ଭିନ୍ନ ଦୃଷ୍ଟିରେ ବାର୍ଦ୍ଧକ୍ୟ

ସିସେରୋଙ୍କ ବାର୍ଦ୍ଧକ୍ୟ ବ୍ୟାଖ୍ୟାନ

ଖ୍ରୀଷ୍ଟପୂର୍ବ ପ୍ରଥମ ଶତାଦ୍ଦୀରେ ଜୁଲିଅସ ସିଜରଙ୍କ ସମୟର ରୋମାନ ସଭ୍ୟତା ବିଶ୍ୱଇତିହାସରେ ଅନ୍ୟତମ ଚର୍ଚ୍ଚିତ ଅଧ୍ୟାୟ । ରୋମାନ ଦାର୍ଶନିକ ମାର୍କୁସ ଟୁଲିଅସ ସିସେରୋ ଖ୍ରୀଷ୍ଟପୂର୍ବ ୧୦୬ ଜାନୁୟାରୀ ୩ରେ ଜନ୍ମଗ୍ରହଣ କରିଥିଲେ ଏବଂ ଖ୍ରୀଷ୍ଟପୂର୍ବ ୪୩ ଡ଼ିସେମ୍ୱର ୭ରେ ତାଙ୍କୁ ହତ୍ୟା କରାଯାଇଥିଲା ।

 

ମରଣୋତ୍ତର ଅବସ୍ଥାରେ ଦାର୍ଶନିକ ଭାବେ ସିସେରୋଙ୍କ ଖ୍ୟାତି ସମଗ୍ର ୟୁରୋପରେ ଊନବିଂଶ ଶତାଦ୍ଦୀ ଯାଏଁ ପରିବ୍ୟାପ୍ତ ହୋଇଥିଲେହେଁ ପ୍ରକୃତ ଜୀବନରେ ଦର୍ଶନ ତୁଳନାରେ ସେ ରାଜନୀତିକୁ ଗୁରୁତ୍ୱ ଦେଇଥିଲେ । ଅବସ୍ଥାଚ଼କ୍ରରେ ବାଧ୍ୟବାଧକତାରେ ରାଜନୀତିରୁ ଦୂରେଇ ରହିବା ଅବସରରେ ପରିଣତ ବୟସରେ ସ୍ୱଳ୍ପ ସମୟଲାଗି ସେ ଦର୍ଶନ ଚର୍ଚ୍ଚାରେ ମନୋନିବେଶ କରିଥିଲେ ।

      

ସିସେରୋ ମୁଖ୍ୟତଃ ଶାସ୍ତ୍ରୀୟ ଗ୍ରୀକ ରଚନା ଆଧାରରେ ସମକାଳୀନ ରୋମାନ ସଭ୍ୟତାର ତୁଳନାତ୍ମକ ଅଧ୍ୟୟନ କରିଥିଲେ । ତାଙ୍କରି ପ୍ରଭାବଶାଳୀ ରୋମାନ ଗଦ୍ୟ ଶୈଳୀ ଦୀର୍ଘ ଦୁଇ ହଜାର ବର୍ଷଧରି ପାଠକଙ୍କ ଦ୍ୱାରା ଆଦୃତ ହୋଇ ଆସିଛି ।

 

ଜୋହେନ୍ସ ଗୁଟନବର୍ଗଙ୍କଦ୍ୱାରା ମୁଦ୍ରଣ ଯନ୍ତ୍ର ଉଦ୍ଭାବନ ପରବର୍ତ୍ତୀ ଅବସ୍ଥାରେ ପ୍ରଥମ ପୁସ୍ତକ ‘ବାଇବଲ’ ମୁଦ୍ରିତ ହେବାପରେ ସିସେରୋଙ୍କ ‘ଦେ ଅଫିସିସ’ ଦ୍ୱିତୀୟ ପୁସ୍ତକରୂପେ ମୁଦ୍ରିତ ହୋଇଥିବା କୁହାଯାଏ । ଏଥିରୁ ତାଙ୍କରି ଲୋକପ୍ରିୟତାର ପ୍ରମାଣ ମିଳେ । ତେବେ ବିଂଶଶତାଦ୍ଦୀରେ ସିସେରୋଙ୍କ ରଚନାବଳୀରେ ମୌଳିକତା ଅଭାବ ଉପଲବ୍ଧି କାରଣରୁ ସମାଲୋଚକଙ୍କ ଦୃଷ୍ଟିରେ ଗୁରୁତ୍ୱ କମି ଆସିଥିବା ଲକ୍ଷ୍ୟ କରାଯାଏ ।

 

ଅତ୍ୟନ୍ତ ନାଟକୀୟ ପରିସ୍ଥିତିରେ ସିସେରୋଙ୍କ ଲେଖକ ଜୀବନ ଆରମ୍ଭ ହୋଇଥିଲା । ଯୁବାବସ୍ଥାରେ ସେ ସାହିତ୍ୟାନୁରାଗୀ ଥିଲେ । ଗ୍ରୀକ ସାହିତ୍ୟ, ବିଶେଷକରି ପ୍ଳାଟୋ ଓ ଆରିଷ୍ଟୋଟଲଙ୍କ ରଚନା ଅଧ୍ୟୟନ କରି ତତ୍ କାଳୀନ ରୋମାନ ସମାଜରେ ସେଗୁଡ଼ିକର ପ୍ରଚ଼ାର ନିମନ୍ତେ ଆଗ୍ରାହାନ୍ୱିତ ଥିଲେହେଁ ଅନ୍ୟାନ୍ୟ କାର୍ଯ୍ୟରେ ସଂପୃକ୍ତି କାରଣରୁ ତାଙ୍କରି ମନୋବାଞ୍ଛା ପୂରଣ ହୋଇପାରି ନଥିଲା ।

      

ଖ୍ରୀଷ୍ଟପୂର୍ବ ୪୫ ବେଳକୁ ସିସେରୋ ୬୦ ବର୍ଷ ପାର କରି ସାରିଥାନ୍ତି । ଦୀର୍ଘ ୩୦ ବର୍ଷ ଧରି ବିବାହ ପରେ ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର ଦେଇ ଅପେକ୍ଷାକୃତ କମ ବୟସର ଦ୍ୱିତୀୟ ପତ୍ନୀଙ୍କ ସହ ତାଙ୍କରି ବିବାହ ହୁଏ । କିନ୍ତୁ ଅଳ୍ପ ସମୟ ମଧ୍ୟରେ ପୁଣି ବିବାହ ବିଚ୍ଛେଦ ହୁଏ । ତାଙ୍କରି ଅଳିଅଳ ଝିଅର ମୃତ୍ୟୁ ଘଟେ । ସିସେରୋ ବିଷାଦଗ୍ରସ୍ତ ହୋଇପଡ଼ନ୍ତି ।

 

ଅପରପକ୍ଷେ ରୋମାନ ରାଜନୀତିକ ମଞ୍ଚରେ ତାଙ୍କରି ପ୍ରଭାବ କ୍ଷୁର୍ଣ୍ଣ ହୋଇସାରିଥାଏ । ସେ ଜୁଲିଅସ ସିଜରଙ୍କ ସମର୍ଥକ ଥିଲେ । ଜୁଲିଅସ ସିଜର ଦେଶଛାଡ଼ି ଚ଼ାଲିଯିବାପରେ ଗୃହଯୁଦ୍ଧ ଆରମ୍ଭ ହୋଇଯାଇଥାଏ । ଜୁଲିଅସ ସିଜରଙ୍କ ଉତ୍ତରାଧିକାରୀ ଏକଛତ୍ରବାଦୀଙ୍କୁ ପ୍ରାରମ୍ଭିକ ଅବସ୍ଥାରେ ବିରୋଧ କରି ସେ ଅପ୍ରସ୍ତୁତ ପରିସ୍ଥିତିରେ ଉପନୀତ ହୋଇଥାନ୍ତି ।

 

ଏଭଳି ପରିସ୍ଥିତିରେ ସିସେରୋ ରୋମ ନଗରୀ ପରିତ୍ୟାଗ କରି ଗ୍ରାମାଞ୍ଚଳକୁ ଚ଼ାଲିଯାଆନ୍ତି । ଜୀବନର ପଡ଼ନ୍ତି ଅପରାହ୍ନରେ ଏକାକୀ ଲେଖକ ଜୀବନ ଆରମ୍ଭ କରନ୍ତି । ପ୍ରତ୍ୟେହ ପ୍ରାତଃ କାଳରୁ ଗଭୀର ରାତ୍ରିଯାଏଁ ଲେଖିବାରେ ବ୍ୟସ୍ତ ରହି ଖୁବ୍ କମ ସମୟ ମଧ୍ୟରେ ଶିକ୍ଷା, ଧର୍ମ, ବନ୍ଧୁତା, ନୈତିକତା ତଥା ସୁଶାସନ ସଂପର୍କରେ ରଚନାମାନ ପ୍ରସ୍ତୁତ କରିବାରେ ସମର୍ଥ ହୁଅନ୍ତି ।

 

ଲେଖକ ଜୀବନର ପ୍ରାରମ୍ଭରେ ଖ୍ରୀଷ୍ଟପୂର୍ବ ୪୪ରେ ସିସେରୋ ବାର୍ଦ୍ଧକ୍ୟ ବିଶ୍ଳେଷଣ କରି ‘କାଟୋ ଦି ଏଲଡ଼ର ଅନ ଓଲଡ୍ ଏଜ’ ରଚନା କରିଥିଲେ । ବାର୍ଦ୍ଧକ୍ୟ ସଂପର୍କରେ ସିସେରୋଙ୍କ ଅଧ୍ୟୟନ ଉପଲବ୍ଧ ବିଶ୍ୱସାହିତ୍ୟରେ ଅନ୍ୟତମ ପ୍ରାଚୀନ ଆଲେଖ୍ୟ ରୂପେ ବିବେଚ଼ନା କରାଯାଏ । ଶାସ୍ତ୍ରୀୟ ଗ୍ରୀକ ସାହିତ୍ୟ ଭିତ୍ତିରେ ପ୍ରସ୍ତୁତ ଏହି ରଚନାର ମୂଲ୍ୟବୋଧ ଏକବିଂଶ ଶତାଦ୍ଦୀ ସୁଦ୍ଧା ପ୍ରାସଙ୍ଗିକ ମନେହୁଏ ।

 

ସିସେରୋ ନିଜ ରଚନାରେ ଦର୍ଶାଇଥିଲେ ଯେ ବୁଦ୍ଧିମତ୍ତାରସହ ଜୀବନଯାତ୍ରା ବାର୍ଦ୍ଧକ୍ୟକୁ ଜୀବନର ସର୍ବଶ୍ରେଷ୍ଠ ଅଧ୍ୟାୟରୂପେ ଗଢ଼ି ତୋଳିପାରେ । ବୃଦ୍ଧାବସ୍ଥା କର୍ମହୀନତା, ଶାରିରୀକ ଦୁର୍ବଳତା, ଯୌନାଚ଼ାରରେ ଅପାରଗତା ତଥା ମୃତ୍ୟୁର ସନ୍ନିକଟ ଭୟର ପ୍ରତିବିମ୍ୱ ନୁହେ ବୋଲି ସେ ଯୁକ୍ତି ବାଢ଼ିଥିଲେ ।

 

ସାଧାରଣରେ ମନୁଷ୍ୟ ବୃଦ୍ଧାବସ୍ଥାଜନିତ  କାର୍ଯ୍ୟହୀନତାକୁ ନେଇ ଅସହାୟ ବୋଧ କରିଥାଏ । ତେବେ ଶାରିରୀକ ଶକ୍ତି ଓ କର୍ମପ୍ରଖରତା କସ୍ମିନକାଳେ କୌଣସି ପ୍ରମୁଖ କାର୍ଯ୍ୟସାଧନର ଉତ୍ସରୂପେ ପ୍ରମାଣିତ ହୋଇ ନଥାଏ । ଜ୍ଞାନ, ଚ଼ରିତ୍ର ଓ ବିଚ଼ାରଧାରା ହିଁ କର୍ମ ସମ୍ପାଦନର ପୁଞ୍ଜି । ବାର୍ଦ୍ଧକ୍ୟରେ ଏହାର ଅଭାବ ନଥାଏ । ଅପରପକ୍ଷେ ଏହି ବିଭବଗୁଡ଼ିକ ବୃଦ୍ଧାବସ୍ଥାରେ ରୁଦ୍ଧିମନ୍ତ ଅବସ୍ଥାରେ ପହଞ୍ଚିଥାଏ ।

 

ପ୍ରକୃତି ମନୁଷ୍ୟକୁ ଥରୁଟିଏ ଜୀବନର ଯାତ୍ରା ପଥରେ ଅଗ୍ରସର ହେବାର ସୁଯୋଗ ସୃଷ୍ଟି କରିଥାଏ । ଜୀବନର ପ୍ରତ୍ୟେକ ସୋପାନରେ ସେ ଭିନ୍ନଭିନ୍ନ ଅବସ୍ଥା ଦେଇ ଗତିକରେ । ଶୈଶବର ଦୁର୍ବଳତା, ଯୁବାବସ୍ଥାର ଉଦ୍ଦାମତା, ମଧ୍ୟବୟସ୍କରେ ସମ୍ୱେଦନଶୀଳତା ଭଳି ବାର୍ଦ୍ଧକ୍ୟରେ ପରିକ୍ୱତାର ବାତାବରଣକୁ ଉପଲବ୍ଧ କରିବା ଶ୍ରେୟସ୍କର ।

ବାର୍ଦ୍ଧକ୍ୟରେ ଶାରିରୀକ ଦୁର୍ବଳତା ଦେଖା ଦେଇଥାଏ । ତେବେ ସାମାଜିକସ୍ତରରେ ବୃଦ୍ଧଜନଙ୍କଠାରୁ ଶାରିରୀକ ପରିଶ୍ରମ କେହି ଆଶା କରିନଥାନ୍ତି । ସେଥିଲାଗି ଅବସର ଯୋଜନାମାନ ଲାଗୁ କରାଯାଇଥାଏ । ଶାରିରୀକ ପରିଶ୍ରମ ବଦଳରେ ମାନସିକ ପରିଶ୍ରମ ନିମନ୍ତେ ବୃଦ୍ଧାବସ୍ଥାରେ ପ୍ରତିବନ୍ଧକ ନଥାଏ ।

 

ହୁଏତ ବୃଦ୍ଧାବସ୍ଥାରେ କେତେକ ନିଜ ନିତ୍ୟକର୍ମ ସମାପନରେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏଥିଲାଗି ସେମାନଙ୍କୁ ଅନ୍ୟର ସାହାଯ୍ୟ ନେବାକୁ ପଡ଼ିଥାଏ । କିନ୍ତୁ ଭଗ୍ନ ସ୍ୱାସ୍ଥ୍ୟ ପାଇଁ ବାର୍ଦ୍ଧକ୍ୟକୁ ଦାୟୀ କରାଯାଇ ନପାରେ । ଯୁବାବସ୍ଥାରେ ମଧ୍ୟ ଜଣେ ଭଗ୍ନ ସ୍ୱାସ୍ଥ୍ୟର ବିପଦ ଆପଣାଇ ପାରେ ।

 

ବାର୍ଦ୍ଧକ୍ୟରେ ଯୌନାଚ଼ାର ଅପସରି ଯାଇଥାଏ । ତେବେ ମନୁଷ୍ୟ ଜୀବନାଭୂତିରେ ପ୍ରକୃତିଦତ୍ତ ସମସ୍ତ ବିଭବ ମଧ୍ୟରେ ଯୌନାଚ଼ାର ସର୍ବାପେକ୍ଷା ବିକଟାଳ । ଏହି କ୍ଷେତ୍ରରେ ମାନବିକ ପ୍ରକୃତି କିମ୍ୱା ବିଚ଼ାରଶକ୍ତିର ଉପଯୋଗ ହୋଇପାରି ନଥାଏ । ଅତଏବ ବାର୍ଦ୍ଧକ୍ୟରେ ଯୌନାଚ଼ାର ମାନସିକତା ହ୍ରାସ ଏକ ପକ୍ଷରେ ଶୁଭଙ୍କର ବୋଲି କହିବାକୁ ହେବ ।

 

ଯୌବନରେ ପରିତୃପ୍ତ ଯୌନାଚ଼ାର ବାର୍ଦ୍ଧକ୍ୟରେ ଏଥିପ୍ରତି ଅନାଗ୍ରହର କାରଣ ପାଲଟିଥାଏ । ଅନ୍ୟ ପକ୍ଷରେ ବାର୍ଦ୍ଧକ୍ୟରେ ଏହା ସମ୍ପୁର୍ଣ୍ଣରୂପେ ଅପସାରିତ ନ ହୋଇ ସାମାନ୍ୟ ଉପଭୋଗର ସୁଯୋଗ ଅବଶ୍ୟ ରଖିଥାଏ ।

 

ସୁଦୀର୍ଘ ଜୀବନାନୁଭୂତି ମନୁଷ୍ୟକୁ ମୃତ୍ୟୁ ସହ ପରିଚ଼ିତ କରାଇଦେଇ ଥାଏ । ତେଣୁ ବୃଦ୍ଧାବସ୍ଥାରେ ମୃତ୍ୟୁକୁ ନେଇ ଭୟର ବାତାବରଣ ସ୍ୱୃହଣୀୟ ନୁହେଁ । ଯୁବାବସ୍ଥାରେ ମୃତ୍ୟୁ ଓ ବୃଦ୍ଧାବସ୍ଥାରେ ମୃତ୍ୟୁ ମଧ୍ୟରେ ଢ଼େର ତଫାତ ରହିଛି । ଦୀର୍ଘଦିନ ପରିଭ୍ରମଣ ପରେ ବନ୍ଦରରେ ଜାହାଜ ନଙ୍ଗର ପକାଇବାବେଳେ ଯାତ୍ରୀଗଣ ନିଜ ଜନ୍ମଭୂମିକୁ ଫେରିଆସିବାର ଉଚ୍ଛ୍ୱାସ ମୃତ୍ୟୁର ସମୀପକାଳରେ ଆଶା କରାଯାଇପାରେ ।

 

ପ୍ରକୃତିକୋଳରୁ ଜାତ ମନୁଷ୍ୟ ଶରୀର ପୁଣି ପ୍ରକୃତି କୋଳରେ ବିଲୀନ ହୋଇଯିବା ଏକ ସ୍ୱାଭାବିକ ପ୍ରକ୍ରିୟା । ଅବଶ୍ୟ ଏଥିରେ ଭାଗ ନେବା ନିମନ୍ତେ ମୁକ୍ତ ମାନସିକତା ଓ ସୁସ୍ଥ ଶରୀରାବସ୍ଥା ଆବଶ୍ୟକ ପଡ଼ିଥାଏ । ସ୍ଥଳବିଶେଷରେ ମୃତ୍ୟୁ-ପୂର୍ବ ଶାରିରୀକ ଯନ୍ତ୍ରଣାକୁ କ୍ଷଣସ୍ଥାୟୀ ବିବେଚ଼ନା କରାଯାଇପାରେ । ଏହାର ତାତ୍ତ୍ୱିକ ମୂଲ୍ୟବୋଧ ହୃଦୟଙ୍ଗମ କରିପାରିଲେ ମୃତ୍ୟୁଭୟରୁ ନିସ୍ତାର ମିଳିଥାଏ ।    

 

ସିସେରୋଙ୍କ ରଚନାର ସଦ୍ୟତମ ଇଂଲିଶ ଅନୁବାଦ ‘ହାଉ ଟୁ ଗ୍ରୋ ଓଲଡ଼’ ୨୦୧୬ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାର ପ୍ରିନଷ୍ଟନ ବିଶ୍ୱବିଦ୍ୟାଳୟଦ୍ୱାରା ପ୍ରକାଶିତ ହୋଇଛି । ଏହାର ଅନୁବାଦକ ଫିଲିପ ଫ୍ରିମେନ ଜଣେ ମାର୍କିନ ଅଧ୍ୟାପକ । ଅନୁବାଦ ସନ୍ନିବେଶିତ ମୁଖବନ୍ଧରେ ଅନୁବାଦକ ବାର୍ଦ୍ଧକ୍ୟ ସଂପର୍କରେ ସିସେରୋଙ୍କ ଦ୍ୱାରା ଅନୁଶୀଳନ କରାଯାଇଥିବା ଦଶ ଗୋଟି ଉପପାଦ୍ୟର ଅବତରଣା କରିଛନ୍ତି ।

ସିସେରୋଙ୍କ ଦୃଷ୍ଟିରେ ପ୍ରଥମତଃ ସାବଲୀଳ ବୃଦ୍ଧାବସ୍ଥାରେ ପଦାର୍ପଣ କରିବା ନିମନ୍ତେ ଯୁବାବସ୍ଥାରୁ ପ୍ରସ୍ତୁତି ଆବଶ୍ୟକ । ସମ୍ୱେଦନଶୀଳତା, ସୁସଂହତ ଚ଼ିନ୍ତନ, ଜ୍ଞାନାର୍ଜନ ତଥା ଜୀବନକୁ ଉପଭୋଗକରିବାର ମାନସିକତା ଅର୍ଥପୂର୍ଣ୍ଣ ବାର୍ଦ୍ଧକ୍ୟ ଜୀବନ ନିମନ୍ତେ ପଥ ଉନ୍ମୁକ୍ତ କରାଇଥାଏ । ଯୁବାବସ୍ଥାରେ ଅସଂଜତ ଜୀବନଯାତ୍ରା ବୃଦ୍ଧାବସ୍ଥା ଆନନ୍ଦମୟ ଜୀବନଯାପନ ଲାଗି ବାଧକ ସାଜିଥାଏ ।

