ବାର୍ଦ୍ଧକ୍ୟ ଆବାସ

ଛୋଟ ବାସଗୃହ

ବର୍ଦ୍ଧିତ ଜୀବଦ୍ଦଶାହେତୁ ବାର୍ଦ୍ଧକ୍ୟରେ କେତେଗୋଟି ମୁଖ୍ୟ ସମସ୍ୟା ମଧ୍ୟରେ ବାସଗୃହ ରକ୍ଷଣାବେକ୍ଷଣ ଅନ୍ୟତମ । ସାଧାରଣତଃ ମଧ୍ୟ-ଜୀବନରେ ବାସଗୃହ ନିର୍ମାଣ କାଳରେ କେହି କେବେ ବାର୍ଦ୍ଧକ୍ୟ ଜୀବନ ବିଚ଼ାରକୁ ନେଇ ବାସଗୃହର ନକ୍ସା ଆଙ୍କି ନଥାନ୍ତି । ଫଳରେ ଅନେକ କ୍ଷେତ୍ରରେ ବାସଗୃହଗୁଡ଼ିକ ବାର୍ଦ୍ଧକ୍ୟ ଅନୁକୂଳ ହୋଇପାରି ନଥାଏ । ଗୃହକର୍ତ୍ତା ବାର୍ଦ୍ଧକ୍ୟରେ ଉପନୀତ ହେବାପରେ ମଧ୍ୟ-ଜୀବନରେ ନିର୍ମିତ ବାସଗୃହରେ ବସବାସରେ ଅସୁବିଧା ଭୋଗ କରିଥାନ୍ତି ।


 

ସମକାଳରେ ବ୍ୟକ୍ତିଗତ ଜୀବନରେ ପ୍ରାଚୁର୍ଯ୍ୟ ବାସଗୃହ ଆୟତନ ବୃଦ୍ଧିରେ ପ୍ରତିଫଳିତ ହୋଇଥାଏ । ଆର୍ଥିକ ଦିଗରୁ ସ୍ୱଚ୍ଛଳ ବ୍ୟକ୍ତି ବହୁ କଠୋରୀ ଓ ବହୁତଳ ବିଶିଷ୍ଟ ଅଟ୍ଟାଳିକା ନିର୍ମାଣ ଲାଗି ମନ ବଳାଇଥାନ୍ତି । ଧନୀକବର୍ଗ ଏଗୁଡ଼ିକର ରକ୍ଷଣାବେକ୍ଷଣ ନିମନ୍ତେ ପର୍ଯ୍ୟାପ୍ତ ପରିମାଣରେ ଲୋକଶକ୍ତି ନିୟୋଜିତ କରିପାରନ୍ତି । ତେବେ ମଧ୍ୟବିତ୍ତଙ୍କ ପକ୍ଷେ ତାହା ସଂଭବ ହୋଇପାରି ନଥାଏ । ନିଯୁକ୍ତ ଶ୍ରମିକଙ୍କ ତତ୍ତ୍ୱାବଧାନ ମଧ୍ୟ କଷ୍ଟକର । ଗୃହସ୍ୱାମୀ ବାର୍ଦ୍ଧକ୍ୟରେ ଉପନୀତ ହେବା ପରେ ବିସ୍ତୃତ କ୍ଷେତ୍ରଫଳ ବ୍ୟବହାର, ସଫାସୁତୁରା ରଖିବା ତଥା ଆବଶ୍ୟକସ୍ଥଳେ ମରାମତ କରିବା ସଂଭବପର ହୋଇପାରି ନଥାଏ ।


 

ବାର୍ଦ୍ଧକ୍ୟରେ ଶାରିରୀକ ଦୁର୍ବଳତା, ପରିବାରର ସଦସ୍ୟଙ୍କ ସଂଖ୍ୟା ଓ ଆୟ ସଂକୋଚ଼ନ ତଥା ସର୍ବୋପରି ଉତ୍ତର-ବାର୍ଦ୍ଧକ୍ୟରେ ଗୃହାବଦ୍ଧ ବା ଶଯ୍ୟାଶାୟୀ ଜୀବନ ସ୍ୱତଃସିଦ୍ଧ ହୋଇଥିଲେ ହେଁ ପୂର୍ବ-ଜୀବନରେ ଏସବୁ ଦିଗପ୍ରତି ଦୃଷ୍ଟି ନଦେବା ପରବର୍ତ୍ତୀ ଅଧ୍ୟାୟରେ ଜଟିଳ ସମସ୍ୟାମାନ ସୃଷ୍ଟି କରିଥାଏ ଏବଂ ଅନେକ କ୍ଷେତ୍ରରେ ସେଗୁଡ଼ିକର ସମାଧାନର ସୂତ୍ର ଖୋଜି ପାଇହୁଏନା । ତେବେ ଏଦିଗରେ ସଚ଼େତନହେଲେ ପୂର୍ବ-ପ୍ରସ୍ତୁତିରେ ସହାୟକ ହୋଇପାରେ ।


 

ଗ୍ରାମାଞ୍ଚଳ ତୁଳନାରେ ସହରାଞ୍ଚଳରେ ସାଧାରଣ ବାସଗୃହର ଆୟତନ କମ । ସେହିପରି ବିକାଶଶୀଳ ରାଷ୍ଟ୍ର ତୁଳନାରେ ବିକଶିତ ରାଷ୍ଟ୍ରରେ ବାସଗୃହ ଆୟତନ ଆହୁରି କମ । ଜାପାନର ରାଜଧାନୀ ଟୋକିଓରେ ବହୁତଳ ବାସଗୃହ ଅଟ୍ଟାଳିକା ଆପାର୍ଟମେଣ୍ଟଗୁଡ଼ିକରେ ଫ୍ଳାଟଗୁଡ଼ିକ ହାରାହାରି ୬୫୦ ବର୍ଗଫୁଟ ୨୦୧୭ରେ ହିସାବ କରାଯାଇଥିଲା । ସେଠାକାର ତିନିଗୋଟି ଶୟନକକ୍ଷ ସମ୍ୱଳିତ ଫ୍ଳାଟ ୭୫୦ ବର୍ଗଫୁଟରେ ନିର୍ମିତ ହୋଇଥାଏ ।


 

ନଗରାଞ୍ଚଳରେ ବର୍ଦ୍ଧିତ ଜନସଂଖ୍ୟାଙ୍କ ବସବାସ ସୁସଂହତ କରିବା ଉଦ୍ଦେଶ୍ୟରେ ସ୍ଥପତିମାନେ ବାସଗୃହ ନିର୍ମାଣରେ ପରୀକ୍ଷାନିରୀକ୍ଷା ଚଳାଇଥାନ୍ତି । ହଙ୍ଗକଙ୍ଗରେ ଉତ୍କଟ ବାସଗୃହ ଅଭାବ ସମସ୍ୟା ସମାଧାନ ଲାଗି ମାତ୍ର ୨୫ ବର୍ଗଫୁଟରେ ଜଣେବ୍ୟକ୍ତି ବସବାସ କରିବା ନିମନ୍ତେ ସୁବିଧା ସୃଷ୍ଟି କରାଯାଇଥାଏ । ସେଥିରେ ଗୋଟିଏ ଶେଯ, ଟେଲିଭିଜନ ଓ କମ୍ପ୍ୟୁଟର ଲାଗି ସ୍ଥାନ ସାଙ୍ଗକୁ ଅନ୍ୟାନ୍ୟ ବୈଦ୍ୟୁତିକ ସାଜସରଞ୍ଜାମ ଖଞ୍ଜା ଯାଇଥାଏ । ଅନ୍ତେବାସୀଙ୍କୁ ସାମୂହିକ ଶୌଚ଼ାଳୟ ବ୍ୟବହାର କରିବାକୁ ପଡ଼ିଥାଏ ।


 

କୁହାଯାଏ ଯେ ଦୈନନ୍ଦିନ ଜୀବନଯାପନ କରିବା ନିମନ୍ତେ ବର୍ଦ୍ଧିତ ଆୟତନର ବାସଗୃହ ଅନାବଶ୍ୟକ । ବିଶ୍ୱବ୍ୟାପୀ ଦୃତ ସହରୀକରଣ ଅବସରରେ ତାପାୟନକୁ ରୋକିବା ନିମନ୍ତେ କୋଠାବାଡ଼ି ନିର୍ମାଣରେ ମିତବ୍ୟୟିତା ଅନ୍ୟତମ ଜରୁରି ଆବଶ୍ୟକତା । ଏହି ପରିପ୍ରେକ୍ଷୀରେ ଛୋଟ ବାସଗୃହ ଟାଇନି ହାଉସ ନିର୍ମାଣ ସମାଜର କେତେକସ୍ତରରେ ଏକ ସାଂସ୍କୃତିକଧାରା ରୂପେ ମୁଣ୍ଡଟେକିଛି ।


 

ଊନବିଂଶ ଶତାଦ୍ଦୀ ମଧ୍ୟଭାଗରେ ମାର୍କିନ ଚ଼ିନ୍ତକ ହେନେରି ଡ଼େଭିଡ଼ ଥରୟୁ ମାସାଚ୍ୟୁସେଟ ରାଜ୍ୟର ୱାଲଡ଼ନ ହ୍ରଦ ତଟରେ ୧୫୦ ବର୍ଗଫୁଟର ଏକ କୁଡ଼ିଆରେ ୨୬ ମାସ ଅତିବାହିତ କରିଥିଲେ । ପ୍ରକୃତିକୋଳରେ ଜୀବନର ସର୍ବନିମ୍ନ ଆବଶ୍ୟକତାଗୁଡ଼ିକ ପୂରଣକରି ତାଙ୍କ ଜୀବନଯାପନର ଅଭିଜ୍ଞତା ୱାଲଡ଼ନ ପୁସ୍ତକରେ ଲିପିବଦ୍ଧ ହୋଇଛି । ଥରୟୁ ଏକ ଧନୀକ ପରିବାରର ସନ୍ତାନ । ପେନସିଲ ତିଆରି ଶିଳ୍ପରୁ ତାଙ୍କରି ପରିବାର ପ୍ରଚୁର ଅର୍ଥ ଉପାର୍ଜନ କରୁଥିଲେ । କିନ୍ତୁ ଥରୟୁଙ୍କ ସରଳ ଜୀବନଯାତ୍ରା ଓ ଆଦର୍ଶ ସେଠାକାର ଜନସାଧାରଣଙ୍କୁ ପ୍ରଭାବିତ କରିଥିଲା । ଅଳ୍ପକେ ସନ୍ତୁଷ୍ଟି ମାର୍କିନ ସଭ୍ୟତାର ପରିପନ୍ଥୀ ହେଲେହେଁ ପରବର୍ତ୍ତୀ ପର୍ଯ୍ୟାୟରେ ଛୋଟ ବାସଗୃହ ଆନ୍ଦୋଳନରେ ପ୍ରତିଫଳିତ ହୋଇଥିଲା ।


 

ଭାରତରେ ଛୋଟ ବାସଗୃହ ପରିକଳ୍ପନା ଚ଼େନ୍ନାଇର ୟୁଟୁ ହୋମସ ପକ୍ଷରୁ ରୂପାୟନ କରାଯାଇଛି । ଏହି ପ୍ରକଳ୍ପରେ ସହରର ଜନାକୀର୍ଣ୍ଣ ଅଞ୍ଚଳରେ ବହୁତଳ ବିଶିଷ୍ଟ ଅଟ୍ଟାଳିକା ଆପାର୍ଟମେଣ୍ଟଗୁଡ଼ିକରେ ୩୨୧ ବର୍ଗଫୁଟ ପରିମିତ ବାସଗୃହମାନ ନିର୍ମିତ ହୋଇଛି । ବସ୍ତୁତଃ ଗୋଟିଏ ବଡ଼ କଠୋରୀ ଷ୍ଟୁଡ଼ିଓ ଆକାରର ବାସଗୃହରେ ବସାଉଠା କରିବା, ଶୋଇବା ଓ ପାକଶାଳା ତଥା ପାଇଖାନା, ସ୍ନାନାଗାର ସନ୍ନିବଶିତ । ସାମୂହିକ ବ୍ୟବହାର ନିମନ୍ତେ କେନ୍ଦ୍ରୀୟ ରନ୍ଧନଶାଳା, ଲଣ୍ଡ୍ରି, ଜିମ ଓ ସ୍ପାର ବ୍ୟବସ୍ଥା ରହିଛି । ଏଭଳି ଛୋଟ ବାସଗୃହର ମୂଲ୍ୟ ହାରାହାରି ୪୦ ଲକ୍ଷ ଟଙ୍କା ନିର୍ଦ୍ଧାରିତ ହୋଇଥିବାସ୍ଥଳେ ମାସିକ ପାଞ୍ଚ ହଜାର ଟଙ୍କା ରକ୍ଷଣାବେକ୍ଷଣ ଚ଼ାନ୍ଦା ଆଦାୟର ବ୍ୟବସ୍ଥା ରହିଛି । ଚ଼େନ୍ନାଇର କେତେକ ଘଞ୍ଚ ଜନବସତିରେ ପ୍ରକଳ୍ପମାନ ନିର୍ମିତ ହେଉଛି । ମୁଖ୍ୟତଃ ସ୍ୱାମୀ ଓ ସ୍ତ୍ରୀ ଉଭୟେ କାର୍ଯ୍ୟ କରୁଥିବା ଓ ବାର୍ଦ୍ଧକ୍ୟଗ୍ରସ୍ତ ଦମ୍ପତ୍ତିଙ୍କ ନିମନ୍ତେ ଏଭଳି ବାସଗୃହ ଉପଯୋଗୀବୋଲି କୁହାଯାଉଛି ।


 

ଭାରତରେ ବିକଶିତ ଅବସର ବିହାରଗୁଡ଼ିକରେ ଉଭୟ ଏକ ମହଲା ବିଶିଷ୍ଟ କଲୋନୀ ଓ ବହୁତଳ ଅଟ୍ଟାଳିକା ଆପାର୍ଟମେଣ୍ଟ ମଡ଼େଲ ଉପଯୋଗ କରାଯାଉଛି । ଏଗୁଡ଼ିକରେ ଛୋଟ ବାସଗୃହ ତତ୍ତ୍ୱ ସନ୍ନିବଶିତ । ଉଦାହରଣରେ ପୁଡୁଚ଼େରୀଠାରେ ୨୦୧୯ରେ ଆରମ୍ଭ ହୋଇଥିବା କୋଭାଇ ପେଲିକାନ ରିଟାୟରମେଣ୍ଟ କଲୋନୀ ଦେଶର ବିମୁଦ୍ରାୟନ ପରବର୍ତ୍ତୀ ପର୍ଯ୍ୟାୟରେ ଅବସର ବିହାର ନିର୍ମାଣରେ ଏକ ବଳିଷ୍ଠ ପଦକ୍ଷେପ । ପୁଡୁଚ଼େରୀ ସହରଠାରୁ ପ୍ରାୟ ପନ୍ଦର କିଲୋମିଟର ଦୂରରେ ତିନି ଏକର ପରିମିତ ଅଞ୍ଚଳରେ ଚ଼ାରି ମହଲା ବିଶିଷ୍ଟ ଆପାର୍ଟମେଣ୍ଟରେ ଏକ-ବେଡ଼ରୁମ-ହଲ-କିଚ଼େନ ୩୯୬ ବର୍ଗଫୁଟ ପାଇଁ ୨୫ ଲକ୍ଷ ଓ ଦୁଇ-ବେଡ଼ରୁମ-ହଲ-କିଚ଼େନ ୬୦୪ ବର୍ଗଫୁଟ ପାଇଁ ୩୬ ଲକ୍ଷ ଟଙ୍କା ନିବେଶ ନିର୍ଦ୍ଧାରିତ ହୋଇଥିଲା । ଆପାର୍ଟମେଣ୍ଟର ପ୍ରତି ମହଲାର ପ୍ରତି ବ୍ଳକରେ ଆଠ ଗୋଟି ବାସଗୃହର ନକ୍ସା ଅଙ୍କା ଯାଇଥିବା ସ୍ଥଳେ ବେଡ଼ରୁମ ୧୦ x ୧୨.୧୦ ଫୁଟ, ହଲ ୧୧.୬ x ୧୦ ଫୁଟ, କିଚ଼େନେଟ ୫ x ୬.୩ ଫୁଟ ଓ ଟଏଲେଟ ୫ x ୯.୬ ଫୁଟ ସ୍ଥାନ ପ୍ରଦତ୍ତ । କୋଭାଇକେର ଅବସର ବିହାର ନିର୍ମାଣରେ ଏକ ଅଭିଜ୍ଞ ସଂସ୍ଥା । ଏହା ୨୦୦୪ରୁ ଆରମ୍ଭ ହୋଇଥିବା ସ୍ଥଳେ ୨୦୧୯ ସୁଦ୍ଧା ୧୭ ଗୋଟି ପ୍ରକଳ୍ପ ସାରିଛି ।


 

ଛୋଟ ବାସଗୃହ ପରିକଳ୍ପନା ସହ ବାର୍ଦ୍ଧକ୍ୟ ଅନୁକୂଳ ବାସଗୃହର କୌଣସି ତାତ୍ତ୍ୱିକ ସଂପର୍କ ନାହିଁ । ତେବେ କମ ଆୟତନର ବାସଗୃହ ବାର୍ଦ୍ଧକ୍ୟରେ ବସବାସ, ରକ୍ଷଣାବେକ୍ଷଣ ଓ ସୁରକ୍ଷା ଦିଗରୁ ଉପଯୋଗୀ ହେବା ସ୍ୱାଭାବିକ । ଅବସର ବିହାର ରିଟାଏରମେଣ୍ଟ କଲୋନୀଗୁଡ଼ିକରେ ବୃଦ୍ଧଜନଙ୍କ ବାସଗୃହଗୁଡ଼ିକ ସୀମିତ କ୍ଷେତ୍ରଫଳରେ ନିର୍ମିତ ହୋଇଥାଏ । ଏଥିସହ ଖସଡ଼ା ନିରୋଧକ ଚ଼ଟାଣ ଆଣ୍ଟି ସ୍କିଡ଼ ଫ୍ଳୋରିଂ, ଓ କାନ୍ଥବାଡ଼ରେ ସାହାରା ରେଲିଂ ଭଳି ସୁବିଧା ସୁଯୋଗ ମଧ୍ୟ ସନ୍ନିବଶିତ କରାଯାଇଥାଏ ।


 

ଗବେଷଣାରୁ ଜଣାଯାଏ ଯେ ବ୍ୟକ୍ତିବିଶେଷ ମାଲିକନାରେ ବିଭିନ୍ନ ଆୟତନର ବାସଗୃହମାନ ଉପଲବ୍ଧ ହେଲେ ହେଁ ସଭିଏଁ ହାରାହାରି ପ୍ରାୟ ଏକ ହଜାର ବର୍ଗଫୁଟ ପରିସର ଦୈନନ୍ଦିନ ବ୍ୟବହାର କରିଥାନ୍ତି । ଏଣୁ ବାର୍ଦ୍ଧକ୍ୟରେ ବୃହତ ବାସଗୃହଗୁଡ଼ିକର ଅଧିକାଂଶ ଅଞ୍ଚଳ ଅବ୍ୟବହୃତ ଅବସ୍ଥାରେ ପଡି ରହୁଥିବା ସ୍ଥଳେ ସେଗୁଡ଼ିକର ରକ୍ଷଣାବେକ୍ଷଣ ମଧ୍ୟ ସମସ୍ୟା ବହୁଳ ହୋଇପଡ଼େ ।


 

ବିକଶିତ ରାଷ୍ଟ୍ରଗୁଡ଼ିକରେ ବରିଷ୍ଠ ନାଗରିକମାନେ ନିଜ ଆବାସ ବିକ୍ରୀକରି ବାର୍ଦ୍ଧକ୍ୟ ଅନୁକୂଳ ବସତିକୁ ସ୍ଥାନାନ୍ତରିତ ହେବା ଏକ ସାଧାରଣ ଘଟଣା । ଆବଶ୍ୟକ ସ୍ଥଳେ ସେମାନେ ବସବାସ କରୁଥିବା ସହର ଓ ରାଜ୍ୟ ମଧ୍ୟ ପରିବର୍ତ୍ତନ କରିଥାନ୍ତି । ଉଦାହରଣରେ ସ୍ୱାସ୍ଥ୍ୟକର ଉଷ୍ମ ଜଳବାୟୁ ଉପଭୋଗ କରିବା ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାର ଅଟଲାଣ୍ଟା ଭଳି ସହରରେ ବୃଦ୍ଧ ଦମ୍ପତ୍ତିଙ୍କ ଭିଡ଼ ଜମିବାରେ ଲାଗିରହିଥାଏ । ତେବେ ଭାରତ କିମ୍ୱା ଓଡ଼ିଶାରେ ଏତାଦୃଶ ମାନସିକତା ଅଭାବ । ନାଗରିକଙ୍କ ଆର୍ଥିକ, ପାରିବାରିକ ଓ ସାମାଜିକ ସ୍ଥିତି ବାର୍ଦ୍ଧକ୍ୟରେ ନୂତନ ବାସଗୃହ ଯୋଜନା ରୂପାୟନରେ ଅନ୍ତରାୟ ସାଜିଥାଏ । କିନ୍ତୁ ବାର୍ଦ୍ଧକ୍ୟ ଜୀବନଚ଼ର୍ଯ୍ୟା ଓ ପାରିବାରିକ ଯତ୍ନ ଅଭାବ କାରଣରୁ ନିକଟ ଭବିଷ୍ୟତରେ ପରିବର୍ତ୍ତନ ଆଶା କରାଯାଇପାରେ ।


 

ବାର୍ଦ୍ଧକ୍ୟ ଅନୁକୂଳ ଛୋଟ ବାସଗୃହ ପରିକଳ୍ପନାରେ ଗୋଷ୍ଠୀଗତ ଜୀବନଯାପନ, ଦୈନନ୍ଦିନ ଜୀବନଚ଼ର୍ଯ୍ୟାରେ ବୃତ୍ତିଧାରୀଙ୍କ ସହଯୋଗ, ସ୍ୱାସ୍ଥ୍ୟସେବା, ମନୋରଞ୍ଜନ ଓ ସୁରକ୍ଷା ଇତ୍ୟାଦି ଗୁରୁତ୍ୱ ବହନ କରିଥାଏ । କୁହାଯାଏ ଯେ ବାର୍ଦ୍ଧକ୍ୟରେ ବାସଗୃହରେ ଆବଦ୍ଧ ଜୀବନ ସ୍ୱାସ୍ଥ୍ୟପକ୍ଷେ ଅହିତକର । ବାର୍ଦ୍ଧକ୍ୟରେ ବାସଗୃହର ପରିସୀମା ସଙ୍କୁଚିତ ହୋଇପଡ଼ିଲେ ହୁଏତ ଅଧିକ ସମୟ ପ୍ରକୃତି କୋଳରେ ବିତାଇବା ବାଧ୍ୟବାଧକତାରେ ପରିଣତ ହୋଇପାରିବ ।


 

ପ୍ରାୟ ପନ୍ଦର ହଜାର ବର୍ଷ ପୂର୍ବେ ୟୁକ୍ରେନ ଅଞ୍ଚଳରେ ଆଦିମ ମନୁଷ୍ୟ ବଣ ଜଙ୍ଗଲରେ ଶୀକାର ଓ ଖାଦ୍ୟ ସଂଗ୍ରହକରି ଜୀବନଧାରଣ ଅବସରରେ ପ୍ରଥମ ଥର ପାଇଁ ଖାଦ୍ୟ ସାଇତି ରଖିବା ଉଦ୍ଦେଶ୍ୟରେ ୧୨୦ ରୁ ୨୪୦ ବର୍ଗଫୁଟର ବାସଗୃହର ପରିକଳ୍ପନା କରିଥିଲା । ଫଳରେ ଦୀର୍ଘ କାଳ ଗୋଟିଏ ସ୍ଥାନରେ ବସବାସ କରିବା ସମ୍ଭବପର ହୋଇପାରିଥିଲା । ବିଶ୍ୱର ସର୍ବତ୍ର ଏସ୍କିମୋଙ୍କ ଇଗ୍ଲୁ ଠାରୁ ଆରମ୍ଭ କରି ବେଦୁଇନଙ୍କ ତମ୍ୱୁ ଯାଏଁ ସୀମିତ ପରିସରରେ ସୀମିତ ସମୟ ପାଇଁ ବାସଗୃହ ପରିକଳ୍ପନା ଦେଖିବାକୁ ମିଳିଥାଏ । ସଭ୍ୟତାର ପରିପ୍ରକାଶ ସଙ୍ଗେ ଅସ୍ଥାୟୀ ବସତି ସ୍ଥାୟୀ ବସତିରେ ପରିଣତ ହେଇଥିଲେ ହେଁ ଆବଶ୍ୟକତା ବସତିର ରୂପରେଖ ପରିବର୍ତ୍ତନର ଦ୍ୱାର ଉନ୍ମୁକ୍ତ ରଖିଥାଏ ବୋଲି କହିବାକୁ ହେବ ।


 

ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଜୁଲାଇ ୨୦୧୯

---

ତଥ୍ୟ:


Tiny houses : Living large in small spaces. Quartz Obsession.

 

https://qz.com/emails/quartz-obsession/1644051/

ଉତ୍ତର- ବାର୍ଦ୍ଧକ୍ୟରେ ପୁନର୍ବାସନ

ଉତ୍ତର-ବାର୍ଦ୍ଧକ୍ୟରେ ପୁନର୍ବାସନର ଅର୍ଥ ବୃଦ୍ଧାବସ୍ଥାର ଶେଷାର୍ଦ୍ଧରେ ନିଜ ବାସଗୃହରେ ଜୀବନଯାତ୍ରା କୌଣସି କାରଣରୁ ସମସ୍ୟାବହୁଳ ବିଚ଼ାର କରି ବାର୍ଦ୍ଧକ୍ୟ ଅନୁକୂଳ ବସତି ସ୍ଥାନାନ୍ତରକୁ ବୁଝାଇଥାଏ l ବିକଶିତ ରାଷ୍ଟ୍ରଗୁଡ଼ିକରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ଅବସ୍ଥାରେ ସାଧାରଣ ଆୟୁଷ ବୃଦ୍ଧି କାରଣରୁ ବୃଦ୍ଧଜନଙ୍କ ସଂଖ୍ୟାବୃଦ୍ଧି ଅବସରରେ ବାର୍ଦ୍ଧକ୍ୟ ଅନୁକୂଳ ସାମୂହିକ ସେବାର ସୁଯୋଗ ସୃଷ୍ଟିଲାଗି ଅବସର ବିହାରମାନ ପରିକଳ୍ପନା କରାଯାଇଥିଲା l

 

ଆମ ଭାରତବର୍ଷରେ ବିକଶିତ ସହରାଞ୍ଚଳର ଆର୍ଥିକ ଦିଗରୁ ସ୍ୱଚ୍ଛଳ ଉଚ୍ଚଶିକ୍ଷିତ ପରିବାରବର୍ଗଙ୍କ ମଧ୍ୟରେ କ୍ରମଶଃ ଏତାଦୃଶ ପୁନର୍ବାସନ ପ୍ରତି ଆଗ୍ରହ ବଢୁଥିବା ଲକ୍ଷ୍ୟ କରାଯାଉଛି l ୨୦୧୬ ନଭେମ୍ୱର ମାସରେ ବିମୁଦ୍ରାୟନ ପୂର୍ବରୁ ଦେଶରେ ବାର୍ଦ୍ଧକ୍ୟ ପୁନର୍ବାସନ ନିମନ୍ତେ ତିନି ଲକ୍ଷ ପରିବାର ଆଗ୍ରହ ପ୍ରକାଶ କରିଥିବା ବେଳେ ମାତ୍ର ତିନି ହଜାର ୟୁନିଟ ନିର୍ମାଣଧିନ ଥିବା ଏକ ସୂତ୍ରରେ ଆକଳନ କରାଯାଇଥିଲା l ଅର୍ଥାତ ଆମ ଦେଶରେ ବାର୍ଦ୍ଧକ୍ୟ ପୁନର୍ବାସନ ଧାରା ସମାଜର ଉଚ୍ଚବର୍ଗରେ ଅତ୍ୟନ୍ତ ସୀମିତ ମାତ୍ରାରେ ଉପଲବ୍ଧ ଥିବା କୁହାଯାଇପାରେ l

 

ଅବସର ବିହାର ପରିକଳ୍ପନା ବୃଦ୍ଧାଶ୍ରମ ମଡ଼େଲଠାରୁ ଭିନ୍ନ l ଏହା ସଂପୂର୍ଣ୍ଣଭାବେ ବ୍ୟାବସାୟିକ ଢ଼ାଞ୍ଚାରେ ଗଢ଼ିଉଠିଥାଏ l ଘରବାଡ଼ି କିଣିବା ଭଳି ଏଠାରେ ବାସସ୍ଥଳୀ କିଣିବା ପରେ ତାହାର ରକ୍ଷଣାବେକ୍ଷଣ ତଥା ବିଭିନ୍ନ ସେବା ନିମନ୍ତେ ବୃତ୍ତିଧାରୀଙ୍କୁ ମୋଟା ଅଙ୍କରେ ପାଉଣା ଭରିବାକୁ ପଡ଼ିଥାଏ lପ୍ରକଳ୍ପ ପରିଚ଼ାଳନା ନିମନ୍ତେ କୌଣସି ସୂତ୍ରରୁ ସାହାଯ୍ୟ ବା ଦାନ ମିଳେ ନାହିଁ l ଫଳରେ ଉପଭୋକ୍ତାମାନଙ୍କ ନିମନ୍ତେ ମୂଲ୍ୟ ବିନିମୟରେସମ୍ମାନୀୟ ଜୀବନଯାପନର ଅବକାଶ ସୃଷ୍ଟି ହୋଇଥାଏ l

 

ସ୍ୱାଧୀନୋତ୍ତର ଭାରତରେ ବାଙ୍ଗାଲୁରୁ, ପୁଣେ, ଗୋଆ, ଚ଼େନ୍ନାଇ ଓ କୋଏମ୍ୱଟୁର ଭଳି ସହରଗୁଡ଼ିକରେ ଅବସରପ୍ରାପ୍ତ ସରକାରୀ ଓ ବେସରକାରୀ କର୍ମଚ଼ାରୀ ତଥା ସେନାବାହିନୀଙ୍କ ଆବାସସ୍ଥଳୀରୂପେ ଖ୍ୟାତି ଲାଭ କରିଥିଲା l ଦେଶର ଅର୍ଦ୍ଧେକ ବାର୍ଦ୍ଧକ୍ୟ ପୁନର୍ବାସ ସେହି ପାଞ୍ଚଗୋଟି ସହରରେ ଗଢ଼ି ଉଠିଛି l ଏତଦ୍ବ୍ୟତୀତ ପ୍ରାକୃତିକ ପରିବେଶ ସମ୍ପନ୍ନ କୋଡ଼ାଇକେନାଲ, ଲୋନାଭେଲା ଓ ଡ଼େରାଡୁନ ଭଳି ସହରରେ ମଧ୍ୟ ଅବସର ବିହାର ପ୍ରକଳ୍ପମାନ କାର୍ଯ୍ୟକାରୀ ହୋଇଛି l ଟାଟା, ଶୋଭା, ମାକ୍ସ, ପାରନଜପେ, ଆଶିଆନା, ବ୍ରିଗେଡ଼, ଆନନ୍ଦମ ଓ ସିରିନ ଭଳି ଖ୍ୟାତନାମା ରିଏଲ ଇଷ୍ଟେଟ ଡ଼େଭଲାପରମାନେ ପ୍ରାୟ ୩୦ ଗୋଟି ପ୍ରକଳ୍ପର ନିର୍ମାଣ ସାରିଥିବାବେଳେ ଅନ୍ୟ ୩୦ ଗୋଟି ପ୍ରକଳ୍ପ ନିର୍ମାଣଧୀନ ଅବସ୍ଥାରେ ରହିଛି lଏତଦ୍ବ୍ୟତୀତ ଦେଶର ବିଭିନ୍ନ ପ୍ରାନ୍ତରେ ବିଚ୍ଛୁରିତଭାବେ ହାତଗଣତି ବସତିମାନ ଗଢ଼ି ଉଠିଥିବା ଜଣାଯାଏ l

 

ଅବସର ବିହାରରେ ସ୍ୱାଧୀନ ଜୀବନଯାତ୍ରା ବା ଇଣ୍ଡିପେଣ୍ଡେଣ୍ଟ ଲିଭିଂ ଏବଂ ସହଯୋଗକ୍ରମେ ଜୀବନଯାତ୍ରାର ବା ଆସିଷ୍ଟେଡ଼ ଲିଭିଂର ସୁବିଧା ଉପଲବ୍ଧ l ଅର୍ଥାତ ନିଜ ବାସଗୃହ ଛାଡ଼ି ସାମୂହିକ ଜୀବନଯାତ୍ରାଲାଗି ଉପଭୋକ୍ତା ନିଜ ଆବାସ କିଣି ନୂତନ ପରିବେଶରେ ପହଞ୍ଚିବା ପରେ ପୂର୍ବବତ ନିଜେ ନିଜର ଦୈନନ୍ଦିନ କାର୍ଯ୍ୟଧାରା ଜାରୀ ରଖିପାରେ କିମ୍ୱା ଉପଲବ୍ଧ ସହଯୋଗ ଗ୍ରହଣ କରିବାରେ l ପ୍ରାଥମିକ ଅବସ୍ଥାରେ ନିଜେ ନିଜପାଇଁ ଖାଦ୍ୟ ସାମଗ୍ରୀ କିଣି ରାନ୍ଧି ପାରେ କିମ୍ୱା ଗୋଷ୍ଠୀଭିତ୍ତିକ ରନ୍ଧନଶାଳା ଉପରେ ନିର୍ଭର କରିପାରେ l ପରବର୍ତ୍ତୀ ପର୍ଯ୍ୟାୟରେ ଗାଧୁଆପାଧୁଆ, ଖିଆପିଆ ପାଇଁ ଅସମର୍ଥ ହେଲେ ନର୍ସିଂସେବା ମଧ୍ୟ ଗ୍ରହଣ କରିପାରେ l ତେବେ ଦୈନନ୍ଦିନ ଘରୋଇ ରକ୍ଷଣାବେକ୍ଷଣ, ପରିସ୍କାର ପରିଚ୍ଛନ୍ନତା, ସୁରକ୍ଷା ତଥା ଯାତାୟତ ପାଇଁ ସାମୂହିକ ସୁବିଧା ସମସ୍ତଙ୍କୁ ମିଳିଥାଏ l

 

