ମହାମାରୀରେ ବାର୍ଦ୍ଧକ୍ୟ

କରୋନା ଭୂତାଣୁ କବଳରେ ବାର୍ଦ୍ଧକ୍ୟ

କରୋନା ଭୂତାଣୁ ସଂକ୍ରମଣର ପ୍ରାଥମିକ ପରିସଂଖ୍ୟାନରେ ବରିଷ୍ଠ ନାଗରିକମାନେ ଅନ୍ୟ ବୟସବର୍ଗ ତୁଳନାରେ ଅଧିକ ରୋଗାକ୍ରାନ୍ତ ହେଉଥିବା ତଥା ମୃତ୍ୟୁ ମୁଖରେ ପଡୁଥିବା ହିସାବ କରାଯାଇଥିଲା । ଚୀନ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ପକ୍ଷରୁ ପ୍ରକାଶିତ ତଥ୍ୟରେ ୧୧ ଫେବୃୟାରୀ ୨୦୨୦ ସୁଦ୍ଧା ସମଗ୍ର ଦେଶରେ ଚିକିତ୍ସିତ ମୋଟ ୭୨,୩୧୪ ସଂକ୍ରମିତଙ୍କ ମଧ୍ୟରେ ୮୭ ପ୍ରତିଶତ ୩୦ ରୁ ୭୯ ବର୍ଷ ବୟସ ସୀମାର ବ୍ୟକ୍ତି ଅନ୍ତର୍ଭୁକ୍ତ । ଅନ୍ୟମାନଙ୍କ ମଧ୍ୟରେ ୨୦ ରୁ ୩୦ ବର୍ଷ ବୟସ ସୀମାରେ ୮.୧ ପ୍ରତିଶତ ଓ ୯ ବର୍ଷରୁ କମ ବୟସ ସୀମାରେ ୦.୯ ପ୍ରତିଶତ କରୋନା ଭୂତାଣୁ ସଂକ୍ରମିତ କୋଭିଡ଼-୧୯ରେ ପୀଡ଼ିତ ହୋଇଥିଲେ ।

 

କରୋନା ଭୂତାଣୁ ସଂକ୍ରମଣରେ ଚୀନରେ ପ୍ରାଥମିକସ୍ତରରେ ମୃତ୍ୟୁହାର ୨.୩ ପ୍ରତିଶତ ଗଣନା କରାଯାଇଥିବା ସ୍ଥଳେ ୮୦ ବର୍ଷରୁ ଉର୍ଦ୍ଧ୍ୱ ଉତ୍ତର-ବାର୍ଦ୍ଧକ୍ୟରେ ଉପନୀତଙ୍କ ମଧ୍ୟରେ ମୃତ୍ୟୁହାର ୧୪.୮ ପ୍ରତିଶତରେ ପହଞ୍ଚିଥିଲା । ଅପରପକ୍ଷେ ୫୦ ବର୍ଷୋତ୍ତରଙ୍କ କ୍ଷେତ୍ରରେ ମୃତ୍ୟୁହାର ୧.୩ ପ୍ରତିଶତ, ୪୦ ବର୍ଷୋତ୍ତରଙ୍କ କ୍ଷେତ୍ରରେ ୦.୪ ପ୍ରତିଶତ ଏବଂ ୧୦ ରୁ ୩୯ ବର୍ଷ ବୟସସୀମାରେ ୦.୨ ପ୍ରତିଶତରେ ସୀମିତ ରହିଥିଲା ।

 

ଚୀନରେ କୋଭିଡ଼-୧୯ ରୋଗାକ୍ରାନ୍ତଙ୍କ ପ୍ରାଥମିକ ପରିସଂଖ୍ୟାନକୁ ନେଇ ବିଶ୍ୱବ୍ୟାପୀ କରୋନା ଭୂତାଣୁ ବାର୍ଦ୍ଧକ୍ୟରେ ଘାତକ ସାଜିଥିବା ଆଲୋଚ଼ନା ଅବସରରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କରୋନା ଭୂତାଣୁ ସବୁ ବୟସବର୍ଗର ବ୍ୟକ୍ତି ବିଶେଷଙ୍କୁ ସଂକ୍ରମିତ କରିପାରେ ଏବଂ ଏଭଳି ସଂକ୍ରମଣ କେବଳ ବରିଷ୍ଠ ନାଗରିକଙ୍କ ମଧ୍ୟରେ ଆବଦ୍ଧ ନୁହେଁ ବୋଲି ଦର୍ଶାଇ ସ୍ପଷ୍ଟୀକରଣ ଦିଆଯାଇଥିଲା ।

 

ବିଶେଷଜ୍ଞମାନଙ୍କ ମତରେ ଶ୍ୱାସ ରୋଗ, ହୃଦ ରୋଗ, ଉଚ୍ଚ ରକ୍ତଚାପ ଓ ବହୁମୂତ୍ର ଭଳି ରୋଗାକ୍ରାନ୍ତଙ୍କୁ କରୋନା ଭୂତାଣୁ ସଂକ୍ରମଣ ହେଲେ ସ୍ୱାସ୍ଥ୍ୟାବସ୍ଥା ଜଟିଳ ହୋଇପଡ଼େ । ଏହି କାରଣରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଥାଏ । ବରିଷ୍ଠ ନାଗରିକଙ୍କ ସମେତ ସମସ୍ତ ବୟସବର୍ଗର କରୋନା ଭୂତାଣୁ ଆକ୍ରାନ୍ତଙ୍କ କ୍ଷେତ୍ରରେ ଏହି ନିର୍ଯ୍ୟାସ ପ୍ରଯୁଜ୍ୟ । ତେବେ କମ ବୟସ୍କଙ୍କ ତୁଳନାରେ ବରିଷ୍ଠ ନାଗରିକମାନଙ୍କ ଦୀର୍ଘ ଜୀବନ ହେତୁ ସେମାନେ ଅପେକ୍ଷାକୃତଭାବେ ଅଧିକ ମାତ୍ରାରେ ଅନ୍ୟାନ୍ୟ ରୋଗ କବଳିତ ହେବା ସ୍ୱାଭାବିକ ଏବଂ କରୋନା ଭୂତାଣୁ ଆକ୍ରାନ୍ତ ହେବା ପରେ ଜଟିଳ ସ୍ୱାସ୍ଥ୍ୟାବସ୍ଥାର ସମ୍ମୁଖୀନ ହେବା ସମ୍ଭାବନା ବଢ଼ିଥାଏ ।

 

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପରିସଂଖ୍ୟାନ ଅନୁଯାୟୀ କରୋନା ଭୂତାଣୁ ସଂକ୍ରମଣରେ ଚୀନରେ ପ୍ରାଥମିକ ଅବସ୍ଥାରେ କେବଳ ୨.୪ ଶିଶୁ ଆକ୍ରାନ୍ତ ହୋଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ମାତ୍ର ୦.୨ ପ୍ରତିଶତଙ୍କ ସ୍ୱାସ୍ଥ୍ୟାବସ୍ଥା ଜଟିଳ ହୋଇପଡ଼ିଥିଲା । ଅତୀତରେ ୨୦୦୨ ଏସଏଆରଏସ ସଂକ୍ରମଣରେ ୭୭୪ ଜଣ ପ୍ରାଣ ହରାଇଥିବା ସ୍ଥଳେ ସେମାନଙ୍କ ମଧ୍ୟରେ କେହି ଶିଶୁ ନଥିଲେ । ସେହିପରି ୨୦୧୨ରେ ଏମଇଆରଏସ ସଂକ୍ରମଣରେ ମଧ୍ୟ ୮୫୮ ଜଣ ମୃତ୍ୟୁବରଣ କରିଥିଲେ ଏବଂ ସେମାନଙ୍କ ମଧ୍ୟରେ କେହି ଶିଶୁ ନଥିଲେ ।

 

କରୋନା ଭୂତାଣୁକୁ ସାଧାରଣ ଋତୁକେନ୍ଦ୍ରୀକ ଇନଫ୍ଲ୍ୟୁଏଞ୍ଜା ପର୍ଯ୍ୟାୟଭୁକ୍ତ କରାଯାଇଥାଏ । ରୋଗ ପ୍ରତିଷେଧକ ଶକ୍ତି ଅଭାବରୁ ଇନଫ୍ଲ୍ୟୁଏଞ୍ଜାରେ ଶିଶୁ ଓ ବରିଷ୍ଠ ନାଗରିକମାନେ ଆକ୍ରାନ୍ତ ହୋଇଥାନ୍ତି । କିନ୍ତୁ କରୋନା ଭୂତାଣୁ ଶିଶୁମାନଙ୍କୁ ସଂକ୍ରମଣ କରୁନଥିବା ହେତୁ ଏହାର କାରଣ ଖୋଜି ବାହାର କରିବା ନିମନ୍ତେ ବୈଜ୍ଞାନିକମାନେ ଗବେଷଣା ଚଳାଇଛନ୍ତି । ଗବେଷକମାନଙ୍କ ମତରେ ଶିଶୁଙ୍କ ଶରୀରରେ ଭୂତାଣୁ ସଂକ୍ରମଣ ପ୍ରତିରୋଧକ ଶକ୍ତି ଚ଼ିହ୍ନଟ ହୋଇପାରିଲେ ତାହା ହୁଏତ କୋଭିଡ଼-୧୯ ପୀଡ଼ିତଙ୍କ ଚ଼ିକିତ୍ସା ତଥା ନିୟନ୍ତ୍ରଣରେ ସହାୟକ ହୋଇପାରିବ । ଅବଶ୍ୟ ୧୯୧୮-୧୯ରେ ସଂଗଠିତ ସ୍ପାନିଶ-ଫ୍ଳୁ ମୁଖ୍ୟତଃ କମ ବୟସ୍କମାନଙ୍କୁ ସଂକ୍ରମିତ ହୋଇଥିବା ଜଣାଯାଏ ।

 

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଚୀନ ମିସନ ପକ୍ଷରୁ ସହକାରୀ ମହାନିର୍ଦ୍ଦେଶକଙ୍କ ନେତୃତ୍ୱରେ ଗଠିତ ଏକ ବିଶେଷଜ୍ଞ ଦଳ ଚୀନରେ ପ୍ରାଥମିକ ଅବସ୍ଥାରେ ସଂକ୍ରମିତ ୫୬ ହଜାର ରୋଗୀଙ୍କ ଇତିହାସ ତର୍ଜମା କରିଥିଲେ । ସେମାନଙ୍କ ରିପୋର୍ଟ ଅନୁଯାୟୀ କରୋନା ଭୂତାଣୁ ସଂକ୍ରମିତ ୧୦ ରୁ ୧୫ ପ୍ରତିଶତଙ୍କଠାରେ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଦେଖା ଦେଇଥିଲା ଏବଂ ସେମାନଙ୍କ ମଧ୍ୟରୁ ୧୫ ରୁ ୨୦ ପ୍ରତିଶତଙ୍କ ସ୍ୱାସ୍ଥ୍ୟାବସ୍ଥା ଜଟିଳ ହୋଇପଡ଼ିଥିଲା । ପୀଡ଼ିତ ସାତ ଜଣଙ୍କ ମଧ୍ୟରେ ଜଣେ ଶ୍ଵାସ ପ୍ରଶ୍ଵାସ ନେବାରେ କଷ୍ଟ ଅନୁଭବ କରିଥିଲେ ଏବଂ ମୋଟାମୋଟି ଭାବେ ଆକ୍ରାନ୍ତଙ୍କ ମଧ୍ୟରେ ଛଅ ପ୍ରତିଶତଙ୍କଠାରେ ରୋଗର ପ୍ରକୋପ ବୃଦ୍ଧିପ୍ରାପ୍ତ ହୋଇଥିଲା ।

 

ଯୁକ୍ତରାଷ୍ଟ୍ର ଆମେରିକାର ମେରିଲ୍ୟାଣ୍ଡ ସ୍ଥିତ ନ୍ୟାସନାଲ ଇନଷ୍ଟିଟିଉଟ ଅଫ ଏଲାର୍ଜି ଏଣ୍ଡ ଇନଫେକ୍ସିଏସ ଡିଜିଜରେ ଆୟୋଜିତ ପରୀକ୍ଷାରୁ ଜଣାଯାଇଛି ଯେ ଭୂତାଣୁ ସଂକ୍ରମଣର ପ୍ରଥମ ଅବସ୍ଥା ନାକରେ ଅନୁଭୂତ ହୁଏ । ଭୂତାଣୁ ଶରୀର ମଧ୍ୟରେ ପ୍ରବେଶ କରିବାପରେ ଶ୍ୱାସନଳୀର ସୁରକ୍ଷାରେ ନିୟୋଜିତ ଏପିଥେରିଆଲ କୋଷଗୁଡ଼ିକୁ ଆକ୍ରମଣ କରେ । ଏହି ସଂକ୍ରମଣ ଶ୍ୱାସନଳୀ ଉପରିଭାଗରେ ସୀମିତ ରହିଲେ ସାଧାରଣରୁ ମଧ୍ୟମ ଧରଣର ଲକ୍ଷଣ ଅନୁଭୂତ ହୁଏ । କିନ୍ତୁ ସଂକ୍ରମଣ ଫୁସଫୁସର ଶାଖାପ୍ରଶାଖା ତଥା କୋଷଗୁଡ଼ିକୁ ବ୍ୟାପ୍ତ ହେଲେ ରୋଗର ପ୍ରକୋପ ବଢ଼ିଥାଏ ।

 

ବୈଜ୍ଞାନିକମାନଙ୍କ ମତରେ ଭୂତାଣୁ ଶ୍ୱାସନଳୀରେ ପହଞ୍ଚିବା ମାତ୍ରେ ମନୁଷ୍ୟ ଶରୀରରେ ଉପସ୍ଥିତ ଶ୍ୱେତ ରକ୍ତ କଣିକାଗୁଡ଼ିକ ଭୂତାଣୁଙ୍କ ମୁକାବିଲା କରିବା ନିମନ୍ତେ ଲାଗି ପଡ଼ନ୍ତି । ସ୍ଥଳବିଶେଷରେ ଏକ ପକ୍ଷରେ ଭୂତାଣୁ ଦ୍ୱାରା କ୍ଷୟକ୍ଷତି ସହ ଅପରପକ୍ଷରେ ଶ୍ୱେତ ରକ୍ତ କଣିକାଙ୍କ ସଂଘର୍ଷରେ ସୁସ୍ଥ କୋଷଗୁଡ଼ିକରେ ମଧ୍ୟ କ୍ଷୟକ୍ଷତି ଘଟିଥାଏ । କରୋନା ଭୂତାଣୁ ସଂକ୍ରମଣ ଫଳରେ କୋଭିଡ଼-୧୯ର ପ୍ରକୋପ ସାଧାରଣରୁ ମଧ୍ୟମ ତଥା ଗୁରୁତର ଅବସ୍ଥାରେ ଖୁବ କମ ସମୟ ମଧ୍ୟରେ ପହଞ୍ଚିଥାଏ । ଏହି କାରଣରୁ ସମ୍ୱଳ ଅଭାବରେ ରୋଗୀଙ୍କ ଚିକିତ୍ସା କଷ୍ଟସାଧ୍ୟ ହୋଇପଡ଼େ । ଏତଦବ୍ୟତୀତ କେତେକ ପୀଡ଼ିତଙ୍କ କ୍ଷେତ୍ରରେ କୃତ୍ରିମ ଶ୍ୱାସକ୍ରିୟା ନିମନ୍ତେ ଭେଣ୍ଟିଲେଟର ଭଳି ଯନ୍ତ୍ରପାତି ଆବଶ୍ୟକ ହେଉଥିବା ହେତୁ ବିଷମ ପରିସ୍ଥିତି ସୃଷ୍ଟି ହୋଇଥାଏ ।

 

ଗୁରୁତର ଭାବେ କୋଭିଡ଼-୧୯ରେ ପୀଡ଼ିତଙ୍କ ଚିକିତ୍ସା ହସପିଟାଲରେ ହିଁ ସଂଭବପର । ରୋଗୀର ଆବଶ୍ୟକତାମତେ ତୁରନ୍ତ ଚିକିତ୍ସା, ସାଜସରଞ୍ଜାମ ତଥା ପୀଡିତଙ୍କଠାରୁ ଅନ୍ୟମାନଙ୍କୁ ସଂକ୍ରମଣ ରୋକିବା ଦିଗରେ ଅଭିଜ୍ଞ ଡ଼ାକ୍ତରଙ୍କ ତତ୍ତ୍ୱାବଧାନରେ ଚ଼ିକିତ୍ସା ଫଳପ୍ରଦ ହୋଇଥାଏ । ବରିଷ୍ଠ ନାଗରିକମାନଙ୍କ କ୍ଷେତ୍ରରେ ଅଧିକାଂଶ ଅନ୍ୟାନ୍ୟ ରୋଗାକ୍ରାନ୍ତ ଥିବା ହେତୁ ସେମାନଙ୍କ ପାଇଁ ବହୁମୁଖୀ ଚ଼ିକିତ୍ସା ଆବଶ୍ୟକ ପଡ଼ିବା ସ୍ୱାଭାବିକ ।

 

କରୋନା ଭୂତାଣୁ ସଂକ୍ରମଣ ମୁଖ୍ୟତଃ ଆକ୍ରାନ୍ତ ବ୍ୟକ୍ତିର କାଶ, ଛିଙ୍କ ଇତ୍ୟାଦି କଣିକା ଦ୍ୱାରା ବ୍ୟାପିଥାଏ । ତେବେ ସମସ୍ତ କାଶ, ଛିଙ୍କ କରୋନା ଭୂତାଣୁ ସଂକ୍ରମିତ ନହୋଇଥିବା ହେତୁ ସାମାଜିକସ୍ତରରେ ଚ଼ିହ୍ନଟ ସମ୍ଭବପର ହୋଇପାରି ନଥାଏ । ଯୁକ୍ତରାଷ୍ଟ୍ର ଆମେରିକାର ହେମିଲଟନସ୍ଥିତ ନ୍ୟାସନାଲ ଇନଷ୍ଟିଟିଉଟ ଅଫ ହେଲଥ ଭାଇରୋଲଜି ଲେବରେଟରୀରେ ଆୟୋଜିତ ଗବେଷଣାରୁ ଜଣାଯାଇଛି ଯେ କରୋନା ଭୂତାଣୁଗୁଡ଼ିକ ଷ୍ଟିଲ ଓ ପ୍ଳାଷ୍ଟିକରେ ତିନି ଦିନ ଯାଏଁ ଏବଂ ଘରକରଣାରେ ବ୍ୟବହୃତ କାର୍ଡ଼ବୋର୍ଡ ବକ୍ସ ଭଳି ଆସବାବପତ୍ରରେ ଦିନକ ଯାଏଁ ଜୀବିତ ରହିଥାନ୍ତି । ବାୟୁମଣ୍ଡଳରେ ଭୂତାଣୁଗୁଡ଼ିକ ପ୍ରାୟ ତିନି ଘଣ୍ଟା ସକ୍ରିୟ ରହନ୍ତି ।

 

ସର୍ବସାଧାରଣରେ ବ୍ୟବହୃତ ଯାନବାହାନ, ଦୋକାନ ବଜାର ତଥା କାର୍ଯ୍ୟାଳୟଗୁଡ଼ିକରେ ଷ୍ଟିଲ ଓ ପ୍ଳାଷ୍ଟିକ ବହୁଳ ବ୍ୟବହୃତ ହେଉଥିବା ହେତୁ ସଂକ୍ରମଣ ରୋକିବା ନିମନ୍ତେ ଚୀନରେ ଅନୁସୃତ ମଡ଼େଲରେ ଜନସାଧାରଣଙ୍କ ସ୍ୱାଭାବିକ ଜୀବନଯାତ୍ରା ବନ୍ଦ ଡ଼ାକରା ଦିଆ ଯାଇଥିଲା । ବରିଷ୍ଠ ନାଗରିକଙ୍କ ପକ୍ଷେ ପ୍ରତିଷେଧକାତ୍ମକ ପନ୍ଥା ଅବଲମ୍ୱନ ହିଁ ସର୍ବୋତ୍ତମ ଥିବା ହେତୁ ବିନା ବିଚାରରେ କରୋନା ଭୂତାଣୁ କବଳରୁ ବର୍ତ୍ତିବା ନିମନ୍ତେ ଯଥାସାଧ୍ୟ ବାସସ୍ଥଳୀରେ ଆତ୍ମନିର୍ବାସନ ହୋମ ଆଇସୋଲେସନ ପ୍ରକୃଷ୍ଟ ବିଚାର କରାଯାଇପାରେ ।


 

ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ମାର୍ଚ୍ଚ ୨୦୨୦

 

---

  

ତଥ୍ୟ:



Begley, Sharon. Who is getting sick, and how sick ? A breakdown of Coronavirus risk by demographic factors. March 3, 2020 www.statnews.com

 

Wan, William and Joel Achenbach . Coronavirus is mysteriously sparing kids and killing he elderly : Understanding why may help defat the virus. March 10, 2020. www.washingtonpost.com

 

Maltews, Dylan : 9 Charts that explain the Coronavirus pandemic. March 12, 2020 www.vox.com

 

Ragalado, Antonio. Here’s how long the Coronavirus can live in the air and on packages. March 11, 2020 www.technologyrieview.com

 

There is a ‘tipping point’ before Coronavirus kills. Business Standard  (Bhubaneswar Edition) March 9, 2020

ମହାମାରୀ ପ୍ରଭାବିତ ବାର୍ଦ୍ଧକ୍ୟ

କୋଭିଡ଼-୧୯ ସଂକ୍ରମଣ ବିଶ୍ୱବ୍ୟାପୀ ବୃଦ୍ଧଜନଙ୍କ ନିମନ୍ତେ ଅନ୍ୟାନ୍ୟ ବୟସବର୍ଗ ତୁଳନାରେ ବିପଦଜନକ ପ୍ରମାଣିତ ହୋଇଥିଲା । ପ୍ରଥମତଃ, ମହାମାରୀରେ ଭୂତାଣୁ ଆକ୍ରାନ୍ତ ୬୦ ବର୍ଷରୁ ଉର୍ଦ୍ଧ୍ୱଙ୍କ କ୍ଷେତ୍ରରେ ରୋଗଜନିତ ମୃତ୍ୟୁହାର ତିନି ଚ଼ତୁର୍ଥାଂଶ ହିସାବ କରାଯାଇଥିଲା । ଦ୍ୱିତୀୟତଃ, ବୟସାଧିକ କାରଣ ହେତୁ ଶରୀରରେ ରୋଗପ୍ରତିଷେଧକ ଶକ୍ତି ହ୍ରାସ ଏବଂ ଉଚ୍ଚରକ୍ତଚାପ, ହୃଦରୋଗ, ମଧୁମେହ, ଯକୃତ ସମସ୍ୟା ଓ କର୍କଟ ଇତ୍ୟାଦି ରୋଗାକ୍ରାନ୍ତଙ୍କ କ୍ଷେତ୍ରରେ ସଂକ୍ରମଣରୁ ଉପଶମ ଜଟିଳ ସାବ୍ୟସ୍ତ ହୋଇଥିଲା । ତୃତୀୟତଃ, ଦୀର୍ଘକାଳ ଧରି ଜନପଦ ବନ୍ଦ ଡ଼ାକରା ହେତୁ ଶଯ୍ୟାଶାୟୀ ଓ ଦୈନନ୍ଦିନ ଜୀବନରେ ସହାୟତାଆଶ୍ରିତ ବରିଷ୍ଠ ନାଗରିକମାନଙ୍କ ଯତ୍ନ ନେବାଲାଗି ଲୋକବଳ ତଥା ମୁକ୍ତ ସାର୍ବଜନୀନ ଚ଼ିକିତ୍ସା ଅଭାବ କାରଣରୁ ସେମାନେ ନିର୍ଯ୍ୟାତିତ ହେବା ଉଦାହରଣର ଅଭାବ ନାହିଁ । ସର୍ବୋପରି ଅନିଶ୍ଚିତତାର ବାତାବରଣ ବରିଷ୍ଠ ନାଗରିକଙ୍କୁ ମାନସିକସ୍ତରରେ ଭରାକ୍ରାନ୍ତ କରିପକାଇଥିଲା ।

 

ଅତୀତ ଅନୁଭୂତି ଆଧାରରେ ନୂତନ କରୋନା ଭୂତାଣୁ ସଂକ୍ରମଣର ଦୀର୍ଘ ଅବଧି ଆକଳନ କରାଯାଇଥିଲା । ବିଗତ ଶତାଦ୍ଦୀ ୧୯୧୮ରେ ପ୍ରଥମ ବିଶ୍ୱଯୁଦ୍ଧ ଶେଷପାଦରେ ସ୍ପାନିଶ ଫ୍ଳୁ ସଂକ୍ରମଣରେ ଦୁଇବର୍ଷ ଧରି ତିନିଗୋଟି ତରଙ୍ଗରେ ପ୍ରାୟ ୫୦ କୋଟି ଜନସାଧାରଣ ଆକ୍ରାନ୍ତ ହୋଇ ପାଞ୍ଚ କୋଟି ଯାଏଁ ମୃତ୍ୟୁମୁଖରେ ପଡ଼ିଥିବା ଜଣାଯାଏ । ଚଳିତ ଶତାଦ୍ଦୀର ପ୍ରଥମ ଦୁଇ ଦଶକରେ ସାର୍ସ, ସ୍ୱାଇନ ଫ୍ଳୁ, ମାର୍ସ, ଇବୋଲା ଇତ୍ୟାଦି ଭୂତାଣୁ ସଂକ୍ରମଣ ବାରମ୍ୱାର ଦେଖା ଦେଇଛି । ବିଶ୍ୱବ୍ୟାପୀ ମେ ୨୦୨୦ ପ୍ରଥମ ସପ୍ତାହ ସୁଦ୍ଧା ନୂତନ କରୋନା ଭୂତାଣୁ ସାଥିରେ ଦୈନନ୍ଦିନ ଜୀବନଚର୍ଯ୍ୟା ଆରମ୍ଭ କରିବା ନିମନ୍ତେ ଆହ୍ୱାନ ଦିଆଯାଇଥିବାସ୍ଥଳେ ଆପାତତଃ ବରିଷ୍ଠ ନାଗରିକମାନେ ପରିବର୍ତ୍ତିତ ପରିବେଶସହ ନିଜକୁ ସାମିଲ କରିବାକୁ ପରାମର୍ଶ ଗୁରୁତ୍ୱପୂର୍ଣ୍ଣ । ତେବେ ସେମାନଙ୍କ ବୟସବର୍ଗରେ ଭୂତାଣୁ ସଂକ୍ରଣର ଭୟାବହତା ଦୃଷ୍ଟିରୁ ମାତ୍ରାଧିକ ସାବଧାନତା ଆବଶ୍ୟକ ଦର୍ଶାଯାଇଥିଲା ।

 

ମୁମ୍ୱାଇ ଯଶଲୋକ ହସପିଟାଲର ଜଣେ ପ୍ରମୁଖ ଚ଼ିକିତ୍ସକ ରାଜେଶ ପାରେଖ ଅନ୍ୟ ଦୁଇଜଣ ସହଯୋଗୀ ଚ଼ିକିତ୍ସକଙ୍କ ସହ ଦି କରେନା ଭାଇରସ : ହ୍ୱାଟ ୟୁ ନିଡ଼ ଟୁ ନୋ ଏବାଉଟ ଦି ଗ୍ଳୋବାଲ ପାଣ୍ଡାମିକ ଶୀର୍ଷକ ଏକ ପୁସ୍ତକ ରଚନା କରିଥିଲେ । ଏହା ଏପ୍ରିଲ ୨୦୨୦ରେ ପ୍ରକାଶିତ ହୋଇଥିଲା । ପାରେଖଙ୍କ ଅନୁଶୀଳନରେ ବିଶ୍ୱମହାମାରୀ ପରବର୍ତ୍ତୀ ପରିବେଶରେ ମାନବ ସମାଜରେ ପାରସ୍ପରିକ ସଂପର୍କ ତଥା ଇତର ଜୀବଜନ୍ତୁ ଓ ପ୍ରାକୃତିକସ୍ତରରେ ସହାବସ୍ଥାନ ଗଭୀର ପ୍ରଭାବିତ ହେବା ଆଶା କରାଯାଇପାରେ ।

 

ମାବନ ସଭ୍ୟତା ସାମାଜିକ ବ୍ୟବସ୍ଥାକୁ ନେଇ ଗଢ଼ି ଉଠିଛି । ପରସ୍ପର ମଧ୍ୟରେ ସଂପର୍କ ସ୍ଥାପନ ଧାରାକୁ ମାନବ ସଭ୍ୟତାର ଜନ୍ମକାଳରୁ ଉତ୍ସାହିତ କରାଯାଇ ଆସିଛି । ବ୍ୟକ୍ତିଗତସ୍ତରରୁ ରାଷ୍ଟ୍ରୀୟ ଓ ଅନ୍ତଃରାଷ୍ଟ୍ରୀୟ ପରିବେଶରେ ପାରସ୍ପରିକ ସଂପର୍କ, ସହଯୋଗ ଓ ସଂଗଠନ ସଭ୍ୟତାର ମାପକାଠି ରୂପେ ବିବେଚିତ ହୋଇଆସିଛି । ଭୂତାଣୁ ସଂକ୍ରମଣ ଭୟରେ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଶାରୀରିକ ଦୂରତ୍ୱ ବଜାୟ ରଖିବା, ବହୁ ସଂଖ୍ୟାରେ ଏକତ୍ରୀତ ନହେବା ଏବଂ ଭ୍ରମଣକୁ ନିରୁତ୍ସାହିତ କରିବା ଭଳି ମହାମାରୀ ପରଅବସ୍ଥାରେ ନୀତି ନିର୍ଦ୍ଧାରଣ ପାରମ୍ପରିକ ବ୍ୟବସ୍ଥାର ବିରୁଦ୍ଧାଚରଣ କରିଥାଏ ।

 

କୋଭିଡ଼-୧୯ ବିଶ୍ୱମହାମାରୀ ସଂକ୍ରମଣର ନୂତନ କରୋନା ଭୂତାଣୁ ଏବଂ ବିଗତ ଦୁଇ ଦଶନ୍ଧି ଧରି ତଦ୍ଅନୁରୂପ ସଂକ୍ରାମକ ଭୂତାଣୁଗୁଡ଼ିକ ପଶୁପକ୍ଷୀଙ୍କ ସୂତ୍ରରୁ ମନୁଷ୍ୟ ଶରୀରରେ ପ୍ରବେଶ କରୁଥିବା ଅଭିଜ୍ଞତା ଅନ୍ୟ ଜୀବଜନ୍ତୁଙ୍କ ସହ ମନୁଷ୍ୟର ସଂପର୍କରେ ନୂତନ ସମୀକରଣ ଆଣିବା ନିଶ୍ଚିତ । ଜଙ୍ଗଲର ପରିସୀମା ହ୍ରାସ, ଜଙ୍ଗଲର ଜୀବଜନ୍ତୁ ମନୁଷ୍ୟର ଖାଦ୍ୟ ସାମଗ୍ରୀ ତାଲିକାରେ ବହୁଳଭାବେ ଅନ୍ତର୍ଭୁକ୍ତ ହେବା ଏବଂ ବ୍ୟାବସାୟିକସ୍ତରରେ ପଶୁପାଳନ ଫଳରେ ସଂକ୍ରମଣ ବ୍ୟାପୁଥିବା ହେତୁ ଏଦିଗରେ ସରକାରୀସ୍ତରରେ କଠୋର ଆଇନାବଳୀ ପ୍ରଣୟନ ଓ ଅନୁପାଳନ ଆଶା କରାଯାଇପାରେ ।

 

ସେହିପରି ଜଗତୀକରଣ ପରଅବସ୍ଥାରୁ ଆନ୍ତର୍ଜାତିକସ୍ତରରେ ପରିବେଶ ପରିପନ୍ଥୀ ବିକାଶଧାରା, ବିଶେଷତଃ ଜୈବ-ଇନ୍ଧନ ବ୍ୟବହାରରେ ଅଙ୍ଗାରକାମ୍ଳ ପଦଚ଼ିହ୍ନ ସୃଷ୍ଟି ପ୍ରାକୃତିକ ଋତୁଚକ୍ରକୁ ପ୍ରଭାବିତ କରିବା ତଥା ବିଶ୍ୱ ତାପମାତ୍ରା ବୃଦ୍ଧିକୁ ଆୟତ୍ତ ନିମନ୍ତେ ଜନମତ ସୃଷ୍ଟି ସଂଭବପର ହୋଇପାରିଛି । ତେବେ ପ୍ରକୃତ କାର୍ଯ୍ୟକ୍ଷେତ୍ରରେ ଅର୍ଥନୀତିକ ତଥା ରାଜନୀତିକ କାରଣରୁ ପ୍ରଭାବ ବିସ୍ତାର କରିପାରି ନାହିଁ । ମହାମାରୀ ହେତୁ ବିଶ୍ୱବ୍ୟାପୀ ଜନଜୀବନ ଓ ଅର୍ଥନୀତି ବିପଦଗ୍ରସ୍ତ ହୋଇଥିବା ହେତୁ ପରିବେଶ ସୁରକ୍ଷା ଦିଗରେ ନୀତିନିର୍ଦ୍ଧାରଣ ନିମନ୍ତେ ଗୁରୁତ୍ୱ ବୃଦ୍ଧି ପାଇବା ଆଶା ସୁସ୍ପଷ୍ଟ । ମହାମାରୀ ସଂକ୍ରମଣକୁ କେନ୍ଦ୍ରକରି ଯାନବାହନ ଯୋଗେ ଯାତ୍ରାରେ କିଛିକାଳ ଅଙ୍କୁଶ ଲାଗିବା ତଥା ବୈଷୟିକ ପଦ୍ଧତି ଉପଯୋଗରେ ବିନା ଶାରୀରିକ ଉପସ୍ଥିତିରେ ଶିକ୍ଷା, ସ୍ୱାସ୍ଥ୍ୟ, ବାଣିଜ୍ୟ, ପ୍ରଶାସନିକ କାର୍ଯ୍ୟ ସଂପାଦନ ଅନୁଭୂତି ପରବର୍ତ୍ତୀ ପରିବେଶକୁ ପ୍ରଭାବିତ କରିବା ସଂଭବ ।

 

ଡ଼ାକ୍ତର ପାରେଖ ଟୀପ୍ପଣି ଦେଇଛନ୍ତି ଯେ କୋଭିଡ଼-୧୯ ମହାମାରୀ ସଂକ୍ରମଣ ରୋକିବାରେ ଆନ୍ତର୍ଜାତିକସ୍ତରରେ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଇଛି ସତ, ତେବେ ଏଭଳି ବିପତ୍ତିର ସମ୍ମୁଖୀନ ହେବା ନିମନ୍ତେ ବହୁରାଷ୍ଟ୍ରରେ ପୂର୍ବପ୍ରସ୍ତୁତିର ଅଭାବ ଅନୁଭୂତ ହୋଇଥିଲା ।

 

ବିଭିନ୍ନ ରାଷ୍ଟ୍ର ସ୍ଥାନୀୟସ୍ତରରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଅଭିଜ୍ଞତା ହାସଲ କରିଥାନ୍ତି । ତେବେ ଜନସ୍ୱାସ୍ଥ୍ୟ ସମସ୍ୟା ଓ ବିଶ୍ୱବ୍ୟାପୀ ଏହାର ପ୍ରଭାବ ସଂପର୍କରେ ଅନୁଭୂତି ଅଭାବ ହେତୁ ମହାମାରୀରେ ସଂକ୍ରମଣ ପ୍ରତିରୋଧ ନିମନ୍ତେ ନୀତିନିୟମ ପ୍ରଣୟନରେ ତୃଟି ରହିବା ସ୍ୱାଭାବିକ । କୋଭିଡ଼-୧୯ର ଉନ୍ମେଷ ଚୀନରୁ ଘଟିଥିବା ହେତୁ ସେଠାର କମ୍ୟୁନିଷ୍ଟ ରାଷ୍ଟ୍ର ଆଦର୍ଶରେ ତାହାର ନିୟନ୍ତ୍ରଣ ନିମନ୍ତେ ଉଦ୍ୟମ କରାଯାଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ଗଣତାନ୍ତ୍ରିକ ରାଷ୍ଟ୍ରଗୁଡ଼ିକରେ ଚୀନରେ ପ୍ରବର୍ତ୍ତିତ ଧାରା ଉପଯୋଗ କରିବା ଉଦ୍ୟମ ଫଳରେ ଗଣତାନ୍ତ୍ରିକ ଆଙ୍ଗିକ ଆଘାତପ୍ରାପ୍ତ ହୋଇଥିବା ଅଭିଯୋଗ ଉଠିଥିଲା ଏବଂ ସେଭଳି ତୃଟି ସୁଧାରିବାକୁ ଯିବାବେଳେ ବିପର୍ଯ୍ୟୟ ପରିଚାଳନାରେ ବ୍ୟାଘାତ ପହଞ୍ଚିଥିବା ଉଦାହରଣ ଦେଖିବାକୁ ମିଳିଥିଲା । ଏତାଦୃଶ ପରିବେଶରେ ସର୍ବସାଧାରଣଙ୍କ ସହ ବରିଷ୍ଠନାଗରିକମାନେ ମଧ୍ୟ ପ୍ରଭାବିତ ହୋଇଥିଲେ ।

 

ଚେନ୍ନାଇସ୍ଥିତ ରାଜୀବ ଗାନ୍ଧୀ ସରକାରୀ ଜେନେରାଲ ହସପିଟାଲର ବାର୍ଦ୍ଧକ୍ୟ ଭେଷଜ ବିଜ୍ଞାନ ବିଭାଗର ମୁଖ୍ୟ ଡ଼ାକ୍ତର ଶାନ୍ତିଙ୍କ ବିଚାରରେ ମହାମାରୀପର ଜନଜୀବନରେ ବରିଷ୍ଠ ନାଗରିକମାନେ ବେଶ କିଛିକାଳ ଧରି ନିଜକୁ ସଂକ୍ରମଣରୁ ସୁରକ୍ଷିତ ରଖିବା ନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ । ବ୍ୟକ୍ତିଗତସ୍ତରରେ ବାସଗୃହରେ ଆବଦ୍ଧ ରହିବା, ମାସ୍କ ପିନ୍ଧିବା, ବାରମ୍ୱାର ସାବୁନରେ ହାତ ଧୋଇବା ଅଭ୍ୟାସ ଜାରି ରଖିବା ଆବଶ୍ୟକ ।

 

ମୁଖ୍ୟତଃ ସେମାନେ ଯୁବବର୍ଗଙ୍କ ଠାରୁ ଦୂରେଇ ରହିବା ତଥା ସଂସ୍ପର୍ଶରେ ଆସିବା ସମୟରେ ଶାରୀରିକ ଦୂରତ୍ୱ ବଜାୟ ରଖିବା ଗୁରୁତ୍ୱପୂର୍ଣ୍ଣ । ମହାମାରୀ-ପର ପର୍ଯ୍ୟାୟରେ ଯୁବକଯୁବତୀମାନେ ସାମାଜିକସ୍ତରରେ ସ୍ୱଚ୍ଛନ୍ଦରେ ବିଚରଣ କରିବା ଅବସରରେ ସଂକ୍ରମଣର ବିଭିନ୍ନ ପ୍ରବାହରେ ଭୂତାଣୁ ଆକ୍ରାନ୍ତ ହେବା ଭୟ ଲାଗିରହିଥାଏ । ତେବେ ଅନେକ କ୍ଷେତ୍ରରେ ରୋଗର ଲକ୍ଷଣ ପ୍ରକାଶ ପାଇନଥାଏ । ଅର୍ଥାତ ଭୂତାଣୁ ଆକ୍ରାନ୍ତ ହେଲେହେଁ ନିଜ ଶରୀରର ରୋଗ ପ୍ରତିରୋଧକ ଶକ୍ତି ପ୍ରୟୋଗରେ ରୋଗାକ୍ରାନ୍ତ ହୋଇନଥାନ୍ତି । କିନ୍ତୁ ଭୂତାଣୁ ଆକ୍ରାନ୍ତ ହୋଇଥିବା ହେତୁ ସେମାନଙ୍କ ସଂସ୍ପର୍ଶ ଆସୁଥିବା ବ୍ୟକ୍ତିବିଶେଷ ସଂକ୍ରମିତ ହେବା ସମ୍ଭବପର ।

 

ଡ଼ାକ୍ତର ଶାନ୍ତି କହନ୍ତି ଯେ ନୂତନ କରୋନା ଭୂତାଣୁ ସଂକ୍ରମଣରେ ସମାଜର ୨୦ ରୁ ୫୦ ବର୍ଷ ମଧ୍ୟରେ ଏକ ବୃହତ ବର୍ଗଠାରେ ଅଧିକରୁ ଅଧିକ ସଂଖ୍ୟାରେ ସଂକ୍ରମଣ ସତ୍ତ୍ୱେ ରୋଗର ଲକ୍ଷଣ ପ୍ରକାଶ ନପାଇବା ହିସାବ ସାମୂହିକ ପ୍ରତିଷେଧକ ହେର୍ଡ ଇମ୍ୟୁନିଟି ସୃଷ୍ଟି ହେଉଥିବା ସୂଚନା ଦିଏ । ଭୂତାଣୁ ବିପକ୍ଷରେ ସାମୂହିକ ପ୍ରତିଷେଧକ ଶକ୍ତି ବୃଦ୍ଧି ପାଇଲେ କ୍ରମଶଃ ରୋଗ ସଂକ୍ରମଣ ଭୟ ଦୂର ହୋଇଥାଏ । ତେବେ ବରିଷ୍ଠ ନାଗରିକମାନଙ୍କ ଶରୀରରେ ବୟସାଧିକ କାରଣରୁ ରୋଗ ପ୍ରତିରୋଧଶକ୍ତି ସ୍ୱାଭାବିକଭାବେ କମି ଆସୁଥିବା ହେତୁ ଏହି ସମୟସୀମାରେ ସତର୍କତା ଅବଲମ୍ୱନ କରିବାକୁ ପଡ଼ିବ ।

 

ମହାମାରୀ-ପର ଦୈନନ୍ଦିନ ଜୀବନଯାତ୍ରାରେ ବରିଷ୍ଠ ନାଗରିକମାନେ ବଜାର ସଉଦା କରିବା, ପ୍ରାତଃ କିମ୍ୱା ସାନ୍ଧ୍ୟଭ୍ରମଣରେ ବାହାରିଲେ ଅନ୍ୟମାନଙ୍କ ସଂସ୍ପର୍ଶରେ ଆସିବା ସମ୍ଭାବନା ଥିବା ହେତୁ କିଛିକାଳ ସେଥିରୁ ଓହରିଯିବା ବାଞ୍ଛନୀୟ । ସେମାନେ ଶାରୀରିକ ତଥା ପ୍ରତିଷେଧକ ଶକ୍ତି ବୃଦ୍ଧି ନିମନ୍ତେ ଉତ୍ତମ ଖାଦ୍ୟପେୟ, ବ୍ୟାୟାମ ଓ ଆବଶ୍ୟକ ସ୍ଥଳେ ଚିକିତ୍ସକଙ୍କ ପରାମର୍ଶକ୍ରମେ ଔଷଧ ଗ୍ରହଣ କରିବା ଉଚିତ । ଯେଉଁମାନେ ପୁରାତନ ରୋଗ ଉପଶମ ନିମନ୍ତେ ଔଷଧ ସେବନ କରୁଛନ୍ତି ତାହାର ନିୟମିତତା ପ୍ରତି ଧ୍ୟାନ ଦେବା ଆବଶ୍ୟକ ।