 

ଦ୍ୱିତୀୟତଃ, ହୁଏତ ଅନେକେ ଜୀବନର ଶେଷ ପର୍ଯ୍ୟାୟରେ ଦୁଃଖପୂର୍ଣ୍ଣ ଜୀବନଯାପନ କରିଥାନ୍ତି । ତେବେ ଏଥିପାଇଁ ବୟସକୁ ଦୋଷ ଦେବା ଅନୁଚ଼ିତ । ଚ଼ାରିତ୍ରିକ ଦାରିଦ୍ର୍ୟତା ବାର୍ଦ୍ଧକ୍ୟରେ ଦୁଃସ୍ଥିତିର ମୁଖ୍ୟ କାରଣ ।

 

ତୃତୀୟତଃ, ପ୍ରାକୃତିକଭାବେ ମନୁଷ୍ୟ ଜୀବନ ଯୁବାବସ୍ଥାରେ କେତେକ ଆନନ୍ଦ ଉପଭୋଗର ସୁଯୋଗ ସୃଷ୍ଟି ହୋଇଥିବା ବେଳେ ବାର୍ଦ୍ଧକ୍ୟରେ ବିକଳ୍ପ ପ୍ରାବଧାନ ରହିଛି । ଅତଏବ ବାର୍ଦ୍ଧକ୍ୟରେ ଅଭ୍ୟାସଗତ ଯୁବାବସ୍ଥା ପ୍ରତି ବିମୋହିତ ହେବା ଅନୁଚ଼ିତ ।

 

ଚ଼ତୁର୍ଥତଃ, ବୃଦ୍ଧଜନ ଆଗ୍ରହୀ ଯୁବବର୍ଗଙ୍କୁ ନିଜ ଜୀବନକାଳରେ ଆହରଣ କରିଥିବା ଜ୍ଞାନ ଓ ଅଭିଜ୍ଞତା ଶିକ୍ଷା ଦେବା ଉଚ଼ିତ । ଅପରପକ୍ଷେ ଯୁବବର୍ଗ ବୃଦ୍ଧଜନକୁ ନିଜ ସାନ୍ନିଧ୍ୟ ଯୋଗାଇବା ବିଧେୟ ।

 

ପଞ୍ଚମତଃ, ବୃଦ୍ଧାବସ୍ଥା କର୍ମଠ ଜୀବନଯାପନ ଲାଗି ପ୍ରତିବନ୍ଧକ ସୃଷ୍ଟି ନ କଲେହେଁ ଶାରିରୀକ କର୍ମ ସମ୍ପାଦନ କ୍ଷେତ୍ରରେ ସୀମାରେଖା ଅଙ୍କନ କରିଥାଏ । ତେଣୁ ବାର୍ଦ୍ଧକ୍ୟରେ କଠିନ ଶାରିରୀକ ପରିଶ୍ରମରୁ କ୍ଷାନ୍ତ ରହି ମାନସିକ ଶ୍ରମରେ ମନୋନିବେଶ କରିବା ବିଜ୍ଞତାର ପରିଚ଼ୟ ।

 

ଷଷ୍ଠତଃ, ସିସେରୋଙ୍କ ମତରେ ମନୁଷ୍ୟର ମସ୍ତିସ୍କ କ୍ରମାଗତଭାବେ ବ୍ୟାୟାମ ଆବଶ୍ୟକ କରିଥାଏ । ଯେକୌଣସି ପନ୍ଥାରେ ଦୈନନ୍ଦିନ ଏଭଳି ଅଭ୍ୟାସରେ ବୃଦ୍ଧଜନ ସଂପୃକ୍ତ ରହିବା ଆବଶ୍ୟକ ।

 

ସପ୍ତମତଃ, ବୃଦ୍ଧଜନ ଜୀବନର ଶେଷ ଅବସ୍ଥା ଯାଏଁ ନିଜର ବ୍ୟକ୍ତିତ୍ୱ ଜାହିର କରିରଖି ପାରିଲେ ହିଁ ଅନ୍ୟମାନଙ୍କ ସମ୍ମାନର ଅଧିକାରୀ ହୋଇପାରିବେ ।

 

ଅଷ୍ଟମତଃ, ବୃଦ୍ଧାବସ୍ଥାରେ ଯୌନ ଚ଼େତନା କ୍ରମଶଃ ଅପସରି ଯିବା ଅବସରରେ ଅନ୍ୟାନ୍ୟ ଚ଼େତନା ଉଜ୍ଜୀବିତ କରିବା ଲାଗି ପ୍ରସସ୍ତ କ୍ଷେତ୍ର ସୃଷ୍ଟି କରିଥାଏ । ବିଚ଼ାରବନ୍ତ ବୃଦ୍ଧଜନ ସେଭଳି ବିକଳ୍ପ ସୁଯୋଗର ଫାଇଦା ନେବା ଆବଶ୍ୟକ ।

 

ନବମତଃ, ସର୍ଜନଶୀଳତା ବୃଦ୍ଧାବସ୍ଥାରେ ଆନନ୍ଦର ଉତ୍ସ ପାଲଟିଥାଏ । ଉଦାହରଣ ସ୍ୱରୂପ ବାଡ଼ିବଗିଚ଼ାରେ ବୃକ୍ଷଲତାର ତଦାରଖ ମନରେ ଆନନ୍ଦ ଭରିଦେଇଥାଏ ।

 

ଶେଷରେ ସିସେରୋ କହିଛନ୍ତି ଯେ ମନୁଷ୍ୟ ମୃତ୍ୟୁ ଭୟ ପରିତ୍ୟାଗ କରିବା ବିଧେୟ । ମୃତ୍ୟୁକୁ ଏକପକ୍ଷରେ ମାନବିକ ଚ଼େତନାର ଅନ୍ତିମ ପରିଣତି କିମ୍ୱା ପ୍ରତିପକ୍ଷରେ ଅନନ୍ତ ପ୍ରଶାନ୍ତିଭାବେ ଗ୍ରହଣ କରାଯାଇପାରେ । ତେଣୁ କୌଣସିଟିରେ ବିଚଳିତ ହେବାର କାରଣ ନାହିଁ । ମନୁଷ୍ୟ ଜୀବନକୁ ସେ ଏକ ନାଟକ ସହ ତୁଳନା କରି କହିଛନ୍ତି ଯେ ଜଣେ ଭଲ ଅଭିନେତା ମଞ୍ଚ କେତେବେଳେ ଛାଡ଼ିବା ଉଚ଼ିତ ଠିକ୍ ଠଉରାଇପାରେ । ଜୀବନର ଶେଷ ପର୍ଯ୍ୟାୟରେ ତାହାକୁ ଜାବୁ଼ଡ଼ି ଧରିବାର ପ୍ରୟାସ ଅର୍ଥହୀନ ।

 

ବାର୍ଦ୍ଧକ୍ୟରେ ଉପନୀତ ହେବା ପ୍ରଥମ ସୋପାନରେ ସିସେରୋଙ୍କୁ ୬୩ ବର୍ଷ ବୟସରେ ନୃସଂଶଭାବେ ହତ୍ୟା କରାଯାଇଥିଲା । ଖ୍ରୀଷ୍ଟପୂର୍ବ ୪୪ରେ ଜୁଲିଅସ ସିଜରଙ୍କୁ ହତ୍ୟା କରାଯିବାପରେ ରୋମରେ ଗଣତନ୍ତ୍ରର ପୁନଃ ପ୍ରତିଷ୍ଠା ନିମନ୍ତେ ସିସେରୋ ଉଦ୍ୟମ କରି ସିନେଟରେ ଯୁକ୍ତି ଉପସ୍ଥାପିତ କରିଥିଲେ । ତେବେ ସେଥିଯୋଗୁଁ କ୍ଷମତାସୀନ ରାଜନେତାଙ୍କ ଚକ୍ଷୁଶୂଳ ହୋଇଥିଲେ ।

 

ପ୍ରତିକ୍ରିୟାଶୀଳ ପ୍ରଶାସକ ତାଙ୍କରି ଭାଇ ଓ ପୁତୁରା ସମେତ ସିସେରୋଙ୍କୁ ହତ୍ୟା କରାଯିବା ଷଡ଼ଯନ୍ତ୍ର ସଂପର୍କରେ ଅବଗତ ହୋଇ ରୋମ ଛାଡ଼ି ପଳାୟନ କରୁଥିବା ଅବସ୍ଥାରେ ତିନି ଜଣଙ୍କୁ ହତ୍ୟା କରାଯାଇଥିଲା । ସିସେରୋଙ୍କ ମସ୍ତକ ଓ ଦକ୍ଷିଣ ହସ୍ତ ଛେଦନ କରି ପ୍ରଶାସକଙ୍କ ଆଦେଶରେ ରୋମ ସିନେଟ ଗୃହରେ ପୂର୍ବରୁ ସେ ବକ୍ତୃତା ଦେଇଥିବା ମଞ୍ଚରେ ଟାଙ୍ଗି ଦିଆଯାଇଥିଲା । ଗଣତନ୍ତ୍ର ରକ୍ଷା ପାଇଁ ସିସେରୋଙ୍କ ବକ୍ତବ୍ୟ ହିଁ ତାଙ୍କରି ମୃତ୍ୟୁର କାରଣ ପାଲଟିଥିଲା ।

 

ସିସେରୋଙ୍କ ରଚ଼ନାରେ ତାଙ୍କରି ଅଗାଧ ପାଣ୍ଡିତ୍ୟ ପ୍ରତିପାଦିତ ହେଉଥିବାବେଳେ ପ୍ରକୃତ ଜୀବନରେ ରାଜନୀତିରେ ସଂପୃକ୍ତ ରହି ପ୍ରତିପକ୍ଷଙ୍କ ଦ୍ୱାରା ହତ୍ୟାର ଶୀକାର ହୋଇଥିବା ଘଟଣା ତାଙ୍କରି ଜୀବନରେ ବିରୋଧାଭାସର ସୂଚନା ଦେଇଥାଏ । ପାଣ୍ଡିତ୍ୟ ଓ ଜୀବନଯାତ୍ରା ସମାନ୍ତରାଳଭାବେ ଗତି କରିପାରୁ ନଥିବାର ଏହା ଏକ ଦୃଷ୍ଟିଆକର୍ଷଣକାରୀ ଉଦାହରଣ । ଯଦିଓ ଶରଣାର୍ଥୀଭାବେ ସେ ଦେଶ ଛାଡ଼ି ପଳାୟନ ଉଦ୍ୟମ କରିଥିଲେ, ତେବେ ସେଥିରେ ସଫଳକାମୀ ହୋଇପାରି ନଥିଲେ ।

 

ଅଧ୍ୟୟନକେନ୍ଦ୍ରୀକ ଉପଲବ୍ଧି ଜୀବନଯାତ୍ରାରେ ଉପଯୋଗରେ ତାରତମ୍ୟ ଆଧୁନିକ ମାନବ ଜୀବନରେ ଦୁଃଖର କାରଣ ପାଲଟୁଥିବା ସିସେରୋଙ୍କ ଜୀବନାଭୂତିରୁ ଲକ୍ଷ୍ୟ କରାଯାଇପାରେ । ତେବେ ବାର୍ଦ୍ଧକ୍ୟ ସଂପର୍କରେ ତାଙ୍କର ବ୍ୟାଖ୍ୟାନ ଆସନ୍ନ ବାର୍ଦ୍ଧକ୍ୟ ପ୍ରତୀକ୍ଷାରତ ତଥା ବାର୍ଦ୍ଧକ୍ୟରେ ଉପନୀତ ପାଠକପାଠିକାଙ୍କ ନିମନ୍ତେ ଯେ ବୃଦ୍ଧାବସ୍ଥାରେ ଜୀବନଯାପନ ଲାଗି ଏକ ପ୍ରଗତିଶୀଳ ପ୍ରେରଣାର ଉତ୍ସ ଏଥିରେ ଦ୍ୱିମତ ନାହିଁ । 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧୫ ଅକ୍ଟୋବର ୨୦୨୧


ବେକନଙ୍କ ଦୃଷ୍ଟିରେ ବାର୍ଦ୍ଧକ୍ୟ

ଫ୍ରାନ୍ସିସ ବେକନ ଷୋଡ଼ଷ ଓ ସପ୍ତଦଶ ଶତାଦ୍ଦୀ ଇଂଲ୍ୟାଣ୍ଡର ଜଣେ ଖ୍ୟାତନାମା ଦାର୍ଶନିକ ଓ ରାଜନୀତିଜ୍ଞ । ସେ ୧୫୬୧ରେ ଜନ୍ମ ଗ୍ରହଣ କରି ୧୬୨୬ରେ ପରଲୋକ ଗମନ କରିଥିଲେ । ଇଂଲ୍ୟାଣ୍ଡର ଅଟୋର୍ଣ୍ଣି ଜେନେରାଲ ଓ ଲର୍ଡ଼ ଚାନସଲର ଭାବେ ଦାୟିତ୍ୱ ନିର୍ବାହ କରିଥିବା ବେକନ ବୈଜ୍ଞାନିକ ଚ଼ିନ୍ତାଧାରାର ଅନ୍ୟତମ ଆଦ୍ୟ ପ୍ରବର୍ତ୍ତକ । ଭାରତରେ ବୁଦ୍ଧିଜୀବୀଙ୍କ ଗହଣରେ ବେକନଙ୍କ ଲୋକପ୍ରିୟତାର ଏକ ବିଶିଷ୍ଟ କାରଣ ତାଙ୍କରି ରଚନାଗୁଡ଼ିକ ମୁଖ୍ୟତଃ ସ୍ନାତକ ଓ ସ୍ନାତକୋତ୍ତର ଇଂଲିଶ ସାହିତ୍ୟ ପାଠ୍ୟକ୍ରମରେ ସ୍ଥାନିତ । ଏହି କ୍ରମରେ ଛାତ୍ରଛାତ୍ରୀମାନେ ତାଙ୍କରି ଦର୍ଶନ ପୁଙ୍ଖାନୁପୁଙ୍ଖଭାବେ ବିଶ୍ଳେଷଣ କରିବା ସୁଯୋଗ ସୃଷ୍ଟି ହୋଇଥାଏ ।

 

ବେକନ କେମ୍ୱ୍ରିଜର ଟ୍ରିନିଟି କଲେଜରେ ଅଧ୍ୟୟନ କରିଥିଲେ । ସେଠାରେ ଲାଟିନ ଭାଷା ଓ ମଧ୍ୟଯୁଗୀୟ ଦର୍ଶନରେ ପାରଦର୍ଶିତା ଲାଭ କରିଥିଲେ । ପରବର୍ତ୍ତୀ ଜୀବନରେ ରାଜକାର୍ଯ୍ୟରେ ନିୟୋଜିତ ହୋଇଥିଲେ ସୁଦ୍ଧା ବିଜ୍ଞାନ, ଆଇନ, ଧର୍ମ ଓ ସାହିତ୍ୟ ଚର୍ଚ୍ଚାରେ ସମୟ ଅତିବାହିତ କରୁଥିଲେ । ବେକନ ସ୍ୱକୀୟ ଚ଼ିନ୍ତାଧାରା ସମୃଦ୍ଧ ପ୍ରବନ୍ଧାବଳୀ ନିମନ୍ତେ ପ୍ରସିଦ୍ଧ । ତାଙ୍କରି ପ୍ରବନ୍ଧ ସଂକଳନର ପ୍ରଥମ ସଂସ୍କରଣରେ ଦଶ ଗୋଟି ପ୍ରବନ୍ଧ ୧୫୯୭, ଦ୍ୱିତୀୟ ସଂସ୍କରଣରେ ଅଠତିରିଶି ଗୋଟି ପ୍ରବନ୍ଧ ୧୬୧୨ ଓ ଶେଷ ତୃତୀୟ ସଂସ୍କରଣରେ ଅଠାବନ ଗୋଟି ପ୍ରବନ୍ଧ ୧୬୨୫ରେ ପ୍ରକାଶିତ ହୋଇଥିଲା ।

 

ବେକନଙ୍କ ବାର୍ଦ୍ଧକ୍ୟକେନ୍ଦ୍ରୀକ ଦୃଷ୍ଟିକୋଣ ଅଫ ୟୁଥ ଏଣ୍ଡ ଏଜ ଶୀର୍ଷକ ପ୍ରବନ୍ଧରେ ସନ୍ନିବଶିତ । ତାଙ୍କରି ବିଚାରରେ ବାର୍ଦ୍ଧକ୍ୟ ଅଭିଜ୍ଞତାର ଗନ୍ତାଘର । ଯୁବାବସ୍ଥାରେ ମଧ୍ୟ ଅଭିଜ୍ଞତା ସଂଗ୍ରହ ସଂଭବପର, ତେବେ  ବାସ୍ତବ କ୍ଷେତ୍ରରେ କ୍ୱଚ଼ିତ ପରିଦୃଷ୍ଟ । ଅଭିଜ୍ଞତା ବ୍ୟକ୍ତିର କାର୍ଯ୍ୟଧାରା ଉପରେ ନିର୍ଭରଶୀଳ । ଜୀବନରେ ଏକ ସମୟସୀମା ଦକ୍ଷତା ପ୍ରତିପାଦିତ କରିଥାଏ । ଯୁବାବସ୍ଥାରେ ଭୂଲଭଟ୍ଟକା ଲକ୍ଷ୍ୟ ସିଦ୍ଧିରେ ବିଘ୍ନ ସାଜୁଥିବା ସ୍ଥଳେ ପରିଣତ ବୟସରେ ତାହା ସଜାଡ଼ିଦେବା ସାମର୍ଥ୍ୟ ହାସଲ ହୋଇଥାଏ ।

 

ବାର୍ଦ୍ଧକ୍ୟଜନିତ ଆଚ଼ରଣ ମଧ୍ୟରେ ବହୁ ପ୍ରସ୍ତାବକୁ ବିରୋଧ, ଆଲୋଚ଼ନାରେ ଦୀର୍ଘ ସମୟ ଅତିବାହିତ କରିବା, ଦୁଃସାହାସର ପ୍ରତିରୋଧ, ଅତିଶ୍ରୀଘ୍ର ଅନୁତପ୍ତ ହେବା ଓ ସାମାନ୍ୟ ସଫଳତାରେ ସନ୍ତୁଷ୍ଟ ହୋଇପଡ଼ିବା ଇତ୍ୟାଦି ପ୍ରଧାନ । ବାର୍ଦ୍ଧକ୍ୟ ଅଭିଜ୍ଞତା ପରିପୁଷ୍ଟ । ତେବେ ବେକନ ବର୍ଣ୍ଣିତ ବାର୍ଦ୍ଧକ୍ୟରେ ନକାରାତ୍ମକ ମନୋବୃତ୍ତି ବାସ୍ତବ ଜୀବନର ପ୍ରତିଫଳନ କି ? ଅଭିଜ୍ଞତା ନୂତନତ୍ୱ ଆହରଣର ବିରୋଧ କରେ କି ? ଅପରପକ୍ଷେ ଏଭଳି ନକାରାତ୍ମକ ଦୃଷ୍ଟିକୋଣ ସାମାଜିକ ଅଗ୍ରଗତିରେ ପ୍ରତିବନ୍ଧକ ସାଜେ କି ?

 

ବାର୍ଦ୍ଧକ୍ୟ ଅଧ୍ୟୟନରେ ବେକନଙ୍କ ସ୍ୱୀକାରୋକ୍ତି ଗୁରୁତ୍ୱ ବହନ କରେ । ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ଜୀବନାନୁଭୂତି ପାଥେୟ କରି ଭବିଷ୍ୟତ ପ୍ରଯୋଜନା କରିଥାନ୍ତି । କିନ୍ତୁ ଯଦି ବାର୍ଦ୍ଧକ୍ୟ ସ୍ୱଭାବତଃ ନକାରାତ୍ମକ, ତେବେ ଏଦିଗରେ ସଂଶୋଧନ ଆବଶ୍ୟକ ନୁହେଁ କି ? ବିଶେଷତଃ ଏକବିଂଶ ଶତାଦ୍ଦୀର ତୃତୀୟ ଦଶକ ଆଦ୍ୟଭାଗରେ ମହାମାରୀ-ପର ପରିବର୍ତ୍ତିତ ପରିବେଶ ନ୍ୟୂ-ନରମାଲରେ ପାରମ୍ପରିକ ମୃତ୍ୟୁ-ସମୀପ-ଜୀବନ ବହୁମୁଖୀ  ସମସ୍ୟା ସମ୍ମୁଖୀନ ହେବା ଆକଳନ କରାଯାଉଥିବା ସ୍ଥଳେ ବାର୍ଦ୍ଧକ୍ୟଜନିତ ଆଚ଼ରଣ ଅଲକ୍ଷ୍ୟରେ ବ୍ୟକ୍ତିଗତ କ୍ଷତିର କାରଣ ପାଲଟିବ କି ?