ଅବସର ବିହାରଗୁଡ଼ିକରେ ସଫେଇ କର୍ମଚ଼ାରୀ, ରୋଷେୟା, ନର୍ସ, ଡ଼ାକ୍ତର, କାଉନସିଲର, ଡ୍ରାଇଭର, ପ୍ରଶାସନିକ କର୍ମଚ଼ାରୀ ଓ ସୁରକ୍ଷାକର୍ମୀ ଇତ୍ୟାଦି ନିଯୁକ୍ତ ହୋଇଥାନ୍ତି l ବସତି ପରିଚ଼ାଳନା ପାଇଁ ଅନ୍ତେବାସୀଙ୍କୁ ସାଧାରଣ ଦେୟ ବା ‘କମ୍ପଲସରି ପେମେଣ୍ଟ’ ଏବଂ ବ୍ୟବହାରିକ ଦେୟ ବା ‘ୟୁଜ-ବେସଡ଼ କଷ୍ଟ’ ଦେବାକୁ ପଡ଼ିଥାଏ l ବସତି ସଫେଇ, ରକ୍ଷାଣବେକ୍ଷଣ, ସୁରକ୍ଷା ଇତ୍ୟାଦି ମୌଳିକ ସେବା ନିମନ୍ତେ ପରିବାର ପିଛା ଚ଼ାରିରୁ ୧୬ ହଜାର ଟଙ୍କା ମାସିକ ଚାନ୍ଦା l ସେହିପରି ଥରକ ଖାଇବା ମିଲ ପିଛା ୫୦ ରୁ ୬୦ ଟଙ୍କା ତଥା ନର୍ସିଂ, ଡ଼ାକ୍ତରୀ, ଯାତାୟତ ଇତ୍ୟାଦି ଖର୍ଚ୍ଚ ମଧ୍ୟ ବହନ କରିବାକୁ ହୁଏ l ହାରାହାରିଭାବେ ମଧ୍ୟମ ଧରଣର ଅବସର ବିହାରରେ ମାସିକ ଜଣକ ପିଛା ୩୦ ହଜାର ତଥା ଦମ୍ପତି ପିଛା ୪୦ ହଜାର ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଥାଏ l

 

ଏଭଳି ପ୍ରକଳ୍ପଗୁଡ଼ିକର ପରିଚ଼ାଳନା ସମବାୟ କିମ୍ୱା ବ୍ୟାବସାୟିକ ଦୁଇ ପୃଥକ ଢାଞ୍ଚାରେ ସମାହିତ ହୋଇଥାଏ l ସମବାୟ ପରିଚ଼ାଳନାରେ ବସତିର ପ୍ରତ୍ୟେକ ସଦସ୍ୟ ବ୍ୟକ୍ତିଗତ ବା ପରିବାରଭିତ୍ତିରେ ସଦସ୍ୟଶ୍ରେଣୀଭୁକ୍ତ ହୋଇ ବିଭିନ୍ନ ସେବା ନିମନ୍ତେ କର୍ମଚ଼ାରୀଙ୍କୁ ନିଯୁକ୍ତି କରି ଦୈନନ୍ଦିନ କାର୍ଯ୍ୟଭାର ତୁଲାଇଥାନ୍ତି l ସହଯୋଗ ସମିତିରେ ଅପେକ୍ଷାକୃତ କମ ବୟସର ନେତୃତ୍ୱରେ ରୁଚ଼ି ରଖୁଥିବା ସଦସ୍ୟମାନେ ପରିଚ଼ାଳନାମଣ୍ଡଳୀର କାର୍ଯ୍ୟନିର୍ବାହ କରିଥାନ୍ତି l ଅପରପକ୍ଷେ ବ୍ୟାବସାୟିକଭିତ୍ତିରେ ପରିଚ଼ାଳିତ ବସତିଗୁଡ଼ିକରେ ନିବେଶକମନଙ୍କ ଦ୍ୱାରା ମୂଲ୍ୟବିନିମୟରେ ବିଭିନ୍ନ ସେବା ଯୋଗାଣର ବ୍ୟବସ୍ଥା ହୋଇଥାଏl

 

ଅବସର ବିହାରଗୁଡ଼ିକରେ ବାର୍ଦ୍ଧକ୍ୟ ଉପଯୋଗୀ କୋଠାବାଡ଼ି, ରାସ୍ତାଘାଟ ନିର୍ମାଣପ୍ରତି ଗୁରୁତ୍ୱ ଦିଆଯାଇଥାଏ l ସେଥିମଧ୍ୟରେ ଦୁର୍ବଳ ଶରୀର ଚଳପ୍ରଚଳ ହେବା ପାଇଁ ରାସ୍ତାଘାଟ, ନନ-ସ୍କିଡ଼ ଫ୍ଳୋରିଂ, ନିରାପଦ ଗାଧୁଆଘରଠାରୁ ଆରମ୍ଭ କରି ନର୍ସିଂ, ଖାଦ୍ୟପେୟ, ସୁରକ୍ଷା, ଯାତାୟତ ଓ ଚ଼ିକିତ୍ସା ଇତ୍ୟାଦି ସେବା ପ୍ରଦାନର ବ୍ୟବସ୍ଥା ରହିଥାଏ l କେତେକ କ୍ଷେତ୍ରରେ ଅବସର ବିହାରମାନ ଆବଦ୍ଧ ଗେଟେଡ଼ କମ୍ୟୁନିଟିରେ କଟେଜମାନ ନିର୍ମାଣ କରାଯାଇଥିବାବେଳେ ଅନ୍ୟ କେତେକ କ୍ଷେତ୍ରରେ ହୋଟେଲ ବା ହଷ୍ଟେଲ ସମ ଆବାସ କଠୋରୀର ପରିକଳ୍ପନା କରାଯାଇଥାଏ l

 

ଏଭଳି ପ୍ରକଳ୍ପଗୁଡ଼ିକରେ ଉପଭୋକ୍ତାମାନେ ବିକ୍ରୀ, ଦୀର୍ଘକାଳୀନ ଲିଜ କିମ୍ୱା ମାସିକ ଭଡ଼ା ତିନିଗୋଟି ସୂତ୍ରରେ ସମ୍ପତ୍ତି ଅଧିକାର କରିଥାନ୍ତି l ୨୦୧୬ ସୁଦ୍ଧା ଭାରତରେ ଉପଲବ୍ଧ ବସତିଗୁଡ଼ିକରେ ଅବସ୍ଥିତି ଓ ସୁବିଧାସୁଯୋଗ ଅନୁଯାୟୀ ୟୁନିଟ ପିଛା ୨୦ ଲକ୍ଷରୁ ଏକ କୋଟି ଟଙ୍କା ବିକ୍ରୀଦର ଧାର୍ଯ୍ୟ ହୋଇଥିଲାl ଉଦାହରଣ ସ୍ୱରୂପ ପୁଣେଠାରେ ପାରନଜପେ ନିର୍ମାଣ ସଂସ୍ଥା ୱାନ-ରୁମ-କିଚ଼େନ ଚ଼ାରିଲକ୍ଷ ଟଙ୍କା, ୱାନ-ବେଡ଼ରୁମ-ହଲ-କିଚ଼େନ ୫ ଲକ୍ଷ ୫୦ ହଜାରରୁ ୨୫ ଲକ୍ଷ ତଥା ଟୁ-ବେଡରୁମ-ହଲ-କିଚ଼େନ ୪୦ ଲକ୍ଷରୁ ୬୦ ଲକ୍ଷ ଟଙ୍କାରେ ବିକ୍ରୀ କରୁଥିଲେ l ଜଣେ ଉପଭୋକ୍ତା ୟୁନିଟଟିଏ କିଣିବା ବଦଳରେ ସମ୍ପତ୍ତି ମୂଲ୍ୟର ୨୦ ରୁ ୨୫ ପ୍ରତିଶତ ଏକକାଳୀନ ସୁରକ୍ଷା ଜମା ବା ଡ଼ିପୋଜିଟ ଦେଇ ମାସିକ ଭଡ଼ାରେ ୟୁନିଟଟିଏ ନିର୍ଦ୍ଧିଷ୍ଟ ସମୟସୀମା ପାଇଁ ହାସଲ କରିପାରେl ସେହିପରି ମାସିକ ଭଡ଼ା ସୂତ୍ରରେ ମଧ୍ୟ ୟୁନିଟଗୁଡ଼ିକ ଉପଲବ୍ଧ l

 

୨୦୧୬ ବିମୁଦ୍ରାକରଣ ଏବଂ ତତ୍ପରବର୍ତ୍ତୀ ଅବସ୍ଥାରେ ନିର୍ମାଣକାର୍ଯ୍ୟ ନିୟନ୍ତ୍ରଣ ନିମନ୍ତେ ଆଇନ ପ୍ରଣୟନ ଫଳରେ ଘରବାଡ଼ି ନିର୍ମାଣ, ମୁଖ୍ୟତଃ ସୌଖୀନ ସମ୍ପତ୍ତି ନିର୍ମାଣ ବିଶେଷଭାବେ ପ୍ରଭାବିତ ହୋଇଥିବା ଅବସରରେ ଦେଶରେ ଅବସର ବିହାର ପ୍ରକଳ୍ପଗୁଡ଼ିକ ରୂପାୟନରେ ଶୀଥିଳତା ଆସିବା ସ୍ୱଭାବିକ l ବିଶେଷଜ୍ଞମାନଙ୍କ ମତରେ ନିର୍ମାଣ ଶିଳ୍ପରେ ସୁଧାର ଆସିବାକୁ ଅପେକ୍ଷା କରିବାକୁ ପଡ଼ିବ l

 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଡ଼ିସେମ୍ୱର ୨୦୧୭

 

---

ବାର୍ଦ୍ଧକ୍ୟ ଅନୁକୂଳ ବସତି 

ଆମ ଦେଶର ସହରାଞ୍ଚଳରେ ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳ ପରିବାରବର୍ଗରେ ବରିଷ୍ଠ ନାଗରିକଙ୍କ ମଧ୍ୟରେ ବାର୍ଦ୍ଧକ୍ୟ ଅନୁକୂଳ ବସତିର ଆବଶ୍ୟକତା କ୍ରମଶଃ ଚର୍ଚ୍ଚିତ ହେଉଥିବା ଲକ୍ଷ୍ୟ କରାଯାଏ । ଜନସଂଖ୍ୟା ଓ ଜୀବଦ୍ଦଶା ବୃଦ୍ଧି କାରଣରୁ ବରିଷ୍ଠ ନାଗରିକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସ୍ଥୁଳ ହିସାବ ଅନୁଯାୟୀ ଭାରତରେ ୨୦୦୧ ଜନଗଣନାରେ ପ୍ରାୟ ସାତ କୋଟି ୬୦ ବର୍ଷୋତ୍ତର ନାଗରିକ ବସବାସ କରୁଥିବାସ୍ଥଳେ ୨୦୧୧ରେ ଦଶ କୋଟିରେ ପହଞ୍ଚିଥିଲା ଏବଂ ୨୦୨୧ରେ ପ୍ରାୟ ପନ୍ଦର କୋଟି ସଂଖ୍ୟାରେ ପହଞ୍ଚିବା ଆକଳନ କରାଯାଏ । ଏଥି ମଧ୍ୟରୁ ପ୍ରାୟ ତିନିଚ଼ତୁର୍ଥାଂଶ ଗ୍ରାମାଞ୍ଚଳରେ ବସବାସ କରୁଥିବା ସ୍ଥଳେ ମାତ୍ର ଏକଚ଼ତୁର୍ଥାଂଶସହରାଞ୍ଚଳ ବାସିନ୍ଦା । ସହରାଞ୍ଚଳରେ ଯୌଥ ପରିବାର ଆଙ୍ଗିକ ପ୍ରାୟତଃ ଲୋପ ପାଇସାରିଥିବା ତଥା ଶ୍ରମନିଯୁକ୍ତିରେ ସନ୍ତାନସନ୍ତତି ଓ ନିକଟ ସଂପର୍କୀୟମାନେ ଦେଶାନ୍ତରରେ ଅବସ୍ଥାପିତ ହେଉଥିବା କାରଣରୁ ବରିଷ୍ଠ ନାଗରିକମାନେ ଏକାକୀ ବସବାସ କରିବାବାଧ୍ୟବାଧକତାରେ ପରିଣତ ହେଉଛି ।


 

ଉତ୍ତର-ବାର୍ଦ୍ଧକ୍ୟରେ ଶାରିରୀକ ଦୁର୍ବଳତା ହେତୁଦୈନନ୍ଦିନଭିତ୍ତିରେଘରକାମ, ରନ୍ଧାବଢ଼ା ଓ ସ୍ୱାସ୍ଥ୍ୟସେବାଆୟୋଜନ ଲାଗି ବୃତ୍ତିଧାରୀ ଘରୋଇ ସହାୟକଙ୍କ ଉପରେ ନିର୍ଭରଶୀଳ ହେବା ତଥା ଅନେକ ସମୟରେ ଉଚିତ ସେବା ପାଇବା କଷ୍ଟସାଧ୍ୟ ଅନୁଭୂତ ହୋଇଥାଏ । ଏହି ପରିପ୍ରେକ୍ଷୀରେ ବାର୍ଦ୍ଧକ୍ୟ ଅନୁକୂଳ ବସତି ସଂପର୍କରେ ଚିନ୍ତା ଚର୍ଚ୍ଚାର ପରିସରକୁ ଆସେ । ଏତାଦୃଶ ବସତିରେ ବହୁ ସଂଖ୍ୟକ ବରିଷ୍ଠ ନାଗରିକ ଏକକ ଭୌଗଳିକ ସୀମାରେ ବସବାସ କରୁଥିବା ହେତୁ ବୃତ୍ତିଧାରୀ ସେବାପ୍ରଦାନକାରୀଙ୍କୁ ସହଜରେ ପାଇ ହୁଏ । ନିରନ୍ତର ସେବାପ୍ରଦାନ ଲାଗି ବେତନଧାରୀ ପରିଚ଼ାଳକ ନିଯୁକ୍ତି ସଂଭବପର । ବର୍ଦ୍ଧିତ ବରିଷ୍ଠ ନାଗରିକଙ୍କ ପରିବର୍ତ୍ତିତ ଆବଶ୍ୟକତାକୁ ବିଚ଼ାରକୁ ନେଇ ଦେଶବିଦେଶରେ ବରିଷ୍ଠ ନାଗରିକଙ୍କ ପାଇଁ ଅବସର ବିହାରମାନଗଢ଼ି ତୋଳିବାରେ ନିର୍ମାଣ ଉଦ୍ୟୋଗୀମାନେ ମନୋନିବେଶ କରୁଛନ୍ତି ।


 

ବିଧିବଦ୍ଧ ବ୍ୟାବସାୟିକଭିତ୍ତିରେ ଅବସର ବିହାର ପରିକଳ୍ପନା ଓଡ଼ିଶାରେ ୨୦୧୯ ସୁଦ୍ଧା ରୂପାୟନ ସଂଭବପର ହୋଇପାରି ନଥିଲେ ହେଁ ଚ଼େନ୍ନାଇ, କୋଏମ୍ୱତୁର, ବାଙ୍ଗାଲୁର, ପୁନେ, ହାଇଦରାବାଦ, ଚ଼ଣ୍ଡୀଗଡ଼ ଇତ୍ୟାଦି ଅଞ୍ଚଳରେ ସୀମିତ ମାତ୍ରାରେ ପ୍ରାୟ ୩୦ ଗୋଟି ପ୍ରକଳ୍ପ କାର୍ଯ୍ୟକାରୀ ହୋଇସାରିଥିବା ଅନୁଧ୍ୟାନରୁ ଜଣାପଡ଼େ । ହିସାବରେ ଆମ ଦେଶରେ ଉପଲବ୍ଧ ବିଭିନ୍ନ କିସମର ବାର୍ଦ୍ଧକ୍ୟ ଅନୁକୂଳ ଆବାସ ପ୍ରକଳ୍ପ ଆବଶ୍ୟକତାର ଏକ ଦଶମାଂଶ ହିଁ ପୂରଣ କରିପାରୁଛି ।


 

ବିମୁଦ୍ରାୟନପରବର୍ତ୍ତୀ ଅବସ୍ଥାରେ ନିର୍ମାଣ ଉଦ୍ୟୋଗ ଶୀଥିଳ ହୋଇ ପଡ଼ିଥିବାତଥା ସରକାରୀସ୍ତରରେ ନୂତନ ଆଇନ ପ୍ରଣୟନ ହେତୁ ବାର୍ଦ୍ଧକ୍ୟ ଅନୁକୂଳ ବସତି ଭଳି ସର୍ଜନାତ୍ମକ ନିର୍ମାଣ ପ୍ରକଳ୍ପ ରୂପାୟନ ଲାଗି ଉଦ୍ୟୋଗୀମାନେ ଆଗଭର ହେଉନଥିବା କୁହାଯାଉଛି । ତେବେ ଏକ ପକ୍ଷରେ ନିର୍ମାଣ ଉଦ୍ୟୋଗରେ ସ୍ଥିରତା ଆସିବାପରେ ୨୦୨୦ ସୁଦ୍ଧା ଏଦିଗରେ ଗୁରୁତ୍ୱ ବଢ଼ି ପାରେ । ଅପରପକ୍ଷରେ ବାର୍ଦ୍ଧକ୍ୟ ଅନୁକୂଳ ବସତିପରିକଳ୍ପନାଗୁଡ଼ିକନିର୍ମାଣ ଉଦ୍ୟୋଗର ଅଂଶବିଶେଷ ହେଲେହେଁ ଏଭଳି ପ୍ରକଳ୍ପ ସ୍ୱତନ୍ତ୍ର ଉଦ୍ଦେଶ୍ୟ ଓ ବ୍ୟବସାୟ ପରିସରଭୁକ୍ତ ହେଉଥିବା ହେତୁ ଉପଭୋକ୍ତାଙ୍କ ମଧ୍ୟରେ ସଚ଼େତନତା ପ୍ରସାର ଓ ଆଗ୍ରହ ହିଁ ନୂତନ ପ୍ରକଳ୍ପମାନ ନିର୍ମାଣ ଦିଗରେ ସହାୟକ ହେବା ଆଶା କରାଯାଏ ।


 

ବାର୍ଦ୍ଧକ୍ୟ ଅନୁକୂଳ ଆବାସ ବରିଷ୍ଠ ନାଗରିକଙ୍କ ନିମନ୍ତେ ଅତିରିକ୍ତ ପୁଞ୍ଜି ନିବେଶ ଆବଶ୍ୟକ କରୁଥିବା ହେତୁ ସୀମିତ ସଂଖ୍ୟକ ପରିବାରଙ୍କ ପକ୍ଷେଆୟତ୍ତସାଧ୍ୟ । ପରିଣତ ବୟସରେ ନିବେଶ ନିମନ୍ତେ ଅର୍ଥାଭାବ କିମ୍ୱା ନିବେଶ ନିମନ୍ତେ ମାନସିକସ୍ତରରେ ପୂର୍ଣ୍ଣ ସହମତି ଅନ୍ତରାୟ ସାଜିଥାଏ । ବାର୍ଦ୍ଧକ୍ୟତଥା ବିଶେଷକରି ଉତ୍ତର-ବାର୍ଦ୍ଧକ୍ୟ ଜୀବନଚ଼ର୍ଯ୍ୟାରେ ପ୍ରତିକୂଳ ପରିବେଶ ସଂପର୍କରେ ସାଧାରଣରେ ଚ଼େତନା ଅଭାବହେତୁ ଭାରତରେ ବାର୍ଦ୍ଧକ୍ୟ ଅନୁକୂଳ ବସତି ସ୍ଥାପନରେ ବିକଶିତ ରାଷ୍ଟ୍ରଗୁଡ଼ିକ ତୁଳନାରେ ପଛୁଆ ରହୁଥିବା ପ୍ରଥମ କାରଣ ।


 

ଆମ ଦେଶରେ କାର୍ଯ୍ୟକ୍ଷମ ତିରିଶରୁ ଉର୍ଦ୍ଧ୍ୱ ପ୍ରକଳ୍ପ ମଧ୍ୟରୁ ଅନେକ ସହରାଞ୍ଚଳରୁ ଦୂର କିମ୍ୱା ସହରତଳି ଅଞ୍ଚଳରେ ଗଢ଼ି ଉଠିଥିବା ଲକ୍ଷ୍ୟ କରାଯାଏ । ସହର ମଧ୍ୟରେ ନୂତନ ପ୍ରକଳ୍ପ ନିର୍ମାଣ ନିମନ୍ତେ ସ୍ଥାନ ଅଭାବ, ଜମିଜମାରଚଢ଼ା ଦର ଓ କଲୋନୀ ଆକାରରେ ବସତି ସ୍ଥାପନ ପାଇଁ ଖୋଲା ପରିବେଶର ଆବଶ୍ୟକତା ଇତ୍ୟାଦି ଏହାର ମୁଖ୍ୟ କାରଣ । ତେବେ ବରିଷ୍ଠ ନାଗରିକମାନେ ସ୍ୱାସ୍ଥ୍ୟଯତ୍ନରେ ନିରନ୍ତର ସଂପୃକ୍ତ ରହୁଥିବା ତଥା ଅବସର ସମୟ ବିନିଯୋଗ ନିମନ୍ତେ ବଜାରଘାଟ, ଚଳଚ଼ିତ୍ର, ରଙ୍ଗମଞ୍ଚ, ଗ୍ରନ୍ଥାଗାର, ଯାଦୁଘରପରିଦର୍ଶନ, ମୁକ୍ତ ଚଳପ୍ରଚଳ ନିମନ୍ତେ ସାଧାରଣ ପରିବହନ ସେବା ଓ ନାଗରିକ ସମାଜରେ ସଂପୃକ୍ତି ଖୋଜିବୁଲୁଥିବାବେଳେ ସହରରୁ ଦୂର ବସତିରେ ଅବସ୍ଥାପିତ ହେବା ନିମନ୍ତେ କୁଣ୍ଠାବୋଧ କରିବା ସ୍ୱାଭାବିକ । ଏହି ପରିପ୍ରେକ୍ଷୀରେ ସହରର ମଧ୍ୟସ୍ଥଳୀରେଘଞ୍ଚ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ବହୁତଳବିଶିଷ୍ଟଆପାର୍ଟମେଣ୍ଟବାର୍ଦ୍ଧକ୍ୟ ଅନୁକୂଳ ବସତିରୂପେ ଉପଭୋକ୍ତାଙ୍କୁ ଆକର୍ଷିତ କରିବା ଆଶା କରାଯାଏ । କୋଏମ୍ୱତୁରଭଳି କେତେକ ସ୍ଥାନରେ ଏଭଳି ଆବାସ ପ୍ରକଳ୍ପ ନିର୍ମିତ ହୋଇଥିବା ଦେଖାଯାଏ । ଅନ୍ତତଃପକ୍ଷେ ଓଡ଼ିଶାରେ ଭୁବନେଶ୍ୱରଭଳି ସହରରେ ଏହି ଦିଗରେ ଉଦ୍ୟମ ସଂଭବପର ।


 

ତୃତୀୟତଃ, ବାର୍ଦ୍ଧକ୍ୟ ଅନୁକୂଳ ଆବାସଗୁଡ଼ିକରେସାଧାରଣ କୋଠାବାଡ଼ିଠାରୁ ୩୦ ରୁ ୪୦ ପ୍ରତିଶତ ଅଧିକ ନିର୍ମାଣ ଖର୍ଚ୍ଚ ଦାବୀ କରାଯାଉଥିବା ହେତୁ ଏହି କ୍ଷେତ୍ରରେ ନିବେଶର ଅନ୍ୟତମ ପ୍ରତିବନ୍ଧକ । ଏଭଳି ବସତିଗୁଡ଼ିକରେକ୍ରେତାମାନେ ନିଜ ମାଲିକାନାରେ ସୀମିତ ଅଞ୍ଚଳ, ସାଧାରଣତଃ ଗୋଟିଏ କିମ୍ୱା ଦୁଇଗୋଟି କଠୋରୀ ପାଉଥିବା ବେଳେ ସାର୍ବଜନୀନ ବ୍ୟବହାର ଯଥା: ପ୍ରଶସ୍ତ ବାରଣ୍ଡା, ଲବି, ଭୋଜନାଳୟ, ପଠନାଗାର, ବ୍ୟାୟାମଶାଳା କିମ୍ୱା ପ୍ରେକ୍ଷାଳୟ ଭଳି ସୁବିଧା ସୁଯୋଗ ସୃଷ୍ଟି ଲାଗି ଖର୍ଚ୍ଚ ବହନ କରିବାକୁ ପଡ଼ିଥାଏ । ଏତଦ୍ବ୍ୟତୀତ ବରିଷ୍ଠ ନାଗରିକ ବ୍ୟବହାରଯୋଗ୍ୟ ଚଟାଣ, କାନ୍ଥବାଡ଼, ଗାଧୁଆଘର ଓ ବଗିଚ଼ାଲାଗି ମଧ୍ୟ ଅଧିକ ଖର୍ଚ୍ଚ ଯୋଡ଼ାଯାଏ । ସର୍ବୋପରି ନିଜ ବାସସ୍ଥଳୀ ସହ ସର୍ବସାଧାରଣ ବ୍ୟବହାରଯୋଗ୍ୟଅଞ୍ଚଳ ସଫେଇ ଓ ରକ୍ଷଣାବେକ୍ଷଣ ଖର୍ଚ୍ଚ ବାବଦରେ ପ୍ରତ୍ୟେକ ଅନ୍ତେବାସୀଙ୍କୁ ମାସିକ ଅନ୍ୟୂନ ପାଞ୍ଚରୁ ସାତ ହଜାର ବ୍ୟୟକରିବାକୁ ପଡିଥାଏ । ଏହି ସବୁ ଆର୍ଥିକ ବୋଝକୁ ଅନେକେ ସହଜରେ ଗ୍ରହଣ କରିପାରନ୍ତି ନାହିଁ । କିନ୍ତୁ ଘରୋଇ ଉଦ୍ୟମରେ ପରିଚ଼ାଳିତ ବାର୍ଦ୍ଧକ୍ୟ ଅନୁକୂଳ ବସତିରେ ଅବସ୍ଥାନଲାଗି ଉପଭୋକ୍ତାମାନେ ସାମୂହିକଭାବେବ୍ୟୟବହନର ବିକଳ୍ପ ଯେ ନାହିଁ ଏକଥା ବୁଝିବାକୁ ପଡ଼ିବ ।


 

ଚତୁର୍ଥତଃ, ବାର୍ଦ୍ଧକ୍ୟ ଅନୁକୂଳ ବସତିଗୁଡ଼ିକ ଏକ ନିର୍ଦ୍ଧିଷ୍ଟ ବୟସ ବର୍ଗର ଉପଭୋକ୍ତାଙ୍କଲାଗି ନିର୍ମିତ ଓ ପରିଚାଳିତ ହେଉଥିବା ହେତୁ ସମ୍ପତ୍ତି କିଣାବିକା, ହସ୍ତାନ୍ତର ଓ ଭଡ଼ାଲଗାଇବାରେ ଅନେକ କ୍ଷେତ୍ରରେ ସ୍ୱତନ୍ତ୍ର ନିୟମକାନୁନ ଲାଗୁ କରାଯାଇଥାଏ । ଉଦାହରଣରେ ଅବସର ବିହାର ରିଟାଏରମେଣ୍ଟ କଲୋନୀଗୁଡ଼ିକରେ ଆବାସ କ୍ରେତା ବରିଷ୍ଠ ନାଗରିକ ହୋଇଥିବା ଆବଶ୍ୟକ, ସେଗୁଡ଼ିକ ଉତ୍ତରାଧିକାରୀ ସୂତ୍ରରେ ସନ୍ତାନସନ୍ତତି କିମ୍ୱା ମନୋନୀତ ବ୍ୟକ୍ତି ଅକ୍ତିଆର କଲେ ମଧ୍ୟ ନିଜେ ବରିଷ୍ଠ ନାଗରିକ ହୋଇଥିଲେ ହିଁ ବସବାସ କରିପାରିବେ ଏବଂ ଭଡ଼ା ବା ବିକ୍ରୀ କେବଳ ବରିଷ୍ଠ ନାଗରିକଙ୍କୁ ହିଁ କରାଯାଇପାରିବ ଇତ୍ୟାଦି । ସମ୍ପତ୍ତି ହସ୍ତାନ୍ତରରେ ପ୍ରତିବନ୍ଧକ ହେତୁ ଅନେକେ ଏକ ମୋଟା ଅଙ୍କ ବାର୍ଦ୍ଧକ୍ୟ ଅନୁକୂଳ ବସତିଗୁଡ଼ିକରେ ନିବେଶ କରିବା ନିମନ୍ତେ ପଛଘୁଞ୍ଚା ଦେଇଥାନ୍ତି ।


 

ଉପରୋକ୍ତ ଯୁକ୍ତିଗୁଡ଼ିକପର୍ଯ୍ୟାଲୋଚ଼ନା କଲେ କେତେଗୋଟି ପ୍ରଶ୍ନ ଚର୍ଚ୍ଚାର ପରିସରକୁ ଆସିଥାଏ । ବାର୍ଦ୍ଧକ୍ୟରେ ଶାରିରୀକ ଓ ମାନସିକସ୍ତରରେ ଦୁର୍ବଳତା ହେତୁ ଅନେକଙ୍କ କ୍ଷେତ୍ରରେ କିଛିକାଳ ପାଇଁ ନିର୍ଭରଶୀଳ ଜୀବନଯାପନ ସ୍ଵତଃସିଦ୍ଧ । ପାରମ୍ପରିକଭାବେ ବରିଷ୍ଠ ନାଗରିକଙ୍କ ସେବାଯତ୍ନଯୋଗାଇବାଲାଗି ପରିବାରବର୍ଗ ଆଗ୍ରହୀ ଥିଲେ ହେଁ ବିଭିନ୍ନ କାରଣରୁ ଅନେକ କ୍ଷେତ୍ରରେ ତାହା ସମ୍ଭବ ହୋଇପାରୁନଥିବା ଅଭିଜ୍ଞତାରୁ ଜଣାଯାଏ । ଏହାର ଉଦାହରଣ ଆମେ ଆମ ପୂର୍ବ ପୀଢ଼ିଙ୍କ କ୍ଷେତ୍ରରେ ଦେଖିପାରୁଛେ । ନିର୍ଭରଶୀଳ ଜୀବନଚର୍ଯ୍ୟା ନିମନ୍ତେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ଅବସ୍ଥାରେ ବିକଶିତ ରାଷ୍ଟ୍ରଗୁଡ଼ିକରେ ବୃତ୍ତିଧାରୀଙ୍କ ସହାୟତାରେ ସମବାୟ ବା ବ୍ୟାବସାୟିକସ୍ତରରେ ବାର୍ଦ୍ଧକ୍ୟ ଅନୁକୂଳ ବସତି ପରିକଳ୍ପନା କରାଯାଇଛି । ଭବିଷ୍ୟତରେ ଏଭଳି ମଡ଼େଲର ବିକଳ୍ପ ଦୃଷ୍ଟିକୁ ଆସୁନାହିଁ ।


 

ବାର୍ଦ୍ଧକ୍ୟରେ ବୃତ୍ତିଧାରୀ ଘରୋଇ ସହାୟକଙ୍କ ସହଯୋଗରେ ବରିଷ୍ଠ ନାଗରିକମାନେ ସାଧ୍ୟମତେ ନିଜ ନିଜ ଆବାସରେ ବର୍ଦ୍ଧିତ ଜୀବଦ୍ଦଶାର ଦୀର୍ଘ ସମୟ ଅତିବାହିତ କରିପାରିବେ । ତେବେ ଯେଉଁ ଶେଷ ସମୟତକଗୃହାବଦ୍ଧବା ଶଯ୍ୟାଶାୟୀ ହୋଇପଡ଼ିବେ ତାହାର ପରିଚ଼ାଳନା ନିମନ୍ତେ ନିଜେ ବ୍ୟକ୍ତିଗତସ୍ତରରେ ଚଳଚଞ୍ଚଳ ଥିବା ଅବସ୍ଥାରେ ଯୋଜନା ପ୍ରସ୍ତୁତ କରି ଭିତ୍ତିଭୂମି ସଜାଡ଼ିବା ବୁଦ୍ଧିମାନର କାର୍ଯ୍ୟ ନୁହେଁ କି ?ବିନା ବ୍ୟୟରେ କୌଣସି କାର୍ଯ୍ୟ ସମ୍ଭବପର ନୁହଁ, ଆରାମଦାୟକ ଜୀବନଯାପନ ଲାଗି ଅଧିକ ଅର୍ଥ ବ୍ୟୟ କରିବାକୁ ପଡ଼ିଥାଏ । ଯଦି ଜଣେ ଆର୍ଥିକ ଦିଗରୁ ସ୍ୱଚ୍ଛଳ ଏବଂ ବ୍ୟୟ କରିବାକୁ ସକ୍ଷମ, ତେବେ ସେ ନିଜେ ନିଜ ସମ୍ଭାବ୍ୟ ନିର୍ଭରଶୀଳ ଜୀବନ ସଂପର୍କରେ ଚ଼ିନ୍ତା କରିବା ଉଚିତ ନୁହେଁ କି ?କଥା ହେଲା, ଏହି ଉଦ୍ୟମ ବ୍ୟକ୍ତିଗତସ୍ତରରେ ସଂଭବପର ନୁହେଁ ; ସାମୂହିକ ଉଦ୍ୟମ ଆବଶ୍ୟକ ।


 

ସହରାଞ୍ଚଳର ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳ ବରିଷ୍ଠ ନାଗରିକଙ୍କ ସଂଘବଦ୍ଧ ଉଦ୍ୟମରେ ବ୍ୟାବସାୟିକଭିତ୍ତିରେ ବାର୍ଦ୍ଧକ୍ୟ ଅନୁକୂଳ ଆବାସ ପ୍ରକଳ୍ପ ଆମ ଓଡ଼ିଶାରେ ସଫଳ ହୋଇପାରିଲେ ତାହାର ପରିବର୍ତ୍ତିତ ରୂପ ଆର୍ଥିକ ଦିଗରୁ ଅନଗ୍ରସର ପରିବାରବର୍ଗଙ୍କ ନିମନ୍ତେ ପ୍ରଣୀତ ହେବା ଏବଂ ସରକାରଙ୍କ ପକ୍ଷରୁ ଏକ୍ଷେତ୍ରରେ ଯୋଗଦାନ ଆଶା କରାଯାଇପାରେ ।



 

ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଜୁନ ୨୦୧୯

 

---

 

ତଥ୍ୟ:

 

Siva, Meera. Senior housing – the good and the bad. The Hindu (Cuttack Edition). January 21, 2018

ଡିମେନସିଆ ବସତି ହୁଗିୱେ

ଇଂଲିଶ ଶବ୍ଦ ଡ଼ିମେନସିଆର ଉତ୍ସ ଲାଟିନ ଶବ୍ଦ ଡ଼େମେନ୍ସ ଅର୍ଥାତ ପାଗଳ । ଡ଼ିମେନସିଆକୁ ଓଡ଼ିଆରେ ମତିଭ୍ରମ ନାମିତ କରାଯାଇପାରେ । ଶବ୍ଦକୋଷରେ ମତିହୀନ, ମତିଭ୍ରଂଶ, ମତିଭ୍ରାନ୍ତ, ମତିଭ୍ରଷ୍ଟ, ସ୍ମୃତିନାଶ ଓ ବୁଦ୍ଧିନାଶ ଇତ୍ୟାଦି ଶବ୍ଦର ବ୍ୟବହାର ସୂଚ଼ିତ । ମତିଭ୍ରମ ଏକ ରୋଗ ନୁହେଁ, ବରଂ ନିର୍ଦ୍ଦିଷ୍ଟ ଶାରିରୀକ ଅବସ୍ଥା । ମସ୍ତିସ୍କରେ ବିଭିନ୍ନ ପରିବର୍ତ୍ତନ ତଥା ତୃଟିପୂର୍ଣ୍ଣ ରକ୍ତଯୋଗାଣ ହେତୁ ମନୁଷ୍ୟ ସ୍ମୃତିନାଶ ସମ୍ମୁଖୀନ ହୋଇଥାଏ । କଥୋପକଥନ ବେଳେ ସଠିକ ଶବ୍ଦ ବ୍ୟବହାରରେ ଅକ୍ଷମତାଠାରୁ ଆରମ୍ଭ କରି ଦୀର୍ଘ ପରିଚ଼ିତଙ୍କ ନାମ ଠିକଣା ଠଉରାଇ ନପାରିବା ଓ ନିକଟ ଅତୀତକୁ ଭୁଲିଯିବା ଇତ୍ୟାଦି ମତିହୀନତାର ଲକ୍ଷଣ ।


