ଦୀର୍ଘଜୀବନ

ଶତାୟୁ ଗଣନା

ବିଗତ ବିଂଶ ଶତାଦ୍ଦୀର ଶେଷ ତିନି ଦଶକ ଓ ଏକବିଂଶ ଶତାଦ୍ଦୀର ପ୍ରଥମ ଦୁଇ ଦଶକ, ଏହି ଅର୍ଦ୍ଧଶତାଦ୍ଦୀ ମଧ୍ୟରେ ବିଶ୍ୱବ୍ୟାପୀ ଶତାୟୁଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ହିସାବ କରାଯାଇଥାଏ ।ଆନ୍ତର୍ଜାତିକସ୍ତରରେ ୨୦୧୯ ସୁଦ୍ଧା ଜାପାନରେ ସର୍ବାଧିକ ସଂଖ୍ୟକ ଶତାୟୁ ବସବାସ କରୁଥିଲେ । ଜାପାନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ୨୦୧୮ ସୁଦ୍ଧା ସେଠାରେ ୬୯,୭୮୫ ଜଣ ଶତାୟୁ ଜୀବିତ ଥିବା ପ୍ରକାଶ ପାଇଥିଲା । ଦେଶରେ ୧୯୬୫ରୁ ଶତାୟୁ ବରିଷ୍ଠ ନାଗରିକଙ୍କ ସଂଖ୍ୟା ଗଣନା କରାଯିବା ଆରମ୍ଭ ହୋଇଥିଲା । ପ୍ରଥମଥର ଗଣନାରେ ମାତ୍ର ୧୫୩ ଜଣ ଶତାୟୁଙ୍କୁ ଚ଼ିହ୍ନଟ କରାଯାଇଥିବା ସ୍ଥଳେ ସେମାନଙ୍କ ସଂଖ୍ୟା କ୍ରମାଗତ ବୃଦ୍ଧି ପାଇ ଚାଲିଛି । ୨୦୧୭ ଓ ୨୦୧୮ ଦୁଇବର୍ଷ ମଧ୍ୟରେ ଜାପାନରେ ଶତାୟୁଙ୍କ ତାଲିକାରେ ପ୍ରାୟ ଦୁଇ ହଜାର ବରିଷ୍ଠ ନାଗରିକ ଯୋଡ଼ି ହୋଇଛନ୍ତି । ଅର୍ଥାତ ଶତାୟୁଙ୍କ ସଂଖ୍ୟା ଭବିଷ୍ୟତରେ ଅଧିକ ମାତ୍ରାରେ ବୃଦ୍ଧି ପାଇବା ଆଶା କରାଯାଇପାରେ ।

 

ଜାପାନ ପରକୁ ଇଟାଲୀରେ ସଂଖ୍ୟାଧିକ ଶତାୟୁ ଜୀବିତ । ତୃତୀୟରେ ଯୁକ୍ତରାଷ୍ଟ୍ର ଆମେରିକା, ଚ଼ତୁର୍ଥରେଚ଼ୀନ ଓ ପଞ୍ଚମରେ ଭାରତ ସ୍ଥାନିତ । ତେବେ ୨୦୫୦ ସୁଦ୍ଧା ଚ଼ୀନରେ ସର୍ବାଧିକ ଶତାୟୁ ଜୀବିତ ଥିବା ଆକଳନ କରାଯାଉଥିବାସ୍ଥଳେ ଜାପାନ ଦ୍ୱିତୀୟସ୍ଥାନକୁ ଖସି ଆସିବ । ଭାରତରେ ଶତାୟୁଙ୍କ ସଂଖ୍ୟା ବୃଦ୍ଧି ପୂର୍ବାନୁମାନ ଅନେକଙ୍କୁ ଆଚ଼ମ୍ୱିତ କରିପାରେ ।

 

ଜାପାନରେ ପ୍ରତି ଦଶ ହଜାର ଜନସଂଖ୍ୟାରେ ହାରାହାରି ଭାବେ ୪.୮ ଶତାୟୁ ବରିଷ୍ଠ ନାଗରିକ ଜୀବିତ । ଶତାୟୁଙ୍କ ମଧ୍ୟରେ ୮୮ ପ୍ରତିଶତ ମହିଳା । କାନେ ଟାଙ୍କା ୨୦୨୧ ଜାନୁୟାରୀ ୨ ତାରିଖରେ ୧୧୭ ବର୍ଷ ପୂର୍ତ୍ତୀ କରି ୧୧୮ ତମ ଜନ୍ମଉତ୍ସବ ପାଳନ କରିଥିଲେ । ସେ ଜାପାନର ସର୍ବବରିଷ୍ଠ ଜୀବିତ ନାଗରିକ । ସେ ୧୯୦୩ରେ ଜନ୍ମଗ୍ରହଣ କରିଥିଲେ ।

 

କାନେ ୧୦୩ ବର୍ଷରେ ପାକସ୍ଥଳୀ କ୍ୟାନସରରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହୋଇଥିଲେ । ତତ୍ପରଠାରୁ ନର୍ସିଂହୋମରେ ବସବାସ କରୁଥିଲେ । ଅଧିକାଂଶ ସମୟ ଶଯ୍ୟାଶାୟୀ ଅବସ୍ଥାରେ ସମୟକାଟୁଥିବାସ୍ଥଳେୱାକରଆଶାବାଡ଼ି ସହାୟତାରେ ନର୍ସିଂହୋମରେସାମାନ୍ୟ ଚଲାବୁଲା କରୁଥିଲେ । ତାଙ୍କର ଦୈନନ୍ଦିନ ଖାଦ୍ୟ ମଧ୍ୟରେ ଭାତ, ପରିବା ସୁପ ଓ ଛୋଟ ମାଛ ଅନ୍ତର୍ଭୁକ୍ତ । ଅଧିକ ପାଣି ପିଅନ୍ତି ଏବଂ ତା ସାଙ୍ଗକୁ ଥଣ୍ଡା କଫି, ମୃଦୁ ପାନୀୟ ପ୍ରିୟ । ସେ ବି ମିଠା ଖାଇବାକୁ ଭଲପାଆନ୍ତି ।

 

କାନେ ଏକ ଅଣ-ବିକଶିତ ଶିଶୁ ରୂପେ ଜନ୍ମ ନେଇଥିଲେ । ତାଙ୍କରି ମା ସ୍ତନ୍ୟପାନ କରାଇବାକୁ ଅସମର୍ଥ ଥିବା ହେତୁ ଅନ୍ୟ ମହିଳାଙ୍କଠାରୁ ସ୍ତନ୍ୟପାନ କରିଥିଲେ । ଦ୍ୱିତୀୟବିଶ୍ୱଯୁଦ୍ଧ ବେଳେ ତାଙ୍କରି ସ୍ୱାମୀ ଓ ପୁତ୍ରଙ୍କ ବିୟୋଗ ଘଟିଥିଲା । ଏକ ଖାଦ୍ୟ ଦୋକାନରେ ସେ ଦୀର୍ଘଦିନ ଧରି କାର୍ଯ୍ୟକରି ୬୩ ବର୍ଷ ବୟସରେ ଅବସର ଗ୍ରହଣ କରିଥିଲେ । ତାଙ୍କରି ଦୀର୍ଘଜୀବନ ରହସ୍ୟ ସଂପର୍କରେ କାନେ କହନ୍ତି ଯେ ସୁନିଦ୍ରା, ପାରିବାରିକ ବନ୍ଧନ ଓ ଦୀର୍ଘକାଳ ବଞ୍ଚିବା ବିଶ୍ୱାସ ତାଙ୍କୁ ଦୀର୍ଘଜୀବୀ କରାଇପାରିଛି ।

 

ଆନ୍ତର୍ଜାତିକସ୍ତରରେ ଶତାୟୁଙ୍କ ରେକର୍ଡ଼ରେ ଫରାସୀ ମହିଳା ଜେନେକାଲମେଣ୍ଟ ସର୍ବାଧିକ ୧୨୨ ବର୍ଷ ୧୬୪ ଦିନ ଜୀବିତ ଥିଲେ । ସେ ୧୮୭୫ ମେରେ ଜନ୍ମ ଲାଭ କରି ୧୯୯୭ରେ ମୃତ୍ୟୁବରଣ କରିଥିଲେ । ତାଙ୍କରି ପରିବାରରେ ଅନ୍ୟାନ୍ୟ ସଦସ୍ୟଙ୍କ ମଧ୍ୟରେ ପିତା ୯୩ ବର୍ଷ, ମାତା ୮୬ ବର୍ଷ ଓ ଭ୍ରାତା ୯୭ ବର୍ଷ ଯାଏଁ ବଞ୍ଚିଥିଲେ । ଅବଶ୍ୟ ନିଜସ୍ୱାମୀଙ୍କୁ ୭୩ ବର୍ଷରେ ହରାଇଥିଲେ । କାଲମେଣ୍ଟଙ୍କଏକ ମାତ୍ର କନ୍ୟା ୩୬ ବର୍ଷ ବୟସରେ ଯକ୍ଷ୍ମା ରୋଗାକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ । ତାଙ୍କରି ପିତା ଜାହାଜ ତିଆରି ବ୍ୟବସାୟରେ ସଂପୃକ୍ତ ଥିଲେ । ସ୍ୱାମୀ ନିକଟ ସଂପର୍କୀୟ ଧନାଢ଼୍ୟ ଲୁଗା ବ୍ୟବସାୟୀ । କାଲମେଣ୍ଟଙ୍କ ଜୀବନ ମୁଖ୍ୟତଃ ମଉଜ ମଜଲିସରେ କଟିଥିଲା । ସେ କ୍ୱଚ଼ିତଘରକାମରେମନୋନିବେଶ କରୁଥିଲେ । ଶହେ ବର୍ଷ ଯାଏଁ ସେ ଚଳଚ଼ଞ୍ଚଳ ଥାଇ ସହରର ରାସ୍ତାଘାଟରେ ସାଇକଲ ଚଳାଉଥିଲେ । ସେ ଚକଲେଟ ଖାଇବାକୁ ପସନ୍ଦ କରୁଥିଲେ ଏବଂ ପ୍ରତିଦିନ ଦୁଇଗୋଟି ସିଗାରେଟ ଟାଣୁଥିଲେ । ମୃତ୍ୟୁର ମାତ୍ର କେଇବର୍ଷପୂର୍ବରୁ ସିଗାରେଟରେ ନିଆଁ ନ ଧରାଇପାରିବା ହେତୁ ସିଗାରେଟ ଅଭ୍ୟାସ ଛାଡ଼ିଥିଲେ । ଜେନେକାଲମେଣ୍ଟଙ୍କୁଗିନିସ ୱାଲ୍ଡ ରେକର୍ଡ଼ ପକ୍ଷରୁ ବିଶ୍ୱରେସର୍ବାଧିକ ଦୀର୍ଘଜୀବୀର ମାନ୍ୟତା ଦିଆଯାଇଥାଏ ।

 

ତେବେ କାଲମେଣ୍ଟଙ୍କଜୀବଦ୍ଦଶାକୁ ନେଇ ଜନୈକ ୩୫ ବର୍ଷ ବୟସ୍କ ଋୁଷ ଗଣିତଜ୍ଞ ନିକୋଲେ ଜାକ ସନ୍ଦେହ ପ୍ରକଟ କରି ୨୦୧୮ ଡ଼ିସେମ୍ୱର ଶେଷରେ ଏକ ଗବେଷଣାତ୍ମକନିବନ୍ଧ ଉପସ୍ଥାପନ କରିଥିଲେ । ତାଙ୍କରି ଉପପାଦ୍ୟରେ ଜେନେକାଲମେଣ୍ଟ ୧୯୩୪ରେ ମୃତ୍ୟୁବରଣ କରିଥିଲେ ଏବଂ ତାଙ୍କରି କନ୍ୟା ୟୋନେକାଲମେଣ୍ଟ ଉତ୍ତରାଧିକାରୀ ଭାବେ ସମ୍ପତ୍ତି ଅଧିଗ୍ରହଣ ଟିକସ ଏଡ଼ାଇବା ପାଇଁ ନିଜ ମାଆ ଜେନେକାଲମେଣ୍ଟ ଭାବେ ନିଜକୁ ପରିଚ଼ିତ କରାଇଥିଲେ । ନିଜ ଦାବୀ ସପକ୍ଷରେ ସେ ବିଭିନ୍ନ ପ୍ରମାଣ ମଧ୍ୟରେ ମାଆ ଓ ଝିଅଙ୍କ ମଧ୍ୟରେ କେତେକ ଶାରୀରିକ ତାରତମ୍ୟ, ପାସପୋର୍ଟରେ ଲିପିବଦ୍ଧ ତଥ୍ୟାବଳୀରେତାଳମେଳ ନରହୁଥିବା ଇତ୍ୟାଦି ଉଲ୍ଲେଖ କରିଛନ୍ତି । ୟୋନେ ୯୯ ବର୍ଷ ବୟସରେ ମୃତ୍ୟୁ ବରଣ କଲାବେଳେ ମାତାଙ୍କ ଜୀବଦ୍ଦଶାକୁ ଯୋଗ କରି ମିଥ୍ୟାରେ ୧୨୨ ବର୍ଷ ପ୍ରତିପାଦିତ କରିଥିବା ଋୁଷଗଣିତାଜ୍ଞଙ୍କ ଦାବୀକୁ ଅନେକଙ୍କ ପାଇଁ ବିଶ୍ୱାସନୀୟ ହୋଇପାରୁ ନାହିଁ । ଗିନିସ ବୁକ ଅଫ ୱାର୍ଲ୍ଡ ରେକର୍ଡ଼, ସ୍ମିଥୋନିଆନପତ୍ରିକା ଭଳି ଖ୍ୟାତନାମା ସଂସ୍ଥା ଜେନେକାଲମେଣ୍ଟଙ୍କ ଜୀବଦ୍ଦଶାକୁ ନେଇ ବିବାଦ ଅମୂଳକ ଦର୍ଶାଇଛନ୍ତି ।

 

ଶତାୟୁଙ୍କ ଗଣନାରେ ଭାରତ ଆନ୍ତର୍ଜାତିକସ୍ତରରେ ପଞ୍ଚମ ସ୍ଥାନ ଦାବୀ କରୁଥିଲେ ହେଁ ଆମ ଦେଶରେ ବୟୋଜ୍ୟେଷ୍ଠଙ୍କ ବୟସ ତନଖି ସଂପର୍କରେ ବିଜ୍ଞାନସମ୍ମତ୍ତ ଧାରାରେ ଉଦ୍ୟମ ହୋଇପାରି ନାହିଁ । ଅଗ୍ରଣୀ ଇଂଲିଶସମ୍ୱାଦପତ୍ରଦି ଟାଇମ୍ସ ଅଫ ଇଣ୍ଡିଆ ନାଗପୁର ସଂସ୍କରଣରେ ୧୫ ଡିସେମ୍ବର ୨୦୧୮ରେ ପ୍ରକାଶିତ ଏକ ସମ୍ୱାଦ ଅନୁଯାୟୀ ମଧ୍ୟପ୍ରଦେଶର ସିଓନି ସହରର ଶାନ୍ତି ଦେବୀ ପାଣ୍ଡେଙ୍କ ବୟସ ୧୧୫ ବର୍ଷ । ସେ ପଡ଼ିଯାଇଅଣ୍ଟାପ୍ରତ୍ୟାରୋପଣହିପଜଏଣ୍ଚରିପ୍ଳେସମେଣ୍ଟ ପାଇଁ ବାସସ୍ଥାନରୁ ୧୦୦ କିଲୋମିଟର ଦୂରବର୍ତ୍ତୀ ନାଗପୁରର ଏକ ଘରୋଇ ଚ଼ିକିତ୍ସାଳୟରେ ପହଞ୍ଚିଥିଲେ । ଅସ୍ତ୍ରୋପଚାର ପୂର୍ବରୁ ଡ଼ାକ୍ତରଙ୍କୁତାଙ୍କରି ଜନ୍ମ ୧୨ ମାର୍ଚ୍ଚ ୧୯୦୩ ବୋଲି କହିଥିଲେ । ଅବଶ୍ୟ ଆଧାର କାର୍ଡ଼ ବ୍ୟତୀତ ବୟସ ସଂପର୍କରେ ତାଙ୍କରି ପାଖେ ଅନ୍ୟ କୌଣସି ଦସ୍ତାବିଦ ନାହିଁ ।

 

ଶାନ୍ତି ଦେବୀ କହନ୍ତି ଯେ ତାଙ୍କରି ମାଆ ସତ୍ୟାଲି ଦେବୀ ୧୧୭ ବର୍ଷ ବଞ୍ଚିଥିଲେ । ଶାନ୍ତି ଦେବୀଙ୍କ ୧୨ ଗୋଟି ସନ୍ତାନ । କିନ୍ତୁ ଛଅ ଗୋଟି ସନ୍ତାନ ଜନ୍ମର ବର୍ଷକ ମଧ୍ୟରେ ମରିଯାଇଥିଲେ । ସର୍ବ କନିଷ୍ଠ ପୁତ୍ରଙ୍କ ବୟସ ୫୦ ବର୍ଷ । ସେ ୭ ବର୍ଷ ବୟସରେ ବିବାହ କରିଥିଲେ ଏବଂ ୧୨ ବର୍ଷ ବୟସରେ ସ୍ୱାମୀଙ୍କଘରକୁ ଚ଼ିତ୍ରକୂଟ ଯାଇଥିଲେ । ତାଙ୍କରି ସ୍ୱାମୀ ପୁରୋହିତ ଓ ଜ୍ୟୋତିଷ ରୂପେ କାର୍ଯ୍ୟକରି ପରିବାର ଚଳାଉଥିଲେ । ଶାନ୍ତି ଦେବୀ ସ୍ୱାଧୀନତା ସଂଗ୍ରାମ, ମହାତ୍ମାଗାନ୍ଧିଙ୍କ ପଦଯାତ୍ରା ଓ ସୁବାଷ ଚନ୍ଦ୍ର ବୋଷଙ୍କସିଓନି ଜେଲରେ କାରାବାସ ସଂପର୍କରେ ସ୍ମୃତି ବଖାଣନ୍ତି । ତାଙ୍କରି ମାନସିକ ସ୍ଥିତି ଓ ସ୍ମୃତିଶକ୍ତି ପ୍ରଖର ରହିଛି । ଶାନ୍ତି ଦେବୀଙ୍କ ଜନ୍ମ ତାରିଖ ଯଦି ସତ ହୁଏ ତେବେ ସେ ଭାରତର ସର୍ବବରିଷ୍ଠ ଜୀବିତ ନାଗରିକ ।

 

ସ୍ୱୀକୃତରେକର୍ଡ଼ରେଲୁସିଡି ଆବରୁ ସର୍ବାଧିକ ବୟସ ବଞ୍ଚିଥିବା ଭାରତୀୟ ନାଗରିକ । ସେ ୨୪ ମେ ୧୮୯୨ରେ ଜନ୍ମଲାଭ କରି ୭ ଡ଼ିସେମ୍ୱର ୨୦୦୫ରେ ବ୍ରିଟେନରେ ବସବାସକାଳରେମୃତ୍ୟୁବରଣ କରିଥିଲେ । ତାଙ୍କରି ଜୀବଦ୍ଦଶା ୧୧୩ ବର୍ଷ ୧୯୭ ଦିନ ଯାଏଁ ପରିବ୍ୟାପ୍ତଥିଲା ।

 

ପରିସଂଖ୍ୟାନ ଶାସ୍ତ୍ରରେ ସାଧାରଣ ଜୀବଦ୍ଦଶା ନିର୍ଦ୍ଧିଷ୍ଟ ଭୌଗଳିକ ପରିସୀମାରେ ନିର୍ଦ୍ଧିଷ୍ଟ ସମୟକୁ ବିଚ଼ାରକୁ ନେଇ ନିର୍ଦ୍ଧାରିତ ହୋଇଥାଏ । ଆନ୍ତର୍ଜାତିକସ୍ତରରେବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ହିସାବ ଅନୁଯାୟୀ ୨୦୧୬ରେ ଜୀବଦ୍ଦଶା ୭୨ ବର୍ଷ । ତେବେ ଜାପାନରେ ସେହିବର୍ଷ ହାରାହାରି ଜୀବଦ୍ଦଶା ୮୩ ବର୍ଷ ଓ ଦକ୍ଷିଣ ଆଫ୍ରିକାର ଇସ୍ୱାଟିନିରେ ହାରାହାରି ଜୀବଦ୍ଦଶା ୪୯ ବର୍ଷ ନିର୍ଦ୍ଧାରିତ ହୋଇଥିଲା । ଜୀବଦ୍ଦଶା ଆକଳନରେ ସଂପୃକ୍ତ ବ୍ୟକ୍ତିଙ୍କ ଜନ୍ମ ତାରିଖ ଗୁରୁତ୍ୱ ବହନ କରିଥାଏ ଏହାକୁ ଲାଇଫ ଏକ୍ସପେକ୍ଟସନଏଟବାର୍ଥ କୁହାଯାଏ । ଭାରତରେ ୨୦୧୮ରେ ସାଧାରଣ ଜୀବଦ୍ଦଶା ହାରାହାରି ୬୯.୦୯ ବର୍ଷ ହିସାବ କରାଯାଇଥିଲା । ଅର୍ଥାତ ୨୦୧୮ରେ ଜନ୍ମିତ ଶିଶୁର ଜୀବଦ୍ଦଶା ହାରାହାରି ଭାବେ ୬୯.୦୯ ବର୍ଷ ହେବା ସଂଭବ ।

 

ବିଶେଷଜ୍ଞମାନଙ୍କ ମତରେ ବିକାଶୋନ୍ମୁଖୀ ରାଷ୍ଟ୍ରଗୁଡ଼ିକରେ ଶତାୟୁଙ୍କ ସଂଖ୍ୟା ବାର୍ଷିକ ୫.୫ ପ୍ରତିଶତ ହାରରେ ବୃଦ୍ଧି ପାଇବାରେ ଲାଗିଛି । ଏକ ଆକଳନ ଅନୁଯାୟୀ ୨୦୦୯ରେ ବିଶ୍ୱବ୍ୟାପୀ ଶତାୟୁଙ୍କ ସଂଖ୍ୟା ୪ ଲକ୍ଷ ୫୫ ହଜାର ଥିବା ସ୍ଥଳେ ୨୦୫୦ ବେଳକୁ ସେମାନଙ୍କ ସଂଖ୍ୟା ୪୧ ଲକ୍ଷକୁ ବୃଦ୍ଧି ପାଇବ । ଓଡ଼ିଶାରେସେହି ଧାରା ପ୍ରତିଫଳିତ ହେବା ସ୍ୱାଭାବିକ । ତେଣୁ ଆମ ରାଜ୍ୟର ସ୍ୱଚ୍ଛଳ ବର୍ଗରେ ୧୯୫୦ ରୁ ୧୯୬୦ ମଧ୍ୟରେ ଜନ୍ମିତ ଗୋଷ୍ଠୀ ଏହି ବର୍ଦ୍ଧିତ ଶତାୟୁ ଜନସଂଖ୍ୟାରେ ସାମିଲ ହେବା ସମ୍ଭବପର ନୁହେଁ କି ? ଏଥି ନିମନ୍ତେ ସାମାଜିକ ସ୍ତରରେ ପୂର୍ବ ପ୍ରସ୍ତୁତି ଆବଶ୍ୟକ ।

 

 

ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଫେବୃୟାରୀ ୨୦୧୯

 

---

ତଥ୍ୟ:

 

Wikipedia

 

https://en.wikipedia.org/wiki/Kane-Tanaka


https://en.m.wikipedia.org/wiki/Lif-expectancy 


Henden, Amalie. World's oldest living person turns 116 today: Oldest person speaks of SECRET to long life. Express. January 2, 2019. 


https://www.express.co.uk/news/world/1066014/Worlds-oldest-person-kane-tanaka-secrets-to-a-long-life 


World’s oldest person : Kane Tanka 


https://www.youtube.com/watch?v=QZ4K_aBZGQk

ଶତାୟୁ ଅନୁଭବ

ବିଶ୍ୱବ୍ୟାପୀ ମନୁଷ୍ୟର ଜୀବଦ୍ଦଶା ଓ ଶତାୟୁ ଜନସଂଖ୍ୟା ବୃଦ୍ଧି ମୁଖ୍ୟତଃ ବାର୍ଦ୍ଧକ୍ୟଗ୍ରସ୍ତଙ୍କ ମଧ୍ୟରେ ଶତାୟୁ ଅନୁଭବ ପ୍ରତି ଜିଜ୍ଞାସା ସୃଷ୍ଟି କରିଥାଏ । ଶହେ ବର୍ଷ ପାଖାପାଖି ବଞ୍ଚିବା ବେଳକୁ ଜୀବନଚ଼ର୍ଯ୍ୟାର ରୂପରେଖ ସଂପର୍କରେ ସବିଶେଷ ପରିଚ଼ିତ ହେବା ନିମନ୍ତେ ଆଗ୍ରହ ପରିଲକ୍ଷିତ ହୁଏ । କିନ୍ତୁ ପ୍ରଚଳିତ ସାହିତ୍ୟ ପରିଧିରେ ଅତି-ବାର୍ଦ୍ଧକ୍ୟ ବିଷୟକ ରଚନା ଅଭାବ । ହାତଗଣତି ପ୍ରାଚୀନ ସାହିତ୍ୟିକ ବାର୍ଦ୍ଧକ୍ୟ ଜୀବନ ବିଶ୍ଳେଷଣ କରିଥିବା ସ୍ଥଳେ ଅଧିକାଂଶ ବ୍ୟକ୍ତିଗତସ୍ତରରେ ଅତି-ବାର୍ଦ୍ଧକ୍ୟ ଅନୁଭବରୁ ବଞ୍ଚିତ ଥିବା ଜଣାଯାଏ ।

 

ଗ୍ରୀକ ଦାର୍ଶନିକ ପ୍ଳାଟୋ ଅଶୀ ବର୍ଷ ଯାଏଁ ବଞ୍ଚିଥିଲେ । ତାଙ୍କ ଶିଷ୍ୟ ଆରିଷ୍ଟୋଟଲଙ୍କ ବାଷଠି ବର୍ଷ ବୟସରେ ପରଲୋକ ଘଟିଥିଲା । ଏହି ଦୁହିଙ୍କ ସାହିତ୍ୟକୃତୀରେ ବାର୍ଦ୍ଧକ୍ୟର ପ୍ରାଚ଼ୀନତମ ବିଶ୍ଳେଷଣ ଉପଲବ୍ଧ । ରୋମାନ ରାଜନୀତିଜ୍ଞ ତଥା ବିଦ୍ୱାନ ସିସିରୋଙ୍କ ଦ୍ୱାରା ବାଷଠି ବର୍ଷରେ ପ୍ରଣୀତ ଆଦର୍ଶ ବାର୍ଦ୍ଧକ୍ୟ ଜୀବନଚ଼ର୍ଯ୍ୟା ସଂପର୍କରେ ସର୍ବପ୍ରାଚୀନ ମୁଦ୍ରିତ ପୂର୍ଣ୍ଣାଙ୍ଗ ରଚନା ଉପଲବ୍ଧ ।

 

ଇଂଲିଶ ସାହିତ୍ୟିକ ଚସର ପଞ୍ଚାବନ ବର୍ଷ ବୟସରେ ‘ଦି ମାର୍ଚେଣ୍ଟସ ଟେଲ’, ସେକ୍ସପିୟର ଏକଚାଳିଶି ବର୍ଷ ବୟସରେ ‘କିଙ୍ଗଲିୟର’ ଏବଂ ଟେନିସନ ମାତ୍ର ଚ଼ବିଶି ବର୍ଷ ବୟସରେ ‘ଥେସରସ’ ଓ ‘ୟୁଲେସିସ’ ରଚନା କରିଥିଲେ । ଏହି ସବୁ ସାହିତ୍ୟ କୃତୀଗୁଡ଼ିକରେ ବାର୍ଦ୍ଧକ୍ୟ ବିଶ୍ଳେଷଣ କରାଯାଇଛି । ଅର୍ଥାତ ଆଧୁନିକ ଯୁଗର ଶହେ ବର୍ଷ ଜୀବନ ସଂପର୍କରେ କେହି ପ୍ରତ୍ୟକ୍ଷଭାବେ ଅନୁଭୂତି ସଂଗ୍ରହର ସୁଯୋଗ ପାଇପାରି ନଥିଲେ ବୋଲି କୁହାଯାଇପାରେ ।

 

ସମକାଳୀନ ସମାଜରେ ମଧ୍ୟ ଉତ୍ତର-ବାର୍ଦ୍ଧକ୍ୟର ଚରିତ୍ରମାନଙ୍କୁ ନାୟକ ବା ନାୟିକା ରୂପେ ଗଢ଼ିତୋଳି ସାହିତ୍ୟକୃତି ଦୁର୍ଲଭ । ସ୍ଥଳବିଶେଷରେ ଉପନ୍ୟାସଗୁଡ଼ିକରେ ଅତି-ବୃଦ୍ଧ ଚ଼ରିତ୍ର ନୈପଥ୍ୟ ଭୂମିକାରେ ଅବତୀର୍ଣ୍ଣ । ଫଳରେ ବାର୍ଦ୍ଧକ୍ୟ ମନଗହନର ସବିଶେଷ ମୂଲ୍ୟାୟନ ସଂଭବ ହୋଇପାରେ ନାହିଁ । ଅପରପକ୍ଷେ ବହୁ କମ ସଂଖ୍ୟକ ଭାରତୀୟ ଲେଖକ ଜୀବନରେ ଶତକ ପୂର୍ତ୍ତୀ ଯାଏଁ ସୃଜନରେ ସଂପୃକ୍ତ ରହୁଥିବା ଦେଖିବାକୁ ମିଳେ । ଏହି କାରଣରୁ ମଧ୍ୟ ସେମାନଙ୍କ ରଚନାରେ ଅତି-ବାର୍ଦ୍ଧକ୍ୟ ବର୍ଣ୍ଣନା ଅଭାବ ରହିଥାଏ । ଚର୍ଚ୍ଚିତ ସଂପାଦକ, ସ୍ତମ୍ଭ ଲେଖକ ଓ ଔପନ୍ୟାସିକ ଖୁସୁବନ୍ତ ସିଂ ଏକ ବ୍ୟତିକ୍ରମ ।

 

ଖୁସୁବନ୍ତ ସିଂ ୯୯ ବର୍ଷ ବୟସରେ ୨୦୧୪ରେ ମୃତ୍ୟୁବରଣ କରିଥିଲେ । ‘ଦି ସନସେଟ କ୍ଳବ’ ଶୀର୍ଷକ ତାଙ୍କରି ଏକ ଇଂଲିଶ ଉପନ୍ୟାସ ୯୬ ବର୍ଷ ବୟସରେ ପ୍ରକାଶିତ ହୋଇଥିଲା । ସାଧାରଣତଃ ପ୍ରସିଦ୍ଧ ଲେଖକମାନଙ୍କ ସଦ୍ୟତମ ପୁସ୍ତକ ପ୍ରକାଶନ କାଳରେ ଲେଖକଙ୍କ ସହ ସମୀକ୍ଷକମାନଙ୍କ ସାକ୍ଷାତକାରମାନ ଆୟୋଜନ କରାଯାଇଥାଏ । ଏଭଳି ସାକ୍ଷାତକାର ମାଧ୍ୟମରେ ପାଠକବର୍ଗ ପ୍ରିୟ ଲେଖକଙ୍କ ବ୍ୟକ୍ତିଗତ ଜୀବନ ସଂପର୍କରେ ଅଧିକ କିଛି ଜାଣିବାର ସୁଯୋଗ ସୃଷ୍ଟି ହୋଇଥାଏ । କହିବା ବାହୁଲ୍ୟ, ଗଣମାଧ୍ୟମରେ ଚର୍ଚ୍ଚିତ ହେବା ଦ୍ୱାରା ପାଠକ ଲେଖକଙ୍କ ପୁସ୍ତକ କିଣେ ଏବଂ ପୁସ୍ତକ ବିକ୍ରୀ ବଢ଼ିଥାଏ ।

 

ଖୁସୁବନ୍ତ ସିଂଙ୍କ ସ୍ୱାଧୀନ ଭାରତର ଅନ୍ତତଃ ପକ୍ଷେ ଛଅ ଦଶନ୍ଧିର ତିନିଗୋଟି ପୀଢ଼ିର ମୁଗ୍ଧ ପାଠକ ଲେଖକଙ୍କ ମୃତ୍ୟୁ ଯାଏଁ ନୂଆ ପ୍ରକାଶନକୁ ଚାହିଁ ରହୁଥିଲେ । ‘ଦି ସନସେଟ କ୍ଳବ’ ପୂର୍ବରୁ ପ୍ରକାଶିତ ‘ଅବସୁଲେଟ ଖୁସୁବନ୍ତ ସିଂ’ ପୁସ୍ତକଟି ପ୍ରକାଶନର ତୃତୀୟ ଦିବସରେ ହିଁ ପ୍ରଥମ ସଂସ୍କରଣ ବିକ୍ରୀ ହୋଇଯାଇଥିଲା । ‘ଦି ସନସେଟ କ୍ଳବ’ ପୁସ୍ତକ ଉନ୍ମୋଚନ ଅବସରରେ ଖୁସବନ୍ତ ସିଂଙ୍କ ସହ ନଭତେଜ ସରନାଙ୍କ ସାକ୍ଷାତକାର ଇଂଲିଶ ସମ୍ୱାଦପତ୍ର ‘ଦି ହିନ୍ଦୁ’ର ରବିବାସରୀୟ କ୍ରୋଡ଼ପତ୍ରରେ ୫ ଡ଼ିସେମ୍ୱର ୨୦୧୦ରେ ପ୍ରକାଶିତ ହୋଇଥିଲା । ନଭତେଜ ସରନା ଜଣେ ପ୍ରଶାସକ ଓ ଲେଖକ । ସେ ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ ଓ ଇସ୍ରାଏଲରେ ଭାରତର ରାଷ୍ଟ୍ରଦୂତ ଭାବେ ଅବସ୍ଥାପିତ ହୋଇଥିଲେ । ତାଙ୍କରି ଉପନ୍ୟାସ, କ୍ଷୁଦ୍ରଗଳ୍ପ ସଂକଳନ ଓ ଅନୁବାଦ ଇତ୍ୟାଦି ପ୍ରକାଶିତ ।

 

‘ଦି ସନସେଟ କ୍ଳବ’ ସଂଭବତଃ ୩୦ ନଭେମ୍ୱର ୨୦୧୦ରେ ଉନ୍ମୋଚିତ ହୋଇଥିଲା । ଏହାର ଠିକ ପୂର୍ବରୁ ଏକ ଶୀତୁଆ ସନ୍ଧ୍ୟାରେ ନଭତେଜ ସରନା ଲେଖକଙ୍କ ସୁଜନ ସିଂ ପାର୍କ ସ୍ଥିତ ବାସଭବନରେ ପୂର୍ବ-ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ସାକ୍ଷାତ କରିବାକୁ ପହଞ୍ଚିଥିଲେ । ଖୁସୁବନ୍ତ ସିଂ ନଭତେଜଙ୍କ ପ୍ରିୟ ଲେଖକ । ତେଣୁ ତାଙ୍କୁ ସାକ୍ଷାତକରିବାରେ ଉନ୍ମାଦନା ନିଜ ରଚନାରେ ମୁକ୍ତକଣ୍ଠରେ ସ୍ୱୀକାର କରିଥିଲେ ।

 

ଖୁସୁବନ୍ତ ସିଂଙ୍କ ଜୀବନ ଅନେକାଂଶରେ ପାଠକମାନଙ୍କ ପାଇଁ ଖୋଲା ଫର୍ଦ୍ଦ । ଲେଖକଙ୍କ ଦୈନନ୍ଦିନ ଜୀବନ, ସୃଜନ ନିଷ୍ଠା, ସମୟାନୁବର୍ତ୍ତିତା, ଆଗ୍ରହ ଓ ବିଶ୍ୱାସ ବିଭିନ୍ନ ବିଷୟରେ ଦୀର୍ଘ ଚାରି ଦଶକ ଧରି ସମ୍ୱାଦପତ୍ର ସ୍ତମ୍ଭରେ ସାପ୍ତାହିକଭିତ୍ତିରେ ଲେଖି ଆସିଥିବା ହେତୁ ତାଙ୍କରି ଅନୁଭୂତି ଓ ଦୃଷ୍ଟିକୋଣ ସଂପର୍କରେ ପାଠକ ଗୋଷ୍ଠୀ ବେଶ ପରିଚ଼ିତ । ନଭତେଜ ଖୁସୁବନ୍ତ ସିଂଙ୍କ ବାସଗୃହରେ ଘଡ଼ି ଦେଖି ଠିକ ସାତଟାରେ ପହଞ୍ଚି ଡ଼ୋରବେଲ ଚିପିଲେ । ଡ଼ୋରବେଲ କାନ୍ଥରେ ଲେଖା ଯାଇଥିଲା ‘ଡୁ ନଟ ରିଙ୍ଗ ଅନଲେସ ଏକ୍ସପେକ୍ଟଡ଼’ ଅର୍ଥାତ ‘ଅନିମନ୍ତ୍ରିତଙ୍କ ପ୍ରବେଶ ବାରଣ’ ବା ସେପରି କିଛି !

 

ନଭତେଜ ବୈଠକଖାନାରେ ପହଞ୍ଚି ଦେଖନ୍ତି ଏକ କୋଣରେ ଗୋଟିକିଆ କୁସନ ଦିଆ ସୋଫା ଚ଼େୟାରରେ ଖୁସୁବନ୍ତ ସିଂ ବସିଥାନ୍ତି । ପାଦ ଯୋଡ଼ିକ ସାମନାର ଷ୍ଟୁଲରେ । ଗୋଡ଼ରେ କମ୍ୱଳଟିଏ ଘୋଡ଼ାଇ ଦିଆଯାଇଥାଏ । ମୁଣ୍ଡରେ କଳା ରଙ୍ଗର ଉଲେନ ଟୋପି । ଖୁସୁବନ୍ଦ ସିଂଙ୍କ ଉତ୍ତର-ବାର୍ଦ୍ଧକ୍ୟର ଏହା ପ୍ରାୟ ଏକ ଟ୍ରେଡ଼ମାର୍କ ଫୋଟୋଚ଼ିତ୍ର । ଅଧିକାଂଶ ସମୟ ସେ ପାପୁଲିକୁ ତାଳୁରେ ରଖିଥାନ୍ତି । ଲେଖକଙ୍କ ଶେଷ ଜୀବନ କାଳରେ ପତ୍ରପତ୍ରିକାରେ ବହୁବାର ଏହି ପୋଜର ଫୋଟୋ ପ୍ରକାଶିତ ହୋଇଆସିଥିଲା । ନଭତେଜ ଦୁଇବର୍ଷ ପୂର୍ବେ ଖୁସୁବନ୍ତ ସିଂଙ୍କୁ ସାକ୍ଷାତ କରିଥିଲେ । ଦୁଇ ବର୍ଷ ମଧ୍ୟରେ ସେ ଶାରିରୀକଭାବେ ଦୁର୍ବଳ ଦେଖାଯାଉଥିବା ଲେଖିଥିଲେ ।

 

ବାର୍ତ୍ତାଳାପ କାଳରେ ଖୁସୁବନ୍ତ ସିଂ କହିଥିଲେ ଯେ ୯୫ ବର୍ଷ ବୟସରେ ‘ଦି ସନସେଟ କ୍ଳବ’ ଉପନ୍ୟାସ ଲେଖା ଆରମ୍ଭ କରିଥିଲେ । ଅତ୍ୟନ୍ତ ବାର୍ଦ୍ଧକ୍ୟରେ ପହଞ୍ଚି ସାରିଥିବା ହେତୁ ସେ ଉପନ୍ୟାସ ଲେଖାରେ ହାତ ଦେବା ପାଇଁ ଚାହୁଁ ନଥିଲେ । ତେବେ ପ୍ରକାଶକଙ୍କଠାରୁ ଅନୁରୋଧ ପରେ ଅଦମ୍ୟ ଆଗ୍ରହ ସୃଜନରେ ମନୋନିବେଶ କରାଇଥିଲା । ଉପନ୍ୟାସଟି ରଚନା କରିବା ନିମନ୍ତେ ବର୍ଷେ ଲାଗିଯାଇଥିଲା ।

 

ଖୁସୁବନ୍ତ ସିଂ କହିଥିଲେ ୯୬ ବର୍ଷରେ ସୁଦ୍ଧା ସେ ପ୍ରତିଦିନ ଲେଖନ୍ତି । ଥରେ ଲେଖିବା ବନ୍ଦ ହୋଇଗଲେ ପୁଣି ଆରମ୍ଭ କରିବା ଅସହଜବୋଧ ହୋଇଥାଏ । ଅବଶ୍ୟ ପ୍ରଥମପୃଷ୍ଠା ଭର୍ତ୍ତି ହୋଇଯିବାପରେ ଲେଖା ମାଡ଼ିଚାଲେ ।

 

ପରିଣତ ବୟସରେ ସେ ପ୍ରାୟତଃ ଭୋର ତିନିଟାରେ ଶଯ୍ୟାତ୍ୟାଗ କରି ସକାଳୁଆ ଖବରକାଗଜ ପହଞ୍ଚିବା ଯାଏଁ ଚ଼ିନ୍ତାମଗ୍ନ ‘ବୃଡ଼ିଂ’ ଅବସ୍ଥାରେ ରହନ୍ତି । ଖବରପଢ଼ା ପରେ ଦୀର୍ଘ ସମୟ ଶବ୍ଦ ଖେଳ ‘କ୍ରସୱାର୍ଡ ପଜଲ’ରେ କଟେ । ମଧ୍ୟାହ୍ନ ଭୋଜନ ପରବର୍ତ୍ତୀ ବିଶ୍ରାମ ‘ସିଅସ୍ତା’ ପରେ ଖୁସବନ୍ତ ସିଂଙ୍କ ଲେଖା ଆରମ୍ଭ ହେଉଥିଲା । ଅପରାହ୍ନରୁ ସନ୍ଧ୍ୟା ଯାଏଁ ସେ ପ୍ରତିଦିନ ଅନ୍ତତଃ ତିନି-ଚାରିପୃଷ୍ଠା ଲେଖୁଥିଲେ ।

 

ଖୁସୁବନ୍ତ ସିଂ ମଦ୍ୟ ପ୍ରିୟ । ଶେଷଜୀବନ ସୁଦ୍ଧା ସେ ପ୍ରତି ସଂଧ୍ୟାରେ ସାମାନ୍ୟ ହୁସକି ପାନ କରନ୍ତି । ଏହି ସମୟରେ ତାଙ୍କରି ଦରବାର ଚାଲେ, ଅର୍ଥାତ ପୂର୍ବ ନିର୍ଦ୍ଧାରିତ ସୂଚ଼ୀ ଅନୁଯାୟୀ ଅତିଥିମାନଙ୍କୁ ଭେଟି ଆଳାପ ଆଲୋଚନା କରିଥାନ୍ତି । ନଭତେଜଙ୍କୁ ସେ କହିଥିଲେ ଯେ କ୍ରମଶଃ ଅନ୍ୟମାନଙ୍କୁ ସାକ୍ଷାତ କରିବାରେ ବୀତସ୍ପୃହ ଅନୁଭବ କରୁଛନ୍ତି ।

 

ସୃଜନ ଏକ ଏକାନ୍ତ ବୃତ୍ତି । ଲୋକଙ୍କ ଭିଡ଼ ମଧ୍ୟରେ ଲେଖି ହୁଏନା । ଲେଖକମାନଙ୍କୁ ଏକାନ୍ତ ଜୀବନ ଯାପନ ନିମନ୍ତେ ନିଜକୁ ପ୍ରସ୍ତୁତ କରିବାକୁ ପଡ଼ିଥାଏ । ଲେଖା ଦୀର୍ଘ ସମୟ ଆବଶ୍ୟକ କରୁଥିବା ହେତୁ ଲେଖକକୁ ଦୀର୍ଘ ସମୟ ଏକାନ୍ତ ରହିବା ନିମନ୍ତେ ପରିବେଶ ସୃଷ୍ଟି ଅନିବାର୍ଯ୍ୟ । ଏହା ସ୍ଥଳବିଶେଷରେ କଠିନ ବୋଧ ହୋଇପାରେ, କିନ୍ତୁ ବିକଳ୍ପ ନାହିଁ ।

 

ଖୁସୁବନ୍ତ ସିଂ ଜଣେ ନିର୍ମାଣ ଉଦ୍ୟୋଗ ଠିକାଦାରଙ୍କ ପୁତ୍ର । ସେ ଓକିଲାତି, କୂଟନୀତିଜ୍ଞଭାବେ ବୃତ୍ତିଗତ ଜୀବନ ଆରମ୍ଭ କରି ସାମ୍ୱାଦିକତାରେ ପ୍ରବେଶ କରିଥିଲେ । ଭାରତ-ପାକିସ୍ଥାନ ବିଭକ୍ତିକରଣ ଉପରେ ଆଧାରିତ ‘ଦି ଟ୍ରେନ ଟୁ ପାକିସ୍ଥାନ’ ଉପନ୍ୟାସ ୧୯୫୬ରେ ପ୍ରକାଶିତ ହେବା ୫୪ ବର୍ଷ ପରେ ୨୦୧୦ରେ ତାଙ୍କରି ଉପନ୍ୟାସ ଯାତ୍ରା ‘ଦି ସନସେଟ କ୍ଳବ’ରେ ଶେଷ ହୋଇଥିଲା ।

 

ଶେଷ ଉପନ୍ୟାସଟି ଦିଲ୍ଲୀର ଲୋଧି ଗାର୍ଡ଼ନ ପାର୍କ ବେଞ୍ଚରେ ପ୍ରତ୍ୟେହ ସନ୍ଧ୍ୟାରେ ଏକତ୍ରିତ ହେଉଥିବା ତିନି ଜଣ ପ୍ରୌଢ଼ଙ୍କ କାହାଣୀ । ସେ ନିଜେ ଶିଖ ଚ଼ରିତ୍ରଭାବେ ଅବତୀର୍ଣ୍ଣ ହେଉଥିବା ସ୍ଥଳେ ଅନ୍ୟ ଦୁଇଜଣ ହିନ୍ଦୁ ଓ ମୁସଲମାନ ଧର୍ମାବଲମ୍ୱୀ । ୨୬ ଜାନୁୟାରୀ ୨୦୦୯ରୁ ୨୬ ଜାନୁୟାରୀ ୨୦୧୦ ମଧ୍ୟରେ ତିନିବଂଧୁଙ୍କ ମଧ୍ୟରେ କଥୋପକଥନରେ ତତକାଳୀନ ସମାଜର ଚ଼ିତ୍ର ଉଦଭାସିତ । ଉପନ୍ୟାସଟିରେ ଲେଖକ ବାର୍ଦ୍ଧକ୍ୟଗ୍ରସ୍ତଙ୍କ ଦୃଷ୍ଟିକୋଣ ଉପସ୍ଥାପନ କରିବା ଉଦ୍ୟମ କରିଥିବା ଦେଖିବାକୁ ମିଳେ । ସମକାଳୀନ ଶତାୟୁ ଅନୁଭବ ବର୍ଣ୍ଣନାରେ ଉପନ୍ୟାସଟି ଏକ ଗୁରୁତ୍ୱପୂର୍ଣ୍ଣ ଦଲିଲ ଭାବେ ଗ୍ରହଣଯୋଗ୍ୟ ।

 

‘ଦି ସନସେଟ କ୍ଳବ’ ଉପନ୍ୟାସର ସମୀକ୍ଷା ଭିଡ଼ିଓ ନିମନ୍ତେ କ୍ଳିକ କରନ୍ତୁ :

 

https://www.youtube.com/watch?v=1YQcOkDXDh4 



ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ମାର୍ଚ୍ଚ ୨୦୨


ତଥ୍ୟ :

 

Sarna, Navtej. 96 not out Literary Review. The Hindu (Visakhapatnam Edition). December 5, 2010.

