ୍ୟ ନୂତନ ବିଷୟ ଅଧ୍ୟୟନ ମନୁଷ୍ୟ ମସ୍ତିଷ୍କକୁ ସକ୍ରିୟ ରଖେ ଏବଂ ଉଭୟ ଶାରିରୀକ, ମାନସିକ ସ୍ୱାସ୍ଥ୍ୟାବସ୍ଥା ସନ୍ତୁଳନ ନିମନ୍ତେ ନୀତି ନିର୍ଦ୍ଧାରଣରେ ସହାୟକ ହୋଇଥାଏ । ଅଧ୍ୟୟନରୁ ସ୍ପଷ୍ଟ ହୋଇଛି ଯେ ମନୁଷ୍ୟ ତିରିଶି ବର୍ଷ ବୟସ ଯାଏଁ ଶିଖିଥାଏ ଏବଂ ପରବର୍ତ୍ତୀ ଅବସ୍ଥାରେ ଅଧିକ ଶିଖିବା ସମ୍ଭବ ନୁହେଁ ବୋଲି ଧାରଣା ଭ୍ରମାନ୍ତକ । ଜ୍ଞାନ ଆହରଣ ସମୟସୀମା ଜୀବନବ୍ୟାପୀ ପରିବ୍ୟାପ୍ତ । ମନୁଷ୍ୟ ଜନ୍ମ ନେବା ମାତ୍ରେ ବୟସ ବୃଦ୍ଧି-ଗଣନାରେ ସାମିଲ ହେଉଥିବା ହେତୁ ବାର୍ଦ୍ଧକ୍ୟ ଜୀବନ ସଂପର୍କରେ ସମସ୍ତ ବୟସବର୍ଗ ସଚ଼େତନ ହେବା ଏବଂ ସେଥିଲାଗି ପୂର୍ବ-ପ୍ରସ୍ତୁତିରେ ସମୟ, ସାମର୍ଥ୍ୟ ଉପଯୋଗ କରିବା ଅନିବାର୍ଯ୍ୟ ।

 

ଆନନ୍ଦିତ ବାର୍ଦ୍ଧକ୍ୟର ଉତ୍ସ ସଂପର୍କରେ ୟୁ-ଟ୍ୟୁବ ଭିଡ଼ିଓ ନିମନ୍ତେ ନିମ୍ନ ଲିଙ୍କରେ କ୍ଳିକ କରନ୍ତୁ :

 

https://youtu.be/8KkKuTCFvzI

 

https://youtu.be/f6lgvagrJP0


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ମାର୍ଚ୍ଚ ୨୦୨


ତଥ୍ୟ :

 

Brooks, Arthur C. How to build a life : The seven habits that lead to happiness in old age. The Atlantic, February 17, 2002

 

https://www.theatlantic.com/family/archive/2022/02/happiness-age-investment/622818/?utm_source=newsletter&utm_medium=email&utm_campaign=atlantic-daily-newsletter&utm_content=20220218&utm_term=The%20Atlantic%20Daily

 

Lambert, Craig. The talent for aging well.

 

https://www.harvardmagazine.com/2019/08/the-talent-for-aging-well

 

Mineo, Liz. Good genes are nice, but joy is better

 

https://news.harvard.edu/gazette/story/2017/04/over-nearly-80-years-harvard-study-has-been-showing-how-to-live-a-healthy-and-happy-life/

ବିଲମ୍ୱିତ ବାର୍ଦ୍ଧକ୍ୟ

ଦୀର୍ଘ ଜୀବଦ୍ଦଶା, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅଗ୍ରଗତି ଓ ବାର୍ଦ୍ଧକ୍ୟଗ୍ରସ୍ତ ଜନସଂଖ୍ୟା ବୃଦ୍ଧି ବିଳମ୍ୱିତ ବାର୍ଦ୍ଧକ୍ୟ ଅନୁଭବରେ ପର୍ଯ୍ୟବସିତ । ଅର୍ଥାତ, ଅତୀତ ଓ ବର୍ତ୍ତମାନର ସ୍ଥିତି ତୁଳନା ଅବସରରେ କ୍ରମଶଃ ମନୁଷ୍ୟ ଜୀବନର ଶେଷ ଭାଗର ଖୁବ କମ ସମୟକୁ ବୃଦ୍ଧାବସ୍ଥା ଚ଼ିହ୍ନିତ କରାଯାଉଛି । ଭାରତରେ ନାଗରିକଙ୍କ ହାରାହାରି ଜୀବଦ୍ଦଶା ୧୯୨୧ରେ ୨୨ ବର୍ଷ ଥିବା ସ୍ଥଳେ ଶହେ ବର୍ଷପରେ ୨୦୨୨ରେ ୬୯ ବର୍ଷରେ ପହଞ୍ଚିଥିବା ଏବଂ ୯୦ ପ୍ରତିଶତ ଅନ୍ତତଃ ଶାରିରୀକସ୍ତରର ଚଳଚଞ୍ଚଳ ରହୁଥିବା ହିସାବ ଉପଲବ୍ଧ । ଏହି ଚ଼ିତ୍ର ପାରମ୍ପରିକ ବାର୍ଦ୍ଧକ୍ୟର ଏକ ପରିବର୍ତ୍ତିତ ସଂସ୍କରଣ ଉନ୍ମୋଚ଼ିତ କରିଥାଏ ।

 

ସମକାଳରେ ଜୀବନରେ ବାର୍ଦ୍ଧକ୍ୟ ପର୍ଯ୍ୟାୟ ନିର୍ଦ୍ଧାରଣ ନିର୍ଦ୍ଧାରକଙ୍କ ବୟସ ଉପରେ ନିର୍ଭରଶୀଳ । କୁହାଯାଏ ଯେ ୩୦ ବର୍ଷରୁ କମ ବୟସବର୍ଗ ୬୦ ବର୍ଷରୁ ଉର୍ଦ୍ଧ୍ୱ ଅବସ୍ଥାକୁ ବାର୍ଦ୍ଧକ୍ୟ ବିବେଚ଼ନା କରନ୍ତି । କିନ୍ତୁ ୪୦ ରୁ ୫୦ ବର୍ଷ ବୟସବର୍ଗଙ୍କ ମତରେ ୭୦ ବର୍ଷ ପର ଜୀବନ ବାର୍ଦ୍ଧକ୍ୟ । ଅପରପକ୍ଷେ ୬୦ ରୁ ୭୦ ବର୍ଷ ବୟସରେ ଉପନୀତଙ୍କ ବିଚାରରେ ୭୪ ବର୍ଷରେ ବାର୍ଦ୍ଧକ୍ୟ ଜୀବନ ଆରମ୍ଭ । ମନୁଷ୍ୟର ବୟସ ବଢ଼ିବା ସଙ୍ଗେ ବାର୍ଦ୍ଧକ୍ୟପ୍ରତି ତାହାର ଦୃଷ୍ଟିକୋଣ ବଦଳି ଯାଉଥିବା ଲକ୍ଷ୍ୟ କରାଯାଏ । ବିକଶିତ ରାଷ୍ଟ୍ରଗୁଡ଼ିକରେ ଆୟୋଜିତ ସର୍ବେକ୍ଷଣରୁ ଏଭଳି ତଥ୍ୟ ସଂଗୃହୀତ ।

 

ମନୁଷ୍ୟର ଜୀବନଧାରଣରେ ମାନବୃଦ୍ଧି ବାର୍ଦ୍ଧକ୍ୟର ସଂଜ୍ଞା ପରିବର୍ତ୍ତନରେ ଦାୟୀ । ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଓ ଚ଼ିକିତ୍ସାଶାସ୍ତ୍ରରେ ନୂତନ ଉଦ୍ଭାବନ ମନୁଷ୍ୟକୁ ୭୦ ରୁ ୮୦ ଏପରିକି ୯୦ ବର୍ଷ ପରବର୍ତ୍ତୀ ଜୀବନଯାପନ ଲାଗି ବିବିଧ ସୁବିଧା ସୁଯୋଗ ଯୋଗାଇବାରେ ସକ୍ଷମ । ବିଶେଷଜ୍ଞଙ୍କ ମତରେ ନିକଟ ଭବିଷ୍ୟତରେ ମନୁଷ୍ୟ ବାର୍ଦ୍ଧକ୍ୟରେ ଶାରିରୀକ, ମାନସିକ ଓ ଭାବଗତସ୍ତରରେ ଦକ୍ଷତା ଅନେକାଂଶରେ ଅକ୍ଷୁର୍ଣ୍ଣ ରଖିବା ସମ୍ଭବ । ମାନବ ସଭ୍ୟତାର ଇତିହାସରେ ସମକାଳରେ ବାର୍ଦ୍ଧକ୍ୟ ଜୀବନଯାତ୍ରା ପ୍ରତି ସର୍ବାଧିକ ଗୁରୁତ୍ୱାରୋପ କରାଯାଉଥିବା ସୁସ୍ପଷ୍ଟ ।

 

ପ୍ରଥମତଃ, ସ୍ୱାସ୍ଥ୍ୟରକ୍ଷା ନିମନ୍ତେ ଚେତନା ସମସ୍ତ ବୟସବର୍ଗରେ ସଂପ୍ରସାରିତ ହେବାରେ ଲାଗିଛି । ବିକଶିତ ସଭ୍ୟତାରେ ଯୁବକୁଳ ବ୍ୟାୟାମ, ସୁଷମ ଖାଦ୍ୟ ଗ୍ରହଣ ଓ ପ୍ରଦୂଷଣ ନିମନ୍ତେ ସଚେତନ ହୋଇପଡ଼ିଥିବା ସ୍ଥଳେ ବରିଷ୍ଠ ନାଗରିକମାନେ ମଧ୍ୟ ନିୟମିତ ଶାରିରୀକ ପରିଶ୍ରମ, ଖାଦ୍ୟପେୟରେ ସାବଧାନତା ଓ ସ୍ୱଚ୍ଛ ପରିବେଶ ଖୋଜିବା ପ୍ରବାହ ଆରମ୍ଭ ହୋଇସାରିଛି । ସ୍ୱଚ୍ଛଳବର୍ଗ ଅସ୍ୱାସ୍ଥ୍ୟକର ଅଭ୍ୟାସରୁ ଦୂରେଇ ଯାଉଛନ୍ତି । ଏହାର ଦୀର୍ଘକାଳୀନ ପ୍ରଭାବ ବାର୍ଦ୍ଧକ୍ୟ ଜୀବନଯାତ୍ରାରେ ସହାୟକ ହେବା ନିଶ୍ଚିତ ।

 

ଦ୍ୱିତୀୟତଃ, ମାନସିକ ସ୍ୱାସ୍ଥ୍ୟାବସ୍ଥା ବାର୍ଦ୍ଧକ୍ୟ ଜୀବନର ମାନାଙ୍କ ନିର୍ଦ୍ଧାରଣ କରେ । ସ୍ଥଳବିଶେଷରେ କେତେକ ରୋଗ ନିମନ୍ତେ ଚ଼ିକିତ୍ସା କିମ୍ୱା ପ୍ରତିଷେଧକ ବ୍ୟବସ୍ଥା ଏଯାଏଁ ଅଭାବ । ଉଦାହରଣରେ ସ୍ମୃତିଭ୍ରମ ଏକ ସମସ୍ୟା । ଯୁକ୍ତରାଷ୍ଟ୍ର ଆମେରିକାରେ ୬୫ ବର୍ଷୋତ୍ତର ପ୍ରତି ନଅଜଣରେ ଜଣେ ସ୍ମୃତିଭ୍ରମର ମୁଖ୍ୟକାରଣ ଆଲଜମିରର୍ସ ରୋଗାକ୍ରାନ୍ତ । ସ୍ମୃତିଭ୍ରମ ସହାୟତାଯୁକ୍ତ ଜୀବନ ଆଶ୍ରିତ । ଚ଼ିକିତ୍ସାଳୟରେ ରୋଗାକ୍ରାନ୍ତଙ୍କୁ ଭର୍ତ୍ତିକରି ଦୈନନ୍ଦିନଭିତ୍ତିରେ ଯତ୍ନ ନେବା କଠିନ ବୋଧ ହେଉଥିବା ଅବସରରେ କ୍ରମବିକଶିତ ବୈଷୟିକ କୌଶଳ ଉପଯୋଗ ସମସ୍ୟା ଲାଘବରେ ଯୋଗଦାନ ଆଶା ସୃଷ୍ଟି କରିଥାଏ ।

 

ତୃତୀୟତଃ, ଭାବାତ୍ମକ ଜୀବନ ଇମୋସନାଲ ହେଲଥ ଶାରିରୀକ ଓ ମାନସିକ ସ୍ୱାସ୍ଥ୍ୟାବସ୍ଥାତୁଲ୍ୟ ବାର୍ଦ୍ଧକ୍ୟରେ ପ୍ରଭାବଶାଳୀ । ଗବେଷଣାରୁ ଜଣାଯାଏ ଯେ ମନୁଷ୍ୟର ଜୀବନକାଳ ବୃଦ୍ଧି ପରେ ତଥାକଥିତ ବାର୍ଦ୍ଧକ୍ୟାବସ୍ଥାରେ ଦୀର୍ଘ ସମୟ ଅତିବାହିତ ହୋଇଥାଏ । ଉଦାହରଣରେ ସହରାଞ୍ଚଳରେ ବୁଦ୍ଧିଜୀବୀ ମହଲରେ ଜଣେ ବ୍ୟକ୍ତି ୬୦ ବା ୭୦ ବର୍ଷ ବୟସରେ ବୃତ୍ତିଗତ ଜୀବନରୁ ଅବସର ଗ୍ରହଣ କରୁଥିବା ସ୍ଥଳେ ଅଧିକା ୨୦ ରୁ ୩୦ ବର୍ଷ ଜୀବିତ ରହିବା ସମ୍ଭବ । ଏହି ଦୀର୍ଘ ସମୟ ଉପଯୋଗ ବ୍ୟକ୍ତିଗତ ରୁଚି ଓ ଦୃଷ୍ଟିଭଙ୍ଗୀ ଉପରେ ନିର୍ଭରଶୀଳ । ବିଶେଷଜ୍ଞମାନେ ୫୦ରୁ ୭୫ ବର୍ଷ ବୟସକୁ ପ୍ରାପ୍ତ ବୟସ୍କ-ପୂର୍ବ କିଶୋର-ଅବସ୍ଥା-ସମ ପୂର୍ବ-ବାର୍ଦ୍ଧକ୍ୟ ଜେରେଣ୍ଟୋଲେନ୍ସ ନାମିତ କରୁଛନ୍ତି ଏବଂ ଏହି ଅବସରରେ ପ୍ରସ୍ତୁତି ୭୫ ରୁ ୮୫ ବାର୍ଦ୍ଧକ୍ୟ ତଥା ୮୫ ପର ଜୀବନ ଉତ୍ତର-ବାର୍ଦ୍ଧକ୍ୟ ଜୀବନ ଗତିରେଖାକୁ ନିୟନ୍ତ୍ରିତ କରିବା ଆଶା କରାଯାଏ ।

 

ଅପରପକ୍ଷେ ଭେଷଜ ବିଜ୍ଞାନୀମାନେ ବୃଦ୍ଧାବସ୍ଥା ସୃଷ୍ଟିରେ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗର ଭୂମିକା ଏବଂ କାରଣ ନିର୍ଦ୍ଧାରଣ ପୂର୍ବକ ନିରାକରଣ ନିମନ୍ତେ ଚ଼ିକିତ୍ସା କୌଶଳ ଉଦ୍ଭାବନରେ ନିୟୋଜିତ । ସାଧାରଣରେ ଦେଖାଯାଏ ଯେ ସମକାଳରେ ମନୁଷ୍ୟ ୭୦ ବର୍ଷୋତ୍ତର ଅବସ୍ଥାରେ ଶାରୀରିକସ୍ତରରେ ହଠାତ ଶୀଥିଳତା ଅନୁଭବ କରୁଛି । ବ୍ରିଟେନ କେମ୍ୱ୍ରିଜ ବିଶ୍ୱବିଦ୍ୟାଳୟର ବିଜ୍ଞାନୀମାନେ ଗବେଷଣାରୁ ଜାଣିପାରିଛନ୍ତି ଯେ ବାର୍ଦ୍ଧକ୍ୟରେ ମନୁଷ୍ୟ ଶରୀରରେ ରକ୍ତ ପ୍ରସ୍ତୁତି ଓ ପରିଚାଳନା କ୍ଷେତ୍ରରେ କେତେକ ପରିବର୍ତ୍ତନ କାରଣରୁ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ପରିଲକ୍ଷିତ ହୋଇଥାଏ । ମୁଖ୍ୟତଃ, ଶ୍ୱେତ ରକ୍ତ କଣିକାର ଦୁର୍ବଳ ସ୍ଥିତି ବୃଦ୍ଧାବସ୍ଥାରେ ରକ୍ତହୀନତାଠାରୁ ଆରମ୍ଭ କରି ରକ୍ତ କର୍କଟ ଯାଏଁ ରୋଗର କାରଣ ପାଲଟିପାରେ ।

 

କେମ୍ପ୍ୱ୍ରିଜ ବିଶ୍ୱବିଦ୍ୟାଳୟର ସନଗାର ସଂସ୍ଥାନର ଦଳେ ବୈଜ୍ଞାନିକ ଜନ୍ମିତ ଶିଶୁଠାରୁ ଆରମ୍ଭକରି ୭୦ ଓ ୮୦ ବର୍ଷ ବାର୍ଦ୍ଧକ୍ୟଗ୍ରସ୍ତଙ୍କ ରକ୍ତ ପ୍ରସ୍ତୁତି ପ୍ରକ୍ରିୟା ଅଧ୍ୟୟନ କରିଥିଲେ । ସେମାନେ ଜାଣିବାକୁ ପାଇଥିଲେ ଯେ ୬୫ ବର୍ଷରୁ କମ ବୟସ୍କଙ୍କ ଶରୀରରେ ବିଭିନ୍ନ ପ୍ରକାର ଲୋହିତ ଓ ଶ୍ୱେତ ରକ୍ତ କଣିକା ଉତ୍ପନ୍ନ ହୋଇଥାଏ । କିନ୍ତୁ ୭୦ ରୁ ୮୦ ବର୍ଷ ବୟସରେ ପହଞ୍ଚିଲା ବେଳକୁ ରକ୍ତ କଣିକାରେ ବିବିଧତା କମି ଆସେ ଓ ଗୁଣାତ୍ମକ ଅଧୋଗତି ଦେଖାଦିଏ । ଗବେଷକ ଦଳର ଅଧ୍ୟକ୍ଷଙ୍କ ମତରେ ରକ୍ତରେ ଦେଖା ଦେଉଥିବା ପରିବର୍ତ୍ତନ ମନୁଷ୍ୟ ଶରୀରର ଅନ୍ୟାନ୍ୟ ଅଙ୍ଗପ୍ରତ୍ୟଙ୍ଗରେ ମଧ୍ୟ ସମଭାବେ ପ୍ରତିଫଳିତ ହେବା ଆଶା କରାଯାଇପାରେ । ଅର୍ଥାତ, ଏହି କ୍ଷେତ୍ରରେ ଅଧିକ ଗବେଷଣାପରେ ମନୁଷ୍ୟ କେଉଁ କାରଣରୁ ବାର୍ଦ୍ଧକ୍ୟାବସ୍ଥାରେ ଦୁର୍ବଳ ତଥା କୁଞ୍ଚିତ ଚର୍ମ ଭଳି ସମସ୍ୟାର ସମ୍ମୁଖୀନ ହେଉଛି ତାହା ପ୍ରମାଣିତ ହୋଇପାରିବ ।

 

କେମ୍ପ୍ୱ୍ରିଜ ବୈଜ୍ଞାନିକମାନଙ୍କ ଗବେଷଣାର ଉପଲବ୍ଧି ୨୦୨୨ ମଧ୍ୟଭାଗରେ ପ୍ରକାଶିତ ହୋଇଥିଲା । ଏହି ଭଳି ବହୁ ଗବେଷଣାରୁ ନୂତନ ତଥ୍ୟମାନ ଉନ୍ମୋଚିତ ହେଉଛି । ମନୁଷ୍ୟ ବାର୍ଦ୍ଧକ୍ୟଗ୍ରସ୍ତ ହେବାର ପ୍ରମୁଖ କାରଣଗୁଡ଼ିକ ଚ଼ିହ୍ନଟ ହୋଇପାରିଲେ ସେଗୁଡ଼ିକର ଚ଼ିକିତ୍ସା ଓ ନିରାକରଣ ବ୍ୟବସ୍ଥା ସମ୍ଭବପର । ଏହି ପରିବେଶ ମନୁଷ୍ୟର ବାର୍ଦ୍ଧକ୍ୟ ଅବସ୍ଥାକୁ ବିଳମ୍ୱିତ କରିବାରେ ସହାୟକ ହେବା ଆଶା କରାଯାଇପାରେ ।

 

କୁହାଯାଏ ଯେ ମାନବ ସଭ୍ୟତା ବିକାଶକାଳରୁ ବାର୍ଦ୍ଧକ୍ୟକୁ ଏଡ଼ାଇଦେବା ନିମନ୍ତେ ଉଦ୍ୟମ ପ୍ରଚଳିତ । ବାର୍ଦ୍ଧକ୍ୟଗ୍ରସ୍ତଙ୍କ ଶରୀରରେ ଶିଶୁଙ୍କ ରକ୍ତ ପ୍ରତ୍ୟାରୋପଣ ଦ୍ୱାରା ଶକ୍ତି-ସମର୍ଥ୍ୟ ଫେରିପାଇବା ବିଶ୍ୱାସ ସାତଶହ ବର୍ଷ ପୁରାତନ । ପଞ୍ଚଦଶ ଶତାଦ୍ଦୀର ଶେଷ ପାଦରେ ଜଣେ ୬୦ ବର୍ଷ ବୟସ୍କ ଧର୍ମଯାଜକଙ୍କ ଶରୀରରେ ତିନି ଜଣ ଶିଶୁଙ୍କ ରକ୍ତ ଅନ୍ତର୍କ୍ଷେପଣ ଟ୍ରାନ୍ସଫ୍ୟୁଜନ ବିଫଳ ହୋଇଥିଲା । ଯୁକ୍ତରାଷ୍ଟ୍ର ଆମେରିକାରେ ନିକଟ ଅତୀତରେ କେତେକ ଘରୋଇ ଚିକିତ୍ସାଳୟରେ ଯୁବବର୍ଗଙ୍କ ରକ୍ତରୁ ପ୍ଳାଜମା ସଂଗୃହୀତ ହୋଇ ବାର୍ଦ୍ଧକ୍ୟଗ୍ରସ୍ତଙ୍କ ଶରୀରରେ ପ୍ରତ୍ୟାରୋପଣ ବ୍ୟବସ୍ଥା ନିମନ୍ତେ ସାତ ଲକ୍ଷ ଟଙ୍କା ଦାବୀ କରାଯାଉଥିଲା । ଏହି ପଦ୍ଧତିକୁ ପ୍ରଶାସନପକ୍ଷରୁ ୨୦୧୯ରୁ ବେଆଇନ ଘୋଷିତ ହୋଇଛି ।

 

ଅବଶ୍ୟ ଷ୍ଟାନଫୋର୍ଡ ଓ ବେର୍କେଲେ ବିଶ୍ୱବିଦ୍ୟାଳୟର ଗବେଷକମାନେ ବୟସ୍କ ମୂଷା ଶରୀରରେ ଯୁବ ମୂଷାଙ୍କ ରକ୍ତ ପ୍ରତ୍ୟାରୋପଣ କରି ମସ୍ତିସ୍କ ଓ ପାକସ୍ଥଳୀରେ କାର୍ଯ୍ୟଦକ୍ଷତା ବୃଦ୍ଧି ପାଉଥିବା ପ୍ରମାଣ ପାଇଛନ୍ତି । ମନୁଷ୍ୟ ଶରୀରରେ ଏହି ତତ୍ତ୍ୱର କାର୍ଯ୍ୟକାରିତା ଅନୁଧ୍ୟାନ ନିମନ୍ତେ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ିବ । ବିଶ୍ୱର ସର୍ବାଧିକ ଧନଶାଳୀ ଅନଲାଇନ ବାଣିଜ୍ୟ ମଞ୍ଚ ଆମେଜନର ପ୍ରତିଷ୍ଠାତା ଜେଫ ବେଜୋସ ମନୁଷ୍ୟ ଶରୀର କୋଷ ସଶକ୍ତିକରଣ ନିମନ୍ତେ ଗବେଷଣାରେ ବିପୁଳ ଅର୍ଥ ନିବେଶ କରିଛନ୍ତି । ଅଗ୍ରଣୀ ଅନଲାଇନ ଆର୍ଥିକ ମଞ୍ଚ ପେ-ପାଲର ପ୍ରତିଷ୍ଠାତା ପିଟର ଥେଲ ନିବେଶ କରିଥିବା ପ୍ରତିଷ୍ଠାନ ପକ୍ଷରୁ ଦାବୀ କରାଯାଉଛି ଯେ ୨୦୩୦ ସୁଦ୍ଧା ୯୦ ବର୍ଷ ବୟସ୍କ ୫୦ ବର୍ଷ ବୟସ ଅନୁଭବ କରିବା ସାଧନ ଉପଲବ୍ଧ କରାଇବେ । ଏହି ସବୁ ଉପକ୍ରମ ବିଳମ୍ୱିତ ବାର୍ଦ୍ଧକ୍ୟର ପ୍ରତିଶୃତି ବହନ କରିଥାଏ । 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧୫ ସେପ୍ଟେମ୍ୱର ୨୦୨୨


ତଥ୍ୟ:

 

The Future of Getting Old : Rethinking Old Age

 

https://www.wired.com/brandlab/2018/04/the-future-of-getting-old/

 

Sample, Ian. Research may reveal why people can suddenly become frail in their 70s. The Guardian. June 01, 2022

 

https://www.theguardian.com/science/2022/jun/01/research-may-reveal-why-people-can-suddenly-become-frail-in-their-70s

 

Shea, Courtney. The Death Cheaters Taranto Life. August 29, 2022.

