ନିଃସଙ୍ଗତା

ନିଃସଙ୍ଗତାର ସ୍ୱରୂପ

ପାରମ୍ପରିକଭାବେ ନିଃସଙ୍ଗତା ବାର୍ଦ୍ଧକ୍ୟ ସହ ଯୋଡ଼ି ହୋଇଥାଏ I ନିଃସଙ୍ଗତା ବର୍ଣ୍ଣନା କରିବାକୁ ଯିବାବେଳେ ଆମ ମନରେ ପକ୍ୱକେଶଧାରୀ ଜଣେ ବୃଦ୍ଧବ୍ୟକ୍ତି ଏକାକୀ ଲକ୍ଷ୍ୟହୀନଭାବେ ଚ଼ାହିଁ ବସିଥିବା ମଳିନ ଚ଼ିତ୍ରଟିଏ ଫୁଟିଉଠେ I ସାଧାରଣ ସାମାଜିକ ଜୀବନରେ ବାର୍ଦ୍ଧକ୍ୟକୁ ନିଃସଙ୍ଗତାର ପ୍ରତୀକଭାବେ ସଭିଏଁ ଗ୍ରହଣ କରିନେଇଥାନ୍ତି I

 

କିନ୍ତୁ ୨୦୧୮ରେ ବ୍ରିଟିଶ ବ୍ରଡ଼କାଷ୍ଟିଂ କରପୋରେସନ କର୍ତ୍ତୃକ ପ୍ରକାଶିତ ଏକ ବିବରଣୀରେ ନିଃସଙ୍ଗତା ବାର୍ଦ୍ଧକ୍ୟ ବଦଳରେ ଯୁବକୁଳର ସହଚ଼ର ବୋଲି ବର୍ଣ୍ଣନା କରାଯାଇଛି I ବ୍ରିଟେନର ଚ଼ାରିଗୋଟି ଖ୍ୟାତନାମା ବିଶ୍ୱବିଦ୍ୟାଳୟର ବିଦ୍ୱାନମାନଙ୍କ ତତ୍ତ୍ୱାବଧାନରେ ବିଶ୍ୱବ୍ୟାପୀ ୨୩୭ ଗୋଟି ରାଷ୍ଟ୍ରରେ ୫୫ ହଜାର ନାଗରିକଙ୍କ ମଧ୍ୟରେ ଆୟୋଜିତ ଏକ ଅନ୍-ଲାଇନ ସର୍ଭେରୁ ଜଣାଯାଇଛି ଯେ ୭୫ ବର୍ଷୋତ୍ତର ବୃଦ୍ଧଜନଙ୍କ ମଧ୍ୟରେ ୨୭ ପ୍ରତିଶତ ନିଃସଙ୍ଗତା ବୋଧ କରୁଥିବା ସ୍ଥଳେ ୧୬ ରୁ ୨୪ ବର୍ଷ ବୟସ୍କ ଯୁବବର୍ଗଙ୍କ ମଧ୍ୟରେ ୪୦ ପ୍ରତିଶତ ନିଃସଙ୍ଗତା ଅନୁଭବ କରନ୍ତି I

 

‘ୱେଲକମ କଲେକସନ’ ନାମକ ଏକ ଗବେଷଣା ସାମ୍ମୁଖ୍ୟ ପକ୍ଷରୁ ଆୟୋଜିତ ଏହି ସର୍ବେକ୍ଷଣରେ ଯୁବକଯୁବତୀମାନେ ନିଃସଙ୍ଗତାବୋଧ ସଂପର୍କରେ ବର୍ଣ୍ଣନା କରିବା ସହ ପ୍ରାପ୍ତବୟସ୍କମାନେ ଅତୀତ ଜୀବନକୁ ରୋମନ୍ଥନ କରି ଯୌବନରେ ସର୍ବେପେକ୍ଷା ନିଃସଙ୍ଗତାର ଅଭିଜ୍ଞତା ସଂପର୍କରେ ଟିପ୍ପଣୀ ପ୍ରଦାନ କରିଥିଲେ I ‘ବିବିସି ଲୋଲନିନେସ ଏକ୍ସପରିମେଣ୍ଟ’ର ଏହି ସର୍ବେକ୍ଷଣ ନିର୍ଯ୍ୟାସ ଏକପକ୍ଷରେ ବାର୍ଦ୍ଧକ୍ୟକୁ ବାଧ୍ୟବାଧକତାଭିତ୍ତିରେ ନିଃସଙ୍ଗତା ସହ ଯୋଡ଼ିବାରୁ ମୁକ୍ତ କରୁଥିବା ସ୍ଥଳେ ଅପରପକ୍ଷରେ ନିଃସଙ୍ଗତାର ସ୍ୱରୂପ ଓ କାରଣ ସଂପର୍କରେ ବିଚ଼ାରବିମର୍ଷ କରିବାଲାଗି ସୁଯୋଗ ସୃଷ୍ଟି କରିଥାଏ I

 

ମାନବ ସଭ୍ୟତା ବିକାଶରେ ସମବାୟଭିତ୍ତିରେ ଜୀବନଚ଼ର୍ଯ୍ୟା ଏକ ବିଶିଷ୍ଟ ଉପାଦନରୂପେ ଚ଼ିହ୍ନଟ ହୋଇଥାଏ I ମା’ର ସନ୍ତାନସନ୍ତତିଙ୍କ ପ୍ରତି ବାତ୍ସଲ୍ୟ ସ୍ନେହଠାରୁ ଆରମ୍ଭକରି ପାରିବାରିକ, ବଂଶଗତ ଓ ଗୋଷ୍ଠୀଗତ ଜୀବନ ମୁଖ୍ୟତଃ ପରସ୍ପର ମଧ୍ୟରେ ସୌହାଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ପରିସ୍ପୁଟିତ I କୌଣସି ପରିବେଶରେ ଜଣେ ଅବହେଳିତ ବୋଧକଲେ ନିଃସଙ୍ଗତା ଅନୁଭବ କରିଥାଏ I ତେବେ ଏଭଳି ପରିସ୍ଥିତିରେ ସେ ନୂତନ ସଂପର୍କ ଓ ନୂତନ ବନ୍ଧୁ ସନ୍ଧାନରେ ବାହାରିପଡ଼େ I

 

ନିଃସଙ୍ଗତାରୁ ମୁକ୍ତି ଲାଗି ଉଦ୍ୟମ ଅନେକ କ୍ଷେତ୍ରରେ ଫଳବତୀ ହୋଇଥାଏ I ସ୍ଥଳବିଶେଷରେ ବିଭିନ୍ନ କାରଣରୁ ନିଃସଙ୍ଗ ଜୀବନ ଦୀର୍ଘସ୍ଥାୟୀ ହେଲେ ସ୍ୱାସ୍ଥ୍ୟରେ ପ୍ରତିକୂଳ ପ୍ରଭାବ ପଡ଼େI ଗବେଷଣାରୁ ଜଣାଯାଏ ଯେ ନିଃସଙ୍ଗତାବୋଧ ଅନୁଭବର ବର୍ଷକପରେ ସଂପୃକ୍ତ ବ୍ୟକ୍ତିବିଶେଷ ମାନସିକସ୍ତରରେ ଅବସାଦ ଶୀକାର ହେବା ସମ୍ଭାବନା ବୃଦ୍ଧିପାଏ I

 

ନିଃସଙ୍ଗତାର ସ୍ୱରୂପ ତର୍ଜମା କରି କୁହାଯାଉଛି ଯେ ସଂପର୍କ ଓ ବନ୍ଧୁତ୍ୱ ସୃଷ୍ଟି ଦିଗରେ ବ୍ୟକ୍ତିବିଶେଷଙ୍କ ପାରଦର୍ଶିତା ବଦଳରେ ପରିସ୍ଥିତି ଓ ପରିବେଶ ଗୁରୁତ୍ୱ ବହନ କରିଥାଏ I ବହୁ ବନ୍ଧୁ ସମ୍ପନ୍ନ ଓ ନିଃସଙ୍ଗ ବ୍ୟକ୍ତିଙ୍କ ମଧ୍ୟରେ ଦକ୍ଷତାଗତ ପ୍ରାର୍ଥକ୍ୟ ପ୍ରାୟ ନଥାଏ I ସାଧାରଣରେ ଲୋକଙ୍କ ବିଶ୍ୱାସ ଯେ ବନ୍ଧୁତ୍ୱ ସୃଷ୍ଟି କରିବା ଏକ କଳା ଏବଂ ଯେଉଁମାନେ ନିଃସଙ୍ଗ ସେମାନଙ୍କଠାରେ ବନ୍ଧୁତ୍ୱ ସୃଷ୍ଟି କରିବାଲାଗି ସାମର୍ଥ୍ୟ ଅଭାବ I ତେବେ ଗବେଷଣାରୁ ଏଭଳି ଧାରଣା ତୃଟିପୂର୍ଣ୍ଣ ବିବେଚ଼ିତ ହୋଇଛି I

 

ନିଃସଙ୍ଗତା ଅଶ୍ୱସ୍ତିକର ବୋଧ ହେଲେହେଁ ସ୍ଥଳବିଶେଷରେ ଏହା ଉପକାରୀ ସାବ୍ୟସ୍ତ ହୋଇଥାଏ I ଜନ କାସିଓପୋଙ୍କ ଭଳି ସ୍ନାୟୁ ବିଜ୍ଞାନୀମାନେ ବ୍ୟକ୍ତିବିଶେଷ ପରିସ୍ଥିତିକୁ ବିଚ଼ାରକୁ ନେଇ ନିଃସଙ୍ଗ ପରିବେଶକୁ ଆଦରିନେଇଥାଏ ବୋଲି ବିଶ୍ୱାସ କରନ୍ତି I ଅତଏବ ନିଃସଙ୍ଗତା ଲାଗି ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ବ୍ୟକ୍ତିଗତ ରୁଚ଼ି, ଆବଶ୍ୟକତା ତଥା ମାନସିକତା ମଧ୍ୟ ଦାୟୀ I

 

ସାଧାରଣରେ ମନୁଷ୍ୟ ବର୍ଷର କେଉଁ ସମୟରେ ମାତ୍ରାଧିକ ନିଃସଙ୍ଗତା ଅନୁଭବ କରିଥାଏ - ଏଭଳି ଏକ ପ୍ରଶ୍ନର ଉତ୍ତରରେ ଆୟୋଜିତ ସର୍ବେକ୍ଷଣରେ ବର୍ଷର କୌଣସି ଏକ ନିର୍ଦ୍ଧିଷ୍ଟ ସମୟ ବ୍ୟତିରେକେ ଯେ କୌଣସି ସମୟରେ ବ୍ୟକ୍ତିବିଶେଷ ନିଃସଙ୍ଗ ବୋଧ କରିପାରେ ବୋଲି ଅନେକ ଅଂଶଗ୍ରହଣକାରୀ ମନ୍ତବ୍ୟ ଦେଇଛନ୍ତି I ପ୍ରଚଳିତ ଧାରଣା ଅନୁଯାୟୀ ଉତ୍ସବ ଅନୁଷ୍ଠାନରେ ଯୋଗ ନଦେଇପାରି ବ୍ୟକ୍ତିଟିଏ ନିଃସଙ୍ଗତା ଅନୁଭବ କରୁଥିବା ଉପପାଦ୍ୟ ଅନେକାଂଶରେ ଭ୍ରମାନ୍ତକ I ଆମ ରାଜ୍ୟରେ ଶାରଦୀୟ ପୂଜା କିମ୍ୱା ପାଶ୍ଚାତ୍ୟ ଭୂଖଣ୍ଡରେ ଖ୍ରୀଷ୍ଟମାସ ଅବସରରେ ବନ୍ଧୁବାନ୍ଧବଙ୍କ ମେଳନ ଅବସରରେ ବନ୍ଧୁହୀନ ପରିବେଶ ନିଃସଙ୍ଗତାକୁ ତୀବ୍ର କରୁଥିବାର ପ୍ରମାଣ ଖୋଜି ପାଇ ହୁଏନା I ସର୍ବେକ୍ଷଣରେ ଅଂଶଗ୍ରହଣକାରୀଙ୍କ ମଧ୍ୟରୁ ଦୁଇତୃତୀୟାଂଶ ମତ ଦେଇଛନ୍ତି ଯେ ନିଃସଙ୍ଗତା ବର୍ଷର ଯେକୌଣସି ସମୟରେ ଅନୁଭବ କରାଯାଇପାରେ, ଏଥି ନିମନ୍ତେ ଧାରାବନ୍ଧା ନିର୍ଦ୍ଧଷ୍ଟ ସମୟସୀମା ମୂଲ୍ୟହୀନ I

 

ପ୍ରଶ୍ନ ଉଠେ ଜୀବଦ୍ଦଶାରେ ଯୁବଜୀବନ କାହିଁକି ନିଃସଙ୍ଗ ? କୈଫୟତରେ କୁହାଯାଉଛି ଯେ ୧୬ ରୁ ୨୪ ବର୍ଷ ବୟସରେ କୈଶୋର ଛାଡ଼ି ଯୁବାବସ୍ଥାରେ ଉପନୀତ ସମୟରେ ମୌଳିକ ପାରିବାରିକ ସୌହାଦ୍ଦ୍ୟ, ଭୌଗଳିକ ବାଲ୍ୟବନ୍ଧୁ ତଥା ଦୀର୍ଘ ବିଦ୍ୟାଳୟ ଜୀବନ ପରିତ୍ୟାଗ କରି ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ବା କର୍ମକ୍ଷେତ୍ରର ଅପରିଚ଼ିତ  ପରିବେଶରେ ହଠାତ ନିଜକୁ ଖାପ ଖୁଆଇବା ହୁଏତ ସମ୍ଭବପର ନ ହୋଇପାରୁଥିବା ହେତୁ ନିଃସଙ୍ଗତା ଅନୁଭୂତ ହୋଇଥାଏ I ସେହିପରି ଆଧୁନିକ ଜୀବନଶୈଳୀ ଯୁବବର୍ଗଙ୍କୁ ନିଃସଙ୍ଗ କରିପକାଉଛି ବୋଲି ଧରିନେବା ଅନୁଚ଼ିତ ବୋଲି ମଧ୍ୟ ଅଧ୍ୟୟନରୁ ଜଣାଯାଇଛି I ଯୁବବସ୍ଥାର ପ୍ରତିକୂଳ ପରିବେଶ ହିଁ ନିଃସଙ୍ଗତାର ମୁଖ୍ୟ କାରଣ I

 

ଯୁବବର୍ଗ ନିଃସଙ୍ଗତା ଅନୁଭବ ଜୀବନରେ ପ୍ରଥମ ଥର ସାମ୍ନା କରୁଥିବା ପରିପ୍ରେକ୍ଷୀରେ ହୁଏତ ହଠାତ ମୁକାବିଲା କରିବା ସହଜପ୍ରଦ ହୋଇପାରେ ନାହିଁ I କିନ୍ତୁ ବୃଦ୍ଧଜନ ଅତୀତ ନିଃସଙ୍ଗତା ଅନୁଭୂତିରୁ ଏଭଳି ପରିବେଶ ଏଡ଼ାଇଦେବା କଳାକୌଶଳ ଆହରଣ କରିସାରିଥାନ୍ତି I ତେଣୁ ବାର୍ଦ୍ଧକ୍ୟ ଜୀବନଚ଼ର୍ଯ୍ୟାରେ ନିଃସଙ୍ଗତା ବିଶେଷ ସମସ୍ୟା ସୃଷ୍ଟି କରିପାରେନା I

 

ଯୁବ ଓ ବୃଦ୍ଧ ସମେତ ସମସ୍ତ ବୟସ ବର୍ଗରେ ପ୍ରାୟ ଏକ ତୃତୀୟାଂଶ ଜନସଂଖ୍ୟା ନିଃସଙ୍ଗତା ଅନୁଭବ କରୁଥିବା ତଥ୍ୟ କ୍ରମଶଃ ଏକ ଜନସ୍ୱାସ୍ଥ୍ୟ ସମସ୍ୟା ରୂପେ ଚ଼ିହ୍ନିତ ହେଉଥିବା ପରିପ୍ରେକ୍ଷୀରେ ବିକଶିତ ରାଷ୍ଟ୍ରଗୁଡ଼ିକ ନିଃସଙ୍ଗତା ଦୂରୀକରଣ ନିମନ୍ତେ ଯୋଜନାମାନ ପ୍ରଣୟନରେ ମନୋନିବେଶ କରିଛନ୍ତି I ବ୍ରିଟେନ ମନ୍ତ୍ରୀ ପରିଷଦରେ ଜଣେ ସଦସ୍ୟା ଟ୍ରେସି କ୍ରାଉଚ଼ଙ୍କୁ ପ୍ରଥମଥର ପାଇଁ ୨୦୧୮ରେ ନିଃସଙ୍ଗତା ମନ୍ତ୍ରୀ ରୂପେ ଅବସ୍ଥାପିତ ହୋଇଥିଲେ I ମନ୍ତ୍ରଣାଳୟର ପ୍ରାଥମିକ ପଦକ୍ଷେପରେ ଜାତୀୟ ପରିସଂଖ୍ୟାନ ସଂଗଠନର ତତ୍ତ୍ୱାବଧାନରେ ବ୍ରିଟେନବାସୀଙ୍କ ମଧ୍ୟରେ ନିଃସଙ୍ଗତାର ବାସ୍ତବ ଚ଼ିତ୍ର ଗଣନା ନିମନ୍ତେ ପରିମାପକ ନିର୍ଦ୍ଧାରଣଲାଗି ପଦକ୍ଷେପ ଗ୍ରହଣ କରାଯାଇଥିଲା I

 

ବ୍ରିଟେନରେ ସରକାରୀସ୍ତରରେ ନିଃସଙ୍ଗତା ସଂପର୍କରେ ଜାତୀୟସ୍ତରରେ ବ୍ୟାପକ ବିଚ଼ାରବିମର୍ଷ ନିମନ୍ତେ ଗୁରୁତ୍ୱ ଆରୋପ କରାଯାଉଛି I ସାଧାରଣଜୀବନରେ ନିଃସଙ୍ଗତା ପ୍ରତିରୋଧ ଲାଗି ଆଞ୍ଚଳିକସ୍ତରରେ ଉଦ୍ୟମକୁ ଉତ୍ସାହିତ କରିବା ନିମନ୍ତେ ଏହି କ୍ଷେତ୍ରରେ କାର୍ଯ୍ୟରତ ପ୍ରକଳ୍ପଗୁଡ଼ିକର ଆର୍ଥିକ ଅଭାବ ଅସୁବିଧା ସୁଧାରିବା ତଥା କାର୍ଯ୍ୟକ୍ରମ ସଂପ୍ରସାରଣ ନିମନ୍ତେ ଧ୍ୟାନ ଦିଆଯାଉଛି I ସମାଜରେ ନିଃସଙ୍ଗତାକୁ ନେଇ ପ୍ରଚଳିତ ଭ୍ରାନ୍ତ ମନୋଭାବ ପରିବର୍ତ୍ତେ ତଥ୍ୟାଶ୍ରିତ ବିଜ୍ଞାନସମ୍ମତ୍ତ ପ୍ରତିରୋଧ ବ୍ୟବସ୍ଥା ଭିତ୍ତିଭୂମି ସୃଷ୍ଟିପ୍ରତି ଲକ୍ଷ୍ୟଧାର୍ଯ୍ୟ ହୋଇଛି I

 

ଲଣ୍ଡନ ସ୍କୁଲ ଅଫ ଇକନୋମିକ୍ସ ପକ୍ଷରୁ ଗବେଷଣାରୁ ଜଣାଯାଇଛି ଯେ ନିଃସଙ୍ଗତା ଜାତୀୟ ଉତ୍ପାଦିକା ଓ ଆୟକୁ ପ୍ରଭାବିତ କରିଥାଏ I ନିଃସଙ୍ଗତା ନିରାକରଣ ଦିଗରେ ଟଙ୍କାଟିଏ ଖର୍ଚ୍ଚ କଲେ ତିନି ଟଙ୍କାର ଫାଇଦା ହୋଇଥାଏ I ଏଭଳି ଉପଲବ୍ଧି ବିକାଶଶୀଳ ରାଷ୍ଟ୍ରଗୁଡ଼ିକ ପକ୍ଷେ ଗୁରୁତ୍ୱପୂର୍ଣ୍ଣ I ଦାରିଦ୍ର୍ୟ ଦୂରୀକରଣକୁ ସରକାରୀସ୍ତରରେ ପ୍ରାଥମିକତା ଦିଆଯାଉଥିବା ପରିପ୍ରେକ୍ଷୀରେ ଏକ ତୃତୀୟାଂଶ ଜନସାଧାରଣଙ୍କ ମାନସିକ ସ୍ୱାସ୍ଥ୍ୟ ବିକାଶରେ ନିବେଶ ଜରୁରୀ I ଏଭଳି ତତ୍ତ୍ୱସଂପର୍କରେ ସଚ଼େତନତା ପ୍ରସାର ସମୟର ଆହ୍ୱାନ I



ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଅକ୍ଟୋବର ୨୦୧୮

 

---

ତଥ୍ୟ:


https://www.bbc.com/future/article/20180928-the-surprising-truth-about-loneliness

ନିଃସଙ୍ଗ ବାର୍ଦ୍ଧକ୍ୟ

ସମକାଳୀନ ସାମାଜିକ ବ୍ୟବସ୍ଥାରେ ବିକଶିତ ରାଷ୍ଟ୍ରଗୁଡ଼ିକରେ ମୁଖ୍ୟତଃ ସହରୀସଭ୍ୟତାଭିତ୍ତିକ ଜନଜୀବନରେ ଏକାକୀତ୍ୱ ବର୍ଦ୍ଧିଷ୍ଣୁ ହୃଦରୋଗ ଓ ହୃଦଘାତର ଅନ୍ୟତମ ପ୍ରମୁଖ କାରଣ ରୂପେ ଚ଼ିହ୍ନଟ କରାଯାଉଛି l୨୦୧୬ଜୁଲାଇ ମାସ ‘ବ୍ରିଟିଶ ଜର୍ଣ୍ଣାଲ ଅଫ ହାର୍ଟ’ରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଏକାକୀତ୍ୱ ତଥା ସାମାଜିକ ବିଚ୍ଛିନ୍ନତାବୋଧରେ ଆକ୍ରାନ୍ତ ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରେ ୨୯ ପ୍ରତିଶତଙ୍କ ଠାରେ ହୃଦରୋଗ ଓ ୩୨ ପ୍ରତିଶତଙ୍କ ଠାରେ ହୃତଘାତର ଆଶଙ୍କା ବା ‘ରିସ୍କ’ ଦେଖିବାକୁ ମିଳୁଛି lଯୁକ୍ତରାଷ୍ଟ୍ର ଆମେରିକା, ୟୁରୋପ ଓ ଜାପାନର ଏକ ଲକ୍ଷ ଏକାଅଶୀ ହଜାର ବ୍ୟକ୍ତିଙ୍କୁ ନେଇ ତିନିରୁ ଏକୋଇଶି ବର୍ଷ ବ୍ୟାପୀ ଅନୁଧ୍ୟାନରେ ପ୍ରସ୍ତୁତ ତେଇଶିଗୋଟି ବୈଜ୍ଞାନିକ ଗବେଷଣାଲବ୍ଧ ତଥ୍ୟାବଳୀକୁ ବିଶ୍ଳେଷଣ କରି ଏହିଭଳି ପରିସଂଖ୍ୟାନ ଘୋଷିତ ହୋଇଥିବା କୁହାଯାଇଛି l

 

ଇଂଲିଶ୍ ଶଦ୍ଦ ‘ଲୋନଲିନେସ’ ଓ ‘ସୋସିଆଲ ଆଇସୋଲେସନ’ର ଓଡ଼ିଆ ପ୍ରତିଶଦ୍ଦ ପାଇ ହୁଏନା l‘ଲୋନନିଲେସ’ କୁ ‘ଏକାକୀତ୍ୱ’ ଏବଂ ‘ସୋସିଆଲ ଆଇସୋଲେସନ’କୁ ‘ସାମାଜିକ ବିଚ୍ଛିନ୍ନତାବୋଧ’ କୁହାଯାଇପାରେ lପାରମ୍ପରିକ ଓଡ଼ିଆ ସମାଜରେ ଏଭଳି ସମସ୍ୟା ପ୍ରତି ଗୁରୁତ୍ୱ ଆରୋପ କରାଯାଉନଥିଲା lସେହି କାରଣରୁ ପ୍ରଚ଼ଳିତ ଭାଷା କିମ୍ୱା ସାହିତ୍ୟରେ ନିଃସଙ୍ଗ ଲୋକଚ଼ରିତ୍ରର ବର୍ଣ୍ଣନା ଦେଖିବାକୁ ମିଳେନାହିଁ l

 

ଗତ ୨୦୧୧ ଜନଗଣନା ଅନୁଯାୟୀ ଆମ ରାଜ୍ୟର ୮୩ ପ୍ରତିଶତ ପରିବାର ଗ୍ରାମାଞ୍ଚଳ ଏବଂ ମାତ୍ର ୧୭ ପ୍ରତିଶତ ପରିବାର ସହରାଞ୍ଚଳରେ ବସବାସ କରୁଥିଲେହେଁ ବିଭିନ୍ନ କାରଣରୁ ଅର୍ଦ୍ଧାଧିକ ପରିବାର ସହରୀସଭ୍ୟତାରେ ପ୍ରଭାବିତ ହୋଇସାରିଥିବା ଅନୁମାନ କରାଯାଇପାରେ l ସାଧାରଣରେ ସହରୀସଭ୍ୟତା କହିଲେ ଶିଳ୍ପବିପ୍ଳବୋତ୍ତର ପାଶ୍ଚାତ୍ୟ ସଂସ୍କୃତି ଅନୁକରଣରେ ନିୟନ୍ତ୍ରିତ ଏକକ ପରିବାରଭିତ୍ତିକ ସାମାଜିକ ବ୍ୟବସ୍ଥା ବା ‘ନ୍ୟୂକ୍ଳିୟାର ଫେମିଲି ସେଟ୍-ଅପ’କୁ ବୁଝାଯାଏ l

 

ଓଡ଼ିଶାର ପାରମ୍ପରିକ ଯୌଥ ପରିବାରରେ ପ୍ରଚଳିତ ଚ଼ଳେଣୀ ବ୍ୟକ୍ତିସ୍ୱତନ୍ତ୍ରତାର ପରିପନ୍ଥୀ ପରିବେଶରେ ଗଢ଼ି ଉଠିଥିବା ହେତୁ ସାମାଜିକ ବିଚ୍ଛିନ୍ନତାବୋଧ ବା ଏକୁଟିଆ ଜୀବନଯାପନ କରିବା ପାରିପାର୍ଶ୍ୱିକ କାରଣରୁ ପ୍ରଶୟ ଦେଉନଥିଲା l ଅପର ପକ୍ଷରେ ଶିକ୍ଷାଦୀକ୍ଷାର ଅଭାବ ତଥା ଜୀବନଧାରଣ ଲାଗି ପୈତୃକ ବୃତ୍ତିରେ ନିୟୋଜନ ବ୍ୟକ୍ତିକେନ୍ଦ୍ରୀକ ମାନସିକତା ସୃଷ୍ଟିରେ ବାଧକ ସାଜୁଥିଲା l

 

ଗ୍ରାମ୍ୟସଭ୍ୟତାରେ ପାରମ୍ପରିକ ପାରିବାରିକ ଓ ସାମାଜିକ ରୀତିନୀତିର ନିଗଢ଼ ବନ୍ଧନୀରୁ ଲୋକଟିଏ ବିଚ୍ଛିନ୍ନହେବା ଅବକାଶ ନଥିଲା ବୋଲି ସାଧାରଣରେ ବିଶ୍ୱାସ ରହିଆସିଛି l ତେବେ ସ୍ୱାଧୀନୋତ୍ତର ଅବସ୍ଥାରେ ସହରୀସଭ୍ୟତାର ପରିପ୍ରକାଶ ତଥା ଗ୍ରାମାଞ୍ଚଳକୁ ବ୍ୟାପ୍ତି ନୂତନ ସମୀକରଣ ସୃଷ୍ଟି କରୁଛି ବୋଲି ମତ ପ୍ରକାଶ ପାଇଥାଏ l ଅବଶ୍ୟ ଏ ଦିଗରେ ବିଜ୍ଞାନସମ୍ମତ୍ତ ତଥ୍ୟଭିତ୍ତିକ ଗବେଷଣା ଆବଶ୍ୟକ ରହିଛି l