ଦୀର୍ଘ ଜୀବଦ୍ଦଶା ଅଭିଳାଷ

ବାର୍ଦ୍ଧକ୍ୟରେ ଜୀବଦ୍ଦଶା ‘ଲାଇଫ ଏକ୍ସପେଟେନ୍ସି’ ଆଲୋଚ଼ନା ଗୁରୁତ୍ୱ ବହନ କରେ । ପରିସଂଖ୍ୟାନ ଶାସ୍ତ୍ରର ସଂଜ୍ଞାରେ ଏକ ନିର୍ଦ୍ଦିଷ୍ଟ ବୟସବର୍ଗରେ ମନୁଷ୍ୟ କେତେ ବର୍ଷ ଅଧିକ ବଞ୍ଚିବ ତତ୍ ସଂପର୍କୀତ ପୂର୍ବାନୁମାନ ଜୀବଦ୍ଦଶାକୁ ବୁଝାଏ । ବିଭିନ୍ନ ଭୌଗଳିକ ପରିବେଶରେ ବୟସ ଓ ଲିଙ୍ଗଭେଦ ବିଚାରକୁ ନେଇ ପ୍ରସ୍ତୁତ ଜୀବନ ସାରଣୀ ‘ଲାଇଫ ଟେବୁଲ’ ସହାୟତାରେ ଜୀବଦ୍ଦଶା ହିସାବ ହୋଇଥାଏ । ସମକାଳୀନ ଜନସଂଖ୍ୟାରେ ମୃତ୍ୟୁ ସଂଖ୍ୟା ଓ ମୃତ୍ୟୁର କାରଣବଳୀ ଜୀବଦ୍ଦଶା ଗଣନାର ମୁଖ୍ୟ ଉପାଦାନ ।

 

ଓଡ଼ିଶାରେ ୨୦୨୧ ସୁଦ୍ଧା ୬୦ ବର୍ଷରେ ଉପନୀତ ବରିଷ୍ଠ ନାଗରିକମାନେ ହାରାହାରି ଅଧିକା ୧୮.୯ ବର୍ଷ, ଅର୍ଥାତ ୭୮.୯ ବର୍ଷ ଯାଏଁ ଜୀବିତ ରହିବା ତଥା ୭୦ ବର୍ଷରେ ଉପନୀତ ବରିଷ୍ଠ ନାଗରିକମାନେ ହାରାହାରି ଅଧିକା ୧୨.୮ ବର୍ଷ, ଅର୍ଥାତ ୮୨.୮ ବର୍ଷ ଜୀବିତ ରହିବା ଜୀବଦ୍ଦଶା ହିସାବ ସୂଚ଼ିତ କରିଥାଏ । ଭାରତ ସରକାରଙ୍କ ‘ରେଜିଷ୍ଟାରାର ଜେନେରାଲ ଏଣ୍ଡ ସେନସସ କମିଶନର’ଙ୍କ ଦ୍ୱାରା ପ୍ରସ୍ତୁତ ‘ସେମ୍ପଲ ରେଜିଷ୍ଟ୍ରସନ ସିଷ୍ଟମ’ ଆଧାରିତ ‘ଏବ୍ରିଜିଡ଼ ଲାଇଫ ଟେବଲ ୨୦୧୪-୧୮’ ପ୍ରଦତ୍ତ ତଥ୍ୟ ସର୍ବାପେକ୍ଷା ନିର୍ଭରଶୀଳ ବିବେଚିତ ।

 

ବାର୍ଦ୍ଧକ୍ୟଗ୍ରସ୍ତଙ୍କ ଜୀବଦ୍ଦଶା ଅବଧି ଓଡ଼ିଶା ତୁଳନାରେ ଜାମ୍ମୁ ଓ କାଶ୍ମୀର ଭଳି କେତେକ ରାଜ୍ୟରେ ଅଧିକ । ଜାମ୍ମୁ ଓ କାଶ୍ମୀରରେ ୨୦୨୧ ସୁଦ୍ଧା ୬୦ ବର୍ଷରେ ପଦାର୍ପଣ କରିଥିବା ବରିଷ୍ଠ ନାଗରିକ ୨୧.୧ ବର୍ଷ ଅଧିକା ଜୀବଦ୍ଦଶା ଉପଭୋଗ କରିବା ହିସାବ କରାଯାଉଥିବା ସ୍ଥଳେ ଛତିଶଗଡ଼ରେ ୧୫.୬ ବର୍ଷରେ ସୀମିତ । ଜାତୀୟସ୍ତରରେ ହାରାହାରି ଭାବେ ୬୦ ବର୍ଷୋତ୍ତର ପୁରୁଷଙ୍କ ଜୀବଦ୍ଦଶା ଅଧିକ ୧୭ ବର୍ଷ ଓ ମହିଳାମାନଙ୍କ ଜୀବଦ୍ଦଶା ଅଧିକା ୧୯ ବର୍ଷ ହିସାବ କରାଯାଏ ।

 

ଭାରତରେ ଜୀବଦ୍ଦଶା ଗଣନାରେ କମ ବୟସରେ ପରମାୟୁ ତୁଳନାରେ ବୟସାଧିକ ଅବସ୍ଥାରେ ପରମାୟୁ ଆକଳନ ବୃଦ୍ଧି ପାଇଥାଏ । ଦେଶରେ ୨୦୨୧ରେ ଜନ୍ମଗ୍ରହଣ କରୁଥିବା ଶିଶୁଙ୍କ ଜୀବଦ୍ଦଶା ପୁରୁଷଙ୍କ ପାଇଁ ୬୮.୨ ବର୍ଷ ଓ ମହିଳାଙ୍କ ପାଇଁ ୭୦.୭ ବର୍ଷ ନିର୍ଦ୍ଧାରିତ । ଓଡ଼ିଶାରେ ଊଣାଅଧିକରେ ଜାତୀୟସ୍ତର ସହ ସମକକ୍ଷ ପୁରୁଷଙ୍କ ଜୀବଦ୍ଦଶା ୬୮ ବର୍ଷ ଓ ମହିଳାଙ୍କ ଜୀବଦ୍ଦଶା ୭୦.୮ ବର୍ଷ । କିନ୍ତୁ ୨୦୨୧ ସୁଦ୍ଧା ୬୦ ବର୍ଷୋତ୍ତର ଓ ୭୦ ବର୍ଷୋତ୍ତର ବୟସରେ ପଦାର୍ପଣ କରିଥିବା ବରିଷ୍ଠ ନାଗରିକଙ୍କ ଜୀବଦ୍ଦଶା ସାଧାରଣ ଜୀବଦ୍ଦଶାଠାରୁ ଆଠରୁ ବାର ବର୍ଷ ଅଧିକ ।

 

ସାଧାରଣ ସ୍ୱାସ୍ଥ୍ୟାବସ୍ଥା ସହ ସାମାଜିକ ଓ ଅର୍ଥନୀତିକ ଜୀବନଧାରଣର ମାନ ଜୀବଦ୍ଦଶା ବୃଦ୍ଧିରେ ପ୍ରତିଫଳିତ । ଆମ ଦେଶରେ ବିଗତ ୫୦ ବର୍ଷ ମଧ୍ୟରେ ଅନ୍ତତଃପକ୍ଷେ ୨୦ ବର୍ଷ ଜୀବଦ୍ଦଶା ବୃଦ୍ଧି ଘଟିଛି । ମୁଖ୍ୟତଃ ସ୍ୱାଧିନୋତ୍ତର ଅବସ୍ଥାରେ ଜନସ୍ୱାସ୍ଥ୍ୟ, ଖାଦ୍ୟପେୟ, ପରିବେଶ ତଥା ଅନ୍ୟାନ୍ୟ କ୍ଷେତ୍ରରେ ବିକାଶ ପରମାୟୁ ବୃଦ୍ଧିରେ ସହାୟତା କରିଥିଲା । ଆନ୍ତର୍ଜାତିକସ୍ତରରେ ବିଂଶ ଶତାଦ୍ଦୀର ବିଭିନ୍ନ ପର୍ଯ୍ୟାୟରେ ବିଭିନ୍ନ ରାଷ୍ଟ୍ରରେ ସ୍ଥାନୀୟ ପରିବେଶ ଜୀବଦ୍ଦଶା ବୃଦ୍ଧିକୁ ପ୍ରଭାବିତ କରିଛି ।

 

ପାରମ୍ପରିକଭାବେ ମାନବ ସଭ୍ୟତା ଦୀର୍ଘ ଜୀବନ ଅଭିଳାଷୀ । ଶିଶୁଟିଏ ଜନ୍ମ ନେବା ମାତ୍ରେ ବରିଷ୍ଠମାନେ ପ୍ରଥମ ସାକ୍ଷାତରେ ତାହାର ଦୀର୍ଘ ଜୀବନ କାମନା କରି ଆଶୀର୍ବାଦ ପ୍ରଦାନ କରିଥାନ୍ତି । ଜୀବନବ୍ୟାପୀ ପରମାୟୁ ବୃଦ୍ଧିକଳ୍ପେ ନିୟନ୍ତ୍ରିତ ଜୀବନଚର୍ଯ୍ୟା ପାଳନ ନିମନ୍ତେ ଉପଦେଶ ଦିଆଯାଇଥାଏ । ବାସ୍ତବକ୍ଷେତ୍ରରେ ବାର୍ଦ୍ଧକ୍ୟରେ ପାଦ ଦେବା ପୂର୍ବରୁ ୫୦ ବର୍ଷୋତ୍ତରମାନେ ସ୍ୱାସ୍ଥ୍ୟରକ୍ଷା ଦିଗରେ ଅଧିକ ଯତ୍ନନେବା ଆରମ୍ଭ କରିଦିଅନ୍ତି ।

 

କୌତୁହଳପୂର୍ଣ୍ଣ ବିଷୟ ଏହି ଯେ ସମସ୍ତେ ଦୀର୍ଘ ଜୀବଦ୍ଦଶା ନିମନ୍ତେ ଆଗ୍ରହୀ ଥିବା ସ୍ଥଳେ ଠିକ କେତେ ବୟସରେ ନିଜର ମୃତ୍ୟୁ ଚାହାନ୍ତି ସେ ସଂପର୍କରେ ପ୍ରାୟ କେହି ସଠିକ ଉତ୍ତର ଦେଇ ପାରନ୍ତି ନାହିଁ । ସାଧାରଣରେ କୁହାଯାଏ ଯେ ଗଭୀର ରୋଗାକ୍ରାନ୍ତ କିମ୍ୱା ଚଳପ୍ରଚଳହୀନ ଅବସ୍ଥାରେ ପହଞ୍ଚିବା ପୂର୍ବରୁ ମୃତ୍ୟୁ ଶ୍ରେୟସ୍କର । କିନ୍ତୁ ଗବେଷଣାଲବ୍ଧ ତଥ୍ୟ ଅନୁଯାୟୀ ଦୀର୍ଘ ଜୀବଦ୍ଦଶାରେ ହାରାହାରି ଦଶବର୍ଷ ଯାଏଁ ଭଗ୍ନ ସ୍ୱାସ୍ଥ୍ୟ ଓ ଚାରିବର୍ଷ ଯାଏଁ ଶଯ୍ୟାଶାୟୀ ଜୀବନ ବିଭିନ୍ନସ୍ତରରେ ଦେଖିବାକୁ ମିଳିଥାଏ । ଅତଏବ ସାଧାରଣରେ ପ୍ରକାଶ ପାଉଥିବା ମୃତ୍ୟୁକାଂକ୍ଷା କୌଣସି ଗୁରୁତ୍ୱବହନ ନକରୁଥିବା ଏବଂ ସମସ୍ତେ ମୃତ୍ୟୁ-ପୂର୍ବ-ଜୀବନରେ ସାଧ୍ୟମତେ ଚ଼ିକିତ୍ସା ନିମନ୍ତେ ଯତ୍ନଶୀଳ ହେଉଥିବା ସୁସ୍ପଷ୍ଟ ।

 

ମୃତ୍ୟୁ ନିୟନ୍ତ୍ରଣାଧୀନ ନଥିବା ହେତୁ ଜୀବଦ୍ଦଶା ଗଣନା ସଂପର୍କୀତ ତଥ୍ୟ ଉତ୍ତର-ବ୍ୟର୍ଦ୍ଧକ୍ୟ ଜୀବନଚର୍ଯ୍ୟା ନିମନ୍ତେ ଯୋଜନା ପ୍ରଣୟନରେ ସହାୟକ ହୋଇଥାଏ । ଏକବିଂଶ ଶତାଦ୍ଦୀ ଦ୍ୱିତୀୟ ଦଶକ ସୁଦ୍ଧା ସକଳ ସ୍ୱାସ୍ଥ୍ୟରକ୍ଷା, ଚ଼ିକିତ୍ସା ଓ ଜନସ୍ୱାସ୍ଥ୍ୟ ସାଧନ ଉପଯୋଗରେ ଆନ୍ତର୍ଜାତିକସ୍ତରରେ ୧୧୫ ରୁ ୧୨୫ ବର୍ଷ ଯାଏଁ ସର୍ବାଧିକ ଜୀବନ ଧାରଣର ପ୍ରମାଣ ମିଳେ । ଯୁକ୍ତରାଷ୍ଟ୍ର ଆମେରିକାରେ ନ୍ୟୂୟର୍କସ୍ଥିତ ‘ଆଲବର୍ଟ ଆଇନଷ୍ଟାଇନ କଲେଜ ଅଫ ମେଡ଼ିସନ’ର ଗବେଷକମାନେ ୪୦ ଗୋଟି ରାଷ୍ଟ୍ରର ମୃତ୍ୟୁ ସଂପର୍କୀତ ତଥ୍ୟ ଆଧାରିତ ‘ହ୍ୟୁମାନ ମୋର୍ଟାଲିଟି ଡ଼ାଟାବେସ’ ଅଧ୍ୟୟନକରି ଜୀବଦ୍ଦଶାର ଶେଷ ସୀମା ୧୨୫ ବର୍ଷ ନିର୍ଦ୍ଧାରଣ କରିଛନ୍ତି । ପ୍ରାୟ ଦଶ ହଜାର ବ୍ୟକ୍ତିଙ୍କ ମଧ୍ୟରେ ଜଣେ ୧୨୫ ବର୍ଷ ଯାଏଁ ବଞ୍ଚିବା ସଂଭାବନା ସଂପର୍କୀତ ନିଜ ଗବେଷଣା ନିଷ୍କର୍ଯ୍ୟ ଖ୍ୟାତନାମା ବିଜ୍ଞାନପତ୍ରିକା ‘ନେଚ଼ର’ରେ ଅକ୍ଟୋବର ୨୦୧୬ ସଂସ୍କରଣରେ ଉଲ୍ଲେଖ କରିଥିଲେ ।

 

ବିଶ୍ୱରେ ଫ୍ରାନ୍ସ, ଜାପାନ, ବ୍ରିଟେନ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ସଂଖ୍ୟାଧିକ ଦୀର୍ଘ ଜୀବନଧାରୀ ଚ଼ିହ୍ନଟ ହୋଇଥାନ୍ତି । ଏହି ଚାରିଗୋଟି ରାଷ୍ଟ୍ରରେ ୧୯୬୮ରୁ ୨୦୦୬ ମଧ୍ୟରେ ୧୧୦ ଓ ତତୁର୍ଦ୍ଧ୍ୱ ବୟସ ବଞ୍ଚୁଥିବା ବ୍ୟକ୍ତିବିଶେଷଙ୍କ ସଂପର୍କୀତ ତଥ୍ୟ ଅନୁଶୀଳନରୁ ଜଣାଯାଇଥିଲା ଯେ ବିଂଶ ଶତାଦ୍ଦୀର ଅଷ୍ଟମ ଦଶକରୁ ଶେଷ ଦଶକ ଆରମ୍ଭ ଯାଏଁ ଜୀବଦ୍ଦଶା ସୀମା ବୃଦ୍ଧିପ୍ରାପ୍ତ ହୋଇ ୧୯୯୫ ସୁଦ୍ଧା ସ୍ଥିର ‘ପ୍ଳାଟ୍ୟୁ’ସ୍ତରରେ ପହଞ୍ଚିଥିଲା । ବିଶ୍ୱର ସର୍ବାଧିକ ଜୀବନଧାରଣ କରିଥିବା ଫରାସୀ ମହିଳା ଜାନେ କାଲମେଣ୍ଟ ୧୨୨ ବର୍ଷ ବୟସରେ ୧୯୯୭ରେ ମୃତ୍ୟୁ ବରଣ କରିଥିଲେ ।

 

ଗବେଷକମାନଙ୍କ ସିଦ୍ଧାନ୍ତ ଅନୁଯାୟୀ ଆନ୍ତର୍ଜାତିକସ୍ତରରେ ସ୍ୱାସ୍ଥ୍ୟରକ୍ଷା ସଂପର୍କୀତ ନୂତନ ବୈଜ୍ଞାନିକ ଉଦ୍ଭାବନମାନ ମନୁଷ୍ୟର ହାରାହାରି ଜୀବଦ୍ଦଶା ବିଭିନ୍ନ ଭୌଗଳିକ ପରିବେଶରେ ବୃଦ୍ଧିରେ ସହାୟକ ହୋଇପାରେ । ତେବେ ୧୨୫ ବର୍ଷରୁ ଅଧିକ ବୟସ ଜୀବନଧାରଣ କରିବା ସମ୍ଭବ ହୋଇନପାରେ ।

 

ଦୀର୍ଘ ଜୀବଦ୍ଦଶା ଆଲୋଚ଼ନାକାଳରେ ଶତ-ବର୍ଷୀୟ-ବରିଷ୍ଠଙ୍କ ସଂଖ୍ୟା ଗୁରୁତ୍ୱ ବହନ କରେ । ଜାତିସଂଘର ହିସାବରେ ବିଶ୍ୱରେ ୨୦୨୧ ସୁଦ୍ଧା ପାଞ୍ଚ ଲକ୍ଷ ୭୩ ହଜାର ଶହେ ବର୍ଷ ପୂର୍ତ୍ତୀ କରିଥିବା ବରିଷ୍ଠ ନାଗରିକ ବସବାସ କରନ୍ତି । ସେମାନଙ୍କ ମଧ୍ୟରୁ ୯୭ ହଜାର ଯୁକ୍ତରାଷ୍ଟ୍ର ଆମେରିକା ଓ ୭୯ ହଜାର ଜାପାନୀ ନାଗରିକ ଅନ୍ତର୍ଭୁକ୍ତ ଥିବା ସ୍ଥଳେ ଭାରତରେ ୧୧ ହଜାରରୁ ୨୦ ହଜାର । ଅବଶ୍ୟ ଭାରତର ୨୦୧୧ ଜନଗଣନା ତଥ୍ୟ ଅନୁଯାୟୀ ଦେଶରେ ଶହେ ବର୍ଷ ପୂର୍ତ୍ତୀ କରିଥିବା ବୟସ୍କଙ୍କ ସଂଖ୍ୟା ଛଅ ଲକ୍ଷ ପାଞ୍ଚ ହଜାର । ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗରେ ଦେଶର ଏକ ତୃତୀୟାଶଂ ୮୦ ବର୍ଷୋତ୍ତର ବରିଷ୍ଠ ନାଗରିକ ବସବାସ କରନ୍ତି । ତେବେ ଅତି ବରିଷ୍ଠମାନେ ସ୍ୱାଧୀନତା ପୂର୍ବରୁ ଜନ୍ମଗ୍ରହଣ କରିଥିବା ଏବଂ ସେମାନଙ୍କ ଜନ୍ମ ତାରିଖ ସଂପର୍କରେ ପ୍ରମାଣଯୋଗ୍ୟ ତଥ୍ୟ ଅଭାବରୁ ଅଧ୍ୟୟନକାଳରେ ଭାରତର ୨୦୧୧ ଜନଗଣନା ପରିସଂଖ୍ୟାନ ସର୍ବୋତ୍ତଭାବେ ବିଚାରଯୋଗ୍ୟ ହୋଇପାରେ ନାହିଁ ।

 

ଦୀର୍ଘ ଜୀବଦ୍ଦଶା ସର୍ବତ୍ର ଦୃତଗତିରେ ବୃଦ୍ଧି ପାଉଥିବା ସୁସ୍ପଷ୍ଟ । ଉଦାହରଣରେ ଜନଗଣନା ତଥ୍ୟ ଅନୁଯାୟୀ ମହାରାଷ୍ଟ୍ରରେ ୨୦୦୧ ତୁଳନାରେ ଦଶ ବର୍ଷ ମଧ୍ୟରେ ଶତ-ବର୍ଷୀୟ-ବରିଷ୍ଠଙ୍କ ସଂଖ୍ୟା ୨୦୧୧ରେ ପ୍ରାୟ ୨୧୦ ପ୍ରତିଶତ ବୃଦ୍ଧି ପାଇଥିଲା । ଏହି ଧାରା ଓଡ଼ିଶା ସମେତ ଅନ୍ୟାନ୍ୟ ରାଜ୍ୟଗୁଡ଼ିକଲାଗି ମଧ୍ୟ ପ୍ରଜୁଯ୍ୟ ବୋଲି କୁହାଯାଇପାରେ । ଜୀବଦ୍ଦଶା ବୃଦ୍ଧି ସାମାଜିକସ୍ତରରେ ନୂତନ ସଂଭାବନା ସହ ସମସ୍ୟାମାନ ସୃଷ୍ଟି କରିବା ନିଶ୍ଚିତ ।

 

ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଅଗଷ୍ଟ ୨୦୨

 

 

ତଥ୍ୟ:

 

Maximum human lifespan has already been achieved

 

https://www.sciencedaily.com/releases/2016/10/161005132823.htm

 

Parida, Abash. India’s life expectancy rate less than world’s average. The Pioneer (Bhubaneswar Edition) April 24, 2021

 

https://www.dailypioneer.com/2021/state-editions/india---s-life-expectancy-rate-less-than-world-s-average.html

 

Lifespan across states – How long will an Indian live after 60 ? October 27, 2016

 

https://economictimes.indiatimes.com/nation-world/how-long-will-an-indian-live-after-60/this-is-how-long-you-will-live/slideshow/55092990.cms

 

Nagarapan, Rama. India’s 100 club may not be all that old

 

https://timesofindia.indiatimes.com/india/indias-100-club-may-not-be-all-that-old/articleshow/23601700.cms

ଦୀର୍ଘ ଜୀବନ ରହସ୍ୟ

ଯୁକ୍ତରାଷ୍ଟ୍ର ଆମେରିକାର ଖ୍ୟାତନାମା ଆନ୍ତର୍ଜାତିକ ସାପ୍ତାହିକ ‘ଟାଇମ’ ପତ୍ରିକାର ୨୦୧୮ ଫେବୃୟାରୀ ୨୬ ତାରିଖ ଏସିଆ ସଂସ୍କରଣରେ ମନୁଷ୍ୟର ଦୀର୍ଘଜୀବନ ସଂପର୍କରେ କେତେକ ଗୁରୁତ୍ୱପୂର୍ଣ୍ଣ ମନୋବିଜ୍ଞାନ ଗବେଷଣାରୁ ପ୍ରାପ୍ତ ତଥ୍ୟ ବିଶ୍ଳେଷଣ କରାଯାଇଥିଲା । ଆମେରିକାର ମିଲକେନ ଇନଷ୍ଟିଟିଉଟ ସେଣ୍ଟର ଫର ଦି ଫ୍ୟୁଚ଼ର ଅଫ ଏଜିଂ, ଜର୍ଜିଆ ସେଣ୍ଟିନିରିଆନ ଷ୍ଟଡ଼ି, ୟେଲ ପ୍ରୋଗ୍ରାମ ଅନ ଏଜିଂ ତଥା ଷ୍ଟାନଫୋର୍ଡ଼, ଆଇୱା ତଥା ଅନ୍ୟାନ୍ୟ ବିଶ୍ୱବିଦ୍ୟାଳୟରେ ମନୁଷ୍ୟର ଦୀର୍ଘଜୀବନ ରହସ୍ୟ ଉଦ୍ଘାଟନ ନିମନ୍ତେ ବୈଜ୍ଞାନିକ ପ୍ରଚ଼େଷ୍ଟା ବଳବତ୍ତର ରହିଛି । ନିକଟ ଅତୀତରେ ପ୍ରାପ୍ତ କେତେକ ଗବେଷଣାଲବ୍ଧ ତଥ୍ୟ ବାର୍ଦ୍ଧକ୍ୟ ଜୀବନଚ଼ର୍ଯ୍ୟା ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ ଅବତରଣା କରିଥାଏ ।

 

ମିଳିତ ଜାତିସଂଘ ସୂଚ଼ୀରେ ଆନ୍ତର୍ଜାତିକସ୍ତରରେ ମନୁଷ୍ୟର ଜୀବଦ୍ଦଶା ୨୦୧୮ ବେଳକୁ ୭୧.୪ ବର୍ଷ ନିର୍ଦ୍ଧାରିତ ହୋଇଥିଲା । ବାର୍ଦ୍ଧକ୍ୟ ଜୀବନଯାପନରେ ସକାରାତ୍ମକ ଭାବ ବା ‘ପଜିଟିଭ ଆଟିଟ୍ୟୁଡ଼’ ଦୀର୍ଘଜୀବନ ଯାପନ ନିମନ୍ତେ ପଥ ଉନ୍ମୁକ୍ତ କରିଥାଏ ବୋଲି ୟେଲ ୟୁନିଭରସିଟି ପକ୍ଷରୁ ଆୟୋଜିତ ଏକ ଗବେଷଣାରୁ ଜଣାଯାଇଛି । ଅର୍ଥାତ, ଯେଉଁମାନେ ବୃଦ୍ଧାବସ୍ଥାର ସୁବିଧା ଓ ଅସୁବିଧା ଉଭୟ ଦିଗକୁ ହୃଦୟଙ୍ଗମ କରି ଅର୍ଥପୂର୍ଣ୍ଣ ଜୀବନଯାପନ କରିବା ନିମନ୍ତେ ନିଜକୁ ପ୍ରସ୍ତୁତ କରିଥାନ୍ତି ସେମାନେ ଅଧିକ ବର୍ଷ ବଞ୍ଚିଥାନ୍ତି ।

 

ମତିଭ୍ରମ ବ୍ୟାଧି ବା ଡ଼ିମେନସିଆ କେତେକ କ୍ଷେତ୍ରରେ ବଂଶଗତଭାବେ ଏକ ନିର୍ଦ୍ଧିଷ୍ଟ ଗୁଣ ସୂତ୍ର ‘ଜିନ’ ବହନ କାରଣରୁ ସଂଘଟିତ ହୋଇଥାଏ । ସେଭଳି ଜିନବାହୀ ହାରାହାରି ୭୨ ବର୍ଷ ବୟସ୍କ ୪,୭୬୫ ବ୍ୟକ୍ତିଙ୍କ ଜୀବନୀ ଅନୁଧ୍ୟାନରୁ ଜଣାଗଲା ଯେ ଯେଉଁମାନେ ନକାରାତ୍ମକଭାବେ ବାର୍ଦ୍ଧକ୍ୟଜୀବନ ଗ୍ରହଣ କରୁଥିଲେ, ଅର୍ଥାତ ବୃଦ୍ଧାବସ୍ଥା ସଂପର୍କରେ ଭୀତତ୍ରସ୍ତ ଥିଲେ ସେମାନେ ସକାରାତ୍ମକଭାବେ ବାର୍ଦ୍ଧକ୍ୟ ଜୀବନ ଗ୍ରହଣ କରୁଥିବା ବ୍ୟକ୍ତିଙ୍କ ତୁଳନାରେ ୫୦ ପ୍ରତିଶତ ଅଧିକ ସଂଖ୍ୟାରେ ଡ଼ିମେନସିଆ ରୋଗାକ୍ରାନ୍ତ ହୋଇପଡ଼ିଥିଲେ ।

 

ଡ଼ିମେନସିଆ ଆକ୍ରାନ୍ତଙ୍କୁ ନେଇ ଆୟୋଜିତ ଗବେଷଣାଲବ୍ଧ ତଥ୍ୟ ସାଧାରଣ ସୁସ୍ଥ ବରିଷ୍ଠ ନାଗରିକଙ୍କ କ୍ଷେତ୍ରରେ ଉପଯୋଗ କରାଯାଇପାରେ ।

 

‘ମିଲକେନ ଇନଷ୍ଟିଟିଉଟ ସେଣ୍ଟର ଫର ଫ୍ୟୁଚ଼ର ଅଫ ଏଜିଂ’ ଦ୍ୱାରା ଆୟୋଜିତ ଏକ ଅନୁଧ୍ୟାନରୁ ଜଣାଯାଇଛି ଯେ ଯୁକ୍ତରାଷ୍ଟ୍ର ଆମେରିକାରେ ୧୯୦୦ ବେଳକୁ ସାଧାରଣ ଜୀବଦ୍ଦଶା ୪୭ ବର୍ଷ ଥିବା ବେଳେ ୨୦୧୮ରେ ତାହା ୭୯ ବର୍ଷକୁ ବୃଦ୍ଧି ପାଇଛି । ସେଠାକାର ୬୫ ବର୍ଷରୁ ଉର୍ଦ୍ଧ୍ୱ ୮୦ ପ୍ରତିଶତ ବରିଷ୍ଠ ନାଗରିକ ସହରାଞ୍ଚଳରେ ବସବାସ କରୁଛନ୍ତି । ବାର୍ଦ୍ଧକ୍ୟ ଜୀବନ ଅତିବାହିତ କରିବା ନିମନ୍ତେ ସହରାଞ୍ଚଳରେ ସ୍ୱାସ୍ଥ୍ୟସେବା, ସାଧାରଣ ପରିବହନ, ଜୀବନବ୍ୟାପୀ ଶିକ୍ଷାଗ୍ରହଣ ଓ କଳାସଂସ୍କୃତି ଆଧାରିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣର ସୁବିଧା ଅଗ୍ରାଧିକାର ଲାଭ କରୁଥିବା କୁହାଯାଉଛି । ଭବିଷ୍ୟତରେ ଏହି ଧାରା ବଳବତ୍ତର ରହିବା ଆଶା କରାଯାଏ।

 

‘ମିଛିଗନ ଷ୍ଟେଟ ୟୁନିଭରସିଟି’ରେ ବିଶ୍ୱର ୧୦୦ ରାଷ୍ଟ୍ରର ୨ ଲକ୍ଷ ୭୦ ହଜାର ନାଗରିକଙ୍କୁ ନେଇ ୨୦୧୭ରେ ଅନୁଷ୍ଠିତ ଏକ ସର୍ବେକ୍ଷଣରୁ ପ୍ରକାଶ ପାଇଛି ଯେ ପରିବର୍ତ୍ତିତ ପରିବେଶରେ ପରିବାର ସହିତ ଘନିଷ୍ଠ ବନ୍ଧୁମାନେ ବାର୍ଦ୍ଧକ୍ୟଜୀବନଚ଼ର୍ଯ୍ୟାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି । ବିଶେଷତଃ ବରିଷ୍ଠନାଗରିକଙ୍କ ଉତ୍ତମ ସ୍ୱାସ୍ଥ୍ୟାବସ୍ଥା ସହ ଗଭୀର ବନ୍ଧୁତ୍ୱର ସମୀକରଣ ଦେଖିବାକୁ ମିଳୁଛି ।ପାରମ୍ପରିକଭାବେ ବୃଦ୍ଧାବସ୍ଥାରେ ପରିବାରର ସଦସ୍ୟମାନଙ୍କ ଭୂମିକାକୁ ହିଁ ଗୁରୁତ୍ୱ ଦିଆଯାଇ ଆସୁଥିଲା । କିନ୍ତୁ ସମକାଳରେ ପରିବର୍ତ୍ତନ ଦେଖିବାକୁ ମିଳୁଛି ।

 

‘ଜର୍ଜିଆ ସେଣ୍ଟିନେରିଆନ ଷ୍ଟଡ଼ି’ରେ ୨୮୫ ଜଣ ଶହେ ବର୍ଷ ପାଖାପାଖି ବରିଷ୍ଠନାଗରିକଙ୍କ ଜୀବନୀ ଅନୁଧ୍ୟାନରୁ ନୀତିବାନ ମନୁଷ୍ୟ ଦୀର୍ଘଜୀବନ ଲାଭ କରୁଥିବା ଦର୍ଶାଯାଇଛି । ସକାରାତ୍ମକ ଚରିତ୍ର ବାର୍ଦ୍ଧକ୍ୟରେ ବିଭିନ୍ନ ବିପଦକୁ ସହଜରେ ଟାଳି ଦେଇପାରେ, କିନ୍ତୁ ନକାରାତ୍ମକ ଚରିତ୍ର ବିୟୋଗଜନିତ ଦୁଃଖରେ ମ୍ରିୟମାଣ ହୋଇପଡ଼େ । ଦୀର୍ଘସ୍ଥାୟୀ ଅସନ୍ତୋଷ ମାନସିକ ଓ ଶାରିରୀକ ସ୍ୱାସ୍ଥ୍ୟହାନୀର କାରଣ ପାଲଟି ଥାଏ ।

 

‘ୟେଲ ପ୍ରୋଗ୍ରାମ ଅନ ଏଜିଂ’ ପକ୍ଷରୁ ଗବେଷଣାରୁ ଜଣାଯାଇଛି ଯେ ବାର୍ଦ୍ଧକ୍ୟରେ ଶାରୀରିକ ଶ୍ରମ ବା ବ୍ୟାୟମ ମାଂସପେଶୀକୁ ଶକ୍ତ ରଖେ ଏବଂ ପଡ଼ିଯିବା ଭଳି ବିପଦରେ ଆଘାତକୁ କାଟସାଟ କରିଥାଏ । ୨୦୧୬ରେ ପ୍ରକାଶିତ ଏକ ଗବେଷଣା ଅନୁଯାୟୀ ବରିଷ୍ଠନାଗରିକମାନେ ମାତ୍ର ୧୫ ମିନଟ ଚଲାବୁଲା କରିବା ତଥା ୨୦୧୭ରେ ପ୍ରକାଶିତ ଅନ୍ୟ ଏକ ଗବେଷଣା ଅନୁଯାୟୀ ସପ୍ତାହକୁ ମାତ୍ର ଦୁଇଦିନ ବ୍ୟାୟାମ କରିବାଦ୍ୱାରା ସୁଫଳ ପାଇଥାନ୍ତି ବୋଲି ଉପଦେଶ ଦିଆଯାଇଛି ।

 

ଡ଼ନ ବ୍ୟୁଟନେର ‘ଦି ବ୍ଳ୍ୟୁ ଜୋନ’ ଶୀର୍ଷକ ଏକ ପୁସ୍ତକରେ ଆନ୍ତର୍ଜାତିକସ୍ତରରେ ଅପେକ୍ଷାକୃତ ଦୀର୍ଘଜୀବନ ଧାରଣ କରୁଥିବା ପାଞ୍ଚଗୋଟି ଅଞ୍ଚଳ ଚ଼ିହ୍ନଟ କରିଛନ୍ତି । ସେଥି ମଧ୍ୟରେ କ୍ରମାନ୍ୱୟରେ ଇଟାଲୀ, ଜାପାନ, କୋଷ୍ଟାରିକା, କାଲିଫର୍ଣ୍ଣିଆ ଓ ଗ୍ରୀସର ନିର୍ଦ୍ଦିଷ୍ଟ ଅଞ୍ଚଳଗୁଡ଼ିକ ସ୍ଥାନ ପାଇଛି । ସେଠାକାର ଅଧିବାସୀମାନଙ୍କ ମଧ୍ୟରେ ମୁଖ୍ୟତଃ ଖାଦ୍ୟାଭ୍ୟାସ, ଶାରିରୀକ ଶ୍ରମ ଓ ସାମାଜିକ ଜୀବନ ଜୀବଦ୍ଦଶା ବୃଦ୍ଧିରେ ସହାୟକ ହେଉଥିବା ଲକ୍ଷ୍ୟ କରାଯାଇଛି । ନିରାମିଷ ଖାଦ୍ୟପେୟ, ମୁଖ୍ୟତଃ ଫଳମୂଳ, ବୀଜ ଓ ଶସ୍ୟ ଦୈନନ୍ଦିନ ଆହାରରେ ଅନ୍ତର୍ଭୁକ୍ତ କରିବା ତଥା ମାଂସକୁ ଖାଦ୍ୟସୂଚ଼ୀରୁ ବାଦ ଦେବା ଦ୍ୱାରା ସୁଫଳ ମିଳୁଥିବା ହିସାବ କରାଯାଇଛି ।

 

ଇଟାଲୀର ସାରଡ଼ିନିଆର ଅଧିବାସୀମାନେ ମେଷ ପଲ ସହ ଦୈନିକ ଅନ୍ୟୂନ ୭ କିଲୋମିଟର ଚ଼ାଲୁଥିବାବେଳେ କୋଷ୍ଟାରିକାର ନିକୋୟା ଅଞ୍ଚଳର ଅଧିବାସୀମାନେ ଦୀର୍ଘସମୟ ଘର ବାହାରେ କଟାଇଥାନ୍ତି । କାଲିଫର୍ଣ୍ଣିଆର ଲୋମା ଲିଣ୍ଡା ଅଞ୍ଚଳର ଅଧିବାସୀମାନେ ଅନ୍ୟ ଆମେରିକୀୟମାନଙ୍କ ତୁଳନାରେ ପ୍ରାୟ ଦଶ ବର୍ଷ ଅଧିକା ବଞ୍ଚିଥାନ୍ତି  । ଗ୍ରୀସର ଇକେରିଆ ଅଞ୍ଚଳରେ ମତିଭ୍ରମ ବା ଡ଼େମନେସିଆ ଭଳି ବଂଶଗତ ବ୍ୟାଧି ଦେଖିବାକୁ ମିଳି ନଥାଏ । ଜାପାନର ଓକିନାୱାର ସୁଗଭୀର ସାମାଜିକ ଜୀବନ ସେଠାକାର ଅଧିବାସୀଙ୍କ ପାଇଁ ଜୀବନଯାତ୍ରାରେ ସହାୟକ ହୋଇଥାଏ ।ଏଭଳି ଉଦାହରଣରୁ ଅଭ୍ୟାସଗତ ଉପାଦେୟତାର ପ୍ରମାଣ ମିଳେ ।

 

ଦୀର୍ଘଜୀବନ ରହସ୍ୟ ଖୋଜି ବାହାର କରିବା ନିମନ୍ତେ ବୈଜ୍ଞାନିକମାନେ ଦୀର୍ଘ ବର୍ଷଧରି ଗବେଷଣା ଜାରୀ ରଖିଥାନ୍ତି । ଷ୍ଟାନଫୋର୍ଡ଼ ୟୁନିଭରସିଟିର ମନୋବୈଜ୍ଞାନିକ ଲୁଇସ ଟେରମେନ ୧୯୨୧ରେ ୧,୫୦୦ ଯୁବକ ଓ ଯୁବତୀଙ୍କ ଜୀବନୀ ଅନ୍ତରଙ୍ଗଭାବେ ଅଧ୍ୟୟନ କରିବା ଆରମ୍ଭ କରିଥିଲେ । ଏମାନେ ସମସ୍ତେ ୧୯୧୦ ପାଖାପାଖି ଜନ୍ମିତ । ୧୯୫୬ରେ ଲୁଇସଙ୍କ ମୃତ୍ୟୁପରେ ହାୱାର୍ଡ଼ ଫ୍ରାଇଡ଼ମେନ ଓ ଲେସଲି ମାର୍ଟିନ ସେହି ଗବେଷଣାର ଦାୟିତ୍ୱ ଗ୍ରହଣ କରିଥିଲେ । ଏଭଳି ଦୀର୍ଘ ଅବଧିର ଅନୁଧ୍ୟାନରୁ ବିପୁଳ ତଥ୍ୟ ସଂଗୃହୀତ ହୋଇପାରିଛି । ‘ରିଭରସାଇଡ଼ କାଲିଫର୍ଣ୍ଣିଆ ୟୁନିଭରସିଟି’ର ପ୍ରଫେସର ହାୱାର୍ଡ ଫ୍ରାଇଡ଼ମେନ ‘ଦି ଲନଜିଭିଟି ପ୍ରୋଜେକ୍ଟ’ ନାମକ ଏକ ପୁସ୍ତକ ରଚ଼ନା କରିଛନ୍ତି । ତାଙ୍କରି ମତରେ ଦୀର୍ଘଜୀବନର ମୂଳତତ୍ତ୍ୱ ମାନବିକ ତୃପ୍ତିରେ ପର୍ଯ୍ୟବସିତ । ଯେତେବେଳେ ଯାହା ଇଚ୍ଛା ତାହା କଲେ ମନୁଷ୍ୟ ଆନନ୍ଦ ଉପଭୋଗ କରିଥାଏ । ମାପିଚୁପି ବଞ୍ଚିବା ଅପେକ୍ଷା ସ୍ୱାଧୀନଭାବେ ବଞ୍ଚିବା ସପକ୍ଷରେ ସେ ଯୁକ୍ତି ବାଢ଼ିଥାନ୍ତି।

 

‘ଟାଇମ’ ପତ୍ରିକାରେ ପ୍ରକାଶିତ ତଥ୍ୟାବଳୀ ମୁଖ୍ୟତଃ ଯୁକ୍ତରାଷ୍ଟ୍ର ଆମେରିକାରେ ଆୟୋଜିତ ଗବେଷଣାର ଫଳାଫଳ ଉପରେ ଆଧାରିତ ହୋଇଥିଲେ ହେଁ ବିଶ୍ୱର ଅନ୍ୟତ୍ର ତାହା ଊଣାଅଧିକଭାବେ ପ୍ରଯୁଜ୍ୟ ବୋଲି କୁହାଯାଇପାରେ । ଏହି ଭଳି ସିଦ୍ଧାନ୍ତମାନ ପାରମ୍ପରିକଭାବେ ବିଭିନ୍ନ ସୂତ୍ରରେ ଚର୍ଚ୍ଚିତ ହୋଇଆସୁଥିଲା । କିନ୍ତୁ ବିଧିବଦ୍ଧ ତଥ୍ୟଭିତ୍ତିକ ଗବେଷଣାଲବ୍ଧ ଜ୍ଞାନ ଗୁରୁତ୍ୱପୂର୍ଣ୍ଣ ମନେହୁଏ ।



ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଏପ୍ରିଲ ୨୦୧୮

 

***

ଦୀର୍ଘ ଜୀବନ ପ୍ରୟାସ

କୁହାଯାଉଛି ଯେ ୨୦୫୦ ସୁଦ୍ଧା ମନୁଷ୍ୟ ସାମ୍ନା କରୁଥିବା ଅଧିକାଂଶ ସମସ୍ୟା ଅତ୍ୟାଧୁନିକ ବୈଜ୍ଞାନିକ ଉଦ୍ଭାବନ ମାଧ୍ୟମରେ ସମାଧାନ ହୋଇଯିବ । ସେଥି ମଧ୍ୟରେ କୃତ୍ରିମ ଉପାୟରେ ମନୁଷ୍ୟର ଜୀବଦ୍ଦଶାବୃଦ୍ଧି ଅନ୍ୟତମ ।

 

ଯୁକ୍ତରାଷ୍ଟ୍ର ଆମେରିକାରେ ‘ରିଜୁଭେନେଟ ବାୟୋ’, ‘ୟୁନିଟି’, ‘ଆମ୍ୱୋସିଆ’ ଭଳି ଷ୍ଟାର୍ଟଅପ ପ୍ରକଳ୍ପ ମାଧ୍ୟମରେ ମନୁଷ୍ୟର ପରମାୟୁ ବୃଦ୍ଧି ନିମନ୍ତେ ଗବେଷଣା ଜାରୀ ରହିଛି । ବିଜ୍ଞାନଗାରରେ ମୂଷାମାନଙ୍କୁ ପରୀକ୍ଷାମୂଳକଭାବେ ବିକଳ୍ପ ପଥ୍ୟ କିମ୍ୱା ଔଷଧ ଦେଇ ସେମାନେ ସାଧାରଣଠାରୁ ଅଧିକା ସମୟ ସୁସ୍ଥଭାବେ ଜୀବନଯାପନ କରୁଥିବା ପ୍ରମାଣିତ ହେବାପରେ ଉନ୍ନତସ୍ତରର ପ୍ରାଣୀଙ୍କକ୍ଷେତ୍ରରେ ଅନୁରୂପ ଫଳାଫଳ ଆଶା କରାଯାଉଛି । ଏଭଳି ଗବେଷଣା ନିମନ୍ତେ ଖ୍ୟାତନାମା ଔଷଧ ପ୍ରସ୍ତୁତକର୍ତ୍ତା କମ୍ପାନୀମାନଙ୍କ ସହ ବିତ୍ତୀୟ ନିବେଶକମାନେ ଅର୍ଥଲଗାଣ କରୁଛନ୍ତି ।

 

ରିଜୁଭେନେଟ ବାୟୋ ପକ୍ଷରୁ କେତେକ ପ୍ରଜାତିର କୁକୁରମାନଙ୍କ ଶରୀରରେ ଗୁଣସୂତ୍ର ଚ଼ିକିତ୍ସା ‘ଜିନ ଥେରାପି’ ମାଧ୍ୟମରେ ସେମାନେବାର୍ଦ୍ଧକ୍ୟରେ ଆକ୍ରାନ୍ତ ହେଉଥିବା ରୋଗଗୁଡ଼ିକ ଲାଗି ପ୍ରତିରୋଧକାରୀ ଶକ୍ତି ସୃଷ୍ଟିକରି ଜୀବନକାଳ ବଢ଼ାଇବା ଚ଼େଷ୍ଟା କରାଯାଉଛି ।ଉଦାହରଣରେ ‘କ୍ୟାଭିଲିଅର କିଙ୍ଗ ଚ଼ାର୍ଲସ’ ଖେଳନା ଭଳି ଦେଖାଯାଉଥିବା ଏକ ସ୍ୱତନ୍ତ୍ର ପ୍ରଜାତିର କୁକୁର । ଆମେରିକାରେ ଏଭଳି କୁକୁର ବେଶ ଲୋକପ୍ରିୟ ଏବଂ ଏଗୁଡ଼ିକ ମଧ୍ୟରୁ ଅର୍ଦ୍ଧେକ ହୃଦରୋଗରେ ଆକ୍ରାନ୍ତ ହୋଇ ୧୦ ବର୍ଷ ବୟସରେ ମରିଯାଆନ୍ତି । କ୍ୟାଭିଲିଅର କୁକୁରମାନଙ୍କ ଶରୀରରେ ହୃଦରୋଗର ପ୍ରଭାବ ସୀମିତ କରିବା ନିମନ୍ତେ ଜିନ ଥେରାପି ମାଧ୍ୟମରେ ଏକ ରକମର ପ୍ରୋଟିନ ବୃଦ୍ଧିକୁ ରୋକିବାକୁ ଚ଼େଷ୍ଟା କରାଯାଉଛି । ଏହି ଗବେଷଣା ସଫଳ ହେଲେ କ୍ୟାଭିଲିଅର କୁକୁର ଅଧିକ ବର୍ଷ ବଞ୍ଚିପାରିବ ଏବଂ ପାଳକ କୁକୁରର ସାନ୍ନିଧ୍ୟ ଲାଭ କରିପାରିବେ ।

 