 

ପରିବର୍ତ୍ତନକୁ ପ୍ରତିରୋଧ ଯଦି ବାର୍ଦ୍ଧକ୍ୟରେ ସ୍ୱାଭାବିକ ପ୍ରକ୍ରିୟା ରୂପେ ଗ୍ରହଣ କରାଯାଏ, ତେବେ ସଚ଼େତନବର୍ଗଙ୍କୁ ଏହି ଆଚ଼ରଣ ସଂଶୋଧନ ଦିଗରେ ତତ୍ପରତା ପ୍ରକାଶ ବିଧେୟ । ବାର୍ଦ୍ଧକ୍ୟ ସଂପର୍କରେ ଅଧ୍ୟୟନ, ଶୋକ ଓ ମୃତ୍ୟ ସହ ପରିଚ଼ିତି ବାର୍ଦ୍ଧକ୍ୟ ଜୀବନଯାତ୍ରା ନୀତି ନିର୍ଦ୍ଧାରଣ ଲାଗି ପ୍ରଶସ୍ତ କ୍ଷେତ୍ର ସୃଷ୍ଟି କରିବା ବିଶ୍ୱାସ କରାଯାଇପାରେ । ସ୍ଥାନୀୟ ବାର୍ଦ୍ଧକ୍ୟକେନ୍ଦ୍ରୀକ ସମସ୍ୟାବଳୀ ଅନୁଶୀଳନରେ ଉଚ୍ଚତର ଶିକ୍ଷାନୁଷ୍ଠାନଗୁଡ଼ିକର ସଂପୃକ୍ତି; ମୁଖ୍ୟତଃ ଗବେଷଣା ଓ ଚ଼େତନା ପ୍ରସାର ଦିଗରେ ଦୀର୍ଘକାଳୀନ ଯୋଜନା ଓ କାର୍ଯ୍ୟକ୍ରମ ପ୍ରଣୟନ ଅପରିହାର୍ଯ୍ୟ ମନେହୁଏ ।

 

ବେକନଙ୍କ ଅଫ ୟୁଥ ଏଣ୍ଡ ଏଜ ଏକ ଲୋକପ୍ରିୟ ବହୁଳ ଚର୍ଚ୍ଚିତ ପ୍ରବନ୍ଧ । ଏଥିରେ ଯୁବାବସ୍ଥା ଓ ବାର୍ଦ୍ଧକ୍ୟର ତୁଳନାତ୍ମକ ବିଚାରରେ ଉଭୟ ପରିସ୍ଥିତିରେ ମନୁଷ୍ୟର ଆଚ଼ରଣରେ ସୁବିଧା ଓ ଅସୁବିଧା ଉଲ୍ଲେଖ କରିଛନ୍ତି । ତାଙ୍କରି ମତରେ ଏହି ଦୁଇ ଅବସ୍ଥାର ଉପଲବ୍ଧି ଉପଯୋଗ ମୁଖ୍ୟତଃ ବ୍ୟବସାୟ ପରିଚାଳନା ନିମନ୍ତେ ଲାଭପ୍ରଦ ।

 

ବେକନ ଅତ୍ୟନ୍ତ ନାଟକୀୟ ପରିସ୍ଥିତିରେ ପ୍ରବନ୍ଧ ରଚ଼ନାରେ ମନୋନିବେଶ କରିଥିଲେ । ସେ ଧୂରୀଣ ରାଜନୀତିଜ୍ଞ ଭାବେ ଉଚ୍ଚ ପଦବୀରେ ଅଧିଷ୍ଠିତ ହୋଇଥିଲେ ହେଁ ବାର୍ଦ୍ଧକ୍ୟରେ ପହଞ୍ଚୁ ପହଞ୍ଚୁ ଅର୍ଥାତ ୬୦ ବର୍ଷ ବୟସ ୧୬୨୧ରେ ଉତ୍କୋଚ ମାମଲାରେ ଛନ୍ଦି ହୋଇ ଜେଲଦଣ୍ଡ ଆଦେଶ ସମ୍ମୁଖୀନ ହୋଇଥିଲେ । ଅବଶ୍ୟ ମାତ୍ର ଚାରିଦିନ ବନ୍ଦୀ ଶାଳାରେ ରହିବା ପରେ ଏଭଳି ଅପମାନଜନକ ପରିବେଶରୁ ସେ ତୁରନ୍ତ ମୁକ୍ତି ପାଇଥିଲେ ସୁଦ୍ଧା ପରବର୍ତ୍ତୀ ପର୍ଯ୍ୟାୟରେ ସାଂସଦ କିମ୍ୱା ରାଜପଦରେ ନିଯୁକ୍ତି ବାରଣ କରାଯାଇଥିଲା । ଫଳତଃ ୧୬୨୧ରୁ ୧୬୨୬ରେ ଆକସ୍ମିକ ମୃତ୍ୟୁ ଯାଏଁ ପ୍ରବନ୍ଧ, ଉପନ୍ୟାସ ରଚନା ଭଳି ସୃଜନ କାର୍ଯ୍ୟରେ ଜୀବନ ଅତିବାହିତ କରିଥିଲେ ।

 

ସାଧାରଣରେ ବାର୍ଦ୍ଧକ୍ୟଜନିତ ଆଚ଼ରଣ ସଂପର୍କରେ ବେକନ ଯାହା ବର୍ଣ୍ଣନା କରିଥିଲେ ନିଜ ବ୍ୟକ୍ତିଗତ ଜୀବନରେ ବାର୍ଦ୍ଧକ୍ୟାବସ୍ଥାରେ ପ୍ରାୟ ବିପରୀତ ପ୍ରତିଫଳନ ଦେଖିବାକୁ ମିଳିଥିଲା । ତାଙ୍କରି ଚ଼ିନ୍ତାଧାରା ପାଶ୍ଚାତ୍ୟ ଜଗତରେ ବୈଜ୍ଞାନିକ ଅନୁସନ୍ଧାନର ଅନ୍ୟତମ ମୂଳ ପ୍ରୋତ୍ସାହନ ବିଚାର କରାଯାଏ । ବେକନଙ୍କ ନିଜ ଅଭିନବ ଆଭିମୁଖ୍ୟ ପାଇଁ ଜୀବନବ୍ୟାପୀ ବିରୋଧର ମୁକାବିଲା କରିବାକୁ ପଡ଼ିଥିଲା । ଶେଷ ଜୀବନରେ ସେ ନିଜ ପ୍ରଗତିଶୀଳ ଚ଼ିନ୍ତାଧାରା ଲିପିବଦ୍ଧ କାର୍ଯ୍ୟରେ ସଂପୃକ୍ତ ରହିଥିଲେ ।

 

ବେକନ କହିଥିଲେ କେତେକ ଖାଦ୍ୟ ଆମେ କେବଳ ଚାଖିବାକୁ ପସନ୍ଦ କରୁଥିବା ସ୍ଥଳେ ଅନ୍ୟ କେତେକ ବ୍ୟଞ୍ଜନ ଏକାଥରକେ ଗିଳି ପକାଉ । କିନ୍ତୁ କେତେକ ଖାଦ୍ୟକୁ ଭଲଭାବେ ଚୋବାଇ ଖାଇବାକୁ ପଡ଼ିଥାଏ । ପ୍ରବନ୍ଧ ସାହିତ୍ୟରେ ସମଧାରାରେ ପାଠକ କେତେକ ପ୍ରବନ୍ଧକୁ ଉପର ଠାଉରିଆଭାବେ ଆଖିବୁଲାଉଥିବା ସ୍ଥଳେ ଅନ୍ୟ କେତେକ ପ୍ରବନ୍ଧକୁ ନିଃସର୍ତ୍ତରେ ଗ୍ରହଣ କରିନିଏ । କିନ୍ତୁ କେତେକ ପ୍ରବନ୍ଧର ମୂଳତତ୍ତ୍ୱ ଆହରଣ ନିମନ୍ତେ ଶବ୍ଦ, ଶୈଳୀ ଓ ଭାବ ସହ ରୀତିମତ କସରତ କରି ବୁଝିବାକୁ ଚ଼େଷ୍ଟା କରିବାକୁ ପଡ଼ିଥାଏ । ପ୍ରବନ୍ଧକୁ ବାରମ୍ୱାର ପାଠ କରିବା ତଥା ପ୍ରତ୍ୟେକ ଥର ନୂତନ ଦୃଷ୍ଟିକୋଣର ସନ୍ଧାନ ତୃତୀୟବର୍ଗର ବିଶେଷତ୍ୱ । ବେକନଙ୍କ ପ୍ରବନ୍ଧାବଳୀ ସେହି ପର୍ଯ୍ୟାୟ ଅନ୍ତର୍ଭୁକ୍ତ ।

 

ବେକନଙ୍କ ପ୍ରବନ୍ଧ ସାବଲୀଳ ଓ ସାରଗର୍ଭକ । ତାଙ୍କରି ପ୍ରବନ୍ଧ ରଚନାକାଳରେ ଇଂଲ୍ୟାଣ୍ଡ ଓ ୟୁରୋପୀୟ ରାଷ୍ଟ୍ରପୁଞ୍ଜରେ ମୁଦ୍ରଣ ଶିଳ୍ପ ପ୍ରସାରଲାଭ କରୁଥାଏ । ବେକନଙ୍କ ରଚ଼ନା ମୁଦ୍ରିତ ପୁସ୍ତକ ଆଙ୍ଗିକରେ ଜନସାଧାରଣରେ ବିତରଣ ସୁଯୋଗ ତାଙ୍କରି ଚିନ୍ତାଧାରାର ବ୍ୟାପକ ପ୍ରସାରରେ ସହାୟକ ହୋଇଥିଲା । ଆଧୁନିକ ଇଂଲିଶ ପ୍ରବନ୍ଧ ସାହିତ୍ୟର ମୂଳ ପ୍ରବର୍ତ୍ତକ ଭାବେ ବେକନଙ୍କ ରଚନାବଳୀ ବର୍ତ୍ତମାନ ସୁଦ୍ଧା ପାଠ୍ୟକ୍ରମରେ ସ୍ଥାନିତ । ବେକନଙ୍କ ପ୍ରବନ୍ଧ ରଚ଼ନାଶୈଳୀ ଅତ୍ୟାଧୁନିକ ଅନଲାଇନ ସାହିତ୍ୟର ଭ୍ରମ ସୃଷ୍ଟି କରିଥାଏ । ସେଗୁଡ଼ିକ ସଂକ୍ଷିପ୍ତ, ତଥ୍ୟ ଭିତ୍ତିକ ଓ ଯୁକ୍ତିକେନ୍ଦ୍ରୀକ । ବ୍ୟକ୍ତିଗତ ଜୀବନରେ ତାଙ୍କରି ବୈବାହିକ ଜୀବନ ତିକ୍ତ, ସେ ନିଃସନ୍ତାନ ଥିଲେ ଏବଂ ଆକସ୍ମିକ ଭାବେ ମାତ୍ର ୬୫ ବର୍ଷ ବୟସରେ ସାମାନ୍ୟ ନିମୋନିଆ ରୋଗରେ ମୃତ୍ୟୁମୁଖରେ ପଡ଼ିଥିଲେ । ବାର୍ଦ୍ଧକ୍ୟ ଜୀବନ ମାତ୍ର ପାଞ୍ଚ ବର୍ଷ ଅତିବାହିତ କରିଥିବା ସ୍ଥଳେ ସମଗ୍ର ସମୟ ପ୍ରାୟତଃ ସାହିତ୍ୟ ସର୍ଜନାରେ ନିୟୋଜିତ କରିଥିଲେ ।  


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଡ଼ିସେମ୍ୱର ୨୦୨୧


ବର୍ଟାଣ୍ଡ ରସେଲଙ୍କ ଦୃଷ୍ଟିରେ ବାର୍ଦ୍ଧକ୍ୟ

ବ୍ରିଟିଶ ଦାର୍ଶନିକ ବର୍ଟାଣ୍ଡ ରସେଲ ୯୮ ବର୍ଷ ବୟସରେ ୧୯୭୦ ମସିହାରେ ପରଲୋକ ଗମନ କରିଥିଲେ । ଆନ୍ତର୍ଜାତିକସ୍ତରରେ ବିଂଶ ଶତାଦ୍ଦୀର ଆଗଧାଡ଼ିର ଚିନ୍ତକମାନଙ୍କ ମଧ୍ୟରେ ତାଙ୍କରି ସ୍ଥାନ ସ୍ୱତନ୍ତ୍ର । ଦର୍ଶନ ଶାସ୍ତ୍ର ସହ ଗଣିତ, ରାଜନୀତି ଓ ଇତିହାସ ଅଧ୍ୟୟନରେ ଜୀବନରେ ଦୀର୍ଘ ସମୟ ଅତିବାହିତ କରିଥିଲେ । ସାହିତ୍ୟରେ ୧୯୫୦ ମସିହାରେ ନୋବେଲ ପୁରସ୍କାର ଓ ବିଜ୍ଞାନକୁ ଜନପ୍ରିୟ ଉଦ୍ୟମରେ କୃତିତ୍ତ୍ୱ ପାଇଁ ୧୯୫୭ରେ କଳିଙ୍ଗ ପୁରସ୍କାର ତାଙ୍କରି ପ୍ରତିଭାର ଦୁଇଗୋଟି ଉଲ୍ଲେଖଯୋଗ୍ୟ ସ୍ୱୀକୃତି ।

 

ରସେଲଙ୍କ ବିଚାରରେ ଦାର୍ଶନିକମାନେ ପୃଥିବୀ ପୃଷ୍ଠରେ ପରିଲକ୍ଷିତ ସମସ୍ତ ଅମୀମାଂସିତ ସମସ୍ୟାର ଯୁକ୍ତିଯୁକ୍ତ ସମାଧାନର ସୂତ୍ରାବଳୀ ଖୋଜି ବାହାର କରିବା ବିଧେୟ । ଏହା ସାଧାରଣ ଜୀବନଯାତ୍ରାରେ ବିଭ୍ରାନ୍ତି ଓ ଧାର୍ମିକ ରୀତିନୀତିର ପ୍ରାଦୁର୍ଭାବ ଦୂରୀକରଣରେ ସହାୟକ ହୋଇଥାଏ । ସେ କହୁଥିଲେ ଯେ ଭୟକୁ ପାଥେୟକରି ଧର୍ମ ଗଢ଼ି ଉଠିଛି । ଅଜ୍ଞତାରୁ ସୃଷ୍ଟ ଅସହାୟ ଅନୁଭବରେ ମନୁଷ୍ୟ ଧର୍ମକୁ ଖୋଜିଥାଏ । ଦୀର୍ଘ ଅତୀତରେ ଜ୍ଞାନାଲୋକର ବହୁ ଦୂରରେ ଉଚ୍ଚାରିତ ଉପଦେଶାବଳୀ ବଦଳରେ ଜ୍ଞାନ, ସାହସ ଓ ଉତ୍ତମ ମାନବିକ ଗୁଣାବଳୀ ପ୍ରୟୋଗରେ ପ୍ରତ୍ୟେକ ଦୁଃସ୍ଥିତିର ସରଳ ସମାଧାନ ସଂଭବପର ।

 

ରସେଲଙ୍କ ୧୮୭୨ରେ ଏକ ଧନାଢ଼୍ୟ ପରିବାରରେ ଜନ୍ମ । ସେ ୨୪ ବର୍ଷ ବୟସରେ ଲେଖକ ଜୀବନ ଆରମ୍ଭ କରି ମୃତ୍ୟୁ ଯାଏଁ ୮୪ ବର୍ଷ ଧରି ସାଧନା ଜାରି ରଖିଥିଲେ । ମୃତ୍ୟୁର ୧୬ ବର୍ଷ ପୂର୍ବରୁ ୮୨ ବର୍ଷ ବୟସରେ ବାର୍ଦ୍ଧକ୍ୟ ସଂପର୍କରେ ଏକ କ୍ଷୁଦ୍ର ପ୍ରବନ୍ଧ ରଚନା କରିଥିଲେ । ଏହା ତାଙ୍କରି ପ୍ରବନ୍ଧ ସଂକଳନ ପୋଟ୍ରେଟସ ଫ୍ରମ ମେମୋରି ଏଣ୍ଡ ଅଦର ଏସେସରେ ସ୍ଥାନିତ ।

 

ରସେଲଙ୍କ ପ୍ରବନ୍ଧର ଶୀର୍ଷକ ହାଉ ଟୁ ଗ୍ରୋ ଓଲଡ ନାମିତ ହୋଇଥିଲେ ହେଁ ମୁଖ୍ୟତଃ ହାଉ ନଟ ଟୁ ଗ୍ରୋ ଓଲଡ଼ ବିଷୟବସ୍ତୁ ଚର୍ଚ୍ଚିତ । ଅର୍ଥାତ ପାରମ୍ପରିକ ରୀତିରେ ଅବକ୍ଷୟମୁଖୀ ବାର୍ଦ୍ଧକ୍ୟ ଜୀବନ ଅତିବାହିତ କରିବା ବଦଳରେ ବାର୍ଦ୍ଧକ୍ୟ ଜୀବନଚ଼ର୍ଯ୍ୟାକୁ କିପରି ପ୍ରାଣବନ୍ତ ଓ ଅର୍ଥପୂର୍ଣ୍ଣ ଗଢ଼ି ତୋଳାଯାଇପାରେ ତାହା ବିଶ୍ଳେଷଣ କରିଛନ୍ତି ।

 

ମନୁଷ୍ୟର ରୁଚ଼ି ବା ଆଗ୍ରହ ଏବଂ ତଦନୁଯାୟୀ କର୍ମ ସଂପୃକ୍ତି ବାର୍ଦ୍ଧକ୍ୟ ଜୀବନଚର୍ଯ୍ୟାରେ ଗୁରୁତ୍ୱ ବହନ କରିଥାଏ । ତେବେ ରୁଚ଼ି ଓ ସଂପୃକ୍ତି ଉଭୟ ସ୍ୱାର୍ଥ ସାଧନରୁ ଉର୍ଦ୍ଧ୍ୱମୁଖୀ ହୋଇ ସାମୂହିକ କଲ୍ୟାଣରେ ପର୍ଯ୍ୟବସିତ ହେବା ଆବଶ୍ୟକ । ଆକାଂକ୍ଷା ଓ ବାସ୍ତବିକତା ପରିପୂରକ ହେଲେ ଯାଇ ତୃପ୍ତି ପ୍ରାପ୍ତ ହୋଇଥାଏ । ସରଳଭାଷାରେ  କହିବାକୁ ଗଲେ ମନୁଷ୍ୟ ବାର୍ଦ୍ଧକ୍ୟରେ ଅର୍ଥ ଉପାର୍ଜନ, ପାରିବାରିକ ସମୃଦ୍ଧି ପାଇଁ କାର୍ଯ୍ୟପରିସରରେ ଆବଦ୍ଧ ରହିବା ପରିବର୍ତ୍ତେ ସ୍ୱେଚ୍ଛାକୃତଭାବେ ସାମାଜିକ ଉନ୍ନତି ନିମନ୍ତେ ସାଧ୍ୟମତେ ସମୟ ବିନିଯୋଗ କରି ଆନନ୍ଦିତ ହୋଇପାରେ ।

 

ବାର୍ଦ୍ଧକ୍ୟ ଜୀବନଚର୍ଯ୍ୟାରେ ଅର୍ଥପୂର୍ଣ୍ଣ କାର୍ଯ୍ୟନିର୍ଘଣ୍ଟ ପ୍ରସ୍ତୁତି ସଂପର୍କରେ ନିଜ ମାଉସୀଙ୍କ ଉଦାହରଣ ଅବତାରଣ କରିଥିଲେ । ବହୁକୁଟମ୍ୱୀ ରସେଲଙ୍କ ମାଉସୀ ବିଧବା ହୋଇଯିବାପରେ ଉଚ୍ଚଶିକ୍ଷାରେ ମହିଳାମାନଙ୍କ ଯୋଗଦାନକଳ୍ପେ ଉଦ୍ୟମରେ ନିୟୋଜିତ ଥିଲେ । ଅଶୀ ବର୍ଷ ପରେ ରାତିରେ ତାଙ୍କୁ ଭଲ ନିଦ ହେଲା ନାହିଁ । ତେଣୁ ପ୍ରତ୍ୟହ ରାତି ୧୨ ରୁ ଭୋର ୩ଟା ଯାଏଁ ସେ ଲୋକପ୍ରିୟ ବିଜ୍ଞାନ ପୁସ୍ତକାବଳୀ ପଢ଼ିବା ଅଭ୍ୟାସ କରିଥିଲେ । ସମସ୍ତଙ୍କ ରୁଚ଼ି ରହିଥାଏ । ତାହାର ବିକାଶ ଓ ସାର୍ବଜନୀନ କଲ୍ୟାଣରେ ଉପଯୋଗ ନିମନ୍ତେ ବ୍ୟକ୍ତିଗତସ୍ତରରେ ଉଦ୍ୟମ କରିବାକୁ ପଡ଼େ ।

 