 

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ହିସାବ ଅନୁଯାୟୀ ବିଶ୍ୱବ୍ୟାପୀ ୬୦ ବର୍ଷୋତ୍ତରଙ୍କ ମଧ୍ୟରେ ପ୍ରାୟ ପାଞ୍ଚରୁ ଆଠ ପ୍ରତିଶତ ଯାଏଁ ବରିଷ୍ଠ ନାଗରିକ ବିଭିନ୍ନ ପର୍ଯ୍ୟାୟରେ ମତିଭ୍ରମ ଶୀକାର ହୋଇଥାନ୍ତି । ଏମାନଙ୍କଠାରେ ସାମାନ୍ୟ କଥାରେ ବ୍ୟତିବ୍ୟସ୍ତ, ଉଦବିଗ୍ନ, ଅପ୍ରତ୍ୟାଶିତ ଆବଭାବ ପରିବର୍ତ୍ତନ ଓ ଅବସାଦଚ୍ଛନ୍ନ ହୋଇପଡ଼ିବା ମଧ୍ୟ ଦେଖିବାକୁ ମିଳେ । ସମକାଳରେ ବିଭିନ୍ନ ରାଷ୍ଟ୍ରରେ ପାଞ୍ଚ କୋଟି ଯାଏଁ ମତିଭ୍ରମ ଶୀକାର ହେଉଥିବା ସ୍ଥଳେ ନିମ୍ନ ଓ ମଧ୍ୟବିତ୍ତ ଆୟକାରୀ ଅଞ୍ଚଳରେ ୬୦ ପ୍ରତିଶତ ଆକ୍ରାନ୍ତ ବସବାସ କରନ୍ତି । ପ୍ରତିବର୍ଷ ପ୍ରାୟ କୋଟିଏ ନୂଆ ସାମିଲ ହୁଅନ୍ତି । ପରିସଂଖ୍ୟାନରେ ୨୦୩୦ ସୁଦ୍ଧା ଆଠକୋଟି ୨୦ ଲକ୍ଷ ଏବଂ ୨୦୫୦ ସୁଦ୍ଧା ପନ୍ଦର କୋଟି ୨୦ ଲକ୍ଷ ମତିଭ୍ରମ ଆକ୍ରାନ୍ତ ଆକଳନ କରାଯାଏ ।


 

ମତିଭ୍ରମ ଲାଗି ସ୍ୱୟଂସଂପୂର୍ଣ୍ଣ ଚ଼ିକିତ୍ସା ନଥିବା ଏବଂ ମତିଭ୍ରମ ପ୍ରଭାବିତଙ୍କ ସଂଖ୍ୟା ବୃଦ୍ଧି ପାଇଚାଲିଥିବା ବାର୍ଦ୍ଧକ୍ୟ ଜୀବନଚ଼ର୍ଯ୍ୟାରେ ଏକ ଅସମାହିତ ସମସ୍ୟାରୂପେ ଦଣ୍ଡାୟମାନ । ଚିକିତ୍ସକମାନଙ୍କ ବିଚାରରେ ବୟସବୃଦ୍ଧି ସହ ମତିଭ୍ରମର ସଂପର୍କ ନଥାଏ । ତେବେ ସମଗ୍ର ମତିଭ୍ରମିତଙ୍କ ମଧ୍ୟରେ ମାତ୍ର ନଅ ପ୍ରତିଶତ ଯୁବ ଶ୍ରେଣୀ ଅନ୍ତର୍ଭୁକ୍ତ । ବାର୍ଦ୍ଧକ୍ୟରେ ବିକଳାଙ୍ଗ ଓ ନିର୍ଭରଶୀଳ ଜୀବନଯାପନରେ ମତିଭ୍ରମକୁ ସର୍ବାପେକ୍ଷା ବିପଦପୂର୍ଣ୍ଣ ଅବସ୍ଥା ରୂପେ ଚ଼ିହ୍ନଟ କରାଯାଏ ।


 

ବାର୍ଦ୍ଧକ୍ୟରେ ମାନସିକ ସ୍ୱାସ୍ଥ୍ୟାବସ୍ଥା ବିଶ୍ଳେଷଣ ସମ୍ୱଳିତ ଗବେଷଣାରୁ ଜାଣିବାକୁ ମିଳେ ଯେ ଯୁକ୍ତରାଷ୍ଟ୍ର ଆମେରିକାରେ ୬୫ ବର୍ଷୋତ୍ତରଙ୍କ ମଧ୍ୟରେ ୨୦ରୁ ୨୫ ପ୍ରତିଶତ ବରିଷ୍ଠ ନାଗରିକ ଭଗ୍ନ ମାନସିକ ସ୍ୱାସ୍ଥ୍ୟାବସ୍ଥାର ଶୀକାର । ସ୍ମୃତିଶକ୍ତି ହ୍ରାସ, ନିଷ୍ପତ୍ତି ଗ୍ରହଣରେ ସମସ୍ୟା ଭଳି ସ୍ଥିତି ଜୀବନର ଶେଷାବସ୍ଥାରେ ହାରାହାରି ଚାରିବର୍ଷ ଯାଏଁ ଅନୁଭୂତ ହୋଇଥାଏ । ସେଥିମଧ୍ୟରୁ ଦେଢ଼ରୁ ଦୁଇ ବର୍ଷ ଆଲଜମିରସ ଭଳି ରୋଗାକ୍ରାନ୍ତ ହୋଇ ମତିଭ୍ରମ ଅବସ୍ଥାରେ କଟେ । ମୋଟାମୋଟି ଭାବେ ପ୍ରାୟ ଦଶ ପ୍ରତିଶତ ବରିଷ୍ଠ ନାଗରିକ ମତିଭ୍ରମରେ ଆକ୍ରାନ୍ତ ହେଉଥିବା ସ୍ଥଳେ ୮୫ ବର୍ଷୋତ୍ତରଙ୍କଠାରେ ପ୍ରାଦୁର୍ଭାବ ଅଧିକ । ଅବଶ୍ୟ ମହାମାରୀ-ପୂର୍ବାବସ୍ଥାରେ ବାର୍ଦ୍ଧକ୍ୟରେ ମତିଭ୍ରମିତଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ଘଟିଥିବା ଜଣାଯାଇଥିଲା ।


 

ସେଠାକାର ୟୁନିଭରସିଟି ଅଫ ସଦର୍ଣ୍ଣ କାଲିଫର୍ଣ୍ଣିଆ ଓ ୟୁନିଭରସିଟି ଅଫ ଟେକ୍ସାସ ପକ୍ଷରୁ ଆୟୋଜିତ ଅଧ୍ୟୟନରୁ ଜଣାଯାଏ ଯେ ବାର୍ଦ୍ଧକ୍ୟରେ ଉନ୍ନତ ମାନସିକ ସ୍ୱାସ୍ଥ୍ୟ ସହ ଶୈଶବ୍ୟ, କିଶୋର ଓ ଯୁବାବସ୍ଥାରେ ଶିକ୍ଷାର୍ଜନର ଗଭୀର ସମ୍ୱନ୍ଧ ରହିଥାଏ । ସ୍ନାତକସ୍ତର ଯାଏଁ ଅଧ୍ୟୟନ କରିଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରେ ୮୦ ପ୍ରତିଶତଙ୍କ ୬୫ ବର୍ଷୋତ୍ତର ଅବସ୍ଥାରେ ମାନସିକ ସ୍ୱାସ୍ଥ୍ୟ ଭଲ ରହେ । ତେବେ ମାଧ୍ୟମିକସ୍ତର ଶିକ୍ଷା ସମାପ୍ତ ନକରିଥିବା ବ୍ୟକ୍ତିବିଶେଷଙ୍କ ମାନସିକ ସ୍ୱାସ୍ଥ୍ୟ ପଚାଶ ପ୍ରତିଶତ ଯାଏଁ ଅବନତି ପରିଲକ୍ଷିତ ହୁଏ । ଅବଶ୍ୟ ଏହି ନିର୍ଯ୍ୟାସ ସାମୂହିକସ୍ତରରେ ଲାଗୁ ନହୋଇପାରେ । ପରିବେଶଗତ କାରଣରୁ ବ୍ୟକ୍ତିଗତ ସ୍ୱାସ୍ଥ୍ୟାବସ୍ଥା ପ୍ରଭାବିତ ହୋଇଥାଏ ।


 

ସ୍ୱାସ୍ଥ୍ୟକର ଖାଦ୍ୟାଭ୍ୟାସ, ଉଚ୍ଚରକ୍ତଚାପ ଓ କଲୋଷ୍ଟ୍ରଲ ନିୟନ୍ତ୍ରଣ, ମଧ୍ୟ-ବୟସରେ ମାନସିକ ଶ୍ରମଯୁକ୍ତ କର୍ମନିଯୁକ୍ତି ତଥା ବାର୍ଦ୍ଧକ୍ୟରେ ସାମାଜିକ ସଂପୃକ୍ତି ଦୀର୍ଘକାଳ ଧରି ଉନ୍ନତ ମାନସିକ ସ୍ୱାସ୍ଥ୍ୟାବସ୍ଥା ବଜାୟ ରଖୁଥିବା କୁହାଯାଏ । ସାଧାରଣରେ ୬୫ ବର୍ଷୋତ୍ତର ଜୀବନଯାତ୍ରାରେ ମାନସିକ ସ୍ୱାସ୍ଥ୍ୟ ୧୨ ବର୍ଷ ଅର୍ଥାତ ୭୭ ବର୍ଷ ଯାଏଁ ସନ୍ତୁଳିତ ଅବସ୍ଥାରେ ରହୁଥିବା ହିସାବ କରାଯାଏ । ଯୁକ୍ତରାଷ୍ଟ୍ର ଆମେରିକାରେ ୨୦୧୮ର ବାର୍ଷିକ ମୃତ୍ୟୁ ପରିସଂଖ୍ୟାନରେ ପ୍ରାୟ ଏକଲକ୍ଷ ୨୨ ହଜାର ମତିଭ୍ରମ ସୃଷ୍ଟିକାରୀ ଆଲଜମିରସରେ ମୃତ୍ୟୁ ବରଣ କରିଥିଲେ । ସେଠାକାର ସମଗ୍ର ମୃତ୍ୟୁ ସଂଖ୍ୟାରେ ଏହା ଷଷ୍ଠ ସ୍ଥାନ ଅଧିକାର କରିଥିଲା ।


 

ମତିଭ୍ରମ ଆକ୍ରାନ୍ତଙ୍କ ଥଇଥାନ ନିମନ୍ତେ ବିକଶିତ ରାଷ୍ଟ୍ରଗୁଡ଼ିକରେ ଅଗ୍ରାଧିକାରଭିତ୍ତିରେ ଯୋଜନାମାନ ପ୍ରଣୀତ ହୋଇଥାଏ । ବିକାଶଶୀଳ ରାଷ୍ଟ୍ର ସମୂହରେ ମତିଭ୍ରମିତଙ୍କ ଜୀବନଚ଼ର୍ଯ୍ୟାକୁ ପରିବାର ସମ୍ଭାଳନ୍ତି, ନଚ଼େତ ଆକ୍ରାନ୍ତ ଅବହେଳିତ ହୋଇ ପଡ଼ିରହେ । ଭାରତ ତଥା ଓଡ଼ିଶାରେ ମତିଭ୍ରମ ସଂପର୍କରେ ଚ଼େତନା ଅଭାବ ତଥା ଆକ୍ରାନ୍ତଙ୍କ ଯତ୍ନ ଓ ଚିକିତ୍ସା ନିମନ୍ତେ ଅର୍ଥାଭାବ ସାଙ୍ଗକୁ ଜନସ୍ୱାସ୍ଥ୍ୟ ସେବାର ଉନ୍ନତ ଭିତ୍ତିଭୂମି ଗଢ଼ି ଉଠି ପାରିନଥିବା ହେତୁ ବାର୍ଦ୍ଧକ୍ୟରେ ମତିଭ୍ରମ ଆକ୍ରାନ୍ତଙ୍କ ସମସ୍ୟା ଉତ୍କଟ । ଉଦ୍ ବେଗର ବିଷୟ ଏହି ଯେ ଏକବିଂଶ ଶତାଦ୍ଦୀର ତୃତୀୟ ଦଶକ ଆରମ୍ଭ ସୁଦ୍ଧା ଏଦିଗରେ ସାମାଜିକସ୍ତରରେ ନୀତିନିର୍ଦ୍ଧାରଣ ନିମନ୍ତେ ବିଚାର ବିମର୍ଷ ହିଁ ନଜରକୁ ଆସେ ନାହିଁ ।


 

ଆଲଜମିରସ ହେତୁ ୬୦ ରୁ ୮୦ ପ୍ରତିଶତ ମତିଭ୍ରମର ଶିକାର ହୋଇଥାନ୍ତି । ମସ୍ତିସ୍କକୁ ଉଚ଼ିତ ପରିମାଣରେ ରକ୍ତ ସଞ୍ଚାଳନ ନହୋଇପାରି ଭାସକୁଲାର ଡ଼ିମେନସିଆରେ ୫ ରୁ ୧୦ ପ୍ରତିଶତ ଏବଂ ନିଦ୍ରା-ବ୍ୟାଘାତ-ଜନିତ ଲିଉଇସ ବଡ଼ି ଡିଜିଜରେ ୫ ପ୍ରତିଶତ ଯାଏଁ ମଧ୍ୟ ମତିଭ୍ରମରେ ଆକ୍ରାନ୍ତ । ମତିଭ୍ରମ ଅନୁଭୂତି ସାଧାରଣରେ ତିନିଗୋଟି ପର୍ଯ୍ୟାୟ ଅନ୍ତର୍ଭୁକ୍ତ ।


 

ପ୍ରାଥମିକ ପର୍ଯ୍ୟାୟରେ ଆକ୍ରାନ୍ତଙ୍କଠାରେ ଭୁଲାମନ, ସମୟର ଗତିକୁ ବାରିନପାରିବା ତଥା ପରିଚିତ ସ୍ଥାନମାନଙ୍କରେ ବାଟବଣା ହେବା ଭଳି ଲକ୍ଷଣ ଅନୁଭୂତ ହୁଏ । ମଧ୍ୟମ ପର୍ଯ୍ୟାୟରେ କ୍ଷଣିକର କଥା ଓ ପରିଚ଼ିତଙ୍କ ନାମ ଭୁଲିଯିବା, ସମୟଜ୍ଞାନର ଅଭାବ, କଥାବାର୍ତ୍ତାରେ ଅସୁବିଧା, ଦୈନନ୍ଦିନ ଜୀବନଚ଼ର୍ଯ୍ୟା ଲାଗି ଅପରର ସହାୟତା ତଥା ଆବଭାବରେ ପରିବର୍ତ୍ତନ ପ୍ରକାଶପାଏ । ଶେଷ ପର୍ଯ୍ୟାୟରେ ସ୍ଥାନ-କାଳ-ପାତ୍ରକୁ ବୁଝିନପାରିବା, ପରିବାରର ସଦସ୍ୟ ଓ ବନ୍ଧୁବର୍ଗଙ୍କୁ ଚ଼ିହ୍ନି ନପାରିବା, ବୁଲାଚଲାରେ ସମସ୍ୟା, ପ୍ରାୟ ସବୁକଥାରେ ଅନ୍ୟ ଉପରେ ନିର୍ଭରଶୀଳ ହୋଇପଡ଼ିବା ତଥା ସ୍ଥଳବିଶେଷରେ ଉତ୍ତେଜିତ ହେବା ଭଳି ଲକ୍ଷଣମାନ ଲାଗିରହେ ।


 

ନିର୍ଭରଶୀଳ ମଧ୍ୟମ ଓ ଶେଷ ପର୍ଯ୍ୟାୟରେ ମତିଭ୍ରମ ଆକ୍ରାନ୍ତଙ୍କ ଜୀବନଯାତ୍ରାରେ ବୃତ୍ତିଧାରୀଙ୍କ ଦ୍ୱାରା ସହାୟତା ଯୋଗାଇଦେବା ନିମନ୍ତେ ବିକଶିତ ରାଷ୍ଟ୍ରଗୁଡ଼ିକରେ ନର୍ସିଂହୋମମାନ ଗଢ଼ି ଉଠିଛି । ସେଠାକାର ଆବାସିକ ଚ଼ିକିତ୍ସା ବ୍ୟବସ୍ଥାରେ ଅନ୍ତେବାସୀ ଉପକୃତ ହୁଅନ୍ତି । କେବଳ ମତିଭ୍ରମ ଆକ୍ରାନ୍ତଙ୍କ ନିମନ୍ତେ ନେଦରଲ୍ୟାଣ୍ଡ, ଜର୍ମାନୀ ଭଳି ରାଷ୍ଟ୍ରଗୁଡ଼ିକରେ ସ୍ୱତନ୍ତ୍ର ବସତିମାନ ସୃଷ୍ଟି ହେବା ପରେ ଆନ୍ତର୍ଜାତିକସ୍ତରରେ ଦୃଷ୍ଟି ଆକର୍ଷଣ କରିଥିଲା । ନେଦରଲ୍ୟାଣ୍ଡର ହୁଗିୱେ ପ୍ରଥମ ଡ଼ିମେନସିଆ ବସତିରୂପେ ଖ୍ୟାତ ।


 

ହୁଗିୱେରେ ୧୫୨ଜଣ ମତିଭ୍ରମ ଆକ୍ରାନ୍ତଙ୍କ ନିମନ୍ତେ ମୁକ୍ତ ଆବାସିକ ବ୍ୟବସ୍ଥା ଉପଲବ୍ଧ । ଏଠାରେ ନର୍ସିଂହୋମ-ହସପିଟାଲ ପରିବେଶ ବଦଳରେ ଏକ ଛୋଟକାଟର ବସତିର ପରିକଳ୍ପନା କରାଯାଇଛି । ସୁଦୃଶ୍ୟ ଦୁଇମହଲା ଆବାସର ପ୍ରତି କଠୋରୀରେ ଏକାଧିକ ମତିଭ୍ରମିତ ବସବାସ କରନ୍ତି । ବସତିରେ ରାସ୍ତାଘାଟ, ବଗିଚା ଏପରିକି ଛୋଟିଆ ମଲ, ସେଲୁନ, ଥିଏଟର ଓ ବାର ସ୍ଥାପିତ । ଆନ୍ତେବାସୀ ସ୍ୱଚ୍ଛଳରେ ସର୍ବତ୍ର ବିଚ଼ରଣ କରନ୍ତି । ସେମାନଙ୍କ ସହାୟତା ଲାଗି ଦିନରାତି ବିଭିନ୍ନ ବର୍ଗର ସହାୟକ, ଚ଼ିକିତ୍ସକ ଓ ସ୍ୱେଚ୍ଛାସେବୀ ନିଯୁକ୍ତ । ଫଳତଃ ମତିଭ୍ରମିତ ହସପିଟାଲରେ ଚ଼ିକିତ୍ସିତ ହେବା ବଦଳରେ ସ୍ୱାଧୀନ ଜୀବନଯାପନର ଅନୁଭୂତି ପାଇଥାଏ ।


 

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ଅବସ୍ଥାରୁ ନରୱେରେ ଉତ୍ତର-ବାର୍ଦ୍ଧକ୍ୟ ଜୀବନଚର୍ଯ୍ୟା ନିମନ୍ତେ ନର୍ସିଂହୋମ ବ୍ୟବସ୍ଥା କ୍ରମଶଃ ଲୋକଦୃତ ହୋଇଆସିଛି । ହୁଗିୱେ ଦୀର୍ଘକାଳ ଧରି ନର୍ସିଂହୋମ ଭାବେ ସେବା ଯୋଗାଇ ଆସିଛି । ସେଠାରେ ଅବସ୍ଥାପିତ କେତେକ ଚିକିତ୍ସକ ଆଲଜମିରସ ଆକ୍ରାନ୍ତଙ୍କ ଲାଗି ସ୍ୱତନ୍ତ୍ର ସେବା ନିମନ୍ତେ ଏକ ବସତି ନିର୍ମାଣର ପରିକଳ୍ପନା ୧୯୯୨ରୁ ଆରମ୍ଭ କରିଥିଲେ ଏବଂ ଦୀର୍ଘ ୧୭ ବର୍ଷର ଉଦ୍ୟମରେ ୨୦୦୯ରେ ହୁଗିୱେ ଡିମେନସିଆ ବସତି କାର୍ଯ୍ୟ ଆରମ୍ଭ କରିଥିଲା । ଏହି ପ୍ରକଳ୍ପ ନିମନ୍ତେ ସରକାରଙ୍କ ପକ୍ଷରୁ ପର୍ଯ୍ୟାପ୍ତ ଅନୁଦାନ ଯୋଗାଇ ଦିଆଯାଇଥିବା ସ୍ଥଳେ ଜଣେ ଖ୍ୟାତନାମା ସ୍ଥପତି ବସତିର ନକସା ଅଙ୍କନ କରିଥିଲେ । ଏଠାରେ ବସବାସ ପାଇଁ ଅନ୍ତେବାସୀଙ୍କୁ ମାସିକ ପ୍ରାୟ ପାଞ୍ଚ ଶହ ୟୁରୋ ଅର୍ଥାତ ୪୫ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ ।


 

ମତିଭ୍ରମ ଆକ୍ରାନ୍ତଙ୍କ ଯତ୍ନ ଓ ଚ଼ିକିତ୍ସା ପାଇଁ ସ୍ୱତନ୍ତ୍ର ଆବାସିକ ବସତି ସ୍ଥାପନ ଆନ୍ତର୍ଜାତିକସ୍ତରରେ ଗଣମାଧ୍ୟମର ବ୍ୟାପକ ଦୃଷ୍ଟିଆକର୍ଷଣ କରିଥିଲା । ଫଳରେ ବହୁ ରାଷ୍ଟ୍ରରେ ଅନୁରୂପ ଉଦ୍ୟମ ଆରମ୍ଭ ହୋଇଛି । ଜର୍ମାନୀର ହାମେଲିନଠାରେ ବରିଷ୍ଠ ନାଗରିକଙ୍କ ପାଇଁ ଛଅ ଦଶକ ଧରି ସେବା ଯୋଗାଇ ଦେଇ ଆସିଥିବା ଟୋନେବନ ଫାଉଣ୍ଡେସନ ଦ୍ୱାରା ଡିମେନସିଆ ବସତି ନିର୍ମାଣ ଏକ ଉଦାହରଣ ।


 

ଆମ ଭାରତରେ ବାଙ୍ଗାଲୁରୁ ଉତ୍ତର-ପାର୍ଶ୍ୱ ସହରତଳି ଅଞ୍ଚଳରେ ନିକିସା ଡ଼ିମେନସିଆ ଭିଲେଜ ୨୦୧୮ରୁ ଆରମ୍ଭ ହୋଇଛି । ଏଠାରେ ୫୦ ଜଣ ଆନ୍ତେବାସୀଙ୍କ ନିମନ୍ତେ ବ୍ୟବସ୍ଥା ଉପଲବ୍ଧ । ପ୍ରତ୍ୟେକଙ୍କଠାରୁ ମାସିକ ୩୮,୮୦୦ ଟଙ୍କା ଦେୟ ଆଦାୟ କରାଯାଏ । ଦେଶରେ ମତିଭ୍ରମ ଆକ୍ରାନ୍ତଙ୍କ ପାଇଁ ଏହା ଏକମାତ୍ର ଆବସିକ କେନ୍ଦ୍ର କୁହାଯାଏ । ଏଠାରେ ଉର୍ତ୍ତିହେବା ଅବସରରେ ଆକ୍ରାନ୍ତଙ୍କ ଜଣେ ସଂପର୍କୀୟ କିଛି କାଳ ସାଥିରେ ରହି ମତିଭ୍ରମିତଙ୍କୁ ନୂତନ ପରିବେଶ ସହ ପରିଚ଼ିତ କରାଇଦେବା ପରେ ଦୈନନ୍ଦିନ ଜୀବନଚର୍ଯ୍ୟା ଓ ଚ଼ିକିତ୍ସା ଦାୟିତ୍ୱ ସଂସ୍ଥା ପକ୍ଷରୁ ବହନ କରାଯାଇଥାଏ । ନିକିସା ଡ଼ିମେନସିଆ ଭିଲେଜର ଉଦାହରଣ ଦେଶର ଅନ୍ୟତ୍ର ସମଧରଣର ସୁବିଧା ସୁଯୋଗ ସୃଷ୍ଟି ନିମନ୍ତେ ପ୍ରୋତ୍ସାହନ ଯୋଗାଇବା ଆଶା କରାଯାଇପାରେ ।

 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ମେ ୨୦୨

 ---


ଡିମେନସିଆ ବସତି ସଂପର୍କରେ ୟୁ-ଟ୍ୟୁବ ଭିଡ଼ିଓ ଦେଖିବା ନିମନ୍ତେ ନିମ୍ନ ଲିଙ୍କଗୁଡ଼ିକୁ କ୍ଳିକ କରନ୍ତୁ :

 

https://www.youtube.com/watch?v=LwiOBlyWpko

https://www.youtube.com/watch?v=YSZhrxOkBZI

https://www.youtube.com/watch?v=Fg_dH2zCAko

https://www.youtube.com/watch?v=5inr-BZXaBY

 


ତଥ୍ୟ :

 

https://www.who.int/news-room/fact-sheets/detail/dementia

 

https://www.caring.com/caregivers/dementia/

 

https://en.wikipedia.org/wiki/Hogewey

 

Deepika, K.C. Demand for residential care for dementia patients raising in Bengaluru. www.thehindu.com. July 01, 2019.

 

https://www.thehindu.com/news/cities/bangalore/demand-for-residential-care-for-dementia-patients-rising-in-bengaluru/article28237766.ece

‘ମେଟ୍ରୋ- ହୋମ’ ପରିକଳ୍ପନା

ଭାରତରେ ସ୍ୱାଧୀନୋତ୍ତର ସହରୀକରଣ ପ୍ରକ୍ରିୟାରେ ବିଭିନ୍ନ ରାଜ୍ୟ ରାଜଧାନୀଗୁଡ଼ିକ ବିକଶିତ ହୋଇଛି l ସେହିକ୍ରମରେ ଓଡ଼ିଶାର ଭୁବନେଶ୍ୱରରେ ରାଜ୍ୟର ଅନ୍ୟାନ୍ୟ ସହରଗୁଡ଼ିକ ତୁଳନାରେ ସର୍ବାପେକ୍ଷା ଅଧିକ ସହରୀ ସୁବିଧା ଉପଲବ୍ଧ l ଯୁକ୍ତରାଷ୍ଟ୍ର ଆମେରିକା ଓ ଜାପାନ ଭଳି ବିକଶିତ ରାଷ୍ଟ୍ରଗୁଡ଼ିକରେ ପରିଣତ ବୟସରେ ବରିଷ୍ଠ ନାଗରକିମାନେ ଗ୍ରାମାଞ୍ଚଳ ପରିବର୍ତ୍ତେ କ୍ରମଶଃ ସହରାଞ୍ଚଳରେ ବସବାସ କରିବା ନିମନ୍ତେ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି l

 

ଆମ ରାଜ୍ୟରେ ମଧ୍ୟ ଆର୍ଥିକ ଦିଗରୁ ସ୍ୱଚ୍ଛଳ ପରିବାରବର୍ଗ ସହରମୁହାଁ ହେବା ଧାରା ଜାରୀ ରହିଥିବା ସ୍ଥଳେ ତତୋଧିକ ସୁବିଧାସୁଯୋଗ ହାସଲ କରିବାନିମନ୍ତେ ମହାନଗରୀରେ ପହଞ୍ଚିବା ବିଭିନ୍ନ କାରଣରୁ ସମ୍ଭବପର ହୋଇପାରି ନଥାଏ l ତେବେ ବିକଳ୍ପ ବାର୍ଦ୍ଧକ୍ୟ ଜୀବନଯାତ୍ରା ଆଲୋଚ଼ନାରେ ରାଜ୍ୟର ଆଗ୍ରହୀ ଆସନ୍ନ ବାର୍ଦ୍ଧକ୍ୟ ଓ ବାର୍ଦ୍ଧକ୍ୟରେ ଉପନୀତ ପରିବାରବର୍ଗଙ୍କ ମାନସମନ୍ଥନରେ ରାଜ୍ୟରାଜଧାନୀରେ ଆବାସ ‘ମେଟ୍ରୋ-ହୋମ’ ପରିକଳ୍ପନା ବିଚ଼ାରଯୋଗ୍ୟ l


 

ବାର୍ଦ୍ଧକ୍ୟ ଉପଯୋଗୀ ସୁବିଧା ସୁଯୋଗ ମଧ୍ୟରେ ଉନ୍ନତ ଯୋଗାଯୋଗ ବ୍ୟବସ୍ଥା, ସ୍ୱାସ୍ଥ୍ୟସେବା, ଦୈନନ୍ଦିନ ଜୀବନଯାତ୍ରା ଲାଗି ସହାୟକ ବ୍ୟବସ୍ଥା, ଅବସର ବିନୋଦନ ସୁଯୋଗ ତଥା ଅନ୍ୟାନ୍ୟ ବସବାସ ଉପଯୋଗୀ ଭିତ୍ତିଭୂମି ମୁଖ୍ୟସ୍ଥାନ  ଅଧିକାର କରିଥାଏ l ଭୁବନେଶ୍ୱର ରାସ୍ତାଘାଟ, ରିକ୍ସା ଓ ଟ୍ୟାକ୍ସି ସେବା ସାଙ୍ଗକୁ ରେଳ ଓ ବିମାନ ସେବା ଉନ୍ନତ ଯୋଗାଯୋଗର ପରିଚ଼ାୟକ l ରାଜ୍ୟର ସମସ୍ତ ବଡ଼ ଘରୋଇ ହସପିଟାଲ ଓ ଜାତୀୟସ୍ତରର ସ୍ୱାସ୍ଥ୍ୟଅନୁଷ୍ଠାନଗୁଡ଼ିକର ସେବା ଭୁବନେଶ୍ୱର-କଟକରେ ଉପଲବ୍ଧ l


 

ଦୈନନ୍ଦିନ ଜୀବନଯାତ୍ରାରେ ସହାୟତା ଯୋଗାଇବା ନିମନ୍ତେ ବୃତ୍ତିଧାରୀ ସହାୟକ ଯେପରିକି ଘରୋଇ ନର୍ସ, ବେଡ଼ସାଇଡ଼ ଆସିଷ୍ଟାଣ୍ଟ, ଫିଜିଓଥାରାପିଷ୍ଟ ଇତ୍ୟାଦି ରାଜଧାନୀରେ ସୁବିଧାରେ ମିଳିପାରନ୍ତିl ଆଧୁନିକ ଧାରାରେ ଅବସରବିନୋଦନ ନିମନ୍ତେ ସଂଗ୍ରହାଳୟ, ଅଭିଲେଖାଗାର ଠାରୁ ଆରମ୍ଭକରି ମଲ ଓ ମାଲଟିପ୍ଳେକ୍ସ ତଥା ନିୟମିତ ସାଂସ୍କୃତିକ କାର୍ଯ୍ୟକ୍ରମ ସୂଚ଼ୀରେ ମହାନଗର ସମୃଦ୍ଧ l ପାଣିପାଗ ଦୃଷ୍ଟିରୁ ଗ୍ରୀଷ୍ମରେ କଂକ୍ରିଟ ଜଙ୍ଗଲ ଓ ମଟର ଗାଡ଼ି ଧୂଆଁଜନିତ ରୌଦ୍ରତାପ ବୃଦ୍ଧି ଓ ଅତିଶୟ ବର୍ଷାରେ ରାସ୍ତାଘାଟ ବୁଡ଼ିଭଳି ଆଧୁନିକ ସହରୀ ଲକ୍ଷଣକୁ ବାଦଦେଲେ ମୋଟାମୋଟିଭାବେ ବାର୍ଦ୍ଧକ୍ୟ ଉପଯୋଗୀ ବୋଲି କୁହାଯାଇପାରେ l


 

ଦେଶରେ ବାଙ୍ଗାଲୁରୁ, ଚ଼ଣ୍ଡୀଗଡ଼ ଭଳି ସ୍ୱାଧୀନୋତ୍ତର ଅବସ୍ଥାରେ ଭୁବନେଶ୍ୱର ଗଢ଼ି ଉଠିବା ଦିନୁ ସରକାରୀ କର୍ମଚ଼ାରୀଙ୍କ ଅବସର ଆବାସର ସହର ରୂପେ ପରିଚ଼ିତ l ସମୟକ୍ରମେ ଏଠାରେ ବାର୍ଦ୍ଧକ୍ୟ ଅନୁକୂଳ ସେବା ଯତ୍କିଞ୍ଚିତମାତ୍ରାରେ ବ୍ୟବସାୟିକ ସୂତ୍ରରେ ମିଳେ l ରାଜ୍ୟର ଅନ୍ୟତ୍ର ଏଭଳି ସେବା ପାଇହୁଏନା l


 

୨୦୧୧ ଜନଗଣନା ଅନୁଯାୟୀ ଭୁବନେଶ୍ୱରର ଜନସଂଖ୍ୟା ପ୍ରାୟ ନଅଲକ୍ଷ ଥିଲା ଏବଂ ସେଥିମଧ୍ୟରୁ ତିନିଲକ୍ଷ ବସ୍ତି ଅଞ୍ଚଳ ବାସିନ୍ଦା l ସେମାନେ ପ୍ରାୟତଃ ମହାନଗରବାସୀଙ୍କୁ ବିଭିନ୍ନ କ୍ଷେତ୍ରରେ ସେବା ଯୋଗାଇବା ବୃତ୍ତିରେ ନିୟୋଜିତ l ବରିଷ୍ଠ ନାଗରିକ ବସବାସ କରୁଥିବା କେତେକ ମଧ୍ୟବିତ୍ତ ପରିବାରରେ ଦୈନନ୍ଦିନ ପୂଜାପାଠ କରିବାପାଇଁ ନନାଙ୍କଠାରୁ ଆରମ୍ଭ କରି ରାନ୍ଧୁଣିଆ, ମାଳୀ, ବେଡ଼ସାଇଡ଼ ଆସିଷ୍ଟାଣ୍ଟ, ଫିଜିଓଥାରାପିଷ୍ଟ ଯାଏଁ ଆଠରୁ ଦଶ ଜଣ ଘରୋଇ ସେବା ପ୍ରଦାନକାରୀ ନିୟୋଜିତ ହେଉଥିବା ଦେଖିବାକୁ ମିଳେ l ସବୁଠାରୁ ବଡ଼କଥା ହେଲା ଏମାନଙ୍କ ପାରିଶ୍ରମିକ ମଧ୍ୟବିତ୍ତ ପାରିବାରିକ ବଜେଟକୁ ସୁହାଏ l ଭୁବନେଶ୍ୱରରେ ପ୍ରାୟ ଲକ୍ଷେରୁ ଦେଢ଼ ଲକ୍ଷ ବରିଷ୍ଠ ନାଗରିକ ବସବାସ କରୁଥିବା ହେତୁ ଏଭଳି ସେବାର ଭିତ୍ତିଭୂମି କ୍ରମଶଃ ସଦୃଢ଼ ହେବାରେ ଲାଗିଛି l