 

https://torontolife.com/city/inside-the-weird-world-of-cryotherapy-biocharging-and-fecal-transplants/ 

ଉତ୍ତର-ବାର୍ଦ୍ଧକ୍ୟରେ ବରିଷ୍ଠ ନାଗରିକଙ୍କ ଯତ୍ନ

ଉତ୍ତର-ବାର୍ଦ୍ଧକ୍ୟ ଅର୍ଥାତ ବାର୍ଦ୍ଧକ୍ୟରେ ଶେଷଭାଗରେ କିଛି କାଳ ନିମନ୍ତେ ବିଭିନ୍ନ କାରଣରୁ ଅଧିକାଂଶ ବରିଷ୍ଠ ନାଗରିକଙ୍କୁ ଜୀବନଚର୍ଯ୍ୟା ନିମନ୍ତେ ଅପରର ସହାୟତା ଆବଶ୍ୟକ ପଡ଼ିଥାଏ । ଗବେଷଣାଲବ୍ଧ ତଥ୍ୟ ଅନୁଯାୟୀ ଏଭଳି ସହାୟତାଯୁକ୍ତ ଜୀବନଚର୍ଯ୍ୟାର ସୀମା ହାରାହାରିଭାବେ ମୃତ୍ୟୁ-ପୂର୍ବ ଦୁଇରୁ ପାଞ୍ଚ ବର୍ଷ ନିର୍ଦ୍ଧାରିତ । ଉତ୍ତର-ବାର୍ଦ୍ଧକ୍ୟରେ ଜୀବନଚର୍ଯ୍ୟା ନିମନ୍ତେ ସଂପୃକ୍ତ ବରିଷ୍ଠ ନାଗରିକଙ୍କ ପରିବାରବର୍ଗ କିମ୍ୱା ବୃତ୍ତିଗତ ପରିଚାରକ ସହାୟତା ଯୋଗାଇଥାନ୍ତି । ସହାୟତାର ସ୍ତର ବ୍ୟକ୍ତିକେନ୍ଦ୍ରୀକ ତଥା ପରିସ୍ଥିତିକେନ୍ଦ୍ରୀକ ହେଉଥିବା ହେତୁ ସହାୟତା ପ୍ରାପ୍ତି ଲାଗି ବରିଷ୍ଠ ନାଗରିକମାନଙ୍କ ଉତ୍ତର ବାର୍ଦ୍ଧକ୍ୟରେ ବାସସ୍ଥଳୀ ନିର୍ବାଚନ ଗୁରୁତ୍ୱ ବହନ କରିଥାଏ ।

 

ଭାରତ ତଥା ଓଡ଼ିଶାରେ ଉତ୍ତର-ବାର୍ଦ୍ଧକ୍ୟ ଜୀବନଚର୍ଯ୍ୟା ନିମନ୍ତେ ନିଜସ୍ୱ ପାରିବାରିକ ବାସଗୃହ ଭିନ୍ନ ବିକଳ୍ପ ଉପଲବ୍ଧ ନଥିବା ସ୍ଥଳେ ବିକଶିତ ରାଷ୍ଟ୍ରଗୁଡ଼ିକରେ ସହାୟତାଯୁକ୍ତ ଜୀବନଚ଼ର୍ଯ୍ୟାଲାଗିଅବସର ବିହାର ଓ ଚିକିତ୍ସାଳୟର ସୁବିଧା ସୁଯୋଗ ରହିଥାଏ । ବ୍ୟକ୍ତିବିଶେଷଙ୍କ ସ୍ୱାସ୍ଥ୍ୟଗତ ଯତ୍ନ ଆବଶ୍ୟକତା ଅନୁଯାୟୀ ବିଭିନ୍ନ ସେବା ଗ୍ରହଣ ନିମନ୍ତେ ବାସଗୃହ ନିର୍ଦ୍ଧାରଣ ପ୍ରଥା ପ୍ରଚଳିତ ।

 

ନିଜସ୍ୱ ବାସଗୃହରେ ବାର୍ଦ୍ଧକ୍ୟ ଅତିବାହିତ କରିବା ନିମନ୍ତେ ନିଷ୍ପତ୍ତି ଗ୍ରହଣ ପରେ ବିକଶିତ ରାଷ୍ଟ୍ରଗୁଡ଼ିକରେ ସଂପୃକ୍ତ ବାସଗୃହଗୁଡ଼ିକ ବାର୍ଦ୍ଧକ୍ୟ ଜୀବନଚ଼ର୍ଯ୍ୟା ଉପଯୋଗୀ ଗଢ଼ି ତୋଳିବା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଥାଏ । ଆବଶ୍ୟକସ୍ଥଳେ ହ୍ୱିଲ-ଚେୟାର ବ୍ୟବହାର ନିମନ୍ତେ ଘରର ଦୁଆର ପ୍ରଶସ୍ତ କରିବା, କାନ୍ଥଗୁଡ଼ିକରେରେଲିଂ ସ୍ଥାପନ ତଥା ପାଇଖାନା ଓ ଗାଧୁଆଘରଗୁଡ଼ିକ ବରିଷ୍ଠ ନାଗରିକ ଉପଯୋଗୀ ଗଢ଼ି ତୋଳିବା ଇତ୍ୟାଦି ପ୍ରଧାନ । ଏତଦ-ବ୍ୟତୀତ ସାଧାରଣ ଖଟ ପରିବର୍ତ୍ତନ କରି ଚିକିତ୍ସାଳୟରେ ବ୍ୟବହୃତ ଖଟ ସ୍ଥାପନ ସହ ଅନ୍ୟାନ୍ୟ ବାର୍ଦ୍ଧକ୍ୟ ଉପଯୋଗୀ ଆସବାବପତ୍ର ପୂର୍ବରୁ ସଂଗ୍ରହ କରିରଖିବା ଦ୍ୱାରା ଅକସ୍ମିକ ଆବଶ୍ୟକ ପରିସ୍ଥିତିରେ କାର୍ଯ୍ୟରେ ଲାଗିପାରେ ।

 

ବାସଗୃହ ଓ ଚିକିତ୍ସାଳୟ ବ୍ୟତୀତ ଅବସର ବିହାର ବିକଶିତ ରାଷ୍ଟ୍ରଗୁଡ଼ିକରେ ସହାୟତାଯୁକ୍ତ ବାର୍ଦ୍ଧକ୍ୟ ଜୀବନଚର୍ଯ୍ୟା ନିମନ୍ତେ ଅନ୍ୟତମ ବିକଳ୍ପ । ଏହି ପରିବେଶରେ ନିଜସ୍ୱ ବାସଗୃହ ଓ ଚିକିତ୍ସାଳୟ ଉଭୟର ସୁବିଧା ହାସଲ କରିହୁଏ । ପ୍ରାଥମିକ ଅବସ୍ଥାରେ ବରିଷ୍ଠ ନାଗରିକମାନଙ୍କ ଦୈନନ୍ଦିନ ଜୀବନଯାତ୍ରାଲାଗି ବାସଗୃହ ପରିମଳ ରକ୍ଷା, ଖାଦ୍ୟପେୟ, ବଜାର ସଉଦା, ଯାତାୟତ ଓ ସୁରକ୍ଷା ଭଳି ସେବାରେ ସୀମାବଦ୍ଧ ଥିବା ସ୍ଥଳେ ପରବର୍ତ୍ତୀ ଅବସ୍ଥାରେ ଆବଶ୍ୟକମତେ ଖୁଆଇ ଦେବା, ଶୌଚାଗାରକୁ ନେବା ଆଣିବା, ପୋଷାକ ପରିଚ୍ଛେଦ ପିନ୍ଧାଇ ଦେବା ଓ ଔଷଧପତ୍ର ଦେବା ଯାଏଁ ବିଭିନ୍ନ ସେବାକୁ ପରିବ୍ୟାପ୍ତ ହୋଇପାରେ ।

 

ଅବସର ବିହାର ପରିକଳ୍ପନାର ଦୁଇଗୋଟି ମୁଖ୍ୟ ବିଭବ ମଧ୍ୟରେ ଏକପକ୍ଷରେ ବହୁ ସେବାକାଂକ୍ଷୀ ଏକତ୍ର ବସବାସ କରୁଥିବା ହେତୁ ବୃତ୍ତିଧାରୀଙ୍କ ନିଯୁକ୍ତିରେ ନିରନ୍ତର ସେବାପ୍ରଦାନ ସଂଭବପର ହୋଇପାରୁଥିବା ସ୍ଥଳେ ଅପରପକ୍ଷରେ ଏକକ ସେବା ତୁଳନାରେ ଶସ୍ତା ହୋଇଥାଏ । ବାର୍ଦ୍ଧକ୍ୟଜନିତ ସେବା ସୁଶୃଷା ବ୍ୟକ୍ତିଗତସ୍ତରରେ ବ୍ୟୟବହୁଳ ପ୍ରମାଣିତ ହେଉଥିବା ହେତୁ ସାମୂହିକ ପରିବେଶରେ ମିତବ୍ୟୟିତା ଅବଲମ୍ୱନ କରାଯାଇପାରେ । ଅବସର ବିହାରଗୁଡ଼ିକରେ ସୀମିତ ସ୍ୱାସ୍ଥ୍ୟ ସେବା ତଥା ଆବଶ୍ୟକସ୍ଥଳେ ଜରୁରି ଚିକିତ୍ସାର ସୁବିଧା ଉପଲବ୍ଧ । ଯୁକ୍ତରାଷ୍ଟ୍ର ଆମେରିକାରେ ଅବସର ବିହାରରେ ବସବାସ କରିବା ନିମନ୍ତେ ମାସିକ ଖର୍ଚ୍ଚ ହାରାହାରି ୭୦ ହଜାରରୁ ୩ ଲକ୍ଷ ୫୦ ହଜାର ଟଙ୍କା ହିସାବ କରାଯାଇଥାଏ ।

 

ଚିକିତ୍ସାଳୟରେ ବାର୍ଦ୍ଧକ୍ୟ ଜୀବନଚର୍ଯ୍ୟା ମୁଖ୍ୟତଃ ଅସୁସ୍ଥ, ଦୀର୍ଘକାଳ ରୋଗାକ୍ରାନ୍ତଙ୍କ ନିମନ୍ତେ ଉଦ୍ଦିଷ୍ଟ । ବିକଶିତ ରାଷ୍ଟ୍ରଗୁଡ଼ିକରେ ବାର୍ଦ୍ଧକ୍ୟ ଅନୁକୂଳ ଚିକିତ୍ସାଳୟମାନ ଗଢ଼ି ଉଠିଛି ଏବଂ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡ଼ିତଙ୍କ ପକ୍ଷେ ସେହି ପରିବେଶ ଉପଯୁକ୍ତ ପ୍ରମାଣିତ ହୋଇଥାଏ । ସାଧାରଣତଃ ଶୌଚାଗାରସଂଲଗ୍ନ ଏକ କଠୋରୀରେ ଅନ୍ତେବାସୀମାନଙ୍କୁ ଦୈନନ୍ଦିନ ଜୀବନଯାତ୍ରାରେ ଆବଶ୍ୟକୀୟ ସହାୟତା ସାଙ୍ଗକୁ ଖାଦ୍ୟପେୟ, ଔଷଧପତ୍ର ଓ ଚିକିତ୍ସା ଯୋଗାଇ ଦିଆଯାଇଥାଏ । ଚିକିତ୍ସାଳୟରେ ବାର୍ଦ୍ଧକ୍ୟ ଜୀବନଚର୍ଯ୍ୟା ଖର୍ଚ୍ଚ ବହୁଳ ଏବଂ ମାସିକ ହାରାହାରି ୪ ଲକ୍ଷ ୨୦ ହଜାର ଟଙ୍କା ହିସାବ କରାଯାଇଥାଏ ।

 

ସ୍ଥଳବିଶେଷରେ ରୋଗାକ୍ରାନ୍ତ ଅବସ୍ଥାରେ ଯନ୍ତ୍ରଣା ଉପଶମ ଚ଼ିକିତ୍ସା ଲାଗି ‘ପାଲିଏଟିଭ କେର’ ଏବଂ ଦୁରାରୋଗରେ ପୀଡ଼ିତଙ୍କ ମୃତ୍ୟୁ-ସମୀପ-ଜୀବନର ଚିକିତ୍ସା ଲାଗି ‘ହସପିସ କେର’ ଉତ୍ତର-ବାର୍ଦ୍ଧକ୍ୟ ସେବା ଶୁଶୃଷା କ୍ଷେତ୍ରରେ ସ୍ଵତନ୍ତ୍ରତା ବହନ କରେ । ସାଧାରଣତଃ ‘ପାଲିଏଟିଭ କେର’ରେ ଚିକିତ୍ସକ, ସେବିକା, ସମାଜସେବୀ ଓ ଧର୍ମଯାଜକ ଆକ୍ରାନ୍ତଙ୍କ ପରିବାରବର୍ଗଙ୍କ ସହାୟତାରେ କର୍କଟ ଭଳି ରୋଗାକ୍ରାନ୍ତଙ୍କ ଯନ୍ତ୍ରଣା ସହ ମାନସିକ ଚାପ ଓ ଅନ୍ୟାନ୍ୟ ଲକ୍ଷଣ ଉପଶମ ନିମନ୍ତେ ପରିବେଶ ସୃଷ୍ଟି କରାଯାଇଥାଏ ।

 

‘ପାଲିଏଟିଉଭ କେର’ ସମସ୍ତ ବୟସବର୍ଗର ରୋଗୀଙ୍କ ଯନ୍ତ୍ରଣା ଲାଘବ ନିମନ୍ତେ ଉଦ୍ଦିଷ୍ଟ ଥିବା ସ୍ଥଳେ ‘ହସପିସ କେର’ ଚିକିତ୍ସକମାନେ ପୁଣି ସୁସ୍ଥ ହେବା ଆଶା ହରାଇଥିବା ରୋଗାକ୍ରାନ୍ତଙ୍କ ନିମନ୍ତେ ଉଦ୍ଦିଷ୍ଟ । ଜୀବନର ଶେଷାବସ୍ଥା ମୃତ୍ୟୁ-ସମୀପ ଛଅ ମାସରେ ଏହି ଚିକିତ୍ସାର ବ୍ୟବସ୍ଥା ପ୍ରଚଳିତ । ଏହି ଅବସ୍ଥାରେ ସେମାନେ ଜଟିଳ ଚିକିତ୍ସା ପଦ୍ଧତି ପ୍ରୟୋଗରୁ ଅବସର ନେଇ ସାରିଥାନ୍ତି । ଉଭୟ ସେବା ପାରିବାରିକ ବାସଗୃହ, ସହାୟତାଯୁକ୍ତ ଅବସର ବିହାର ଏବଂ ଚ଼ିକିତ୍ସାଳୟ ପରିବେଶରେ ପ୍ରଦାନ ସମ୍ଭବପର । ହସପିସ‘କେର’ ନିମନ୍ତେ ସ୍ୱତନ୍ତ୍ର ଚ଼ିକିତ୍ସାଳୟମାନ ମଧ୍ୟ ସ୍ଥାପିତ ।

 

ବିକଶିତ ରାଷ୍ଟ୍ରଗୁଡ଼ିକରେ ‘ପାଲିଏଟିଉଭ କେର’ ଓ ‘ହସପିସ କେର’ ନିମନ୍ତେ ଭିତ୍ତିଭୂମି ଗଠନ ନିମନ୍ତେ ଗୁରୁତ୍ୱ ଦିଆଯାଉଛି । ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ, ଫ୍ରାନ୍ସ, ଜାପାନ ଓ ସିଙ୍ଗାପୁର ଭଳି ବିତ୍ତଶାଳୀ ରାଷ୍ଟ୍ରଗୁଡ଼ିକରେ ବରିଷ୍ଠ ନାଗରିକମାନଙ୍କ ମୃତ୍ୟୁ-ସମୀପ ଜୀବନକୁ ଯନ୍ତ୍ରଣା ଓ ଚାପମୁକ୍ତ କରି ସମ୍ମାନଜନକ ଜୀବନଚର୍ଯ୍ୟା ପ୍ରତି ସ୍ଥାନୀୟ ଚ଼ିନ୍ତାନାୟକମାନେ ସରକାରଙ୍କୁ ପ୍ରଭାବିତ କରିବାରେ ସକ୍ଷମ ହୋଇପାରୁଛନ୍ତି । ଅପରପକ୍ଷେ ବରିଷ୍ଠନାଗରିକଙ୍କ ଯତ୍ନ ଏକ ଲାଭଜନକ ବ୍ୟବସାୟ ରୂପେ ଗଢ଼ି ଉଠୁଥିବା ହେତୁ ବ୍ୟାବସାୟିକସ୍ତରରେ ମଧ୍ୟ ସୁବିଧାସୁଯୋଗ ସୃଷ୍ଟି ହୋଇପାରୁଛି ।

 

ଉତ୍ତର-ବାର୍ଦ୍ଧକ୍ୟ ଜୀବନଚ଼ର୍ଯ୍ୟା ସମୟକ୍ରମେ ବ୍ୟୟବହୁଳ ହୋଇପଡୁଥିବା କାରଣରୁ ବୀମା ବ୍ୟବସ୍ଥା ପ୍ରଚଳନ କରାଯାଇ ସମସ୍ତଙ୍କ ପାଇଁ ସେବା ଶୁଶୃଷାର ସୁଯୋଗ ସୃଷ୍ଟି ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାର ୱାଶିଂଟନ ପ୍ରଦେଶ ସରକାରଙ୍କ ଏକ ଅଭିନବ ଆଇନ ପ୍ରଣୟନ ଆନ୍ତର୍ଜାତିକସ୍ତରରେ ଚର୍ଚ୍ଚିତ । ‘ଦି ଲଙ୍ଗ-ଟର୍ମ କେର ଟ୍ରଷ୍ଟ ଆକ୍ଟ’ ନାମିତ ୨୦୧୯ ମେ’ ମାସରେ ଗୃହୀତ ତଥା ପ୍ରାଦେଶିକ ସରକାରଙ୍କ ଦ୍ୱାରା ପରିଚାଳିତ ଏହି ବୀମାରେ ବିଗତ ଛଅ ବର୍ଷ ସମୟସୀମାରେ ଅନ୍ତତଃପକ୍ଷେ ତିନି ବର୍ଷ କର୍ମନିଯୁକ୍ତ ନାଗରିକମାନେ ଅଂଶ ଗ୍ରହଣ କରିବା ପ୍ରାବଧାନ ରହିଥିଲା ।

 

ଦଶ ବର୍ଷ ଧରି ନିଜ ବେତନର ୦.୫୦ ପ୍ରତିଶତରୁ ୧ ପ୍ରତିଶତ ମଧ୍ୟରେ ପ୍ରିମିୟମ ପ୍ରଦାନ କରି ୬୫ ବର୍ଷୋତ୍ତର ଅବସ୍ଥାରେ ଉତ୍ତର-ବାର୍ଦ୍ଧକ୍ୟରେ ବାସଗୃହ, ଅବସର ବିହାର କିମ୍ୱା ଚିକିତ୍ସାଳୟରେ ବାର୍ଦ୍ଧକ୍ୟଜନିତ ସେବା ଶୁଶୃଷାଲାଗି ଜୀବନବ୍ୟାପୀ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ ବାବଦରେ ବୀମାରାଶି ଭରଣା କରାଯାଏ । ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରଥମ ଥର ପାଇଁ ଆୟୋଜିତ ଏହି ବୀମା ୨୦୨୨ରୁ ଆରମ୍ଭ ହେବା ତଥା ୨୦୨୫ରୁ ଅବସର ଗ୍ରହଣ କରୁଥିବା ଅର୍ମଚାରୀମାନେ ସୁବିଧା ଗ୍ରହଣର ଉପଲବ୍ଧ ।

 

ଏହିଭଳି ଏକ ଆଇନ ପ୍ରଣୟନ ନିମନ୍ତେ ‘ଆମେରିକାନ ଏସୋସିଏସନ ଅଫ ରିଟାୟର୍ଡ଼ପରସନ୍ସ’ ପକ୍ଷରୁ ଧାରାବାହିକଭାବେ ଉଦ୍ୟମ କରାଯାଇଥିଲା । ୱାଶିଂଟନ ପ୍ରଦେଶ ପରକୁ ମିନୋସଟା, ଇଲିଅନ୍ସ, ମିଛିଗନ ଓ କାଲିଫର୍ଣ୍ଣିଆ ପ୍ରଦେଶଗୁଡ଼ିକରେଅନୁରୂପ ସରକାରୀ ବୀମା ବ୍ୟବସ୍ଥା ଆରମ୍ଭ କରାଯିବା ନିମନ୍ତେ ପ୍ରାରମ୍ଭିକ ପର୍ଯ୍ୟାୟରେ ପଦକ୍ଷେପମାନ ଗ୍ରହଣ ହୋଇଥିବା ଜଣାଯାଏ । ଉତ୍ତର-ବାର୍ଦ୍ଧକ୍ୟ ଜୀବନଚ଼ର୍ଯ୍ୟାରେ ସେବା ଶୃଶୁଷାଜନିତ ଖର୍ଚ୍ଚ ତୁଲାଇବା ନିମନ୍ତେ ବିଶ୍ୱବ୍ୟାପୀ ସରକାରୀସ୍ତରରେ ସଂଭବ ନହେଲେ ମଧ୍ୟ ବେସରକାରୀସ୍ତରରେ ଉଦ୍ୟମ ଯୁକ୍ତିଯୁକ୍ତ ମନେହୁଏ । ଭାରତରେ ଅନ୍ତତଃପକ୍ଷେ ସ୍ୱଚ୍ଛଳ ବରିଷ୍ଠ ନାଗରିକଙ୍କ ନିମନ୍ତେ ବୀମା ପ୍ରଚଳନ ସଂପର୍କୀତ ଚ଼ିନ୍ତନ ସମୟର ଆହ୍ୱାନ । ଉତ୍ତର-ବାର୍ଦ୍ଧକ୍ୟରେ ବୃତ୍ତିଧାରୀଙ୍କ ଦ୍ୱାରା ସେବା ଶୁଶୃଷା ନିମନ୍ତେ ଅର୍ଥ ଆବଶ୍ୟକ ଏବଂ ସଞ୍ଚିତ ଅର୍ଥ ସହ ବୀମା ହିଁ ଖର୍ଚ୍ଚ ଭରଣା ନିମନ୍ତେ ସରଳ ଉପାୟ ।

 

ଓଡ଼ିଶା ପରିବେଶରେ ଉତ୍ତର-ବାର୍ଦ୍ଧକ୍ୟ ଜୀବନଚର୍ଯ୍ୟା ଲାଗି ବାସଗୃହ ଭିନ୍ନ ବିକଳ୍ପ ଯଥା : ଅବସର ବିହାର, ବାର୍ଦ୍ଧକ୍ୟ ଚ଼ିକିତ୍ସା ଅନୁକୂଳ ଚ଼ିକିତ୍ସାଳୟମାନ ଆରମ୍ଭ ହୋଇପାରିନଥିବା ସ୍ଥଳେ ବ୍ୟାବସାୟିକସ୍ତରରେ ବୃତ୍ତିଧାରୀ ପରିଚାରକଙ୍କ ସୁବିଧା ମଧ୍ୟ ସୀମିତ । ଏତଦ୍ୱାରା ଉତ୍ତର-ବାର୍ଦ୍ଧକ୍ୟରେ ଉପନୀତ ବରିଷ୍ଠ ନାଗରିକମାନେ ସ୍ୱାଧୀନ ଜୀବନଯାପନ କରିବା ସମ୍ଭବପର ନୁହେଁ । ଯେଉଁ କ୍ଷେତ୍ରରେ ପାରିବାରିକ ଯତ୍ନ ପାଇବାରେ ବିଭିନ୍ନ କାରଣରୁ ପ୍ରତିବନ୍ଧକମାନ ସୃଷ୍ଟି ହୋଇଥାଏ ସେହି ପରିସ୍ଥିତିରେ ବରିଷ୍ଠ ନାଗରିକମାନେ ଅସହାୟ । ଉତ୍ତର-ବାର୍ଦ୍ଧକ୍ୟ ଜୀବନଚ଼ର୍ଯ୍ୟା ନିମନ୍ତେ ଦୀର୍ଘ ମିଆଦୀ ପ୍ରସ୍ତୁତି ଅଭାବରୁ ଆର୍ଥିକ ଦୃଷ୍ଟିରୁ ମଧ୍ୟ ସୃଷ୍ଟ ସମସ୍ୟାର ସମାଧାନ ସମ୍ଭବପର ହୋଇପାରେନା ।

 

ଗବେଷଣାରୁ ଜଣାଯାଏ ଯେ ଉତ୍ତର-ବାର୍ଦ୍ଧକ୍ୟରେ ଉପନୀତ ପ୍ରାୟ ଏକ ଚ଼ତୁର୍ଥାଂଶ ବରିଷ୍ଠ ନାଗରିକ ଦୈନନ୍ଦିନ ଜୀବନଯାପନ ନିମନ୍ତେ ସହାୟତା ଲୋଡ଼ିଥାନ୍ତି । ସମୟକ୍ରମେ ସାଧାରଣ ଜୀବଦ୍ଦଶା ବର୍ଦ୍ଧିତ ହୋଇ ଚାଲିଥିବା ହେତୁ ସହାୟତାକର୍ମୀଙ୍କ ସଂଖ୍ୟା ଓ ଆବଶ୍ୟକୀୟ ଯତ୍ନର ସମୟସୀମା ବଢ଼ି ଚାଲିବା ସ୍ୱାଭାବିକ । ଏତଦ୍ ବ୍ୟତୀତ ଯେଉଁ କ୍ଷେତ୍ରଗୁଡ଼ିକରେ ବରିଷ୍ଠ ନାଗରିକମାନଙ୍କ ନିମନ୍ତେ ପାରିବାରିକ ଯତ୍ନ ଉପଲବ୍ଧ ସେହି ପରିପ୍ରେକ୍ଷୀରେ ମଧ୍ୟ ଦୈନନ୍ଦିନ ଜୀବନଯାତ୍ରାରେ ଇଞ୍ଜେକସନଦେବା, ରକ୍ତଚାପ ଓ ରକ୍ତଶର୍କରା ମାପିବାଠାରୁ ଆରମ୍ଭ କରି ବିଭିନ୍ନ ଜଟିଳ ଚିକିତ୍ସା ପଦ୍ଧତି ଅନୁସରଣ କରିବା ତଥା ଶଯ୍ୟାଶାୟୀଙ୍କ ଅନବରତ ଯତ୍ନ ନେବାରେ ତାଲିମ ଅଭାବରୁ ପରିବାର ସଦସ୍ୟବର୍ଗ ଦୁଃସ୍ଥିତିର ସମ୍ମୁଖୀନ ହୋଇଥାନ୍ତି । ଏଭଳି ଦାୟିତ୍ୱ ସ୍ଥଳବିଶେଷରେ ସେମାନଙ୍କ ବୃତ୍ତିଗତ ଜୀବନ ତଥା ସ୍ୱାସ୍ଥ୍ୟଗତ ଓ ମାନସିକ ସ୍ଥିତିରେ ପ୍ରତିକୂଳ ପ୍ରଭାବ ପକାଇଥାଏ ।


ଉତ୍ତର-ବାର୍ଦ୍ଧକ୍ୟ ନିଜ ବାସଗୃହରେ ପାରିବାରିକ ପରିବେଶରେ ଜୀବନଚ଼ର୍ଯ୍ୟାଲାଗି ଅଧିକାଂଶ ବରିଷ୍ଠ ନାଗରିକ ଲକ୍ଷ୍ୟ ଧାର୍ଯ୍ୟ କରୁଥିଲେ ହେଁ ଆବଶ୍ୟକତା ମତେ ବାର୍ଦ୍ଧକ୍ୟ ଅନୁକୂଳ ଆବାସ ବା ଚିକିତ୍ସାଳୟକୁ ସ୍ଥାନାନ୍ତରୀକରଣ ଏବଂ ଉଭୟସ୍ଥାନରେ ତାଲିମ ପ୍ରାପ୍ତ ବୃତ୍ତିଧାରୀଙ୍କ ସେବା ଗ୍ରହଣ ଅପରିହାର୍ଯ୍ୟ । ଓଡ଼ିଶାରେ ଏଥିଲାଗି ଭିତ୍ତିଭୂମି ଗଢ଼ି ତୋଳିବା ନିମନ୍ତେ ବ୍ୟକ୍ତିଗତ, ସାମାଜିକ ଓ ସରକାରୀସ୍ତରରେ ନୀତି ପ୍ରଣୟନ ଯେ ଜରୁରି ଆବଶ୍ୟକତାରେ ପରିଣତ ହୋଇଛି ଏକଥା କେହି ଅସ୍ୱୀକାର କରିପାରିବେ ନାହିଁ । 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଡ଼ିସେମ୍ୱର ୨୦୨


ତଥ୍ୟ:


The five types of end-of-life housing and care <https://www.everplans.com>

 

Kuye, Ifedayo Olufemi. Who will care for aging Americans. January 21, 2020

 

<https://amp.wbur.org/cognoscenti/2020/01/21/long-term-care-aging-elderly-ifedayo-olufemi-kuye>

 

Bunis, Dena. The first-in-the-nation law will help workers afford a wide range of services. May 14, 2019.