 

ଶାରୀରିକ ଭିନ୍ନ ମାନସିକସ୍ତରରେ ମଧ୍ୟ ବରିଷ୍ଠ ନାଗରିକମାନେ ମହାମାରୀ-ପର ପର୍ଯ୍ୟାୟରେ ଭରାକ୍ରାନ୍ତ ହେବା ସ୍ୱାଭାବିକ । ଦୀର୍ଘକାଳ ଧରି ସମାଜର ମୂଳସ୍ରୋତରୁ ଦୂରେଇ ରହିବା ତଥା ଏକାକୀତ୍ୱ କାରଣରୁ ଅବସାଦ ଓ ଭୂତାଣୁ ସଂକ୍ରମଣର ଭୟାବହତା ସଂପର୍କରେ ଅବଗତ ହୋଇ ମୃତ୍ୟୁଭୟ ଅନେକଙ୍କ କ୍ଷେତ୍ରରେ ଆଶା କରାଯାଏ । ଏହି ପରିପ୍ରେକ୍ଷୀରେ ପ୍ରବୋଧନା କାଉନସିଲିଂକୁ ମୁଖ୍ୟ ଉପାୟରୂପେ ଚିକିତ୍ସକମାନେ ଚ଼ିହ୍ନଟ କରିଥାନ୍ତି । ପରିବର୍ତ୍ତିତ ପରିବେଶରେ ବୟସ୍କଙ୍କ ଯତ୍ନରେ ପରିବାରବର୍ଗଙ୍କ ଭୂମିକା ଗୌଣ ହୋଇଆସୁଥିବା ସ୍ଥଳେ ବିକଶିତ ରାଷ୍ଟ୍ରଗୁଡ଼ିକ ଭଳି ସାମାଜିକସ୍ତରରେ ବୃତ୍ତିଗତ ପ୍ରବୋଧନାର ଭିତ୍ତିଭୂମି ଆମ ଦେଶରେ ଗଢ଼ି ନଉଠିଥିବା ହେତୁ ଉଭୟ ସରକାରୀ ଓ ବେସରକାରୀସ୍ତରରେ ଯୋଜନାବଦ୍ଧ ଉଦ୍ୟମ ଆବଶ୍ୟକତା ଅନୁଭୂତ ହୁଏ ।

 

ମହାମାରୀ ପ୍ରଭାବିତ ବାର୍ଦ୍ଧକ୍ୟ ପାରମ୍ପରିକ ଜୀବନଚର୍ଯ୍ୟାରୁ ଦୂରେଇ ଯାଉଥିବା ହେତୁ ପରିବର୍ତ୍ତିତ ପରିବେଶ ସହ ଖାପଖୁଆଇବା ବରିଷ୍ଠ ନାଗରିକମାନଙ୍କ ପକ୍ଷେ କଷ୍ଟସାଧ୍ୟ ବୋଧ ହୋଇପାରେ । ତେବେ ଚ଼େତନା ପ୍ରସାର ତଥା ଅନୁକରଣୀୟ ଜୀବନଶୈଳୀ ତାଲିମ ବ୍ୟବସ୍ଥା ପରିବର୍ତ୍ତନର ଧାରାକୁ ସରଳ କରିପାରିବ । ଏହି କ୍ଷେତ୍ରରେ ସଚ଼େତନ ବରିଷ୍ଠ ନାଗରିକଙ୍କ ସହଭାଗୀତା ଗୁରୁତ୍ୱପୂର୍ଣ୍ଣ ।


 

ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ମେ' ୨୦୨୦

 

---

ତଥ୍ୟ:

 

‘We have dodged a huge cannonball’ 60 Minutes with Rajesh Parikh. The Hindu Magazine (Cuttack Edition). May 10, 2020

 

 

Post COVID-19 lockdown, protecting the elderly is crucial, say experts. The Hindu (Cuttack Edition). May 6, 2020

  

 

www.thehindu.com/news/national/tamil-nadu/post-covid-19-lockdown-protecting-the-elderly-is-crucial-say-experts/article 31516590.ece

ବିସ୍ମୃତ ମହାମାରୀ ୧୯୧୮- ୨୦

କୋଭିଡ଼-୧୯ ମହାମାରୀ ଅବସରରେ ସର୍ବସାଧାରଣରେ ଯେଉଁ ବିଷୟଟି ବହୁଳ ଚର୍ଚ୍ଚିତ ହେବା କଥା, ଆଶ୍ଚର୍ଯ୍ୟଜନକଭାବେ ତାହା ସମ୍ଭବ ହୋଇପାରି ନାହିଁ । ଉପସ୍ଥିତ ବିପତ୍ତି ସମୟରେ ଅତୀତ ବିପତ୍ତିର ଅନୁଭୂତି ଗୁରୁତ୍ୱବହନ କରିଥାଏ । ମନୁଷ୍ୟ ଶରୀରରେ ଶ୍ୱାସ ସଂକ୍ରମଣକୋଭିଡ଼-୧୯ ମହାମାରୀ ଆକାର ଧାରଣ କରିବା ୧୦୨ ବର୍ଷ ପୂର୍ବେ ସ୍ପାନିଶ-ଫ୍ଳୁ ଅନୁରୂପ ପରିବେଶ ସୃଷ୍ଟି କରିଥିଲା । ଅବଶ୍ୟ ତତ୍ ପରବର୍ତ୍ତୀ ସମୟ ସୀମା ମଧ୍ୟରେ ଏସିଆନ ଇନଫ୍ଳୁଏନଜା (୧୯୫୭), ହଂକଂ ଇନଫ୍ଳୁଏନଜା (୧୯୬୮), ଋଷ ଇନଫ୍ଳୁଏନଜା (୧୯୭୭), ଏଭିଏନ ଇନଫ୍ଳୁଏନଜା (୧୯୯୭, ୨୦୦୩ ଓ ୨୦୧୮), ସାର୍ସ (୨୦୦୨) ଏବଂ ଏଚ-୧-ଏନ-୧ ଇନଫ୍ଳୁଏନଜା ୨୦୦୯-୧୦ ଇତ୍ୟାଦି ମୁଖ୍ୟତଃ ଚୀନ, ଋଷ ଓ ମେସ୍କିକୋ ଭଳି ଅଞ୍ଚଳରେ ଦେଖା ଦେଇଥିଲା । ତେବେ ଆନ୍ତର୍ଜାତିକସ୍ତରରେ ପ୍ରଥମ ବିଶ୍ୱଯୁଦ୍ଧ ପରବର୍ତ୍ତୀ ୧୯୧୮ ରୁ ୧୯୨୦ ଦୁଇ ବର୍ଷ ମଧ୍ୟରେ ବ୍ୟାପ୍ତ ସ୍ପାନିଶ ଫ୍ଳୁର ଅନୁଭବ ୨୦୧୯ ଡ଼ିସେମ୍ୱର ଶେଷରୁ ସଂକ୍ରମିତ କୋଭିଡ଼-୧୯ରେ ପ୍ରତିବିମ୍ୱିତ ।


 

ସ୍ପାନିଶ ଫ୍ଳୁ ନାମକରଣରେ ସ୍ପେନ ଯୋଡ଼ି ହୋଇ ରହିଥିଲେ ହେଁ ଏହି ରୋଗର ଉତ୍ପତ୍ତି ସ୍ପେନ ନୁହେ, ବରଂ ସମଗ୍ର ୟୁରୋପ, ଯୁକ୍ତରାଷ୍ଟ୍ର ଆମେରିକା ଓ ଏସିଆ ମହାଦେଶରେ କେତେକାଞ୍ଚଳରେ ଦେଖିବାକୁ ମିଳିଥିଲା । ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ବହୁ ୟୁରୋପୀୟ ରାଷ୍ଟ୍ରରେ ସମ୍ୱାଦପତ୍ରରେ ସମ୍ୱାଦ ପ୍ରକାଶ ଲାଗି ଯାଞ୍ଚ ବ୍ୟବସ୍ଥା ଲାଗୁ କରାଯାଇଥିଲା । ମହାମାରୀ ଖବର ସର୍ବସାଧାରଣରେ ପ୍ରସାରିତ ହେଲେ ଆତଙ୍କ ଖେଳିଯିବା ସଂଭାବନାରେ ସଂକ୍ରମଣ ସମ୍ୱାଦ ପ୍ରସାରଣ ବନ୍ଦ ଆଦେଶ ଜାରୀ କରାଯାଇଥିଲା । କିନ୍ତୁ ସ୍ପେନ ପ୍ରଥମ ବିଶ୍ୱଯୁଦ୍ଧରେ ସାମିଲ ହୋଇନଥିବା ହେତୁ ସେଠାରେ ସମ୍ୱାଦ ପ୍ରକାଶନରେ କଟକଣା ନଥିଲା । ମାଦ୍ରିଦରେ ୧୯୧୮ ମେମାସରେ ଇନଫ୍ଲୁଏନଜା ବ୍ୟାପିବା ଖବର ପ୍ରଥମେ ପ୍ରଘଟ ହୋଇଥିବା କାରଣରୁ ଆପାତତଃ ତାହା ସ୍ପାନିଶ ଫ୍ଲୁ ନାମକରଣ କରାଯାଇଥିଲା ।


 

ସ୍ପାନିଶ ଫ୍ଳୁରେ ବିଶ୍ୱବ୍ୟାପୀ ୫୦ କୋଟି ଲୋକ ଅର୍ଥାତ ସମଗ୍ର ଜନସଂଖ୍ୟାର ଏକ ତୃତୀୟାଂଶ, ପ୍ରତି ତିନିଜଣରେ ଜଣେ ସଂକ୍ରମିତ ହୋଇ ପାଞ୍ଚରୁ ଦଶ କୋଟି ଅର୍ଥାତ ଅନ୍ୟୂନ ତିନି ପ୍ରତିଶତ ଯାଏଁ ମୃତ୍ୟୁବରଣ କରିଥିବା କୁହାଯାଏ । ସେହି ସମୟରେ ଆଧୁନିକ ସଂଗଠିତ ଚ଼ିକିତ୍ସା ବ୍ୟବସ୍ଥା ଅଭାବ ଯୋଗୁଁ ବିଶ୍ୱର ବିଭିନ୍ନ ପ୍ରାନ୍ତରେ କେତେ ସଂଖ୍ୟକ ଆକ୍ରାନ୍ତ, ଚ଼ିକିତ୍ସିତ ବା ମୃତ୍ୟୁବରଣ କଲେ ତାହାର ସଠିକ ତାଲିକା ପ୍ରସ୍ତୁତ ସମ୍ଭବପର ହୋଇପାରିନଥିଲା । ଗବେଷକମାନେ ବିଭିନ୍ନ ପାରିପାର୍ଶ୍ୱିକ ତଥ୍ୟ ଆଧାରରେ ସଂକ୍ରମଣର ପ୍ରକୋପ ଅନୁମାନ କରିଥାନ୍ତି । ଅପରପକ୍ଷେ ସାମାଜିକସ୍ତରରେ ବିଶ୍ୱଯୁଦ୍ଧକେନ୍ଦ୍ରୀକ ଗୁରୁତ୍ୱ ଓ ସମ୍ୱାଦ ପ୍ରସାରଣରେ ନିଷେଧାଜ୍ଞା ଯୋଗୁଁ ମଧ୍ୟ ମହାମାରୀର ସଠିକ ମୂଲ୍ୟାୟନ ସମ୍ଭବପର ହୋଇପାରିନଥିବା ସୂଚ଼ିତ କରାଯାଏ ।


 

ଭାରତରେ ସ୍ପାନିଶ ଫ୍ଲୁ ବମ୍ୱେ ଜ୍ୱର ନାମରେ ଖ୍ୟାତ । ଆମ ଦେଶରେ ଏକରୁ ଦୁଇ କୋଟି ଯାଏଁ ମୃତ୍ୟୁ ବରଣ କରିଥିବା ଇତିହାସ ପୃଷ୍ଠାରେ ଲିପିବଦ୍ଧ । କେତେକ ଗବେଷକଙ୍କ ମତରେ ସମଗ୍ର ବିଶ୍ୱରେ ଭାରତରେ ସର୍ବାପେକ୍ଷା ଅଧିକ ପ୍ରାୟ ଏକ କୋଟି ଅଶୀ ଲକ୍ଷ ଜୀବନହାନୀ ଘଟିଥିଲା । ଏଠାକାର ସଂକ୍ରମଣଜନିତ ମୃତ୍ୟୁ ସଂଖ୍ୟା ସମଗ୍ର ଜନସଂଖ୍ୟାର ଛଅ ପ୍ରତିଶତ ହିସାବ କରିଥାନ୍ତି ।


 

ସ୍ପାନିଶ ଫ୍ଲୁର ଗତିପ୍ରକୃତି ତର୍ଜମା ଗୁରୁତ୍ୱପୂର୍ଣ୍ଣ । ମୁଖ୍ୟତଃ ୟୁରୋପରେ ୧୯୧୮ ବସନ୍ତ ଋତୁରେ ପ୍ରଥମ ତରଙ୍ଗ ଅନୁଭୂତ ଅବସରରେ ରୋଗାକ୍ରାନ୍ତଙ୍କଠାରେ ଜ୍ୱର, କମ୍ପ ଓ ଅବଶ ଭଳି ଲକ୍ଷଣ ଦେଖାଦେଇଥିଲା । ଅଧିକାଂଶ କିଛି ଦିନ ମଧ୍ୟରେ ରୋଗମୁକ୍ତ ହେବା ସହ ମୃତ୍ୟୁହାର କମ ରହିଥିଲା । ତେବେ ସେହି ବର୍ଷ ଶରତ ଋତୁରେ ଦ୍ୱିତୀୟ ତରଙ୍ଗରେ ଭୂତାଣୁ ସଂକ୍ରମଣ ବ୍ୟାପକ ହେବା ଓ ଲକ୍ଷଣ ପ୍ରକାଶର କମ ସମୟ ବ୍ୟବଧାନରେ ମୃତ୍ୟୁମୁଖରେ ପଡ଼ିବା ଦେଖାଯାଇଥିଲା । ସଂକ୍ରମିତଙ୍କ ଫୁସଫୁସରେ ତରଳ ପଦାର୍ଥ ଜମିଯିବା, ନିଶ୍ୱାସପ୍ରଶ୍ୱାସରେ ବାଧା ସୃଷ୍ଟି ଓ ଚମଡ଼ା ନୀଳ ପଡ଼ିଯିବା ଭଳି ଅନୁଭୂତି ଭୟର ବାତାବରଣ ସୃଷ୍ଟି କରିଥିଲା ।


 

ଭାରତରେ ମଧ୍ୟ ସ୍ପାନିଶ ଫ୍ଲୁର ଦୁଇଗୋଟି ତରଙ୍ଗ ଦେଖିବାକୁ ମିଳିଥିଲା । ପ୍ରଥମ ତରଙ୍ଗ ୧୯୧୮ ଗ୍ରୀଷ୍ମଋତୁରେ ଅନୁଭୂତ ହେବା ଅବସରରେ ପ୍ରଭାବ ଅପେକ୍ଷାକୃତ କମ ରହିଥିଲା । ଦ୍ୱିତୀୟ ତରଙ୍ଗ ୧୯୧୮ ସେପ୍ଟେମ୍ୱରରେ ବମ୍ୱେରୁ ଆରମ୍ଭ ହୋଇ ମାସକ ମଧ୍ୟରେ ଉତ୍ତର ଓ ଦକ୍ଷିଣ ଭାରତକୁ ବ୍ୟାପିଯାଇଥିଲା । ସେହି ସମୟରେ ଓଡ଼ିଶାର ଉପକୂଳବର୍ତ୍ତୀ ପୁରୀ, କଟକ ଓ ବାଲେଶ୍ୱର ଅଞ୍ଚଳରେ ମଧ୍ୟ ମହାମାରୀ ପ୍ରକୋପ ଅନୁଭୂତ ହୋଇଥିବା କୁହାଯାଏ । ମୁମ୍ୱାଇରୁ ସଂକ୍ରମଣ ତତ୍କାଳୀନ ସେଣ୍ଟ୍ରାଲ ପ୍ରୋଭିନ୍ସ ଓ କୋଲକତା ଦେଇ ଓଡ଼ିଶା ଉପକୂଳରେ ପହଞ୍ଚିଥିବା ଅନୁମାନ କରାଯାଏ ।


 

ଗବେଷକମାନଙ୍କ ମତରେ ପ୍ରଥମ ବିଶ୍ୱଯୁଦ୍ଧ ଶେଷରେ ୟୁରୋପ ଫେରନ୍ତା ଭାରତୀୟ ସୈନ୍ୟବଳ ଜାହାଜ ଯୋଗେ ମୁମ୍ୱାଇ ବନ୍ଦରରେ ଓହ୍ଲାଇବା ପରେ ସଂକ୍ରମଣ ଆରମ୍ଭ ହୋଇଥିଲା । ଅବାଧ ପରିବହନ ବ୍ୟବସ୍ଥା, ମୁଖ୍ୟତଃ ରେଳଯୋଗାଯୋଗ ହେତୁ ଖୁବ କମ ସମୟରେ ସଂକ୍ରମଣ ଦେଶର ବିଭିନ୍ନ ପ୍ରାନ୍ତକୁ ବ୍ୟାପିଥିଲା । ରୋଗାକ୍ରାନ୍ତଙ୍କ ମୃତ୍ୟୁହାର ପ୍ରତି ଦଶହଜାରରେ ମୁମ୍ୱାଇରେ ୫୪.୯, ଚ଼େନ୍ନାଇରେ ୧୬.୭ ଓ କୋଲକତାରେ ୮.୫ ଜଣ ହିସାବ କରାଯାଇଥିଲା ।


 

ସ୍ପାନିଶ ଫ୍ଳୁ ବୃଦ୍ଧଜନଙ୍କ ମଧ୍ୟରେ ବ୍ୟାପକ ସଂକ୍ରମଣ ଦେଖାଦେଇଥିବା ସ୍ଥଳେ ୨୦ ରୁ ୪୦ ବୟସ୍କ ଓ ପାଞ୍ଚ ବର୍ଷରୁ କମ ଶିଶୁମାନେ ମଧ୍ୟ ଆକ୍ରାନ୍ତ ହୋଇଥିଲେ । ଏହି ଶ୍ୱାସ ସଂକ୍ରମଣର ମୁକାବିଲା କରିବା ନିମନ୍ତେ ସେହି ସମୟରେ କୌଣସି ଔଷଧ କିମ୍ୱା ପ୍ରତିଷେଧକ ଉଦ୍ଭାବିତ ହୋଇନଥିଲା । ଫଳରେ ଭୂତାଣୁକୁ ପ୍ରତିହତ କରିବା କଷ୍ଟସାଧ୍ୟ ହୋଇପଡ଼ିଥିଲା ।


 

ସ୍ପାନିଶ ଫ୍ଲୁ ସଂପର୍କରେ ୨୦୧୭ରେ ଏକ ଗବେଷଣାତ୍ମକ ପୁସ୍ତକ ରଚନା କରିଥିବା ଫ୍ରେଞ୍ଚ ମହିଳା ସାମ୍ୱାଦିକ ଲାଉରା ସ୍ପିନେଙ୍କ ମତରେ ମହାମାରୀ ହେତୁ ତତ୍ କାଳୀନ ଭାରତରେ ସାମାଜିକ ଅସ୍ଥିରତା ସୃଷ୍ଟି ସାଙ୍ଗକୁ ହିଂସାକାଣ୍ଡ ବୃଦ୍ଧି ଘଟିଥିଲା । ଏହି ପରିବେଶ ଦେଶର ସ୍ୱାଧୀନତା ସଂଗ୍ରାମକୁ ମଧ୍ୟ ଶକ୍ତିଶାଳୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ।


 

ସ୍ପାନିଶ ଫ୍ଲୁକୁ ବିସ୍ମୃତ ମହାମାରୀ ଆଖ୍ୟା ଦିଆଯାଇଥାଏ । ଏକପକ୍ଷରେ ମହାମାରୀ ସଂପର୍କରେ ବ୍ରିଟିଶ ସରକାରଙ୍କ କଟକଣା କାରଣରୁ ତତ୍କାଳୀନ ଗଣମାଧ୍ୟମର ଏକମାତ୍ର ପ୍ରତିନିଧି ସୀମିତ ପ୍ରସାରିତ ମୁଦ୍ରିତ ସମ୍ୱାଦପତ୍ରରେ ଧାରାବିବରଣୀ ପ୍ରକାଶନ ଅଭାବ ପରବର୍ତ୍ତୀ କାଳରେ ମହାମାରୀର ସ୍ମୃତିକୁ ଉଜ୍ଜୀବିତ ରଖିପାରିଲା ନାହିଁ । ଅପରପକ୍ଷେ କ୍ରମବର୍ଦ୍ଧମାନ ସ୍ୱାଧୀନତା ସଂଗ୍ରାମର ଘଟଣାବହୁଳ ଅନୁଭୂତି ଏହି ଅଘଟଣକୁ ମେଘାବୃତ କରିପକାଇଥିଲା । ଅବଶ୍ୟ ସ୍ୱାଧୀନତା ପ୍ରାପ୍ତି ଯାଏଁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଭାରତର ବିଭିନ୍ନ ପ୍ରାନ୍ତରେ ରୋଗ ସଂକ୍ରମଣ ଜନଜୀବନର ଅଂଶବିଶେଷଭାବେ ପରିଗଣିତ ହେଉଥିଲା । ସ୍ୱାଧୀନତା ପ୍ରାପ୍ତି ବେଳକୁ ଜାତୀୟ ଜୀବଦ୍ଦଶା ମାତ୍ର ୩୨ ବର୍ଷରେ ସୀମିତ ରହି ଆସିଥିଲା । ବିଗତ ସତୁରି ବର୍ଷରେ ଯେ ଆମ ଜୀବଦ୍ଦଶା ୬୯ ବର୍ଷକୁ ବୃଦ୍ଧି ପାଇଛି, ତାହା କୋଭିଡ଼-୧୯ ମୁକାବିଲାରେ ମଧ୍ୟ ପ୍ରତିଫଳିତ ।


 

ଭାରତରେ ସ୍ପାନିଶ ଫ୍ଲୁ ବର୍ଣ୍ଣିତ ଭିଡ଼ିଓ ଦେଖିବା ନିମନ୍ତେ ନିମ୍ନ ଲିଙ୍କରେ କ୍ଳିକ କରନ୍ତୁ :

 

https://youtu.be/YE5u7Jg76Dc

https://youtu.be/dbow8SRj18s

https://youtu.be/lYKdveAkwuM

 

ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଏପ୍ରିଲ ୨୦୨

  

 

 

ତଥ୍ୟ:

 

Siddhartha Chandra & Eva Kassens – Noor. A study maps the spread (and decline) of the 1918 Spanish flu in India. scroll.in. July 11, 2020

 

https://scroll.in/article/966655/a-study-maps-the-spread-and-decline-of-the-1918-spanish-flu-in-inida

 

Spinney, Laura. How the Spanish flu of 1918 changed India. carvanmagazine.in. October 19, 2018

 

https://carvanmagazine.in/history/spanish-flu-1918-changed-india

 

https://www.history.com/topics/world-war-i/1918-flu-pandemic

ମହାମାରୀର ଅନ୍ତ ଆକଳନ

ମହାମାରୀକାଳୀନ ଅସ୍ଥିରତା ମଧ୍ୟରେ ଅନେକଙ୍କ ମନରେ ଥରେ ଅଧେ ପ୍ରଶ୍ନ ଉଠେ, ଏହି ଦୁର୍ଦ୍ଦଶାର ଅନ୍ତ କେବେ ? ତେବେ ନିର୍ଭରଯୋଗ୍ୟ ସୂତ୍ରରୁ ଉତ୍ତର ସହଜରେ ଖୋଜି ପାଇ ହୁଏନା । କୋଭିଡ଼-୧୯ ଏକ ନୂତନ ଅନୁଭୂତି ତଥା ଏହି କ୍ଷେତ୍ରରେ ପ୍ରମାଣିତ ତଥ୍ୟ ଅଭାବ ହେତୁ ବିଶେଷଜ୍ଞଗଣ ରୋଗର ଗତିପ୍ରକୃତି ସଂପର୍କରେ ସଠିକ ଆକଳନରେ ଅକ୍ଷମତା ପ୍ରକାଶ କରିଥାନ୍ତି । ପୂର୍ବ ସଂକ୍ରମଣଜନିତ ଅଭିଜ୍ଞତା ଆଧାରରେ ରୋଗ ମୁକାବିଲା ନିମନ୍ତେ ନୀତି ନିର୍ଦ୍ଧାରଣ ନିମନ୍ତେ ପରାମର୍ଶ ଦିଆଯାଇଥାଏ ।


 

ମହାମାରୀର ପୂର୍ବାନୁମାନ ଅନେକ ସମୟରେ ବିଫଳତାରେ ପର୍ଯ୍ୟବସିତ । ଉଦାହରଣରେ କୋଭିଡ଼-୧୯ ପ୍ରଥମ ତରଙ୍ଗ ବ୍ୟାପ୍ତି କାଳରେ ସେପ୍ଟେମ୍ୱର ୨୦୨୦ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମ୍ଭାବ୍ୟ ଭବିଷ୍ୟତ ଆକଳନ ନିମନ୍ତେ ବିଶେଷଜ୍ଞମାନଙ୍କ ଏକ କମିଟି ଗଠନ କରାଯାଇଥିଲା । ଏଥିରେ ଇଣ୍ଡିଆନ ଇନଷ୍ଟିଟିଉଟ ଅଫ ସାଇନ୍ସେସ, ଇଣ୍ଡିଆନ ଇଷ୍ଟିଟିଉଟ ଅଫ ଟେକନୋଲଜି ଓ ଇଣ୍ଡିଆନ ଷ୍ଟାଷ୍ଟିକାଲ ଇନଷ୍ଟିଟିଉଟର ଗବେଷକମାନେ ସାମିଲ ଥିଲେ । ସୂତ୍ର ନାମିତ ଏହି କମିଟି ଦ୍ୱାରା ପ୍ରସ୍ତୁତ ରିପୋର୍ଟ ଅକ୍ଟୋବର ୨୦୨୦ରେ ପ୍ରକାଶିତ ହୋଇଥିଲା । ମହାମାରୀ ସଂପର୍କୀତ ଆନ୍ତର୍ଜାତିକସ୍ତରର ଗବେଷଣା ଆଧାରରେ ଭାରତୀୟ ପରିବେଶ ଅନୁକୂଳ ପ୍ରସ୍ତୁତ ସୁପର ମଡ଼େଲରେ ୨୦୨୧ ଫେବୃୟାରୀ ମଧ୍ୟଭାଗ ସୁଦ୍ଧା ଦେଶରେ ସଂକ୍ରମଣ ହ୍ରାସ ପାଇବା ପୂର୍ବାନୁମାନ କରାଯାଇଥିଲା ।


 

ସୂତ୍ର ମଡ଼େଲ ପ୍ରସ୍ତୁତ ସମୟରେ ଦେଶରେ ୨୦୨୦ ସେପ୍ଟେମ୍ୱର ମାସରେ ଦୈନିକ ସଂକ୍ରମଣ ହାର ୯୭ ହଜାର ଥିବାସ୍ଥଳେ ୨୦୨୧ ଫେବୃୟାରୀରେ ନଅ ହଜାରକୁ କମି ଆସିଥିଲା ସତ । କିନ୍ତୁ ଅନ୍ୟାନ୍ୟ କାରଣରୁ ସଂକ୍ରମଣ ପୁଣି ବଢ଼ି ମହାମାରୀର ଦ୍ୱିତୀୟ ତରଙ୍ଗ ସୃଷ୍ଟି ହୋଇଥିଲା । ପରିବର୍ତ୍ତନଶୀଳ ପାରିପାର୍ଶ୍ୱିକ ଅବସ୍ଥା ଏବଂ ଗଣନାରେ ବ୍ୟବହୃତ ସଂକ୍ରମଣ ପରିସଂଖ୍ୟାନ ବାସ୍ତବସ୍ଥିତିଠାରୁ ଭିନ୍ନ ରହିଲେ ପୂର୍ବାନୁମାନ ତୃଟିପୂର୍ଣ୍ଣ ପ୍ରମାଣିତ ହୋଇଥାଏ ।


 

କୋଭିଡ଼-୧୯କୁ ମାର୍ଚ୍ଚ ୨୦୨୦ରେ ମହାମାରୀ ଘୋଷଣା କରାଯାଇଥିଲା । ପ୍ରଥମ ବର୍ଷର ଅଭିଜ୍ଞତାରେ ମହାମାରୀର ଗତିପ୍ରକୃତିକୁ ପ୍ରଭାବିତ କରିବାରେ ଦୁଇଗୋଟି ବିଷୟ ମୁଖ୍ୟ ଭୂମିକା ଗ୍ରହଣ କରୁଥିବା ଲକ୍ଷ୍ୟ କରାଯାଇଛି । ପ୍ରଥମତଃ ଭିନ୍ନ ଭିନ୍ନ ପ୍ରାନ୍ତରେ ଭିନ୍ନ ଭିନ୍ନ ସମୟରେ ସଂକ୍ରମଣର ତୀବ୍ରତା ଅନୁଭୂତ ହେଉଛି ଏବଂ ଦ୍ୱିତୀୟତଃ ଭୂତାଣୁର ରୂପାନ୍ତରିକରଣ ମ୍ୟୁଟେସନ ସଂକ୍ରମଣର ବେଗ, ରୋଗର ଲକ୍ଷଣ ଓ ପ୍ରଭାବକୁ ନିୟନ୍ତ୍ରଣ କରୁଛି । ମହାମାରୀର ଅନ୍ତ ପ୍ରସଙ୍ଗ ଆଲୋଚନା କଲାବେଳେ ଏହା ଗୁରୁତ୍ୱ ବହନ କରେ ।


 

ଆନ୍ତର୍ଜାତିକସ୍ତରର ଖ୍ୟାତନାମା ବିଜ୍ଞାନଭିତ୍ତିକ ପତ୍ରିକା ନେଚର ପକ୍ଷରୁ ଭୂତାଣୁ ସଂପର୍କରେ ଗବେଷଣାରତ ଶହେ ଜଣ ବିଶେଷଜ୍ଞଙ୍କୁ କୋଭିଡ଼-୧୯ ସଂକ୍ରମଣର ଅନ୍ତ କେବେ ଘଟିବ ଜାଣିବା ସକାଶେ ଜାନୁୟାରୀ ୨୦୨୧ରେ ପ୍ରଶ୍ନ ପଚରାଯାଇଥିଲା । ଉତ୍ତରରେ ୮୯ ପ୍ରତିଶତ କହିଥିଲେ ଯେ ସମୟକ୍ରମେ କୋଭିଡ଼-୧୯ ପ୍ରଭାବ ହ୍ରାସ ପାଇବ ଏବଂ ଏକ ସ୍ଥାନୀୟ ରୋଗ ଅର୍ଥାତ ଆଞ୍ଚଳିକସ୍ତରରେ ପରିଦୃଷ୍ଟ ଏଣ୍ଡେମିକରେ ପରିଣତ ହେବ । ସେମାନଙ୍କ ମଧ୍ୟରୁ ୬୦ ପ୍ରତିଶତ ଏଥିନେଇ ଦୃଢୋକ୍ତି ପ୍ରକାଶ କରିଥିବା ସ୍ଥଳେ ୨୯ ପ୍ରତିଶତ ସପକ୍ଷରେ ଯୁକ୍ତି ବାଢ଼ିଥିଲେ । ଅପରପକ୍ଷେ ମାତ୍ର ଛଅ ପ୍ରତିଶତ ଏଭଳି ତତ୍ତ୍ୱରେ ବିଶ୍ୱାସ କରୁନଥିବା ବେଳେ ଅନ୍ୟ ଛଅ ପ୍ରତିଶତ ପୂର୍ବାନୁମାନ ନିମନ୍ତେ ପର୍ଯ୍ୟାପ୍ତ ତଥ୍ୟ ହସ୍ତଗତ ହୋଇପାରିନଥିବା କୈଫିୟତ ଦେଇଥିଲେ ।


 

ବୈଜ୍ଞାନିକମାନଙ୍କ ଗହଣରେ ନେଚର ସର୍ବେକ୍ଷଣର ଫଳାଫଳ ଶହେ ବର୍ଷ ପୂର୍ବ ସ୍ପାନିଶ ଫ୍ଲୁର ଅନୁଭୂତିକୁ ସୂଚିତ କରାଇଥାଏ । ୧୯୧୮ ରୁ ୨୦ ଦୁଇ ବର୍ଷ ଧରି କରୋନା ସାର୍ସ-କୋଭ-୨ ସମ ଇନଫ୍ଲୁଏଞ୍ଜା-ଏ ଭୂତାଣୁ ସଂକ୍ରମଣର ଚ଼ିକିତ୍ସା କିମ୍ୱା ପ୍ରତିଷେଧକ ଅଭାବରୁ ବିଶ୍ୱବ୍ୟାପୀ ପାଞ୍ଚରୁ ଦଶ କୋଟି ତଥା ଭାରତରେ ଏକକୋଟି ଅଶୀଲକ୍ଷ ଯାଏଁ ଜୀବନହାନୀ ଘଟିଥିଲା । ସ୍ପାନିଶ ଫ୍ଲୁ ର ସମାପ୍ତି ପରେ ଇନଫ୍ଲଏଞ୍ଜା-ଏ ଭୂତାଣୁର ପ୍ରଭାବ କମିଯାଇଥିଲା ସତ, ତେବେ ଉଭେଇ ଯାଇ ନଥିଲା । ମନୁଷ୍ୟ ଶରୀରରେ ଥଣ୍ଡାରୋଗ ସୃଷ୍ଟି କରୁଥିବା ଭୂତାଣୁ ଦ୍ୱାରା ବ୍ୟାପୁଥିବା ଋତୁକାଳୀନ ଫ୍ଲୁରେ ବିଶ୍ୱବ୍ୟାପୀ ବାର୍ଷିକ ପ୍ରାୟ ଛଅଲକ୍ଷ ପଚାଶ ହଜାର ମୃତ୍ୟୁ ଘଟେ ।


 

କୁହାଯାଏ ଯେ ଇନଫ୍ଲୁଏଞ୍ଜା-ଏ ପକ୍ଷୀ ଶରୀରରୁ ମନୁଷ୍ୟ ଶରୀରକୁ ସଂକ୍ରମିତ ହୋଇଥିଲା । ସ୍ପାନିଶ ଫ୍ଲୁ ମହାମାରୀ ପରଠୁ ଏହି ଭୂତାଣୁ ରୂପାନ୍ତରିତ ହୋଇ ବିଶ୍ୱସାରା ଘୁରି ବୁଲୁଛି । ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଅଞ୍ଚଳରେ ଫ୍ଲୁ ସଂକ୍ରମଣ ବ୍ୟାପକ ଆକାର ଧାରଣ କରୁଛି । ତେବେ ରୋଗର ଚ଼ିକିତ୍ସା ଓ ପ୍ରତିଷେଧକ ଉପଲବ୍ଧ ଥିବା ହେତୁ ସଂକ୍ରମଣର ମୁକାବିଲା କରାଯାଇପାରୁଛି । ବହୁ ବୈଜ୍ଞାନିକ ଫ୍ଲୁ ଭୂତାଣୁ-ସମ କରୋନା ଭୂତାଣୁର ଭବିଷ୍ୟତ ଆକଳନ କରିଥାନ୍ତି ।


 

ଅନ୍ୟ ଉଦାହରଣରେ ମିଳିମିଳା ଭୂତାଣୁର ଗତିପ୍ରକୃତିକୁ ତର୍ଜମା କରାଯାଇଥାଏ । ସାଧାରଣ ମିଳିମିଳାର ଟିକା ୧୯୬୩ରେ ଉଦ୍ଭାବିତ ହେବା ପୂର୍ବରୁ ଏହାର ପ୍ରାଦୁର୍ଭାବରେ ବିଶ୍ୱରେ ବାର୍ଷିକ ୨୬ ଲକ୍ଷ ଶିଶୁଙ୍କ ପ୍ରାଣହାନୀ ଘଟୁଥିଲା । ଫ୍ଲୁ ଟିକା ପ୍ରତିବର୍ଷ ନେବାକୁ ପଡୁଥିବା ସ୍ଥଳେ ଦୁଇ ମାତ୍ରାର ମିଳିମିଳା ଟିକା ଥରକରେ ଦିଆଯାଏ । ତେବେ ଟିକାକରଣ ସତ୍ତ୍ୱେ ବିଶ୍ୱବକ୍ଷରୁ ମିଳିମିଳା ସଂପୂର୍ଣ୍ଣ ନିଶ୍ଚିହ୍ନ ହୋଇଯାଇନାହିଁ । କେତେକ ଅଞ୍ଚଳରେ ପୂର୍ଣ୍ଣ ଟିକାକରଣ ହୋଇପାରି ନଥିବା ହେତୁ ସମୟେ ସମୟେ ଭୟାବହ ସଂକ୍ରମଣ ଖବର ଶୁଣିବାକୁ ମିଳୁଛି । ମିଳିମିଳା ରୋଗରେ ବିଶ୍ୱବ୍ୟାପୀ ୨୦୧୮ରେ ଏକ ଲକ୍ଷ ୪୦ ହଜାର ପ୍ରାଣ ହରାଇଥିଲେ ।


 

ବୈଜ୍ଞାନିକମାନଙ୍କ ଆକଳନରେ କୋଭିଡ଼-୧୯ ମଧ୍ୟ ଫ୍ଲୁ ଓ ମିଳିମିଳା ରୋଗ ଭଳି ପ୍ରାଥମିକ ପର୍ଯ୍ୟାୟରେ ସୃଷ୍ଟ ଭୟାବହତାରୁ ଦୂରେଇ ଯାଇ ରୋଗ ବିରୁଦ୍ଧରେ ଅର୍ଜିତ ସାମୂହିକ ପ୍ରତିରୋଧ ଶକ୍ତି ଆକ୍ୟୁଏଡ଼ ଇମ୍ୟୁନିଟି, ପ୍ରତିଷେଧକ ଟିକା, ଚିକିତ୍ସା ପଦ୍ଧତି ଓ ଜନସ୍ୱାସ୍ଥ୍ୟ ସତର୍କତା ଆଧାରରେ ମହାମାରୀ ପର୍ଯ୍ୟାୟରୁ ଅପସରି ଯାଇ ସାଧାରଣ ସଂକ୍ରାମକ ରୋଗ ରୂପେ କେବେ କେଉଁଠି ଦେଖାଦେଇପାରେ । ଏହାର ସମ୍ଭାବ୍ୟ ପ୍ରଭାବ ପୂର୍ବରୁ ଅନୁମାନ କରିବା ହୁଏତ ବର୍ତ୍ତମାନ ସମ୍ଭବପର ନୁହଁ ।


 

ଭୂତାଣୁ ସଂକ୍ରମଣ ଦ୍ୱାରା ରୋଗାକ୍ରାନ୍ତ ହୋଇ କିମ୍ୱା ଟିକାକରଣ ଦ୍ୱାରା ଶରୀରରେ ପ୍ରତିଷେଧକ ଶକ୍ତି ସୃଷ୍ଟି ହର୍ଡ ଇମ୍ୟୁନିଟିରେ ରୂପାନ୍ତରିତ ହେବା ବିଶ୍ୱାସ କରାଯାଉଛି । ରୋଗାକ୍ରାନ୍ତ ହେବା ବଦଳରେ ଟିକାକରଣକୁ ବିଶ୍ୱବ୍ୟାପୀ ସମାଧାନର ପନ୍ଥା ରୂପେ ଗ୍ରହଣ କରି ବ୍ୟାପକ ଟିକାକରଣ ଅଭିଯାନ ଡ଼ିସେମ୍ୱର ୨୦୧୯ରୁ ଆରମ୍ଭ ହୋଇଛି । ଏଥିରେ ଭାରତ ସାମିଲ ଥିବା ସ୍ଥଳେ ମାର୍ଚ୍ଚ ୨୦୨୧ରେ ପ୍ରକାଶିତ ଷ୍ଟେଟବ୍ୟାଙ୍କର ମହାମାରୀ ପୂର୍ବାନୁମାନ ହିସାବରେ ଦେଶରେ ଦୈନିକ ହାରାହାରି ପ୍ରାୟ ୪୫ ଲକ୍ଷ ଟିକା ପ୍ରଦାନ ଚାଲୁ ରହିଲେ ଜାନୁୟାରୀ ୨୦୨୧ରୁ ୨୧ ମାସ ଅର୍ଥାତ ଅକ୍ଟୋବର ୨୦୨୨ ଦୁର୍ଗାପୂଜା ବେଳକୁ ପ୍ରମୁଖ ଜନସଂଖ୍ୟାକୁ ଟିକାକରଣ ସାରିବା ଆଶା ପ୍ରକାଶ କରାଯାଇଥିଲା । ଅର୍ଥାତ ମୋଟାମୋଟି ଭାବେ ୨୦୨୨ ଶେଷ ଯାଏଁ ଭୂତାଣୁର ପ୍ରାଦୁର୍ଭାବ ଊଣାଅଧିକେ ଜାରୀ ରହିବା ଆଶଙ୍କା ଯୁକ୍ତିଯୁକ୍ତ ମନେ କରାଯାଏ ।


 

ମହାମାରୀ ବିଶ୍ୱବ୍ୟାପୀ ପ୍ରଭାବ ବିସ୍ତାର କରୁଥିବା ହେତୁ ଭୂତାଣୁ କବଳରୁ ବର୍ତ୍ତିବା ନିମନ୍ତେ ସମୂଦାୟ ଜନସଂଖ୍ୟାର ଟିକାକରଣ ନହୋଇପାରିଲେ ବ୍ୟକ୍ତିଗତ ବା ପାରିବାରିକସ୍ତରରୁ ଜନପଦ, ରାଜ୍ୟ ବା ରାଷ୍ଟ୍ରୀୟସ୍ତରରେ ଟିକାକରଣ ମୂଲ୍ୟହୀନ ପ୍ରମାଣିତ ହେବ । କାରଣ ଭୂତାଣୁ ଅନ୍ୟ ରାଷ୍ଟ୍ରରେ ବ୍ୟାପିଲେ ନୂତନ ପ୍ରଜାତି ସୃଷ୍ଟି ହୋଇ ଟିକାକରଣ ସରିଥିବା ରାଷ୍ଟ୍ରରେ ଟିକାର ପ୍ରଭାବକୁ ପ୍ରତିହତ କରିବା ବିପଦ ରହିଥାଏ । ତେଣୁ ବସୁଧୈବ କୁଟୁମ୍ୱକମ ତତ୍ତ୍ୱ ରାଜନୀତିକ ସ୍ଳୋଗାନସ୍ତରରୁ ନୀତି ନିର୍ଦ୍ଧାରଣରେ ବାସ୍ତବତାକୁ ପରିବର୍ତ୍ତିତ ହୋଇଛି । ଭୂତାଣୁ କବଳରୁ ସମସ୍ତେ ସୁରକ୍ଷିତ ନ ହେବା ଯାଏଁ ଜଣେ କେହି ନିଜକୁ ପୂର୍ଣ୍ଣ ସୁରକ୍ଷିତ ମନେ କରିପାରିବ ନାହିଁ ।


 

ବିଶେଷଜ୍ଞମାନଙ୍କ ମତରେ ମହାମାରୀର ଅବଧି ମୁଖ୍ୟତଃ ତିନିଗୋଟି ଦିଗ – ଟିକା, ଭୂତାଣୁ ଓ ସଂକ୍ରମଣ ମୁକାବିଲା ନିମନ୍ତେ ଜନସାଧାରଣଙ୍କ ଦୃଷ୍ଟିଭଙ୍ଗୀ ଉପରେ ନିର୍ଭରଶୀଳ । ପର୍ଯ୍ୟାପ୍ତ ଜନସଂଖ୍ୟାକୁ ଟିକାକରଣ ଯେତେ ଗୁରୁତ୍ୱ ବହନ କରେ ଭୂତାଣୁର ରୂପାନ୍ତରୀକରଣରେ ଟିକା କେତେଦୂର ପ୍ରଭାବଶାଳୀ ହୋଇପାରୁଛି ତାହା ଉପରେ ପ୍ରତିରୋଧକ ଫଳାଫଳ ନିର୍ଭରଶୀଳ । ସର୍ବୋପରି ଜନସାଧାରଣଙ୍କ ସଂକ୍ରମଣ ରୋକିବା ନିମନ୍ତେ ମାସ୍କ ପରିଧାନ, ଦୂରାବସ୍ଥାନ ତଥା ସମଗ୍ର ବିଶ୍ୱଜନସଂଖ୍ୟା ଟିକାକରଣ ପାଇଁ ରାଷ୍ଟ୍ରୀୟସ୍ତରରେ ଯୋଗଦାନ ମହାମାରୀ ପ୍ରଭାବ ହ୍ରାସରେ ସକ୍ଷମ ହେବ ।


 

ସର୍ବାପେକ୍ଷା ଉନ୍ନତ ପରିବେଶରେ ଟିକାକରଣ ଦ୍ୱାରା ସଂକ୍ରମଣ ରୋକାଯାଇପାରିଲେ ମହାମାରୀ-ପୂର୍ବାବସ୍ଥା ଫେରିବ । ନୂତନ ପ୍ରଜାତିର ଭୂତାଣୁ ଯଦି ଟିକା ବିରୋଧି ସାବ୍ୟସ୍ତ ହୁଏ କିମ୍ୱା ସମଗ୍ର ବିଶ୍ୱ ଜନସଂଖ୍ୟାକୁ ଯଦି ଟିକାକରଣ ସଂଭବ ହୋଇନପାରେ କିମ୍ୱା ଭୂତାଣୁର ଦୌରାତ୍ମ୍ୟ ଶେଷ ହେବାପରେ ମଧ୍ୟ ଯଦି କେତେକଙ୍କ କ୍ଷେତ୍ରରେ ସ୍ୱାସ୍ଥ୍ୟଗତ ଜଟିଳତା ଲାଗି ରହେ, ତେବେ ଏକ ମିଶ୍ରିତ ପରିବେଶ ସୃଷ୍ଟି ହେବ । ଅପରପକ୍ଷେ ଟିକା ଦ୍ୱାରା ଯେ ଭୂତାଣୁ ସଂକ୍ରମଣକୁ ରୋକାଯାଇ ପାରିବ ଏବଂ ସବୁ ସମୟରେ ମହାମାରୀର ଅନ୍ତ ଘଟି ଆସିଛି ତାହା ଅତୀତ ଅନୁଭୂତିରେ ବାରମ୍ୱାର ପ୍ରମାଣିତ । ତେଣୁ ମହାମାରୀର ଅନ୍ତ ଆକଳନରେ ସଠିକ ସମୟସୀମା ଧାର୍ଯ୍ୟ ନହୋଇପାରିଲେ ସୁଦ୍ଧା ଭୂତାଣୁ ପ୍ରତିରୋଧ ନିମନ୍ତେ ଅଭିଯାନ ଯେ ଅବଶ୍ୟ ଫଳପ୍ରଦ ହେବ ଏଥିରେ ସନ୍ଦେହ ନାହିଁ ବୋଲି କୁହାଯାଇପାରେ ।


 

ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ମେ' ୨୦୨

 ---

ତଥ୍ୟ :

 

The Coronavirus is here to stay – here’s what that means

 

https://www.nature.com/articles/d41586-021-00396-2

 

Murrell, David. How will we know when the Pandemic is over ? Philadephia. April 21, 2021.