 

ରାଜ୍ୟର ଆର୍ଥିକ ଦିଗରୁ ସ୍ୱଚ୍ଛଳବର୍ଗ ତଥା ଘରୋଇ ସ୍ୱାସ୍ଥ୍ୟ ବୀମାଧାରୀ ବରିଷ୍ଠ ନାଗରିକମାନେ ସ୍ୱାସ୍ଥ୍ୟ ସେବା, ବିଶେଷ କରି ସୁପର ସ୍ପେଷାଲିଷ୍ଟଙ୍କ ତତ୍ତ୍ୱାବଧାନରେ ଚ଼ିକିତ୍ସିତ ହେବା ନିମନ୍ତେ ଭୁବନେଶ୍ୱରରେ ସ୍ୱଳ୍ପକାଳ ରହଣୀ ଆବଶ୍ୟକ କରୁଛନ୍ତି lଅପରପକ୍ଷେ ଅନ୍ୟାନ୍ୟ ସହରରେ ବସବାସ କରୁଥିବା ଆସନ୍ନ ବାର୍ଦ୍ଧକ୍ୟ ବର୍ଗର ପଚ଼ାଶୋତ୍ତର ବୟସ୍କମାନେ ବୃତ୍ତିଜନିତ ସରକାରୀ ଓ ଘରୋଇ ସଂଗଠନଗୁଡ଼ିକର ରାଜ୍ୟସ୍ତରୀୟ ଦପ୍ତର କାର୍ଯ୍ୟଠାରୁ ଆରମ୍ଭ କରି ରେଳ ବା ବିମାନଯୋଗେ ରାଜ୍ୟ ବାହାରକୁ ଯାତାୟତ ତଥା ସନ୍ତାନସନ୍ତତିଙ୍କ ଶିକ୍ଷାଦୀକ୍ଷା ବିଭିନ୍ନ କାରଣରୁ ଭୁବନେଶ୍ୱରରେ ବାରମ୍ୱାର ପହଞ୍ଚିବାକୁ ପଡ଼ିଥାଏ l ଏଭଳି ପରିସ୍ଥିତିରେ ହୋଟେଲ ଭଡ଼ା ଖର୍ଚ୍ଚବହୁଳ, ପରିବେଶ ବ୍ୟକ୍ତିଗତ ରୁଚ଼ିସମ୍ପନ୍ନ ତଥା ସୁଦୀର୍ଘ ଅବଧି ଅନୁକୂଳ ନ ହୋଇପାରୁଥିବା ହେତୁ ନିଜସ୍ୱ ବାସସ୍ଥଳୀର ଅଭାବ ଅନୁଭବ କରନ୍ତି l


 

ଭୁବନେଶ୍ୱର ଜନାକୀର୍ଣ୍ଣ ବସତିରେ ଏକ ଛୋଟକାଟିଆ ଆପର୍ଟମେଣ୍ଟ ରାଜ୍ୟର ବିଭିନ୍ନ ସହରରେ ବସବାସ କରୁଥିବା ମଧ୍ୟବିତ୍ତ ପରିବାରବର୍ଗଙ୍କ ମହାନଗରୀ ଆବାସର ଆବଶ୍ୟକତା ପୂରଣ କରିପାରିବ l ଏହାକୁ ‘ମେଟ୍ରୋ-ହୋମ’ ଏବଂ ଏଭଳି ଏକ ଆବଶ୍ୟକତା ଚ଼ରିତାର୍ଥ କରିବା ନିମନ୍ତେ ଉଦ୍ୟମକୁ ‘ମେଟ୍ରୋ-ହୋମ ପରିକଳ୍ପନା’ ନାମିତ କରାଯାଇପାରେ l ସାଂପ୍ରତିକ ପରିପ୍ରେକ୍ଷୀରେ ଅନେକ କାର୍ଯ୍ୟ ଯୋଜନାବଦ୍ଧ ଉଦ୍ୟମ ଦ୍ୱାରା ରୂପାୟନ ସମ୍ଭବପର l ହୁଏତ କେତେକ କ୍ଷେତ୍ରରେ ଏକକ ବଦଳରେ ସାମୂହିକ ପ୍ରଚ଼େଷ୍ଟା ଆବଶ୍ୟକ ପଡ଼ିପାରେ l


 

ପ୍ରଥମତଃ, ଭୁବନେଶ୍ୱର ବାହାର ସହରର ବାସିନ୍ଦା ଭୁବନେଶ୍ୱର ମଧ୍ୟଭାଗକୁ ଯୋଗାଯୋଗ ଓ ସୁବିଧା ସୁଯୋଗ ଦୃଷ୍ଟିରୁ ପସନ୍ଦ କରିବେ l କିନ୍ତୁ ଜନାକୀର୍ଣ୍ଣ ବସତିରେ ଜମିଜମା ମୂଲ୍ୟ ଆକାଶ ଛୁଆଁ ଥିବା ହେତୁ ବହୁତଳବିଶିଷ୍ଟ ଆପାର୍ଟମେଣ୍ଟ ମଡ଼େଲ ଅତିକମରେ ୧୨ ରୁ ୧୬ ଜଣ ଗ୍ରହୀତାଙ୍କ ମଧ୍ୟରେ ବାଣ୍ଟିଦେଲେ ତାହା କ୍ରୟଯୋଗ୍ୟ ମନେ ହୋଇପାରେ l ଦ୍ୱିତୀୟତଃ, ‘ମେଟ୍ରୋ-ହୋମ’ ସ୍ୱଳ୍ପ –ରହେଣୀ ନିମନ୍ତେ ଉଦ୍ଦିଷ୍ଟ ହୋଇଥିବା ହେତୁ ଗୋଟିଏ ପ୍ରଶସ୍ତ କଠୋରୀ, କିଚ଼େନେଟ, ଟଏଲେଟ ଓ ବାଲକୋନୀଯୁକ୍ତ ଷ୍ଟୁଡ଼ିଓ ଆପାର୍ଟମେଣ୍ଟ ୫୦୦ରୁ ୬୦୦ ବର୍ଗଫୁଟ ମଧ୍ୟରେ ନିର୍ମାଣ କରାଯାଇପାରେ l ଏହି ମଡ଼େଲ କମ ଆୟତନରେ ବହୁ ପରିବାରଙ୍କ ପାଇଁ ଆବାସ ଯୋଗାଇପାରିବ l ତୃତୀୟତଃ, ଏଭଳି ଆବାସଗୁଡ଼ିକରେ ଅନ୍ତେବାସୀ ପ୍ରାୟତଃ ଅନୁପସ୍ଥିତ ରହୁଥିବା ହେତୁ ଏଗୁଡ଼ିକୁ ଦୈନନ୍ଦିନ ସଫେଇ କରିବା ତଥା ଖାଦ୍ୟ ପ୍ରସ୍ତୁତ କରିବା ନିମନ୍ତେ ରାନ୍ଧୁଣିଆ ସହ ସୁରକ୍ଷାକର୍ମୀ ଅନ୍ତତଃପକ୍ଷେ ତିନିଜଣ କର୍ମଚ଼ାରୀ ନିୟୋଜନ ଆବଶ୍ୟକ l ଏବାବଦରେ ମାସିକ ଖର୍ଚ୍ଚ ଗୃହ ମାଲିକମାନେ ଭରଣା କଲେ ଆବଶ୍ୟକୀୟ ସୁବିଧାସୁଯୋଗ ହାସଲ କରିହେବ l


 

ଭୁବନେଶ୍ୱର ବାହାର ସହରର ବାସିନ୍ଦାମାନଙ୍କୁ ଭୁନବେଶ୍ୱରରେ ଆବାସର ରକ୍ଷଣାବେକ୍ଷଣ ସାଙ୍ଗକୁ ସୁରକ୍ଷା ଏବଂ ସାମୟିକ ଉପସ୍ଥିତିରେ ସର୍ବନିମ୍ନ ସୁବିଧାସୁଯୋଗ ହାସଲ ଏକକ ମାଲିକାନାରେ କୋଠାବାଡ଼ି ଚଳାଇବା ଅଯଥା ଖର୍ଚ୍ଚାନ୍ତ ଓ ସମସ୍ୟା ବହୁଳ l ସର୍ବୋପରି ବାର୍ଦ୍ଧକ୍ୟାବସ୍ଥାରେ ଅସମ୍ଭବ ମନେ ହୋଇପାରେ l ତେବେ ସମବାୟଭିତ୍ତିରେ ହାଉସିଂ ସୋସାଇଟି ଧାରାରେ ଆଂଶିକ ଖର୍ଚ୍ଚ ଭରଣାରେ ଆବାସ ପରିକଳ୍ପନାକୁ ସାକାର ରୂପ ଦିଆଯାଇପାରେ l


 

ସୋସାଇଟିରେ ଅନ୍ତର୍ଭୁକ୍ତ ଦକ୍ଷ ଓ ଅପେକ୍ଷାକୃତ କମବୟସ୍କ ଅନ୍ତେବାସୀମାନେ ସ୍ୱେଚ୍ଛାକୃତଭାବେ ଆବାସ ପରିଚ଼ାଳନା ଦାୟିତ୍ୱ ତୁଲାଇ ପାରନ୍ତି l ଆଧୁନିକ ପ୍ରଯୁକ୍ତି କୌଶଳ ‘ସ୍ମାର୍ଟ ହୋମ’ ଉପଯୋଗରେ ପୃଥିବୀର ଯେକୌଣସି ପ୍ରାନ୍ତରୁ କୋଠାବାଡ଼ିର ସମକାଳୀନ ସ୍ଥିତି ଓ ନିଯୁକ୍ତ କର୍ମଚ଼ାରୀଙ୍କ ସହ ମୋବାଇଲ ଫୋନ ଯୋଗେ ସଂପର୍କ ସ୍ଥାପନର ସୁବିଧା ସାଧାରଣରେ ଉପଲବ୍ଧ l ଅନ୍ତେବାସୀଙ୍କଠାରୁ ବିଦ୍ୟୁତ, ଜଳ, ଅନ୍ୟାନ୍ୟ କର ସାଙ୍ଗକୁ ନିଯୁକ୍ତ କର୍ମଚ଼ାରୀଙ୍କ ଦରମା ଇତ୍ୟାଦି ଭରଣା କରିବା ନିମନ୍ତେ ଆର୍ଥିକ ଦେଣନେଣ ମୋବାଇଲ ବ୍ୟାଙ୍କିଙ୍ଗ ସେବା ଯୋଗେ ସମ୍ଭବପର l


 

‘ମେଟ୍ରୋ-ହୋମ’ ଜୀବନର ଶେଷ ପର୍ଯ୍ୟାୟରେ ଚ଼ିକିତ୍ସା ଉଦ୍ଦେଶ୍ୟରେ ଭୁବନେଶ୍ୱର ଆତଯାତରେ ବ୍ୟବହୃତ ହେବା ଲକ୍ଷ୍ୟ ନେଇ ନିର୍ମିତ ହେବା ଅବସରରେ ଏଥିରେ ଅନ୍ୟାନ୍ୟ ବାର୍ଦ୍ଧକ୍ୟ ଅନୁକୂଳ ସୁବିଧାସୁଯୋଗ, ଯଥା: ଲିଫଟ, ନନ-ସ୍ଳିଡ଼ ଟାଇଲ, ରେଲିଂ, ହ୍ୱିଲଚ଼େୟାର ଚଳପ୍ରଚଳ ଉପଯୋଗୀ କବାଟଦୁଆର ସଂଯୋଗ କରାଯାଇପାରେ l ଏକକ ମାଲିକାନାରେ ନିବେଶ କରାଯାଇଥିବା କୋଠାବାଡ଼ିରେ ଭଡ଼ାଟିଆଙ୍କ ସ୍ୱାର୍ଥକୁ ବିଚ଼ାରକୁ ନେଇ ଏଭଳି ସୁବିଧା ହୁଏତ ସମ୍ଭବପର ହୋଇପାରି ନଥାଏ l


 

ମୋଟ ଉପରେ କହିବାକୁଗଲେ ଏଭଳି ପ୍ରକଳ୍ପ ‘ସର୍ଭିସଡ଼ ଏପାର୍ଟମେଣ୍ଟ’ ପର୍ଯ୍ୟାୟଭୁକ୍ତ l ଅତୀତରେ ଗ୍ରାମାଞ୍ଚଳର ଧନୀକ ପରିବାରବର୍ଗ ଧର୍ମସ୍ଥଳୀ ଓ ସହରଗୁଡ଼ିକରେ ‘ବସାଘର’ ରଖୁଥିଲେ l ଉତ୍ତର-ବାର୍ଦ୍ଧକ୍ୟରେ ଗୃହାବଦ୍ଧ ବା ଶଯ୍ୟାଶାୟୀ ଅବସ୍ଥାରେ ଅଧିକ ସଂଖ୍ୟକ ଉପଭୋକ୍ତା ଏକତ୍ର ରହିଲେ ବୃତ୍ତିଧାରୀଙ୍କଠାରୁ ଉନ୍ନତ ଧରଣର ସେବା ଗ୍ରହଣ ସହଜପ୍ରଦ ହେବା ଆଶା କରାଯାଇପାରେ l ଉଦାହରଣ ସ୍ୱରୂପ ଏକାଧିକ ରୋଗୀଙ୍କ ରକ୍ତ ପରୀକ୍ଷାପାଇଁ ଭଲ ଫର୍ମାସିଷ୍ଟଟିଏ ସହଜରେ ପହଞ୍ଚିପାରେ l ଜୁଗନୁ, ଓଲା, ଉବେର ଭଳି ରିକ୍ସା ଓ ଟ୍ୟାକ୍ସି ସେବାର ସଫଳତାପରେ ଭୁବନେଶ୍ୱରରେ ଜମାଟୋ, ସ୍ୱାଗି ଭଳି ଘରେ ଖାଦ୍ୟ ପରଷିବା ସୁବିଧା ସୁଯୋଗ ମିଳିଲାଣି lସମୟକ୍ରମେ ସାମାଜିକ ଆବଶ୍ୟକତା ଅନୁଯାୟୀ ଅଧିକରୁ ଅଧିକ ସେବା ଘରେ ବସି ପାଇବା ବାର୍ଦ୍ଧକ୍ୟ ଉପଯୋଗୀ ମନେହୁଏ l


 

‘ମେଟ୍ରୋ-ହୋମ’ ପରିକଳ୍ପନା କେବଳ ଧନୀକ ପରିବାରବର୍ଗଙ୍କ ପାଇଁ ଅଭିପ୍ରେତ ବୋଲି ବିଚ଼ାର କରିବା ଅସମୀଚୀନ l ଭୁବନେଶ୍ୱର ଜନାକାର୍ଣ୍ଣ ଅଞ୍ଚଳରେ ଜମିଜମା ମୂଲ୍ୟ ଅଧିକ ହୋଇଥିବା ଏବଂ ନିର୍ମାଣ ଖର୍ଚ୍ଚର ଦୁଇତିନିଗୁଣା ଜମିକିଣାରେ ବ୍ୟୟ କରିବା ଆକଳନ କରାଯାଉଥିବାସ୍ଥଳେ ସହରତଳି ଅଞ୍ଚଳରେ ଜମିର ଦାମ କମ l ବିଭିନ୍ନ ଆର୍ଥିକବର୍ଗର ଆଗ୍ରହୀ ପରିବାରଙ୍କ ନିମନ୍ତେ ଭିନ୍ନ ଭିନ୍ନସ୍ତରରେ ପରିକଳ୍ପନା ରୂପାୟନ ସମ୍ଭବପର l ତେବେ ବିକଳ୍ପ ବାର୍ଦ୍ଧକ୍ୟ ଜୀବନଯାତ୍ରାପ୍ରତି ସଚ଼େତନ ହେବା ଏବଂ ତାହାଲାଗି ପର୍ଯ୍ୟାପ୍ତ ନିବେଶକୁ ପ୍ରାଥମିକତା ଦେବା ପାରମ୍ପରିକ ମୂଲ୍ୟାୟନର ପରିପନ୍ଥୀ l ଉପଭୋକ୍ତାଙ୍କ ମାନସିକତା ହିଁ ଏଭଳି ପ୍ରକଳ୍ପ ରୂପାୟନର ଭିତ୍ତିସ୍ଥାପନ କରିବ l


 

ସର୍ବୋପରି ଏତାଦୃଶ ପ୍ରକଳ୍ପ ରୂପାୟନରେ ସମଗୋତ୍ର ସମମାନସିକତାର ପଡ଼ୋଶୀ ମନୋୟନ ଅନ୍ୟତମ ମହାର୍ଘ୍ୟବିଭବ l ସାଧାରଣରେ ମନମୁତାବକ ପଡ଼ୋଶୀ ଜଣେ ପାଇପାରିବା ଆକସ୍ମିକ ବା ଭାଗ୍ୟର ବିଷୟରୂପେ ବିବେଚ଼ନା କରାଯାଇଥାଏ l ବାର୍ଦ୍ଧକ୍ୟ ଓ ଉତ୍ତର-ବାର୍ଦ୍ଧକ୍ୟରେ ବ୍ୟକ୍ତିର ଚଳପ୍ରଚ଼ଳ ସୀମିତ ହୋଇ ଆସୁଥିବା ଏବଂ ଚ଼ିକିତ୍ସା କାରଣରୁ ‘ମେଟ୍ରୋ-ହୋମ’ରେ ଦୀର୍ଘ ଅବସ୍ଥାନ ଅବସରରେ ମନପସନ୍ଦ ବନ୍ଧୁଗଣଙ୍କୁ ପଡ଼ୋଶୀଭାବେ ପାଇବା ଜୀବନର ଅନ୍ୟତମ କୃତିତ୍ୱଭାବେ ବିବେଚ଼ନା କରାଯାଇପାରେ l


 

ଓଡ଼ିଶାର ପାରମ୍ପରିକ ସାମାଜିକ ଆଙ୍ଗିକରେ ବାର୍ଦ୍ଧକ୍ୟ ଅନୁକୂଳ ଅବସର ବିହାର ବା ‘ରିଟାୟରମେଣ୍ଟ କଲୋନୀ’ ପରିକଳ୍ପନା ରୂପାୟନ ଲାଗି ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ିପାରେ l ବିମୁଦ୍ରାୟନ ପରବର୍ତ୍ତୀ ଦୁଇବର୍ଷ ମଧ୍ୟରେ କୋଠାବାଡ଼ି ବ୍ୟବସାୟରେ କିଣାବିକା ୪୦ ପ୍ରତିଶତ କମିଯାଇଥିବା, ଦର ୨୦ ପ୍ରତିଶତ ହ୍ରାସପାଇଥିବା ତଥା ରାଷ୍ଟ୍ରୀୟସ୍ତରରେ ବ୍ୟାଙ୍କଋଣ ବାବଦରେ ଲକ୍ଷେ ତେର ହଜାର କୋଟିରୁ ଅଧିକ ଟଙ୍କା ଫସିଥିବା କାରଣରୁ ନିର୍ମାଣ ଶିଳ୍ପ ମାଧ୍ୟମରେ ଅବସର ବିହାର ଭଳି ସର୍ଜନଶୀଳ ଯୋଜନା ରୂପାୟନ ସମୟସାପେକ୍ଷ l ତେବେ ଭୂଲ ସମୟରେ ବସବାସ କରୁଥିବା ହେତୁ ଆକାଂକ୍ଷିତ ସୁବିଧା ସୁଯୋଗ ହାସଲ ପାଇଁ ଚ଼େଷ୍ଟା ନକରି ଚୁପ ବସିଯିବା ବିଜ୍ଞତାର ପରିଚ଼ାୟକ ନୁହେଁ l ବିକଳ୍ପ ବାର୍ଦ୍ଧକ୍ୟ ଜୀବନଯାତ୍ରାରେ ବିଶ୍ୱାସ ରଖୁଥିବା ଆଗ୍ରହୀ ପରିବାରବର୍ଗ ସମବାୟଭିତ୍ତିରେ ନିଜସ୍ୱ ଉଦ୍ୟମ ପ୍ରତି ଯତ୍ନବାନ ହେବା ସମୟ ଉପନୀତ l


 

ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଅଗଷ୍ଟ ୨୦୧୮

 

---

ଅବସର ବିହାର ପାଇଁ ନୂତନ ଠିକଣା

କୋଭିଡ଼-୧୯ ମହାମାରୀ-ପର ପରିବର୍ତ୍ତିତ ପରିବେଶ ନ୍ୟୂ-ନରମାଲର ସମ୍ଭାବ୍ୟ ସାମାଜିକ ପରିବର୍ତ୍ତନ ସ୍ରୋତରେ ଶିକ୍ଷିତ, ଆର୍ଥିକ ଦିଗରୁ ସ୍ୱଚ୍ଛଳ ତଥା ଏକକ ପରିବାର ନିଉକ୍ଳିଅର ଫେମିଲିରେ ବସବାସ କରୁଥିବା ବରିଷ୍ଠ ନାଗରିକଙ୍କ ଜୀବନଯାତ୍ରା ପ୍ରଭାବିତହେବା ଆଶା କରାଯାଏ । ସେଥି ମଧ୍ୟରେ ପରିଣତ ବୟସରେ ଅବସର ବିହାରରେ ପୁନର୍ବାସନ ଅନ୍ୟତମ ।


 

ଦ୍ୱିତୀୟ ବିଶ୍ୱଯୁଦ୍ଧୋତ୍ତର ଅବସ୍ଥାରେ ବିକଶିତ ରାଷ୍ଟ୍ରଗୁଡିକରେ ବାର୍ଦ୍ଧକ୍ୟ ବିତାଇବା ନିମନ୍ତେ ଅବସର ବିହାରମାନ ଗଢ଼ି ଉଠିଥିଲା । ଏହି ଧାରା ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ, ଜର୍ମାନୀ ଓ ୟୁରେପୀୟ ଦେଶପୁଞ୍ଜ ସହ ଜାପାନ, ଚୀନ ଭଳି ପାଶ୍ଚାତ୍ୟ ଓ ପ୍ରାଚ୍ୟ ଉଭୟ ଭୂଖଣ୍ଡରେ ଲୋକପ୍ରିୟତା ହାସଲ କରିଥିଲା । ତେବେ ଭାରତରେ ମହାମାରୀ ପୂର୍ବାବସ୍ଥା ସୁଦ୍ଧା ପ୍ରାୟ ୫୫ ଗୋଟି ପ୍ରକଳ୍ପରେ ମାତ୍ର କୋଡ଼ିଏ ହଜାର ଆବାସ ୟୁନିଟ କାର୍ଯ୍ୟକ୍ଷମ ଥିବା ସ୍ଥଳେ ପ୍ରାୟ ଅଢ଼େଇ ଲକ୍ଷ ବରିଷ୍ଠ ନାଗରିକ ଏଭଳି ସୁବିଧା ସୁଯୋଗରେ ନିବେଶ କରିବାକୁ ମନସ୍ଥ କରିଥିବା କେତେକ ସର୍ବେକ୍ଷଣରୁ ଜଣାଯାଇଥିଲା । ମହାମାରୀ-ପର ପରିବେଶରେ ଅବସର ବିହାର ବ୍ୟବସାୟରେ ପାଞ୍ଚରୁ ଦଶ ବର୍ଷ ମଧ୍ୟରେ ୨୦ ଗୁଣ ଯାଏଁ ଅଭିବୃଦ୍ଧି ସମ୍ଭବପର ବୋଲି ନିର୍ମାଣ ଉଦ୍ୟୋଗ ପକ୍ଷରୁ ଆକଳନ କରାଯାଉଛି ।


 

ଭାରତରେ ଏକବିଂଶ ଶତାଦ୍ଦୀ ଆରମ୍ଭରୁ ବାର୍ଦ୍ଧକ୍ୟ ଜୀବନଚ଼ର୍ଯ୍ୟା ନିମନ୍ତେ ଅବସର ବିହାର ପ୍ରକଳ୍ପଗୁଡ଼ିକର ଉପାଦେୟତା ସଂପର୍କରେ ଚର୍ଚ୍ଚା ଜୋର ଧରିଥିଲା । ମୁଖ୍ୟତଃ ବିଦେଶରେ ସନ୍ତାନସନ୍ତତି ଅବସ୍ଥାପିତ ହୋଇଥିବା ନଗରାଞ୍ଚଳରେ ବସବାସକରୁଥିବା ପରିବାରର ବରିଷ୍ଠ ନାଗରିକଙ୍କ ମଧ୍ୟରୁ ଏକାଂଶ ପ୍ରଥମ ଦୁଇ ଦଶକରେ ନୂତନଭାବେ ଗଢ଼ି ଉଠୁଥିବା ଅବସର ବିହାରଗୁଡ଼ିକରେ ପ୍ରବେଶ କରିଥିଲେ । ବାରମ୍ୱାର ବିଦେଶ ଭ୍ରମଣ ଫଳରେ ସେଠାକାର ବାର୍ଦ୍ଧକ୍ୟ ଜୀବନଚର୍ଯ୍ୟା ରୀତିନୀତିରେ ପ୍ରଭାବିତ ହେବା ତଥା ପରିବାରବର୍ଗଙ୍କ ସମର୍ଥନ ହାସଲ - ଏହି ଭଳି ସୁବିଧାସୁଯୋଗ ଗ୍ରହଣ ନିମନ୍ତେ ପ୍ରୋତ୍ସାହିତ କରିଥିଲା । ଅବସର ବିହାର ବ୍ୟବସାୟ ବଜାରରେ ପ୍ରବେଶ କରିବା ବେଳକୁ ଦ୍ୱିତୀୟ ଦଶକର ଦ୍ୱିତୀୟାର୍ଦ୍ଧରେ ବିମୁଦ୍ରାୟନ, ଦ୍ରବ୍ୟ ଓ ସେବା ଟିକସ ପ୍ରଚଳନ ତଥା ନିର୍ମାଣ ଶିଳ୍ପ ନିୟନ୍ତ୍ରଣ ଆଇନ ପ୍ରଣୟନ ସାମଗ୍ରିକଭାବେ ନିର୍ମାଣ ଉଦ୍ୟୋଗରେ ମାନ୍ଦାବସ୍ଥା ସୃଷ୍ଟି କରିଥିବା ସ୍ଥଳେ ଅବସରବିହାର ପ୍ରକଳ୍ପ ନିର୍ମାଣ ଉଦ୍ୟମ ଆପାତତଃ ଶୀଥିଳ ହୋଇପଡ଼ିଥିଲା ।


 

ଆମ ଦେଶରେ ବ୍ୟାବସାୟିକଭିତ୍ତିରେ ବାର୍ଦ୍ଧକ୍ୟ ସେବା ଜାରିଆଟିକ କେର ତୃତୀୟ ଦଶକ ଆରମ୍ଭ ସୁଦ୍ଧା ଉନ୍ମେଷମୁଖୀ ଅବସ୍ଥାରେ ରହିଛି । ଏହି ଦିଗରେ ସମସ୍ତ ଉଦ୍ୟମ ଅଭିନବ ପର୍ଯ୍ୟାୟଭୁକ୍ତ । ପାରମ୍ପରିକଭାବେ ବରିଷ୍ଠ ନାଗରିକଙ୍କ ଯତ୍ନ ପାରିବାରିକ ଦାୟିତ୍ୱ ବିବେଚ଼ିତ ହେଉଥିବା ସ୍ଥଳେ ବେସରକାରୀ ଓ ସରକାରୀ ଉଦ୍ୟମରେ ବଦାନ୍ୟତାଭିତ୍ତିକ ବୃଦ୍ଧାଶ୍ରମ ସ୍ଥାପନ ଓ ପରିଚାଳନା ଏକ ମାତ୍ର ବିକଳ୍ପ । ଅପରପକ୍ଷେ ଅବସର ବିହାର ରିଟାୟରମେଣ୍ଟ କଲୋନୀରେ ବରିଷ୍ଠ ନାଗରିକମାନେ ଆବାସ କ୍ରୟ କରି କିମ୍ୱା ଦୀର୍ଘମିଆଦୀ ଭଡ଼ାସୂତ୍ରରେ ବସବାସ କରିବା ନିମନ୍ତେ ପହଞ୍ଚିଥାନ୍ତି । ବହୁ ବରିଷ୍ଠ ନାଗରିକ ଏକତ୍ରୀତ ହେବା ଫଳରେ ବାର୍ଦ୍ଧକ୍ୟ ଅନୁକୂଳ ସୁବିଧା ସୁଯୋଗ ସାଙ୍ଗକୁ ସହଚ଼ର୍ଯ୍ୟ ହାସଲ କରିପାରନ୍ତି ।


 

ଅବସର ବିହାର ପରିକଳ୍ପନା ପ୍ରସାରରେ ବର୍ଦ୍ଧିତ ବରିଷ୍ଠ ନାଗରିକ ଜନସଂଖ୍ୟା ତଥା ପରମାୟୁ ସାଙ୍ଗକୁ ଆର୍ଥିକ ସ୍ୱଚ୍ଛଳତା ଓ ଜୀବନଚର୍ଯ୍ୟା ନିମନ୍ତେ ମାନସିକତା ପରିବର୍ତ୍ତନ ଗୁରୁତ୍ୱ ବହନ କରୁଥିବା ଲକ୍ଷ୍ୟ କରାଯାଏ । ଜାତିସଂଘ ଜନସଂଖ୍ୟା ପାଣ୍ଠି ହିସାବ ଅନୁଯାୟୀ ଭାରତରେ ୬୦ ବର୍ଷୋତ୍ତର ଜନସଂଖ୍ୟା ୨୦୨୧ ସୁଦ୍ଧା ପ୍ରାୟ ୧୨ କୋଟି । ଆଗାମୀ ତିରିଶି ବର୍ଷରେ ୨୦୫୦ ସୁଦ୍ଧା ୩୦ କୋଟିରେ ପହଞ୍ଚି ସମଗ୍ର ଜନସଂଖ୍ୟାର ୨୦ ପ୍ରତିଶତ ଛୁଇଁବ । ସ୍ୱାସ୍ଥ୍ୟରକ୍ଷା ଓ ଚ଼ିକିତ୍ସା ବିଜ୍ଞାନ ପତ୍ରିକା ଲେନସେଟରେ ଅକ୍ଟୋବର ୨୦୨୦ରେ ପ୍ରକାଶିତ ତଥ୍ୟ ଅନୁଯାୟୀ ବିଗତ ତିନି ଦଶନ୍ଧିରେ ଭାରତୀୟମାନଙ୍କ ପରମାୟୁ ଦଶ ବର୍ଷ ବଢ଼ିଛି । ୧୯୯୦ରେ ପରମାୟୁ ୫୯.୬ ବର୍ଷ ଥିବା ସ୍ଥଳେ ୨୦୧୯ରେ ୭୦.୮ ପହଞ୍ଚିଛି । ବାର୍ଦ୍ଧକ୍ୟରେ ଆର୍ଥିକ ସ୍ୱଚ୍ଛଳତା, ସମାଜରେ ବୈଷୟିକ ଓ ପରିଚାଳନାଗତ କ୍ରମୋନ୍ନତି ତଥା ଏକକ ପାରିବାରିକ ଆଙ୍ଗିକରେ ସନ୍ତାନସନ୍ତତି ଆତ୍ମୀୟସ୍ୱଜନ ଭୌଗଳିକ ସୀମାପାର ଅଞ୍ଚଳରେ ଅବସ୍ଥାପିତ ହେଉଥିବା ହେତୁ ବରିଷ୍ଠ ନାଗରିକଙ୍କୁ ଏକାକୀ ବସବାସର ଦୁର୍ଦ୍ଦଶା ଆବାସ ନିର୍ବାଚନରେ ନୂତନ ସମୀକରଣ ସୃଷ୍ଟି କରୁଛି ।


 

ମହାମାରୀରେ ଦୀର୍ଘକାଳ ଦୂରାବସ୍ଥାନର ବାଧ୍ୟବାଧକତା ବାର୍ଦ୍ଧକ୍ୟ ଜୀବନଚ଼ର୍ଯ୍ୟାକୁ ପ୍ରଭାବିତ କରିବା ସ୍ୱାଭାବିକ । ଏକାକୀ ବସବାସ କରୁଥିବା ବରିଷ୍ଠ ଦମ୍ପତିମାନେ ଦୈନନ୍ଦିନ ଜୀବନଯାତ୍ରା ନିମନ୍ତେ ସହାୟତା ସାଙ୍ଗକୁ ଚ଼ିକିତ୍ସା ସେବା, ପରିବହନ ଓ ସୁରକ୍ଷା ଇତ୍ୟାଦି ଆୟୋଜନ ଓ ପରିଚାଳନାରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାପରେ ଭବିଷ୍ୟତ ଜୀବନ ନିମନ୍ତେ ସ୍ୱାବଲମ୍ୱୀ ଯୋଜନା ପ୍ରଣୟନକୁ ଅଗ୍ରାଧିକାର ଦେବା ଆରମ୍ଭ କରିଛନ୍ତି । ତେବେ ଓଡ଼ିଶାର ପାରମ୍ପରିକ ସାମାଜିକ ବ୍ୟବସ୍ଥାରେ ଅବସର ବିହାର ପରିକଳ୍ପନା ରୂପାୟନ ନିମନ୍ତେ ଅନ୍ତତଃପକ୍ଷେ ଦଶବର୍ଷ ଅପେକ୍ଷା କରିବାକୁ ପଡ଼ିପାରେ । ଦୀର୍ଘ ସମୟ ଅବଧିରେ ପଡ଼ୋଶୀ ରାଜ୍ୟଗୁଡ଼ିକର ପ୍ରଗତିଶୀଳ ପରିବାରବର୍ଗଙ୍କ ଆଚ଼ରଣ ଏବଂ ଅଭିଜ୍ଞତା ସ୍ଥାନୀୟ ବାର୍ଦ୍ଧକ୍ୟ ପୁନର୍ବାସକୁ ପ୍ରଭାବିତ କରିବା ଆଶା ଯୁକ୍ତିଯୁକ୍ତ ମନେହୁଏ ।


 

ଅବଶ୍ୟ ମହାମାରୀ-ପର ଅବସ୍ଥାରେ ଦେଶବ୍ୟାପୀ ଅବସର ବିହାର ପ୍ରକଳ୍ପ ନିର୍ମାଣକୁ ଗୁରୁତ୍ୱ ଦିଆଯିବା ଅବସରରେ ଓଡ଼ିଶାରେ ମଧ୍ୟ ସ୍ଥାନୀୟ ଉଦ୍ୟୋଗୀମାନଙ୍କ ପକ୍ଷରୁ ପ୍ରାଥମିକ ପ୍ରସ୍ତୁତି ଆରମ୍ଭ ହୋଇପାରେ । ଏହିଭଳି ଯୋଜନାଗୁଡ଼ିକର ସଫଳତା ଭବିଷ୍ୟତରେ ଅବସର ବିହାର ଧାରା ପରିପ୍ରକାଶରେ ସହାୟକ ହେବ । ପ୍ରଥମରେ ଗଢ଼ି ଉଠୁଥିବା ପ୍ରକଳ୍ପଗୁଡ଼ିକ ବ୍ୟାବସାୟିକସ୍ତରରେ ବିଫଳ, ଅର୍ଥାତ କ୍ରେତା ସହଜରେ ନପାଇପାରିଲେ ; ଏହାର ପ୍ରତିକୂଳ ପ୍ରଭାବ ବ୍ୟବସାୟକୁ ଅସୁସ୍ଥ କରିପକାଇବା ଭୟ ରହିଥାଏ । ଏହି କ୍ଷେତ୍ରରେ ସ୍ଥାନୀୟ ସ୍ଥିତାବସ୍ଥାକୁ ବିଚାରକୁ ନେଇ କେତେକ ବିଷୟ ପ୍ରତି ଧ୍ୟାନ ଦିଆଯିବା ଆବଶ୍ୟକ ।


 

ପ୍ରଥମେ ବିଚାର କରିବା କଥା, ଅବସର ବିହାରରେ କିଏ ଆବାସ କ୍ରୟ କରିବ ? ଜାତୀୟସ୍ତରରେ ବିଗତ ପାଞ୍ଚ ବର୍ଷ ମଧ୍ୟରେ ଗଢ଼ି ଉଠିଥିବା ଅବସର ବିହାରଗୁଡ଼ିକରେ ଆବାସ ପିଛା ସର୍ବନିମ୍ନ ୨୦ ଲକ୍ଷରୁ ସର୍ବାଧିକ ଦେଢ଼କୋଟି ଏବଂ ମାସିକ ରକ୍ଷଣାବେକ୍ଷଣ ଖର୍ଚ୍ଚ ଚାରି ହଜାରରୁ ଷାଠିଏ ହଜାର ନିର୍ଦ୍ଧାରିତ ହୋଇଥିଲା । ଏହି ପରିମାଣର ନିବେଶ ରାଜ୍ୟର ସ୍ୱଚ୍ଛଳବର୍ଗର ଆୟତ୍ତାଧୀନ ଥିବା ସ୍ଥଳେ ନିଜସ୍ୱ ବାସଗୃହ ବାଦେ ଅବସର ବିହାର ଦ୍ୱିତୀୟ ବା ଅତିରିକ୍ତ ଆବାସର ମାନ୍ୟତା ପାଇବ । ପ୍ରାଥମିକ ପର୍ଯ୍ୟାୟରେ କେହି କାହାର ଘରଦ୍ୱାର ବିକ୍ରୀକରି ଅବସର ବିହାରକୁ ଉଠି ଆସିବା ବିଶ୍ୱାସ କରାଯାଇନପାରେ । ତେବେ କେଉଁ ଆବଶ୍ୟକତାଗୁଡ଼ିକୁ ଲକ୍ଷ୍ୟ ରଖି ଏହି ଧରଣର ପ୍ରକଳ୍ପମାନଙ୍କରେ ରାଜ୍ୟବାସୀ ନିବେଶ କରିବେ ?