କର୍ମମୟ ପ୍ରାପ୍ତବୟସ୍କ ଜୀବନ ଅର୍ଥ ଉପାର୍ଜନ ଓ ପାରିବାରିକ ସମୃଦ୍ଧିକଳ୍ପେ ନିୟୋଜିତ ହୋଇଥାଏ । ବାର୍ଦ୍ଧକ୍ୟରେ କ୍ରମଶଃ ସେଥିରୁ ନିବୃତ୍ତ ହେବା ବୁଦ୍ଧିମତ୍ତାର ପରିଚୟ । ଏକ ପକ୍ଷରେ ଅଧିକାଂଶଙ୍କ କ୍ଷେତ୍ରରେ ବାର୍ଦ୍ଧକ୍ୟରେ ଶାରିରୀକ କ୍ଷମତା ହ୍ରାସ ଓ ପରିବର୍ତ୍ତିତ ପରିବେଶ ହେତୁ ଅର୍ଥ ଉପାର୍ଜନ କଷ୍ଟସାଧ୍ୟ ପ୍ରମାଣିତ ହେଉଥିବା ସ୍ଥଳେ କାର୍ଯ୍ୟକ୍ଷେତ୍ରରେ ଯୁବବର୍ଗଙ୍କ ସହ ସମ୍ଭାବ୍ୟ ସଂଘର୍ଷର ଭୟ ଲାଗିରହେ । ରସେଲଙ୍କ ଭାଷାରେ ପଶୁପକ୍ଷୀ ଶାବକମାନେ ଚଳପ୍ରଚଳକ୍ଷମ ହେବାପରେ ସ୍ୱାଧୀନ ଜୀବନ ଯାପନ କରିବା ଲାଗି ପିତାମାତା ପଥ ଉନ୍ମୁକ୍ତ କରିଥାନ୍ତି । ଅତଏବ ମନୁଷ୍ୟ ସେଭଳି ପ୍ରାକୃତିକ ଧାରାରେ ବ୍ୟତିକ୍ରମ ଉଦ୍ୟମ ଧୃଷ୍ଟତା ମାତ୍ର ।

 

ବାର୍ଦ୍ଧକ୍ୟରେ ଅତିମାତ୍ରାରେ ଅତୀତ ରୋମନ୍ଥନ ସ୍ପୃହଣୀୟ ନୁହେ । ଅତୀତର ମୂଲ୍ୟବୋଧ, ପରଲୋକଗତ ବନ୍ଧୁବାନ୍ଧବ, ଏପରିକି ବିଗତ ଯୌବନ ବର୍ତ୍ତମାନରେ ଅର୍ଥହୀନ । ଭବିଷ୍ୟତରେ ମନୋନିବେଶ ଓ ପ୍ରସ୍ତୁତି ବଳକା ଜୀବନର ସୁପରିଚାଳନା ଲାଗି ରାସ୍ତା ଖୋଜେ । ସମସ୍ତଙ୍କ ପକ୍ଷେ ଏଭଳି ତତ୍ତ୍ୱ ଉପଲବ୍ଧି ହୁଏତ ସହଜସାଧ୍ୟ ହୋଇନପାରେ । ତେବେ ଚେତନତା ଓ ଉଦ୍ୟମ କିୟକାଂଶ ସଫଳତା ଅବଶ୍ୟ ଆଣିଦିଏ ।

 

ବାର୍ଦ୍ଧକ୍ୟରେ ମୃତ୍ୟୁ ଭୟ ଅନାବଶ୍ୟକ । କାରଣ ବାର୍ଦ୍ଧକ୍ୟ ଯେ ମୃତ୍ୟୁର ସମୀପବର୍ତ୍ତୀ ଏଥିରେ କେହି ଦ୍ୱିମତ ହେବେ ନାହିଁ । ଯୁବବସ୍ଥାରେ ମୃତ୍ୟୁ ଭୟର ଗୁରୁତ୍ୱ ରହିଥାଏ । ଉଦାହରଣରେ ଯୁବ ସୈନିକମାନେ ଯୁଦ୍ଧ କ୍ଷେତ୍ରରେ ମୃତ୍ୟୁବରଣ କରିବା ଫଳରେ ଯୌବନ ଉପଭୋଗରୁ ବଞ୍ଚିତ ହେବା ଭୟ ସ୍ୱାଭାବିକ । ରସେଲଙ୍କ ମତରେ ପ୍ରତ୍ୟେକେ ବାର୍ଦ୍ଧକ୍ୟରେ ନିଜ ବ୍ୟକ୍ତିଗତ ରୁଚିରେ ନିମଜ୍ଜି ରହିଲେ ମୃତ୍ୟୁଭୟରୁ ଦୂରେଇ ଯାଇପାରିବେ । ସେ ଜୀବନକୁ ଏକ ପ୍ରବାହମାନ ନଦୀ ରୂପେ ବର୍ଣ୍ଣନା କରିଛନ୍ତି ।

 

ନଦୀଟିଏ ଜଳଉତ୍ସରୁ ସୃଷ୍ଟି ହେବା ପରେ ସଂକୀର୍ଣ୍ଣ ଅବୟବରେ ଗତି ଆରମ୍ଭ କରେ । ରାସ୍ତାରେ ଗିରିକନ୍ଦର ଜଳପ୍ରପାତଭଳି ବହୁ ପ୍ରତିରୋଧକୁ ସାମ୍ନାକରି ଘୋର ଘର୍ଘର ନାଦରେ ସମତଳରେ ପହଞ୍ଚିଲା ବେଳକୁ ନଦୀର କୂଳ ପ୍ରସାରିତ ଓ ବେଗ ଶାନ୍ତ ହୋଇପଡ଼େ । ଶେଷରେ ନଦୀର ଜଳସ୍ରୋତ ଅନନ୍ତ ସମୁଦ୍ରରେ ବିଲୀନ ହୋଇଥାଏ । ସେଠିକାହାର  ସତ୍ତା ଖୋଜି ପାଇ ହୁଏନା । ଠିକ ସେହିପରି ମୃତ୍ୟୁଗର୍ଭରେ ମନୁଷ୍ୟର ପରିଚୟ ମୂଲ୍ୟହୀନ । ବାର୍ଦ୍ଧକ୍ୟରେ ନିଜ ଉପସ୍ଥିତିକୁ ବିସ୍ତୃତ କରି ସାର୍ବଜନୀନ ହିତରେ ନିୟୋଜନ କରିବା ଉତ୍ତମ ପନ୍ଥା ।

 

ରସେଲଙ୍କ ବ୍ୟକ୍ତିଗତ ଜୀବନ ସଂଘର୍ଷମୟ । ପ୍ରଥମ ତିନି ପତ୍ନୀଙ୍କୁ କ୍ରମାନ୍ୱୟରେ ୧୯୨୧, ୧୯୩୫ ଓ ୧୯୫୨ରେ ଛାଡପତ୍ର ଦେଇ ଚତୁର୍ଥ ପତ୍ନୀଙ୍କ ସହ ବାର୍ଦ୍ଧକ୍ୟ ଅତିବାହିତ କରିଥିଲେ । ସେ ଯୋଜନାବଦ୍ଧ ଭାବେ କୌଣସି ସ୍ୱାସ୍ଥ୍ୟପ୍ରଦ ଅଭ୍ୟାସର ବଶବର୍ତ୍ତୀ ହୋଇ ନଥିବା କଥା ପ୍ରବନ୍ଧଟିରେ ଉଲ୍ଲେଖ କରିଛନ୍ତି । ଯେତେବେଳେ ଯାହା ଇଚ୍ଛା ଖାଇବା, ପିଇବା ଓ ଶୋଇବାରୁ କେବେ ବିରତ ହୋଇ ନଥିଲେ । ଜୀବନର ଶେଷ ଦଶ ବର୍ଷରେ ତାଙ୍କରି ରାଜନୀତିକ ଆଭିମୁଖ୍ୟ ହେତୁ ଅନେକଙ୍କ ଅପ୍ରିୟ ହୋଇ ପଡ଼ିଥିଲେ । ତଥାପି ସେ ଲେଖିଥିଲେ ଯେ କର୍ମସଂପୃକ୍ତି ଅବସ୍ଥାରେ ମୃତ୍ୟୁ ଶ୍ରେୟସ୍କର । ମୃତ୍ୟୁବେଳାରେ ସେ ଭାବିନେବେ ଯେ ତାଙ୍କରି ସାମର୍ଥ୍ୟ ଅନୁଯାୟୀ ସେ କାର୍ଯ୍ୟକରି ଆସିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟମାନେ ଅଧୁରା କାର୍ଯ୍ୟଧାରାକୁ ଆଗେଇନେବେ । ଅନୁଶୋଚନାର ଅବକାଶ ରହିବ ନାହିଁ ।

 ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧୫ ସେପ୍ଟେମ୍ୱର ୨୦୧୯

---

ହେନେରୀ ମିଲରଙ୍କ ଦୃଷ୍ଟିରେ ବାର୍ଦ୍ଧକ୍ୟ

ବିଂଶ ଶତାଦ୍ଦୀର ଲୋକପ୍ରିୟ ମାର୍କିନ ସାହିତ୍ୟିକମାନଙ୍କ ମଧ୍ୟରେ ପାରମ୍ପରିକ ସାମାଜିକ ବ୍ୟବସ୍ଥା ବିରୋଧୀ ଆଣ୍ଟି-ଏଷ୍ଟାବ୍ଳିସମେଣ୍ଟସ୍ୱର ଉତ୍ତୋଳନ କ୍ଷେତ୍ରରେ ହେନେରୀମିଲର ଅନ୍ୟତମ । ସେ ମଧ୍ୟ ଆତ୍ମଚରିତ-ସମ ସେମି-ଆଟୋବାୟୋଗ୍ରାଫିକାଲସୃଜନ ତଥା ଚ଼େତନା ପ୍ରବାହ ଷ୍ଟ୍ରିମ-ଅଫ-କନସିଏସନେସଭଳି ତତ୍ତ୍ୱ ପ୍ରବର୍ତ୍ତକଭାବେଖ୍ୟାତ । ତାଙ୍କରି ରଚନାଗୁଡ଼ିକ ମଧ୍ୟରେ ଟପିକ ଅଫ କ୍ୟାନସର, ଟପିକ ଅଫ କାପ୍ରିକନବ୍ଳାକ ସ୍ପ୍ରିଙ୍ଗଇତ୍ୟାଦି ଉପନ୍ୟାସ ବିଶ୍ୱବ୍ୟାପୀ ପାଠକୀୟ ଆଦୃତି ଲାଭ କରିଆସିଛି ।

 

ମିଲରଙ୍କ ଆଦ୍ୟ ଲେଖକ ଜୀବନ ଫ୍ରାନ୍ସରେ କଟିଥିଲା । ପ୍ରତିଷ୍ଠାଲାଗି ସଂଗ୍ରାମରତ ଯୁବଲେଖକଭାବେ ପ୍ୟାରିସ ସହରରେ ବିଂଶ ଶତାଦ୍ଦୀର ତୃତୀୟ ଓ ଚତୁର୍ଥ ଦଶକରେ ସାଲିସ-ବିରୋଧୀ ଲେଖକ ଓ କଳାକାରମାନଙ୍କ ମେଳରେ ହେନେରୀଙ୍କଉତ୍ସୃଙ୍ଖଳ ଜୀବନ ଟପିକ ଅଫ କ୍ୟାନସର ପୃଷ୍ଠଭୂମି । ପ୍ରାୟ ୩୦୦ ପୃଷ୍ଠା ବିଶିଷ୍ଟ ଉପନ୍ୟାସଟି ୧୯୩୪ରେ ଫ୍ରାନସରେ ପ୍ରକାଶିତ ହେବାପରେ ଏହାକୁ ଏକ ଅଶ୍ଳୀଳ ପୁସ୍ତକଭାବେ ଚ଼ିହ୍ନିତ କରି ୧୯୬୪ ଯାଏଁ ଯୁକ୍ତରାଷ୍ଟ୍ର ଆମେରିକାରେ ବିକ୍ରୀ ନିଷିଦ୍ଧ କରାଯାଇଥିଲା ।

 

ତେବେ ଟପିକ ଅଫ କ୍ୟାନସରହିଁ ମିଲରଙ୍କୁ ଆନ୍ତର୍ଜାତିକସ୍ତରରେ ଲେଖକୀୟସ୍ୱୀକୃତି ପ୍ରଦାନ କରିଥିଲା । ଉପନ୍ୟାସଟି ଆଧାରରେ ୧୯୭୦ରେ ହଲିଉଡ଼ରେ ଏକ ଚଳଚିତ୍ର ନିର୍ମିତ ହୋଇଥିଲା । ଏହାର ପାଣ୍ଡୁଲିପି କୋଟିଏ ପନ୍ଦର ଲକ୍ଷ ପଚାଶ ହଜାର ଟଙ୍କାରେ ନିଲାମ ହୋଇ ୨୦୦୧ରୁ ଖ୍ୟାତନାମା ୟେଲବିଶ୍ୱବିଦ୍ୟାଳୟରେ ପ୍ରଦର୍ଶିତ ହୋଇ ଆସୁଛି ।

 

ହେନେରୀ ୮୮ ବର୍ଷ ବୟସରେ ପରଲୋକ ଗମନ କରିଥିଲେ । ତାଙ୍କରି ଜୀବନ ସଂଘର୍ଷମୟ ଓ ରୋମାଞ୍ଚକର । ସେ ପାଞ୍ଚଥର ବିବାହ କରିଥିଲେ ଏବଂ ତାଙ୍କରି ଔରସରୁ ତିନିଗୋଟି ସନ୍ତାନ ଜନ୍ମ ନେଇଥିଲେ । ସେ ୧୯୭୨ରେ ୮୦ ବର୍ଷରେ ପଦାର୍ପଣ କରିବା ଅବସରରେ ଅନଟର୍ଣ୍ଣି ଏଇଟି ନାମକ ଏକ କ୍ଷୁଦ୍ର ପୁସ୍ତକ ପ୍ରକାଶିତ ହୋଇଥିଲା । ମାତ୍ର ୨୦୦ କିତା ମୁଦ୍ରିତ ଏହି ସଂସ୍କରଣରେ ସ୍ଥାନିତ ତିନିଗୋଟି ପ୍ରବନ୍ଧ ମଧ୍ୟରୁ ଗୋଟିଏ ବାର୍ଦ୍ଧକ୍ୟ ବିଷୟବସ୍ତୁ ଆଧାରିତ ।

 

ହେନେରୀ ଲେଖିଥିଲେ ଅଶୀ ବର୍ଷରେ ପଦାର୍ପଣ କଲାବେଳେ ଯଦି ଜଣେ ଶାରୀରିକ ସ୍ତରରେ ଅକର୍ମଣ୍ୟ ପାଲଟି ନଥାଇ ଉତ୍ତମ ସ୍ୱାସ୍ଥ୍ୟର ଅଧିକାରୀ, ଚଲାବୁଲା କରିପାରେ, ଭଲ ଖାଇପାରେ, ବିନା ଔଷଧରେ ଶୋଇପାରେ ତଥା ଫୁଲର ବାସ୍ନା, ପକ୍ଷୀଙ୍କ କାକଳି, ପର୍ବତର ନୀରବତା ଓ ସମୁଦ୍ରର ଗର୍ଜନରେ ବିମୋହିତ ହୋଇପାରେ, ତେବେ ନିଜକୁ ଭାଗ୍ୟବାନ ମନେ କରିବା ଉଚିତ ।

 

ହେନେରୀଙ୍କ ଭାଷାରେ ମନୁଷ୍ୟ ଉପଭୋଗକୁ ପ୍ରାଥମିକତା ଦେବା ଆବଶ୍ୟକ । ଖାଦ୍ୟପେୟ ପ୍ରତି ତାଙ୍କରି ନିଘା ନଥିଲା । ଜୀବନବ୍ୟାପୀ ଏଣୁ ତେଣୁ ଖାଇବା ଅଭ୍ୟାସରେ ବଶବର୍ତ୍ତୀ ହୋଇପଡିଥିଲେ । ସେ ତୃପ୍ତିରେ ବିଶ୍ଵାସୀ । କେବେ ସ୍ୱାସ୍ଥ୍ୟ ପରୀକ୍ଷା କରୁ ନଥିଲେ । ଦୀର୍ଘ ଜୀବନ ପାଇଁ ଚିକିତ୍ସକଙ୍କ ଉପଦେଶରେ ବିଶ୍ୱାସ ନଥିଲା । ଭୟାଳୁଭାବେ ଦୀର୍ଘ ଜୀବନ ବଞ୍ଚିବା ବଦଳରେ ଜୀବନକୁ ପୂର୍ଣ୍ଣ ପ୍ରାଣରେ ଉପଭୋଗକରି ଅଳ୍ପ ଆୟୁଷକୁ ଶ୍ରେୟସ୍କର ମଣୁଥିଲେ ।

 

ସେ କୌଣସି ଜୀବନ ଦର୍ଶନରେ ପ୍ରଭାବିତ ନଥିଲେ । ସମୁଦ୍ରଗର୍ଭକୁ ମାଛ ଲମ୍ପ ପ୍ରଦାନ କଲାଭଳି ଜୀବନର ଶେଷ ଅଧ୍ୟାୟରେ ମୃତ୍ୟୁକୁ ସାମ୍ନା କରିବାକୁ ପ୍ରସ୍ତୁତ ରହୁଥିଲେ । ଯୁବାବସ୍ଥାରେ ତତ୍କାଳୀନ ସାମାଜିକ ଓ ରାଜନୀତିକ ଅବ୍ୟବସ୍ଥା ସଂପର୍କରେ ଉଦ୍ବେଗ ପ୍ରକାଶ କରି ଆସିଥିଲେ । କିନ୍ତୁ ବାର୍ଦ୍ଧକ୍ୟରେ ସାମାଜିକ ପରିବର୍ତ୍ତନ ସଂଗ୍ରାମରେ ଭାଗ ନେବା ଲାଗି ନିଜ ଅସହାୟତା ଉପଲବ୍ଧି କରିସାରିଥିଲେ । ନିଜକୁ ଅନ୍ୟମାନଙ୍କ ସହ ସମତୁଲ ବିଚାର କରି ନମ୍ର ପାଲଟି ଯାଇଥିଲେ ।

 

ବାର୍ଦ୍ଧକ୍ୟରେ କୌଣସି ବିଷୟକୁ ଅତିମାତ୍ରାରେ ଗୁରୁତ୍ୱ ନଦେଇ ସ୍ୱାଭାବିକଭାବେ ଗ୍ରହଣ କରିଯିବା ବିଧେୟ । ବର୍ତ୍ତମାନକୁ ଭୁଲି ଅତୀତ ରୋମନ୍ଥନ କିମ୍ୱା ଭବିଷ୍ୟତ ଆକଳନରେ ଜୀବନ ବିତାଇବା ତୃଟିପୂର୍ଣ୍ଣ । ଅଭିଜ୍ଞତା ବହୁତ କିଛି ଶିଖାଏ, କିନ୍ତୁ ସବୁବେଳେ ଜୀବନର ଗୁଣାତ୍ମକ ବିକାଶରେ ସହାୟକ ହୋଇପାରି ନଥାଏ ।

 

ହେନେରୀଙ୍କ ବିଚାରରେ ବ୍ୟକ୍ତିକେନ୍ଦ୍ରୀକ ଚରିତ୍ର ଜୀବନବ୍ୟାପୀ ପରିବର୍ତ୍ତନ ହୋଇପାରି ନଥାଏ । ବୟସ ବଢ଼ିବା ସଙ୍ଗେ ମୁର୍ଖର ଆଚରଣ ଅଧିକ ବିଚାରହୀନତାରେ ପର୍ଯ୍ୟବସିତ ହେବା ଦେଖାଯାଏ । ବିଦ୍ୟାଳୟ ଯିବା ବୟସରେ ଯେଉଁ ଛାତ୍ରଛାତ୍ରୀଙ୍କ ଆଚରଣ ତୃଟିପୂର୍ଣ୍ଣ, ପରିପକ୍ୱ ବୟସରେ ସେମାନେ ସମାଜର ଯେତେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଆସୀନ ହେଲେହେଁ ସେହି ପ୍ରବୃତ୍ତି କବଳରୁ ମୁକୁଳି ପାରନ୍ତି ନାହିଁ ।

 

ପ୍ରଚଳିତ ଶିକ୍ଷା ବ୍ୟବସ୍ଥାର ହେନେରୀ ଉଗ୍ର ସମାଲୋଚକ । ଶିକ୍ଷାନୁଷ୍ଠାନରୁ ସେ କିଛି ଶିଖିପାରିନଥିବା ଅଭିଯୋଗ ବାଢ଼ିଥିଲେ । ଲେଖିଥିଲେ ଯେ ଜଣେ ଔପନ୍ୟାସିକଭାବେ ପ୍ରତିଷ୍ଠିତ ହେବାପରେ ମଧ୍ୟ ସେ ବିଦ୍ୟାଳୟର ବ୍ୟାକରଣ ପରୀକ୍ଷାରେ ଉତୀର୍ଣ୍ଣ ହେବା ସଂଭବ ନହୋଇପାରେ । ଜୀବନ ହିଁ ମନୁଷ୍ୟର ପ୍ରକୃତ ଶିକ୍ଷକ । ଅନାମଧେୟ, ମୂର୍ଖଙ୍କଠାରୁ ସେ ବେଶ କିଛି ଶିଖିଛନ୍ତି । ପ୍ରକୃତ ଶିକ୍ଷକ ମୁନି, ଋଷି ପଦବାଚ୍ୟ । ସମକାଳରେ ଉପଯୁକ୍ତ ଶିକ୍ଷକ ପ୍ରସ୍ତୁତି ନହୋଇପାରୁଥିବା ହେତୁ କ୍ଷୋଭ ପ୍ରକାଶ କରିଥିଲେ ।

