ବାର୍ଦ୍ଧକ୍ୟ ପୂର୍ନମୂଲ୍ୟୟନ

କ୍ରମଶଃ ଅନ୍ଧକାରାଚ୍ଛନ୍ନ ଆକାଶ

ଚୀନ ଔପନ୍ୟାସିକ ଜୋହୁଡାକ୍ସିନଙ୍କ ନବମ ଉପନ୍ୟାସ ଶୀର୍ଷକର ଇଂଲିଶ ଅନୁବାଦ ‘ଦି ସ୍କାଇଗେଟସଡ଼ାର୍କ, ସ୍ଲୋଲି’ । ଏହାର ଆକ୍ଷରିକ ଓଡ଼ିଆ ଅର୍ଥ ‘କ୍ରମଶଃ ଅନ୍ଧକାରାଚ୍ଛନ୍ନ ଆକାଶ’ସାହିତ୍ୟକୃତୀଟିର ବିଷୟବସ୍ତୁ ବର୍ଣ୍ଣନାରେ କେତେକାଂଶରେ ସମର୍ଥ । ଗ୍ରୀଷ୍ମ ଋତୁର ବିଳମ୍ୱିତସଂଧ୍ୟାପରେ ଆକାଶ ଅନ୍ଧକାରାଚ୍ଛନ୍ନ ହେବା ପରି ଜୀବନର ଶେଷ ଅଧ୍ୟାୟରେ ମୃତ୍ୟୁର ସାମ୍ନା କରିବାକୁ ପଡ଼ିଥାଏ । ଏହି ସନ୍ଧିକାଳର ଗତି ଧୀର ।


ଜୋହୁନିଜର ୨୦୧୮ରେ ପ୍ରକାଶିତ ଉପନ୍ୟାସରେ ସମସାମୟିକ ଚୀନରେ ବର୍ଦ୍ଧିତ ବୃଦ୍ଧଜନ ସଂଖ୍ୟା ଓ ଜୀବଦ୍ଦଶା ସଂପର୍କରେ ଆଲୋଚନା କରିଛନ୍ତି । ଚୀନରେ ୨୦୧୬ ସୁଦ୍ଧା ପ୍ରତି ଛଅ ଜଣରେ ଜଣେ ୬୦ ବର୍ଷୋତ୍ତର ବରିଷ୍ଠ ନାଗରିକ ହିସାବ କରାଯାଇଥିବା ସ୍ଥଳେ ୨୦୫୦ ସୁଦ୍ଧା ପ୍ରତି ତିନି ଜଣରେ ଜଣେ ବାର୍ଦ୍ଧକ୍ୟଗ୍ରସ୍ତଙ୍କୁ ଦେଖିବାକୁ ମିଳିବା ଆକଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଉପନ୍ୟାସ ପୃଷ୍ଠାରେ ବରିଷ୍ଠ ନାଗରିକଙ୍କ ଚରିତ୍ର ଚିତ୍ରଣ ଗୁରୁତ୍ୱ ବହନ କରିଥାଏ ।


‘ଚାଇନା ଡ଼େଲି’ ସମ୍ବାଦପତ୍ରର ସମୀକ୍ଷକଙ୍କ ଭାଷାରେ ବାର୍ଦ୍ଧକ୍ୟ ବିଷୟବସ୍ତୁ ଆଧାରିତ ସୃଜନରେ ଜୋହୁଙ୍କ ଉପନ୍ୟାସ ଚୀନରେ ପ୍ରଥମ । ଜୋହୁ ୧୯୫୨ରେ ଏକ ଚାଷୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ମାତ୍ର ଆଠ ବର୍ଷ ବୟସରେ ଦୁର୍ଭିକ୍ଷର କରାଳ ଛାପରେ ଭୟଭୀତ ହୋଇ ବିଦ୍ୟାଳୟ ଶିକ୍ଷା ଶେଷରେ ୧୯୭୦ରେ ସେନାବାହିନୀରେ ଯୋଗ ଦେଇଥିଲେ । ୧୯୮୫ରେ ସ୍ନାତକ ଉପାଧି ହାସଲ କରିଥିଲେହେଁ ୧୯୭୯ରୁ କ୍ରମାଗତଭାବେଜୋହୁଙ୍କ ସାହିତ୍ୟ କୃତୀ ପ୍ରକାଶ ପାଇ ଆସିଛି । ସେଥିମଧ୍ୟରୁ ଗୋଟିଏ ଉପନ୍ୟାସ ଆଧାରିତ ଚଳଚିତ୍ର‘ଉମେନସିସେମ ଅଏଲ ମେକର’ ୧୯୯୩ରେ ବର୍ଲିନ ଆନ୍ତର୍ଜାତିକ ଚଳଚିତ୍ର ମହୋତ୍ସବରେ ଗୋଲଡନ ବିୟର ପୁରସ୍କାର ଲାଭ କରିଥିଲା । ତାଙ୍କରି ପ୍ରକାଶିତ ପୁସ୍ତକଗୁଡ଼ିକଇଂଲିଶ, ଫ୍ରେଞ୍ଚ, ଜର୍ମାନ, ସ୍ପାନିସ ଇତ୍ୟାଦି ଭାଷାରେ ଅନୁବାଦିତ ।

 

‘ଦି ସ୍କାଇଗେଟସଡାର୍କ, ସ୍ଳୋଲି’ର ମୁଖ୍ୟ ଚରିତ୍ର ଜଣେ ଅବସରପ୍ରାପ୍ତ ବିଚାରପତି । ସେ ହ୍ୱିଲଚେୟର ଆସୀନ, କମ ଦେଖି ପାରନ୍ତି, କମ ଶୁଣିପାରନ୍ତି ଏବଂ ଏକମାତ୍ର କନ୍ୟା ସନ୍ତାନକୁ ହରାଇ ଜଣେ ନର୍ସଙ୍କ ହେପାଜାତରେ ଜୀବନ ଅତିବାହିତ କରନ୍ତି । ଉପନ୍ୟାସ ଆରମ୍ଭ ହୁଏ ବିଚାରପତିଙ୍କ ୮୬ ତମ ଜନ୍ମବାର୍ଷିକୀ ପାଳନ ଉତ୍ସବ ବର୍ଣ୍ଣନାରେ । କାହାଣୀଟିର ପ୍ରମୁଖ ଅଂଶ ବିଚାରପତିଙ୍କ ୭୩ ରୁ ୮୬ ବର୍ଷ ବାର୍ଦ୍ଧକ୍ୟ ଜୀବନଚର୍ଯ୍ୟା ଲିଭ-ଇନ-ନର୍ସଙ୍କ ଅନୁଭୂତିର ଏକ ଆଲେଖ୍ୟ ।


ଜୋହୁଙ୍କ ଭାଷାରେ ସମକାଳରେ ବାର୍ଦ୍ଧକ୍ୟ ଜୀବନର ଏକ ଅପରିଚିତ ଅଧ୍ୟାୟ । ଅଧିକାଂଶ ବରିଷ୍ଠ ନାଗରିକ ବାର୍ଦ୍ଧକ୍ୟ ସଂପର୍କରେ ଅବଗତ ଥିବା ବିଚାର କରୁଥିବା ସ୍ଥଳେ ପ୍ରକୃତପକ୍ଷେ ଜୀବନଚର୍ଯ୍ୟା ନିମନ୍ତେ ପ୍ରସ୍ତୁତ ନଥାନ୍ତି । ସ୍କୁଲଯିବା ପିଲାଙ୍କ ସାଧାରଣ ଜ୍ଞାନଠାରୁ ବହୁ ବରିଷ୍ଠ ନାଗରିକଙ୍କ ବାର୍ଦ୍ଧକ୍ୟ ସଂପର୍କୀତ ଜ୍ଞାନ ଅଧିକ ନଥାଏ ।

 

ସମୀକ୍ଷକମାନେ ‘ଦି ସ୍କାଇଗେଟସଡାର୍କ, ସ୍ଳୋଲି’ ଉପନ୍ୟାସରେ ଜୋହୁଙ୍କ ବାର୍ଦ୍ଧକ୍ୟ ଜୀବନ ବର୍ଣ୍ଣନାର କେତେଗୋଟି ଦିଗ ଚିହ୍ନଟ କରିଥାନ୍ତି । ପ୍ରଥମତଃ, ବାର୍ଦ୍ଧକ୍ୟରେ ପରିବାରବର୍ଗ, ସଖା ସହୋଦରଙ୍କ ସଂଖ୍ୟା କମି ଆସେ । କେତେକ କ୍ରମଶଃ ଇହଧାମ ତ୍ୟାଗ କରୁଥିବା ସ୍ଥଳେ ସମବୟସ୍କ ପରିଚିତ ବର୍ଗ ବାର୍ଦ୍ଧକ୍ୟ ଜନିତ ସ୍ୱାସ୍ଥ୍ୟ, ଅବସ୍ଥିତି ଓ ଆର୍ଥିକ କାରଣରୁ ପ୍ରାୟତଃ ଦୂରେଇ ଯାଇଥାନ୍ତି । ଯୁବ ସମ୍ପ୍ରଦାୟ ବୃତ୍ତି ଓ ପାରିବାରିକ ଦାୟିତ୍ୱ ନିର୍ବାହରେ ବ୍ୟସ୍ତ ରହୁଥିବା ହେତୁ ବରିଷ୍ଠଙ୍କ ସାନ୍ନିଧ୍ୟଲାଭ ସହଜପ୍ରଦ ହୁଏନାହିଁ । ପତି ଓ ପତ୍ନୀଙ୍କ ମଧ୍ୟରୁ ଆଗପଛ ହୋଇ ଜଣେ ଜୀବନରୁ ବିଦାୟ ନିଅନ୍ତି । ଏହି ପରିପ୍ରେକ୍ଷୀରେ ବରିଷ୍ଠ ନାଗରିକମାନଙ୍କ ଏକାକୀ ଜୀବନଯାପନ ବାଧ୍ୟବାଧକତାରେ ପରିଣତ ହେଉଥିବା ସ୍ଥଳେ ଏଦିଗରେ ବ୍ୟକ୍ତିଗତ କିମ୍ୱା ସାମାଜିକସ୍ତରରେ ପୂର୍ବପ୍ରସ୍ତୁତି ନଥାଏ ।

 

ଦ୍ୱିତୀୟତଃ, ପରିଣତ ବୟସରେ ପୂର୍ବ ଜୀବନର ପ୍ରତିପତ୍ତି ଅପସରି ଯାଏ । ବିତ୍ତଶାଳୀ, କ୍ଷମତାଶାଳୀ ଓ ପ୍ରତିଭାଧର ସଭିଏଁ କ୍ରମଶଃ ଏକକ ବୃଦ୍ଧଜନ ଚିହ୍ନିତ ସାଧାରଣବର୍ଗରେ ସାମିଲ ହୋଇଥାଆନ୍ତି । ସାମାଜିକ ପୃଷ୍ଠଭୂମିରେ ଅପେକ୍ଷାକୃତ ନିରୋଳା ସ୍ଥାନରେ  ବୁଢ଼ାବୁଢ଼ୀମାନେ ନିଜ ଉପସ୍ଥିତିକୁ ସମ୍ଭାଳି ନିଅନ୍ତି । ଏହି ଅବସରରେ ଆଗାମୀ ପୀଢ଼ିର ଚିନ୍ତାଧାରା ଓ କାର୍ଯ୍ୟାବଳୀ ନିଜ ସହ ଖାପ ଖାଉନଥିବା ହେତୁ ସମାଲୋଚନା ନକରି ଉଦାରଚିତ୍ତରେ ସମର୍ଥନ କରିବା ବୁଦ୍ଧିମତ୍ତାର ପରିଚୟ।

 

ତୃତୀୟତଃ, ବାର୍ଦ୍ଧକ୍ୟ ସ୍ୱାସ୍ଥ୍ୟହାନୀର ଋତୁ । କର୍କଟ, ହୃଦରୋଗ, ଶରୀରର ବିଭିନ୍ନ ଅଂଶ ଅକାମୀ ହୋଇପଡ଼ିବା କିମ୍ୱା ପଡିଯାଇ ହାଡ଼ଗୋଡ ଭାଙ୍ଗି ପଡିବା ଫଳରେ ସାଧାରଣ ଜୀବନଯାତ୍ରା କଷ୍ଟସାଧ୍ୟ ହୋଇପଡ଼େ । ଏଭଳି ପରିସ୍ଥିତି ଏଡାଇଦେବା ସମ୍ଭବପର ନଥିବା ହେତୁ କ୍ଷୟକ୍ଷତିଗୁଡିକୁ ନେଇ ଜୀବନଶୈଳୀପୁର୍ନବିନ୍ୟାସ ଆବଶ୍ୟକ ପଡିଥାଏ । ବ୍ୟକ୍ତିଗତ ସ୍ତରରେ ପଥ୍ୟ, ବ୍ୟାୟାମ ଓ ସ୍ୱାସ୍ଥ୍ୟରକ୍ଷା ଦିଗରେ ଉଦ୍ୟମ ସହିତ ମାନସିକତାରେ ଯୁଗୋପଯୋଗୀପରିବର୍ତ୍ତନ ସହଯୋଗ କରିଥାଏ ।

 

ଚତୁର୍ଥତଃ, ପରିସଂଖ୍ୟାନ ଅନୁଯାୟୀ ଉତ୍ତର-ବାର୍ଦ୍ଧକ୍ୟରେ ଦଶ ପ୍ରତିଶତ ବରିଷ୍ଠ ନାଗରିକ ଦୁଇରୁ ପାଞ୍ଚ ବର୍ଷ ଯାଏଁ ଶର୍ଯ୍ୟାଶାୟୀ କିମ୍ୱା ଗୃହାବଦ୍ଧ ଜୀବନଯାପନ କରିଥାନ୍ତି । ସଭିଏଁ ଏହି ପରିବେଶ ନିମନ୍ତେ ମାନସିକ, ଆର୍ଥିକ ଓ ସାଂଗଠନିକସ୍ତରରେ ପୂର୍ବ ପ୍ରସ୍ତୁତିରେ ଯୋଗଦାନ ବିଧେୟ । ଫଳରେ ଆକସ୍ମିକ ବିପଦପୂର୍ଣ୍ଣ ପରିସ୍ଥିତିକୁ ଟାଳି ଦେଇ ହୁଏ । ବିଶ୍ୱବ୍ୟାପୀ ପ୍ରଚଳିତ ଧାରା ଅନୁଧ୍ୟାନ କଲେ ମାଆର ସହାୟତାରେ ଶୈଶବ ବଢ଼ିଥିଲା, କିନ୍ତୁ କ୍ରମଶଃ ଅପରିଚିତ ବୃତ୍ତିଧାରୀଙ୍କ ଯତ୍ନରେ ଉତ୍ତର-ବାର୍ଦ୍ଧକ୍ୟ ମୃତ୍ୟୁକୁ ଲମ୍ପ ପ୍ରଦାନ କରିବା ନିଶ୍ଚିତପ୍ରାୟ ମନେହୁଏ ।

 

ପଞ୍ଚମରେ ଉତ୍ତର-ବାର୍ଦ୍ଧକ୍ୟରେ ଅର୍ଥାଭାବ ସମସ୍ୟା ଓ ସଞ୍ଚିତ ଅର୍ଥର ସୁରକ୍ଷା ନିମନ୍ତେ ବାର୍ଦ୍ଧକ୍ୟରେ ପାଦଦେବାଯଥେଷ୍ଟ ଆଗରୁ ପୂର୍ବପ୍ରସୁତି ଗୁରୁତ୍ୱପୂର୍ଣ୍ଣ । ଦରିଦ୍ର ତଥା ଧନୀକ ସମସ୍ତବର୍ଗର ବରିଷ୍ଠ ନାଗରିକଙ୍କ ସଞ୍ଚିତ ଧନ ଉପରେ ଖଳପ୍ରକୃତିଙ୍କ ଲୋଲୁପ ଦୃଷ୍ଟି ଉଦାହରଣର ଅଭାବ ନଥାଏ । ଅତି ପରିଚିତଙ୍କଠାରୁ ଆରମ୍ଭ କରି ଦୃତ ପ୍ରସାରିତ ଅନଲାଇନ ପରିବେଶରେ ଅପରିଚିତଙ୍କପ୍ରବଞ୍ଚନାରୁ ସତର୍କ ରହିବାକୁ ପଡ଼େ ।


ଜୋହୁ ଆଲୋଚ୍ୟ ଉପନ୍ୟାସ ପୃଷ୍ଠାରେ ରୋବଟ ନର୍ସିଂ, ବୈଷୟିକ କୌଶଳ ପ୍ରୟୋଗରେ ଯୁବ ସୁଲଭ ଉଦ୍ଦାମତା ଉପଭୋଗ ‘ଏକ୍ସପିୟରସିଂୟୁଥ ଥ୍ରୁ ଟେଲନୋଲଜି’ ଓ ପରିବେଶ ଅନୁକୂଳ ଚିକିତ୍ସାଳୟ ‘ଇକଲୋଜିକାଲନର୍ସିଂହୋମ’ ଭଳି ବିକାଶୋନ୍ମୁମୁଖୀ ବୈଜ୍ଞାନିକ ଉଦ୍ଭାବନ ‘ଏମରଜିଂସାଇଣ୍ଟିଫିକଇନୋଭେସନ’ ସଂପର୍କରେ ବର୍ଣ୍ଣନା କରିଛନ୍ତି । ଦେଶାନ୍ତରୀ ଶ୍ରମିକ, ବିବାହ ବିଚ୍ଛେଦ ଓ ଅବସାଦଗ୍ରସ୍ତ ରୋଗୀଙ୍କ ସଂପର୍କରେ ମଧ୍ୟ ଅବତାରଣା କରାଯାଇଛି । ସର୍ବୋପରି ଉପନ୍ୟାସର ମୁଖ୍ୟଚରିତ୍ର ଅବସରପ୍ରାପ୍ତ ବିଚାରପତି ଶାରିରୀକ ଅକ୍ଷମତା ଓ ପାରିବାରିକ ସ୍ଥିତି କାରଣରୁ ୧୩ ବର୍ଷ ଧରି ଜଣେ ଘରୋଇ ନର୍ସଙ୍କ ସାନ୍ନିଧ୍ୟରେ ଜୀବନଯାପନ ଭବିଷ୍ୟତରେ ବରିଷ୍ଠ ନାଗରିକଙ୍କ ଉତ୍ତର-ବାର୍ଦ୍ଧକ୍ୟ ଜୀବନଚର୍ଯ୍ୟାରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନର ସୂଚନା ଦେଇଥାଏ ।


ଜୋହୁଙ୍କ ଜନ୍ମ ୧୯୫୨ରେ । ଉପନ୍ୟାସ ପ୍ରକାଶନ କାଳ ୨୦୧୮ରେ ବୟସ ୬୬ ବର୍ଷ । ସେ ହଠାତ୍ କିଛି ମାତ୍ରାରେ ଶ୍ରବଣଶକ୍ତି ହରାଇଥିଲେ । ତାଙ୍କରି ୨୯ ବର୍ଷର ପୁତ୍ର ମସ୍ତିଷ୍କ କର୍କଟ ରୋଗରେ ପ୍ରାଣତ୍ୟାଗ କରିଥିଲା । ୨୦୦୮ରେ ଷଷ୍ଠ ଉପନ୍ୟାସ ପ୍ରକାଶ ପରଠାରୁ ସୃଜନ କ୍ଷେତ୍ରରେ ଆଳସ୍ୟ ଆସିଯାଇଥିଲା । ବ୍ୟକ୍ତିଗତ ଜୀବନରେ ବାର୍ଦ୍ଧକ୍ୟ ଅନୁଭୂତି ନବମ ଉପନ୍ୟାସ ରଚନା ନିମନ୍ତେ ବେଶ ଖୋରାକ ଯୋଗାଇଥିବା ସମୀକ୍ଷକମାନେ ଦର୍ଶାଇଥାନ୍ତି ।


ବାର୍ଦ୍ଧକ୍ୟରେ ଭବିଷ୍ୟତ ଆକଳନ ସବୁଦିଗରୁଅସ୍ପଷ୍ଟ । ଦୁର୍ବଳ ଦୃଷ୍ଟି ଶକ୍ତି, ପରିବର୍ତ୍ତିତ ସାମାଜିକ, ବୈଷୟିକ ଓ ଆର୍ଥିକ ମୂଲ୍ୟବୋଧ ସଂପର୍କରେ ଅଜ୍ଞତା ଏବଂ ସର୍ବୋପରି ସୀମିତ ପରିଚିତବର୍ଗଙ୍କସହଚର୍ଯ୍ୟ ବାର୍ଦ୍ଧକ୍ୟରେ ସୃଷ୍ଟ ସମସ୍ୟାଗୁଡ଼ିକର ସମାଧାନର ସୁଯୋଗ ସଙ୍କୁଚିତ କରିପକାଏ । ଜୋସୁଙ୍କ ବର୍ଣ୍ଣନାରେ ସୂର୍ଯ୍ୟ ଅସ୍ତଗାମୀ ହେବାପରେ ଆକାଶ କ୍ରମଶଃ ଅନ୍ଧକାରଚ୍ଛନ୍ନ ହେବା ବହୁ ପୂର୍ବରୁ ରାତ୍ରୀର ଗଭୀରତା ସଂପର୍କରେ ସଚେତନ ହେବା ସମୟର ଆହ୍ୱାନ । 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ଅକ୍ଟୋବର ୨୦୧


ତଥ୍ୟ:

 

 

Jia, Mei. New focus on old age. China Daily. February 23, 2018

 

http://www.chinadaily.com.cn/a/201802/23/WS5a8f681fa3106e7dcc13d80a_1.html


Aarra Communities. The Sky Gets Dark, Slowly

 

https://medium.com/@sockapalaniappan/the-sky-gets-dark-slowly-146842d772dc>

ବାର୍ଦ୍ଧକ୍ୟର ପୁର୍ନମୂଲ୍ୟାୟନ

ବିଶ୍ୱବ୍ୟାପୀ ବୃଦ୍ଧ ଜନସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଜାପାନରେ ୬୫ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କଙ୍କ ସଂଖ୍ୟା ଦେଶର ମୋଟ ଜନସଂଖ୍ୟାର ଏକ ଚତୁର୍ଥାଂଶ ହିସାବ କରାଯାଉଥିବା ସ୍ଥଳେ ୨୦୫୦ ସୁଦ୍ଧା ୟୁରୋପୀୟ ଓ ଉତ୍ତର ଆମେରିକୀୟ ରାଷ୍ଟ୍ରଗୁଡ଼ିକସମସ୍ତରରେ ପହଞ୍ଚିବ। ଯୁକ୍ତରାଷ୍ଟ୍ର ଆମେରିକାରେ ୨୦୧୮ରେ ୧୬ ପ୍ରତିଶତ ଜନସଂଖ୍ୟା ୬୫ ବର୍ଷୋତ୍ତର ଥିବା ସ୍ଥଳେ ୨୦୩୫ ବେଳକୁ ତାହା ୨୨ ପ୍ରତିଶତକୁ ବୃଦ୍ଧି ପାଇବ । ସେହିପରି ଭାରତରେ ମଧ୍ୟ ୨୦୧୧ ଜନଗଣନାର ୮ ପ୍ରତିଶତ ୬୦ ବର୍ଷରୁ ଉର୍ଦ୍ଧ୍ୱ ଜନସଂଖ୍ୟା ୨୦୫୦ ସୁଦ୍ଧା ୨୦ ପ୍ରତିଶତରେ ପରିବର୍ତ୍ତିତ ହେବା ଆକଳନ କରାଯାଏ ।

 

ବୃଦ୍ଧ ଜନସଂଖ୍ୟା ବୃଦ୍ଧିର ବିଭିନ୍ନ କାରଣ ମଧ୍ୟରେ ଜୀବନଧାରଣମାନବୃଦ୍ଧି, ଉନ୍ନତ ସ୍ୱାସ୍ଥ୍ୟସେବା, ଜୀବଦ୍ଦଶା ବୃଦ୍ଧି ତଥା ଶିଶୁ ଜନ୍ମ ସଂଖ୍ୟା ହ୍ରାସ ଅନ୍ୟତମ ।

 

ଜୀବଦ୍ଦଶା ବୃଦ୍ଧି ଫଳରେ ଅଧିକ ସଂଖ୍ୟକ ବୃଦ୍ଧ ଅଧିକ ବର୍ଷ ଧରି ବାର୍ଦ୍ଧକ୍ୟ ଜୀବନ ଯାପନ କରିବା ନିଶ୍ଚିତ । ଏକ ହିସାବ ଅନୁଯାୟୀ ଯୁକ୍ତରାଷ୍ଟ୍ର ଆମେରିକାରେ ୧୯୬୦ରେ ଯେଉଁମାନେ ୬୫ ବର୍ଷରେ ପଦାର୍ପଣ କରିଥିଲେ ସେମାନେ ହାରାହାରି ଆଉ ୧୪ ବର୍ଷ ବଞ୍ଚୁଥିବା ସ୍ଥଳେ ୨୦୧୯ରେ ୬୫ ବର୍ଷରେ ପଦାର୍ପଣରେ ହାରାହାରି ୨୦ ବର୍ଷ ବଞ୍ଚିବେ । ପରିବର୍ତ୍ତନ ସ୍ରୋତରେ ଦୈନନ୍ଦିନ ସାମାଜିକ ଜୀବନରେ ବୃଦ୍ଧଜନ ଏକ ଦୃଷ୍ଟିଆକର୍ଷଣକାରୀ ବର୍ଗରେ ପରିଣତ ହୋଇଛନ୍ତି । ଏତାଦୃଶ ପରିବେଶ ବାର୍ଦ୍ଧକ୍ୟ ଜୀବନଚର୍ଯ୍ୟାକୁ ନେଇ ପ୍ରଚଳିତ ରୀତିନୀତିର ପୁର୍ନମୂଲ୍ୟାୟନଆବଶ୍ୟକକରେ ମୋଟାମୋଟିଭାବେ ବାର୍ଦ୍ଧକ୍ୟକୁ ନେଇ ସାମାଜିକ ଓ ସାଂସ୍କୃତିକ ମୂଲ୍ୟବୋଧ, ଅର୍ଥନୀତି ତଥା ସର୍ବୋପରି ବାର୍ଦ୍ଧକ୍ୟ ଜୀବନଯାପନ ଲାଗି ପରିବର୍ତ୍ତିତ ଦୃଷ୍ଟିଭଙ୍ଗୀ ସମୟର ଆହ୍ୱାନ ।

 

ପାରମ୍ପରିକଭାବେ ଅର୍ଥନୀତିକ ଅଭିବୃଦ୍ଧିରେ ବାର୍ଦ୍ଧକ୍ୟକୁ ଏକ ବୋଝ ବିବେଚନା କରାଯାଇ ଆସିଛି । କର୍ମତତ୍ପରଶ୍ରମଶକ୍ତିର ଆୟ ଓବୃଦ୍ଧଜନଙ୍କ ଭରଣପୋଷଣ, ସ୍ୱାସ୍ଥ୍ୟ ସେବାରେ ଖର୍ଚ୍ଚକୁ ମେଣ୍ଟାଇବାଲାଗି ବ୍ୟୟକୁ ଆନୁପାତିକ ନିର୍ଭରଶୀଳତା ଡିପେଣ୍ଡେସିରେସିଓଆଖ୍ୟା ଦିଆଯାଇଥାଏ ।

 

ଏଭଳି ଅର୍ଥନୀତିକ ଆଭିମୁଖ୍ୟକୁ ନୂତନ ପରିସଂଖ୍ୟାନଭିତ୍ତିକ ଗବେଷଣା ଭୂଲ ପ୍ରମାଣିତ କରୁଛି । ଯୁକ୍ତରାଷ୍ଟ୍ର ଆମେରିକାର ମୁଣ୍ଡପିଚ୍ଛା ଆୟ ୧୯୮୦ ରୁ ୨୦୧୦ ତିରିଶି ବର୍ଷ ମଧ୍ୟରେ ବିଶ୍ଳେଷଣ କରି ହାର୍ଭାଡ଼ ବିଶ୍ୱବିଦ୍ୟାଳୟର ଗବେଷକ ଦର୍ଶାଇଛନ୍ତି ଯେ ଅନେକ କ୍ଷେତ୍ରରେ ଏକାଦିକ୍ରମେ ବହୁ ସଂଖ୍ୟକ କୁଶଳୀ କର୍ମଚାରୀ ଅବସର ଗ୍ରହଣ କରୁଥିବା ହେତୁ ଜାତୀୟ ଉତ୍ପାଦନ ଅଭିବୃଦ୍ଧି ହାର ହ୍ରାସ ପାଉଛି । ଯେଉଁ ଶ୍ରମଶକ୍ତି କର୍ମନିଯୁକ୍ତ ସେମାନେ ନିପୂଣତା ହାସଲ କରିପାରି ନାହାନ୍ତି । ଏହି ପରିବେଶକୁ ବଦଳାଇବାକୁ ହେଲେ ଅଭିଜ୍ଞ ବରିଷ୍ଠଙ୍କ ଦୀର୍ଘକାଳ ନିଯୁକ୍ତି ନୀତି ନିର୍ଦ୍ଧାରଣ ଓ ବୈଷୟିକ ସହାୟତା ଆବଶ୍ୟକ ।

 

ବୋଷ୍ଟନ ବିଶ୍ୱବିଦ୍ୟାଳୟର ଗବେଷକମାନେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ବୃଦ୍ଧି ସହ ଜାତୀୟ ମୁଣ୍ଡପିଚ୍ଛା ଆୟରେ କୌଣସି ସଂପର୍କର ପ୍ରମାଣ ଖୋଜି ପାଇପାରିନଥିଲେ । ନିକଟ ଅତୀତର ଇତିହାସକୁ ଅନୁଧ୍ୟାନ କଲେ ଦକ୍ଷିଣ କୋରିଆ, ଜାପାନ ଓ ଜର୍ମାନରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ବୃଦ୍ଧି ସେଠାକାର ଅର୍ଥନୀତିକୁ ପ୍ରଭାବିତ କରିପାରି ନଥିବା ଜଣାଯାଏ । ଅପରପକ୍ଷେ ପ୍ରତିବେଶୀଙ୍କ ତୁଳନାରେ ଏହି ରାଷ୍ଟ୍ରଗୁଡ଼ିକଅଗ୍ରଗତି କରିଚାଲିଛନ୍ତି ବରିଷ୍ଠଙ୍କ ଅଭାବରେ ଉତ୍ପାଦନ ବୃଦ୍ଧି ଅବ୍ୟାହତ ରଖିବା ନିମନ୍ତେ ଏସବୁ ରାଷ୍ଟ୍ରଗୁଡ଼ିକରେ କଳକାରଖାନାରେ ଅଟୋମେସେନ ଓ ରୋବୋଟିକଜ୍ଞାନକୌଶଳ ଅପେକ୍ଷାକୃତଭାବେ ଅଧିକ ବ୍ୟବହୃତ ହେଉଥିବା ଦେଖାଯାଏ ।

 

ଏକବିଂଶ ଶତାଦ୍ଦୀର ପ୍ରଥମାର୍ଦ୍ଧରେ ଜଳବାୟୁ ପରିବର୍ତ୍ତନ, କୃତ୍ରିମ ବୃଦ୍ଧିମତ୍ତାଓ ଗୁଣସୂତ୍ର ସମ୍ପାଦନା ଭଳି ଉପକ୍ରମଗୁଡ଼ିକ ମାନବ ସଭ୍ୟତାରେ ସୂଦୂରପ୍ରସାରୀ ପ୍ରଭାବ ବିସ୍ତାର କରିବା ଆଶା କରାଯାଉଥିବା ସ୍ଥଳେ ଜନସଂଖ୍ୟାର ୨୦ ରୁ ୨୫ ପ୍ରତିଶତ ବାର୍ଦ୍ଧକ୍ୟଗ୍ରସ୍ତ ହେବା ପରିସଂଖ୍ୟାନ ମଧ୍ୟ କମ ଗୁରୁତ୍ୱ ବହନ କରିନଥାଏ । ବୃଦ୍ଧାବସ୍ଥା ଗବେଷକମାନଙ୍କ ମତରେ ଏକବିଂଶ ଶତାଦ୍ଦୀ ଦ୍ୱିତୀୟ ଦଶକ ସୁଦ୍ଧା ବୃଦ୍ଧ ଜନସଂଖ୍ୟା ବୃଦ୍ଧିର ସମ୍ଭାବ୍ୟ ସମସ୍ୟା ମୁକାବିଲା କରିବା ନିମନ୍ତେ ବିଶ୍ୱବ୍ୟାପୀ ସାମାଜିକ, ବୈଷୟିକ ଓ ଅର୍ଥନୀତିକସ୍ତରରେ ଯେଉଁ ଧରଣର ପଦକ୍ଷେପ ଗ୍ରହଣ ଆବଶ୍ୟକତା ରହିଛି ତାହା ସଂଭବପର ହୋଇପାରି ନାହିଁ । ଭାରତଭଳି ବିକାଶଶୀଳ ରାଷ୍ଟ୍ରଗୁଡ଼ିକରେ ଜନସାଧାରଣ ବ୍ୟକ୍ତିଗତସ୍ତରରେ ମଧ୍ୟ ଆସନ୍ନ-ବାର୍ଦ୍ଧକ୍ୟ ଲାଗି କୌଣସି ପୂର୍ବପ୍ରସ୍ତୁତିରେ ସାମିଲ ହୋଇନଥାନ୍ତି ।

 

ଯୁକ୍ତରାଷ୍ଟ୍ର ଆମେରିକାର ମାସେଚୁଟେସଇନଷ୍ଟିଟିଉଟ ଅଫ ଟେକନୋଲଜିରେଏଜ-ଲେବ ନାମକ ପ୍ରତିଷ୍ଠାନ ବାର୍ଦ୍ଧକ୍ୟ ସଂପର୍କୀତ ଗବେଷଣାଲାଗି ସମର୍ପିତ । ଜୋସେଫ ବାଉଲିନ ଏହାର ନିର୍ଦ୍ଦେଶକ । ସେ ଜୀବଦ୍ଦଶା ଅର୍ଥନୀତି ଲଂଜିଭିଟିଇକୋନମି ଶୀର୍ଷକ ପୁସ୍ତକ ରଚନା କରିଛନ୍ତି । ତାଙ୍କରି ଗଣନାରେ ଯୁକ୍ତରାଷ୍ଟ୍ର ଆମେରିକାରେବାର୍ଦ୍ଧକ୍ୟ ଜୀବନକୁ ନେଇ ସାଧାରଣବର୍ଗରେ ସଚେତନା କିମ୍ୱା ପୂର୍ବ ପ୍ରସ୍ତୁତି ନାହିଁ । ସେଠାକାର ନିଯୁକ୍ତ ଶ୍ରମଶକ୍ତିରୁ ଅର୍ଦ୍ଧେକ ବିଭିନ୍ନ କାରଣରୁ ଅବସର ନେଉଥିବା ସ୍ଥଳେ ସେମାନଙ୍କ ମଧ୍ୟରୁ ଅର୍ଦ୍ଧେକ ଅବସର ଜୀବନଲାଗି ଆର୍ଥିକ ଦୃଷ୍ଟିରୁ ପ୍ରସ୍ତୁତ ନାହାନ୍ତି । ସେଥିମଧ୍ୟରୁ ଅର୍ଦ୍ଧେକ କର୍ମକ୍ଷେତ୍ରରୁ ବିଚ୍ୟୁତ ହେବା ଲାଗି ଅନିଚ୍ଛୁକ । ଅର୍ଥାତ ୫୦ ପ୍ରତିଶତ ଅପ୍ରସ୍ତୁତ ଥିବା ସ୍ଥଳେ ୨୫ ପ୍ରତିଶତ ଜୀବନବ୍ୟାପୀ କର୍ମନିଯୁକ୍ତିଲାଗି ଆଶାୟୀ ।