 

ବିବିଧ ବିଚାର ମଧ୍ୟରେ ଭୁବନେଶ୍ୱର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ବହୁତଳ ସେବାଯୁକ୍ତ ଏକ କଠୋରୀ ବିଶିଷ୍ଟ ଆବାସ ସର୍ଭିସଡ଼ ଷ୍ଟୁଡ଼ିଓ ଆପାର୍ଟମେଣ୍ଟର ଚାହିଦା ଥିବା ବିଶ୍ୱାସ କରାଯାଇପାରେ । ରାଜ୍ୟର ବିଭିନ୍ନ ପ୍ରାନ୍ତର ସ୍ୱଚ୍ଛଳ ପରିବାରବର୍ଗ ଉନ୍ନତମାନର ଚ଼ିକିତ୍ସା ନିମନ୍ତେ ଭୁବନେଶ୍ୱର-କଟକର ଚ଼ିକିତ୍ସାଭିତ୍ତିଭୂମି ଉପରେ ନିର୍ଭରଶୀଳ । ମହାମାରୀର ଅଭିଜ୍ଞତା ଜୀବନରେ ଚ଼ିକିତ୍ସା ସୁବିଧା ସୁଯୋଗକୁ ପ୍ରାଥମିକତା ଦେଇଛି । ଭୁବନେଶ୍ୱର ବାହାରେ ବସବାସ କରୁଥିବା ବରିଷ୍ଠ ନାଗରିକ ଚ଼ିକିତ୍ସା ନିମନ୍ତେ ବାରମ୍ୱାର ଯିବା ଆସିବା ନିମନ୍ତେ ସେଠାରେ ଏକ ଆବାସରେ ନିବେଶ କରିବା ନିମନ୍ତେ କୁ୍ଣ୍ଠିତ ନହୋଇପାରନ୍ତି । ଯେହେତୁ ସେମାନଙ୍କ ନିକଟରେ ପାଣ୍ଠିର ଅଭାବ ନାହିଁ, ତେଣୁ ପ୍ରକଳ୍ପ ରୂପାୟନରେ ଆଗ୍ରହ କିମ୍ୱା ଅର୍ଥ ଅନ୍ତରାୟ ସାଜିବ ନାହିଁ ।


 

ତେବେ ଭୁବନେଶ୍ୱରର ଜନାକୀର୍ଣ୍ଣ ପରିବେଶରେ ଆପାର୍ଟମେଣ୍ଟ ବଦଳରେ ସହରତଳି ଅଞ୍ଚଳରେ ଆପାର୍ଟମେଣ୍ଟ କିମ୍ୱା କଟେଜ ମଡ଼େଲ ଯେ ସଫଳ ହୋଇପାରିବ ନାହିଁ ଏକଥା ସର୍ବାଗ୍ରେ ମନେ ରଖିବାକୁ ପଡ଼ିବ । କାରଣ ଚ଼ିକିତ୍ସା ସୁବିଧା ବାଦେ ବଜାରଘାଟ ବୁଲାଚ଼ଲା, ଖାଦ୍ୟପେୟ, ମନୋରଞ୍ଜନ, ରେଳ ଓ ବିମାନ ସେବା ତଥା ସାଂସ୍କୃତିକ ସଂପୃକ୍ତି ପ୍ରତି ଉପଭୋକ୍ତାମାନେ ଆଗ୍ରହ ପ୍ରକାଶ କରିବେ । ଏସବୁ ସୁବିଧାସୁଯୋଗ ସହଜରେ ସହରତଳି ଅଞ୍ଚଳରେ ଉପଲବ୍ଧ ହେବନାହିଁ । ଜାନାକୀର୍ଣ୍ଣ ଅଞ୍ଚଳରେ ଜମି ଦର ଅଧିକ ହୋଇପାରେ । କିନ୍ତୁ ପ୍ରସ୍ତାବିତ ଆବାସରେ ଯିଏ ୨୦ ଲକ୍ଷ ନିବେଶ କରିବା ନିମନ୍ତେ ପ୍ରସ୍ତୁତ, ସେ ଅନାୟସରେ ୨୫ ଲକ୍ଷ ନିବେଶ କରିପାରିବା ସଂଭବ । ଏଠି ମନଲାଖି ଠିକଣା ଗୁରୁତ୍ୱ ବହନ କରିବ ।


 

ପ୍ରସ୍ତାବିତ ମଡ଼େଲ ପ୍ରକୃତ ଅବସର ବିହାରର ମୂଳତତ୍ତ୍ୱ ଆଶ୍ରିତ ନହୋଇପାରୁଥିଲେ ସୁଦ୍ଧା ଅବସର ବିହାର ଆନ୍ଦୋଳନର ଭିତ୍ତିଭୂମି ସୃଷ୍ଟି ନିମନ୍ତେ ମଧ୍ୟସ୍ଥ ହାଇବ୍ରିଡ଼ ମଡ଼େଲ ରୂପେ ବିଚାର କରାଯାଇପାରେ । ବାସଗୃହକେନ୍ଦ୍ରୀକ ପାରିବାରିକ ଜୀବନରୁ ଅବସର ବିହାରରେ ଗୋଷ୍ଠୀଗତ ଜୀବନକୁ ସ୍ଥାନାନ୍ତରିକରଣ ସହଜ ନହୋଇ ପାରେ । ଏହି କାରଣରୁ ସାମୟିକଭାବେ ପୁର୍ନବାସନର ଅନୁଭୂତି ପ୍ରଥମତଃ, ଉପଭୋକ୍ତାଙ୍କୁ ନୂତନ ପରିବେଶ ସହ ପରିଚ଼ିତ କରାଇବ, ଦ୍ୱିତୀୟତଃ ଅନ୍ୟ ଆଗ୍ରହୀ ବରିଷ୍ଠ ନାଗରିକଙ୍କ ପାଇଁ ଉଦାହରଣ ସୃଷ୍ଟି ତଥା ତୃତୀୟତଃ, ସ୍ଥାନୀୟ ପରିବେଶରେ ଅବସର ବିହାର ପରିଚାଳନାରେ ତୃଟିବିଚ୍ୟୁତି ଚ଼ିହ୍ନଟ ଓ ସଜାଡ଼ିବାରେ ସହାୟକ ହୋଇପାରିବା ବିଶ୍ୱାସ କରାଯାଇପାରେ ।


 

ମହାମାରୀ ବାର୍ଦ୍ଧକ୍ୟ ଜୀବନଚର୍ଯ୍ୟାକୁ ପ୍ରଭାବିତ କରିଛି । ଏକ ପକ୍ଷରେ ଜରୁରି ପରିସ୍ଥିତିରେ ବାସଗୃହରେ ଏକାକୀ ଚ଼ିକିତ୍ସା ସେବା ଆୟୋଜନ ସମ୍ଭବ ନହୋଇପାରୁଥିବା ସ୍ଥଳେ ଅପରପକ୍ଷରେ ୟୁରୋପୀୟ ରାଷ୍ଟ୍ରପୁଞ୍ଜ, ବ୍ରିଟେନ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ବାର୍ଦ୍ଧକ୍ୟ ଅନୁକୂଳ ବସତିଗୁଡ଼ିକରେ ସଂକ୍ରମଣ କାରଣରୁ ବହୁ ସଂଖ୍ୟକଙ୍କ ପ୍ରାଣହାନୀ ଘଟିବା ପରିସଂଖ୍ୟାନ ଚ଼ିନ୍ତାରାଜ୍ୟରେ ବିଭ୍ରାଟ ସୃଷ୍ଟି କରିଥାଏ । ବିଭିନ୍ନ ଗବେଷଣାଲବ୍ଧ ତଥ୍ୟ ଅନୁଯାୟୀ ବର୍ଦ୍ଧିତ ଜୀବଦ୍ଦଶା ଅବସରରେ ମନୁଷ୍ୟ ଦଶ ବର୍ଷ ଯାଏଁ ଭଗ୍ନ ସ୍ୱାସ୍ଥ୍ୟ ଏବଂ ଚାରିବର୍ଷ ଯାଏଁ ଗୃହାବଦ୍ଧ ବା ଶଯ୍ୟାଶାୟୀ ଜୀବନ ପ୍ରାୟତଃ ଦେଖିବାକୁ ମିଳେ । ଏହି କ୍ଷେତ୍ରରେ ବ୍ୟକ୍ତିଗତସ୍ତରରେ ଯେତିକି ପ୍ରସ୍ତୁତି ଆବଶ୍ୟକ ସାମାଜିକସ୍ତରରେ ଭିତ୍ତିଭୂମି ଗଠନରେ ତତୋଧିକ ଉଦ୍ୟମ ଆବଶ୍ୟକ ପଡ଼ିଥାଏ । ଓଡ଼ିଶା ପରିବେଶରେ ଉତ୍ତର-ବାର୍ଦ୍ଧକ୍ୟ ଜୀବନଚ଼ର୍ଯ୍ୟାଲାଗି ପରୀକ୍ଷାମୂଳକ ଭାବେ ବାସଗୃହ ଓ ହସପିଟାଲ ମଧ୍ୟରେ କେର ହୋମଭଳି ମଡ଼େଲର କାର୍ଯ୍ୟକାରିତା ପ୍ରକୃତ କାର୍ଯ୍ୟକ୍ଷେତ୍ରରେ ଅନୁଧ୍ୟାନ କରିବା ସମୟ ଉପନୀତ ।


 

ମହାମାରୀ-ପର ଅବସ୍ଥାରେ ବ୍ରିଟେନରେ ବ୍ୟବସାୟକ୍ଷେତ୍ରରେ ମାନ୍ଦାବସ୍ଥା ସୃଷ୍ଟି ହେତୁ ବଜାର ଅଞ୍ଚଳ ହାଇ ଷ୍ଟ୍ରୀଟରେ ଖାଲିପଡ଼ିଥିବା କୋଠାଗୁଡ଼ିକୁ କ୍ରମଶଃ ଅବସର ବିହାରରେ ପରିବର୍ତ୍ତିତ କରାଯାଉଥିବା ଧାରା ସଂପର୍କରେ ଗାର୍ଡିଆନ ସମ୍ୱାଦପତ୍ରରେ ୨୦୨୧ ମେ ମାସରେ ପ୍ରକାଶିତ ହୋଇଥିଲା । ପାରମ୍ପରିକଭାବେ ବ୍ରିଟେନରେ ସହରତଳି କିମ୍ୱା ଗ୍ରାମାଞ୍ଚଳରେ ଅବସର ବିହାରମାନ ଗଢ଼ି ଉଠିଥିବା ସ୍ଥଳେ ଏଣିକି ସହରାଞ୍ଚଳର ଘଞ୍ଚ ଜନବସତିରେ ବରିଷ୍ଠ ନାଗରିକମାନେ ବସବାସ କରିବାକୁ ପସନ୍ଦ କରୁଥିବା ଜଣାଯାଏ । କେତେକ ଖ୍ୟାତନାମା ନିର୍ମାଣ ଉଦ୍ୟୋଗୀ ପ୍ରତ୍ୟେକ ତିନିରୁ ପାଞ୍ଚ ହଜାର ଯାଏଁ ବାର୍ଦ୍ଧକ୍ୟ ଅନୁକୂଳ ଆବାସ ସହରାଞ୍ଚଳରେ ଆଗାମୀ ଦଶ ବର୍ଷ ମଧ୍ୟରେ ନିର୍ମାଣ କରିବା ନିମନ୍ତେ ଯୋଜନା ପ୍ରଣୟନ କରିଛନ୍ତି । ବ୍ରିଟେନ ସହ ଓଡ଼ିଶାର ତୁଳନା ଅଯୌକ୍ତିକ ମନେହେଲେ ହେଁ ଆନ୍ତର୍ଜାତିକ ଚ଼ିନ୍ତନ ପ୍ରବାହ ଯେ ସର୍ବତ୍ର ଊଣାଅଧିକେ ପ୍ରଯୁଜ୍ୟ ଏଥିରେ ସନ୍ଦେହ ନଥାଏ । ମହାମାରୀ-ପର ପରିବେଶରେ ଅବସର ବିହାର ପାଇଁ ନୂଆ ଠିକଣା ଏହି କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବା ଆଶା କରାଯାଇପାରେ ।


 

ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ସେପ୍ଟେମ୍ୱର ୨୦୨

 ---


ତଥ୍ୟ :

 


‘Second innings’: India’s new-age seniors splurge on themselves, drive growth of silver economy. www.newindianexpress.com. March 14, 2021

 

https://www.newindianexpress.com/magazine/2021/mar/14/second-innings-indias-new-ageseniors-splurge-on-themselves-drive-growth-of-silver-economy-2275377.html

 

Kollewe, Julia. How retirement villages becoming part of high street life in the UK. www.theguardian.com. May 24, 2021

 

https://www.theguardian.com/business/2021/may/24/how-retirement-villages-are-becoming-part-of-high-street-life-in-the-uk

ବାର୍ଦ୍ଧକ୍ୟ ସେବା ଆବାସିକ ପ୍ରକଳ୍ପ ରୂପାୟନ

ଊନ୍ନତ ବାର୍ଦ୍ଧକ୍ୟ ଜୀବନଚ଼ର୍ଯ୍ୟା ନିମନ୍ତେ ଅବସର ବିହାର, କେର ହୋମ, ନର୍ସିଂ ହୋମ, ପାଲେଟିଉଭ ଓ ହସପିସ କେର ଇତ୍ୟାଦିକୁ ବିଶ୍ୱବ୍ୟାପୀ ଗୁରୁତ୍ୱ ଦିଆଯାଉଛି । ଉତ୍ତର-ବାର୍ଦ୍ଧକ୍ୟ ଅର୍ଥାତ ବୟସାନ୍ତେ ଶଯ୍ୟାଶାୟୀ, ଚଳପ୍ରଚଳହୀନ ତଥା ସେବାଆଶ୍ରିତ ଅବସ୍ଥାରେ ପହଞ୍ଚିଲେ ଅନ୍ୟର ସାହାଯ୍ୟ ଅପରିହାର୍ଯ୍ୟ ହୋଇପଡ଼େ । ପାରମ୍ପରିକ ଭାବେ ବରିଷ୍ଠ ନାଗରିକଙ୍କ ସେବା ଶୁଶୃଷା ପାରିବାରିକ ତତ୍ତ୍ୱାବଧାନରେ ସମାହିତ ହୋଇ ଆସିଥିଲା । ତେବେ ଏକପକ୍ଷରେ ଶିଳ୍ପ ସଭ୍ୟତା ପରିପ୍ରକାଶରେ ଗ୍ରାମୀଣ ଯୌଥ-ପରିବାର ଭାଙ୍ଗି ଏକକ-ପରିବାର ଆଙ୍ଗିକ ସୃଷ୍ଟି ଫଳରେ କର୍ମନିଯୁକ୍ତ ପରିବାରବର୍ଗଙ୍କ ସମୟ ତଥା ଲୋକବଳ ଅଭାବ ହେତୁ ବୟସ୍କଙ୍କ ଯତ୍ନ ନିମନ୍ତେ ବୃତ୍ତିଧାରୀଙ୍କ ଆବଶ୍ୟକତା ପଡ଼ିଲା । ଅପରପକ୍ଷରେ ଦ୍ୱିତୀୟ ବିଶ୍ୱଯୁଦ୍ଧୋତ୍ତର ଅବସ୍ଥାରୁ ଜୀବଦ୍ଦଶା ବଢ଼ି ଚାଲିବା କାରଣରୁ ବୃଦ୍ଧ ଜନସଂଖ୍ୟା ବୃଦ୍ଧି ବାର୍ଦ୍ଧକ୍ୟ ସେବାର ଭିତ୍ତିଭୂମି ବିକାଶ ଏକ ଜରୁରି ସାମାଜିକ ଆବଶ୍ୟକତାରେ ପରିଣତ ହୋଇଛି ।


 

ବାର୍ଦ୍ଧକ୍ୟ ସେବା କ୍ଷେତ୍ରରେ ଅଗ୍ରଣୀ ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ, ୟୁରୋପୀୟ ଦେଶପୁଞ୍ଜ, କନାଡ଼ା, ଅଷ୍ଟ୍ରେଲିଆ, ଚ଼ୀନ ଓ ଜାପାନ ଭଳି ବିକଶିତ ରାଷ୍ଟ୍ରଗୁଡ଼ିକରେ ଏକବିଂଶ ଶତାଦ୍ଦୀ ପ୍ରଥମ ଦୁଇ ଦଶକ ସୁଦ୍ଧା ୮୦ ପ୍ରତିଶତ ଯାଏଁ ବରିଷ୍ଠ ନାଗରିକ ନିଜ ବାସଗୃହରେ ଜୀବନଯାପନ ନିମନ୍ତେ ଗୁରୁତ୍ୱ ଦେଇଆସିଛନ୍ତି । ଫଳରେ ବାସଗୃହଭିତ୍ତିକ ବାର୍ଦ୍ଧକ୍ୟ-ସେବା ଆବଶ୍ୟକ ପଡ଼େ । କିନ୍ତୁ ମୃତ୍ୟୁ-ସମୀପ ଜୀବନରେ ସ୍ୱାସ୍ଥ୍ୟଗତ ଜଟିଳତା ହେତୁ ହସପିଟାଲ ସମେତ କେର ହୋମ, ନର୍ସିଂ ହୋମ ବା ହସପିସକୁ ସ୍ଥାନାନ୍ତରିତ ହେବାକୁ ବାଧ୍ୟ ହୋଇଥାନ୍ତି । ଏହି ଅଭିଜ୍ଞତା ଓଡ଼ିଶା ଭଳି ରାଜ୍ୟରେ ଶିକ୍ଷିତ, ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳ ଓ ସ୍ୱାଧୀନଚ଼େତା ବାର୍ଦ୍ଧକ୍ୟଗ୍ରସ୍ତ ଏବଂ ଆସନ୍ନ-ବାର୍ଦ୍ଧକ୍ୟଙ୍କ ପକ୍ଷେ ଉତ୍ତର-ବାର୍ଦ୍ଧକ୍ୟରେ ବ୍ୟକ୍ତିଗତ ନିରାପତ୍ତା ନିମନ୍ତେ ସାମୂହିକ ଭିତ୍ତିଭୂମି ସୃଷ୍ଟିର ଗୁରୁତ୍ୱ ପ୍ରତିପାଦିତ କରେ ।


 

ଓଡ଼ିଶୀ ସମାଜର ପାରମ୍ପରିକ ମୂଲ୍ୟବୋଧ ପାରିବାରିକ ସଂହତିକୁ ଗୁରୁତ୍ୱ ଦେଉଥିବା ସ୍ଥଳେ ବିକଳ୍ପ ପାଶ୍ଚାତ୍ୟ ସଭ୍ୟତାର ଉଦାହରଣ ପରିପନ୍ଥୀ ବୋଧ ହେଲେହେଁ ସାମାଜିକ ଜୀବନରେ ବାସ୍ତବ ସ୍ଥିତାବସ୍ଥା ପ୍ରତି ସଚ଼େତନଙ୍କ ସଂଖ୍ୟା ଶୂନ ବିଚାର କରାନଯାଇପାରେ । କେତେକ ଅଗ୍ରଣୀ ପରିବାରବର୍ଗ ରାଜ୍ୟରେ ବାର୍ଦ୍ଧକ୍ୟ-ସେବା ପ୍ରଚଳନ ନିମନ୍ତେ ଆଗ୍ରହୀ ଏବଂ ଏହି ଦିଗରେ ପ୍ରାଥମିକ ପ୍ରସ୍ତୁତିର ଆଭାସ ମିଳେ । ଏଥି ମଧ୍ୟରେ ଅବସର ବିହାର ପରିକଳ୍ପନା ଅନ୍ୟତମ । ବିଭିନ୍ନ କାରଣ, ଯଥା : ବିମୁଦ୍ରାୟନ, ଦ୍ରବ୍ୟ ଓ ସେବା ଟିକସ ତଥା ନିର୍ମାଣ ଶିଳ୍ପ ସଂକ୍ରାନ୍ତୀୟ ଆଇନ ପ୍ରଚଳନ ଫଳରେ ନିର୍ମାଣ ଉଦ୍ୟୋଗ ଶୀଥିଳ ହୋଇପଡ଼ିଥିବା ସ୍ଥଳେ ମହାମାରୀରେ ବ୍ୟାପକ ବିଘଟନର ସମ୍ମୁଖୀନ ହୋଇଥିଲା । ମହାମାରୀ-ପର ପରିବେଶରେ ସାଧାରଣ ଘରବାଡ଼ି ପରିବର୍ତ୍ତେ ସ୍ୱତନ୍ତ୍ରବର୍ଗର ଉପଭୋକ୍ତାଙ୍କ ଆବଶ୍ୟକତାଭିତ୍ତିକ ନିର୍ମାଣ ପ୍ରତି ଗୁରୁତ୍ୱ ଦିଆଯିବା ଆକଳନ କରାଯାଉଛି । ସେହିକ୍ରମରେ ଅବସର ବିହାର ଭଳି ପ୍ରକଳ୍ପଗୁଡ଼ିକରେ ଉପଲବ୍ଧ ଆବାସ ତୁଳନାରେ ପ୍ରାୟ ଦଶଗୁଣ ଉପଭୋକ୍ତା ଆଗ୍ରହ ପ୍ରକାଶ କରୁଥିବା ହେତୁ ପାଞ୍ଚରୁ ଦଶ ବର୍ଷ ମଧ୍ୟରେ କୋଡ଼ିଏ ପ୍ରତିଶତ ବ୍ୟାବସାୟିକ ଅଭିବୃଦ୍ଧି ସମ୍ଭବ ।


 

ଅବସର ବିହାର ବୟୋଜ୍ୟେଷ୍ଠଙ୍କ ନିମନ୍ତେ ସହାୟତାଯୁକ୍ତ ଜୀବନଚର୍ଯ୍ୟା ସୁବିଧା ସୁଯୋଗ ସୃଷ୍ଟି କରିଥାଏ । ଏକାକୀ ବସବାସ କିମ୍ୱା ପରିବାରବର୍ଗଙ୍କ ତତ୍ତ୍ୱାବଧାନ ଅଭାବରେ ବୃତ୍ତିଧାରୀଙ୍କୁ ଆୟୋଜନ ଓ ପରିଚାଳନା ସମସ୍ୟାବହୁଳ ହୋଇପଡୁଥିବାସ୍ଥଳେ ଅବସର ବିହାରରେ ବାର୍ଦ୍ଧକ୍ୟ ଜୀବନଯାପନ ସରଳ ଓ ସହଜ । ଏତଦ୍ ବ୍ୟତୀତ ବହୁ ଉପଭୋକ୍ତାଙ୍କ ସମାଗମ ହେତୁ ଏତାଦୃଶ ପରିବେଶରେ ସେବା ଆୟୋଜନ ଅପେକ୍ଷାକୃତ ଗୁଣାତ୍ମକ ଓ ଆର୍ଥିକ ଦୃଷ୍ଟିରୁ ଶସ୍ତା ହୋଇପାରେ । ଓଡ଼ିଶାରେ ଅବସର ବିହାର ନବୀନତମ ପ୍ରକଳ୍ପ ପର୍ଯ୍ୟାୟଭୁକ୍ତ ହେଉଥିବା ସ୍ଥଳେ ଏହା ରୂପାୟନ ଅବସରରେ କେତେକ ଦିଗ ଚର୍ଚ୍ଚାର ପରିସରକୁ ଆସିଥାଏ ।


 

ପ୍ରଥମତଃ, ଅବସର ବିହାରଗୁଡ଼ିକ ସହରର କେନ୍ଦ୍ରାଞ୍ଚଳରେ ନିର୍ମାଣ ପ୍ରତି ଧ୍ୟାନ ଦିଆଯିବା ଆବଶ୍ୟକ । ଗ୍ରାମାଞ୍ଚଳ ତୁଳନାରେ ସହରାଞ୍ଚଳରେ ବାର୍ଦ୍ଧକ୍ୟ-ଅନୁକୂଳ ସୁବିଧା ଉପଲବ୍ଧ । ସେହିପରି କେନ୍ଦ୍ରାଞ୍ଚଳ ଯାନବାହାନ, ଯୋଗାଯୋଗ ଓ ସୁରକ୍ଷା କାରଣରୁ ସହରତଳି ଅଞ୍ଚଳଠାରୁ ଉନ୍ନତ । ବୟସ୍କ ଉପଭୋକ୍ତା ଜୀବଦ୍ଦଶାର ସ୍ୱଳ୍ପତା ଦୃଷ୍ଟିରୁ ଭବିଷ୍ୟତ ବଦଳରେ ବର୍ତ୍ତମାନ ଉପଲବ୍ଧ ସୁବିଧାସୁଯୋଗକୁ ଗୁରୁତ୍ୱ ଦେଉଥିବା ହେତୁ ଅପେକ୍ଷାକୃତ ଅନୁନ୍ନତ ପରିବେଶରେ ଆବାସପ୍ରକଳ୍ପ ବ୍ୟବହାରଯୋଗ୍ୟ ସାବ୍ୟସ୍ତ ନହେବା ଭୟ ରହିଥାଏ ।


 

ଦ୍ୱିତୀୟତଃ, ଉତ୍ତର-ବାର୍ଦ୍ଧକ୍ୟ ମୁଖ୍ୟତଃ ଗୃହାବଦ୍ଧ-ଜୀବନ-କେନ୍ଦ୍ରୀକ ହୋଇଥିବା କାରଣରୁ ଅବସର ବିହାର ଅନ୍ତେବାସୀଙ୍କ ମଧ୍ୟରେ ଭାବଗତ ସଂହତି ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା । ସାଧ୍ୟମତେ ସମଗୋତ୍ରୀଙ୍କୁ ଏକତ୍ରୀତ କରିବା ଦିଗରେ ଉଦ୍ୟମ ସଂଭବ । ଏଥି ନିମନ୍ତେ ସାଧାରଣ ଆବାସ କିଣାବିକା ପର୍ଯ୍ୟାୟରୁ ଉର୍ଦ୍ଧ୍ୱରେ ଉପଭୋକ୍ତାଙ୍କ ରୁଚି ଓ ଦୃଷ୍ଟିକୋଣ ଅନୁଶୀଳନରେ ପୃଥକ ବସତି କମ୍ୟୁନିଟି ଗଠନପ୍ରତି ଧ୍ୟାନ ଦିଆଯାଇ ପାରିବ ।


 

ତୃତୀୟତଃ, ଅବସର ବିହାର ରକ୍ଷଣାବେକ୍ଷଣ ନିମନ୍ତେ ଧାରାବାହିକ ଖର୍ଚ୍ଚ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସେହି ଦିଗରେ ଆଗୁଆ ଆର୍ଥିକ ବନ୍ଦୋବସ୍ତ ତାତ୍ପର୍ଯ୍ୟପୂର୍ଣ୍ଣ । ଅନ୍ତେବାସୀଙ୍କଠାରୁ ମୋଟା ଅଙ୍କର ଜମା ସଂଗ୍ରହ କରାଯାଇ ସେହିପାଣ୍ଠି ନିବେଶ ଆୟରେ ମାସିକ ରକ୍ଷଣାବେକ୍ଷଣ ଖର୍ଚ୍ଚ ଭରଣା କରାଯିବା ପ୍ରାବଧାନ ଉଚ଼ିତ ମନେହୁଏ ।


 

ଚ଼ତୁର୍ଥତଃ, ଓଡ଼ିଶା ପରିବେଶରେ ଅବସର ବିହାରର ସମସ୍ତ ଉପଭୋକ୍ତା ତୁରନ୍ତ ବସବାସ ନିମନ୍ତେ ଅଗଭର ନହୋଇ ପାରନ୍ତି । ଏହି ପରିପ୍ରେକ୍ଷୀରେ ପ୍ରତ୍ୟେକ ବସତିରେ କିପରି ତୁରନ୍ତ ଥଇଥାନ ହେଉଥିବା ବାସିନ୍ଦା, ନିକଟ ଭବିଷ୍ୟତର ବାସିନ୍ଦା ଏବଂ ସାମୟିକ ବାସିନ୍ଦାଙ୍କ ଲାଗି ଆବାସ ବଣ୍ଟନ ହୋଇପାରିବ ତାହା ଅନ୍ତେବାସୀଙ୍କ ସ୍ୱାଚ୍ଛନ୍ଦ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିବ ।


 

ପଞ୍ଚମତଃ, ଅବସର ବିହାରର ଆବାସଗୁଡ଼ିକର ହସ୍ତାନ୍ତର ଓ ପୁନଃବିକ୍ରୀ ପ୍ରତି ସ୍ୱଚ୍ଛ ଆଇନଗତ ପଦକ୍ଷେପ ଜରୁରୀ । ଏଦିଗରେ ଅସାବଧାନତା ସମଗ୍ର ବସତିରେ ବିଶୃଙ୍ଖଳାର କାରଣ ପାଲଟିପାରେ । ଅବସର ବିହାରରେ ଆବାସ ବିକ୍ରୀ ବଦଳରେ ଉପଭୋକ୍ତାଙ୍କୁ ସଂପୃକ୍ତ ବ୍ୟବସାୟ ବା ସମବାୟ ସମିତିର ନିବେଶକଭାବେ ଗ୍ରହଣ କରାଗଲେ ସ୍ଥାବର ସମ୍ପତ୍ତି ହସ୍ତାନ୍ତରକୁ ବାରଣ କରାଯାଇପାରେ ।


 

ଷଷ୍ଠତଃ, ଅବସର ବିହାରର ଆକାର ତାହାର ପରିଚାଳନାକୁ ନିର୍ଭରଯୋଗ୍ୟ ପର୍ଯ୍ୟାୟକୁ ଉନ୍ନୀତ କରିବ । ତେଣୁ ବୃହତ ବସତି ନିର୍ମାଣ ସ୍ଥାନ ଓ ନିବେଶ ଅଭାବରୁ ଏକାଥରକେ ସଂଭବ ନହେଲେ ପର୍ଯ୍ୟାୟକ୍ରମେ ପ୍ରକଳ୍ପ ରୂପାୟନରେ ଏକକ ପରିଚାଳନାର ପ୍ରାବଧାନ ବିଭିନ୍ନ ସେବା ଯୋଗାଣରେ ସକ୍ଷମ ହୋଇପାରେ । ଅର୍ଥାତ, ବିଚ୍ଛୁରିତ ଭାବେ ବହୁ ପରିଚାଳନା ସମିତି ବଦଳରେ କୌଣସି ସହରରେ ଏକ ବଳିଷ୍ଠ ସମିତି ଗଠନ ପ୍ରତି ମୂଳରୁ ସାଂଗଠନିକ ଆୟୋଜନ ଗୁରୁତ୍ୱପୂର୍ଣ୍ଣ ।


 

ଓଡ଼ିଶାରେ ଅବସର ବିହାର ପ୍ରକଳ୍ପ ରୂପାୟନର ପ୍ରାଥମିକ ପର୍ଯ୍ୟାୟରେ ଏଗୁଡ଼ିକ କିପରି କେର ହୋମ, ନର୍ସିଂ ହୋମ ଓ ସ୍ଥଳ ବିଶେଷରେ ଫିଜିଓଥେରାପି, ଡେମେନସିଆ, ହସପିସ ସେବା ଯୋଗାଇ ପାରିବ ସେ ଦିଗରେ ଧ୍ୟାନଦେବା ଆବଶ୍ୟକ । ବାର୍ଦ୍ଧକ୍ୟ ଜୀବନଚର୍ଯ୍ୟା ନିମନ୍ତେ ଅବସର ବିହାର ବିକଶିତ ରାଷ୍ଟ୍ରଗୁଡ଼ିକରେ ବିକଳ୍ପ ପରିବେଶ ସୃଷ୍ଟି କରିଥିଲେ ହେଁ କୋଭିଡ଼-୧୯ ମହାମାରୀ କାଳରେ ଅନ୍ତେବାସୀଙ୍କ ମଧ୍ୟରେ ସଂକ୍ରମଣ  ଓ ପ୍ରାଣହାନୀ ଏହି ମଡ଼େଲର ଉପାଦେୟତା ପ୍ରତି ଅସମାହିତ ପ୍ରଶ୍ନ ସୃଷ୍ଟି କରିଛି ।


 