 

ଅପରପକ୍ଷେ ଘଞ୍ଚ ସାମାଜିକ ପରିବେଷ୍ଟନୀ ଏକାକୀତ୍ୱ ମାନସିକତା ପରିପ୍ରକାଶର ପରିପନ୍ଥୀ ବୋଲି କୁହାଯାଇନପାରେ l ଲୋକଟିଏ ବଡ଼ପରିବାର ବା ବଜାରହାଟର କୋଳାହଳରେ ମଧ୍ୟ ନିଜକୁ ଏକୁଟିଆ ଅନୁଭବ କରିବା ଅସମ୍ଭବ ନୁହେଁ l ସେହିପରି ଗ୍ରାମ୍ୟସଭ୍ୟତା ବ୍ୟକ୍ତିଚ଼ରିତ୍ରକୁ ବାଧ୍ୟବାଧକତାରେ ସାମାଜିକସ୍ରୋତରେ ସାମିଲ କରିବା କିମ୍ୱା ସହରୀସଭ୍ୟତା ତାହାକୁ ସାମାଜିକସ୍ରୋତରୁ ବିଚ୍ଛିନ୍ନ କରାଇବାର ଭୂମିକା ସର୍ବୋତ୍ତଭାବେ ତଥ୍ୟାଶ୍ରୟୀ ନୁହେଁ l

 

ଆଲୋଚ଼୍ୟ ଗବେଷଣାଲବ୍ଧ ପ୍ରକାଶିତ ବିବରଣୀରେ ହୃଦରୋଗ ଓ ହୃତଘାତ ସହ ଲିଙ୍ଗ କିମ୍ୱା ବୟସର ଅବତାରଣା କରାଯାଇ ନାହିଁ l ଅର୍ଥାତ ଯୁବାବସ୍ଥାଠାରୁ ବୃଦ୍ଧାବସ୍ଥା ଯାଏଁ ଜୀବନବ୍ୟାପୀ ପରିସ୍ଥିତିର ତର୍ଜମା କରାଯାଇଛି lସହରୀସଭ୍ୟତାରେ ଉଦବିଗ୍ନତା ବା‘ଏଙ୍ଗଜାଇଟି’ଓ କାର୍ଯ୍ୟଚ଼ାପ ବା ‘ଜବ ଷ୍ଟ୍ରେନ’କୁ ହୃଦରୋଗର ଅନ୍ୟତମ କାରଣରୂପେ ଚ଼ିହ୍ନଟ କରାଯାଉଥିବାବେଳେ ବର୍ତ୍ତମାନ ଏକାକୀତ୍ୱ ଓ ସାମାଜିକ ବିଚ୍ଛିନ୍ନବୋଧକୁ ମଧ୍ୟ ତଦ୍ଅନୁରୂପ ଗୁରୁତ୍ୱ ଦିଆଯାଉଛି l

 

ସ୍ୱାଧୀନୋତ୍ତର ଅବସ୍ଥାରେ ଆମ ଦେଶରେ ସାଧାରଣ ଜୀବଦ୍ଦଶା ୪୨ ରୁ ୭୨ ଯାଏଁ ପ୍ରାୟ ତିରିଶି ବର୍ଷ ବଢ଼ିଛି l ଫଳତଃ ବର୍ତ୍ତମାନ ସମଗ୍ର ଜନସଂଖ୍ୟାର ଦଶ ପ୍ରତିଶତ ବୃଦ୍ଧାବସ୍ଥାରେ ଉପନୀତ l ବିଭିନ୍ନ ସାମାଜିକ କାରଣରୁ ବାର୍ଦ୍ଧକ୍ୟରେ ଏକାକୀତ୍ୱ ଓ ସାମାଜିକ ବିଚ୍ଛିନ୍ନତାବୋଧ ବୃଦ୍ଧି ପାଇଚ଼ାଲିଥିବା ଲକ୍ଷ୍ୟ କରାଯାଇପାରେ l

 

ଏକାକୀତ୍ୱର ସଂଜ୍ଞା ନକାରାତ୍ମକ ମନୋଭାବ ଓ ଦୁଃଖରେ ପର୍ଯ୍ୟବସିତ l ସାମାଜିକ ସଂପର୍କହୀନ ତଥା ଅନ୍ୟସହ ଯୋଗାଯୋଗର ଅଭାବ ବ୍ୟକ୍ତିକୁ ଏକାକୀତ୍ୱବୋଧ ଅବସ୍ଥାକୁ ଟାଣିଆଣେ l ଯେ କୌଣସି ବୟସରେ ଏକାକୀତ୍ୱ ନିଦାନ କରାଯାଉଥିଲେ ହେଁ ପରିଣତ ବୟସରେ ଅନୁଭବୀଙ୍କ ସଂଖ୍ୟା ଅଧିକ l

 

ଏକାକୀତ୍ୱବୋଧ ଏକ ପ୍ରକ୍ରିୟା l ଏଥିରେ ଆକ୍ରାନ୍ତ ବ୍ୟକ୍ତି ସାଧାରଣତଃ ଦୀର୍ଘ ସମୟର ଅବଧିରେ କ୍ରମଶଃ ଭରାକ୍ରାନ୍ତ ହୋଇପଡ଼େ l ବିଭିନ୍ନ ଶାରୀରିକ ଓ ପାରିପାର୍ଶ୍ୱିକ ପରିସ୍ଥିତି ମନୁଷ୍ୟକୁ ଏକାକୀ ଅନୁଭବ କରିବାକୁ ବାଧ୍ୟ କରିଥାଏ l ବାର୍ଦ୍ଧକ୍ୟ ଅନୁଶୀଳନରେ ସଂପୃକ୍ତ ମଞ୍ଚଗୁଡ଼ିକରେ ଏହି ଅବସ୍ଥା ଲାଗି କେତୋଟି ବିଶିଷ୍ଟ କାରଣ ଚ଼ିହ୍ନଟ ହୋଇଥାଏ l

 

ପରିଣତ ବୟସରେ ବୃତ୍ତିରୁ ଅବ୍ୟାହତି ବା ଅବସର ଗ୍ରହଣ କର୍ମକ୍ଷେତ୍ରର ବନ୍ଧୁତ୍ୱ ତଥା ଧରାବନ୍ଧା କାର୍ଯ୍ୟସୂଚ଼ୀରେ ପୂର୍ଣ୍ଣଛେଦ ପକାଏl ଦୀର୍ଘକାଳଧରି ଅନୁଭୂତ ଦୈନନ୍ଦିନ ଜୀବନଯାତ୍ରା ହଠାତ ମୋଡ଼ ବଦଳାଇବା ଅବସ୍ଥାକୁ କେତେକ ଗ୍ରହଣ କରିପାରନ୍ତି ନାହିଁ l

 

ସରକାରୀ ଓ ବେସରକାରୀ କାର୍ଯ୍ୟକ୍ଷେତ୍ରରେ ନିୟୋଜିତ ବ୍ୟକ୍ତିବିଶେଷଙ୍କ ନିମନ୍ତେ ଏଭଳି ପରିବର୍ତ୍ତନ ନାଟକୀୟଭାବେ ଅନୁଭୂତ ହେଉଥିବାବେଳେ ଆତ୍ମନିଯୁକ୍ତଙ୍କ ପକ୍ଷରେ ତାହା କ୍ରମଶଃ ହୋଇପାରେ l ତେବେ ଶେଷୋକ୍ତ ବର୍ଗର ବ୍ୟକ୍ତିବିଶେଷ ମଧ୍ୟ ଯେ ଦିନେ ନା ଦିନେ ବୃତ୍ତିଗତ ଜୀବନରୁ ଅଲଗା ହୋଇଯାଅନ୍ତି ସେଥିରେ ସନ୍ଦେହ ନାହିଁ l ସବୁ ରକମର ଅବସର ଦୀର୍ଘଦିନ ଧରି ଅଭ୍ୟସ୍ତ ଜୀବନଧାରାରେ ପରିବର୍ତ୍ତନ ଆଣୁଥିବାହେତୁ ଅନେକଙ୍କ ପକ୍ଷେ ଖାପଖୁଆଇବା ସହଜ ହୁଏ ନାହିଁ l

 

ଦ୍ୱିତୀୟତଃ, ପ୍ରିୟଜନଙ୍କ ବିୟୋଗ ଅନେକଙ୍କୁ ଏକାକୀ କରିଦିଏ l ଦମ୍ପତ୍ତିଙ୍କ କ୍ଷେତ୍ରରେ ଛାଡ଼ପତ୍ର ବା ପରିବାର ସଦସ୍ୟ ତଥା ବନ୍ଦୁବାନ୍ଧବଙ୍କ ଦେଶାନ୍ତରଯାତ୍ରା ଭଳି ଅବସ୍ଥା ସମାନ ପରିବେଶ ସୃଷ୍ଟି କରିଥାଏ l

 

ତୃତୀୟତଃ, ଭଗ୍ନ ସ୍ୱାସ୍ଥ୍ୟ ଏବଂ କେତେକ ପରିସ୍ଥିତିରେ ଚଳପ୍ରଚଳହୀନତା ବ୍ୟକ୍ତିବିଶେଷଙ୍କୁ ଏକାକୀ କରିପକାଏ l

 

ଚତୁର୍ଥତଃ, ବନ୍ଧୁହୀନ ପରିବେଶ ଏକାକୀତ୍ୱବୋଧର ଅନ୍ୟତମ କାରଣ l ସ୍ୱଭାବଗତଭାବେ କିଛି ବ୍ୟକ୍ତି ବନ୍ଧୁ ସୃଷ୍ଟି କରିପାରନ୍ତି ନାହିଁ l ସେମାନଙ୍କ ପାଇଁ ଏକାକୀତ୍ୱ ଏକ ବିପଦ l

 

ଶେଷରେ, ଆର୍ଥିକ ଦୁଃସ୍ଥିତି ମଧ୍ୟ ଏକାକୀତ୍ୱବୋଧର ଅନ୍ୟତମ କାରଣରୂପେ ଗ୍ରହଣ କରାଯାଇଥାଏ l

 

ବ୍ରିଟେନ ଭଳି ଏକ ବିକଶିତ ରାଷ୍ଟ୍ରରେ ବର୍ଦ୍ଧିତ ଜୀବଦ୍ଦଶାରେ ୭୫ ବର୍ଷୋତ୍ତର ପ୍ରାୟ ଅର୍ଦ୍ଧେକ ବୃଦ୍ଧଜନ ଏକାକୀ ବସବାସ କରୁଥିବା ଗବେଷଣାରୁ ଜଣାଯାଏl ୬୫ ବର୍ଷୋତ୍ତର ପ୍ରତି ଦଶ ଜଣଙ୍କ ମଧ୍ୟରେ ଜଣେ ଏକାକୀ ଅନୁଭବ କରୁଥିବା ଅଭିଯୋଗ କରିଥାନ୍ତି l ଆମ ରାଜ୍ୟ କିମ୍ୱା ଦେଶରେ ପରିସଂଖ୍ୟାନ ଅଭାବରେ ବିଦେଶର ପରିସ୍ଥିତି ଊଣାଅଧିକେ ଅନ୍ତତଃପକ୍ଷେ ସହରକେନ୍ଦ୍ରୀକ ଜୀବନଲାଗି ପ୍ରଯୁଜ୍ୟ ବୋଲି ମନେ କରାଯାଇପାରେ l

 

ବ୍ରିଟେନରେ ଏକାକୀତ୍ୱଶୀକାର ବ୍ୟକ୍ତିବିଶେଷଙ୍କୁ ସହାୟତା ଯୋଗାଇବାଲାଗି ବିଭିନ୍ନ ଯୋଜନା ପ୍ରଣୟନ କରାଯାଉଥିବା ଦେଖିବାକୁ ମିଳେ l‘କ୍ୟାମ୍ପେନ ଟୁ ଏଣ୍ଡ ଲୋନଲିନେସ’ ଭଳି ସଂଗଠନ ଏକାକୀତ୍ୱ ସଂପର୍କରେ ଚ଼େତନା ସୃଷ୍ଟି କରୁଛି l ଜନସାଧାରଣ ଏକାକୀତ୍ୱର କାରଣ, ଲକ୍ଷଣ ଓ ନିରାକରଣ ସଂପର୍କରେ ଅବଗତ ହେଲେ ବ୍ୟକ୍ତିଗତ ଓ ସାମୂହିକସ୍ତରରେ ଏହାର ମୁକାବିଲା କରିବା ଲାଗି ଉଦ୍ୟମ କରିପାରିବେl

 

ସେଠାକାର ଅନେକ ନାଗରିକ ସମାଜ ପକ୍ଷରୁ ସ୍ୱେଚ୍ଛାସେବୀଙ୍କ ସହାୟତାରେ ଟେଲିଫୋନ ଯୋଗେ ଏକାକୀ ଅନୁଭବ କରୁଥିବା ବ୍ୟକ୍ତିବିଶେଷ, ବିଶେଷ କରି ବରିଷ୍ଠ ନାଗରିକଙ୍କ ସହ ସାମୟିକ କଥୋପକଥନର ସୁଯୋଗ ସୃଷ୍ଟି କରାଯାଉଛି l ସ୍ଥୁଳଭାବେ ଏହା ଏକ ସାଧାରଣ କାର୍ଯ୍ୟ ମନେ ହେଉଥିଲେ ହେଁ କ୍ଷଣିକଲାଗି ଏକାକୀତ୍ୱସ୍ଥିତି କଳ୍ପନାକରି ସେଥିରେ ନିଜକୁ ରଖିଲେ ଏହାର ଉପାଦୟତା ସହଜରେ ଆକଳନ କରିହୁଏ l ଆମ ରାଜ୍ୟ ତଥା ଦେଶରେ ପରିବର୍ତ୍ତିତ ପରିବେଶରେ ନିଃସଙ୍ଗ ବାର୍ଦ୍ଧକ୍ୟ ସଂପର୍କୀତ ସମସ୍ୟାର ମୁକାବିଲା ପାଇଁ ଭିତ୍ତିଭୂମି ସୃଷ୍ଟି ନିମନ୍ତେ ସାଧାରଣସ୍ତରରେ ବିଚ଼ାରବିମର୍ଷ ଅପରିହାର୍ଯ୍ୟ l

 ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ମାର୍ଚ୍ଚ ୨୦୧୮

***

ନୀରବତାର ତାଡ଼ନା

ନୀରବତାର ତାଡ଼ନାରେ ଅତିଷ୍ଠ ହୋଇ ସାମାନ୍ୟ କଥୋପକଥନର ସୁଯୋଗ ସୃଷ୍ଟି ନିମନ୍ତେ ଜାପାନର କେତେକ ବୟସ୍କ ମହିଳା ଜେଲରେ ବନ୍ଦୀ ଜୀବନ ପସନ୍ଦ କରୁଥିବା ତଥ୍ୟ ଅନେକଙ୍କୁବିସ୍ମିତ କରିବ ।

 

ଜାପାନର ଜେଲଗୁଡ଼ିକରେ କଏଦୀ ଜୀବନ ବିତାଉଥିବା ପ୍ରତି ପାଞ୍ଚ ଜଣ ମହିଳାଙ୍କ ମଧ୍ୟରେ ଜଣେ ବରିଷ୍ଠ ନାଗରିକ ଏବଂ ପ୍ରତି ଦଶ ଜଣଙ୍କ ମଧ୍ୟରେ ନଅ ଜଣ ଦୋକାନରୁ ଜିନିସପତ୍ର ଚ଼ୋରାଇବାଭଳି ସାମାନ୍ୟ ଅପରାଧରେ ଅଭିଯୁକ୍ତ । ଚ଼ୋରି ପାଇଁ ଜାପାନୀ ଆଇନରେ କଡ଼ା ଦଣ୍ଡବିଧି ପ୍ରାବଧାନ ଥିବା ହେତୁ ଅଭିଯୁକ୍ତଙ୍କୁ ବର୍ଷାଧିକ କାଳ କାରାବାସ ବିତାଇବାକୁ ପଡ଼ିଥାଏ । ତେବେ ଜେଲ ଜୀବନ ଅପେକ୍ଷାକୃତଭାବେ ଶୃଙ୍ଖଳିତ ଓ ସୌହାଦ୍ଦ୍ୟପୂର୍ଣ୍ଣ ମନେକରି କେତେକ ବୟସ୍କ ମହିଳା ବାରମ୍ୱାର ଅପରାଧରେ ଲିପ୍ତ ହେଉଥିବା ସ୍ଥାନୀୟ ସାମାଜିକ ଧାରାରେ ବିରୋଧାଭାସର ସୂଚ଼ନା ଦେଇଥାଏ ।

 

ଖ୍ୟାତନାମା ଆନ୍ତର୍ଜାତିକ ସମ୍ୱାଦ ପୋର୍ଟାଲ ‘ବ୍ଳୁମବର୍ଗ ଡ଼ଟ କମ’ରେ ୨୦୧୮ ପ୍ରାରମ୍ଭରେ ପ୍ରକାଶିତ ‘ଜାପାନସ ପ୍ରିଜନସ ଆର ଏ ହେଭେନ ଫର ଏଲଡ଼ରଲି ଉମେନ’ ଶୀର୍ଷକ ରିପୋର୍ଟରେ ଜାପାନର ବିକଶିତ ସାମାଜିକ ପୃଷ୍ଠଭୂମିରେ ନିଃସଙ୍ଗତା ଓ ସାମାଜିକ ବିଚ୍ଛିନ୍ନତାବୋଧର ଏକ ତଥ୍ୟାଶ୍ରିତ ବିବରଣୀ ଉପସ୍ଥାପିତ କରାଯାଇଥିଲା । ଜାପାନୀ ସାମ୍ୱାଦିକ ସିହୋ ଫୁକାଡ଼ା ଏହି ବିବରଣୀ ପ୍ରସ୍ତୁତ କରିବା ନିମନ୍ତେ ‘ପୁଲିଜାର ସେଣ୍ଟର ଅନ କ୍ରାଇସିସ ରିପୋର୍ଟିଂ’ ଏବଂ ‘ଇଣ୍ଟରନ୍ୟାସନାଲ ଉମେନ ମିଡ଼ିଆ ଫାଉଣ୍ଡେସନ’ ପକ୍ଷରୁ ବୃତ୍ତି ପାଇଥିଲେ । ଆନ୍ତର୍ଜାତିକସ୍ତରରେ କ୍ରମବର୍ଦ୍ଧିଷ୍ଣୁ ସାମାଜିକ ସମସ୍ୟାଗୁଡ଼ିକ ଅନୁଧ୍ୟାନ କରିବା ନିମନ୍ତେ ଏକାଧିକ ସାମ୍ୱାଦିକତା ବିକାଶ ସଂସ୍ଥା ଅନୁରୂପ ବୃତ୍ତି ପ୍ରଦାନ କରିଥାନ୍ତି ।

 

ସିହୋ ଫୁକାଡ଼ା ଆଲୋଚ଼୍ୟ ସମ୍ୱାଦ ରଚ଼ନା ନିମନ୍ତେ ଟୋକିଓଠାରୁ ୯୦ କିଲୋମିଟର ଦୂରବର୍ତ୍ତୀ ଟୋଚ଼ିଗି ଓ ହିରୋସୀମାଠାରୁ ୪୫ କିଲୋମିଟର ଦୂରବର୍ତ୍ତୀ ୟିୱାକୁନିଠାରେ ଅବସ୍ଥିତ ଦୁଇଗୋଟି ମହିଳା କାରାଗାର ପରିଦର୍ଶନ କରି ଅନ୍ତେବାସୀଙ୍କସହ ବିସ୍ତୃତ ସାକ୍ଷାତକାର ମାଧ୍ୟମରେ ତଥ୍ୟ ସଂଗ୍ରହ କରିଥିଲେ ।

 

ନିଜ ରିପୋର୍ଟରେ ଉଲ୍ଲେଖ କରିଥିବା ଛଅ ଜଣ ବୟସ୍କ ମହିଳାଙ୍କ ମଧ୍ୟରୁ ପ୍ରଥମ ଜଣଙ୍କ ବୟସ ୮୯ ବର୍ଷ । ତାଙ୍କରି ଏକ କନ୍ୟା ଓ ନାତି ଥିଲେ । କିଛି ଚ଼ାଉଳ ଓ ଷ୍ଟ୍ରାବେରୀ କୋଳି ପ୍ୟାକେଟ ଚ଼ୋରି କରି ସେ ଦେଢ଼ ବର୍ଷ କାରାବାସ ବିତାଉଥିଲେ । ଏଥି ପୂର୍ବରୁ ଥରେ ଜେଲ ଆସିଥିଲେ । ସେ ସରକାରୀ ପେନସନ ପାଆନ୍ତି, ତେବେ ତାଙ୍କରି ଜ୍ୱାଇଁ ସବୁତକ ଅର୍ଥ ନେଇଯାଆନ୍ତି ।

 

ଦ୍ୱିତୀୟ ମହିଳାଙ୍କ ବୟସ ୬୭ । ତାଙ୍କରି ସ୍ୱାମୀ, ଦୁଇ ପୁଅ ଓ ତିନିଜଣ ନାତିନାତୁଣୀ ଥିଲେ । ରିହାତି ଦରରେ ବିକ୍ରୀ ହେଉଥିବା ଦୋକାନରୁ ଲୁଗା ଚ଼ୋରି କରି ଦୁଇ ବର୍ଷ ତିନିମାସ କାରାବାସ ବିତାଉଥିଲେ । ଚ଼ୋରି ତାଙ୍କ ପାଇଁ ଏକ ସଉକ । ସେ ୨୦ ଥରରୁ ଅଧିକ ଲୁଗା ଚ଼ୋରି କରିଥିଲେ ହେଁ ଏଥରକ ଧରା ପଡ଼ିଥିଲେ । ତାଙ୍କରି ଜେଲ ଜୀବନ ପାଇଁ ସ୍ୱାମୀ ସହାନୁଭୂତି ପ୍ରଦର୍ଶନ କରୁଥିବାବେଳେ ପୁଅମାନେ ରାଗିଛନ୍ତି ଏବଂ ନାତିନାତୁଣୀ ଭାବନ୍ତି ଯେ ଜେଜେମା ହସପିଟାଲରେ ଭର୍ତ୍ତିହୋଇଛନ୍ତି ।

 

ତୃତୀୟ ମହିଳା ୮୦ ବର୍ଷ ବୟସ୍କ । ରନ୍ଧାବାସନଭଳି ଜିନିସ ଚ଼ୋରି କରି ଚ଼ତୁର୍ଥ ଥର ପାଇଁ ଅଢ଼େଇ ବର୍ଷ କାରାବାସ ବିତାଉଥିଲେ । ତାଙ୍କରି ସ୍ୱାମୀ, ପୁଅ ଓ ଝିଅ ଥିଲେ । ସେ କୋଡ଼ିଏ ବର୍ଷ ଧରି ରବର କାରଖାନା ଓ ହସପିଟାଲରେ କାମ କରିଥିଲେ । ଛଅ ବର୍ଷ ତଳେ ସ୍ୱାମୀ ହୃଦଘାତ ହେତୁ ଶଯ୍ୟାଶାୟୀ ହୋଇଯିବା ପରେ ଭାଙ୍ଗି ପଡ଼ିଲେ । ସତୁରି ବର୍ଷ ବୟସରେ ସେ ପ୍ରଥମଥର ପାଇଁ ଜେଲ ଆସିଥିଲେ । ତା’ପରଠାରୁ ପ୍ରାୟତଃ ଘରକୁ ଫେରିବାକୁ ଅମଙ୍ଗ । ଛୋଟମୋଟ ଚ଼ୋରି କରି ଜେଲରେ ରହିବା ପସନ୍ଦ କରିଥାନ୍ତି । ତାଙ୍କରି ପୁଅ ଏଭଳି ଚ଼ୋରିକୁ ମାନସିକ ରୋଗ ବିଚ଼ାର କରି ହସପିଟାଲରେ ଚ଼ିକିତ୍ସା କରାଇବା ଯୋଜନା କରିଥିଲା ।

 

ଚ଼ତୁର୍ଥ ମହିଳାଙ୍କ ବୟସ ୮୦ । ବହି ଦୋକାନର ପେପରବ୍ୟାକ ଉପନ୍ୟାସ ଖଣ୍ଡେ ଚ଼ୋରିକରି ତିନିବର୍ଷ ଦୁଇ ମାସ ଦଣ୍ଡିତ । ତାଙ୍କରି ସ୍ୱାମୀ, ଦୁଇ ପୁଅ ଓ ଛଅଜଣ ନାତିନାତୁଣୀ ଥିଲେ । ସେ କହିଥିଲେ ଯେ ଆର୍ଥିକ ଦିଗରୁ ତାଙ୍କରି ପରିବାର ସ୍ୱଚ୍ଛଳ । କିନ୍ତୁ ସେ ଏକୁଟିଆ ବୋଧ କରନ୍ତି, ତାଙ୍କରି କଥା ଶୁଣିବା ଲାଗି କେହି ଆଗ୍ରହୀ ନଥାନ୍ତି । ଜେଲରେ ବହୁ ଲୋକଙ୍କ ଗହଳଚହଳ ତାଙ୍କୁ ଭଲ ଲାଗେ ।

 

ପଞ୍ଚମ ମହିଳା ୭୪ ବର୍ଷ ବୟସ୍କ କୋକା-କୋଲା ଭଳି ମୃଦୁପାନୀୟ ବୋତଲ ଚ଼ୋରିକରି ତୃତୀୟ ଥର ଲାଗି ଜେଲ ଆସିଥିଲେ । ତାଙ୍କର ପୁଅଟିଏ ଓ ଝିଅଟିଏ ଥିଲେ । ପେନସନ ଟଙ୍କାରେ ଚଳୁଥିବା ହେତୁ ଗଭୀର ଆର୍ଥିକ ଅନାଟନ ମଧ୍ୟଦେଇ ଗତି କରୁଥିବା ସେ ସ୍ୱୀକାର କରିଥିଲେ । ଜେଲ ଜୀବନ ଅପେକ୍ଷାକୃତଭାବେ ତାଙ୍କ ପାଇଁ ଆରାମଦାୟକ ବୋଧ ହୋଇଥାଏ ।

 

ଷଷ୍ଠ ମହିଳା ୭୮ ବର୍ଷ ବୟସ୍କ କଫି, ଚ଼ା, ଆମ୍ୱଭଳି ଜିନିଷ ଚ଼ୋରି କରି ତୃତୀୟ ଥର ଲାଗି ବର୍ଷେ ପାଞ୍ଚମାସ ଦଣ୍ଡିତ । ତାଙ୍କରି ଝିଅ ଓ ନାତି ଥିଲେ ।ଜେଲରେ ବ୍ୟକ୍ତିଗତ ସ୍ୱାଧୀନତା ନଥିଲେ ହେଁ ଦିନକୁ ତିନିବେଳା ଭଲ ଖାଇବାକୁ ମିଳେ, କଥାବର୍ତ୍ତାଲାଗି ଲୋକ ମିଳିଯାଆନ୍ତି, ମୋଟାମୋଟି ଭାବେ କୌଣସି ସମସ୍ୟା ନଥାଏ ।

 