 

ସାମାଜିକସ୍ତରରେ ବାର୍ଦ୍ଧକ୍ୟଜନିତ ପୂର୍ବପ୍ରସ୍ତୁତି ଅଭାବ ବର୍ଣ୍ଣନା କରିବାକୁ ଯାଇ ଜୋସେଫ ବୃଦ୍ଧଜନଙ୍କ ନିମନ୍ତେ ଯାତାୟତ ଓ ନିର୍ଭରଶୀଳ ଜୀବନଯାତ୍ରା ଆସିଷ୍ଟେଡ ଲିଭିଂ ପାଇଁ ସହାୟକଙ୍କ ସୁବିଧା ଉଦାହରଣ ଉଲ୍ଲେଖ କରିଥାନ୍ତି । ବୃଦ୍ଧାବସ୍ଥାରେ ଗାଡ଼ିଚଳାଇବାଲାଗି ଅକ୍ଷମ ଅବସ୍ଥାରେ ପହଞ୍ଚିବା ପରେ ସବୁ ସ୍ଥାନକୁ ଯିବା ଆସିବା ଲାଗି ସର୍ବସାଧାରଣ ଯାତାୟତ ପବ୍ଳିକ ଟ୍ରାନ୍ସପୋର୍ଟରସୁବିଧା ନଥାଏ । ସେହିପରି ଦୈନନ୍ଦିନ ଜୀବନରେ ସହାୟତା ଆବଶ୍ୟକ ପଡ଼ିବା ବେଳକୁ ପର୍ଯ୍ୟାପ୍ତ ସଂଖ୍ୟକ ତାଲିମପ୍ରାପ୍ତ ବୃତ୍ତିଧାରୀ ସହାୟକଙ୍କ ଅଭାବ ଅନୁଭୂତ ହୁଏ । ନିଜର ବୃଦ୍ଧ ପିତାମାତାଙ୍କ ଯତ୍ନନେବା ନିମନ୍ତେ ମହିଳା କର୍ମଚାରୀମାନେ ନିଯୁକ୍ତି ଛାଡ଼ି ଦେଉଥିବା କିମ୍ୱା ଅଧିକ ସମୟ କାର୍ଯ୍ୟାଳୟରେ ବିତାଇବା ନିମନ୍ତେ ରାଜି ହେଉନଥିବା ଧାରା ଦେଖିବାକୁ ମିଳିଥାଏ ।

 

ଜୋସେଫଙ୍କ ହିସାବରେ ୫୦ ବର୍ଷୋତ୍ତର ମାର୍କିନ ନାଗରିକଙ୍କ ହାତରେ ୮୩ ପ୍ରତିଶତ ଗୃହଚଳେଣୀ ଅର୍ଥନୀତି ନିର୍ଭରଶୀଳ । ଅର୍ଥାତ ପରିବର୍ତ୍ତିତ ପରିବେଶରେ ୫୦ ବର୍ଷର କମ ପ୍ରାପ୍ତବୟସ୍କ ଓ ଯୁବବର୍ଗଙ୍କ ତୁଳନାରେ ବରିଷ୍ଠ ନାଗରିକମାନେ ଅଧିକ ଖର୍ଚ୍ଚ କରିବାଲାଗି ସମର୍ଥ । ତେଣୁ ବରିଷ୍ଠ ନାଗରିକଙ୍କ ଜୀବନଧାରଣର ମାନ ଉନ୍ନତି ଲାଗି ଅଧିକରୁ ଅଧିକ ସୁବିଧାସୁଯୋଗ ସୃଷ୍ଟି ହୋଇପାରିଲେ ସେଗୁଡ଼ିକ ବ୍ୟାବସାୟିକ ଦୃଷ୍ଟିରୁ ମଧ୍ୟ ଲାଭପ୍ରଦ ହେବା ସୁନିଶ୍ଚିତ ।

 

ବିଭିନ୍ନ ସୂତ୍ରରୁ ଗବେଷଣାଲବ୍ଧ ତଥ୍ୟ ଉଦ୍ଧାର କରି ସେ କହନ୍ତି ଯେ ଏକବିଂଶ ଶତାଦ୍ଦୀର ଦ୍ୱିତୀୟ ଦଶକ ସୁଦ୍ଧା ଅଧିକାଂଶ ମାର୍କିନ ବରିଷ୍ଠ ନାଗରିକ ନିଜକୁ ବୃଦ୍ଧ ମାନିବାକୁ ନାରାଜ । ଖ୍ୟାତନାମା ପିଉ ସର୍ବେକ୍ଷଣରେ ମାତ୍ର ୩୫ ପ୍ରତିଶତ ୭୫ ବର୍ଷୋତ୍ତର ନିଜକୁ ବୃଦ୍ଧ ପର୍ଯ୍ୟାୟଭୁକ୍ତ କରିଥିଲେ । ଆଧୁନିକ ପ୍ରଯୁକ୍ତି କୌଶଳ ଆୟତ୍ତ କରିବାରେ ମଧ୍ୟ ମାର୍କିନ ବରିଷ୍ଠ ନାଗରିକମାନେ ପଛୁଆ ନାହାନ୍ତି । ଏକବିଂଶ ଶତାଦ୍ଦୀର ଆରମ୍ଭ ବେଳକୁ ମାତ୍ର ୧୪ ପ୍ରତିଶତ ୬୫ ବର୍ଷୋତ୍ତର ଅନଲାଇନ ଥିବା ସ୍ଥଳେ ୨୦୧୮ ବେଳକୁ ସେମାନଙ୍କ ସଂଖ୍ୟା ୭୩ ପ୍ରତିଶତରେ ପହଞ୍ଚିଥିଲା ଏବଂ ଅର୍ଦ୍ଧେକ ସ୍ମାର୍ଟଫୋନ ବ୍ୟବହାର କରୁଥିଲେ ।

 

ଭାରତରେ ବାର୍ଦ୍ଧକ୍ୟ ଜୀବନଚର୍ଯ୍ୟା ସଂପର୍କରେ ସଚେତନ ଅନେକଙ୍କ ଧାରଣାଯେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକରେ ଅବସର ବିହାରଗୁଡ଼ିକରେ ବୃଦ୍ଧାବସ୍ଥା ଅତିବାହିତ ହୋଇଥାଏ । ତେବେ ଗବେଷଣାରୁ ଜଣାଯାଏ ଯେ ୮୭ ପ୍ରତିଶତ ମାର୍କିନ ବରିଷ୍ଠ ନାଗରିକ ବୃଦ୍ଧଜନ ଅବସର ବିହାର ବଦଳରେ ନିଜ ବାସଗୃହରେ ବାର୍ଦ୍ଧକ୍ୟ ଜୀବନଚର୍ଯ୍ୟା ପସନ୍ଦ କରିଥାନ୍ତି । ସାମାଜିକ ତାରତମ୍ୟ ଅନୁଧ୍ୟାନରୁ ଜଣାଯାଏ ଯେ ଯୁକ୍ତରାଷ୍ଟ୍ର ଆମେରିକାରେ ଗୋରା ଓ ବିତ୍ତଶାଳୀ ବରିଷ୍ଠନାଗରିକ କୃଷ୍ଣକାୟ ଓ ଆର୍ଥିକ ଦୃଷ୍ଟିରୁ ଅନଗ୍ରସରଙ୍କ ତୁଳନାରେ ନିଜ ଅବସର ଜୀବନଲାଗି ଅଧିକ ମାତ୍ରାରେ ପୂର୍ବପ୍ରସ୍ତୁତି କରିଥାନ୍ତି ଏବଂ ସେମାନଙ୍କ ଜୀବଦ୍ଦଶା ଅଧିକ ।

 

ଯୁକ୍ତରାଷ୍ଟ୍ର ଆମେରିକାରେ ବାର୍ଦ୍ଧକ୍ୟ ନୀତିନିର୍ଦ୍ଧାରଣ ସଂପର୍କୀତ ତଥ୍ୟାବଳୀଊଣାଅଧିକେ ବିଶ୍ୱର ଅନ୍ୟାନ୍ୟ ପ୍ରାନ୍ତରେ ପ୍ରଯୁଜ୍ୟ । ବାର୍ଦ୍ଧକ୍ୟ ସଂପର୍କୀତ ଆଲୋଚନା ନିମନ୍ତେ ମାର୍କିନ ପରିସଂଖ୍ୟାନକୁ ଉଦାହରଣ ସ୍ଵରୂପ ଗ୍ରହଣ କରାଯିବାର ଏକମାତ୍ର କାରଣ ହେଲା ସେଠାରେ ବାର୍ଦ୍ଧକ୍ୟ ସଂପର୍କରେ ପର୍ଯ୍ୟାପ୍ତ ମାତ୍ରାରେ ଗବେଷଣା କରାଯାଉଥିବା ତଥା ସୂଚନାବଳୀ ସହଜରେ ଉପଲବ୍ଧ ହେଉଥିବା ସ୍ଥଳେ ଏକେତ ଅନ୍ୟତ୍ର ତତୋଧିକ ଗବେଷଣା ଆୟୋଜିତ ହୋଇ ନଥାଏ କିମ୍ୱା ଚୀନ, ଜାପାନୀ, ଜର୍ମାନୀ, ଫ୍ରେଞ୍ଚ୍ କିମ୍ୱା ପୂର୍ବ ୟୁରୋପୀୟ ଦେଶପୁଞ୍ଜର ଭାଷାରେ ପ୍ରକାଶିତ ରଚନାଗୁଡ଼ିକ ଅନୁବାଦ ଅଭାବରୁ ଭାରତୀୟଙ୍କ ପାଇଁ ଅଧ୍ୟୟନ ସଂଭବପର ନୁହେଁ ।

 

ପ୍ରଶ୍ନ ଉଠେ ମାର୍କିନ ସ୍ଥିତାବସ୍ଥା ଓଡ଼ିଶା ରାଜ୍ୟ ପାଇଁ କେତେ ମାତ୍ରାରେ ପ୍ରଯୁଜ୍ୟ । ଓଡ଼ିଶାର ୮୪ ପ୍ରତିଶତ ପରିବାର ଗ୍ରାମାଞ୍ଚଳ ବାସିନ୍ଦା ଓ ୭୦ ପ୍ରତିଶତ ସରକାରୀ ନିଶ୍ଚିତ ଖାଦ୍ୟ ଯୋଗାଣ ଯୋଜନା ଅନ୍ତର୍ଭୁକ୍ତ । ୧୬ ପ୍ରତିଶତ ସହରାଞ୍ଚଳ ବାସିନ୍ଦା ଏବଂ ଏଥି ମଧ୍ୟରୁ ସ୍ୱଳ୍ପ ସଂଖ୍ୟକ ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳ । ଆର୍ଥିକ ସ୍ୱଚ୍ଛଳଙ୍କ ମଧ୍ୟରୁ କେତେ ସଂଖ୍ୟକ ବାର୍ଦ୍ଧକ୍ୟ ଜୀବନଚ଼ର୍ଯ୍ୟା ସଂପର୍କରେ ସଚେତନ ଏବଂ ଏଥିପାଇଁ ପୂର୍ବ-ପ୍ରସ୍ତୁତିରେ ସାମିଲ ହୋଇଥାନ୍ତି ତାହା ଅତ୍ୟନ୍ତ ନଗଣ୍ୟ ହୋଇପାରେ । ତେବେ ବିଶ୍ୱବ୍ୟାପୀ ବାର୍ଦ୍ଧକ୍ୟ ଜୀବନଚର୍ଯ୍ୟାକୁ ନେଇ ପରୀକ୍ଷାନିରୀକ୍ଷା ଚାଲିଥିବା ସ୍ଥଳେ ଓଡ଼ିଶାର ନଗଣ୍ୟ ପୂର୍ବ-ପ୍ରସ୍ତୁତ ବରିଷ୍ଠ ନାଗରିକଙ୍କ ବିକଳ୍ପ ବାର୍ଦ୍ଧକ୍ୟ ଜୀବନଚର୍ଯ୍ୟା ଗୁରୁତ୍ୱ ବହନ କରିଥାଏ । ଏହି ଦିଗରେ ଉଦ୍ୟମ ଆରମ୍ଭ ହେଲେ ଓଡ଼ିଶାର ପାଣିପବନରେ ବିକଶିତ ମଡ଼େଲ ଅନୁକରଣରେ ଅପେକ୍ଷାକୃତ ଅନଗ୍ରସରଙ୍କ ଲାଗି ଭବିଷ୍ୟତ ପରିକଳ୍ପନା ସଂଭବପର ବୋଲି ବିଶ୍ୱାସ କରାଯାଇପାରେ ।

 

ସାମାଜିକ ପୃଷ୍ଠଭୂମିରେ ବାର୍ଦ୍ଧକ୍ୟର ଗୁରୁତ୍ୱ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ମାନବ ସଭ୍ୟତାରେ ବିଗତ ଅର୍ଦ୍ଧଶତାଦ୍ଦୀ ଧରି ବୃଦ୍ଧଜନ ସଂଖ୍ୟା ଓ ଜୀବଦ୍ଦଶା ବୃଦ୍ଧି ଜନିତ ସମସ୍ୟା ପ୍ରଥମଥର ଲାଗି ଅନୁଭୂତ ହୋଇଛି । ଆଜକୁ ଦୁଇ ଶହ ବର୍ଷ ପୂର୍ବେ ଏତାଦୃଶ ପରିବେଶ କଳ୍ପନା ବର୍ହିଭୂତ ଥିବା ବିଶ୍ୱାସ କରାଯାଇପାରେ । କେରୋଲହବେରନାମ୍ନୀ ଜଣେ ମାର୍କିନ ଇତିହାସ ଅଧ୍ୟାପିକାଙ୍କ ଓଲଡ଼ଏଜ ଏଣ୍ଡ ଦି ସର୍ଚ୍ଚ ଫର ସିକ୍ୟୁରିଟି ନାମକ ଏକ ପୁସ୍ତକ ୧୯୯୪ରେ ପ୍ରକାଶିତ ହୋଇଥିଲା । ସେ ଉଲ୍ଲେଖ କରିଥିଲେ ଯେ ଊନବିଂଶ ଶତାଦ୍ଦୀ ପ୍ରଥମାର୍ଦ୍ଧରେ ପାଶ୍ଚାତ୍ୟ ଚିକିତ୍ସକମାନେ ଶାରିରୀକ ଶକ୍ତିକ୍ଷୟ ବାର୍ଦ୍ଧକ୍ୟର କାରଣ ବୋଲି ବିଶ୍ୱାସ କରୁଥିଲେ । ଅତଏବ ବାର୍ଦ୍ଧକ୍ୟବସ୍ଥାରେ ଶାରିରୀକ ଓ ମାନସିକସ୍ତରରେଶ୍ରମବିରତି ପାଇଁ ପରାମର୍ଶ ଦିଆଯାଉଥିଲା । ଶକ୍ତିକ୍ଷୟରୁ ମୃତ୍ୟୁ ଘଟୁଥିବାରୁ ଶକ୍ତି ସଞ୍ଚୟପାଇଁ ଯତ୍ନ ନେବାକୁ ଉତ୍ସାହିତ କରାଯାଉଥିଲା ।

 

ଊନବିଂଶ ଶତାଦ୍ଦୀର ଦ୍ୱିତୀୟାର୍ଦ୍ଧ ୧୮୬୦ରେ ବିଜ୍ଞାନ ସମ୍ମତ ନିଦାନ ଶାସ୍ତ୍ର ପାଥୋଲଜି ପ୍ରଚଳନ ପରେ ବାର୍ଦ୍ଧକ୍ୟ ସଂପର୍କୀତ ପାରମ୍ପରିକ ଚିନ୍ତାଧାରା ପରିବର୍ତ୍ତନରେ ସହାୟକ ହୋଇଥିଲା । ବାର୍ଦ୍ଧକ୍ୟ ଅଧ୍ୟୟନ ଜାରିଆଟ୍ରିକ୍ସବିଧିବଦ୍ଧଭାବେ ୧୯୦୯ରୁ ଆରମ୍ଭ ହେବା ଏବଂ ୧୯୧୪ରେ ପ୍ରଥମ ବାର୍ଦ୍ଧକ୍ୟ ପାଠ୍ୟପୁସ୍ତକ ଟେକ୍ସଟ ବୁକ ପ୍ରକାଶନ ଦୁଇ ମୁଖ୍ୟ ଘଟଣା । ଦ୍ୱିତୀୟ ବିଶ୍ୱଯୁଦ୍ଧୋତ୍ତର ଅବସ୍ଥାରେ ବିକଶିତ ସଭ୍ୟତାଗୁଡ଼ିକରେ ବାର୍ଦ୍ଧକ୍ୟ ଜୀବନଚର୍ଯ୍ୟା ଅବସର ଓ ବିନୋଦନ ଆଶ୍ରିତ ବିବେଚନା କରାଗଲା ।

 

ଏକବିଂଶ ଶତାଦ୍ଦୀ ପ୍ରଥମ ଦଶକ ଶେଷଭାଗରେ ପାଶ୍ଚାତ୍ୟ ଭୂଖଣ୍ଡରେ ସୃଷ୍ଟ ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବ ବିଶ୍ୱବ୍ୟାପୀ ପ୍ରସାର ଓ ଦୀର୍ଘକାଳ ବଳବତ୍ତର ରହିବା ପରିସ୍ଥିତି ସାମାଜିକ ଜୀବନର ବିଭିନ୍ନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ସୂତ୍ରଧର ସାଜିଛି । ବିକଶିତ ଓ ବିକାଶଶୀଳ ଉଭୟ ରାଷ୍ଟ୍ରରେ ବାର୍ଦ୍ଧକ୍ୟ ଜୀବନଚର୍ଯ୍ୟା ମଧ୍ୟ ଏଥିରେ ସାମିଲ ହୋଇଛି । ବିଂଶ ଶତାଦ୍ଦୀର ଶେଷ ତିନି ଦଶକ ଓ ଏକ ବିଂଶ ଶତାଦ୍ଦୀର ପ୍ରଥମ ଦୁଇ ଦଶକ ଅର୍ଦ୍ଧ ଶତାଦ୍ଦୀ ମଧ୍ୟରେ ବାର୍ଦ୍ଧକ୍ୟ ସଂପର୍କୀତ ଅଧ୍ୟୟନ ଓ ଗବେଷଣା ବାର୍ଦ୍ଧକ୍ୟର ପାରମ୍ପରିକ ମୂଲ୍ୟବୋଧର ସ୍ଥିତିକୁ ଦୋହଲାଇ ଦେଇଛି । ପରିବର୍ତ୍ତିତ ପରିବେଶରେ ବାର୍ଦ୍ଧକ୍ୟ ଜୀବନାଦର୍ଶ ସମୃଦ୍ଧ କର୍ମତତ୍ପର ବରିଷ୍ଠ ନାଗରିକଙ୍କ ଜୀବନଶୈଳୀକୁ ଗୁରୁତ୍ୱ ଦିଆଯାଉଛି ।

 

ଜନସଂଖ୍ୟାର ଏକ ପଞ୍ଚମାଂଶରୁ ଏକ ଚତୁର୍ଥାଂଶ ବରିଷ୍ଠ ନାଗରିକ ପର୍ଯ୍ୟାୟଭୁକ୍ତ ହେଉଥିବା ସ୍ଥଳେ ଏକ ପକ୍ଷରେ କିପରି ସେମାନଙ୍କ ଯତ୍ନ ନିଆଯାଇପାରିବ ଏବଂ ଅପରପକ୍ଷରେ ସେମାନେ କିପରି କାର୍ଯ୍ୟକ୍ଷମ ଅବସ୍ଥାରେ ଅର୍ଥନୀତିକ, ସାମାଜିକ ଓ ସାସ୍କୃତିକ ପ୍ରଗତିରେ ଯୋଗଦାନ କରିପାରିବେ ସେଭଳି ଆଭିମୁଖ୍ୟକୁ ଭିତ୍ତିକରି ନୀତି ନିର୍ଦ୍ଧାରଣର ଆବଶ୍ୟକତା ଅନୁଭୂତ ହେଉଛି । ଆନ୍ତର୍ଜାତିକସ୍ତରରେ ଏଦିଗରେ ଚେତନା ପ୍ରସାର ନିମନ୍ତେ ଉଦ୍ୟମ ଆରମ୍ଭ ହୋଇଥିଲେହେଁ ବିଶେଷ ଫଳପ୍ରଦ ହୋଇପାରୁନଥିବା ମନେ ହୁଏ । ଏହି ପରିବେଶରେ ଉଭୟ ବ୍ୟକ୍ତିଗତ, ପାରିବାରିକ ଓ ସାମାଜିକ ଜୀବନରେ ବାର୍ଦ୍ଧକ୍ୟର ପୁର୍ନମୂଲ୍ୟାୟନ ଜରୁରି ହୋଇପଡ଼ିଛି ।

 

ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ନଭେମ୍ୱର ୨୦୧୯

---

ତଥ୍ୟ:


Rotnam, David. Don’t fear the gray tsunami. MIT Technology Review. (September / October 2019) P. 9-11.

 

Coughlin, Joseph F. How “old age” was invented and why it needs to be reinvented. MIT Technology Review. (September / October 2019). P. 32-37.

ବାର୍ଦ୍ଧକ୍ୟରେ ଜୀବନାଭୂତି

କାର୍ଲ ପିଲେମେରଙ୍କ‘ଥାର୍ଟିଲେସନ୍ସ ଫର ଲିଭିଂ :ଟ୍ରାଇଡ଼ ଏଣ୍ଡ ଟ୍ରୁଏଡ଼ଭାଇସ ଫର୍ମ ଦି ୱାଇଜେଷ୍ଟଆମେରିକାନ୍ସ’ ଯୁକ୍ତରାଷ୍ଟ୍ର ଆମେରିକାର ଏକ ହଜାର ବରିଷ୍ଠନାଗରିକଙ୍କ ଜୀବନାନୁଭୂତି ଆଧାରିତ ଏକ ପ୍ରଶଂସିତ ପୁସ୍ତକ । ଏହା ୨୦୧୧ ମସିହାରେ ପ୍ରକାଶିତ ହୋଇଥିଲା ।

 

କାର୍ଲ କର୍ଣ୍ଣେଲବିଶ୍ୱବିଦ୍ୟାଳୟରେ ୧୯୯୦ରୁ ଅଧ୍ୟାପନା କରନ୍ତି । ତାଙ୍କରି ତତ୍ତ୍ୱାବଧାନରେକର୍ଣ୍ଣେଲଲିଗାସିପ୍ରୋଜେକ୍ଟ ମାଧ୍ୟମରେ ୨୦୦୪ ମସିହାରୁ ପ୍ରାୟ ଦୁଇ ହଜାର ବରିଷ୍ଠ ନାଗରିକଙ୍କ ଜୀବନାନୁଭୂତି ଦୀର୍ଘ ସାକ୍ଷାତକାର ମାଧ୍ୟମରେ ସଂଗୃହୀତ ହୋଇପାରିଛି । କାର୍ଲ ତିନିବର୍ଷ ବୟସରେ ପିତାଙ୍କୁ ହରାଇଥିଲେ ଏବଂ ଆଈଙ୍କ ତତ୍ତ୍ୱାବଧାନରେ ପରବର୍ତ୍ତୀ ଜୀବନ ଗଢ଼ିଉଠିଥିଲା । ପିଲାଟିଦିନୁ ବୟସ୍କଙ୍କ ସଂସ୍ପର୍ଶରେ ଆସି ବାର୍ଦ୍ଧକ୍ୟ ଅଧ୍ୟୟନ ‘ଜେରେଣ୍ଟୋଲଜି’ ପ୍ରତି ଆଗ୍ରହାନ୍ଵିତ ହୋଇପଡ଼ିଥିଲେ । ଅଧ୍ୟାପନା ଜୀବନର ଆଦ୍ୟଭାଗରେ ବରିଷ୍ଠନାଗରିକଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ଗବେଷଣାରେ ସଂପୃକ୍ତ ରହିବା ପରେ ବରିଷ୍ଠନାଗରିକଙ୍କ ଜୀବନାନୁଭୂତି ବିଶ୍ଳେଷଣରେ ପରବର୍ତ୍ତୀ ଗବେଷଣା ଉତ୍ସର୍ଗ କରିଥିଲେ ।

 

ଯୁକ୍ତରାଷ୍ଟ୍ର ଆମେରିକାରେ ବାର୍ଦ୍ଧକ୍ୟ ଅଧ୍ୟୟନ ବିଂଶ ଶତାଦ୍ଦୀର ଶେଷ ଚଉଠରେ ବିକଶିତ ହୋଇଥିବା ସ୍ଥଳେ କାର୍ଲ ସେହି କ୍ଷେତ୍ରରେ ସଂପୃକ୍ତ ରହି ଆସିଛନ୍ତି । ଦ୍ୱିତୀୟ ବିଶ୍ୱଯୁଦ୍ଧୋତ୍ତର ମାର୍କିନ ସମାଜରେ ବୟଜ୍ୟୋଷ୍ଠ ଜନସଂଖ୍ୟା ବୃଦ୍ଧି ତଥା ବାର୍ଦ୍ଧକ୍ୟ ଜୀବନଚର୍ଯ୍ୟା କ୍ରମଶଃ ବୃତ୍ତିଧାରୀଙ୍କ ହେପାଜତରେ ଅବସର ବିହାର,ନର୍ସିଂହୋମ ମୁହାଁ ହେବା ପରିପ୍ରେକ୍ଷୀରେ ଉତ୍ତରବାର୍ଦ୍ଧକ୍ୟରେ ଜୀବନଚର୍ଯ୍ୟାଜନିତ ସମସ୍ୟାବଳୀ ଅଧ୍ୟୟନରେ କାର୍ଲ ଦୀର୍ଘ ସମୟ ଅତିବାହିତ କରିଥିଲେ । ବିଭିନ୍ନ ପ୍ରତିକୂଳ ପରିସ୍ଥିତି ସାମ୍ନା ସତ୍ତ୍ୱେ ଅନେକ ବରିଷ୍ଠ ନାଗରିକ ଆନନ୍ଦିତ ଜୀବନ ଯାପନ କରୁଥିବା ଜାଣିବାକୁ ପାଇକାର୍ଲ ବାର୍ଦ୍ଧକ୍ୟ ଜୀବନାନୁଭୂତିକୁ ଗୁରୁତ୍ୱ ଦେଇଥିଲେ ।

 

ଗବେଷଣାର ବିଜ୍ଞାନସମ୍ମତ୍ତ ଧାରାରେ ସମାଜର ବିଭିନ୍ନବର୍ଗର ବରିଷ୍ଠ ନାଗରିକଙ୍କଠାରୁ ସେମାନଙ୍କ ବ୍ୟକ୍ତିଗତ ଜୀବନ ସଂପର୍କରେ ଦୀର୍ଘ ସାକ୍ଷାତକାର ମାଧ୍ୟମରେ ସୁବିସ୍ତୃତ ତଥ୍ୟ ସଂଗ୍ରହକରିସେଗୁଡ଼ିକ ବିଶ୍ଳେଷଣରେ କାର୍ଲ ମନୋନିବେଶ କଲେ । ଗବେଷଣାଲବ୍ଧ ତଥ୍ୟ ଆଧାରରେ ‘ଥାର୍ଟିଲେସନ୍ସ ଫର ଲିଭିଂ’ ଓ ‘ଥାର୍ଟିଲେସନ୍ସ ଫର ଲଭିଂ’ ଶୀର୍ଷକ ଦୁଇଗୋଟି ପୁସ୍ତକ ମଧ୍ୟ ରଚନା କରିଥିଲେ । ବରିଷ୍ଠ ନାଗରିକଙ୍କ ଜୀବନାନୁଭୂତି ସମ୍ମଳିତ ଏହି ଦୁଇଗୋଟି ପୁସ୍ତକ ସୁବିସ୍ତୃତ ପାଠକ ସମାଜର ଦୃଷ୍ଟି ଆକର୍ଷଣ କରିଥାଏ ।

 

 

କାର୍ଲଙ୍କବୃତ୍ତିଗତ ଜୀବନରେ ଦିନକର ଘଟଣା ତାଙ୍କରି ଗବେଷଣାର ଆଭିମୁଖ୍ୟ ବଦଳାଇ ଦେଇଥିଲା । ବାର୍ଦ୍ଧକ୍ୟ ଜୀବନଚର୍ଯ୍ୟା ସଂପର୍କରେ ଅନୁଧ୍ୟାନ ଓ ତଥ୍ୟ ସଂଗ୍ରହ ନିମନ୍ତେ ସେ ବରାବର ନର୍ସିଂହୋମଗୁଡ଼ିକୁ ପରିଦର୍ଶନ କରୁଥାନ୍ତି । ଦିନେ ଏକ ନର୍ସିଂହୋମରେ କଥୋପକଥନ ଅବସରରେ ନର୍ସଟିଏ ତାଙ୍କୁ କହିଲା,“ଆପଣ ତ ନିଆରା ମନୋଭାବପୂର୍ଣ୍ଣ ବରିଷ୍ଠ ନାଗରିକମାନଙ୍କ ସାକ୍ଷାତକାର ଅପେକ୍ଷାରେ ଥାନ୍ତି । ଚାଲନ୍ତୁ … ଆପଣଙ୍କୁ ଜଣେ ଭିନ୍ନ ଚରିତ୍ରଙ୍କ ସହ ପରିଚିତ କରାଇଦେବି ।”

 

ନର୍ସଙ୍କ ଗହଣରେ ଏକ ନିର୍ଦ୍ଧିଷ୍ଟ କଠୋରୀରେ କାର୍ଲ ପହଞ୍ଚିଲା ବେଳକୁ ଦେଖନ୍ତି ତ ୯୦ ବର୍ଷୋତ୍ତର ଜଣେ ବୃଦ୍ଧା ଝରକା ପାଖେ ଆରାମ ଚେୟାରରେ ବସି ବାହାରକୁ ଦେଖୁଛନ୍ତି । ନର୍ସ ପଚାରିଲେ “କେମିତି ଅଛନ୍ତି ?” ବୃଦ୍ଧା ଜଣକ ଉତ୍ତର ଦେଲେ “ଭଲ ଅଛି । ବର୍ତ୍ତମାନ ଯାଏଁ ଭଲ ଅଛି । ଗାଧୋଇଲି, ଖାଇଲି । କିଛି ସମୟପରେ ମୋର ପସନ୍ଦର ଟେଲିଭିଜନ କାର୍ଯ୍ୟକ୍ରମ ପ୍ରସାରିତ ହେବ । ତାହାରି ଅପେକ୍ଷାରେ ବସିଛି । ଆଉ ତମର ପିଲାର ଦେହ ଖରାପ ଥିଲା, ବର୍ତ୍ତମାନ କେମିତି ଅଛି ।” ନର୍ସ ନିଜ ସନ୍ତାନ ସୁସ୍ଥ ଥିବା ଜଣାଇବା ପରେ ବୃଦ୍ଧା ଜଣକ ସନ୍ତୋଷ ପ୍ରକାଶ କଲେ ।

 

ବୃଦ୍ଧାଙ୍କ କେଶ ଝୋଟଭଳି ଧଳା ହୋଇଯାଇଥିଲା । ଶରୀରର ଚମଡ଼ାଢ଼ିଲାପଡ଼ି ଆସିଥିଲା । ସେ ପ୍ରାୟତଃ ଦୃଷ୍ଟିଶକ୍ତି ହରାଇ ବସିଥିଲେ । ନର୍ସ କାର୍ଲଙ୍କୁ ବୃଦ୍ଧାଙ୍କ ନିକଟତର ହେବାକୁ ଇସାରା ଦେଲେ, କାରଣ ଦୂରରେ ରହିଲେ ହୁଏତ ଜାଣିପାରିବେ ନାହିଁ । କାର୍ଲଙ୍କ ସହ କଥାବାର୍ତ୍ତାରେ ବୃଦ୍ଧା କହିଲେ ଯେ ତାଙ୍କରି ସ୍ୱାମୀଦିବ୍ୟାଙ୍ଗ ଥିଲେ । ଅଧା ସମୟ କାମ ମିଳୁଥିଲା ତ ଅଧା ସମୟ ବେକାର ହୋଇ ଘରେ ବସୁଥିଲେ । ସେମାନଙ୍କ ଛଅ ଜଣ ସନ୍ତାନ । ପରିବାର ଚଳାଇବା ନିମନ୍ତେ ତାଙ୍କୁ ଜୀବନସାରା କଠିନ ପରିଶ୍ରମ କରିବାକୁ ପଡିଥିଲା । ଶେଷ ଜୀବନରେ ନର୍ସିଂ ହୋମରେ ସେ ଭଲରେ ଅଛନ୍ତି । ତିନିବେଳା ଖାଇବାକୁ ମିଳୁଛି । ଶଯ୍ୟାଶାୟୀ ହୋଇପଡ଼ିଥିବା ହେତୁ ନର୍ସ ଡ଼ାକ୍ତରମାନଙ୍କ ସହାୟତା ମିଳୁଛି । ସେ ଖୁସୀ ।

 

ନିଜ ଜୀବନାଭୂତି ବର୍ଣ୍ଣନା କରି ବୃଦ୍ଧାଜଣକ କହିଥିଲେ ଖୁସି ରହିବା ମନୁଷ୍ୟର ଆଚରଣ ଉପରେ ନିର୍ଭରଶୀଳ । ଖୁସିକୁ ଏକ ବ୍ୟକ୍ତିଗତ ଦାୟିତ୍ୱ ରୂପେ ସେ ଗ୍ରହଣ କରନ୍ତି । ଖୁସିରେ ରହିବା ଯୁକ୍ତିଯୁକ୍ତ ଏବଂ ସେ ଅସୁଖୀ ହେବା ଅବାଞ୍ଛିତ । ଜୀବନରେ ଖୁସି ରହିବା କଳାକୌଶଳଶିଖିବାକୁ ପଡ଼େ ।

 

ବୃଦ୍ଧାଙ୍କ ଭାଷାରେ “ମୁଁ ସକାଳୁ ଉଠିଲା ବେଳକୁ ମୋ’ ଝରକା ସେପଟେ ସୂର୍ଯ୍ୟ ଉଦୟ ହୋଇ ସାରିଥିଲେ । ମୁଁ ବଞ୍ଚିଛି, କିଛି କିଛି ଦେଖିପାରୁଛି, ଶୁଣିପାରୁଛି । ମୋର ଦୁଃଖ କରିବାର କ’ଣ ଅଛି ?”