ରିଜୁଭେନେଟର ଗବେଷଣା ନିମନ୍ତେ ବିଭିନ୍ନ ସୂତ୍ରରୁ ଅର୍ଥ ବିନିଯୋଗ ହେଉଛି । ଆମେରିକାରେ ପୋଷା ଜନ୍ତୁଙ୍କ ଚିକିତ୍ସା ବାବଦରେ ପ୍ରାୟ ଏକ ଲକ୍ଷ ଚ଼ାଳିଶି ହଜାର କୋଟି ଟଙ୍କା ବାର୍ଷିକ ବ୍ୟୟ ହୋଇଥାଏ । ତେଣୁ ପୋଷା କୁକୁରଙ୍କ ଜୀବନକାଳ ବଢ଼ାଇବା ନିମନ୍ତେ ବୈଜ୍ଞାନିକ ଗବେଷଣା ପାଇଁ ସୌଖୀନ ଜୀବଜନ୍ତୁ ପାଳନ କରୁଥିବା ଲୋକେ ଦାନ ଦେବାରେ କୁଣ୍ଠା ପ୍ରକାଶ କରୁନାହାନ୍ତି । କ୍ୟାଭିଲିଅର କୁକୁର ପାଳକଙ୍କ ଏକ ରାଷ୍ଟ୍ରୀୟ ସଂଗଠନ ରହିଛି । ସେମାନେ ରିଜୁଭେନେଟର ଗବେଷଣାକୁ ସହଯୋଗ କରୁଛନ୍ତି ।

 

ରିଜୁଭେନେଟର ବୈଜ୍ଞାନିକମାନଙ୍କ ବିଶ୍ୱାସ ମୂଷା ପରେ କୁକୁରମାନଙ୍କ ଜୀବଦ୍ଦଶା ବୃଦ୍ଧିର ଉପାୟ ଉଦ୍ଭାବନ ହୋଇପାରିଲେ ତାହା କାଳକ୍ରମେ ମନୁଷ୍ୟମାନଙ୍କ ପାଇଁ ଗବେଷଣାର ଦ୍ୱାର ଉନ୍ମୁକ୍ତ କରିବ ।ମୂଷାମାନଙ୍କ ଶରୀରରେ ବାର୍ଦ୍ଧକ୍ୟ ନିୟନ୍ତ୍ରଣ ନିମନ୍ତେ ଚ଼ାରିଗୋଟି ବାର୍ଦ୍ଧକ୍ୟଜନିତ ବ୍ୟାଧି,ଯଥା:ହୃଦରୋଗ, ବୃକକ୍ ଅକାମୀ, ପୃଥୁଳତା ଓ ମଧୁମେହର ପ୍ରଭାବ ହ୍ରାସ କରିବା ନିମନ୍ତେ ଚ଼େଷ୍ଟାରେ କେତେକାଂଶରେ ସକାରାତ୍ମକ ଉପଲବ୍ଧି କୁକୁରମାନଙ୍କ କ୍ଷେତ୍ରରେ ଉପଯୋଗ ନିମନ୍ତେ ବୈଜ୍ଞାନିକମାନଙ୍କୁ ଉତ୍ସାହିତ କରିଛି ।

 

ରିଜୁଭେନେଟ ପ୍ରକଳ୍ପ ‘ହାରର୍ଭାଡ଼ ମେଡ଼ିକାଲ ସ୍କୁଲ’ ସହ ସଂପୃକ୍ତ ଦୁଇଜଣ ବୈଜ୍ଞାନିକଙ୍କ ତତ୍ତ୍ୱାବଧାନରେ ପରିଚ଼ାଳିତ ହେଉଛି । ଏକ ପକ୍ଷରେ କୁକୁରଙ୍କ ଜୀବଦ୍ଦଶା ବୃଦ୍ଧି ପାଇଁ ସେମାନଙ୍କ ଗବେଷଣା ଅଗ୍ରଗତି କରୁଥିବାବେଳେ ଅପରପକ୍ଷରେ ଏଭଳି ଉଦ୍ୟମର ନୈତିକ ଦିଗ ପ୍ରତି ମଧ୍ୟ କେତେକ ସମାଲୋଚ଼ନା କରିବାକୁ ପଛାଉ ନାହାନ୍ତି । ଯଦି ଗୋଟିଏ କୁକୁର ଏହାର ପାଳକଙ୍କଠାରୁ ଅଧିକ ବର୍ଷ ବଞ୍ଚେ ତେବେ ପାଳକଙ୍କ ଅନ୍ତେ ପଶୁର ତତ୍ତ୍ୱାବଧାନ କିଏ ନେବ ବୋଲି ପ୍ରଶ୍ନ ଉଠୁଛି । ଆପାତତଃ କୁକୁର କୌଣସି ଆଶ୍ରୟସ୍ଥଳୀ କିମ୍ୱା ଅକାଳ ମୃତ୍ୟୁକୁ ବରଣ କରିବା ସୁନିଶ୍ଚିତ ।

 

ମିନୋସିଟାର ‘ବକ ଇନଷ୍ଟିଟିଉଟ ଫର ରିସର୍ଚ୍ଚ ଇନ ଏଜିଂ’ରେ ଅବସ୍ଥାପିତ ଦୁଇଜଣ ବୈଜ୍ଞାନିକ ‘ୟୁନିଟି’ ନାମକ ଏକ ଷ୍ଟାର୍ଟଅପ୍ ରେ ପ୍ରାଣୀମାନଙ୍କ ଶରୀରରେ ଅବଶ ଜୀବକୋଷ ନିପାତ କରି ବାର୍ଦ୍ଧକ୍ୟ ରୋକିବା ଉଦ୍ୟମରେ ଗବେଷଣାରତ । ପରୀକ୍ଷାଗାରରେ କେତେକ ପ୍ରାଣୀଙ୍କ ଶରୀରରେ ପୁରୁଣା ଜୀବକୋଷଗୁଡ଼ିକୁ ମାରିଦେବା ନିମନ୍ତେ ସେମାନେ ଔଷଧ ଉଦ୍ଭାବନ କରିଛନ୍ତି । ପୁରୁଣା ଜୀବକୋଷଗୁଡ଼ିକର ବିଭକ୍ତିକରଣ ବନ୍ଦ ହୋଇଯିବା ପରେ ସେଗୁଡ଼ିକ ଶରୀରର କୌଣସି କାର୍ଯ୍ୟ ସମ୍ପାଦନ କରୁନଥିବା ସ୍ଥଳେ ପରିବେଶ ପ୍ରଦୂଷିତ କରିଥାନ୍ତି ଏବଂ ଏଭଳି ପ୍ରଦୂଷଣ ପ୍ରାଣୀର ବାର୍ଦ୍ଧକ୍ୟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାଏ । ଅତଏବ ଅବଶ ଜୀବକୋଷମୁକ୍ତ ଶରୀର ବାର୍ଦ୍ଧକ୍ୟ ଲକ୍ଷଣଗୁଡ଼ିକୁ ଅଟକାଇ ଦେଇପାରେ ।

 

ୟୁନିଟିର ଗବେଷଣା ନିମନ୍ତେ ଚ଼ୀନ ଔଷଧ ପ୍ରସ୍ତୁତକର୍ତ୍ତା ‘ୱିକ୍ସି’ ଓ ‘ମାୟୋ କ୍ଳିନିକ’ ସାଙ୍ଗକୁ ‘ଆର୍ଚ୍ଚଭେଞ୍ଚର ପାର୍ଟନରର୍ସ’ ଓ ‘ଭେନରକ’ ପ୍ରମୁଖ ବିତ୍ତୀୟ ନିବେଶ କମ୍ପାନୀ ଆର୍ଥିକ ସହାୟତା ଯୋଗାଉଛନ୍ତି । ଏଭଳି ଔଷଧ ଉଦ୍ଭାବିତ ହେଲେ ମନୁଷ୍ୟ ଜୀବନରେ ମଧ୍ୟବୟସରୁ ଜୀବକୋଷ ବିଭାଜନ ବନ୍ଦ ହୋଇ ଅବଶ ଜୀବକୋଷ ଶରୀରରେ ଗଚ୍ଛିତ ହେଉଥିବା ହେତୁ ଆଗ୍ରହୀ ଗ୍ରହୀତାମାନଙ୍କୁ ପ୍ରତି କିଛି ବର୍ଷ ଅନ୍ତରରେ ଔଷଧ ଗ୍ରହଣ କରିବାକୁ ପଡ଼ିବ ।

 

ଅନ୍ୟତମ ଷ୍ଟାର୍ଟଅପ ‘ଆମ୍ୱ୍ରୋସିଆ’ ପକ୍ଷରୁ ବୟସ୍କଙ୍କ ଶରୀରରେ ଦୁଇଲିଟର ଯାଏଁ ଯୁବକଯୁବତୀଙ୍କ ରକ୍ତ ଚ଼ଢ଼ାଣ‘ଇନଫ୍ୟୁଜନ’ ଯୋଗେ ସେମାନଙ୍କ ବାର୍ଦ୍ଧକ୍ୟଜନିତ ଲକ୍ଷଣାବଳୀ କିଛି କାଳ ରୋକିବା ସଂପର୍କରେ ଗବେଷଣା କରାଯାଉଛି । ପରୀକ୍ଷାଗାରରେ ମୂଷାଙ୍କ କ୍ଷେତ୍ରରେ ସଫଳତା ମିଳିବାପରେ ମନୁଷ୍ୟଙ୍କ ଶରୀରରେ ପ୍ରଭାବର ମୂଲ୍ୟାୟନ ଜାରୀ ରହିଛି । ୨୦୧୭ ଡ଼ିସେମ୍ୱର ସୁଦ୍ଧା ପଚ଼ିଶି ଜଣ ବ୍ୟକ୍ତି ଆମ୍ୱ୍ରୋସିଆ ପଦ୍ଧତିରେ ଯୁବ-ରକ୍ତ ଗ୍ରହଣ କରିଥିବା ଜଣାଯାଏ । ଏଥି ନିମନ୍ତେ ପ୍ରତ୍ୟେକେ ୫ ଲକ୍ଷ ୬୦ ହଜାର ଟଙ୍କା ଖର୍ଚ୍ଚ କରିଥିଲେ ।

 

ରିଜୁଭେନେଟ, ୟୁନିଟି ଓ ଆମ୍ୱ୍ରୋସିଆ ସହ ଯୁକ୍ତରାଷ୍ଟ୍ର ଆମେରିକା ତଥା ଅନ୍ୟାନ୍ୟ ରାଷ୍ଟ୍ରରେ ବହୁ ଭେଷଜ ସଂସ୍ଥା ପକ୍ଷରୁ ମନୁଷ୍ୟର ଦୀର୍ଘ ଜୀବନ ପ୍ରୟାସ ଚ଼ରିତାର୍ଥ କରିବା ନିମନ୍ତେ ଉଦ୍ୟମ ଜାରୀ ରହିଛି । ଅତୀତରେ ‘ସିରଟ୍ରିସ’ ଓ ‘ଏଲିକ୍ସୟାର’ ଭଳି ଷ୍ଟାର୍ଟଅପ ପକ୍ଷରୁ କେତେକ ପଦକ୍ଷେପ ବିଫଳ ହୋଇଥିଲା। ଅନେକ ବିଜ୍ଞାନୀଙ୍କ ମତ ହେଲା ପରୀକ୍ଷାଗାରରେ ମୂଷାଙ୍କ କ୍ଷେତ୍ରରେ ଜୀବଦ୍ଦଶା ବଢ଼ାଇବାରେ ସୀମିତ ସଫଳତା ମିଳିପାରିଥିଲେ ହେଁ ସେହି ଜ୍ଞାନକୌଶଳ ମନୁଷ୍ୟମାନଙ୍କ ଶରୀରରେ ଉପଯୋଗ ଦୁରୁହ ବ୍ୟାପାର । ଆନ୍ତର୍ଜାତିକ ଭେଷଜ ଚ଼ିକିତ୍ସା ବିଜ୍ଞାନରେ ବାର୍ଦ୍ଧକ୍ୟକୁ ଏକ ରୋଗ ରୂପେ ଏଯାଏଁ ଗ୍ରହଣ କରାଯାଉନଥିବା ହେତୁ ଏହା ଉପଶମ ନିମନ୍ତେ ଉଦ୍ୟମ ଏକ ପ୍ରଶ୍ନବାଚ଼ୀ ରୂପେ ଦଣ୍ଡାୟମାନ ହେଉଛି ।

 

ବିଭିନ୍ନ ପ୍ରଜାତିର ଜୀବଙ୍କ ଜୀବଦ୍ଦଶା ଭିନ୍ନ ତଥା ମନୁଷ୍ୟମାନଙ୍କ ମଧ୍ୟରେ ପ୍ରତ୍ୟେକେ ଭିନ୍ନ ସମୟସୀମାରେ ବାର୍ଦ୍ଧକ୍ୟ ପରିସୀମାରେ ପ୍ରବେଶ କରିଥାନ୍ତି । ପ୍ରାକୃତିକ ଭାବେ ବିଭିନ୍ନତା ଆଧାରରେ ଜୀବଦ୍ଦଶା ନିର୍ଦ୍ଧାରିତ ହେଉଥିବା ଅବସରରେ ସେଥିରେ କୃତ୍ରିମଭାବେ ମଧ୍ୟ ସଂଶୋଧନର ସୁଯୋଗ ରହିଥିବା କେତେକଙ୍କ ବିଶ୍ୱାସ । ତେବେ ବିଶ୍ୱାସ ‘ହାଇପୋଥିସିସ’ ବିଜ୍ଞାନସମ୍ମତ୍ତ ସତ୍ୟରେ ପରିଣତ ହେବାପାଇଁ ଅଧିକରୁ ଅଧିକ ଗବେଷଣା ଆବଶ୍ୟକ ।

 

ଆସନ୍ନ ବାର୍ଦ୍ଧକ୍ୟ ରୋକିବା ନିମନ୍ତେ ଅତୀତରୁ ଠକ ଚ଼ିକିତ୍ସକ ‘କ୍ୱାକ’ଙ୍କ ପକ୍ଷରୁ ଔଷଧ ଓ ବିଧିବିଧାନ ପ୍ରଚଳିତ ହୋଇଆସିଛି । ହଙ୍ଗେରୀର ଲୋକକଥା ଅନୁଯାୟୀ ସେଠାକାର ଜଣେ ଧନୀକ ମହିଳା ଦୀର୍ଘ ଯୌବନ ଆଶାରେ କୁମାରୀଙ୍କ ରକ୍ତରେ ସ୍ନାନ କରୁଥିଲେ । ଆମ ଦେଶରେ ଯୌବନର ସଂପ୍ରସାରଣ ଓ ବାର୍ଦ୍ଧକ୍ୟଜନିତ ଲକ୍ଷଣରୁ ମୁକ୍ତି ପାଇବା ନିମନ୍ତେ ଜଡ଼ିବୁଟି ଚିକିତ୍ସାକୁ କେତେକ ବିଶ୍ୱାସ କରିଥାନ୍ତି । ତେବେ ଦୀର୍ଘ ଜୀବନ ନିମନ୍ତେ ବିଜ୍ଞାନସମ୍ମତ୍ତ ଗବେଷଣା ଭେଷଜ ବିଜ୍ଞାନରେ ଏକ ନୂତନ ପର୍ଯ୍ୟାୟ ସୃଷ୍ଟି କରିଛି ।

 

ଏଭଳି ଗବେଷଣାର ଅଗ୍ରଗତି ସଂପର୍କରେ ବିସ୍ତୃତ ତଥ୍ୟ ଖୋଜି ପାଇ ହୁଏନା । ଗବେଷକମାନେ ଗଣମାଧ୍ୟମ ସମ୍ମୁଖରେ ଆଲୋଚ଼ନା କରିବାକୁ ଅମଙ୍ଗ ହେଉଥିବା ଅଭିଯୋଗ ହୁଏ । ନିକଟ ଅତୀତରେ ଆବିଷ୍କୃତ ‘ରାପାମାଇସିନ’ନାମକ ଔଷଧ ପରୀକ୍ଷାଗାରରେ କୀଟପତଙ୍ଗ ଓ ମୂଷାଙ୍କ ଶରୀରରେ ପ୍ରୟୋଗରେ ଜୀବଦ୍ଦଶାରେ ୨୫ ପ୍ରତିଶତ ବୃଦ୍ଧି ଅଭିଜ୍ଞତା ବୈଜ୍ଞାନିକମାନଙ୍କୁ ଅଧିକ ଗବେଷଣା ପାଇଁ ଉତ୍ସାହିତ କରିଛି । ବହୁ ନବପ୍ରତିଷ୍ଠିତ ଷ୍ଟାର୍ଟଅପ  ପ୍ରକଳ୍ପ ସହ ‘ନୋଭାରଟିସ’ ଭଳି ପ୍ରସିଦ୍ଧ ଔଷଧ ପ୍ରସ୍ତୁତକର୍ତ୍ତା କମ୍ପାନୀମାନେ ମଧ୍ୟ ଜୀବଦ୍ଦଶା ବୃଦ୍ଧି ଗବେଷଣାରେ ସଂପୃକ୍ତ ହୋଇଛନ୍ତି । କେତେକ ବୈଜ୍ଞାନିକଙ୍କ ଦାବୀ ଅନୁଯାୟୀ ଏହି କ୍ଷେତ୍ରରେ ସମ୍ଭାବ୍ୟ ଉଦ୍ଭାବନ ଏକବିଂଶ ଶତାଦ୍ଦୀର ସର୍ବବୃହତ୍ତ ସଫଳତାରେ ପରିଗଣିତ ହେବ ।

 ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଜୁନ ୨୦୧୮ 

--- 

ତଥ୍ୟ:

https://www.technologyreview.com/2018/05/09/142971/a-stealthy-harvard-startup-wants-to-reverse-aging-in-dogs-and-humans-could-be-next/


https://www.technologyreview.com/2017/01/13/69219/questionable-young-blood-transfusions-offered-in-us-as-anti-aging-remedy/#:~:text=Biotechnology-,Questionable%20%E2%80%9CYoung%20Blood%E2%80%9D%20Transfusions%20Offered%20in%20U.S.%20as%20Anti%2D,empty%20your%20pockets%20of%20%248%2C000. 


https://www.technologyreview.com/2017/03/28/68721/is-this-the-anti-aging-pill-weve-all-been-waiting-for/ 


https://www.technologyreview.com/2016/02/03/162446/in-new-anti-aging-strategy-clearing-out-old-cells-increases-life-span-of-mice-by-25-percent/


https://www.technologyreview.com/2016/12/09/155229/rejuvenating-the-chance-of-motherhood/

ମୃତ୍ୟୁ-ରହିତ ଜୀବନ 

ମନୁଷ୍ୟ ଜନ୍ମ ମାତ୍ରେ ମୃତ୍ୟୁ ଧୃବ ସତ୍ୟ । ଦୀର୍ଘ ଜୀବନ ହାସଲ ନିମନ୍ତେ କେତେକ ବ୍ୟକ୍ତି ଓ ଅନୁଷ୍ଠାନିକ ଉଦ୍ୟମ ସମୟାନ୍ତେ ଗଣମାଧ୍ୟମରେ ଚର୍ଚ୍ଚିତ ହୋଇଥାଏ । କିନ୍ତୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ଟାଳି ଦେବା ନିମନ୍ତେ ଯୋଜନାବଦ୍ଧ ଉଦ୍ୟମ କୌତୁହଳ ସୃଷ୍ଟି କରିବା ସ୍ୱାଭାବିକ । ଯୁକ୍ତରାଷ୍ଟ୍ର ଆମେରିକାର ବ୍ରେୟାନ ଜନସନ ନାମକ ଜଣେ ମଧ୍ୟବୟସ୍କ ପ୍ରଯୁକ୍ତି ଶିଳ୍ପ-ଉଦ୍ୟୋଗୀ ୪୬ ବର୍ଷ ବୟସରେ ୧୮ ବର୍ଷ ବୟସ୍କଙ୍କ ଶାରିରୀକ ସ୍ଥିତି ଲାଭ ନିମନ୍ତେ ତତ୍ପର ଥିବା ୨୦୨୩ରେ ଏକ ଦୃଷ୍ଟି ଆକର୍ଷଣକାରୀ ପ୍ରସଙ୍ଗ ପାଲଟିଥିଲା ।

 

ଜନସନଙ୍କ ଜୀବନାଦର୍ଶର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଲା ଦୈନନ୍ଦିନ ଜୀବନଯାତ୍ରା ନିମନ୍ତେ କୃତ୍ରିମ ବୁଦ୍ଧିମତ୍ତାଭିତ୍ତିକ ଦିଗଦର୍ଶନ ଅନୁପାଳନ । ପ୍ରତ୍ୟେହ ତାଙ୍କରି ଶାରୀରିକ ସ୍ଥିତାବସ୍ଥା ତଥ୍ୟାବଳୀ ସଂଗ୍ରହ ପରେ ଦଳେ ଡ଼ାକ୍ତର କମ୍ପ୍ୟୁଟର ଅନୁକୂଳ ଗାଣିତିକ ସୂତ୍ର ‘ଆଲଗୋରିଥିମ’ ଦ୍ୱାରା ବିଶ୍ଳେଷଣ କରି ଜବନଶୈଳୀ ପରାମର୍ଶ ଦେଇଥାନ୍ତି । ଜନସନ ତଦ୍ ଅନୁଯାୟୀ ନିଜ ଜୀବନଚର୍ଯ୍ୟା ନିର୍ଦ୍ଧାରଣ କରିଥାନ୍ତି ।

 

ଜନସନ ‘ବ୍ଳ୍ୟୁ ପ୍ରିଣ୍ଟ’ ନାମକ ଆୟୁବର୍ଦ୍ଧକ ଉପକ୍ରମର ଉଦ୍ୟୋକ୍ତା । ତାଙ୍କ ବିଚାରରେ ପ୍ରଥମତଃ, ମନୁଷ୍ୟର କାର୍ଯ୍ୟଧାରା ଶାରିରୀକ-ରସାୟନଜନିତ ସ୍ଥିତି ‘ବାୟୋକେମିକାଲ ଷ୍ଟେଟ ଅଫ ଦି ବଡ଼ି’ ଉପରେ ନିର୍ଭରଶୀଳ । ଭୋକ, ଶୋଷଠାରୁ ଆରମ୍ଭ କରି ପ୍ରେମ, ହିଂସ୍ରକ ଆଚ଼ରଣ ବା ମନୋରଞ୍ଜନ, ବ୍ୟକ୍ତିଗତ ଜୀବନରେ ସବୁତକ ଇଛା ଓ ଆଗ୍ରହ ଶରୀରରେ ରସାୟନିକ ପ୍ରକ୍ରିୟାର ଫଳ । ଏହି ରାସାୟନିକ ପ୍ରତିକ୍ରିୟାଗୁଡ଼ିକୁ ନିୟନ୍ତ୍ରଣ କରିବା ସଂଭବ ।

 

ଦ୍ୱିତୀୟତଃ, ସମସାମୟିକ ସମାଜରେ ସାଧାରଣ କିଣାବିକାଠାରୁ ଆରମ୍ଭ କରି ଜଟିଳ ବୈଜ୍ଞାନିକ ଗବେଷଣା ଯାଏଁ ସବୁ ବିଷୟରେ ଯଦି ‘ଆଲଗୋରିଥିମ’ ବୈଷୟିକ କୌଶଳ ନିୟନ୍ତ୍ରଣାଧୀନ, ତେବେ ସ୍ୱାସ୍ଥ୍ୟରକ୍ଷା କାହିଁକି ଅନ୍ତର୍ଭୁକ୍ତ ହୋଇପାରିବ ନାହିଁ । ଜନସନ ‘ବ୍ଳ୍ୟୁ ପ୍ରିଣ୍ଟ’ ପ୍ରକଳ୍ପ ପରିଚାଳନାରେ ବାର୍ଷିକ ୧୨ କୋଟି ୬୦ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । ପ୍ରଥମ ତିନିବର୍ଷ ‘ବ୍ଳ୍ୟୁ ପ୍ରିଣ୍ଟ’ ପଦ୍ଧତି ଅନୁସରଣରେ ନିଜ ୪୬ ବର୍ଷ ଶରୀରର ଅସ୍ଥି ୩୦ ବର୍ଷ ବୟସ୍କଙ୍କ ଅସ୍ଥି ଓ ହୃଦଯନ୍ତ୍ର ୩୭ ବର୍ଷ ବୟସ୍କଙ୍କ ହୃଦଯନ୍ତ୍ର ସମକକ୍ଷ କାର୍ଯ୍ୟଦକ୍ଷତା ହାସଲ କରିଥିବା ସେ ଉଲ୍ଲେଖ କରିଥାନ୍ତି ।

 

ଜନସନଙ୍କ ମୃତ୍ୟୁ-ରହିତ ଜୀବନ ଉଦ୍ୟମ ସଂପର୍କରେ ପ୍ରବନ୍ଧ ରଚନା ନିମନ୍ତେ ଖ୍ୟାତନାମା ‘ଟାଇମ’ ପତ୍ରିକାର ଜଣେ ସାମ୍ୱାଦିକ ଲସ ଏଞ୍ଜେଲେସସ୍ଥିତ ତାଙ୍କରି ବାସଗୃହରେ ପହଞ୍ଚି ତିନିଦିନ ଅନୁଧ୍ୟାନ କରିଥିଲେ । ସେହି ବିବରଣୀ ୨୦ ସେପ୍ଟେମ୍ୱର ୨୦୨୩ ସଂସ୍କରଣରେ ପ୍ରକାଶିତ ହୋଇଥିଲା । ଜନସନ ବଡ଼ି ସକାଳୁ ୪.୫୩ ମିନଟରେ ଶଯ୍ୟାତ୍ୟାଗ କରନ୍ତି । ବିଭିନ୍ନ ସ୍ୱାସ୍ଥ୍ୟଗତ ପରିମାପ ସାରିବା ପରେ ବ୍ୟକ୍ତିଗତ ବ୍ୟାୟାମଶାଳାରେ ୬ଠାରୁ ୭ଟା ଯାଏଁ ଘଣ୍ଟାଏ ବ୍ୟାୟାମ କରନ୍ତି । ତାଙ୍କରି ଜଳଖିଆ ସିଝା ପନିପରିବା, କୋଳି ଓ ଚଣାଜାତୀୟ ଖାଦ୍ୟ । ସେ ଜଳଖିଆ, ମଧ୍ୟାହ୍ନ ଭୋଜନ ବା ରାତ୍ରୀଭୋଜନ ବଦଳରେ ଭୋଜନ-୧, ଭୋଜନ-୨, ଭୋଜନ-୩ ଇତ୍ୟାଦି ନାମିତ କରିଥାନ୍ତି । ଉଲ୍ଲେଖନୀୟ ବିଷୟ ଏହି ଯେ ଦିନ ୧୧ଟା ସୁଦ୍ଧା  ସବୁତକ ଭୋଜନ ସରେ ।

 

ଜନସନ ‘ବ୍ଳ୍ୟୁ ପ୍ରିଣ୍ଟ’ ଆଲଗୋରିଥିମ ନିର୍ଦ୍ଦେଶ ଅନୁଯାୟୀ ଶରୀର ତତ୍ତ୍ୱ ସନ୍ତୁଳନ ସକାଶେ ଦୈନିକ ୧୧୧ ଗୋଟି ବଟିକା ଖାଆନ୍ତି । ବିଭିନ୍ନ ଆଲୋକ ବିକୀରଣ ଉପଚାରରେ ଅଂଶଗ୍ରହଣ କରନ୍ତି । ପ୍ରତ୍ୟେହ ରାତି ସାଢ଼େ ଆଠରେ ନିଦ୍ରା ଯାଆନ୍ତି । ସେ ମଦ୍ୟ ପାନ କରନ୍ତି ନାହିଁ କିମ୍ୱା ସନ୍ଧ୍ୟାରେ ବାହାରକୁ ଯାଆନ୍ତି ନାହିଁ । ସନ୍ତୁଳିତ ଆହାର, ଦୈନିକ ଏକ ଘଣ୍ଟା ବ୍ୟାୟାମ ଓ ଆଠ ଘଣ୍ଟା ନିଦ୍ରା ସହ ବିଭିନ୍ନ କୃତ୍ରିମ ସ୍ୱାସ୍ଥ୍ୟରକ୍ଷା ଉପାଦାନ ଗ୍ରହଣ ‘ବ୍ଳ୍ୟୁ ପ୍ରିଣ୍ଟ’ର ଉଲ୍ଲେଖନୀୟ ଦିଗ ।

 

ଜନସନଙ୍କ ଜୀବନଚର୍ଯ୍ୟା ଚ଼ିକିତ୍ସକ ଓ ଆୟୁବିଜ୍ଞାନୀମାନଙ୍କ ଦ୍ୱାରା ସମାଲୋଚ଼ିତ । କୁହାଯାଏ ଯେ ବିଂଶ ଶତାଦ୍ଦୀ ଆରମ୍ଭରେ ଯୁକ୍ତରାଷ୍ଟ୍ର ଆମେରିକାଭଳି ବିକଶିତ ରାଷ୍ଟ୍ରରେ ଜୀବଦ୍ଦଶା ୫୦ ବର୍ଷ ଥିବା ସ୍ଥଳେ ଶେଷ ବେଳକୁ ୮୦ ବର୍ଷ, ଅର୍ଥାତ ୩୦ ବର୍ଷ ବୃଦ୍ଧି ପାଇଛି । ଉନ୍ନତ ଚ଼ିକିତ୍ସା ପ୍ରଣାଳୀ ଓ ସ୍ୱାସ୍ଥ୍ୟରକ୍ଷା ନୀତି ଅବଲମ୍ୱନ ଆୟୁବୃଦ୍ଧିର ଶ୍ରେୟ ନିଏ । ସେହି କ୍ରମରେ ଭବିଷ୍ୟତରେ ମଧ୍ୟ ଆୟୁ ବୃଦ୍ଧି ସଂଭବ, କିନ୍ତୁ ମୃତ୍ୟୁ-ରହିତ ଜୀବନ ଯୁକ୍ତି ଜଟିଳ ।

 

ସମକାଳରେ ବିଭିନ୍ନ ପ୍ରାନ୍ତରେ ସର୍ବାଧିକ ଜୀବଦ୍ଦଶା ୧୨୦ରୁ ୧୩୦ ବର୍ଷ ମଧ୍ୟରେ ସୀମିତ । ହାର୍ଭାଡ଼ ମେଡ଼ିକାଲ ସ୍କୁଲରେ ଗବେଷକମାନେ ବୟସ୍କ ମୂଷାଙ୍କ କ୍ଷେତ୍ରରେ ବୟସ ବୃଦ୍ଧିଜନିତ ସମସ୍ୟାବଳୀରେ ଅଙ୍କୁଶ ଲଗାଇବାରେ ସାମାନ୍ୟ ସଫଳତା ପାଇଛନ୍ତି । ମନୁଷ୍ୟର ଚର୍ମ ଓ ଚକ୍ଷୁଡ଼ୋଳା କ୍ଷେତ୍ରରେ ସେହି ଜ୍ଞାନକୌଶଳ ଉପଯୋଗ ପରୀକ୍ଷାନିରୀକ୍ଷା ଚାଲିଛି । ଏହି ଭଳି ଗବେଷଣା ପାରମ୍ପରିକ ବିଜ୍ଞାନସମ୍ମତ୍ତ ପ୍ରଣାଳୀରେ ପ୍ରଯୋଜିତ ।

 

ଅପରପକ୍ଷେ ଜନସନଙ୍କ ‘ବ୍ଳ୍ୟୁ-ପ୍ରିଣ୍ଟ’ର ଗବେଷଣା ତଥ୍ୟାବଳୀ ପାରମ୍ପରିକ ବୈଜ୍ଞାନିକ ରୀତିରେ ୨୦୨୩ ସୁଦ୍ଧା ଉପଲବ୍ଧ ହୋଇପାରିନାହିଁ । ଜନସନ ନିଜେ ମୃତ୍ୟୁ-ରହିତ ଜୀବନ ପରୀକ୍ଷାରେ ସାମିଲ ହୋଇଥିବା ସ୍ଥଳେ ୨୦୨୩ ପ୍ରଥମାର୍ଦ୍ଧରେ ଜନସନଙ୍କ ‘ବ୍ଳ୍ୟୁ-ପ୍ରିଣ୍ଟ’ର ମୁଖ୍ୟ ବ୍ୟାବସାୟିକ ଅଧିକାରୀ କେଟ ଟୋଲୋ ନାମକ ୨୭ ବର୍ଷିୟ କୋରିଆ ଜନ୍ମିତ ମହିଳା ଦ୍ୱିତୀୟ ବ୍ୟକ୍ତି ଭାବେ ସାମିଲ ହୋଇଛନ୍ତି । ବୈଜ୍ଞାନିକମାନେ ପ୍ରଶ୍ନ କରୁଛନ୍ତି, ଜଣେ ବ୍ୟକ୍ତି ଦୈନିକ ଶହେରୁ ଅଧିକ ଔଷଧ ସେବନ କଲେ କେଉଁ ଉପାଦାନ କିପରି କାମ କରୁଛି, ତାହା କିପରି ପ୍ରମାଣିତ ହେବ । ପ୍ରକାରନ୍ତେ ବିଭିନ୍ନ ଉପାଦାନର ସମିଶ୍ରଣରେ ବିପଦପୂର୍ଣ୍ଣ ସ୍ୱାସ୍ଥ୍ୟାବସ୍ଥା ସମ୍ମୁଖୀନ ହେବା ସଂଭାବନାକୁ ଏଡ଼ାଇ ଦେଇ ହେବ ନାହିଁ ।

 

ଅନ୍ୟ କେତେକ ସମାଲୋଚକଙ୍କ ମତରେ ମନୁଷ୍ୟର ଜୀବଦ୍ଦଶା ମୁଖ୍ୟତଃ ଗୁଣସୂତ୍ର ‘ଜିନ’ ଉପରେ ନିର୍ଭରଶୀଳ । ଜନସନଙ୍କ ଉପକ୍ରମରେ ଗୁଣସୂତ୍ର ସଂଶୋଧନ ଦିଗରେ କୌଣସି ସୂଚ଼ନା ନାହିଁ । ବିଶ୍ୱର ବିଭିନ୍ନ ଅଞ୍ଚଳରେ ୧୧୦ରୁ ୧୨୨ ବର୍ଷ ଯାଏଁ ବଞ୍ଚିଥିବା ବ୍ୟକ୍ତିଙ୍କ ଜୀବନଚର୍ଯ୍ୟା ଅନୁଶୀଳନରେ ସେମାନେ ଜନସନଙ୍କ ଭଳି କୌଣସି ବ୍ୟାପକ ଆୟୋଜନ କରିଥିବା ଉଦାହରଣ ଦେଖିବାକୁ ମିଳେ ନାହିଁ । ଜନସନ ବ୍ରିଟେନରୁ ପ୍ରକାଶିତ ସମ୍ୱାଦପତ୍ର ‘ଦି ଗାର୍ଡିଆନ’କୁ କହିଥିଲେ ଯେ ମୃତ୍ୟୁ-ରହିତ ଜୀବନଚର୍ଯ୍ୟା ନିର୍ଦ୍ଧାରଣ ନିମନ୍ତେ ‘ବ୍ଳ୍ୟୁ-ପ୍ରିଣ୍ଟ’ ପ୍ରଯୋଜନାରେ ସ୍ୱାସ୍ଥ୍ୟରକ୍ଷା ଓ ଜୀବଦ୍ଦଶା ସଂପର୍କୀତ ଦୁଇ ହଜାର ବିଜ୍ଞାନନୁମୋଦିତ ଗବେଷଣା ସନ୍ଦର୍ଭରୁ ତଥ୍ୟ ସଂଗ୍ରହ କରାଯାଇଛି । ଏହି ପଦ୍ଧତି ବିକାଶରେ ୩୦ରୁ ଉର୍ଦ୍ଧ୍ୱ ବିଧିବଦ୍ଧ ତାଲିମପ୍ରାପ୍ତ ଚ଼ିକିତ୍ସକ ସହଯୋଗ କରୁଛନ୍ତି ।

 

ଜନସନଙ୍କ ଶୈଶବ ଓ ଯୁବାବସ୍ଥା ଧାର୍ମିକ ପରିବେଶରେ କଟିଛି । ସେ ୩୪ ବର୍ଷ ବୟସରେ ଚର୍ଚ୍ଚ ପରିତ୍ୟାଗ କରି ପ୍ରଯୁକ୍ତି ଶିଳ୍ପ ନିବେଶକ ଭାବେ ବ୍ୟବସାୟ ଆରମ୍ଭ କରିଥିଲେ । ତାଙ୍କରି ବୈବାହିକ ଜୀବନ ଛାଡ଼ପତ୍ରରେ ପର୍ଯ୍ୟବଶିତ । ତିନିଗୋଟି ସନ୍ତାନ ମଧ୍ୟରୁ ୧୮ ବର୍ଷ ବୟସ୍କ ମଝିଆ ପୁଅ ଜନସନଙ୍କ ସାଥିରେ ରହେ । ସେ ପରୀକ୍ଷାମୂଳକଭାବେ ବାପାଙ୍କୁ ଦୀର୍ଘଜୀବନ ଚ଼ିକିତ୍ସା ପାଇଁ ରକ୍ତଦାନ କରିଥିଲା । କିନ୍ତୁ ସେଥିରେ ବିଶେଷ ଲାଭ ପ୍ରମାଣିତ ନ ହୋଇପାରିବା ହେତୁ ପୁଣି ଯୁବ ରକ୍ତ ଗ୍ରହଣକୁ ଏଡ଼ାଇ ଦିଆଯାଇଥିଲା । ଜନସନଙ୍କ ୭୦ ବର୍ଷ ବୟସ୍କ ପିତା ମଧ୍ୟ ଜୀବିତ ।

 

ଜନସନ ମୃତ୍ୟୁ-ରହିତ ଜୀବନର ବାର୍ତ୍ତା ସର୍ବସାଧାରଣରେ ପ୍ରଚାର ନିମନ୍ତେ ଆଗ୍ରହ ପ୍ରକାଶ କରିଥାନ୍ତି । ତାଙ୍କରି ଇ-ମେଲ ନିଉଜଲେଟର ପ୍ରାୟ ଦୁଇ ଲକ୍ଷ ଠିକଣାରେ ପ୍ରେରିତ ହୁଏ ଏବଂ ବ୍ୟାୟାମର ଦୃଶ୍ୟାବଳୀ ୟୁଟ୍ୟୁବ ଭିଡ଼ିଓ ଯୋଗେ ଲକ୍ଷ ଲକ୍ଷ ଦର୍ଶକ ଦେଖିଥାନ୍ତି । ଜନସନଙ୍କ ଜୀବନଚର୍ଯ୍ୟାରେ ଏକ ବିଡ଼ମ୍ୱନା ସମାଲୋଚକମାନେ ସୋସିଆଲ ମିଡ଼ିଆରେ ଚର୍ଚ୍ଚା କରିଥାନ୍ତି । ମୃତ୍ୟୁ-ରହିତ ଜୀବନ ପ୍ରାପ୍ତି ଉଦ୍ଦେଶ୍ୟରେ ବିପୁଳ ଅର୍ଥବ୍ୟୟ, ଶୃଙ୍ଖଳିତ ଖାଦ୍ୟପେୟ, କଠିନ ବ୍ୟାୟାମ, ନିଦ୍ରା ନିୟନ୍ତ୍ରଣ ଓ ବିଭିନ୍ନ ରସାୟନ ସେବନରେ ଅଭ୍ୟସ୍ତ ଜନସନ ସାଧାରଣ ସଡ଼କ ଦୁର୍ଘଟଣାରେ ପ୍ରାଣତ୍ୟାଗ କରିପାରନ୍ତି । ‘ଟାଇମ’ ପତ୍ରିକାର ସାମ୍ୱାଦିକ ଲକ୍ଷ୍ୟ କରିଥିଲେ ଜନସନ ମଟରଗାଡ଼ି ଚଳାଇବା ଆଗରୁ ଡ୍ରାଇଭିଂ ଏକ ବିପଦପୂର୍ଣ୍ଣ କାର୍ଯ୍ୟ ବୋଲି ବାରମ୍ୱାର ସ୍ମରଣ କରିଥାନ୍ତି । ଯତ୍ନ ସହକାରେ ପ୍ରତିପାଳିତ ଜୀବନ ସଡ଼କ ଦୁର୍ଘଟଣାରେ ଆକସ୍ମିକ ମୃତ୍ୟୁର କାରଣ ପାଲଟି ପାରେ, ତାହାହିଁ ବିଡ଼ମ୍ୱନା ! 

 ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ନଭେମ୍ୱର ୨୦୨୩ 

--- 

ଭିଡ଼ିଓ :

 

ବ୍ରେୟାନ ଜନସନଙ୍କ ଜୀବନଶୈଳୀ ସଂପର୍କରେ ପରିଚ଼ିତ ହେବା ନିମନ୍ତେ ୟୁଟ୍ୟୁବ ଭିଡ଼ିଓ :

 

Watch “Inside My Anti-Aging Home” on YouTube (27.40 mts)

 

https://youtu.be/58rZylfxnjE?si=vv089MjQcJHzgrZ-

 

ତଥ୍ୟ:

 

Angeles, Charlotte Alter. The man who thinks he can live forever. TIME, September 20, 2023

 

https://time.com/6315607/bryan-johnsons-quest-for-immortality/?src=longreads&utm_medium=email

 

Snape, Joel. ‘My ultimate goal ? Don’t Die’ : Bryan Johnson on his controversial plan to live for ever. The Guardian. September 14, 2023

 

https://www.theguardian.com/society/2023/sep/14/my-ultimate-goal-dont-die-bryan-johnson-on-his-controversial-plan-to-live-for-ever

ବୟସର ତୃତୀୟ ସୋପାନ

ବିକଶିତ ରାଷ୍ଟ୍ରଗୁଡ଼ିକରେ ବରିଷ୍ଠ ନାଗରିକଙ୍କ ଅବସରପର ଚଳଚଞ୍ଚଳ ଜୀବନ ଶୈଳୀକୁ ବ୍ରିଟିଶ ବାର୍ଦ୍ଧକ୍ୟ ତତ୍ତ୍ୱବିତ ପିଟର ଲସଲେଟ ବୟସର ତୃତୀୟ ସୋପାନ ଅଭିହିତି କରିଥିଲେ । ଲସଲେଟଙ୍କଜୀବନର ଶେଷ ପର୍ଯ୍ୟାୟରେ କେମ୍ୱ୍ରିଜବିଶ୍ୱବିଦ୍ୟାଳୟରେ ୧୭ ବର୍ଷଇତିହାସ ଅଧ୍ୟାପନା କାଳରେ ବାର୍ଦ୍ଧକ୍ୟ ଗବେଷଣାରେ କଟିଥିଲା। ସେ ୨୦୦୧ରେ ୮୫ ବର୍ଷରେ ପରଲୋକ ଗମନ କରିବା ଦୁଇବର୍ଷ ପୂର୍ବରୁ ଅଧ୍ୟାପନା ଓ ଗବେଷଣାରୁ ଅବସର ନେଇଥିଲେ ଏବଂ ତାଙ୍କରି ତତ୍ତ୍ୱାବଧାନରେ ୧୯୮୨ରେ କେମ୍ୱିଜରେ‘ୱୁନିଭରସିଟି ଅଫ ଥାର୍ଡଏଜ’କାର୍ଯ୍ୟାରମ୍ଭ କରିଥିଲା ।

 

ଥାର୍ଡଏଜୟୁନିଭରସିଟିତତ୍ତ୍ୱ ଫ୍ରାନସରଟ୍ୱୋଲୋଜବିଶ୍ୱବିଦ୍ୟାଳୟରେ ୧୯୭୩ରେ ବିକଶିତ ହୋଇଥିଲା । ଏହି ପାଠ୍ୟକ୍ରମରେ ୫୫ ବର୍ଷୋତ୍ତର ଆସନ୍ନ ବାର୍ଦ୍ଧକ୍ୟ ତଥା ବାର୍ଦ୍ଧକ୍ୟଗ୍ରସ୍ତ ଆଗ୍ରହୀ ବ୍ୟକ୍ତିବିଶେଷଙ୍କୁ ଏକତ୍ରୀତ କରାଯାଇ ବିଭିନ୍ନ ବିଷୟରେ ଅଧ୍ୟୟନର ସୁଯୋଗ ସୃଷ୍ଟି କରାଯାଏ । ଅନୁବନ୍ଧିତ ବିଶ୍ୱବିଦ୍ୟାଳୟରେ ଉପଲବ୍ଧ ଅଧ୍ୟାପକ, ଗ୍ରନ୍ଥାଗାର ଓ ପ୍ରୟୋଗଶାଳା ଇତ୍ୟାଦିର ଉପଯୋଗରେ ଉତ୍କୃଷ୍ଟମାନର ପାଠ୍ୟକ୍ରମ ପ୍ରଯୋଜନାରେ ସହାୟକ ହୁଏ । ସମୟକ୍ରମେ ୟୁରୋପର ଅନ୍ୟାନ୍ୟ ରାଷ୍ଟ୍ର ସମେତ ବ୍ରିଟେନ, ଅଷ୍ଟ୍ରେଲିଆ ଓ କାନାଡ଼ାରେଏଭଳି ଶିକ୍ଷା ବ୍ୟବସ୍ଥା ପରିବ୍ୟାପ୍ତ ହୋଇପାରିଛି । ଟ୍ୱୋଲୋଜବିଶ୍ୱବିଦ୍ୟାଳୟ ୟୁରୋପର ଅନ୍ୟତମ ପ୍ରାଚୀନ ଶିକ୍ଷାନୁଷ୍ଠାନ । ଏହା ୧୨୨୯ରେ ସ୍ଥାପିତ ହୋଇଥିଲା ।ପ୍ରାୟ ଚଉଦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଟ୍ୱୋଲୋଜଫ୍ରାନ୍ସର ଚତୁର୍ଥ ବିଶିଷ୍ଟନଗରୀ ।

 

ଲସଲେଟ ୧୯୮୭ରେ ପ୍ରକାଶିତ ନିଜ ଗବେଷଣା ନିବନ୍ଧରେ ଆଧୁନିକ ମନୁଷ୍ୟର ଜୀବନ ଚାରିଗୋଟି ସୋପାନ ଦେଇ ଗତି କରୁଥିବା ଦର୍ଶାଇଥିଲେ । ପ୍ରଥମ ସୋପାନ ଜନ୍ମଠାରୁ କର୍ମ ନିଯୁକ୍ତି ଯାଏଁ ପରିବ୍ୟାପ୍ତ । ଏହି ସମୟସୀମାରେ ଶୈଶବ, କିଶୋର ଓ ଯୁବାବସ୍ଥା ବିତିଥାଏ । ନିର୍ଭରଶୀଳ ଜୀବନଯାତ୍ରାରେ ମନୁଷ୍ୟ ସାମାଜିକ ସଂପର୍କ ସ୍ଥାପନ ସାଙ୍ଗକୁ ଶିକ୍ଷା ଗ୍ରହଣ କରେ । ଫଳରେ ଅପରିପକ୍ୱ ମାନସିକତା କ୍ରମଶଃ ପରିପକ୍ୱତା ଆଡକୁ ଅଗ୍ରସର ହୁଏ ।

 

ଦ୍ୱିତୀୟ ସୋପାନ କର୍ମମୟ ଜୀବନ-ଜଞ୍ଜାଳରେ ଆବଦ୍ଧ । ଶିକ୍ଷାଦୀକ୍ଷା ଶେଷରେ ଆତ୍ମନିଯୁକ୍ତି କିମ୍ୱା କର୍ମନିଯୁକ୍ତିରେ ରୋଜଗାର କରି ପରିବାର ଚଳାଇବାକୁ ପଡ଼େ। ସ୍ଵାଧୀନ ଜୀବନଯାତ୍ରାରେ ପାରିବାରିକ ଓ ସାମାଜିକ ଦାୟିତ୍ୱ ସମାହିତ ହୁଏ ।

 