ଜାପାନରେ କ୍ରମବର୍ଦ୍ଧିଷ୍ଣୁ ବରିଷ୍ଠ ନାଗରିକଙ୍କ ଜୀବନଚ଼ର୍ଯ୍ୟା ସମସ୍ୟାବହୁଳ ହୋଇପଡ଼ିଛି । ଦେଶର ଜନସଂଖ୍ୟାର ୨୭.୩ ପ୍ରତିଶତ ୬୫ ବର୍ଷରୁ ଉର୍ଦ୍ଧ୍ୱ ବୟସରେ ପହଞ୍ଚୁଥିବା ବେଳେ ପ୍ରାୟ ୬୦ ଲକ୍ଷ ବରିଷ୍ଠ ନାଗରିକ ଏକୁଟିଆ ବସବାସ କରୁଛନ୍ତି । ୧୯୮୦ ରୁ ୨୦୧୫ ମଧ୍ୟରେ ଏକୁଟିଆ ଜୀବନ ବିତାଉଥିବା ବୃଦ୍ଧଜନ ସଂଖ୍ୟା ଛଅଗୁଣ ବଢ଼ିଯାଇଥିବା ହିସାବ କରାଯାଇଛି ।

 

ଟୋକିଓ ନଗର ପ୍ରଶାସନର ତଥ୍ୟ ଅନୁଯାୟୀ ସାମାନ୍ୟ ଚ଼ୋରିରେ ସଂପୃକ୍ତ ହେଉଥିବା ଅର୍ଦ୍ଧେକ ବରିଷ୍ଠ ନାଗରିକ ଏକାକୀ ରହୁଥିବା ତଥା ୪୦ ପ୍ରତିଶତଙ୍କ ପରିବାର ନଥାଏ କିମ୍ୱା ପରିବାରବର୍ଗଙ୍କ ସହ କଥାବାର୍ତ୍ତାର ସୁଯୋଗ ପାଉନଥାନ୍ତି । ନୀରବତାର ତାଡ଼ନାରେ କେତେକ ଜେଲରେ ବନ୍ଦୀ ଜୀବନକୁ ପସନ୍ଦ କରିବାକୁ ପଛାଉ ନାହାନ୍ତି । ଅନ୍ତତଃପକ୍ଷେ କଏଦୀଙ୍କ ଗହଳଚହଳ ସେମାନଙ୍କ ଏକାକୀତ୍ୱକୁ ଲାଘବ କରିବ ବୋଲି ଧରି ନେଇଥାନ୍ତି ।

 

ବାର୍ଦ୍ଧକ୍ୟରେ ନୀରବତା ପରିବେଶ ଏକ ଅସମାହିତ ସଂଘର୍ଷ । ସହରୀ ଜୀବନରେ କର୍ମକ୍ଷେତ୍ରରୁ ଅବସରପରେ ଲୋକସଂପର୍କ ଶୀଥିଳ ହୋଇଆସେ । ଉତ୍ତର-ବାର୍ଦ୍ଧକ୍ୟରେ ପହଞ୍ଚିବା ବେଳକୁ ବନ୍ଧୁପରିଜନ ମରିହଜି ଯାଆନ୍ତି । ଏକାନ୍ନବର୍ତ୍ତୀ ପାରିବାରିକ ଢ଼ାଞ୍ଚାର ବିଲୋପ ତଥା ଗ୍ରାମ୍ୟସଭ୍ୟତାର ଚ଼ିହ୍ନାପରିଚିତି ସହରାଞ୍ଚଳରେ ଅଭାବ କାରଣରୁ ହଠାତ ମଣିଷଟିଏ ଏକୁଟିଆ ହୋଇପଡ଼େ । ଭଗ୍ନ ସ୍ୱାସ୍ଥ୍ୟ ଓ ଆର୍ଥିକ ଅନାଟନ ସାଙ୍ଗକୁ ଦୀର୍ଘ ନୀରବତା ତା’ ଜୀବନକୁ ଅସହ୍ୟ କରିପକାଏ ।

 

ଦ୍ୱିତୀୟ ବିଶ୍ୱଯୁଦ୍ଧୋତ୍ତର ଅବସ୍ଥାରେ ଦ୍ରୁତ ଶିଳ୍ପାୟନ ହେତୁ ଜାପାନର ଗ୍ରାମ୍ୟ ସଭ୍ୟତା ଓ ପାରିବାରିକ ଜୀବନ ଏକ ରକମ ଲୋପ ପାଇ ଯାଇଥିଲା । ସପ୍ତମ, ଅଷ୍ଟମ ଓ ନବମ ଦଶକରେ ଜାପାନ ଆନ୍ତର୍ଜାତିକସ୍ତରରେ ଏକ ବୃହତ ଅର୍ଥନୀତିଭାବେ ଦଣ୍ଡାୟମାନ ହେଲା ସତ, କିନ୍ତୁ ଚଳିତ ଶତାଦ୍ଦୀ ପ୍ରାରମ୍ଭରୁ ଅର୍ଥନୀତି ଭୁଷୁଡ଼ିଯିବା ଅବସ୍ଥାରେ ବୟୋବୃଦ୍ଧମାନେ ବିଷମ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ବିକଳ୍ପ ଭିତ୍ତିଭୂମିର ଅଭାବ ପ୍ରାୟ ଏକ ତୃତୀୟାଂଶ ଜନସଂଖ୍ୟାକୁ ଥଇଥାନ କରିବାରେ ବିଫଳ ପ୍ରମାଣିତ ହେବାରେ ଲାଗିଛି ।

 

ଅବଶ୍ୟ ଜାପାନ ସରକାରଙ୍କ ପକ୍ଷରୁ ପରିସ୍ଥିତିର ମୁକାବିଲା କରିବା ନିମନ୍ତେ ଉଦ୍ୟମ ଅବ୍ୟାହତ ରହିଛି । ୨୦୧୬ରେ ପ୍ରଣୀତ ବରିଷ୍ଠ ନାଗରିକ କଲ୍ୟାଣ ଲାଗି ନୂତନ ଆଇନରେ ଅତିରିକ୍ତ ସେବାର ପ୍ରାବଧାନ କରାଯାଇଛି । ତେବେ ସମସ୍ୟା କ୍ରମଶଃ ଜଟିଳ ହେବାରେ ଲାଗିଛି । ପ୍ରତିବେଶୀ ରାଷ୍ଟ୍ରର ନୀତିନିର୍ଦ୍ଧାରକମାନେ ଏଭଳି ଉଦାହରଣରୁ ବହୁ କଥା ଶିଖିବାର ରହିଛି ।

 

ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ମେ ୨୦୧୮

***

ଏକାକୀ ବାର୍ଦ୍ଧକ୍ୟ

ସମାଜ ଗଠନରେ ବ୍ୟକ୍ତି ମୌଳିକ ଉପାଦାନ ରୂପେ ବିବେଚ଼ିତ ହେଉଥିଲେହେଁ ବ୍ୟକ୍ତି ସମୂହଙ୍କୁ ନେଇ ପରିବାର ଓ ସମ୍ପ୍ରଦାୟ ଜନଜୀବନରେ ପ୍ରଭାବଶାଳୀ ଭୂମିକା ନିର୍ବାହ କରେ । ପରିବାରରେ ଦମ୍ପତି, ସନ୍ତାନସନ୍ତତି ଓ ପିତାମାତା, ରକ୍ତ ସଂପର୍କୀୟ ସଦସ୍ୟ । କେତେକ ପରିବାରକୁ ନେଇ ସମ୍ପ୍ରଦାୟର ସୃଷ୍ଟି । ଏହି ପାରମ୍ପରିକ ଆଙ୍ଗିକରେ କିଛି ବ୍ୟକ୍ତି ଦୀର୍ଘ ସମୟ ବା ଜୀବନବ୍ୟାପୀ ଏକାକୀ ବିତାଇଥାନ୍ତି । ଉଲ୍ଲେଖଯୋଗ୍ୟ ବିଷୟ ଏହିଯେ ସମୟକ୍ରମେ ପରିବାରରୁ ବିଚ୍ଛିନ୍ନ ଏକାକୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ହିସାବ କରାଯାଉଛି ।

 

ମନୁଷ୍ୟର ଏକାକୀ ଜୀବନଯାତ୍ରା ସଂପର୍କରେ ଅଧ୍ୟୟନ ସୀମିତ । ଜୀବନର ବିଭିନ୍ନ ପର୍ଯ୍ୟାୟ ତୁଳନାରେ ବାର୍ଦ୍ଧକ୍ୟରେ ଏକାକୀ ଜୀବନଯାପନ ସମସ୍ୟାବହୁଳ ପ୍ରତୀୟମାନ ହୋଇଥାଏ । ମାର୍କିନ ଗବେଷଣା ପ୍ରତିଷ୍ଠାନ ‘ପିଉ ରିସର୍ଚ୍ଚ ସେଣ୍ଟର’ପକ୍ଷରୁ ୨୦୨୦ରେ ପ୍ରକାଶିତ ତଥ୍ୟ ଅନୁଯାୟୀ ୧୩୦ ଗୋଟି ରାଷ୍ଟ୍ରରେ ଆୟୋଜିତ ଏକ ଅନୁଧ୍ୟାନରୁ ବରିଷ୍ଠ ନାଗରିକଙ୍କ ମଧ୍ୟରୁ ୧୬ ପ୍ରତିଶତ ଏକାକୀ ଜୀବନଯାପନ କରୁଥିବା ଜଣାଯାଇଥିଲା । ଏକାକୀ ବାର୍ଦ୍ଧକ୍ୟ ଜୀବନଚର୍ଯ୍ୟା ନିମନ୍ତେ ପାରିବାରିକ, ଅର୍ଥନୀତିକ, ସାଂସ୍କୃତିକ, ଧାର୍ମିକ ପ୍ରଭାବ ତଥା ବ୍ୟକ୍ତିଗତ ଋଚିକୁ ଦାୟୀ କରାଯାଏ ।

 

କେତେକ କ୍ଷେତ୍ରରେ ପାରିବାରିକ ସଦସ୍ୟ ସଂଖ୍ୟା କମିଯାଉଥିବା କିମ୍ୱା ଦେଶାନ୍ତର ଗମନ କରୁଥିବା ହେତୁ ବରିଷ୍ଠ ନାଗରିକମାନେ ବାଧ୍ୟବାଧକତାରେ ଏକାକୀ ବସବାସ କରନ୍ତି । ସ୍ୱଚ୍ଛଳ ଆର୍ଥିକ ସ୍ଥିତି ମଧ୍ୟ କେତେକଙ୍କୁ ଏକାକୀ ଜୀବନ ବିତାଇବା ନିମନ୍ତେ ପ୍ରୋତ୍ସାହିତ କରିଥାଏ । ସାଂସ୍କୃତିକ ଓ ଧାର୍ମିକ ରୀତିନୀତି ଅନେକ କ୍ଷେତ୍ରରେ ଜୀବନଶୈଳୀ ନିର୍ଦ୍ଧାରଣ କରେ । ସର୍ବୋପରି ସ୍ୱାଧୀନଚ଼େତା ବ୍ୟକ୍ତିଗଣ ମଧ୍ୟ ରୁଚ଼ି ଅନୁଯାୟୀ ଏକାକୀ ବାର୍ଦ୍ଧକ୍ୟ ଜୀବନଚର୍ଯ୍ୟାକୁ ଆବୋରି ନେଇଥାନ୍ତି ।

 

ବିଶେଷଜ୍ଞମାନେ ଆନ୍ତର୍ଜାତିକସ୍ତରରେ ପ୍ରମୁଖ ଧର୍ମାବଲମ୍ୱୀଙ୍କ ମଧ୍ୟରେ ହିନ୍ଦୁ ବରିଷ୍ଠ ନାଗରିକଙ୍କ ବାର୍ଦ୍ଧକ୍ୟ ଜୀବନ ଅପେକ୍ଷାକୃତଭାବେ ସଂପ୍ରସାରିତ ପରିବାରଗହଣରେ ଅତିବାହିତ ହେଉଥିବା ଚ଼ିହ୍ନଟ କରିଥାନ୍ତି । ପ୍ରତି ଦଶ ଜଣ ବରିଷ୍ଠ ନାଗରିକଙ୍କ ମଧ୍ୟରୁ ସାତ ଜଣ ପରିବାର ସାନ୍ନିଧ୍ୟରେ ବାର୍ଦ୍ଧକ୍ୟ କଟାଇଥାନ୍ତି । ତେବେ ବିଶ୍ୱବ୍ୟାପୀ ବାର୍ଦ୍ଧକ୍ୟଗ୍ରସ୍ତଙ୍କ ମଧ୍ୟରେ କେତେଗୋଟି କ୍ଷେତ୍ରରେ ସମତୁଲ ଧାରା ପ୍ରଚଳିତ । ଏକାକୀ ଜୀବନ ଯାପନ କରୁଥିବା ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ସଂଖ୍ୟା ଅଧିକ । ମହିଳାମାନଙ୍କ କ୍ଷେତ୍ରରେ ୨୦ ପ୍ରତିଶତ ଓ ପୁରୁଷମାନଙ୍କ କ୍ଷେତ୍ରରେ ୧୧ ପ୍ରତିଶତ ବାର୍ଦ୍ଧକ୍ୟରେ ଏକାକୀ ଜୀବନ ଅତିବାହିତ କରିଥାନ୍ତି । ଅନ୍ୟାନ୍ୟ ପ୍ରଭାବ ମଧ୍ୟରେ ପୁରୁଷମାନଙ୍କ ତୁଳନାରେ ମହିଳାମାନଙ୍କ ଜୀବଦ୍ଦଶା କିଛି ବର୍ଷ ଅଧିକ ରହୁଥିବାକୁ ଏହି ଧାରାର ପ୍ରମୁଖ କାରଣରୂପେ ଧରିନିଆଯାଏ ।

 

ସେହିପରି ଯେଉଁମାନେ ପାରିବାରିକ ପରିବେଶରେ ବସବାସ କରନ୍ତି, ବାର୍ଦ୍ଧକ୍ୟାବସ୍ଥାରେ ସେମାନଙ୍କ ପରିବାରର ଆକାର ସଂକୁଚିତ ହୋଇପଡୁଥିବା ଦେଖାଯାଏ । ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକରେ ଗବେଷଣାରୁ ପ୍ରକାଶ ଯେ ୧୮ରୁ ୫୯ ବର୍ଷ ଜୀବନରେ ବ୍ୟକ୍ତିଟିଏ ୪.୭ ସଦସ୍ୟ ବିଶିଷ୍ଟ ପରିବାରରେ ଜୀବନ କାଟିଥିବାବେଳେ ୬୦ ବର୍ଷୋତ୍ତର ଅବସ୍ଥାରେ ତାହା ୩.୪ ପ୍ରତିଶତକୁ କମି ଆସେ । ଆଧୁନିକ ଜୀବନଯାତ୍ରାରେ ଶ୍ରମସଂସ୍ଥାନରେ ପରିବାର ସଦସ୍ୟଙ୍କ ଦେଶାନ୍ତର ଗମନ ଏହି କ୍ଷେତ୍ରରେ ଏକ ମୁଖ୍ୟ କାରଣ ରୂପେ ଚ଼ିହ୍ନଟ କରାଯାଏ । ବାର୍ଦ୍ଧକ୍ୟରେ ଏକାକୀ ଜୀବନଯାତ୍ରା ଅଧ୍ୟୟନ ମୁଖ୍ୟତଃ ବିକଶିତ ରାଷ୍ଟ୍ରଗୁଡ଼ିକରେ ସଂଗୃହୀତ ପରିସଂଖ୍ୟାନ ଆଧାରିତ । ଚଳନ୍ତି ପ୍ରବାହରେ ବିକଶିତ ଅର୍ଥନୀତିରେ ଅଧିକ ସଂଖ୍ୟକ ବରିଷ୍ଠ ନାଗରିକ ଏକାକୀ ଜୀବନଯାପନ କରୁଥିବା ଏବଂ ବାର୍ଦ୍ଧକ୍ୟରେ ସ୍ୱାଧୀନ ଜୀବନଚ଼ର୍ଯ୍ୟା ନିମନ୍ତେ ମାନସିକତା ବୃଦ୍ଧି ସୂଚ଼ିତ ହୋଇଥାଏ । ଅପରପକ୍ଷେ ବିକାଶଶୀଳ ଅର୍ଥନୀତିରେ ଗବେଷଣା ନିମନ୍ତେ ତଥ୍ୟ ଅଭାବ ଲାଗିରହିଥାଏ ।

 

ବାର୍ଦ୍ଧକ୍ୟ ଜୀବନଯାତ୍ରାକୁ ପାଶ୍ଚାତ୍ୟ ବିଶେଷଜ୍ଞମାନେ ତିନିଗୋଟି ପର୍ଯ୍ୟାୟରେ ବିଭକ୍ତ କରନ୍ତି । ବାର୍ଦ୍ଧକ୍ୟରେ ୬୫ରୁ ୭୪ ବର୍ଷ ବୟସ ସୀମାକୁ ପ୍ରଥମ ସୋପାନ ‘ୟଙ୍ଗ ଓଲଡ଼’, ୭୫ରୁ ୮୪ ବର୍ଷ ବୟସ ସୀମାକୁ ଦ୍ୱିତୀୟ ସୋପାନ ‘ମିଡ଼ିଲ ଓଲଡ଼’ ଓ ୮୫ ବର୍ଷୋତ୍ତର ଜୀବନକୁ ତୃତୀୟ ସୋପାନ ‘ଓଲଡ଼େଷ୍ଟ ଓଲଡ଼’ ନାମିତ । ଗବେଷଣାରୁ ଜଣାଯାଏ ଯେ ସମକାଳରେ ୬୦ ବର୍ଷରେ ପାଦ ଦେବାବେଳେ ଅଧିକାଂଶଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ‘ନରମାଲ’ ଥାଏ । କିନ୍ତୁ ବୟସ ବୃଦ୍ଧି ସଙ୍ଗେ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଦେଖାଦିଏ । ସ୍ୱାସ୍ଥ୍ୟାବସ୍ଥା ବ୍ୟକ୍ତିବିଶେଷଙ୍କ ବାର୍ଦ୍ଧକ୍ୟ ଜୀବନକୁ ସର୍ବାଧିକ ପ୍ରଭାବିତ କରେ । ମୁଖ୍ୟତଃ ସେ ଏକାକୀ ବସବାସ କରିବେ ନା ଆଶ୍ରିତ ଜୀବନଯାପନ କରିବେ ସ୍ୱାସ୍ଥ୍ୟାବସ୍ଥା ଉପରେ ନିର୍ଭରଶୀଳ ।

 

ସାଧାରଣରେ ସ୍ୱାସ୍ଥ୍ୟାବସ୍ଥା ବାଦେ ସମ୍ୱଳ ଓ ରୁଚ଼ି ବ୍ୟକ୍ତିର ବାର୍ଦ୍ଧକ୍ୟ ଜୀବନଯାତ୍ରାରେ ପ୍ରଭାବଶାଳୀ । ବ୍ୟକ୍ତିଗତ ଓ ସାମାଜିକ ଭିତ୍ତିଭୂମି, ସେବା ଓ ପ୍ରବାହ ‘ଟ୍ରେଣ୍ଡ’ ବିକଶିତ ରାଷ୍ଟ୍ରଗୁଡ଼ିକରେ ବାର୍ଦ୍ଧକ୍ୟରେ ଏକାକୀ ଜୀବନଯାତ୍ରାକୁ ପ୍ରୋତ୍ସାହିତ କରିଥାଏ । ଦେଖାଯାଏ ଯେ ବସ୍ତୁବାଦୀ ଓ ପ୍ରଗତିଶୀଳମାନେ ସ୍ୱାଧୀନ ଜୀବନଯାତ୍ରାକୁ ପସନ୍ଦ କରନ୍ତି । ଉଚ୍ଚ ଶିକ୍ଷିତଙ୍କ ମଧ୍ୟରେ ଏକାକୀ ବାର୍ଦ୍ଧକ୍ୟ ଜୀବନଯାପନ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ଅଧିକ । ଉଚ୍ଚ ଶିକ୍ଷିତମାନେ ଆର୍ଥିକ ଦିଗରୁ ସ୍ୱଚ୍ଛଳ, ଅପେକ୍ଷାକୃତଭାବେ ଛାଡ଼ପତ୍ର ଆକ୍ରାନ୍ତ ଏବଂ ଏକାକୀ ଜୀବନଯାତ୍ରାଲାଗି ମାନସିକତାରେ ପ୍ରଭାବିତ । ଏହି ବର୍ଗର ବରିଷ୍ଠ ନାଗରିକମାନେ ନିଜ ବାର୍ଦ୍ଧକ୍ୟକୁ ଅନ୍ୟ ଉପରେ ବୋଝ ଭାବେ ଲଦି ଦେବାରେ ବିଶ୍ୱାସ କରନ୍ତି ନାହିଁ ।

 

ଅବଶ୍ୟ ସ୍ୱାସ୍ଥ୍ୟାବସ୍ଥା କାରଣରୁ କେତେକ କ୍ଷେତ୍ରରେ ବାର୍ଦ୍ଧକ୍ୟ ଜୀବନଯାତ୍ରା ବ୍ୟକ୍ତି ବଦଳରେ ପରିବାର, ପରିଚ଼ିତବର୍ଗ କିମ୍ୱା ସାମାଜିକ ନିଷ୍ପତି ଉପରେ ନିର୍ଭର କରେ । ଉଦାହରଣରେ ମତିଭ୍ରମ ଶୀକାର ହେବାପରେ ବ୍ୟକ୍ତି ନିଷ୍ପତି ଗ୍ରହଣ କରିବା ତଥା ଦୈନନ୍ଦିନ ଜୀବନଚର୍ଯ୍ୟାଲାଗି ଅସହାୟ ହୋଇପଡ଼ିବା ପରେ ବ୍ୟକ୍ତିଗତ ସ୍ୱାଧୀନତା ହରାଇବାକୁ ବାଧ୍ୟ ହୋଇଥାଏ । ଏକାକୀ ମୃତ୍ୟୁ-ସମୀପ ଜୀବନଯାତ୍ରା ଲାଗି ବ୍ୟକ୍ତିଗତ ନିଷ୍ପତି, ଅର୍ଥନୀତିକ ସ୍ଥିତି ଏବଂ ପରିବାର-ସମ୍ପ୍ରଦାୟ-ସାମାଜିକ କ୍ଷେତ୍ରରେ ଉପଲବ୍ଧ ସୁବିଧା ସୁଯୋଗ ଉପରେ ନିର୍ଭରଶୀଳ । ଏହି କ୍ଷେତ୍ରରେ ପ୍ରବାହମାନ ସାଂସ୍କୃତିକ ଧାରା ପ୍ରଭାବଶାଳୀ ବିବେଚ଼ିତ ।

 

ବିଂଶ ଶତାଦ୍ଦୀ ଦ୍ୱିତୀୟାର୍ଦ୍ଧରୁ ବିଶ୍ୱବ୍ୟାପୀ ମନୁଷ୍ୟର ଜୀବଦ୍ଦଶା ବୃଦ୍ଧି ଏବଂ ସହରୀକରଣ ହେତୁ ସଂପ୍ରସାରିତ ପରିବାରର ଅବୟବ ଓ ସଦସ୍ୟ ସଂଖ୍ୟା ହ୍ରାସ ପାରିବାରିକ ପରିବେଶରେ ବାର୍ଦ୍ଧକ୍ୟ ଜୀବନଚର୍ଯ୍ୟା ସୁଯୋଗ କ୍ରମଶଃ କମି ଆସିବାରେ ଲାଗିଲା । ଫଳରେ ପାଶ୍ଚାତ୍ୟ ଭୂଖଣ୍ଡରେ ଊନବିଂଶ ଶତାଦ୍ଦୀରୁ ଆରମ୍ଭ ହୋଇଥିବା ବାର୍ଦ୍ଧକ୍ୟରେ ସାମାଜିକ ଯତ୍ନ ତତ୍ତ୍ୱର ଗୁରୁତ୍ୱ ବଢ଼ିଲା । ଏକବିଂଶ ଶତାଦ୍ଦୀ ସୁଦ୍ଧା ବିକଶିତ ରାଷ୍ଟ୍ରଗୁଡ଼ିକରେ ବୃତ୍ତିଧାରୀଙ୍କ ସହାୟତାରେ ବାର୍ଦ୍ଧକ୍ୟ ଜୀବନଯାତ୍ରାର ସୁବିଧା ସୁଯୋଗ ନିଜସ୍ୱ ରୁଚ଼ି କିମ୍ୱା ବାଧ୍ୟବାଧକତା, ଉଭୟ କାରଣରୁ ଏକାକୀ ବସବାସ କରୁଥିବା ବାର୍ଦ୍ଧକ୍ୟଗ୍ରସ୍ତଙ୍କୁ ସହାୟତା ଯୋଗାଇଲା ।

 

ପାରିବାରିକ ଆଙ୍ଗିକରେ ବୈଧବ୍ୟ ଏକାକୀ ଜୀବନଯାତ୍ରା ଲାଗି ଅନ୍ୟ ଏକ ବାଧ୍ୟବାଧକତା । ଭାରତ ବା ଓଡ଼ିଶାରେ ବିଧବା ମହିଳାମାନଙ୍କ ଥାଇଥାନଲାଗି ଊନବିଂଶ ଶତାଦ୍ଦୀ ଦ୍ୱିତୀୟାର୍ଦ୍ଧରେ ଆଧୁନିକ ଶିକ୍ଷାଦୀକ୍ଷାର ପ୍ରସାର ସଙ୍ଗେ ସମାଜ ସଂସ୍କାରରେ ଅନ୍ୟତମ ମୁଖ୍ୟ ପ୍ରସଙ୍ଗ ରୂପେ ମୁଣ୍ଡ ଟେକିଥିଲା । ସ୍ୱାଧୀନୋତ୍ତର ଅବସ୍ଥାରେ ମହିଳା ସଶକ୍ତିକରଣ ଦିଗରେ ଦୀର୍ଘସୂତ୍ରୀ ଉଦ୍ୟମରେ ବିଧବା ମହିଳାମାନେ ଅନ୍ତତଃପକ୍ଷେ କେତେକ ମୌଳିକ ସୁବିଧାସୁଯୋଗ ହାସଲ କରିବାରେ ସକ୍ଷମ ହୋଇଛନ୍ତି । ସକ୍ରିୟ ଜୀବନରେ ଉତ୍ତର-ଜୀବନଯାତ୍ରା ନିମନ୍ତେ ଆର୍ଥିକ ସଞ୍ଚୟ ଅଭାବ ଉଭୟ ପୁରୁଷ ଓ ମହିଳାଙ୍କୁ ଆୟରହିତ ବାର୍ଦ୍ଧକ୍ୟ ଜୀବନଯାତ୍ରାକୁ ସମସ୍ୟାବହୁଳ କରୁଥିବା ଦେଖିବାକୁ ମିଳେ । ଅନାଗତ ଭବିଷ୍ୟତ ପ୍ରତି ସଚ଼େତନଙ୍କ ସଂଖ୍ୟା ଉଭୟ ବିକଶିତ ଓ ବିକାଶଶୀଳ ଅର୍ଥନୀତି, ସର୍ବତ୍ର ନିମ୍ନ ସ୍ତରରେ ରହିଥିବା ପ୍ରମାଣିତ ।

 

ବିକଶିତ ରାଷ୍ଟ୍ରଗୁଡ଼ିକରେ ବିଭିନ୍ନ ବୟସବର୍ଗରେ ଏକାକୀ ଜୀବନଯାପନ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ‘ପିଉ ରିସର୍ଚ୍ଚ ସେଣ୍ଟର’ ପକ୍ଷରୁ ୨୦୨୧ରେ ଆୟୋଜିତ ସର୍ବେକ୍ଷଣରୁ ଜଣାଯାଇଥିଲା ଯେ ଯୁକ୍ତରାଷ୍ଟ୍ର ଆମେରିକାରେ ସମୁଦାୟ ଜନସଂଖ୍ୟାର ୨୯ ପ୍ରତିଶତ ୧୯୯୦ ବେଳକୁ ଏକାକୀ ଜୀବନଚର୍ଯ୍ୟା କରୁଥିବା ସ୍ଥଳେ ୨୦୨୧ରେ ୪୦ ପ୍ରତିଶତକୁ ବୃଦ୍ଧି ପାଇଥିଲା । ଏଥି ମଧ୍ୟରୁ ଅର୍ଦ୍ଧେକ, ଅର୍ଥାତ ୨୦ ପ୍ରତିଶତ ଭବିଷ୍ୟତ ଜୀବନରେ ବିବାହ ବନ୍ଧନରେ ଆବଦ୍ଧ ହେବା ନିମନ୍ତେ ଅନିଚ୍ଛୁକ ଥିଲେ ବୋଲି ୨୦୨୦ରେ ପ୍ରକାଶିତ ଅନ୍ୟ ଏକ ଗବେଷଣାରେ ସୂଚ଼ିତ ହୋଇଥିଲା । ସେହିପରି ଜାପାନରେ ମଧ୍ୟ ଏକାକୀଙ୍କ ସଂଖ୍ୟା ୪୦ ପ୍ରତିଶତରେ ପହଞ୍ଚିଛି ।