 

ଟେଲିଭିଜନ ପରଦାରେ ଚଳନ୍ତି ପ୍ରବାହ ଆଧାରିତ ବୃଦ୍ଧାଙ୍କ ପସନ୍ଦର କାର୍ଯ୍ୟକ୍ରମ ଆରମ୍ଭ ହୋଇସାରିଥିଲା ।ବୃଦ୍ଧା କହିଲେ ଯେ ଦେଶବିଦେଶରେ ଖବର ଜାଣିବାକୁ ତାଙ୍କରି ଆଗ୍ରହ ରହିଛି । କାର୍ଲ ଫେରିଲେ ସତ, ତେବେ ବୃଦ୍ଧାଙ୍କ ସ୍ୱୀକାରୋକ୍ତି ତାଙ୍କରି ମନରେ ଗଭୀର ରେଖାପାତ କଲା । ସେ ପ୍ରଶ୍ନ କଲେ ବାର୍ଦ୍ଧକ୍ୟରେ କ’ଣ ସମସ୍ତେ ଆନନ୍ଦିତ ? ଆନନ୍ଦମୟ ବାର୍ଦ୍ଧକ୍ୟର ରହସ୍ୟ କ’ଣ ?ଏଭଳି ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ବହୁ ବରିଷ୍ଠ ନାଗରିକଙ୍କଠାରୁ ତଥ୍ୟ ସଂଗ୍ରହ କରି ଅନୁଶୀଳନ କରିବା ନିମନ୍ତେ ଲିଗାସି ପ୍ରୋଜେକ୍ଟ ଆରମ୍ଭ କରିଥିଲେ । ତାଙ୍କରି ଗବେଷଣାରେ ଅଧିକ ସଂଖ୍ୟାରେ ନମୂନା ସାମିଲ କରିବା ତାତ୍ପର୍ଯ୍ୟ ଅଳ୍ପଙ୍କ ବଦଳରେ ବହୁତଙ୍କ ଅନୁଭୂତି ସାର୍ବଜନୀନ ବୋଲି ବିଚାର ଉପରେ ଆଧାରିତ ।

 

କାର୍ଲଙ୍କ ଗବେଷଣା ମୂଳ ଉପଲବ୍ଧିଗୁଡ଼ିକ‘ଥାର୍ଟିଲେସନ୍ସଫର ଲିଭିଂ’ ପୁସ୍ତକରୁ ଉଦ୍ଧାର କରି ସମୀକ୍ଷକମାନେ ପାଞ୍ଚଗୋଟି ତତ୍ତ୍ୱକୁ ଗୁରୁତ୍ୱ ପ୍ରଦାନ କରିଥାନ୍ତି ।

 

ପ୍ରଥମତଃ,ବାର୍ଦ୍ଧକ୍ୟରେ ଉପନୀତ ହେବାପରେ ସଂଖ୍ୟାଧିକ ବରିଷ୍ଠ ନାଗରିକ ଜୀବନର ସମୟସୀମା ସଂପର୍କରେ ଅବଗତ ହୋଇଥାନ୍ତି । ଆଧୁନିକ ପରିବେଶରେ ବର୍ଦ୍ଧିତ ଜୀବଦ୍ଦଶା ସତ୍ତ୍ୱେ ମନୁଷ୍ୟ ଜୀବନ ଅତିଶୟ କ୍ଷୁଦ୍ର ଅନୁଭୂତ ହୋଇଥାଏ । ଅନେକ ଅନୁତପ୍ତସ୍ୱରରେ କହନ୍ତି ଯେ ଏଭଳି ଉପଲବ୍ଧି ଯୁବାବସ୍ଥାରେ ସଂଭବପର ହୋଇପାରିଥିଲେ ସେମାନେ ବ୍ୟକ୍ତିଗତସ୍ତରରେ ଅଧିକ ଅର୍ଥପୂର୍ଣ୍ଣ ଜୀବନଯାତ୍ରା ନିମନ୍ତେ ଯତ୍ନବାନ ହୋଇଥାନ୍ତେ । ମନୋବିଜ୍ଞାନୀମାନଙ୍କ ମତରେ ବାର୍ଦ୍ଧକ୍ୟରେ ଉପନୀତ ହେବାପରେ ସୀମିତ ସମୟସୀମାରେ ଜୀବନ ଉପଭୋଗର ବାଧ୍ୟବାଧକତା ସ୍ଥଳବିଶେଷରେ ବରିଷ୍ଠ ନାଗରିକମାନଙ୍କୁ ବଳିଷ୍ଠ ନିଷ୍ପତ୍ତି ‘ରିସ୍କ’ ନେବା ପାଇଁ ପ୍ରବର୍ତ୍ତାଇଥାଏ ।

 

ଦ୍ୱିତୀୟତଃ, ଆନନ୍ଦମୟ ଜୀବନ ପାରିପାର୍ଶ୍ୱିକ ପରିସ୍ଥିତି ଉପରେ ନିର୍ଭରଶୀଳ ବିଚାର କରିବା ଭ୍ରମାନ୍ତକ । ପ୍ରକୃତପକ୍ଷେ ଆନନ୍ଦିତ ଜୀବନ ଯାପନ ଏକ ଅଭିରୁଚି ‘ଚଏସ’ । କେହି ଆନନ୍ଦିତ ଚରିତ୍ର ରୂପେ ଜନ୍ମ ଗ୍ରହଣ କରିନଥାଏ । ନକାରାତ୍ମକ ବଦଳରେ ସକାରାତ୍ମକ ଦୃଷ୍ଟିକୋଣ ଜୀବନକୁ ଆନନ୍ଦମୟ କରିଥାଏ । ଅସୁସ୍ଥତା, ବିୟୋଗ କିମ୍ୱା ଆର୍ଥିକ ଅନାଟନ ଘେରରେ ମଧ୍ୟ ମନୁଷ୍ୟ ଜୀବନକୁ ଉପଭୋଗ କରିପାରେ । ଜୀବନବ୍ୟାପୀ ଆନନ୍ଦିତ ରହିବା ନିମନ୍ତେ ବ୍ୟକ୍ତିଗତସ୍ତରରେ ଉଦ୍ୟମ ଆବଶ୍ୟକ ।

 

ତୃତୀୟତଃ,ବୃତ୍ତି ଚୟନ ତଥା କର୍ମ ସଂସ୍ଥାନରେ ମୂଳରୁ ସତର୍କତା ଗ୍ରହଣ କରିବାକୁ ପଡ଼େ । କାର୍ଯ୍ୟକ୍ଷେତ୍ରରେସ୍ୱାଧୀନତାର ସୁଯୋଗ ସୁବିଧା ସର୍ବାଗ୍ରେ ବିଚାର୍ଯ୍ୟ । ଅର୍ଥ ଉପାର୍ଜନ ବଦଳରେ ସନ୍ତୁଷ୍ଟିକୁ ପ୍ରାଥମିକତା ଦେଲେ ଜୀବନ ଉପଭୋଗ୍ୟ ହୋଇପାରେ । ସ୍ଥଳବିଶେଷରେ ବାଧ୍ୟବାଧ୍ୟକତାରେ ଅରୁଚିକର ପରିବେଶରେ କାର୍ଯ୍ୟକରି ମଧ୍ୟ ସେଠାକାର ସକାରାତ୍ମକ ଦିଗ ପ୍ରତି ଧ୍ୟାନ ଦେଲେ ଯଥାସାଧ୍ୟ ସ୍ଵାଚ୍ଛନ୍ଦ୍ୟ ପ୍ରାପ୍ତି ଲାଗି ଚେଷ୍ଟା କରାଯାଇପାରେ ।

 

ଚତୁର୍ଥତଃ, ବୈବାହିକ ସମ୍ବନ୍ଧ ଜୀବନର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଦୀର୍ଘସ୍ଥାୟୀ ଓ ସଫଳ ଦାମ୍ପତ୍ୟ ଜୀବନର ମୂଳଭିତ୍ତି ପତି ଓ ପତ୍ନୀଙ୍କ ମଧ୍ୟରେ ବୁଝାମଣା ଉପରେ ନିର୍ଭରଶୀଳ । ସମସାମାଜିକସ୍ତରେ ଉଭୟଙ୍କ ପସନ୍ଦଯୋଗ୍ୟ ପାରିବାରିକ ପୃଷ୍ଠଭୂମି ତଥା ପରସ୍ପର ମଧ୍ୟରେ ଗଭୀର ପରିଚିତି ବିବାହବନ୍ଧନକୁଶକ୍ତିଶାଳୀ କରିଥାଏ । ଏଦିଗରେ ତରବରିଆ ତଥା ଅପରିମାଣଦର୍ଶୀ ନିଷ୍ପତ୍ତି ସମସ୍ୟା ସୃଷ୍ଟିର କାରଣ ପାଲଟେ ।

 

ପଞ୍ଚମତଃ, ଜୀବନର ସବୁ ସ୍ତରରେ ଭବିଷ୍ୟତ ଆଶଙ୍କାରେ ଭୟକୁ ଏଡ଼ାଇବାକୁ ପଡ଼ିବ । ଦୁଃସ୍ଥିତି ଯେତିକି ଦୁଃଖ ନେଇ ନଥାଏ, ଦୁଃସ୍ଥିତିର ଭୟ ମାନସିକ ଯନ୍ତ୍ରଣାର କାରଣ ପାଲଟିଯାଏ । ଅବଶ୍ୟ ଏହାର ଅର୍ଥ ନୁହେଁ ଯେ ଭବିଷ୍ୟତ ଆକଳନ ନିରର୍ଥକ । ସମ୍ଭାବନାକୁ ସାମନା କରିବା ନିମନ୍ତେ ଯୋଜନାବଦ୍ଧ ଉଦ୍ୟମ ଗ୍ରହଣୀୟ, କିନ୍ତୁ ଭୟଭୀତ ହେବା ଅଭ୍ୟାସ ବର୍ଜନୀୟ । ବାର୍ଦ୍ଧକ୍ୟରେ ଏହାର ଗୁରୁତ୍ୱ ସର୍ବାଧିକ ।

 

ଦୀର୍ଘ ଛଅ ବର୍ଷ ଧରି ଲିଗାସିପ୍ରେଜେକ୍ଟ ଗବେଷଣା ନିମନ୍ତେ ଏକ ସହସ୍ରରୁ ଉର୍ଦ୍ଧ୍ୱ ମାର୍କିନ ବରିଷ୍ଠ ନାଗରିକଙ୍କ ସହ ଦୀର୍ଘ ସାକ୍ଷାତକାର ମାଧ୍ୟମରେ ତଥ୍ୟ ସଂଗ୍ରହରେ ସଂପୃକ୍ତ ହେବା ଅବସରରେ ବାସ୍ତବରେ ବୟସ୍କମାନେ ଜୀବନବ୍ୟାପୀ କ’ଣ ଉପଲବ୍ଧ କରିଛନ୍ତି ତାହାର ସତ୍ୟନିଷ୍ଠ ବିବରଣୀ ଏକତ୍ରୀତ କରିବା ସମ୍ଭବପର ହୋଇପାରିଲା । ଏହି ଜୀବନାନୁଭୂତି ଉଭୟ ବରିଷ୍ଠ ନାଗରିକ ଓ ଯୁବବର୍ଗଙ୍କୁ ବ୍ୟକ୍ତିଗତସ୍ତରରେ ଜୀବନ ଗଢ଼ି ତୋଳିବାରେ ପଥପ୍ରଦର୍ଶକ ରୂପେ ବ୍ୟବହୃତ ହୋଇପାରିବ । ପାରମ୍ପରିକ ଭାବେ ବାର୍ଦ୍ଧକ୍ୟ ସଂପର୍କରେ ସାମାଜିକ ମନୋଭାବ ନକାରାତ୍ମକ ଥିବା ସ୍ଥଳେ ଲିଗାସି ପ୍ରୋଜେକ୍ଟର ଗବେଷଣାଲବ୍ଧ ଜ୍ଞାନ ସକାରାତ୍ମକ ଦିଗପ୍ରତି ଦୃଷ୍ଟିପାତ କରିଥାଏ । କାର୍ଲ ସ୍ୱୀକାର କରିଛନ୍ତି ଯେ ବାର୍ଦ୍ଧକ୍ୟ ଅଧ୍ୟୟନ ଓ ବରିଷ୍ଠ ନାଗରିକଙ୍କ ଜୀବନାନୁଭୂତି ଅନୁଶୀଳନ ତାଙ୍କରି ନିଜ ବାର୍ଦ୍ଧକ୍ୟ ଜୀବନକୁ ଶୃଙ୍ଖଳିତ ତଥା ପରିପୁଷ୍ଟ କରିବାରେ ସହାୟକ ହୋଇପାରିଛି ।

 

ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଡ଼ିସେମ୍ୱର ୨୦୧୯

 

---

 

ତଥ୍ୟ:


https://fs.blog/2013/06/karl-pillemer-interview-no-2/

ଇକିଗାଇ ବା ଜୀବନାଦର୍ଶ

‘ଇକିଗାଇ’ ଏକ ଜାପାନୀ ଚିନ୍ତାଧାରା । ଏହା ଜୀବନାଦର୍ଶ, ମୂଲ୍ୟବୋଧ ବା ବଞ୍ଚିବାର ଉଦ୍ଦେଶ୍ୟ ଭଳି ଅର୍ଥକୁ ବୁଝାଏ । ଏହା ଆତ୍ମୀକ ଓ ସ୍ୱତଃପ୍ରବୃତ୍ତ । ଅର୍ଥାତ ଏଭଳି ତତ୍ତ୍ୱ ବ୍ୟକ୍ତିଗତସ୍ତରରେ ଉପଲବ୍ଧି କରିବାପରେ ସଂପୃକ୍ତ ବ୍ୟକ୍ତିର କାର୍ଯ୍ୟଧାରାରେ ପ୍ରତିଫଳିତ ହୋଇଥାଏ । ଇକିଗାଇ ଜୀବନର ଅର୍ଥ ବୁଝି ଆନନ୍ଦଦାୟକ ଜୀବନ ଯାପନଲାଗି ପରିବେଶ ସୃଷ୍ଟିକରେ । ଜାପାନୀ ଭାଷାରେ ‘ଇକି’ର ଅର୍ଥ ‘ଜୀବନ’ ଓ ‘ଗାଇ’ର ଅର୍ଥ ‘ପ୍ରଭାବ’ ।

 

ଜାପାନର ଓକିନାୱା ଦ୍ୱୀପରେ ଓଗିମି ଏକ ବଡ଼ ଗ୍ରାମ । ଆନ୍ତର୍ଜାତିକସ୍ତରରେ ଏଠାକାର ଗ୍ରାମବାସୀଙ୍କ ମଧ୍ୟରେ ଶତାୟୁଙ୍କ ସଂଖ୍ୟା ଅଧିକ । ଦୀର୍ଘଜୀବନର ରହସ୍ୟ ସନ୍ଧାନରେ ଓଗିମି ଗ୍ରାମବାସୀଙ୍କ ଇକିଗାଇ ଜୀବନାଦର୍ଶ ବହୁ ଗବେଷକ ଅଧ୍ୟୟନ କରି ସାରତତ୍ତ୍ୱ ବିଶ୍ଳେଷଣ କରିଛନ୍ତି ।

 

ମୋଟାମୋଟିଭାବେ ପ୍ରତ୍ୟେକ ଓଗିମିବାସୀ ନିଜ ଜୀବନର ଗୁରୁତ୍ୱ ଉପଲବ୍ଧ କରି ଆନନ୍ଦମୟ ଜୀବନଯାପନକରୁଥିବା ପରିଲକ୍ଷିତ । ସ୍ଥଳବିଶେଷରେ ଆର୍ଥିକ ଦୁଃସ୍ଥିତି ଏଦିଗରେ ଅନ୍ତରାୟ ସାଜି ନଥାଏ । ଜୀବନଯାତ୍ରାରେ ଛୋଟବଡ଼ ସମସ୍ୟା ଜୀବନର ଅନ୍ତିମ ଲକ୍ଷ୍ୟ ଉପଲବ୍ଧିରୁ ଏଡ଼ାଇ ଦେଇନଥାଏ ।

 

ବରିଷ୍ଠ ନାଗରିକମାନେ ଶାରିରୀକସ୍ତରରେ ଅକ୍ଷମ ହେବା ଯାଏଁ କର୍ମ ସଂପୃକ୍ତିରେ ବିତାଇଥାନ୍ତି । ପ୍ରତ୍ୟେକେ ନିଜ ନିଜ ରୁଚି, ଦକ୍ଷତା ଉପଯୋଗରେ ସମାଜର ଆବଶ୍ୟକତା ଅନୁଯାୟୀ ଉପାର୍ଜନକ୍ଷମ ଶ୍ରମ ନିଯୁକ୍ତିକୁ ପ୍ରାଧାନ୍ୟ ଦେବା ଫଳରେ ସମୟ ଓ ସମ୍ୱଳର ସଦ୍ବିନିଯୋଗ ହୋଇପାରେ । ସେମାନେ ନିଜ ପ୍ରିୟତମ ବନ୍ଧୁମାନଙ୍କ ଗହଣରେ‘ମୋଆଇ’ ନାମିତ ଗୋଷ୍ଠୀବଦ୍ଧ ଜୀବନ ପ୍ରଯୋଜନା କରିଥାନ୍ତି ।

 

ନାତିଶୀତୋଷ୍ମ ଓକିନିର ଜଳବାୟୁ ଗ୍ରାମବାସୀଙ୍କୁ କ୍ଷେତବାଡ଼ରେ ଦୀର୍ଘ ସମୟ ଯାଏଁ କାମ କରିବା ନିମନ୍ତେ ଉତ୍ସାହିତ କରିଥାଏ । ସେମାନେ ଜାପାନର ଅନ୍ୟାନ୍ୟ ଅଞ୍ଚଳ ତୁଳନାରେ ସବୁଜ ଓ ପୀତ ରଙ୍ଗର ତିନିଗୁଣ ଅଧିକା ପନିପରିବା, ଦେଢ଼ଗୁଣ ସୋୟାବିନ ଜାତୀୟ ଖାଦ୍ୟ ତଥା ଅଧିକା ଫଳମୂଳ ନିୟମିତ ଆହାରରେ ସାମିଲ କରିଥାନ୍ତି । ଦୈନିକ ଭିତ୍ତିରେ ଜଣକ ପିଛା ମାତ୍ର ନଅ ଗ୍ରାମ ଲୁଣ ଖାଇଥାନ୍ତି । ଓକିନି ଗ୍ରାମବାସୀଙ୍କ ଇକିଗାଇ ଗବେଷଣାରୁ ଜଣାଯାଇଛି ଯେ ନିର୍ଦ୍ଦିଷ୍ଟ ଜୀବନାଦର୍ଶ ମନୁଷ୍ୟର ମାନସିକସ୍ତରରେ ଚାପ ‘ଷ୍ଟ୍ରେସ’ ଓ ଉଦବିଗ୍ନତା ‘ଏଙ୍ଗଜାଇଟି’ ହ୍ରାସ କରି ସୁସ୍ଥ ଜୀବନଯାପନରେ ସହାୟକ ହୋଇଥାଏ । ଇକିଗାଇ ମସ୍ତିଷ୍କରୁ ଡୋପାମାଇନ, ସେରେଟେନିନ ଓ ଏଣ୍ଡ୍ରୋଫିସ ଭଳି ଆନନ୍ଦ ଉଦ୍ରେକକାରୀ ରାସାୟନ କ୍ଷରଣରେ କାରଣ ପାଲଟିଥାଏ । ଏହା ମାନସିକସ୍ତରରେ ସନ୍ତୋଷପ୍ରଦ ଜୀବନଯାପନଲାଗି ଉପାଦାନଭାବେ ଚିହ୍ନିତ ।

 

ଜାପାନୀ ସଭ୍ୟତାରେ ଇକିଗାଇଭଳି ପାରମ୍ପରିକ ଜୀବନାଦର୍ଶ ଯୁଗେ ଯୁଗେ ଦେଶବିଦେଶରେ ବିଶେଷଜ୍ଞମାନଙ୍କୁ ଆକର୍ଷିତ କରିଆସିଛି । ୟୁରୋପର ସ୍ପେନ ଜନ୍ମିତ ତଥା ଜାପାନରେ ସଫଟୱେର ଇଞ୍ଜିନିୟରଭାବେ ପ୍ରାୟ ଦଶବର୍ଷ ଧରି ଅବସ୍ଥାପିତ ହେକ୍ଟର ଗ୍ରାସିଆ ଯୁଗ୍ମଲେଖକ ଫ୍ରାନ୍ସିସ ମିରାଲେସଙ୍କ ସହଯୋଗରେ ସ୍ପାନିଶ ଭାଷାରେ ଲିଖିତ ‘ଇକାଗାଇ: ଦି ଜାପାନିଜ ସିକ୍ରେଟ ଟୁ ଏ ଲଙ୍ଗ ଏଣ୍ଡ ହେପି ଲାଇଫ’ ଇଂଲିଶ ସମେତ ୫୪ ଗୋଟି ଭାଷାରେ ଅନୁବାଦିତ ହୋଇ ଲୋକପ୍ରିୟତା ହାସଲ କରିଛି । ପୁସ୍ତକଟି ୨୦୧୮ରେ ପ୍ରକାଶିତ ହୋଇଥିଲା ।

 

ଗ୍ରାସିଆ ଓକିନିର ବହୁ ବରିଷ୍ଠ ନାଗରିକଙ୍କ ସହ ସାକ୍ଷାତକାର ମାଧ୍ୟମରେ ସେମାନଙ୍କ ଜୀବନାଦର୍ଶର ସ୍ୱରୂପ ଅବଗତ ହେବା ନିମନ୍ତେ ଉଦ୍ୟମ କରିଥିଲେ । ପୃଥିବୀର ବହୁ ଅଞ୍ଚଳରେ ବୃତ୍ତିଗତ ଜୀବନରୁ ଅବ୍ୟାହତି ନେବାପରେ ଅବସର ଜୀବନ ଯାପନଲାଗି ଅନେକେ କୌଣସି ନିର୍ଦ୍ଦିଷ୍ଟ କର୍ମନିଯୁକ୍ତି ସଂପର୍କରେ ଅଭିଳାଷ ରଖିନଥାନ୍ତି । କିନ୍ତୁ ଓକିନିରେ ବରିଷ୍ଠ ନାଗରିକମାନେ ଅବସରଗ୍ରହଣ ବିଷୟହିଁ ଚିନ୍ତା କରନ୍ତି ନାହିଁ ।

 

ଜଣେ ନିଜ ରୁଚି ଅନୁଯାୟୀ କର୍ମ ସଂପୃକ୍ତି ନିର୍ବାଚନ କରି ଅବସର ଜୀବନ ବିନିଯୋଗ କରିବା ସଂଭବପର । ଆଧୁନିକ ପରିବେଶରେ ସ୍ୱେଚ୍ଛାସେବା ଭିନ୍ନ ଅର୍ଥ ଉପାର୍ଜନକ୍ଷମ କର୍ମ ସଂସ୍କୃତିରେ ଅଂଶ ଗ୍ରହଣ କରିବା ନିମନ୍ତେ ମଧ୍ୟ ବହୁ ସୁଯୋଗ ସୃଷ୍ଟି ହୋଇଛି । ଇଣ୍ଟରନେଟର ପ୍ରସାର ସମସ୍ତଙ୍କ ଲାଗି ଦ୍ରବ୍ୟ ଓ ସେବା ବିକ୍ରୀର ପଥ ଉନ୍ମୁକ୍ତ କରିଛି । ପ୍ରାଥମିକ ଅବସ୍ଥାରେ ନିଜ ଆଗ୍ରହମତେ କାର୍ଯ୍ୟ ଆରମ୍ଭ କରି ପରବର୍ତ୍ତୀସ୍ତରରେ କାର୍ଯ୍ୟଧାରାର ବ୍ୟାବସାୟିକ ଦିଗ ଉନ୍ମୋଚନ ସଂଭବପର ।

 

ଗ୍ରାସିଆଙ୍କ ସମୀକ୍ଷାରେ ଓକିନିରେ ବରିଷ୍ଠ ନାଗରିକଙ୍କ ଗୋଷ୍ଠୀଗତ ଜୀବନଯାପନ ଦୀର୍ଘଜୀବନର ଅନ୍ୟତମ ରହସ୍ୟ । ସେଠାକାର ଗ୍ରାମବାସୀଗଣ ଅତ୍ୟାଧିକ ଧନୀ କିମ୍ୱା ଗରିବ ନୁହନ୍ତି । ତେବେ ସମସ୍ତେ ସାମାଜିକ କଲ୍ୟାଣ ନିମନ୍ତେ କିଛି କିଛି ଅର୍ଥ ଏକାଠି କରି ସେହି ପାଣ୍ଠି ବିନିଯୋଗରେ ସର୍ବସାଧାରଣ ବ୍ୟବହାରଯୋଗ୍ୟ କାର୍ଯ୍ୟକ୍ରମମାନ ରୂପାୟନ ଦ୍ୱାରା ସାମୂହିକ ଜୀବନଯାପନ ଆରାମଦାୟକ ହୋଇପାରିଥାଏ ।

 

ବିଶ୍ୱବ୍ୟାପୀ ବରିଷ୍ଠ ନାଗରିକଙ୍କ ଜନସଂଖ୍ୟା ବୃଦ୍ଧି ପାଉଥିବା ଅବସରରେ ଓକିନାୱାର ଇକିଗାଇ ସଂସ୍କୃତି ଦୃଷ୍ଟି ଆକର୍ଷଣ କରିଥାଏ । ପ୍ରଥମତଃ ସହରାଞ୍ଚଳରେ ଅବସ୍ଥାପିତ ଏକ ବୃହତ ଦକ୍ଷ ଶ୍ରମଶକ୍ତି ଅବସର ଗ୍ରହଣ ପରେ ଶ୍ରମନିଯୁକ୍ତିରୁ ପୁରାପୁରି ଓହରିଯାଇଥାନ୍ତି । ଏହା ଉଭୟ ସାମାଜିକ ଓ ବ୍ୟକ୍ତିଗତସ୍ତରରେ କ୍ଷତି ପହୁଞ୍ଚାଉଥିବା ହିସାବ କରାଯାଇପାରେ ।

 

ଇକିଗାଇ ସଂସ୍କୃତିରେ ବରିଷ୍ଠ ନାଗରିକମାନଙ୍କ ଶାରିରୀକସ୍ତରରେ କାର୍ଯ୍ୟକ୍ଷମ ରହୁଥିବା ଯାଏଁ ସାଧ୍ୟମତେ କର୍ମତତ୍ପରତା ତଥା କ୍ରମଶଃ ଅବସର ଗ୍ରହଣ ସେଠାକାର କାର୍ଯ୍ୟକ୍ଷେତ୍ରରେ ପର୍ଯ୍ୟାପ୍ତ ପରିମାଣରେ କୁଶଳୀ ଶ୍ରମଶକ୍ତିର ଉପସ୍ଥିତିର ସୁଯୋଗ ସୃଷ୍ଟି କରିଥାଏ । ସେଠାକାର ବାର୍ଦ୍ଧକ୍ୟ କର୍ମତତ୍ପର ଓ ଆନନ୍ଦମୟ ସାବ୍ୟସ୍ତ ହେଉଥିବା ଧାରା ଜୀବଦ୍ଦଶା ବୃଦ୍ଧିର ଅନ୍ୟତମ କାରଣ ରୂପେ ଚ଼ିହ୍ନିତ କରାଯାଏ ।

 

ଦ୍ୱିତୀୟତଃ, ଓକିନାୱାର ମାଓଇ ଗୋଷ୍ଠୀବଦ୍ଧ ଜୀବନ ବାର୍ଦ୍ଧକ୍ୟ ଜୀବନଯାତ୍ରାକୁ ପ୍ରଭାବିତ କରୁଥିବା ସୁସ୍ପଷ୍ଟ । ଆଧୁନିକ ପରିବେଶରେ ଯୋଗାଯୋଗର ବ୍ୟାପକ ପ୍ରସାର ହୋଇପାରୁଥିବା ସ୍ଥଳେ ନିଜ ରୁଚି ଓ ଜୀବନଦର୍ଶନ ଅନୁଯାୟୀ ବନ୍ଧୁ ଖୋଜି ବାହାର କରିବା ସଂଭବପର ଥିଲେ ହେଁ ବାସ୍ତବକ୍ଷେତ୍ରରେ ବିଶେଷ ସଫଳତା ଦେଖିବାକୁ ମିଳେ ନାହିଁ । ଏହାର ମୁଖ୍ୟ କାରଣ ବିଧିବଦ୍ଧ ଉଦ୍ୟମ ଅଭାବ । ସାଧାରଣତଃ ଅବସର ଜୀବନରେ ପଥ୍ୟ ଓ ବ୍ୟାୟାମକୁ ଯେତିକି ଗୁରୁତ୍ୱ ପ୍ରଦାନ କରାଯାଏ ସେଭଳି ଉଦ୍ୟମ ବୌଦ୍ଧିକ ବିକାଶ କିମ୍ୱା ଜୀବନାଦର୍ଶ ପ୍ରଯୋଜନା କ୍ଷେତ୍ରରେ ଅବହେଳିତ । କିନ୍ତୁ ସ୍ୱାସ୍ଥ୍ୟରକ୍ଷାରେ ମାନସିକ ସ୍ଥିତିଯେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ ଏସଂପର୍କରେ ସଚେତନତା ଅଭାବ ଅନୁଭୂତ ହୁଏ ।

 

ତୃତୀୟତଃ ଓକିନିଭଳି ଏକ ଗ୍ରାମରେ ପ୍ରଚଳିତ ବରିଷ୍ଠ ନାଗରିକଙ୍କ ଚଳଣି ଅନ୍ୟ ଭୌଗଳିକ କ୍ଷେତ୍ରରେ ବୃହତ ଜନପଦରେ ପ୍ରଚଳନ ସଂଭବପର କି ବୋଲି ପ୍ରଶ୍ନ ଉଠେ । ଆଧୁନିକ ଯୁଗରେ ଉପଲବ୍ଧ ସୁଯୋଗର ରୂପାୟନ ନିମନ୍ତେ ସାଧନର ଅଭାବ ନାହିଁ । ବ୍ୟକ୍ତିଗତସ୍ତରରେ ଯାହା ସଂଭବପର ନୁହେ ସେହି କ୍ଷେତ୍ରରେ ସମଷ୍ଟିଗତ ଉଦ୍ୟମ ଓ ସାମାଜିକ ଚାପ ଆବଶ୍ୟକ ପଡ଼ିଥାଏ । ଆମ ଭାରତରେ ୨୦୫୦ ସୁଦ୍ଧା ଜନସଂଖ୍ୟାର ଏକ ପଞ୍ଚମାଂଶ ବରିଷ୍ଠ ନାଗରିକ ପର୍ଯ୍ୟାୟଭୁକ୍ତ ହେଉଥିବା ତଥା ହାରାହାରିଭାବେ ୩୦ ବର୍ଷ ଯାଏଁ ବାର୍ଦ୍ଧକ୍ୟ ଜୀବନ ଅତିବାହିତ କରିବା ସମ୍ଭାବନା ସରକାରଙ୍କୁ ବାର୍ଦ୍ଧକ୍ୟ କଲ୍ୟାଣ ନୀତିନିୟମ ପ୍ରଣୟନ ଲାଗି ବାଧ୍ୟ କରେ । ପ୍ରାଚ୍ୟ ସଂସ୍କୃତିରେପରିପୁଷ୍ଟ ଇକିଗାଇ ଭଳି ଜୀବନାଦର୍ଶ ଅନୁସରଣ ଲାଗି ଭିତ୍ତିଭୂମି ନିର୍ମାଣକୁ ଜାତୀୟସ୍ତରରେ ଗୁରୁତ୍ୱ ଦିଆଯିବା ସମୟର ଆହ୍ୱାନ ।

 

ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ନଭେମ୍ୱର ୨୦୧୯

 

---

ତଥ୍ୟ:

 

Japanese ikigai is the thing that makes you get out of bed happy every morning. Interview with Hector Garcia. Sunday Times of India. September 8, 2019.