 

https://www.phillymag.com/news/2021/04/21/end-of-pandemic-how-to-tell/

 

Vergano, Dan. The Pandemic will likely end in on of these four ways.

buzzfeednews.com. April21, 2021

 

https://www.buzzfeednews.com/article/danvergano/coronavirus-pandemic-vaccines-endings

ମହାମାରୀରେ ଶରୀର ଓଜନ ପରିବର୍ତ୍ତନ

‘କୋଭିଡ଼-୧୯’ ମହାମାରୀରେ କେତକଙ୍କ କ୍ଷେତ୍ରରେ ରୋଗମୁକ୍ତ ଜୀବନ ଯାପନ ସତ୍ତ୍ୱେ ଶରୀର ଓଜନ ପରିବର୍ତ୍ତନ ବିସ୍ମୟ ସୃଷ୍ଟି କରିଥାଏ । ସାଧାରଣରେ ଏଭଳି ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ବିଶେଷ ଚର୍ଚ୍ଚା ହେଉନଥିବା ସ୍ଥଳେ ଅନେକ ଚ଼ିକିତ୍ସକଙ୍କ ନିକଟରେ ସମସ୍ୟାଟି ଉପସ୍ଥାପିତ କରନ୍ତି ନାହିଁ । ଶରୀରର ଓଜନ ବୃଦ୍ଧିକୁ ବିଶେଷ ଗୁରୁତ୍ୱ ଦିଆ ଯାଇନଥାଏ, କିନ୍ତୁ ଓଜନ ହ୍ରାସ ଚ଼ିନ୍ତିତ କରିବା ସ୍ୱାଭାବିକ ।

 

ଭାରତରେ ଏହି ସମସ୍ୟାକୁ ନେଇ ବିଶେଷ ଗବେଷଣା ୨୦୨୧ ଶେଷ ସୁଦ୍ଧା ଦୃଷ୍ଟି ଆକର୍ଷଣ କରିନଥାଏ । ତେବେ ‘ଆମେରିକାନ ସାଇକଲୋଜିକାଲ ଏସୋସିଏସନ’ ପକ୍ଷରୁ ମହାମାରୀ ବ୍ୟାପିବା ବର୍ଷକ ମଧ୍ୟରେ ଶରୀର ଓଜନ ପରିବର୍ତ୍ତନ ସଂପର୍କୀତ ଆୟୋଜିତ ସର୍ବେକ୍ଷଣରୁ ସଂଗୃହୀତ ତଥ୍ୟାବଳୀ ମାର୍ଚ୍ଚ ୨୦୨୧ରେ ପ୍ରକାଶିତ ହୋଇଥିଲା । ମାର୍କିନ ନାଗରିକଙ୍କ ମଧ୍ୟରୁ ୬୧ ପ୍ରତିଶତ ମହାମାରୀରେ ସେମାନଙ୍କ ଶରୀର ଓଜନ ପରିବର୍ତ୍ତନ ହୋଇଥିବା ସ୍ୱୀକାର କରିଥିଲେ ।

 

ଗବେଷଣାରୁ ଜଣାଯାଇଥିଲା ଯେ ଶତକଡ଼ା ୧୮ ପ୍ରତିଶତ ପ୍ରାପ୍ତବୟସ୍କ ଶରୀର ଓଜନ ହ୍ରାସ ଲକ୍ଷ୍ୟ କରିଥିଲେ । ଏହି ବର୍ଗରେ ୨୦ ପ୍ରତିଶତ ପୁରୁଷ, ୧୭ ପ୍ରତିଶତ ମହିଳା ଏବଂ ପାଞ୍ଚ ପ୍ରତିଶତ ବରିଷ୍ଠ ନାଗରିକ ଅନ୍ତର୍ଭୁକ୍ତ । ସେହିପରି ଶତକଡ଼ା ୪୨ ପ୍ରତିଶତ ପ୍ରାପ୍ତବୟସ୍କ ଶରୀର ଓଜନ ବୃଦ୍ଧି ଲକ୍ଷ୍ୟ କରିଥିଲେ । ଏହି ବର୍ଗରେ ୩୯ ପ୍ରତିଶତ ପୁରୁଷ, ୪୫ ପ୍ରତିଶତ ମହିଳା ଏବଂ ୨୫ ପ୍ରତିଶତ ବରିଷ୍ଠ ନାଗରିକ ଅନ୍ତର୍ଭୁକ୍ତ ।

 

ଅର୍ଥାତ, କମ ସଂଖ୍ୟକଙ୍କ ଶରୀର ଓଜନ ହ୍ରାସ ଘଟିଥିବା ସ୍ଥଳେ ବହୁ ସଂଖ୍ୟକଙ୍କ ବୃଦ୍ଧି ଘଟିଥିଲା । ବରିଷ୍ଠ ନାଗରିକଙ୍କ କ୍ଷେତ୍ରରେ ପ୍ରଭେଦ ସର୍ବାଧିକ ବାରି ହୋଇଥିଲା । ଏହି ବର୍ଗରେ ଖୁବ କମ ସଂଖ୍ୟକ, ମାତ୍ର ପାଞ୍ଚ ପ୍ରତିଶତଙ୍କଠାରେ ଓଜନ ହ୍ରାସ ପରିଲକ୍ଷିତ ହୋଇଥିଲେହେଁ ଏହାର କାରଣ ଅନୁଧ୍ୟାନ ଗୁରୁତ୍ୱ ବହନ କରିଥାଏ ।

 

ମହାମାରୀରେ ଅସ୍ୱାଭାବିକ ଶରୀର ଓଜନ ପରିବର୍ତ୍ତନ ସଂପର୍କରେ ଚ଼ିକିତ୍ସା ବିଜ୍ଞାନର ବିଭିନ୍ନ ବିଭାଗରେ ଭିନ୍ନ ଭିନ୍ନ ଅନୁଶୀଳନ ହେଉଥିବା ସ୍ଥଳେ ମନୋବିଜ୍ଞାନୀମାନେ ଶରୀର ଓଜନ ହ୍ରାସ ଓ ବୃଦ୍ଧିକୁ ମାନସିକ ଚାପର ପ୍ରତିଫଳନ ରୂପେ ଚ଼ିହ୍ନଟ କରିଥାନ୍ତି । ମହାମାରୀଜନିତ ପାରିପାର୍ଶ୍ୱିକ ପରିବେଶ ପ୍ରଭାବରେ ମନୁଷ୍ୟ ମାନସିକସ୍ତରରେ ଚାପଗ୍ରସ୍ତ ହୋଇପଡୁଥିବା ଏବଂ ଚାପର ମୁକାବିଲା ଲାଗି ଶରୀରରେ ରାସାୟନିକ ପରିବର୍ତ୍ତନ ଖାଦ୍ୟାଭ୍ୟାସକୁ ପ୍ରଭାବିତ କରୁଥିବା କୁହାଯାଏ । ଏହା ଶରୀର ଓଜନ ପରିବର୍ତ୍ତନର କାରଣ ସାଜିଥାଏ ।

 

ନିୂୟର୍କ ବିଙ୍ଗହାମଟନ ବିଶ୍ୱବିଦ୍ୟାଳୟର ପୃଷ୍ଟିତତ୍ତ୍ୱ ଅଧ୍ୟାପିକା ଲିନା ବେଗଡ଼ାଚ଼େ ଆଷ୍ଟ୍ରେଲିଆରୁ ପ୍ରକାଶିତ ‘ଦି କନଭରସେସନ’ ଅନଲାଇନ ପ୍ରକାଶନ ଏପ୍ରିଲ ୨୦୨୧ ସଂସ୍କରଣରେ ମହାମାରୀରେ ମାନସିକ ଚାପ କିପରି ଶରୀର ଓଜନ ପରିବର୍ତ୍ତନ କରିଥାଏ ପ୍ରାଞ୍ଜଳଭାବେ ବର୍ଣ୍ଣନା କରିଥିଲେ । ତାଙ୍କରି ମତରେ ମନୁଷ୍ୟ ଚାପଗ୍ରସ୍ତ ହେଲେ ଶରୀରର ରାସାୟନିକ ପ୍ରକ୍ରିୟା ମସ୍ତିସ୍କକୁ ସଜାଗ ରଖିବାରେ ଲାଗିପଡ଼େ । ଏଥି ନିମନ୍ତେ କେତେକ ହାରମୋନର ସ୍ତର କମାଇ ଅନ୍ୟ କେତେକ ହାରମୋନର ସ୍ତର ବୃଦ୍ଧି କରାଇଥାଏ ।

 

ମୁଖ୍ୟତଃ, ଜରୁରୀ ପରିସ୍ଥିତି ମୁକାବିଲାରେ ଯେଉଁ ହାରମୋନଗୁଡ଼ିକର ଭୂମିକା ଗୌଣ, ସେଗୁଡ଼ିକର ସ୍ତର କମି ଆସେ । ଏହି କ୍ରମରେ ସେରୋଟିନିନ, ଡ଼ୋପାମାଇନ ଓ ମେଲାଟୋନିନ ସ୍ତର ହ୍ରାସ ପାଏ । ସେରୋଟିନିନ ଭାବ ‘ଇମୋସନ’, କ୍ଷୁଧା ‘ଏପିଟାଇଟ’ ଓ ପାଚ଼ନ ‘ଡ଼ାଇଜେସନ’ରେ ସହାୟକ ହୋଇଥାଏ । ସୋରେଟିନିନର ସ୍ତର ହ୍ରାସ ପାଇଲେ ସଂପୃକ୍ତ ବ୍ୟକ୍ତିର ଖାଦ୍ୟାଭ୍ୟାସ ପରିବର୍ତ୍ତିତ ହୁଏ ।

 

ଡ଼ୋପାମାଇନ ଅନ୍ୟତମ ଆନନ୍ଦଦାୟକ ନ୍ୟୂରୋ-ଟ୍ରାସମିଟର । ଏହା ଛୋଟବଡ଼ କାର୍ଯ୍ୟକରିବାକୁ ପ୍ରବର୍ତ୍ତାଇଥାଏ । ଡ଼ୋପାମାଇନ ସ୍ତର ହ୍ରାସ ଫଳରେ ବ୍ୟକ୍ତିର ଦୈନନ୍ଦିନ ଜୀବନଚ଼ର୍ଯ୍ୟା ପରିବର୍ତ୍ତିତ ହୋଇ ଆଳସ୍ୟ ଦିଗକୁ ଗତିକରେ । ସେହିପରି ବ୍ୟକ୍ତି ଚାପଗ୍ରସ୍ତ ହେଲେ ମେଲାନୋନିନ ସ୍ତର ହ୍ରାସ ହେତୁ ନିଦ୍ରାଭ୍ୟାସ ପ୍ରଭାବିତ ହୋଇ କମ ନିଦ୍ରା ତଥା ନିଦ୍ରାରେ ବ୍ୟାଘାତ ଘଟିଥାଏ । ଏହି ସବୁ ପରିବର୍ତ୍ତନ ସାମଗ୍ରିକ ଭାବେ ଖାଦ୍ୟାଭ୍ୟାସରେ ପ୍ରତିଫଳିତ ହୋଇ ଓଜନ ପରିବର୍ତ୍ତନରେ ପର୍ଯ୍ୟବସିତ ହୁଏ ।

 

ଗବେଷିକା ନିଜ ସନ୍ଦର୍ଭରେ ଉଲ୍ଲେଖ କରିଛନ୍ତି ଯେ ମସ୍ତିସ୍କ ସହ ପାକସ୍ଥଳୀର ଗଭୀର ସଂଯୋଗ ସ୍ଥାପିତ । ବ୍ୟକ୍ତି ଚାପଗ୍ରସ୍ତ ହେଲେ ପାଚନ ପ୍ରକ୍ରିୟା ଶୀଥିଳ ହୋଇପଡ଼େ । ଫଳରେ ଖାଦ୍ୟ ଗ୍ରହଣରେ ଅନାଗ୍ରହ ଓ ଅନିୟମିତତା ଦେଖାଯାଏ । ଏହା ଅଭ୍ୟାସଗତ ହୋଇଗଲେ ଶରୀର ଓଜନ ହ୍ରାସ କାରଣ ପାଲଟେ ।

 

ଅପରପକ୍ଷେ ବ୍ୟକ୍ତି ମାନସିକ ଚାପର ମୁକାବିଲା ନିମନ୍ତେ ସୁସ୍ୱାଦୁ ଖାଦ୍ୟ ଖାଇବାକୁ ମଧ୍ୟ ଉଦ୍ୟମ କରିଥାଏ । ଉଦାହରଣରେ ମିଠା ଜାତୀୟ ଖାଦ୍ୟ ଗ୍ରହଣରେ ସେରୋଟୋନିନ ସ୍ତର ବୃଦ୍ଧି ହୋଇ ତତ୍ କ୍ଷଣାତ ଆନନ୍ଦ ଉଦ୍ରେକ ହୋଇଥାଏ । କିନ୍ତୁ ଶରୀରର ରକ୍ତ ଅତିକମ ସମୟ ମଧ୍ୟରେ ଅତିରିକ୍ତ ଶର୍କରା ଅଂଶକୁ ପରିସ୍କୃତ କରିନେଉଥିବା ହେତୁ ଆନନ୍ଦକୁ ଦୀର୍ଘ ସ୍ଥାୟୀ କରିବା ଉଦ୍ଦେଶ୍ୟରେ ଅଧିକ ମିଠା ଖାଇବା ନିମନ୍ତେ ଆଗ୍ରହ ପ୍ରକାଶ ପାଏ । ଏତଦ୍ୱାରା ଖାଦ୍ୟ ଗ୍ରହଣ ସୀମା ବୃଦ୍ଧି ପାଇ ଅତ୍ୟାଧିକ କ୍ୟାଲୋରି ସଞ୍ଚୟ କରିଥାଏ । ଏହା କ୍ରମଶଃ ଶରୀରର ଓଜନ ବୃଦ୍ଧିରେ ସହାୟକ ହୁଏ ।

 

ହାର୍ଭାଡ଼ ମେଡ଼ିକାଲ ସ୍କୁଲର ଅଧ୍ୟାପିକା ଏଲିଜାବେଥ ପେଗ ଫ୍ରାଲେସ ଅକ୍ଟୋବର ୨୦୨୧ରେ ପ୍ରକାଶିତ ଏକ ପ୍ରବନ୍ଧରେ ଦର୍ଶାଇଛନ୍ତି ଯେ ମାନସିକ ଚାପ ଶରୀରରେ କର୍ଟିସୋଲ ରସାୟନର ମାତ୍ରା ବୃଦ୍ଧି କରିଥାଏ । ଏହା ସୁସ୍ୱାଦୁ ଖାଦ୍ୟ ଗ୍ରହଣ ନିମନ୍ତେ ପ୍ରୋତ୍ସାହିତ କରେ ଏବଂ ଅଧିକ ଖାଇବା ଫଳରେ ମେଦ ବୃଦ୍ଧି ଘଟେ । ସେହିପରି ଚାପ ହେତୁ ଅନ୍ୟ କେତେକଙ୍କ କ୍ଷେତ୍ରରେ ଉଚ଼ିତ ପରିମାଣ ଖାଦ୍ୟ ଗ୍ରହଣରେ ଅବହେଳା କରିଥାନ୍ତି । ଏହି କାରଣରୁ ସେମାନଙ୍କ ଶରୀରରେ ଓଜନ ହ୍ରାସ ଘଟେ ।

 

ଏତଦ୍ ବ୍ୟତୀତ ମହାମାରୀ କାଳରେ ଲୋକଙ୍କ ନିଜ ଘରେ ରାନ୍ଧିବାଢ଼ି ଖାଇବା ଅଭ୍ୟାସ ଓଜନ କମାଇବାରେ ସାହାଯ୍ୟ କରୁଥିବା ମଧ୍ୟ ସେ ସୂଚାଇଥିଲେ । ମିନେସୋଟା ବିଶ୍ୱବିଦ୍ୟାଳୟର ଆହୂତ ଏକ ଗବେଷଣାରେ ପ୍ରାୟ ତିନି ହଜାର ବ୍ୟକ୍ତିଙ୍କ ୧୫ ବର୍ଷ ଧରି ଖାଦ୍ୟାଭ୍ୟାସ ଅନୁଧ୍ୟାନ କରାଯାଇଥିଲା । ସେଥିରୁ ଜଣାଯାଇଥିଲା ଯେ ଯେଉଁମାନେ ସପ୍ତାହରେ ଦୁଇ ଥର ରେଷ୍ଟୁରାଣ୍ଟ ଯାଇ ଖାଆନ୍ତି ସେମାନଙ୍କ ଅନ୍ୟମାନଙ୍କ ଅପେକ୍ଷା ଦଶ ପାଉଣ୍ଡ ଯାଏଁ ଶରୀର ଓଜନ ବଢ଼ିଥାଏ ।

 

ନିଜ ପ୍ରବନ୍ଧରେ ଏଲିଜାବେଥ ମହାମାରୀ ଅବସରରେ ପ୍ରାୟ ଦେଢ଼ ଶହ କୋଟି ଚ଼ିକିତ୍ସିତ ହୋଇଥିବା ରୋଗୀଙ୍କ ଇଲକ୍ଟ୍ରୋନିକ ରେକର୍ଡ଼ରେ ଲିପିବଦ୍ଧ ଥିବା ଧାରାବାହିକ ଶରୀର ଓଜନର ବିବରଣୀ ଅନୁଧ୍ୟାନ କରାଯାଇ ପ୍ରାୟ ୩୫ ପ୍ରତିଶତଙ୍କଠାରେ ଓଜନ ହ୍ରାସ ଏବଂ ୩୯ ପ୍ରତିଶତଙ୍କଠାରେ ଓଜନ ବୃଦ୍ଧି ଜଣାପଡ଼ିଥିବା ତଥ୍ୟ ଉଦ୍ଧାର କରିଥିଲେ । ଏଲିଜାବେଥଙ୍କ ବିଚାରରେ କମ ସଂଖ୍ୟକ ଲୋକ ଓଜନ ହ୍ରାସ ସଂପର୍କରେ ଅଭିଯୋଗ ଆଣୁଥିବା ହେତୁ ଏହି ସମସ୍ୟାଟି ସହଜରେ ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରେ ନାହିଁ ।

 

ମହାମାରୀରେ ଶରୀର ଓଜନ ପରିବର୍ତ୍ତନ ମୁଖ୍ୟତଃ ମାନସିକ ଚାପ କେନ୍ଦ୍ରୀକ । ଏହି ଦିଗରେ ସଚ଼େତନ ରହିବା ଏବଂ ଚାପ ହ୍ରାସ ନିମନ୍ତେ ବ୍ୟକ୍ତିଗତସ୍ତରରେ ଉଦ୍ୟମ କରିବା ଆବଶ୍ୟକ । ଚାପ ମୁକ୍ତ ଜୀବନ ଯାପନ ନିମନ୍ତେ ବହୁ ପ୍ରଣାଳୀ ଆଲୋଚ଼ିତ ହେଉଥିଲେ ହେଁ ଆଧୁନିକ ଲାଇଫଷ୍ଟାଇଲ ମେଡ଼ିସନରେ ଛଅଗୋଟି ସ୍ତମ୍ଭ ‘ସିକ୍ସ ପିଲର୍ସ ଅଫ ଲାଇଫ ଷ୍ଟାଇଲ ମେଡ଼ିସନ’-ବ୍ୟାୟାମ, ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ, ସୁନିଦ୍ରା, ସାମାଜିକ ସଂପୃକ୍ତି, ଚାପହ୍ରାସ ନିମନ୍ତେ ଉଦ୍ୟମ ଓ ମାଦକଦ୍ରବ୍ୟ ସେବନରୁ ଦୂରେଇ ରହିବାକୁ ଗୁରୁତ୍ୱ ଦିଆଯାଏ । ଏଲିଜାବେଥ ଜଣେ ଲାଇଫଷ୍ଟାଇଲ ମେଡ଼ିସନ ବିଶେଷଜ୍ଞ ।


 

ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ନଭେମ୍ୱର ୨୦୨

 ---

ତଥ୍ୟ :

Begdache, Lina. Unwanted weight gain or weight loss during the pandemic ? Blame your stress hormones. theconversation.com. April 02, 2021

https://theconversation.com/unwanted-weight-gain-or-weight-loss-during-the-pandemic-blame-your-stress-hormones-157852


Frates, Elizabeth Pegg. Did we really gain weight during the pandemic?


www.health.harvard.edu. October 05, 2021.

https://www.health.harvard.edu/blog/did-we-really-gain-weight-during-the-pandemic-202110052606

ମହାମାରୀରେ ସାମୂହିକ ଶୋକାନୁଭୂତି

କୋଭିଡ଼-୧୯ ମହାମାରୀ ବିଶ୍ୱବ୍ୟାପୀ କାୟା ବିସ୍ତାର କରିବା ଅବସରରେ ସଂକ୍ରମଣର ଭୟାବହତାରେ ଆଶଙ୍କିତ ହୋଇ ବିଭିନ୍ନ ପ୍ରାନ୍ତର ଜନସାଧାରଣ ସାମୂହିକସ୍ତରରେ ଶୋକଗ୍ରସ୍ତ ହେବା ସ୍ୱାଭାବିକ । ବିଶେଷକରି ସଂକ୍ରମଣର ତୀବ୍ରତା ଅନୁଭୂତ ରାଷ୍ଟ୍ରଗୁଡ଼ିକରେ ଦୀର୍ଘକାଳଧରି ଜନପଦ ବନ୍ଦର ଡ଼ାକରାରେ ପ୍ରଭାବିତ ଜନଜୀବନ ମାନସିକ ଚାପର ଶୀକାର ହୋଇପଡ଼ିଛି । ଏତାଦୃଶ୍ୟ ପରିବେଶ ଦୀର୍ଘ ଅତୀତରୁ ଅନୁଭୂତ ନହୋଇଥିବା ହେତୁ ସାମୂହିକ ଅନୁଭବର ଘନତ୍ୱ ପରିମାପ ସଂଭବପର ହୋଇପାରୁ ନାହିଁ ।

 

ଶୋକବିଜ୍ଞାନ ଅଧ୍ୟୟନ କ୍ଷେତ୍ରରେ ମାର୍କିନ ମନସ୍ତତ୍ତ୍ୱବିତ ଡ଼େଭିଡ଼ କେସଲର ଅନ୍ୟତମ ଚର୍ଚ୍ଚିତ ଗବେଷକ । ସେ ଏଲିସାବେଥ କୁବଲର-ରସଙ୍କ ସହ ଶୋକପ୍ରକାଶର ପାଞ୍ଚଗୋଟି ସୋପାନ ବର୍ଣ୍ଣନା କରି ୨୦୦୫ରେ ପୁସ୍ତକ ରଚନା କରିଥିଲେ । କେସଲରଙ୍କ ପରବର୍ତ୍ତୀ ପୁସ୍ତକ ଫାଇଣ୍ଡିଙ୍ଗ ମିନିଙ୍ଗ : ଦି ସିକ୍ସଥ ଷ୍ଟେଜ ଅଫ ଗ୍ରୀଫ ୨୦୧୯ ନଭେମ୍ୱରରେ ପ୍ରକାଶିତ ହୋଇଥିଲା । ତାଙ୍କରି ୱେବସାଇଟ ଗ୍ରୀଫ-ଡ଼ଟ-କମ ବାର୍ଷିକ ୧୬୭ଗୋଟି ରାଷ୍ଟ୍ରର ୫୦ ଲକ୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିବିଶେଷ ପରିଦର୍ଶନ କରିଥାନ୍ତି । ଖ୍ୟାତନାମା ହାର୍ଭାଡ଼ ବିଜିନେସ ରିଭ୍ୟୁ ପତ୍ରିକାରେ କୋଭିଡ଼-୧୯ ବ୍ୟାପ୍ତି ଅବସରରେ ସାମୂହିକ ଶୋକାନୁଭୂତି ସଂପର୍କରେ ୨୦୨୦ ମାର୍ଚ୍ଚ ଶେଷ ସପ୍ତାହରେ କେସଲରଙ୍କ ସହ ଏକ ସାକ୍ଷାତକାର ସ୍ଥାନିତ ହୋଇଥିଲା ।

 

କେସଲରଙ୍କ ମତରେ କରୋନା ଭୂତାଣୁ ସଂକ୍ରମଣରେ ବହୁଲୋକ ଆକ୍ରାନ୍ତ ହେବାପରେ ସାମାଜିକସ୍ତରରେ ବିଷାଦର ଛାୟା ବ୍ୟାପି ଯାଇଛି । ସାଧାରଣତଃ କୌଣସି ବିୟୋଗଜନିତ ଦୁଃଖରେ ଜଣେ, ଗୋଟିଏ ପରିବାର କିମ୍ୱା ଏକ ଗୋଷ୍ଠୀ ଶୋକାକ୍ରାନ୍ତ ହେଉଥିବା ସ୍ଥଳେ ମହାମାରୀ ଅବସରରେ ରାଷ୍ଟ୍ରବ୍ୟାପୀ ତଥା ବିଶ୍ୱବ୍ୟାପୀ ଶୋକପ୍ରକାଶ ଅନୁଭୂତ ହେବାରେ ଲାଗିଛି । ମାନବ ସମାଜ ବିପୁଳ ବୈଜ୍ଞାନିକ ପ୍ରଗତି ସତ୍ତ୍ୱେ ଅସହାୟତାବୋଧର ଶୀକାର ହୋଇଛି ।

 

ବ୍ୟକ୍ତିଗତ ଶୋକାନୁଭୂତି ତୁଲ୍ୟ ସାମୂହିକ ଶୋକାନୁଭୂତି ମଧ୍ୟ ପାଞ୍ଚଗୋଟି ସ୍ତର ମଧ୍ୟ ଦେଇ ଗତି କରିଥାଏ । ବିୟୋଗାନ୍ତକ ପରିବେଶରେ ପ୍ରଥମତଃ ଦୁର୍ଘଟଣାଟି ବିଶ୍ୱାସଯୋଗ୍ୟ ମନେହୋଇନଥାଏ, ଦ୍ୱିତୀୟତଃ ଏଥିନେଇ ଆମେ କ୍ରୋଧାନ୍ୱିତ ହୋଇପଡୁ, ତୃତୀୟତଃ ପରିସ୍ଥିତି ସହ ସାଲିସ କରିବାକୁ ଉଦ୍ୟମ କରୁ, ଚ଼ତୁର୍ଥତଃ ଦୁଃଖୀତ ହୋଇ ଅବସାଦର ଶୀକାର ହୋଇପଡୁ ଏବଂ ଶେଷରେ ପଞ୍ଚମତଃ ଦୁର୍ଘଟଣାଟିକୁ ସ୍ୱାଭାବିକ ବୋଲି ସ୍ୱୀକାର କରିବସୁ । କେସଲରଙ୍କ ସଦ୍ୟତମ ଉପପାଦ୍ୟ ଅନୁଯାୟୀ ଷଷ୍ଠରେ ଦୁର୍ଘଟଣାର ଅର୍ଥ ଖୋଜିବାହାର କରୁ । ଶୋକ ପ୍ରକାଶ କ୍ଷେତ୍ରରେ ବ୍ୟକ୍ତିଗତସ୍ତରରେ ଅନୁଭବ ସାମୂହିକସ୍ତରରେ ମଧ୍ୟ ପ୍ରଯୁଜ୍ୟ ।

 

କେସଲର ମହାମାରୀ ଅବସରରେ ସାମୂହିକ ଶୋକାନୁଭୂତିକୁ ଆଶଙ୍କିତ ଶୋକ ଏଣ୍ଟିସିପଟରି ଗ୍ରୀଫ ପର୍ଯ୍ୟାୟଭୁକ୍ତ କରିଥାନ୍ତି । ସାଂପ୍ରତିକ ପରିସ୍ଥିତିକୁ ବିଚାରକୁ ନେଇ ଭବିଷ୍ୟତ ଆକଳନରେ ଜନସାଧାରଣ ମୁହ୍ୟମାନ ହୋଇପଡ଼ନ୍ତି । ମାନସିକସ୍ତରରେ ବିପଦର ଘନଘନ ଚ଼େତାବନୀ ସେମାନଙ୍କୁ ଭୟଭୀତ କରିପକାଏ । ସେ ଏହି ପରିବେଶର ମୁକାବିଲା କରିବା ନିମନ୍ତେ ପ୍ରତ୍ୟେକ ଶୋକାକ୍ରାନ୍ତ ବ୍ୟକ୍ତି ସକାରାତ୍ମକ ମନୋଭାବ ପୋଷଣ କରିବା ନିମନ୍ତେ ଉଦ୍ୟମର ଆବଶ୍ୟକତାରେ ଗୁରୁତ୍ୱାରୋପ କରିଥାନ୍ତି । ମନରେ ଦୁଃଖଦ ଦୃଶ୍ୟ ବଦଳରେ ସୁଖକର ଦୃଶ୍ୟ କଳ୍ପନା କରିବାକୁ ପରାମର୍ଶ ଦେଇଥାନ୍ତି ।

 

ଆଶଙ୍କିତ ଶୋକପ୍ରକାଶ କାଳରେ ଭବିଷ୍ୟତ ବିପଦପୂର୍ଣ୍ଣପ୍ରତୀୟମାନ ହୋଇଥାଏ । ତେବେ ବର୍ତ୍ତମାନ ପରିସ୍ଥିତି ନିରାପଦ ଥିବା ହେତୁ ଭବିଷ୍ୟତରେ ବିପଦ କଳନା ଯୁକ୍ତିଯୁକ୍ତ ନୁହେଁ ବୋଲି ଉପଲବ୍ଧି ମାନସିକସ୍ତରରେ ସାହାସ ଯୋଗାଏ । ସାମୂହିକସ୍ତରରେ ସକାରାତ୍ମକ ମନୋଭାବ ପ୍ରସାର ନିମନ୍ତେ ପ୍ରେରଣାଦାୟୀ ପରାମର୍ଶକୁ ଅଗ୍ରାଧିକାର ଦିଆଯାଇପାରେ । ପରସ୍ପର ମଧ୍ୟରେ ସହାନୁଭୂତି ପ୍ରସାର ମଧ୍ୟ ବିଷାଦର ଛାୟା ନିଷ୍ପ୍ରଭ କରିବାରେ ସହାୟକ ହୋଇଥାଏ ।

 

କେସଲରଙ୍କ ବିଚାରରେ ମନୁଷ୍ୟ ନିଜ ନିୟନ୍ତ୍ରଣ ବର୍ହିଭୂତ ଘଟଣା ପ୍ରବାହ ପ୍ରତି ଭରାକ୍ରାନ୍ତ ନହେବାଲାଗି ବ୍ୟକ୍ତିଗତସ୍ତରରେ ଉଦ୍ୟମ ମଧ୍ୟ ଶୋକାନୁଭୂତି ପ୍ରଶମନର ଅନ୍ୟତମ ଉପାୟ । ମହାମାରୀ ଅବସରରେ ପାଖପଡ଼ୋଶୀ ତଥା ଅପରିଚିତଙ୍କ ଆଚ଼ରଣ ସାମୂହିକ ବିପଦର କାରଣ ପାଲଟୁଥିଲେହେଁ ବ୍ୟକ୍ତିଗତସ୍ତରରେ ପରିସ୍ଥିତି ସଜାଡ଼ିବା ନିମନ୍ତେ ବିଶେଷ ସାଧନ ଉପଲବ୍ଧ ନଥାଏ । ଏହି ପରିବେଶରେକେବଳ ସଂକ୍ରମଣରେ ନିଜକୁ ସାମିଲ ନକରିବା ନିମନ୍ତେ ସାମାଜିକ ଦୂରାବସ୍ଥାନ ଓ ପରିମଳ ରକ୍ଷା ଅଭ୍ୟାସ କରିବାକୁ ପଡ଼ିଥାଏ ।

 

ଶୋକାନୁଭୂତି ପରିପ୍ରକାଶରେ ହିଁ ଉପଶମ ହୁଏ । ଜଣେ ବ୍ୟକ୍ତି ନିଜେ ଶୋକାବିଷ୍ଟ ହେବା ସଂପର୍କରେ ସଚ଼େତନ ହେବାପରେ ଶୋକପ୍ରକାଶର ଗତିପ୍ରକୃତି ସଂପର୍କରେ ଅବଗତ ହୋଇ ପରବର୍ତ୍ତୀ ସମୟ ଅତିବାହିତ କରିବା ସମ୍ଭବ । ପରିଚିତ ରାସ୍ତା ପଥିକ ସହଜରେ ଅତିକ୍ରମ କରିପାରେ । ପ୍ରତ୍ୟେକ କ୍ଷେତ୍ରରେ ଶୋକାନୁଭୂତି ନିଜସ୍ୱ ଓ ସ୍ୱତନ୍ତ୍ର ।

 

ଶୋକାବେଗ ଉଦ୍ରେକ କାଳରେ କେତେକ କ୍ଷେତ୍ରରେ ଶୋକପ୍ରକାଶରୁ କ୍ଷାନ୍ତ ରହିବା ନିମନ୍ତେ ଆମେ ଉଦ୍ୟମ କରିଥାଉ । କେସଲରଙ୍କ ପରାମର୍ଶରେ ଏତାଦୃଶ୍ୟ ମନୋଭାବ ପ୍ରାକୃତିକଭାବେ ସୃଷ୍ଟ ଶୋକପ୍ରକାଶକୁ ଆକଟ କରାଯାଏ ଏବଂ ସ୍ଥଳ ବିଶେଷରେ ମାନସିକ ସ୍ୱାସ୍ଥ୍ୟବସ୍ଥା ଅବନତିର କାରଣ ପାଲଟିପାରେ । ଶୋକପ୍ରକାଶ ସ୍ୱତଃପ୍ରବୃତ୍ତ ହୋଇଥିବା ହେତୁ ଏହି କ୍ଷେତ୍ରରେ ନିୟନ୍ତ୍ରଣ ବଦଳରେ ପ୍ରକ୍ରିୟାକୁ ସୁଗମ କରିବା ଉଦ୍ୟମରୁ ସୁଫଳ ମିଳିଥାଏ ।

 

ସେହିପରି ଜଣକର ଶୋକାବେଗ ଅନ୍ୟ ଜଣକର ଶୋକାବେଗ ସହ ତୁଳନା ଅଯୌକ୍ତିକ । ଅନେକ ସମୟରେ ଆମେ ପ୍ରବୋଧନାର ସାହାରା ନେଉ ଯେ ଦୁର୍ଘଟଣାଟି ଅଧିକ ତୀବ୍ର ହୋଇପାରିଥାନ୍ତା କିମ୍ୱା ଅନ୍ୟମାନେ ଏହାଠାରୁ ଅଧିକ ପୀଡ଼ାଦାୟକ ଦୁର୍ଘଟଣାର ଶୀକାର ହୋଇ ବର୍ତ୍ତି ଯାଇଛନ୍ତି, ଏଣୁ ନିଜେ ଶୋକାକୁଳ ହେବା ଅନୁଚିତ । ଏହିଭଳି ମନୋଭାବ ପୋଷଣ ବସ୍ତୁନିଷ୍ଠଭିତ୍ତିକ କନଜ୍ୟୁମର ସମାଜରେ ଆଦରଲାଭ କରୁଥିଲେ ହେଁ ପ୍ରାକୃତିକ ଶୋକପ୍ରକାଶରେ ପ୍ରତିବନ୍ଧକ ସୃଷ୍ଟି କରିଥାଏ । ଶୋକାବେଗକୁ ତୁଳନାତ୍ମକ ବିଚାରରେ ଅନୁଶୀଳନ କରିବା ବଦଳରେ ସ୍ୱଚ୍ଛ ଶୋକପ୍ରକାଶକୁ ଉତ୍ସାହିତ କରିବା ଆମ ପକ୍ଷେ ହିତକର ।

 

ସାଧାରଣରେ ମୃତ୍ୟୁଜନିତ ଦୁଃଖକୁ ଶୋକପ୍ରକାଶର ଉତ୍ସରୂପେ ବିବେଚନା କରାଯାଇଥାଏ । ତେବେ କେସଲର ବହୁବିଧ ବିୟୋଗଜନିତ କାରଣରୁ ଶୋକାନୁଭୂତି ସଂଭବ ବୋଲି କହିଥାନ୍ତି । ଉଦାହରଣରେ ବନ୍ଧୁତ୍ୱଚ୍ଛିନ୍ନ, ବିବାହବିଚ୍ଛେଦ, ବ୍ୟାବସାୟିକ କ୍ଷତି, ନିଯୁକ୍ତିହାନୀ, ପଦପଦବୀରୁ ବଞ୍ଚିତ ହେବା ଇତ୍ୟାଦି ବିଭିନ୍ନ ଘଟଣାକ୍ରମ ବ୍ୟକ୍ତିଗତ ଶୋକପ୍ରକାଶର କାରଣ ପାଲଟିଥାଏ । ସେହିପରି ଦୈବଦୁର୍ବିପାକ, ରାଜନୀତିକ ଅସ୍ଥିରତା, ଅର୍ଥନୀତିକ ମାନ୍ଦାବସ୍ଥା ଇତ୍ୟାଦି ସାମୂହିକ ଶୋକ ପ୍ରକାଶରେ ପର୍ଯ୍ୟବସିତ । କୋଭିଡ଼-୧୯ ମହାମାରୀର ସୁଦୂରପ୍ରସାରୀ ପ୍ରଭାବ ଆକଳନରେ ମୁଖ୍ୟତଃ ଆର୍ଥିକ ମାନ୍ଦାବସ୍ଥା ଓ ତତ୍ଜନିତ ବେରୋଜଗାର, ପାରିବାରିକ ଅସ୍ଥିରତା ଓ ସାମାଜିକ ସମସ୍ୟାବଳୀ ସଂଭାବନାରେ ଜନସଂଖ୍ୟାର ଏକ ବୃହତ ଅଂଶ ପ୍ରଭାବିତ ହୋଇଥିବା ଅନୁମାନ କରାଯାଏ । ସେମାନଙ୍କ କ୍ଷେତ୍ରରେ ସୃଷ୍ଟ ବ୍ୟକ୍ତିଗତ ଶୋକ ସମଷ୍ଟିଗତଭାବେ ସାମୂହିକ ଶୋକାନୁଭୂତିରେ ରୂପାନ୍ତରିତ ହୋଇଛି ।