 

ବାର୍ଦ୍ଧକ୍ୟରେ ଏକାକୀ ବସବାସ କରୁଥିବା ବ୍ୟକ୍ତିବିଶେଷଙ୍କ ସଂଖ୍ୟା ପୂର୍ବବର୍ଣ୍ଣିତ ତଥ୍ୟ ଅନୁଯାୟୀ ଭାରତରେ ବରିଷ୍ଠ ନାଗରିକଙ୍କ ଜନସଂଖ୍ୟାର ତିରିଶ ପ୍ରତିଶତ ହିସାବ କରାଗଲେ ଏହା ଏକ ଦୃଷ୍ଟି ଆକର୍ଷକ ସଂଖ୍ୟା । ଅବଶ୍ୟ ବୃଦ୍ଧ ଜନସଂଖ୍ୟା ବୃଦ୍ଧି ସଙ୍ଗେ ଏକାକୀ ବସବାସ କରୁଥିବା ବାର୍ଦ୍ଧକ୍ୟଗ୍ରସ୍ତଙ୍କ ସଂଖ୍ୟା ବୃଦ୍ଧି ସ୍ୱାଭାବିକ । କେନ୍ଦ୍ର ସରକାରଙ୍କ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ପ୍ରଣୟନ ମନ୍ତ୍ରଣାଳୟର ହିସାବ ଅନୁଯାୟୀ ୨୦୨୩ ସୁଦ୍ଧା ୧୩ କୋଟି ୨୯ ଲକ୍ଷ ୬୦ ବର୍ଷୋତ୍ତର ଦେଶରେ ବସବାସ କରୁଥିଲେ । ଏହାର ତିରିଶି ପ୍ରତିଶତ, ଅର୍ଥାତ ପ୍ରାୟ ଚାରିକୋଟି ବରିଷ୍ଠ ନାଗରିକ ଏକାକୀ ବାର୍ଦ୍ଧକ୍ୟ ଅତିବାହିତ କରିଥାନ୍ତି । ଏହି ସଂଖ୍ୟା ସମଗ୍ର ଓଡ଼ିଶାର ଜନସଂଖ୍ୟା ସହ ପ୍ରାୟ ସମତୁଲ । ଏହି ବର୍ଗ ସଂପର୍କରେ ଅଧ୍ୟୟନ ଓ ସ୍ଥିତାବସ୍ଥା ଅନୁଶୀଳନ ସଙ୍ଗେ ସମାଜ ମଙ୍ଗଳ କାର୍ଯ୍ୟକ୍ରମଗୁଡ଼ିକରେ ସ୍ୱତନ୍ତ୍ର ଯୋଜନା ପ୍ରଣୟନ ଗୁରୁତ୍ୱ ବହନ କରେ ।

 

ବ୍ରିଟେନରେ ଏକାକୀ ଜୀବନ ଓ ଏକାକୀତ୍ୱ ସଂପର୍କରେ ‘ବିବିସି-ଆବସଲ୍ୟୁଟ’ ପ୍ରଯୋଜିତ ଏକ ୟୁଟ୍ୟୁବ ଭିଡିଓ (୫୮.୪୨ ମିନଟ) ନିମନ୍ତେ ଲିଙ୍କ –

 

https://youtu.be/XzlCkNFe2LM

 

ଜାପାନ, ଦକ୍ଷିଣ କୋରିଆ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ଏକ ସଦସ୍ୟ ବିଶିଷ୍ଟ ପାରିବାରିକ ସ୍ଥିତି ସଂପର୍କରେ ‘ସିଏନଏ – କରସପଣ୍ଡେଣ୍ଟ’ ପ୍ରଯୋଜିତ ଅନ୍ୟ ଏକ ୟୁଟ୍ୟୁବ ଭିଡ଼ିଓ (୨୨.୪୭ ମିନଟ) ନିମନ୍ତେ ଲିଙ୍କ -

 

https://youtu.be/gGTg_0VNojQ 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧୫ ମେ ୨୦୧୮


ତଥ୍ୟ:

 

Rehev, David and Miguel Requena. Living alone in later life. A global perspective. Population and Development Review. April 29, 2018

 

https://onlinelibrary.wiley.com/doi/full/10.1111/padr.12149

 

Ausubel, Jacob. Older people are more likely to live alone in the US than elsewhere in the world. Pew Research Center. March 10, 2020

 

https://www.pewresearch.org/fact-tank/2020/03/10/older-people-are-more-likely-to-live-alone-in-the-u-s-than-elsewhere-in-the-world/

 

Haupt, Angela. Yes, Single people can be happy and healthy. Time. Feb 14, 2023.

 

https://time.com/6255111/single-people-happy-healthy/

ଏକାନ୍ତବାସରେ ଚାଳିଶି ବର୍ଷ

କୋଭିଡ଼-୧୯ ମହାମାରୀ ସଂକ୍ରମଣ ରୋକିବା ନିମନ୍ତେ ବିଶ୍ୱବ୍ୟାପୀ ଜନପଦ ବନ୍ଦ ଡ଼ାକରାରେ ବହୁ ସଂଖ୍ୟକ ବରିଷ୍ଠ ନାଗରିକ ଅତିଷ୍ଠ ହୋଇ ପଡ଼ିଥିଲେ । ଏହି ଅବସରର ବିଭିନ୍ନ କାରଣରୁ ଦୀର୍ଘକାଳ ଏକାନ୍ତବାସରେ ଆବଦ୍ଧ କିଛି ବ୍ୟକ୍ତିବିଶେଷଙ୍କ ସଂଘର୍ଷପୂର୍ଣ୍ଣ ଜୀବନ ଆଲେଖ୍ୟ ଇଣ୍ଟରନେଟ ମଞ୍ଚଗୁଡ଼ିକରେ ଭାଇରାଲ ହେବାରେ ଲାଗିଥିଲା । ସେଥିମଧ୍ୟରେ ଖ୍ୟାତନାମା ପତ୍ରିକା ସ୍ମିଥସୋନିଆନରେ ଜାନୁୟାରୀ ୨୦୧୩ରେ ପ୍ରକାଶିତ ଏକ ରୁଷୀୟ ପରିବାରଙ୍କ ସାଇବେରିଆରେ ଚାଳିଶି ବର୍ଷର ଏକାନ୍ତବାସର ବିବରଣୀ ଅନ୍ୟତମ ।

 

ରୁଷର ସାଇବେରିଆ ଅଞ୍ଚଳ ବର୍ଷରେ ପ୍ରାୟ ଆଠ ମାସ ଘନ ବରଫ ଆଚ୍ଛାଦିତ । ଆର୍କଟିକରୁ ଦକ୍ଷିଣ ମାଙ୍ଗୋଲିଆ ଏବଂ ୟୁରାଲସରୁ ପ୍ରଶାନ୍ତ ମହାସାଗର ଯାଏଁ ୫୦ ଲକ୍ଷ ବର୍ଗମାଇଲ ବ୍ୟାପୀ ଅଞ୍ଚଳ ପ୍ରତିକୂଳ ପାଣିପାଗ ହେତୁ ପ୍ରାୟ ଜନଶୂନ୍ୟ । ପାଇନ ଓ ବ୍ରିଚ଼ ଗଛ ଜଙ୍ଗଲ ଘେରରେ ଉଚ୍ଚାଙ୍ଗ ଗିରିଶୃଙ୍ଗ ଓ ଖରସ୍ରୋତା ନଦୀନାଳପୂର୍ଣ୍ଣ ଉପତ୍ୟକାରେ ଭାଲୁ ଓ ହେଟାବାଘଙ୍କ ରାଜତ୍ୱ। ସାଇବେରିଆରେ ଖଣିଜ ସମ୍ପଦ ଅନ୍ୱେଷଣରେ ନିୟୋଜିତ ଏକ ଋଷୀୟ ବୈଜ୍ଞାନିକ ଦଳ ୧୯୭୮ରେ ମାଙ୍ଗେଲିଆ ସୀମାବର୍ତ୍ତୀ ଟାଇଗା ଅଞ୍ଚଳରେ ଏକ ପରିବାର ବସବାସ କରୁଥିବା ଜାଣିବାକୁ ପାଇଥିଲେ । ନିକଟତମ ଜନବସତିରୁ ପ୍ରାୟ ୧୫୦ ମାଇଲ ଦୂର ପାର୍ବତ୍ୟାଞ୍ଚଳରେ ଅବାକାନ ନଦୀ କୂଳରେ ସେମାନେ ଏକ କାଠକୁଡ଼ିଆରେ ଏକାକୀ ଦୀର୍ଘ ୪୦ ବର୍ଷ ବିତାଇଥିବା ଜଣାଯାଇଥିଲା । ସେମାନଙ୍କ ସଂପର୍କରେ ସରକାରୀ ନଥିପତ୍ରରେ କୌଣସି ଉଲ୍ଲେଖ ନଥିଲା ।

 

ସେପ୍ଟେମ୍ୱରରୁ ମେମାସ ଯାଏଁ ସାଇବେରିଆରେ ଶୀତର ପ୍ରକୋପ କମି ଆସୁଥିବା ଅବସରରେ କତିପୟ ପର୍ଯ୍ୟଟକ ମୁଖ୍ୟତଃ ଆକାଶ ମାର୍ଗରୁ ଉପତ୍ୟକାର ଶୋଭାରାଜି ଉପଭୋଗ କରିଥାନ୍ତି । ଲୌହ ଖଣି ସନ୍ଧାନରେ ନିୟୋଜିତ ଭୂତତ୍ତ୍ୱ ଦଳଙ୍କ ପରିବହନରେ ବ୍ୟବହୃତ ହେଲିକେପ୍ଟରର ପାଇଲଟ ଆକାଶମାର୍ଗରୁ ସର୍ବେକ୍ଷଣ କରି ଅବତରଣ ନିମନ୍ତେ ନିରାପଦ ସ୍ଥାନ ଖୋଜୁଥିବା ଅବସରରେ ହଠାତ ଏକ ବଡ଼ ସମତଳ ଖୋଲା ପଡ଼ିଆ ଦେଖି ଆଶ୍ଚାର୍ଯ୍ୟାନ୍ୱିତ ହୋଇପଡ଼ିଥିଲେ । ସାବଧାନତା ସହକାରେ କମ ଉଚ୍ଚତାର ହେଲିକେପ୍ଟର ଉଡ଼ାଇ ଏକ କୁଡ଼ିଆ ଓ ତାକୁ ଘେରି ରହିଥିବା ବଗିଚ଼ାକୁ ଦେଖି ସେଠାରେ ମନୁଷ୍ୟ ବସବାସ କରୁଥିବା ନିଶ୍ଚିତ ହୋଇଥିଲେ ।

 

ଜନୈକ ମହିଳା ଭୂତତ୍ତ୍ୱବିତ ଗାଲିନା ପିସମେନସ୍କାୟାଙ୍କ ନେତୃତ୍ୱରେ ପରିଚାଳିତ ଚାରିଜଣିଆ ବୈଜ୍ଞାନିକ ଦଳଟି ଦଶ ମାଇଲ ଦୂରରେ ଆବାସ ବେସ କ୍ୟାମ୍ପ ସ୍ଥାପନ କରି ସର୍ବେକ୍ଷଣ ଚଳାଇଥିଲେ । ପାଇଲଟଙ୍କଠାରୁ ଶୁଣି ନିର୍ଜନ ବନାଞ୍ଚଳରେ ମନୁଷ୍ୟ ବସବାସ କରୁଥିବା ସନ୍ଦେହ ଘନୀଭୂତ ହେବାପରେ ସେମାନଙ୍କ ସହ ସାକ୍ଷାତ ଲାଗି ମନ ବଳାଇଥିଲେ । ଦିନେ ସକାଳୁ କିଛି ଉପହାର ଧରି ସମସ୍ତେ ବାହାରିଥିଲେ । ହେଲିକେପ୍ଟର ଚ଼ିହ୍ନଟ ସ୍ଥାନରେ ଅବତରଣ କରିବାପରେ କୁଡ଼ିଆ ସାମ୍ନାରେ ଅପେକ୍ଷାକରି ବସିରହିଲେ । କିଛି ସମୟପରେ କୁଡ଼ିଆ ମଧ୍ୟରୁ ଜଣେ ବୃଦ୍ଧ ବାହାରକୁ ଆସିଲେ ।

 

ବୈଜ୍ଞାନିକ ଦଳ ୮୦ ବର୍ଷୋତ୍ତର ପରିବାରମୁଖ୍ୟ ଏବଂ ତାଙ୍କରି ଦୁଇଜଣ କନ୍ୟାଙ୍କ ସହ ପ୍ରଥମ ସାକ୍ଷାତରେ ଏକତ୍ର ବାର୍ତ୍ତାଳାପର ସୁଯୋଗ ସୃଷ୍ଟି ହୋଇଥିଲା । ବୃଦ୍ଧଙ୍କ ନାମ କାର୍ପ ଲାଇକୋଭ । ତାଙ୍କରି ପରିବାର ରକ୍ଷଣଶୀଳ ଋଷୀୟ ଖ୍ରୀଷ୍ଟ ସମ୍ପ୍ରଦାୟ ସଦସ୍ୟ । ଋଷରେ ୧୯୩୦ ପରକୁ କମ୍ୟୁନିଜିମ ଓ ହେତୁବାଦ ପ୍ରସାରପରେ କୋଠରପନ୍ଥୀ ମୌଳବାଦୀମାନେ ବାଛବିଚାରର ଶୀକାର ହୋଇ ଗାଁଗଣ୍ଡା ଛାଡ଼ି ସାଇବେରିଆର ବନାଞ୍ଚଳରେ ଆତ୍ମଗୋପନ କରିଥିଲେ । ଏହି ଅବସରରେ ଲାଇକୋଭ ନିଜ ପତ୍ନୀ ଆକୁଲିନା ନଅ ବର୍ଷର ପୁଅ ଓ ଦୁଇ ବର୍ଷର ଝିଅ ସହ ସାମାନ୍ୟ ଘରକରଣା ଆସବାବପତ୍ର ଧରି ଗଭୀର ସାଇବେରିଆରେ ପହଞ୍ଚି ବସବାସ ଆରମ୍ଭ କରିଥିଲେ । ସେଠାରେ ଲାଇକୋଭ ଦମ୍ପତ୍ତିଙ୍କ ଆଉ ଦୁଇ କନ୍ୟା ସନ୍ତାନ ୧୯୪୦ ଓ ୧୯୪୩ରେ ଜନ୍ମଗ୍ରହଣ କରିଥିଲେ ।କ୍ରମଶଃ ଛଅଜଣିଆ ପରିବାରଟି ଘଞ୍ଚ ଜଙ୍ଗଲରେ ସ୍ଥାୟୀ ବାସିନ୍ଦା ପାଲଟି ଯାଇଥିଲେ ।

 

ସେମାନଙ୍କ କାଠ ତିଆରି କୁଡ଼ିଆଟିରେ ଗୋଟିଏ କଠୋରୀ ଏବଂ ସେଥିରେ ଛୋଟ ଝରକା । କାନ୍ଥଗୁଡ଼ିକ ଅସଜଡ଼ା କାଠ ସମାହାର । ଚଟାଣରେ ଆଳୁ ଓ ପାଇନ ଫଳର ଚୋପା ବିଛାଇ ହୋଇ ପଡ଼ିରହିଥାଏ । ବୈଜ୍ଞାନିକ ଦଳ ଲାଇକୋଭଙ୍କ ନିମନ୍ତ୍ରଣକ୍ରମେ କିଛି ସମୟଲାଗି କୁଡ଼ିଆ ମଧ୍ୟକୁ ପ୍ରବେଶ କରିଥିଲେ । ସେମାନଙ୍କୁ ଆଭ୍ୟନ୍ତରୀଣ ପରିବେଶଟି ମଧ୍ୟଯୁଗୀୟ ବୋଧ ହୋଇଥିଲା । ସମସ୍ତେ ଝୋଟ ତିଆରି ଆବରଣରେ ଆଚ୍ଛାଦିତ ଥିଲେ । ସେଥିରେ ଅସଂଖ୍ୟ ତାଳି ପଡ଼ିଥିଲା ।

 

ପ୍ରଥମ ସାକ୍ଷାତରେ ବୈଜ୍ଞାନିକ ଦଳ ସାଥିରେ ଆଣିଥିବା ପାଉଁରୁଟି, ଜାମ, ଚ଼ା ଯାଚିଥିଲେ କିନ୍ତୁ ପରିବାରବର୍ଗ ଗ୍ରହଣ କରିନଥିଲେ ।ଲାଇକୋଭ କହିଥିଲେ ଯେ ତାଙ୍କ ଶେଷ ସନ୍ତାନ ଦିହେଁ ପାଉଁରୁଟି କେବେ ଦେଖି ନାହାନ୍ତି କିମ୍ୱା ଚାଖି ନାହାନ୍ତି । ଲାଇକୋଭଙ୍କ କଥାବାର୍ତ୍ତା ଏକରକମ ବୁଝି ହେଉଥିବା ସ୍ଥଳେ ତାଙ୍କରି ଦୁଇ ଝିଅ ପରସ୍ପର ମଧ୍ୟରେ ଖୁବ କ୍ଷୀଣ ସ୍ୱରରେ ପ୍ରାୟ ଅସ୍ପଷ୍ଟ ଭାଷାରେ କଥପୋକଥନ କରୁଥିବା ବୈଜ୍ଞାନିକ ଦଳ ଲକ୍ଷ୍ୟ କରିଥିଲେ । ଖଣିଜ ପଦାର୍ଥ ସର୍ବେକ୍ଷଣର ଦୀର୍ଘ ଅବସ୍ଥାନକାଳରେ ସେମାନେ ଲାଇକୋଭ ପରିବାରକୁ ବାରମ୍ୱାର ପରିଦର୍ଶନ କରି ସଂପର୍କ ରଖି ଆସିଥିଲେ । ଦଳର ମୁଖ୍ୟା ପିସମେନସ୍କାୟା ପ୍ରତ୍ୟେକ ସାକ୍ଷାତର ବିବରଣୀ ଲିପିବଦ୍ଧ କରି ରଖିଥିଲେ ଏବଂ ତାହାରି ଆଧାରରେ ସାଇବେରିଆରେ ଏକାନ୍ତବାସରେ ଦୀର୍ଘ ସମୟ ଅତିବାହିତ କରିଥିବା ଲାଇକୋଭ ପରିବାର ଗଣମାଧ୍ୟମରେ ଚର୍ଚ୍ଚିତ ହୋଇଥିଲେ ।

 

ଜନଶୂନ୍ୟ ଟାଇଗା ଅଞ୍ଚଳରେ ଲାଇକୋଭ ପରିବାରଙ୍କ ଜୀବନ ସଂଘର୍ଷପୂର୍ଣ୍ଣ ଥିଲା । ଘର ଛାଡ଼ିଲାବେଳେ ସେମାନେ ସାଥିରେ କିଛି ବୀଜ ନେଇ ଆସିଥିଲେ । ତାହାକୁ ପାଥେୟ କରି ଚାଷରୁ ଉତ୍ପନ୍ନ ଆଳୁ, ଗାଜର ଓ ଗହମ-ଯବ ଜାତୀୟରେରେ ଶସ୍ୟ ଖାଦ୍ୟ ରୂପେ ଗ୍ରହଣ କରୁଥିଲେ । ଲାର୍ଚ୍ଚ, ସ୍ୱର୍ଶ, ବର୍ଗ ଇତ୍ୟାଦି ପାଇନଜାତୀୟ ଗଛର ଫଳ ସାଙ୍ଗକୁ ବିଭିନ୍ନ ଧରଣର ବଣୁଆ କୋଳି ପର୍ଯ୍ୟାପ୍ତ ପରିମାଣରେ ମିଳୁଥିଲା । ବଡ଼ ପୁଅ ଯୁବାବସ୍ଥାରେ ପହଞ୍ଚିବା ପରେ ବଣ୍ୟ ପଶୁ ଶୀକାର କରିବା ପରେ ମାଂସ ଆହାରରେ ସାମିଲ ହୋଇଥିଲା । ଶୀକାର କରିବା ପାଇଁ ଅସ୍ତ୍ରଶସ୍ତ୍ର ଅଭାବ ହେତୁ ଭୂମିରେ ଗାତ ଖୋଳି ସେଥିରେ ଜୀବଯନ୍ତୁ ପଡ଼ିବାକୁ ଅପେକ୍ଷା କରିରହୁଥିଲେ କିମ୍ୱା ଶୀକାରକୁ ଗୋଡ଼ାଇ ଗୋଡ଼ାଇ ହାଲିଆ କରି ନିସ୍ତେଜ ହେବାପରେ କବଜାକୁ ନେଇ ଆସୁଥିଲେ ।

 

ଏକଦା ୧୯୬୧ ଜୁନ ମାସରେ ତୁଷାରପାତ ହେଲା । ଫଳରେ ଗ୍ରୀଷ୍ମ ଆରମ୍ଭରେ ମେମାସରେ ରୋପଣ କରାଯାଇଥିବା କ୍ଷେତର ସବୁ ଫସଲ ନଷ୍ଟ ହୋଇଯାଇଥିଲା । ପରେ ଖାଇବାକୁ କିଛି ମିଳିନଥିଲା । ଅଗତ୍ୟା ଗଛର ବକଳା ଖାଦ୍ୟରୂପେ ଗ୍ରହଣ କରିବାକୁ ବାଧ୍ୟ ହୋଇଥିଲେ । ଆକୁଲିନା ପିଲାଙ୍କ ପାଇଁ ଖାଦ୍ୟ ଯୋଗାଡ଼ କରି ନିଜେ କ୍ଷୁଧାରେ ମୃତ୍ୟୁବରଣ କଲେ । ସେହି ସମୟର କରାଳ ରୂପ ବର୍ଣ୍ଣନା କରି ଲାଇକୋଭ କହିଥିଲେ ଯେ ତୁଷାରପାତ ପରେ ମାତ୍ର ଗୋଟିଏ ରେ ଗଜାଫୁଟି ଥିଲା । ତାହାକୁ କାଳେ ଗୁଣ୍ଡୁଚିମୂଷା ଖାଇଯିବ ଭୟରେ ପରିବାରବର୍ଗ ଦିନ ରାତି ଗଜାଟିକୁ ବାଡ଼ ଘେରାଇ ଜଗି ରହିଥିଲେ । ଶେଷରେ ସେହି ଗୋଟିଏ ଗଛରୁ ୧୮ ଗୋଟି ଦାନା ଉତ୍ପନ୍ନ ହୋଇଥିଲା ଏବଂ ପରବର୍ତ୍ତୀ ବର୍ଷରେ ବୁଣା ଯାଇଥିଲା ।

 

ଲାଇକୋଭ ଦମ୍ପତ୍ତି ସାଥିରେ କିଛି ବାସନକୁସନ ଆଣିଥିଲେ । କିନ୍ତୁ ସମୟକ୍ରମେ ସେଗୁଡ଼ିକ କଳଙ୍କିଲାଗି ଭାଙ୍ଗିରୁଜି ଗଲା । ଅଗତ୍ୟା ଗଛର ବକଳାକୁ ହିଁ ସେମାନେ ପାତ୍ର ରୂପେ ବ୍ୟବହାର କରିବାକୁ ବାଧ୍ୟ ହେଲେ । ତେବେ ବକଳା ନିର୍ମିତ ପାତ୍ରକୁ ନିଆଁରେ ବସାଇ ରାନ୍ଧିବା ସମ୍ଭବପର ନଥିବା ହେତୁ ଖାଦ୍ୟପ୍ରସ୍ତୁତିର ବାଗ ବଦଳାଇବାକୁ ପଡିଥିଲା । ସେହିପରି ଛଣରୁ ପ୍ରସ୍ତୁତ ଶରୀରାବରଣ ଏବଂ ଗଛବକଳାରେ ପ୍ରସ୍ତୁତ ଯୋତାରେ ଅଭ୍ୟସ୍ତ ହୋଇପଡିଥିଲେ ।

 

ଆକୁଲିନା ସନ୍ତାନମାନଙ୍କ ଅକ୍ଷରଜ୍ଞାନ ପ୍ରତି ଗୁରୁତ୍ୱ ଦେଇଥିଲେ । ତାଙ୍କରି ଯତ୍ନରେ ସମସ୍ତେ ବାଇବେଲ ପଢ଼ି ପାରୁଥିଲେ । ସେମାନେ ବାପା ମାଆଙ୍କଠାରୁ ବାହାର ଦୁନିଆ ସଂପର୍କରେ ଶୁଣିଥିଲେ । ଛୋଟ ଦୁଇ ସନ୍ତାନ ବୈଜ୍ଞାନିକ ଦଳଙ୍କ ସହ ସାକ୍ଷାତ ପୂର୍ବରୁ ନିଜ ପରିବାର ବ୍ୟତୀତ ଅନ୍ୟକାହାରିକି ଦେଖିବି ନଥିଲେ । ଲାଇକୋଭଙ୍କ ପରିବାର ଦ୍ୱିତୀୟ ବିଶ୍ୱଯୁଦ୍ଧ ସଂପର୍କରେ ମୋଟରୁ ଜାଣି ନଥିଲେ । ବୈଜ୍ଞାନିକ ଦଳଙ୍କଠାରୁ ମନୁଷ୍ୟ ଚ଼ନ୍ଦ୍ରରେ ପହଞ୍ଚିଥିବା ସମ୍ୱାଦକୁ ବିଶ୍ୱାସହିଁ କଲେ ନାହିଁ ।

 

ଲାଇକୋଭଙ୍କ ଚାରିଜଣ ସନ୍ତାନଙ୍କ ମଧ୍ୟରେ ସାଭିନ ବଡ଼ ପୁଅ । ଘରଦ୍ୱାର ଛାଡ଼ି ଟାଇଗା ଘଞ୍ଚ ଜଙ୍ଗଲକୁ ଯାତ୍ରା କରିବାର ଅନୁଭୂତି ତାହାରି ମନେଥିଲା । ଜନବସତିରୁ ବହୁ ଦୂରରେ ଅବାକାନ ନଦୀ କୂଳରେ ଆବାସ ନିର୍ମାଣଠାରୁ ଆରମ୍ଭକରି ଚାଷ ଜମି ସମତଳ କରିବା ସବୁ କାମରେ ସେ ବାପାମାଆଙ୍କୁ ସାହାଯ୍ୟ କରିଆସିଥିଲା । ସାଭିନ ପିଲାଦିନର ମୌଳିକବାଦୀ ଖ୍ରୀଷ୍ଟିଆନ ସଂପ୍ରଦାୟ ପ୍ରତି ଅସଦାଚ଼ାରଣ ମନେରଖି ଧାର୍ମିକ ରୀତିନୀତିରେ ବେଶ କଠୋର । ଟାଇଗାର ତୁଷାରାବୃତ୍ତ ଜଙ୍ଗଲରେ ସେ ଶୀକାର କରିବା ପାଇଁ ଦିନରାତି ବାହାରେ ରହିପାରୁଥିଲା । ନାତିଲିଆ ପ୍ରଥମ କନ୍ୟା । ମାଆ ଆକୁଲିନାଙ୍କ ମୃତ୍ୟୁପରେ ସେ ରନ୍ଧାଘର ସମ୍ଭାଳିଥିଲା । ପାରିବାରିକ ବିଷୟରେ ସାଭିନ ସହ ତାର ମତପାର୍ଥକ୍ୟ ଲାଗିରହୁଥିଲା ।