 

Ikigai  https://en.m.wikipedia.org/wiki/Ikigai

 

Ogimi : Village of Longevity

http://kanko.vill.ogimi.okinawa.jp/village/index_en.html

ସାମାନ୍ୟବୋଧ ଜୀବନଯାତ୍ରା

ଅଭିଧାନ ପ୍ରଦତ୍ତ ବିଶ୍ଳେଷଣରେ ସାମାନ୍ୟର ଅର୍ଥ ତୁଚ୍ଛ, ଅକିଞ୍ଚତକର, ଅତିଅଳ୍ପ ଏବଂ ବୋଧର ଅର୍ଥ ଉପଲବ୍ଧି, ଜ୍ଞାନ, ବୁଦ୍ଧି, ଚେତନା, ଜାଗରଣ ଇତ୍ୟାଦି । ଇଂଲିଶ ଶବ୍ଦ ମିନିମାଲାଜିମର ଓଡ଼ିଆ ଅନୁବାଦ ସାମାନ୍ୟବୋଧ ସ୍ଥିର କରାଯାଇପାରେ । ସାମାନ୍ୟବୋଧ ପ୍ରଭାବିତ ଜୀବନଯାତ୍ରା ମନୁଷ୍ୟର ମୌଳିକ ଆବଶ୍ୟକତାରେ ସନ୍ତୁଷ୍ଟି ତଥା ପ୍ରାଚୁର୍ଯ୍ୟ ବିରୋଧୀ ମତବାଦକୁ ବୁଝାଇଥାଏ ।

 

ଦ୍ୱିତୀୟ ବିଶ୍ୱଯୁଦ୍ଧୋତ୍ତର ଅବସ୍ଥାରୁ ଅର୍ଥନୀତିକ ଅଭିବୃଦ୍ଧିକୁ ତାଳ ଦେଇ ଉପଭୋକ୍ତାବାଦ କନଜ୍ୟୁମରାଜିମ ପାଶ୍ଚାତ୍ୟ ଓ ପ୍ରାଚ୍ୟ ଉଭୟ ଭୂଖଣ୍ଡରେ ପ୍ରଭାବ ବିସ୍ତାର କରିଚାଲିଛି । ବିକଶିତ ଓ ଧନୀ ରାଷ୍ଟ୍ରଗୁଡ଼ିକ ଏହାର ନେତୃତ୍ୱ ନେଉଛନ୍ତି । ଗଣମାଧ୍ୟମର ଦୃତ ବିକାଶହାରକୁ ଭିତ୍ତିକରି ବିଜ୍ଞାପନର ବହୁଳ ପ୍ରସାରରେ ଉପଭୋକ୍ତାବାଦ ସାଧାରଣ ଜନଜୀବନକୁ ଏକ ରକମ ନିୟନ୍ତ୍ରିତ କରିବାରେ ସମର୍ଥ ହୋଇପାରିଛି । ଆଜି ଗଣମାଧ୍ୟମ ବିଜ୍ଞାପନରେ ଯାହା ପ୍ରଦର୍ଶିତ ହେଉଛି ତାହା କାଲି ବିଶ୍ୱବ୍ୟାପୀ ଜନସାଧାରଣଙ୍କ ଦୈନନ୍ଦିନ ଜୀବନର ଅଂଶବିଶେଷ ପାଲଟିବାରେ ଲାଗିଛି । ତେବେ ୨୦୦୮ରେ ଯୁକ୍ତରାଷ୍ଟ୍ର ଆମେରିକାରେ ସୃଷ୍ଟ ଆର୍ଥିକ ମାନ୍ଦାବସ୍ଥା ଏବଂ ବିଶ୍ୱବ୍ୟାପୀ ପ୍ରଭାବ କେତେକ କ୍ଷେତ୍ରରେ କ୍ରମବର୍ଦ୍ଧନଶୀଳ ଏହି ଜୀବନାଦର୍ଶରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା ।

 

ଉପଭୋକ୍ତାବାଦ ଅଧିକ ଉତ୍ପାଦନ, ଅଧିକ କିଣାବିକା, ଅଧିକ ବ୍ୟବହାର ଏବଂ ସେଥିଲାଗି ଅଧିକ ଅର୍ଥଉପାର୍ଜନ, ବ୍ୟସ୍ତବହୁଳ ଜୀବନ ଇତ୍ୟାଦିରେ ପର୍ଯ୍ୟବସିତ । ଏହି ଦୌଡ଼ରେ ଯେଉଁମାନେ ଅବଶବୋଧ କଲେ ସେମାନେ ଜୀବନଯାତ୍ରାରେ ବିକଳ୍ପ ମୂଲ୍ୟବୋଧ ଖୋଜିବସିଲେ । ଏତାଦୃଶ ପରିବେଶରେ ସାମାନ୍ୟବୋଧ ସମାଜର ଏକାଂଶରେ ଆଦୃତ ହେବାରେ ଲାଗିଲା ।

 

ସରଳ ଜୀବନଯାତ୍ରା ମାନବ ସଭ୍ୟତାର ଉନ୍ମେଷକାଳରୁ ଗୁରୁତ୍ୱଲାଭ କରିଆସିଛି । ଅପରପକ୍ଷେ ସଭ୍ୟତାର ବିକାଶ ସଙ୍ଗେ ବସ୍ତୁବାଦର ମୋହ ବଢ଼ି ଚାଲିବାରେ ଲାଗିଛି । ବସ୍ତୁବାଦ ବ୍ୟକ୍ତିଗତ ଓ ସାମାଜିକ ଜୀବନରେ ଏକରକମ ସଂଘର୍ଷପୂର୍ଣ୍ଣ ପରିବେଶ ସୃଷ୍ଟି କରୁଥିବା ହେତୁ ଏହି ଦୌଡ଼ରୁ ଦୂରେଇ ରହିବା ନିମନ୍ତେ ଯୁଗେ ଯୁଗେ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଗୁଣୀ ଜନଗଣ ଆହ୍ୱାନ ଦେଇଆସିଛନ୍ତି । ଏକବିଂଶ ଶତାଦ୍ଦୀର ଆଦ୍ୟଭାଗରେ ସାମାନ୍ୟବୋଧ ଜୀବନଯାତ୍ରା ତତ୍ତ୍ୱ ପ୍ରସାର ଅବସରରେ ପୂର୍ବ ଉପସ୍ଥାପିତ ବିଚାରଧାରା ପୁନଃଉଚ୍ଚାରିତ ହୋଇଥିବା ଲକ୍ଷ୍ୟ କରାଯାଏ ।

 

ସାମାନ୍ୟବୋଧର କୌଣସି ନିର୍ଦ୍ଦିଷ୍ଟ ପ୍ରବକ୍ତା, ଜନ୍ମକାଳ କିମ୍ୱା ଭୌଗଳିକ ପରିସୀମା ନିର୍ଦ୍ଧାରଣ କରାଯାଇପାରେନାହିଁ । ଆଧୁନିକ ଯୋଗାଯୋଗ ମାଧ୍ୟମ ଇଣ୍ଟରନେଟଭିତ୍ତିକ ୱେବପେଜ, ବ୍ଳଗପୋଷ୍ଟ, ଭିଡ଼ିଓ ଏବଂ ମୁଦ୍ରିତ ପୁସ୍ତକ ଯୋଗେ ଏହି ତତ୍ତ୍ୱ ପ୍ରସାର ଲାଭ କରିଛି । ଏଠି ମଠ କିମ୍ୱା ମହନ୍ତଙ୍କ ବଦଳରେ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଅନୁଭବୀଗଣ ସଂପୃକ୍ତ ଚ଼ିନ୍ତାଧାରାର ବିଶ୍ଳେଷଣ ଉପସ୍ଥାପନ କରୁଛନ୍ତି ଏବଂ ବଜାରଭିତ୍ତିକ ପଣ୍ୟ ରୂପେ ଜନସାଧାରଣଙ୍କ ମଧ୍ୟରେ ବିତରିତ ହେଉଛି । କେହି କାହାରି ସ୍ୱୀକୃତି ଅପେକ୍ଷା କରୁନାହିଁ ।

 

ସାମାନ୍ୟବୋଧ ବିଚାରଧାରା ପ୍ରସାରରେ ଜାପାନର ମାରି କୋଣ୍ଡୋ, ଫୁମିଓ ସାକିସ, ଫ୍ରାନ୍ସର ଡ଼ୋମନିକ ଲେରେଭ, ବ୍ରିଟେନର ଟନି କାରବେ ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ଯେଶୁଆ ଫିଲଡସ ମିଲକର୍ଣ୍ଣ ଓ ରାୟନ ନିକୋଡ଼େମୁସ ପ୍ରମୁଖଙ୍କ ରଚନାବଳୀ ବିଶ୍ୱବ୍ୟାପୀ ପାଠକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ ।

 

ମାରି କୋଣ୍ଡୋଙ୍କ ରଚ଼ିତ ଦି ଲାଇଫ ଚେଇନଜିଂ ମ୍ୟାଜିକ ଅଫ ଟାଇଡ଼ିଙ୍ଗ ଆପ ଜାପାନୀ ଭାଷାରେ ୨୦୧୦ରେ ପ୍ରକାଶିତ ହୋଇଥିଲା । ପରବର୍ତ୍ତୀ ଅବସ୍ଥାରେ ତାହା ବିଭିନ୍ନ ଭାଷାରେ ଅନୁବାଦିତ ହୋଇ ଆନ୍ତର୍ଜାତିକସ୍ତରରେ ୨୦୨୦ ସୁଦ୍ଧା ୭୦ ଲକ୍ଷ କପି ବିକ୍ରି ହୋଇଥିବା ଜଣାଯାଏ । କୋଣ୍ଡୋ ବୃତ୍ତିଗତ ଜୀବନରେ କୋଠାବାଡ଼ି ସାଜସଜା ପରାମର୍ଶଦାତା । ଆଦ୍ୟ ଜୀବନ ଜାପାନରେ କଟାଇବା ପରେ ଉକ୍ତ ଭଦ୍ରମହିଳା ସପରିବାରେ ଯୁକ୍ତରାଷ୍ଟ୍ର ଆମେରିକାର କାଲିଫର୍ଣ୍ଣିଆରେ ବସବାସ କରୁଛନ୍ତି । କୋଣ୍ଡୋ ନିଜ ୱେବସାଇଟ ମାଧ୍ୟମରେ ତାଲିମ ଶିବିର ଆୟୋଜନ ଓ ପ୍ରକାଶନ ବିକ୍ରୀ କରିଥାନ୍ତି ।

 

ଅନେକଙ୍କ ବାସଗୃହରେ ବହୁ ଅଦରକାରୀ ବସ୍ତୁ ପଡ଼ିରହିଥାଏ । ସେଗୁଡ଼ିକ ଦୀର୍ଘ ଦିନ ଧରି ବ୍ୟବହୃତ ହୋଇନଥାଏ । କାଳେ ଭବିଷ୍ୟତରେ କାମରେ ଆସିବ ବିଚାର କରି ସାଇତି ରଖାଯାଇଥାଏ । କୋଣ୍ଡୋ ମୁଖ୍ୟତଃ ସେହିଭଳି ଅଦରକାରୀ ବସ୍ତୁଗୁଡ଼ିକ କିପରି ବାହାର କରାଯାଇପାରିବ ନିଜ ଲୋକପ୍ରିୟ ପୁସ୍ତକରେ ବର୍ଣ୍ଣନା କରିଛନ୍ତି । ତାଙ୍କରି ପ୍ରବର୍ତ୍ତିତ ପ୍ରଣାଳୀରେ ଜଣେ ନିଜ ଘରେ ପୋଷାକପରିଚ୍ଛେଦ, ବାସନକୁସନ, ବ୍ୟବହାର୍ଯ୍ୟ ସାମଗ୍ରୀ, ପୁସ୍ତକ ଇତ୍ୟାଦି ବିଭିନ୍ନ ବର୍ଗରୁ ପ୍ରଥମେ ଗୋଟିଏ ବର୍ଗରେ ଉପଲବ୍ଧ ସମସ୍ତ ସାମଗ୍ରୀ ଏକାଠି କରି ଗୋଟି ଗୋଟି କରି ହାତରେ ଧରିବେ । ବିଚାର କରିବେ ଏହି ବସ୍ତୁଟି ଆନନ୍ଦଦାୟକ କି ? ଯଦି ମନ ହଁ ମାରେ ତେବେ ରଖିବେ, ନଚ଼େତ ବାହାର କରିଦେବେ ।

 

ଗୋଟିଏ ପରେ ଗୋଟିଏ ସମସ୍ତ ବର୍ଗର ଜିନିସପତ୍ରରୁ ସମକାଳରେ ବ୍ୟକ୍ତିଗତ ଆଗ୍ରହ ଅନୁଯାୟୀ ସଂରକ୍ଷଣଯୋଗ୍ୟ ଓ ଉଦବୃତ ଅଲଗା କରିସାରିଲା ପରେ ପ୍ରତ୍ୟେକ ବର୍ଗର ବ୍ୟବହାର୍ଯ୍ୟ ଯଥା ପୋଷାକପତ୍ର ବା ପୁସ୍ତକ ଗୋଟିଏ ସ୍ଥାନରେ ଗଚ୍ଛିତ ରଖିବା ଉଚିତ । ପ୍ରତ୍ୟେକଟି ଚିଜ କିପରି ସହଜରେ ଆଖିରେ ପଡ଼ିବ ସେଥିପ୍ରତି ଧ୍ୟାନ ଦିଆଯାଇ ସଜାଇ ରଖିବା ମଧ୍ୟ ଆବଶ୍ୟକ । କୋଣ୍ଡୋଙ୍କ ତତ୍ତ୍ୱରେ ବାସଗୃହରେ କେବଳ ବ୍ୟବହାର୍ଯ୍ୟ ଜିନିଷପତ୍ର ରଖି ଉଦବୃତ ପଦାର୍ଥ ଅନ୍ୟମାନଙ୍କ ବ୍ୟବହାର ନିମନ୍ତେ ବିକ୍ରୀ କିମ୍ୱା ଦାନ କରିଦେବା, ନଚ଼େତ ପୁନଃ ପ୍ରକ୍ରିୟାକରଣ କିମ୍ୱା ନଷ୍ଟ କରିଦେବା ଯୋଗ୍ୟ ।

 

ଅନାବଶ୍ୟକ ଜିନିଷପତ୍ରକୁ ହଟାଇଦେବା ନିମନ୍ତେ ଅନେକ ସମୟରେ ବହୁ ସଂଖ୍ୟକ ଇଚ୍ଛାପ୍ରକାଶ କରିଥାନ୍ତି । ତେବେ କାହାକୁ ରଖାଯିବ କାହାକୁ ବାହାର କରାଯିବ ନିଷ୍ପତ୍ତି ନେବାରେ ଅକ୍ଷମତା ହେଉ କିମ୍ୱା ଆଳସ୍ୟ କାରଣରୁ ସେଭଳି ଇଚ୍ଛା ଫଳବତୀ ହୋଇପାରି ନଥାଏ । କୋଣ୍ଡୋଙ୍କ ପଦ୍ଧତିରେ ଗୋଟିଏ ବର୍ଗର ସମସ୍ତ ଚିଜ ଗୋଟିଏ ସ୍ଥାନରେ ଏକାଠି କରିବା ଏବଂ ପ୍ରତ୍ୟେକଟିକୁ ଅଲଗା କରି ସଂରକ୍ଷଣଯୋଗ୍ୟ କି ନା ତାହା ଆତ୍ମିକସ୍ତରରେ ନିଷ୍ପତି ନେବା କାର୍ଯ୍ୟଟିକୁ ସହଜ କରିଦେଇଥାଏ ବୋଲି ବିଶ୍ୱାସ କରାଯାଇପାରେ । ପ୍ରତ୍ୟେକ ବସ୍ତୁର ଦୀର୍ଘକାଳୀନ ଉପଯୋଗ ଆକଳନ କରାଯାଇପାରୁଥିବା ହେତୁ ଆୟତ୍ତ ସମ୍ପତ୍ତିରୁ କିଛି ଅଲଗା କରିନେବା ସାଧାରଣତଃ ହିସାବନିକାସ କଷ୍ଟକର ବୋଧ ହୋଇଥାଏ । କୋଣ୍ଡୋଙ୍କ ପଦ୍ଧତି ଅନୁସରଣରେ ଗୋଟିଏ ପ୍ରଶ୍ନ ସେହି ସମସ୍ୟାର ସରଳ ସମାଧାନର ରାସ୍ତା ଉନ୍ମୋଚନ କରେ ।

 

ବାସଗୃହରୁ ଅବ୍ୟବହୃତ ଅପେକ୍ଷାକୃତଭାବେ କମ ପସନ୍ଦଯୋଗ୍ୟ ଜିନିସପତ୍ର ବାହାର କରିନେବା ପ୍ରକ୍ରିୟା ଗୃହସ୍ୱାମୀ ଓ ପରିବାର ସଦସ୍ୟଙ୍କ ବ୍ୟକ୍ତିଗତ ଜୀବନଯାତ୍ରାରେ ବ୍ୟାପକ ପ୍ରଭାବ ପକାଇଥାଏ ବୋଲି କୋଣ୍ଡୋ କହିଥାନ୍ତି । ଏହା ସଦସ୍ୟଗଣଙ୍କ ଦୃଷ୍ଟିକୋଣକୁ ବଦଳାଇ ଦେଇଥାଏ । କୋଣ୍ଡୋ ନିଜ ପୁସ୍ତକରେ ପ୍ରବର୍ତ୍ତିତ ପ୍ରଣାଳୀର ବ୍ୟାପକ ବର୍ଣ୍ଣନା କରିଛନ୍ତି । ସେ ୱେବସାଇଟ, ବ୍ଳଗ ପୋଷ୍ଟ, ୟୁଟ୍ୟୁବ ଭିଡ଼ିଓରେ ତଥା ଦେୟଯୁକ୍ତ କର୍ମଶାଳାଗୁଡ଼ିକରେ ପଦ୍ଧତିର ପ୍ରୟୋଗାତ୍ମକ ଦିଗ ଚର୍ଚ୍ଚା କରିଥାନ୍ତି ।

 

ଆୟତ୍ତ ସମ୍ପତ୍ତିରୁ କିଛି ମାତ୍ରାରେ ପରିହାର ସାମାନ୍ୟବୋଧ ଜୀବନଯାତ୍ରାର ଏକ ମୁଖ୍ୟ ବିଭବ ବିଚାର କରାଯାଏ । ଉପଭୋକ୍ତାବାଦ ଅକ୍ତିଆରକୁ ଗୁରୁତ୍ୱ ଦେଉଥିବା ସ୍ଥଳେ ସାମାନ୍ୟବୋଧ ତାହାର ବିପରୀତ ଦିଗକୁ ପ୍ରୋତ୍ସାହିତ କରୁଥିବା ହେତୁ ସରଳ ଜୀବନଯାପନ ଘନ ଘନ ଆହରଣର ଚାପରୁ ମୁକ୍ତ କରିଥାଏ । ଆପାତତଃ ଅର୍ଜନକଳ୍ପେ ଶ୍ରମ, ଅର୍ଥଉପାର୍ଜନ ତଥା ଆବଶ୍ୟକସ୍ଥଳେ କପଟ ଆଚ଼ରଣରୁ ମୁକ୍ତ ଜୀବନଯାତ୍ରା ଆନନ୍ଦଦାୟକ । ଉଲ୍ଲେଖଯୋଗ୍ୟ ବିଷୟ ଏହିଯେ ସାମାନ୍ୟବୋଧ ଜୀବନଯାତ୍ରା ଚର୍ଚ୍ଚାରେ ମାରି କୋଣ୍ଡୋଙ୍କୁ ଗୁରୁତ୍ୱ ଦିଆଯାଉଥିବା ସ୍ଥଳେ ସେ ନିଜ ୱେବ ସାଇଟରେ ମିନିମାଲାଜିମ ଆନ୍ଦୋଳନ ସହ ତାଙ୍କରି ପ୍ରଚାରିତ ତତ୍ତ୍ୱର କୌଣସି ସଂପର୍କ ନଥିବା କୈଫିୟତ ଦେଇଥାନ୍ତି ।

 

ସାମାନ୍ୟବୋଧ ପ୍ରଭାବିତ ଜାପାନର ଅନ୍ୟଜଣେ ଚ଼ିନ୍ତାନାୟକ ଫ୍ୟୁମି ସାକିସଙ୍କ ପୁସ୍ତକ ଗୁଡ଼ବାଇ ଥିଙ୍ଗସ ଜାପାନୀ ଭାଷାରେ ୨୦୧୫ରେ ଆତ୍ମପ୍ରକାଶ କରିଥିଲା । ଇଂରାଜୀ ଭାଷାରେ ଅନୁବାଦ ୨୦୧୭ରେ ପ୍ରକାଶିତ ହୋଇଥିଲା । ସିକିସ ଅର୍ଥପୂର୍ଣ୍ଣ ଜୀବନଯାତ୍ରା ନିମନ୍ତେ ବସ୍ତୁନିଷ୍ଠ ମନୋଭାବକୁ ପରିବର୍ତ୍ତନ କରିବା ପାଇଁ ଅଳ୍ପକେ ସନ୍ତୁଷ୍ଟ ରହି ଉଦବୃତ ସାମଗ୍ରୀ ପରିତ୍ୟାଗ ନିମନ୍ତେ ଯୁକ୍ତି ବାଢୁଥିବା ସ୍ଥଳେ କୋଣ୍ଡୋଙ୍କ ଭଳି କୌଣସି ପଦ୍ଧତି ଉପଯୋଗ ଉପରେ ଗୁରୁତ୍ୱାରୋପ କରିନଥାନ୍ତି । ଅବଶ୍ୟ ସରଳଜୀବନ ଯାପନ ନିମନ୍ତେ ବ୍ୟକ୍ତିଗତ ଭାବେ ସେ କିପରି ନିଜ ବ୍ୟବହୃତ ଟେଲିଭିଜନ, କ୍ୟାମେରା, ପୁସ୍ତକ, ସିଡ଼ି, ଫଟୋ ଠାରୁ ଆରମ୍ଭ କରି ଶୋଇବା ଖଟ ଓ ବାସନକୁସନ ଯାଏଁ ପରିତ୍ୟାଗ କରିବା ନିମନ୍ତେ ଅଗଭର ହୋଇଥିଲେ ପୁସ୍ତକରେ ପ୍ରାଞ୍ଜଳ ଭାବେ ବର୍ଣ୍ଣନା କରିଛନ୍ତି ।

 

କୋଣ୍ଡୋ ଓ ସାକିସଙ୍କ ପୁସ୍ତକ ପ୍ରକାଶନର ପାଞ୍ଚ ବର୍ଷ ପୂର୍ବରୁ ଫରାସୀ ଚ଼ିନ୍ତକ ଡ଼ୋମନିକ ଲୋରେଭଙ୍କ ଲା-ଆର୍ଟ ଦା ଲା ସିମ୍ପଲିସିଟ ୨୦୦୫ରେ ପ୍ରକାଶିତ ହୋଇଥିଲା । କୋଣ୍ଡୋଙ୍କ ପୁସ୍ତକ ଆନ୍ତାର୍ଜାତିକସ୍ତରରେ ଚର୍ଚ୍ଚିତ ହେବାପରେ ଲୋରେଭଙ୍କ ପୁସ୍ତକର ଇଂଲିଶ ଅନୁବାଦ ବଜାରକୁ ଆସିଥିଲା । କୋଣ୍ଡୋ ଓ ସାକିସ ଜାପାନୀ ହୋଇଥିବା ସ୍ଥଳେ ଲୋରେଭ ଫରାସୀ ନାଗରିକ ହୋଇଥିଲେ ହେଁ ଦୀର୍ଘକାଳ ଜାପାନରେ ଅତିବାହିତ କରିଥିଲେ ଏବଂ ବୌଦ୍ଧ ଜୀବନଦର୍ଶନରେ ପ୍ରଭାବିତ । ସେ ଶାରିରୀକ ଓ ମାନସିକସ୍ତରରେ ବସ୍ତୁବାଦର ପ୍ରଭାବ ସଂପର୍କରେ ବିଶ୍ଳେଷଣ କରିଥାନ୍ତି । ସରଳ ଜୀବନ ଯାପନ କରିବା ନିମନ୍ତେ ଶୃଙ୍ଖଳା ଓ ଗଭୀର ଆତ୍ମନିୟନ୍ତ୍ରଣର ଆବଶ୍ୟକତା ସଂପର୍କରେ ଗୁରୁତ୍ୱ ଦେଇଥାନ୍ତି ।

 

ସ୍ପାନିସ ମନୋବିଜ୍ଞାନୀ ଟୋନି କାରବେଙ୍କ ବିଜି : ହାଉ ଟୁ ଥ୍ରାଇଭ ଇନ ଏ ୱାର୍ଲଡ଼ ଅଫ ଟୁ-ମାଚ ୨୦୧୪ରେ ପ୍ରକାଶିତ ହୋଇଥିଲା । ସେ ନିଜ ପୁସ୍ତକରେ ସାଧାରଣ ଜୀବନଯାତ୍ରାରେ ବୃତ୍ତିଗତ ଓ ପାରିପାର୍ଶ୍ୱିକ କାର୍ଯ୍ୟର ଚାପ କମାଇବା ଫଳରେ ଜୀବନକୁ ଉପଭୋଗ କରିବାର ସୁଯୋଗ ସୃଷ୍ଟି ହୋଇଥାଏ ବୋଲି ଦର୍ଶାଇ ଥିଲେ । ବ୍ୟକ୍ତିଗତସ୍ତରରେ ମନୁଷ୍ୟ ସୀମିତ ସାଧନର ଅଧିକାରୀ ହୋଇଥିବା ସ୍ଥଳେ ନିଜ ଶ୍ରମଶକ୍ତି ବିଚ୍ଛୁରିତଭାବେ ବ୍ୟବହାର ନକରି ଅର୍ଥପୂର୍ଣ୍ଣ ଜୀବନ ଗଢ଼ି ତୋଳିବାରେ ବିନିଯୋଗ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ।

 

ଆଧୁନିକ ସାମାନ୍ୟବୋଧ ତତ୍ତ୍ୱ ପ୍ରସାର ମୁଖ୍ୟତଃ ଇଣ୍ଟରନେଟ ମଞ୍ଚରେ ପ୍ରଚଳିତ ସାମାଜିକ ଜୀବନରେ ବସ୍ତୁବାଦ ଓ ଉପଭୋକ୍ତାବାଦରେ ଅତିଷ୍ଠ ବ୍ୟକ୍ତିବିଶେଷଙ୍କ ବିକଳ୍ପ ସୂତ୍ର ଅନ୍ୱେଷଣରେ ପର୍ଯ୍ୟବସିତ । ସରଳ ଜୀବନଯାତ୍ରା ଅଭ୍ୟାସରେ ଅନ୍ୟମାନଙ୍କ ଅନୁଭୂତି ପାଠକମାନଙ୍କୁ ପ୍ରୋତ୍ସାହିତ କରିଥାଏ । ଯୋଶୁଆ ଫିଲଡସ ମିଲବର୍ଣ୍ଣ ଓ ରାୟନ ନିକୋଡ଼େମୁସ ୨୦୧୦ରେ ଏକ ବ୍ଳଗପୋଷ୍ଟରେ ନିଜକୁ ମିନିମାଲାନିଷ୍ଟ ଭାବେ ଅଭିହିତ କରିଥିଲେ । ଦିହେଁ ମାର୍କିନ ନାଗରିକ ଏବଂ ବୈଷୟିକ ବ୍ୟବସାୟରେ କର୍ମଚାରୀ ରୂପେ ନିଯୁକ୍ତି ପାଇ ମୋଟା ଅଙ୍କର ଦରମା ପାଉଥିଲେ । ତଥାକଥିତ ସାମାଜିକ ମାନ୍ୟତାରେ ସଫଳତାର ଶୀର୍ଷରେ ପହଞ୍ଚିଲେ ସୁଦ୍ଧା ଉପଭୋକ୍ତାବାଦର ଋଣଯନ୍ତ୍ରା ଓ ନିଶାଗ୍ରସ୍ତ ହୋଇପଡ଼ିଲେ । ହଠାତ ପଦତ୍ୟାଗ କରି ସାଧାରଣବୋଧ ଜୀବନଯାତ୍ରା ସପକ୍ଷରେ ବ୍ଳଗ ଲେଖିବାରେ ମନୋନିବେଶ କଲେ । ଯୋଶୁଆ ଓ ରାୟନଙ୍କ ବ୍ଳଗ ଆଧୁନିକ ସାମାନ୍ୟବୋଧ ଚ଼ିନ୍ତାଧାରା ପ୍ରସାର ତଥା ସତୀର୍ଥଙ୍କୁ ଏକତ୍ରୀତ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ।

 

ସାଧାରଣ ଚଳେଣୀରେ ଅନେକ କ୍ଷେତ୍ରରେ ବ୍ୟକ୍ତିବିଶେଷ ଅନାଗ୍ରହସତ୍ତ୍ୱେ ବାଧ୍ୟବାଧକତାରେ କେତେକ କାର୍ଯ୍ୟରେ ସଂଶ୍ଳିଷ୍ଟ ହୋଇଥାଏ । ସାମାଜିକ ପରିବେଷ୍ଟନୀରେ ଅପ୍ରିୟ ଚ଼ରିତ୍ରଙ୍କ ସହ ଚଳପ୍ରଚ଼ଳ, ରୁଚିନୀନ କାର୍ଯ୍ୟରେ ସମୟ ଓ ଶ୍ରମ ବିନିଯୋଗ ଇତ୍ୟାଦି ବ୍ୟକ୍ତିମାନସକୁ ଭରାକ୍ରାନ୍ତ କରିପକାଏ । ସାଧାରଣବୋଧ ଜୀବନଯାତ୍ରା ସର୍ବାଧିକ ପସନ୍ଦଯୋଗ୍ୟ କାର୍ଯ୍ୟରେ ସମୟ ଅତିବାହିତ କରି ନାପସନ୍ଦ କାର୍ଯ୍ୟଭାରରୁ ବିରତ ରହିବାକୁ ପ୍ରବର୍ତ୍ତାଏ । ଅନାବଶ୍ୟକ କ୍ରିୟାକଳାପରୁ ଦୂରେଇ ଯାଇ ଆବଶ୍ୟକୀୟ କାର୍ଯ୍ୟରେ ମନୋନିବେଶ ନିମନ୍ତେ ସୁଯୋଗ ସୃଷ୍ଟି ଆନନ୍ଦମୟ ଜୀବନଯାପନର ଉତ୍ସ ପାଲଟିଥାଏ ।

 

ସାଧାରଣବୋଧ ଜୀବନଯାତ୍ରାରେ ଅଧିକୃତ ସୁବିଧାସୁଯୋଗ ଓ ସମ୍ପତ୍ତିରେ ସନ୍ତୋଷ ବ୍ୟକ୍ତ ତଥା ଅତ୍ୟାଧିକ ଆଶା ନକରିବା ପରିବେଶ ସୃଷ୍ଟି ହୋଇଥାଏ । ସ୍ୱେଚ୍ଛାକୃତଭାବେ କମ ସାଧନରେ ଆତ୍ମନିର୍ଭରଶୀଳ ଜୀବନଯାପନ ମାନସିକତା ପ୍ରଭାବ ବିସ୍ତାର କରେ । ସାଧାରଣବୋଧ ଜୀବନଯାତ୍ରା ଆର୍ଥିକ ଦୃଷ୍ଟିରୁ ଶସ୍ତା କିମ୍ୱା ମହଙ୍ଗା ସାବ୍ୟସ୍ତ ହୋଇପାରେ । ବ୍ୟକ୍ତିବିଶେଷଙ୍କ ଆବଶ୍ୟକତା ଓ କ୍ରୟଶକ୍ତି ତାଙ୍କରି ଅର୍ଥନୀତିକ ସ୍ଥିତି ନିରୂପଣରେ ପର୍ଯ୍ୟବସିତ । ସାଧାରଣବୋଧ ଜୀବନଯାତ୍ରାର ସମାଲୋଚକମାନେ ଏହି ତତ୍ତ୍ୱକୁ ଦର୍ଶନପ୍ରଧାନ ଅଭିହିତ କରି ବାସ୍ତବ କାର୍ଯ୍ୟକାରିତା ପ୍ରତି ସନ୍ଦେହ ପ୍ରକାଶ କରିଥାନ୍ତି ।

 

ସାମଗ୍ରୀକଭାବେ ସାଧାରଣବୋଧ ଅଳ୍ପରେ ସନ୍ତୁଷ୍ଟି ସରଳ ଜୀବନଯାତ୍ରାକୁ ବୁଝାଇଥାଏ । ବସ୍ତୁବାଦ ପ୍ରତି ବୈରାଗ୍ୟ ମାନବ ସଭ୍ୟତାରେ ଦୀର୍ଘ ଅତୀତରୁ ଅନୁଭୂତ ହୋଇ ଆସିଛି ଏବଂ ଏହି ମତବାଦ ପ୍ରସାରରେ ବହୁ ମନୀଷିଙ୍କ ଭୂମିକା ଇତିହାସପୃଷ୍ଠାରେ ସ୍ୱୀକୃତ । ସମସାମୟିକ ସଂସ୍କରଣ ଅତ୍ୟାଧୁନିକ ଜୀବନଶୈଳୀର ପୁନଃବିନ୍ୟାସର ନୀତି ନିର୍ଦ୍ଧାରଣ କରେ । ମିନିମାଲାଜିମ ଚ଼ିତ୍ର ଓ ଭାସ୍କର୍ଯ୍ୟ କଳା କ୍ଷେତ୍ରରେ ଏକ ସ୍ୱତନ୍ତ୍ର ଦର୍ଶନ ରୂପେ ଯୁକ୍ତରାଷ୍ଟ୍ର ଆମେରିକାରେ ବିଂଶ ଶତାଦ୍ଦୀର ଷଷ୍ଠ ଦଶକରେ ଆତ୍ମପ୍ରକାଶ କରିଥିଲା । ଏହି ବର୍ଗର ଶିଳ୍ପୀମାନେ ଯଥାସଂଭବ କମ ରଂଗ କିମ୍ୱା ବସ୍ତୁ ଉପଯୋଗ କରି ନିଜ କଳାକୃତି ପ୍ରସ୍ତୁତ କରୁଥିଲେ । ଏକବିଂଶ ଶତାଦ୍ଦୀରେ ବିକଶିତ ସାଧାରଣବୋଧ ଜୀବନଯାତ୍ରା ପ୍ରାଚୁର୍ଯ୍ୟ ବିରୋଧୀ ମତବାଦ ରୂପେ ଗଢ଼ିଉଠୁଥିବା ହେତୁ ସେହି କଳାତ୍ମକ ଅଭିବ୍ୟକ୍ତିର ସୂତ୍ର ବହନ କରୁଥିବା କେତେକ ପର୍ଯ୍ୟବେକ୍ଷକ ମତପ୍ରକାଶ କରିଥାନ୍ତି । କୋଭିଡ଼-୧୯ ସଂକ୍ରମଣରେ ବିଶ୍ୱ ମହାମାରୀ ଅବସରରେ ସୃଷ୍ଟ ଆର୍ଥିକ ମନ୍ଦାବସ୍ଥା ଏବଂ ଦୀର୍ଘକାଳ ଧରି ଏହାର ପ୍ରଭାବ ଆକଳନ ସରଳ ଜୀବନ ଯାପନ ଲାଗି ଅନେକଙ୍କୁ ପ୍ରୋତ୍ସାହିତ କରିବା ବିଶ୍ୱାସ କରାଯାଇପାରେ ।

 

ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଜୁନ ୨୦୨୦

 

---

ବାର୍ଦ୍ଧକ୍ୟରେ ଅନୁଭୂତ ବାସ୍ତବତା 

ବାସ୍ତବତା ଉପଲବ୍ଧି ବ୍ୟକ୍ତିକେନ୍ଦ୍ରୀକ ବିଚାର କରାଯାଏ । ଅର୍ଥାତ, ଜଣେ ବ୍ୟକ୍ତି ନିଜ ଚ଼ତୁର୍ଦିଗରେ କ’ଣ ସବୁ ଘଟୁଛି ଓ କେଉଁ କାର୍ଯ୍ୟ କିପରି ଶୈଳୀରେ କରାଯିବା ଉଚ଼ିତ, ତାହା ନିଜ ବିବେକାନୁମୋଦିତ ନିର୍ଦ୍ଦିଷ୍ଟ ଧାରାରେ ଗ୍ରହଣ କରେ । ସମସ୍ୟା ଉପୁଜେ, ଯେତେବେଳେ ନିଜ ‘ଅନୁଭୂତ ବାସ୍ତବତା’ ଅନ୍ୟମାନଙ୍କଠାରେ ପ୍ରତିଫଳନ ଆଶା କରି ବିଫଳ ହୁଏ । ଉଦାହରଣରେ ଜଣେ ବ୍ୟକ୍ତି ନିଜ ଚ଼ିନ୍ତାଧାରା ପରିବାରର ଅନ୍ୟ ସଦସ୍ୟ ତଥା ସନ୍ତାନସନ୍ତତିଙ୍କଠାରେ ନପାଇ ନିରାଶ ହୋଇପଡୁଥିବା ଦେଖିବାକୁ ମିଳେ । ଏହି କ୍ଷେତ୍ରରେ ସେ ଭୁଲିଯାଇଥାଏ ଯେ ଅନ୍ୟମାନଙ୍କ ଆଚ଼ରଣ ସେମାନଙ୍କ ନିଜସ୍ୱ ବିଚାରଧାରା ଦ୍ୱାରା ପ୍ରଭାବିତ ।

 

‘ଅନୁଭୂତ ବାସ୍ତବତା’ ବ୍ୟକ୍ତିଗତସ୍ତରରେ ଚଳନ୍ତି ସାମାଜିକ ଘଟଣାବଳୀର ବିଶ୍ଳେଷଣାତ୍ମକ ଦୃଷ୍ଟିକୋଣକୁ ସୂଚ଼ିତ କରିଥାଏ । ଜୀବନବ୍ୟାପୀ ଅନୁଭୂତ ବାସ୍ତବତା ବାର୍ଦ୍ଧକ୍ୟରେ ମାତ୍ରାଧିକ ଗୁରୁତ୍ୱ ଲାଭ କରିବାର ମୁଖ୍ୟକାରଣ ନିଜେ ଶାରିରୀକ, ମାନସିକ, ଆର୍ଥିକ, ସାମାଜିକ ସଂପର୍କ ଓ ବୈଷୟିକ ବିକାଶ କ୍ଷେତ୍ରରେ ଶୀଥିଳ ହୋଇପଡ଼ିବା ଅବସରରେ ଅନ୍ୟର ସହାୟତାଆଶ୍ରିତ ଜୀବନଯାପନ କରିବାକୁ ବାଧ୍ୟ ହୋଇଥାଏ । ଏହି ପରିବେଶରେ ବାର୍ଦ୍ଧକ୍ୟଗ୍ରସ୍ତ ପ୍ରତ୍ୟେକ କ୍ଷେତ୍ରରେ ବାସ୍ତବତା ଓ ‘ଅନୁଭୂତ ବାସ୍ତବତା’, ଅର୍ଥାତ ସାମଗ୍ରିକଭାବେ କେଉଁଟି ସତ୍ୟ ଏବଂ ସେ ନିଜେ ସତ୍ୟତାକୁ କେଉଁ ରୂପରେ ଗ୍ରହଣ କରୁଛି, ତାହାର ପ୍ରଭେଦ ସଂପର୍କରେ ସଚେତନ ରହିବା ଆବଶ୍ୟକ ପଡ଼ିଥାଏ । ଏହା ଅନ୍ୟମାନଙ୍କ ସଙ୍ଗେ ସଂପର୍କ ଯୋଡ଼ିବାରେ ସହାୟକ ।

 

ବାସ୍ତବତା ସତ୍ୟ । ଏକ ପକ୍ଷରେ ପ୍ରତ୍ୟେକ ବ୍ୟକ୍ତି ସତ୍ୟକୁ ବିଭିନ୍ନ ରୂପରେ ଗ୍ରହଣ କରିଥାନ୍ତି । ଏହାକୁ ‘ଅନୁଭୂତ ବାସ୍ତବତା’ ନାମିତ କରାଯାଇପାରେ । ଅପରପକ୍ଷେ ସତ୍ୟ କାହାରି ଦୃଷ୍ଟିକୋଣ ଦ୍ୱାରା ପ୍ରଭାବିତ ହୋଇନଥାଏ । ଏହି ତତ୍ତ୍ୱ ବିଶ୍ଳେଷଣରେ ମନୋବିଜ୍ଞାନୀମାନେ ବୁଝାଇଥାନ୍ତି ଯେ ବ୍ୟକ୍ତି ବାସ୍ତବତାକୁ ଏକ ଯବକାଚ଼ ‘ଲେନ୍ସ’ ଦେଇ ଦେଖିଥାଏ । ପ୍ରତ୍ୟେକଙ୍କ ନିରୀକ୍ଷଣ ଶୈଳୀ, ସ୍ମରଣ ଶକ୍ତି, ଅନୁଶୀଳନ ଓ ବୋଧ ଶକ୍ତି ତଥା ନିଷ୍ପତ୍ତି ଗ୍ରହଣରେ ଦକ୍ଷତା ନିଜ ପାଇଁ ବାସ୍ତବତାର ରୂପରେଖ ପ୍ରସ୍ତୁତ କରେ । ‘ଅନୁଭୂତ ବାସ୍ତବତା’କୁ ସମସ୍ତେ ବାସ୍ତବତା ପ୍ରତୀୟମାନ କରିଥାନ୍ତି ।