 

ଅଶୀ ବର୍ଷରେ ପଦାର୍ପଣ କାଳରେ ହେନେରୀ ଆନନ୍ଦିତ ଜୀବନଯାପନ କରୁଥିବା ତଥା ନିଜ ଜୀବନର କୋଡ଼ିଏ, ତିରିଶି ବର୍ଷ ବେଳର ଜୀବନଠାରୁ ଢ଼େର ଭଲରେ ବଞ୍ଚୁଥିବା ପ୍ରବନ୍ଧରେ ଉଲ୍ଲେଖ କରିଥିଲେ । ନିଜ ଅଭିଜ୍ଞତାରୁ ଯୁବାବସ୍ଥା ଗୌରବାଜ୍ୱଳ ହେଲେହେଁ କଷ୍ଟଦାୟକ ଥିବା ଅନୁଭବ ବର୍ଣ୍ଣନା କରି ଯୌବନକୁ ଏକରକମ ଅପରିପକ୍ୱ ବାର୍ଦ୍ଧକ୍ୟ ଆଖ୍ୟା ଦେଇଥିଲେ ।

 

ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଅକ୍ଟୋବର ୨୦୧୯

---

ତଥ୍ୟ:

 

Henry Miller on Turning 80, Fighting Evil, And Why Life is the Best Teacher

 

https://fs.blog/2014/08/henry-miller-on-turning-eighty/

ଉତ୍ତର ବାର୍ଦ୍ଧକ୍ୟରେ ବାଜପେୟୀ

ଉତ୍ତର-ବାର୍ଦ୍ଧକ୍ୟରେ ଭାରତର ଅନ୍ୟତମ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ ନଅବର୍ଷ ଶଯ୍ୟାଶାୟୀ ଜୀବନ ଯାପନପରେ ପରଲୋକ ଗମନ କରିଥିଲେ l ୨୦୦୯ରେ ୮୨ ବର୍ଷ ବୟସରେ ହୃଦଘାତ ଯୋଗୁଁ ସେ ବାକ୍ଶକ୍ତି ହରାଇଥିଲେ l ଚଳପ୍ରଚଳ, ଖାଦ୍ୟଗ୍ରହଣ ଓ ସ୍ମୃତିଶକ୍ତି ମଧ୍ୟ ସଂକୁଚ଼ିତ ହୋଇପଡ଼ିଥିଲା l ନୂଆଦିଲ୍ଲୀର କୃଷ୍ଣମେନନ ମାର୍ଗସ୍ଥ ବାସଭବନରେ ପ୍ରାୟତଃ ଏକୁଟିଆ ଅଧିକାଂଶ ସମୟ ଟେଲିଭିଜନ ଦେଖାରେ କଟୁଥିଲା l

 

ଜାତୀୟ ରାଜନୈତିକ ମଞ୍ଚରେ ଛଅ ଦଶନ୍ଧିଧରି ସକ୍ରିୟ ଥିବା ହେତୁ ଗଣମାଧ୍ୟମରେ ବାଜପେୟୀ ଚର୍ଚ୍ଚିତ ବ୍ୟକ୍ତିତ୍ୱରୂପେ ପରିଗଣିତ ହୋଇଥିଲେହେଁ ତାଙ୍କରି ଉତ୍ତର-ବାର୍ଦ୍ଧକ୍ୟ ଜୀବନ ସଂପର୍କରେ ଗଣମାଧ୍ୟମ ନିରବ ରହିଥିଲା l ୨୦୧୮ ଅଗଷ୍ଟ ୧୬ ତାରିଖରେ ବାଜପେୟୀଙ୍କ ଆବର୍ତ୍ତିମାନରେ ମୁଦ୍ରିତ ଗଣମାଧ୍ୟମର ସମ୍ୱାଦପତ୍ରଗୁଡ଼ିକରେ ୨୦୦୪ରେ ପ୍ରଧାନମନ୍ତ୍ରୀ ପଦବୀରୁ ବିଦାୟ ନେବାପରେ ଚ଼ଉଦ ବର୍ଷର ସ୍ମୃତିଚ଼ାରଣରେ ତାଙ୍କରି ଉତ୍ତର-ବାର୍ଦ୍ଧକ୍ୟ ଜୀବନ ସଂପର୍କରେ ସାମାନ୍ୟ ଆଲୋଚ଼ନା ପ୍ରକାଶ ପାଇଥିଲା l

 

୨୦୦୪ ଲୋକସଭା ନିର୍ବାଚ଼ନରେ ଭାରତୀୟ ଜନତା ପାର୍ଟିର ବିପର୍ଯ୍ୟୟପରେ ପ୍ରଧାନମନ୍ତ୍ରୀ ପଦବୀରୁ ବିଦାୟ ନେଇ ପରବର୍ତ୍ତୀ ପାଞ୍ଚ ବର୍ଷ ପଢ଼ାପଢ଼ି ଓ ଲେଖାଲେଖିରେ ବାଜପେୟୀଙ୍କ ଦୈନନ୍ଦିନ ଜୀବନ ବିତୁଥିଲା l୨୦୦୫ ଡ଼ିସେମ୍ୱର ମାସରେ ସେ ରାଜନୀତିରୁ ଅବସର ଘୋଷଣା କରିଥିଲେl ତେବେ ୨୦୦୯ ପରଠୁ ଶାରିରୀକ ଅସୁସ୍ଥତା ପଙ୍ଗୁ କରିଦେଇଥିଲା lଏକେ ତ ସେ କଥାବାର୍ତ୍ତା କରିପାରିଲେ ନାହିଁ ଦ୍ୱିତୀୟରେ ସ୍ୱାସ୍ଥ୍ୟଗତ ପ୍ରତିଷେଧ କାରଣରୁ ବହୁ ଲୋକଙ୍କୁ ସାକ୍ଷାତ କରିବା ନିମନ୍ତେ ଚ଼ିକିତ୍ସକମାନେ ବାରଣ କରିଦେଲେ l

 

ସାଧାରଣ ଜୀବନରୁ ଅବ୍ୟାହତି ପରେ ଗଣମାଧ୍ୟମ ଓ ଜନମାନସରୁ ବାଜପେୟୀ ଅପସରି ଯାଇଥିଲେ l ତାଙ୍କରି ଗୃହାବଦ୍ଧ ଜୀବନରେ ତାଙ୍କରି ଚ଼ିକିତ୍ସା ପାଇଁ ନର୍ସ, ଫିଜିଓଥେରାପିଷ୍ଟ ଓ ଡ଼ାକ୍ତରଙ୍କ ସାଙ୍ଗକୁ ସୁରକ୍ଷା କମାଣ୍ଡୋଙ୍କ ଗହଣରେ ଦିନ କଟୁଥିଲା lପ୍ରକାଶିତ ବିବରଣୀ ଅନୁଯାୟୀ ସକାଳ ସାତଟାରେ ଶଯ୍ୟାତ୍ୟାଗ ନିତ୍ୟକର୍ମ ସମାପନ ପରେ ବିସ୍କୁଟ ଗୁଣ୍ଡକୁ ତରଳ ଖାଦ୍ୟ ମିଶ୍ରଣରେ ଜଳଖିଆ ଖାଉଥିଲେ l ଏହାପରେ ଫିଜିଓଥେରାପିଷ୍ଟଙ୍କ ତତ୍ତ୍ୱାବଧାନରେ ଅଢ଼େଇଘଣ୍ଟା ବ୍ୟାୟାମରେ ବ୍ୟସ୍ତ ରହୁଥିଲେ l ସମୟେ ସମୟେ ଭଲ ପାଗ ଥିଲେ କିଛି ସମୟ ବଗିଚ଼ାରେ ବସନ୍ତି l ଦ୍ୱିପହର ଭୋଜନ ପରିବା ସୁପ, କ୍ଷୀର, ପାଉରୁଟିଗୁଣ୍ଡ ମିଶା ତରଳଖାଦ୍ୟ ଖାଆନ୍ତି l ଅପରାହ୍ନରେ ଟେଲିଭିଜନରେ ପୁରୁଣା ସିନେମା ଓ ଗୀତ ଦେଖିବାକୁ ଭଲ ପାଉଥିଲେ l ସନ୍ଧ୍ୟା ୫ଟାରେ ପୁଣି ଫିଜିଓଥେରାପିଷ୍ଟଙ୍କ ତତ୍ତ୍ୱାବଧାନରେ ବ୍ୟାୟମ ପରକୁ ତରଳ ରାତ୍ରିଭୋଜନରେ ତାଙ୍କରି ଦୈନନ୍ଦିନ ଜୀବନର ପରିସମାପ୍ତି ଘଟୁଥିଲା l

 

ବାଜପେୟୀଙ୍କ ବାର୍ଦ୍ଧକ୍ୟ ଓ ବାର୍ଦ୍ଧକ୍ୟଜନିତ ରୋଗ ସଂପର୍କରେ ସର୍ବସାଧାରଣରେ ସୂଚ଼ନା ଉପଲବ୍ଧ ନଥିଲା l‘ଦି ହିନ୍ଦୁ’ରେ ପ୍ରକାଶିତ ଏକ ସମ୍ୱାଦ ଅନୁଯାୟୀ ୨୦୦୭ ଡ଼ିସେମ୍ୱର ୨୫ ତାରିଖରେ ଦଶ ଜଣ ସାମ୍ୱାଦିକ ତାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇବା ନିମନ୍ତେ ବାସଭବନରେ ପହଞ୍ଚିଥିଲେ l ସେମାନଙ୍କ ସହ ସାକ୍ଷାତକାରରେ ବାଜପେୟୀ କେବଳ “ନମସ୍କାର” ବ୍ୟତୀତ ଅନ୍ୟକିଛି କହି ନଥିଲେ l ସେ ଏକ ଚ଼ୌକୀରେ ବସିଥାନ୍ତି ଏବଂ ଗୋଟିଏ ହାତ ପ୍ରାୟ କାମ କରୁନଥାଏ l ଶରୀର ରୋଗାକ୍ରାନ୍ତ ଓ ମୁଖମଣ୍ଡଳ ମଳିନ ଦେଖାଯାଉଥାଏ l ଚ଼ିରାଚ଼ରିତ ସ୍ମିତହାସ୍ୟଟି ଉଭେଇ ଯାଇଥାଏ l ହୁଏତ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ତାହା ଥିଲା ବାଜପେୟୀଙ୍କ ଶେଷ ସାକ୍ଷାତକାର l

 

୨୦୧୪ ସାଧାରଣ ନିର୍ବାଚ଼ନ ଅବ୍ୟବହିତ ପୂର୍ବରୁ ଇଂଲିଶ ଦୈନିକ ‘ଦି ଟାଇମ୍ସ ଅଫ ଇଣ୍ଡିଆ’ର ୨୬ ମାର୍ଚ୍ଚ ୨୦୧୪ ସଂସ୍କରଣରେ ବାଜପେୟୀଙ୍କ ନିର୍ବାସିତ ଜୀବନ ସଂପର୍କରେ ଏକ ଛୋଟିଆ ସମ୍ୱାଦ ପ୍ରକାଶ ପାଇଥିଲା l ୨୦୧୮ର ପ୍ରକାଶିତ ମୃତ୍ୟୁଲେଖରେ ସେହି ସମ୍ୱାଦକୁ ପୁନରୁଦ୍ଧାର କରି ଗଣମାଧ୍ୟମରେ ବାଜପେୟୀଙ୍କ ସଂପର୍କରେ ତାହା ସର୍ବଶେଷ ବିବରଣୀ ବୋଲି ସମ୍ୱାଦପତ୍ର ପକ୍ଷରୁ ଦାବୀ କରାଯାଇଥିଲା l ୨୦୧୪ ବେଳକୁ ସେ ଟେଲିଭିଜନ ଦେଖୁଥିଲେ ଏବଂ ବଡ଼ ଅକ୍ଷରରେ ମୁଦ୍ରିତ ଲେଖା ପଢ଼ିପାରୁଥିଲେ l ତେବେ ବାହାର ଦୁନିଆର ଘଟଣାବଳୀ ବୁଝିପାରୁ ନଥିଲେ l ଏପରିକି ସେ ନିଜେ ଗଢ଼ିଥିବା ଭାରତୀୟ ଜନତା ଦଳର ରାଜନୀତିକ କାର୍ଯ୍ୟକ୍ରମ ସଂପର୍କରେ ଅଜ୍ଞ ଥିଲେ l

 

ବାଜପେୟୀ ଆଜୀବନ ଅବିବାହିତ l ତାଙ୍କରି ବାର୍ଦ୍ଧକ୍ୟ ଜୀବନ ପୋଷ୍ୟକନ୍ୟା ନମିତା କାଉଲ ଭଟ୍ଟାଚ଼ାର୍ଯ୍ୟଙ୍କ ତତ୍ତ୍ୱାବଧାନରେ ଅତିବାହିତ ହୋଇଥିଲା l ବାଜପେୟୀ ୩୩ ବର୍ଷ ବୟସରେ ସାଂସଦଭାବେ ନିର୍ବାଚ଼ିତ ହୋଇ ଦିଲ୍ଲୀ ଅବସ୍ଥାନ କାଳରେ ସ୍ଥାନୀୟ ରାମଦାସ ମହାବିଦ୍ୟାଳୟର ଜନୈକ ଅଧ୍ୟାପକ ବି.ଏନ. କାଉଲଙ୍କ ସହ ବନ୍ଧୁତା ସ୍ଥାପନ ହୋଇଥିଲା l ଅଧ୍ୟାପକ କାଉଲ ଅସମୟରେ ମୃତ୍ୟୁବରଣ କଲେ l ବାଜପେୟୀ କାଉଲଙ୍କ ପରିବାର ଦାୟିତ୍ୱ ନେଇ ତାଙ୍କରି କନ୍ୟା ନମିତାକୁ ପୋଷ୍ୟ କନ୍ୟା ରୂପେ ଗ୍ରହଣ କରିଥିଲେ l ନମିତା ରଞ୍ଜନ ଭଟ୍ଟାଚ଼ାର୍ଯ୍ୟଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ଏବଂ ପୋଷ୍ୟକନ୍ୟା ଓ ଜ୍ୱାଇଁଙ୍କୁ ବାଜପେୟୀ ଅତି ଆପଣାର ବିଚ଼ାର କରୁଥିଲେ lତାଙ୍କରି ଅନ୍ତିମ ସଂସ୍କାରରେ ତାଙ୍କରି ପୋଷ୍ୟ କନ୍ୟା ହିଁ ଚ଼ିତାରେ ଅଗ୍ନି ସଂଯୋଗ କରିଥିଲେ l

 

ଉତ୍ତର-ବାର୍ଦ୍ଧକ୍ୟ ଜୀବନରେ ବାଜପେୟୀଙ୍କ ଘନିଷ୍ଠ ବନ୍ଧୁ ଏନ.ଏମ.ଘାଟାଟେ, ବି.ସି.ଖଣ୍ଡୁରୀ ଓ ଲାଲକୃଷ୍ଣ ଆଡ଼ଭାନୀ ନିୟମିତଭାବେ ସାକ୍ଷାତ କରୁଥିଲେ l ସେମାନେ ବାଜପେୟୀଙ୍କ ଶଯ୍ୟା ବା ଚ଼ୌକୀ ନକଟରେ ଦୀର୍ଘ ସମୟ ବସନ୍ତି, କିନ୍ତୁ କିଛି କଥୋପକଥନ ବା ଭାବବିନିମୟର ଅବକାଶ ନଥାଏ lଅନେକ ସମୟରେ ପୋଷ୍ୟକନ୍ୟା ନମିତାଙ୍କଠାରୁ ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ବୁଝି ଫେରନ୍ତି l ବ୍ରଜେଶ ମିଶ୍ର ମଧ୍ୟ ବାଜପେୟୀଙ୍କ ସହ ଘନିଷ୍ଠତା ରହି ଆସିଥିଲା l ଥରେ ସେ ସାମ୍ୱାଦିକମାନଙ୍କୁ କହିଥିଲେ ଯେ ବାଜପେୟୀଙ୍କ ସହ ସାକ୍ଷାତ କରିବାକୁ ଗଲେ ମଧ୍ୟ ଅନେକ ସମୟରେ ସେ ତାଙ୍କରି ଉପସ୍ଥିତିକୁ ବାରିପାରନ୍ତି ନାହିଁ l

 

ବାଜପେୟୀ ଭଲ ଖାଉଥିଲେ l ଚ଼ାଇନିଜ ଖାନା, ଚିଙ୍ଗୁଡ଼ି, ମାଲପୁଆ ଇତ୍ୟାଦି ତାଙ୍କରି ପସନ୍ଦ ଥିଲା l ସେ ନିଜେ କହୁଥିଲେ ଯେ ସେ ଭଲ ଖେଚୁଡ଼ି, କ୍ଷୀରି ରାନ୍ଧି ପାରନ୍ତି l ବାର୍ଦ୍ଧକ୍ୟରେ ଶାରିରୀକ ଅସୁସ୍ଥତା କାରଣରୁ ଚ଼ିକିତ୍ସକମାନେ ଅନେକ ଖାଦ୍ୟ ବାରଣ କରିଥିଲେ l ସେ ପ୍ରଧାନମନ୍ତ୍ରୀ ଥିବା ସମୟରୁ ମିଠା ଖାଇବାରେ ପ୍ରତିବନ୍ଧକ ଲଗାଯାଇଥିଲା l ଉତ୍ତର-ବାର୍ଦ୍ଧକ୍ୟରେ ଖାଦ୍ୟ ଲାଳସା ଚରିତାର୍ଥ କରିବା ନିମନ୍ତେ ତାଙ୍କରି ମନପସନ୍ଦ ଖାଦ୍ୟ ଅଳ୍ପ ପରିମାଣରେ ଦିଆଯାଉଥିଲା l

 

ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ପଦାସୀନ ହେବାପରେ ବାଜପେୟୀଙ୍କ ପାଞ୍ଚବର୍ଷ ଅବସର ଜୀବନ ଓ ନଅବର୍ଷ ଶଯ୍ୟାଶାୟୀ ଜୀବନ ବାର୍ଦ୍ଧକ୍ୟ ଜୀବନଚ଼ର୍ଯ୍ୟାର ବାସ୍ତବତା ପ୍ରତିବିମ୍ୱିତ ହୋଇଥାଏ l ଗବେଷଣାରୁ ଜଣାଯାଏ ଯେ ଅନେକଙ୍କ କ୍ଷେତ୍ରରେ ମୃତ୍ୟୁପୂର୍ବ ପାଞ୍ଚ ବର୍ଷ ସାଧାରଣତଃ ଶାରିରୀକ ଅସୁସ୍ଥତା କାରଣରୁ ନିର୍ଭରଶୀଳ ଜୀବନ ବିତାଇବାକୁ ପଡିଥାଏ l ତେବେ ସ୍ଥଳବିଶେଷରେ ହୃଦଘାତ, ପଡିଯାଇ ଜଖମ ହେବା କାରଣରୁ ନିର୍ଭରଶୀଳ ଜୀବନର ଅବଧି ବଢ଼ି ଯାଇପାରେ l

 

ଯୁକ୍ତରାଷ୍ଟ୍ର ଆମେରିକାଭଳି ଦେଶଗୁଡ଼ିକରେ ରାଷ୍ଟ୍ରନାୟକମାନଙ୍କ ସ୍ୱାସ୍ଥ୍ୟବସ୍ଥା ସର୍ବସାଧାରଣରେ ଆଲୋଚ଼ିତ ହୁଏ l ତେବେ ଭାରତରେ ନେତୃବର୍ଗଙ୍କ ସ୍ୱାସ୍ଥ୍ୟବସ୍ଥା ସାଧାରଣତଃ ଗୋପନୀୟ ରଖାଯାଇଥାଏ l ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ସୂଚ଼ନା ପ୍ରଘଟ ବ୍ୟକ୍ତିଗତ ଗୋପନୀୟତା ପର୍ଯ୍ୟାୟଭୁକ୍ତ ହେଲେ ହେଁ ବାର୍ଦ୍ଧକ୍ୟଜନିତ ଜୀବନଚ଼ର୍ଯ୍ୟା ସର୍ବସାଧାରଣରେ ଆଲୋଚ଼ନା ସେଭଳି ଅନାଲୋଚ଼ିତ କଠୋର ବାସ୍ତବତା ଓ ତଦ୍ଜନିତ ସମସ୍ୟାବଳୀ ଅନୁଶୀଳନ ପାଇଁ ପଥ ଉନ୍ମୁକ୍ତ କରିଥାଏ ବୋଲି କହିବାକୁ ହେବ l

 

ଉତ୍ତର-ବାର୍ଦ୍ଧକ୍ୟରେ ଶଯ୍ୟାଶାୟୀ ଜୀବନ ଯେକୌଣସି ବ୍ୟକ୍ତିବିଶେଷଙ୍କ ପାଇଁ ପ୍ରଯୁଜ୍ୟ l ଆୟୁବୃଦ୍ଧି କାରଣରୁ ସମାଜରେ ଶଯ୍ୟାଶାୟୀଙ୍କ ସଂଖ୍ୟା କ୍ରମଶଃ ବଢ଼ିଚ଼ାଲିଛି ଏବଂ ଭବିଷ୍ୟତରେ ଆହୁରି ବଢ଼ିବା ଆଶା କରାଯାଇପାରେ l ପରିସଂଖ୍ୟାନ ଅନୁଯାୟୀ ୨୦୧୮ ବେଳକୁ ଜନସଂଖ୍ୟାର ପ୍ରାୟ ଏକ ପ୍ରତିଶତ ଅର୍ଥାତ ଏକକୋଟି ୩୦ ଲକ୍ଷ ବରିଷ୍ଠନାଗରିକ ଶଯ୍ୟାଶାୟୀ କିମ୍ୱା ଗୃହାବଦ୍ଧ ଜୀବନ ଯାପନ କରୁଛନ୍ତି l ଏମାନଙ୍କ ନିମନ୍ତେ ବ୍ୟକ୍ତିଗତ, ସାମୂହିକ ଓ ସାମାଜିକସ୍ତରରେ ଯୋଜନାବଦ୍ଧ ଉଦ୍ୟମ କ୍ରମେ ଜରୁରୀ ଆବଶ୍ୟକତାରେ ପରିଣତ ହେଲାଣି l



ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ସେପ୍ଟେମ୍ୱର ୨୦୧୮

 

---

ତଥ୍ୟ:

 

‘Of all things, miss his sense of humor most’ The Times of India (Bhubaneswar Edition). August 17, 2018

 

Pathak, Vikas. A last meeting with journalists.The Hindu (Cuttack Edition) August 17, 2018

 

Phaduis, Aditi. Orator par excellence falls silent. Business Standard (Bhubaneswar Edition) August 17, 2018.