ଖ୍ୟାତନାମା ଆନ୍ତର୍ଜାତିକ ସ୍ୱାସ୍ଥ୍ୟ ବିଜ୍ଞାନ ପତ୍ରିକା ଲେନସେଟର ୨୦୨୧ ମାର୍ଚ୍ଚ ପହିଲା ସଂସ୍କରଣରେ ପ୍ରକାଶିତ ଏକ ରଚନାରେ ଚାରିଗୋଟି ମହାଦେଶର ୧୪ ଗୋଟି ରାଷ୍ଟ୍ରରେ ୮,୫୦୦ ବାର୍ଦ୍ଧକ୍ୟ-ସେବା ଆବାସିକ ପ୍ରକଳ୍ପରେ ବସବାସ କରୁଥିବା ପ୍ରାୟ ଦୁଇଲକ୍ଷ ପନ୍ଦର ହଜାର ଅନ୍ତେବାସୀଙ୍କ ମଧ୍ୟରେ କୋଭିଡ଼-୧୯ ପ୍ରଥମ ତରଙ୍ଗରେ ସଂକ୍ରମିତ ପଚିଶି ହଜାର ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଶୀଳନ କରାଯାଇଥିଲା । ଅଳ୍ପ ବୟସ୍କଙ୍କ ତୁଳନାରେ ବରିଷ୍ଠ ନାଗରିକମାନେ ସଂକ୍ରମିତ ଅବସ୍ଥାରେ ଅଧିକମାତ୍ରାରେ ହସପିଟାଲରେ ଭର୍ତ୍ତି ହେଉଥିବା ଏବଂ ମୃତ୍ୟୁ ମୁଖରେ ପଡୁଥିବା ଜଣାଯାଇଥିଲା । ଅବସର ବିହାରଗୁଡ଼ିକରେ ଅନ୍ତେବାସୀଙ୍କ ଭିନ୍ନ ସେବାପ୍ରଦାନ କର୍ମଚାରୀ, ଚ଼ିକିତ୍ସକ, ପରିଚାଳକ ତଥା ଅତିଥିଙ୍କ ଭିଡ଼ ଲାଗି ରହୁଥିବା ତଥା ସେମାନଙ୍କ ମଧ୍ୟରୁ ଅନେକ ଏକାଧିକ ପ୍ରକଳ୍ପ ତତ୍ତ୍ୱାବଧାନରେ ନିୟୋଜିତ ଥିବା ସଂକ୍ରମଣ ବୃଦ୍ଧିର ଅନ୍ୟତମ କାରଣ ରୂପେ ଚ଼ିହ୍ନଟ କରାଯାଇଥିଲା । କୁଶଳୀ ଓ ପର୍ଯ୍ୟାପ୍ତ ସଂଖ୍ୟକ କର୍ମଚାରୀ ଅଭାବକୁ ମଧ୍ୟ ଦାୟୀ କରାଯାଇଥିଲା ।


 

ନିଉୟର୍କ ଟାଇମ୍ସରେ ୨୦୨୧ ଜୁନ ପହିଲା ସଂସ୍କରଣରେ ପ୍ରକାଶିତ ତଥ୍ୟ ଅନୁଯାୟୀ ମହାମାରୀ ଆରମ୍ଭରୁ ଜୁନ ୨୦୨୧ ସୁଦ୍ଧା ଯୁକ୍ତରାଷ୍ଟ୍ର ଆମେରିକାର ମୋଟ କୋଭିଡ଼ ଆକ୍ରାନ୍ତଙ୍କ ମଧ୍ୟରେ ଚାରି ପ୍ରତିଶତ ଅବସର ବିହାର ଅନ୍ତେବାସୀ ଥିବାସ୍ଥଳେ ମୃତ୍ୟୁହାର ୩୧ ପ୍ରତିଶତ । ସେଠାକାର ସାଧାରଣ କୋଭିଡ଼ଜନିତ ମୃତ୍ୟୁହାର ଦୁଇ ପ୍ରତିଶତ ରହୁଥିବା ବେଳେ ଅବସର ବିହାରରେ ଆକ୍ରାନ୍ତଙ୍କ ମୃତ୍ୟୁହାର ୧୦ ପ୍ରତିଶତ ଛୁଇଁଥିଲା । ମହାମାରୀକାଳରେ ବାର୍ଦ୍ଧକ୍ୟ-ସେବା ଆବାସିକ ପ୍ରକଳ୍ପଗୁଡ଼ିକରେ ସଂକ୍ରମଣ ଭୟ ଉନ୍ନତ ସ୍ୱାସ୍ଥ୍ୟସେବା ନିମନ୍ତେ ପଦକ୍ଷେପ ଆବଶ୍ୟକ କରେ । ଏହି ଦିଗରେ ଭିତ୍ତିଭୂମି ସଜାଡ଼ିବା ଖର୍ଚ୍ଚବହୁଳ ହେଲେହେଁ ଶେଷ ଜୀବନର ସୁରକ୍ଷା ପାଇଁ ନିବେଶ ବିଚାର କରିବା ବୁଦ୍ଧିମାନର କାର୍ଯ୍ୟ ।



 

ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଅକ୍ଟୋବର ୨୦୨

 ---

ତଥ୍ୟ :

 


Hashan, Mohammad Rashid (et.al.) Epidemiology and clinical features of Covid-19 outbreaks in aged care facilities: A systematic review and meta-analysis March 01, 2021

 

https://www.thelancet.com/journals/eclinm/article/PIIS2589-5370(21)00051-1/fulltext

 

Nearly one-third of US Cornavirus deaths are linked to nursing homes. June 01, 2021

 

https://www.nytimes.com/interactive/2020/us/coronavirus-nursing-homes.html

ଅବସର ବିହାର ନିର୍ମାଣ ନିର୍ଦ୍ଦେଶନାମା

ଭାରତ ସରକାରଙ୍କ ଆବାସନ ଓ ସହରୀ କାର୍ଯ୍ୟ ମନ୍ତ୍ରଣାଳୟ ମିନିଷ୍ଟ୍ରୀ ଅଫ ହାଉସିଂ ଏଣ୍ଡ ଆର୍ବନ ଏଫାୟର୍ସପକ୍ଷରୁ ନଭେମ୍ୱର ୨୦୧୯ରେ ଅବସର ବିହାର ନିର୍ମାଣ ନିୟମାବଳୀ ସଂପର୍କୀତ ଆଦର୍ଶ ନିର୍ଦ୍ଦେଶନାମା ମଡ଼େଲ ଗାଇଡ଼ଲାଇନ୍ସ ଫର ଡ଼େଭଲାପମେଣ୍ଟ ଏଣ୍ଡ ରେଗୁଲେସନ ଅଫ ରିଟାୟରମେଣ୍ଟ ହୋମସ ପ୍ରକାଶିତ ହୋଇଥିଲା ।

 

ନିର୍ଦ୍ଦେଶନାମାର ମୁଖବନ୍ଧ ଆଦ୍ୟଭାଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱୀକାରୋକ୍ତି, ବରିଷ୍ଠ ନାଗରିକଙ୍କ ସମ୍ମାନ, ଅର୍ଥନୀତିକ ସୁରକ୍ଷା ଓ କଲ୍ୟାଣ ନିମନ୍ତେ ଆମେ ସର୍ବାପେକ୍ଷା ଗୁରୁତ୍ୱ ପ୍ରଦାନ କରିଆସିଛୁ ସ୍ଥାନିତ ହୋଇଥିଲା । ଭାରତ ସରକାରଙ୍କ ଆବାସନ ଓ ସହରୀ କାର୍ଯ୍ୟ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ହରଦୀପ ପୁରୀ ନିଜ ବାର୍ତ୍ତାରେ ଦେଶରେ ଯୌଥ ପରିବାର ପ୍ରଥା ଭାଙ୍ଗି ଆସୁଥିବା ହେତୁ ବରିଷ୍ଠ ନାଗରିକମାନେ ଅବହେଳା ଶୀକାର ହେଉଥିବା ସୂଚ଼ିତ କରିଥିଲେ । ଏହି ସମସ୍ୟା ସଂପର୍କରେ ସାମାଜିକସ୍ତରରେ ଉଚ଼ିତ ଉପଲବ୍ଧି ସମ୍ଭବ ହୋଇପାରିନଥିବା ସ୍ଥଳେ ସେହି ବର୍ଗର କଲ୍ୟାଣ ନିମନ୍ତେ ପଦକ୍ଷେପ ଗ୍ରହଣ ଜରୁରି ହୋଇପଡ଼ିଛି । ବିଭିନ୍ନ ସମସ୍ୟା ମଧ୍ୟରେ ବରିଷ୍ଠ ନାଗରିକଙ୍କ ବାସସ୍ଥାନ ପ୍ଳେସ ଅଫ ରେସିଡ଼େନ୍ସ ଅନ୍ୟତମ ।

 

ମୁଖବନ୍ଧରେ ବିଭାଗୀୟ ସଚ଼ିବ  ଦୁର୍ଗା ଶଙ୍କର ମିଶ୍ର ଉଲ୍ଲେଖ କରିଥିଲେ ଯେ ଜାତିସଂଘ ଆକଳନରେ ୨୦୫୦ ସୁଦ୍ଧା ଭାରତରେ ବରିଷ୍ଠ ନାଗରିକଙ୍କ ଜନସଂଖ୍ୟା ୨୪ କୋଟିରେ ପହଞ୍ଚିବ । ଏମାନଙ୍କ ମଧ୍ୟରୁ ବହୁ ସଂଖ୍ୟକ ଅର୍ଥନୀତି ଦୃଷ୍ଟିରୁ ଆତ୍ମନିର୍ଭର ଥିବା ସ୍ଥଳେ ସମ୍ମାନଜନକ ଜୀବନଚର୍ଯ୍ୟା ନିମନ୍ତେ ସମଗୋତ୍ରୀଙ୍କ ଗହଣରେ ସ୍ୱତନ୍ତ୍ର ବସତିମାନଙ୍କରେ ସ୍ୱାଧୀନଭାବେ ବସବାସ କରିବାକୁ ଚାହିଁବେ । ସେମାନଙ୍କ ଯତ୍ନ ନେବାଲାଗି ବୃତ୍ତିଭିତ୍ତିକ ପରିଚାଳନା ବ୍ୟବସ୍ଥା ଗଢ଼ିତୋଳିବା ସମୟ ଉପନୀତ । ବରିଷ୍ଠ ନାଗରିକଙ୍କ ହିତରେ ସ୍ୱତନ୍ତ୍ର ସୁବିଧାସୁଯୋଗ ସନ୍ନିବଶିତ ଆବାସ ନିର୍ମାଣକୁ ଅଗ୍ରାଧିକାର ଦେବା ନିମନ୍ତେ ଏହି ପ୍ରକଳ୍ପଗୁଡ଼ିକୁ ରିଅଲ ଇଷ୍ଟେଟ ରେଗୁଲେସନ ଆକ୍ଟରେ ସ୍ପେଶାଲ କାଟାଗୋରୀରେ ସ୍ଥାନିତ କରାଯାଇଛି ।

 

ଏହି ଦିଗରେ ବିଶେଷଜ୍ଞଙ୍କ ପରାମର୍ଶ ସଂକଳନ ନିମନ୍ତେ ଆବାସନ ଓ ସହରୀ କାର୍ଯ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ଏକ୍ସପାର୍ଟ କମିଟି ଗଠନ କରାଯାଇଥିଲା । କମିଟି ଦ୍ୱାରା ପ୍ରଣୀତ ପ୍ରସ୍ତାବବଳୀ ମଡ଼େଲ ଗାଇଡ଼ ଲାଇନ୍ସ ଫର ଡ଼େଭଲାପମେଣ୍ଟ ଏଣ୍ଡ ରେଗୁଲେସନ ଅଫ ରିଟାୟରମେଣ୍ଟ ହୋମସ ଆକାରରେ ପ୍ରକାଶିତ ହୋଇଛି । ଏହି ନିର୍ଦ୍ଦେଶନାମାକୁ ପୁଞ୍ଜିକରି ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଆବଶ୍ୟକୀୟ ସଂଶୋଧନ ସହ ନିଜ ପକ୍ଷରୁ ବରିଷ୍ଠ ନାଗରିକଙ୍କ ଅବସର ବିହାର ନିର୍ମାଣ ପ୍ରକଳ୍ପର ନୀତିନିର୍ଦ୍ଧାରଣ କରିବାକୁ ଅନୁରୋଧ କରାଯାଇଥିଲା । ପ୍ରତ୍ୟେକ ରାଜ୍ୟପକ୍ଷରୁ ଏହି ଦିଗରେ ସମୁଚ଼ିତ ପଦକ୍ଷେପ ଗ୍ରହଣ କଲେ ନିର୍ମାଣ ଉଦ୍ୟୋଗର ଅବସର ବିହାର ପ୍ରକଳ୍ପଗୁଡ଼ିକରେ ପୁଞ୍ଜିଲଗାଣ ନିମନ୍ତେ ସ୍ଥାନୀୟ ତଥା ଦେଶ ବିଦେଶର ନିବେଶକମାନେ ଅଗଭର ହେବେ ବୋଲି ସଚ଼ିବ ଗୁରୁତ୍ୱାରୋପ କରିଥିଲେ ।

 

ଭାରତୀୟ ସମ୍ୱିଧାନ ଧାରା ୪୧ରେ ରାଷ୍ଟ୍ର ପକ୍ଷରୁ ଶିକ୍ଷା, କର୍ମନିଯୁକ୍ତି ତଥା ନିଯୁକ୍ତି ଅଭାବରେ ବେକାରଙ୍କୁ ସହାୟତା ସହ ବାର୍ଦ୍ଧକ୍ୟ, ଦୁରାରୋଗ୍ୟ ଓ ଅକର୍ମଣ୍ୟଙ୍କୁ ସାଧ୍ୟମତେ ସହାୟତା ପ୍ରଦାନ ନିମନ୍ତେ ସ୍ପଷ୍ଟ ନିର୍ଦ୍ଦେଶ ରହିଛି । ସାମାଜିକ ନ୍ୟାୟ ପ୍ରତିଷ୍ଠା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦାୟିତ୍ୱ ଅନ୍ତର୍ଭୁକ୍ତ ।

 

ବରିଷ୍ଠ ନାଗରିକଙ୍କ ସୁରକ୍ଷା ନିମନ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମେଣ୍ଟେନେନ୍ସ ଏଣ୍ଡ ୱେଲଫର ଅଫ ପ୍ୟାରେଣ୍ଟସ ଏଣ୍ଡ ସିନିୟର ସିଟିଜନ୍ସ ଆକ୍ଟ ୨୦୦୭ରେ ପ୍ରଣୟନ କରାଯାଇଥିଲା । ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ପକ୍ଷରୁ ୨୦୧୧ରେ ପ୍ରୟୋଜିତ ନ୍ୟାସନାଲ ପଲିସି ଫର ସିନିୟର ସିଟିଜେନ୍ସରେ ବରିଷ୍ଠ ନାଗରିକଙ୍କୁ ଆବଶ୍ୟକ ସ୍ଥଳେ ଆନୁଷ୍ଠାନିକ ସହାୟତା ପ୍ରଦାନ ନିମନ୍ତେ ପ୍ରାବଧାନ ରଖାଗଲା । ମନ୍ତ୍ରଣାଳୟ ପକ୍ଷରୁ ଇଣ୍ଟିଗ୍ରେଟେଡ଼ ପ୍ରୋଗ୍ରାମ ଫର ଓଲଡ଼ ପରସନ୍ସ ମାଧ୍ୟମରେ ଓଲଡ଼-ଏଜ-ହୋମ, ଡ଼େ-କେର-ସେଣ୍ଟର, ମୋବାଇଲ ମେଡ଼ିକାଲ ୟୁନିଟ, ରିଜିଓନାଲ ରିସର୍ଚ୍ଚ ଏଣ୍ଡ ଟ୍ରେନିଂ ସେଣ୍ଟର ଓ ବରିଷ୍ଠ ନାଗରିକ ସଂଘ ଗଠନ ପ୍ରତି ଗୁରୁତ୍ୱରୋପ ହୋଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ତତ୍ତ୍ୱାବଧାନରେ ପ୍ରତି ଜିଲ୍ଲାରେ ଅନ୍ତତଃପକ୍ଷେ ୧୫୦ ଜଣ ବରିଷ୍ଠ ନାଗରିକଙ୍କୁ ବୃଦ୍ଧାଶ୍ରମରେ ଥଇଥାନର ବ୍ୟବସ୍ଥା କରିବା ନିମନ୍ତେ ସହାୟତା ଯୋଗାଇ ଦିଆଯିବା ବ୍ୟବସ୍ଥା ରହିଲା ।

 

ସାମାଜିକ ନ୍ୟାୟ ସଶକ୍ତିକରଣ ପାର୍ଲାମେଣ୍ଟରୀ ଷ୍ଟାଣ୍ଡିଂ କମିଟୀ ୨୦୧୪ରେ ଇଣ୍ଡିଗ୍ରେଟେଡ଼ ପ୍ରୋଗ୍ରାମ ଫର ଓଲଡ଼ର ପରସନ୍ସର କାର୍ଯ୍ୟକାରିତା ସମୀକ୍ଷା କରି ବୃଦ୍ଧାଶ୍ରମଗୁଡ଼ିକରେ ସର୍ବନିମ୍ନ ସୁବିଧାସୁଯୋଗ ନିର୍ଦ୍ଧାରଣ କରିବା ନିମନ୍ତେ ପରାମର୍ଶ ଦେଇଥିଲେ । ଠିକ ସେହି ସମୟରେ ମାଡ୍ରାସ ହାଇକୋର୍ଟରେ ବରିଷ୍ଠ ନାଗରିକ ବସବାସ କରୁଥିବା ଅବସର ବିହାର ଗୁଡ଼ିକୁ ସୁନିୟନ୍ତ୍ରଣ କରିବା ନିମନ୍ତେ ନୀତି ନିର୍ଦ୍ଧାରଣ ଓ ନିୟମାକ ନିଯୁକ୍ତି ପ୍ରାର୍ଥନା କରି ଏକ ଜନସ୍ୱାର୍ଥ ମାମଲା ୨୦୧୫ରେ ଦାୟର କରାଯାଇଥିଲା । ଫଳସ୍ୱରୂପ ତାମିଲନାଡୁ ସରକାରଙ୍କ ସାମାଜିକ କଲ୍ୟାଣ ଓ ପୁଷ୍ଟିକର ଭୋଜନ କାର୍ଯ୍ୟକ୍ରମ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ବୃଦ୍ଧାଶ୍ରମ ସରକାରୀଭାବେ ପଞ୍ଜୀକରଣ ନିମନ୍ତେ ୨୦୧୬ରେ ନିର୍ଦ୍ଦେଶନାମା ଗଭର୍ଣ୍ଣମେଣ୍ଟ ଅର୍ଡର ଜାରୀ କରାଯାଇଥିଲା । ଅବଶ୍ୟ ଏହି ନିୟମକୁ କେବଳ ବୃଦ୍ଧାଶ୍ରମ ମଧ୍ୟରେ ସୀମିତ ରଖାଯାଇଥିଲା  ତଥା ଦେୟଯୁକ୍ତ ଅବସର ବିହାରଗୁଡ଼ିକ ବାଦ ପଡ଼ିଥିଲା ।

 

ଦେଶର ବିଭିନ୍ନ ପ୍ରାନ୍ତରେ ସହରାଞ୍ଚଳରେ ଉଚ୍ଚ ଓ ମଧ୍ୟମ ଅର୍ଥନୀତିକ ବର୍ଗର ବରିଷ୍ଠ ନାଗରିକମାନେ ଅବସର ବିହାରରେ ଆବାସ କ୍ରୟ କରି ବାର୍ଦ୍ଧକ୍ୟ ଅନୁକୂଳ ସୁବିଧାସୁଯୋଗ ଉପଭୋଗ କରିବା ନିମନ୍ତେ କ୍ରମଶଃ ଆଗ୍ରହ ପ୍ରକାଶ କରୁଥିବା ପରିଲକ୍ଷିତ । ନିଜସ୍ୱ ଉପାର୍ଜନ, ପେନସେନ ଓ ସଞ୍ଚିତ ପାଣ୍ଠି ଉପଯୋଗରେ ଉତ୍ତର-ବାର୍ଦ୍ଧକ୍ୟରେ ସହାୟତାଯୁକ୍ତ ଜୀବନଯାତ୍ରା ନିମନ୍ତେ ଉପଲବ୍ଧ ଅବସର ବିହାରଗୁଡ଼ିକ ପରିଚାଳନା ନିମନ୍ତେ କୌଣସି ସରକାରୀ ନୀତି ନିୟମ ନିର୍ଦ୍ଧାରିତ ନହୋଇଥିବା ତଥା ନିୟନ୍ତ୍ରଣ ପ୍ରାବଧାନ ନଥିବା ହେତୁ ସ୍ଥଳ ବିଶେଷରେ ବରିଷ୍ଠ ନାଗରିକମାନେ ଠକାମି ଓ ଅବହେଳା ଶୀକାର ହେଉଥିବା ଉଦାହରଣ ଅଭାବ ନଥାଏ ।

 

ଅବସର ବିହାର ପ୍ରକଳ୍ପଗୁଡ଼ିକ ନିର୍ମାଣ ଉଦ୍ୟୋଗ ଦ୍ୱାରା ନିର୍ମିତ ହେଉଥିବା ସ୍ଥଳେ ରିଏଲ ଇଷ୍ଟେଟ (ରେଗୁଲେସନ ଏଣ୍ଡ ଡ଼େଭଲାପମେଣ୍ଟ) ଆକ୍ଟ ୨୦୧୬ ପ୍ରଣୟନ ପରେ ଅବସର ବିହାରଗୁଡ଼ିକ ସ୍ପେଶାଲ କାଟେଗୋରୀ ନିର୍ମାଣ ପର୍ଯ୍ୟାୟଭୁକ୍ତ କରାଯାଇଛି । ରାଜ୍ୟ ସରକାରମାନଙ୍କ ଦ୍ୱାରା ନିର୍ମାଣ ଉଦ୍ୟୋଗ ଆଇନ ଉପଯୋଗ ଲାଗି ଭିତ୍ତିଭୂମି ପ୍ରସ୍ତୁତ କରାଯାଉଥିବା ଅବସରରେ ଅବସର ବିହାର ପ୍ରକଳ୍ପ ନୀତି ନିର୍ଦ୍ଧାରଣଲାଗି କେନ୍ଦ୍ରସରକାରଙ୍କ ନିର୍ଦ୍ଦେଶାବଳୀ ଅର୍ଥପୂର୍ଣ୍ଣ ମନେହୁଏ । ନୂତନ ନିୟମ ଅନୁଯାୟୀ ନିର୍ମାଣ ଉଦ୍ୟୋଗ ନିୟନ୍ତ୍ରଣ ଆରମ୍ଭ ସମୟରୁ ଅବସର ବିହାରର ନିର୍ଦ୍ଦେଶାବଳୀ ସାମିଲ ହେଲେ ଭବିଷ୍ୟତରେ ଏହି ଉଦ୍ୟୋଗ ବିକାଶରେ ସହାୟକ ହୋଇପାରିବା ଆଶା କରାଯାଇପାରେ ।

 

ଦ୍ୱିତୀୟତଃ, ନିର୍ଦ୍ଦେଶନାମା ଅନୁଯାୟୀ ପ୍ରକଳ୍ପଗୁଡ଼ିକର ଆବାସ ବୟସ ଆଧାରରେ ଉପଯୁକ୍ତ କ୍ରେତାମାନଙ୍କୁ ସତ୍ତ୍ୱାଧିକାରୀ ଓନରସିପ, ବନ୍ଧକ ରିଭେର୍ସ ମର୍ଟଗେଜ ଓ ଭଡ଼ା ଲିଜ ସୂତ୍ରରେ ହସ୍ତାନ୍ତର କରାଯାଇ ପାରିବ । ଏହି ଅବସରରେ ଉପଭୋକ୍ତାମାନେ ପ୍ରକଳ୍ପର ରକ୍ଷଣାବେକ୍ଷଣ ନିମନ୍ତେ ସୁଧହୀନ ସ୍ଥାୟୀ ଜମା ଦଖଲ ସାଙ୍ଗକୁ ନିୟମିତ ମାସିକ ଦେୟ ପ୍ରଦାନ କରିବାକୁ ପ୍ରତିଶୃତିବଦ୍ଧ ହେବେ । ଅବସର ବିହାର ପ୍ରକଳ୍ପଗୁଡ଼ିକୁ ଅନାଥାଶ୍ରମ ଓ ଚ଼ାଇଲଡ଼-ଡ଼େ-କେର ସେଣ୍ଟରଗୁଡ଼ିକ ନିକଟରେ ନିର୍ମାଣକୁ ଉତ୍ସାହିତ କରାଯିବ । ରାଜ୍ୟ ସରକାରମାନଙ୍କ ପକ୍ଷରୁ ଅବସର ବିହାର ପ୍ରକଳ୍ପ ନିର୍ମାଣ ଓ ପରିଚାଳନା ନିମନ୍ତେ ବିଭିନ୍ନ ପ୍ରୋତ୍ସାହନ ବ୍ୟବସ୍ଥା ଏହି ଭଳି ସୁବିଧା ସୁଯୋଗ ବ୍ୟାପ୍ତିରେ ସହାୟକ ହେବ ।

 

ତୃତୀୟତଃ, ଅବସର ବିହାର ଆବାସଗୁଡ଼ିକ ୩୦ରୁ ୮୦ ବର୍ଗମିଟର ଏବଂ ପ୍ରତ୍ୟେକ ପ୍ରକଳ୍ପରେ ଶହେରୁ ଦେଢ଼ଶହ ଆବାସ ନିର୍ମାଣ ସମ୍ଭବପର । ନିର୍ମାଣ କାର୍ଯ୍ୟ ନିମନ୍ତେ ନ୍ୟାସନାଲ ବିଲଡ଼ିଂ କୋଡ଼, ମଡ଼େଲ ବିଲଡିଂ ବାଇଲସହାରମୋନାଇଜଡ଼ ଗାଇଡ଼ଲାଇନ୍ସ ଏଣ୍ଡ ସ୍ପେସ ଷ୍ଟାଣ୍ଡାର୍ଡ ଫର ବେରିଅର ଫ୍ରି ବିଲଟ ଇନଭରମେଣ୍ଟ ଫର ପରସନ୍ସ ଉଇଥ ଡ଼ିସଏବିଲଟି ଏଣ୍ଡ ଏଲଡ଼ରଲି ପରସନସ ନୀତି ନିୟମ ଲାଗୁ କରିବା ନିମନ୍ତେ ପରାମର୍ଶ ଦିଆଯାଇଛି । ବିଶେଷତଃ ନିର୍ମାଣ ନକ୍ସାରେ ସବୁଜ ପରିବେଷ୍ଟନୀ, ସିଡ଼ି, ଲିଫଟ ଓ ରାମ୍ପ, ବାରଣ୍ଡା, ପାକଶାଳା, ଗାଧୁଆ ଘର, ଆଲୋକ ଓ ମୁକ୍ତବାୟୁ ଚଳାଚଳ, ବ୍ୟାୟାମ, ଆପାତକାଳୀନ ଚ଼ିକିତ୍ସା, ଅଗ୍ନି ନିର୍ବାପନ ଏବଂ ସୁରକ୍ଷା ସେବା ପ୍ରତି ଗୁରୁତ୍ୱାରୋପ କରାଯାଇଛି । ଅନ୍ତେବାସୀଙ୍କ ନିମନ୍ତେ ସାଧ୍ୟମତେ ଗୋଷ୍ଠୀଗତ ସୁବିଧାସୁଯୋଗ ସୃଷ୍ଟି ନିମନ୍ତେ ମଧ୍ୟ ପ୍ରକଳ୍ପର ଅଂଶବିଶେଷ ହେବା ଉଚିତ ।

 

କେନ୍ଦ୍ର ସରକାରଙ୍କ ଦ୍ୱାରା ୨୦୧୯ରେ ପ୍ରକାଶିତ ନିର୍ଦ୍ଦେଶନାମାରେ ମୁଖ୍ୟତଃ ଅବସର ବିହାରଗୁଡ଼ିକରେ ଉପଭୋକ୍ତା ଚୟନ ଓ ପରିଚାଳନା ନୀତି ନିର୍ଦ୍ଧାରଣ, ମାଲିକାନା ଓ ନିର୍ମାଣଗତ ସ୍ୱତନ୍ତ୍ର ସୁବିଧାସୁଯୋଗ ସଂପର୍କରେ ଆଲୋଚ଼ନା କରାଯାଇଛି । ପରିଶିଷ୍ଟରେ ପ୍ରକଳ୍ପ ବିକ୍ରେତା, ସେବା ପ୍ରଦାନକାରୀ ଓ ଉପଭୋକ୍ତାଙ୍କ ମଧ୍ୟରେ ରାଜିନାମାର ଏକ ଆଦର୍ଶ ଚ଼ିଠା ମଧ୍ୟ ସନ୍ନିବେଶିତ ।

 

ନିର୍ଦ୍ଦେଶନାମା ଅନୁଶୀଳନରେ ପ୍ରଥମତଃ, ଅବସରବିହାରଗୁଡ଼ିକ ୬୦ ବର୍ଷରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକଙ୍କ ନିମନ୍ତେ ସଂରକ୍ଷିତ ରହିବ । ଦମ୍ପତ୍ତିମାନଙ୍କ ବୟସଗତ ତାରତମ୍ୟ ବିଚାରକୁ ନେଲେ ପତିପତ୍ନୀଙ୍କ ମୋଟ ବୟସ ୧୧୦ ବର୍ଷ ମଧ୍ୟରେ ସୀମିତ ରହିବା ବାଧ୍ୟତାମୂଳକ । ଦ୍ୱିତୀୟତଃ, ଏଠାରେ ସର୍ବନିମ୍ନ ବାର୍ଦ୍ଧକ୍ୟ ଅନୁକୂଳ ସେବା ଉପଲବ୍ଧ ହେବ । ନିର୍ମାଣ ଉଦ୍ୟୋଗୀ ରିଏଲ ଇଷ୍ଟେଟ ଏଣ୍ଟରପ୍ରାଇଜର ପ୍ରକଳ୍ପରେ ସେବା ଯୋଗାଇବାରେ ଅସମର୍ଥ ଥିଲେ ଉପଯୁକ୍ତ ସେବା ପ୍ରଦାନକାରୀ ସର୍ଭିସ ପ୍ରୋଭାଇଡ଼ରଙ୍କୁ ନିଯୁକ୍ତ କରିବେ । ସେବା ପ୍ରଦାନକାରୀ କର୍ମଚାରୀଗଣ ଯୋଗ୍ୟତା ସମ୍ପନ୍ନ ଓ ତାଲିମ ହାସଲ କରିଥିବା ବିଧେୟ । ଆବାସ ବିକ୍ରୀ ଅବସରରେ ନିର୍ମାଣ ଉଦ୍ୟୋଗୀ, ସେବା ପ୍ରଦାନକାରୀ ଓ କ୍ରେତାଙ୍କ ମଧ୍ୟରେ ତ୍ରି-ପାକ୍ଷିକ ଟ୍ରାଇ-ପାର୍ଟିଟେ ଏଗ୍ରୀମେଣ୍ଟ ସମ୍ପାଦିତ ହେବ ।

 

ତୃତୀୟତଃ, ସମସ୍ତ ଅବସର ବିହାର ପ୍ରକଳ୍ପ ରିଏଲ ଇଷ୍ଟେଟ (ରେଗୁଲେସନ ଏଣ୍ଡ ଡ଼େଭଲାପମେଣ୍ଟ) ଆକ୍ଟ ୨୦୧୬ ଆଧାରରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୀତ ନୀତିନିୟମ ଅନୁଯାୟୀ ପଞ୍ଜୀକୃତ ହେବା ଆବଶ୍ୟକ । ଅବସର ବିହାରଗୁଡ଼ିକର କାର୍ଯ୍ୟଧାରା ସମୀକ୍ଷା କରିବା ନିମନ୍ତେ ରାଜ୍ୟ ସରକାରମାନେ ବିହିତ ପଦକ୍ଷେପ ଗ୍ରହଣ କରିବେ ।

 

ମଡ଼େଲ ଗାଇଡ଼ଲାଇନ୍ସ ଫର ଡ଼େଭଲାପମେଣ୍ଟ ଏଣ୍ଡ ରେଗୁଲେସନ ଅଫ ରିଟାୟରମେଣ୍ଟ ହୋମସ ବରିଷ୍ଠ ନାଗରିକଙ୍କ ହିତ ଦୃଷ୍ଟିରୁ ପ୍ରଣୀତ ହୋଇଥିବା ହେତୁ ପ୍ରତ୍ୟେକ ରାଜ୍ୟ ସରକାର କିପରି ଏହି ଦିଗରେ ନୀତି ନିର୍ଦ୍ଧାରଣ ଓ ଆଇନ ପ୍ରଣୟନ କରିବେ ସେଥିଲାଗି ବିଚାର ବିମର୍ଷ ଓ ଚାପ ପ୍ରୟୋଗଲାଗି ସମର୍ଥ ବରିଷ୍ଠ ନାଗରିକଗଣ ଅଗଭର ହେବା ବାଞ୍ଚନୀୟ । ଏହି କ୍ଷେତ୍ରରେ ବ୍ୟକ୍ତିଗତ ଓ ଗୋଷ୍ଠୀଗତସ୍ତରରେ ଯେକୌଣସି ଉଦ୍ୟମ ଅବଶ୍ୟ ସୁଫଳ ପ୍ରଦାନ କରିବ । 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ନଭେମ୍ୱର ୨୦୨


ତଥ୍ୟ :

 

Ministry of Housing and Urban Affairs, Govt. of India. Model Guidelines for Development and Regulation of Retirement Homes. 2019.