 

ଯବକାଚ଼ରୂପୀ ଆସ୍ତରଣ ବ୍ୟକ୍ତିର ଜ୍ଞାନର ପରିସୀମା, ଅଭିଜ୍ଞତା, ବିଶ୍ୱାସ, ଆବେଗ, ସ୍ୱାର୍ଥ ଓ ମାନସିକ ଦକ୍ଷତା ଦ୍ୱାରା ପ୍ରଭାବିତ । ସ୍ଥଳବିଶେଷରେ ଦୃଷ୍ଟିଭଙ୍ଗୀ ଅନୁବଂଶିକଏହି କାରଣରୁ ବାସ୍ତବତା-ସମୀପ ଉପଲବ୍ଧି ହିଁ ବ୍ୟକ୍ତିର ପ୍ରାପ୍ୟ । ଅନ୍ୟ କେତେକ ମନୋବିଜ୍ଞାନୀଙ୍କ ମତରେ ବାସ୍ତବତା ସ୍ଥିତିହୀନ । କାରଣ ବାସ୍ତବତାକୁ କେହି ମୌଳିକ ରୂପରେ ଅନୁଭବ କରିପାରନ୍ତି ନାହିଁ । ସମସ୍ତେ ନିଜ ଦୃଷ୍ଟିକୋଣ ମାଧ୍ୟମରେ ହିଁ ବାସ୍ତବତାର ନିକଟସ୍ଥ ହୋଇଥାନ୍ତି । ବାସ୍ତବତା ବ୍ୟକ୍ତିର ଚ଼େତନା ଦ୍ୱାରା ନିର୍ଦ୍ଧାରିତ ହେଉଥିବା ହେତୁ ଚ଼େତନାର ପ୍ରକ୍ରିୟାକରଣ ଉପରେ ନିର୍ଭରଶୀଳ ।

 

ପ୍ରଶ୍ନ ଉଠେ, ବାସ୍ତବତା ଯଦି ବ୍ୟକ୍ତିକେନ୍ଦ୍ରୀକ ଅନୁଭୂତି କିମ୍ୱା ସ୍ଥିତିହୀନ, ତେବେ ବାସ୍ତବତାରୁ ଦୂରେଇ ଯିବାରେ କ୍ଷତି କ’ଣ ? ବାସ୍ତବତା ଉପଲବ୍ଧିରେ ସୂଚ଼ନା ଓ ଜ୍ଞାନ ସହାୟକ । ବାସ୍ତବତାଠାରୁ ଦୂରେଇ ଯିବା ଫଳରେ ବ୍ୟକ୍ତି ଭ୍ରାନ୍ତି ବା ଭ୍ରାନ୍ତଧାରଣାର କବଳିତ ହୋଇଥାଏ । କୁହାଯାଏ ସ୍ଥଳବିଶେଷରେ ସକାରାତ୍ମକ ଭ୍ରମ ପ୍ରେରଣାର ଉତ୍ସ ପାଲଟିଥାଏ । ଯାହା କୌଣସି କାର୍ଯ୍ୟ ସାଧନ ଦିଗରେ ମାନସିକସ୍ତରରେ ଉତ୍ସାହିତ କରେ । କିନ୍ତୁ ବାସ୍ତବତାଠାରୁ ଅତିଶୟ ଦୂରେଇ ଯିବା ଫଳରେ ଭ୍ରାନ୍ତି ମାୟା କିମ୍ୱା ମରିଚ଼ିକାରେ ପରିଣତ ହୁଏ ଏବଂ ତତଜନିତ ପରିଣାମ ଅହିତକର ।

 

ସାମାଜିକସ୍ତରରେ ଜନସାଧାରଣ ବାସ୍ତବତାଠାରୁ ଦୂରେଇ ଯିବା ଏବଂ ପ୍ରତ୍ୟେକ ବ୍ୟକ୍ତି ଭିନ୍ନ ଭିନ୍ନ ଧାରଣାର ବଶବର୍ତ୍ତୀ ହେବାଫଳରେ ସାମୂହିକସ୍ତରରେ ସହମତି ଅଭାବ ପରିଲକ୍ଷିତ ହୋଇଥାଏ । ଏହି ପରିବେଶ ସାମାଜିକ ସଂହତି ଓ ପ୍ରଗତିରେ ବାଧକ ସାଜେ ଏବଂ ବିଶୃଙ୍ଖଳାର କାରଣ ପାଲଟେ । ବିଶ୍ୱବ୍ୟାପୀ ସମକାଳୀନ ପ୍ରେକ୍ଷାପଟ୍ଟରେ ରାଜନୀତିକ ଧୃବୀକରଣର ଫଳ ସ୍ୱରୂପ ଅଶାନ୍ତି ଅସମାହିତ ସମସ୍ୟାରୂପେ ମୁଣ୍ଡ ଟେକୁଛି । ଗଣମାଧ୍ୟମ ଉପଯୋଗରେ ବାସ୍ତବତାର ଅତିରଞ୍ଜିତ ପ୍ରତିରୂପ ଜନସାଧାରଣଙ୍କୁ ବିଭ୍ରାନ୍ତ କରାଇବାରେ ଅର୍ଥନୀତିକ ଓ ରାଜନୀତିକ ଅସ୍ତ୍ର ପାଲଟିଛି । ଏହି ବିଷ ବଳୟରୁ ମୁକ୍ତି ଲାଗି ସ୍ୱଚ୍ଛ ସୂଚ଼ନା, ସମ୍ୱାଦ ଓ ଅଭିମତ ସରବରାହ ହିଁ ଏକମାତ୍ର ସାଧନ ।

 

ପୃଥିବୀର ଅବସ୍ଥିତି, ଜନଜୀବନରେ କୋଳାହଳ ଓ ଅନ୍ତରୀକ୍ଷର ପ୍ରଶାନ୍ତି ଭଳି ବାସ୍ତବତାକୁ ମୌଳିକ ରୂପରେ ଉପଲବ୍ଧି କରିବା ନିମନ୍ତେ ମନୁଷ୍ୟର ମସ୍ତିସ୍କ ଗଠିତ ହୋଇନଥାଏ । ଗବେଷଣା ଉପଲବ୍ଧ ତଥ୍ୟ ଅନୁଯାୟୀ କୌଣସି ବିଷୟରେ ଦୃଷ୍ଟିଶକ୍ତି ଉପଯୋଗରେ ଅବଗତ ହେବା ପ୍ରକ୍ରିୟାରେ ମାତ୍ର ଦଶ ପ୍ରତିଶତ ସ୍ୱଚ଼କ୍ଷୁରେ ଦେଖିଥିବା ସୂଚ଼ନା ଉପଯୋଗ ହୁଏ । ବାକୀ ନବେ ପ୍ରତିଶତ ପାଞ୍ଚ ଇନ୍ଦ୍ରିୟ ଅନୁଭୂତିକୁ ଅତିକ୍ରମ କରି ମସ୍ତିସ୍କ ପକ୍ଷରୁ ପ୍ରସ୍ତୁତ ଯୋଗସୂତ୍ର ‘ନେଟୱାର୍କ’ ମାଧ୍ୟମରେ ଗ୍ରହଣ କରୁଥିବା ସୂଚ଼ନା ପ୍ରକ୍ରିୟାକରଣ କରିଥାଏ ।

 

ବ୍ୟକ୍ତିର ଦୃଷ୍ଟିଭଙ୍ଗୀ ତାହାର ଚ଼ିନ୍ତାଧାରା, ଜ୍ଞାନ ଓ ବିଶ୍ୱାସ ଦ୍ୱାରା ନିୟନ୍ତ୍ରିତ । ଅନୁବଂଶିକ ଅଭିଜ୍ଞତା ଓ ସାମାଜିକ ପ୍ରବାହ ଦୃଷ୍ଟିଭଙ୍ଗୀରେ ପ୍ରତିବିମ୍ୱିତ । ମନୁଷ୍ୟର ମସ୍ତିସ୍କର ମୌଳିକ କାର୍ଯ୍ୟାବଳୀରେ ଉପସ୍ଥିତ ଅନିଶ୍ଚିତତା ସମାଧାନ ମୁଖ୍ୟ ସ୍ଥାନ ଅଧିକାର କରେ । ପାରିପାର୍ଶ୍ୱିକ ପରିବେଶ ପରିବର୍ତ୍ତନଶୀଳ ଥିବା ହେତୁ ପ୍ରତ୍ୟେକ କ୍ଷେତ୍ରରେ ଅନିଶ୍ଚିତତା ଲାଗି ରହିଥାଏ ଏବଂ ମନୁଷ୍ୟର ମସ୍ତିସ୍କ ଏହି ସଂଘର୍ଷପୂର୍ଣ୍ଣ ପରିବେଶ ମୁକାବିଲା କରିବା ନିମନ୍ତେ ସଦା ପ୍ରସ୍ତୁତ ସମକାଳୀନ ଜନଜୀବନରେ ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ଯୋଗାଯୋଗର ସୁବିଧାସୁଯୋଗ ଅତ୍ୟୁଚ୍ଚସ୍ତରରେ ଉପନୀତ ହୋଇସାରିଥିବା ସତ୍ତ୍ୱେ ସମାଜ ଅଧିକରୁ ଅଧିକ ଅନିଶ୍ଚିତତା ଦିଗରେ ଅଗ୍ରସର ହେବାରେ ଲାଗିଛି । ଫଳତଃ ବ୍ୟକ୍ତିର ଦୃଷ୍ଟିଭଙ୍ଗୀ ତାହାର ଜୀବନଧାରଣ ମାନ ନିର୍ଦ୍ଧାରଣରେ ପ୍ରଭାବଶାଳୀ ଭୂମିକା ଗ୍ରହଣ କରୁଛି ।

 

ଦୃଷ୍ଟିଭଙ୍ଗୀରେ ସଂଶୋଧନ ଓ ପୁନଃନିର୍ମାଣ ଏକ ସ୍ୱାଭାବିକ ପ୍ରକ୍ରିୟା । ଏଥି ନିମନ୍ତେ ନୂତନଭାବେ ଆହରଣ କରାଯାଉଥିବା ସୂଚ଼ନା, ଜ୍ଞାନ, ଅଭିଜ୍ଞତା ସହାୟକ ହୋଇଥାଏ । ଜୀବନର ଅନ୍ୟାନ୍ୟ ପର୍ଯ୍ୟାୟ ବଦଳରେ ବାର୍ଦ୍ଧକ୍ୟରେ ଦୃଷ୍ଟିଭଙ୍ଗୀ ଯୁଗଉପଯୋଗୀ ଗଢ଼ି ତୋଳିବା ବ୍ୟକ୍ତିଗତ ଜୀବନରେ ଲାଭଦାୟକ ମନେ ହୁଏ । ପ୍ରଥମତଃ, ବାସ୍ତବତାଠାରୁ ପ୍ରତ୍ୟେକ ବ୍ୟକ୍ତି କିପରି ଦୂରେଇ ରହିଥାନ୍ତି ତାହା ବୁଝିବା ଦରକାର । ଦ୍ୱିତୀୟତଃ, ନିଜସ୍ୱ ଶକ୍ତି ଓ ସାମର୍ଥ୍ୟ ଦୃଷ୍ଟିଭଙ୍ଗୀ ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରୁଥିବା ହେତୁ ସେଥିପ୍ରତି ସଚ଼େତନ ରହିଲେ ଦୃଷ୍ଟିଭଙ୍ଗୀରେ ତୃଟିଗୁଡ଼ିକୁ ସହଜରେ ସଜାଡ଼ି ଦେଇ ହେବ । ତୃତୀୟତଃ, ଲୋକଙ୍କ ଗହଣରେ ରହିଲେ ସମସ୍ୟା ସମାଧାନ ସହଜପ୍ରଦ ବୋଧ ହୋଇଥାଏ । ଏହି କାରଣରୁ ବାର୍ଦ୍ଧକ୍ୟଗ୍ରସ୍ତ ସାମାଜିକ ସଂପର୍କ ଗଢ଼ିତୋଳିବା ଦିଗରେ ଉଦ୍ୟମ କରିବା ଉଚ଼ିତ ।

 

ମନୁଷ୍ୟ ବାସ୍ତବତା ଅନୁଭବ ନିମନ୍ତେ ସ୍ପର୍ଶ ଓ ସ୍ୱାଦ ଭଳି ଏକାନ୍ତ ଏବଂ ଦୃଷ୍ଟି, ଘ୍ରାଣ ଓ ଶ୍ରବଣ ଭଳି ଦୂର-ଦକ୍ଷତା ଉପଯୋଗ କରିଥାଏ । କିନ୍ତୁ ଦୃଷ୍ଟିଶକ୍ତି ୪୦୦ ରୁ ୭୦୦ ମିଲିମିଟର ଓ ଶ୍ରବଣ ଶକ୍ତି ୨୦ ରୁ ୨୦,୦୦୦ ହେଡ଼ଜ ମଧ୍ୟରେ ସୀମିତ ରହୁଥିବା କାରଣରୁ ବହୁ ତଥ୍ୟ ଅଧିକାଂଶ ବ୍ୟକ୍ତିଙ୍କ ଆଗୋଚ଼ରରେ ରହିଯାଉଥିବା ସହଜରେ ଅନୁମେୟ । ସେହିପରି ମନୁଷ୍ୟ ଦ୍ୱାରା ବିକଶିତ ବିଜ୍ଞାନ ପୃଥିବୀର ବହୁ ବିଭବ ବିଶ୍ଳେଷଣରେ ସମର୍ଥ । କିନ୍ତୁ ବିଜ୍ଞାନ ମାନବିକ ଦୃଷ୍ଟିକୋଣ ଦ୍ୱାରା ପ୍ରଭାବିତ ହେଉଥିବା ହେତୁ ସ୍ୱତଃସିଦ୍ଧ ବାସ୍ତବତା ‘ଆବସୋଲ୍ୟୁଟ ରିଆଲିଟି’ ପ୍ରତିପାଦନ କରିବାରେ ଅସମର୍ଥ ବୋଲି ଗ୍ରହଣ କରିବାକୁ ପଡ଼ିବ । ବ୍ୟକ୍ତିର ପ୍ରଥମ ପକ୍ଷ ଦୃଷ୍ଟିରେ ଜୀବନଯାତ୍ରା ପରିପୁଷ୍ଟ ହେଉଥିବା ସ୍ଥଳେ ବାସ୍ତବତା ତୃତୀୟ ପକ୍ଷ ରୂପେ ବିଦ୍ୟମାନ । ଏହି ଉପଲବ୍ଧି ବ୍ୟକ୍ତିର ସୀମିତ ଦୃଷ୍ଟିଭଙ୍ଗୀକୁ ସୂଚ଼ିତ କରିଥାଏ । ଜୀବନର ଶେଷ ପର୍ଯ୍ୟାୟ ବାର୍ଦ୍ଧକ୍ୟରେ ସୁଦ୍ଧା ମନୁଷ୍ୟ ବାସ୍ତବତା ଉପଲବ୍ଧିରୁ ବହୁ ଦୂରରେ ରହିଯାଏ । 

 

ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧୫ ଅଗଷ୍ଟ ୨୦୨


ତଥ୍ୟ:

 

Taylor, Jim. Perception is not reality Psychology Today. August 5, 2019

 

https://www.psychologytoday.com/us/blog/the-power-prime/201908/perception-is-not-reality

Reddy, J.S.K & Contzen Perira. On Science & the Perception of Reality. Journal of Consciousness Exploration & Research. Vol :7, Issue 7. August 2016

 

https://www.researchgate.net/publication/305984994_On_Science_the_Perception_of_Reality

 

Lotto, Beau. It’s time to see things differently to compare our life. The Guardian. April 23, 2017

 

https://www.theguardian.com/lifeandstyle/2017/apr/23/deviate-the-science-of-seeing-differently-beau-lotto 

---

ବାର୍ଦ୍ଧକ୍ୟରେ ବିଜ୍ଞତା ଅନୁଭବ

ବାର୍ଦ୍ଧକ୍ୟରେ ଉପନୀତ ହେବା ଅବସରରେ ନିଜ ଜ୍ଞାନ ପରିସରକୁ ସ୍ୱୟଂସଂପୂର୍ଣ୍ଣ ମନେ କରିବା ଭ୍ରମାନ୍ତକ । ସାଧାରଣତଃ ସମାଜରେ ବରିଷ୍ଠ ନାଗରିକମାନଙ୍କୁ ବିଜ୍ଞ ବିଚାର କରାଯାଏ । ଏହି ପରିଚ଼ିତିକୁ ପୁଞ୍ଜିକରି ବାର୍ଦ୍ଧକ୍ୟଗ୍ରସ୍ତଙ୍କ ଜ୍ଞାନ ପରିସର ପରିମାପରେ ଆତ୍ମବିଶ୍ୱାସ ସ୍ୱାଭାବିକ । ତେବେ ପରିବର୍ତ୍ତିତ ପରିବେଶରେ ବିଧିବଦ୍ଧ ଉଦ୍ୟମ ବିନା ବୟସଜନିତ କାରଣରୁ କାହାରିକି ଅନୁଭୂତି ସଂପନ୍ନ କିମ୍ୱା ଜ୍ଞାନୀ ପର୍ଯ୍ୟାୟଭୁକ୍ତ କରାଯାଇପାରେନା । କୌଣସି ଶାସ୍ତ୍ର ବା ବୈଷୟିକ ପାରଦର୍ଶିତା ସର୍ବୋତଭାବେ ବିଜ୍ଞତାର ପରିଚାୟକ ନୁହେଁ ।

 

ମନୁଷ୍ୟର ବ୍ୟକ୍ତିଗତସ୍ତରରେ ଅଭିଜ୍ଞତା ସୀମିତ । ବହୁ ବ୍ୟକ୍ତିଙ୍କ ଅଭିଜ୍ଞତା ଆଧାରିତ ଉପପାଦ୍ୟ ଅଧ୍ୟୟନ ଯୁବାବସ୍ଥାରେ ମଧ୍ୟ ସଂପୃକ୍ତ କ୍ଷେତ୍ରରେ ବ୍ୟକ୍ତିଙ୍କୁ ଅଭିଜ୍ଞସ୍ତରରେ ପହୁଞ୍ଚାଇପାରେ । ଏକ ମାତ୍ର ଜୀବନର ଅଭିଜ୍ଞତାଠାରୁ ସାମୂହିକ ଅଭିଜ୍ଞତା ତାତ୍ପର୍ଯ୍ୟପୂର୍ଣ୍ଣ । ସେହିପରି କ୍ରମବିକଶିତ ଅନୁସନ୍ଧାନ ଓ ଗବେଷଣାଲବ୍ଧ ତଥ୍ୟାବଳୀ ଜ୍ଞାନର ପରିସୀମାକୁ ପରିବ୍ୟାପ୍ତ କରିଥାଏ । ଜ୍ଞାନ ସ୍ଥବିରତା ପରିଧିରେ ଆବଦ୍ଧ  ନୁହେଁ, ଏହା ଗତିଶୀଳ । ତେଣୁ ଦୀର୍ଘ ଅତୀତରେ ଅର୍ଜିତ ଜ୍ଞାନ ସମକାଳରେ ଉପଯୋଗୀ ହୋଇନପାରେ ।

 

ଗ୍ରାମ୍ୟଭିତ୍ତିକ କୃଷିଜୀବୀ ପାରିବାରିକ ଅଙ୍ଗିକରେ ବାର୍ଦ୍ଧକ୍ୟକୁ ଅଭିଜ୍ଞତା ଓ ବିଜ୍ଞତାର ମାପକାଠି ବିଚାର କରାଯାଉଥିଲା । କାରଣ ପ୍ରତ୍ୟେକଙ୍କ ପାଇଁ ତତ୍କାଳୀନ ଜନଜୀବନ ବସବାସ କରୁଥିବା ଗ୍ରାମ ଓ ପଡ଼ୋଶୀ ଭୌଗଳିକ ପରିବେଶ ତଥା କୃଷିକର୍ମ ଓ ସୀମିତ ବୃତ୍ତିରେ ଆବଦ୍ଧ ରହୁଥିଲା । ସାଂସ୍କୃତିକ ସୃଜନ ମଧ୍ୟ ମହାକାବ୍ୟଗୁଡ଼ିକର ପରିସୀମା ଡ଼େଉଁନଥିଲା । ସନ୍ୟାସୀ ଓ ପରିବ୍ରାଜକଙ୍କ ଭିନ୍ନ ସାଧାରଣ ଗ୍ରାମବାସୀ ବାହାର ଦୁନିଆ ସହ ପରିଚ଼ିତିର ସୁଯୋଗ କିମ୍ୱା ଆବଶ୍ୟକତା ଅନୁଭବ କରୁନଥିଲେ । ସର୍ବୋପରି ପରିବର୍ତ୍ତନ ପରମ୍ପରାକୁ ଭେଦ କରିବାରେ ସକ୍ଷମ ହୋଇପାରୁନଥିଲା । ଏହି କାରଣରୁ ବୟସ ହିଁ ଅଭିଜ୍ଞତା ଓ ବିଜ୍ଞତାର ମାପକାଠି ସାଜୁଥିଲା ।

 

ବ୍ୟକ୍ତି ନିଜ ଜୀବନର ଆଭିମୁଖ୍ୟ ନିଜେ ହିଁ ଗଢ଼ି ତୋଳିଥାଏ । ନିଜସ୍ୱ ଅନୁଭୂତି ଓ ଜ୍ଞାନର ପରିଧି ଜୀବନାଦର୍ଶରେ ପ୍ରତିଫଳିତ । ପରିବାର, ପରିବେଶ ଓ ଶିକ୍ଷାୟତନ ସାଙ୍ଗକୁ ଅନୁବଂଶିକ ଇତିହାସ ଓ ସମୟ ପ୍ରବାହ ଶୈଶବଠାରୁ ବାର୍ଦ୍ଧକ୍ୟ ସମସ୍ତ ପର୍ଯ୍ୟାୟରେ ଅନୁଭୂତି ଓ ଜ୍ଞାନ ଋଦ୍ଧିମନ୍ତ କରିବା ନିମନ୍ତେ ଉପାଦାନ ଯୋଗାଇଥାଏ । ଜ୍ଞାନର ସଂଜ୍ଞା ନିର୍ଦ୍ଧାରଣ ଅତୀରରେ ଧର୍ମ, ଦର୍ଶନ ଓ ସାହିତ୍ୟ ତତ୍ତ୍ୱାବଧାନରେ ରହି ଆସିଥିବା ସ୍ଥଳେ ଦ୍ୱିତୀୟ ବିଶ୍ୱଯୁଦ୍ଧୋତ୍ତର ଆଧୁନିକ ସଭ୍ୟତା ବିକାଶରେ ମନୋବୈଜ୍ଞାନିକ ଗବେଷଣାରେ ନିର୍ଣ୍ଣିତ ।

 

ଗ୍ରୀକ ଦାର୍ଶନିକ ସକ୍ରେଟିସଙ୍କ ଭାଷାରେ ନିଜର ଅଜ୍ଞତା ସଂପର୍କରେ ସଚ଼େତନ ହେବା ହିଁ ଜ୍ଞାନାର୍ଜନର ପ୍ରଥମ ସୋପାନ । ଜଣେ ବ୍ୟକ୍ତି ଯେକୌଣସି ବୟସରେ ଯେତିକି ଜ୍ଞାନ ଆହରଣ କରିଛି, ତାହା କୌଣସି ପରିସ୍ଥିତିରେ ପର୍ଯ୍ୟାପ୍ତ ବିବେଚ଼ିତ ହୋଇନପାରେ । ଜାଣିବାର ତାଲିକାରେ ଆହୁରି ଅନେକ ବିଷୟ ରହିଯାଇଥାଏ ।

 

ଆରିଷ୍ଟୋଟଲ କହୁଥିଲେ ବ୍ୟକ୍ତିଗତସ୍ତରରେ ଉତ୍ତମ ଜୀବନଯାପନ ବ୍ୟକ୍ତିର ଜ୍ଞାନର ପରିସୀମାର ମାପକାଠି । ଉତ୍ତମ କାର୍ଯ୍ୟକଳାପରେ ନିୟୋଜିତ ରହିବା ବ୍ୟତିରେକେ ଉତ୍ତମ ଜୀବନଯାତ୍ରା ଅସଂଭବ । ସର୍ବୋତ୍ତମ କାର୍ଯ୍ୟଧାରା ସବୁ କ୍ଷେତ୍ରରେ ଉଚ୍ଚ ନୈତିକତା ଆଧାରିତ । ଅବଶ୍ୟ ନୈତିକତା ଧାର୍ମିକ ଓ ସାମାଜିକ ରୀତିନୀତିରୁ ଉର୍ଦ୍ଧ୍ୱରେ ଯୁକ୍ତିଯୁକ୍ତ କାର୍ଯ୍ୟଧାରାକୁ ବୁଝାଏ । ଜୀବନର ପ୍ରତିଟି କର୍ମ ସମ୍ପାଦନରେ ଭାବାବେଗରୁ ମୁକ୍ତ ହୋଇ ସ୍ପୃହଣୀୟ ଦୃଷ୍ଟିକୋଣ ଉତ୍ତମ ଜୀବନର ପରିଚାୟକ ।

 

ଜ୍ଞାନ ବିଷୟକ ଅଧ୍ୟୟନରେ ଜର୍ମାନ ମନୋବିଜ୍ଞାନୀ ପାଉଲ ବେଲଟେସଙ୍କ ନେତୃତ୍ୱରେ ୧୯୮୦ରେ ବର୍ଲିନ ବିଜ୍ଞତା ପ୍ରକଳ୍ପ ‘ବର୍ଲିନ ୱିସଡ଼ମ ପ୍ରୋଜେକ୍ଟ’ ଅନ୍ୟତମ ପ୍ରଭାବଶାଳୀ ଉପକ୍ରମ । ଦୀର୍ଘ ଚାରି ଦଶନ୍ଧି ଧରି ପ୍ରମାଣ-ସମୃଦ୍ଧ ‘ଏଭିଡ଼େନ୍ସ-ବେସଡ଼’ ଗବେଷଣାରେ ମନୁଷ୍ୟ ଜୀବନରେ ଜ୍ଞାନର ଦିଗଦିଗନ୍ତ ଅନୁସନ୍ଧାନ ଜାରୀ ରହିଛି । ସେଠାକାର ଅଧ୍ୟୟନରୁ ଜଣାଯାଇଛି ଯେ ବ୍ୟକ୍ତି ୧୩ରୁ ୨୫ ବର୍ଷ ବୟସ ମଧ୍ୟରେ ଜ୍ଞାନ ଅର୍ଜନ କରେ ଏବଂ ୨୫ ରୁ ୭୦ ବର୍ଷ ଯାଏଁ ଜ୍ଞାନାର୍ଜନ ସ୍ଥିର ରହି ୭୦ ବର୍ଷୋତ୍ତର ଅବସ୍ଥାରେ ନିମ୍ନଗାମୀ ହୁଏ । ଅତଏବ ବାର୍ଦ୍ଧକ୍ୟରେ ଶାରିରୀକ ଓ ମାନସିକ ସ୍ୱାସ୍ଥ୍ୟ ସହ ଜ୍ଞାନ ଆହରଣରେ ଦକ୍ଷତା ମଧ୍ୟ ହ୍ରାସ ପାଇଥାଏ ।

 

ଏହି ତତ୍ତ୍ୱ ସଂପର୍କରେ ଟିପ୍ପଣୀ ଦେଇ ମୋନିକା ଆଭଡ଼େଟଙ୍କ ଭଳି ମାର୍କିନ ମନୋବିଜ୍ଞାନୀମାନେ କହନ୍ତି ଯେ ବୟସ ସଙ୍ଗେ ଜ୍ଞାନର ପରିସର ବୃଦ୍ଧି ସଂଭବ, ତେବେ ତାହା ସ୍ୱୟଂକ୍ରିୟ ନୁହେଁ । ଜ୍ଞାନାର୍ଜନ ନିମନ୍ତେ ଉଦ୍ୟମ ଜାରି ରଖିଲେ ସୁଫଳ ମିଳିଥାଏ । ଆଧୁନିକ ମନୋବିଜ୍ଞାନ ଗବେଷଣାରେ ଜ୍ଞାନର ପରିମାପ ନିମନ୍ତେ ଦୁଇ ଭିନ୍ନ ମାନଦଣ୍ଡ ବ୍ୟବହୃତ । ପ୍ରଥମଟି ଜନସାଧାରଣ ଜ୍ଞାନ ସଂପର୍କରେ କ’ଣ ବିଚାର କରୁଛନ୍ତି ତାହା ଉପରେ ଆଧାରିତ ଥିବା ସ୍ଥଳେ ଦ୍ୱିତୀୟଟି ମନୋବିଜ୍ଞାନୀମାନେ ନିଜ ଅଧ୍ୟୟନ ପ୍ରସୂତ ନିର୍ଯ୍ୟାସକୁ ଭିତ୍ତିକରି ମାନଦଣ୍ଡ ନିର୍ଦ୍ଧାରଣ କରିଥାନ୍ତି । ବର୍ଲିନ ଗବେଷଣା ଦ୍ୱିତୀୟ ପର୍ଯ୍ୟାୟଭୁକ୍ତ ।

 

‘ବର୍ଲିନ ୱିସଡ଼ମ ପାରାଡ଼ିମ’ରେ ବିଜ୍ଞତା ପରିମାପ ଲାଗି ବ୍ୟକ୍ତିର ଜୀବନର ପାଞ୍ଚଗୋଟି ବିଷୟକୁ ଗୁରୁତ୍ୱ ଦିଆଯାଏ । ପ୍ରଥମରେ ବାସ୍ତବତା, ଦ୍ୱିତୀୟରେ ପଦ୍ଧତିଗତ, ତୃତୀୟରେ ପ୍ରାସଙ୍ଗିକତା, ଚତୁର୍ଥରେ ଆପେକ୍ଷିକତା ଓ ପଞ୍ଚମରେ ଉଦ୍ୟମଗତ ଅନିଶ୍ଚିତତା ପ୍ରତି ସାବଧାନତା ଅନ୍ତର୍ଭୁକ୍ତ । ମନୁଷ୍ୟର ଜୀବନ ଓ ମାନବିକତା ସଂପର୍କରେ ସମ୍ୟକ ଧାରଣା, ଜୀବନଯାତ୍ରାରେ ବିଭିନ୍ନ ସମସ୍ୟା ସମ୍ମୁଖୀନ ହେବା କଳା-କୌଶଳ, ବିଷୟଗତ ପ୍ରାସଙ୍ଗିକତା ଉପଲବ୍ଧି ତଥା ବ୍ୟକ୍ତିଗତ, ସାମାଜିକ ଓ ସାଂସ୍କୃତିକ ପୃଷ୍ଠଭୂମିରେ ଆପେକ୍ଷିକ ଦୃଷ୍ଟିଭଙ୍ଗୀ ଜ୍ଞାନର ପରିସୀମା ନିର୍ଦ୍ଧାରଣ କରେ । ଅବଶ୍ୟ ଏହି ସବୁ ଉଦ୍ୟମର ଅନିଶ୍ଚିତତା ସଂପର୍କରେ ସଚ଼େତନ ରହିବା ହିଁ ଜ୍ଞାନ ଅଭିବୃଦ୍ଧିର ପରିଚାୟକ । ସରଳ ଭାଷାରେ ମନୋବିଜ୍ଞାନୀଙ୍କ ମତରେ ଜ୍ଞାନ ଉତ୍ତମ ବିଚାର ଓ ପରାମର୍ଶକୁ ବୁଝାଇଥାଏ । ଏହା ମାନବ ଜୀବନରେ ଦକ୍ଷତା ରୂପେ ଉପଯୋଗ ହୋଇଥାଏ ।

 

ଏକବିଂଶ ଶତାଦ୍ଦୀରେ ସମସ୍ତ ବୟସବର୍ଗରେ ବିଜ୍ଞତା ଅନୁଭବ ‘ନୋଇଁନେସ’, ଅର୍ଥାତ ସବୁ ବିଷୟରେ ଅବଗତ ଥିବା ବିଶ୍ୱାସ କିମ୍ୱା ଛଳନା ଜନଜୀବନରେ ସମସ୍ୟା ସୃଷ୍ଟି କରିଥାଏ । ଜ୍ଞାନ ଆହରଣ ନିମନ୍ତେ ଦ୍ୱିତୀୟ ବିଶ୍ୱଯୁଦ୍ଧୋତ୍ତର ଅବସ୍ଥାରେ ଗଣମାଧ୍ୟମର ଦ୍ରୁତ ବିକାଶ ତଥା ପରବର୍ତ୍ତୀ ପର୍ଯ୍ୟାୟରେ ଜଗତୀକରଣ ପରିବେଶ ଜନସାଧାରଣଙ୍କୁ ବହୁ କଥା ଜାଣିବା ଏବଂ ବହୁ ସ୍ଥାନ ଭ୍ରମଣ କରିବା ସୁଯୋଗ ସୃଷ୍ଟି କରିଥିଲା । ବିଶେଷକରି ଇଣ୍ଟରନେଟ ଉଦ୍ଭାବନ, ସାମାଜିକ ଗଣମାଧ୍ୟମର ପ୍ରସାର ଓ କୃତ୍ରିମ ବୁଦ୍ଧିମତ୍ତା ଉପଯୋଗ ଭଳି ପ୍ରଯୁକ୍ତି କୌଶଳ ବ୍ୟବହାର ମାନବ ସମାଜକୁ ଜ୍ଞାନର ପ୍ରହେଳିକା-ଉପତ୍ୟକାରେ ଉପନୀତ କରାଇଛି ।

 

ସମସ୍ତେ ଭାବୁଛନ୍ତି, ସମସ୍ତେ ସବୁ ବିଷୟରେ ବେଶ କିଛି ଜାଣିଛନ୍ତି । ସ୍ଥଳ ବିଶେଷରେ ପରିସ୍ଥିତି ଏପରି ଅବସ୍ଥାରେ ପହଞ୍ଚୁଛି ଯେ ପ୍ରଶ୍ନ ପଚରାଯିବା ପୂର୍ବରୁ ଅଧିକାଂଶ ବ୍ୟକ୍ତି ତାହାର ଉତ୍ତର ଜାଣିଥିବା ଧରିନେଉଛନ୍ତି । ବିଶେଷତଃ ଶିକ୍ଷକ, ସାମ୍ୱାଦିକ, ସାମାଜିକ-ରାଜନୀତିକ-ସାଂସ୍କୃତିକ ନେତୃବର୍ଗଙ୍କ କ୍ଷେତ୍ରରେ ବିଜ୍ଞତା ଅନୁଭବ ବୃହତ୍ତର ପରିବେଶରେ ବିଶୃଙ୍ଖଳା ସୃଷ୍ଟିର କାରଣ ପାଲଟୁଛି । ପ୍ରକୃତ ଘଟଣା, ସମସ୍ୟା ବା ବିଷୟ ବୁଝିବାଲାଗି ଧୈର୍ଯ୍ୟଚ୍ୟୂତି ସର୍ବତ୍ର ଦେଖିବାକୁ ମିଳୁଛି । ବହୁ ବିଷୟ ବଦଳରେ ନିର୍ଦ୍ଧିଷ୍ଟ କେତେକ ବିଷୟରେ ଗଭୀର ଜ୍ଞାନହିଁ ବିଜ୍ଞତାରେ ପୁଞ୍ଜି ।

 

ବିଶେଷଜ୍ଞଙ୍କ ମତରେ ବିଜ୍ଞତା ଅନୁଭବରୁ ମୁକ୍ତିଲାଗି ବ୍ୟକ୍ତିଗତସ୍ତରରେ ଜ୍ଞାନ ଆହରଣଲାଗି ଉତ୍ସୁକତା ଓ ବିନୟଭାବ ପୋଷଣ ଅଭ୍ୟାସ ସୁଫଳ ପ୍ରଦାନ କରିବା ସଂଭବ । ସାମୂହିକସ୍ତରରେ ବିଜ୍ଞତା ଅନୁଭବ ମାନସିକତା ଓ ଏହାର ଫଳାଫଳ ସଂପର୍କରେ ଚ଼େତନା ପ୍ରସାର ତାତ୍ପର୍ଯ୍ୟପୂର୍ଣ୍ଣ । ଆମ ଦେଶରେ ଶିକ୍ଷା ସାର୍ବଜନୀନସ୍ତରକୁ ଉନ୍ନୀତ ହୋଇସାରିଥିବା ଅବସରରେ ଛାତ୍ର ଜୀବନରେ ମନୋବିଜ୍ଞାନ ସହ ପରିଚ଼ିତି ବିଜ୍ଞତା ଅନୁଭବର କୁପରିଣାମ ଭଳି ବହୁ ଅବାଞ୍ଛିତ ଅଭ୍ୟାସ ଦୂରୀକରଣରେ ସହାୟକ ହେବା ବିଶ୍ୱାସ କରାଯାଇପାରେ । 



ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧୫ ଏପ୍ରିଲ ୨୦୨


ତଥ୍ୟ:

 

Shpancer, Noam. When I’m old and wise : Is wisdom related to age ?