 

ଦ୍ୱିତୀୟ ପୁଅ ଡମିଟ୍ରି । ବୈଷୟିକ କାର୍ଯ୍ୟକଳାପରେ ତାହାର ଆଗ୍ରହ । କାଠ ହାଣି ଘର ଓ ଆସବାବପତ୍ର ତିଆରି ପାଇଁ ପଟା ପ୍ରସ୍ତୁତି କାମକରେ । ବିଚ ଗଛର ବକଳାରେ ସେ ହିଁ ପାତ୍ର ତିଆରି କରୁଥିଲା । ସେ ଟାଇଗା ଅଞ୍ଚଳରେ ବେଶ ବୁଲାବୁଲି କରେ ଏବଂ ସେଠାକାର ଭୌଗଳିକ ଓ ପାଣିପାଗ ସଂପର୍କରେ ସଚ଼ତେନ । ଦ୍ୱିତୀୟ କନ୍ୟା ତଥା ସବୁଠାରୁ ଛୋଟ ଆଗାଫିଆ ଜ୍ଞାନୀ, ଭଦ୍ର ଓ ଅମାୟିକ । ଲାଇକୋଭ ପରିବାରରେ ସେ ସମୟର ହିସାବ ରଖୁଥିଲା ।

 

ଦୀର୍ଘ ୪୦ ବର୍ଷର ଏକାନ୍ତବାସପରେ ଲାଇକୋଭ ପରିବାର ପ୍ରଥମଥର ଲାଗି ଭୂତତ୍ତ୍ୱ ବୈଜ୍ଞାନିକମାନଙ୍କ ସଂସ୍ପର୍ଶରେ ଆସିଥିଲେ । ହୁଏତ ସେମାନଙ୍କଠାରୁ ଭୂତାଣୁ ସଂକ୍ରମିତ ହୋଇ ଡ଼ମିଟ୍ରି ୧୯୮୧ରେ ନିମୋନିଆରେ ପ୍ରାଣ ହରାଇଲା । ଡ଼ମିଟ୍ରିର ନୂଆ ବିଷୟ ଜାଣିବାର ଆଗ୍ରହୀ ଥିବା ହେତୁ ଭୂତତ୍ତ୍ୱବିତ ଦଳ ଏବଂ ସେମାନଙ୍କ ସହାୟକଙ୍କ ସହ ଦୀର୍ଘ ସମୟ ଅତିବାହିତ କରୁଥିଲା । ଡ଼ମିଟ୍ରି ରୋଗାକ୍ରାନ୍ତ ହୋଇପଡ଼ିବାପରେ ଚ଼ିକିତ୍ସା ନିମନ୍ତେ ହେଲିକେପ୍ଟରରେ ହସପିଟାଲ ନେବାକୁ ବୈଜ୍ଞାନିକଦଳ ମତ ଦେଇଥିଲେ । କିନ୍ତୁ ସେ ଶୁଣିନଥିଲା ।

 

ସେହି ବର୍ଷ ହିଁ ବଡ଼ ପୁଅ ସାଭିନ ଏବଂ ବଡ଼ ଝିଅ ନଟାଲିଆ ମଧ୍ୟ ପ୍ରାଣ ହରାଇଲେ । ଅବଶ୍ୟ ସଂକ୍ରମଣ ବଦଳରେ ସେମାନଙ୍କ ମୃତ୍ୟୁ ଦୀର୍ଘକାଳ ଅଖାଦ୍ୟ ଭୋଜନରୁ କିଡ଼ନି ଅକାମୀ କାରଣରୁ ଘଟିଥିବା ବିଶ୍ୱାସ କରାଯାଏ । ପୁଅ ଓ ଝିଅ ମୃତ୍ୟୁବରଣ କରିବାପରେ ବୈଜ୍ଞାନିକଦଳ ସେମାନଙ୍କୁ ନିଜ ଗ୍ରାମକୁ ଫେରାଇନେବା ପାଇଁ ଉଦ୍ୟମ କରିଥିଲେ । କିନ୍ତୁ ଲାଇକୋଭ କିମ୍ୱା ଆଗାଫିଆ ସେଥିରେ ରାଜି ହୋଇନଥିଲେ । ସାତବର୍ଷ ପରେ କାର୍ପଲାଇକୋଭ ୧୯୮୮ରେ ପରିଣତ ବୟସରେ ରାତିରେ ଶୋଇଥିବା ଅବସ୍ଥାରେ ପ୍ରାଣ ହରାଇଲେ ।

 

ଲାଇକୋଭ ପରିବାରରେ ଆଗାଫିଆ ଏକାକୀ ହୋଇପଡ଼ିଲା । ଲାଇକୋଭଙ୍କ ସମାଧି ସ୍ଥାପନ କ୍ରିୟାରେ ବୈଜ୍ଞାନିକ ଦଳ ଯୋଗ ଦେଇଥିଲେ । ଘରପାଖ ପାହାଡ଼ର ତଳୁଆ ଅଞ୍ଚଳରେ ସମାଧି ଦିଆଯିବାପରେ ଆଗାଫିଆ ଘରକୁ ଫେରିଥିଲା । ବୈଜ୍ଞାନିକ ଦଳଙ୍କୁ ନିଜ ବେସ କ୍ୟାମ୍ପକୁ ଫେରିଯିବାକୁ କହିଥିଲା । ବୈଜ୍ଞାନିକ ଦଳ ପ୍ରାୟ ଅଧା ମାଇଲ ଯାଇ ପଛକୁ ଫେରି ଦେଖନ୍ତିତ ଆଗାଫିଆ ଘରପାଖରେ ମୂର୍ତ୍ତିବତ ଛିଡ଼ା ହୋଇରହିଥିଲା ।

 

ଟାଇଗାରେ ଜନ୍ମ ନେଇଥିବା ଆଗାଫିଆ ଆବାକାନ ନଦୀକୂଳରେ ପରବର୍ତ୍ତୀ ୨୫ ବର୍ଷ ଧରି ଏକାନ୍ତବାସରେ ଥିବା ଜଣାଯାଇଥିଲା । ଲାଇକୋଭ ପରିବାର ଗଣମାଧ୍ୟମରେ ଚର୍ଚ୍ଚିତ ହେବାପରେ ନୃତତ୍ତ୍ୱବିତ, ସାମ୍ୱାଦିକମାନେ ସେମାନଙ୍କ ସଂପର୍କରେ ତଥ୍ୟ ସଂଗ୍ରହ କରିବାକୁ ପହଞ୍ଚିଥିଲେ । ଋଷ ଭାଷାରେ ନିର୍ମିତ ତିନିଗୋଟି ଛୋଟ ୟୁ-ଟ୍ୟୁବ ଭିଡ଼ିଓରେ ଲାଇକୋଭ ପରିବାରଙ୍କ ଦୈନନ୍ଦିନ ଜୀବନର ଝଲକ ଦେଖିବାକୁ ମିଳେ । ଭିଡ଼ିଓ ଦେଖିବା ନିମନ୍ତେ ନିମ୍ନ ଲିଙ୍କରେ କ୍ଳିକ କରନ୍ତୁ :

 


www.youtube.com/watch?v=AyQIGgeeYno

 

ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଏପ୍ରିଲ ୨୦୨୦


---

ତଥ୍ୟ:

 

https://www.smithsonianmag.com/history/for-40-years-this-russian-family-was-cut-off-from-all-human-contact-unaware-of-world-war-ii-7354256/?utm_source=digg&utm_medium=email

ଆତ୍ମ-କଥନ

ମନକୁ ସ୍ୱେଚ୍ଛାକ୍ରମେ କଥାବାର୍ତ୍ତା ବା ମାନସିକସ୍ତରରେ ନିଜ ସହ ନିଜ ଆଳାପକୁ ଆତ୍ମ-କଥନ କୁହାଯାଏ । ମନୁଷ୍ୟ ଭାବକୁ ଭାଷା ରୂପ  ଦେବା ଶିଖିବା କାଳରୁ ଜୀବଦ୍ଦଶା ଶେଷ ଯାଏଁ ଆତ୍ମ-କଥନରେ ସଂପୃକ୍ତ ରହିଥାଏ । ଏକ ଅଧ୍ୟୟନ ଅନୁଯାୟୀ ୯୬ ପ୍ରତିଶତ ବୟସ୍କ ବ୍ୟକ୍ତି ଆତ୍ମ-କଥନ ସ୍ୱୀକାର କରନ୍ତି । ତିନିଚତୁର୍ଥାଂଶ ଆତ୍ମ-କଥନ ମାନସିକସ୍ତରରେ ଆବଦ୍ଧ ରଖୁଥିବା ସ୍ଥଳେ ଏକଚ଼ତୁର୍ଥାଂଶଙ୍କ କ୍ଷେତ୍ରରେ ଉଚ୍ଚାରିତ ବା ଶୁଣିବାକୁ ମିଳିଥାଏ । ଆତ୍ମ-କଥନ ପ୍ରାୟତଃ ଅପରସହ କଥାବାର୍ତ୍ତା ତୁଲ୍ୟ ପ୍ରତୀୟମାନ । ତେବେ ବକ୍ତା ଏବଂ ଶ୍ରୋତା ଏକକ ଚ଼ରିତ୍ରରେ ସୀମିତ ।

 

ବିଶେଷଜ୍ଞଙ୍କ ମତରେ ଆତ୍ମ-କଥନ ପ୍ରାକୃତିକ । ମନୁଷ୍ୟ ଜୀବନବ୍ୟାପୀ ନିଜଠାରୁ ନିଜେ ଯେତେ କଥା ଶୁଣେ ତାହାର ପରିମାଣ ଅନ୍ୟ ସମସ୍ତଙ୍କଠାରୁ ଶୁଣା କଥାରୁ ଢ଼େର ଅଧିକ । ଏହି କାରଣରୁ ଆତ୍ମ-କଥନ ପ୍ରତ୍ୟେକଙ୍କ ବ୍ୟକ୍ତିତ୍ୱ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରେ । ବ୍ୟକ୍ତିର ବ୍ୟବହାର ଓ ଦକ୍ଷତା ଆତ୍ମ-କଥନ ଦ୍ୱାରା ପ୍ରଭାବିତ । ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ ସମ୍ପାଦନରେ ଆତ୍ମ-କଥନ ବ୍ୟକ୍ତିବିଶେଷଙ୍କୁ ଉତ୍ସାହିତ କିମ୍ୱା ନିରୁତ୍ସାହିତ କରିଥାଏ ।

 

ମନୁଷ୍ୟ ଦୈନନ୍ଦିନ ଜୀବନରେ ଜାଗ୍ରତ ଅବସ୍ଥାରେ ପ୍ରାୟତଃ ଆତ୍ମ-କଥନରେ ସଂପୃକ୍ତ ରହିଥାଏ । କୌଣସି ବିଷୟରେ ଚ଼ିନ୍ତା, ବିତର୍କ କିମ୍ୱା ଅନ୍ୟ ସହ କଥାବାର୍ତ୍ତାର ପୂର୍ବପ୍ରସ୍ତୁତି ଆତ୍ମ-କଥନର ଉପାଦାନ । ଅତୀତ ଅନୁଶୀଳନ, ସ୍ଥିତାବସ୍ଥା ବିଶ୍ଳେଷଣ ଓ ସମ୍ଭାବ୍ୟ ଭବିଷ୍ୟତ ଆକଳନ କାଳରେ ଆତ୍ମ-କଥନ ବ୍ୟକ୍ତିଗତ ଦୃଷ୍ଟିକୋଣ ଶାଣିତ କରେ । କୁହାଯାଏ ଯେ ଜଣେ ବ୍ୟକ୍ତିର ଚ଼ିନ୍ତା ପରିସରରେ ଦୈନିକ ପଚାଶ ହଜାର ଯାଏଁ ବିଷୟ ପହଞ୍ଚିଥାଏ ।

 

ଆତ୍ମ-କଥନ ସକାରାତ୍ମକ ଏବଂ ନକାରାତ୍ମକ ଦୁଇ ବର୍ଗରେ ବିଭକ୍ତ । ଆଶାବାଦୀଙ୍କ କ୍ଷେତ୍ରରେ ସକାରାତ୍ମକ ଓ ନିରାଶାବାଦୀଙ୍କ କ୍ଷେତ୍ରରେ ନକାରାତ୍ମକ ମନୋଭାବ ଉଦ୍ରେକ ହେଉଥିବା ହେତୁ ତାହା ସଂପୃକ୍ତ ପକ୍ଷଙ୍କ ଆତ୍ମ-କଥନରେ ପ୍ରତିଫଳିତ । ଆଧୁନିକ ସଭ୍ୟତାରେ ବ୍ୟକ୍ତିଗତସ୍ତରରେ ଆନନ୍ଦ ଅନୁଭବ, ସାମାଜିକ ସଂପର୍କ, ଦକ୍ଷତା ବୃଦ୍ଧି ଇତ୍ୟାଦିକୁ ଗୁରୁତ୍ୱ ଦିଆଯାଉଥିବା ତଥା ଏହିସବୁ କ୍ଷେତ୍ରରେ ସଫଳ ହେବା ନିମନ୍ତେ ଉଦ୍ୟମରେ ସକାରାତ୍ମକ ଆତ୍ମ-କଥନ ନିମନ୍ତେ ବିଧିବଦ୍ଧ ଅଭ୍ୟାସକୁ ପ୍ରାଧାନ୍ୟ ଦିଆଯାଇଥାଏ ।

 

ମନୋବିଜ୍ଞାନୀଙ୍କ ମତରେ ସକାରାତ୍ମକ ଆତ୍ମ-କଥନ ବ୍ୟକ୍ତିର ମନରେ ବିଶ୍ୱାସ କନଫିଡ଼େନ୍ସ ସୃଷ୍ଟିକରେ । ଅନେକ ସମୟରେ ବ୍ୟକ୍ତି ବିଭିନ୍ନ କାରଣରୁ ବିଭିନ୍ନ କାର୍ଯ୍ୟ ସାଧନଲାଗି ନିଜକୁ ଅପ୍ରସ୍ତୁତ ତଥା ସାମର୍ଥ୍ୟହୀନ ବୋଧ କରିଥାଏ । ସକାରାତ୍ମକ ଆତ୍ମ-କଥନ ଉଦ୍ୟମ କରିବା ନିମନ୍ତେ ପ୍ରୋତ୍ସାହିତ କରେ । ସଫଳତା ହାସଲକାରୀମାନେ ନିଜ କୃତିତ୍ୱ ନିମନ୍ତେ ଆତ୍ମ-ବିଶ୍ୱାସକୁ ଶ୍ରେୟ ଦେଇଥାନ୍ତି ।

 

ସକାରାତ୍ମକ ଆତ୍ମ-କଥନ ମାନସିକ ଚାପ ହ୍ରାସ କରିବାରେ ସକ୍ଷମ । ଏକ ପକ୍ଷରେ ଚାପ ମୁକ୍ତ ଜୀବନ ଦକ୍ଷତା ଏବଂ ଅପରପକ୍ଷରେ ସୁସ୍ଥ ଜୀବନଯାତ୍ରାରେ ସହାୟକ । ବ୍ୟକ୍ତି ଦୀର୍ଘ ଉଦ୍ୟମ ଓ ପରିଶ୍ରମରେ ଅବଶ ହୋଇ ପଡ଼ିଲେ ଆତ୍ମ-କଥନ ପ୍ରୋତ୍ସାହିତ କରେ । ବିଭିନ୍ନ ଗବେଷଣାରେ ଚାପମୁକ୍ତ ଜୀବନ ହୃଦରୋଗ ଭଳି ଅସୁସ୍ଥତା ଏଡ଼ାଇ ଦେଉଥିବା ତଥା ଦୀର୍ଘଜୀବନ ପାଇଁ ପଥ ଉନ୍ମୁକ୍ତ କରୁଥିବା ପ୍ରମାଣିତ ।

 

ଅବସାଦ ବିଶ୍ୱରେ ଏକ ଜନସ୍ୱାସ୍ଥ୍ୟ ସମସ୍ୟା ରୂପେ ମୁଣ୍ଡ ଟେକିଛି । ଆଧୁନିକ ଜୀବନଯାତ୍ରାରେ ବିଭିନ୍ନ ପ୍ରତିକୁଳ ପରିବେଶ ସମ୍ମୁଖୀନ ହୋଇ ସଂଖ୍ୟାଧିକ ଜୀବନର ବିଭିନ୍ନ ମୋଡ଼ରେ ଅବସାଦଗ୍ରସ୍ତ ହୋଇପଡୁଥିବା ପରିସଂଖ୍ୟାନର ଅଭାବ ନାହିଁ । ମାନସିକସ୍ତରରେ ଅବସାଦଗ୍ରସ୍ତ ହେଲେ ନିଦ୍ରାହୀନତା, କ୍ଷୁଧାହାନୀ ଭଳି ଶାରିରୀକ ଲକ୍ଷଣମାନ ପ୍ରକାଶ ପାଇ ମନୁଷ୍ୟର ଉତ୍ପାଦିକତା ଶକ୍ତିରେ ବାଧକ ସାଜିଥାଏ । ସକାରାତ୍ମକ ମନୋଭାବ ଅବସାଦର ପରିପନ୍ଥୀ ଏବଂ ସକାରାତ୍ମକ ଆତ୍ମ-କଥନ ବ୍ୟକ୍ତିମାନସରେ ସକାରାତ୍ମକ ଦୃଷ୍ଟିକୋଣ ସୃଷ୍ଟିକରେ ।

 

ଜନଜୀବନରେ ପାରିପାର୍ଶ୍ୱିକ ଘଟଣାବଳୀ ବ୍ୟକ୍ତିର ଆୟତ୍ତାଧୀନ ନଥିବା ସ୍ଥଳେ ପ୍ରତ୍ୟେକ ଘଟଣାକ୍ରମ ପ୍ରତି ବ୍ୟକ୍ତିଗତସ୍ତରରେ ପ୍ରତିକ୍ରିୟା ନିୟନ୍ତ୍ରଣ ଅବଶ୍ୟ ସଂଭବ । ବ୍ୟକ୍ତିଗତ ଦୃଷ୍ଟିକୋଣ ସଂରଚନାରେ ଆତ୍ମ-କଥନର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଆତ୍ମ-କଥନର ଉପାଦେୟତା ଉପଲବ୍ଧ କରି ଏହାର ସଂଶୋଧନ ନିମନ୍ତେ ଆଗ୍ରହ ପ୍ରକାଶ ପାଉଥିବା ସ୍ଥଳେ ସାଧାରଣ ବ୍ୟକ୍ତିବିଶେଷଙ୍କ ଅଭ୍ୟାସ ନିମନ୍ତେ ବିଭିନ୍ନ ପଦ୍ଧତିମାନ ନିର୍ଦ୍ଧାରିତ ହୋଇଥାଏ ।

 

ନେଦରଲ୍ୟାଣ୍ଡସର ପେଷାଧାରୀ ମନୋବିଜ୍ଞାନୀମାନଙ୍କ ଏକ ପ୍ରତିଷ୍ଠାନ ପକ୍ଷରୁ ଅନଲାଇନରେ ପ୍ରକାଶିତ ଏକ ପଦ୍ଧତିରେ ବ୍ୟକ୍ତିଗତସ୍ତରରେ ସକାରାତ୍ମକ ମନୋଭାବ ବିକାଶକଳ୍ପେ ତ୍ରି-ସ୍ତରୀୟ ପଦକ୍ଷେପ ପରାମର୍ଶ ଦିଆଯାଇଥାଏ । ପ୍ରଥମତଃ, ଜଣେ ବ୍ୟକ୍ତି ଦୈନିକଭିତ୍ତିରେ କେତେ ପରିମାଣରେ ସକାରାତ୍ମକ ଓ ନକାରାତ୍ମକ ଆତ୍ମ-କଥନରେ ସଂପୃକ୍ତ ରହୁଛି ତାହା ହିସାବ ରଖିବ । ଦ୍ୱିତୀୟରେ ସାପ୍ତାହିକ ହିସାବକୁ ତର୍ଜମା କରି କେଉଁ କାରଣରୁ ନକାରାତ୍ମକ ଆତ୍ମ-କଥନ ସୂତ୍ରପାତ ହେଉଛି ତାହା ଅନୁଧ୍ୟାନ କରିବ । ତୃତୀୟରେ ଏହି କାରଣଗୁଡ଼ିକ ତଥ୍ୟାଶ୍ରିତ, ନା ଅଭିମତ ସମ୍ୱଳିତ ନିର୍ଦ୍ଧାରଣ କରି ସଂଶୋଧନ ନିମନ୍ତେ ଉଦ୍ୟମ କରିବା ଆବଶ୍ୟକ ।

 

ମାନସିକସ୍ତରରେ ନକାରାତ୍ମକ ପ୍ରଭାବ ନିୟନ୍ତ୍ରଣ ନିମନ୍ତେ ମାନସିକ ସ୍ଥିତାବସ୍ଥାକୁ ଦୈନିକଭିତ୍ତିରେ ଲିପିବଦ୍ଧ କରି ତାହାର ଅନୁଶୀଳନ କଲେ ସଂପୃକ୍ତ ବ୍ୟକ୍ତି ନିଜସ୍ୱ ଭାବଧାରା ଉଦ୍ରେକର କାରଣ ଓ ନିରାକରଣ ସଂପର୍କରେ ସଚ଼େତନ ହୋଇପାରେ । କିନ୍ତୁ ଏହି ଅଭ୍ୟାସ ସାଧାରଣ ପ୍ରଚଳିତ ହୋଇପାରିନାହିଁ । ମନୁଷ୍ୟର ବ୍ୟାବହାରିକ ପରିବର୍ତ୍ତନ ବିହେଭିରିଆଲ ଚ଼େଏଞ୍ଜ ନିମନ୍ତେ ଦିନଲିପି ଜର୍ଣ୍ଣାଲିଂ ଉପାଦେୟ ।

 

ଆତ୍ମ-କଥନ ଯୁକ୍ତିଯୁକ୍ତ ରେସନାଲ ସ୍ତରକୁ ଆଣିବା ନିମନ୍ତେ ଉଦ୍ୟମ ପ୍ରତ୍ୟେକଙ୍କ ପାଇଁ ଉପଯୋଗୀ । ଅଧ୍ୟୟନରୁ ଜଣାଯାଏ ଯେ ମନୁଷ୍ୟ ମନରେ ନକାରାତ୍ମକ ଚ଼ିନ୍ତାଧାରା ସହଜରେ ବସାବାନ୍ଧି ରହିଥାଏ । ପ୍ରାକୃତିକଭାବେ ସକାରାତ୍ମକ ପରିବେଶକୁ ପରିବର୍ତ୍ତନ ସମ୍ଭବ ନହେଲେ ପ୍ରାୟୋଜିତ ପଦ୍ଧତି ଅନୁସରଣ କରିବାକୁ ପଡ଼େ । ଆତ୍ମ-କଥନରେ ଭାଷା ବ୍ୟବହାର ପ୍ରଭାବଶାଳୀ । ମୁଁ ବଦଳରେ ସେ ବ୍ୟବହାରରେ ତୁଳନାତ୍ମକଭାବେ ନିରପେକ୍ଷତା ଅବଜେକ୍ଟଭିଟି ସୃଷ୍ଟିରେ ସହାୟକ ହୋଇଥାଏ । ତାହା ଯୁକ୍ତିଯୁକ୍ତ ଆଚ଼ରଣ ଲାଗି ପ୍ରବର୍ତ୍ତାଏ ।

 

ଆତ୍ମ-କଥନ ସଂପର୍କରେ ସଚ଼େତନ ହେବାପରେ ସକାରାତ୍ମକ ଆତ୍ମ-କଥନ ଅଭ୍ୟାସ ନିମନ୍ତେ ପ୍ରସ୍ତୁତି ଦୀର୍ଘ ସମୟ ଆବଶ୍ୟକ । ବଦ୍ଧମୂଳ ଧାରଣାଗୁଡ଼ିକର ସତ୍ୟାସତ୍ୟ ବିଚାରକରି ସଂଶୋଧନ ସହଜପ୍ରଦ ବୋଧ ନହୋଇପାରେ । ସର୍ବୋପରି ଏକ ନିର୍ଦ୍ଦିଷ୍ଟ ସକାରାତ୍ମକ ଆତ୍ମ-କଥନ ହେତୁ ସେହି ନିର୍ଦ୍ଦିଷ୍ଟ କ୍ଷେତ୍ରରେ ସକାରାତ୍ମକ ଫଳାଫଳର ହିସାବ ଖୋଜି ପାଇହୁଏନା । ନକାରାତ୍ମକ ଆତ୍ମ-କଥନରେ ଫଳାଫଳ ଯେ ନକାରାତ୍ମକ ହୁଏ ତାହାର ମଧ୍ୟ ପ୍ରମାଣ ନଥାଏ । ଦୈନନ୍ଦିନ ଜୀବନରେ ଆତ୍ମ-କଥନ ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଏବଂ ଏହାକୁ ତଥ୍ୟାଶ୍ରୟୀ ଓ ଯୁକ୍ତିଯୁକ୍ତଭାବେ ଗଢ଼ିତୋଳିବା ନିମନ୍ତେ ଉଦ୍ୟମ ଗ୍ରହଣଯୋଗ୍ୟ ବିଚାର କରାଯାଇପାରେ । 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଜାନୁୟାରୀ ୨୦୨


ତଥ୍ୟ :

 

Why do people talk to themselves ?

 

https://www.webmd.com/balance/why-people-talk-to-themselves#1

 

Positive self-talk : Benefits and techniques

 

https://www.healthline.com/health/positive-self-talk#takeaway

 

Bartwal, Nupur. Role of self-talk in your life

 

https://timesofindia.indiatimes.com/readersblog/pausespoudersandinbetween/role-of-self-talk-in-your-life-38483

 

Mead, Elaine. What is positive self-talk ?