 

ଆଧୁନିକ ପରିବେଶରେ ସାମାଜିକସ୍ତରରେ ଶୋକପ୍ରକାଶକୁ ଗୁରୁତ୍ୱ ଦିଆନଯାଉଥିବା ପରିଲକ୍ଷିତ । ସାଧାରଣରେ ଦୁଃଖ ପ୍ରକାଶକୁ ଯଥାସଂଭବ ସଂକ୍ଷିପ୍ତ କରିବା ନିମନ୍ତେ ଉଦ୍ୟମକୁ ଉତ୍ସାହିତ କରାଯାଇଥାଏ । ବ୍ୟକ୍ତିଗତସ୍ତରରେ କୌଣସି ବିୟୋଗଜନିତ କାରଣରୁ ଶୋକାବିଷ୍ଟ ଖୁବ କମ ସମୟ ଶୋକାକୁଳ ହୋଇ ତୁରନ୍ତ ସାଧାରଣ ଜୀବନକୁ ଫେରିବାକୁ ଚେଷ୍ଟା କରିଥାନ୍ତି । କିନ୍ତୁ ଶୋକବିଜ୍ଞାନୀମାନଙ୍କ ମତରେ ପ୍ରାଞ୍ଜଳ ଭାବେ ଶୋକପ୍ରକାଶରୁ ହିଁ ସୁଫଳ ମିଳେ ।

 

ଶୋକପ୍ରକାଶ ପ୍ରାକୃତିକ ଏବଂ ଏହାକୁ ଏଡ଼ାଇଦେବା ସଂଭବପର ନଥିବା ସ୍ଥଳେ ସାମୂହିକ ଶୋକାନୁଭୂତି ପ୍ରଶମନ ନିମନ୍ତେ ବ୍ୟକ୍ତିଗତସ୍ତରରେ ଶୋକପ୍ରକାଶ ଗୁରୁତ୍ୱପୂର୍ଣ୍ଣ। ମନସ୍ତତ୍ତ୍ୱବିତମାନଙ୍କ ଦ୍ୱାରା ପରିଚାଳିତ ଶୋକ ପ୍ରଶମନ ଚିକିତ୍ସା ଥେରାପିଭାରତଭଳି ବିକାଶଶୀଳ ରାଷ୍ଟ୍ରଗୁଡ଼ିକରେ ବହୁଳମାତ୍ରାରେ ଉପଲବ୍ଧ ନଥାଏ । ତେବେ ପାରମ୍ପରିକ ପଦ୍ଧତି ପ୍ରୟୋଗରେ ପରିବାରବର୍ଗ ଓ ଘନିଷ୍ଠ ବନ୍ଧୁବାନ୍ଧବଙ୍କ ସହଚର୍ଯ୍ୟରେ ଶୋକପ୍ରକାଶ ପ୍ରକ୍ରିୟା ଉଚ଼ିତ ସମୟସୀମାରେ ସମାପନ କରାଯାଇପାରେ । ନଚ଼େତ ଏହା ବିଳମ୍ୱିତ ଶୋକ ଡ଼ିଲେଡ଼ ଗ୍ରୀଫରେ ପରିଣତ ହେବା ଆଶଙ୍କା ଘନୀଭୂତ ହୋଇଥାଏ ।

 

ଶୋକପ୍ରକାଶକୁ ଏଡ଼ାଇ ଦେବା କିମ୍ୱା ଏ ସଂପର୍କରେ କଥୋପକଥନ ଅଳ୍ପକେ ସୀମିତ ରଖିବା ଉଦ୍ୟମର ଏକ ମୁଖ୍ୟ କାରଣ ରୂପେ ମନୁଷ୍ୟର ଅସହାୟତାକୁ ଚ଼ିହ୍ନଟ କରାଯାଇପାରେ । ବସ୍ତୁନିଷ୍ଠ ସାମାଜିକଧାରାରେ ମନୁଷ୍ୟ ପ୍ରତ୍ୟେକ ବିଷୟ ନିଜ ନିୟନ୍ତ୍ରଣରେ ରଖିବା ନିମନ୍ତେ ଲକ୍ଷ୍ୟବଦ୍ଧ ଥିବା ସ୍ଥଳେ ଅସହାୟତା ପ୍ରକାଶନକୁ ସଭ୍ୟତାର ପରିପନ୍ଥୀ ରୂପେ ଗ୍ରହଣ କରେ ଏବଂ ପ୍ରକାଶ୍ୟରେ ଅସହାୟତା ସ୍ୱୀକାରରୁ ଦୂରେଇ ରହିବା ନିମନ୍ତେ ଯଥାସାଧ୍ୟ ଉଦ୍ୟମ କରିଥାଏ ।

 

ଶୋକପ୍ରକାଶ କାଳରେ ଆତ୍ମୀୟସ୍ୱଜନ ଦୁର୍ଘଟଣାର ପ୍ରଭାବକୁ ରୀତିମତ ନ୍ୟୂନ କରିବା ନିମନ୍ତେ ଚେଷ୍ଟା କରିବା ବସ୍ତୁନିଷ୍ଠ ସଭ୍ୟତାର ଅନ୍ୟତମ ପ୍ରତୀକ । ଦୁର୍ଘଟଣାର ପ୍ରାବଲ୍ୟ ବହୁଗୁଣରେ ବଢ଼ିପାରିଥାନ୍ତା ବୋଲି ସୂଚ଼ିତ କରାଇ ଶୋକାକ୍ରାନ୍ତଙ୍କୁ ପ୍ରବୋଧନା ଦେବା ନିମନ୍ତେ ଚେଷ୍ଟା କରିଥାନ୍ତି । ତେବେ ଏହା ଅନୁଚିତ । ଶୋକ ପ୍ରକାଶର ଉପଶମ କେବଳ ଶୋକ ପ୍ରକାଶରେ ଉପଲବ୍ଧ ବୋଲି ବୁଝିବାକୁ ପଡ଼େ ।

 

ଶୋକାବେଗ ସଂପର୍କରେ ସଚ଼େତନ ହେଲେ ଶୋକଚ୍ଛ୍ୱାସକୁ ଚ଼ିହ୍ନଟ କରିବା, ପ୍ରଶମନ ନିମନ୍ତେ ବିଧିବଦ୍ଧ ଉଦ୍ୟମ ଏବଂ ଶୋକକର ଘଟଣାର ଅର୍ଥ ସନ୍ଧାନ ସହଜ ହୋଇପାରେ । କୋଭିଡ଼-୧୯ ବିଶ୍ୱମହାମାରୀ ଅବସରରେ ସାମୂହିକ ଶୋକ ପ୍ରକାଶ ପ୍ରଶମନ ସଙ୍ଗେ ଏଭଳି ମହାମାରୀ ପରବର୍ତ୍ତୀ ଅବସ୍ଥାରେ ସୃଷ୍ଟ ସାମାଜିକ ପରିବର୍ତ୍ତନ ସଂପର୍କରେ ଅବଗତ ହୋଇ ତାହାର ମୁକାବିଲା କରିବା ନିମନ୍ତେ ଯୋଜନାବଦ୍ଧ ଉଦ୍ୟମ ସାଧାରଣ ଜନଜୀବନରେ ଗୁରୁତ୍ୱ ବହନ କରେ ।

 

କେଉଁ ପରିସ୍ଥିତିରେ ଆମେ ମହାମାରୀ ସମ୍ମୁଖୀନ ହେଲୁ, ସେଭଳି ସମସ୍ୟାଗୁଡ଼ିକର ସମାଧାନ ନିମନ୍ତେ ପ୍ରତ୍ୟେକଙ୍କୁ ବ୍ୟକ୍ତିଗତସ୍ତରରେ କଣ ସବୁ ପଦକ୍ଷେପ ଗ୍ରହଣ କରିବା ଉଚ଼ିତ ତଥା ପରିବର୍ତ୍ତିତ ପରିବେଶରେ ଖାପଖୁଆଇବା ନିମନ୍ତେ ନିଜକୁ କିପରି ପ୍ରସ୍ତୁତ କରିପାରିବା ସେ ଦିଗରେ ଅନୁଶୀଳନ ଆପାତତଃ ବ୍ୟକ୍ତିଗତ ଓ ସାମୂହିକସ୍ତରରେ ହିତକର ସାବ୍ୟସ୍ତ ହୋଇପାରେ । ଭବିଷ୍ୟତ ସଂପର୍କରେ ଆଶଙ୍କିତ ହୋଇ ଶୋକପ୍ରକାଶ କାଳରେ ଉନ୍ନତ ଭବିଷ୍ୟତ ଗଢ଼ି ତୋଳିବା ନିମନ୍ତେ ଯୋଜନାବଦ୍ଧ ଉଦ୍ୟମ ଏକ ପକ୍ଷରେ ଶୋକ ପ୍ରଶମନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରି ଅପରପକ୍ଷରେ ପ୍ରଗତିର ରୂପରେଖ ଅଙ୍କନରେ ସହାୟକ ହେବା ସମ୍ଭବ । 



ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଏପ୍ରିଲ ୨୦୨୦


ତଥ୍ୟ:

 

Berinato, Scott. That discomfort you’re feeling is grief. Harvard Business Review. March 23, 2020.



< https://hbr.org/2020/03/that-discomfort-youre-feeling-is-grief>


 

Yuko, Elizabeth. Processing grief during a pandemic, when nothing is normal.Rolling Stone 



<https://www.rollingstone.com/culture/culture-features/coronavirus-grief-pandemic-emotional-fatigue-981847/>


 

Kwon, R.O. Trouble focusing ? Not sleeping ? You may be grieving. New York Times



 <https://www.nytimes.com/2020/04/09/opinion/sunday/coronavirus-grief-mental-health.html>

ଅକସ୍ମାତ ଗୃହାବଦ୍ଧ ବାର୍ଦ୍ଧକ୍ୟ

ଭାରତରେ ମାର୍ଚ୍ଚ ୨୦୨୦ ମଧ୍ୟଭାଗରୁ କୋଭିଡ଼-୧୯ ସଂକ୍ରମଣ ଆରମ୍ଭ ମାତ୍ରେ ଜନପଦ ବନ୍ଦ ଲକଡ଼ାଉନ ଦୀର୍ଘ ଦୁଇମାସରୁ ଉର୍ଦ୍ଧ୍ୱ ସମୟଧରି ବଳବତ୍ତର ରହିବା ପରେ ସ୍ୱାଭାବିକ ଜୀବନଯାତ୍ରାକୁ ଫେରିବା ପ୍ରୟାସ ଆରମ୍ଭ ହୋଇଛି । ଏହି ମୁକ୍ତ ପରିବେଶରେ ରୋଗର ବ୍ୟାପକ ସଂକ୍ରମଣ ଆକଳନ କରାଯାଉଥିବା ହେତୁ ଜୁନ ଓ ଜୁଲାଇ ଦୁଇମାସ ଧରି ଭୂତାଣୁ କବଳରୁ ନିଜକୁ ସୁରକ୍ଷିତ ରଖିବା ନିମନ୍ତେ ବ୍ୟକ୍ତିଗତସ୍ତରରେ ପ୍ରତ୍ୟେକଙ୍କୁ ସଜାଗ ରହିବାକୁ ପଡ଼ିବ । ପୃଥିବୀର ବହୁ ଅଞ୍ଚଳରେ ପ୍ରଥମ ପାଞ୍ଚ ମାସରେ ରୋଗାକ୍ରାନ୍ତଙ୍କ ମଧ୍ୟରୁ ସଂଖ୍ୟାଧିକ ବରିଷ୍ଠ ନାଗରିକ ମୃତ୍ୟୁମୁଖରେ ପଡୁଥିବା ପରିସଂଖ୍ୟାନ ଏହି ବର୍ଗର ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥାଏ ।

 

କୋଭିଡ଼-୧୯ ସଂକ୍ରମଣର ବାହକ ନୂତନ କରୋନା ସାର୍ସ-ଏନ-କୋଭ-୨ ଗତବର୍ଷ ଡ଼ିସେମ୍ୱର ୨୦୧୯ରେ ଆବିଷ୍କୃତ ହୋଇଥିବା ହେତୁ ଭୂତାଣୁର ଗତିବିଧି ସଂପର୍କରେ ବୈଜ୍ଞାନିକ କିମ୍ୱା ଚ଼ିକିତ୍ସକମାନେ ଅବଗତ ନଥିଲେ । ରୋଗର ଉପଚାର କିମ୍ୱା ପ୍ରତିଷେଧକ ଔଷଧ ପ୍ରସ୍ତୁତ ହୋଇପାରି ନାହିଁ । ବିଶ୍ୱବ୍ୟାପୀ ଗବେଷଣା କ୍ଷୀପ୍ରଗତିରେ ଚାଲିଥିଲେ ହେଁ କେବେ ଫଳପ୍ରଦ ହେବ ତାହା ନିଶ୍ଚିତ ହୋଇପାରୁ ନାହିଁ । ସଂକ୍ରମଣ ରୋକିବା ନିମନ୍ତେ ଲକଡ଼ାଉନ ହେଉ ବା ଚ଼ିକିତ୍ସାରେ ମ୍ୟାଲେରିଆ, ଏଡ଼ସ, ଇବୋଲା ଔଷଧ ପରୀକ୍ଷାମୂଳକ ଭାବେ ବ୍ୟବହୃତ ହେଉଛି ।

 

ଅପରପକ୍ଷରେ ବିଗତ କିଛିବର୍ଷ ଧରି ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଦେଖା ଦେଇଥିବା ସାର୍ସ, ମାର୍ସ, ଡ଼େଙ୍ଗୁ ଭଳି ଭୂତାଣୁଜନିତ ସଂକ୍ରମଣ ବାରମ୍ୱାର ଦେଖାଦେଉଥିବା ଇତିହାସ ରହିଛି । ବିଂଶ ଶତାଦ୍ଦୀର ପ୍ରଥମ ପାଦରେ ୧୯୧୮-୧୯ରେ ଇନଫ୍ଳୁଏଞ୍ଜା ବିଶ୍ୱମହାମାରୀ ପେଣ୍ଡାମିକ ଦୁଇବର୍ଷ ଧରି ତିନିଗୋଟି ପ୍ରବାହରେ ପ୍ରାୟ ପଚାଶ କୋଟି ଲୋକ ଆକ୍ରାନ୍ତ ହୋଇ ପାଞ୍ଚରୁ ଦଶ କୋଟି ପ୍ରାଣ ହରାଇଥିବା ଜଣାଯାଏ । ସେହି ସମୟରେ ବର୍ତ୍ତମାନ ଭଳି ଇନଫ୍ଳୁଏଞ୍ଜାର ପ୍ରତିଷେଧକ ଉଦ୍ଭାବିତ ହୋଇପାରି ନଥିଲା ଏବଂ ସେହିକାରଣରୁ ଫଳପ୍ରଦ ଚ଼ିକିତ୍ସା ସମ୍ଭବପର ହୋଇପାରୁ ନଥିଲା । ଏହି ଅଭିଜ୍ଞତାକୁ ଆଧାରକରି ତଥା କୋଭିଡ଼-୧୯ ସଂକ୍ରମଣ ନିକଟ ଅତୀତର ଗତିବିଧିକୁ ଲକ୍ଷ୍ୟ କରି ବିଶ୍ୱମହାମାରୀର ପ୍ରକୋପ ଆଗାମୀ ଦୁଇବର୍ଷ ଅନ୍ତତଃପକ୍ଷେ ୨୦୨୧ ଶେଷ ଯାଏଁ ବଳବତ୍ତର ରହିବ ବୋଲି ଆକଳନ କରାଯାଉଛି ।

 

ଏତାଦୃଶ ଅନିଶ୍ଚିତତା ମଧ୍ୟରେ ବିଶ୍ୱବ୍ୟାପୀ ସ୍ୱାଭାବିକ ଜୀବନଯାତ୍ରାକୁ ପ୍ରତ୍ୟାବର୍ତ୍ତନ କାଳରେ ଅପେକ୍ଷାକୃତ ସଂବେଦନଶୀଳ ରୋଗ ପ୍ରତିରୋଧ ଶକ୍ତିରେ ଦୁର୍ବଳ ପୁରାତନ ବ୍ୟାଧିଗ୍ରସ୍ତ ଓ ବରିଷ୍ଠ ନାଗରିକଙ୍କ ନିମନ୍ତେ ସଂକ୍ରମଣ ପ୍ରତିଷେଧକଭାବେ ସାମାଜିକସ୍ତରରେ ଦୁରାବସ୍ଥାନ କ୍ୱାରେଣ୍ଟାଇନ ନୀତି ନିର୍ଦ୍ଧାରଣ କରାଯାଉଛି ।

 

ସମ୍ଭାବ୍ୟ ସଂକ୍ରମଣ ଆଶଙ୍କାରୁ ନିଜକୁ ସୁରକ୍ଷିତ ରଖିବା ନିମନ୍ତେ ୬୦ ବର୍ଷରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକମାନେ ନିଜେ ସହବସ୍ଥାନ କରୁଥିବା ପରିବାର ସଦସ୍ୟଙ୍କ ବ୍ୟତୀତ ଅନ୍ୟମାନଙ୍କଠାରୁ ନିଜକୁ ଦୂରେଇ ରଖିବା ନିମନ୍ତେ ଜନସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି । ଜନଗହଳି ଓ ଉତ୍ସବାନୁଷ୍ଠାନଗୁଡ଼ିକରେ ଉପସ୍ଥିତି ବାରଣ ସଙ୍ଗେ ସ୍ୱାଭାବିକ ଜୀବନଯାତ୍ରାରେ ସାମିଲ ହୋଇଥିବା ପରିବାରର କମ ବୟସ୍କ ସଦସ୍ୟମାନଙ୍କ ସହ ସତର୍କତାର ସହ ମିଳାମିଶା କରିବା ନିମନ୍ତେ ଗୁରୁତ୍ୱାରୋପ କରାଯାଉଛି । ବିଶେଷକରି ଆମ ଦେଶରେ ଭୂତାଣୁ ଆକ୍ରାନ୍ତ ୮୦ ପ୍ରତିଶତ ଯୁବବର୍ଗଙ୍କଠାରେ ରୋଗର ଲକ୍ଷଣ ପ୍ରକାଶ ପାଉନଥିବା ତଥା ସେମାନଙ୍କଠାରୁ ଭୂତାଣୁ ସଂକ୍ରମଣ ଆଶଙ୍କା ଥିବା ହେତୁ ପ୍ରତିଷେଧକ ବ୍ୟବସ୍ଥା କଡ଼ାକଡ଼ି କରିବା ବ୍ୟତୀତ ଅନ୍ୟ ପନ୍ଥା ନଥିବା କୁହାଯାଉଛି ।

 

ସାର୍ବଜନୀନ ଲକଡ଼ାଉନରେ ଦୁଇମାସ ଗୃହାବଦ୍ଧ ଜୀବନପରେ ବୟସବର୍ଗଭିତ୍ତିରେ ଆଉ ଦୁଇମାସ ତଥା ପର ଅବସ୍ଥାରେ ଦେଢ଼ ବର୍ଷ ଯାଏଁ ସଂପ୍ରସାରଣ ବାର୍ଦ୍ଧକ୍ୟ ଜୀବନଯାତ୍ରାକୁ ପ୍ରଭାବିତ କରିବା ସ୍ୱାଭାବିକ । ତେବେ ସଂକ୍ରମଣର ଆଶଙ୍କା ଗୃହାବଦ୍ଧ ଜୀବନର ଇତିହାସ ବଦଳରେ କ୍ଷଣିକ ରୋଗାକ୍ରାନ୍ତଙ୍କ ସଂସ୍ପର୍ଶ ସୁଯୋଗକୁ ହାତଛଡ଼ା କରିନଥାଏ । ଡ଼ାକ୍ତର ଜୟପ୍ରକାଶ ମୁଲିଲ ଭେଲୋର ମେଡ଼ିକଲ କଲେଜର ଭୂତପୂର୍ବ ଅଧ୍ୟକ୍ଷ । ସେ ଜଣେ ସଂକ୍ରାମକରୋଗ ବିଶେଷଜ୍ଞ । ତାଙ୍କରି ମତରେ ଜଣେ ବ୍ୟକ୍ତି ଦୈନିକ ସାଢ଼େ ୨୩ ଘଣ୍ଟା ଘରେ ଏକାକୀ ରହି ଯଦି ଅଧଘଣ୍ଟା କୌଣସି ଜନଗହଳିପୂର୍ଣ୍ଣ ପରିବେଶରେ କଟାଏ, ତେବେ ସେହି କ୍ଷେତ୍ରରେ ସଂକ୍ରମଣର ଭୟ ଲାଗି ରହେ । ଦୁରାବସ୍ଥାନର ଲକ୍ଷ୍ୟ ବ୍ୟକ୍ତିବିଶେଷଙ୍କୁ ଜନଗହଳିରୁ ଦୂରେଇ ରଖିବା । ସଂକ୍ରମିତଙ୍କଠାରୁ ଅନ୍ତତଃ ଛଅଫୁଟ ଦୂରେଇ ରହିଲେ ଭୂତାଣୁର ଭୟକୁ ଏଡ଼ାଇ ଦେଇ ହୁଏ । ପ୍ରତ୍ୟେକ ବ୍ୟକ୍ତି କିପରି ଏହି ଶାରୀରିକ ଦୂରତ୍ୱ ନିରବିଚ୍ଛିନ୍ନ ରକ୍ଷା କରିପାରିବେ ତାହା ନିଜ ଉପରେ ନିର୍ଭର କରେ ।

 

ବିଂଶ ଶତାଦ୍ଦୀର ଶେଷ ଦୁଇ ଦଶକରେ ଜଗତୀକରଣ ଏବଂ ଏକବିଂଶ ଶତାଦ୍ଦୀର ପ୍ରଥମ ଦୁଇ ଦଶକରେ ଇଣ୍ଟରନେଟ ଯୋଗାଯୋଗର ବିକାଶ ସମଗ୍ର ବିଶ୍ୱକୁ ମାନବ ସଭ୍ୟତାରେ ସର୍ବାଧିକ ମାତ୍ରାରେ ସହବସ୍ଥାନ ନେଟୱାର୍କର ସୁଯୋଗ ସୃଷ୍ଟି କରିଥିଲା । ଶିକ୍ଷା, ସ୍ୱାସ୍ଥ୍ୟ, ନିଯୁକ୍ତି, ବାଣିଜ୍ୟବ୍ୟବସାୟଠାରୁ ଆରମ୍ଭ କରି ପର୍ଯ୍ୟଟନ ଯାଏଁ ଅହରହ ଯାତଆତ ଏବଂ ପ୍ରତିକ୍ଷଣରେ ସଂପର୍କୀୟଙ୍କ ସଙ୍ଗେ ଫୋନ, ଇଣ୍ଟରନେଟ ମଞ୍ଚରେ ଯୋଡ଼ି ହେବା ପ୍ରବୃତ୍ତି ଭୂତାଣୁ ସଂକ୍ରମଣ ନିମନ୍ତେ ଉର୍ବର ଉପତ୍ୟକା ସୃଷ୍ଟି କରିଛି । ମନୁଷ୍ୟଙ୍କ ଗମନାଗମନ ଫଳରେ ଆକ୍ରାନ୍ତଙ୍କ ସାଥିରେ ଭୂତାଣୁ ବ୍ୟାପୁଥିବା ସ୍ଥଳେ ସୋସିଆଲ ମିଡ଼ିଆ ସଂକ୍ରମଣ ସଂପର୍କରେ ସଚ଼େତନତା ସାଙ୍ଗକୁ ଗୁଜବ, ଅସତ୍ୟ ଓ ଅନ୍ଧବିଶ୍ୱାସ ପ୍ରସାର ହୋଇଚାଲିଛି । ସାଧାରଣ ଜନତାଙ୍କଠାରେ ମହାମାରୀ ସଂପର୍କରେ ଏତେ ପରିମାଣରେ ପରସ୍ପର ବିରୋଧୀ ତଥ୍ୟ ପହଞ୍ଚୁଛି ଯେ ଅଧିକାଂଶ କେଉଁଟିକୁ ଗ୍ରହଣ କରିବେ ଠିକ କରିପାରୁ ନାହାନ୍ତି ।

 

ଦୀର୍ଘ ଦୁଇବର୍ଷ ଯାଏଁ ବରିଷ୍ଠ ନାଗରିକମାନେ ଭୂତାଣୁ ସଂକ୍ରମଣ ପ୍ରତିରୋଧରେ ଗୃହାବଦ୍ଧ ଜୀବନଯାପନ ଅବାସ୍ତବ ମନେହୋଇପାରେ । ଏକପକ୍ଷରେ କୌଣସି ବିଶେଷ କିମ୍ୱା ଜରୁରି କାରଣବଶତଃ ସେମାନଙ୍କୁ ବାସଗୃହ ବାହାରକୁ ଯିବାକୁ ପଡ଼ିପାରେ । ଅପରପକ୍ଷରେ ପ୍ରକୃତିଗତଭାବେ କେତେକ ସାମାଜିକସ୍ତରରେ ଅନବରତ ଚଳପ୍ରଚଳରେ ଅଭ୍ୟସ୍ତ । ଲକଡ଼ାଉନ-ପର ଅବସ୍ଥାରେ ସ୍ୱାଭାବିକ ଜୀବନଯାତ୍ରା ଫେରିଆସୁଥିବା ଅବସରରେ ବରିଷ୍ଠ ନାଗରିକଙ୍କ ନିମନ୍ତେ ଶତପ୍ରତିଶତ ଗୃହାବଦ୍ଧ ଜୀବନ ସ୍ଥଳବିଶେଷରେ ସମ୍ଭବ ନହେବା ଆଶଙ୍କା ଯୁକ୍ତିଯୁକ୍ତ । ଏହି ପରିସ୍ଥିତିର ମୁକାବିଲାରେ ବିଶେଷଜ୍ଞମାନେ ବରିଷ୍ଠ ନାଗରିକମାନଙ୍କ ନିମନ୍ତେ ବାସଗୃହ ବାହାରେ ଆବଶ୍ୟକସ୍ଥଳେ ଚଳପ୍ରଚଳ ଲାଗି କେତେକ ବିକଳ୍ପ ବ୍ୟବସ୍ଥା ପାଳନ କରିବା ନିମନ୍ତେ ପରାମର୍ଶ ଦେଇଥାନ୍ତି ।

 

ବରିଷ୍ଠ ନାଗରିକଙ୍କ କ୍ଷେତ୍ରରେ ମହାମାରୀରେ ଗୃହାବଦ୍ଧ ଜୀବନ ବାଧ୍ୟବାଧକତାର କାରଣଗୁଡ଼ିକ ସଂପର୍କରେ ସଭିଏଁ ଅବଗତ । ତଥାପି ସଂକ୍ଷିପ୍ତରେ ସେଗୁଡ଼ିକର ପୁନଃଉଚ୍ଚାରଣ କରାଯାଇପାରେ । ନୂତନ କରୋନା ଭୂତାଣୁ ସଂକ୍ରମଣରେ କୋଭିଡ଼-୧୯ ରୋଗାକ୍ରାନ୍ତ ହେବା ସମ୍ଭବପର । ଭୂତାଣୁ ଆକ୍ରାନ୍ତ ମୁଖ୍ୟତଃ କାଶିବା, ଛିଙ୍କିବା, କଥାବାର୍ତ୍ତା ଅବସରରେ ଅଣୁପ୍ରମାଣ ଲାଳ ଡ୍ରପଲେଟ ମାଧ୍ୟମରେ ହଜାର ହଜାର ସଂଖ୍ୟକ ଭୂତାଣୁ ବାହାରକୁ ଆସିଥାନ୍ତି । ରୋଗୀର ସାନ୍ନିଧ୍ୟ ବାୟୁମଣ୍ଡଳରେ ଭୂତାଣୁଗୁଡ଼ିକ କିଛି ସମୟ ଜୀବନ୍ତ ରହନ୍ତି । ରୋଗୀର ସାନ୍ନିଧ୍ୟରେ ଆସୁଥିବା ଚଟାଣ, ଆସବାବପତ୍ର ଇତ୍ୟାଦିରେ ମଧ୍ୟ ଭୂତାଣୁଗୁଡ଼ିକ ଅପେକ୍ଷାକୃତ ଅଧିକ ସମୟ ଜୀବନ୍ତ ରହିଥାନ୍ତି ।

 

ସୁସ୍ଥବ୍ୟକ୍ତି ରୋଗାକ୍ରାନ୍ତଙ୍କ ନିକଟ ସଂସ୍ପର୍ଶରେ ଆସିଲେ ସଂକ୍ରମିତ ହୋଇଥାଏ । ରୋଗୀର ସାନ୍ନିଧ୍ୟରେ ଆସିଥିବା ଚ଼ଟାଣ, ଆସବାବପତ୍ରରେ ଭୂତାଣୁ ଉପସ୍ଥିତ ଥିବା ହେତୁ ସେଗୁଡ଼ିକୁ ସ୍ପର୍ଶକରି ସୁସ୍ଥବ୍ୟକ୍ତି ଅଜାଣତରେ ନାକ, ଆଖି, ପାଟିରେ ହାତ ମାରିଲେ ସଂକ୍ରମଣ ମଧ୍ୟ ସଂଭବପର । ସଂକ୍ରମଣର କିଛି ଦିନପରେ ଲକ୍ଷଣ ପ୍ରକାଶ ପାଇଥାଏ । ଆମ ଦେଶରେ ବହୁ ସଂକ୍ରମିତଙ୍କଠାରେ ଲକ୍ଷଣ ଦେଖିବାକୁ ମିଳିନଥାଏ ।

 

ଏହି କାରଣରୁ ସଂକ୍ରମଣର ମୁକାବିଲା କରିବା ନିମନ୍ତେ ସମସ୍ତ ବୟସବର୍ଗର ଜନସାଧାରଣଙ୍କୁ ପରସ୍ପର ମଧ୍ୟରେ ଛଅଫୁଟ ଶାରୀରିକ ଦୂରତା, ଅନ୍ତତଃପକ୍ଷେ ପାଟି ଓ ନାକ ଘୋଡ଼ାଇବା ନିମନ୍ତେ ମାସ୍କ ପରିଧାନ ଏବଂ ସ୍ୱାଭାବିକଭାବେ ପାପୁଲି ଦୁଇଟି ଚଟାଣ, ଆସବାବପତ୍ର ସଂସ୍ପର୍ଶରେ ଆସୁଥିବା ହେତୁ ବାରମ୍ୱାର ସାବୁନରେ ହାତ ଧୋଇବାକୁ ଗୁରୁତ୍ୱ ଦିଆଯାଇଥାଏ । ବରିଷ୍ଠ ନାଗରିକମାନେ ଭୂତାଣୁ ସଂକ୍ରମଣରେ କୋଭିଡ଼-୧୯ ରୋଗାକ୍ରାନ୍ତ ହେବା ଏବଂ ପୁରାତନ ଆଜମା, ମଧୁମେହ, ଯକୃତ ବେମାରୀ ଚ଼ିକିତ୍ସା ବ୍ୟବସ୍ଥାକୁ ଜଟିଳ କରିପକାଉଥିବା ତଥା ମୃତ୍ୟୁହାର ଅଧିକ ଥିବା କାରଣରୁ ସାଧାରଣ ପ୍ରତିଷେଧାତ୍ମକ ପତକ୍ଷେପଗୁଡ଼ିକୁ ସେମାନେ ଦୁଇଗୁଣ ସାବଧାନତା ସହକାରେ ପାଳନ କରିବା ନିମନ୍ତେ ଗୁରୁତ୍ୱାରୋପ କରାଯାଇଥାଏ ।

 

ବରିଷ୍ଠ ନାଗରିକମାନେ ବାସଗୃହ ବାହାରକୁ ଯିବାବେଳେ ମାସ୍କ ପରିଧାନ ଜରୁରୀ । ଯେତେଦୂର ସଂଭବ ସର୍ବସାଧାରଣରେ ବ୍ୟବହୃତ ରେଲିଂ, ଚ଼ଟାଣ, ଆସବାବପତ୍ରକୁ ସ୍ପର୍ଶ ନକରିବା ନିମନ୍ତେ ମାନସିକସ୍ତରରେ ସଜାଗ ରହିବା ବିଧେୟ । ଘରବାହାରେ ସାବୁନ ଓ ପାଣି ଅଭାବରେ ସାନିଟାଇଜରରେ ଥରକୁ ଥର ହାତ ସଫା କରିବାକୁ ଭୂଲିବେ ନାହିଁ ।

 

ଅପେକ୍ଷାକୃତ ଗହଳିଆ ସ୍ଥାନକୁ ଯିବା ଆସିବା ଏଡ଼ାଇ ଦେବା ଭଲ । ଅନ୍ୟମାନଙ୍କ ସାନ୍ନିଧ୍ୟରେ ବହୁ ସମୟଧରି ବିତାଇବା ଭୂତାଣୁ ସଂକ୍ରମଣ ଭୟକୁ ବଢ଼ାଇ ଦେଇଥାଏ । ସେହିପରି ବହୁବାର ଘର ବାହାରକୁ ଯିବା ବଦଳରେ ପୂର୍ବରୁ କାର୍ଯ୍ୟସୂଚ଼ୀ ନିର୍ଦ୍ଧାରଣ କରି କମଥର ବାହାରିବା ଉଚ଼ିତ ।

 

ବନ୍ଧୁବର୍ଗ ତଥା ପାରିବାରିକ ପରିଦର୍ଶନ କାଳରେ ବରିଷ୍ଠ ନାଗରିକମାନେ ଅନ୍ୟମାନଙ୍କୁ ଗୃହ ମଧ୍ୟରେ ଆବଦ୍ଧ କଠୋରୀ ବଦଳରେ ଖୋଲା ସ୍ଥାନରେ, ଯଥା ଛାତ ଉପର, ବଗିଚାରେ ସାକ୍ଷାତ କରିବା ନିମନ୍ତେ ପ୍ରସ୍ତାବ ରଖିପାରିବେ । ପବନ ଆତଯାତ ହେଉଥିବା ଖୋଲା ସ୍ଥାନରେ ଭୂତାଣୁର ଘନତ୍ୱ କମ ରହେ ଏବଂ ଶାରିରୀକ ଦୂରତ୍ୱ ପ୍ରଶସ୍ତ କରାଯାଇପାରେ ।

 

ଭୂତାଣୁ ସଂକ୍ରମଣରୁ ବର୍ତ୍ତିବା ନିମନ୍ତେ ଦୀର୍ଘକାଳ ଗୃହାବଦ୍ଧ ଜୀବନ ବରିଷ୍ଠ ନାଗରିକଙ୍କ ମଧ୍ୟରେ ଏକାକୀତ୍ୱ ଲୋନଲିନେସ ମାନସିକ ତଥା ଶାରିରୀକ ଅସୁସ୍ଥତାର କାରଣ ପାଲଟିପାରେ । ଏକାକୀତ୍ୱ ଶରୀରର ଶ୍ୱେତରକ୍ତ କଣିକାଗୁଡ଼ିକ ଉପରେ ପ୍ରତିକୂଳ ପ୍ରଭାବ ପକାଏ ଏବଂ ଏକାକୀତ୍ୱ ହେତୁ ମୃତ୍ୟୁହାର ୨୬ ପ୍ରତିଶତ ଯାଏଁ ବଢୁଥିବା ଗବେଷଣାରୁ ଜଣାଯାଏ । ସେହିପରି ଦୀର୍ଘ ସମୟ ଫୋନ ଓ ଭିଡ଼ିଓ କଲରେ ବିତାଇବା ମଧ୍ୟ ସ୍ପୃରଣୀୟ ନୁହେଁ ।

 

ଏତାଦୃଶ ସମସ୍ୟାର ସମାଧାନ ନିମନ୍ତେ ଖୁବ କମ ସଂଖ୍ୟକ ବନ୍ଧୁଙ୍କୁ ଘେନି ମଣ୍ଡଳ ସର୍କଲ ଗଠନ ପରାମର୍ଶ ଦିଆଯାଇପାରେ । ବରିଷ୍ଠ ନାଗରିକମାନେ ଦୈନନ୍ଦିନ ଜୀବନରେ ବିରକ୍ତିବୋଧ କମାଇବା ନିମନ୍ତେ ଆବଶ୍ୟକମତେ ଦୁଇ ଚାରି ଜଣଙ୍କ ସହ  ନିର୍ଦ୍ଧାରିତ ସମୟରେ ଖୋଲାସ୍ଥାନରେ ଏକତ୍ରୀତ ହୋଇ ଆଳାପଆଲୋଚନାର ସୁଯୋଗ ସୃଷ୍ଟି କରିବା ଏକ ବିକଳ୍ପ ପନ୍ଥା ରୂପେ ବିଚାର କରାଯାଇପାରେ । ଏମାନେ ସମସ୍ତେ ମାସ୍କ ପିନ୍ଧିବା, ଶାରିରୀକ ଦୂରତ୍ୱ ବଜାୟ ରଖିବା ଏବଂ ଅନ୍ୟମାନଙ୍କ ସଂସ୍ପର୍ଶରେ ନଆସିବା ଜରୁରୀ ।

 

ଉଲ୍ଲେଖନୀୟ ବିଷୟ ଏହିଯେ ଓଡ଼ିଶାରେ କୋଭିଡ଼-୧୯ ରୋଗାକ୍ରାନ୍ତଙ୍କ ମଧ୍ୟରେ ୬୦ ବର୍ଷରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକଙ୍କ ସଂଖ୍ୟା ମେ ଶେଷ ସପ୍ତାହ ସୁଦ୍ଧା ୪୬ ପ୍ରତିଶତ ରହିଥିଲା । ମୋଟ ରୋଗୀଙ୍କ ସଂଖ୍ୟା ୧୫୧୭ରେ ପହଞ୍ଚିଥିବା ବେଳେ ୭୦ ଜଣ ବରିଷ୍ଠ ନାଗରିକ ଅନ୍ତର୍ଭୁକ୍ତ ଥିଲେ । ତେବେ ପୂର୍ବ ପ୍ରଦତ୍ତ ସୂଚ଼ନା ଅନୁଯାୟୀ କରୋନା ଭୂତାଣୁ ସଂକ୍ରମଣର ଗତିବିଧି ସଂପର୍କରେ ଆମେ ଅଜ୍ଞ ଥିବା ହେତୁ ଭବିଷ୍ୟତ ଦୁଇ ମାସ ବା ଦେଢ଼ ବର୍ଷରେ ଯେ କେଉଁ ରୂପ ଧାରଣ କରିବ ତାହାର ଆକଳନ ସମ୍ଭବପର ହୋଇପାରୁ ନାହିଁ । ଏହି ପରିବେଶରେ ସତର୍କତା ହିଁ ବୁଦ୍ଧିମାନର କାର୍ଯ୍ୟ । 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଜୁନ ୨୦୨୦


ତଥ୍ୟ:

 

Lopez, German. 8 Ways to go out and stay safe during the coronavirus pandemic. www.vox.com. May 22, 2020



<https://www.vox.com/21262268/coronavirus-tips-covid-social-distancing-harm-reduction>

କେରହୋମରେ ମୃତ୍ୟୁର ବିଭୀଷିକା

ଉତ୍ତର-ବାର୍ଦ୍ଧକ୍ୟରେ ସହାୟତାଯୁକ୍ତ ଜୀବନଯାପନ ତତ୍ତ୍ୱାବଧାନ ନିମନ୍ତେ ଉନ୍ନତ ରାଷ୍ଟ୍ରଗୁଡ଼ିକରେ ବିକଶିତ କେର-ହୋମ ପରିକଳ୍ପନା କୋଭିଡ଼-୧୯ ପ୍ରଭାବରେ ଶକ୍ତ ଆଘାତ ପାଇଥିବା ଅନ୍ତର୍ଜାତିକସ୍ତରରେ ଅନ୍ୟତମ ଚର୍ଚ୍ଚିତ ବିଷୟ । ଚୀନରେ ୨୦୨୦ ଆରମ୍ଭରୁ ସଂକ୍ରମିତ ମହାମାରୀ ମାର୍ଚ୍ଚ–ଏପ୍ରିଲ ସୁଦ୍ଧା ୟୁରୋପୀୟ ଦେଶପୁଞ୍ଜକୁ ବ୍ୟାପିବା ଅବସରରେ ଇଟାଲୀ, ସ୍ପେନ, ଫ୍ରାନ୍ସ ଇତ୍ୟାଦି ରାଷ୍ଟ୍ରମାନଙ୍କ କେର-ହୋମ ଗୁଡ଼ିକରେ ଅପ୍ରତ୍ୟାଶିତ ଭାବେ ଅନ୍ତେବାସୀ ବରିଷ୍ଠ ନାଗରିକମାନେ ରୋଗାକ୍ରାନ୍ତ ହେବା ଏବଂ ବହୁ ସଂଖ୍ୟାରେ ପ୍ରାଣ ହରାଇବା ଉଦବେଗ ସୃଷ୍ଟି କରିଥିଲା । ଜୀବନର ସାୟାହ୍ନରେ ସ୍ୱାସ୍ଥ୍ୟର ଯତ୍ନ ସକାଶେ ଉତ୍ସର୍ଗୀକୃତ ଆଶ୍ରୟସ୍ଥଳ ପ୍ରାଙ୍ଗଣରେ ମହାମାରୀଜନିତ ମୃତ୍ୟୁର ବିଭୀଷିକା ନିୟନ୍ତ୍ରଣରେ ଅକ୍ଷମତା ଅନେକଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଥାଏ ।

 

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ଅବସ୍ଥାରେ ଶିଳ୍ପୋନ୍ନତ ରାଷ୍ଟ୍ରଗୁଡ଼ିକରେ ଜୀବନଧାରଣ ମାନବୃଦ୍ଧି ହେତୁ ଜୀବଦ୍ଦଶା ବୃଦ୍ଧି ପାଇବାରେ ଲାଗିଲା । ଏକ ପକ୍ଷରେ ସହରଭିତ୍ତିକ ସଭ୍ୟତାରେ ଅଣୁ-ପରିବାର ଆଙ୍ଗିକ ପ୍ରସାର କାରଣରୁ ଆତ୍ମୀୟସ୍ୱଜନଙ୍କସ୍ତରରେ ବରିଷ୍ଠ ନାଗରିକଙ୍କ ଯତ୍ନ ନେବା ନିମନ୍ତେ ଲୋକବଳ ଅଭାବ ଇତ୍ୟାଦି ସମସ୍ୟା ଏବଂ ଅପରପକ୍ଷରେ ଆର୍ଥିକ ସ୍ୱଚ୍ଛଳତା ଓ ସ୍ୱାଧୀନ ଜୀବନଯାପନ ମାନସିକତା ପ୍ରସାରରେ ବୃତ୍ତିଧାରୀଙ୍କ ସେବାରେ ପରିଚାଳିତ କେର-ହୋମମାନ ଗଢି ଉଠିଲା । ବିଗତ ଅର୍ଦ୍ଧଶତାଦ୍ଦୀ ଧରି ସାର୍ବଜନୀନ ଓ ପ୍ରଶାସନିକ ଉଦ୍ୟମରେ ବିକଶିତ ଏହି ଅନୁଷ୍ଠାନ ଗୁଡ଼ିକରେ ବାସଗୃହରେ ଯତ୍ନ ନିଆଯାଇ ପାରୁନଥିବା ତଥା ହସପିଟାଲରେ ଭର୍ତ୍ତିହେବା ଆବଶ୍ୟକତା ନଥିବା ବରିଷ୍ଠ ନାଗରିକଙ୍କ ବସବାସର ବ୍ୟବସ୍ଥା ଉପଲବ୍ଧ ।