 

https://www.psychologytoday.com/us/blog/insight-therapy/201910/when-i-m-old-and-wise-is-wisdom-related-age

 

Malesic, Jonathan. Our big problem is not misinformation; it’s knowingness

 

https://psyche.co/ideas/our-big-problem-is-not-misinformation-its-knowingness?utm_source=Aeon+Newsletter&utm_campaign=eea3bcced4-EMAIL_CAMPAIGN_2023_03_27&utm_medium=email&utm_term=0_-dee638f785-%5BLIST_EMAIL_ID%5D

ବାର୍ଦ୍ଧକ୍ୟରେ କର୍ମ-ନିବୃତ୍ତି

ସାଧାରଣରେ କର୍ମ-ନିବୃତ୍ତି ଅର୍ଥ ସାଂଗଠନିକ କ୍ଷେତ୍ରରେ କର୍ମ-ନିଯୁକ୍ତିରୁ ଅବ୍ୟାହତି ବା ଅବସର ଗ୍ରହଣକୁ ବୁଝାଇଥାଏ । ସରକାରୀ ଓ ବେସରକାରୀ ଉଦ୍ୟୋଗରେ ନିୟୋଜିତ କର୍ମଚାରୀଙ୍କୁ ଏକ ନିର୍ଦ୍ଦିଷ୍ଟ ବୟସ ସୀମାରେ କର୍ମ-ନିଯୁକ୍ତିରୁ ଅବ୍ୟାହତି ଦିଆଯାଇଥାଏ ଏବଂ ନିର୍ଦ୍ଧାରିତ ଦିବସପରେ ଦୀର୍ଘ କାଳ ଧରି ଅଭ୍ୟସ୍ତ ଜୀବନଯାତ୍ରାର ମୋଡ଼ ହଠାତ୍ ବଦଳାଇଦେବାକୁ ପଡ଼ିଥାଏ । ଅପରପକ୍ଷେ ଅଣ-ସଂଗଠିତ କ୍ଷେତ୍ରରେ କର୍ମ-ନିଯୁକ୍ତିରେ କୌଣସି ଧରାବନ୍ଧା ନିୟମ ପାଳିତ ହେଉନଥିଲେହେଁ ବାର୍ଦ୍ଧକ୍ୟାବସ୍ଥାରେ ସମୟକ୍ରମେ କର୍ମକ୍ଷେତ୍ରରୁ ଅପସରି ଯାଆନ୍ତି । ଅବଶ୍ୟ ବାର୍ଦ୍ଧକ୍ୟଭିନ୍ନ ଜୀବନର ଯେକୌଣସି ବୟସରେ ଇଚ୍ଛାଧୀନ କର୍ମ-ନିବୃତ୍ତି ସମ୍ଭବ । ତେବେ ଏହାକୁ ଏକ ଅସାମାଜିକ ଆଚ଼ରଣ ରୂପେ ଧରିନିଆଯାଏ ଏବଂ ଖୁବ କମ ସଂଖ୍ୟକ ବ୍ୟକ୍ତି ଇଚ୍ଛାଧୀନ କର୍ମ-ନିବୃତ୍ତିରେ ଅଭ୍ୟସ୍ତ । ଏମାନଙ୍କୁ ଶ୍ରମକାତର, ଅଳସୁଆ, ପରଜୀବୀ ଭାବେ ତିରସ୍କାର କରାଯାଉଥିଲେହେଁ ଏହି ବର୍ଗର କେତେକଙ୍କ ଗଭୀର ଜୀବନବୋଧ ଦୃଷ୍ଟିଭଙ୍ଗୀ ଜନଜୀବନରେ ବାସ୍ତବତା ଉପଲବ୍ଧିରେ ଉତ୍ସର୍ଗ ହୋଇଥାଏ ।

 

କର୍ମ-ନିବୃତ୍ତି ସପକ୍ଷବାଦୀ ଦାର୍ଶନିକଙ୍କ ମଧ୍ୟରେ ଇମିଲ ଚୋରାନ ଅନ୍ୟତମ । ରୋମାନିଆ ଜନ୍ମିତ ଚୋରାନଙ୍କ ଜୀବନର ଦୀର୍ଘକାଳ ପ୍ୟାରିସରେ ଅତିବାହିତ ହୋଇଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧୋତ୍ତର ଅବସ୍ଥାରେ ଫ୍ରାନ୍ସରେ ଆଧୁନିକତା ପରିପ୍ରକାଶରେ ତାଙ୍କରି ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଥିଲା । ମୁଖ୍ୟତଃ ଆତ୍ମଗୋପନରେ ଜୀବନ ଅତିବାହିତ କରିଥିବା ଚୋରାନ ଜଣେ ବିଷାଦବାଦୀ ଲେଖକଭାବେ ପ୍ରସିଦ୍ଧି ଲାଭ କରିଥିଲେ । ଜୀବନବ୍ୟାପୀ ନିଦ୍ରାହୀନତାରେ ପୀଡ଼ିତ ରହି ସେ ୮୪ ବର୍ଷ ବୟସରେ ୧୯୯୫ରେ ମତିଭ୍ରମ ‘ଆଲଜିମର୍ସ’ ରୋଗାକ୍ରାନ୍ତ ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ । ଚୋରାନଙ୍କ ଦୃଷ୍ଟିକୋଣ ଏକବିଂଶ ଶତାଦ୍ଦୀରେ ବିଶ୍ୱବ୍ୟାପୀ ବିଭିନ୍ନ ରାଷ୍ଟ୍ରରେ ଲୋକାଦୃତି ହାସଲ କରିଛି ।

 

ଚୋରାନଙ୍କ ଜୀବନ କୌତୁହଳପୂର୍ଣ୍ଣ । ତାଙ୍କରି ପିତାମାତା ରକ୍ଷଣବାଦୀ । ସେ ରୋମାନିଆ ଓ ଜର୍ମାନୀରେ ଅଧ୍ୟୟନ ଶେଷକରି ଫ୍ରାନ୍ସରେ ପହଞ୍ଚିଥିଲେ । ସେଠାରେ ୩୧ ବର୍ଷ ବୟସରେ ସିମନ ବୋଉଙ୍କୁ ଭେଟି ପରବର୍ତ୍ତୀ ୫୩ ବର୍ଷ ଏକତ୍ର ସହବସ୍ଥାନ କରିଥିଲେ । ସେ ଆନୁଷ୍ଠାନିକ ବିବାହ କରିନଥିଲେ ଏବଂ ଏ ସଂପର୍କରେ ପ୍ରକାଶ୍ୟରେ କେବେ ସୂଚ଼ନା ଦେଇ ନଥିଲେ । ସିମନ ବୋଉ ମଧ୍ୟ ନିଦ୍ରାହୀନତା ଆକ୍ରାନ୍ତ ଥିଲେ । ଚୋରାନ ଜୀବନବ୍ୟାପୀ ଇଚ୍ଛାଧୀନ କର୍ମ-ନିବୃତ୍ତ । ବିଶ୍ୱବିଦ୍ୟାଳୟରେ ଶିକ୍ଷାର୍ଜନ ଶେଷରେ ମାତ୍ର ବର୍ଷକ ନିମନ୍ତେ ଏକ ଉଚ୍ଚବିଦ୍ୟାଳୟରେ ଦର୍ଶନ ଶିକ୍ଷକତା ଭିନ୍ନ ଅର୍ଥ ଉପାର୍ଜନ ଲାଗି କୌଣସି କର୍ମ-ନିଯୁକ୍ତିରେ ସାମିଲ ହୋଇନଥିଲେ । ସେ କହୁଥିଲେ ସମଗ୍ର ବିଶ୍ୱରେ ପ୍ୟାରିସ ହିଁ ଏକମାତ୍ର ନଗରୀ ଯେଉଁଠି ଗରିବ ଆତ୍ମସମ୍ନାନ ସହ ବଞ୍ଚିପାରେ । କୌଣସି ଜଟିଳତା ବା ପ୍ରବଞ୍ଚନାର ଆଶ୍ରୟ ନେବାକୁ ପଡ଼େନାହିଁ ।

 

କର୍ମ-ନିବୃତ୍ତି ‘ଡୁଇଁ ନଥିଙ୍ଗ’ ସପକ୍ଷରେ ଚୋରାନଙ୍କ ଯୁକ୍ତି ପ୍ରଚଳିତ ସାମାଜିକ ବ୍ୟବସ୍ଥାର ବିରୁଦ୍ଧାଚ଼ରଣ କରିଥାଏ । ତାଙ୍କରି ବିଚାରରେ ବିଶ୍ୱବ୍ୟାପୀ ସମସ୍ତେ କାର୍ଯ୍ୟବ୍ୟସ୍ତ ଜୀବନଯାତ୍ରାରେ ଅଭ୍ୟସ୍ତ ଥିବା ଅବସରରେ କୌଣସି ବିଧିବଦ୍ଧ କାର୍ଯ୍ୟ-ସଂପୃକ୍ତିରୁ ଦୂରେଇ ଯିବା ଅତୀବ କଠିନ ବ୍ୟାପାର । ଏକଦା ଜନୈକ ସାମ୍ୱାଦିକଙ୍କୁ ସାକ୍ଷାତକାରରେ ସେ କହିଥିଲେ, “ଅଧିକାଂଶ ସମୟ ମୁଁ କିଛି କରେନି । ପ୍ୟାରିସରେ ସର୍ବାପେକ୍ଷା ଶ୍ରମ-ବିମୁଖ ଭାବେ ମୋତେ ଧରିନିଆଯାଇପାରେ । ଗରାଖ ନଥିବା ବେଶ୍ୟା ଜଣକ ହିଁ ମୋ’ ଠାରୁ କମ କାମ କରେ ।” ଚୋରାନଙ୍କ ସାହିତ୍ୟ କୃତୀର ସମୀକ୍ଷକମାନଙ୍କ ମତରେ ସେ ଅଳସୁଆ ପର୍ଯ୍ୟାୟଭୁକ୍ତ ନଥିଲେ । କର୍ମ-ନିବୃତ୍ତିର ତାତ୍ତ୍ୱିକ ଦିଗ ଉପଲବ୍ଧି ନିମନ୍ତେ ଜୀବନବ୍ୟାପୀ କର୍ମ-ବିମୁଖ ଜୀବନଚ଼ର୍ଯ୍ୟାକୁ ଆଦରି ନେଇଥିଲେ ।

 

ଚୋରାନଙ୍କ ପୂର୍ବରୁ ସାହିତ୍ୟିକ ଓ ଦାର୍ଶନିକ ଅସ୍କାର ୱାଇଲଡ଼ କହୁଥିଲେ ପୃଥିବୀକୁ ବୁଝିବାକୁ ହେଲେ ଏହା ବକ୍ଷରେ କାର୍ଯ୍ୟଧାରାରୁ ଦୂରେଇ ରହି ଏକାନ୍ତରେ ନିରୀକ୍ଷଣ କରିବାକୁ ପଡ଼ିଥାଏ । କାର୍ଯ୍ୟାନୁରକ୍ତି ଓ ଧ୍ୟାନମଗ୍ନତା ଦୁଇ ବିପରୀତ ଦିଗ । କର୍ମ-ନିବୃତ୍ତି କାର୍ଯ୍ୟଧାରାର ବାସ୍ତବ ଅନୁଶୀଳନ ନିମନ୍ତେ ଦୃଷ୍ଟିକୋଣ ସଂପ୍ରସାରିତ କରିଥାଏ । ଚୋରାନ କର୍ମ-ନିବୃତ୍ତିର ସଂଜ୍ଞା ଖୋଜି ବୁଲିବା ନିମନ୍ତେ ପ୍ୟାରିସ ନଗରୀରେ ରାତ୍ରିଚ଼ର ଭାବେ ଭିକ୍ଷୁକ, ମଦ୍ୟପ ଓ ଦେହଜୀବୀଙ୍କ ଅଭିଜ୍ଞତା ଆହରଣରେ ଦୀର୍ଘକାଳ ବିନିଯୋଗ କରିଥିଲେ । ତାଙ୍କରି ନିଦ୍ରାହୀନତା ଏହି କାର୍ଯ୍ୟରେ ସହାୟକ ହୋଇଥିଲା ବୋଲି ଧରିନେବାକୁ ହେବ ।

 

ପାରମ୍ପରିକଭାବେ କର୍ମ-ପ୍ରବଣତାକୁ ସକାରାତ୍ମକ ଓ କର୍ମ-ନିବୃତ୍ତିକୁ ନକାରାତ୍ମକ ବିଚାର କରାଯାଏ । ତଥାକଥିତ ସକାରାତ୍ମକ ଧାରା ଅନୁସରଣରେ ଆଧୁନିକ ସମାଜରେ ବ୍ୟକ୍ତି କର୍ମ-ପ୍ରବଣ ହୋଇ ବହୁତ ଅର୍ଥ ଉପାର୍ଜନ କରେ ଏବଂ ଉପାର୍ଜିତ ଧନଠାରୁ ଅଧିକ ଖର୍ଚ୍ଚ କରେ । ସେ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକରୁ ଅର୍ଥ କରଜ ନେଇ ସୁଧ ସହ ପରିଶୋଧ କରେ । ଏହି ପଦ୍ଧତିରୁ ବିଚ୍ୟୁତ ଅସାମାଜିକ ଭାବେ ଚ଼ିହ୍ନିତ । ଅସମାଜିକଙ୍କୁ ସାମାଜିକ ଧାରାରେ ଦୀକ୍ଷିତ କରିବା ପାଇଁ ଶିକ୍ଷକ, ପରାମର୍ଶଦାତାଙ୍କ ଠାରୁ ଆରମ୍ଭ କରି ଉଦ୍ୟୋଗପତିମାନେ ଅହରହ ଉଦ୍ୟମ ଜାରୀ ରଖିଥାନ୍ତି ।

 

ବର୍ଟାଣ୍ଡ ରସେଲ ପ୍ରଚଳିତ କାର୍ଯ୍ୟଧାରାକୁ ୧୯୩୨ରେ ପ୍ରକାଶିତ ପ୍ରବନ୍ଧ ‘ଇନ ପ୍ରେଜ ଅଫ ଆଇଡ଼େଲନେସ’ରେ ଦୁଇ ଭାଗରେ ବିଭକ୍ତ କରିଥିଲେ । ପ୍ରଥମ ଭାଗରେ ମନୁଷ୍ୟ ଶାରିରୀକ ଶ୍ରମ ପ୍ରୟୋଗରେ ବସ୍ତୁଗତ ସ୍ଥିତି ପରିବର୍ତ୍ତନ କରିଥାଏ । ଦ୍ୱିତୀୟ ଭାଗରେ ମାନସିକ ଶ୍ରମ ଉପଯୋଗରେ ଅନ୍ୟମାନଙ୍କ ଶ୍ରମ ନିୟନ୍ତ୍ରିତ କରେ । ପ୍ରଥମଭାଗ ଶ୍ରମିକଙ୍କ କାର୍ଯ୍ୟ ଅପ୍ରୀତିକର ଓ ରୋଜଗାର ସୀମିତ । ଦ୍ୱିତୀୟ ଭାଗ ଶ୍ରମିକଙ୍କ କାର୍ଯ୍ୟ ସୁଖଦ ଓ ରୋଜଗାର ଅଧିକ । ବିଜ୍ଞାନ ଓ ବୈଷୟିକ ପ୍ରଗତି ମନୁଷ୍ୟର ଶ୍ରମ-ସଂସ୍ଥାନରେ ବ୍ୟାପକ ପରିବର୍ତ୍ତନ ଆଣିପାରିଛି । ଊନବିଂଶ ଶତାଦ୍ଦୀ ଆରମ୍ଭ ସୁଦ୍ଧା ଇଂଲଣ୍ଡରେ ଶ୍ରମିକମାନେ ଦୈନିକ ପନ୍ଦର ଘଣ୍ଟା ଯାଏଁ କାର୍ଯ୍ୟ କରୁଥିଲେ । ବିଂଶ ଶତାଦ୍ଦୀରେ ଶ୍ରମ ନିର୍ଘଣ୍ଟ ଚାରି ଘଣ୍ଟାକୁ ହ୍ରାସ କରିବା ସୁଯୋଗ ସୃଷ୍ଟି ନିମନ୍ତେ ରସେଲ ପ୍ରସ୍ତାବ ରଖିଥିଲେ । ସେ ନିଜେ କଠିନ ପରିଶ୍ରମରେ ସଂପୃକ୍ତ ରହୁଥିଲେହେଁ, ସେହି ବିଚାରଧାରା ତୃଟିପୂର୍ଣ୍ଣ ମାନୁଥିଲେ ।

 

ବାର୍ଦ୍ଧକ୍ୟ ଓ କର୍ମ-ନିବୃତ୍ତି ପରିପୂରକ । ଏକ ହିସାବ ଅନୁଯାୟୀ ଭାରତରେ ୬୦ ବର୍ଷୋତ୍ତର ଅର୍ଦ୍ଧେକ ବରିଷ୍ଠ ନାଗରିକ ଅବସର ଜୀବନ ଯାପନ କରିଥାନ୍ତି । କର୍ମ-ନିବୃତ୍ତି ଶାରିରୀକ, ପାରିବାରିକ ଓ ସାମାଜିକ କାରଣ ସମୂହ ଉପରେ ନିର୍ଭରଶୀଳ । ଜୀବନର ସପ୍ତମ, ଅଷ୍ଟମ, ନବମ ଦଶକରେ ଉପନୀତ ହେବା ବେଳେ ଶାରିରୀକ ଦୁର୍ବଳତା ଓ ଦୀର୍ଘସ୍ଥାୟୀ ରୋଗଗ୍ରସ୍ତଙ୍କ ସଂଖ୍ୟା ବଢ଼ିଯାଏ । ପାରିବାରିକ ବୃତ୍ତି ଓ ବ୍ୟବସାୟରେ ସନ୍ତାନସନ୍ତତି ପ୍ରଭାବ ବିସ୍ତାର କରିବା ପରେ ପାରିବାରିକ ସଂହତିକୁ ଧ୍ୟାନ ଦେଇ ବୟସ୍କମାନେ କାର୍ଯ୍ୟକ୍ଷେତ୍ରରୁ ଅପସରି ଯିବା ଉଚ଼ିତ ମଣିଥାନ୍ତି । ସେହିପରି ସାମାଜିକସ୍ତରରେ ପରିବର୍ତ୍ତିତ ଧାରା ସହ ଖାପଖୁଆଇବା ସଂଭବ ହୋଇପାରୁନଥିବା ତଥା ସମବୟସ୍କମାନେ କର୍ମ-ନିବୃତ୍ତ ରହୁଥିବା ଉଦାହରଣ ଅନ୍ୟକୁ ପ୍ରଭାବିତ କରେ । ସଂଗଠିତ ଶ୍ରମ-ସଂସ୍ଥାନରେ ତ ଅବସର ଗ୍ରହଣ ବାଧ୍ୟବାଧକତାରେ ପରିଣତ ହୋଇଥାଏ ।

 

ଅନେକ କର୍ମ-ନିବୃତ୍ତିକୁ ସହଜରେ ଗ୍ରହଣ କରିପାରନ୍ତି ନାହିଁ । କର୍ମ-ନିବୃତ୍ତି ଆତ୍ମିକ କିମ୍ୱା ପ୍ରାକୃତିକ ନହୋଇଥିଲେ ବ୍ୟକ୍ତିଗତସ୍ତରରେ ସଂଘର୍ଷପୂର୍ଣ୍ଣ ପରିବେଶ ମୁକାବିଲା କରିବା ନିମନ୍ତେ ବିଶେଷଜ୍ଞମାନେ କେତେକ ପରାମର୍ଶ ପ୍ରଦାନ କରିଥାନ୍ତି । ପ୍ରଥମତଃ, ଜଣେ ବ୍ୟକ୍ତି ଦିନରେ ଥରେ ପାଞ୍ଚ ମିନଟ ଚୁପଚାପ ବସିବାଠାରୁ ଆରମ୍ଭ କରି ପରବର୍ତ୍ତୀ ପର୍ଯ୍ୟାୟଗୁଡ଼ିକରେ ସମୟସୀମା ବୃଦ୍ଧି କଲେ ସୁଫଳ ମିଳିପାରେ । ଦ୍ୱିତୀୟତଃ, ପ୍ରାକୃତିକ ଶୋଭାରାଜି ଉପଭୋଗ ଅଭ୍ୟାସ କର୍ମ-ନିବୃତ୍ତି ଜୀବନ ଯାପନରେ ସହାୟକ । ତୃତୀୟତଃ, କୌଣସି ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ ବିନା ପର୍ଯ୍ୟଟନ ‘ଅନଷ୍ଟ୍ରର୍କଚ଼ରଡ଼ ଟୁରିଜିମ’ ମାନସିକ ସନ୍ତୁଳନ ସୃଷ୍ଟିଲାଗି ଅନ୍ୟ ଏକ ଉଦ୍ୟମ । ମୋଟାମୋଟି ଭାବେ ମାନସିକସ୍ତରରେ ମୁକ୍ତ ବିଚ଼ରଣ ବାର୍ଦ୍ଧକ୍ୟରେ କର୍ମ-ନିବୃତ୍ତି ପରିବେଶ ସୃଷ୍ଟିର ଗୂଢ଼ ରହସ୍ୟ ।

 

  

ଭିଡ଼ିଓ :

 

Watch “PHILOSOPHY – Emil Cioran” on YouTube

 

https://youtu.be/wMOM34XEi2k

 

Watch “Emil Cioran : Nihilism” on YouTube

 

https://youtu.be/4CkYIEiRG5c 



ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଜୁଲାଇ ୨୦୨୩


ତଥ୍ୟ :

 

Bradatan, Costica. Learning to be a loser : A philosophers case of doing nothing

 

https://psyche.co/ideas/learning-to-be-a-loser-a-philosophers-case-for-doing-nothing

 

 

Brooks, Arthur C. How to embrace doing nothing. The Atlantic. August 4, 2022

 

https://www.theatlantic.com/family/archive/2022/08/benefits-of-doing-nothing/671035/

 

Rusell, Bertrand. In praise of idleness

 

https://harpers.org/archive/1932/10/in-praise-of-idleness/

ବସ୍ତୁମୋହ ପରିତ୍ୟାଗ ବ୍ୟାଖ୍ୟାନ

ସାଧାରଣବୋଧ ମିନିମାଲାଜିମ ଆନ୍ଦୋଳନର ଅନ୍ୟତମ ଜାପାନୀ ଚ଼ିନ୍ତକ ଫୁମିଓ ସାସାକି ସରଳ ଜୀବନଯାତ୍ରା ନିମନ୍ତେ ପଥ ପ୍ରଦର୍ଶକ ପୁସ୍ତକ ଗୁଡ଼ବାଇ ଥିଙ୍ଗସ ରଚନା କାଳରେ ୨୦୧୫ ବେଳକୁ ୩୫ ବର୍ଷ ବୟସ୍କ ଅବିବାହିତ ପୁରୁଷ । ସେ ଦଶ ବର୍ଷ ଧରି ଏକ ପ୍ରକାଶନୀ ସଂସ୍ଥାରେ ସମ୍ପାଦକ ରୂପେ ନିଯୁକ୍ତି ପାଇ ଟୋକିଓରେ ବସବାସ କରୁଥାନ୍ତି । ତାଙ୍କରି ସ୍ପଳ୍ପ ଆୟ ମହଙ୍ଗା ସହରରେ ପ୍ରାୟ ସରିଯାଉଥାଏ । ଏକାକୀ ଜୀବନ ଓ ଉଦବୃତ୍ତ ଧନରାଶି ଅଭାବକୁ ତଥାକଥିତ ମଧ୍ୟବିତ୍ତ ଜୀବନଯାତ୍ରାରେ ବିଫଳତା ରୂପେ ପରିଚ଼ିତ । ତେବେ ସାସାକି ସୀମିତ ସମ୍ୱଳରେ ବେଶ ଆନନ୍ଦଦାୟକ ଜୀବନ ଯାପନ କରୁଥିବା ନିଜ ପୁସ୍ତକରେ ବର୍ଣ୍ଣନା କରିଛନ୍ତି ।

 

ଦିନ ଥିଲା, ସାସାକି ବ୍ୟକ୍ତିଗତ ଜୀବନକୁ ସଜାଡ଼ି ପାରୁନଥିଲେ । ସାଧାରଣରେ ବିଶ୍ୱାସ କରାଯାଏ ସୁଖପ୍ରଦ ଜୀବନଯାତ୍ରା ନିମନ୍ତେ ବହୁ ବସ୍ତୁ ଆବଶ୍ୟକ ଏବଂ ସେସବୁ କ୍ରୟ କରିବା ନିମନ୍ତେ ବିପୁଳ ଧନରାଶି ବ୍ୟୟ କରିବାକୁ ପଡ଼େ । ତେଣୁ ଯେଉଁ ବ୍ୟକ୍ତି ଯେତିକି ମାତ୍ରାରେ ଧନଶାଳୀ, ତାହା ଅନୁଯାୟୀ ଦ୍ରବ୍ୟ ସମୂହର ଅଧିକାରୀ ଏବଂ ସେତିକି ସଫଳ ବୋଲି ଧରି ନିଆଯାଏ । ଧନଶାଳୀ ହେବା ନିମନ୍ତେ ସମସ୍ତେ ଉଦ୍ୟମ କରନ୍ତି । ତେବେ ଜଣକର ଆୟବୃଦ୍ଧି ନିମନ୍ତେ ସମାଜରେ ଅନ୍ୟମାନଙ୍କୁ ବ୍ୟୟ କରିବାକୁ ପଡିଥାଏ । ଏହି ଗୋଲକଧନ୍ଦା ଅବିରତ ଲାଗି ରହେ ।

 

ସାସାକି ପ୍ରଚଳିତ ଧାରାରୁ ନିଜକୁ ମୁକ୍ତ କରିବାକୁ ଚାହିଁଥିଲେ । ନିଜ ପୁସ୍ତକରେ ଲେଖିଛନ୍ତି ଯେ ଜୀବନରେ ମୂଳରୁ ସେ ସାଧାରଣବୋଧରେ ପ୍ରଭାବିତ ନଥିଲେ । ସମସ୍ତଙ୍କ ପରି ନିୟମିତଭାବେ ବ୍ୟକ୍ତିଗତ ବ୍ୟବହାର ଓ ଘରକରଣା ସାମଗ୍ରୀ କିଣି ଚାଲିଥିଲେ ଏବଂ ଅନାବଶ୍ୟକ ଜିନିସପତ୍ରକୁ ଘରୁ ହଟାଇ ପାରୁ ନଥିଲେ । ଅନ୍ୟମାନଙ୍କ ସହ ନିଜକୁ ତୁଳନା କରି ଅସନ୍ତୁଷ୍ଟ ରହୁଥିଲେ । ଅପେକ୍ଷାକୃତଭାବେ ଉନ୍ନତ ଜୀବନଯାପନରୁ ବଞ୍ଚିତ ରହୁଥିବା ହେତୁ ଦୁଃଖ ଲାଘବ ପାଇଁ ମଦ୍ୟପାନକୁ ଆଦରି ନେଇଥିଲେ । ତେବେ ନିଶାସେବନ ମାନସିକସ୍ତରରେ ସମସ୍ୟା ସମାଧାନ ବଦଳରେ ପରିସ୍ଥିତିକୁ ଜଟିଳ କରିପକାଉଥିଲା । ସ୍ଥିର ଚିତ୍ତରେ କୌଣସି କାର୍ଯ୍ୟରେ ମନୋନିବେଶ ନ କରିପାରୁଥିବା କାରଣରୁ ଜୀବନର ବହୁମୂଲ୍ୟ ସମୟ ନଷ୍ଟ ହେବାରେ ଲାଗିଥିଲା ।

 

ସାସାକିଙ୍କ ମାନସିକ ସ୍ଥିତି ତାଙ୍କରି ବାସସ୍ଥଳୀରେ ପ୍ରତିବିମ୍ୱିତ ହେଉଥିଲା । ଲେଖକ ବୃତ୍ତିରେ ନିୟୋଜିତ ଥିବାହେତୁ ତାଙ୍କରିପାଖେ ବହୁତ ପଠନ ସାମଗ୍ରୀ ପହୁଞ୍ଚେ ଏବଂ ସ୍ଥାନ ଅଭାବରୁ ଅସଜଡ଼ା ହୋଇ ଏଣେ ତେଣେ ପଡ଼ିରହିଥାଏ । ସେଥିମଧ୍ୟରୁ ଅଧିକାଂଶ ପଢ଼ିବା ନିମନ୍ତେ ତାଙ୍କରି ପାଖେ ସମୟ ନଥିବା ସ୍ଥଳେ ଭବିଷ୍ୟତରେ ପଢ଼ିବା ଆଶାରେ ସାଇତି ରଖିଥାନ୍ତି । ସେହିପରି ଆଲଣାରେ ବହୁ ସଂଖ୍ୟକ ପୋଷାକ ଗଚ୍ଛିତ ହୋଇଥିଲେ ସୁଦ୍ଧା ସଂଖ୍ୟାଧିକକୁ ଥରେଅଧେ ପରିଧାନର ସୁଯୋଗ ଯୁଟୁଥାଏ । ସଉକରେ ଏକ କ୍ୟାମରା, ଏକ ଗିଟାର କିଣିଥିଲେ । କିନ୍ତୁ ସେଗୁଡ଼ିକ ଦୀର୍ଘ ବର୍ଷ ଧରି ଅବ୍ୟବହୃତ ହୋଇ ଧୂଳି ଜମି ଏକ କୋଣରେ ପଡ଼ି ରହିଥିଲା ।

 

ସାସାକି ନିଜ ଜୀବନ ଓ ପରିବେଷ୍ଟନୀ ସଂପର୍କରେ ଯେତିକି ଚ଼ିନ୍ତିତ ନଥିଲେ ଅନ୍ୟମାନଙ୍କ ସହ ନିଜକୁ ତୁଳନା କରି ଅଧିକ ବିବ୍ରତ ହୋଇପଡୁଥିଲେ । ତାଙ୍କରି ଜଣେ କଲେଜ ପଢ଼ା ସମୟର ବନ୍ଧୁ କିପରି ଟୋକିଓର ଆଭିଜାତ୍ୟପୂର୍ଣ୍ଣ ଅଞ୍ଚଳରେ ବଙ୍ଗଳାଟିଏ ଗଢ଼ିଛି, ଘର ସଜାଇଛି, ବଡ଼ କମ୍ପାନୀରେ ଉଚ୍ଚ ଦରମାରେ ଚାକିରୀ କରୁଛି, ସ୍ତ୍ରୀ ଓ ସନ୍ତାନ ସହ ଖୁସୀରେ ରହୁଛି ସେଥି ସହ ନିଜ ନିଃସଙ୍ଗ ଜୀବନଯାତ୍ରା ତୁଳନାକରି ଦୁଃଖୀତ ହେଉଥିଲେ । ସେ ବୁଝିପାରୁନଥିଲେ ସମବୟସ୍କ ସମଶିକ୍ଷାପ୍ରାପ୍ତ ଦିହିଁଙ୍କ ଜୀବନରେ ଏତେ ତାରତମ୍ୟ ଆସିଲା କିପରି ?