 

https://mohua.gov.in/upload/uploadfiles/files/Retirement%20Model%20Guidelines%20Book.pdf 



ଓଡ଼ିଶାରେ ଅବସର ବିହାର

ବିକଶିତ ରାଷ୍ଟ୍ର, ଉଭୟ ଯୁକ୍ତରାଷ୍ଟ୍ର ଆମେରିକା, ୟୁରୋପ ଭଳି ପାଶ୍ଚାତ୍ୟ ଏବଂ ଜାପାନ, ଚୀନ ଭଳି ପ୍ରାଚ୍ୟ ପରିବେଶରେ ବରିଷ୍ଠ ନାଗରିକଙ୍କ ମଧ୍ୟରୁ ଏକାଂଶ ବାର୍ଦ୍ଧକ୍ୟ ଜୀବନ ଅତିବାହିତ କରିବା ନିମନ୍ତେ ଅବସର ବିହାରରେ ବସବାସକୁ ଗୁରୁତ୍ୱ ଦେଇଥାନ୍ତି । ଦ୍ୱିତୀୟ ବିଶ୍ୱଯୁଦ୍ଧୋତ୍ତର ଅବସ୍ଥାରେ ପ୍ରସାରିତ ଅବସର ବିହାର ପରିକଳ୍ପନା କୋଭିଡ଼-୧୯ ମହାମାରୀ-ପର ବାର୍ଦ୍ଧକ୍ୟ ଜୀବନଯାତ୍ରାରେ ଅପେକ୍ଷାକୃତ ଲୋକପ୍ରିୟତା ହାସଲ କରିବା ନେଇ ବିଶେଷଜ୍ଞମାନେ ଆକଳନ କରିଥାନ୍ତି । ଏ କଥା ସତ ଯେ ୟୁରୋପ ସମେତ ବିଭିନ୍ନ ରାଷ୍ଟ୍ରରେ କରୋନା ଭୂତାଣୁ ସଂକ୍ରମଣର ପ୍ରାଥମିକ ଅବସ୍ଥାରେ ଅବସର ବିହାରଗୁଡ଼ିକର ଅନ୍ତେବାସୀ ରୋଗାକ୍ରାନ୍ତ ହୋଇ ବହୁ ସଂଖ୍ୟାରେ ମୃତାହତ ହୋଇଥିଲେ । କିନ୍ତୁ ଅପରପକ୍ଷରେ ବର୍ଦ୍ଧିତ ଜୀବଦ୍ଦଶା, ବୃଦ୍ଧ ଜନସଂଖ୍ୟା ବୃଦ୍ଧି ଓ ବୃତ୍ତିଗତ ବାର୍ଦ୍ଧକ୍ୟ ଯତ୍ନ କ୍ରମୋନ୍ନତି ଅବସର ବିହାରଗୁଡ଼ିକରେ ଉତ୍ତର-ବାର୍ଦ୍ଧକ୍ୟରେ ଅପେକ୍ଷାକୃତ ସହଜ ଜୀବନଯାତ୍ରାର ପ୍ରତିଶୃତି ବହନ କରୁଛି । ଏହି କାରଣରୁ ଅବସର ବିହାର ଧାରା ପ୍ରସାର ଯୁକ୍ତିଯୁକ୍ତ ମନେହୁଏ ।

 

କୋଭିଡ଼-୧୯ ମହାମାରୀରେ ବିଶ୍ୱବ୍ୟାପୀ ବାର୍ଦ୍ଧକ୍ୟ ଜୀବନଯାତ୍ରା ସର୍ବାପେକ୍ଷା ପ୍ରଭାବିତ । ମହାମାରୀର ଚ଼ତୁର୍ଥ ବର୍ଷ ଆରମ୍ଭରେ ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଫେବୃୟାରୀ ୨୦୨୩ରେ ପ୍ରକାଶ ପାଇଥିଲା ଯେ ଆନ୍ତର୍ଜାତିକସ୍ତରରେ କୋଭିଡ଼ ସଂକ୍ରମିତଙ୍କ ମୃତ୍ୟୁ ମଧ୍ୟରେ ୮୦ ପ୍ରତିଶତ ୬୦ ବର୍ଷୋତ୍ତର ବରିଷ୍ଠ ନାଗରିକ ଅନ୍ତର୍ଭୁକ୍ତ । ସମ୍ୱାଦ ସରବରାହ ସଂସ୍ଥା ‘ବ୍ଳୁମବର୍ଗ’ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ଯୁକ୍ତରାଷ୍ଟ୍ର ଆମେରିକାରେ ଫେବୃୟାରୀ ୨୦୨୩ ପ୍ରଥମ ସପ୍ତାହ ସୁଦ୍ଧା ଦୈନିକ ୫୦୦ ବ୍ୟକ୍ତି କୋଭିଡ଼ କାରଣରୁ ମୃତ୍ୟୁବରଣ କରୁଥିବା ସ୍ଥଳେ ପ୍ରତି ଦଶ ଜଣରେ ନଅ ଜଣ ୬୫ ବର୍ଷୋତ୍ତର । କହିବା ବାହୁଲ୍ୟ ଯେ ମହାମାରୀ ବରିଷ୍ଠ ନାଗରିକଙ୍କ ଜୀବନଯାତ୍ରାରେ ବାର୍ଦ୍ଧକ୍ୟ ସେବା ଓ ଚ଼ିକିତ୍ସା ସୁବିଧା ସୁଯୋଗକୁ ସର୍ବାପେକ୍ଷା ଗୁରୁତ୍ୱ ଦେବା ବାଧ୍ୟବାଧକତାରେ ପରିଣତ ହୋଇଛି । ତେଣୁ ଅବସର ବିହାର ସଂଗଠିତ ଭିତ୍ତିଭୂମି ଅନେକଙ୍କୁ ଆକୃଷ୍ଟ କରିବା ସ୍ୱାଭାବିକ ।

 

ଭାରତରେ ଅବସର ବିହାର ପରିକଳ୍ପନା ପ୍ରାଥମିକସ୍ତରରେ ଅଟକିଥିବା ଜଣାଯାଏ । ଅବସର ବିହାର ସରକାରୀ ଅନୁଦାନରେ ସ୍ୱେଚ୍ଛାସେବୀ ସଂସ୍ଥାଗୁଡ଼ିକ ଦ୍ୱାରା ପରିଚାଳିତ ବୃଦ୍ଧାଶ୍ରମଠାରୁ ଭିନ୍ନ । ବୃଦ୍ଧାଶ୍ରମ ଗୁଡ଼ିକରେ ବିନାମୂଲ୍ୟ କିମ୍ୱା ସ୍ୱଳ୍ପମୂଲ୍ୟରେ ଅପେକ୍ଷାକୃତ ଅବହେଳିତ ବାର୍ଦ୍ଧକ୍ୟଗ୍ରସ୍ତଙ୍କ ବସବାସ, ଖାଦ୍ୟପେୟର ବ୍ୟବସ୍ଥା କରାଯାଇଥାଏ । ଅପରପକ୍ଷେ ବେସରକାରୀସ୍ତରରେ ପରିଚାଳିତ ଅବସର ବିହାରରେ ଆବାସ କ୍ରୟ ବା ଭଡ଼ାନେବା ନିମନ୍ତେ ବଜାର ଦରରେ ଅର୍ଥ ବିନିଯୋଗ କରିବାକୁ ପଡ଼ିଥାଏ । ଏଠାରେ ମୂଲ୍ୟସୂଚୀ ଅନୁଯାୟୀ ବିଭିନ୍ନ ବାର୍ଦ୍ଧକ୍ୟ ଉପଯୋଗୀ ସୁବିଧା ସୁଯୋଗ ସାଙ୍ଗକୁ ବରିଷ୍ଠ ନାଗରିକଙ୍କ ସହଚର୍ଯ୍ୟରେ ଅବସର ଜୀବନ ଯାପନ କରିବା ପରିବେଶ ଉପଲବ୍ଧ ।

 

ଭାରତ ସରକାରଙ୍କ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ୨୦୨୩ ସୁଦ୍ଧା ଦେଶରେ ୧୩ କୋଟି ୯୪ ଲକ୍ଷ ୬୦ ବର୍ଷୋତ୍ତର ବରିଷ୍ଠ ନାଗରିକ ବସବାସ କରୁଥିଲେ । ଜନସଂଖ୍ୟାର ୧୦.୧ ପ୍ରତିଶତ ୨୦୨୧ରେ ବରିଷ୍ଠ ନାଗରିକ ଥିବା ସ୍ଥଳେ ୨୦୩୧ରେ ୧୩.୧ ପ୍ରତିଶତକୁ ବୃଦ୍ଧି ପାଇବା ଆକଳନ କରାଯାଏ । ବିକାଶୋନ୍ମୁଖୀ ଅର୍ଥନୀତିରେ ସ୍ୱଚ୍ଛଳ ପରିବାରବର୍ଗଙ୍କ ସଂଖ୍ୟା କ୍ରମାଗତ ବୃଦ୍ଧି ପାଇ ଚାଲିଥିବା ହେତୁ ଏହି ବିଶାଳ ଜନସଂଖ୍ୟାର ଏକାଂଶ ଅବସର ବିହାର ମୁହାଁ ହେବା ବିଶ୍ୱାସ କରାଯାଏ । ବିଭିନ୍ନ ହିସାବ ଅନୁଯାୟୀ ମହାମାରୀ-ପୂର୍ବାବସ୍ଥା ସୁଦ୍ଧା ୫୫ ଗୋଟି ପ୍ରକଳ୍ପ ମାଧ୍ୟମରେ ଅବସର ବିହାରଗୁଡ଼ିକରେ ୨୦ ହଜାର ଆବାସରେ ବରିଷ୍ଠ ନାଗରିକମାନେ ବସବାସ କରୁଥିବା ସ୍ଥଳେ ୪ ହଜାର ପାଞ୍ଚ ଶହ ଆବାସ ବିକ୍ରୀ ନିମନ୍ତେ ଉପଲବ୍ଧ ଥିଲା ।

 

ଅବସର ବିହାର ପ୍ରକଳ୍ପଗୁଡ଼ିକ ଚାରି ବର୍ଗ ବିଭକ୍ତିକରଣରରେ ସ୍ୱାଧୀନ ଜୀବନଯାତ୍ରା ‘ଇଣ୍ଡିପେଣ୍ଡେଣ୍ଟ ଲିଭିଂ’ ସହାୟତାଯୁକ୍ତ ଜୀବନଯାତ୍ରା ‘ଆସିଷ୍ଟେଡ଼ ଲିଭିଂ’, ଚ଼ିକିତ୍ସା-ଉପଚାର ସହାୟତା ‘ନର୍ସିଂ କେୟାର’ ଓ ସ୍ମୃତିହାନୀ ସହାୟତା ‘ମେମୋରି କେୟାର’ ସ୍ୱାତନ୍ତ୍ର୍ୟ ଉପଲବ୍ଧ । ଯେଉଁ ବାର୍ଦ୍ଧକ୍ୟଗ୍ରସ୍ତ ସୁସ୍ଥ ସବଳ ଏବଂ ଏକାକୀ ବା ସପତ୍ନୀକ ଦୈନନ୍ଦିନ ଜୀବନଯାପନ ନିମନ୍ତେ ସମର୍ଥ, ସେମାନେ ‘ଇଣ୍ଡିପେଣ୍ଡେଣ୍ଟ ଲିଭିଂ’ ଆବାସ ଚୟନ କରିଥାନ୍ତି । କିନ୍ତୁ ଯେଉଁମାନେ ଶାରୀରିକ ଦୁର୍ବଳତା ହେତୁ ବାର୍ଦ୍ଧକ୍ୟାବସ୍ଥାରେ ଅନ୍ୟର ସହାୟତା ଉପରେ ନିର୍ଭରଶୀଳ, ସେମାନଙ୍କ ନିମନ୍ତେ ‘ଆସିଷ୍ଟେଡ଼ ଲିଭିଂ’ ଆବଶ୍ୟକ । ସ୍ୱାସ୍ଥ୍ୟଗତ କାରଣରୁ କ୍ରମାଗତ ଚ଼ିକିତ୍ସିତ ହେଉଥିବା ତଥା ଉପଚାର ସହାୟତା ଲୋଡୁଥିବା ବରିଷ୍ଠ ନାଗରିକ ‘ନର୍ସିଂ କେୟାର’ ଓ ମତିଭ୍ରମ ପୀଡ଼ିତଙ୍କ ନିମନ୍ତେ ‘ମେମୋରି କେୟାର’ ସୁବିଧାସୁଯୋଗ ଆବଶ୍ୟକ ପଡ଼ିଥାଏ । ବିଭିନ୍ନ ଅବସର ବିହାର ଭିନ୍ନ ଭିନ୍ନ ସ୍ୱାତନ୍ତ୍ର୍ୟରେ ଦକ୍ଷତା ହାସଲ କରିଥାନ୍ତି ।

 

ଅବସର ବିହାର ବୃଦ୍ଧଜନଙ୍କ ନିମନ୍ତେ ସ୍ୱଳ୍ପ ଆୟତନରେ ଏକକ ଭୌଗଳିକ ପରିବେଶରେ ବଜାରଦର ଠାରୁ ଅପେକ୍ଷାକୃତ କମ ମୂଲ୍ୟର କୋଠାବାଡ଼ି ନିର୍ମାଣକୁ ବୁଝାଏ ନାହିଁ । ଏହିଭଳି ବସତିଗୁଡ଼ିକରେ ବାର୍ଦ୍ଧକ୍ୟ ଅନୁକୂଳ ସେବା ନିମନ୍ତେ ଭିତ୍ତିଭୂମି ପ୍ରତିଷ୍ଠା ଓ ପରିଚାଳନା ମଧ୍ୟ ଅଂଶବିଶେଷ । ଅବସର ବିହାର ପ୍ରକଳ୍ପ ରୂପାୟନ କ୍ରମଶଃ ଏକ ଉଦ୍ୟୋଗ ରୂପେ ବିକଶିତ ଏବଂ ମହାମାରୀ-ପର ଅବସ୍ଥାରେ ଭାରତରେ ୨୦୧୮ରୁ ୨୦୨୭ ଦଶ ବର୍ଷ ମଧ୍ୟରେ ବାର୍ଷିକ ଚାରି ପ୍ରତିଶତ ହିସାବ ଅଭିବୃଦ୍ଧି ଆକଳନ କରାଯାଉଛି । କେନ୍ଦ୍ର ସରକାରଙ୍କ ଗୃହନିର୍ମାଣ ଓ ସହରୀକରଣ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ୨୦୧୯ରେ ଅବସର ବିହାର ନିର୍ମାଣ ନିମନ୍ତେ ଆଦର୍ଶ ଆଚ଼ରଣ ବିଧି ‘ମଡ଼େଲ ଗାଇଡ଼ଲାଇନ୍ସ’ ପ୍ରଣୟନ କରି ସମସ୍ତ ରାଜ୍ୟ ସରକାରଙ୍କୁ ତଦ୍ ଅନୁଯାୟୀ ନୀତିନିୟମ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

 

ଆମ ଦେଶରେ କାର୍ଯ୍ୟକ୍ଷମ ଅବସର ବିହାର ପ୍ରକଳ୍ପଗୁଡ଼ିକ ମଧ୍ୟରୁ ୭୦ ପ୍ରତିଶତ ଦକ୍ଷିଣାଞ୍ଚଳ ରାଜ୍ୟଗୁଡ଼ିକରେ ଗଢ଼ି ଉଠିଛି । ବେଙ୍ଗାଲୁରୁ, ଚ଼େନ୍ନାଇ, ପୁଡୁଚେରୀ ଓ ହାଇଦରାବାଦରେ ଅଧିକ ସଂଖ୍ୟକ ଅବସର ବିହାର ରହିଛି । ଏହାପରକୁ ଉତ୍ତରାଞ୍ଚଳରେ ଦିଲ୍ଲୀ, ଚଣ୍ଡିଗଡ଼, ଡ଼େରାଡୁନ ଏବଂ ପଶ୍ଚିମାଞ୍ଚଳରେ ମୁମ୍ୱାଇ, ପୁଣେ, ଅହମ୍ମଦାବାଦ, ସୁରାଟ, ପାନାଜୀରେ କାର୍ଯ୍ୟକ୍ଷମ । ତେବେ ପୂର୍ବ-ଭାରତ ଅବସର ବିହାର ପରିକଳ୍ପନାରେ ପଛୁଆ । ଏହି କ୍ଷେତ୍ରରେ ଅନ୍ତରା ସିନିୟର କେର, କଲମ୍ୱିଆ ପେସିଫିକ କମ୍ୟୁନିଟିସ, ଆଶିଆନା ହାଉସିଂ ଲିମିଟେଡ଼, ପାରନଜିପେ ସ୍କିମସ (କନଷ୍ଟକସନ) ଲିମିଟେଡ଼, କୋଭାଇ ପ୍ରପର୍ଟି ସେଣ୍ଟେର (ଇଣ୍ଡିଆ) ଲିମିଟେଡ଼, ଓଏସିସ ସିନିୟର ଲିଭିଂ, ପ୍ରାଇମାସ ଲାଇଫସ୍ପେସ ପ୍ରାଇଭେଟ ଲିମିଟେଡ଼, ଗୋଲଡ଼ନ ଇଣ୍ଟେଟ, ଟାଟା ସନ୍ସ ପ୍ରାଇଭେଟ ଲିମିଟେଡ଼, ବ୍ରିଗେଡ଼ ଏଣ୍ଟରପ୍ରାଇଜେସ ଲିମିଟେଡ଼, ଅନନ୍ୟାସ ନାନାନାନୀ ହୋମସ ଓ ଆନରକ ପ୍ରପର୍ଟି କନସଲ୍ଟ ପ୍ରାଇଭେଟ ଲିମିଟେଡ଼ ଭଳି ବ୍ୟାବସାୟିକ ସଂସ୍ଥାମାନ ଆଗୁଆ ରହିଥିବା ସୂଚ଼ନା ମିଳେ ।

 

ଓଡ଼ିଶାରେ ଅବସର ବିହାର ପ୍ରକଳ୍ପ ରୂପାୟନ ନିମନ୍ତେ ଅନ୍ତତଃପକ୍ଷେ ବିଗତ ଦୁଇ ଦଶନ୍ଧି ଧରି ଉଦ୍ୟମ ହୋଇଥିଲେହେଁ ଆଶାଅନୁରୂପ ସଫଳତା ମିଳିପାରି ନାହିଁ । ଜାତୀୟସ୍ତର ସାଂଗଠନିକ ଉଦ୍ୟମରେ ବେଙ୍ଗଲୁରୁ ସମେତ ଭୁବନେଶ୍ୱରଠାରେ ଲାଇଫ ଇନସିଓରେନ୍ସ କର୍ପୋରେସନ ଅଫ ଇଣ୍ଡିଆ ପକ୍ଷରୁ ରୂପାୟିତ ପ୍ରକଳ୍ପ ବିଭିନ୍ନ କାରଣରୁ ବିବାଦରେ ଛନ୍ଦି ହୋଇଯାଇଥିବା ଜଣାଯାଏ । ସ୍ଥାନୀୟ ଉଦ୍ୟୋଗୀମାନଙ୍କ ଉଦ୍ୟମ ମୌଳିକ ଭାବେ କ୍ରେତା ଅଭାବ କାରଣରୁ ସଫଳ ହୋଇପାରୁ ନାହିଁ । ଏହି କ୍ଷେତ୍ରରେ କେତେଗୋଟି ପ୍ରଶ୍ନ ଗୁରୁତ୍ୱପୂର୍ଣ୍ଣ । ପ୍ରଥମତଃ, ପାରମ୍ପରିକ ଓଡ଼ିଶୀ ସଭ୍ୟତାରେ ବାର୍ଦ୍ଧକ୍ୟରେ ଘରଦ୍ୱାର ଛାଡ଼ି ଅବସରବିହାରକୁ ସ୍ଥାନାନ୍ତରିତ ହେବା ମାନସିକତା ସୃଷ୍ଟି ହେଲାଣି କି ? ଦ୍ୱିତୀୟତଃ, ମହାମାରୀ-ପର ସର୍ବଭାରତୀୟ ବଜାରଦରରେ ଅବସର ବିହାରରେ ଆବାସ କ୍ରୟ ନିମନ୍ତେ ହାରାହାରି ୪୦ ଲକ୍ଷ ଏବଂ ରକ୍ଷଣାବେକ୍ଷଣ ଖର୍ଚ୍ଚ ସ୍ଥାୟୀ ଜମା ବାବଦରେ ୧୦ ଲକ୍ଷ, ମୋଟ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ଭରଣା କରିବାକୁ କେତେ ସଂଖ୍ୟାରେ ପରିବାର ସମର୍ଥ ? ତୃତୀୟତଃ, ବାର୍ଦ୍ଧକ୍ୟ ଅନୁକୂଳ ଆସିଷ୍ଟେଡ଼ ଲିଭିଂ, ନିର୍ସିଂ କେୟାର ବା ମେମୋରି କେୟାର ଭଳି ସୁବିଧା ନିମନ୍ତେ ଭିତ୍ତିଭୂମି ସୃଷ୍ଟି ନ ହୋଇପାରିଲେ କେବଳ ଛୋଟ ଆୟତନର ବାସଗୃହ ବରିଷ୍ଠ ନାଗରିକଙ୍କ କେଉଁ କାର୍ଯ୍ୟରେ ଲାଗିବ ନା ଆକୃଷ୍ଟ କରିବ ?

 

ରାଜ୍ୟରେ ବାର୍ଦ୍ଧକ୍ୟ ଯତ୍ନ ଦିଗରେ ବିଗତ ଦଶ ବର୍ଷ ଧରି ଚ଼ିନ୍ତନ ମଞ୍ଚ ଆୟୋଜନ କରିଥିବା ‘ଗ୍ରେ- ଓଡ଼ିଶା’ ପକ୍ଷରୁ ଓଡ଼ିଶାରେ ଅବସର ବିହାର ପ୍ରକଳ୍ପ ରୂପାୟନ ନିମନ୍ତେ ଏକ ମଡ଼େଲ ବିକଶିତ କରାଯାଇଥିଲା । ଓଡ଼ିଶା ସରକାରଙ୍କ ପରିଚାଳନାଧୀନ ଓଡ଼ିଶା ଷ୍ଟେଟ ହାଉସିଂ ବୋର୍ଡଙ୍କୁ ‘ଗ୍ରେ-ଓଡ଼ିଶା ହାଇବ୍ରିଡ଼ ରିଟାଏରମେଣ୍ଟ ଆପାର୍ଟମେଣ୍ଟ’ ପ୍ରସ୍ତାବ ବିଚାର ବିମର୍ଷ କରିବା ନିମନ୍ତେ ବିଧିବଦ୍ଧ ଉପସ୍ଥାପନ କରି ନକଲ ବିଭାଗୀୟ ମନ୍ତ୍ରୀ, କେତେକ ବିଧାୟକ ଓ ମୁଖ୍ୟମନ୍ତ୍ରୀଙ୍କୁ ଡ଼ାକଯୋଗେ ପ୍ରେରଣ କରାଯାଇଥିଲା । କେବଳ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପ୍ରାପ୍ତିସ୍ୱୀକାର ପୂର୍ବକ ହାଉସିଂ ଏଣ୍ଡ ଅର୍ବାନ ଡେଭଲାପମେଣ୍ଟ ଡ଼ିପାର୍ଟମେଣ୍ଟକୁ ଏବଂ ହାଉସିଂ ବୋର୍ଡ ସମ୍ପାଦକଙ୍କୁ ସେପ୍ଟେମ୍ୱର ୨୦୨୨ରେ ପୁନଃ ପ୍ରେରିତ ‘ଫରୱାର୍ଡ’ ହୋଇଥିବା ସୂଚନା ମିଳେ । ଏ ସଂପର୍କରେ ବିଶଦ ବିବରଣୀ ‘ଗ୍ରେଓଡ଼ିଶା ଡ଼ଟ ଇନ’ ୱେବସାଇଟରେ ଉପଲବ୍ଧ ।

 

ପ୍ରସ୍ତାବର ମୁଖ୍ୟାଂଶରେ ଉଲ୍ଲେଖଥିଲା ଯେ ପ୍ରଥମତଃ, କ୍ରେତା ଅଭାବ କାରଣରୁ ଓଡ଼ିଶାରେ ଅବସର ବିହାର ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହୋଇପାରୁନଥିବା ଇତିହାସ ଅନୁଧ୍ୟାନ କରି ଏହି କ୍ଷେତ୍ରରେ କେଉଁ ବର୍ଗ ପ୍ରାଥମିକ ଉଦ୍ୟମରେ ସାମିଲ ହୋଇପାରିବେ, ତାହା ବିଚାରକୁ ନିଆଯାଉ । ଭୁବନେଶ୍ୱର ରାଜ୍ୟର ସ୍ୱସ୍ଥ୍ୟ କେନ୍ଦ୍ର ‘ହେଲଥ ହବ’ ଭାବେ ବିକଶିତ ହୋଇଥିବା ଏବଂ ରାଜ୍ୟର ପ୍ରତ୍ୟେକ ପ୍ରାନ୍ତରୁ ଆର୍ଥିକ ଦିଗରୁ ସ୍ୱଚ୍ଛଳ ବରିଷ୍ଠ ନାଗରିକମାନେ ଚ଼ିକିତ୍ସା ଉଦ୍ଦେଶ୍ୟରେ ଭୁବନେଶ୍ୱର ଆସୁଥିବା ହେତୁ ସେହି ବର୍ଗଙ୍କ ସାମାୟିକ ରହେଣୀ ନିମନ୍ତେ ଆବାସ ନିର୍ମାଣ କରାଗଲେ ୫୦ ଲକ୍ଷ ଟଙ୍କା ମୂଲ୍ୟ ନିବେଶରେ କ୍ରେତା ସଂଗ୍ରହ ସଂଭବ । ଏଦିଗରେ ବିଧିବଦ୍ଧ ସର୍ବେକ୍ଷଣ ‘ସର୍ଭେ’ ନିମନ୍ତେ ହାଉସିଂ ବୋର୍ଡ କର୍ତ୍ତୃପକ୍ଷ ପଦକ୍ଷେପ ଗ୍ରହଣ କରିପାରନ୍ତି । ଏହି ଆବାସ ପ୍ରକଳ୍ପ ଅବସର ବିହାର ପର୍ଯ୍ୟାୟଭୁକ୍ତ ନହେଲେ ମଧ୍ୟ ଅବସର ବିହାର-ସମ ‘ହାଇବ୍ରିଡ଼ ମଡ଼େଲ’ ସୁବିଧା ସୁଯୋଗ ସୃଷ୍ଟି କରିପାରିବ । ଅବସର ବିହାର-ସମ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଭବିଷ୍ୟତରେ ରାଜ୍ୟରେ ଅବସର ବିହାର ନିର୍ମାଣ ଲାଗି ଉଭୟ ସରକାର ଓ ବେସରକାରୀସ୍ତରରେ ଉଦ୍ୟମକୁ ଉତ୍ସାହିତ କରିବ ।

 

ଦ୍ୱିତୀୟତଃ, ହାଇବ୍ରିଡ଼ ମଡ଼େଲରେ ଭୁବନେଶ୍ୱର ବାହାରେ ବସବାସ କରୁଥିବା ବରିଷ୍ଠ ନାଗରିକଙ୍କ ପାଇଁ ସାମୟିକ ରହେଣୀ ନିମନ୍ତେ ଆବାସ ନିର୍ମାଣ କାଳରେ କେବଳ ଏକ କଠୋରୀ ଓ ତତ୍ ସଂଲଗ୍ନ ସ୍ନାନାଗାର, ବାଲକୋନୀ, ପ୍ରଶସ୍ତ ବାରଣ୍ଡା ସନ୍ନିବଶିତ ହେବା ଉଚ଼ିତ । ବରିଷ୍ଠ ନାଗରିକଙ୍କ ନିମନ୍ତେ ନିର୍ମିତ ଆବାସ ଅଣ-ବରିଷ୍ଠ ବର୍ଗଙ୍କ ବସବାସ ଲାଗି ଅଯୋଗ୍ୟ ଗଢ଼ି ତୋଳିବା ନିମନ୍ତେ ଗୁରୁତ୍ୱ ଦିଆଯିବା ଆବଶ୍ୟକ । କାରଣ ଅତୀତ ଅଭିଜ୍ଞତାରେ ଏକ ଶୟନ କଠୋରୀ, ଦୁଇ ଶୟନ କଠୋରୀ ବିଶିଷ୍ଟ ଛୋଟ ବାସଗୃହଗୁଡ଼ିକ ବରିଷ୍ଠ ନାଗରିକଙ୍କୁ ବିକ୍ରୀ ପରେ ଭଡ଼ା ସୂତ୍ରରେ ଅଣ-ବରିଷ୍ଠ ବର୍ଗଙ୍କୁ ବସବାସ ଲାଗି ଦିଆଯିବା ଫଳରେ ବସତି ନିର୍ମାଣର ମୂଳ ଉଦ୍ଦେଶ୍ୟ ସଫଳ ହୋଇପାରୁନାହିଁ । ଏଗୁଡ଼ିକର ଦୈନନ୍ଦିନ ରକ୍ଷାଣାବେକ୍ଷଣ, ସାଧାରଣ ଖାଦ୍ୟପେୟ ଯୋଗାଣ ଓ ସୁରକ୍ଷା ଭଳି ମୌଳିକ ସୁବିଧାସୁଯୋଗ ଅନ୍ତେବାସୀଙ୍କ ସୋସାଇଟି ମାଧ୍ୟମରେ ତତ୍ତ୍ୱାବଧାନ ଲାଗି ମୂଳରୁ ଆବାସ କ୍ରେତାଙ୍କଠାରୁ ଦଶ ଲକ୍ଷ ଟଙ୍କା ଯାଏଁ ଅଗ୍ରୀମ ରାଶି ସଂଗ୍ରହ କରି ସ୍ଥାୟୀ ଜମା ରଖି ତାହାର ସୁଧରେ ପରିଚାଳନା ପ୍ରତି ଧ୍ୟାନ ଦିଆଯିବା ଆବଶ୍ୟକ । ନଚ଼େତ ମୌଳିକ ରକ୍ଷାଣବେକ୍ଷଣ ବ୍ୟବସ୍ଥା ସ୍ୱାବଲମ୍ୱୀ ହୋଇପାରିବ ନାହିଁ ।

 

ତୃତୀୟତଃ, ଭୁବନେଶ୍ୱର ବାହାରେ ବସବାସ କରୁଥିବା ବରିଷ୍ଠ ନାଗରିକଙ୍କ ନିମନ୍ତେ ପ୍ରସ୍ତାବିତ ହାଇବ୍ରିଡ଼ ପ୍ରକଳ୍ପ ନିର୍ମାଣ ହେଉଥିବା ଯୋଗୁଁ ସହରର ମଧ୍ୟଭାଗରେ ଜନାକୀର୍ଣ୍ଣ ଅଞ୍ଚଳ ଅବସ୍ଥିତ ହେବା ଆବଶ୍ୟକ । ନଚେତ ଏଭଳି ନିବେଶ ପ୍ରତି ସମର୍ଥନ ମିଳିବ ନାହିଁ । ରାଜ୍ୟ ସରକାରଙ୍କ ପକ୍ଷରୁ ୟୁନିଟ-୨ରେ ଅବସ୍ଥିତ ସରକାରୀ କ୍ୱାର୍ଟରଗୁଡ଼ିକ ଭାଙ୍ଗି ବହୁତଳ ବିଶିଷ୍ଟ ଅଟ୍ଟାଳିକା ନିର୍ମାଣଲାଗି ନୀତିଗତ ନିଷ୍ପତ୍ତି ଗ୍ରହଣ ହୋଇଥିବା ଜଣାଯାଏ । ହାଉସିଂ ବୋର୍ଡ ସରକାରଙ୍କ ସହ ବୁଝାମଣା କରି ସେହି ଅଞ୍ଚଳରେ ପ୍ରସ୍ତାବିତ ହାଇବ୍ରିଡ଼ ଅବସର ବିହାର ଆପାର୍ଟମେଣ୍ଟ ନିର୍ମାଣ ନିମନ୍ତେ ପଦକ୍ଷେପ ଗ୍ରହଣ କରିପାରିବେ ।

 

ଚ଼ତୁର୍ଥତଃ, ହାଉସିଂ ବୋର୍ଡ ଏକ କୋଠାବାଡ଼ି ନିର୍ମାଣ ସଂସ୍ଥା । ଅବସର ବିହାର ନିର୍ମାଣ କରି ବରିଷ୍ଠ ନାଗରିକ ଅନୁକୂଳ ସୁବିଧାସୁଯୋଗ ପରିଚାଳନା ଏହାର କାର୍ଯ୍ୟପରିସରଭୁକ୍ତ ହୋଇନପାରେ । ସମାଜର ବିଭିନ୍ନ ବର୍ଗଙ୍କ ପାଇଁ ଆବାସ ନିର୍ମାଣ ଉଦ୍ୟମରେ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଆବାସ ପରିକଳ୍ପନା ନୀତିନିୟମ ଦିଗରୁ ଯୁକ୍ତିଯୁକ୍ତ । ତେବେ ପଚାଶ ଶହେ ସରିକି ବାର୍ଦ୍ଧକ୍ୟଗ୍ରସ୍ତ ସହରର କେନ୍ଦ୍ରସ୍ଥଳୀରେ ଏକତ୍ର ବସବାସ କଲେ, ବେସରକାରୀସ୍ତରରେ ସେବା ପ୍ରଦାନକାରୀଙ୍କ ଅଭାବ ରହିବ ନାହିଁ । ରାଜ୍ୟରେ ବାର୍ଦ୍ଧକ୍ୟ ସେବା କାର୍ଯ୍ୟକ୍ରମ ତତ୍ କ୍ଷଣାତ ସୃଷ୍ଟି ଅସଂଭବ । ଏହିଭଳି ହାଇବ୍ରିଡ଼ ପ୍ରକଳ୍ପ ବୃତ୍ତିଗତ ସେବା ପ୍ରଦାନ କ୍ରମୋନ୍ନତିରେ ସାହାଯ୍ୟ କରିବ । ରାଜ୍ୟ ସରକାର ଏହି ଦିଗରେ ଯତ୍ନବାନ ହେବା ସମୟର ଆହ୍ୱାନ ।

 

ପଞ୍ଚମତଃ, ରାଜ୍ୟରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ବୃଦ୍ଧି ପାଇଚାଲିଥିବା, ପରିବର୍ତ୍ତିତ ପରିବେଶରେ ବାର୍ଦ୍ଧକ୍ୟ ଅନୁକୂଳ ଯତ୍ନ ଓ ଚ଼ିକିତ୍ସା ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳରେ ଉପଲବ୍ଧ କରାଇବା ଦିଗରେ ସମ୍ୱଳ ଅଭାବ ତଥା ରାଜଧାନୀରେ ବାସ୍ତବାଭିମୁଖୀ ମଡ଼େଲ ବିକଶିତ କରାଯାଇପାରିଲେ ଅନ୍ୟତ୍ର ଉପଯୋଗର ପଥ ଉନ୍ମୁକ୍ତ ହେବା ଆଶା କରାଯାଇପାରେ । ହାଉସିଂବୋର୍ଡ ବାର୍ଦ୍ଧକ୍ୟ ଅନୁକୂଳ କୋଠାବାଡ଼ି ଭୁବନେଶ୍ୱରର ଜନାକୀର୍ଣ୍ଣ ଅଞ୍ଚଳରେ ନିର୍ମାଣ କରି ବିକ୍ରୀ କରିବା ସହ ରକ୍ଷଣାବେକ୍ଷଣ ଓ ବାର୍ଦ୍ଧକ୍ୟ ଯତ୍ନ ପରିଚାଳନା ଲାଗି କୌଣସି ଅଗ୍ରଣୀ ଜାତୀୟସ୍ତରର ବ୍ୟାବସାୟିକ ସଂସ୍ଥା ସହବନ୍ଧିତ ‘ଷ୍ଟାଟାଜିକ ପାର୍ଟନରସିପ’ ଚୁକ୍ତିବଦ୍ଧ ହେଲେ ରାଜ୍ୟରେ ବାର୍ଦ୍ଧକ୍ୟ ଯତ୍ନ କ୍ଷେତ୍ରରେ ନୂତନ ଅଧ୍ୟାୟ ସୃଷ୍ଟି ସଂଭବ । ମିଳିତ ଜାତିସଂଘ ପକ୍ଷରୁ ୨୦୨୧ରୁ ୨୦୩୦ ସୁସ୍ଥ ବାର୍ଦ୍ଧକ୍ୟ ଦଶନ୍ଧି ‘ଡ଼ିକେଡ଼ ଅଫ ହେଲଦି ଏଜିଂ’ ପାଳନ କରାଯାଉଥିବା ତଥା ବାର୍ଦ୍ଧକ୍ୟ ଅନୁକୂଳ ଆବାସ ନିର୍ମାଣ ଏହାର ଚାରିଗୋଟି ମୁଖ୍ୟ କାର୍ଯ୍ୟକ୍ରମରେ ସ୍ଥାନିତ ହୋଇଥିବା ହେତୁ ଏଦିଗରେ ବିଚାରବିମର୍ଷ ଉପଯୋଗୀ ମନେ ହୁଏ ।  