 

ଯୁକ୍ତରାଷ୍ଟ୍ର ଆମେରିକାରେ ୭୫ ରୁ ୮୪ ବର୍ଷ ବୟସ୍କ ପ୍ରତି ଦଶଜଣ ବରିଷ୍ଠ ନାଗରିକଙ୍କ ମଧ୍ୟରେ ଜଣେ କେର-ହୋମରେ ପାଞ୍ଚରୁ ଅଧିକ ବର୍ଷ ବିତାଉଥିବା ସେଠାକାର ଜୀବନବୀମା ସଂଘ ପକ୍ଷରୁ ହିସାବ କରାଯାଇଥାଏ । ବ୍ରିଟେନରେ ୨୦୦୨ରୁ ବିଭିନ୍ନ ଶ୍ରେଣୀର ଉତ୍ତର-ବାର୍ଦ୍ଧକ୍ୟ ଆବାସ ସ୍ଥଳୀଗୁଡ଼ିକ କେର-ହୋମ ନାମିତ ହୋଇଥିଲା । ୟୁରୋପ, ଯୁକ୍ତରାଷ୍ଟ୍ର ଆମେରିକା, କାନାଡ଼ା, ଅଷ୍ଟ୍ରେଲିଆ, ଚୀନ ଓ ଜାପାନ ଭଳି ବିକଶିତ ରାଷ୍ଟ୍ରରେ ବର୍ଦ୍ଧିତ ବରିଷ୍ଠନାଗରିକଙ୍କ ସଂଖ୍ୟାକୁ ଭିତ୍ତିକରି କେର-ହୋମ ତତ୍ତ୍ୱର ପ୍ରସାର ସାମାଜିକ ଜୀବନରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିବାକୁ ଲାଗିଲା । ଏଗୁଡ଼ିକ ମୁଖ୍ୟତଃ ପୌର ପ୍ରଶାସନ, ବଦାନ୍ୟତା, ଅଣ-ବ୍ୟାବସାୟିକ କିମ୍ୱା ବ୍ୟାବସାୟିକ ମାଲିକାନାରେ ପରିଚାଳିତ ହୋଇଥାଏ ।

 

ଜୀବନବୀମା ଭଳି କେର-ହୋମ ଉପଭୋକ୍ତାଙ୍କ ଆଶା ଓ ବିଶ୍ୱାସକୁ ନେଇ ଗଢ଼ିଉଠିଥାଏ । ଜୀବନରେ ସଫଳତାର ସିଡ଼ି ଚଢ଼ି ଶିଖିଥିବା ସ୍ୱାଧିନଚେତା ସ୍ୱଚ୍ଛଳବର୍ଗ ନିଜ ମୃତ୍ୟୁ-ସମୀପ ଶଯ୍ୟାଶାୟୀ ଜୀବନଚର୍ଯ୍ୟା ନିମନ୍ତେ ଏଭଳି ପରିକଳ୍ପନାରେ ମନୋନିବେଶ କରିଥାନ୍ତି । ଅବଶ୍ୟ ବାସ୍ତବକ୍ଷେତ୍ରରେ ଉପଭୋକ୍ତାଙ୍କ ସ୍ୱପ୍ନ କେତେଦୂର ସାକାର ହୋଇଥାଏ ତାହା କେର-ହୋମଗୁଡ଼ିକର ପରିଚାଳନା ଉପରେ ନିର୍ଭର କରେ । କେର-ହୋମର ଅନ୍ତେବାସୀ ସାଧାରଣ ଜୀବନରୁ ଦୂରେଇ ଯାଉଥିବା ତଥା ଭବିଷ୍ୟତ ଶ୍ମଶାନମୁଖୀ ହେଉଥିବା ହେତୁ ସେମାନଙ୍କ ଅଭିଜ୍ଞତା ଲୋକଲୋଚ଼ନକୁ ଆସିପାରେ ନାହିଁ । ତେବେ କୋଭିଡ଼-୧୯ ସଂକ୍ରମଣ ଅବସରରେ ୟୁରୋପର କେର-ହୋମଗୁଡ଼ିକରେ ବହୁ ସଂଖ୍ୟକ ବରିଷ୍ଠ ନାଗରିକ ରୋଗାକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିବା ଭଳି ସମସ୍ୟା ଆନ୍ତର୍ଜାତିକସ୍ତରରେ ଦୃଷ୍ଟି ଆକର୍ଷଣ କରିଛି ।

 

କୋଭିଡ଼-୧୯ ସଂକ୍ରମଣର ପ୍ରାଥମିକ ଆକଳନରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ୟୁରୋପୀୟ ଆଞ୍ଚଳିକ ନିର୍ଦ୍ଦେଶକ ୟୁରୋପରେ ମହାମାରୀ ଆକ୍ରାନ୍ତ ମୃତକଙ୍କ ମଧ୍ୟରେ ଅର୍ଦ୍ଧେକ କେର-ହୋମ ଅନ୍ତେବାସୀ ଅନ୍ତର୍ଭୁକ୍ତ ଥିବା ଦର୍ଶାଇଥିଲେ । ଲଣ୍ଡନ ସ୍କୁଲ ଇକନୋମିକ୍ସ ପକ୍ଷରୁ ଆୟୋଜିତ ଏକ ଅଧ୍ୟୟନରେ ଇଟାଲୀ, ସ୍ପେନ, ଫ୍ରାନ୍ସ, ଆର୍ୟଲ୍ୟାଣ୍ଡ ଓ ବେଲଜିଅମରେ କୋଭିଡ଼-୧୯ ଜନିତ ମୋଟ ମୃତ୍ୟୁ ମଧ୍ୟରେ ୪୨ ରୁ ୫୭ ପ୍ରତିଶତ କେର-ହୋମ ବାସିନ୍ଦା ଥିବା ହିସାବ କରାଯାଇଥିଲା ।

 

ମହାମାରୀର ପ୍ରଥମ ପର୍ଯ୍ୟାୟରେ ୟୁରୋପରେ ଇଟାଲୀ ସର୍ବାପେକ୍ଷା ଶୋଚ଼ନୀୟ ପରିସ୍ଥିତିର ସମ୍ମୁଖୀନ ହୋଇଥିଲା । ସାର୍ସ-କରୋନା-୨ ଭୂତାଣୁ ବ୍ୟାପିବା ଅବସରରେ କେର-ହୋମରେ ବସବାସ କରୁଥିବା ସଦସ୍ୟଗଣ ସଂକ୍ରମିତ ହୋଇପଡ଼ିଥିଲେ । ସେମାନଙ୍କ ପାଇଁ ତତକ୍ଷଣାତ ପର୍ଯ୍ୟାପ୍ତ ଚିକିତ୍ସା ବ୍ୟବସ୍ଥା ଆୟୋଜନ ସଂଭବପର ନ ହୋଇପାରିବା ତଥା ସ୍ୱାଭାବିକଭାବେ ବରିଷ୍ଠ ନାଗରିକମାନେ ଏକାଧିକ ପୁରାତନ ରୋଗାକ୍ରାନ୍ତ ଥିବା ହେତୁ ଅନେକ ମୃତ୍ୟୁମୁଖରେ ପଡ଼ିଲେ । କୋଭିଡ଼-୧୯ ସଂକ୍ରମଣ ଏକ ନୂତନ ଅନୁଭୂତି ଥିବା କାରଣରୁ ଚ଼ୀନ ପରେ ପରେ ଇଟାଲୀରେ ଏହାର ସଂକ୍ରମଣ ବ୍ୟାପିବା ଅବସରରେ ଚିକିତ୍ସକ ତଥା ନୀତି ନିର୍ଦ୍ଧାରକମାନେ ଅପ୍ରସ୍ତୁତ ଥିବା ବିପଦ ସୃଷ୍ଟି କରିଥିଲା । ଏହି ପରିବେଶରେ ସହାୟତାଯୁକ୍ତ ଜୀବନଚ଼ର୍ଯ୍ୟାରେ ଅଭ୍ୟସ୍ତ କେର-ହୋମର ବରିଷ୍ଠ ନାଗରିକମାନେ ଚରମ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥିଲେ ।

 

ବିଭିନ୍ନ ସୂତ୍ରରୁ ପ୍ରକାଶ ଯେ କେର-ହୋମ ପରିଚାଳନା କର୍ତ୍ତୃପକ୍ଷ ଭୂତାଣୁ ସଂକ୍ରମଣ ରୋକିବା ନିମନ୍ତେ ପ୍ରତିଷେଧକ ବ୍ୟବସ୍ଥା ନ କରିପାରିବା ହେତୁ ସେଗୁଡ଼ିକରେ ନିଯୁକ୍ତ କର୍ମଚାରୀମାନେ ଏକେତ ନିଜେ ସଂକ୍ରମିତ ହୋଇପଡ଼ିବା କିମ୍ୱା ଭୟରେ ଛତ୍ରଭଙ୍ଗଦେବା ଦେଖିବାକୁ ମିଳିଥିଲା । ଏହି ଅବ୍ୟବସ୍ଥା ସଂପର୍କରେ ବହୁ କର୍ମଚାରୀ କେର-ହୋମଗୁଡ଼ିକ ବିରୁଦ୍ଧରେ ଅଦାଲତରେ ମକଦ୍ଦମାମାନ ଦାୟର କରିଛନ୍ତି । ଅଧିକାଂଶ କେର-ହୋମରେ ଏଭଳି ଜରୁରୀ ପରିସ୍ଥିତିର ମୁକାବିଲା ନିମନ୍ତେ ସାଧନ ମଧ୍ୟ ଅଭାବ ରହିଥିଲା । ସରକାରଙ୍କ ପକ୍ଷରୁ ସଂକ୍ରମିତଙ୍କଲାଗି ଏକାନ୍ତବାସ ଆଇସୋଲେସନ ୱାର୍ଡ଼ ଆୟୋଜନରେ ଶଯ୍ୟା ପିଛା ଦୈନିକ ଖର୍ଚ୍ଚବାବଦରେ ୧୩,୦୦୦ ଟଙ୍କା (୧୫୦ ୟୁରୋ) ଯାଏଁ ଅନୁଦାନ ଦିଆଯିବା ବ୍ୟବସ୍ଥା ହେବାପରେ ଅବସ୍ଥାରେ ସୁଧାର ଆସିଥିଲା । ସମସ୍ୟାର ଅନୁଶୀଳନ ନିମନ୍ତେ ଗଠିତ ଏକ କମିଟି ସେମାନଙ୍କ ରିପୋର୍ଟରେ ଉଲ୍ଲେଖ କରିଥିଲେ ଯେ କେର-ହୋମଗୁଡ଼ିକରେ କୁଶଳୀ ସ୍ୱାସ୍ଥ୍ୟକର୍ମୀଙ୍କ ଅଭାବ ମୁଖ୍ୟ ସମସ୍ୟା । ଉଲ୍ଲେଖଯୋଗ୍ୟ ବିଷୟ ଏହି ଯେ ମହାମାରୀରେ ୨୦୨୦ ମାର୍ଚ୍ଚରେ ଅନ୍ତେବାସୀଙ୍କ ମଧ୍ୟରୁ ୮.୪ ପ୍ରତିଶତ ଯାଏଁ ମହାମାରୀରେ ପ୍ରାଣ ହରାଇଥିଲେ ।

 

ୟୁରୋପରେ ଇଟାଲୀପରକୁ ସ୍ପେନ ମହାମାରୀ ପ୍ରାଦୁର୍ଭାବରେ ଦ୍ୱିତୀୟ ସ୍ଥାନ ଅଧିକାର କରେ । ସଂକ୍ରମଣ ରୋକିବା ନିମନ୍ତେ ସାର୍ବଜନୀନ କୋଠାବାଡ଼ି ବିଶୋଧନ କରିବା ନିମନ୍ତେ ସେନା ବାହିନୀକୁ ଡ଼ାକରା  ପଡ଼ିଥିବା ସ୍ଥଳେ କେତେକ କେର-ହୋମରେ ମୃତ ସଂକ୍ରମିତଙ୍କ ଶବ ଶଯ୍ୟା ଉପରେ ପଡ଼ିରହିଥିବା ଦେଖି ଆଶ୍ଚର୍ଯ୍ୟ ହୋଇ ପଡ଼ିଥିଲେ । ଅବଶ୍ୟ ସ୍ୱାସ୍ଥ୍ୟ ବିଭାଗୀୟ କର୍ମକର୍ତ୍ତାମାନେ କୈଫିୟତ ଦେଇଥିଲେ ଯେ ସଦସ୍ୟଙ୍କ ମୃତ୍ୟୁପରେ ଶବଗୁଡ଼ିକୁ କୋଲଡ଼ ଷ୍ଟୋରେଜରେ ରଖାଯାଏ ଏବଂ ପ୍ରଚଳିତ ପଦ୍ଧତିରେ ଅନ୍ତ୍ୟୋଷ୍ଟିକ୍ରିୟା ସେବା ପ୍ରଦାନକାରୀ ଫନେରାଲ ସର୍ଭିସ କେର-ହୋମଗୁଡ଼ିକରୁ ଶବ ସଂଗ୍ରହ କରି ଅନ୍ତିମକ୍ରିୟା ସମ୍ପାଦନ କରିଥାନ୍ତି ।

 

କିନ୍ତୁ କୋଭିଡ଼-୧୯ ମୃତକଙ୍କ ଶବ ସଂସ୍ପର୍ଶରେ ସଂକ୍ରମଣର ଭୟ ଥିବା ହେତୁ ଶବକୁ କୋଲଡ ଷ୍ଟୋରେଜକୁ ନିଆଯାଏ ନାହିଁ ଏବଂ ଫନେରାଲ ସର୍ଭିସର କର୍ମୀମାନେ ଉପଯୁକ୍ତ ପ୍ରତିଷେଧକ ପୋଷାକ ପରିଧାନପୂର୍ବକ ଶଯ୍ୟାରୁ ଶବ ଉଦ୍ଧାର କରିଥାନ୍ତି । ଯେକୌଣସି ଜନବସତିରେ ସୀମିତ ମୃତ୍ୟୁହାରକୁ କେନ୍ଦ୍ରକରି ସେହି ପରିମାଣରେ ଫନେରାଲ ସର୍ଭିସ କର୍ମୀ ଉପଲବ୍ଧ । ମହାମାରୀରେ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଥିବା ଅବସରରେ ନିରାପଦରେ ଶବ ସତ୍କାର ନିମନ୍ତେ ପ୍ରଶିକ୍ଷିତ କର୍ମୀଙ୍କ ଅଭାବ ଲାଗି ରହିବା ସ୍ୱାଭାବିକ । ଏହି କାରଣରୁ ରାଜଧାନୀ ମାଦ୍ରିଦ ଭଳି ସହରରେ କେର-ହୋମ ଶଯ୍ୟାରେ ସ୍ଥଳବିଶେଷରେ ଚବିଶି ଘଣ୍ଟା ଯାଏଁ ସଂକ୍ରମିତ ବରିଷ୍ଠ ନାଗରିକଙ୍କ ଶବ ପଡ଼ି ରହିବା ପରିସ୍ଥିତି ଉପୁଜିଥିଲା ।

 

ସ୍ପେନରେ ସର୍ବାଧିକ ମହାମାରୀଜନିତ ମୃତ୍ୟୁହାର ହିସାବ କରାଯାଉଥିବା ସ୍ଥଳେ ପ୍ରାଥମିକ ପର୍ଯ୍ୟାୟରେ ୨୬ ହଜାର ମୃତକଙ୍କ ମଧ୍ୟରେ ୧୬ ହଜାର କେର-ହୋମ ବାସିନ୍ଦା ଅନ୍ତର୍ଭୁକ୍ତ ଥିବା କୁହାଯାଏ । ସେହିପରି ବ୍ରିଟେନରେ ମୋଟ ଜନସଂଖ୍ୟାର ମାତ୍ର ଏକ ପ୍ରତିଶତ କେର-ହୋମଗୁଡ଼ିକରେ ବସବାସ କରୁଥିବା ସ୍ଥଳେ ପ୍ରଥମ ପର୍ଯ୍ୟାୟରେ ମୋଟ ମୃତ୍ୟୁ ସଂଖ୍ୟାର ୪୦ ପ୍ରତିଶତ ଯାଏଁ କେର-ହୋମ ଭାଗରେ ପଡ଼ିଥିବା ଅଭିଯୋଗ ଶୁଣିବାକୁ ମିଳେ ।

 

ଅତ୍ୟାଧୁନିକ ପରିବେଶରେ କେର-ହୋମ ତତ୍ତ୍ୱ ବିକଶିତ ହୋଇଥିଲେ ହେଁ ଉପଯୁକ୍ତ ନିୟାମକ ବ୍ୟବସ୍ଥା ଅଭାବରେ ମହାମାରୀରେ ସଙ୍କଟରେ ସମ୍ମୁଖୀନ ହୋଇଥିବା ବିଶେଷଞ୍ଜମାନେ ବିଚାର କରିଥାନ୍ତି । ଯୁକ୍ତରାଷ୍ଟ୍ର ଆମେରିକାରେ ମହାମାରୀ ବ୍ୟାପିବା ପୂର୍ବରୁ ହାର୍ଭାଡ଼ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ଏକ ସର୍ବେକ୍ଷଣରେ ସେଠାକାର ତିନି ଚ଼ତୁର୍ଥାଂଶ କେର-ହୋମରେ ଆବଶ୍ୟକୀୟ ସଂଖ୍ୟକ କର୍ମଚାରୀ ନିଯୁକ୍ତ ନଥିବା ଜଣାଯାଇଥିଲା । ବିଶ୍ୱବ୍ୟାପୀ କେର-ହୋମଗୁଡ଼ିକରେ କର୍ମଚାରୀ ଓ ପ୍ରଶିକ୍ଷିତ ସ୍ୱାସ୍ଥ୍ୟକର୍ମୀଙ୍କ ଅଭାବ ସାଙ୍ଗକୁ କମ ମଜୁରି ମୁଖ୍ୟ ସମସ୍ୟା । ବସବାସଯୋଗ୍ୟ ଆୟତନକୁ କାଟଛାଟ ଓ କ୍ଷମତା ବର୍ହିଭୂତ ବରିଷ୍ଠ ନାଗରିକଙ୍କୁ ଦଖଲ କରିବା ମଧ୍ୟ ବିଭ୍ରାଟର ଅନ୍ୟତମ କାରଣ । ମୋଟ ଉପରେ କେର-ହୋମକୁ ଏକ ବ୍ୟବସାୟ ରୂପେ ଧରିନେବାପରେ ଆନ୍ତରିକତା ବଦଳରେ ଲାଭଖୋର ମନୋବୃତ୍ତି ସେବା ପ୍ରଦାନର ଗୁଣାବତ୍ତା ହ୍ରାସରେ ପର୍ଯ୍ୟବସିତ ହୋଇଥାଏ । କେର-ହୋମ ପରିଚାଳନା ନିମନ୍ତେ ସରକାରୀସ୍ତରରେ ନୀତିନିୟମ ପ୍ରଣୟନ ଗୁରୁତ୍ୱ ବହନ କରୁଥିବା କୁହାଯାଉଛି ।

 

ସାର୍ସ-କରେନା-୨ ଭୂତାଣୁ ସଂକ୍ରମଣ ରୋକିବା ନିମନ୍ତେ ବ୍ୟକ୍ତିବ୍ୟକ୍ତିଙ୍କ ମଧ୍ୟରେ ଶାରିରୀକ ଦୂରତ୍ୱ ରକ୍ଷା ଅପରିହାର୍ଯ୍ୟ ଥିବା ସ୍ଥଳେ କେର-ହୋମଗୁଡ଼ିକରେ ଅନ୍ତେବାସୀଗଣ ଦୈନନ୍ଦିନ ଜୀବନଚର୍ଯ୍ୟାରେ ବୃତ୍ତିଧାରୀଙ୍କ ସହାୟତା ଆଶ୍ରିତ ଥିବା ହେତୁ ହଠାତ୍ ପ୍ରତିଷେଧକ ବ୍ୟବସ୍ଥା ଅବଲମ୍ୱନ ସଂଭବ ହୋଇପାରି ନଥିଲା । ସଂକ୍ରମଣର ପ୍ରାଥମିକ ପର୍ଯ୍ୟାୟରେ ରୋଗ ସଂପର୍କରେ ସଚେତନା, ପ୍ରତିଷେଧକ ସାଜ ସରଞ୍ଜାମ ଠାରୁ ଆରମ୍ଭ କରି ଆବଶ୍ୟକୀୟ ଚ଼ିକିତ୍ସା ପଦ୍ଧତି ଯାଏଁ ଅଭାବ ୟୁରୋପ ଓ ବ୍ରିଟେନରେ ଅନେକଙ୍କୁ ମୃତ୍ୟୁମୁଖକୁ ଟାଣି ନେଇଥିଲା ।

 

ଇଟାଲୀ ଓ ସ୍ପେନରେ ମହାମାରୀ ବ୍ୟାପିବା ବେଳକୁ ସେହି ରାଷ୍ଟ୍ରଦ୍ୱୟରେ ଆନୁମାନିକ ପ୍ରାୟ ଛଅ ଶହ ଲେଖା କେର-ହୋମ କାର୍ଯ୍ୟକ୍ଷମ ଥିବା ଆକଳନ କରାଯାଏ । ଇଟାଲୀର କୋଭିଡ଼-୧୯ରେ ପ୍ରାଣ ହରାଇଥିବା ଜନୈକ ୯୦ ବର୍ଷୀୟା କେର-ହୋମ ବାସିନ୍ଦା ବୃଦ୍ଧାଙ୍କ କନ୍ୟା କ୍ଷୋଭ ପ୍ରକାଶ କରି କହିଥିଲେ ଯେ ମୃତକଙ୍କ ଏକମାତ୍ର କନ୍ୟା ରୂପେ ମାସିକ ୧,୭୪,୦୦୦ ଟଙ୍କା (୨,୦୦୦ ୟୁରୋ) ଖର୍ଚ୍ଚ କରି ନିଜ ମାଆଙ୍କୁ କେର-ହୋମରେ ରଖିଥିଲେ । ନିଜ ଘରେ ମାଆଙ୍କ ଯତ୍ନ ସୁଚାରୁରୂପେ ସଂପନ୍ନ ନ ହୋଇ ପାରିବା ଆଶଙ୍କା କରି ମାଆ କିପରି ସ୍ୱାଧୀନଭାବେ ସମ୍ମାନର ସହ ଶେଷ ଜୀବନ କଟାଇପାରିବେ ତାହାର ବନ୍ଦୋବସ୍ତ କରିଥିଲେ । କିନ୍ତୁ ମହାମାରୀର ବିଭୀଷିକାରେ ତାହା ସମ୍ଭବ ହୋଇପାରିଲା ନାହିଁ । 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଅଗଷ୍ଟ ୨୦୨୦


ତଥ୍ୟ:

 

Privitera, Greta. The ‘Silent Massacre’ in Italy’s nursing homes. Politico. April 30, 2020 <www.politico.en/article/the-silent-cononavirus-covid19-massacre-italy-milan-lombardy-nursing-care-homes-elderly>

 

Has the nursing home model failed in the pandemic ? www.trtworld.com. May 7, 2020.

 

Both, Robert. Half of corona virus deaths happen in care homes, data from EU suggests. www.theguardian.com. April 13, 2020.

 

International Long Term Care Policy Network <www.itcovid.org>

ବାର୍ଦ୍ଧକ୍ୟ ଜୀବନଚର୍ଯ୍ୟା ପରିବର୍ତ୍ତନରେ ମହାମାରୀ

ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳନର ୩୦ତମ ବାର୍ଷକୀ ଅକ୍ଟୋବର ପହିଲା ୨୦୨୦ରେ ପଡୁଛି । ଜାତିସଂଘ ପକ୍ଷରୁ ୧୪ ଡ଼ିସେମ୍ୱର ୧୯୯୦ରେ ଆହୂତ ସାଧାରଣ ଅଧିବେଶନରେ କ୍ରମବଦ୍ଧିଷ୍ଣୁ ବରିଷ୍ଠ ନାଗରିକଙ୍କ ସମସ୍ୟା ଓ ସମାଧାନର ସୂତ୍ର ନିର୍ଦ୍ଧାରଣ କଳ୍ପେ ସ୍ୱତନ୍ତ୍ର ଅବକାଶ ସୃଷ୍ଟି ସକାଶେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳନ ପ୍ରସ୍ତାବ ଗୃହୀତ ହୋଇଥିଲା । ୧୯୯୧ରୁ ବିଗତ ତିନ ଦଶନ୍ଧି ଧରି ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଏହା ପାଳିତ ହୋଇ ଆସୁଛି । ସଂଯୋଗବଶତଃ ଚଳିତ ବର୍ଷ ଏହି ଅବସରରେ ଜାତିସଂଘ ପ୍ରତିଷ୍ଠାର ୭୫ତମ ବାର୍ଷକୀ ମଧ୍ୟ ଯୋଡ଼ି ହୋଇଛି ।

 

ପ୍ରତିବର୍ଷ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳନରେ ଏକ ନିର୍ଦ୍ଧିଷ୍ଟ ବିଷୟବସ୍ତୁକୁ ଗୁରୁତ୍ୱ ଦିଆଯାଇଥାଏ । ୨୦୨୦ ଆରମ୍ଭରୁ କୋଭିଡ଼-୧୯ ମହାମାରୀ ରୂପେ କାୟା ବିସ୍ତାର କରିଥିବା ସ୍ଥଳେ ଚଳିତ ବର୍ଷ ମହାମାରୀ ବାର୍ଦ୍ଧକ୍ୟ ଜୀବନଚର୍ଯ୍ୟା ପରିବର୍ତ୍ତନର ସୂତ୍ରଧର ସାଜିବ କି ?’ ବିଷୟବସ୍ତୁ ନିର୍ଦ୍ଧାରିତ ହୋଇଛି । ସମଗ୍ର ବିଶ୍ୱରେ ସାର୍ସ-କୋଭ-୨ ଭୂତାଣୁ ସଂକ୍ରମଣର ପ୍ରତିରୋଧ କରିବା ନିମନ୍ତେ ବ୍ୟାପକ ବ୍ୟବସ୍ଥାରେ ବରିଷ୍ଠ ନାଗରିକଙ୍କ ଜୀବନଚର୍ଯ୍ୟା ପ୍ରଭୂତ ପ୍ରଭାବିତ ହୋଇଛି । ସଂକ୍ରମଣର ଆଶଙ୍କା ଦୀର୍ଘକାଳ ବଳବତ୍ତର ରହିବା ତଥା ମହାମାରୀ-ପର ପରିବେଶରେ ସମାଜର ବିଭିନ୍ନସ୍ତରରେ ବ୍ୟାପକ ପରିବର୍ତ୍ତନ ଆକଳନ କରାଯାଉଥିବା ହେତୁ ବରିଷ୍ଠଙ୍କ ଜୀବନଯାତ୍ରା ସ୍ଥିତି ନିର୍ଦ୍ଧାରଣ ନିମନ୍ତେ ବିଚାରବିମର୍ଷ ଅତ୍ୟନ୍ତ ସମୟୋପଯୋଗୀ ମନେହୁଏ ।

 

ପରିସଂଖ୍ୟାନ ଅନୁଯାୟୀ ୨୦୧୯ ସୁଦ୍ଧା ବିଶ୍ୱରେ ୬୫ ବର୍ଷୋତ୍ତର ବରିଷ୍ଠ ନାଗରିକଙ୍କ ଜନସଂଖ୍ୟା ପ୍ରାୟ ୭୦ କୋଟି ୩୦ ଲକ୍ଷ । ଭାରତ ସମେତ ପୂର୍ବ ଓ ଦକ୍ଷିଣ-ପୂର୍ବ ଏସିଆ ଅଞ୍ଚଳରେ ସର୍ବାଧିକ ପ୍ରାୟ ୨୬ କୋଟି ୧୦ ଲକ୍ଷ ବରିଷ୍ଠ ନାଗରିକ ବସବାସ କରନ୍ତି । ଜନଗଣନା ବିଶେଷଜ୍ଞମାନେ ବିଶ୍ୱ ବରିଷ୍ଠ ନାଗରିକ ଜନସଂଖ୍ୟା ୨୦୫୦ ସୁଦ୍ଧା ୧୫୦ କୋଟିରେ ଏବଂ ପୂର୍ବ ଓ ଦକ୍ଷିଣ-ପୂର୍ବ ଏସିଆରେ ୫୭ କୋଟି ୩୦ ଲକ୍ଷରେ ପହଞ୍ଚିବା ଆକଳନ କରୁଛନ୍ତି ।

 

କ୍ରମବର୍ଦ୍ଧିଷ୍ଣୁ ବରିଷ୍ଠ ନାଗରିକ ଜନସଂଖ୍ୟା ଓ ଜୀବଦ୍ଦଶା ବୃଦ୍ଧି ହେତୁ ସମଗ୍ର ବିଶ୍ୱରେ ଆଞ୍ଚଳିକସ୍ତରରେ ବରିଷ୍ଠ ନାଗରିକଙ୍କ ଜୀବନଚର୍ଯ୍ୟା ନିମନ୍ତେ ଅନୁକୁଳ  ଭିତ୍ତିଭୂମି ଗଢ଼ି ତୋଳିବା ଗୁରୁତ୍ୱପୂର୍ଣ୍ଣ । ଆଗାମୀ ତିନି ଦଶକ ମଧ୍ୟରେ ପୂର୍ବ ଓ ଦକ୍ଷିଣ-ପୂର୍ବ ଏସିଆରେ ୩୧ କୋଟି ୨୦ ଲକ୍ଷ ବରିଷ୍ଠ ନାଗରିକ ଜନସଂଖ୍ୟା ବୃଦ୍ଧି ନୀତିନିର୍ଦ୍ଧାରକମାନଙ୍କ ପାଇଁ ପ୍ରାଥମିକତା ଦାବୀ କରିଥାଏ । ଏକବିଂଶ ଶତାଦ୍ଦୀର ପ୍ରଥମ ଦୁଇ ଦଶକ ପ୍ରାଦ୍ୟୋଗିକୀ ବିକାଶ ଜନଜୀବନରେ ବ୍ୟାପକ ପରିବର୍ତ୍ତନର ସୂତ୍ରଧର ସାଜିଥିବା ସ୍ଥଳେ ପରବର୍ତ୍ତୀ ତିନି ଦଶକ ମାନବ ସଭ୍ୟତା ନିମନ୍ତେ ଆହ୍ୱାନ ବିଚାର କରାଯାଏ ।

 

ମହାମାରୀ, ପ୍ରାକୃତିକ ଦୁର୍ବିପାକ ଓ ଯୁଦ୍ଧ ଭଳି ଦୁର୍ଦ୍ଦଶା ସାମାଜିକ ଜୀବନଯାତ୍ରାକୁ ପ୍ରଭାବିତ କରିଥାଏ । ଏତାଦୃଶ୍ୟ ପରିସ୍ଥିତି ନୂତନ ପ୍ରବାହ ଟ୍ରେଣ୍ଡ ସୃଷ୍ଟି କରିଥିବା ଇତିହାସ ପୃଷ୍ଠାରୁ ସୁସ୍ପଷ୍ଟ । କୋଭିଡ଼-୧୯ ମହାମାରୀ ସାଧାରଣ ଜନଜୀବନରେ ବରିଷ୍ଠ ନାଗରକିମାନଙ୍କୁ ଏକ ପୃଥକ ଗୋଷ୍ଠୀରେ ଚ଼ିହ୍ନିତ କରିଥିଲା । ଭୂତାଣୁ ସଂକ୍ରମଣର ଆରମ୍ଭରୁ ୬୦ ବର୍ଷୋତ୍ତରମାନଙ୍କ ଚ଼ିକିତ୍ସା ଜଟିଳ ହୋଇପଡୁଥିବା ତଥା ଆନୁପାତିକଭାବେ ସଂଖ୍ୟାଧିକ ମୃତ୍ୟୁର ସମ୍ମୁଖୀନ ହେଉଥିବା ହେତୁ ବରିଷ୍ଠ ନାଗରିକମାନଙ୍କୁ ସର୍ବାପେକ୍ଷା ସମ୍ୱେଦନଶୀଳ ଗୋଷ୍ଠୀ ପର୍ଯ୍ୟାୟଭୁକ୍ତ କରାଗଲା ।

 

ଖ୍ୟାତନାମା ନେଚର ପତ୍ରିକାରେ ପ୍ରକାଶିତ କୋଭିଡ଼-୧୯ ଗବେଷଣାର ପ୍ରାଥମିକ ପରିସଂଖ୍ୟାନ ଅନୁଯାୟୀ ପାଶ୍ଚାତ୍ୟ ଭୂଖଣ୍ଡରେ ହାରାହାରିଭାବେ ପ୍ରତି ଏକ ହଜାର ସଂକ୍ରମିତଙ୍କ କ୍ଷେତ୍ରରେ ୫୦ ବର୍ଷରୁ କମ ବୟସ୍କଙ୍କ ମୃତ୍ୟୁହାର ନଗନ୍ୟ ଥିବା ସ୍ଥଳେ ୫୦ ବର୍ଷରୁ ୬୦ ବର୍ଷ ବୟସ୍କଙ୍କ ମଧ୍ୟରୁ ପାଞ୍ଚ ଜଣ ମୃତ୍ୟୁ ମୁଖରେ ପଡ଼ିଥିଲେ । ଏମାନଙ୍କ ମଧ୍ୟରେ ମହିଳାଙ୍କ ତୁଳନାରେ ପୁରୁଷଙ୍କ ସଂଖ୍ୟା ଦୁଇଗୁଣ । ତେବେ ୭୫ ବର୍ଷୋତ୍ତର ଏକ ହଜାର ସଂକ୍ରମିତ ବରିଷ୍ଠ ନାଗରିକ ମଧ୍ୟରୁ ୧୧୬ ଜଣ ଯାଏଁ ପ୍ରାଣ ହରାଇଥିଲେ ।

 

ଭୂତାଣୁ ସଂକ୍ରମଣ ଓ ତଦ୍ ଜନିତ ମୃତ୍ୟୁହାରକୁ ଚ଼ିକିତ୍ସାବିଜ୍ଞାନୀମାନେ ଆଇଏଫଆର ଇନଫେକସନ ଫେଟାଲିଟି ରେସିଓ ନାମିତ କରିଥାନ୍ତି । ବିଶ୍ୱର ବିଭିନ୍ନ ପ୍ରାନ୍ତରେ ସଂକ୍ରମଣହାର ଅଧ୍ୟୟନରୁ ଜଣାଯାଏ ଯେ ସଂକ୍ରମିତ ବରିଷ୍ଠ ନାଗରିକମାନଙ୍କ ମଧ୍ୟରୁ ଅଧିକ ସଂଖ୍ୟକଙ୍କ ମୃତ୍ୟୁକୁ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ତଥା ସ୍ଥାନୀୟ ଚ଼ିକିତ୍ସା ବ୍ୟବସ୍ଥା ପ୍ରଭାବିତ କରିଥାଏ । ଗବେଷଣାରୁ ଜଣାଯାଏ ଯେ ବୟସାଧିକ କାରଣରୁ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ହ୍ରାସ ସଂକ୍ରମଣର ଭୟାବହତା ବୃଦ୍ଧିରେ ସହାୟକ ହୋଇଥାଏ । ଏହି ପରିପ୍ରେକ୍ଷୀରେ ବରିଷ୍ଠ ନାଗରିକମାନଙ୍କ ଦୁରାବସ୍ଥାନ ଓ ସାଧାରଣ ଜନଜୀବନରୁ ଅବ୍ୟାହତି ବାଧ୍ୟବାଧକତାରେ ପରିଣତ ହୋଇଛି ।

 

ଦ୍ୱିତୀୟ ବିଶ୍ୱଯୁଦ୍ଧୋତ୍ତର ଅବସ୍ଥାରେ ବିକଶିତ ରାଷ୍ଟ୍ରଗୁଡ଼ିକରେ ଅବସର ବିହାର ରିଟାଏରମେଣ୍ଟ କଲୋନୀସଂସ୍କୃତି ମୁଣ୍ଡ ଟେକିଥିଲା । ସଂଖ୍ୟାଧିକ ବରିଷ୍ଠ ନାଗରିକ ପରିବାରବର୍ଗଙ୍କ ଗହଣରେ ବାର୍ଦ୍ଧକ୍ୟ ଜୀବନଚ଼ର୍ଯ୍ୟାର ସୁଯୋଗ ଅଭାବରେ କିଛି କାଳ ଏକାକୀ ସ୍ୱାଧୀନ ଜୀବନ ଯାପନ ପରେ ଉତ୍ତର-ବାର୍ଦ୍ଧକ୍ୟରେ କେର-ହୋମଗୁଡ଼ିକରେ ମୃତ୍ୟୁ-ପୂର୍ବ ଜୀବନ ଅତିବାହିତ କରିବା ନିମନ୍ତେ ଭିତ୍ତିଭୂମି ପ୍ରସ୍ତୁତ ହୋଇଥିଲା । ସାର୍ସ-କରୋନା-୨ ଭୂତାଣୁ ସଂକ୍ରମଣକାଳରେ ଅସୁସ୍ଥ ଅବସ୍ଥାରେ କେର-ହୋମଗୁଡ଼ିକରେ କାଳାତିପାତ କରୁଥିବା ବରିଷ୍ଠ ନାଗରିକମାନଙ୍କ ମଧ୍ୟରେ ଅପ୍ରତ୍ୟାଶିତଭାବେ ରୋଗ ସଂକ୍ରମଣ ହେତୁ ୨୦୨୦ ମାର୍ଚ୍ଚ-ଏପ୍ରିଲରେ ଇଟାଲୀ, ସ୍ପେନ, ଫ୍ରାନ୍ସ, ବ୍ରିଟେନ ଇତ୍ୟାଦି ରାଷ୍ଟ୍ରଗୁଡ଼ିକରେ ବହୁସଂଖ୍ୟକ ବରିଷ୍ଠ ନାଗରିକ ଭୂତାଣୁ ସଂକ୍ରମିତ ହୋଇ ମୃତ୍ୟୁ ବରଣ କରିବା ଅଭିଜ୍ଞତା ଏହି ପ୍ରବାହ ଟ୍ରେଣ୍ଡ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି ।

 

ସାଧାରଣ ବିଚାରରେ ବୟସାଧିକ କାରଣରୁ ବରିଷ୍ଠ ନାଗରିକମାନଙ୍କ କ୍ଷେତ୍ରରେ ସହାୟତାଯୁକ୍ତ ଜୀବନଚର୍ଯ୍ୟା ଆବଶ୍ୟକ ଅବସରରେ ବିଚ୍ଛୁରିତଭାବେ ବସବାସ କରୁଥିବା ବରିଷ୍ଠଙ୍କୁ ନିରନ୍ତର ସେବା ଯୋଗାଇବା ସମସ୍ୟା ତଥା ଖର୍ଚ୍ଚ ବହୁଳ ସାବ୍ୟସ୍ତ ହୋଇଥାଏ । କିନ୍ତୁ ବହୁ ସଂଖ୍ୟକ ବରିଷ୍ଠ ନାଗରିକ ଏକତ୍ର ବସବାସ କଲେ ସହଜରେ ତଥା କମ ଖର୍ଚ୍ଚରେ ଯତ୍ନ ଯୋଗାଡ଼ କରାଯାଇପାରେ । ଏହି ଯୁକ୍ତି କ୍ରମଶଃ ବିକଶଶୀଳ ରାଷ୍ଟ୍ରଗୁଡ଼ିକୁ ସଂପ୍ରସାରିତ ହେଉଥିବା ସମୟରେ କୋଭିଡ଼-୧୯ ମହାମାରୀରେ ଏକତ୍ର ବସବାସକରୁଥିବା ବରିଷ୍ଠଙ୍କ ବସତିଗୁଡ଼ିକରେ ସଂକ୍ରମଣ ଓ ମୃତ୍ୟୁହାର ଗୋଷ୍ଠୀଗତ ଜୀବନ ବିରୋଧଭାସରେ ପରିଣତ ହୋଇଛି ।

 

ବିଶେଷଜ୍ଞମାନଙ୍କ ମତରେ ୟୁରୋପ ଓ ବ୍ରିଟେନରେ କେର-ହୋମଗୁଡ଼ିକରେ ମୌଳିକ ଭିତ୍ତିଭୂମି ଓ ତାଲିମପ୍ରାପ୍ତ ମାନବସମ୍ୱଳ ଅଭାବ, ପରିଚାଳକମାନଙ୍କ ଲାଭଖୋର ମନୋବୃତ୍ତି ତଥା ନିୟମାକ ଅଭାବ ହେତୁ ସଂକ୍ରମଣ ଅନିୟନ୍ତ୍ରିତ ସ୍ଥିତିକୁ ଚାଲିଯାଇଥିଲା । ମହାମାରୀ-ପର ଅବସ୍ଥାରେ ଏହି କ୍ଷେତ୍ରରେ ନୀତିନିୟମ ପ୍ରଣୟନକୁ ଗୁରୁତ୍ୱ ଦିଆଯିବା ଆଶା କରାଯାଉଛି । ବିକଶିତ ରାଷ୍ଟ୍ରଗୁଡ଼ିକରେ ଅନୁସୃତ କେର-ହୋମ ମଡ଼େଲ ଭାରତଭଳି ବିକାଶଶୀଳ ରାଷ୍ଟ୍ରଗୁଡ଼ିକରେ ଅନୁକରଣ ଅପରିହାର୍ଯ୍ୟ ହୋଇ ପଡ଼ିଥିବା ସ୍ଥଳେ ମୂଳରୁ ହିଁ ସରକାରୀ ଓ ବେସରକାରୀ ଉଭୟସ୍ତରରେ ସତର୍କତା ଦାବୀ କରେ ।

 