 

<https://www.aarp.org/politics-society/advocacy/info-2019/washington-long-term-care-law.html> 

ଶଯ୍ୟାଶାୟୀ ଜୀବନଚର୍ଯ୍ୟା

ମନୁଷ୍ୟର ଚଳପ୍ରଚ଼ଳହୀନ ଅବସ୍ଥାକୁ ଶଯ୍ୟାଶାୟୀ ଜୀବନରୂପେ ଚ଼ିହ୍ନିତ କରାଯାଇଥାଏ । ମୁଖ୍ୟତଃ ଉତ୍ତର ବାର୍ଦ୍ଧକ୍ୟରେ ବୟସାଧିକ୍ୟ ତଥା ରୋଗାକ୍ରାନ୍ତ କାରଣରୁ କିଛି ବ୍ୟକ୍ତି ଜୀବଦ୍ଦଶାର ଶେଷ କିଛି ସମୟ ଚଳତଶକ୍ତିହୀନ ହୋଇପଡ଼ନ୍ତି । ତେବେ ସେମାନଙ୍କ ମଧ୍ୟରୁ ଅନେକ ବିଭିନ୍ନ କାରଣରୁ ପଡିଯିବା ଫଳରେ ଅସ୍ଥିଗତ ଆଘାତ ସ୍ୱାଭାବିକ ଜୀବନଯାତ୍ରାରୁ ବିଚ୍ୟୁତ କରାଇଥାଏ । ବାର୍ଦ୍ଧକ୍ୟ ଭିନ୍ନ ଜୀବନର ବିଭିନ୍ନ ସୋପାନରେ ଦୁର୍ଘଟଣାର ଶୀକାର ତଥା ଗୁରୁତର ରୋଗାକ୍ରାନ୍ତ ହୋଇ ମଧ୍ୟ କେତେକ ସାମୟିକଭାବେ ଶଯ୍ୟାଶାୟୀ ଜୀବନ ବିତାଇଥାନ୍ତି ।

 

ବାର୍ଦ୍ଧକ୍ୟରେ ଶଯ୍ୟାଶାୟୀ ଜୀବନ ବ୍ୟକ୍ତିଗତ ତଥା ପାରିବାରିକସ୍ତରରେ ଦୁର୍ଦ୍ଦଶାର କାରଣ ପାଲଟିଥାଏ । ଏକବିଂଶ ଶତାଦ୍ଦୀ ଦ୍ୱିତୀୟ ଦଶକ ସୁଦ୍ଧା ମୋଟାମୋଟିଭାବେ ଓଡ଼ିଶାରେ ୬୦ ବର୍ଷୋତ୍ତର ବରିଷ୍ଠ ନାଗରିକଙ୍କ ସଂଖ୍ୟା ସମୁଦାୟ ଜନସଂଖ୍ୟାର ଦଶ ପ୍ରତିଶତ ହିସାବ କରାଯାଉଥିବାସ୍ଥଳେ ସେଥିରୁ ଦଶ ପ୍ରତିଶତ, ଅର୍ଥାତ ରାଜ୍ୟର ଜନସଂଖ୍ୟାର ଏକ ପ୍ରତିଶତ ଶଯ୍ୟାଶାୟୀ ଜୀବନଯାପନ କରୁଥିବା ଆକଳନ କରାଯାଏ । ସମକାଳରେ ରାଜ୍ୟରେ ପ୍ରାୟ ଚ଼ାରିଲକ୍ଷ ପଚ଼ାଶ ହଜାରରୁ ପାଞ୍ଚ ଲକ୍ଷ ବ୍ୟକ୍ତି ଶଯ୍ୟାଶାୟୀ ଜୀବନରେ ଆବଦ୍ଧ ।

 

ଶଯ୍ୟାଶାୟୀ ଜୀବନ ସମସ୍ୟାବହୁଳ ତଥା ଏକ ନିର୍ଦ୍ଧିଷ୍ଟ ସଂଖ୍ୟକ ଜନସଂଖ୍ୟା ସେଭଳି ଅବସ୍ଥାରେ ପୀଡ଼ିତ ହେବା ସ୍ୱତଃସ୍ଥିଦ୍ଧ ହୋଇଥିଲେ ହେଁ ପରିସ୍ଥିତିକୁ ମୁକାବିଲା କରିବା ନିମନ୍ତେ ସାମାଜିକସ୍ତରରେ ଉଦ୍ୟମ ଅଭାବ ବିସ୍ମୟ ସୃଷ୍ଟି କରିଥାଏ । ଆନ୍ତର୍ଜାତିକ ସ୍ଥିତି ସହ ସମତାଳରେ ଭାରତ ତଥା ଓଡିଶାରେ ଜୀବଦ୍ଦଶା ବଢ଼ି ଚାଲିଥିବା ଏବଂ ସେହି ଅନୁପାତରେ ବରିଷ୍ଠନାଗରିକଙ୍କ ସଂଖ୍ୟା ବୃଦ୍ଧି ଏଭଳି ସମସ୍ୟାକୁ କାଳକ୍ରମେ ଜଟିଳ କରିପକାଇବା ନିଶ୍ଚିତ ।

 

ଦେଶର ଜନସଂଖ୍ୟା ଗଣନା ପରିସଂଖ୍ୟାନରେ ଭାରତୀୟଙ୍କ ହାରାହାରି ଜୀବଦ୍ଦଶା ୧୯୪୭ରେ ୩୨ ଓ ୧୯୭୫ରେ ୫୨ ଥିବା ସ୍ଥଳେ ୨୦୧୯ ବେଳକୁ ପୁରୁଷଙ୍କ କ୍ଷେତ୍ରରେ ୬୭ ବର୍ଷ ଓ ମହିଳାଙ୍କ କ୍ଷେତ୍ରରେ ୭୦ ବର୍ଷ ହିସାବ କରାଯାଉଛି । ୧୯୯୧ରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ପାଞ୍ଚ କୋଟି ୬୫ ଲକ୍ଷ, ୨୦୧୧ରେ ଦଶ କୋଟି ୩୨ ଲକ୍ଷ ଥିବା ସ୍ଥଳେ ୨୦୫୦ ବେଳକୁ ସମୁଦାୟ ଜନସଂଖ୍ୟାର ଏକ ଚ଼ତୁର୍ଥାଂଶ ବରିଷ୍ଠ ନାଗରିକ ପର୍ଯ୍ୟାୟଭୁକ୍ତ ହେବେ । ସେହି ଅନୁପାତରେ ଶଯ୍ୟାଶାୟୀଙ୍କ ସଂଖ୍ୟା ବୃଦ୍ଧି ମଧ୍ୟନିଶ୍ଚିତ । କେନ୍ଦ୍ର ସରକାରଙ୍କ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟର ଆକଳନରେ ବର୍ଦ୍ଧିତ ବୃଦ୍ଧଜନସଂଖ୍ୟାରେ ୮୦ ବର୍ଷୋତ୍ତର ଓ ବିଧବା ମହିଳାଙ୍କ ସଂଖ୍ୟା ବଢ଼ିବ ଏବଂ ଏହି ବର୍ଗର ୭୦ ପ୍ରତିଶତ ଲୋକ ଗ୍ରାମାଞ୍ଚଳରେ ବସବାସ କରିବେ ।

 

ଶଯ୍ୟାଶାୟୀ ଜୀବନରେ ମନୁଷ୍ୟର ମାଂସପେଶୀ ଓ ଗଣ୍ଠି ସାମର୍ଥ୍ୟ ହରାଇବା, ଶରୀରରେ କ୍ଷତ ସୃଷ୍ଟି, ମୂତ୍ରନଳୀ ସଂକ୍ରମଣ ତଥା ହୃଦସ୍ପନ୍ଦନ ବୃଦ୍ଧି ଭଳି ସମସ୍ୟାମାନ ସୃଷ୍ଟି ହୋଇଥାଏ । ଏହି ଅବସ୍ଥାରେ ସାମାନ୍ୟ ଚଳପ୍ରଚଳ କାଳରେ ପଡ଼ିଯିବା ଭୟ ଥାଏ । ଶଯ୍ୟାଶାୟୀମାନଙ୍କୁ ଶାରିରୀକ ଶକ୍ତି ବୃଦ୍ଧି ନିମନ୍ତେ ପର୍ଯ୍ୟାପ୍ତ କ୍ୟାଲୋରି ତଥା ଖାଦ୍ୟସାରଯୁକ୍ତ ସମତୁଲ ଖାଦ୍ୟାଭ୍ୟାସ ସାଙ୍ଗକୁ ଶୟନ ଅବସ୍ଥାରେ ପ୍ରତି ଦୁଇ ଘଣ୍ଟାରେ କଡ଼ ଲେଉଟାଇବା, ଶଯ୍ୟାକୁ ଯଥାସଂଭବ ପରିଷ୍କାର ପରିଚ୍ଛନ୍ନ ରଖିବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥାଏ ।

 

ପାରମ୍ପରିକଭାବେ ଭାରତରେ ଶଯ୍ୟାଶାୟୀଙ୍କ ଯତ୍ନ ସଂପୃକ୍ତ ପରିବାର ଗ୍ରହଣ କରିଥାନ୍ତି । ଉତ୍ତର-ଭାରତରେ ୨୦୧୧ରେ ଆୟୋଜିତ ଏକ ଗବେଷଣା ଅନୁଯାୟୀ ୮୨ ପ୍ରତିଶତ ଶଯ୍ୟାଶାୟୀ ନିଜର ନିକଟ ସଂପର୍କୀୟଙ୍କ ହେପାଜାତରେ ଦୈନନ୍ଦିନ ଜୀବନଚ଼ର୍ଯ୍ୟା ସମ୍ପନ୍ନ ହେଉଥିବା ଜଣାଯାଇଥିଲା । ପରିବର୍ତ୍ତିତ ସାମାଜିକ ଚଳଣୀରେ ଯୌଥ ପରିବାର ବଦଳରେ ଏକକ ‘ନିଉକ୍ଳିଅର’ ପାରିବାରିକ ଆଙ୍ଗିକ ପ୍ରସାର, ପତିପତ୍ନୀ ଉଭୟଙ୍କ ବୃତ୍ତିଗତ ଜୀବନ, ଏକ କିମ୍ୱା ଦୁଇ ସନ୍ତାନ, ନିକଟ ସଂପର୍କୀୟଙ୍କ ଦେଶାନ୍ତର କର୍ମନିଯୁକ୍ତି ତଥା ସହରୀ ସଭ୍ୟତା ପ୍ରଭାବରେ ପାରିବାରିକସ୍ତରରେ ଶଯ୍ୟାଶାୟୀଙ୍କ ଯତ୍ନ ସମସ୍ୟାବହୁଳ ପ୍ରମାଣିତ ।

 

କେତେକ କ୍ଷେତ୍ରରେ ଏଭଳି ସେବା ଆୟୋଜନ ଆଦୌ ସମ୍ଭବପର ହୋଇପାରୁ ନାହିଁ । ଏହି ପରିପ୍ରେକ୍ଷୀରେ ଶଯ୍ୟାଶାୟୀଙ୍କ ଜୀବନଚ଼ର୍ଯ୍ୟା ନିମନ୍ତେ ବୃତ୍ତିଧାରୀ ସେବାପ୍ରଦାନକାରୀଙ୍କ ଆବଶ୍ୟକ ପଡ଼ିଥାଏ । ତେବେ ଶଯ୍ୟାଶାୟୀଙ୍କୁ ସେବା ପ୍ରଦାନ ନିମନ୍ତେ ବ୍ୟାବସାୟିକ କିମ୍ୱା ସରକାରୀସ୍ତରରେ ଆବଶ୍ୟକୀୟ ସାଂଗଠନିକ ଉଦ୍ୟମର ଅଭାବ ଅନୁଭୂତ ହୋଇଥାଏ । ଫଳସ୍ୱରୂପ ଶଯ୍ୟାଶାୟୀମାନେ ଗୁରୁତର ଅବହେଳାର ଶୀକାର ହୋଇଥାନ୍ତି । ଏହି ପରିବେଶରେ ଆକ୍ରାନ୍ତ ବ୍ୟକ୍ତି ପରିଣତ ବୟସରେ ଶାରିରୀକ ଓ ମାନସିକ ସ୍ତରରେ ନିର୍ଯ୍ୟାତିତ ହେବା ସଙ୍ଗେ ଜୀବନବ୍ୟାପୀ ଉଦ୍ୟମରେ ପ୍ରତିଷ୍ଠିତ ପାରିବାରିକ ସୌହାଦ୍ଦ୍ୟ କ୍ଷୁର୍ଣ୍ଣହେବା ଭୟଲାଗି ରହିଥାଏ ।

 

ବାର୍ଦ୍ଧକ୍ୟ ସଂପର୍କରେ ଚ଼େତନା ଅଭାବ କାରଣରୁ ଉତ୍ତର-ବାର୍ଦ୍ଧକ୍ୟରେ ଶଯ୍ୟାଶାୟୀ ଜୀବନ ପରିଚ଼ାଳନା ନିମନ୍ତେ ସାମାଜିକ ସ୍ତରରେ ସୁବିଧାସୁଯୋଗ ସୃଷ୍ଟି ସଂଭବପର ହୋଇପାରି ନାହିଁ । ଆଞ୍ଚଳିକସ୍ତରରେ ବାର୍ଦ୍ଧକ୍ୟ ଜୀବନଚର୍ଯ୍ୟା ଅଧ୍ୟୟନ ଓ ଗବେଷଣା ନିମନ୍ତେ ଦେଶବିଦେଶରେ ବିଶ୍ୱବିଦ୍ୟାଳୟଗୁଡ଼ିକରେ ସ୍ୱତନ୍ତ୍ର ବ୍ୟବସ୍ଥା ସୃଷ୍ଟି କରାଯାଇଥିବା ସ୍ଥଳେ ଓଡ଼ିଶାରେ ସେଥିପ୍ରତି ଧ୍ୟାନନଦିଆଯିବା ଆମ ଅନଗ୍ରସରତାର ପରିଚ଼ୟ । ରାଜ୍ୟରେ ୮୪ ପ୍ରତିଶତ ପରିବାର ଗ୍ରାମାଞ୍ଚଳରେ ଓ ୭୦ ପ୍ରତିଶତ ପରିବାର ଖାଦ୍ୟସୁରକ୍ଷା ଯୋଜନାରେ ସାମିଲ ହୋଇଥିବା ସ୍ଥଳେ ଆଧୁନିକ ଜୀବନଯାତ୍ରାଜନିତ ସୃଷ୍ଟ ସମସ୍ୟାବଳୀ ସମାଧାନ ନିମନ୍ତେ ପଦକ୍ଷେପ ଗ୍ରହଣ ଅର୍ଥନୀତିକାରଣରୁ ଜଟିଳ ସାବ୍ୟସ୍ତ ହୋଇଥାଏ ।

 

ଦେଶବିଦେଶରେ ଶଯ୍ୟାଶାୟୀଙ୍କ ସେବା ନିମନ୍ତେ ବିକଶିତ ମଡ଼େଲଗୁଡ଼ିକ ବୃତ୍ତିଧାରୀଙ୍କ ଦ୍ୱାରା ବ୍ୟାବସାୟିକଭିତ୍ତିରେ ପରିଚ଼ାଳିତ ହେଉଥିବା କାର୍ଯ୍ୟଧାରା ରୂପାୟନ ନିମନ୍ତେ ଆକ୍ରାନ୍ତ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ବ୍ୟୟ ବହନ କରାଯାଉଥିବା ହେତୁ ସଂଖ୍ୟାଧିକ ଓଡ଼ିଆ ପରିବାରଙ୍କ କ୍ଷେତ୍ରରେ ସେହିଭଳି ଉଦାହରଣ ପ୍ରଯୁଜ୍ୟ ନ ହୋଇପାରେ । ତେବେ ଆର୍ଥିକ ଦିଗରୁ ସ୍ୱଚ୍ଛଳ ପରିବାରଙ୍କ ନିମନ୍ତେ ଆଞ୍ଚଳିକସ୍ତରରେ ଗ୍ରହଣଯୋଗ୍ୟ ମଡ଼େଲ ବିକଶିତ ହୋଇପାରିଲେ ତାହା ଅନ୍ତତଃ କିଛି ପରିବାରଙ୍କ ପାଇଁ ଆଶୀର୍ବାଦରେ ପରିଣତ ହେବା ସହ ଆର୍ଥିକ ଦିଗରୁ ଅନଗ୍ରସରଙ୍କ ନିମନ୍ତେ ବିକଳ୍ପ ମଡ଼େଲ ବିକାଶରେ ସହାୟକ ହେବା ଆଶା କରାଯାଇପାରେ ।

 

କେରଳର କୋଚ଼ିଠାରେ ‘ସିଗନେଚ଼ର ଏଜଡ଼-କେର’ ମାଧ୍ୟମରେ ଶଯ୍ୟାଶାୟୀଙ୍କୁ ନିଜ ନିଜ ବାସଭବନରେ ଦୈନନ୍ଦିନ ଜୀବନଯାପନ ନିମନ୍ତେ ସହାୟତା ଯୋଗାଇଦେବା ବ୍ୟବସ୍ଥା ରହିଛି । ଏହି କାର୍ଯ୍ୟକ୍ରମରେ ବୃତ୍ତିଧାରୀ ସ୍ୱାସ୍ଥ୍ୟ ସହାୟକମାନଙ୍କୁ ନିଯୁକ୍ତ କରାଯାଇଛି । ବୃଦ୍ଧାବସ୍ଥାରେ ଚ଼ିକିତ୍ସାଗତ ସହାୟତା ଗ୍ରହଣ ଲାଗି ସଦସ୍ୟତା ଗ୍ରହଣ ପାଇଁ ‘କ୍ଳବ ମେମ୍ୱରସିପ’ ବାବଦରେ ବ୍ୟକ୍ତିପିଛା ମାସିକ ନଅ ହଜାର ଟଙ୍କା ଦେୟ ଦେବାକୁ ପଡ଼େ । ସଦସ୍ୟମାନେ ଆବଶ୍ୟକମତେ ନିଜ ବାସଗୃହରେ ନର୍ସିଂ, ପାଥୋଲଜି ପରୀକ୍ଷା, ଡ଼େ-କେୟାରର ସୁବିଧା ପାଇଥାନ୍ତି । ଶଯ୍ୟାଶାୟୀମାନଙ୍କୁ ଶତପ୍ରତିଶତ ସେବା ଯୋଗାଇଦେବା ନିମନ୍ତେ ମାସିକ ୨୨,୨୦୦ ଟଙ୍କା ଶୁଳ୍କ ବିଶିଷ୍ଟ ଏକ ଯୋଜନା ମଧ୍ୟ ପ୍ରଚଳିତ ।

 

ପଶ୍ଚିମବଙ୍ଗରେ କୋଲକତାରେ ସାପୋର୍ଟ ଏଲଡ଼ର୍ସ ପକ୍ଷରୁ ‘ମେଡ଼ିକାଲ ଏମରଜେନ୍ସି ଆଲାର୍ଟ ସର୍ଭିସ’ ୨୦୧୫ ମସିହାରୁ ଆରମ୍ଭ ହୋଇଛି । ଏହି ପ୍ରକଳ୍ପରେ ତିନିଶହରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକ ବାର୍ଷିକ ୪୧ ହଜାର ଟଙ୍କା ଦେୟ ଦଖଲ କରି ଯୋଗ ଦେଇଥିବା ଜଣାଯାଏ । ପ୍ରତ୍ୟେକ ସଦସ୍ୟଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ସଜାଗ ଦୃଷ୍ଟି ରଖିବା ନିମନ୍ତେ ସାପ୍ତାହକୁ ଥରେ ଡ଼ାକ୍ତର ଘରକୁ ଆସିଥାନ୍ତି । ଆଲାର୍ଟ ସର୍ଭିସ ପକ୍ଷରୁ ସଦସ୍ୟଙ୍କୁ ଏକ ହାତବନ୍ଧା ସ୍ମାର୍ଟୱାଚ଼ ଦିଆଯାଏ । ଜିପିଏସ ଅନୁବନ୍ଧିତ ଏହି ସ୍ମାର୍ଟୱାଚ଼ ଯୋଗେ ବରିଷ୍ଠ ନାଗରିକମାନେ କୌଣସି ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହେଲେ କେନ୍ଦ୍ରୀୟସ୍ତରରେ ସଂଗୃହୀତ ସୂଚ଼ନା ଅନୁଯାୟୀ ସଂପୃକ୍ତ ବ୍ୟକ୍ତିଙ୍କୁ ଆମ୍ୱୁଲାନ୍ସ ଯୋଗେ ହସପିଟାଲ ସ୍ଥାନାନ୍ତରର ବ୍ୟବସ୍ଥା କରାଯାଏ ।

ଏହି ଯୋଜନାରେ ଅନ୍ତର୍ଭୁକ୍ତ ସଦସ୍ୟଙ୍କ ଚ଼ିକିତ୍ସା ନିମନ୍ତେ ‘ଉଡ଼ଲ୍ୟାଣ୍ଡ ମଲଟି-ସ୍ପେଶାଲିଟି ହସପିଟାଲ’ ସହ ସହବନ୍ଧନର ବ୍ୟବସ୍ଥା ହୋଇଛି ।

 

ନିଜ ବାସଗୃହରେ ଚ଼ିକିତ୍ସିତ ଶଯ୍ୟାଶାୟୀଙ୍କୁ ଇଣ୍ଟେନସିଭ କେୟାର ୟୁନିଟର ସୁବିଧା ଯୋଗାଇଦେବା ନିମନ୍ତେ ଫିଲିପ୍ସ ହୋମ କେୟାର ପ୍ରାଇଭେଟ ଲିମିଟେଡ଼ ପକ୍ଷରୁ ଦେଶର ଛଅଗୋଟି ସହର ମୁମ୍ୱାଇ, ପୁଣେ,ଦିଲ୍ଲୀ, ବାଙ୍ଗାଲୁରୁ, ହାଇଦରାବାଦ ଓ ଚ଼େନ୍ନାଇକାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି ପ୍ରକଳ୍ପରେ ଦୁଇ ଶହ ଡ଼ାକ୍ତରଙ୍କୁ ସାମୟିକଭାବେ ନିଯୁକ୍ତ କରାଯାଇଥିବା ସ୍ଥଳେ ପ୍ରାୟ ଅଢ଼େଇ ହଜାର ଉପଭୋକ୍ତା ସାମିଲ ହୋଇଛନ୍ତି ।

 

ଶଯ୍ୟାଶାୟୀଙ୍କ ନିମନ୍ତେ ଏଭଳି ସ୍ୱାସ୍ଥ୍ୟସେବା ବ୍ୟୟବହୁଳ ଓ ଧନୀକବର୍ଗଙ୍କ ନିମନ୍ତେ ପ୍ରତୀୟମାନ ହେଉଥିଲେ ହେଁ ଶଯ୍ୟାଶାୟୀ ଜୀବନଚ଼ର୍ଯ୍ୟା ପାଇଁ ବୃତ୍ତିଭିତ୍ତିକ ସେବା ବ୍ୟାବସାୟିକ ଆଙ୍ଗିକରେ ଯେ ସଂଭବପର ଏହା ପ୍ରମାଣିତ କରିଥାଏ । ମୂଲ୍ୟ ବିଷୟରେ ବିଚ଼ାର କଲାବେଳେ ଦୁଇ ଦଶନ୍ଧିପୂର୍ବେ ମୋବାଇଲ ଫୋନରେ କଲ କରିବା କିମ୍ୱା ଗ୍ରହଣ କରିବା ନିମନ୍ତେ ସର୍ବନିମ୍ନ ଚ଼ାରି ଟଙ୍କା ପଚ଼ାଶ ପଇସା ଦେବାକୁ ପଡୁଥିବାବେଳେ ୨୦୧୭ ବେଳକୁ ପ୍ରାୟତଃ ମାଗଣାରେ କଥାବାର୍ତ୍ତା ସଂଭବପର ହୋଇପାରୁଥିବା ଉଦାହରଣ ତୁଳନୀୟ । ଦେଶର ଦେଢ଼କୋଟି ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସଂଗଠନ ମାଗଣାରେ ତ ସଂଭବ ନୁହେଁ, ତେବେ ବ୍ୟାପକ ଆକାରରେ ପ୍ରଯୋଜିତ ହେଲେ ଗ୍ରହଣଯୋଗ୍ୟ ସ୍ତରକୁ ଓହ୍ଲାଇ ଆସିବା ଆଶା କରାଯାଇପାରେ । ଭବିଷ୍ୟତରେ ଅଳ୍ପଶିକ୍ଷିତ ମହିଳାମାନଙ୍କ ନିମନ୍ତେ ବରିଷ୍ଠ ନାଗରିକଙ୍କ ଯତ୍ନ ଏକ ସମ୍ମାନପ୍ରଦ ନିଯୁକ୍ତିର ସୁଯୋଗ ସୃଷ୍ଟି କରିବା ଆଶା କରାଯାଇପାରେ ।

 

ଜାତିସଂଘ ଜନସଂଖ୍ୟା ପାଣ୍ଠି ପକ୍ଷରୁ ପ୍ରକାଶିତ ‘ଦି ଇଣ୍ଡିଆ ଏଜିଂ ରିପୋର୍ଟ ୨୦୧୭’ ହିସାବ ଅନୁଯାୟୀ ୨୦୦୧ରେ ଦେଶରେ ୬୦ ବର୍ଷୋତ୍ତରଙ୍କ ସଂଖ୍ୟା ୭.୫ ପ୍ରତିଶତ ଥିବାସ୍ଥଳେ ୨୦୧୧ରେ ୮.୬ ପ୍ରତିଶତକୁ ବୃଦ୍ଧିପାଇ ୨୦୫୦ ବେଳକୁ ୧୯ ପ୍ରତିଶତରେ ପହଞ୍ଚିବା ଆକଳନ କରାଯାଉଛି । ଭାରତ ସରକାରଙ୍କ ସାମାଜିକ ନ୍ୟାୟ ମନ୍ତ୍ରଣାଳୟର ହିସାବରେ ୨୦୧୧ରେ ପ୍ରତି ହଜାରେ ବରିଷ୍ଠ ନାଗରିକଙ୍କ ମଧ୍ୟରେ ଗ୍ରାମାଞ୍ଚଳରେ ୬୪ ଓ ସହରାଞ୍ଚଳରେ ୫୫ ଜଣ ଅକର୍ମଣ୍ୟ ଅବସ୍ଥାରେ ଜୀବନ କାଟୁଥିଲେ । ‘ନ୍ୟୁରୋ ସାଇନ୍ସେସ ରୁରାଲ ପ୍ରାକ୍ଟିସ ୨୦୧୧’ ହିସାବରେ ଦେଶର ପ୍ରାୟ ୨୨ ପ୍ରତିଶତ ବରିଷ୍ଠ ନାଗରିକ ମାନସିକ ଅବସାଦର ଶୀକାର । ଆନ୍ତର୍ଜାତିକସ୍ତରରେ ଏହା ୧୦.୩ ପ୍ରତିଶତରେ ସୀମାବଦ୍ଧ । ଏହି ସବୁ ପରିସଂଖ୍ୟାନ ଭାରତରେ ବରିଷ୍ଠ ନାଗରିକଙ୍କ ନିମନ୍ତେ ସ୍ୱାବଲମ୍ୱୀ ‘ସଷ୍ଟେନବେଲ’ ଭିତ୍ତିରେ ସ୍ୱାସ୍ଥ୍ୟସେବା ସୃଷ୍ଟି ନିମନ୍ତେ ଗୁରୁତ୍ୱ ସୂଚ଼ିତ କରିଥାଏ ।

 

ସରକାରୀସ୍ତରରେ କେନ୍ଦ୍ର ସରକାରଙ୍କ ଦ୍ୱାରା ୧୯୯୯ରେ ଜାତୀୟ ବରିଷ୍ଠ ନାଗରିକ ନୀତି ପ୍ରଣୀତ ହେବା ଦଶ ବର୍ଷ ପରେ ୨୦୧୦ରେ ଜାତୀୟ ବରିଷ୍ଠ ନାଗରିକ ସ୍ୱାସ୍ଥ୍ୟ ସେବା ‘ନ୍ୟାସନାଲ ପ୍ରୋଗ୍ରାମ ଫର ହେଲଥ କେର ଅଫ ଏଲଡ଼ରଲି’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ତେବେ ଏହି ଯୋଜନାର ଅଗ୍ରଗତି ନୈରାଶ୍ୟଜନକ ମନେହୁଏ । ଏଭଳି ପରିବେଶରେ ଘରୋଇ ଉଦ୍ୟମରେ ବ୍ୟାବସାୟିକଭିତ୍ତିରେ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ସମ୍ମଳିତ ‘ଷ୍ଟାର୍ଟଅପ’ ପ୍ରକଳ୍ପମାନ ବରିଷ୍ଠ ନାଗରିକଙ୍କ ଶଯ୍ୟାଶାୟୀ ଜୀବନଚ଼ର୍ଯ୍ୟାଜନିତ ସମସ୍ୟା ସମାଧାନ ଦିଗରେ ବଳିଷ୍ଠ ଭୂମିକା ନିର୍ବାହ କରିବା ଆଶା କରାଯାଇପାରେ । ଏଦିଗରେ ବ୍ୟାପକ ଚ଼େତନା ପ୍ରସାର ଆବଶ୍ୟକ ।

 

ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ମେ' ୨୦୧୯ 

---

ତଥ୍ୟ:

 

Bedridden. https://en.m.wikipedia.org/wiki/Bedridden 

 

When you’re really ill… bring home the ICU. Business Line . March 12, 2018

 

https://www.thehindubusinessline.com/specials/india-file/when-youre-really-illstay-at-home/article23140525.ece

 

Singh.Jyotsna. Elderly & lonely. Down To EarthOctober 1, 2015

 

https://www.downtoearth.org.in/coverage/elderly-lonely-44173

ଆବାସଭିତ୍ତିକ ବାର୍ଦ୍ଧକ୍ୟ ଯତ୍ନ

ବିଭିନ୍ନ ଗବେଷଣାଲବ୍ଧ ତଥ୍ୟ ଅନୁଯାୟୀ ବିଶ୍ୱବ୍ୟାପୀ ଶିକ୍ଷିତ ଓ ଆର୍ଥିକସ୍ତରରେ ସ୍ୱଚ୍ଛଳବର୍ଗର ୬୫ ବର୍ଷୋତ୍ତର ବରିଷ୍ଠ ନାଗରିକମାନଙ୍କ ବାର୍ଦ୍ଧକ୍ୟ ଜୀବନକାଳର ୮୦ ପ୍ରତିଶତରୁ ଅଧିକ ସମୟ ବାସଗୃହରେ କଟିଥାଏ । ଦୀର୍ଘ ଜୀବଦ୍ଦଶା ଉପଭୋଗ ଅବସରରେ ପ୍ରାୟ ଦଶ ବର୍ଷ ଭଗ୍ନ ସ୍ୱାସ୍ଥ୍ୟ ଓ ଚାରି ବର୍ଷ ଯାଏଁ ସହୟତାକାଂକ୍ଷୀ ଜୀବନଯାପନ ନିମନ୍ତେ ବାଧ୍ୟ ହୋଇଥାନ୍ତି । ବିକଶିତ ରାଷ୍ଟ୍ରଗୁଡ଼ିକରେ ବାର୍ଦ୍ଧକ୍ୟ ଅତିବାହିତ କରିବାଲାଗି ପାରମ୍ପରିକଭାବେ ବାସଗୃହ ଭିନ୍ନ ଅବସର ବିହାର ସୁବିଧାସୁଯୋଗ ଥିଲେ ସୁଦ୍ଧା ୮୦ ପ୍ରତିଶତରୁ ଅଧିକ ସଂଖ୍ୟକ ନିଜସ୍ୱ ଆବାସରେ ବାର୍ଦ୍ଧକ୍ୟ ବିତାଇବାଲାଗି ପସନ୍ଦ କରିଥାନ୍ତି । ତେବେ ଉତ୍ତର-ବାର୍ଦ୍ଧକ୍ୟରେ ଜଟିଳ ରୋଗାକ୍ରାନ୍ତ ଓ ଶଯ୍ୟାଶାୟୀ ଅବସ୍ଥାରେ କେୟାରହୋମ, ନସିଂହୋମ ବା ହସପିଟାଲକୁ ସ୍ଥାନାନ୍ତରିତ ହୋଇଥାନ୍ତି ।


 