ବୟସର ତୃତୀୟ ସୋପାନ କର୍ମକ୍ଷେତ୍ରରୁ ଅବ୍ୟାହତି ନେବା ପରେ ଅବସର ଜୀବନଯାପନକୁ ବୁଝାଇଥାଏ । ସୁସ୍ଥ ଶାରିରୀକ ଓ ମାନସିକ ସ୍ଥିତିରେ ଏହି ସମୟସୀମାରେ ବିକଶିତ ରାଷ୍ଟ୍ରର ବରିଷ୍ଠ ନାଗରିକମାନେ ରୁଚି ଅନୁଯାୟୀ କର୍ମଠ ରହି ସମୟ ବିତାଇଥାନ୍ତି । ଶେଷରେ ରୋଗାକ୍ରାନ୍ତ ହୋଇ ନିର୍ଭରଶୀଳ ଗୃହାବଦ୍ଧ ବା ଶଯ୍ୟାଶାୟୀ ଜୀବନ ଯାପନ କରି ମୃତ୍ୟୁକୁ ସମ୍ନା କରିବା ଚତୁର୍ଥ ସୋପାନ ରୂପେ ଚିହ୍ନଟ ହୋଇଥାଏ ।

 

ଲେସଲେଟଙ୍କବିଚାରରେ ମନୁଷ୍ୟ ବ୍ୟକ୍ତିଗତ ରୁଚି, ଦୃଷ୍ଟିକୋଣ ଓ ଅଗ୍ରାଧିକାର ଅନୁଯାୟୀ ଏହି ଚାରିଗୋଟି ସୋପାନର ବୟସଗତ ସୀମା ନିର୍ଦ୍ଧାରଣ କରେ । ପାରିପାର୍ଶ୍ୱିକ ପରିବେଶ ପାରିବାରିକ ଶାରିରୀକ ସ୍ଥିତି ଦ୍ୱାରା ବ୍ୟକ୍ତିଗତ ନିଷ୍ପତ୍ତି ପ୍ରଭାବିତ ହେଉଥିଲେହେଁ ମନୁଷ୍ୟର ଆଗ୍ରହ ସର୍ବାଧିକ ଗୁରୁତ୍ୱ ବହନ କରିଥାଏ । ଉଦାହରଣରେ ବୟସର ପ୍ରଥମ ସୋପାନରେ ଶିକ୍ଷାଦୀକ୍ଷା ଶେଷକରି କିଏ କେବେ ଦ୍ୱିତୀୟ ସୋପାନରେ ପାଦ ଥୋଇବ ତାହା ବ୍ୟକ୍ତିଗତ ନିଷ୍ପତ୍ତି । ପାରିବାରିକ ଆର୍ଥିକ ପ୍ରାଚୁର୍ଯ୍ୟ ସତ୍ତ୍ୱେକେତେକ ବିଦ୍ୟାଳୟ ଶିକ୍ଷା ଶେଷ କରିପାରୁନଥିବା ସ୍ଥଳେ ଦାରିଦ୍ର୍ୟ ଜର୍ଜରିତ ପରିବାରର ସନ୍ତାନମାନେ ଦୀର୍ଘକାଳ ବିଶ୍ୱବିଦ୍ୟାଳୟପ୍ରାଙ୍ଗଣରେ ବିତାଇବା ସଂଭବପର ହୋଇପାରିଥାଏ । ପାରିବାରିକ ତଥା ପାରିପାର୍ଶ୍ୱିକ ଚାପ ଜଣକୁ ଅଧ୍ୟୟନରେ ମନୋନିବେଶ କରିବା ନିମନ୍ତେ ବାରଣ କରିପାରେ ନାହିଁ ।

 

ସେହିପରି ପ୍ରଥମ ସୋପାନରୁ ଉନ୍ନୀତ ଦ୍ୱିତୀୟ ସୋପାନରେ କର୍ମମୟ ଜୀବନ ଅତିବାହିତ କରୁଥିବା ଅବସ୍ଥାରେ କେତେକ ଅଧିକ ଶିକ୍ଷାଗତ ଯୋଗ୍ୟତା ହାସଲ ନିମନ୍ତେ ଦୂରଶିକ୍ଷାଭଳି ସୁବିଧା ସୁଯୋଗ ଗ୍ରହଣ କରିଥାନ୍ତି । ତୃତୀୟ ସୋପାନରେ ଅବସର ଜୀବନରେ ଶିକ୍ଷାର୍ଜନ ପାଇଁ କେତେକ ଆନୁଷ୍ଠାନିକ ଓ ଅଣଆନୁଷ୍ଠାନିକଶିକ୍ଷାନୁଷ୍ଠାନଗୁଡ଼ିକରେଭର୍ତ୍ତି ହୋଇଥାନ୍ତି । ଇଣ୍ଟରନେଟର ପରିବ୍ୟାପ୍ତି ଅଧ୍ୟୟନ, ଗବେଷଣା ଓ କର୍ମନିଯୁକ୍ତିରେ ଭୌଗଳିକ ଓ ସମୟସୀମାପାର ସଂସ୍କୃତି ଗଢ଼ିତୋଳୁଥିବାସ୍ଥଳେ ବିଭିନ୍ନ କ୍ଷେତ୍ରରେ ବୟସର ତାରତମ୍ୟ କ୍ରମଶଃ ଲୋପପାଇ ଆସୁଛି । ତେବେ ପ୍ରତ୍ୟେକ ପଦକ୍ଷେପ ବ୍ୟକ୍ତିଗତ ଆଗ୍ରହ ଉପରେ ନିର୍ଭରଶୀଳ ।

 

ଅଷ୍ଟାଦଶ ଶତାଦ୍ଦୀର ମଧ୍ୟଭାଗରେ ୧୭୪୫ ଜନ୍ମିତ ଜାପାନର ତାଡ଼ାତାକାଇନୋଙ୍କ ଜୀବନୀ ଅବସର ଜୀବନରେ ସାର୍ବଜନୀନ ହିତକଳ୍ପେଉତ୍ସର୍ଗୀକୃତ କର୍ମନିଯୁକ୍ତିର ସଫଳ ଉଦାହରଣ । ଇନୋ ଜାପାନର ପ୍ରଥମ ମାନଚିତ୍ର ପ୍ରସ୍ତୁତ କରିବା ଗୌରବର ଅଧିକାରୀ । ଇନୋ ବିବାହ ପରେ ନିଜ ଶ୍ଵଶୁରାଳୟରେ ବ୍ୟବସାୟ ପରିଚାଳନା କରି ପ୍ରଭୂତ ସମ୍ପତ୍ତି ଅର୍ଜନ କରି ୫୦ ବର୍ଷ ବୟସରେ ଅବସର ଘୋଷଣା କରିଥିଲେ । ପରବର୍ତ୍ତୀ ଜୀବନରେ ନିଜ ଠାରୁ ୧୯ ବର୍ଷ ଛୋଟ ଜଣେ ଶିକ୍ଷକଙ୍କଠାରୁ ମାନଚ଼ିତ୍ର ଅଙ୍କନ ପଦ୍ଧତି ଶିକ୍ଷା ଲାଭ କରି ସମଗ୍ର ଜାପାନ ଘୁରିବୁଲିଉପକୂଳର ମାନଚିତ୍ର ପ୍ରସ୍ତୁତିରେ ଲାଗି ପଡ଼ିଥିଲେ । ସେ ୭୪ ବର୍ଷ ବୟସରେ ୧୮୧୮ରେ ପରଲୋକ ଗମନ କରିଥିଲେ ।

 

ଇନୋଙ୍କ ସମୟରେ ଜାପାନବାସୀଙ୍କହାରାହାରି ଜୀବଦ୍ଦଶା ୪୫ ବର୍ଷ ଥିଲା ଏବଂ ବର୍ତ୍ତମାନ ୮୦ ବର୍ଷରେ ପହଞ୍ଚିଛି । ଆଧୁନିକ ପରିବେଶକୁ ବିଚାରକୁ ନେଲେ ସେ ସାଧାରଣ ଜୀବଦ୍ଦଶାର ୫ ବର୍ଷ ପରେ ଅର୍ଥାତ ୮୫ ବର୍ଷ ବୟସରେ ବ୍ୟବସାୟରୁ ଅବ୍ୟାହତି ନେଇ ମାନଚିତ୍ର ଅଙ୍କନ ଶିକ୍ଷାର୍ଜନ କରି ପରବର୍ତ୍ତୀ ୧୭ ବର୍ଷ ଅର୍ଥାତ ୧୦୨ ବର୍ଷ ଯାଏଁ କର୍ମ ନିଯୁକ୍ତ ରହିଥିଲେ ।

 

ଇନୋଙ୍କ ଜୀବନୀର କେତେକ ଗୁରୁତ୍ୱପୂର୍ଣ୍ଣ ଦିଗ ବିଚାର୍ଯ୍ୟ । ପ୍ରଥମତଃ, ଜୀବନବ୍ୟାପୀ ବ୍ୟବସାୟ ବାଣିଜ୍ୟରେ ଲିପ୍ତ ରହିବା ତଥା ସେଥିରେ ଉତ୍କର୍ଷତା ଲାଭ କରିବା ସତ୍ତ୍ୱେ ପରିଣତ ବୟସରେ ମାନଚିତ୍ର ଅଙ୍କନ ଭଳି ଏକ ବୈଷୟିକ କଳାକୌଶଳ ସଂପର୍କରେ ତାଲିମ ଗ୍ରହଣ ତଥା ଉପଯୋଗରେ ସମୟ ଅତିବାହିତ କଲେ । ଦ୍ଵିତୀୟତଃ, ଦୀର୍ଘ ୫୦ ବର୍ଷ ଧରି ମୋଟାମୋଟିଭାବେ ଗୃହାବଦ୍ଧ ଗୃହସ୍ଥ ଜୀବନ ଯାପନପରେ ଅବଶିଷ୍ଟ ଜୀବନ ପରିବ୍ରାଜକଭାବେ ପରିବାରଠାରୁ ଦୂରେଇଯାଇ ସମୁଦ୍ର ସୈକତରେ ପ୍ରକୃତି କୋଳରେ ନିଜକୁ ସମର୍ପି ଦେଇଥିଲେ ।

 

ତୃତୀୟତଃ, ମାନଚିତ୍ର ଅଙ୍କନରେମନୋନିବେଶରୁ କେହି କେବେ ପ୍ରତ୍ତିପତ୍ତି ଆଶା କରିପାରେନା କିମ୍ୱା ଏଭଳି କାର୍ଯ୍ୟରେ କିଛି ତ୍ୱରିତ ସାମାଜିକ ସ୍ୱୀକୃତିରଆଶା ନଥାଏ । ଜଣେ ବ୍ୟବସାୟୀ ଭାବେ ଦୈନନ୍ଦିନ ପ୍ରତି ମୂହୁର୍ତ୍ତରେଲାଭକ୍ଷତିର ହିସାବରେ ସଂପୃକ୍ତ ଥିବା ସ୍ଥଳେ ପରବର୍ତ୍ତୀ ଜୀବନରେ ଦୀର୍ଘକାଳୀନ ଲକ୍ଷ୍ୟଧାର୍ଯ୍ୟ କରି ସାର୍ବଜନୀନ କାର୍ଯ୍ୟରେ ସଂପୃକ୍ତ ରହିପାରିଲେ । ଚତୁର୍ଥତଃ, ମାନଚିତ୍ର ଅଙ୍କନ ଯୋଜନା ଆୟୋଜନ ପାଇଁ ସେ କୌଣସି ବାହ୍ୟ ସୂତ୍ର ଉପରେ ନିର୍ଭରଶୀଳ ନ ହୋଇ ନିଜ ସଞ୍ଚିତ ଅର୍ଥ ବିନିଯୋଗ କରିବାରେ ସମର୍ଥ ହୋଇଥିଲେ । ପଞ୍ଚମତଃ, ୭୪ ବର୍ଷରେ ମୃତ୍ୟୁପୂର୍ବ ଦୁଇ ବର୍ଷ ଅର୍ଥାତ ୭୨ ବର୍ଷ ଯାଏଁ କର୍ମ ତତ୍ପର ରହିପାରିଥିଲେ ।

 

ବରିଷ୍ଠ ନାଗରିକମାନଙ୍କ ସ୍ୱାସ୍ଥ୍ୟବସ୍ଥା, ରୁଚି ଓ ଆର୍ଥିକ ସ୍ୱଚ୍ଛଳତା ଅର୍ଥପୂର୍ଣ୍ଣ ଅବସର ଜୀବନଯାପନରେ ସହାୟକ ହେଉଥିବା ଇନୋଙ୍କ ଜୀବନଯାତ୍ରା ପ୍ରମାଣିତ କରେ । ସ୍ୱାସ୍ଥ୍ୟାବସ୍ଥାରେ ସନ୍ତୁଳନ ସ୍ୱାସ୍ଥ୍ୟକର ଜୀବନଚର୍ଯ୍ୟା ତଥା ଆର୍ଥିକ ସ୍ୱଚ୍ଛଳତା ଜୀବନବ୍ୟାପୀ ଯତ୍ନ ଆବଶ୍ୟକ କରିଥାଏ । ଅପରପକ୍ଷେ ରୁଚି ପରିମାର୍ଜିତ କରିବା ନିମନ୍ତେ ଶିକ୍ଷା ଓ ତାଲିମ ଗ୍ରହଣ ଆବଶ୍ୟକ କରେ । ଇନୋ ମାନଚିତ୍ର ଅଙ୍କନ ନିମନ୍ତେ କେତେକ ସହକର୍ମୀଙ୍କୁ ସାଥିରେ ନେଇ ଗସ୍ତକରୁଥିଲେ । ଜୀବନର ଶେଷ ୧୭ ବର୍ଷ ସେ ଏକରକମ ଗୋଷ୍ଠୀବଦ୍ଧ ଜୀବନଯାପନ କରୁଥିଲେବୋଲି କହିବାକୁ ହେବ । ବାର୍ଦ୍ଧକ୍ୟରେ ସୁଦ୍ଧା କାର୍ଯ୍ୟ ସାଧନ ନିମନ୍ତେ ଅପରର ସହଯୋଗ ଗ୍ରହଣ ସଫଳତାର ଅନ୍ୟତମ ଉପାଦାନ ।

 

ଲେସଲେଟଙ୍କଉପପାଦ୍ୟରେ ବିକଶିତ ଓ ବିକାଶଶୀଳ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ବାର୍ଦ୍ଧକ୍ୟ ଜୀବନଚର୍ଯ୍ୟାରେ ଗଭୀର ପ୍ରଭେଦ ସୁସ୍ପଷ୍ଟ । ବୟସର ପ୍ରଥମ ସୋପାନ କିଶୋର ଓ ଯୌବନରେ ଶିକ୍ଷାର୍ଜନ ସମୟ ସୀମା ବିକଶିତ ରାଷ୍ଟ୍ରଗୁଡ଼ିକରେ ଦୀର୍ଘ ହେଉଥିବା ସ୍ଥଳେ ବିକାଶଶୀଳ ରାଷ୍ଟ୍ରଗୁଡ଼ିକରେ ଅପେକ୍ଷାକୃତ କମ । ଦୀର୍ଘକାଳୀନ ଉତ୍ତମ ଶିକ୍ଷାର ବାତାବରଣ ଦ୍ୱିତୀୟ ସୋପାନରେ ରୋଜଗାର ବୃଦ୍ଧି ତଥା ତୃତୀୟ ସୋପାନରେ ସକାରାତ୍ମକ ଅବସର ଜୀବନ ଓ ଚତୁର୍ଥ ସୋପାନରେ ସହାୟତାଯୁକ୍ତ ଜୀବନଯାପନରେ ପର୍ଯ୍ୟବସିତ । ସେହିପରି ଶିକ୍ଷାର ଅଭାବ, ବାର୍ଦ୍ଧକ୍ୟରେ ଅର୍ଥାଭାବ ଅବହେଳିତ ଶେଷ ଜୀବନର କାରଣ ପାଲଟିଥାଏ ।

 

ବୟସର ଚାରିଗୋଟି ସୋପାନ ମଧ୍ୟରେ ଦ୍ୱିତୀୟ ସୋପାନ ଅପେକ୍ଷାକୃତ ଭାବେ ଦୀର୍ଘ । ଏହାର ସମୟସୀମା ଶିକ୍ଷା ଗ୍ରହଣ ପରେ କର୍ମ ନିଯୁକ୍ତିଠାରୁ ଅବସର ଗ୍ରହଣ ଯାଏଁ ପରିବ୍ୟାପ୍ତ । ଏକ ପକ୍ଷରେ ଦ୍ୱିତୀୟ ସୋପାନରେ ପ୍ରଥମ ସୋପାନ ତୁଳନାରେ ରୋଜଗାର ଦ୍ୱାରା ପ୍ରଥମ ସୋପାନର ପାରିବାରିକ ନିର୍ଭରଶୀଳ ଜୀବନ ପରିସମାପ୍ତି ଘଟିଥାଏ । ତେବେ ସ୍ଥଳବିଶେଷରେ କର୍ମକ୍ଷେତ୍ରରେ କାର୍ଯ୍ୟଭାର ତଥା ବୃତ୍ତିଗତ ଦାୟିତ୍ୱବୋଧମାନସିକ ସ୍ୱାଧୀନତାରପରିପନ୍ଥୀପ୍ରମାଣିତ ହୋଇଥାଏ । ବିକଶିତ ରାଷ୍ଟ୍ରଗୁଡ଼ିକରେ ସଂଖ୍ୟାଧିକ ଜନସାଧାରଣ ବୃତ୍ତିଗତ ଜୀବନରେ ଅସନ୍ତୋଷ ପ୍ରକାଶ୍ୟରେସ୍ୱୀକାର କରିଥାନ୍ତି । ବୟସର ତୃତୀୟ ସୋପାନରେ ଆର୍ଥିକ ଚିନ୍ତା-ରହିତ ରୁଚି ଓ ଆଗ୍ରହମତେ କର୍ମ ସଂପୃକ୍ତିର ପରିବେଶ ସୃଷ୍ଟି ସମ୍ଭବପର । ବିକଶିତ ରାଷ୍ଟ୍ରଗୁଡ଼ିକରେ ବର୍ଦ୍ଧିତ ଜୀବଦ୍ଦଶା, ଉନ୍ନତ ସ୍ୱାସ୍ଥ୍ୟବସ୍ଥା, ଆର୍ଥିକ ସ୍ୱଚ୍ଛଳତା ଓ ପାରିପାର୍ଶ୍ୱିକ ସୁବିଧା ସୁଯୋଗ ହେତୁ ଅପେକ୍ଷାକୃତ ଅଧିକ ସଂଖ୍ୟକ ବରିଷ୍ଠ ନାଗରିକ ବୟସର ତୃତୀୟ ସୋପାନରେ ଅର୍ଥପୂର୍ଣ୍ଣଜୀବନଯାପନରେ ସମର୍ଥ ହୋଇଥାନ୍ତି ।

 

ବିକଶିତ ରାଷ୍ଟ୍ରଗୁଡ଼ିକରେ ତୁଳନାତ୍ମକଭାବେ ଶାନ୍ତ ପରିବେଶ, ବୈଷୟିକ ପ୍ରଗତି ଓ ଚିକିତ୍ସା ବିଜ୍ଞାନରେ ଉନ୍ନତିର ସୁବିଧା ସୁଯୋଗ ଗ୍ରହଣରେ ଜନସାଧାରଣ ଜୀବନରେ ଦୀର୍ଘକାଳ ତାରୁଣ୍ୟର ବନ୍ଧନୀବଦ୍ଧ ହେବା ନିମନ୍ତେ ଯତ୍ନବାନ ହେଉଥିବା ଦେଖିବାକୁ ମିଳେ ।ସାଧାରଣ ଜୀବନରେ ଯୌବନର ଆଭା ୨୦ ରୁ ୩୦ ବର୍ଷ ବୟସ ମଧ୍ୟରେ ପ୍ରାକୃତିକ ଭାବେ ଉଭେଇ ଯାଉଥିବା ସ୍ଥଳେ ୩୦ ରୁ ୬୦ ଯାଏଁ ୩୦ ବର୍ଷ କିମ୍ୱା ୩୦ ରୁ ୯୦ ଯାଏଁ ୬୦ ବର୍ଷ ବ୍ୟାପୀ ଯୁବସୁଲଭଶାରିରୀକ ପରିପାଟୀ ପ୍ରସ୍ତୁତି ଲାଗି ଯତ୍ନବାନ ହେବା ଚଳନ୍ତି ପ୍ରବାହରେ ପରିଣତ ହୋଇଛି । ଆନ୍ତର୍ଜାତିକସ୍ତରରେ ହାରାହାରି ଜୀବଦ୍ଦଶା ୮୦ ବର୍ଷ ଯାଏଁ ପରିବ୍ୟାପ୍ତି ହୋଇଥିବା ସ୍ଥଳେ ଶାରିରୀକ ଓ ମାନସିକ ସ୍ୱାସ୍ଥ୍ୟ ରକ୍ଷା ବୟସର ତୃତୀୟ ସୋପାନର ମୁଖ୍ୟ ଉପାଦାନ । ଏଥି ସହ କର୍ମ ସଂପୃକ୍ତି ଓ ସକାରାତ୍ମକ ମନୋଭାବ ଗୁରୁତ୍ୱ ବହନ କରିଥାଏ । ଆର୍ଥିକ ସ୍ୱଚ୍ଛଳତା ଓ ଜୀବନ ଉପଭୋଗ ନିମନ୍ତେ ଦୃଷ୍ଟିଭଙ୍ଗୀ ଅର୍ଥପୂର୍ଣ୍ଣ ଜୀବନଚର୍ଯ୍ୟାରେ ସହାୟକ ହୋଇଥାଏ । ଏସବୁ କ୍ଷେତ୍ରରେ ମଧ୍ୟ ବିକଶିତ ଓ ବିକାଶଶୀଳ ରାଷ୍ଟ୍ର ମଧ୍ୟରେ ବ୍ୟାପକ ପ୍ରଭେଦ ଲକ୍ଷ୍ୟ କରାଯାଏ ।

 

ବାର୍ଦ୍ଧକ୍ୟରେ ନିର୍ଭରଶୀଳ ଜୀବନଯାତ୍ରା ବୟସର ଚତୁର୍ଥ ସୋପାନ ଅନ୍ତର୍ଭୁକ୍ତ । ଜାପାନ ଭଳି ସର୍ବାଧିକ ହାରାହାରି ଜୀବଦ୍ଦଶା ସମ୍ପନ୍ନ ରାଷ୍ଟ୍ରରେ ସ୍ୱାସ୍ଥ୍ୟଗତ ଓ ମାନସିକସ୍ତରରେସୁସ୍ଥତା ଅନେକଙ୍କୁ ଦୀର୍ଘକାଳ ସ୍ୱାଧୀନ ଜୀବନଚର୍ଯ୍ୟାର ସୁଯୋଗ ସୃଷ୍ଟି କରୁଥିବା ସ୍ଥଳେ ମୃତ୍ୟୁପୂର୍ବ ଦୁଇବର୍ଷ ନିର୍ଭରଶୀଳ ଜୀବନ ଅତିବାହିତ କରିବା ନିମନ୍ତେ ବରିଷ୍ଠ ନାଗରିକମାନେ ମାନସିକସ୍ତରରେ ପ୍ରସ୍ତୁତି ପ୍ରଚଳିତ ଧାରା । ତେବେ କର୍କଟ, ମତିଭ୍ରମ, ଆଲଜିମିରସ, ଅଷ୍ଟପୋରିସେସ ଭଳି ଦୂରାରୋଗରେ ପୀଡ଼ିତ ସଅଳ ଚତୁର୍ଥ ସୋପାନରେ ଅନ୍ତର୍ଭୁକ୍ତ ହୋଇପଡନ୍ତି । ବାର୍ଦ୍ଧକ୍ୟରେ ବୟସର ତୃତୀୟ ଓ ଚତୁର୍ଥ ସୋପାନ ଆୟୁ ପରିବର୍ତ୍ତେ ସ୍ୱାସ୍ଥ୍ୟଗତ ଓ ମାନସିକ ସ୍ଥିତି ଉପରେ ନିର୍ଭରଶୀଳ । ସାଧାରଣ କାର୍ଯ୍ୟ ସଂପୃକ୍ତିରୁ କ୍ଷାନ୍ତ ରହିବା, ଦୈନନ୍ଦିନ ଜୀବନଯାତ୍ରା ନିମନ୍ତେ ନିର୍ଭରଶୀଳତା ଓ ଆର୍ଥିକ ପରିଚାଳନାରେ ଅକ୍ଷମତା ଚତୁର୍ଥ ସୋପାନର ଅନ୍ୟାନ୍ୟ ଦୁରାବସ୍ଥା ।

 

ଲେସଲେଟଙ୍କ ଉପପାଦ୍ୟରେ ବର୍ଣ୍ଣିତ ବିକଶିତ ଓ ବିକାଶଶୀଳ ରାଷ୍ଟ୍ରର ଜନସାଧାରଣଙ୍କ ଜୀବନଯାତ୍ରାର ବୟସର ଚାରିଗୋଟି ସୋପାନର ଲକ୍ଷଣ ଭାରତ ତଥା ଆମ ଓଡ଼ିଶାରେ ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳ ପରିବାରବର୍ଗଙ୍କ ମଧ୍ୟରେ ପ୍ରତିଫଳିତ । ଯୁକ୍ତରାଷ୍ଟ୍ର ଆମେରିକାର ଡୋନାଲ ଟ୍ରମ୍ପଙ୍କ ଭଳି ପାଶ୍ଚାତ୍ୟ ରାଷ୍ଟ୍ରମୁଖ୍ୟମାନେ ଚୀନ ଓ ଭାରତକୁ ବିଶ୍ୱ ବାଣିଜ୍ୟ ସଂଗଠନ ପରିସରରେ ବିକାଶଶୀଳ ରାଷ୍ଟ୍ର ରୂପେ ପରିଗଣିତ କରିବା ଭ୍ରମାନ୍ତକ ବୋଲି ମତ ପ୍ରକାଶ କରିଥିଲେ । ଏହି ଦୃଷ୍ଟିରୁ ନିକଟ ଭବିଷ୍ୟତରେ ଭାରତ ବିକଶିତ ରାଷ୍ଟ୍ରରୂପେପରିଗଣିତ ହେବା ସୁନିଶ୍ଚିତ । ଅତଏବ ବିକଶିତ ରାଷ୍ଟ୍ରଗୁଡ଼ିକରେ ବାର୍ଦ୍ଧକ୍ୟ ଜୀବନଚର୍ଯ୍ୟା ନିମନ୍ତେ ପ୍ରଣୀତ ଧାରା ଆମ ଦେଶରେ ମଧ୍ୟ ଉପଯୋଗର ସମୟ ଉପନୀତ ହେଲାଣି ବୋଲି ଧରିନେବାକୁ ହେବ । 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ସେପ୍ଟେମ୍ୱର ୨୦୧୯


---

ତଥ୍ୟ:

ପଥ୍ୟରେ ଦୀର୍ଘଜୀବନ

ଏକବିଂଶ ଶତାଦ୍ଦୀରେ ସ୍ୱାସ୍ଥ୍ୟସେବା ଓ ଅନୁସାଙ୍ଗିକ ସୁବିଧା ସୁଯୋଗ ଉପଯୋଗରେ ମନୁଷ୍ୟର ଜୀବଦ୍ଦଶା ୧୨୦ ବର୍ଷ ଯାଏଁ ବୃଦ୍ଧି ସଂଭବପର ଯୁକ୍ତି ସପକ୍ଷରେ କେତେକ ଖ୍ୟାତନାମା ବୈଜ୍ଞାନିକ ମତ ପ୍ରକାଶ କରିଥାନ୍ତି । ଯୁକ୍ତରାଷ୍ଟ୍ର ଆମେରିକାର ଦକ୍ଷିଣ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଭାଲଟେର ଲାଙ୍ଗୋଙ୍କ ବିଚାରରେ ସନ୍ତୁଳିତ ଖାଦ୍ୟାଭ୍ୟାସ ଦୀର୍ଘ ଜୀବନରେ ସହାୟକ । ବିକ୍ଷିପ୍ତ ଗବେଷଣାଲବ୍ଧ ତଥ୍ୟ ‘ରେଣ୍ଡୋମାଇଜଡ଼ କ୍ଳିନିକାଲ ଟ୍ରାଏଲ’ରୁ ସେ ପ୍ରମାଣ ପାଇଛନ୍ତି ଯେ ବର୍ଷରେ ତିନି-ଚାରି ଥର, ସପ୍ତାହରେ ସାତ ଦିନରୁ ପାଞ୍ଚ ଦିନ ସାଧାରଣ ଖାଦ୍ୟ ଏବଂ ଦୁଇ ଦିନ ଆଂଶିକ ଉପବାସ ପଦ୍ଧତି ଉପଯୋଗ ଅଭ୍ୟାସ ସୁସ୍ଥ ଓ ଶୀଥିଳ ବାର୍ଦ୍ଧକ୍ୟରେ ପରିବର୍ତ୍ତିତ ହୋଇପାରେ । ଲାଙ୍ଗୋ ଏହାକୁ ଉପବାସ ଅନୁକରଣ ପଥ୍ୟ ‘ଫାଷ୍ଟିଂ ମିମିକିଂ ଡ଼ାଏଟ’ ନାମିତ କରିଛନ୍ତି । ଏତଦ୍ୱାରା ଷ୍ଟେମ ସେଲ କ୍ରିୟାଶୀଳ ହୋଇ ଜୀବଦ୍ଦଶା ବୃଦ୍ଧି ପାଇଁ ଉପାଦାନ ଯୋଗାଉଥିବା କୁହାଯାଏ ।

 

ଲାଙ୍ଗୋ ଜୀବ-ରସାୟନ ‘ବାୟୋକେମେଷ୍ଟ୍ରୀ’ ଛାତ୍ର । ବିଭିନ୍ନ ଅଣୁ ଜୀବ ତଥା ମୂଷାଙ୍କ ଜୀବନଚ଼କ୍ରରେ ବାର୍ଦ୍ଧକ୍ୟ ଅନୁଧ୍ୟାନରୁ ସଂଗୃହୀତ ମୌଳିକ ତତ୍ତ୍ୱାବଳୀ ମନୁଷ୍ୟଙ୍କଠାରେ କିପରି ପ୍ରତିଫଳିତ ହେଉଛି ଜାଣିବାଲାଗି ଗବେଷଣା କରିଥିଲେ । ଜୀବର ଖାଦ୍ୟାଭ୍ୟାସ ବାର୍ଦ୍ଧକ୍ୟରେ ଶରୀରର କୋଷ ବିଭାଜନରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଏବଂ ସାମୟିକ ଉପବାସ ସକାରାତ୍ମକ ପ୍ରଭାବ ପକାଉଥିବା ପ୍ରାମାଣିକ ତଥ୍ୟ ପାଇଥିଲେ । ତାଙ୍କରି ଉପଲବ୍ଧି ‘ଦି ଲଂଜିଭିଟି ଡ଼ାଏଟ’ ନାମକ ୩୨୦ ପୃଷ୍ଠା ବିଶିଷ୍ଟ ପୁସ୍ତକରେ ଲିପିବଦ୍ଧ । ଏହି ପୁସ୍ତକଟି ପେଙ୍ଗୁଇନ-ରାଣ୍ଡମ ହାଉସ ଦ୍ୱାରା ୨୦୧୮ରେ ପ୍ରକାଶିତ । ପୁସ୍ତକଟି ମୁଖ୍ୟତଃ ବାର୍ଦ୍ଧକ୍ୟଗ୍ରସ୍ତଙ୍କ ନିମନ୍ତେ ଆଦର୍ଶ ଖାଦ୍ୟାଭ୍ୟାସ ପରାମର୍ଶ ସମ୍ୱଳିତ ।

 

ଲାଙ୍ଗୋଙ୍କ ନିର୍ଦ୍ଧାରିତ ପଥ୍ୟରେ ପାରମ୍ପରିକ ଭାରତୀୟ ଖାଦ୍ୟାଭ୍ୟାସ ପ୍ରତିଫଳିତ । ପ୍ରଥମତଃ, ସେ କହୁଛନ୍ତି ଯେ ଶାକାହାର ଖାଦ୍ୟ ଓ ସାମୟିକ ଉପବାସ ଜୀବକୋଷଗୁଡ଼ିକୁ ସକ୍ରିୟ ରଖିବା ଫଳରେ ବାର୍ଦ୍ଧକ୍ୟଜନିତ ନକାରାତ୍ମକ ପ୍ରଭାବ ତଥା ରୋଗ କବଳରୁ ସାଧ୍ୟମତେ ମୁକ୍ତି ପାଇହେବ । ହିନ୍ଦୁ ବାନପ୍ରସ୍ଥ ଜୀବନରେ ଏହି ଆଚ଼ରଣ ବିଧି ଅନ୍ତର୍ଭୁକ୍ତ । ଦ୍ୱିତୀୟତଃ, ଦୈନନ୍ଦିନ ଖାଦ୍ୟଗ୍ରହଣ ସମୟ ନିର୍ଘଣ୍ଟ ୧୨ ଘଣ୍ଟା ମଧ୍ୟରେ ସୀମାବଦ୍ଧ ରହିବା ଆବଶ୍ୟକ । ଉଦାହରଣରେ ସକାଳ ଆଠରେ ପ୍ରାତଃ ଭୋଜନ ଗ୍ରହଣ କଲେ ରାତି ଆଠରେ ସୁଦ୍ଧା ରାତ୍ରୀ ଭୋଜନ ସାରିବା ଉଚ଼ିତ । ଶୋଇବା ୩ ରୁ ୪ ଘଣ୍ଟା ପୂର୍ବରୁ ଭୋଜନ କରଣୀୟ । ତୃତୀୟତଃ, ପ୍ରତ୍ୟେକେ ନିଜ ପରିବାରରେ ପୁରୁଷାନୁକ୍ରମିକ ଭାବେ ବ୍ୟବହୃତ ଖାଦ୍ୟ ପଦାର୍ଥକୁ ଆହାରରେ ପ୍ରାଧାନ୍ୟ ଦେଲେ ସୁଫଳ ମିଳିଥାଏ ।

 

‘ଦି ଲଂଜିଭିଟି ଡ଼ାଏଟ’ରେ ଶାକାହାର ଖାଦ୍ୟକୁ ଗୁରୁତ୍ୱ ଦିଆଯାଇଥାଏ । ଏତଦ୍ୱାରା ଶରୀର ଖାଦ୍ୟସାର, ଖଣିଜ ପଦାର୍ଥ, ତନ୍ତୁ ଓ ଆଣ୍ଟିଅକ୍ସିଡ଼େଣ୍ଟ ଗ୍ରହଣର ସୁଯୋଗ ପାଇବା ସାଙ୍ଗକୁ ‘ସାଚୁରେଟେଡ଼-ଫ୍ୟାଟ’ ଓ ଲବଣର କୁପ୍ରଭାବରୁ ମୁକ୍ତ ହୋଇଥାଏ । ତେଣୁ ଚ଼ତୁର୍ଥରେ ମାଂସ, ସାଚୁରେଟେଡ଼-ଫ୍ୟାଟ ଓ ଚିନି ଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦିଆଯାଇଥାଏ । ଏପରିକି ସାଚୁରେଟେଡ଼-ଫ୍ୟାଟ ସମ୍ୱଳିତ ଦୁଗ୍ଧ ଓ ଦୁଗ୍ଧଜାତୀୟ ଖାଦ୍ୟର ମାତ୍ରା କମାଇ ଦେବା ନିମନ୍ତେ ଗୁରୁତ୍ୱ ପ୍ରଦାନ କରାଯାଏ । ଗାଈ ଦୁଧ ଅପେକ୍ଷା ଛେଳି ଖିର ହିତକର ଏବଂ ଗାଈ, ମଇଁଷି ଦହି, ଛେନା ସୀମିତ ପରିମାଣରେ ଗ୍ରହଣ କରାଯାଇପାରେ । ଶାକାହାର ସହ ସପ୍ତାହରେ ଦୁଇତିନି ଥର କେତେକ ସାମୁଦ୍ରିକ ମାଛ ଖାଇବା ଦ୍ୱାରା ଶରୀରକୁ ବିଭିନ୍ନ ପୋଷକ ତତ୍ତ୍ୱ ମିଳିପାରେ ।

 

ପଞ୍ଚମତଃ, ସାମୟିକ ଉପବାସ ଶରୀରରେ ରକ୍ତଶର୍କରା ସମୀକରଣ ସୁରକ୍ଷା ସାଙ୍ଗକୁ ହୃଦରୋଗ, କର୍କଟ, ଆଲଜମିର୍ସ ଓ ମୋଟାପଣର ପ୍ରତିରୋଧ କରିଥାଏ । ଦୈନିକ ଦୁଇ ଥର ଭୋଜନ ଓ ଦୁଇ ଥର ଜଳଯୋଗ ବ୍ୟତୀତ ଅନ୍ୟ ସମୟରେ ଖାଦ୍ୟଗ୍ରହଣ ବର୍ଜନୀୟ । ଦୈନନ୍ଦିନ ୧୦ ରୁ ୧୨ ଘଣ୍ଟା ଖାଦ୍ୟଗ୍ରହଣରୁ କ୍ଷାନ୍ତ ରହିବା ସହ ୬୫ ରୁ ୭୦ ବର୍ଷ ପର୍ଯ୍ୟନ୍ତ ବ୍ୟକ୍ତିବିଶେଷ ବର୍ଷରେ ୩ ରୁ ୪ ଥର ‘ଫାଷ୍ଟିଂ ମିମିକିଂ ଡ଼ାଏଟ’ ଅନୁପାଳନ ନିମନ୍ତେ ପରାମର୍ଶ ଦିଆଯାଇଥାଏ ।

 

‘ଦି ଲଂଜିଭିଟି ଡ଼ାଏଟ’ ଓଡିଆ ଭାଷାଭାଷୀ ବାର୍ଦ୍ଧକ୍ୟଗ୍ରସ୍ତଙ୍କ ନିମନ୍ତେ ସ୍ୱାଭାବିକ ପ୍ରତୀୟମାନ ହୋଇଥାଏ । ପାରମ୍ପରିକ ଭାବେ ଆମ ଧାର୍ମିକ ରୀତିନୀତିରେ ଉପବାସ ଅଭ୍ୟାସ ପ୍ରଚଳିତ ହୋଇଆସିଥିଲା । ହୁଏତ କେତେକ କ୍ଷେତ୍ରରେ ତାହା ବିଲୁପ୍ତ ହୋଇପଡ଼ିଛି । ସେହିପରି ଅତୀତରେ ରାତିରେ ସଅଳ ଖାଇବା ଅଭ୍ୟାସ ବିଗତ ଚାରି ଦଶନ୍ଧି ଧରି ଟେଲିଭିଜନ ଓ ଇଣ୍ଟରନେଟ ପ୍ରସାର ପରେ ବ୍ୟତିକ୍ରମ ସାମନା କରିଛି । ଅବଶ୍ୟ ଅବସର ଜୀବନ ଯାପନ କରୁଥିବା ବରିଷ୍ଠ ନାଗରିକଙ୍କ ନିମନ୍ତେ ୧୨ ଘଣ୍ଟାର ସମୟସୀମାରେ ଖାଦ୍ୟଗ୍ରହଣ ସମ୍ଭବପର । ସାମୟିକ ଉପବାସର ଆବଶ୍ୟକତା ୬୫ ରୁ ୭୦ ବର୍ଷ ବୟସତ୍ତୋରଙ୍କ କ୍ଷେତ୍ରରେ ପ୍ରଜୁଜ୍ୟ ନଥାଏ । ଉପବାସ ନିମନ୍ତେ ଡ଼ାକ୍ତର ଓ ପଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ଜରୁରୀଥିବା ଉଲ୍ଲେଖ କରାଯାଇଛି ।

 

ଲାଙ୍ଗୋଙ୍କ ଅଧ୍ୟୟନ ବାର୍ଦ୍ଧକ୍ୟ ସଂପର୍କୀତ ମୌଳିକ ଗବେଷଣା, ସଂକ୍ରମଣ ଶାସ୍ତ୍ର, ଚ଼ିକିତ୍ସାଳୟ ପରୀକ୍ଷା, ଶତାୟୁ ଜୀବନଯାତ୍ରା ଓ ଅନ୍ୟାନ୍ୟ ଜଟିଳ ଅନୁଧ୍ୟାନକୁ ଭିତ୍ତିକରି ଗଢ଼ିଉଠିଛି । ବିଗତ ୨୫ ବର୍ଷ ଧରି ବରିଷ୍ଠ ନାଗରିକଙ୍କ ପଥ୍ୟ ଓ ରୋଗ ସଂପର୍କରେ ପ୍ରକାଶିତ ଗବେଷଣାତ୍ମକ ନିବନ୍ଧ ଆଧାରରେ ‘ଦି ଲଂଜିଭିଟି ଡ଼ାଏଟ’ ରଚନା କରାଯାଇଥିବା କୁହାଯାଏ । ତେବେ ଲାଙ୍ଗୋଙ୍କ ସାମୟିକ ଉପବାସ ଉପପାଦ୍ୟ ସମାଲୋଚନାର ମଧ୍ୟ ଅଭାବ ନଥାଏ ।

 

‘ୟୁରୋପିଅନ ସୋସାଇଟି ଅଫ ଏଣ୍ଡୋକ୍ରାନୋଲଜି’ର ୨୦୧୮ ବାର୍ଷିକ ଅଧିବେଶନରେ ଉପସ୍ଥାପିତ ନିବନ୍ଧରେ ଉପବାସ ଶରୀରରେ ପ୍ରତିକୂଳ ପ୍ରଭାବ ପକାଉଥିବା ଚର୍ଚ୍ଚିତ ହୋଇଥିଲା । ବ୍ରାଜିଲର ସାଓ ପାଲୋ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଉପବାସ ଦ୍ୱାରା ମଧୁମେହ ରୋଗ ସୃଷ୍ଟିର ପ୍ରମାଣ ପାଇଥିବା ଦାବୀ କରିଥିଲେ । ଏହାର ବିବରଣୀ ବ୍ରିଟେନର ‘ଦି ଗାର୍ଡ଼ିଆନ’ ଭଳି ସମ୍ୱାଦପତ୍ରରେ ପ୍ରକାଶିତ ହୋଇଥିଲା । ତେଣୁ ଲାଙ୍ଗୋଙ୍କ ପରାମର୍ଶର ଅନୁସରଣ ପରିବର୍ତ୍ତେ ବାର୍ଦ୍ଧକ୍ୟ ଜୀବନଯାତ୍ରାରେ ରୁଚି ମୁତାବକ ପରିବର୍ତ୍ତନ ପ୍ରତି ଧ୍ୟାନ ଦିଆଯିବା ସମୀଚୀନ ବୋଧ ହୁଏ ।

 

ସମସାମୟିକ ଓଡ଼ିଶାରେ ଦୀର୍ଘ ଜୀବନ ସାଧାରଣ ବିଚାରବିମର୍ଷର ପରିଧିମୁକ୍ତ ହୋଇ ବାସ୍ତବତାରେ ପରିଣତ ହେଲାଣି । ରାଜ୍ୟର ୨୦୧୧ ଜନଗଣନା ତଥ୍ୟ ଆଧାରରେ ୯,୯୦୦ ଶତାୟୁ ବସବାସ କରୁଥିବା ବ୍ୟକ୍ତିବିଶେଷଙ୍କୁ ୨୦୨୨ ଅକ୍ଟୋବର ପହିଲା ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ଅବସରରେ ଭାରତ ନିର୍ବାଚ଼ନ ଆୟୋଗ ଓଡ଼ିଶା ଶାଖା ପକ୍ଷରୁ ସମ୍ୱର୍ଦ୍ଧିତ କରିବା କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଥିଲା । ଲାଙ୍ଗୋଙ୍କ ବିଚାରରେ ମନୁଷ୍ୟ କେତେ ଦୀର୍ଘ କାଳ କେଉଁ ସ୍ୱାସ୍ଥ୍ୟାବସ୍ଥାରେ ବଞ୍ଚିବ ତାହା ଖାଦ୍ୟାଭ୍ୟାସ ଓ ଆଚ଼ରଣ ଉପରେ ନିର୍ଭରଶୀଳ ରହୁଥିବା ଗବେଷଣାରୁ ସୁସ୍ପଷ୍ଟ । ‘ଦି ଲଂଜିଭିଟି ଡ଼ାଏଟ’ର ପ୍ରଣେତା ଇଟାଲୀ ଜନ୍ମିତ ୫୪ ବର୍ଷ ବୟସ୍କ ଲାଙ୍ଗୋ ଅବିବାହିତ । ଦୈନିକ ସକାଳ ୭ରୁ ରାତି ୧୧ ଯାଏଁ ୧୬ ଘଣ୍ଟା କାର୍ଯ୍ୟବ୍ୟସ୍ତ । ସେ କହନ୍ତି ‘ଦି ଲଂଜିଭିଟି ଡ଼ାଏଟ’ ଆଧାରରେ ସେ ୧୨୦ ବର୍ଷ ବଞ୍ଚିବା ଲାଗି ଆଶାବାଦୀ ।

 

ୟୁ-ଟ୍ୟୁବ ଭିଡ଼ିଓ ଦେଖନ୍ତୁ :

 

Introduction to the Fasting Mimicking Diet / Valter Lango Interview

 

https://www.youtube.com/watch?v=w2X5Pg7sNmA


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଅକ୍ଟୋବର ୨୦୨


ତଥ୍ୟ :

 

Mantzioris, Evangeine. What’s this ‘longevity’ diet and will it really make you live longer ? The Conversation / September 21, 2022

 

https://theconversation.com/whats-this-longevity-diet-and-will-it-really-make-you-live-longer-189140?