 

https://positivepsychology.com/positive-self-talk 



ମନଗହନ ବର୍ଣ୍ଣନା

ଆଧୁନିକ ମନୋବିଜ୍ଞାନ ଗବେଷଣାଲବ୍ଧ ତଥ୍ୟ ଅନୁଯାୟୀ ମନୁଷ୍ୟ ମାନସିକ ଦୁରାବସ୍ଥା ଲାଘବ କରିବା ନିମନ୍ତେ ଦୁଶ୍ଚିନ୍ତାଗୁଡ଼ିକୁ କାଗଜ କଲମରେ ଲେଖି ବସିଲେ କେତେକାଂଶରେ ସଫଳତା ମିଳିଥାଏ । ଏହି ପ୍ରକ୍ରିୟାକୁ ମନଗହନ ବର୍ଣ୍ଣନା ଏକ୍ସପ୍ରେସେସିଭ ରାଇଟିଂ କୁହାଯାଏ । ମନୁଷ୍ୟ ଉଦବିଗ୍ନତା ଏଙ୍ଗଜାଇଟିଠାରୁ ଆରମ୍ଭ କରି ଶୋକ ପ୍ରଶମନ ଗ୍ରୀଫ ରିଡ୍ରେସଲ ଯାଏଁ ବିଭିନ୍ନ ନକାରାତ୍ମକ ମାନସିକ ସ୍ଥିତି ସମ୍ଭାଳିବା ଲାଗି ଏହି ପଦ୍ଧତିର ସହାୟତା ନେବା ନିମନ୍ତେ ପରାମର୍ଶ ଦିଆଯାଇଥାଏ ।

 

ମନଗହନ ବର୍ଣ୍ଣନା ସହ ମାନସିକ ଓ ଶାରିରୀକ ସୁସ୍ଥତା ସଂପର୍କରେ ବିଂଶ ଶତାଦ୍ଦୀର ଅଷ୍ଟମ ଦଶକରୁ ଅଧ୍ୟୟନ ଆରମ୍ଭ ହୋଇଥିଲା । ଜେମସ ଡବ୍ୟୁ ପେନବାକେର ନାମକ ଯୁକ୍ତରାଷ୍ଟ୍ର ଆମେରିକାସ୍ଥିତ ଟେକ୍ସାସ ବିଶ୍ୱବିଦ୍ୟାଳୟର ଜଣେ ମନସ୍ତାତ୍ତ୍ୱିକ ଅଧ୍ୟାପକ ଏହି ଦିଗରେ ପ୍ରାଥମିକ ଗବେଷଣାମାନ ଆୟୋଜନ କରିଥିଲେ । ସେ ବିଗତ ଚାରି ଦଶକ ଧରି ସକ୍ରିୟ ରହିବା ସଙ୍ଗେ ଦି ହିଲିଂ ପାୱାର ଅଫ ଏକ୍ସପ୍ରେସିଂ ଇମୋସନ୍ସ(୨୦୧୨) ଓ ଓପନିଂ ଅପ ବାଇ ରାଇଟିଂ ଡ଼ାଉନ (୨୦୧୬) ଭଳି ଲୋକାଦୃତ ପୁସ୍ତକମାନ ରଚନା କରିଛନ୍ତି ।

 

ପେନବାକେରଙ୍କ ୧୯୮୩ର ପ୍ରାଥମିକ ଗବେଷଣାରେ ଦୁଇ ଦଳ କଲେଜ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ପ୍ରଥମ ଦଳରେ ୪୬ ଜଣଙ୍କୁ ଦିନକୁ ୧୫ ମିନଟ ହିସାବରେ କ୍ରମାଗତଭାବେ ଚାରିଦିନ ମନଗହନର ଅପ୍ରୀତିକର ଟ୍ରମା ଘଟଣା, ଚ଼ିନ୍ତା ବା ଆଶଙ୍କା, ଯେକୌଣସି ବିଷୟରେ କାଗଜ କଲମରେ ଲେଖିବାକୁ କୁହାଯାଇଥିଲା । ଦ୍ୱିତୀୟ ଦଳ ଲିଖନ ଅଧିବେଶନଗୁଡ଼ିକରେ ସାମିଲ ହୋଇନଥିଲେ ।

 

ପରବର୍ତ୍ତୀ ଛଅ ମାସରେ ଦୁଇ ଦଳର ସାଧାରଣ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରାଯାଇଥିଲା । ଯେଉଁ ଦଳଟି ଲିଖନ ପ୍ରକ୍ରିୟାରେ ଯୋଗ ଦେଇଥିଲେ, ଅପର ଦଳ ତୁଳନାରେ କମ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଏହି ତଥ୍ୟ ଦୁଇ ଦଳର ସଦସ୍ୟମାନଙ୍କ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇଥିବା ଇତିହାସରୁ ଜଣାଯାଇଥିଲା । ଅର୍ଥାତ, ମନଗହନ ବର୍ଣ୍ଣନା ଉନ୍ନତ ମାନସିକ ଓ ଶାରିରୀକ ସ୍ୱାସ୍ଥ୍ୟାବସ୍ଥାରେ ପର୍ଯ୍ୟବସିତ ହୋଇଥାଏ । ପେନବାକେରଙ୍କ ଗବେଷଣା ପରବର୍ତ୍ତୀ ପନ୍ଦର ବର୍ଷରେ ପ୍ରାୟ କୋଡ଼ିଏ ଗୋଟି ଗବେଷଣାରେ ପରୀକ୍ଷିତ ହୋଇଥିଲା । ଏକବିଂଶ ଶତାଦ୍ଦୀର ପ୍ରଥମ ଦୁଇ ଦଶକରେ ଏହି ବିଷୟରେ ଦୁଇ ଶହ ଗବେଷଣା ନିବନ୍ଧ ପ୍ରକାଶିତ ହୋଇଥିବା ଜଣାଯାଏ ।

 

ବିଶେଷଜ୍ଞଙ୍କ ମତରେ ମନଗହନ ବର୍ଣ୍ଣନାଜନିତ ଉପକାର ସମସ୍ତଙ୍କ କ୍ଷେତ୍ରରେ ଫଳପ୍ରଦ ନ ହୋଇପାରେ । ଯେଉଁମାନେ ମାନସିକସ୍ତରରେ ଅସୁସ୍ଥ, ଅର୍ଥାତ ଅବସାଦ ବା ପୋଷ୍ଟ-ଟ୍ରମାଟିକ ଷ୍ଟ୍ରେସ ଡିଜଅଡ଼ର ଭଳି ରୋଗାକ୍ରାନ୍ତ, ସେମାନେ ଏହି ପ୍ରକ୍ରିୟାରେ ସୁଫଳ ନପାଇପାରନ୍ତି । ବିଭିନ୍ନ ଗବେଷକ ମନଗହନ ବର୍ଣ୍ଣନାର ଫଳାଫଳ ନିଦ୍ରାହୀନତା, ମୁଣ୍ଡବିନ୍ଧା, ମାଇଗ୍ରେନ, ଶ୍ୱାସ, ଆର୍ଥାରାଇଟିସ, କ୍ୟାନସର ଓ ଏଡସ ଭଳି ରୋଗକ୍ରାନ୍ତଙ୍କ ମାନସିକ ଓ ଶାରିରୀକ ସ୍ଥିତି ସଂପର୍କରେ ଅନୁଶୀଳନ କରିଛନ୍ତି । ଅବଶ୍ୟ ମନଗହନ ବର୍ଣ୍ଣନା କିପରି ମାନସିକ ଓ ଶାରିରୀକସ୍ତରରେ ପ୍ରଭାବ ପକାଇପାରେ ସେ ନେଇ ମନସ୍ତତ୍ତ୍ୱବିତମାନେ ଏକମତ ନଥିବା ଦେଖିବାକୁ ମିଳିଥାଏ । ପୁଣି ଏହା ଏକ ମାତ୍ର ଉପଚାର ନୁହେଁ ।

 

ମନଗହନ ବର୍ଣ୍ଣନା ସଂପର୍କୀତ ଗବେଷଣାର ଅଦ୍ୟାବସ୍ଥାରେ ଏହା ମାନସିକସ୍ତରରେ ଆଶ୍ୱସ୍ତି ଆଣିଦେବା ବିଶ୍ୱାସ କରାଯାଉଥିଲା । ତେବେ ରଚନା ସମୟ ଓ ପରେ ରକ୍ତଚାପ ଓ ହୃଦସ୍ପନ୍ଦନ ମାପିବା ଦ୍ୱାରା ଏହାର ଅନ୍ୟାନ୍ୟ ଶାରିରୀକ ପ୍ରଭାବକୁ ମଧ୍ୟ ଅଧ୍ୟୟନ ପ୍ରସାରିତ ହେଲା । କୁହାଯାଏ ଯେ ରଚନା ପ୍ରକ୍ରିୟାରେ କେତକ ଅଂଶଗ୍ରହଣକାରୀ ସାମୟିକଭାବେ ଉଦବିଗ୍ନତା ବଶବର୍ତ୍ତୀ ହେଉଥିଲେ ହେଁ ପରବର୍ତ୍ତୀ ଅବସ୍ଥାରେ ତାହା ଆଶ୍ୱସ୍ତି ଆଣି ଦେଇଥାଏ ।

 

ମନଗହନ ବର୍ଣ୍ଣନାର ଉପାଦେୟତା ମଧ୍ୟରେ ନିଜ ଆବେଗ, ଅନୁଭୂତି ଓ ଚିନ୍ତାଧାରା କାଗଜ କଲମରେ ଲେଖିବା ଦ୍ୱାରା ମାର୍ଜିତ ରୂପ ଧାରଣ କରୁଥିବା ପ୍ରଧାନ । ଲିଖିତ ବକ୍ତବ୍ୟ ଏକ ନିର୍ଦ୍ଧିଷ୍ଟ ଆକାରରେ ପରିବର୍ତ୍ତିତ ହେଉଥିବା ହେତୁ ତାହାର ସରଳ ଅର୍ଥ ବୁଝି ହୁଏ । ଦ୍ୱିତୀୟରେ ନିଜ ଆବେଗର ଗତି ପଥ ସଂପର୍କରେ ଅବଗତ ହୋଇ ତାହାକୁ ଆୟତ୍ତ କିମ୍ୱା ନିୟନ୍ତ୍ରିତ କରିବା ସାମର୍ଥ୍ୟ ହାସଲ ହୋଇଥାଏ । ତୃତୀୟରେ ଲିଖନ ପ୍ରକ୍ରିୟାରେ ବ୍ୟକ୍ତିଗତସ୍ତରରେ ନିଜ ମନ ଖୋଲି ହେବା ପରେ ଆବଶ୍ୟକ ସ୍ଥଳେ ତାହା ଅନ୍ୟମାନଙ୍କ ସମ୍ମୁଖରେ ପ୍ରକାଶ କରିବା ସହଜପ୍ରଦ ହୋଇପାରିଥାଏ । ଏତଦ୍ୱାରା ବ୍ୟକ୍ତି ନିଜ ମାନସିକ ଅବସ୍ଥା ଉପଶମ ନିମନ୍ତେ ସାମାଜିକ ସହାୟତା ଲୋଡ଼ିବା ସଂଭବ ।

 

ଅଧ୍ୟୟନରୁ ଜଣାଯାଏ ଯେ କୌଣସି ଅପ୍ରୀତିକର ମାନସିକ ଧକ୍କା ସମ୍ମୁଖୀନ ହେବା ସଙ୍ଗେ ସଙ୍ଗେ ମନଗହନ ବର୍ଣ୍ଣନା ଉଚିତ ଫଳାଫଳ ପ୍ରଦାନ କରେ ନାହିଁ । କାରଣ ଦୁଃସ୍ଥିତିକୁ ଗ୍ରହଣ କରିବା ନିମନ୍ତେ ବ୍ୟକ୍ତି ଏକ ରକମ ଅରାଜି ଅବସ୍ଥାରେ ରହିଥାଏ । ଅନ୍ତତଃପକ୍ଷେ ଘଟଣାର ମାସେ ଦୁଇମାସ ଉତ୍ତାରେ ଲିଖନ ପ୍ରକ୍ରିୟାରେ ଅଂଶ ଗ୍ରହଣ କରାଯାଇପାରେ । ଅପ୍ରୀତିକର ଅନୁଭୂତି କହିବା ବଦଳରେ ଲେଖିବା ଦ୍ୱାରା ପ୍ରାଞ୍ଜଳ ଭାବେ ବ୍ୟକ୍ତ କରିବା ଅବକାଶ ସୃଷ୍ଟି ହୁଏ ।

 

ମନଗହନ ବର୍ଣ୍ଣନା ବ୍ୟକ୍ତିର ଅର୍ନ୍ତଦୃଷ୍ଟିକୁ ଶାଣିତ କରେ । ନିଜ ରଚନା ନିଜେ ପଢ଼ିବା ଫଳରେ ନିଜସ୍ୱ ଆବେଗ, ଚିନ୍ତା, ବିଶ୍ୱାସ ଓ ବ୍ୟବହାର ଇତ୍ୟାଦି ସଂପର୍କରେ ସଚ଼େତନ ହେବା ସୁଯୋଗ ସୃଷ୍ଟି ହୁଏ । ମାନସିକ ଚ଼ିକିତ୍ସାରେ ଆକ୍ରାନ୍ତଙ୍କୁ ମନଗହନ ବର୍ଣ୍ଣନା ଲାଗି ପରାମର୍ଶ ଦିଆଯାଏ । ଏତଦ୍ୱାରା ଅବସାଦ, ଉଦବିଗ୍ନତା ସୃଷ୍ଟି କରୁଥିବା ଚ଼ିନ୍ତାଧାରାରେ ହସ୍ତକ୍ଷେପ ସଂଭବ ବୋଲି ବିଶ୍ୱାସ କରାଯାଏ ।

 

ବାର୍ଦ୍ଧକ୍ୟରେ ମାନସିକ ସ୍ୱାସ୍ଥ୍ୟାବସ୍ଥା ସଜାଡ଼ିବା ଦିଗରେ ମନଗହନ ବର୍ଣ୍ଣନାକୁ ସାମୟିକ ଅଭ୍ୟାସ ରୂପେ ଗ୍ରହଣ କରାଯାଇପାରେ । ଏଥିଲାଗି ଦୈନିକ ଭିତ୍ତିରେ ନିର୍ଦ୍ଧାରିତ ସମୟ ଅବଧିରେ ଲିଖନ କାର୍ଯ୍ୟସୂଚ଼ୀ ଆୟୋଜନ ଆବଶ୍ୟକ । ଲେଖକ, ସାମ୍ୱାଦିକ ବ୍ୟତୀତ ଅନ୍ୟମାନେ କାର୍ଯ୍ୟୋପଲକ୍ଷେ ଲେଖା ଭିନ୍ନ ଅନ୍ୟ କିଛି ଲେଖିବାରେ ଅଭ୍ୟସ୍ତ ନଥାନ୍ତି । ସେମାନଙ୍କୁ ହଠାତ ମନକଥା ଲେଖିବା ଅସହଜ ବୋଧ ହୋଇପାରେ । ସାଧାରଣରେ ମନଗହନ ବର୍ଣ୍ଣନା ଲାଗି ଦୈନିକ ୨୦ ମିନଟ ବୈଠକ କ୍ରମାଗତଭାବେ ଚାରି ଦିନରେ ଗୋଟିଏ ଅଧିବେଶନ ସୀମିତ ରଖାଯାଇପାରେ ।

 

ପ୍ରତ୍ୟେକ ଦିନ ରଚନାର ବିଷୟବସ୍ତୁ ନିଜେ ହିଁ ଠିକ କରିବା, ଲେଖିଲାବେଳେ ଶବ୍ଦବିନ୍ୟାସ ଓ ବ୍ୟାକରଣ ଇତ୍ୟାଦିରେ ଭୂଲଭଟ୍ଟକା ପ୍ରତି ଧ୍ୟାନ ନଦେବା, ନିର୍ଦ୍ଦିଷ୍ଟ ସମୟସୀମାରେ ନିରବିଚ୍ଛନ୍ନ ଭାବେ ଲେଖିଚାଲିବା; ଏପରିକି ସ୍ଥଳବିଶେଷରେ ଅଳ୍ପ କିଛି ଲେଖିବା ପରେ ଅଧିକା ଲେଖିବା କଷ୍ଟକର ହେଲେ ୨୦ ମିନଟ ଧରି ପୂର୍ବଲିଖିତ ଅଂଶକୁ ପୁନର୍ବାର ନକଲ କରିଚାଲିବା ଏବଂ ଏହି ରଚନା ନିଜେ ଥରେ ପଢ଼ିବାପରେ ଚିରି ନଷ୍ଟ କରିଦେବା ଲାଗି ପରାମର୍ଶ ଦିଆଯାଇଥାଏ । ଦେଖାଯାଏ ଯେ ପ୍ରଥମେ ପ୍ରଥମେ ନିଜ ମନକଥା ଲେଖିସାରିବା ପରେ ଅଡୁଆ ବୋଧ ହୁଏ । କିନ୍ତୁ ଘଣ୍ଟାଏ ଦୁଇଘଣ୍ଟା ପରେ ଏହି ଅନୁଭବ ଦୂର ହୋଇଯାଏ ।

 

କୋଭିଡ଼-୧୯ ମହାମାରୀ ସମସ୍ତଙ୍କ ଜୀବନରେ ସାମଗ୍ରିକଭାବେ ଏକ ଅପ୍ରୀତିକର ଅନୁଭୂତି । ବହୁ ବରିଷ୍ଠ ନାଗରିକ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି, ସ୍ଥଳବିଶେଷରେ ଜୀବନଯାତ୍ରା ଦୁର୍ବିସହ ହୋଇପଡ଼ିଛି ଓ ସ୍ୱାସ୍ଥ୍ୟସେବାଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ଅବହେଳା ଶୀକାର ହୋଇଛନ୍ତି । ହୁଏତ ମାନସିକସ୍ତରରେ ଆବେଗ ଜମାଟ ବାନ୍ଧି ରହିଥିବ ଏବଂ ତାହା ପରିଷ୍କାର କରିବା ଆବଶ୍ୟକ ବିଚାର କରାଯାଇପାରେ । ପେନବାକେରଙ୍କ ମନଗହନ ବର୍ଣ୍ଣନା ଉପପାଦ୍ୟ ସରଳ, ଖର୍ଚ୍ଚବିହୀନ ଓ ସୁରକ୍ଷିତ । ଏହାକୁ ଡ଼ାଏରୀ ଲେଖା ବା ଦୃତଗତିରେ ଚାଲିବା ଭଳି ବ୍ୟାୟାମ ସହ ତୁଳନା କରାଯାଇପାରେ । ଅତଏବ ଥରେ ପରୀକ୍ଷା କଲେ କ୍ଷତି କ? 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧୫ ଫେବୃୟାରୀ ୨୦୨୨


ତଥ୍ୟ :

 

Pennebaker, James W. Expressive Writing in Psychological Science. 2018

 

https://journals.sagepub.com/doi/full/10.1177/1745691617707315#:~:text=The%20first%20expressive%20writing%20experiment,the%20study%20was%20horribly%20underpowered

 

Writing about emotions may ease stress and trauma. October 11, 2011

 

https://www.health.harvard.edu/healthbeat/writing-about-emotions-may-ease-stress-and-trauma#:~:text=Writing%20about%20thoughts%20and%20feelings,won't%20work%20for%20everyone. trauma#:~:text=Writing%20about%20thoughts%20and%20feelings,won't%20work%20for%20everyone.

 

Thatcher, Christina. Writing can improve mental health – here’s how. The Conversation June 17, 2021.

 

https://theconversation.com/writing-can-improve-mental-health-heres-how-162205#:~:text=Research%20shows%20that%20expressive%20writing,anxious%20thoughts%20and%20perceived%20stress.

 

Evans, John F. Expressive Writing. Psychology Today. August 2021

 

https://www.psychologytoday.com/us/blog/write-yourself-well/201208/expressive-writing

ବାର୍ଦ୍ଧକ୍ୟରେ ପଶ୍ଚାତାପ

ବାର୍ଦ୍ଧକ୍ୟକୁ ଏକ ବର୍ଗ ଜୀବନର ଶେଷ ଅଧ୍ୟାୟ ବିବେଚ଼ନା କରୁଥିବା ସ୍ଥଳେ ଅନ୍ୟ ଏକ ବର୍ଗ ଜୀବନର ଅଂଶବିଶେଷଭାବେ ଗ୍ରହଣ କରିଥାନ୍ତି । ଅର୍ଥାତ, କେତେକ ବାର୍ଦ୍ଧକ୍ୟ ଜୀବନ ପ୍ରତି ଉଦାସୀନ ମନୋଭାବ ପୋଷଣ କରିବା ବେଳେ ଅନ୍ୟ କେତେକ ଜୀବନର ଅବଶିଷ୍ଟାଂଶକୁ ସରଳ, ସୁଖପ୍ରଦ ଓ ତାତ୍ପର୍ଯ୍ୟପୂର୍ଣ୍ଣ ଗଢ଼ି ତୋଳିବା ନିମନ୍ତେ ଯତ୍ନବାନ ହୋଇଥାନ୍ତି । ପରିବର୍ତ୍ତିତ ପରିବେଶରେ ମନୁଷ୍ୟର ଜୀବଦ୍ଦଶା ବୃଦ୍ଧି ପାଇ ୬୦ ବର୍ଷୋତ୍ତର ଜୀବନ ଦଶରୁ ଚାଳିଶି ବର୍ଷ ଯାଏଁ ପରିବ୍ୟାପ୍ତ ହେଉଥିବା ଅବସରରେ ପାରମ୍ପରିକ ବାର୍ଦ୍ଧକ୍ୟ ଜୀବନଯାତ୍ରା ନୂତନ ଆଭିମୁଖ୍ୟ ଗ୍ରହଣ କରିବା ସ୍ୱାଭାବିକ । ସାମାଜିକସ୍ତରରେ ଉତ୍ତର-ବାର୍ଦ୍ଧକ୍ୟ ଜୀବନ ଚର୍ଚ୍ଚା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହେବାରେ ଲାଗିଛି ।

 

ବାର୍ଦ୍ଧକ୍ୟ ଜୀବନଚ଼ର୍ଯ୍ୟାରେ ବିଭିନ୍ନ ପ୍ରଭାବଶାଳୀ ଭାବାବେଗ ଇମୋସନମଧ୍ୟରେ ପଶ୍ଚାତାପ ରିଗ୍ରେଟ ଅନ୍ୟତମ । ଜୀବନବ୍ୟାପୀ ପଶ୍ଚାତାପ ବା ଅନୁତାପ, ଅନୁଶୋଚ଼ନା ଅନୁଭୂତ ହେଲେହେଁ ବାର୍ଦ୍ଧକ୍ୟରେ ପଶ୍ଚାତାପର ଜ୍ୱାଳା ତୀବ୍ର ଅନୁଭବ ହେଉଥିବା ସାଧାରଣରେ ବିଶ୍ୱାସ । ବାର୍ଦ୍ଧକ୍ୟରେ ଜୀବନର ହିସାବ ନିକାଶ ନିମନ୍ତେ ଅବକାଶ ସୃଷ୍ଟି ହେଉଥିବା ସ୍ଥଳେ ଜୀବନକେନ୍ଦ୍ରୀକ ଭୂଲଭଟ୍ଟକା ସଜାଡ଼ିବା ସମୟ ଅତିକ୍ରାନ୍ତ ହୋଇଯାଇଥିବା ବୋଧ ହୋଇଥାଏ । ଉଦାହରଣରେ କୌଣସି ବ୍ୟକ୍ତି ପାଇଁ ଉପକାର ପରବର୍ତ୍ତୀକାଳରେ ସେ ସଂପୂର୍ଣ୍ଣ ପାଶୋରି ଦେଇଥିବା ଅଭିନୟ କରିବା କିମ୍ୱା ଓଲଟି କ୍ଷତି ପହୁଞ୍ଚାଇବା ନିମନ୍ତେ ଉଦ୍ୟମରତ ହେବା ମନରେ ଗଭୀର କ୍ଷତ ସୃଷ୍ଟି କରିଥାଏ । କିନ୍ତୁ ପୂର୍ବ ସହାୟତାକୁ ଫେରାଇନେବା କିମ୍ୱା ସଂପୃକ୍ତ ବ୍ୟକ୍ତିଙ୍କ ସହ ଜୀବନର ଶେଷାଂଶରେ ବିଶେଷ କିଛି କାରବାରର ଲିପ୍ତହେବା ସୁଯୋଗ ନଥାଏ ।

 

ଚଳନ୍ତି ସାମାଜିକ ପ୍ରବାହ ଟ୍ରେଣ୍ଡରେ ପଶ୍ଚାତାପକୁ ଏକ ନକାରାତ୍ମକ ଭାବାବେଗ ରୂପେ ଚ଼ିତ୍ରଣ କରାଯାଏ । ମୁଖ୍ୟତଃ ଦ୍ୱିତୀୟ ବିଶ୍ୱଯୁଦ୍ଧୋତ୍ତର ମାର୍କିନ ପ୍ରେରଣାଦାୟୀ ସଂସ୍କୃତି ପ୍ରସାରରେ ପଶ୍ଚାତାପ-ବିହୀନ ନୋ-ରିଗ୍ରେଟସ ଜୀବନଯାତ୍ରାକୁ ଉତ୍ସାହିତ କରାଯାଇ ଆସିଛି । ପାଶ୍ଚାତ୍ୟ ସଂସ୍କୃତି ବିଶ୍ୱବ୍ୟାପୀ ପ୍ରଭାବ ବିସ୍ତାର କରିଚାଲିଥିବା ହେତୁ ଆଧୁନିକ ଜନଜୀବନରେ ପାଶ୍ଚାତାପକୁ ଏଡ଼ାଇନେବା ମନୋବୃତ୍ତି ପରିଲକ୍ଷିତ । ଅବଶ୍ୟ ଉତ୍ତର-ଆଧୁନିକ ପରିବେଶରେ ଗବେଷଣାଲବ୍ଧ ତଥ୍ୟ ଆଧାରରେ ପଶ୍ଚାତାପର ମାନବୀୟ ମୂଲ୍ୟବୋଧକୁ ଗୁରୁତ୍ୱ ଦିଆଯାଉଥିବା ଏକ ନବୀନ ଉପଲବ୍ଧି ।

 

ଯୁକ୍ତରାଷ୍ଟ୍ର ଆମେରିକାର ଡ଼ାନିୟାଲ ପିଙ୍କ ନାମକ ଜଣେ ଚ଼ିନ୍ତକ ଓ ଲେଖକ କୋଭିଡ଼-୧୯ ମହାମାରୀ କାଳରେ ୨୦୨୦-୨୧ ଦୁଇବର୍ଷ ଧରି ବିଶ୍ୱ ପଶ୍ଚାତାପ ସର୍ବେକ୍ଷଣ ୱାର୍ଲ୍ଡ ରିଗ୍ରେଟ ସର୍ଭେ ଆୟୋଜନ କରିଥିଲେ । ଏହି ଅବସରରେ ୧୦୫ ଗୋଟି ରାଷ୍ଟ୍ରର ପ୍ରାୟ ୧୬ ହଜାର ବ୍ୟକ୍ତିଙ୍କ ଜୀବନରେ ପଶ୍ଚାତାପ ଅନୁଭୂତି ସଂଗୃହୀତ ହୋଇ ବିଶ୍ଳେଷଣ କରାଯାଇଥିଲା । ପିଙ୍କ ଗବେଷଣାଲବ୍ଧ ଜ୍ଞାନ ଦି ପାୱାର ଅଫ ରିଗ୍ରେଟ ନାମକ ପୁସ୍ତକରେ ବର୍ଣ୍ଣନା କରି ୨୦୨୨ ଫେବୃୟାରୀରେ ପ୍ରକାଶ କରିଥିଲେ । ପିଙ୍କ ଜଣେ ଲୋକପ୍ରିୟ ଲେଖକ ଏବଂ ତାଙ୍କ ଦ୍ୱାରା ରଚିତ ସାତଗୋଟି ପୁସ୍ତକ ମଧ୍ୟରୁ ପାଞ୍ଚଗୋଟି ଦି ନ୍ୟୂୟର୍କ ଟାଇମ୍ସ ବେଷ୍ଟ ସେଲର ଲିଷ୍ଟରେ ସ୍ଥାନିତ ।

 

ପିଙ୍କ କହନ୍ତି ଯେ ସମସାମୟିକ ଜନଜୀବନରେ ପଶ୍ଚାତାପକୁ ଗୁରୁତ୍ୱ ଦିଆନଯାଉଥିବା ବିଶ୍ୱାସ କରାଯାଏ । କିନ୍ତୁ ଗବେଷଣାରୁ ଜଣାଯାଇଛି ଯେ ୮୨ ପ୍ରତିଶତ ବ୍ୟକ୍ତି ଅତୀତ ଜୀବନରେ ଅନ୍ତତଃପକ୍ଷେ ଥରେ ପଶ୍ଚାତାପ କରିଥିବା ଏବଂ ୨୧ ପ୍ରତିଶତ ଧାରାବାହିକଭାବେ ପଶ୍ଚାତାପର ସମ୍ମୁଖୀନ ହେଉଥିବା ସ୍ୱୀକାର କରିଥାନ୍ତି । ମାତ୍ର ଏକ ପ୍ରତିଶତ କହନ୍ତି ଯେ ସେମାନେ ଜୀବନରେ କେବେ ପଶ୍ଚାତାପ କରିନାହାନ୍ତି । ଅର୍ଥାତ, ବହୁ ସଂଖ୍ୟକଙ୍କ ଜୀବନଯାତ୍ରାରେ ପଶ୍ଚାତାପ ସ୍ଥାନ ପାଉଥିବା ସ୍ଥଳେ ଏକ ପଞ୍ଚମାଂଶ ଯାଏଁ ମାତ୍ରାଧିକସ୍ତରରେ ପ୍ରଭାବିତ । ତଥାକଥିତ ନୋ-ରିଗ୍ରେଟସ ଏକ ମିଡ଼ିଆ ସ୍ଳୋଗାନ ।