ଭାରତ ତଥା ଓଡ଼ିଶା ରାଜ୍ୟରେ ବରିଷ୍ଠ ନାଗରିକମାନଙ୍କ ସ୍ଥିତି ବିକଶିତ ରାଷ୍ଟ୍ରଗୁଡ଼ିକ ତୁଳନାରେ ସଂପୂର୍ଣ୍ଣ ଭିନ୍ନ । ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୨୦ ଅଗଷ୍ଟ ମାସରେ ଉପସ୍ଥାପିତ ସତ୍ୟପାଠ ଅନୁଯାୟୀ ଜନସଂଖ୍ୟାର ୮୦ ପ୍ରତିଶତଙ୍କୁ ବିଭିନ୍ନ ଖାଦ୍ୟ ସୁରକ୍ଷା ଯୋଜନାରେ ଖାଦ୍ୟ ସାମଗ୍ରୀ ପ୍ରଦାନ କରାଯାଉଛି । ଏହାର ଅର୍ଥ ସେମାନେ ଗରିବ ଏବଂ ସରକାରୀ ସହାୟତା ଉପରେ ନିର୍ଭରଶୀଳ । ଅତଏବ ବ୍ୟକ୍ତିଗତସ୍ତରରେ ବାର୍ଦ୍ଧକ୍ୟ ପରିଚାଳନା ଲାଗି ସେମାନେ କୌଣସି ଖର୍ଚ୍ଚଯୁକ୍ତ ପଦକ୍ଷେପ ନେବା ପ୍ରାୟତଃ ଅସମ୍ଭବ ।

 

ଓଡ଼ିଶାର ଜନସଂଖ୍ୟାର ମାତ୍ର ୨୦ ପ୍ରତିଶତ ଅନ୍ତତଃପକ୍ଷେ ଖାଦ୍ୟ ସାମଗ୍ରୀ ନିମନ୍ତେ ରୀତିମତ ସରକାରୀ ସହାୟତାରେ ନିର୍ଭରଶୀଳ ନଥିବା ସ୍ଥଳେ ସେମାନଙ୍କ ମଧ୍ୟରୁ ଅଳ୍ପ ସଂଖ୍ୟକ ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳ ବର୍ଗ ରୂପେ ଚ଼ିହ୍ନିତ । ଏମାନଙ୍କ ମଧ୍ୟରୁ ବ୍ୟକ୍ତିଗତସ୍ତରରେ ଅର୍ଥ ନିବେଶ କରି ବାର୍ଦ୍ଧକ୍ୟ ଅନୁକୁଳ ସ୍ୱାଧୀନ ଜୀବନଯାପନ କରିବା ନିମନ୍ତେ ଖୁବ କମ ସଂଖ୍ୟକ ସକ୍ଷମ ଥିବା ବିଶ୍ୱାସ କରାଯାଇପାରେ । ଏହି ପରିବେଶରେ ଏକ ପକ୍ଷରେ ଉତ୍ତର ବାର୍ଦ୍ଧକ୍ୟ ଯତ୍ନ ସକାଶେ ସରକାରୀ ସାହାଯ୍ୟ ବିନା ବହୁ ସଂଖ୍ୟକ ଜନସାଧାରଣଙ୍କ ନିମନ୍ତେ କୌଣସି ଯୋଜନା ପ୍ରଣୟନ ଅସଂଭବ ଥିବା ସ୍ଥଳେ ଅପରପକ୍ଷରେ ସଂଖ୍ୟାଲଘୁ ଜନସଂଖ୍ୟାଙ୍କ ପାଇଁ ବାର୍ଦ୍ଧକ୍ୟ ଅନୁକୁଳ ସୁବିଧା ସୁଯୋଗ ଘରୋଇ ନିବେଶରେ ବିକଶିତ ହୋଇପାରୁ ନାହିଁ ।

 

ଏକ ଏଧ୍ୟୟନ ଆନୁଯାୟୀ ଭାରତରେ ୨୦୨୦ ସୁଦ୍ଧା ପ୍ରାୟ ଦୁଇକୋଟି ବରିଷ୍ଠ ନାଗରିକ ଏକାକୀ ବସବାସ କରୁଛନ୍ତି । ବିଭିନ୍ନ କାରଣରୁ ଏମାନଙ୍କ ପକ୍ଷେ ପାରମ୍ପରିକ ଯୌଥ ପରିବାରରେ ବସବାସ ସୁଯୋଗ ଅଭାବ । କନଫଡ଼ରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରୀର ଆକଳନରେ ୨୦୨୫ ସୁଦ୍ଧା ଦେଶର ବରିଷ୍ଠ ନାଗରିକ ସଂଖ୍ୟା ୧୫ କୋଟି ୮୦ ଲକ୍ଷକୁ ବୃଦ୍ଧିପ୍ରାପ୍ତ ହେବ ଏବଂ ଏକବିଂଶ ଶତାଦ୍ଦୀ ଶେଷ ବେଳକୁ ସମଗ୍ର ଜନସଂଖ୍ୟାର ୩୪ ପ୍ରତିଶତ ବରିଷ୍ଠ ନାଗରିକ ପର୍ଯ୍ୟାୟଭୁକ୍ତ ହେବେ । ଏହି ପରିସଂଖ୍ୟାନ ୨୦ ବର୍ଷରୁ ଆରମ୍ଭ କରି ୮୦ ବର୍ଷ ଯାଏଁ ସମସ୍ତ ବର୍ଗର ଜନସାଧାରଣଙ୍କ ନିମନ୍ତେ ବାର୍ଦ୍ଧକ୍ୟ ଜୀବନଚର୍ଯ୍ୟା ନିୟନ୍ତ୍ରଣ ଲାଗି ଭିତ୍ତିଭୂମି ପ୍ରସ୍ତୁତରେ ଅଂଶଗ୍ରହଣ ସମୟ ଉପନୀତ ଥିବା ପ୍ରମାଣିତ କରେ ।

 

ଭାରତରେ ନ୍ୟାସନାଲ ପଲିସି ଅନ ଓଲଡ଼ର ପରସନ୍ସ ୧୯୯୯ରୁ ପ୍ରଣୀତ ହୋଇଛି । ଜାତିସଂଘ ଅନୁମୋଦିତ ବିଭିନ୍ନ ବାର୍ଦ୍ଧକ୍ୟ କଲ୍ୟାଣ ଘୋଷଣାନାମାରେ ଭାରତ ଅଂଶୀଦାର । ତେବେ ଦେଶର ବିପୁଳ ଜନସଂଖ୍ୟା, ଭୌଗଳିକ ଓ ସାଂସ୍କୃତିକ ବିବିଧତା, ଅତ୍ୟନ୍ତ ପୁରାତନ ସଭ୍ୟତା ହେତୁ ପାରମ୍ପରିକ ଦୃଷ୍ଟିକୋଣ ଏବଂ ସର୍ବୋପରି ଅର୍ଥନୀତିକ ନିବେଶ ଅଭାବ କାରଣରୁ ବିକଳ୍ପ ବାର୍ଦ୍ଧକ୍ୟ ଅନୁକୁଳ ଭିତ୍ତିଭୂମି ପ୍ରତିଷ୍ଠାରେ ପଛୁଆ ପଡ଼ି ରହିଛି । ମହାମାରୀରେ ଦୀର୍ଘକାଳ ଏକାକୀ ଜୀବନଚର୍ଯ୍ୟା ଅନେକ ବରିଷ୍ଠ ନାଗରିକଙ୍କ ନିମନ୍ତେ ସମସ୍ୟାବହୁଳ ପ୍ରମାଣିତ ହେବା ପରେ ଅନ୍ତତଃ ପକ୍ଷେ ସେମାନଙ୍କ ବ୍ୟକ୍ତିଗତ ନିଷ୍ପତ୍ତିକ୍ରମେ ବାର୍ଦ୍ଧକ୍ୟ ଯତ୍ନ ମହାମାରୀ-ପର ଅବସ୍ଥାରେ କ୍ରମଶଃ ଏକ ଅଗ୍ରଗାମୀ ଶିଳ୍ପ ରୂପେ ମୁଣ୍ଡ ଟେକିବା ଆଶା ଅସମଚୀନ ନୁହେଁ ।

 

ଆବଶ୍ୟକତା ପରିବର୍ତ୍ତନର ଜନନୀ । ମହାମାରୀ-ପର ଅବସ୍ଥାରେ ଦୀର୍ଘକାଳ ଯାଏଁ ବାର୍ଦ୍ଧକ୍ୟ ଜୀବନଚର୍ଯ୍ୟାରେ ଏକାନ୍ତତା ଭଳି ପ୍ରତିବନ୍ଧକ ଲାଗୁ କରାଯିବା ଆଶଙ୍କା କରାଯାଉଥିବା ସ୍ଥଳେ ପୃଥକ ବାସ ସାଙ୍ଗକୁ ପେଶାଦାର ସ୍ୱାସ୍ଥ୍ୟ କର୍ମୀ ନିୟୋଜନ ଓ ଦୈନନ୍ଦିନ ଜୀବନ ଯାପନ ଲାଗି ସହାୟତାଯୁକ୍ତ ପରିବେଶ ସୃଷ୍ଟି ସମ୍ଭବପର । ପଡ଼ୋଶୀ ରାଷ୍ଟ୍ରଗୁଡ଼ିକରେ ଅନୁସୃତ ବାର୍ଦ୍ଧକ୍ୟ ଅନୁକୁଳ ସଫଳ ଯୋଜନାମାନ ପ୍ରଣୟନର ପରିବେଶ ସୃଷ୍ଟି ହୋଇପାରେ । ଭାରତର ଉଦାହରଣ ଅନ୍ୟତ୍ର ମଧ୍ୟ ପ୍ରଯୁଜ୍ୟ । ମୋଟ ଉପରେ ୨୦୧୮ ସୁଦ୍ଧା ବିଶ୍ୱ ଜନସଂଖ୍ୟାରେ ୬୫ ବର୍ଷୋତ୍ତର ବରିଷ୍ଠ ନାଗରିକଙ୍କ ସଂଖ୍ୟା ପାଞ୍ଚ ବର୍ଷରୁ କମ ବୟସର ଶିଶୁଙ୍କ ସଂଖ୍ୟାଠାରୁ ବଢ଼ି ଯାଇଥିବା ପରିସଂଖ୍ୟାନ ପୃଥିବୀର ଜନସଂଖ୍ୟା ବରିଷ୍ଠନାଗରିକପ୍ରବଣ ହେଉଥିବା ସୂଚନା ପ୍ରଦାନ କରିଥାଏ । ଏହି ପରିପ୍ରେକ୍ଷୀରେ ବାର୍ଦ୍ଧକ୍ୟ ଚିନ୍ତନ ଗୁରୁତ୍ୱ ବୃଦ୍ଧି ପାଇବା ସ୍ୱାଭାବିକ । 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ସେପ୍ଟେମ୍ୱର ୨୦୨୦


ତଥ୍ୟ:

 

United Nations / Dept. of Economic and Social Affairs / Ageing



<https://www.un.org/development/desa/ageing/international-day-of-older-persons-homepage.html>



<www.un.org/development/desa/ageing/international-day-of-older-persons-homepage/2020unidop.html>


 

Mallpaty, Smriti. The coronavirus is most deadly if you are older and male-new data reveals risk. www.nature.com, August 28, 2020



<https://www.nature.com/articles/d41586-020-02483-2>


 

Mehta, Ranjit. Covid-19: Reshaping the future of senior living in the post pandemic world. The Hindustan Times. June 03, 2020.



<https://www.hindustantimes.com/health/covid-19-reshaping-the-future-of-senior-living-in-the-post-pandemic-world/story-WXUU3fvqMqKhgfLDE8hg61.html> 

ବରିଷ୍ଠ ନାଗରିକ ଟିକାକରଣ

ଭାରତ ସରକାରଙ୍କ ପକ୍ଷରୁ ବରିଷ୍ଠ ନାଗରିକଙ୍କ ସମେତ ସ୍ୱାସ୍ଥ୍ୟକର୍ମୀ ଓ ଗର୍ଭବତୀ ମହିଳାଙ୍କୁ ପ୍ରାଥମିକ ପର୍ଯ୍ୟାୟରେ ‘କୋଭିଡ଼-୧୯’ ପ୍ରତିଷେଧକ ଟିକାପ୍ରଦାନ ନିମନ୍ତେ ସରକାରୀସ୍ତରରେ ନୀତିଗତ ଭାବେ ସ୍ଥିର ହୋଇଥିବା ଜଣାଯାଏ । ପ୍ରାଥମିକ ଆକଳନ ଅନୁଯାୟୀ ଦେଶରେ ୫୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କଙ୍କ ସଂଖ୍ୟା ୨୬ କୋଟି । ଏମାନଙ୍କ ସହ ଡ଼ାକ୍ତର, ନର୍ସ, ଅନ୍ୟାନ୍ୟ ସ୍ୱାସ୍ଥ୍ୟକର୍ମୀ, ପୌରପାଳିକା ଓ ସଂକ୍ରମଣ ପରିଚାଳନାରେ ସମ୍ମୁଖଧାଡ଼ିର କର୍ମଚାରୀ, ପରିବହନ ଚାଳକ, ପୋଲିସ ଓ ସଶସ୍ତ୍ର ବାହିନୀ ଏବଂ ବିଭିନ୍ନ ଜଟିଳ ରୋଗାକ୍ରାନ୍ତ ପ୍ରାୟ ୨୫ ରୁ ୩୦ କୋଟି ଜନସାଧାରଣଙ୍କୁ ପ୍ରଥମ ପର୍ଯ୍ୟାୟ ୨୦୨୧ଜୁଲାଇ-ଅଗଷ୍ଟ ସୁଦ୍ଧା ଟିକାକରଣ ଆଶା କରାଯାଉଛି । ନଭେମ୍ୱର ୨୦୨୦ ମଧ୍ୟଭାଗରେ ଦୁଇ ମାର୍କିନ ଟିକାର ଚୂଡ଼ାନ୍ତ ପରୀକ୍ଷଣ ତଥା ବ୍ରିଟେନ, ଋଷ ଓ ଚୀନରେ ଟିକା ପରୀକ୍ଷଣର ଅଗ୍ରଗତି ସଂପର୍କୀତ ସମ୍ୱାଦ ପ୍ରକାଶିତ ହେବାପରେ ପ୍ରତିଷେଧକ ବ୍ୟବସ୍ଥା ସଂପର୍କରେ ଜନସାଧାରଣରେ, ମୁଖ୍ୟତଃ ସମ୍ୱେଦନଶୀଳ ବରିଷ୍ଠ ନାଗରିକମାନଙ୍କ ମଧ୍ୟରେ ଉତ୍ସୁକତା ଲାଗି ରହିବା ସ୍ୱାଭାବିକ ।

 

ଭାରତରେ କେବେ ଟିକାକରଣ ଆରମ୍ଭ ହେବ ସେ ସଂପର୍କୀତ ପୂର୍ବାନୁମାନରେ କୁହାଯାଉଛି ଯେ ଏଠାରେ ବ୍ୟବହାରଲାଗି ଚ଼ିହ୍ନଟ ହୋଇଥିବା ଟିକାଗୁଡ଼ିକ ନଭେମ୍ୱର ୨୦୨୦ରୁ ମାର୍ଚ୍ଚ ୨୦୨୧ ସୁଦ୍ଧା ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ସାରିବା କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି । ଅର୍ଥାତ ୨୦୨୧ ବର୍ଷ ଆରମ୍ଭ ତିନିମାସରେ ହୁଏତ ପ୍ରଥମ ଦୁଇ ତିନୋଟି ଟିକା ବ୍ୟବହାରଯୋଗ୍ୟ ଅବସ୍ଥାକୁ ଆସିଯିବ ଏବଂ ପରବର୍ତ୍ତୀ ଛଅମାସରେ ଆଉ ତିନି ଚାରିଗୋଟି ଟିକାକରଣ ସୁବିଧା ମିଳିବ ।

 

ସ୍ଵଦେଶୀ ଭାରତ ବାୟୋଟେକର ‘କୋଭିକ୍ସିନ’ ସାଙ୍ଗକୁ ସେରମ – ନୋଭାଭାକ୍ସ, ଆଷ୍ଟ୍ରାଜେନେକା – ଅକ୍ସଫୋର୍ଡ, କାଡ଼ିଲା-ଡିଏନଏ, ଜନସନ ଏଣ୍ଡ ଜନସନ ଓ ରୁଷୀୟ ‘ସ୍ପୁଟନିକ-୫’ ପ୍ରଭୃତି ଟିକା ୨ରୁ ୮ ଡ଼ିଗ୍ରୀ ସେଲସିୟସ ତାପମାତ୍ରାରେ ଗଚ୍ଛିତ ରଖାଯାଇପାରିବ । ଏଥିଲାଗି କୋଲ୍ଡ ରୁମ, ୱାକ ଇନ କୁଲର, ୱାକର ଫ୍ରିଜର, ଆଇସ ଲାଇନଡ଼ ରେଫ୍ରିଜେରେଟର, କୋଲ୍ଡ ବକ୍ସ ଓ ଭାକ୍ସିନ କ୍ୟାରିଅର ଭଳି ବିଦ୍ୟୁତ ଓ ବିଦ୍ୟୁତ-ବିହୀନ ଶୀତଳିକରଣ ସାମଗ୍ରୀ ଆମ ଦେଶରେ ଉପଲବ୍ଧ । ଏଥିପୂର୍ବରୁ ପୋଲିଓ ଭଳି ବିଭିନ୍ନ ସାର୍ବଜନୀନ ଟିକାକରଣ କାର୍ଯ୍ୟକ୍ରମରେ ବ୍ୟବହାର ନିମନ୍ତେ ପ୍ରାୟ ୨୮ ହଜାର ଶୀତଳ ଭଣ୍ଡାର ନେଟୱାର୍କ କାର୍ଯ୍ୟକରିଛି ।

 

ପ୍ରଶ୍ନ ଉଠେ କେବଳ ସରକାରୀସ୍ତରରେ ଟିକାକରଣ ହେବ ନା ବେସରକାରୀସ୍ତରରେ ଘରୋଇ ଚିକିତ୍ସାଳୟଗୁଡ଼ିକରେ ମଧ୍ୟ ଟିକା ମିଳିବ ? ଏ ସଂପର୍କରେ କୌଣସି ବିଧିବଦ୍ଧ ନୀତି ଘୋଷିତ ନହୋଇଥିଲେ ସୁଦ୍ଧା ଦେଶରେ ବ୍ୟାପକ ଟିକାକରଣ ଅଭିଯାନକୁ ଯଥାଶୀଘ୍ର ସାରିବା ଓ ସରକାରୀ କଳ ଉପରେ ବୋଝ ହାଲୁକା କରିବା ନିମନ୍ତେ ଘରୋଇ ଉଦ୍ୟୋଗକୁ ଅନୁମତି ମିଳିପାରେ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରୁଛନ୍ତି ।

 

ନଭେମ୍ୱର ୨୦୨୦ ଶେଷ ସୁଦ୍ଧା ଆନ୍ତର୍ଜାତିକସ୍ତରରେ ବିକଶିତ ଫାଇଜର, ମଡ଼େର୍ଣ୍ଣା ଓ ସ୍ପୁଟନିକ-୫ ଟିକା ଯଥାକ୍ରମେ ବିଯୁକ୍ତ ୭୦ ଡ଼ିଗ୍ରୀ, ବିଯୁକ୍ତ ୨୦ ଡ଼ିଗ୍ରୀ ଓ ୨ ରୁ ୮ ଡ଼ିଗ୍ରୀ ସେଲସିୟସ ମଧ୍ୟରେ ରହୁଥିବା ଏବଂ ଭାରତରେ ଗଭୀର ଶୀତଳିକରଣ ବ୍ୟବସ୍ଥା ଅଭାବ ହେତୁ ମଡ଼େର୍ଣ୍ଣା ଓ ସ୍ପୁଟନିକ-୫ ଟିକାପ୍ରଦାନ ପ୍ରଚଳିତ ବ୍ୟବସ୍ଥାରେ ସଂଭବ । ମାର୍କିନ ଟିକା ମଡ଼େର୍ଣ୍ଣାର ମୂଲ୍ୟ ଟିକା ପିଛା ୨,୫୦୦ ଟଙ୍କା ଅର୍ଥାତ ଦୁଇଗୋଟି ମାତ୍ରା ଟିକା ନିମନ୍ତେ ପାଞ୍ଚ ହଜାର ଟଙ୍କାରୁ ଉର୍ଦ୍ଧ୍ୱ ଖର୍ଚ୍ଚ ହେବ । ପୁଣି ମଡ଼େର୍ଣ୍ଣା ପାଇଁ ଆବଶ୍ୟକୀୟ ବିଯୁକ୍ତ ୨୦ ଡ଼ିଗ୍ରୀ ସେଲସିଏସ ଶୀତଳିକରଣ ବ୍ୟବସ୍ଥା ଦେଶର ବଡ଼ ସହର ବ୍ୟତୀତ ଛୋଟ ସହର କିମ୍ୱା ଗ୍ରାମାଞ୍ଚଳରେ ଉପଲବ୍ଧ ନୁହଁ । ଏହି କାରଣରୁ ଯଦି ମଡ଼ର୍ଣ୍ଣା ଟିକା ଭାରତକୁ ଆସେ ତେବେ ତାହା ବିନାମୂଲ୍ୟରେ ସର୍ବସାଧାରଣରେ ବିତରଣ ପରିବର୍ତ୍ତେ ସରକାରୀସ୍ତରରେ ବ୍ୟବହାର ନହେଉଥିବା ହେତୁ ଘରୋଇ ଚ଼ିକିତ୍ସାଳୟଗୁଡ଼ିକରେ ମୂଲ୍ୟଯୁକ୍ତ ଟିକାକରଣ ସଂଭବପର ବୋଲି ଆକଳନ କରାଯାଇପାରେ ।

 

ଭାରତ ସରକାରଙ୍କ ପକ୍ଷରୁ କରୋନଭୂତାଣୁ ବିରୋଧରେ ପ୍ରତିଷେଧକ ଶକ୍ତିକ୍ଷମ ଆଣ୍ଟିବଡ଼ିଧାରୀଙ୍କୁ ବାଦ ଦେଇ ସମସ୍ତଙ୍କୁ ମାଗଣାରେ ଟିକାକରଣ କରିବେ । ଦେଶର ଜନସଂଖ୍ୟା ୧୩୮ କୋଟି ଥିବା ସ୍ଥଳେ ଅନୁମାନିକ ୨୫ ପ୍ରତିଶତ ଆଣ୍ଟିବଡ଼ିଧାରୀଙ୍କୁ ହିସାବକୁ ନନେଲେ ବ୍ୟକ୍ତି ପିଛା ଦୁଇ ମାତ୍ରାରେ ୧୬୫.୬ କୋଟି ଟିକା ଆବଶ୍ୟକ । ଅତି ଶୀଘ୍ର ହିସାବରେ ୨୦୨୧ ମାର୍ଚ୍ଚରୁ ଭାରତରେ ଟିକାକରଣ ଆରମ୍ଭ କରାଗଲେ ପ୍ରଥମ ଛଅମାସରେ ଅଗଷ୍ଟ ମାସ ସୁଦ୍ଧା ୨୫ କୋଟି ଲୋକଙ୍କୁ ୫୦ କୋଟି ମାତ୍ରା ଟିକାକରଣ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇପାରେ । ଏଥି ନିମନ୍ତେ ପ୍ରାୟ ଲକ୍ଷେ ପ୍ରଶିକ୍ଷିତ ସ୍ୱାସ୍ଥ୍ୟକର୍ମୀ ଆବଶ୍ୟକ ପଡ଼ିବେ । ସମସ୍ତଙ୍କ ପାଖେ ଟିକା ପହଞ୍ଚିବାକୁ ହୁଏତ ୨୦୨୩ ଶେଷ ଯାଏଁ ଅପେକ୍ଷା କରିବାକୁ ପଡ଼ିବ ।

 

ମାର୍କିନ ଔଷଧ କମ୍ପାନୀ ଫାଇଜର ପକ୍ଷରୁ କୁହାଯାଉଛି ଯେ ଏହାର ଟିକା ୬୫ ବର୍ଷରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକଙ୍କ ମଧ୍ୟରେ ୯୪ ପ୍ରତିଶତ କାର୍ଯ୍ୟକ୍ଷମ । ଏହାର ତୃତୀୟ ପର୍ଯ୍ୟାୟ  ପରୀକ୍ଷଣରେ ୪୪ ହଜାର ସ୍ୱେଚ୍ଛାସେବୀ ସାମିଲ ହୋଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ୨୨ ହଜାର ବ୍ୟକ୍ତିଙ୍କୁ ଟିକା ଦିଆଯାଇଥିଲା । ବୟସ୍କ ସ୍ଵେଚ୍ଛାସେବୀଙ୍କ କ୍ଷେତ୍ରରେ ସାମାନ୍ୟ କିମ୍ୱା ନଗଣ୍ୟ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଥିଲା । ଅତୀତରେ ଇନଫୁଏଞ୍ଜା ଟିକା ଭଳି ପ୍ରତିଷେଧକ ବୟସ୍କଙ୍କ କ୍ଷେତ୍ରରେ ଠିକ କାର୍ଯ୍ୟ କରୁନଥିବା ଅଭିଜ୍ଞତା ଥିବା ହେତୁ ନୂଆ ଟିକାର ଫଳାଫଳ ଚିକିତ୍ସକଙ୍କ ମଧ୍ୟରେ ଆଶା ସଞ୍ଚାର କରିଛି । ତେବେ କେଉଁ ଟିକାଗୁଡ଼ିକ ବରିଷ୍ଠ ନାଗରିକଙ୍କ ନିମନ୍ତେ କେତେଦୂର ଅନୁକୂଳ ହେବ ତାହା ଟିକାକରଣର ପରବର୍ତ୍ତୀ ଅନ୍ତତଃ ତିନିରୁ ଛଅମାସ ମଧ୍ୟରେ ଜଣା ପଡ଼ିବା ବିଶ୍ୱାସ କରାଯାଇପାରେ ।

 

ଆମ ଦେଶରେ ‘କୋଭିଡ଼-୧୯’ ନିୟନ୍ତ୍ରଣ କରିବା ନିମନ୍ତେ ସମସ୍ତ ନାଗରିକଙ୍କୁ ଟିକା ପ୍ରଦାନର ବ୍ୟବସ୍ଥା ନିମନ୍ତେ ଆୟୋଜନ ଜୁଲାଇ ୨୦୨୦ରୁ ବିଧିବଦ୍ଧ ଯୋଜନା ପ୍ରଣୟନ କାର୍ଯ୍ୟ ଆରମ୍ଭ ହୋଇସାରିଛି । ସୂଚନା ଅନୁଯାୟୀ ଭାରତ ସରକାର ଅକ୍ସଫୋର୍ଡ଼ ଆଷ୍ଟ୍ରାଜନିକ ଟିକା ୫୦ କୋଟି, ରୁଷର ସ୍ପୁଟନିକ-୫ ଟିକା ୧୦ କୋଟି ଓ ନୋଭାଭାକ୍ସ ଟିକା ଶହେ କୋଟି ବରାଦ କରିସାରିଛନ୍ତି । ପ୍ରଥମେ ଅକ୍ସଫର୍ଡ଼ୋ ଆଷ୍ଟ୍ରାଜନିକା ପରେ ସ୍ପୁଟନିକ-୫ ଓ ଶେଷରେ ୨୦୨୧ ଦ୍ୱିତୀୟାର୍ଦ୍ଧ ସୁଦ୍ଧା ନୋଭାଭାକ୍ସ ଟିକା ଆସିବା ଆଶା କରାଯାଉଛି ।

 

ତଥ୍ୟାଭିଜ୍ଞଙ୍କ ମତରେ ସରକାରଙ୍କ ପକ୍ଷରୁ ପବ୍ଲିକ-ପ୍ରାଇଭେଟ-ପାର୍ଟିସେପସନ ପଦ୍ଧତି ଉପଯୋଗରେ ସାଧ୍ୟମତେ କମ ସମୟ ମଧ୍ୟରେ ଟିକାକରଣ ନିମନ୍ତେ ଯୋଜନା କାର୍ଯ୍ୟକାରୀ କରାଯିବ । ପ୍ରଥମତଃ, ଯେଉଁମାନେ ନିଜ ଖର୍ଚ୍ଚରେ ଟିକା ନେବାକୁ ଚାହିଁବେ ସେମାନଙ୍କ ପାଇଁ ଘରୋଇ ଚିକିତ୍ସାଳୟ ମାଧ୍ୟମରେ ଅନୁମତି ସାଙ୍ଗକୁ ଦ୍ୱିତୀୟତଃ, ବିଭିନ୍ନ ଶିଳ୍ପ ଓ ବାଣିଜ୍ୟ ସଂସ୍ଥା ନିଜ କର୍ମଚାରୀ ଓ ତାଙ୍କରି ପରିବାରବର୍ଗଙ୍କୁ ଟିକାକରଣ ନିମନ୍ତେ ଅନୁକୂଳ ସୁବିଧା ଯୋଗାଇବା ତଥା ତୃତୀୟତଃ, ବ୍ୟାବସାୟିକ ସଂସ୍ଥାଗୁଡ଼ିକର କର୍ପୋରେଟ ସୋସିଆଲ ରେସପନସିବଲଟି ଓ ଚତୁର୍ଥତଃ, ବଦାନ୍ୟ ଅନୁଷ୍ଠାନମାନଙ୍କ ଅନୁଦାନ ମାଧ୍ୟମରେ ଟିକାକରଣ ନିମନ୍ତେ ଭିତ୍ତିଭୂମି ସୃଷ୍ଟି ନିମନ୍ତେ ଗୁରୁତ୍ୱ ଦିଆଯାଇପାରେ । ପଞ୍ଚମତଃ, ଆୟୁଷ୍ମାନ ଭାରତ ହିତାଧିକାରୀଙ୍କ ସମେତ ବଳକା ଅନ୍ୟମାନଙ୍କୁ ସରକାରଙ୍କ ଦ୍ୱାରା ଟିକାକରଣ ନିମନ୍ତେ ଉଦ୍ୟମ କରାଯାଇପାରେ । ଏତଦ୍ୱାରା ପ୍ରତିଷେଧକ ପ୍ରଦାନରେ ଅଯଥା ଭିଡ଼କୁ ଯାଥାସାଧ୍ୟ ଏଡ଼ାଇ ଦେଇହେବ । ଟିକାକରଣରେ ‘ଆଧାର’ ଓ ଭୋଟର ତାଲିକା ତଥ୍ୟ ଉପଯୋଗରେ ସମଗ୍ର କାର୍ଯ୍ୟକ୍ରମକୁ ଡ଼ିଜିଟାଲ ତଥା ସୁସଂହତ କରିବାର ସୁବିଧା ମଧ୍ୟ ସରକାରୀସ୍ତରରେ ଉପଲବ୍ଧ ।

 

‘କୋଭିଡ଼-୧୯’ ଟିକାକରଣ ନିମନ୍ତେ ତୃଣମୂଳସ୍ତରରେ ବରିଷ୍ଠ ନାଗରିକଙ୍କୁ କିପରି ପ୍ରାଥମିକତା ଦିଆଯାଇପାରିବ ଏବଂ ସ୍ଥଳବିଶେଷରେ ପାର୍ଶ୍ୱପ୍ରତିକ୍ରିୟା ଦେଖାଦେଲେ ଚ଼ିକିତ୍ସାର ସୁବିଧା ସୁଯୋଗ ସୃଷ୍ଟି ସଂଭବ ସେ ଦିଗରେ ସ୍ଥାନୀୟ ଚ଼ିକିତ୍ସକ ଓ ପ୍ରଶାସନ ବିଧିବଦ୍ଧ ଯୋଜନା ପ୍ରଣୟନ କରିବା ଆବଶ୍ୟକ । କାରଣ ଟିକାକୁ ନେଇ ବିବାଦଜନିତ ଅଭିଜ୍ଞତାର ଅଭାବ ନାହିଁ ଏବଂ ଆନ୍ତର୍ଜାତିକସ୍ତରରେ ‘ସାର୍ସ-କରୋନା-୨’ ସଂକ୍ରମଣ ଆରମ୍ଭରୁ ଭିନ୍ନମତ ଜୋର ଧରିଛି । ଏକ ହିସାବ ଅନୁଯାୟୀ ବିଶ୍ୱରେ ସର୍ବାପେକ୍ଷା ଅଧିକ ଆକ୍ରାନ୍ତ ଓ ମୃତ୍ୟୁବରଣ କରିଥିବା ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରାୟ ୪୫ ପ୍ରତିଶତ ଜନସାଧାରଣ ଟିକା ନେବା ନିମନ୍ତେ ଆଗ୍ରହୀ ନୁହନ୍ତି । ସେହିପରି ଦ୍ୱିତୀୟସ୍ଥାନ ଅଧିକାର କରିଥିବା ବ୍ରାଜିଲର ରାଷ୍ଟ୍ରପତି ନିଜେ ଟିକା ନେବେ ନାହିଁ ବୋଲି କହିଛନ୍ତି । ତେଣେ ଅଗ୍ରଣୀ ଟିକା ଉଦ୍ଭାବକ ଫାଇଜରର ଜଣେ ପୂର୍ବତନ ବରିଷ୍ଠ କର୍ମକର୍ତ୍ତା କରୋନା ସଂକ୍ରମଣ ଶେଷ ହୋଇଯାଇଛି ଏବଂ ଟିକାକରଣର ଆବଶ୍ୟକତା ନାହିଁ ବୋଲି ଦୃଢ଼ୋକ୍ତି ବାଢ଼ିଛନ୍ତି । ଏହିଭଳି ଘଟଣାକ୍ରମର ପ୍ରଭାବ ଏଠାକାର ବରିଷ୍ଠ ନାଗରିକଙ୍କ ଉପରେ କେତେଦୂର ପଡ଼ିବ ତାହା ବିତର୍କର ବିଷୟ ! 



ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଡ଼ିସେମ୍ୱର ୨୦୨୦


ତଥ୍ୟ:

 

Chitravanshi, Ruchika. Govt. to strengthen cold chain for Pfizer vaccine. Business Standard  (Bhubaneswar Edition). November 11, 2020.

 

Thomas, Katie. Pfizer : Final trial results show vaccine safe, 95% effective. Times of India (Bhubaneswar Edition). November 19, 2020.

 

Why Moderna and Pfizer results could be good news for India. Times of India. (Bhubaneswar Edition). November 19, 2020.

 

500 mn Covid vaccine doses to be made available by Aug. Business Standard (Bhubaneswar Edition). November 20, 2020.

 

Mookerji, Nivedita. How vaccine talk took off in the govt. Business Standard (Bhubaneswar Edition). November 25, 2020.

 


Howard, Jacqueline. The percentage of Americans who say they would get a Covid-19 vaccine is falling, CNN poll finds. CNN Health. October 5, 2020. 



< https://edition.cnn.com/2020/10/05/health/covid-19-vaccine-willingness-cnn-poll-wellness/index.html >



Sharma, Deepali. Brazil President Bolsonaro says he will not take Covid-19 vaccine. Hindustan Times. Nov 27, 2020 



<https://www.hindustantimes.com/world-news/brazil-president-bolsonaro-says-he-will-not-take-covid-19-vaccine/story-lcJ1hO1VmwyADMvyqNwRNI.html >





ଟିକାକରଣ ପରେ ବୟସ୍କଙ୍କ ଆଚ଼ରଣ

ବିଶ୍ୱବ୍ୟାପୀ ୨୦୨୦ ବର୍ଷ ଆରମ୍ଭରୁ କୋଭିଡ଼-୧୯ ମହାମାରୀ ସଂକ୍ରମଣ ପରେ ୨୦୨୧ ବର୍ଷ ଆରମ୍ଭରୁ ଟିକାକାରଣ ଜାରି ରହିଛି । ଭାରତରେ ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଓ ସଂକ୍ରମଣ ପ୍ରତିରୋଧ ପରିଚାଳନାରେ ସଂପୃକ୍ତ କର୍ମଚାରୀଙ୍କ ମଧ୍ୟରେ ଟିକାକରଣ ପ୍ରାୟ ସରିଛି । ଦ୍ୱିତୀୟ ପର୍ଯ୍ୟାୟରେ ମାର୍ଚ୍ଚରୁ ଅଗଷ୍ଟ ମଧ୍ୟରେ ବରିଷ୍ଠ ନାଗରିକ ଓ ୪୫ ବର୍ଷରୁ ଉର୍ଦ୍ଧ୍ୱ ଦୀର୍ଘକାଳୀନ ଅସୁସ୍ଥଙ୍କୁ ଟିକାକରଣ ଚାଲିଛି । ଜନସଂଖ୍ୟାର ଏକାଂଶ ପ୍ରତିଷେଧକ ଟିକାଗ୍ରହଣ ପରେ ସାଧାରଣ ଜନଜୀବନରେ ସେମାନଙ୍କ ଆଚ଼ରଣ ସଂପର୍କରେ ଚର୍ଚ୍ଚା ଜମିଛି । ଏହି ପରିପ୍ରେକ୍ଷୀରେ ବରିଷ୍ଠ ନାଗରିକଙ୍କ ସଂକ୍ରମଣ ପ୍ରତିଷେଧାତ୍ମକ ଦୃଷ୍ଟିଭଙ୍ଗୀ ଗୁରୁତ୍ୱ ବହନ କରିଥାଏ ।

 

କୋଭିଡ଼-୧୯ ଭଳି ଏହାର ପ୍ରତିଷେଧକ ଟିକା ଜନସାଧାରଣଙ୍କ ସମେତ ବୈଜ୍ଞାନିକଙ୍କ ନିମନ୍ତେ ମଧ୍ୟ ଏକ ନୂତନ ଅନୂଭୂତି । ଏହା ବିକାଶୋନ୍ମମୁଖୀ ବିଜ୍ଞାନ ଇଭଲଭିଂ ସାଇନ୍ସ ପର୍ଯ୍ୟାୟଭୁକ୍ତ । ଅର୍ଥାତ ଗବେଷଣା ପ୍ରକ୍ରିୟା ଜାରି ରହିଛି ଏବଂ ନୂତନ ନୂତନ ତଥ୍ୟ ଉନ୍ମୋଚ଼ିତ ହୋଇଚାଲିଛି । ବହୁ କ୍ଷେତ୍ରରେ ଶେଷ ସିଦ୍ଧାନ୍ତରେ ଉପନୀତ ହେବା ସଂଭବପର ହୋଇପାରି ନାହିଁ । ଗବେଷଣାରୁ ଜଣାଯାଏ ଯେ ଟିକାକରଣରେ ସର୍ବସାଧାରଣରେ ଭୂତାଣୁ ପ୍ରତିଷେଧକ ଶକ୍ତି ବୃଦ୍ଧି କରାଯାଇ ସଂକ୍ରମଣକୁ ରୋକାଯାଇପାରିବ । ଅର୍ଥାତ ଯେଉଁମାନେ ଟିକା ନେଉଛନ୍ତି ସେମାନେ ସାମାଜିକସ୍ତରରେ ଭୂତାଣୁ ପ୍ରତିରୋଧ ବାହିନୀରେ ସାମିଲ ହେଉଛନ୍ତି । ଏହି ଦୃଷ୍ଟିରୁ ଟିକାକରଣପରେ ବୟସ୍କଙ୍କ ଆଚ଼ରଣ ଆଲୋଚ଼ନା ପ୍ରାସଙ୍ଗିକ ।

 

ସଂକ୍ରମଣ ଭଳି ଟିକାକରଣ ସଂପର୍କରେ ମଧ୍ୟ ଅସଂଖ୍ୟ ଅସତ୍ୟ, ଅର୍ଦ୍ଧସତ୍ୟ, ଗୁଜବ, ଆକ୍ଷେପମୂଳକ ଓ ଉଦ୍ଦେଶ୍ୟପ୍ରଣୋଦିତ ସମ୍ୱାଦ ଜନସାଧାରଣରେ ପ୍ରଚାରିତ । ଆଧୁନିକ ପରିବେଶରେ ସାଧାରଣ ନାଗରିକ ଦୈନନ୍ଦିନ ଚାରିରୁ ଛଅଘଣ୍ଟାଯାଏଁ ବିଭିନ୍ନ ଗଣମାଧ୍ୟମରେ ସଂପୃକ୍ତ ରହୁଥିବା ହେତୁ ବହୁ ସୂତ୍ରରୁ ସମ୍ୱାଦ ଓ ଅଭିମତ ପାଇଥାଏ । ତେବେ ଏଥିମଧ୍ୟରୁ ନିର୍ଭରଯୋଗ୍ୟ ଖୋଜି ବାହାର କରିବା ଅନେକ ସମୟରେ କଷ୍ଟକର ହୋଇପଡ଼େ । ଆନ୍ତର୍ଜାତିକସ୍ତରରେ ମହାମାରୀ ସଂପର୍କରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ଯୁକ୍ତରାଷ୍ଟ୍ର ଆମେରିକାର ସେଣ୍ଟରର୍ସ ଫର ଡ଼ିଜିଜି କଣ୍ଟ୍ରୋଲ ଏଣ୍ଡ ପ୍ରିଭେନସନଭଳି ସଂସ୍ଥା ସହ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ନିରନ୍ତର ସମ୍ୱାଦ ସରବରାହ ପ୍ରକ୍ରିୟା ଜାରି ରହିଛି । ଟିକାକରଣ ସଂପର୍କରେ ୨୦୨୧ ମାର୍ଚ୍ଚ ପ୍ରଥମ ସପ୍ତାହରେ ପ୍ରକାଶିତ କେତେକ ସୂଚନା ଆଲୋଚନା କରାଯାଇପାରେ ।

 

ପ୍ରଥମତଃ, ସାଧାରଣରେ ପ୍ରଶ୍ନ ଉଠେ, ଟିକାକରଣ ମାତ୍ରେ ଭୂତାଣୁ ସଂକ୍ରମଣ ପ୍ରତିରୋଧ ଶକ୍ତି ମନୁଷ୍ୟ ଶରୀରରେ ତତ୍ କ୍ଷଣାତ ସୃଷ୍ଟି ହୁଏକି ? ଉତ୍ତର, ନା । ଗବେଷଣାଲବ୍ଧ ତଥ୍ୟ ଅନୁଯାୟୀ ଟିକାର ଦ୍ୱିତୀୟ ଡ଼ୋଜ ନେବା ଦୁଇ ସପ୍ତାହ ପରେ ଭୂତାଣୁକୁ ମୁକାବିଲା କଲାଭଳି ମାତ୍ରାରେ ଆବଶ୍ୟକୀୟ ପ୍ରତିଷେଧକ ଶକ୍ତି ସୃଷ୍ଟି ହୁଏ । ଅର୍ଥାତ ବୟସ୍କମାନେ ପ୍ରଥମ ଡ଼ୋଜ ନେବା ୨୮ ଦିନ ପରେ ଦ୍ୱିତୀୟ ଡ଼ୋଜ ଏବଂ ଯୁକ୍ତ ୧୪ ଦିନ ଅର୍ଥାତ ୪୨ ଦିନ ଯାଏଁ ସାଧାରଣ ଅବସ୍ଥାରେ ରହିଥାନ୍ତି ବୋଲି ଧରିନେବାକୁ ହେବ ।

 

ଦ୍ୱିତୀୟତଃ, ଟିକାକରଣପରେ ସଂପୃକ୍ତ ବ୍ୟକ୍ତିଙ୍କୁ ସଂକ୍ରମଣ ସଂଭବପର କି ? ଉତ୍ତର, ଅସ୍ପଷ୍ଟ । ପ୍ରଥମ ଡ଼ୋଜ ଟିକା ନେବା ପରେ ପ୍ରାୟ ଦେଢ଼ମାସ ଯାଏଁ ରୋଗ ପ୍ରତିଷେଧକ ଶକ୍ତି ବିକଶିତ ହୋଇ ଚାଲିଥାଏ । ତତ୍ପରେ ସଂକ୍ରମିତ ହେଲେ ରୋଗର ପ୍ରାଦୁର୍ଭାବ ହ୍ରାସପାଉଥିବା ଗବେଷଣାଲବ୍ଧ ତଥ୍ୟ ଉପଲବ୍ଧ । ଟିକା ନେଇଥିବା ରୋଗୀ ହସପିଟାଲରେ ଭର୍ତ୍ତିହେବା ଏବଂ ମୃତ୍ୟୁ ଆଶଙ୍କା କମିଯାଉଥିବା କୁହାଯାଇଥାଏ ।

 

ତୃତୀୟତଃ, କରୋନା ଭୂତାଣୁର ନୂତନ ପ୍ରଜାତି କେମିତି ସୃଷ୍ଟି ହୋଇଛି ? ବ୍ରିଟେନ, ଦକ୍ଷିଣ ଆଫ୍ରିକା ଓ ବ୍ରାଜିଲ ଷ୍ଟ୍ରେନକୁ ପ୍ରଚଳିତ ଟିକା ମୁକାବିଲା କରିପାରିବ କି ?