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧୫ ମାର୍ଚ୍ଚ ୨୦୨


ତଥ୍ୟ :

 

https://www.who.int/health-topics/ageing

 

Flam, Faye. Older Americans need more protection from Covid-the pandemic isn’t over for people over 65 (Opinion) Bloomberg

 

https://www.bloomberg.com/opinion/articles/2023-02-09/us-covid-death-rate-among-older-people-is-unacceptable?leadSource=uverify%20wall

 

India senior living market analysis-industry report-trends, size and share. Mordor Intelligence

 

https://www.mordorintelligence.com/industry-reports/india-senior-living-market

ବାର୍ଦ୍ଧକ୍ୟ-ଅନୁକୂଳ ବସତିର ବିକଳ୍ପ ମଡ଼େଲ 

ଉତ୍ତର-ବାର୍ଦ୍ଧକ୍ୟ ଜୀବନଚ଼ର୍ଯ୍ୟା କେତେକାଂଶରେ ସହାୟତାଯୁକ୍ତ ଜୀବନଯାତ୍ରାକୁ ସୂଚ଼ିତ କରିଥାଏ । ଶାରିରୀକ ସାମର୍ଥ୍ୟହାନୀ କାରଣରୁ ଦୈନନ୍ଦିନ ଜୀବନଯାପନରେ ମନୁଷ୍ୟ ଅନ୍ୟର ସହାୟତା ଲୋଡ଼ିଥାଏ । ବିଭିନ୍ନ ଭୌଗଳିକ ଓ ସାମାଜିକ ପରିବେଶରେ ବାର୍ଦ୍ଧକ୍ୟଗ୍ରସ୍ତଙ୍କ ମଧ୍ୟରୁ କେତେ ସଂଖ୍ୟକ, କେତେ ସମୟ ଲାଗି ଜୀବନର ଏହି ପର୍ଯ୍ୟାୟ ଦେଇ ଗତି କରିଥାନ୍ତି, ସେହି ପରିସଂଖ୍ୟାନ ତାରତମ୍ୟପୂର୍ଣ୍ଣ । ତେବେ କତିପୟ ସର୍ବେକ୍ଷଣଲବ୍ଧ ତଥ୍ୟ ଅନୁଯାୟୀ ବିକଶିତ ରାଷ୍ଟ୍ରଗୁଡ଼ିକରେ ଏକବିଂଶ ଶତାଦ୍ଦୀ ପ୍ରଥମ ଦୁଇ ଦଶକରେ ୮୫ ବର୍ଷୋତ୍ତରଙ୍କ ମଧ୍ୟରୁ ୧୫ ପ୍ରତିଶତ ପୂର୍ଣ୍ଣ-ସହାୟତାଆଶ୍ରିତ ଜୀବନଯାପନ କରନ୍ତି ଏବଂ ସ୍ଥଳବିଶେଷରେ ଏହି ଅବସ୍ଥା ଚାରି ବର୍ଷରୁ ଛଅ ବର୍ଷ ଯାଏଁ ପରିବ୍ୟାପ୍ତ ହୋଇଥାଏ ।

 

ସାଧାରଣରେ ରୋଗଗ୍ରସ୍ତ ଓ ଶାରିରୀକ ଦୁର୍ବଳତା କାରଣରୁ ବ୍ୟକ୍ତି ସମୟକ୍ରମେ ଅନ୍ୟର ସହାୟତା ଆବଶ୍ୟକ କରେ । କିନ୍ତୁ କେତେକ କ୍ଷେତ୍ରରେ ହୃଦଘାତ ଭଳି ଅବସ୍ଥା ତୁରନ୍ତ ଯତ୍ନ ଲୋଡ଼ିଥାଏ । ଉତ୍ତର-ବାର୍ଦ୍ଧକ୍ୟରେ ବ୍ୟକ୍ତିର ସ୍ୱାଧୀନ ଓ ସୁରକ୍ଷିତ ଜୀବନଚର୍ଯ୍ୟା ନିମନ୍ତେ ବିବିଧ ଦୀର୍ଘକାଳୀନ ସହାୟତା ଆବଶ୍ୟକ । ଅଧିକାଂଶ କ୍ଷେତ୍ରରେ ପରିବାର ସଦସ୍ୟ ଓ ଜ୍ଞାତିକୁଟୁମ୍ୱ ଏହି ଦାୟିତ୍ୱ ନିର୍ବାହ କରିଥାନ୍ତି । ସମକାଳୀନ ପରିବେଶରେ ବୃତ୍ତିଧାରୀଙ୍କ ଦ୍ୱାରା ପାରିବାରିକ ପରିବେଶରେ ଯତ୍ନ ପ୍ରଦାନ ପ୍ରଥା ଦୃତ ପ୍ରସାର ଲାଭ କରୁଛି । ବିକଶିତ ସାମାଜିକ ବ୍ୟବସ୍ଥାରେ ଉତ୍ତର-ବାର୍ଦ୍ଧକ୍ୟରେ ବୃତ୍ତିଧାରୀଙ୍କ ତତ୍ତ୍ୱାବଧାନରେ ସହାୟତା-ଆଶ୍ରିତ ଜୀବନଯାପନ ସୁଯୋଗ ଉପଲବ୍ଧ ।

 

ଉତ୍ତର-ବାର୍ଦ୍ଧକ୍ୟରେ ଦୈନନ୍ଦିନ ଜୀବନଯାତ୍ରାରେ ସହାୟତା ବ୍ୟକ୍ତିକୁ ଗାଧୋଇବା, ପୋଷାକ ପରିଧାନ, ଖୁଆଇବା ବା ଔଷଧ ସେବନ ଇତ୍ୟାଦିରେ ପର୍ଯ୍ୟବସିତ । ଏକାକୀ ବସବାସ କରୁଥିବା ଓ ବିଭିନ୍ନ କାରଣରୁ ପାରିବାରିକସ୍ତରରେ ସହାୟତା-ଆଶ୍ରିତ ଜୀବନଯାପନ ସଂଭବ ନ ହୋଇପାରୁଥିବା ସ୍ଥଳେ ଉତ୍ତର-ବାର୍ଦ୍ଧକ୍ୟରେ ପୁନର୍ବାସନ ପ୍ରଥା ପ୍ରଚଳିତ । ବିକଶିତ ରାଷ୍ଟ୍ରଗୁଡ଼ିକରେ ବୃତ୍ତିଧାରୀ ନର୍ସ, ସ୍ୱାସ୍ଥ୍ୟକର୍ମୀ ଓ ଥେରାପିଷ୍ଟଙ୍କ ସହାୟତାରେ ନର୍ସିଂହୋମ, ହସପିସ ଓ ଅବସର ବିହାରଗୁଡ଼ିକରେ ଅର୍ଥ ବିନିମୟରେ ବାର୍ଦ୍ଧକ୍ୟଗ୍ରସ୍ତଙ୍କ ଦୀର୍ଘକାଳୀନ ଯତ୍ନ ବ୍ୟବସ୍ଥା ଉପଲବ୍ଧ । ତେବେ ଏହି ସୁବିଧାସୁଯୋଗ କିଏ କେବେ ଗ୍ରହଣ କରିବେ, ତାହା ବ୍ୟକ୍ତିଗତ ନିଷ୍ପତ୍ତି ତଥା ପାରିବାରିକ ଓ ସାମାଜିକ ପରିସ୍ଥିତି ଉପରେ ନିର୍ଭରଶୀଳ ।

 

ଯୁକ୍ତରାଷ୍ଟ୍ର ଆମେରିକା ଓ ବ୍ରିଟେନରେ ପ୍ରାୟତଃ ପ୍ରତି ତିନିଜଣ ୬୫ ବର୍ଷୋତ୍ତରଙ୍କ ମଧ୍ୟରେ ଜଣେ ଏକାକୀ ବସବାସ କରୁଥିବା କୁହାଯାଏ । ଯୁକ୍ତରାଷ୍ଟ୍ର ଆମେରିକାରେ ୮୫ ବର୍ଷୋତ୍ତରଙ୍କ କ୍ଷେତ୍ରରେ ଅର୍ଦ୍ଧେକ ଏକାକୀ ଜୀବନ ବିତାଇଥାନ୍ତି । ୱାର୍ଲ୍ଡ ବ୍ୟାଙ୍କ ପ୍ରକାଶିତ ତଥ୍ୟ ଅନୁଯାୟୀ ବିଶ୍ୱ ଜନସଂଖ୍ୟାର ୧୫ ପ୍ରତିଶତ ବିଭିନ୍ନ କାରଣରୁ ଭିନ୍ନକ୍ଷମ । ବାର୍ଦ୍ଧକ୍ୟାବସ୍ଥାରେ ଏହି ଅନୁପାତିକ ହାର ବୃଦ୍ଧିପ୍ରାପ୍ତ ହୋଇ ୬୦ ବର୍ଷୋତ୍ତରଙ୍କ କ୍ଷେତ୍ରରେ ୪୬ ପ୍ରତିଶତ ଶରୀରର କୌଣସି ଏକ ଅଙ୍ଗର ଦକ୍ଷତା ହରାଇ ବସିଥାନ୍ତି । ଏକାକୀ, ଅକର୍ମଣ୍ୟ ଓ ରୋଗାକ୍ରାନ୍ତଙ୍କ ନିମନ୍ତେ ସାମୂହିକ ସେବାହିଁ ସର୍ବାପେକ୍ଷା ଯୁକ୍ତିଯୁକ୍ତ ବ୍ୟବସ୍ଥା ବିଚାର କରାଯାଏ ।

 

ବିକଶିତ ରାଷ୍ଟ୍ରଗୁଡ଼ିକରେ ଅବସର ବିହାର ପ୍ରବାହ ‘ଟ୍ରେଣ୍ଡ’ ଦ୍ୱିତୀୟ ବିଶ୍ୱଯୁଦ୍ଧୋତ୍ତର ଅବସ୍ଥାରୁ କ୍ରମବିକଶିତ ହୋଇ ଏକବିଂଶ ଶତାଦ୍ଦୀର ପ୍ରଥମ ଦୁଇ ଦଶକରେ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଥିଲା । କିନ୍ତୁ ୨୦୨୦-୨୨ରେ ବିଶ୍ୱବ୍ୟାପୀ କୋଭିଡ଼-ମହାମାରୀ କାଳରେ ପୂର୍ବ-ପ୍ରସ୍ତୁତି ଅଭାବରୁ ନର୍ସିଂହୋମ ଓ ଅବସର ବିହାରଗୁଡ଼ିକରେ ବହୁସଂଖ୍ୟକ ଅନ୍ତେବାସୀ ସଂକ୍ରମିତ ହେବା ତଥା ପ୍ରାଣହରାଇବା ଉଦାହରଣ ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଥିଲା । ପରିବର୍ତ୍ତିତ ପରିବେଶ ‘ନ୍ୟୂ-ନରମାଲ’ରେ ଅଧିକାଂଶ ଯେତେଦୂର ସଂଭବ ସ୍ୱ-ଗୃହରେ ବାର୍ଦ୍ଧକ୍ୟଜୀବନ ‘ଏଜିଂ ଇନ ପ୍ଳେସ’ ଚାହୁଁଥିବା ଦେଖିବାକୁ ମିଳେ ।

 

ଅବଶ୍ୟ କୋଭିଡ଼ ମହାମାରୀ ପୂର୍ବରୁ ମଧ୍ୟ ଆୟୋଜିତ ବିଭିନ୍ନ ସର୍ବେକ୍ଷଣରେ ସଂଖ୍ୟାଧିକ ବ୍ୟକ୍ତି ବାର୍ଦ୍ଧକ୍ୟ ଜୀବନଚର୍ଯ୍ୟା ନିମନ୍ତେ ସ୍ୱ-ଗୃହକୁ ନିର୍ବାଚନ କରିଥିଲେ । ‘ଆମେରିକାନ ଏସୋସିଏସନ ଅଫ ରିଟାୟର୍ଡ ପରସନ୍ସ’ ପକ୍ଷରୁ ୨୦୧୦ରେ ଅନୁଷ୍ଠିତ ସର୍ବେକ୍ଷଣରେ ୯୦ ପ୍ରତିଶତ ଏବଂ ୨୦୨୦ରେ କାନାଡ଼ାର ଅଣ୍ଟେରିଓରେ ୯୩ ପ୍ରତିଶତ ସ୍ୱ-ଗୃହ ସପକ୍ଷରେ ମତ ରଖିଥିବା ପ୍ରକାଶ । ଏହି ପରିବେଶରେ ବାର୍ଦ୍ଧକ୍ୟଗ୍ରସ୍ତଙ୍କୁ ସେମାନଙ୍କ ନିଜ ଗୃହରେ କିପରି ଦୀର୍ଘକାଳୀନ ଯତ୍ନ ଯୋଗାଇ ଦିଆଯାଇପାରିବ, ସେହି ଦିଗରେ ବିକଳ୍ପ ମଡ଼େଲ ନିର୍ବାଚନ ଗୁରୁତ୍ୱ ଲାଭ କରିଛି ।

 

ମହାମାରୀ-ପର ଅବସ୍ଥାରେ ବାର୍ଦ୍ଧକ୍ୟ ଅଧ୍ୟୟନ କ୍ଷେତ୍ରରେ ଚର୍ଚ୍ଚିତ କେତେକ ନବ-ବିକଶିତ ବାର୍ଦ୍ଧକ୍ୟ-ଅନୁକୂଳ ବସତି ମଡ଼େଲ ମଧ୍ୟରେ ବୟସ୍କ ବସତି ‘ଭିଲେଜ’, ଗୋଷ୍ଠୀବଦ୍ଧ ବସତି ‘କୋ-ହାଉସିଂ’ ଓ ପ୍ରାକୃତିକ ଅବସର ବିହାର ‘ନାଚୁରାଲି ଅକରିଂ ରିଟାୟରମେଣ୍ଟ କମ୍ୟୁନିଟିସ’ ଉଲ୍ଲେଖଯୋଗ୍ୟ । ଯୁକ୍ତରାଷ୍ଟ୍ର ଆମେରିକାରେ ବିକଶିତ ‘ଭିଲେଜ’ ମଡ଼େଲରେ ଏକ ନିର୍ଦ୍ଦିଷ୍ଟ ଭୌଗଳିକ ପରିବେଶରେ ବାର୍ଦ୍ଧକ୍ୟଗ୍ରସ୍ତ ବସବାସ କରିବା ନିମନ୍ତେ ସୁଯୋଗ ସୃଷ୍ଟି କରାଯାଇଥାଏ । ସମସ୍ତଙ୍କ ପାଇଁ ସ୍ୱତନ୍ତ୍ର ଆବାସ ବ୍ୟବସ୍ଥା ଥାଏ ଏବଂ ସମସ୍ତେ ସ୍ୱାଧୀନ ଭାବେ ଜୀବନଯାପନ କରନ୍ତି । ଆବଶ୍ୟକସ୍ଥଳେ ସମ୍ମୁଖୀନ ସମସ୍ୟା ସମାଧାନରେ ପରସ୍ପରକୁ ସହଯୋଗ କରନ୍ତି । ବାସଗୃହ ଓ ପରିବେଶ ରକ୍ଷଣାବେକ୍ଷଣ, ସୁରକ୍ଷା, ସ୍ୱାସ୍ଥ୍ୟରକ୍ଷା, ପରିବହନ ଓ ପ୍ରଦ୍ୟୋଗୀକି ସହାୟତା ନିମନ୍ତେ ସାମୂହିକ ଉଦ୍ୟମରେ କର୍ମଚାରୀ ନିଯୁକ୍ତି କରାଯାଇଥାଏ । ପ୍ରତ୍ୟେକ ‘ଭିଲେଜ’ ଅନ୍ତେବାସୀଙ୍କ ଦ୍ୱାରା ସ୍ୱୟଂଶାସିତ ।

 

ସେହିପରି ୟୁରୋପରେ ବିକଶିତ ‘କୋ-ହାଉସିଂ’ ମଡ଼େଲରେ ବୟସ୍କଙ୍କ ସମେତ ବିଭିନ୍ନ ବୟସବର୍ଗର ପରିବାରଙ୍କ ନିମନ୍ତେ ବସତି ସ୍ଥାପିତ ହୋଇଥାଏ । ଏଠାରେ ଅନ୍ତେବାସୀ କମ ପରିମିତ ଅଞ୍ଚଳରେ ସ୍ୱତନ୍ତ୍ର ବାସଗୃହରେ ବସବାସ କରୁଥିବା ସ୍ଥଳେ ବିସ୍ତୃତ ଅଞ୍ଚଳରେ ସାମୂହିକ ସୁବିଧାସୁଯୋଗ ବ୍ୟବହାର କରିଥାନ୍ତି । ବଡ଼ ଭୋଜନାଳୟ, ରନ୍ଧନଶାଳା, ସଭାଗୃହ, ବ୍ୟାୟାମଶାଳା, ଅତିଥି ଭବନ ଓ ଉଦ୍ୟାନ ସମସ୍ତେ ବ୍ୟବହାର କରନ୍ତି । ରନ୍ଧାବଢ଼ା ସକାଶେ ପ୍ରତ୍ୟେକ ପରିବାର ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା ଥିବା ସତ୍ତ୍ୱେ ବହୁ ସମୟରେ ପଂକ୍ତି-ଭୋଜନ ଆୟୋଜନ କରାଯାଇଥାଏ । ଅନ୍ତେବାସୀ ଦିନର ଅଧିକ ସମୟ ପଡ଼ୋଶୀଙ୍କ ଗହଣରେ କଟାଉଥିବା ହେତୁ ନିଃସଙ୍ଗତା, ଅବସାଦ ଭଳି ନକାରାତ୍ମକ ଅନୁଭବରୁ ଦୂରେଇ ରହିବା ଲାଗି ସୁଯୋଗ ପାଆନ୍ତି ।

 

ପ୍ରାକୃତିକ ଅବସର ବିହାର ‘ନେଚୁରାଲି ଅକରିଂ ରିଟାୟରମେଣ୍ଟ କମ୍ୟୁନିଟିସ’ ମୁଖ୍ୟତଃ ସଂଖ୍ୟାଧିକ ଅବସରପ୍ରାପ୍ତ ବସବାସ କରୁଥିବା ବସତିକୁ ବୁଝାଏ । କେତେକ କ୍ଷେତ୍ରରେ କୌଣସି ବସତିର ଜନସଂଖ୍ୟାରେ ସମୟକ୍ରମେ ବୟସ୍କଙ୍କ ସଂଖ୍ୟା ବଢ଼ିଥିବା ଏବଂ ଅନ୍ୟ କେତେକ କ୍ଷେତ୍ରରେ ଅବସରଗ୍ରହଣ ପରେ ବୟସ୍କ ବହୁଳ ବସତିରେ ବସବାସ କରିବା ନିମନ୍ତେ ଆଗ୍ରହ ପ୍ରକାଶ କରୁଥିବା ହେତୁ ନିର୍ଦ୍ଦିଷ୍ଟ ଭୌଗଳିକ ପରିସୀମାରେ ବୟସ୍କ ବାସିନ୍ଦାଙ୍କ ସଂଖ୍ୟା ବୃଦ୍ଧି ପାଇଥାଏ । ସାଧାରଣରେ କର୍ମନିଯୁକ୍ତଙ୍କ ତୁଳନାରେ ଅବସରପ୍ରାପ୍ତ ବୟସ୍କମାନେ ଘରେ ତଥା ଆଖପାଖ ଅଞ୍ଚଳରେ ଦୀର୍ଘ ସମୟ କଟାଉଥିବା ହେତୁ ଅବସର ବିହାରଗୁଡ଼ିକରେ ବାର୍ଦ୍ଧକ୍ୟ-ଅନୁକୂଳ ସୁବିଧା ସୁଯୋଗମାନ ସ୍ୱତଃ ଗଢ଼ିଉଠେ । ଏହି ପରିବେଶ ବାର୍ଦ୍ଧକ୍ୟ ଜୀବନଚର୍ଯ୍ୟାରେ ସହାୟକ ହୁଏ । ‘ନେଚୁରାଲି ଅକରିଂ ରିଟାୟରମେଣ୍ଟ କମ୍ୟୁନିଟିସ’ ଯୁକ୍ତରାଷ୍ଟ୍ର ଆମେରିକା, କାନାଡ଼ା ଭଳି ବିକଶିତ ରାଷ୍ଟ୍ରଗୁଡ଼ିକରେ ଦୃତ ପ୍ରସାର ଲାଭ କରୁଥିବା ଜଣାଯାଏ ।

 

ବିଶ୍ୱବ୍ୟାପୀ ବରିଷ୍ଠ ନାଗରିକଙ୍କ ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ସ୍ୱ-ଗୃହରେ ଜୀବନଚର୍ଯ୍ୟା ତଥା ସହରାଞ୍ଚଳରେ ବସବାସ ଧାରା ବୟସ୍କ ଯତ୍ନରେ ନୂତନ ସମୀକରଣ ସୃଷ୍ଟି କରୁଛି । ମିଳିତ ଜାତିସଂଘ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ୨୦୨୦ରେ ୪୭ ପ୍ରତିଶତ ବୟସ୍କ ସହରାଞ୍ଚଳରେ ବସବାସ କରୁଥିବା ସ୍ଥଳେ ୨୦୩୦ରେ ୬୦ ପ୍ରତିଶତରେ ପହଞ୍ଚିବା ଆକଳନ କରାଯାଉଛି । ଜନସଂଖ୍ୟା ଆଧାରରେ ସହରାଞ୍ଚଳ ଉନ୍ନୟନ ଯୋଜନା ପ୍ରଣୀତ ହେଉଥିବା ହେତୁ ପରିବର୍ତ୍ତିତ ପରିବେଶକୁ ଲକ୍ଷ୍ୟରଖି ସହରାଞ୍ଚଳରେ ବରିଷ୍ଠ ନାଗରିକଙ୍କ ବସବାସ ନିମନ୍ତେ ସ୍ୱତନ୍ତ୍ର ପ୍ରକଳ୍ପ ରୂପାୟନ ଜରୁରୀ

 

ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ଉତ୍ତର-ବାର୍ଦ୍ଧକ୍ୟ ଯତ୍ନ ସକାଶେ ସହରାଞ୍ଚଳରେ ଭିତ୍ତିଭୂମି ପ୍ରତିଷ୍ଠା କ୍ଷେତ୍ରରେ ଅନ୍ତତଃ ରାଜଧାନୀ ଭୁବନେଶ୍ୱରରେ ପରୀକ୍ଷାମୂଳକ ଉଦ୍ୟମ ନିମନ୍ତେ ସରକାରୀସ୍ତରରେ ନୀତି ନିର୍ଦ୍ଧାରଣ ଗୁରୁତ୍ୱପୂର୍ଣ୍ଣ । ଓଡ଼ିଶାର ଜନସଂଖ୍ୟାରେ ଅର୍ଥନୀତିକ, ଶିକ୍ଷାଗତ ଓ ସାମାଜିକ ବୈଷମ୍ୟ ଦୃଷ୍ଟିରୁ ସହରାଞ୍ଚଳରେ ବସବାସ କରୁଥିବା ୧୫ ରୁ ୨୦ ପ୍ରତିଶତ ପରିବାର ମଧ୍ୟରେ ଅର୍ଦ୍ଧେକ ଆର୍ଥିକ ଦିଗରୁ ସ୍ୱଚ୍ଛଳ ବିଚାର କରାଯାଏ । ଏହି ଦୃଷ୍ଟିରୁ ସାମୂହିକସ୍ତରରେ ଉତ୍ତର-ବାର୍ଦ୍ଧକ୍ୟ ଯତ୍ନ ସକାଶେ ମୁଖ୍ୟତଃ ଅର୍ଥନୀତି ଦୃଷ୍ଟିରୁ ସକ୍ଷମ ସହର ବାସିନ୍ଦା ଓ ଅର୍ଥନୀତି ଦୃଷ୍ଟିରୁ ଅବହେଳିତ ଗ୍ରାମାଞ୍ଚଳ ବାସିନ୍ଦାଙ୍କ ନିମନ୍ତେ ଦୁଇ ଭିନ୍ନ ମଡ଼େଲ ଆବଶ୍ୟକ ।

 

ଓଡ଼ିଶାର ଶିକ୍ଷିତ ଅଗ୍ରଣୀ ପରିବାରବର୍ଗର ବାର୍ଦ୍ଧକ୍ୟଗ୍ରସ୍ତଙ୍କ ଠାରେ ବିକଶିତ ସାମାଜିକ ବ୍ୟବସ୍ଥାରେ ବସବାସ କରୁଥିବା ବୟସ୍କବର୍ଗଙ୍କ ସମସ୍ୟା ପ୍ରତିଫଳିତ । ବୃଦ୍ଧ ଜନସଂଖ୍ୟା ବୃଦ୍ଧି, ବର୍ଦ୍ଧିତ ଜୀବଦ୍ଦଶା ଓ ସ୍ୱାସ୍ଥ୍ୟରକ୍ଷା ସୁବିଧାସୁଯୋଗ ଆଶାରେ ସହରାଭିମୁଖୀ ଧାରା ଅନ୍ତତଃପକ୍ଷେ ଭୁବନେଶ୍ୱର ସହରାଞ୍ଚଳରେ ବାର୍ଦ୍ଧକ୍ୟ-ଅନୁକୂଳ ବସତି ସ୍ଥାପନ ସମୟର ଆହ୍ୱାନ । ପ୍ରାଥମିକସ୍ତରରେ ରାଜ୍ୟ ସରକାରଙ୍କ ପକ୍ଷରୁ ରାଜଧାନୀର ଜନାକୀର୍ଣ୍ଣ ଅଞ୍ଚଳରେ ରାଜ୍ୟ ଗୃହନିର୍ମାଣ ସଂସ୍ଥା ଆନୁକୂଲ୍ୟରେ କେବଳ ବାର୍ଦ୍ଧକ୍ୟଗ୍ରସ୍ତଙ୍କ ପାଇଁ କୋଠାବାଡ଼ି ନିର୍ମାଣ କରି ବଜାର ଦରରେ ବିକ୍ରୀ ବ୍ୟବସ୍ଥା କରାଯାଇପାରିଲେ ସେହି ପରିବେଶରେ ପ୍ରାକୃତିକ ଭାବେ ଉତ୍ତର-ବାର୍ଦ୍ଧକ୍ୟ ଯତ୍ନ ନିମନ୍ତେ ସୁବିଧା ସୁଯୋଗ ଘରୋଇ ଉଦ୍ୟମରେ ଉପଲବ୍ଧ ହେବା ବିଶ୍ୱାସ କରାଯାଇପାରେ ।

 

ସମସାମୟିକ ବାର୍ଦ୍ଧକ୍ୟ ଅଧ୍ୟୟନ ଅନୁଯାୟୀ ପରିବର୍ତ୍ତିତ ପରିସ୍ଥିତିରେ ଜୀବଦ୍ଦଶା ବୃଦ୍ଧି ସଙ୍ଗେ ଉତ୍ତର-ବାର୍ଦ୍ଧକ୍ୟରେ ଉପନୀତ ବହୁ ସଂଖ୍ୟକ କମ ପରିମାଣରେ ଶାରୀରିକ ଅକ୍ଷମ, ସ୍ୱାସ୍ଥ୍ୟବାନ, ସକ୍ରିୟ ଓ ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳ ଜୀବନଯାପନ କରୁଛନ୍ତି । ଦେଶ ବିଦେଶରେ ବିକଶିତ ବିଭିନ୍ନ ମଡ଼େଲ ଅନୁସରଣରେ କମ ଆୟତନର ବାସଗୃହ ଓ ଅଧିକ ଆୟତନର ସାମୂହିକ ବ୍ୟବହାରଯୋଗ୍ୟ ସୁବିଧାସୁଯୋଗ ବାର୍ଦ୍ଧକ୍ୟ ବସତିରେ ସନ୍ନିବଶିତ କରାଯାଇପାରେ । ଓଡ଼ିଶା ରାଜ୍ୟ ସରକାରଙ୍କ ପକ୍ଷରୁ ଭୁବନେଶ୍ୱର ୟୁନିଟ-୨ ଅଞ୍ଚଳରେ ଅବସ୍ଥିତ ପୁରାତନ ସରକାରୀ ବାସଭବନଗୁଡ଼ିକୁ ଭାଙ୍ଗି ପୁନଃନିର୍ମାଣ ନୀତି ଲାଗୁ କରାଯାଇଥିବା ଅବସରରେ ଏହି ଅଞ୍ଚଳରେ ପରୀକ୍ଷାମୂଳକ ଭାବେ ରାଜ୍ୟ ଗୃହନିର୍ମାଣ ସଂସ୍ଥା ଆନୁକୂଲ୍ୟରେ କିଛି ବାର୍ଦ୍ଧକ୍ୟ ବସତି ନିର୍ମାଣ ଓ ବିକ୍ରୀ ପ୍ରସ୍ତାବ ବିଚାରଯୋଗ୍ୟ ।

 

ବିଭିନ୍ନ ଗବେଷଣାରୁ ଜଣାଯାଏ ଯେ ବାର୍ଦ୍ଧକ୍ୟ ବସତିଗୁଡ଼ିକ ଘଞ୍ଚ ଜନବସତିରେ ନିର୍ମାଣ କରାଗଲେ ସୁଫଳ ମିଳେ । ବାର୍ଦ୍ଧକ୍ୟଗ୍ରସ୍ତଙ୍କ ଦୈନନ୍ଦିନ ଜୀବନଯାତ୍ରା ନିମନ୍ତେ ପନ୍ଦର ମିନଟ ପାଦଚଲା ପରିଧିରେ ସମସ୍ତ ସୁବିଧା ସୁଯୋଗ ମିଳିବା ବ୍ୟବସ୍ଥା ’୧୫ ମିନଟ ସିଟିସ’ ବିଶ୍ୱବ୍ୟାପୀ ଆଦର ଲାଭ କରିଛି । ଏହି କାରଣରୁ ୟୁନିଟ-୨ ଭଳି ଜନାକୀର୍ଣ୍ଣ ଅଞ୍ଚଳରେ ବାର୍ଦ୍ଧକ୍ୟ ଅନୁକୂଳ ବସତି ସ୍ଥାପନ ଗୁରୁତ୍ୱ ବହନ କରେ । ପରିବହନ, ମୁଖ୍ୟତଃ ସାର୍ବଜନୀନ ପରିବହନ ସୁଯୋଗ ବାର୍ଦ୍ଧକ୍ୟଗ୍ରସ୍ତଙ୍କୁ ସ୍ୱାଧୀନଭାବେ ଦୈନନ୍ଦିନ ଆବଶ୍ୟକତା ସଂସ୍ଥାନଠାରୁ ଆରମ୍ଭ କରି ବହୁମୁଖୀ ସ୍ୱାସ୍ଥ୍ୟସେବା, ସାମାଜିକ ଓ ସାଂସ୍କୃତିକ ସଂପୃକ୍ତିରେ ସହାୟକ ହେବବୟସ୍କ ବ୍ୟକ୍ତିମାନଙ୍କ ମୁକ୍ତ ଜୀବନଯାପନ ବିଭିନ୍ନ ବୟସବର୍ଗରେ ସଂହତି ସ୍ଥାପନ ତଥା ସାମାଜିକ ଓ ସାଂସ୍କୃତିକ ପରମ୍ପରା ଋଦ୍ଧିମନ୍ତରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ

 

ବିଶ୍ୱବ୍ୟାପୀ ସ୍ୱ-ଗୃହରେ ବାର୍ଦ୍ଧକ୍ୟ ଜୀବନଚର୍ଯ୍ୟା ଆଦର ଲାଭ କରୁଥିବା ଅବସରରେ ଓଡ଼ିଶାରେ ଅପେକ୍ଷାକୃତ ଅଧିକ ବ୍ୟକ୍ତି ପାରମ୍ପରିକ ପଦ୍ଧତିକୁ ନିର୍ବାଚନ କରିବା ସ୍ୱାଭାବିକ । ତେବେ ବାର୍ଦ୍ଧକ୍ୟଗ୍ରସ୍ତଙ୍କ ମଧ୍ୟରୁ ୧୫ ପ୍ରତିଶତ ଉତ୍ତର-ବାର୍ଦ୍ଧକ୍ୟରେ ଦୀର୍ଘକାଳୀନ ସହାୟତା ଆବଶ୍ୟକ କରୁଥିବା, ସାରା ଓଡ଼ିଶାର ଜନସାଧାରଣ ଗୁଣାତ୍ମକ ଚ଼ିକିତ୍ସା ନିମନ୍ତେ ଭୁବନେଶ୍ୱର-କଟକ ଉପରେ ନିର୍ଭରଶୀଳ ଥିବା ତଥା ବିନା ସରକାରୀ ସହାୟତାରେ ବ୍ୟାବସାୟିକ ଢାଞ୍ଚାରେ ବୃତ୍ତିଧାରୀଙ୍କ ସେବା ଗ୍ରହଣରେ ସକ୍ଷମଥିବା ସଂଖ୍ୟାଲଘୁ ସମ୍ପ୍ରଦାୟ ନିମନ୍ତେ ବିକଳ୍ପ ବାର୍ଦ୍ଧକ୍ୟ-ଅନୁକୂଳ ବସତି ସ୍ଥାପନ ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ କଲ୍ୟାଣ ନୀତିରେ ଅଗ୍ରାଧୀକାର ଦାବୀ କରେ । ବିଶେଷଜ୍ଞଙ୍କ ମତରେ ଉତ୍ତର-ବାର୍ଦ୍ଧକ୍ୟରେ ପହଞ୍ଚିବା ପୂର୍ବରୁ ପ୍ରତ୍ୟେକ ବ୍ୟକ୍ତି ସହାୟତାଯୁକ୍ତ ଜୀବନଯାତ୍ରା ନିମନ୍ତେ ପ୍ରସ୍ତୁତ ହେଲେ ସୁଫଳ ମିଳିଥାଏ । ଏହି ଦିଗରେ ଭିତ୍ତିଭୂମି ପ୍ରସ୍ତୁତି ଲାଗି ସଚ଼େତନ ହେବା ସମୟ ଉପନୀତ ।   


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧୫ ନଭେମ୍ୱର ୨୦୨୩


ତଥ୍ୟ:

 

What is long-term care ? National Institute of Aging

 

https://www.nia.nih.gov/health/what-long-term-care

 

Donnelly, Catherine et. al. Beyond long-term care : The benefits of senior communities that evolve on their own. September 08, 2020

 

https://theconversation.com/beyond-long-term-care-the-benefits-of-seniors-communities-that-evolve-on-their-own-144269

 

Village to Village Network, Inc

 

https://www.vtvnetwork.org/content.aspx?sl=1578380665

 

Canadian Cohousing Network

 

https://cohousing.ca/

 

Paul, Masotti et. al. Healthy Naturally Occurring Retirement Communities : A low cost approach to facilitating healthy aging. AJPH, American Public Health Association. July 2006

 

https://ajph.aphapublications.org/doi/full/10.2105/AJPH.2005.068262

 

Silver Hues : Building Age-Ready Cities

 

https://www.worldbank.org/en/topic/urbandevelopment/publication/age-ready-cities