 

Daily Longevity Diet for Adults

 

https://www.valterlongo.com/daily-longevity-diet-for-adults/

 

Fasting diets may raise risk of diabetes, researchers warn

 

https://www.theguardian.com/society/2018/may/20/fasting-diets-raise-risk-of-diabetes

ଆନନ୍ଦିତ ବାର୍ଦ୍ଧକ୍ୟ

ପାରମ୍ପରିକଭାବେ ବାର୍ଦ୍ଧକ୍ୟ ରୋଗାକ୍ରାନ୍ତ ଶରୀର, ଦୁର୍ବଳ ମାନସିକତା ଓ ଦୈନନ୍ଦିନ ଜୀବନଯାତ୍ରା ପାଇଁ ଅପରର ସାହାଜ୍ୟ ଲୋଡ଼ିଥାଏ । ତେବେ ଏକବିଂଶ ଶତାଦ୍ଦୀରେ ବିକଶିତ ରାଷ୍ଟ୍ରଗୁଡ଼ିକରେଆୟୋଜିତ ଗବେଷଣାରେ ବାର୍ଦ୍ଧକ୍ୟ ଆନନ୍ଦମୟ ବୋଲି ପ୍ରମାଣିତ ହେବାରେ ଲାଗିଛି ।

 

ଯୁକ୍ତରାଷ୍ଟ୍ର ଆମେରିକାର ଷ୍ଟାନଫୋର୍ଡ଼ବିଶ୍ୱବିଦ୍ୟାଳୟରମନସ୍ତତ୍ତ୍ୱବିତଲାଉରାକ୍ରାଷ୍ଟେନସନଦଶ ବର୍ଷଧରି ୧୮ ରୁ ୯୪ ବର୍ଷ ବୟସ୍କ ବ୍ୟକ୍ତିବିଶେଷଙ୍କ ଜୀବନଯାତ୍ରା ଅଧ୍ୟୟନ କରି ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି ଯେ ବାର୍ଦ୍ଧକ୍ୟରେ ପାଦ ଦେବା ସଙ୍ଗେ ଦୁଃଖ, ରାଗ ଓ ଭୟ ଭଳି ନକାରାତ୍ମକଭାବଗୁଡ଼ିକ ଯୌବନ ଓ ମଧ୍ୟ-ବୟସ ତୁଳନାରେ କମି ଆସିଥାଏ । ଷ୍ଟୋନିବୃକ୍ସବିଶ୍ୱବିଦ୍ୟାଳୟର ଗବେଷକମାନେ ବହୁ ସଂଖ୍ୟକ ଆମେରିକୀୟ ନାଗରିକଙ୍କ ସଂପର୍କରେ ତଥ୍ୟ ସଂଗ୍ରହ କରି କହୁଛନ୍ତି ଯେ ୫୦ ବର୍ଷୋତ୍ତର ଅବସ୍ଥାରେ ସାଧାରଣ ମନୁଷ୍ୟ ଚ଼ାପଗ୍ରସ୍ତ ଜୀବନରୁ ମୁକ୍ତି ପାଇଥାଏ । ଜଣେ ୭୦ ବର୍ଷ ବୟସ୍କଙ୍କଠାରେ ୨୦ ବର୍ଷ ବୟସ୍କଙ୍କ ତୁଳନାରେ ରୋଷର ପରିମାଣ ଯଥେଷ୍ଟ କମ । ଜର୍ମାନ ଗବେଷକଙ୍କ ମତରେ ୨୦ ବର୍ଷ ବୟସ୍କଙ୍କ ତୁଳନାରେ ୬୦ ବର୍ଷୋତ୍ତରମାନେହରାଇ ବସୁଥିବା ବିଷୟଗୁଡ଼ିକୁ ପୁଣି ଥରେ ଫେରିପାଇବା ଲାଗି ଉଦ୍ୟମ କରିନଥାନ୍ତି । ଏହି ଭଳି କାରଣଗୁଡ଼ିକୁ ଆନନ୍ଦିତ ବାର୍ଦ୍ଧକ୍ୟର ଉତ୍ସରୂପେଚ଼ିହ୍ନଟ କରାଯାଉଛି ।

 

ମାର୍କିନ ଅର୍ଥନୀତିଜ୍ଞ ଡ଼େଭିଡ଼ବ୍ଳାଞ୍ଚଫ୍ଳାୱାର ଏବଂ ଏଣ୍ଡ୍ରିଭଅସୱାଲ ୮୦ ଗୋଟି ରାଷ୍ଟ୍ରରେ ମନୁଷ୍ୟର ଜୀବନଚ଼କ୍ରରେ ଆନନ୍ଦିତ ପର୍ଯ୍ୟାୟ ସଂପର୍କରେ ତଥ୍ୟ ସଂଗ୍ରହ କରି ୫୫ ଗୋଟି ରାଷ୍ଟ୍ରର ନାଗରିକ ହାରାହାରିଭାବେ ୪୬ ବର୍ଷରେ ସର୍ବାପେକ୍ଷା ଅସୁଖୀଥିବା ହିସାବ କରିଥିଲେ । ଏହି ସିଦ୍ଧାନ୍ତରେ ଉପନୀତ ହେବା ଲାଗି ସେ ପୂର୍ବରୁ ସଂପୃକ୍ତ ବିଷୟରେ ଆୟୋଜିତ ୨୦ ଗୋଟି ଗବେଷଣାର ନିର୍ଯ୍ୟାସକୁଯୋଡ଼ିଥିଲେ ।

 

ଚ଼ିନ୍ତନ ମଞ୍ଚ ବୃକିଂସ ଇନଷ୍ଟିଟ୍ୟୁସନର ବରିଷ୍ଠ ଗବେଷକ ଜନାଥନ ରାଉତଙ୍କ ଦ୍ୱାରା ଲିଖିତ ‘ଦି ହେପିନେସ କାର୍ଭ:ହ୍ୱାଇ ଲାଇଫ ଗେଟସବେଟେର ଆଫ୍ଟର୫୦’ ୨୦୧୮ରେ ପ୍ରକାଶିତ ହୋଇଥିଲା । ‘ହେପିନେସକାର୍ଭ’କୁ ରୋମାନ ଅକ୍ଷର ‘ୟୁ’ ରୂପେ ଚ଼ିତ୍ରିତ କରି ସେ ଯୁକ୍ତି ବାଢ଼ିଛନ୍ତି ଯେ ମନୁଷ୍ୟର ଆନନ୍ଦ ୨୦ ରୁ ୩୦ ବର୍ଷ ବେଳଠୁନିମ୍ନଗାମୀ ହୋଇ ୪୦ ରୁ ୫୦ ବର୍ଷ ବେଳକୁ ଅସ୍ଥିର ଅବସ୍ଥାରେ ପହଞ୍ଚିଥାଏ ଏବଂ ୫୦ ବର୍ଷୋତ୍ତର ଜୀବନରୁ ୮୦ ବର୍ଷ ଯାଏଁ ଉର୍ଦ୍ଧ୍ୱଗାମୀହୋଇଥାଏ । ମନୁଷ୍ୟ ୨୦ ବର୍ଷ ବୟସରେ ଉପନୀତ ହେବା ବେଳେ ଚ଼ାପଗ୍ରସ୍ତ ହୋଇପଡ଼େ ଏବଂ ପରବର୍ତ୍ତୀ ଅବସ୍ଥାରେ ସେଥିରେ ସୁଧାର ଆସେ । ମଧ୍ୟ-ବୟସରେ ଜଞ୍ଜାଳ ଓ ଦୁଃଖ ବଢ଼ିଯାଇ ପୁଣି ଖସିଆସେ । ରାଗ ବୟସ ବଢ଼ିବା ସଙ୍ଗେ କମିଯାଏ । ଆନନ୍ଦ ଓ ଉପଭୋଗ ମଧ୍ୟ-ବୟସରେ ସର୍ବନିମ୍ନ ଅବସ୍ଥାରେ ଲାଖି ରହେ ।

 

ଅବଶ୍ୟ ସମସ୍ତଙ୍କ ଜୀବନରେ ଏହି ବୟସସୀମା ସମଭାବେ ପ୍ରତିଫଳିତ ହୋଇ ନଥାଏ । ରୋଗ, ରୋଜଗାର ଅଭାବ ବା ବିଚ୍ଛେଦ ଭଳି ଘଟଣାମାନ ବ୍ୟକ୍ତିଗତ ଜୀବନକୁ ଗଭୀରଭାବେ ପ୍ରଭାବିତ କରିଥାଏ ଏବଂ ଏହାର ପ୍ରଭାବରେ ଆନନ୍ଦର ସଂଜ୍ଞା ବଦଳିଯାଏ ।

 

ବରିଷ୍ଠ ନାଗରିକମାନେ ଯୁବାବସ୍ଥା ତୁଳନାରେ ବାର୍ଦ୍ଧକ୍ୟ ଜୀବନଯାତ୍ରାରେ ଅଧିକ ସଂଜତ ଓ ନିଷ୍ଠାବାନ ହୋଇପଡୁଥିବା ଲକ୍ଷ୍ୟ କରାଯାଇପାରେ । ଅନେକେ ଦୈନନ୍ଦିନ ରୁଟିନବନ୍ଧା ଜୀବନରେ ଆବଦ୍ଧ ରହୁଥିଲେ ହେଁ ନୂତନତ୍ୱ ଅନୁଭବ କରିଥାନ୍ତି । ସାମାଜିକ ପଦପଦବୀରଦୌଡ଼ରୁ ଅବସର ନେଇ ସାରିଥିବା କାରଣରୁ ଅହେତୁକ ମାନସିକ ଚାପ ଓ ପଶ୍ଚାତାପରୁମୁକ୍ତି ମିଳିଥାଏ । ମାନବିକ ଆବେଗଗୁଡ଼ିକ ନିୟନ୍ତ୍ରଣକୁ ଆସିଯାଏ । ଅପରପକ୍ଷେ ଜୀବନରେ ପରିତୃପ୍ତି ହେତୁ ସମାଜକୁ ପ୍ରତିଦାନ ଲାଗି ଆଗ୍ରହ ପ୍ରକାଶ କରିଥାନ୍ତି ।

 

ହାଭାର୍ଡବିଶ୍ୱବିଦ୍ୟାଳୟର ପ୍ରଫେସର ଟାଲବେନଶାହାର ୨୦୧୯ ପ୍ରାରମ୍ଭରେ ଭାରତ ଗସ୍ତରେ ମୁମ୍ୱାଇ ଆସିଥିଲେ । ଦେଶର ଅନ୍ୟତମ ପ୍ରମୁଖ ବ୍ୟାବସାୟିକ ସଂଗଠନ ଆରପିଜିଗୋଏଙ୍କାଗୃପର ବରିଷ୍ଠ କର୍ମଚ଼ାରୀମାନଙ୍କୁସମ୍ୱୋଧନଅବସରରେ ମନୁଷ୍ୟ ଜୀବନରେ ଆନନ୍ଦର ବାଖ୍ୟା କରିଥିଲେ । ସେ ଦର୍ଶାଇଥିଲେ ଯେ ଆନନ୍ଦ ୫୦ ପ୍ରତିଶତ ବଂଶଗତ ଗୁଣସୂତ୍ର ବା ‘ଜିନ’ବାହୀ, ପାରିପାର୍ଶ୍ୱିକ ପରିବେଶ, ଯଥା:ଲାଳନପାଳନ, ଅର୍ଥନୀତି ବା ରାଷ୍ଟ୍ରୀୟ ସ୍ଥିତାବସ୍ଥା ୧୦ ପ୍ରତିଶତ ପ୍ରଭାବିତ କରିଥାଏ । ତେବେ ୪୦ ପ୍ରତିଶତ ବ୍ୟକ୍ତିଗତ ରୁଚ଼ି ଉପରେ ନିର୍ଭରଶୀଳ । ଅର୍ଥାତ, କିଏ କିପରି ଜୀବନ ଚ଼ାହେଁ ସେ ନିଜେ ହିଁ ବାଛି ନେଇଥାଏ । ବଂଶଗତ ବା ପାରିପାର୍ଶ୍ୱିକ ପରିବେଶକୁ ନିୟନ୍ତ୍ରଣ କରିବା ସାମର୍ଥ୍ୟ ବ୍ୟକ୍ତିଗତସ୍ତରରେ ନଥିବା ସ୍ଥଳେ ନିଜସ୍ୱ ବୁଦ୍ଧିମତ୍ତା ପ୍ରୟୋଗ କରି ଜୀବନର ଗତିପଥ ନିର୍ଦ୍ଧାରଣ ଆନନ୍ଦର ପଥ ଉନ୍ମୁକ୍ତ କରିବାରେ ସହାୟକ ହୋଇଥାଏ ।

 

ସାଧାରଣରେ ଜୀବନରେ ଆନନ୍ଦର ମୂଲ୍ୟାୟନ ସଂପର୍କରେ କେତେକ ଭ୍ରାନ୍ତ ଧାରଣା ଚଳି ଆସିଛି । ଅଧିକାଂଶ ଭାବନ୍ତି ଯେ ୩୦ ରୁ ୪୦ ବର୍ଷ ମନୁଷ୍ୟର ଆନନ୍ଦମୟ ଜୀବନ । ତେବେ ଗବେଷଣାରେ ତାହା ଭୂଲ ପ୍ରମାଣିତ ହୋଇଛି । ଡ୍ୟୁକ ବିଶ୍ୱବିଦ୍ୟାଳୟରମନସ୍ତତ୍ତ୍ୱବିତ ପିଟର ଉବେଲ ୨୦୦୬ରେ ଆୟୋଜିତ ଏକ ଗବେଷଣାରେ ୩୦ ବର୍ଷୀୟ ଓ ୭୦ ବର୍ଷୀୟ ବର୍ଗର ଦୁଇଗୋଟି ଦଳଙ୍କୁ ସେମାନଙ୍କ ଜୀବନରେ ଆନନ୍ଦମୟ ସମୟ ନିର୍ଦ୍ଧାରଣ କରିବାକୁ କହିଥିଲେ । ଉଭୟ ଦଳ ୩୦ ବର୍ଷକୁ ଆନନ୍ଦମୟ ବିଚ଼ାର କରୁଥିଲେ ହେଁ ବ୍ୟକ୍ତିଗତଭାବେ ୩୦ ବର୍ଷୀୟ ଦଳର ସଦସ୍ୟଗଣ ବିଷାଦଗ୍ରସ୍ତ ତଥା ୭୦ ବର୍ଷୀୟ ଦଳର ସଦସ୍ୟଗଣ ଆନନ୍ଦିତ ଥିବା ସ୍ୱୀକାର କରିଥିଲେ । ଅର୍ଥାତ, ସାଧାରଣଭାବେ ଆମେ ପ୍ରାପ୍ତବୟସ୍କ ଅବସ୍ଥାକୁ ଜୀବନର ସର୍ବାପେକ୍ଷା ଆନନ୍ଦମୟ ଭାବୁଥିଲେ ହେଁ ବାର୍ଦ୍ଧକ୍ୟ ଜୀବନ ହିଁ ଆନନ୍ଦମୟ ।

 

ମନୁଷ୍ୟ ଜୀବନରେ ଆନନ୍ଦର ସ୍ଥିତି ପରଖିବା ନିମନ୍ତେ ଦେଶବିଦେଶରମନସ୍ତତ୍ତ୍ୱବିତମାନେ ଗବେଷଣା ଜାରୀ ରଖିଛନ୍ତି । ପରିସଂଖ୍ୟାନରୁ ଜଣାଯାଏ ଯେ ବିକଶିତ ରାଷ୍ଟ୍ରଗୁଡ଼ିକରେ ଜୀବନରେ ଅନ୍ତତଃପକ୍ଷେ ଏକ ପଞ୍ଚମାଂଶ ମହିଳା ଓ ଏକ ଦଶମାଂଶ ପୁରୁଷ ଅବସାଦର ଶୀକାର ହୋଇଥାନ୍ତି । ଅବସାଦ ଆନନ୍ଦର ପରିପନ୍ଥୀ। ବ୍ୟକ୍ତିଗତସ୍ତରରେ ଅର୍ଥନୀତିକ ସ୍ଥିତି ଆନନ୍ଦକୁ ପ୍ରଭାବିତ କରୁଥିବା ଉପପାଦ୍ୟରେ କେତେକ ଗବେଷକ ଜୋର ଦେଉଥିବା ସ୍ଥଳେ ଅନ୍ୟ କେତେକ ଗବେଷକ ରାଜି ହୋଇନଥାନ୍ତି । ଶିକ୍ଷା ଆନନ୍ଦର ଉତ୍ସ । ଏକ ପକ୍ଷରେ ଶିକ୍ଷା ରୋଜଗାର ବଢ଼ାଇବାରେ ସହାୟକ ହେଉଥିବା ସ୍ଥଳେ ଅପରପକ୍ଷରେ ଅର୍ଥପୂର୍ଣ୍ଣଜୀବନଯାତ୍ରା ଲାଗି ପ୍ରୋତ୍ସାହିତ କରିଥାଏ ।

 

ଲଣ୍ଡନ‘ୟୁନିଭରସିଟି କଲେଜ’ର ଗବେଷକମାନେ ୬୦ ବର୍ଷୋତ୍ତର ୩,୧୯୯ ପୁରୁଷ ଓ ମହିଳାଙ୍କ ଜୀବନଯାତ୍ରା ଆଠ ବର୍ଷ ଧରି ଅନୁଧ୍ୟାନ କରିଥିଲେ । ଗବେଷଣା ଶେଷରେ ସାକାରାତ୍ମକ ମନୋଭାବାପନ୍ନବ୍ୟକ୍ତିଙ୍କ ତୁଳନାରେ ନାକାରତ୍ମକମନୋଭାବାପନ୍ନବ୍ୟକ୍ତିମାନେ ତିନିଗୁଣ ଅଧିକ ମାତ୍ରାରେ ରୋଗାକ୍ରାନ୍ତ ତଥା ଦୁଇଗୁଣ ମଧୁମେହ, ହୃଦରୋଗ, ହୃଦଘାତ ଓ କର୍କଟ ରୋଗାକ୍ରାନ୍ତ ହେବା ସମ୍ଭବ ବୋଲି ଦର୍ଶାଇଥିଲେ । ଦୁଃଖୀ ବ୍ୟକ୍ତି ଶୀଘ୍ର ମୃତ୍ୟୁବରଣ କରୁଥିବା ଜଣାଯାଏ । ସେହିପରି ବିକଶିତ ରାଷ୍ଟ୍ରଗୁଡ଼ିକରେ ପିତାମାତାଙ୍କ ସହ ପ୍ରାପ୍ତବୟସ୍କ ସନ୍ତାନସନ୍ତତି ଏକାଠି ବସବାସ କରୁଥିଲେ ଅଭିଭାବକମାନେ ଅପେକ୍ଷାକୃତ କମ ଆନନ୍ଦିତ ଥିବା ହିସାବ କରାଯାଏ । ଏକାକୀ ବସବାସ କରୁଥିବା ୫୫ ରୁ ୬୪ ବର୍ଷ ବୟସ୍କ ବରିଷ୍ଠ ନାଗରିକଙ୍କ ସଂଖ୍ୟା ବ୍ରିଟେନରେ ୧୫ ବର୍ଷ ମଧ୍ୟରେ ୫୦ ପ୍ରତିଶତ ବୃଦ୍ଧି ପାଇଛି । ସମୟକ୍ରମେ ଏହା ଏକ ଆନ୍ତର୍ଜାତିକ ପ୍ରବାହ ରୂପ ନେବା ଆଶଙ୍କା ଅମୂଳକ ନୁହେଁ ।

 

ଭାରତ ତଥା ଓଡ଼ିଶାରେ ବାର୍ଦ୍ଧକ୍ୟ ସଂପର୍କରେ ସୁବିସ୍ତୃତ ଗବେଷଣା ଅଭାବରୁ ସ୍ଥାନୀୟ ପରିସଂଖ୍ୟାନ ଉପଲବ୍ଧ ହୋଇପାରୁ ନାହିଁ । ତେବେ ବିକଶିତ ରାଷ୍ଟ୍ରଗୁଡ଼ିକର ସ୍ଥିତାବସ୍ଥା ଦେଶ ତଥା ରାଜ୍ୟର ଶିକ୍ଷିତ, ଆର୍ଥିକ ଦିଗରୁ ସ୍ୱଚ୍ଛଳ ତଥା ସହରାଞ୍ଚଳରେ ବସବାସ କରୁଥିବା ପ୍ରାୟ ୧୬ ପ୍ରତିଶତ ପରିବାରରେ ଊଣାଅଧିକେ ପ୍ରତିଫଳନ ଅନୁମାନ କରାଯାଇପାରେ । ଅବଶ୍ୟ ବ୍ଳାଞ୍ଚଫ୍ଲାୱାରଓ ଅସୱାର୍ଲଡ଼ଙ୍କ‘ୟୁ-କାର୍ଭ’ ଉପପାଦ୍ୟ ୮୦ ଗୋଟି ରାଷ୍ଟ୍ରରୁ ସଂଗୃହୀତ ତଥ୍ୟରେ ପର୍ଯ୍ୟବସିତ ହୋଇଥିବା ହେତୁ ବାର୍ଦ୍ଧକ୍ୟରେ ଆନନ୍ଦର ବ୍ୟାପ୍ତ ପରିସୀମା ରାଷ୍ଟ୍ର, ସଂସ୍କୃତି ଓ ଅର୍ଥନୀତି ଭେଦଭାବରୁ ଉର୍ଦ୍ଧ୍ୱରେ ବୋଲି ଗବେଷକମାନେ ଦାବୀ କରିଥାନ୍ତି ।

 

ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ମାର୍ଚ୍ଚ ୨୦୧୯

 

---

ତଥ୍ୟ:

 

Fields, Helen. What is so good about growing old. Smithsonian Magazine. July 2012

 

https://www.smithsonianmag.com/science-nature/what-is-so-good-about-growing-old-130839848/

 

Kluger, Jeffrey. Time. September 6, 2018

 

http://time.com/5363067/aging-happiness-old-age-psychology/

 

National Council of Ageing Care. The way of living : Being happy and healthy at an old age

 

https://www.aging.com/the-way-of-living-being-happy-and-healthy-at-an-old-age/

 

Rock, Lucy.The Guardian. May 5, 2018

 

https://www.theguardian.com/lifeandstyle/2018/may/05/happiness-curve-life-gets-better-after-50-jonathan-rauch

 

Why people get happier as they get older. The Economist, December 23, 2016

 

https://medium.economist.com/why-people-get-happier-as-they-get-older-b5e412e471ed

 

Tells, Shannon. Pursuit of happiness ends at 40%. The Times of India (Chennai Edition) February 23, 2019

 

www.etpanache.com

ଆନନ୍ଦ ଅନୁଭବର ରାସାୟନିକ ଉତ୍ସ

ଆନନ୍ଦ ଅନୁଭବ ଏକ ମାନସିକ ଅବସ୍ଥା ରୂପେ ବିଚାର କରାଯାଏ । ଏଥିଲାଗି ଅନୁକୂଳ ପରିବେଶ ସୃଷ୍ଟି ନିମନ୍ତେ ଆନନ୍ଦ ଉଦ୍ରେକକାରୀ ସୂତ୍ରାବଳୀ ସନ୍ଧାନ ମାନବ ଜିଜ୍ଞାସାର ଅଂଶବିଶେଷ । ସାଧାରଣ ଜ୍ଞାନରେ ଆନନ୍ଦ ଅନୁଭବରେ ରାସାୟନିକ ଉତ୍ସ ଅନ୍ୟତମ । ଶରୀର ମଧ୍ୟରେ ବିଭିନ୍ନ ରାସାୟନିକ ପ୍ରକ୍ରିୟା ବ୍ୟକ୍ତିବିଶେଷଙ୍କ ମାନସିକ ଅବସ୍ଥାକୁ ପ୍ରଭାବିତ କରେ । ତେଣୁ ଶାରିରୀକ ରାସାୟନିକ ସ୍ଥିତି ନିୟନ୍ତ୍ରଣ କରିବା ନିମନ୍ତେ ବାହ୍ୟ ସୂତ୍ରରୁ ରସାୟନ ଉପଯୋଗକୁ କେତେକ ଯୁକ୍ତିଯୁକ୍ତ ମନେ କରନ୍ତି ।

 

ସ୍ନାୟୁ-ରସାୟନବିତ ‘ନ୍ୟୁରୋ-କେମିଷ୍ଟ’ମାନେ ଆନନ୍ଦର ମୁଖ୍ୟ ଉତ୍ସ ଭାବେ ଡ଼ୋପାମାଇନ, ସେରୋଟେନିନ, ଅକ୍ସିଟୋସିନ, ଏଣ୍ଡ୍ରୋଫିନ ଓ କର୍ଟିସୋଲ ଭଳି ରସାୟନକୁ ଚ଼ିହ୍ନଟ କରିଥାନ୍ତି । ଏହା ପ୍ରାକୃତିକ ଭାବେ ମନୁଷ୍ୟ ଶରୀରରେ ଉତ୍ପାଦିତ ହୋଇ ଆବଶ୍ୟକମତେ ବ୍ୟବହୃତ ହୋଇଥାଏ । ତେବେ କୌଣସି କାରଣରୁ ଅଭାବ ଘଟିଲେ ବାହ୍ୟ ସୂତ୍ରରୁ ରସାୟନ ସଂଗ୍ରହ କରି ଶାରିରୀକ ଓ ମାନସିକ ସ୍ଥିତିକୁ ପ୍ରଭାବିତ କରିବା ନିମନ୍ତେ ଉଦ୍ୟମ ପରିଲକ୍ଷିତ ।

 

ଏକବିଂଶ ଶତାଦ୍ଦୀର ପ୍ରଥମ ଦୁଇ ଦଶକରେ ସ୍ନାୟୁବିଜ୍ଞାନ ‘ନ୍ୟୁରୋ-ସାଇନ୍ସ’ ବିଶ୍ୱବ୍ୟାପୀ ଶିକ୍ଷିତ ସମାଜରେ ଚର୍ଚ୍ଚାର ପରିସରଭୁକ୍ତ ହେଲା । ସମ୍ୱାଦପତ୍ର, ଟେଲିଭିଜନ ଓ ଅନଲାଇନ ମଞ୍ଚଗୁଡ଼ିକରେ ସ୍ନାୟୁବିଜ୍ଞାନ କ୍ଷେତ୍ରରେ ନୂତନ ଉଦ୍ଭାବନମାନ ଆଲୋଚ଼ନା କାଳରେ ସାଧାରଣ ନାଗରିକ ନିଜ ମାନସିକ ସ୍ୱାସ୍ଥ୍ୟ ସଂପର୍କରେ ପୂର୍ବ ତୁଳନାରେ ଅପେକ୍ଷାକୃତ ଅଧିକ ସଚ଼େତନ ହେବାରେ ଲାଗିଲେ । ସ୍ନାୟୁବିଜ୍ଞାନୀମାନଙ୍କ ମତରେ ଏଭଳି ଚ଼େତନା ଜନସ୍ୱାସ୍ଥ୍ୟ ବିକାଶରେ ସହାୟକ ହେଉଥିବା ସ୍ଥଳେ ବିଭ୍ରାନ୍ତି ଓ ବୁଝମଣା ଅଭାବରେ ବିପଦ ମଧ୍ୟ ସୃଷ୍ଟି କରିଥାଏ ।

 

ପ୍ରକୃତିଗତଭାବେ ସ୍ନାୟୁବିଜ୍ଞାନ ଜଟିଳ ତତ୍ତ୍ୱସଂବଳିତ ଏବଂ ଏହି ବିଷୟରେ ଅବଗତ ହେବା ନିମନ୍ତେ ଦକ୍ଷତା ହାସଲ ଅପରିହାର୍ଯ୍ୟ । ବିଭିନ୍ନ ପ୍ରତିବନ୍ଧକ ସତ୍ତ୍ୱେ ସାଧାରଣଜ୍ଞାନ ଆହରଣ ନିମନ୍ତେ ଅନଲାଇନ ପରିବେଶରେ ତଥ୍ୟଗତ ପ୍ରାଚୁର୍ଯ୍ୟ ଜନଜୀବନରେ ଜ୍ଞାନ, ଅର୍ଦ୍ଧଜ୍ଞାନ ଓ ଅଜ୍ଞାନର ତ୍ରିକୋଣ ସୃଷ୍ଟି କରିଥାଏ । ବ୍ୟକ୍ତିଗତସ୍ତରରେ ମନଗହନକୁ ଆମେ କେତେଦୂର ବୁଝିପାରୁଛୁ ତାହା ନିଜ ଆଚ଼ରଣ ଆୟତ୍ତ କରିବାରେ ସହାୟକ ହେଉଥିବା ସ୍ଥଳେ ସାମୂହିକସ୍ତରରେ ମାନସିକ ସ୍ୱାସ୍ଥ୍ୟ ସଂପର୍କରେ ଚ଼େତନା ପ୍ରସାର ନିମନ୍ତେ ନିର୍ଭରଯୋଗ୍ୟ ସୁଯୋଗ ସୃଷ୍ଟି ଗୁରୁତ୍ୱ ବହନ କରେ ।

 

ବ୍ରିଟିଶ ସ୍ନାୟୁବିଜ୍ଞାନୀ ଡ଼ିନ ବର୍ଣ୍ଣେଟ ନିକଟ ଅତୀତରେ ମନୁଷ୍ୟ ମସ୍ତିସ୍କର କାର୍ଯ୍ୟଶୈଳୀ ଓ ମାନସିକ ଅବସ୍ଥା ସଂପର୍କରେ ତିନିଗୋଟି ଲୋକପ୍ରିୟ ପୁସ୍ତକ ରଚନା କରିଛନ୍ତି । ‘ଦି ବ୍ଳାଇଣ୍ଡ ବ୍ରେନ’ ୨୦୧୬ରେ, ‘ଦି ହେପି ବ୍ରେନ’ ୨୦୧୮ରେ ଏବଂ ‘ସାଇକୋ-ଲଜିକାଲ: ହ୍ୱାଏ ମେଣ୍ଟାଲ ହେଲଥ ଗୋସ ରଙ୍ଗ ଏଣ୍ଡ ହାଉ ଟୁ ମେକ ସେନ୍ସ ଅଫ ଇଟ’ ୨୦୨୧ରେ ପ୍ରକାଶିତ ହୋଇଛି । ବର୍ଣ୍ଣେଟ କହନ୍ତି ଯେ ମନୁଷ୍ୟ ମସ୍ତିସ୍କର ଗଭୀରତମ ପ୍ରଦେଶରେ ଅଭ୍ୟର୍ଥିତ ପଥ ‘ରିୱାର୍ଡ ପାଥ-ୱେ’ ସୃଷ୍ଟିରେ ଡ଼ୋପାମାଇନ ରସାୟନିକ ଯୋଗସୂତ୍ର ସ୍ନାୟୁବାହକ ‘ନ୍ୟୂରୋ-ଟ୍ରାନ୍ସମିଟର’ ଭାବେ କାର୍ଯ୍ୟନିର୍ବାହ କରେ ।

 

ଏହି କାରଣରୁ ଆନନ୍ଦ ଉଦ୍ରେକରେ ଡ଼ୋପାମାଇନର ଭୂମିକାକୁ ପ୍ରାଧାନ୍ୟ ଦିଆଯାଏ । କିନ୍ତୁ ଏହାର ଅର୍ଥ ନୁହେଁ ଯେ ଶରୀରରେ କୃତ୍ରିମ ଉପାୟରେ ଡ଼ୋପାମାଇନ ରସାୟନର ମାତ୍ରା ବୃଦ୍ଧି କଲେ ତାହା ଆନନ୍ଦ ଅନୁଭବରେ ରୂପାନ୍ତରିତ ହେବ । ଏହି ତତ୍ତ୍ୱକୁ ସରଳଭାବେ ବୁଝାଇ ବର୍ଣ୍ଣେଟ ମଟରଗାଡ଼ି ଓ ପୋଟ୍ରୋଲର ଉଦାହରଣ ଦେଇଥାନ୍ତି । ମଟରଗାଡ଼ି ଚାଲିବା ପାଇଁ ପୋଟ୍ରୋଲ ଆବଶ୍ୟକ । କିନ୍ତୁ ଆବଶ୍ୟକତାଠାରୁ ଅଧିକ ପୋଟ୍ରୋଲ ଢାଳିଲେ ଗାଡ଼ିର ଗତି ବୃଦ୍ଧିରେ ସହାୟକ ହୋଇନଥାଏ ।

 

ସେ ପୁଣି ଦର୍ଶାଇଥାନ୍ତି ଯେ ମସ୍ତିସ୍କର ମଧ୍ୟଭାଗସ୍ଥିତ ଏକ ନିର୍ଦ୍ଦିଷ୍ଟ ସ୍ନାୟୁକୋଷ କେନ୍ଦ୍ର ଅକାମୀ ହୋଇଯିବା ଫଳରେ ପାର୍କିନସନ ରୋଗ ଅନୁଭୂତ ହୁଏ । ଏହି ଅବସ୍ଥାରେ ମସ୍ତିସ୍କ ଅଙ୍ଗ ପ୍ରତ୍ୟଙ୍ଗ ନିୟନ୍ତ୍ରଣ ଶକ୍ତି ହରାଇବା ହେତୁ ହାତଗୋଡ଼ ଥରିଥାଏ । ଡ଼ୋପାମାଇନ ସ୍ନାୟୁଗତ ଯୋଗାଯୋଗ ପ୍ରକ୍ରିୟା ନିର୍ବାହ କରୁଥିବା କାରଣରୁ ଆକ୍ରାନ୍ତଙ୍କୁ ‘ଲେଭେଡ଼ୋପା’ ନାମକ ଔଷଧ ମାଧ୍ୟମରେ ଶରୀରରେ ଡ଼ୋପାମାଇନ ରସାୟନ ବୃଦ୍ଧି ନିମନ୍ତେ ଚ଼ିକିତ୍ସକମାନେ ପରାମର୍ଶ ଦେଇଥାନ୍ତି । କିନ୍ତୁ ‘ଲେଭେଡ଼ୋପା’ ଗ୍ରହଣ କରୁଥିବା ପାର୍କିନସନ ରୋଗୀଙ୍କଠାରେ ଆନନ୍ଦ ଉଦ୍ରେକ ଶକ୍ତି ବୃଦ୍ଧି ପାଇବା ଦେଖାଯାଇନଥାଏ । ଅପରପକ୍ଷେ ସ୍ଥଳବିଶେଷରେ ଉଦବିଗ୍ନତା ‘ଏଙ୍ଗଜାଇଟି’ ସୃଷ୍ଟି କରେ ।

 

ସେରୋଟେନିନ ମାନସିକ ଅବସ୍ଥା ମିଜାଜ ଓ ଆବେଗ ‘ମୁଡ଼ ଏଣ୍ଡ ଇମୋସନ’ ନିୟନ୍ତ୍ରଣରେ ଯୋଗସୂତ୍ରକାରୀ ରସାୟନ ଭାବେ କାର୍ଯ୍ୟକରିଥାଏ । ସାକାରାତ୍ମକ ସାମାଜିକ ପରିବେଶରେ ସେରୋଟେନିନ କ୍ଷରଣ ସମ୍ଭବ । ଏହାର ଉପସ୍ଥିତିରେ ଆନନ୍ଦ ଅନୁଭବ ହୋଇଥାଏ । ଅକ୍ସିଟୋସିନ ପରସ୍ପର ମଧ୍ୟରେ ଆତ୍ମୀୟତା ସୃଷ୍ଟିରେ ସହାୟକ । ଯୌନ ସଂଭୋଗକାଳରେ ଏହି ରସାୟନ କ୍ଷରଣ ଯୋଗୁଁ ଯୌନ ସାଥି ଓ ସନ୍ତାନସନ୍ତତିଙ୍କ ସହ ଆନ୍ତରିକତା ସ୍ଥାପିତ ହୋଇଥାଏ । ଏଣୁ ଏହାକୁ ପ୍ରେମ ହରମୋନ ଭାବେ ଚ଼ିହ୍ନିତ କରାଯାଏ ।

 

ବର୍ଣ୍ଣେଟଙ୍କ ମତରେ ବାହ୍ୟ ସୂତ୍ରରୁ ରସାୟନ ଗ୍ରହଣ ଦ୍ୱାରା ଶରୀରରେ ସଂପୃକ୍ତ ରସାୟନ ମାତ୍ରା ବୃଦ୍ଧି ପାଇବା ସଂଭବ । ଏହି ପ୍ରକ୍ରିୟା ବିଭିନ୍ନ ଶାରିରୀକ ଅସୁସ୍ଥତା ଚ଼ିକିତ୍ସା କରିବା ନିମନ୍ତେ ଫଳପ୍ରଦ ହୋଇଥାଏ । ଶରୀରରେ ନିର୍ଦ୍ଦିଷ୍ଟ ରସାୟନର ପରିମାପ ଆନନ୍ଦ ଅନୁଭବରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିଲେ ହେଁ ଏହି କ୍ଷେତ୍ରରେ ମାନସିକ ଓ ସାମାଜିକ ପୃଷ୍ଠଭୂମିକୁ ବାଦ ଦେବା ସଂଭବ ନୁହ । ଆନନ୍ଦ ଅନୁଭବ ଏକ ଜଟିଳ ପ୍ରକ୍ରିୟା । କେବଳ ରସାୟନସ୍ତର ହ୍ରାସ ବା ବୃଦ୍ଧି ଉପରେ ନିର୍ଭରଶୀଳ ନୁହ ।

 

ଆନନ୍ଦ ଅନୁଭବର ସୂତ୍ର ଖୋଜା ଅତ୍ୟାଧୁନିକ ଜୀବନଯାତ୍ରାରେ ଚର୍ଚ୍ଚାର ବିଷୟ ପାଲଟିଥିବା ଅବସରରେ ଏହି ଦିଗରେ ବିଭିନ୍ନ ସୁଗମ ବ୍ୟାବହାରିକ ଅଭ୍ୟାସ ପରାମର୍ଶ ସମ୍ୱଳିତ ସାହିତ୍ୟ ଉପଲବ୍ଧ । ନିର୍ଭରଶୀଳ ମାର୍କିନ ମନୋବିଜ୍ଞାନ ପତ୍ରିକା ‘ସାଇକୋଲଜି ଟୁଡ଼େ’ରେ ପ୍ରକାଶିତ ଏକ ନିବନ୍ଧ ଅନୁଯାୟୀ ‘ଡ଼ୋପାମାଇନ’ କ୍ଷରଣ ନିମନ୍ତେ ସାମୟିକଭାବେ ଏକ ନୂତନ ଲକ୍ଷ୍ୟ ସ୍ଥିର କରି ପ୍ରତ୍ୟେହ ସେଦିଗରେ ନିୟମିତ ପଦକ୍ଷେପ ସାମାନ୍ୟ ଆନନ୍ଦ ସୃଷ୍ଟିରେ ସହାୟକ ହୋଇଥାଏ । କୁହାଯାଏ ଯେ ତୃଷାର୍ତ୍ତଙ୍କ କ୍ଷେତ୍ରରେ ଜଳପାନ ପୂର୍ବରୁ ଜଳର ସନ୍ଧାନ ଆନନ୍ଦ ଆଣିଦିଏ, ସିଂହ ଶିକାର ସାରିବା ଆଗରୁ ଶିକାର ସନ୍ଧାନ ପାଇବା ମାତ୍ରେ ମସ୍ତିସ୍କରେ ‘ଡ଼ୋପାମାଇନ’ କ୍ଷରଣ ହେତୁ ଉତ୍ସାହିତ ହୋଇପଡ଼େ ।

 

ସ୍ନାୟୁବିଜ୍ଞାନୀଙ୍କ ଅନୁଶୀଳନରେ ବିଶ୍ୱାସ ସେରୋଟେନିନ କ୍ଷରଣ କରାଇଥାଏ । ମାଙ୍କଡ଼ମାନେ ଜଣେ ଆଉ ଜଣକ ଉପରେ ଲଦି ହୋଇ ଆତ୍ମ-ପ୍ରତ୍ୟେୟ ସୃଷ୍ଟିଲାଗି ଉଦ୍ୟମ କରିଥାନ୍ତି । ଏତଦ୍ୱାରା ସେମାନଙ୍କ ଶରୀରରେ ସେରୋଟେନିନ ପ୍ରବାହିତ ହୁଏ । ସେହିପରି ବାଲ୍ୟାବସ୍ଥାରେ ଅନ୍ୟମାନଙ୍କଠାରୁ ମାନ୍ୟତା ପାଇବାରେ ଆମେ ଆନନ୍ଦିତ ହୋଇଥାଉ । ପରବର୍ତ୍ତୀ ଜୀବନରେ ମାନ୍ୟତା ଲାଭ ଆଶାରେ ଆମେ ପୂର୍ବ ପ୍ରମାଣିତ ପଥ ଅନୁସରଣ କରୁ । ବିଫଳତାରେ ମନୋନିବେଶ କଲେ ସେରୋଟେନିନ ଧାରା ପ୍ରତିହତ ହୋଇଥାଏ ।

 

ସ୍ତନ୍ୟପାୟୀ ଓ ସରୀସୃପମାନଙ୍କ ମଧ୍ୟରେ ପରିଲକ୍ଷିତ ବିଭିନ୍ନ ପ୍ରଭେଦ ମଧ୍ୟରେ ସ୍ତନ୍ୟପାୟୀ ପ୍ରାଣୀମାନେ ଗୋଷ୍ଠୀବଦ୍ଧ ଜୀବନଯାପନ କରୁଥିବା ସ୍ଥଳେ ସରୀସୃପ ପ୍ରାଣୀମାନେ ଏକାକୀ । ସ୍ତନ୍ୟପାୟୀମାନଙ୍କ ଏହି ଆଚ଼ରଣ ନିମନ୍ତେ ‘ଅକ୍ସିଟୋସିନ’ କ୍ଷରଣ ଦାୟୀ । ଗୋଷ୍ଠୀବଦ୍ଧ ଜୀବନଯାତ୍ରାରେ ଆନନ୍ଦ ଅନୁଭବ ସମ୍ଭବପର । ସରୀସୃପମାନେ କେବଳ ସଂଭୋଗ ସମୟରେ ‘ଅକ୍ସିଟୋସିନ’ କ୍ଷରଣର ସୁଯୋଗ ପାଉଥିବା ଜଣାଯାଏ ।

 

ଆନନ୍ଦ ଅନୁଭବରେ ମୁଖ୍ୟ ଭୂମିକା ଗ୍ରହଣ କରୁଥିବା ଅନ୍ୟ ରସାୟନ ମଧ୍ୟରେ ‘ଏଣ୍ଡୋରଫିନ’ ଯନ୍ତ୍ରଣାଦାୟକ ଏବଂ ‘କର୍ଟିସୋଲ’ ବିଷାଦ ପରିବେଶ ସୃଷ୍ଟିର ଉତ୍ସ । ତେବେ ଯନ୍ତ୍ରଣା ସ୍ଥଳବିଶେଷରେ ଆନନ୍ଦରେ ରୂପାନ୍ତରିତ ହୁଏ । ଆହତ ପଶୁଟିଏ ‘ଏଣ୍ଡୋରଫିନ’ ପ୍ରଭାବରେ ଶତୃ କବଳରୁ ନିଜକୁ ଯଥାଶୀଘ୍ର ମୁକ୍ତ କରିବା ନିମନ୍ତେ ଦୃତଗତିରେ ଦୌଡ଼ିବାରେ ସମର୍ଥ ହୋଇଥାଏ । ସେହିପରି ଆନନ୍ଦ ଉଦ୍ରେକ ରସାୟନ ଅଭାବରେ ‘କର୍ଟିସୋଲ’ ଉଦଗମ ହୁଏ । ଏହି ପରିବେଶ ମନୁଷ୍ୟକୁ ସମ୍ଭାବ୍ୟ ବିଷାଦ ସଂପର୍କରେ ଅଗ୍ରୀମ ସୂଚ଼ିତ କରାଇଥାଏ, ଯାହା ଫଳରେ ସେ ପରିସ୍ଥିତିକୁ ଏଡ଼ାଇ ଦେବା ନିମନ୍ତେ ଉଦ୍ୟମ କରେ ।

 

ଆନନ୍ଦ ଅନୁଭବରେ ବିଜ୍ଞାନସମ୍ମତ୍ତ ଅନୁସନ୍ଧାନ ମନୁଷ୍ୟକୁ ରସାୟନିକ ଉତ୍ସ ସଂପର୍କରେ ସଚ଼େତନ କରେ । ପାରମ୍ପରିକ ଭାବେ ଆନନ୍ଦ ଅନୁଭବ ଆଦର୍ଶ ଓ ଦର୍ଶନ ସହ ଯୋଡ଼ି ହୋଇ ଆସିଥିବା ସ୍ଥଳେ ଏହି କ୍ଷେତ୍ରରେ ପ୍ରମାଣଯୋଗ୍ୟ ତଥ୍ୟାବଳୀ ସହ ପରିଚ଼ିତି ମାନବ ସଭ୍ୟତାରେ ଏକ ନୂତନ ଅଧ୍ୟାୟ । ଏହି ବାସ୍ତବବାଦୀ ଆଭିମୁଖ୍ୟ ଜନଜୀବନକୁ ପ୍ରଭାବିତ କରିବା ଆଶା କରାଯାଇପାରେ ।

 

ଏହି ବିଷୟବସ୍ତୁ ସଂପର୍କରେ ୟୁଟ୍ୟୁବ ଭିଡ଼ିଓ ଦେଖିବା ନିମନ୍ତେ ନିମ୍ନ ଲିଙ୍କରେ କ୍ଳିକ କରନ୍ତୁ :

 

How hormones influence you and your mind

 

https://www.youtube.com/watch?v=EY5uIyklIAQ

 

Habits of a happy brain by Loretta Graziano Breuning

 

https://www.youtube.com/watch?v=iOorFi-Wp4s

 

Increase happy chemicals in your brain naturally

 

https://www.youtube.com/watch?v=vObfZ5AVTcE

 

ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଜୁନ ୨୦୨

---

 

ତଥ୍ୟ:

 

Burnett, Dean. The fascinating science of pleasure goes way beyond dopamine

 

https://psyche.co/ideas/the-fascinating-science-of-pleasure-goes-way-beyond-dopamine

 

Breuning, Loretta G. Five ways to boost your natural happy chemicals. Psychology Today. December 8, 2012

 

https://www.psychologytoday.com/us/blog/your-neurochemical-self/201212/five-ways-boost-your-natural-happy-chemicals

କ୍ରିୟାଶୀଳ ବାର୍ଦ୍ଧକ୍ୟ

ପରିଣତ ବୟସରେ ମନୁଷ୍ୟ ବ୍ୟକ୍ତିଗତସ୍ତରରେ ସାମାଜିକ କ୍ଷେତ୍ରରେ ସକ୍ରିୟ ରହିବାକୁ କ୍ରିୟାଶୀଳ ବାର୍ଦ୍ଧକ୍ୟ ‘ଏକ୍ଟିଭ ଏଜିଂ’ ନାମିତ କରାଯାଇପାରେ । ପ୍ରାକୃତିକଭାବେ ବୟସାଧିକ ଅବସ୍ଥାରେ ଶାରୀରିକ ଓ ମାନସିକ ଦିଗରୁ ଦୁର୍ବଳତା କାରଣରୁ ସାମାଜିକ ସଂପୃକ୍ତି ଅପସାରଣ ସ୍ୱାଭାବିକ । ପାରମ୍ପରିକ କୃଷିଭିତ୍ତିକ ଜୀବନଯାତ୍ରାରେ ମନୁଷ୍ୟ ଦୀର୍ଘ ସମୟ ଯାଏଁ ସାମାଜିକ କାର୍ଯ୍ୟକ୍ରମଗୁଡ଼ିକରେ ସକ୍ରିୟ ଅଂଶ ଗ୍ରହଣ କରିଆସୁଥିଲା । ତେବେ ଶିଳ୍ପବିପ୍ଳବ ପରବର୍ତ୍ତୀ କାଳରେ ସହରୀ ସଭ୍ୟତା ଓ ତତ୍ ଜନିତ କର୍ମନିଯୁକ୍ତି ବ୍ୟବସ୍ଥା ପ୍ରଚଳନପରେ ଏହି ଜୀବନଯାତ୍ରାରେ ଯୋଡି ହେଉଥିବା ଜନସାଧାରଣଙ୍କ ନିମନ୍ତେ ନିର୍ଦ୍ଦିଷ୍ଟ ବୟସରେ ଅବସର ଗ୍ରହଣ ପରବର୍ତ୍ତୀ ପର୍ଯ୍ୟାୟରେ ବାଧ୍ୟବାଧକତାରେ ସାମାଜିକ ବିଛିନ୍ନତାବୋଧର ଅବକାଶ ସୃଷ୍ଟି କରିଆସିଛି । ଏତାଦୃଶ ପରିବେଶରେ ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷ ବ୍ୟକ୍ତିଗତସ୍ତରରେ ଉଦ୍ୟମ ବିନା ସାମାଜିକ ସଂପୃକ୍ତି ପ୍ରାୟତଃ ସଂଭବପର ହୋଇପାରିନଥାଏ ।

 