ବ୍ରିଟେନ, ଯୁକ୍ତରାଷ୍ଟ୍ର ଆମେରିକା ଓ ୟୁରୋପୀୟ ଦେଶପୁଞ୍ଜରେ ଦ୍ୱିତୀୟ ବିଶ୍ୱଯୁଦ୍ଧୋତ୍ତର ଅବସ୍ଥାରେ ଉତ୍ତର-ବାର୍ଦ୍ଧକ୍ୟ ଜୀବନଚର୍ଯ୍ୟା ନିମନ୍ତେ ଗଢ଼ି ଉଠିଥିବା ଅବସର ବିହାର ଓ କେର ହୋମଗୁଡ଼ିକରେ କୋଭିଡ଼-୧୯ ସଂକ୍ରମଣର ପ୍ରଥମ ତରଙ୍ଗରେ ସୃଷ୍ଟ ଭୟାବହ ପରିସ୍ଥିତି ପ୍ରଚଳିତ ମଡ଼େଲର ଗୁଣବତ୍ତାପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଥିଲା । ଭୂତାଣୁ ସଂକ୍ରମଣ ପ୍ରତିରୋଧଲାଗି ଉଚିତ ପ୍ରତିଷେଧକ ବ୍ୟବସ୍ଥା ତତ୍ କ୍ଷଣାତ ଆୟୋଜନ ସଂଭବପର ନହୋଇପାରିବା ହେତୁ ବହୁ ସଂଖ୍ୟକ ବରିଷ୍ଠ ନାଗରିକ ରୋଗାକ୍ରାନ୍ତ ହୋଇ ପ୍ରାଣ ହରାଇଲେ । ଉଦାହରଣରେ ବ୍ରିଟେନରେ ପ୍ରଥମ ପର୍ଯ୍ୟାୟ ମୃତ୍ୟୁ ସଂଖ୍ୟାରେ ୮୦ ପ୍ରତିଶତ ବରିଷ୍ଠ ନାଗରିକ ଅନ୍ତର୍ଭୁକ୍ତ ଥିବା ସ୍ଥଳେ ସେଥିମଧ୍ୟରୁ ଅର୍ଦ୍ଧେକଙ୍କୁ କେର ହୋମ ନିବାସୀ ଚ଼ିହ୍ନଟ କରାଯାଇଥିଲା । ଭୂତାଣୁ ସଂକ୍ରମଣ ମୁଖ୍ୟତଃ ବରିଷ୍ଠ ନାଗରିକଙ୍କୁ ସେବା ପ୍ରଦାନକାରୀଙ୍କ ମାଧ୍ୟମରେ ବ୍ୟାପିଥିବା ହେତୁ ଉଭୟ ଆବାସ ଓ ବାହ୍ୟପରିବେଶରେ ସହାୟତାଯୁକ୍ତ ଜୀବନଯାପନ କରୁଥିବା ବରିଷ୍ଠ ନାଗରିକଙ୍କ ବିପନ୍ନ ଜୀବନଯାତ୍ରା ଉଦବେଗ ସୃଷ୍ଟି କରିଥିଲା ।


 

ସମୀକ୍ଷକଙ୍କ ବିଶ୍ଳେଷଣରେ କରୋନା ସଂକ୍ରମଣର ଅଭିଜ୍ଞତା ପାଶ୍ଚାତ୍ୟ ଭୂଖଣ୍ଡରେ ନିଜସ୍ୱ ବାସଗୃହରେ ବାର୍ଦ୍ଧକ୍ୟ ଜୀବନଚର୍ଯ୍ୟା ପ୍ରତି ଅଗ୍ରାଧିକାର ମାତ୍ରା ବୃଦ୍ଧି କରିପାରେ ସତ, ତେବେ ଅବସର ବିହାର ଓ କେର ହୋମର ଆବଶ୍ୟକତାକୁ ମ୍ଳାନ କରିପାରିବ ନାହିଁ । ଅପରପକ୍ଷେ ଉଭୟ ଆବାସ ଓ ବାହ୍ୟ ପରିବେଶରେ ସହାୟତାଯୁକ୍ତ ବାର୍ଦ୍ଧକ୍ୟ ଜୀବନଚର୍ଯ୍ୟା ନିମନ୍ତେ ସେବାପ୍ରଦାନକାରୀଙ୍କ ସଂଖ୍ୟା, ଦକ୍ଷତା ଓ ସୁରକ୍ଷାଜନିତ ଦିଗଗୁଡ଼ିକର ଉନ୍ନତି ପ୍ରତି ଧ୍ୟାନ ଆକର୍ଷିତ କରିବ । ସର୍ବୋପରି ବୈଷୟିକ କୌଶଳ ଉପଯୋଗରେ ସ୍ମାର୍ଟ ଜୀବନଚର୍ଯ୍ୟା ପ୍ରଚଳିତ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆଣିବା ସଂଭବ ।



ମହାମାରୀ-ପର ପରିବର୍ତ୍ତିତ ପରିବେଶ ନିଉ ନରମାଲରେ ପାଶ୍ଚାତ୍ୟ ଭୂଖଣ୍ଡର ଅନୁଭୂତି ଆଧାରରେ ଭାରତ ତଥା ଓଡ଼ିଶାରେ ବାର୍ଦ୍ଧକ୍ୟ ଜୀବନଚର୍ଯ୍ୟା ଆଲୋଚ଼ନା କଲାବେଳେ ଗବେଷଣାଭିତ୍ତିକ ତଥ୍ୟ ଅଭାବ ମୁଖ୍ୟ ପ୍ରତିବନ୍ଧକ । କୋଭିଡ଼-୧୯ ସଂକ୍ରମଣ କାଳରେ ସ୍ଥାନୀୟ ବରିଷ୍ଠ ନାଗରିକଙ୍କ ଜୀବନ ସଂଗ୍ରାମ କେବଳ ଅନୁମାନରେ ସୀମିତ । ଘୋଷିତ ଓ ଅଘୋଷିତ କଟକଣାରେ ଗଣମାଧ୍ୟମର ନୀରବତା ପରିସ୍ଥିତିକୁ ଜଟିଳ କରିପକାଇଛି ।


 

ଭୂତାଣୁ ସଂକ୍ରମଣକାଳରେ ବରିଷ୍ଠ ନାଗରିକମାନେ ଗୃହାବଦ୍ଧ ରହିଥିବା ଅବସରରେ କେବଳ ପରିବାରବର୍ଗଙ୍କ ଯତ୍ନ ବ୍ୟତୀତ ଅନ୍ୟ ଚାରା ନଥିଲା । ବୃତ୍ତିଭିତ୍ତିକ ବାର୍ଦ୍ଧକ୍ୟ ଯତ୍ନ ପ୍ରଦାନକାରୀଙ୍କ ସଂଖ୍ୟା ନଗଣ୍ୟ ଏବଂ ଏହି ସୁବିଧା ଭୁବନେଶ୍ୱର, କଟକ ବ୍ୟତୀତ ରାଜ୍ୟର ଅନ୍ୟାନ୍ୟ ବଡ଼ ସହରଗୁଡ଼ିକରେ ମଧ୍ୟ ଦୁର୍ଲଭ । ଅବସର ବିହାର ଓ କେର ହୋମ ଅଭାବରୁ ବରିଷ୍ଠ ନାଗରିକମାନେ ନିଜ ବାସଗୃହରେ ବସବାସ ନିମନ୍ତେ ବାଧ୍ୟ ହେଉଥିବା ସ୍ଥଳେ ଆବାସଭିତ୍ତିକ ବାର୍ଦ୍ଧକ୍ୟ ଯତ୍ନର ଆବଶ୍ୟକତା ଉଭୟ ସରକାରୀ ଓ ବେସରକାରୀସ୍ତରରେ ଗୁରୁତ୍ୱ ଆରୋପ କରିଥାଏ ।


 

କୋଭିଡ଼-୧୯ ଅଭିଜ୍ଞତାରୁ ଜଣାଯାଏ ଯେ ପ୍ରାୟ ୯୦ ପ୍ରତିଶତ ଯାଏଁ ସଂକ୍ରମିତ ବରିଷ୍ଠ ନାଗରିକ ନିଜ ବାସଗୃହରେ ଚ଼ିକିତ୍ସିତ ହେବା ନିମନ୍ତେ ଆଗ୍ରହ ପ୍ରକାଶ କରିଥିଲେ । କିନ୍ତୁ ସହରାଞ୍ଚଳରେ ସୁଦ୍ଧା ସେମାନଙ୍କ ଚ଼ିକିତ୍ସାଲାଗି ତାଲିମପ୍ରାପ୍ତ ବୃତ୍ତିଧାରୀଙ୍କ ଅଭାବ ପରିଲକ୍ଷିତ ହୋଇଥିଲା । ସମୀକ୍ଷକମାନଙ୍କ ମତରେ ଆନୁଷ୍ଠାନିକ ହସପିଟାଲ ବ୍ୟବସ୍ଥାର ଭିତ୍ତିଭୂମି ଓ ପରିଚାଳନା ନିମନ୍ତେ ଉଭୟ ସରକାରୀ ଓ ବେସରକାରୀସ୍ତରରେ ଦୃଷ୍ଟି ଦିଆଯାଉଥିବା ସ୍ଥଳେ ଆବାସଭିତ୍ତିକ ଯତ୍ନ ବ୍ୟବସ୍ଥା ଅବହେଳିତ ହୋଇ ପଡ଼ିରହିଛି । କେବଳ କୋଭିଡ଼-୧୯ କାହିଁକି ବହୁ ଦୀର୍ଘସ୍ଥାୟୀ ରୋଗରେ ଆକ୍ରାନ୍ତ ହେଲେ ବାସ୍ତବକ୍ଷେତ୍ରରେ ଆବାସ ଚ଼ିକିତ୍ସା ଗୁରୁତ୍ୱବହନ କରିଥାଏ । ମହାମାରୀ-ପର ଅବସ୍ଥାରେ ଏହି ଦିଗରେ ଯୋଜନା ପ୍ରଣୟନ ଅପରିହାର୍ଯ୍ୟ ।


 

ଏକ ଉଲ୍ଲେଖଯୋଗ୍ୟ ଘଟଣାକ୍ରମରେ ୨୦୨୧ ଜୁଲାଇ ରଥଯାତ୍ରା ଅବସରରେ ଭୁବନେଶ୍ୱରରେ ପ୍ରସ୍ତାବିତ ବାଗଚୀ-କରୁଣାଶ୍ରୟ ପାଲ୍ଲିଏଟିଭ କେର ପ୍ରକଳ୍ପର ହସପିସ ଓ କାର୍ଯ୍ୟାଳୟ ନିର୍ମାଣ ଶୁଭ ଦିଆଯାଇଥିଲା । ଏଥିରେ କର୍କଟ ରୋଗାକ୍ରାନ୍ତଙ୍କ ନିମନ୍ତେ ଶହେ ଶଯ୍ୟାବିଶିଷ୍ଟ ହସପିସ ସାଙ୍ଗକୁ ରୋଗାକ୍ରାନ୍ତଙ୍କ ନିମନ୍ତେ ଆବାସ ଯତ୍ନର ସୁବିଧା ୨୦୨୪ ଜାନୁୟାରୀ ସୁଦ୍ଧା ପ୍ରଯୋଜନା ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ମୁଖ୍ୟ କଥା ହେଲା ପ୍ରକଳ୍ପ ମାଧ୍ୟମରେ ବୃତ୍ତିଭିତ୍ତିକ ସେବାପ୍ରଦାନକାରୀଙ୍କୁ ତାଲିମ ପ୍ରଦାନ କରାଯିବ । ବାର୍ଦ୍ଧକ୍ୟ ଯତ୍ନ କ୍ଷେତ୍ରରେ ଏହି ଉଦ୍ୟମ ଏକ ମହତ୍ତ୍ୱପୂର୍ଣ୍ଣ ଅବଦାନ ।


 

ଏକ ପକ୍ଷରେ କର୍କଟ ରୋଗାକ୍ରାନ୍ତଙ୍କ ମଧ୍ୟରେ ବରିଷ୍ଠନାଗରିକଙ୍କ ସଂଖ୍ୟା ଅଧିକ ଏବଂ ପ୍ରସ୍ତାବିତ ପାଲ୍ଲିଏଟିଭ କେର ଯୋଜନାରେ ସର୍ବାପେକ୍ଷା ଯତ୍ନାକାଂକ୍ଷୀ ବରିଷ୍ଠ ରୋଗୀମାନେ ଉପକୃତ ହୋଇପାରିବେ । ଅନ୍ୟପକ୍ଷରେ ଗୋଟିଏ ଅନୁଷ୍ଠାନପକ୍ଷରୁ ପାଞ୍ଚ ବର୍ଷରେ ପଚ଼ିଶି ହଜାର ସେବା ପ୍ରଦାନକାରୀଙ୍କ ତାଲିମ ବ୍ୟବସ୍ଥା ଅନ୍ୟମାନଙ୍କୁ ଏହି କ୍ଷେତ୍ରରେ ମନୋନିବେଶ କରିବା ନିମନ୍ତେ ପ୍ରବର୍ତ୍ତାଇବା ଆଶା କରାଯାଇପାରେ । ବୃତ୍ତିଭିତ୍ତିକ ସେବାପ୍ରଦାନକାରୀଙ୍କ ସଂଖ୍ୟାବୃଦ୍ଧି ବାର୍ଦ୍ଧକ୍ୟ ଯତ୍ନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନର ସୂତ୍ରଧର ସାଜିବା ସଂଭବ । ରକ୍ଷଣଶୀଳ ଓଡ଼ିଶୀ ସମାଜରେ ଏହିଭଳି ପଦକ୍ଷେପ ଯେତେ କମମାତ୍ରାରେ ସଫଳତା ହାସଲ କରୁନାକାହିଁକି, ସାମାଜିକ ପରିବର୍ତ୍ତନରେ ଏକ ମାଇଲଖୁଣ୍ଟ ସାଜିବ ।


 

ଏକବିଂଶ ଶତାଦ୍ଦୀର ତୃତୀୟ ଦଶକ ଆରମ୍ଭରୁ ମହାମାରୀଜନିତ ଅଭିଜ୍ଞତା ସାମଗ୍ରିକଭାବେ ସାମାଜିକ ବ୍ୟବସ୍ଥାକୁ ଦୋହଲାଇ ଦେଇଥିବା ସ୍ଥଳେ ବାର୍ଦ୍ଧକ୍ୟ ଜୀବନଚର୍ଯ୍ୟା ମାତ୍ରାଧିକ ପ୍ରଭାବିତ ହୋଇଥିବା ପରିଦୃଷ୍ଟ । ଏକ ଗବେଷଣା ଅନୁଯାୟୀ ୭୬ ପ୍ରତିଶତ ବରିଷ୍ଠ ନାଗରିକ ମହାମାରୀ ସେମାନଙ୍କ ଜୀବନର ପ୍ରାସଙ୍ଗିକତା ଖୋଜି ବୁଝିବାକୁ ଏକ ଅବସର ସୃଷ୍ଟି କରିଥିବା ସ୍ୱୀକାର କରିଥିଲେ । ପ୍ରାୟ ନଅ ହଜାର ବିଭିନ୍ନ ବୟସବର୍ଗର ମାର୍କିନ ନାଗରିକଙ୍କ ଗହଣରେ ଆୟୋଜିତ ସର୍ବେକ୍ଷଣରେ ପରିବର୍ତ୍ତିତ ଜନଜୀବନରେ ସ୍ୱାସ୍ଥ୍ୟ, ପରିବାର, ଅର୍ଥନୀତି ଓ ଅଭିପ୍ରାୟ ଚାରିଗୋଟି ଦିଗରେ ସାମୂହିକ ଦୃଷ୍ଟିକୋଣ ପରିମାପ ନିମନ୍ତେ ଉଦ୍ୟମ କରାଯାଇଥିଲା ।


 

ଏଥିରୁ ଜଣାଗଲା ଯେ ୯୦ ପ୍ରତିଶତ ୫୦ ବର୍ଷୋତ୍ତର ନାଗରିକ ନିଜ ସ୍ୱାସ୍ଥ୍ୟାବସ୍ଥା ପ୍ରତି ଗୁରୁତ୍ୱ ଦେଇଥାନ୍ତି । ପ୍ରାୟ ୭୨ ପ୍ରତିଶତ ୬୫ ବର୍ଷୋତ୍ତର ନିଜେ ନିଜ ବାର୍ଦ୍ଧକ୍ୟରେ ପରିବାର ଉପରେ ବୋଝ ପାଲଟିବା ଆଶଙ୍କାରେ ଭରାକ୍ରାନ୍ତ । ସେମାନଙ୍କ ମଧ୍ୟରୁ ଚାରି ଜଣଙ୍କ ମଧ୍ୟରେ ଜଣେ ମାତ୍ର ପରିବାର କିମ୍ୱା ବନ୍ଧୁବାନ୍ଧବଙ୍କ ସହ ମୃତ୍ୟୁ-ସମୀପ-ଜୀବନ ସଂପର୍କରେ ଥରେ ଅଧେ ଆଲୋଚନା କରିଥିବା ପ୍ରକାଶ କରିଥିଲେ । ଅର୍ଥାତ ବାର୍ଦ୍ଧକ୍ୟଗ୍ରସ୍ତ ତିନି-ଚତୁର୍ଥାଂଶ ନିଜ ଶେଷ ଜୀବନ ସଂପର୍କରେ ଯୋଜନା ତ ଦୂରକଥା, ଚ଼ିନ୍ତା ବି କରିବାରେ କୁଣ୍ଠିତ । ଆଗାମୀ ଦଶବର୍ଷ, ଅର୍ଥାତ ୨୦୩୧ ସୁଦ୍ଧା କର୍ମକ୍ଷେତ୍ରରୁ ଅବସର ନେବା ନିମନ୍ତେ ଅପେକ୍ଷାରତଙ୍କ ମଧ୍ୟରୁ ଦୁଇ-ତୃତୀୟାଂଶ ସେମାନଙ୍କ ବାର୍ଦ୍ଧକ୍ୟରେ ସ୍ୱାସ୍ଥ୍ୟରକ୍ଷା ସଂପର୍କୀତ ଚ଼ିକିତ୍ସା ଖର୍ଚ୍ଚ ସଂପର୍କରେ ଅଜ୍ଞ । ଅପରପକ୍ଷେ ସର୍ବେକ୍ଷଣରେ ଅଂଶଗ୍ରହଣକାରୀଙ୍କ ମଧ୍ୟରୁ ୮୯ ପ୍ରତିଶତ ଅବସର-ପର ଜୀବନରେ କର୍ମ-କୁଶଳତା ଓ ସମୟ ସଦବିନିଯୋଗ ନିମନ୍ତେ ସରକାରୀ, ବେସରକାରୀ ଓ ବୃତ୍ତିଗତସ୍ତରରେ ଅଧିକ ସୁବିଧା ସୁଯୋଗ ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଥିଲେ ।


 

ସୁଦୂର ଯୁକ୍ତରାଷ୍ଟ୍ର ଆମେରିକା ଭଳି ବିକଶିତ ରାଷ୍ଟ୍ରରେ ନାଗରିକଙ୍କ ଆଶା ଆକାଂକ୍ଷା ଓଡ଼ିଶାରେ ଅନ୍ତତଃପକ୍ଷେ ସହରୀ ସଭ୍ୟତା ଓ ସହରୀ-ସଭ୍ୟତା-ଅଭିମୁଖୀ ଗ୍ରାମ୍ୟ ସଭ୍ୟତା ମହାମାରୀ-ପର ପରିବର୍ତ୍ତିତ ପରିବେଶରେ ଯେ କେତେକାଂଶରେ ପ୍ରଯୁଜ୍ୟ, ଅନେକେ ଏଥିରେ ସହମତ ହେବେ । ପାରମ୍ପରିକ ଜୀବନଯାତ୍ରାରେ ଏହି ପରିବର୍ତ୍ତନ ସହ ଆମେ କେତେଦୂର ତାଳ ଦେଇ ଚାଲିପାରିବା ତାହା ବ୍ୟକ୍ତିଗତ ଦୃଷ୍ଟିକୋଣ ଓ ସାମୂହିକ ଚ଼େତନା ଉପରେ ନିର୍ଭରଶୀଳ । ଆବାସଭିତ୍ତିକ ବାର୍ଦ୍ଧକ୍ୟ ଯତ୍ନ ବୃତ୍ତିଧାରୀଙ୍କ ସଂଖ୍ୟା ବୃଦ୍ଧି, ଗୁଣାତ୍ମକ ତାଲିମ ବ୍ୟବସ୍ଥା ଓ ସ୍ମାର୍ଟ ପରିଚାଳନା ବାର୍ଦ୍ଧକ୍ୟ ଜୀବନଚର୍ଯ୍ୟାକୁ ଗଭୀର ପ୍ରଭାବିତ କରିବା ସଂଭବ ।

 

ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଜୁଲାଇ ୨୦୨

---

ତଥ୍ୟ :


 

After Covid-19 : What housing for America’s oldest could be like

 

https://www.forbes.com/sites/nextavenue/2020/07/23/after-covid-19-what-housing-for-americas-oldest-could-be-like/?sh=4056f9e11eb5

 

Senior care innovator, Bill Thomas : Covid-19 rewriting health care rules, pushing home care into spotlight

 

https://homehealthcarenews.com/2020/04/senior-care-innovator-bill-thomas-covid-19-rewriting-health-care-rules-pushing-home-care-into-the-spotlight/

 

New Retirement

 

https://www.edwardjones.com/us-en/market-news-insights/retirement/new-retirement

ଜାପାନରେ ବାର୍ଦ୍ଧକ୍ୟ ସେବାରେ ବରିଷ୍ଠ

ପାରମ୍ପରିକଭାବେ ବାର୍ଦ୍ଧକ୍ୟଗ୍ରସ୍ତଙ୍କ ସେବା-ଆଶ୍ରିତ-ଜୀବନ ପର୍ଯ୍ୟାୟଟି କନିଷ୍ଠଙ୍କ ଯତ୍ନରେ କଟିଥାଏ । ଏହା ପାରିବାରିକ ଦାୟିତ୍ୱ ବିବେଚ଼ିତ ହେଉଥିବା ସ୍ଥଳେ କେତେକ ରାଷ୍ଟ୍ରରେ ଏଥିଲାଗି ବିଧିବଦ୍ଧ ଆଇନ ମଧ୍ୟ ପ୍ରଣୀତ ହୋଇଥିବା ଦେଖିବାକୁ ମିଳେ । ଏକାକୀ, ଅଭାବଗ୍ରସ୍ତ ଓ ଅବହେଳିତ ବରିଷ୍ଠ ନାଗରିକଙ୍କ ଥଇଥାନ ଦାୟିତ୍ୱ ସମାଜ ଗ୍ରହଣ କରେ ।

 

ଦ୍ୱିତୀୟ ବିଶ୍ୱଯୁଦ୍ଧ ଯାଏଁ ବିଶ୍ୱରେ ସର୍ବତ୍ର ମାନବ ଜୀବଦ୍ଦଶା ହାରାହାରି ପଚାଶ ଆଖପାଖରେ ରହୁଥିବା ଏବଂ ଅତି ଅଳ୍ପ ସଂଖ୍ୟକ ଦୀର୍ଘ ଜୀବନ ଉପଭୋଗ କରୁଥିବା ହେତୁ ସାମାଜିକସ୍ତରରେ ବାର୍ଦ୍ଧକ୍ୟ ସେବା ପ୍ରାୟତଃ ଏକ ପ୍ରସଙ୍ଗ ପାଲଟୁ ନଥିଲା । ସଂପ୍ରସାରିତ ପାରିବାରିକ ଆଙ୍ଗିକରେ ବରିଷ୍ଠ ନାଗରିକମାନଙ୍କ ଯତ୍ନ କୌଣସିମତେ ତୁଲି ଆସୁଥିଲା । ବିଶେଷତଃ ଚ଼ିକିତ୍ସା, ଜନସ୍ୱାସ୍ଥ୍ୟ ଓ ଜୀବନଧାରଣର ମାନ ଅବହେଳିତ ଅବସ୍ଥାରେ ପଡ଼ି ରହିଥିବା ହେତୁ ବାର୍ଦ୍ଧକ୍ୟରେ ସ୍ୱାସ୍ଥ୍ୟସେବା ଗୁରୁତ୍ୱ ଜାହିର କରୁନଥିଲା ।

 

ପାଶ୍ଚାତ୍ୟ ଭୂଖଣ୍ଡରେ ପଞ୍ଚଦଶ ଶତାଦ୍ଦୀରୁ ବୈଜ୍ଞାନିକ ଉଦ୍ଭାବନ ଓ ଭୌଗଳିକ ଆବିଷ୍କାର ଜନଜୀବନରେ ବିଭିନ୍ନ ସୁବିଧାସୁଯୋଗ ଉପଲବ୍ଧ କରାଇବାରେ ଲାଗିଲା । ସପ୍ତଦଶ ଓ ଅଷ୍ଟାଦଶ ଶତାଦ୍ଦୀରେ ଶିଳ୍ପ ବିପ୍ଳବ ଅବସରରେ ତାହା ଦୃଢ଼ୀଭୂତ ହୋଇଥିବା ସ୍ଥଳେ ବିଂଶ ଶତାଦ୍ଦୀର ଦୁଇ ବିଶ୍ୱଯୁଦ୍ଧୋତ୍ତର ଅବସ୍ଥାରେ ବିକଶିତ ସାମାଜିକ, ସାଂସ୍କୃତିକ ଓ ରାଜନୀତିକ ପରିବେଶ ସୃଷ୍ଟି ହୋଇଥିଲା । ସେହି ଅଗ୍ରଗତିରେ ଏକବିଂଶ ଶତାଦ୍ଦୀର ପ୍ରଥମ ଦୁଇ ଦଶକ ଅନ୍ୟତମ ମାଇଲ ଖୁଣ୍ଟ ।

 

ବିକଶିତ ରାଷ୍ଟ୍ରଗୁଡିକରେ ଦ୍ୱିତୀୟ ବିଶ୍ୱଯୁଦ୍ଧୋତ୍ତର ସମାଜରେ ବାର୍ଦ୍ଧକ୍ୟ ସେବା କ୍ଷେତ୍ରରେ ପ୍ରଚଳିତ ଆଧୁନିକ ବ୍ୟବସ୍ଥାମାନ ଏକବିଂଶ ଶତାଦ୍ଦୀର ତୃତୀୟ ଦଶକରେ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି । ବୃଦ୍ଧ ଜନସଂଖ୍ୟା ବୃଦ୍ଧି, ବର୍ଦ୍ଧିତ ଜୀବଦ୍ଦଶା ଏବଂ ବାର୍ଦ୍ଧକ୍ୟ ଯତ୍ନରେ ବୈଷୟିକ ସୁବିଧା ସୁଯୋଗ ପାରମ୍ପରିକ ବିଚାରଧାରାର ବିରୋଧାଚ଼ରଣ କରୁଥିବା ଦେଖିବାକୁ ମିଳୁଛି । ଆନ୍ତର୍ଜାତିକସ୍ତରରେ ଅର୍ଥନୀତିକ ଅଗ୍ରଗତିରେ ତୃତୀୟ ସ୍ଥାନ ଅଧିକାର କରୁଥିବା ଜାପାନ ଭଳି ରାଷ୍ଟ୍ରରେ ବାର୍ଦ୍ଧକ୍ୟ ଯତ୍ନ ପରିବାର ବଦଳରେ ବୃତ୍ତିଧାରୀ ଓ କନିଷ୍ଠଙ୍କ ପରିବର୍ତ୍ତେ ବରିଷ୍ଠ ସେବା ପ୍ରଦାନକାରୀ ତୁଲାଉଥିବା ଏକ ଉଲ୍ଲେଖନୀୟ ଉଦାହରଣ ।

 

ଜାପାନରେ ୨୦୨୧ ସୁଦ୍ଧା ୬୫ ବର୍ଷୋତ୍ତର ବୃଦ୍ଧ ଜନସଂଖ୍ୟା ୨୯.୮ ପ୍ରତିଶତରେ ପହଞ୍ଚିଥିଲା । ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ ୨୦୪୦ ସୁଦ୍ଧା ସେଠାକାର ୪୪ ପ୍ରତିଶତ ପରିବାରରେ ୬୫ ବର୍ଷୋତ୍ତର ବାର୍ଦ୍ଧକ୍ୟଗ୍ରସ୍ତ ବସବାସ କରିବା ସ୍ଥଳେ ୪୦ ପ୍ରତିଶତ ପରିବାରରେ ମାତ୍ର ଜଣେ ବ୍ୟକ୍ତି ଦେଖିବାକୁ ମିଳିବେ । ଏହି ପରିବେଶ ପାରମ୍ପରିକ ଧାରାରେ ବାର୍ଦ୍ଧକ୍ୟ ସେବାରେ କନିଷ୍ଠଙ୍କ ଯୋଗଦାନ ସୁଯୋଗକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଥାଏ ।

 

ପାରିବାରିକ ଯତ୍ନ ଅଭାବରେ ଜାପାନରେ ବାର୍ଦ୍ଧକ୍ୟ ସେବା ସାମାଜିକ ତତ୍ତ୍ୱାବଧାନକୁ ସ୍ଥାନାନ୍ତରିତ ହୋଇ ସାରିଛି । ଜାପାନ ସରକାରଙ୍କ ସ୍ୱାସ୍ଥ୍ୟ, ଶ୍ରମ ଓ ସମାଜମଙ୍ଗଳ ମନ୍ତ୍ରଣାଳୟପକ୍ଷରୁ ୨୦୧୭ରେ ରାଷ୍ଟ୍ରବ୍ୟାପୀ ୧୨ ରୁ ୧୩ କୋଟି ମୋଟ ଜନସଂଖ୍ୟା ନିମନ୍ତେ ୧୩ ହଜାରରୁ ଉର୍ଦ୍ଧ୍ୱ ବାର୍ଦ୍ଧକ୍ୟ ଯତ୍ନ ଆବାସ କାର୍ଯ୍ୟକ୍ଷମ ଥିବା ହିସାବ କରାଯାଇଥିଲା । ସରକାରୀ ନିୟମ ଅନୁଯାୟୀ ବାର୍ଦ୍ଧକ୍ୟ ଯତ୍ନ ଆବାସଗୁଡ଼ିକରେ ପ୍ରତି ତିନିଜଣ ଅନ୍ତେବାସୀଙ୍କ ନିମନ୍ତେ ଜଣେ ସେବା ପ୍ରଦାନକାରୀ ନିଯୁକ୍ତ ହେବା ବିଧେୟ । ଫଳରେ ବହୁ ସଂଖ୍ୟକ କର୍ମୀ ଆବଶ୍ୟକ ପଡ଼ିଥାନ୍ତି ଏବଂ ଅର୍ଦ୍ଧାଧିକ ପ୍ରତିଷ୍ଠାନରେ କର୍ମୀ ଅଭାବ ଲାଗି ରହିଥାଏ ।