 

ସାସାକିଙ୍କ ଜୀବନ ଗଡ଼ିଚାଲିଥିଲା । ସାମଗ୍ରୀ ଆହରଣରେ ଅସମର୍ଥତା ମାନସିକ ନ୍ୟୂନତାର ଗହ୍ୱରକୁ ଟାଣି ନେବା ଫଳରେ ସମୟେ ସମୟେ ଜୀବନଚ଼ର୍ଯ୍ୟାରେ ଅଣନିଶ୍ୱାସୀ ହୋଇ ପଡୁଥିଲେ । ଏହି ପରିବେଶରେ ହଠାତ ସେ ବସ୍ତୁମୋହ ପରିତ୍ୟାଗ କରିବା ନିମନ୍ତେ ନିଷ୍ପତ୍ତି ନେଲେ । ପର୍ଯ୍ୟାୟକ୍ରମେ ନିଜ ଘରୁ ଦୀର୍ଘଦିନରୁ ଅବ୍ୟବହୃତ ସମସ୍ତ ସାମଗ୍ରୀ ଅପସାରଣ କଲେ । ଘର ଖାଲି ହୋଇଯିବାପରେ ଭବିଷ୍ୟତରେ ନୂଆ ଜିନିସ କିଣିବା ନିମନ୍ତେ ଆଉ ତାଲିକା ରହିଲା ନାହିଁ । ଅନ୍ୟର ଫରାରି ମଟରଗାଡ଼ି ସହ ନିଜର ପୁରୁଣା ବାଇସାଇକେଲ ତୁଳନାର ମନୋବୃତ୍ତି ଉଭେଇ ଗଲା । ସେ ସ୍ୱତଃପ୍ରବୃତ୍ତଭାବେ ଆନନ୍ଦିତ ହେଲେ । ଏଣିକି କିଛି ଧଳା ସାର୍ଟ, ପ୍ୟାଣ୍ଟକୁ ନେଇ ପରିଚ୍ଛେଦରେ ସେ ନିଜସ୍ୱ ପରିଚିତି ସୃଷ୍ଟି କଲେ । ଏକକ ପରିଚ୍ଛେଦ ଅନବରତ ବ୍ୟବହାର ଯୋଗୁଁ ଦୂରରୁ ଦେଖିଲେ ଲୋକେ ତାଙ୍କୁ ସହଜରେ ଚ଼ିହ୍ନଟ କରିପାରିଲେ । ସାସାକିଙ୍କ ଜୀବନ ବଦଳିଗଲା । ଏହି ପରିବର୍ତ୍ତନର ଧାରାବିବରଣୀ ନିଜ ପୁସ୍ତକରେ ବର୍ଣ୍ଣନା କରିଛନ୍ତି ।

 

ମାର୍କିନ ନାଗରିକ ଯୋଶୁଆ ଫିଲଡ୍ସ ମିଲବର୍ଣ୍ଣ ଓ ରାୟନ ନିକୋଡ଼େମୁସ ଅନଲାଇନରେ ସାଧାରଣବୋଧର ଅନ୍ୟତମ ମୁଖ୍ୟ ପ୍ରବକ୍ତା । ସେମାନେ ନିଜ ସରଳ ଜୀବନଯାତ୍ରା ଅନୁଭୂତି ବ୍ଲଗରେ ବର୍ଣ୍ଣନା କରିଥାନ୍ତି । ଦିହେଁ ବାଲ୍ୟ ବନ୍ଧୁ, ପଞ୍ଚମ ଶ୍ରେଣୀରୁ ଏକାଠି ପଢ଼ି ଆସିଥିଲେ । ଉଭୟ କର୍ପୋରେଟ ଦୁନିଆରେ ନିଜକୁ ପ୍ରତିଷ୍ଠିତ କରି ୨୭ ବର୍ଷ ବୟସ ବେଳକୁ ବଡ଼ ଘର, ବହୁତ ଆସବାବପତ୍ର, ତାସାଙ୍ଗକୁ ସମପରିମାଣରେ ଋଣଗ୍ରସ୍ତ ହୋଇପଡ଼ିଥିଲେ । ମାର୍କିନ ସ୍ୱପ୍ନର ଉଦାହରଣ ପାଲଟିବା ଅବସରରେ ୨୦୦୯ରେ ଯୋଶୁଆଙ୍କ ମାଆ ଆରପାରିକି ଚାଲି ଯାଆନ୍ତି ଏବଂ ପତ୍ନୀଙ୍କ ସହ ବିବାହ ବିଚ୍ଛେଦ ଘଟେ । ସେ ମାସେ କାଳ ବିଷାଦଗ୍ରସ୍ତ ହୋଇପଡ଼ନ୍ତି । ଆତ୍ମନିରୀକ୍ଷଣରେ ବୁଝିପାରନ୍ତି ଯେ ସେ କଠିନ ପରିଶ୍ରମରେ ଅର୍ଥ ଉପାର୍ଜନ କରି ସଫଳତାର ମରୀଚ଼ିକା ପଛରେ ଦୌଡ଼ିଚାଲିଛନ୍ତି । ଏହି ପରିବେଶରେ ସେ ସାମାନ୍ୟବୋଧ ଅନଲାଇନ ସମ୍ପ୍ରଦାୟଙ୍କ ସଂସ୍ପର୍ଶରେ ଆସି ନିଜ ଜୀବନର ଗତିପଥ ବଦଳାଇ ଦେଇଥିଲେ ।

 

ଯୋଶୁଆ ମାତୃବିୟୋଗ ଓ ପତ୍ନୀ ବିଚ୍ଛେଦ ପରବର୍ତ୍ତୀ ପର୍ଯ୍ୟାୟରେ ମ୍ରିୟମାଣ ନହୋଇ ଆନନ୍ଦିତ ଜୀବନଯାପନ କରୁଥିବା ଦେଖି ବନ୍ଧୁ ରାୟନ ଆଶ୍ଚର୍ଯ୍ୟାନ୍ୱିତ ହୋଇପଡ଼ନ୍ତି । ସାମାଜିକସ୍ତରରେ ପ୍ରତିଷ୍ଠିତ ହେବା ସତ୍ତ୍ୱେ ଦିହେଁ ସଂଘର୍ଷମୟ ଜୀବନଯାପନ କରି ଆସିଥିଲେ । ଯୋଶୁଆ ଆନନ୍ଦପ୍ରାପ୍ତିର ରହସ୍ୟ ଉନ୍ମୋଚନ କରି ସାଧାରଣବୋଧ ଜୀବନଯାତ୍ରାର ଅନୁଭୂତି ଶୁଣାଇଲେ । ରାୟନ ମଧ୍ୟ ଏହି ନୂତନ ଜୀବନଦର୍ଶନରେ ଅନୁପ୍ରାଣିତ  ହୋଇପଡ଼ିଥିଲେ । ଦୁଇ ବନ୍ଧୁ ଚାକିରି, ଅର୍ଜିତ ସମ୍ପତ୍ତି ଏବଂ ସେଥିଲାଗି ପ୍ରତିବଦ୍ଧତା ତ୍ୟାଗକରି ସାଧାରଣଭାବେ ସରଳ ଜୀବନଯାପନରେ ମନୋନିବେଶ କରିଥିଲେ । ସେମାନେ ନିଜ ଜୀବନାଭୂତି ନିୟମିତ ଭାବେ ବ୍ଲଗପୋଷ୍ଟ ଆକାରରେ ପ୍ରକାଶ କରିଥାନ୍ତି ।

 

ଯୋଶୁଆ ଓ ରାୟନଙ୍କ ମତରେ ସାଧାରଣବୋଧ ଏକ ବହୁମୁଖୀ ଜୀବନଦର୍ଶନ । ଏହି ବିଚାରଧାରାରେ ପ୍ରଭାବିତ ପ୍ରତ୍ୟେକ ବ୍ୟକ୍ତି ଭିନ୍ନ ଭିନ୍ନ ଉପାୟରେ ପ୍ରଚଳିତ ଜଟିଳ ଜୀବନଯାତ୍ରାର ସରଳୀକରଣ ନିମନ୍ତେ ଉଦ୍ୟମ କରିଥାନ୍ତି । ଉଦ୍ ବୃତ୍ତ ଓ ଅନାବଶ୍ୟକ ସାମଗ୍ରୀ ବର୍ଜନଠାରୁ ଆରମ୍ଭ କରି ଅରୁଚିକର ସାମାଜିକ ସଂପୃକ୍ତି ଯାଏଁ ଅତିରିକ୍ତ ବୋଝରୁ ନିଜକୁ ମୁକ୍ତ କରିବା ଫଳରେ ମୂଲ୍ୟବୋଧ ସମ୍ପନ୍ନ କାର୍ଯ୍ୟାବଳୀରେ ଗଭୀର ମନୋନିବେଶ କରିବା ସଂଭବପର ହୋଇଥାଏ ଏବଂ ଏତଦ୍ୱାରା ଆନନ୍ଦ ପ୍ରାପ୍ତି ହୁଏ । ଯୋଶୁଆ କହନ୍ତି ଯେ ଅତୀତରେ ତାଙ୍କରି ସଂଭ୍ରାନ୍ତ ଜୀବନଶୈଳୀରେ ସେ ଠୁଳ କରିଥିବା ୯୦ ପ୍ରତିଶତ ସାମଗ୍ରୀ ବ୍ୟବହାରରେ ଆସୁନଥିଲା । ସେଗୁଡ଼ିକଠାରୁ ବିଚ୍ଛିନ୍ନ ହେବାପରେ ସେ ଅପେକ୍ଷାକୃତ ମୁକ୍ତ ଜୀବନ ଯାପନ ନିମନ୍ତେ ପଥ ଉନ୍ମୁକ୍ତ ହୋଇପାରିଲା ।

 

ସାଧାରଣବୋଧ ଜୀବନଯାତ୍ରା ଉପଭୋକ୍ତାବାଦ-ବିରୋଧୀ ନଥିବା ସ୍ଥଳେ ବାଧ୍ୟବାଧକତାପୂର୍ଣ୍ଣ ଉପଭୋକ୍ତାବାଦ-ବିରୋଧୀ ଆଚରଣକୁ ପ୍ରୋତ୍ସାହିତ କରିଥାଏ । ଆର୍ଥିକ ଦୁରାବସ୍ଥା ହେତୁ ସରଳ ଜୀବନ ଯାପନ ଆଙ୍ଗିକ ହୋଇପାରେ କିନ୍ତୁ ସାଧାରଣବୋଧ ଆତ୍ମୀକସ୍ତରରେ ସରଳଜୀବନ ଯାପନକୁ ବୁଝାଇଥାଏ। ଗଭୀର ଆତ୍ମବିଶ୍ୱାସ ସତ୍ତ୍ୱେ ଅନେକ ସମୟରେ ଆମେ ମୁକ୍ତ ଜୀବନଯାତ୍ରାର ପଥିକ ହୋଇପାରୁନା । ସେହି ଅବସ୍ଥାରେ ଜୀବନର ଦୋଛକିରେ ଅଟକିଥିବା ବ୍ୟକ୍ତିମାନସକୁ ସାଧାରଣବୋଧ ଜୀବନଯାତ୍ରାରେ ଅନ୍ୟମାନଙ୍କ ସଫଳତା ହାସଲର ଅନୁଭୂତି ଅନୁପ୍ରାଣିତ କରିପାରେ । ବ୍ୟକ୍ତିଗତ ଓ ସାମୂହିକସ୍ତରରେ ଦୁର୍ଘଟଣାମାନ ସୁଦୂରପ୍ରସାରୀ ପ୍ରଭାବ ବିସ୍ତାର କରିଥାଏ । କୋଭିଡ଼-୧୯ ମହାମାରୀ ସେଭଳି ଏକ ଦୁର୍ଯୋଗ । ଏହାର ପ୍ରଭାବ ଅନେକଙ୍କୁ ଆତ୍ମନିରୀକ୍ଷଣ କରିବା ନିମନ୍ତେ ବାଧ୍ୟ କରିବା ନିଶ୍ଚିତ । ଏହି ଅବସରରେ ନିଜେ ଆଙ୍କିଥିବା ବସ୍ତୁମୋହର ପ୍ରହେଳିକାରୁ ନିଜକୁ ମୁକ୍ତ କରି ବାସ୍ତବତା ଉପଲବ୍ଧିରେ ଆନନ୍ଦମୟ ଜୀବନ ଯାପନ ନିମନ୍ତେ ସାଧାରଣବୋଧ ଭଳି ଦର୍ଶନ ପଥ ଉନ୍ମକ୍ତ କରିବା ଆଶା କରାଯାଇପାରେ ।

 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଜୁଲାଇ ୨୦୨୦

 

---

ତଥ୍ୟ:

 

Sasaki Fumio, Goodbye things, hello minimalism : can living with less make you happier ? www.theguardian.com, 2017

 

https://www.theguardian.com/books/2017/apr/12/goodbye-things-hello-minimalism-can-living-with-less-make-you-happier

 

 

Rosen, Rebecca J. Living with less. www.theatlantic.com , 2014

 

https://www.theatlantic.com/business/archive/2014/07/living-with-less/374544/

ହିକିକୋମୋରି

ଜାପାନୀ ଶବ୍ଦ ହିକିକୋମୋରି ସାଧାରଣ ଜନଜୀବନରୁ ନିବୃତ୍ତ, ସନ୍ୟାସୀସମ ଏକାନ୍ତ ଜୀବନଚ଼ର୍ଯ୍ୟାରେ ଅଭ୍ୟସ୍ତ, ଆଧୁନିକ ବ୍ୟକ୍ତିବିଶେଷଙ୍କ ଜୀବନଶୈଳୀକୁ ବୁଝାଇଥାଏ । ୨୦୨୧ ସୁଦ୍ଧା ଜାପାନର ପ୍ରାୟ ଦଶଲକ୍ଷ ନାଗରିକ ଏତାଦୃଶ ଜୀବନ ଯାପନ କରୁଥିବା ହିସାବ କରାଯାଏ । ନିଃସଙ୍ଗତାରେ ଆକ୍ରାନ୍ତଙ୍କ ମଧ୍ୟରେ ସମସ୍ତ ବୟସବର୍ଗର ପ୍ରତିନିଧିତ୍ୱ ଥିବା ସତ୍ତ୍ୱେ ସଂଖ୍ୟାଧିକ ୬୫ ବର୍ଷୋତ୍ତର ବରିଷ୍ଠ ନାଗରିକ ସାମିଲ ହୋଇଥାନ୍ତି । ସମକାଳରେ ଜାପାନୀ ସଭ୍ୟତାର ନିଃସଙ୍ଗ ଜୀବନ ଏକ ଜନସ୍ୱାସ୍ଥ୍ୟ ସମସ୍ୟା ରୂପେ ମୁଣ୍ଡ ଟେକିଛି ।

 

ସ୍ଥଳବିଶେଷରେ ଜାପାନୀ ବରିଷ୍ଠ ନାଗରିକମାନେ ଦୀର୍ଘଦିନ ଧରି ସାମାଜିକ ସଂପର୍କରୁ ଅପସରି ନିଜ ନିଜ ବାସଗୃହରେ ଏକାକୀ ମୃତ୍ୟୁ ବରଣ କରୁଥିବା ଏକ ସାଧାରଣ ଘଟଣା । ସେମାନଙ୍କ ମୃତ୍ୟୁ ସଂପର୍କରେ ପଡ଼ୋଶୀଙ୍କ ପାଖରେ ମଧ୍ୟ ଖବର ନଥାଏ । ବନ୍ଦ ଆପାର୍ଟମେଣ୍ଟଗୁଡ଼ିକରେ ଶବ ନଷ୍ଟ ଅବସ୍ଥାକୁ ଆସିଯିବା ଅବସ୍ଥାରେ କୌଣସି ସୂତ୍ରରୁ ଖବରପାଇ କବାଟ ତାଡ଼ି ଶବ ଉଦ୍ଧାର କରି ସତ୍କାର କରାଯାଏ । ଏହି ଭଳି ମୃତ୍ୟୁପରେ ମୃତବ୍ୟକ୍ତିଙ୍କ ବାସସ୍ଥଳୀ ପରିଷ୍କାର କରିବା ନିମନ୍ତେ ଟୋକିଓ, ଓସାକା ଭଳି ବଡ଼ ସହରଗୁଡ଼ିକରେ ବୃତ୍ତିଗତ ବ୍ୟାବସାୟିକ ସଂସ୍ଥାମାନ ଗଢ଼ି ଉଠିଥିବା ଜଣାଯାଏ ।

 

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ଅବସ୍ଥାରେ ଜାପାନରେ ବ୍ୟାପକ ଶିଳ୍ପାୟନ ଅବସରରେ ବ୍ୟକ୍ତି ସ୍ୱତନ୍ତ୍ରତାଭିତ୍ତିକ ସହରୀ ସଭ୍ୟତା ବିକାଶ ଘଟିଥିଲା । ବିଂଶ ଶତାଦ୍ଦୀ ଶେଷ ବେଳକୁ ଜନଜୀବନରେ ଏକାନ୍ତତା ଦୃତ ପ୍ରସାରକାଳରେ ୧୯୯୮ରେ ଜାପାନୀ ମନସ୍ତତ୍ତ୍ୱବିତ ପ୍ରଫେସର ଟାମାକି ସଇପେ ନିଃସଙ୍ଗ ଜୀବନଯାତ୍ରାକୁ ହିକିକୋମୋରି ନାମିତ କରିଥିଲେ । ଉଲ୍ଲେଖଯୋଗ୍ୟ ବିଷୟ ଏହି ଯେ ପରବର୍ତ୍ତୀ ଦୁଇ ଦଶନ୍ଧିରେ ଜାପାନୀ ସାହିତ୍ୟ, ଗଣମାଧ୍ୟମ ଓ ଲୋକସଂସ୍କୃତି ପପୁଲାର କଲଚ଼ରରେ ନିଃସଙ୍ଗତା ବ୍ୟାପକ ଚର୍ଚ୍ଚା ହୋଇଛି । ଉଚ୍ଚବର୍ଗରେ କେତେକ ସାମାଜିକ ନିବୃତିକୁ ଉନ୍ନତମାନର ବ୍ୟକ୍ତି ସ୍ୱତନ୍ତ୍ରତା ଚିହ୍ନିତ କରୁଥିବା ସ୍ଥଳେ ଗୁଣାତ୍ମକ ଜୀବନଯାତ୍ରାର ମାନାଙ୍କ ରୂପେ ବିଚାର କରିଥାନ୍ତି ।

 

ବିଗତ ଅର୍ଦ୍ଧଶତାଦ୍ଦୀରେ ଜାପାନୀ ସଭ୍ୟତାରେ ଏକନ୍ତତା ବୃଦ୍ଧିର ବିଭିନ୍ନ କାରଣ ସଂପର୍କରେ ଚର୍ଚ୍ଚା ହୋଇଥାଏ । ସେଠାକାର କର୍ମ-ସଂସ୍କୃତି ଜୀବନରେ ଦୀର୍ଘକାଳଧରି ସାଧାରଣ ନାଗରକିଙ୍କୁ ନିଜସ୍ୱ ବୃତ୍ତି ଓ କର୍ଯ୍ୟସ୍ଥଳୀ ମଧ୍ୟରେ ଆବଦ୍ଧ ରଖିଥାଏ । ଆନ୍ତର୍ଜାତିକସ୍ତରରେ ଜାପାନୀ ଶ୍ରମିକମାନେ ସର୍ବାଧିକ ସମୟ କାର୍ଯ୍ୟରେ ନିୟୋଜିତ ହୋଇଥାନ୍ତି । ସେଠାକାର ନିୟମ ଅନୁଯାୟୀ ଶ୍ରମିକମାନେ ଦୈନିକ ୮ ଘଣ୍ଟା ସପ୍ତାହରେ ପାଞ୍ଚଦିନ ୪୦ଘଣ୍ଟା କାର୍ଯ୍ୟ କରିବା କଥା ।

 

କିନ୍ତୁ ୨୦୧୬ରେ ଆୟୋଜିତ ଏକ ସର୍ବେକ୍ଷଣ ଅନୁଯାୟୀ ଏକ ଚ଼ତୁର୍ଥାଂଶ କ୍ଷେତ୍ରରେ ଶ୍ରମିକମାନେ ସପ୍ତାହକୁ ୬୦ ଘଣ୍ଟା ଯାଏଁ କାର୍ଯ୍ୟ କରନ୍ତି । ଅଧିକାଂଶ କ୍ଷେତ୍ରରେ ଅଧିକା କାମ ପାଇଁ ମଜୁରି ମିଳେନା । ଦୀର୍ଘ ସମୟ ଧରି କର୍ମବ୍ୟସ୍ତ ରହୁଥିବା ହେତୁ ଅଧିକାଂଶ ନାଗରିକ କ୍ଳାନ୍ତ ହୋଇପଡ଼ନ୍ତି ଏବଂ ବନ୍ଧୁବର୍ଗଙ୍କ ସହ ସାମାଜିକ ବନ୍ଧନ ଗଢ଼ିତୋଳିବା ଏକପ୍ରକାର ଅସଂଭବ ପ୍ରମାଣିତ ହୁଏ । ଏହି ଅଭ୍ୟାସ ଏକାନ୍ତତା ଆଡକୁ ଟାଣିନିଏ ।

 

ଜାପାନର କୃଷିଭିତ୍ତିକ ପ୍ରାଚ଼୍ୟ ଗ୍ରାମ୍ୟ-ଜୀବନ ସହରକେନ୍ଦ୍ରୀକ ସଭ୍ୟତାକୁ ପରିବର୍ତ୍ତିତ ହୋଇଥିଲା । ପାରମ୍ପରିକ ସାମାଜିକ ବ୍ୟବସ୍ଥା ନବ୍ୟ-ପ୍ରାଚ୍ୟ-ସଂସ୍କୃତିରେ ରୂପାନ୍ତରିତ ହେବା କାଳରେ ସମାଜର ଏକାଂଶ ଏହାର ଚାପ ସହ୍ୟ କରିପାରି ନଥିଲେ । ଶତାଦ୍ଦୀ ଶେଷରେ ହିକିକୋମୋରି ଭଳି ସଂସ୍କୃତିର ପ୍ରସାର ଅନ୍ୟତମ ଉଦାହରଣ ।

 

ଏକାନ୍ତତା ପ୍ରଭାବିତ ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରେ ସାମାଜିକ ବ୍ୟବସ୍ଥାରୁ ଅପସାରଣ ଏତେ ତୀବ୍ର ହୋଇପଡୁଛି ଯେ ଜଣେ ବର୍ଷ ବର୍ଷ ଧରି ଅନ୍ୟମାନଙ୍କ ସଂସ୍ପର୍ଶରେ ଆସୁନାହିଁ । ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ସମ୍ୱାଦ ଅନୁଯାୟୀ ନିଟୋ ସୋୟୁଜି ନାମକ ଏକ ଅନଲାଇନ ଗେମସ ଡେଭଲାପର ବିଗତ ଦଶ ବର୍ଷ ଧରି ନିଜ ଆପାର୍ଟମେଣ୍ଟରୁ ବାହାରକୁ ଆସିନାହାନ୍ତି । ଅନ୍ୟପକ୍ଷରେ କୋଭିଡ଼-୧୯ ମହାମାରୀ ଅବସ୍ଥା ହିକିକୋମୋରି ପ୍ରଭାବିତଙ୍କ ସଂଖ୍ୟା ବହୁ ଗୁଣ ବୃଦ୍ଧି କରିଛି ।

 

ମୁଖ୍ୟତଃ ଯୁବବର୍ଗ ଈପସିତ ପାଠ୍ୟକ୍ରମ ଅଧ୍ୟୟନ ଲକ୍ଷ୍ୟହାସଲ ନକରିପାରିବା, କର୍ମନିଯୁକ୍ତି ଅଭାବ ଓ ଆର୍ଥିକ ଅନାଟନ ଭଳି ଦୁର୍ଯୋଗର ସମ୍ମୁଖୀନ ହେବାପରେ ମାନସିକସ୍ତରରେ ଭାଙ୍ଗିପଡ଼ନ୍ତି ଏବଂ ସେମାନଙ୍କ ଅବଶିଷ୍ଟ ଜୀବନ ଏକରକମ ଆତ୍ମଗୋପନରେ କଟେ । ମହାମାରୀରେ ବହୁ ଲୋକ ନିଯୁକ୍ତି ହରାଇଥିବା ହିକିକୋମୋରି ପାଇଁ ପ୍ରଶସ୍ତ କ୍ଷେତ୍ର ପ୍ରସ୍ତୁତି କରିଛି । ପୁରୁଷଙ୍କ ତୁଳନାରେ ମହିଳା କର୍ମଚାରୀମାନେ ନିଯୁକ୍ତି ବିଚ୍ୟୁତ ହୋଇଥିବା ଏବଂ ପୁନଃନିଯୁକ୍ତିର ଆଶା କ୍ଷୀଣ ଥିବା ହେତୁ ବୃତ୍ତିଗତ ଜୀବନହାନୀ, ଆର୍ଥିକ ଦୁରାବସ୍ଥା ଓ ପାରିବାରିକ ବୋଝ ମାନସିକସ୍ତରରେ ଭରାକାନ୍ତ କରିବା ସ୍ୱାଭାବିକ ।

 

ଜନସଂଖ୍ୟାରେ କ୍ରମବର୍ଦ୍ଧିଷ୍ଣୁ ଏକାନ୍ତତା ଆତ୍ମହତ୍ୟା ପ୍ରବଣତା ଆଡ଼କୁ ବାଟ କଢାଇଥାଏ । ମହାମାରୀରେ ଜାପାନରେ ୨୧ ହଜାର ଆତ୍ମହତ୍ୟା ହିସାବ କରାଯାଇଥିବା ସ୍ଥଳେ ମହିଳାମାନଙ୍କ କ୍ଷେତ୍ରରେ ୨୦୨୦ ଅକ୍ଟୋବର ମାସରେ ପୂର୍ବବର୍ଷ ତୁଳନାରେ ୭୦ ପ୍ରତିଶତ ବୃଦ୍ଧି ପାଇଥିଲା । କୁହାଯାଏ ଯେ ଜାପାନରେ ସହରାଞ୍ଚଳର ସୁଉଚ୍ଚ କୋଠାରୁ ଲମ୍ପ ପ୍ରଦାନକରି ଆତ୍ମହତ୍ୟା ବୃଦ୍ଧି ପାଉଥିବା ତଥା ଏଥିରେ ପଥଚାରୀମାନେ ଆହତ ହେଉଥିବା ଅଭିଜ୍ଞତାରୁ ଆତ୍ମହତ୍ୟାପ୍ରବଣ କୋଠାଗୁଡ଼ିକ ତଳ ରାସ୍ତାରେ ଆକାଶକୁ ନଜର ରଖି ଯାତାୟତ କର (ମାଇଣ୍ଡ ଦି ସ୍କାଇ) ଭଳି ସତର୍କ ବିଜ୍ଞାପନ ଫଳକ ପ୍ରଦର୍ଶିତ ହୋଇଥାଏ ।

 

ମହାମାରୀ କାଳରେ ୨୦୨୧ ଫେବୃୟାରୀ ତୃତୀୟ ସପ୍ତାହରେ ଜାପାନର ପ୍ରଧାନମନ୍ତ୍ରୀ ଦେଶରେ ନିଃସଙ୍ଗଜନିତ ସମସ୍ୟାର ସମାଧାନରେ ଯତ୍ନବାନ ହେବା ନିମନ୍ତେ କେନ୍ଦ୍ରୀୟସ୍ତରରେ ଏକ ମନ୍ତ୍ରଣାଳୟ ସ୍ଥାପନ କରି ତାହାର ପରିଚାଳନା ଲାଗି ନିଜ ମନ୍ତ୍ରୀମଣ୍ଡଳର ଜଣେ ସଦସ୍ୟଙ୍କୁ ଦାୟିତ୍ୱ ଅର୍ପଣ କରିଛନ୍ତି । ଟେଟସୁସି ସାକାମୋଟେ ଜାପାନରେ ପ୍ରଥମ ନିଃସଙ୍ଗତା ମନ୍ତ୍ରୀ ରୂପେ ଅବସ୍ଥାପିତ ହେବା ପୂର୍ବରୁ ଦେଶରେ କ୍ଷୟଶୀଳ ଜନ୍ମହାର ବୃଦ୍ଧି ଓ ଆଞ୍ଚଳିକ ଅର୍ଥନୀତି ବିକାଶ ବିଭାଗ ବୁଝୁଥିଲେ । ନିଃସଙ୍ଗ ମନ୍ତ୍ରଣାଳୟ ଦାୟିତ୍ୱ ଗ୍ରହଣ କରିବା ପରେ ସେ କହିଥିଲେ ଯେ ଜନସାଧାରଣରେ ସାମାଜିକ ଅପସାରଣ ସୋସିଆଲ ଆଇସୋଲେସନ ନିରାକରଣ ସହ ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ସଂପର୍କର ସୂତ୍ରାବଳୀର ସୁରକ୍ଷା ପ୍ରୋଟେକ୍ସ ଟାଇସ ବିଟିବିନ ପିଉପିଲ ତାଙ୍କରି କାର୍ଯ୍ୟଧାରାରେ ପ୍ରତିଫଳିତ ହେବ ।

 

ଜାପାନର ଏକନ୍ତତା ସମସ୍ୟା ବିଶ୍ୱବ୍ୟାପୀ ପ୍ରତିଫଳିତ । ବ୍ୟାପକ ସହରୀକରଣ, ଅଣୁ-ପାରିବାରିକ ବ୍ୟବସ୍ଥା ପ୍ରଚଳନ ଓ ଅର୍ଥନୀତିକ ବୈଷମ୍ୟ ଭଳି କାରଣରୁ ନିଃସଙ୍ଗତା ବୃଦ୍ଧି ପାଇବାରେ ଲାଗିଛି । ଜୀବଦ୍ଦଶା ବୃଦ୍ଧି ଅବସରରେ ବୃଦ୍ଧ ଜନସଂଖ୍ୟା ସାମାଜିକ ସଂପୃକ୍ତି ଅଭାବରୁ ଏକରକମ ଗୋଠଛଡ଼ା ଜୀବନଯାପନ କରିଥାନ୍ତି । ଜାପାନରେ ନିଃସଙ୍ଗ ମନ୍ତ୍ରଣାଳୟ ସ୍ଥାପିତ ହେବା ପୂର୍ବରୁ ବ୍ରିଟେନରେ ୨୦୧୮ରେ ବିଶ୍ୱର ପ୍ରଥମ ରାଷ୍ଟ୍ର ରୂପେ ଏକ ମନ୍ତ୍ରୀଙ୍କୁ ଅବସ୍ଥାପିତ କରି ସାମାଜିକ ବ୍ୟବସ୍ଥାରେ ନିଃସଙ୍ଗତାର ସ୍ଥିତାବସ୍ଥା ପରଖିବା ନିମନ୍ତେ ଏକ ବଡ଼ ଧରଣର ସର୍ବେକ୍ଷଣ ଆରମ୍ଭ କରାଯାଇଥିଲା ।

 

ବିକଶିତ ରାଷ୍ଟ୍ରଗୁଡ଼ିକରେ ଏତାଦୃଶ ଏକ କ୍ରମବର୍ଦ୍ଧମାନ ସମସ୍ୟାର ଗୁରୁତ୍ୱ ଉପଲବ୍ଧି କରି ବିହିତ ପ୍ରତିକାର ନିମନ୍ତେ ପଦକ୍ଷେପ ଗ୍ରହଣ କରୁଥିବା ସ୍ଥଳେ ବିକାଶଶୀଳ ରାଷ୍ଟ୍ରଗୁଡ଼ିକ ଉଦାସୀନତା ପ୍ରକାଶ କରିଥାନ୍ତି । ଅନେକ କ୍ଷେତ୍ରରେ ନିଃସଙ୍ଗତାକୁ ବ୍ୟକ୍ତିଗତ ସମସ୍ୟା ଅଭିହିତ କରି ସାମାଜିକସ୍ତରରେ ସ୍ୱୀକାର ହିଁ କରାଯାଇନଥାଏ । ଫଳରେ ସମସ୍ୟାର ସମାଧାନ ନିମନ୍ତେ କୌଣସି ଯୋଜନା ପ୍ରଣୟନ ହୁଏ ନାହିଁ ଏବଂ ସମସ୍ୟାଟି ଘନୀଭୂତ ହୋଇଚାଲେ । ଏଦିଗରେ ଓଡ଼ିଶା ତଥା ଭାରତରେ ଚର୍ଚ୍ଚା ଆବଶ୍ୟକ ।


 

ହିକିକୋମୋରି ସଂପର୍କରେ ଫ୍ରାନ୍ସର ଜନସେବା ପ୍ରସାରକ ପବ୍ଳିକ ସର୍ଭିସ ବ୍ରଡ଼କାଷ୍ଟର ଫ୍ରାନ୍ସ ୨୪ ପକ୍ଷରୁ ପ୍ରସ୍ତୁତ ଭିଡ଼ିଓ ଦେଖିବା ନିମନ୍ତେ ନିମ୍ନ ଲିଙ୍କରେ କ୍ଳିକ କରନ୍ତୁ :

 

https://www.youtube.com/watch?v=oFgWy2ifX5s

 

ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ମାର୍ଚ୍ଚ ୨୦୨

 

 

ତଥ୍ୟ:


 

Japan appoints ‘loneliness minister’ to tackle suicides. The Times of India (Bhubaneswar Edition). February 24, 2021.

 

Sen, Deeptesh. Why suicides are rising in Japan amid the Covid-19 pandemic. indianexpress.com. February 25, 2021.