 

ପିଙ୍କ ନିଜ ପୁସ୍ତକରେ ପଶ୍ଚାତାପକୁ ଚାରି ଶ୍ରେଣୀରେ ବିଭକ୍ତ କରିଛନ୍ତି : ବିଚାରଭିତ୍ତିକ, ଅବହେଳାଭିତ୍ତିକ, ସଂପର୍କଭିତ୍ତିକ ଓ ନୈତିକତାଭିତ୍ତିକ । ପ୍ରଥମ ଶ୍ରେଣୀରେ ନିଜେ ଗ୍ରହଣ କରିଥିବା କେତେକ ନିଷ୍ପତ୍ତି ପରବର୍ତ୍ତୀ ଜୀବନରେ ସମସ୍ୟା ସୃଷ୍ଟି କରିଥିବାରୁ ପଶ୍ଚାତାପ ଉଦ୍ରେକ ହୋଇଥାଏ । ଅପରପକ୍ଷେ ଦ୍ୱିତୀୟ ଶ୍ରେଣୀରେ ଉପଲବ୍ଧ ସୁଯୋଗସୁବିଧା ଗ୍ରହଣ ନକରିଥିବା କାରଣରୁ ପଶ୍ଚାତାପର ସମ୍ମୁଖୀନ ହେବାକୁ ପଡ଼େ । ତୃତୀୟଶ୍ରେଣୀରେ ପରିବାର ଓ ପରିବେଶ ସହ ସଂପର୍କ ସ୍ଥାପନରେ ତୃଟି ବିଚ୍ୟୁତି ଜନିତ ଏବଂ ଚ଼ତୁର୍ଥ ଶ୍ରେଣୀରେ ନୀତିନିୟମ ବର୍ହିଭୂତ କାର୍ଯ୍ୟକଳାପଜନିତ ପଶ୍ଚାତାପରେ ଜନସାଧାରଣ ଆକ୍ରାନ୍ତ ହୋଇଥାନ୍ତି । ବ୍ୟକ୍ତିବିଶେଷ ଏକ ବା ଏକାଧିକ ଶ୍ରେଣୀର ପଶ୍ଚାତାପ ଅନୁଭବ କରୁଥିବା ଦେଖାଯାଏ ।

 

ପଶ୍ଚାତାପକୁ ଦୁଃଖର କାରଣ ବିବେଚ଼ନା କରିବା ଅନୁଚ଼ିତ । ପଶ୍ଚାତାପ ନିଜର ନିଷ୍ପତ୍ତି, ଆଚ଼ରଣ ବା କାର୍ଯ୍ୟଧାରା ଦ୍ୱାରା ସୃଷ୍ଟ ନକାରାତ୍ମକ ପରିବେଶକୁ ଅନୁଶୀଳନ କରି ସକାରାତ୍ମକ ଦିଗରେ ଅଗ୍ରସର ହେବା ନିମନ୍ତେ ଦ୍ୱାର ଉନ୍ମୁକ୍ତ କରିଥାଏ । ଅବଶ୍ୟ ମାତ୍ରାଧିକ ପଶ୍ଚାତାପ ମନୁଷ୍ୟର ହରମୋନ ଓ ରୋଗ ପ୍ରତିଷେଧକ ଶକ୍ତି ଇମ୍ୟୁନିଟିକୁ ପ୍ରଭାବିତ କରିବା ତଥା ଉଦବିଗ୍ନତା ଏଙ୍ଗଜାଇଟି ଓ ଉଦାସୀନତା ଡ଼ିପ୍ରେସନର ସମ୍ମୁଖୀନ ହେବା ଭୟ ରହିଥାଏ । ଏହା ସାଧାରଣ ସ୍ୱାସ୍ଥ୍ୟାବସ୍ଥାରେ ପ୍ରତିକୂଳ ପ୍ରଭାବ ପକାଇପାରେ । କିନ୍ତୁ ପଶ୍ଚାତାପକୁ କେନ୍ଦ୍ରକରି ନିଜକୁ ସଜାଡ଼ିବାକୁ ଚେଷ୍ଟାକଲେ ଉଭୟ ସ୍ୱାସ୍ଥ୍ୟାବସ୍ଥା ଓ ଜୀବନଯାତ୍ରାରେ ସଫଳତା ମିଳିପାରେ । ପଶ୍ଚାତାପ ଅଭାବରେ ଭୂଲଗୁଡ଼ିକ ବାରମ୍ୱାର କରିବା ଭୟ ରହିଥାଏ ଏବଂ ଏହି ପରିବେଶ ହିତକର ନୁହେଁ ।

 

ସ୍ଥଳବିଶେଷରେ ବ୍ୟକ୍ତିବିଶେଷ ବାରମ୍ୱାର ପଶ୍ଚାତାପ ଅନୁଭବ କରିଥାନ୍ତି । ଏହି ସମସ୍ୟାରୁ ମୁକୁଳିବା ପାଇଁ ଏକ କାଗଜରେ ପଶ୍ଚାତାପଗୁଡ଼ିକୁ ଲେଖି ପ୍ରତ୍ୟେକଟିର କାରଣ ଓ ନିରାକରଣ ଉଲ୍ଲେଖ କରିବା ନିମନ୍ତେ ପିଙ୍କ ପରାମର୍ଶ ଦେଇଥାନ୍ତି । ଏହା ଫଳରେ ପଶ୍ଚାତାପର ଘନତ୍ୱ ପରିମାପ କରି ସେଥିରୁ ନିବୃତ ହେବା ନିମନ୍ତେ ବ୍ୟକ୍ତିଗତସ୍ତରରେ ରଣନୀତି ସ୍ଥିର କରିହୁଏ । ଏହି ଦିଗରେ ପରାମର୍ଶ କାଉନସେଲିଂ ମଧ୍ୟ ସହାୟତା କରିପାରେ । ମନୁଷ୍ୟ ପଶ୍ଚାତାପ କାଳରେ ନିଜକୁ ନିଜ ଅତୀତ କାର୍ଯ୍ୟକଳାପ ନିମନ୍ତେ କ୍ଷମାଶୀଳ ହେଲେ ସହଜରେ ଉପଶମ ଲାଭ କରିବା ସଂଭବ ।

 

ପଶ୍ଚାତାପ ଏକ ମାନବୀୟ ଭାବାବେଗ ଏବଂ ମନୁଷ୍ୟ ଜୀବନରେ ସୁରକ୍ଷା ସମ୍ପଦ ସରଭାଇଭଲ ଟୁଲ ଭାବେ କାର୍ଯ୍ୟ କରିଥାଏ । ଏହା ପ୍ରାକୃତିକ, ବାସ୍ତବ ଏବଂ ଏହାକୁ ଏଡ଼ାଇଯିବା ପ୍ରବୃତ୍ତି ଭ୍ରମାନ୍ତକ । ତତସଙ୍ଗେ ମନୁଷ୍ୟ ନିଜ ଜୀବନର ପ୍ରତ୍ୟେକ ପର୍ଯ୍ୟାୟରେ ପଶ୍ଚାତାପଜନିତ ସୁଫଳ ଆଶା କରିପାରେ । ଡ଼ାନିୟଲ ପିଙ୍କ ଚ଼ୀନ ଦେଶର ଏକ ପୁରାତନ ଉକ୍ତି ଉଦ୍ଧାର କରି ଦର୍ଶାଇଥିଲେ ଯେ ଗୋଟିଏ ବୃକ୍ଷ ରୋପଣର ସର୍ବାପେକ୍ଷା ପ୍ରକୃଷ୍ଟ ସମୟ କୋଡ଼ିଏ ବର୍ଷ ପୂର୍ବକୁ ନିର୍ଦ୍ଧାରଣ କରାଯାଏ । ତେବେ ଯଦି କୌଣସି କାରଣବଶତଃ ବୃକ୍ଷ ରୋପିତ ହୋଇପାରି ନାହିଁ, ତେବେ ବର୍ତ୍ତମାନ ଦ୍ୱିତୀୟ ସୁଯୋଗ ବିବେଚିତ । ଅତଏବ ବାର୍ଦ୍ଧକ୍ୟାବସ୍ଥାରେ ମଧ୍ୟ ପଶ୍ଚାତାପର ସୁଫଳ ଆଶା କରାଯାଇପାରେ ।

 

ଡ଼ାନିୟଲ ପିଙ୍କ ବର୍ଣ୍ଣିତ ଚାରି ଶ୍ରେଣୀର ପଶ୍ଚାତାପ ସଂପର୍କୀତ ୟୁଟ୍ୟୁବ ଭିଡ଼ିଓ ଦେଖିବା ନିମନ୍ତେ ନିମ୍ନ ପ୍ରଦତ୍ତ ଲିଙ୍କରେ କ୍ଳିକ କରନ୍ତୁ :

 

https://www.youtube.com/watch?v=cenxg8j-Rc0 


ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ମେ ୨୦୨୨


ତଥ୍ୟ :

 

Brooks, Arthur C. The problem with ‘No Regrets’

 

https://www.theatlantic.com/family/archive/2022/02/no-regrets-learning-happiness/621458/

 

Ravi, Damu. Learning from regret. Business Standard (Bhubaneswar Edition). April 8, 2022

 

https://www.business-standard.com/article/beyond-business/learning-from-regret-122040701445_1.html

 

Skipper, Clay. Daniel Pink Interview : How to use regrets for good / GQ / February 22, 2022

 

https://www.gq.com/story/daniel-pink-the-power-of-regret 

ବାର୍ଦ୍ଧକ୍ୟରେ ନୂତନ ବନ୍ଧୁତ୍ୱ ସୃଷ୍ଟି

ପାରମ୍ପରିକଭାବେ ବାର୍ଦ୍ଧକ୍ୟରେ ନୂତନ ବନ୍ଧୁତ୍ୱ ସୃଷ୍ଟି ସହଜପ୍ରଦ ମନେକରାଯାଇ ନଥାଏ ।

 

ଭାରତରେ ସଂଖ୍ୟାଧିକ ବରିଷ୍ଠନାଗରିକ ଗ୍ରାମାଞ୍ଚଳରେ ବସବାସ କରନ୍ତି । ସେମାନଙ୍କ ପକ୍ଷରେ ପାରିବାରିକ ଓ ଭୌଗଳିକ ସୀମା ବନ୍ଧୁତ୍ୱ ସ୍ଥାପନର ମୁଖ୍ୟ ଆଧାର । ଶୈଶବ, କିଶୋର, ଯୁବାବସ୍ଥା ଓ ପ୍ରାପ୍ତବୟସ୍କ ଅବଧିରେ ଯେଉଁ ବନ୍ଧୁତ୍ୱର ଉନ୍ମେଷ ଘଟିଥାଏ ତାହା ବାର୍ଦ୍ଧକ୍ୟରେ ଏକେତ ଦୃଢ଼ୀଭୂତ ହୁଏ, ନଚ଼େତ ଭାଙ୍ଗି ଯାଏ । ଉନ୍ନତ ଯୋଗାଯୋଗ, ଯଥା : ରାସ୍ତାଘାଟ ସଂଯୋଗ, ଯାନବାହାନ, ଦେଶାନ୍ତରଯାତ୍ରା, ଟେଲିଯୋଗାଯୋଗ ତଥା ଇଣ୍ଟରନେଟ ଭଳି ସୁବିଧାସୁଯୋଗ ଅଭାବରୁ ଭୌଗଳିକ ସୀମାପାର ବନ୍ଧୁତ୍ୱସୃଷ୍ଟିରେ ବାଧକ ସାଜିଥାଏ ।

 

ଅପରପକ୍ଷେ ସହରାଞ୍ଚଳରେ ବସବାସ କରୁଥିବା ସଂଖ୍ୟାଲଘୁ ଭାରତୀୟ ନାଗରିକଙ୍କ ପାଇଁ ଏଭଳି ସୁବିଧାସୁଯୋଗ ଉପଲବ୍ଧ ଥିଲେ ହେଁ ଅନ୍ୟାନ୍ୟ ପ୍ରତିବନ୍ଧକର ସାମ୍ନା କରିବାକୁ ପଡିଥାଏ। ପାରିବାରିକ, ବଂଶଗତ ଓ ଭୌଗଳିକ ପରିସୀମା ପରେ ଶିକ୍ଷାନୁଷ୍ଠାନ, ବୃତ୍ତିଗତ କର୍ମକ୍ଷେତ୍ର ଓ ସାମାଜିକ ସଂଗଠନରେ ସଂପୃକ୍ତି ନୂତନ ବନ୍ଧୁ ସ୍ଥାପନର ସୁଯୋଗ ସୃଷ୍ଟି କରେ । ତେବେ କର୍ମମୟ ଜୀବନରୁ ଅବସର ଗ୍ରହଣପରେ ନୂତନ ବନ୍ଧୁତ୍ୱ ସ୍ଥାପନ ନିମନ୍ତେ ପରିବେଶର ଅଭାବ ଅନୁଭୂତ ହୁଏ । ସର୍ବୋପରି ବାର୍ଦ୍ଧକ୍ୟରେ ନୂତନ ବନ୍ଧୁତ୍ୱ ସୃଷ୍ଟି ନିମନ୍ତେ ଅନେକଙ୍କ କ୍ଷେତ୍ରରେ ଉଦ୍ୟମ ବା ‘ଇନିସିଟିଭଉ’ ଅଭାବକୁ ମୁଖ୍ୟ କାରଣ ରୂପେ ଚ଼ିହ୍ନଟ କରାଯାଇପାରେ ।

 

ପ୍ରଶ୍ନ ଉଠେ ବାର୍ଦ୍ଧକ୍ୟରେ ନୂତନ ବନ୍ଧୁତ୍ୱ ସୃଷ୍ଟି ସଂଭବପର କି ?

 

ଆଧୁନିକ ପରିବେଶ, ବାର୍ଦ୍ଧକ୍ୟ ଜୀବନଚ଼ର୍ଯ୍ୟା ନିମନ୍ତେ ପରିବର୍ତ୍ତିତ ଦୃଷ୍ଟିକୋଣ ତଥା ଲକ୍ଷ୍ୟଭିତ୍ତିକ ଉଦ୍ୟମ ବାର୍ଦ୍ଧକ୍ୟରେ ନୂତନ ବନ୍ଧୁତ୍ୱ ସୃଷ୍ଟିରେ ଅବଶ୍ୟ ସହାୟକ ହୋଇପାରିବ । ଯୁକ୍ତରାଷ୍ଟ୍ର ଆମେରିକା ଓହିଓ ୟୁନିଭରସିଟିର କମ୍ୟୁନିକେସନ ପ୍ରଫେସର ଉଇଲିୟମ ରାୱଲିନ୍ସ ବନ୍ଧୁତା, ବିଶେଷତଃ ବାର୍ଦ୍ଧକ୍ୟରେ ନୂତନ ବନ୍ଧୁ ସୃଷ୍ଟି ସଂପର୍କରେ ଦୀର୍ଘକାଳ ଗବେଷଣା କରିଛନ୍ତି । ତାଙ୍କରି ମତରେ ସହମତ, ସହଚ଼ର୍ଯ୍ୟ ତଥା ଏକକ ଆଗ୍ରହ ବନ୍ଧୁତ୍ୱ ସୃଷ୍ଟିର ମୂଳ ଉତ୍ସ । ବାର୍ଦ୍ଧକ୍ୟରେ ଅନେକ କ୍ଷେତ୍ରରେ ପୂର୍ବରୁ ସ୍ଥାପିତ ବନ୍ଧୁତ୍ୱ ଶୀଥିଳ ହୋଇଯାଇଥାଏ । ତେବେ ଅତୀତରେ ସେସବୁ ବନ୍ଧୁତ୍ୱ କିପରି ସୃଷ୍ଟି ହୋଇଥିଲା ତାହା ତର୍ଜମା କଲେ ନୂତନ ବନ୍ଧୁତ୍ୱ ସୃଷ୍ଟିର ବାଟ ବେଶ ବୁଝିହୁଏ ।

 

ଉଦାହରଣରେ କିଶୋରବସ୍ଥାରେ ଫୁଟବଲ ଖେଳରୁ ହେଉ ବା ଯୁବାବସ୍ଥାରେ ଏକାଠି ଖଟିରେ ବସିବା କାରଣରୁ ହେଉ ଯେଭଳି ବନ୍ଧୁତ୍ୱ ଗଢ଼ି ଉଠିଥିଲା, ବାର୍ଦ୍ଧକ୍ୟରେ ହୁଏତ ପୁଣିଥରେ ସେଭଳି ଏକ ସୁଯୋଗ ସୃଷ୍ଟି ନିମନ୍ତେ ଜଣେ ଯତ୍ନବାନ ହୋଇପାରିବ । ଇଣ୍ଟରନେଟର ସୋସିଆଲ ମିଡ଼ିଆରେ ନିଜ ରୁଚ଼ି, ଆବେଗ ବା ଆଦର୍ଶର ଅନୁପୂରକ ବ୍ୟକ୍ତିଚ଼ରିତ୍ର ଖୋଜି ବାହାର କରିବା ସଂଭବ । ପ୍ରାଥମିକସ୍ତରରେ ସପ୍ତାହକୁ ଥରେ ଟେଲିଫୋନରେ କଥାବାର୍ତ୍ତା ହେବାଠାରୁ ଆରମ୍ଭ କରି ପରସ୍ପର ଭାବବିନିମୟ, ସାକ୍ଷାତ ତଥା ପାରିବାରିକ ସଂପର୍କ ହୁଏତ ବନ୍ଧୁତାରେ ପ୍ରବର୍ତ୍ତିତ ହୋଇପାରେ । ଏଭଳି ଏକ ପ୍ରସ୍ତାବ ଅପ୍ରାକୃତିକ ବା ‘ମେକାନିକାଲ’, ‘ବିଜନେସ-ଲାଇକ’ ପ୍ରତୀୟମାନ ହେଲେ ହେଁ ପରିବର୍ତ୍ତିତ ପରିବେଶରେ ଭୌଗଳିକ ବାଧ୍ୟବାଧକତାକୁ ଡ଼େଇଁ ସୁବିସ୍ତୃତ କ୍ୟାନଭାସରୁ ବନ୍ଧୁ ଖୋଜିବାହାର କରିବା ବାସ୍ତବତାକୁ ସୂଚ଼ିତ କରିଥାଏ ।

 

ବାର୍ଦ୍ଧକ୍ୟରେ ବିଭିନ୍ନ କାରଣରୁ ବନ୍ଧୁହୀନ ପରିସ୍ଥିତିର ସାମ୍ନା କରିବାକୁ ପଡ଼େ ।ପ୍ରିୟଜନଙ୍କ ପରଲୋକ, ଦେଶାନ୍ତର, ଉଗ୍ରମତାନ୍ତର ବା କପଟ ଆଚ଼ରଣ ହେତୁ ବନ୍ଧୁ ଶୂନ୍ୟତା ଅନୁଭୂତ ହୁଏ । ଅଧ୍ୟୟନ ଓ ବୃତ୍ତିଗତ ଜୀବନରେ ସହପାଠୀ ଓ ସହକର୍ମୀଙ୍କ ସହ ବନ୍ଧୁତ୍ୱ ଅବସର ଗ୍ରହଣପରେ ଏକତ୍ର ସହବସ୍ଥାନ ଅଭାବରୁ ଉଜ୍ଜୀବିତ ରଖିବା କଷ୍ଟକର । ଏତାଦୃଶ ବନ୍ଧୁହୀନ ପରିବେଶରେ ନୂତନ ବନ୍ଧୁତ୍ୱ ସୃଷ୍ଟି ଅପରିହାର୍ଯ୍ୟ । ଅନେକ କ୍ଷେତ୍ରରେ ସ୍ଥିତାବସ୍ଥାକୁ ଠିକ୍ ଭାବେ ବୁଝିପାରୁ ନଥିବା, ଅଭାବ ପୂରଣ କରିବା ନିମନ୍ତେ ଉଦ୍ୟମ କରୁନଥିବା  ତଥା ଉପଯୁକ୍ତ ପରିବେଶ ଖୋଜିପାଉନଥିବା ହେତୁ ଅନେକେ ନିଃସଙ୍ଗ ବାର୍ଦ୍ଧକ୍ୟ ଜୀବନଯାପନପାଇଁ ବାଧ୍ୟ ହୋଇଥାନ୍ତି ।

 

ଓହିଓ ୟୁନିଭରସିଟି ପ୍ରଫେସରଙ୍କ ମତରେ ବନ୍ଧୁତ୍ୱର ଅର୍ଥ ଜଣେ ଅନ୍ୟଜଣକ ସହ ଅନ୍ତରଙ୍ଗଭାବେ କଥୋପକଥନ, ବିଶ୍ୱାସଭାଜନ ତଥା ସାନ୍ନିଧ୍ୟ ଉପଭୋଗରେ ପର୍ଯ୍ୟବସିତ । ବନ୍ଧୁତ୍ୱ ପରିସ୍ପୁଟନ ନିମନ୍ତେ ଏକକ ଆଗ୍ରହ, ଅର୍ଥାତ ଦୁଇ ବା ତତୋଧିକ ବ୍ୟକ୍ତିଙ୍କ ମଧ୍ୟରେ କୌଣସି ନିର୍ଦ୍ଧିଷ୍ଟ ବିଷୟ ପ୍ରତି ଅନୁରାଗ ମୂଳତଃ ଆବଶ୍ୟକ । ଗବେଷଣାରୁ ଜଣାଯାଇଛି ଯେ ଜଣେ ବ୍ୟକ୍ତିଙ୍କ ନିମନ୍ତେ ଚ଼ାରି ପାଞ୍ଚ ଜଣ ବନ୍ଧୁ ଢ଼େର । କୌଣସି କାରଣରୁ ବନ୍ଧୁହୀନ ପରିସ୍ଥିତି ସୃଷ୍ଟି ହେଲେ ନୂତନ ବନ୍ଧୁତ୍ୱ ସୃଷ୍ଟି ନିମନ୍ତେ ଉଦ୍ୟମ କରାଯାଇପାରେ। ବନ୍ଧୁତ୍ୱ ବିଷୟରେ ଗବେଷଣାରତ ଡ଼ାର୍ଟ-ମାଉଥ କଲେଜର ସୋସିଓଲଜି ପ୍ରଫେସର ଜାନିସ ମ୍ୟାକ୍-କାବେଙ୍କ ମତରେ ଜଣକ ସହ ବନ୍ଧୁତ୍ୱ ସ୍ଥାପନ କରିବା ନିମନ୍ତେ ଆଗ୍ରହ ସୃଷ୍ଟି ହେଲେ ସଂପୃକ୍ତ ବ୍ୟକ୍ତିଙ୍କଠାରେ ସମୟ ଓ ସୁଯୋଗ ବିଚ଼ାରକୁ ନେଇ ବନ୍ଧୁତ୍ୱର ପ୍ରସ୍ତାବ ଉପସ୍ଥାପନ କରିବା ଉଚ଼ିତ । କାରଣ ବନ୍ଧୁତ୍ୱ ସୃଷ୍ଟି ନିମନ୍ତେ ସମୟ ଲାଗିଥାଏ ଏବଂ ସେଥିଲାଗି ପ୍ରାଥମିକ ପଦକ୍ଷେପ ଜରୁରୀ । ସ୍ଥଳବିଶେଷରେ ବନ୍ଧୁତ୍ୱ ସ୍ଥାପିତ ନ ହୋଇପାରିଲେ ମଧ୍ୟ କ୍ଷତିର ଆଶଙ୍କା ନଥାଏ ।

 

ପରିବାର ମଧ୍ୟରେ ଜ୍ଞାତିକୁଟୁମ୍ଭଙ୍କ ସହ ରକ୍ତ ସଂପର୍କ ତଥା ବିବାହ ବନ୍ଧନ ଚୁକ୍ତିବଦ୍ଧ ଥିବାବେଳେ ବନ୍ଧୁତ୍ୱକ୍ଷେତ୍ରରେ ଶାରିରୀକ କିମ୍ୱା ସାମାଜିକ ବାଧ୍ୟବାଧକତାର ଅବକାଶ ନଥାଏ ।କେବଳ ଭାବଗତ ଐକ୍ୟର ଭିତ୍ତିଭୂମି ଉପରେ ବନ୍ଧୁତ୍ୱ ଗଢ଼ି ଉଠେ । ବନ୍ଧୁମାନେ ପରସ୍ପରକୁ ପସନ୍ଦ କରିଥାନ୍ତି ଏବଂ କୌଣସି କାରଣରୁ ନାପସନ୍ଦ ହେଲେ ବନ୍ଧୁତ୍ୱ ଚ୍ଛିନ୍ନ ହୋଇଯାଏ ।

 

ବନ୍ଧୁତ୍ୱପୂର୍ଣ୍ଣ ପରିବେଶ ବ୍ୟକ୍ତିକୁ ସାମାଜିକ ସ୍ରୋତରେ ସାମିଲ କରିଥାଏ । ବନ୍ଧୁତ୍ୱ ବ୍ୟକ୍ତି ମାନସରେ ଚ଼ାପ ବା ଷ୍ଟ୍ରେସ, ଉଦବିଗ୍ନତା ବା ‘ଏଙ୍ଗଜାଇଟି’ ଓ ଅବସାଦ ବା ‘ଡ଼ିପ୍ରେସନ’ ଭଳି ବିପଦପୂର୍ଣ୍ଣ ସ୍ଥିତିରୁ ଦୂରେଇ ରଖିଥାଏ । ସାମଗ୍ରୀକଭାବେ କହିବାକୁ ଗଲେ ଉତ୍ତମ ସ୍ୱାସ୍ଥ୍ୟବସ୍ଥା ଓ ଆନନ୍ଦ ଉଦ୍ରେକ ନିମନ୍ତେ ବନ୍ଧୁତ୍ୱପୂର୍ଣ୍ଣ ପରିବେଶ ଅନେକାଂଶରେ ଦାୟୀ । ଗବେଷଣାଲବ୍ଧ ତଥ୍ୟ ଅନୁଯାୟୀ ନିଃସଙ୍ଗତା ଜୀବଦ୍ଦଶାକୁ ୨୬ ପ୍ରତିଶତ କମାଇ ଦେଇଥାଏ । ବ୍ରିଙ୍ଗହାମ ୟଙ୍ଗ ୟୁନିଭରସିଟିର ଜୁଲିଆନ ହଲଟ- ଲୁନଷ୍ଟାଡ଼ ଜୀବଦ୍ଦଶା ଓ ବନ୍ଧୁତ୍ୱ ସଂପର୍କରେ ଦୀର୍ଘକାଳ ଧରି ଅଧ୍ୟୟନ କରିଛନ୍ତି । ସେ କହୁଛନ୍ତି ଯେ ବନ୍ଧୁହୀନ ପରିବେଶ ସଂପୃକ୍ତ ବ୍ୟକ୍ତିଙ୍କ ରକ୍ତଚ଼ାପ ବଢ଼ାଇଥାଏ ଏବ ରକ୍ତଚ଼ାପ ବଢ଼ିବା ହୃଦରୋଗର କାରଣ ।

 

ବିଶ୍ୱବ୍ୟାପୀ ନିଃସଙ୍ଗତା ବିଭିନ୍ନ କାରଣରୁ ବୃଦ୍ଧି ପାଇବାରେ ଲାଗିଛି । ବନ୍ଧୁହୀନ ପରିବେଶରେ ମନୁଷ୍ୟ ସାମାଜିକ ବିଚ୍ଛିନ୍ନତାବୋଧ ବା ‘ସୋସିଆଲ ଆଇସୋଲେସନ’ରେ ଆକ୍ରାନ୍ତ ହୋଇପଡୁଛି । ୨୦୧୮ ମାର୍ଚ୍ଚ ମାସରେ ବ୍ରିଟେନର ‘ହାର୍ଟ’ ଜର୍ଣ୍ଣାଲରେ ପ୍ରକାଶିତ ଏକ ସନ୍ଦର୍ଭ ଅନୁଯାୟୀ ସାମାଜିକ ବିଚ୍ଛିନ୍ନତାବୋଧ ୩୦ ପ୍ରତିଶତ ଲୋକଙ୍କୁ ପ୍ରଥମ ହୃଦଘାତରେ ବା ଫାଷ୍ଟ ହାର୍ଟ ଏଟାକରେ ପହୁଞ୍ଚାଇ ଦେଉଛି । ୟୁନିଭରସିଟି ଅଫ ହେଲେସିଂକିର ପ୍ରଫେସର ଖ୍ରୀଷ୍ଟିଆନ ହାକୁଲିନନଙ୍କ ନେତୃତ୍ୱରେ ବ୍ରିଟେନର ୪ ଲକ୍ଷ ୮୦ ହଜାର ବ୍ୟକ୍ତିଙ୍କ ସାତ ବର୍ଷର ମେଡ଼ିକାଲ ରେକର୍ଡ଼ ତର୍ଜମା କରାଯାଇ ଗବେଷକମାନେ ଏଭଳି ନିର୍ଯ୍ୟାସରେ ଉପନୀତ ହୋଇଛନ୍ତି ।

 

‘ଗ୍ରେ ଓଡ଼ିଶା’ ମଞ୍ଚରେ ଉପସ୍ଥିତ ବାର୍ଦ୍ଧକ୍ୟରେ ଉପନୀତ ତଥା ଆସନ୍ନ ବାର୍ଦ୍ଧକ୍ୟ ଅପେକ୍ଷାରତ ସମ୍ଭ୍ରାନ୍ତ ବା ଇଲାଇଟ ଓଡ଼ିଆମାନଙ୍କ ପାଇଁ ଉଲ୍ଲିଖିତ ତଥ୍ୟାଶ୍ରିତ ଗବେଷଣାଲବ୍ଧ ଉପଲବ୍ଧିଗୁଡ଼ିକ ବିଶେଷ ତାତ୍ପର୍ଯ୍ୟପୂର୍ଣ୍ଣମନେ ହୁଏ । ବାର୍ଦ୍ଧକ୍ୟରେ ନୂତନ ବନ୍ଧୁତ୍ୱ ସୃଷ୍ଟି ସମ୍ଭବ, ଏଥି ପାଇଁ ଏକକ ଆଗ୍ରହ ସମ୍ପନ୍ନ ଚ଼ରିତ୍ର ସନ୍ଧାନ ଏବଂ ନିଜ ଆଡୁ ଉଦ୍ୟମ ଆରମ୍ଭ କରିବା ଏକ ଲାଭଦାୟକ ନିଷ୍ପତ୍ତି– ଏଭଳି ନିଷ୍କର୍ଷଗୁଡ଼ିକ ପ୍ରତି ଆମେ ଯତ୍ନଶୀଳ ହେବା ସମୟ ଉପନୀତ । ଓଡ଼ିଶାରେ ବିକଳ୍ପ ବାର୍ଦ୍ଧକ୍ୟ ଜୀବନଚ଼ର୍ଯ୍ୟାରେ ବିଶ୍ୱାସ ରଖୁଥିବା ଏକ ଗୋଷ୍ଠୀର ସାଂଗଠନିକ ରୂପରେଖ ଅଙ୍କନ ଏବଂ ଏଥିନିମନ୍ତେ ପ୍ରତ୍ୟେକେ ନିଜପକ୍ଷରୁ ପଦକ୍ଷେପ ବା ‘ଇନିସିଟିଉଭ’ ଗ୍ରହଣ ଗୁରୁତ୍ୱପୂର୍ଣ୍ଣ ନୁହେଁ କି ?