 

ଜାପାନରେ ବାର୍ଦ୍ଧକ୍ୟ ଯତ୍ନ ଆବାସଗୁଡ଼ିକରେ ଉପଲବ୍ଧ ସୁବିଧା ସୁଯୋଗ ତଥା ଡ଼ାକ୍ତର, ଫର୍ମାସୀ ଓ ନର୍ସିଂ କର୍ମୀଙ୍କ ନିଯୁକ୍ତି ସଂଖ୍ୟାକୁ ବିଚାରକୁ ନେଇ ତିନି ଶ୍ରେଣୀରେ ବିଭକ୍ତ କରାଯାଇଥାଏ । ବାର୍ଦ୍ଧକ୍ୟ ସେବାରେ କର୍ମଚାରୀଙ୍କ ଉପାର୍ଜନ କମ ରହୁଥିବା ଓ କାର୍ଯ୍ୟକ୍ଷେତ୍ରରେ ଦୀର୍ଘ ସମୟ ଅତିବାହିତ କରିବା ବାଧ୍ୟବାଧକତା ଥିବା ହେତୁ କନିଷ୍ଠମାନେ ଆଗ୍ରାହାନ୍ୱିତ ହୋଇନଥାନ୍ତି । ଅନ୍ୟ ଦିଗରୁ ଦେଖିବାକୁ ଗଲେ ଜାପାନରେ କମ ବୟସର ଜନସଂଖ୍ୟା ମଧ୍ୟ ସୀମିତ । ଏହି ପରିବେଶରେ ବାର୍ଦ୍ଧକ୍ୟ ସେବା କାର୍ଯ୍ୟରେ କ୍ରମଶଃ ବରିଷ୍ଠମାନେ ବହୁ ସଂଖ୍ୟାରେ ନିଯୁକ୍ତ ହେଉଥିବା ଦେଖାଯାଏ ।

 

ଟୋକିଓ-କେନ୍ଦ୍ରୀକ ‘କେର ୱାର୍କ ଫାଉଣ୍ଡେସନ’ ପକ୍ଷରୁ ଜାପାନର ପ୍ରାୟ ନଅ ହଜାର ବାର୍ଦ୍ଧକ୍ୟ ଯତ୍ନ ଆବାସ ଗହଣରେ ୨୦୧୮ରେ ଆୟୋଜିତ ଏକ ସର୍ବେକ୍ଷଣରୁ ଜଣାଯାଇଥିଲା ଯେ ବାର୍ଦ୍ଧକ୍ୟ ସେବା କାର୍ଯ୍ୟରେ ନିଯୁକ୍ତ କର୍ମଚାରୀମାନଙ୍କ ହାରାହାରି ବୟସ ୫୪ ବର୍ଷ । ଅର୍ଥାତ, ଉତ୍ତର-ବାର୍ଦ୍ଧକ୍ୟଗ୍ରସ୍ତଙ୍କ ସେବାରେ ପୂର୍ବ-ବାର୍ଦ୍ଧକ୍ୟରେ ଉପନୀତ ବରିଷ୍ଠମାନେ କାର୍ଯ୍ୟରତ । ବିଶେଷଜ୍ଞମାନଙ୍କ ମତରେ ଜାପାନରେ ଅଧିକାଂଶ ସଂଗଠିତ ନିଯୁକ୍ତି କ୍ଷେତ୍ରରେ ଅବସର ବୟସସୀମା ୬୦ ବର୍ଷ ନିର୍ଦ୍ଧାରିତ ହୋଇଥିବା ସ୍ଥଳେ ସାମାଜିକ ପେନସନ ୬୫ ବର୍ଷରୁହିଁ ମିଳିଥାଏ । ଅବସର ଗ୍ରହଣପରେ ଆର୍ଥିକ ସ୍ଥିତି ସୁଧାରିବା ତଥା କର୍ମତତ୍ପର ରହିବା ପାଇଁ ସୁବିଧାରେ ମିଳୁଥିବା ବାର୍ଦ୍ଧକ୍ୟ ଯତ୍ନ ଚାକିରିରେ ଯୋଗଦେବା ନିମନ୍ତେ ବରିଷ୍ଠମାନେ ଆଗ୍ରହ ପ୍ରକାଶ କରୁଛନ୍ତି ।

 

ଜାପାନରେ ବାର୍ଦ୍ଧକ୍ୟ ଯତ୍ନ ନିମନ୍ତେ ସ୍ୱଳ୍ପକାଳୀନ ଓ ଦୀର୍ଘକାଳୀନ ଆବାସିକ ସେବା ସମେତ ବାସଗୃହରେ ସେବା ପ୍ରଦାନ ନିମନ୍ତେ ସୁଯୋଗ ସୁବିଧା ଉପଲବ୍ଧ । ସ୍ୱଳ୍ପକାଳୀନ ବାର୍ଦ୍ଧକ୍ୟ ଯତ୍ନ ଆବାସଗୁଡ଼ିକରେ ଚ଼ିକିତ୍ସାଲାଗି ଜଣେ ବରିଷ୍ଠ ନାଗରିକ ୩୦ ଦିନ ଯାଏଁ ରହିପାରେ । ବାର୍ଦ୍ଧକ୍ୟଗ୍ରସ୍ତଙ୍କ ସଂଖ୍ୟା ବଢୁଥିବା ହେତୁ ବାର୍ଦ୍ଧକ୍ୟ ଯତ୍ନ ଆବାସଗୁଡ଼ିକରେ ଭିଡ଼ ଲାଗି ରହୁଛି । କର୍ମଚାରୀ ଅଭାବ ସମସ୍ୟାର ସମାଧାନ ନିମନ୍ତେ ବରିଷ୍ଠଙ୍କ ନିଯୁକ୍ତି ଏକ ପକ୍ଷରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସହାୟକ ହେଉଥିବା ସ୍ଥଳେ ଏହି ଧାରା ବରିଷ୍ଠଙ୍କ ଆର୍ଥିକ ଅବସ୍ଥା ସୁଧାରିବାରେ ମଧ୍ୟ ଉପଯୋଗ ହୋଇଥାଏ ।

 

ଜାପାନରେ ବିଗତ ଶହେ ବର୍ଷ ଧରି ଶିଶୁ ଜନ୍ମହାର କମି ଆସୁଥିବା ହିସାବ କରାଯାଏ । ଅପରପକ୍ଷେ ବାର୍ଦ୍ଧକ୍ୟଗ୍ରସ୍ତ ଏବଂ ସହାୟତା-ଆଶ୍ରିତ ଜନସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଉତ୍ତର-ବାର୍ଦ୍ଧକ୍ୟରେ ଜୀବନଯାତ୍ରାରେ ଯତ୍ନ ଲାଗି ବିଦେଶରୁ, ମୁଖ୍ୟତଃ ଫିଲିପାଇନସ, ଥାଇଲ୍ୟାଣ୍ଡ ଭଳି ରାଷ୍ଟ୍ରରୁ ସେବା କର୍ମୀ ଆମଦାନୀ କିମ୍ୱା ଆଫ୍ରିକୀୟ ଦେଶମାନଙ୍କରେ ଅବସର ବିହାର ସ୍ଥାପନ କରି ଦେଶାନ୍ତର ଗମନ ଭଳି ଘଟଣାବଳୀ ସମୟାନ୍ତେ ଗଣମାଧ୍ୟମରେ ଚର୍ଚ୍ଚିତ ହୋଇଥାଏ । ବାର୍ଦ୍ଧକ୍ୟ ସେବାରେ ବରିଷ୍ଠମାନଙ୍କ ନିଯୁକ୍ତି ଏକ ଚଳନ୍ତି ପ୍ରବାହ ।

 

ବାର୍ଦ୍ଧକ୍ୟ ସେବା ନିମନ୍ତେ କର୍ମଚାରୀ ମନୋନୟନରେ ଦକ୍ଷତା ସହ ସଂପୃକ୍ତ ବ୍ୟକ୍ତିଙ୍କ ସେବା ମନୋଭାବ ଗୁରୁତ୍ୱ ବହନ କରେ । ଉତ୍ତର-ବାର୍ଦ୍ଧକ୍ୟରେ ଉପନୀତ ହେବା ପରେ ଅନେକ କ୍ଷେତ୍ରରେ ମତିଭ୍ରମର ଶୀକାର ହୋଇପଡୁଥିବା ଦେଖିବାକୁ ମିଳୁଛି । ଏହି ବର୍ଗର ବାର୍ଦ୍ଧକ୍ୟଗ୍ରସ୍ତ ଦୈନନ୍ଦିନ ଜୀବନଯାତ୍ରା ଅପରର ସହାୟତା ଆଶ୍ରିତ । କିନ୍ତୁ ଏମାନଙ୍କୁ ଯତ୍ନଦେବା ଅତ୍ୟନ୍ତ ଜଟିଳ ଓ ଆୟସସାଧ୍ୟ । ଏହିଭଳି କ୍ଷେତ୍ରରେ କନିଷ୍ଠଙ୍କ ତୁଳନାରେ ବରିଷ୍ଠ ସେବା କର୍ମ୍ମୀ ଅଧିକ ସମ୍ୱେଦନଶୀଳ ହେବା ଆଶା କରାଯାଇପାରେ । ଅର୍ଥାତ, କେତେକ ସ୍ତରରେ ବାର୍ଦ୍ଧକ୍ୟ ସେବାରେ ବରିଷ୍ଠଙ୍କ ନିଯୁକ୍ତି ଅର୍ଥପୂର୍ଣ୍ଣ ପ୍ରମାଣିତ ହୋଇଥାଏ ।

 

ବାର୍ଦ୍ଧକ୍ୟ ସେବା କର୍ମୀ ସଂପୃକ୍ତ ବୃତ୍ତିରେ ଦୀର୍ଘ କାଳ ନରହିବା ମଧ୍ୟ ଅନ୍ୟ ଏକ ଗୁରୁତର ସମସ୍ୟା । କନିଷ୍ଠମାନେ ଉଚ୍ଚ-ଆକାଂକ୍ଷୀ ଥିବା ହେତୁ ବାଧ୍ୟବାଧକତାରେ ବାର୍ଦ୍ଧକ୍ୟ ସେବାରେ ନିୟୋଜିତ ହେଲେ ମଧ୍ୟ ସମୟ ସୁବିଧା ଦେଖି ଅନ୍ୟ ଶ୍ରମ ନିଯୁକ୍ତିକୁ ଲମ୍ଫ ପ୍ରଦାନ କରିବା ସ୍ୱାଭାବିକ । କିନ୍ତୁ ବରିଷ୍ଠ କର୍ମୀମାନେ ୫୦ ବର୍ଷୋତ୍ତର ବୟସରେ ବାର୍ଦ୍ଧକ୍ୟ ସେବା ବୃତ୍ତିରେ ନିୟୋଜିତ ହେଲେ ପରବର୍ତ୍ତୀ କିଛି ବର୍ଷ ସେହି ନିଯୁକ୍ତିରେହିଁ କଟାଇଦେବା ନିମନ୍ତେ ଆଗ୍ରହ ପ୍ରକାଶ କରିବା ଆକଳନ ଯୁକ୍ତିଯୁକ୍ତ ମନେହୁଏ । ଏହିଭଳି କାରଣଗୁଡ଼ିକୁ ବିଚାରକୁ ନେଇ ବାର୍ଦ୍ଧକ୍ୟ ସେବାରେ ଅନ୍ୟ ଦେଶଗୁଡ଼ିକରେ ଜାପାନର ଉଦାହରଣରେ ବରିଷ୍ଠଙ୍କ ନିଯୁକ୍ତିକୁ ଗୁରୁତ୍ୱର ସହ ବିଚାର କରିବା ସମୟର ଆହ୍ୱାନ । 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ମେ ୨୦୨

---

ତଥ୍ୟ :


 

Xu, Wang. The old take care of older in aging Japan. chinadaily.cn. June 11, 2019

 

https://global.chinadaily.com.cn/a/201906/11/WS5cff02a1a31017657723072c.html

ବାର୍ଦ୍ଧକ୍ୟ ଯତ୍ନରେ ମାନବୀୟ ରୋବଟ

ବୃଦ୍ଧ ଜନସଂଖ୍ୟା ବୃଦ୍ଧି ଓ ବର୍ଦ୍ଧିତ ଜୀବଦ୍ଦଶା, ବିଶ୍ୱବ୍ୟାପୀ ବାର୍ଦ୍ଧକ୍ୟ ଯତ୍ନ ନିମନ୍ତେ ସୁବିଧା-ସୁଯୋଗ, ମୁଖ୍ୟତଃ ମାନବିକ ସେବା ପ୍ରଦାନ ବିଭିନ୍ନ କାରଣରୁ ସମସ୍ୟାବହୁଳ ହୋଇପଡୁଥିବା ସ୍ଥଳେ, ମନୁଷ୍ୟ-ଭିନ୍ନ ଯନ୍ତ୍ର-କୌଶଳ ଉପଯୋଗରେ ପରିଚାଳନା ଉଦ୍ଦେଶ୍ୟରେ ବୈଷୟିକ ଉଦ୍ଭାବନ ପ୍ରତି ଗୁରୁତ୍ୱାରୋପ କରାଯାଉଛି । ମିଳିତ ଜାତିସଂଘ ପରିସଂଖ୍ୟାନରେ ୨୦୨୧ ସୁଦ୍ଧା ବିଶ୍ୱରେ ପ୍ରତି ଦଶଜଣରେ ଜଣେ ୬୫ ବର୍ଷୋତ୍ତର ହିସାବ କରାଯାଏ ଏବଂ ୨୦୫୦ ବେଳକୁ ପ୍ରତି ଛଅ ଜଣରେ ଜଣେ ବରିଷ୍ଠ ନାଗରିକ ବସବାସ କରିବେ । ଦ୍ୱିତୀୟ ବିଶ୍ୱଯୁଦ୍ଧ-ପର ୧୯୫୦ରେ ପ୍ରତି ୨୦ ଜଣରେ ଜଣେ ବାର୍ଦ୍ଧକ୍ୟଗ୍ରସ୍ତ ଥିଲେ । ଏହି ତଥ୍ୟାବଳୀ ଅନୁଶୀଳନରେ ପରିଲକ୍ଷିତ ବୃଦ୍ଧ ଜନସଂଖ୍ୟା ବୃଦ୍ଧି ଜନଜୀବନକୁ ପ୍ରଭାବିତ କରିବା ସୁସ୍ପଷ୍ଟ ।

 

ଉଦାହରଣରେ ଜାପାନରେ ୨୦୨୧ ସୁଦ୍ଧା ଜନସଂଖ୍ୟାର ୨୯.୮ ପ୍ରତିଶତ ୬୫ ବର୍ଷୋତ୍ତର ଗଣିତ କରାଯାଇଥିଲା ଏବଂ ୨୦୫୦ରେ ୩୭.୫ ପ୍ରତିଶତରେ ପହଞ୍ଚିବ । ସେଠାରେ ୨୦୦୦ରେ ପ୍ରତ୍ୟେକ ୬୫ ବର୍ଷୋତ୍ତର ବାର୍ଦ୍ଧକ୍ୟଗ୍ରସ୍ତଙ୍କ ସହ ଚାରି ଜଣ କର୍ମଯୋଗ୍ୟ ବୟସର ନାଗରିକ ଉପଲବ୍ଧ ଥିବା ବେଳେ ୨୦୫୦ରେ ଦୁଇ ବର୍ଗଙ୍କ ହାର ଜନସଂଖ୍ୟାରେ ସମତୁଲ ଆକଳନ କରାଯାଉଛି । ତେଣୁ ଆଗତ ଭବିଷ୍ୟତରେ ଜାପାନରେ ବାର୍ଦ୍ଧକ୍ୟ ଯତ୍ନରେ ବ୍ୟାପକ ବିଶୃଙ୍ଖଳା ଆଶଙ୍କାରେ ଦୂରଦ୍ରଷ୍ଟାମାନେ ଚ଼ିନ୍ତିତ । ଜାପାନର ଜାତୀୟ ନୀତିନିର୍ଦ୍ଧାରଣରେ ବାର୍ଦ୍ଧକ୍ୟ ଯତ୍ନରେ ବୈଷୟିକ କୌଶଳ ପ୍ରୟୋଗକୁ ଉତ୍ସାହିତ କରାଯାଉଛି ଏବଂ ଏକବିଂଶ ଶତାଦ୍ଦୀର ପ୍ରଥମ ଦୁଇ ଦଶକରେ ଏହି କ୍ଷେତ୍ରରେ ବ୍ୟାପକ ଗବେଷଣା ପ୍ରଯୋଜନାର ସୂଚନା ମିଳେ ।

 

ଜାପାନ ସମେତ କେତେକ ୟୁରେପୀୟ ରାଷ୍ଟ୍ର, ଯୁକ୍ତରାଷ୍ଟ୍ର ଆମେରିକାରେ ବାର୍ଦ୍ଧକ୍ୟ ଯତ୍ନରେ ୨୦୨୩ ସୁଦ୍ଧା ସୀମିତ ପରିମାଣରେ ରୋବଟ ବ୍ୟବହାର କରାଯାଉଛି । ଅବଶ୍ୟ ଉଦ୍ଭାବନ-ପରବର୍ତ୍ତୀ ପ୍ରାଥମିକ ଅବସ୍ଥାରେ ମୂଲ୍ୟ ବହୁତ ଅଧିକ ଥିବା ହେତୁ ଏଗୁଡ଼ିକର ବ୍ୟବହାର ଆର୍ଥିକ ଦିଗରୁ ସ୍ୱଚ୍ଛଳବର୍ଗ ବସବାସ କରୁଥିବା ଅବସର ବିହାର ଭଳି ପ୍ରକଳ୍ପ ଗୁଡ଼ିକରେ ସୀମିତ ଥିବା ଦେଖିବାକୁ ମିଳେ । ଏହି କ୍ଷେତ୍ରରେ ପ୍ରଚଳିତ ରୋବଟଗୁଡ଼ିକ ସାଧାରଣତଃ ଦୁଇ ବର୍ଗରେ ବିଭକ୍ତ । ପ୍ରଥମ ବର୍ଗ ବରିଷ୍ଠ ନାଗରିକଙ୍କୁ ଶାରିରୀକସ୍ତରରେ ସହାୟତା ଯୋଗାଇଥାଏ । ଯେଉଁମାନେ ନିଜେ ଉଠାବସା କରିପାରୁ ନାହାନ୍ତି ଆଦେଶ ମୁତାବକ ସେହି କାର୍ଯ୍ୟରେ ସାହାଯ୍ୟ କରିବା, ଶୁଆଇ ଦେବା, ସ୍ନାନ ଓ ଶୌଚ଼କର୍ମରେ ସହାୟତା ସାଙ୍ଗକୁ ତଳେ ପଡ଼ିଯିବା ଏଡ଼ାଇବା ଭଳି କାର୍ଯ୍ୟ କରିପାରେ । ଦ୍ୱିତୀୟ ବର୍ଗ ବରିଷ୍ଠ ନାଗରିକମାନଙ୍କ ସହ ବାର୍ତ୍ତାଳାପ, ଇ-ପୁସ୍ତକ ପଢ଼ି ଶୁଣାଇବା ତଥା ଏକାନ୍ତତାରୁ ବର୍ତ୍ତିବା ଲାଗି ବିଭିନ୍ନ ସାଧନ ଖଚ଼ିତ । ମୋଟ ଉପରେ ଏହି ଭଳି ରୋବଟ ଉପଯୋଗରେ କେତେକ କ୍ଷେତ୍ରରେ ବାର୍ଦ୍ଧକ୍ୟଗ୍ରସ୍ତଙ୍କ ଦୈନନ୍ଦିନ ଜୀବନଯାପନଜନିତ ମାନବିକ ସେବାର ବିକଳ୍ପ ଆୟୋଜନ ସଂଭବ ।

 

ମାର୍ଚ୍ଚ ୨୦୨୩ରେ ବାର୍ଦ୍ଧକ୍ୟ ଯତ୍ନରେ ଏକ ନୂତନ ମଡ଼େଲର ମାନବୀୟ ରୋବଟ ପ୍ରସ୍ତୁତି ସଂପର୍କରେ ମାର୍କିନ ଷ୍ଟାର୍ଟଅପ ‘ଫିଗର’ ପକ୍ଷରୁ ଘୋଷଣା ଏହି କ୍ଷେତ୍ରରେ ଉନ୍ମାଦନା ସୃଷ୍ଟି କରିଥିଲା । ଏହି ମାନବ ଆକୃତିର ରୋବଟ ବିଭିନ୍ନ ପୂର୍ବ-ନିର୍ଦ୍ଧାରିତ କାର୍ଯ୍ୟ ସହ ଯନ୍ତ୍ରପାତି ବ୍ୟବହାର, କବାଟ ଖୋଲିବା, ଜିନିଷପତ୍ର ବୋହି ନେବା ଓ ସିଡ଼ି ଚ଼ଢିବା ଇତ୍ୟାଦି ଲାଗି ସକ୍ଷମ । କମ୍ପାନୀର ଉଦ୍ୟୋକ୍ତା ବ୍ରେଫ ଆଡ଼କକ ପୂର୍ବରୁ ‘ଫ୍ଳାଇଙ୍ଗ ଟ୍ୟାକ୍ସି’ ଭଳି ଅଣ-ପାରମ୍ପରିକ ଉତ୍ପାଦ ଲାଗି ଚର୍ଚ୍ଚିତ ହୋଇଥିଲେ । ମାତ୍ର ଦେଢ଼ ଦୁଇ ବର୍ଷ ପୂର୍ବେ ୪୦ ଜଣ ଅଭିଜ୍ଞ ରୋବଟ ବିଜ୍ଞାନୀଙ୍କୁ ନେଇ ‘ଫିଗର’ କମ୍ପାନୀ ଆରମ୍ଭ କରିଥିଲେ ଏବଂ ପ୍ରଥମ ନମୂନା ରୋବଟ ୨୦୨୨ ଡିସେମ୍ୱରରେ ପ୍ରସ୍ତୁତ ହୋଇପାରିଥିଲା ।

 

‘ଫିଗର-୧’ ନାମିତ ମାନବୀୟ ରୋବଟ ଉଚ୍ଚତା ୫ ଫୁଟ ୬ ଇଞ୍ଚ ଏଂ ଓଜନ ୫୯ କିଲୋଗ୍ରାମ । ଏହା ବିଦ୍ୟୁତ ଚାଳିତ ଏବଂ ଥରେ ଚାର୍ଜ କଲେ ପାଞ୍ଚ ଘଣ୍ଟା ଯାଏଁ କାର୍ଯ୍ୟକ୍ଷମ ରହିବ । ପ୍ରଥମ ମଡ଼େଲଟି ମୁଖ୍ୟତଃ ମାଲଗୋଦାମରେ ଜିନିଷପତ୍ର ନିଆ-ଅଣା, ଥୁଆ-ରଖା କାର୍ଯ୍ୟରେ ବ୍ୟବହାର ଲାଗି ବିକାଶ କରାଯାଇଛି । କିଛି ବର୍ଷ ମଧ୍ୟରେ ଏହା ବିକ୍ରୀଲାଗି ବଜାର ପ୍ରବେଶ କରିବ । ଉଦ୍ୟୋଗୀ ବ୍ରେଫ କହୁଛନ୍ତି ଯେ ସମାଜରେ ଯେଉଁ କାର୍ଯ୍ୟଗୁଡ଼ିକ ମାନବ ଶ୍ରମିକମାନେ କରିବା ପାଇଁ ପସନ୍ଦ କରୁନାହାନ୍ତି, ସେହି କାର୍ଯ୍ୟ ସମ୍ପାଦନ ଲାଗି ରୋବଟ ପ୍ରସ୍ତୁତ କରାଯିବ । ବାର୍ଦ୍ଧକ୍ୟ ଯତ୍ନ ନିମନ୍ତେ ମାନବୀୟ ରୋବଟ ୨୦୩୫ ସୁଦ୍ଧା ବିଶ୍ୱବ୍ୟାପୀ ଦୁଇ ପ୍ରତିଶତ ବରିଷ୍ଠ ନାଗରିକଙ୍କ ସେବା ପ୍ରଦାନରେ ସକ୍ଷମ ହେବ ବୋଲି ସେ ଆଶା ପ୍ରକାଶ କରିଥାନ୍ତି ।

 

ଆନ୍ତର୍ଜାତିକସ୍ତରରେ ଖ୍ୟାତନାମା ବାଣିଜ୍ୟ ପରାମର୍ଶ ସଂସ୍ଥା ‘ଗୋଲଡ଼ମେନ ସାଚେସ’ ଆକଳନରେ ଆଗାମୀ ୧୦ରୁ ୧୫ ବର୍ଷ ମଧ୍ୟରେ ମାନବୀୟ ରୋବଟ ସାଧାରଣ କ୍ଷେତ୍ରରେ ବ୍ୟବହୃତ ହେବା ନିଶ୍ଚିତ । ବ୍ରେଫ ମଧ୍ୟ କହିଛନ୍ତି ଯେ ମାନବୀୟ ରୋବଟ ସଂପର୍କରେ ଚ଼ିନ୍ତା ଦଶ ବର୍ଷ ତଳେ ଥଳକୂଳ ପାଉନଥିଲା, କିନ୍ତୁ ବର୍ତ୍ତମାନ ଅନ୍ତତଃପକ୍ଷେ ପରୀକ୍ଷାଗାରରେ ଉପଲବ୍ଧ । ମାନବୀୟ ରୋବଟ ଗବେଷଣାରେ ଜାପାନ ଅଗ୍ରଣୀ ରାଷ୍ଟ୍ର । ସେଠାକାର କଳକାରଖାନାରେ ବିଶ୍ୱର ସର୍ବାଧିକ ରୋବଟ ବ୍ୟବହୃତ ହେଉଛି । ତେବେ ୟୁରୋପୀୟ ରାଷ୍ଟ୍ରପୁଞ୍ଜ ପକ୍ଷରୁ ୨୦୧୫ରୁ ୨୦୨୦ ପାଞ୍ଚ ବର୍ଷ ମଧ୍ୟରେ ଆୟୋଜିତ ‘ରୋବଟିକ୍ସ ଫର ଏଜିଂ ୱେଲ’ ପ୍ରକଳ୍ପରେ ବିପୁଳ ଅର୍ଥ ବିନିଯୋଗ ହୋଇଥିଲା । ସେହିପରି ବ୍ରିଟେନରେ ମଧ୍ୟ ଗବେଷଣାକୁ ପ୍ରୋତ୍ସାହିତ କରାଯାଉଛି ।

 

ଅନ୍ୟପକ୍ଷେ ବାର୍ଦ୍ଧକ୍ୟ ଯତ୍ନରେ ମାନବୀୟ ରୋବଟ ବ୍ୟବହାର ବିଚାରଧାରାକୁ ସମାଲୋଚ଼ନା ମଧ୍ୟ ଅଭାବ ନଥାଏ । ଯୁକ୍ତରାଷ୍ଟ୍ର ଆମେରିକାର ଅଗ୍ରଣୀ ବୈଷୟିକ ପ୍ରତିଷ୍ଠାନ ‘ମାସାଚୁଟେସ ଇନଷ୍ଟିଟିଉଟ ଅଫ ଟେକନୋଲଜି’ କର୍ତ୍ତୃକ ପ୍ରକାଶିତ ‘ଏମଆଇଟି ଟେକନୋଲଜି ରିଭ୍ୟୁ’ର ଜାନୁୟାରୀ ୨୦୨୩ ସଂଖ୍ୟାରେ ଜେମସ ରାଇଟ ନାମକ ଜଣେ ଗବେଷକ ଜାପାନରେ ବାର୍ଦ୍ଧକ୍ୟ ଯତ୍ନରେ ରୋବଟ ବ୍ୟବହାର ସଂପର୍କରେ ନୈରାଶ୍ୟଜନକ ଚ଼ିତ୍ର ପ୍ରଦାନ କରିଥିଲେ । ସେ ୨୦୧୬ରେ ୧୮ ମାସ ଲାଗି ଏହି କ୍ଷେତ୍ରରେ ପ୍ରତ୍ୟକ୍ଷ ଅଭିଜ୍ଞତା ସଂଗ୍ରହ ଲାଗି ନିରୀକ୍ଷଣ ‘ଏଥୋନୋଗ୍ରାଫିକ’ ଗବେଷଣାରେ ବିଭିନ୍ନ ଅଞ୍ଚଳ ଭ୍ରମଣ କରିଥିଲେ ।

 