ବିଂଶ ଶତାଦ୍ଦୀର ଶେଷାର୍ଦ୍ଧରେ ସ୍ୱାସ୍ଥ୍ୟ ଓ ସମାଜ ବିଜ୍ଞାନୀମାନେ ବାର୍ଦ୍ଧକ୍ୟରେ ବୃତ୍ତିଗତ ଓ ସାମାଜିକ ସଂପୃକ୍ତିରୁ ଅପସାରଣ ମନୁଷ୍ୟର ସ୍ୱାସ୍ଥ୍ୟବସ୍ଥାରେ ପ୍ରତିକୂଳ ପ୍ରଭାବ ବିସ୍ତାର କରୁଥିବା ପ୍ରମାଣ ଗବେଷଣାରୁ ପାଇଥିଲେ । ଫଳରେ ବିକଶିତ ରାଷ୍ଟ୍ରଗୁଡ଼ିକରେ ବାର୍ଦ୍ଧକ୍ୟଗ୍ରସ୍ତଙ୍କୁ ସାମାଜିକ ମୂଳସ୍ରୋତରେ ପୁନଃଜଡ଼ିତ କରାଇବା ନିମନ୍ତେ ସରକାରୀ ଓ ବେସରକାରୀସ୍ତରରେ ଉଦ୍ୟମ ଆରମ୍ଭ ହୋଇଥିଲା । ଏକବିଂଶ ଶତାଦ୍ଦୀ ପୁରୋଭାଗ ୨୦୦୨ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନପକ୍ଷରୁ ଏକ୍ଟିଭ ଏଜିଂ ପ୍ରତି ଗୁରୁତ୍ଵାରୋପ କରାଯାଇ ନୀତି ନିର୍ଦ୍ଧାରଣ ହେଲା । ଫଳତଃ ଏହି ମୂଲ୍ୟବୋଧ କ୍ରମଶଃ ବିଶ୍ଵବ୍ୟାପୀ ବିଭିନ୍ନ ରାଷ୍ଟ୍ରରେ କାର୍ଯ୍ୟକ୍ରମମାଧ୍ୟମରେ ରୂପାୟିତ ହେବାରେ ଲାଗିଛି ।

 

ସାମାଜିକ ମନୋବିଜ୍ଞାନ ‘ସୋସିଓ ସାଇକୋଲଜି’ଗବେଷଣା କ୍ଷେତ୍ରରେ ବାର୍ଦ୍ଧକ୍ୟ ଜୀବନଚର୍ଯ୍ୟାରେ ମନୁଷ୍ୟର ସାମାଜିକ ସଂପୃକ୍ତି ସଂପର୍କରେ ତିନିଗୋଟି ମୁଖ୍ୟ ସିଦ୍ଧାନ୍ତ ‘ଥିଓରି’ ଚର୍ଚ୍ଚିତ ହୋଇଥାଏ । ବୃଦ୍ଧାବସ୍ଥା ଅଧ୍ୟୟନ ‘ଜେରେଣ୍ଟୋଲଜି’ ପରିସରରେ କ୍ୟୁମିଂ ଓ ହେନେରୀଙ୍କ ପ୍ରଣୀତ ‘ଗ୍ରୋଇଂ ଓଲଡ଼’ ପୁସ୍ତକଟି ଗୁରୁତ୍ଵପୂର୍ଣ୍ଣ । ଏହା ୧୯୬୧ରେ ପ୍ରକାଶିତ ହୋଇଥିଲା । ଏଥିରେ ପ୍ରଦତ୍ତ ସିଦ୍ଧାନ୍ତ ଅନୁଯାୟୀ ମନୁଷ୍ୟ ଜୀବନରେ ବାର୍ଦ୍ଧକ୍ୟରେ ସାମାଜିକ କର୍ମକ୍ଷେତ୍ରରୁ ଅପସାରଣ ପ୍ରାକୃତିକ । ସମାଜର ବିଭିନ୍ନବର୍ଗଙ୍କ ସହ ବିଭିନ୍ନ କାରଣରୁ ବୟସ୍କ ଜନସାଧାରଣଙ୍କ ସଂପର୍କ କ୍ରମଶଃ ଛିନ୍ନ ହୋଇପଡୁଥିବା ହେତୁ ସେମାନେ ଆପେ ଆପେ ସାଧାରଣ ଜୀବନଯାତ୍ରାରୁ ଅପସରି ଯାଆନ୍ତି । ଏହାକୁ ଏକ ସ୍ୱାଭାବିକ ପ୍ରକ୍ରିୟା ରୂପେ ଅପସାରଣ ସିଦ୍ଧାନ୍ତରେ ବର୍ଣ୍ଣନା କରାଯାଇଛି ।

 

ରବର୍ଟ ହେଭିଗେଷ୍ଟ ବାର୍ଦ୍ଧକ୍ୟରେ, ମୁଖ୍ୟତଃ ମନୁଷ୍ୟ ଶାରିରୀକ ଓ ମାନସିକ ଦୃଷ୍ଟିରୁ ବହୁମାତ୍ରାରେ ସକ୍ଷମଥିବା ପୂର୍ବ-ବାର୍ଦ୍ଧକ୍ୟ ଅବସ୍ଥାରେ ସାମାଜିକ ଅପସାରଣତତ୍ତ୍ୱର ବିରୋଧ କରି ସକ୍ରିୟ ବାର୍ଦ୍ଧକ୍ୟ ସିଦ୍ଧାନ୍ତରେ ଉପନୀତ ହୋଇଥିଲେ । ତାଙ୍କରି ଚିନ୍ତାରେ ବାର୍ଦ୍ଧକ୍ୟରେ ସାମାଜିକ ସଂପୃକ୍ତି ଜୀବନର ଗୁଣାତ୍ମକ ବିକାଶରେ ସହାୟକ ହୋଇଥାଏ । ମାନସିକ ଓ ଶାରିରୀକସ୍ତରରେ କର୍ମଠତା ମନୁଷ୍ୟକୁ ବାର୍ଦ୍ଧକ୍ୟର ନକାରାତ୍ମକ ପ୍ରଭାବଗୁଡିକ କବଳରୁ ଦୀର୍ଘକାଳ ଯାଏଁ ମୁକ୍ତ ରଖିପାରେ । ହେଭିଗେଷ୍ଟ ଜଣେ ବିଶ୍ଵବିଦ୍ୟାଳୟ ଅଧ୍ୟାପକ । ସେ ଯୁବାବସ୍ଥାପଦାର୍ଥ ଓ ରସାୟନ ବିଜ୍ଞାନ ଦୃଷ୍ଟିକୋଣରୁ ପରମାଣୁ ସଂପର୍କରେ ଗବେଷଣାରେ ବିତାଇଥିବା ସ୍ଥଳେ ମଧ୍ୟବୟସରେ ଶିକ୍ଷା ପ୍ରଣାଳୀ ଓ ଉତ୍ତରାର୍ଦ୍ଧରେ ବାର୍ଦ୍ଧକ୍ୟ ଜୀବନଗବେଷଣାରେ ମନୋନିବେଶ କରିଥିଲେ । ତାଙ୍କରି ସକ୍ରିୟ ବାର୍ଦ୍ଧକ୍ୟ ସିଦ୍ଧାନ୍ତ ବିଂଶ ଶତାଦ୍ଦୀର ସପ୍ତମ ଓ ଅଷ୍ଟମ ଦଶକରେ ଲୋକପ୍ରିୟତା ହାସଲ କରିଥିବା ଜଣାଯାଏ ।

 

ଅପସାରଣ ଓ କ୍ରିୟାଶୀଳ ସିଦ୍ଧାନ୍ତ ସହ ଅନୁକ୍ରମିକ ବାର୍ଦ୍ଧକ୍ୟ ଏକ ଭିନ୍ନ ଦୃଷ୍ଟିକୋଣ ଉପସ୍ଥାପନ କରେ । ମନୁଷ୍ୟ ସ୍ଵଭାବତଃ ଜୀବନବ୍ୟାପୀ ଅଭ୍ୟସ୍ତ ଦୃଷ୍ଟିକୋଣ, କାର୍ଯ୍ୟଧାରା ଓ ସାମାଜିକ ସଂପର୍କ ବାର୍ଦ୍ଧକ୍ୟରେ ବଳବତ୍ତର ରହୁଥିବା ଅନୁକ୍ରମିକ ସିଦ୍ଧାନ୍ତର ମୂଳତତ୍ତ୍ୱ । ବୟସ୍କମାନେ ନିଜ ପୂର୍ବ ଅଭିଜ୍ଞତାକୁ ପାଥେୟକରି ଭବିଷ୍ୟତ ଜୀବନ ନିୟନ୍ତ୍ରଣ କରିବା ନିମନ୍ତେ ଉଦ୍ୟମ କରୁଥିବା ଏଥିରେ ପ୍ରତିପାଦିତ ହୋଇଥାଏ ।

 

ଓଡ଼ିଶାର ୮୩ ଭାଗ ପରିବାର ଗ୍ରାମାଞ୍ଚଳରେ ବସବାସ କରୁଥିବା ଏବଂ ପାରମ୍ପରିକ ଗ୍ରାମ୍ୟସଭ୍ୟତାରେ ପରିପୁଷ୍ଟ ହୋଇଥିବା ହେତୁ ଏଠାକାର ବିପୁଳ ଜନସଂଖ୍ୟାଙ୍କ ନିମନ୍ତେ ଅନୁକ୍ରମିକ ବାର୍ଦ୍ଧକ୍ୟ ଗୁରୁତ୍ୱବହନ କରିଥାଏ । ସହରାଞ୍ଚଳରେ ବସବାସ କରୁଥିବା ୧୭ ଭାଗ ପରିବାରଙ୍କ ଜୀବନ ଅପସାରିତ ବାର୍ଦ୍ଧକ୍ୟ ପ୍ରଭାବିତ । ତେବେ ଗ୍ରାମ୍ୟ ସଭ୍ୟତା କ୍ରମଶଃ ସହରୀ ସଭ୍ୟତାରେ ରୂପାନ୍ତରିତ ହେଉଥିବା ତଥା ସହରାଞ୍ଚଳବାସୀଙ୍କ ଗ୍ରାମ ସହ ଘନୀଭୂତ ସଂପର୍କ ସ୍ଥାପିତ ହୋଇଥିବା ଅବସରରେ ଅନୁକ୍ରମିକ ଓ ଅପସାରିତ ବାର୍ଦ୍ଧକ୍ୟର ସମ୍ମିଳିତ ପ୍ରଭାବ ମଧ୍ୟ ଆଶା କରାଯାଇପାରେ ।

 

କ୍ରିୟାଶୀଳ ବାର୍ଦ୍ଧକ୍ୟ ମୁଖ୍ୟତଃ କେତେକ ନିର୍ଦ୍ଧିଷ୍ଟ ବୃତ୍ତିରେ ନିୟୋଜିତ ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରେପ୍ରଯୁଜ୍ୟ । ବ୍ୟବସାୟୀ, ଅଧିବକ୍ତା କିମ୍ୱା ହିସାବ ସମୀକ୍ଷକଭଳି ଆତ୍ମନିୟୋଜିତ ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରେ ଅନ୍ତତଃପକ୍ଷେ ୬୦ ବର୍ଷୋତ୍ତର ପୂର୍ବ-ବାର୍ଦ୍ଧକ୍ୟ ବେଶ କ୍ରିୟାଶୀଳ ରହିଥାଏ । ତେବେ ପ୍ରଶାସନିକ, ବ୍ୟାବସାୟିକ ପ୍ରତିଷ୍ଠାନ ତଥା କଳକାରଖାନାରେ ନିଯୁକ୍ତ କର୍ମଚ଼ାରୀମାନେ ସେବାନିବୃତ୍ତ ଅବସ୍ଥାରେ ପ୍ରାୟତଃ ଅପସାରିତ ବାର୍ଦ୍ଧକ୍ୟର ଶୀକାର ହୋଇଥାନ୍ତି । ଏମାନଙ୍କ କ୍ଷେତ୍ରରେ ପୂର୍ବ ଅଭିଜ୍ଞତାକୁ ଆୟୂଧ କରି ବାର୍ଦ୍ଧକ୍ୟ ଜୀବନ ସଂଯୋଜନା ସମ୍ଭବପର ହୋଇପାରେ ନାହିଁ ।

 

ବରିଷ୍ଠ ନାଗରିକ ଜନସଂଖ୍ୟା ବୃଦ୍ଧି ଓ ବର୍ଦ୍ଧିତ ଜୀବଦ୍ଦଶାକୁ ବିଚ଼ାରକୁ ନେଲେ ବାର୍ଦ୍ଧକ୍ୟରେ ସ୍ୱାସ୍ଥ୍ୟାବସ୍ଥା ରାଷ୍ଟ୍ରୀୟ ଅର୍ଥନୀତିରେ ଗୁରୁତ୍ୱ ବହନ କରିଥାଏ । ସେମାନଙ୍କ ସାମାଜିକ ସଂପୃକ୍ତି ସ୍ୱାସ୍ଥ୍ୟାବସ୍ଥାରେ ଅନୁକୂଳ ପ୍ରଭାବ ପକାଉଥିବା ବିଭିନ୍ନ ଗବେଷଣାରେ ପ୍ରମାଣିତ ହେବାପରେ ଏଦିଗରେ ଚ଼େତନା ପ୍ରସାର ନିମନ୍ତେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଉଦ୍ୟମ କରାଯାଉଛି । ବାର୍ଦ୍ଧକ୍ୟରେ ସାମାଜିକ ସଂପୃକ୍ତି ବ୍ୟକ୍ତିଗତ ରୁଚ଼ି ଓ ପ୍ରଚ଼େଷ୍ଟାରେ ନିର୍ଭରଶୀଳ ଥିବାସ୍ଥଳେ ଚ଼େତନା ସୃଷ୍ଟି ଲାଗି ଉଦ୍ୟମ ସେମାନଙ୍କୁ ପରିବର୍ତ୍ତିତ ଜୀବନଶୈଳୀ ଅଭ୍ୟାସଲାଗି ପ୍ରଭାବିତ କରିଥାଏ । ବିକଶିତ ରାଷ୍ଟ୍ରଗୁଡ଼ିକରେ ବରିଷ୍ଠ ନାଗରିକଙ୍କ ସାମାଜିକ ସଂପୃକ୍ତି ବୃଦ୍ଧିଲାଗି ବିଭିନ୍ନ କାର୍ଯ୍ୟକ୍ରମମାନ ଗ୍ରହଣ କରାଯାଉଥିବା ଦେଖିବାକୁ ମିଳେ ।

 

ଉଦାହରଣରେ ଯୁକ୍ତରାଷ୍ଟ୍ର ଆମେରିକାର ଓରେଗାନ ରାଜ୍ୟ ରାଜଧାନୀ ପୋର୍ଟଲ୍ୟାଣ୍ଡର ଉତ୍ତର ସହରତଳି ଅଞ୍ଚଳରେ ନିମ୍ନ ଆୟକାରୀ ବର୍ଗର ବରିଷ୍ଠ ନାଗରିକଙ୍କ ନିମନ୍ତେ ସ୍ୱେଚ୍ଛାସେବୀ ସଂଗଠନ ‘ବ୍ରିଜ-ମେଡ଼ୋସ’ପକ୍ଷରୁ ଏକ ଆପାର୍ଟମେଣ୍ଟ କମ୍ପ୍ଳେକ୍ସ ନିର୍ମିତ ହୋଇଛି । ସେଠାକାର ଅନ୍ତେବାସୀଗଣ ସନ୍ନିକଟ ବସ୍ତିଗୁଡ଼ିକର ଅବହେଳିତ ଶିଶୁମାନଙ୍କ ଯତ୍ନ ନେବା ନିମନ୍ତେ ଚୁକ୍ତିବଦ୍ଧ ହୋଇଥାନ୍ତି । ନଅ ଗୋଟି ବରିଷ୍ଠ ନାଗରିକ ଦମ୍ପତ୍ତି ଜଣେ ଲେଖା ଶିଶୁକୁ ପୋଷ୍ୟ ସନ୍ତାନ ରୂପେ ଗ୍ରହଣ କରିଥିବା ସ୍ଥଳେ ୩୬ ଗୋଟି ବରିଷ୍ଠ ନାଗରିକ ଦମ୍ପତ୍ତି ତ୍ରୈୟମାସିକଭିତ୍ତିରେ ଶହେ ଘଣ୍ଟା ଲେଖା ସାମାଜିକ ସେବା କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥାନ୍ତି । ‘ବ୍ରିଜ ମେଡ଼ୋସ’ ଆପର୍ଟମେଣ୍ଟ ଅନ୍ତେବାସୀଙ୍କ ବ୍ୟକ୍ତିଗତସ୍ତରରେ ସାମାଜିକ ସଂପୃକ୍ତି ବଢ଼ିବା ଫଳରେ ସେମାନଙ୍କ ରକ୍ତଚ଼ାପରେ ସ୍ଥିରତା ଆସିବା, ମଧୁମେହ ନିୟନ୍ତ୍ରିତ ହେବା ଭଳି ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଥିବା ଜଣାଯାଏ ।

 

ବରିଷ୍ଠ ନାଗରିକଙ୍କ ସାମାଜିକ ସଂପୃକ୍ତି କାର୍ଯ୍ୟକ୍ରମ ପାଠାଗାରରେ ଅନ୍ୟ ବରିଷ୍ଠ ନାଗରିକଙ୍କ ସହ ଏକତ୍ରୀତ ହେବା ତଥା ତାସ, ଚ଼େସ, କ୍ୟାରେମ ଖେଳିବାରେ ସୀମିତ ନରଖି ସମାଜକଲ୍ୟାଣରେ ଉତ୍ସର୍ଗୀକୃତ ଯୋଗଦାନ ନିମନ୍ତେ ସର୍ଜନଶୀଳ କାର୍ଯ୍ୟକ୍ରମମାନ ପ୍ରଣୟନ ସଂଭବପର । ଏ ଦିଗରେ ପ୍ରକଳ୍ପ ପ୍ରସ୍ତୁତି, ପରୀକ୍ଷାମୂଳକ ଉପଯୋଗ ଇତ୍ୟାଦି କ୍ଷେତ୍ରରେ ଚ଼ିନ୍ତାଶୀଳଙ୍କ ଆବଶ୍ୟକତା ପଡ଼ିଥାଏ ଏବଂ ଏଥିଲାଗି ଅଭିଜ୍ଞ ବରିଷ୍ଠ ନାଗରିକମାନେ ମନୋନିବେଶ କରିପାରିବେ ।

 

ଆମ ଦେଶରେ କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମବିକାଶ ଓ ତଫସିଲଭୁକ୍ତ ସଂପ୍ରଦାୟଙ୍କ ଉନ୍ନୟନ କ୍ଷେତ୍ରରେ ବ୍ୟାପକ ଯୋଜନାମାନ ରୂପାୟନ କରିବାଅବସରରେ ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକ ସେଗୁଡ଼ିକର ନକଲ ଉଦ୍ୟମରୁ ଓହରି ବର୍ଦ୍ଧିଷ୍ଣୁ ବରିଷ୍ଠ ନାଗରିକଙ୍କ ହିତ ସାଧନ ନିମନ୍ତେ କାର୍ଯ୍ୟକ୍ରମ ପ୍ରଯୋଜନାରେ ମନୋନିବେଶ କରିବା ଅବକାଶ ସୃଷ୍ଟି ହୋଇଛି । ଏଥି ନିମନ୍ତେ ଦୂରଦୃଷ୍ଟି, ସର୍ଜନଶୀଳତା, ବ୍ୟାପକ ଲୋକସଂପର୍କ ଓ ସାଙ୍ଗଠନିକ ଦକ୍ଷତା ଆବଶ୍ୟକ ପଡ଼ିଥାଏ ।ସେହି ଦୃଷ୍ଟିରୁ ସ୍ୱେଚ୍ଛାସେବୀ ସଂଗଠନ କ୍ଷେତ୍ରରେ ଦକ୍ଷତା ହାସଲ କରିଥିବା ଓଡ଼ିଶା ଭଳି ରାଜ୍ୟରେ ବେସରକାରୀ ଉଦ୍ୟମ ଗୁରୁତ୍ୱପୂର୍ଣ୍ଣ ।

 

ବରିଷ୍ଠଙ୍କ କ୍ଷେତ୍ରରେ ସାମାଜିକ ସଂପୃକ୍ତି ଜୀବନପ୍ରତି ସକାରାତ୍ମକ ମନୋଭାବ ଉଦ୍ରେକରେ ସହାୟକ ହୋଇଥାଏ । ଯୁକ୍ତରାଷ୍ଟ୍ର ଆମେରିକାର ହାଭାର୍ଡ଼ ଓ ୟେଲ ବିଶ୍ୱବିଦ୍ୟାଳୟରେ ଆୟୋଜିତ ବହୁ ଗବେଷଣାରୁ ସକାରାତ୍ମକ ମନୋଭାବ ମନୁଷ୍ୟର ସାତବର୍ଷ ଛଅ ମାସ ଯାଏଁ ଜୀବଦ୍ଦଶା ବୃଦ୍ଧିରେ ସହାୟକ ହେଉଥିବା ପ୍ରମାଣ ମିଳେ । ଏତାଦୃଶ ତଥ୍ୟାବଳୀ ବରିଷ୍ଠ ନାଗରିକମାନଙ୍କୁ ସାମାଜିକ ସଂପୃକ୍ତିଲାଗି ବ୍ୟକ୍ତିଗତସ୍ତରରେ ଉଦ୍ୟମପ୍ରତି ପ୍ରଭାବିତ କରିପାରେ । ଭାରତର ବରିଷ୍ଠ ନାଗରିକଙ୍କ ସଂଖ୍ୟା ୨୦୫୦ ସୁଦ୍ଧା ମୋଟ ଜନସଂଖ୍ୟାର ୧୯.୪ ପ୍ରତିଶତରେ ପହଞ୍ଚିବା ଆକଳନ କରାଯାଉଥିବା ସ୍ଥଳେ ବାର୍ଦ୍ଧକ୍ୟ ଜୀବନଚ଼ର୍ଯ୍ୟା ଲାଗି ଆଗୁଆ ଯୋଜନା ପ୍ରଣୟନ ଉଦ୍ୟମ ଜରୁରି ଆବଶ୍ୟକତାରେ ପରିଣତ ହୋଇଛି ।


 

ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଜୁଲାଇ ୨୦୧୯

---

ବାର୍ଦ୍ଧକ୍ୟରେ ଅବକାଶ

ବାର୍ଦ୍ଧକ୍ୟରେ ଉପଲବ୍ଧ ବିଭିନ୍ନ ସୁବିଧା ସୁଯୋଗ ମଧ୍ୟରେ ଅବକାଶ ଅନ୍ୟତମ । ଆଧୁନିକ ଜୀବନଯାତ୍ରାରେ ଦପ୍ତର ଓ କଳକାରଖାନାରେ ନିଯୁକ୍ତ କର୍ମଚାରୀମାନେ ନିର୍ଦ୍ଦିଷ୍ଟ ବୟସସୀମା ଅତିକ୍ରମ କରି କର୍ମକ୍ଷେତ୍ରରୁ ଅବସର ଗ୍ରହଣ ପରେ ଦୀର୍ଘ ଅବକାଶ ଉପଭୋଗ କରିଥାନ୍ତି । ପାରମ୍ପରିକ ଢ଼ାଞ୍ଚାରେ ଗ୍ରାମାଞ୍ଚଳରେ କୃଷିଜୀବୀମାନେ କର୍ମକ୍ଷେତ୍ରରୁ ଓହରିବା ବିଳମ୍ୱିତ ହେବା କାରଣରୁ ଅବକାଶ ପ୍ରଭାବଶୂନ୍ୟ ମନେହୁଏ । ଅପରପକ୍ଷେଗ୍ରାମ୍ୟଜୀବନଯାତ୍ରାରେ ଜୀବନବ୍ୟାପୀ ଊଣା-ଅଧିକ ଅବକାଶର ସୁଯୋଗ ବାର୍ଦ୍ଧକ୍ୟରେ ଗୁରୁତ୍ୱ ବହନ କରିନଥାଏ ।

 

ପରିସଂଖ୍ୟାନ ଅନୁଯାୟୀ ବିଶ୍ୱବ୍ୟାପୀ ଜୀବଦ୍ଦଶା ବୃଦ୍ଧି ସାଙ୍ଗକୁ ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହେବାରେ ଲାଗିଛି । ଫଳରେ ସମାଜରେ ଏକ ବର୍ଦ୍ଧିତ ଜନସଂଖ୍ୟାର ଜୀବନଯାତ୍ରା କ୍ରମଶଃ ସମୀକ୍ଷାର ବଳୟ ପରିସରଭୁକ୍ତ ହେବା ସ୍ୱାଭାବିକ । ବରିଷ୍ଠ ନାଗରିକମାନେ ସେମାନଙ୍କ ଅବକାଶ ସମୟ କିପରି କାଟୁଛନ୍ତି ଏବଂ କିପରି ଉପଯୋଗ କରିବା ଉଚିତ ତଥା ଏଥିଲାଗି କେଉଁସବୁ ଭିତ୍ତିଭୂମି ସାମୂହିକସ୍ତରରେ ସୃଷ୍ଟି କରାଯିବା ଆବଶ୍ୟକ ସେ ସଂପର୍କରେ ଅଧ୍ୟୟନ, ଅନୁଶୀଳନ ଓ ପନ୍ଥା ନିର୍ଦ୍ଧାରଣ ଆବଶ୍ୟକତା ଅନୁଭୂତ ହେଉଛି । ଏ ଦିଗରେ ଚର୍ଚ୍ଚା ଅନ୍ତତଃପକ୍ଷେ ଓଡ଼ିଶା ରାଜ୍ୟରେ ଏକବିଂଶ ଶତାଦ୍ଦୀର ଦ୍ୱିତୀୟ ଦଶକ ଶେଷ ସୁଦ୍ଧା ଅଭିନବ ପ୍ରୟାସ ।

 

ଅବସର ଜୀବନରେ ଅବକାଶ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ । ସଦ୍ୟ ଅବସରପ୍ରାପ୍ତ କର୍ମଜୀବୀଙ୍କମଧ୍ୟରୁ ଅଧିକାଂଶ ସପ୍ତାହକ ୩୦ ଘଣ୍ଟା ଅଭ୍ୟାସଗତ କର୍ମଠ ସମୟ କିପରି ବିତାଇବେ ସେ ଦିଗରେ ଯୋଜନା ପ୍ରସ୍ତୁତ କରି ନଥାନ୍ତି । ସ୍ଥଳବିଶେଷରେ ନିଯୁକ୍ତିରେ ବର୍ଦ୍ଧିତ ସମୟସୀମା କିମ୍ୱା ଅନୁରୂପ ଉଦ୍ୟୋଗରେ ସାମୟିକ ନିଯୁକ୍ତି କିଛି କାଳ ନିମନ୍ତେ କର୍ମଠ ଜୀବନକୁ ଆଗାଇ ନିଏ ସିନା ସମୟାନ୍ତେ ପୁଣି ଏକ ଦୀର୍ଘ ଅବସରର ସାମ୍ନା କରିବା ଅନିର୍ବାଯ୍ୟ ହୋଇପଡ଼େ । କର୍ମ ନିଯୁକ୍ତି ପାଇଁ ପ୍ରସ୍ତୁତିତୁଲ୍ୟ ଅବସର ଜୀବନରେ ଅବକାଶ ବିନିଯୋଗ ଲାଗି ବିଧିବଦ୍ଧ ପୂର୍ବପ୍ରସ୍ତୁତି ଓ ଯୋଜନାବଦ୍ଧ ଉଦ୍ୟମ ଫଳପ୍ରସୂହେବା ଆଶା କରାଯାଇପାରେ । ଅବଶ୍ୟ ଏହି ଦିଗରେ ଚ଼େତନା ପ୍ରସାର ତଥା ବାର୍ଦ୍ଧକ୍ୟର ଜଟିଳ ବାସ୍ତବତା ସଂପର୍କରେ ବ୍ୟକ୍ତିଗତସ୍ତରରେ ଉପଲବ୍ଧି ଆବଶ୍ୟକ ପଡ଼ିଥାଏ ।

 

ଅବସର ଜୀବନରେ ପ୍ରତ୍ୟେକେ ନିଜସ୍ୱ ରୁଚିରେ ଅବକାଶ ସମୟ ଉପଯୋଗ ନିମନ୍ତେ ଦୀର୍ଘକାଳୀନ ଯୋଜନା ପ୍ରସ୍ତୁତ କରିବା ସଂଭବ । ବିକଶିତ ରାଷ୍ଟ୍ରଗୁଡ଼ିକରେ ବରିଷ୍ଠ ନାଗରିକମାନଙ୍କ ଲାଗି ଅର୍ଥଉପାର୍ଜନ -ରହିତ ସ୍ୱେଚ୍ଛାସେବୀଭାବେ ସାମାଜିକ ଅନୁଷ୍ଠାନଗୁଡ଼ିକରେ ସାମୟିକ ଶ୍ରମଦାନର ଭିତ୍ତିଭୂମି ସୃଷ୍ଟି ହୋଇପାରିଛି । ଏତାଦୃଶ କର୍ମସଂସ୍ଥାନ ନିମନ୍ତେ ସାମାଜିକ ଓ ସରକାରୀସ୍ତରରେ ଉଦ୍ୟମ ଆବଶ୍ୟକ ପଡିଥାଏ । ଆମ ଦେଶରେ ସେଭଳି ମାନସିକତା ଏଯାଏଁ ସୃଷ୍ଟି ହୋଇପାରି ନଥିବା ହେତୁ ବରିଷ୍ଠ ନାଗରିକମାନେ ଅବକାଶ ସମୟର ଅର୍ଥପୂର୍ଣ୍ଣ ଉପଯୋଗ ସକାଶେ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି ।

 

ପାରମ୍ପରିକ ଭାବେ ବାର୍ଦ୍ଧକ୍ୟ ଜୀବନର ଏକ ଅନାବଶ୍ୟକ ପର୍ଯ୍ୟାୟ ବିବେଚିତ । ଅନେକ କ୍ଷେତ୍ରରେ ବିକଳାଙ୍ଗଙ୍କ ସହ ବାର୍ଦ୍ଧକ୍ୟକୁ ଯୋଡ଼ି ବରିଷ୍ଠ ନାଗରିକମାନେ ସହାନୁଭୂତିର ପାତ୍ର ରୂପେ ପରିଗଣିତ । ଦୈନନ୍ଦିନ ସାମାଜିକ କ୍ଷେତ୍ରରେ ସେମାନଙ୍କ ଯୋଗଦାନକୁ ଉତ୍ସାହିତ କରାଯାଇ ନଥାଏ । ଅର୍ଥାତ ମୂଳସ୍ରୋତର କର୍ମଠବର୍ଗଙ୍କ ସହ ବରିଷ୍ଠଙ୍କୁ ସମତୁଲ ବିବେଚନା ଅଭାବ । ଶାରିରୀକ ଦୃଷ୍ଟିରୁ ଦୁର୍ବଳତାର ଶୀକାର ହେଲେହେଁ ବରିଷ୍ଠମାନେ ଯେ ଜ୍ଞାନ ଓ ଅଭିଜ୍ଞତାରେ ବଳିଷ୍ଠ, ଏଭଳି ଯୁକ୍ତି ସାଧାରଣତଃ ଗୃହୀତ ହୋଇନଥାଏ । ଅବଶ୍ୟ ଘରୋଇ ଉଦ୍ୟୋଗ, ବୃତ୍ତିଧାରୀ ତଥା ରାଜନୀତିକ ନେତୃତ୍ୱ କ୍ଷେତ୍ରରେ ବରିଷ୍ଠମାନଙ୍କ ଗୁରୁତ୍ୱ ବିକଶିତ ଓ ବିକାଶଶୀଳ ଉଭୟ ଅର୍ଥନୀତିରେ ବଳବତ୍ତର ରହିଥିବା ଦେଖିବାକୁ ମିଳେ ।

 

ଦୁର୍ଭାଗ୍ୟକୁ ଅଳ୍ପୋନ୍ନତ ରାଷ୍ଟ୍ରଗୁଡିକର ବରିଷ୍ଠ ନାଗରିକମାନେ ଚେତନା ଅଭାବରୁ ବାର୍ଦ୍ଧକ୍ୟରେ ଅବକାଶର ସଦବିନିଯୋଗ ସଂପର୍କରେ ଉଦାସୀନ । ମୋଟାମୋଟି ଭାବେ ଅବସର ଜୀବନରେ ଆର୍ଥିକ ଓ ଶାରିରୀକ ସ୍ଥିତି ସଂପର୍କରେ ହିଁ ସମସ୍ତେ ଗୁରୁତ୍ୱ ପ୍ରଦାନ କରିଥାନ୍ତି । ଉପାର୍ଜନ - ରହିତ କାର୍ଯ୍ୟକ୍ରମରେ ଯୋଗଦେବା ନିମନ୍ତେ ଉଚ୍ଚଶିକ୍ଷିତମାନେ ମଧ୍ୟ ନିରୁତ୍ସାହିତ । ଫଳରେ ଅବକାଶ ଆଳସ୍ୟ କିମ୍ୱା ଅନାବଶ୍ୟକ କାର୍ଯ୍ୟ ସଂପୃକ୍ତିରେ କଟେ । ସମୟକ୍ରମେ ଏଭଳି ଜୀବନଧାରା ଅଭ୍ୟାସରେ ପରିଣତ ହୋଇଯାଏ । ଅବକାଶର ସଦବିନିଯୋଗ ଅଭାବରୁ ବ୍ୟକ୍ତିତ୍ୱ ବିକାଶ ସାଙ୍ଗକୁ ସାମାଜିକ ଆୟ ସମ୍ଭବପର ହୁଏ ନାହିଁ ।

 

ସମାଜତତ୍ତ୍ୱବିତମାନେ ପରିବର୍ତ୍ତିତ ପରିବେଶରେ ସାମ୍ପ୍ରଦାୟିକତା ଓ ଲିଙ୍ଗଭେଦ ପରକୁ ବାର୍ଦ୍ଧକ୍ୟ ବିରୋଧି ମନୋଭାବ‘ଏଜିଜମ’କୁ ଅନ୍ୟତମ ସାମାଜିକ ଅନିଷ୍ଟଭାବେ ଚ଼ିହ୍ନଟ କରିଥାନ୍ତି । ବରିଷ୍ଠ ନାଗରିକମାନଙ୍କୁ ଦୁର୍ବଳ ସ୍ୱାସ୍ଥ୍ୟ, ଆର୍ଥିକ ଦୁରବସ୍ଥା, ପୀଡ଼ିତ, ସାଧାରଣ ଜୀବନଯାତ୍ରାରେ ଅକ୍ଷମ ଓ ନିର୍ଭରଶୀଳତାର ପ୍ରତୀକଭାବେ ବିବେଚନା କରାଯିବା ଭଳି ତୃଟିପୂର୍ଣ୍ଣ ସାମାଜିକ ମାନସିକତାର ପରିବର୍ତ୍ତନ ସପକ୍ଷରେ ଯୁକ୍ତି ବାଢ଼ିଥାନ୍ତି । ବୟସଗତ ଭେଦଭାବ ଉର୍ଦ୍ଧ୍ୱରେ ପ୍ରତ୍ୟେକ ମନୁଷ୍ୟ ସ୍ୱତନ୍ତ୍ର ବ୍ୟକ୍ତିତ୍ୱର ଅଧିକାରୀ । ପରିଣତ ବୟସରେ ମଧ୍ୟ ବ୍ୟକ୍ତିତ୍ୱର ବିକାଶ ସମ୍ଭବପର । ସାଧାରଣ ଜୀବନଯାତ୍ରାରେ ସ୍ୱକୀୟ ପ୍ରତିଭା ବିକାଶ ନିମନ୍ତେ ଅନୁକୂଳ ପରିବେଶର ଅଭାବ ଥିବାସ୍ଥଳେ କର୍ମନିଯୁକ୍ତିରୁ ଅବ୍ୟାହତି ପରେ ଦୀର୍ଘ ଅବକାଶ ଉପଯୋଗରେ ଏଥି ନିମନ୍ତେ ପ୍ରଶସ୍ତ ସୁଯୋଗ ସୃଷ୍ଟି କରିପାରେ ।

 

ପାରମ୍ପରିକ ଓଡ଼ିଆ ସମାଜରେ ବରିଷ୍ଠ ନାଗରିକମାନେ ସମ୍ମାନର ଅଧିକାରୀ ହୋଇଥିବା ସ୍ଥଳେ ସେମାନେ ଯେ ସାଧାରଣ ଜୀବନଯାତ୍ରା ଲାଗି ଅନୁପଯୁକ୍ତ ଓ ଦୟାର ପାତ୍ର ଭଳି ମାନସିକତା ବାର୍ଦ୍ଧକ୍ୟରେ ଅର୍ଥପୂର୍ଣ୍ଣ ଅଂଶଗ୍ରହଣରେ ପ୍ରତିବନ୍ଧକ ସାଜିଥାଏ । ପାରିବାରିକସ୍ତରରେ ପିଲାଟି ଦିନୁ ଦୃଢ଼ୀଭୂତ ବାର୍ଦ୍ଧକ୍ୟ ବିରୋଧୀ ମନୋଭାବର ପରିବର୍ତ୍ତନ ଲାଗି ବରିଷ୍ଠ ନାଗରିକମାନେ ଯତ୍ନଶୀଳ ହେବା ଆବଶ୍ୟକ । ପ୍ରଥମତଃ ସେମାନେ ଯୋଜନାବଦ୍ଧ ଭାବେ ନିଜର ସାମାଜିକ ଯୋଗାଯୋଗ, ଯଥା ବନ୍ଧୁ ଏବଂ ପରିଚିତବର୍ଗଙ୍କ ମଧ୍ୟରେ ସଂପୃକ୍ତି ବଢ଼ାଇବା, ଦ୍ୱିତୀୟତଃ ଯୁଗପୋଯୋଗୀ ବିଭିନ୍ନ ପରିବର୍ତ୍ତନ ସହ ନିଜକୁ ସାମିଲ କରିବା ତଥା ତୃତୀୟତଃ ଶାରିରୀକ, ମାନସିକ ସ୍ଥିତାବସ୍ଥା ଓ ଆର୍ଥିକ ସ୍ୱଚ୍ଛଳତା ଜାରୀରଖିବା ପ୍ରତି ଗୁରୁତ୍ୱରୋପ କରିବା ଜରୁରୀ । ବାର୍ଦ୍ଧକ୍ୟରେ ଅବକାଶର ସଦ୍ ବିନିଯୋଗ ଏବଂ ଯୋଜନାବଦ୍ଧ ଉଦ୍ୟମ ବ୍ୟକ୍ତିଗତସ୍ତର ଜୀବନଯାତ୍ରାରେ ଗୁଣାତ୍ମକ ବିକାଶରେ ସହାୟକ ହୋଇପାରେ ।

 

ବର୍ଦ୍ଧିତ ଜୀବଦ୍ଦଶା, ଆର୍ଥିକ ସ୍ୱଚ୍ଛଳତା ଓ ବରିଷ୍ଠ ନାଗରିକ ଜନସଂଖ୍ୟା ବୃଦ୍ଧି କାରଣରୁ ବାର୍ଦ୍ଧକ୍ୟ ପ୍ରତି ସାମାଜିକ ଦୃଷ୍ଟିକୋଣରେ ପରିବର୍ତ୍ତନ ଅବଶ୍ୟମ୍ଭାବୀ । ପିଟର ଲେସଲେଟଙ୍କ ଭଳି ବ୍ରିଟିଶ ବାର୍ଦ୍ଧକ୍ୟ ତତ୍ତ୍ୱବିତମାନେ ଅବସର-ପର ଜୀବନଯାତ୍ରାକୁ ବୟସର ତୃତୀୟ ସୋପାନ ‘ଥାର୍ଡ ଏଜ୍’ ଅଭିହିତ କରିଥାନ୍ତି । ଶୈଶବରେ ଜୀବନଯାତ୍ରା ନିମନ୍ତେ ପ୍ରସ୍ତୁତି ଓ ପ୍ରାପ୍ତବୟସରେ କର୍ମମୟ ଜୀବନ ତଥା ସନ୍ତାନସନ୍ତତି ଲାଳନପାଳନ, ବୟୋଜ୍ୟଷ୍ଠଙ୍କ ଯତ୍ନ ବାଦେ ଅବସର ଗ୍ରହଣ ପରବର୍ତ୍ତୀ ଅବସ୍ଥାରେ ଅବକାଶର ଅର୍ଥପୂର୍ଣ୍ଣ ବିନିଯୋଗ ଜୀବନର ତୃତୀୟ ପର୍ଯ୍ୟାୟକୁ ଋଦ୍ଧିମନ୍ତ କରିପାରେ । ସାଧାରଣ ଜୀବନଯାତ୍ରା ବ୍ୟତିକ୍ରମରେ ଅବସର-ପର ଜୀବନବ୍ୟାପୀ କ୍ରିୟାଶୀଳ ଜୀବନଚ଼ର୍ଯ୍ୟା ‘ଏକ୍ଟିଭ ଏଜିଂ’ଏବଂ ନୂତନ କଳାକୌଶଳ ଶିକ୍ଷା ଗ୍ରହଣ ନୂତନ ଦୃଷ୍ଟିଭଙ୍ଗୀ ଗଢ଼ିତୋଳେ ।

 

ବାର୍ଦ୍ଧକ୍ୟରେ ଉପନୀତ ହେବା ପୂର୍ବରୁ ଆସନ୍ନ-ବାର୍ଦ୍ଧକ୍ୟ ଅବସ୍ଥାରେ ଅବସରରେ ଅବକାଶ ବିନିଯୋଗ ନିମନ୍ତେ ବିଧିବଦ୍ଧ ଯୋଜନା ପ୍ରସ୍ତୁତି ସମୟର ଆହ୍ୱାନ । ପ୍ରାପ୍ତବୟସ୍କଙ୍କ ନିମନ୍ତେ ସଂଗଠିତ କାର୍ଯ୍ୟକ୍ଷେତ୍ର ପ୍ରସ୍ତୁତ ରହିଥିବା ସ୍ଥଳେ ଅବସର ପରବର୍ତ୍ତୀ ଜୀବନରେ ମୁଖ୍ୟତଃ ବ୍ୟକ୍ତିଗତ ରୁଚ଼ି ଅନୁଯାୟୀ କର୍ମନିଯୁକ୍ତି ନିମନ୍ତେ ଅଧିକାଂଶ ବରିଷ୍ଠ ନାଗରିକ ଆଗ୍ରହ ପ୍ରକାଶ କରୁଥିବା ଅବସରରେ ସଂଗଠିତ କାର୍ଯ୍ୟକ୍ଷେତ୍ରର ଅଭାବ ଅନୁଭୂତ ହୋଇଥାଏ । ଅପରପକ୍ଷେ ଲାଭଜନକ ଉଦ୍ୟୋଗ ପରିଚ଼ାଳନା ନିମନ୍ତେ ଆର୍ଥିକ ନିବେଶର ସୁଯୋଗ ସହଜରେ ଉପଲବ୍ଧ ଥିବା ସ୍ଥଳେ ଲାଭ-ରହିତ ‘ନନ-ପ୍ରଫିଟ’ ଉପକ୍ରମର ଉନ୍ମେଷ ଓ ପରିଚାଳନା ଆୟାସସାଧ୍ୟ ପ୍ରମାଣିତ। ଏଭଳି ସମସ୍ୟାଗୁଡ଼ିକର ସମାଧାନ ନିମନ୍ତେ ଉଦ୍ୟମ ବ୍ୟୟବହୁଳ ଓ  ସମୟସାପେକ୍ଷ ହୋଇଥିବା ଯୋଗୁଁ ବିଧିବଦ୍ଧ ବ୍ୟକ୍ତିଗତ ଓ ସାମୂହିକସ୍ତରରେ ଉଦ୍ୟମ ଆବଶ୍ୟକ ।

 

ଶିକ୍ଷା, ସ୍ୱାସ୍ଥ୍ୟସେବା, ଶାନ୍ତିଶୃଙ୍ଖଳା ରକ୍ଷା, ପୌର ପ୍ରଶାସନ ଭଳି ବିଭିନ୍ନ ବିଭାଗରେ ଅଭିଜ୍ଞ ବରିଷ୍ଠ ନାଗରିକମାନଙ୍କ ସାମୟିକ ସେବା ଉପଯୋଗ ନିମନ୍ତେ ସୁଯୋଗ ସୃଷ୍ଟି କରାଯାଇପାରେ । ଏତାଦୃଶ ନିଯୁକ୍ତି ଉପାର୍ଜନ ମୁକ୍ତ କିମ୍ୱା ସାମାନ୍ୟ ପାରିତୋଷିକ ବିତରଣରେ ସୀମିତ ରହିଲେ ଆଗ୍ରହୀ ସ୍ୱେଚ୍ଛାସେବୀଙ୍କୁ ଚ଼ିହ୍ନଟ ତଥା ଦାୟିତ୍ୱ ଅର୍ପଣ ସହଜପ୍ରଦ । ବରିଷ୍ଠ ନାଗରିକଙ୍କ ସଂଖ୍ୟା ବୃଦ୍ଧିକୁ ବିଚାରକୁ ନେଇ ବିକଶିତ ରାଷ୍ଟ୍ରଗୁଡ଼ିକରେ ସେମାନଙ୍କ ଅବକାଶର ସଦ୍ବିନିଯୋଗ ନିମନ୍ତେ ସୁବିଧା ସୁଯୋଗ ସୃଷ୍ଟି କରାଯାଇଥିବାସ୍ଥଳେ ଆମଦେଶରେ ମଧ୍ୟ ଅନୁରୂପ ଉଦ୍ୟମ ଗୁରୁତ୍ୱପୂର୍ଣ୍ଣ । 

ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଅଗଷ୍ଟ ୨୦୧୯

---

ତଥ୍ୟ:

McGuire, Francis A., Rosangela K. Boyd, Megan Janke and Begum Aybar – Damali. Leisure and Aging : Ulyssean Living in Later Life. Urbana, IL : Sagamore Publishing, 2013 (5th Edition).

Marha Nkova, Jaroslava Hasmanova. Leisure in old age : disciplinary practices surrounding the discourse of active ageing. International Journal of Ageing and Later Life, 2011 / 6(1) / 5-32.