ଖୁସୁବନ୍ତ ସିଂଙ୍କ ଦୃଷ୍ଟିରେ ବାର୍ଦ୍ଧକ୍ୟ

ସ୍ୱାଧୀନୋତ୍ତର ଭାରତରେ ଦୀର୍ଘ ଛଅ ଦଶକ ଧରି ଖୁସୁବନ୍ତ ସିଂ ଇଂଲିଶ ସାମ୍ୱାଦିକତା ଓ ସାହିତ୍ୟ କ୍ଷେତ୍ରରେ ଚର୍ଚ୍ଚିତ ଚ଼ରିତ୍ର । ସେ ମୁଖ୍ୟତଃ ଇଂଲିଶ ସମେତ ଭାରତୀୟ ଭାଷାର ଶତାଧିକ ସମ୍ୱାଦପତ୍ରରେ ପ୍ରକାଶିତ ଟୁ-ୱାର୍ଡସ ମାଲିସ ୱାନ ଏଣ୍ଡ ଅଲ ସାପ୍ତାହିକ ସ୍ତମ୍ଭ, ଦି ଇଲାଷ୍ଟ୍ରେଡ଼ ୱିକିଲି ସାପ୍ତାହିକ ଫିଚ଼ର ପତ୍ରିକା ଓ ଟ୍ରେନ ଟୁ ପାକିସ୍ଥାନ ଭଳି ଲୋକପ୍ରିୟ ଉପନ୍ୟାସର ଲେଖକ ଭାବେ ପରିଚ଼ିତ । ଦୀର୍ଘ ଜୀବଦ୍ଦଶା ଉପଭୋଗ କରିଥିବା ଭାରତୀୟ ସାହିତ୍ୟିକମାନଙ୍କ ମଧ୍ୟରେ ଅନ୍ୟତମ । ସେ ୯୯ ବର୍ଷରେ ମୃତ୍ୟୁ ମୁଖରେ ପଡ଼ିଥିଲେ, କିନ୍ତୁ ଶେଷ ମୂହୁର୍ତ୍ତ ଯାଏଁ ତାଙ୍କରି ଲେଖକ ଜୀବନ ପରିବ୍ୟାପ୍ତ ରହିଥିଲା । ମୃତ୍ୟୁର ବର୍ଷକ ଆଗରୁ ୯୮ ବର୍ଷ ବୟସ୍କ ଖୁସୁବନ୍ତଙ୍କ ନିଜ ଦୀର୍ଘ ଜୀବନର ଗୋପନ ସୂତ୍ର ସିକ୍ରେଟ ଅଫ ମାଇ ଲନଜିଭିଟି ଶୀର୍ଷକ ରଚନା ବାଙ୍ଗାଲୁରୁଭିତ୍ତିକ ଡ଼େକାନ ହରାଲଡ଼ ସମ୍ୱାଦପତ୍ରର ହାଇଦରାବାଦ ସଂସ୍କରଣରେ ୧୪ ଜାନୁୟାରୀ ୨୦୧୨ରେ ପ୍ରକାଶିତ ହୋଇଥିଲା ।

 

ପ୍ରଥମତଃ, ମନୁଷ୍ୟର ବଂଶଗତ ଗୁଣସୂତ୍ର ଜିନ ଜୀବଦ୍ଦଶାର ପ୍ରମୁଖ କାରଣ ରୂପେ ଖୁସୁବନ୍ତ ଉଲ୍ଲେଖ କରିଥିଲେ । ଅବଶ୍ୟ ତାଙ୍କରି ପିତାମାତା ଦୀର୍ଘ ଜୀବଦ୍ଦଶା ଉପଭୋଗକରି ୯୦ ରୁ ୯୪ ବର୍ଷରେ ମୃତ୍ୟୁବରଣ କରିଥିଲେହେଁ ସେମାନଙ୍କ ପାଞ୍ଚଗୋଟି ସନ୍ତାନ, ଚାରିପୁତ୍ର ଓ ଜଣେ କନ୍ୟାଙ୍କ ମଧ୍ୟରୁ ଖୁସୁବନ୍ତ ୯୮ ବର୍ଷରେ ପଦାର୍ପଣ କଲାବେଳେ ତାଙ୍କଠାରୁ ତିନିବର୍ଷ ସାନ ଜଣେ ମାତ୍ର ଭାଇ ଜୀବିତ ଥିଲେ । ଅନ୍ୟ ଦୁଇ ଭାଇ ଓ ଭଉଣୀଙ୍କ ମୃତ୍ୟୁ ଘଟିସାରିଥିଲା । ତଥାପି, ଦୀର୍ଘ ଜୀବନଧାରୀ ପିତାମାତାଙ୍କ ସନ୍ତାନମାନେ ସାଧାରଣରେ ଦୀର୍ଘ ଜୀବଦ୍ଦଶା ଅଧିକାରୀ ହେଉଥିବା ତାଙ୍କର ଧାରଣା ଅତୁଟ ରହିଆସିଥିଲା ।

 

ଦ୍ୱିତୀୟତଃ, ଶାରିରୀକ ଶ୍ରମ ସଂପୃକ୍ତିକୁ ଦୀର୍ଘ ଜୀବନର ଗୁଢତମ ରହସ୍ୟ ଭାବେ ବର୍ଣ୍ଣନା କରିଥିଲେ । ନିଜ ଜୀବନକୁ ଉଦାହରଣ ଭାବେ ଗ୍ରହଣ କରି ଲେଖିଥିଲେ ଯେ ପ୍ରାୟ ୮୫ ବର୍ଷ ଆଖପାଖ ଯାଏଁ ସେ ପ୍ରତିଦିନ ପ୍ରଭାତରେ ଟେନିସ ଖେଳୁଥିଲେ, ସନ୍ଧ୍ୟାରେ ଶୀତଦିନେ ଦିଲ୍ଲୀ ଲୋଧି ଗାର୍ଡନରେ ଚଲାବୁଲା ଏବଂ ଖରାଦିନେ ଘଣ୍ଟାଏ ଯାଏଁ ସନ୍ତରଣ କରୁଥିଲେ । ପରବର୍ତ୍ତୀ ଅବସ୍ଥାରେ ଶରୀର ଦୁର୍ବଳ ଓ ରୋଗାକ୍ରାନ୍ତ ହୋଇପଡ଼ିବାରୁ ବ୍ୟାୟାମ ସଂଭବ ହେଲା ନାହିଁ । କିନ୍ତୁ ଜୀବନର ଶେଷାବସ୍ଥା ଯାଏଁ ଦିନକୁ ଥରେ ବା ଦୁଇ ଥର ସଂପୂର୍ଣ୍ଣ ଶରୀର ମାଲିସକୁ ଗୁରୁତ୍ୱ ଦେଉଥିଲେ । ଉତ୍ତର-ବାର୍ଦ୍ଧକ୍ୟରେ ଗୃହାବଦ୍ଧ ଜୀବନରେ ମାଲିସ ସ୍ୱାସ୍ଥ୍ୟରକ୍ଷାରେ ସହାୟକ ହେଉଥିବା ସେ ବିଶ୍ୱାସ କରୁଥିଲେ ।

 

ତୃତୀୟତଃ, ବାର୍ଦ୍ଧକ୍ୟରେ ଖାଦ୍ୟ ଓ ପାନୀୟର ପରିମାଣ କମାଇ ଦେବାକୁ ପଡ଼େ । ଶତାୟୁ ସମୀପ ଜୀବନରେ ସକାଳେ ଗ୍ଳାସେ ପିଜୁଳି ରସ ପିଉଥିଲେ । ସେ ଲେଖିଥିଲେ ଯେ କମଳା ଓ ଅନ୍ୟାନ୍ୟ ଫଳରସ ତୁଳନାରେ ପିଜୁଳି ରସ ସୁସ୍ୱାଦୁ ଓ ସ୍ୱାସ୍ଥ୍ୟପ୍ରଦ । ଜଳଖିଆରେ ଗୋଟିଏ ଅଣ୍ଡା ଓ ବ୍ରେଡ଼ ଟୋଷ୍ଟ ଏବଂ ମଧ୍ୟାହ୍ନ ଭୋଜନରେ ପତଳା ଖେଚୁଡ଼ି ସହ ପରିବା ତରକାରୀ କିମ୍ୱା ଦହି । ଅପରାହ୍ନରେ ସେ ଚା ପାନ ପରିତ୍ୟାଗ କରିସାରିଥିଲେ । ସନ୍ଧ୍ୟାରେ ଗୋଟିଏ ପେଗ ସିଙ୍ଗଲ ମାଲ୍ଟ ହୁସକି ଓ ରାତ୍ରୀ ଭୋଜନରେ ସୀମିତ ପରିମାଣରେ ଖାଦ୍ୟପ୍ରତି ତାଙ୍କରି ଆସକ୍ତି ରହିଥିଲା ।

 

ଖୁସୁବନ୍ତ ମଧ୍ୟାହ୍ନ ଓ ରାତ୍ରୀ ଭୋଜନରେ କେବଳ ଗୋଟିଏ କିସମର ପରିବା ବା ମାଛମାଂସ ଖିଆଯିବା ଉଚିତ ମନେ କରୁଥିଲେ । ଭୋଜନ ପରେ ପାଚ଼ନ ଚୂର୍ଣ୍ଣ ସେବନ ହଜମ ପ୍ରକ୍ରିୟାରେ ସହାୟତା କରିଥାଏ । ଶାନ୍ତ ପରିବେଶରେ ଏକାକୀ ଭୋଜନ ଉତ୍ତମ । ଖାଇବାବେଳେ କଥୋପକଥନ ଆବଶ୍ୟକତାରୁ ଅଧିକ ଖାଦ୍ୟ ଗ୍ରହଣର କାରଣ । ବାର୍ଦ୍ଧକ୍ୟରେ ଉତ୍ତର ଭାରତୀୟ ଖାଦ୍ୟ ବଦଳରେ ଦକ୍ଷିଣ ଭାରତୀୟ ଇଡ଼ଲି, ଦୋଷା ସହଜରେ ହଜମ ହେଉଥିବାରୁ ସେହି ଧରଣର ଖାଦ୍ୟକୁ ପସନ୍ଦ କରୁଥିଲେ ।

 

ବାର୍ଦ୍ଧକ୍ୟରେ କୋଷ୍ଠକାଠିନ୍ୟ ସମ୍ମୁଖୀନ ନହେବା ସର୍ବାପେକ୍ଷା ଗୁରୁତ୍ୱପୂର୍ଣ୍ଣ । ମହାତ୍ମା ଗାନ୍ଧୀ ଜୀବନଚର୍ଯ୍ୟାରେ ଏଥି ପ୍ରତି ସଜାଗ ରହୁଥିଲେ । ଅଧିକାଂଶ ସମୟ ଏନିମା ନେଉଥିଲେ । ଏପରିକି ଅନ୍ୟମାନଙ୍କୁ ଏନିମା ଦେବା ତାଙ୍କରି ଏକ ଅଭ୍ୟାସରେ ପରିଣତ ହୋଇଯାଇଥିଲା । କୋଷ୍ଠକାଠିନ୍ୟରୁ ମୁକ୍ତି ଲାଗି ଖାଦ୍ୟଗ୍ରହଣଠାରୁ ଆରମ୍ଭ କରି ଔଷଧ ସେବନ, ବ୍ୟାୟାମ ପ୍ରତିଟି ଦିଗର ଉପଚାର ଗ୍ରହଣୀୟ ।

 

ଚ଼ତୁର୍ଥତଃ, ଖୁସୁବନ୍ତ ଦୈନନ୍ଦିନ ଜୀବନରେ ସମୟାନୁବର୍ତ୍ତିତାର ପକ୍ଷପାତୀ । ନିଜେ ପ୍ରତିଦିନ ସକାଳ ସାଢ଼େ ଛଅଟାରେ ଜଳଖିଆ, ମଧ୍ୟାହ୍ନ ୧୨ରେ ଭୋଜନ, ସନ୍ଧ୍ୟା ୭ରେ ମଦ୍ୟପାନ ଓ ରାତି ୮ରେ ଭୋଜନର କାର୍ଯ୍ୟସୂଚ଼ୀ ଦୀର୍ଘକାଳ ଧରି ଅନୁସରଣ କରିଥିଲେ । ସେ ଲେଖିଥିଲେ ବାର୍ଦ୍ଧକ୍ୟରେ କ୍ରୋଧ ପ୍ରକାଶ ବିପଦପୂର୍ଣ୍ଣ । ବୃଦ୍ଧଜନ ମିଥ୍ୟା ନକହିବା ଉଚ଼ିତ । ଅପର ପ୍ରତି ଈର୍ଷା ମାନସିକ ନ୍ୟୂନତାର କାରଣ । କିଛି ଅର୍ଥ ଭବିଷ୍ୟତରେ ଆପଦବିପଦ ପାଇଁ ଗଚ୍ଛିତ ରଖିବା ଆବଶ୍ୟକ । ଅର୍ଥ ସଞ୍ଚୟ ମାନସିକ ଶାନ୍ତି ପ୍ରଦାନ କରେ ।

 

ପଞ୍ଚମତଃ, ଖୁସୁବନ୍ତ ନିଜେ ନାସ୍ତିକ । ତାଙ୍କ ବିଚାରରେ ପାରମ୍ପରିକ ରୀତିରେ ବାର୍ଦ୍ଧକ୍ୟରେ ଦୀର୍ଘ ସମୟ ପ୍ରାର୍ଥନା କିମ୍ୱା ଉପାସନା ସ୍ଥଳରେ ବିତାଇବା ଆତ୍ମପ୍ରତ୍ୟୟ ହାନୀର କାରଣ ପାଲଟିପାରେ । ଅପରପକ୍ଷେ ସମୟ ବିତାଇବା ପାଇଁ ବାଡ଼ିବଗିଚାରେ କାମ କରିବା , ପଡ଼ୋଶୀ ପରିବାରର ଛାତ୍ରଛାତ୍ରୀଙ୍କୁ ପାଠପଢ଼ାରେ ସହାୟତା ଯୋଗାଇବା ଭଳି କାର୍ଯ୍ୟ ବୃଦ୍ଧାବସ୍ଥାରେ କରଣୀୟ ।

 

ଏକାଗ୍ରତା ଅଭ୍ୟାସ ନିମନ୍ତେ ଏକ ଦୀପ ଶିଖାକୁ ନିରୀକ୍ଷଣ କରିବାରେ ଖୁସୁବନ୍ତ ଅଭ୍ୟସ୍ତ ଥିଲେ । ସମସ୍ତ ଚିନ୍ତାରୁ ଅପସରି ଯାଇ ସେ ଓଁ ଶାନ୍ତି, ଓଁ ଶାନ୍ତି, ଓଁ ଶାନ୍ତି କିଛି ସମୟ ଧ୍ୟାନ ମୁଦ୍ରାରେ ଉଚ୍ଚାରଣରେ କଟାଉଥିଲେ । ଏତଦ୍ୱାରା ସେ ଉପକୃତ ହେଉଥିବା ନିଜ ରଚନାର ଶେଷାଂଶରେ ସ୍ୱୀକାର କରିଥିଲେ । ଖୁସୁବନ୍ତ ସିଂ ୯୮ ବର୍ଷରେ ପଦାର୍ପଣ କରିବା ସତ୍ତ୍ୱେ ନିଜ ରଚନା ନିୟମିତ ପ୍ରକାଶନ ଜାରୀ ରଖିଥିବା ଏବଂ ଜୀବନର ପୂର୍ବାବସ୍ଥା ତୁଳନାରେ ଅଧିକ ଅର୍ଥ ଉପାର୍ଜନ କରୁଥିବା ଉଦାହରଣ ଅନେକଙ୍କୁ ଆଚ଼ମ୍ୱିତ କରୁଥିଲା । ଅବଶ୍ୟ ଖୁସବନ୍ତ ନିଜ ଚ଼ିନ୍ତାଧାରା ଓ ଅଭ୍ୟାସ ସର୍ବସାଧାରଣରେ ପ୍ରକାଶ କରିବା ପଶ୍ଚାତପଦ ହେଉନଥିଲେ । ତାଙ୍କ ଜୀବନରେ ପ୍ରତ୍ୟେକ ଅଧ୍ୟାୟ ଖୋଲା ଫର୍ଦ୍ଦ ରୂପେ ଚର୍ଚ୍ଚିତ ହେଉଥିଲା । ଅସଂଖ୍ୟ ବିଷୟବସ୍ତୁ ମଧ୍ୟରେ ବାର୍ଦ୍ଧକ୍ୟ ପ୍ରତି ଦୃଷ୍ଟିକୋଣ ଗୋଟିଏ । 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ଏପ୍ରିଲ ୨୦୨୨


ତଥ୍ୟ :

 

Singh, Khushwant, Secret of my longevity. Deccan Herald (Hyderabad Edition). January 14, 2012

 

https://www.deccan herald.com/content/219141/secret-my-longevity.html

ବାଉଭେରଙ୍କ ବିଚାରରେ ବୟସବାଦ

ନ୍ୟୂୟର୍କ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନାରତ ସ୍କାଏ କ୍ଳେରି ରଚନା କରିଥିବା ଆଧୁନିକ ଫରାସୀ ଚ଼ିନ୍ତକ ସିମନ ଦ ବାଉଭେରଙ୍କ ବିଚାରରେ ବୟସବାଦ ସଂପର୍କୀତ ଏକ ପୁସ୍ତକ ଅଗଷ୍ଟ ୨୦୨୨ରେ ପ୍ରକାଶିତ ହେବା ପୂର୍ବରୁ ଅନଲାଇନ ପତ୍ରିକା ଏଓନ-ସାଇକେରେ ସେହି ପ୍ରସଙ୍ଗରେ ଏକ ପ୍ରବନ୍ଧ ଲେଖିଥିଲେ । ସେ ଏକଜିଷ୍ଟାନସିଆଲିଜମ ଏଣ୍ଡ ରୋମାଣ୍ଟଟିକ ଲଭ (୨୦୦୫) ଓ ହାଉ-ଟୁ-ଲିଭ-ଏ-ଗୁଡ଼ଲାଇଫ (୨୦୨୦) ଭଳି ଲୋକପ୍ରିୟ ପୁସ୍ତକର ପ୍ରଣେତା । ମହାମାରୀକାଳରେ ବିଶ୍ୱବ୍ୟାପୀ, ମୁଖ୍ୟତଃ ୟୁରୋପ, ଯୁକ୍ତରାଷ୍ଟ୍ର ଆମେରିକା ଓ କାନାଡ଼ା ଭଳି ବିକଶିତ ରାଷ୍ଟ୍ରଗୁଡ଼ିକରେ ବୃଦ୍ଧଜନ ବହୁ କ୍ଷେତ୍ରରେ ବୟସଭିତ୍ତିକ ବାଛବିଚାରର ଶୀକାର ହୋଇଥିବା ଅନୁଭୂତି କାରଣରୁ ଏକବିଂଶ ଶତାଦ୍ଦୀ ତୃତୀୟ ଦଶକ ଆରମ୍ଭରେ ବୟସବାଦ ଅନ୍ୟତମ ଚର୍ଚ୍ଚିତ ବିଷୟବସ୍ତୁ । ଏହି ପରିପ୍ରେକ୍ଷୀରେ ବିଂଶ ଶତାଦ୍ଦୀର ଦ୍ୱିତୀୟାର୍ଦ୍ଧରେ ପାଶ୍ଚାତ୍ୟ ଭୁଖଣ୍ଡରେ ଖ୍ୟାତିଲାଭ କରିଥିବା ବାଉଭେରଙ୍କ ଭଳି ଦାର୍ଶନିକଙ୍କ ବୟସବାଦକୁ ଭିତ୍ତିକରି ପ୍ରତିପାଦିତ ଉପପାଦ୍ୟ ଗୁରୁତ୍ୱ ବହନ କରେ ।