ଜାପାନର ନର୍ସିଂହୋମଗୁଡ଼ିକରେ ସେ ହଗ, ପାରୋ ଓ ପେପେର ନାମଧାରୀ ତିନିଗୋଟି କିସମର ରୋବଟ ବାର୍ଦ୍ଧକ୍ୟ ଯତ୍ନରେ ବ୍ୟବହୃତ ହେଉଥିବା ଦେଖିବାକୁ ପାଇଥିଲେ । ‘ହଗ’ ରୋବଟ ଶାରୀରିକସ୍ତରରେ ଦୁର୍ବଳ ବା ଅକ୍ଷମ ବରିଷ୍ଠ ନାଗରିକଙ୍କୁ ଉଠାବସାରେ ସାହାଯ୍ୟ କରେ । ‘ପାରୋ’ କଥାବାର୍ତ୍ତାରେ ନିୟୋଜିତ ହୁଏ । ‘ପେପର’ ଯୋଗେ ବାର୍ଦ୍ଧକ୍ୟଗ୍ରସ୍ତଙ୍କୁ ଶାରିରୀକ ବ୍ୟାୟାମଲାଗି ସହଚ଼ର୍ଯ୍ୟ ପ୍ରଦାନ କରାଯାଏ । ନର୍ସିଂହୋମଗୁଡ଼ିକରେ ସେବା ପ୍ରଦାନକାରୀମାନେ ସ୍ଥଳବିଶେଷରେ ବରିଷ୍ଠ ନାଗରିକଙ୍କୁ ରୋବଟ ଯତ୍ନରେ ନିୟୋଜିତ କରି ଅନ୍ୟତ୍ର କାର୍ଯ୍ୟ ସମ୍ପାଦନା ନିମନ୍ତେ ସୁଯୋଗ ସୃଷ୍ଟି କରିଥାନ୍ତି । ତେବେ ନର୍ସିଂହୋମର କର୍ମଚାରୀମାନେ ରୋବଟ ବ୍ୟବହାରକୁ ଗୁରୁତ୍ୱ ଦେଉନଥିବା ସେ ଲକ୍ଷ୍ୟ କରିଥିଲେ । ରୋବଟ ବ୍ୟବହାର ନିମନ୍ତେ ବ୍ୟାଟେରୀ ଚାର୍ଜ କରିବାଠାରୁ ଆରମ୍ଭ କରି ନିୟୋଜିତ କରିବା ଏବଂ ବରିଷ୍ଠ ନାଗରିକଙ୍କୁ ପ୍ରଶିକ୍ଷିତ କରିବା ଇତ୍ୟାଦିକୁ ଅନେକ କର୍ମଚାରୀ ଜଟିଳ ବ୍ୟାପାର ମନେ କରୁଥିବା ସେ ଜାଣିବାକୁ ପାଇଥିଲେ ।

 

ଜାପାନରେ କାର୍ଯ୍ୟରତ ନଅ ହଜାର ବାର୍ଦ୍ଧକ୍ୟ ଯତ୍ନ ସଂସ୍ଥାଙ୍କଠାରୁ ୨୦୧୯ରେ ସଂଗୃହୀତ ତଥ୍ୟ ବିଶ୍ଳେଷଣରୁ ଜଣାଯାଇଥିଲା ଯେ ସମକାଳରେ ମାତ୍ର ଦଶ ପ୍ରତିଶତ ରୋବଟ ବ୍ୟବହାର କରାଯାଉଥିଲା । ସେହିପରି ୨୦୨୧ରେ ସ୍ୱ-ଗୃହରେ ବାର୍ଦ୍ଧକ୍ୟ ଜୀବନ ବିତାଉଥିବା ୪୪୪ ଜଣ ବରିଷ୍ଠ ନାଗରିକଙ୍କ ଜୀବନଶୈଳୀ ଅନୁଧ୍ୟାନରୁ ମାତ୍ର ଦୁଇ ପ୍ରତିଶତ ରୋବଟ ସେବା ଗ୍ରହଣ କରୁଥିବା ଦେଖିବାକୁ ମିଳିଥିଲା । କୌତୁହଳପୂର୍ଣ୍ଣ ବିଷୟ ଏହି ଯେ ବାର୍ଦ୍ଧକ୍ୟ ଯତ୍ନ ଲାଗି ରୋବଟଗୁଡ଼ିକ ଉତ୍ସୁକତାର ସହ କ୍ରୟ କରାଯିବାପରେ ମାତ୍ର କିଛି ଥର ବ୍ୟବହାର ପରେ ତାହାକୁ କେବଳ ସାଇତି ରଖାଯାଇଥାଏ ।

 

ବିଶ୍ୱର ସର୍ବାଧିକ ବାର୍ଦ୍ଧକ୍ୟ ସମସ୍ୟା ପ୍ରଭାବିତ ଜାପାନରେ ପ୍ରାଥମିକ ଅବସ୍ଥାରେ ବାର୍ଦ୍ଧକ୍ୟ ଯତ୍ନରେ ରୋବଟ ବ୍ୟବହାର ସଂପର୍କରେ ଜେମସ ରାଇଟଙ୍କ ଅନୁଧ୍ୟାନ ନୈରାଶ୍ୟଜନକ ସ୍ଥିତି ବର୍ଣ୍ଣନା କରୁଥିବା ସ୍ଥଳେ ମାନବୀୟ ରୋବଟ ନିର୍ମାତା ବ୍ରେଫ ଆଡ଼କକଙ୍କ ୨୦୩୦ ସୁଦ୍ଧା ବିଶ୍ୱ ବାର୍ଦ୍ଧକ୍ୟଗ୍ରସ୍ତଙ୍କୁ ଯାନ୍ତ୍ରିକ ସେବା ପ୍ରଦାନର ସୁଦୃଢ ସମ୍ଭାବନା ଦୂରଦ୍ରଷ୍ଟାଙ୍କ ମନକୁ ଆନ୍ଦୋଳିତ କରେ । ପ୍ରଶ୍ନ ଉଠେ, ବାର୍ଦ୍ଧକ୍ୟ ଯତ୍ନ ଏକ ଆବଶ୍ୟକତା । ବୟସର ବିଭିନ୍ନ ସୋପାନ ୬୫, ୭୫, ୮୫, ୯୫ ଓ ୧୦୫ ବର୍ଷର ଜୀବଦ୍ଦଶାରେ ବାର୍ଦ୍ଧକ୍ୟଗ୍ରସ୍ତ ଭିନ୍ନ ଭିନ୍ନ ଧରଣର ସହାୟତା ଆଶ୍ରିତ ହେବେ । ବହୁବିଧ କାରଣରୁ ଏହି ଭଳି ଶ୍ରମସାପେକ୍ଷ କାର୍ଯ୍ୟ ନିମନ୍ତେ ଯଦି ମାନବିକ ଶ୍ରମଶକ୍ତିର ଅଭାବ ଦେଖାଦିଏ, ତେବେ କ୍ରମବିକଶିତ ମାନବୀୟ ରୋବଟର ବିକଳ୍ପ କ’ଣ ? ବାସ୍ତବ କ୍ଷେତ୍ରରେ ନିରନ୍ତର ବାର୍ଦ୍ଧକ୍ୟ ଯତ୍ନ ନିମନ୍ତେ ପାରମ୍ପରିକ ବ୍ୟବସ୍ଥା ସହ ଯାନ୍ତ୍ରିକ ସୁବିଧା ସୁଯୋଗ ସ୍ୱାଗତଯୋଗ୍ୟ ନୁହେଁ କି ?

 

ଜାପାନ, ୟୁରୋପୀୟ ରାଷ୍ଟ୍ରପୁଞ୍ଜ ଓ ବ୍ରିଟେନ ଭଳି ବିକଶିତ ରାଷ୍ଟ୍ରଗୁଡ଼ିକରେ ସୃଷ୍ଟି ହୋଇଥିବା ବରିଷ୍ଠ ନାଗରିକଙ୍କ ସମସ୍ୟା ଭାରତ ତଥା ଓଡ଼ିଶାରେ ସାମୂହିକସ୍ତରରେ ପ୍ରତିଫଳିତ ହେବା ନିମନ୍ତେ ବହୁ ବର୍ଷ ବିତି ଯିବ । ତେବେ ଉଚ୍ଚ ଶିକ୍ଷିତ, ଆର୍ଥିକ ଦିଗରୁ ସ୍ୱଚ୍ଛଳ, ପ୍ରଗତିଶୀଳ ବରିବାରବର୍ଗରେ ବାର୍ଦ୍ଧକ୍ୟଗ୍ରସ୍ତ ସ୍ୱାଧୀନ ଜୀବନ ଯାପନ କରିବା ନିମନ୍ତେ ମାନବୀୟ ରୋବଟ ସେବାକୁ ପ୍ରତ୍ୟାଖ୍ୟାନ କରିବେ ନାହିଁ । ଯଦି ୨୦୩୫ ସୁଦ୍ଧା ମାନବୀୟ ରୋବଟ ସେବା ଆନ୍ତର୍ଜାତିକସ୍ତରରେ ଦୁଇ ପ୍ରତିଶତଙ୍କ ନିକଟରେ ପହଞ୍ଚିବା ଆକଳନ କରାଯାଉଛି, ତେବେ ସେହି ସମୟ ସୁଦ୍ଧା ଓଡ଼ିଶାର ଉଚ୍ଚବର୍ଗ ବାର୍ଦ୍ଧକ୍ୟଗ୍ରସ୍ତଙ୍କ ନିକଟରେ ପହଞ୍ଚି ପାରିବା ସମ୍ଭାବନା ଯୁକ୍ତିଯୁକ୍ତ ମନେହୁଏ ।

 

ମାନବୀୟ ରୋବଟ କାର୍ଯ୍ୟକୁଶଳତା ସଂପର୍କରେ ଅବଗତ ହେବା ନିମନ୍ତେ ନିମ୍ନ ପ୍ରଦତ୍ତ ଚାରିଗୋଟି ୟୁଟ୍ୟୁବ ଭିଡ଼ିଓ ଦେଖନ୍ତୁ :

 

“Introducing Figure “ on YouTube

 

https://youtube.com/watch?v=b37rQZ4maPo&feature=shares

 

Atlas

 

https://youtu.be/tF4DML7FIWk

 

Watch “Tesla Optimas Robot : First Look”

 

https://youtube.com/watch?v=0y-RsGj0_7I&feature=shares

 

Watch “Does our robot have bird legs”

 

https://youtube.com/watch?v=9B2CVZe0jFE&feature=shares



ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଏପ୍ରିଲ ୨୦୨

---

ତଥ୍ୟ :


 

1 Big Thing : Humanoid robots are coming

Axios What’s Next / March 17, 2023

 

https://www.axios.com/2023/03/17/robots-humanoid-figure-tesla-robotics-ai?utm_source=newsletter&utm_medium=email&utm_campaign=newsletter_axioswhatsnext&stream=science

 

Wright, James. Inside Japan’s long experiment in automating elder care. MIT Technology Review. January 9, 2023

 

https://www.technologyreview.com/2023/01/09/1065135/japan-automating-eldercare-robots/ 

ପାଲ୍ଲିଏଟିଭ କେର

ପାଲ୍ଲିଏଟିଭ କେରର ଓଡ଼ିଆ ପ୍ରତିଶବ୍ଦ ବ୍ୟବହାରରୁ ବିରତ ରହିବାର ମୁଖ୍ୟକାରଣ ଏହି ଇଂଲିଶ ଶବ୍ଦ ଏକ ନିର୍ଦ୍ଦିଷ୍ଟ ଚ଼ିକିତ୍ସା ଧାରାକୁ ବୁଝାଇଥାଏ ଏବଂ ଏକବିଂଶ ଶତାଦ୍ଦୀ ତୃତୀୟ ଦଶକ ଆରମ୍ଭ ସୁଦ୍ଧା ଆମ ରାଜ୍ୟ ଓଡ଼ିଶାରେ ପ୍ରାୟତଃ ଏହି ଚ଼ିକିତ୍ସା ପଦ୍ଧତିର ସୁଯୋଗ ନଥିବା ହେତୁ ଏ ସଂପର୍କରେ ପରିଚ଼ିତ ନୋହୁଁ । ହିନ୍ଦି ଓ ବାଂଲାରେ ପାଲ୍ଲିଏଟିଭକୁ ଉପଶମକ ଅନୁବାଦ କରାଯାଇଥାଏ । ତେବେ ପାଲ୍ଲିଏଟିଭ ସଂଜ୍ଞାର ବ୍ୟାପକ ବର୍ଣ୍ଣନା ଉପଶମକ ଅନୁବାଦରେ ଖୋଜି ପାଇହୁଏନା ।

 

ଆନ୍ତର୍ଜାତିକସ୍ତରରେ ଚ଼ିକିତ୍ସକମାନଙ୍କ ଗହଣରେ ପାଲ୍ଲିଏଟିଭ କେରର ସଂଜ୍ଞା ନିରୂପଣକୁ ନେଇ ବିବାଦ ଲାଗିରହିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ୧୯୯୦ରେ ପାଲ୍ଲିଏଟିଭ କେରର ସଂଜ୍ଞା ନିର୍ଦ୍ଧାରଣ କରାଯାଇଥିଲା । ପରବର୍ତ୍ତୀକାଳରେ ୧୯୯୮ରେ ଶିଶୁକେନ୍ଦ୍ରୀକ ପରିଶିଷ୍ଟ ଯୋଡ଼ିବା ସହ ୨୦୦୨ରେ ଏହାକୁ ଏକ ଜନସ୍ୱାସ୍ଥ୍ୟ ସମସ୍ୟା ରୂପେ ଗ୍ରହଣକରି ପୁନଃନିର୍ଦ୍ଧାରଣ କରାଯାଇଥିଲା । ଇଣ୍ଟରନ୍ୟାସନାଲ  ଏସୋସିଏସନ ଅଫ ହସପିସ ଏଣ୍ଡ ପାଲ୍ଲିଏଟିଭ କେର ଚିକିତ୍ସକମାନଙ୍କ ସହମତିଭିତ୍ତିରେ ୨୦୨୧ ସୁଦ୍ଧା ଏକ ନୂତନ ସଂଜ୍ଞା ଉପସ୍ଥାପନ କରିଛି ।

 

ଜର୍ଣ୍ଣଲ ଅଫ ପେନ ଏଣ୍ଡ ସିମ୍ପଟମ ମ୍ୟାନେଜମେଣ୍ଟର ମେ ୨୦୨୧ ସଂଖ୍ୟାରେ ଦି ଲେନସେଟ କମିଶନ ଅନ ଗ୍ଳୋବାଲ ଏସେସ ଟୁ ପାଲ୍ଲିଏଟିଭ କେର ଏଣ୍ଡ ପେନ ରିଲିଫ ପକ୍ଷରୁ ସ୍ଥିରୀକୃତ ପରିବର୍ଦ୍ଧିତ ସଂଜ୍ଞା ପ୍ରକାଶ କରାଯାଇଥିଲା । ପାଲ୍ଲିଏଟିଭ କେର ଆବାଳ-ବୃଦ୍ଧ-ବନିତାଙ୍କ କ୍ଷେତ୍ରରେ ଦୁରାରୋଗ୍ୟଙ୍କ ମୃତ୍ୟୁ-ସମୀପ ଜୀବନକାଳରେ ପୂର୍ଣ୍ଣାଙ୍ଗ ଯତ୍ନ ତଥା ଶାରିରୀକ ଯନ୍ତ୍ରଣା ଉପଶମକ ଚ଼ିକିତ୍ସାକୁ ବୁଝାଇଥାଏ । ରୋଗାକ୍ରାନ୍ତଙ୍କ ଜୀବନଧାରଣର ମାନବୃଦ୍ଧି ସାଙ୍ଗକୁ ସେମାନଙ୍କ ପରିବାର ଓ ସେବାପ୍ରଦାନକାରୀଙ୍କ ନିମନ୍ତେ ଅନୁକୂଳ ପରିବେଶ ସୃଷ୍ଟି ଚ଼ିକିତ୍ସାର ଅଂଶ ବିଶେଷ ।

 

ଜାତିସଂଘ ନିର୍ଦ୍ଧାରିତ ସଂଜ୍ଞାରେ ଆକ୍ରାନ୍ତଙ୍କ ଯନ୍ତ୍ରଣା ଲାଘବ, ମୃତ୍ୟୁ ଆଭିମୁଖ୍ୟ, ସନ୍ତୁଳିତ ଚ଼ିକିତ୍ସା ଓ ପାରିପାର୍ଶ୍ୱିକ ପରିବେଶର ଉନ୍ନତି ପ୍ରତି ଗୁରୁତ୍ୱାରୋପ କରାଯାଇଥାଏ । ପ୍ରଥମତଃ, ଦୁରାରୋଗ୍ୟ ପୀଡ଼ିତଙ୍କୁ ଲକ୍ଷଣ ଅନୁଯାୟୀ ଯନ୍ତ୍ରଣା ଉପଶମ ନିମନ୍ତେ ଔଷଧ ପ୍ରଦାନ ଓ ବ୍ୟାବହାରିକ ଚ଼ିକିତ୍ସା ଆୟୋଜନ ପାଲ୍ଲିଏଟିଭ କେରର ମୁଖ୍ୟ ସାଧନ ।

 

ଦ୍ୱିତୀୟତଃ, ଚ଼ିକିତ୍ସାଶାସ୍ତ୍ର ଅନୁଯାୟୀ ଆରୋଗ୍ୟଲାଭର ଆଶା ନଥିବା ସ୍ଥଳେ ମୃତ୍ୟୁର ପ୍ରତିରୋଧ ବଦଳରେ ପ୍ରାକୃତିକଭାବେ ମୃତ୍ୟୁ ପ୍ରତି ଗୁରୁତ୍ୱ ଆରୋପ କରାଯାଇ ଚ଼ିକିତ୍ସା ପଦ୍ଧତି ଚ଼ୟନ କରାଯାଇଥାଏ । ତେବେ ରୋଗ ଚ଼ିହ୍ନଟପରେ ଜୀବନକାଳ ବୃଦ୍ଧି ଉଦ୍ଦେଶ୍ୟରେ, ଅର୍ଥାତ ଉଦାହରଣତଃ କର୍କଟ ରୋଗାକ୍ରାନ୍ତଙ୍କ ନିଦାନ, ରେଡ଼ିଏସନ ଓ କିମୋ-ଥେରାପି ଇତ୍ୟାଦି ପ୍ରାଥମିକ ଅବସ୍ଥାରୁ ହିଁ ଚ଼ିକିତ୍ସା ସହ ପାଲ୍ଲିଏଟିଭ କେର ଉପଯୋଗ କରାଯାଇଥାଏ ।

 

ତୃତୀୟତଃ, ଆକ୍ରାନ୍ତଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଜୀବନଧାରଣର ମାନରେ ଉନ୍ନତି ତଥା ଚ଼ିକିତ୍ସାରେ ସହାୟତା ସଂଯୋଜନାକୁ ଗୁରୁତ୍ୱ ଦିଆଯାଏ । ଚ଼ତୁର୍ଥତଃ, ଆକ୍ରାନ୍ତଙ୍କ ପରିବାରବର୍ଗ ଓ ଚ଼ିକିତ୍ସକଙ୍କ ମଧ୍ୟରେ ଯତ୍ନ ପ୍ରଦାନରେ ସମ୍ମିଳିତ ପ୍ରଚ଼େଷ୍ଟା ପ୍ରଯୋଜନା ସାଙ୍ଗକୁ ମାନସିକସ୍ତରରେ ପ୍ରୋତ୍ସାହନ ତଥା ଶୋକାକୁଳ ପରିସ୍ଥିତି ସମ୍ମୁଖୀନ ହେବା ଲାଗି ଆଶ୍ୱସନା ମଧ୍ୟ ପ୍ରଦାନ କରାଯାଏ ।

 

ଜାତିସଂଘ ଘୋଷିତ ସଂଜ୍ଞାରେ କୋଡ଼ିଏ ଗୋଟି ଶାରିରୀକ ଅବସ୍ଥାରେ ପାଲ୍ଲିଏଟିଭ କେର ଉପଯୋଗର ପ୍ରାବଧାନ ରହିଛି । ଖ୍ୟାତନାମା ଆନ୍ତର୍ଜାତିକ ଚ଼ିକିତ୍ସା ବିଜ୍ଞାନ ପତ୍ରିକା ଲେନସେଟ ପକ୍ଷରୁ ଗଠିତ କମିସନ ଜାତିସଂଘର ପାଲ୍ଲିଏଟିଭ କେର ସଂଜ୍ଞାର ସଂପ୍ରସାରଣ ଉଦ୍ଦେଶ୍ୟରେ ୨୦୧୭ରେ ପ୍ରସ୍ତାବ ଗ୍ରହଣ କରିଥିଲେ । ଏଥିନିମନ୍ତେ ବିଶ୍ୱବ୍ୟାପୀ ଚ଼ିକିତ୍ସକଙ୍କ ପ୍ରତିନିଧିତ୍ୱଭିତ୍ତିକ ସହମତିରେ ନୂତନ ସଂଜ୍ଞା ନିରୂପଣ ଲାଗି ଉଦ୍ୟମ ହୋଇ ୨୦୨୧ ସୁଦ୍ଧା ବିଧିବଦ୍ଧ ପରାମର୍ଶ ଗୃହୀତ ହୋଇଥିଲା ।

 

ରୋଗ କିମ୍ୱା କ୍ଷତଜନିତ ସମସ୍ତ ଅସମାହିତ ଯନ୍ତ୍ରଣା ସମସ୍ତ ବୟସବର୍ଗ, ଭୌଗଳିକ ଓ ଅର୍ଥନୀତିକ ପରିବେଶରେ ଉପଶମ ନିମନ୍ତେ ଯୋଜନାବଦ୍ଧ ଉଦ୍ୟମ ପାଲ୍ଲିଏଟିଭ କେର ଅନ୍ତର୍ଭୁକ୍ତ କରାଯିବା ନିମନ୍ତେ ସଂଶୋଧିତ ସଂଜ୍ଞାରେ ପରାମର୍ଶ ପ୍ରଦାନ କରାଯାଇଛି । ଏଥିନିମନ୍ତେ ଶାରିରୀକ, ସାମାଜିକ, ଆବେଗ ଓ ଦାର୍ଶନିକ ବିଭିନ୍ନ ଦିଗରୁ ବହୁମୁଖୀ ଉଦ୍ୟମ ଉପଶମ ପ୍ରଚେଷ୍ଟାରେ ସାମିଲ କରିବା ସପକ୍ଷରେ ମତପ୍ରକାଶ ପାଇଛି ।

 

ଲେନସେଟ କମିଶନଙ୍କ ହିସାବରେ ବିଶ୍ୱବ୍ୟାପୀ ପ୍ରାୟ ଛଅକୋଟି ଦଶଲକ୍ଷ ବ୍ୟକ୍ତି ପଲ୍ଲିଏଟିଉଭ କେର ଆବଶ୍ୟକ କରିଥାନ୍ତି । ସେମାନଙ୍କ ମଧ୍ୟରୁ ଅଶୀ ପ୍ରତିଶତ କୌଣସି ଚ଼ିକିତ୍ସା, ଏପରିକି ଯନ୍ତ୍ରଣାଲାଘବ ଔଷଧ ପାଇବାରେ ମଧ୍ୟ ଅସୁବିଧା ଭୋଗ କରିଥାନ୍ତି । ଭାରତରେ ପ୍ରାୟ ୫୪ ଲକ୍ଷ ପାଲ୍ଲିଏଟିଭ କେର ଆବଶ୍ୟକ କରୁଥିବା ସ୍ଥଳେ ଏକ ପ୍ରତିଶତରୁ କମ ବ୍ୟକ୍ତି ଆଧୁନିକସ୍ତରର ଯତ୍ନ ପାଇଥାନ୍ତି । ଏହି କାରଣରୁ ଆନ୍ତର୍ଜାତିକସ୍ତରରେ ମୃତ୍ୟୁର ମାନ ନିର୍ଦ୍ଧାରଣ ସୂଚୀ କ୍ୱାଲିଟି-ଅଫ-ଡ଼େଥ ଇଣ୍ଡେକ୍ସ ୨୦୧୫ ହିସାବରେ ୮୦ ଗୋଟି ରାଷ୍ଟ୍ର ମଧ୍ୟରେ ଆମେ ୬୭ ସ୍ଥାନ ଅଧିକାର କରିଥାଉ ।

 

ଦେଶର ଅନ୍ୟାନ୍ୟ ରାଜ୍ୟ ତୁଳନାରେ କେରଳରେ ସରକାରୀ ଓ ବେସରକାରୀ ଉଭୟସ୍ତରରେ ପାଲ୍ଲିଏଟିଭ କେର ଦିଗରେ ଅପେକ୍ଷାକୃତ ଅଧିକ ସୁବିଧା ସୁଯୋଗ ଉପଲବ୍ଧ । ଆମ ରାଜ୍ୟ ଓଡ଼ିଶାରେ ୨୦୨୧ ଏପ୍ରିଲ ମାସରେ ବାଙ୍ଗାଲୁରରେ ପାଲ୍ଲିଏଟିଭ କେର କ୍ଷେତ୍ରରେ କାର୍ଯ୍ୟରତ କରୁଣାଶ୍ରୟ ନାମକ ବେସରକାରୀ ସଂଗଠନ ଆନୁକୂଲ୍ୟରେ ଭୁବନେଶ୍ୱରଠାରେ ଏକ କେନ୍ଦ୍ର ପ୍ରତିଷ୍ଠା ନିମନ୍ତେ ତତ୍ପରତା ଏହି ଦିଗରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଥିଲା ।

 

ପ୍ରସ୍ତାବିତ ବାଗଚ଼ୀ-କରୁଣାଶ୍ରୟ ପାଲ୍ଲିଏଟିଭ କେର ସେଣ୍ଟର ପ୍ରତିଷ୍ଠା ନିମନ୍ତେ କରୁଣାଶ୍ରୟ ହସପିସ ଟ୍ରଷ୍ଟ, ପ୍ରାକ୍ତନ ଇନଫରମେସନ ଟେକନୋଲଜି ଉଦ୍ୟୋଗୀ ସୁବ୍ରତ ବାଗଚୀ ଓ ତାଙ୍କରି ଲେଖିକା ପତ୍ନୀ ସୁସ୍ମିତା ବଗଚ଼ୀ ତଥା ଓଡ଼ିଶା ସରକାରଙ୍କ ମଧ୍ୟରେ ଏକ ତ୍ରିପାକ୍ଷିକ ରାଜିନାମା ସ୍ୱାକ୍ଷରିତ ହୋଇଛି । କେନ୍ଦ୍ରର ହସପିସ ଓ କାର୍ଯ୍ୟାଳୟ ନିର୍ମାଣ ନିମନ୍ତେ ଇନଫୋସିଟି ଦ୍ୱିତୀୟ ପର୍ଯ୍ୟାୟଠାରେ ସରକାରଙ୍କ ପକ୍ଷରୁ କୋଡ଼ିଏ ଏକର ଜମି ବିନାମୂଲ୍ୟରେ ଯୋଗାଇ ଦିଆଯାଇଥିବା ସ୍ଥଳେ ବାଗଚୀ ଦମ୍ପତି କେନ୍ଦ୍ରର ନିର୍ମାଣ ଓ ପରିଚାଳନା ଖର୍ଚ୍ଚ ବାବଦରେ ୧୩୦ କୋଟି ଟଙ୍କା ଆର୍ଥିକ ଅନୁଦାନ ପ୍ରଦାନ କରିଛନ୍ତି । ଏଠାରେ ଶହେ ଶଯ୍ୟା ବିଶିଷ୍ଟ ହସପିସ ସାଙ୍ଗକୁ ସହରରେ ବିଚ୍ଛୁରିତଭାବେ ବସବାସ କରୁଥିବା ଆକ୍ରାନ୍ତଙ୍କୁ ସେମାନଙ୍କ ବାସଭବନରେ ପାଲ୍ଲିଏଟିଭ କେର ପ୍ରଦାନ ବ୍ୟବସ୍ଥା ଜାନୁୟାରୀ ୨୦୨୪ ସୁଦ୍ଧା ଆରମ୍ଭ କରାଯିବା ସ୍ଥିରୀକୃତ ହୋଇଛି ।

 

ପଲିଏଟିଭ କେର ସମସ୍ତ ବୟସବର୍ଗଙ୍କ ନିମନ୍ତେ ଅଭିପ୍ରେତ ଥିବା ସ୍ଥଳେ ଓଡ଼ିଶା, ମୁଖ୍ୟତଃ ଭୁବନେଶ୍ୱରଠାରେ ବସବାସ କରୁଥିବା ବାର୍ଦ୍ଧକ୍ୟଗ୍ରସ୍ତଙ୍କ ଯତ୍ନକ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଉପକ୍ରମ । କରୁଣାଶ୍ରୟ ମାଧ୍ୟମରେ ରାଜ୍ୟର ପ୍ରଥମ ସଂଗଠିତ ଉପଶମ ଚ଼ିକିତ୍ସା ସାଙ୍ଗକୁ ସେବକ-ସେବିକା ତାଲିମ ବ୍ୟବସ୍ଥା ଥିବା ହେତୁ ଏହି କ୍ଷେତ୍ରରେ କ୍ରମଶଃ ବୃତ୍ତିଧାରୀଙ୍କ ସଂଖ୍ୟା ବୃଦ୍ଧି ଆଶା କରାଯାଇପାରେ । ଏହି କେନ୍ଦ୍ରକୁ ଉଦାହରଣଭାବେ ଗ୍ରହଣ କରି ଅଧିକ ସଂଖ୍ୟାରେ ସେବା-ବୃତ୍ତିଭିତ୍ତିକ ସଂସ୍ଥା ଆରମ୍ଭ ନିମନ୍ତେ ପରିବେଶ ସୃଷ୍ଟି ସଂଭବପର ।

 

ଏକପକ୍ଷରେ ରାଜ୍ୟରେ ଜନସଂଖ୍ୟା ଓ ଜୀବଦ୍ଦଶା ବୃଦ୍ଧି କାରଣରୁ ବରିଷ୍ଠ ନାଗରିକଙ୍କ ସଂଖ୍ୟା ବଢୁଥିବା ଏବଂ ଅପରପକ୍ଷରେ ପାରମ୍ପରିକ ଶ୍ରମନିଯୁକ୍ତି କ୍ଷେତ୍ରରେ ବିଘଟନ ହେତୁ ଯୁବ ସଂପ୍ରଦାୟରେ ବେକାରଙ୍କ ସଂଖ୍ୟା ବଢୁଥିବା ତଥା ଅଧିକ ସଂଖ୍ୟକ ମହିଳା ନିଯୁକ୍ତି ଆଶାୟୀ ହେଉଥିବା ପରିବେଶରେ ବରିଷ୍ଠ ନାଗରିକଙ୍କ ପାଇଁ ବୃତ୍ତିଭିତ୍ତିକ ସେବା ପ୍ରଦାନ ମହାମାରୀ-ପର ଅବସ୍ଥାରେ ଏକ ବ୍ୟାବସାୟିକ ଉଦ୍ୟୋଗରେ ପରିଣତ ହେବା ଆଶା କରାଯାଇପାରେ । ପ୍ରସ୍ତାବିତ କରୁଣାଶ୍ରୟର ତାଲିମ କାର୍ଯ୍ୟଧାରା ଏଦିଗରେ ପରୋକ୍ଷରେ ସହାୟକ ହେବ ।