ବାର୍ଦ୍ଧକ୍ୟରେ ଅର୍ଥାଭାବ

ଓଡ଼ିଶା ତଥା ଭାରତରେ ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ପରିବାରଙ୍କ ସଂଖ୍ୟା ଅଧିକ ଥିବା ହେତୁ ସେମାନଙ୍କ ଜୀବନର କୌଣସି ନିର୍ଦ୍ଦିଷ୍ଟ ସୋପାନରେ ଦାରିଦ୍ର୍ୟ ଗୁରୁତ୍ୱ ବହନ କରି ନଥାଏ । ସହରାଞ୍ଚଳରେ କର୍ମନିଯୁକ୍ତିରୁ ଅବ୍ୟାହତି ନେଇ ଅବସର ଜୀବନ କଟାଉଥିବା ମଧ୍ୟବିତ୍ତ ପରିବାରଙ୍କ କ୍ଷେତ୍ରରେ ବାର୍ଦ୍ଧକ୍ୟରେ ଅର୍ଥାଭାବ ଚିନ୍ତାର ବିଷୟ । ସାମାଜିକ ଅସମାନତା ବୃଦ୍ଧି ପରିପ୍ରେକ୍ଷୀରେ ରୋଜଗାର-ରହିତ ବରିଷ୍ଠ ନାଗରିକମାନେ ଉତ୍ତର-ବାର୍ଦ୍ଧକ୍ୟରେ ଦାରିଦ୍ର୍ୟ ସମ୍ମୁଖୀନ ହେଉଥିବା ଉଦାହରଣ ଆସନ୍ନ-ବାର୍ଦ୍ଧକ୍ୟ ଜୀବନରେ ଆର୍ଥିକ ସଂଯମ ଆବଶ୍ୟକ କରେ ।

 

କୃଷିଜୀବୀ, ବ୍ୟବସାୟୀ ଓ ବୃତ୍ତିଧାରୀମାନେ ସାଧାରଣତଃ ଶାରିରୀକ ଦୃଷ୍ଟିରୁ ଅକ୍ଷମ ହେବାଯାଏ ରୋଜଗାରରେ ଊଣାଅଧିକେ ସଂପୃକ୍ତ ରହିଥାନ୍ତି । ତେବେ ଚାକିରିଆମାନେ ନିର୍ଦ୍ଦିଷ୍ଟ ବୟସସୀମାରେ ଅବସର ଗ୍ରହଣ ପରେ ପେନସନ କିମ୍ୱା ଆର୍ଥିକ ନିବେଶରୁ ପ୍ରାପ୍ତ ଧନରାଶି ଉପରେ ଦୈନନ୍ଦିନ ଜୀବନଯାତ୍ରା ନିମନ୍ତେ ନିର୍ଭରଶୀଳ । ସରକାରଙ୍କ ଦ୍ୱାରା ବିତରିତ ବାର୍ଦ୍ଧକ୍ୟ ଭତ୍ତାର ପରିମାଣ ବହୁତ କମ ତଥା ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ବ୍ୟକ୍ତିବିଶେଷଙ୍କ ଲାଗି ଉଦ୍ଦିଷ୍ଟ ଥିବା ହେତୁ ଏହାମଧ୍ୟମ ବର୍ଗର ଆର୍ଥିକ ବୋଝକୁ ଲାଘବ କରିବା ସଂଭବପର ନୁହେଁ ।

 

କର୍ମନିଯୁକ୍ତି ସମୟସୀମାରେ ଦୈନନ୍ଦିନ ଜୀବନଯାତ୍ରା ନିମନ୍ତେ ଅର୍ଥ ଭରଣା କରିସାରିବା ପରେ ପ୍ରାୟ ସମସ୍ତେ ଅବସର ଜୀବନ ପାଇଁ କିଛି ସଞ୍ଚୟ କରିଥାନ୍ତି । ସ୍ଥାବର ଓ ଅସ୍ଥାବର ନିବେଶରୁ ନିୟମିତ ଆୟର ଯତ୍ନ ନେଇଥାନ୍ତି । ତେବେ ମୁଦ୍ରାସ୍ପୀତି ଓ ପରିବର୍ତ୍ତିତ ଜୀବନଯାତ୍ରା କାରଣରୁ ସମୟକ୍ରମେ ଖର୍ଚ୍ଚ ବଢ଼ିଚାଲେ । ସ୍ଥଳବିଶେଷରେ ଭଗ୍ନସ୍ୱାସ୍ଥ୍ୟ ଚିକିତ୍ସା ଖର୍ଚ୍ଚ ଯୋଡ଼ିହୁଏ । କର୍ମଠ ଜୀବନରେ ଆନୁପାତିକ ମଜୁରିବୃଦ୍ଧିରେ ପାରିପାର୍ଶ୍ୱିକ ଆର୍ଥିକ ଅସ୍ଥିରତାକୁ ମୁକାବିଲା କରିବା ସଂଭବପର ଥିବା ସ୍ଥଳେ ଅବସର ଜୀବନରେ ଆର୍ଥିକ ନିବେଶରୁ ସ୍ଥିର ରୋଜଗାରରେ ଖର୍ଚ୍ଚ ତୁଲାଇବା ସଂଭବପର ହୁଏ ନାହିଁ ।

 

ଅର୍ଥନୀତିଜ୍ଞମାନେ ଅବସର ଜୀବନରେ ବ୍ୟୟଭାର ସମୀକ୍ଷା କରିବା ନିମନ୍ତେ ହାରାହାରି ବାର୍ଷିକ ପାଞ୍ଚ ପ୍ରତିଶତ ମୁଦ୍ରାସ୍ପୀତି ବିଚାରକୁ ନେଇଥାନ୍ତି । ଅର୍ଥାତ, ୨୦୧୫ରେ ୬୦ ବର୍ଷ ବୟସରେ ଅବସର ଗ୍ରହଣ ସମୟରେ ଏକ ମଧ୍ୟବିତ୍ତ ପରିବାର ଗୃହକର୍ତ୍ତାଙ୍କ ମାସିକ ଘରଖର୍ଚ୍ଚ ହାରାହାରି ୪୦,୦୦୦ ଟଙ୍କା ହିସାବ କରାଗଲେ ୨୦୩୦ରେ ୭୫ ବର୍ଷ ବୟସରେ ପଦାର୍ପଣ କଲାବେଳେ ୧୫ ବର୍ଷ ପରେ ଖର୍ଚ୍ଚ ବୃଦ୍ଧିପାଇ ୮୦,୦୦୦ ଟଙ୍କା ତଥା ୨୦୪୫ରେ ୯୫ ବର୍ଷ ବୟସରେ ପଦାର୍ପଣ କଲାବେଳେ ୩୦ ବର୍ଷପରେ ୧,୬୦,୦୦୦ ଟଙ୍କାରେ ପହଞ୍ଚିବା ସାଧାରଣ ଗଣିତ । ମୋଟାମୋଟି ଭାବେ ବିଂଶ ଶତାଦ୍ଦୀର ଷଷ୍ଠ ଦଶକରେ ଜନ୍ମିତ ବରିଷ୍ଠ ନାଗରିକଙ୍କ ଜୀବଦ୍ଦଶା ୯୦ ରୁ ୯୫ ବର୍ଷ ବା ତତୋଧିକ ଆଶା କରାଯାଇପାରେ । ଆର୍ଥିକ ଯୋଜନା ପ୍ରସ୍ତୁତ କଲାବେଳେ କମ ତୁଳନାରେ ଅଧିକ ଖର୍ଚ୍ଚ ହିସାବକୁ ନେବା ଯେ ବିଜ୍ଞତା ଏଥିରେ କେହି ଅସମ୍ମତ୍ତ ହେବେ ନାହିଁ ।

 

ପ୍ରଶ୍ନ ଉଠେ, ୨୦୧୫ରେ ୬୦ ବର୍ଷ ବୟସରେ ଅବସର ଗ୍ରହଣ କରିଥିବା ବ୍ୟକ୍ତିବିଶେଷଙ୍କ ପେନସନ ଓ ନିବେଶରୁ ମାସିକ ଆୟ ୩୦ ବର୍ଷ ପରେ  ୧,୬୦,୦୦୦ ଟଙ୍କା ସୀମାରେ ପହଞ୍ଚିବା ହିସାବ କରାଯାଇପାରୁଛି କି ? ଯଦି ହଁ ତେବେ ଭଲ କଥା । ମୁଦ୍ରାସ୍ପୀତି ସହ ଆନୁସଙ୍ଗିକ ଅସ୍ଥିରତାଜନିତ ବ୍ୟୟ ଓ ଆୟ କ୍ଷେତ୍ରରେ ସମ୍ଭାବ୍ୟ ସମତୁଲ ରକ୍ଷା ହୁଏତ ସଂଭବପର । ଯଦି ନାଁ, ତେବେ ସଂପୃକ୍ତ ଗୃହକର୍ତ୍ତାଙ୍କ ପକ୍ଷେ ଉତ୍ତର-ବାର୍ଦ୍ଧକ୍ୟରେ ପହଞ୍ଚିବା ଯଥେଷ୍ଟ ପୂର୍ବରୁ ଜୀବନଯାତ୍ରାର ମାନ କାଟଛାଟ କରିବା ଭିନ୍ନ ଅନ୍ୟ ରାସ୍ତା ନାହିଁ । କାରଣ ଅବସର ଜୀବନରେ ଆର୍ଥିକ କ୍ଷେତ୍ରରେ କୌଣସି ଅଲୌକିକ ଘଟଣା ଆଶା କରାଯାଇପାରେନା । ଅନ୍ୟ ଉପରେ ନିର୍ଭରଶୀଳତା ଏକ ବାଜି । ବିଭିନ୍ନ କାରଣରୁ ସୃଷ୍ଟ ପ୍ରତିକୂଳ ପରିବେଶରେ ଏଭଳି ବାଜି ହାରିବା ଉଦାହରଣର ଅଭାବ ନାହିଁ ।

 

ବାର୍ଦ୍ଧକ୍ୟରେ ଆର୍ଥିକ ଦୃଷ୍ଟିରୁ ସ୍ଥାୟୀ ପାଣ୍ଠି ସର୍ବାଧିକ ଗୁରୁତ୍ୱ ବହନ କରିଥାଏ । ଟିପ୍ପଣୀ ଶୁଣିବାକୁ ମିଳେ ମୃତ୍ୟୁପରେ ଜୀବନବ୍ୟାପୀ ଯତ୍ନରେ ସଞ୍ଚିତ ପାଣ୍ଠି ସଂପୃକ୍ତ ବ୍ୟକ୍ତିପକ୍ଷେ ନିରର୍ଥକ । କିନ୍ତୁ ବୁଝିବାକୁ ପଡ଼ିବ ଯେ ଶେଷ ନିଶ୍ୱାସ ନେବାଯାଏଁ ଖର୍ଚ୍ଚ ଆବଶ୍ୟକ । ବାର୍ଦ୍ଧକ୍ୟରେ ବ୍ୟୟ ଭରଣା ନିମନ୍ତେ ସ୍ଥାବର ସମ୍ପତ୍ତି ବିକ୍ରିବଟାକୁ ରୋକିବା ତଥା ଅସ୍ଥାବର ସମ୍ପତ୍ତି ଅନ୍ୟକୁ ହସ୍ତାନ୍ତର ନକରିବା ବୁଦ୍ଧିମାନ କାର୍ଯ୍ୟ । ଅନ୍ୟମାନଙ୍କ ଜୀବନରେ ଦେଖା ଯାଉଥିବା ଆର୍ଥିକ କ୍ଷେତ୍ରରେ ପ୍ରତାରଣାର ଉଦାହରଣ ନିଜ ପାଇଁ ପ୍ରଯୁଜ୍ୟ ନୁହେଁ ବୋଲି ଧରିନେବା ଭ୍ରାନ୍ତ ଧାରଣା ।

 

ଅବସର ଜୀବନରେ ନିଶ୍ଚିତ ଆୟ ଆବଶ୍ୟକ । ଯୁକ୍ତରାଷ୍ଟ୍ର ଆମେରିକା ଭଳି ବିକଶିତ ରାଷ୍ଟ୍ରଗୁଡ଼ିକରେ ୬୫ ବର୍ଷୋତ୍ତର ବ୍ୟକ୍ତିବିଶେଷ ସାମାଜିକ ସୁରକ୍ଷା ମାଧ୍ୟମରେ ପେନସନର ହକଦାର । ତେବେ ଆମ ଦେଶରେ କେବଳ ସରକାରୀ କର୍ମଚାରୀ ଓ ରାଷ୍ଟ୍ରାୟତ ନିର୍ଦ୍ଦିଷ୍ଟ କେତେକ ପ୍ରତିଷ୍ଠାନର କର୍ମଚାରୀଙ୍କଭିନ୍ନ ଅନ୍ୟମାନେ ପେନସନର ସୁବିଧା ପାଇପାରି ନଥାନ୍ତି । ଜମିବାଡ଼ି, ଗୃହ ଭଳି ସ୍ଥାବର ସମ୍ପତ୍ତିରୁ ଆୟ ସହ ବ୍ୟାଙ୍କରେ ଜମା, ସେୟାର ବଜାରରେ ନିବେଶ ନିରନ୍ତର ଆୟର ଅନ୍ୟତମ ଉତ୍ସ । ଏହା ସାଙ୍ଗକୁ ମଧ୍ୟବିତ୍ତ ପରିବାରବର୍ଗ ପବ୍ଳିକ ପ୍ରୋଭିଡ଼େଣ୍ଡ ଫଣ୍ଡ, ଇନସ୍ୟୁରାନ୍ସ ଓ ଏନ୍ୟୁଇଟି ଭଳି ଅବସର ଉପଯୋଗୀ ଆୟ ନିମନ୍ତେ ମଧ୍ୟ ଆର୍ଥିକ ନିବେଶ କରିଥାନ୍ତି ।

 

ଆର୍ଥିକ ପରାମର୍ଶଦାତାମାନେ ଅବସର ଜୀବନରେ ନିଶ୍ଚିତ ଆୟ ନିମନ୍ତେ ଅବସର ପୂର୍ବବର୍ତ୍ତୀ ସମୟ ଭଳି ଅବସର ପରବର୍ତ୍ତୀ ଜୀବନରେ ମଧ୍ୟ ନିବେଶ ନିମନ୍ତେ ଗୁରୁତ୍ୱ ପ୍ରଦାନ କରିଥାନ୍ତି । ଅବସର ଜୀବନରେ ପର୍ଯ୍ୟଟନ, ସ୍ୱାସ୍ଥ୍ୟଗତ ଚିକିତ୍ସା ଖର୍ଚ୍ଚ ତଥା ପାରିପାର୍ଶ୍ୱିକ ଅର୍ଥନୀତିକ ବିଶୃଙ୍ଖଳାକୁ ମୁକାବିଲା କରିବା ନିମନ୍ତେ ବାର୍ଦ୍ଧକ୍ୟରେ ଆର୍ଥିକ ସ୍ୱଚ୍ଛଳତା ସାଙ୍ଗକୁ ଖର୍ଚ୍ଚ ପାଇଁ ତୁରନ୍ତ ସହଜରେ ଉପଲବ୍ଧ ପାଣ୍ଠିରସୁବିଧାସୁଯୋଗ ଉନ୍ମୁକ୍ତ ରଖିବା ନିମନ୍ତେ କହିଥାନ୍ତି । ଉଦାହରଣରେ କୋଠାବାଡ଼ିରେ ନିବେଶ ଆକସ୍ମିକ ଗୁରୁତର ସ୍ୱାସ୍ଥ୍ୟ ଅବନତିରେ ଶଯ୍ୟାଶୀୟୀ ଅବସ୍ଥାରେ ବିକ୍ରୀବଟା ସହଜ ନ ହୋଇପାରେ । ଏହି କାରଣରୁ ହାତରେ ପର୍ଯ୍ୟାପ୍ତ ଧନରାଶି ଉପଲବ୍ଧ ରଖିବା ତଥା ସେଥିରୁ ନିବେଶଗତ ଆୟ ସଂଭବପର ପନ୍ଥା ଉପଯୋଗ କରିବାକୁ ପଡିଥାଏ ।

 

ମଧ୍ୟବିତ୍ତ ବର୍ଗଙ୍କ ଜୀବଦ୍ଦଶା ଅବସର ଗ୍ରହଣ ପରବର୍ତ୍ତୀ ୨୦ ରୁ ୨୫ କିମ୍ୱା ୩୦ ରୁ ୩୫ ବର୍ଷ ଯାଏଁ ବିସ୍ତୃତି ଆଶା କରାଯାଏ । ବ୍ୟକ୍ତିଗତ କ୍ଷେତ୍ରରେ ଜୀବଦ୍ଦଶା ଆକଳନ ନିମନ୍ତେ ବିଜ୍ଞାନସମ୍ମତ୍ତ  ସୂତ୍ର ଉପଲବ୍ଧ ନଥିଲେ ହେଁ ସାମୂହିକ ଓ ବଂଶଗତ ଜୀବଦ୍ଦଶାରମାନ ବିଚାରକୁ ନେଇ ବାର୍ଦ୍ଧକ୍ୟ ଅର୍ଥନୀତି ପ୍ରସ୍ତୁତି ବିଶ୍ୱାସଯୋଗ୍ୟ । ବାସ୍ତବତାରେ ଜୀବନର ବିଭିନ୍ନ ସୋପାନ ତୁଳନାରେ ବାର୍ଦ୍ଧକ୍ୟ ଜୀବନଯାତ୍ରା ରହସ୍ୟମୟ । ଆୟ ସଂକୋଚନ, ଶାରିରୀକ ଦୁର୍ବଳତା, ପ୍ରିୟଜନଙ୍କ ବିୟୋଗ, ପରିବର୍ତ୍ତିତ ପରିବେଶ ସହ ନିଜକୁ ଖାପ ନଖୁଆଇପାରିବା ଭଳି ନକାରାତ୍ମକ ପ୍ରଭାବ ଦୁର୍ଦ୍ଦଶାର କାରଣ ପାଲଟିଥାଏ । ଏଗୁଡ଼ିକର ମୁକାବିଲା କରିବା ନିମନ୍ତେ ବାର୍ଦ୍ଧକ୍ୟରେ ଆର୍ଥିକ ସ୍ୱଚ୍ଛଳତା ଅପରିହାର୍ଯ୍ୟ ।

 

ବାର୍ଦ୍ଧକ୍ୟ ଅର୍ଥନୀତି ପ୍ରସ୍ତୁତ କଲାବେଳେ ବିଭିନ୍ନ ସୂତ୍ରରୁ ଆୟ ସହ ବ୍ୟୟର ତାଲିକା ହିସାବକୁ ନିଆଯାଇଥାଏ । ଏହା ଯେତେ ମାତ୍ରାରେ ବାସ୍ତବଧର୍ମୀ ହେବ ସେତେ ଭଲ । ଆୟ ବୃଦ୍ଧି ନିମନ୍ତେ ସଞ୍ଚୟ ଓ ନିବେଶ ସହ ସେଗୁଡ଼ିକର ସୁପରିଚାଳନା ପ୍ରତି ଧ୍ୟାନ ଦେବାକୁ ପଡେ ।ଓଡ଼ିଶା ଭଳି ଅର୍ଥନୀତିକ କାରବାରରେ ପଛୁଆ ରାଜ୍ୟରେ ଜମିବାଡ଼ି ଓ ଗୃହନିର୍ମାଣ ଇତ୍ୟାଦି ସ୍ଥାବର ସମ୍ପତ୍ତି ସୃଷ୍ଟିକୁ ପ୍ରାଥମିକତା ଦିଆଯାଇଥାଏ । ତେବେ ବରିଷ୍ଠ ନାଗରିକମାନେ ବ୍ୟକ୍ତିଗତଭାବେ ସେଗୁଡ଼ିକର ପରିଚାଳନାରୁ ଓହରିଯିବାପରେ ଆର୍ଥିକ ଦୁଃସ୍ଥିତିର ସମ୍ମୁଖୀନ ହେଉଥିବା ଉଦାହରଣ ଦେଖିବାକୁ ମିଳେ । ଅନେକ କ୍ଷେତ୍ରରେ ଅର୍ଥାଭାବ ହେତୁ ସ୍ୱାସ୍ଥ୍ୟସେବା ଓ ଉନ୍ନତ ଜୀବନଯାତ୍ରାର ଖର୍ଚ୍ଚ ଭରଣା କଷ୍ଟସାଧ୍ୟ ପ୍ରମାଣିତ ହୁଏ ।

 

ବାର୍ଦ୍ଧକ୍ୟ ଅର୍ଥନୀତିରେ ନିଶ୍ଚିତ ଆୟ ଓ ସମ୍ଭାବ୍ୟ ବ୍ୟୟକୁ ବିଚାରକୁ ନେଇ ସମତୁଲ ବଜେଟ ପ୍ରସ୍ତୁତି ବିଧେୟ । ସମ୍ବଳ ଅନୁଯାୟୀ ବ୍ୟକ୍ତିଗତସ୍ତରରେ ଜୀବନଯାତ୍ରା ନିୟନ୍ତ୍ରଣ କଲେ ଅନିଶ୍ଚିତତାରୁ ମୁକ୍ତି ମିଳେ । ସାଧାରଣତଃ ବାର୍ଦ୍ଧକ୍ୟରେ କେବଳ ସଞ୍ଚିତ ଧନ ଖର୍ଚ୍ଚ କରିବାରେ ସୀମିତ ଥିବା ହେତୁ ହିସାବକିତାବ ଅପରିହାର୍ଯ୍ୟ । ପ୍ରଗଳ୍ଭ ଖର୍ଚ୍ଚ ପାଇଁ ତାଲିକାରେ କିଛି ଅଂଶ ସୂଚ଼ିତ କରାଯାଇପାରେ, କିନ୍ତୁ ଏହା ସୀମାବଦ୍ଧ ହେବା ଉଚିତ । ପ୍ରିୟଜନଙ୍କୁ ସୁବିଧାଅସୁବିଧାରେ ଆର୍ଥିକ ସହାୟତା ଦେବା ଉତ୍ତମ, କିନ୍ତୁ ଏଥିଲାଗି ଆୟର ସୂତ୍ର ନିର୍ଦ୍ଧାରଣ ନ କରିପାରିଲେ ଭବିଷ୍ୟତରେ ନିଜକୁ ସହାୟତାର ପ୍ରାର୍ଥୀ ରୂପେ ଦଣ୍ଡାୟମାନ ହେବା ସମ୍ଭାବନାକୁ ଏଡ଼ାଇ ଦେଇ ହୁଏ ନାହିଁ ।

 

 

ଅର୍ଥନୀତି ପରାମର୍ଶଦାତାମାନେ ଅବସର ଜୀବନରେ ଦୈନନ୍ଦିନ ଘରକରଣା ଖର୍ଚ୍ଚ ଅବସର-ପୂର୍ବ ହାରାହାରି ମାସିକ ଖର୍ଚ୍ଚର ୮୦ ପ୍ରତିଶତ ହିସାବ କରିଥାନ୍ତି । ତେବେ ଏଥିରେ ବାର୍ଷିକଭିତ୍ତିରେ ମୁଦ୍ରାସ୍ପୀତି ସହ ସମ୍ଭାବ୍ୟ ସ୍ୱାସ୍ଥ୍ୟହାନୀରେ ଚିକିତ୍ସା, ଉତ୍ସବାନୁଷ୍ଠାନ ଆୟୋଜନ, ପ୍ରିୟଜନଙ୍କୁ ଆର୍ଥିକ ସହାୟତା ଓ ପର୍ଯ୍ୟଟନ ଭଳି ଖର୍ଚ୍ଚ ଯୋଡ଼ିବା ଆବଶ୍ୟକ । ଯେଉଁମାନେ ଉତ୍ତର-ବାର୍ଦ୍ଧକ୍ୟରେ ଅବସର ବିହାର ଭଳି ସହାୟତାଯୁକ୍ତ ଜୀବନଯାତ୍ରା ‘ଆସିଷ୍ଟେଡ ଲିଭିଂ’ରେ ବସବାସ କରିବା ଲାଗି ମନସ୍ଥ କରିଥାନ୍ତି ସେଭଳି ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ ହେବା ନିମନ୍ତେ ଦ୍ୱିତୀୟ ଗୃହ କିଣା ବାବଦରେ ପର୍ଯ୍ୟାପ୍ତ ଆର୍ଥିକ ନିବେଶ ଆବଶ୍ୟକ ପଡିଥାଏ । ଏହି ସବୁ ବ୍ୟୟ ପୂର୍ବପ୍ରସ୍ତୁତି ବିନା ସମ୍ଭବର ନୁହେଁ । ଏତଦ୍ବ୍ୟତୀତ ଅବସର ଜୀବନରେ ଆୟକରରୁ ମୁକ୍ତି ନଥିବା ସ୍ଥଳେ ସେବାବଦରେ ଆୟର ୨୦ ରୁ ୩୦ ଭାଗ ବ୍ୟୟ ସୁନିଶ୍ଚିତ । ମୋଟାମୋଟି ଭାବେ ମଧ୍ୟବିତ୍ତ ପରିବାର ଗୃହକର୍ତ୍ତାଙ୍କ ପକ୍ଷେ ଅବସର ଜୀବନରେ ଖର୍ଚ୍ଚ କର୍ମନିଯୁକ୍ତ ଜୀବନ ଠାରୁ କିଛି କମ ନୁହେଁ ବୋଲି ଧରି ନିଆଯାଇପାରେ ।

 

ଅବସର ଜୀବନଯାତ୍ରାରେ ବିତ୍ତୀୟ ପରିଚାଳନା ଲାଗି ନୀତି ନିର୍ଦ୍ଧାରଣ ସାଙ୍ଗକୁ ଅବସର ସମୟ କିପରି ଅତିବାହିତ ହେବ ସେଥି ନିମନ୍ତେ ଯୋଜନା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ପ୍ରତ୍ୟେକ ଯୋଜନା ପ୍ରଣୟନ ପୂର୍ବ ପ୍ରସ୍ତୁତି, ପରୀକ୍ଷାନିରୀକ୍ଷା ଓ ସଂଶୋଧନ ଆବଶ୍ୟକ କରିଥାଏ । ଅବସର ଜୀବନର ଦୁରୋପଯୋଗ ଶାରିରୀକ ଓ ମାନସିକ ସ୍ୱାସ୍ଥ୍ୟହାନୀର ପ୍ରମୁଖ କାରଣ । ଏଭଳି ପରିସ୍ଥିତିର ମୁକାବିଲା ନିମନ୍ତେ ବ୍ୟୟ ଆର୍ଥିକ ଅସ୍ଥିରତାକୁ ଟାଣିଆଣେ । ବ୍ୟକ୍ତିଗତ ଓ ସାମୂହିକ ଜୀବନର ଗୁଣାତ୍ମକ ବିକାଶ ନିମନ୍ତେ ପ୍ରଶସ୍ତ କାର୍ଯ୍ୟକ୍ଷେତ୍ର ଉନ୍ମୁକ୍ତଥିବା ସ୍ଥଳେ ଚେତନା ଅଭାବରୁ ଅନେକ ବରିଷ୍ଠ ନାଗରିକ ଗୃହାବଦ୍ଧ ଓ ବିରକ୍ତିକର ଜୀବନ ଯାପନରେ ଅଭ୍ୟସ୍ତ ହୋଇପଡ଼ନ୍ତି । ଆୟ-ରହିତ କର୍ମନିଯୁକ୍ତି ‘ଭଲିଣ୍ଟରିଜିମ’ ବିକଶିତ ରାଷ୍ଟ୍ରଗୁଡିକରେ ସୁସଂହତ ଧାରାରେ ପରିଣତ ହୋଇସାରିଥିବା ସ୍ଥଳେ ଆମେ ଓଡ଼ିଶାରେ ନ’ଅଙ୍କ ଦୁର୍ଭିକ୍ଷ ପୂର୍ବବର୍ତ୍ତୀ ମାନସିକତାରେ ଆବଦ୍ଧ ରହିଛୁ । ଏ ଦିଗରେ ଚେତନା ପ୍ରସାର ସାଙ୍ଗକୁ ସୁବିଧାସୁଯୋଗ ସୃଷ୍ଟି ନିମନ୍ତେ ସରକାରୀ ଓ ବେସରକାରୀସ୍ତରରେ ଉଦ୍ୟମ ଜରୁରୀ ।

 

ବ୍ୟକ୍ତିଗତ ସ୍ତରରେ ଅବସର ଜୀବନ ଜନିତ ଅର୍ଥନୀତିକଯୋଜନା ପ୍ରଣୟନ ନିମନ୍ତେ ବିକଶିତ ରାଷ୍ଟ୍ରଗୁଡ଼ିକରେ ବୃତ୍ତିଧାରୀ ପରାମର୍ଶଦାତାମାନେ ଉପଲବ୍ଧ । ଓଡ଼ିଶା ତଥା ଭାରତ ଆର୍ଥିକ ଦୃଷ୍ଟିରୁ ଅନଗ୍ରସର ହେଲେ ହେଁ ଏଠାକାର ବରିଷ୍ଠ ନାଗରିକମାନେ ମଧ୍ୟ ଯୋଜନାବଦ୍ଧ ଅର୍ଥନୀତିକ ଆଭିମୁଖ୍ୟ ଅଭାବରୁ ବିପଦର ସମ୍ମୁଖୀନ ହେବା ସ୍ୱାଭାବିକ । ସ୍ଥଳବିଶେଷରେ ଏଠାକାର ବରିଷ୍ଠ ନାଗରିକଙ୍କ ଆର୍ଥିକ ଦୁର୍ଦ୍ଦଶା ବିକଶିତ ରାଷ୍ଟ୍ର ତୁଳନାରେ ଗୁରୁତର ହୋଇପାରେ । ତେବେ ଏହି ଦିଗରେ ଆବଶ୍ୟକୀୟ ଚେତନା ଅଭାବ ଅନୁଭୂତ ହୁଏ । ଦାରିଦ୍ର୍ୟ ବାର୍ଦ୍ଧକ୍ୟରେ ଦରିଦ୍ରତମ ଅବସ୍ଥାକୁ ଟାଣିନିଏ । ଅନ୍ତତଃପକ୍ଷେ ଏକବିଂଶ ଶତାଦ୍ଦୀରେ ଆମେ ବାର୍ଦ୍ଧକ୍ୟରେ ଅର୍ଥାଭାବ ନିରାକରଣ କ୍ଷେତ୍ରରେ ଭାଗ୍ୟକୁ ଆଦରି ବସିଯିବା ଅନୁଚିତ।


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଅଗଷ୍ଟ ୨୦୧୯

 ­---

ପରିତ୍ୟାଗ ନିଷ୍ପତ୍ତି

ଜୀବନକାଳରେ ବିଭିନ୍ନ କ୍ଷେତ୍ରରେ ପରିତ୍ୟାଗ ନିଷ୍ପତ୍ତି ଗ୍ରହଣ ତୁଳନାରେ ବାର୍ଦ୍ଧକ୍ୟରେ କଠିନ ବିଚାର କରାଯାଏ । ସାଧାରଣରେ ବାର୍ଦ୍ଧକ୍ୟ ମୃତ୍ୟୁ ସମୀପ ବିବେଚ଼ିତ ହେଉଥିବା ହେତୁ କୌଣସି ବିଷୟ ପରିତ୍ୟାଗ କରି ନୂତନ କ୍ଷେତ୍ରରେ ମନୋନିବେଶ ଆଶ୍ୱସ୍ତିକର ବୋଧ ହୋଇଥାଏ । ତେବେ ପରିତ୍ୟାଗର ବ୍ୟାବହାରିକ ଦିଗରେ ଗବେଷଣାରେ ନିୟୋଜିତ ବିଶେଷଜ୍ଞମାନେ ସମସ୍ତ ବୟସବର୍ଗରେ ଅପସାରଣ ପ୍ରକ୍ରିୟାକୁ ପ୍ରୋତ୍ସାହିତ କରିଥାନ୍ତି । ସଂପର୍କ, ଆଭିମୁଖ୍ୟ, ପରିବେଶ ପ୍ରତିକୂଳ ସାବ୍ୟସ୍ତ ହେଲେ ବ୍ୟକ୍ତିଗତସ୍ତରରେ ନୂତନ ବନ୍ଧୁତ୍ୱ, ବିକଳ୍ପ ବିଚାରଧାରା ବା ଭିନ୍ନ ପରିବେଶକୁ ଅପସାରଣ ହିତକର ସମ୍ଭାବନାକୁ ମଧ୍ୟ ଏଡାଇଦେଇ ହୁଏନାହିଁ ।

 

ମାର୍କିନ ଲେଖିକା ଆନି ଡ୍ୟୁକ୍ ‘କୁଇଟ : ଦି ପାୱାର ଅଫ ନୋଇଁ ୱେନ ଟୁ ୱାକ ଏୱେ’ ପୁସ୍ତକରେ ଜୀବନରେ ପରିତ୍ୟାଗ ନିଷ୍ପତ୍ତିର ମହତ୍ୱ ବର୍ଣ୍ଣନା କରିଛନ୍ତି । ଆନି ବୃତ୍ତିରେ ଜଣେ ମନସ୍ତତ୍ତ୍ୱବିତ । ସେ ମୁଖ୍ୟତଃ ନିଷ୍ପତ୍ତି ଗ୍ରହଣ ପରାମର୍ଶଦାତା ‘ଡ଼େସିସେନ-ମେକିଂ କନସଲଟେଣ୍ଟ’ ଭାବେ ପରିଚ଼ିତ । ଏତଦବ୍ୟତୀତ ତାସ ଖେଳାଳି ‘ପୋକର ପ୍ଳେୟାର’ ରୂପେ ଦୀର୍ଘ ଅଭିଜ୍ଞତା ପରେ ୨୦୨୦ରେ ଅବସର ଗ୍ରହଣ ଘୋଷଣା କରିଥିଲେ ।

 

ଡ୍ୟୁକ୍ ପିତା ମାତା ଉଭୟ ଶିକ୍ଷକତା କରୁଥିଲେ । ସେମାନଙ୍କ ତାସ ଖେଳ ସଉକ ଥିଲା । ଡ୍ୟୁକ୍ ପିଲାଟି ଦିନୁ ଭାଇଭାଉଣୀଙ୍କ ସହ ତାସ ଖେଳ ପ୍ରତି ଆକୃଷ୍ଟ ହୋଇପଡ଼ିଥିଲେ । ପେନସିଲଭେନିଆ ବିଶ୍ୱବିଦ୍ୟାଳୟରେ ଶୈଶବରେ ମାତୃଭାଷା ଶିକ୍ଷା ସଂପର୍କରେ ପିଏଚ଼.ଡ଼ି ଗବେଷଣା ନିବନ୍ଧ ପ୍ରସ୍ତତି ସାରି ଉପାଧି ଗ୍ରହଣ ନିମନ୍ତେ ଚୂଡ଼ାନ୍ତ ପରୀକ୍ଷା ‘ଡ଼ିଫେଣ୍ଡ ଏଜାମିନିସନ’ରେ ସମ୍ମୁଖୀନ ହେବା ମାତ୍ର ମାସକ ଆଗରୁ ଶିକ୍ଷାୟତନ ଛାଡ଼ି ଡ୍ୟୁକ୍ ୧୯୯୧ରେ ବୃତ୍ତିଧାରୀ ପୋକର ଖେଳାଳିଭାବେ ଅବତୀର୍ଣ୍ଣ ହେଲେ । ଜଣେ ମହିଳା ଖେଳାଳିରୂପେ ସେ ଖ୍ୟାତି ଲାଭ କରି ୨୦୧୨ରୁ ପ୍ରାୟତଃ ଅପସରି ଯାଇଥିଲେ । ଡ୍ୟୁକ୍ ବ୍ୟକ୍ତିଗତ ଜୀବନରେ ଶିକ୍ଷାୟତନ ଓ ତାସଖେଳରୁ ଅଚାନକ ବିଦାୟ ଦୁଇ ଉଲ୍ଲେଖନୀୟ ବିଷୟ ।

 

ଡ୍ୟୁକ୍ ୧୯୯୨ ରୁ ୨୦୦୪ ବାର ବର୍ଷର ବୈବାହିକ ଜୀବନରେ ଚାରିଗୋଟି ସନ୍ତାନର ଜନନୀ । ସେ ପୁସ୍ତକ ରଚନା ସମେତ ଟେଲିଭିଜନ କାର୍ଯ୍ୟକ୍ରମ ପ୍ରଯୋଜନା, ବଦାନ୍ୟ ସଂଗଠନ ଭଳି କାର୍ଯ୍ୟରେ ସଂପୃକ୍ତ । ଡ୍ୟୁକ୍ ‘କୁଇଟ’ ପୁସ୍ତକ ଅକ୍ଟୋବର ୨୦୨୨ରେ ପ୍ରକାଶିତ ହେବାପରେ ଆନ୍ତର୍ଜାତିକସ୍ତରରେ ମୁଖ୍ୟତଃ ମହାମାରୀ ପ୍ରପୀଡ଼ିତ ବ୍ୟବସାୟ ଓ କର୍ମଚାରୀଙ୍କ ମଧ୍ୟରେ ଲୋକପ୍ରିୟତା ହାସଲ କରିଥିଲା । କାରିଗରୀ କୌଶଳ କ୍ଷେତ୍ରରେ ଦୃତ ବିକାଶ, ମହାମାରୀଜନିତ ବିଘଟନ ଏବଂ ମହାମାରୀ-ପର ଅବସ୍ଥାରେ ପୂର୍ବ-ୟୁରୋପରେ ଯୁଦ୍ଧ ହେତୁ ବ୍ୟାବସାୟିକ ଆଭିମୁଖ୍ୟ ପରିବର୍ତ୍ତନ ଜରୁରୀ ହୋଇପଡୁଥିବା ଅବସରରେ ଡ୍ୟୁକ୍ ପୁସ୍ତକ ଏକରକମ ଅଭୟବାଣୀ ପ୍ରଦାନ କରିବାରେ ସମର୍ଥ ହୋଇଥିବା କହିବାକୁ ହେବ ।

 

ପାରମ୍ପରିକ ବିଚାରଧାରା ପରିତ୍ୟାଗ-ବିରୋଧୀ । କୁହାଯାଏ ଯେ ପରିତ୍ୟାଗ ପଳାୟନପନ୍ଥୀ । ଶ୍ରମ, ସମୟ ଓ ଅର୍ଥ ବିନିଯୋଗରେ ବିକଶିତ ବିଷୟ ପରିତ୍ୟାଗ କଲେ ନିବେଶ ବୃଥାରେ ଯାଇଥାଏ । ପଳାୟନପନ୍ଥୀ ଜିତେ ନାହିଁ । ବିଜେତା ପଳାୟନ କରେନାହିଁ । କିନ୍ତୁ ପରିବର୍ତ୍ତିତ ପରିବେଶରେ କୁହାଯାଉଛି ସ୍ଥିତାବସ୍ଥାକୁ ଜାବୁଡ଼ି ଧରି ବସିଲେ ସଫଳତା ମିଳେ ନାହିଁ, ସଫଳତା ହାସଲ ନିମନ୍ତେ ସଠିକ ଧାରା ଚ଼ିହ୍ନଟ କରି ଅଗ୍ରସର ହେବା ତଥା ଅଦରକାରୀ ତତ୍ତ୍ୱରୁ ଦୂରେଇ ଯିବା ବୁଦ୍ଧିମାନ କାର୍ଯ୍ୟ ।

 

ଡ୍ୟୁକ୍ ନିଜ ପୁସ୍ତକ ଆରମ୍ଭରେ ମୁଷ୍ଠିଯୋଦ୍ଧା ମହମ୍ମଦ ଅଲ୍ଲୀଙ୍କ ଜୀବନୀ ତର୍ଜମା କରିଛନ୍ତି । ଅପ୍ରତ୍ୟାଶିତଭାବେ ୧୯୭୪ରେ ମହମ୍ମଦ ଅଲ୍ଲୀ ଆନ୍ତର୍ଜାତିକସ୍ତରରେ ସର୍ବଶ୍ରେଷ୍ଠ ମୁଷ୍ଠିଯୋଦ୍ଧା ରୂପେ ପରିଗଣିତ ହେଲେ । ସେତେବେଳକୁ ତାଙ୍କରି ବୟସ ମାତ୍ର ୩୨ ବର୍ଷ । ପରବର୍ତ୍ତୀ ଅବସ୍ଥାରେ ସେ କ୍ରମାଗତ ପରାଜିତ ହୋଇଚାଲିଲେ । ତାଙ୍କରି ଶୁଭେଚ୍ଛୁମାନେ ମୁଷ୍ଠିଯୁଦ୍ଧରୁ ଅବସରଗ୍ରହଣ ନିମନ୍ତେ ପ୍ରବର୍ତ୍ତାଇଲେ । କିନ୍ତୁ ସେ କାହାରି ଉପଦେଶ ନଶୁଣି ଖେଳ ଜାରୀ ରଖିଲେ । ଏହି କାରଣରୁ ମୁଷ୍ଠିଯୋଦ୍ଧା ଭାବେ ତାଙ୍କରି ସୁନାମରେ କେବଳ ଆଞ୍ଚ ଆସିନଥିଲା ବରଂ ଶାରୀରିକସ୍ତରରେ ପାରକିନସନ୍ସ ଭଳି ରୋଗାକ୍ରାନ୍ତ ହୋଇପଡ଼ିଥିଲେ ।

 

‘କୁଇଟ’ ପୁସ୍ତକରେ ଏଭେରେଷ୍ଟ ଶୃଙ୍ଗ ଆରୋହଣ ଅଭିଜ୍ଞତାର ମଧ୍ୟ ଉଦାହରଣ ପ୍ରଦାନ କରାଯାଇଛି । ସାଧାରଣରେ ଏଭେରେଷ୍ଟ ଶୃଙ୍ଗ ଆରୋହଣ ନିମନ୍ତେ ପ୍ରସ୍ତୁତ ଆରୋହୀମାନେ ପୂର୍ବ ଦିନ ମଧ୍ୟରାତ୍ରୀରେ ଶିବିରରୁ ଅଭିଯାନ ଆରମ୍ଭ କରିଥାନ୍ତି । କାରଣ ତୁଷାରାବୃତ୍ତ କଠିନ ପଥ ଅତିକ୍ରମ କରି ପରଦିନ ଗୋଟାଏ ସୁଦ୍ଧା ଏଭେରେଷ୍ଟ ଶୃଙ୍ଗରେ ପହଞ୍ଚି ପାରିଲେ ହିଁ ପୁଣି ଶିବିରକୁ ଫେରିବା ସଂଭବ ହୋଇଥାଏ । ଏଭେରେଷ୍ଟରେ ବିଳମ୍ୱରେ ପହଞ୍ଚିଲେ ଫେରିବା ରାସ୍ତା ରାତିରେ ବିପଦଶଙ୍କୁଳ ହୋଇପଡ଼େ । ଏଭେରେଷ୍ଟ ଶୃଙ୍ଗ ଆରୋହଣ ନିମନ୍ତେ ଅଭିଯାତ୍ରୀମାନଙ୍କୁ ପର୍ଯ୍ୟାପ୍ତ ପରିମାଣରେ ଅର୍ଥବ୍ୟୟ ସାଙ୍ଗକୁ ଅଭ୍ୟାସ ଓ ଆରୋହଣଜନିତ ପରିଶ୍ରମ ସ୍ୱୀକାର କରିବାକୁ ପଡ଼ିଥାଏ । ଏହି କାରଣରୁ ଏଭେରେଷ୍ଟ ଶୃଙ୍ଗ ଆରୋହଣ କରୁଥିବା ବହୁ ଅଭିଯାତ୍ରୀ ଠିକ ସମୟରେ ପ୍ରତ୍ୟାବର୍ତ୍ତନ ନକରିପାରି ମୃତ୍ୟୁମୁଖରେ ପଡ଼ିଥାନ୍ତି ।

 

ଉଦାହରଣରେ ୧୯୯୬ରେ ଏକ ଅଭିଯାତ୍ରୀ ଦଳ ପୂର୍ବଦିନ ମଧ୍ୟରାତ୍ରୀରେ ଶିବିରରୁ ଅଭିଯାନ ଆରମ୍ଭ କଲେ । ସେମାନେ ପରଦିନ ଘ.୧୧.୩୦ ବେଳକୁ ଜାଣିବାକୁ ପାଇଲେ ଯେ ଏଭେରେଷ୍ଟ ଶୃଙ୍ଗରେ ପହଞ୍ଚିବା ନିମନ୍ତେ ଆଉ ତିନି ଘଣ୍ଟା ଲାଗିବ । ଅର୍ଥାତ, ଅପରାହ୍ନ ଘ.୨.୩୦ରେ ଶୃଙ୍ଗରେ ପହଞ୍ଚିବେ । ତେବେ ଦେଢ଼ଘଣ୍ଟା ବିଳମ୍ୱରେ ଲେଉଟାଣି ରାସ୍ତା ପାର ହେବା ବିପଦପୂର୍ଣ୍ଣ ମନେ କରି ଅଧାରୁ ଶିବିରକୁ ଫେରି ଆସିଥିଲେ ।

 

କିନ୍ତୁ ଅନ୍ୟ ଏକ ଦଳ ବିଳମ୍ୱ ସତ୍ତ୍ୱେ ଏଭେରେଷ୍ଟ ଶୃଙ୍ଗ ଆରୋହଣ କରିବା ଏବଂ ଅପରାହ୍ନ ଚାରିଟା ସୁଦ୍ଧା ପ୍ରତ୍ୟାବର୍ତ୍ତନ ଉଦ୍ୟମ ଆରମ୍ଭକରି ବିଫଳ ହୋଇ ମୃତ୍ୟୁ ବରଣ କରିଥିଲେ ।

 

‘କୁଇଟ’ ପୁସ୍ତକରେ ପରିତ୍ୟାଗ ନିଷ୍ପତ୍ତି ଗ୍ରହଣର ଯଥାର୍ଥତା ସପକ୍ଷରେ କେତେଗୋଟି ବଳିଷ୍ଠ ଯୁକ୍ତି ପ୍ରତିପାଦିତ ହୋଇଛି । ପ୍ରଥମତଃ, ଅତୀତ ତୁଳନାରେ ସମସାମୟିକ ସାମାଜିକ ବ୍ୟବସ୍ଥାରେ ପରିବର୍ତ୍ତନ କ୍ଷୀପ୍ର । ଦ୍ୱିତୀୟତଃ, ସମୟକ୍ରମେ ବ୍ୟକ୍ତି କେଉଁ ବିଷୟକୁ ପ୍ରାଧାନ୍ୟ ଦେଉଛି ତାହା ମଧ୍ୟ ବଦଳିଥାଏ । ତୃତୀୟତଃ, ବ୍ୟକ୍ତି ଲକ୍ଷ୍ୟ ସ୍ଥିର କରି ତାହା ହାସଲ କରିବା ନିମନ୍ତେ ମନପ୍ରାଣ ଦେଇ ଅକ୍ଳାନ୍ତ ପରିଶ୍ରମ କଲେ ସୁଦ୍ଧା ବିଭିନ୍ନ ପାରିପାର୍ଶ୍ୱିକ କାରଣରୁ ସେଥିରେ ସଫଳତା ହାସଲ ସଂଭବ ହୋଇପାରିନଥାଏ । ଚତୁର୍ଥତଃ, ମନୁଷ୍ୟ ଅନେକ ସମୟରେ ଅନେକ ବିଷୟରେ ଅଜ୍ଞ ଥାଏ । ଏହା ସ୍ୱାଭାବିକ । ସମସ୍ତେ ସବୁକଥା ମୂଳରୁ ଜାଣିରଖିବା ଅସଂଭବ । ତେବେ, ସ୍ଥୀରକୃତ ଲକ୍ଷ୍ୟର ବିରୋଧରେ ତଥ୍ୟ ସେ ଜ୍ଞାତ ହେବାପରେ ପରିବର୍ତ୍ତନ ପାଇଁ ଅବଶ୍ୟ ଆଶାୟୀ ହେବ... ଇତ୍ୟାଦି....।

 

ଡ୍ୟୁକ୍ ପ୍ରଶ୍ନ କରନ୍ତି ଯେ ପାରମ୍ପରିକଭାବେ ଆମ ସମାଜରେ କଠୋରପନ୍ଥୀଙ୍କୁ ମାନ୍ୟତା ଦିଆଯାଇ ଆସିଛି । ଏଭେରେଷ୍ଟ ଶୃଙ୍ଗ ଆରୋହଣ ଉଦାହରଣରେ ପ୍ରତିକୂଳ ପରିବେଶ ସହ ଲଢ଼ି ଯେଉଁ ଆରୋହଣକାରୀମାନେ ମୃତ୍ୟୁବରଣ କଲେ ତାଙ୍କରି ବୀରତ୍ୱ ଗାଥା ଚର୍ଚ୍ଚିତ । ସାହିତ୍ୟ, ଚଳଚ଼ିତ୍ରରେ ସେମାନେ ନାୟକ । କିନ୍ତୁ ସମ୍ଭାବ୍ୟ ବିପନ୍ନ ଅବସ୍ଥାର ସଠିକ ପୂର୍ବାନୁମାନ କରି ଯେଉଁ ଅଭିଯାତ୍ରୀ ଦଳ ଅଧାରୁ ଫେରି ଆସିଲେ ସେମାନେ ସାର୍ବଜନୀନ ଚର୍ଚ୍ଚାରେ ଅବହେଳିତ । ଯଦି ସଠିକ ନିଷ୍ପତ୍ତିର ଚର୍ଚ୍ଚା ନ କରାଯାଏ, ତେବେ ଅନ୍ୟମାନେ ସେହିଭଳି ପନ୍ଥା ପ୍ରତି କିପରି ଆଗ୍ରହ ପ୍ରକାଶ କରିବେ ?