 

କରୋନା-ସାର୍ସ-୨ ଭୂତାଣୁ ସଂକ୍ରମଣ ସଂପର୍କରେ ବ୍ୟାପକ ଚର୍ଚ୍ଚା ହୋଇଛି । ଭୂତାଣୁର ରୂପାନ୍ତରିକରଣ ପ୍ରକ୍ରିୟାକୁ ସରଳଭାବେ ବୁଝାଇବାକୁ ଗଲେ ସାଧାରଣରେ ଦେଖାଯାଏ ଯେ ଜଣେ କୋଭିଡ଼-୧୯ ଆକ୍ରାନ୍ତ ଅତିକମରେ ଜଣକରୁ ଦୁଇଜଣଙ୍କୁ ସଂକ୍ରମିତ କରିଥାଏ । ଅର୍ଥାତ, ପ୍ରଥମ ପର୍ଯ୍ୟାୟରେ , ଯଦି ସଂକ୍ରମିତ ହୁଅନ୍ତି ତେବେ ଦ୍ୱିତୀୟ ପର୍ଯ୍ୟାୟରେ ଦ୍ୱାରା ୫, ଦ୍ୱାରା ୬ ଓ ୭ ତଥା ଦ୍ୱାରା ଏହି କ୍ରମରେ ସଂକ୍ରମଣ ବ୍ୟାପିଚାଲେ । କରୋନା ଭୂତାଣୁ ମନୁଷ୍ୟ ଶରୀରରେ ପ୍ରବେଶ କରି ସ୍ଥାନୀୟ କୋଷଗୁଡ଼ିକ ସହାୟତାରେ ନିଜର ପ୍ରତିଛବି ପ୍ରସ୍ତୁତ କରି ବଂଶ ବିସ୍ତାର କରେ ।

 

ଏହି ପ୍ରତିଛବି ପ୍ରକ୍ରିୟାରେ ସ୍ଥଳବିଶେଷରେ ନିଚ୍ଛକ ବା ଅବିକଳ ପ୍ରତିଛବି ପ୍ରସ୍ତୁତ ନହୋଇ ସାମାନ୍ୟ ବ୍ୟତିକ୍ରମ ସଂଭବପର । ଫଳରେ ନୂତନ ଆକାରର ଭୂତାଣୁ ସୃଷ୍ଟି ହୋଇ ତାହାର ବଂଶ ବିସ୍ତାର କ୍ରମେ ଅଧିକ ନୂତନ ଆକାରର ଭୂତାଣୁ ପ୍ରସ୍ତୁତ କରିଚାଲେ । ଏହାକୁ ମ୍ୟୁଟେସନ କୁହାଯାଏ । କୌଣସି ଭୌଗଳିକ ପରିବେଶରେ ସଂକ୍ରମଣ ହାର ବଢ଼ିଲେ ଅଧିକ ସଂଖ୍ୟକ ମ୍ୟୁଟେସନ ଯୋଗୁଁ ଭେରିଏଣ୍ଟ ବା ନୂତନ ପ୍ରଜାତି ସୃଷ୍ଟି ହୋଇଥାଏ । ବ୍ରିଟେନ, ଦକ୍ଷିଣ ଆଫ୍ରିକା ଓ ବ୍ରାଜିଲରେ କରୋନା ଭୂତାଣୁ ଏହି ପ୍ରକ୍ରିୟାର ଉଦାହରଣ ।

 

ବିଶେଷଜ୍ଞଙ୍କ ମତରେ ସ୍ୱୀକୃତ ଟିକାଗୁଡ଼ିକ ସାଧାରଣ କରୋନା ଭୂତାଣୁ ସାଙ୍ଗକୁ ନୂତନ ପ୍ରଜାତିର କରୋନା ଭୂତାଣୁକୁ ମଧ୍ୟ ଅନେକାଂଶରେ ପ୍ରତିରୋଧ କରିବା ସଂଭବ । ଟିକାକରଣ ଦ୍ୱାରା ଶରୀରରେ ଅଣ୍ଟିବଡ଼ି ପ୍ରସ୍ତୁତ ହେଉଥିବା ହେତୁ ଏହା ଭୂତାଣୁର ପ୍ରତିରୋଧ କରିବ । କୌଣସି କ୍ଷେତ୍ରରେ ଟିକା ଦୁର୍ବଳ ପ୍ରମାଣିତ ହେଲେ ଟିକାର ଉପାଦାନରେ ପରିବର୍ତ୍ତନ କରାଯାଇପାରିବ । ସେହି ପରିସ୍ଥିତିରେ ଟିକାର ଅତିରିକ୍ତ ମାତ୍ରା ବୁଷ୍ଟର ଡ଼ୋଜ ପ୍ରଦାନ ଆବଶ୍ୟକ ।

 

ମୂଳତଃ, ସଂକ୍ରମଣକୁ ରୋକାଯାଇପାରିଲେ ନୂତନ ପ୍ରଜାତିର ଭୂତାଣୁ ସୃଷ୍ଟି ଓ ବ୍ୟାପ୍ତିକୁ ମଧ୍ୟ ରୋକାଯାଇପାରିବ । ଅପରପକ୍ଷେ ବ୍ୟାପକ ଟିକାକରଣରେ ସଂକ୍ରମଣକୁ ପ୍ରତିହତ କରିବା ସଂଭବପର । କେତେକ ବିଶେଷଜ୍ଞଙ୍କ ମତରେ ଟିକାକରଣପରେ ସଂକ୍ରମିତ ହେଲେ ରୋଗ ଲକ୍ଷଣବିହୀନ ହେବା ସଂଭାବନା ରହିଥାଏ । ଫଳରେ ସଂକ୍ରମିତ ନିଜ ଅଜାଣତରେ ଅନ୍ୟମାନଙ୍କୁ ଭୂତାଣୁ ବିତରଣ କରିଥାନ୍ତି । ଏହି କାରଣରୁ ଟିକାକରଣ ପରେ ମଧ୍ୟ ମାସ୍କ ପରିଧାନ ଓ ଶାରିରୀକ ଦୂରତ୍ୱ ପାଳନ ଜରୁରୀ । ଏତଦ୍ୱାରା ନିଜ ସହ ପରିବାରବର୍ଗ ତଥା ସମାଜର ମଙ୍ଗଳ ସାଧିତ ହୋଇଥାଏ । ସେହିପରି ଟିକାକରଣ ପରେ ଶରୀରରେ ପ୍ରତିଷେଧକ କ୍ଷମତା କେତେଦିନ ଯାଏଁ ବଳବତ୍ତର ରହିବ ସେ ସଂପର୍କରେ ସଠିକ ତଥ୍ୟ ଉପଲବ୍ଧ ହୋଇପାରିନି । ସମୟକ୍ରମେ ଏହି ସମୟସୀମା ଉନ୍ମୋଚ଼ିତ ହେବ ।

 

ଆମରାଜ୍ୟ ଓଡ଼ିଶାରେ ୬୦ ବର୍ଷୋତ୍ତର ୪୭ ଲକ୍ଷ ବରିଷ୍ଠ ନାଗରିକ ବସବାସ କରୁଥିବା ହିସାବ କରାଯାଏ । ସେମାନେ ସମଗ୍ର ଜନସଂଖ୍ୟାର ଦଶ ପ୍ରତିଶତରୁ ଅଧିକ । ଟିକାକରଣ ପରେ ବରିଷ୍ଠଙ୍କ ଆଚ଼ରଣ ମହାମାରୀ ନିୟନ୍ତ୍ରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ । ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ମତରେ ଦୈନନ୍ଦିନ ଜୀବନଯାତ୍ରାରେ ଭିଡ଼ରୁ ଦୂରେଇ ରହିବା, ସାମାନ୍ୟ ଅସୁସ୍ଥ ଅନୁଭବ କଲେ ଅନ୍ୟମାନଙ୍କ ସହ ମିଳାମିଶା ନକରିବା, ସନ୍ଦେହ ହେଲେ ତୁରନ୍ତ ପରୀକ୍ଷା କରାଇନେବା ଓ ସ୍ଥାନୀୟ ବିଶେଷଜ୍ଞମାନଙ୍କ ସ୍ୱାସ୍ଥ୍ୟରକ୍ଷା ଉପଦେଶ ପାଳନ କରିବା ଆବଶ୍ୟକ ।

 

ପ୍ରାଥମିକ ପର୍ଯ୍ୟାୟରେ ବର୍ଷକବ୍ୟାପୀ ସର୍ବସାଧାରଣରେ କୋଭିଡ଼ ପ୍ରତିରୋଧ ଆଚରଣ, ଯଥା: ଶାରିରୀକ ଦୂରତ୍ୱ ବଜାୟ ରଖିବା, ବାରମ୍ୱାର ସାବୁନରେ ହାତ ଧୋଇବା ଓ ମାସ୍କ ପିନ୍ଧିବାକୁ ଗୁରୁତ୍ୱ ଦିଆ ଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ଟିକାକରଣ ପରେ ମଧ୍ୟ ବରିଷ୍ଠ ନାଗରିକମାନେ ସେହି ଅଭ୍ୟାସ ଜାରି ରଖିଲେ ସଂକ୍ରମଣ ଭୟ କମି ଯାଇପାରେ । ବୟସ୍କମାନେ ଉପଲବ୍ଧ ମତେ ଟିକାଗ୍ରହଣ ସାଙ୍ଗକୁ କୋଭିଡ଼ ପ୍ରରୋଧକ ଆଚରଣ ପାଳନରେ ହେଳା ନକରିବା ନିମନ୍ତେ ପରାମର୍ଶ ଦିଆଯାଏ ।

 

ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ପ୍ରଯୋଜିତ କୋଭିଡ଼-୧୯ ନୂତନ ପ୍ରଜାତି ଭୂତାଣୁ ନିୟନ୍ତ୍ରଣ ସଂପର୍କୀତ ଭିଡ଼ିଓ ଦେଖିବା ନିମନ୍ତେ ନିମ୍ନ ପ୍ରଦତ୍ତ ଲିଙ୍କଗୁଡ଼ିକୁ କ୍ଳିକ କରନ୍ତୁ :

 

https://www.youtube.com/watch?v=qD8dAbov5JU&t=2s


https://www.youtube.com/watch?v=01b-74ljqWc


https://www.youtube.com/watch?v=xLvY210yQkE 



ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ମାର୍ଚ୍ଚ ୨୦୨


ତଥ୍ୟ :

 

Kannan, Ramya. What changes after COVID-19 vaccination ? The Hindu (Cuttack Edition) March 7, 2021.

 

WHO. The effects of virus variants on COVID-19 vaccines. March 1, 2021

 

https://www.who.int/news-room/feature-stories/detail/the-effects-of-virus-variants-on-covid-19-vaccines

ମହାମାରୀର ଦ୍ୱିତୀୟ ତରଙ୍ଗ

ମହାମାରୀ ଓ ଅନିଶ୍ଚିତ ପରସ୍ପର ପରିପୂରକ । ମହାମାରୀ ସଂପର୍କରେ ସର୍ବଶେଷ ଜ୍ଞାନ ବା ସିଦ୍ଧାନ୍ତ ଅଭାବ ହେତୁ ଏହାର ଗତିପ୍ରକୃତି ସଠିକ ପୂର୍ବାନୁମାନ ସଂଭବ ହୋଇପାରି ନଥାଏ । ତେବେ ଉପଲବ୍ଧ ତଥ୍ୟ ତଥା ପରିସଂଖ୍ୟାନ ଶାସ୍ତ୍ର ଉପଯୋଗରେ ରୋଗ ସଂକ୍ରମଣ ରୂପରେଖର ବିଭିନ୍ନ ମଡ଼େଲ ପ୍ରସ୍ତୁତ କରି ସ୍ୱସ୍ଥ୍ୟସେବା, ଅର୍ଥନୀତି ଓ ସାମାଜିକ ପ୍ରତିକ୍ରିୟା ଇତ୍ୟାଦି ସଂଭାଳିବା ନିମନ୍ତେ ଉଦ୍ୟମ କରାଯାଇଥାଏ ।

 

ଉଦାହରଣରେ ଦେଶର ଅଗ୍ରଣୀ ବିତ୍ତ ପରିଚାଳନା ସଂସ୍ଥା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ମହାମାରୀର ଦ୍ୱିତୀୟ ତରଙ୍ଗ ସୃଷ୍ଟ ସମ୍ଭାବ୍ୟ ପ୍ରଭାବ ଆକଳନ କରି ଏକ ବିବରଣୀ ପ୍ରସ୍ତୁତ କରାଯାଇଛି । ମାର୍ଚ୍ଚ ୨୦୨୧ ତୃତୀୟ ସପ୍ତାହରେ ପ୍ରକାଶିତ ସେକେଣ୍ଡ ୱେବ ଅଫ ଇନଫକସେନ୍ସ : ଦି ବିଗନିଂ ଅଫ ଦି ଏଣ୍ଡ ଶୀର୍ଷକ ରିପୋର୍ଟରେ ମହାମାରୀର କେତେଗୋଟି ଦିଗ ଉପରେ ଟିପ୍ପଣୀ ପ୍ରଦାନ କରାଯାଇଛି ।

 

ପ୍ରଥମତଃ, ପ୍ରଶ୍ନ ଉଠେ କୋଭିଡ଼-୧୯ର ଦ୍ୱିତୀୟ ତରଙ୍ଗ କେବେ ଆରମ୍ଭ ହେଲା ଏବଂ କେତେ ବେଳ ଯାଏଁ ଚାଲିବ । ରିପୋର୍ଟ ଅନୁଯାୟୀ ମହାମାରୀର ଦ୍ୱିତୀୟ ତରଙ୍ଗ ଫେବୃୟାରୀ ମଧ୍ୟ ଭାଗରୁ ଆରମ୍ଭ ହୋଇଛି ଏବଂ ପ୍ରାୟ ଶହେ ଦିନ, ଅର୍ଥାତ ମେ ଶେଷ ସପ୍ତାହ ଯାଏଁ ବଳବତ୍ତର ରହିପାରେ ।

 

ଦ୍ୱିତୀୟତଃ, ଦ୍ୱିତୀୟ ତରଙ୍ଗର ସଂକ୍ରମଣ ଶୀର୍ଷ ସଂଖ୍ୟାରେ କେବେ ପହଞ୍ଚିବ । ମହାମାରୀର ପ୍ରଥମ ତରଙ୍ଗ ସଂକ୍ରମଣ ପରିସଂଖ୍ୟାନ ଆଧାରରେ ଦ୍ୱିତୀୟ ତରଙ୍ଗ ସଂକ୍ରମଣର ଶୀର୍ଷ ସଂଖ୍ୟାରେ ଏପ୍ରିଲ ଦ୍ୱିତୀୟାର୍ଦ୍ଧ ବେଳକୁ ପରଞ୍ଚିବା ଅନୁମାନ କରାଯାଉଛି ।

 

ତୃତୀୟତଃ, ରିପୋର୍ଟରେ ଭାରତର ଟିକାକରଣ ଅଭିଯାନ ଦ୍ୱିତୀୟ ତରଙ୍ଗ ସଂକ୍ରମଣ ରୋକିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ଆଶା ପ୍ରକାଶ ପାଇଛି । ଟିକାକରଣ ଅବଧିରେ ଦ୍ୱିତୀୟ ତରଙ୍ଗ ଆରମ୍ଭ ହୋଇଥିବା ଓ ସଂକ୍ରମଣ ହାର ଶୀର୍ଷ ସ୍ଥାନରେ ପହଞ୍ଚିବା ଚାରି ସପ୍ତାହ ଆଗରୁ ୪୫ ବର୍ଷରୁ ଉର୍ଦ୍ଧ୍ୱ ନାଗରିକଙ୍କୁ ଟିକାଦାନ ନିଷ୍ପତ୍ତି ନିଆଯାଇଛି । ପ୍ରଥମ ତରଙ୍ଗରେ ଦେଶରେ ୪୫ ରୁ ୫୯ ବର୍ଷବର୍ଗର ବହୁସଂଖ୍ୟକ ସଂକ୍ରମିତ ହୋଇଥିବା ଅନୁଭୂତି ରହିଥିଲା ।

 

ଚ଼ତୁର୍ଥତଃ, ଦ୍ୱିତୀୟ ତରଙ୍ଗ ଅବସରରେ ଭାରତରେ ରାଷ୍ଟ୍ରୀୟସ୍ତରରେ ଲକଡ଼ାଉନ, ସଟଡ଼ାଉନ ଆବଶ୍ୟକ ନପଡିପାରେ ବୋଲି ପୂର୍ବାନୁମାନ କରାଯାଇଛି । ଆବଶ୍ୟକସ୍ଥଳେ ଆଞ୍ଚଳିକଭିତ୍ତିରେ ସଂକ୍ରମଣ ରୋକିବା ନିମନ୍ତେ ବନ୍ଦ କଣ୍ଟେନମେଣ୍ଟ ଘୋଷଣା କରାଯାଇପାରେ ।

 

ପଞ୍ଚମତଃ, ଅଧିକ ସଂଖ୍ୟକ ନାଗରିକଙ୍କୁ ଟିକାକରଣ କରାଯାଇ ସାମୂହିକ ପ୍ରତିଷେଧ ହେର୍ଡ ଇମ୍ୟୁନିଟି ସୃଷ୍ଟିରେ ଭୂତାଣୁ ସଂକ୍ରମଣ ରୋକିବା ଉଦ୍ୟମକୁ ଅଗ୍ରାଧୀକାର ଦିଆଯାଉଥିବା ହେତୁ ଟିକାକରଣ ସଂଖ୍ୟା ଉପରେ ମହାମାରୀର ଅବଧି ନିର୍ଭରଶୀଳ । ହିସାବରେ ଦେଶବ୍ୟାପୀ ଦୈନିକ ୪୫ ବର୍ଷରୁ ଉର୍ଦ୍ଧ୍ୱ ୪୫ ଲକ୍ଷ ନାଗିରକଙ୍କୁ ଟିକା ଦିଆଯାଇପାରିଲେ ଜୁଲାଇ ୨୦୨୧ ସୁଦ୍ଧା ସେହି ବର୍ଗର ସମସ୍ତଙ୍କୁ ପ୍ରତିଷେଧକ ଦିଆଯାଇ ପାରିବ ।

 

ମାର୍ଚ୍ଚ ଶେଷ ସପ୍ତାହ ସୁଦ୍ଧା ଦୈନିକ ୩୪ ଲକ୍ଷ ଟିକାକରଣ କରାଯାଉଥିବା ସ୍ଥଳେ ସଂଖ୍ୟା ବୃଦ୍ଧି କରିବାକୁ ପଡ଼ିବ । ଏହି ହିସାବରେ ଫେବୃୟାରୀରୁ ଟିକାକରଣର ୨୧ ମାସ, ଅର୍ଥାତ ୨୦୨୨ ଡ଼ିସେମ୍ୱର ମାସ ଶେଷ ସୁଦ୍ଧା ଭୂତାଣୁ ସଂକ୍ରମଣ ରୋକିବା ନିମନ୍ତେ ଆବଶ୍ୟକ ସଂଖ୍ୟକ ନାଗରିକଙ୍କୁ ଟିକାକରଣ ସାରିବା ଆଶା କରାଯାଏ । ମାର୍ଚ୍ଚ ଶେଷ ସୁଦ୍ଧା ଦେଶରେ ୫୨ ଲକ୍ଷ ଟିକା ଉତ୍ପାଦନ କରାଯାଉଛି ।

 

ମହାମାରୀରେ କୌଣସି ପୂର୍ବାନୁମାନ ଶତପ୍ରତିଶତ ବିଶ୍ୱାସଯୋଗ୍ୟ ବିବେଚ଼ିତ ହୋଇନପାରେ । ଆଲୋଚ୍ୟ ରିପୋର୍ଟ ସରକାର କିମ୍ୱା କୌଣସି ବୈଜ୍ଞାନିକ ପ୍ରତିଷ୍ଠାନ ଦ୍ୱାରା ସମର୍ଥିତ ନୁହେ । ଏହା ସଂପୃକ୍ତ ସଂସ୍ଥାର ବ୍ୟାବସାୟିକ ପରିଚାଳନାରେ ସହାୟତା ଲାଗି ଉଦ୍ଦିଷ୍ଟ ଥିବା ବିଶ୍ୱାସ କରାଯାଏ । ତେବେ  ଗୋଟିଏ ମଡ଼େଲକୁ ବିଚାରକୁ ନେଇ ସଂକ୍ରମଣ ପ୍ରତିରୋଧ ଲାଗି ଭବିଷ୍ୟତ କାର୍ଯ୍ୟପନ୍ଥା ପ୍ରଣୟନ ସମ୍ଭବ । ବ୍ୟକ୍ତିଗତ, ପାରିବାରିକସ୍ତରରେ ମଧ୍ୟ ମହାମାରୀ ମୁକାବିଲା ଲାଗି ଯୋଜନାବଦ୍ଧ ଉଦ୍ୟମ ଆବଶ୍ୟକ । ଭୂତାଣୁ ସଂକ୍ରମଣ ଗତିପ୍ରକୃତିକୁ ବୁଝି ଏକ ନିର୍ଭରଶୀଳ ପୂର୍ବାନୁମାନ ଚ଼ିହ୍ନିତ ଆପଦବିପଦକୁ ଏଡ଼ାଇ ଦେବାକୁ ଚ଼େଷ୍ଟାକଲେ ଜୀବନଯାତ୍ରା ଅପେକ୍ଷାକୃତ ସରଳ ଓ ସହଜ ହୋଇଥାଏ ।

 

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଏକ ବ୍ୟାବସାୟିକ ସଂସ୍ଥା ଏବଂ ରିପୋର୍ଟଟି ସଂସ୍ଥାର ମୁଖ୍ୟ ଅର୍ଥନୀତିକ ଉପଦେଷ୍ଟାଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ହେତୁ ଏଥିରେ ଉପସ୍ଥାପିତ ପୂର୍ବାନୁମାନ ବିଚାରଯୋଗ୍ୟ । ଭାରତରେ ମହାମାରୀର ଦ୍ୱିତୀୟ ତରଙ୍ଗକୁ ନେଇ ବିଭିନ୍ନସ୍ତରରେ ବିଚାରବିମର୍ଷ ଚାଲିଥିବା ଅବସରରେ । ଦ୍ୱିତୀୟ ତରଙ୍ଗ ବର୍ଣ୍ଣନା ସଂପର୍କୀତ ଏହାକୁ ଅନ୍ୟତମ ପ୍ରାଥମିକ ଦସ୍ତାବିଜ ରୂପେ ଗ୍ରହଣ କରାଯାଇପାରେ ।

 

ଦ୍ୱିତୀୟ ତରଙ୍ଗର ସମ୍ଭାବ୍ୟ ସଂକ୍ରମଣ ଶୀର୍ଷ ସଂଖ୍ୟାରେ ଏପ୍ରିଲ ଶେଷରେ ପହଞ୍ଚିବା ବେଳକୁ ଓଡ଼ିଶାରେ ମାର୍ଚ୍ଚ ମାସର ଟିକାକରଣ କାର୍ଯ୍ୟକ୍ରମରେ ସାମାନ୍ୟ ଉନ୍ନତି ଘଟିଲେ ପ୍ରାୟ ଅର୍ଦ୍ଧେକ ବରିଷ୍ଠ ନାଗରିକଙ୍କୁ ପ୍ରଥମ ଡୋଜ ଏବଂ ପ୍ରାୟ ଏକ ଚତୁର୍ଥାଂଶଙ୍କୁ ଦ୍ୱିତୀୟ ଡ଼ୋଜ ଦିଆଯାଇପାରେ । ଟିକା ପ୍ରଭାବରେ ଅନ୍ତତଃପକ୍ଷେ ଗୁରୁତର ଭାବେ ରୋଗାକ୍ରାନ୍ତ ନହେବା ଓ ମୃତ୍ୟୁରୁ ବର୍ତ୍ତିଯିବା ଭଳି ଆଶ୍ୱାସନା, ଟିକା ନେଲେ ସାମାନ୍ୟ ପାର୍ଶ୍ୱପ୍ରତିକ୍ରିୟା, ପରିଚିତବର୍ଗ ଟିକାନେବା, ନୂତନ ପ୍ରଜାତି ଭୂତାଣୁର ବ୍ୟାପକ ସଂକ୍ରମଣ ଭୟ ଓ ଟିକାଦାନ ବ୍ୟବସ୍ଥା ସଂପ୍ରସାରଣ ଭଳି ଅନୁକୂଳ ପରିବେଶ ଏପ୍ରିଲ ମାସରେ ବରିଷ୍ଠଙ୍କ ଟୀକାକରଣ ହାରରେ ବୃଦ୍ଧି ଆଶା କରାଯାଇପାରେ । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମାର୍ଚ୍ଚ ଶେଷରେ ଟିକାକରଣକୁ ସର୍ବାଧିକ ଗୁରୁତ୍ୱ ଆରୋପ କରାଯାଇଛି । ଏହା ଦେଶବ୍ୟାପୀ ନୀତିନିର୍ଦ୍ଧାରଣକୁ ପ୍ରଭାବିତ କରିବ ।  

 

ଟିକା ନେବାପରେ ଭୂତାଣୁ ଭୟକୁ ଏଡ଼ାଇ  ନ ଦେଇ ପାରିବା, ସଂକ୍ରମଣ କାଳରେ ଦୀର୍ଘସ୍ଥାୟୀ ରୋଗ ଜଟିଳ ସ୍ୱାସ୍ଥ୍ୟାବସ୍ଥା ସୃଷ୍ଟି କରିବ।, ରୋଗମୁକ୍ତ ହେବାପରେ ମଧ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ଲାଗି ରହିବାର ଉଦାହରଣ ଏବଂ ସର୍ବୋପରି ସଂକ୍ରମଣରୁ ବର୍ତ୍ତିବା ଅର୍ଥ ସାମାଜିକସ୍ତରରେ ସଂକ୍ରମଣକୁ ରୋକିବାରେ ଯୋଗଦାନ ଭଳି ତତ୍ତ୍ୱ ସଂପର୍କରେ ବରିଷ୍ଠ ନାଗରିକମାନେ କ୍ରମଶଃ ସଚ଼େତନ ହେବା ସ୍ୱାଭାବିକ । ଦ୍ୱିତୀୟ ତରଙ୍ଗ ସଂକ୍ରମଣ ୨୦୨୧ ମେ ମାସ ଶେଷ ସୁଦ୍ଧା ଧିମେଇ ପଡ଼ିବା ଓ ସାମୂହିକ ପ୍ରତିରୋଧ ଶକ୍ତି ସୃଷ୍ଟି ପାଇଁ ୨୦୨୨ ଡ଼ିସେମ୍ୱର ଶେଷ ଯାଏଁ ଅପେକ୍ଷା ବରିଷ୍ଠ ନାଗରିକଙ୍କ ମହାମାରୀକାଳୀନ ଜୀବନଚର୍ଯ୍ୟା ନିମନ୍ତେ ଆଲୋଚ୍ୟ ରିପୋର୍ଟ ଦୁଇ ଗୋଟି ଉଲ୍ଲେଖଯୋଗ୍ୟ ସମ୍ଭାବ୍ୟ ସମୟସୀମା ନିର୍ଦ୍ଧାରଣ କରିଛି ।

 

ଦ୍ୱିତୀୟ ତରଙ୍ଗରେ ଉଭୟ ବିଦେଶୀ ଓ ସ୍ୱଦେଶୀ ନୂତନ ପ୍ରଜାତି ଭେରିଏଣ୍ଟର ଭୂତାଣୁ ସଂକ୍ରମିତ ହେଉଥିବା, ସଂକ୍ରମଣ ହାର ଆର-ଭେଲ୍ୟୁ ଅର୍ଥାତ ଜଣେ ସଂକ୍ରମିତ ହାରାହାରିଭାବେ କେତେ ଜଣ ଯାଏଁ ଲୋକଙ୍କୁ ସଂକ୍ରମଣ କରୁଛି ତାହା ପ୍ରଥମ ତରଙ୍ଗ ତୁଳନାରେ ଅଧିକ ରହୁଥିବା ଓ ବିଦେଶରେ ଦ୍ୱିତୀୟ ତରଙ୍ଗରେ ବିପୁଳସଂଖ୍ୟକ ଆକ୍ରାନ୍ତ ହୋଇଥିବା ଭଳି ତଥ୍ୟ ଦେଶବାସୀଙ୍କ ସମେତ ବରିଷ୍ଠ ନାଗରିକଙ୍କୁ ବିବ୍ରତ କରିଛି । ରିପୋର୍ଟରେ ଦ୍ୱିତୀୟ ତରଙ୍ଗରେ ୨୫ ଲକ୍ଷ ଯାଏଁ ସଂକ୍ରମିତ ହେବା ଆଶଙ୍କା କରାଯାଇଛି ।

 

କେତେକଙ୍କ ମତରେ ପ୍ରଥମ ତରଙ୍ଗ ଧିମେଇ ଯିବାପରେ ସାମୂହିକ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇସାରିଥିବା ଭଳି ଅସମର୍ଥିତ ଆଶ୍ୱାସନା ଓ ସ୍ୱାଭାବିକ ଜୀବନଯାତ୍ରାକୁ ଫେରିବା ଅବସରରେ କୋଭିଡ଼ କଟକଣାକୁ ଅବହେଳା କରିବା ଦ୍ୱିତୀୟ ତରଙ୍ଗ ସୃଷ୍ଟିର କାରଣ । ଅନ୍ୟ କେତେକଙ୍କ ମତରେ ମହାମାରୀର ଇତିହାସରେ ସଂଖ୍ୟାଧିକ ତରଙ୍ଗର ଅଭିଜ୍ଞତା ଅନ୍ୟତ୍ର ଭଳି ଆମ ଦେଶରେ ମଧ୍ୟ ଦ୍ୱିତୀୟ ତରଙ୍ଗ ସୃଷ୍ଟି କରିଛି । ତେବେ ଆଲୋଚ୍ୟ ରିପୋର୍ଟରେ ... ଦି ବିଗନିଂ ଅଫ ଦି ଏଣ୍ଡ ଶୀର୍ଷକାଂଶ ହୁଏତ ମହାମାରୀ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଥିବା ଭଳି ଆଶ୍ୱାସନା ମହାମାରୀର ଅନ୍ଧକାରାଚ୍ଛନ୍ନ ସୁଡ଼ଙ୍ଗ ରାସ୍ତାର ଶେଷରେ ଆଲୋକର ସନ୍ଧାନ ପ୍ରତୀୟମାନ ହୁଏ । 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଏପ୍ରିଲ ୨୦୨


ତଥ୍ୟ :

 

Panda, Subrata. Wave may last 100 days, peak in April-end : SBI. Business Standard (Bhubaneswar Edition). March 26, 2021.


 

https://www.business-standard.com/article/current-affairs/second-covid-19-wave-may-last-100-days-peak-in-april-end-sbi-report-121032600045_1.html


 

Shrivastava, Rahul. 2nd wave of Covid-19 in India could last up to 100 days, peak in April : Report says vaccination more effective.


 

https://www.indiatoday.in/coronavirus-outbreak/story/second-covid-wave-india-days-peak-sbi-report-vaccinations-1783806-2021-03-26


 

‘Vaccines effective in preventing severe illness caused by variants’ – Interview with Rakesh Aggarwal. The Hindu. (Cuttack Edition). March 26, 2021.


 

No proof second wave due to virus variants, but it is possible : Virologist. The Times of India (Bhubaneswar Edition). March 27, 2021. 


ମହାମାରୀ-ପର ବାର୍ଦ୍ଧକ୍ୟ ଜୀବନଚର୍ଯ୍ୟା

ମହାମାରୀ-ପର ଶବ୍ଦାର୍ଥ ମହାମାରୀ-ଅନ୍ତ ବଦଳରେ ମହାମାରୀ-ଆରମ୍ଭହେବା-ପରେ ବା ମହାମାରୀ କାଳରେ ବୁଝାଗଲେ ମହାମାରୀଜନିତ ଭୂତାଣୁ ସଂକ୍ରମଣର ବିଭିନ୍ନ ପର୍ଯ୍ୟାୟ ସ୍ପଷ୍ଟ ହୋଇଥାଏ । ଭାରତରେ ୨୦୨୦ରୁ ୨୦୨୨ ମଧ୍ୟଭାଗ ଯାଏଁ ପ୍ରାୟ ଅଢ଼େଇ ବର୍ଷ ମହାମାରୀର ପ୍ରାଦୁର୍ଭାବ ଅନୁଭବ ପରେ ସଂକ୍ରମଣ ହାର ଓ ରୋଗାକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା କମିଆସିଥିବା ସ୍ଥଳେ ସାଧାରଣ ଜୀବନଯାତ୍ରା ଲାଗି ବିଶେଷଜ୍ଞଙ୍କ ପରାମର୍ଶ ଆବଶ୍ୟକ ପଡ଼େ । ଆନ୍ତର୍ଜାତିକସ୍ତରରେ ବୟସବର୍ଗ ବିଚାରରେ ବୃଦ୍ଧଜନ ମହାମାରୀ ପ୍ରାଦୁର୍ଭାବରେ ସର୍ବାପେକ୍ଷା ପ୍ରଭାବିତ ହୋଇଥିବା ହେତୁ ସଂକ୍ରମଣ ହାର ହ୍ରାସ ପାଇବାପରେ ବାର୍ଦ୍ଧକ୍ୟଗ୍ରସ୍ତଙ୍କ ଜୀବନଚ଼ର୍ଯ୍ୟା ନିର୍ଦ୍ଧାରଣ ଗୁରୁତ୍ୱ ବହନ କରେ ।

 

କୋଭିଡ଼-୧୯ ମହାମାରୀର ଶହେବର୍ଷ ପୂର୍ବେ ଅନୁଭୂତ ଅନୁରୂପ ସ୍ପାନିସ-ଫ୍ଳୁ ସଂକ୍ରମଣରେ ମୁଖ୍ୟତଃ ୨୦ରୁ ୪୦ ବର୍ଷୀୟ ଯୁବବର୍ଗ ମୃତ୍ୟୁମୁଖରେ ପଡ଼ିଥିବା ସ୍ଥଳେ କୋଭିଡ଼-୧୯ ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟାରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ଅଧିକ ରହିଥିଲା । କୋଭିଡ଼ ଆକ୍ରାନ୍ତ ଓ ମୃତକଙ୍କ ତଥ୍ୟ ଲିପିବଦ୍ଧ କ୍ଷେତ୍ରରେ ଅଗ୍ରଣୀ ରାଷ୍ଟ୍ର ଯୁକ୍ତରାଷ୍ଟ୍ର ଆମେରିକାର ସେଣ୍ଟରର୍ସ ଫର ଡିଜିଜି କଣ୍ଟ୍ରୋଲ ସିଡ଼ିସି ପରିସଂଖ୍ୟାନ ଅନୁଯାୟୀ ୨୦୨୦ରୁ ୨୦୨୨ ମଧ୍ୟଭାଗ ଅଢ଼େଇ ବର୍ଷରେ କୋଭିଡ଼-୧୯ ଆକ୍ରାନ୍ତଙ୍କ ମଧ୍ୟରୁ ଦଶ ଲକ୍ଷ ମୃତ୍ୟୁ ବରଣ କରିଥିଲେ ଏବଂ ସେମାନଙ୍କ ମଧ୍ୟରେ ତିନି ଚ଼ତୁର୍ଥାଂଶ ୬୫ ବର୍ଷୋତ୍ତର । ସେଠାରେ ହୃଦରୋଗ ଓ କର୍କଟ ପରକୁ କୋଭିଡ଼ ମୃତ୍ୟୁ ସଂଖ୍ୟା ତୃତୀୟ ସ୍ଥାନରେ ରହିଥିଲା । ଯୁକ୍ତରାଷ୍ଟ୍ର ଆମେରିକାର ସ୍ଥିତି ଆନ୍ତର୍ଜାତିକସ୍ତରରେ ଅନ୍ୟାନ୍ୟ ଅଞ୍ଚଳଗୁଡ଼ିକରେ ମଧ୍ୟ ଊଣାଅଧିକେ ସମଭାବେ ପ୍ରତିଫଳିତ ବୋଲି ବିଶ୍ୱାସ କରାଯାଇପାରେ ।

 

ବିଗତ ଶହେ ବର୍ଷର ଇତିହାସରେ ସ୍ୱାସ୍ଥ୍ୟରକ୍ଷା ଓ ଚ଼ିକିତ୍ସା କ୍ଷେତ୍ରରେ କୋଭିଡ଼-୧୯ ବିପଦପୂର୍ଣ୍ଣ ପରିସ୍ଥିତି ସୃଷ୍ଟି କରିଥିଲା । ବିଂଶ ଶତାଦ୍ଦୀର ସ୍ୱାସ୍ଥ୍ୟସେବା, ବାର୍ଦ୍ଧକ୍ୟ-ଅନୁକୂଳ-ଜୀବନଚର୍ଯ୍ୟା-ଜନିତ ସଂକ୍ରମଣ ମୁକାବିଲାରେ  ସ୍ଥଳବିଶେଷରେ ଅସହାୟ ବିବେଚ଼ିତ ହୋଇଥିବା ଅନୁଭୂତି ମାନବ ସଭ୍ୟତାକୁ ବିଚ଼ଳିତ କରିବା ସ୍ୱାଭାବିକ । ଅତଏବ କୋଭିଡ଼-୧୯ ସଂକ୍ରମଣ ଭୟ ସଂପୂର୍ଣ୍ଣ ପ୍ରତିହତ ନହେବା ଯାଏଁ ବାର୍ଦ୍ଧକ୍ୟଗ୍ରସ୍ତଙ୍କ ନିମନ୍ତେ ଆଦର୍ଶ ଆଚ଼ରଣ ବିଧି ଅନୁପାଳନ ବାଧ୍ୟବାଧକତାରେ ପରିଣତ ହୋଇଥିବା ଯୁକ୍ତି ଗ୍ରହଣୀୟ । ଏହି ପରିବେଶରେ ଦେଶବିଦେଶର ବିଶେଷଜ୍ଞଙ୍କ କେତେକ ତଥ୍ୟାଶ୍ରିତ ପରାମର୍ଶ ସଂପର୍କରେ ବିଚାରବିମର୍ଷ ଉପଯୋଗୀ ମନେହୁଏ ।

 

ମହାମାରୀ ସଂପର୍କରେ ଯେକୌଣସି ଆଲୋଚ଼ନା ଆରମ୍ଭରେ ପ୍ରଥମତଃ ମନେରଖିବାକୁ ହୁଏ ଯେ ମନୁଷ୍ୟ ଶରୀରରେ ସାର୍ସ-କୋଭ-୨ କରୋନା ଭୂତାଣୁ ସଂକ୍ରମଣ ଏକ ନୂତନ ଅଭିଜ୍ଞତା ଏବଂ ଆମର ଚ଼ିକିତ୍ସା ଶାସ୍ତ୍ର ଏସଂପର୍କରେ ଅନଭିଜ୍ଞ । ଯଦିଓ ପ୍ରଥମ ପର୍ଯ୍ୟାୟ ଅଢ଼େଇ ବର୍ଷ ମଧ୍ୟରେ ସଂକ୍ରମଣ, ଚ଼ିକିତ୍ସା ଓ ପ୍ରତିଷେଧକ ସଂପର୍କରେ ବ୍ୟାପକ ତଥ୍ୟ ଆହରଣ କରାଯାଇପାରିଛି; ଏହି ସବୁ ଦିଗରେ ଆହୁରି ଅଧିକ ଅନୁଧ୍ୟାନ, ପରୀକ୍ଷା ନିରୀକ୍ଷା ଓ ଉଦ୍ଭାବନ ଆବଶ୍ୟକ ଥିବା ବିଶେଷଜ୍ଞମାନେ ମୁକ୍ତ କଣ୍ଠରେ ସ୍ୱୀକାର କରନ୍ତି । ତେଣୁ ଅଢ଼େଇ ବର୍ଷର ସଂକଳିତ ଜ୍ଞାନ ସର୍ବୋତଭାବେ ଗ୍ରହଣୀୟ ନହେଲେ ସୁଦ୍ଧା ଦ୍ୱିତୀୟ ପର୍ଯ୍ୟାୟର ଜୀବନଚ଼ର୍ଯ୍ୟା ନିମନ୍ତେ ଯେ ପଥପ୍ରଦର୍ଶକ ଏଥିରେ ସନ୍ଦେହ ନାହିଁ ।

 