 

ରାଜ୍ୟରେ ବେସରକାରୀସ୍ତରରେ ପାଲ୍ଲିଏଟିଭ କେର କ୍ଷେତ୍ରରେ ବିକ୍ଷିପ୍ତଭାବେ କେତେକ ଅନୁଷ୍ଠାନ କାର୍ଯ୍ୟକରୁଥିବା ସ୍ଥଳେ ସରକାରୀସ୍ତରରେ ପ୍ରତ୍ୟେକ ଜିଲ୍ଲା ହସପିଟାଲ ସହ ଭୁବନେଶ୍ୱର ଓ ରାଉରକେଲାଠାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ ନଭେମ୍ୱର ୨୦୧୯ରେ ଉଦଘାଟିତ ପ୍ରକଳ୍ପରେ ପ୍ରତ୍ୟେକ ହସପିଟାଲରେ ଛଅ ଗୋଟି ପାଲ୍ଲିଏଟିଭ କେର ଶଯ୍ୟା ସହ ବହିଃଚ଼ିକିତ୍ସାର ବ୍ୟବସ୍ଥା ଆରମ୍ଭ କରାଯାଇଥିଲା । ଏଥିନିମନ୍ତେ ପ୍ରତ୍ୟେକ ହସପିଟାଲରେ ଭିତ୍ତିଭୂମି ପ୍ରସ୍ତୁତ କରିବା ଲାଗି ଦଶ ଲକ୍ଷ ଟଙ୍କା ସ୍ୱତନ୍ତ୍ର ଅନୁଦାନର ବ୍ୟବସ୍ଥା ହୋଇଥିଲା ।

 

ଓଡ଼ିଶାର ଜନସଂଖ୍ୟା, ବର୍ଦ୍ଧିତ ବରିଷ୍ଠ ନାଗରିକ ହାର, ଦାରିଦ୍ର୍ୟ, ଭୌଗଳିକ ବ୍ୟାପ୍ତି ସହ ଦୁରାରୋଗ୍ୟ ପୀଡ଼ିତଙ୍କ ସଂଖ୍ୟା ବିଚାରକୁ ନେଲେ ମୃତ୍ୟୁ-ସମୀପ-ଜୀବନ ଯତ୍ନ ଉଭୟ ସରକାରୀ ଓ ବେସରକାରୀସ୍ତରରେ ଉଦ୍ୟମ ଆରମ୍ଭ ମାତ୍ର । ପାଲ୍ଲିଏଟିଭ କେର ସଂପର୍କରେ ଅନ୍ତତଃପକ୍ଷେ ବୃଦ୍ଧିଜୀବୀ ଓ ନୀତିନିର୍ଦ୍ଧାରକଙ୍କୁ ସଚ଼େତନ କରାଇବା ପ୍ରାଥମିକତା ଦାବୀ କରେ । ମହାମାରୀ-ପର ପରିବେଶରେ ତୃଣମୂଳସ୍ତରରେ ସ୍ୱାସ୍ଥ୍ୟସେବା ପରିବ୍ୟାପ୍ତି ପାଇଁ ବ୍ୟାପକ ବ୍ୟବସ୍ଥା ଓ ପ୍ରତି ଜିଲ୍ଲାସ୍ତରୀୟ ହସପିଟାଲକୁ ଭେଷଜ ମହାବିଦ୍ୟାଳୟସ୍ତରକୁ ଉନ୍ନୀତ କରାଯିବା ଆଶା କରାଯାଉଥିବା ହେତୁ ଏହି ସଂପ୍ରସାରଣରେ ବରିଷ୍ଠ ନାଗରିକଙ୍କ ପାଇଁ ଜେରିଆଟ୍ରିକ ଓ ପାଲ୍ଲିଏଟିଭ କେର ସାମିଲ କରିବା ନିମନ୍ତେ ସାମାଜିକସ୍ତରରେ ଚାପ ତୁରନ୍ତ ଫଳବତୀ ହେବା ସଂଭବ ।

 

ରାଜ୍ୟରେ ଅର୍ଥନୀତିକ ବୈଷମ୍ୟ ପାରମ୍ପରିକଭାବେ ସଂଖ୍ୟାଲଘୁ ଆର୍ଥିକ ଦିଗରୁ ସ୍ୱଚ୍ଛଳଙ୍କ ନିମନ୍ତେ ଅନ୍ୟତ୍ର ଉପଲବ୍ଧ ବାର୍ଦ୍ଧକ୍ୟ ଅନୁକୂଳ ସୁବିଧା ସୁଯୋଗ ସୃଷ୍ଟିରେ ଅନ୍ତରାୟ ସାଜିଥାଏ । ଏହି କ୍ଷେତ୍ରରେ ବୃତ୍ତିଭିତ୍ତିକ ପ୍ରକଳ୍ପଗୁଡ଼ିକରେ ପୁଞ୍ଜି ନିବେଶ ଏବଂ ଦେୟଯୁକ୍ତ ତଥା ମାଗଣା ଉଭୟସ୍ତରରେ ଯତ୍ନପ୍ରଦାନ ନୀତି ନିର୍ଦ୍ଧାରଣରେ ପ୍ରକଳ୍ପ ପରିଚାଳନାକୁ ସ୍ୱାବଲମ୍ୱୀ କରିବା ଉପପାଦ୍ୟ ବାସ୍ତବକ୍ଷେତ୍ରରେ କାର୍ଯ୍ୟକାରିତାରେ ସଫଳତା ନିର୍ଭର କରେ । ପାଲ୍ଲିଏଟିଭ କେର ଭଳି ଅବହେଳିତ କିନ୍ତୁ ଅତ୍ୟାବଶ୍ୟକୀୟ ଚ଼ିକିତ୍ସାଲାଗି ଭିତ୍ତିଭୂମି ପ୍ରସ୍ତୁତିରେ ସମସ୍ତ ଅଭିନବ ପଦକ୍ଷେପ ସ୍ୱାଗତଯୋଗ୍ୟ ।

 

ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଜୁନ ୨୦୨


 

ଭାରତ, କେରଳ ଓ ବାଙ୍ଗାଲୁରରେ ପାଲ୍ଲିଏଟିଭ କେର ପ୍ରଯୋଜନା ସଂପର୍କରେ ୟୁ-ଟ୍ୟୁବ ଭିଡ଼ିଓ ଦେଖିବା ନିମନ୍ତେ ନିମ୍ନ ଲିଙ୍କଗୁଡ଼ିକରେ କ୍ଳିକ୍ କରନ୍ତୁ :

 

Palliative Care In India 


https://www.youtube.com/watch?v=kVg6YHBNh_A

 

Palliative Care, Kerala

 

https://www.youtube.com/watch?v=JBYS3h2EEg8

 

Karunashraya

 

https://www.youtube.com/watch?v=mItAGCzE2x8

 


 

ତଥ୍ୟ :

 

Radbruch, Lukas (et.al). Redefining Palliative Care – A New Consensus – Based Definition. Journal of Pain and Sumptom Management. May 2021.

 

https://www.jpsmjournal.com/article/S0885-3924(20)30246-3/fulltext?rss-yes

 

Bag, Smriti (et.al.). Palliative and end of life care in India – Current scenario and the way forward. Journal of the Association of Physicians. November 2020.

 

https://www.japi.org/x264a4c4/palliative-and-end-of-life-care-in-india-ndash-current-scenario-and-the-way-forward

 

 

Odisha Govt. inks MoU for Cancer Hospital & Palliative Care Centre in Bhubaneswar. www.kalingatv.com. April 14, 2021

 

https://kalingatv.com/state/odisha-govt-inks-mou-for-cancer-hospital-palliative-care-centre-in-bhubaneswar

 

Odisha CM launches Palliative Care in all District Hospitals. PTI. November 07, 2019

 

https://health.economictimes.indiatimes.com/news/hospitals/odisha-cm-launches-palliative-care-in-all-district-hospitals/71955989

ଅନ୍ତିମ ଜୀବନ ସେବା ଶୁଶୃଷା ‘ହସପି’

ଦୁରାରୋଗ୍ୟଜନିତ ଯନ୍ତ୍ରଣା ଉପଶମ ପାଇଁ ଯତ୍ନ ଆନୁଷ୍ଠାନିକସ୍ତରରେ ଅନ୍ତିମ ଜୀବନ ସେବା ଶୁଶ୍ରୂଷା ବା ‘ହସପି’ ମାଧ୍ୟମରେ ସମାହିତ ହୋଇଥାଏ I ଚ଼ିକିତ୍ସକମାନେ ରୋଗାକ୍ରାନ୍ତର ଆରୋଗ୍ୟ ଆଶା ହରାଇ ସାରିବା ପରେ ଅଧିକାଂଶ କ୍ଷେତ୍ରରେ ମୃତ୍ୟୁଯାଏଁ ସଂପୃକ୍ତ ବ୍ୟକ୍ତିବିଶେଷ ଯନ୍ତ୍ରଣାମୟ ଜୀବନଯାପନ କରେI ରୋଗୀ ପ୍ରାୟତଃ ଶାରିରୀକ ବା ମାନସିକସ୍ତରରେ ଅକର୍ମଣ୍ୟ ହୋଇପଡ଼ିବା ଅବସରରେ ଦୈନନ୍ଦିନ ଜୀବନଚର୍ଯ୍ୟା ନିମନ୍ତେ ଅପରର ସାହାଯ୍ୟ ଆବଶ୍ୟକ କରିଥାଏ I ଏଭଳି ଯତ୍ନ ରୋଗୀପକ୍ଷେ ଅତ୍ୟାବଶ୍ୟକୀୟ ଓ ସେବାପ୍ରଦାନକାରୀ ପରିବାର ପକ୍ଷେ ସମସ୍ୟାବହୁଳ ହୋଇପଡୁଥିବାସ୍ଥଳେ ସାମାଜିକସ୍ତରରେ ସାଂଗଠନିକ ଭିତ୍ତିଭୂମି ଗଠନ ଗୁରୁତ୍ୱପୂର୍ଣ୍ଣ I


 

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ଅବସ୍ଥାରେ ଚ଼ିକିତ୍ସା ବିଜ୍ଞାନରେ ଅଗ୍ରଗତି ଓ ବ୍ୟାପକ ସ୍ୱାସ୍ଥ୍ୟରକ୍ଷା ଆୟୋଜନ ହେତୁ ବିଶ୍ୱବ୍ୟାପୀ ମନୁଷ୍ୟର ଜୀବଦ୍ଦଶା ବୃଦ୍ଧିପାଇବାରେ ଲାଗିଲା I ସମତାଳରେ କର୍କଟଭଳି ଯନ୍ତ୍ରଣାଦାୟକ ରୋଗ ସାଙ୍ଗକୁ ମତିଭ୍ରମଭଳି ଅନ୍ୟାନ୍ୟ ବାର୍ଦ୍ଧକ୍ୟଜନିତ ରୋଗାକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଅନେକ କ୍ଷେତ୍ରରେ ପାରିବାରିକସ୍ତରରେ ସେବା ଶୁଶ୍ରୂଷା ଯୋଗାଇବା ସଂଭବପର ହୋଇପାରିଲା ନାହିଁ I ପରିବର୍ତ୍ତିତ ପରିବେଶରେ ସୃଷ୍ଟ ସମସ୍ୟାର ମୁକାବିଲା କରିବା ନିମନ୍ତେ ସାମାଜିକସ୍ତରରେ ସାଂଗଠନିକ ଉଦ୍ୟମରେ ପାଶ୍ଚାତ୍ୟ ଭୂଖଣ୍ଡରେ ‘ହସପି’ଭଳି ଆନୁଷ୍ଠାନିକ ସେବାର ଉନ୍ମେଷ ଘଟିଥିଲା I


 

‘ହସପି’ ମାଧ୍ୟମରେ ଅନ୍ତିମ ଜୀବନ ସେବା ଶୁଶ୍ରୂଷା ବା ‘ପାଲିଏଟିଉଭ’ ଚ଼ିକିତ୍ସା ପ୍ରଦାନ କରାଯାଇଥାଏ I ଏହା ଏକ ଗୋଷ୍ଠୀଭୁକ୍ତ ଆନୁଷ୍ଠାନିକ ଚ଼ିକିତ୍ସା ପ୍ରଣାଳୀ I ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ନିର୍ଦ୍ଦେଶାନାମା ‘ପାଲିଏଟିଉଭ’ ଚ଼ିକିତ୍ସା ମାଧ୍ୟମରେ ରୋଗଜନିତ ଯନ୍ତ୍ରଣା ଲାଘବ ସାଙ୍ଗକୁ ମାନସିକ ଓ ଆଧ୍ୟାତ୍ମିକସ୍ତରରେ ସହନଶୀଳ ହେବା ନିମନ୍ତେ ରୋଗୀପାଇଁ ପରିବେଶ ପ୍ରସ୍ତୁତି ତଥା ରୋଗୀଙ୍କ ପରିବାରବର୍ଗଙ୍କୁ ସମବେଦନା ଓ ସହାୟତା ପ୍ରଦାନ ପ୍ରତି ଗୁରୁତ୍ୱ ଆରୋପ କରିଥାଏ I ରୋଗୀକୁ ସକ୍ରିୟ ଜୀବନଯାପନ ଲାଗି ପ୍ରୋତ୍ସାହନ,ରୋଗାକ୍ରାନ୍ତର ମୃତ୍ୟୁକୁ ସାଧାରଣ ଜୀବନର ଏକ ପ୍ରକ୍ରିୟାରୂପେ ଗ୍ରହଣ କରିବା ପାଇଁ ମାନସିକତା ସୃଷ୍ଟି ତଥା ଆଗୁଆ ତାରିଖରେ ମୃତ୍ୟୁ କିମ୍ୱା ମୃତ୍ୟୁତାରିଖ ବଢ଼ାଇଦେବା ଭାବନା ଏଡ଼ାଇଦେବା ଦିଗରେ ପ୍ରବର୍ତ୍ତାଇବା ଲାଗି ପଦକ୍ଷେପମାନ ଗ୍ରହଣ ନିମନ୍ତେ ସୂଚ଼ାଇଥାଏ I କର୍କଟରୋଗାକ୍ରାନ୍ତଙ୍କ କ୍ଷେତ୍ରରେ କିମୋଥେରାପି, ରେଡ଼ିଓଥେରାପି ଚ଼ିକିତ୍ସା ଆରମ୍ଭ ପୂର୍ବରୁ ‘ପାଲିଏଟିଉଭ’ ଚ଼ିକିତ୍ସା ଆରମ୍ଭ କରିବା ଦ୍ୱାରା ଜୀବନର ମାନବୃଦ୍ଧି ତଥା ରୋଗୀର ଯନ୍ତ୍ରଣା ଉପଶମ ନିମନ୍ତେ ପରିବେଶ ସୃଷ୍ଟି ସଂଭବପର ବୋଲି ଦୃଢ଼ୋକ୍ତି ପ୍ରକାଶିତ ହୋଇଛି I


 

‘ହସପି’ ଚ଼ିକିତ୍ସା କେବଳ ଦୁରାରୋଗ୍ୟଙ୍କୁ ଚ଼ିକିତ୍ସା ନିମନ୍ତେ ପ୍ରତିଷ୍ଠିତ ସ୍ୱତନ୍ତ୍ର ଚ଼ିକିତ୍ସାଳୟ, ନର୍ସିଂ ହୋମ, ସାଧାରଣ ଚ଼ିକିତ୍ସାଳୟ ବ୍ୟତୀତ ରୋଗାକ୍ରାନ୍ତଙ୍କ ବାସଗୃହରେ ମଧ୍ୟ ପ୍ରଦାନ କରାଯାଇପାରେ I ସାଧାରଣରେ ‘ହସପି’ ଆନୁଷ୍ଠାନିକ ସେବାକୁ ବୁଝାଉଥିଲେ ହେଁ ରୋଗୀଙ୍କ ବାସଗୃହକୁ ମଧ୍ୟ ସେଭଳି ସେବା ବିଭିନ୍ନ କାରଣରୁ ସମ୍ପ୍ରସାରଣର ବ୍ୟବସ୍ଥା ହୋଇଥାଏ I ବିକଶିତ ଯୁକ୍ତରାଷ୍ଟ୍ର ଆମେରିକାଭଳି ରାଷ୍ଟ୍ରରେ ଅଧିକାଂଶ ‘ହସପି’ ଚ଼ିକିତ୍ସା ରୋଗାକ୍ରାନ୍ତଙ୍କ ବାସଗୃହରେ ହିଁ ପ୍ରଦାନ କରାଯାଉଥିବା ଜଣାଯାଏ I ୨୦୧୨ର ଏକ ଅନୁଧ୍ୟାନ ଅନୁଯାୟୀ ‘ହସପି’ ଚ଼ିକିତ୍ସା ସେବା ଗ୍ରହଣ କରୁଥିବା ବ୍ୟକ୍ତିଙ୍କ ମଧ୍ୟରେ ୬୬.୪ ପ୍ରତିଶତ ଆମେରିକୀୟ ନିଜ ନିଜ ବାସଗୃହରେ ଚ଼ିକିତ୍ସିତ ହେଉଥିଲେ I


 

‘ହସପି’ ଧରଣର ଚ଼ିକିତ୍ସାର ଇତିହାସ ପ୍ରାଚ଼ୀନ I ଲାଟିନ ଭାଷାରେ ‘ହସପେସ’ର ଅର୍ଥ ଅତିଥି ଚର୍ଚ୍ଚାକୁ ବୁଝାଇଥାଏ I ଏକାଦଶ ଶତାଦ୍ଦୀରେ ୟୁରୋପରେ ଦୁରାରୋଗ୍ୟଙ୍କୁ ସେବା ଶୁଶ୍ରୂଷା ସଂଗଠିତ କରାଯିବା ପରେ ମଧ୍ୟଯୁଗରେ ଖ୍ରୀଷ୍ଟୀୟ ଧର୍ମାନୁଷ୍ଠାନଗୁଡ଼ିକ ଜରିଆରେ ଏହିଧରଣର ସେବା ନିୟନ୍ତ୍ରିତ ରହିଥିଲା I ଊନବିଂଶ ଓ ବିଂଶ ଶତାଦ୍ଦୀରେ ଆନ୍ତର୍ଜାତିକସ୍ତରରେ ସ୍ୱେଚ୍ଛାସେବୀମାନଙ୍କ ପ୍ରଚ଼େଷ୍ଟାରେ ବିଭିନ୍ନ ପ୍ରାନ୍ତରେ ଅନ୍ତିମ ଜୀବନସେବା ଶୁଶ୍ରୂଷା ନିମନ୍ତେ କାର୍ଯ୍ୟକ୍ରମ ଅବ୍ୟାହତ ଥିବା ଜଣାଯାଏ I


 

ବ୍ରିଟିଶ ସେବିକା ସିସେଲି ସାଣ୍ଡେର୍ସଙ୍କ ଉଦ୍ୟମରେ ୧୯୬୭ରେ ଆଧୁନିକ ‘ହସପି’ ଚ଼ିକିତ୍ସା ବିକଶିତ ହୋଇଥିଲା I କୁହାଯାଏ ସେ ସାଣ୍ଡେର୍ସ ସେବିକାରୂପେ ପ୍ରଶିକ୍ଷିତ ହୋଇଥିଲେ ହେଁ ଶାରିରୀକ ଅସୁସ୍ଥତା କାରଣରୁ ଚ଼ିକିତ୍ସାରେ ସକ୍ରିୟ ଅଂଶଗ୍ରହଣ ନିମନ୍ତେ ଅସମର୍ଥ ହୋଇ ଜନସ୍ୱାସ୍ଥ୍ୟ ଚ଼େତନା ପ୍ରସାରରେ ସଂପୃକ୍ତ ରହିଥିଲେI ପୋଲାଣ୍ଡର ଜଣେ ଶାରଣର୍ଥୀଙ୍କ ରୋଗାକ୍ରାନ୍ତ ଜୀବନ ତାଙ୍କରି ମନରେ ଗଭୀର ରେଖାପାତ କରିଥିଲା ଏବଂ ସାଣ୍ଡେର୍ସ ଏକ ଦରିଦ୍ର ଅନ୍ତିମ ଜୀବନ ସେବାସଦନରେ ଯୋଗ ଦେଇଥିଲେ I ସେଠାକାର ଚ଼ିକିତ୍ସକମାନେ ତାଙ୍କୁ ଭେଷଜ ବିଜ୍ଞାନ ଅଧ୍ୟୟନ କରି ଦୁରାରୋଗ୍ୟମାନଙ୍କ ଚ଼ିକିତ୍ସାଲାଗି ଆଗଭର ହେବାଲାଗି ପ୍ରବର୍ତ୍ତାଇଥିଲେ I ସାଣ୍ଡେର୍ସ ୧୯୫୭ରେ ଭେଷଜ ବିଜ୍ଞାନରେ ଉପାଧି ଗ୍ରହଣ କରି ଅନ୍ତିମ ଜୀବନ ସେବା ଶୁଶ୍ରୂଷାରେ ନିଜ ଜୀବନକୁ ସମର୍ପି ଦେଇଥିଲେ I ଦଶବର୍ଷ ମଧ୍ୟରେ ତାଙ୍କରି ନିଷ୍ଠାପର ସେବା ଚ଼ିକିତ୍ସା ବିଜ୍ଞାନରେ ଦୁରାରୋଗ୍ୟଙ୍କ ନିମନ୍ତେ ଏକ ନୂତନ ମାର୍ଗଦର୍ଶିକା ପ୍ରସ୍ତୁତିରେ ସହାୟକ ହୋଇପାରିଲା I


 

ସାଣ୍ଡର୍ସଙ୍କ ‘ହସପି’ ଚ଼ିକିତ୍ସା ଦୁରାରୋଗ୍ୟଙ୍କ କ୍ଷେତ୍ରରେ ରୋଗ ଉପଶମ ବଦଳରେ ରୋଗୀର ଦୈନନ୍ଦିନ ଜୀବନଯାପନ ସହଜପ୍ରଦ ଓ ସନ୍ତୋଷଜନକ ଗଢ଼ିତୋଳିବାରେ ଲକ୍ଷ୍ୟବଦ୍ଧ ରହିଥାଏ I ସାଣ୍ଡେର୍ସ ନିଜ ଚ଼ିନ୍ତାଧାରାର ବହୁଳ ପ୍ରସାର ନିମନ୍ତେ ବିଶ୍ୱବ୍ୟାପୀ ଭ୍ରମଣ କରି ବିଚ଼ାରବିମର୍ଷ ନିମନ୍ତେ ସୁଯୋଗ ସୃଷ୍ଟି କରିଥିଲେ I ବିଂଶ ଶତାଦ୍ଦୀରେ ସପ୍ତମ ଦଶକ ବେଳକୁ ଶଯ୍ୟାଶାୟୀ ରୋଗାକ୍ରାନ୍ତଙ୍କୁ ପୂର୍ବ-ପ୍ରଚଳିତ ପାରିବାରିକ, ଅବସର ବିହାର, ଜରାଶ୍ରମ ଓ ନର୍ସିଂହୋମ ଇଦ୍ୟାଦିରେ ଅନ୍ତିମ ଜୀବନ ସେବା ଶୁଶ୍ରୂଷା ପ୍ରଦାନ ସମସ୍ୟାବହୁଳ ପ୍ରମାଣିତ ହେଉଥିବା ଅବସରରେ ବିକଳ୍ପ ଚ଼ିକିତ୍ସା ପଦ୍ଧତି ଓ ଅନୁଷ୍ଠାନ ଗଠନ ନିମନ୍ତେ ଆନ୍ତର୍ଜାତିକସ୍ତରରେ ତତ୍ପରତା ପ୍ରକାଶ ପାଇଥିଲା Iଯୁକ୍ତରାଷ୍ଟ୍ର ଆମେରିକାରେ ସାଣ୍ଡେର୍ସଙ୍କ ମଡ଼େଲରେ ‘ହସପି’ ୧୯୭୧ରେ ପ୍ରତିଷ୍ଠିତ ହୋଇଥିବା ସ୍ଥଳେ ଜାପାନରେ ୧୯୮୧, ଚ଼ୀନରେ ୧୯୮୮ ଓ ଭାରତରେ ମୁମ୍ୱାଇଠାରେ ‘ଶାନ୍ତି ଅବେଦନ ଆଶ୍ରମ’ ୧୯୮୬ରେ କାର୍ଯ୍ୟଆରମ୍ଭ କରିଥିଲା I


 

ସାଣ୍ଡେର୍ସଙ୍କ ‘ହସପି’ ଚ଼ିକିତ୍ସା ମଡ଼େଲ ବିଭିନ୍ନ ରାଷ୍ଟ୍ରରେ ସ୍ଥାନୀୟ ସୁଯୋଗସୁବିଧାକୁ ନେଇ ପରିବର୍ତ୍ତନ ସହ ଉପଯୋଗ ହୋଇଥାଏ I ଏକବିଂଶ ଶତାଦ୍ଦୀର ପ୍ରଥମ ଦଶକ ଶେଷ ଭାଗରେ ଆୟୋଜିତ ଏକ ଅନୁଧ୍ୟାନରେ ବିଶ୍ୱବ୍ୟାପୀ ପ୍ରାୟ ଦଶ ହଜାର ‘ହସପି’ ସେବା ଅନୁଷ୍ଠାନକୁ ଚ଼ିହ୍ନଟ କରାଯାଇଥିଲା I ଆନ୍ତର୍ଜାତିକସ୍ତରରେ ୩୫ ପ୍ରତିଶତ ରାଷ୍ଟ୍ରରେ ଅନ୍ତିମ ଜୀବନ ସେବା ଶୁଶ୍ରୂଷା ନିମନ୍ତେ ଭିନ୍ନ ଭିନ୍ନ ପ୍ରାବଧାନମାନ ଥିବା ସ୍ଥଳେ ମାତ୍ର ୧୫ ପ୍ରତିଶତ ରାଷ୍ଟ୍ରରେ ‘ହସପି’ ଚ଼ିକିତ୍ସା ଅନୁସରଣ କରାଯାଉଥିବା ଜଣାଯାଇଥିଲା I୨୦୧୦ ବେଳକୁ ଯୁକ୍ତରାଷ୍ଟ୍ର ଆମେରିକାରେ ୭୨ ପ୍ରତିଶତ ‘ହସପି’ ଅଣବ୍ୟବସାୟିକ ସଂଗଠନମାନଙ୍କ ଦ୍ୱାରା ପରିଚ଼ାଳିତ ହେଉଥିବା ହିସାବ କରାଯାଇଥିଲା I


 

‘ହସପି’ ଚ଼ିକିତ୍ସା ଶୈଳୀରେ ବିଭିନ୍ନ ସକାରାତ୍ମକ ଦିଗ ଚ଼ିହ୍ନଟ କରାଯାଇପାରେ I ପ୍ରଥମତଃ, ଏହା ରୋଗାକ୍ରାନ୍ତଙ୍କୁ ଉନ୍ନତ ଚ଼ିକିତ୍ସା ଯୋଗାଇଥାଏ ଏବଂ ଶେଷ ଜୀବନ ବିଚ଼ାରପ୍ରଦ ଶାନ୍ତ ପରିବେଶରେ କଟାଇବା ସୁଯୋଗ ସୃଷ୍ଟି ହୋଇଥାଏ I ଦ୍ୱିତୀୟତଃ, ରୋଗାକ୍ରାନ୍ତକୁ ଆନୁଷ୍ଠାନିକ ସେବା ମିଳିବା ଫଳରେ ପରିବାରରେ ଜ୍ଞାତିକୁଟୁମ୍ୱ ଉଦ୍ବିଗ୍ନ ଓ ଭୟାତୁର ପରିବେଶରୁ ମୁକ୍ତି ପାଆନ୍ତି I ତୃତୀୟତଃ, ଅନ୍ତିମ ଜୀବନରେ ଚ଼ିକିତ୍ସା ନିମନ୍ତେ ନର୍ସିଂହୋମ ଓ ଚ଼ିକିତ୍ସାଳୟଗୁଡ଼ିକରେ ରୋଗୀ ଓ ତାହାର ପରିବାରବର୍ଗ ଅଯଥା ଖର୍ଚ୍ଚାନ୍ତ ହୋଇପଡୁଥିବାବେଳେ ‘ହସପି’ ଚ଼ିକିତ୍ସା ଅପେକ୍ଷାକୃତଭାବେ ଶସ୍ତା ଓ ବ୍ୟବହାରଯୋଗ୍ୟ ବିବେଚ଼ିତ ହୋଇଥାଏ I ଏକ ହିସାବ ଅନୁଯାୟୀ ସ୍ୱଚ୍ଛଳ ପରିବାରବର୍ଗଙ୍କ ମଧ୍ୟରେ ରୋଗାକ୍ରାନ୍ତଙ୍କ ମୂଳେ ଜୀବନର ଶେଷ ବର୍ଷରେ ଜୀବଦ୍ଦଶାରେ ଚ଼ିକିତ୍ସା ବ୍ୟୟର ପ୍ରାୟ ୨୭ ରୁ ୩୦ ପ୍ରତିଶତ ଖର୍ଚ୍ଚ କରାଯାଉଥିବା ସ୍ଥଳେ ‘ହସପି’ ଚ଼ିକିତ୍ସାରେ ସେଥିରୁ ମୁକ୍ତି ମିଳିଥାଏ I ମୁଖ୍ୟତଃ ଏହି ତିନିଗୋଟି କାରଣରୁ ବିଭିନ୍ନ ରାଷ୍ଟ୍ରରେ ‘ହସପି’ ଚ଼ିକିତ୍ସା ସେବା ଏକ ଜନସ୍ୱାସ୍ଥ୍ୟ ପ୍ରସ୍ତାବରୂପେ ଗୁରୁତ୍ୱ ହାସଲ କରିବାରେ ଲାଗିଛି I