 

ମହାମାରୀ-ପର ପରିବର୍ତ୍ତିତ ପରିବେଶ ‘ନ୍ୟୂ-ନରମାଲ’ରେ ବିଚାରଧାରାରେ ପରିବର୍ତ୍ତନ ଅବଶ୍ୟମ୍ଭାବୀ । ନିଷ୍ପତ୍ତି ଗ୍ରହଣ ବ୍ୟକ୍ତିର ହିତରେ ପର୍ଯ୍ୟବସିତ ହେବା ଯଦି ଜରୁରୀ, ତେବେ ପରିତ୍ୟାଗ ନିଷ୍ପତ୍ତି ବ୍ୟକ୍ତିଗତ ସଂପର୍କ, ଜୀବନର ଆଭିମୁଖ୍ୟ ତଥା ସାମାଜିକ ବ୍ୟବସ୍ଥାରେ ବହୁ ପରିବର୍ତ୍ତନ ଆବଶ୍ୟକ କରିବ । ନିଷ୍ପତ୍ତି ଗ୍ରହଣ ସାମାଜିକ ପ୍ରବାହରେ ପ୍ରଭାବିତ ନହୋଇ ବିଜ୍ଞାନ ସମ୍ମତ୍ତ, ତଥ୍ୟଭିତ୍ତିକ ଓ ଯୁକ୍ତିଯୁକ୍ତ କରିବା ସମୟ ଉପନୀତ । ଦୀର୍ଘ ଜୀବନ କାରଣରୁ ମନୁଷ୍ୟ ବାର୍ଦ୍ଧକ୍ୟରେ ବହୁ ପରିବର୍ତ୍ତନର ସମ୍ମୁଖୀନ ହେଉଥିବା ହେତୁ ପରିତ୍ୟାଗ ନିଷ୍ପତ୍ତି ଗୁରୁତ୍ୱପୂର୍ଣ୍ଣ ।

 

‘ୟୁ ଟ୍ୟୁବ’ ଭିଡ଼ିଓ :

 

Annie Duke Interview – Authors@Wharton Event

 

https://www.youtube.com/watch?v=zwZdYgCEN70 



ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଫେବୃୟାରୀ ୨୦୨


ତଥ୍ୟ:

Singh, Sanjay Kumar. Quitting can be good for you. Book Review. Business Standard  (Bhubaneswar Edition). January 18, 2023

ବାର୍ଦ୍ଧକ୍ୟରେ ମାନସିକ ସ୍ୱାସ୍ଥ୍ୟ

ପାରମ୍ପରିକଭାବେ ଆମ ସମାଜରେ ବାର୍ଦ୍ଧକ୍ୟରେ ମାନସିକ ଅସୁସ୍ଥତାକୁ ବିଭିନ୍ନ କାରଣରୁ ଅଣଦେଖା କରାଯାଇଥାଏ । ମାନସିକ ଅସ୍ଥିରତା ବାର୍ଦ୍ଧକ୍ୟର ଅଂଶବିଶେଷ ବିଚାର କରିବା ଏହି କ୍ଷେତ୍ରରେ ପ୍ରମୁଖ କାରଣ । ଅଧିକାଂଶଙ୍କ ଧାରଣା ଯେ ବାର୍ଦ୍ଧକ୍ୟ ବେଳକୁ ଦୀର୍ଘ ଜୀବନକାଳ ମଧ୍ୟରେ ସଂଘଟିତ ଶାରିରୀକ, ପାରିବାରିକ ଓ ସାମାଜିକ ବିଶୃଙ୍ଖଳାର ସାମୂହିକ ଅନୁଭୂତି କାରଣରୁ ଅବସାଦ ସ୍ୱାଭାବିକ, ଏହାର ଚ଼ିକିତ୍ସାର ବେଳ ଗଡ଼ିଗଲାଣି, ସ୍ମୃତିଭ୍ରମ ଓ ଅଲଜାଇମର ଭଳି ରୋଗ ବାର୍ଦ୍ଧକ୍ୟରେ ଦେଖାଦିଏ ତଥା ଅବସ୍ଥା ଅସଂଭାଳସ୍ତରରେ ପହଞ୍ଚିଲେ ହିଁ ଚ଼ିକିତ୍ସା ଆବଶ୍ୟକ... ଇତ୍ୟାଦି... ।

 

କିନ୍ତୁ ପ୍ରକୃତପକ୍ଷେ ମନୁଷ୍ୟ ବିଭିନ୍ନ ବୟସରେ ଅବସାଦ ଶୀକାର ହୋଇଥାଏ ଓ ବାର୍ଦ୍ଧକ୍ୟରେ ମଧ୍ୟ ସଂଭବ । ବିଧିବଦ୍ଧ ଚ଼ିକିତ୍ସା ସାଙ୍ଗକୁ ଜୀବନଶୈଳୀ ପରିବର୍ତ୍ତନ, ଯଥା : ସୁନିଦ୍ରା, ବ୍ୟାୟାମ ଓ ସୁଷମ ଖାଦ୍ୟ ଗ୍ରହଣ ଦ୍ୱାରା ଉପଶମ ହୋଇଥାଏ । ସେହିପରି ବୟସର କୌଣସି କ୍ଷଣ ଚ଼ିକିତ୍ସା ନିମନ୍ତେ ଅନୁପଯୁକ୍ତ ନୁହେଁ । ମୃତ୍ୟୁ ସମୀପ ଶଯ୍ୟାଶାୟୀଙ୍କ ଜୀବନରକ୍ଷା ଲାଗି ଚ଼ିକିତ୍ସକମାନେ ଉଦ୍ୟମ କରିଥାନ୍ତି ।

 

ସ୍ୱାସ୍ଥ୍ୟରକ୍ଷା ସଂପର୍କରେ ଅବଗତ ନଥିବା ହେତୁ ସ୍ଥଳବିଶେଷରେ ବରିଷ୍ଠ ନାଗରିକମାନେ ରୋଗ ଲକ୍ଷଣ ପ୍ରକାଶ ପାଇବା ପରେ ଦୀର୍ଘକାଳ ଚ଼ିକିତ୍ସା ଏଡ଼ାଇ ଦିଅନ୍ତି କିମ୍ୱା ଚ଼ିକିତ୍ସା ନିମନ୍ତେ ଅମଙ୍ଗ ହୁଅନ୍ତି । ଅପରପକ୍ଷେ ପରିବାରବର୍ଗ ମଧ୍ୟ ଧରିନିଅନ୍ତି ଯେ ବାର୍ଦ୍ଧକ୍ୟାବସ୍ଥାରେ ଆକ୍ରାନ୍ତ ରୋଗଗୁଡ଼ିକର ପାର୍ଶ୍ୱପ୍ରତିକ୍ରିୟାରେ ଅବସାଦ ଦେଖାଦେଉଛି । ତେଣୁ ମୂଳ ରୋଗ ପ୍ରତି ଗୁରୁତ୍ୱ ଦେଇ ମାନସିକ ସ୍ୱାସ୍ଥ୍ୟ ଚ଼ିକିତ୍ସାରେ ଅବହେଳା କରିବସନ୍ତି ।

 

ସ୍ମୃତିଭ୍ରମର ମୂଳଉତ୍ସ ଅଲଜାଇମର । ଏହା ମାନସିକ ରୋଗ ନୁହେଁ, ବରଂ ସ୍ମାୟୁଗତ ବିକାର । ଏହି ଅବସ୍ଥାର ଉପଶମଲାଗି ବିଧିବଦ୍ଧ ଔଷଧ ଉଦ୍ଭାବିତ ନହୋଇଥିଲେ ହେଁ ଠିକ ସମୟରେ ଉପଲବ୍ଧ ଚ଼ିକିତ୍ସା ପ୍ରୟୋଗ ଦ୍ୱାରା ଆକ୍ରାନ୍ତଙ୍କ ଜୀବନଯାପନରେ ଗୁଣାତ୍ମକ ଅଭିବୃଦ୍ଧିରେ ସହାୟକ ହୋଇଥାଏ । ବାର୍ଦ୍ଧକ୍ୟରେ ମନୁଷ୍ୟ ଆସକ୍ତ ହୁଏ ନାହିଁ ଭାବିବା ଭୁଲ । ବହୁ ବ୍ୟକ୍ତି ନିଶା ଓ ପୀଡ଼ା ନିବାରକ ଔଷଧ ଦ୍ୱାରା ଆସକ୍ତ ହୋଇପଡୁଥିବା ଉଦାହରଣର ଅଭାବ ନଥାଏ ।

 

ସେହିପରି ଉଦବେଗ ‘ଏଙ୍ଗଜାଇଟି’ରେ ୬୦ ବର୍ଷୋତ୍ତର ବରିଷ୍ଠ ନାଗରିକଙ୍କ ମଧ୍ୟରୁ ୨୭ ପ୍ରତିଶତ ଯାଏଁ ଆକ୍ରାନ୍ତ ହେଉଥିବା ସ୍ଥଳେ ଜୀବନଶୈଳୀରେ ପରିବର୍ତ୍ତନ, ଏକାଗ୍ରତା ଅଭ୍ୟାସ ସୁଫଳ ପ୍ରଦାନ କରେ । ମାନସିକ ରୋଗର ଲକ୍ଷଣ ପ୍ରକାଶ ମାତ୍ରେ ଉପଯୁକ୍ତ ନିଦାନ ଓ ଚ଼ିକିତ୍ସା ସମସ୍ତ ବୟସ ବର୍ଗ ଭଳି ବାର୍ଦ୍ଧକ୍ୟରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଏହି ଦିଗରେ ବହୁଳ ଅବହେଳାକୁ ଜନସ୍ୱାସ୍ଥ୍ୟ ସମସ୍ୟାରୂପେ ଅଭିହିତ କରାଯାଇପାରେ ।

 

ଭାରତ ମାନସିକ ରୋଗ ଚ଼ିକିତ୍ସା କ୍ଷେତ୍ରରେ ବିକଶିତ ରାଷ୍ଟ୍ରଗୁଡ଼ିକ ତୁଳନାରେ ପଛୁଆ । ‘ଜାତୀୟ ମାନସିକ ସ୍ୱାସ୍ଥ୍ୟ ସର୍ବେକ୍ଷଣ ୨୦୧୫-୧୬’ ବିବରଣୀ ଅନୁଯାୟୀ ଦେଶରେ ୧୫ କୋଟି ବ୍ୟକ୍ତି ମାନସିକ ରୋଗ ଚ଼ିକିତ୍ସା ଆବଶ୍ୟକ କରୁଥିବା ସ୍ଥଳେ ଏକ ପଞ୍ଚମାଂଶ ଅର୍ଥାତ ତିନି କୋଟି ଚ଼ିକିତ୍ସିତ ହେଉଥିବା ହିସାବ କରାଯାଇଥିଲା । ତେବେ ଆନ୍ତର୍ଜାତିକସ୍ତରର ଖ୍ୟାତନାମା ସ୍ୱାସ୍ଥ୍ୟ ପତ୍ରିକା ‘ଲେନସେଟ’ରେ ପ୍ରକାଶିତ ଅନ୍ୟ ଏକ ଅନୁଧ୍ୟାନ ଅନୁଯାୟୀ ଭାରତରେ ୨୦୧୭ରେ ୧୯ କୋଟି ୭୦ ଲକ୍ଷ ମାନସିକ ରୋଗାକ୍ରାନ୍ତ ସ୍ଥଳେ ଚାରି କୋଟି ୬୦ ଲକ୍ଷ ଚ଼ିକିତ୍ସିତ ହେଉଥିଲେ ।

 

କୋଭିଡ଼-୧୯ ମହାମାରୀ-ପୂର୍ବ ଏବଂ ମହାମାରୀ-ପର ଅବସ୍ଥାରେ ବିଶ୍ୱବ୍ୟାପୀ ମାନସିକ ରୋଗୀଙ୍କ ସଂଖ୍ୟାରେ ବ୍ୟାପକ ତାରତମ୍ୟ ଦେଖିବାକୁ ମିଳେ । ସଂକ୍ରମଣର ପ୍ରଥମ ଦୁଇ ତରଙ୍ଗ ପରେ ୨୦୨୧ରେ ‘ହେଲପ-ଏଜ ଇଣ୍ଡିଆ’ ପକ୍ଷରୁ ପାଞ୍ଚ ହଜାର ବରିଷ୍ଠ ନାଗରିକଙ୍କଠାରୁ ସଂଗୃହୀତ ତଥ୍ୟରୁ ଜଣାଯାଇଥିଲା ଯେ ୪୦ ପ୍ରତିଶତ ଅବସାଦଗ୍ରସ୍ତ ଏବଂ ୬୦ ପ୍ରତିଶତ ଏକାନ୍ତ ଅନୁଭବ କରୁଥିଲେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ୨୦୨୨ରେ ପ୍ରକାଶିତ ବିବରଣୀରେ ମହାମାରୀ-ପର ଅବସ୍ଥାରେ ଅବସାଦ ଓ ଉଦବେଗ ଆକ୍ରାନ୍ତଙ୍କ ସଂଖ୍ୟା ୨୫ ପ୍ରତିଶତ ଯାଏଁ ବୃଦ୍ଧି ପାଇଥିବା ଦର୍ଶାଇଥିଲେ ।

 

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଆନ୍ତର୍ଜାତିକସ୍ତରରେ ୬୦ ବର୍ଷୋତ୍ତରଙ୍କ ମଧ୍ୟରୁ ୧୫ ପ୍ରତିଶତ ମାନସିକ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ । ବରିଷ୍ଠ ନାଗରିକଙ୍କ ମଧ୍ୟରୁ ପାଞ୍ଚ ପ୍ରତିଶତ ସ୍ମୃତିଭ୍ରମ ଓ ସାତ ପ୍ରତିଶତ ଅବସାଦଗ୍ରସ୍ତ । ଏହି ଦୁଇ ପ୍ରମୁଖ ମାନସିକ ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି । ବିଶ୍ୱବ୍ୟାପୀ ପାଞ୍ଚ କୋଟି ବ୍ୟକ୍ତି ସ୍ମୃତିଭ୍ରମର ଶୀକାର ହୋଇଥିବା ସ୍ଥଳେ ରୋଗାକ୍ରାନ୍ତ ସଂଖ୍ୟା ୨୦୩୦ରେ ଆଠ କୋଟି ୨୦ ଲକ୍ଷ ଓ ୨୦୫୦ରେ ୧୫ କୋଟି ୨୦ ଲକ୍ଷରେ ପହଞ୍ଚିବା ଆକଳନ କରାଯାଏ । ଅପରପକ୍ଷେ ଅବସାଦ ରୋଗ ଚ଼ିହ୍ନଟ ଓ ଚ଼ିକିତ୍ସା ସର୍ବତ୍ର ଅବହେଳିତ ।

 

ବାର୍ଦ୍ଧକ୍ୟରେ ମାନସିକ ସ୍ୱାସ୍ଥ୍ୟହାନୀର ବିଭିନ୍ନ କାରଣ ଚ଼ିହ୍ନଟ କରାଯାଇଥାଏ । ବ୍ୟକ୍ତିଗତ, ପାରିବାରିକ ଓ ସାମାଜିକ ଚାପ ମାନସିକ ସ୍ଥିତିକୁ ଆନ୍ଦୋଳିତ କରୁଥିବା ସ୍ଥଳେ ବାର୍ଦ୍ଧକ୍ୟରେ ଚାପ ଭାର ବୃଦ୍ଧି ନିମନ୍ତେ ଭଗ୍ନ ସ୍ୱାସ୍ଥ୍ୟାବସ୍ଥା, ଦୀର୍ଘସ୍ଥାୟୀ ଶାରିରୀକ ପୀଡ଼ା, ବିଭିନ୍ନ କାରଣରୁ ଚଳପ୍ରଚଳ ହ୍ରାସ ଇତ୍ୟାଦି ଦାୟୀ । ପ୍ରିୟଜନଙ୍କ ବିୟୋଗ, ଅବସର ଜୀବନରେ ଅର୍ଥନୀତିକ ଓ ସାମାଜିକ ପ୍ରତିପତ୍ତି ହ୍ରାସ ଭଳି କାରଣ ଗୁଡ଼ିକ ମଧ୍ୟ ଏକାନ୍ତବୋଧ ଭଳି ମାନସିକ ଦୁଃସ୍ଥିତି ଗର୍ଭକୁ ଟାଣିନିଏ । ଏତଦ୍ ବ୍ୟତୀତ ବାର୍ଦ୍ଧକ୍ୟାବସ୍ଥାରେ ପ୍ରତି ଛଅ ଜଣଙ୍କ ମଧ୍ୟରୁ ଜଣେ ତାଡ଼ନା ସହ୍ୟ କରୁଥିବା ତଥ୍ୟ ବ୍ୟକ୍ତିଗତ ଜୀବନରେ ସମ୍ମାନହାନୀ ମଧ୍ୟ ମାନସିକ ସ୍ୱାସ୍ଥ୍ୟ ଅବନତିର ଅନ୍ୟତମ କାରଣ ରୂପେ ଗଣିତ ।

 

ଆମ ଦେଶରେ ମାନସିକ ସ୍ୱାସ୍ଥ୍ୟ ଚ଼ିକିତ୍ସା ଅବହେଳିତ ଅବସ୍ଥାରେ ପଡ଼ି ରହିଥିବା ଦୁଇଗୋଟି ମୁଖ୍ୟ କାରଣ ମଧ୍ୟରେ ଏକପକ୍ଷରେ ମାନସିକ ରୋଗାକ୍ରାନ୍ତମାନେ ସ୍ପଷ୍ଟ ଲକ୍ଷଣ ପ୍ରକାଶ ପାଇବା ସତ୍ତ୍ୱେ ଚ଼ିକିତ୍ସା ନିମନ୍ତେ ପଛଘୁଞ୍ଚା ଦେଇଥାନ୍ତି ଏବଂ ଅପରପକ୍ଷେ ଚ଼ିକିତ୍ସା ସୁବିଧା ସୁଯୋଗର ଘୋର ଅଭାବ । ଗବେଷକମାନଙ୍କ ମତରେ ବାର୍ଦ୍ଧକ୍ୟାବସ୍ଥାରେ ଯେ କୌଣସି ଚ଼ିକିତ୍ସା ଯଥା : ଚ଼ିକିତ୍ସାଳୟକୁ ଯାତ୍ରା, ନିଦାନ-ଔଷଧ-ଡ଼ାକ୍ତରୀ ଚ଼ିକିତ୍ସା ଖର୍ଚ୍ଚ ଭରଣା ନିମନ୍ତେ ବହୁ ସଂଖ୍ୟକ ଅପର ଉପରେ ନିର୍ଭରଶୀଳ ହେଉଥିବା ହେତୁ ରୋଗ ଅଣ-ଆୟତ୍ତ ଅବସ୍ଥାରେ ନପହଞ୍ଚିବା ଯାଏଁ ଚ଼ିକିତ୍ସା ଏଡ଼ାଇଯିବାକୁ ଚ଼େଷ୍ଟା କରନ୍ତି । ଏତଦ୍ ବ୍ୟତୀତ ସାମାଜିକସ୍ତରରେ ମାନସିକ ରୋଗୀ ଓ ସେମାନଙ୍କ ପରିବାରକୁ ବାସନ୍ଦ କରିବାଭଳି ମାନସିକତା ପ୍ରଚ଼ଳନ ମୁକ୍ତ ଚ଼ିକିତ୍ସା କ୍ଷେତ୍ରରେ ପ୍ରତିବନ୍ଧକ ସାଜିଥାଏ ।

 

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ୨୦୧୭ରେ ସଂକଳିତ ତଥ୍ୟ ଅନୁଯାୟୀ ଭାରତରେ ତିନି ଲକ୍ଷ ପଚାଶ ହଜାର ନାଗରିକଙ୍କ ପାଇଁ ଜଣେ ମାନସିକ ରୋଗ ଚ଼ିକିତ୍ସକ, ଲକ୍ଷେ ପଚ଼ିଶି ହଜାରଙ୍କ ପାଇଁ ଜଣେ ମାନସିକ ରୋଗ ନର୍ସ ଓ ବ୍ୟକ୍ତିପିଚ୍ଛା ବାର୍ଷିକ ମାତ୍ର ଚାରି ଟଙ୍କା ଖର୍ଚ୍ଚ ହୋଇଥାଏ । ମହାମାରୀ-ପର ଅବସ୍ଥାରେ ସରକାରୀ ଓ ବେସରକାରୀସ୍ତରରେ ମାନସିକ ରୋଗ ଚ଼ିକିତ୍ସା ସୁଯୋଗ ବୃଦ୍ଧି ନିମନ୍ତେ ଉଦ୍ୟମ କରାଯାଉଛି । ସେହିପରି ମାନସିକ ରୋଗର ଲକ୍ଷଣ ପ୍ରକାଶ ମାତ୍ରେ ମହାମାରୀ-ପୂର୍ବାବସ୍ଥାରେ ମାତ୍ର ଦୁଇରୁ ତିନି ପ୍ରତିଶତ ଚ଼ିକିତ୍ସକଙ୍କ ସହାୟତା ଲୋଡୁଥିବା ସ୍ଥଳେ ମହାମାରୀ-ପରବସ୍ଥାରେ ପ୍ରାୟ ୫୦ ପ୍ରତିଶତକୁ ବଢ଼ିଥିବା ନଗରାଞ୍ଚଳରେ ଅବସ୍ଥାପିତ ଜଣେ ଚ଼ିକିତ୍ସକ ପ୍ରକାଶ କରିଥିଲେ । ଏଥି ସହ ମାନସିକ ରୋଗ ଚ଼ିକିତ୍ସା କ୍ଷେତ୍ରରେ ପ୍ରଯୁକ୍ତି କୌଶଳ, ମୁଖ୍ୟତଃ ଅଭାସି ଯୋଗାଯୋଗ, ଅର୍ଥାତ ଚ଼ିକିତ୍ସକଙ୍କ ସହ ‘ଭିଡ଼ିଓ କନଫରେନ୍ସ’ ଭଳି ସୁଯୋଗ ସୃଷ୍ଟି ବାର୍ଦ୍ଧକ୍ୟରେ ମାନସିକ ରୋଗୀଙ୍କ ଚ଼ିକିତ୍ସାଲାଗି ଅନ୍ୟତମ ଶୁଭଙ୍କର ସୂଚ଼ନା ।

 

ମାନସିକ ସ୍ୱାସ୍ଥ୍ୟ ସଂପର୍କରେ ଆନ୍ତର୍ଜାତିକସ୍ତରରେ ଚଳନ୍ତି ଚର୍ଚ୍ଚାରେ ଲିଙ୍ଗଗତ ସମସ୍ୟାକୁ ଅଗ୍ରାଧିକାର ଦିଆଯାଇଥାଏ । ତଥ୍ୟଗତ ପ୍ରମାଣକୁ ଭିତ୍ତିକରି କୁହାଯାଉଛି ପୁରୁଷମାନେ ମାନସିକ ଦୁରବସ୍ଥା ସଂପର୍କରେ ପରିବାରବର୍ଗ କିମ୍ୱା ଚ଼ିକିତ୍ସକଙ୍କ ସହ ଆଲୋଚ଼ନା କରିବା ନିମନ୍ତେ ପଛଘୁଞ୍ଚା ଦେଇଥାନ୍ତି । କେତେକ ବିକଶିତ ରାଷ୍ଟ୍ରରେ ୨୦୨୦ରେ ସଂଗୃହୀତ ତଥ୍ୟ ଅନୁଯାୟୀ ସେଠାରେ ମାନସିକ ରୋଗାକ୍ରାନ୍ତଙ୍କ ମଧ୍ୟରୁ ୨୬ ପ୍ରତିଶତ ମହିଳା ଚ଼ିକିତ୍ସିତ ହେଉଥିବା ସ୍ଥଳେ ପୁରୁଷଙ୍କ କ୍ଷେତ୍ରରେ ୧୫ ପ୍ରତିଶତରେ ସୀମିତ ରହିଥିଲା । ଫଳରେ ଅବସାଦଜନିତ ଶୀର୍ଷ ପଦକ୍ଷେପ ୭୫ ବର୍ଷୋତ୍ତରଙ୍କ ଆତ୍ମହତ୍ୟା ପରିସଂଖ୍ୟାନରେ ୮୦ ଭାଗ ପୁରୁଷ ସାମିଲ ହୋଇଥିଲେ । ଏହି ମାନସିକତା ଭାରତ ଭଳି ରାଷ୍ଟ୍ରରେ କେଉଁ ମାତ୍ରାରେ ପ୍ରତିଫଳିତ ତାହା ମଧ୍ୟ ଉଦବେଗର ବିଷୟ । ବରିଷ୍ଠ ନାଗରିକମାନେ କିପରି ମାନସିକ ସ୍ୱାସ୍ଥ୍ୟ ରକ୍ଷା ସଂପର୍କରେ ସଚ଼େତନ ହୋଇପାରିବେ, ସେ ଦିଗରେ ପର୍ଯ୍ୟାପ୍ତ ଉଦ୍ୟମ ସମୟର ଆହ୍ୱାନ ।

 

ବାର୍ଦ୍ଧକ୍ୟରେ ମାନସିକ ସ୍ୱାସ୍ଥ୍ୟ ସଂପର୍କୀତ ‘ଦୂରଦର୍ଶନ’ ପ୍ରସ୍ତୁତ ଭିଡିଓ ‘ୟୁଟ୍ୟୁବ’ରେ ଦେଖନ୍ତୁ :

 

Old Age and Mental Health.

 

https://www.youtube.com/watch?v=Y3x9VsU8htY 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଜାନୁୟାରୀ ୨୦୨


ତଥ୍ୟ :

 

Mental health of older adults

 

https://www.who.int/news-room/fact-sheets/detail/mental-health-of-older-adults

 

Pan American Health Organisation

 

https://www3.paho.org/hq/index.php?option=com_content&view=article&id=9877:seniors-mental-health&Itemid=0&lang=en#gsc.tab=0

 

Refusal to acknowledge mental illness. India Today / December 9, 2022

 

https://www.indiatoday.in/health/story/refusal-to-acknowledge-mental-illness-a-major-issue-for-well-being-of-elderly-2283170-2022-10-09

 

Smit, Dana G. Double Jeopady Men. TheTelegraph (Kolkata Edition). January 11, 2023

ଅଲଜାଇମର ଚ଼ିକିତ୍ସା ଆଶାସଂଚାର

ଏକବିଂଶ ଶତାଦ୍ଦୀ ଆଦ୍ୟଭାଗ ସୁଦ୍ଧା ଅଲଜାଇମର ବାର୍ଦ୍ଧକ୍ୟରେ ଅନ୍ୟତମ ଘାତକ ରୋଗ ରୂପେ ପରିଗଣିତ ସ୍ମୃତିଭ୍ରମ ବା ଭୁଲାରୋଗଡିମେନସିଆଅଲଜାଇମର ପ୍ରମୁଖ କାରଣ ହିତାହିତ ଜ୍ଞାନ ପରକଥା; ଦୈନନ୍ଦିନ ଜୀବନଯାପନ, ଏପରିକି ବ୍ୟକ୍ତିଗତସ୍ତରରେ ନିତ୍ୟକର୍ମ ସମାପନ ନିମନ୍ତେ ମଧ୍ୟ ରୋଗାକ୍ରାନ୍ତ ଶେଷାବସ୍ଥାରେ ଅକ୍ଷମତା ପ୍ରକାଶ କରେ ଦୁର୍ବିସହ ଜୀବନରେ ପ୍ରଭାବିତ ଅଲଜାଇମର ରୋଗୀ ସ୍ୱଳ୍ପକାଳରେ ମୃତ୍ୟୁର ସମ୍ମୁଖୀନ ହୁଏ

 

ଖ୍ୟାତନାମା ସ୍ୱାସ୍ଥ୍ୟ ଗବେଷଣା ପତ୍ରିକା ବ୍ରିଟେନରଲାନସେଟ ୨୦୨୧ରେ ପ୍ରକାଶିତ ଏକ ବିବରଣୀ ଅନୁଯାୟୀ ୨୦୧୯ରେ ଭାରତରେ ଏକ ଲକ୍ଷ ୨୯ ହଜାର ଅଲଜାଇମର ରୋଗ ପୀଡ଼ିତଙ୍କ ଜୀବନ ଅବସାନ ଘଟିଥିଲା ବିକଶିତ ବିତ୍ତଶାଳୀ ରାଷ୍ଟ୍ରଗୁଡ଼ିକରେ ସ୍ମୃତିଭ୍ରମ ରୋଗାକ୍ରାନ୍ତଙ୍କ ସଂଖ୍ୟା ଅଧିକ ଉଦାହରଣରେ ଯୁକ୍ତରାଷ୍ଟ୍ର ଆମେରିକାରେ ୬୦ ଲକ୍ଷଙ୍କଠାରେ ସ୍ମୃତିଭ୍ରମ ଲକ୍ଷଣ ପ୍ରକାଶ ପାଉଥିବା ସ୍ଥଳେ ମୃତ୍ୟୁର ସପ୍ତମ ବିଶିଷ୍ଟ କାରଣ ରୂପେ ଚ଼ିହ୍ନଟ କରାଯାଇଥାଏ ଆଷ୍ଟ୍ରେଲିଆରେ ସ୍ମୃତିଭ୍ରମ ମୃତ୍ୟୁର ଦ୍ୱିତୀୟ ବିଶିଷ୍ଟ କାରଣ ତଥା ସେଠାକାର ମହିଳାଙ୍କ କ୍ଷେତ୍ରରେ ପ୍ରଥମ ସ୍ଥାନ ଅଧିକାର କରୁଥିବା ପ୍ରକାଶ

 

ବିଶ୍ୱବ୍ୟାପୀ ପାଞ୍ଚ କୋଟି ୫୦ ଲକ୍ଷ ସ୍ମୃତିଭ୍ରମ ଆକ୍ରାନ୍ତଙ୍କ ମଧ୍ୟରୁ ୬୦ ରୁ ୭୦ ପ୍ରତିଶତ ଅଲଜାଇମର ରୋଗାକ୍ରାନ୍ତ ଥିବା ହିସାବ କରାଯାଏ ବୟସ, ଲିଙ୍ଗ, ବଂଶଗତ ଗୁଣସୂତ୍ର, ପରିବେଶ ଜୀବନଶୈଳୀ ଅଲଜାଇମର ରୋଗର କାରଣ ରୂପେ ଚ଼ିକିତ୍ସକମାନେ ବିଚାର କରନ୍ତି ସାଧାରଣ ଚର୍ଚ୍ଚାର ପରିସରରୁ ବାହାରେ ରହୁଥିବା ଅଲଜାଇମର ରୋଗ ଭାରତରେ ମଧ୍ୟ ବାର୍ଦ୍ଧକ୍ୟରେ ପ୍ରମୁଖ ସମସ୍ୟାରୂପେ ମୁଣ୍ଡଟେକିଲାଣି ବୋଲି କୁହାଯାଇପାରେ ଦେଶରେ ୨୦୨୨ ସୁଦ୍ଧା ୬୧ ଲକ୍ଷ ବ୍ୟକ୍ତି ସ୍ମୃତିଭ୍ରମ ପୀଡ଼ିତ ଥିବା ସ୍ଥଳେ ୨୦୫୦ ବେଳକୁ ତିନିଗୁଣ ବୃଦ୍ଧି ପାଇ ପ୍ରାୟ ଦୁଇ କୋଟିରେ ପହଞ୍ଚିବା ଆକଳନ କରାଯାଏ

 

ଯୁକ୍ତରାଷ୍ଟ୍ର ଆମେରିକାରନ୍ୟାସନାଲ ଇନଷ୍ଟିଟିଉଟ ଅନ ଏଜିଂପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ଅଲଜାଇମର ରୋଗ ସାଧାରଣରେ ୬୦ ବର୍ଷୋତ୍ତରଙ୍କଠାରେ ଦେଖାଦିଏ କ୍ୱଚ଼ିତ ୩୦ ରୁ ୬୦ ବର୍ଷ ବୟସ୍କ ମଧ୍ୟ ଏହି ରୋଗରେ ପୀଡ଼ିତ ହୋଇଥାନ୍ତି ରୋଗାକ୍ରାନ୍ତଙ୍କ ମସ୍ତିସ୍କ ବିକୃତି ହେତୁ ସ୍ମୃତି ବୋଧ ଶକ୍ତି ଶୀଥିଳ ହୋଇପଡ଼େ ସାଧାରଣରେ ଅଲଜାଇମର ବଂଶଗତ ରୋଗ ଭାବେ ପରିଚ଼ିତ ଥିବା ସ୍ଥଳେ ବିଶେଷଜ୍ଞମାନେ ଖୁବ କମ ସଂଖ୍ୟକଙ୍କ କ୍ଷେତ୍ରରେ ଏହା ବଂଶାନୁକ୍ରମିକ ହୋଇଥାଏ ବୋଲି କହିଥାନ୍ତି

 

ଡ଼ାକ୍ତର ଆଲୋସ ଅଲଜାଇମର ନାମକ ଜଣେ ଚ଼ିକିତ୍ସକ ୧୯୦୬ରେ ସ୍ମୃତିଭ୍ରମରେ ଆକ୍ରାନ୍ତ ଏକ ମହିଳାଙ୍କ ମୃତ୍ୟୁପରେ ମସ୍ତିସ୍କ ପରୀକ୍ଷାକରି ଅସ୍ୱାଭାବିକ ଆସ୍ତରଣପ୍ଳେକ ତନ୍ତୁଗୁଚ୍ଛଟେଙ୍ଗଲଜମିଯାଇଥିବା ଦେଖିବାକୁ ପାଇଥିଲେ ସେ ଗବେଷଣାରୁ ଜାଣିବାକୁ ପାଇଥିଲେ ଯେ ଏହି ଦୁଇ ପ୍ରକ୍ରିୟା କାରଣରୁ ମସ୍ତିଷ୍କର କୋଷସେଲଗୁଡ଼ିକରେ ସଂପର୍କ ତୁଟିଯିବା ଫଳରେ ରୋଗାକ୍ରାନ୍ତଙ୍କଠାରେ ମସ୍ତିଷ୍କଜନିତ କାର୍ଯ୍ୟଦକ୍ଷତା କ୍ରମଶଃ ହ୍ରାସ ପାଇଥାଏ ପ୍ରଥମେ ସ୍ମୃତିହାନୀ ଏବଂ ପରେ ବିଚାରଶକ୍ତି, ଭାଷାଜ୍ଞାନ ତଥା ଆଚ଼ରଣ ବିଭ୍ରାନ୍ତି ଇତ୍ୟାଦି ଲକ୍ଷଣ ଅନ୍ତର୍ଭୁକ୍ତ ରୋଗାକ୍ରାନ୍ତଙ୍କ ମୃତ୍ୟୁ ବେଳକୁ ମସ୍ତିସ୍କର ଆକାର ଦଶ ପ୍ରତିଶତ ଯାଏଁ ସଂକୁଚ଼ିତ ହୋଇଥିବା ଲକ୍ଷ୍ୟ କରାଯାଏ

 

ଅଧ୍ୟୟନରୁ ଜଣାଯାଇଛି ଯେ ମସ୍ତିଷ୍କରେଆମାଲୋଏଡ଼ନାମକ ଆସ୍ତରଣ ସୃଷ୍ଟି ପରେ ତାହାତାଉତନ୍ତୁ ପ୍ରସ୍ତୁତିରେ ସହାୟତା କରିଥାଏ ଉଭୟ ଆମାଲୋଏଡ଼ ତାଉ ଅଠାଳିଆ ପଦାର୍ଥ ତାଉ ପ୍ରଭାବରେ ମସ୍ତିଷ୍କ କୋଷଗୁଡ଼ିକର ମୃତ୍ୟୁ ଘଟେ ଏବଂ ମନୁଷ୍ୟର ବୋଧ ଶକ୍ତି ବିଚାର ଶକ୍ତି ପ୍ରଭାବିତ ହୁଏ କୁହାଯାଏ ଯେ ଅଲଜାଇମର ଏକ ଦୀର୍ଘସ୍ଥାୟୀ ରୋଗ ଏବଂ ଲକ୍ଷଣ ପ୍ରକାଶ ଲାଗି ୩୦ ବର୍ଷ ଯାଏଁ ସମୟ ଲାଗି ଯାଇଥାଏ ଅର୍ଥାତ, ଅଲଜାଇମର ରୋଗୀଙ୍କ କ୍ଷେତ୍ରରେ ରୋଗ ଚ଼ିହ୍ନଟ ହେବା ବହୁ ପୂର୍ବରୁ ହୁଏତ ସାମାନ୍ୟ ଅସ୍ୱାଭାବିକ ଆଚ଼ରଣ ଆଶା କରାଯାଇପାରେ

 

ଅଲଜାଇମର ରୋଗର ଲକ୍ଷଣ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଭିନ୍ନ ହୋଇଥାଏ ତେବେ ସ୍ମୃତିଭ୍ରମକୁ ପ୍ରାଥମିକ ଲକ୍ଷଣ ଏବଂ ଅନ୍ୟାନ୍ୟ ଅସ୍ୱାଭାବିକ ଆଚ଼ରଣଗୁଡ଼ିକୁ ତର୍ଜମା କରି ରୋଗ ନିର୍ଦ୍ଧାରଣ କରାଯାଏ ପ୍ରଥମ ସୋପାନରେ ଆକ୍ରାନ୍ତ ଅନ୍ୟମନସ୍କ ରହିବା ବାରମ୍ୱାର ପ୍ରଶ୍ନ ପଚାରିବା; ଦ୍ୱିତୀୟ ସୋପାନରେ ବନ୍ଧୁ ପରିବାରବର୍ଗଙ୍କୁ ଚ଼ିହ୍ନି ନପାରିବା ସହ ଅସ୍ୱାଭିକ ଆଚ଼ରଣ ଏବଂ ତୃତୀୟ ତଥା ଶେଷ ସୋପାନରେ ସାଧାରଣ କଥାବାର୍ତ୍ତା କରିବାରେ ବିଫଳ ହେବା ଭଳି ଲକ୍ଷଣ ପ୍ରକାଶ ପାଇଥାଏ ରୋଗୀ ସାଧାରଣ ଘଟଣାକୁ ନେଇ ବ୍ୟତିବ୍ୟସ୍ତ ହୋଇପଡ଼ିବା, ରାଗିଯିବା ଏବଂ ହିଂସ୍ର ଆଚ଼ରଣ ସ୍ଥଳ ବିଶେଷରେ ଦେଖିବାକୁ ମିଳେ ବିଶେଷଜ୍ଞଙ୍କ ହିସାବରେ ଯୁକ୍ତରାଷ୍ଟ୍ର ଆମେରିକାରେ ୮୦ ବର୍ଷରୁ କମ ବୟସ୍କଙ୍କ କ୍ଷେତ୍ରରେ ଅଲଜାଇମର ରୋଗ ଚ଼ିହ୍ନଟ ହେବା ପର ଦଶ ବର୍ଷ ଏବଂ ୮୦ ବର୍ଷୋତ୍ତର ରୋଗୀ ତିନିରୁ ଚାରି ବର୍ଷ ଯାଏଁ ବଞ୍ଚିଥାନ୍ତି

 

ଅଲଜାଇମର ରୋଗ ନିଦାନର ଶହେ ବର୍ଷରୁ ଉର୍ଦ୍ଧ୍ୱ ସମୟ ଅତିବାହିତ ହୋଇ ସାରିଥିବା ଏବଂ ବିଂଶ ଶତାଦ୍ଦୀରେ ଚ଼ିକିତ୍ସା ବିଜ୍ଞାନରେ ବ୍ୟାପକ ଉନ୍ନତି ଘଟିଥିବା ସତ୍ତ୍ୱେ ରୋଗ ଉପଶମ କିମ୍ୱା ପ୍ରତିଷେଧ ନିମନ୍ତେ ସାମର୍ଥ୍ୟ ହାସଲ ହୋଇନପାରିଥିବା ଚ଼ିନ୍ତାଜନକ ଏକବିଂଶ ଶତାଦ୍ଦୀର ପ୍ରଥମ ଦୁଇ ଦଶକରେ ସ୍ମୃତିଭ୍ରମ ଲକ୍ଷଣ ପ୍ରକାଶ ପାଇବା ପରେ ମସ୍ତିଷ୍କ ସ୍କାନିଂ, ମସ୍ତିଷ୍କ ଫ୍ଳୁଇଡ଼ ରକ୍ତ ପରୀକ୍ଷା ଦ୍ୱାରା ରୋଗ ନିଦାନ ଭଳି ନୂତନ ପଦ୍ଧତିମାନ ଉପଯୋଗ ହେଉଛି ଅବଶ୍ୟ ବହୁ କ୍ଷେତ୍ରରେ ଆକ୍ରାନ୍ତଙ୍କ ସହ ଚ଼ିକିତ୍ସକ କଥୋପକଥନ ମାଧ୍ୟମରେ ପ୍ରାଥମିକ ଲକ୍ଷଣମାନ ଚ଼ିହ୍ନଟ କରିଥାନ୍ତି

 

ଆଲଜାଇମର ରୋଗର ଚ଼ିକିତ୍ସା ନିମନ୍ତେ ଚମକପ୍ରଦ ଚ଼ିକିତ୍ସା ପଦ୍ଧତିମାନ ଉଦ୍ଭାବିତ ହୋଇଥିବା ସମ୍ୱାଦ ସାମୟିକଭାବେ ଗଣମାଧ୍ୟମରେ ପ୍ରକାଶ ପାଏ ତେବେ ପରବର୍ତ୍ତୀ ଅବସ୍ଥାରେ ବିଭିନ୍ନ କାରଣରୁ ସେଗୁଡ଼ିକ ବିଫଳ ହୋଇଥିବା ଜଣାଯାଏ ଆନ୍ତର୍ଜାତିକସ୍ତରରେ ୨୦୨୨ ଶେଷାର୍ଦ୍ଧରେ ଅଲଜାଇମର ଚ଼ିକିତ୍ସାରେଆଡୁହେଲମଲେକେନେମ୍ୱନାମକ ଦୁଇଗୋଟି ଔଷଧ ଆଶା ସଂଚାର କରିଥିବା ଚର୍ଚ୍ଚିତ ହୋଇଥିଲା ଉଭୟ ମସ୍ତିଷ୍କରେଆମାଲୋଏଡ଼ସ୍ତର ହ୍ରାସ କରୁଥିବା ପରୀକ୍ଷଣରୁ ଜଣାଯାଇଥିବା ଔଷଧ ପ୍ରସ୍ତୁତକର୍ତ୍ତାମାନେ ଦାବୀ କରିଥିଲେ ପ୍ରଥମ ଔଷଧ ବ୍ୟବହାରରେ ୨୨ ପ୍ରତିଶତ ବୋଧଶକ୍ତି ହାନୀ ଏବଂ ଦ୍ୱିତୀୟ ଔଷଧରେ ୨୭ ପ୍ରତିଶତ ସ୍ମୃତିହାନୀ ଚ଼ିନ୍ତାଶକ୍ତି ହାନୀ ରୋକିବାରେ ସମର୍ଥ ହୋଇଥିବା ବିବରଣୀ ପ୍ରକାଶ ପାଇଥିଲା ଏହି ଦୁଇ ଔଷଧ ବହୁ ସଂଖ୍ୟକ ରୋଗୀଙ୍କଠାରେ ପରୀକ୍ଷା କରାଯିବା ସ୍ଥିରୀକୃତ ହୋଇଥିଲା

 

ଅଲଜାଇମର ଚ଼ିକିତ୍ସାରେ ଏହିଭଳି ପରୀକ୍ଷାମୂଳକ ଔଷଧ ବ୍ୟବହାର ବହୁ କାରଣରୁ କଷ୍ଟସାଧ୍ୟ ପ୍ରତୀୟମାନ ହୁଏ ଲେକେନେମ୍ୱଔଷଧ ବ୍ୟବହାର ଖର୍ଚ୍ଚ ରୋଗୀ ପିଛା ବାର୍ଷିକ ୨୩ ଲକ୍ଷ ଟଙ୍କା ହିସାବ କରାଯାଏ ଏହି ଦୁଇ ଔଷଧ ବ୍ୟବହାର ଫଳରେ ୨୧ ରୁ ୪୦ ପ୍ରତିଶତ ରୋଗୀଙ୍କ କ୍ଷେତ୍ରରେ ମସ୍ତିସ୍କରେ ରକ୍ତସ୍ରାବ ଅଭିଯୋଗ ହୋଇଛି ଇଣ୍ଟ୍ରାଭେନେସ ପ୍ରଣାଳୀରେ ଔଷଧ ପ୍ରୟୋଗ ଲାଗି ରୋଗୀକୁ ମାସରେ ଦୁଇଥର ଚ଼ିକିତ୍ସାଳୟରେ ଭର୍ତ୍ତି ହେବାକୁ ପଡ଼େ... ଇତ୍ୟାଦି... ଅବଶ୍ୟ ବିଶେଷଜ୍ଞମାନଙ୍କ ମତରେ ଅଲଜାଇମର ଚ଼ିକିତ୍ସା କ୍ଷେତ୍ରରେ ସମସ୍ତ ଧରଣର ନୂତନ ଉପଚାର ସ୍ୱାଗତଯୋଗ୍ୟ ପରୀକ୍ଷାମୂଳକ ପରିବେଶରେ ବହୁ ସମସ୍ୟା ଲାଗି ରହିଥିବା ସ୍ଥଳେ ସମୟକ୍ରମେ ସେଗୁଡ଼ିକର ସମାଧାନ ସମ୍ଭବ ଉଦାହରଣରେ ଏଚଆଇଭି-ଏଡ଼ସର ଚ଼ିକିତ୍ସାଲାଗି ଉଦ୍ଭାବିତ ପ୍ରଣାଳୀ ଦଶରୁ କୋଡ଼ିଏ ବର୍ଷ ମଧ୍ୟରେ ପରୀକ୍ଷାମୂଳକ ପରିବେଶରୁ ମୂଳସ୍ରୋତକୁ ସ୍ଥାନାନ୍ତରିତ ହୋଇଥିଲା ଏବଂ ଏଣିକି ନିରକ୍ଷରମାନେ ମଧ୍ୟ ସୁରୁଖୁରରେ ଔଷଧ ଗ୍ରହଣ କରିପାରୁଛନ୍ତି ଅଲଜାଇମର ଚ଼ିକିତ୍ସା କ୍ଷେତ୍ରରେ ମଧ୍ୟ ସେହି ପରିସ୍ଥିତି ଆଶା କରାଯାଇପାରେ

 

ଅଲଜାଇମର ସଂପର୍କୀତ ୟୁଟ୍ୟୁବ ଭିଡ଼ିଓ :

 

Inside Alzheimer’s disease

 

https://www.youtube.com/watch?v=zTd0-A5yDZI

 

How Alzheimer’s changes the Brain

 

https://www.youtube.com/watch?v=0GXv3mHs9AU

 

“Malcolm and Barbara : Love’s Farewell (Alzheimer Documentary) Real Stories” on YouTube

 

https://www.youtube.com/watch?v=HYDxZQXYT5k


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଜାନୁୟାରୀ ୨୦୨


ତଥ୍ୟ:

 

What is Alzheimer Disease ? / National Institute of Aging

 

https://www.nia.nih.gov/health/what-alzheimers-disease

 

Das, Sohini. Phase 3 trial of first home-grown drug for Alzheimer’s begins. Business Standard (Bhubaneswar Edition). November 18, 2022

 

Lots of ‘breakthroughs’, still no cure. Do the new dementia drug brings us any closer ?

 

https://theconversation.com/lots-of-breakthroughs-still-no-cure-do-the-new-dementia-drugs-bring-us-any-closer-195095

 

‘This looks like the real deal’: are we inching closer to a treatment for Alzheimer’s/Health/The Guardian

 

https://www.theguardian.com/society/2022/nov/22/treatment-for-alzheimers-lecanemab-dementia-research