 

https://indianexpress.com/article/explained/explained-japan-suicides-rising-pandemic-7202750/

ପୋଷ୍ୟ ପିତା ପ୍ରସ୍ତାବ

ଦୀର୍ଘ କାଳରୁ ପୋଷ୍ୟ ସନ୍ତାନ ପ୍ରଥା ପ୍ରଚଳିତ ଥିଲା, ତେବେ ‘ପୋଷ୍ୟ ପିତା’ ପ୍ରସ୍ତାବ ପରିବର୍ତ୍ତିତ ପାରିବାରିକ ଆଙ୍ଗିକରେ ଏକ ବିସ୍ମୟକର ଉଚ୍ଚାରଣ I ଚୀନରେ ଜଣେ ୮୫ ବର୍ଷ ବୟସ୍କ ବରିଷ୍ଠ ନାଗରିକ ପାରିବାରିକ ସଦସ୍ୟଙ୍କ ଅନୁପସ୍ଥିତିରେ ନିଜକୁ ପୋଷ୍ୟ ପିତା ରୂପେ ସମର୍ପଣ କରିବାଲାଗି ସର୍ବସାଧାରଣରେ ବିଜ୍ଞପିତ କରିଥିଲେ I ଏହି ଘଟଣାଟି ସୋସିଆଲ ମିଡ଼ିଆରେ ପ୍ରଚ଼ାରିତ ହେବା ପରେ ଦେଶବିଦେଶର ଗଣମାଧ୍ୟମରେ ବହୁଳ ଚର୍ଚ୍ଚିତ ହୋଇଥିଲା I

 

ଯୁକ୍ତରାଷ୍ଟ୍ର ଆମେରିକାର ‘ଦି ୱାଶିଂଟନ ପୋଷ୍ଟ’ରେ ପ୍ରକାଶିତ ବିବରଣୀ ଅନୁଯାୟୀ ଚୀନର ଟିଆନଜିନ ସହରରେ ହାନ ଜିଚ଼େଙ୍ଗ ନାମକ ଜଣେ ଅବସରପ୍ରାପ୍ତ କର୍ମଚ଼ାରୀ ବସବାସ କରୁଥିଲେ I ତାଙ୍କରି ତିନିଗୋଟି ପୁତ୍ରଙ୍କ ମଧ୍ୟରୁ ଜଣେ ନିଯୁକ୍ତି ଉଦ୍ଦେଶ୍ୟରେ କାନାଡ଼ା ଚ଼ାଲିଯାଇଥିବାବେଳେ ଭିନ୍ନ ସହରରେ ଅବସ୍ଥାପିତ ଅନ୍ୟ ଦୁଇଜଣ ପ୍ରାୟତଃ ତାଙ୍କ ସହ ସଂପର୍କ ରଖୁନଥିଲେ I ହାନଙ୍କ ପତ୍ନୀଙ୍କ ମୃତ୍ୟୁପରେ ସେ ଏକୁଟିଆ ହୋଇଗଲେ I

 

ହାନ ଏକ ବିଜ୍ଞାନ ଗବେଷଣା କେନ୍ଦ୍ରରେ କର୍ମଜୀବନ ସାରି ଅବସର ଗ୍ରହଣପରେ ମାସିକ ପ୍ରାୟ ୬୫ ହଜାର ଟଙ୍କା ପେନସନ ପାଉଥିଲେ I ସେ ସୁସ୍ଥ ସବଳ ଥିଲେ, ସାଇକଲ ମାରି ବଜାରସଉଦା କରୁଥିଲେ ଓ ରନ୍ଧାବଢ଼ାରେ କୌଣସି ଅସୁବିଧା ନଥିଲା I ତେବେ ବୟସ ବୃଦ୍ଧି ସଙ୍ଗେ ନିଃସଙ୍ଗତା ଅସହ୍ୟ ହୋଇପଡ଼ିଲା I ପାଖପଡ଼ୋଶୀ ନିଜ ନିଜ ପାରିବାରିକ ଜଞ୍ଜାଳରେ ବ୍ୟସ୍ତଥିବା ହେତୁ ଦିନ ଦିନ ଧରି କାହା ସହିତ ସାମାନ୍ୟ କଥୋପକଥନ ମଧ୍ୟ ସଂଭବପର ହୋଇପାରୁ ନଥିଲା I

 

ଡ଼ିସେମ୍ୱର ୨୦୧୭ରେ ଏକ ଅଜବ ଖିଆଲ ହାନଙ୍କ ମୁଣ୍ଡକୁ ଯୁଟିଲା I ତାଙ୍କୁ ପୋଷ୍ୟ ପିତାରୂପେ ଗ୍ରହଣ କରିବା ନିମନ୍ତେ ପ୍ରସ୍ତାବ ବିଜ୍ଞାପନ ଆକାରରେ ହାତରେ ଲେଖି ସହରର ବସଷ୍ଟାଣ୍ଡ, ଦୋକାନବଜାର କାନ୍ଥରେ ଲଟକାଇବାକୁ ଲାଗିଲେ I ହାନଙ୍କ ମନରେ ଭୟ ଆସିଯାଇଥିଲା ଯେ ସେ ଏକୁଟିଆ ରହୁଥିବା ହେତୁ ମରିଗଲେ ତତ୍କାଳ ତାଙ୍କରି ଶବ ସତ୍କାର ହୋଇ ପାରିବ ନାହିଁ I ତେଣୁ ଉତ୍ତର-ବାର୍ଦ୍ଧକ୍ୟରେ କେହି ଜଣେ ଅନ୍ତରଙ୍ଗଙ୍କ ସାନ୍ନିଧ୍ୟରେ ସେ ବଞ୍ଚିବାକୁ ଚ଼ାହୁଁଥିଲେ I

 

ଚୀନରେ ପର୍ଯ୍ୟାପ୍ତ  ନହେଲେ ବି ବାର୍ଦ୍ଧକ୍ୟ ସେବା ପ୍ରଦାନ କରିବା ନିମନ୍ତେ କିଛି ସଂଖ୍ୟକ ନର୍ସିଂହୋମର ସୁବିଧା ରହିଛି Iହାନ ନିଜ ପେନସନ ପଇସା ଉପଯୋଗରେ ନର୍ସିଂହୋମରେ ଭର୍ତ୍ତି ହୋଇପାରିଥାନ୍ତେ I କିନ୍ତୁ ସେ ନର୍ସିଂହୋମ ଯିବାକୁ ଚ଼ାହୁଁ ନଥିଲେ I କେହି ଜଣେ ଦୟାଳୁ ତାଙ୍କୁ ପୋଷ୍ୟ ପିତାରୂପେ ଗ୍ରହଣ କରିନେବ ଏବଂ ବାକୀତକ ଜୀବନ ଦେଖାଶୁଣାକରି ମୃତ୍ୟୁପରେ ଉଚ଼ିତ ଢ଼ଙ୍ଗରେ ଶବ ସତ୍କାର କରିବ ବୋଲି ତାଙ୍କରି ଆଶା ଥିଲା I

 

ହାନଙ୍କ ବିଜ୍ଞାପନ ଜଣେ ମହିଳାଙ୍କ ଦୃଷ୍ଟି ଆକର୍ଷଣ କରିଥିଲା I ଦିନେ ଦୋକାନ କାନ୍ଥରେ ହାନ ବିଜ୍ଞାପନ ଲଟକାଉଥିବାର ଫୋଟୋ ଉତ୍ତୋଳନକରି ମହିଳା ଜଣକ ସୋସିଆଲ ମିଡ଼ିଆରେ ପୋଷ୍ଟ କଲେ I ତତ୍ କ୍ଷଣାତ ସ୍ଥାନୀୟ ୱେବ ଟେଲିଭିଜନ ହାନଙ୍କଠାରୁ ସାକ୍ଷାତକାର ନେଇ ତାଙ୍କରି ଜୀବନ ଓ ଆଶାଆକାଂକ୍ଷା ସଂପର୍କରେ ପ୍ରସାରଣ କଲେ I କ୍ରମଶଃ ଜାତୀୟ ଓ ଆନ୍ତର୍ଜାତିକ ଗଣମାଧ୍ୟମରେ ହାନଙ୍କ ପୋଷ୍ୟ ପିତା ପ୍ରସଙ୍ଗ ଚର୍ଚ୍ଚିତ ହେଲା I

 

ବିସ୍ତୃତ ପ୍ରଚ଼ାର ସତ୍ତ୍ୱେ ହାନଙ୍କ ପୋଷ୍ୟ ପିତା ପ୍ରସ୍ତାବ କାର୍ଯ୍ୟକାରୀ ହୋଇପାରି ନଥିଲା Iଜଣେ ଦେଶାନ୍ତରୀ ଶ୍ରମିକ ହାନଙ୍କୁ ପୋଷ୍ୟ ପିତାରୂପେ ଗ୍ରହଣ କରିବାକୁ ରାଜି ହୋଇଥିଲେ, କିନ୍ତୁ ତାଙ୍କରି ସାମାଜିକ ସ୍ଥିତି ବିଚ଼ାରକୁ ନେଇ ହାନ ମନା କରିଦେଇଥିଲେ I ଜଣେ ଆଇନ ଛାତ୍ରୀ ଜିଆଙ୍ଗ ଜିଙ୍ଗ ଓ ଅନ୍ୟ ଜଣେ ସାମରିକ କର୍ମଚ଼ାରୀ କୂଇଙ୍କ ସହ ଟେଲିଫୋନରେ ବନ୍ଧୁତା ସ୍ଥାପିତ ହେଲା I ସେମାନେ ମାସରେ ଥରେ ଅଧେ ତାଙ୍କ ସହ ଟେଲିଫୋନରେ କଥାବର୍ତ୍ତା ହେଉଥାନ୍ତି I

 

ମାର୍ଚ୍ଚ ୨୦୧୮ରେ ହାନ ଅସୁସ୍ଥ ହୋଇପଡ଼ିଲେ I ସେ ମାର୍ଚ୍ଚ ୧୩ରେ ଜିଆଙ୍ଗକୁ ଫୋନ କଲେ, କିନ୍ତୁ କୌଣସି କାରଣରୁ ଜିଆଙ୍ଗ ଟେଲିଫୋନ ଉଠାଇ ପାରିଲେ ନାହିଁ Iତାପରେ ସେ କୂଇଙ୍କୁ ଫୋନ କଲେ I କୂଇ ଟିଆନଜିନ ସହରରେ ପହଞ୍ଚି ହାନଙ୍କୁ ହସପିଟାଲକୁ ନେଲେ I ମାର୍ଚ୍ଚ ୧୭ରେ ହାନକ ମୃତ୍ୟୁ ଘଟିଲା I ହାନ ଭୟକରୁଥିଲେ ସେ ଏକାକୀ ଘରେ ମରିଯିବା ପରେ କହି ଜାଣିପାରିବେ ନାହିଁ I କିନ୍ତୁ ତାଙ୍କ ବିଜ୍ଞାପନ ଓ ତତ୍ଜନିତ କୂଇଙ୍କ ସହ ବନ୍ଧୁତା କାରଣରୁ ସେଭଳି ପରିସ୍ଥିତିକୁ ଏଡ଼ାଇ ଦିଆଯାଇପାରିଲା I

 

ଏପ୍ରିଲ ପ୍ରଥମ ସପ୍ତାହରେ ହାନଙ୍କ ଟେଲିଫୋନ ନମ୍ୱରରେ ଜିଆଙ୍ଗ ଟେଲିଫୋନ କରିବା ଅବସରରେ ହାନଙ୍କ ପୁତ୍ର କହିଲେ ଯେ ତାଙ୍କ ବାପାଙ୍କ ୧୭ ମାର୍ଚ୍ଚରେ ତିରୋଧାନ ଘଟିଛି I ହାନଙ୍କ ମୃତ୍ୟୁର ଦୁଇ ସପ୍ତାହ ପରେ ତାଙ୍କରି ବସ୍ତିର ନାଗରିକ କମିଟି ଏ ସଂପର୍କରେ ଜାଣିଲେ I କୂଇଙ୍କଠାରୁ ଖବର ପାଇ କାନାଡ଼ାରେ ଅବସ୍ଥାପିତ ହାନଙ୍କ ପୁତ୍ର ଆସି ଅନ୍ତୋଷ୍ଟିକ୍ରିୟା ସମାପନ କଲେ I ହାନଙ୍କ ପଡ଼ୋଶୀମାନେ କହିଲେ ଯେ ସେମାନେ କିଛି ଦିନ ଧରି ହାନଙ୍କ ଅନୁପସ୍ଥିତି ବାରିଥିଲେ, କିନ୍ତୁ କେହି ଏ ସଂପର୍କରେ ଅନୁସନ୍ଧାନ କରିନଥିଲେ I

 

ହାନଙ୍କ ପୋଷ୍ୟ ପିତା ସଂପର୍କରେ ବିଜ୍ଞପ୍ତିକୁ ନେଇ ତାଙ୍କରି ପୁତ୍ର ଅସନ୍ତୋଷ ବ୍ୟକ୍ତ କରିଥିଲେ I ତାଙ୍କରି କହିବା ଅନୁଯାୟୀ ହାନ ଆରାମଦାୟକ ପରିବେଶରେ ବର୍ଦ୍ଧକ୍ୟ ବିତାଇଛନ୍ତି I ଏଭଳି ଘଟଣା ସର୍ବତ୍ର ଘଟୁଛି I ଗଣମାଧ୍ୟମ ତାଙ୍କରି ପିତାଙ୍କ ବିଜ୍ଞାପନ ସଂପର୍କରେ ଚର୍ଚ୍ଚା କରି ଅଯଥା ଗୁରୁତ୍ୱ ଦେଇଥିବାରୁ ସେଥିନେଇ ମଧ୍ୟ ବିଷୋଦଗାର କରିଥିଲେ I କିନ୍ତୁ ହାନଙ୍କ ବିଜ୍ଞାପନ ଓ ଗଣମାଧ୍ୟମରେ ପ୍ରସାରଣ ଯେ କୂଇଙ୍କ ଭଳି ଜଣେ ସ୍ନେହୀ ସ୍ୱେଚ୍ଛାସେବୀଙ୍କୁ ତାଙ୍କରି ମୃତ୍ୟୁଶଯ୍ୟା ନିକଟରେ ଉପସ୍ଥିତ କରାଇପାରିଥିଲା ସେହି କଥା ବୁଝିପାରି ନଥିଲେ I

 

ଚୀନରେ ୨୦୧୭ ଶେଷସୁଦ୍ଧା ପ୍ରାୟ ୨୪ କୋଟି ୬୦ ବର୍ଷରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକ ବସବାସ କରୁଥିଲେ I ସରକାରୀ ହିସାବ ଅନୁଯାୟୀ ୨୦୨୫ ବେଳକୁ ବରିଷ୍ଠ ନାଗରିକ ଜନସଂଖ୍ୟା ୩୦ କୋଟି, ୨୦୩୩ ବେଳକୁ ୪୦ କୋଟି ଓ ୨୦୫୦ ବେଳକୁ ୫୦ କୋଟିରେ ପହଞ୍ଚିବ ବୋଲି ଆକଳନ କରାଯାଉଛି I ବର୍ତ୍ତମାନ ସେମାନଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ୧୭ ପ୍ରତିଶତ ଥିବା ବେଳେ ୨୦୫୦ ବେଳକୁ ୩୫ ପ୍ରତିଶତ ବରିଷ୍ଠ ନାଗରିକ ଅନ୍ତର୍ଭୁକ୍ତ ହେବେ I

 

ଚୀନରେ ବର୍ଦ୍ଧିଷ୍ଣୁ ବରିଷ୍ଠ ନାଗରିକଙ୍କ ଉତ୍ତର-ବାର୍ଦ୍ଧକ୍ୟରେ ନିଃସଙ୍ଗ ଜୀବନର ମୁକାବିଲା କରିବା ନିମନ୍ତେ ସାମାଜିକସ୍ତରରେ ବାର୍ଦ୍ଧକ୍ୟ ସେବାଜନିତ ଭିତ୍ତିଭୂମି ପ୍ରତିଷ୍ଠା ଜରୁରି ହୋଇପଡ଼ିଛି I ଚୀନର ଉଦାହରଣ ପଡ଼ୋଶୀ ଭାରତ ପାଇଁ ମଧ୍ୟ ପ୍ରଯୁଜ୍ୟ I ଆମେ ଦେଶରେ ପାରିବାରିକ ଆଙ୍ଗିକ ଭାଙ୍ଗିପଡୁଥିବାବେଳେ ନିକଟ ଭବିଷ୍ୟତରେ ହାନଙ୍କ ଉଦାହରଣର ଅଭାବ ରହିବ ନାହିଁ I

 

ଆର୍ଥିକ ସ୍ୱଚ୍ଛଳତା ସତ୍ତ୍ୱେ ଉତ୍ତର-ବାର୍ଦ୍ଧକ୍ୟରେ ନିଃସଙ୍ଗତା ଓ ସେଥିରୁ ନିସ୍ତାର ପାଇବା ପାଇଁ ଦ୍ୱିତୀୟ ବିଶ୍ୱଯୁଦ୍ଧୋତ୍ତର ଅବସ୍ଥାରେ ପାଶ୍ଚାତ୍ୟ ଜଗତରେ ବିକଶିତ ଅବସର ବିହାରରେ ପୁର୍ନବାସନ ମଡ଼େଲ ପ୍ରତି ବରିଷ୍ଠ ନାଗରିକମାନେ ବିମୁଖ ହେଉଥିବା ଅବସରରେ ସେମାନଙ୍କ ବାସସ୍ଥାନରେ ଜିଆଙ୍ଗ, କୂଇଙ୍କ ଭଳି ଯୁବ ସ୍ୱେଚ୍ଛାସେବୀଙ୍କ ମହାନୀୟ ଅବଦାନକୁ ସୁଚ଼ାଋରୁପେ ପରିଚ଼ାଳିତ କରିବା ନିମନ୍ତେ ପ୍ରଯୁକ୍ତି କଳାକୌଶଳ ସମୃଦ୍ଧ ଭିତ୍ତିଭୂମି ପ୍ରତିଷ୍ଠାର ଆବଶ୍ୟକତା ଅନୁଭୂତ ହୁଏ I

 

ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଅକ୍ଟୋବର ୨୦୧୮


 

---

 

ତଥ୍ୟ:

 

https://www.washingtonpost.com/world/asia_pacific/he-was-one-of-millions-of-chinese-seniors-growing-old-alone-so-he-put-himself-up-for-adoption/2018/05/01/53749264-3d6a-11e8-912d-16c9e9b37800_story.html?noredirect=on

 

http://www.xinhuanet.com/english/2018-07/20/c_137338328.htm

ସୁଖସାଗର- ଡ଼ଟ- କମ

ଜୀବନବ୍ୟାପୀ ଚ଼ିନ୍ତାରାଜ୍ୟରେ ବାର୍ଦ୍ଧକ୍ୟ ଏକ ଅନାଗତ ଭବିଷ୍ୟତ । ବାର୍ଦ୍ଧକ୍ୟରେ ଉପନୀତହେବା ଅଭିଜ୍ଞତା ଅନେକାଂଶରେ ଅକୁହା, ତେଣୁ ଅନାଲୋଚ଼ିତ । ସାହିତ୍ୟ ପୃଷ୍ଠାରେ ବାର୍ଦ୍ଧକ୍ୟ ଚରିତ୍ରଚ଼ିତ୍ରଣ ସୀମିତ । ଚଳଚ଼ିତ୍ରରେ ପରିମାଣ ଆହୁରି କମ । ତେବେ ବିକଳ୍ପ ଚଳଚ଼ିତ୍ର ଧାରାରେ ସର୍ଟଫିଲ୍ମ ଆନ୍ଦୋଳନର ଅଭ୍ୟୁଦୟ ପରେ କାହାଣୀ ଚ଼ୟନରେ ସ୍ୱାଧୀନତା ଓ ବିବିଧତା କେତେକାଂଶରେ ବାର୍ଦ୍ଧକ୍ୟ ଭଳି ଅଣ-ଆଲୋଚ଼ିତ ଜୀବନଯାତ୍ରା ସଂପର୍କରେ ଆଲୋକପାତ ନିମନ୍ତେ ପରିବେଶ ସୃଷ୍ଟି କରିଥିବା ବିଚ଼ାର କରାଯାଏ ।

 

ଏକବିଂଶ ଶତାଦ୍ଦୀର ଦ୍ୱିତୀୟ ଦଶକ ଶେଷ ବେଳକୁ ଭାରତଭଳି ବିକାଶଶୀଳ ରାଷ୍ଟ୍ରରେ ଜନସାଧାରଣଙ୍କ ଗଣମାଧ୍ୟମ ସଂପୃକ୍ତି ଅନଲାଇନମୁଖୀ ହୋଇଚ଼ାଲିଥିବା ପରିସଂଖ୍ୟାନ ସୂଚ଼ିତ କରେ । ଦେଶର ମୋଟ ୧୩୦ କୋଟି ଜନସଂଖ୍ୟାରୁ ୨୦୧୯ ପ୍ରାରମ୍ଭ ସୁଦ୍ଧା ୫୦ କୋଟି ଇଣ୍ଟରନେଟ ସଂଯୁକ୍ତ ଏବଂ ୪୦ କୋଟି ସ୍ମାର୍ଟଫୋନ ଉପଭୋକ୍ତା । ଏଠାରେ ଇଣ୍ଟରନେଟ ବ୍ୟବହାରରେ ଭିଡ଼ିଓ ଉପଭୋଗ ମୁଖ୍ୟସ୍ଥାନ ଅଧିକାର କରିଥାଏ । ଅର୍ଥାତ ବିଭିନ୍ନ ଆଙ୍ଗିକରେ ଚଳଚ଼ିତ୍ର କ୍ରମଶଃ ସାମାଜିକ ବିଚ଼ାର ବିମର୍ଷରେ ମୁଖ୍ୟ ଯୋଗାଯୋଗ ପ୍ରବାହ ରୂପେ ମୁଣ୍ଡ ଟେକୁଥିବା ଲକ୍ଷ୍ୟ କରାଯାଇପାରେ ।

 

ଡ଼ିଜିଟାଲ କାରିଗରୀ କୌଶଳ ବିକାଶ ଚଳଚ଼ିତ୍ର ନିର୍ମାଣରେ ପାରମ୍ପରିକ ମୂଲ୍ୟବୋଧକୁ ବଦଳାଇ ଦେଇଛି । ଊନବିଂଶ ଶତାଦ୍ଦୀର ଶେଷ ଭାଗରେ ଚଳଚ଼ିତ୍ର ଉଦ୍ଭାବନପରଠୁ ଏକବିଂଶ ଶତାଦ୍ଦୀ ପ୍ରଥମ ଦଶକ ଶେଷରେ ଭିଡ଼ିଓ କ୍ୟାମେରାଯୁକ୍ତ ସ୍ମାର୍ଟଫୋନ ଉଦ୍ଭାବନ ମଧ୍ୟବର୍ତ୍ତୀ ପ୍ରାୟ ଶହେ ବର୍ଷ ବିଶ୍ୱବ୍ୟାପୀ ଚଳଚ଼ିତ୍ର ନିର୍ମାଣ ଏକ ବ୍ୟୟବହୁଳ ଶିଳ୍ପ ରୂପେ ବିକଶିତ ହୋଇଥିଲା । ତେବେ ପରିବର୍ତ୍ତିତ ପରିବେଶରେ ଚ଼ିତ୍ର-ଉତ୍ତୋଳନ, ସମ୍ପାଦନା ଓ ପ୍ରଦର୍ଶନ ଶସ୍ତା, ସରଳ ଓ ସର୍ବସାଧାରଣ ବ୍ୟବହାରଯୋଗ୍ୟ ହେବାପରେ ସର୍ଟଫିଲ୍ମ ପ୍ରଯୋଜନା ମୂଳସ୍ରୋତର ବ୍ୟାବସାୟିକ ଚଳଚ଼ିତ୍ରର ବିକଳ୍ପ ରୂପେ ଗଢ଼ି ଉଠିଲା । ବିକଶିତ ରାଷ୍ଟ୍ରଗୁଡ଼ିକ ସହ ତାଳ ଦେଇ ଭାରତରେ ମଧ୍ୟ ସର୍ଟଫିଲ୍ମ ପ୍ରଯୋଜନା ଗୁରୁତ୍ୱ ହାସଲ କରିଛି ।

 

ବର୍ତ୍ତମାନ ସୁଦ୍ଧା ସର୍ଟଫିଲ୍ମ ମୁଖ୍ୟତଃ କଳାଅନୁରାଗୀଙ୍କ ସଉକ କିମ୍ୱା ଚଳଚ଼ିତ୍ର ଶିକ୍ଷାନବୀଶମାନଙ୍କ ପରୀକ୍ଷାମୂଳକ ଉଦ୍ୟମରୂପେ ପର୍ଯ୍ୟବସିତ । ସର୍ଟଫିଲ୍ମ ପ୍ରଯୋଜନା ଓ ପ୍ରଦର୍ଶନ ନିମନ୍ତେ ବ୍ୟାବସାୟିକ ଆଙ୍ଗିକ ବା ବିଜିନେସ ମଡ଼େଲ ବିକଶିତ ହୋଇ ପାରିନାହିଁ । ୟୁ-ଟ୍ୟୁବ ଭଳି ସୋସିଆଲ ମିଡ଼ିଆ, କେତେକ ଷ୍ଟ୍ରୀମିଂ ମଞ୍ଚ ଓ ଟେଲିଭିଜନ ଚ଼୍ୟାନେଲରେ ସର୍ଟଫିଲ୍ମ ପ୍ରଦର୍ଶିତ ହେଉଥିଲେ ହେଁ ଏହାର ଗୁଣାତ୍ମକ ଦିଗଟି ସର୍ଟଫିଲ୍ମ ଫେଷ୍ଟିଭାଲଗୁଡ଼ିକରେ ପ୍ରସ୍ପୁଟିତ ହୋଇଥାଏ । କୋଲକତାଠାରେ ୧୮ ମାର୍ଚ୍ଚରୁ ୩୧ ମାର୍ଚ୍ଚ ୨୦୧୯ ମଧ୍ୟରେ ୧୪ ଦିନ ବ୍ୟାପୀ ଅନୁଷ୍ଠିତ ‘ସାଉଥ ଏସିଆନ ସର୍ଟଫିଲ୍ମ ଫେଷ୍ଟିଭାଲ’ର ଦ୍ୱିତୀୟ ସଂସ୍କରଣରେ ପାଞ୍ଚଗୋଟି ରାଷ୍ଟ୍ରରେ ନିର୍ମିତ ୨୭୨ ଗୋଟି ସର୍ଟଫିଲ୍ମ ପ୍ରଦର୍ଶିତ ହୋଇଥିଲା । ଏଥି ମଧ୍ୟରେ ବାର୍ଦ୍ଧକ୍ୟ ବିଷୟବସ୍ତୁ ଆଧାରିତ କେତେଗୋଟି ଫିକ୍ସନାଲ ଓ ଡ଼କ୍ୟୁମେଣ୍ଟରି ଚଳଚ଼ିତ୍ର ଅନ୍ତର୍ଭୁକ୍ତ । ଜଗନ୍ନାଥ ଚଟ୍ଟୋପାଧ୍ୟାୟଙ୍କ ୨୪ ମିନଟରଫିକ୍ସନାଲ ସର୍ଟଫିଲ୍ମ ‘ସୁଖସାଗର-ଡ଼ଟ-କମ’ପଡନ୍ତି ବୟସରେ ସ୍ୱଚ୍ଛଳବର୍ଗର ଏକ ବଙ୍ଗ ବିଧବାଙ୍କ କାହାଣୀ ।

 

‘ସୁଖସାଗର-ଡ଼ଟ-କମ’ ଚଳଚ଼ିତ୍ରଟି ଲାବଣ୍ୟବତୀଙ୍କ ଚ଼ରିତ୍ରରେ କେନ୍ଦ୍ରୀଭୂତ । ତାଙ୍କରି ବୟସ ୬୦ ରୁ ଉର୍ଦ୍ଧ୍ୱ । ଖାନଦାନୀ ପରିବାର । ପତି ପରଲୋକରେ । ଚଳଚ଼ିତ୍ରଟି ଆରମ୍ଭ ହୁଏ ପ୍ରଭାତରେ ଲାବଲ୍ୟବତୀଙ୍କ ଶଯ୍ୟାତ୍ୟାଗରୁ । ସୁନ୍ଦରୀ ବୋହୁ ଶୋଇବା ଘର ଝରକା ଖୋଲି ଶାଶୁଙ୍କୁ ଉଠାନ୍ତି । ଲାବଣ୍ୟବତୀ ସାମାନ୍ୟ ଅସୁସ୍ଥ ଅନୁଭବ କରୁଥିବା କହିବାପରେ ବୋହୁ ସଙ୍ଗେ ସଙ୍ଗେ ପତିଙ୍କୁ ଖବର ଦିଅନ୍ତି । ପୁଅ ମାଆଙ୍କ ଚ଼ରଣ ସ୍ୱର୍ଶ କରି ଆଶୀର୍ବାଦ ନେଇ ଡ଼ାକ୍ତରଙ୍କୁ ଟେଲିଫୋନ କରନ୍ତି । ନାତୁଣୀ ଗୋସାଇଁମାଁଙ୍କଠାରେ ରାତିରେ ନୂଆ କାହାଣୀ ଶୁଣିବା କାର୍ଯ୍ୟକ୍ରମ ପ୍ରସ୍ତୁତକରି ସ୍କୁଲ ଯାଏ । ଡ଼ାକ୍ତରବାବୁ କ୍ଳିନିକ ଯିବା ରାସ୍ତାରେ ଲାବଣ୍ୟବତୀଙ୍କ ବ୍ଳଡ଼ପ୍ରେସରମାପି କିଛି ହୋଇନଥିବା କହି ଔଷଧ ପ୍ରିସ୍କ୍ରିପସନଲେଖି ଦିଅନ୍ତି । ବୋହୁ ଦୋକାନରୁ ଔଷଧ ମଗାଇବା ବ୍ୟବସ୍ଥା କରନ୍ତି । ଶାଶୁଙ୍କୁ ଆରାମ କରିବାକୁ ତାଗିଦ କରନ୍ତି । ଲାବଣ୍ୟବତୀଙ୍କ ଅସୁସ୍ଥ ଖବର ଶୁଣି ସେହି ସହରରେ ଅବସ୍ଥାପିତ ଝିଅ ମାଆଙ୍କୁ ଦେଖିବାକୁ ମଧ୍ୟାହ୍ନରେ ଆସିଯାଏ । ମାଆଝିଅ ଗପ କରନ୍ତି ।

 

ଲାବଣ୍ୟବତୀଙ୍କ ଦେଖାଶୁଣା କରିବା ନିମନ୍ତେ ଜଣେ ଯୁବା-ବିଧବା ଶାରଦା ନିଯୁକ୍ତ ହୋଇଥାଏ । ସେ ଦିନରାତି ତାଙ୍କରି ପାଖେ ଛାଇ ପରି ଲାଗି ରହିଥାଏ । ସନ୍ଧ୍ୟାରେ ଲାବଣ୍ୟବତୀ ସାମାନ୍ୟ ସିଲାଇ କରିବାବେଳେ ଛୁଞ୍ଚିଫୋଡ଼ିହୋଇ ଆଙ୍ଗୁଠିରୁ ରକ୍ତ ଟୋପାଏ ବାହାରି ଆସେ । ବୋହୁ ସଙ୍ଗେ ସଙ୍ଗେଔଷଧବକ୍ସ ଆଣି ମଲମ ଲଗାନ୍ତି । ସନ୍ଧ୍ୟା ସମୟରେ ଆଉ ସିଲାଇରେ ମନ ନଦେବାକୁ ଶପଥ କରାଇନିଅନ୍ତି । ଢ଼େର ରାତି ଯାଏଁ ନାତୁଣୀ ଗପ ଶୁଣି ଶୋଇବାକୁ ଯାଏ । ଲାବଣ୍ୟବତୀ ପଲଙ୍କରେ ଶୋଇବାପାଇଁ ଯିବାବେଳେ ଶାରଦା ତଳେ ବିଛଣା ବିଛାଇବା ଆରମ୍ଭ କରେ ।

 

ଏହି କ୍ଷଣରେ ଚଳଚ଼ିତ୍ରଟିରମୋଡ଼ ବଦଳିଯାଏ । ଲାବଣ୍ୟବତୀ ପଲଙ୍କରେ ବସି ଭୋ ଭୋ କାନ୍ଦନ୍ତି । ଏଯାଏଁଚଳଚ଼ିତ୍ରରେ ପ୍ରଦର୍ଶିତ ସମସ୍ତ ଦୃଶ୍ୟ ପ୍ରହେଳିକା । ଏଭଳି ଏକ ଜୀବନ ଲାବଣ୍ୟବତୀ ଆଶା କରିଥିଲେ । କିନ୍ତୁ ତାହା ସଫଳ ହୋଇପାରି ନାହିଁ । ପୁଅ-ବୋହୁ-ନାତୁଣୀ ଏକା ସହରରେ ବସବାସ କରୁଛନ୍ତି ସତ, କିନ୍ତୁ ନିଜ ପୈତୃକ ଘରେ ମାଆଙ୍କ ପାଖେ ନୁହେଁ, ଅନ୍ୟତ୍ର । କାଁଭାଁ ତାଙ୍କୁ ଦେଖିବାକୁ ଆସନ୍ତି । ଲାବଣ୍ୟବତୀ ଶାରଦାର ସହାୟତାରେ ନିତିଦିନିଆ ଜୀବନ ବିତାନ୍ତି । ମନ ହେଲେ ଲ୍ୟାପଟପଖୋଲି ଭର୍ଚୁଆଲ ଦୁନିଆରେ ସମୟ କଟାନ୍ତି । ଲାବଣ୍ୟବତୀ ଅସହାୟ ଓ ଦୁଃଖୀ ।

 

ପାରମ୍ପରିକଭାବେ ବଙ୍ଗଳା କ୍ଷୁଦ୍ରଗଳ୍ପ ଶକ୍ତିଶାଳୀ । ସ୍ୱାଧୀନୋତ୍ତର ଅବସ୍ଥାରେ ମୁଦ୍ରଣ ଗଣମାଧ୍ୟମର ଲୋକପ୍ରିୟତା ଅବସରରେ ବଙ୍ଗଳା ସାପ୍ତାହିକ ପତ୍ରିକାଗୁଡ଼ିକରେ ଅତ୍ୟନ୍ତ ଉଚ୍ଚକୋଟିର କ୍ଷୁଦ୍ରଗଳ୍ପ ପ୍ରକାଶିତ ହେଉଥିଲା । ଅନୁରୂପଭାବେ ବଙ୍ଗଳା ଚଳଚ଼ିତ୍ରମଧ୍ୟ ସର୍ବଭାରତୀୟସ୍ତରରେଆଲୋଡ଼ନ ସୃଷ୍ଟି କରୁଥିଲା । ବର୍ତ୍ତମାନ ସର୍ଟଫିଲ୍ମ ଆନ୍ଦୋଳନ ପ୍ରସାର କାଳରେ ବଙ୍ଗଳା ଭାଷାରେ ପୁଣି ସୃଜନ କ୍ଷେତ୍ରରେ ଏକ ପୁନର୍ଜାଗରଣରସନ୍ଧାନ ମିଳେ । ‘ସାଉଥ ଏସିଆନ ସର୍ଟଫିଲ୍ମ ଫେଷ୍ଟିଭାଲ ୨୦୧୯’ରେ ପ୍ରଦର୍ଶିତ ଚଳଚ଼ିତ୍ରଗୁଡ଼ିକ ମଧ୍ୟରେ ଅଧିକାଂଶ କୃତୀ ପଶ୍ଚିମବଙ୍ଗରେ ପ୍ରଯୋଜିତ । ସର୍ଟ ଫିଲ୍ମ ଆଙ୍ଗିକରେ ବାର୍ଦ୍ଧକ୍ୟର ଚ଼ିତ୍ରଣ ଦର୍ଶକ ମହଲରେ ବେଶ ଆଦୃତ ହେଉଥିବା ଲକ୍ଷ୍ୟ କରାଯାଇପାରେ ।

 

ସାମାଜିକ ସମସ୍ୟାବଳୀସଂପର୍କରେ ସାହିତ୍ୟ ଓ ଚଳଚ଼ିତ୍ର ମଞ୍ଚରେ ବିଚ଼ାରବିମର୍ଷ ଜନସାଧାରଣଙ୍କୁ ଜୀବନର ନିଗୂଢ଼ତମ ବାସ୍ତବତା ସହପରିଚ଼ିତ କରାଇଥାଏ । ଚ଼େତନା ପ୍ରସାର ସମସ୍ୟାର ମୁକାବିଲା କରିବା ନିମନ୍ତେ ସାହାସ ଯୋଗାଏ । ବିଶ୍ୱବ୍ୟାପୀ ମନୁଷ୍ୟର ଜୀବଦ୍ଦଶା ବଢ଼ିଚ଼ାଲିଥିବା ଏବଂ ରାଷ୍ଟ୍ର ବିଶେଷରେ ସମାଜର ଏକ ତୃତୀୟାଂଶଯାଏଁ ଜନସଂଖ୍ୟା ବାର୍ଦ୍ଧକ୍ୟ ଜୀବନଯାପନ କରିବାକୁ ଯାଉଥିବା ସଂଭାବନା ହେତୁ ବାର୍ଦ୍ଧକ୍ୟ ଜୀବନଚ଼ର୍ଯ୍ୟା ନିମନ୍ତେ ବ୍ୟକ୍ତିଗତ, ପାରିବାରିକ ଓ ଗୋଷ୍ଠୀଗତ ଜୀବନରେ ଦୀର୍ଘକାଳୀନ ଯୋଜନା ପ୍ରସ୍ତୁତି ଆବଶ୍ୟକ । ଏହି ପରିପ୍ରେକ୍ଷୀରେ ସର୍ବସାଧାରଣରେ ବାର୍ଦ୍ଧକ୍ୟ ଜୀବନ ସଂପର୍କରେ ବିଚ଼ାରଆଲୋଚ଼ନା ଅତ୍ୟନ୍ତ ଜରୁରୀ ।

 

ପରିବର୍ତ୍ତିତ ଗଣମାଧ୍ୟମ ପରିବେଶରେ ଭିଡ଼ିଓ ପ୍ରଦର୍ଶନ ପ୍ରବାବଶାଳୀ ଭୂମିକା ନିର୍ବାହ କରୁଥିବା ହେତୁ ବାର୍ଦ୍ଧକ୍ୟ ବିଷୟବସ୍ତୁ ଆଧାରିତ ସର୍ଟଫିଲ୍ମ ନିର୍ମାଣ ସମାଜରେ ଚ଼େତନତା ପ୍ରସାରଲାଗି ବେଶ ଉପଯୋଗୀ । ଏତାଦୃଶ ଉଦ୍ୟମକୁ ପ୍ରୋତ୍ସାହିତ କରିବା ନିମନ୍ତେ ବଦାନ୍ୟ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନମାନବିଧିବଦ୍ଧଭାବେ ପଦକ୍ଷେପ ନେବା ଉଚ଼ିତ । ଉଦାହରଣରେ ପ୍ରତିଭାଧରମାନଙ୍କୁ ଯଦି ବାର୍ଦ୍ଧକ୍ୟ ଜୀବନ ଆଧାରିତ ସର୍ଟଫିଲ୍ମ ପ୍ରଯୋଜନା କରିବା ନିମନ୍ତେ ପଚ଼ାଶ ହଜାରରୁ ଲକ୍ଷେ ଟଙ୍କା ଯାଏଁ ଆର୍ଥିକ ଅନୁଦାନ ଯୋଗାଇ ଦିଆଯାଏ ତେବେ ବହୁ ଚଳଚ଼ିତ୍ର ନିର୍ମିତ ହୋଇପାରିବ ଏବଂ ତାହା ସାଧାରଣରେ ପ୍ରଦର୍ଶିତ ହେଲେ ଲୋକେ ବାର୍ଦ୍ଧକ୍ୟ ଜୀବନଯାତ୍ରା ସଂପର୍କରେ ଅବଗତ ହୋଇପାରିବେ । ଭାରତର ବିଭିନ୍ନ ପ୍ରାନ୍ତରେ ଭିନ୍ନ ଭିନ୍ନ ସଂସ୍କୃତି ସମ୍ପନ୍ନ ସାମାଜିକ ଆଙ୍ଗୀକରେ ବାର୍ଦ୍ଧକ୍ୟର ବିଭିନ୍ନ ରୂପର ପର୍ଯ୍ୟାୟଲୋଚ଼ନାଗୁରୁତ୍ୱ ବହନ କରିଥାଏ ।



ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଏପ୍ରିଲ ୨୦୧୯

 

---