 

ଭାରତରେ ‘ହସପି’ ଚ଼ିକିତ୍ସା ମୁଖ୍ୟତଃ କର୍କଟରୋଗୀଙ୍କ ଚ଼ିକିତ୍ସାକୁ କେନ୍ଦ୍ରକରି ଗଢ଼ିଉଠିଥିଲା I ଦେଶରେ ପ୍ରତିବର୍ଷ ପ୍ରାୟ ୧୦ ଲକ୍ଷ ନୂଆ କର୍କଟରୋଗୀଙ୍କୁ ଚ଼ିହ୍ନଟ କରାଯାଉଥିବାସ୍ଥଳେ ସେମାନଙ୍କ ମଧ୍ୟରୁ ୮୦ ପ୍ରତିଶତ ରୋଗର ୩ୟ ବା ୪ର୍ଥ ସୋପାନ ଅତିକ୍ରମ କରିସାରିଥାନ୍ତି I ସେମାନଙ୍କର ସୀମିତ ଜୀବଦ୍ଦଶାକୁ ସହଜପ୍ରଦ କରିବା ନିମନ୍ତେ ରୋଗ ଚ଼ିକିତ୍ସା ସାଙ୍ଗକୁ ମାନସିକ ଓ ଆଧ୍ୟାତ୍ମିକସ୍ତରରେ ପ୍ରଭାବିତ କରିବା ଜରୁରି ହୋଇପଡ଼େ I ମୁମ୍ୱାଇଠାରେ ‘ହସପି’ପ୍ରତିଷ୍ଠା ସାଙ୍ଗକୁ ତିରୁଭନ୍ତପୁରମ ଓ ବାଙ୍ଗାଲୁରୁଠାରେ ମଧ୍ୟ ଅନ୍ତିମଜୀବନସେବା ଶୁଶ୍ରୂଷା ନିମନ୍ତେ ଉଦ୍ୟମ ଆରମ୍ଭ ହୋଇଥିଲା I ଅହମ୍ମଦାବାଦଠାରେ ୧୯୯୪ରେ ‘ଇଣ୍ଡିଆନ ଏସୋସିଏସନ ଅଫ ପାଲିଏଟିଉଭ କେର’ର ଅଧିବେଶନ ଆୟୋଜିତ ହୋଇଥିଲା I ଦେଶରେ ପ୍ରାୟ ୧୬ ରୁ ଉର୍ଦ୍ଧ୍ୱ ରାଜ୍ୟରେ ୧୩୮ରୁ ଉର୍ଦ୍ଧ୍ୱ ପାଲିଏଟିଉଭ କେର ୟୁନିଟ କାର୍ଯ୍ୟକ୍ଷମ ଥିବା ହିସାବ କରାଯାଇଥାଏ I


 

ଅନ୍ୟାନ୍ୟ ରାଜ୍ୟ ତୁଳନରେ କେରଳରେ ଅନ୍ତିମ ଜୀବନ ସେବା ଶୁଶ୍ରୂଷା ‘ହସପି’ ଚ଼ିକିତ୍ସା ଅପେକ୍ଷାକୃତ ଉନ୍ନତ I ଏଠାରେ କର୍କଟ ରୋଗୀଙ୍କ ଭିନ୍ନ ଅନ୍ୟାନ୍ୟ ଦୁରାରୋଗ୍ୟ ରୋଗୀଙ୍କୁ ନିଜ ବାସଗୃହରେ ଚ଼ିକିତ୍ସା ପ୍ରଦାନର ସୁବିଧା ରହିଛି I କାଲିକଟ ‘ହସପି’ ଚ଼ିକିତ୍ସା ପଦ୍ଧତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନଙ୍କ ଦ୍ୱାରା ପ୍ରଶଂସିତ I ସେହିପରି ଦିଲ୍ଲୀରେ ଅବସ୍ଥାପିତ ‘କେନ-ସାପୋର୍ଟ’ ଅନୁଷ୍ଠାନ ପକ୍ଷରୁ ଡ଼ାକ୍ତର, ନର୍ସ ଓ କାଉନସିଲରଙ୍କ ଦଳ ସପ୍ତାହରେ ୮୦ ରୁ ୮୫ ପରିବାର ପରିଦର୍ଶନରେ ଯାଇ ରୋଗାକ୍ରାନ୍ତଙ୍କ ‘ହସପି’ ଚ଼ିକିତ୍ସା କରାଇଥାନ୍ତି I ଆସାମର ଗୌହାଟୀରେ ମଧ୍ୟ ଏଦିଗରେ ଉଲ୍ଲେଖନୀୟ ଉଦ୍ୟମ ଦେଖିବାକୁ ମିଳିଥାଏ I


 

ଚ଼ିକିତ୍ସକମାନଙ୍କ ହିସାବ ଅନୁଯାୟୀ ଭାରତରେ ବାର୍ଷିକ ପ୍ରାୟ ଛଅ ଲକ୍ଷ ରୋଗାକ୍ରାନ୍ତଙ୍କ ନିମନ୍ତେ‘ହସପି’ ଚ଼ିକିତ୍ସା ଆବଶ୍ୟକ I ପ୍ରତି ଘଣ୍ଟାରେ ୬୦ ଜଣ କର୍କଟରୋଗୀ ଯନ୍ତ୍ରଣା ସହି ମୃତ୍ୟୁମୁଖରେ ପଡିଥାନ୍ତି Iଦେଶର ଭୌଗଳିକ ବିସ୍ତୃତି ଓ ଅର୍ଥନୀତିକ ଅସଙ୍ଗତି କାରଣରୁ ‘ହସପି’ ଚିକିତ୍ସା ରୋଗାକ୍ରାନ୍ତଙ୍କ ବାସଗୃହରେ ପ୍ରଦାନ କରିବା ବାସ୍ତବାଭିମୁଖୀ ମନେ କରାଯାଇଥାଏ I ସ୍ୱେଚ୍ଛାସେବୀ ସଂଗଠନମାନଙ୍କ ତତ୍ତ୍ୱାବଧାନରେ ୨୦୦୧ରେ ଗଠିତ ‘ନେବରହୁଡ଼ ନେଟୱାର୍କ ଅଫ ପାଲିଟିଉଭ କେର’ ଭଳି ପଦ୍ଧତି ପ୍ରଚଳନକୁ ଗୁରୁତ୍ୱ ଦିଆଯାଉଛି I


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଜାନୁୟାରୀ ୨୦୧୯

 

---

ତଥ୍ୟ:


 

Hospice https://en.m.wikipedia.org/wiki/Hospice

 

Khosla, Divya. Firuza D. Patel and Suresh C. Sharma. Palliative Care in India : Current progress and future needs. Indian Journal of Palliative Care . (Sep – Dec 2012)

 

https://www.ncbi.nlm.nih.gov/pmc/articles/PMC3573467/

ନ୍ୟୂ-ନରମାଲରେ ବାର୍ଦ୍ଧକ୍ୟ ସେବା

କୋଭିଡ଼-୧୯ଜନିତ ମହାମାରୀରେ ବିଶ୍ୱବ୍ୟାପୀ ବାର୍ଦ୍ଧକ୍ୟ ଜୀବନଯାତ୍ରା ପ୍ରଭାବିତ ହୋଇଥିଲା । ଏହି ସଂକ୍ରମଣରେ ରୋଗାକ୍ରାନ୍ତଙ୍କ ମଧ୍ୟରେ ଅନ୍ୟାନ୍ୟ ବୟସବର୍ଗ ତୁଳନାରେ ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟାବସ୍ଥା ଜଟିଳ ସମସ୍ୟା ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଥଲା । ସମଗ୍ର ମୃତକଙ୍କ ମଧ୍ୟରେ ଦୁଇରୁ ତିନି ଚ଼ତୁର୍ଥାଂଶ ଯାଏଁ ୬୫ ବର୍ଷୋତ୍ତର ଥିବା ହିସାବ କରାଯାଇଥିଲା । ଜନସ୍ୱାସ୍ଥ୍ୟ ସୁରକ୍ଷା ଦିଗରେ ବୟସ୍କ ଓ ଦୀର୍ଘସ୍ଥାୟୀ ରୋଗକ୍ରାନ୍ତମାନଙ୍କୁ ଦୀର୍ଘକାଳ ପାଇଁ ଗୃହାବଦ୍ଧ ରହିବା ନିମନ୍ତେ ପରାମର୍ଶ ଦିଆଯାଇଥିଲା । ସ୍ୱଚ୍ଛନ୍ଦରେ ଚଳପ୍ରଚଳ ହେବାରୁ କ୍ଷାନ୍ତ ରହି ବୟସ୍କମାନେ ସାମାଜିକ ଉତ୍ସବାନୁଷ୍ଠାନରୁ ଅପସରି ଯାଇଥିବା ହେତୁ ବାର୍ଦ୍ଧକ୍ୟ ଜୀବନଯାତ୍ରାରେ ବ୍ୟାପକ ପରିବର୍ତ୍ତନ ସୂତ୍ରପାତ ହୋଇଥିଲା । ମହାମାରୀ-ପର ଅବସ୍ଥାରେ ସଂକ୍ରମଣ ଭୟ ସଂପୂର୍ଣ୍ଣ ହଟି ଯାଇନଥିବା ତଥା ରୋଗ ଉପଚାର ନିମନ୍ତେ ନିର୍ଦ୍ଧିଷ୍ଟ ଔଷଧ ଉପଲବ୍ଧ ନଥିବା ହେତୁ ପରିସ୍ଥିତିରେ ସୁଧାର ଆଶା କରାଯାଇପାରୁ ନାହିଁ ।

 

ବିଶେଷଜ୍ଞଙ୍କ ମତରେ ସମାଜର ବିଭିନ୍ନ କ୍ଷେତ୍ରରେ ମହାମାରୀ-ପର ଅବସ୍ଥାରେ ମହାମାରୀ-ପୂର୍ବ ଅବସ୍ଥା ଆଶା କରିବା ନିରର୍ଥକ । ତେଣୁ ମହାମାରୀ-ପର ଅବସ୍ଥାକୁ ନ୍ୟୂ-ନରମାଲ ନାମିତ କରାଯାଇଛି । ଏହିକ୍ରମରେ ବାର୍ଦ୍ଧକ୍ୟ ଜୀବନଚ଼ର୍ଯ୍ୟାରେ ମଧ୍ୟ ନୂତନ ଧାରା ପ୍ରଚଳନ ଅବଶ୍ୟମ୍ଭାବୀ । ବାର୍ଦ୍ଧକ୍ୟ-ଅନୁକୂଳ ଜୀବନ ପ୍ରଯୋଜନାରେ ଅଗ୍ରଣୀ ପାଶ୍ଚାତ୍ୟ ଭୂଖଣ୍ଡରେ ମହାମାରୀ-ପର ନ୍ୟୂ-ନରମାଲରେ କେତେକ ପରିବର୍ତ୍ତନର ଧାରା ୨୦୨୨ ସୁଦ୍ଧା ସ୍ପଷ୍ଟ ହୋଇସାରିଲାଣି । ଉଦାହରଣରେ ବାର୍ଦ୍ଧକ୍ୟ ଆବାସ କଥା ବିଚାର କରାଯାଉ । ଦ୍ୱିତୀୟ ବିଶ୍ୱଯୁଦ୍ଧୋତ୍ତର ଅବସ୍ଥାରେ ବିକଶିତ ରାଷ୍ଟ୍ରଗୁଡ଼ିକରେ ଜୀବଦ୍ଦଶା ଓ ବରିଷ୍ଠ ନାଗରିକଙ୍କ ଜନସଂଖ୍ୟା ବୃଦ୍ଧି ପରେ ସୁସଂହତ ବାର୍ଦ୍ଧକ୍ୟ-ସେବା ନିମନ୍ତେ ଅବସର ବିହାର ରିଟାଏରମେଣ୍ଟ କଲୋନୀ ପରିକଳ୍ପନା ଜନାଦୃତ ହୋଇପାରିଥିଲା । କିନ୍ତୁ ମହାମାରୀକାଳରେ ଅବସର ବିହାର, କେୟାର ହୋମ ଓ ନର୍ସିଂ ହୋମରେ କରୋନା ଭୂତାଣୁ ସଂକ୍ରମଣ କାରଣରୁ ବହୁ ସଂଖ୍ୟକ ମୃତାହାତ ହେବା ପରେ ବାର୍ଦ୍ଧକ୍ୟଗ୍ରସ୍ତ ତାହାର ବିକଳ୍ପ ଖୋଜିବାରେ ଲାଗିଲେ ।

 

ବିଭିନ୍ନ ପ୍ରାଥମିକ ଅନୁଧ୍ୟାନରୁ ଜଣାଯାଏ ଯେ ଏଣିକି ବିକଶିତ ରାଷ୍ଟ୍ରଗୁଡ଼ିକରେ ୮୫ ପ୍ରତିଶତ ଯାଏଁ ବରିଷ୍ଠ ନାଗରିକ ସାଧ୍ୟମତେ ନିଜ ବାସଗୃହରେ ବାର୍ଦ୍ଧକ୍ୟ ଜୀବନ ଅତିବାହିତ କରିବା ନିମନ୍ତେ ଆଗ୍ରହୀ । ଅର୍ଥାତ, ଉତ୍ତର-ବାର୍ଦ୍ଧକ୍ୟରେ ଜଟିଳ ସ୍ୱାସ୍ଥ୍ୟାବସ୍ଥାରେ ପହଞ୍ଚିଲେ ଯାଇ ନର୍ସିଂ ହୋମ, କେୟାର ହୋମରେ ବାଧ୍ୟବାଧକତାରେ ଭର୍ତ୍ତି ହେବା ନିମନ୍ତେ ଲକ୍ଷ୍ୟବଦ୍ଧ । ଏହି ପରିବର୍ତ୍ତନ ଅବସର ବିହାରରେ ଉପଲବ୍ଧ ବାର୍ଦ୍ଧକ୍ୟ-ସେବା ବରିଷ୍ଠ ନାଗରିକମାନଙ୍କୁ ସେମାନଙ୍କ ବାସଗୃହରେ ଯୋଗାଇ ଦେବା ନିମନ୍ତେ ବ୍ୟବସ୍ଥା ଆରମ୍ଭ ହୋଇଛି । ଏହାର ସୁପରିଚାଳନା ନିମନ୍ତେ ଅତ୍ୟାଧୁନିକ ବୈଷୟିକ ଉଦ୍ଭାବନମାନ ସହାୟକ ହେଉଛି । ନିକଟ ଭବିଷ୍ୟତରେ ଯାନ୍ତ୍ରିକ-ମାନବ ରୋବର୍ଟର ବ୍ୟବହାରରେ କେତେକ ବାର୍ଦ୍ଧକ୍ୟ-ଯତ୍ନ ସଂଭବ ହୋଇପାରିବା ଆଶା କରାଯାଉଛି । ଇଣ୍ଟରନେଟ-ଅଫ-ଥିଙ୍ଗସ ୫ଜି ଟେଲିଯୋଗାଯୋଗ ପ୍ରସାରରେ ଅଧିକ ଯାନ୍ତ୍ରିକ ପଦ୍ଧତି ବ୍ୟବହାର ବାର୍ଦ୍ଧକ୍ୟ ଜୀବନଯାତ୍ରାକୁ ସୁଗମ କରିବା ସଂଭବ ।

 

ବାର୍ଦ୍ଧକ୍ୟଗ୍ରସ୍ତ ବିଭିନ୍ନ କାରଣରୁ ଏକାକୀ ବସବାସ କରିଥାନ୍ତି । ପ୍ରଥମତଃ, କେତେକ ବ୍ୟକ୍ତି ସ୍ୱାଧୀନ ଜୀବନ ଯାପନ କରିବାକୁ ଅଗ୍ରାଧୀକାର ଦେଇଥାନ୍ତି । ଦ୍ୱିତୀୟତଃ, କେତେକ ଅବିବାହିତ କିମ୍ୱା ବୈଧବ୍ୟର ସାମ୍ନା କରିଥାନ୍ତି । ତୃତୀୟତଃ, ପାରିବାରିକ ସଂପୃକ୍ତି ସତ୍ତ୍ୱେ ବରିଷ୍ଠ ନାଗରିକମାନଙ୍କ ନିକଟରେ ପରିବାର ସଦସ୍ୟବର୍ଗ ଉପସ୍ଥିତ ରହିନପାରନ୍ତି କିମ୍ୱା ପାରିବାରିକ ସ୍ଥିତିରେ ବାର୍ଦ୍ଧକ୍ୟ-ଯତ୍ନ ଯୋଗାଇବା ସଂଭବ ହୋଇପାରେ ନାହିଁ ।

 

ବିଶେଷଜ୍ଞଙ୍କ ମତରେ ଏକାକୀ ବସବାସ କରୁଥିବା ବରିଷ୍ଠ ନାଗରିକ ନିଜ ଉତ୍ତର-ବାର୍ଦ୍ଧକ୍ୟରେ ସହାୟତାଯୁକ୍ତ ଜୀବନଚର୍ଯ୍ୟା ନିମନ୍ତେ କେୟାର ହୋମ ବା ଅବସର ବିହାର ଭଳି ସୁବିଧା ସୁଯୋଗ ଆବଶ୍ୟକ କରିବା ନିଶ୍ଚିତ । ଏଥି ନିମନ୍ତେ ଉଭୟ ଆବାସ ଓ ଶ୍ରମଶକ୍ତିର ଭିତ୍ତିଭୂମି ପ୍ରସ୍ତୁତି ଏକ ଦୀର୍ଘକାଳୀନ ଯୋଜନା । ମହାମାରୀ-ପର ନ୍ୟୂ-ନରମାଲରେ ଏହି ଦିଗରେ ସାମାଜିକସ୍ତରରେ ବିଚାରବିମର୍ଷ ଏକାନ୍ତ ଜରୁରୀ ଏବଂ ପ୍ରତ୍ୟେକ ସଚ଼େତନ ନାଗରିକ ଏଥିରେ ସାମିଲ ହେବା ଆବଶ୍ୟକ । କାରଣ ବ୍ୟାବସାୟିକ ସାମାଜିକ ବ୍ୟବସ୍ଥାରେ ପ୍ରତ୍ୟେକ ବ୍ୟକ୍ତି ଆବଶ୍ୟକ ପରିମାଣର ଆର୍ଥିକ ନିବେଶ ନିମନ୍ତେ ସମର୍ଥ ନହେଲେ ସେବା ଗ୍ରହଣ କିମ୍ୱା ସେବା ପ୍ରଦାନ ମଡ଼େଲ ବିକଶିତ ହୋଇପାରିବ ନାହିଁ ।

 

ଭାରତୀୟ ବାଣିଜ୍ୟ ଶୀର୍ଷ ସଂଗଠନ ନ୍ୟାସନାଲ ଏସୋସିଏସନ ଅଫ ସଫଟୱେର ଏଣ୍ଡ ସର୍ଭିସ କମ୍ପାନୀଜ ନାସକମର ସେପ୍ଟେମ୍ୱର ୨୦୨୧ର ଏକ ପ୍ରକାଶନରେ ଜନୈକ ପରାମର୍ଶଦାତା ଆଶୁତୋଷ କାଶ୍ୟପ ମହାମାରୀ-ପର ଅବସ୍ଥାରେ ଦେଶରେ ବାର୍ଦ୍ଧକ୍ୟ ସେବା ଶିଳ୍ପ ସଂପର୍କରେ ବିସ୍ତୃତ ଆଲୋଚ଼ନା କରିଥିଲେ । ସେ ଦର୍ଶାଇଥିଲେ ଯେ ୨୦୨୧ରେ ଏଠାରେ ସମୁଦାୟ ଜନସଂଖ୍ୟା ୧୩୯ କୋଟି ମଧ୍ୟରୁ ୧୪ କୋଟି ୬୦ ବର୍ଷରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକ । ଏମାନଙ୍କ ମଧ୍ୟରେ ୫୯ ଲକ୍ଷ ବୟସ୍କ ବ୍ୟକ୍ତି ଏକାକୀ ବସବାସ କରୁଥିଲେ । ଦଶ ବର୍ଷ ପରେ ୨୦୩୧ରେ ସମୁଦାୟ ଜନସଂଖ୍ୟା ୧୫୧ କୋଟି ଏବଂ ବରିଷ୍ଠ ନାଗରିଙ୍କ ସଂଖ୍ୟା ୧୯ କୋଟିରେ ପହଞ୍ଚିବ । ସେମାନଙ୍କ ମଧ୍ୟରେ ୮୩ ଲକ୍ଷ ବୟସ୍କ ବ୍ୟକ୍ତି ଏକାକୀ ବସବାସ କରିବେ । ମହାମାରୀ-ପର ନ୍ୟୂ-ନରମାଲରେ ଅନ୍ତତଃପକ୍ଷେ ଏକାକୀ ବସବାସ କରୁଥିବା ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱାବଲମ୍ୱୀ ବାର୍ଦ୍ଧକ୍ୟ-ସେବା ଆୟୋଜନ ଗୁରୁତ୍ୱପୂର୍ଣ୍ଣ ।

 

ସେ ଉଲ୍ଲେଖ କରିଥିଲେ ଯେ ବିଭିନ୍ନ କାରଣରୁ ଅବସର ବିହାର ଭଳି ଯୋଜନା ରୂପାୟନ ମହାମାରୀ-ପୂର୍ବାବସ୍ଥା ଯାଏଁ ଆମ ଦେଶରେ ଅବହେଳିତ ଅବସ୍ଥାରେ ରହିଆସିଥିଲା । ଅତି କମରେ ୮୮ ହଜାର ବ୍ୟକ୍ତିଙ୍କ ପାଇଁ ଅବସର ବିହାର ୟୁନିଟ ଆବଶ୍ୟକଥିବା ସ୍ଥଳେ ମାତ୍ର ୨୨ ହଜାର ଉପଲବ୍ଧ ଥିଲା । ଏହି ଆବଶ୍ୟକତା ୨୦୩୧ ସୁଦ୍ଧା ଏକ ଲକ୍ଷ ପଚ଼ିଶି ହଜାର ୟୁନିଟରେ ପହଞ୍ଚିବା ଆକଳନ କରାଯାଏ । କାଶ୍ୟପଙ୍କ ଅନୁଶୀଳନରେ ଅବସର ବିହାର ଅଗ୍ରଗତିରେ ପାରମ୍ପରିକ ସାମାଜିକ ଦୃଷ୍ଟିକୋଣ ପ୍ରଥମ ପ୍ରତିବନ୍ଧକ । ବାର୍ଦ୍ଧକ୍ୟ ଅନୁକୂଳ ବସତିଗୁଡ଼ିକ ସାଧାରଣରେ ବୃଦ୍ଧାଶ୍ରମ ରୂପେ ଚ଼ିହ୍ନିତ । ସାଧାରଣରେ ଅସହାୟ ନିରାଶ୍ରୟ ବାର୍ଦ୍ଧକ୍ୟଗ୍ରସ୍ତଙ୍କୁ ସେଠାରେ ଥଇଥାନ କରାଯାଉଥିବା ମାନସିକତା ପ୍ରଚଳନ ହେତୁ ମଧ୍ୟବିତ୍ତ ପରିବାରବର୍ଗ ପସନ୍ଦ କରନ୍ତିନାହିଁ ।

 

ଦ୍ୱିତୀୟତଃ, ଅବସର ବିହାର ଏକ ସ୍ୱତନ୍ତ୍ର ଶିଳ୍ପ ରୂପେ ବିକଶିତ ହୋଇ ନପାରିଥିବା ସ୍ଥଳେ ଏହି ଉଦ୍ୟମ ବରିଷ୍ଠ ନାଗରିକଙ୍କ ପାଇଁ ଏକତ୍ର ବସବାସ ନିମନ୍ତେ ସୀମିତ ଆୟତନର ଆବାସ ନିର୍ମାଣ ମଧ୍ୟରେ ସୀମିତ ହୋଇରହିଛି । ତେଣୁ ଅବସର ବିହାରରେ ତତ୍ କ୍ଷଣାତ ପହଞ୍ଚିଲେ ବାର୍ଦ୍ଧକ୍ୟ-ସେବା ପାଇବା ହୁଏତ ସଂଭବ ନହୋଇପାରେ । ଏହି କାରଣରୁ ପ୍ରଚଳିତ ଅବସର ବିହାରଗୁଡ଼ିକ ଆକର୍ଷଣ ହରାଉଛି । ଅବସର ବିହାର ନିର୍ମାଣ ଶିଳ୍ପର ପରିଧିମୁକ୍ତ ହୋଇ ସ୍ୱତନ୍ତ୍ର ଶିଳ୍ପରେ ପରିଣତ ହେଲେ ଯାଇ ଆକର୍ଷକ ସାବ୍ୟସ୍ତ ହେବ ।

 

ତୃତୀୟତଃ, ଅବସର ବିହାରଗୁଡ଼ିକ ଅଧିକ ଜମିଜମା ଆବଶ୍ୟକ କରୁଥିବା ଏବଂ ସହରତଳି ଅଞ୍ଚଳରେ ଜମି ଦର ଶସ୍ତା ଥିବା ହେତୁ ନିର୍ମାଣ ଉଦ୍ୟୋଗ ପକ୍ଷରୁ ଜନବସତିରୁ ଦୂରରେ ଅବସର ବିହାର ପରିକଳ୍ପନା କରାଯାଉଛି । ପରିଣତ ବୟସରେ ଜନବସତି ବଦଳରେ ନିଛାଟିଆ ପରିବେଶରେ ବସବାସ କରିବା ନିମନ୍ତେ ବରିଷ୍ଠ ନାଗରିକ କିମ୍ୱା ସେମାନଙ୍କ ପରିବାରବର୍ଗ ରାଜି ହୋଇନଥାନ୍ତି । ବାର୍ଦ୍ଧକ୍ୟ ଅନୁକୂଳ ବସତି ସହରାଞ୍ଚଳ ମଧ୍ୟରେ ନିର୍ମିତ ହୋଇପାରିଲେ ଚାହିଦା ବଢିବା ଆଶା କରାଯାଇପାରେ । ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକରେ ଏହି ଅଭିଜ୍ଞତା ଦେଖିବାକୁ ମିଳିଛି । ଲଣ୍ଡନର ବଜାର ଅଞ୍ଚଳରେ ମହାମାରୀ-ପର ଅବସ୍ଥାରେ ମଲଗୁଡ଼ିକ ବ୍ୟବସାୟ ହରାଇବାରୁ ସେଗୁଡ଼ିକ ଅବସର ବିହାରରେ ପରିଣତ କରାଯାଉଥିବା ବିବରଣୀ ଏକ ଉଦାହରଣ ।

 

ଅବଶ୍ୟ ଉପରୋକ୍ତ ତିନିଗୋଟି ସର୍ବାପେକ୍ଷା ଗୁରୁତ୍ୱପୂର୍ଣ୍ଣ କାରଣକୁ ବିଶ୍ଳେଷଣ କଲେ କୁକୁଡ଼ା ଆଗ, ନା ଅଣ୍ଡା ଆଗ ତତ୍ତ୍ୱ ଚର୍ଚ୍ଚାର ପରିସରରେ ପହଞ୍ଚିଥାଏ । ଆବାସ ନିର୍ମାଣ ଓ ସେବା ଯୋଗାଣର ଭିତ୍ତିଭୂମି ପ୍ରତିଷ୍ଠା ପରେ ଉପଭୋକ୍ତାଙ୍କ ଗ୍ରହଣୀୟ ହୋଇପାରିବା ବିଶ୍ୱାସ କରାଯାଇପାରେ । ଏହି ନବୀନତମ ଶିଳ୍ପ ସମାଜର ୨୦୨୧ ସୁଦ୍ଧା ୧୦ ପ୍ରତିଶତ ନାଗରିକଙ୍କ ନିମନ୍ତେ କଲ୍ୟାଣକାରୀ ଥିବା ଏବଂ ୨୦୩୧ ସୁଦ୍ଧା ହିତାଧିକାରୀଙ୍କ ସଂଖ୍ୟା ୧୩ ପ୍ରତିଶତରେ ପହଞ୍ଚୁଥିବା ହେତୁ କେନ୍ଦ୍ର, ରାଜ୍ୟ ଓ ପୌରାଞ୍ଚଳ ପ୍ରଶାସନିକସ୍ତରରେ ସୁବିଧାସୁଯୋଗ ସୃଷ୍ଟି ପ୍ରତି ଦୃଷ୍ଟି ଦିଆଗଲେ ଦୃତ ଅଗ୍ରଗତି ସଂଭବ ହୋଇପାରେ । ତେବେ ଏ ଦିଗରେ ସମସ୍ତଙ୍କୁ ସଚ଼େତନ କରାଇବା ପ୍ରଥମିକ ପଦକ୍ଷେପ । 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଅକ୍ଟୋବର ୨୦୨


ତଥ୍ୟ :

 

Kashyap, Ashutosh. Senior living in post-pandemic world. September 27, 2021

 

https://community.nasscom.in/communities/current-issues/senior-living-post-pandemic-world