 

ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ଏପ୍ରିଲ ୨୦୧୮

***

ବାର୍ଦ୍ଧକ୍ୟରେ ବନ୍ଧୁ ସଂଖ୍ୟା

ବାର୍ଦ୍ଧକ୍ୟରେ ଦୁଇଗୋଟି ମୁଖ୍ୟ କାରଣରୁ ବନ୍ଧୁଙ୍କ ସଂଖ୍ୟା ହ୍ରାସ ପାଇଥାଏ । ପ୍ରଥମତଃ, ଅପେକ୍ଷାକୃତ ଦୀର୍ଘଜୀବନ ଉପଭୋଗ କରୁଥିବା ବ୍ୟକ୍ତିମାନଙ୍କ ଘନିଷ୍ଠ ବନ୍ଧୁ ମହଲରୁ କେତେକ ପରଲୋକ ଗମନ କରୁଥିବା ସ୍ଥଳେ ଅନ୍ୟ କେତେକ ସ୍ଥାନାନ୍ତର, ଅସୁସ୍ଥତା ଓ ଅପଡ଼ କାରଣରୁ ବନ୍ଧୁତ୍ୱ ବନ୍ଧନୀରୁ ଅପସରି ଯାଆନ୍ତି । ଦ୍ୱିତୀୟତଃ, ବନ୍ଧୁ ସଂଖ୍ୟା ସଂକୁଚ଼ିତ ହେବା ପରେ ନୂତନ ବନ୍ଧୁତ୍ୱ ସ୍ଥାପନ ଲାଗି ଅନେକ ଯତ୍ନବାନ ହୋଇନଥାନ୍ତି । ତେବେ ବନ୍ଧୁ ସଂଖ୍ୟା ହାନୀର ପ୍ରତିକୂଳ ପ୍ରଭାବ ବାର୍ଦ୍ଧକ୍ୟ ଜୀବନଚର୍ଯ୍ୟାରେ ସୁସ୍ପଷ୍ଟ ।

 

ବନ୍ଧୁତ୍ୱ ସଂପର୍କରେ ବିଗତ ଅର୍ଦ୍ଧ ଶତାଦ୍ଦୀ ଧରି ସମାଜ ଶାସ୍ତ୍ରରେ ଗବେଷଣା ସଂପ୍ରସାରିତ ହୋଇଛି । ବନ୍ଧୁତ୍ୱ ଗବେଷକମାନଙ୍କ ମଧ୍ୟରେ ରବିନ ଡ଼ନବାର ଅନ୍ୟତମ । ବ୍ରିଟିଶ ନୃତତ୍ତ୍ୱବିତ ରବିନ ଡନବାର ଅକ୍ସଫୋର୍ଡ, କେମ୍ୱ୍ରିଜ, ଲିଭରପୁଲ ଓ ବ୍ରିଷ୍ଟଲରେ ଅଧ୍ୟୟନ ତଥା ଗବେଷଣା ଶେଷରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନାରତ । ସେ ଦେଢ଼ ଡଜନରୁ ଉର୍ଦ୍ଧ୍ୱ ପୁସ୍ତକ ରଚନା କରିଛନ୍ତି । ସେଥି ମଧ୍ୟରେ ବନ୍ଧୁତ୍ୱର ଦିଗଦିଗନ୍ତ ବର୍ଣ୍ଣିତ ୨୦୨୧ରେ ପ୍ରକାଶିତ ଫ୍ରେଣ୍ଡସ : ଅଣ୍ଡରଷ୍ଟାଣ୍ଟିଂ ଦି ପାୱାର ଅଫ ଆୱାର ମୋଷ୍ଟ ଇମ୍ପୋର୍ଟାଣ୍ଟ ରିଲେସନସିପସ ଅନ୍ତର୍ଗତ ।

 

ଡ଼ନବାରଙ୍କ ଜୀବନର ପ୍ରଥମ ପର୍ଯ୍ୟାୟର ଗବେଷଣା ଆଫ୍ରିକାରେ ମାଙ୍କଡ଼ମାନଙ୍କ ସାମାଜିକ ଜୀବନ ଅନୁଧ୍ୟାନରେ କଟିଥିଲା । ପରବର୍ତ୍ତୀ କାଳରେ ପ୍ରାଣୀ ଓ ମନୁଷ୍ୟମାନଙ୍କ ବନ୍ଧୁତ୍ୱ ଆଚ଼ରଣ ସଂପର୍କରେ ସେ ପର୍ଯ୍ୟାଲୋଚ଼ନା କରିଥିଲେ । ସେ ନିଜ ତଥା ଅନ୍ୟମାନଙ୍କ ଗବେଷଣାଲବ୍ଧ ତଥ୍ୟ ଉଦ୍ଧାର କରି କହନ୍ତି ଯେ ବନ୍ଧୁତ୍ୱ ପ୍ରତ୍ୟେକ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟଗତ ଓ ମାନସିକ ଜୀବନ, ଏପରିକି ଜୀବଦ୍ଦଶାକୁ ପ୍ରଭାବିତ କରୁଥିବା ପ୍ରମାଣ ଉପଲବ୍ଧ ।

 

ଜଣେ ସାଧାରଣ ବ୍ୟକ୍ତି କେତେ ଜଣଙ୍କ ସହ ଅନ୍ତରଙ୍ଗ ବନ୍ଧୁତ୍ୱ ସ୍ଥାପନ କରିପାରିବ ପ୍ରଶ୍ନର ଉତ୍ତର ଡ଼ନବାର ନିର୍ଦ୍ଧାରଣ କରିଛନ୍ତି । ତାହା ଡ଼ନବାର ସଂଖ୍ୟା ଡ଼ନବାର ନମ୍ୱରର୍ସ ନାମରେ ଖ୍ୟାତ । ତାଙ୍କରି ବିଚାରରେ ଜଣେ ବ୍ୟକ୍ତି ନିର୍ବାଚ଼ିତ ପରିବାର ସଦସ୍ୟଙ୍କ ସମେତ ୧୫୦ ଜଣଙ୍କ ସହ ଅନ୍ତରଙ୍ଗ ବନ୍ଧୁତ୍ୱ ସ୍ଥାପନ ସଂଭବ । ବନ୍ଧୁତ୍ୱର ପ୍ରଥମସ୍ତରରେ ଅତି ଘନିଷ୍ଠଙ୍କ ସଂଖ୍ୟା ପାଞ୍ଚରେ ସୀମାବଦ୍ଧ । ଦ୍ୱିତୀୟସ୍ତରରେ ପନ୍ଦର ଜଣ ଯାଏଁ ଉତ୍ତମ ବନ୍ଧୁ ଏବଂ ତୃତୀୟସ୍ତରରେ ପଚାଶ ଜଣ ଯାଏଁ ସାଧାରଣ ବନ୍ଧୁ ସୃଷ୍ଟି ହୋଇଥାନ୍ତି । ଚ଼ତୁର୍ଥସ୍ତରରେ ଶହେ ପଚାଶ ଯାଏଁ ବ୍ୟକ୍ତିଙ୍କ ସହ ଅର୍ଥପୂର୍ଣ୍ଣ ସଂପର୍କ ଏବଂ ପଞ୍ଚମ ସ୍ତରରେ ପନ୍ଦର ଶହ ଯାଏଁ ପରିଚିତ ବ୍ୟକ୍ତିଙ୍କ ସହ ସଂପର୍କ ସ୍ଥାପିତ ହୋଇଥାଏ ।

 

ଡ଼ନବାର ନମ୍ୱରର୍ସ ପାଞ୍ଚଗୋଟି ସ୍ତରର ବନ୍ଧୁଙ୍କ ମଧ୍ୟରେ ସମୟକ୍ରମେ ଗୋଟିଏ ସ୍ତରରୁ ଅନ୍ୟ ସ୍ତରକୁ ବନ୍ଧୁତ୍ୱ ଅଦଳ ବଦଳ ଲାଗି ରହିଥାଏ । ଉଦାହରଣରେ କୌଣସି କାରଣରୁ ପ୍ରଥମ ସ୍ତରର ଅତି ଘନିଷ୍ଠ ବନ୍ଧୁଙ୍କ ସହ ତିନି ବର୍ଷ ଯାଏଁ ଦେଖାସାକ୍ଷାତ ନହେଲେ ତାଙ୍କରି ସହ ସଂପର୍କ ପର୍ଯ୍ୟାୟକ୍ରମେ ପଞ୍ଚମସ୍ତର ପରିଚ଼ିତ ବର୍ଗକୁ ସ୍ଥାନାନ୍ତରିତ ହୋଇପଡ଼େ । ଡ଼ନବାରଙ୍କ ଉପପାଦ୍ୟରେ ବନ୍ଧୁତ୍ୱ ସ୍ଥାପନ କ୍ରିଏସନ ଓ ପରିଚାଳନା ମେଣ୍ଟେନାନ୍ସ ନିମନ୍ତେ ପ୍ରତ୍ୟକ୍ଷ ଦେଖା-ସାକ୍ଷାତ ଆଳାପ-ଆଲୋଚ଼ନା ଜରୁରି । ସଶରୀରରେ ଉପସ୍ଥିତି ମନୁଷ୍ୟ ମସ୍ତିସ୍କରେ ଏଣ୍ଡୋଫିନସ୍ତରକୁ ଉଜ୍ଜୀବିତ କରିଥାଏ ଏବଂ ସେହି ପରିବେଶ ବନ୍ଧୁତ୍ୱ ସୃଷ୍ଟି ଓ ଦୃଢୀକରଣରେ ସହାୟକ ହୋଇଥାଏ । ଅନ୍ତରଙ୍ଗ ବନ୍ଧୁଙ୍କ ସହ ଦେଖା-ସାକ୍ଷାତ ଅଭାବରେ ମସ୍ତିସ୍କରେ ବନ୍ଧୁତ୍ୱ ସୃଷ୍ଟି ଉତ୍ତେଜକ ପ୍ରକ୍ରିୟା ଶୀଥିଳ ହେଲେ ବନ୍ଧୁତ୍ୱର ଗଭୀରତା ହ୍ରାସ ପାଇଥାଏ ।

 

ବାଲ୍ୟ ଓ କିଶୋର ଅବସ୍ଥାରେ ବନ୍ଧୁଙ୍କ ସଂଖ୍ୟା ଦୁଇ ଶହରୁ ଅଢ଼େଇ ଶହ ଯାଏଁ ସଂପ୍ରସାରିତ ହେଉଥିବା ଦେଖାଯାଏ । ସାଧାରଣରେ ବ୍ୟକ୍ତି ୩୦ ବର୍ଷ ବୟସରେ ପହଞ୍ଚିବା ତଥା ସନ୍ତନ-ସନ୍ତତିଙ୍କ ଜନକ ହେବା ବେଳକୁ ବନ୍ଧୁଙ୍କ ସଂଖ୍ୟା ଦେଢ଼ ଶହକୁ କମି ଆସେ । ପଞ୍ଚଷଠି ବର୍ଷୋତ୍ତର ଅବସ୍ଥାରେ ବ୍ୟକ୍ତିଗତ ଜୀବନରେ ସର୍ବାପେକ୍ଷା କମ ସଂଖ୍ୟକ ବନ୍ଧୁ ଗଣନା କରାଯାଇଥାଏ । ୨୦୧୫ରେ ଆୟୋଜିତ ଏକ ସର୍ବେକ୍ଷଣରୁ ଜଣାଯାଇଥିଲା ଯେ ମହିଳାମାନଙ୍କ କ୍ଷେତ୍ରରେ ବନ୍ଧୁତ୍ୱ ସୃଷ୍ଟି ଓ ପରିଚାଳନାରେ କଥୋପକଥନ ପ୍ରଭାବଶାଳୀ ଭୂମିକା ନିର୍ବାହ କରୁଥିବା ସ୍ଥଳେ ପୁରୁଷମାନଙ୍କ କ୍ଷେତ୍ରରେ କଥୋପକଥନର ପ୍ରଭାବ ନଗଣ୍ୟ । ଦୈନନ୍ଦିନ ଜୀବନରେ ଆୟୋଜିତ କୌଣସି କାର୍ଯ୍ୟକ୍ରମରେ ସାମିଲ ହେବାଦ୍ୱାରା ପୁରୁଷମାନଙ୍କ ମଧ୍ୟରେ ବନ୍ଧୁତ୍ୱ ସୃଷ୍ଟି ହୋଇଥାଏ । ଉଦାହରଣରେ ପ୍ରାତଃ ଭ୍ରମଣ, ସଭା ସମିତିରେ ଯୋଗଦାନ ବା ଗୋଷ୍ଠୀଗତ ପର୍ଯ୍ୟଟନ ଇତ୍ୟାଦି ଉଲ୍ଲେଖଯୋଗ୍ୟ ।

 

ପ୍ରାଣୀ ଓ ମନୁଷ୍ୟମାନଙ୍କ ମସ୍ତିସ୍କର ଆକାର ଅଧ୍ୟୟନ କରି ଡ଼ନବାର ବନ୍ଧୁତ୍ୱ ପରିଧିରେ ୧୫୦ ଜଣ ବ୍ୟକ୍ତିଙ୍କ ଉପସ୍ଥିତି ନିର୍ଯ୍ୟାସରେ ଉପନୀତ ହୋଇଥିଲେ । ପରବର୍ତ୍ତୀ କାଳରେ ଗବେଷଣାରୁ ଜଣାଯାଇଛି ଯେ ଜଣେ ପରିଚ଼ିତ ବ୍ୟକ୍ତି ସହ ବନ୍ଧୁତ୍ୱ ସ୍ଥାପନ ନିମନ୍ତେ ୩୪ ଘଣ୍ଟା ଆବଶ୍ୟକ ପଡ଼ିଥାଏ । ଏହି ସମୟସୀମାରେ ମନୁଷ୍ୟର ମସ୍ତିସ୍କ ଗ୍ରହଣୀୟତାର ପୁଙ୍ଖାନୁପୁଙ୍ଖ ବିଶ୍ଳେଷଣ କରି ନିଷ୍ପତ୍ତି ଗ୍ରହଣ ନିମନ୍ତେ ପ୍ରସ୍ତୁତ ହୋଇଥାଏ । ବନ୍ଧୁତ୍ୱ ସୃଷ୍ଟି ନିମନ୍ତେ ସାତଗୋଟି ସ୍ତମ୍ଭ ସେଭେନ ପିଲରର୍ସ ଅଫ ଫ୍ରେଣ୍ଡସିପ ଚ଼ିହ୍ନଟ କରାଯାଇଛି : ଏକକ ଭୌଗଳିକ ପରିସୀମାରେ ବସବାସ, ନିର୍ଦ୍ଧିଷ୍ଟ ଭାଷା ବ୍ୟବହାର, ଶିକ୍ଷା କିମ୍ୱା ବୃତ୍ତିଗତ ଜୀବନରେ ସାମଞ୍ଜସ୍ୟ, ସମଧରଣର ଋଚି ଓ ଦୃଷ୍ଟିଭଙ୍ଗୀ, ରାଜନୀତିକ ଓ ଧାର୍ମିକ ଚ଼ିନ୍ତାଧାରା, ସଙ୍ଗୀତ ତଥା କୌତୁହଳ ପ୍ରବଣତା ହ୍ୟୁମର । ଏକ ବା ଏକାଧିକ ସାମଞ୍ଜସ୍ୟ ବନ୍ଧୁତ୍ୱର ନିବିଡ଼ତା ସ୍ଥାପନରେ ସହାୟକ ହୋଇଥାଏ ।

 

ଡ଼ନବାର ନିଜ ସହକର୍ମୀଙ୍କ ଗହଣରେ ୧୩ ଗୋଟି ୟୁରୋପୀୟ ରାଷ୍ଟ୍ରରେ ୨୦୨୧ରେ ବନ୍ଧୁତ୍ୱ ପରିମାପ ନିମନ୍ତେ ଏକ ବଡ଼ ଧରଣର ସର୍ବେକ୍ଷଣ ଆୟୋଜନ କରିଥିଲେ । ଏଥିରୁ ଜଣାଯାଇଥିଲା ଯେ ଅନ୍ତରଙ୍ଗ ବନ୍ଧୁଙ୍କ ଅଭାବରେ ଦୁଇ ବର୍ଷ ମଧ୍ୟରେ ମାନସିକ ସ୍ୱାସ୍ଥ୍ୟ ଭଙ୍ଗ, ଏପରିକି ବ୍ୟକ୍ତିବିଶେଷ ଅବସାଦଗ୍ରସ୍ତ ହୋଇପଡୁଥିବା ଦେଖିବାକୁ ମିଳେ । ପ୍ରତ୍ୟେକ ଅନ୍ତତଃପକ୍ଷେ ପାଞ୍ଚ ଜଣ ଅନ୍ତରଙ୍ଗ ବନ୍ଧୁଙ୍କ ସଂସ୍ପର୍ଶରେ ରହିଲେ ଏହି ସମସ୍ୟାରୁ ଅନେକାଂଶରେ ମୁକ୍ତି ସମ୍ଭବ । ଡ଼ନବାର ନମ୍ୱରର୍ସରେ ସଂଖ୍ୟା ପାଞ୍ଚ ବା ପାଞ୍ଚର ଗୁଣିତକ ନିର୍ଦ୍ଧାରଣ ସଂପର୍କରେ କୁହାଯାଏ ଯେ ମାଙ୍କଡ଼ ଶ୍ରେଣୀର ପ୍ରାଣୀଙ୍କ ସାମାଜିକ ଜୀବନରେ ସଂଖ୍ୟା ପାଞ୍ଚର ପ୍ରାଧାନ୍ୟ ଅନୁଧ୍ୟାନ କରାଯାଇ ତତ୍ ଅନୁଯାୟୀ ମନୁଷ୍ୟମାନଙ୍କ କ୍ଷେତ୍ରରେ ମଧ୍ୟ ପ୍ରୟୋଗ କରାଯାଇଛି ।

 

ଡ଼ନବାର ନମ୍ୱର ୧୫୦ର ପ୍ରାସଙ୍ଗିକତା ଆଦିକାଳରୁ ଉପଲବ୍ଧି କରାଯାଇଥିବା ପ୍ରମାଣ ମିଳେ । ଏକାଦଶ ଶତାଦ୍ଦୀର ବ୍ରିଟିଶ ଗ୍ରାମଗୁଡ଼ିକରେ ୧୫୦ ପରିବାର ବସବାସ କରିବା ପ୍ରଥା ପ୍ରଚଳିତ ଥିଲା । କାର୍ଯ୍ୟାଳୟ, ସାମାରିକ ପ୍ରତିଷ୍ଠାନ ଓ ଆବାସ ପ୍ରକଳ୍ପଗୁଡ଼ିକରେ ସଂଖ୍ୟା ୧୫୦ ତାତ୍ପର୍ଯ୍ୟପୂର୍ଣ୍ଣ । ତେବେ ଡ଼ନବାର ନମ୍ୱରକୁ ବିରୋଧ ଉଦାହରଣ ମଧ୍ୟ ଭରପୁର । ଯୁକ୍ତରାଷ୍ଟ୍ର ଆମେରିକାରେ ଆୟୋଜିତ କେତେକ ଗବେଷଣାରୁ ୧୫୦ ବଦଳରେ ୨୯୦କୁ ମୌଳିକ ସଂଖ୍ୟା ଭାବେ ନିର୍ଦ୍ଧାରଣ କରାଯାଇଥାଏ । ଏକବିଂଶ ଶତାଦ୍ଦୀରେ ବିଶ୍ୱବ୍ୟାପୀ ସାମାଜିକ ଗଣମାଧ୍ୟମ ପ୍ରସାରଣରେ ବୈଷୟିକ ପ୍ରଗତି ସାନ୍ନିଧ୍ୟରେ ଜନଜୀବନ ସମେତ ବାର୍ଦ୍ଧକ୍ୟ ଜୀବନଚ଼ର୍ଯ୍ୟାରେ ବ୍ୟାପକ ପରିବର୍ତ୍ତନ ସଂଘଟିତ ହୋଇଥିବା ସ୍ଥଳେ ଭବିଷ୍ୟତରେ ପ୍ରତ୍ୟକ୍ଷ ବଦଳରେ ଭର୍ଚୁଆଲ ପରିବେଶର ପ୍ରଭାବଶାଳୀ ହେବା ଆକଳନ ଯୁକ୍ତିଯୁକ୍ତ ମନେହୁଏ ।

 

ବାର୍ଦ୍ଧକ୍ୟରେ ବନ୍ଧୁ ସଂଖ୍ୟା ହ୍ରାସ ଏବଂ ତତ୍ ଜନିତ ନକାରାତ୍ମକ ପ୍ରଭାବ ବିଚାରକୁ ନେଇ ବନ୍ଧୁତ୍ୱର ବିଭିନ୍ନ ସ୍ତରରେ ଅନ୍ତତଃପକ୍ଷେ ପାଞ୍ଚ, ପନ୍ଦର ଓ ପଚାଶ ବନ୍ଧୁତ୍ୱ ପରିଚାଳନା ପ୍ରତି ଯୋଜନାବଦ୍ଧ ଉଦ୍ୟମ ବୁଦ୍ଧିମତାର ପରିଚୟ ଦେବ । ଜୀବନର ପଡ଼ନ୍ତି ଅପରାହ୍ନରେ ବନ୍ଧୁଙ୍କ ସଂଖ୍ୟା ଗଣତି ନିମନ୍ତେ କାଗଜ କଲମ ବା ଡ଼ିଜିଟାଲ ସ୍କ୍ରିନରେ ସମୟାନ୍ତେ ତାଲିକା ଲିପିବଦ୍ଧ କରିବା ଏବଂ ସେମାନଙ୍କ ମଧ୍ୟରୁ ଅନ୍ତତଃ ପନ୍ଦରଜଣଙ୍କ ସହ ଦେଖାସାକ୍ଷାତ ଓ ନିରନ୍ତର ସଂପର୍କ ସ୍ଥାପନ ଲାଗି ଉଦ୍ୟମରୁ ସୁଫଳ ଆଶା କରାଯାଇପାରେ । କରୋନାଭୂତାଣୁଜନିତ ମହାମାରୀରେ ଆଢ଼େଇ ବର୍ଷ ଯାଏଁ ଗୃହାବଦ୍ଧ ଜୀବନ ଡ଼ନବାରଙ୍କ ପ୍ରତ୍ୟକ୍ଷ ଦେଖାସାକ୍ଷାତ ଉପପାଦ୍ୟର ବିରୁଦ୍ଧାଚ଼ରଣ କରିଛି । ସେହି ଉପପାଦ୍ୟ ଅନୁଯାୟୀ ତିନି ବର୍ଷ ଯାଏଁ ସଂପର୍କ ଅଭାବରେ ଅନ୍ତରଙ୍ଗ ବନ୍ଧୁତ୍ୱ କ୍ରମଶଃ ପରିଚ଼ିତ ବର୍ଗକୁ ଅପସାରିତ ହେବା ଆଗରୁ ଅନ୍ତରଙ୍ଗ ସ୍ତରକୁ ଫେରାଇ ଆଣିବା ଉଦ୍ୟମ ତାତ୍ପର୍ଯ୍ୟପୂର୍ଣ୍ଣ ମନେ ହୁଏ ନାହିଁ କି ? ବିଗତ ତିନି ମାସରୁ କଥାବାର୍ତ୍ତା ହୋଇନଥିବା ପାଞ୍ଚଜଣଙ୍କୁ ଆଜି ହିଁ ଟେଲିଫୋନ କରନ୍ତୁ !

 

ଡ଼ନବାର ନମ୍ୱର ସଂପର୍କରେ ୟୁଟ୍ୟୁବ ଭିଡ଼ିଓ ନିମନ୍ତେ କ୍ଳିକ କରନ୍ତୁ :

 

Robin Dunbar - How Many Friends Does One Person Need ?

 

https://www.youtube.com/watch?v=9lPH-qqKHfI

 

The nature of friendship | 10-Minute Talks | The British Academy

 

https://www.youtube.com/watch?v=Ku_aRgWg6-w 



ଡକ୍ଟର ପ୍ରଦୀପ ମହାପାତ୍ର  / ରଚନା କାଳ : ୧ ନଭେମ୍ୱର ୨୦୨


ତଥ୍ୟ :


Dunbar, Robin : “I'm a friendship expert, This is how many friends you need”. www.newsweek.com Nov 17, 2022


https://www.newsweek.com/how-many-friends-you-need-friendship-expert-1749802

 

Dunbar's number : Why we can only maintain 150 relationships – BBC Future

 

https://www.bbc.com/future/article/20191001-dunbars-number-why-we-can-only-maintain-150-relationships