ଦ୍ୱିତୀୟତଃ, ମନରେ ପ୍ରଶ୍ନ ଉଠେ ମହାମାରୀର ପ୍ରକୋପ କମି ଆସିବା ପରେ ସ୍ୱାଭାବିକ ଜୀବନଯାତ୍ରା ଫେରି ଆସୁଥିବା ଅବସରରେ ବରିଷ୍ଠ ନାଗରିକଙ୍କ ଜୀବନଚର୍ଯ୍ୟାରେ ସତର୍କତା ଆବଶ୍ୟକ କି ? କୋଭିଡ଼-ଅନୁକୂଳ ଆଚ଼ରଣ, ପ୍ରତିଷେଧକ ଓ ଚ଼ିକିତ୍ସା ଯୋଗୁଁ ଆମେରିକାରେ ପ୍ରଥମ ବର୍ଷ ମୋଟ କୋଭିଡ଼ଜନିତ ମୃତ୍ୟୁ ମଧ୍ୟରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ୮୦ ପ୍ରତିଶତ ରହିଥିବା ସ୍ଥଳେ ଦ୍ୱିତୀୟ ବର୍ଷ ୬୦ ପ୍ରତିଶତକୁ କମି ଆସିଥିଲା । ତଥାପି ଦି ୱାଲ ଷ୍ଟ୍ରୀଟ ଜର୍ଣ୍ଣାଲରେ ୨୦୨୨ ମେ ଶେଷ ସପ୍ତାହରେ ପ୍ରକାଶିତ ଏକ ବିବରଣୀ ଅନୁଯାୟୀ ଓମିକ୍ରନ ସଂକ୍ରମିତ ପାଞ୍ଚ ଜଣ ମାର୍କିନ ନାଗରିକଙ୍କ ମୃତ୍ୟୁରେ ଚାରିଜଣ ବରିଷ୍ଠ ନାଗରିକଙ୍କୁ ଚ଼ିହ୍ନଟ କରାଯାଇଥିଲା । ଏଥିରୁ ପ୍ରତ୍ୟୟମାନ ହୁଏ ଯେ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା କମି ଆସିଥିବା, ଆକ୍ରାନ୍ତଙ୍କ ମଧ୍ୟରେ କମ ରୋଗୀ ସଂକଟାପନ୍ନ ଅବସ୍ଥାରେ ପହଞ୍ଚୁଥିଲେ ମଧ୍ୟ ମୃତକଙ୍କ ମଧ୍ୟରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ଅଧିକ ରହିଆସିଛି । ଓଡ଼ିଶାରେ ୨୦୨୨ ଜାନୁୟାରୀ ମାସର ଓମିକ୍ରନ ସଂକ୍ରମଣ କାଳରେ ହୃଦରୋଗ କାରଣରୁ ମୃତକଙ୍କ ମଧ୍ୟରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ଅଧିକ ରହିଥିବା ଦି ଟାଇମ୍ସ ଅଫ ଇଣ୍ଡିଆରେ ମେ ଦ୍ୱିତୀୟ ସପ୍ତାହରେ ପ୍ରକାଶିତ ବିବରଣୀରେ ସୂଚ଼ିତ ହୋଇଥିଲା ।

 

ତୃତୀୟତଃ, ପ୍ରଶ୍ନ ମଧ୍ୟ ଉଠେ କୋଭିଡ଼-୧୯ ସଂକ୍ରମଣର ତିନିଗୋଟି ତରଙ୍ଗ ପରେ ଭାରତରେ ସାମୂହିକ ରୋଗ ପ୍ରତିରୋଧକ ଶକ୍ତି ହେର୍ଡ ଇମ୍ୟୁନିଟ ସୃଷ୍ଟି ହୋଇସାରିଛି କି ? ଭେଲୋର ଖ୍ରୀଷ୍ଟିଆନ ମେଡ଼ିକାଲ କଲେଜର ମାଇକ୍ରୋ-ବାୟୋଲୋଜିଷ୍ଟ ଗଗନଦୀପ କଙ୍ଗ ବାଣିଜ୍ୟ ସମ୍ୱାଦପତ୍ର ବିଜିନେସ ଷ୍ଟାଣ୍ଡାର୍ଡକୁ ୨୦୨୨ ଜୁନ ପ୍ରଥମ ସପ୍ତାହରେ ଏକ ସାକ୍ଷାତକାର ଦେଇ କହିଥିଲେ ହେର୍ଡ ଇମ୍ୟୁନିଟିକୁ ନେଇ ଦୁଇ ଦିଗରୁ ତର୍ଜମା କରାଯାଇପାରେ । ଏକପକ୍ଷରେ ହେର୍ଡ ଇମ୍ୟୁନିଟିର ଅର୍ଥ କରୋନା ଭୂତାଣୁ ସଂକ୍ରମଣ ଯେ ମୋଟରୁ ହେବ ନାହିଁ, ତାହା ଭାବିବା ଭୂଲ । ଜନସମୁଦାୟରେ କରୋନା ଭୂତାଣୁ ବଞ୍ଚି ରହିବ, କେହି ସଂକ୍ରମିତ ହେଲେ ରୋଗ ସୃଷ୍ଟି କରିବ । ଅପରପକ୍ଷେ ହେର୍ଡ ଇମ୍ୟୁନିଟିର ଅର୍ଥ ଜନସମୁଦାୟରେ ବହୁସଂଖ୍ୟକ ପୂର୍ବ-ସଂକ୍ରମଣ ଓ ପ୍ରତିଷେଧକ ଟିକାକରଣ ହେତୁ ପ୍ରତିରୋଧକ ଶକ୍ତିରେ ସଜ୍ଜିତ ତଥା ସୁରକ୍ଷିତ ରହିବା ହେତୁ ବିପୁଳ ମାତ୍ରାରେ ସଂକ୍ରମଣ ଓ ରୋଗାକ୍ରାନ୍ତ ସଂକଟାପନ୍ନ ଅବସ୍ଥାରେ ପହଞ୍ଚିବା ସଂଖ୍ୟା କମିଯିବ । ଅବଶ୍ୟ ଏହି ସ୍ଥିତାବସ୍ଥା ବଜାୟ ରଖିବା ନିମନ୍ତେ ସାମୟିକ ଭାବେ ବୁଷ୍ଟର ଡ଼ୋଜ ଟିକାକରଣ ଆବଶ୍ୟକ ପଡ଼ିବ ।

 

ଚ଼ତୁର୍ଥରେ ପ୍ରଫେସର କଙ୍ଗ ପୁଣି କହିଥିଲେ ଯେ ମାନବସଭ୍ୟତା ବହୁ ଭୂତାଣୁ ସଙ୍ଗେ ସହବସ୍ଥାନ କରି ଆସିଛି । ଉଦାହରଣରେ ଇନଫ୍ଳୁଏଞ୍ଜା ଭୂତାଣୁ ବିଗତ ୧୨୦ ବର୍ଷ ଧରି ଭିନ୍ନ ଭିନ୍ନ ପ୍ରଜାତି ମାଧ୍ୟମରେ ସାମୟିକଭାବେ ସଂକ୍ରମଣ ବୃଦ୍ଧି କରିଥାଏ । ମହାମାରୀ ଓ ଭୂତାଣୁ ବିଶେଷଜ୍ଞ ଏପିଡ଼ୋମୋଲୋଜିଷ୍ଟଭାଇରୋଲୋଜିଷ୍ଟମାନେ କହିବେ ଯେ ଇନଫ୍ଳୁଏଞ୍ଜା ଭଳି କୋଭିଡ଼ର ନୂତନ ପ୍ରଜାତି ମଧ୍ୟ କୌଣସି ଅଞ୍ଚଳରେ କୌଣସି ସମୟରେ ସଂକ୍ରମଣର କାରଣ ପାଲଟିପାରେ । ଉପଲବ୍ଧ ତଥ୍ୟ ଆଧାରରେ ସଂକ୍ରମଣର ଗାଣିତିକ ମଡ଼େଲ ବିକଶିତ ହୁଏ । ତେଣୁ କେବେ କେଉଁଠୁ କୋଭିଡ଼ର ନୂତନ ପ୍ରଜାତି ପରିବ୍ୟାପ୍ତ ହେବ ସେ ସଂପର୍କରେ ଭବିଷ୍ୟତବାଣୀ ସଂଭବ ନୁହେଁ । କିନ୍ତୁ ସଂକ୍ରମଣ ଆରମ୍ଭ ପରେ ଏହାର ପରବର୍ତ୍ତୀ ଦୁଇ ଚାରି ସପ୍ତାହରେ କିଭଳି ରୂପ ଧାରଣ କରିବ ତାହା ଆକଳନ ଗାଣିତିକ ମଡ଼େଲ ଉପଯୋଗରେ ସମ୍ଭବପର ।

 

ପଞ୍ଚମରେ ଦୀର୍ଘ ସମୟ ନିମନ୍ତେ ସାର୍ସ-କୋଭ-୨ ଭୂତାଣୁ ମନୁଷ୍ୟଙ୍କ ମଧ୍ୟରେ ଉଜ୍ଜୀବିତ ରହିଲେ ଜଣେ ବ୍ୟକ୍ତି ଭିନ୍ନ ଭିନ୍ନ ସଂକ୍ରମଣ ଅବସରରେ ବାରମ୍ୱାର ସଂକ୍ରମିତ ହେବା ଭୟ ବାର୍ଦ୍ଧକ୍ୟଗ୍ରସ୍ତଙ୍କ ନିମନ୍ତେ ଅନିଶ୍ଚିତ ପରିସ୍ଥିତି ସୃଷ୍ଟି କରେ । ମିଚିଗନ ବିଶ୍ୱବିଦ୍ୟାଳୟର ଜଣେ ମହାମାରୀ ବିଶେଷଜ୍ଞ ଆଉବ୍ରି ଗୋର୍ଡନ ଖ୍ୟାତନାମା ମାର୍କିନ ପତ୍ରିକା ଦି ଅଟଲାଣ୍ଟିକକୁ ମେ ୨୦୨୨ରେ କହିଥିଲେ ଯେ ସାର୍ସ-କୋଭ-୨ ଭୂତାଣୁ ପ୍ରତ୍ୟେକଙ୍କୁ ହାରାହାରି ତିନି ବର୍ଷରେ ଥରେ ସଂକ୍ରମଣ ଭୟ ରହିବ । ଅବଶ୍ୟ ଫ୍ଳୁରେ ପ୍ରତି ଦୁଇରୁ ପାଞ୍ଚ ବର୍ଷରେ ଥରେ ଜୀବନବ୍ୟାପୀ ମୁଖ୍ୟତଃ କମ ବୟସରେ ସଂକ୍ରମିତ ହେବା ଅଭିଜ୍ଞତା ଆମର ରହିଛି । କିନ୍ତୁ ସାର୍ସ-କୋଭ-୨ ଭୂତାଣୁ ସଂକ୍ରମଣ ହୃଦଯନ୍ତ୍ର, ପାକସ୍ଥଳୀ, ଅନ୍ତଃନଳୀ, ବୃକକ ଓ ମସ୍ତିସ୍କ ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗର କ୍ଷତି ପହୁଞ୍ଚାଉଥିବା ସମସ୍ୟାର କାରଣ ପାଲଟିଛି । ପୁଣି ସଂକ୍ରମଣର ଦୀର୍ଘକାଳୀନ ପ୍ରଭାବ ଲଙ୍ଗ-କୋଭିଡ଼ ସଂପର୍କରେ ସବିଶେଷ ତଥ୍ୟ ସଂଗୃହୀତ ହୋଇ ନପାରିଥିବା ସ୍ଥଳେ ଉଦବେଗ ସୃଷ୍ଟି କରିଥାଏ ।

 

ଷଷ୍ଠରେ ଭୂତାଣୁ ସଂକ୍ରମଣ ରୋକିବାରେ ଟିକାକରଣର ଭୂମିକା ଚର୍ଚ୍ଚାର ପରିସରରେ ପହଞ୍ଚିଥାଏ । ଉଦ୍ଭାବିତ ଟିକାଦ୍ୱାରା ବ୍ୟକ୍ତିଗତସ୍ତରରେ ଆକ୍ରାନ୍ତ ଜଟିଳ ସ୍ୱାସ୍ଥ୍ୟ ଅବନତିରୁ ବର୍ତ୍ତିଯାଉଥିବା ତଥା ସାମୂହିକସ୍ତରରେ ସଂକ୍ରମଣର ପ୍ରକୋପ ହ୍ରାସ ପାଉଥିବା ପ୍ରମାଣିତ । ତେବେ ଟିକାକରଣ ଦ୍ୱାରା ମୋଟରୁ ସଂକ୍ରମିତ ନହେବା କିମ୍ୱା ଭୂତାଣୁର ନୂତନ ପ୍ରଜାତି ସୃଷ୍ଟିକୁ ରୋକିବା ସଂଭବପର ହୋଇପାରି ନାହିଁ । ଭାରତର ଜାତୀୟ ଟିକାକରଣ ବୈଷୟିକ ପରାମର୍ଶଦାତା ଗୋଷ୍ଠୀ ନ୍ୟାସନାଲ ଟେକନିକାଲ ଏଡ଼ଭାଇଜରି ଗୃପ ଅନ ଇମ୍ୟୁନାଇଜେସେନର ଅଧ୍ୟକ୍ଷ ଏନ.କେ. ଆରୋରା ଜୁନ ୨୦୨୨ରେ କ୍ଷୋଭ ପ୍ରକାଶ କରି କହିଥିଲେ ଯେ ଟିକାକରଣର ସକଳ ସକାରାତ୍ମକ ତଥ୍ୟ ଉପଲବ୍ଧ ସତ୍ତ୍ୱେ ଦେଶରେ ମାତ୍ର ୫ ରୁ ୬ ପ୍ରତିଶତ ଜନସଂଖ୍ୟା କୋଭିଡ଼ ଟିକାର ତୃତୀୟ ପ୍ରତିଷେଧକ ମାତ୍ରା ପ୍ରଥମ ପାଞ୍ଚମାସରେ ଗ୍ରହଣ କରିଥିଲେ । ଅର୍ଥାତ, ଜନସାଧାରଣଙ୍କ ସମେତ ବରିଷ୍ଠ ନାଗରିକମାନେ ସମକାଳରେ ସଂକ୍ରମଣ ହାର ହ୍ରାସ ହେତୁ ଆତ୍ମସନ୍ତୁଷ୍ଟ କମ୍ପପ୍ଳେସେଣ୍ଟ ହୋଇ ବିଜ୍ଞାନକୁ ଅଣଦେଖା କରୁଥିବା ସୁସ୍ପଷ୍ଟ ।

 

ସପ୍ତମରେ ଆରୋରା ବୁଝାଇଥିଲେ ଯେ ଭୂତାଣୁ ରୂପାନ୍ତରରେ ସୃଷ୍ଟ ଶକ୍ତିଶାଳୀ ନୂତନ ପ୍ରଜାତି ଆନ୍ତର୍ଜାତିକସ୍ତରରେ ସଂକ୍ରମଣ ବୃଦ୍ଧି ଓ ତଦଜନିତ ମୃତାହତର କାରଣ । ସାଧାରଣରେ ବିଶ୍ୱାସ ଯେ ଯେଉଁ ଅଞ୍ଚଳରେ ଟିକାକରଣ କମ, ସେଠାରେ ଭୂତାଣୁ ନୂତନ ପ୍ରଜାତି ସୃଷ୍ଟି କରେ । ତେବେ ଦେଖିବାକୁ ମିଳୁଛି ଯେ ବ୍ୟାପକ ଟିକାକରଣ ହୋଇଥିବା ଅଞ୍ଚଳଗୁଡ଼ିକରେ ମଧ୍ୟ ନୂତନ ପ୍ରଜାତି ସୃଷ୍ଟି ସମ୍ଭବ । ପୁଣି ଏକ ରକମ ପ୍ରଜାତି ଭିନ୍ନ ଭିନ୍ନ ଭୌଗଳିକ ପରିବେଶରେ ଅଲଗା ପ୍ରାଦୁର୍ଭାବ ବିସ୍ତାର କରିଥାଏ । ଉଦାହରଣରେ ଭାରତରେ ଓମିକ୍ରନର ପ୍ରଭାବ ତୁଳନାରେ ଯୁକ୍ତରାଷ୍ଟ୍ର ଆମେରିକାରେ ଉଦବେଗଜନକ ରହିଥିଲା । ଅନ୍ୟ ବିଶେଷଜ୍ଞମାନଙ୍କ ମତରେ ଅଭିଜ୍ଞତାରୁ ଜଣାଯାଇଛି ଯେ ସାର୍ସ-କୋଭ-୨ ଭୂତାଣୁ ପୁନଃସଂକ୍ରମଣ ଅଲଗା ଅଲଗା ବ୍ୟକ୍ତିଙ୍କ କ୍ଷେତ୍ରରେ ମଧ୍ୟ ଅଲଗା ଅନୁଭୂତ ହୋଇଥାଏ । କେତେକ ବାରମ୍ୱାର ରୋଗାକ୍ରାନ୍ତ ହୋଇପଡୁଥିବା ସ୍ଥଳେ ଆଉ କେତେକଙ୍କ କ୍ଷେତ୍ରରେ ବିପରୀତ ସ୍ଥିତି ପ୍ରମାଣିତ ।

 

ମହାମାରୀ-ପର ପରିବର୍ତ୍ତିତ ପରିବେଶ ନ୍ୟୂ-ନରମାଲର ସଠିକ ଅର୍ଥ ନିର୍ଦ୍ଧାରଣ ଅନେକ କ୍ଷେତ୍ରରେ ସମ୍ଭବ ହୋଇପାରୁ ନଥିବା ଦେଖିବାକୁ ମିଳେ । ଭାଷାତାତ୍ତ୍ୱିକ ଦୃଷ୍ଟିରୁ ନ୍ୟୂ-ନରମାଲକୁ ନରମାଲ ବିଚାର କରିବା ଅସଂଗତ । ନ୍ୟୂ ପରିବର୍ତ୍ତିତ ପରିବେଶକୁ ସୂଚ଼ିତ କରେ । ଅର୍ଥାତ, ମହାମାରୀ-ପର ଅବସ୍ଥାରେ ୨୦୧୯ର ମହାମାରୀ-ପୂର୍ବାବସ୍ଥାକୁ ଫେରିବା ସଂଭବ  ନୁହ । ସମାଜର ବିଭିନ୍ନ କ୍ଷେତ୍ରରେ ପରିବର୍ତ୍ତିତ ରୂପ ଅବସମ୍ଭାବୀ । ମୁଖ୍ୟତଃ ବୃଦ୍ଧଜନଙ୍କ ବ୍ୟକ୍ତିଗତ ଆଚ଼ରଣରେ ପରିଷ୍କାର-ପରିଚ୍ଛନତାକୁ ମାତ୍ରାଧିକ ଗୁରୁତ୍ୱ ଦେବା, ସଂକ୍ରମଣ ପ୍ରତିରୋଧରେ ଶାରିରୀକ ଦୂରତ୍ୱ ରକ୍ଷା ନିମନ୍ତେ ଭିଡ଼, ଦୋକାନ ବଜାର, ଉତ୍ସବାନୁଷ୍ଠାନରେ ସତର୍କତାର ସହ ଉପସ୍ଥିତି ତଥା ବୈଷୟିକ ସାଜସରଞ୍ଜାମ ଗହଣରେ ଏକରକମ ଏକାନ୍ତ ଜୀବନ ଯାପନ ବାଧ୍ୟବାଧକତାରେ ପରିଣତ ହୋଇଥିବା ଦେଖିବାକୁ ମିଳେ ।

 

ମହାମାରୀ-ପର ଅବସ୍ଥାରେ ବରିଷ୍ଠ ନାଗରିକମାନେ ହିସାବ କରି ବସିଲେ ନିଜ ପରିବାର, ବନ୍ଧୁ ଓ ପରିଚ଼ିତ ବର୍ଗଙ୍କ ମଧ୍ୟରୁ ଅନ୍ତତଃପକ୍ଷେ ଏକ ରୁ ଦୁଇ ଡ଼ଜନ ମହାମାରୀ କାଳରେ ପରଲୋକ ଗମନ କରିଥିବା ମନେ ପଡ଼ିଯିବ । ପ୍ରିୟଜନଙ୍କ ବିୟୋଗ ଓ ଅଢ଼େଇ ବର୍ଷର ଏକାନ୍ତବାସ କାରଣରୁ ପାରମ୍ପରିକ ବନ୍ଧୁତ୍ୱର ଭିତ୍ତିଭୂମି ଦୋହଲି ଯାଇଥିବ । ସଂକ୍ରମଣ ଭୟରେ ଆହୁରି ଅଢ଼େଇ ବର୍ଷ ଯାଏଁ ସତର୍କତାର ଜୀବନ ବରିଷ୍ଠ ନାଗରିକଙ୍କୁ ଉତ୍ସବାନୁଷ୍ଠାନଗୁଡ଼ିକରେ ଉପସ୍ଥିତିରୁ ବିରତ ରହିବା ଏକରକମ ଆତ୍ମନିର୍ବାସନର ପରିବେଶ ସୃଷ୍ଟି କରିବା ଆଶଙ୍କା କରାଯାଇପାରେ । ତେବେ ଆମ ଓଡ଼ିଶାରେ ଏହାର ମିଶ୍ରିତ ପ୍ରଭାବ ସୁନିଶ୍ଚିତ । ରାଜ୍ୟର ୮୩ ପ୍ରତିଶତ ପରିବାର ଗ୍ରାମାଞ୍ଚଳରେ ବସବାସ କରୁଥିବା ଏବଂ ୬୦ ବର୍ଷୋତ୍ତରଙ୍କ ମଧ୍ୟରେ ଅର୍ଦ୍ଧେକ ଶ୍ରମନିଯୁକ୍ତି ଥିବା ପରିସଂଖ୍ୟାନ ପୃଥକ ବାର୍ଦ୍ଧକ୍ୟ ଜୀବନଚ଼ର୍ଯ୍ୟାରେ ପର୍ଯ୍ୟବସିତ । କୋଭିଡ଼-୧୯ ମୁଖ୍ୟତଃ ଏକ ସହରଭିତ୍ତିକ ରୋଗ ଏବଂ ସହରାଞ୍ଚଳରେ ଅବସର ଜୀବନ ବିତାଉଥିବା ବରିଷ୍ଠ ନାଗରିକ ସଂକ୍ରମଣ ପ୍ରତିରୋଧ ନିମନ୍ତେ ସଚ଼େତନ ହେବା ସମୀଚୀନ ବିଚାର କରାଯାଏ ।

 

ପରିବର୍ତ୍ତିତ ପରିବେଶ ନ୍ୟୂ-ନରମାଲ ସଂପର୍କରେ ୟୁଟ୍ୟୁବ ଭିଡ଼ିଓ ଦେଖିବା ନିମନ୍ତେ ନିମ୍ନ ଲିଙ୍କରେ କ୍ଳିକ କରନ୍ତୁ :

 

https://www.youtube.com/watch?v=pFaGbtDJFwA 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଜୁନ ୨୦୨


ତଥ୍ୟ :

 

‘Covid endemic, we’re to plan how we live with it’ Q&A with Gagandeep Kang. Business Standard (Bhubaneswar Edition). June 2, 2022.

 

https://www.business-standard.com/article/current-affairs/doctors-who-don-t-practise-but-teach-can-be-roped-in-s-vaitheeswaran-122060101463_1.html

 

‘Covid being endemic is as mystical and mythical as herd Immunity’. Q&A with N.K. Arora. Business Standard (Bhubaneswar Edition). June 3, 2022

 

https://www.business-standard.com/article/current-affairs/covid-being-endemic-is-as-mystical-and-mythical-as-herd-immunity-n-k-arora-122060201469_1.html

 

Ramnath, Riyan. Experts tag Cov damage to heart. The Times of India (Bhubaneswar Edition). May 15, 2022.

 

https://timesofindia.indiatimes.com/city/bhubaneswar/experts-tag-cov-damage-to-heart/articleshow/91570058.cms

 

Kamp, Jon and Brianna Abbott. Covid-19 deaths hover near lows, but older Americans still at risk : Nearly 300 deaths reported daily are again more concentrated among seniors. Wall Street Journal. May 26, 2022

 

https://www.wsj.com/articles/covid-19-deaths-hover-near-lows-but-older-americans-at-risk-even-with-boosters-11653567898

 

Wu, Katherine J. You are going to get Covid again.. and again.. and again : Will the danger mount each time, or will it fade away ? The Atlantic. May 27, 2022

 

https://www.theatlantic.com/health/archive/2022/05/covid-reinfection-research-immunity/639436/ 



କେଭ ସିଣ୍ଟ୍ରୋମ

ମହାମାରୀଜନିତ ସଂକ୍ରମଣ ପ୍ରତିରୋଧରେ ଜନପଦ ବନ୍ଦ ‘ଲକଡାଉନ’ ଓ ‘ସଟଡାଉନ’ ଅବସରରେ ଜନସାଧାରଣ ଦୂରାବସ୍ଥାନ ନୀତି ପାଳନରେ ଦୀର୍ଘ ସମୟ ଗୃହାବଦ୍ଧ ରହିବା ଉତ୍ତାରେ ପରିସ୍ଥିତି ସୁଧୁରି ଯାଇ ସ୍ୱାଭାବିକ ଅବସ୍ଥା ଫେରିବା ପରେ ମଧ୍ୟ କିଛି ସଂଖ୍ୟକ ବ୍ୟକ୍ତି କିଛି ସମୟଧରି ସାମାଜିକସ୍ତରରେ ଚଳପ୍ରଚଳରୁ ଦୂରେଇ ରହିଥାନ୍ତି । ଏହି ମାନସିକତା ‘କେଭ ସିଣ୍ଡ୍ରୋମ’ ନାମିତ । ମନୁଷ୍ୟ ପ୍ରାକସଭ୍ୟତାରେ ନିଜ ପରିବାର ଓ ଗୋଷ୍ଠୀ ଗହଣରେ ପର୍ବତ ଗୁହାରେ ବସବାସ କାଳରେ ନିଜ ବାସସ୍ଥାନକୁ ସର୍ବାପେକ୍ଷା ନିରାପଦ ମଣୁଥିଲା । ମହାମାରୀରେ ଭୂତାଣୁର ସାମାଜିକ ସଂକ୍ରମଣ ଭୟ ଅନ୍ୟମାନଙ୍କଠାରୁ ଦୂରେଇ ରହିବା ଲାଗି ସେହି ପରିବେଶର ପୁନରାବୃତ୍ତି କରିଛି ।

 

ଆନ୍ତର୍ଜାତିକସ୍ତରରେ ଖ୍ୟାତି ସମ୍ପନ୍ନ ସ୍ୱାସ୍ଥ୍ୟରକ୍ଷା ଓ ଚ଼ିକିତ୍ସା ବିଜ୍ଞାନ କ୍ଷେତ୍ରରେ ଉତ୍ସର୍ଗୀକୃତ ‘ଦି ଲେନସେଟ’ ପତ୍ରିକାରେ ଫେବୃୟାରୀ ୨୦୨୦ରେ ପ୍ରକାଶିତ ଏକ ରଚନାରେ ‘କେଭ ସିଣ୍ଡ୍ରୋମ’ ଶବ୍ଦର ବ୍ୟବହାର ପରବର୍ତ୍ତୀ ପର୍ଯ୍ୟାୟରେ ମହାମାରୀର ମାନସିକ ସ୍ୱାସ୍ଥ୍ୟଚର୍ଚ୍ଚା କ୍ଷେତ୍ରରେ ବିଶ୍ୱବ୍ୟାପୀ ଦୃଷ୍ଟି ଆକର୍ଷଣ କରିଥିଲା । ପ୍ରକାଶିତ ରଚନାରେ ଉଲ୍ଲେଖ କରାଯାଇଥିବା କେତେଗୋଟି ଗବେଷଣାଲବ୍ଧ ତଥ୍ୟ ଗୁରୁତ୍ୱପୂର୍ଣ୍ଣ । ଚୀନରେ ୨୦୦୩ରେ ‘ସାର୍ସ’ ସଂକ୍ରମଣପରେ ଜନସାଧାରଣଙ୍କୁ ନିଜ ନିଜ ଘରେ ରହିବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ । ଦୂରାବସ୍ଥାନ ପରବର୍ତ୍ତୀ ପର୍ଯ୍ୟାୟରେ ୨୧ ପ୍ରତିଶତ ପରିସ୍ଥିତିରେ ସୁଧାର ଆସିବାପରେ ମଧ୍ୟ ଘର ବାହାରକୁ ଆସି ଚଳପ୍ରଚଳ ହେବା ନିମନ୍ତେ ଅମଙ୍ଗ ହୋଇଥିଲେ ।

 

ସେହିପରି ଦକ୍ଷିଣ ଆଫ୍ରିକାରେ ‘ଏବୋଲା’ ଭୂତାଣୁ ସଂକ୍ରମଣ ୨୦୧୪ରୁ ୨୦୧୬ ଯାଏଁ ଲାଗି ରହିଥିଲା । ସିୟାରା ଲେନେରେଠାରେ ଆୟୋଜିତ ଏକ ସର୍ବେକ୍ଷଣରେ ସ୍ୱାଭାବିକ ପରିସ୍ଥିତି ଫେରିବାପରେ ମଧ୍ୟ ବହୁ ସଂଖ୍ୟକ ଘରୁ ବାହାରିବାକୁ ନିରାପଦ ମଣିନଥିଲେ । ଏପରିକି ଶିକ୍ଷକମାନେ ବିଦ୍ୟାଳୟକୁ ଆସିବାକୁ କିଛି ସମୟଧରି ରାଜି ହୋଇନଥିଲେ । ସଂପ୍ରତି ‘କୋଭିଡ଼-୧୯’ ସଂକ୍ରମଣ କାଳରେ ଆନ୍ତର୍ଜାତିକସ୍ତରରେ ୧୧ ଗୋଟି ରାଷ୍ଟ୍ରରେ ଶିକ୍ଷିତ, ବୈଷୟିକ ଦକ୍ଷତା ସମ୍ପନ୍ନ ତଥା ସମାଜର ଉଚ୍ଚବର୍ଗର କର୍ମଚାରୀମାନେ ଘରୁ କାର୍ଯ୍ୟକରୁଥିବା ‘ୱାର୍କ-ଫ୍ରମ-ହୋମ’ ବର୍ଗର ୫୨ ପ୍ରତିଶତ ସଂକ୍ରମଣ ପ୍ରଶମିତ ହେବାପରେ ଦପ୍ତରକୁ ଯାଇ କାମ କରିବା ନିମନ୍ତେ ଆଗ୍ରହ ପ୍ରକାଶ କରିନଥିଲେ । ନିଜ ବାସଗୃହରେ କାର୍ଯ୍ୟକରିବାରେ ସ୍ୱାଚ୍ଛନ୍ଦ୍ୟ ହରାଇବା ନିମନ୍ତେ ନୂଆ ପୀଢ଼ିର କର୍ମଚାରୀମାନେ ଅମଙ୍ଗ । ଭବିଷ୍ୟତରେ କୁଶଳୀ କର୍ମଚାରୀ ନିଯୁକ୍ତି କ୍ଷେତ୍ରରେ ଏହି ମନୋଭାବ ସମସ୍ୟା ସୃଷ୍ଟିକରିବା ତଥ୍ୟାଭିଜ୍ଞମାନେ ଆକଳନ କରିଥାନ୍ତି ।

 

‘କେଭ ସିଣ୍ଡ୍ରୋମ’ ମାନସିକତା ପ୍ରସାରର କେତେଗୋଟି ପ୍ରମୁଖ କାରଣ ଚ଼ିହ୍ନଟ କରାଯାଇପାରେ । ପ୍ରଥମତଃ, ଭୂତାଣୁ ମନୁଷ୍ୟଠାରୁ ମନୁଷ୍ୟକୁ ସଂକ୍ରମିତ ହେଉଥିବା ହେତୁ ନିଜ ବାସଗୃହରେ ଅନ୍ୟମାନଙ୍କଠାରୁ ଦୂରେଇ ରହିବାକୁ ଅନେକ ପସନ୍ଦ କରନ୍ତି । ନିଜ ଘରେ ନିଜକୁ ନିୟନ୍ତ୍ରଣ କରିବା ସଂଭବ ଥିବା ବେଳେ ବାହ୍ୟ ପରିବେଶରେ ଅନ୍ୟମାନଙ୍କ ଚାଲିଚଳନକୁ ନିୟନ୍ତ୍ରଣ କରିବା କୌଣସି ସାଧନ ନଥାଏ । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାବଳୀକୁ ଊଣା ଅଧିକେ ଅର୍ଦ୍ଧେକରୁ ଉର୍ଦ୍ଧ୍ୱ ଅବଜ୍ଞା କରୁଥିବା ବିକଶିତ ଓ ବିକାଶଶୀଳ ରାଷ୍ଟ୍ର ସର୍ବତ୍ର ପରିଦୃଷ୍ଟ । ଏହି କାରଣରୁ କିଛି ସଂଖ୍ୟକ ନିଜ ସ୍ୱାସ୍ଥ୍ୟ ଓ ଜୀବନ ସୁରକ୍ଷିତ ରଖିବାକୁ ଅଗ୍ରାଧୀକାର ଦେଇଥାନ୍ତି ।

 

ଦ୍ୱିତୀୟତଃ, ଶିକ୍ଷିତ ବ୍ୟକ୍ତି ଜୀବନଯାତ୍ରାରେ ସର୍ବଦା ନିଶ୍ଚିତତା ‘ସେଟରନିଟି’ ପସନ୍ଦ କରେ । ଏଥିଲାଗି ସେ ବହୁ ଦୀର୍ଘସ୍ଥାୟୀ ଯୋଜନାରେ ନିଜକୁ ସାମିଲ କରିଥାଏ । କୋଭିଡ଼-୧୯ ମହାମାରୀ ଅବସରରେ ବହୁ ବ୍ୟକ୍ତି ରୋଗାକ୍ରାନ୍ତ ହେବା, ମୃତ୍ୟୁବରଣ କରିବା ତଥା ଦୀର୍ଘକାଳୀନ ସ୍ୱାସ୍ଥ୍ୟ ସମସ୍ୟାରେ ଛନ୍ଦି ହୋଇପଡ଼ିବା ଭୟ ରହିଥିବା ଏବଂ ଏଗୁଡ଼ିକର ମୁକାବିଲା ନିମନ୍ତେ ଫଳପ୍ରଦ ବ୍ୟବସ୍ଥା ମହାମାରୀ ବ୍ୟାପିବାର ଦୁଇବର୍ଷ ପରେ ସୁଦ୍ଧା ସଂଭବ ହୋଇପାରିନଥିବା ହେତୁ ଅନିଶ୍ଚିତତା ମଧ୍ୟକୁ ଲମ୍ପ ପ୍ରଦାନ କରିବାକୁ ଅନେକ ଭୟଭୀତ ହୋଇପଡିଥାନ୍ତି ।

 

ତୃତୀୟତଃ, ମାସ୍କ ପରିଧାନ, ଶାରିରୀକ ଓ ସାମାଜିକ ଦୂରାବସ୍ଥାନ ‘ଫିଜିକାଲ ଏଣ୍ଡ ସୋସିଆଲ ଡିଷ୍ଟେନ୍ସିଂ’ ଭଳି ଆଚ଼ରଣରେ ଦୀର୍ଘଦିନ ଅଭ୍ୟସ୍ତ ହୋଇପଡ଼ିବା ପରେ ସହଜରେ ସେହି ଧାରା ଛାଡ଼ି ହୁଏ ନାହିଁ । ପରିବର୍ତ୍ତିତ ପରିସ୍ଥିତି ସହ ନିଜକୁ ଖାପଖୁଆଇବା ନିମନ୍ତେ କିଛି ସମୟ ଲାଗିଯାଏ । ବାଧ୍ୟବାଧକତାରେ ଦୂରାବସ୍ଥାନଜନିତ କେତେକ ସକରାତ୍ମକ ଦିଗ ମଧ୍ୟ କେତେକଙ୍କୁ ବିମୋହିତ କରିଥାଏ । ଉଦାହରଣରେ ସର୍ଜନଶୀଳ ‘କ୍ରିଏଟିଉଭ’ ବ୍ୟକ୍ତିତ୍ୱ ସାଧାରଣରୁ ଦୂରରେ ନିଆରା ଢଙ୍ଗରେ ଜୀବନଯାପନ କରିବାକୁ ଚାହୁଁଥିବା ସ୍ଥଳେ ସାମୂହିକ ସାମାଜିକ ଅପସାରଣ ଏକ ସୁଯୋଗ ମନେ ହୋଇଥାଏ ।

 

ଆମେରିକାନ ସାଇକୋଲଜି ଏସୋସିଏସନ ପକ୍ଷରୁ ଆୟୋଜିତ ଏକ ସର୍ବେକ୍ଷଣରେ ଅଂଶଗ୍ରହଣ କରିଥିବା ନମୂନାଙ୍କ ମଧ୍ୟରୁ ୪୯ ପ୍ରତିଶତ ମହାମାରୀ-ପର ଅବସ୍ଥାରେ ମୁହାଁମୁହିଁ କଥୋପକଥନ ‘ଇନ-ପରସନ ଇଣ୍ଟରେକ୍ସନ୍ସ’ ପରିବେଶକୁ ଫେରିବା ନେଇ ସନ୍ଦେହ ପ୍ରକାଶ କରିଥିଲେ । ମହାମାରୀ-ପୂର୍ବାବସ୍ଥାରେ ଯୋଗାଯୋଗ କ୍ଷେତ୍ରରେ ଯେଉଁ ବୈଷୟିକ ପ୍ରଗତି ଉଦ୍ଭାବିତ ହୋଇଥିଲା ତାହା ମହାମାରୀ କାଳରେ ବିଶ୍ୱର କୋଣ-ଅନୁକୋଣରେ ବ୍ୟବହୃତ ହେଲା । ପରବର୍ତ୍ତୀ ଅବସ୍ଥାରେ ବ୍ୟବହୃତ ଉନ୍ନତ ବ୍ୟବସ୍ଥାକୁ ଅଣଦେଖା କରିବାର ପ୍ରଶ୍ନ ହିଁ ଉଠୁନି ।

 

‘କେଭ ସିଣ୍ଡ୍ରୋମ’ ଏକ ମାନସିକ ସ୍ୱାସ୍ଥ୍ୟ ସମସ୍ୟା । ବ୍ରିଟିଶ କଲୋମ୍ୱିଆ ବିଶ୍ୱବିଦ୍ୟାଳୟର ଗବେଷକମାନଙ୍କ ଦ୍ୱାରା ମେ’ ୨୦୨୦ରେ ପ୍ରକାଶିତ ଏକ ଅଧ୍ୟୟନରେ ‘କୋଭିଡ଼-୧୯’ ମହାମାରୀ ଦ୍ୱାରା ସମାଜରେ ପ୍ରାୟ ୧୦ ପ୍ରତିଶତ ବ୍ୟକ୍ତି ଉଦବିଗ୍ନତା ‘କୋଭିଡ଼ ଷ୍ଟ୍ରେସ ସିଣ୍ଡ୍ରୋମ’ ଦ୍ୱାରା ପ୍ରଭାବିତ ହେବା ହିସାବ କରାଯାଇଥିଲା । କୁହାଯାଏ ଯେ ପ୍ରକୃତ ବିପଦଠାରୁ କେତେକ ବ୍ୟକ୍ତି ବିଭିନ୍ନ କାରଣରୁ ମାତ୍ରାଧିକ ସଂକ୍ରମଣଜନିତ ବିପଦ ଆଶଙ୍କା କରିଥାନ୍ତି । ଏତଦଜନିତ ମାନସିକସ୍ତରରେ ଗୁରୁତର ଅସୁସ୍ଥଙ୍କ କ୍ଷେତ୍ରରେ ଜ୍ୱର ଓ ଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ଭଳି ଲକ୍ଷଣ ମଧ୍ୟ ଦେଖିବାକୁ ମିଳିଥାଏ ।

 

ଭବିଷ୍ୟତଦ୍ରଷ୍ଟା ‘ଫ୍ୟୁଚ଼ରାଷ୍ଟି’ମାନେ ‘କୋଭିଡ଼-୧୯’ ମହାମାରୀ-ପର ଅବସ୍ଥାରେ ମହାମାରୀ-ପୂର୍ବ ସାମାଜିକ ସ୍ଥିତାବସ୍ଥା ବଦଳରେ ପରିବର୍ତ୍ତିତ ପରିବେଶ ‘ନ୍ୟୂ ନରମାଲ’ ଆକଳନ କରିଥାନ୍ତି । ଅର୍ଥାତ ବହୁ ରୀତିନୀତି ପରିବର୍ତ୍ତିତ ରୂପ ଧାରଣ କରିବ । ଚଳାଚଳ ‘ମୋବିଲିଟି’ ଓ ପାରସ୍ପରିକ ସହାବସ୍ଥାନ ‘ଇଣ୍ଟରେକସନ୍ସ’ରେ ବ୍ୟାପକ ପରିବର୍ତ୍ତନ ସମ୍ଭବ । ‘କେଭ ସିଣ୍ଡ୍ରୋମ’ ସମାଜର ଅନ୍ୟାନ୍ୟ ବର୍ଗଙ୍କ ତୁଳନାରେ ବାର୍ଦ୍ଧକ୍ୟଗ୍ରସ୍ତଙ୍କ କ୍ଷେତ୍ରରେ ଅଧିକ ଅନୁଭୂତ ହେବା ବିଶ୍ୱାସଯୋଗ୍ୟ ।

 

ଭାରତରେ ବରିଷ୍ଠ ନାଗରିକମାନେ ସ୍ୱାଭାବିକଭାବେ ସଂଗଠିତ କର୍ମକ୍ଷେତ୍ରରୁ ଅବସରଗ୍ରହଣପରେ ଗୃହାବଦ୍ଧ ଜୀବନଯାପନ କରନ୍ତି । ଶାରୀରିକ ଦୁର୍ବଳତା ଓ ଆର୍ଥିକ ଅନଟନରେ ଅନେକ କବଳିତ । ପାରମ୍ପରିକଭାବେ ସାମାଜିକ ମୁଖ୍ୟସ୍ରୋତରୁ ଦୂରେଇ ରହିଆସୁଥିବା ସ୍ଥଳେ ‘କୋଭିଡ଼-୧୯’ ମହାମାରୀରେ ବିଶ୍ୱବ୍ୟାପୀ ବିଭିନ୍ନ ରାଷ୍ଟ୍ରରେ ସଂକ୍ରମଣଜନିତ ମୃତ୍ୟୁ ସଂଖ୍ୟାରେ ୫୦ ରୁ ୭୫ ପ୍ରତିଶତ ବରିଷ୍ଠ ନାଗରିକ ଅନ୍ତର୍ଭୁକ୍ତ ଥିବା ଏବଂ ପ୍ରଶାସନ ତଥା ଚ଼ିକିତ୍ସକମାନଙ୍କ ପକ୍ଷରୁ ବୟସ୍କଙ୍କୁ ଦୂରାବସ୍ଥାନ ନିମନ୍ତେ ପରାମର୍ଶ ଦିଆଯାଉଥିବା ହେତୁ ମହାମାରୀ ‘ପେଣ୍ଡାମିକ’ ସ୍ଥାନୀୟ ସଂକ୍ରମଣ ‘ଏଣ୍ଡାମିକ’ସ୍ତରରେ ପହଞ୍ଚିଗଲେ ସୁଦ୍ଧା ବରିଷ୍ଠନାଗରିକମାନେ ସୁରକ୍ଷା ଦୃଷ୍ଟିରୁ ଦୀର୍ଘକାଳ ଯାଏଁ ଅପସାରିତ ଜୀବନ ଯାପନ କରିବା ବିଚାର କରାଯାଇପାରେ । 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଜାନୁୟାରୀ ୨୦୨


ତଥ୍ୟ :

 

Balaji, Akshaya. As COVID changes our relationship with the outside, Psychologists see rise of ‘Cave Syndrome’. The Wire. January 07, 2022.

 

https://www.thewire.in/article/health/as-covid-changes-our-relationship-with-the-outside-psychologists-see-rise-of-cave-syndrome

 

Newman, Melba. ‘Cave Syndrome’ keeps the vaccinated in social isolation. Scientific American. May 3, 2021

 

https://www.scientificamerican.com/article/cave-syndrome-keeps-the-vaccinated-in-social-isolation