 

ସିମନ ଦ ବାଉଭେର ମୁଖ୍ୟତଃ ନାରୀବାଦର ପ୍ରବକ୍ତା ଭାବେ ପରିଚ଼ିତ । ସେ ରଚନା କରିଥିବା ଦି ସେକେଣ୍ଡ ସେକ୍ସ (୧୯୪୯) ଆଧୁନିକ ନାରୀ ଜାଗରଣର ଅନ୍ୟତମ ଦଲିଲ ଭାବେ ସ୍ୱୀକୃତ । ଦ୍ୱିତୀୟ ବିଶ୍ୱଯୁଦ୍ଧ ଅବସରରେ ଆଲବର୍ଟ କାମ୍ୟୁ, ଜାଁ-ପଲ-ସାତ୍ରେଙ୍କ ସହ ବାଉଭେର ସମାଜରେ ସ୍ୱାଧୀନତା ଓ ନ୍ୟାୟ ପ୍ରତିଷ୍ଠା ଅଭିପ୍ରାୟରେ ଅସ୍ତିତ୍ୱବାଦ ଏକଜିଷ୍ଟାନସିଆଲିଜମ ଦର୍ଶନ ପ୍ରଚାର ଅଭିଯାନରେ ସାମିଲ ହୋଇଥିଲେ । ବାଉଭେରଙ୍କ ଜନ୍ମ ୧୯୦୮ ଏବଂ ମୃତ୍ୟୁ ୧୯୮୬ । ଜୀବନରେ ଷାଠିଏ ବର୍ଷ ପୂର୍ତ୍ତୀ ପରେ ବାର୍ଦ୍ଧକ୍ୟ ବିଷୟବସ୍ତୁକୁ ନେଇ କମିଙ୍ଗ ଅଫ ଏଜ ନାମକ ପୁସ୍ତକ ରଚନା କରିଥିଲେ । ଏହାର ମୂଳ ଫରାସୀ ସଂସ୍କରଣ ୧୯୭୦ ଓ ଇଂଲିଶ ଅନୁବାଦ ୧୯୭୨ରେ ପ୍ରକାଶିତ ହୋଇଥିଲା । ବୟସବାଦ ଅଧ୍ୟୟନରେ ଏହାକୁ ଅନ୍ୟତମ ମୂଳଉତ୍ସ ଭାବେ ଗ୍ରହଣ କରାଯାଏ ।

 

କମିଙ୍ଗ ଅଫ ଏଜରେ ବାଉଭେର ବିଶ୍ୱର ବିଭିନ୍ନ ପ୍ରାନ୍ତରେ ବାର୍ଦ୍ଧକ୍ୟ ପ୍ରତି ପ୍ରଚଳିତ ରୀତିନୀତି ଅନୁଶୀଳନ କରିଥିଲେ । ଦୁଇଭାଗରେ ବିଭକ୍ତ ୬୫୦ ପୃଷ୍ଠା ପୁସ୍ତକର ପ୍ରଥମ ଭାଗରେ ବିଂଶ ଶତାଦ୍ଦୀର ସପ୍ତମ ଦଶକ ସୁଦ୍ଧା ସାମାଜିକ ବ୍ୟବସ୍ଥାରେ ବୃଦ୍ଧଜନଙ୍କ ସ୍ଥାନ ଓ ପ୍ରଚଳିତ ଦାର୍ଶନିକଙ୍କ ଦୃଷ୍ଟିଭଙ୍ଗୀ ସମ୍ୱଳିତ ବାହ୍ୟ ଲକ୍ଷଣ ଆଲୋଚ଼ିତ । ଦ୍ୱିତୀୟଭାଗରେ ସାଧାରଣ ନାଗରିକ, ଶିକ୍ଷିତ ଓ ଅଶିକ୍ଷିତ, ଧନୀ ଓ ଗରିବଙ୍କ ବାର୍ଦ୍ଧକ୍ୟ ଜୀବନଚ଼ର୍ଯ୍ୟାର ବିବରଣୀ ବର୍ଣ୍ଣିତ । ସାମାଜିକ ବ୍ୟବସ୍ଥାରେ ବାର୍ଦ୍ଧକ୍ୟକୁ ନେଇ ପାରମ୍ପରିକ ବିଶ୍ୱାସ ମିଥ ଓ ଜୀବନରେ ବାସ୍ତବତା ରିଆଲିଟିସ ଅଫ ଲାଇଫ ବିଭିନ୍ନ ଦିଗରୁ ତର୍ଜମା ସମ୍ୱଳିତ । ବାଉଭେରଙ୍କ ଅଧ୍ୟୟନ ମୁଖ୍ୟତଃ ଫ୍ରାନ୍ସ ଭଳି ବିକଶିତ ରାଷ୍ଟ୍ରର ସାମାଜିକ ପୃଷ୍ଠଭୂମିରେ ପର୍ଯ୍ୟବସିତ ।

 

ଅଧ୍ୟାପିକା କ୍ଳେରି ନିଜ ପ୍ରବନ୍ଧରେ ବାଉଭେରଙ୍କ ବିଚାରରେ ବୟସବାଦର କେତେ ଗୋଟି ପ୍ରମୁଖ ଉପଲବ୍ଧି ସଂପର୍କରେ ଆଲୋକପାତ କରିଥିଲେ । ପ୍ରଥମତଃ, ବୃଦ୍ଧାବସ୍ଥାରେ ମନୁଷ୍ୟ ଶାରିରୀକସ୍ତରରେ ଅବକ୍ଷୟ ସଙ୍ଗେ ସାମାଜିକସ୍ତରରେ ବୟସବାଦୀ ଆଭିମୁଖ୍ୟ କାରଣରୁ ଉପେକ୍ଷିତ । ଲାଭାଂଶକୁ ଲକ୍ଷ୍ୟ ରଖି ସାମାଜିକ ବ୍ୟବସ୍ଥା ଗଢ଼ି ଉଠିଥିବା ସ୍ଥଳେ ମନୁଷ୍ୟ ବାର୍ଦ୍ଧକ୍ୟ ଅବସ୍ଥାରେ ଉତ୍ପାଦନକ୍ଷମ ନ ହୋଇପାରୁଥିବା ହେତୁ ଅବହେଳିତ ଓ ସ୍ଥଳବିଶେଷରେ ଲାଞ୍ଛିତ ହୋଇଥାଏ ।

 

ଦ୍ୱିତୀୟତଃ, ବାର୍ଦ୍ଧକ୍ୟରେ ମନୁଷ୍ୟ ପରିବାର ଓ ବନ୍ଧୁବର୍ଗଙ୍କ କ୍ରମାଗତ ନିଧନ ହେତୁ ଏକାକୀ ହୋଇପଡ଼େ । ଆର୍ଥିକ ଦୁରାବସ୍ଥା, ଶାରିରୀକ ଦୁର୍ବଳତା, ରୋଗ ଓ ପୀଡ଼ାଗ୍ରସ୍ତ ଜୀବନର ତାଡ଼ନାରେ ନିଜସ୍ୱ ସତ୍ତା ଆଇଡ଼େଣ୍ଟି ହରାଇ ବସେ । ବହୁ କ୍ଷେତ୍ରରେ ତାହାର ବ୍ୟକ୍ତିତ୍ୱ ମଳିନ ପଡ଼ିଯାଏ । କୁହାଯାଏ ଯେ ମନୁଷ୍ୟ ବାର୍ଦ୍ଧକ୍ୟରେ ସୁଦ୍ଧା ନିଜ ଉଦ୍ୟମରେ ନିଜସ୍ୱ ସ୍ଥିତି ଅକ୍ଷୁର୍ଣ୍ଣ ରଖିପାରିବ । ବାଉଭେର ଦର୍ଶାଇଛନ୍ତି ଯେ ନିଜକୁ ନିଜେ ସବଳ ଭାବେ ଗଢ଼ି ତୋଳିବାରେ ସକ୍ଷମ ହେଲେ ସୁଦ୍ଧା ବାହ୍ୟ ପରିବେଶରେ ବୃଦ୍ଧଜନଙ୍କୁ କିପରି ଗ୍ରହଣ କରାଯାଉଛି ତାହା ନିୟନ୍ତ୍ରଣ କରିବା ସଂଭବ ନୁହେଁ । ଉଦାହରଣରେ ସାମାଜିକ ବ୍ୟବସ୍ଥାରେ ପ୍ରବୀଣଙ୍କୁ ସମ୍ମାନ ପ୍ରଦାନ ନିମନ୍ତେ ପାରମ୍ପରିକ ଭାବେ ନୀତିବାଣୀ ପ୍ରଚାରିତ ହେଉଥିଲେ ହେଁ ନବୀନବର୍ଗ ପ୍ରବୀଣଙ୍କୁ ଅଣଦେଖା କରିଥାନ୍ତି ।

 

ତୃତୀୟତଃ, ବାର୍ଦ୍ଧକ୍ୟରେ ଉପନୀତ ହେବା ପରେ ମନୁଷ୍ୟ ଅନ୍ତଃ-ଅନୁଭବକୁ ବାହ୍ୟ-ଅନୁଭବ ସହ ଯୋଡ଼ିପାରେ ନାହିଁ । ଜୀବନଚ଼କ୍ରରେ ନିଜ ଆଚ଼ରଣ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଥିବା ହେତୁ ସହଜରେ ବୟସଗତ ପାର୍ଥକ୍ୟ ବାରିପାରୁନଥିବା ସ୍ଥଳେ ବୟସର ଅନ୍ତିମ ସୋପାନରେ ତାହା ପ୍ରତି ପାରିପାର୍ଶ୍ୱିକ ସାମାଜିକ ଦୃଷ୍ଟିଭଙ୍ଗୀ ସଂପର୍କରେ ସଚ଼େତନ ନଥାଏ । ଫଳରେ ବ୍ୟକ୍ତିଗତସ୍ତରରେ ଅନୁଭୂତ ଚ଼ରିତ୍ର ବାହ୍ୟ ଜଗତରେ ଗୃହୀତ ଚ଼ରିତ୍ର ମଧ୍ୟରେ ତାଳମେଳ ରହେ ନାହିଁ । ଏହି କାରଣରୁ ସଂଘର୍ଷପୂର୍ଣ୍ଣ ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥାଏ ।

 

ଚତୁର୍ଥତଃ, ବାର୍ଦ୍ଧକ୍ୟ ଜୀବନ ମୌଳିକତା ପରିସ୍ପୁଟନ ନିମନ୍ତେ ପ୍ରକୃଷ୍ଟ ସମୟ । ବାଉଭେର ଯଥାର୍ଥ ଅଥେଣ୍ଟିକ ଜୀବନଯାପନ ପ୍ରତି ଗୁରୁତ୍ୱାରୋପ କରିଥାନ୍ତି । ଯଥାର୍ଥ ଜୀବନ ନିଜସ୍ୱ ଋଚିରେ ଜୀବନଚର୍ଯ୍ୟାକୁ ବୁଝାଇଥାଏ । ବାର୍ଦ୍ଧକ୍ୟରେ ସମ୍ମୁଖୀନ ହେଉଥିବା ଅନ୍ତଃ ଓ ବାହ୍ୟ ପରିବର୍ତ୍ତନକୁ ଏଡ଼ାଇ ନଦେଇ ତଥା ବିରୋଧ ନକରି ନିଜ ବ୍ୟକ୍ତିତ୍ୱରେ ମୌଳିକତା ପରିସ୍ପୁଟନ ଉଦ୍ୟମ ଯଥାର୍ଥ ଜୀବନ । ଉଦାହରଣରେ ବାର୍ଦ୍ଧକ୍ୟର ଶାରିରୀକ ଲକ୍ଷଣ, ଯଥା ପକ୍ୱ କେଶ, କୁଞ୍ଚିତ ଚର୍ମକୁ ପ୍ରସାଧନ ଦ୍ୱାରା ସଜାଡ଼ି ଯୁବାବସ୍ଥାକୁ ଫେରିଯିବା ନିମନ୍ତେ ଉଦ୍ୟମ ନିରର୍ଥକ । ଏହି ଉଦ୍ୟମ ଅନେକାଂଶରେ ସଫଳ ହୁଏ ନାହିଁ ଏବଂ ଛଳନାର ଅସ୍ଥିତ୍ୱ କ୍ଷଣସ୍ଥାୟୀ । ଅପରପକ୍ଷେ ସ୍ୱାସ୍ଥ୍ୟରକ୍ଷା ପ୍ରତି ଦୃଷ୍ଟି ଦେଇ ବାର୍ଦ୍ଧକ୍ୟଜନିତ ପ୍ରାକୃତିକ ଲକ୍ଷଣଗୁଡ଼ିକ ସହବସ୍ଥାନରେ ରୂପଚ଼ର୍ଯ୍ୟା ଯଥାର୍ଥ ।

 

 

ପଞ୍ଚମତଃ, ବାର୍ଦ୍ଧକ୍ୟକୁ ଅସ୍ୱୀକାର ବୃଦ୍ଧାବସ୍ଥାରେ ସ୍ପୃହଣୀୟ ନୁହେଁ । ମନୁଷ୍ୟ ବାର୍ଦ୍ଧକ୍ୟକୁ ବିଭିନ୍ନ ଉପାୟରେ ଏଡ଼ାଇ ଦେବା ନିମନ୍ତେ ଉଦ୍ୟମ କରିଥାଏ । ଉଦାହରଣରେ ଏକାଂଶ କଥୋପକଥନରେ ବାରମ୍ୱାର ନିଜ ଯୌବନର ସ୍ମୃତି ବଖାଣିଥାନ୍ତି । ଦିନେ ମୁଁ ବା ଆମେ ଏମିତି ଥିଲୁ, ଏୟା କରିଥିଲୁ ଇତ୍ୟାଦି । ବାଉଭେରଙ୍କ ବିଚାରରେ ସଂପୃକ୍ତ ବ୍ୟକ୍ତି ଯୌବନର ସ୍ମୃତିରେ ବିଚ଼ରଣ ନିମନ୍ତେ ଯତ୍ନବାନ ହେବାର ମୁଖ୍ୟ କାରଣ ବାର୍ଦ୍ଧକ୍ୟକୁ ଅସ୍ୱୀକାରରେ ପର୍ଯ୍ୟବସିତ । ବର୍ତ୍ତମାନ ଓ ଭବିଷ୍ୟତ ବଦଳରେ ମାନସପଟରେ ଅତୀତର ସ୍ମୃତିର ଘେରରେ ବଞ୍ଚିବା ଯଥାର୍ଥ ଜୀବନ ପଦବାଚ୍ୟ ନୁହ ।

 

ଷଷ୍ଠତଃ, ବାର୍ଦ୍ଧକ୍ୟକୁ ଅସ୍ୱୀକାର ଓ ଯୌବନର ଜୟଗାନ ବୟସବାଦକୁ ସୂଚ଼ିତ କରାଇଥାଏ । ବୃଦ୍ଧଜନ ନିଜେ ନିଜ ଅବସ୍ଥା ପ୍ରତି ଅସୂୟାଭାବ ପ୍ରକାଶ ବୟସବାଦର ଉତ୍ସ ରୂପେ କାର୍ଯ୍ୟ କରିଥାଏ । ପରବର୍ତ୍ତୀ ପର୍ଯ୍ୟାୟରେ ବୟସବାଦୀ ମନୋଭାବ ପ୍ରସାର ବାର୍ଦ୍ଧକ୍ୟ ଜୀବନ ପ୍ରତି ପାରିବାରିକ ଓ ସାମାଜିକ ଅବହେଳାର କାରଣ ପାଲଟିଥାଏ । ବୃଦ୍ଧଜନ ନିଜେ ବାର୍ଦ୍ଧକ୍ୟକୁ ସମ୍ମାନ ପ୍ରଦାନ, ବାସ୍ତବତାରୁ ଦୂରେଇ ନଯିବା ଏବଂ ବୃଦ୍ଧାବସ୍ଥାରେ ନିଜ ବ୍ୟକ୍ତିତ୍ୱକୁ ଉଭୟ ଶାରିରୀକ, ମାନସିକ ଓ ଆଚ଼ରଣ ସ୍ତରରେ ପରିବର୍ତ୍ତିତ ଅବତାରରେ ଗଢ଼ିତୋଳିବା ଯଥାର୍ଥ ଜୀବନ ।

 

ସପ୍ତମରେ ବାର୍ଦ୍ଧକ୍ୟର ସକାରାତ୍ମକ ଦିଗ ପ୍ରତି ଧ୍ୟାନ ଆକର୍ଷଣ ବାର୍ଦ୍ଧକ୍ୟ ଜୀବନଚର୍ଯ୍ୟାକୁ ସୁଗମ ତଥା ବୟସବାଦର ବିରୋଧ କରିଥାଏ । ମନୁଷ୍ୟ ବୃଦ୍ଧାବସ୍ଥାରେ ପର୍ଯ୍ୟାପ୍ତ ଅନୁଭୂତି, ବିପୁଳ ଜ୍ଞାନ ଓ ଗଭୀର ଆତ୍ମପ୍ରତ୍ୟୟର ଅଧିକାରୀ । ଏହାର ସଦବିନିଯୋଗରେ ଆକର୍ଷଣୀୟ ବ୍ୟକ୍ତିତ୍ୱ ଗଠନ ଅବଶ୍ୟ ସମ୍ଭବ । ମୌଳିକଭାବେ ବାର୍ଦ୍ଧକ୍ୟ ଜୀବନରେ ପୂର୍ଣ୍ଣତା ଦିଗରେ ଅଗ୍ରସର ହେଉଥିବା ହେତୁ ବାର୍ଦ୍ଧକ୍ୟର ସମ୍ମାନ ବ୍ୟକ୍ତିଗତ ଓ ସାମାଜିକ ଉଭୟସ୍ତରରେ ହିତକର ସାବ୍ୟସ୍ତ ହୋଇଥାଏ ।

 

ଦ୍ୱିତୀୟ ବିଶ୍ୱଯୁଦ୍ଧୋତ୍ତର ଅବସ୍ଥାରେ ଫରାସୀ ଦାର୍ଶନିକମାନଙ୍କ ଦ୍ୱାରା ପ୍ରବର୍ତ୍ତିତ ଅସ୍ତିତ୍ୱବାଦ ବିଗତ ସାତ ଦଶନ୍ଧି ଧରି ବିଶ୍ୱବ୍ୟାପୀ ସଚ଼େତନ ବର୍ଗଙ୍କ ମଧ୍ୟରେ ଆଦୃତ ହୋଇଆସିଛି । ଅସ୍ତିତ୍ୱବାଦର ମୂଳ ତତ୍ତ୍ୱ ମନୁଷ୍ୟର ଦୃଷ୍ଟିକୋଣ ତାହାର ବ୍ୟକ୍ତିତ୍ୱ ଗଠନ କରେ ଏବଂ ଏଥି ନିମନ୍ତେ ପଥ ନିର୍ଦ୍ଧାରଣ ତାହାର ଇଚ୍ଛାଧୀନ ବିଚାରକୁ ବୁଝାଏ । ଅସ୍ତିତ୍ୱବାଦ ପ୍ରଭାବିତ ବାଉଭେର ବାର୍ଦ୍ଧକ୍ୟରେ ବ୍ୟକ୍ତିଗତ ଆଗ୍ରହକୁ ଚ଼ରିତାର୍ଥ କରି ଯଥାର୍ଥ ବା ବାସ୍ତବଧର୍ମୀ ବା ବିଶ୍ୱାସଯୋଗ୍ୟ ଜୀବନଚ଼ର୍ଯ୍ୟା ପ୍ରଯୋଜନା ଦିଗରେ ଯତ୍ନବାନ ହେବା ନିମନ୍ତେ ପରାମର୍ଶ ଦେଇଥିଲେ ।

 

ସିମନ ଦ ବାଉଭେରଙ୍କ ସହ ସାକ୍ଷାତକାରଭିତ୍ତିକ ୧୯୫୯ରେ ପ୍ରସ୍ତୁତ ପ୍ରାମାଣିକ ଚଳଚ଼ିତ୍ର ୟୁଟ୍ୟୁବରେ ଉପଲବ୍ଧ :

 

Interview with Simone de Beauvoir (1959)

 

https://www.youtube.com/watch?v=SFRTl_9CbFU  


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧୫ ଏପ୍ରିଲ ୨୦୨୨


ତଥ୍ୟ :

 

Cleary, Skye C. Simone de Beauvoir recommends we fight for ourselves as we age. Psyche Ideas / March 9, 2022

 

https://psyche.co/ideas/simone-de-beauvoir-recommends-we-fight-for-ourselves-as-we-age?utm_source=Aeon+Newsletter&utm_campaign=c21a96c636-EMAIL_CAMPAIGN_2022_03_17_03_37&utm_medium=email&utm_term=0_411a82e59d-c21a96c636-69455421


ଅବିଶ୍ରାନ୍ତ କ୍ଷୟକ୍ଷତିର ସମାରୋହ ବାର୍ଦ୍ଧକ୍ୟ 

ବିଶ୍ୱ ସାହିତ୍ୟରେ ଅଶୀ-ବର୍ଷୋତ୍ତର ବୟସରେ ଉପନୀତ ଲେଖକଙ୍କ ବାର୍ଦ୍ଧକ୍ୟ ଜୀବନଚ଼ର୍ଯ୍ୟା ଅନୁଭୂତି ବର୍ଣ୍ଣନା ସୀମିତ । ଉତ୍ତର-ବାର୍ଦ୍ଧକ୍ୟରେ ନିଜେ ଉପନୀତ ହେବା ପୂର୍ବରୁ ଲେଖକଙ୍କ ବାର୍ଦ୍ଧକ୍ୟ ବିଷୟକ ରଚ଼ନା ରୋମାଞ୍ଚକର ପ୍ରତୀୟମାନ ହୋଇଥାଏ ସତ, ତେବେ ବାସ୍ତବତାଠାରୁ ଦୂରେଇ ରହୁଥିବା ମନେହୁଏ । ଅଧିକାଂଶ କ୍ଷେତ୍ରରେ ପରିଣତ ବୟସରେ ଲେଖକମାନେ ସୃଜନରୁ ଅବ୍ୟାହତି ନେଇସାରିଥାନ୍ତି । ଫଳତଃ, ମୃତ୍ୟୁ-ସମୀପ ଜୀବନ ଗବେଷକଙ୍କ ଭଳି ତୃତୀୟ ପକ୍ଷଙ୍କ କୃତୀରେ ସମୃଦ୍ଧ । ଅଭିଯୋଗ ହୁଏ ଏହି କାରଣରୁ ବାର୍ଦ୍ଧକ୍ୟ ସାହିତ୍ୟ ନିଖୂଣ, ଆତ୍ମୀକ ଓ ମର୍ମସ୍ପର୍ଶୀ ହୋଇପାରେ ନାହିଁ ।

 

ମାର୍କିନ କବି ଡୋନାଲଡ଼ ହଲ ୮୪ ବର୍ଷ ବୟସରେ ‘ଏସେସ ଆଫଟର ଏଇଟି’ ନାମକ ପ୍ରବନ୍ଧ ସଂକଳନ ପ୍ରକାଶ କରିଥିଲେ । ସେ ୮୯ ବର୍ଷରେ ପରଲୋକ ଗମନ କରିବା ଦୁଇ ସପ୍ତାହ ପରେ ‘ଏ କାର୍ନିଭଲ ଅଫ ଲସେସ : ନୋଟସ ନିୟରିଂ ନାଇଣ୍ଟି’ ଶୀର୍ଷକ ଅନ୍ୟ ଏକ ୨୦୦ ପୃଷ୍ଠାର ପ୍ରବନ୍ଧ ସଙ୍କଳନ ମରଣୋତ୍ତର ପ୍ରକାଶନ । ଏହି ଦୁଇ ପୁସ୍ତକ ସହ ଜୀବନର ଶେଷ ପାଦରେ ପ୍ରଯୋଜିତ ‘କ୍ୱାଏଟ ଆୱାରର୍ସ’ ନାମକ ବୃତ୍ତଚ଼ିତ୍ରରେ ନିଜ ଅଶୀ-ବର୍ଷୋତ୍ତର ଜୀବନ ସଂପର୍କରେ ବର୍ଣ୍ଣନା କରିଥିଲେ । ସଂଯୋଗବଶତଃ ମାତ୍ର ୧୪ ବର୍ଷ ବୟସରେ ସେ କବିତା ଲେଖିବା ଆରମ୍ଭ କରିବା ଅବସରରେ ‘ମୃତ୍ୟୁ’ ତାଙ୍କରି କବିତାର ବିଷୟବସ୍ତୁ ଥିଲା ।

 

ଡ଼ୋନାଲଡ଼ ଶିକ୍ଷା ଶେଷରେ ମିଛିଗନ ବିଶ୍ୱବିଦ୍ୟାଳୟରେ ଇଂଲିଶ ସାହିତ୍ୟ ଅଧ୍ୟାପନା କରିଥିଲେ । ସେ ୨୩ ବର୍ଷ ବୟସରେ ବିବାହ ବନ୍ଧନରେ ଆବଦ୍ଧ ହୋଇ ୧୬ ବର୍ଷର ଦାମ୍ପତ୍ୟ ଜୀବନରେ ଦୁଇ ସନ୍ତାନଙ୍କ ଜନକ ପାଲଟିଥିଲେ । ଡ଼ୋନାଲଡ଼ ପିଲାଟି ଦିନୁ ଏକାନ୍ତ ଅନୁରକ୍ତ ଅପରପକ୍ଷେ ତାଙ୍କରି ପତ୍ନୀ କୋଳାହଳ-ପ୍ରିୟ ଥିବା ହେତୁ ପ୍ରଥମ ବିବାହ ବିଚ୍ଛେଦ ଘଟିଥିଲା । ପରବର୍ତ୍ତୀ ପାଞ୍ଚ ବର୍ଷ ଏକାକୀ ଜୀବନ ଅତିବାହିତ କରିବା ପରେ ନିଜ ଛାତ୍ରୀଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ଦ୍ୱିତୀୟ ପତ୍ନୀ ଜଣେ କବି । ଡ଼ୋନାଲଡ଼ ଅଧ୍ୟାପନା ବୃତ୍ତି ୪୭ ବର୍ଷ ବୟସରେ ପରିତ୍ୟାଗ କରି ସସ୍ତ୍ରୀକ ଗ୍ରାମାଞ୍ଚଳରେ ଅବସ୍ଥିତ ପୈତୃକ ସମ୍ପତ୍ତିରେ ବସବାସ କରି ଲେଖକ ଜୀବନରେ ମନୋନିବେଶ କରିଥିଲେ । ଦିହେଁ ଦୁଇ ମହଲା କୋଠାର ଦୁଇ ପୃଥକ କଠୋରୀରେ ଦିନର ଦୀର୍ଘ ସମୟ ସାହିତ୍ୟ ସାଧନାରେ ବିତାଉଥିଲେ । ବିବାହର ୨୩ ବର୍ଷ ପରେ ରକ୍ତ-କର୍କଟରେ ଦ୍ୱିତୀୟ ପତ୍ନୀଙ୍କ ବିୟୋଗ ପରେ ଜୀବନର ବଳକା ୨୩ ବର୍ଷ ସେ ଏକାକୀ ଜୀବନଯାପନ କରିଥିଲେ ।

 

ଡ଼ୋନାଲଡ଼ ନିଜ ଦୀର୍ଘ ଲେଖକ ଜୀବନରେ ୫୦ରୁ ଉର୍ଦ୍ଧ୍ୱ ପୁସ୍ତକର ପ୍ରଣେତା । ପ୍ରେମ, ବିଚ୍ଛେଦ ଓ ମୃତ୍ୟୁ ତାଙ୍କରି ସାହିତ୍ୟ କୃତୀର ମୁଖ୍ୟ ବିଷୟବସ୍ତୁ । କବିତା ସଂକଳନ ସମେତ ଉପନ୍ୟାସ, ଜୀବନୀ, ପ୍ରବନ୍ଧ, ସମାଲୋଚ଼ନା, ଶିଶୁ ସାହିତ୍ୟର ପ୍ରଣେତା ଡ଼ୋନାଲଡ଼ଙ୍କୁ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରୀୟ ପୋଏଟ ଲରେଟ ଉପାଧିରେ ୨୦୦୮ରେ ଭୂଷିତ କରାଯାଇଥିଲା । ଡ଼ୋନାଲଡ଼ଙ୍କ ଶେଷ ଜୀବନର ରଚନାଗୁଡ଼ିକରେ ବାର୍ଦ୍ଧକ୍ୟ ଜୀବନଚର୍ଯ୍ୟାର ସୁକ୍ଷ୍ମାତିସୁକ୍ଷ୍ମ ବର୍ଣ୍ଣନା ଉପଲବ୍ଧ । ‘ଆଉଟ ଦି ୱିଣ୍ଡୋ’ ପ୍ରବନ୍ଧରେ ବାର୍ଦ୍ଧକ୍ୟରେ ନିଜ ବାସଗୃହର ଝରକା ପାଖରେ ବସି ସେ କିପରି ପକ୍ଷୀ, ଗୁଣ୍ଡୁଚି ମୂଷାଙ୍କ ଚଳପ୍ରଚଳ ନିରୀକ୍ଷଣରେ ସମୟ ଅତିବାହିତ କରୁଥିଲେ ତାହାର ବିଶଦ ବର୍ଣ୍ଣନା କରିଥିଲେ । ସେହି ଝରକା ପାଖେ ବସି ତାଙ୍କ ମାଆ ମଧ୍ୟ ବାର୍ଦ୍ଧକ୍ୟର ଶେଷ ଦଶକଟି ବିତାଇଥିଲେ ।

 

ବାର୍ଦ୍ଧକ୍ୟ ଏକ ଭିନ୍ନ ଇଲାକା । ବାର୍ଦ୍ଧକ୍ୟ ସଂପର୍କରେ ଗଭୀର ଜ୍ଞାନ, ସମ୍ଭାବ୍ୟ ପରିବର୍ତ୍ତନ ସଂପର୍କରେ ପୂର୍ବ-ସୂଚ଼ନା ବାର୍ଦ୍ଧକ୍ୟ ଜୀବନଯାତ୍ରାକୁ ସରଳ କରିପାରେ ନାହିଁ । ସେ କଟାକ୍ଷ କରି ଲେଖିଥିଲେ, ସମାଜରେ ଭିନ୍ନ ଅନ୍ତରୀକ୍ଷର ଅପରିଚିତ ଜୀବ ଭଳି ବୃଦ୍ଧଙ୍କ ଚ଼ମଡ଼ା ସବୁଜ, ଦୁଇଗୋଟି ମୁଣ୍ଡରେ ଏଣ୍ଟିନା ଖଚ଼ିତ ରୂପରେ ବିବେଚ଼ନା କରାଯାଏ । ଅଶୀ ବର୍ଷରେ ମୂହୁର୍ତ୍ତେ ନିଜେ ବାର୍ଦ୍ଧକ୍ୟରେ ଉପନୀତ ବୋଲି ଭୂଲିଯିବା ଅବସରରେ ହଠାତ୍ ଯୁବକୁଳରୁ କେହି ଜଣେ ଆବିର୍ଭାବ ହୋଇ ସବୁଜ ଚମଡ଼ା, ଏକାଧିକ ମୁଣ୍ଡ ସଂପର୍କରେ ଚ଼େତାଇ ଦିଏ !

 

ଡ଼ୋନାଲଡ଼ଙ୍କ ମାଆ ଶେଷ ଜୀବନରେ ମୃତ୍ୟୁ ସହ ସଂଗ୍ରାମ କରି ଚ଼ିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଅବସରରେ ତାଙ୍କରି ଦ୍ୱିତୀୟ ପତ୍ନୀ ‘ଇନ ଦି ନର୍ସିଂ ହୋମ’ ଶୀର୍ଷକ ଏକ କବିତା ରଚନା କରିଥିଲେ । ମନୁଷ୍ୟର ବାର୍ଦ୍ଧକ୍ୟ ଓ ମୃତ୍ୟୁ-ସମୀପ ଜୀବନକୁ ଏକ ଅଶ୍ୱ ଗୋଲାକାର ପଥରେ ପରିକ୍ରମା କରୁଥିବା ପ୍ରତୀକ ବର୍ଣ୍ଣନା କରିଥିଲେ । ଅଶ୍ୱ ଦୀର୍ଘ-ବ୍ୟାସ-ପରିଧିରୁ କ୍ରମଶଃ କ୍ଷୁଦ୍ର-ବ୍ୟାସ-ପରିଧିକୁ ସ୍ଥାନାନ୍ତରିତ ହୋଇ ଶେଷରେ ସ୍ଥିର ହୋଇଯାଏ । ଠିକ ସେହିପରି ମନୁଷ୍ୟ ମୃତ୍ୟୁ-ସମୀପ ଜୀବନରୁ ମୃତ୍ୟୁକୁ ଆଲିଙ୍ଗନ କରେ ।

 

ଡ଼ୋନାଲଡ଼ ପିଲାଟି ଦିନୁ ବୃଦ୍ଧଜନଙ୍କୁ ଭଲ ପାଉଥିଲେ । ସେ ନିଜ ରଚନାରେ ଜେଜେବାପାଙ୍କ ସ୍ମୃତି ଉଲ୍ଲେଖ କରିଥିଲେ । ତାଙ୍କରି ସରଳ କୃଷକ ଜୀବନଯାତ୍ରାରେ ସେ ପ୍ରଭାବିତ ହୋଇଥିଲେ । ଡ଼ୋନାଲଡ଼ ଦୀର୍ଘ-ଜୀବନ ସପକ୍ଷବାଦୀ । ବାର୍ଦ୍ଧକ୍ୟର ନକାରାତ୍ମକ ପ୍ରଭାବ ସତ୍ତ୍ୱେ ବୟସର ସୁଦୂର ଦିଗନ୍ତ ସ୍ପର୍ଶ ଲାଗି ଆଶାୟୀ ଥିଲେ । ତାଙ୍କରି ଦ୍ୱିତୀୟ ପତ୍ନୀ ୪୭ ବର୍ଷ ଓ ପିତା ୫୨ ବର୍ଷରେ ଜୀବନ ହରାଇଥିବା ଅନୁଭୂତିଠାରୁ ବାର୍ଦ୍ଧକ୍ୟରେ କ୍ଷୟକ୍ଷତିର ଜୀବନକୁ ସେ ଶ୍ରେୟସ୍କର ମଣୁଥିଲେ । କିନ୍ତୁ ତାଙ୍କରି ବିଚାରରେ ମୃତ୍ୟୁ ଆନନ୍ଦଦାୟକ ମନେ ହୋଇନପାରେ, କାରଣ ଆନନ୍ଦର ଅନ୍ତ ନଥାଏ ଓ ମୃତ୍ୟୁ ଏକ ଜୀବନର ଅନ୍ତକୁ ବୁଝାଏ

 

ଡ଼ୋନାଲଡ଼ଙ୍କ ଦ୍ୱିତୀୟ ପତ୍ନୀ ତାଙ୍କଠାରୁ ୧୯ ବର୍ଷ କମ ବୟସ୍କ । ସେ ଭୟ କରୁଥିଲେ ନିଜର ମୃତ୍ୟୁ ପରେ ହୁଏତ ଦ୍ୱିତୀୟ ପତ୍ନୀଙ୍କୁ ଦୀର୍ଘ କାଳ ବୈଧବ୍ୟ ଜୀବନ ବିତାଇବାକୁ ପଡ଼ିପାରେ । କିନ୍ତୁ ପତ୍ନୀ ୧୯୯୫ରେ ରୋଗାକ୍ରାନ୍ତ ଅବସ୍ଥାରେ ମୃତ୍ୟୁବରଣ କରିବାପରେ ଡ଼ୋନାଲଡ଼ଙ୍କୁ ହିଁ ଦୁଇ ଦଶନ୍ଧିରୁ ଅଧିକ କାଳ ବୈଧବ୍ୟ ଜୀବନ ଅତିବାହିତ କରିବାକୁ ପଡ଼ିଥିଲା । ଶେଷ ଜୀବନରେ ପ୍ରଯୋଜିତ ‘କ୍ୱାଏଟ ଆୱାରର୍ସ’ ବୃତ୍ତଚ଼ିତ୍ରରେ ଡ଼ୋନାଲଡ଼ଙ୍କ ଦୀର୍ଘ-ଶୋକାନୁଭୂତି ପ୍ରତିବିମ୍ୱିତ । ଚଳଚ଼ିତ୍ର ଚ଼ିତ୍ରାଙ୍କନ ଅବସରରେ ମୃତ୍ୟୁର ବର୍ଷକ ପୂର୍ବରୁ ସେ କହିଥିଲେ ଯେ ଦୀର୍ଘ ୨୨ ବର୍ଷ ଧରି ଏପରି ଦିନଟିଏ ବିତି ନାହିଁ ଯେଉଁଦିନ ସେ ପତ୍ନୀଙ୍କ କଥା ମନେ ପକାଇ ନାହାନ୍ତି ।

 

ଚଳଚ଼ିତ୍ରଟିରେ ମୁଖ୍ୟତଃ ବାର୍ଦ୍ଧକ୍ୟରେ ଶାରୀରିକ ଶୀଥିଳତା ଏବଂ ସମୀପ-ମୃତ୍ୟୁ ପ୍ରସ୍ତୁତି ଉଲ୍ଲେଖ କରାଯାଇଥିଲା । ଡ଼ୋନାଲଡ଼ଙ୍କ ଦୁଇ ଶହ ବର୍ଷରୁ ଉର୍ଦ୍ଧ୍ୱ ପୁରାତନ କୋଠାରେ ତାଙ୍କରି ବାର୍ଦ୍ଧକ୍ୟ ଜୀବନଚ଼ର୍ଯ୍ୟା ଚ଼ିତ୍ରିତ । ପ୍ରଚ୍ଛଦପଟ୍ଟରେ କବିଙ୍କ ସ୍ୱର ସହ କୋଠାର ଶୂନ୍ୟତାର ସମନ୍ୱୟ ସ୍ଥାପନ ନିମନ୍ତେ ଚ଼ିତ୍ର-ବର୍ଗମାଳା ‘ମୋଣ୍ଟାଜ’ରେ ପରିପୂର୍ଣ୍ଣ । ଝରକା ସେପାଖ ଦୃଶ୍ୟାବଳୀ ମଧ୍ୟ ନିଶ୍ଚଳ । ବିଗତ ଜୀବନର ହିସାବ ରୋମନ୍ଥନରେ କବିଙ୍କ ସଂଳାପ । ସେବିକାଙ୍କ ସହଚ଼ର୍ଯ୍ୟରେ ଜୀବନ ଏବଂ ମଟରଗାଡ଼ିରେ ବଜାରକୁ ବୁଲାଇନେବା ଦୃଶ୍ୟ ମଧ୍ୟ ଚଳଚ଼ିତ୍ରଟିରେ ସନ୍ନିବଶିତ ।

 

ଡ଼ୋନାଲଡ଼ ଜୀବନର ଶେଷ ଦିନଗୁଡ଼ିକରେ ଚଳପ୍ରଚଳରେ ଅସୁବିଧା ଅନୁଭବ କରୁଥିଲେ, ବାରମ୍ୱାର ପଡ଼ି ଯାଉଥିଲେ । ନିଜ ପାଇଁ ନିଜେ ରାନ୍ଧି ପାରୁ ନଥିଲେ । ଅନ୍ୟମାନଙ୍କ ଦ୍ୱାରା ପ୍ରସ୍ତୁତ ରନ୍ଧା ଖାଦ୍ୟକୁ ବୈଧବ୍ୟ ଖାଦ୍ୟ ‘ଡ଼ିଭୋର୍ସସ ଫୁଡ଼’ ନାମିତ କରି ମାତ୍ର ଗରମ କରି ଖାଉଥିଲେ । ମାନବଜୀବନ ବୃଦ୍ଧାବସ୍ଥାର ଯାତନା କାବ୍ୟିକ ବର୍ଣ୍ଣନାରେ ଅଶୀ-ବର୍ଷୋତ୍ତର ଜୀବନରେ ଲେଖିଥିଲେ – ଅବିଶ୍ରାନ୍ତ କ୍ଷୟକ୍ଷତିର ସମାରୋହ ‘ଓଲଡ଼ ଏଜ ଇଜ ଏ ସେରିମୋନି ଅଫ ଲସେସ’ । ନବେ ବର୍ଷ-ସମୀପ ପ୍ରବନ୍ଧ ସଂକଳନରେ ଉତ୍ସବ ‘ସେରିମୋନି’ ଯାତ୍ରା ‘କାର୍ଣ୍ଣିଭଲ’ରେ ପରିଣତ ହୋଇଯାଇଥିଲା । 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଅଗଷ୍ଟ ୨୦୨


ୟୁଟ୍ୟୁବ ଷ୍ଟ୍ରୀମିଂ ମଞ୍ଚରେ ‘ଦି କ୍ୱାଏଟ ଆୱାରର୍ସ’ ବୃତ୍ତଚିତ୍ର :

 

Poet Donald Hall : ‘Old Age is a Ceremony of Losses’

 

https://youtu.be/KnOMNeMPWH0

 

 

ତଥ୍ୟ:

 

Totaro, Donato. Old Age is a Ceremony of Losses: The Tranquil Thoughts of Donald Hall – OffScreen. March 2020

 

https://offscreen.com/view/old-age-is-a-ceremony-of-losses-donald-hall